Unknown

 

 

 

 

 

 

 

 

 

 

 

ଶ୍ରେଷ୍ଠ ଓଡ଼ିଆ ଗଳ୍ପ ସଂକଳନ

ମହାପାତ୍ର ନୀଳମଣି ସାହୁ

 

ଦି’ ପଦ

 

ଓଡ଼ିଶା ସାହିତ୍ୟ ଏକାଡ଼େମୀଙ୍କ ଆନୁକୂଲ୍ୟରେ ବର୍ତ୍ତମାନ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ ସଂକଳନ’ ଆତ୍ମପ୍ରକାଶ କରିବାକୁ ଯାଉଛି । ଏଥିପୂର୍ବରୁ କବିତା ଓ ପ୍ରବନ୍ଧକୁ ସମ୍ବଳ କରି ଦୁଇଟି ସଂକଳନ ପ୍ରକାଶିତ ହୋଇସାରିଛି । ଏହି ସଂକଳନଟିର ସଂପାଦନା ଦାୟିତ୍ଵ ସଂପନ୍ନ କରିଛନ୍ତି ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ କଥାଶିଳ୍ପୀ ମହାପାତ୍ର ଶ୍ରୀ ନୀଳମଣି ସାହୁ ଏବଂ ନିଜସ୍ଵ ଦୃଷ୍ଟିକୋଣରୁ ଏଥିରେ ସନ୍ନିବିଷ୍ଟ ଗଳ୍ପଗୁଡ଼ିକ ସେ ନିର୍ବାଚନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଗଳ୍ପ ସାହିତ୍ୟ ଉପରେ ଏକ ଉପାଦେୟ ଭୂମିକା ମଧ୍ୟ ସେ ସଂଯୋଜନ କରିଛନ୍ତି । ଏଥିପାଇଁ ଏକାଡେମୀ କର୍ତ୍ତୃପକ୍ଷଙ୍କର ସେ ସାଧୁବାଦର ପାତ୍ର ।

 

ଓଡ଼ିଆ ଗଳ୍ପଜଗତର କଥାସମ୍ରାଟ ଫକିରମୋହନଙ୍କଠୁଁ ଆରମ୍ଭ କରି ସମକାଳୀନ କଥାଶିଳ୍ପୀ ପଦ୍ମଜ ପାଳଙ୍କ ପର୍ଯ୍ୟନ୍ତ ସର୍ବମୋଟ ଏକଷଠିଟି ଗଳ୍ପ ଏହି ସଂକଳନରେ ସନ୍ନିବିଷ୍ଟ ଏବଂ ପ୍ରତ୍ୟେକଟି ଗଳ୍ପ କଥାଶିଳ୍ପୀମାନଙ୍କର ସୃଷ୍ଟି ପ୍ରତିଭାର ଏକ ଏକ ପ୍ରତିନିଧି ସ୍ଥାନୀୟ ଗଳ୍ପ । ଏହି ସଂକଳନର ଆୟତନ ଓ ପୃଷ୍ଠାସଂଖ୍ୟାର ପରିସୀମା ଦୃଷ୍ଟିରୁ ଇଚ୍ଛା ସତ୍ତ୍ୱେ ଲେଖକଙ୍କର ଗଳ୍ପକୁ ସଂକଳକ ସ୍ଥାନ ଦେବାର ସୁଯୋଗରୁ ବଂଚିତ ହୋଇଛନ୍ତି ।

 

ସେଥିପାଇଁ ଆବଶ୍ୟକ ହେଲେ ଆଉ ଏକ ଗଳ୍ପ-ସଂକଳନ ପ୍ରକାଶ କରିବାର ବାସନା ମଧ୍ୟ ଏକାଡେମୀ କର୍ତ୍ତୃପକ୍ଷଙ୍କର ରହିଛି । ଏହି ସଂକଳନଟି ଓଡ଼ିଶାର ସୁଧୀ ଓ ବିଦଗ୍ଧ ପାଠକମହଲରେ ଆଦୃତ୍ତ ହେଲେ ସଂକଳକଙ୍କର ଶ୍ରମ ସାର୍ଥକ ହେବା ସଙ୍ଗେ ସଙ୍ଗେ ଏକାଡେମୀ କର୍ତ୍ତୃପକ୍ଷଙ୍କର ଲକ୍ଷ୍ୟ ଓ ଅଭିଳାଷ ମଧ୍ୟ ଚରିତାର୍ଥ ହେବ ବୋଲି ବିଶ୍ୱାସ ।

 

ତା ୩୦ । ୫ । ୮୫

ଚିନ୍ତାମଣି ବେହେରା

 

ସଂପାଦକ,

 

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ମୁଖବନ୍ଧ

 

ଆମ ଓଡ଼ିଆ ସାହିତ୍ୟରେ କାହାଣୀ-ପରମ୍ପରା ବେଶ୍ ପ୍ରାଚୀନ । ଗୋପାଳ ପ୍ରହରାଜଙ୍କ ‘ଉତ୍କଳ-କାହାଣୀ’ ଏବଂ ଡକ୍ଟର କୁଞ୍ଜବିହାରୀ ଦାଶଙ୍କର ‘ଲୋକଗଳ୍ପ ସଂଚୟନ’ରୁ ଆମ କାହାଣୀକଳାର ଉତ୍କର୍ଷ ବୁଝାପଡ଼େ । ତେବେ ଅଷ୍ଟାଦଶ ଶତାବ୍ଦୀରେ ବ୍ରଜନାଥ ବଡ଼ଜେନା ହିଁ ସର୍ବପ୍ରଥମେ କଥକତା ଶୈଳୀରେ ‘ଚତୁର ବିନୋଦ’ ଗଳ୍ପଗ୍ରନ୍ଥ ପ୍ରଣୟନ କରିଥିଲେ । ଏହାଥିଲା ଚାରିଭଗରେ ବିଭକ୍ତ- ନୀତିବିନୋଦ, ପ୍ରୀତିବିନୋଦ, ହାସ୍ୟବିନୋଦ ଓ ରସବିନୋଦ । ନାମକରଣରୁ ବୁଝାପଡ଼େ ଯେ, ଏହା ଶ୍ରୋତାମାନଙ୍କର ବିନୋଦନ ପାଇଁ ରଚିତ ହୋଇଥିଲା । ଏକ କାଳରେ ଓଡ଼ିଶାରେ ଭ୍ରାମ୍ୟମାଣ ଯାତ୍ରାବାଲା ଓ ସଙ୍ଗୀତଜ୍ଞମାନଙ୍କ ପରି ଗଳ୍ପ-କଥକମାନେ ଗ୍ରାମେଗ୍ରାମେ ବୁଲି ବହୁ ମନୋରଞ୍ଜନ ଗଳ୍ପ କହି ଶ୍ରୋତାମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ । ଏମାନେ ‘ଗଳ୍ପସାଗର' ନାମରେ ଆଖ୍ୟାତ ହେଉଥିଲେ । ରାଜଦ୍ୱାରରେ ମଧ୍ୟ ଏମାନଙ୍କୁ ବେଶ୍ ସମ୍ମାନ ଓ ସମାଦର ମିଳୁଥିଲା । ଏକ ବିଶେଷଧରଣର କଥନରୀତ ଓ ସାବଲୀଳ ଅଥଚ କଳାତ୍ମକ ନାଟକୀୟ ସ୍ଵର ସହଯୋଗରେ କଥକମାନେ ସେହି ସବୁ ଗଦ୍ୟ ପଦ୍ୟ ମିଶ୍ରିତ ଗଳ୍ପଗୁଡ଼ିକୁ ବୟାନ କରୁଥିଲେ । ‘ଚତୁର ବିନୋଦ’ ସେହି ରୀତିରେ ରଚିତ ଏବଂ ଏହାହିଁ ଆମର ଲିଖିତ ଗଳ୍ପସାହିତ୍ୟର ଆଦ୍ୟ ନମୁନା । ତାପରେ ଊନବିଂଶ ଶତାବ୍ଦୀର ଶେଷଭାଗକୁ- ଅର୍ଥାତ୍ ୧୮୯୮ ମସିହାରେ ଆମେ ଫକୀରମୋହନଙ୍କର “ରେବତୀ’’ ଭଳି ଏକ ପୁର୍ଣ୍ଣାଙ୍ଗ ଆଧୁନିକ ଗଳ୍ପ ଦେଖିବାକୁ ପାଇଲୁ । ତତ୍‍ପୁର୍ବରୁ ଅବଶ୍ୟ ୧୮୯୭ ମସିହାରେ କବି ମଧୁସୂଦନଙ୍କ ଲିଖିତ ‘ହେମମାଳା’ ନାମରେ ଏକ ପ୍ରଣୟ ପ୍ରଧାନ ରୋମାନ୍‌ସ ପ୍ରକାଶ ପାଇଥିଲା । ତା’ହେଲେ ବି ଫକୀରମୋହନ ହିଁ ଆମ ଆଧୁନିକ ଗଳ୍ପ ସାହିତ୍ୟର ଆଦ୍ୟସ୍ରଷ୍ଟା ଓ ସେ ହିଁ ଆମର ପରବର୍ତ୍ତୀ ଗଳ୍ପ-ସାହିତ୍ୟର ବିକାଶ ଲାଗି ସୁଦୃଢ଼ ଭିତ୍ତି ପକାଇଦେଇ ଗଲେ । କଥା-ସାହିତ୍ୟରେ ଅଦଭୂତ ପ୍ରତିଭାଧର ଏହି ଲେଖକଙ୍କର ବହୁ ଗଳ୍ପ ଭିତରୁ ରେବତୀ, ରାଣ୍ଡୀପୁଅ ଅନନ୍ତା, ପେଟେଣ୍ଟ ମେଡ଼ିସିନ୍ ଓ ଅଧର୍ମବିତ୍ତ ପ୍ରଭୃତି ଗଳ୍ପ ଓଡ଼ିଆ ସାହିତ୍ୟରେ ଯୁଗ ଯୁଗ ଧରି କ୍ଲାସିକ ହୋଇ ରହିବେ । ଫକୀର ମୋହନ ତାଙ୍କ ସମୟର ସାମାଜିକ ପରିବେଶରୁ ହିଁ ତାଙ୍କର ଚରିତ୍ର ଓ କଥାବସ୍ତୁ ସଂଗ୍ରହ କରିଛନ୍ତି । ସମାଜର ବିଭିନ୍ନ ଅନୁଷ୍ଠାନ, ସଂସ୍କାର, ରୀତିନୀତି ଏବଂ ସେ କାଳର ସାମାଜିକ ନୈତିକତାର ଆଦର୍ଶ ସଙ୍ଗେ ତା’ର ବିରୋଧାଚାରୀମାନଙ୍କର ସଂଘର୍ଷ-ପରସ୍ଵାପହାରୀ, କୁଟିଳ ଚକ୍ରାନ୍ତକାରୀ, କୃପଣ, ଲମ୍ପଟ ଓ ପ୍ରମତ୍ତ ବ୍ୟକ୍ତିମାନଙ୍କର କାଣ୍ଡକାରଖାନା-ଦୈବୀ ଓ ସାମାଜିକ ଆପଦ ବିପଦ ଭିତରେ ବ୍ୟକ୍ତିର ସଂଗ୍ରାମୀ ବୀରତ୍ଵ-ଇତ୍ୟାଦିକୁ ନେଇ ସେ ବହୁ ଗଳ୍ପ, ଲେଖିଛନ୍ତି । ହାସ୍ୟ ଓ ବ୍ୟଙ୍ଗ ବିଦ୍ରୁପ ମାଧ୍ୟମରେ ସେ ବହୁ ପ୍ରଚଳିତ କୁସଂସ୍କାର ଉପରେ ବାକ୍ୟାଘାତ କରିଛନ୍ତି । ତାଙ୍କର ଭାଷାଶୈଳୀ ଯେପରି ସ୍ଵଭାବିକ, ସେହିପରି ଜୀବନ-ରସରେ ଜୁଡ଼ୁ ବୁଡ଼ୁ ।

 

ସେହି କାଳରୁ ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକ ପତ୍ରିକା ଦ୍ଵୟ ଗଳ୍ପ ପ୍ରକାଶରେ ଖୁବ୍ ଆଗ୍ରହ ପ୍ରକାଶ କରିବାରୁ ଓଡ଼ିଆ ଭାଷାରେ ଆଧୁନିକ ଗଳ୍ପ ରଚନାର ପରମ୍ପରା ସୃଷ୍ଟିହେଲା । ସମୟକ୍ରମେ ଦିବ୍ୟସିଂହ ପାଣିଗ୍ରାହୀ, ଗୋଦାବରୀଶ ମିଶ୍ର, ଦୟାନିଧି ମିଶ୍ର, ବାଙ୍କନିଧି ପଟ୍ଟନାୟକ, ଚିନ୍ତାମଣି ମହାନ୍ତି, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଲେଖକମାନେ ବହୁ ସାମଜିକ ସମସ୍ୟାକୁ ନେଇ ଗଳ୍ପରଚନା, କଲେ । ସମାଜର ଅବହେଳିତ ଉପଦ୍ରୂତ ଅପରିଚିତ ଓ ନଗଣ୍ୟ ବୋଲି ବିବେଚିତ ଶ୍ରେଣୀରୁ ହିଁ ଗଳ୍ପର ଚରିତ୍ର ଓ ବିଷୟବସ୍ତୁ ନିଆଗଲା ଏବଂ ସେହି ଗଳ୍ପ ସବୁ ପାଠକମାନଙ୍କ ଦ୍ଵାରା ଆଦୃତ ହେବା ଫଳରେ, ଗଳ୍ପରଚନା ଏକ ବିଶେଷ ସାହିତ୍ୟକୃତି ରୂପେ ସୁପ୍ରତିଷ୍ଠା ଲାଭ କଲେ । ‘ଯୁଗବୀଣା’, ‘ସହକାର’, ‘ନବଭାରତ’, ‘ଡଗର', ‘ଆଧୁନିକ’ ପ୍ରଭୃତି, ମାସିକ ସାହିତ୍ୟ ପତ୍ରିକାଗୁଡ଼ିକରେ ଏହି ସବୁ ଲେଖକମାନଙ୍କର ଗଳ୍ପ ପ୍ରକାଶ ପାଇଲା । ୧୯୩୩ ଓ ୧୯୩୬ ମସିହାରେ ‘ଯୁଗବାଣୀ’ ଓ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ଆଧୁନିକ’ ପତ୍ରିକାରେ ଗଳ୍ପ ଲେଖି କଳିନ୍ଦୀ ଚରଣ ପାଣିଗ୍ରାହୀ, କମଳାକାନ୍ତ ଦାସ, ଅନନ୍ତ ପ୍ରସାଦ ପଣ୍ଡା, ହରିଶ୍ଚନ୍ଦ୍ର ବଡ଼ାଳ, ଭଗବତୀ ପାଣିଗ୍ରାହୀ, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ପ୍ରାଣବନ୍ଧୁ କର, କାହ୍ନୁ ଚରଣ ମହାନ୍ତି, ଗୋପିନାଥ ମହାନ୍ତି, ସଚ୍ଚି ରାଉତରାୟ ପ୍ରମୁଖ ପ୍ରତିଭାଧର କବି ଓ ଲେଖକମାନେ ଗାଳ୍ପିକ ଭାବେ ପ୍ରସିଦ୍ଧି ଲାଭ କଲେ ।

 

ଦ୍ୱିତୀୟ ମହାଯୁଦ୍ଧ ପର୍ଯ୍ୟନ୍ତ ଆମ ଗାଳ୍ପିକମାନଙ୍କର ଗଳ୍ପର ବିଷୟବସ୍ତୁ ଥିଲା ମୁଖ୍ୟତଃ ସାମାଜିକ । କେତେକ ସ୍ଥଳରେ ଯୁବକ–ଯୁବତୀଙ୍କର ପ୍ରଣୟଜନିତ ବ୍ୟାପାର ଏବଂ ପଲ୍ଲୀଗ୍ରାମଗୁଡ଼ିକ ହିଁ ଗଳ୍ପର ବିଷୟବସ୍ତୁ ଲାଗି ପରିବେଶ ଯୋଗଉଥିଲା । କେତେକ ଗଳ୍ପରେ ନୂତନ ଇଂରାଜୀ ଶିକ୍ଷିତ ସରକାରୀ କର୍ମଚାରୀମାନଙ୍କ ଜୀବନଲେଖ୍ୟ ମଧ୍ୟ ରହୁଥିଲା । ତଦବଧି କିନ୍ତୁ ଓଡ଼ିଶାରେ ଆଧୁନିକ ଧରଣର ନଗରଜୀବନର ସୂତ୍ରପାତ ହୋଇନଥିଲା କିମ୍ବା ଓଡ଼ିଶାରେ ଶୀଳ୍ପ ସଭ୍ୟତାର ପ୍ରସାର ଆରମ୍ଭ ହୋଇନଥିଲା । କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ବ୍ରହ୍ମପୁର ପ୍ରଭୃତି ସହରଗୁଡ଼ିକ ଉନ୍ନତ ଗ୍ରାମ ପରି ରହିଥିଲେ ଏବଂ ଓଡ଼ିଶାର ସଧାରଣ ଜୀବନ ଥିଲା କୃଷିଭିତ୍ତିକ । ଏପରିକି ରାଜ୍ୟର ଅର୍ଥନୀତି ମଧ୍ୟ ସେଇ କୃଷିକୁଇ କେନ୍ଦ୍ରକରି ତିଷ୍ଠି ଥିଲା । ସରଳ ଓ ବିଶେଷ କିଛି ଘଟଣା ବିହୀନ ନିସ୍ତରଙ୍ଗ ନିର୍ଦ୍ଵନ୍ଦ ଜୀବନ ଧାରା ଭିତରୁ ଗଳ୍ପଲାଗି ଖୋରାକ ପାଇବା ସହଜ ନଥିଲା । ତେଣୁ ସେ କାଳର ଅଧିକାଂଶ ଗଳ୍ପରେ ଲେଖକର କଳ୍ପନା ହିଁ ଥିଲା ମୁଖ୍ୟ । ସେଥିଲାଗି ପତ୍ରପତ୍ରିକାରେ ଅଧିକା°ଶ ବେଳେ ବିଦେଶୀ ଗଳ୍ପଗୁଡ଼ିକୁ ଅନୁବାଦ କରି ପ୍ରକାଶ କରାଯାଉଥିଲା । ପ୍ରଜାପୀଡ଼କ ଜମିଦାର, ଲାଭଖୋର ମହାଜନ, ଲାଞ୍ଚଖୋର ପୋଲିସ ଓ ରାଜସ୍ୱ ବିଭାଗ କର୍ମଚାରୀ ବୃନ୍ଦ, ନୃଶଂସ ଧର୍ମଧ୍ୱଜୀ କୁସଂସ୍କାର ପାଳକ ପୁରୋହିତ ଶ୍ରେଣୀ, ଭଣ୍ଡ ସନ୍ନ୍ୟାସୀ ଓ ମାତା ଇତ୍ୟାଦିଙ୍କୁ ନେଇ ଗଳ୍ପ ରଚନା କରିବା ବ୍ୟତୀତ ଆଉ ଅନ୍ୟ ବିଷୟବସ୍ତୁ ନଥିଲା । ତେବେ, ପରିବାରକ ଦୁଃଖ ସୁଖ ଓ ବିବାଦ ସମ୍ବନ୍ଧ ଆଦିକୁ ନେଇ ମଧ୍ୟ ବହୁ ଗଳ୍ପ ଲେଖା ଯାଉଥିଲା । ନିରୀହ ଅସହାୟ ମଣିଷଟି ଉପରେ ଦୈବ ବିପତ୍ତିକୁ ନେଇ ମଧ୍ୟ ବହୁ କରୁଣ ରସାତ୍ମକ କାହାଣୀ ଲେଖାଯାଇଛି ।

 

କିନ୍ତୁ ଦ୍ଵିତୀୟ ମହାଯୁଦ୍ଧ ପରେ ଏବଂ ସ୍ୱାଧିନତା ପ୍ରାପ୍ତି ପରେପରେ ହିଁ ଓଡ଼ିଆ ଗଳ୍ପ ସାହିତ୍ୟ ଲାଗି ଦଶଦିଗ ଖୋଲିଗଲା । ଉଚ୍ଚଶିକ୍ଷାର ବ୍ୟାପକ ପ୍ରସାର, ବିଭିନ୍ନ ରାଜନୈତିକ ସଂସ୍ଥା ଗୁଡ଼ିକର ଉଦୟ, ଅର୍ଥନୈତିକ ବିପ୍ଲବ, ବିଭିନ୍ନ ଧରଣର ସାମାଜିକ ଓ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ଗୋଷ୍ଠୀ, ସଂପ୍ରଦାୟ, ଗ୍ରାମଗୋଷ୍ଠୀ ଯୋଜନା, ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ଓ ଉଦ୍‌ଯୋଗ, ନୂତନ ନୂତନ ସହର ନିର୍ମାଣ, ବିଭିନ୍ନ ପ୍ରକାର ବୃତ୍ତି ବା ଧନ୍ଦାର ଅଭ୍ୟୁଦୟ, ବିଭିନ୍ନ ପ୍ରକାର ଯୋଜନା ଓ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା, ଗ୍ରାମ୍ୟଜୀବନ ଭିତରେ ସହରୀ ସଭ୍ୟତାର ଅନୁପ୍ରବେଶ, ସାଂସ୍କୃତିକ ଆନ୍ଦୋଳନ, ଏକ ନୂତନ ଅପସଂସ୍କୃତିର ପ୍ରସାର, ଜମିଦାରୀ ପ୍ରଥାର ବିଲୋପ ଓ ଏକ ନୂତନ ଓ ଜଟିଳ ଅମଲାତନ୍ତ୍ରର ଅଭ୍ୟୁଦୟ, ଏକ ନୂତନ ମଧ୍ୟବିତ୍ତ ଗୋଷ୍ଠୀର ଜନ୍ମ, ସାଧାରଣ ଲୋକର ରାଜନୈତିକ ଅଧିକାର, ନିର୍ବାଚନ, କଳାବଜାର, ପୁରାତନ ଜାତିଭେଦ ସ୍ଥାନରେ ନୂତନ ଜାତିଭେଦର ଉଦୟ, ନିରୀହ ଓ ଭଲ ମଣିଷଟି ପ୍ରତି ନୂତନ ଉପାୟରେ ପ୍ରବଞ୍ଚନା, ଅତ୍ୟାଚାର–ସମାଜବାଦୀ ଗଣତନ୍ତ୍ରର ପ୍ରଚଳନ ଏବଂ ସେହି ବ୍ୟବସ୍ଥା ଭିତରେ ବି ବ୍ୟକ୍ତି ମଣିଷଟିର ଅସହାୟତା–ଜଟିଳ ଓ ଦୁଃସାଧ୍ୟ ଜୀବନ-ସଂଗ୍ରାମ–ଗାନ୍ଧୀବାଦୀ ଦର୍ଶନ ଓ ମାର୍କସବାଦୀ ଦର୍ଶନର ସଂଘର୍ଷ–ଅନିୟନ୍ତ୍ରିତ ଓ ଅଶିକ୍ଷିତ ଦରିଦ୍ର ଜନସଂଖ୍ୟାର ଆଶାତୀତ ବୃଦ୍ଧି ଏବଂ ତଦ୍‌ଜନିତ ବେକାର ସମସ୍ୟା- ନୂତନ ଯୁବସମାଜର ଅଭ୍ୟୁଦୟ ଓ ବିଦ୍ରୋହ–ପୁରାତନ ସଂସ୍ଥା ଓ ମୂଳବୋଧଗୁଡ଼ିକର ପତନ ମାତ୍ର ନୂତନ ସଂସ୍ଥା ଓ ମୂଲ୍ୟବୋଧଗୁଡ଼ିକର ଅପ୍ରତିଷ୍ଠା-ସୁବିଧାବାଦୀ- ଗୋଷ୍ଠୀ ଓ ପ୍ରବଞ୍ଚିତଗୋଷ୍ଠୀ ଭିତରେ ସନ୍ଦେହ, ଈର୍ଷା, ବିବାଦ, ଧର୍ମଘଟ, ସତ୍ୟାଗ୍ରହ–ଟ୍ରେଡ଼୍‍ ୟୁନିଅନ୍‌ଗୁଡ଼ିକର ପ୍ରସାର -ହରିଜନ, ଗିରିଜନ ଓ ସବର୍ଣ୍ଣ ସମସ୍ୟା–ଆଞ୍ଚଳିକ ଭେଦଭାବ–ଧର୍ମକୈନ୍ଦ୍ରିକ ଗୋଷ୍ଠୀବିବାଦ–କ୍ଷମତାଲୋଭୀ ରାଜନୀତି ଓ ରାଜନୈତିକ ଅସ୍ଥିରତା–ରାଜନୀତିକୁ ଆଶ୍ରାକରି ଟାଉଟର ଗୋଷ୍ଠୀର ଅଭ୍ୟୁଦୟ–ଦିଲ୍ଲୀଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସର୍ବତ୍ର ନିମ୍ନସ୍ତରର ରାଜନୈତିକ ଟାଉଟରମାନଙ୍କର ହଟଚମଟ–ଯୌତୁକପ୍ରଥାର ନୂତନ ରୂପରେ ଅଭ୍ୟୁଦୟ - କନ୍ୟାଦାୟ–ନାରୀ ଶିକ୍ଷାର ବ୍ୟାପକ ପ୍ରସାର- ନାରୀ ସ୍ଵାଧୀନତା- ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ନାରୀମାନଙ୍କର କର୍ମଚାରୀ ରୂପେ ନିଯୁକ୍ତି- ଇତ୍ୟାଦି ବହୁ ନୂତନ ବ୍ୟାପାର ସମାଜରେ ଚାଲୁ ହୋଇଗଲା । ଫଳରେ ରାଜ୍ୟର ଜୀବନଧାରା ଆଗ ଅପେକ୍ଷା ଅଧିକ ଜଟିଳ ଓ ସଂଘର୍ଷମୟ, ଦ୍ଵନ୍ଦମୟ ହେଇଗଲା । ଏହି ସବୁ ଅବସ୍ଥା ଭିତରୁ ଉତ୍ପାଦନ ସଂଗ୍ରହକରି ଆମ ସାହିତ୍ୟରେ ବିଶିଷ୍ଟ ଲେଖକମାନେ ବହୁ ବୈଚିତ୍ରପୂର୍ଣ୍ଣ ଗଳ୍ପ ଲେଖି ଅଛନ୍ତି । ସ୍ୱାଧିନତା ପରବର୍ତ୍ତୀ କାଳରେ ସବୁକ୍ଷେତ୍ରରେ ନିର୍ମାଣ ଯୁଗ ଆରମ୍ଭ ; ହୋଇଯିବା ସତ୍ତ୍ୱେ–ବହୁକାରଣରୁ ପାକ୍-ସ୍ଵାଧୀନତା ଯୁଗର ବହୁ ଆଶା, ସ୍ଵପ୍ନ ଓ କଳ୍ପନା ଧୂଳିସାତ୍ ହୋଇଗଲା । ଫଳରେ ତାକୁ ନେଇ ବହୁ ବିଦ୍ରୁପାତ୍ମକ ଗଳ୍ପ ଲେଖା ହେଲା ଏବଂ ବହୁ ଗଳ୍ପରେ ସ୍ଵପ୍ନ ଭଙ୍ଗ ଜନିତ ହତାଶ ଓ ବ୍ୟର୍ଥତାବୋଧ ପ୍ରକାଶ ପାଇଲା । ଏହି ଯୁଗର ଶିଳ୍ପୀମାନଙ୍କ ଭିତରେ କାଳନ୍ଦୀଚରଣ ପାଣିଗ୍ରାହୀ, ରାଜକିଶୋର ପଟ୍ଟନାୟକ, ରାଜକିଶୋର ରାୟ, ଗୋପିନାଥ ମହାନ୍ତି, ପ୍ରାଣବନ୍ଧୁ କର, କମଳାକାନ୍ତ ଦାସ, ସଚ୍ଚିରାଉତରାୟ ଓ ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ ପ୍ରଧାନ ।

 

ଏହି ସମୟରେ କ୍ରମଶଃ ବିଶ୍ଵର ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ମଧ୍ୟ ବିଚିତ୍ର ବେଗରେ ପରିବର୍ତ୍ତନ ହେବାକୁ ଲାଗିଲା । ମଣିଷକୁ ସମାଜିକଭାବେ ଓ ବ୍ୟକ୍ତିଗତଭାବେ ସୁଖ, ଶାନ୍ତି, ନିରାପତ୍ତା ଦେବା ଲାଗି ଯୋଉ ସବୁ ରାଜନୈତିକ ଓ ଅର୍ଥନୈତିକ ଦର୍ଶନ ସବୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ, ସବୁଗୁଡ଼ିକ ଦେଖାଗଲା କ୍ରମଶଃ ବିଫଳ ହୋଇଯାଉଛି । ସାମ୍ୟବାଦ, ପୁଞିବାଦ, ଗଣତନ୍ତ୍ର, ସମାଜବାଦ ଆଦି ଶବ୍ଦ ଗୁଡ଼ିକର ଅର୍ଥ –କ୍ରମଶଃ ପରିବର୍ତ୍ତିତ ହୋଇଚାଲିଲା । ଚରମପନ୍ଥୀ ସାମ୍ୟବାଦୀ ରାଷ୍ଟ୍ର ବୋଲଉଥିବା ଚୀନଦେଶ ସହିତ, ପ୍ରଥମ ସାମ୍ୟବାଦୀ ଦେଶ ରୁଷ୍‍ର ବିରୋଧ ଓ ପୁଞ୍ଜିବାଦୀ ଦେଶ ବୋଲି ଅପଖ୍ୟାତ ଆମେରିକା ସହିତ ଚୀନର ମିଳିତ- ଚୀନ ସହିତ ଭାରତବର୍ଷ ସଂଘର୍ଷ ଓ ପାକିସ୍ଥାନ ସହ ଚୀନର ବନ୍ଧୁତା–ଭରତ ପାକିସ୍ଥାନ ସଂଘର୍ଷ–ପାକିସ୍ଥାନରୁ ବାଙ୍ଗଲାଦେଶର ବିଚ୍ଛିନ୍ନତା- ଆଫ୍ରିକା ମହାଦେଶରେ ନବଜାଗରଣ ଓ ନୂତନ ନୂତନ ଜାତି ଓ ରାଷ୍ଟ୍ରମାନଙ୍କର ଅଭ୍ୟୁଦୟ ଓ ସ୍ଵାଧୀନତା–ପୃଥିବୀରେ ପାରମାଣବିକ ଅସ୍ତ୍ର ନିର୍ମାଣରେ ନିତ୍ୟ- ପ୍ରତିଯୋଗିତା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଅନବରତ ଶୀତଳ ଯୁଦ୍ଧ ବା ସ୍ନାୟୁ ସମର- ସାରା ବିଶ୍ୱର ବୈଷମ୍ୟମୂଳକ ଭୋଗବାଦୀ ଅର୍ଥନୈତିକ ବ୍ୟବସ୍ଥାରେ ବିପୁଳ ପ୍ରାଚୁର୍ଯ୍ୟ ସହିତ ଶୋଚନୀୟ ଅଭାବର ସହାବସ୍ଥାନ-ଏକ ଅବହେଳିତ, ଅନଗ୍ରସର ଓ ସବୁଦିଗରୁ ପ୍ରପୀଡ଼ିତ ତୃତୀୟ ବିଶ୍ଵର ଅଭ୍ୟୁଦୟ–ପ୍ରସାରବାଦୀ ଅର୍ଥନୀତି–ସମଗ୍ର ବିଶ୍ୱରେ ରାଷ୍ଟ୍ରରାଷ୍ଟ୍ର, ଜାତିଜାତି ଭିତରେ ଘୋର ଅବିଶ୍ଵାସ, ପ୍ରତିଦ୍ଵନ୍ଦିତା ଓ କୂଟନୀତିର ପ୍ରତିଯୋଗିତା- ଏବଂ ଏହା ସଙ୍ଗେ ସଙ୍ଗେ ମଧ୍ୟ ବିଜ୍ଞାନକ୍ଷେତ୍ରରେ ମନୁଷ୍ୟର ବିପୁଳ ସାଫଲ୍ୟ–ମହାକାଶ ଅଭିଯାନ–ଚନ୍ଦ୍ର ବିଜୟ–ଇତ୍ୟାଦି ବହୁ ବିସ୍ମୟକର ଜଟିଳ ପରିସ୍ଥିତିର ଉଦ୍‍ଭବ ହୋଇ ଚାଲିଲା ପ୍ରତିଦିନ । ସମଗ୍ର ମନୁଷ୍ୟ ସମାଜର ସ୍ଥିତି କ୍ରମଶଃ ବଡ଼ ଦୁଃସହ ହୋଇ ଉଠିଲା । ମନୁଷ୍ୟର ସଭ୍ୟତା ଓ ସଂସ୍କୃତି–ଯାହାକୁ ଲକ୍ଷ ଲକ୍ଷ ବର୍ଷ ଧରି ମନୁଷ୍ୟ ବହୁ ଶ୍ରମ ଓ ତ୍ୟାଗ ସ୍ଵୀକାର କରି-ବହୁ ଜ୍ଞାନ ବିଜ୍ଞାନର ସହାୟତାରେ ଅର୍ଜ୍ଜନ କରି ଆସିଛି- ତାହା ହଠାତ୍‍ ବିପନ୍ନ ଓ ବିପର୍ଯ୍ୟୟର ସମ୍ମୁଖୀନ ହୋଇଗଲା । ରାଜନୈତିକ କ୍ଷମତାଧାରୀ ରାଷ୍ଟ୍ରଶକ୍ତିର ସାର୍ବଭୌମତା ଆଗରେ ବ୍ୟକ୍ତି ନିଜକୁ ଅତ୍ୟନ୍ତ ନଗଣ୍ୟ, ଅବଦମିତ ଓ ଅବହେଳିତ ମନେକଲା । ଗଣତନ୍ତ୍ର ବା ସାମ୍ୟବାଦ ବା ସମାଜବାଦ ନାମରେ କେତେକ କ୍ଷମତାଲିପ୍‍ସୁ ଲୋକଙ୍କୁ ଭୋଟ୍‍ ଦେଇ- ସାରିଲା ପରେ ବ୍ୟକ୍ତି ତାର ଅଜାଣତରେ ନିଜର ସ୍ଵାଧୀନତା ହରାଇ ବସିଲା । କ୍ରମଶଃ ଦେଖାଗଲା ଯେ ସାମ୍ୟବାଦୀ ରାଷ୍ଟ୍ରମାନଙ୍କରେ ବ୍ୟକ୍ତି ତା’ର ବ୍ୟକ୍ତିତ୍ଵକୁ ଖୋଜି-ପାଖରେ ବଳି ଦେଇ ନିଜେ ଏକ ନିସ୍ତେଜ, ନିର୍ବେଦ ବା ଅର୍ଦ୍ଧଚେତନ ଅବସ୍ଥାରେ ଗୋଷ୍ଠୀ ପାଖରେ ବାଧ୍ୟ କରୁଛି । ଗୋଷ୍ଠୀ ସ୍ୱାର୍ଥ ବା ଗୋଷ୍ଠୀ ଦର୍ଶନକୁ ଉପେକ୍ଷା କରି ସେ ସ୍ୱାଧୀନ ଭାବରେ କିଛି ଚିନ୍ତାକରି ପାରୁନାହିଁ-ଅନୁଭବ କରିପାରୁ ନ।ହିଁ-କାର୍ଯ୍ୟ ମଧ୍ୟ କରି ପାରୁନାହିଁ । ଏଣେ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ ବ୍ୟକ୍ତିକୁ ଯୋଉ ତଥାକଥିତ ସ୍ଵାଧୀନତା ଦିଆଗଲା - ସେ ସ୍ଵାଧୀନତା ମୂଳରେ ଥିଲା ନିଜ ଜୀବନକୁ ଯେ କୌଣସି ପ୍ରକାରେ ଉପଭୋଗ କରିବା ଲାଗି ଅନ୍ୟ ପ୍ରତିଦ୍ୱନ୍ଦୀ ବ୍ୟକ୍ତିମାନଙ୍କ ସହିତ ନିତ୍ୟ ପ୍ରତିଯୋଗିତା ବା ଲଢ଼େଇ । ଫଳରେ, ଓ ଜୀବନକୁ ସର୍ବତୋଭାବେ ଉପଭୋଗ କରିବାର ନାନାଦି ଫନ୍ଦୀଫିକର ଓ କୌଶଳ ଜାଣିଥିବା ଅନାଚାରୀ ବୁଦ୍ଧିମାନ ଲୋକମାନେ ସେମାନଙ୍କର ବିଚିତ୍ର କର୍ମକୌଶଳ ଦ୍ଵାରା ଧନ, କ୍ଷମତା ଓ ଭୋଗ ସାମଗ୍ରୀ ଗୁଡ଼ିକର ସର୍ବୋଚ୍ଚ ଅଧିକାର ହେଲେ । ଏହି ହୃଦୟହୀନ ଅନାତ୍ମିକ କୌଶଳୀ ଲୋକମାନେ ହିଁ ସମାଜର ସବୁ ବ୍ୟବସ୍ଥାକୁ ନିଜ ହାତରେ ଅଧିକାରରେ ରଖି ପାରିଲେ । ସାହିତ୍ୟ, ସଂସ୍କୃତି, କଳା ଏପରିକି ଧର୍ମ ବ୍ୟବସ୍ଥା ଓ ସଂସ୍ଥା ଗୁଡ଼ିକ ବି ଏଇମାନଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ପରିଚାଳିତ ହେଲେ । ଏପରିକି ଏମାନେ ରାଜନିତୀକୁ ମଧ୍ୟ ନିଜ ଅକ୍ତିଆରରେ ରଖିଲେ । କ୍ଷମତା ଓ ଧନ ପରସ୍ପରର ପରିପୋଷକ ହେଲେ । ଏଇଅବସ୍ଥା ସାରାବିଶ୍ଵରେ ମଣିଷ ପ୍ରତି ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଦେଲା । ସବୁ ମାନବୀୟ ଆଦର୍ଶ, ମୂଲ୍ୟବୋଧ, ନୀତି, ରୁଚି‌ ଇତ୍ୟାଦି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ଯେ କୌଣସି ଉପାୟରେ ଧନ ଓ କ୍ଷମତା ଅର୍ଜନ ଏକ ସାମାଜିକ ଦର୍ଶନ ରୂପେ ପ୍ରତିଷ୍ଠିତ ହୋଇଯିବାରୁ‌ ମାନବିକତାର ଭିତ୍ତି ଦୋହଲି ଗଲା । ମଣିଷ ମଣିଷ ଭିତରେ ସମ୍ପର୍କଟି ହୋଇଉଠିଲା ପ୍ରତିଦ୍ଵନ୍ଦିତାମୟ- ବାଣିଜ୍ୟକ - ହିସାବୀ- ଉଦ୍ଦେଶ୍ୟମୂଳକ । ପାଶ୍ଚାତ୍ୟ ଧନଶାଳୀ ରାଷ୍ଟ୍ରମାନଙ୍କରେ ପରିବାରମାନ ଭାଙ୍ଗିଗଲେ । ନିଜକୁ ମୁକ୍ତ ବା ସ୍ଵାଧୀନ କରୁକରୁ ଅନ୍ୟଠାରୁ ବିଚ୍ଛିନ୍ନ ହେଇଗଲା । ପ୍ରଥମେ ସେ ବିଛିନ୍ନ ହୋଇଗଲା ପରିଜନ ଠାରୁ–ତା’ ପରେ ବିଚ୍ଛିନ୍ନ ହୋଇଗଲା ଈଶ୍ୱରଙ୍କ ଠାରୁ ଶେଷରେ ଏ ସବୁର ପରିଣତି ସ୍ଵରୁପ ନିଜଠାରୁ ନିଜେ ବିଚ୍ଛିନ୍ନ ହୋଇଗଲା । ବ୍ୟକ୍ତି ଅନୁଭବ କଲା ଆତ୍ମନିର୍ବାସନର ଅସହାୟତା । ତା’ର ଚତୁଃପାର୍ଶ୍ୱର ସମାଜ ଓ ପ୍ରକୃତି ତାକୁ ଅପରିଚିତ ବୋଧହେଲା–ପ୍ରତ୍ୟେକ ବ୍ୟକ୍ତି ତାକୁ ମନେ ହେଲେ ତା’ର ପ୍ରତିଦ୍ଵନ୍ଦୀ ଭଳି । ବ୍ୟକ୍ତିର ଆଶଙ୍କା ବଢ଼ିଗଲା–ସଂଶୟ ବଢ଼ିଗଲା । ଆଦିମ ମଣିଷ ଦିନେ ବାହ୍ୟ ପ୍ରକୃତିକୁ ସନ୍ଦେହ କରୁଥିଲା–ଆଶଙ୍କା କରୁଥିଲା । କିନ୍ତୁ ଆଧୁନିକ ସଭ୍ୟ ଓ ସଂସ୍କୃତି ସମ୍ପନ୍ନ ମଣିଷର ସନ୍ଦେହ ଓ ଆଶଙ୍କା ହେଲା ତା’ର ପଡ଼ୋଶୀକୁ । ଏହି ପଡ଼ୋଶୀଟି ତାର ନିଜର ପିତା, ମାତା, ଭାଇ, ପତ୍ନୀ, ପୁତ୍ର, କନ୍ୟା ଏବଂ ଆଉ ଯେ କେହି ହୋଇପାରେ । ଫଳରେ ମଣିଷ ହୋଇଉଠିଲା ସାମାଜିକ ଭାବରେ ଅସହାୟ, ନିଃସଙ୍ଗଃ, ଆତଙ୍କିତ-ଏକୁଟିଆ ।

 

ଏଣେ କିନ୍ତୁ ଜ୍ଞାନ ବିଜ୍ଞାନର ପ୍ରତୁଳ ବିସ୍ତାର ଘଟି ଚାଲିଲା । ବସ୍ତୁ ଓ ଜୀବନ ସମ୍ପର୍କରେ ନୂତନ ନୂତନ ତଥ୍ୟ ଓ ତତ୍ତ୍ଵମାନ ଆବିଷ୍କୃତ ହେଲା । ବିଶ୍ଵନିୟତିର କ୍ଷେତ୍ରରେ ଆକସ୍ମିକତାବାଦ ଓ ଅନିୟନ୍ତ୍ରଣବାଦ ପ୍ରମାଣିତ ହୋଇଗଲା ବିଜ୍ଞାନ ଦ୍ଵାରା । ସେଥିପାଇଁ ଦର୍ଶନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରଣବାଦ ବା ପୂର୍ବାପର ସଂଗତି ବାଦର ଆଉ କିଛି ମୂଲ୍ୟ ରହିଲା ନାହିଁ । ମନୋବିଜ୍ଞାନ, ସମାଜ ବିଜ୍ଞାନ, ନୃତତ୍ତ୍ୱ, ପ୍ରାଣୀ ବିଜ୍ଞାନ ପ୍ରଭୃତିରେ ପ୍ରତିଦିନ ଗବେଷଣା ଲବ୍‌ଧ ନୂତନ ନୂତନ ଆଶ୍ଚର୍ଯ୍ୟ ତଥ୍ୟ ଓ ତତ୍ତ୍ଵମାନ ପ୍ରକାଶ ପାଇବାକୁ ଲାଗିଲା । ମଣିଷ ପକ୍ଷରେ ଏ ପୃଥିବୀ ଆଉ ନିରାପଦ ମନେ ହେଲା ନାହିଁ । ଏଣେ ପୃଥବୀ ବାହାରେ ମହାକାଶ‌ ଅଭିଯାନରେ ମଣିଷ ଯେତିକି ସାଫଲ୍ୟ ଅର୍ଜନ କଲା, ମହାକାଶର ଭୟାବହ ଅନନ୍ତ ବିସ୍ତୃତି ସମ୍ପର୍କରେ ମଧ୍ୟ ସେ ସେତିକି ଅଧିକ ସଚେତନ ହୋଇଉଠିଲା ମଣିଷ ଯେତିକି ଯେତିକି ଜ୍ଞାନ ବିଜ୍ଞାନର ଅଧିକାରୀ ହେଲା-ସେତିକି ସେତିକ ନିଜର ନିରୁପାୟ ଅଜ୍ଞତା ବିଷୟରେ ଅଧିକ ସଚେତନ ହୋଇପଡ଼ିଲା । ସେ ଯେ ନିଜେ ଗୋଟିଏ ଅନିୟନ୍ତ୍ରିତ ଅଜଣା ଆକସ୍ମିକ ଘଟଣାରାଜିରେ ପୂର୍ଣ୍ଣ ଅନନ୍ତ ରହସ୍ୟ ମଣ୍ଡଳ ଭିତରେ ଅସହାୟ ଅବସ୍ଥାରେ ରହିଛି–ଏତିକି ଅନୁଭବ କରିବା ମାତ୍ରେ ଏବଂ ଏତିକି ଉପରେ ସଚେତନ ହେବା ମାତ୍ରେ ଇ, ତା’ଭିତରେ ଆପଣା ଉପରେ ହୀନମନ୍ୟତା ଜାଗ୍ରତ ହୋଇଗଲା ଏବଂ ଏହି ଅସହାୟ ନିରୁପାୟ ହୀନମନ୍ୟତାରେ ମ୍ରିୟମାଣ ହୋଇ ମଣିଷ ପୁଣିଥରେ ମନସ୍ତାତ୍ତ୍ୱିକ ଭାବରେ ବା ଆଧ୍ୟାତ୍ମିକ ଭାବରେ ନିଃସଙ୍ଗ ଓ ଏକୁଟିଆ ମନେକଲା ତା’ଉପରେ ଗୋଟିଏ ପଟୁ ବହୁରୂପରେ ଓ ବହୁଭାବରେ ମେଳି ବାନ୍ଧିଥିବା ଅନିୟନ୍ତ୍ରିତ ପ୍ରତିଦ୍ଵନ୍ଦିତା- କାମୀ ବିଭିନ୍ନ ଗୋଷ୍ଠୀ, ସମାଜ, ଅନୁଷ୍ଠାନ, ସଂଘ ବା ମହାକ୍ଷମତାଶାଳୀ ରାଷ୍ଟ୍ରଶକ୍ତିର ବଳପୂର୍ବା ଦୁଃସହ ଚାପ–ଏବଂ ଅନ୍ୟପଟେ ଏହି ଆକସ୍ମିକତା ଓ ନିରର୍ଥକତାରେ ପରିପୂର୍ଣ୍ଣ, ମହାଦୁର୍ବୋଧ୍ୟତାରେ ଦୁର୍ଜ୍ଞେୟ ଓ ଦୁସ୍ତର, ଅନନ୍ତ ବିଭିଷିକାରେ ପରିପୂର୍ଣ୍ଣ ବିଶ୍ୱନିୟତିର ଦୁଃସହ ଚାପ । ଏହି ଦୁଇଚାପ ଭିତରେ ପଡ଼ି ଆଧୁନିକ ଅନୁଭୂତିଶୀଳ ମଣିଷ ତା ଜାଣତରେ ବା ଅଜାଣତରେ ଅଣନିଃଶ୍ଵାସୀ ହୋଇ ଉଠିଲାଣି । ତା’ର ଅସ୍ତିତ୍ଵ, ସ୍ତବ୍‌ଧ, ତ୍ରସ୍ତ, ଖର୍ବ ଓ ସଂଶୟୀ ହୋଇ ପଡ଼ିଛି ।

 

ବ୍ୟକ୍ତିବାଦୀ ଚେତନାର ଉଦୟ :

 

ଏହି ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ଜଗତରେ ଅସ୍ତିତ୍ୱବାଦୀ ଦର୍ଶନହିଁ କଥା ଓ ନାଟ୍ୟ ସାହିତ୍ୟର ମୂଳ ଉତ୍ସ ହୋଇଛି । ଏହି ଦର୍ଶନକୁ ଅବଲମ୍ବନ କରି ଜ୍ୟାଁ ପଲସାର୍ତ୍ତେ, ଆଲବର୍ଟ କାମ୍ୟୁ, କାଫ୍‌କା ପ୍ରଭୃତି ଦାର୍ଶନିକ ସାହିତ୍ୟିକମାନେ ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧାଦି ଲେଖିଛନ୍ତି ଏବଂ ସେମାନଙ୍କ ପ୍ରଭାବ ଜାଣତ ବା ଅଜାଣତରେ ଆମ ଓଡ଼ିଆ ଗଳ୍ପ ସାହିତ୍ୟରେ ମଧ୍ୟ ପଡ଼ିଥାଇପାରେ । କିନ୍ତୁ କାହାର ପ୍ରଭାବ ନ ପଡ଼ିଲେ ବି ଆଧୁନିକ ମଣିଷର ଆତ୍ମା ଯୋଉ ଅସ୍ତିତ୍ଵବାଦୀ ଯନ୍ତ୍ରଣା ଅନୁଭୋଗ କରୁଛି ଓ ତହିଁରୁ ମୁକୁଳିବାକୁ ଯୋଉ ଯୋଉ ଆଧ୍ୟାତ୍ମିକ ପ୍ରୟାସ କରୁଛି–ତା’ର ପ୍ରତ୍ୟକ୍ଷ ପରିଚୟ ଆମର ଆଧୁନିକ ଗଳ୍ପ ସାହିତ୍ୟରୁ ମଧ୍ୟ ମିଳି ପାରିବ । ତେଣୁ ୧୯୫୦ ମସିହା ପରବର୍ତ୍ତୀ ଗାଳ୍ପିକମାନଙ୍କ ଗଳ୍ପରେ ଆମେ କେବଳ ସମାଜ-ଚେତନା ପାଇବା ନାହିଁ–ବ୍ୟକ୍ତି ଚେତନା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଥିବାର ହିଁ ଦେଖିବା । ଆଧୁନିକ ଗଳ୍ପରେ ଚରିତ୍ରଟିଏ କେବଳ ସାମାଜିକ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେଉନାହିଁ–କେବଳ ସମାଜ ବିରୋଧରେ ଅଭିଯୋଗ କରୁନାହିଁ–ସଂଘର୍ଷ କରୁନାହିଁ–ସଂଗ୍ରାମ କରୁନାହିଁ - ବ୍ୟକ୍ତି ସ୍ଵୟଂ ନିଜର ସମ୍ମୁଖୀନ ହେଉଛି । ନିଜକୃତ ସମସ୍ୟା ଗୁଡ଼ିକର ବି ସମ୍ମୁଖୀନ ହେଉଛି । ବ୍ୟକ୍ତି କିପରି ନିଜର ମନସ୍ତତ୍ତ୍ୱ ଦ୍ଵାରା ନିଜେ ସଙ୍କଟାପନ୍ନ ହେଉଛି–କିମ୍ବା କିପରି ନିଜର ଅନ୍ତଃପ୍ରକୃତିରୁ ଉତ୍‌ଥିତ ବିଭିନ୍ନ ସମସ୍ୟା ଦ୍ୱାରା ଆପେ ଆକ୍ରାନ୍ତ ହେଉଛି- ନିଜ ସଙ୍ଗେ ନିଜେ ସଂଘର୍ଷ ବା ସଂଗ୍ରାମ କରୁଛି - ନିଜକୁ ନିଜେ ଅନ୍ୱେଷଣ କରୁଛି- ନିଜର ଅସଲ ସ୍ୱରୂପକୁ ଖୋଜୁଛି–ଏବଂ ନିଜର ସଂକୀର୍ଣ୍ଣ ଦେହ, ପ୍ରାଣ ଓ ମନର ଚେତନା ଓ କର୍ମ ପରମ୍ପରାର ସୀମାକୁ ଅତିକ୍ରମ କରି ଆଉ ଏକ ଊର୍ଦ୍ଧ୍ଵ ସ୍ତରର ଆତ୍ମିକ ଚେତନାରେ ଉଦ୍‌ବୁଦ୍ଧ ହୋଇ ଯଥାର୍ଥ ଓ ଉଦାର ବିମଳ ଆନନ୍ଦ ପାଇବାକୁ ସଂକଳ୍ପ କରୁଛି–କିମ୍ବା କୋଉ କୋଉ ସ୍ଥଳରେ ବ୍ୟକ୍ତି କିପରି ଆପଣା ନିମ୍ନ ପ୍ରକୃତିରୁ ଉତ୍‌ଥିତ ଯାନ୍ତ୍ରବ ଅଥବା ବୌଦ୍ଧିକ କ୍ରିୟା ପ୍ରତିକ୍ରିୟାରେ ପଡ଼ି ଯନ୍ତ୍ରଣା କାତର ହୋଇ ପଡ଼ିଥିଲାବେଳେ ହଠାତ୍ କିପରି ଆକସ୍ମିକ ଭାବେ ତା’ ନିଜର ଅନ୍ତରାତ୍ମା ବା ଆତ୍ମା ପୁରୁଷଠାରୁ ବା ନିଜର ବୋଧି-ମନ (Intuitive Mind) ଠାରୁ କିଛି ଗୋଟାଏ ଆଲୋକିତ ବା ଜ୍ୟୋର୍ତିମୟ ବା ଦିବ୍ୟାନୁଭୂତିର ଉପଲବ୍‌ଧି ବା ଭାବାବେଗ ଲାଭ କରିପାରୁଛି–ଏଇ ସବୁର ପରିଚୟ ଆମେ ଆମର ଆଧୁନିକ ଗଳ୍ପ ଗୁଡ଼ିକରେ ପାଇ ପାରିବା । ଯେଉଁ ସବୁ ଗଳ୍ପରେ ବ୍ୟକ୍ତି ସାମାଜିକ ସମସ୍ୟା ଗୁଡ଼ିକ ଦ୍ଵାରା ଆକ୍ରାନ୍ତ ଅଥବା ସାମାଜିକ ସମସ୍ୟା ଗୁଡ଼ିକ ସଙ୍ଗେ ସଂଗ୍ରାମ କରୁଥିବାର ବିଷୟ ହିଁ ଏକମାତ୍ର ଅବଲମ୍ବନ - ସେଗୁଡ଼ିକ କେବଳ ସାମାଜିକ ଗଳ୍ପ ଏବଂ ଯେଉଁ ସବୁ ଗଳ୍ପରେ ବ୍ୟକ୍ତି ଓ ସମାଜ ଉଭୟର ସମସ୍ୟା ବର୍ଣ୍ଣିତ ଓ ବ୍ୟକ୍ତିର ସାମାଜିକ ବ୍ୟକ୍ତି ସଙ୍ଗେ ବ୍ୟକ୍ତିଗତ ବ୍ୟକ୍ତିତ୍ଵର ମଧ୍ୟ ପରିଚୟ ଦିଆଯାଇଛି-ସେଗୁଡ଼ିକ ଉଭୟ ଚେତନାର ଗଳ୍ପ । କିନ୍ତୁ ଯୋଉ ସବୁ ଗଳ୍ପରେ ବ୍ୟକ୍ତି କେବଳ ନିଜେ ହିଁ ନିଜର ସମସ୍ୟା ହେଇଥାଏ ସେଗୁଡ଼ିକ ସଂପୂର୍ଣ୍ଣତଃ ବ୍ୟକ୍ତି ଚେତନାବାଦୀ ଗଳ୍ପ । ଗୋଟିଏ ବ୍ୟକ୍ତି ସମାଜର କୁସଂସ୍କାର ଦ୍ଵାରା ପୀଡ଼ିତ ହେଉଛି~ବା ଜମିଦାର କି ପୋଲିସ ଦ୍ଵାରା ନିଷ୍ପୀଡ଼ିତ ହେଉଛି–ଓ ନିଜେ ସେଥିପାଇଁ ବିଦ୍ରୋହ କରୁଛି–ଏ ବିଷୟ ନେଇ ଯୋଉ ଗଳ୍ପ ତାହା ପୂର୍ଣ୍ଣତଃ ସମାଜ ଚେତନାର ଗଳ୍ପ । ଏହି ସମାଜଚେତନା ଗଳ୍ପର କ୍ରମବିକାଶରେ ସମାଜବାଦୀ, ଗଳ୍ପଗୁଡ଼ିକ ମଧ୍ୟ ପରବର୍ତ୍ତୀ କାଳରେ ଲେଖାଯାଇଛି - ଏବଂ ସେ ସବୁ ଗାଳ୍ପିକମାନଙ୍କ ଭିତରୁ କେହି କାର୍ଲ ମାର୍କସ, କେହି କେହି ବା ମହାତ୍ମା ଗାନ୍ଧୀଙ୍କ ସମାଜଦର୍ଶନ ଦ୍ଵାରା ପ୍ରଭାବିତ ହୋଇଛନ୍ତି ।

 

ସ୍ଵାଧୀନତା, ପରବର୍ତ୍ତୀ ଗାଳ୍ପିକମାନଙ୍କ ଭିତରେ–ବିଶେଷତଃ ୧୯୪୭-୧୯୪୮ଠାରୁ ଗଳ୍ପ ଲେଖି ମଧ୍ୟ ଯେଉଁମାନେ ୧୯୬୦-୬୫ ବେଳକୁ ଆପଣାର ପ୍ରତିଭା ସାଧନା ଓ ସ୍ଵାତନ୍ତ୍ର୍ୟରେ ସୁପ୍ରତିଷ୍ଠିତ ହେଲେ, ସେମାନଙ୍କ ଭିତରେ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମହାପାତ୍ର ନୀଳମଣି, ଅଖିଳ ମୋହନ ପଟ୍ଟନାୟକ, ବସନ୍ତ କୁମାର ଶତପଥୀ, ଅଚ୍ୟୁତାନନ୍ଦ ପତି, ମନୋଜ ଦାସ, ଶାନ୍ତନୁ କୁମାର ଆଚାର୍ଯ୍ୟ, କୃଷ୍ଣପ୍ରସାଦ ମିଶ୍ର ପ୍ରମୁଖ କଥାକାରମାନେ ଓଡ଼ିଆ ଗଳ୍ପ ସାହିତ୍ୟର ଭଣ୍ଡାରକୁ ଅମୂଲ୍ୟ ରତ୍ନରାଜିରେ ସମୃଦ୍ଧ କରିଛନ୍ତି ଏବଂ ଏମାନେ ନିରବଛିନ୍ନ ଭାବେ ୧୯୮୧ ମସିହା ପର୍ଯ୍ୟନ୍ତ ବି ଗଳ୍ପ ଲେଖି ଆସୁଛନ୍ତି ଏବଂ ଆଜି ମଧ୍ୟ ସେମାନେ ସମାଜ ଓ ବ୍ୟକ୍ତି ଚେତନା ସମ୍ବଳିତ ଯୁଗର ସୁଖଦୁଃଖକୁ ଅବଲମ୍ବନ କରି ଯୁଗୋତୀର୍ଣ୍ଣ ଗଳ୍ପମାନ ରଚନା କରି ଚାଲଛନ୍ତି, ଏବଂ ଏହି ମାନଙ୍କ ପରମ୍ପରାକୁ ଅନୁସରଣ କରି ଓ କେତେକାଂଶରେ ଅତିକ୍ରମ କରି ଯେଉଁ ନବୀନ ପ୍ରତିଭାବନ୍ତ ଗାଳ୍ପିକମାନେ ଆମ ସାହିତ୍ୟରେ ଉଦୀୟମାନ ହୋଇ ସେମାନଙ୍କର ପ୍ରତିଭା ରଶ୍ମିରେ ଆମର ପୂର୍ବାଶାକୁ ଆଶାର ଅରୁଣାଲୋକରେ ସମୁଜ୍ଜ୍ୱଳ କରୁଛନ୍ତି - ସେମାନଙ୍କ ମଧ୍ୟରେ ରବି ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, ବୀଣାପାଣି ମହାନ୍ତି, ରାମଚନ୍ଦ୍ର ବେହେରା, ଜଗଦୀଶ ମହାନ୍ତି, ଯଶୋଧାରା ମିଶ୍ର ପ୍ରମୁଖ ଗାଳ୍ପିକମାନେ ବିଦଗ୍‌ଧ ସମାଜ ଦ୍ଵାରା ସମାଦୃତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ବହୁ ପତ୍ରପତ୍ରିକା ପ୍ରକାଶ ପାଉଥିବାରୁ ବହୁ ନୂତନ ଲେଖକ ସେ ସବୁର ଗଳ୍ପ ଲେଖି ପ୍ରତିଷ୍ଠା ଅର୍ଜନ ଲାଗି ସାଧନା ମଧ୍ୟ କରୁଛନ୍ତି ।

 

ସ୍ଵାଧୀନତୀ ପରବର୍ତ୍ତୀ କାଳରେ ବିଶେଷ ୧୯୫୦ ମସିହାଠାରୁ ‘ଝଙ୍କାର‌' ପତ୍ରିକାରେ ବିଶେଷତଃ ଏହି ନୂତନ ଯୁଗର ବାର୍ତ୍ତା ବହନ କରି ଆଧୁନିକ ଗଳ୍ପମାନ ପ୍ରକାଶ ପାଇଲା ଏବଂ ତା ସଙ୍ଗେ ସଙ୍ଗେ ‘ଡଗର', “ଆସନ୍ତା କାଲି', ‘ସମାବେଶ’, ‘ଦିଗନ୍ତ’ ପ୍ରମୁଖ ପତ୍ରିକା ଗୁଡ଼ିକ ମଧ୍ୟ ଏକ ଆଧୁନିକ ଗଳ୍ପ ଗୁଡ଼ିକୁ ପ୍ରକାଶ କଲେ । ୧୯୫୦ ମସିହା ପରଠାରୁ ବିଶେଷତଃ ୧୯୬୦ ମସିହା ପରଠାରୁ ଓଡ଼ିଆ ଗଳ୍ପ ସାହିତ୍ୟ ବହୁ ଜଟିଳ ଧାରା ଉପଧାରା ମଧ୍ୟରେ ପ୍ରବାହିତ ହୋଇଚାଲିଛି । କେବଳ ଏକ ନିର୍ଦ୍ଦିଷ୍ଟ ନୈତିକ ଦୃଷ୍ଟିକୋଣ, ବା ସାମାଜିକ ସମସ୍ୟା- ବଳିର ବାହ୍ୟ ବିଭାବ ଉପରେ ଆଧୁନିକ ଗାଳ୍ପିକର ଦୃଷ୍ଟି ଆଉ ନିବଦ୍ଧ ନୁହେଁ ।‌ ତା’ର ବହିଃଦୃଷ୍ଟି ଯେମିତି ବର୍ତ୍ତମାନ ସୁଦୂର ପ୍ରସାରୀ, ତା’ର ଅନ୍ତର୍ଦୃଷ୍ଟି ମଧ୍ୟ ସେମିତି ବର୍ତ୍ତମାନ ଗଭୀରରୁ ଗଭୀରତର ଆଡ଼କୁ ମେଲି ଯାଉଛି । ମଣିଷମନର ଅତି ବ୍ୟକ୍ତିଗତ ଗୋପନ ଅନୁଭୂତିମାନ, ବହୁ ଗୁପ୍ତ ଓ ଗୃଢ଼ କୂଟୈଷା, ବିଶେଷ ଧରଣର ମଣିଷମାନଙ୍କୁ ଆତ୍ମୋପଲବ୍‌ଧିରେ ଚେତନାର ବିଭିନ୍ନସ୍ତର ଉଦ୍‌ଘାଟନ, ବ୍ୟକ୍ତିଗତ ଓ ସାମାଜିକ ଭାବାଦର୍ଶ ଭିତରେ କେବେ ସଂଗତି, ପୁଣି କେବେ ବା ସଂଘର୍ଷ ଜନିତ ଅତି ସୂକ୍ଷ୍ମ ଓ ଅତି ଜଟିଳ ପରିସ୍ଥିତି ଓ ପ୍ରତିକ୍ରିୟା–ଏବଂ ସର୍ବୋପରି ଆଧୁନିକ ଗଳ୍ପ ଲେଖକର ସ୍ଵୀୟ ଜୀବନ-ସାଧନାରେ ଆପଣାର ବ୍ୟକ୍ତିତ୍ଵ ନିର୍ଭର ବହୁ ସମ ଓ ବିଷମ ମନୋବୃତ୍ତିର ଉଦ୍‌ଘାଟନ- ଏଇ ସବୁ କଥା ଆଧୁନିକ ଗଳ୍ପ ଗୁଡ଼ିକର ବିଷୟବସ୍ତୁ ଓ ଆଙ୍ଗିକକୁ ରୂପାୟନ କରୁଛି । ଆଧୁନିକ ଗଳ୍ପ ଆଉ ସରଳ ସହଜ ଘଟଣା-ନିର୍ଭର ଓ କୌଣସି ଏକ ପାରମ୍ପାରୀକ ନୀତି‌ ପ୍ରାଚୀର ବେଷ୍ଟିତ ଟାଇପ୍ ଚରିତ୍ରମାନଙ୍କର ଚିଡ଼ିଆଖାନା ମାତ୍ର ନୁହେଁ । ଆଧୁନିକ ଗଳ୍ପ ଗୁଡ଼ିକରେ ଆମେ ଦେଖିବା କେଉଁଥିରେ ହୁଏତ ବିଶେଷ ବାହ୍ୟ ଘଟଣା ନିରପେକ୍ଷ ଭାବେ ଆତ୍ମ ସଚେତନ ମଣିଷର ଅନ୍ତର୍ଲୋକର ବହୁ ଗୁପ୍ତ ତୋରଣ ଉଦ୍‌ଘାଟିତ ହୋଇଛି । ପୁଣି ଆଉ କୋଉ ଗଳ୍ପରେ ଦେଖିବା ବ୍ୟକ୍ତିଗତ, ପାରିବାରିକ, ଗୋଷ୍ଠୀଗତ ମଣିଷର ଚେତନାରେ ବିଶେଷ ପରିସ୍ଥିତିରୁ ଉଦ୍‌ଭୂତ ବିଶେଷ ଧରଣର ଅନୁଭୂତି ଚିନ୍ତା, ଭାବାବେଗ ଓ ଭାବାଦର୍ଶ ଗୁଡ଼ିକର ଅତି ସୂକ୍ଷ୍ମ ନାଟକୀୟ ସଂଘାତ, ଦ୍ଵନ୍ଦ ବା ସମାଧାନଶଂସୀ କିଛି ଗୋଟାଏ ଚୈତ୍ତିକ ଉପଲବ୍ଧ । ପୁଣି ଅନ୍ୟ କୋଉ କୋଉ ଗଳ୍ପରେ ଦେଖିବାକୁ ପାଇବା ମନୁଷ୍ୟର ଅନ୍ତର୍ଲୋକରେ ବହୁ ଅବଦମିତ ପ୍ରବୃତ୍ତି ଓ କୂଟୈଷାମାନଙ୍କର କୋଳାହଳ ଉତ୍‌ପେକ୍ଷ ଓ ତା’ରି ଭିତରେ ପୁଣି ଆତ୍ମିକ ମଣିଷଟିର ବନ୍ଧନ ମୁକ୍ତ ହୋଇ ଉର୍ଦ୍ଧ୍ଵସ୍ଥ ଚେତନାଲାଭ କରିବାକୁ ବ୍ୟାକୁଳ ଅସ୍ପୃହା, ସଂପ୍ରାର୍ଥନାମୟୀ ଆକୁତି, ନିଷ୍କପଟ ସ୍ଵୀକାରୋକ୍ତି ଓ ଉନ୍ମେଷିତ ଚେତନାର ବିଭିନ୍ନ ସ୍ତରକୁ କ୍ରମାରୋହଣ । ପୁଣି ଆଉ କୋଉ କୋଉ ଗଳ୍ପରେ ପ୍ରକାଶ ପାଇଥାଏ କ୍ଷୟଶୀଳ ବୁର୍ଜେଆ ସଭ୍ୟତା ପ୍ରତି ଓ କ୍ଷମତାଧିକାରୀ ମାନଙ୍କର ? ମିଥ୍ୟାଚାର, ଛଳନା, ଶୋଷଣ ମନୋବୃତ୍ତି ଓ ଅପକର୍ମଗୁଡ଼ିକ ପ୍ରତି ନିର୍ମମ କଟାକ୍ଷ, କ୍ରୁଦ୍ଧଭର୍ତ୍ସନା, ବା ତୀକ୍ଷ୍ଣ ଶାଣିତ ବିଦ୍ରୁପ । ସମାଜରେ ପ୍ରତିଷ୍ଠିତ ଅଥଚ ଅସାର ଅର୍ଦ୍ଧମୃତ ମୂଳଗୁଡ଼ିକ ଉପରେ ଚାବୁକ୍ ପ୍ରହାର କରି ମଧ୍ୟ ବହୁ ଗଳ୍ପ ଲେଖାଯାଇଛି । ଆଉ କେତେକ ଆଧୁନିକ ଗଳ୍ପରେ ସାମାଜ କାରଣରୁ ବା ମନସ୍ତାତ୍ତ୍ୱିକ କାରଣରୁ ବା ଆଧ୍ୟାତ୍ମିକ କାରଣରୁ ନିଃସଙ୍ଗ ହୋଇ ପଡ଼ିଥିବା, ଆଡ଼ବାଇଆ ବୋଲି ମନେ ହେଉଥିବା, ଆଧୁନିକ ମଣିଷମନର ଅନେକାନେକ ସଂଗୁପ୍ତ ବେଦନା, ବହୁ ସୂକ୍ଷ୍ମାତିସୂକ୍ଷ୍ମ ଅଭିଳାଷ -ଅଥବା ଆତ୍ମଚେତନ ବ୍ୟକ୍ତିମାନଙ୍କର ଅହଂଗତ ଆକାଂକ୍ଷା ବା ବାସନା ସହିତ ଆତ୍ମଗତ ଆସ୍ପ ହାର ବୁଦ୍ଧି ଗତ ଓ ବୋଧିଗତ ସୂକ୍ଷ୍ମ ଦ୍ଵନ୍ଦ, ଆତ୍ମ ସଂରକ୍ଷଣ, ଆତ୍ମ ପ୍ରକାଶ, ଆତ୍ମ ପ୍ରତିଷ୍ଠା ଓ ଆତ୍ମବିକାଶ କ୍ଷେତ୍ରରେ ବ୍ୟକ୍ତିର ନିଜ ସଙ୍ଗେ ଓ ଅପର ସଙ୍ଗେ ସଂଘର୍ଷ–ଏବଂ ବୁଦ୍ଧିର କାରାଗାର ଭିତରେ ବ୍ୟକ୍ତି ପ୍ରାଣର ଦାବୀ ଓ ଆତ୍ମପୁରୁଷର ଆକୃତି ପ୍ରଭୃତି ଅତି ସୂକ୍ଷ୍ମ ସୁକୁମାର ବିଷୟମାନ ପ୍ରକାଶ ପାଇଥାଏ । ସେହିପରି ଆଉ କେତେକ ଗଳ୍ପରେ ପ୍ରେମ, ମୃତ୍ୟୁ, ପାପ, ଦୁଃଖ ଓ ନିୟତି ଭଳି ଚିରନ୍ତନ ମୌଳିକ ଆଧ୍ୟାତ୍ମିକ ସମସ୍ୟାକୁ ଗଳ୍ପର ଥିମ୍ ରୂପେ ଗ୍ରହଣ କରଯାଇଛି ।

 

କିନ୍ତୁ ଆଗାମୀ ଯୁଗର ଅଧିକାଂଶ ଉଦୀୟମାନ ଗାଳ୍ପିକଙ୍କ ଗଳ୍ପରୁ ଆଶ୍ଚର୍ଯ୍ୟ ଭାବେ ରୋମାଣ୍ଟିସିଜିମ୍ ଲୋପ ପାଇ ଯାଇଛି ବୋଲି ଆଶଙ୍କା ହୁଏ । ବରଂ ଅଧିକାଂଶ ଗାଳ୍ପିକ ଇଚ୍ଛାକୃତଭାବେ ଆଣ୍ଟି ରୋମାଣ୍ଟିକ୍ ମନୋଭାବରୁ ଗଳ୍ପ ଲେଖୁଛନ୍ତି ବୋଲି ସନ୍ଦେହ ଆସେ । ଆଗାମୀ ଯୁଗର ବହୁ ଗାଳ୍ପିକମାନଙ୍କ ଲିଖିତ ଗଳ୍ପ ଗୁଡ଼ିକର ଭାଷା ଶୈଳୀ କ୍ରୁଦ୍ଧ ଓ ଉଗ୍ରଭାବାପନ୍ନ ତୀକ୍ଷ୍‍ଣ ଓ କର୍କଶ-ମୁଁ କାର ଧର୍ମୀ ଓ ଆଘାତ ସର୍ବସ୍ଵ । ତୀବ୍ର ପ୍ରତିକ୍ରିୟା ଜନିତ ଉଚ୍ଚସ୍ଵରର ଭର୍ତ୍ସନାବାଦ ହିଁ ଏମାନଙ୍କର ବକ୍ତବ୍ୟ । ସମାଜରେ ଯେଉଁ ଧନ, କ୍ଷମତା ଓ ଯୌନ ଉପଭୋଗର ଲିପ୍‍ସା ପ୍ରବଳ ହୋଇଉଠିଛି–ଏବଂ ସେହି ପରିପ୍ରେକ୍ଷୀରେ ଆଧୁନିକ‌ ଯୁବ ପ୍ରାଣରେ ଯେଉଁ ହତାଶ, ବ୍ୟର୍ଥତାବୋଧ, ହୀନମନ୍ୟତା ଓ ସ୍ତିତି ସଂଶୟ ଦେଖା ଦେଇଛି- ଆଗାମୀ ଯୁଗର ଗାଳ୍ପିକମାନେ ସେଇ ସବୁକୁ ନେଇ ଗଳ୍ପମାନ ଲେଖୁଛନ୍ତି । ମୋଟ ଉପରେ ଆଧୁନିକ ଯୁଗର ସାମାଜିକ ସଙ୍କଟ ଓ ଯନ୍ତ୍ରଣାହିଁ ହୋଇ ଉଠିଛି ଆଧୁନିକ ଯୁବଲେଖକମାନଙ୍କର ଗଳ୍ପ ରଚନାର ପ୍ରଧାନ ଉପଜୀବୀ । ବର୍ତ୍ତମାନର ଭଗ୍ନପ୍ରାୟ, କ୍ଷୟିଷ୍ଣୁ ଓ ବ୍ୟକ୍ତି ପୀଡ଼କ ସମାଜ ଓ ସଭ୍ୟତାକୁ ନଗ୍ନଭାବେ ଉଚ୍ଚସ୍ଵରରେ ବିଦ୍ରୂପ କରି ଜଗଦୀଶ ମହାନ୍ତିଙ୍କର “ବାହାରେ ଠିଆ ହେଇଥିବା ଲୋକମାନେ” ଗଳ୍ପଟି ଲିଖିତ । ଏହାର ଭାଷାଶୈଳୀ ଆପାତତଃ ଅଶ୍ଳୀଳ ଓ ରୁକ୍ଷ ମନେ ହେଲେ ବି–ଗଳ୍ପର ଅନ୍ତର୍ଧ୍ୱନୀଟି ଗଭୀର ଭାବେ କରୁଣ କିନ୍ତୁ ଯଶୋଧାରା ମିଶ୍ରଙ୍କ “ଗୋଟିଏ ରାଜାଙ୍କ ଗଳ୍ପ” ର ଭାଷାଶୈଳୀ ଖୁବ୍ ସଂଜତ ଆଉ ସୁକୁମାର । ଏବଂ ବର୍ତ୍ତମାନ ସମାଜର କ୍ଷୁଦ୍ର ମାନସିକତା ଭିତରେ ଅତୀତର ଏକ ସମ୍ଭ୍ରାନ୍ତ ଅଥଚ ମୁମୂର୍ଷୁ ମୁଲ୍ୟବୋଧର ପୁନଃ ସଂଜୀବନ ବା ପ୍ରତିଷ୍ଠା ହେତୁ ଗଳ୍ପଟିର ଆବେଦନ ମହିମାମୟ । କିନ୍ତୁ ଉଭୟେ ବଳିଷ୍ଠ ରଚନାଶୈଳୀ ଓ ଅନ୍ତର୍ଦୃଷ୍ଟିର ଅଧିକାର । ଅବଶ୍ୟ ଆଗାମୀଯୁଗର ପ୍ରକଟିତ ଅଧିକା°ଶ ଗାଳ୍ପିକଙ୍କ ଗଳ୍ପରୁ ସେମାନଙ୍କର ଜୀବନର ବ୍ୟାପକ ଓ ଗଭୀର ଅଭିଜ୍ଞତା ବା ଉପଲବ୍‌ଧିର ପରିଚୟ ମିଳେ ନାହିଁ । ମିଳେ ମଧ୍ୟ ନାହିଁ ଏକ ସ୍ଵତନ୍ତ୍ର ବଳିଷ୍ଠ ରଚନା ଶୈଳୀର ପରିଚୟ ।

 

ଓଡ଼ିଆ ଗଳ୍ପ ସାହିତ୍ୟର ଭବିଷ୍ୟତ :

 

ତେବେ ସବୁଦିଗରୁ ବିଚାର କରି ଖୁବ୍ ଦୃଢ଼ ଭାବରେ କହିହେବ ଯେ ୧୯୫୦ ପରବର୍ତ୍ତୀ ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ପରିମାଣାତ୍ମକ ଓ ଗୁଣାତ୍ମକ ପରିସର ଭିତରେ ଖୁବ୍ ବିସ୍ତୃତି, ଗଭୀରତା, ଜଟିଳତା ଓ ଉଚ୍ଚତା ଅର୍ଜନ କରିସାରିଲଣି । ଭାବସଂପଦ ଓ ଶୈଳୀସଂପଦରେ ଆମ ଗଳ୍ପ ସାହିତ୍ୟ ଭାରତୀୟ ଅନ୍ୟାନ୍ୟ ପ୍ରାଦେଶିକ ଗଳ୍ପ ସାହିତ୍ୟ ସଙ୍ଗେ ସମକକ୍ଷ-ଏବଂ କେତେକ ଦିଗରୁ ମଧ୍ୟ ଅଧିକ ସମୃଦ୍ଧିରର ଅଧିକାର । ଏବଂ ଆମର କେତେକ ବିଶିଷ୍ଠ ଗାଳ୍ପିକଙ୍କର ଗଳ୍ପମାନ ଇଂରାଜୀଭାଷାରେ ଅନୂଦିତ ହୋଇ ଆନ୍ତର୍ଜାତିକ ସ୍ତରରେ ବିଦଗ୍‌ଧ ସାହିତ୍ୟିକ ପାଠକ ମାନଙ୍କ ଦ୍ଵାରା ବହୁମାନ ପୁରଃସର ଆଦୃତି ଲାଭ କଲାଣି । ଏଠାରେ ଆଉ ଗୋଟିଏ କଥା ମଧ୍ୟ ନଶ୍ଚିନ୍ତରେ କହିହେବ ଯେ ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ଯେଉଁ ବିଶିଷ୍ଟ ଲେଖକମାନେ ୧୯୪୮-୫୦ ମସିହାଠାରୁ ଅଦ୍ୟାବଧି ଗଳ୍ପମାନ ଲେଖିଲିଛନ୍ତି, ସେମାନେ ସମସ୍ତେ ଆପଣାର ମୌଳିକ ଓ ବଳିଷ୍ଠ ଭାଷାଶୈଳୀ ଏବଂ ମୌଳିକ ଓ ବିଚିତ୍ର ବିଷୟବସ୍ତୁ ଅବଲମ୍ବନରେ ଏକୁଁ ଆରେକ ଅନନ୍ୟତାର ଅଧକାରୀ । ସେହିମାନଙ୍କ ନିରବଚ୍ଛିନ୍ନ ସାଧନାବଳରେ ସ୍ଵାଧୀନତା ପର ଓଡ଼ିଆ ଗଦ୍ୟ ସାହିତ୍ୟ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟ ପରି ଆଶାତୀତ ଭାବେ ସମୃଦ୍ଧି ଲାଭ କରିଛି । କେହି କେହି ସାହିତ୍ୟ ପର୍ଯ୍ୟବେକ୍ଷକଙ୍କ ମତରେ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟାନ୍ୟ ବିଭଗ ମଧ୍ୟରେ ଆମ ଗଳ୍ପ ସାହିତ୍ୟ ହିଁ ଅଧିକ ମୋଳିକତା ଓ ଉତ୍କର୍ଷ ପ୍ରଦର୍ଶନ କରିପାରିଛି । କହିବା ବାହୁଲ୍ୟ ଯେ, ଆମର ଗଳ୍ପ ସାହିତ୍ୟ ହିଁ ଓଡ଼ିଶାରେ ସାହିତ୍ୟ ପଠନର ସ୍ପୃହା ଜାଗ୍ରତ କରି ଆଶାତୀତ ଭାବେ ପାଠକ ସଂଖ୍ୟା ବୃଦ୍ଧି କରି ପାରିଛି । ପରିଶେଷରେ ଏହା ମଧ୍ୟ ନିର୍ମଳ ମନରେ ଆଶା କରାଯାଇ ପାରେ ଯେ, ଆମ ଗଳ୍ପ - ସାହିତ୍ୟର ଭବିଷ୍ୟତ ଆହୁରି ସମ୍ଭାବନାମୟ ଓ ସମୁଜ୍ଜଳ ହୋଇ ରହିଛି ।

 

ସଂକଳନର କୈଫିୟତ :

 

ସଂପ୍ରତି ରାଜ୍ୟ ସାହିତ୍ୟ ଏକାଡ଼େମୀଙ୍କ ଦ୍ଵାରା ଅନୁରୁଦ୍ଧ ହୋଇ ଏହି ସଂକଳନଟିର ସମ୍ପାଦନା କରିବାକୁ ହେଲା । ଏହି ସଂକଳନଟିର ନାମ "ଶତାବ୍ଦୀର ଶ୍ରେଷ୍ଠ ଗଳ୍ପ” ରଖାଯିବାକୁ ଏକାଡ଼େମୀ ସ୍ଥିର କରିଛନ୍ତି । ଏହି ଧାରାରେ ପୂର୍ବରୁ “ଶତାବ୍ଦୀର ଶ୍ରେଷ୍ଠ କବିତା” ମଧ୍ୟ ସଙ୍କଳିତ ଓ ସମ୍ପାଦିତ ହୋଇ ପ୍ରକାଶ ପାଇଛି । ଏକାଡ଼େମୀ “ଶତାବ୍ଦୀର ଶ୍ରେଷ୍ଠ ପ୍ରବନ୍ଧ” ନାମରେ ଆଉ ଖଣ୍ଡିଏ ସମ୍ପାଦିତ ସଙ୍କଳନ ମଧ୍ୟ ପ୍ରକାଶ କରି ସାରିଛି । ନିଶ୍ଚିନ୍ତଭାବେ ଏହା ଏକ ପ୍ରଶଂସନୀୟ ଉଦ୍ୟମ ।

 

କିନ୍ତୁ ମୁସ୍କିଲ୍ କଥାହେଲା–ଗୋଟିଏ ଶତାବ୍ଦୀର ଗାଳ୍ପିକମାନଙ୍କ ଦ୍ଵାରା ଲିଖିତ ସହସ୍ର ସହସ୍ର ଗଳ୍ପ ଭିତରୁ ଶ୍ରେଷ୍ଠ ଗଳ୍ପ କେତୋଟି ବାଛିଦେବା ଆଦୌ ସହଜ ନୁହେଁ –ସମ୍ଭବ ମଧ୍ୟ ନୁହେଁ । ତା'ଛଡ଼ା, ବହୁ ଧରଣର ଗଳ୍ପ ଲେଖିଥିବା ଖ୍ୟାତିମାନ ବିଶିଷ୍ଟ ଗାଳ୍ପିକଙ୍କର ଶ୍ରେଷ୍ଠ ଗଳ୍ପଟିକୁ ବାଛି ଦେବା ମଧ୍ୟ ସମ୍ଭବ ନୁହେଁ । ଏପରିକି ଏବଂବିଧ ଲେଖକଙ୍କର ପ୍ରତିନିଧିମୂଳକ ଗଳ୍ପଟିଏ ମଧ୍ୟ ବାଛିହେବ ନାହିଁ । ଉଦାହରଣ ସ୍ଵରୂପ, ସୁରେନ୍ଦ୍ର ମହାନ୍ତିଙ୍କର “ଶ୍ରୀକୃଷ୍ଣଙ୍କର ଶେଷ ହସ’ ଶ୍ରେଷ୍ଠ ପ୍ରତିନିଧିମୂଳକ ଗଳ୍ପ କି ‘ବାସିମଡ଼ା’, ‘ମରାଳର ମୃତ୍ୟୁ’ ପ୍ରଭୃତି ଶ୍ରେଷ୍ଠ ପ୍ରତିନିଧିମୂଳକ ଗଳ୍ପ–କେମିତି ବାଛି ହେବ ? କିଶୋରୀ ଚରଣ ଦାସଙ୍କ‌ “ସଙ୍ଗୀତର ବାପ” ଶ୍ରେଷ୍ଠ କି “ନାଲି ଗୁଲୁଗୁଲୁ ସାଧବ ବୋହୁ” ଶ୍ରେଷ୍ଠ ଅଥବା ପ୍ରତିନିଧିମୂଳକ ବୋଲି ଆମେ କେମିତି କହି ପାରିବା ? ଗୋପୀନାଥ ମହାନ୍ତି, ଅଖିଳ ପଟ୍ଟନାୟକ, ମନୋଜ ଦାସ, ବାମା ଚରଣ ମିତ୍ର ପ୍ରମୁଖମାନଙ୍କର ତହୁଁ ଭିନ୍ନ ତହୁଁ ଭିନ୍ନ ଓ ତହୁଁ ବଳି ତହୁଁ ବଳି ଗଳ୍ପ ଗୁଡ଼ିକ ଭିତରୁ ଯଥାର୍ଥ ଶ୍ରେଷ୍ଠ ପ୍ରତିନିଧିମୂଳକ ଗଳ୍ପଟିଏ ବାଛିଦେବା ଆଦୌ ସମ୍ଭବ ନୁହେଁ । ଏହାର ଅନ୍ୟତମ କାରଣ ହେଲା- ଏହି ବିଶିଷ୍ଟ ଗାଳ୍ପିକମାନେ ସମାଜ ଚେତନା ଓ ବ୍ୟକ୍ତି ଚେତନା ଉଭୟ ଚେତନାକୁ ନେଇ ବହୁ ଗଳ୍ପ ଲେଖିଛନ୍ତି । ବିଭିନ୍ନ ରଚନା ଶୈଳୀର ପ୍ରୟୋଗ ଓ ପରୀକ୍ଷା କରିଛନ୍ତି । ଏ ସ୍ଥଳେ, ଗୋଟିଏ‌ ସଙ୍କଳନରେ ଜଣେ ବିଶିଷ୍ଟ ଲେଖକଙ୍କର ବହୁ ଓ ବହୁବିଧ ଗଳ୍ପ ଗୁଡ଼ିକ ଭିତରୁ ଗୋଟିଏ ମାତ୍ର ଗଳ୍ପ ପ୍ରକାଶ କରି ଆମେ ତାକୁ ପ୍ରତିନିଧିମୂଳକ ଶ୍ରେଷ୍ଠ ଗଳ୍ପ ବୋଲି କହିବା ଅସମୀଚୀନ ନୁହେଁ କି ? “ଶତାବ୍ଦୀର ଶ୍ରେଷ୍ଠ କବିତା ସଂକଳନ” ରେ ଅନ୍ତତଃ ଏତିକି ସୁବିଧା ଥିଲା ଯେ ଜଣେ ଜଣେ ସୁପ୍ରତିଷ୍ଠିତ କବିଙ୍କର ଦୁଇ ତିନୋଟି କବିତା ଦିଆଯାଇ ପାରିଲା । ଏ ସ୍ଥଳେ କିନ୍ତୁ ଅସୁବିଧାଟି ହେଉଛି- ଗଳ୍ପ ଗୁଡ଼ିକ କବିତା ଭଳି କ୍ଷୁଦ୍ରାକାର ନୁହେଁ । ଅନ୍ତତଃ ଦଶ ପନ୍ଦର ପୃଷ୍ଠାରୁ ଗଳ୍ପଟିଏ ସାଧାରଣତଃ ସାନ ହୋଇ ପାରେନା । ଅଥଚ ଏଣେ ପୁଣି ସଂକଳନ ଗ୍ରନ୍ଥଟିର ପୃଷ୍ଠା ସଂଖ୍ୟା ନର୍ଦ୍ଦିଷ୍ଟ ସୀମାରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶ ରହିଛି ।

 

ଏହି ସଂକଳନଟି ସମ୍ପାଦନ କଲାବେଳେ ଆଉ ଗୋଟିଏ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଲା । ତା’ହେଲା–ବିଂଶ ଶତାବ୍ଦୀଟି ସରିବାକୁ ଆଉ କୋଡ଼ିଏ ବର୍ଷ ବାକି ରହିଛି । ଏହି ଆଗାମୀ ଦୁଇଦଶନ୍ଧି ମଧ୍ୟରେ ଆହୁରି ପ୍ରତିଭାବାନ ନବୀନ ଗାଳ୍ପିକମାନଙ୍କର ଉଦୟ ହେବ ଏବଂ ବର୍ତ୍ତମାନ ମଧ୍ୟ ସେତେଦୂର ଜାଜ୍ଵଲ୍ୟମାନ ହୋଇ ନଥିବା ନବୀନ ଗଳ୍ପିକମାନେ ଆପଣା ସାଧନା ବଳରେ ଆଗାମୀ ଦୁଇ ଦଶନ୍ଧି ଭିତରେ ଖୁବ୍ ଅଧିକ ଜାଜ୍ଵଲ୍ୟମାନ ହେବେ । ଅଥଚ ଏଥିରେ ଆମେ ସେହି ସବୁ ପ୍ରତିଭାବନା ଗାଳ୍ପିକମାନଙ୍କର ପ୍ରାଥମିକ ସ୍ତରର ଗଳ୍ପଟିଏ ବାଛିଛୁ–(ଯଦିଓ ଗୁଣାତ୍ମକ୍ତ ଦୃଷ୍ଟିରୁ ସେ ଗଳ୍ପ ଖୁବ୍ ଉତ୍କୃଷ୍ଟ) ଏବଂ କେତେକଙ୍କର ମଧ୍ୟ ଆଦୌ ବାଛି ନାହୁଁ । ଏସ୍ଥଳେ ଏ ସଂକଳନଟି ଏ ଶତାବ୍ଦୀର ପ୍ରତିନିଧିମୂଳକ ଶ୍ରେଷ୍ଠ ଗଳ୍ପ ସଂକଳନ ବୋଲି ଆମେ କେମିତି ବା ଦମ୍ଭୋକ୍ତି କରି ପାରିବା ? ଏହି ସମସ୍ୟାର ସମାଧାନ ପାଇଁ ମୁଁ ଏକାଡ଼େମୀଙ୍କୁ ଏହି ସଂକଳନଟିର ଦ୍ଵିତୀୟ ଭାଗ ପ୍ରକାଶ କରିବାକୁ ପରାମର୍ଶ ଦେଇଛି ।

 

ଏତଦ୍ ସତ୍ତ୍ୱେବି, ଏହି ଦୂରୁହ ସଙ୍କଳନଟି ସାଙ୍ଗ କରିବାକୁ ପଡ଼ିଲା । ଏଥିଲାଗି ମତେ ବର୍ଷାଧିକ କାଳ ବହୁ ପରିଶ୍ରମ କରିବାକୁ ପଡ଼ିଛି । ବହୁ ଗଳ୍ପଗ୍ରନ୍ଥ ସଂଗ୍ରହ କରି, ବହୁ ନୂତନ ଓ ପୁରାତନ ପତ୍ରପତ୍ରିକା ସଂଗ୍ରହ କରି ସହସ୍ରାଧିକ ଗଳ୍ପ ଅଧ୍ୟୟନ କରିବାକୁ ପଡ଼ିଛି - ଓ ସେ ଭିତରୁ ଯଥା ସମ୍ଭବ ପ୍ରତିନିଧି ସ୍ଥାନୀୟ ଭଲ ଗଳ୍ପଟିଏ ବାଛିବାକୁ ପଡ଼ିଛି । ମୋର ମନେ ହୁଏ, ଆଉ ଜଣେ ଏ କାର୍ଯ୍ୟଟି କରିଥିଲେ ହୁଏତ ଭିନ୍ନ ଗଳ୍ପ ସବୁ ବାଛିଥାନ୍ତେ ଏବଂ ତାହା ହୁଏତ ଏହାଠାରୁ ଅଧିକ ପ୍ରତିନିଧି ସ୍ଥାନୀୟ ଓ ଉତ୍କୃଷ୍ଟତର ଗଳ୍ପ ସଂକଳନଟିଏ ହୋଇ ପାରିଥାନ୍ତା । କିନ୍ତୁ ତାହା ମଧ୍ୟ ଶେଷକଥା ହୋଇପାରି ନଥାନ୍ତା । କାରଣ, ଏ କାର୍ଯ୍ୟଟି ସେହିପରି ଦୁଷ୍କର ଓ ସଂକଳନର ରୁଚି, ଜ୍ଞାନ ଓ ବୋଧ ନିର୍ଭର ବ୍ୟାପାର ।

 

ତଥାପି ମତେ ଏହି ଦୁଷ୍କର କାର୍ଯ୍ୟକୁ କରିବାକୁ ପଡ଼ିଲା । ସେଥିଲାଗି ମୁଁ ଗୋଟିଏ ଉପାୟ ଚିନ୍ତା କଲି । ତା’ହେଲା-ଏହି ସଂକଳନଟି ଶତାବ୍ଦୀର ଶ୍ରେଷ୍ଠ ଗଳ୍ପର ସଂକଳନ ହେଉ ନ ହେଉ- ଅନ୍ତତଃ ଶତାବ୍ଦୀର ବିଶିଷ୍ଟ ପ୍ରତିଭାବାନ ଗାଳ୍ପିକମାନଙ୍କର କେତୋଟି ଭଲ ଗଳ୍ପର ସଂକଳନ ହେଉ ଏବଂ ଏହି କେତୋଟି ଗଳ୍ପ ଭିତରେ ଗୋଟିଏ ଶତାବ୍ଦୀର ଓଡ଼ିଶା ଏବଂ ତା'ର ଅଧିବାସୀଙ୍କର ବିଚିତ୍ର ଜୀବନକାଳର ରସାତ୍ମକ ଆଲେଖ୍ୟ ଯଥା ସମ୍ଭବ ଚିତ୍ରିତ ହୋଇଥାଉ । ସେଥିଲାଗି, ମୁଁ ଏପରି କେତୋଟି ଗଳ୍ପ ବାଛିଛି- ଯାହାକି ସେହି ବିଶିଷ୍ଠ ଗାଳ୍ପିକଙ୍କର ଲିଖିତ ଭଲ ଗଳ୍ପମାନଙ୍କ ଭିତରୁ ନିଶ୍ଚୟ ଅନ୍ୟତମ ହେଇଥିବ ଏବଂ ଓଡ଼ିଆ ଜାତିର ବିଚିତ୍ର ଜୀବନଲୀଳାର ଏକ ବିଶେଷ ଛବି ବା ସମସ୍ୟା ସେଥିରେ ଚିତ୍ରିତ ହୋଇଥିବ । ଓଡ଼ିଶାରେ ଗୋଟିଏ ଶତାବ୍ଦୀ ଭିତରେ ସାମାଜିକ ଜୀବନରେ ବହୁ ବହୁ ଘଟଣା ଦୁର୍ଘଟଣା ଘଟିଛି । ଯଥା–ପ୍ରଥମ ଓ ଦ୍ଵିତୀୟ ମହାଯୁଦ୍ଧର ପ୍ରଭାବ–ସ୍ଵଧୀନତା ଆନ୍ଦୋଳନ–ସ୍ଵତନ୍ତ୍ର ପ୍ରଦେଶ ଗଠନ–ସ୍ଵାଧୀନତା ପ୍ରାପ୍ତି- ଗଣ ନିର୍ବାଚନ–ପଞ୍ଚାୟତିରାଜ - ଧାର୍ମିକ ଓ ସାମାଜିକ ଆନ୍ଦୋଳନ–ସାଂପ୍ରଦାୟିକ କନ୍ଦଳ ବନ୍ୟା, ବାତ୍ୟ, ମରୁଡ଼ି, ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ଦୁର୍ଯୋଗ, ରାଜନୈତିକ ହଟଚମଟ–ଇତ୍ୟାଦି ଇତ୍ୟାଦି । ଏହାଛଡ଼ା ମଧ୍ୟ, ଓଡ଼ିଶାର ଭୌଗୋଳିକ ଛବି, ଏହାର ବିଚିତ୍ର ରୁଦ୍ର ସୁନ୍ଦର ପ୍ରକୃତି ଏହାର ବିଭିନ୍ନ ବୃତ୍ତିଧାରୀ ମଣିଷ–ଏହାର ବିଭିନ୍ନ ଜାତି ଉପଜାତି (ହରିଜନ, ଗିରିଜନ)–ଏହାର ବିଭିନ୍ନ ଡାଏଲେକ୍ଟ ବା କଥ୍ୟଭାଷା–(ସମ୍ବଲପୁରୀ, ଗଞ୍ଜାମ, ବାଲେଶ୍ଵର) ଓଡ଼ିଆମାନଙ୍କର ବିଭିନ୍ନ ସାମାଜିକ ଅନୁଷ୍ଠାନ, ପୂଜାପାର୍ବଣ–ଏ ରାଜ୍ୟର ଅଧିବାସୀମାନଙ୍କ ବିଭିନ୍ନ ବିଶ୍ୱାସ ଓ ଧାରଣା, ଏ ରାଜ୍ୟର ଚାଷୀ, ଶ୍ରମିକ, ପୁରୋହିତ, ହାକିମ, ବ୍ୟବସାୟୀ, ଯାତ୍ରାବାଲା, କାରିଗର, ଧନୀ, ଦରିଦ୍ର, ସନ୍ନ୍ୟାସୀ, ଶିକ୍ଷକ, ରାଜନୈତକ ନେତା, ଟାଉଟର, ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନାଦି ବିଭିନ୍ନ ଧର୍ମ ସଂପ୍ରଦାୟ ପ୍ରତି ସବୁ ପ୍ରକାର ମଣିଷ ଓ ଜୀବନ ଧାରର କଥା ଯେମିତି ନିର୍ବାଚିତ ଗଳ୍ପମାନଙ୍କରେ ଯଥା ସମ୍ଭବ ପ୍ରକାଶ ପାଇବ~ଏବଂ ସେ ସବୁ ସହିତ ବିଭିନ୍ନ ସମୟରେ ଓଡ଼ିଶାର ବୌଦ୍ଧିକ ଅନ୍ଦୋଳନରୁ ଉଦ୍‌ଦ୍ଭୁତ ନୂତନ ଚିନ୍ତା, ଭାବାଦର୍ଶଗୁଡ଼ିକ ମଧ୍ୟ ଯେପରି ନିର୍ବାଚିତ ଗଳ୍ପଗୁଡ଼ିକରୁ ବ୍ୟଂଜିତ ହେଉଥିବ ସେ ଦିଗରେ ମଧ୍ୟ ସମ୍ୟକ୍ ସାବଧାନୀ ଦୃଷ୍ଟି ରଖିବାକୁ ପଡ଼ିଛି । ପୁଣି ବିଭିନ୍ନ ଧରଣର ମୌଳିକ ଓ ବଳିଷ୍ଠ ରଚନାଶୈଳୀ ଓ ବିଭିନ୍ନ ଧରଣର ବିଷୟବସ୍ତୁ, ଆଧାରିତ ଗଳ୍ପ ମଧ ବାଛିବାକୁ ପଡ଼ିଛି । ଯଥା, ଐତିହାସିକ, ସାମାଜିକ, ଆଧ୍ୟାତ୍ମିକ, ପୌରଣିକ ଓ ରୋମାଣ୍ଟିକ୍ ପ୍ରଣୟ ମୂଲକ ଇତ୍ୟାଦି ଇତ୍ୟାଦି ।

 

କହିବା ବାହୁଲ୍ୟ ଯେ, ୧୯୫୦ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ବହୁ ଗାଳ୍ପିକ ଗଳ୍ପ ରଚନାରେ ବ୍ରତୀ ହୋଇଛନ୍ତି । କିନ୍ତୁ ଶ୍ରେଷ୍ଠ ବା ପ୍ରତିନିଧି ସ୍ଥାନୀୟ ଗଳ୍ପଟିଏ ସେଗୁଡ଼ିକ ଭିତରୁ ନିର୍ବାଚନ କଲେ ମୋତେ ଗଳ୍ପଟିର ରଚନାଶୈଳୀରେ କୌଣସି ବିଶେଷତ୍ତ୍ଵ, ସ୍ଵାତନ୍ତ୍ର୍ୟ, ମୌଳିକତା, ସ୍ଵାଭାବିକତା, ସରସତା ଓ ଜୀବନଶକ୍ତି ଅଛି କି ନାହିଁ ତାହା ଦେଖିବାକୁ ପଡ଼ିଛି । ତା'ଛଡା ଆଉ ମଧ୍ୟ ଦେଖିବାକୁ ପଡ଼ିଛି ଗଳ୍ପଟିର ବିଷୟବସ୍ତୁରେ କୌଣସି ଗୁରୁତ୍ୱ, ଅଭିନବତ୍ଵ, ବାସ୍ତବତା ଓ ବିଚିତ୍ର୍ୟତା ଅଛି କି ନାହିଁ ! ଆଉ ମଧ୍ୟ ଦେଖିବାକୁ ପଡ଼ିଛି–ଗଳ୍ପଟିରେ ଲେଖକଙ୍କର ସୃଜନାତ୍ମକ କଳ୍ପନା ଶକ୍ତି, ଜୀବନ ସଂପର୍କରେ ବ୍ୟାପକ ଓ ଗଭୀର ଅଭିଜ୍ଞତା, ଦୂରଦୃଷ୍ଟି ବ ଅନ୍ତର୍ଦୃଷ୍ଟିର କଳାତ୍ମକ ପ୍ରତିଫଳନ ହୋଇଛି କି ନାହିଁ । ଆହୁରି ମଧ୍ୟ ବିଚାର କରିବାକୁ ପଡ଼ିଛି- ଗଳ୍ପଟିର ପ୍ରଭାବ ଫଳରେ ପାଠକ ମନରେ ବା ହୃଦୟରେ ଜୀବନ ପ୍ରତି ଆସ୍ଥା, ଉତ୍ସାହ, ଉଦ୍ଦୀପନା, ବିଶ୍ୱାସ ବା କୌଣସି ବୃହତ୍ତର ବା ଗଭୀରତର ଚେତନାର ଉପଲବ୍ଧି ସୃଷ୍ଟି ହୋଇ ପାରୁଛି କି ନାହିଁ । ପରିଶେଷରେ ମୁଁ ଦେଖିଛି –ନିର୍ବାଚିତ ଗଳ୍ପଟି ଯେପରି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନକୁ ନେଇ ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ମଣିଷକୁ ନେଇ ରଚିତ ହୋଇଥିଲେ ବି ତାହା ଯେପରି ଚିରନ୍ତନ ବିଶ୍ଵ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇପାଇବା ଭଳି‌ (Classical) ଯୋଗ୍ୟତା ଅର୍ଜନ କରିଥିବ ।

 

ମୋଟ ଉପରେ ଏହି ସଂକଳନଟି ସଂପନ୍ନ କଲାବେଲେ ମତେ ଯଥାସାଧ୍ୟ ସଚେତନ ଭାବେ ଚେଷ୍ଟା କରିବାକୁ ପଡ଼ିଛି-–ଯେପରିକି ଏହି ଗଳ୍ପ ସଂକଳନଟି ପାଠକଲା ପରେ ଜଣେ ମାର୍ମିକ ପାଠକ, ଓଡ଼ିଆ ଜାତିର ଗୋଟିଏ ଶତାବ୍ଦୀ ବିଧୃତ–ଜୀବନଲୀଳାର ଯଥାସମ୍ଭବ ପ୍ରତିଛବି ଦେଖିବାକୁ ପାଇବ- ଏବଂ‌ ଗୋଟିଏ ଜାତିର ଜୀବନ ଦର୍ଶନର ଯଥା ସମ୍ଭବ ପ୍ରତିଧ୍ଵନି ଶୁଣିବାକୁ ପାଇବ । ଏବଂ ତତ୍ ସଙ୍ଗେ ସଙ୍ଗେ ମଧ ଚିରନ୍ତନ ମାନବର ଜୀବନ ଲୀଳା ଓ ଜୀବନଦର୍ଶନର ପ୍ରତିଛବି ଓ ପ୍ରତିଧ୍ଵନି ଏଗୁଡ଼ିକରୁ ଦେଖିବାକୁ ଓ ଶୁଣିବାକୁ ମିଳେ ।

 

ନିର୍ବାଚିତ ଗଳ୍ପଗୁଡ଼ିକ ଉପରେ ମୋର ଦୃଢ଼ ଧାରଣା ହେଲା ଏଗୁଡ଼ିକ । ଯେପରି ଭାଷା ଓ ବିଷୟ ଦୃଷ୍ଟିରୁ ଖାଣ୍ଟି ଓଡ଼ିଆ ଜୀବନର ଛବି–ସେହିପରି ମଧ୍ୟ ଏଗୁଡ଼ିକ ବିଭିନ୍ନ ଭାଷାରେ ଅନୂଦିତ ହେଲେ–ସର୍ବଭାରତୀୟ ଓ ଅନ୍ତର୍ଜାତିକ ସ୍ତରର ବିଦଗ୍‌ଧ ପାଠକସମାଜ ଦ୍ଵାରା ଚିରନ୍ତନଗଳ୍ପ ସାହିତ୍ୟରୂପେ ସମାଦୃତ ହୋଇପାରିବ । କାରଣ, ଏହିସବୁ ନିର୍ବାଚିତ ଗଳ୍ପଗୁଡ଼ିକ ଗୋଟିଏ ଜାତି, ଗୋଟିଏ ରାଜ୍ୟ ଓ ଗୋଟିଏ ନିର୍ଦ୍ଦିଷ୍ଟ ସମୟର ଘଟଣାକୁ ନେଇ ଲିଖିତ ହୋଇଥିଲେ ବି- ଏଗୁଡ଼ିକରେ ବିଶ୍ୱମାନବର ଚିରନ୍ତନ ଜୀବନ ଲୀଳାର ରହସ୍ୟ, ମର୍ମ, ଅର୍ଥ ଓ ଛବି ଲେଖକର ସ୍ଵକୀୟ ସୃଜନାତ୍ମକ ଅପୂର୍ବ ଭାଷାଶୈଳୀରେ ଲିପିବଦ୍ଧ ରହିଛି । ମୋର ଦୃଢ଼ବିଶ୍ୱାସ ଯେ, ଏହି ଗଳ୍ପଗୁଡ଼ିକ ନଶ୍ଚିନ୍ତଭାବେ ଆମ ଗଳ୍ପାମୋଦୀ ପାଠକ ପାଠିକାମାନଙ୍କୁ ଜୀବନ ସଂପର୍କରେ ଆନନ୍ଦ ଓ ଆଲୋକର ବାର୍ତ୍ତା ଯୋଗାଇ ଦେଇ ପାରିବେ ।

 

ମହାପାତ୍ର ନୀଳମଣି ସାହୁ

Image

 

ସୂଚୀପତ୍ର

 

୧.

ଅଧର୍ମବିତ୍ତ

୰ ଫକୀରମୋହନ ସେନାପତି

୨.

ସେବତୀର ଶବ

୰ ଗୋଦାବରୀଶ ମିଶ୍ର

୩.

ମାଳତୀ

୰ ବାଙ୍କନିଧି ପଟ୍ଟନାୟକ

୪.

ରୂପର ମୂଲ୍ୟ

ଶ୍ରୀ ଦୟାନିଧି ମିଶ୍ର

୫.

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

୰ ଗୋଦାବରୀଶ ମହାପାତ୍ର

୬.

ଧର୍ମଶାଳା

ଡକ୍ଟର ହରେକୃଷ୍ଣ ମହତାବ

୭.

ଡାହାଣୀ ଆଲୁଅ

ଶ୍ରୀ ଉପେନ୍ଦ୍ର କିଶୋର ଦାସ

୮.

ସାପୁଆ

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

୯.

ପଶୁ

ଶ୍ରୀ ରାଜକିଶୋର ପଟ୍ଟନାୟକ

୧୦.

ଯଖ

ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ

୧୧.

ହେଡ଼ମାଷ୍ଟର

ଶ୍ରୀ ବିଭୁତିଭୁଷଣ ତ୍ରିପାଠୀ

୧୨.

ରିକ୍‌ସା

ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା

୧୩.

ମୁଣ୍ଡି ସାହାଡ଼ା

ଶ୍ରୀ କାହ୍ନୁଚରଣ ମହାନ୍ତି

୧୪.

ଚାମଚ

ଶ୍ରୀ ସତ୍ୟାନନ୍ଦ ବେହୁରା

୧୫.

ବାଜିଆ ପ୍ରସଙ୍ଗ

ଶ୍ରୀ ପୁଲିନ୍ ବିହାରୀ ରାୟ

୧୬.

ଶିକାର

୰ ଭଗବତୀ ଚରଣ ପାଣିଗ୍ରାହୀ

୧୭.

ଘାସିପଡ଼ାର ମାୟା

ଶ୍ରୀ କମଳାକାନ୍ତ ଦାସ

୧୮.

ମାଙ୍କଡ଼ ଦିଆଶି

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

୧୯.

କେହି ନୁହେଁ

ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ

୨୦.

ପିମ୍ପୁଡ଼ି

ଶ୍ରୀ ଗୋପୀନାଥ ମହାନ୍ତି

୨୧.

ବଉଳି

ଶ୍ରୀ ରାଜକିଶୋର ରାୟ

୨୨.

ପରାହତ

ଶ୍ରୀ ପ୍ରାଣବନ୍ଧୁ କର

୨୩.

ନାଡାଶ୍ରୟୀ

ଶ୍ରୀ ବସନ୍ତ କୁମାର ଶତପଥୀ

୨୪.

ସ୍ଵପ୍ନ ସିଦ୍ଧ

୰ ବାମାଚରଣ ମିଶ୍ର

୨୫.

ପେଡ଼ିଭରା ତମ୍ପ

ଶ୍ରୀ ଭୁବନେଶ୍ଵର ବେହେରା

୨୬.

ପ୍ରାନ୍ତ ଯମକ

ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା

୨୭.

ଶ୍ରୀକୃଷ୍ଣଙ୍କ ଶେଷହସ

ଶ୍ରୀ ସୁରେନ୍ଦ୍ର ମହାନ୍ତି

୨୮.

ମହ ନନ୍ଦ

ବସନ୍ତ କୁମାରୀ ପଟ୍ଟନାୟକ

୨୯.

ସଙ୍ଗୀତାର ବାପା

ଶ୍ରୀ କିଶୋରୀ ଚରଣ ଦାସ

୩୦.

ଗୋଟିଏ ସଂଧ୍ୟାର ପ୍ରଳାପ

ମହାପାତ୍ର ନୀଳମଣି ସାହୁ

୩୧.

ଅଶୁଭ ପୁତ୍ରର କାହାଣୀ

ଶ୍ରୀ ଅଚ୍ୟୁତାନନ୍ଦ ପତି

୩୨.

ଉପକଥାର ନାୟକ

ଶ୍ରୀ ରାଜକିଶୋର ମହାନ୍ତି

୩୩.

କଇଁଚ

ଶ୍ରୀ ବିଜୟକୃଷ୍ଣ ମହାନ୍ତି

୩୪.

ଚନ୍ଦ୍ରର ଅଭିଶାପ

ଶ୍ରୀ ଅଖିଳ ମୋହନ ପଟ୍ଟନାୟକ

୩୫.

ବନ୍ୟା ପରେ

ଶ୍ରୀ ଚନ୍ଦ୍ରଶେଖର ରଥ

୩୬.

ସୀମାବଦ୍ଧ

ଶ୍ରୀ ସାତକଡ଼ି ହୋତା

୩୭.

ବୁଦୀ କିରିସାନୀ

ଶ୍ରୀ ଦୂର୍ଗାମାଧବ ମିଶ୍ର

୩୮.

ଭସା ମେଘ

ଶ୍ରୀମତୀ ନନ୍ଦୀନି ଶତପଥୀ

୩୯.

ମୁଖା

ଡ. କୃଷ୍ଣପ୍ରସାଦ ମିଶ୍ର

୪୦.

ପିଠି

ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ

୪୧.

ମରିଚୀକା

ଶ୍ରୀମତୀ ରାଜେଶ୍ୱରୀ ଦଳବେହେରା

୪୨.

ବାଉଁଶରାଣୀ

ଶ୍ରୀ ଅବନୀ କୁମାର ବରାଳ

୪୩.

ବିପ୍ଳବର ଅନ୍ୟ ନାମ

ଶ୍ରୀ ଦଶରଥ ସାମଲ

୪୪.

ଭୁତୁଣୀ : ଏକ ବିଦାୟ

ଶ୍ରୀ ମନୋଜ ଦାସ

୪୫.

କବନ୍ଧ

ଶ୍ରୀ ରବି ପଟ୍ଟନାୟକ

୪୬.

ଇନ୍ଦ୍ରଧନୁର ରଙ୍ଗ

ଶ୍ରୀମତି ବୀଣାପାଣି ମହାନ୍ତି

୪୭.

ଅନ୍ତଃସ୍ଵର

ଶ୍ରୀ ନିମାଇଁ ପଟ୍ଟନାୟକ

୪୮.

ସମାନ୍ତର ସରଳରେଖା

ଶ୍ରୀ ବିଭୁତି ପଟ୍ଟନାୟକ

୪୯.

ଇନଭେଣ୍ଟ୍ରି

ଶ୍ରୀ ରମେଶ ଧଳ

୫୦.

ମାଷ୍ଟର ମିଆଁ

ଶ୍ରୀ ହରିହର ଦାଶ

୫୧.

ଅମୂର୍ତ୍ତ

ଶ୍ରୀମତୀ ବନଜ ଦେବୀ

୫୨.

ସମୁଦ୍ର

ଶ୍ରୀ ଗଣେଶ୍ଵର ମିଶ୍ର

୫୩.

ନିଶା

ଶ୍ରୀ ପୂର୍ଣ୍ଣାନନ୍ଦ ଦାନୀ

୫୪.

ଭୂତର ଛାଇ

ଶ୍ରୀ ନାରାୟଣ ପୃଷେଠ୍

୫୫.

ସାଧାରଣ ସଭା

ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ

୫୬.

ଦ୍ଵିତୀୟ ଶ୍ମଶାନ

ଶ୍ରୀ ରାମଚନ୍ଦ୍ର ବେହେରା

୫୭.

ଚନ୍ଦ୍ରସେଣାର ଦୁଃଖ

ଶ୍ରୀ ପଦ୍ମଜ ପାଳ

୫୮.

ପଦବୀ

ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ

୫୯.

ଗୋଟିଏ ରଜାଙ୍କ ଗପ

ଶ୍ରୀମତୀ ଯଶୋଧାରା ମିଶ୍ର

୬୦.

ବାହାରେ ଠିଆହେଇଥିବା ଲୋକମାନେ

ଶ୍ରୀ ଜଗଦୀଶ ମହାନ୍ତି

୬୧.

କାନ୍ଦୁରୀ

ଶ୍ରୀ ଦାଶ ବେନହୁର

Image

 

ଅଧର୍ମ ବିତ୍ତ

ଫକୀରମୋହନ ସେନାପତି

 

ବିଜେ ନରହରିପୁର ଶାସନମୁଣ୍ଡ ସାହାଲାଘରକୁ ଛାଡ଼ି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୁଜାପିଣ୍ଡି ବା ପୂଜାମଣ୍ଡପ । ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ ତିନିପଟରେ ପାଞ୍ଚ ସାଲି, ଦଶସାଲି, ମଧ୍ୟଭଳି ଅତି ପୁରୁଣା ବୁଢ଼ା, ଗଣତିରେ ଶହେସାତ ନଡ଼ିଆ ଗଛ । ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଣ୍ଟ ହୁଏ ।

 

ସକାଳ ଓଳି ବେଳଘଡ଼ିକ ସମୟରେ ନଡ଼ିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣ ଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳିଆ ଆଉ ମର୍ଯ୍ୟାଦା-ବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆ ପତ୍ର ବୁଣା ଚଟେଇରେ ବସିଛନ୍ତି, ଆଉ ସମସ୍ତଙ୍କର ଭୂମ୍ୟାସନ । ସାନ ପିଲାଗୁଡ଼ାକ ସକାକୁ ସଞ୍ଜଯାଏ ନଡ଼ିଆବୁରେଇ ତଳେ ଧାଁ ଦଉଡ଼ ଦୋହୋ ପାଟିକରି ଖେଳୁଥାନ୍ତି, ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ । ଯୋଡ଼ିକୁ ଯୋଡ଼ି ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ମନଭିତରେ ଯେମନ୍ତ ବୁଝିଛନ୍ତି ଆଜି ଗାଁରେ ଭାରି ଗୋଟାଏ କ'ଣ ହେବ । ଶାସନଗୋସାଇଁମାନଙ୍କୁ ଛାଡ଼ି ଆହୁରି ବି ଆଠ ଦଶ ଜଣ ଦୂରଦୂରାନ୍ତରେ ଗାଁରୁ ଗୋସେଇଁମାନେ ଆସି ଉପସ୍ଥିତ, ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଂଖୁଳିବାପାଇଁ ଆସିଛନ୍ତି । ଭେଣ୍ଡିଆ ଜଗୁପତିଏ ଦୁଇଗୋଡ଼ ପାପୁଲିରେ ଗୋଟିଏ ପଥରକୁଣି ଜାକିଧରି ମୁଣ୍ଡପୋତି ଗୋଟାଏ ନାସଘୋଟା ବାଡ଼ିରେ ଘଡ଼ର ଘଡ଼ର କରି ନାସ ଘୋଟୁଥିଲେ । ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେଟିପେ ନାସ ନେଇ ସୁଁ ସୁଁ କରି ନାକ ଦୁଇ ପୁଡ଼ାରେ ଗୁଞ୍ଜି ଦେଲେ ।

 

ନାସ ଶୁଘାଂଶୁଘିଂ ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ “ମାମୁଁ, କର୍ଜାଟା ତୁମ ଅଂଗିତା, ନା ଅଜାଙ୍କ ଦେହକର ?” (ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ଵିବେଦୀଙ୍କ ଭଣଜା, ଏଣ୍ଟ୍ରାନସ୍ ପାସ୍, ଗୋଟିଏ ମାଇନର ସ୍କୁଲର ହେଡ଼ମାଷ୍ଟର । ମାମୁଁଙ୍କ ଦିପଦ କଥା ଶୁଣ ଆଉ ଆଉ ବନ୍ଧୁଙ୍କ ପରି ସଂଖୁଳି ଆସିଛନ୍ତି ।)

 

ଦ୍ଵିବେଦୀଏ କହିଲେ, “ନାହିଁ ନାହିଁ, ବାପା ! ମୋ ଅଂଗିତା ଯୋଡ଼ାଏ ପଇସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରାନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ର ଗୁଜା ଲେଖିଦେଇ ଆଣିଥିଲେ । ତହିଁଆର ବରଷ ପଞ୍ଚଶଟି ଘେନି ସାହୁ ପାଖକୁ ଗଲେ । ମନରେ କରିଥିଲେ, କୁଳନ୍ତର ଛିଡ଼ାଇ ଦେଇ ମୂଳକୁ ବାକୀ ପଏଠ କରିଦେବେ । ମହାଜନ ଟଙ୍କା ଦେଖି ଜିଭ କାମୁଡ଼ି ପକାଇ କହିଲା, ‘ଏ…. ଏକଣ ଗଦେଇ କକେଇ ? ଶୁଣିଲି, ତୁମେ ପରା ଧାନ ବିକି ଏ ଟଙ୍କା ରଖିଛି । ରାମ.... ରାମ….. ରାମ ! ଏଟା କି କଥା ? କୁଟୁମ୍ବଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କ’ଣ ବିକନ୍ତି ? କେତେ ବା ଧାନ‌ ପାଇଛ–ଉଠାଅ, ଉଠାଅ, ଟଙ୍କା ଉଠାଅ । ତୁମେ ମୋ କୁଳପୁରୋହିତ, ସହଜରେ ଧର୍ମର କକେଇ । ଟଙ୍କାଟା ତୁମ ପାଖରେ ଥିଲେ ଯେ, ମୋ ପାଖରେ ଥିଲେ ସେ । ଯାଅ ଯାଅ, ଏହି ଟଙ୍କାରେ ଧାନ କିଣିପକାଅ । ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବାହାନହଣା ପଡ଼ିଗଲା ତ ଏକାଦିନରେ ଟଙ୍କା ପୈଠ ।” ବାପା ତ ଥିଲେ ମରହଟ୍ଟିଆ ସାଦାସିଧା ଲୋକ, ସାହୁର ମିଠା କଥାରେ ଏକା ବେଳକେ ତରଳିଗଲେ । ବାପା କ୍ୟାଁ, ତୁମେ ଯାଅ ନ, ଶୁଣିବ କେଡ଼େ‌ ମିଠା କଥା, କେତେ ନିର୍ମୟା କଥା । ମନରେ କରିବ, ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ନାହିଁ ! ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ର, ବିଶ୍ଵନାଥ ଶତପଥୀ ଏ, ଭୀମ ପାଢ଼ୀଏ, ସମସ୍ତଙ୍କର ଠିକ୍‍ ଏହିପରି ହାଲ । ଝିଅପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ କୋର୍ଟରେ ନିଲାମ ହୋଇ ଯାଇଛି ! ଗୋରୁ ଖୋଜରେ ଖୋଜେ ବି ଜମି କାହାର ନାହିଁ ! ଆହୁରି ବି ଛ’ ଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳ କଳନ୍ତରରେ ରହିଲେଣି । ସେମାନଙ୍କର ବି ଆଉ ବର୍ଷେ ଛ' ମାସ ବାଦେ ଜମିବାଡ଼ି ଗଲା ପରି ! ତୁଛା ଏହି ଶାସନରେ ? ଏ ଅଞ୍ଚଳ ଦଶଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲାତ, ଶୁଙ୍ଘି ଶୁଙ୍ଘି ବୁଲୁଥିବ । କାହାର ଦରକାର ପଡ଼ିଲେ ରାତିଅଧରେ ଟଙ୍କା ଗଣିଦେବ । ଥରେ ଯଦି ଟଙ୍କା ତା ଘରୁ ଉଠାଇଲେ ତ, ତିନି ପୁରଷରେ କଣ ଶୁଝୁଛି ! କଳନ୍ତର, କଳନ୍ତର, କଳନ୍ତର, ତହିଁର କଳନ୍ତର ଲଟ ଲାଗିରହିଛି । କରଣଗୁଡ଼ାକ ବି ସେହିପରି ମିଳିଯାଛନ୍ତି । କିଏ ପାଞ୍ଚଟଙ୍କା ପୈଠ କଲା ତ, ପାଞ୍ଜିରେ ବସିଲା ଦେଢ଼ ଟଙ୍କା । ହଁ, କ’ଣ କହୁଥିଲି, ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡ଼ାଇ ଆଣି ପୁଣି ଧାନ କିଣି ଥୋଇଲେ ! ତହିଁଆରବରଷ କତିରୁ ପାଣି ହେଲା ଛିନ୍‌ଛୋଟ, ଧାନ ଭଲ ଫଳିଲା ନାହିଁ । ସେହି ସମୟରେ ପୁଣି ତୁମ ସର ମାଉସୀର ବିଭା ସମୟ ଉପସ୍ଥିତ । ୯ ବର୍ଷ ପୂରିଯାଉଛି, 'ଦଶବର୍ଷ ତୁ କନ୍ୟକା', ବିଭା ନ ଦେଲେ କନ୍ୟାଦାନ ଫଳ ନାହିଁ । ବାପ ଯାଇ ସାହୁ ଦୁଆରେ ହାଜର । ସାହୁ ତ ଘାଲେଇ ପଡ଼ି ବେଳ ଉଣ୍ଡୁଥିଲା, ଦାଉ ପଡ଼ିଗଲା । ସାହୁ କଅଁଳେଇ କଅଁଳେଇ ମୁରୁକି ମୁରୁକି ହସି କହିଲା, ହେଉ ହେଉ, କକେଇ, ଘେନି ଯାଅ, ଏଘର ଟଙ୍କା ସେଘରକୁ ଯିବ, କଥା କ’ଣ ? ଆହେ ଛାମୁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ । ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲେ ? ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, “ଆଗଟଙ୍କା ମୂଳକଳନ୍ତର ମିଶି ହେଲା ଅଢ଼େଇଶ । ହାଲକୁ ଶହେ ନେଲେ ହେବ ସାଢ଼େ ତିନିଶ ଟଙ୍କା ଏତେ ଟଙ୍କା ଶୁଣି ବାପା ଚମକି ପଡ଼ିଲେ । ସାହୁ ବାପାଙ୍କ ମନକଥା ବୁଝିପାରି କହିଲା, 'ହେଉ ହେଉ, କକେଇ, ଚିନ୍ତା କ’ଣ ? ଦେବାନେବା ବେଳ ତ ଅଛି । ଆପଣ ମୋ କୁଳପୁରୋହିତ, ଦେବାବେଳେ ଦି’ଶ ଶହେ ଛାଡ଼ ନେଇଗଲେ ମୋର କ’ଣ ସରିଯିବ ? ବିଭାଲଗ୍ନ ଆଉ ଆଠଦିନ । ଟଙ୍କା ନହେଲେ ନୂହେ । ବାପା ସାହୁ କଥାରେ ହଁ ଭରିଲେ, କହିଲେ, “ହେଉ, ଗୁଜା ଲେଖାଯାଉ’ । ସାହୁ ଦଣ୍ଡେଯାଏ ଗୁମ୍ ମାରି ବସି କହିଲା, “ବୁଝିଲେ କକେଇ, ଏଇଟା ହେଲା କଳିକାଳ । ଏ ଗୁମାସ୍ତା କରଣ- ଗୁଡ଼ାଙ୍କୁ ପରତେ ନାହିଁ । ଗୁଜା କେତେବେଳେ କ’ଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ । ଟଙ୍କାଟା ଗୋଟାଏ ଟିପକରି ରେଜେଷ୍ଟରି କରି ପକାଇଲେ ଭଲ ହେବ, କାହାରି ଉଁ ଚୁଁ କରିବାର ନଥିବ । ଏଥିରେ କେତେ ବା ଖରଚ ? ଖରଚ କ’ଣ ଆପଣ ଉଛୁଣୁକା ଘରୁ ଆଣି ଦେଉଛନ୍ତି ? ଟିପ ଲେଖାପଢ଼ା ରେଜେଷ୍ଟି ହୋଇଗଲା । ଯାହା ହେବାର ତ ହେଲା, ଟଙ୍କା ଦିଅ । ଟଙ୍କା ଗଣି ଦେବାକୁ କଣ ନା ଟ୮୭୨ । "କି ହୋ, ଟଙ୍କା ଊଣା କ୍ୟାଁ ?' ଗୁମାସ୍ତା ବୁଝାଇ‌ ଦେଲା, ସିନ୍ଦୁକ ପୂଜା ଶତକରା ଯୋଡ଼ାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀ ନାରାୟଣ ବାଳଭୋଗ ଦୁଇ ଟଙ୍କା, ରେଜେଷ୍ଟ୍ରି ଖର୍ଚ୍ଚ ଗୁମାସ୍ତା କଟକ ଖୋରାକୀ ସବୁ ସବୁ ରକମ ମିଶାଇ ସାଢ଼େ ଛ’ ଟଙ୍କା । ଗାଏ ସବୁପଦକୁ ବାର ଟଙ୍କା ଆଠ ଅଣା । ପୁରୋହିତ, ଆପଣ ତ ଜଣେ ପଣ୍ଡିତ, ଏତିକି ବୁଝିପାରୁ ନାହାନ୍ତି ? ଆପଣ ତ ରୋଜିନ୍' କେତେ କାରବାର ଦେଖୁଛନ୍ତି । ଆପଣଙ୍କ ପାଖରୁ କ’ଣ ଟଙ୍କାଏ ମଷାଏ ହଉ ହୁଡ଼ି କରି ନେଲେ ସା’ନ୍ତଙ୍କ ଗନ୍ତାଘର ପୂରିଯିବ ? ତମସୁକ ରେଜେଷ୍ଟରି ପାଖରୁ ଚାରିବର୍ଷ କାଳ ସେଥିରେ କିଛି ନାମଚର୍ଚ୍ଚା ନାହିଁ । ବାପା ତା ଦୁଆରକୁ ଗଲେ ଭକ୍ତି, କ'ଣ ଦେଖିବ ! କକେଇ ! ଆପଣ ଅଇଲେ, ଓଳଗି.....ଓଳଗି, ଆରେ, ପିଢ଼ାଟା ଦେ’ରେ, ଆରେ ପାଦଧୁଆ ଜଳ ଦେ’ରେ’ ଡାକ ପଡ଼ିଯିବ । ଗଲା ତେରସ୍ତା ବାପାଙ୍କର ଯେମିତି ବିୟୋଗ ହେଇଯାଇଛି, ମହାଜନକୁ ତ ପଡ଼ିଗଲା ପୋ’ବାର । ମୂଳ' କଳନ୍ତର ଭିଡ଼ିଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ୍ ଦାଏର କରିଦେଲା । ମୁଁ ଯାଇ ମହାଜନ ପାଖରେ ପଡ଼ିଲି ! କହିଲା, ଆରେ ଭାଇ ଦିନୁ, ଗୁମାସ୍ତାମାନେ ମୋ ଅଜାଣନ୍ତରେ ନାଲିସ୍ କରିଦେଇଛନ୍ତି । ଯା ଯା, ତୁ ହାକିମ ପାଖରେ ଟଙ୍କା ମାନିଆ, ପଛନ୍ତେ ବୁଝାସୁଝା ହେବା ? ମୋ ମନ ଛିକଉଥାଏ । କଟକ ଯିବାକୁ ମନ ବଳୁନଥିଲ, ଡରରେ ଯାଇ ତା‌ ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇଆସିଲି । ଏହିଟା ହେଲା‌ ଗଲାବରଷ କଥା । ମୁଁ ଆଉ କିଛି ଜାଣେ ନାହିଁ । କେତେବେଳେ ଡିଗ୍ରୀ ହେଲା, କେତେଟଙ୍କା ଡିଗ୍ରୀ ହେଲା, ଆଉ କ’ଣ ହେଲା, ମତେ କିଛି ଜଣା ନାହିଁ । ଶୁଣିଲି, ଗଲା ମକର ମାସ ସାତଦିନରେ ମୋର ଚାରି ପାଞ୍ଚ ହଜାର ଟଙ୍କାର ସମ୍ପତ୍ତି ସାତଶହ ଟଙ୍କାରେ ନିଲାମ ହୋଇଗଲା । ମହାଜନ ଆପେ ନିଲାମ ଧରିଛି । ତା ଗୁମାସ୍ତା କହେ, ମୋ ଉପରେ ଆହୁରି ଛ ଶହ ଟଙ୍କା ପାଉଣା । ଆମର ଶାସନ ପାଣିଗ୍ରାହୀ ଭାଗ ପଚାଣ ମାଣ, ତା ମଧ୍ୟରେ ଏହି ଯେ ଦକ୍ଷିଣ ଦିଗରେ କିଆବଣଟା ଦେଖୁଚ, ସେଇଟା ଏକଚକିଆ ପନ୍ଦରମାଣ ମାଳଜମି, ଭାରି କଳିନ୍ଦ । ମୁଁ ବୁଝୁଛି, ଏ ଜମିଟା ଉପରେ ତା'ର ଦଶ ପନ୍ଦର ବର୍ଷ ହେଲା ନଜର ପଡ଼ିଲାଣି । ଯେବେ ଏ ଗାଁ କୁ ଆସେ, ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲି ବୁଲି ଦେଖେ । ‘କେତେ ଧାନ ଫଳେ, କି ଧାନ ଦିଅ ଦଶ ଥର କରି ପଚାରିବ । ମୋ ମନ ହେଲେ ଛିକଉଥାଏ । ବିଚାର କରେ –କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛୁ କ୍ୟାଁ ? ଆଉ ପାଞ୍ଚ ଜଣ ମହାଜନର ଠିକ୍ ଆମ ମାମଲା ପରି ଡିଗ୍ରୀ କରି ଜମିବାଡ଼ି ସବୁ ନିଲାମ କରିନେଇଛି ।

 

ଲକ୍ଷ୍ମଣ ମିଶ୍ରେ କହିଲେ, “ମୁଁ ଦେଖୁଛି, ଏଇଟା ସାଇଲକ୍ !” ଭାଗବତ ପତିଏ କହିଲେ, “ନା ନା , ସେଇଟା ଏ ସାଇଲୋକ ନୁହେଁ, ତା 'ଘର ମକ୍ରାମପୁର– ଏ ଗାଁ କୁ ଦେଢକୋଶ ଦୂର ନଈକୂଳରେ !” ଲକ୍ଷ୍ମଣ ମିଶ୍ରେ କହିଲେ, “ନାହିଁ ନାହିଁ , ମୁଁ ସେକଥା କହୁନାହିଁ; ବିଲାତରେ ଗୋଟିଏ ଏହି ରକମ କଳନ୍ତଖିଆ ଲୋକ ଥିଲା, ତା ନାମ ସାଇଲକ୍ । ତିରେଇ ତିଆଡିଏ କହିଲେ, “ସେ ଯାହା ହେଉ ଏବେ ଉପାୟ କ’ଣ ?” ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ କହିଲେ, “ଗୋସେଇଁ ମହା ପ୍ରଭୁମାନେ । ମୁଁ ପିଲାଟା, ମୋ ଅପରାଧ ଘନିବେ ନାହିଁ, ଗୋଟିଏ କଥା କହିବ, ଏଥିରେ ସାହୁର କିଛି ଦୋଷ, ନାହିଁ, ଆପଣମାନଙ୍କ ମୂର୍ଖପଣ । ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି । ବୁଢ଼ା ଅନନ୍ତ ପାଢ଼ୀଏ ଟିକିଏ ଉଷ୍ଣ ଭାବରେ କହିଲେ, “ହୋଇ ହୋ ଲକ୍ଷ୍ମଣ ! ଆମ୍ଭମାନଙ୍କର ପାପ କ’ଣ ? ମୂର୍ଖପଣ କଣ ଦେଖିଲ ?

 

ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ, “ଅଜା ସାଆନ୍ତେ ! ମୋ ଉପରେ ଖପା ହେଲେ ପରା ? ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି ଦେଇ କହିଥିଲେ, “ଅପଣମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନ କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ ।’ ତାହା କରୁଛନ୍ତି ଟି କି ? ବୋଲନ୍ତୁ ଭଲା, ଏଡ଼େ ବଡ଼ ଶାସନଟାରେ ଗୋଟିଏ ବୋଲି ଚୌପାଢ଼ୀ ନାହିଁ । ତୁଚ୍ଛା ନାସ ଶୁଂଗି ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ । ଦାତାକୁ‌ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୂଳରେ ଜାତ ହୋଇ କେତେଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ ସନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି ? ଏଇଟା କ’ଣ ପାପ ନୁହେଁ ? ଆଉ ଗୋଟିଏ କଥା, କୁଆଡ଼ୁ, ଶୁଝିବେ‌ ଭବନା ନାହିଁ, ଧାଇଁ ଯାଇ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅଝିଅ ବିଭାଘରକୁ ଆପଣା ବଡ଼ପଣ ଦେଖାଇବା ଲାଗି ଅକାରଣ ଟଙ୍କା ଗୁଡ଼ିଏ ସାରିବେ । ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ, ସେ ମୂର୍ଖ ନୁହେଁ ତ ଆଉ କ’ଣ ? ଏଇ ଦେଖନ୍ତୁ, ଅତି ପବିତ୍ର ଶାସନ ଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି । ଏହା ଆପଣମାନଙ୍କର ପାପ ଆଉ ମୂର୍ଖତାର ଫଳ ନୁହେଁ କି ? ଆପଣମାନେ ତ ଦୁଃଖଦୁର୍ଦ୍ଦଶାକୁ ଲୋଡ଼ିଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ ?”

 

ମାଧ ପାଣିଏ କହିଲେ, “ଲକ୍ଷ୍ମଣ ଯାହା କହିଲେ ସତ, ଷୋଳପଣି ସତ ।‌ ହେଲେ ଏଣିକି ଯାହା ଗୋଟାଏ ବୁଝିସୁଝି କରିଯିବ । ବର୍ତ୍ତମାନ ଉଦ୍ଧାର ପାଇବାର ବାଟ କ’ଣ ?”

ଲକ୍ଷ୍ମଣ ମିଶ୍ରେ-ଆପଣମାନେ କ’ଣ ଉପାୟ ସ୍ଥିର କରିଛନ୍ତି ?

ଆନନ୍ଦ ମିଶ୍ରେ– ଆମ୍ଭେମାନେ କିଏ, ମାଲିମାମଲା କିଏ ? କର୍ମକର୍ମାଣି କଥା ବୋଲି, ଦଶଜଣ ବାହାରି ପଡ଼ିବୁଁ ।

ଲକ୍ଷ୍ମଣ ମିଶ୍ରେ– ମାମୁଁ ! ଜମି ନିଲାମ ବାଦେ ସାହୁ ପାଖକୁ ଯାଇଥିଲେ, କ’ଣ କହିଲା ?

ଦିବାକର ଦ୍ଵିବେଦୀ–ଯାଇଥିଲି ! ଦଶଥର ଗଲିଣି, ଭେଟ ମିଳିଲା ନାହିଁ । ବାଧିକା ପଡ଼ିଛି, କଥା ବୋଲି ପାରିବ ନାହିଁ, ବାହାନା କରି ଶୋଇପଡ଼େ । ନୋହିଲେ ବାଡ଼ି ପଛବାଟେ ଆଉ ଗାଁକୁ ବାହାରିଯାଏ । ମୋ କନ୍ଦାକଟା ଦେଖି ସାହୁଆଣି କମଳା ଓ ତାଙ୍କ ପୁଅ ବିଦ୍ୟାଧର ଦୁହେଁ ଯାକ କାନ୍ଦିପକାନ୍ତି । ମେତେ ବହୁତ ବହୁତ ଆଶ୍ଵାସ ଦେଇ କହିଛନ୍ତି, ମୋ ଜମି ମୋତେ ଦିଆଇଦେବେ । କେଜାଣି କପାଳରେ କ’ଣ ଅଛି । ମା’ ପୁଏ ଦୁହେଁ ଯାକ ଯେପରି ଦୟାଳୁ ସେପରି ଧାର୍ମିକ, କାହାରି ଦୁଃଖ ଦେଖିପାରନ୍ତି ନାହିଁ । କୁବେର ସାହୁଟା ଯେପରି ନିଷ୍ଠୁର ସେହିପରି କୃପଣ । ହାତରୁ ପାଣି ଗଳିବ ନାହିଁ । ହେଲେ, ମା ପୁଅଙ୍କ ଆଗରେ କେହି ଓପାସ ରହିପାରେ ନାହିଁ । ସାହୁଟା କରଜ ଟଙ୍କା ଲାଗି କାହାରି ଘରଦ୍ଵାର‌ ନିଲାମ କରିନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧ୍ୟାନ ଦେଇ ତା କୁଟୁମ୍ବ ପୋଷନ୍ତି ।

 

ଲକ୍ଷ୍ମଣ ମିଶ୍ରେ- ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହିବାଟା ନିରାପଦ କଥା ନୁହେଁ । ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଅନ୍ତତଃ ଉଚିତ୍ । ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ । ମାମୁଁ, ତୁମେ‌ କହୁଛ ପାଞ୍ଚହଜାର ଟଙ୍କାର ସମ୍ପତ୍ତି ସାତଶହ ଟଙ୍କାରେ ନିଲାମ କରିନେଇଛି । ଏହି କଥା ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର ।‌ କିଛି ଖରଚପତ୍ର କଲେ ତେର ଦିନଯାଏ ମାମଲା ତାରିଖ ଗଡ଼ିଯିବ ! ଏଣେ ତୁମେ ମା ପୁଅଙ୍କୁ ଧରି ପଡ଼ିଥାଅ । ଆଜିକା କଥା କାଲିକି ଅନ୍ତର । ଏଥି ମଧ୍ୟରେ ଆଉ ଗୋଟିଏ କିଛି ବାଟ ଫିଟି ଯାଇପାରେ ।

 

ମିଶ୍ରଙ୍କ କଥା ଶୁଣି ସମସ୍ତ ମହଜାନ ଭାରି ଆନନ୍ଦରେ ଏକାବେଳକେ ପାଟି କରି କହିଲେ, “ଦର୍ଘଜୀବୀ ହୁଅ, ରାଜରାଜେଶ୍ଵରୋ ଭବ । ନୋହିଲେ କଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢ଼ିଛ ! ଦେଖ ତ, ଆମେ ଏତେଗୁଡ଼ାଏ‌ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁ ନ ଥିଲା, ପିଲାଟି କେମିତିକା ଗୋଟାଏ ବାଟ କାଢ଼ି ପକାଇଲା !”

ବୁଢ଼ା ଦନେଇ ମହାପାତ୍ରେ ଟାଣରେ ଦୁଇଟିପ ନାସ ଶୁଙ୍ଘି ଦେଇ ଖନେଇ ଖନେଇ କହିଲେ, “ବୁଝିବାଁ ହେଲେଁ ମହାଜନଁ ଗୋସେଇମାନେଁ,

ଅଁଧଁର୍ମଁ ବିଁତ୍ତଁ ବଁଢ଼େଁ ବଁହୁଁତଁ ।

ଯିଁବାଁବେଁଳେଁ ଯାଁଏଁ ମୂଁଳ‌ଁ ସଁହିଁତଁ ।

ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡ଼ାକ ତଣ୍ଟି ଚିପା ମଣିଷରକ୍ତ । ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା । ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ବଢ଼ିଯାଉଛି, ଆଉ କ’ଣ ! ଏଇ ସେ କୁବାଘର ଦେଖୁଛ... ସେଇଟା ତା ନିଜ ଘର ନୁହେଁ । ଭୀମ ସାହୁ ବୋଲି ଜଣକର ଘର । ଭୀମାଟା ବି ଥିଲା କୁତାକୁ ବଳି ତଣ୍ଟି ଚିପା, ମକ୍ଷ ବୋଲି ସରିଛି । ପୁଅଝିଅ, ଘରେ କିଛି ନ ଥିଲା, ଗୋଟାଏ ପୋଷା ପୁଅ କରିଥିଲା ଯେ ସେଟା ମଦଖାଇ ଗଞ୍ଜେଇଖାଇ ମଲା ! କୁବ୍ରା ତା ଜାତିପୁଅ ଲାଗିକି କେହି ନୁହେଁ, ତା ଘରେ କାରବାରିଆ ଥିଲା । ଭୀମାକୁ ଖୁବ ପଟେଇ ରଖିଥାଏ । ଭୀମା ଯିମିତି ଆଖି ବୁଜିଛି ଚାକରବାକର ସମସ୍ତଙ୍କୁ ହାତ କରି ଓକଲି ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ, ଆସିଲା । ପାପୀଟାର ଧନ ପାଣିପରି ବଢ଼ିଯାଉଛି । ଏବେ ଜାଣ ଠିକ୍ କରି ଛିଡ଼ିପଡ଼ିବ । ଦେଶଯାକ ସନ୍ତାଇ ମରିଲାଣି ! ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ ସେ ବି ଗାଳି ଦେଉଛି । ଏ ମୋ କଥା ବୁଝନା, ପୁଅ ବିଭାକୁ ପଚାଶଟଙ୍କା କରଜ -ଆଣିଥିଲି, ପନ୍ଦର ବରଷରେ ତୁଚ୍ଛା କଳନ୍ତର ଅଢ଼େଇଶ ଟଙ୍କା ଶୁଝିଛି, ପାଞ୍ଚଥର ଟିପ ବଦଳା ବଦଳି କରି ଶେଷରେ ନାଲିଶରେ ପାଞ୍ଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶି ତିରିଶି ମାଣ ଜମି ନିଲାମ କରିନେଲା । ତେତିକି ଥିଲା କୁଟୁମ୍ବଙ୍କ ଭରସା । ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଭରସା ନାହିଁ । ଦିନ ରାତି ଆତ୍ମାପୁରୁଷ କାଉଳି ହେଉଛି, ଆଖିରୁ ପାଣି ଶୁଖୁନାହିଁ । ଏହି ପଞ୍ଚ ପରମେଶ୍ୱର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, ଆଝୁଁ ତିନିପକ୍ଷ, ତିନିମାସ, ତିନିବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ ମୁଁ ଅବ୍ରାହ୍ମଣ, ଏ ବ୍ରାହ୍ମଗଣ୍ଠି ଛିଡ଼ାଇ ପକାଇବି । ସେ ତ ଢେରଦିନ ଅଗରୁ ଯାଇଥାନ୍ତା, କେବଳ ମାପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି ।”

 

ଲକ୍ଷ୍ମଣ ମିଶ୍ରେ- ମାମୁଁ ! ସାହୁଆଣୀ ଆଉ ବିଦ୍ୟାଧର ପାଖକୁ ଯିବା ଆସିବା କରୁଛନ୍ତି ତ ? ସେହିମାନଙ୍କୁ ଧରି ପଡ଼ିଥାନ୍ତୁ ।

ମାମୁଁ – ହଁ, ବାପା ! ମୋର ଆଉ ଉପାୟ କ’ଣ ? ଦିନେ ଦି’ଦିନ ବାଦେ ସେମାନଙ୍କ ପାଖକୁ ଯାଏଁ । ମୋର ତ ଗୋରୁ ବାଛୁରୀ । ଘରତଳ ଜମି ସୁଦ୍ଧା ନିଲାମ ହୋଇଯାଇଛି, ଆଉ ଉପାୟ କିଛି ନାହିଁ । ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ । ସେହି ତ କୋଡ଼ିଏ ନଉତି ଧାନ ଅଉ ପାଞ୍ଚ ଟଙ୍କା ଦେବାରୁ ଆଜିଯାଏ ଚଳୁଛି । କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି । ସେ ତ ମତେ ଟାଣ ଜବାବ ଦେଇ କହିଲା, “ନନା ! କାନ୍ଦନା । ଯେପରି ହେଉ ତୁମ ଜମି ତୁମକୁ ଦେବି । ମୁଁ ବାହାଘରରୁ ବାହୁଡ଼ି ଅସିବା ଯାଏ ସତାର କର ! ତୁମେ ତ ଆମ କୁଳ-ପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ । ଶୁଣି ମୋ ଶ୍ୱଶୁରର ଦଶଲକ୍ଷ ଟଙ୍କାର ବିଷୟ, ସେ ବି ତୁମକୁ ଅବଶ୍ୟ ଭଲରୂପେ ମେଲାଣି ଦେବେ ।

 

କୁବେର ସାହୁ କହେ, “ମୋର କରଜା କଳନ୍ତରକୁ ଲୋଡ଼େ କିଏ ? ମୋର ଗଡ଼ଜାତ ଥାଉ ।” ଗଡ଼ଜାତ ସୋନପୁରଠାରୁ ଦଶପଲ୍ଲାଯାଏ ତାହାର ଦଶ ପନ୍ଦରଟା ଗୋଦାମ । ଫି ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ, ପନ୍ଦରଗୋଡ଼ିଆ, କୁଶଳି, ଚକ୍ ଚକ୍ ନାଆ ଅଛି । ବର୍ଷାଦିନେ ସେଥିରେ ସରକ ନେ ଆଣ କରେ । ନାଆ ଛାଡ଼ି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଞ୍ଚ ପାଞ୍ଚ ଗୋଡ଼ିଆ ଯୋଡ଼ିଏ ଥୋରି ବଳଦ ଅଛି ।

 

ବୌଦ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନୀ ଗାଁ- ଠିକ୍ ମହାନଦୀ କୂଳରେ । ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ । ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ । ନାମର ଉପଯୁକ୍ତ ମଧ୍ୟ ଗୁଣ । ଲୋକଟି ବଡ଼ ଧାର୍ମିକ, ସତ୍ୟବନ୍ତ । ପାଞ୍ଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁର ବାଡ଼ି, ସଦାବର୍ତ୍ତ । ସାହୁ ବୁଢ଼ା ହୋଇ ପଡ଼ିଲାଣି, ଆଉ ଏବେ ବେପାର ବଣିଜରେ ମନ ନାହିଁ । ସବୁବେଳେ ପୂଜାପାଠ ହରିନାମ ଭଜନରେ ଲଗିଥାଏ । ସାହୁ ଅପୁତ୍ରିକ, ଗୋଟିଏ ବୋଲି ଝିଅ, ନାମ ପଦ୍ମାବତୀ–ବୟସ ପହର ଯାଇ ଷୋଳ ପଶିଛି । ପାଟକଜାତିରେ ଏତେ ବଡ଼ ଅଭିଆଡ଼ୀ କନ୍ୟା ଘରେ ରଖିବାକୁ ମନା । ସାହୁର ଇଚ୍ଛା, ଗୋଟିଏ ଘରଜୁଆଇଁ ରଖିବ । ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, କନ୍ୟା ଘରେ ରହିଛି । କନ୍ୟାଟି ସମସ୍ତ ସଂପତ୍ତିର ଉତ୍ତରାଧାକାରିଣୀ । କୁବେରର ନଜର ପଡ଼ିଲା, ଯୁଧିଷ୍ଠିର ଧନଟା କେମିତି ଘରେ ପଶେ । ସେ ଭଲକରି ଜାଣେ ଯୁଧିଷ୍ଠିର ଘରଜୂଆଁଇ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିଭା ଦେବ ନାହିଁ । ତା ମନକଥା ମନରେ ଥାଏ ।

 

କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ । ଦୁଇ ବର୍ଷ ଭିତରେ ଦୁଇ ତିନିଥର କରି ଯାଆସ କରୁଛି । ସୋନପୁର ଯିବାବେଳେ ନାଆ ହରିପୁର ଗାଁ ତଳ ବାଟରେ ଯାଏ । ଦୈବାତ୍ ସେଇ ଗାଁ ପାଖରେ ସଞ୍ଜ ହୋଇପଡ଼େ । କୁବେରେ ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇ ବାସ କରେ । କୁବେର ଘରେ କେବେ ସନ୍ଧ୍ୟା କି ହରି ନାମ କରିବାର କେହି ଦେଖିନାହିଁ । ଗୋଟାଏ ବଡ଼ କୋଥଳି ସଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ମେଲାଇ ଦେଇ ରାତି ଛ’ ଘଡ଼ି ଯାଏ ଆଖି ବୁଜି ବସି ଜପ କରେ । ସେତିକିବେଳେ ଚାରିଆଡ଼କୁ ଅନାଇ ତୁନି ତୁନି କାବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚାଲେ । ହରିହରପୁରକୁ ଶୁଭୁ ଏଥିପାଇଁ କୁବେର ବେଳେ ବେଳେ ଘଣ୍ଟା ବଜାଏ ।

 

ଯୁଧିଷ୍ଠିର ସାହୁ, କୁବେର ସାହୁର ନାମ ଶୁଣିଥଲେ, ଦେଖା ସାକ୍ଷାତ ନ ଥିଲା କୁବେର ସାହୁ ନଦୀକୂଳରେ ଅଛନ୍ତି - ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀପାର ହେଇଗଲେ । କୁବେର ଖବର ନେଉଥାଏ । ଯୁଧିଷ୍ଠିରଙ୍କ ପହଞ୍ଚିବା ବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି । ଘଣ୍ଟା ଦି’ଘଣ୍ଟା ବିତିଗଲା, ଧ୍ୟାନ ଭାଙ୍ଗୁ ନାହିଁ : ଧ୍ୟାନ ଦେଖି ଯୁଧିଷ୍ଠିର ତ ତରଳିଗଲେଣି ! ଧ୍ୟାନ ଭାଙ୍ଗିଗଲା । କୁବେର ସାହୁ ଯିମିତି ଖବର ପାଇଛି, ଧାଇଁଯାଇ ଯୁଧିଷ୍ଠିରଙ୍କ ଗୋଡ ତଳେ ପଡ଼ିବାକୁ ଯାଉଥିଲା, ଯୁଧିଷ୍ଠିର କହିଲେ, “ହାଁ ହାଁ ! ଏ କ'ଣ କରୁଛନ୍ତି–ଏ କ’ଣ କରୁଛନ୍ତି ? ଆପଣ ଧର୍ମପରାୟଣ, ମୁଁ ପାପୀ, ମୋ ଗୋଡ଼ତଳେ ପଡ଼ିବେ ?” କୁବେର କହିଲେ, ଏ କ’ଣ ? ଆପଣ ସ୍ଵଜାତିର ମଉଡ଼ମଣି । ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ ।' ଯୁଧିଷ୍ଠିର କହିଲେ, “ନାହିଁ ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା ! ମୋତେ କ୍ଷମା କରନ୍ତୁ । ଦୁଇଜଣ କୁଣ୍ଢିଆ କୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଚି ମୋତେ କ୍ଷମା କରନ୍ତୁ । ଦୁଇଜଣ ସାଷ୍ଟମ ହୋଇ ଖଣ୍ଡିକେ କମ୍ବଳରେ ବସିଲେ । ଯୁଧିଷ୍ଠିର ପ୍ରସ୍ତାବ କଲେ, ଆଜ୍ଞା ଆପଣ ହେଲେ ଆମ ଜାତିର ମଉଡ଼ମଣି । ମୋ କୁଡ଼ିଆ ପାଖରେ ପଦାରେ ନୀତି ବଢ଼ାଇବେ, ମୋର ଯେ ମହାପାପ ହେବ । ଉଠି ଆଜ୍ଞା ହେଉ ବିଜେ କରନ୍ତୁ-ମୋ କୁଡ଼ିଆରେ ପାଦଧୂଳି ଦେଉନ୍ତୁ । ମୋ କୁଡ଼ିଆ ଖଣ୍ଡ ପବିତ୍ର ହେଉ ।

 

ଦୁଇ ସାହୁ ଉଠି ପଡ଼ି ଯାଇ ଠାକୁର ମେଳାରେ ବସିଲେ । ଠାକୁର ଆଗରେ ଆସନରେ ବସିବାକୁ ମନା, ଦୁହେଁଯାକ ଭୂଇଁରେ ବସିଲେ । ରାତିଅଧଯାଏ ଦୁଇସାହୁଙ୍କ ମଧ୍ୟରେ କଥାଭାଷା ଚାଲିଲା । ଏ କଥା, ସେ କଥା, ବେପାରବଣିଜ କଥା ହେଉଁ ହେଉଁ ବିଭା ପ୍ରସ୍ତାବ ପ୍ରସଙ୍ଗ ପଡ଼ିଗଲା । କୁବେର କହିଲେ ‘ମୁଁ ବାପା ମୁହଁରୁ ଢେରଥର ଶୁଣିଛି, ଆଗେ ଗଡ଼ଜାତ ମୋଗଲବନ୍ଦ ମଧ୍ୟରେ ନେଣଦେଣ ଚଳୁଥିଲା । ଦୁଇକି ତିନି ବୋଡି ସରିକି ଗଡ଼ଜାତ କନ୍ୟା ମୋଗଲବନ୍ଦୀରେ ଥିଲେ, ମୋଗଲ- ବନ୍ଦୀ କନ୍ୟା ବି ଗଡ଼ଜାତରେ ଥିଲେ । ନିହାତି ଦୂରଦୂରାନ୍ତ ବୋଲି ଊଣା ଅଧିକ ପଚାଶବର୍ଷ ହେଲା ବିଭା ନେଣଦେଣ ବନ୍ଦ ।’ କଥା ଚଳୁଚଳୁ ପଦ୍ମାବତୀ ସଙ୍ଗରେ ବିଦ୍ୟାଧରର ବିଭାପ୍ରସଙ୍ଗ ସ୍ଥିର ହୋଇଗଲା । କୁବେର କହିଲା, “ଆଜ୍ଞା ମୁଁ ମୋଗଲବନ୍ଦ କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହିଠାରେ ରହି କାମ ଚଳାଇବ । ବିଦେଇତ ଆପଣଙ୍କ ପୁଅ ହେଲା । ପିଲାଲୋକ ଜାତି‌ ବେବସା ବୁଝିନାହିଁ । ଆପଣଙ୍କ ଚରଣଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ ।’ ବିଭା ବିଷୟରେ ଆଉ କିଛି ସନ୍ଦେହ ନାହିଁ । ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ! ମକର ଶୁକ୍ଳ ସପ୍ତମୀ । ବଡ଼ଘର କଥା ବଡ଼ବାଜେ, ଦିନକ ମଧ୍ୟରେ କିଲ୍ଲାର ଅଧାଅଧି ଲୋକ ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା ।

 

ବିଭାପ୍ରସଙ୍ଗ ଛିଡ଼ିବା ବାସିଦିନ ସନ୍ଧ୍ୟାବେଳେ ଦୁଇ ସମ୍ବନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି । କୁବେର ସାହୁ ଏକଥା ସେକଥା ଉତ୍ତାରେ କହିଲେ, ‘ସମୁଧିଏ ! ସୋନପୁରରେ ମୋର ଢେର କାମ ଥିଲା, ଦେଖୁଛି ମୋର ଯିବାର ହେଉନାହିଁ । ଏଇ ବୁଝନ୍ତୁ ମକର ମାସ ତ ମକର ମାସ, ଛାଡ଼ିଦେଉନ୍ତୁ, କକଡ଼ାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ । ବାକି ରହିଲା ସିଂହକତିରୁ ଧନୁଯାଏ ମଝିରେ ପାଞ୍ଚଟା ମାସ । ଏଇମଧ୍ୟରେ ସବୁ ଆୟୋଜନ, ଠିକ୍ ଠିକଣା କରିବାକୁ ହେବ । ତା ପୁଣି ନାଆ ଉଠାଣି ମାମଲା, ବାଟରେ ଊଣା ପୁରା ମାସେ କାଳ ଛାଡ଼ି ଦେଉନ୍ତୁ । ମାସ ଚାରିଟା ରହିଲା ହାତରେ । ମୁଁ କହୁଛି କାଲି ସକାଳେ ଚାଲିଯାଏଁ । ଆଜ୍ଞ ! କ’ଣ ଆଜ୍ଞା ହେଉଛି ?” । ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖିବୁଜି ବସି କହିଲେ ‘ଆଉ ଯୋଡ଼ାଏ ଦିନ ରହିଗଲେ ଭଲ ହୁଅନ୍ତା ପରା । ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ ।’

 

ମକ୍ରାମପୁରରେ ଚହଳ ପଡ଼ିଯାଇଛି, ସାହୁଙ୍କର ପୁଅ ବିଦ୍ୟାଧରର ବିଭା । ହେଲେ, ଗୋଟାଏ ଶ୍ରେଣୀ ଲୋକଙ୍କ ଘରେ ରଡ଼ି ପଡ଼ିଛି । କୋଡ଼ିଏ ଖଣ୍ଡ ଗାଁରେ ସାହୁର ଦୁଇ ତିନିଶ ଭଳି ଖାତକ । ଧାନ ବୋଲ ଟଙ୍କା ବୋଲ, ତା’ଘରୁ ନ ଖାଇଛି କିଏ ? ସାହୁ ସମସ୍ତଙ୍କୁ ଧରି ବସିଛି, ପୁଅର ବିଭା, ନ ଦେଲେ ନୁହେଁ । ନୋହିଲେ ମୂଳଟା ଥାଉ କଳନ୍ତରଟା ଛିଡ଼ାଇ ଦିଅ । ପଇସାଏ ବି କଳନ୍ତର ରଖିବ ନାହିଁ । ଆଜି ଭୋଦୁଅ ମାସ, ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପିତାନଳିତା ମଞ୍ଜି ନାହିଁ ଯେ ଦେବ । ଜଣ ଜଣକା ଘରେ ଯୋଡ଼ା ଯୋଡ଼ା ପିଆଦା । ସମସ୍ତେ ସାହୁ ଦୁଆରେ ଓପାସ ଭୋକରେ ପଡ଼ି ଡକା ଛାଡ଼ଛନ୍ତି, ଶୁଣୁଛି କିଏ ? ଥୋକେ ଖାତକ ଦଶ ବାର ବରଷର ପୁରୁଣା କରଜାର ମୂଳକଳନ୍ତ ହିସାବ କରି ତମସୁକ ରେଜେଷ୍ଟ୍ରି କରାଇଦେଇ ରିହାଇ ପାଇଲେ । ତମସୁକରେ ବିଲବାଡ଼ି ଘରଦୁଆର ସବୁ ବନ୍ଧା ରହିଲା ! ସାହୁ ଆଣୀ ସବୁ ଶୁଣୁଥିଲେ । ଦୁଇଦିନ ହେଲା ଅନ୍ନ ଛାଡ଼ି ବସିଲେଣି । ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା, ଶୁଭ କାର୍ଯ୍ୟଟା ମଙ୍ଗଳରେ ହେଉ । ନା, କିଛି ନହେଉଣୁ ଶହକୁ ଶହ ଲୋକ ରଡ଼ି ଛାଡିଛନ୍ତି, ଧର୍ମ ଏତେ ସହିବ କ୍ୟାଁ ? ବେକରେ ପଟକା ପକାଇ ସାହୁ ଗୋଡ଼ତଳେ ପଡ଼ିଗଲେ, ଢେର କାକୁତି କଲେ, ଢେର କାନ୍ଦିଲେ, ଫଳ ହେଲା କ’ଣ ନା, ସ୍ଵାମୀ ପାଖରୁ କଟୁ କଥାରେ ଗାଳିଗୁଲଜ ଗୁଡ଼ାଏ । ମାଇପି ଲୋକ କ’ଣ କରିବେ, ମାତ୍ର ତୁନି ହେଲେ ନାହିଁ । କରଣମାନଙ୍କୁ ଡାକି ମାଆ ପୁଅ କଅଁଳରେ, କେତେକ ହାକମି ବୋଲିରେ ବୁଝାଇଦେଲେ, ଖବରଦାର ! କାହାକୁ କଷ୍ଟ ଦେଇ ଟଙ୍କା ଅସୁଲ କରନାହିଁ ।” ସାହୁ କରଣକୁ ଗାଳି ଫଜିତ କରୁଛି, କାହଁକି ଟଙ୍କା ଅସୁଲ ହେଉନାହିଁ ? ହଁ ହିସାବ ହେଉଛି, ଟିପା ଲେଖାଯାଉଛି–ଏମିତ କରି ଦିନ କାଟିଲେ । ଯେଉଁ ଯାଗାରେ ସାହୁ ନିତାନ୍ତ ଜଗିବସେ, ସାହୁଆଣୀ ତୁନି ତୁନି ଟଙ୍କା ଗଣି ଦିଅନ୍ତି ।

 

ଏଣେ ବିଭା ସରଞ୍ଜାମ କିଣାକିଣି ଧୂମ୍ ଲାଗିଛି । ବାଣବାଲା ଆଗତୁରା ବଇନା ଧାଇଲା, ଲୁଗା ମୋଟକୁ ମୋଟ କଚେରୀ ଘରେ ଜମା, ମଶଲାମଶଲି କିଣିବା ଲାଗି ଯୋଡ଼ାଏ କରଣ କଟକ ଧାଇଁଲେ । ହେଲେ, ସାହୁକୁ ଏଟା ଭଲ ଲାଗୁନାହିଁ ! ତାହାର ଇଚ୍ଛା, ପୁଅ ବିଭା ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡାଇ ନେବ । ସାହୁ ଆଣୀ ବାପ ଜଣେ ଧନବନ୍ତ ଲୋକଥିଲା–ସେ ନିବଂଶ, ତାହାର ସବୁ ସମ୍ପତ୍ତି ସାହୁ ଆଣୀ ପାଇଛନ୍ତି । ସାହୁଆଣୀଙ୍କର ଇଚ୍ଛା, ନିର୍ବଂଶିଆ ଧନ ଘରେ ରଖିବେ ନାହିଁ, ଦାନ ପୁଣ୍ୟରେ ଖରଚ କରିବେ । ତାଙ୍କ ଦାନ ଦି’କାନିଆ ପୁଅ ବି ଜାଣେନାହିଁ । ସାହୁଆଣୀଙ୍କର ଇଚ୍ଛା, ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡ଼ମ୍ବରରେ ହେଉ, ସମସ୍ତେ ଖାଇ ପିଇ ଆନନ୍ଦ ଉତ୍ସବ କରନ୍ତୁ । ବାକ୍ସ ଏକାବେଳକେ ଉଦୁଆଁ । ସାହୁ ଏକଥା ସବୁ ଜାଣେ । ପୁଅ ବିଭାକୁ ପଇସାଏ ବି ଛାଡ଼ୁନାହିଁ, ପୁଣି ବଳକା ଖରଚ ଦେଖି ଭାରୀ ଦିକ୍‌ଦାର ।

 

ପନ୍ଦର ଖଣ୍ଡ ସରିକି ଚକଚକିଆ ନାଆ, ଗୁଡ଼ାଏ କାଠୁଆ ସଜ ହେଲା । ପୁରୋହିତ ବ୍ରହ୍ମା, ଜ୍ୟୋତିଷ, କରଣ, ଟାଣୁଆ ଟାଣୁଆ କେତେ ଜଣ ଦେଶ ଲୋକ, ଉଣ୍ଡାରୀ, ଗଉଡ଼, ଷାଠିଏ ସତୁରି ଜଣ ସରିକି ଲୋକ ବରଗହଣରେ ଯିବେ । ନଈରେ ଉଛୁଣିକା ପାଣି ଛିନ୍ ଛୋଟ- ହରିଣି ଖୋଳିବା କାଠୁଆ ହତା ଯନ୍ତ୍ର ଧରି କୋଡ଼ିଏ ସରିକି ମୂଲିଆ ବି ସାଙ୍ଗରେ ଯାଉଛନ୍ତି । ଉଠାଣି ଯିବାକୁ ଚବିଶ ପଚିଶ ଦିନରୁ ଊଣା ଲାଗିବ ନାହିଁ ! ହେଲେ, ସାହୁଆଣୀ ଦେଢ଼ମାସର ରୋଷେଇ ସରଞ୍ଜାମ ଜଳଖିଆ ସରଞ୍ଜାମ ଦେଲେ । ଖଞ୍ଜ ଅଖଞ୍ଜ ଅଛି, କେଜାଣି ବାଟରେ ମଠ ହୋଇଯିବ ।

 

ସାହୁଆଣୀ ଯେପରି ଦାନଶୀଳା, ଦୟାବତୀ– ସେହିପରି ସବୁ କାମକୁ ଆଗ । କାଉ କା’ କତିରୁ ଅଧରାତି ଯାଏ ଚରଖିପରି ଘୂରୁଥବେ, ଟିକିଏ ହେଲେ ହାଲିଆ ହୋଇ ପଡ଼ିବାକୁ ନାହିଁ । ଘର ଖନ୍ଦାରେ ଦୁଇ ଓଳି ଶହେ ଖଣ୍ଡ ଯାଏଁ ପତ୍ର ପଡ଼େ । ହାଡ଼ିଆଣୀ ପାଲୁଣୀଗୁଡ଼ା ପାଛିଆ ଗୋଟିଏ ଗୋଟିଏ ଧରି ବାଡ଼ି ଦୁଆର ପଟରେ ବସିଥାନ୍ତି । ସାହୁଆଣୀ ସମସ୍ତଙ୍କ କଥା ବୁଝନ୍ତି । ସମସ୍ତଙ୍କୁ ଦେଇ ଥୋଇ ଆପେ ଖାଆନ୍ତି । ସାହୁଆଣୀ କଥା କେହି ବୁଝିବାକୁ ନାହିଁ; ମାତ୍ର ପୁଅ ବିଦ୍ୟାଧର, ମା’ ଖାଇଲା ନ ଖାଇଲା ବୁଝେ- ବାଧକ ପଡ଼ିଲେ ପାଖରେ ବସି ଗୋଡ଼ ହାତରେ ହାତ ବୁଲାଏ ।

 

ଆଜି ପୁଷ ୧୫ ଦିନ ବରଯାତ୍ରା ପାଇଁ ଠିକ୍ ହୋଇଛି । ନଈକୂଳରେ ଅଧ କୋଶ ଯାଏ ନାଆ କାଠୁଆ ଧାଡ଼ି କି ଧାଡ଼ି ଖଟା । ନାଉରିଆମାନେ ଆହୁଲା, କାତ, ନା-ଟଣା ଦଉଡ଼ି, ହରଣିଖୋଳା ହତା ଯନ୍ତ୍ର ଧରି ହାଜର । କୋଡ଼ିଏ ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମରଦ ନଈ ଦୁଇ କୂଳରେ କାତାର ଦେଇ ଛିଡ଼ା ହୋଇଛନ୍ତି । କିଛି ଦୂର ନଈ ବାଲିରେ ଢୋ ଢୋ କରି ଗଛବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା । ସମସ୍ତେ ବିଦ୍ୟାଧରକୁ ସୁଖପାନ୍ତି, ମନ ମଧ୍ୟରେ ତାହାର ମଙ୍ଗଳକାମନା କଲେ । ବରଯାତ୍ରା ଆଗରୁ ଘରଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦୀମୁଖୀ ଶ୍ରାଦ୍ଧା ବଢ଼ିଲା ! ବିଦ୍ୟାଧର ବେଦୀରୁ ଉଠି ମା ପାଖରୁ ମେଲାଣି ଘେନିବାକୁ ଯାଇ ଗୋଡ଼ତଳେ ପଡ଼ିଲା, ମା ପାଦରୁ ଧୂଳିନେଇ ମୁଣ୍ଡରେ ଲଗାଇଲା । ମା ତୁଳସୀ ମୂଳରୁ ମାଟି ନେଇ ତା ମୁଣ୍ଡରେ ଚିତା କରିଦେଲେ । ତେତିକି ବେଳେ ବିଦ୍ୟାଧର ମା ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡ଼ିଯାଇଛି । ଆଖି ଡୋଳା ଯୋଡ଼ାକ ଭିତରକୁ ପଶିଗଲାଣି । ବିଦ୍ୟାଧର ଚମକି ପଡ଼ି କହିଲା, “ଏ କ’ଣ ମା ! ତୁ ଏମିତିକା ଦିଶୁଛୁ କ୍ୟାଁ ? ଜର ହେଲାଣି କି ? ମୁଁ ଶୁଣୁଛି, ଚାରିଦିନ ହେଲା ତୁ ଖୁଁ ଖୁଁ କାଶୁଛୁ । ନା, ନା, ତୋତେ ଛାଡ଼ି ଯିବାକୁ ମୋ ମନ ବଳୁନାହିଁ ।”

 

ମା- ଏ କ'ଣରେ ବାପ । ଏ କି କଥା ? ଏତେବେଳେ କ’ଣ ଏପରି କଥା କହନ୍ତି ? ବାଟରେ ତୋତେ ଗ୍ରାମଦେବତୀ ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ । ମୋର କିଛି ହୋଇନାହିଁ । ଏହି କେତେ ଦିନ ଭାରୀ ଭିଡ଼ ପାଇଟିରେ ଲାଗିଥିଲି, ଖିଆ ପିଆ ଠିକ୍ ନଥିଲା । ଗ୍ରାମ ଦେବତୀଙ୍କୁ ଦଣ୍ଡବତ କରି ଦହିମାଛ କରିଯା । “ମଙ୍ଗଳଂ ଭଗବାନ ବିଷ୍ଣୁଃ-” ମନ୍ତ୍ର ପଢ଼ି ପୁରୋହିତ ଅନୁକୂଳ କରାଇ ଦେଲେ ।

 

ହରିପୁରରେ ପହଞ୍ଚିବାକୁ ହାତଗଣନ୍ତା ଠିକ୍ ପଚିଶଦିନ ଲାଗିଲା । ସଙ୍ଗରେ ଦଫେ ଗୋଟିପୋ ଗାଆଣିଆ ଥିଲେ । ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟ ଗାଆଣ ହୁଏ । ନଦୀକୂଳ ପାଖିଆ କୋଶକ ବାଟରୁ ଲୋକେ ଧାଇଁଆସି ଗାଆଣ ଶୁଣନ୍ତି ।

 

ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞ୍ଜବେଳୁ ରୋଷନାଇ ଲାଗିଲା । କଟକୀ ଭୂଇଁଚମ୍ପା, ଚନ୍ଦ୍ରଉଦିଆ, ଗଛବାଣ ସାଙ୍ଗରେ ଯାଇଥିଲା । ଯୁଧିଷ୍ଠିର ସାହୁ ବି ଢେର ବାଜା, ବାଣ ଠିକ୍ କରିଥିଲେ । ଦଶକୋଶ ବାଟରୁ ଲୋକେ ଚୂଡ଼ା ଚାଉଳ ବାନ୍ଧି ରୋଷନାଇ ଦେଖିବାକୁ ଆସିଥିଲେ । ବାହୁଡ଼ିବା ବେଳେ ବୋଲାବୋଲି ହୋଇ ଗଲେ, ଗୋଟାଏ ରାଜାପୁଅ ବାହାରେ ବି ଏତେ ଆଟୋପ ହେବନାହିଁ ।

 

ବିଭା ବଢ଼ିଲା, ଅଷ୍ଟମଙ୍ଗଳା ବି ହୋଇଗଲା । ଏବେ ବରକନ୍ୟା ବିଦା କଥା । ହିଁ ଆଜି, ହଁ କାଲି, ହଁ ଆସନ୍ତା ଶୁକ୍ରବାର–ରବିବାର ଏହିପରି କରୁ କରୁ ମାସେ କାଳ ବିତିଗଲାଣି । ଶେଷରେ ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ, ସମୁଧିଏ ! ନଈରେ ନାହିଁ ଜଳ- ଢେର ଜାଗା ହରିଣି ଖୋଳିବାକୁ ହେବ–ଢେର ବିଳମ୍ବ ହେବ । ଏଣେ ଖରା ପଡ଼ି ଆସିଲାଣି ! ତୁମ ଆମ କଥା ଯାହା ହେଉ, ପିଲାଯୋଡ଼ାକ ଯାଉଛନ୍ତି, ପୋଇଲୀ ପରିବାର ଦିଜଣ ସାଙ୍ଗରେ ଥିବେ, ସେମାନଙ୍କର‌ ବଡ଼ କଷ୍ଟ ହେବ । ମୁଁ କହୁଛି, ଗହଣ ଲୋକଙ୍କୁ ବିଦାକରି ଦେଉନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରହନ୍ତୁ । ପହିଲୁ ଆଷାଢ଼ୁ, ଯିମିତି ନଈରେ ପିତାପାଣି ପଡ଼ିବ, ନାଆ ମେଲି ଦେବେ । ଆପଣ କ’ଣ ଏବେ ପରଲୋକ ଯେ ଜଗିକରି କଥା କହିବି ? ଏହି ଦେଖନ୍ତୁ, ଚଞ୍ଚଳ ସବୁ ଅୟୋଜନ କରିବାକୁ ପଡ଼ିଲା, ପିଲାମାନଙ୍କୁ ତ ଦିଖଣ୍ଡ ଗହଣାଗାଣ୍ଠି ଦେବାକୁ ହେବ । ଦେଖୁଛନ୍ତି ତ ପୁଞ୍ଜାଏ ବଣିଆ ଦିନରାତି ପାଇଟିରେ ଲାଗିଛନ୍ତି । ଚଞ୍ଚଳର କାମନୁହେଁ–ଟିକିଏ ମଠ ନହେଲେ ସବୁ ଠିକ୍ ହୋଇ ପାରିବ ନାହିଁ । ଆଉ ଆଉ ପାଞ୍ଚ ଚିଜତ ଦେବାକୁ ହେବ । ଆଠଖଣ୍ଡ, ନାଆ ଗହଣରେ ଦେବି, ତିଆରି ସରିନାହିଁ । ନଈକୂଳରେ ଯାଇ ଦେଖନ୍ତୁ, ଅଧା ଅଧି ବି ହୋଇନାହିଁ ।” କୁବେରସାହୁ ମନ ମଧ୍ୟରେ ଭାଳିଲା, “ଏହିତ ଷୋହଳ ଗୋଡିଆ ସାତଖଣ୍ଡ ନାଆ ତିଆରି ଲାଗିଛି, ଗହଣା ଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଞ୍ଚଳ ଯାଇ କ'ଣ କରିବ ? ପଇସାର ଫନ୍ଦା ଫିକରରେ ମନ ନାହିଁ, ମା ପୁଏ ଯୋଡ଼ିକ ଯାକ ୟାକୁ ଦିଅ, ତାକୁ ଦିଅ, ଘରୁ ଚିଜ ବସ୍ତ୍ର ବାଣ୍ଟରେ ଲାଗିଥିବେ । ଉଛୁଣୂକା ଏତିକି ଲାଭ, ବୁଢ଼ା ଆଖି ବୁଜିଲେ ସବୁ ମୋର । ନା ନା, ବୁଢ଼ୀର ମନ ଭାଙ୍ଗିବା ଭଲ ନୁହେଁ ।” ଘର ପାଖରେ କୁବେର ସାହୁ ମୁହଁରୁ କେବେ କେହି ଠାକୁର ନାମ ଶୁଣିନାହିଁ, ସବୁବେଳେ କଳନ୍ତର ଲାଭ ହିସାବ । ହରିହରପୁରକୁ ଆସିବାଦିନୁ ସବୁବେଳେ ମୁହଁରେ ‘ଜଗନ୍ନାଥ–ଜଗନ୍ନାଥେ-ଜଗନ୍ନାଥେ ନୀଳାଚଳନାଥ’ ଲାଗି ରହିଛି । କୁବେର ଆଖିବୁଜି କହିଲା, “ହେଉ ହେଉ, ସମୁଧିଏ ! ଆପଣ ଯାହା ଆଜ୍ଞା କରିବେ, କିଏ ଅନାସ୍ଥା କରିବ ? ଆପଣ ତ ସବୁ ଜାଗାରେ ମାଲିକ ।” ଗହଣର ସବୁ ଲୋକଙ୍କୁ ବିଦାକରି ଦିଆଗଲା, କେବଳ ବାପ ପୁଏ ଆଉ କେତେଟା ଚାକର ରହିଲେ ।

 

କୁବେର ସୋନପୁର, ବୈଦ ସବୁ କୋଠିର କରଣ କାରବାରିଆଙ୍କୁ ଲେଖି ଦେଲା, “ମଫସଲରେ କିଛି ପାଉଣା ରଖିବନାହିଁ ! ସବୁ ନାଆରେ ସଉଦା ବୋଝାଇ କରି ପହିଲୁ ଆଷାଢ଼ରେ, ଯିମିତି ନଈରେ ପିତାପାଣି ପଡ଼ିବ, ହରିହରପୁର ଘାଟରେ ନାଆ ଧରି ହାଜର ହୋଇଯିବ ।” ଏଣେ ଘରଠାରେ ସାହୁଆଣି ବିଛଣା ଧରିଲେଣି । କବିରାଜ କହିଲା “ଏଇଟା ରାଜଯକ୍ଷ୍ମା।–ଶିବଙ୍କ ଅସାଧ୍ୟ ।” କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ, ଖବରଦାର । ହରିହରପୁରକୁ ମୋ ବେମାରୀ କଥା ଲେଖିବ ନାହିଁ, ପୁଅ ଶୁଣିଲେ ଘାବରି ଯିବ !”

 

ବିଦ୍ୟାଧର ଶ୍ଵଶୁରଘରେ ରାଜଭୋଗରେ ଅଛି । କନ୍ୟାଟି ଯେମନ୍ତ ସୁନ୍ଦରୀ ଗୁଣବତୀ, ସେହିପରି ପତିବ୍ରତା ! ତେବେବି ଆଠଦିନକୁ ଆଠଦିନ ଘରପାଖରୁ ମା’ଙ୍କ ସମ୍ବାଦ ନ ପାଇଲେ ଆକୁଳ ହୋଇ ପଡ଼େ । ଶେଷ ଚିଠିରୁ ଶୁଣିଲେ ମା’ଙ୍କ ବେମାରୀ ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ । ତେବେ ମା ବୋହୁକୁ , ଦେଖି ଏହି କଥା ମନରେ କରି ବେଳେ ବେଳେ ଚଞ୍ଚଲ ହୋଇପଡ଼େ ।

 

ସୁଖର ଦିନ ଘୋଡ଼ା ଛୁଟିଲା ପରି ଧାଇଁଛି । ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରିମାସ ଚାଲିଗଲା । କନ୍ୟା ବିଦାପାଇଁ ଯାହା ଯାହା ଲୋଡ଼ା, ସବୁ ଠିକ୍ ଠାକ୍ ହୋଇଗଲଣି । ଦଶଖଣ୍ଡ ନୂଆ ତିଆରି ନାଆ ତୁଠରେ ଧାଡ଼ି କରି ଖଟା ହୋଇଛି । ସବୁ ନାଆ ଚିତ୍ର ବିଚିତ୍ର ମଣ୍ଡନୀ, ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡ଼ୁଛି । ଏଗୁଡ଼ିକ ଯୌତୁକ ନାଆ । ସେଥି ମଧ୍ୟରେ ଯୋଡ଼ାଏ ନାଆ ସୁନ୍ଦର ମଣ୍ଡନୀ । ଖଣ୍ଡକରେ ଝିଅ, ଆଉ ଖଣ୍ଡକରେ ଜୁଆଁଇ ବସିଯିବେ । ଆଷାଢ଼ ମାସ ଯିମିତି ପଶିଛି, ନାଆସବୁ ବୋଝାଇ ଲାଗିଲା । ବାସନ ପେଡ଼ି, ଆଡ଼ଖୁର, ଲୁଗାପେଡ଼ି, ଶିଳ, ଶିଳପୁଆ, ଛାଞ୍ଚୁଣୀ ମୁଠାଯାଏ ଘରକରଣା ଜିନିଷ, ଦୁଇ ବରଷ ଚଳିବା ମାଫିକ ଦାନ୍ତକାଠି ଖଣ୍ଡକ ସୁଦ୍ଧା ଛ’ଖଣ୍ଡ ନାଆରେ ବୋଝାଇ ହୋଇଛି । ଯୁଧିଷ୍ଠିର ସାହୁର ତାଗିଦ୍–ଖବରଦାର, ବୁଝି ଶୁଝି ଦିଅ ଝିଅ ଦୁଇ ବରଷଯାଏ ଶ୍ଵଶୁର ଘରେ ପାଣି ମନ୍ଦାକ ଛାଡ଼ି ଯେମନ୍ତ ଆଉ କିଛି ଛୁଇଁବ ନାହିଁ । ଲୋକେ ବୋଲନ୍ତି ଯୌତୁକ ଜିନିଷର ଦାମ ପଚାଶ ହଜାର ଟଙ୍କାରୁ ଊଣା ନୁହେଁ ।

 

କୁବେର ସାହୁକାର ଦୂର ଦୂରାନ୍ତର କୋଠିମାନଙ୍କରୁ ତିରିଶଖଣ୍ଡ ସରିକି ନାଆ ସରକ ବୋଝାଇ କରି ସେଠାରେ ଉପସ୍ଥିତ । ନାଆ ସବୁ ପୁରା ବୋଝାଇ, ପାଣିଲହଡ଼ି ଚାଳକୁ ଛୁଇଁ ଦେଉଛି । କୋଶେଯାଏ ସବୁ ନାଆ ଖଟା ହୋଇଛି । ଆଜହୁଁ ଦେଖଣାହାରୀମାନେ ମଫସଲରୁ ଆସି କୂଳରେ କାତାର ଦେଲେଣି ।

 

ଆଷାଢ଼ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ୍ ହେଲା । ରଥ କାଠ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି–ନୋହିଲେ ନାଆସବୁ ଭୀଷ୍ମ ପାରି ହୋଇ ପାରିବ ନାହିଁ । ଠିକ୍ ପୂରା ପାଣି ବି ହୋଇଗଲା । ଆଜି ଯାତ୍ରାର ଦିନ । ହଜାର ହଜାର ଦେଖଣାହାରୀ ନଈ ଦୁଇ କୂଳରେ କାତାର ଦେଇ ଛିଡ଼ା ହୋଇଛନ୍ତି । ଗୋଟାଏ ଗୋଟାଏ ନାଆରେ ଚାରି ଚାରିଜଣ ଆହୁଲା ଧରି ଛିଡ଼ା ହୋଇଗଲେ । ପଛରେ ମଙ୍ଗଧରା । ଆଗମଙ୍ଗ ଉପରେ ବାଟ କଢ଼ାଣିଆ ଛଡ଼ା । ହେ କଡ଼ାଣିଆ ଛଡ଼ା ନହେଲେ ନାଆ ଭୀଷ୍ମପାର ହୋଇ ପାରିବ ନାହିଁ ।

 

ଆଠମଲ୍ଲିକ ଉପରକୁ ମୁଣ୍ଡପଡ଼ା ଗାଁଠାରୁ କଇଁତ୍ରାଗଡ଼ ଯାଏ ଷୋଳ ସତର ମାଇଲ ଭିତରେ ଭୀଷ୍ମ ପଡ଼େ । ବଡ଼ ବଡ଼ ପଥର ସବୁ ମୁଣ୍ଡଟେକି ନଦୀ ମଧ୍ୟରେ ସଭାକରି ବସିଲା ପରି ବସିଛନ୍ତି । ବଢ଼ିପାଣିରେ ସେହି ପଥର ସବୁ ବୁଡ଼ିଗଲେ ତା ଉପର ଦେଇ ନାଆ ସବୁ ଭାସିଯାଏ । କେତେ ପଥର ବୁଡ଼େ ନାହିଁ । ଗୁଡ଼ାଏ ପଥର ଉପରେ ଚାଖଣ୍ଡେ, ଚାରି ଆଙ୍ଗୁଳ ଜଳ । ନାଉରୀକୁ ପଥର ଦିଶେ ନାହିଁ । ଏ ଭୀଷ୍ମ ଯାଗାଟାରେ ନଈ କମ୍ ଓସାର ଯୋଗୁଁ ପାଣିର ଭାରୀ ତୋଡ଼, ଘଣ୍ଟାକ ମଧ୍ୟରେ କୋଡ଼ିଏ ମାଇଲବାଟ ନାଆ ଭାସିଯାଏ । ସେ‌ହି ଭୀଷ୍ମ ମଧ୍ୟରେ ଅଙ୍କାବଙ୍କା ସାପଚଳ ପରି ବାଟ । ନାଆ ସେହି ବାଟେ ଯାଏ । ସେ ବାଟଟା କଢ଼ାଣିଆକୁ ଜଣା । ସେ ଜାଗାରେ ପାଣିର ଭାରୀ ତୋଡ଼, ପଥରରେ ବାଜି ଏପରି ଶବ୍ଦ କରେ ଯେ କଢ଼ାଣିଆ କଥା ପଛ ମଙ୍ଗଧରାକୁ ଶୁଭେ ନାହିଁ । କଢ଼ାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ । ଭୀଷ୍ମ ପାର କରିଦେଇ ବାଟକଢ଼ା କଇଁନ୍ତାଗଡ଼ଠାରେ ନାଆରୁ ଓହ୍ଲାଇ ପଡ଼େ । ତା କାମ ଛାଡ଼ିଲା । ତିନିଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ଼ । କାଲି ସଞ୍ଜରୁ ପାଣି ଛାଡ଼ିଛି । ସକାଳେ ଆକାଶ ନିର୍ମଳ, ସୂର୍ଯ୍ୟ ଦେବତା ଜ୍ଵଳନ୍ତ ସୁନା ପେଣ୍ଡୁ ପରି ଉଇଁ ଆସିଲେ । ଫେରଥରେ ସାହୁ ଘରଭିତରୁ ଭାରୀ କାନ୍ଦଣା ଶଙ୍ଖ ହୁଳହୁଳି ଶୁଭିଲା । ବରକନ୍ୟା ନାଆରେ ବସିଲେ । ‘ଜେ ଜେ ଗଙ୍ଗାମାତା’ କହି କହି ନାଉରୀମାନେ ଆଗେ ବରକନ୍ୟା ନାଆ ମେଲି ଦେଲେ, ତା ପଛକୁ ତା ପଛକୁ ସବୁ ନାଆ ମେଲି ଗଲା । ଦୁଇ କୂଳରୁ ହଜାର ହଜାର ଲେକ ହରିବୋଲ, ପକାଉଛନ୍ତି ।

 

ଆଗ ନାଆ ଭାସିଯାଇ ଦୁଇକୋଶ ଦୂର ଶ୍ୟାମପୁର ଗାଁ ସଳଖରେ ଯିମିତି ପହଞ୍ଚିଛି, ସୂର୍ଯ୍ୟ ଦେବତା ବୁଡ଼ିଗଲେ । ନାଉରୀଏ ଜାଣନ୍ତି, ‘‘ଉଇଁ ନଦିଶେ, ହସି ପଶେ, ବାପା ବୋଲେ ପୁତା ନିଶ୍ଚେ ବରଷେ ନଈ ଦୁଇ କୂଳେ ଲୋକେ ଛିଡ଼ା ହୋଇ ଅନାଇଛନ୍ତି, ନାଉରିଏ ଭାରି ଆନନ୍ଦରେ ‘ହରିବୋଲ’ ଦେଇ ନାଆ ବାହି ଯାଉଛନ୍ତି । ଯୋଡ଼ାଏ ନାଆ ଖଜାପିଠା ବୋଝାଇ, ନାଆ ଖଟାଇ ଖାଇବେ । ଏତିକିବେଳେ ଉତ୍ତର ପଶ୍ଚିମ କୋଣରୁ ହେସଁଖଣ୍ଡେ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା । ସିଲି ସିଲି ପବନ ଝଲକିଲା । ନାଉରୀଏ ଡରିଗଲେ । ଆଉ ସମସ୍ତେ ବାହଣରେ ଲଗିଛନ୍ତି । “ଜେଜେ-ଗଙ୍ଗାମାତାକୀ ଜେୟ' ଗୀତ ଗାଇ ଆହୁଲା ବାହୁଛନ୍ତି ।

 

ନାଆ ଯିମିତି ମୁଣ୍ଡାପଡ଼ା ଗାଁ ମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଆକାଶ ମେଘ ଘୋଡ଼ାଇ ପକାଇଲା, ସଙ୍ଗେ ସଙ୍ଗେ ପବନ,ତା ପଛକୁ ପାଣି । ପବନ ତ ପବନ,ଏପରି ଘୁଙ୍ଗୁଡ଼ିଆ ପବନ କାଳେସକାଳେ ଦେଖିବାର ନାହିଁ । ବେତନାସି ଗୋଛାରେ ବାଡ଼େଇଲା ପରି ନାଉରୀମୀନଙ୍କ ଦେହକୁ ପାଣିଛାଟ ମାରୁଛି । ଦିନଯାକ ବରଷା ଖାଇ ଯେଉଁମାନେ ନାଆ ବାହିଯାନ୍ତି ଦଣ୍ଡକ ମଧ୍ୟରେ ସେ ନାଉରୀ ଗୁଡ଼ିକ ହାଲିଆ ହୋଇ ପଡ଼ିଲେଣି । ଦୁଇକୂଳରୁ ଡାକ ପଡ଼ିଛି “ନାଉରୀ, କୂଳ ଭିଡ଼ା, କୂଳଭିଡ଼ା ।” ବାଟକଢ଼ା ଡାକୁଛି, “ମଙ୍ଗୁଆଳ କୂଳ ଦେଖା- ଆରେ କୂଳକୁ ଦେଖା ।” ନାଆ କଣ ମଙ୍ଗ ମାନୁଛି । ଘୁଙ୍ଗୁଡ଼ିଆ ପବନ ନାଆର ଆଗ ମଙ୍ଗ ପଛକୁ କରି ଦେଉଛି, କେବେ ନାଆକୁ ଚକପରି ବୁଲାଇ ଦେଉଛି । ନଈ କୂଲର ଭାରୀ ଭାରୀ ପୁରୁଣା ଆମ୍ବ, ବର, ଓସ୍ତ ଗଛଗୁଡ଼ାକ ମାରିଷଗଛ ପରି ଉପୁଡ଼ି ପଡ଼ୁଛି । ପୂର୍ବାଳି ଗୋଟିଏ ଭାରୀ ଦମକା ପବନ ବାଡ଼େଇ ଦେଲା । ନାଆ ଉପର ମଙ୍ଗଧରା, ବାହାଣିଆ, ବାଟକଢ଼ା ସବୁଗୁଡ଼ାକ ଝପଝାପ କରି ନଈରେ ପଡ଼ିଗଲେ । ତଣ୍ଟିଆ ଦେଇ ସେମାନଙ୍କୁ କିଏ ଯେମନ୍ତ ପାଣିରେ ମାଡ଼ିଦେଲା । ନାଆ ଗୁଡ଼ାକ ଗୋଟାକ ଉପରେ ଗୋଟାଏ ବାଡ଼େଇ ହେଉଛନ୍ତି, ଗୁଡ଼ାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇ ଗଲାଣି । ଆଉ ଦଣ୍ଡେ ସତାର କରିଥିଲେ, ନାଆ ସବୁ ସୁଅ ପାଣିରେ ପଡ଼ି ଭାସି ଯାଇଥାନ୍ତା, ମାତ୍ର କଇଁନ୍ତା ଗଡ଼ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ଼ ଭୀଷ୍ମ ମହାକାଳ ଦୂତପରି ଛିଡ଼ା ହୋଇଥିଲା, ସବୁ ନାଆ ତା ଉପରେ ବାଡ଼େଇ ହୋଇ ଭାଙ୍ଗି ଚୁନା ହୋଇଗଲା । ଖଣ୍ଡେ ନାଆ ବର୍ତ୍ତି ପାରିଲା ନାହିଁ । ମନୁଷ୍ୟ ବା ବୋଝାଇ ଜିନିଷ କାହାର ଚିହ୍ନ ବର୍ଣ୍ଣ ନାହିଁ, ଗୁଡ଼ାଏ ପଟା ଭାସି ଭାସି ଯାଉଛି ।

 

ଆଜକୁ ଠିକ୍ ହାତଗଣନ୍ତା ହେଲା ବରଷେ । ଯୋଗ ଦେଖ, ଆଜି ବି ମିଥୁନ କୃଷ୍ଣଦଶମୀ । ମହାନଦୀ ଦୁଇକୂଳ ଖାଉଛି, ଉଛୁଳି ପଡ଼ିଲା ଭଳି । ଲଙ୍ଗଳକଣ୍ଟା ଗାଁତଳେ କୂଳ ଉପରେ ଯୋଡ଼ାଏ କୁସୁମ ଗଛରେ ଯୋଡ଼ାଏ ଲମ୍ବ ଲମ୍ବ ଦଉଡ଼ିରେ ଯୋଡ଼ାଏ ଝାଡୁଆ ନାଆ ଆଗ ମଙ୍ଗଖଟା ହୋଇଛି । ଟାଣ ସୁଅରେ ନାଆ ପଛମଙ୍ଗ ଅଳ୍ପ ଅଳ୍ପ ବିଞ୍ଚି ହେଉଛି । ବେଳେ ବେଳେ ନାଆ ଯୋଡ଼ାକ ନାଚି ଉଠୁଛନ୍ତି । ନାଉରୀ ଗୁଡ଼ାକ ଦିନଯାକ କାତ ପେଲି ଥକି ଯାଇଥିଲେ । ଯିମିତି ପଡ଼ି ଯାଇଛନ୍ତି, ନିଘୋଡ଼ ନିଦ, ଘୁଙ୍ଗୁଡ଼ି ମାରୁଛନ୍ତି । ଆକାଶରେ ଗୋଟାଏ ବୋଲି ତାରା ନାହିଁ, ଘୋର ଅନ୍ଧାର । ବେଳେ ବେଳେ ଲତା ବିଲ ଚମକି ଯାଉଛି । ଗୋଟିଏ ଭେଣ୍ଡିଆ ଖଣ୍ଡେ ନାଆ ପଛ ମଙ୍ଗରେ ଗାଲରେ ହାତ ଦେଇ ବସି କ’ଣ ଚିନ୍ତା କରୁଛି ।

 

ରାତି ଅଧାଅଧି ଗଡ଼ିଗଲାଣି, କ୍ୟାଁ ଶୋଇବାକୁ ଯାଇନାହିଁ । ତପସ୍ୟା କଲାପରି ଆଖିବୁଜି ଉଇହୁଙ୍କା ପରି ତୁନି ହୋଇ ବସିଛି । ମଙ୍ଗଟା ଠିକ୍ ଗାଧୁଆ ତୁଠରେ ଅଣ୍ଟାଏ ସରିକି ପାଣିରେ ଭାସୁଛି । ଏତିକି ବେଳେ ତୁଠର କିଛି ଦୂରରୁ ‘ହେ ଠାକୁରେ । ହେ ଗଙ୍ଗାମାତା ! ମୋ ଧର୍ମ ରଖ ! ବିକଳ ରଡ଼ି ଶୁଣି ମୌନୀ ଭେଣ୍ଡିଆଟି ଚମକି ପଡ଼ିଲା । ଯେମନ୍ତ ଦେବୀ ପ୍ରତମାଟିଏ ଧାଇଁଛି, ତା ପଛରେ ଯେମନ୍ତ ଗୋଟାଏ କାଳିଆ ଭୂତ ମତୁଆଲା ମଣିଷପରି ଟଳିଟଳି ପଡ଼ି ଉଠି ଗୋଡ଼ାଉଛି । ନିତାନ୍ତ କର୍କଶ ଭାଷାରେ ପାଟିକରି କହୁଛି “ଏ ବରଷକୁତା ତୋ ପିଛା ଲାଗିଛି, କଥା ଶୁଣୁନଥିଲୁ ପରା ? ଆଜି ଆଛା ବେଳେ, ଆଛା ଜାଗାରେ ଆପେ ଆପେ ଭେଟ ମିଳିଗଲା । ଡାକିଲୁ ମୋ’ ମାକୁ ତା ବୋପାଆସି ରଖୁ । ମୋ ବୋହୁ ତୋତେ ଜଗି ବସିଥିଲା ପରା ? କେହି ତୋ ପିଠିରେ ପଡୁନାହିଁ ?” ଯୁବତୀଟି ଆକୁଳରେ ରଡ଼ିଛାଡ଼ିଛି, “ମହାପ୍ରଭୁ ! ମୋ ଧର୍ମ ରକ୍ଷା କର । ମା ଗଙ୍ଗା ! ମୋତେ କୋଳକୁ ନିଅ ! ମୋ ସ୍ଵାମୀ–ମୋ ମୁଣ୍ଡରେ ମଣି-ମୋ ପ୍ରାଣର ଦେବତାକୁ କୋଳକୁ ନେଇଛ ମୋତେ ନିଅ ।”

 

ନାଆ ମଙ୍ଗ ପାଖକୁ ଘଟଣାଯାଗା ପାଞ୍ଚ ଛଅ ହାତ ଛଡ଼ା । ଯୁବତୀ ଆଉ ଆଗନ୍ତୁକ ଭିଡ଼ା ଭିଡ଼ି ଲାଗିଛନ୍ତି । ମଙ୍ଗ ଉପରଲୋକ ଯୁବତୀର ସ୍ଵର ଶୁଣି ଚମକିପଡ଼ଲା । ତେତିକି ବେଳେ ବଜୁଳିଟାଏ ଚମକି ପଡ଼ିଲା । ଯୁବକ ଆଖିକୁ ଝକଝକ ପଦ୍ମାବତୀ ରୂପପରି ଦିଶିଗଲା । ଆଉ ସମ୍ଭାଳି ପାରିଲା ନାହିଁ । ଆଗରେ ଗୋଟାଏ କାଠୁଆ ଆହୁଲା ପଡ଼ିଥିଲା, ତାକୁ ଧରି ମଙ୍ଗଠାରୁ ସାତ ଆଠ ଦୂରକୁ ହୁଙ୍କାର ଦେଇ ଯେମିତି ଡେଇଁ ପଡ଼ିଛି, ସେହି ଉଦଣ୍ଡ ରାକ୍ଷସଟାର ମୁଣ୍ଡରେ ଟାଣ ଏକ ପ୍ରହାର ପଡ଼ିଛି ଲୋକଟା ‘ବାପାରେ’ ବୋଲି କହି ନଈ ଭିତରେ ସାତ ଆଠହାତ ଦୂରକୁ ଛିଟିକି ପଡ଼ିଲା । ପାଣି ଟବ୍‌କରି ଯାହା ଶୁଭୁଛି, ତେତିକି । ଯୁବକ ଆଉ ପାହାରେ ବାଡ଼ାଇବାକୁ ଆହୁଲା ଉଞ୍ଚାଇଲା- ମଣିଷର ଚିହ୍ନ ନାହିଁ । ଯୁବତୀ ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖିଲା, ଯେମନ୍ତେ ଆକାଶରୁ ଗୋଟିଏ ଦେବତା ଖସିପଡ଼େ ପାଷଣ୍ଡ ହାତରୁ ତାକୁ ରକ୍ଷାକଲେ । ଆକୁଳରେ “ମୋ ପ୍ରଭୁ ! ଦେବତା’’ ଏତିକି କହି ଯୁବକକୁ କୁଣ୍ଡାଇ ପକାଇଲା, ଆଉ ତାହାର ଜ୍ଞାନ ନାହିଁ ।

 

ଯୁବକ ବଡ଼ କଷ୍ଟରେ ଯୁବତୀଟିକୁ ନାଆ ମଙ୍ଗ ଉପରକୁ ଟେକିନେଇ ନାଉରୀମାନଙ୍କୁ ଉଠାଇଲା । ନାଆ ଚାଳ ଟେକିଦେଇ ଅତି କଷ୍ଟରେ ଯୁବତୀକୁ ନାଆ ଭିତରେ ଶୁଆଇଲା । ବିଦ୍ୟାଧର ଦେଖିଲା, ଯୁବତୀର ଚେତା ନାହିଁ, ମୁଣ୍ଡ ଲମ୍ବ ବାଳରୁ ଝରଝର କରି ପାଣି ବହିପଡ଼ୁଛି, ଦେହ ଗୋଟାକ କାଦୁଅ ଲଟପଟ, ଲୁଗା ଚୁପୁଡ଼ି ଦେଲେ ପାଣି ବୋହିପଡ଼ିବ ।

 

ବିଦ୍ୟାଧର ବଡ଼ ହରବରରେ ପଡ଼ିଲା । ଭଲକରି ଚିହ୍ନିଲାଣି ସତ, ତେବେ ବି ଡରମାଡୁଛି । ପାଖରେ କେହି ନାହିଁ, ଯୁବତୀଟି କିପରି ଲୁଗା ପାଲଟିବ ? ହଠାତ୍ ହାତରେ ନଜର ପଡ଼ିଗଲା, ଆଙ୍ଗୁଳିରେ ମୁଦି । ଆପଣା ମୁଦି ବୋଲି ଚିହ୍ନିଲା, ଆଉ ସନ୍ଦେହ ନାହିଁ । ଲୁଗା କାହିଁ ? ଆପେତ ଦି’ ଛୁଟିଆ–ଆପଣା ପାଛୁଡ଼ା ଖଣ୍ଡେ ଯୁବତୀକୁ ପିନ୍ଧାଇ ଦେଇ ତାର ଦେହର କାଦୁଅ ପାଣି ପୋଛି ପକାଇଲା ।

 

ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର । ଘର ଜୋରମେ ଇଲାକା ଖାଲପାଳ । ସାହୁ ଜଣେ କାରବାରିଆ ମଧ୍ୟଭଳି ଲୋକ । ବିଭା ସମୟରେ ବିଦ୍ୟାଧର ତାକୁ ଚିହ୍ନିଥିଲା, ଘର ଠିକଣା ଜାଣିଥିଲା ! ଯୁବତୀର ଚେତା ବସୁନାହିଁ । ନାଆରେ ସବୁ ବେଳେ ଉହ୍ନେଇରେ ନିଆଁ ଥାଏ । ଲୁଗା ପେଣ୍ଡୁଳାକରି ବିଦ୍ୟାଧର ଯୁବତୀକୁ ସେକୁଥାଏ । ରାତି ଆଉ ପିଛିଲା ପହରେ ସରିକି ଅଛି, ବିଦ୍ୟାଧର ନାଉରୀମାନଙ୍କୁ ଡାକ କହିଲା, “ତୁମ୍ଭେମାନେ ଯେବେ ଦିନ ପ୍ରହରକ ଭିତରେ ନାଆ ନେଇ ଖାଲିପାଳ ତୁଠରେ ଭିଡ଼ାଇ ପାରିବ, ଜଣକା ପାଞ୍ଚ ପାଞ୍ଚ ଟଙ୍କା ବକ୍‌ସିସ ଦେବି ।” ନାଉରୀମାନେ ବସି ବିଚାର କଲେ ଖାଲିପାଳ ଏଠାକୁ ଚାରକୋଶ ବାଟ–ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ପହଞ୍ଚିଯିବ । ଆକାଶରେ ଆଉ ମେଘ ନାହିଁ, ଟିକିଏ କାଳିଜହ୍ନିଆ ପଡ଼ିଗଲା । ନଆଟା ଦକ୍ଷିଣ କୂଳ ଧରି ଯାଉଥିଲା । ଖାଲପାଳ ହେଉଛି ଉତ୍ତର କୂଳରେ । ଯିମିତି ରାତି ପାହିଛି ନାଉରୀଏ ନାଆ ମେଲି ଦେଲେ ।

 

ଯୁବତୀ ଗୋଟିଏ କୋମଳ ବିଛଣାରେ ପଡ଼ିଛି, ଚେତା ନାହିଁ । ନାକରେ ତୁଳା ଦେଇ ଦେଖାଗଲା, ଅଳ୍ପ ଅଳ୍ପ ପବନ ଚାଲିଛି । ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତି ଭଲ ରୂପେ ନାଡ଼ି ଚିପି କହିଲେ, “କେବଳ ଇନ୍ଦ୍ରିୟ ଦୈର୍ବଲ୍ୟ- ବିପଦର ଆଶଙ୍କା ନାହିଁ ।” ଲାଗ ଲାଗ ତିନି ପାନ କସ୍ତୁରୀଭୁଷଣ ରସ, ଅଦାରସ, ମହୁ ଅନୁପାନରେ ପିଆଇ ଦେଇ କହିଲେ, “ଏହି ଔଷଧର କ୍ରିୟା ଆରମ୍ଭ ହେଲେ ଚେତନା ବସିବ ।’ ଘଟଣାର ତୃତୀୟ ଉପର ଓଳି ଯୁବତୀ ଟିକିଏ ଆଖି ମେଲି ଚାହିଁଲା । ଚାଳବାଡ଼ ସବୁଆଡ଼କୁ ଆଖି ବୁଲାଇ ଅନାଇଲା–ଦେଖିଲା ଗୋଟିଏ ପ୍ରୌଢ଼ା ସ୍ତ୍ରୀ ପାଖରେ ବସି ଧୀରେ ଧୀରେ ତା ଦେହରେ ହାତ ବୁଲାଉଛି । ଯୁବତୀର ଚେତା ବସିଲାଣି । ଅତି କ୍ଷୀଣ ସ୍ୱରରେ ତାକୁ ପଚାରିଲା, ମୁଁ କେଉଁଠି ଅଛି ? ପୌଢ଼ା ଅତି ଧୀରେ ଅତି କୋମଳରେ କହିଲା “ମା ପଦ୍ମାବତୀ ମୁଁ ପରା ତୋର ମାଉସୀରେ-ମୋତେ କଣ ଚିହ୍ନି ପାରୁ ନାହୁଁ ? ପଦ୍ମା ଉଠି ବସିଲାଣି । କାନ୍ଥବାଡ଼ ଧରି ସକାଳ ସଞ୍ଜ ଟିକିଏ ଟିକିଏ ଚାଲବୁଲି ହୁଏ । ବୈଦ୍ୟରାଜଙ୍କ ବ୍ୟବସ୍ଥା, ଟିକିଏ ଟିକିଏ ଦୁଧ ଦିଆଯାଉଛି,ଅନ୍ନ ପଥ୍ୟ ଦିଆଯାଇନାହିଁ ।

 

ଝିଅ ଜ୍ଵାଇଁ ପହଞ୍ଚିବା କ୍ଷଣି ସାହୁ ଚାରିଜଣ ଭେଣ୍ଡିଆ ପାଇକ ହାତରେ ଯୁଧିଷ୍ଠିର ସାହୁ ପାଖକୁ ଭାଷା ଚାଳି ଦେଇଥିଲା । ଆଜି ଦଶମ ଦିନ । ତିରିଶ ଜଣ ବଣୁଆ ଅପଟ ଚାରିଖଣ୍ଡ ପାଲିକି ଧରି ହରିହରପୁରରୁ ଆସି ଉପସ୍ଥିତ । ଯୁଧିଷ୍ଠିର ସାହୁ ଲେଖିଛନ୍ତି, “ବାଟରେ ଆଠଜାଗା ଟପା ଆପଟ ବସିଲା । ତଡ଼େ ଦମ୍ ଝିଅ ଜ୍ଵାଇଁଙ୍କୁ ଧରି ମଉସା ମାଉସୀ ଆସିବ । ଚାରିଦିନ ବାଟ ଦୁଇଦିନରେ ଆସିବ । କିଛି ମଠ କରିବ ନାହିଁ ।” ମହା ଆନନ୍ଦରେ ଉତ୍ସବରେ ଯୁଧିଷ୍ଠିର ସାହୁ ଝିଅ ଜ୍ଵାଇଁଙ୍କୁ ଘରକୁ ନେଲେ । କେତେଦିନ ପର୍ଯ୍ୟନ୍ତ ମନ୍ଦିରରେ ହରିଲୁଟ, କୀର୍ତ୍ତନ, ବୈଷ୍ଣବଖନ୍ଦା, ପ୍ରସାଦ ସେବା ଚାଲିଲା ।

 

ଘୋର ଦୁର୍ଯ୍ୟୋଗ, ଘୋର ଦୁର୍ଦ୍ଦିନ ଉତ୍ତାରେ ତରୁଣାରୁଣ ଆଲୋକ ବଡ଼ ପ୍ରୀତିକର, ବଡ଼ ଆନନ୍ଦଦାୟକ ଜଣାଯାଏ । ବିଦ୍ୟାଧର, ପଦ୍ମାବତୀ ଦୁଇଜଣ ଦିନରାତି ଚକୁଆ ଚକୋଇ ପରି ଉଆସ ଭିତରେ ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟୁଥାନ୍ତି ।

 

ନାଆ ଭଙ୍ଗାଠାରୁ ବରଷେ କାଳ କିଏ କିପରି ଥିଲା, ସେହି ଦୁଃଖ କାହାଣୀ କେହି କାହାରିକୁ ପଚାରି ନାହିଁ । ଆଜି କଥା କଥାକେ ସେହି କଥା ପଡ଼ିଗଲା । ବିଦ୍ୟାଧର କହଲା, “ନାଆ ଯିମିତି ଭାଙ୍ଗି ଗଲା ମୁଁ ଖଣ୍ଡିଏ ପଟା ଉପରେ ପେଟେଇ ପଡ଼ି ଭାସୁଥାଏ । ତୁମେ କୁଆଡ଼େ ଗଲ ଅନାଇଲି । ତୁମେବି ଖଣ୍ଡେ ପଟା ଉପରେ ପଡ଼ି ଭାସୁଥିଲ, ଥରେ କେବଳ ଦେଖିଥିଲି ।

 

ପଛନ୍ତେ ଶୁଣିଲି, ତହିଁ ଆରଦିନ ସକାଳେ ନଦୀ ମଧ୍ୟରେ ଭସି ଭାସି ଯାଉଥିଲି, ଖଣ୍ଡେ, ନାଆର ନାଉରୀମାନେ ଦେଖି ମୋତେ ଉଠାଇ ନେଲେ । ଚାରିଦିନ ବାଦେ ମୋର ଚେତା ବସିଲା, ଅନାଇ ଦେଖିଲି ଗୋଟାଏ ବଡ଼ ଘରେ ଶୋଇଛି । ପଛନ୍ତେ ଶୁଣିଲି, ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀ ମଠ, କଟକଠାରୁ ଦୁଇକୋଶ ତଳକୁ । ବୁଢ଼ା ମହନ୍ତ ଲଳିତା ଦାସ ବାବାଜୀ ମତେ ବଞ୍ଚାଇବା ପରେ ଖୁବ୍ ଯତ୍ନ କରୁଥାନ୍ତି । ମାସକ ବାଦେ ଚାଲି ବୁଲି ପାରଲି । ତୁମ ବାପା ଯେଉଁ ସୁନା ଗବ ତାରଟା ଦେଇଥିଲେ, ଅଣ୍ଟାରେ ଥିଲ, ମନ୍ତକୁ ଦେଲ ! ତର୍କ ମୋ ପିଛେ ଖରଚ କରିବାକୁ କହିଲି । ମହନ୍ତ ନାହିଁ ନାହିଁ କରି ନେଲେ । ମୋର ଟିକିଏ ବଳ ଆସିଥାଏ, ତୁମ କଥା ବାପାଙ୍କ କଥା ମନରେ ପଡ଼ିଲେ ପୁଣି ଦଶପନ୍ଦର ଦିନ ପଡ଼ିଯାଏଁ । ଏହିପରି ଆଠଦଶ ମାସ କାଳ ବିତିଗଲା । କଟକ ଜିଲ୍ଲାରେ ବାପାଙ୍କର ନାମଡ଼ାକ । ଲଳିତା ଦାସେ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମ ଘରଠାକୁ ଖବର ପଠାଇଲେ । ଲୋକେ ବାହୁଡ଼ି ମୋ ମାତାଙ୍କ ବିଯୋଗ କଥା କହିଲେ । ମୁଁ ଆହୁରି ବି ମାସେ ଯାଏଁ ବିଛଣାରେ ପଡ଼ି ରହିଲି । ତହିଁ ଉତ୍ତାରେ ସ୍ଥିର କଲି, ଘରକୁ ଯିବ ନାହିଁ, ସନ୍ନ୍ୟାସୀ ହୋଇ ତୀର୍ଥରେ ବୁଲିବି । ଦେହରେ ବଳ ହେବାରୁ ଚାଲିଚାଲି ଘରକୁ ଗଲି । ଘରେ ଯାଇ ଯାହା ଦେଖିଲି ଦଣ୍ଡେ ରହିବାକୁ ଇଚ୍ଛା ହେଲା ନାହିଁ । ପୁରୋହିତ ଦ୍ଵିବାକର ଦ୍ଵିବେଦୀ, ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମରେ ଧରି ନେଇଥିଲେ, ଡକାଇ ସମସ୍ତ ଜମି ଫେରାଇ ଦେଲି । ରେଜେଷ୍ଟ୍ରରୀ, ଅରେଜେଷ୍ଟ୍ରରୀ, ଗୁଜା ଯେତେ ଦଲିଲ ଥିଲା, ଆଉ ଧାନ କରଜା ପାଞ୍ଜି, ସବୁ ପୋଡ଼ି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ । ଧାନ, ଗୋରୁ, ବାସନକୁସନ ଯାହା କିଛି ଥିଲା ଦେଶ ଲୋକଙ୍କୁ ବାଣ୍ଟି ଦେଇ ଦିନେ ରାତିରେ କାହାକୁ କିଛି, ନ କହି ଘରୁ ବାହାରି ଆସିଲି । ମନରେ କଲି ଆଉ ତ ଗୁରୁଜନ କେହି ନାହିଁ, ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦଧୂଳି ମୁଣ୍ଡରେ ଦେଇ ବାହାରି ଯିବି । କଟକ ଯାଏ ଆସିଲି । ଝାଡ଼ ମୂଲକରେ ବାପାଙ୍କୁ ସମସ୍ତେ ଜାଣନ୍ତି । ମହାନଦୀ କୂଳ ଗଡ଼ଗଡ଼ିଆ ପାଖ ଘାଟରେ ଖଣ୍ଡେ ସୋନପୁରୀ ନାଆରେ ଉଠି ବସିଲି । ଆସୁ ଆସୁ ଲଙ୍ଗଳକଣ୍ଟାଠାରେ, ପଦ୍ମାବତୀ ପଣତକାନିରେ ବିଦ୍ୟାଧର ମୁହଁ ବୁଜି ଧରି କହିଲା ‘ଆଉ କିଛି କହନା । ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନା ସମୟରେ ପଦ୍ମାବତୀ ଆଖିରୁ ଦୁଇଧାର ଲୋତକ ବହୁଥାଏ ।

 

ବିଦ୍ୟାଧର କହିଲା, 'ଏବେ ତୁମ କଥା କହ’ । ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲଗିଲା, ମୁଁ ଲଙ୍ଗଳକଣ୍ଟା ଦନେଇ ଦଲେଇ ଘରେ ଥିଲି । ଦଲେଇ ଗାଁ ମଧ୍ୟରେ ଥିଲାବାଲା ଲୋକ । ଗ୍ରାମର ସମସ୍ତ ଲୋକ ମାନନ୍ତି । ଘର ଆଗରେ ଗୋଟିଏ ଠାକୁର ମନ୍ଦିର କରିଛି, ସଦାବର୍ତ୍ତ ଦିଏ । ଶୁଣିଲି, ମୁଁ ତୁଠରେ ଅଚେତ ହୋଇ ପଡ଼ିଥିଲି । ଦଳେଇ ଘର ମାଇପେ ମୋତେ ଗୋଟାଇ ଘେନି ଯାଇଥିଲେ । ଦଳେଇ ଆଉ ତା ଭାର୍ଯ୍ୟା ମତେ ବଡ଼ ଆଦରରେ ରଖିଥଲେ । ଝିଅରୁ ବଳି ସ୍ନେହ କରନ୍ତି । ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ । ମୁଁ କାଲେ ଦଳେଇ ଭର୍ଯ୍ୟା ସାନ୍ତ୍ୱାନା ଦିଏ, ମୋତେ ବାପା ପାଖକୁ ପଠାଇ ଦେବାକୁ କହେ । ଦଲେଇ ଯିମିତ ଧାର୍ମିକ, ତା ପୁଅ ସେପରି କୁଳାଙ୍ଗାର, ପାଷାଣ୍ଡ । ମଦ, ଆପୁ, ଗଞ୍ଜେଇ କିଛି ନିଶା ତାକୁ ଅଣ୍ଟେ ନାହିଁ । ଘରେ ଯୁବତୀ ବୋହୂ, ତାକୁ ଅନାଏ ନାହିଁ । ଗାଁ ଝିଅ ବୋହୁ, ତା, ଡରରେ ଘରୁ ବାହାରନ୍ତି ନାହିଁ । ମୋ ଉପରେ ଅତ୍ୟାଚାର କରେ, ନାନା କୁକଥା କହେ । ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନି ଗଣ୍ଠିଲି କରି ରଖିଥାଏ ।

 

ମୁଁ ବି ତା ଶରଣ ପଶିଥାଏଁ । ତଥାପି ଟିକିଏ ବେଳ ପାଇଲେ ମୋତେ ନାନା କୁକଥା କୁହେ । ଆଉ ସହି ପାରିଲି ନାହିଁ । ସେଦିନ ରାତିରେ ବୁଡ଼ି ମରିବା ପାଇଁ ଆସିଥିଲି । ଦୁଷ୍ଟଟା ବାଟରେ, ଧରିଥିଲା, ତୁମେ ରକ୍ଷା କଲ । ତେତେବେଳେ ତୁମକୁ ଚହ୍ନି ନ ଥିଲି । ମନରେ କଲି, ପ୍ରଭୁ ସ୍ଵର୍ଗରୁ ଓହ୍ଲାଇ ଆସି ମୋତେ କୋଳ କରିନେଲେ ।”

 

ଯୁଧିଷ୍ଠିର ସାହୁ ଆଉ ବିଷୟ ଆଶୟ କିଛି ବୁଝେ ନାହିଁ । ଝିଅ ଜ୍ଵାଇଁଙ୍କୁ ସବୁ ସଂପି ଦେଇ ଦିନରାତି ବସି ହରିନାମ ଜପୁଥାଏ ।

Image

 

Unknown

ସେବତୀର ଶବ

ଗୋଦାବରୀଶ ମିଶ୍ର

 

ରାମଚନ୍ଦ୍ର ପ୍ରତ୍ୟେକ ସ୍ତ୍ରୀବ୍ୟକ୍ତିର ଶବପାଖକୁ ଯାଇ, ତାହା ଚିତ୍ ହୋଇ ପଡ଼ିଥିଲେ, ଛାତିରୁ କନାର ଆବରଣ ଟେକି ବା ମୁହଁ ମାଡ଼ି ପଡ଼ିଥିଲେ, ହାତରେ ଗଡ଼ାଇ, ଟିକିଏ ଚାହେଁ ଏବଂ ସଙ୍ଗେ ସଙ୍ଗେ ନୈରଶ୍ୟରେ ଅନ୍ୟ ଶବପାଖକୁ ଚାଲିଯାଏ । ଏହିପରି ପ୍ରତିଦିନ ସେ ପ୍ରାୟ ଆଠଦଶ ଶବ ପରୀକ୍ଷା କରେ । କେତେବେଳେ ସହରରେ ଗଳିଗଳି ସାହି ରାସ୍ତାକୁ ରାସ୍ତା ବୁଲି ବୁଲି ସେ ଶବ ଖୋଜିବାକୁ ଲାଗେ । ଆଉ କେତେବେଳେ ପଲ୍ଲୀଗ୍ରାମମାନଙ୍କୁ ଯାଇ ଶ୍ମଶାନରୁ ଶ୍ମଶାନ ବୁଲେ । କ୍ରମେ ପଲ୍ଲୀ ଗ୍ରାମମାନଙ୍କରେ ଘର ନାମ “ମଶାଣି ଚଣ୍ଡିଆ” ହେବାକୁ ବସିଲା ।

 

ସହରରେ ଲୋକେ ତାକୁ ଜଣେ ସରକାରୀ କର୍ମଚାରୀ ବୋଲି ମନେ କଲେ; ଧରିନେଲେ ଯେ ଶବ ତଦନ୍ତ କରିବାକୁ ତାକୁ ନିଯୁକ୍ତି କରଯାଇଛି । ଆଉ କେହି କେହି ଭାବନ୍ତି; ଏ ଜଣେ ସେବା ସମିତିର କର୍ମୀ । ସରକାରୀ ମନ୍ତ୍ରୀତ ଖାଲି କହି ଚାଲିଛନ୍ତି ଯେ ନଖାଇ ଜଣେ ବି ଓଡ଼ିଆ ମିଳୁନାହିଁ; ଏ ବୋଧହୁଏ ତାକୁ ମିଛ ବୋଲି ପ୍ରମାଣ କରିବାକୁ ପ୍ରତ୍ୟେକ ଶବକୁ ଚିହ୍ନୁଚି । ତେବେ କଥା ହଉଚି, ଖାଲି ସ୍ତ୍ରୀ ଲୋକଙ୍କ ଶବ କାହିଁକି ଦେଖୁଚି ? କୌଣସି ପୁରୁଷ ଲୋକର ଶବ ପାଖତ ମାଡ଼ୁ ନାଇଁ । ଏହିପରି ଭାବି ସେମାନେ କୌଣସି ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରନ୍ତି ନାହିଁ । ଗୋଟାଏ ନିଷ୍ପତ୍ତି କରିନେଲା ବେଳକୁ ଏକ ସନ୍ଦେହ ଆସି ମାଡ଼ି ବସେ । ସନ୍ଦେହ ଭିତରେ, ଚିହ୍ଲା ମନ୍ଥିଲl ପରି ମନ୍ଥୁ, ମନ୍ଥୁ, ମନ୍ଥନ ଫଳରେ ଏତେ ଉତ୍ତାପ ବାହାରେ ଟୋପାଏ ସୁଦ୍ଧା ଲହୁଣୀ ଦିଶେ ନାହିଁ । ତେଣୁ ଲୋକେ ବିଜାର ହୋଇ ମନକୁ ମନ କହନ୍ତି, “ଆମର ଏ ଚଷୁକାଟାରେ କି ଲାଭ’’ ?

 

କିନ୍ତୁ ରାମଚନ୍ଦ୍ର ନିଜର କାମଟାକୁ ଦିନେ ମଧ୍ୟ ଚଷୁକୁଟା ବୋଲି ଭାବି ନାହିଁ । ସେ ନିତିସକାଳୁ ଉଠି ବାହାରିଯାଏ ଓ କେବଳ ଶବ ମୁହଁ ଚାହିଁ ଚାହିଁ ସଂଧ୍ୟାକୁ ବସାକୁ ଫେରେ । ଦିନେ ନିରାଶ ହେଲେ ସେ ମନେ ମନେ ଧରିନିଏ ଯେ ତା ଆଶାର ଶତକଡ଼ା ପରିମାଣ ବଢ଼ିଛି । ଅତଏବ ପରଦିନ ସେ ଅଧିକ ଆଶା ପୋଷଣ କରି ବାହାରିପାରେ ।କେତେବେଳେ ଲୋକେ ତାକୁ ବାଲେଶ୍ଵରରେ ଦେଖନ୍ତି ତ, ପୁଣି କେତେବେଳେ ସୁଦୂର ଭଦ୍ରକରେ ଦେଖିବାକୁ ପାଆନ୍ତି । ସୋର ଅଞ୍ଚଳର ପଲ୍ଲୀଗ୍ରାମଗୁଡ଼ାକ ତାର ବାଦ ଯାଏ ନାହିଁ । ମୋଟ ଉପରେ, ଶବର ସଂଖ୍ୟା ଯେଉଁଠାରେ ଯେତେ ବେଶି, ତାର ଦର୍ଶନ ସେଠାରେ ସେତିକି ଅଧିକ ମିଳେ । ବୁଲିବୁଲି ସେ କଳା ପଡ଼ିଗଲାଣି; ଗୋରା ଦେହ ତମାମ, ପୋଡ଼ା ବାଇଗଣ ପରି, ଗୋଟାଏ ମସିଆ ଚମ ଆବରଣ ଢାଙ୍କି ସାରଲାଣି । ଆଖି ଦୁଇ ସବୁବେଳେ ଶବ ମୁହଁ ଚାହିଁ ଚାହିଁ ନିଜର ଜ୍ୟୋତି ହରାଇ ଦେଲାଣି । ତଥାପି ତା ପାଦ ଥୟ ହେଉନାହିଁ; ଲୋକ ଗହଳି ଦେଖି, ଚଇତ ଘୋଡ଼ା, ଯେତେ ଥକିଥିଲେ ସୁଦ୍ଧା, ନାଚି ଉଠିଲା ଭଲି, ଶବ ଦେଖିଲା ମାତ୍ର ସେ ଦେଖିବାକୁ । ଧାଇଁଯାଉଛି । କୌଣସି ଠାରେ ଶବର ତ ଅଭାବ ନାହିଁ । ୧୯୪୩ ମସିହାର ଶରତ କାଳଟା ଯାକ ଯମ ଦେବତା ଓଡ଼ିଶାର ଉପକୂଳ ଅଞ୍ଚଳମାନଙ୍କରେ କର ସଂଗ୍ରହରେ ଲାଗିଛନ୍ତି । ଖାଦ୍ୟ ଅଭାବରେ ଶହ ଶହ ଲୋକ ମରୁଛନ୍ତି । କିଏ କେଉଁଠାରେ ଢଳି ପଡ଼ୁଛି । ଯେ ଯେଉଁଠାରେ ପଡ଼ିଛି, ପଡ଼ି ରହୁଛି । ସହରମାନଙ୍କରେ ଅବଶ୍ୟ ମେହେନ୍ତର ଦିନକେ ଥରେ ଉଠାଇ ନେଉଛନ୍ତି । କିନ୍ତୁ ମଫସଲ ଅଞ୍ଚଳରେ ସର୍ବତ୍ର ମଡ଼ା ପଡ଼ିରହି ସଢ଼ୁଛନ୍ତି । କେଉଁଠାରେ ମୁଣ୍ଡ ଗଡ଼ିଛି; କେଉଁଠାରେ କଙ୍କାଳ ପଡ଼ିଛି; କେଉଁଠାରେ ଅବା ବିଲୁଆ କୁକୁର ନରମାଂସ ଖାଇବାଲାଗି ନିଜ ନିଜ ମଧ୍ୟରେ କଳି କରି ଚିତ୍କାରରେ ଆକାଶ ଫଟାଉଛନ୍ତି; ପୁଣି ଆଉ କେଉଁଠାରେ ଶାଗୁଣାପଲ ବେଢ଼ି ରହୁଛନ୍ତି । ନୁଆଣିଆ ଆଡ଼କୁ ପୃଥୀବିରେ ଖାଲି ଯେ ପାଣି ଗଡ଼ିଯାଏ ତା ନୁହେଁ; ନୁଆଣିଆ ବେଶୀ ହେଲେ ବଡ଼ ବଡ଼ ପଥର ଓ କାଠଗଣ୍ଡି ମାନ ମଧ୍ୟ ଗଡ଼ିବାର ଦେଖାଯାଏ । ଯେଉଁଠାରେ ଦରିଦ୍ର ଲୋକେ ଖାଇବାକୁ ପାଆନ୍ତି ନାହିଁ, ଜର, ହଇଜା ଆଦି ମହାମାରୀମାନଙ୍କର ଆବିର୍ଭାବ ସେଠାରେ ହିଁ ହୋଇଥାଏ । ଏମାନଙ୍କ ଭଳି ଦୁର୍ଭିକ୍ଷର ଅନ୍ତରଙ୍ଗ ବନ୍ଧୁ ଆଉ କେହି ନୁହନ୍ତି । ଚନ୍ଦ୍ରଗୁପ୍ତଙ୍କ ପାଖେ କ’ଣ କରୁଥିବେ କେଜାଣି, ସରକାରୀ କାଗଜପତ୍ର ତିଆରି କରିବା କର୍ମଚାରୀଙ୍କ ଆଗେ ଦୁର୍ଭିକ୍ଷକୁ ପଛରେ ପକାଇ ଦେଇ, ଏମାନେ ଯାଇ ଠିଆ ହୋଇଯାନ୍ତି । ତେଣୁ ସରକାରଙ୍କ ଅଦାଲତର ବିଚାରରେ ଅପରାଧୀ ହୁଅନ୍ତି ଏହିମାନେ; ଦୁର୍ଭିକ୍ଷ ସୁନାପୁଅ ହୋଇ ଖସିଯାଏ ।

 

୧୯୪୩ ମସିହା ଶରତ ଋତୁର ଦୁଇମାସ କାଳ ଓଡ଼ିଶାରେ ଜର ହଇଜା ଅମାଶୟ ହୃଦରୋଗ ପ୍ରତିଦିନ ପଞ୍ଜାକୁ ପଞ୍ଜା ଲୋକ ବୋହି ନେବାରେ ଲାଗିଲେ । ଖାଦ୍ୟର ଅଭାବ ସରକାର ଦୃଷ୍ଟିରେ ପଡ଼ିପାରଲା ନାହିଁ । ଅତଏବ ପୁରପଲ୍ଲୀ ସବୁଆଡ଼ୁ ଧାନ ଚାଉଳ ଆଦି ଛଣାହୋଇ ବାହାରକୁ ଚାଲଯିବାରେ ଲାଗିଲା । ବାଘ ଜଙ୍ଗଲରେ ଗୋପନରେ ମନୁଷ୍ୟ ଖାଏ । ଧରାପଡ଼ିଲେ ତାକୁ ଲୋକେ ମାରି ପକାନ୍ତି । ସେଥିପାଇଁ ଗଣ୍ଡା ଗଣ୍ଡା ଶିକାରୀ ଗୁଳି ବାରୁଦ ଧରି ବୁଲନ୍ତି । କନ୍ତୁ କଥା ବାହାରକୁ ନଫିଟିଲେ ବାଘ ଖୋଜି ଖୋଜି ଦିନକୁ ଦିନ ବେଶୀ ବେଶୀ ଖାଇବାରେ ଲାଗେ । ସେତେବେଳେ ଓଡ଼ିଶାରେ ତାହାହିଁ ହେଉଥିଲା ।

 

ଦିନେ ଦଳେ ଲୋକ ଗୋଟାଏ ସଡ଼କରେ ଯାଉଥିଲେ । ଖଣ୍ଡି ଦୂରରେ ସେମାନଙ୍କ ଆଗେ ଆଗେ ଆଉଜଣେ ଚାଲିଥିଲା । କେତେ ବାଟ ଯାଇ ସେ ସଡ଼କ ତଳକୁ ଗଡ଼ି ଗୋଟାଏ ମଡ଼ା ପାଖକୁ ଗଲା । ତାକୁ ଛାଡ଼ିଦେଇ ପୁଣି ଅଳ୍ପବାଟରେ ପଡ଼ିଥିବା ଆଉ ଗୋଟାଏ ମଡ଼ାକୁ ଧରି ହାତରେ ଗଡ଼ାଇଲା । ତା ନିକଟରୁ ମଧ୍ୟ ସେ ନିରାଶ ହୋଇ ଫେରିଲା ବେଳକୁ, ଏ ଲୋକ ଦଳକ ପହଁଞ୍ଚି, କିଛି ନବୁଝିପାରି ପଚାରିଲେ, “ଆଚ୍ଛା ତୁମେ ଏପରି ମଡ଼ା ଖୋଜି ବୁଲୁଛ କାହିଁକି ?' କିନ୍ତୁ ପ୍ରଶ୍ନର ଉତ୍ତର କିଛି ମିଳିଲା ନାହିଁ । ସେମାନେ ସେତିକିରେ ନିରସ୍ତ ନ ହୋଇ ପୁଣି ନାନା ପ୍ରକାର ପ୍ରଶ୍ନ ପଚାରି ଲାଗିଲେ, ଲୋକଟି ମୂକ ହୋଇ ଠିଆ ହେଲା ମାତ୍ର, କିଛି କହିଲା ନାହିଁ । ଶେଷରେ ଜଣେ ପଚାରିଲା, କ’ଣ ତୁମର କେହି ପ୍ରିୟ ଲୋକ ମରିଯାଇଛି, ଯେ ଦେଖୁଚ ?” ଲୋକଟି ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ; ଅଷ୍ଟାଙ୍ଗ ଶରୀରର ଦୁଃଖ କଣ୍ଠବାଟେ ପ୍ରକାଶ କରି, ଭୋ ଭୋ କରି କାନ୍ଦି ପକାଇଲା । ମାତ୍ର ପାଟିରୁ ଆଉ କିଛି କଥା ବାହାରିଲା ନାହିଁ ।

 

ଲୋକ ଦଳକ ଠିଆହୋଇ କେତେ କଳ୍ପନା କଳ୍ପନାରେ ଲାଗିଲେ । କିଏ କେତେ ପ୍ରକାର ଅନୁମାନ କଲେ । ସେମାନଙ୍କ ମଧ୍ୟରୁ ଜଣେ କିହିଲା, “କି ସମୟହେଲା କି ! ମଣିଷ ମାଉଁସ ମଣିଷ ଖାଇବା କାଳ ଏ ବ୍ୟବସାୟୀମାନେ

ଖାଲି ପଇସା ଛାଣିମାରେ ଲାଗିଲେ । ଆଉ ଧାନ ଚାଉଳ ବାଏଁ ବାଏଁ ଉଡ଼ି ଚାଲିଲା ବିଦେଶକୁ ! ଇଥିରେ ମଣିଷ ବଞ୍ଚିବ କ’ଣ ? ଯୁଆଡ଼େ ଚାହିଁବ, ଖାଲି ମୁର୍ଦାର । କି ବୁଝାମଣା କି ?”

 

“ସାକ୍ଷାତ ଭାପୁର ନ୍ୟାୟତ ।”

 

“ରାମ ରାମ ରାମ ।”

 

ସଡ଼କ ତଳେ ଲୋକଟି ତୁନି ହୋଇଥିଲା, ମୁହଁ ବୁଲାଇ ଚାହିଁଲା । ପଚାରିଲା, “କ’ଣ ମୋତେ ଡାକିଲ ?” ଏତେ ପ୍ରଶ୍ନ ଯାହା କରିପାରି ନଥିଲା ହଠାତ୍ ଆପେ ଆପେ ହୋଇଗଲା । ଲୋକଟି ପାଟିରୁ କଥା ବାହାରିଲା । ତେଣୁ ପଥକ ଦଳଙ୍କ ଭିତରୁ ଜଣେ ବିଳମ୍ବ ନକରି କହିଲା, “ନା’ ତ; ଆମେ ଡାକି ନାହୁଁ କେହି । ତେବେ ଆମେ ଏଣିକି ଆସ, କଥାବାର୍ତ୍ତା ହେବା ତୁମ ନାଁ କଣ, ଭାଇ ?” “ମୋ ନାଁ ? କାହିଁକି ?” ମୋ ନାଁ ରାମଚନ୍ଦ୍ର, ନା ରାମିଆ । ମୋର ପୁଣି ଗୋଟାଏ ନାଁ କ’ଣ ?”

 

ବିଧାତା ବିପକ୍ଷରେ ସାର ସଂସାରରେ ଗୋଟାଏ ବଡ଼ ଅଭିଯୋଗ ହୁଏ ଯେ ସେ ଲୋକଙ୍କ ମଧ୍ୟରେ ପକ୍ଷପାତ କରୁଛି । ଏ ଅଭିଯୋଗର ସତ୍ୟତା ଆଉ ଯେଉଁଠାରେ ଯାହାହେଉ, ସେବତୀ ସମ୍ପର୍କରେ ସାମାନ୍ୟ ବିନ୍ଦୁଏ ସୁଦ୍ଧା ନଥିଲା । ତା ପେଟ ଯେତିକି ଖାଙ୍କା, ଅଙ୍ଗପ୍ରତ୍ୟଙ୍ଗ ସେତିକି ସୁନ୍ଦର । ନିତାନ୍ତ ଦରିଦ୍ର ଘରେ ତାର ଜନ୍ମ । ଷଠୀ ତାକୁ ଗଢ଼ି ସାରି ବୋଧହୁଏ ବୁଝିଲା ଯେ ଦୁଃଖୀର କୁଡ଼ିଆ ଛଡ଼ା ଅନ୍ୟ କେଉଁଠାରେ ନେଇ ତାକୁ ଥୋଇଲେ, ସାରା ପୃଥିବୀର ସର୍ବହରା ଲୋକଙ୍କ ପ୍ରତି ଘୋର ଅନ୍ୟାୟ ବିଚାର ହେବ ।

 

ନାମକରଣ ଦିନ ଯେତେବେଳେ ମା 'ସେବତୀ’ ନାମ ଦେବାକୁ କହିଲା, ବାପା ମନେ ମନେ ଧରିନେଲା ଯେ ଆଗରୁ ଦୁଇଟି ଅକ୍ଷର “ବଣ” ଉଦ୍ୟରହୁଛି । କଢ଼ିଟି ଫୁଟିଲେ ବାସିନପାରେ, ମାତ୍ର ରୋଗ-ବୈରାଗରେ ଦୁନିଆରେ ଖୁବ୍ କାମ ଦେଖାଇବ । ଏପରିକ ପତ୍ରକୁ ସୁଦ୍ଧା ମହୋଷଧିର ଗୁଣରେ ବଳୀୟାନ କରିବ । ଲକ୍ଷ୍ମଣଙ୍କ ଶକ୍ତିଭେଦ ବେଳେ ଏହି ପତ୍ରକୁ ଚିହ୍ନି ନପାରି ହନୁମାନ ତ ଫେର ଗୋଟlଏ ପର୍ବତ ସହସ୍ର ସହସ୍ର କୋଶ ନିଜ ପିଠିରେ ବୋହି ନେଇଥିଲା ।

 

ସେବତୀର ବାପା ତାକୁ ତା ମା ଓ ତାଠାରୁ ଦୁଇ ବର୍ଷ ବଡ଼ ଭାଇପାଖେ ଛାଡ଼ି ଅକାଳରେ ଚାଲିଗଲା । ଗଲାବେଳେ କହିଗଲା, “ଗଦେଇ ବୋଉ, ମୁଁ ତ ଆଖି ବୁଜୁଛି । ପିଲା ଦି‌’ଟା ତୋ କୋଡ଼ରେ ରହିଲେ । ଦେଖ୍, ଧର୍ମବେଦୀରେ ତୋର ମୋର ହାତ ଧରାଧରି ହେଇଥିଲେ । ସେ ଧର୍ମ ରଖି ଚଳିବୁ । ମୁଁ ନିତି ଅର୍ଜ୍ଜିଲେ, ଆଣି ଖାଇବା ଲୋକ । ବାଡ଼ି ଗୋବରେ ଗୋବେ ହେଲେ ଜମିବାଡ଼ି ରଖିନାଇଁ । ଅଛି କେବଳ ଏହି ଡିହ ବଖରାକ । ଆଉ ୟାପରେ ଏଇ କୁଡ଼ିଆ ଖଣ୍ଡି । ଏଇଥିରେ ଦୁଇ ପ୍ରାଣୀ ମୁଣ୍ଡ ଗୁଞ୍ଚି ମାଟି କାମୁଡି, ଅଠର ବରଷ ପଡ଼ି ରହିଲେ..? ତା ଆଖିରେ ଲୁହ ଢଳି ହୋଇଗଲା । ତଥାପି ସେ ପୁଣି କହିଲା; . “ଆମେ ନଥିଲା ଲୋକ, , ହେଲେ, ମୁଁ ନିତେଇ ଗୁମାନ ସିଂହ ପୁଅ, ଆଉ ତୁ ରାଧୁ ହରିଚନ୍ଦନ ନାତୁଣୀଟି । ଏଇ କଥା ମନେ ରଖିଥିବୁ । କୋଟା କୁଟିବୁ, ବାରିରେ ଶାଗ କିଆରି ହାଣିବୁ; ପିଲା ଦି'ଟାଙ୍କ ତୁଣ୍ଡରେ ଢୋକ ଦବୁ । ପେଟ ବିକଳରେ ବିଲ ବାରିରେ କାମ କରିବାକୁ ବାହାରି ପଡ଼ିବୁ ନାଇଁ । ଲୋକେ ଛି ଛି କରିବେ । ଆମର ପରା ଖଣ୍ଡେଇତ ଘର । ଘରେ ପଛକେ ଚୁଲି ନଜଳୁ ବାହାରକୁ ନାଁ’ଟାତ ବଡ଼ । ମୁଁ ଯାଉଚି; ଗଦେଇ ବୋଉ ।”

 

କହି, ସେ ଭର୍ଯ୍ୟା ଆଡ଼କୁ ଦୁଇଟା ନିହାତ୍‍ ଦୂର୍ବଳ କେବଳ ହାଡ଼ ଚମର ହାତ ଟେକିଲା, ଗଦେଇ ବୋଉ ମୁଣ୍ଡ ନୁଆଇଁ ଆଣି ଦୁଇ ହାତ ଭିତରେ ରଖିଦେଲା । ଅଠର ବର୍ଷ ତଳର କଥା କ୍ଷଣକ ମଧ୍ୟରେ ବିଜୁଳି–ଝଲକ ପରି ଗୋଟିଏ ଛାତିରୁ ଆଉ ଗୋଟିଏ ଛାତିରେ ଯାଇ ପଶିଲା, ସେଟା ହୋଇଥିଲା ଦୁଇଟି ଫୁଟନ୍ତ ଜୀବନର ଅନନ୍ତ ମିଳନର ବେଳ; ଏଟା ହେଉଛି ସେହି ଜୀବନ ଦୁଇଟିର ଅନ୍ତିମ ବିଚ୍ଛେଦର ସମୟ, ଯାହାପରେ କି ଆଉ, ମିଳନର ଆଶା ହୁଏ ନାହିଁ । ଚାରିଟା ଆଖିରୁ ,ଚାରିଧାର ଲୁହ ବୋହିବାକୁ ଲଗିଲା । ଗଦେଇ ବୋଉ ପନ୍ଦର ଦିନ ହେଲା ଖାଇ ନପିଇ ଏକ ଧ୍ୟାନରେ ସ୍ଵାମୀର ଛିଣ୍ଡା ପଟି ଖଣ୍ଡକ ପାଖେ ବସିଥିଲା । ଦିନେ ଭାବି ନଥିଲା ଯେ ତା ମୁହଁରୁ ଏ କଥା ଗୁଡ଼ାକ ଶୁଣିବ । ଶୁଣି, ସେ ଶୋକରେ ବିହ୍ଵଳ ହୋଇ ପଡ଼ିଲା ।

 

ସ୍ଵାମୀର ତାତିଲା ଦେହ ତାକୁ କ୍ରମେ କାକର ଲାଗି ଆସିଲା । ଯେତେବେଳେ ସେ ଉଠି ଆଖି ଫିଟାଇ ଲୁହ ପୋଛି ଚାହିଁଲା, ହଠାତ୍ ଚମକି ପଡ଼ିଲା । ଦେଖିଲା, ସ୍ଵାମୀର ଆଖି ଦିଓଟି ଜଳ ଜଳ ଦିଶୁଛି, ମାତ୍ର ପତା ପଡ଼ୁ ନାହିଁ, ଦେହ ପଡ଼ି ରହିଛି, କିନ୍ତୁ ପ୍ରାଣବାୟୁ ଉଡ଼ି ଯାଇଛି । ସେ ଠିଆ ନୋହିପାରି କଚାଡ଼ି ହୋଇ ଭୁଇଁରେ ପଡ଼ିଗଲା । ଶବ୍ଦ ଶୁଣି ପୁଅଝିଅ ଆସି ପହଞ୍ଚିଗଲେ ।

 

ଗଦେଇ ନିତାନ୍ତ ନାବାଳକ, ମୋଟେ ଚଉଦ ବର୍ଷ ବୟସର ପିଲା । ସ୍ଵାମୀର ଅନ୍ତିମ କାଳର କଥା ଶିରୋଧାର୍ଯ୍ୟ କରି, ମା ଦୁଇ ପିଲାକୁ କୋଳରେ ଧରି, ପଞ୍ଚତିରିଶ ବର୍ଷ ବୟସରେ ସୁଦ୍ଧା, ପନ୍ଦର ବର୍ଷର ଭୁଆସୁଣୀ ବୋହୁ ପରି, ଘର ଭିତରେ କୁଟା କୁଟି ଚଳିବାକୁ ଲାଗିଲା । ବର୍ଷ ତିନିଟାକୁ ସେବତୀ ଆଖିରେ ଜ୍ୟୋତି ଫୁଟି ଆସିଲା । ଦିନେ ମା ଗଦେଇକୁ ଡାକି କହିଲା, ‘ପୁଅ, ସେବତୀକୁ ଆଉ ଚାହିଁ ହେବ ନାହଁ ଏଣିକି । ସେ ତାର ବୋଉ କାଟର ପଡ଼ିବ । ବିଧାତା ପୁରୁଷ ଅଳିଆ ଗଦା ଭିତରେ ଏମିତ ଖଣ୍ଡେ ଖଣ୍ଡେ ସୁନାମୁଣ୍ଡା କେଉଁଠାରେ କିପରି ପକାଇ ଦେଇଛି । ଆମେ ସିନା ତା ମହତ ରଖିଲେ ହେବ । ବଳିଆର ସିଂହ ଘର ପୁଅ ରାମଟି ହ’ନ୍ତା କି । ଯେମିତି କୁଳ, ସେମିତି ରୂପ !

 

“ଆଉ କହିଲୁ ନାହିଁ, ସେମିତି କାଙ୍ଗାଳ ? ମୋ ସଙ୍ଗାତ ନା ?”

 

“ହଁ ପୁଅ । ଆମ ନଅଙ୍କିଆ କପାଳକୁ ଆଉ ଦଶ ହଜାରି ଘର ପିଲା କୁଆଡ଼େ ମିଳିବ ? ସିଏତ ମହତରେ ଆମଠୁ ପାହାଚେ ବଡ଼ ।”

 

“ଖାଲି ମହତ କାହିଁକି ? ସବୁଥିରେ ପାହାଚେ ବଡ଼, ବୋଉ । ଆମର ତ ହେଲେ ଘର ଡିହ ବଖରାଏ ଅଛି । ତାର ତା’ବି ନାହିଁ; ପର ଡିହରେ କୁଡ଼ିଆ ଡେରି ରହିଛି ।

 

“ହେଲେ, ଭାରି ହିମତ ଥିବା ପିଲା । ତୋ ବାବୁ ପରା ଆଖି ବୁଜିଲା ବେଳେ କହିଛନ୍ତି, ମହତ ଜଗି ଚଳିବ । ବଡ଼ ପୁରୁଷମାନେ ତ ମଧ୍ୟ ସେହକଥା କହିଛନ୍ତି, ରେ ପୁଅ । କ’ଣନା, ଆଲୋସଖି, ଆପଣା ମହତ ଆପେ ରଖି । ରାମ କଥାଟି ହେଲେ ଭାରି ଭଲ ହୁଅନ୍ତା । ସେବଟାକୁ ତା’ର ବେକରେ ବାନ୍ଧିଦେଲେ, ମୁଁ ନଶ୍ଚିନ୍ତ ହୁଅନ୍ତି ।”

 

କୁରୁଞ୍ଜପୁର ଦଳବେହେରା ଆପଣାର ପରିଜନମାନଙ୍କୁ ବସାଇ ଦିନେ କହିଲେ, “ତୁମେ କ’ଣ ଭାବୁଚ, ମୁଁ ଏତିକିରେ ଚୁପ ହେଇଯିବି ? ଏ ରକ୍ତରେ ସେ କଥା ନାଇଁ । ମୁଁ ଯାହା ଥରେ ଧରିଚି, କରିବି କରିବି କରିବି । ହଟିଯିବା ମୋ ଜାତକରେ ନାହିଁ ।”

“ଆପଣ କେବେ କୋଉଠି ହଟିଚନ୍ତି ଯେ ଏବେ ଏ ମାଗିଖାଈଟା ପାଖେ ହଟିଯିବେ !”

 

“ହଁ, ହେ, ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ପିତ । ୟେ ଫେର୍ କହିବେ କ’ଣ ନା, ଆମେ କିଏ, ସିଏ କିଏ ! ଆମେ କିଏ, ତା ତ ଜଣା ଅଛି । ସିଏ କିଏ ଦେଖେଇଦବା । ଏବେ କଣ, ବୁଝିଲ ନା ?”

 

“ଗୁମାନ ଫୁମାନ ସବୁ ଭାଙ୍ଗି ଦଉଚି । ସେ ଭାଇଗାଟା ଥିଲେ ଏମିତି ହୁଅନ୍ତା ନାଇଁ ମ । ଯେତେ ଭେଖାନି ହେଲେ କ’ଣ ହବ, ଲଇଁସଇଁ ଭଲ ଲୋକ ଭଲିଆ କଥାବାର୍ତ୍ତା କରେ । ଗାଲ ଚିପିଲେ ଦୁଧ ବାହାରିବ, ଏବେ ଏ ପୁଅ ଚାଖଣ୍ଡକର ଏ କରାମତି ! ବୁଢ଼ୀଟାର କି ଆୟତ୍ତ ? ୟେ ଯେମିତି ଚଲୋଉଚି, ସିଏ ସେମିତି ଚାଲୁଚି । ଟୋକୀଟାର ଭାରି ମନ ମ । ସେ ତ ଖାଲି ଚାହିଁ ବସିଚି, ଡାକିଦେଲେ ଚାଲିଆସିବ । ହେଲେ, ୟେ କ’ଣ ଛାଡ଼ିବେ ?”

 

ଦଳବେହେରାଙ୍କର ପ୍ରାଧାନ୍ୟ ଖାଲି ଯେ କୁରୁଞ୍ଚପୁରରେ ଖଟେ, ତା ନୁହେଁ । ଆଖ ପାଖ ପାଞ୍ଚ ଖଣ୍ଡ ଗାଁ'ରେ ସେ ଜଣେ ମାତ୍ର ଲୋକ । ବିଷୟବାଡ଼ି ଖୁବ୍ ଅଛି ! ତାଙ୍କରି ମୁହଁକୁ ଚାହିଁ ହଜାରେ ଲୋକ ଚଳନ୍ତି; ତାଙ୍କ ଇଙ୍ଗିତରେ ବସନ୍ତି ଉଠନ୍ତି । କିନ୍ତୁ ଦୂର ଗ୍ରାମମାନଙ୍କରେ ତାଙ୍କର ସେ ଅନୁପାତରେ ସୁଖ୍ୟାତି ନାହିଁ । ଭୋଜି- ଭାତରେ ଅନେକେ ତାଙ୍କ ଦ୍ୱାର ମାଡ଼ନ୍ତି ନାହିଁ । ତାଙ୍କର ଏକେ ତ ବିଶେଷ କୂଳ ଗୌରବର ଅଭାବ; ନିଜର ମଧ୍ୟ ବ୍ୟକ୍ତିତ୍ଵ ନାହିଁ । ସଂସାରରେ ଧନସମ୍ପଦ ଅନେକ କାର୍ଯ୍ୟ ସାଧନ କରିପାରେ, କିନ୍ତୁ ଏକାବେଳକେ ସବୁ କରିବାକୁ ଅକ୍ଷମ ହୁଏ । ଯାହା କରିବାକୁ ଅକ୍ଷମ ହୁଏ, ଗଦେଇର ମନ ମନାଇବା ତା ଭିତରୁ ଗୋଟିଏ । ଦଳବେହେରା ତାକୁ ବାପ ଧନ କରି ଅନେକ ବୁଝାଇଲେ । ସେଥିରେ କାର୍ଯ୍ୟୋଦ୍ଧାର ନ ହେବାର ଦେଖି ଧମକ ଚମକ ପ୍ରୟୋଗ କଲେ ; ଅନ୍ୟ ଲୋକଙ୍କ ଦ୍ଵାରା ନାନା ପ୍ରକାର ଚେଷ୍ଟା କରାଇଲେ । ଏ ସବୁ ପରେ ମଧ୍ୟ ଗଦେଇ କହିଲା, “କାହିଁକି ଗୁଡ଼ାଏ ଏଣୁ ତେଣୁ କହୁଚ ? ଦେଖ, ଆମେ କିଏ, ସେ କିଏ , ଆମର ତିନି ଓଳିରେ ଓଳିଏ ଚୁଲି ଲାଗୁଛି । ତାଙ୍କର ରୁପା କବାଟକୁ ସୁନା ଶିକୁଳି । ଏକଥା କେତେ ମାତ୍ର ହବନାଇଁ ।”

 

ଦଳବେହେରା ଶୁଣି ମନକୁ ମନ କହିଲେ, “ଟୋକାଟା କି ଚଟକଣି ନ ମାଇଲା ! କହିଲା କ'ଣ ନା, ଆମେ କିଏ, ସେ କିଏ । ତା ମର୍ମ ସେ କଥାରେ ଯାହା କଲା, ତା ନୁହେଁ ତ । ଅସଲ ମର୍ମ ହୋଉଛି, ଆମେ ହେଲୁ ଗୁମାନସିଂହ ବଉଁଶର, ଆଉ ସେ ହେଲା ଅନାଦି ଲେଙ୍କା ନାତି ! ଏବେ ସିନା ପଇସା ହେଲାରୁ ଦଳବେହେରା ବୋଲାଉଚି ? ହେଲେ, ମଣିଷର ବଡ଼ପଣିଆ କ'ଣ ଏମିତି ମପାଯାଏ ? ବାପ ଚଉଦ ପୁରୁଷରେ କେବେ ଡାମ୍ଫଣ ଅଗରେ ଘିଅ ଖାଇଥିଲେ; ଏବେ ତ ଅବସ୍ଥା ଦିଅଣ୍ଡା ଦିକଡ଼ା । ଏଡ଼େ ବଡ଼ ଅପମାନ ସହି ମୁଁ ମୁହଁ ଦେଖେଇବି କିପରି ? ଲୋକେ କ'ଣ ଭାବିବେ ! କହିବେ ନାଇଁ ସିନା ମୁହଁ ଉପରେ ; ମନେ ମନେ ତ ଧରିନେବେ, ଏ ଭ୍ରମର ଦଳବେହେରାଟା ଗୋଟାଏ ଖାଲି କଥାକୁହାଳିଆ ଲୋକ । ଧାଉଁଥିଲେ ଗୋଡ଼ୋଉଥିବ, ଗୋଡ଼େଇଲେ ଧାଇଁମା ହେଲେ, ମୋ ବଳ କଳ କ’ଣ ଖଟୁଛି ! ସେ ତ ବାହାର ଗାଁ ଲୋକ । ତେବେ, ମୁଁ କ କ'ଣ ସହଜରେ ଛାଡ଼ିଦବା ଜନ ? ଲୁହାଇ କୋଚଟ, କମାରଇ କୋଚଟ । କୋଉ ନିଆଁ ଭଲ ପୋଡ଼େ ? ଯାହା ଦିନଯାକ କୁହୁଳି କୁହୁଳି ରାତିକି ଜଳେ । ଦିନରେ ଜଳିଲେ ତ ଲୋକେ ଜଳୁ ଜଳୁ ପାଣି ଢ଼ାଳି ନିଭେଇଦେବେ ।”

 

ଭ୍ରମର ଦଳବେହେରାଙ୍କ ହୃଦୟ ଦିବସରେ ଦାଉ ଦାଉ ଜଳିବା ଭଳି ଜିନିଷ ନୁହେଁ । ତାହା ଦିବସ ତମାମ କୁହୁଳି ରାତିକି ଜଳେ । ତେଣୁ ଆପାତତଃ ସବୁ ତୁନି ତାନି ହୋଇଗଲା । ତାଙ୍କର ବୟସ ତିରିଶ ବର୍ଷ ଆଖ ପାଖ ହେବ; ଚବିଶ ବର୍ଷ ବେଳେ ଯେଉଁ ପୁଅ ଜନ୍ମ ହୋଇଥିଲା, ତା'ର ଛ’ ବର୍ଷ ଆହୁରି ପୂରିନାହିଁ । ଦଶବର୍ଷ ପୂର୍ବେ ତାଙ୍କ ସଂସାର ଉଦ୍ୟାନ ଯେଉଁ ଫୁଲର ସୌରଭରେ ଚହଟି ଉଠିଥିଲା, ତାହା ଗୋଟିଏ ଫଳ ପ୍ରସବ କରିଛି ସତ, ତଥାପି ମହଳି ନାହିଁ । କିନ୍ତୁ ଦଳବେହେରା କୌଣସି କଥା କେବେ ଉପରେ ଉପରେ ବୁଝନ୍ତି ନାହିଁ; ସେ ଭିତରେ ପଶି ତଥ୍ୟ ବାହାର କରିନିଅନ୍ତି ।

 

ସେ ମନକୁ ମନ କିହନ୍ତି, ଭ୍ରମର, ମୁଁ ସାମାନ୍ୟ ଜୀବ ନୁହେଁ; ଫୁଲର ଉପରେ ବସି ଭିତରୁ ମହୁ ଟାଣି ଆଣିମା ହେଲା ମୋର କାମ ।” ତେଣୁ କଥାରେ ସେ କହନ୍ତି, ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ, ତା’ର ମର୍ମ ସେ ଠିକ୍ ବୁଝିଛନ୍ତି । ଅତଏବ ସେବତୀର ହାତ ଧରିବା ପାଇଁ ସେ ଏତେ ବ୍ୟାକୁଳ । କିନ୍ତୁ ତାଙ୍କର ବ୍ୟାକୁଳତା ଯେତେ ବେଶୀ, ପ୍ରତିଘାତ ସେତିକି ଅଧିକ ମଧ୍ୟ ପାଉଛନ୍ତି । ଗଦେଇ ମୁହେଁ ମୁହେଁ ମନା କରିଦେଇଛି; ତା ମା’ ନାରୀସୁଲଭ ଭାଷାରେ କହୁଛି, “ମୁଁ ମାଇପି ଲୋକ, ମୋ କଥାରେ କ’ଣ ଥାଏ ? ପୁଅକୁ ବୁଝାଅ ।”

 

କାଳପାରାବାରରେ ପୃଥିବୀପୋତ ସୂର୍ଯ୍ୟ ଦେବତାଙ୍କ ଚାରିପାଖେ ତିନି ଥର ପ୍ରଦକ୍ଷିଣ କରିସାରି ଚତୁର୍ଥ ଥର ଚାଲିଛି । ଏ ମଧ୍ୟରେ କେତେ ଘଟଣା ଘଟିଗଲାଣି । ମନୁଷ୍ୟ ଇହଧାମ ଛାଡ଼ି ଚାଲିଯାଏ, କିନ୍ତୁ ଗଲାବେଳେ ସେ ଯେଉଁ ପାଦ ଚିହ୍ନ ପକାଇଯାଏ, ତାହା ସହଜରେ ନିଭେ ନାହିଁ; ବରଂ ଗୋଟିଏ ଛୋଟିଆ ବାଟ ସୃଷ୍ଟିକରେ ସେ ବାଟେ ପୁଅପତ୍ନୀଙ୍କ ହୃଦୟର ସ୍ନେହଧାରା ମରଧାମରୁ ଅମରପୁରୀକୁ ଯେପରି ଚାଲିବାରେ ଲାଗେ, ସେ ଗଲାବେଳେ ଯାହା ସ୍ଥାବର ଅସ୍ଥାବର ସମ୍ପତ୍ତି ଛାଡ଼ି ଯାଇଥାଏ, ସେଥିରୁ ମଧ୍ୟ ଅଳ୍ପାଧିକ ଚାଲିଯାଏ । ଯାହାର ଅଧିକ ଥାଏ, ସେଥିରୁ ଅଳ୍ପ ସିନା ଯାଏ; ମାତ୍ର ଯାହାର ସମ୍ବଳ ଅଳ୍ପ, ତା’ର ସମଗ୍ର ପଳାଏ । ଭାଇ ଗୁମାନସିଂହର ଶୁଦ୍ଧଘର ଚଳାଇବାରେ ଘରଡ଼ିହ ଖଣ୍ଡିକ ବନ୍ଧକ ଦିଆଯାଇଛି । କେବଳ ତା’ ଉପର କୁଡ଼ିଆଟି ବର୍ତ୍ତମାନ ତା’ର ଉତ୍ତରାଧିକାରୀମାନଙ୍କର ଏକମାତ୍ର ସମ୍ପତ୍ତି ରୂପେ ଗଣ୍ୟ ହେବାକୁ ଅଛି । ବାପାଙ୍କ ଅନ୍ତେ ମା’ ଗଦେଇ ଓ ସେବତୀ ଦୁହିଁଙ୍କୁ ନିଛାରିଛି । ଗଦେଇ ପାରିଗଲାଣି; ଅନ୍ତତଃ ତା’ର ନାବାଳକ ଦୋଷ କଟିଗଲାଣି । ସେ ଏବେ କିଛି କିଛି ରୋଜଗାର କରୁଛି । ତା ଅନୁପାତରେ ମା’କୁ ଟିକିଏ‌ ନିଶ୍ଵାସ ମାରିବାକୁ ସମୟ ମିଳୁଛି । କ୍ରମେ ରାମଚନ୍ଦ୍ରର ଯିବା ଆସିବା ବଢ଼ିଛି । ଏକେ ସେ ଗଦେଇର ସଙ୍ଗୀତ । ସେ ସମ୍ପର୍କ ପୁଣି ଦୁଇଟି ଅସମାନ ପକ୍ଷଭିତରେ ନୁହେଁ । ଉଚ୍ଚ ସ୍ଥାନର ପାଣି ତଳ ଆଡ଼କୁ ଗଡ଼ିଆସି ଅନ୍ୟ ପାଣିରେ ମିଶିଲେ, ହୁଏତ ସେ ଅନଧିକାର ଚର୍ଚ୍ଚା ହୁଏ ଓ ତଳ ପାଣି ଉପରର ଆକ୍ରମଣରେ ବିହ୍ଵଳ ବିବ୍ରତ ହୋଇପାରେ; କିମ୍ବା ଉପର ପାଣି ଅନୁଭବ କରେ ଯେ ତାର ସମ୍ପଦ କାହିଁକି, ଅସ୍ତିତ୍ଵ ସୁଦ୍ଧା ତଳ ପାଣି ଅପହରଣ କରିନେଉଛି । ଦୁଇଟି ଅସମାନ ପକ୍ଷଭିତରେ ମିଳନ ହେଲେ, ଏହାହିଁ ହୋଇଥାଏ ତା’ର ଅବଶ୍ୟମ୍ଭାବୀ ପରିଣାମ ।

 

ଗଦେଇ ଓ ରାମଚନ୍ଦ୍ର ଭିତରେ ଯେଉଁ ବନ୍ଧୁତା, ତା’ ଏ ଶ୍ରେଣୀର ନୁହେଁ । ସମାଜ ସୋପାନରେ ଦୁହେଁ ଏକା ସ୍ତରର ଲୋକ, ଯେପରିକି ସମାନ ଉଚ୍ଚତାରେ ଥିବା ଦୁଇଟି କୁଣ୍ଡର ପାଣି । କେହି ପେଟକୁ ମୁଠାଏ ପୂରା ଦାନା ବା ପିଠିକୁ ଖଣ୍ଡିଏ ଭଲ କନା ପାଆନ୍ତି ନାହିଁ । ଏହାହିଁ ହେଉଛି ଦୁହିଁଙ୍କ ମଧ୍ୟରେ ମିଳନର ସୂତ୍ର ଏ ସୂତ୍ରରେ ଟଣାଓଟରା ନାହିଁ ; ସୁତରାଂ ଏ ଛିଣ୍ଡି ଯିବାର ଜିନିଷ ନୁହେଁ । ପରସ୍ପର ପ୍ରତି ତ୍ୟାଗର ଧାରାରେ ଏହାର ଗଠନ ।

 

ସବୁ ସୁରୁଖୁରୁରେ ଚାଲିଥିଲା । ଆଜି ରାମଚନ୍ଦ୍ର ଗଦେଇ ଘରକୁ ଆସିଲେ, କାଲି ଗଦେଇ ରାମଚନ୍ଦ୍ର ଘରକୁ ଯାଇ ଦେଖାସାକ୍ଷାତ୍ କଥାବାର୍ତ୍ତା କରି ଆସେ । କିନ୍ତୁ ଦିନେ ହଠାତ୍ ଗୋଟିଏ ପୂର୍ଣ୍ଣଛେଦ ପଡ଼ିଗଲା ! ଗଦେଇ ମା’ ରାମଚନ୍ଦ୍ରକୁ ଯେଉଁ କଥା କହିବାକୁ ବହୁଦିନ ଧରି ଚେଷ୍ଟା କରୁଥିଲା, ଅଥଚ ତା’ ଜିଭ ଲେଉଟି ନ ଥିଲା, ସେ କଥା ଆଉ ପେଟରେ ରଖି ନ ପାରି କହିଦେଲା ।

 

ଏପରି ଗୋଟିଏ କଥା ଶୁଣିବ ବୋଲି ରାମଚନ୍ଦ୍ର କେବେ ଆଶଙ୍କା କରି ନଥିଲା । ଗଦେଇ ଘରେ ସୋରିଷଟାଏ ଫୁଟିଲେ, ତାକୁ ଜଣାପଡ଼ିଯାଏ । ସେଠାର କୌଣସି କଥା ତାକୁ ଅଛପା ନାହିଁ ।

 

ଗଦେଇ ମା’ ତୁଣ୍ଡରୁ ପ୍ରସ୍ତାବ ଶୁଣି ସେ ମନକୁ ମନ ଭବିଲା, ଏ କିପରି କଥା ! ତେଣେ ଦଳବେହେରା ଟାକି ବସିଛି । କିଛି ସୁରାକ ପାଇ ନ ଥିଲେ କ’ଣ ସେ ଦାଣ୍ଡରେ ହାଟରେ କହିବୁଲୁଥାନ୍ତା ? ଏଣେ ମା’ ଚାହୁଁଛି ମୋତେ ଫାନ୍ଦରେ ପକେଇବାକୁ । ଏଠିକୁ ଯାଆସ କଲେ ସିନା ଲଠା ! ସେଟାର ମୁହଁ ତ ମୁଁ ଦିନେ ହେଲେ ଚାହିଁନାଇଁ । ଗଦେଇ ସିନା ମୋ ସଙ୍ଗାତ, ଆଉ ତା’ବୋଉ ମୋ ସଙ୍ଗାତ ମା ।”

 

ଗଦେଇ ମା’ର ଛୋଟିଆ କୁଡ଼ିଆଘର ଭିତରେ ଗୋଟାଏ ପ୍ରବଳ ବତାସ ବୋହିବାକୁ ଲାଗିଲା । ଗଦେଇ କହିଲା, “ମା, ତାକୁ ବିଗାଡ଼ିଦେଇଚୁ । ସେ ତ ମୋଟେ ଆଉ ମଙ୍ଗୁ ନାଇଁ ଆମ ଦୁଆର ମାଡ଼ିବାକୁ; କହୁଚି, ତୁମର ବଡ଼ଲୋକିଆ ବନ୍ଧୁ, ସାତଶେଣୀଆ ଘର ଟେକିବ, ମତେ କାହିଁକି ଆଉ ପଚାରିବ ? ମୁଁ ଯେତେ ବୁଝୋଉଚି, ସେ କିଛି ଶୁଣୁନାଇଁ । ଗୋଟାଏ କଥା ଯାହା ବୁଝିଯାଇଚି, ତାକୁଇ ଧରି ବସିଚି ।”

 

କାହାରି କାହାରି ଜିଦ୍ ପାଣିର ଗାର ପରି ସହଜରେ ନିଭିଯାଏ । ଆଉ ଯେଉଁମାନେ ମାଟିବନ୍ଧ ପକାଇ ବସନ୍ତି, ସେମାନେ ମଧ୍ୟ ବର୍ଷେ ଛ' ମାସ ପରେ ଦେଖନ୍ତି ଯେ ଖରା ବର୍ଷା ଖାଇ ବନ୍ଧ ଭାଙ୍ଗିବାକୁ ବସିଲାଣି । ରାମଚନ୍ଦ୍ରର ତାହାହିଁ ଘଟିଲା; କାଳ ସ୍ରୋତରେ ତା ମାଟିବନ୍ଧ ଯେତେ କ୍ଷୀଣ ହେଲା, ଗଦେଇର ସ୍ନେହ ଆକର୍ଷଣରେ ସେ ସେତକ ତା ଘର ଆଡ଼କୁ ଆଗେଇ ଆସିଲା । ଦିନେ ଅକସ୍ମାତ, ଗଦେଇ ଘରେ ନାହିଁ, ମା’ ସହିତ ଠାକୁର ଦର୍ଶନ କରିବାକୁ ଦେଉଳକୁ ଯାଇଛି, ରାମଚନ୍ଦ୍ର ଆସି ତା’ ଘରେ ପହଞ୍ଚି, ଖବର ପାଇ, ଫେରି ଯାଉଥିଲା । ପଛରୁ ଡାକ ଶୁଣିଲା, ରାମ ଭାଇ” । ରାମଚନ୍ଦ୍ରର ଛାତିରେ ସତେ ଗୋଟାଏ ପଥର ଦୁମ୍‌କିନା ପଡ଼ିଗଲା; ସେ ଯେଉଁ ପାଦ ସେଠାରେ ପକାଇଥିଲା, ଠିକ୍ ସେହି ଭାବରେ ଗୋଟାଏ ଚିତ୍ର ପ୍ରତିମା ପରି ଠିଆ ହୋଇଗଲା ।

 

ସେବତୀ ଆସି କହିଲା, “ରାମ ଭାଇ, ଏପରି ଗୋଟାଏ ଅପବାଦ ଦବା କ'ଣ ହେଲାଟି କି ? ସୀତା ଦେବୀ ଅଗ୍ନି ପରୀକ୍ଷାରେ ପାରିହେଇ ମା’ ବସୁନ୍ଧରା କୋଡ଼କୁ ଚାଲିଗଲେ । ସେ ତ ହେଲେ ରାବଣ ସାଙ୍ଗରେ ରଥରେ ବସି ଯାଇଥିଲେ, ତା’ ରାଜ୍ୟରେ ଯାଇ ରହିଲେ । ହେଲେ ମଧ୍ୟ, ଅପବାଦ ସହିପାରିଲେନି । ଏ ତ ଖାଲି ନିଆଁ । ନଥାଇ ଧୂଆଁ । ମୁଁ ଛାତିଭିତର ଦେଖେଇ ଦଉଚି, ଦେଖ, ରାମ ଭାଇ, ଏଠି ଦଳବେହେରା ଚିତ୍ର ଲେଖା ହେଇଚି, ନା ‘‘ତୁମର ।”

 

ରାମଚନ୍ଦ୍ର ଦୁଆରେ ଠିଆ ହୋଇ ଶୁଣୁଛି, ସେବତୀ କୁଡ଼ିଆ ଭିତରୁ କହୁଛି । ମାତ୍ର ସେବତୀ ପାଟିରୁ କଥା ବନ୍ଦ ହେବା ସଙ୍ଗେ ସଙ୍ଗେ, ରାମଚନ୍ଦ୍ର ଦେଖିଲା, ସେ ପଣତ କାନିଭିତରୁ ଗୋଟାଏ ଛୁରୀ ବାହାର କରି, ନିଜ ଛାତିକି ଦେଖାଇଲା । ରାମଚନ୍ଦ୍ର ଯାଇ ତା’ ହାତ ଧରି ପକାଇଲା ବେଳକୁ କାମ ସରି ସାରିଲାଣି । ସେବତୀ ଛାତିରୁ ପିଚ୍ ପିଚ୍ ହୋଇ ରକ୍ତ ବୋହିଗଲା । ତା’ ମଧ୍ୟରେ ସେ କହିଲା, “ରାମ ଭଇ, ମୁଁ କଣ ତୁମ ଆଖିରେ ଗୋଟାଏ ଅସତୀ ହେଇ ମରନ୍ତେ ? ଏବେ ତ ମତେ ତୁମେ ଚହ୍ନିଲ, ମୁଁ ନିଶ୍ଚିନ୍ତରେ ମରିପାରିବି ।” ତା’ ପାଟିରୁ ଆଉ କଥା ବାହାରିଲା ନାହିଁ । ସେବତୀ ରକ୍ତସ୍ନାନ ହୋଇ ତଳେ ଶୋଇପଡ଼ିଲା ।

 

ରାମଚନ୍ଦ୍ର ର ଆଖି ବୁଜି ହୋଇଗଲା । ସେ ଅନୁଭବ କଲା ଯେ ତା’ ପିଣ୍ଡ କେବଳ ରହିଛି ; ମାତ୍ର ସେଥିରେ ପ୍ରାଣ ନାହିଁ । ସେ ପରିସ୍ଥିତିରେ ତାର କ'ଣ କର୍ତ୍ତବ୍ୟ, ବୁଝିବା ତା ପକ୍ଷେ ଅସମ୍ଭବ ହୋଇପଡ଼ିଛି ।

 

ଅନେକ ଦିନ ପଡ଼ି କତରାରେ ଲାଗିରହି, ସେବତୀ ଝାଡି ଝୁଡ଼ି, ହୋଇ ଅବଶ୍ୟ ଉଠିଲା । କେବଳ ଛାତିରେ ଗୋଟାଏ ବଡ଼ କ୍ଷତ ଚିହ୍ନ ସ୍ମୃତି ରୂପେ ରହିଗଲା । କିନ୍ତୁ ସେ କ୍ରମେ କ୍ରମେ ଯେତିକି ଉଠିବାକୁ ଲାଗିଲା, ଦୁଇ କ୍ଷୁଦ୍ର ପରିବାର ସେତିକି ସେତିକି ତଳକୁ ପଡ଼ିଲେ । ଗଦେଇ ଓ ତା ମା’ ମିଶି ଯାହା ରୋଜଗାର କରନ୍ତି, ସେଥିରେ ଖାଇବା ଯେହ୍ନେ କେହ୍ନେ ଅବଶ୍ୟ ଚଳନ୍ତା । ମାତ୍ର ସେବତୀର ଚିକତ୍ସା ଓ ଶୁଶ୍ରୂଷା ତାଙ୍କୁ ବଳେଇଗଲା । ସେଥିପାଇଁ ଉଭୟଙ୍କୁ ନିଜ ନିଜ ପେଟରୁ କାଟି ତାହା କରିବାକୁ ପଡ଼ିଲା । ରାମଚନ୍ଦ୍ର ମଧ୍ୟ ଦିନଯାକ ମେହନତ କରି ରାତିରେ ଆସି ସେବତୀର ଶୁଶ୍ରୁଷାରେ ଲାଗେ । ସେତିକିବେଳକୁ ୧୯୪୨ ମସିହାର ଦାରୁଣ ସଙ୍କଟ ସମୟ ଆସି ପହଞ୍ଚିଛି । ୧୯୪୩କୁ ତାହା ଯେ କି ଆକାର ଧରିବ, ବୁଝିହେଉ ନାହିଁ । ଜିନିଷପତ୍ରର ଦାମ୍ ବଢ଼ିବା ଅନୁପାତରେ ମଜୁରୀ ବଢ଼ି ନାଇଁ । ହାତେ ଯାହା ପଇସା ଆସୁଛି, ପାଣି ପରି ବୋହିଯାଉଛି; ଅଥଚ ପେଟର କଣେ ପୁରୁ ନାହିଁ ।

 

କ୍ରମେ ଅବସ୍ଥା ସାଙ୍ଘାତିକ ହୋଇଆସିବାରୁ ଗଦେଇ ଓ ରାମଚନ୍ଦ୍ର ନିଜ ନିଜର ଭାଗ୍ୟ ପରିବର୍ତ୍ତନ କରିବାପାଇଁ ଗୋଟିଏ ପ୍ରଶସ୍ତ ଉପାୟ ଧଇଲେ । ସେବତୀ ଓ ମା’ର ଭରଣ ପୋଷଣ ନିମନ୍ତେ ଏକାବେଳକେ ଥୋକ ପଚାଶ ଟଙ୍କା ଆଣି ଧରିଦେଲେ । ତୁଳସୀ ଦୁଇ ପତ୍ରରୁ ବାସେ । ନୂଆ ପନ୍ଥା ଗୋଟିଏ ଧରୁ ଧରୁ ସେ ହଠାତ୍ ଅଧ ଶହ ଟଙ୍କା ଆସି ପଡ଼ିବ, ଏହା କମ୍ କଥା ନୁହେଁ । ଗଦେଇ ମା ଟଙ୍କାଗୁଡ଼ାକ ପଚିଶ ଥର ଗଣିଲା, ବଜାଇଲା ଓ ଓଲଟ ପାଲଟ କଲା । ଏତେ ଟଙ୍କା ସେ ଏକାବେଳକେ ଜୀବନଯାକ କେବେ ଦେଖି ନ ଥିଲା । ଚାରିଟା ପ୍ରାଣରେ ଗୋଟିଏ ନୂଆ ଜୀବନ ଖେଳିଗଲା । ପ୍ରତ୍ୟେକେ ଭାବିଲେ ଯେ ଏତେଦିନେ ତାଙ୍କ ଦଶା ପାଲଟିଛି ।

 

ତିରିଶ ଜଣଙ୍କ ଭିତରେ ଦୁଇ ଜଣ ହୋଇ ଗଦେଇ ଓ ରାମଚନ୍ଦ୍ର ଯେଉଁଦିନ ନିରାକାରପୁର ରେଳଷ୍ଟେସନରେ ଗାଡ଼ି ଚଢ଼ିବାକୁ ଗଲେ, ଗଦେଇ ମା ଦୁହିଁଙ୍କର ମୁଣ୍ଡ ଆଉଁସିଦେଲା, ଦୁହିଁଙ୍କୁ କୁଣ୍ଢାଇ ଧରି ଆଖି ଛଳ ଛଳ କଲା । ରେଙ୍ଗାମ, ଆସାମ କେତେ ବାଟ, ସେଠାରେ ରହିବା କେତେ ଦୂର ସୁଖକର ବା କଷ୍ଟସାଧ୍ୟ, ସେଠାକୁ ଗଲେ ଲୋକେ କେତେ ଦିନରେ ଫେରି ପାରନ୍ତି, ଏସବୁ କଥା ତାକୁ କିଛି ଜଣାନାହିଁ । ତା ମନରେ ଭରସା ଯେ ଦୁଃଖରାତି ଶୁଭକ୍ଷଣରେ ପାହିଛି; ତେଣୁ ପିଲାଦୁଇଟି ସର୍ବଶୁଭରେ ଫେରିଆସିବେ ଶୁଭବେଳା ଆଖିରୁ ଲୁହ ଗଡ଼ାଇବା ବିଧି ନୁହେଁ ବୋଲି ସେ ସବୁ ଲୁହ ଆଖିରେ ମାରି ରହିଲା । କେବଳ କହିଲା, ‘‘ମା ମଙ୍ଗଳା, ଭଲରେ ଫେରାଇ ଆଣ ।” ଲେଉଟ ଚକୁଳି ଦୁହିଁଙ୍କୁ ପେଟେ ପେଟେ ଖାଇବାକୁ ଦେଇଥିଲା ! ତା’ର ବିଶ୍ୱାସ ଯେ ତା ନିଜର କରାମତି ଦେଖାଇବ ।

 

ରାମଚନ୍ଦ୍ର ସେବତୀଠାରୁ ବିଦାୟ ନେଲାବେଳେ କହିଗଲା, ମାସ ଚାରିଟାରେ ଆମେ ଫେରିଆସିବୁ, ସେବତୀ ! ତୁ କାନ୍ଦିବୁ ନାଇଁ, ମନମାରି ବସିବୁ ନାଇଁ, ମା ପାଖେ ସୁଖରେ ରହିବୁ । ଚାହୁଁ ଚାହୁଁ ସମୟ କୁଆଡ଼େ ଚାଲିଯିବ । ମୁଁ ନ ଗଲେ ଚଳିବ କିପରି ? ପଇସାପତ୍ର ଆଣି ଡିହ ଖଣ୍ଡେ କରି କୁଡ଼ିଆ ବକଟେ ଡେରିଲେ ସିନା ଘରଦୁଆର କରି ରହିବା । ମୋ ଲାଗି ଭାଳିବୁ ନାଇଁ । ରବିବାରକୁ ରବିବାର ଖଣ୍ଡେ ଖଣ୍ଡେ ଭାଷା ଦେଉଥିବୁ । ତୋ ପାଠପଢ଼ା ଏତିକିବେଳକୁ କାମ ଦେଖାଇଲା । ମୁଁ ଯାଉଚି, ରହ ।” ସେ ତା ହାତ ନିଜ ହାତରେ ଧରିଥିଲା, ଛାଡ଼ିଦେଲା । କେବଳ କହିଲା, “ରାମ ଭାଇ !'' ତା କଣ୍ଠ ରୁଦ୍ଧ ହୋଇଗଲା; ପାଟିରୁ ଆଉ କଥା ବାହାରିଲା ନାହିଁ । ରାମଚନ୍ଦ୍ର ନିଜ ପାଞ୍ଚିକାନିରେ ତା ଆଖିରୁ ଲୁହ ପୋଛି ଦେଲା, ଗଣ୍ଠି ପକାଇ, ପୁଣି ନାହିଁ ପାଖେ ଖୋଷିଲା ।

 

ଜାପାନ ସେତେବେଳକୁ ବର୍ମା ଦଖଲ କରିସାରିଛି । ତା’ର ଆଉ ଅଗ୍ରସର ହେବା ବାଟ ବନ୍ଦ କରିବାଲାଗି ଏଣେ ଆସାମରେ ନାନା ପ୍ରକାର କାମ ଲାଗିଛି । ଭାରତବର୍ଷର ସବୁଆଡ଼ୁ ଲକ୍ଷ ଲକ୍ଷ ଲୋକ ଆସି ରୁଣ୍ଡ ହୋଇଛନ୍ତି । ଦିନରାତି ପାଳିକ୍ରମେ କାର୍ଯ୍ୟ ଚାଲଛି । ଦିନ କେତେବେଳେ ସରୁଛି ଓ ରାତି କେତେବେଳେ ଆସୁଛି, ଜଣାଯାଉ ନାହିଁ । ଚାରିଆଡ଼େ ହଜାର ହଜାର ବିଜୁଳୀବତୀ ଖଞ୍ଜା ଯାଇଛି । ଛକଡ଼ିପୁରଠାରୁ ଏହା ଯେ କେତେ ଭନ୍ନ କିଳିହେଉନାହିଁ । ତେବେ ଗଦେଇର ସେଠାରେ ରହିଛି ମା ଓ ରାମଚନ୍ଦ୍ରର ରହିଛି ସେବତୀ । ସେବତୀର ମୁହଁ ଦେହ ହାତ କିଛି ତାର ଆଖିରେ ପଡ଼ୁ ନାହିଁ । କେବଳ ତା ଛାତିର କ୍ଷତ ଚିହ୍ନ ଟା ଚନ୍ଦ୍ରମଣ୍ଡଳର କଳଙ୍କ ପରି ସର୍ବଦା ପାଞ୍ଚ କୋଶ ଦୂରରୁ ଦାଉ ଦାଉ ଜଳୁଛି । ସେ ମନେମନେ ଭାବୁଛି, ‘‘ଛି , ମୁଁ କି ଅନ୍ଧ ପାଲଟିଗଲି ! କେଡ଼େ ରତ୍ନ ହରାଉ ନ ଥିଲି । ହୃଦୟ ଚିରି ସେ ଦେଖାଇ ନ ଥିଲେ, ମୁଁ କଣ ଦେଖିଥାନ୍ତି ? କେବେ ଫେରିବ, ନା ତାକୁ ଆଣି ଗଳାରେ ଝୁଲେଇବି ।” ଭାବି ଭାବି ସେ କେତେବେଳେ କେତେ ସ୍ଵପ୍ନ ଦେଖେ ; ଆଖିର ଲୁହ ଆଖିରେ ମାରେ ! କେତେବେଳେ ଅବା ନାହିଁ ପାଖରୁ ପାଞ୍ଚିକାନି ଫିଟାଇ ପୋଛି ପକାଏ । ସେତେବେଳେ ମନକୁ ମନ ବିଚାରେ, “ଆଜି ତା ଲୁହରେ ମୋ ଲୁହ ମିଶାଉଛି; ଫେରିଗଲେ ହୃଦରେ ହୃଦ ମିଶାଇବି ।” ମାତ୍ର ହଠାତ୍ ଫେରିବାର ଉପାୟ ନାହିଁ; ମୁଣ୍ଡ ଚାରିମାସକୁ ବିକା ହୋଇଛି ।

 

ଗଦେଇ ଓ ରାମଚନ୍ଦ୍ର ଚାରିମାସ କାମ କଲେ, ମାସକୁ ପଚାଶ ଟଙ୍କା ଦିସାବରେ ଦେଢ଼ ଶ’ ଟଙ୍କା ଜମାଇଲେ । ଫେରିବାଦିନ ପାଖେଇ ଆସିଲା ଭାବି, ଦୁହିଁଙ୍କ ମନ ଉଡ଼ିବାକୁ ଲାଗିଲା । ମାସ ଚାରିଟା ଖଟି ହାତରେ ଦୁଇଶହ ଟଙ୍କା ଧରି ଘରକୁ ଫେରିବେ; ତାଙ୍କ ଦରିଦ୍ର ନିଖଣ୍ଟିଆ ଜୀବନରେ ଏହା କିଛି ସାମାନ୍ୟ କଥା ନୁହେଁ । କିନ୍ତୁ ଦିନେ ହଠାତ ଗଦେଇ ଜରରେ ପଡ଼ିଲା । ଚାରି ଛ’ ଦିନ ପରେ ଦୁହିଁଙ୍କର କାମକୁ ଯିବା ବନ୍ଦ ହେଲା ! କ୍ରମେ ଜଣାପଡ଼ିଲା, ଗଦେଇର ଜର ସାଧାରଣ ଜର ନୁହେଁ, ବାତକଫ ରୋଗ ତାକୁ ଡାକ୍ତରଖାନାକୁ ନିଆଗଲା । ରାମଚନ୍ଦ୍ର ସାଙ୍ଗେ ସାଙ୍ଗେ ଚାଲିଲା ।

 

ସେବତୀ ପ୍ରତି ସପ୍ତାହରେ ଖଣ୍ଡିଏ ଚିଠି ଲେଖେ ତା ଅବଶ୍ୟ ଗଦେଇ ପାଖକୁ, ରାମଚନ୍ଦ୍ର ପାଖକୁ ନୁହେଁ । କିନ୍ତୁ ତାକୁ ପଢ଼ି ରାମଚନ୍ଦ୍ର ବୁଝେ ଯେ ନିଜ ପାଖକୁ ଆସିଛି । ସେଥିରୁ ସେ ନିଜ ହୃଦୟର ବିରହ ଜ୍ୱାଳା ଲିଭେଇବା ପାଇଁ ଯଥେଷ୍ଟ ସ୍ନେହଧାରା ପାଏ । ବର୍ଷାଧାରା ଭୂପୃଷ୍ଠର ସର୍ବତ୍ର ପଡ଼େ । ନଦୀ ମଧ୍ୟ ସେଥିରେ ପ୍ରଫୁଲ୍ଲିତ ହୋଇ କୂଳବନ୍ଧ ଲଙ୍ଘି ବହିଯାଏ । ସେବତୀ ଚିଠି ଆସିଲେ ରାମଚନ୍ଦ୍ର ପ୍ରାଣରେ ଆନନ୍ଦ ଲହରୀ ଖେଳିଉଠେ । ଦିନେ ସେବତୀର ଖଣ୍ଡିଏ ଚିଠି ଆସିଲା । ସେତେବେଳକୁ ଗଦେଇ ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନା ଖଟରେ ପଡ଼ିଛି । ଥର ଥର ହାତରେ ରାମଚନ୍ଦ୍ର ଚିଠିଟି ଫିଟାଇ ପଢ଼ିଲା । ସେଥିରେ ଲେଖାଥିଲା, ଭାଇ, ଆମ ଘରଡ଼ିହ ଯେ ବନ୍ଧା ପଡ଼ିଥିଲା ତା ଦଲିଲ ଖଣ୍ଡି କୁରଞ୍ଜପୁର ଦଳବେହେରା କିଣିନେଇ, ମିଆଦ ଆଣି ଘର କୋରଖ କଲେ । ପଚାଶ ଟଙ୍କାରୁ ଦିକୋଡ଼ି ତିନିକୋଡ଼ି ? ବାକି ଥିଲା । ତାକୁ ନେଇଗଲେ । ଘରୁ ଆମକୁ କାଢ଼ି ଦେଲେ ! ବୋଉ ମତେ ଧରି ଗଛମୂଳେ, କୁକୁର ତା ଛୁଆକୁ ଜଗିଲାପରି, କେତେଦିନ ରହିଲା ! ତୁ ପ୍ରବାସ ଯାଇଚୁ । ତତେ ଏଗୁଡ଼ିକ ଲେଖି ଘଣ୍ଟାଇବାକୁ ବୋଉ ମନା କରିବାରୁ ମୁଁ ଏତେ ଚିଠିରୁ ଗୋଟିକରେ ହେଲେ ଲେଖି ନ ଥିଲି । କାଲି ବୋଉ ଆଖି ବୁଜିଦେଇ ଚାଲିଯାଇଛି । ମୁଁ ଆଉ କାହାକୁ ଧରି ରହିବି ? ଚାରିଆଡ଼େ ଶହଶହ ଲୋକ ପେଟବିକଳରେ ମରୁଚନ୍ତି । ମୁଁ ଯାଉଛି, ସେଇମାନଙ୍କ ସାଙ୍ଗେ ଧୁଳିମାଟିରେ ମିଶିବାକୁ । ତୁ ଫେରିଲେ, ଆଉ ବୋଉ ଭଉଣୀ ମୁହଁ ଦେଖିବୁ ନାଇଁ । ତୁ ଭଲରେ ଫେରିଆ । ରାମ ଭାଇଙ୍କୁ କହିବୁ, ମୁଁ ଗଲି । ସେ ମୋ କଥା ମନରୁ ପୋଛିଦେବାକୁ ତାଙ୍କୁ ବୁଝାଇବୁ । ଆଉ କଣ ଲେଖିବି ! ତୁ ଆଉ ରାମଭାଇ ଘରଦ୍ୱାର କରି ରହ । ଆର ଜନମରେ ଯାଇ ପୁଣି ଦେଖାହେବ । ତୋର ସାନ ଭଉଣୀ ସେବୀ ।”

 

ଚିଠିଖଣ୍ଡ ରାମଚନ୍ଦ୍ର ହାତରୁ ଖସିପଡ଼ି ପବନରେ ଉଡ଼ି ଚାଲିଗଲା । ସେ ଯେ କେତେ ସମୟ ବେହୋସ ହୋଇ ବସିରହିଲା ସେକଥା ତାକୁ ଜଣାନାହିଁ । ଧଡ଼୍ ଧାଡ଼୍ ଖଡ଼ ଖଡ଼ ଶବ୍ଦ ଶୁଣି ତାର ସଜ୍ଞା ହେଲା ! ସେ ଆଖି ଫିଟାଇ ଯେତେବେଳେ ଚାହିଁଲା, ଦେଖିଲା, ଗଦେଇ ଆଉ ଖଟିଆରେ ନାହିଁ ! ତାକୁ ଦୁଇଜଣ ଲୋକ ଗୋଟାଏ ଦୋଳାରେ ପକାଇ ଟେକି ଧରିଛନ୍ତି । ସେ କିଛି ବୁଝି ନ ପାରି ପଚାରିଲା, ରେଗୀକୁ ଏପରି କୁଆଡ଼େ ବୋହିନେଇ ଯାଉଚ ?

 

“ଏ କଣ ରୋଗୀ ? ଏ ତ ମଡ଼ା । ତୁ କଣ ପଥରଟାଏ ନା ନିଦରେ ଶୋଇଥିଲୁ ?”

 

ରାମଚନ୍ଦ୍ର ଗାଁକୁ ଫେରିଆସି ଦେଖିଲା, ଗଦେଇର ଘରଖଣ୍ଡକ ଦଳବେହେରାଙ୍କ ଦଖଲରେ ଅଛି । ସେ ତ ସେକଥା ଦେଖିବାକୁ ଆସି ନ ଥିଲା । ଆସିଥିଲା ଇହଧାମରୁ ଚାଲିଯିବା ଆଗରୁ ସେବତୀର ମୁହଁ ଟିକିଏ ଦେଖିବା ପାଇଁ । ସେ ଯେ ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି, ତାର ସୁରାଖ କିଛି ପାଇଲା ନାହିଁ । ବ୍ରହ୍ମଗିରି ଅଞ୍ଚଳର ତଳମାଳ ଇଲାକା ପରି ହୀନମାନ ରାଜ୍ୟ ପୃଥିବୀରେ ଆଉ ଅଛି କି ନା କେଜାଣି । ନୂଆ ପୁରୁଣା ସନ୍ଧିବେଳେ ସବୁ ସାଧାରଣ ସମୟରେ ସେଠାରେ ଲୋକେ ହା-ଅନ୍ନ, ହା-ଅନ୍ନ ହୋଇ ପ୍ରାଣ ହରାନ୍ତି । ଏବେ ୧୯୪୩ ମସିହା ଶରତକାଳ ଯାକ ବହୁତ ଲୋକ ମରି ଗଡ଼ିଛନ୍ତି । ରାମଚନ୍ଦ୍ର ପ୍ରତି ଗାଁ ବୁଲି ଖୋଜିଲା; କୌଣସିଠାରେ ସେବତୀକୁ ପାଇଲା ନାହିଁ ! ହାଇଁ ହାଇଁ ହୋଇ ବୁଲୁଥିବା ଲୋକଙ୍କୁ ଗୋଟି ଗୋଟି କରି ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁଲା । ପ୍ରତ୍ୟେକ ଶବ ପାଖକୁ ଯାଇ ତନ୍ନତନ୍ନ କରି ଦେଖିଲା । ତଥାପି ତା’ର ସତ୍ତା ଏକାବେଳକେ ଲୋପ ପାଇଯାଇଛି ବୋଲି ତାର ବିଶ୍ଵାସ ହେଲା ନାହିଁ । ସେ ମନକୁ ମନ ଭାବିଲା, “ଆଉ କୁଆଡ଼େ ଚାଲିଯାଇଚି । ବାନ୍ଧି ରଖିବାକୁ ଆଉ କ'ଣ ଅଛି ଯେ ଏଠି ମାଟି କାମୁଡ଼ି ପଡ଼ିଥାନ୍ତା ?”

 

ତେଣୁ ରାମଚନ୍ଦ୍ର ଉତ୍ତରରୁ ଦକ୍ଷିଣ ଓ ଦକ୍ଷିଣରୁ ଉତ୍ତର ଏପରି ଭାବରେ ଓଡ଼ିଶାର ଚାରିଟା ଉପକୂଳ ବୁଲିବାରେ ଲାଗିଛି । ତା’ର ଭୋକ ଶୋଷ ନାହିଁ, ଖରାବର୍ଷା ତା'କୁ କାଟୁନାହିଁ; ଦିନ ରାତି ମଧ୍ୟରେ ତାକୁ ପ୍ରଭେଦ ଜଣା ପଡ଼ୁନାହିଁ । କେଉଁଟା ସେବତୀର ଶବ ଓ କେଉଁଟା ନୁହେଁ, କେବଳ ମୁହଁ ଦେଖି ସେ ଚିହ୍ନିବାକୁ ଅକ୍ଷମ ହୋଇପଡ଼ିଛି । ତା' ପରେ ପୁଣି ସବୁ ସରୀସୃପଙ୍କ ପରି ସବୁ କଙ୍କାଳ ଦେଖିବାକୁ ସମାନ ।

 

ସେଥିରେ ଗୋରୀ କଳା, ମୋଟି ସରୁର ପାର୍ଥକ୍ୟ ନ ଥାଏ । ସବୁ କେବଳ ଗୋଟାଏ ଜାତିର ନରକଙ୍କାଳ । ନରର ନରତ୍ୱ ଯିବା ସଙ୍ଗେ ସଙ୍ଗେ ସେ କଙ୍କାଳରେ ପରିଣତ ହୋଇଛି । କେଉଁ କଙ୍କାଳ ଭିତରୁ ହୁଏତ ପ୍ରାଣବାୟୁ ଉଡ଼ିଯାଇ ନାହିଁ, ସେଥିପାଇଁ ତାହା ବୁଲୁଛି । ଆଉ ଯାହାଭିତରୁ ସେ ବାୟୁ ଟିକକ ଉଡ଼ିଯାଇଛି, ତାହା ଶବ ରୂପରେ ପଡ଼ି ରହୁଛି ! ଶବରାଶି ମଧ୍ୟରେ ଠିକ୍ କେଉଁଟି ସେବତୀର ବାଛିବାକୁ ହେଲେ ଗୋଟାଏ ପ୍ରବଳ ଚିହ୍ନ ଦରକାର । ସେ ଚିହ୍ନ ତା’ ଛାତିର କ୍ଷତ । ସେ କ୍ଷତ ସହିତ ରାମଚନ୍ଦ୍ରର ଗୋଟାଏ ବିଷମ ସ୍ମୃତି ଜଡ଼ିତ ରହିଛି । ଆଜି ତା’ର ସେକଥା ମନେ ଅଛି କି ନା କେଜାଣି, ତାହା ବୁଝିବା ମୁସ୍କିଲ । କିନ୍ତୁ ପ୍ରତ୍ୟକ୍ଷ ଦେଖାଯାଉଛି ଯେ ରାମଚନ୍ଦ୍ର ସେବତୀକୁ ଖୋଜି ଲାଗିଛି । ସେଥିପାଇଁ ମୁହଁ ମାଡ଼ି ପଡ଼ିଥିବା ଶବ ଗୁଡ଼ିକ ଗୋଟି ଗୋଟି କରି ଥରକୁ ଥର ଓଲଟାଇ ଦେଖୁଛି । କିଏ କ’ଣ କହୁଛି, ସେଥିପ୍ରତି ତାର ଭ୍ରୂକ୍ଷେପ ନାହିଁ ।

 

ସେ ବର୍ଷ ବାଲେଶ୍ଵର ଜିଲ୍ଲାର ଦଶା ଗାଆଣୀ ଗାଇବ ନାହିଁ । ବଢ଼ି ବତାସିରେ ବିଲ ବାଡ଼ି ଘର ଦ୍ୱାର ସବୁ ଯାଇଥିଲା । ତଥାପି ବାକି ଯାହା ରହିଯାଇଥିଲା, ତହିଁରୁ ଅନେକ ଉତ୍ତରରେ ମେଦିନୀ ପୁର ଚାଲିଗଲା । ବେପାରୀମାନେ ବ୍ୟବସାୟରେ ପଇସା ଛାଣିବାରେ ଲାଗିଲେ । ଶୁଖିଲା ପତ୍ର ପରି ଶହ ଶହ ଲୋକ ଝଡ଼ିପଡ଼ିଲେ । ରୂପାନ୍ତର ଧରି କେତେକ ସଂଘ ଲୋକଙ୍କ ମୁହଁରେ ଢୋକ ଦେବାକୁ ଆସି ବସିଗଲେ । ହାକିମହୁକୁମା ଅବସ୍ଥା ଦେଖିବାକୁ ଆସିଲେ ସେମାନଙ୍କ ମୁହଁ ଦେଖନ୍ତି । ମେଘ ଯେପରି ସ୍ଵର୍ଗରୁ ବର୍ଷେ, ପୃଥିବୀର ପାଣି ସେହିପରି ତଳୁ ଶୋଷିନେଇ ନିଜେ ପୃଷ୍ଟ ହୃଏ । ମାତ୍ର ମେରୁପ୍ରଦେଶ ପରି କେତେକ ସ୍ଥାନରୁ ମେଘ ପାଣି ଶୋଷିନେଇ ପୁଣି ସେଠାରେ ଢାଳେ ନାହିଁ, ଅନ୍ୟତ୍ର ବୋହି- ନେଇଯାଇ ଢାଳିଦିଏ । ତେଣୁ ସେହି ପ୍ରଦେଶରେ ଜୀବଜନ୍ତୁ ଜୀବନ ଧରି ରହିପାରନ୍ତି ନାହିଁ । ଏବେ ସମଗ୍ର ଓଡ଼ିଶାର ଓ ବିଶେଷରେ ବାଲେଶ୍ଵର ଜିଲ୍ଲାର ସେହି ଅବସ୍ଥା ଘଟିଅଛି ।

 

କିନ୍ତୁ ମରୁଭୂମି ମଧ୍ୟରେ ଉର୍ବର ଦ୍ୱୀପଖଣ୍ଡମାନ ମଧ୍ୟ ଥାଏ ! ସେହିପରି ଏକ ଦ୍ଵୀପଖଣ୍ଡରେ ବାଲେଶ୍ୱର ସହରର ଗୋଟାଏ ଚାଉଳ କାରଖାନାରେ ପୂର୍ବଦିନ ରାତିରେ ଭୋଜି ହୋଇଥିଲା । କାରଖାନା ମାଲିକ ବଙ୍ଗ ପ୍ରଦେଶକୁ ଚାଉଳ ପଠାଇବା ନିମନ୍ତେ ଅନୁମତି ପାଇଥିବା ଯୋଗେ ଆନନ୍ଦରେ ବାବୁଭୟା ଓ ଧୋବ ଧାଉଳିଆମାନଙ୍କୁ ଖାଇବାକୁ ଡାକିଥିଲେ । ମଉଜ ମଜଲିସ, ସାରି ଖାଉଖାଉ ପ୍ରାୟ ଭୋର ହୋଇଯାଇଥିଲା । ଅଇଁଠା ପତ୍ର ସବୁ ସକାଳେ ବାହାରକୁ ଫିଙ୍ଗି ଦିଆଗଲା । ଦଳେ କଙ୍କାଳ ମୂର୍ତ୍ତି ସଙ୍ଗେ ସଙ୍ଗେ ଆସି ବିକଟ ହାସ୍ୟରେ ଚାରିପାଖେ ଜୁଟିଗଲେ । ବାଟରେ ଜଣେ ପଥିକ ଯାଉଥିଲା । ସେହି ଦୃଶ୍ୟ ଦେଖି ସେ ଅନୁଭବ କଲା, ସତେ ଯେପରି ତାର ହୃତ୍‌ପିଣ୍ଡ ବନ୍ଦ ହୋଇଆସୁଛି । ଆଉ ଟିକିଏ ନିକଟକୁ ଅଗ୍ରସର ହେବାପରେ ସେ ଦେଖିଲା, ଗୋଟିଏ କଙ୍କାଳ ମୂର୍ତ୍ତି ଖଣ୍ଡେ ଦୂରରେ ପାଚିରିକି ଆଉଜି ଠିଆ ହୋଇଛି; ଅନ୍ୟମାନଙ୍କ ସହିତ ଯାଇ ପୂର୍ବରାତି ଭୋଜିର ଅବଶେଷରେ ଜଠର ଜ୍ୱଳା ନିବାରଣ କରୁନାହିଁ । ଦେଖି ତା’ର ପାଦ ଆଉ ଚାଲିଲା ନାହିଁ । ହଠାତ୍ ସେ ଶୁଣିଲା ରାମ ଭାଇ’ ! ଏ ଯେ ଖୁବ୍ ପରିଚିତ ସ୍ଵର, କେବଳ ଗୋଟାଏ ଫଟା ଦଦରା ଯନ୍ତ୍ର ଭିତରବାଟେ ଆସୁଛି ।

 

ରାମଚନ୍ଦ୍ର ଧାଇଁ ଚାଲିଗଲା । କିନ୍ତୁ ଡାକିବା ଲୋକକୁ ଦେଖି ଚିହ୍ନି ପାରିଲା ନାହିଁ । ତେବେ ତା’ର ଜୀର୍ଣ୍ଣ ପରିଧେୟର ବିସ୍ତୃତ ଛିଦ୍ର ବାଟେ ଗୋଟିଏ ପ୍ରକାଣ୍ଡ କ୍ଷତଚିହ୍ନ ଦାଉ ଦାଉ ହୋଇ ରାମଚନ୍ଦ୍ରର ଆଖିରେ ପଡ଼ିଗଲା । ତା ପାଟିରୁ ସ୍ଵତଃ ଗୋଟିଏ ପ୍ରଶ୍ନ ବାହାରିପଡ଼ିଲା, କଣ, ସେବତୀ ? ସେବତୀ ଉତ୍ତର ଦେଇପାରିଲା ନାହିଁ, କେବଳ ରାମଚନ୍ଦ୍ରର ଛାତିକି ଢଳିପଡ଼ିଲା । ଚାରିଟା ହାତ ପରସ୍ପର ସହିତ ଛନ୍ଦାଛନ୍ଦି ହୋଇଗଲା । ରାମଚନ୍ଦ୍ର ‘ସେବତୀ’ ‘ସେବୀ’, ‘ସେବୀ’ ବୋଲି କେତେ ଡାକିଲା । ଉତ୍ତରରେ କିଛି ସମୟ କେବଳ ’ ହୁଁ ' ଶବ୍ଦ ଶୁଣିଲା; ମାତ୍ର ତା ପରେ ଆଉ ସେହି ଟିକକ ଶବ୍ଦ ଶୁଭିଲା ନାହିଁ । ଗୋଟିଏ କ୍ଷୁଦ୍ର ପ୍ରାଣବାୟୁ ମରଜଗତରୁ ଅମର ଧାମକୁ ଉଡ଼ିଚାଲିଗଲା । ପଡ଼ିରହିଲା କେବଳ ଜଡ଼ ପିଣ୍ଡଟାଏ ଓ ତା ପାଖେ ଜଣେ ନିରାଶ ଯୁବକର ଅନ୍ତରାତ୍ମା ।

 

କେତେକ ସମୟ ପରେ ମ୍ୟୁନସିପାଲଟି ମେହେନ୍ତରମାନେ ମଡ଼ା ଉଠାଇବାକୁ ଆସି ସେବତୀର ଶବ ଯେତେବେଳେ ଟଣାଓଟରା କଲେ, ରାମଚନ୍ଦ୍ର, ତାକୁ ଧରି କାନ୍ଧରେ ରଖି, ମୋତିଗଞ୍ଜ, ସୁନାହାଟ ପାରିହୋଇ ପଳାଇଲା, ସତେ ଯେପରି ଦସ୍ୟୁ ହାତରୁ ସେ ଅମୂଲ୍ୟ ନିଧି ଉଦ୍ଧାର କରିବାକୁ ଧାଇଁଛି । କିନ୍ତୁ ସେଥିରେ ମଧ୍ୟ ତ୍ରାହି ମିଳିଲା ନାହିଁ । ସେ ଯେଉଁଆଡ଼େ ଗଲା, ଚିଲ ଶାଗୁଣା ବିଲୁଆ କୁକୁର ତା ପଛେ ପଛେ ଗୋଡ଼ାଇବାରେ ଲାଗିଲେ । ସେତେବେଳେ ତାକୁ ଗୋଟାଏ ବୁଦ୍ଧି ଦେଖାଗଲା । ତା ଆଗରେ ନୀଳ ସମୁଦ୍ରବକ୍ଷରେ ତରଙ୍ଗମାଳ ମୁଣ୍ଡ ଟେକି କୂଳଆଡ଼କୁ ଗୋଟିକ ପରେ ଗୋଟିଏ ଅଗ୍ରସର ହେଉଥିଲେ । ସେ ପାଟି ଫିଟାଇ ପଚାରିଲା, “କଣ, ଆମକୁ ଡାକୁଚ ?” ଲହରୀ ଗୁଡ଼ାକ କଳକଳ ତାନରେ କି ଭାଷା କହୁଥିଲେ କେଜାଣି, ସେ ବୁଝିଲା, ସେମାନେ ଉତ୍ତର ଦେଉଛନ୍ତି “ହଁ” । ତେଣୁ ନିଜ ବୁକୁରେ ଶବଟିକୁ ଜାକି ଧରି ସମୁଦ୍ର ଭିତରେ ପଶିଗଲା । କୂଳରେ ଯେ ଦୁଇ- ଚାରିଜଣ ନିଜ ନିଜ ଧନ୍ଦାରେ ଲାଗିଥିଲେ, କେତେକ ସମୟ ପାଣିଭିତରେ କିଛି ଚିହ୍ନ ବର୍ଣ୍ଣ ଦେଖିଲେ ନାହିଁ । ମାତ୍ର କେତେ ସମୟ ପରେ ଲହରୀ ଦୁଇଟା ଶବ ଏକାଠି ଆଣି ବାଲି ଉପରେ ଫୋପାଡ଼ିଦେଇ ଚାଲିଗଲା ।

Image

 

ମାଳତୀ

ସ୍ଵର୍ଗତ ବାଙ୍କନିଧି ପଟ୍ଟନାୟକ

 

ରାତି ଅଧକୁ ବଳି ପଡ଼ିଲାଣି । ଆକାଶ ନିବିଡ଼ ମେଘାଚ୍ଛନ୍ନ । କିଛି ସମୟ ଆଗରୁ ଅସରାଏ ଖୁବ୍ ଟାଣୁଆ ବର୍ଷା ହୋଇଯାଇଛି । କିନ୍ତୁ ଝଡ଼ ତୋଫାନ ବନ୍ଦ ହୋଇନାହିଁ । ଚାରିଆଡ଼େ -ଘୁ-ଘୁ-ସୁ-ସୁ ଶବ୍ଦ ଶୁଣାଯାଉଛି । ପବନ ବଡ଼ ବଡ଼ ଗଛ ଗୁଡ଼ାକ ସଙ୍ଗେ ଏକ ଉତ୍କଟ କ୍ରୀଡ଼ାରେ ମତ୍ତ । ଚିଲିକା ବକ୍ଷରେ ମଧ୍ୟ ତାଣ୍ଡବ ନୃତ୍ୟ ଲାଗିଅଛି । ଢେଉଗୁଡ଼ାକ ଅଶାନ୍ତ ଚଞ୍ଚଳ ଶିଶୁଦଳ ପରି ଉଛୃଙ୍ଖଳ ଭାବରେ ଗୋଡ଼ା ଗୋଡ଼ି ହୋଇ ତଟ ଉପରେ ଆସି କଳ କଳ ଶବ୍ଦ କରି ପଡ଼ିଯାଉଛନ୍ତି ।

 

କୂଳରେ ବନ୍ଧା ହୋଇଥିବା ନୌକାଗୁଡ଼ିକ ଏ ତାଣ୍ଡବ ଲୀଳାରେ ଯୋଗଦେବା ନିମନ୍ତେ ନିଜ ନିଜର ବନ୍ଧନରଜ୍ଜୁକୁ ଅସହିଷ୍ଣୁ ଭାବରେ ଟଣାଓଟରା କରୁଛନ୍ତି ଏବଂ ସଙ୍ଗେ ସଙ୍ଗେ ନିଜର ନିଃସହାୟ ଅବସ୍ଥା ବୁଝି ଖାଲି ଗୁଡ଼ାଏ ମନେ ମନେ ଭଟର ଭଟର ହେଉଛନ୍ତି । ଏ ସମୟରେ ସୁଦ୍ଧା କଦବା କ୍ଵଚିତ୍ ଖଣ୍ଡେ ଖଣ୍ଡେ ମାଛଧରା ଡଙ୍ଗା ମଧ୍ୟରୁ କ୍ଷୁଦ୍ର ଆଲୋକ ରେଖାଟିଏ ଜଳରେ ପ୍ରତିବିମ୍ବିତ ହେଉଛି ।

 

ଅଦୂରବର୍ତ୍ତୀ ଧୀବର ପଲ୍ଲୀଟି ନର୍ଜନ ନିସ୍ତବ୍ଧ । କେବଳ ଗୋଟିଏ କ୍ଷୁଦ୍ର କୁଟୀରରୁ ଗୋଟିଏ କ୍ଷୀଣ ଆଲୋକରେଖା ଆସି ମଝିଦାଣ୍ଡରେ ପଡ଼ିଅଛି । ଘରଟି ନୀଚ ଓ ଗ୍ରାମର ଅନ୍ୟାନ୍ୟ ଘରଠାରୁ ଟିକିଏ ଅଲଗା । ଘରର କବାଟ ଭିତରୁ କିଳା ହୋଇଥିଲେ ମଧ୍ୟ କବାଟ ଫାଙ୍କ ଦେଇ ଭିତର ଆଲୁଅ ପଦାକୁ ବାହାରୁଅଛି । ଭିତରେ ମିଞ୍ଜି ମିଞ୍ଜି ହୋଇ ଯେଉଁ ଦୀପଟି ଜଳୁଛି ତାହା ଅନ୍ଧାର ଯେତେ ଦୂର କରୁନାହିଁ, ଘରେ ତାହା ଅପେକ୍ଷା ବେଶି ଧୁଆଁର ସୃଷ୍ଟି କରୁଅଛି । ଘର ଭିତରେ ଖଣ୍ଡିଏ କାଠର ଭାଡ଼ି ଓ କେତେଗୁଡ଼ିଏ ଶିକା ଉପରେ ହାଣ୍ଡି, ପଲମ, ବାଉଁଶିଆ, ଡାଲା ପ୍ରଭୃତି ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ ଦୃଷ୍ଟି ଗୋଚର ହୁଏ ନାହିଁ । ଘରର ଫାଙ୍କା ସ୍ଥାନରେ ଦୁଇ ତିନି ଖଣ୍ଡ ଛିଣ୍ଡା ମଶିଣା ଉପରେ ଛୋଟ ବଡ଼ ତିନୋଟି ଶିଶୁ ବିପର୍ଯ୍ୟସ୍ତ ଭାବରେ ନିଦ୍ରାମଗ୍ନ । କାହା ଉପରେ ଖଣ୍ଡେ ଲୁଗା ପଡ଼ିଛି ତ କାହା ଉପରେ ନାହିଁ । ଘରର ଏକ ପାଖରେ ଢାଳ, କଂସା ପ୍ରଭୃତି କେତେ ବାସନକୁସନ ପଡ଼ିଛି । ଆଉ ଏକ ପାଖରେ ଗୋଟିଏ ମଳିନବସନା ସ୍ତ୍ରୀଲୋକ କାନ୍ଥକୁ ଆଉଜି ଆଉ ଗୋଟିଏ କ୍ଷୁଦ୍ର ଶିଶୁକୁ କୋଳରେ ଧରି ଅର୍ଦ୍ଧସୁପ୍ତ ଅବସ୍ଥାରେ ବସି ଢୁଳାଉଛି । କେତେବେଳେ ଶିଶୁଟି କାନ୍ଦିଉଠିଲେ ସ୍ତ୍ରୀଲେକଟି ତାକୁ ସାନ୍ତ୍ୱାନା ଦେଉଛି; ପୁଣି କେତେବେଳେ ଚମକି ପଡ଼ିଲା ପରି ଉଠି ଦୁଆରଆଡ଼କୁ ଉତ୍ସୁକ ଭାବରେ ଅନାଇ ରହୁଛି ଓ କାନ ଡେରୁଛି । କିଛି ସମୟ ପରେ ପୁଣି କଅଣ ଭାବି ଟିକିଏ ଆଖି ବୁଜି କାନ୍ଥକୁ ଆଉଜି ପଡ଼ୁଛି । ଏହିପରି ଭାବରେ ଯେପରି କାହାର ପ୍ରତୀକ୍ଷାରେ ରହି ସେ ଥରକୁ ଥର ଉଠୁଛି ଓ ଥରକୁ ଥର ନିଦ୍ରାର ତାଡ଼ନାରେ ଟିକିଏ ଶୋଇପଡୁଛି । ଶେଷରେ ସେ ଦୁଆର ଫିଟାଇ ବାହାରକୁ ଯାଇ ଦେଖିଲା ଯେ ଆଉ ଅନ୍ଧାର ନାହିଁ, ଚାରିଦିଗ ଚନ୍ଦ୍ରାଲୋକରେ ଶୁଭ୍ର ଓ ଉଜ୍ଵଳ ଦେଖାଯାଉଛି । ଆକାଶରେ ଆଉ ବେଶି ମେଘ ନାହିଁ । ପବନର ବେଗ ମଧ୍ୟ ଟିକିଏ କମିଆସିଛି ।

 

ସେ ଚାରିଆଡ଼କୁ ଚାହିଁ ଦେଖିଲା, କେଉଁଠାରେ ଜନମାନବର ସଞ୍ଚାର ନାହିଁ । ମେଘ କୋଳରେ ଚାନ୍ଦ ହସୁଛି ! ତାରାଗୁଡ଼ିକ ମିଟି ମିଟି କରି ଚାହିଁ ରହିଛନ୍ତି ! ଆଉ ଖଣ୍ଡ ଖଣ୍ଡେ ମେଘ ଆକାଶରେ ଭାସି ବୁଲୁଛନ୍ତି । ସ୍ତ୍ରୀଲୋକଟିର ନାମ ମାଳତୀ, ବୟସ ବାଇଶି ତେଇଶି ହେବ । ତାର ସ୍ଵାମୀ ସୁବଳ‌ ବେହେରା ଦି’ପହରରୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇଛି । ଏତେବେଳଯାଏ ଦେଖା ନାହିଁ । ମାଳତୀ ଆଉ ଥରେ ଚିଲିକା ଆଡ଼କୁ ଚାହିଁଦେଇ ଦୀର୍ଘ ନିଶ୍ୱାସଟିଏ ପକାଇ ଘର ଭିତରକୁ ଅଗ୍ରସର ହେଲା । ପୁଣି କଅଣ ଭାବିଲା ଘରେ ଶିକୁଳି ଲଗାଇଦେଇ କିଛି ଦୂରରେ ଥିବା ଗୋଟିଏ କୁଡ଼ିଆ ଆଡ଼କୁ ଗଲା ?

 

ସେ କୁଡ଼ିଆରେ ଥାଏ ସାବୀ । ସେ ବଡ଼ ଦୁଃଖିନୀ । ତା’ର ସ୍ଵାମୀ ନାହିଁ କି ଅନ୍ୟ କେହି ସାହା ଭରସା ନାହିଁ । ଅଛନ୍ତି ଖାଲି ଦୁଇଟି ଅପୋଗଣ୍ଡ ଶିଶୁ । ସେହି ଶିଶୁ ଦିଇଟା ପାଇଁ ଯେପରି ସେ ସଂସାରରେ ବଞ୍ଚିରହିଛି । ସେହିମାନେ ହିଁ ତା’ର ଗୋଡ଼ର ଶାଙ୍କୋଲି, ପୁଣି ସେମାନେ ହିଁ ତାର ଅନ୍ଧକାରମୟ ଜୀବନର ଏକମାତ୍ର ଆଲୋକରେଖା । କେତେବେଳେ ମାଛ ଶୁଖୁଆ ବିକି, କେତେବେଳେ କାହାର କାମଧନ୍ଦା କରିଦେଇ ଯାହା ପାଏ ସେଥିରେ ତାର ଓ ପିଲାମାନଙ୍କର ଖାଈ ବଞ୍ଚି - ରହିବାକୁ ମଧ୍ୟ କଷ୍ଟକର ହୁଏ । ଏଡ଼େ ବଡ଼ ଗାଁଟାଯାକରେ କେବଳ ସୁବଳ ବେହେରା ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ପିଲାଟିମାନଙ୍କୁ ବଞ୍ଚାଇପାରିଛି ।

 

ସୁବଳର ଦେହ ଯେପରି ସୁଦୀର୍ଘ ଓ ବଳିଷ୍ଠ, ତାର ମନଟି ସେହିପରି ଉଦାର ଓ ପ୍ରଶସ୍ତ । ତାର ରୋଜଗାର ନିଜ ପରିବାରର ଭରଣପୋଷଣ ପାଇଁ ଯଥେଷ୍ଟ ନ ଥିଲେ ସୁଦ୍ଧା ସେ ସାବୀର ପିଲମାନଙ୍କୁ ସେଥିରୁ ଏକାବେଳକେ ବଞ୍ଚିତ କରେ ନାହିଁ । ଛେଉଣ୍ଡ ପିଲମାନେ ଯେତେବେଳେ “କକା'', “କକା” କହି ତା ପାଖକୁ ଦଉଡ଼ି ଆସନ୍ତି ସେ ସେମାନଙ୍କୁ ସ୍ନେହରେ କୋଳକୁ ଟାଣିନଏ ଓ ସେମାନଙ୍କ ସଙ୍ଗେ ବାଳକ ପରି ଖେଳ କୌତୁକରେ ମାତିଯାଏ ।

 

ଏଥିରେ ଯଦି କେହି ବାଧା ଦେଉଥାନ୍ତା, ସେ ମାଳତୀ; କିନ୍ତୁ ମାଳତୀ ପକ୍ଷରେ ତା’ର ସ୍ଵାମୀର ସବୁ କାର୍ଯ୍ୟ ସୁନ୍ଦର, ତା’ର ଗୁଣ ସୁନ୍ଦର, ଦୋଷ ସୁନ୍ଦର, ହସ ସୁନ୍ଦର, ରାଗ ସୁନ୍ଦର । ମାଳତୀର ନିଜର ବୋଲି କିଛି ଗୋଟାଏ ନାହିଁ । ତାର ବାପ ବିଦିଆ ବେହେରା ଗ୍ରାମର ଜଣେ ମାତବର ଲୋକ । ଦଶ ପଚାଶ ଗାଁରେ ତା’ର ନାମ ଡାକ । ପାଞ୍ଚ ସାତ ଖଣ୍ଡ ନାହା ତାର ଭଡ଼ା ଲାଗେ । ସଦାବେଳେ କାରବାର ଲାଗିରହିଥାଏ । ଭଲ ଘରଟିଏ ଦେଖି ଝିଅକୁ ବାହା ଦେବ ବୋଲି ତାର ଭାରି ଇଚ୍ଛା ଥିଲା । ଭଲ ପାତ୍ର ମଧ୍ୟ ମିଳିଥିଲା । କିନ୍ତୁ ସୁବଳର ରୂପ, ଗୁଣ ମୋହରେ ମାଳତୀ ସବୁ ଛାଡ଼ି ଦାରିଦ୍ର୍ୟକୁ ବରଣ କଲା । ବାପର ବୁଝାଶୁଝା, କ୍ରୋଧ, ବିରାଗ କୌଣସି କଥାକୁ ଭୃକ୍ଷେପ ନ କରି ସେ ଆସି ସୁବଳର କୁଟୀରରେ ଆଶ୍ରୟ ଗ୍ରହଣ କଲା । ସେହିଦନୁ ସୁବଳ ମାଳତୀର ଇଷ୍ଟଦେବତା ।

 

ସୁବଳ ଚାଲିଯାଏ ମାଛ ଧରିବାକୁ, ଆଉ ମାଳତୀ ଘରେ ତା'ର ଭାବନାର ପସରା ମେଲାଇଦେଇ ବସିଯାଏ । ସେ ଭାବନାର ଅନ୍ତ ନାହିଁ । ସମ୍ଭବ ଅସମ୍ଭବ ସବୁ ପ୍ରକାର ଚିନ୍ତା ! ମାଳତୀର ମନକୁ ଆଲୋଡ଼ିତ କରିପକାଏ । ସେ ଯନ୍ତ୍ର ପରି ଘରକାମ ସବୁ କରିଯାଏ । କିନ୍ତୁ ତା’ର ମନ ପଡ଼ିଥାଏ ଯାଇ ସେ ଚିଲିକାର ସୁଦୂର ନୀଳ ବକ୍ଷରେ । ସୁବଳର ଡଙ୍ଗାଟି କିପରି ପାଣି ଉପରେ ଚାଲୁଥିବ, କପରି ହଲୁଥିବ, ପଦେ ପଦେ କେତେ ବିପଦ ଆସି ବାଟ ଓଗାଳୁଥିବ, ସୁବଳ କିପରି ତାର ବଳିଷ୍ଠ ଭୁଜରେ କ୍ଷେପଣି ଧରି ଭୀମ ବିକ୍ରମରେ ସେସବୁକୁ ଅତିକ୍ରମ କରୁଥିବ–ଓଃ, କି କଷ୍ଟକର ଏ ନାଉରୀ ଜୀବନ ! ଖରା ନାହିଁ, ଶୀତ ନାହିଁ, ଝଡ଼ ନାହିଁ, ବର୍ଷା ନାହିଁ, ସବୁବେଳେ ପେଟ ପାଇଁ କି ଭୀଷଣ ସଂଗ୍ରାମ ! ବିପଦ ସଙ୍ଗେ କି ଅବିଶ୍ରାନ୍ତ ଯୁଦ୍ଧ !

 

ମାଳତୀ ସାବୀର କୁଡ଼ିଆ ଆଡ଼କୁ ଏତେ ନିର୍ଜନ ରାତିରେ ଯିବାର କାରଣ ହେଉଛି ଯେ, ସାବୀ ଚାରି ପାଞ୍ଚ ଦିନ ହେଲା ବାଧିକା ପଡ଼ିଛି, ତାର ଉଠିବାକୁ ବଳ ନାହିଁ । ମାଳତୀ ମଝିରେ ମଝିରେ ଯାଇ ତାକୁ ଜୋର୍ କରି ପାଣି ଟିକିଏ କି ତୋରାଣି ଟିକିଏ ପିଆଇ ଦେଇ ଆସେ ! ପିଲାଟିମାନଙ୍କୁ ଘରକୁ ଆଣି ଗଣ୍ଡାଏ କଅଣ ଖାଇବାକୁ ଦେଇଦିଏ । ଆଉ ଟିକିଏ ଭୁଲାଇ କରି ରଖିନିଏ । ସାବୀର କୁଡ଼ିଆ ଖଣ୍ଡି ମଧ୍ୟ ଭାଙ୍ଗି ପଡ଼ିବା ଉପରେ ବସିଲାଣି । ସୁବଳ କେତେଥର ତାକୁ ଟିକିଏ ଛାଉଣି ଛପର କରି ସଜାଡ଼ି ଦେବାକୁ ବସିଲାଣି; କିନ୍ତୁ ଲଗାଣ ବର୍ଷା ଯୋଗୁଁ କିଛି କରିପାରୁ ନାହିଁ । ଆଉ ତାକୁ ହେଲେ କଣ ତର ଅଛି । ଦିନେ ଦି’ଦିନ ନିଜର ବ୍ୟବସାୟ ବନ୍ଦ କରି କେଉଁଠାକୁ ଯାଇ ନଡ଼ା ଦଶ କୋଡ଼ି କି କାଠ ବାଉଁଶ ଦି’ଖଣ୍ଡ ଆଣିଲେ ସିନା ହେବ । ଏକା ଲୋକ, କେଉଁ ଆଡ଼କୁ ପାରିବ ସେ ?

 

ମାଳତୀ ସାବୀର କୁଡ଼ିଆ ଘର ପାଖକୁ ଯାଇ ଦେଖିଲା, ଘରଟା ଖଣ୍ଡିଆ ଭୂତପରି ଦାନ୍ତ ନିକୁଟି ଛିଡ଼ା ହୋଇଛି । ଘରର ନଡ଼ା କୁଟା ସବୁ ପବନରେ ତଳେ ଓଜାଡ଼ି ହୋଇ ପଡ଼ିଛି, ଆଉ ଘର ଭିତରେ ଦର ଦର ହୋଇ ବର୍ଷାପାଣି ପଡ଼ିଛି । ଚାରିଆଡ଼େ ଖାଲି ଖା ଖା ହେଉଛି । ମାଳତୀକୁ ସ୍ଥାନଟି କିପରି ମାଡ଼ିପଡ଼ିଲା ପରି ଲାଗିଲା । ସେ ଘର ପାଖକୁ ଯାଇ “ସାବୀ’ ସାବୀ’ ବୋଲି ଅନେକ ଥର ଡାକିଲା; କିନ୍ତୁ କିଛି ସୋର ଶବଦ ପାଇଲା ନାହିଁ । ଶେଷରେ କବାଟରେ ହାତ ମାରି ଦେବାରୁ କବାଟ ଠିଆ ମେଲା ହୋଇଗଲା, ଆଉ ସାଙ୍ଗେ ସାଙ୍ଗେ ଘୁ ଘୁ କରି ଗୁଡ଼ାଏ ଶୀତଳ ପବନ ଘର ଭିତରେ ପଶିଗଲା । ପିଲା ଦିଟା ଚିରିଚିରେଇ ଉଠିଲେ; କିନ୍ତୁ ସାବୀର ଟିକିଏ ହଁ ଚୁଁ ନାହିଁ କାହିଁକି ? ଏଡ଼େ ବଡ଼ କନ୍‌କନିଆ ଥଣ୍ଡା ପବନରେ ତାର ନିଦ ଭାଙ୍ଗୁ ନାହିଁ କିପରି ? ସେ ସାବୀ ପାଖକୁ ଯାଇ ତାର ଦେହରେ ହାତ ମାରି ଦେଇ ଚମକି ପଡ଼ିଲା ଦେହ ଯାକ ହିମ କାକର ! ମାଳତୀ ବୁଝିପାରିଲା ଯେ ସାବୀର ପ୍ରାଣ ଅନେକ ଆଗରୁ ପିଣ୍ଡ ଛାଡ଼ି ଚାଲିଗଲାଣି । କ'ଣ କରିବ, ତାକୁ କିଛି ବୁଦ୍ଧି ଦେଖାଗଲା ନାହିଁ । ସେ କେତେବେଳେ- ଯାକେ ଥକା ହୋଇ ବସିରହିଲା । କିଛି ସମୟ ପରେ ନିଦ୍ରିତ ଶିଶୁ ଦୁଇଟିଙ୍କୁ ଧରି ସେ ନିଜ ଘରକୁ ଫେରିଆସିଲା ।

 

ସେମାନଙ୍କୁ ମସିଣାରେ ଶୁଆଇ ଦେଲା ପରେ ମାଳତୀ ମୁଣ୍ଡରେ ଭାବନାର ଜୁଆର ଆସିଗଲା । ସେ ଭାବିଲା, ସାବୀ ତ ମରି ସରଗକୁ ଚାଲିଗଲା । ସେ ଖାଲି ଘାଣ୍ଟି ହେବାକୁ ରହିଲା । ସେ ଘାଣ୍ଟି ହେଲେ କିଛି ଚିନ୍ତା ନ ଥିଲା; କିନ୍ତୁ ସୁବଳ ଯେ ତା ସଙ୍ଗେ ଘାଣ୍ଟି ହୋଇଯିବ । ସେମାନଙ୍କର ପାଞ୍ଚ ପାଞ୍ଚଟା ପିଲା, ସେମାନଙ୍କ ପାଟିରେ 'ଦିବେଳା ଦି'ମୁଠା ଲେଖାଏଁ ଆଧାର ଦେବାକୁ ତାର ବଳ ନାହିଁ । ପୁଣି ଭଗବାନ ଦେଲେଣି ଆଣି ବୋଝ ଉପରେ ନଳିତା ବିଡ଼ା । ସମ୍ଭାଳି ନ ପାରି ଘେନି ତ ଆସିଲି; ପିଲା ଦୁଇଟାଙ୍କୁ ଏବେ କରେ କ’ଣ ? ସୁବଳ ଦେଖିଲେ କଣ କହିବ, କ’ଣ କରିବ, ତାର ଠିକଣା କ’ଣ ? ଏହିପରି ନାନା ଚିନ୍ତା ତା ମୁଣ୍ଡରେ ଖେଳିଗଲା ।

 

ରାତି ପାହି ଆସିଲାବେଳକୁ ସୁବଳ ଆସି ପହଞ୍ଚିଲା ତାର ଜାଲ ବିଡ଼ା ଧରି । ମାଳତୀ କବାଟ ଫିଟାଇଦେଇ ପଦାକୁ ଧଡ଼ପଡ଼ ହୋଇ ବାହାରି ପଡ଼ିଲା । ସୁବଳ ତାକୁ ଦେଖି ହସି ହସି କହିଲା, ନାବକେଳି ସାରି ଫେରିଲେ ହରି ।” ମାଳତୀ କହିଲl, “ଆହା ହା, ନାବକେଳି ! କୋଉ ଏକ ସକାରୁ ଯାଇଛ ଯେ ପୁଣି ଆସି ଦିନ ଉଇଁବାକୁ ବସିଲେଣି । ଏଡ଼େ ବଡ଼ ଝଡ଼ ତୋଫାନରେ ଲୋକେ କ’ଣ ମାଛ ଧରିବାକୁ ଯାଆନ୍ତି ? ନ ହେଲେ ସେ ମାଛ, ନ ହେଲେ ସେ ପଇସା ! କାହିଁକି, ଆମ ଜୀବନ କ'ଣ ଜୀବନ ନୁହେଁ ? ସୁବଳ କହିଲା, “ନାହଁ ଲୋ, ଆଜି କି ଦୁର୍ଯୋଗରେ ବାହାରିଥିଲି, ମାଛଫାଛ କିଛି ନାହିଁ । ଖାଲି ଭୁଆଁ ବୁଲା ସାର ହେଲା, ଲାଭ ଭିତରେ ଯେ ଜାଲ ଖଣ୍ଡି ଛିଣ୍ଡି ଯାଇଛି ।”

 

ଏ କଥା ଶୁଣି ମାଳତୀର ଛାତି ଭିତର ଥରି ଉଠିଲା । ସେ ଗୋଟାଏ କ'ଣ ବାହାନା କରି ଘର ଭିତରକୁ ଚାଲିଗଲା । କିଛି ସମୟ ପରେ ଆସି କହିଲା, ଏ ଶୁଣିଲଣି, ସାବୀଟି ଆଜି ରାତିରେ ମରିଗଲା ।” “ଏଁ, କେତେବେଳେ ?” ଏତିକି କହିଦେଇ ସୁବଳ ଗୁମ୍ ହୋଇ ବସି ରହିଲା । ପରେ କହିଲା, ଭଗବାନଙ୍କର ଏ କି ବିଚାର ! ହଉ, ତୁ ଯା, ପିଲା ଦି’ଟାକୁ ଘେନିଆ । ମୁଁ ମଡ଼ା ଉଠାଇବାର ବ୍ୟବସ୍ଥା କରେଁ । ଆମର ପାଞ୍ଚଟି ପିଲା ଥିଲେ, ଏବେ ହେଲେ ସାତଟି । ଯେତେବେଳେ ଯାହା ଯୋଗ, ସେଥିକି ଉପାୟ କ’ଣ ? ଆଉ ଭାବିବାକୁ ବେଳ ନାହିଁ, ତୁ ଯା ।”

 

ସୁବଳର କଥା ଶୁଣି ମାଳତୀ ମୁଣ୍ଡରୁ ବଡ଼ ବୋଝଟିଏ ଖସିପଡ଼ିଲା । ସେ ସୁବଳକୁ ପିଲାଙ୍କ ଶୋଇବା ସ୍ଥାନକୁ ଟାଣିନେଇ କହିଲା, ହେଇ ଦେଖ, ଇଏ କଣ !” ସୁବଳ ଆଉ କଥା ବୋଧ ଦେଇ କହିପାରଲା ନାହିଁ । କେବଳ ମାଳତୀକୁ ଆଉଜାଇ ଆଣିଲା ।

Image

 

ରୂପର ମୂଲ୍ୟ

ଶ୍ରୀ ଦୟାନିଧି ମିଶ୍ର

 

ପ୍ରଥମ ପରିଛେଦ : ବିଦାୟ

 

“ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବାକାର୍ଯ୍ୟମ୍ ।” (କୁମାରସମ୍ଭବମ୍)

 

ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ । ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି । କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର । ଲୋକେ କହନ୍ତି, ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍‍କାୟିତ ଅଛି । ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ । ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରିନାହାନ୍ତି । ଏବଂବିଧ ପ୍ରକୃତ ତତ୍ତ୍ଵ ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି । ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ । ମନ୍ଦିରରେ କୌଣସି ଦେବବିଗ୍ରହ ମଧ୍ୟ ନାହିଁ । ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ଵ ଜୀଜ୍ଞାସୀମାନଙ୍କ ଅନୁସନ୍ଧେୟ । ପୁଣି ଏଠାରେ କୌଣସି ନଦୀର ସଂଗମସ୍ଥଳ ନ ଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି ? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ । ନଦୀ-ସଂଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଅଛି ।

 

ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର । ମନୁଷ୍ୟର ଦୃଷ୍ଟି ଯେପରି ଉର୍ଦ୍ଧ୍ୱକୁ ଚାହିଁ ଚାହିଁ ଉର୍ଦ୍ଧ୍ୱ, ମୁଖି ହୋଇଗଲାଣି । ପ୍ରଜା କମିଦାରର ଅନୁସରଣ କରୁଅଛି । ଜମିଦାର ରାଜାର ଅନୁସରଣ କରୁଅଛି । କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେ ଶତ ପ୍ରାଣୀ ଦୁର୍ବିଷହ ଯାତନା ଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ ?

ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣକଳେବର । ତାହାର ସେ ପୁରାତନ ଗୌରବ ଆଉ ନାହିଁ । ମନ୍ଦିର ବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାନ୍ତି । ମନ୍ଦିରଟି ପୁରାତନର ଗୋଟିଏ ଅଂଶ; ତାହା ବର୍ତ୍ତମାନର କିଛି ନୁହେଁ । କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନଥିଲା । ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ ବିସ୍ମିତ କରୁଥିଲା ।

 

ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ? ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ । ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ । ସେ ସଙ୍ଗୀତର ତୁଳନା ଜଗତରେ ବିରଳ । ତାହା ମନ୍ଦାକିନୀର ସ୍ଵଚ୍ଛ ସ୍ରୋତ ସଦୃଶ ଆକାଶବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ ।

 

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା । ପୂର୍ଣ୍ଣଚନ୍ଦ୍ର ପ୍ରାଚୀଲଲାଟରେ ଚନ୍ଦନ ବିନ୍ଦୁରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋସ୍ନାରେ ଜଗତକୁ ସିକ୍ତ କରିଛନ୍ତି । ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘଖଣ୍ଡ । ନଭଃପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି । ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି- ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନାବଳୀ ଉପରେ ଯାଇ ବସିଲା । ବିମଳାର ବୟସ ପ୍ରାୟ ଚଉଦ ବର୍ଷ ହେବ । ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡୀ ଏବଂ ହସ୍ତରେ ସ୍ଵର୍ଣ୍ଣବଳୟ । ତାହାର କାନ୍ତି ଚମ୍ପକ ସଦୃଶ, ବେଣୀ ଅସଂଯତ । ନୈଶ ସମୀର ବିମଳାର କପାଳନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘଦ୍ଵାରା ଅର୍ଦ୍ଧଲୁକ୍‍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଅଛି । ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର । ସେ ଯେପରି କାହାକୁ ଖୋଜୁଛି, କିନ୍ତୁ ପାଉନାହିଁ । ସେ ହସ୍ତୋପରି ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଅନାଇଲା । ଚନ୍ଦ୍ରର ଲୁଚକାଳି ଖେଳ ଦେଖି ମନ ମଧ୍ୟରେ କଣ ଭାବି ଗୀତ ଗାଇବାକୁ ଲାଗିଲା–

 

କର କିପାଁ ପ୍ରବଞ୍ଚନା ?

ଆହେ ଶଶଧର ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା ।।

ସରୋବର ବକ୍ଷେ ନୀର-ଆସନେ

ଖେଳେ କୁମୁଦିନୀ ମନ୍ଦ ପବନେ,

ଲୁଚକାଳି ଖେଳେ ମାତି ଅବହେଳେ ଦେଉଛି କିଁପା ଯାତନା ।।

ତବ ଆଲିଙ୍ଗନ ସୁଧାନିର୍ଝର

ଅଟେ କୁମୁଦିନୀ ହୃଦସମ୍ବଳ,

କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା ।।

କରୁଛୁ ମିନତି, କୁମୁଦବନ୍ଧୁ,

ଦେଖାଅ ନିର୍ମଳେ ବଦନ ମଧୁ,

ସୁଧା-ପାରାବରେ ଭାସି ପ୍ରେମଭୋରେ ଲଭିବ ଧନୀ ସାନ୍ତ୍ୱାନା ।।

 

ସ୍ଵରଲହରୀ ବନ୍ଦ ହେଲା, କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ ? ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା । ରଜନୀର ନିସ୍ତବ୍‌ଧତା କେଉଁଆଡ଼େ ଉଭେଇଗଲା । ଜଗତର ଅଜ୍ଞାତରେ, ନିସ୍ତବ୍‌ଧତାର ଅଜ୍ଞାତରେ ଧରଣୀବକ୍ଷରେ ସୁମଧୁର ସଙ୍ଗୀତରାଜ୍ୟ ପ୍ରତିଷ୍ଠିତ ହେଲା ।

 

ବିମଳା ଆବେଗରେ, ଉଛ୍ୱାସରେ, ଆତ୍ମବିସ୍ମୃତ ହୋଇ ନିବିଷ୍ଟଚିତ୍ତରେ ମହାନଦୀ ବକ୍ଷରେ ଜ୍ୟୋସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା । କିନ୍ତୁ ଏ କଣ ? ତା ମନ ଏପରି ଚଞ୍ଚଳ କାହିଁକି ? ଏ କାହାର ପଦଶବ୍ଦ ? ଏ କାହାର ଊଷ୍ଣ ନିଃଶ୍ଵାସ ? ବିମଳା ପଛକୁ ଫେରି ଅନାଇଲା । କି ସୁନ୍ଦର ଯୁବାମୂର୍ତ୍ତି, ଯେପରି ନୀଳ ବ୍ୟୋମପଟରେ ଚିତ୍ରିତ ତରୁଣ ଅରୁଣ ମୂର୍ତ୍ତି ! ସେ ମୁର୍ତ୍ତି ଦେଖି ବିମଳା ମୁଗ୍ଧ ହେଇଗଲା । ତାହାର ନୟନ ସମକ୍ଷରେ ଯେପରି ସୌନ୍ଦର୍ଯ୍ୟଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା । ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତ କଣ୍ଠରେ କହିଲା, “ଆଜି ଯାଏ ତୁମର ଶାରିରୀକ ଦୁର୍ବଳତା ଯାଇନାହିଁ । ତା ପରେ ପୁଣି ଏତେ ପରିଶ୍ରମ ମୋ ରାଣ, ଦେହରେ ବଳ ହେବାଯାଏ ଆଉ ରାତିରେ ଏପରି ବୁଲ ନାହିଁ ।”

 

ବିମଳାର କଥା ଶୁଣି ଯୁବକର ସମଗ୍ର ଶରୀର କଣ୍ଟକିତ ହୋଇଗଲା । ବିମଳାର ଅଜ୍ଞାତରେ ତାଙ୍କର ନୟନ କୋଣରେ ଅଶ୍ରୂକଣା ବିଲୀନା ହୋଇଗଲା । ସେ ତାହାର ହସ୍ତ ଧରି କହିଲେ, ‘‘କାହିଁକି, ବିମଳା ! ମୋର ଦେହ ତ ବେଶ୍‍ ସବଳ ହେଲାଣି । ଆଜି ସଞ୍ଜବେଳେ ମହାନଦୀ ଆରପାରିରେ ଗୋଟିଏ ନିଆଁ ହୁଳା ଦେଖା ଯାଉଥିଲା । ସେଠାକୁ ଯାଇ ଦେଖେ ଯେ ମରହଟ୍ଟlମାନେ ଦଳବଳ‌ ବାନ୍ଧି ଆସିଛନ୍ତି । ସେଦିନ ନାନାସାହେବ ଭୋଁସ୍ଲା ଯେଉଁ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବାପାଇଁ, ଏ ଆୟୋଜନ । ମୁଁ ଏକ୍ଷଣି ଦୁର୍ଗକୁ ଯାଇ ଏ ସମ୍ବାଦ ଦେବି ।''

 

ଯୁବକ ନୀରବ ହେଲେ ! ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା’ ମୁଖକୁ ଅନାଇବାକୁ ଲାଗିଲେ । ଅଶ୍ରୂସିକ୍ତ ଲୋଚନା ବିମଳା ରୁଦ୍ଧ କଣ୍ଠରେ କହିଲା, “କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ।”

 

ଯୁବକ କହିଲେ, “ଦେହ ପାଇଁ ଏତେ ଚିନ୍ତା କାହିଁକି ? ଯଦି ଦରକାର ହୁଏ, ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ।”

 

ବିମଳାର ଜ୍ୟୋସ୍ନା-ପ୍ରତିଫଳିତ ଅଶ୍ରୂସିକ୍ତ ଗଣ୍ଡ ପ୍ରତି ଯୁବକଙ୍କ ଦୃଷ୍ଟି ପଡ଼ିଲା । ତାଙ୍କ ହସ୍ତ ଶିଥିଳ ହୋଇଗଲା । ସେ ଆଉ ବିମଳାର ହସ୍ତ ଧରିପାରିଲେ ନାହିଁ । ବିମଳା ନୀରବରେ କ୍ରନ୍ଦନ କରିବାକୁ ଲାଗିଲା । ଏ ସମୟରେ ଯଦି ଆକାଶର ତାରକାଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କ ମସ୍ତକ ଉପରେ ପଡ଼ିଥାନ୍ତା, ତାହାହେଲେ ସେ ତିଳେମାତ୍ରେ ଦୁଃଖିତ ହୋଇ ନଥାନ୍ତେ । କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ଆଉ ସମ୍ଭାଳି ପାରିଲେ ନାହିଁ । ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା । ପରେ ବହୁ କଷ୍ଟରେ ଆତ୍ମସଂଗୋପନ କରି କହିଲେ, “ଛି ବିମଳା, ଦେଶର ଶତ୍ରୁକୁ ଦାଣ୍ଡଦୁଆରେ ଦେଖି ଏପରି କଥା କହୁଛ !”

 

ବିମଳା ମସ୍ତକ ଉତ୍ତୋଳନ କରି ସ୍ଥିର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା । ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ–ନୟନ ଅଶ୍ରୁବିମୁକ୍ତ । ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ଦେଶର କାର୍ଯ୍ୟ–ଦେବତାଙ୍କ କାର୍ଯ୍ୟ ମୁଁ ବାଧା ଦେବି ନାହିଁ -ଯାଅ । କିନ୍ତୁ.....”

 

ବିମଳାର କଣ୍ଠରୁଦ୍ଧ ହୋଇଗଲା । ତା’ ମୁଖରୁ ଆଉ କଥା ବାହାରି- ପାରିଲା ନାହିଁ । ଯୁବକ ସହାସ୍ୟ ବଦନରେ କହିଲେ, “ଯଦି ଈଶ୍ଵରଙ୍କ ଇଚ୍ଛା ହୁଏ, ନିଶ୍ଚୟ ଦେଖାହେବ !” ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଗଲେ ।

 

ଦ୍ଵିତୀୟ ପରିଚ୍ଛେଦ : ବିଶ୍ଵାସଘାତକ

 

“I give him curses, yet he gives me love."

–Shakespeare

 

“ଏତେ ରାତ୍ରିରେ ନିର୍ଜନରେ ପରପୁରୁଷ ସଙ୍ଗେ, ଛି ବିମଳା !”

 

ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି । ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲା ନାହିଁ । ସେ ଶୈଶବରୁ ପିତୃମାତୃହୀନା । ସମ୍ବଲପୁର ରାଜ୍ୟର ସ୍ଵାଧୀନ ନରପତି ଜୟନ୍ତ ସିଂହଙ୍କର ସେନାପତି ବୀରେଶ୍ଵର ସିଂହଙ୍କର ଲାଳନପାଳନରେ ବର୍ଦ୍ଧିତା ହୋଇ ଭକ୍ତିଭାଜନ ପିତା ଏବଂ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲିଯାଇଥିଲା । ବୀରେଶ୍ଵର ତାହାର ପିତା ଓ ମାତା ଦୁହିଁଙ୍କ ସ୍ଥାନ ଅଧିକାର କରିଥିଲେ । ସେ ତାକୁ ନିଜ ଝିଅରୁ ବଳି ସ୍ନେହ କରୁଥିଲେ । ବିମଳା ମଧ୍ୟ ବୀରେଶ୍ଵର ପରିବାରକୁ ନିଜ ପରିବାର ବୋଲି ଭାବୁଥିଲେ । ବୀରେଶ୍ଵରଙ୍କର ଏକମାତ୍ର ପୁତ୍ର ଉଦିତପ୍ରତାପ ସିଂହଙ୍କୁ ସେ ନିଜ ଅଗ୍ରଜପ୍ରାୟେ ଭକ୍ତି କରୁଥିଲା । ଉଦିତପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, “ଦାଦା, ବାପା ତ କହିଛନ୍ତି, ରାତିରେ କେବେ କିପରି ଏଠାକୁ ଆସୁଥିବୁ ବୋଲି । ମୋ ମନରେ କଷ୍ଟ ଥିଲେ ମୁଁ ଏଠାକୁ ଆସି ଗୀତ ଗାଏ-ଗୀତ ଗାଇ ଗାଇ ତାପିତ ପ୍ରାଣକୁ ଶୀତଳ କରେ । ତୋ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛ ?”

 

“କିନ୍ତୁ ପରପୁରୁଷ ସଙ୍ଗେ !” ଏହା କହି ଉଦିତପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ । ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା । ଉଦିତପ୍ରତାପ ପୁନରାୟ କହିଲେ, “ବିମଳା ! ତୋ ପିଲାଳିଆ ସ୍ଵଭାବ କେବେ ଛାଡ଼ିଲୁ ନାହିଁ । ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ । ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜ୍ଜନରେ କଥାବାର୍ତ୍ତା କରିବା ଠିକ୍ ନୁହେଁ ।”

 

“କିନ୍ତୁ ପ୍ରସନ୍ନକୁମାର ଯେ ମୋର ପିଲାକାଳର ସଙ୍ଗୀ । ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ ?”

 

“ସେ ତୋର ପିଲକାଳ ସାଥୀ ହୋଇପାରନ୍ତି । ପିଲାବେଳେ ସେ ସବୁ ଶୋଭା ପାଉଥିଲା । ଆଜି ତୋର ଏ ଆଚରଣ ଶୁଣିଲେ ବାପା କ'ଣ କହିବେ ?

 

“ଛି, ଦାଦା ! ତୁ କ୍ଷତ୍ରିୟ ଯୁବକ ହୋଇ ଏପରି କହୁଛୁ ?”

 

“ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ । ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ । ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି ।”

 

ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ । ପିଲାଦିନରୁ ଦୁହେଁଯାକ ଏକାସାଙ୍ଗରେ ଖେଳୁଥିଲେ...ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହେଉଥିଲେ । ଦୁହେଁ ଗୋଟିଏ ବୃନ୍ତର ଯୁଗଳ ପୁଷ୍ପ ସଦୃଶ ଶୋଭା ପାଉଥିଲେ । ଦୁହିଁଙ୍କ ପ୍ରାଣ ଏକ, ମନ ଏକ । ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା । ସେ ଉଦିତପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା । ଉଦିତପ୍ରତାପ ବିମଳାର ସୌନ୍ଦର୍ଯ୍ୟ ମୁଗ୍ଧ ତା’ର ପ୍ରଣୟପ୍ରାର୍ଥୀ । ବିମଳା ତାକୁ ଅନେକ ଥର ବୁଝାଇ କହିଥିଲା–ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ଅର୍ପଣ କରିଥିଲା ! କିନ୍ତୁ ଉଦିତପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ । ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟପବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷlତ୍ ବନ୍ଦ କରିଦେଲେ । ଦଗ୍‍ଧହୃଦୟା ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖାକରିଯାଏ । ଏ କଥା ମଧ୍ୟ ଉଦିତପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା । ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟଦ୍ଵାର ଉଦ୍‌ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ । ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, “ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ । ମୁଁ ତାଙ୍କୁ ଭଲକରି ଜାଣେ । ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିବୁ ନାହିଁ ।

 

“ମୁଁ ପୁଣି କହୁଛି ପ୍ରସନ୍ନକୁମାର ଅସଚ୍ଚରିତ୍ର । ବାପା ମଧ୍ୟ ଏ କଥା ଜାଣନ୍ତି । ବାପାଙ୍କ ଆଦେଶମତେ ମୁଁ ଏଠାକୁ ଆସିଛି । ଆଉ ଏଣିକି ତୁ ଘରୁ ବାହାରି- ପାରିବୁ ନାହିଁ ।”

 

ଉଦିତପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିନୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା । ସେ ତାଙ୍କ କୂଟ ବୁଝିପାରିଲା । ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା । ବିମଳାର ଏ ଅବସ୍ଥା ଦେଖି ଉଦିତପ୍ରତାପଙ୍କ ନୟନକୋଣରେ ଈଷତ୍ ଆନନ୍ଦ-ରେଖା ଫୁଟିଉଠିଲା । ତାଙ୍କ ଓଷ୍ଠପ୍ରାନ୍ତରେ କୁଟିଳ ହାସ୍ୟର ଜ୍ୟୋତି ପ୍ରକମ୍ପିତ ହୋଇ ପୁଣି ପରମୁହୂର୍ତ୍ତରେ ବିଲୀନ ହୋଇଗଲା । ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଚ୍ଛନ୍ନ ପ୍ରତୀତ ହେଲା । ସେ କମ୍ପିତ କଣ୍ଠରେ କହିଲା, “ଦାଦା, ତୋର ଏସବୁ କୂଟ ବୃଥା । ମୁଁ ତତେ ଭଗିନୀର ସର୍ବସ୍ଵ ଅର୍ପଣ କରିସାରିଛି । ଏଥିରୁ ବେଶି ତୁ ଆଉ କିଛି ପାଇପାରିବୁ ନାହିଁ । ତୁ ମୋତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ । ଉପରେ ଈଶ୍ୱର ଅଛନ୍ତି !”

 

ଏହା କହି ସେ ଓ ଦ୍ରୂତପଦକ୍ଷେପରେ ସେଠାରୁ ଚାଲିଗଲା । ବିମଳାର ଭାବ ଦେଖି ଉଦିତପ୍ରତାପ ପ୍ରମାଦ ଗଣିଲେ । ପାଳିତା କନ୍ୟାର ପୁଣି ଏତେ- ଦୂର ଆସ୍ପର୍ଦ୍ଧା ! ହୀରାଖଣ୍ଡ ଛତ୍ରପତି ମହାରଜାଙ୍କ ସେନାପତି ପୁତ୍ରକୁ ଖାତିର କରେ ନାହିଁ ! କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା । ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ ।

 

ତୃତୀୟ ପରିଚ୍ଛେଦ

କ୍ଷୁଦ୍ରମେଘ

 

“ଶିବିରେ ପ୍ରତୀକ୍ଷା କରି ବହୁଦିନ

ଶତ୍ରୁ ଯୋଦ୍ଧେ ହୋଇଛନ୍ତି ଧୈର୍ଯ୍ୟହୀନ,

ସ୍ଵଦେଶେ ବାହୁଡ଼ି ଯିବାକୁ ବାସନା

ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା ।”(ନନ୍ଦିକେଶ୍ୱରୀ)

 

ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ । ଉଦିତପ୍ରତାପଙ୍କ କଟୂକ୍ତି- “ତୁ ଆଉ ଘରୁ ବାହାରିପାରିବୁ ନାହିଁ ” ସର୍ବଦା କର୍ଣ୍ଣକୁହରରେ ପ୍ରତିଧ୍ଵନିତ ହେଉଅଛି । କି ! ସରଳା ବାଳିକାର ସ୍ଵାଧୀନ ମତ ଉପରେ ଏ ଅତ୍ୟାଚାର ! ବିମଳା, ଉଦିତପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟକାଙ୍‌କ୍ଷୀଣି ନୁହେଁ । ତଥାପି ତାକୁ ଶୃଙ୍ଖଳିତ କରିବାପାଇଁ ଏ ପ୍ରୟାସ କାହିଁକି ?

 

ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା । କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲା ନାହିଁ । ତାହାର ମାନସ-ଚକ୍ଷୁ ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା । ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବିପାରିବ ? ତା’ର ବିମଳା ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ ।

 

ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘରକଣରେ ବସି ଭାବନା କରୁଥାଏ । ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ । ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ । ଶରୀର ଦିନକୁ ଦିନ କୃଶ ହୋଇଗଲଣି । ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ । ତାକୁ ସାନ୍ତ୍ଵନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର । ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା ।

 

କିଛିଦିନ ଗଲା ପରେ ଅକସ୍ମାତ୍ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଛି । ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ । ତାକୁ ଖୋଜିବା ପାଇଁ ବୀରେଶ୍ୱର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ । ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା । ସମସ୍ତଙ୍କ ମୁଖରେ ବିଷାଦର କାଳିମା । ବୀରେଶ୍ଵରଙ୍କୁ ଆଉ କିଛି ଭଲ ଲାଗୁନାହିଁ । ସଂସାର ତାଙ୍କୁ ବିଷମୟ ପ୍ରତୀତ ହେଉଛି ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି । କିଏ କହେ ବିମଳା ପାଣିରେ ବୁଡ଼ି ମରିଛି । ତାହାର ମତ ସମର୍ଥନ କରିବା ସକାଶେ କେହି କହେ ଯେ ସେ ବିମଳାର ମୃତ ଦେହ ଦେଖିଛି । ଏପରି ନାନା ମୁଖରେ ନାନା କଥା ଶୁଣାଗଲା ।

 

ଏ ସମ୍ବାଦ ଯାଇ ଉଦିତପ୍ରତାପଙ୍କ କାନରେ ପଡ଼ିଲା । ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି । କ୍ରମାନ୍ୱୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ୱ ସମ୍ଭାଳି ନ ପାରି ପ୍ରତି ଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ ।

 

ଏଆଡ଼େ ଉଦିପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ । ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ । ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ । ଈର୍ଷାପରବଶ ହୋଇ ଉଦିତପ୍ରତାପ ସମରାଙ୍ଗନରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ । ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତ ସିଂହ ତାଙ୍କର ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣରକ୍ଷୀ ସୈନିକମାନଙ୍କ ଅଧିନାୟକ ପଦରେ ନିଯୁକ୍ତ କଲେ । ଏ ଗୁରୁଦାୟିତ୍ଵ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟପଥରେ ଅଗ୍ରସର ହେଲେ ।

 

କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତପ୍ରତାପକୁ ଭଲ ଲାଗିଲା ନାହିଁ । ପ୍ରସନ୍ନକୁମାରକୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଯାଏ । ତାଙ୍କ ଚକ୍ଷୁରୁ ଅଗ୍ନି - ସ୍ପୁଲିଙ୍ଗ ନିର୍ଗତ ହୁଏ । ଯେଉଁଦିନ ଉଦିତପ୍ରତାପ ବିମଳାର ନିରୁଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ, ସେଦିନ ତାଙ୍କର ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କଣ ଚିନ୍ତା କରୁଛନ୍ତି । ରଣ-କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ । ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ ।

 

କିଛିଦିନ ପରେ ପୁଣି ଦୂର୍ଗଭିତରେ ହୁରି ପଡ଼ିଗଲା, ଉଦିତପ୍ରତାପ ଦୁର୍ଗରେ ନାହାନ୍ତି । ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ । ଯୁଦ୍ଧ ସମୟରେ ସେନାପତିପୁତ୍ରଙ୍କ ଈଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ । କିନ୍ତୁ ଜଗତରେ ଦୁଃଖ ହେଉ ବା ସୁଖ ହେଇ, ସମସ୍ତେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ । ମନୁଷ୍ୟ ଦେବତା ନୁହେଁ-ସମୟେ ସମୟେ ହେବାକୁ ଚେଷ୍ଟା କରିଥାଏ ମାତ୍ର । ସଂସାରରେ ଏହି ଦେବତ୍ୱାଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍-ନାହିଁ କହିଲେ ଚଳେ । ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ୱାର୍ଥରେ ମାତିଛନ୍ତି ! ଯେଉଁମାନେ ଏହି ନିୟମର ବହିର୍ଭୁତ, ସେମାନେ ନମସ୍ମରଣୀୟ ।

 

ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇପଡ଼ିଥିଲେ । ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବୁଥିଲେ, କାର୍ଯ୍ୟରେ ତହିଁର ଠିକ୍ ବିପରୀତ ଦେଖିବାକୁ ପାଇଲେ । ସ୍ଵାଧୀନ ଜାତିକୁ ପରାଧୀନ କରିବା ସହଜ କଥା ନୁହେଁ ।

 

ସମ୍ବଲପୁରାଧାପତି ଅଭୟ ସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ୱୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏ ଯାଇନାହିଁ । ତା’ପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଏ ଅପମାନ ! ନାନାସାହେବ ଭୋଁସ୍ଲା ଏପରି ଅବସ୍ଥାରେ କ'ଣ କରିବେ, କିଛି ଠିକ୍ କରିପାରିଲେ ନାହିଁ । ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ । ଦୂର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା । ମରହଟ୍ଟା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା ।

 

ନାନାସାହେବ ଚିନ୍ତାକୁଳ ମନରେ ଶିବର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ । ଜ୍ୟୋତ୍ସ୍ନାସ୍ନାତ ଲହଣ୍ଡା ପର୍ବତର ସ୍ଵର୍ଗୀୟକାନ୍ତି ତାହାଙ୍କର ଦୃଷ୍ଟିପଥାରୁଢ଼ ହେଲା । କି ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ଵତୀ । ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇ ପଡ଼ୁଛି । ନାନାସାହେବ ମୁଗ୍ଧ ନେତ୍ରର ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ । କିନ୍ତୁ ପର ମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା । ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା । ସେ ବିଷଣ୍ଣ ମନରେ ରୋଦନ କରିବାକୁ ଲାଗିଲେ ।

 

କିଛିକ୍ଷଣ ପରେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଯେ ଜଣେ ଯୁବକ ମହାନଦୀ ବକ୍ଷରେ ଶିଳା ଉପରେ ବସିଛନ୍ତି । ଯୁବକଙ୍କ ପରିଚ୍ଛଦ ଦେଖି ତାଙ୍କୁ ଶତ୍ରୁପକ୍ଷୀୟ ଭାବ ଭୀଷଣ ଗର୍ଜନ ସହ ତାଙ୍କ ଉପରେ ଲମ୍ଫ ପ୍ରଦାନ କଲେ । କିନ୍ତୁ ଯୁବକ ପର୍ବତପ୍ରାୟ ଅଟଳ । ପ୍ରତ୍ୟାକ୍ରମଣର ଚେଷ୍ଟା ମାତ୍ର ବିରହିତ । ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ । ଯୁବକଙ୍କର ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ୱିତ, ହୋଇଗଲେ । ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା; କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣିନାହାନ୍ତି । ଏଣୁ ପାଠକମାନଙ୍କୁ ତାହା ଉପହାର ଦେଇ ନ ପାରି ଆମ୍ଭେମାନେ ଦୁଃଖିତ । କେବଳ ଲୋକଙ୍କ ମୁହଁରୁ ଶୁଣିଛୁ ଯେ ସେ ଯୁବକଙ୍କ ନାମ ଉଦିତ ପ୍ରତାପ ।

 

ଚତୁର୍ଥ ପରିଚ୍ଛେଦ

ଘୋର ଅନ୍ଧକାର

 

“ଧନ୍ୟ ସେ ପ୍ରୀତିକି ମରଣ-ଭୀତିକି

ପ୍ରୀତି ସେ ପାରଇ ଜାଣି,

ଶିରୀଷ-ମୃଦୁଳା ଲବଣୀ-ପିତୁଳା

ପ୍ରୀତି କଲା ସାହସିନୀ ।”

(କେଦାରଗୌରୀ)

 

“କିନ୍ତୁ ଏ ରକ୍ତପାତରେ ତୁମ୍ଭର ଲାଭ ?”

 

“ଲାଭ ! ଦେଶର ଶତ୍ରକୁ ବିନାଶ କରି ଜନ୍ମଭୁମିର ସ୍ଵାଧୀନତା ରକ୍ଷା କରିବି । ଏହା କ’ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ ?”

 

“ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ । ମରହଟ୍ଟାମାନେ ଚିର ବିଜୟୀ । ସେମାନଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହେବ । ବରଂ ସେମାନଙ୍କୁ ସାହାଯ୍ୟ କଲେ ଜମି-ଜାଗିରି ପାଇ ବଡ଼ଲୋକ ହୋଇପାରିବ ।”

 

“ସେ କି ଉଦିତପ୍ରତାପ ! ତୁମ ମୁହଁରେ ଏପରି କଥା ! କ୍ଷମା କରିବ । ମୁଁ ସେ କାର୍ଯ୍ୟ କରିପାରିବି ନାହିଁ । ଆଜି ସୁଦ୍ଧା ଧର୍ମ ଅଛି । ପୂର୍ବପରି ଆଜି ସୁଦ୍ଧା ତ ସୂର୍ଯ୍ୟ ଉଦିତ ହେଉଛନ୍ତି । ତୁମେ ସେ କୁଟିଳ ମନ୍ତ୍ରଣା ଛାଡ଼ । ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ ।”

 

“ଶତ୍ରୁ ବିନାଶ ! ଯୁଦ୍ଧ ! ନା, ଜୟପରାଜୟର ଅନିଶ୍ଚିତ ସ୍ଥାନକୁ ଯିବା ମଧ୍ୟ ଠିକ୍ ନୁହେଁ ।”

 

“ନା, ହେଲା ! ସେପରି କହନା ।” ଏହା କହି ପ୍ରସନ୍ନକୁମାର ତୀକ୍ଷ୍ଣ ଦୃଷ୍ଟିରେ ଉଦିତପ୍ରତାପଙ୍କ ମୁଖଆଡ଼କୁ ଅନାଇବାକୁ ଲାଗିଲେ । କିନ୍ତୁ ଉଦିତପ୍ରତାପ ସ୍ଥିରସଂକଳ୍ପ । ସେ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ ।

 

ପ୍ରସନ୍ନକୁମାରଙ୍କ କଥା ଶୁଣି ତାଙ୍କର ଭ୍ରୂ-ଯୁଗଳ ଈଷତ୍ କୁଞ୍ଚିତ ହେଲା । ନୟନରୁ ବକ୍ର ଜ୍ୟୋତି ନିର୍ଗତ ହେଲା । ସେ କିଛି ନ କହି ବଂଶୀବାଦନ କଲେ । ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରହଟ୍ଟା ସୈନିକ “ବମ୍ ବମ୍ ମହାଦେଓ” ରବ କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନକୁମାରଙ୍କୁ ଘେରି ପକାଇଲେ । ପ୍ରସନ୍ନକୁମାର କିଂକର୍ତ୍ତବ୍ୟବିମୂଢ଼ ହୋଇ ଏସବୁ ଦେଖିବାକୁ ଲାଗିଲେ । ଉଦିତପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍‌ଗ-ହସ୍ତରେ ପ୍ରସନ୍ନକୁମାରଙ୍କ ଆଡ଼କୁ ଧାବମାନ ହେଲେ । କିନ୍ତୁ ପ୍ରସନ୍ନକୁମାରଙ୍କ ମୁଣ୍ଡ ନ ଛିଣ୍ଡୁଣୁ, ପଛରୁ କିଏ ଆସି ତାଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲେ । ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ, ଜଣେ ସନ୍ନ୍ୟାସିନୀ ଉଦିତପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା । ତାକୁ ଖୋଜିବାପାଇଁ ସେମାନେ ଅନେକ ଚେଷ୍ଟା କଲେ; କିନ୍ତୁ କୌଣସିଠାରେ ପାଇଲେ ନାହିଁ । ପ୍ରସନ୍ନକୁମାର ବିସ୍ମିତ ସ୍ତମ୍ଭିତ ହୋଇ ଏହା ଦେଖିବାକୁ ଲାଗିଲେ ।

 

ଉଦିତପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତି ହେଲା । ସେଥି ସଙ୍ଗେ ସଙ୍ଗେ ସମ୍ବଲପୁରର ସ୍ଵାଧୀନତା-ରବି ମଧ୍ୟ ଅସ୍ତମିତ ହେଲା । ମରହଟ୍ଟାମାନେ ଅପ୍ରତ୍ୟାଶିତ ଭାବରେ ସମଲାଈ ଫାଟକବାଟେ ଦୂର୍ଗମଧ୍ୟରେ ପ୍ରବେଶ କଲେ ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରଜା ସାଏଙ୍କୁ ବନ୍ଦୀ କଲେ । ସମ୍ବଲପୁର ଦୂର୍ଗ ଶତ୍ରୁମାନଙ୍କ ହସ୍ତଗତ ହେଲା । ପ୍ରସନ୍ନକୁମାର ପ୍ରାଣପଣେ ଚେଷ୍ଟା କଲେ ସୁଦ୍ଧା ଦୂର୍ଗ ରକ୍ଷା କରିପାରିଲେ ନାହିଁ । ତାଙ୍କ ଆହତ ଶରୀର ଧରାଶାୟୀ ହେଲା । ସମ୍ବଲପୁର ମୁଖ ବିଷାଦ-କାଳିମା ରଞ୍ଜିତ ହେଇ । ସ୍ୱାଧୀନ ଜାତି ପରାଧୀନ ହେଲା । ହାୟ ଉଦିତପ୍ରତାପ ! ଶେଷକୁ ବିମଳାର ରୂପର ମୂଲ୍ୟ ସ୍ୱରୂପ ସ୍ଵଦେଶର ସ୍ଵାଧିନତା ବିକ୍ରୟ କଲ ! ! !

 

କିନ୍ତୁ ଏ ସନ୍ନ୍ୟାସିନୀ କିଏ ? ତମୋମୟୀ ରଜନୀରେ ଶ୍ମଶାନରେ ବସି କ’ଣ କରୁଛି ? ସନ୍ନ୍ୟାସିନୀ ବ୍ୟଥିତ ମନରେ, ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗାଇବାକୁ ଲାଗିଲା ।

 

କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ

ଦେଲ ଏ ହୀନ ଜନମ,

କାନ୍ଦି କାନ୍ଦି ହରି ଗଲିଣି ତ ସରି

ପୋଡ଼ୁ ଏ ହୀନ କରମ ।୦।

 

ହେଲି ମୁଁ ସଂସାରେ

ଘୋର ଅଭିଶାପ,

ଯହିଁ ଗଲି ତହିଁ

ବିଞ୍ଚିଅଛି ପାପ;

ଜଗତର ତପ୍ତ ଲୋତକ-ପ୍ରବାହେ

ହେଉଅଛି ଭାସମାନ ।।୧।।

 

ଅଶାନ୍ତିର ମନ୍ତ୍ର

ପଢ଼ିଲି ଜଗତେ,

ବୁଡ଼ିଅଛି ଏବେ

ସ୍ଵଦେଶ ରକତେ;

ଧିକ ମୋର ରୂପ ଧିକ ଯଉବନ

ଧିକ ମୋର ଏ ଜୀବନ ।।୩।।

 

ଅସାର ସଂସାର

ଅପାର ଯାତନା

ଦେଉଅଛି ମୋତେ

ବିଷମ ଲାଞ୍ଛନା;

ପ୍ରେମମୟ ହରି କରୁଣା ବିସ୍ତାରି

ପାଦପଦ୍ମେ ଦିଅ ସ୍ଥାନ ?

 

ଶ୍ମଶାନକ୍ରୋଡ଼ରେ ଶାୟିତ ଯନ୍ତ୍ରଣାକାତର ପ୍ରସନ୍ନକୁମାର ଏ ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ । ତାଙ୍କର ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ରେଖା ଝଲସି ଉଠିଲା । କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶୀନ୍ତିମୟ ରାଜ୍ୟକୁ ନେଇଗଲା । ସେଠାରେ ସେ ସ୍ଵର୍ଗର ଚିତ୍ର ଦେଖିବାକୁ ପାଇଲେ । କିଏ ଯେପରି ତାଙ୍କ ନିକଟକୁ ଆସି ଚିରପରିଚିତ ବୀଣାଜିଣା ସ୍ଵରରେ ତାଙ୍କୁ ଡାକି ଗୋଟିଏ ସ୍ଵପ୍ନମୟ କୁଞ୍ଜରେ ତାଙ୍କୁ ବସାଇ ନିଜେ ତାଙ୍କ ନିକଟରେ ବସିଲା । ପ୍ରସନ୍ନକୁମାରଙ୍କ ଶରୀର ପୁଲକିତ ହୋଇଗଲା । ସେ ଅଲୌକିକ ସୌନ୍ଦର୍ଯ୍ୟ, ଅପସ୍‍ରାସମ୍ଭବ ଜ୍ୟୋତି, କିନ୍ନରକଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା । ସେ ଚକ୍ଷୁ ଖୋଲି ଦେଖିଲେ, ତାଙ୍କ ନିକଟରେ ଜଣେ ମୁକୁଳିତ କେଶପାଶା, ଗୈରିକ ବସନା, ଅନିନ୍ଦ୍ୟସୁନ୍ଦରୀ ସନ୍ନ୍ୟାସିନୀ-ମୂର୍ତ୍ତି ବସିଛନ୍ତି । ତାକୁ ଦେଖି ପ୍ରସନ୍ନ କୁମାରଙ୍କ ଶରୀରରେ ସିଂହ-ବିକ୍ରମ ଉଦିତ ହେଲା । ସେ ଗାତ୍ରୋତ୍‌ଥାନ କରି ସନ୍ନ୍ୟାସିଙ୍କୁ ଆଲିଙ୍ଗନ କରି କହିଲେ, “ବିମଳା ! ବିମଳା.....”ଆଉ କହିପାରିଲେ ନାହିଁ । ତାଙ୍କ ଶରୀର ଅବସନ୍ନ ହୋଇଗଲା । ଶରୀରର କ୍ଷତସ୍ଥାନମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା । ପ୍ରାଣହୀନ ପିଣ୍ଡ ଧରାଲୁଣ୍ଠିତ ହେଲା ।

 

ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲଗିଲା । ତାହାର ଜୀବନର ଧୃବତାରା ଅସ୍ତମିତ ହେଲା । ସେ ଉତ୍ତରୀୟ ମଧ୍ୟରୁ ତୀକ୍ଷ୍‍ଣ ଛୁରିକା ବାହାର କରି ନିଜ ବକ୍ଷଦେଶରେ ବିଦ୍ଧକଲା ।

 

ଯନ୍ତ୍ରଣା ପ୍ରତି ଲକ୍ଷ୍ୟ ନ କରି ରୁଧରାକ୍ତ କଳେବରରେ ପ୍ରସନ୍ନକୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା । ଆହା ! ସେ ଅନ୍ତିମ ଆଲିଙ୍ଗନ…….ସେ ଅନ୍ତିମ ଚୁମ୍ବନ କେତେ ପବିତ୍ର……କେତେ ମଧୁର ! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ !

 

ଏ ସ୍ଵାର୍ଥତ୍ୟାଗର ପବିତ୍ର ତପୋବନ ହିଁ ସ୍ଵର୍ଗ !

Image

 

ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ

ଗୋଦାବରୀଶ ମହାପାତ୍ର

 

ଓଡ଼ିଶାର ଖୁବ୍ କମ୍ ଲୋକ ଯେଉଁ ଗାଆଁଖଣ୍ଡିକୁ ଜାଣିଛନ୍ତି ସେହି ଗାଆଁଟା ନାଁ ହେଉଛି ‘ସିଆଳି’ । ସିଆଳି ଗାଆଁ କୁ ବେଶି ଲୋକ କାଣିବାର କିଛି କାରଣ ନାହିଁ । ସେ ଗାଆଁ ଭିତରେ ପକାଘର ନାହିଁ । ସେ ଗାଆଁ କୁ ଭଲ ବାଟ ନାହିଁ । ସେ ଗାଆଁର ଲୋକେ ମଧ୍ୟ ପାଠ ପଢ଼ି ନାହାନ୍ତି । ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା, ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ ।

 

ଓଡ଼ିଶା ମୁଲକରେ ସିଆଳି ବୋଲି ଗୋଟିଏ ଗାଆଁ ଅଛି; ଆଉ ସେହି ଗାଆଁରେ ତା’ର ଘର ବୋଲି ଗୋପାଳ କେବେ ଭୁଲରେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ । ଗାଆଁ ନାଁ ପଚାରିଲେ ସେ ଗୋଟାଏ ଚାଲାକ‌ି କରି ଥାନାର ନାଁଟା କହିଦିଏ । କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ ।

 

ସିଆଳିର ଲୋକେ ମୁଣ୍ଡଝାଳ ତୁଣ୍ଡେ ମାରି ପେଟ ପୋଶନ୍ତି । କିଏ ମୂଲ ଲାଗେ, କିଏ ପନିପରିବା ବିକେ ବା ପାଇଟି ନ‌ପାଇଲେ ଭିକ ମାଗି ଚଳେ । ଏଗୁଡ଼ାକ ସମାଜର ନିତାନ୍ତ ତଳଶ୍ରେଣୀ ଲୋକଙ୍କ କାର୍ଯ୍ୟ, ଗୋପାଳ ଏକଥା ପାଠ ପଢ଼ି ବୁଝିଛି ତେଣୁ ସେ କଟକର ପକାଘର ଭିତରେ ଏଗୁଡ଼ାକୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧା ଚକ୍ଷୁରେ ଦେଖେ ନାହିଁ । ଏକଥା କଳ୍ପନା କଲେ ତା’ର ଲୋମ ଟାଙ୍କୁରି ଉଠେ, ସିଆଳି ଗାଆଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୌରୀଶଙ୍କର ଶୃଙ୍ଗରେ । ତା’ର ପାଠ ଠାରୁ ଗାଁଲୋକଙ୍କ ସ୍ଥାନ କେତେ ତଫାତ୍ !

 

ପିଲାଦିନର ଅନେକ କଥା ପକାଘର ଭିତରେ ଗେପାଳର ମନେପଡ଼େ; ମାତ୍ର ଗୋଟିଏ କଥାକୁ ସେ କେବେହେଲେ ମନରୁ ପାସୋରିପାରେ, ନାହିଁ । ସେ ନିତାନ୍ତ ଛୋଟ ଥିଲାବେଳେ ତା’ର ବାପା ଜଣେ ତହସିଲରଦାରଙ୍କ ପିଆଦା ଥିଲେ । କାଠବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ । ପାଞ୍ଚ ବର୍ଷ ପରେ ବଦଳି ହେବା ସମୟରେ ତହସିଲଦାରବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ । ତାହାରି ଫଳରେ, ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି । ଏବେ ତହସିଲଦାର ନାହାନ୍ତି, କି ତା’ର ବାପା ନାହାନ୍ତି ।

 

ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ଵାନରେ ଓଡ଼ିଶା ବୁକୁର କଠୋର ପଥରଖଣ୍ଡ ସୁଦ୍ଧା ତରଳି ଯାଉଥିଲା ।

 

-ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ, ହଜାର ହଜାର ଘର ଭାସିଗଲା, ବିଲ ଉପରେ ସାତଫୁଟ ପାଣି ଠିଆହେଲା, ଗଛ ଉପରେ ମଣିଷ ଆଶ୍ରୟ ନେଲା, ସ୍ଥଳ ନ ପାଇ ଚାଳ ଉପରେ ମାଆ ସନ୍ତାନ ପ୍ରସବ କଲା, ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଜାକିଧରି ଗଛରେ ଲାଖିରହିଲା–ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କଅଣ ?

 

ଉତ୍କଳମଣିଙ୍କର ଏ ଡାକ ସମସ୍ତଙ୍କ କାନରେ ବାଜିଲା । କଲେଜ ଭିତରେ ଏକ କୋଠରିରେ ଗୋପାଳ ମଧ୍ୟ ଏକଥା ଶୁଣିଲା । ଦଳ ଦଳ ଛାତ୍ର ବନ୍ୟାରେ ଲମ୍ପ ଦେବାକୁ ବାହାରିଲେ । ବନ୍ୟାର ଏ ଅତ୍ୟାଚାରରେ କେତେକ ଯୁବକ ପ୍ରାଣରୁ ଏପରି ତପ୍ତଶ୍ଵାସ ଉଠିଲା, ସେ କଲେଜ ଭିତ୍ତିପର୍ଯ୍ୟନ୍ତ ଥରିଗଲା- ଓଡ଼ିଶା ଯେବେ ଗଲା, କାହା ଘେନି କଲେଜ ?

 

ଗୋପାଳ ତ ସେଦିନ ଭାତଥାଳି ପାଖେ ବସିଲା ନାହିଁ; ରାତିରେ ଶେଯରେ ଶୋଇପାରିଲା ନାହିଁ ମଧ୍ୟ । ସନ୍ଧ୍ୟାବେଳୁ ସେ ଚଉକି ଉପରେ ବସି ବସି ଚିନ୍ତା କଲା । ତା’ର ଚିନ୍ତା ଭିତରେ ଗୋଟିଏ ଅତୀତ ଜୀର୍ଣ୍ଣଜଗତର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା । କି ଦୀନହୀନ ବେଶ ସେହି ଜଗତର । ଗାଁ ଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ, ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି । ବିଲ ପଡ଼ିଆରେ କୂଳଥଳ ମିଳୁନାହିଁ, ହୃଦୟରେ ଭାବନାର କୂଳଥଳ ମିଳୁନାହିଁ: ଏ ପ୍ରାଚୀନ ଜାତିଟାର ଶକ୍ତଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସିଯାଉଛନ୍ତି ତାହା କଳ୍ପନା କରି ହେଉନାହିଁ । ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର । ସେହି ଭିତରେ ଗୋପାଳ ଦେଖିପାରିଲା ତା’ର ସେହି ପୂର୍ବ-ପରିଚିତ ସିଆଳି ଗାଁର ଚିତ୍ର । ସେ ଗାଁର ଲୋକେ ଭାସି ଯାଇଛନ୍ତି; ଗାଁର ପୂର୍ବପଟ ସେହି ଭାଗବତ ଘରଟା ଆଉ ନାହିଁ । ଗ୍ରାମଦେବତୀ ବାଉତେଇଙ୍କ ମଣ୍ଡପର ପଥରଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି । ଗାଁର ଯେଉଁ ଉଚ୍ଚ ମଶାଣି ଭୂଇଁ ଖଣ୍ଡକ ସମସ୍ତଙ୍କର ଆଶ୍ରୟ ସ୍ଥଳ, ସେଠାରେ ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରିନାହିଁ । ତାର ବୁକୁ ଦାଉଁ ଦାଉଁ ପଡ଼ିଲା, ଉଠିଲା । କେବେ ତ ସେ ପକାଘରେ ବସି ସିଆଳି କଥା ଭାବିନାହିଁ, ଏତେଦିନେ ସେହି ସ୍ମୃତି କାହିଁକି ଜାଗିଲା, ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲାନାହିଁ । ସେ କେବଳ ଆଖି ଆଗରେ କେତେଗୁଡ଼ିଏ ବିଭଙ୍ଗ ଚିତ୍ର‌ ଦେଖିଲା; ବେଳେବେଳେ ଚମକିଲା ପରି ଚଉକିରେ ସିଧାହୋଇ ବସି ଗୋଟାଏ ଦୀର୍ଘଶ୍ଵାସ ଛାଡ଼ିଲା, କଇଁଫୁଲ ପରି ଧଳା ଶେଯଟାରେ ସେ ବହୁବାର ଏପାଖ ସେପାଖ କଡ଼ ଲେଉଟାଇଲା; ଆଖି ଫିଟାଇ ରଖି ଯାହା ଚିନ୍ତାକଲା ଆଖି ମୁଦିରଖି ସେହି କଥା ମଧ୍ୟ ଭାବିଲା । ଗୋଟାଏ କ୍ଷୁଦ୍ର ପଲ୍ଲୀର ହତଭାଗାଙ୍କ ଚିତ୍କାର ତା’ର ପ୍ରାଣକୁ ବେଳେବେଳେ ଚମକାଇ ଦେଲା । ବରଫ-ଶୁଭ୍ର କାନ୍ଥ ଦେହରେ ସେ ପ୍ରେତଛାୟା ଦେଖିପାରିଲା । କିଏ କହିଲା, ‘ଗୋପାଳ, ଗୋପାଳ, ଗୋପାଳ’, କିଏ କହିଲା-“ବାବୁରେ”, କିଏ କହିଲା- “ଧନରେ’, କିଏ କହିଲା- ‘ଗୋପାଳବାବୁ !” ଗୋପଳ ଅଉ ଶୋଇବ କଣ ?

 

ଦିନେ ସ୍ଵେଚ୍ଛାସେବକ ଦଳ ବନ୍ୟା ଅଞ୍ଚଳରେ କାମ କରିବାପାଇଁ ଯେତେବେଳେ ବାହାରିଲେ ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା । ବାହାରିବା ଆଗରୁ ସ୍ଵେଚ୍ଛାସେବକମାନଙ୍କୁ ବହୁତ ଆୟୋଜନ କରିବାକୁ ହେଲା । କେତେ ଦିନପାଇଁ ଲୁଗାପଟା ଖାଦ୍ୟପେୟର ବ୍ୟବସ୍ଥା ହେଲା । କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ଵେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉନା କାହିଁକି ଗୋପାଳ ପକ୍ଷରେ ଗୋଟିଏ ନୂତନ କଥା । କଲେଜରୁ ଗାଆଁ ତ କମ୍ ତଫାତ୍ ନୁହେଁ । କେତେଦିନ ରହିବାକୁ ହେବ କିଏ ଜାଣେ ? ସେଥିପାଇଁ ଦଶ ଖଣ୍ଡ ଅଧିକା ଲୁଗା ନ ହେଲେ ନ ଚଳେ । ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି ସେଠାରେ ପ୍ରତିଦନ ଜଳଖିଆ ବା ମିଳିବ କୁଆଡ଼ୁ ! ତେଣୁ ଇସ୍ତୀରିଦିଆ ଲୁଗାଗୋଛା ସହିତ କମଳା, ଅଙ୍ଗୁର, ଖଜୁରୀ, ଚିନି, ଅଟା, ଷ୍ଟୋଭ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରିପକାଇଲା । ବନ୍ୟାସ୍ରୋତ ପଛେ ପଛେ ସ୍ଵେଚ୍ଛାସେବକ-ସ୍ରୋତ ଗାଆଁ ଗହଳକୁ ଚାଲିଲେ ।

 

ଦିଗନ୍ତବିସ୍ତୃତ ବିଲ ପଡ଼ିଆ–ସେ ଭିତରେ ମଫସଲର ଚିହ୍ନ ସୁଦ୍ଧା ନାହିଁ । ବନ୍ୟାର କରାଳ ଜିହ୍ନା ସବୁ ଶେଷ କରିଦେଇଛି । ଦୂରରୁ ଦେଖିଲେ ଠାଏ ଠାଏ ଗଛ ଗହଳରେ କେତେଟା ଘର ଦେଖାଯାଉଛି; ତାହାରି ଭିତରେ ହତଭାଗା ଚାଷୀଭାଇଙ୍କର ସଂସାର । ସେ ଭିତରକୁ ଯିବାକୁ ହେଲେ କାଦୁଅ, ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା–ସବୁ ଭେଟିବାକୁ ପଡ଼ିବ । ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମେଲେରିଆ, ଜ୍ଵର, ମହାମାରୀ ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । କଟକ ବ୍ରହ୍ମପୁରର ରାଜରାସ୍ତା ସେଠାରେ ନାହିଁ, କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ । ତେଣୁ କଟକ କୋଠରିଠାରୁ ଯେ ଏହା ବହୁତ ଦୂରରେ, ତାହା ଗୋପାଳ ବୁଝିବାକୁ ବାକି ରହିଲା ନାହିଁ ।

 

କଟକ ଛାଡ଼ିଗଲାବେଳେ ଗୋପାଳର ମନ ଯେପରି ଥିଲା, ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲାବେଳକୁ ତହିଁର ଘୋର ପରିବର୍ତ୍ତନ ଘଟିଯାଇଛି । ତିନିଦିନର ରାସ୍ତା, ତାକୁ ଲାଗିଛି ଠିକ୍ ତିନିବର୍ଷ ପରି । ଚାଲି ଆସିବାରେ ତା'ର ଚାରିଟା ଇସ୍ତିରିଦିଆ ଧୋତି କାଦୁଅ ଛିଡ଼ିକି ନଷ୍ଟ ହୋଇଯାଇଛି । ସାଙ୍ଗରେ ବୋହିଥିବା ସୁରେଇର ଛଣା ପାଣି ସରିଯିବା ଫଳରେ ବାଟରେ ଭଲ ପାଣି ଟୋପାଏ ପିଇବାକୁ ମିଳୁନାହିଁ । ଜୋତା ଲଗାଇବାର ଆଦୌ ସୁବିଧା ଘଟିନାହିଁ । ତେଣୁ ଅନଭ୍ୟସ୍ତ ଗୋଡ଼ରେ ଦୁଇଟା କଣ୍ଟା ଗଳିଛି ଓ ଗୋଟାଏ ଗେଣ୍ଡା କାଟିଛି । ଆଣିଥବା ଜଳଖିଆ ଅଧାରୁ ବେଶି ଶେଷପାଇଛି । ଏପରି କ୍ଷେତ୍ରରେ ତା’ର ମନ ଖୁବ୍ ବଗିଡ଼ିଯାଇଛି ।

 

ଚାଉଳଦିଆ କେନ୍ଦ୍ର–କେବଳ ସେଠାରେ ଜନସମୁଦ୍ର । ଦରିଦ୍ର ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲାକୁଟୁମ୍ୱ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମା ହୋଇଛନ୍ତି -ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭିଡ଼ିଓଟାରି ଗିଳିପକାଇବାରେ କୁଣ୍ଠାବୋଧ କରୁନାହାନ୍ତି । ସେଠାରେ ଗୋପାଳର କର୍ତ୍ତବ୍ୟ ? ସେ ଗୋଟାଏ ଦୀର୍ଘଶ୍ଵାସ ପକାଇଲା । ତାପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି, ତାର ଇସ୍ତୀରିଦିଆ ଲୁଗା କାହା ଦେହକୁ ନ ଲାଗିଲା ପରି ବଡ଼ ସାବଧାନରେ ଠିଆହେଲା । କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର, ସେ କାହାକୁ କରଛାଡ଼ ହୋଇ ରହିବ ? ଦିନେ ଦୁଇଦିନ ଗଲା, ସେ ମୁଠିଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇଉଠିଲା । କିଏ ପାଖକୁ ମାଡ଼ିଆସୁଛି, କିଏ ଉପରେ ପଡ଼ୁଛି, କିଏ କୁଞ୍ଚ କାନି ଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି । ପ୍ରତି ମୂହୁର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ିଛି । ମନ ନିତାନ୍ତ ତିକ୍ତ ହୋଇଉଠୁଛି । କେଡ଼େ ବୋକା ଲୋକଗୁଡ଼ାକ ! ଭଦ୍ରାମି ଜାଣନ୍ତି ନାହିଁ । ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ ? ଛି !

 

ଖାଲି ଯେ ଗୋପାଳ ଏକଥା ମନରେ ଭାବିଲା, ତା ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଦେଲା । ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲାପରି ଚାଉଳ ଦେଲା । ଦରିଦ୍ର ପଲ୍ଲୀବାସୀ ତଥାପି ଶିଖିପାରିଲେ ନାହିଁ, ଏଇ ହେଉଛି ଗୋପାଳ ମନରେ କଷ୍ଟ ।

 

ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି; କିନ୍ତୁ ଗୋପାଳ ଦେଖେ, ଅର୍ଗଳି ପାଖେ ଗୋଟିଏ ବୁଢ଼ା କେବଳ ଠିଆହୋଇ ଫେରିଯାଏ । ସେ ପାଖକୁ ଆସି ମାଗେ ନାହିଁ, କି ମାଗିବାପାଇଁ କାହାକୁ କହେ ନାହିଁ । ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରହୋଇ ଯାଇ ଦେଇପାରେ ନାହିଁ । ଦିନେ, ଦୁଇଦିନ, ଚାରିଦିନ ଗଲା । ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲିପାରିଲା ନାହିଁ । କେବଳ ପରଚିତ ମୁହଁ ପରି ତାକୁ ଜଣା ପଡ଼ିଲା । ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧ ପାଖରେ ପହଞ୍ଚିଲା । ପଚାରିଲା–

 

“ନେଲଣି ?”

 

ବୃଦ୍ଧ ମୁଣ୍ଡ ହଲାଇ କହିଲା–“ହଁ” ।

 

“ତେବେ ଠିଆ ହୋଇଛ ?”

 

ବୃଦ୍ଧ ତା'ର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ ଦିଥର ପାଟି ବୁଲାଇଲା । ତା'ପରେ ଗୋପାଳ ମୁହଁକୁ ଥୁ ଥୁ କରି ଦୁଇଲଣ୍ଡା ଛେପ ପକାଇ ଆଖିତରାଟି ଚାହିଁ ରହିଲା ।

 

ଖୁବ୍ ଚହଳ ତ ପଡ଼ିଗଲା ଓ ଗୋପାଳର ମୁହଁ କଳା ପଡ଼ିଗଲା । ସମସ୍ତେ କହିଲେ, “ସିଆଳିର ସାନ୍ତରା କଲେ କ’ଣ ?" ଗୋପାଳ ସେ ରାତି ରାତି ରାଗ, ଅପମାନ, ବିରକ୍ତିରେ କଟକ କୋଠରି ଅଭିମୁଖେ ଯାତ୍ରା କଲା । ତା'ର ଚାରିଦିନ ପରେ କଟକରେ ଉତ୍କଳମଣି ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ, “କାହାର ଛିଣ୍ଡାଲୁଗା ଅଛି, ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ ।'

 

ଦରିଦ୍ରର ସେବା ! ଛିଣ୍ଡା ଲୁଗା । ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସିରହି କଲେଜ ଘରେ ଗୋପାଳ ପୁଣି ଚମକିଲା । ନିଜର ଲୁଗାକୁ, ଚାହିଁଲା, ଦେଖିଲା ଖଣ୍ଡିଏ ସୁଦ୍ଧା ଚିରା ଲୁଗା ନାହିଁ । ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା । ଯେ ଭଦ୍ରାମି ଜାଣେ ନାହିଁ, ତା’ର ପୁଣି ସେବା କରିବାକୁ ହେବ ! ଗୋପାଳ ଏଥିର ତତ୍ତ୍ଵ ଖୋଜି ପାଇଲା ନାହିଁ । ଛିଣ୍ଡାଲୁଗା, ପୁରୁଣାଲୁଗା, କାହାପାଇଁ ? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା -ସଫା ଆଖି ମେଲାକରି ଦେଖିଲା–ସେହି ଲୁଗାରେ ସେହି ଅର୍ଗଳି ପାଖ ବୃଦ୍ଧର ଛବି । ଆଖି ମଳିଲା, ରୁମାଲରେ ଆଖି ପୋଛିଲା । ରୁମାଲକୁ, ଚାହିଁ ଦେଖିଲା, ସେଥିରେ ଛେପ ଲାଗିନାହିଁ । ତଥାପି ସେହି ବୃଦ୍ଧ ଆଖି ଆଗରେ ! ବୃଦ୍ଧ -“ବାସ୍ତବିକ ବୃଦ୍ଧ । କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି । ବିରାଟ ବପୁର କଙ୍କାଳ ସେ । ସେ କାନ୍ଦୁ ନାହିଁ ; ସେ ହସୁନାହିଁ । ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତା ଦେହରେ ସେ ଜଡ଼ିତ ହୋଇ ରହିଛି । ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର !! ଏହାରି ସେବାପାଇଁ ଛିଣ୍ଡା ଲୁଗା ! ଗୋପାଳ ମୁହଁ ପୋଛି ଠିଆ ହେଲା । ଦୁଆରମୁହଁରେ ଶବ୍ଦ ହେଲା-ଦିଅ ଲୁଗା, ଦିଅ, ଲୁଗା ଦିଅ' । ସ୍ୱେଚ୍ଛାସେବକଙ୍କ ମୁହଁକୁ, ଚାହିଁ ଗୋପାଳ ପ୍ରଥମେ କିଛି କହିପାରିଲା ନାହିଁ । ଜଣେ କହିଲା, ‘‘ସେଟା ଦିଅ'’, ଜଣେ କହିଲା–“ଏଟା ଦିଅ” । ଗୋପାଳ ମନା କଲା ନାହିଁ, ହାତରେ ଭିଡ଼ିଆଣି ବଢ଼ାଇଦେଲା । ସତେଯେପରି ସେହି ସ୍ଵେଚ୍ଛାସେବକଙ୍କ ଭିତରେ ସେହି ବୃଦ୍ଧଙ୍କୂ ସେ ଦେଖିପାରିଲା । ଖଣ୍ଡକୁ ଖଣ୍ଡ ଲୁଗା, କାମିଜ ଦେଉ ଦେଉ ପଚାରିପକାଇଲା- କ’ଣ ବୁଢ଼ା ପାଇଁ ?” ସମସ୍ତେ ହସିଉଠି କହିଲେ, “ନା, ପିଲା, ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ, ସମସ୍ତଙ୍କ ପାଇଁ ।” ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା ।

 

ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି, ଆଣ୍ଠୁଡ଼ିଆଁ ଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗଳି ପାଖେ ଠିଆହୋଇ ଚାଉଳ ଦେଉଥିଲା, ସିଆଳି ଗାଁର ବୃଦ୍ଧ ସାନ୍ତରା ବାଡ଼ି ଭରାଦେଇ ଗୋପାଳର ହାତ ଧରି କହି ପକାଇଲେ–

 

“ବାବୁ, ଉତ୍କଳମଣିଙ୍କ ସାଥିରେ ତୁ ଏବେ ଗାଆଁକୁ ଫେରିଆସିଲୁ ?”

 

ଗୋପାଳର ମୁହଁ ହସରେ ଫାଟିଲା; କହିଲା, “ହଁ, ଫେରିଆସିଲି ତମରି ଯୋଗୁଁ । ତମର ଛେପ ମୋ ଆଖିରେ ଲୁହ ପାଲଟିଗଲା । ଏବେ ବୁଝୁଛି, ସେହି ଛେପ ଦରିଦ୍ର ପ୍ରାଣର ପ୍ରତିବାଦ !”

Image

 

Unknown

ଧର୍ମଶାଳା

ଡକ୍ଟର ହରେକୃଷ୍ଣ ମହତାବ୍

 

ସାମନାରେ ଛୋଟ ଟେବୁଲ୍‍ଟିଏ । ଟେବୁଲ୍ ଉପରେ ପୁରୁଣା ଖବରକାଗଜ ଖଣ୍ଡେ ଟେବୁଲ୍ କ୍ଲଥ୍‌ କାମ ଦେଉଛି । ହାତ ନ ଥିବା କାଠ ଚୌକିଟିରେ ବସି ଟେବୁଲ୍ ଉପରେ ରଖାହେଇଥିବା କେତେ ଖଣ୍ଡ ବହି ଏପାଖ ସେପାଖ କରି ଦେଖୁଛନ୍ତି ରାଧାମୋହନ । ବହି କେତେଖଣ୍ଡ ଭିତରୁ ଗୋଟିଏ ହେଉଛି ଗୀତା, ଆଉ ଗୋଟିଏ ଇଂରାଜୀରେ ଅନୁବାଦିତ କୋରାନ, ଆଉ ଏକ ସଂକ୍ଷିପ୍ତ ବାଇବେଲ୍‍ ? ୟା ଛଡ଼ା ଆଉ ମଧ୍ୟ ଛୋଟ ବଡ଼ ବହି କେତେ ଖଣ୍ଡ ଅଛି । କୌଣସି ଏକ ନିର୍ଦ୍ଦିଷ୍ଟ ବହି ଅଧ୍ୟୟନ କଲାଭଳି ରାଧମୋହନ ଜଣାଯାଉ ନ ଥାନ୍ତି । କିଛି ସମୟ ଗୀତାର କେତେ ପୃଷ୍ଠା ପଢ଼ି ପୁଣି କୋରନ ଆଡ଼କୁ ହାତ ବଢ଼ାନ୍ତି । ପୁଣି କ’ଣ ଭାବି ତାକୁ ଛାଡ଼ି ବାଇବେଲ୍‍କୁ ଖୋଲନ୍ତି । ସେଥିରୁ କିଛି ପଢ଼ି ଉପରକୁ ଚାହିଁ ଗମ୍ଭୀର ଭାବରେ କିଛିକ୍ଷଣ ଭାବନ୍ତି । ଏହିପରି ଅବସ୍ଥାରେ ସେ ନିଜ କୋଠରିରେ ଥିବା ସମୟରେ ଚିନ୍ତାମଣି ହଠାତ୍ କୁଆଡ଼ୁ ଆସି “ନମସ୍କାର, ରାଧାମୋହନ’’ କହି କହି ସାମନାରେ ଆସି ଠିଆ ହୋଇଗଲେ । ହଠାତ୍ ନିଦ ଭାଙ୍ଗିଗଲା ପରି ହୋଇ ରଧାମୋହନ ଆଗକୁ ଚାହିଁ ଅନ୍ୟମନସ୍କ ଭାବରେ କହିଲେ, “କି ଚିନ୍ତାମଣି, କେବେ ଆସିଲ ? ବସ ବସ । ତା' ପରେ ନିଜେ ଉଠିଯାଇ ଟିକିଏ ଦୂରରେ ଥିବା ଷ୍ଟୁଲ୍‍, ଗୋଟିଏ ଆଣି ବସ’ ବୋଲି କହିଲେ । ରାଧାମୋହନ ବର୍ତ୍ତମାନ ତାଙ୍କର ଗଭୀର ଚିନ୍ତାରୁ ମୁକ୍ତ । ‘ବହୁଦିନ ପରେ ଦେଖା, କୁଆଡ଼େ ଥିଲ, କ’ଣ କରୁଛ, ସ୍ୱାସ୍ଥ୍ୟ କିପରି ଅଛି' ଇତ୍ୟାଦି ସମ୍ବିତ ଜିଜ୍ଞାସା କଲେ । ଏସବୁ କଥାର ଉତ୍ତର ନ ଦେଇ ଚିନ୍ତାମଣି ଅଧା ପରିହାସ ଅଧା ଗାମ୍ଭୀର୍ୟ୍ୟ ବ୍ୟଞ୍ଜକ ସ୍ଵରରେ ପଚାରିଲେ, “ତୁ ଆଗେ କହ ତୁ ଏପରି ଦୀନ ଅବସ୍ଥାରେ ବସିଛୁ କାହିଁକି ? ତୋର ସେ ବଡ଼ ଟେବୁଲ୍ କାହିଁ, ସେ ସୁନ୍ଦର ପ୍ଲାଷ୍ଟିକ ଟେବୁଲ୍ କ୍ଲଥ୍ କାହିଁ, ସେ ସ୍ପ୍ରିଙ୍ଗ୍ ଦିଆ ଚେୟାର କାହିଁ ? ଘରେ ଖଣ୍ଡେ ଚେୟାର, ତା’ର ପୁଣି ହାତ ନାହିଁ । ଆଉ ସବୁ ଆସବାବ ଗଲା କୁଆଡ଼େ ? ପୁଣି ସାମନାରେ ପଡ଼ିଛି ଗୀତା । କଅଣ ତୁ ସନ୍ନ୍ୟାସୀ ହୋଇଗଲୁଣି କି ?” ଅଳ୍ପ ହସି ଦେଇ ରାଧାମୋହନ କହିଲେ, “ତୁ ଜାଣିନାହୁଁ, ୟା ଭିତରେ ବର୍ଷେ ଜେଲ୍‍ ଭୋଗି ସାରିଲିଣି । ତୁ ବା ଜାଣିବୁ କିପରି ! କାହାର ଗିରପ୍ତାରି ବା ଜେଲ୍‍ ଯିବା ଖବର ତ ପ୍ରକାଶିତ ହେବ ନାହିଁ ବୋଲି ଆଦେଶ । ଜେଲ୍‍ ଭିତରେ ମୋତେ ଯେତିକି ଆସବାବ ଦିଆଯାଇଥିଲା, ସେଥିରେ ବର୍ଷକ ଭିତରେ ମୁଁ ଏପରି ଅଭ୍ୟସ୍ତ ହୋଇ ଯାଇଛି ଯେ ଆଉ ଆଡ଼ମ୍ବର ଟେବୁଲ୍ ଚଉକି ଆସବାବ ମୋତେ ସୁଖ ଲାଗୁନାହିଁ । ସେ ସବୁ ଆଡ଼ମ୍ବର ଭିତରେ ରହି ପୁଣି ସେଥିରୁ କେବେ ବଞ୍ଚିତ ହେଲେ ମନଟା ଖରାପ ହେବ, ଏଣୁ ଠିକ୍ ସେହିପରି ଅବସ୍ଥାରେ ରହିଲେ ଜେଲ୍ ଗଲେ ଅନ୍ତତଃ ଏ କାରଣରୁ ଚିତ୍ତ ବିକ୍ଷେପ ଘଟିବ ନାହିଁ । ମୁଁ ଧରିନେଇଛି ଯେ ମୁଁ ଜେଲ୍‍ରେ ହିଁ ଅଛି ।” ଅଧୀର ଓ ଗମ୍ଭୀର ହୋଇଯାଇ ଚିନ୍ତାମଣି କହିଲା, କେଉଁଥିରେ ତୋତେ ଜେଲ୍ ହେଲା ? ତୁ..ତ.......” ଆଉ କିଛି କହିବାକୁ ନ ଦେଇ ରାଧାମୋହନ ଉଚ୍ଚ ସ୍ଵରରେ କହି ହସିଲେ, “କେଉଁଥିରେ କାହିଁକି ମୋତେ ଜେଲ୍‍କୁ ନିଆ ହୋଇଥିଲା ମୁଁ ଜାଣେ ନାହିଁ । ଜେଲ୍‌କୁ ନିଆହେବା ଲୋକଙ୍କୁ ସେ ସବୁ ଜଣାଇ ଦିଆ ହେବ ନାହିଁ ବୋଲି ନୂଆ ଆଇନ୍‍ ହୋଇଛି । ତୁ ଏ ଦେଶରେ ଥିଲୁ ନା ଆଉ କେଉଁଠି ଅଛୁ ? ତୁ କ’ଣ କିଛି ଖବର ରଖିନାହୁଁ କି ?” ଚିନ୍ତାମଣି ମୁଣ୍ଡ କୁଣ୍ଡାଇ କୁଣ୍ଡାଇ କହିଲା, “ଖବର ରଖେ, ଯେତିକି ଖବରକାଗଜରେ ବାହାରେ । ଆଉ ତ ବହୁତ କଥା ଶୁଣାଯାଏ । ସେଥିରୁ କେତେ ଯେ ସତ, କେତେ ମିଛ, ଜାଣିବା ଅସମ୍ଭବ । ମିଛ ତ ବହୁତ । ଏଣୁ କୌଣସି ଶୁଣା କଥାକୁ ବିଶ୍ୱାସ କରେ ନାହିଁ । ଅନେକ ଜେଲ୍ ଯାଇଛନ୍ତି, ମୁଁ ଜାଣେ କିନ୍ତୁ ତୁ ଜେଲ୍ ଯିବୁ, ଏହା ମୁଁ ଆଶା କରି ନ ଥିଲି !” ରାଧାମୋହନ କହିଲେ, "ଛାଡ଼ ସେ କଥା । ବର୍ତ୍ତମାନ ଅବସ୍ଥାରେ ସେ ସବୁ ଦେଶଦ୍ରୋହ ବେଆଇନ୍‍ ।

 

ଚିନ୍ତାମଣି- ଦେଶଦ୍ରୋହ ବା ବେଆଇନ, ଏ ସବୁ ମୁଁ ବୁଝେ ନାହିଁ । ମୁଁ ଚଳନ୍ତି ରାଜନୀତିରେ ଆଗ୍ରହୀ ନୁହେଁ । ମୁଁ ମୋ ନିଜ କାମରେ ଥାଏ ।

 

ରାଧାମୋହନ–କଅଣ ତୋର ନିର୍ଦ୍ଦିଷ୍ଟ କାମ, କେଉଁଠି ଥିଲୁ, କେବେ ଆସିଲୁ ?

 

ଚିନ୍ତାମଣି–ମୁଁ ଦିନାକେତେ ବମ୍ବେରେ ଥିଲି । ସେଠି କିଛିଦିନ ରହିଲାପରେ ଦିଲ୍ଲୀ ଗଲି, ସେଠୁ କେନେଡ଼ା ଗଲି । କେନେଡ଼ାରୁ ଫେରି କୋରାପୁଟ ଯାଇଥିଲି । କୋରାପୁଟରୁ ଏହି ବାଟେ ପୁଣି ବମ୍ବେ ଯାଉଛି । ସେଠୁ ପୁଣି କେନେଡ଼ା ।

 

ରାଧାମୋହନ–ତୋ ରହିବା ଯିବା ତ ଏତେ ଖାପ୍‍ଛଡ଼ା ଜଣାଯାଉଛି । ତୋର ନିର୍ଦ୍ଦିଷ୍ଟ କାର୍ଯ୍ୟ କ’ଣ କିଛି ତ ମୁଁ ବୁଝି ପାରୁନାହିଁ ।

 

ଚିନ୍ତାମଣି–ତୁ ଜାଣୁ, କଲେଜରେ ପଢ଼ିବା ଦିନରୁ ମୁଁ ମନସ୍ତତ୍ତ୍ୱ ଗବେଷଣାରେ ଆଗ୍ରହୀ । ତୁ ତ ଇତିହାସବାଲା । ମୁଁ କିନ୍ତୁ ଫିଲସଫିବାଲା । ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ଚେତନା ବିକାଶ ଅନୁଧ୍ୟାନ କରିବା ମୋର କାମ । ବମ୍ବେ, ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏ ବିଷୟରେ ଗବେଷଣା ଚାଲିଛି । କେନେଡ଼ାରେ ଏ ଦିଗରେ ଗବେଷଣା ବହୁଦୂର ଅଗ୍ରସର ହେଲାଣି । କେନେଡ଼ା ସରକାରଙ୍କ ଏକ ସ୍କଲାରସିପ୍ ପାଇ ମୁଁ ଚାଲିଗଲି । ଏଠାର ଅନୁନ୍ନତ ଆଦିବାସୀଙ୍କ ଚେତନା ବିକାଶ ଅନୁଧ୍ୟାନ ପାଇଁ ମୁଁ କୋରାପୁଟ ଯାଇଥିଲି ।

 

ରାଧାମୋହନ- ଆଦିବାସୀଙ୍କ ଚେତନା ବିକାଶ ତ ଦୂରର କଥା । ଆମ ଶ୍ରେଣୀ, ତୋରି ଶ୍ରେଣୀ ଲୋକଙ୍କ ଚେତନା ବିକାଶ କଥା କେବେ ଅନୁଧ୍ୟାନ କରିଛୁ ? ସେହି ବିଷୟ ହିଁ ମୁଁ ଇତିହାସ ଛାତ୍ର ହୋଇ ସୁଦ୍ଧା ବର୍ତ୍ତମାନ ଗବେଷଣା କରୁଛି । ସେଇଥିପାଇଁ ଏ ଧର୍ମପୁସ୍ତକ ସବୁକୁ ଓଲଟାଇ ଦେଖୁଛି ।

 

ଏ କଥାକୁ ହେୟ ଜ୍ଞାନ କଲାପରି ହୋଇ ଚିନ୍ତାମଣି କହିଲେ, “କ’ଣ ତୋ ଗବେଷଣା ସଂକ୍ଷେପରେ କହ ତ ?”

 

ରାଧାମୋହନ–ମୋର ଗବେଷଣା କହେ, ତୋ, ଆମ ଶ୍ରେଣୀର ଲୋକ ଆଖିରେ ଦେଖିବା, କାନରେ ଶୁଣିବା, ସର୍ବାଙ୍ଗରେ ନିଭେଇବା ଏ ସଂସାରଟାକୁ ସମ୍ପୂର୍ଣ୍ଣ ମାୟାଜାଲ, ମିଛ ମନେକରି ଆମେ ବାସ କରୁ ଏପରି ଏକ ରାଜ୍ୟରେ ଯାହାର ଦୈନନ୍ଦିନ ଜୀବନ ସହିତ କିଛି ସମ୍ପର୍କ ନାହିଁ । ଏହି ଦେଖ, ଗୀତା, କୋରନ୍, ବାଇବେଲ୍‍ ସବୁ ବୁଝାଇବାରେ ଲାଗିଛନ୍ତି, ମୃତ୍ୟୁ ପରେ ସୁଖଶାନ୍ତି କିପରି ମିଳିବ । ମୃତ୍ୟୁ ପରେ ଯାହା ହବ ହବ, ଏ ବର୍ଷ ଆର ବର୍ଷ ତା ପର ବର୍ଷ କ’ଣ ହେବ ? ଗୀତା ତ ବୁଝାଉଛି, କ’ଣ କଲେ ମୃତ୍ୟୁ ପରେ ଆଉ ଜନ୍ମିବାକୁ ପଡ଼ିବ ନାହିଁ । ଏ ଜୀବନର ସୃଷ୍ଟି ଯେ ସୃଷ୍ଟିକର୍ତ୍ତାଙ୍କର ଏକ ପ୍ରକାଣ୍ଡ ଭୁଲ ଏହାହିଁ ଆମର ଚେତନା । ତେଣୁ ଦେଶସାରା ଖାଇବାକୁ ନ ପାଇ ପିନ୍ଧିବାକୁ ନ ପାଇ ପାଠ ପଢ଼ିବାକୁ ନ ପାଇ କିଛି ନ ପାଇ ହାତାଶ ହେଉଥିଲେ ମଧ୍ୟ, ତୁ, ମୁଁ ମଧ୍ୟ ସେହି ହତାଶର ଶିକାର ହୋଇଥିଲେ ମଧ୍ୟ, ଆମେ ତାକୁ ସେପରି ଗୁରୁତ୍ଵ ଦେଇନାହୁଁ । କୌଣସି ପ୍ରକାରେ ନିଜେ ଚଳିଯାଇ ଏ ଜୀବନକୁ ଶେଷ କରିଦେଲେ କାମ ସରେ, ଏହି ହେଉଛି ଆମର ଚେତନା ।

 

ଚିନ୍ତାମଣି–ତୁ ଯେଉଁ ସମାଜର ଅବସ୍ଥା କଥା କହୁଛୁ ସେ ସବୁ ତ ରାଜନୈତିକ ଲୋକଙ୍କ ଭାବିବାର ବା ସେ ଦିଗରେ କାର୍ଯ୍ୟକାରକ ହେବାର କଥା । ତୁ ରାଜନୀତିରେ ଅଛୁ ବୋଲି ସେ ସବୁ ପ୍ରଶ୍ନ ତୋର ମନ ଯାଉଛି । କିନ୍ତୁ କୋରାପୁଟ ଜଙ୍ଗଲର ଆଦିବାସୀ ଲୁଗା ପିନ୍ଧେ ନାହିଁ, ଏକ ଦୁଇ ଗଣି ପାରେ ନାହିଁ, ବର୍ଷା ଖରାରୁ ରକ୍ଷା ପାଇବା ପାଇଁ ଘରଟିଏ ଦରକାର ବୋଲି ସେ ଜାଣେ ନାହିଁ । ଦେଶ ସମାଜ ତ ଦୂରର କଥା, ତା ନିଜ କଥା ମଧ୍ୟ ଚିନ୍ତା କରିବାପାଇଁ ତା’ର ମସ୍ତିଷ୍କ ବିକଶିତ ହୋଇନାହିଁ । ଏଥିପ୍ରତି ତୁମ ରାଜନୈତିକ ଲୋକଙ୍କ ଦୃଷ୍ଟି ପଡ଼ିବ କି ?

 

ରାଧାମୋହନ–ତା’ହେଲେ ଓ ସେମାନେ ଶାନ୍ତିରେ ଅଛନ୍ତି ! ଆମେ ତ ଭଲ ଖାଇବାପାଇଁ, ଭଲ ପୋଷାକ ପାଇଁ, ଭଲ ଘରଟିଏ କରିବାପାଇଁ, ସନ୍ତାନସନ୍ତତି ସୁଖରେ ରହିବାପାଇଁ, ନିଜେ ମଧ୍ୟ ଜୀବନକୁ ଉପଭୋଗ କରିବାପାଇଁ ଯେପରି ବ୍ୟସ୍ତ, ଚିନ୍ତିତ ଓ ଉଦ୍‍ବିଗ୍ନ, ପୁଣି ସେ ସବୁ ଚିନ୍ତା, ଉଦ୍‍ବେଗ ଓ କାର୍ଯ୍ୟ ଫଳ ମୃତ୍ୟୁ ପରେ ଭୋଗିବାକୁ ହେବ ବୋଲି ମନରେ ଯେ ଭୟ, ଏଥିରୁ ତ କୋରାପୁଟ ଆଦିବାସୀମାନେ ମୁକ୍ତ । ଥାନ୍ତୁ ସେମାନେ ନିଶ୍ଚିନ୍ତରେ । ତାଙ୍କୁ ଟାଣି ଆଣି ଶାସ୍ତ୍ର-ବର୍ଣ୍ଣିତ ମାୟାଜାଲରେ ପକାଇ ଆମ ପରି ଘଣ୍ଟାଚକଟା କରିବା ଦରକାର ନାହିଁ ।

 

ଚିନ୍ତାମଣି–ମୁଁ ଦେଖୁଛି, ଏହି ବର୍ଷକ ଭିତରେ ତୁ ସଂପୂର୍ଣ୍ଣ ନିରାଶାବାଦୀ ହୋଇଗଲୁଣି । ତୋର ମନସ୍ତତ୍ତ୍ୱ ଗବେଷଣା ଆବଶ୍ୟକ କରୁଛି । ଜେଲରେ ବୋଧହୁଏ ତୋର ନିରାଶା ଜନ୍ମିଲା । ତୁ ତ ପୂର୍ବେ ଏପରି ନଥିଲୁ । ଆଚ୍ଛା, ସେକଥା ପରେ ହେବା । ଆଉ ରାଜନୀତିର ଖବର କ’ଣ ? ତୁମେ ନେତାମାନେ ଖେଳରେ ଯେପରି ଦୁଇପକ୍ଷ ଦଉଡ଼ିକୁ ଟାଣି ନିଜ ପକ୍ଷରୁ ନେବା ପାଇଁ ଗୋଇଠି ମାଡ଼ି ଦାନ୍ତ କାମୁଡ଼ି ସମସ୍ତ ବଳ ପ୍ରୟୋଗ କର, ସେପରି ଗଣତନ୍ତ୍ର ଓ ସମାଜବାଦକୁ ଏପରି ଟଣା ଓଟରା କଲଣି, ଶେଷରେ ସେ ଦୁଇ ବସ୍ତୁ ଯେ କଅଣ ଲୋକେ ଜାଣିବେ ନାହିଁ । କେବଳ ଦେଖିବେ କେଉଁ ପକ୍ଷ ଜିତିଲା । ଦୁଇ ପକ୍ଷରେ ତାଳି ମାରିବାପାଇଁ ଲୋକେ ଅଛନ୍ତି । ବର୍ତ୍ତମାନ ତୋ ପକ୍ଷ ହାରିଯାଇଛନ୍ତି ବୋଲି ତୁ ନିରାଶ । କହିଦେଇ ଚିନ୍ତାମଣି ଜୋରରେ ହସିଲେ ।

 

ରାଧାମୋହନ ଗମ୍ଭୀର ହୋଇଯାଇ କହିଲେ, “ଦେଖ୍ ଚିନ୍ତାମଣି, ତୁ ତ ଏଠି ପ୍ରାୟ ଦୁଇ ବର୍ଷ ହେଲା ନ ଥିଲୁ । ତୋ ସାଙ୍ଗରେ ମୋର ଦେଖା ପ୍ରାୟ ବର୍ଷକ ପରେ । ଏଣୁ ତୁ ଜାଣିନାହୁଁ ମୋଠି ସେ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ମୁଁ‌ ରାଜନୀତିରେ ନାହିଁ ବୋଲି କହିବାଟା ଠିକ୍ ହେବ ନାହିଁ । ବର୍ତ୍ତମାନ ରାଜନୀତି ମୋତେ ଫୋପାଡ଼ି ଦେଇଛି । କେବଳ ମୋତେ ନୁହେଁ, ମୋ ପରି ଅନେକଙ୍କୁ ଫୋପାଡ଼ିଦେଇ ରାଜନୀତି ଚାଲିଛି, ଯେପରି ମିଲ୍‌ରେ ଚୋକଡ଼କୁ ଫୋପାଡ଼ିଦେଇ ଗହମ ଅଟା ହୁଏ । ପୁରୁଣାକୁ ଫୋପାଡ଼ି ନ ଦେଲେ ନୂଆ ଉଠିପାରିବେ ନାହିଁ, ଏ ମଧ୍ୟ ଏକ ଦର୍ଶନ । ଆମକୁ ଯେଉଁମାନେ ଫୋପାଡ଼ି ଦେଇଛନ୍ତି ସେମାନଙ୍କୁ ଅନ୍ୟମାନେ ଫୋପାଡ଼ିଦେବାକୁ ବସିଛନ୍ତି, ଏହି ହେଉଛି ରାଜନୀତିର ଅବସ୍ଥା ।

 

ଚିନ୍ତାମଣି–ତୁ ଏ କଥା କହିଲେ ମୁଁ ବିଶ୍ୱାସ କରିବି ? ରାଜନୀତି ତୁ ଛାଡ଼ିପାରିବୁ ନାହିଁ କି ରାଜନୀତି ତୋତେ ମଧ୍ୟ ଛାଡ଼ିପାରିବ ନାହିଁ । ରାଜନୀତିରେ ତ ତୁ ନାହୁଁ, ତୋତେ ଜେଲ୍ ନେଲେ କାହଁକି ?

 

ରାଧାମୋହନ ହସି ହସି କହିଲେ, “ସେ ତ ମନସ୍ତତ୍ତ୍ୱ ବିଷୟକ ଗବେଷଣା ଆବଶ୍ୟକ କରେ । ତୁ ଜାଣୁ, ଆଜିକାଲି ଚୋରି ଡକାୟତ ଏତେ ବେଶି ହେଉଛି, ପୋଲିସ ସବୁଗୁଡ଼ାକର ତଦନ୍ତ ରୀତିମତ କରିପାରୁନାହାନ୍ତି । କିନ୍ତୁ ତଦନ୍ତ କରି କିଛି ରିପୋର୍ଟ ନ ଦେଲେ ଚାକିରିରେ ବାଧା ଆସିବ, ଖବର କାଗଜରେ ସମାଲୋଚନା ବାହାରିବ, ତେଣୁ ପୋଲିସ ଏକେ ଦାଗୀ ତାଲିକା ରଖିଥାନ୍ତି । ଥରେ ଯେ ଅପରାଧରେ ଜେଲ୍‍ ଗଲେ ତା’ର ନାମ ଚଢ଼ିଲା ସେ ଦାଗୀ ତାଲିକାରେ । ପରେ କେଉଁଠି ଡକାୟତି ହେଲେ ପୋଲିସ ଦାଗୀ ତାଲିକାରୁ କେତେକଙ୍କୁ ଧରି ପ୍ରମାଣ ସଜେଇ କଚେରୀରେ ହାଜତ କରାନ୍ତି । ସିନ୍ଧିକାଠି, ତାଲା ଭାଙ୍ଗିବା ଯନ୍ତ୍ର ଇତ୍ୟାଦି ଥାନାରେ ରହିଛି । ସେସବୁ ପ୍ରମାଣ ସ୍ୱରୂପ ସବୁ ମୋକଦ୍ଦମାରେ ଦାଖଲ ହୁଏ । ସେହି ପ୍ରମାଣ ବଳରେ ଧରିଆଣିଥବା ଦାଗୀକୁ ଜେଲ୍ ହୁଏ । ପ୍ରଥମ ଅପରାଧ ପରେ ସାଧୁ ଜୀବନ ଯାପନ କରି ନିର୍ଦ୍ଦୋଷ ଜୀବିକା ଅର୍ଜନ କରିଥିଲେ ମଧ୍ୟ ସେ ଦାଗୀ ସେ ଚିରକାଳ ଦାଗୀ । ମୁଁ ସେହିପରି ଏକ ରାଜନୈତିକ ଦାଗୀ । କେଉଁଠି କିଛି ଆନ୍ଦୋଳନ ହେଲେ ମୁଁ ସେ ସମ୍ବନ୍ଧରେ କିଛି ନ ଜାଣିଥାଏ ପଛକେ ମୋତେ ଧରିନେବାର କାରଣ ହେଉଛି ମୁଁ ଦାଗୀ ତାଲିକାଭୁକ୍ତ ।

 

ଚିନ୍ତାମଣି–ତୁ ରାଜନୀତି ପ୍ରତି ଏତେ ବୀତସ୍ପୃହ ହେଲୁ କେବେଠୁ ? ବର୍ତ୍ତମାନ ତ ରାଜନୀତିରେ ତୋର ମାତିଯିବା କଥା ।

 

ରାଧାମୋହନ–ରାଜନୀତିରେ ମୁଁ ବୀତସ୍ପୃହ ନୁହେଁ, ରାଜନୀତି ମୋ ପ୍ରତି ବୀତସ୍ପୃହ ।

 

ଚିନ୍ତାମଣି–କ’ଣ ଏକ ନୂଆ ଥିଓରୀ ତୁ ବାହାର କରିଛୁ ! ଶୁଣିବା ସେ ଥିଓରୀ ।

 

ରାଧାମୋହନ- ମୋର ଥିଓରୀ ଏହି ବିପ୍ଳବ କହିଲେ ଯାହା ବୁଝାଏ ତାହା ସବତ୍ର ହୋଇଛି ସଶସ୍ତ୍ର ବାହିନୀଙ୍କ ସାହାଯ୍ୟରେ ଓ ଯୁଦ୍ଧ ଜନିତ ଅବସ୍ଥାରେ । ଫ୍ରାନ୍ସର ସୈନ୍ୟବାହିନୀ ସାହାଯ୍ୟ କରି ନ ଥିଲେ ଆମେରିକାର ବିପ୍ଳବ ସଫଳକାମ ହୋଇପାରି ନ ଥାନ୍ତା । ପ୍ରଥମ ବିଶ୍ୱଯୁଦ୍ଧ ଜନିତ ଅବସ୍ଥାରେ ରୁଷିଆର କମ୍ୟୁନିଷ୍ଟ ବିପ୍ଲବ, ପୁଣି ଦ୍ଵିତୀୟ ବିଶ୍ଵଯୁଦ୍ଧ ଜନିତ ଅବସ୍ଥାରେ ଚୀନର କମ୍ୟୁନିଷ୍ଟ ବିପ୍ଳବ । ବିନା ବିପ୍ଳବରେ ଭାରତ ସ୍ଵାଧୀନ ହୋଇଛି; ସେହିପରି ଅନେକ ଦେଶ ହୋଇଛନ୍ତି । ଭାରତରେ କିନ୍ତୁ ଗାନ୍ଧିଜୀ ରାଜନୀତି ପରିଚାଳନା କରିବାପାଇଁ ଗୋଟିଏ ଶୃଙ୍ଖଳାବଦ୍ଧ ପୁରୁଷ ବା ଜେନେରେସନ ସୃଷ୍ଟି କରିଗଲେ । ସେ ପୁରୁଷ ଗଲା, ଗାନ୍ଧିଜୀଙ୍କ ନୀତି ବି ଗଲା; ଗାନ୍ଧୀ ବର୍ତ୍ତମାନ ଜେଲ୍‌ରେ ! ତୁ ଶୁଣିଲେ ହସିବୁ, ଜେଲରେ ପ୍ରତିଦିନ ସକାଳେ ଗାନ୍ଧିଜୀଙ୍କ ପ୍ରାର୍ଥନା “ରଘୁପତି ରାଘବ ରାଜାରାମ” କୟେଦିମାନେ ସମବେତ ହୋଇ ବୋଲନ୍ତି । ପୁଣି ଜେଲ୍‍ରେ କୟେଦିମାନେ ଭୋଟ ଦେଇ ସେମାନଙ୍କର ଏକ ପଞ୍ଚାୟତ ନିର୍ବାଚନ କରନ୍ତି । ସେହି ପଞ୍ଚାୟତର ମତ ନେଇ ବା ତାକୁ ଖୁସ୍ ରଖି ଜେଲ୍ କର୍ତ୍ତୁପକ୍ଷ ଚଳନ୍ତି । ଗାନ୍ଧିଜୀଙ୍କ ପ୍ରାର୍ଥନା ଓ ନୀତି ବାହାରେ ପରିତ୍ୟକ୍ତ, କିନ୍ତୁ ଜେଲରେ ଜୀବିତ ଅଛି । ବର୍ତ୍ତମାନ ଲୋକ ଭେଳେଇ ଓ ଘେରାଉ କରି କର୍ତ୍ତୁପକ୍ଷଙ୍କଠାରୁ କାମ ହାସଲ କରିବାକୁ ଅହିଂସାତ୍ମକ ବୋଲି କୁହାଯାଉଛି । ଜଣକୁ ଶହେଜଣ ସମ୍ପୂର୍ଣ୍ଣ ନିରସ୍ତ୍ର ଲୋକ ଘେରିଯାଇ ଜୋର ଜବରଦସ୍ତ କଲେ ସେ ନିଶ୍ଚୟ ଆତ୍ମରକ୍ଷା ପାଇଁ ଅସ୍ତ୍ର ବ୍ୟବହାର କରିବ । ଏ ସାଧାରଣ କଥାଟାକୁ ‘ଅହିଂସାତ୍ମକ ଜନତା ଉପରେ ଗୁଳି ବର୍ଷଣ’ ବୋଲି ଗାନ୍ଧିଜୀଙ୍କ ନାମରେ ଚିତ୍କାର କରାହେଉଛି । ଅହିଂସାର ଆବରଣରେ ଗତି କରୁଥିବା ହିଂସା ସମ୍ମୁଖୀନ ହେଉଛି ଅନ୍ୟ ପକ୍ଷର ସ୍ଵଭାବିକ ହିଂସାର । ଏଥିରେ ମେଷ-ପରିଚ୍ଛଦଧାରୀ ଦୁର୍ବଳ ବାଘ ହୃଷ୍ଟପୁଷ୍ଟ ବଳଶାଳୀ ବାଘଦ୍ୱାର ଧ୍ଵସ୍ତ ହୋଇଯାଉଛି । ଅହିଂସାତ୍ମକ ରାଜନୀତି କହିଲେ ଗାନ୍ଧିନୀତି । ସେ ତ ପରିତ୍ୟକ୍ତ । ଯେକୌଣସି ଆବରଣରେ ହିଂସାଚରଣ ତ ଏ ନିରସ୍ତ୍ର ଦେଶରେ କେବେ ହେଲେ କାର୍ଯ୍ୟକାରୀ ହେବ ନାହିଁ । ଶୁଦ୍ଧ ଅହିଂସାତ୍ମକ ଆନ୍ଦୋଳନ ପାଇଁ ଯେଉଁ ନୈତିକତା ଆବଶ୍ୟକ, ତାହା ମୋର ନାହିଁ ବା ଦେଶର ବର୍ତ୍ତମାନ କାହାରି ନାହିଁ । ହିଂସା ତ ଚଳିବ ନାହିଁ । ଏଣୁ ପ୍ରଚଳିତ ବ୍ୟବସ୍ଥାକୁ ମାନିନେଇ ଚଳିବା ଭିନ୍ନ ଅନ୍ୟ ଉପାୟ ନାହିଁ । ଇତିମଧ୍ୟରେ ନିଜର ଓ ଜନତାର ନୈତିକ ଚେତନା ଜାଗ୍ରତ କରିବାପାଇଁ ଯାହା କିଛି କରିବାକୁ ହେବ–ଏହି ହେଲା ମୋର ଥିଓରୀ । ଛାଡ଼ ସେ ସବୁ କଥା–ଯେଉଁ ଠାରୁ ମୋ ମନକୁ ହଟାଇବାପାଇଁ ଗୀତା, କୋରାନ, ବାଇବେଲ ପଢ଼ୁଛି, ତୁ ସେଇଠିକି ମୋ ମନକୁ ପୁଣି ଟାଣିନେଉଛୁ । ଛାଡ଼, ଅନ୍ୟକଥା ପକା ! ଘରେ ତୋର ସମସ୍ତେ ଭଲ ? ତୋର କେନେଡ଼ା ଜୀବନ କିପରି ?

 

ଚିନ୍ତାମଣି–ରହ, ତୁ ଯିବୁ କୁଆଡ଼େ ! ତୁ ଏକ ପ୍ରତିକ୍ରିୟାର କେନ୍ଦ୍ର ହୋଇଛୁ ଶୁଣି ତ ମୁଁ ତୋ ସହିତ କଥା ହେବାକୁ ଆସିଲି । ମନେ ଅଛି, କଲେଜ ଛାଡ଼ିବା ବେଳକୁ ଆମର ପ୍ରତିଜ୍ଞା ? କୁଆଡ଼େ ଗଲା ସେ ଜୀବନ ! ମୋର, ଅନ୍ୟ-ମାନଙ୍କର ତ ଯାଇଛି କେଉଁଦିନୁ । ବାକି ଥିଲୁ ତୁ; ତୁ ବି ଗଲୁ । ଆମେ ପୁରୁଷଟା ଏପରି ନିରର୍ଥକ ହୋଇଯିବ ?

 

ରାଧାମୋହନ–ତୁ ଏକ ଅସମୟରେ ଆସିଲୁ । ଏଠି କିଛିଦିନ ରହ । ଧୀରେ ସୁସ୍ଥେ କଥା ହେବା ! ମୋ ମନ ବର୍ତ୍ତମାନ କଡ଼ାରେ ବଡ଼ା ଭଜା ହେବା ପରି ଅବସାଦରେ ଭଜା ହେଉଛି । ତୁ ଆସିବୁ ଅନ୍ୟ ସମୟରେ । ଏଠି ରହୁଛୁ କେଉଁଠି ?

 

ଚିନ୍ତାମଣି–ଆଚ୍ଛା, ମୁଁ ସନ୍ଧ୍ୟାବେଳକୁ ହେଉ ବା କାଲି ବଡ଼ିସକାଳୁ ହେଉ, ଆସିବି । ମୋତେ କିନ୍ତୁ ସ୍ପଷ୍ଟ ସବୁ କହିବାକୁ ହେବ । କାରଣ ମୁଁ ମନସ୍ତତ୍ତ୍ଵବିଦ୍ । ହସି ହସି ଏହା‌ କିହି ଚିନ୍ତାମଣି ଉଠି ଚାଲିଗଲେ ।

 

ଚିନ୍ତାମଣି ଓ ରାଧାମୋହନ ସମବୟସ୍କ : ଏକ ସାଙ୍ଗରେ କଲେଜରେ ପଢ଼ୁଥିଲେ । ଏକ ସମୟରେ ଏମ୍. ଏ. ପାସ୍ କଲେ । ଶରତ ଓ ଜଗଦୀଶ ମଧ୍ୟ ଏହି ସମୟରେ ଏମ୍. ଏ. ପାସ୍ କଲେ । ଏ ଚାରିଜଣ ଏକାଠି ହଷ୍ଟେଲରେ ଥିଲେ । ଏମାନେ ଏକ ବିପ୍ଳବର ଶପଥ ନେଇଥିଲେ, ବି°ଶ ଶତାବ୍ଦୀର ସମସ୍ତ ବିପ୍ଳବୀଙ୍କର ନାମରେ । ଲେନିନ୍, ଗାନ୍ଧୀ, ମାଓ ସେ ତୁଂ ଓହୋ ଚି ମିନ୍ ପ୍ରଭୃତି ଯେତେ ପ୍ରଚଳିତ ବ୍ୟବସ୍ଥାକୁ ଭାଙ୍ଗି ନୂଆ କରି ସମାଜ ଗଠନ କରିବାପାଇଁ ବିପ୍ଳବ କରିଥିଲେ, ଏ ସମସ୍ତେ ଥିଲେ ଉକ୍ତ ଚାରିଜଣଙ୍କର ଉପାସ୍ୟ । ଏମାନଙ୍କ ଦଳର ନାମ କିଛି ନ ଥିଲା । କେବଳ ସାଙ୍ଗସାଥୀ ହିସାବରେ ଜୀବନକୁ ଏକ ବିପ୍ଳବ ମାର୍ଗରେ ନେବେ ବୋଲି ଜୀବନର ପ୍ରଥମ ତରଙ୍ଗରେ ଉତ୍ସାହିତ ହୋଇଥିଲେ । ଏମାନେ ମଧ୍ୟ ଛାତ୍ରନେତା ବା ଯୁବନେତା ବୋଲି ପରଚିତ ଥିଲେ । ଅଧ୍ୟାପକମାନେ ମଧ୍ୟ ଏମାନଙ୍କୁ ଭୟ କରୁଥିଲେ କାଳେ ଏମାନେ କିଛି ଗଣ୍ଡଗୋଳ ସୃଷ୍ଟି କରିବେ । ଥରେ ଏମାନଙ୍କୁ ଲକ୍ଷ୍ୟ କରି ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ କହିଥଲେ, ‘‘ଅବିବାହିତ ଅବସ୍ଥାରେ ବିପ୍ଳବର କଳ୍ପନା ଯେଉଁମାନେ କରନ୍ତି ସେମାନେ ଗାନ୍ଧୀଙ୍କୁ ଏକ ଚରମପନ୍ଥୀ ବିପ୍ଳବୀ ଓ ଲେନିନ୍, ମାଓଙ୍କୁ ଚରମପନ୍ଥୀ ବୋଲି ମାନନ୍ତି । ସେମାନେ ନିଜକୁ ମାର୍କସପନ୍ଥୀ କମ୍ୟୁନିଷ୍ଟ ବୋଲନ୍ତି । ପୁଣି ବିବାହିତା ହେଲେ ସେମାନେ କମ୍ୟୁନିଷ୍ଟ ପଦରୁ ହଟି ଆସି ଭାଷଣ-ସର୍ବସ୍ଵ ସୋସାଲିଷ୍ଟ ହୁଅନ୍ତୁ । ପୁଣି ଏଥରୁ ଟିକିଏ ହଟି ନିଷ୍କ୍ରିୟ ସର୍ବୋଦୟରା ବାଦି ହୁଅନ୍ତି । ପିଲାଛୁଆ ହୋଇଗଲେ ସବୁଥିରୁ ହଟି ଏମାନେ ଆରାମପ୍ରୟାସୀ କଂଗ୍ରେସ ଲୋକ ହୋଇଯାନ୍ତି । ତା'ପରେ ଆରାମର ସହିତ ସମାଜର ପରିବର୍ତ୍ତନ କରିବାପାଇଁ ଆଗେ ନିଜକୁ ଆରମରେ ରଖିବାପାଇଁ ଯତ୍ନବାନ ହୁଅନ୍ତି ।” ଏ ପରିହାସର ଉତ୍ତର ଦେଇ ଉକ୍ତ ଚାରିଜଣଙ୍କ ମଧ୍ୟରୁ ରାଧାମୋହନ ଦୃଢ଼ ଭାବରେ କହିଥିଲେ, “ବିପ୍ଳବ ପାଇଁ ଆମେ ଜୀବନ ଉତ୍ସର୍ଗ କରିଛୁ, ଆଉ ସେଥିରୁ ହଟିବୁ ନାଇଁ ।” ପ୍ରକୃତରେ ଏମାନେ ବିପ୍ଳବର କଳ୍ପନାକୁ ସମ୍ପୂର୍ଣ୍ଣ ନିଜର କରିନେଇଥିଲେ । ଆବେଗ ବାଷ୍ପ ପରି ନିୟନ୍ତ୍ରିତ ନ ହେଲେ ଉଡ଼ି ଉଡ଼ି ଯେ କେତେ ଉପରକୁ ଯାଏ ତାହା ଆବେଗଗ୍ରସ୍ତ ଲୋକ ପ୍ରଥମ ଅବସ୍ଥାରେ ଜାଣିପାରେ ନାହିଁ । ରାଧାମୋହନ ଓ ତାଙ୍କ ସାଙ୍ଗମାନେ ଥରେ ପୁରୀକୁ ରଥଯାତ୍ରା ଦେଖିବାପାଇଁ ଯାଇଥିଲେ । ସେଠିକାର ସମସ୍ତ ଦୃଶ୍ୟ ଦେଖି ସମୁଦ୍ରକୂଳରେ ଚାରିଜଣଯାକ କହିଦେଲେ, “ଏ ଜଗନ୍ନାଥ ମନ୍ଦିରକୁ ଡିନାମାଇଟ୍ ଦେଇ ଭାଙ୍ଗି ନ ଦେଲେ ଓଡ଼ିଆ ଜାତିର ଉନ୍ନତି ହେବ ନାହିଁ । ମହାପ୍ରସାଦ ଚାଖି ଚାଖି ଯେଉଁ ଜାତି ଜଗନ୍ନାଥ ସବୁ କରିଦେବେ ବୋଲି ବିଶ୍ଵାସ କରେ, ସେ ଜାତି ଦରିଦ୍ର, ଭୀରୁ, କାପୁରୁଷ ହେବ ହିଁ ହେବ । ଏ ବିରାଟ ଐତିହ୍ୟ ନୁହେଁ ଯେ, ଏ ହେଉଛି ପ୍ରଗତିପଥରେ ଏକ ବିରାଟ ମେରୁ ପର୍ବତ । ମନ୍ଦିରକୁ ଭାଙ୍ଗି ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଗଡ଼ାଇ ନଦେଲେ ଓଡ଼ିଆ କେବେ ସାହସୀ, ବୀର, ମେଧାବୀ ହୋଇ ପୃଥିବୀବକ୍ଷରେ ମଥା ଟେକିପାରିବେ ନାହିଁ... ଇତ୍ୟାଦି…ଇତ୍ୟାଦି ।” ଏସବୁ ଯେ କେବଳ ନିଜ ନିଜ ମଧ୍ୟରେ କଥା ହେଲେ ତାହା ନୁହେଁ, ସିଂହଦ୍ଵାରରେ ସଭା କରି ମାଇକରେ ଉଚ୍ଚସ୍ଵରରେ ମଧ୍ୟ ଏହା ଘୋଷଣା କଲେ । କେହି କହିଲେ ଏମାନେ ପାଗଳ, ଆଉ କେହି କେହି ଯୁବକ ଏମାନଙ୍କ କଥାରେ ଉନ୍ମାଦନା ଅନୁଭବ କଲେ । ଯାହାହେଉ, ଏସବୁ ଛାତ୍ରଜୀବନର ଆବେଗ, ଯେଉଁ ଜୀବନରେ ଜୀବିକା ବା ସଂସାରର ଚିନ୍ତା ନ ଥାଏ, ମଣ ହେବା ପୂର୍ବରୁ ହାମୁଡ଼ିଆର ଜୀବନ ଯେପରି । ସେହି ଯୁବସୁଲଭ ଆବେଗର ଏକ ପ୍ରଧାନ ଅଂଶ ହେଉଛି ପ୍ରେମ । ନଷ୍ଟ ଚରିତ୍ରର ଯୁବକଙ୍କ କଥା ଛାଡ଼ିଦେଲେ ଯେଉଁମାନେ ଉଚ୍ଚାଭିଳାଷୀ, ଜୀବନରେ କୃତିତ୍ଵ ଅର୍ଜନ କରିବାପାଇଁ ଆଗ୍ରହୀ, ସେମାନେ ଖୋଜି ବୁଲନ୍ତି ଏପରି ସହଧର୍ମିଣୀ, ଯେ ତାଙ୍କୁ ସାଧାରଣ ଜୀବନରେ ସାହାଯ୍ୟ କରିବ । ସହଶିକ୍ଷା ପ୍ରବର୍ତ୍ତନ ଫଳରେ ଏପରି ପ୍ରଣୟିନୀ ମିଳିବାରେ କିଛି ଅସୁବିଧା ନାହିଁ । ସହଧର୍ମିଣୀ ସହକର୍ମୀଣୀ ପାଇବା ମଧ୍ୟ ଉଚ୍ଚାଭିଳାଷର ଏକ ଅଙ୍ଗ । ଚିନ୍ତାମଣିଙ୍କ ଉଚ୍ଚାଭିଳାଷ ପ୍ରଥମେ ଏ ଦିଗରେ ପୂରଣ ହେଲା । ସେ ବିବାହ କଲେ ତାଙ୍କରି ସାଙ୍ଗରେ ପଢ଼ୁଥିବା ଫିଲସଫିର ଏମ. ଏ. ସୁଶୀଳାକୁ । ଚିନ୍ତାମଣି ନିଜେ ଫିଲସଫିରେ ଏମ୍.ଏ । ତେଣୁ ସେ ବନ୍ଧୁମାନଙ୍କ ଭିତରେ କହିହେଲେ, ସମାନଧର୍ମିଣୀକୁ ପାଇ ସେ ଜୀବନରେ ବହୁତ କିଛି କରିପାରିବେ । ରାଧାମୋହନଙ୍କୁ ଛାଡ଼ି ଅନ୍ୟ ଦୁଇଜଣ ସାଙ୍ଗ ଶରତ ଓ ଜଗଦୀଶ ମଧ୍ୟ ବିବାହ କଲେ । ଏକା ରହିଗଲେ ରାଧାମୋହନ । ସେ ବରାବର ଯୁକ୍ତି କରନ୍ତି, ବିବାହ ଜୀବନର ସହାୟକ ନୁହେଁ, ଏହା ଏକ ବନ୍ଧନ; ବିବାହ ପରେ ବିବାହିତ ବ୍ୟକ୍ତିକୁ ତିନିଗୋଡ଼ିଆ ଦଉଡ଼ କରିବାକୁ ହେବ । ଏହାର ଅନ୍ୟ ପକ୍ଷ ଯୁକ୍ତି ସବୁ ମଧ୍ୟ ତାଙ୍କର ବନ୍ଧୁମାନେ ବାଢ଼ନ୍ତି । ଯାହାହେଉ, ଚାରିଜଣ ସାଙ୍ଗଙ୍କ ଭିତକୁ ତିନିଜଣ ହୋଇଗଲେ ବିବାହିତ ଓ ଜଣେ ରହିଗଲେ ଅବିବାହିତ । ଚାରିଜଣଯାକ ଭଲ ମେଧାବୀ ଛାତ୍ର । ମେଧା ପ୍ରଦର୍ଶନ କରିବାପାଇଁ ସମସ୍ତେ ଆଗ୍ରହୀ । କିନ୍ତୁ କ୍ଷେତ୍ର କାହିଁ ? ଶିଳ୍ପ ବିକାଶ ସେପରି ହୋଇନାହିଁ ଯେ ସେ କ୍ଷେତ୍ରରେ ଜଣେ ସହଜରେ କୃତିତ୍ୱ ଅର୍ଜନ କରିପାରିବ । ରାଜନୀତି କ୍ଷେତ୍ର ଏକ ସମୟରେ ପ୍ରଶସ୍ତ ଥିଲା । ସେ ପଡ଼ିଆରେ ଖେଳିବାପାଇଁ ବହୁ ଉଚ୍ଚାଭିଳାଷୀ ଯୁବକ ବାହାରୁଥିଲେ; ଖେଳ ଦେଖାଇ ନିଜେ ସନ୍ତୋଷ ଲାଭ କରୁଥିଲେ ଏବଂ ଦର୍ଶକମଣ୍ଡଳୀର ଉଚ୍ଛ୍ଵସିତ ପ୍ରଶଂସା ଅର୍ଜନ କରୁଥିଲେ । କିନ୍ତୁ ସେ କ୍ଷେତ୍ର କ୍ରମେ ଏପରି ସଂକୀର୍ଣ୍ଣ ହେଲାଣି, ପଡ଼ିଆ ଚାରିପାଖଯାକ ଜବର ଦଖଲ କରି ଏତେ ଲୋକ କୋଠାବାଡ଼ି କରିଗଲେଣି ଯେ ସେଠି ବହୁ ଖେଳାଳିଙ୍କ ପାଇଁ ସ୍ଥାନ ନାହିଁ । କୌଣସି ଖେଳର କେବଳ ଗୋଟିଏ ଟିମ୍ ଛଡ଼ା ଅନ୍ୟ ଟିମ୍ ପାଇଁ ମଧ୍ୟ ସ୍ଥାନ ନାହିଁ । ସେ ଗୋଟିଏ ଟିମ୍ ଅପ୍ରତିଦ୍ଵନ୍ଦୀ ପ୍ରାୟ ହୋଇ ସବୁଥର କର ସିଲ୍‌ଡ୍‌ ପାଉଛି ବୋଲି ମଧ୍ୟ ସମ୍ବାଦପତ୍ର ଓ ରେଡିଓ ପ୍ରଚାର କରୁଛନ୍ତି । ଅନ୍ୟ ଟିମ୍ ଯେ କେହି ନାହାନ୍ତି ଓ ଖେଳପଡ଼ିଆ ଯେ ସଂକୀର୍ଣ୍ଣ ହୋଇଗଲାଣି, ଏ କଥାଟି ପ୍ରଚାରରେ ଏପରି ଊହ୍ୟ ଥାଏ ଯେ ବାହାରର ଲୋକେ ସମସ୍ତେ ମନେ କରନ୍ତି ଯେଉଁ ଗୋଟିକ ଟିମ୍ ଖେଳୁଛି ସେହି ହେଉଛି ସର୍ବୋତ୍ତମ । ରାଧାମୋହନ ଓ ତାଙ୍କ ସାଙ୍ଗମାନେ ଛାତ୍ରାବସ୍ଥାରେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଅଭିଲାଷ ପୋଷଣ କରିଥିଲେ । କିନ୍ତୁ ଛାତ୍ରଜୀବନ ଶେଷ ହେବାବେଳକୁ ସେ କ୍ଷେତ୍ରର ଦଶା ପୂର୍ବବର୍ଣ୍ଣିତ ଅବସ୍ଥାରେ ପହିଞ୍ଚିଲାଣି । କିନ୍ତୁ ଅଭିଳାଷ ତ ଠେଲିହୋଇ ପ୍ରକାଶ ପାଇବାରେ ବ୍ୟସ୍ତ । ଶରତ ଓ ଜଗଦୀଶ ଆଇ. ଏ. ଏସ୍. ପ୍ରତିଦ୍ଵନ୍ଦିତାରେ ଯୋଗ ଦେଲେ । ସେଥିରେ ସେମାନେ ବିଜୟୀ ହେଲେ । ଶରତ ହୋଇଗଲେ ଆଇ. ଏ. ଏସ୍. ଓ ଜଗଦୀଶ ହୋଇଗଲେ ଆଇ. ପି. ଏସ୍. । ଜଣେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଆଉ ଜଣେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ । ଚିନ୍ତାମଣି ସେଥିରେ ଅକୃତକାର୍ଯ୍ୟ ହୋଇ ଶିକ୍ଷା ବିଭାଗରେ ଅଧ୍ୟାପକ ହେଲେ ଓ ଅଧ୍ୟାପକ ହିସାବରେ ନାମ ମଧ୍ୟ କଲେ । ଫରେନ୍ ସ୍କଲାରସିପ୍ ପାଇ ବର୍ତ୍ତମାନ କେନେଡ଼ାରେ ମନସ୍ତତ୍ତ୍ୱ ଗବେଷଣା କାର୍ଯ୍ୟରେ କିଛିକାଳ ପାଇଁ ଅଛନ୍ତି । ଏକା ରହିଯାଇଛନ୍ତି ରାଧମୋହନ ରାଜନୀତିରେ । ଅନ୍ୟମାନେ ବିଭିନ୍ନ ଦିଗକୁ ଚାଲିଗଲେ ମଧ୍ୟ ଏକ ସମୟରେ ଯେ ସେମାନେ ରାଜନୈତିକ ଅଭିଳାଷ ପୋଷଣ କରୁଥିଲେ ଏବଂ ତାକୁ ଘୋଷଣା କରି ଛାତ୍ରବନ୍ଧୁଙ୍କଠାରୁ ବାହାବା ପାଉଥିଲେ, ସେଥିରୁ ସେମାନେ ଅପସରି ଯାଇଛନ୍ତି; ଏ ଭାବନାକୁ ସେମାନେ ଏକ ମାନସିକ ଗ୍ଲାନି ବୋଲି ମନେକରି ନିଜ ମନକୁ ନିଜେ ବୋଧ ଦିଅନ୍ତି । ପୂର୍ବତନ ଛାତ୍ରବନ୍ଧୁଙ୍କ ସାଙ୍ଗରେ ଦେଖାହେଲେ ସେମାନେ କିପରି ରାଜନୀତି କ୍ଷେତ୍ରରେ ସାହାଯ୍ୟ ପହଞ୍ଚାଉଛନ୍ତି, ସେ ସବୁ କହି ଆତ୍ମସନ୍ତୋଷ ଲାଭ କରନ୍ତି । ପୋଲିସ୍ ସହିତ ଏକମତ ନ ହୋଇ କିପରି ସେ ଅନେକଙ୍କୁ ମିସା ଆଇନ କବଳରୁ ରକ୍ଷା କରୁଛନ୍ତି, ପୋଲିସ୍ ନିୟନ୍ତ୍ରଣ କରି କିପରି ରାଜନୈତିକ କାର୍ଯ୍ୟରେ ଅନେକଙ୍କୁ ପରୋକ୍ଷରେ ସାହାଯ୍ୟ କରୁଛନ୍ତି, ଏହା ହେଲା ଶରତଙ୍କର ନିଜର ମାନସିକ ଦ୍ଵନ୍ଦର ବିବରଣୀ । ସେହିପରି ଜଗଦୀଶ କେତେକ ଡି. ଆଇ. ଆର୍. ରେ ଧରା ହୋଇଥିବା ବନ୍ଦୀମାନଙ୍କୁ କେବଳ ଏକ ମାମୁଲି ଏଗ୍ରିମେଣ୍ଟ ଲେଖାଇ ମୁକ୍ତ କରାଇଛନ୍ତି, କିଛି କାରଣ ଥିଲେ ମଧ୍ୟ କିପରି ସେ ଅନେକଙ୍କୁ ମିସା ଆଇନରେ ପକାଉନାହାନ୍ତି ଏସବୁ କହନ୍ତି । ଚିନ୍ତାମଣିଙ୍କର ତ ଏପରି କୈଫୟତ ନିଜକୁ ନିଜେ ଦେବାର ଅବକାଶ ନାହିଁ । ତଥାପି ସେ ଟାଣି ଓଟାରି କୈଫିୟତ ଯେ ଆବିଷ୍କାର ନ କରିଛନ୍ତି ତାହା ନୁହେଁ । ସେ କୈଫିୟତ ସେ ରାଧାମୋହନକୁ ଦେଲେ ତାଙ୍କ ସହିତ ଦ୍ଵିତୀୟ ସାକ୍ଷାତ ସମୟରେ ।

 

ବଡ଼ି ସକାଳୁ ରାଧାମୋହନ ମୁହଁ ନ ଧୋଇ ଦାନ୍ତ ସୁଦ୍ଧା ନ ଘଷି ବାରନ୍ଦାରେ ଏକ ଚଉକିରେ ବସିଛନ୍ତି; ଚିନ୍ତାମଣି ଆସି ପହଞ୍ଚିଗଲେ । ପାଖରେ ପଡ଼ିଥିବା ଆଉ ଏକ ଚଉକିରେ ବସିପଡ଼ି ସେ ଆରମ୍ଭ କଲେ, “ରାଧାମୋହନ, ମୁଁ ଖୁବ୍ ସକାଳୁ ଚାଲିଆସିଲି; କାରଣ ସି. ଆଇ. ଡି. ମାନେ ତୋ ଘର ଚାରିପଟେ ତୋତେ ଜଗିଛନ୍ତି; କିଏ ଆସିଲା, କିଏ ଗଲା, କି କଥା ହେଲା, ସବୁ ଖବର ରଖୁଛନ୍ତି । ସି. ଆଇ. ଡି. କି ଖବର ରଖିବେ, ୟା’ଙ୍କର ବୁଦ୍ଧି କେତେ, ଏ ତ ରାତି ପାହାନ୍ତିଆ ନିଦରେ ଶୋଇପଡ଼ିବେ, ଉଠିବେ ସାତଟା ଆଠଟା ବେଳକୁ । ଯା’ହେଉ, ମୁଁ ଏତିକି କହିବାପାଇଁ ଆସିଛି ! ଆମ ଭିତରେ ତୁ ଏକା ରାଜନୀତିରେ ଅଛୁ; କେବେ ରାଜନୀତି ଛାଡ଼ ନାହିଁ । ସବୁଦିନ କ’ଣ ସମାନ ଯିବ, ରାଜନୀତି ପୁଣି ଓଲଟିବ । ରାଜନୀତି କ୍ଷେତ୍ରରେ ତୁ ଆମ ଗୁପ୍‍ର ପ୍ରତିନିଧି । ନିରାଶ ହୁଅ ନାହିଁ, ସେଦିନ ତୋ କଥା ଶୁଣି ମନ ମୋର ଭାରି ଖରାପ ହୋଇଗଲା । ତୁ ଭାବ ନାହିଁ ଯେ ମୁଁ ରାଜନୀତିରୁ ସଂପୂର୍ଣ୍ଣ ବିଚ୍ଛିନ୍ନ । ତୁ ତ ଜାଣୁ ସୁଶୀଳାର ସ୍ଵଭାବ; ମୁଁ ଆଶା କରିଥଲି ସେ ମୋତେ ସାହାଯ୍ୟ କରିବ ବୋଲି, କିନ୍ତୁ ସେ ବର୍ତ୍ତମାନ ମୋର ଗଳଗ୍ରହ ହୋଇଛି । ତା’ର ଦାବି ପୂରଣ କରିବାରେ ମୋର ଦିନ ଯାଉଛି । ତଥାପି ମୁଁ ମୋ କାମ ଭିତରେ ବରାବର ରାଜନୈତିକ ଦୃଷ୍ଟିକୋଣକୁ ବଜାୟ ରଖିଛି । ଏଇ ଯାଇଥିଲି କୋରାପୁଟ, ସେଠି ନକ୍‌ସାଲାଟ୍ ଖୋଜିବା କାର୍ଯ୍ୟକ୍ରମରେ । ନିରୀହ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଦେଖିଲି, କଥାବାର୍ତ୍ତା ପ୍ରସଙ୍ଗରେ ଆଦିବାସୀ ନେତାମାନଙ୍କୁ ଉତ୍ସାହ ଦେଲି । ଜଣେ ଦି’ଜଣ ନକ୍‌ସାଲାଇଟ୍ ନେତାଙ୍କ ସାଙ୍ଗରେ ଗୋପନରେ ଦେଖା ହୋଇଥିଲି, ତାଙ୍କୁ ମଧ୍ୟ ଉତ୍ସାହ ଦେଲି । ସେଠାରେ ଜଗଦୀଶ ଏସ୍. ପି. ଅଛି; ତାକୁ ମଧ୍ୟ କହିଲି ସାହାଯ୍ୟ କରିବାକୁ; ସେମାନେ ତାଙ୍କ ପନ୍ଥାରେ ଥାଆନ୍ତୁ । ତୁ ତୋ ପନ୍ଥାରେ ରହି ସେମାନଙ୍କୁ ସାହାଯ୍ୟ ପହୁଞ୍ଚା । ତୁ ନିରାଶ ହେଲେ ତ କଥା ସରିଗଲା ।” ବକ୍ତୃତା ଦେଲା ପରି ଏକ ନିଶ୍ଵାସରେ ଚିନ୍ତାମଣି ଏତେଗୁଡ଼ାଏ କଥା କହିଗଲେ । କାରଣ, ସେ ତରତର ହେଉଛନ୍ତି ସି. ଆଇ. ଡି. ଫାଟକ ପାଖକୁ ଆସିବା ପୂର୍ବରୁ ଚାଲିଯିବାପାଇଁ । ରାଧାମୋହନ ଏ ବକ୍ତୃତା ଶୁଣି ମନେ ମନେ ଯେ ବିରକ୍ତ ହେଉଥା’ନ୍ତି ଏହା ତାଙ୍କ ଲାଲ ପଡ଼ିଆସୁଥବା ମୁହଁରୁ ଜଣାପଡ଼ୁଥାଏ । ଚିନ୍ତାମଣିଙ୍କ କଥା ସରିବା ପରେ ସେ ଗଳା ସଫା କରି ଚୌକି ଉପରେ ଟିକିଏ ଆଗକୁ ଝୁଙ୍କି ପଡ଼ି ବସି ଦୃଢ଼ ଭାବରେ କହିଲେ, “ବୁଝିଲୁ ଚିନ୍ତାମଣି, କଲେଜ ଏକ ଧର୍ମଶାଳା; ସେଠି ଯେତେ ଦିନ ରହିଲେ ଏକ ସଙ୍ଗରେ ବହୁତ କଥା ଭାବିଲେ, ଭବିଷ୍ୟତ ଚିନ୍ତା କଲେ, କିନ୍ତୁ ପରେ ଯେ ଯୁଆଡ଼େ ଚାଲିଗଲେ ତାଙ୍କ କାମରେ । ଆଉ ସେ ଧର୍ମଶାଳା କଥା ଭାବି ଲାଭ କଅଣ ? ତୁ ତୋ ଜୀବନକୁ ସୁଖୀ କର, ସେହିପରି ଶରତ ଓ ଜଗଦୀଶ, ମୋତେ ଛାଡ଼ି ଦେ, ମୁଁ ମୋ ବାଟ ଖୋଜି ଯାଏ । ତୁ ଆଉ ଲୁଚି ଲୁଚି ଆସି ବକ୍ତୃତା ଶୁଣାନା । ତୁ ଟଙ୍କା ରୋଜଗାର କରିବୁ, ଭାରିଜାର ଦାବୀ ପୂରଣ କରିବୁ, ଆଉ ନକ୍‌ସାଲାଇଟ୍‍ମାନେ ଗୁଳିରେ ମରିବେ, ମୁଁ ଜେଲ ଯିବି, ପୁଣି ତୋ ଠାରୁ ବକ୍ତୃତା ଶୁଣିବି । ଏ ବଡ଼ ବରକ୍ତିଜନକ ଭୂମିକା ।” ଏତିକି ଶୁଣି ‘‘ତୋ ମନ ବର୍ତ୍ତମାନ ଭଲ ନାହିଁ, ମୁଁ ଯାଉଛି, ପରେ ଆସିବି’’ କହି ଚିନ୍ତାମଣି ତରତର ହୋଇ ଉଠିଲେ ।

 

ଚିନ୍ତାମଣି ରହୁଥାନ୍ତି ରାଜମହଲ ହୋଟେଲରେ । ତାଙ୍କ ସ୍ତ୍ରୀ ସୁଶୀଳା ମଧ୍ୟ ସେଇଠି ଥାଆନ୍ତି । ଚିନ୍ତାମଣି ରାଧାମୋହନଙ୍କ ପାଖରୁ ଫେରିଯାଇ ହୋଟେଲରେ ପହଞ୍ଚି ଦେଖନ୍ତି ଯେ ପ୍ରାୟ ପଚାଶ ଜଣ ସଶସ୍ତ୍ର ପୋଲିସ ହୋଟେଲକୁ ଘେରି ରହିଛନ୍ତି । ଚିନ୍ତାମଣି ଭାବିଲେ ଯେ କାହାରିକୁ ହୋଟେଲରେ ମିସା ବା ଡି. ଆଇ. ଆର୍ ରେ ଗିରପ୍ତାର କରିବାପାଇଁ ପୋଲିସ ଆସିଛନ୍ତି । ପୋଲିସ କାହାରିକୁ ଭିତରକୁ ଛାଡ଼ୁ ନାହାନ୍ତି । ଚିନ୍ତାମଣି ନିଜ ନାମ ଓ ସେ ଏକ ଅଧ୍ୟାପକ ବୋଲି କହିବାମାତ୍ରେ ତାଙ୍କୁ ଭିତରକୁ ଆଗ୍ରହ ସହକାରେ ଛାଡ଼ିଦିଆଗଲା । ସେ ଭିତରକୁ ଯାଇ ଦେଖନ୍ତି, ତାଙ୍କରି ରୁମ୍‍ରେ ପୋଲିସ ଅଫିସର ଦୁଇଜଣ ବସି ସୁଶୀଳାକୁ ପଚରାପଚରି କରୁଛନ୍ତି । ଚିନ୍ତାମଣିଙ୍କୁ ଦେଖି ପୋଲିସ ଅଫିସରମାନେ ଚୌକିରୁ ଉଠିପଡ଼ି ନମସ୍କାର କଲେ । ବିନୟ ସହକାରେ କହିଲେ, ‘ଚାଲନ୍ତୁ’ । ଚିନ୍ତାମଣି ବିସ୍ମିତ ହୋଇ ପ୍ରଥମେ କିଛି ବୁଝି ପାରିଲେ ନାହିଁ । ତା'ପରେ ଯେତେବେଳେ ଜାଣିଲେ ପୋଲିସ ତାଙ୍କୁ ଗିରପ୍ତାର କରିବାପାଇଁ ଆସିଛି, ସେ ଅପ୍ରତିଭ ହୋଇ ଖଟ ଉପରେ ବସିଗଲେ । ସୁଶୀଳା ମଧ କାନ୍ଦିପକାଇଲେ । ନିଜକୁ ନିଜେ ସମ୍ଭାଳିନେଇ ଚିନ୍ତାମଣି ପଚାରିଲେ, “ମୋ ବିରୁଦ୍ଧରେ ଅଭିଯୋଗ କଅଣ ?’’ ସିନଅର୍ ପୋଲିସ ଅଫିସର ନମ୍ର ଭାବରେ କହିଲେ, ଆଇନ୍ ଅନୁସାରେ ତାହା କାହାରିକୁ କୁହାଯିବ ନାହିଁ ।” ଟିକିଏ ତେଜ ପ୍ରକାଶ କରି ଚିନ୍ତାମଣି କହିଲେ, “ଏ ଦେଶରେ ଆଇନର ଶାସନ ଅଛି ନା ନାହିଁ ?” ପୋଲିସ ଅଫିସର ହସି ହସି କହିଲେ, ‘‘ଆଇନର ଶାସନ ଅଛି ବୋଲି ତ ଆଇନ ଅନୁସାରେ ଆପଣଙ୍କୁ ଗିରପ୍ତାର କରାଯାଉଛି ।’’ ମୁଣ୍ଡ ତଳକୁ କରି ଚିନ୍ତାମଣି କିଛି ଭାବିପାରିଲେ ନାହିଁ । ସୁଶୀଳା ମଧ୍ୟ ଅବାକ୍ ହୋଇ ଏକ କୋଣରେ ଛିଡ଼ା ହୋଇଛନ୍ତି । କିଛିକ୍ଷଣ ସଂପୂର୍ଣ୍ଣ ନୀରବତା ପରେ ପୋଲିସ ଅଫିସରମାନେ କହିଲେ, “ଆମେ ବାହାରେ ଅପେକ୍ଷା କରିଛୁ । ଆମ ସାଙ୍ଗରେ ଯିବାପାଇଁ ଆପଣ ଶୀଘ୍ର ପ୍ରସ୍ତୁତ ହୁଅନ୍ତୁ ।” ଏହା କହି ସେମାନେ ବାହାରକୁ ଚାଲିଗଲେ ।

 

ସୁଶୀଳା କାନ୍ଦି କାନ୍ଦି ଚିନ୍ତାମଣିଙ୍କୁ କୁଣ୍ଢାଇପକାଇ ଅସ୍ପଷ୍ଟ ସ୍ଵରରେ କହିବାରେ ଲାଗିଲେ, “ତୁମକୁ ମନା କରୁଥିଲି, ତୁମେ ସେ ନକ୍‌ସାଲାଇଟ୍‌ଙ୍କ ଆଡ଼୍‍ଡାକୁ ଗଲ କାହିଁକି, ପୁଣି ରାଧାମୋହନଙ୍କ ଘରକୁ ବାରମ୍ବାର ଗଲ କାହିଁକି ?” ଚିନ୍ତାମଣି ଚୁପ୍ ଚୁପ୍ ହୋଇ କହିଲେ, 'ଏହି କ'ଣ ମୋ ବିରୁଦ୍ଧରେ ଅଭିଯୋଗ ? "ସୁଶୀଳା କହିଲେ ହଁ, ସେହି ଅଭିଯୋଗ । କାରଣ ମୋତେ ପୋଲିସ ପଚାରିଲେ, ତୁମେ କୋରାପୁଟର ନକ୍‍ସାଲାଇଟ୍‌ ଅଞ୍ଚଳ ଗୁଣୁପୁର ଯାଇଥିଲ କି ନାହିଁ; ପୁଣି ରାଧାମୋହନଙ୍କ ସାଙ୍ଗରେ ତୁମର ସମ୍ପର୍କ ଅଛି କି ନାହିଁ ? ଚିନ୍ତାମଣି ସୁଶୀଳା ଆଡ଼କୁ ନିଠେଇ ଚାହିଁ କହିଲେ, ‘‘ତୁମେ କଅଣ କହିଲ ?’’ ମୁଁ କହିଲି, ‘‘ତୁମେ ଗୁଣୁପୁର ଯାଇଥିଲ ଆଦିବାସୀଙ୍କ ମନସ୍ତତ୍ତ୍ୱ ଗବେଷଣା କରିବାପାଇଁ, ଆଉ ରାଧାମୋହନ ତୁମର, ଆମର କଲେଜ ସାଙ୍ଗ - ସେଇଆ ସଂପର୍କ ।” ଚିନ୍ତମଣି ଗୁମ୍ ମାରି କିଛି ସମୟ ବସିରହିଲେ; ସୁଶୀଳା ମଧ୍ୟ ତାଙ୍କ ଆଡ଼କୁ ଅନାଇ ନୀରବରେ ଛିଡ଼ା ହୋଇ ରହିଥାନ୍ତି । ତା'ପରେ ଚିନ୍ତାମଣି ଉଠିପଡ଼ି କହିଲେ, “ହଉ, ବିଛଣାପତ୍ର, ଲୁଗାପଟା ବାନ୍ଧିନିଏ । ତୁମେ ଦିନାକେତେ ଏଠି ରହ; କଅଣ ହେଉଛି, କେଉଁଠିକୁ ନେଉଚନ୍ତି ବୁଝିବ । ତା’ପରେ ଯଦି ଜେଲ ହୋଇଯାଏ … ଆଁ ... କଅଣ କରିବ, ଭାବି ନିଅ ।” ସୁଶୀଳା କାନ୍ଦିପକାଇଲେ । “ଆଛା, ପରେ ସେକଥା ଭାବି ସ୍ଥିର କରାହେବ । ଲୁଗାପଟା ମୁଁ ସଜାଡ଼ିନିଏ ।

 

ଚିନ୍ତାମଣି ପ୍ରସ୍ତୁତ ହୋଇ ବାହାରକୁ ଆସିବା ପୂର୍ବରୁ ସୁଶୀଳାକୁ କହିଲେ, ‘‘ଏକ ଅଦ୍ଭୁତ ଅପ୍ରତ୍ୟାଶିତ ପରିସ୍ଥିତିରେ ପଡ଼ିଗଲି । ହଉ, ଦେଖାଯିବ ।’’ ହଠାତ୍ ଆଘାତ ପାଇଯାଇ ମନ ପ୍ରଥମେ ଦବିଯାଏ, ପୁଣି ତା’ର ସ୍ଥିତିସ୍ଥାପକତ୍ଵ ହେତୁରୁ ପୁର୍ବାବସ୍ଥାକୁ ଫେରିଆସେ; ପୂରା ଆସି ନ ପାରିଲେ ମଧ୍ୟ କିଛି ପରିମାଣରେ ଆସିଯାଏ । ଚିନ୍ତାମଣି ଆଉ ସେପରି ବିବ୍ରତ ନୁହନ୍ତି; ସେ ବାହାରକୁ ଆସି ପୋଲିସ୍ ଅଫିସରମାନଙ୍କୁ କହିଲେ, “ନିଅ, କେଉଁଠିକି ନେବ ।’’ ଅଫିସର ନମ୍ରତା ସହକାରେ କହିଲେ, “ଆମେ ସର୍ଭିସ୍ କରିଛୁ; ଆଦେଶାନୁସାରେ କାମ କରୁଛୁଁ” ଇତ୍ୟାଦି କହି ତଳେ ଅପେକ୍ଷା କରିଥିବା ଏକ ଟାକ୍ସି ପାଖକୁ ନେଇଗଲେ । ଚିନ୍ତାମଣି ବସିଲେ ପଛ ସିଟ୍‌ରେ । ଦୁଇ ପାଖରେ ଦୁଇ ଜଣ ପୋଲିସ୍ ଅଫିସର । ଆଗ ସିଟ୍‌ରେ ଡାଇଭର ପାଖରେ ଦୁଇ ଜଣ ପୋଲିସ୍‌ କନଷ୍ଟେବଳ । ସୁଶୀଳାଙ୍କୁ ସେ ଟ୍ୟାକ୍‌ସି ପାଖକୁ ଛାଡ଼ିଦିଆଗଲା ନାହିଁ । ଟ୍ୟାକ୍‌ସିରେ ସମସ୍ତେ ବସିଗଲା ପରେ ପୋଲିସ୍ ଅଫିସର ଡ୍ରାଇଭରକୁ କହିଲେ, “ଚାଲ, ସମ୍ବଲପୁର ।” ଚିନ୍ତାମଣି ବିସ୍ମିତ ହେଲେ । “ସେହି ଜେଲ୍‌ରେ ରହିବାପାଇଁ ଆଦେଶ ହୋଇଛି ।’’ ଏହା କହି ତାଙ୍କ ଉପରେ ଜାରୀ ହୋଇଥିବା ଜିଲ୍ଲା ମାଜିଷ୍ଟ୍ରେଟ୍‍ଙ୍କ ଆଦେଶଟି ତାଙ୍କ ହାତକୁ ପୋଲିସ୍ ଅଫିସର ବଢ଼ାଇଦେଲେ । ଆଦେଶରେ ଲେଖାଅଛି, ‘‘ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା ବିଚାରରେ ତୁମକୁ ମିସା ଆଇନ୍ ଅନୁସାରେ ସମ୍ବଲପୁର ଜେଲ୍‌ରେ ବନ୍ଦୀ ଭାବରେ ରଖାଯିବ ।” ତଳେ ଦସ୍ତଖତ କରିଛନ୍ତି ଡିଷ୍ଟ୍ରିକଟ୍ ମାଜିଷ୍ଟ୍ରେଟ ଶରତ । ଦସ୍ତଖତ ଦେଖି ଚିନ୍ତାମଣି ପଚାରିଲେ, ଶରତ ବର୍ତ୍ତମାନ ପୁରୀରେ ଜିଲ୍ଲା ମାଜିଷ୍ଟ୍ରେଟ ଅଛି କି ?” ପୋଲିସ୍ ଅଫିସର କହିଲେ, “ହଁ, ସେ ମୟୁରଭଞ୍ଜରେ ଥିଲେ, ମାସେ ହେଲା ପୁରୀକୁ ଆସିଛନ୍ତି ।’’ ଚିନ୍ତାମଣି ନିଜ ମନକୁ କହିହେଲେ, “ଶରତ ମୋର କ୍ଲାସ୍‌ମେଟ୍‌, ଆମେ ଖୁବ୍ ସାଙ୍ଗ ।” ନିର୍ଦ୍ଦୟ ପରିହାସ କରି ପୋଲିସ୍ ଅଫିସର କହିଲେ, “ସାଙ୍ଗ ବୋଲି ତ ସେ ଆପଣଙ୍କୁ ଭଲ ଭାବରେ ଜାଣନ୍ତି; ତେଣୁ ସେ ଏ ଆଦେଶ ଜାରି କରିଛନ୍ତି ।” ଚିନ୍ତାମଣି ମୁଣ୍ଡ ତଳକୁ କରିଦେଲେ ।

 

ଏଣେ ତ ଦଳେ ପୋଲିସ୍ ଚିନ୍ତାମଣିଙ୍କୁ ସମ୍ବଲପୁର ନେଇଗଲେ; ଆଉ ଦଳେ ପୋଲିସ୍ ରାଧାମୋହନଙ୍କୁ ଘେରାଉ କଲେ । ସେତେବେଳକୁ ରାଧାମୋହନ ଦାନ୍ତ ଘଷିସାରି କ୍ଷୌର ହୋଇ ପଢ଼ାପଢ଼ି କରିବାପାଇଁ ପ୍ରସ୍ତୁତ ହେଉଥା’ନ୍ତି । ପୋଲିସ୍‌ ଅଫିସର ଜଣେ ଘର ଭିତରକୁ ଯାଇ ତାଙ୍କୁ ଥାନାକୁ ଯିବା ପାଇଁ କହିଲେ । ଅନ୍ୟମନସ୍କ ଭାବରେ ରାଧାମୋହନ ପଚାରିଲେ,“କାରଣ ?” ପୋଲିସ୍ ଅଫିସର କହିଲେ ‘‘ସେଠି ଆପଣଙ୍କୁ କେତେ ବିଷୟରେ ଇଣ୍ଟରୋଗେସନ୍ ହେବ । “ହୁଁ” କହିଦେଇ, ରାଧାମୋହନ ବାହାରିଲେ । ଥାନାରେ ଦୁଇ ପାଖରେ ଦୁଇ ଦୁଇ ଜଣ ଅଭିଜ୍ଞ କ୍ରାଇମ୍‍ବ୍ରାଞ୍ଚର ଅଫିସର । ମଝିରେ ବସିଲେ ରାଧାମୋହନ । ଦୀର୍ଘ ଦୁଇଘଣ୍ଟା କାଳ ଇଣ୍ଟରୋଗେସନ୍ ଚାଲିଲା । ସବୁ ପ୍ରଶ୍ନୋତ୍ତର ଟେପ୍‍ରେକର୍ଡ ହେଉଥାଏ । ଏ ଟେପ୍‍ରେକର୍ଡ ଯିବ କେନ୍ଦ୍ର ଅଫିସକୁ । ସେଠି କମ୍ପ୍ୟୁଟର ସାହାଯ୍ୟରେ ଯାଞ୍ଚ କରାଯିବ । ତା'ପରେ ଯାହା ହେବ । ଇଣ୍ଟରୋଗେସନ୍‌ର ସାରମର୍ମ ହେଉଛି, ଚିନ୍ତାମଣି ରାଧାମୋହନଙ୍କ ସହିତ ଘନିଷ୍ଠ ଭାବରେ ସଂପୃକ୍ତ । ଚିନ୍ତାମଣିଙ୍କର ନକ୍‌ସାଲାଇଟ୍‌ଙ୍କ ପ୍ରତି ସକ୍ରିୟ ସହାନୁଭୂତି ଅଛି । ଏଣୁ ରାଧାମୋହନଙ୍କର ମଧ୍ୟ ନକ୍‌ସାଲାଇଟ୍‌ମାନଙ୍କ ସହିତ ସମ୍ପର୍କ ନାହିଁ ବୋଲି ରାଧାମୋହନ କହିବାରୁ ଜଣେ ପୋଲିସ୍ ଅଫିସର କହିଲେ, “କୋରପୁଟ ଏସ୍. ପି. (ଜଗଦୀଶ) ଚିନ୍ତାମଣିଙ୍କର କୋରାପୁଟର ଗସ୍ତର ପୂରା ବିବରଣୀ ଦେଇ ଲେଖିଛନ୍ତି, କେଉଁଠି ନକ୍‌ସାଲାଇଟ୍‌ ନେତାମାନଙ୍କୁ ସହିତ ଦେଖା, କେଉଁ ଆଦିବାସୀମାନଙ୍କୁ ଉତ୍ସାହ ପ୍ରଦାନ ଇତ୍ୟାଦି କେତେକ ଆଦିବାସୀ ଏ କଥା ସ୍ଵୀକାର କରିଛନ୍ତି । ଏସବୁ ତଥ୍ୟ ଶୁଣି ରାଧାମୋହନ ସ୍ପଷ୍ଟ ଭାବରେ କହିଲେ, ସେ ରାଜନୀତିରେ ଆଉ ନାହାନ୍ତି । ସେ ଏକ ନିରାଶ ବ୍ୟକ୍ତି ବୋଲି ତାଙ୍କୁ ବନ୍ଧୁମାନେ କହନ୍ତି, କାରଣ ସେ ପ୍ରତିକ୍ରିୟାଶୀଳ ହୋଇଗଲେଣି ବୋଲି ବନ୍ଧୁମାନେ କହନ୍ତି; କାରଣ ସେ ଭାବିଚିନ୍ତି ସ୍ଥିର କରିଛନ୍ତି ପ୍ରଚଳିତ ବ୍ୟବସ୍ଥାକୁ ମାନିନେଇ ଚଳିବାକୁ ହେବ । ଜଣେ ଚତୁର ପୋଲିସ୍ ଅଫିସର ପଚାରିଲେ, “ଆପଣ ତା’ହେଲେ ମାର୍କ୍‌ଟାଇମ୍ କରୁଛନ୍ତି, ସୁବିଧା ସୁଯୋଗ ହେଲେ ପୁଣି ଆନ୍ଦୋଳନ ଚଳାଇବେ ।” ରାଧାମୋହନ ଟିକିଏ ଚୁପ୍ ରହିଯାଇ କହିଲେ, “ଭବିଷ୍ୟତରେ ମୁଁ କ'ଣ କରିବି ଆଜି କହିପାରିବି ନାହିଁ । କିନ୍ତୁ ମୁଁ ହିଂସାତ୍ମକ ଆନ୍ଦୋଳନର ବିରୋଧୀ । ଏପରିକି ଘେରାଉ, ଧାରଣା ଇତ୍ୟାଦି ପରୋକ୍ଷ ହିଂସା ବୋଲି ଏ ସବୁକୁ ମୁଁ ନିନ୍ଦା କରେ ।” ପୋଲିସ୍ ଅଫିସର କହିଲେ, ‘‘ତେବେ ଚିନ୍ତାମଣିଙ୍କ ସହିତ ଆପଣଙ୍କର ଏତେ ଘନିଷ୍ଠତା କାହିଁକି ?”

 

ରାଧାମୋହନ–“କଲେଜରେ ଆମେ ସାଙ୍ଗ ଥିଲୁଁ । ସେ ଦେଖା କରିବାକୁ ଆସିଥିଲେ । ମୁଁ କ’ଣ ମନା କରିଥା’ନ୍ତି ? ମୁଁ ଯେ ମନୁଷ୍ୟ....ସାଧାରଣ ଭଦ୍ରତା ବନ୍ଧୁତା ଇତ୍ୟାଦି ମନୁଷ୍ୟର କର୍ତ୍ତବ୍ୟ ।” ପୋଲିସ୍ ଅଫିସର କହିଲେ, “ସେହପରି କଲେଜ ସାଙ୍ଗ କୋରାପୁଟ ଏସ. ପି. । ତାଙ୍କ ସହିତ ଦେଖା କରିବାପାଇଁ ଚିନ୍ତାମଣି ଚାହିଁଥିଲେ, କିନ୍ତୁ ସେ ମନା କରିଦେଲେ । ସେହିପରି ସାଙ୍ଗ ପୁରୀର ଜିଲ୍ଲା ମାଜିଷ୍ଟ୍ରେଟ୍‍, ସେ ତ କେବେ ଆପଣଙ୍କୁ ଦେଖା କରିବାକୁ ଆସୁ ନାହାନ୍ତି ବା ଆପଣ ତାଙ୍କ ପାଖକୁ ଯାଉନାହାନ୍ତି ।” ରାଧାମୋହନ ଗମ୍ଭୀର ଭାବରେ କହିଲେ, “ମୁଁ ମନୁଷ୍ୟ ହୋଇ ଅଛି । ସେମାନେ ଆଉ ସେ ପଦବାଚ୍ୟ ନାହାନ୍ତି ।”

 

ଇଣ୍ଟରୋଗେସନ୍ ସରିଗଲା । ରାଧାମୋହନ ଘରକୁ ଫେରିଲେ । ଶୁଣିପାରିଲେ, ଚିନ୍ତାମଣିଙ୍କୁ ଗିରପ୍ତାର କରି କୁଆଡ଼କୁ ନେଇଗଲେଣି । ସେ ବ୍ୟସ୍ତ ହୋଇଗଲେ ଗଲେ ସେ ହୋଟେଲକୁ, ସୁଶୀଳାକୁ ସାନ୍ତ୍ୱାନା ଦେବା ପାଇଁ । ରାଧାମୋହନଙ୍କୁ ଦେଖି ରାଗରେ ଥରି ଥରି ସୁଶୀଳା କହିଲେ, ତୁମେ ତାଙ୍କ ମୁଣ୍ଡ ଖରାପ କଲ । ତୁମର ତ ଲାଙ୍ଗୁଡ଼ କଟା ହୋଇଛି ତାଙ୍କ ଲାଙ୍ଗୁଡ଼କୁ ତୁମେ କାଟିଲ । ତୁମେ ଯାଥ ଏଠୁ ମୁଁ କଛି କଥାବାର୍ତ୍ତା ହେବାକୁ ଚାହେଁ ନାହିଁ ।

 

ସେଠାରୁ ଫେରିଆସି ରାଧାମୋହନ ଭାବିଲେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ୍‍ ଶରତଙ୍କୁ ଦେଖାକରି କହିବେ ଅକାରଣରେ କାହିଁକି ଚିନ୍ତାମଣିଙ୍କୁ ଗିରପ୍ତାର କଲେ । ଟେଲିଫୋନ୍ ଉଠାଇ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ୍‍ଙ୍କୁ ଏକ ଲାଇଟ୍‌ନିଙ୍ଗ କଲ୍ କଲେ । ସେଠି ଜିଲ୍ଲା ମାଜିଷ୍ଟ୍ରେଟ ଫୋନ୍ ଧରିଲେ ମଧ୍ୟ ରାଧାମୋହନଙ୍କ ନାମ ଶୁଣି ହଠାତ୍ ଛାଡିଦେଲେ । ରାଧାମୋହନ ଜାଣିବେ ଯେ ଶରତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ । “ମନୁଷ୍ୟତ୍ଵ କ’ଣ ଏ ଦେଶରୁ ଚାଲିଗଲା ?”–ଦୀର୍ଘ ନିଶ୍ୱାସ ପକାଇ ମନକୁ ମନ ଏକଥା କହି ରାଧାମୋହନ ଗୀତା ଖୋଲି ପଢ଼ିବା ଆରମ୍ଭ କଲେ ।

 

ସେହିଦିନ ସୁଶୀଳା ପୁରୀ ଯାଇ ଶରତଙ୍କ ସହିତ ଭେଟ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ତାଙ୍କୁ ବା ତାଙ୍କ ସ୍ଵାମୀ ଚିନ୍ତାମଣିଙ୍କୁ ସେ ଆଦୌ ଚିହ୍ନି ନ ଥିଲା ପରି ଶରତ ସୁଶୀଳାଙ୍କୁ କହିଲେ । କିଛିଦିନ ପରେ ରାଧାମୋହନଙ୍କୁ ଯେଉଁ ଇଣ୍ଟରୋଗେସନ୍ ହୋଇଥିଲା ତା’ର ଟେପ୍‌ରେକର୍ଡ଼କୁ ପର୍ଯ୍ୟାଲୋଚନା କରି କେନ୍ଦ୍ର ଅଫିସ ସ୍ଥିର କଲେ, ରାଧାମୋହନଙ୍କ ନୈରାଶ୍ୟ କ୍ଷଣସ୍ଥାୟୀ; ତାଙ୍କଠାରୁ ପୁନର୍ବାର କୌଣସି ନା କୌଣସି ଆନ୍ଦୋଳନ ଆଶଙ୍କା କରାଯାଇପାରେ । ଏଣୁ ତାଙ୍କୁ ବାହାରେ ଛାଡ଼ିଦେବା ଠିକ୍‍ ହେବ ନାହିଁ । ସେ ଗିରପ୍ତାର ହେଲାବେଳେ ଗୀତା, କୋରାନ୍ ଓ ବାଇବେଲ ସବୁ ବାନ୍ଧି ସାଙ୍ଗରେ ନେଇଗଲେ ।

 

କିଛିଦିନ ପରେ ସୁଶୀଳାଙ୍କ ଗ୍ୟାରେଣ୍ଟିରେ ଚିନ୍ତାମଣିଙ୍କୁ ମୁକ୍ତି ଦିଆହୋଇଛି । ସେ ଭାରତକୁ ବର୍ଷକ ଭିତରେ ଆସିବେ ନାହିଁ ବୋଲି ଲେଖିଦେଇ କେନେଡ଼ା ଚାଲିଯାଇଛନ୍ତି ।

Image

 

ଡାହାଣୀ ଆଲୁଅ

ଉପେନ୍ଦ୍ର କିଶୋର ଦାସ

(ଏକ)

 

ପୁଣି ବର୍ଷା ହେଲା । ପବନ-ପହୁଡ଼ା ତାଳଗଛ ମଥାନ ଉପରେ ଚଉଦ- ମେଲଣର ଯୋଡ଼ି- ନାଗରା ବଜାଇ ।

 

ରାତି ଅନ୍ଧାର-ହଜା ନିଶବଦ ବଣଭୂଇଁ ଛାତିରେ, ଭଙ୍ଗା ମାଟି ଘରଟିଏ, ବର୍ଷା କାକର ଦାଉରେ ଛଣ ଛପରତକ ତାର କେଉଁକାଳୁ କୁଆଡ଼େ ଉଡ଼ିଗଲାଣି । କଣ୍ଟା-ବଣ ଭିତରେ ଖାଲି ଗୋଟିଏ ଉଞ୍ଚା ଡିହ, ଆଉ ଦଦରା କାନ୍ଥ କେତେ ପଟ । ବତାସ ଦାଉରେ ସେତକ ବି ଏଇଲାଗେ ପଡ଼ିଯିବ ସତେ କି ?

 

ଘଡ଼ିକ ପରେ ବର୍ଷା ଥମ୍ବି ଆସିଲା । ଅଙ୍ଗାରବୋଳା ରଙ୍ଗଦେହରେ ବିଜୁଳି ଝକ୍‌ମକ୍‌ ମାରି ବତାସ ଝପଟିଗଲା ଗଜା-ଧାନ ଗଛ ମେଳରେ ଚହଳ ପକାଇ ଦେଇ ।

 

ଘର ପଛପଟ ଝଙ୍କା ବରଗଛ ଭିତରୁ ଜୀଅନ୍ତା ଅନ୍ଧାର ଖଣ୍ଡକ ପରି ଗୋଟାଏ ବାଦିରି ଉଡ଼ିଆସି ଆଉ ଗୋଟିଏ ଗଛରେ ଝୁଲିଲା । ଡେଣା ଝାପଟରେ ତା’ର ଗଛ ତଳେ ଟପ ଟପ ହୋଇ ବର୍ଷା ହୋଇଗଲା ଆଉ ଥରେ । ବିଲ ଗହୀର ଆର ପାଖ ମଶାଣି ଦଣ୍ଡାରେ ସେତିକିବେଳେ ଗୋଟାଏ ବଡ଼ ଆଲୁଅ ମସାଲ ପରି ଦପ୍ ଦପ୍ ହୋଇ ଜଳି ଉଠି ସେହି ବରଗଛ ତଳଯାଏ ଆସିଲା । ତାପରେ ହଠାତ୍ ଲିଭିଗଲା ।

 

ଗଛ ଉପରେ ବାଦିରିଟା ଚମକି ପଡ଼ି କହିଲା, କିଏ ?

 

ଦଣ୍ଡକେ ଆଲୁଅଟା ପୁଣି ଜଳି ଉଠିଲା ଦାଉ ଦାଉ ହୋଇ । କହିଲା, ସେଇ–

 

“କିଏ ? ମୁଁ ତ ଚିହ୍ନି ନାହିଁ !”

 

-ଚିହ୍ନି ନାଉଁ ? ଆଲୁଅ ହସିଲା; ଏଇ ଘର ପାଖରେ ବରଗଛରେ ଅଛୁଟି ? ଅନେକ ଦିନ ଆଗେ ଏ ଘରେ କିଏ ଥିଲା ଜାଣିନାଉଁ କିଛି ?

 

–ନା, ଚାରିମାସ ହେଲା ଜମା ମୁଁ ଏଠିକି ଆସିଚି ।

 

–ଚାରିମାସ ମୋଟେ ? ତେବେ ଆଉ ଜାଣିବୁ କୁଆଡ଼ୁ ? ସେ ଢେର ଦିନର କଥା । ବୋଧହୁଏ ତିନି କି ଚାରି ବର୍ଷ ହେଲାଣି । ଏ ଘରେ ସେତେବେଳେ ଥିଲୁଁ ମୁଁ ଆଉ ମୋର ସ୍ଵାମୀ । ସଂସାରରେ ଦୁଃଖ କ’ଣ, ଦିନକ ପାଇଁକି ଜାଣି ନ ଥିଲି ତାଙ୍କ ଲାଗି । କିନ୍ତୁ ଦଣ୍ଡକେ କ’ଣ ହୋଇଗଲାଟି ! ଆଲୁଅଟା ଥରେ ଥରିଉଠି ମିଞ୍ଜି ମିଞ୍ଜି ହୋଇଆସିଲା ।

 

ଦଣ୍ଡେ ଗଲା.... ।

 

ପୁଣି କହିଲା, ଆଜିକାଲି ଭାବିଲେ ସ୍ଵପ୍ନ ପରି ଲାଗେ ସେକଥା ସବୁ । ଏ ଅବସ୍ଥାରେ ବି ଛାତି ମନ୍ଥି ହୋଇଯାଏ କାନ୍ଦରେ । କିନ୍ତୁ ଛାଡ଼ ସେ କଥା । ନୂଆକରି ସେ ଦୁଃଖ ଡାକି ଆଣିବାକୁ ମୋର ଆଉ ମନ ନାଇଁ । ବାଦିରିଟା କେଁ କେଁ ହୋଇ ଗଛ ତଳ ଡାଳକୁ ଆହୁରି ଓହ୍ଲାଇ ଆସିଲା । କହିଲା, ନାଇଁ କୁହ, କୁହ ସେ କଥା । ଶୁଣିବାକୁ ମୋର ଭାରି ମନ ହଉଚି ।

 

–ଶୁଣିବୁ ? ହଉ ଶୁଣ ତେବେ । ଆଲୁଅ ଆରମ୍ଭ କଲା - ଢେର ଦିନ କଥା ହୋଇଗଲାଣି । ଏଇକ୍ଷିଣା ଏମିତି କାଛରା ବଣ ହୋଇଯାଇଚି ସିନା, ଏଇ ଘର ଦିନେ ପୁଣି ଲୋକ ଗହଳରେ ଖାଲି ହସୁଥିଲା, ମୁଁ ଯେତେବେଳେ ପ୍ରଥମେ ଏଠିକି ଆସେଁ । ସ୍ଵାମୀ ମୋର କାହିଁ କେଜାଣି କଟକରୁ ପାଠପଢ଼ା ଛାଡ଼ିଦେଇ ଘରେ ଆସି ବସିଥିଲେ । ନିମିତ୍ୟଘର ପରେ ଆଉ ସେ କଟକକୁ ଯାଇନାହାନ୍ତି । ସେକଥା, ସେଇ ପ୍ରଥମ ରାତି କଥା ମନରୁ ପାସୋର ଯିବ ନାଇଁ କେବେ । ଦୂର ସମ୍ପର୍କର ଜଣେ ନଣନ୍ଦ ହେବେ ସେ; ମତେ ଯେତେବେଳେ ଆଣି ଏଇ ଘରର ଗୋଟାଏ ବଖରା ଭିତରକୁ ପେଲିଦେଇ ବାହାର କବାଟ କିଳିଦେଲେ ଘର ଭିତରେ ଗୋଟାଏ କୋଣରେ ପିତଳ ଦୀପଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଘର ମଝିରେ ଖଣ୍ଡେ ଅଣଓସାରି ଖଟ ଉପରେ ବିଛଣା ପରା । କବାଟ ପାଖେ ଠିଆ ହୋଇ ସରମ ସଂକୋଚରେ ଦିହ ଗୋଟାକ ମୋର ଝାଳରେ ବୁଡ଼ିଗଲା ।

 

ସ୍ଵାମୀ ଖଟ ଉପରେ ଶୋଇଥିଲେ, କାନ୍ଥ ଆଡ଼କୁ ମୁହଁକରି । ପାଇଜୋଡ଼ା ଝମ ଝମ ଶୁଣି ଫେରି ଚାହିଁଲେ । ତା'ପରେ ଖଟରୁ ଉଠିଆସି ମୋ ହାତ ଧରି ଡାକିଲେ, ଆସ !

 

ବରଡ଼ାପତ୍ର ପରି ଥରୁଥାଏ ମୋ ହାତ ଦିଟା ତାଙ୍କ ହାତ ଭିତରେ ସେତେବେଳେ । ଦଣ୍ଡେ ଗଲା, ଦୁହେଁଯାକ ଚୁପ୍‍ଚାପ୍‍ । ହାତକୁ ମୋର ଖୁବ୍ ଜୋରରେ ଚୁମୁଟି ଦେଇ ସେ ହସିଲେ; କହିଲେ, ଆହା ଲାଜ୍ଜବତୀ ଲତା ! ଦି’ବର୍ଷ ଆଗରୁ ମୋରି ଆଗରେ ପରା ଘୋଡ଼ା ପରି ଡେଉଁଥିଲ ବାପଘରେ ତମର । ଲାଜ ମାଡ଼ୁ ନାଇଁ ଆଜି ଏତେ ଛଇ ହେବାକୁ ?

 

ମନେ ମନେ ହସିଲି । ସତରେ ତ, ପିଲାଟି ଦିନୁ ମୁଁ ଦାସଭାଇ ବୋଲି ପାଣି ପିଉ ନ ଥିଲି ୟାଙ୍କ ପେଇଁ ! ଏ ପୁଣି ମୋତେ ବାହା ହୋଇବସିବେ, ଏ କଥା କିଏ ଜାଣିଚି !

 

ଟାଣି ଟାଣି ସେ ମତେ ଖଟ ପାଖକୁ ନେଇ ଶୁଆଇଦେଲେ । ଉଢ଼ଣା କାଢ଼ି ଦେଇ ମୁହଁକୁ ଦି’ ହାତରେ ଟେକି ଧରି ଡାକିଲେ-ରତି !

 

ଜବାବ ଦେଲି ନାହିଁ ନାଜରେ ।

 

କଥା କହିବୁ ନାଇଁ ମତେ ? ସେ ପଚାରିଲେ ।

 

ତଥାପି କିଛି କହିଲି ନାଇଁ ।

 

ଦି’ ଟା ବର୍ଷରେ କ’ଣ ଏତେ ପର ହୋଇଗଲି ତୋ ପାଖେ ? କଥା ପଦେ କହିବୁ ନାହିଁ ? ହଉ ତେବେ ମୁଁ ଯାଉଛି । ସେ ଖଟ ଉପରୁ ଉଠିଲେ ଘର ଛାଡ଼ି ଚାଲିଯିବାକୁ । ବାଧ୍ୟ ହୋଇ କହିଲି, କ’ଣ ?

 

ସୁଖରେ ତାଙ୍କ ମୁହଁ ପୂରିଉଠିଲା । ଖଟ ଉପରେ ବସି ଦି’ ହାତରେ ମତେ ତାଙ୍କ କୋଡ଼ ପାଖକୁ ଟାଣିନେଇ କହିଲେ, ଦି’ବର୍ଷ ତଳ କଥା ମନେ ପଡ଼ୁଛି ତୋର, ରତି, ଖରାବେଳେ ଦିନେ ତମ ଭାଉଜ ଆମ ଦିହିଙ୍କି ଗୋଟାଏ ଘରେ ପୁରାଇ କବାଟ ଲଗାଇ ଦେଇଥିଲେ ଥଟ୍ଟାରେ ଥରେ ? ସେହିଦିନୁ ଜାଣିଲି, ତତେ ପାଇବା ଆଶା ଏମିତି ଅସମ୍ଭବ ନୁହେଁ ମୋ ପକ୍ଷରେ । ତା’ ଆଗରୁ ତମ ଘରେ ତ କେହି ରାଜି ହେଉ ନ ଥିଲେ ମୋ ସାଙ୍ଗେ ତତେ ବାହା ଦବାକୁ, ନୁହେଁ ?

 

ଲାଜ ସଙ୍କୋଚ ଅନେକ କମିଆସିଲା ତାଙ୍କ କଥାରେ । କହିଲି, ବୋଉର କିନ୍ତୁ ମନ ଥିଲା ଭାରି ।

 

ମୁଁ ସେ କଥା ବୁଝିଥିଲି । ତା ନୋହିଲେ ଆମ ବୃନ୍ଦାବନ ତୋ ସାଙ୍ଗେ ବାହା ହବା କଥା ଯୋଉଦିନ ତମ ବାପା ମତେ କହିଲେ, ତମ ଘରକୁ ଯିବା ସେହିଦନରୁ ମୋର ସରିଯାଇଥାନ୍ତା ।

 

ସଂସାରରେ କନ୍ୟା ତମକୁ ଅପୂର୍ବ ହୋଇ ନ ଥାନ୍ତେ, ମୁଁ କହିଲି ସେ ହସିଲେ; କହିଲେ, ମିଳିଥାନ୍ତେ ପରା ! କିନ୍ତୁ କାହା ପାଇଁ ଆଜିଯାଏ ମୁହଁରେ ଧରି ନ ଥିଲି ସେ କଥା ?

 

ଲଜ୍ଜା ଆଉ ଆନନ୍ଦରେ ଉଲୁସିଉଠି କହିଲି, ମୁଁ ଜାଣେ । ପାଗଳଙ୍କ ପରି ସେ ମତେ ଛାତି ଉପରେ ଭିଡ଼ି ଧରି କହିଲେ, ମୋ ଭାଗ୍ୟ, ମୋ ଭାଗ୍ୟ ସେ, ରତି ! ଜୀବନରେ ସବୁଠୁଁ ବଡ଼ ଗୁହାରି ଭଗବାନ ମୋର ଶୁଣିଛନ୍ତି । ଆଜି, ଏତେ ପାଖରେ ତତେ ପାଇ, ତେବେ ବି କେମିତି ବିଶ୍ୱାସ ହେଉ ନାହିଁ ମୋର, ପାଇଛି ବୋଲି !

 

ମୁହଁ ତାଙ୍କର ଆସ୍ତେ ଆସ୍ତେ ମୋ ଓଠ ପାଖକୁ, ଖୁବ୍ ପାଖକୁ ଲଇଁଆସିଲା । ଖିଡ଼ିକି ବାଟେ ମେଘୁଆ ପବନ ସେତିକିବେଳେ ଘର ଭିତରୁ ଦୀପଟା ଲିଭାଇଦେଇ ବାହାରିଗଲା ।

 

(ଦୁଇ)

 

ଏହିଯାଏ କହି ଆଲୁଅ କ’ଣ ଭାବି ଟିକେ ତୁନି ହେଲା । ଗଛ ଉପରୁ ବାଦିରି ପଚାରିଲା, ହଁ, ସେଉଠୁ ?

 

ଆଲୁଅ ପୁଣି ଆରମ୍ଭ କଲା..... ।

 

ପ୍ରାୟ ବର୍ଷେ ଚାଲିଗଲା ଏଥି ଭିତରେ । କିନ୍ତୁ ସେଇ ଦିନଟା ବିଶେଷ କରି ମୋ ଜୀବନ ଭିତରେ ମନେରଖିବା ଭଳି । କାହିଁକି ନା, ସେହି ପହିଲି ଦିନୁ ମୁଁ ଜାଣିପାରିଲି ସେ ମତେ କେତେ ଭଲ ପା’ନ୍ତି । ସ୍ଵାମୀ, ଆଉ ଗୋଟିଏ ଆଈଶାଶୁ, ଏ ଛଡ଼ା ଏ କୁଳରେ ମୋର ଆଉ କେହି ନ ଥିଲେ । ଆଈଶାଶୁଙ୍କୁ ପୁଣି ଭଲ ଦିଶେ ନାହିଁ । ମତେ ସେଥିପାଇଁ ନୂଆବୋହୂର ନାଜ ଛାଡ଼ି ସବୁ କାମ କରିବାକୁ ହେଲା ସେହିଦିନଠୁଁ ।

 

ସେ ବି ଆଉ ମତେ ଛାଡ଼ି କଟକ ଗଲେ ନାଇଁ । ଯେମିତି ଆଖିରୁ ଦଣ୍ଡେ ଅନ୍ତର କରି ସେ ଚଳିପାରିବେ ନାଇଁ କେଉଁଠି ! ଶୋଇବା ଘରଟିରେ ସକାଳୁ ସଞ୍ଜଯାଏ ମୁହଁ ଚାହାଁଚାହିଁ ହୋଇ ଦିହେଁଯାକ ବସିଥାଉଁ । କେତେ ଦେଶର କେତେ ଆଶ୍ଚର୍ଯ୍ୟ କଥା ପଡ଼େ । ଗପୁ ଗପୁ ସଞ୍ଜ ହୋଇଯାଏ, ଆମ କଥା ସରେ ନାଇଁ ।

 

ଦିନେ । ଏମିତି ସେଦିନ ଭାରି ବର୍ଷା । ସେ କୁଆଡ଼େ ଯାଇଥିଲେ । ଦାଣ୍ଡ ପିଣ୍ଡାରେ ଠିଆ ହୋଇ ଚାହିଁଛି ଦିଗବୁଡ଼ା ବିଲ ଅସରନ୍ତି ଭିତରେ ବର୍ଷାପବନର ଲୁଚକାଳି ଖେଳ ଆଡ଼କୁ । ସେ ପଛରୁ ଆସି ମୋ ଆଖି ବନ୍ଦ କରି ଧରିଲେ । ଚମକିପଡ଼ି କହିଲି...ମୁଁ ଜାଣେ–

 

ପଚାରିଲେ, କିଏ ?

 

ସେଇ…..

 

ନାଁ ନ କହିଲେ ଛାଡ଼ିବି ନାହିଁ ।

 

ହସମାଡ଼ିଲା କଥା ଶୁଣି । କହିଲି : ମୁଁ ଜାଣେ ନାଇଁ, ଯା

 

ଆଖି ଛାଡ଼ି ମୋ କାନ୍ଧ ଉପରେ ହାତ ରଖି ସେ କେତେ ଶରଧାରେ ଡାକିଲେ–ରତି !

 

ଉଁ–

 

କେମିତି ବର୍ଷା ?

 

ଭାରି !

 

ଏତେବେଳଯାଏ ଭାରି ମନ କ’ଣ ହେଉଥିଲା ପରା କାହାକୁ ନ ଦେଖି । ସେ ହସିଲେ ମୋ ଆଡ଼େ ଚାହିଁ ।

 

ଭାରି ନାଜ ମାଡ଼ିଲା । ସେକଥା ଗୋଳେଇ ଦେବାକୁ ପଚାରିଲି, କୁଆଡ଼େ ଯାଇଥିଲ କି ଆଜି ? କହିଲେ, ଆମ ଜମିଦାରଙ୍କ ଘରକୁ । ଅନେକ ଦିନ ପରେ ଆମ ବୁଢ଼ା ଜମିଦାରଙ୍କ ପୁଅ ବୃନ୍ଦାବନ ଆସିଚି । ଭାବିଲି, ଦେଖା କରିଆସେ ଟିକେ ।

 

ବୃନ୍ଦାବନ ! ଏ ସେଇ ବୃନ୍ଦାବନ ନୁହେଁ ତ ? ଯାହା ସାଙ୍ଗେ ଏଥି ଆଗରୁ ମୋ ବାହାଘରର ସବୁ ଥୟ ହୋଇଯାଇଥିଲା । ପଚାରିଲି, ବୃନ୍ଦାବନ କିଏ କିହୋ ?

 

ଆଶ୍ଚର୍ଯ୍ୟ ହୋଇ ସେ ମୋ ମୁହଁକୁ ଚାହିଁଲେ । କହିଲେ, ଏତେ ଜଲଦି ଭୁଲିଗଲୁଣି ? ଦି’ ବର୍ଷ ତଳେ ମୁଁ ଆଉ ବୃନ୍ଦାବନ ପରା ସାଙ୍ଗ ହୋଇ ତମ ଘରରୁ ଯାଉଥିଲୁଁ । ତୋ’ସାଙ୍ଗେ ପୁଣି ତା’ର ବାହାଘର ପ୍ରସ୍ତାବ ଚାଲିଥିଲା ! ମନେ ନାଇଁ ?

 

କହିଲି, ହଁ ମନେ ପଡ଼ିଲା ।

 

ଆଗେ ଆମ ଘରକୁ ଆସୁଥିଲା ବରାବର, ଯେବେ ଏ ଗାଁକୁ ଆସେ । ଆଉ ମୋ ବାହାଘର ପରେ ଆସିନାହିଁ । ଦିନେ ତୋ ନାଁ କହି ଡାକି ଆଣିବି ତାକୁ ।

 

କହିଲି, ନାଇଁ ନାଇଁ, ମୋ ନାଁ କାହିଁକି କହିବ ? ଛି-ଛି, ତମେ ତମର ଡାକିଆଣିବ ।

 

ଆଚ୍ଛା, ହଉ, କହି ସେ ଲୁଗା ପାଲଟିବାକୁ ଘର ଭିତରକୁ ଚାଲିଗଲେ । ଭିତରଘରୁ ଟୋକେଇଟା କାଢ଼ି ପରିବା ବନେଇବସିଲି ରାତି ପାଇଁ ।

 

(ତିନି)

 

ଦିନେ ସତରେ ସେ ବୃନ୍ଦାବନଙ୍କୁ ଡାକିଆଣିଲେ ।

 

ସଞ୍ଜବେଳେ ବିଛଣା ପକାଇବାକୁ ଘର ଭିତରକୁ ଯାଇଚି, ବାହାରେ କାହା ପାଟି ଶୁଭିଲା । ଚାହିଁଲି, କବାଟ ପାଖେ ସେ ଆଉ ବୃନ୍ଦାବନ ।

 

ମତେ ଦେଖି ବୃନ୍ଦାବନ ଦୁଆରମୁହଁରୁ ଟିକେ ଘୁଞ୍ଚିଗଲେ । ଉଢଣା ପକାଇ ମୁଁ ତରବରରେ ସେ ଘରୁ ପଳାଇଗଲି । ଘର ଭିତରେ ତାଙ୍କ ତୁଣ୍ଡ ଶୁଭୁଥାଏ । କଳା କବାଟ ପାଖେ ଚାହିଁଲି । ଏଇ ସେଇ ବୃନ୍ଦାବନ, ବରଷ ଦି’ଟାରେ ଏତେ ବଦଳି ଗଲେଣି ନା ? ଆଗ ପିଲାଳିଆ ଚେହେରା ଆଉ ନାହିଁ । ଏହିକ୍ଷଣି ଯେମିତି ପୂରା ବାବୁ ।

 

ତାଙ୍କ ସଙ୍ଗେ ସେ ଗପ କରୁ କରୁ କହିଲେ, ଆଜିକାଲି ତୁ ତ ଖୋଦ୍ ଜମିଦାର । ଗରିବ ଘରେ ବସିଚୁ ବୋଲି କହିବାକୁ ବି ନାଜ ମାଡ଼ିଲାଣି ଏଣିକି ।

 

ବୃନ୍ଦାବନ କହିଲେ, କେତେ ଥଟ୍ଟା କର ତମେ ଦାସଭାଇ ! ଏଇ ଘରେ ପିଲାଟି କାଳରୁ ମୁଢ଼ି ଚୁଡ଼ା ଖାଇ ଖାଇ ପରା ଏ ଦେହରେ ଅଧେ ରକ୍ତ ହୋଇଥିବ । ସେକଥା କ’ଣ ଭୁଲି ଗଲଣି ଏଡ଼େ ଚାଣ୍ଡେ ?

 

ତେବେ ଜମିଦାର....

 

ବୃନ୍ଦାବନ ଅସହିଷ୍ଣୁ ହୋଇ କହିଉଠିଲେ, ଫେର୍‍ ଯଦି ଜମିଦାର ଜମିଦାର ହେବୁ, ଆଉ ଆସିବି ନାହିଁ ଏଠିକି, ଜାଣିଥା ।

 

ସେ ହସିଲେ । କହିଲେ, କୋଉ ଏବେ ଆଜିଯାଏ ଆସୁଥିଲୁ ? ଡାକିଲାଠଉଁ ସିନା !

 

ତଳକୁ ମୁହଁ ପୋତି ବୃନ୍ଦାବନ କହିଲେ; ନା କାମଦାମ ଗହଳିରେ ଆସି ପାରି ନଥିଲି । ଏଣିକ ବରାବର ଆସିବି ।

 

ଖିଡ଼ିକି ପାଖେ ଅଜାଣତରେ କେତେବେଳେ ମୋ ହାତକାଚ ବୋଧହୁଏ ଟିକେ ବାଜିଉଠିଥିବ, ବୃନ୍ଦାବନ ମୁହଁ ଫେରାଇ ଖିଡ଼ିକି ଆଡ଼େ ଟିକେ ଚାହିଁଲେ; ତା’ପରେ ହଠାତ୍ ଉଠି କହିଲେ, ଆଜି ଯାଉଛି ଦାସଭାଇ, କାମ ଅଛି । ଆଉ ଦିନେ ଆସିବି ।

 

ଆଗରେ ଆଲୁଅ ଦେଖାଇ ସେ ପଦାକୁ ଆସିଲେ । ତାଙ୍କ ପଛେ ପଛେ ବୃନ୍ଦାବନ । ଘରୁ ବାହାରିଲା ବେଳେ କାହିଁକି କେଜାଣି ବୃନ୍ଦାବନ ଏ ଆଡ଼େ ସେ ଆଡ଼େ ଥରେ ଚାହିଁଲେ । ତା' ପରେ ପିଣ୍ଡାରୁ ଓହ୍ଲାଇ ଦଣ୍ଡକ ଭିତରେ ଗଛ ଗହଳି ଭିତରେ ଆଢ଼ୁଆଳ ହୋଇଗଲେ ।

 

ବୃନ୍ଦାବନଙ୍କୁ ଖଣ୍ଡେ ଦୂର ବଳାଇଦେଇ ସ୍ଵାମୀ ଫେରିଆସିଲେ । ପିଣ୍ଡା ଖୁଣ୍ଟକୁ ଆଉଜି ସେତେବେଳଯାଏ ଠିଆ ହୋଇଥାଏ ମୁଁ ତାଙ୍କୁ ଚାହିଁ ।

 

ପାଖକୁ ଆସି ପଚାରିଲେ, ଦେଖିଲ ବୃନ୍ଦାବନକୁ ?

 

ଅନ୍ୟଆଡ଼େ ମନ ଥିଲାପରି ଖାଲି କହିଲି–ହୁଁ ।

 

ଭାରି ଭଲ ପିଲାଟିଏ, ନୁହେଁ ? ସେ କହିଲେ ।

 

କହିଲି, କେଜାଣି ହୋଇଥିବ !

 

ତହିଁ ଆରଦିନ ବୃନ୍ଦାବନ ପୁଣି ଆସିଲେ ଆମ ଘରକୁ ବୁଲି । ଦାଣ୍ଡଘରେ ତାଙ୍କୁ ବସାଇ ସ୍ଵାମୀ ମତେ ଆସି ପଚାରିଲେ, ମା' କୋଉଠି ?

 

ପୂଜା କରୁଛନ୍ତି ଆରଘରେ । କାହିଁକି ?

 

ବୃନ୍ଦାବନ ଖୋଜୁଛି, ଦେଖା କରିବ ।

 

ବୃନ୍ଦାବନଙ୍କୁ ଡାକିବାକୁ ସେ ଚାଲିଗଲେ ।

 

ମା’ ଙ୍କ ସଙ୍ଗେ ଦେଖାକରି ଫେରିଲାବେଳେ ଆଡ଼ହୋଇ ମୁଁ ଘର ଭିତରକୁ ପଶିଗଲି । ପିଣ୍ଡାରେ ବୃନ୍ଦାବନ ମତେ ଦେଖିପାରି ପଚାରିଲେ, ସେ କିଏ ରତି ନା,ଦାସଭାଇ ?

 

ସେ କହିଲେ, ହଁ ।

 

ମଲା, ମତେ ପୁଣି ଏତେ ନାଜ ! ସେଦିନ ମୋ’ରି ଆଗରେ ଲଙ୍ଗଳା ହୋଇ ଡେଉଁଥିଲା ପରା ! ଆଜି ପୁଣି ଭାଉଜ ଆସନ ଦଖଲ କରି ବସିଲେଣି । ନାଜ ଛାଡୁ ନାଇଁ ତଥାପି ।

 

ସେଉଠୁ ମତେ ଲକ୍ଷ୍ୟ କରି ବଡ଼ ପାଟିରେ ବୃନ୍ଦାବନ କହିଲେ ମୁଢ଼ି ଆଉ ନଡ଼ିଆ, ବୁଝିଲ ଭାଉଜବୋଉ, ଆଜି ନ ଖାଇଲେ ତମ ଶ୍ରୀହସ୍ତରୁ ମୁଁ ଉଠୁ ନାଇଁ ଏଠୁଁ, ଜାଣିଥା ।

 

ଥାଳି ଗୋଟାକରେ ମୁଢ଼ି ନଡ଼ିଆ ସଜାଡ଼ି କବାଟ ଯାଏ ଗଲି, ଯୋଉ ଘରେ ସେମାନେ ବସିଲେ । ଭିତରକୁ ଯିବାକୁ କେମିତି ଭାରି ନାଜ ମାଡ଼ିଲା ।

 

ଘର ଭିତରୁ ସ୍ଵାମୀ ଡାକିଲେ, କାହିଁ, ଆସିଲ ! ବୃନ୍ଦାବନ ଏଣେ ଅଥୟ ହେଲେଣି ।

 

ମୁଣ୍ଡରେ ଲୁଗା ଟିକେ ଟାଣିଦେଇ ଘର ଭିତରକୁ ଗଲି ।

 

ମୋ ଆଡ଼କୁ ଚାହିଁ ହସି ହସି ବୃନ୍ଦାବନ କହିଲେ, ଏତେ ପର ହୋଇଗଲି ମୁଁ ? ମତେ ଚିହ୍ନି ପାରୁଚ ନା ?

 

କଛି ଜବାବ ଦେଲି ନାହିଁ ।

 

ସ୍ଵାମୀ କହିଲେ, ମଲା, ବୃନ୍ଦାବନଟାକୁ ଏତେ ନାଜ ପଡ଼ିଚି !

 

ମତେ ମନେ ପଡ଼ୁଛି ? ବୃନ୍ଦାବନ ପୁଣି ପଚାରିଲେ ।

 

ବାଧ୍ୟ ହୋଇ କହିଲି, ହଁ ।

 

କାହିଁ, କଛି ତ ପଚାରିଲ ନାହିଁ !

 

କ’ଣ ପଚାରିବି ?

 

ବାପା ହେରିକା ତମର କେମିତି ଅଛନ୍ତି ? ଆଉ, ଆଉ ଗୋଟିଏ କ୍ୟା.....

 

ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼େ ଚାହିଁଲି ।

 

ସେ କହିଲେ, ଆଉ ମୁଁ ତମକୁ ଏଣିକି ଭାଉଜବୋଉ ବୋଲି ଡାକିବି ନା ସେଇଁ ରତି ବୋଲି ଡାକିବି ? ବୃନ୍ଦାବନ ବଡ଼ପାଟି କରି ହସିଉଠିଲେ ।

 

ମଲା ଯା, ନିଆଁଲଗା ବିରାଡ଼ିଟା ଭିତର ଘରକୁ ପଶିଲାଣି, କହି ମୁଁ ସେଠୁ ପଳାଇଆସିଲି ।

Image

 

(ଚାରି)

 

ସେଇ ଦିନଠଉଁ ବୃନ୍ଦାବନ ପ୍ରାୟ ସବୁଦିନେ ଆସନ୍ତି ଆମ ଘରକୁ । ଆସିଲେ ମୋ ସଙ୍ଗେ ଥଟ୍ଟା ନକଲ ହେବା ଯେମିତିକି ତାଙ୍କର ଗୋଟାଏ କାମ ହେଇଚି । ମତେ କିନ୍ତୁ କାଠ କାଠ ଲାଗେ କେମିତି ଆଗ ପରି ତାଙ୍କ ସଙ୍ଗେ ସହଜ ଭାବରେ ମିଶିବାକୁ । କିନ୍ତୁ ସେ କ’ଣ ଛାଡ଼ିବା ଜନ୍ତୁ ! ଏମିତି କଥା ପଦେ ପଦେ ପଚାରିବସନ୍ତି ଯେ ଜବାବ ନ ଦେବାକୁ ବାଟ ନଥାଏ । ସ୍ଵାମୀ ଦିନେ ଦିନେ ଟିକେ ବିରକ୍ତ ହୁଅନ୍ତି । କହନ୍ତି, ଯେ ଏତେ ନାଜ କରୁଚି, ତତେ କ’ଣ ଭଲ ଲାଗୁଚି ତା ସଙ୍ଗେ ଦୁଗୁଣେଇ ହବାକୁ ? ମୋ ଉପରେ କି ତାଙ୍କ ଉପରେ ବିରକ୍ତ ହୋଇ ସେ ଏ କଥା କହନ୍ତି, ମୁଁ ବୁଝିପାରେନା । କିନ୍ତୁ ଏବେ ଭାବୁଚି, କେଡ଼େ ଉଚିତ ଥିଲା ମୋର ସେତେବେଳେ ସେକଥା ବୁଝିପାରିବା !

 

ଜୀବନଭରି ଏ ଦୁଃଖ ଗଞ୍ଜଣା ତାହାହେଲେ ମତେ ଆଉ ସହିବାକୁ ପଡ଼ି ନ ଥାନ୍ତା । କିନ୍ତୁ କ’ଣ ହବ ! ସୁଖସୌଭାଗ୍ୟର ବେଳ ତ ମୋର ସରିଆସିଥିଲା ତାଙ୍କ ହିସାବରେ, ଯିଏ ଏ ଦିନରାତି କରୁଛନ୍ତି ।

 

ଦିନେ ସକାଳେ, ମେଘ ଛାଡ଼ିଯାଇ ସେଦିନ ଗଛପତ୍ର ଦେହରେ କଅଁଳ ସୁନେଲି ତବକ ଜଡ଼ିଯାଇଛି ! ଅଗଣାରେ ବିଛଣା ତକିଆ ଖରାରେ ଦଉଚି । ଘର ଭିତରୁ ସେ ଡାକିଲେ-ରତି !

 

ତରତରରେ ଶେଯ ତକିଆ ମେଲାଇ ଦେଇ ଘର ଭିତରକୁ ଆସିଲି ? ଖଟ ଉପରେ ସେ ବସିଥିଲେ ।

 

କହିଲେ, ବସ୍ ଟିକେ, କାମ ଅଛି ।

 

ପାଖରେ ଯାଇ ବସିଲି । ମୋର ଗୋଟାଏ ହାତ ତାଙ୍କ କୋଡ଼ ଉପରକୁ ଆଣିଦେଇ ସେ କହିଲେ, ଏତେ ଦିନ ତ ଦୁଃଖକଷ୍ଟରେ ଚଳିଗଲା; ଏଣିକି କ’ଣ ହବ ?

 

ଆଶ୍ଚର୍ଯ୍ୟ ହୋଇ ପଚାରିଲି, କ'ଣ ଚିଳିଗଲା ?

 

ଆମରି ଘରକଥା କହୁଛି । ମୁଁ ତ ବର୍ଷେ ହେଲା ଗାଁରେ ଆସି ବସିଲି । କଟକରେ ଥିଲେ ଚାକିରି ବାକିରି ଖଣ୍ଡେ କୋଉଠି ଦେଖିଥାନ୍ତି ଅବା ! ଘରେ ବସି ଖାଇଲେ କେତେ ଦିନ ଯିବ ? ଜମିବାଡ଼ି ଗୁଡ଼ାଏ ସେମିତି ଥାଆନ୍ତା ଭଲା, ପେଟପାଇଁ ଭାବନା ପଡ଼ନ୍ତା ନାଇଁ । ଏଣିକି କୋଉଁଠି ରେଜଗାରର ଫନ୍ଦା ନ ଦେଖିଲେ ଚଳିବ କୁଆଡ଼ୁ !

 

ତେବେ କ’ଣ କଟକ ଯିବ ? ଡରି ଡରି ପଚାରିଲି ।

 

ତଳକୁ ମୁହଁ ପୋତି ସେ ଆସ୍ତେ ଆସ୍ତେ କହିଲେ, ତା’ ଛଡା ଆଉ ଉପାୟ କ'ଣ ?”

 

ଭୟରେ ଛାତି ଭିତର କ’ଣ ହୋଇଗଲା ମୋର ସେକଥା ଶୁଣି । ଗଳାକୁ ତାଙ୍କର ଦି’ ହାତରେ ବେଢ଼ାଇ ଧରି ବିକଳ ହୋଇ କହିପକାଇଲି : ନାଇଁ, ନାଇଁ, ତମେ କଟକ ଯାଅନା ।

 

ମୁଁ ମରିଯିବି ତା'ହେଲେ । ତାଙ୍କ ଛାତିରେ ମୁହଁ ଲୁଚାଇ ଝର ଝର ହୋଇ କାନ୍ଦି ପକାଇଲି ।

 

କେଡ଼େ ଶରଧାରେ ସେ ମୋ ମୁହଁକୁ ଟେକିଧରି କାନିରେ ଲୁହ ପୋଛିଦେଲେ । ହସି ହସି କହିଲେ, ମୁଁ କ'ଣ ସତରେ କଟକ, ଚାଲିଯିବି ତତେ ଛାଡ଼ି ?

 

ତଥାପି ସନ୍ଦେହ କରି ପଚାରିଲି, ଆଉ ଏଇକ୍ଷିଣା କହିଲ ?

 

ମିଛରେ ସେମିତି କହୁଥିଲି ନା । ତେବେ ବୃନ୍ଦାବନ ଦିନେ ମତେ କହୁଥିଲା, ଜମିଦାରୀ ସିରସ୍ତାରେ ଏଇଠି ଖଣ୍ଡେ ଚାକିରି ଦବ ।

 

ଆଗ୍ରହରେ କହିପକାଇଲି.....ହଁ, ହଁ, ତମେ ସେଇଠି ଚାକିରି କର, ଭଲ ହବ । ମତେ ଛାଡ଼ି ଆଉ କଟକ ଫଟକ ପଳାଅନା ।

 

ସେ କହିଲେ, ଆଜି ସଞ୍ଜବେଳେ ଆସିବ ସେ । ମୁଁ ବୁଝିକରି କହିବି ବୋଲି କହିଚି ତାକୁ ଚାକିରି କଥା ।

 

ତହଁ ଆରଦିନ ସତରେ ସେ ଚାକିରୀ ପାଇଲେ । ବେଲ ଘଡ଼ିକଠଉଁ ଖାଇପିଇ ଚାଲିଯାନ୍ତି ସେ ବରାବର । ସଞ୍ଜବେଳେ ଯାଇ ଫେରନ୍ତି ଘରକୁ । ଦିନେ ଦିନେ ରାତି ହୋଇଯାଏ ଅନେକ । ଆକୁଳ ଅପେକ୍ଷାରେ ଚାହିଁ ଚାହିଁ ସେଦିନ ଆଖିରୁ ପାଣି ମରେ ।

 

ଦିନେ, ଖରାବେଳଠଉଁ ସେଦିନ ଭାରି ମେଘ ଉଠେଇଥାଏ । ସେ ଘରେ ନ ଥିଲେ । ଖଟ ଉପରେ ପଡ଼ି ପଡ଼ି ଶୋଇବାକୁ ଚେଷ୍ଟା କରୁଚି, ଦୁଆରମୁହଁ ପାଖେ ପାଟି ଶୁଭିଲା । ଚାହିଁ ଦେଖିଲି, ବୃନ୍ଦାବନ । ଧଡ଼ପଡ଼ ହୋଇ ଖଟ ଉପରେ ଉଠି ବସିଲି । ସେ ମୋ ପାଖକୁ ଆସି ହସି ହସି ପଚାରିଲେ, ନିଦ ମାଡ଼ୁନାଇଁ ପରା ଶୋଇ ଶୋଇ ? କହିଲି, ନାହିଁ ।

 

କେମିତିକା ଲୋକ ସେ କେଜାଣି, କହୁଁ କହୁଁ ଆସି ଖଟ ଉପରେ ମୋ ପାଖରେ ବସିପଡ଼ିଲେ । ପଚାରିଲେ, ବଡ଼ ମା’ କାହାନ୍ତି ?

 

ସେଦିନ କାହିଁକି ଭାରି ଡର ମାଡ଼ିଲା ତାଙ୍କ ବ୍ୟବହାର ଦେଖି । କହିଲି, ସେ ଶୋଇଛନ୍ତି ।

 

ଦଣ୍ଡେ ଗଲା ।

 

ସେ ଆଗେ କଥା କହିଲେ । ଡାକିଲେ– ରତି !

 

କ’ଣ ?

 

ଦି’ ବର୍ଷ ତଳକଥା ମନେପଡ଼େ ତୋର ? ସେଦିନ ଏମିତ ବର୍ଷା । ଓଳିତଳ ପାଣିରେ ଭସାଇବାକୁ ମତେ ତୁ କାଗଜଡଙ୍ଗା ତିଆରି କରିବାକୁ କହିଲୁ । ପଚାରିଲି, କ’ଣ ଦବୁ ଡଙ୍ଗା କରିଦେଲେ ? ମନେପଡ଼େ, ସେଦିନ କହିଥିଲୁ

ମୁଁ ତମକୁ ବାହା ହେବି । ସେଇଦିନରୁ ଏ ଧରଣାଟା ମୋ ମନରେ ଏକୋବେଳକେ ଜଡ଼ିରହିଛି ।

 

ଆଜି ୟା’ଙ୍କର ଏ କି କଥା ! ଭାରି ଅଡ଼ୁଆ ଲଗୁଥାଏ ମତେ ? କ’ଣ କରିବି, କାଠ ପିତୁଳା ପରି ବସିରହିଲି ।

 

ସେ କହିଗଲେ... ଆଜିଯାଏ ସେଥିପାଇଁ ସେମିତି ଏକୁଟିଆ ଅଛି । କେତେ ଜାଗାରୁ ସମ୍ବନ୍ଧ ଫେରାଇଦେଲିଣି । କାହା ପାଇଁ ଏ ସବୁ, ଜାଣୁ ? କହା ରୂପଗୁଣର ତୁଳନା ପୃଥବୀ ଭିତରେ ଆଜିଯାଏ ପାଇନାହିଁ ବୋଲି ସେଇଦିନୁ ଏମିତି ଏକୁଟିଆ ହୋଇ ଚାହିଁ ବସିଚି, ଜାଣୁ, ରତି !

 

ବାହାରେ ଝର ଝର ହୋଇ ବର୍ଷା ଆରମ୍ଭ ହେଲା । ଦୁଆରୁ ଲୁଗା ତୋଳିଆଣେ’ ବୋଲି କହି ସେଘରୁ କୌଣସିମତେ ପଳାଇ ଆସିଲି, ଏକାଥରକେ ମା’ ଯୋଉଠି ଶୋଇଥିଲେ ।

 

ଗୋଡ଼ଶବ୍ଦ ଶୁଣି ମା ପଚାରିଲେ, କିଏ ? ଆସ୍ତେ ଆସ୍ତେ ପାଖକୁ ଯାଇ ତାଙ୍କ ଗୋଡ଼ ଘଷିବସିଲି । ଦାଣ୍ଡଘରକୁ ପୁଣି ଯିବାକୁ ମୋର ଆଉ ସାହସ ହେଲା ନାହିଁ ।

 

ସେଦିନ ରାତିରେ, ଖାଇସାରି ଖଟ ଉପରେ ସ୍ଵାମୀଙ୍କ ପାଖରେ ଶୋଇ କହିଲି, ବୃନ୍ଦାବନ ଆଜି ଆସିଥିଲେ ଏଠିକି ।

 

ଭାରି ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ, କେତେବେଳେ ? କହିଲି, ଦି’ପହରେ ତମେ ନଥିଲା ବେଳେ ।

 

କଥା ଶୁଣି ତାଙ୍କ ମୁହଁ କେମିତି କଳା ପଡ଼ିଗଲା । କହିଲେ, ଭାରି ବେହିଆ ଏ ବୃନ୍ଦାବନଟା ! ତୁ ତା ସାଙ୍ଗେ ସାବଧାନ ହୋଇ ରହିବୁ । ତହିଁ ଆର ଦିନଠଉଁ ସେ କାମକୁ ଯିବା ବେଳ ବଦଳାଇ ଦେଲେ । ଦି’ପହରେ, ଟିକେ ଶୋଇ ଛାଇ ନେଉଟିଲା ପରେ ବାହାରନ୍ତି; ଆସୁ ଆସୁ ରାତି ସେମିତି ଅନେକ ହୋଇଯାଏ । ଭାବିଲି, ଆଉ ବୋଧହୁଏ ବୃନ୍ଦାବନ ମତେ ବିରକ୍ତ କରିବାକୁ ଆସିବେ ନାଇଁ ।

 

(ପାଞ୍ଚ)

 

ବୃନ୍ଦାବନ କୁହୁକ ଜାଣନ୍ତି ନା କଣ ! ଉପରଓଳି ସ୍ଵାମୀ ଦିନେ ଯେମିତି କାମକୁ ଚାଲିଯାଇଛନ୍ତି, ସେ କୁଆଡ଼ୁ ଆସି ପୁଣି ପହଞ୍ଚିଗଲେ । ନ ଦେଖିଲା ପରି ହୋଇ ମୁଁ ସେଘରୁ ବାହାରି ଯାଉଥିଲି, ଡାକିଲେ-“ରତି” ।

 

ବାଧ୍ୟ ହୋଇ ଫେରି ଚାହିଁଲି । ପଚାରିଲି, କାହିଁକି ଡାକୁଚ ? ମୋର କାମ ଅଛି ଯାଉଚି ।

 

କାମ ଅଛି ବୋଲି ଖଣ୍ଡେ ପାନ ବି ମିଳିବ ନାଇଁ ? ସେ କହିଲେ ।

 

ଭାରି ଚିଡ଼ି ମାଡ଼ୁଥାଏ । କ'ଣ କରିବି, ପାନ ଆଣି ଦେଲି । ନଇଲେ, ଏ ଯଦି ଚିଡ଼ିଯା’ନ୍ତି, ସ୍ଵାମୀଙ୍କର ଚାକିରୀଖଣ୍ଡ ଯେ ଯିବ ।

 

ଘର ଭିତରେ କଳାକବାଟ ପାଖରେ ସେ ଠିଆ ହୋଇଥିଲେ । ପାନଥାଳିଆ ଛାଏଁ ମୋ ହାତଟା ଧରି ପକାଇ କହିଲେ, ମୋ କଥା ଶୁଣିବୁ ନାହିଁ ଥରେ ?

 

ବିରକ୍ତିରେ ହାତ ଛଡାଇନେଇ ପଚାରିଲି, କି କଥା ?

 

ସେ କହିଲେ, ଶୁଣି ବିଶ୍ୱାସ ଯିବୁ ମୋ କଥାରେ ? ମୁଁ....ମୁଁ ତ କେତେ ଆଶା କରି ଏଠିକି ଆସେ, ତୋ ମୁହଁରୁ ଖାଲି ପଦେ କଥା ଶୁଣିବାକୁ !

 

ହାଡ଼ ଜଳିଗଲା କଥା ଶୁଣି । କ'ଣ କରିବ, ଚୁପ୍ ହୋଇ ଶୁଣିବାକୁ ହେଲା ସବୁ । ସେ କହିଲେ, ଏ ଦି’ବର୍ଷ ଏକପ୍ରକାର ନିଶ୍ଚିନ୍ତ ହୋଇଥିଲି ତତେ ନ ଦେଖି । ଏଣିକି ସତରେ କହୁଚି, ମତେ ଖାଇବା ପିଇବା ବିଷ ପରି ଲାଗିଲାଣି ତୋ କଥା ଭାବି, ରତି । ସତେ ମୋ ଠଉଁ ଏମିତି ଦୂର ହୋଇ ରହିବୁ ସବୁଦିନ ? ପାଖକୁ ଆସି ସେ ପୁଣି ମୋ ହାତ ଧରିଲେ ।

 

ଦେହ ଗୋଟାକ ଥରି ଉଠିଲା ମୋର ରାଗରେ । ଆଉ ସମ୍ଭାଳି ପାରିଲି ନାହିଁ । ଜୋରରେ ହାତଟା ତାଙ୍କର ଛାଞ୍ଚାଡ଼ିଦେଇ ଘରୁ ବାହାରିଗଲି । ଗଲାବେଳେ କହିଲି, ଭଦ୍ରଲୋକ ଯଦି ହୋଇଥିବ ତମେ, ଆଉ ଦିନେ ଏ ଘର ଦୁଆର ମୁହଁ ମାଡ଼ିବ ନାଇଁ, କହିଦଉଚି ।

 

ମୋ ପଛେ ପଛେ ସେ ବାହାରକୁ ଆସିଲେ । ଚାଲିଗଲାବେଳେ ଖାଲି ଏତିକି ତାଙ୍କ ପାଟିରୁ ଶୁଭିଲା, “ଆଚ୍ଛା, ହଉ” । ମୁଁ ଶୁଣି ନ ଶୁଣିଲା ପରି ଚାଲିଆସିଲି ।

 

ସବୁଦିନ ପରି ସେଦିନ ବି ସ୍ଵାମୀ ଅନେକ ରାତିରେ ଘରକୁ ଫେରିଲେ । ଖାଇବସି ପଚାରିଲେ, ଆଜି ବୃନ୍ଦାବନ ଆସିଥିଲା ?

 

କହିଲି, ହଁ ।

 

ଆଜିକା କଥା ତାଙ୍କ ଆଗେ କହିଦବାକୁ ଭାରି ମନ ହେଉଥାଏ । କିନ୍ତୁ କହିବି କହିବି ବୋଲି କିଛି କହିପାରିଲି ନାହିଁ ନାଜରେ ।

 

ଆଉ କଛି ନ ପଚାରି ଖାଇସାରି ସେ ଉଠିଗଲେ । ହାତ ଧୋଇ ଚୁପ୍‍ ହୋଇ ଯାଇ ଖଟ ଉପରେ ଶୋଇପଡ଼ିଲେ । ମୋର ବି ଆଉ ସାହସ ହେଲାନାଇଁ ତାଙ୍କୁ ବିରକ୍ତ କରିବାକୁ ସେଦିନ ।

 

ଦି’ଦନ ପରେ ଶୁଣିଲି, ସେ ଜମିଦାରଘର ଚାକିରୀ ଛାଡିଦେଇଛନ୍ତି ।

 

(ଛଅ)

 

ଏଇଯାଏ କହି ଆଲୁଅ ପୁଣି ଥରେ ତୁନି ହେଲା । ତେଜ ତାର ଖୁବ୍ ମିଞ୍ଜି ମିଞ୍ଜି ହୋଇଆସିଲା; ସତେ ଏଇକ୍ଷିଣ ଲିଭିଯିବ !

 

ଗଛ ଉପରୁ ବାଦିରିଟା ବେସ୍ତ ହୋଇ ଡାକିଲା, ମଲା ମଲା, କଥା ଏମିତି ଅଧା କରି ଚାଲିଯିବ କି ? ସେଉଠୁଁ କଣ ହେଲା କୁହ, କୁହ–

 

ଖୁବ୍ ଧିରେ, ଖୁବ୍, ତୁନି ତୁନି, ଆଲୁଅ ସେଉଠୁ ଆରମ୍ଭ କଲା... ମୋ କଥା ଆଉ ବେଶୀ ନାଇଁ । ଏଣିକି ଯୋଉକଥା କହିବି, ବଡ଼ କରୁଣ, ବଡ଼ ବୁକୁଫଟା ସେ କାହାଣୀ । ଏ ଅପିଣ୍ଡ ପ୍ରାଣରେ ବି ଆଜିଯାଏ ସେ କଥାଗୁଡ଼ାକ ନିଆଁ ପରି ଜଳୁଚି, ଦିନରାତି !

 

ତା’ପରେ ସେ ତ ଚାକିରି ଛାଡ଼ିଦେଲେ ! ମନେ ମନେ ଖୁବ୍ ଖୁସି ଭାବଲି, ଯା’ ହଉ ଏଥର ବୃନ୍ଦାବନଙ୍କ ହାତରୁ ରକ୍ଷା ପାଇଲି ମୁଁ । କିନ୍ତୁ ଯାହା ପାଇଁ ଏତେ ଆନନ୍ଦ, ସେ ସ୍ଵାମୀ କାହିଁକି ଆଗ ପରି ମୋ ସଙ୍ଗେ ଆଉ ସହଜରେ ମିଶିପାରିଲେ ନାହିଁ ସେହିଦିନ ରାତିଠଉଁ । କେମିତ ମତେ ସବୁବେଳେ ଭଲକରି କଥା କହନ୍ତି ନାଇଁ, ଖାଲି କରଛଡ଼ା ଦେଇ ବୁଲନ୍ତି । ଦରକାର ପଡ଼ିଲେ ଯାହା ଦି’ଟା ଗୋଟାଏ କଥା କହନ୍ତି, ସେତକ ବି ପୁଣି ମୁହଁ ଶୁଖେଇ ! ଭାବିଲି, ମୋର ସୁଖର ଦିନ ଏଣିକି ସରିଆସିଲା ।

 

କାହିଁକି ସେ ମୋ ଉପରେ ଚିଡ଼ିଛନ୍ତି, ଦିନେ ଦିନେ ପଚାରିବାକୁ ଭାରି ମନହୁଏ; କିନ୍ତୁ ମୁହଁକୁ ଚାହିଁ ତାଙ୍କର ସାହସ ହୁଏନା ପଚାରିବାକୁ ସେକଥା । କାଳେ ବେଶୀ ଚିଡ଼ିବେ ! ରାତିରେ ସେ ଶୋଇପଡ଼ିଲା ପରେ ତୁନି ତୁନି ଅନେକ ବେଳ ଯାଏଁ କାନ୍ଦେ । ବେଳେ ବେଳେ ଭାବେ, ଏ ନିଉଛୁଣା ଜୀବନଟାରେ ଆଉ କଅଣ ଦରକାର ? ପୋଖରୀର ଅଥଳ ପାଣିରେ ଗୋଡ଼ ଖସାଇବାକୁ ଭାରି ମନହୁଏ । ଏଇ କଥା ଭାବି ନିଛାଟିଆ ଦି'ପହରେ କେତେଥର ପୋଖରୀ ମଧ୍ୟ ଯାଏ; କିନ୍ତୁ ଯାହା ଲାଗି ମୁଁ ଏ ଘରକୁ ଆସିଚି, ସେ ଯେ ମୋ ପେଟରେ ! ମରିବାର ମୋର କ’ଣ ଅଛି ଏଇକ୍ଷିଣା ?

 

ଆସ୍ତେ ଆସ୍ତେ ଘରକୁ ଲେଉଟିଆସେ ।

 

ଆଜି କିନ୍ତୁ ମନେହଉଚି, ସେତେବେଳେ ଯଦି ମୁଁ ମରିଥାନ୍ତି, ତାହାହେଲେ କାମ ଛିଣ୍ଡି ଯାଇଥାନ୍ତା ଏକା ଥରକେ ! ଆହୁରି ହିନସ୍ତା, ଆହୁରି ଦହଗଞ୍ଜା ୟାଠୁଁ ବଳି, ଯାହା ମୋ କପାଳରେ ଥିଲା ତାକୁ ଭୋଗ କରନ୍ତା କିଏ ?

 

ଆଉ ଦିନେ, ସେଦିନ ବି ଏମିତି ଝଡ଼, ଏମିତି ବର୍ଷା । ସାରା ସୃଷ୍ଟି ଉଜାଡ଼ିଦବାକୁ ସେଦିନ ଯେମିତି କଳା ବଉଦ ମେଳରେ ପ୍ରଳୟର ଧାରା ଫିଟିଥାଏ । ପାଣି ପବନ ଜୋରରେ ଗଛପତ୍ରଗୁଡ଼ାକ ଠକ ଠକ ହୋଇ କମ୍ପୁଥାନ୍ତି । ସକାଳୁ ମୋ ସ୍ଵାମୀ କ’ଣ ଗୋଟାଏ ଅଳ୍ପ କଥାରେ ମୋ ଉପରେ ରାଗି କରି କୁଆଡ଼େ ଚାଲିଯାଇଥିଲେ । ସଞ୍ଜ ଆସି ହୋଇଗଲା; ଘର ବାହାର ଚାହିଁ ଚାହିଁ ଆଖିରୁ ମୋର ପାଣି ମଲା, ସେ ଫେରିଲେ ନାହିଁ । ମୋ ମନ ଭାରି ଉଚ୍ଚାଟ ହୋଇଗଲା । କାହିଁକି ମିଛରେ ତାଙ୍କ କଥାରେ ଜବାବ ଦେଇ ମଲି । ଏତେବେଳଯାଏ କୁଆଡ଼େ ଗଲେ ! କ’ଣ କଲେ !

 

ଦାଣ୍ଡପିଣ୍ଡାରେ କାହା ପାଟି ଶୁଭିଲା । ସେ ଆସିଲେ କି ଆଉ, ଦଉଡ଼ିଗଲି ଦାଣ୍ଡପିଣ୍ଡାକୁ । କିନ୍ତୁ ସେ କାହାନ୍ତି ? ଏ’ତ ବୃନ୍ଦାବନ !

 

ମତେ ଦେଖି ବୃନ୍ଦାବନ ଭାରି ବେସ୍ତ ହୋଇ କହିଲେ, ରତି, ଆଲୁଅଟା ନେଇ ଆସିବୁ ବାଡିଆଡ଼କୁ । ଦାସଭାଇଙ୍କି ବାଟରେ କ’ଣ ଗୋଟାଏ କାମୁଡ଼ି- ଦେଲା । ଜଲଦି ।

 

ଦଣ୍ଡକେ ଆଖି ଆଗରେ ମତେ ସବୁ ଅନ୍ଧାର ଦିଶିଗଲା । ଭାବିବାର ସେତେବେଳେ ମୋର ଆଉ ବେଳ ନ ଥିଲା । ଘର ଭିତରୁ ଆଲୁଅଟା ନେଇ ମୁଁ ପଦାକୁ ବାହାରି ପଡ଼ିଲି । ମୋ ଅଗେ ଆଗେ ବୃନ୍ଦାବନ ।

 

କ'ଣ କାମୁଡ଼ିଲା, କେମିତି କାମୁଡ଼ିଲା ! ସାପ ହେରିକା ନୁହେଁ ତ ! ଏଇ ଚିନ୍ତା ମୋ ମୁଣ୍ଡରେ ପଶି ବୁଦ୍ଧି ଜ୍ଞାନ ମୋର କୁଆଡ଼େ ହଜାଇଦେଲା । ଉତ୍କଣ୍ଠାରେ କେତେ ବାଟ ଚାଲିଆସିଲି ଜଣାଗଲା ନାଇଁ । ହଠାତ୍ ମନେ ହେଲା, ମୁଁ କୁଆଡ଼େ ଆସୁଚି । ଏ ଯେ ଗାଁ ଦାଣ୍ଡ, ଆମ ବାଡ଼ି ତ ରହିଲାଣି କେତେ ପଛରେ । ଆଉ ଆଗକୁ ଗଲି ନାଇଁ; ସେଇଠି ଠିଆ ହୋଇ ଡାକିଲି, ବୃନ୍ଦାବନ ଭାଇ !

 

କାହାନ୍ତି କଏ ? ଏ ବଣ ବାଟ ଭିତରେ ମୁଁ ଏକା । ଡରରେ ଛାତି ଭିତର ରକ୍ତ ମୋର ପାଣି ହୋଇଗଲା ।

 

ମେଘ ଛାଡ଼ିଯାଇଥିଲା ସେତେବେଳକୁ । ବାଟ ଘାଟ ସୁତୁରା କରି ବଉଦ ଫାଙ୍କରେ ସେତେବେଳେ ଚାନ୍ଦିନୀର ଚୂନକାମ ହଉଥିଲା ଅନ୍ଧାରର ଶିଉଳିଲଗା ରାଇଜରେ । ମନରେ ଖୁବ୍ ହେମତ କରି ଆଖି ବୁଜି ଘର ଆଡ଼କୁ ପଳେଇ ଆସିଲି ଏକା ଦଉଡ଼ରେ । କବାଟ ପାଖେ ଆସି ଥକା ହୋଇ ଠିଆ ହୋଇଗଲି ।

 

ଘର ଭିତରେ ଆଲୁଅ ଜଳୁଛି ! ମୋ ସ୍ଵାମୀ ଘର ମଝିରେ ଠିଆ ହୋଇଛନ୍ତି କବାଟ ଆଡ଼କୁ ଚାହିଁ ।

 

ସାପ ଫାପ କାମୁଡ଼ିବା କଥା ତାହାହେଲେ ସବୁ ମିଛ । ଏତକ ବୃନ୍ଦାବନଙ୍କ ଫିକର ।

 

ମତେ ଦେଖି ସେ ପାଖକୁ ଆସିଲେ । ରାଗରେ ଦାନ୍ତ କାମୁଡ଼ି ପଚାରିଲେ, କୁଆଡ଼େ ଯାଇଥିଲୁ, ସତ କହେ ।

 

ମୋ ମୁଣ୍ଡ ସେତେବେଳକୁ ବୁଲାଉଥାଏ । କିଛି କହିପାରିଲି ନାହିଁ । ସେ ଗର୍ଜନ କରି କହିଲେ ମୁଁ ସବୁ ଜାଣେ । ଦରକାର ନାଇଁ ଶୁଣିବା । ଚାଲି ଯା ମୋ ଆଗରୁ । ହଠାତ୍ ସେ ମୋତେ ଖୁବ୍ ଜୋରରେ ପଛକୁ ପେଲିଦେଲେ ।

 

ଟାଳ ସମ୍ଭାଳି ନ ପାରି ମୁଁ ମୁହଁମାଡ଼ି ପଡ଼ିଗଲି । ଦୂଆରବନ୍ଧରେ ପେଟ ଖୁବ୍ ଜୋରରେ ବାଡ଼େଇ ହୋଇଗଲା ପଡିଲାବେଳେ । ଛାଡି ଚରିହୋଇ ପାଣିଧାର ପରି ପାଟିବାଟେ ରକ୍ତ ବୋହିଗଲା, ଏତିକି ମୋର ମନେ ଅଛି । ତା ପରେ ଆଉ କ’ଣ ହେଲା ଜାଣେ ନା; ସାଙ୍ଗେ ସାଙ୍ଗେ ମୋର ଚେତା ହଜିଗଲା । ସେମିତି ଅଚେତା ଅବସ୍ଥାରେ ପେଟରୁ କୁଆଡ଼େ ମୋର ମଲା ପିଲାଟିଏ ଜନ୍ମ ହେଲା । ତା ସାଙ୍ଗେ ସାଙ୍ଗରେ ସନ୍ନିପାତ । ଏତେ କଷ୍ଟରେ ବଞ୍ଚିବା ଆଶା ଯାହା ଟିକେ ଥିଲା, ତା’ ବି ଗଲା ।

 

ତହିଁଆରଦିନ ବୃନ୍ଦାବନ ଆଉ ସମ୍ଭାଳି ନ ପାରି ସବୁ କଥା ମୋ ସ୍ଵାମୀଙ୍କ ପାଖେ ମାନିଗଲେ । ସ୍ଵାମୀ ପାଗଳ ପରି ଦୌଡ଼ି ଆସି ମୋ ହାତ ଧରି ଭୋ ଭୋ ହୋଇ କାନ୍ଦିପକାଇଲେ । କହିଲେ, ରତି ! ଏଇ ଥରକ ମତେ ତୁ କ୍ଷମା ଦେ । ମୁଁ ମଣିଷ ନୁହେଁ.. ମୁଁ ପଶୁ । ତାଙ୍କ ବିକଳ ଦେଖି ଏତେ କଷ୍ଟରେ ପୁଣି ବଞ୍ଚିବାକୁ ମୋର ମନ ହେଲା । କିନ୍ତୁ କ’ଣ ହେବ; ବେଳ ତ ମୋର ସରି ଅସିଥିଲା । ଆଉ ଦଣ୍ଡକ ପରେ ମୋର ସବୁ ଶେଷ ହୋଇଗଲା ।

 

ପିଲାଙ୍କ ପରି ମତେ ଦି’ ହାତରେ କୁଣ୍ଢାଇ ଧରି ସେ କହିଲେ ରତି, ରତି ! ଆ, ଫେରିଆ..... ! ଆଉ ତୋ ଉପରେ ରାଗିବି ନାଇଁ, ଫେରିଆ ।

 

ସେଇଦିନୁ ସେ ପାଗଳ ହୋଇ କୁଆଡ଼େ ଚାଲିଗଲେ ।

 

ତା ପରେ ମତେ ସମସ୍ତେ ଏଇ ବିଲ ଆରପଟ ମଶାଣିକି ଆଣିଲେ । ମୋର ସେ ମଲା ପିଲାଟିକି ଆଗରୁ ଆଣି ଏଇ ମଶାଣିରେ ଅଉଠାଏ କେଉଁଠି ପୋତିଥିଲେ । ଜୁଇନିଆଁର ସର୍ବଗ୍ରାସୀ ବାହୁବେଢ଼ାରେ ଘଡ଼ିକେ ଏ ଦେହ ଜଳିପୋଡ଼ି ପାଉଁଶ ହୋଇଗଲା । ବାକି ରହିଗଲା ଖାଲି ଗୋଟାଏ ଆଲୁଅ, ଇମିତି ମୋର ଦେହ ପରି, ଖୁବ୍ ବଡ଼, ଖୁବ୍ ତେଜ ।

 

ଆଲୁଅ ତୁନି ହେଲା ।

 

ଗଛ ଉପରୁ ବାଦିରିଟା ପାଟିକରି ପଚାରିଲା, ସେଇଥିପାଇଁ, ଅନ୍ଧାରହେଲେ ବିଲ ପଡ଼ିଆରେ ଆଲୁଅ ପକାଇ ତମରି ପିଲାଟିକି ଖୋଜି ବୁଲ କି ସବୁଦିନେ ?

 

ଉତ୍ତର ନାହିଁ । ଆଲୁଅ ସେତେବେଳକୁ ଲିଭି ଯାଇଥିଲା ।

 

ତୋଟା ଆଡ଼େ, ଗଛପତ୍ର‌ ଝୁମୁକାଇ ବତାସ ପବନ ବାହୁନିଗଲା ସୁ...ସୁ...ସୁ

Image

 

ସାପୁଆ

କାଳିନ୍ଦୀଚରଣ ପାଣିଗ୍ରାହୀ

 

କଟକ ଷ୍ଟେସନରୁ ରେଳରେ ଚଢ଼ି ଦକ୍ଷିଣମୁହାଁ ଗଲେ କାଠଯୋଡ଼ି ପାରି ହୋଇ ଆଗ ପଡ଼େ ବାରଙ୍ଗ, ତା'ପରେ ମଞ୍ଚେଶ୍ଵର । ମଞ୍ଚେଶ୍ଵରକୁ କେହି କେହି ରେଳଯାତ୍ରୀ କୌତୁକ କରି କହିଥାନ୍ତି, ମାଞ୍ଚେଷ୍ଟର । ଏଠାରେ ଗୋଟାଏ କାଚ କାରଖାନା ହେବ ବୋଲି କେଉଁକାଳୁ ଘରତୋଳା ସରିଛି । କାରଖାନାର ଦେଖାନାହିଁ । ଓଡ଼ିଶା ସରକାର ଏ ପଟକୁ ରାଜଧାନୀ ଘୁଞ୍ଚାଇବେ ବୋଲି ମଧ୍ୟ ଶୁଣାଯାଏ ।

 

ମଞ୍ଚେଶ୍ଵରଠାରୁ ପଟିଆ ଗାଁଟି ବାଟ ଦୁଇ ତିନି ମାଇଲ । ଗାଁ ମୁଣ୍ଡରେ ଗୋଟାଏ ବଡ଼ ଆମ୍ବ ତୋଟା ତଳେ ଧାଡିମୂଳିଆ ସାନ ସାନ ଛପର ଘର । ସୈନ୍ୟ ଛାଉଣି ତମ୍ବୁ ପଡ଼ିଲା ଭଳି ଦୂରକୁ ଦିଶେ । ଘରଗୁଡ଼ିକରେ ରହନ୍ତି ସାପ ଓ ସାପୁଆ କେଳା ।

 

ରଜ ସମୟ । ଦିନକୁ ଦିନ ଏହି ଘରଗୁଡ଼ିକ ମଣିଷ ଗହଳିରେ ଫାଟି ପଡ଼ୁଛି । ରଜସଂକ୍ରାନ୍ତିଠାରୁ ଦଶହରାଯାକେ ସେଠାରେ ସାପୁଆମାନେ ଜମା ହୁଅନ୍ତି । ତା'ପରେ ସବୁ ଶୁନ୍‌ଶାନ୍ ।

 

ଦଳ ଦଳ ମରଦ ମାଇପେ କେତେ ରାଇଜ ବୁଲି ଫେରିଆସୁଛନ୍ତି । ମଦନ ବେହେରା ଘରକୁ କାନ୍ଧରୁ ଓହ୍ଲାଇ ତଳେ ରଖିଦେଲା । ଭାର ଭିତରେ ଗୋଟାଏ ପାଖରେ ଅସ୍ଥାୟୀ କୁଡ଼ିଆ କରିବାକୁ ଏକ ରକମ ଫୋଲ୍‌ଡିଂ ତାଟି, ଲୁଗା, କନ୍ଥା, ହାଣ୍ଡି ପଲମ; ଆରପାଖେ ସାନବଡ଼ ଚକା ଚକା ପେଡ଼ି ।

 

ସାନ ପେଡ଼ିରେ ‘ଗୋବିନ୍ଦ ମୂଷା’ । ନୂଆବୋହୂ ହୋଇ କୂଅ ଭିତରୁ ବେଗ ବେଗ କରି ସେ ପାଣି କାଢ଼େ, ମାନ୍ୟ ଲୋକ ଅସୁଥିବେ ବୋଲି ଏଣିକି ତେଣିକ ଚାହିଁ ଧାନ ଶୁଖାଏ, ପୁଣି ଦେଢ଼ଶୂର ଅସିଲେ ଡଗଡଗ ହୋଇ ଘରକୁ ପଳାଏ ।

 

ବଡ଼ ବଡ଼ ପେଡ଼ିରେ ଅହିରାଜ, ନାଗ, ତମ୍ପ -କିଏ ସାତକୋସିଆ, କିଏ ମଣିନାଗ, କିଏ କପିଳାସ ଅବା ହରିଶଙ୍କର ପର୍ବତରୁ ଧରାହୋଇ ଆସିଛନ୍ତି । ମଦନ ପେଡ଼ି ଫିଟାଇ ତାହା ଭିତରେ ଟିକିଏ ଫୁଙ୍କି ଦେଇ ଗାଏ–

 

“କଂସର ଘରଣୀ ପଦ୍ମାବତୀ ରାଣୀ,

ସେ କଲା ଧନତିରି ଓଷା;

ଲକ୍ଷେ ଭାର ପଦ୍ମଦେବୁରେ କହ୍ନାଇ

ନ ଥିବ ପାଖୁଡ଼ା ମିଶା

କି ଗୋବିନ୍ଦ ହରି ।”

ସାପଟା ଫଣା ଟେକି ଗର୍ଜନ କରେ, ଜିଭ ଲହ ଲହ କରି ସଜୋରେ ମଦନ ଉପରକୁ ଚୋଟ ମାରେ । ଦେଖଣାହାରୀଙ୍କ ଛାତି ଥରିଉଠେ । ମଦନ ପାଟି କରେ, “ଭାଇଲା, ଭାଇଲା, ବୁଢ଼ା ଗଦ ଅଛି ଶୁଙ୍ଘେଇଦେବି । ମାରିପାରିବୁ ନାହିଁ ।

 

ସଞ୍ଜ ଆଗରୁ ମେଘ ଅନ୍ଧାରି ଆମ୍ବ ତୋଟାରେ ଘନେଇ ଆସିଛି । ସ୍ପ୍ରେ ଭଳି ଝିପି ଝିପି ପାଣି ବର୍ଷି ଆମ୍ବପତ୍ରରୁ ଟୋପା ଅକାରରେ ଥପ୍ ଥପ୍ ତଳକୁ ଖସୁଛି । ଭାର ଦେହରୁ ଲଣ୍ଠନଟା ଫିଟାଇ ମଦନ ଆଲୁଅ ଜାଳିଲା । ଘର ଆଗ ସାନ ପିଣ୍ଡି ଉପରେ ସଉରୀ ତା’ର ମୁଣ୍ଡ ବୋଝଟାକୁ ଥୋଇଲା । ପିଠିରେ ଲୁଗା ଯାଉଁଳିରେ ବନ୍ଧା ଯାଇଥିବା ଦି'ବର୍ଷର ପିଲାଟିକୁ ବୋଝ ପାଖରେ ରଖିଦେଇ ଚାଲିଲା ଘର ପହଁରିବାକୁ ।

 

ମେଘୁଆ ହେଲେ ବି ଝାଳରେ ଦେହ ଓଦା ହୋଇଯାଇଛି । ଶିରପା ଖଣ୍ଡ ମୁଣ୍ଡରୁ ଫିଟାଇ ମଦନ ସେହି ଭାରକୁ ଆଉଜି ସେଥିରେ ଟିକିଏ ବିଞ୍ଚି ହେଲା । ତାହାର ସ୍ତ୍ରୀ ସଉରୀ ଘର ପହଁରା ସାରି ମାଠିଆ ଧରି ବାହାରିଗଲା ପାଣି ଆଣିବାକୁ । ମଦନ ସେହିପରି ଭାରକୁ ଆଉଜି ହାତକଟା ଫତେଇ ପକେଟରୁ ବିଡ଼ି ଦିଆସିଲ କାଢ଼ି ଲଗେଇଲା । ସ୍ତ୍ରୀ ପାଣି ଆଣି ରୋଷେଇ ଯୋଗାଡ଼ କଲା । ସେଥିପାଇଁ ଆଉ କାହାଠୁଁ ତା’ର କିଛି ସାହାଯ୍ୟ ଲେଡ଼ା ନାହିଁ । ଏଣେ ମଦନ ମହା ଆରାମରେ ବିଡ଼ି ଟାଣୁଛି । କାହାର ମୁହଁରେ କଥା ନାହିଁ । ପିଣ୍ଡା ଉପରେ ଥୁଆ ହୋଇଥିବା ଦି’ ବର୍ଷର ପିଲାଟା ବି ଏକ ଅତି ଉଚ୍ଚ ଧରଣର ବିଦେଶୀ ନର୍ସିଂ ସ୍କୁଲରେ ଶିକ୍ଷିତ ହେଲା ଭଳି ତୁନି ହୋଇ ପତ୍ରଗହଳର ପାଣି ଥପ୍ ଥପ୍ ଶୁଣୁଥାଏ ।

 

ବିଡ଼ିଟଣା ସରିଲା ପରେ ଟିକିଏ ଥଣ୍ଡା ପବନ ବାଜି ମଦନର ଆଖି ଦୁଇଟି ଘୋଡ଼େଇ ହୋଇ ଆସିଲା ।

 

ହାତରେ, ମୁଣ୍ଡରେ, ଓଠରେ ଟୋପା ଟୋପ। ପାଣି ପଡ଼ୁଥାଏ । ତହିଁକି ପରୁଆ ନ କରି ନିଘମ ନିଦରେ ସେ ଶୋଇଗଲା ।

 

ସଉରୀର ଦୋହଲାରେ ନିଦ ଭାଙ୍ଗିଲାରୁ ସେ ଶୁଣିଲା, “ଉଠ୍‍ ତ, ଭିତରକୁ ଚାଲ୍‍ !” ନିଦ ମଳ ମଳ ହୋଇ ସେ ଉଠିଲା । ପାଣି ଢାଳଟା ନେଇ ହାତ ମୁହଁ ଧୋଇ ଘର ଭିତରେ ପଶିଲା । ଗୋଟାଏ ପାଖରେ ଦି’ବର୍ଷର ପିଲାଟି ଶୋଇପଡ଼ିଛି । ଚୁଲିରୁ ନିଆଁତକ କମି ଆସିଲାଣି । ଚିକ୍ ଚିକ୍ କୋଇ ମଜା ଯାଇଥିବା ବଡ଼ କଂସା ଭିତରୁ ଗରମ ଭାତ ଆଉ ତାମ୍ପଡ଼ା ଶୁଖୁଆ ତରକାରିର ବାମ୍ଫ ବାହାରୁଚି ।

 

ଖୁସି ହୋଇ ମଦନ ପଚାରିଲା, “ଭାରି ତ ସହଳ ହୋଇଗଲା ।”

 

“ହଉ, ବସ୍', ସହଳ କ'ଣ ? ରାତି କେତେ ହେଲାଣି !”

 

ସତକୁ ସତ ପହରିଆ ଚଢ଼େଇ କୁମ୍ଭାଟୁଆ ଡାକ ଛାଡ଼ି ରାତି ଅଧ ହେବାର ଜଣାଇଦେଲେ । ପଡ଼ିଶା ଘରମାନଙ୍କରୁ କହାରି ପାଟି ତୁଣ୍ଡ ଶୁଭୁ ନାହିଁ । ଦୂରରୁ ରହି ରହି ଯୋଡ଼ାଏ ବୁଲା କୁତୀ ବାଦବୁଦିଆ କରି ତୁଚ୍ଛାରେ ସରୁସ୍ଵର ଲମ୍ବାଇ ଭୁକୁଛନ୍ତି ।

 

ଖଇସାରିଲା ବେଳକୁ ଘର ଭିତରେ ଖଣ୍ଡେ ଖଜୁରି ପଟି ପରା ହୋଇଥିଲା । ତାହାରି ଉପରେ ମଦନ ଲମ୍ବ ହୋଇ ପଡ଼ିଗଲା । ସଉରୀ କେତେବେଳେ କ'ଣ ଖାଇ ଶୋଇଲା, ସେ ଖବର ତାକୁ ବୁଝିବାକୁ ହେଲା ନାହିଁ । ଘର ଭିତରେ ଫିଲ୍‌ଟର ପରି ଆମ୍ବ ପତ୍ରରୁ ଚାଳ ଉପରେ ପୁଣି ଚାଳ ସନ୍ଧିରୁ ମଦନ ଆଉ ସଉରୀ ଦେହରେ ଥପ୍ ଥପ୍ ପାଣି ପଡ଼ୁଥାଏ । ପେଡ଼ିଭିତରେ ସାପ ଗର୍ଜିଲା, ମୂଷା ଚିଁ ଚିଁ ହେଲା, ଦୂରରେ ବୁଲା କୁତୀ ରହି ରହି ଭୁକିଲେ, ଚଟେଇ ଉପରେ ପଡ଼ି ମଦନ ସଉରୀଙ୍କର ନାକ ବି ସେଥି ସଙ୍ଗେ ଡାକିଲା ।

 

କେଳାସାଇ ଘର ସବୁ ରଜ ଗଲେ ଛପର ହୁଏ । ଗାଁ ଟା ଯାକ ସମସ୍ତେ ତ ବାରରାଇଜ ବୁଲୁଥାନ୍ତି । ଛପର କରିବ କିଏ ? କବାଟ ଖଣ୍ଡମାନ ପୁଣି ଶିଳ, ପନିକି ଆଉ ଆଉ ଘରକରଣା ଜିନିଷ ପଟିଆ ଗାଁର ଭାବ ଭାବୁସି ସଙ୍ଗାତ ମଇତ୍ର ଘରେ ରଖିଦେଇ ଯାଆନ୍ତି । ରଜକୁ ଲେଉଟି ଘର ଛପର କରି ବର୍ଷା ଦିନଟା ସେଠାରେ କାଟନ୍ତି ।

 

ସକାଳୁ ଉଠି ଦୀନା ଦଳେଇ ଘରୁ ମଦନ ତାର କବାଟ ଖଣ୍ଡି ଆଣିବାକୁ ଗଲା । ଶିବ ପଧାନକୁ ଆଗରୁ ବହିନା ଦେଇ ଯାଇଥିଲା, ନଡ଼ା ଆଣି ଘର ଛପର କରିବ । ଆଗ ଦୀନା ଦୁଆରେ ପହଁଞ୍ଚି ଯାହା ଦେଖିଲା ସେଥିରେ ତାକୁ ତାଟକା ଲାଗିଲା । ଦୀନା ଘରୁ କଂସା, ଲୋଟା, କବାଟ, ଗାଈ ଗୋରୁ ବାହାରି ଦାଣ୍ଡ ମଝିରେ ଗଦା ହୋଇଛି । ତାହା ଭିତରେ ମଦନର କବାଟ ଆଉ ପାରିଶୁଆ ହେଁସ ଖଣ୍ଡ ବି ସେମିତି ଗୁଡ଼ା ହୋଇ ପଡ଼ିଚି । ଦଳେଇ ବିଚରା ମୁଣ୍ଡରେ ହାତ ଦେଇ ବସିଚି, ଆଉ ତା’ର ଘରମଣିଷ ଘରୁ ବାହୁନା ପକେଇଚି ।

 

ଦାଣ୍ଡ ମଝିରେ କେତେ ଲୋକ ଛିଡ଼ା ହୋଇଛନ୍ତି । କାହା ମୁହଁରେ କଥା ନାହିଁ । ଜମିଦାରଙ୍କ ଗୁମାସ୍ତା ଆଉ ବେକରେ ହାଉଦା ପକାଇଥିବା ଅଦାଲତ ପିଅନଙ୍କୁ ବି ସେଠାରେ ଦେଖିଲା । ଜମିଦାର ଗୁମାସ୍ତାକୁ ସେ ଚିହ୍ନେ । ପଚାରି ବୁଝିଲା, ଖଜଣା ନାଲିସ ହୋଇ ଦିନା ଦଳେଇର ଘର ତ୍ରୋକ ହୋଇଛି । ତ୍ରୋକ ଜିନିଷ ନିଲାମ ହୋଇ ଖଜଣାକୁ ପୈଠ ହେବ ।

 

ଦିନା ଦଲେଇ ମଦନର ପିଲାଦିନର ସଙ୍ଗାତ । ମହାପ୍ରସାଦ ବନ୍ଧୁ ହିସାବରେ ବାହା ପୁନେଇରେ ବେଭାର ଦିଆନିଆ ବି ଚଳେ । ଦିହିଁଙ୍କ ଭିତରେ ପାଣି ଗଳେ ନାହିଁ । ଦୂରରୁ ମଦନକୁ ଦେଖିପକେଇ ଦୀନାର ଏମିତି କୋହ ଉଠିଲା ଯେ, ସେ ଆଉ ବସି ନ ପାରି ଗାମୁଛାରେ ଆଖି ଘୋଡ଼େଇ ଘର ଭିତରକୁ ପଳେଇଲା । ତାହାର ଘର ମଣିଷର ବାହୁନା ଆହୁରି ତେଜିଉଠିଲା ।

 

ଜମିଦାରଙ୍କର ଏହି ମଧୁଆ ଗୁମାସ୍ତାକୁ ଦେଖିଲେ ମଦନର ହାଡ଼ ଜଳେ । ତା’ ମୁହଁ ଚାହିଁବାକୁ ଇଚ୍ଛା ହୁଏ ନାହିଁ । ଏହି ଲୋକଟା କେଳା ସାହିରେ ଖଜଣା ବସେଇବାକୁ କେତେଥର ଡଗର ଧଇଲାଣି । ମଦନ ବେହେରା ଯୋଗରୁ ସେଠାରେ ମୁହଁ ଫେରେଇ ପାରି ନାହିଁ । ମଧୁ ଗୁମାସ୍ତାକୁ ଦେଖିଲେ ମଦନ ବାଟ ବଙ୍କେଇ ଚାଲିଯାଏ । ତାକୁ ଦଣ୍ଡବତ ହେବାକୁ ଇଚ୍ଛା ହୁଏ ନାହିଁ । ତେବେ ଆଜି ଆଉ ଉପାୟ କ’ଣ ? ଦୀନା ଦଳେଇର ଘର ତ୍ରୋକ । ସେ କଥା ମଦନ ବୁଝିବ ନାହିଁ ତ ଆଉ କିଏ ?

 

ସିଧା ଯାଇ ଗୁମାସ୍ତାକୁ ପଚାରିଲି, ବାବୁ ଆଜ୍ଞା, ଖଜଣା ବାକି ତା’ର କେତେ ହେବ କି ?'

 

ଗୁମାସ୍ତ। ଫିଙ୍ଗା ଫୋପଡ଼ା କରି କହିଲେ, “କିରେ, ତା’ ପାଇଁ କାହିଁକି ତୋ ମୁଣ୍ଡ ବଥେଇଲା ?

 

ନିଜେ ତ ଚାରିପଇସା ଖଜଣା ଦେଇପାରୁନୁ । କୁଳୁଆଁକୁ କିଆଁ କାନ୍ଥ ଗରୁ !”

 

କଥାଗୁଡ଼ାକ ମଦନକୁ ବିରୁଡ଼ି ମାଇଲା ଭଳି କାଟିଲା । ଆଉ ବେଳ ହୋଇଥିଲେ ପଦକୁ ପଦେ ଜବାବ ଦେଇଥାନ୍ତା । ବହୁକଷ୍ଟରେ ନିଜ ମୁହଁ ସମ୍ଭାଳି କହିଲା, “ନାହିଁ ଆଜ୍ଞା, ପଚାରୁଥିଲି ବୁଝିବି ବୋଲି । ମୋର ପରା କବାଟ ଖଣ୍ଡ ତା ଭିତରେ ଅଛି ।”

 

“ସେଥିକି କାହାରି ବଳ ନାହିଁ, ବୁଝିଲୁ ? ଦୀନା ତ ତୋର ଭାରି ଭାବୁସି ଲୋକ । କାହିଁକି, ତା’ ପାଇଁ ଟଙ୍କା କେତୁଟା ଦେଇପକଉନୁ । ତୋର ହେଲେ କେତେ, ଆଉ କାହାର ହେଲେ କେତେ । ଖଜଣା ନାଲିସ୍, ବୁଝିଲୁ ! ତା’ ଘରୁ ଯାହା ବାହାରିବ ସବୁ ନିଲାମ ହେବ ।”

 

“କେତେ ଖଜଣା, ସା’ନ୍ତ ? ସେଇ କଥା ଟିକିଏ ପଚାରୁଚି ! ଆମେ ଭିକାରୀ ମୁଣ୍ଡ, ଖଜଣା ଦେବାକୁ କାହୁଁ ସାହସ କରିବୁଁ ?

 

“ଭିକାରୀ ମୁଣ୍ଡ କାହିଁକି ? ତମ ରୋଜଗାର ଯାହା ସେକଥା କ'ଣ ଆମକୁ ଲୁଚେଇବ ? ହଉ, ଭଲ ହେଲା । କହିବେଟି ପିଅନ ବାବୁ, ଦୀନା ଦଳେଇ ଉପରେ କେତେ ପାଉଣା ? ଏ ତାର ପ୍ରୀତିବନ୍ଧୁ। ନଗଦ ଟଙ୍କା ଦେଲେ ତା’ ଜିନିଷ ସେ ରଖିବ ।”

 

ପିଅନ ବାବୁ ତ୍ରୋକ ପରୋଆନା କାଢ଼ି ହସାବ କରି କହିଲେ, “ଚାରି କିସ୍ତିର ଖଜଣା ସୁଧମୂଳ ମିଶି ଦଶଟଙ୍କା, ଆଉ ଖର୍ଚ୍ଚ ବର୍ଚ୍ଚା ହୋଇ ପାଞ୍ଚଟଙ୍କା ତେର ଅଣା । ଏରୂପ ଗାଏ ମୋଟ ପନ୍ଦର ଟଙ୍କା ତେର ଅଣା ।”

 

ଘରକୁ ଲେଉଟି ମଦନ ସାଙ୍ଗେ ସାଙ୍ଗେ ଟଙ୍କା ଆଣି ପିଅନ ହାତରେ ଗଣିଦେଲା । ସାହି ଗୋଟାକର ଲୋକେ କାବା ହୋଇଗଲେ । ଜଣେ ଦି’ଜଣ ପୁରୁଣା ମଣିଷ ମଦନକୁ ଖୁବ୍ ସାବାସ୍ କଲେ । ମଧୁ ଗୁମାସ୍ତାଙ୍କ ମୁହଁଟା କେସରା ପଡ଼ିଗଲା ।

 

ଦିନ ଆଠଟା ଯାଇଛି କି ନାହିଁ, ଚପରାସି ପିଆଦା ଧରି ଗୁମାସ୍ତା ଆସି କେଳା ସାହିରେ ହାଜର । ‘‘ଘର ପିଛା ଅଣାଏ ଲେଖାଁ ଖଜଣା ଦେବାକୁ ହେବ । ସମସ୍ତେ ତମେ ରେଜଗାରପତ୍ର କରୁଚ । ରାଜସ୍ୱ ନ ଦେବ କାହିଁକି ?”

ମଦନ କହିଲା, “ଆଜି ଯାକେ ତ ଦଉ ନ ଥିଲୁଁ; ଆଜି କାହିଁକି ଦବୁଁ ?”

 

ଗୁମାସ୍ତ। ଘୋସା ହୋଇ କହିଲେ, “ଆଜିଯାକେ ଦଉ ନ ଥିଲ, ତୁମକୁ ଦୟା କରି ଛାଡ଼ି ଦିଆଯାଇଥିଲା । ଏବେ ତ ଘରଦୂଆର କରି ରହିଲଣି ।

 

“ମାସ ଛ'ଟା ଘରେ ରହିବୁଁ କି ନାହିଁ, ସେଥିପାଇଁ ଖଜଣା ଦେବୁ ।

 

“ଦିନୁଟାଏ ରହିଲେ ବି ଖଜଣା ଫାବିବ, ବୁଝିଲ ? ସେସବୁ ବାକ୍‌ଚତୁରୀ ଆଉ ଏଣିକି ପଟିବ ନାହିଁ ।”

 

“ବାକ୍‌ଚତୁରୀ କ’ଣ, ବାବୁ ! ଆଜି ଖଜଣା ଦେଲେ କାଲି ତମେ ଘର କୋରଖି କରିବ । ଜମିଦାରଙ୍କର ଆମେ କ'ଣ ଖାଇଲୁ, କଣ ସାରିଲୁ ଯେ ତମେ ଖଜଣା ମାଗୁଛ ? ଗଛରୁ ଆମ୍ୱ କଷିଟାଏ କି ଗାଡ଼ିଆରୁ ମାଛଟାଏ ପାଇଁ ତ ଆମେ ଭାଜନ ନୋହୁଁ । କୂଅରୁ ମୁନ୍ଦେ ପାଣି କାଢ଼ି ପିଇବାକୁ ତ ମନା । ତମେ ବାଟରେ ଚାଲୁଥଲେ ଆମେ ତ ଯିବୁ ଅବାଟରେ । ଆଉ ଖଜଣା ଦେବୁ କେଉଁଥିପାଇଁ ? ପୁଣି ଆଜି ଆମେ ପଟିଆରେ ଥିଲେ କାଲି କଟକ, ତା’ଆରଦିନ ଢେଙ୍କାନାଳ; କାହାକୁ ଦେବୁ ରାଜସ୍ଵ ?”

 

ଗୁମାସ୍ତା ମଦନକୁ ଛାଡ଼ି ଆଉମାନଙ୍କୁ ପଚାରିଲା । ସମସ୍ତେ ଜବାବ ଦେଲେ, “ମଦନ ଯାହା କହିବ, ସେଥିରେ ଆମର ରାଜି ।”

 

ବଡ଼ ବଡ଼ ଆଖି ଦେଖାଇ ଗୁମାସ୍ତା ମଦନକୁ କହିଲେ, “ତୁଇ ତେବେ ସବୁରି ଭିତରେ ମେଳିଆ । ଆଛା ହଉ, ଖଜଣା ନ ଦେଲେ କଣ ହୁଏ । ବଳେ ବୁଝିବୁ ।”

 

ମଦନର ଆଖି ଦୁଇଟା ବି ଲାଲ ହୋଇଉଠିଲା । ନିଶରେ ହାତ ମାରି ସେ ଜବାବ ଦେଲା, ହଁ, ବୁଝିଚି, ସେ ଧମକ ଆଉ କାହାକୁ ଦେଖେଇବ ।”

 

ଗୁମାସ୍ତା ରାଗରେ ଫେରିଯାଉଥିଲେ । ହଠାତ୍ କିଏ ଆସି ତାଙ୍କ ବାଟ ଓଗାଳି ଛିଡ଼ା ହେଲା । ଗୁମାସ୍ତା ଦେଖିଲେ, ମଦନର ଭାରିଜା ସଉରୀ । ସେ ହାତ ଯୋଡ଼ି କହିଲା, “ଆଜ୍ଞା, କେତେ ଖଜଣା, ମୁଁ ଦେବି ।”

 

ସାହିଯାକର ମରଦ ମାଇପେ ଗୁମାସ୍ତାକୁ ଘେରିଗଲେ । ଯେତେହେଲେ ସରକାରୀ ଲୋକ । ତାକୁ ଏମିତି ରଗେଇଲେ କ’ଣ ଭଲ ହେବ ? ଗଲା ଚାରି ବର୍ଷର ଖଜଣା ହିସାବ ହେଲା । ଟଙ୍କାଏ ଆଠଣା କରି ସବୁ ଖଜଣା ଦାଖଲ କଲେ । ଟଙ୍କା ଦେଖି ଗୁମାସ୍ତା ମିଜାସ୍ ଥଣ୍ଡା ଧରିଆସିଲା ।

 

ଖଜଣା ଦାଖଲ ପରେ ସାପୁଆମାନେ ବିଚାର କଲେ । ମଦନ କହିଲା, ତମେ ସବୁ ଯାହା ଇଛା, କର । ମୁଁ ଏଥର ବାହାରିଲି ।” ବୁଢ଼ା ସାପୁଆ ନିଧିଆ ପଚାରିଲା, “କୁଆଡ଼େ ଯିବୁ ?”

 

“ଯୁଆଡ଼େ ମୋର ଇଚ୍ଛା । ମୁଁ କାହାର ପ୍ରଜା ହୋଇ ରହିବି ନାହିଁ ।”

 

ଜଣେ ଟାପରା କରି କହିଲା, "ପ୍ରଜା ହବୁ ନି ତ ଆଉ କ'ଣ ରାଜା ?”

 

ସମସ୍ତେ ହସିଉଠିଲେ । ବୁଢ଼ା ନିଧିଆ କହିଲା, “ଆରେ, ହସିବା କଥା ନୁହଁ । ଯୁଆଡ଼େ ଗଲେ ବି ତମର କ'ଣ ତ୍ରାହି ଅଛି ? ମୁଁ କହେ କ'ଣ କି, ସାପ ଖେଳେଇ ଏଣିକି ଆଉ ତମର ସବୁ ଚଳିବ ନାହିଁ । ଖଜଣା ଯଦି ଦେଲ ତେବେ ଗୁଣ୍ଠେ ପାଏ ଚାଷ ଆରମ୍ଭ କରିଦିଅ । କାହିଁକି ବାରରାଇଜ ବୁଲିବ ? ଚାଷବାସ କରି ତ ମହାସୁଖରେ ଲୋକେ ଚଳୁଛନ୍ତି । ଆମର କାହିଁକି ଏତେ ହିନସ୍ତା ? ଗାଁ ଭିତରେ କାହାଘରୁ ଚୋରି ଗଲା ତ ପୋଲିସ ଆସି ଆମ ଘର ଖାନତଲାସ କରିବ ! କାହାକୁ ସାପ ମାଇଲେ ତ ଦୋଷ ହେଲା ଆମର ।”

 

ମଦନ ମନକୁ ସେକଥା ପାଇଲା ନାହିଁ । ଚୋରି ଡକେଇତି ହେଲେ ପୁଲିସ ଆଗେ ତାଙ୍କୁ ସନ୍ଦେହ କରେ, ସତ । ମାଡ଼ ଫଇଜତି, ଖାନତଲାସ ସବୁ କରେ । ଭଲ ଘରେ ଥିଲେ କି ଜମିବାଡ଼ି ଧନ ସମ୍ପତ୍ତି ଥିଲେ, ଏତେ ସାହସ କରନ୍ତା ନାହିଁ । ତେବେ ପ୍ରଜା ହେଲେ ଯେ, ଦୀନ ଦଳେଇ ଭଳି ଖଜଣା ନାଲିସରେ ଘର କୋରଖି ଆସିବ । ସେତେବେଳକୁ ପିଠିରେ ପଡ଼ିବ କିଏ ? ସଭରୀ ତ ତାକୁ ଆଗରୁ କେତେ ଲଗେଇଚି, ଭାଗବଖରା ହେଲେ ବି ଚାଷ କରିବାକୁ । ଚାଷକାମ ସେ କେବେହେଲେ ଶିଖି ନାହିଁ । କରନ୍ତା କେମିତି ? ଯାହା ହେଉ, ମଦନ ଠିକ୍ କଲା, ସେ ଆଉ ଏ ଗାଁରେ ରହିବ ନାହିଁ । ତେବେ ତାର ସାଙ୍ଗସାଥୀ ବନ୍ଧୁ କୁଟୁମ୍ୱ ତିନିଶହ ସାପୁଆଙ୍କୁ ଛାଡ଼ି ସେ ଯିବ କୁଆଡ଼େ ? ସମସ୍ତେ ତାକୁ ତ ଜାବୁଡ଼ି ଧରିଛନ୍ତି । ସେ କହିଲେ ତ ସମସ୍ତେ ଆଜି ନିଆଁକୁ ଡେଇଁବେ ।

 

ମୁଣ୍ଡର ବାଳଗୁଡ଼ିକୁ ଆଙ୍ଗୁଠିରେ କୁଣ୍ଡେଇ କହିଲା, “ଏ ଲାଗେ କ’ଣ ଆମ ହାତରେ ଚାଷକାମ ହେବ ?”

 

ବୁଢ଼ା ନିଧିଆ କହିଲା, “ନ ହବ କ’ଣ ଆମ ହାତରେ ? କଣ ପାହାଡ଼ରେ ବୁଲି ସାପ ପରି ଜନ୍ତୁକୁ ଧରି ଯେ ପୋଷା ମନଉଚି, ତା ହାତରେ ନ ହବ ପୁଣି କ’ଣ ? ଆମରି ଭିତରୁ ତ ଶତୁରା, ଦାସିଆ ଘରଦୁଆର ଚାଷବାସ କରି ରହିଲେଣି ।”

 

ହଳ, ହଡ଼ା ପାଣି କାଦୁଅ ସଙ୍ଗେ ମଦନର ମନେପଡିଲା ନଈ, ପାହାଡ଼, ଜଙ୍ଗଲ । ଆକାଶର ଚଢ଼େଇ ଭଳି ସେ ଦୁନିଆ ଖେଦୁଥିଲା । ସେ ଆଜି ପଞ୍ଜୁରୀ ଭିତରେ ବନ୍ଦ ହେଲା ଭଳି ଘର କରି ରହିବ କିମିତି ?

 

ସଉରୀ ତାକୁ ବୁଝେଇ କହିଲା, ‘‘ଚାଷ ନ କଲେ ନାହିଁ । ଠାବ ଖଣ୍ଡେ କର । ତେବେ ତ ଆଉ ଗୁମାସ୍ତା ଆସି ତଡ଼ିଦେବାକୁ ନ ଥିବ ।”

 

ସଉରୀ କେତେ କାଳୁ ଲଗେଇଚି ଜମି କିଣି ଘର ତୋଳିବାକୁ । ତାହାର ସଙ୍ଗାତ ଦୀନା ଦଳେଇ ସାନଡିହ ଖଣ୍ଡେ ଦବ ବୋଲି ତିନି-ଛେକ ଯାଚିଲାଣି । କାହାରି ପ୍ରଜା ହେବ ନାହିଁ ବୋଲି ସେ କଛି ଶୁଣୁ ନ ଥିଲା । ପୁଣି ନିଜର ସାଙ୍ଗମେଳ ଛାଡ଼ି ସାହିରୁ ଯାଇଁ ଅଲଗା ଘର କରି ରହିବାକୁ ତାକୁ ଜମା ସୁଖ ଲାଗୁ ନ ଥାଏ । ତେବେ ବୁଢ଼ା ନିଧିଆର କଥା ଶୁଣି ତା’ ମନ ଟିକିଏ ଟଳିଲା ।

 

ସେହିଦିନ ଦୀନା ଦଳେଇ ସାଙ୍ଗେ ସେ କଥା କରିଆସିଲା । ଦୀନା ଖୁସି ହୋଇ କହିଲା, ଜର୍‌ସମନ୍ ଦିଆନିଆ ପଛେ ହେବ । କବଲାଟା ତାଲି କରିଦେଇ ପଚିଶ ତିରିଶ ଯାହା ଗୋଟାଏ ଦାମ୍ ବସେଇଦବା ।

 

କାଠ ବାଉଁଶ ପାଇଁ ବେଶି ଧନ୍ଦା ହେବାକୁ ପଡ଼ିଲା ନାହିଁ । ସଉରୀ ନିଜ ବେକରୁ ସୁନା ସୋରିଷିଆ ମାଳିଟା କାଢ଼ି ମଦନ ହାତକୁ ବଢ଼େଇଦେଲା । ମଦନକୁ ସେ ନ ଦେଇପାରେ କ’ଣ ? ସେ ଯେ ତାକୁ ଜୀବନ ଦେଇଛି ! ସେତେବେଳେ ବୟସ ତା’ର ଉଣେଇଶି କୋଡ଼ିଏ । ସାପ କାମୁଡ଼ାରେ ଅଚେତା ହୋଇ ପଡ଼ିଥିଲା । ଯୋଗକୁ ମଦନ ଆସି ନ ଜୁଟେ, ଜାରମହୁରା ନ ଲଗାଏ କି ଗଦ ନ ପିଆଏ, ସଉରୀ ବିଚାରି ନ ବଞ୍ଚେ । ହୋସ୍ ଆସିଲାରୁ ଯେମିତି ଆଖି ଫିଟାଇଛି, ପହିଲି ନଜର ପଡ଼ିଲା ମଦନ ଉପରେ । ମୁଣ୍ଡରେ ବାବୁରି ବାଳ, ଚାରିପାଖେ ଠେକା ଖଣ୍ଡେ ଭିଡ଼ା ହୋଇଛି, ନାକ ତଳେ କଳା ମଚମଚ ଦି’ପଟା ମୁଛ, ବାହାରେ ଗୋଟାଏ ରୁପା କଙ୍କଣ । ବଣିଆଘର ବିଧବା ଝିଅ ସଉରୀର ଛାତିଟା ଗୋଟିଏ ବଡ଼ ନିଶ୍ଵାସରେ ଫୁଲି ଉଠିଥିଲା । ତାହାପରେ କେବେ ଦିନେ ସେ ଜାତିକୂଳ ପଛକୁ ପକାଇ ତାର ଜୀବନଦାତା ସଙ୍ଗେ ବାହାରି ଆସିଛି । ସେତେବେଳେ ମଦନ ତାକୁ ପଚାରିଥିଲା, ‘‘ଆମେ ତ କେଳାଜାତି, ଗାଁ ଗାଁ ବୁଲି ପେଟ ପୋଷୁ । ତୁ କ’ଣ ବୁଲିପାରିବୁ ?” ସଉରୀ ଜବାବ ଦେଇଥିଲା, ତୁ କେଳା ହେଲେ ତ ମୁଁ କେଲୁଣୀ ।” ଦୁହିଁଙ୍କ ଭିତରେ ଦିନେ ଛଡ଼ାଛଡ଼ି ନାହିଁ । ସେଦିନ କଥା ଦୁହେଁ ଆଜି ପାସୋରି ପକାଇଛନ୍ତି । ତେବେ, ଘର ଭିତରେ ସେ ପିଲାଦିନୁ ରହିଆସିଛି, ତାକୁ ସବୁବେଳେ ବାହାରେ ବୁଲିବାକୁ ସୁଖ ଲାଗିବ କିମିତି !

 

ସେଥିପାଇଁ ଏଣିକି ସବୁବେଳେ ସଉରୀ ମନଟା ଉଚ୍ଛନ୍ନ ହୁଏ, ଘର ଖଣ୍ଡିଏ କରନ୍ତା । କଖାରୁ କଲରା ଗଛ ଦି’ଟା ଲଗାନ୍ତା । କଂସା, ଲୋଟା, ଶିଳ, ଚକି ଦି’ଖଣ୍ଡ ରଖନ୍ତା । ଆଗ ତ ଖଣ୍ଡିଏ ଠାବ‌ ଲୋଡ଼ା ।

 

ମଦନ ବେହେରାର ଘର ତିଆରି ବେଶି ଦିନ ଲାଗିଲା ନାହିଁ । ଆମ୍ବତୋଟା ତଳୁ ଛପର ଖଣ୍ଡି ଉଠାଇନେଇ ଦୀନା ଦଳେଇଠାରୁ କବଲା କରିଥିବା ନିଜ ଡିହରେ ରହିଲା । ଶିଳ, ଚକି, କଂସା, ଲୋଟା, କଖାରୁ କଲରାରେ ଦିନଯାକ ଲାଗି ସଉରୀକୁ ତର ମିଳିଲା ନାହିଁ ।

 

ବୁଢ଼ା ନିଧିଆ କହିଲା, “ହଁ, ୟା ନା ଯେ ପୁଅଗଣିଆ” ମଦନକୁ ଟିକିଏ ଫୁରସତ୍ ମିଳିରେ ସାଙ୍ଗମେଳ ଭିତରେ ଦିନ କଟାଏ । ଏଣିକି ସାଙ୍ଗସାଥୀଙ୍କ ଭିତରୁ କେହି କେହି ତାକୁ ଟିକିଏ ଖାତିର କଲେ । ଯେତେହେଲେ ତ ସେ ନିଜର ଖଣ୍ଡେ ଠାବ କଲାଣି । ମଦନ ହସରେ ଉଡ଼ାଇ ଦେଇ କହେ, “ଆରେ, ୟାକୁ କହନ୍ତି, ଆ ବଳଦ ମତେ ବିନ୍ଧ୍‍ । ଆଜିଯାକେ ରାଜା କ'ଣ, ରାଜସ୍ଵ କ’ଣ ଜାଣି ନ ଥିଲି । ଏବେ ନିଜ ହାତରେ ନିଜେ ବେଡ଼ି ପିନ୍ଧିଲି । ଖାଲି ସଉରୀ ଯୋଗୁ ସିନା; ନଇଲେ ମୁଁ କିଏ, ଘର କିଏ !”

 

ଦଶହରା ଅଳ୍ପଦିନ ଥାଏ ! ଲାଗେ ଲାଗେ ଗାଁ ଭିତରେ ତିନି ଚାରିଟା ଚୋରି ହୋଇଗଲା । ପୋଲିସ୍ ତଦନ୍ତ ଚାଲିଲା । କେଳାସାହି ଉପରେ ପଡ଼ିଲା ସବୁରି ନଜର । ଘର ଘର ତଲାସ ହେଲା । ଚୋରୀ ଜିନିଷର କିଛି ସନ୍ଧାନ ମିଳିଲା ନାହିଁ । ଛ’ ସାତ ଜଣ, କେଳାଙ୍କୁ ସନ୍ଦେହରେ ଗିରଫ କରାଗଲା । ମାଡ଼ ଫଜ୍ଜତିରେ କିଛି ଫଳ ହେଲା ନାହିଁ । ଶେଷରେ ହଳ ହଳ କରି ହାତକଡ଼ି ପିନ୍ଧି ଚାଲାଣ ହେଲେ ।

 

ସଉରୀ ମଦନକୁ କହିଲା, “ଦେଖିଲୁ ତ ! ଅଲଗା ହୋଇ ଘରଖଣ୍ଡ ଥିଲା ବୋଲି ତ ଆମେ ଛାଡ଼ ପାଇଲୁଁ ।”

 

ମଦନ କହିଲା, ଖାଲି ମିଛ, ଖାଲି ମିଛ । ଆଉ କିଏ ଚୋରି କରି ତାଙ୍କ ମୁଣ୍ଡରେ ଅଠା ବୋଳିଛି । ମୁଁ ମକଦ୍ଦମା ଲଢ଼ି ସମସ୍ତଙ୍କୁ ମୁକୁଳେଇ ଆଣିବି ।”

 

ସାପୁଆମାନେ ଗିରଫ ହେବା ପଛେ ପଛେ କେଳାସାହି ଖାଲି ହୋଇଗଲା । ସାତ ଆଠଟା ରଜ ବିତିଗଲଣି । ଆମ୍ବତୋଟା ତଳେ କୁଡ଼ିଆ ଗୁଡ଼ିକ ମାଟିରେ ମିଶିଯାଇଚି । ସଉରୀ ଆଜିଯାକେ ତକେଇଛି । ମଦନ ମକଦ୍ଦମା ଲଢ଼ି ସାରି ଫେରି ନାହିଁ ।

Image

 

ପଶୁ

ରାଜକିଶୋର ପଟ୍ଟନାୟକ

 

କୁକୁରଟି ବୁଝୁ ନ ବୁଝୁ ତାକୁ ପଶୁ ବୋଲି କୁହାଯାଏ । ଘରେ ସେ ଗେହ୍ଲା ହୁଏ, ଆଦର ପାଏ, ମାଡ଼ ଖାଏ, ଗାଳି ଶୁଣେ- ସବୁଥିରେ ଗୋଟିଏ ଧାରା ଯୋଡ଼ି ଦିଆଯାଏ, ସେ ପଶୁ । ଅନେକଦିନ ହେଲା ଘରେ ରହିଲାଣି । ଘରର ନୂଆ ଚାକରମାନଙ୍କଠାରୁ ପୁରୁଣା । ଘରକୁ ଆସିଥିବା କଅଁଳା ପିଲାଟାଠାରୁ ବଡ଼ ଓ ପୁରୁଣା ପିଲା ଜନ୍ମ ହେଲାବେଳେ ମା’ ଯେତେବେଳେ କଷ୍ଟ ପାଉଥିଲା, କୁକୁରଟି ସେହି ଦୁଃଖ ସହି ନ ପାରି ନିଜେ ମଧ୍ୟ କାନ୍ଦି କାନ୍ଦି ଘରେ ଜଣକ ପାଖରୁ ଆଉ ଜଣକ ପାଖକୁ ଧାଉଁଥିଲା ଓ ମୁହଁକୁ ଚାହିଁ, ଗୋଡ଼କୁ କାମୁଡ଼ି କହୁଥିଲା ଯେ ଘରେ ଜଣେ ଦୁଃଖ ପାଉଚି ।

 

ତାକୁ ପଶୁ କୁହାଯାଏ । ମଣିଷର ଦୁଃଖରେ ମଣିଷ କାନ୍ଦେ ନାହିଁ । ସେ ତାହାର ଜ୍ଞାନରେ ବୁଦ୍ଧିରେ ହୃଦ ଭିତରର କଅଁଳ ରସକୁ ଶୁଖେଇଦେଇ କହେ, ସେ ମଣିଷ । ପୋଷା କୁକୁର ଟମି ଗୋଟାଏ ମଣିଷର ଦୁଃଖରେ ଯେତେବେଳେ କାନ୍ଦି ଅସ୍ଥିର ହୋଇ ଏଠି ସେଠି ହେଉଥିଲା ତାକୁ କୁହାହେଉଥିଲା ପଶୁ ।

 

ବାବୁଘରର ପିଲାମାନେ ବି ବାବୁ । ସେମାନେ ପିଣ୍ଡାରେ ଠିଆ ହୋଇ ଦେଖୁଥାନ୍ତି ଗୋରୁ ଗୁହାଳରୁ ଫିଟିଲେ ଓ ଗୁହାଳକୁ ପଶିଲେ । ଗୋରୁ ଦୁଇଟାଙ୍କର ଭାରି ଆଖି, ପାଖକୁ ଥିବା କଦଳୀ ବୁଦାଟି ଉପରେ । ଗଛକୁ ସବୁବେଳେ ମୁହଁ ପାଏ ନାହିଁ; କିନ୍ତୁ ପାଖରେ ଥିବା ପୁଆଗୁଡ଼ିକୁ ମା'ଠୁଁ ନେଇ ନିଜ ପେଟ ଭିତରକୁ ଠେଲି ଦେବାପାଇଁ ସବୁବେଳେ ଚେଷ୍ଟା ।

 

ସେତିକି ଟମି ଜଗିଯାଏ । ଗାଈର ଟାଣୁଆ ଖୁରା, ମୁନିଆଁ ଶିଙ୍ଗ ଓ ଫଁ ଫଁ କୁ ଡରେ ନାହିଁ । କାମୁଡ଼ିବାକୁ ମାଡ଼ିଯାଏ । ଭୁକି ସମସ୍ତଙ୍କୁ ଡାକି ପକାଏ ଆସ, ଧାଇଁ ଆସ ! ଏହି ଗାଈମାନେ କଦଳୀବୁଦାଟିକୁ ନେଇ ଭୋଜି କରିବାକୁ ବ୍ୟାକୁଳ ।

 

ବାବୁମାନେ ଚାକରକୁ ଡାକ ପକାନ୍ତି । ଟମି ଲଢ଼ୁଥାଏ ଏକା ଏକା । କେତେବେଳେ ପଛକୁ ହଟିଆସିଲା ବେଳେ ଗାଈ ଖଣ୍ଡେ ପତ୍ର କି ଗୋଟାଏ କଦଳୀପୁଆକୁ ଦାନ୍ତରେ ଭିଡ଼ିନିଏ । ଚାକର ଗାଳି ଖାଏ ଓ ଟଟି ଗୋଇଠା ଖାଏ ।

କେହିହେଲେ ବାବୁଙ୍କର ଗୁହାଳ ପାଖରେ ଯତ୍ନରେ ସପାଦିଥିବା କଦଳୀବୁଦାଟିକୁ ରକ୍ଷା କରିପାରିଲେ ନାହିଁ । ଘରେ ରହି ଆଉ କ'ଣ କରିବେ !

 

ବୁଦ୍ଧିମାନ ଲୋକର ଇଚ୍ଛା ଯେ ସମସ୍ତେ ପଶୁ ପରି ତାହାର ସମ୍ପତ୍ତିକୁ ଜଗି ବସିଥିବେ । ସେଥିପାଇଁ ମରିବା ଦରକାର ପଡ଼ିଲେ ଖୁସି ହୋଇ ଟଳିପଡ଼ିବେ । ତାହା ହେଲେ ସେ ଖୁସି ହୋଇ ଗୋଟିଏ ସାର୍ଟିଫିକେଟ୍‌ ଦବ–ପଶୁଟାଏ ବୋଲି ଏତକ ବୁଦ୍ଧି ଖଟେଇଲା ।

 

ବଣ ଜଙ୍ଗଲର ପିଲା କୁକୁର ଜାତିରୁ ଏହି ଟମିଟି ଗୋଟିଏ ସହରରେ ରହି ସହରିଆ ହୋଇଯାଇଛି । ତାକୁ ମାଟିରେ ଶୋଇବାକୁ ଭଲ ଲାଗେ ନାହିଁ । ଏକୁଟିଆ ବଣବୁଦାରେ ବୁଲିବାକୁ ସୁଖ ଲାଗେ ନାହିଁ । ସେ ଖୋଜେ ପକ୍କା ଘର ଓ ପିଣ୍ଡା । ସେଠି ପୁଣି ତାକୁ ଖଣ୍ଡେ ଶେଯ ଲୋଡ଼ା ହୁଏ । ଅଖା କି ଛିଣ୍ଡା କମ୍ବଳ ନ ପାଇଲେ ଉପରେ ଶୁଖୁଥିବା ତଉଲିଆ, ଲୁଗା ଆଦି ଖଣ୍ଡେ ଯୋଗାଡ଼ କରି ସେ ବିଛଣା କରେ । ସେ ଖୋଜେ ଦି’ଜଣ ଜଣେ ମଣିଷଙ୍କ ସାଥିରେ ଯାଇ ନଈକୂଳେ, ପାର୍କରେ, ନଇଲେ କୋଠା ଉପରେ ବୁଲିବାକୁ ।

 

ବାବୁଘର ଝରକା ଭିତରୁ ଜଣେ ବାବୁ ପରି ରାସ୍ତାକୁ ଚାହିଁଥାଏ ସେଠି ଲୋକେ ଯା' ଆସ କରୁଛନ୍ତି । ପରିବାବିକାଳି ଗଲେ ଟମିର ମନେ ପଡ଼ିଯାଏ ବାବୁଙ୍କର ପରିବା କିଣା ହୁଏ ବୋଲି । ଦି’ଥର ଭୁକିଦେଇ ଓହ୍ଲେଇ ଆସେ ସିଡ଼ି ଉପରୁ । ପୁଣି ଧାଇଁଯାଏ, ପୁଣି ଓହ୍ଲାଏ । ଏହି ଠାରରୁ ସମସ୍ତେ ଜାଣନ୍ତି, କ'ଣ ବିକ୍ରି ଯାଉଛି ଯେ ଘରେ କିଣିବାକୁ ଟମି ବରାଦ କରୁଛି ।

 

ସହରିଆ ବାବୁଙ୍କ ପରି ଟମିକୁ ବି ଖାଲି ଭାତ ଦେଲେ ଅରୁଚି ହୁଏ । ସେ ଖୋଜେ ଡାଲି, ତିଅଣ । ନ ପାଇଲେ ପଡ଼ିଥିବା ଚୋପାତକ, ଖାଇ ସେ ତାହାର ଆଶା ମେଣ୍ଟାଏ ।

 

ଝିଏ ମୁଣ୍ଡ କୁଣ୍ଡେଇଲାବେଳେ ଟମି ଆସି ପାଖରେ ବସି ଦେଖୁଥାଏ । ବୋଧହୁଏ ତା’ର ଇଚ୍ଛା ହୁଏ ମୁଣ୍ଡ କୁଣ୍ଡାଇବାପାଇଁ । ମଝିରେ ମଝିରେ ଗୋଟିଏ କଡ଼ା ବୁରୁସ୍‍ରେ ତାହାର ଲୋମକୁ ଘଷି କଅଁଳ ଓ ସଫା କରାହୁଏ । ଟମିକୁ ଉଶ୍ଵାସିଆ ଲାଗେ; ସେ ଆଖି ବନ୍ଦକରି ପଡ଼ିଯାଏ । ତାହାର ଇଚ୍ଛା ହୁଏ ଦିନ ଦିନ ଧରି ତାହାର ଦେହ ଖାଲି ବୁରୁସ୍‍ରେ ମଜା ହେଉଥାନ୍ତା ।

 

ଲୋକେ ମୁଣ୍ଡ କୁଣ୍ଡାଇଲା ବେଳେ ଟମି ପ୍ରତିଦିନ ବସିରହେ । ସୁବିଧା ପାଇଲେ ଦର୍ପଣ ପାନିଆକୁ ଚାଟେ; କଛି ସୁବିଧା ନ ହେଲେ କୁଣ୍ଡାଉଥିବା ମଣିଷଙ୍କର ଗୋଡ଼କୁ ଚାଟୁଥାଏ । ମାଡ଼ ଖାଏ ଯେ କାମବେଳେ ଟମି ଏମିତ ହଇରାଣ କରି କାମରେ କ୍ଷତି କରୁଚି । ଛିଡ଼ିକ ଯାଇ ପାଖ ଲୋକଙ୍କ ମୁଣ୍ଡରେ ଜୋରରେ ଖେଞ୍ଚି ହୋଇଯାଏ । ଟମି ଖାଏ ଗୋଇଠା ।

 

ବଣୁଆ ଲୋକେ ସହରକୁ ଆସି ସହରିଆ ପାଲଟିଲା ପରି ଏହି କୁକୁର ସହରିଆ ହୋଇଯାଇଛି । ଟିଣ ଦୁଧ, ଚକୋଲେଟ୍, ଜେଲି ଆଦି ତାକୁ ଭଲ ଲାଗେ ଖାଇବାକୁ । ଭଙ୍ଗା ଟିଣଦୁଧର ଟିଣରେ ଲାଖି ରହିଥିବା ଦୁଧକୁ ଚାଟୁ ଚାଟୁ ସେ ତାହାର ମୁହଁକୁ ଖଣ୍ଡିଆ କରି ରକ୍ତଦାନ ମଧ୍ୟ କରିଚି । ତାହାର ପୋଷିଲା ବାବୁମାନେ ଦାଢି ଚାଞ୍ଛିଲାବେଳେ ଥରକୁ ଥର ଖୂରକୁ ନିଜର ମୁହଁର ରକ୍ତ ଦେଇ ମଧ୍ୟ କ୍ଲାନ୍ତ ହୁଅନ୍ତି ନାଇଁ । ଅଶେଷ ମମତାରେ ଖୁରଟିକୁ ପୋଛି ରଖିଦିଅନ୍ତି ।

 

ସକାଳୁ ଉଠି ଟମି ଚାଲିଯାଏ ଗୋଟିଏ ଝରକା ପାଖକୁ..... ସିଡ଼ିଘର ଉପରେ ନିଛାଟିଆ ଜାଗାରେ ଥିବା ଝରକାଟି । ସେଠି ପ୍ରତିଦିନ ଆଠ ନଅ ଘଣ୍ଟା ସେ ବସେ । ପଦାକୁ ଚାହିଁଥାଏ, ନଇଲେ ଶୋଇଥାଏ । ଦେଖିବାରେ ତାହାର କ୍ଳାନ୍ତି ନାହିଁ । ଭଲ କରି ରାସ୍ତାର ଲୋକଙ୍କୁ ଦେଖିବାକୁ ଝରକାର ରେଲିଂ ମଝିରେ ମୁହଁଟିକୁ ଭରତି କରି ସେ ଚାହିଁଥାଏ ।

 

ଘରର ଚାରିଆଡ଼େ ବୁଲା କୁକୁର ଦଳଟିଏ ବୁଦା ଭିତରେ ରହିଥାନ୍ତି ଘର କରି । ଖରାତାତି ସହନ୍ତି । ବର୍ଷାରେ ଓଦା ହୁଅନ୍ତି । ଶୀତଦିନର କାକର ତାଙ୍କର ପିଠି ଉପରେ ଟୋପା ବୋହି ଆସି ପେଟ ପାଖର ଭୁଇଁକୁ ତିନ୍ତାଇଦିଏ ଠିକ୍ ଗୋଟାଏ କୁକୁରର ଛବି ତିଆରି କରେ ।

 

ଟମିକୁ ଦୁଆରଟା ବି ଥଣ୍ଡା ଲାଗେ । ସେ ଖୋଜେ ଘରକଣରେ ରହିବାକୁ । ବର୍ଷାପାଣି ଦେଖିଲେ ତାହାର ନାକରୁ ପାଣି ଗଡ଼େ । ସେ ଝରକା ସେ ପାଖରୁ ବସି କ’ଣ ଭାବୁଥାଏ କେଜାଣି !

 

କାମ ଭାରି କମ୍ । କାରଣ, ଟମି ଗୋଟିଏ ଛୋଟିଆ ପୁଞ୍ଜିପତିଙ୍କର ଟହଲିଆ । ତାଙ୍କ ଘରେ ଯେଉଁ ପୁରୁଣା ଲୁଗା, ପୁରୁଣା ଟେବୁଲ, ଚୌକି, ପୁରୁଣା ବାସନ, ଆଉ ପୁରୁଣା ଘଡ଼ି, ଜୋତା ଆଦି ଅଛି ତାକୁ ରାତିରେ ଜଗିବା ଟମିର କାମ । ଏ ସବୁ ନେବାକୁ କିଏ କାହିଁକି ଆସିବ ? ତେଣୁ ଟମିର କାମ ନାଇଁ । ସେ ବସି ତାହାର ଗୋଡ଼କୁ କାମୁଡ଼ୁଥାଏ ନଇଲେ ରାସ୍ତାକୁ ଚାହିଁଥାଏ, ଅବା ଶୋଇଥାଏ ।

 

ବାରବୁଲାଗୁଡ଼ିକ ନିଜର ପେଟପାଟଣା କରିବାକୁ ଏ ପାଖ ସେ ପାଖ ହେଉଥାନ୍ତି । ଟମି ପରି ତାକୁ କେହି ଯାଚି, ନମନ୍ତ୍ରଣ କରି ଖୁଆଇବେ ନାହିଁ । ସେମାନଙ୍କୁ ଦୂର ରାସ୍ତାରେ ଦେଖିଲେ ଟମି ଗର୍ଜିଉଠେ ଘର ଭିତରେ ।

 

ସହରର ବାବୁ ଖାଲି ତା’ରି ପରି ଜଣକୁ ଦେଖେ ଓ ଶ୍ରଦ୍ଧା କରେ । ଏହି ବାରବୁଲା ଭିକାରିଗୁଡ଼ା ତାହାର ଶାନ୍ତି ନଷ୍ଟ କରିଦିଅନ୍ତି । ତାହାର ପୁଞ୍ଜି ଉପରେ ଆକ୍ରମଣ କରିବାକୁ ତିଆର ।

 

ପୁରୁଣା କଥା ମନେ ପକାଇ ଲାଭ ନାହିଁ । କେବେ ଆମ ବାପ ଅଜା ବଣରେ ମଫସଲରେ ପଡ଼ିଥିଲେ । ନଈର କୁମ୍ଭୀର, ବୁଦାର ବାଘ, ସେମାନଙ୍କୁ ଖଣ୍ଡିଆ କରୁଥଲା କି ଖାଇ ଯାଉଥିଲା । ନଈ ତାହାର ଗୋଳିଆ ପାଣିରେ ତାଙ୍କର ଚାଳିଆ ପଲାଗୁଡ଼ିକୁ ସପରିବାରରେ ପିମ୍ପୁଡ଼ି ମନ୍ଦା ପରି ଏକାଠି ମେଞ୍ଚା ମେଞ୍ଚା କରି ତାହାର ସୁଅରେ ଠେଲି ନେଉଥିଲା ଏଠୁ ସେଠିକି । କେବେ ସହରିଆ ସଭ୍ୟ ଲୋକେ ବନ୍ଧୁକ ଧରି, ପୋଲିସ ଧରି ଧାଇଁ ଧାଇଁ ଆସୁଥିଲେ ତାଙ୍କୁ ଲୁଟିନେବାକୁ- ତାଙ୍କର କ୍ଷୀଣ-ସ୍ଵାସ୍ଥ୍ୟ ଯୁବତୀମାନଙ୍କୁ ଅବା ଅତି ହେୟ ଧନ ଦୌଲତକୁ । ସେକଥା ମନେ ପକାଇ ଲାଭ କ’ଣ ?

 

ଟମିର ବି ସେଇ ମତ, କେବେ ତାହାର ବାପ ଗୋସାପେ ବଣଭିତରେ ବାଘ ବିଲୁଆଙ୍କ ମେଳରେ ଅସହାୟ ହୋଇ ରହିଥିଲେ, ପାଇଲେ ଖାଉଥିଲେ । ଘଣ୍ଟା ତ ନ ଥିଲା; ବେଳ ଜାଣି କିଏ ଖାଉଥିଲା କାହାକୁ ? ନ ଥିଲା ତ; ସଞ୍ଚୟର କି ପ୍ରୟୋଜନ ? ଆଉ କ'ଣ ଅବା ସଞ୍ଚୟ କରିବେ ?

 

ଟମି ଆସି କୋଠାଘରେ ରହିଲାଣି । ସେ ଜାଣେ ବୁଲିବା ଜାଗା କୋଠା ଉପରେ । ସେଠି ଭଲ ପବନ ଦିଏ । ଟାଣ ପବନରେ ଟାଣ ହୋଇ ସେ ପବନକୁ ଶୁଙ୍ଘେ–ପିଇଯିବା ପାଇଁ । ମାଟି ଉପରେ ପାଇଖାନା ନ କରି ସେହି କୋଠାଟିର ବଡ଼ ଚଟାଣରେ ଗୋଟିଏ କଣକୁ ସେ ତାହାର ଲଣ୍ଡିଗଦା କରିଛି । ବେଶି ଅସନା ହେଲେ ନିଜେ ବାବୁ ସେଗୁଡ଼ିକ ସଫା କରୁଛନ୍ତି । କି ଦରକାର ଆଉ ସେ ଦୁସ୍ଥ କାହାଣୀ ଭାବିବା ?

 

ବାବୁମାନେ ଭାବୁନାହାନ୍ତି ଯେ କେବେ ବିଦେଶୀ ଶାସନରେ ଚାକର ଥିଲେ । ଏବେ ଦେଶ ସ୍ଵାଧୀନ ହେବା ପରେ ଆଖି ବୁଜା ବଢ଼ି ଚାଲିଛନ୍ତି । ଶହେ ଟଙ୍କା ପାଇବା ଲୋକ ଦଶ ପ୍ରାଣୀଙ୍କୁ ଜୀଆଁଇ, ଷଣ୍ଢ ପରି ମୋଟା କରିସାରି ବି ହାତୀଶାଳ ପରି ଘରଟିଏ କରିପାରୁଛି । ଛାଡ଼…ପୁରୁଣା କଥା ।

 

ତଥାପି ଟମି ପାଏ ଗୋଟିଏ ସାର୍ଟିଫିକେଟ୍‍–“ସେ ପଶୁ” । ସେଥିରେ କ'ଣ ଯାଏ ଆସେ ? ଭଲ ଖାଇବାକୁ, ପିନ୍ଧିବାକୁ, ବଞ୍ଚିବାକୁ ମିଳୁଛି । ହେଲେ ଏବେ ଏଠିକାର କି ଦିଲ୍ଲୀ ଆଲହାବାଦର ହାକିମମାନେ କହିଛନ୍ତି, 'ଏମାନେ ପଶୁ' । ସେମାନଙ୍କର ତ କିଛି କ୍ଷତି ହେଉନାହିଁ ଟମିର କିଆଁ ଦୁଃଖ ହେବ । ସେ ବସି କରି ହାଇ ମାରେ ଓ ଶୋଇପଡ଼େ ଆରମରେ । ଏହି ଆନନ୍ଦ କ'ଣ ବଣ–ଜଙ୍ଗଲର ସ୍ୱାଧୀନତାରେ ମିଳିବ ?

 

କୋଠାଘର ଭିତରେ ରହି ଟମି ସେହି ବାରବୁଲାଗୁଡ଼ିଙ୍କୁ କେତେଥର ଥଟ୍ଟା କରିଚି; କେତେ ଅନୁକମ୍ପା ଦେଖାଇଚି । ଟମିର ଯୌବନ ଆସିଲାଣି; କୁକୁରର ସୌନ୍ଦର୍ଯ୍ୟ ନେଇ ସେ ଠିଆ ହୁଏ ଝରକା ପାଖରେ । କଅଁଳ ଘନ ଲୋମ-ଯୌବନର ରଙ୍ଗବୋଳା ମୁହଁ ।

 

କୁକୁରଗୁଡ଼ିକ ଗଲା ଅଇଲାବେଳେ ଠିଆ ହୋଇଯାଆନ୍ତି । ତାଙ୍କର ନାକ ଫୁଲିଉଠେ । ମଣିଷଙ୍କ ପରି ପଶୁ ଜଗତରେ ମଧ୍ୟ ଦେହ ଦେହକୁ ଖୋଜିଲାବେଳେ ଧନ ଦଉଲତ ଅତି ତୁଚ୍ଛ ପରି ଜଣାଯାଏ ।

 

ହେଇ, ଜଗିଥାଅ ଟମିକୁ ଏହି ଦୁଇମାସ- ବୁଲା କୁକୁରଙ୍କ ସାଙ୍ଗରେ ମିଶି ଖରାପ ହୋଇଯିବ । ଏହି ବାରବୁଲାଙ୍କର ଉତ୍ପାତ ଚାରିଆଡ଼େ । ସହର ବଜାରରେ, ସିନେମା ଥିଏଟରରେ, ବ୍ୟବସାୟ ଚାକିରିରେ ସବୁ ପ୍ରକାରର ସ୍ତରରେ ଏହି ବାରବୁଲାଙ୍କର ଉତ୍ପାତ ।

 

ବାହାରେ ବାରବୁଲାଙ୍କ କଳରବ ଓ କାକୁତି, ‘ଆ, ପଦାକୁ ଆ । ଏଠି ପଦନ ସୁଲୁସୁଲିଆ ହୋଇ ବହୁଚି । କଅଁଳ ଖରା ଭାରି ଭଲ ଲଗୁଛି । ଭୂତିଆରୀ ଲଟାରେ ପ୍ରଜାପତି ଉଡ଼ୁଚନ୍ତି । ଚାନ୍ଦିନୀ ରାତି ଅନ୍ଧକାରକୁ ଠେଲି ଠେଲି ତଡ଼ୁଚି ବଣବୁଦାରୁ ମଧ୍ୟ । ଏଠି ରହିବାରେ ଆନନ୍ଦ ।’ ବାରବୁଲାଙ୍କର ସଂସାର ଲୋପପାଏ ନାଇଁ । ଯେତେ ଧନ ସମ୍ପତ୍ତି ସ଼ଂସାରରେ ବଢ଼ିଲେ ବି ବାରବୁଲା ସରନ୍ତି ନାଇଁ ।

 

ଟମିର ଅତି ନିଭୃତରେ ପୁଣି ପ୍ରକୃତି ଜାଗିଉଠେ । ସେ ଉତ୍ତର ଦିଏ । ବିକଳ ହୋଇପଡ଼େ କୋଠାଘରର ଶୃଙ୍ଗଳାକୁ ଭୁଲି ପୁଣି ଡେଇଁପଡ଼ିବାକୁ ବୁଦା ଭିତରକୁ ।

 

ଏଠି ସଭ୍ୟତାର ପୋଷାକ ଖାଲି ବୋହିଗଲା ନଈକୁ ବନ୍ଧାଇ ସେଥିରୁ ହୀରାକୁଦର ବଜୁଳିପରି ଶକ୍ତି କାଢ଼ିବାରେ ଲାଗିଚି । ପ୍ରକୃତି କୋଳରେ ଏହି ଜୀବଟି ସେମିତି ମଣିଷଙ୍କ ଆଶ୍ରୟକୁ ଏତେ ଚିହ୍ନିଯାଇଚି ଯେ ଛାଡ଼ିପାରୁ ନାହିଁ । ଲୋକ ଯେମିତି ଚାକିରି, ବ୍ୟାଙ୍କ-ପୁଞ୍ଜିର ଛାଇ, କି ସ୍ତ୍ରୀ-ଧନର ନିର୍ଭରରେ ରହି ଚଳିବା ଶିଖିଗଲେ ସେ ସବୁ ଛାଡ଼ିପାରେ ନାହିଁ । ଜ୍ଞାନୀ ବୋଲାଉଥିବା ଡାକ୍ତର, ଇଞ୍ଜିନିୟର, କିରାଣୀ, ଓକିଲ ଥରେ ଗୋଟିକୁ ନିର୍ଭର କରିବା ଶିଖିଗଲେ ଯେତେ ମାଡ଼, ଗାଳି, ଗୋଇଠା ଖାଇଲେ ବି ଆଉ କି ଛାଡ଼ିପାରନ୍ତି !

 

ତଥାପି ଟମି ତା’ର ବନ୍ଧନରୁ, ଶାସନକୁ ଗୋଇଠା ମାରି ସେହି କୁକୁରଦଳରେ ମିଶିଯାଏ । ଏହି ଅବାଧ୍ୟତା ପାଇଁ ମାଡ଼ ଖାଏ । କିନ୍ତୁ ବନ୍ଧନକୁ ଠେଲିଦେଇ ଯିବାକୁ ଅମଙ୍ଗ ହୋଇ ସେହି କୋଠାଘରର ଶିକୁଳିରେ ବାନ୍ଧି ହୋଇ ରହେ । ବୋଧହୁଏ ଏହି ବନ୍ଧନରେ ଆନନ୍ଦ ଅଛି ।

 

ଟମିର ଛୁଆ ହବ- କେଡ଼େ ଅସନା, ଅଜାତିଆଗୁଡ଼ାଏ ହେବେ । ଟମିଟା ଅବାଗିଆ ଦିଶିବ- ପଶୁ ଜାତି କ’ଣ ବୁଝେ ?

 

ମଣିଷ ଛୁଆ କରିବା ଟମି ଦେଖିଥିଲା । କେତେ ସେବାଯତ୍ନ । ସେ ସେମିତି ଧାଁ ଦୌଡ଼ କରୁଥାଏ । ଯାହା ମିଳେ ଗିଳିଦିଏ । ପିଲାଗୁଡ଼ାଙ୍କର ଅନେକ ଦିନ ଆଖି ଫିଟିବ ନାଇଁ । ତାକୁ ଖାଇ ଜୀଇଁବେ । ତାହାର ଇଚ୍ଛା ହୁଏ ଦିନଯାକ ଖାଇବାପାଇଁ ।

 

ଚାରୋଟି ଛୁଆ । ନିଜର ଅଣଓସାରିଆ କୋଳରେ ସେମାନଙ୍କୁ ସେ ସ୍ଥାନ ଦେଇଚି । ଉଚ୍ଚ ଦଦରାଟି ଘରଟିର ଉପର ବରଗାରେ ଧରିଗଲେଣି । ଖଣ୍ଡେ ଖଣ୍ଡେ ଚୂନ ଖସେ । ତାହାର କିନ୍ତୁ ଭୟ ନାଇଁ ଏହି ଉଷେଇଁ ହୋଇ ପଡ଼ିଥିବା ଘରଟିକୁ । ଡର ତାହାର ମଣିଷଙ୍କୁ । ତାହାର ଦୂର୍ବଳ ପିଞ୍ଜରାର ଘୋଡ଼ଣୀରେ ସେ ନିଜେ କୋଳତଳେ ଚାରୋଟି ଅନାଥ ଶିଶୁଙ୍କୁ ଭଙ୍ଗାଘରର ଆକ୍ରମଣରୁ ରକ୍ଷା କରିପାରିବ । କିନ୍ତୁ ମଣିଷ ?

 

ଖାଇଲା ପରେ ସବୁଦିନ ପରି ତାକୁ ଡକାଯାଏ- ଟମି; ଭୋକ ଚମକିଯାଏ ପେଟ ଭିତରେ । ଛୁଆଗୁଡ଼ିକ ଟିକିଏ ହଲଚଲ ହୋଇଯାନ୍ତି । ତାଙ୍କୁ ଥରେ ଚାଟିଦେଇ ସେ ପୁଣି ଶୋଇରହେ । ପିଲାମାନେ ନିଜର ଭୋକଠାରୁ ବଡ଼ ।

ତାହାର ସେହି କଳା ମଚମଚ ଛୁଆଙ୍କୁ ଦେଖିବାକୁ କେହି ଝରକା ଯାକେ ଆସିଲେ ଟମିର ଦୁର୍ବଳ ଭୟାର୍ତ୍ତ ଆଖି ହିଂସାରେ ଜଳିଉଠେ । ଧଳା ଦାନ୍ତଗୁଡ଼ାକ ତା’ର ଦିଶିଯାଏ କଙ୍କାଳର ଭୟ ଦେଖାଇ । ଉପର ଓଠ ନାକଯାକେ ଉଠିଯାଏ । ‘ନେଇଯିବେ......ନେଇଯିବେ ସମସ୍ତେ’ ।

 

ଦିନଯାକ ଲୋକେ ଖାଉଥାନ୍ତି; ଥାଳି ଧୁଆ ଚାଲିଥାଏ । ସେ ପ୍ରତିଥର ଦି’ଟା ଚାରିଟା ଖାଉଥିଲା । ସେ ଛୁଆଙ୍କୁ ଚାଟି ସେହି ଆଶା ମେଣ୍ଟାଏ । ଏଣେ ଛୁଆଯାକ ଆନନ୍ଦରେ ଆଉରି ଜୋରରେ ଦୁଧ ଖାଇବାରେ ଲାଗିଥାନ୍ତି । ଦୁଧ ସରିଆସିଥିଲେ ତା’ର ପହ୍ନାର ଚିରଗୁଡ଼ିକୁ ଖଣ୍ଡିଆ କରିଦିଅନ୍ତି ।

 

ତଥାପି ତାଙ୍କୁ ସେ ଆଉ ଟିକିଏ ଜାକି ଧରେ କୋଳରେ । ସେତିକି ତାହାର ସମ୍ବଳ -କାରଣ ସେ ପଶୁ ।

 

ଅଭ୍ୟାସ କରି ଟମି ତାହାର କୁକୁରର କୃତଜ୍ଞତା ଦିନକୁ ଅନ୍ତତଃ ଥରେ ଦେଖାଉଥିଲା ଘରର ମାଲିକଙ୍କ ପାଖରେ । ସେ କାମରୁ ଫେରିଲେ ଟମି ତାଙ୍କୁ ସଙ୍ଖୋଳିବାକୁ ଧାଇଁ ଆସେ । ଘରେ ପିଲାମାନେ କି ସ୍ତ୍ରୀ କେବେ କେମିତି ଥିଲେ ଥାଆନ୍ତି । କିନ୍ତୁ ଏହି କାମଟିରେ ଟମି କେବେ ହେଳା କରେ ନାହିଁ । ବାବୁ ଆସିଲାବେଳେ ସେ ଘରେ ନ ଥିଲେ ଦୂରରୁ କେବେ କେମିତି ଧାଇଁଥାଏ ଜୋରରେ- ବାବୁଙ୍କ ଆଗରୁ ଆସି ପହିଞ୍ଚିବାପାଇଁ ।

 

ଛୁଆ ହେବାର ଦୁଇଦିନ ହେଇଗଲାଣି । ଟମି ଆସି ଦେଖା କରିନାହିଁ । ରାତିରେ ସେ ଖାଇ ହାତ ଧୋଇଲାବେଳେ ଅନ୍ଧାରରେ ଟମି ତାହାର ଛୁଆ ଚାରୋଟିଙ୍କୁ ଲୁଚେଇଦେଇ ଧାଇଁଆସିଲା । କୁଉଁ କୁଉଁ ହୋଇ ଦୁଆରେ ଦି’ହାତ ଖୋଲି ଗଡ଼ିଗଲା । ସେହି ତାହାର କୁଶଳ, କୃତଜ୍ଞତା, ଦୁଇଦିନ ନ ଆସିବାର କ୍ଷମା ପ୍ରାର୍ଥନା ଓ ଦେଖିବାର ଆନନ୍ଦ ।

 

ନ ଖାଇ ଫେରି ଧାଇଁଗଲା ଛୁଆଙ୍କ ପାଖକୁ । ପୁଣି ଆସିଲା ଦି'ଟା ଖାଇବାପାଇଁ । ବଣର ଆତ୍ମନିର୍ଭରଶୀଳ ପ୍ରାଣୀଟି ଆଜି ସହରର କୋଠାରେ ଭିକାରୀ ।

 

ସେହି ଖଣ୍ଡିଆଘରର ଦୁଆରମୁହଁରେ ବସିଥାଏ ଟମି । ଭିତରେ ଛୁଆଗୁଡ଼ାକ କେଁ କେଁ ହେଉଥାନ୍ତି । ସମସ୍ତେ ମନେକରନ୍ତି ଯେ ଟମିକୁ ଦୁଧ ଦବାକୁ ପଡ଼ିବ ବୋଲି ଲୁଚୁଚି । ଆଉ ତେଣେ କେହି ଗଲେ କାମୁଡ଼ିବାକୁ ଧାଇଁ ଆସୁଛି ।

 

ମାଡ଼ ଡର ଦେଖାଇ ତାକୁ ଭିତରେ ପୂରାଇ କବାଟ ବନ୍ଦ କରିଦିଅନ୍ତି । ଆଉ, ସେ ଭିତରେ ଛୁଆମାନେ ତାକୁ ଝୁଣି ଝୁଣି ଖାଉଥାନ୍ତୁ । ଏବେ ପଳାଇବ କାହଁକି ?

 

ହାଡ଼ ପଞ୍ଜରାରେ ଯେତିକି କ୍ଷୀର ସମ୍ଭବ, ଖାଇସାରିଲେ ଛୁଆଯାକ ତାହାର ଲାଞ୍ଜ, କାନ, ଗୋଡ଼କୁ କାମୁଡ଼ୁଥାନ୍ତି । ସେ ପ୍ରତିବାଦ କରେ ନାହିଁ । ଏହି ସଭ୍ୟ ସହରର ଜାଣିବା ଶୁଣିବା ମା’ମାନେ ଛୁଆମାନଙ୍କର ଏତିକି ସେବା କରୁଥିଲେ କସ୍ତୁରବା ପାଣ୍ଠିରେ ପ୍ରଚାର କାହିଁକି ଚାଲନ୍ତା ସେମାନଙ୍କ ପାଇଁ !

 

ଗୋଟିଏ ଛୁଆ ମରିଗଲା–

 

ମରିବା ଆଗରୁ ମା'ସାଙ୍ଗରେ ଧାଇଁ ନ ପାରି ଖାଲି ଠା’କରେ ବସି କେଁ କେଁ ହେଉଥାଏ । ଟମି ଯାଇ ଥରେ ଚାଟିଦିଏ- ବୁଲିଆସେ । ମନେକରେ ସେହି ଛୁଆଟିର ମା’ସାଙ୍ଗରେ ଧାଇଁବାକୁ ଇଚ୍ଛା ନାହିଁ । ମା’କୁ ଡାକି ଡାକି ମରିଗଲା । ବିଚରା କୋଠା ଘରର ଅଇଁଠା ଶିଖିଲା ନାଇଁ ।

 

ଟମି ତାକୁ ପାଟିରେ କାମୁଡ଼ି ଏଠି ସେଠି ହୁଏ ଆଉ ଚାଟେ । ଲୋକେ ପାଖକୁ ଗଲେ ଗଁ ଗଁ ହୁଏ । ଦେଖାଗଲା ଯେ ଛୁଆକୁ ବଞ୍ଚାଇବା ବାହାନାରେ ଚାଟୁ ଚାଟୁ ସେ ଚାରିପଣ ଖାଇ ଦେଇ ସାରିଲାଣି !

 

ଆରେ, ଦେଖ ଦେଖ ଟମି ଏଥର ପାଗଳ ହୋଇଗଲା ବୋଧହୁଏ । ନିଜର ଛୁଆଙ୍କୁ କ'ଣ ପଶୁମାନେ ଖାଆନ୍ତି । ଆରଗୁଡ଼ାଙ୍କୁ ବି ଖାଇଯିବ- ମଣିଷଙ୍କୁ ହୁଏତ ଛକିବ ।

 

ଲମ୍ବା ଠେଙ୍ଗାର ସାହାଯ୍ୟରେ ସେ ମଲା ଛୁଆଟି ତାହାଠାରୁ କଢ଼ା ହୋଇ ପାଚେରୀ ଡିଆଁଇ ଦିଆଗଲା । ଟମି ଦେଖିଲା, ଉଚ୍ଚ ପାଚେରୀ ତାହାର ପେଟ ଭିତରର ଛୁଆକୁ ନେଇଗଲା । କେବଳ ଠିଆ ହୋଇ ପାଚେରୀକୁ ଶୁଙ୍ଘେ । ଆଉ ଯୋଡ଼ିଏ ମଲେ । ସେମିତି ପାଚେରୀ ଆରପାଖେ ଲୁଚିଗଲେ ତାହାର ଆଖିର ଆଗେ ଆଗେ ।

 

ଗୋଟିଏ ଛୁଆ ରହିଲା । ଟମି ତାକୁ ଖୁଆଇ ବଳୁଆ କଲା । ଏଇଟି ତାହାର ପାଖେ ପାଖେ ରହିବ । କୁକୁର ଜଗତକୁ ଏତିକି ତାହାର ଦାନ ।

 

ସୁନେଲି ଖରା, ରୁପେଲି ଜହ୍ନ, ଫୁଲର ବାସନା, ପ୍ରଜାପତିର ରଙ୍ଗ ଭିତରେ ସେ ଯାହା ପାଇଥିଲା ସେଗୁଡ଼ିକ ଏମିତିରେ ଚାଲିଗଲେ । ଆସିଥିଲେ, ତାହାର କାନ୍ଦଣା ଭିତରେ ପୁଣି ଫେରିଗଲେ, ତାକୁ କନ୍ଦାଇ ।

 

ତଥାପି ବାବୁମାନେ କହନ୍ତି, ସେ ପଶୁ.....ସେ ହସକାନ୍ଦ କ’ଣ ଜାଣେ ନାହିଁ ।

 

ତାହାର କୌତୁକିଆ ଛୋଟିଆ ଛୁଆଟି ପଡ଼ିଶାଘର ନେଇଗଲେ ପାଳିବେ ବୋଲି । ନେଲାବେଳେ ଟମିକୁ ଜଣା ନାହିଁ । ଛୁଆକୁ ଚାରିଆଡ଼େ ଖୋଜିଲା । ସମସ୍ତଙ୍କ ମୁହଁକୁ ଚାହେଁ; କିଏ ଚୋରାଇଲା ଜାଣିପାରେ ନାଇଁ ।

 

ଏଠି ସେଠି କୁଉଁ କୁଉଁ ହୋଇ କହେ ଛୁଆଟିକୁ ଫେରଇବା ପାଇଁ ।

 

ପାଚେରୀର ଚୂନକୁ ଶୁଙ୍ଘି ସେମିତି କୁଉଁ କୁଉଁ ହୁଏ । ଏହି ପାଚେରୀ ତାହାର ଶତ୍ରୁ । ସେହି କାନ୍ଥକୁ ନିଜର ଦୁର୍ବଳ ଗୋଡ଼ ନଖରେ ରାମ୍ପେ ।

 

ରାସ୍ତାରେ ଗହଳି । ଛୋଟ ଛୁଆଟି ପାଖ ପଡ଼ିଶାଘରେ ପିଲାଙ୍କ ସଙ୍ଗରେ ଖେଳୁଥାଏ । କେତେବେଳେ ମା’କୁ ଡାକିବା ପାଇଁ ତାହାର ଦୁର୍ବଳ ସ୍ଵର କାଢ଼େ, ସେତକ ସଂସାରର ଗୋଳମାଳକୁ ବୁଡ଼େଇ ଉଠିପାରେ ନାଇଁ ।

 

ରାତି ଅଧିକ ହୋଇଗଲା । ରାସ୍ତାରେ ଗହିଳି ଭାଙ୍ଗିଗଲା । ପଡ଼ିଶାଘରେ ଶୋଇଗଲେଣି । ଟମିର ନିଦ ଭାଙ୍ଗି ଗଲା । ସନ୍ଦେହ ତୁଟିଗଲା- ଛୁଆ କାନ୍ଦୁଛି ଠିକ୍‍ ସେହି ପାଚେରୀ ଆରପାଖେ ।

 

ଘରଯାକ ଧାଁ ଦଉଡ଼ କଲା । ପାଟି କରି, ଭୁକି, ବୋବେଇ ସମସ୍ତକୁ ଉଠାଇଲା । ପାଚେରୀ ଯାଏ ଧାଇଁଯାଏ ଓ ଲୋକଙ୍କ ମୁହଁକୁ ଅନାଏ । ‘‘ଛୁଆଟି ସେ ପାଖରେ ଅଛି, ଦିଅ ।”

 

ନିଦ ଭଙ୍ଗାଇଥିବାରୁ ମାଡ଼ ଖାଇଲା । ଛୁଆଟିର କାନ୍ଦଣା ବନ୍ଦ ହୋଇଯାଏ, ପୁଣି ହୁଏ । ଟମି ନ ଶୋଇ ବାହୁନେ । ଘରେ ଶୁଭେ, ଆଜି ଏଇଟା ଆଉ ଶୁଆଇ ଦବ ନାହିଁ । ଗୋଟାଏ ଛୁଆକୁ ଖାଇଗଲା~ଆଜି ଦେଖ ପୁଣି ସୋହାଗ !”

 

ପାଚେରୀର ଚାରିଆଡ଼େ ନିବୁଜ । ଘରର ସବୁ କବାଟ ବନ୍ଦ । ସେଥିରେ ଟମି ବନ୍ଦୀ । ପାଚେରୀ ଆରପାଖେ ଠିକ୍ ତାହାରି ଛୁଆର କାନ୍ଦଣା-ହଁ ତାହାରି ଛୁଆ ତ !

 

ସେହି ପାଚେରୀରେ ଗୋଟିଏ ବର୍ଷା ପାଣି ଯିବାପାଇଁ କଣା ଥାଏ । ସେଥିରେ ମୁହଁ ପୂରେଇ ଅନେକ ସମୟ ରହେ । ଛୁଆ କାନ୍ଦିଲେ ବୋବାଏ; କିନ୍ତୁ ସେହି କଣା ଭିତରକୁ ପଶିପାରେ ନାଇଁ ।

 

ନିଶୂନ ରାତି । ସବୁଆଡ଼େ ଶୋଇଚନ୍ତି–ଟମିର ଖାଉନ୍ଦ ଘର ଓ ଛୁଆ ରହିଥିବା ପଡ଼ିଶାଘରର ସମସ୍ତେ । ଛୁଆଟି ବେଳେ ବେଳେ ବୋବାଇଉଠେ । ଗହନ ରାତିର ଥଣ୍ଡା ପବନ ସେ ସ୍ଵରକୁ ବୋହିଆଣେ ଟମିର କାନ ପାଖକୁ । ଛୁଆଟିକୁ, ଶୀତ କରୁଚି, ମା’କୋଳର ଆଶ୍ରୟ ନାହିଁ । ଟମିକୁ ଶୀତ କରୁଛି । ଛୁଆଟି କେଇଦିନ ହେଲାଣି ତାହାର କୋଳକୁ ଉଷୁମ କରିଥିଲା–ନାହିଁ ।

 

ଗୋଟିଏ ଖିଆଲରେ ସେ ପାଚେରୀ କଣା ଭିତରେ ଟମି ଗଳିଯାଇଚି ସେପାଖକୁ ତାହାର ଛୁଆଟିକୁ ଉଦ୍ଧାର କରିବ ବୋଲି । ପଶିଯାଇ ପୂରା ସେପାଖକୁ ଯାଇପାରିଲା ନାହିଁ -ଫେରପାରିଲା ନାହିଁ । ଅଣଓସାରିଆ ନଳାରେ ତାହାର ଦୁର୍ବଳ ପିଞ୍ଜରା ଚିପି ହୋଇ ରହିଗଲା ।

 

ବାତ୍ସଲ୍ୟ ଯନ୍ତା । ଏହାର ଭିତରେ ତାହାର ପୂର୍ବପୁରୁଷମାନେ ବଣର ଜନ୍ତୁଙ୍କ ସାଙ୍ଗରେ ଲଢ଼ି ଅସହାୟ ଶିଶୁମାନଙ୍କ ପାଇଁ କେତେଥର ମରିଥିଲେ । ମା’ ବିଞ୍ଚିଥିବାଯାଏ ଛୁଆମାନଙ୍କର କ୍ଷତି ହୋଇ ନ ଥିଲା ! ସେହି ଯନ୍ତାରେ ଚାପି ହୋଇ ପଡ଼ିଥିବାବେଳେ ଛୁଆର କାନ୍ଦଣା ବାଜେ ଆଖି ଆଗରେ । କାନ ଦି'ଟା ଘଷିହୋଇ ଖଣ୍ଡିଆ ହୋଇଯାଇଛି ।

 

ତାହାର ଟିକି ହୃଦୟଟି ପିଲାଙ୍କ ପାଇଁ ବୋଧହୁଏ ଆକାର ପ୍ରକାରରେ ବଢ଼ି ଯାଇଥିଲା । ସେଇଟି ଚିପିହୋଇ ହାଡ଼ ତଳେ ପୁଣି ସଂକୁଚିତ ହୋଇଯାଇଚି ।

 

ସକାଳ ବେଳକୁ ଜଣାଗଲା । ତାହାର ମେଲା ଆଖିକୁ ଦେଖି ସମସ୍ତେ ମନେ କଲେ ସେ ଜୀଇଁଚି । ତାକୁ ମୁକୁଳେଇବା ପାଇଁ । ପରେ ପାଚେରୀର ଇଟା ଭାଙ୍ଗି ବାହାର କଲାବେଳେ ଖଣ୍ଡେ ଭୁଷୁଡ଼ି ପଡ଼ିଲା କୁଢ଼ଟିଏ ହୋଇ ତାହାର ମଲା ଦେହ ଉପରେ ।

ଏହି ଇଟା ଚୂନର ପାଚେରୀ । ତାକୁ ବାଧା ଦେଉଥିଲା ଯେତେବେଳେ ବୁଲା କୁକୁରମାନେ ଯୌବନର ଗୀତ ଗାଇ ତାହାର ଚେତନା ଭାଙ୍ଗିଥିଲେ । ସେଇ ପୁଣି ତା’ର ଛୁଆକୁ ନେଇଥିଲା । ସେହି ପାଚେରୀ ଆର ପାଖେ ଛୁଆ କାନ୍ଦୁଥିଲାବେଳେ ତାହାର ଦୁର୍ବଳ ସ୍ଵରକୁ ପାଚେରୀ ବାଧା ଦେଉଥିଲା ମା ପାଖରେ ନ ପହଞ୍ଚିବା ପାଇଁ । ସେହି ପାଚେରୀ ପୁଣି ଗୋଟିଏ ମା’କୁ ନିଜ ଛୁଆଁ ଦେଖିବାକୁ ଗଲାବେଳେ ବାଧାଦେଇ ଏକାବେଳକେ ନେଇଗଲା ଆର ପୁରକୁ ।

 

“ଆରେ, ଦେଖ, ଟମି ମରିଗଲା କେମିତି ! ଆଃ, ପଶୁ ଜାତି ତ- କ’ଣ ବୁଝନ୍ତି ?”

 

ମଣିଷ ତାହାର ଛୋଟିଆ ଛୁଆଟିକୁ ଚୋରାଇନେଲେ- ସେମାନେ ବଳୁଆ ବୋଲି । ତାକୁ ତାହାର ମରିବାର ରାସ୍ତା ଦେଖାଇଦେଲେ–ସେମାନେ ବୁଦ୍ଧିଆ ବୋଲି । ମଲା ପରେ ତା’କୁ ମୁକୁଳେଇବାର ଚେଷ୍ଟା କଲେ ସେମାନେ ହୃଦୟବାନ୍ ବୋଲି ।

 

ଧନୀ ସାହୁକାର ଠିକ୍ ଏମିତି ମଣିଷକୁ ପଶୁପରି ଗଢ଼ିଦିଏ । ତା'ପରେ ତାହାକୁ ମାରି ସାରି ତାହାର ଶ୍ରାଦ୍ଧରେ ସାହାଯ୍ୟ କରି ନିଜର ଧର୍ମ ଅର୍ଜନ କରେ ଓ ବଡ଼େଇ କହି ବୁଲେ ।

Image

 

Unknown

ଯଖ

ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ

 

ସଂଜ ବାଜିଲେ ବୁଢ଼ୀମା କୋଳ ପାଖକୁ ଆଉଜି ନୀଳା, ନୁଟୁ, ଗଦା, ପଙ୍କ ଘରର ଯେତେ ପିଲା ଅଳି କରନ୍ତି–ବୁଢ଼ୀ ମା ଗୋଟେ ଗପ । ନା, ନା, ସେଇ ରଜାପୁଅ ମନ୍ତ୍ରୀପୁଅ କାହାଣୀ ନୁହ, କି ସେଇ ପୁରୁଣା ବାଘ ବାଘୁଣୀ କଥା ନୁହ–

 

ଦିନସାରା ଖେଳି ବୁଲି ମୁହଁ ଅଂଧାର ହେଲେ ଯାଇ ଦାଣ୍ଡରୁ ନାଚି ନାଚି ଦଉଡ଼ି ଦଉଡ଼ି ପିଲେ ଘରକୁ ଫେରନ୍ତି । ସେତେବେଳେ ହୁଏତ ବୋଉ ତୁଳସୀ ଚଉରା ମୂଳରେ ଦୂଆର ବଂଧରେ ସଞ୍ଜ ଦୀପ ଦେଇ ପ୍ରଣାମ କରି ରାତିର ରୋଷେଇବାସ ଲାଗି ହାଣ୍ଡିଶାଳ ଆଡ଼କୁ ଯାଆନ୍ତି ଚାଲି ! ମନ୍ଦିରରେ ଆରତିର ଶଂଖ ଘଣ୍ଟା କାଂସର ରୋଳ ଉଠେ । ଶିଆଳ ଗୁଡ଼ା ହୁକ୍‌କା- ହୁକ୍‌କା- ହୁକ୍‌କା -ହୁକ୍‌କା ହୋ ହୁକ୍‌କା ହୋ ବୋବେଇ ବୋବେଇ କେତେବେଳେ ଥକି ଚୁପ୍ ହୋଇଯାନ୍ତି । ସେତେବେଳକୁ ଭିତର ପଟ ଚଉଡ଼ା ପିଣ୍ଡା ଉପରେ ସପଟାଏ ପାରିଦେଇ ତିନି ଚାରି ଜଣ ଝିଅ ପୁଅ ବୁଢ଼ୀମା ଦିହକୁ କି କାନ୍ଥକୁ ଆଉଜି ବୁଢ଼ୀମା ଆଗେ ଅଳି କରନ୍ତି–ଗୋଟେ ଗପ । ବୁଢ଼ୀ ମା-ଆ, ଗୋଟେ ଭଲ ଗପ । ସେଇ ସବୁଦିନିଆ ରଜାପୁଅ- ମନ୍ତ୍ରୀପୁଅ ଗପ ନୁହେ, କି ସାତ ସମୁଦ୍ର ପାରି ସାଧବ ବୋହୂର କାହାଣୀ ନୁହେଁ କି ବାଘ ଭାଲୁ ନୁହେଁ । ତୁ ଗୋଟେ ସତ ସତିକିଆ ଗପ କହ- ଯିମିତି, ମରହଟ୍ଟା ଅମଳରେ ବର୍ଗୀମାନେ ଘୋଡ଼ା ଚଢ଼ି ଅଇଲେ ତୁ କିମିତି ବଣ ଜଙ୍ଗଲରେ ଗହଣା ବୁଜୁଳି ଅଣ୍ଟାରେ ଖୋସି ଲୁଚୁଥିଲୁ । ଆମ ବୁଢ଼ାବା’ କିମିତି ଜାହାଜରେ ଚଢ଼ି କଳାପାଣି ପାରି ହେଇ କଲିକତା ଯାଉଥିଲେ- ଏମିତି ସବୁ ଗପ ସତ ସତିକିଆ ଗପ କହ ।

 

“ଆରେ ରୋଜ ରୋଜ ତୁମ ନାଗି ମୁଁ ନୂଆ ନୂଆ ଗପ କୁଆଡ଼ୁ କେତେ ଆଣିବି ? ନା, ମୋତେ ଏତେ ସତ ସତିକିଆ ଗପ ବନେଇ ଆସିବନିରେ ବାପ ! ମୁଁ ପାରିବିନି ।”

 

ଗଦାଟା ନିହାତି ମୋଟା ବୁଦ୍ଧିଆ ? ସେ ଥଙ୍ଗେଇ ଥଙ୍ଗେଇ କହେ- ଆଲୋ ବୁଢ଼ୀମା, ସତ ଗପ ଫେରେ ବନେଇ ବନେଇ କହିବୁ କିସ ମ ? ତୁ ତ ଖାଲି କହିଯିବୁ । ଆମେ ଶୁଣି ଯିବୁଁ–

 

“ହୁଁ, ତମେ ସବୁ ଆଜି କାଲିକା ପିଲା, ତୁମମାନଙ୍କୁ ଗପ କହି କିଛି ସୁଖ ନାହିଁ । ଆମେ ଯେତେବେଳେ ସାନ ସାନଟି ଥିଲୁ, ଆମ ଅଜା ଆଈ କେତେ କାହାଣୀ, କେତେ ଗପ, କେତେ ବିଚିତ୍ର କଥା କହୁଥିଲେ, ଆଉ ଆମେ ସେତେବେଳେ ପାଟି ଆଁ କରି ସେ ସବୁ ଗପ ଗିଳୁଥିଲୁ । ସତ ଗପ କହ, ବନେଇ ବନେଇ କହନି, ଏତେ ସବୁ ହୁନ୍ଦର ଆମକୁ ଆସୁ ନ ଥିଲାରେ ବାପ । ଏବେ କାଳ କାଳକୁ ଯେ କ’ଣ ହେବାକୁ ବସିଲା-

 

“ନା, ବୁଢ଼ୀମା, ତୁ ତୋର ଯା’ଇଚ୍ଛା କହ, ଆମେ ଚୁପ୍‌କିନା ମୁହଁ ବୁଜି ଶୁଣିଯିବା, - ଉଁ - ଚୁଁ - କିଛି କରିବାନି’’ ନୀଳା କହେ । ସେ ଅନ୍ୟମାନଙ୍କଠାରୁ ବୟସରେ ବଡ଼- ହେଲା ବା ବର୍ଷେ କି ଦି’ବର୍ଷ, ବଡ଼ ତ ? ଆଉ, ତାରି ସଭିଙ୍କଠୁ ବେଶୀ ଉତ୍ସାହ ଆଗ୍ରହ ଗପ ଶୁଣିବା ପାଇଁ । ଗଦା ଚୁପ୍ କରି ରହେ, ବୁଢ଼ୀମା ଆରମ୍ଭ କରନ୍ତି-

 

ସେଇ ଯେ ମ୍ୟୁନିସିପାଲଟି ପଛକୁ ଗଛ ଝଙ୍କାଳିଆ ଅଂଧାର ଘିଟ୍ ଘିଟ୍ ଗଳି ରାସ୍ତା ଶ୍ୟାମସୁନ୍ଦର ମନ୍ଦିର ଆଡ଼କୁ ଆଙ୍କି ବାଙ୍କି ଯାଇଛି, ସେଇ ବାଟେ ଆଜି ସୁଦ୍ଧା ବି ଗଲେ ଦିନ ଦି'ପହରେ ଦିହ ଛମ୍ ଛମ୍ କରେ । ସେଇ ରାସ୍ତାର ବାଁ କଡ଼ରେ କେତେ କାଳର କେଉଁ ମାନ୍ଧାତା ଅମଳିଆ ପୁରୁଣା ପୋଖରୀଟେ ଅଛି- ଦେଖିଚ ନା ତୁମେ ସବୁ ?

 

ହଁ କିଲ୍ଲା ପୋଖରୀ !

 

ଠିକ- କିଲ୍ଲା ପୋଖରୀ । କିଲ୍ଲାର ଏବେ ଆଉ ଚିହ୍ନ ବର୍ଣ୍ଣ ନାହିଁ । ନାଁ ସୁଦ୍ଧା କେହି ଜାଣନ୍ତି ନାହିଁ । ଖାଲି ଅଛି ଗୋଟେ ଅମୁହାଁ ଘର ସେଇ ପୋଖରୀ କୂଳରେ । ଛୋଟ ପକ୍‌କାଘର ଖଣ୍ଡେ । ଦୁଆର ଜଳାଖିଡ଼ିକି ବୋଲି ଆଦୌ କିଛି ନାହିଁ ତହିଁରେ । କିନ୍ତୁ ତା କାନ୍ଥ ଗୁଡ଼ାକ ବଜ୍ର ପରି ଟାଣ ।

 

ସାଇବମାନେ ଯେତେବେଳେ ପହିଲେ ଏ ଦେଶକୁ ଆସିଲେ, ତାଙ୍କୁ ଏ ଦେଶୀ ଲୋକେ ବତେଇ ଦେଲେ ଯେ, ସେହି ଅମୁହାଁ ଘର ଭିତରେ ନବାବୀ ଅମଳର ଅକଳନ୍ତା ମୋହର ଅସରଫି ମଣିମୁକ୍ତା ଧନରତ୍ନ ଠେସା ହୋଇ ରହିଛି । ଶୁଣି ଜଣେ ସାଇବଙ୍କ କି ଖିଆଲ ଗଲା, ଶାବଳ ଖଣତିଧାରୀ ଦଳେ ଲୋକଙ୍କୁ ଲଗେଇ ଦେଲେ, କପ୍ତାନ ସାହେବ ମିଲିଟାରୀ କଇଦାରେ ହୁକୁମ ଦେଲେ ଟୋଡ୍ ଡାଲୋ ! କିନ୍ତୁ ଗଣ୍ଡା ଗଣ୍ଡା ଶାବଳ ଖଣତି ଧାର ମରିଗଲା, ବେଣ୍ଟ ଭାଙ୍ଗିଗଲା । ବଙ୍କା ହୋଇଗଲା, କିନ୍ତୁ ଫଳ ହେଲାନି କିଛି ପୁରୁଣା ମସଲା ଜମି ପଥର ପରି ଶକ୍ତ ହେଇ ରହିଚି, ସେ କାନ୍ଥ ଦିହରେ ଦି'ଚାରି‌ ଜାଗା ଖାଲି ପଲସ୍ତରା ଝଡ଼ି ଇଟା ଦେଖାଗଲା, କାନ୍ଥ ଦିହରୁ ଖଣ୍ଡେ ବି ଇଟା ଖସିଲାନି । ଯଖର ଘର ବୋଲି ମୂଲିଆ ମୂଳରୁ ହିଁ ଖୋଳ ତାଡ଼ କରିବାକୁ ମଙ୍ଗୁ ନ ଥିଲେ, କେବଳ ସାଇବ ଡରରେ ଏତେ ଦୂର ହେଲା । କିନ୍ତୁ ଥରେ ଜଣେ ମୂଲିଆ ଶକ୍ତ ପାହାରଟେ ମାରି ଯେତେବେଳେ ବାପ ଲୋ ! ରକ୍ତ ବାହାରିଲାଣି, ଆଉ ଖୋଳିବାନି - କହି ଏକା ଡିଆଁକେ ସେଠୁ ଚମ୍ପଟ ଦେଲା, ସେତେବେଳେ ବାକି ସମସ୍ତେ ଶାବଳ କୋଡ଼ି ଛାଡ଼ି ଅଲଗା ହୋଇଗଲେ । ପାତିମୁହାଁ ଲାଲ ଆଖିଆ କପ୍ତାନ ସାଇବ ଦାନ୍ତ କଡ଼ ମଡ଼ କରି ଖାଣ୍ଟି ସେ ଦେଶୀ ଗାଳି ଏ ଦେଶୀ ଲୋକଙ୍କ ଉପରେ ଅନର୍ଗଳ ବର୍ଷିଗଲେ, ବୋଧେ ତାଙ୍କ ଚଉଦ ପୁରୁଷ ବି ସେ ଗାଳି ତେଜରେ ଉଧୁରି ଗଲେ–ଗୋଇଠା ଚାପୁଡ଼ା ଦେବାରେ ବି ସାଇବ କିଛି କସୁର କଲେନି । କିନ୍ତୁ ଡରି ମରି ଶରଣ ପଶିଲେ ବି ମୂଲିଆଙ୍କ ଦଳ ଅଚଳ ଅଟଳ ରହିଲେ; ଅମୁହାଁ ଘରେ ଯଖ ଦେବତା ଅଛି । ତା ଘର ଖୋଳିବାରୁ ଯଖକୁ ବାଧିଲାଣି, ତା ଦେହରୁ ରକ୍ତ ଝରିଲାଣି- ଆଉ କିଏ ହତିଆର ଉଠେଇବ ତା ଉପରକୁ, କାହାର ଏଡ଼ିକି ଛାତି । କଞ୍ଚାଖିଆ ଯଖ, ରାତି ନ ପାହୁଣୁ କଞ୍ଚା ଚୋବେଇ ଯିବନି ?

 

ସାଇବ ମୁଖିଆକୁ ଡାକି ପଚାରିଲେ-ଓହ୍ ଆଡ଼ମିକା ଖୁନ୍ ହ୍ୟାୟ; ଯଖ–ଉଖ୍ ହାମ ନେହି ମାନ୍‌ଟା- ଟୋଡ୍ ଡାଲୋ । ମୁଖିଆ ପ୍ରମାଦ ଗଣିଲା, ଶେଷକୁ ବୁଦ୍ଧି କରି ହାତ ଯୋଡ଼ି ନିବେଦନ କଲା–ହଜୁର ମା–ବାପ୍ । କୋଡ଼ି ଶାବଳରେ ଖୋଳିଲେ ଅନେକ ମେହନତ୍ ଲାଗିବ । ଅନେକ ଦିନ ବୃଥା ଆପଣଙ୍କର ନଷ୍ଟ ହେବ-ବରଂ ଯଦି ହୁକୁମ କରନ୍ତି ତ ଗୋଟେ ତୋପ ଆଣି ଉଡ଼େଇ ଦିଆଯାଉ ଏଇ ସାମାନ୍ୟ ବକଟେ ଇଟା ଘରଟାକୁ ।

 

କଥାଟା କପ୍ତାନ୍ ସାଇବଙ୍କ ମନକୁ ପାଇଲା । ସେ ଖୁସି ହେଇ କହିଲେ–ବହୁତ ଆଚ୍ଛା, ଲଞ୍ଚ ଖାନେକେ ବାଦ୍, ହୁକୁମ ଦେବା ମାତ୍ରେ, ମୂଲିଆ ପଞ୍ଝାକ କୋଡ଼ି ଶାବଳ ଖଣତି କାଖରେ ଯାକି ପଳେଇଲେ ଯେଝା ଘରକୁ, ଯାଇ ରାମନାମ ଜପିବାକୁ ଲାଗିଲେ- ହେ କଞ୍ଚାଖିଆ ଯଖ ଆମର କିଛି ଦୋଷ ନାହିଁଟି, ସବୁ ଦୋଷ ଏଇ ମ୍ଳେଛ ଗୋରୁ ହାଡ଼ଖିଆ ସାଇବର, ତମ ଦେହରୁ ରକ୍ତପାତ କରିଛି ସେଇ ଏକା, ଆମକୁ ସେ ପାପ ଯେମିତି ନ ଲାଗେ ।

 

ଅଧଘଣ୍ଟାକ ଭିତରେ ସାରା ସହରରେ ହୁଲସ୍ତୁଲ ପଡ଼ିଗଲା- ସାଇବର ହୁକୁମ କମାଣ ଗୋଳାରେ କିଲ୍ଲା ପୋଖରୀ ଅମୁହାଁ ଘର ଉଡ଼େଇ ଦଆଯିବ । କେତେ କାଳରୁ ଲୋକେ ଅମୁହାଁ ଘର ଦେଖି ଆସୁଛନ୍ତି, ସମ୍ଭବ ଅସମ୍ଭବ ନାନା ଗଳ୍ପ ଶୁଣି ଆସୁଛନ୍ତି ତା’ ସମ୍ବନ୍ଧରେ । ହଜାର ହଜାର ଲୋକେ ଦେଖିବାକୁ ଦଉଡ଼ି ଆସିଲେ, ସତେକି ବଜାର ସହର ଭାଙ୍ଗି ପଡ଼ିଲା ଦେଖିବା ଲାଗି ।

 

ଏକ- ଦୁଇ-ତିନି ! ତୋପର ତିନିତିନିଟା ଗୁଳିରେ ବି ଅମୁହାଁ ଘରର କାନ୍ଥ ଭାଙ୍ଗିଲାନି । ଇମିତି କି କଣାଟାଏ ସୁଦ୍ଧା ଫୁଟିଗଲାନି । ଖାଲି ଖଣ୍ଡେ ଦୁଇ ଖଣ୍ଡ ଇଟା ଝଡ଼ି ପଡ଼ିଲା । ଆଉ ପ୍ରତି ଗୁଳା ବାଜିଲା କ୍ଷଣି ଭିତରୁ ଗୋଟାଏ କ୍ରୁଦ୍ଧ ଗୁରୁ ଗମ୍ଭୀର ଗର୍ଜନ ଶୁଣାଗଲା ଗଁ-ଗଁ-ଗଁ । ଯେମିତିକି ଗୋଟେ ମହାବଳ ବାଘ ପିଞ୍ଜରା ଭିତରେ ବନ୍ଦୀ ହୋଇ ଗର୍ଜୁଛି ରାଗରେ ଫୁଲି । ଶୁଣିବା ଲୋକଙ୍କ ଆତ୍ମା ପୁରୁଷ ଥରି ଉଠିଲା ସେ ଗର୍ଜନ ଶୁଣି ।

 

ତୋପର ତିନି ତିନିଟା ଗୁଳା ବ୍ୟର୍ଥ ହେବାର ଦେଖି ସାଇବଙ୍କ ମେଜାଜ୍ ଭୟଙ୍କର ହେଲା, ଲାଲ ଆଖି ଯୋଡ଼ାକ ଆହୁରି ଲାଲ ଆହୁରି ଗୋଲ ଦେଖାଗଲା । ସେ ଓଠ କାମୁଡ଼ି ଉଠିପଡ଼ି ଆହୁରି କ'ଣ ହୁକୁମ ଦେବାକୁ ଯାଉଥିଲେ, ହଠାତ୍ ମୁଣ୍ଡ ଘୁରି ଯିବାରୁ ସେଇଠି ପଡ଼ିଗଲେ । ତାଙ୍କୁ ଧରାଧରି କରି ତମ୍ବୁକୁ ନେଇଗଲେ ତାଙ୍କ ଲୋକେ । ସାହେବ ଡାକ୍ତର ସିଭିଲ ସର୍ଜନଙ୍କ ପାଖକୁ ଲୋକ ଛୁଟିଲା- କପ୍ତାନ ସାହେବ ତିନି ଦିନ ତିନି ରାତି ବେହୋସ୍ ହୋଇ ପଡ଼ି ରହିଲେ । ଅମୁହାଁ ଘର ଉପରେ ଜୋର ଜବରଦସ୍ତି ବନ୍ଦ ରହିଲା ।

 

ଚତୁର୍ଥ ଦିନ ସାଇବଙ୍କ ଚେତା ଫେରିଲା । ସେ ଖବର ଆମ ଫକ୍ରୁ ମିଆଁ ପ୍ରଥମେ ପାଇଲା ସାଇବଙ୍କ ଖାସ୍‌-ଅରବ୍ଦଳୀ ଛୋଟେ ମିଆଁ ପାଖରୁ । ଛୋଟେ ମିଆଁ ଫକ୍ରୁଦ୍ଦିନର ଦୋସ୍ତ । ହଁ, ଫକ୍ରୁ ମିଆଁକୁ ଦେଖିଚ ତ'ରେ ପିଲେ ? ସେଇ ଯେ ଲାଲ ଦାଢ଼ି ବାଲା ବୁଢ଼ା, କିଲ୍ଲା ପୋଖରୀ ପୂର୍ବ କୂଳରେ କୁଡ଼ିଆ ଖଣ୍ଡକରେ ଥାଏ । ମୁଣ୍ଡବାଳ ସବୁ ପାଚି ଘାସତଣ୍ଡି ଫୁଲ ପରି ଧଳା ଫର ଫର ପବନରେ ଉଡ଼େ । ଲମ୍ବା ଲମ୍ବା ଦାଢ଼ୀ, ମେହେନ୍ଦିରେ ଲାଲ । ତହିଁ ଆରଦିନ ସକାଳୁ ଛୋଟେମିଆଁ କପ୍ତାନ ସାହେବଙ୍କ ହଜୁରରେ ନିବେଦନ କଲା ଯେ, ଯେଉଁ ଚୋଟ ସାହେବଙ୍କ ଉପରେ ପହଞ୍ଚିଚି, ଆଉ କେଉଁ ବଡ଼ ବିପଦ ସାହେବଙ୍କ ସାମନାରେ ଉପସ୍ଥିତ, ତାହା ସେ ଯଦି ଅନୁମତି କରନ୍ତେ ତେବେ ଜଣେ ପୁରୁଣା ବୁଢ଼ା ମୁସଲମାନ ତାଙ୍କୁ ସବୁ ଭେଦ ବତାଇ ଦେବ । ସିଭିଲି ସର୍ଜନ ହଁ ଭରିବାରୁ ଫକ୍ରୁ ମିଆଁ ଦୁଇ ସାହେବଙ୍କ ଆଗରେ ହାଜର ହେଲା । ଯଖ ଯେ କେଡ଼େ ଜାଗ୍ରତ ସେ କଥା ସେ ନାନା ଦୃଷ୍ଟାନ୍ତ ଦେଇ ସାହେବ ଦୁହିଁଙ୍କୁ ବୁଝାଇଲା । ତା’ର ବଡ଼ ବାପା ତମିଜୁବ୍ଦିନ ଅମଳରେ ଆଖି ଦେଖା ହକିକତ୍ ସବୁ ବତେଇଲା । ଶେଷରେ ସାହେବଙ୍କୁ ଜଣେଇଲା ଯେ, ଚିକିତ୍ସା ପତ୍ର ଯେମିତି ଚାଲୁଚି ଚାଲୁ , କିନ୍ତୁ ଯଖର ରାଗରୁ ରକ୍ଷା ପାଇବାକୁ ହେଲେ ସାତ ଦିନ ଅଧ ରାତିରେ ସାତଟା କଳା କୁକୁଡ଼ା ଲୋବାନ୍ ଇତ୍ୟାଦି ଦେଇ ପୂଜା କରି ବଳି ନ ଦିଅନ୍ତି, ଆଉ ଯଖର ମାଫି ନ ମାଗନ୍ତି, ତେବେ ଦି'ହପ୍ତା ପୂରିବା ପୂର୍ବରୁ ନିଶ୍ଚେ ତାଙ୍କର ଅତି ବଡ଼ ଅମଙ୍ଗଳ ଘଟିବ । ଫକ୍ରୁ ମିଆଁର ବୟସ, ପଚିଲା ଦାଢ଼ୀର ଗାମ୍ଭୀର୍ଯ୍ୟ, ଆଉ ତା’ର ଅକୃତ୍ରିମ ଆନ୍ତରିକତା ଦୁଇ ସାହେବଙ୍କ ମନରେ ପ୍ରତ୍ୟୟ ଆଣି ଦେଲା । କପ୍ତାନ ସାହେବ ତିନି ଦିନ ତିନି ରାତି ସମାନ ଭାବରେ ଅଜ୍ଞାନ ହୋଇ ରହିଥିବାରୁ ସିଭିଲିସର୍ଜନ୍ ପୂର୍ବରୁ ବି ଟିକେ ଘାବ୍‌ଡ଼ି ରହିଥିଲେ । ସାତୁଟା କୁକୁଡ଼ା ବଳି ଦେଲେ ଯଦି ମନର ଶାନ୍ତି ମିଳେ, ଅକାରଣ ଦୁଶ୍ଚିନ୍ତା ହାତରୁ ମୁକ୍ତି ମିଳେ, ତେବେ ଦେଲେ କ୍ଷତି କ’ଣ । ସେମାନେ ମଙ୍ଗିଲେ । ସାତଦିନ ଅଧ ରାତିରେ କୁକୁଡ଼ା ବଳି ଯଥା ନିୟମରେ ହୋଇଗଲା ଅନ୍ୟ କେହି କିଛି ଜାଣିଲେନି ।

 

ହାତକୁ ହାତ ଫଳ ବି ମିଳିଲା । ଦଶଦିନ ପରେ କପ୍ତାନ ସାହେବ ଉଠି ବସି ପାରିଲେ, ପଥିକଲେ । ଡାକ୍ତର କହିଲେ ଗରମ ଦେଶ, ହାଉଆ ବଦଳିର ଦରକାର । ଛଅ ମାସର ଛୁଟି ମଞ୍ଜୁର ହୋଇଗଲା, ପନ୍ଦର ଦିନ ପରେ ସାହେବ ଓଗେର ତମ୍ବୁ ଉଠେଇ ବିଲାତ ଚାଲିଗଲେ–ଯିବାବେଳେ ଫକ୍ରୁ ମିଆଁକୁ ପୁରା ଦଶଟି ଟଙ୍କା ବକ୍‍ସିସ୍ କରିଗଲେ ସେ କାଳର ଦଶଟଙ୍କା ଆଜି ଶହେ ଟଙ୍କାଠୁଁ ବି ବେଶୀ, ବୁଝିଲ ।

 

ବୁଢ଼ୀମା ଟିକେ ବନ୍ଦ ହେଲା; ନୀଳା ତତ୍‌କ୍ଷଣାତ୍‌ ବୁଢ଼ୀ ହାତଟାକୁ ଝିଙ୍କିଦେଇ କହିଲା- ବୁଢ଼ୀମା, ତୁ ଆଜିକାଲି ବଡ଼ ଫାଙ୍କି ଦେଲୁଣି । ଖାଲି ସାଇବ କଥା, ପୋଡ଼ା ମୁହାଁ ଦାଢ଼ିଆ ଫକ୍ରୁ ମିଆଁ କଥା- ଅସଲ କଥା ଯଖ କଥା ତ ମୂଳୁ କହିଲୁ ନାଇଁ ?

 

କହ, ଯଖ କଥା କହ- କେଡ଼େବଡ଼ କେମିତି ଦେଖିବାକୁ । କଞ୍ଚା କିମିତି ମଣିଷକୁ ଚୋବେଇ ଖାଏ- ।

 

ଗଦା ସବୁଠୁ ସାନ, କଞ୍ଚା ଚୋବେଇ ଖାଇବା ବିଷୟରେ ତା’ର ଟିକିଏ ଡର ପଶେ ମନରେ, ସେ ବୁଢ଼ୀ କୋଳକୁ ଭଲ କରି ପଶି ଆସି ଯୋଡ଼ିଦିଏ– ହଁ, ଯଖ କଥା କହ ।

 

ବୁଢ଼ୀ ମେଞ୍ଚେ କୁଟା-ପାନ ଫାଙ୍ଗୁଳା ପାଟିକି ପକେଇ ଦେଇ କହେ–ମୁଁ କି ଦେଖିଚି ଯଖକୁ, ଯେ କହିବି, କେତେବଡ଼ କମିତି ଦେଖିବାକୁ, ସବୁ କଥା । ହଁ, ଫକ୍ରୁ ମିଆଁର ବୁଢ଼ା ବାପ ତମିଜୁଦ୍ଦୀନ୍ ମିଆଁ ତମ ବୁଢ଼ାବା’ଙ୍କର ବଡ଼ ସାଙ୍ଗ ଥିଲା ଯେ, ସେ ଥରେ ଯଖକୁ ଦେଖିଥିଲା, ସେଇ କଥା ତାଙ୍କୁ କହିଥିଲା । ମୁଁ ଖାଲି ତମ ବୁଢ଼ାବା’ଙ୍କଠୁ ଶୁଣିଚି ? ହଉ, ଶୁଣ-

 

ତମଜୁଦ୍ଦୀନ ଯେ ସମୟର କଥା କହିଥିଲା, ସେତେବେଳେ ସେ ଥିଲା ଟୋକାଟାଏ । ବଅସ ଆଉ କେତେ ହେବ, କୋଡ଼ିଏ ଉପରକୁ ଦୁଇ କି ତିନି । ସେତେବେଳେ ଯଖ ଭାରୀ ଜାଗ୍ରତ ଥାଏ । କାହାର ଅନିଷ୍ଠ କରେ ନା, ବରଂ ଉପକାର କରେ । କିମିତି କରେ ପଚାରୁଚ ? ଧର, ପ୍ରଧାନ ଘରେ ବିଭାଘର ହେବ, ପନ୍ଦର ଦିନ ବାକୀ । ଏ ସହର ଏ ଜିଲ୍ଲା ଛାଡ଼ି ଆଉ ପାଞ୍ଚଟା ସହର, ପାଞ୍ଚଟା ଜିଲ୍ଲାରୁ ଜ୍ଞାତି କୁଟୁମ୍ବ ମାନ୍ୟଗଣ୍ୟ ଅତିଥି ଆସିବେ । ମହଣିକିଆ, ଦି’ମହଣିକିଆ ହଣ୍ଡା, ଗାମଲା, ବାଲତି, ପରାତ ଥାଳି-ଶହଶହ ଜିନିଷ ଦରକାର । ଏତେ ଜିନିଷ କାହାଘରେ ଜମା ଅଛି କହ ? ପଧାନେ ପନ୍ଦର ଦିନ ଆଗରୁ ଦିନେ ରାତିରେ କିଲ୍ଲା ପୋଖରୀ କୂଳକୁ ଆସି କଳା କୁକୁଡ଼ାଟିଏ ପୂଜା କରି ବଳି ଦେଇ ଖଣ୍ଡେ କାଗଜରେ କି କି ଜିନିଷ ତାଙ୍କର ଦରକାର ତାହା ଲେଖି କିଲ୍ଲା ପୋଖରୀର ପାଣିରେ ଭସେଇ ଦେଇଗଲେ । ଭୋର ଚାରିଟା ବେଳକୁ ସାଙ୍ଗରେ ବିଶ୍ଵାସୀ ଚାକର ଆଣି ଦେଖନ୍ତିତ ପୋଖରୀ ପାଣିରେ ଶହ ଶହ ହଣ୍ଡା, ଗାମଲା, ପରାତ, ବାଲତି -ଯାହା ଯାହା ସେ ଲେଖିଦେଇ ଯାଇଥିଲେ, ସବୁ ଭାସୁଚି । ଲଗିଟାଏ ଆଣି କୂଳକୁ ଟାଣି ନିଅନ୍ତି । ଆଉ ଚାକର କାନ୍ଧରେ ଉଆସକୁ ପଠେଇ ଦିଅନ୍ତି । ଫେର, କାମ ସରିଗଲେ ଦିନେ ଅଧାରାତିରେ ଆସି ଭଲ ପୂଜାଟିଏ ଦେଇ, ସବୁ ଜିନିଷତକ ଗୋଟି ଗୋଟି ଗଣି ଠିକ୍‍ ଠିକ୍‍ ମିଳେଇ କିଲ୍ଲା ପୋଖରୀ ପାଣିରେ ଛାଡ଼ି ଦିଅନ୍ତ- ଯଖ ନିଜ ଭଣ୍ଡାରକୁ ଟାଣି ନିଏ । ହଁ, ୟାବି ଶୁଣା ଅଛି ଯେ ଏକମନ ଏକପ୍ରାଣ ଦେଇ ପୂଜାକରି ଟଙ୍କା ପଇସା ମାଗିଲେ ଧାର ଦିଏ ଯଖ । ତମେ ପୂଜା ଦେଲ, ଧ୍ୟାନକଲ, କହିଲ ମୋତେ ପାଞ୍ଚଶ ଅସରଫି ମିଳିଯାଉ, ଯଖ ଯଦି ପୂଜାରେ ସନ୍ତୁଷ୍ଟ ହେଲା ତ ରାତି ଅଧରେ ପିତଳ କଳସି ପାଣିରେ ଭାସିବ, ଭାସି ଭାସି ଆସି ଲାଗିବ କୂଳରେ ! ତୁମେ ସେ କଳସି ଟେକି ନେଇ ଏକମୁହାଁ ଘରକୁ ଚାଲିଯିବ, ଖବରଦାର ଯଦି ପଛକୁ ଫେରି ଚାହିଁଚ ! ଚାହିଁଲେ, କଳସୀରୁ କଳାନାଗ ବାହାରି ଦଂଶିବ- ନିଶ୍ଚେ ମରଣ । ଘରେ ଆସି କଳସୀର ତାଲା ମୋହର ଖୋଲି ଦେଖିବ ଭିତରେ, ପାଞ୍ଚଶ ଅସରଫି, ଅସଲି ନବାବି ଅମଳର ଅସରଫି ।

 

ହୁଁ ଆହୁରି ଅଛି । ଯଖର ଜଳତଳେ ଯେଉଁ ଗମ୍ଭୀର ଘର ଅଛି, ସେଥିରେ କେଉଁ କାଳରୁ ଏ ଅସରଫି ସବୁ ପଡ଼ି ରହିଚି । ସେଥିରେ କଳଙ୍କି ଲାଗିଗଲାଣି, ଛତୁ ଫୁଟିଗଲାଣି । ତେଣୁ, ଯଖ ପ୍ରତି ଉଆଁସକୁ ରାତିରେ ସବୁ ଟଙ୍କା ଅସରଫି ବାହାର କରି ପୋଖରୀ କୂଳରେ ଶୁଖାଏ । ଥରେ ଗୋଟେ ଚୋର କ'ଣ ବିଚାରିଲା କି, ଯଖର ଟଙ୍କା ମାରିନେବ । ଉଆଁସ ରାତି ନଅଟା ନ ବାଜୁଣୁ ଚୋର ଖାଇପିଇ କିଲ୍ଲା ପୋଖରୀ କୂଳରେ ଗୋଟେ ବଡ଼ ଗଛ ଉପରେ ବସି ରହିଚି । ରାତି ବାରଟା ବାଜିଗଲା, ଗୋଟାଏ ବାଜିଲା, ଚୋର ଜଗି ବସିଚି । ଶୂନଶାନ୍ ଚାରିଆଡ଼ । ହଠାତ୍ ମଝି ରାତିର ନିସ୍ତବ୍‍ଧ ଗଲା ଭାଜି- ଜଳ ଭିତରୁ ଭଡ଼ଭଡ଼ ଘଡ଼ଘଡ଼ ଶବ୍ଦରେ କିଏ ସବୁ ଯିମିତି ବାକ୍ସ ସିନ୍ଦୁକ ଟାଣି କୂଳକୁ ଟେକିବାକୁ ଲାଗିଲେ । ମାଛସବୁ ପାଣିରେ ଡେଇଁଲେ । ଚୋର ଆଖିରେ ପଲକ ନାହିଁ, କିନ୍ତୁ ଅନ୍ଧାର ବି ଘମାଘୋଟ । ଖାଲି ଶବ୍ଦ ଶୁଭୁଛି, ଆଖିକି କିଛି ଦେଖା ଯାଉନି । ଝଣ-ଝଣ-ଝଣ-ଝଣ ! ଥରେ, ଦି'ଥର, ତିନିଥର- ଚୋର ନିଜ କାନରେ ଶୁଣିଲା କିଏ ଯିମିତି କଳସୀରୁ ଟଙ୍କା ଅସରଫି ପୋଖରୀ କୂଳରେ ଅଜାଡ଼ୁଚି ।

 

ଚୋର ମନ ଆହ୍ଲାଦରେ ନାଚିଲା । କିନ୍ତୁ ଶବ୍ଦ ଆସୁଛି ପୋଖରୀର ଉତ୍ତର କୂଳରୁ, ଚୋର ଚଢ଼ିଚି ପୂର୍ବ କୂଳର ଗଛ ଉପରେ । କିନ୍ତୁ ବେଶୀ କ୍ଷଣ ଚୋରକୁ ଅପ୍‌ଶୋଷ କରିବାକୁ ପଡ଼ିଲାନି । ଯଖ ପୂର୍ବ କୂଳରେ ବି ଟଙ୍କା ଅଜାଡ଼ି ଚାଲିଲା । ଗଛରୁ ଓହ୍ଲାଇଲେ କୁଆଡ଼େ ଯଦି ଯଖ ହାବୁଡ଼ରେ ପଡ଼ିଯାଏ, ଆଉ ଯଖ ତା ବେକମୋଡ଼ି ରକ୍ତ ପିଇଯାଏ, ଏଇ ଭୟରେ ଚୋର ଗଛ ଉପରେ ଥାଇ ଗଛ ତଳେ ଅଜଡ଼ା ହୋଇଥିବା ଟଙ୍କା ଅସରଫି ଉପରେ ପରିସ୍ରା କରିଦେଲା- ଶୁଣିଥିଲା ଯଖର ଟଙ୍କା ଅପବିତ୍ର କରି ଦେଲେ ସେ ଟଙ୍କା ସୁନା ଯଖ ଆଉ ନିଏନା । ପରିସ୍ରା କଲା ପରେ ଆଉ ଝନ୍-ଝନ୍‌-ଝନ୍-ଝନ୍‌ ଶବ୍ଦ ହେଲାନାଇଁ । ଚୋରର ମହାଭୟ ହେଲା, ଯଖ ଯଦି ଗଛ ଉପରେ ଚଢ଼ି ତାକୁ ତଳକୁ କଚାଡ଼ି ଦିଏ । କିନ୍ତୁ ଯଖ କାହାରି ଅନିଷ୍ଟ କରୁ ନଥିଲା ସେଯାଏଁ । ଚୋରର ବି କିଛି କଲା ନାହିଁ । ସିନ୍ଦୁରା ଫାଟିଲା, ଚୋର ହାତଗୋଡ଼ ଝାଡ଼ି ଚଞ୍ଚଳ ଗଛରୁ ଓହ୍ଲାଇ ପଡ଼ିଲା କାଳେ ପାହାନ୍ତି ପହରେ କେହି କୁଆଡ଼ୁ ଆସିଯିବ, ଗଛତଳର ଟଙ୍କା ମୋହର ଦେଖି ପକାଇବ, ଏଇ ଭୟ । ତଳକୁ ଓହ୍ଲାଇ ଚୋର ଦେଖେ ତ ଟଙ୍କା ମୋହରର ଚିହ୍ନ ନାହିଁ । ଖାଲି ଚକା ଚକା ହାଣ୍ଡି ଭଙ୍ଗା ଖପରା କାତି ଅନେକ ଗୁଡ଼େ କୁଢ଼ା ହୋଇଚି ତା ଗଛ ତଳେ । ଅନ୍ୟ ଜାଗାରେ ସେମିତି ଖପରା କାତି ଅଦୌ ନାହିଁ । ଚୋର ଖଣ୍ଡେ ଦି’ଖଣ୍ଡ ଟେକି ଦେଖିଲା, ବୁଝି ପାରିଲା ଯେ ପରିସ୍ରା ପଡ଼ି ଅପବିତ୍ର ହେବାରୁ ଟଙ୍କା ମୋହର ସୁନା ରୂପା ନରହି ତୁଚ୍ଛା ମାଟିର ଖପରା ହେଇଗଲା । ସେଇ ଦିନଠୁଁ ଆଉ କେହି କେବେ ଯଖର ଧନ ଚୋରି କରିବାକୁ ଚେଷ୍ଟା କରିନି ।

କିନ୍ତୁ, ସେ କାଳର ଲୋକ ମଲେ, ତାଙ୍କ ସାଙ୍ଗେ ସାଙ୍ଗେ ତାଙ୍କର ଧର୍ମଭୟ ତାଙ୍କର “ସତ” ଚାଲିଗଲା । ଲୋକେ ପୂଜା କରି ଫର୍ଦ୍ଦ ରଖି ପିତଳ ହାଣ୍ଡି, ଗାମ୍‍ଲା ନେଇଗଲେ ଯଖ ପାଖରୁ, ଫେରେଇ ଆଉ ଦେଲେ ନାହିଁ । ଯଖର ଅଭିଶାପ ପଡ଼ିଲା ତାଙ୍କ ଉପରେ, ବଂଶକୁ ବଂଶ ମରି ଏକଦମ୍ ନିର୍ବଂଶ ହୋଇଗଲେ ସିମିତି ଠକିଲେ ଯିଏ । ତେଣିକି, ଯଖ ଆଉ ହଣ୍ଡା ହାଣ୍ଡି କି ଟଙ୍କା ଅସରଫି ଦେଲାନି ।

 

ଯେତେଦିନ ଯାଏ ମଣିଷ ଯଖକୁ ବିଶ୍ୱାସ କରୁଥିଲେ, ତା ସଙ୍ଗେ ନିଜର ‘ସତ’ ରଖିଥିଲେ, ସେତେଦିନ ଯଖ ବି ମଣିଷକୁ ବିଶ୍ୱାସ କରୁଥିଲା, ତାଙ୍କ ଦରକାର ବେଳେ ଉପକାର କରୁଥିଲା । ମଣିଷ ନିଜ ସତ ନିଜେ ନ ରଖିଲେ, ଯହୁଁ ଯଖ ବି ମଣିଷ ସଙ୍ଗେ ଆଉ କାରବାର କଲାନି । ବିଶ୍ଵାସ ଇମିତି ଚିଜ; ସତ-ପଣିଆ ରଖିଲେ ରହେ, ନୋହିଲେ ଯାଏ ।
 

ସେଥର କଅଣ ହେଲା କି, ଶୁଣ ! କିଲ୍ଲା ସେତେବେଳକୁ ବି ଭାଙ୍ଗି ଗଲାଣି, ଖାଲି କିଲ୍ଲା ପୋଖରୀ, ଆଉ ତା ଚାରିଆଡ଼ ବଗିଚା ଥାଏ । ଆଉ ଥାଏ, ସେହି ବଗିଚା ଭିତରେ ଗୋଟିଏ ସୁନ୍ଦର ସଜା କୋଠିଟିଏ । ନବାବ ଥାନ୍ତି ତାଙ୍କ ଗଡ଼ରେ, ଉତ୍ତର ମୋଗଲ ବନ୍ଦରେ । କେବେ କେବେ ଇଚ୍ଛା ହେଲେ ବୁଲିବାକୁ ଆସନ୍ତି ଏ ଅଞ୍ଚଳକୁ । ଯେତେଦିନ ଏଇ ବଗିଚା କୋଠିରେ ରହନ୍ତି ସେତେଦିନ ଲୋକ ଲସ୍କର ଗହଳ ଚହଳରେ କିଲ୍ଲା ବଗିଚା ମାତି ଉଠେ । ଟୋକ ତମିଜୁଦ୍ଦୀନ ବଗିଚା କୋଠିର ଜଗୁଆଳ, ତରୁଣ ନବାବ ସାହେବଙ୍କ ବିଶ୍ଵାସୀ ଚାକର ! ବୁଢ଼ା ନବାବ୍ ଫୌତ୍‍ ହେଲେଣି କେତେ ଦିନୁ । ତାଙ୍କ ପୁଅ ଯେବେ ସାହାଜାଦା ଥିଲେ ତେବଠୁ ତମିଜ୍‌କୁ ବିଶ୍ୱାସ କରନ୍ତି । ଏବେ, ନୂଆ ବେଗମ୍ ବାହା କରି ଆଣିଛନ୍ତି । ଥରେ ଏଇ ବଗିଚା କୋଠିକି ବୁଲି ଆସିବେ, ତମିଜ୍ ଖବର ପାଇଚି । ବଗିଚା ପୋଖରୀ କୋଠି ସବୁ ସଫା ସୁତୁରା କରେଇଚି । ଶୁକ୍ଳପକ୍ଷ ଆରମ୍ଭରେ ତରୁଣ ନବାବ୍ ସାହେବ ସ-ବେଗମ ଆସି ପହଞ୍ଚିଲେ । ଭାରି କଡ଼ା ପର୍ଦ୍ଦା, ବେଗମ୍ ମହଲରେ, କିନ୍ତୁ ତମିଜ୍ ଦିନେ ନୂଆ ବେଗମକୁ ଦେଖିଲା-ଠିକ, ଯେମିତି ବେହସ୍ତର ପରୀ, ମର୍ତ୍ତ୍ୟକୁ ଓହ୍ଲେଇ ଆସିଛନ୍ତି, ଇମିତି ସୁନ୍ଦରୀ ! ଦାସୀ ଚାକରାଣୀଙ୍କ ମୁହଁରୁ ବେଗମ ସାହେବା କିଲ୍ଲା ପୋଖରୀର ଯଖର ଗପ ବି ଶୁଣିଲେ । ଏବକୁ ଯେଉଁ ଅମୁହାଁ ଘର ଦେଖୁଚ, ସେତେବେଳେ ତା ଉପର ଖୋଲାଥିଲା, ଗୋଟେ ମସ୍ତ ଗଭୀର କୂଅ ଭଳି । କୂଅର ଭିତର କାନ୍ଥରେ ଗୋଡ଼ ରଖି ଓହ୍ଲେଇ ଯିବା ଲାଗି ପକ୍କା ଦିହରେ ସାନ ସାନ ଖୋପ ବି ଥିଲା । ଯଖ କଥା ଶୁଣି ଶୁଣି ଦିନେ ବେଗମ୍ ସାହେବାଙ୍କ କି ଖିଆଲ ଗଲା ନବାବ ସାହେବଙ୍କ ପାଖରେ ଅର୍ଜି କଲେ ଯେ ଯଖର ଟଙ୍କା ସୁନା ଧନରତ୍ନ ସେ ଦେଖିବେ ? ତରୁଣ ନବାବଙ୍କ ମନ ସେତେବେଳେ ନୂଆ ପ୍ରେମରେ ବିଭୋଳ; ପ୍ରିୟାର ସାମାନ୍ୟତମ ଇଚ୍ଛା ସେତେବେଳେ ତାଙ୍କ ପକ୍ଷରେ ଅମୋଘ ଆଦେଶ ଭଳି । ବେଗମ୍ ସାହେବା ଯେତେବେଳେ ଜିଦି ଧରିଛନ୍ତି, ନିଶ୍ଚେ ଯଖର ଧନ ଭଣ୍ଡାର ତାଙ୍କୁ ଦେଖଇବାକୁ ପଡ଼ିବ । ତମିଜ୍‌କୁ ଡାକିଲେ, ଆଉ ଜଣେ ଦି'ଜଣ ବୁଢ଼ା ପୁରୁଖା ସ୍ଥାନୀୟ ଲୋକଙ୍କୁ ଡାକିଲେ; ପରମର୍ଶ କଲେ । ସମସ୍ତେ ଏକମତ ହେଲେ ଯେ ଯଖ କୌଣସି ମତେ ଭଣ୍ଡାର ଖୋଲିବନି । ତା’ଛଡ଼ା, ଉଆଁସ ରାତିରେ ତ କିଛି ଦିଶିବ ନାହିଁ, ଆଉ ମଶାଲ ଆଲୁଅ ଜଳିଲେ ହୁଏତ ଯଖ ଆଦୌ ବାହାରିବ ନାଇ । ନବାବ ହଇରାଣରେ ପଡ଼ିଗଲେ ।

 

ଫେର୍ ତମିଜ୍‌କୁ ଡକରା ହେଲା । ନିଜର ବିଶ୍ଵସ୍ତ ଅମାତ୍ୟ ଦୁଇଜଣଙ୍କୁ ଡକରା ହେଲା । କ’ଣ ସ୍ଥିର ହେଲା ଜଣା ନାହିଁ, କିନ୍ତୁ ଅମାତ୍ୟ ଜଣେ ତହିଁଆରଦିନ ଘୋଡ଼ା ଛୁଟାଇ ଗଡ଼କୁ ଫେରିଗଲେ । ତା’ର ଆଠ ଦଶଦିନ ପରେ ମସ୍ତ ବଡ଼ ବଡ଼ ତମ୍ବୁର ସାଜ ସରଞ୍ଜାମ ନେଇ କୋଡ଼ିଏ ଖଣ୍ଡ ବଳଦ ଗାଡ଼ି ଆସି କିଲ୍ଲା ପଡ଼ିଆରେ ପହଞ୍ଚିଲା- ଲୋକେ ଶୁଣିଲେ, ନବାବ ସାହେବ ଏଠୁ ଅଳ୍ପଦିନ ଭିତରେ ତମ୍ବୁରେ ଗସ୍ତ କରିବେ ଦକ୍ଷିଣକୁ । ନବାବ ମଝିରେ ଥରେ ଦି'ଥର ତମିଜ୍ ଓ ବିଶ୍ଵାସୀ ଲେକଙ୍କୁ ନେଇ ପରମର୍ଶ କଲେ । ପୂର୍ଣ୍ଣିମାକୁ ଦୁଇ ତିନିଦିନ ଖାଲି ବାକୀ ଥାଏ । ନବାବ ବେଗମ୍ ସାହେବାକୁ କହି ରଖିଥାନ୍ତି ଯେ ପୁର୍ଣ୍ଣିମା ଦିନ ରାତିରେ ଯଖର ଧନରତ୍ନ ଦେଖାଯିବ । କିନ୍ତୁ ମନା କଲେ ମହଲରୁ ଦାସୀ ଚାକର କାହାରିକୁ କହିବାକୁ ।

 

ପୂର୍ଣ୍ଣିମା ଆସିଲା । ବେଗମ ସାହେବା ସେଦିନ ସକାଳୁ ମହାବ୍ୟସ୍ତ, ମହା ଉତ୍ସାହିତ । ଏଣେ ବଗିଚାରେ ତମିଜ୍ ମଧ୍ୟ ଅନେକ ଲୋକଙ୍କୁ ନେଇ ଖଟୁଥାଏ । ଆଜି ବଗିଚାରେ ସାରା ରାତି ବେଗମ୍‌ ସାହେବା ଆଉ ନବାବ ସାହେବା ଖେଳିବେ । ଦୁଇଜଣ ବିଶ୍ଵାସୀ ଅମାତ୍ୟ ବଗିଚାର ଦୁଇ ଫାଟକରେ ସଶସ୍ତ୍ର ପ୍ରହରୀ ନେଇ ପ୍ରହରା ଦେବେ ସାରା ରାତି । ବଗିଚା ଭିତରେ ଖିଦ୍‌ମତ୍ କରିବାକୁ ରହିବେ ଖାଲି ତମିଜ୍‍ ଆଉ ନବାବଙ୍କ ଗଡ଼ରୁ ଆସିଥିବା ଚାକର କୁର୍ବାନ୍ ଅଲ୍ଲୀ । ଏଇ ଚୁପ୍‌ଚାପ ବିଦେଶୀ କୁର୍ବାନ୍ ଅଲ୍ଲୀ ଲୋକଟିକୁ ତମିଜ୍‍ ଦେଖୁଚି ଏଇ ପ୍ରଥମ- ନୂଆ ଲୋକ, ବେଶୀ ମିଶେ ନା, ବେଶୀ କଥା କହେ ନା, ଅଥଚ ଅନେକ ଖବର ଜାଣେ, ସବୁ କଥାରେ ଅଛି । କେଜାଣି କାହିଁକି ଏଇ ନୂଆ ଲୋକକୁ ତମିଜ୍ ପସନ୍ଦ କରି ପାରିଲାନି । କିନ୍ତୁ ମୁନିବର ହୁକୁମ, ବଗିଚା ଭିତରକୁ ଯିବାର ଅଧିକାର ଖାଲି ସେଇ ଦୁଇଜଣଙ୍କର । ବଗିଚାର ଭିତର ବନ୍ଦୋବସ୍ତ କଥା ବିଶ୍ଵାସୀ ଅମାତ୍ୟ ଦୁଇଜଣ ଛଡ଼ା ଖାଲି ତମିଜ୍ ଆଉ କୁର୍ବାନ୍ ଜାଣନ୍ତି ।

 

ରାତି ଦଶଟା ଅନ୍ଦାଜ ହେବ । ପୋଖରୀର ଚାରିପାଖେ ଖଣ୍ଡେ ଦୂର ଛାଡ଼ି ପୁରୁଷେ ଉଚ୍ଚ ଗାଢ଼କଳା କନାର ପର୍ଦ୍ଦା, ନିଶ୍ଥିନ୍ଦ୍ର ! ତା’ଭିତରେ ପୁନେଇଁର ଜହ୍ନ ମଲ୍ଲୀଫୁଲ ବିଞ୍ଚୁଡ଼ି ଓ ହେଲାପରି ତୋରା ଦିଶୁଚି । ଚାରିଆଡ଼େ ଫୁଲ କିଆରି, ନାନା ଫୁଲର ଗନ୍ଧ । ଗୋଟିଏ ଲତା ମଣ୍ଡପରେ କିଂଖାବ୍ ମଖମଲର ପ୍ରଶସ୍ତ ଆସନ । ପାଖରେ ରଖା ହୋଇଚି ପାନ ଭୋଜନର ଆୟୋଜନ, ଦାମୀ ସିରାକୀ । ବେଗମ୍ ସାହେବାଙ୍କ ଆସିବା ବେଳ ଆଉ ଅଳ୍ପ ଡେରି । ଶେଷ ବନ୍ଦୋବସ୍ତ ଲାଗି ତମିଜ୍ ବ୍ୟସ୍ତ । କିନ୍ତୁ କୁର୍ବାନ୍ କାହିଁ ? ଏପାଖ ସେପାଖ ଖୋଜି ତମିଜ୍ ଗୋଟେ ପାଖ ଫାଟକ ଆଡ଼କୁ ଗଲା– ସେତେଦୂର ଯିବାକୁ ପଡ଼ିଲାନି । ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ ରାସ୍ତା ପାଖ ବାଡ଼ କତିକି ଠିଆ ହେଇଚି କୁର୍ବାନ୍, ଆଉ ବାହାରେ କାହା ସଙ୍ଗେ ଆସ୍ତେ ଆସ୍ତେ କଥା ଭାଷା ହେଉଚି । ତମିଜ୍ ଥମିଗଲା । ଟିକେ ପରେ, କୁର୍ବାନ୍ ଏପାଖ ସେପାଖ ଚାହିଁ, ଧୀରେ ଧୀରେ ଫେରି ଯିବାକୁ ଲାଗିଲା ଲତା ମଣ୍ଡପ ଆଡ଼କୁ । ତମିଜ୍ ଗୋଟେ ଗଛତଳୁ ବାହାରି ଆସି ତାକୁ ପଚାରିବାକୁ ଯାଉଥିଲା, କୁର୍ବାନ୍ ସେଠି କ'ଣ କରୁଥିଲା ବୋଲି; କିନ୍ତୁ ଠିକ୍ ସେତିକିବେଳେ ବଗିଚା ବାହାରେ ଗୋଟାଏ କଣରୁ ଘୋଡ଼ା ଟାପୁର ଶବ୍ଦ ଶୁଣି ପାରିଲା । ଏତେ ରାତିରେ ଘୋଡ଼ାରେ ଚଢ଼ି କିଏ ଗଲା, କୁଆଡ଼େ ଗଲା,- ନିଶ୍ଚେ ସେଇ ଲୋକଟା ଯାହା ସଙ୍ଗେ କୁର୍ବାନ ଏତେବେଳଯାଏ କଥାଭାଷା ହେଉଥିଲା । ତମିଜ୍‍ ମନକୁ ସନ୍ଦେହ ଛୁଇଁଲା ! କିନ୍ତୁ ସେ ଅନେକ ଦିନ କାମ କଲାଣି ନବାବ ସଂସର୍ଗରେ, ଜାଣେ କଥା କଥାକେ ମଥା ଚାଲିଯାଏ । ସେ ଅନ୍ୟ ବାଟେ ଯାଇ କୁର୍ବାନକୁ ଦେଖି, କିଛି ନ ଜାଣିଲା ପରି ପଚାରିଲା -ଘୋଡ଼ାରେ ଚଢ଼ି କିଏ ଗଲା ଏତେ ରାତିରେ । କୁର୍ବାନ ଜବାବ ଦେଲା- ଘୋଡ଼ା ? କାଇଁ ମୁଁ ତ କିଛି ଶୁଣିନି । ତା’ର ସ୍ଵର ଅବିଚଳିତ, କିନ୍ତୁ ତମିଜ୍ ଲକ୍ଷ୍ୟ କଲା ଯେ ତା’ର ପ୍ରଶ୍ନ ଶୁଣିଲାକ୍ଷଣି କୁର୍ବାନ୍ ଟିକେ ଚମକି ପଡ଼ିଲା ପରି ଜଣାଗଲା ! ତା’ର ସନ୍ଦେହ ଦୃଢ଼ ହେଲା । କିନ୍ତୁ ସେ କଥା ଅଧିକ ଭାବିବା ପୂର୍ବରୁ ଖୋଦ୍ ମାଲିକା ସହିତ ମାଲିକ ଆସିଗଲେ ।

 

ବେଗମ୍ ସାହେବା ଯାହା ଦେଖିଲେ ତାହା ସେ ନିଜ ଆଖିରେ ନ ଦେଖିଥିଲେ ବିଶ୍ୱାସ କରି ପାରି ନ ଥାନ୍ତେ । ପୋଖରୀ କୂଳରେ, ରାସ୍ତାରେ, ଫୁଲ କିଆରୀର ପାଖେ ପାଖେ ଟଙ୍କା ମୋହର ସୁନା ରୂପା ହୀରା ଜହରତ୍ ବିଞ୍ଚୁଡ଼ି ପଡ଼ିଚି । ସତେ ଯେପରି କୁବେରର ଭଣ୍ଡାର ଖୋଲି ରଖିଚି କେହି । କୋଡ଼ିଏଟା ପୂର୍ଣ୍ଣ ବୋଝେଇ ବଳଦ ଗାଡ଼ିର ମାଲ ସବୁ ବିଞ୍ଚୁଡ଼ି ଦିଆ ହୋଇଚି ଏଇ ପୋଖରୀ କୂଳରେ । ଏହା ଦେଖି ତାଙ୍କ ମନରେ ଯେଉଁ ଅପୂର୍ବ ଆନନ୍ଦ ହେଲା, ତାହା ଦେଖି ନବାବ ସାହେବ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ସବୁ ଭୁଲି ବେଗମ୍ ସାହେବାଙ୍କୁ ନିଜର ପ୍ରେମ ଅର୍ଘ୍ୟ ଅଜସ୍ର ନିବେଦନ କରିବାକୁ ଲାଗିଲେ । ତମିଜ୍, କୁର୍ବାନ୍ ଦୂରରୁ ହୁକୁମ ତାଲିମ୍ ଅପେକ୍ଷାରେ ଟାକି ରହିଥାନ୍ତି ।

 

ପାତ୍ର ପରେ ପାତ୍ର ରଙ୍ଗୀନ ସୁରା ବେଗମ୍ ସାହେବା ସ୍ଵହସ୍ତରେ ନବାବଙ୍କୁ ଢାଳି ଦିଅନ୍ତି । ନିଜେ ଅଧରରେ ଛୁଆଇଁ ଦିଅନ୍ତି । ରାତି ବଢ଼ି ଚାଲେ । ତମିଜ୍‌ର ଡାକରା ପଡ଼ିଲା, ଫାଟକର ଜଣେ ଅମାତ୍ୟଙ୍କୁ କିଛି ଖବର ଜଣାଇ ଅସିବାକୁ । ତମିଜ୍ ହୁକୁମ ତାମିଲ କରିବାକୁ ଗଲା । ଫେରିବାବେଳେ ବୁଲା ବାଟେ ନ ଆସି ସିଧା ଅମୁହାଁ ଘର ପାଖ ଦେଇ ଆସୁଥିଲା, ହଠାତ୍ ଗୋଟେ କର୍କଶ ଶବ୍ଦ କରି ତା’ମୁଣ୍ଡ ଉପର ଡାଳରୁ କଳା ପେଚାଟାଏ ଉଡ଼ିଗଲା । ପେଚା ଡାକ ଶୁଣି ତ୍ରସ୍ତ ହେବା ଲୋକ ତମିଜ୍ ନୁହେଁ, କିନ୍ତୁ ଘୋଡ଼ା ଛୁଟାଇ କିଏ ଗଲା, କାହିଁକି ଗଲା, ଏହି ସନ୍ଦେହ ତା ମନକୁ ଏମିତି କାବୁ କରିଥିଲା ଯେ, ପେଚା ଡାକିଲା ମାତ୍ରେ ଚମକି ହଠାତ୍‍ ଉପରକୁ ଚାହିଁ ଦେଲା- ଅମୁହାଁ । ଘର ଉପର ଆଡ଼କୁ । ଯାହା ଦେଖିଲା ସେଥିରେ ତା ମୁଣ୍ଡର ବାଳ, ଦେହର ପ୍ରତି ଲୋମ ଟାଙ୍କୁରି ଉଠିଲା । ସେ ଦେଖିଲା ସେହି ଅମୁହାଁ ଘରର (ସେତେବେଳେ କୂଅ ଥିଲା) କାନ୍ଥ ଉପରେ ଗୋଟାଏ ବିକୃତ ବିଭତ୍ସ ମୁଖା, ଶାଗୁଣ ପରି ନାକ, ଓଠ ଯୋଡ଼ାକ ଚଢ଼େଇ ଥଣ୍ଟପରି, ମୁଣ୍ଡରେ ବାଳ ନାହିଁ, କିନ୍ତୁ ଚମଡ଼ା ବଦଳରେ ହାଡ଼ ଦିଶୁଛି, ଆଉ ସବୁଠାରୁ ଭୟଙ୍କର ତା’ର ଜଳନ୍ତା ଆଖି ଦିଇଟା- ଗୋଟା ହିଂସ୍ର ସବୁଳ ଜ୍ଵଳା ଫୁଟି ବାହାରିଚି, ତା ଭିତରୁ ବେକ ଠିକ୍‍ କଚିମ ବେକ ପରି, ତା ତଳକୁ ଚମଡ଼ା ପରିବର୍ତ୍ତରେ କଚିମ ଖୋଳପରି ଖଣ୍ଡ ଖଣ୍ଡ କାତି । ତମିଜ୍‍ର ଚେତା ବୁଡ଼ି ଯାଉଥିଲା, ସେ ଅଭୁତ ଭୟଙ୍କର ମୁଖା ଦେଖି । ଖାଲି ତା' ମାଲିକ ମାଲିକାଣୀଙ୍କ ଆସନ୍ନ ବିପଦ କଥା ଭାବି ସେ କୌଣସି ମତେ ଧୈର୍ଯ୍ୟ ଧରି ଠିଆହୋଇ ରହିପାରିଲା । ଆଖି ପିଛୁଳାକେ ସେଇ ଭୟାନକ ମୂର୍ତ୍ତି କୂଅ ଭିତରେ ଅଦୃଶ୍ୟ ହେଲା, ଯିବାବେଳେ ତା’ର ପକ୍ଷୀ ପରି ଓଠ ଦୁଇଟା ବିକୃତ ହସରେ ଫାଙ୍କ ହେଲା, ଭିତରୁ ଦିଇଟା ବଡ଼ ବଡ଼ ହଳଦିଆ ଦାନ୍ତ ଦେଖାଗଲା, ଆଉ ହାତ ବଢ଼େଇ ଦେଲା ସେ ନବାବ ସାହେବଙ୍କ ଆଡ଼କୁ । ତମିଜ୍ ସେ ହସ, ସେ ଦାନ୍ତ, ସେ ଭଙ୍ଗୀ ଦେଖି ଭୟରେ ଆଖି ବୁଜି ଦେଲା । ଖୋଲି ଦେଖେ ତ କୁଆଡ଼େ କେହି ନାହିଁ ।

 

ତାହାହେଲେ ଆଜି ଯଖ ଦେଖା ଦେଲା ତାକୁ । କିନ୍ତୁ -ତମିଜ୍ ଉଦ୍‌ଭ୍ରାନ୍ତ ହୋଇ ମନେ ପକାଏ -ଯଖ ଦେଖା ଦେବା ମାନେ ତ କାହାକୁ ହେଲେ କଞ୍ଚା ଖାଇଯିବା ! ଆରେ ବାପ୍‍ରେ ଆଜି ନିଶ୍ଚେ ସର୍ବନାଶ ଉପସ୍ଥିତ । ସେ ଭୟରେ ଥରି ଥରି ନବାବ ସାହେବଙ୍କ ଉଦ୍ଦେଶ୍ୟ କର୍ଣ୍ଣଶ କରି ଛିଡ଼ା ହେଲା । ନବାବ ସାହେବ ସେତେବେଳେ ରଙ୍ଗୀନ୍ ନିଶାରେ ବୁଲୁଛନ୍ତି ହାଉଆରେ । ତମିଜ୍‌ ତାଙ୍କ କାନେ କାନେ କହିଲା- ଆପଣ ଏଇସବୁ ସୁନା ରୂପା ଏଠି ଇମିତି ଭାବରେ ଦେଖେଇବାରୁ ଯଖ କ୍ରୁଦ୍ଧ ହେଲାଣି । ଶୀଘ୍ର ଏସବୁ ନେଇ ଏଠୁ ଚାଲିଯାନ୍ତୁ, ନୋହିଲେ ମୋ ମନ ଡାକୁଚି ନଶ୍ଚୟ ମହା ଅମଙ୍ଗଳ ଘଟିବ । କଥାର ମର୍ମାର୍ଥ ନବାବ ସାହେବଙ୍କ ସୁରାବିଷ୍ଟ ମସ୍ତିଷ୍କରେ ପଶିଲା କି ନାହିଁ କେଜାଣି, କିନ୍ତୁ ସେ ମୋଟାମୁଟି ଏତିକି ବୁଝିନେଲେ ଯେ ଏଇ ଅପୂର୍ବ ପ୍ରେମଲୀଳା ତତ୍‌କ୍ଷଣାତ୍ ବନ୍ଦ କରିଦେବା ତମିଜ୍‍ର ମିନତି । ସେ ଭ୍ରୁକୁଟୀ କରି ବରକ୍ତି ହେଲେ । କହିଲେ–ଯାଓ ! ବିଚରା ତମିଜ୍ ହତାଶ ହୋଇ ଫେରିଲା । ତା’ର ଗୋଡ଼ହାତ ଛାତି କମ୍ପୁଥାଏ ।

 

ରାତି ବଢ଼ିଲା, ରାତିର ନିସ୍ତବ୍ଧତା ଭେଦ କରି ଫେର୍ ଘୋଡ଼ା ଶବ୍ଦ ଆସିଲା, ନିକଟରୁ ନିକଟତର । ତମିଜ୍ ଗଲା ଖବର ବୁଝିବାକୁ~ଜଣେ ଅମାତ୍ୟ ମହା ବ୍ୟସ୍ତ ହୋଇ ବଗିଚା ଭିତରକୁ ଆସୁଥିଲା । ତମିଜ୍ ନ ଯାଇ ନବାବ ସାହେବଙ୍କୁ ଖବର ଦେଲା-ଜରୁରୀ ଖବର ଘେନି ଅମାତ୍ୟ ଟିକେ ଦୂରରେ ତାଙ୍କୁ ଅପେକ୍ଷା କରୁଛନ୍ତି । ବିରକ୍ତ ମୁଖରେ ନବାବ ସାହେବ ବାହାରି ଆସିଲେ, କିନ୍ତୁ ଅମାତ୍ୟଙ୍କଠୁଁ ଯେ ସମ୍ବାଦ ପାଇଲେ ତହିଁରେ ତାଙ୍କର ନିଶା, ତାଙ୍କର ସ୍ଵପ୍ନ ନିମିଷକେ ତୁଟିଗଲା । ସେ ତତ୍‌କ୍ଷଣାତ୍ ଗମ୍ଭୀର ସ୍ଵରରେ ଡାକିଲେ–ତମିଜ୍, କୁର୍ବାନ । ତମିଜ୍ ଆସିଲା, କିନ୍ତୁ କୁର୍ବାନ୍‌ର ଦେଖା ଆଉ ମିଳିଲା ନାଇଁ ।

 

ନବାବ୍ ସାହେବ ହାତ ଧରି ବେଗମ ସାହେବାଙ୍କୁ କୋଠିକୁ ନେଇଗଲେ । ଏଣେ ତାଙ୍କ ହୁକୁମରେ ଲୋକ ସବୁ ସୂନା ରୂପା ଧନରତ୍ନ ଗୋଟେଇବାକୁ ଲାଗିଲେ- ଗୋଟେ ନବାବର ପୂରା ଧନ ଭଣ୍ଡାର । ଅଳ୍ପକ୍ଷଣ ପରେ ନବାବ୍ ଫେରିଲେ–ମୁହଁରେ ଗଭୀର ଚିନ୍ତାର ରେଖା, କଠୋର ପ୍ରତିଜ୍ଞାର ଚିହ୍ନ । ଖବର ଆସିଥିଲା ଯେ ପ୍ରାୟ ପାଞ୍ଚଶହ ମରହଟ୍ଟା ବର୍ଗୀ ହଠାତ୍ ଏ ଅଞ୍ଚଳକୁ ଆସି ଯାଇଛନ୍ତି । ଆଉ ଆଜି ସନ୍ଧ୍ୟା ପରେ ଏଇ କୋଠି ଆଡ଼କୁ ଘୋଡ଼ା ଛୁଟାଇ ଆସୁଛନ୍ତି । ନିଶ୍ଚେ କୌଣସି ବିଶ୍ଵାସଘାତକର କାରାସାଦି । ନବାବ୍ ସାହେବ ଦୁଇ ଅମାତ୍ୟଙ୍କୁ ଅନାଇ ଦେଖିଲେ । ତମିଜ୍‍କୁ ତୀକ୍ଷ୍ମଣ ଦୃଷ୍ଟିରେ ଚାହିଁଲେ–ଶେଷରେ ପଚାରିଲେ- କୁର୍ବାନ୍ ?

 

ଖୋଦା ବନ୍ଦ୍‍, ତାକୁ ତ ଦେଖା ଯାଉନି କାହିଁ–ତମିଜ୍ କହେ । “ନିମକ୍ ହାରାମ ଆଚ୍ଛା, ଏସବୁ ନେଇ ଯିବାର ସମୟ ନାହିଁ, ଅମୁହାଁ କୂଅ ଭିତରେ ଢ଼ାଳିଦିଅ ।” ତାହାହିଁ ହେଲା, ଥଳି ଥଳି ବସ୍ତା ବସ୍ତା ସୁନା ରୁପା ମଣିମୁକ୍ତା ସବୁ ଗଲା ସେହି ଅମୁହାଁ କୂଅ ଭିତରକୁ ।

 

ତେଣେ ଚାରିଟା ଦ୍ରୁତଗାମୀ ଘୋଡ଼ା ତିଆରି- ନବାବ୍ ସାହେବ, ବେଗମ୍ ସାହେବା, ଆଉ ଦୁଇଜଣ ଅମାତ୍ୟଙ୍କ ଲାଗି । ସେମାନେ ତତ୍‍କ୍ଷଣାତ୍ ଗଡ଼ ଆଡକୁ ରଓଆନା ହେଲେ । କିନ୍ତୁ ବେଶୀ ଦୂର ଯାଇ ପାରିଲେ ନାହିଁ । ବର୍ଗୀମାନେ ଅତର୍କିତେ ଆସି ପହଞ୍ଚିଗଲେ । ପ୍ରାଣଭୟରେ ତମିଜ୍ ଅନ୍ୟର ଅଲକ୍ଷ୍ୟରେ ପୋଖରୀ କୂଳର ଗୋଟେ ଝଙ୍କାଳିଆ ଗଛର ଅଗ ଡାଳରେ ଯାଇ ଲୁଚି ରହିଲା ।

 

ବର୍ଗୀମାନେ ଯାହାକୁ ପାଇଲେ ପଛ ମୋଡ଼ା କରି ବାନ୍ଧି ବାଡ଼େଇବାକୁ ଲାଗିଲେ, ଅସହ୍ୟ ଯନ୍ତ୍ରଣା ଦେବାକୁ ଲାଗିଲେ-କହ ଟଙ୍କା ସୁନା ରୂପା କେଉଁଠି ଲୁଚାଇଛନ୍ତି, କହ ନବାବ୍ ସାହେବ କୁଆଡ଼େ ଗଲେ ? କହ, କହ, କହ, ନ କହିଲେ ତ୍ରାହି ନାହିଁ ।

 

କିଏ କହିଲା ସୁନା ରୂପା ନେଇ ଯାଇଛନ୍ତି, କିଏ କହିଲା ପୋଖରୀରେ ଢାଳିଛନ୍ତି, କିଏ କହିଲା କୂଅରେ । କିନ୍ତୁ ନବାବ୍ ସାହେବ ଯେ ଗଡ଼ ଆଡ଼କୁ ଯାଇଛନ୍ତି ସେ କଥା ବାହାରି ପଡ଼ିଲା । ଆଠ ଦଶ ଜଣ ବର୍ଗୀ ଘୋଡ଼ା ଛୁଟାଇ ଦଉଡ଼ିଲେ ତାଙ୍କ ପଛେ ପଛେ !

 

ତା ପରର କାହାଣୀ ଯେମିତ ସଂକ୍ଷିପ୍ତ ସେମିତି କରୁଣ ! ତରୁଣ ନବାବ୍ ଦମ୍ପତି ସେଦିନ ବର୍ଗୀ ଦସ୍ୟୁଙ୍କ କବଳରେ ପଡ଼ି ଅକଥ୍ୟ ଲାଞ୍ଛନା ଭୋଗ କଲେ । ନବାବ୍ ସାହେବଙ୍କୁ ହାତଗୋଡ଼ ବାନ୍ଧି ନଖ ତଳେ କଣ୍ଟା ବିନ୍ଧି ବିନ୍ଧି ସେମାନେ ଖବର ବାହାର କଲେ ଯେ ସୁନା ରୂପା ସବୁ ଅମୁହାଁ କୂଅ ଗର୍ଭରେ ପଡ଼ିଛି । ଏଇ ଅମୁହାଁ କୂଅ କଥା ଏ ଅଞ୍ଚଳରେ ବହୁଦିନରୁ ଚଳି ଆସୁଥିଲା, ସେମାନେ ପୁର୍ବରୁ ଥରେ ଅଧେ ତା ଭିତରୁ କିଛି ବାହାର କରିବାର ଚେଷ୍ଟା ବି କରିଥିଲେ । କିନ୍ତୁ ପ୍ରତିଥର କିଛି ନା କିଛି ବିପଦ, କିଛି ନା କିଛି କ୍ଷତି ହୋଇଥିଲା ସେମାନଙ୍କର । ସେମାନେ ବୁଝି ପାରିଲେ ଯେ ଯେଉଁ ବଡ଼ ଦାଉଁ ମାରିବାକୁ ସେମାନେ କୋଶ କୋଶ ବାଟ ଘୋଡ଼ା ଛୁଟାଇ ଆସିଥିଲେ, ସେ ଦାଉଁ ମିଳିଲା ନାହିଁ । ସେମାନଙ୍କୁ ସାମାନ୍ୟ ଲୁଟିରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଏକଥା ସ୍ପଷ୍ଟ ହେବାରୁ, ସେମାନଙ୍କର ସବୁ ଯାଇ ପଡ଼ିଲା ନବାବଙ୍କ ଉପରେ । ହୁକୁମ ହେଲା -ନବାବକୁ ବି ତାଙ୍କ ଧନରତ୍ନ ସଙ୍ଗେ କୂଅରେ କବର ଦିଅ । ହାତ ଗୋଡ଼ ବାନ୍ଧି ବିଚରା ନବାବଙ୍କୁ କୂଅରେ ପକେଇ ଦେଲେ ନୃଶଂସମାନେ । ତହିଁ ଆରଦିନ ତାର ମୁହଁଟା ବନ୍ଦ କରିଦେବାକୁ ବି ହୁକୁମ ଦେଇଗଲେ । ସେଇଠୁ ଅମୁହାଁ ଘରର ଉତ୍ପତ୍ତି ।

 

କିଲ୍ଲା ପୋଖରୀ ବଗିଚା ଉପରେ ଏଇ ନିଦାରୁଣ ଝଡ଼ ବହି ସବୁ ଓଲଟ ପାଲଟ ହୋଇଯିବା ପରେ ସମସ୍ତେ ଯେତେବେଳେ ଚାଲିଗଲେ, ସେ ଦୃଶ୍ୟ ଶ୍ମଶାନର ଦୃଶ୍ୟଠାରୁ ଅଧିକ ଭୟଙ୍କର ଦିଶିଲା । ପୁନେଇ ରାତି ଉଆଁସକୁ ବଳିହେଲା ଭୟାନକ । ତମିଜ୍ ସେଇ ଗଛ ଆଗରେ ଚଢ଼ି ବସିଥାଏ–ସକାଳ ହେଲେ ଓହ୍ଲେଇବ । ହଠାତ୍ ସେଇ କାଳ ରାତ୍ରିର ଭୀଷଣ ନିସ୍ତବ୍ଧତା ଭେଦ କରି ଗୋଟିଏ ପୈଶାଚିକ ଅଟ୍ଟହାସ୍ୟ କୂଅ ଗର୍ଭରୁ ଶୁଣାଗଲା–ଅଜ୍ଞାନ ହେଲେ ଗଛରୁ ପଡ଼ିଯିବା ଭୟରେ ତମିଜ୍ ଆଖି ବନ୍ଦ କରି ଆଲ୍ଲା ନାମ ସ୍ମରଣ କରୁ କରୁ ଶୁଣିଲା, କିଏ ଦାନ୍ତ କଡ଼ ମଡ଼ କରି କହୁଛି ଛାର ମଣିଷ ହେଇ ଯଖକୁ ବଳିଯିବ ଧନ ଦୌଲତରେ । ଏଡ଼େ ଗର୍ବ, ଏଡ଼େ ଅହଂକାର-ହାଃ- ହାଃ ହାଃ ! ସେଇଦିନୁ ଧନ ଲୋଭୀ ଯଖ ମଣିଷକୁ ହିଂସା କରିବାକୁ ଆରମ୍ଭ କଲା । କିନ୍ତୁ ସେ ହିଂସାକୁ ଅଗ୍ରାହ୍ୟ କରି ଏବେ ସୁଦ୍ଧା କେତେ ପୁନେଇର ମଲ୍ଲୀଫୁଲିଆ ଜହ୍ନ ରାତିରେ ପ୍ରେମ ପାଗଳ ନବାବ୍ ବେଗମ କିଲ୍ଲା ପୋଖରୀ ବଗିଚାରେ ଖେଳି ବୁଲୁଥିବାର ଶୁଣାଯାଏ ।

Image

 

ହେଡ଼୍‍ମାଷ୍ଟର

ଶ୍ରୀ ବିଭୂତି ଭୂଷଣ ତ୍ରିପାଠୀ

 

ଏକେ ଶୀତ ଦିନ–ସାଙ୍ଗକୁ ପୁଣି ରବିବାର । କାଳି ରାତିରେ କ୍ଲବରୁ ଫେରୁ ଫେରୁ ତାରିଖ ବଦଳି ଯାଇଥିଲା । ଶନିବାରର ସନ୍ଧ୍ୟାଟା କାଲି ଖୁବ୍ ଜମିଉଠିଥିଲା । କେତେକ ସମଝଦାର ବନ୍ଧୁ ଜୁଟିଯାଇଥିଲେ । ଫଳରେ ଫ୍ଲାସ୍ ଝୁଙ୍କରେ ପାନୀୟର ମାତ୍ରା ସୀମା ଅତିକ୍ରମ କରିଯାଇଥିବା ବିଚିତ୍ର ନୁହେଁ । କିନ୍ତୁ ସେଥିରେ କିଛି ଯାଏଆସେ ନାହିଁ; ମାତ୍ରା ଯେତେ ଅଧିକ ହେଲେ ବି ପାଦ ଟଳିବ ନାହିଁ । ଡ୍ରାଇଭିଂ ହୁଇଲ୍ ଉପରେ ହାତ ଥରିବ ନାହିଁ । ପରଦିନ ତ ରବିବାର; ଦିନ ଏଗାରଟା ବେଳେ ବିଛଣା ଛାଡ଼ିଲେ ବି କ୍ଷତି ନାହିଁ ।

 

ସକାଳେ ସାଢ଼େ ସାତ ବାଜିଯାଇଥିଲେ ବି ମୁଁ ଯେତେବେଳେ ନିଘୋଡ଼ ନିଦ୍ରାରେ ଅଚେତନ, କରୁଣାଙ୍କର ଅର୍ଥାତ୍ ମୋ ସ୍ତ୍ରୀଙ୍କର ଅକରୁଣା ତୁହିନଶୀତଳ କରସ୍ପର୍ଶରେ ମୁଁ ଚେଇଁଉଠିଲି । ଆଜି ତ ରବିବାର । କୌଣସି ଏନ୍‌ଗେଜମେଣ୍ଟ ନ ଥିବାର କଥା । କବାଟ ଝରକା ବନ୍ଦ କରିଦେଇ ପର୍ଦ୍ଦା ଟାଣିଦେଇ ଆମ ବେଡ଼୍‍ରୁମ୍‌ ଏରିଆକୁ ନୀରବ ନିଶ୍ଚଳ କରିଦେଇ କରୁଣାଙ୍କର ତ ତଳକୁ ଚାଲିଯିବାର କଥା । ପିଲାପିଲି ବି ଏ ସମୟରେ ଆସିବାର ବାରଣ ଅଛି । ରବିବାର ସକାଳପାଇଁ ଏଭଳି ଏକ ବ୍ୟବସ୍ଥା ବହୁଦିନରୁ ଚାଲିଆସୁଛି । ତା’ହେଲେ ଆଜି ଏ ବ୍ୟତିକ୍ରମ କାହିଁକି ? ରୋଷକଷାୟିତ ଦୃଷ୍ଟି କରୁଣାଙ୍କ ଆଡ଼େ ଥରେ ନିକ୍ଷେପ କରି କଡ଼ ଲେଉଟାଇ ପୁଣି ଶୋଇବାର ଉଦ୍ୟମ କରୁଥିଲି, କରୁଣା ବଡ଼ ବ୍ୟସ୍ତ ହୋଇ କହିଉଠିଲେ–“ଏ, ନିଦ ଭାଙ୍ଗିଦେଇ ଉଠ, ତଳକୁ ଯାଅ । କିଏ ଜଣେ ଭଦ୍ରଲୋକ ଦେଢ଼ଘଣ୍ଟା ହେଲା ଆସି ବସିଛନ୍ତି ତୁମକୁ ଦେଖା କରିବେ ବୋଲି..!”

 

ଏଥର ଅତିଶୟ ବିରକ୍ତ ହୋଇଉଠିଲି, ‘‘ଭଦ୍ରଲୋକ ଆସିଛନ୍ତି ! କହିଦେଲନି, ଆଜି ରବିବାର, ଦେଖା ହେବନାହିଁ ।”

 

କରୁଣା ଓଠ ଉପରେ ଆଙ୍ଗୁଳି ରଖି କହିଉଠିଲେ- “ଚୁପ୍ ଚୁପ, ଏଡ଼େ ପାଟିଟାଏ କରନାହିଁ । ମୁଁ କ’ଣ ସେ ଚେଷ୍ଟା କରିନାହିଁ ! କିନ୍ତୁ ଭଦ୍ରଲୋକ ଉଠିବାର ନାମ ଧରୁନାହାନ୍ତି । କହୁଛନ୍ତି, ‘ହଉ, ହଉ, ସେ ଉଠୁ, ମୁଁ ବସିଛି ।’ କି ଚମତ୍କାର କଣ୍ଠ, ଲମ୍ବା ଧଳା ଦାଢ଼ି, ଆଖିରେ ସୁନା ଚଷମା, ବେଶ୍ ସମ୍ଭ୍ରାନ୍ତ ବୃଦ୍ଧ ଭଦ୍ରଲୋକ । ତୁମ ସହିତ ଖୁବ୍ ଘନିଷ୍ଠତା ଥିଲା ପରି ମନେହେଉଛନ୍ତି । ଛୁଆଙ୍କୁ ଡକାଇ ପଠାଇଲେ । ଟୁନୁ ରୀନାଙ୍କୁ ପଠାଇଦେଲି । ଛୁଆ ଦି’ଟାଙ୍କ ସହିତ ତାଙ୍କର ସେ କି ଗପ, କି ହୋ ହୋ ହସ ! ଚା' ପଠାଇଲି, ମନା କରିଦେଲେ । ସିଗ୍ରେଟ୍, ପାନ ଫେରିଆସିଲା । ମୋତେ ଶୁଣାଇ କହିଲେ, “ମା, ମୋର ସେସବୁ କିଛି ଅଭ୍ୟାସ ନାହିଁ । ଗୋଲକନାଥକୁ ଟିକେ ଦେଖିବାକୁ ଆସିଥିଲି, ମୋ ପାଇଁ ବ୍ୟସ୍ତ ହେବନାହିଁ ।”

 

ତଡ଼ିତ୍‍ଷ୍ପୃଷ୍ଟ ପରି ମୁଁ ଉଠି ବସିଲି । ଏ ତ ଆମ ହେଡ୍‌ମାଷ୍ଟର- ମୋର ସ୍କୁଲ୍ ଜୀବନର ହେଡ୍‌ମାଷ୍ଟର । ଚେୟାର ଉପରୁ ଡ୍ରେସିଂ ଗାଉନ୍‌ଟିକୁ ଟାଣିଆଣି ଚଟିଯୋଡ଼ାକ ଗୋଡ଼ରେ ଗଳାଇ ବାହାରି ପଡ଼ୁଥିଲି ତଳକୁ ଯିବାପାଇଁ ।

ହେଡ୍‍ମାଷ୍ଟରଙ୍କ କଥା କରୁଣା ବହୁବାର ମୋ'ଠାରୁ ଶୁଣିଥିବେ । ସେ ଥକ୍‌କା ହୋଇ କ୍ଷଣକପାଇଁ ଛିଡ଼ା ହୋଇଗଲେ । କିନ୍ତୁ ସେ ବୁଦ୍ଧିମତୀ । ମୋତେ ସେ ବାଥ୍‌ରୁମ୍‌ଆଡ଼କୁ ଠେଲିଦେଇ ଚୁପ୍ ଚପ୍ କହିଲେ, “ତୁମେ ମୁହଁ ଧୋଇନିଅ । ମୁଣ୍ଡଟାକୁ କୁଣ୍ଡାଇପକାଅ -ସେଠି ଇଉଡ଼ିକଲୋନ୍ ସ୍ପ୍ରେ ଅଛି । ମୁଁ ଚଟ୍ କରି କପେ ଚା’ ଆଣି ଦେଉଛି- ଖାଇ ଦି’ଟା ଲବଙ୍ଗ, ଗୁଜରାତି ଚୋବାଇ ତଳକୁ ଯାଇ ତୁମ ହେଡ୍‍ମାଷ୍ଟରଙ୍କୁ ଦେଖା କର ।”

 

ବୁଝିପାରିଲି କରୁଣାଙ୍କ ଉପଦେଶର ମର୍ମ । ଶନିବାର ମଧ୍ୟରାତ୍ରିର ହେଙ୍ଗ୍‍ଓଭର ଦୃଷ୍ଟେ ତାଙ୍କର ଏ ପ୍ରତିଷେଧକ ବ୍ୟବସ୍ଥା । ମୋର ଏକ ବିମୂଢ଼ ଅବସ୍ଥାରେ ବି ହସିପକାଇଲି ।

 

ତଳ ତାଲାରୁ ଭାସିଆସୁଛି ପିଲାଙ୍କ ସଙ୍ଗେ ହେଡ୍‍ମାଷ୍ଟରଙ୍କ ଦରଜା ସାବଲୀଳ କଣ୍ଠ, ପ୍ରାଣଖୋଲା ହୋ ହୋ ହସ ! ତିରିଶି ଚାଳିଶି ବର୍ଷର ବ୍ୟବଧାନ କ୍ଷଣକପାଇଁ ଅପସରିଗଲା । ମୁଁ ସେତେବେଳେ କ୍ଲାସ୍ ସେଭେନ କି ଏଇଟ୍‌ରେ ପଢ଼ୁଥାଏ । ମୋଟା ସୋଟା ନ’ଦଶ ବର୍ଷର ବାଳକ । ଲୁଗାକାନି କମରରେ କଷା, ଖାଲି ଦେହ, ମୁଣ୍ଡରେ ଝଙ୍କାଏ ବାଳ । ମୋ ବଡ଼ ଭାଇକୁ ଜର ହୋଇ ଛାଡ଼ିଯାଇଥାଏ–ପାଟି ଅରୁଚି । ମୋତେ ଚୁପ୍ କରି କହିଲା, “ଯା’ତ, ଜମିଦାର ଘର ବରକୋଳି ଗଛରୁ ଦରପାଚିଲା କୋଳି ମୋ ପାଇଁ ଆଣିବୁ । ଭାରି ଇଚ୍ଛା ହେଉଛି ଖାଇବାକୁ । ଏୟ, ବୋଉକୁ କହିବୁ ନାହିଁଟି !” ସଙ୍ଗେ ସଙ୍ଗେ ଛୁଟିଲି । ଶୀତଦିନିଆ ସକାଳ । ଜମିଦାର ଘର ବାଡ଼ି ଭିତରକୁ ପଶିଲି । ଅନେକ ଘୂରାଘୂରି କରି ଠାବ କଲି ବରକୋଳି ଗଛର ଅଗ ଡାଳରେ ଗୋଟାଏ ନାଲ୍ ଟକ୍‌ ଟକ୍ କୋଳି । ସେଇଟା ନେବି ନନା ପାଇଁ । ଟେକା ପକାଇଲି, ଫୋପଡ଼ି ମାରିଲି । କିଛି ହେଲା ନାହିଁ । କଞ୍ଚା କୋଳି କେତେକ ଝଡ଼ି ପଡ଼ିଲା; କିନ୍ତୁ ସେ ପାଚିଲା କୋଳିଟା ସେମିତି ଅଗ ଡାଳରେ ପତ୍ରସନ୍ଧିରେ ଜକ୍ ଜଜ୍ କରୁଥାଏ । ଝାଳ ବୋହିଗଲା । ଛାଇରେ ବସି ଝାଳ ମାରି ପୁଣି ଉଠି ଟେକା ଫୋପଡି ମାରିଲି । ଅନେକ ଚେଷ୍ଟା ପରେ ଗୋଟିଏ ଫୋପଡ଼ ଯାଇ ଠିକ୍ ଜାଗାରେ ବାଜିଗଲା । ସେଇ କୋଳିଟା ତଳେ ଆସି ପଡ଼ିଲା ମାତ୍ରକେ ଦୌଡ଼ି ଯାଇ ତଳୁ ଗୋଟାଇଆଣି ଲୁଗାକାନିରେ ପୋଛି ଘରକୁ ଯିବାକୁ ଗୋଡ଼ ବଢ଼ାଉଛି, ବଙ୍ଗଳା ଭିତରୁ ବାହାରିଆସିଲେ ଏକ ଦାଢ଼ିଆ ବୁଢ଼ା ଭଦ୍ରଲୋକ । ଆଖିରେ ସୁନା ଚଷମା, ଉଜ୍ଜ୍ୱଳ ଯୋଡ଼ିଏ ଆଖି, ଆଉ ଦାଢ଼ୀ ଭିତରୁ ଧଳା ଧଳା ଦୁଇପାଟି ଦାନ୍ତ । ମୁଁ ଡରରେ ପ୍ରାୟ ଥରୁଥିଲି । ମୁଁ ଯେତେ ଟେକା ଫୋପାଡ଼ିଲିଣି ସେଥିରୁ ଗୋଟେ ଯୋଡ଼େ ଯାଇ ଘର ଭିତରେ ପଡ଼ିଗଲା କି ! ଜମିଦାର ଘର ଗଛରୁ କୋଳି ଚୋରି କରୁଛି, ମୋତେ ଜେଲ୍ ଦେବେ କି ! ହେ ଭଗବାନ, ମୋତେ ଏଇ ଥରଟା ଛାଡ଼ିଦିଅ - ଆଉ କେବେ ଏମିତି କରିବି ନାହିଁ । କିନ୍ତୁ ଏ କ'ଣ ! ସେ ବୁଢ଼ା ଭଦ୍ରଲୋକ ହସି ହସି ମୋ ପାଖକୁ ଆସି ପିଠି ଥାପୁଡ଼ାଇ କହିଲେ, “ଓ୍ଵେଲଡନ୍, ମାଇଁ ବୟ !”

 

ପରେ ଜାଣିଲି, ସେଇ ଆମ ସ୍କୁଲର ନୂଆ ହେଡ୍‌ମାଷ୍ଟ୍ର । ମଧୂସୁଦନ ଗ୍ରନ୍ଥାବଳୀରୁ ପଦ୍ୟ ମୁଖସ୍ଥ କଲାବେଳେ ମୂଳ ପୃଷ୍ଠାରେ କବିଙ୍କ ଛବିଟି ମୋତେ ଭାରି ଭଲ ଲାଗୁଥାଏ । ସେଇ ଛବି ସଙ୍ଗେ ଆମ ହେଡ୍‌ମାଷ୍ଟ୍ରରଙ୍କ ମୁହଁର କି ଅଭୂତ ମେଳ ! ସେଇ ଚଉଡ଼ା କପାଳ, ଧଳା-କଳା ଦାଢ଼ି, ସୁନା ଚଷମା ଓ ଚଷମା ତଳେ ଉଜ୍ଜ୍ୱଳ ସୁନ୍ଦର ଆଖିଯୋଡ଼ିକ । ମୋ ମନ ଭିତରେ ମଧୁ ରାଓ ଓ ହେଡ୍‌ମାଷ୍ଟ୍ରର ମିଶି ଏକ ହୋଇଯାନ୍ତି । ସେଇ ପିଲାଟିଦିନରୁ ସେ ଦୁଇ ମହାପୁରୁଷଙ୍କ ଗଭୀର ଛାପ ମୋ ମନ ଉପରେ ଆଙ୍କି ହୋଇଯାଏ ।

 

କେଇଟା ଦିନ ଭିତରେ ସ୍କୁଲର ଆବହାଓ୍ୱା, ପୁରାପୁରି ବଦଳିଗଲା । ହେଡ୍‌ମାଷ୍ଟ୍ରରଙ୍କ ନାମରେ ସମସ୍ତେ ଥରହର । ଆମମାନଙ୍କୁ ସେ ଯେତିକି ସ୍ନେହ କରନ୍ତି, ସେତିକି କଡ଼ା । ସାମାନ୍ୟ ଦୋଷତ୍ରୁଟି ତାଙ୍କ ଦୃଷ୍ଟି ଏଡ଼ାଇବାର ଉପାୟ ନାହିଁ । ମନେପଡ଼ୁଛି ଥରେ ଡେସ୍କ ଉପରକୁ ଝୁଙ୍କି ପଡ଼ି ହାତ ଉପରେ ମୁଣ୍ଡ ରଖି ଟିକିଏ ଢୁଳାଇ ପଡ଼ିଥିଲି ନା’ କଣ ହେଡ୍‌ମାଷ୍ଟ୍ରେ ଗର୍ଜି ଉଠିଲେ, “ଏୟ, ୟୁ, ଷ୍ଟାଣ୍ଡ ଅପ୍ ଅନ୍ ଦି ବେଞ୍ଚ !' କେବଳ ସେଇ ପିରିୟଡ୍‌ଟା ନୁହେଁ; ଲଗାଲଗି ଦୁଇ ପିରିୟଡ଼ ବେଞ୍ଚ ଉପରେ ଛିଡ଼ାହୋଇ ରହିଲି । ଏ ତ ସାମାନ୍ୟ ଦଣ୍ଡ । କ୍ଲାସକୁ ଟାସ୍କ ନ କରି ଆସିଲେ ବା କୌଣସି ଫାଜିଲାମି ବା ଦୁଃଷ୍ଟାମି ଆଖିରେ ପଡ଼ିଲେ ଖୋଲା ହାତ ପାପୁଲି ଉପରେ ଚାଲିବ ବେତ୍ରାଘାତ–ଏକ, ଦୁଇ, ତିନି-ସାରା କ୍ଲାସ ସ୍ତବଧ, ନିସ୍ପନ୍ଦ ।

 

କି ଚମତ୍କାର ପଢ଼ାନ୍ତି ହେଡ୍‌ମାଷ୍ଟ୍ରେ । ଇଂରାଜୀ କବିତା ହେଉ ବା ଓଡ଼ିଆ କବିତା ହେଉ ସେ ଯେତେବେଳେ ଆବୃତ୍ତି କରି ପଢ଼ନ୍ତି (ବହି କେବେ କେମିତି ଦେଖନ୍ତି ସିନା, ସବୁ ମୁହଁରୁ), ଶବ୍ଦଗୁଡ଼ିକର ଅର୍ଥ ବୁଝୁଁ ବା ନ ବୁଝୁଁ ସେ କବିତାର ମର୍ମ ଯେପରି ଆମ ପ୍ରାଣକୁ ସ୍ପର୍ଶ କରୁଥିଲା । ମନେ ଅଛି ଥରେ ହେଡ୍‌ମାଷ୍ଟ୍ରେ ‘ମାଇଁ ମଦର’ ବୋଲି ଗୋଟିଏ ଇଂରାଜୀ କବିତା ମାନେ ନ ବୁଝାଇ ଧୀରେ ଧୀରେ ବୋଲିଯାଉଥାନ୍ତି । ହଠାତ୍ କ’ଣ ଗୋଟାଏ ଶବ୍ଦ ଶୁଣି ପଛକୁ ଅନାଇ ଦେଖେଁ, କୈଳାସ କଇଁ କଇଁ ହୋଇ କାନ୍ଦୁଛି । କୈଳାସର ମା’ କିଛିଦିନ ହେଲା ମରିଯାଇଥାନ୍ତି ।

 

ହେଡ୍‌ମାଷ୍ଟରଙ୍କର ସବୁଠୁ ପ୍ରିୟ କବିତା ଆବୃତ୍ତି । ଉଚ୍ଚାରଣ ଶୁଦ୍ଧ ନ ହେଲେ ବାରମ୍ବାର, ଦଶ କୋଡ଼ିଏ ଥର ପ୍ରତ୍ୟେକ ଶବ୍ଦକୁ ସ୍ପଷ୍ଟରୂପେ ଉଚ୍ଚାରଣ କରି ବୋଲିବାକୁ ହେବ । ଆମ ପ୍ରାର୍ଥନା କ୍ଲାସରେ ହେଡ୍‌ମାଷ୍ଟ୍ରେ ଯେତେବେଳେ ତାଙ୍କ ଗୁରୁଗମ୍ଭୀର କଣ୍ଠରେ ଆରମ୍ଭ କରନ୍ତି ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନସ୍ଵାମୀ’ ଓ ବୋଲିଯାନ୍ତି ‘ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ, ଭସାଅ ପରାଣ ମୋର ତବ ପ୍ରେମସ୍ରୋତେ’ ମୋ ରୁମ ଟାଙ୍କୁରି ଉଠେ । ସ୍କୁଲ, କଲେଜ ଛାଡ଼ିବାର ବହୁ ବର୍ଷ ପର୍ଯ୍ୟନ୍ତ ଏଇ ଦୁଇଟି ପଂକ୍ତି ଆବୃତ୍ତି କରି ମୁଁ ଗଭୀର‌ ସାନ୍ତ୍ୱାନା ପାଉଥିଲି ।

 

ଯେଉଁ ତିନି ଚାରି ବର୍ଷ ମୁଁ ସ୍କୁଲରେ ଥିଲି ହେଡ୍‌ମାଷ୍ଟରଙ୍କର ସ୍ନେହ, ବ୍ୟକ୍ତିତ୍ଵ, ଶିକ୍ଷା ଓ ଆଦର୍ଶର ପ୍ରଭାବ ମୋତେ ପୂର୍ଣ୍ଣଭାବରେ ଆଚ୍ଛନ୍ନ କରି ପକାଇଥିଲା । ପଢ଼ାପଢ଼ି ଠାରୁ ଆରମ୍ଭ କରି କ୍ଲାସ ବାହାରେ ଚାଲିଚଳଣ ସବୁ କ୍ଷେତ୍ରରେ ତାଙ୍କର ଅଦୃଶ୍ୟ ଅଙ୍ଗୁଳି ନିର୍ଦ୍ଦେଶ ଅନୁଭବ କରୁଥିଲି । ସ୍କୁଲ ଛାଡ଼ି କଲେଜରେ ଭର୍ତ୍ତି ହେଲି । ତା'ପରେ ବିଦେଶରେ ଉଚ୍ଚଶିକ୍ଷା ପାଇ ଫେରିଆସି ଗୋଟାଏ ବଡ଼ ଫାର୍ମରେ ଇଞ୍ଜିନିଅର ଭାବେ ମୋର ଚାକିରି ଜୀବନର ଆରମ୍ଭ । ମଧ୍ୟେ ମଧ୍ୟେ ହେଡ୍‌ମାଷ୍ଟ୍ରଙ୍କଠାରୁ ଚିଠି ପାଏ- ଶୁଦ୍ଧ ଓଡ଼ିଆରେ କେତୋଟି ସୁନ୍ଦର ସୁନ୍ଦର କଥା- ଶୁଭେଚ୍ଛା-ଆଶୀର୍ବାଦ । ଉତ୍ତର ଲେଖେ ଇଂରାଜୀରେ (ଓଡ଼ିଆ ଲେଖିବାର ଅଭ୍ୟାସ କ୍ରମେ ଛାଡ଼ି ଯାଇଥିବାରୁ) ଡରି ଡରି ଲେଖେଁ ଡିକ୍‌ସନାରୀ ଦେଖି, ଯେମିତି ବନାନ ଭୁଲ ନ ରହେ । ବନାନ ବା ବ୍ୟାକରଣ ଭୁଲ୍ ଦେଖିଲେ ହେଡ୍‌‌ମାଷ୍ଟ୍ରେ କିଭଳି ଅସହିଷ୍ଣୁ ହୋଇପଡ଼ନ୍ତି ସେ ଦୃଶ୍ୟ ମନରେ ପଡ଼ିଯାଏ ।

 

ତା'ପରେ ବହୁବର୍ଷ ଗଡ଼ିଯାଇଛି । ଚାକିରିର ସିଡ଼ିରେ ଧାପେ ଧାପେ ଉଠି ମୁଁ ପ୍ରାୟ ଶୀର୍ଷ ସ୍ଥାନ ଅଧିକାର କରିଛି । ଯଥେଷ୍ଟ ବିତ୍ତ ଓ ପ୍ରତିପତ୍ତି ଅର୍ଜନ କରିଛି । ମୁଁ ଆଜି ଫେକ୍‌ଟ୍ରିର ବଡ଼ସାହେବ !

 

ହେଡ୍‍ମାଷ୍ଟ୍ରରଙ୍କ ସଙ୍ଗେ ଚିଠିପତ୍ରର ଆଦାନପ୍ରଦାନ ନ ଥିଲେ ବି ଖବର ରଖିଥିଲି- ସେ ଚାକିରିରୁ ଅବସରନେଇ ପୁରୀରେ ରହୁଥିଲେ । ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏକମାତ୍ର ପୁତ୍ର ଦୂର ଦେଶରେ କେଉଁଠି ଚାକିରି କରୁଥିଲା । ସେ ଏକାକୀ ପୁରୀଧାମରେ ରହି ବାକି ଜୀବନଟା ଜଗନ୍ନାଥଙ୍କ ପାଦତଳେ କଟାଇ ଦେଉଛନ୍ତି । ଏ ଖବର ପ୍ରାୟ ଆଠ-ଦଶ ବର୍ଷ ତଳେ ପାଇଥିଲି । ତା'ପରେ ଆଜି ତାଙ୍କର ଆମ ଘରେ ଆବିର୍ଭାବ ।

 

ସେଇ ପୁରୁଣା ଅତୀତର ଅସ୍ପଷ୍ଟ କେତେଗୁଡ଼ିଏ ଛବି ମନ ଗହୀରର ଅନ୍ଧାରରେ ଭାସି ଉଠିଲା । କରୁଣାଙ୍କ ଉପଦେଶ ଗୁଡ଼ିକ ଅକ୍ଷରେ ଅକ୍ଷରେ ପାଳନ କରି ତର ତର ହୋଇ ସିଡ଼ିରେ ତିନି ଚାରି ପାଉଛ ଓହ୍ଲାଇ ଯାଇ ଲେଣ୍ଡିଂ ଠାରେ ଘୂରିଲାବେଳକୁ ହଠାତ୍ ଆଖିରେ ପଡ଼ିଗଲା ଡ୍ରଇଁରୁମର ଭାରି ଫର୍ଦ୍ଦା ଫାଙ୍କରେ ଏକ ଅଭୂତ ଦୃଶ୍ୟ । ସେଇଠି ‘ବେନିସ୍‌ଟାର’ ଉପରେ ଝୁଙ୍କିପଡ଼ି ଠିଆ ହୋଇଗଲି । ସୋଫାରେ ବସିଛନ୍ତି ହେଡ଼ମାଷ୍ଟ୍ରେ । ବଡ଼ ଶୀର୍ଣ୍ଣ ଦେଖାଯାଉଛନ୍ତି । ମୁହଁର ପାଚିଲା ଦାଢ଼ି ଛାତି ଉପରକୁ ଝୁଲି ପଡ଼ିଛି । ଆଖିରେ ସେଇ ସୁନା ଚଷମା ଚକ୍‌ଚକ୍ କରୁଛି । ସବୁଦିନ ପରି କାନ୍ଧରେ ଏକ ସିଲ୍‌କ ଚଦର । କୋଳରେ ବସିଛି ଝିଅ ରୀନା । ପୁଅ କାନ୍ଧ ପାଖରେ ମୁହଁ ଗୁଞ୍ଜି କ’ଣ ସବୁ କହୁଛି । ଆଙ୍ଗୁଳିରେ ରୀନାର ଝୁରୁଝୁରିଆ ବାଳ ସଜାଡ଼ି ଦେଉଁ ଦେଉଁ ଏଣେ ଟୁନୁ କଥା ମନ ଦେଇ ଶୁଣି ହୋ ହୋ ହୋଇ ହସୁଛନ୍ତି । ଟୁନୁ ପିନ୍ଧଛି ସ୍ଲିପିଂ ସୁଟ୍, ରିନା ଅଲ୍‌ସଟର । ଚୂର୍ଣ୍ଣ କେତେକ କଥାବାର୍ତ୍ତା କାନରେ ଆସି ପଡ଼ିଲା ।

 

ଟୁନୁ- ଏୟ ରୀନା, ଏ ଗ୍ରାଣ୍ଡ ଓଲଡ୍ ମ୍ୟାନ୍ ଠିକ୍ କହା ପରି ଦେଖା ଯାଉଛନ୍ତି, କହିଲୁ ? ସାଣ୍ଟାକ୍ଲସ, ନୁହେଁ ? ଆମେ ଏହାକୁ ଫାଦର କ୍ରିସ୍‌ମାସ୍, ଖାଲି ‘ଫାଦର’ ଡାକିବା, (ତା’ପରେ ହେଡ୍‍ମାଷ୍ଟ୍ରଙ୍କ ଆଡ଼େ) ଆପଣଙ୍କର କିଛି ଆପତ୍ତି ନାହିଁ ତ ?

 

ହେ: ମା:-ନା, ନା, ମୁଁ ଭାରି ଖୁସି । ମୁଁ ତୁମର ଫାଦର କ୍ରିସ୍‌ମାସ । ଚମତ୍କାର ! (ବୁଢ଼ା ଓ ପିଲାଙ୍କର ହୋ ହୋ ହସ)

 

ହେ : ମା :-ଆଚ୍ଛା, ପିଲାଏ, ତୁମେ ଯେଉଁ ସବୁ ପଦ୍ୟ ମୁଖସ୍ଥ କରିଛ ସେଥିରୁ ଗୋଟିଏ ଫାଦର କ୍ରିସ୍‌ମାସ୍‌ଙ୍କୁ ଶୁଣେଇଲ ।

 

ଟୁନୁ–ଶୁଣିବେ ଫାଦର, ମୁଁ ରେସିଟେସନରେ ଯେଉଁ ରାଇମ୍ ବୋଲି ପ୍ରାଇଜ ପାଇଥିଲି ?

 

ରୀନା- ମୁଁ ଟୁନୁଠାରୁ ଆଉରି ଭଲ ରିସାଇଟ୍ କରିପାରେ ବୋଲି ଡାଡ଼ି ସବୁବେଳେ କହନ୍ତି । (ହେଡ୍‌ମାଷ୍ଟ୍ରଙ୍କ ମୁହଁକୁ ତା’ର ଛୋଟ ଛୋଟ ହାତରେ ନିଜ ଆଡ଼କୁ ଘୁରାଇନେଇ) ଶୁଣନ୍ତୁ ଆଗ ମୋ ରେସିଟେସନ୍ ।

 

ହେ : ମା :- (ଦୁଇ ପିଲାଙ୍କୁ ଛାତି ଉପରକୁ ଆଉଜାଇନେଇ) ଶୁଣିବି, ଶୁଣିବି, ସବୁ ଶୁଣିବି ! ଆଚ୍ଛା, ରୀନା, ତୁମେ ଆରମ୍ଭ କର । ତା'ପରେ ଟୁନୁର ପାଳି ।

 

ରୀନା- (ମୁଣ୍ଡରେ ଆଙ୍ଗୁଳି ଘଷି ମନେ ପକାଇ) ହଁ, ମନେପଡ଼ିଛି, ଶୁଣନ୍ତୁ, କେମିତିକା ଫାଷ୍ଟକ୍ଲାସ୍ ରାଇମ୍ -

 

Jack and Jill went up the hill

To fetch a pail of water,

Jack fell down and broke his crown

And jill came tumbling after.

 

ଟୁନୁ–ହେଃ, ଟ୍ରାସ୍ ! ଫାଦର, ଶୁଣନ୍ତୁ ମୋରଟା, କେମିତି ଚମତ୍କାର !

 

Ba Ba black sheep

Have you any wool ?

Yes Sir, Yes Sir,

Three bags full;

One for my master, one for the dame,

One for the little child down the lane.

 

ତା’ପରେ ଟୁନୁ ଓ ରୀନାଙ୍କର ସମବେତ କଣ୍ଠସ୍ଵର :

 

Mary, Mary,

Quite contrary

How does your garden grow ?

 

ହେଡ୍‌ମାଷ୍ଟରଙ୍କ ହସ ଆଉ ଶୁଭୁନାହିଁ । କେତେ ସମୟ ପରେ ହେଡ୍‌ମାଷ୍ଟ୍ରଙ୍କ କ୍ଷୀଣ କଣ୍ଠ, “ଆଚ୍ଛା, ବାବା, ଓଡ଼ିଆ ପଦ୍ୟ କବିତା କିଏ ଶିଖିଛ ? ଯେମିତି ଧର-

 

‘ସତ୍ୟପଥେ ଧର୍ମପଥ

ଘେନିଯାଅ ମୋତେ,

ଭସାଅ ପରାଣ ମୋର

ତବ ପ୍ରେମସ୍ରୋତେ..’

 

(ରୀନା ଓ ଟୁନୁଙ୍କର ବେଦମ ହସ । ମଝିରେ ମଝିରେ ‘ହାଓ ଫନି ! ହାଓ ସୁଇଟ୍ !”)

 

ହେ- ମା-–ପଢ଼ିଛ ନା ପିଲାଏ–

ଯାହା ମୁଁ କରଇଁ ଯାହା ମୁଁ କହଇଁ

ଯାହା ମୁଁ ଚିନ୍ତଇ ମନେ,

ଜଗତର କର୍ତ୍ତା ପରମ ଈଶ୍ଵର

ଜାଣୁଛନ୍ତି ପ୍ରତିକ୍ଷଣେ ।

କିବା ‘ବାଲ୍ୟକାଳୁ ଧର୍ମଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ

 

ଟୁନୁ ଓ ରୀନା- (ଅସ୍ଥିର ହୋଇ) ନା, ନା, ଫାଦର, ଏ ତ ସବୁ ଓଲଡ୍‌ ଭର୍ଣ୍ଣାକୁଲାର । ଆମେ ତ ଓଡ଼ିଆ ପଢୁନାହିଁ–ସବୁ ଇଂଲିଶ୍…..

 

ହେ- ମା- (କଣ୍ଠରେ କିପରି ଏକ ଆତଙ୍କ) ଆଚ୍ଛା, ତୁମ୍ଭେମାନେ ଓଡ଼ିଆ ଜାଣ ନାହିଁ, ଓଡ଼ିଆ ପଢ଼ିପାରିବ ନାହିଁ, ଓଡ଼ିଆରେ ଲେଖିପାରିବ ନାହିଁ ? ପଣକିଆ ?

 

ରୀନା ଓ ଟୁନୁ - ନୋ, ନୋ, ଆମେ ବି-ଲ୍-କୁ-ଲ୍ ଓଡ଼ିଆ ଜାଣୁ ନାହିଁ । ଫାଦର, ପଣକିଆ କ’ଣ ?

 

ହେ: ମା.-(ନୀରବ)

 

ହଠାତ୍ ରୀନା ପାଟିକରି ଉଠିଲା, “ଫାଦର, ଆପଣ କିଛି ଖାଉନାହାନ୍ତି କାହିଁକି ? ଚା', କଫି, କୋକାକୋଲା ? କେଉଁଟା ଭଲ ଲାଗିବ କହନ୍ତୁ ନା ଫାଦର !” (କଣ୍ଠରେ କେମିତି ଅଳି, ଅଭିମାନ)

 

ଟୁନୁ- ଫାଦର, ଡାଡ୍‌ଙ୍କର କ୍ୟୁବାନ୍ ସିଗାର ଅଛି- ଆଣିବି ଗୋଟେ ସେଥିରୁ ? ଭାରି ଚମତ୍କାର ଫ୍ଲେଭର ।

 

ଟୁନୁ ଉଠିଯାଉଥିଲା । ହେଡ୍‌ମାଷ୍ଟର ତାକୁ ଧରି ରଖି ହସି ହସି କହିଲେ, “ନାହିଁ ବାବା, ତୁମ ମା’ଙ୍କୁ ପରା କହିଲି, ମୋର ସେ ସବୁ ଅଭ୍ୟାସ ନାହିଁ । ଆଚ୍ଛା, ପିଲାଏ, କହିଲ–ତୁମେ ସକାଳୁ କ’ଣ ଖାଇଛ ?”

 

ଟୁନୁ-ରୀନା- କାହିଁକି, ବେଡ୍ ଟି ! ବିଛଣାରେ ବସି ବସି ଚା’ ଖାଇଛୁଁ ।

 

ହେ ମା: - କ’ଣ ଚା’ ? (କେତେ ସମୟ ଚୁପ୍ ରହି) ତୁମ ବାପାଙ୍କ ଉଠିବା ଆଉ କେତେ ଡେରି ହେବ ?

 

ଟୁନୁ –(କାନ୍ଥର ଘଡ଼ି ଆଡ଼େ ଚାହିଁ) ବର୍ତ୍ତମାନ ତ ଆଠଟା । ଆଉରି ଘଣ୍ଟାଏ । କାଲି କ୍ଳବ୍ ନାଇଟ୍‌ ଥିଲା ନା, ଡାଡ଼ି ଫେରୁ ଫେରୁ ବହୁତ ରାତି ହୋଇଯାଇଥିବ ।

 

ରୀନା- ଏ ଟୁନୁ, ଶନିବାର ରାତିରେ ଡାଡ଼ି ଯେତେବେଳେ କ୍ଲବରୁ ଫେରନ୍ତି ତୁ ଦେଖିଛୁ ? ମୁଁ ଦେଖିଛି, ଥରେ ରାତି ଅଧରେ ମୋ ନିଦ ଭାଙ୍ଗିଗଲା । ତୁ ତ ପାଖ ଖଟରେ ସ୍ନୋର କରୁଥିଲୁ । (ଟୁନୁର ଭୀଷଣ ପ୍ରତିବାଦ–ମୁଁ କେବେ ସ୍ନୋର କରେ ନାହିଁ, ତୁ ରାତିସାର ସ୍ନୋର କରୁ, ଯାହା ଫଳରେ ମୁଁ ଶୋଇପାରେ ନାହିଁ... ) ବାହାରେ ଗାଡ଼ି ରହିବାର ଶବ୍ଦ ଶୁଣି ଝରକା ପାଖକୁ ଯାଇ ପର୍ଦ୍ଦା ଘୁଞ୍ଚାଇ ଦେଖିଲି, ଡାଡ଼ିଙ୍କୁ ଗାଡ଼ି ଭିତରୁ ଡ୍ରାଇଭର ରହିମ୍ ଧରି ଓହ୍ଲାଇ ଦେଉଛନ୍ତି । ତା’ପରେ ଆର ଝରକାରେ ଦେଖିଲି, ମାମି ଯାଇ ଡାଡିଙ୍କୁ ଧରି ଧରି ଉପରକୁ ଆଣୁଛନ୍ତି । ଡାଡି ଚାଲିପାରୁ ନ ଥାନ୍ତି, ଟଳ ଟଳ ହେଉଥାନ୍ତି । ଭାବିଲି, ଡାଡିଙ୍କୁ ଜର ହୋଇଛି । କିନ୍ତୁ ତା ଆରଦିନ ଡାଡି ତ ଆମକୁ ନେଇ ପିକ୍‌ନିକ୍‍ରେ ଯାଇଥିଲେ ।

 

ଟୁନୁ– ଏଃ, ଚୁପ, ଚୁପ, ! ତୁଟା ତୁଚ୍ଛା ହୁଣ୍ଡୀଟେ । ଶୁଣ୍, କାହାକୁ ଏ କଥା କହିବୁ ନାହିଁ । ଫାଦର କ୍ରିସ୍‌ମାସ ଶୁଣିଲେ, ଶୁଣିଲେ । (ତା’ପରେ ହେଡମାଷ୍ଟ୍ରଙ୍କ ଉଦ୍ଦେଶ୍ୟରେ) ଆପଣ ଏକଥା ଡାଡିଙ୍କୁ କହିଦେବେ ନାହିଁ ଟି !

ରୀନା– ଫାଦର, ଜାଣନ୍ତି ନା, ଆମ ଡାଡି କେତେ ସିଗ୍ରେଟ୍ ଖାଆନ୍ତି ? ମାସକୁ ଥାର୍ଟିଟିନସ୍ । ସରିଗଲେ ଟିଣ ସବୁ ମୋର, କି ମଜା !

 

ହେଡମାଷ୍ଟ୍ରଙ୍କ କଣ୍ଠ ଆଉ ଶୁଣାଯାଉନାହିଁ । ତା'ପରେ କିଛି କାଳ ପିଲାମାନଙ୍କର କଳରବ-ହସ । ମଝିରେ ରହିମର୍‍ ସତର୍କ ବାଣୀ-ବାବା, ମିସିବାବା, ଗୋସଲଖାନାମେ ଗରମ୍ ପାନି ଲଗାଦିୟା–ନାହାଲିଜୀୟେ–ସାଢ଼େ ଆଠ୍ ବଜ୍‌ଗାୟୀ–ବେରେକ୍‍ ଫାଷ୍ଟ୍ ତୟାର ହୈ...”

 

କାନରେ ବାଜିଲା ହେଡ୍‌ମାଷ୍ଟ୍ରଙ୍କ ଅନୁଚ୍ଚ କଣ୍ଠସ୍ଵର –“ପିଲାଏ, ତୁମେମାନେ ଯାଅ, ଗାଧୋଇ ଖାଇବ, ଡେରି ହୋଇଗଲାଣି । ମୁଁ ଯାଉଛି । ବାପକୁ କହିବ, ତାଙ୍କ ପିଲାଦିନ ହେଡମାଷ୍ଟ୍ର ବୁଢ଼ା ଆସିଥିଲେ ।

 

ହେଡମାଷ୍ଟ୍ର ଉଠି ଛିଡ଼ା ହେଲେ ।

 

ଟୁନୁ ଓ ରୀନାଙ୍କର ସମବେତ ‘ଟା’ ‘ଟା’

 

ଦରଜା ବନ୍ଦ ହେବାର ଶବ୍ଦ ।

 

ତା’ପରେ ସବୁ ଚୁପ୍ ଚାପ୍ ।

 

ମୁଁ ଲେଣ୍ଡିଂ ଉପରେ ସ୍ଥାଣୁ ପରି ଛିଡ଼ା ହୋଇ ରହିଲି । ଓହ୍ଲାଇଯାଇ ହେଡମାଷ୍ଟ୍ରଙ୍କୁ ଅଟକାଇ ଫେରାଇ ଆଣିବାର ଶକ୍ତି, ସାହସ ମୋର ନଥିଲା । ଏ ଭଲ । ତାଙ୍କର ସନ୍ତାନପ୍ରତିମ ଆଦର୍ଶ ଛାତ୍ର ଗୋଲକନାଥକୁ ସେ ମୋ'ଠି ଆଉ ଖୋଜି ପାଅନ୍ତେ ନାହିଁ ।

 

ଡ୍ରେସିଂ ଗାଉନ୍‍ରୁ କାନ୍ଧ ଉପରେ କାହାର କରସ୍ପର୍ଶ ପାଇ ଫେରି ଚାହିଁଲି- କରୁଣା । ଛଳ ଛଳ ଆଖିରେ ସେ ମୋ ଆଡ଼େ ଚାହିଁଛନ୍ତି । ମୋ ଆଖିରୁ ଧାର ଧାର ଲୁହ ଗଡ଼ିଯାଉଛି ।

 

କରୁଣାଙ୍କ ହାତ ଧରି ଧୀରେ ଧୀରେ ପାଉଛ ଚଢ଼ି ଉପରକୁ ଫେରିଆସିଲି ।

Image

 

ରିକ୍‌ସା

ଅନନ୍ତ ପ୍ରସାଦ ପଣ୍ଡା

 

କଟକ ସହରରେ ପ୍ରଥମେ ଯେତେବେଳେ ହାତଟଣା ରିକ୍‌ସା ଚାଲୁହେଲା, ସେତିକିବେଳୁ ଚୁଇଁ ବେହେରା ରିକ୍ସା ଟଣା ଆରମ୍ଭ କଲାଣି । ସେତେବେଳେ ଚୁଇଁର ବୟସ ଥିଲା ମୋଟେ ଚବିଶି କି ପଚିଶି । ଗଜା ଟୋକା । ମୁଣ୍ଡରେ ଚାଖଣ୍ଡେ ଲମ୍ବର ବାବୁରିବାଳ କପାଳ ଉପରେ ଉହୁଙ୍କି ପଡ଼ିଥାଏ । କିନ୍ତୁ ମୁଣ୍ଡର ପଛପାଖଟା ଏକବାରେ ଚଞ୍ଛା । ହାତଟଣା ରିକ୍‌ସା ଧରି କଟକ ସହରର ସେତେବେଳର ନାଲିଧୂଳିଆ ରାସ୍ତା ଉପରେ ଚୁଇଁ ବେହେରା ଯେତେବେଳେ ଧାଇଁ ଧାଇଁ ଯାଉଥାଏ, ଆଉ ଗୋଟିଏ ହାତରେ ଘଣ୍ଟିଟାକୁ ଟଂ ଟଂ କରି ବଜାଇ ଦେଇ, ଆର ହାତରେ ଆଖିପତା ଉପରୁ ବାବୁରିବାଳଗୁଡ଼ାକୁ ଉପରକୁ ଟେକିଦେଇ ଝାଳ ପୋଛି ପକାଉଥାଏ, ସେତିକିବେଳେ ତା ପାଖଦେଇ ସାଇକେଲ ଚଢ଼ାଳୀ କଲେଜ ଟୋକାଏ ସାଇକେଲ ଘଣ୍ଟି ବଜାଇ ପବନ ବେଗରେ ଧାଇଁଥାନ୍ତି । ଚୁଇଁ ବେହେରା ସେମାନଙ୍କୁ ରାସ୍ତା ଛାଡ଼ିଦେଇ ରସ୍ତାର ବାଁ ପାଖକୁ ଘୁଞ୍ଚିଯାଏ । ଟିକିଏ ଡେରି ହେଲେ ପଛରୁ ସାଇକେଲ ଚଢ଼ାଳୀଟି ଡାକପକାଏ, ଏ ରିକ୍‌ସାବାଲା, ହଟୋ ହଟୋ । ବିଚରା ଚୁଇଁ ପୁଣି ରାସ୍ତାପାଖକୁ ଘୁଞ୍ଚିଯାଏ । ସେତେବେଳେ ତା'ର ମନେ ହୁଏ, ହାତଟଣା ରିକ୍‌ସା ଦେହରେ ଯଦି ଏମିତିକା ଗୋଟିଏ ସାଇକେଲ ଯୋଖି ଦେଇ ହୁଅନ୍ତା, ତେବେ ସେ ଆଉ ଏଇ ସାଇକେଲ ଚଢ଼ାଳୀ ଦଳଙ୍କ ଆଗରେ ଏତେ ହୀନସ୍ଥା ହୁଅନ୍ତା ନାହିଁ । ସେ ବି ସେମାନଙ୍କ ସାଙ୍ଗରେ ଦୌଡ଼ ଆରମ୍ଭ କରି ଦିଅନ୍ତା । ସେତେବେଳେ ସେ ହୁଏତ ବହୁତ ବେଶି ରୋଜଗାର କରିପାରନ୍ତା; କାରଣ ଚାନ୍ଦିନୀଚୌକରୁ ରେଳଷ୍ଟେସନ ଯାଏ ଯିବା ପାଇଁ ହାତଟଣା ରିକ୍‌ସା ଧରି ତାକୁ ପ୍ରାୟ ଘଣ୍ଟାଏ ଲାଗିଯାଉଛି- ସାଇକେଲ ଯୋଖା ରିକ୍‌ସା ହେଲେ ଅନ୍ତତଃ ଅଧଘଣ୍ଟାକ ଭିତରେ ସେ ଯାଇ ଷ୍ଟେସନ ଧରି ପାରନ୍ତା । ତାହାହେଲେ ଯାହା ସେ ପାଉଛି, ତାର ଦି’ଗୁଣ ଅନ୍ତତଃ ସେ ପାଇପାରନ୍ତା ଦିନକ ଭିତରେ । ସେତେବେଳେ ସେ ରିକ୍‌ସା ମାଲିକକୁ ଦୁଇ ଟଙ୍କା ରିକ୍‌ସା ଭଡ଼ାଦେଇ ସୁଦ୍ଧା ଦିନକୁ ଆହୁରି ଦୁଇ ତିନି ଟଙ୍କା ବଳକା କରି ପାରୁଥିଲା, କାରଣ କଟକରେ ସେତେବେଳେ ରିକ୍‌ସା ସଂଖ୍ୟା ଥିଲା ବହୁତ କମ୍ । ସେଇ ଅନୁପାତରେ ଭଡ଼ା ବି ଥିଲା ଟିକିଏ ବେଶି । ଚୁଇଁ ବେହେରା ଭାବେ -ଯଦି ସାଇକେଲ ରିକ୍‌ସାଟାଏ ହୁଅନ୍ତା, ତେବେ ସେ ନିଶ୍ଚୟ ମାଲିକ ଭଡ଼ା ଦେଇସାରି ଦନିକୁ ଚାରି ପାଞ୍ଚ ଟଙ୍କାରୁ ଅଧିକ ଆୟ କରିପାରନ୍ତା । ଚୁଇଁ ବେହେରାର କଳ୍ପନା ତା ପରେ ଉଡ଼ି ଉଡ଼ି ଯାଏ କେତେ ଉପରକୁ । ମନେ ମନେ ସେ କେତେ ଆକାଶସୌଧ ତୋଳି ପକାଏ । ଏତେ ଆୟ ହେଲେ ସେ କ’ଣ କରିବ ? ପହିଲେ ଯେଉଁ ଭଙ୍ଗା ଚାଳିଆ ଖଣ୍ଡିକରେ ସେ ରହୁଛି, ସେ ଖଣ୍ଡକ ଭାଙ୍ଗି ଭଲ ଘର ଦି ବଖରା ତୋଳିବ । ତା ସ୍ତ୍ରୀ ଶାରୀଆ ପାଇଁ ସୁନାର ନାକଚଣା ଦିଖଣ୍ଡ ଗଢ଼ିଦେବ, ଆଉ ତା ପୁଅ ରଙ୍ଗିଆ-

 

ଠିକ୍ ଏତିକିବେଳେ ପେଁ ପେଁ ଶିଙ୍ଗୀ ବଜାଇ ଗୋଟିଏ ମୋଟର ଗାଡ଼ି ଧୂଳି ଉଡ଼ାଇ ସେଇ ରାସ୍ତାରେ ଧାଇଁଯାଏ । ବିଚରା ଚୁଇଁଆର ବାବୁରିବାଳ ଉପରେ ଇଞ୍ଚେ ବହଳର ନାଲି ଧୂଳି ମାଡ଼ିଯାଏ । ନାକରେ ପାଟିରେ ମେଞ୍ଚା ମେଞ୍ଚା ଧୂଳି ବି ପଶିଯାଏ । ବିରକ୍ତିରେ ଚୁଇଁଆର ନାକ ଉପରକୁ ଉଠିଯାଏ । ତାର ଭାବନା ଉପରେ ହଠାତ୍ ଲାଗେ ଗୋଟେ ଧକ୍‍କା । ଧେତ୍, ଏ ମୋଟର ଡ୍ରାଇଭରଗୁଡ଼ାଙ୍କର ତ ବହପ କମ୍ ନୁହେଁ ? ମୋଟର ଗାଡ଼ିଟାରେ ବସି ସେ ଚକିଟାକୁ ଧରିଲେ ତ ତାଙ୍କ ଆଖିରେ ଆଉ ଇନ୍ଦ୍ର, ଚନ୍ଦ୍ର ଦେଖା ଯାଆନ୍ତି ନି । ଓ, କି ଜୋରରେ ଧାଇଁ ଯାଉଛନ୍ତି ସେ ମୋଟରଗୁଡ଼ାକ । ଆଚ୍ଛା ହେଉ । କିଛି ପରବା ନାହିଁ । ପୁଅ ରଙ୍ଗିଆକୁ ହେଲା ପାଞ୍ଚ ବର୍ଷ । ଆଉ ବର୍ଷ କେଇଟା ଗଲେ ସେ ବେଶ୍ ଜୁଆନ ହୋଇ ଉଠିବ । ସେତେବେଳକୁ ଚୁଇଁଆ ତାକୁ ନିଶ୍ଚୟ ଗୋଟିଏ ମୋଟର ଡ୍ରାଇଭର କରାଇଦେବ । ତାହାହେଲେ.....

 

ଚୁଇଁ ବେହେରା ଆଉ ଭାବିପାରେ ନାହିଁ । ଆନନ୍ଦରେ ତା ମୁହଁରୁ ମୁରୁକି ହସଟିଏ ବାହାରି ପଡ଼େ । ସେ ନାଲି ସଡ଼କର ତାତିଲା ଧୂଳିକୁ ଖିଆଲ ନରଖି ଧାଇଁଚାଲେ ତା’ର ଗନ୍ତବ୍ୟ ମାର୍ଗରେ ।

 

ଦିନ ଗଡ଼ିଯାଏ । କଟକ ସହରର ନାଲି ଧୂଳିଆ ରାସ୍ତା ବଦଳରେ ପିଚୁ ଦିଆ କଳାରାସ୍ତା ଗଢ଼ାହୁଏ । ହାତଟଣା ରିକ୍‌ସା ବଦଳରେ ସାଇକେଲ ରିକ୍‌ସା ଚାଲିବା ଆରମ୍ଭ ହୁଏ । ଚୁଇଁ, ବେହେରା ହାତଟଣା ରିକ୍‌ସା ଛାଡ଼ି ସାଇକେଲ ରିକ୍‌ସା ଟଣା ଆରମ୍ଭ କରିଦେଲା । ନୂଆ ହୋଇ ସାଇକେଲ ରିକ୍‌ସା ଚାଲୁଛି । ଲୋକେ ହାତଟଣା ରିକ୍‌ସାରେ ଯିବାକୁ ରାଜି ହେଉ ନାହାନ୍ତି । ଚାରଣା ଜାଗାରେ ଆଠଅଣା ଦଶଣା ଦେଇ ମଧ୍ୟ ସାଇକେଲ ରିକ୍‌ସାରେ ଯିବାକୁ ଚାହୁଁଛନ୍ତି । ଚୁଇଁ ବେହେରା ପହିଲେ ପହିଲେ ବେଶ୍ ଦି’ ପଇସା ରୋଜଗାର କଲା, କିନ୍ତୁ ହିସାବ କଲାବେଳକୁ ଚୁଇଁ ଦେଖେ ଆୟ ବ୍ୟୟ ସମାନ । କାରଣ ଏ ମଧ୍ୟରେ ପୃଥିବ୍ୟାପୀ ଲଢ଼େଇ ଆରମ୍ଭ ହୋଇଗଲା । ଧାନ ଚାଉଳର ଭାଉ ହୁ ହୁ ବଢ଼ିଗଲା । ହାତଟଣା ରିକ୍‌ସା ଟାଣୁଥିବା ବେଳେ ଚୁଇଁଆ ଟଙ୍କାଟିଏ ଦେଲେ ଚାରିସେର ଚାଉଳ ପାଉଥିଲା; କିନ୍ତୁ ଏବେ ସାଇକେଲ-ରିକ୍‌ସା ଚଳାଇଲା ପରେ ଚାଉଳ ଭାଉ ବଢ଼ିଯାଇ ଟଙ୍କାରେ ହେଲା ମୋଟ ଦୁଇ ସେର । ଫଳରେ ଚୁଇଁଆ ଦି’ଟଙ୍କା ଜାଗାରେ ଚାରିଟଙ୍କା ଦିନକୁ ରୋଜଗାର କରି ସୁଦ୍ଧା କିଛି ବଳକା ରଖିପାରିଲା ନାହିଁ । ଖାଲି ସେତିକି ନୁହେଁ, ବେଳକୁ ବେଳ ଚୁଇଁଆର ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଳ‌ ବି ହଟି ହଟି ଆସିଲ । ତା ପରେ ଦିନ ରାତି ସାଇକେଲ-ରିକ୍‌ସାକୁ ପେଲି ପେଲି ଗୋଡ ପେଣ୍ଡା ଦି'ଟାରେ ଶିରଗୁଡ଼ାକ ଫୁଲି ଉଠି କେଞ୍ଚୁଡ଼ି ପଡ଼ିଗଲା । ଖରା, କାକର, ବର୍ଷାରେ, ରିକ୍‌ସା ବାହି ବାହି ଆଣ୍ଠୁଗଣ୍ଠିଆ ବାତ ବି ଧରିଗଲା, ଅଣ୍ଟା ଦରଜ ହେଲା । ସେଥିପାଇଁ ଚୁଇଁଆ ପ୍ରଥମେ ଟିକିଏ ଟିକିଏ ଅଫିମ ଖାଇବାକୁ ଆରମ୍ଭ କଲା । ସେତେବେଳକୁ ଦୈବଦୁର୍ଯୋଗକୁ ଅଫିମଖିଆ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ କେତେ କଟକଣା ଜାରି ହେଲା, କିନ୍ତୁ ଅଫିମ ନହେଲେ ଯେ ଚୁଇଁଆର ନ ଚଳେ । ସେଥିପାଇଁ ସେ କିଳାପୋତେଇ ଦେଇ ଅଫିମ ଭେଣ୍ଡର ପାଖରୁ ଚାରଣାର ଜିନିଷକୁ ଆଠଣା ଦେଇ କିଣିବାକୁ ଲାଗିଲା । ଫଳରେ ଚୁଇଁଆର ହାତଟଣା ରିକ୍‌ସା ଟାଣିବା ବେଳର ରଙ୍ଗୀନ ସ୍ଵପ୍ନମାନ ଇତିମଧ୍ୟରେ ମିଳାଇ ଯିବାକୁ ଲାଗିଲା ।

 

ଖାଲି ସେତିକି ନୁହେଁ–କଥାରେ କହନ୍ତି, ଦୁର୍ଯ୍ୟୋଗ ଯେତେବେଳେ ଆସେ, ନଈବଢ଼ି ପରି ମାଡ଼ି ମାଡ଼ି ଯାଏ । କଟକ ସହରରେ ସାଇକେଲ-ରିକ୍‌ସା ସଂଖ୍ୟା ଏତେ ବଢ଼ିଗଲା ଯେ, ପ୍ରତି ଛକ ମୁଣ୍ଡରେ ଶହ ଶହ ରିକ୍‍ସା ଯାତ୍ରୀଙ୍କ ପାଇଁ ଅପେକ୍ଷା କରି ପଡ଼ି ରହିଲେ । ଫଳରେ ସାଇକେଲେ-ରିକ୍‌ସାର ଭଡ଼ା ବହୁତ କମିଗଲା । ତଥାପି ଚୁଇଁ ବେହେରାର ସାହସ କମି ନଥାଏ । ସେ କଷ୍ଟେମଷ୍ଟେ ତା ସଂସାରଟା ଚଳାଉଥାଏ । ଏତିକିବେଳେ ଦକ୍ଷିଣରୁ ଶହ ଶହ ସଂଖ୍ୟାରେ ରିକ୍‌ସା ଟଣାଳି କଟକ ସହରରେ ଆସି ପହଞ୍ଚିଗଲେ । ଏଇ ରିକ୍‌ସାବାଲାଗୁଡ଼ାକ ଭାରି ଶସ୍ତାରେ ରିକ୍‌ସା ଚଳାଇବାକୁ ରାଜି ହୋଇଗଲେ । କାରଣ ତାଙ୍କର ଖର୍ଚ୍ଚ କମ୍ । ସକାଳେ ଚାରି ପଇସାର ଇଟିଲି (ଏଣ୍ଡୁରିପିଠା) ଆଉ ଟିକିଏ ଚଟଣୀ ହେଲେ ହେଲା । ଦି’ବେଳା ମୁଠାଏ ଭାତ, ଟିକିଏ ମାଣ୍ଡିଆ ଜାଉ ଆଉ ଚାରୁପାଣି ଟିକିଏ ହେଲେ ତାଙ୍କର ଦିନ ଚଳିଯାଏ । ଏଇ ଦକ୍ଷିଣିଆ ରିକ୍‌ସାବାଲାଗୁଡ଼ାକ ଚାହୁଁ ଚାହୁଁ ପଙ୍ଗପାଳ ପରି ମାଡ଼ି ଆସିଲେ । କଟକ ସହରରେ ଯେତେ ରିକ୍‌ସା ଚାଲେ, ସେଥିରୁ ପ୍ରାୟ ତିନିପା ରିକ୍‌ସା ଏହି ଦକ୍ଷିଣିଆ ରିକ୍‌ସାଟଣାଳି ଚଳାନ୍ତି । ଫଳରେ ଚୁଇଁ ବେହେରା ପରି ବହୁ ପୁରୁଣା ସ୍ଥାନୀୟ ରିକ୍‌ସାବାଲାଙ୍କର ଆୟ ବହୁତ କମି ଆସିଲା । ଖାଲି ସେତିକି ନୁହେଁ, କଟକ ସହରର ରିକ୍‌ସା ଚଢ଼ାଳିମାନେ ବି ଏହି ଦକ୍ଷିଣିଆ ରିକ୍‌ସାବାଲାମାନଙ୍କୁ ବେଶି ପ୍ରଶ୍ରୟ ଦେବାକୁ ଲାଗିଲେ । କାରଣ ତାଙ୍କର ବ୍ୟବହାର ଭଲ । ଅଳ୍ପ ପଇସାରେ ସନ୍ତୁଷ୍ଟ ହୋଇଯାନ୍ତି । ସେଥିମଧ୍ୟରୁ ରିକ୍‌ସା ଚଢ଼ାଳିକମାନେ ପହିଲେ ଦକ୍ଷିଣିଆ ରିକ୍‌ସାବାଲାଙ୍କୁ ବାଛି ନିଅନ୍ତି । ଫଳରେ ବିଚରା ଆଦତ୍ ସ୍ଥାନୀୟ ରିକ୍‌ସାବାଲା ମଜୁରି ପାଏ ନାହିଁ । ଭୋକ ଉପାସରେ ଦିନ କଟେ ।

 

ପୁରୁଣା ରିକ୍‌ସାବାଲଙ୍କର ଏ ଦୁର୍ଦ୍ଦଶା ଦେଖି ଦଳେ ଭାବପ୍ରବଣ ସ୍ଥାନୀୟ ଲୋକେ ଚିତ୍କାର କରିବାକୁ ଆରମ୍ଭ କରିଦେଲେ; ଏଇ ବିଦେଶୀ ରିକ୍‌ସାବାଲାଙ୍କୁ ତଡ଼ି ଦିଆଯାଉ । ଖବରକାଗଜରେ କେତେ ଲେଖା ବାହାରିଲା । ଏଇ ଆନ୍ଦୋଳନକାରୀମାନଙ୍କର ଅଗ୍ରଣୀ ହୋଇ ବାହାରିଲା ଜଣେ ଯୁବକ ରାଜନୈତକ ନେତା ଶ୍ରୀମାନ୍ ଜଗନ୍ନାଥ ଦଳବେହେରା । ସେ ସ୍ଥାନୀୟ ରିକ୍‌ସାବାଲାଙ୍କୁ ମତାଇ ଧର୍ମଘଟ ମଧ୍ୟ ଆରମ୍ଭ କରିଦେଲେ, କିନ୍ତୁ ଧର୍ମଘଟର ଫଳ ହେଲ ଠିକ୍‍ ଓଲଟା । କାରଣ ଅଧିକାଂଶ ସ୍ଥାନୀୟ ରିକ୍‌ସାବାଲା ରିକ୍‌ସା ଟଣା ବନ୍ଦ କରିଦେବାରୁ ରିକ୍‌ସା ମାଲିକମାନେ ତାଙ୍କ ସ୍ଥାନରେ ଦକ୍ଷିଣିଆ ରିକ୍‌ସା ଟଣାଳିଙ୍କୁ ନିଯୁକ୍ତ କରିଦେଲେ । ଫଳରେ ଧର୍ମଘଟ ତ ସଫଳ ହେଲା ନାହିଁ, ବରଂ ଅଧିକାଂଶ ସ୍ଥାନୀୟ ରିକ୍‌ସାଟଣାଳି ତାଙ୍କ ଜୀବିକା ହରାଇ ବସିଲେ । ଖବରକାଗଜ ଲେଖା ଲେଖିଲେ ମଧ୍ୟ ଫଳ କିଛି ହେଲାନାହିଁ । କାରଣ ସରକାରଙ୍କର ଏପରି କୌଣସି ଆଇନ୍ ନଥିଲା, ଯାହା ବଳରେ କି ସେ ଦକ୍ଷିଣରୁ ଆସୁଥିବା ରିକ୍‌ସା-ଟଣାଳିମାନଙ୍କୁ ବନ୍ଦ କରିଦେଇ ପାରିବେ । ଶେଷରେ ଶ୍ରୀମାନ୍ ଦଲବେହେରା କଟକ ସହରରେ ସଭାସମିତି କରି ବକ୍ତୃତା ଦେବାକୁ ଆରମ୍ଭ କରିଦେଲେ; ବକ୍ତୃତା ଶୁଣିବାକୁ କେହି ଆସିଲେ ନାହିଁ । ଦିନେ ଏପରି ଏକ ସଭାରୁ ଘରକୁ ଫେରିବାବେଳେ ଶ୍ରୀମାନ୍ ଦଳବେହେରା ରାସ୍ତା କଡ଼ରେ ଛିଡ଼ା ହୋଇଥିବା କେତେ ଗୁଡ଼ିଏ ରିକ୍‌ସା ଦେଖି ଗୋଟିଏ ରିକ୍‌ସା ଭଡ଼ା କରିବାକୁ ଚାହିଁଲେ । ପଙ୍ଗପାଳ ଦଳଭଳି ରିକ୍‌ସାବାଲାଗୁଡ଼ାକ ଆସି ତାଙ୍କୁ ଘେରିଗଲେ । ଶ୍ରୀମାନ୍ ଦଲବେହେରା ପଚାରିଲେ, ଚାଉଳିଆଗଞ୍ଜକୁ କେତେ ନେବ ? ଜଣେ ସ୍ଥାନୀୟ ରିକ୍‌ସାବାଲ ପାଖେଇ ଆସି କହିଲା- ଆଜ୍ଞା ! ଆଠଅଣାରୁ କମ୍ ହେବ ନାହିଁ । ତା ପଛକୁ ଆଉ ଜଣେ ଦକ୍ଷିଣିଆ ରିକ୍‌ସାବାଲା ଠେଲି ପେଲି ଆସି କହିଲା, ‘‘ବାବୁ ଗାରୁ, ଆରୁ ଆନା ଲୁମେ ଲେ ଯାଏଁ ଗେ;” ଅର୍ଥାତ୍ ଛଅ ଅଣାରେ ମୁଁ ନେଇଯିବି । ଶ୍ରୀମାନ୍ ଦଳବେହେରାଙ୍କ ପାଟିରୁ ସଙ୍ଗେ ସଙ୍ଗେ ବାହାରି ପଡ଼ିଲା–“ଆଚ୍ଛା ! ଆଓ ତୁମ୍ ଲେ ଚଲ୍ ।’’ ତା’ପରେ ଶ୍ରୀମାନ୍ ଦଳବେହେରା ଦକ୍ଷିଣିଆ ରିକ୍‌ସାବାଲାର ରିକ୍‌ସା ରେ ବସି ଗଲେ ଘରମୁହାଁ ।

 

ତାର କିଛିଦିନ ପରେ- ଶ୍ରୀମାନ୍ ଦଳବେହେରା ଗୋଟିଏ ଦକ୍ଷିଣିଆ ରିକ୍‌ସାବାଲାର ରିକ୍‌ସାରେ ବସି କଟକଚଣ୍ଡୀ ଦର୍ଶନରେ ଆସିଲେ । ଚଣ୍ଡୀମନ୍ଦିର ଦୁଆର ମୁହଁରେ ପଶିଗଲାବେଳେ ଦେଖିଲେ ଧାଡ଼ି ଧାଡ଼ି ହୋଇ ବସିଛନ୍ତି ଦଳେ ଭିକାରୀ । ତା’ରି ଭିତରୁ ଅସ୍ଥି ଚର୍ମସାର ଜଣେ ଭିକାରୀ ଆଗକୁ ଆସି ହାତରେ ଧରିଥିବା ଟିଣ ଡବାଟିରେ ଦଳବେହେରା ବାବୁଙ୍କ ମୁଣ୍ଡରେ ଖୁବ୍ ଜୋର୍‌ରେ ଆଘାତ କଲା । ଦଳବେହେରା ବାବୁଙ୍କର ମୁଣ୍ଡ ଫାଟି ରକ୍ତ ବେହିଲା । ସେ ଚିତ୍କାର କରି ଉଠିଲେ- ପୋଲିସ, ପୋଲିସ୍, ଏ ଶାଲା ଭିକାରୀ ହାମ୍‌କୁ ମାରଡ଼ାଲା, ଇସକୋ, ପକ୍‌ଡ଼ୋ ପକ୍‌ଡ଼ୋ । କଟକଚଣ୍ଡୀ ଛକରେ ଛିଡ଼ା ହୋଇଥିବା ପୋଲିସ୍ କନେଷ୍ଟବଳ ସଙ୍ଗେ ସଙ୍ଗେ ଧାଇଁଆସି ସେଇ ଭିକାରୀଟାକୁ ଧରି ପକାଇ କହିଲେ- “କ୍ୟା ଶାଲା, ତୁମ କ୍ୟା ପଗଲା ହୋ ? ଏ ବାବୁ ଲୋକକୁ ମାର- ଡାଲା ?” ସେଇ ଅସ୍ଥି ଚର୍ମ ସାର ଭିକାରୀଟି ପଗଳାଙ୍କ ପରି ଅଟ୍ଟହାସ କରି କହିଲା- “ମୁଁ ପାଗଳ ନୁହେଁ, ପାଗଳ ଏଇସବୁ ବାବୁଭାୟା, ଯେଉଁମାନେ ଆମକୁ ଆଜି ବାଟର ଭିକାରୀ କରି ଦେଇଛନ୍ତି ।’’ ଦଳବେହେରାଙ୍କ ପାଖକୁ ଆଉ ଟିକିଏ ପାଖେଇ ଯାଇ ସେ କହିଲା- “ବାବୁ, ମୋତେ ଚିହ୍ନୁଛ ? ମୁଁ ସେଇ ଚୁଇଁ ବେହେରା । ତୁମର ମନେ ନାହିଁ ମୋତେ ତୁମେ ମତେଇ କହିଥିଲ, ଧର୍ମଘଟ କର–ରିକ୍‌ସାଟଣା ବନ୍ଦ କରିଦିଅ, ଦେଖିବ କେମିତି ଦୁନିଆଁ ଅଚଳ ହୋଇଯିବ ! ଆଉ ସରକାର ମଧ୍ୟ ବାଧ୍ୟହୋଇ ଏଇ ଦକ୍ଷିଣିଆ ଗୁଡ଼ାଙ୍କୁ ତଡ଼ିଦେବେ । ତମକଥା ମାନି ମୁଁ ମାଲିକଙ୍କ ରିକ୍‌ସାଟଣା ବନ୍ଦ କରିଦେଲି । ଫଳରେ ତା’ପରଦିନ ଜଣେ ଦକ୍ଷିଣିଆ ମୋ ଜାଗା ଦଖଲ କରିନେଲା । ତାପରେ ମୁଁ ହେଲି ଭିକାରୀ ବାଟର ଭିକାରୀ । ପେଟକୁ ଦାନା ନାହିଁ ପିଠିକୁ କନା ନାହିଁ ?” ତା’ପରେ ପୋଲିସ୍‌କୁ ଚାହିଁ କହିଲା–“ଆଜ୍ଞା, ମୋତେ କ’ଣ ଧରୁଛନ୍ତି, ଧରିବେ ତ ଧରନ୍ତୁ ଏଇସବୁ ଧୋବଲି ଠକଙ୍କୁ । ଯିଏସବୁ ନିଜର ସ୍ଵାର୍ଥପାଇଁ ଆମଭଳି ନିରୀହ ଲୋକଙ୍କୁ ବଳିଦେଇ ବାହାବା ନିଅନ୍ତି ।” କିନ୍ତୁ ପୋଲିସ ଚୁଇଁ ବେହେରାର ଯୁକ୍ତି ଶୁଣିବାକୁ ନାରାଜ । କାରଣ ସେଟା ଗୋଟେ ଭିକାରୀ, ଆଉ ଶ୍ରୀମାନ୍ ଦଳବେହେରା ଏଣେ ଦେଶ-ପୂଜ୍ୟ ନେତା, ହୁଏତ ଆସନ୍ତା ନିର୍ବାଚନରେ ସେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ଗାଦିରେ ବସିପାରନ୍ତି । ସେଥିପାଇଁ ପୋଲିସ ଚୁଇଁ ବେହେରାକୁ ଦଉଡ଼ିରେ ବାନ୍ଧି ବିଚ୍ ରାସ୍ତାରେ ଥାନା ହାଜତକୁ ନେଇଗଲା ! ଚୁଇଁ ବେହେରା ମୁହଁରୁ ବାହାରୁଥାଏ ସେହପରି ଠୋ ଠୋ ହସ, ଆଉ ସେ କହୁଥାଏ ‘‘ହେଁ, ମୁଁ ପାଗଳ ନା ଏ ଦୁନିଆ ଯାକର ସମସ୍ତେ ପାଗଳ ।”

Image

 

ମୁଣ୍ଡି ସାହାଡ଼ା

ଶ୍ରୀ କାହ୍ନୁ ଚରଣ ମହାନ୍ତି

 

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି । ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର । ତେଣିକି ଗାଁ ଦାଣ୍ଡ । ଛୋଟ ଗାଁଟି ତ ବିକ୍ରମପୁର । ବାହୁଦା ନଈର କୂଳରେ । ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା । ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ–

 

ରାଜନୀତି ସେ ବୁଝେ ନାହିଁ । ଇଚ୍ଛାପୁର କି ବିଜୟ ନଗର ଓଡ଼ିଶାରେ ମିଶିବା ଉଚିତ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ରପ୍ରଦେଶରେ ମିଶିବ କି ନାହିଁ ସେ କଥା ସେ କେବେ ବିଚାର କରି ନାହିଁ । ସେ ଜାଣେ, ସେ ଇଚ୍ଛାପୁରର ଝିଅ । ବିକ୍ରମପୁରର ବୋହୁ । ଇଚ୍ଛାପୁର ତା’ର ଜନ୍ମଭୂମି । ବିକ୍ରମପୁର ତା’ର କର୍ମଭୂମି । ପୁରା ପଚିଶଟି ବର୍ଷ କଟିଗଲା । ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତା’ର ସାକ୍ଷୀ ! ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତା’ର ଆଖି ଦୁଇଟା- ଏମାନେ ବି ତା’ର ସାକ୍ଷୀ !

 

ଚଷାଘରର ଝିଅ । ବୋହୁ ହୋଇ ଯେତେବେଳେ ପନ୍ଦର ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତା’ର ଦରଭଙ୍ଗା କୁଡ଼ିଆ ନ ଥିଲା । ଶାଶୁ ଶଶୁର, ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ । ହଳ, ବଳଦ, ଗାଈ, ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ । ଜମି ବାଡ଼ି ଧାନ ଅମାର । ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ । ତା’ର ରୂପରେ କିଛି ବିଶେଷତ୍ଵ ନ ଥିଲା, ଢଙ୍ଗରେ ବି । ଶ୍ୟାମଳ ବର୍ଣ୍ଣ–ପୁରପଲ୍ଲୀର ଶହ ଶହ ଝିଅ ବୋହୁଙ୍କ ପରି ସ୍ୱାସ୍ଥ୍ୟଟି ଭଲ । ଘରକାମ କରିବାରେ ନିପୁଣ । କ୍ଲାନ୍ତି ଜାଣେ ନାହିଁ । ଖିଆପିଆରେ ଆପତ୍ତି ଓଜର ନ ଥାଏ । ଘରର ବୋହୁ, ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ- ଘରର ମଙ୍ଗଳ ପାଇଁ ।

 

ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା–ବଢ଼େ ନାହିଁ କି ଛିଡ଼େ ନାହିଁ । ପୁରୁଷେ ଉଞ୍ଚା ଝଙ୍କାଳିଆ । ଟିକି ଟିକି ପତର । ତା’ର ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୁର ଲାଗିଛି । ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି । ଗଛ ପଛକୁ ତିନି ଶାଖିଆ ହୁଙ୍କା । ଛଅ ମାସ ସେ ବଢ଼ି ବଢ଼ି ଉପରକୁ ଉଠେ । ମୁଣ୍ଡି ସାହାଡ଼ାର ମଥା ଛୁଏଁ । ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ । ମୁଣ୍ଡି ସାହାଡ଼ାର ଅଧାଯାଏ ଖସି ଆସେ । ହୁଙ୍କା ମୂଳରେ ଗାଡ଼ । ବେଳେ ବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ । ପୁଣି ଗାଡ଼ରେ ପଶେ ।

 

ବାସୁକିର ପ୍ର-ପଣ-ନାତି ସେ । ଶିବଙ୍କର ପଇତା । ମୁଣ୍ଡି ସାହାଡ଼ରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି-ପରିବାରର ଅଂଶ ବିରାଜମାନ । ତାଙ୍କର ଦେହ-ରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ- ନାଗ ପିଲାର ନାତି- ପଣନାତି ନାଗ ବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି । ପଛରେ ପୁଣି କୈଳାସ ପର୍ବତର ନମୂନା ।

 

ରାଧା ଯେଉଁଦିନ ବୋହୁ ହୋଇ ଆସିଥିଲା, ମୁଣ୍ଡି ସାହାଡ଼ାକୁ ପ୍ରଣାମ କରିଥିଲା । ଠାକୁରାଣୀଙ୍କ ପାଖରେ ପୂଜା, ବାଜା, ଭୋଗରାଗ ମଧ୍ୟ ହୋଇଥିଲା । ପଚିଶ ବର୍ଷ କାଳ ସେ ଏଇଆ ଦେଖି ଆସିଛି । ଭଲ ମନ୍ଦ ସବୁ କାମରେ । ହିସାବ କଲେ ଜଣା ପଡ଼ିବ–କେତେ ଛେଳି, ମେଣ୍ଢା, କୁକୁଡ଼ାର ରକ୍ତ ମୁଣ୍ଡି–ସାହାଡ଼ା ତଳେ ଢଳା ହୋଇଛି । ଠାକୁରାଣୀଙ୍କୁ ସନ୍ତୋଷ କରା ହୋଇଚି । ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି । ସମସ୍ତେ କଲ୍ୟାଣ କରୁଛନ୍ତି–ବିକ୍ରମପୁରର ମଙ୍ଗଳ ହେଉ -

 

କାହାର କ'ଣ ମଙ୍ଗଳ ହେଇଛି କ ନାହିଁ; ରାଧାର ମଙ୍ଗଳ ତା’ର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ । ମୁଣ୍ଡରେ କେରା କେରା ବାଳ ପାଚିଲାଣି । ଦାନ୍ତ କେତୋଟି ହଲିଲାଣି । ଦେହ ହେଲାଣି ପଥୁରିଆ । ମନ ହେଲାଣି ଟାଣ-ଠିକ୍ ଯେମିତି ନଈ ସେପାରି ପାହାଡ଼ ଉପରର ପଥର । ଜୀବନଟା ଏଇ ବାହୁଦା ନଈର ରୁକ୍ଷ ବାଲି ପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ ।

 

ପଚିଶି ବର୍ଷର ଇତିହାସ- ଆଜି ରାଧାକୁ କରିଛି ମୂଲିଆଣୀ । ସେ ବି ହୋଇଛି ଠିକ୍ ଏଇ ମୁଣ୍ଡି ସାହାଡ଼ା ପରି । ଦୁଇ କୂଳରେ ତା’ର ଆଉ କେହି ନାହିଁ । ସବୁ ସେ ସହିଛି । ତଥାପି ସେ ବଞ୍ଚିଛି । ବଞ୍ଚିବା ପାଇଁ ମୂଲ ଲାଗୁଛି । ଭବିଷ୍ୟତ ପାଇଁ ପୁଣି ସଞ୍ଚିରଖୁଛି । ଭବିଷ୍ୟତ । ଆହୁରି ତହିଁରେ ଆସ୍ଥା ।

 

ପଚିଶ ବର୍ଷର କରୁଣ ଇତିହାସ । ସମସ୍ତେ ତା’ର ମରି ହଜିଗଲେ । ଗୋଟିକ ପରେ ଗୋଟିଏ । ଠାକୁରଣୀକୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି - ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି । କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି । ତଥାପି ଦେବତା ଶୁଣି ନାହିଁ । କିଏ ଆଗରେ ଗଲା । କିଏ କାହା ପଛରେ । କ’ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ । ସମସ୍ତେ ଗଲେ । ଦଶବର୍ଷ ତଳେ ସେଇ ଅଲକ୍ଷଣୀ । ଘରେ ରହିଗଲେ ଦିଓଟି ବିଧବା–ରାଧା ଓ ତା’ର ଜା’ ମୋତି ସତର ବର୍ଷର ଟୋକୀ ।

 

ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ । ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା । ରାଧାର ଘର ବି । ସମସ୍ତେ ଭଲ ଘର ତୋଳିଲେ । ରାଧା ତୋଳିଲା ଦୁଇବଖରା କୁଡ଼ିଆ । ବଡ଼ଘର ତା’ର ହେବ କ’ଣ ? କିଏ ଭୋଗ କରିବେ ? ଶଶୁର ଇପାରି କୃଷ୍ଣମୂର୍ତ୍ତି କୁମୁଟି ଠାରୁ କରଜ ଆଣି ଦୁଇ ପୁଅଙ୍କର ବାହାଘର କରିଥିଲେ । ଗେରସ୍ତ ଓ ଦିଅର ବିଶି ପାତ୍ର ଠାରୁ କରଜ ଆଣି ବାପ ମା’ଙ୍କର ଶୁଦ୍ଧି ଓ ଭଉଣୀର ବାହାଘର କଲେ । ସ୍ଵାମୀ ଓ ଦିଅରଙ୍କର ଚିକତ୍ସା ପାଇଁ ପୁଣି ପ୍ରେତ କ୍ରିୟା ପାଇଁ ରାମ ପଟ୍ଟନାଏକ ଘରେ କାଗଜ ସନ୍ତକ କରି ରାଧା ଓ ମୋତି ଟଙ୍କା ଆଣିଥିଲେ ।

 

କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧା ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟା ବଣ୍ଟି କରି ନେଲେ । ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ି ଦେଲେ । ଭବିଷ୍ୟତରେ ନେବେ ବୋଲି ଆଶା ଥାଏ । ସବୁ ଦଶବରଷ ତଳର ଘଟଣା ।

 

ଦିନେ ରାତିରେ-

 

ସେଇ କୁଡ଼ିଆ ଘରେ । ମୋତିର ମୁଣ୍ଡକୁ କୋଳରେ ପୁରେଇ ରାଧା ଶୋଇ ସପନ ଦେଖୁଛି । ସବୁ ଦୁଃଖର ସପନ । ଅଙ୍ଗେ ନିଭେଇଲା କଥା । ନିଦ ଭାଙ୍ଗିଲା । ଆଖିରୁ ଲୁହ ଗଡ଼ି ଆସୁଥିବା ଲୁହ ପୋଛିଲା । ଅନ୍ଧାରରେ ମୋତିର ମୁଣ୍ଡ ଆଉଁଷିଲା ।

 

ମୋତିର ନିଦ ଭାଙ୍ଗିଲା । ପଚାରିଲା, କ’ଣ ଅପା ?

 

ରାଧା ତା'ର ହାତଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତି ଲୋ, ଅବିଗୁଣ ପାଇବୁ ନାହିଁ । ତୋ’ରି କଥା ଭାବୁଥିଲି । ସବୁତ ଗଲା । ସାହା ସମ୍ବଳ କିଛି ନାହିଁ । ଟୋକୀ ବୟସ ତୋ’ର । ତୁ ଦୂତିଅ ହୋଇ ଯା ।

 

ମୋତି ଚମକି ଉଠିଲା । ରାଧା ହାତରୁ ହାତ ଟାଣି ନେଲା ।

 

ରାଧା ତା’ମନ କଥା ବୁଝିଲା । କହିଲା ରାଗିଲୁ କି ? ରାଗନା ମୋତି । ତୋର ଭଲକୁ କହୁଛି । ଲୋକେ ପଙ୍କକୁ ସିନା ଠେଲି ଦେବେ, ବୁଡ଼ିଗଲା ମଣିଷକୁ ଉଧାରିବାକୁ କେହି ହାତ ବଢ଼େଇବେ ନାହିଁ । କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନୀମାନିଆଁ କପାଳକୁ କିଛି ଅଛପା ରହିବ ନାହିଁ ।

 

ସାପ ପରି ଫଁ ଫଁ ହେଲା ମୋତି । ଚିହିଁକା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷଣୀଟା ତ !

ତା' ପାଟିରେ ହାତଦେଇ ରାଧା କହିଲା, ପାଟି କର ନାଁ । ଚିଡ଼ି ମାଡ଼ୁଛି ଯଦି ମୋ’ ପିଠିରେ ଦି’ପୁଞ୍ଜା ବସେଇ ଦେ । ତୋର ଦୋଷ ମୁଁ ଦଉ ନାହିଁ । ନିଜକୁ ସତୀ ସୁଲକ୍ଷଣୀ ବୋଲି କହୁନାହିଁ, ଅଙ୍ଗେ ଯାହା ନିଭେଇଛି, ସେଇ କଥା ତତେ କହୁଛି । ମୋ’ ସାନ କୁହା ମାନ । ମୋ କଥାରେ ହଁ ଭର । ମା’ ହେବାକୁ ସମସ୍ତଙ୍କ ମନ ହୁଏ । ମା’ ହେବାକୁ ଦଶଦିଗ ଅନ୍ଧାର ଦିଶେ ଲୋ ମୋତି । ତୋ’ ଦୋଷ ଦଉ ନାହିଁ କି ମୋର ଚହଲା ମନ ପାଇଁ ମୋ’ ଦୋଷ ମୁଁ ଦେଉ ନାହିଁ । ତୋ’ର ବୟସ ଅଛି । ତୋ' ପାଇଁ ମୁଁ ଅଛି । ଦୂରରେ ଥାଇ ହେଲେ, ତୋରି ସୁଖ ଟିକେ ଦେଖେଁ ।

 

ମୋତି ଲୋ-

 

ରାଧା ତୁନି ହେଲା ।

 

ମୋତି ଥକ୍‌କା ହୋଇ ଭାବିଲା ।

 

ଖରାଦିନ । ବାହାରେ ଉଜ୍ଜ୍ୱଳ ଜହ୍ନ ଆଲୁଅ । ନିଶବଦ ରାତି । କୁଡ଼ିଆ କଡ଼ ଆମ୍ବ ଗଛ ଛାଇ ଆଡ଼ୁ ଖଣ୍ଡି କାଶ ଶୁଭିଲା ।

 

ମୋତି ଚମକି ଉଠିଲା । ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦି ଦେଲା । ଗୋଟାଛାଏଁ ଥରୁ ଥାଏ ।

 

ଆମ୍ବଗଛ ଛାଇ ତଳୁ ତାଳି ଶବ୍ଦ ।

 

ମୋତି କିଟିମିଟି କରି କୁଣ୍ଢେଇ ଧରିଲା ରାଧାକୁ । ଥରିଲା ଗଳାରେ କହିଲା, ତୋ ଇଚ୍ଛା-

 

ମୋତି ଦୁତିଅ ହୋଇଗଲା ନୂଆପଡ଼ା । ରାଧା ଘର ଢିଅ ବନ୍ଧା ପକେଇଲା । ମୋତିର ହେଲା ପୁଅ । ସାତ ବର୍ଷ ତାକୁ ପୂରିଲା ।

 

ରାଧା କେବେ ମୋ ଘରକୁ ଯାଇନାହିଁ । ସେ ଜାଣେ, ତା’ର ଖର ନିଶ୍ଵାସରେ ସବୁ ଜଳି ଯାଇଛି । ମୋତି ପୁଅ ଗେରସ୍ତ ନେଇ ସୁଖରେ ରହୁ । ଆଇଷ ପାଇ ସଂସାରରେ ବଞ୍ଚି ରହନ୍ତୁ । ମୋତି ଖବର ପଠାଏ । ରାଧା ମନା କରେ ।

 

ରାଧା ଯାଇ ଥିଲା ନୂଆପଡ଼ା । ଆଠ ବର୍ଷ ପରେ ମୋତି ସଙ୍ଗେ ଦେଖା । ଦୁଇ ଜା’ଙ୍କର ଆଖିରୁ ଝରିଲା ଲୁହ । ସାତ ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା । ଆଠ ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା ।

 

ପନ୍ଦର ଦିନ ପରେ-

 

ସଞ୍ଜବେଳେ ମୋତି ଘରୁ ଲୋକ ଖବର ନେଇ ଆସିଲେ ଜଟିଆର ଦେହ ବଡ଼ ଖରାପ । ଜର । ଆଖି ଫିଟୁନାହିଁ । ହତଜ୍ଞାନ ହୋଇ ପଡ଼ିଛି । ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି ।

 

ରାଧା ମନା କରି ପଠେଇଲା । ଖବର ଦେଲା, କୋଉ ଠାକୁର ନାମରେ ପାଣି ଛଡ଼େଇ ଦେ । ମୁଁ ଯିବି ନାହିଁ ।

 

ଲୋକଟି ଫେରିଗଲା ରାତିରେ ।

 

ସେଇ ଅନ୍ଧାର ରାତିରେ-

 

ରାତି ଅଧ । ଆକାଶ ମେଘାଚ୍ଛନ୍ନ । ଗୋଟିଏ ହୋଇ ନକ୍ଷତ୍ର ଦିଶୁନାହିଁ । ନିଥର ପ୍ରକୃତି । ପବନର ହିଲ୍ଲୋଳ ନାହିଁ । ନିଶବ୍ଦ ।

ରାଧାର ଆଖିକୁ ନିଦ ନାହିଁ । ଯନ୍ତ୍ରଣାରେ ଛଟପଟ ମନ । କେଡ଼େ ଭୁଲ ସେ ନ କଲା ସତେ । ମନ ମାରି ଏତେ ଦିନ ତ ସେ ରହିଥିଲା । କାହିଁକି ବାଆଁରେଇ ହୋଇଗଲା ସେ ମୋତି ଘରକୁ । କାହିଁକି ତା’ର ପୁଅ ଜଟିଆର ମୁଣ୍ଡରେ ହାତ ବୁଲେଇଲା ? ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତା’ର ନାହିଁ । ଯାହାକୁ ସେ ସ୍ନେହ କରିଛି ତା’ର ହୋଇଛି ଅମଙ୍ଗଳ ।

 

ସତେ କ’ଣ ଜଟିଆ ବଞ୍ଚିବ ? ଜଟିଆକୁ ସ୍ନେହ ଭରା ଆଖିରେ ଚାହିଁଥିଲା । ତାକୁ ସେ ଆଦର କରିଥିଲା । ପେଟ ତାର ପୁରି ଉଠିଥିଲା । ଦଇବ କ’ଣ ସହିବ ? ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ । କେତେ ତ ଡାକିଛି । କେହି କେବେ ଶୁଣି ନାହାନ୍ତି । ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ରାତି ରାତି କଟେଇଛି । ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି । ତଥାପି ଠାକୁରାଣୀ ଶୁଣି ନାହାନ୍ତି ।

 

ରାତି ପାହିଲେ ଅଶୁଭ ଖବର ଆସିବ । କେତେ ଅଶୁଭ ଖବର ତ ତା’ ମନରେ ଭେଦିଛି । ଜଟିଆର ମରଣ ଖବର ବି ସେମିତି ତା’ କାନରେ ବାଜିବ । ମନରେ ପଶିବ । ହୁଏତ ଥକ୍‌କା ହୋଇ ଘଣ୍ଟାଏ ବସିବ । ଆଖିରୁ ଲୁହ ଗଡ଼େଇବ । ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ ।

 

ମନର କୋହ ରାଧା ସହି ପାରିଲା ନାହିଁ । ଦେବତାକୁ ସେ ଆଉ ପୂଜା କରିବ ନାହିଁ । ଦେବତା କେବେ ମଣିଷର କଥା ଭାବେ ନାହିଁ । ଏଇ ଯେଉଁ ମୁଣ୍ଡି ସାହାଡ଼ା, ଯାହାର ମୂଳରେ ମଣିଷ ତା’ର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି । ତାହାରି ଦେହରେ ଠାକୁରଣୀ ବିଜେ କରିଛନ୍ତି, ଜୁଳୁ ଜୁଳୁ କରି ସବୁ ଦେଖୁଛି । କାହିଁକି ସେ ରହିବ ? ପୂଜା ପାଣି ପାଇବ ? ସବୁ ତ ଗଲା । ସେ ବି ଯାଉ । ଠାକୁରାଣୀ ତା’ର ସର୍ବନାଶ କରିଛି । ସେ ତା’କୁ ଛାଡ଼ିବ କାହିଁକି ? ରାଧା ମନ ଉଲ୍ଲାସରେ ହସିଲା । ସେ ଦୁର୍ବଳ ମଣିଷ ଉପରେ ଦାଉ ସାଧି ପାରିବ ନାହିଁ । ଦେବତାକୁ ନିଜର କରାମତି ଦେଖାଇବ । ଲୋକେ ତା’ର ଯାହା କରିବାର କରନ୍ତୁ ।

 

ରାଧା ଉଠିଲା । ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ’ଣ ଖୋଜିଲା ।

 

ରାତି ପାହିଲା ।

 

ମୁଣ୍ଡି ସାହାଡ଼ା ମୂଳରେ ଲୋକ ଜମା ହୋଇଛନ୍ତି । ରାଧା ଜିଭ କାମୁଡ଼ି ପଡ଼ିଛି । ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ । ମୁଣ୍ଡି ସାହାଡ଼ା ମୂଳରେ ଦି’ ଚାରି ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡ଼ୁଛି ।

 

ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ । ଛୋଟ ଛୋଟ ଦିଓଟି ଦାଗ ।

 

ଠାକୁରାଣୀର ପ୍ରତାପ !

Image

 

Unknown

ଚାମଚ

ଶ୍ରୀ ସତ୍ୟାନନ୍ଦ ବେହୁରା

ମାମୁଁଘର ବାହାଘର, ତୁ ଚୁପ୍‌ମାରି ବସିଲୁ କ’ଣ ବା ? ବୋପା ଅଛି ବୁଝିବ.... ଆକ୍ଷେପୋକ୍ତି ନିଶାକରର ମା’ର ।

 

ବୋପା ନ ଥାଉ, ମା’ତ ଅଛି, ପରିହାସ ଛଳରେ ତା ମା’କୁ ନିଶାକର କହିଥିଲା ।

 

ନିଶାକରର ସ୍ତ୍ରୀ ତୁଣ ବଘାରିବା ପାଇଁ ଫୁଟଣ ପକାଉଥିଲା ହାଣ୍ଡିରେ ।

 

ହଁ, ମୁଁ ବୁଝିବିନି ! ବୁଝିବି, ବୁଝିବିନି କିମିତି, ଅଧାବାଟିଆ ଅଧବାଟରେ ବସାଇଦେଇ ଯାଇଛି ତମଠୁ ଝଙ୍ଗାସ ଶୁଣିବା ପାଇଁ..... ପରଘରେ ମୁଣ୍ଡ ବିକି ତମକୁ ପ୍ରତିପୋଷଣ କରୁଥିଲା…..

 

ତୋ ବାପାକୁ କହିଲୁ ନି ବଢ଼ିଆ ରୋଜଗାରିଆ ଜ୍ଵାଇଁଟାଏ କରିଥାନ୍ତା ! ମୋ ବାପାକୁ କିଆଁ ଜ୍ୱାଇଁ କଲା ।

 

ଥାଉ, ଥାଉ ସେଗୁଡ଼ାକ ଉଖାରି ହ’ନା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ।

 

ସେୟା ତ ଫିଟାଇ କହିବୁ, ଏମିତି ଫୋପାଡ଼ିଲା ଭଳି କିଆଁ କହୁଛୁ ?

 

ସେମାନେ ବଡ଼ଲୋକ । ପାଞ୍ଚଲୋକଙ୍କ ମନକୁ ପାଇଲା ଭଳି ବେଭାର ଦେବା ଚାହିଁ । ଆଉ ଫେର୍ କ’ଣ କହିବି ?

 

ଦିଆଯିବ ବୋଉ, ଦିଆଯିବ । ଅମ ସକ୍ଷ୍ୟକୁ ଅନାଇ ଆମେ ଦେବା । ବଡ଼ଲୋକ ସାନଲୋକ ସମାଜରେ ରହିବେ । ମୋ ବିଭାଘରକୁ ମାମୁ ମାଇଁ ତାଙ୍କ ଗାଡ଼ିରେ ବସି ହାର, ମୁଦି, ଦାମିକା ଶାଢ଼ୀ ଆଉ କେତେ ଜିନିଷ ଆଣି କରି ଆସିଥିଲେ । ଆମର ତ ଗାଡ଼ି ନାହିଁ । ଆମର ଟଙ୍କା କେଉଁଠି ଅଛି ? ଯେତିକି ପାରିବା ସେତିକି ଦବା । ପ୍ରତିଯୋଗିତା ମୁଁ କିପରି କରିବି ? ତୁ ସମସ୍ୟା ସୃଷ୍ଟି କରନା, ସମାଧାନ କର ।

 

ବେଶ୍, ତୋର ଯାହା ଖୁସି, ତୁ ତାହା କର । ମୁଁ ପାଟି ଫିଟାଇବି ନାହିଁ !

 

ପାଟି ନ ଫିଟାଇବାକୁ କିଏ କହିଲା ?

 

ତୁନୀ ପଡ଼ିଥିଲା ନିଶାକରର ମା’ । ଅତୀତର ବହୁ ଘଟଣା ଯେମିତି ତା କଣ୍ଠ ନାଳୀକି ରୁଦ୍ଧ କରିଦେଇଥିଲା ।

 

ହେଲା ଯା- ତୁ ଶୁଣ, ତାଙ୍କର ତ ଦୁଇ ପୁଅଙ୍କର ବାହାଘର ଏକାବେଳକେ । ତେଣୁ ଦୁଇଯୋଡ଼ା ଲୁଗା, ଦୁଇଶହ ଟଙ୍କା ଦବା । ତୁ ଯିବୁ । ବୋହୁ ଦୁହିଁଙ୍କି ଦୋଅଣୀ ଓଜନର ଦୁଇଟି ସୁନା ମୁଦି ଦବୁ । ୟାକୁ ତୁଲାଇଲା ବେଳକୁ ମୋର ଅଠାଠିକ୍.... ଆମକୁ ଅନାଇଲା ବେଳକୁ ଇଏ ତ ବୁକେଇ ପଡ଼ିଲାଣି । ମନକୁ ପାଉଛିଟି ? ସେ ମୁରୁକି ହସି କହିଲା–ୟାକୁ ଦେଖ, ଇଏ ଖାଉଛନ୍ତି ଜିରା ମରିଚ ଛୁଙ୍କ ।

 

ଆଜି ନିଶାକର ମାମୁଁଙ୍କର ଅଭ୍ୟର୍ଥନା ।

 

ବୋହୁ ଦିହିଁକି ଦେଖିବେ ନିମନ୍ତ୍ରିତ ବନ୍ଧୁ । ଆତ୍ମୀୟ ଓ ଅନାତ୍ମୀୟ– ନିର୍ଘଣ୍ଟ ସମୟ –ରାତି ଆଠ ।

 

ବଫେ ଡିନର୍ ।

 

ସଜ୍ଜିତ ଟେବୁଲ ।

 

ସଫେତ ଧୋବ ଚାଦର ଉପରେ ରଖାଯାଇଛି- ଷ୍ଟେନ୍‌ଲେସ୍ ଷ୍ଟିଲର ହରେକ ରକମର ଡେକିଚି ଓ ଚାମଚ । ବିରିଆନି, ଲୁଚି, ମାଂସ ତରକାରୀ, କୋବି ଆଳୁ ତରକାରୀ ଫିସ୍ ଫ୍ରାଇ, ମାଛ ଭଜା, ମାଛ କଟ୍‌ଲେଟ୍ ଓ ଚପ୍‌ । ଅନ୍ୟ ଏକ ଟେବୁଲରେ ରାବିଡ଼ି, ଖିରି ଓ ପୁଡ଼ିଙ୍ଗ, ସବୁ ଟେବୁଲରେ ପ୍ଲେଟ୍, କଣ୍ଟା ଚାମଚ ଓ ବିଭିନ୍ନ ରକମର ସାଇଜ୍‍ର ଚାମଚ, ବଡ଼ ବଡ଼ ପରଷିବା ଚାମଚ ମଧ୍ୟ ଅଛି । ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତି ଏଇ ବଡ଼ ଚାମଚରେ ନିଜେ ବାଢ଼ିବେ ନିଜପାଇଁ ପ୍ଲେଟ୍‌ରେ । ବୁଲି ବୁଲି ଖାଇବେ । ଠିଆ ଭୋଜନ ।

 

ବିଜ୍ଞାପନ ଅଛି - ଆମିଷ ଓ ନିରାମିଷ ।

 

ବଗିଚା ଭିତରେ ଅନେକ ଗଛ । ସେଥିରେ କି ଲିଚୁ ବଲ୍‌ବ ଖଞ୍ଜା ଯାଇଛି । ସବୁ ଅପ୍ରାକୃତିକ ହେଲେ ବି ମଣିଷ ତାକୁ ଆବିଷ୍କାର ଓ ଉଭାବନ ଫଳରେ ପ୍ରାକୃତିକ କରି ପକାଇଛି । ତା’ର ମୌଳିକ ପ୍ରକୃତି ବି ସିନ୍‌ଥେଟିକ ହୋଇଗଲାଣି । ବିଶେଷତଃ ନିଶାକରର ମାମୁଁଙ୍କ ଭଳି ଲୋକଙ୍କର ଏସବୁ ଅଲୌକିକ ସାମାଜିକ ଆବିଷ୍କାର । ସମସ୍ତେ ପ୍ୟାଣ୍ଟ୍‍, କୋଟ୍‍, ଟାଇ ଭିଡ଼ି ଆସିଛନ୍ତି । ସମାଜର ଏଗୁଡ଼ିକ ବଶିଷ୍ଟ ଜୀବ, ୟାଙ୍କର ଅଲଗା ସମାଜ ।

 

ଚନ୍ଦ୍ରତାପ–ରିଝର ମନୋରମ, ଆଲୋକସଜ୍ଜା ତାକୁ ମାତ୍‍ କରି ଦେଇଛି ଦାରିଦ୍ର୍ୟକୁ ଉପହାସ ସିନା !

 

ମନଖୁସିରେ ଇଂରେଜୀ, ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି । ଖାଲି ଇଂରେଜୀ ଟାଇଭିଡ଼ା କାଳିଆ ବାବୁଙ୍କର ସୁନ୍ଦର ଇଂରାଜୀ ଉଚ୍ଚାରଣ !! କୋକିଳ ବେଶରେ କାକ !

 

ଦେଖ, ଦେଖ, ଦଳ ଦଳ ପିଲା, ବୁଢ଼ା, ଯୁବା ପଶିଆସୁଥାନ୍ତି । ଅନିମନ୍ତ୍ରିତ ଏମାନେ ।

 

ଛାପା ୟାଙ୍କର ନାହିଁ । ମାନେ ଦାବୀ କରି ବସିଛନ୍ତି -ଇଏ ଖାଇବେ । ଆମେ କିଆଁ ନ ଖାଇବୁ ।

 

କିଏ ସମାଧାନ କରିବ ? ସାମାଜିକ ବୈଷମ୍ୟ ।

 

ଏଇ ଅନିମନ୍ତ୍ରିତମାନେ ବି କଣ୍ଟା ଚାମଚ ବ୍ୟବହାର କରିଥିଲେ- ହାୟ ହତଭାଗ୍ୟ !

 

ପାଣିକଳ ବାଡ଼ ପାଖରେ । ହାତ ଧୋଇଲେ । ମୁହଁ ଧୋଇଲେ । ଚାମଚ ପ୍ଲେଟ୍ କେଉଁଠି ରଖିଲେ ? ସରିଲା ବଫେ ଡିନର୍.....

 

ତା ପରଦିନ ସକାଳେ ।

 

ଆଇ. ଏ. ଏସ୍. ଗୃହସ୍ଵାମୀ ସର୍କିଟ ହାଉସ୍, ପାନ୍ଥ ନିବାସ ଆଦି ସରକାରୀ ସଂସ୍ଥାରୁ ଆଣିଥିବା ଗ୍ଲାସ, ପ୍ଳେଟ, ଚାମଚ, ଡେକ୍‌ଚି ଆଦି ଲୋକ ଲଗାଇ ଯାଞ୍ଚକଲେ ସଂରକ୍ଷିତ ତାଲିକା ସହିତ । ଗ୍ଲାସ ଭାଙ୍ଗିଚି ୨୫ଟା । ପ୍ଲେଟ୍ ଭାଙ୍ଗିଚି ୧୮ଟା । ଚାମଚ ୨୨ ଟା ଭରଣା ଦେବାକୁ ପଡ଼ିବ । ଖୋଜା ଚାଲିଲା ।

 

ଆଇ.ଏ. ଏସ୍. ଗୃହସ୍ଵାମୀ ହାଲ୍ଲା କରୁଥାନ୍ତି- କୁଆଡ଼େ ଗଲା ଚାମଚ ! କୁଆଡ଼େ ଗଲା ।

 

ନିଶାକରର ମା ଆସିଥିଲେ ଏଇ ଭୋଜିକି । ଖୋଜାଳୀଙ୍କ ମଧ୍ୟରେ ସେ ବି ଥିଲା । ଶଅ ଶଅ ଚାମଚ । ମାତ୍ର ୨୨ଟି ଊଣା । କଳମୂଳ, ବାଡ଼ମୂଳ, ଗଛମୂଳ- ସବୁ ଖୋଜାଗଲା । ଗଛମୂଳରୁ ସେ ଗୋଟିଏ ଚାମଚ ନେଇ କଳ ପାଣିରେ ଧୋଇ ଅଣ୍ଟାରେ ଖୋସିଦେଲେ ସମସ୍ତଙ୍କ ଅଲକ୍ଷ୍ୟରେ । ମିଳିଲା ନିଅ । ଅବଶିଷ୍ଟ ୧୩ଟି ଗୃହିଣୀ ନିଜ କାଠ ସିନ୍ଦୂକରୁ ବାହାର କରି ଦେଲେ । ଜିନିଷ ପୈଠ ହୋଇଗଲା । ନିଅଣ୍ଟ ବଜାରରୁ କିଣା ଯାଇ ଭରଣା କରାଗଲା

 

ଯେଉଁମାନେ ଦୂରରୁ ଆସିଥିଲେ ସେମାନେ ବିଦାୟ ହୋଇଗଲେ । ନିଶାକରର ମା ବିଦାୟ ନେବାକୁ ବାହାରିଲାରୁ ଆଇ. ଏ. ଏସ୍. ଭାଇ ବାରଣ କରି କହିଲେ–ରହ, ଯିବୁ ତ….

 

ଦିନେ ରହିଲା । ସନ୍ଧ୍ୟାକୁ କହିଲା ଭାଇକି -ମୁଁ କାଲି ସକାଳୁ ଯିବି । କାମଅଛି ।

 

ଭାଉଜ କପଡ଼ାଲତା ଆଣି ଦେଲେ । ଖଣ୍ଡିଏ ସୁଟ୍‌କେସ୍ ଆଣିଥିଲା ତାଙ୍କ ଘରୁ । ଗୃହିଣୀ ତାକୁ ସଜାଡ଼ି ଦେବାକୁ କହିଲାରୁ ସେ ସଂକୁଚିତ ହୋଇ କହିଲା- ନା, ଥାଉ, ତମେ ରଖିଦିଅ । ମୁଁ ସଜାଡ଼ି ଦେବି । ଆଉ ତ ଲୁଗା ଅଛି....

 

ସୁଟ୍‌କେସ୍‍ର ସବାତଳେ ଚାମଚ ରଖାଯାଇଥିଲା । ଭାଉଜ କାର୍ଯ୍ୟାନ୍ତରେ ଗଲାରୁ ସେ ସଜାଡ଼ିବାକୁ ବସିଲା । ମନ ଚକିତ, ଚଞ୍ଚଳ ଓ ଚଙ୍ଗ ଚଙ୍ଗ । କିଏ ଲୁଚି ଲୁଚି ତାକୁ ଦେଖୁଛି ! ମନଟାକୁ ଏ ଭାବ ଆଚ୍ଛନ୍ନ କରି ରଖିଥିଲା । କେହି ଦେଖି ନାହାନ୍ତି ।

 

ରାତିରେ ଶୋଇଲା ସିଏ । ଜମା ନିଦ ମାଡ଼ୁ ନ ଥାଏ । ଚାଉଁ ଚାଉଁଆ ଲାଗୁଥାଏ । କେତେବେଳକୁ ମନେ ପଡ଼ିଲା । କେତେଦିନ ତଳେ ତାର ପ୍ରଥମ ନାତି ହେଲା । ଭାରି ଖୁସି । ମାତ୍ର ବୋହୁର କ୍ଷୀର ନ ଥିଲା । ନାତି କାନ୍ଦେ । ସେ ତାକୁ ଗାଈ ଦୁଧ ପିଆଇଲା । ଶାମୁକାରେ ଦୁଧ ପିଏ ନାତି । ରୋଜ ଶାମୁକା ଭାଙ୍ଗେ । କେଉଁ ଦିନ ବିଲେଇ କେଉଁ ଦିନ ମଣିଷ ଗୋଡ଼ ପଡ଼ିଯାଏ ତା ଉପରେ, କେଉଁଦିନ କାଉ ନେଇଯାଏ । ବୋହୁ ମାଗେ ଶାମୁକା । ସେ ବିରକ୍ତ ହୋଇ ଦିନେ କହିଥିଲା- ବାପା ତୋର ନାତି ପାଇଁ ତିନିଟା ଟଙ୍କା ଖର୍ଚ୍ଚକରି ଗୋଟାଏ ଚାମଚ ଦେଲାନି ? ରୋଜ ମୁଁ କେତେ ଶାମୁକା ତତେ ଯୋଗାଇବି ? ପାଣ ସାହିକି ରୋଜ ଯାଉଥିବି ।

 

ଭାଇ ଭାଉଜ, କାହାକୁ ମାଗିଥିଲେ କେତେ ସେ ଦେଇନଥାନ୍ତେ ? ତା ମର୍ଯ୍ୟାଦା ଓ ଭାଇର ମର୍ଯ୍ୟାଦା ସେ ତୁଳି ବସି ଜଟିଳ ବୈଷମ୍ୟରେ ପଡ଼ିଲା । ତୁଣ୍ଡ ଫିଟି ନ ଥିଲା । ପ୍ରଶ୍ନ ଉଠିଥିଲା ତା ମନରେ, ସଙ୍କୁଚିତ ହୋଇଥିଲା ସିନା, ତୁଣ୍ଡ ଫିଟି ନଥିଲା । ଭାଉଜ ପାଖରେ ଛୋଟ ହୋଇଯିବ ?

 

ରାତି ଉଜାଗର । “ହେ ପ୍ରଭୁ ରାତି ପାହୁନି ଯେ....କିମିତି ଯିବି’ ।

 

ବୋହୁକୁ କହିବି–ତୋ ବୋପା ଦେଇ ନଥିଲା, ନେ ମୋ ଭାଇ ଦେଇଛି । ହାୟ, ହାୟ…..

 

ସକାଳ ହେଲା । ବସ୍‌ରେ ବସିକରି ଯିବ ନିଶାକରର ମା । ତାଙ୍କ ଗାଁ ଯାଜପୁର ବସ୍‌ରେ ଟିକଟ ଦେଇ ବସାଇ ଦେଲା ଭାଇଙ୍କ ଚପରାସୀ । ସୁଟ୍‌କେସ୍‌ଟି ତା ବସିବା ବେଞ୍ଚ ତଳ ଜାଗାରେ ରଖିଦେବା ପାଇଁ ଚପରାସିକୁ କହିଲା । ସୁଟ୍‌କେସ୍‌ର କବଜା ଫିଟିଥିଲା । ଚପରାସି ତାକୁ ସଜ କରିବାକୁ କହିଲାରୁ ସେ ଏକା ଜିଗର କରି ମନାକଲା- ଥାଉ ଥାଉ, ମୁଁ କରିଦେବି । ଶଙ୍କିତ ଭାବ ବୁକୁ ଭିତରେ ଯନ୍ତ୍ରଣା ସୃଷ୍ଟିକରି ଦେଇଥାନ୍ତି । ବସ୍‌ ଠିକ୍ ସମୟରେ ଛାଡ଼ିଲା ।

 

ପାଣିକୋଇଲି ଛକ ।

 

ପାଞ୍ଚଜଣ ଅବକାରୀବାଲା ଜାମାଜୋଡ଼ ହୋଇ ସେଠି ଏହି ବସ୍‌‌କୁ ଅପେକ୍ଷା କରିଥିଲେ । ବସ୍ ପହଞ୍ଚିଲାକ୍ଷଣି ତାଙ୍କ ସବ୍‌ଇନିସ୍‌ପେକ୍ଟର କଣ୍ଡକ୍ଟରକୁ କହିଲା–ବସ୍ ତଲାସି କରାଯିବ ।

 

ସେ ପ୍ରତିବାଦ କରି ନ ଥିଲା । ମାତ୍ର ଜଣେ ମହିଳା ପ୍ରତିବାଦ କରି କହିଥିଲା–ମୋ ସୁଟ୍‌କେସ୍‍ରେ କିଛି ଅବକାରୀ ମାଲ ନାହିଁ । ତମେ କାହିଁକି ଫିଟାଇ ନିରାଶ ହେବ । ମୋ ଭାଇ ଆଇ. ଏ ଏସ୍. । ମାତ୍ର ନିଷିଦ୍ଧ ବାକ୍ୟର ସହଜ ସରଳାର୍ଥ କରିଦିଅନ୍ତି ସମସ୍ତେ ତୁରନ୍ତ । ହେଲା ତାହା । ସେମାନେ ନିଶାକରର ମା’ର ସୁଟ୍‌କେସ୍ ଆଗ ତଲାସ କଲେ । ଅବକାରୀ ମାଲ ବରାମତ ହୋଇ ନ ଥିଲା । ସେ ତାଙ୍କୁ କହିଥିଲା–ଏ ଚାମଚଟି ମୋ ଭାଇ ମୋ ନାତି ପାଇଁ ଦେଇଛି ।

Image

 

ବାଜିଆ ପ୍ରସଙ୍ଗ

ଶ୍ରୀ ପୁଲିନ ବିହାରୀ ରାୟ

 

ପଲ୍ଲୀ ଅଞ୍ଚଳ । ମାର୍ଗଶୀର ମାସର ଶୀତ ରାତି, ଜହ୍ନ ପଡ଼ିଛି, ରାସ୍ତାରେ ଲୋକ ଚଳାଚଳ କମିଗଲାଣି । ରାସ୍ତାକଡ଼ର ଯେ କେତୋଟି ଦୋକାନ, ସେଥିରେ ତାଟି କବାଟ ପଡ଼ିଲାଣି, ଆଲୁଅ ଲିଭିଲାଣି ।

 

ଗାଁ ଭିତରେ ଯେ ଯା’ର ଘରେ, ପଦାରେ କେହି ଜଣେ ଦି’ଜଣ ଯିବା ଆସିବାର ଦେଖାଉଛି, ଅଧିକାଂଶ ଲୋକଙ୍କ ଦୁଆର ବନ୍ଦ ।

 

ଗୋଟିଏ ଘର ଭିତରେ ଜଣେ ବୁଢ଼ା ନିଜର ଗୋଦରଗୋଡ଼କୁ ଆଉଁସୁ ଆଉଁସୁ ଯନ୍ତ୍ରଣାରେ ଛଟପଟ ହୋଇ ନିଜର ପୁଅକୁ ଶଶୁରତନୟ ହିସାବରେ ବନ୍ଦନା କରି କହିବାରେ ଲାଗିଛି-କୁଆଡ଼େ ଗଲା ସେ, ଆଜି ଆସୁ, ମୁଁ ତାକୁ ଦେଖୁଛି ! ମୁଁ ତାକୁ କହୁଛି - ମୋତେ ଟିକିଏ ଡାକ୍ତରଖାନାରୁ ଔଷଧ ଆଣି ଦେଇଯା, ଯାଇଛି ଯେ, ଯାଇଛି…।

 

ଆଉ ଗୋଟାଏ ଘରେ ଆଲୁଅ ନାହିଁ, ଜଣେ ବୟସ୍କା ବିଧବା ସନ୍ଧ୍ୟା ପରଠାରୁ ପ୍ରାୟ ଦଶଥର, ଥରେ ଘର, ଥରେ ରାସ୍ତାକଡ଼କୁ ଆସି ଅନାଉଛି- ପୁଅ କୁଆଡ଼େ ଗଲା ? ଶେଷରେ ପୁଅକୁ ବାଡ଼ିଖିଆ ଆଖ୍ୟାଦେଇ ବିରକ୍ତ ହୋଇ ଭାବୁଛି–କ’ଣ ମଲାକି କୁଆଡ଼େ ? ଘରେ ତେଲ ନାହିଁ, ଲୁଣ ନାହିଁ, ରାତି ହେଲାଣି, ଦୋକାନ ପଡ଼ିଲାଣି, ଗଲା କୁଆଡ଼େ ?

 

ଆଉ ଗୋଟାଏ ଘରେ କଣ ବୁଢ଼ା ବ୍ୟସ୍ତ ହୋଇ ନିଜର ଭେଣ୍ଡା ପୁଅକୁ ଶଶୁରନନ୍ଦନ ଆଖ୍ୟା ଦେଇ ବକିବାରେ ଲାଗିଛି–ବାଛୁରୀଟା କୁଆଡ଼େ ଗଲା ? ଥରେ ଟିକିଏ ବାଛୁରୀ ଟା ଖୋଜି ଆଣି ଥା’ନ୍ତା, ମୋର କ’ଣ ବଳ ପାଉଛି । ମୁଁ କୁଆଡ଼େ ଯାଇ ପାରୁଛି ?

 

ଆଉ ଜଣେ ବୁଢ଼ା ରାସ୍ତାକଡ଼ରେ ଠିଆ ହୋଇ କେତେଥର ବାଜିଆରେ ବାଜିଆରେ ଡାକି ଡାକି ଘରକୁ ଫେରିଲା । ବୁଢ଼ା ଆଉ ଡାକି ପାରିଲାନି, ମନେ ମନେ ବିରକ୍ତ ହୋଇ କହିବାକୁ ଲାଗିଲା ଆଜି ଆସୁ, ଦେଖୁଛି ତାକୁ, ଘରେ ପଇସା ଗୋଟାଏ ନାହିଁ, ସାଆନ୍ତାଙ୍କ କତିକି ଯାଇଥିଲେ ପଞ୍ଚଟା ଟଙ୍କା ଆଣିଥିଲେ ଖର୍ଚ୍ଚ ହୋଇଥାନ୍ତା......।

 

ଇମିତି ସମୟରେ ପଲ୍ଲୀର ଶୀତରାତିର ନିସ୍ତବ୍‍ଧତା ଭଙ୍ଗ କରି ଚାରିଆଡ଼େ ଝଂକୃତ ହୋଇ ଉଠିଲା- ହିପ୍ ହିପ୍ ହୁରରେ, ହିପ୍ ହିପ୍ ହୁରରେ, ପିକ୍ ପିକ୍ ଭୁର୍‌ରେ.....।

 

ଯା ମୁହଁରେ ଯା ଉଚ୍ଚାରଣ ହେଲା, ହିପ୍ ହିପ୍ ହୁରରେ..... ।

 

ଜଣେ ଦୁଇଜଣ କହିବାର ଶୁଣାଗଲା- ଥ୍ରୀ ଚିୟର୍‌ର୍ସ ଫର୍ ଉଦ୍ଦଣ୍ଡ କ୍ଲବ୍, ଥ୍ରୀ ଚିୟର୍‌ର୍ସ ଫର୍ ଉଦ୍ଦଣ୍ଡ କ୍ଲବ୍'……

ଗାଁ ଖଣ୍ଡକରେ ଏ ମିଳିତ କଣ୍ଠ ଶବ୍ଦର ଝଙ୍କାରରେ ଶୀତ ରାତିରେ ଗୋଟାଏ ଚମକ ଖେଳିଗଲା, କେତେକଙ୍କର ନିଦ ଭାଙ୍ଗିଗଲା ।

 

ଗର୍ଭବତୀ ବୋହୁମାନଙ୍କର ଏ ଶବ୍ଦରେ ଗର୍ଭନଷ୍ଟ ହବାର ଆଶଙ୍କା କରି ଶାଶୁମାନେ ଉପଦେଶ ଛଳରେ କହିଲେ–ବୋହୁ, କାନରେ ଆଙ୍ଗୁଳି ଦବୁଟି..... ।

 

ଗର୍ଭିଣୀ ଝିଅ, ଯେଉଁମାନେ ଶାଶୁଘରୁ ଆସି ବାପଘରେ ସନ୍ତାନ ପ୍ରସବ ଲାଗି ଅପେକ୍ଷା କରି ରହିଥିଲେ, ସେମାନଙ୍କର ମା’ମାନେ ଝିଅଙ୍କୁ ଆଶ୍ୱସନା ଦେଇ କହିଲେ–ଝିଅ, କିଛି ଭୟ କରନା, କୁଳବୁଡ଼଼ା କୁଆଡ଼େ ଯାଇଥିଲେ, ଚଉଦ ପୁରୁଷ ପିଣ୍ଡ ପକେଇବାକୁ, ଆସି ପାଟିକରି ନିଦ ଭଙ୍ଗଉଛନ୍ତି, ଝରିପୋକ ପର ଲାଗିଛି .....।

 

କେତେଗୁଗ ଘୁମନ୍ତ ପକ୍ଷୀ ଏ ସମବେତ କଣ୍ଠଧ୍ଵନିରେ ଚମକି ପଡ଼ି ଗୋଟାଏ ଗଛରୁ ଅନ୍ୟ ଗଛକୁ ଉଡ଼ି ଚାଲିଗଲେ ।

 

ପୁଣି ଶୁଣାଗଲା–ହିପ୍ ହିପ୍ ହୁର୍‍ରେ, ହିପ୍ ହିପ୍ ହୁରରେ, ପିକ ପିକ୍ ଭୁର୍‌ରେ'.....।

 

ଉଦ୍ଦଣ୍ଡ କ୍ଲବର କେତେକ ଉତ୍ସାହୀ ଯୁବକ, ଯେଉଁମାନେ ଖେଳ ଦେଖିବାକୁ ଯାଇପାରି ନ ଥିଲେ, ଗାଁ ଭିତରୁ ବାହାରି ଆସି ରାସ୍ତାକଡ଼ରେ ଠିଆ ହୋଇ ଆନନ୍ଦରେ କୁହାକୁହି ହେଲେ- ଆମ କ୍ଲବ୍ ଜିତିଛି.....।

 

କତେକ ଆନନ୍ଦରେ ପରସ୍ପରକୁ କୁଣ୍ଢାକୁଣ୍ଢି ହେଇ ଗଡ଼ାତଡ଼ା ହୋଇଗଲେ ।

 

ବାଜିଆର ବାପ ଆସି ରାସ୍ତା କଡ଼ରେ ଠିଆ ହେଲା । ଅନ୍ୟାନ୍ୟ କେତେକ ବୁଢ଼ା, ଯୁଆନ ଧାଡ଼ିବାନ୍ଧି ଠିଆ ହେଲେ । ବାଜିଆର ବାପକୁ ଦେଖି ଆଉ ଜଣେ ଲୋକ ଆସି କହିଲା~~ହଇ ହୋ, ତୁମେ ତ ଭାରି ଭଲ ଲୋକ । ଟଙ୍କା ଆଉ କେବେ ଦବ ? କେତେଥର ଦଉଡ଼ିବି ? ମୁଁ ତୁମକୁ ଭେଟିବା ପାଇଁ ବର୍ତ୍ତମାନ ଆସି ପହଁଚୁଛି ! ତୁମର ତ ଦିନବେଳେ ଭେଟ ମିଳିଲା ନାହିଁ, କୁଆଡ଼େ ଲୁଚୁଛ, ଯା କଲ କଲ, ଟଙ୍କା ଦିଅ..... ।

 

ବାଜିଆର ବାପ ଏତେଦିନ ଯା’କୁ ଟଙ୍କା ନ ଦେଇପାରି ଲୁଚି ଲୁଚି ବୁଲୁଥିଲା, ଏ ରାତିବେଳରେ ତା’ରି ହାବୁଡ଼େ ପଇଲା । କି ବିପଦ !! କ’ଣ କହିବ ?.....

 

ପୁଣି ଶୁଣାଗଲା ହିପ୍ ହିପ୍ ହୁର୍‌ରେ, ହିପ୍ ହିପ୍ ହୁର୍‌ରେ..... । ପିକ୍ ପିକ୍ ଭୁର୍‌ରେ.....

 

ବାଜିଆର ବାପ ତିନି ଚାରି ଢୋକ ଛେପ ଗିଳି ନ୍ୟୂନସ୍ଵରରେ କହିଲା- ଭାଇ, ସବୁ ଦୋଷ ମୋର, ଯା ହବାର ହେଲା, ଆଉ ମାସେ ସମ୍ଭାଳି ଯାଅ, ବାଜିଆ ଟିକିଏ କାମରେ ଲାଗିଯାଉ, ଏତେ ଦିନେ ଖଣ୍ଡେ ଚପରାସି ଚାକିରି ପାଇଛି, ମୁଁ ତୁମର ଟଙ୍କା ଦବାକୁ ଆଉ ଡେରି କରିବି ନାହିଁ .....।

 

ଏଇ ସମୟରେ ଦୁଇ ତିନି ଜଣ ଉଦ୍ଦଣ୍ଡ କ୍ଲବର ଉତ୍ସାହୀ ଯୁବକ ସାଇକେଲରେ ଆସି ଓହ୍ଲେଇ ପଡ଼ି ବାଜିଆର ବାପକୁ ଦେଖି ଧଇଁ ସଇଁ ହେଇ ଖବର ଦେଲେ ବାଜିଆର ଡାଆଁଣ ଗୋଡ଼ ଭାଙ୍ଗି ଯାଇଛି, ତା’ରି ଯୋଗୁଁ ଆମର କ୍ଲବ ଆଜି ଫୁଟ୍‌ବଲ ଫାଇନାଲ ଖେଳରେ ଜିତିଛି, ସେ ଏକା ତିନି ଗୋଲ୍‍ ଦେଇ ଆମର କ୍ଲବକୁ ଜିତେଇଛି, ସେ ହ୍ୟାଟ୍ରିକ କରିଛି । ତାକୁ ତିନି ଚାରିଜଣ ପିଲା ଟେକି ନେଇ ଡାକ୍ତରଖାନାକୁ ଗଲେଣି; ସେ ଆଉ ଠିଆ ହେଇ ପାରୁନି, କି ଚାଲି ପାରୁନି; କିନ୍ତୁ ତା’ରି ଯୋଗୁଁ ଆଜି ଆମେ ସିଲ୍‌ଡ଼ ପାଇଛୁ, ଆମ ଯୁବକ ସଂଘର ସମ୍ମାନ, ଗାଁର ସମ୍ମାନ ରହିଛି, ଆପଣ ଯଦି ତାକୁ ଦେଖିବାକୁ ଯିବେ ତ ଆସନ୍ତୁ, ସାଇକେଲ ପଛରେ ବସେଇ ଡାକ୍ତରଖାନାକୁ ନେଇଯିବୁ, ଆଉ ଡେରି କଲେ ହବନାହଁ; ଆସନ୍ତୁ ଯଦି ଯିବେ ତ......।

 

ବାଜିଆର ବାପା ଗୋଲ୍ ଦବା କ'ଣ, ହ୍ୟାଟ୍ରିକ୍ କ’ଣ, ସିଲ୍‍ଡ଼ କ’ଣ ପାଇଛନ୍ତି, କିଛି ବୁଝିପାରିଲାନି, ବାଜିଆ ଯୋଗୁଁ ଯେ ଗାଁ'ର ଯୁବକମାନଙ୍କର କି ସମ୍ମାନ ରହିଛି, ଗାଁ'ର ଯେ କ’ଣ ସମ୍ମାନ ରହିଛି, କିଛି ବୁଝି ପାରିଲାନି; କେବଳ ବୁଝିଲା- ବାଜିଆର ଗୋଡ଼ ଭାଙ୍ଗି ଯାଇଛି, ସେ ଡାକ୍ତରଖାନାକୁ ଗଲାଣି ।

 

ବାଜିଆର ବାପକୁ ଜଣାଗଲା- ତା ମୁଣ୍ଡରେ ଯେମିତି ବଜ୍ରପାତ ହେଲା, ଆଖିରେ କେତେଗୁରା ଜୁଳୁଜୁଳିଆ ପୋକ ଉଡ଼ି ବୁଲିବାର ଦେଖାଗଲା ।

 

ପୁଣି ପାଖରେ ଶୁଣାଗଲା~ହିପ୍ ହପ୍ ହୁର୍‌ରେ, ହିପ୍ ହପ୍ ହୁର୍‌ରେ, ପିକ୍ ପିକ୍ ଭୁର୍‌ରେ

 

ଗାଁ’ର ଉଦ୍ଦଣ୍ଡ କ୍ଲବ୍‍ର ସିଲ୍ଡ଼ ବଜୟୀ ଖେଳାଳିମାନେ ତାଙ୍କର ସମର୍ଥକ, ପୃଷ୍ଠପୋଷକ ଦଳ ସମସ୍ତେ ସିଲ୍‌ଡ଼ ନେଇ ଅସି ଗାଁ ଦାଣ୍ଡରେ ପହଞ୍ଚିଗଲେ । ଦୋଳ ବେଳେ ଗାଁ ଦାଣ୍ଡରେ ଗାଁର ଠାକୁର ଗୋପୀନାଥଜୀଉଙ୍କର ବିମାନକୁ ନେଇ ମେଲଣ ପଡ଼ିଆକୁ ଗଲାବେଳେ ଇମିତି ଆନନ୍ଦ କୋଳାହଳ, ଗଣ୍ଡଗୋଳ, ଗଡ଼ାଗଡି, କୁଣ୍ଢାକୁଣ୍ଢି ଦେଖାଯାଏ ନାହିଁ ।

 

ପ୍ରକାଣ୍ଡ ସିଲ୍‌ଡ଼, ଗାଁ ଦାଣ୍ଡରେ ଲୋକାରଣ୍ୟ । ବଡ଼ ପିଲାଯାଏ, ବୁଢ଼ାଠୁଁ ଭେଣ୍ଡା ଯାଏ, ସମସ୍ତଙ୍କର ସେଇ ଗୋଟାଏ କଥା, ଦାସେ ଆଇଲେ ମୂଳରୁ ଗା-

 

କିଏ ଗୋଲ୍‍ ଦେଲା ? କେତେଟା ଗୋଲ୍ ହେଲା ? ବାଜିଆର ଗୋଡ଼ କିମିତି ଭାଙ୍ଗିଲା ? ବାଜିଆ ପରି ଟୋକା ଆମ ଗାଁରେ ଜନ୍ମନେବା ଆମର ଭଗ୍ୟ ! ଏକା ତିନି ଗୋଲ ଦେଲା । କି ବିଚିତ୍ର ଖେଳ ତା' ର ! ଧନ୍ୟ ତା’ର ମା, ବାପା ! କି ବିଚକ୍ଷଣ ବୁଦ୍ଧିମାନ ପୁଅ ତା’ର ବାପ, ମା’ କି ଶୁଭ ବେଳାରେ ଜନ୍ମ କରିଥିଲେ ..... ।

 

ଉତ୍ସାହୀ ଯୁବକମାନଙ୍କ ମଧ୍ୟରୁ କେତେଜଣଙ୍କ ଉଦ୍ୟମରେ କୁଆଡ଼ୁ ଦୁଇ ତିନିଟା ପେଟ୍ରୋମାକ୍‌ସ, ଡ୍ରମବାଜା, ବିଗୁଲ ଇତ୍ୟାଦି ଆସି ପହଞ୍ଚିଗଲା । ପେଟ୍ରୋମାକ୍‌ସ ଆଲୁଅରେ ସିଲ୍‌ଡ଼ଟା ଆହୁରି ଚମତ୍କାର ଦେଖାଗଲା । କଳା ରଙ୍ଗର କାଠପଟା ଉପରେ ରୂପାଛାଉଣି ହୋଇଛି । କି ଅଭୁତ, କି ଚମତ୍କାର ଜିନିଷ ! ଗାଁର ବୁଢ଼ା ବୁଢ଼ା ପୁରୁଖାଲୋକେ ସିଲ୍‌ଡ଼ ଦେଖି ଆଶ୍ଚର୍ଯ୍ୟ ହେଇ କୁହାକୁହି ହେଲେ–ଆମ ବାପା ଚଉଦପୁରୁଷରେ ଇମିତିଆ ଜିନିଷ ଦେଖି ନଥିଲୁ । ବାଜିଆ ଯୋଗୁଁ ଏ ଜିନିଷ ଆମ ଗାଁକୁ ଆସିଲାରୁ ସିନା ଆମେ ଦେଖିଲୁ , ଆଖି ପବିତ୍ର ହେଲା…. ।

 

ସିଲ୍‌ଡ଼କୁ ଜଣେ ଡେଙ୍ଗାଟୋକା ନିଜ ଗାମୁଛାରେ ମୁଣ୍ଡରେ ଠେକା ବାନ୍ଧି ଦି’ ହାତରେ ଧରି ଠେକା ଉପରେ

 

ରଖି ମୁଣ୍ଡେଇଛି, ତା’ର ଚାରିପଟେ ଲୋକ, ଗାଁ’ର ବୋହୁ, ଝିଅ, ସାନଖୁଡୀ, ବଡ଼ଖୁଡ଼ୀ, ମଝିଆଣୀ, ଦେଠେଇ, ମାଉସୀ, ପିଇସୀ, ମାଇଁ, ଆଈ ଦୋଳବେଳେ ଯେମିତି ଠାକୁରେ ବିବାନରେ ବସି ମେଲଣ ପଡ଼ିଆକୁ ବାହାରିବାବେଳେ, ଦୂରରେ ବାରିପଟେ ବାଡ଼ମୂଳେ କାନ୍ଥ ଉଢ଼ାଳରେ ଠିଆ ହେଇ ଲୁଚି ଛପି ଦେଖନ୍ତି; ସିଲ୍‍ଡ଼ ଦେଖିବା ପାଇଁ ସେମିତି ଦୂରରେ ଗଦାହେଇ ଦେଖିଲେ- ଯେ ଦେଖିଲେ ସେ ଆଶ୍ଚର୍ଯ୍ୟ ହେଲେ; କେତେକ ଓଳଗି ହୋଇ କହିଲେ-ମା, ଆମ ଗାଁକୁ ଇମିତି ଭଲ ଆଖିରେ ଅନେଇଥା, ସମସ୍ତଙ୍କର ମଙ୍ଗଳ କର ମା’...।

 

ଦୁଇ ତିନିଜଣ ମାଇପି, ଏ କେତେଜଣ ମାଇପିଙ୍କର ସିଲଡ଼କୁ ଓଳଗି ଦେଖିବାର ଦେଖି ହସି ପକେଇ ଥଟ୍ଟା କରି କହିଲେ–ମରୁନା ତୁମେ, ହଇଲୋ, ତାକୁ ଓଳଗି ହେଉଛ ? ସେ କ'ଣ ଠାକୁର ହେଇଛି ?....

 

ଏତିକିବେଳେ ସାନ ସାନ କେତେକ ପିଲା ‘ହରିବୋଲ’ ଧ୍ଵନି କରି ପାଟିକଲାରୁ କେତେଗୁରା ଫାଡ଼ା ଶ୍ରେଣୀର ଯୁବକ ମାଇପିଙ୍କ ପରି ହୁଳହୁଳି ପକେଇଲେ ।

 

ଏଇ ହରିବୋଲ, ହୁଳହୁଳି ଧ୍ଵନି ଶୁଣି ଦୂରରେ ରୁଣ୍ଡ ହୋଇଥିବା ମାଇପିଙ୍କ ମହଲରୁ କିଛି ନ ବୁଝି ହୁଳହୁଳି ଶବ୍ଦ ଉଛୁଳି ପଡ଼ିଲା ।

 

ଏ ହରିବୋଲ ହୁଳହୁଳି ଶବ୍ଦ ବନ୍ଦ ହେଲା ପରେ ଜଣେ ଦି’ଜଣ ମାଇପି ସିଲ୍‍ଡ଼କୁ ଓଳଗି ହେବାର ଦେଖି ଯେଉଁ ମାଇପିମାନେ ପରିହାସ କରୁଥିଲେ ସେମାନଙ୍କୁ ଲକ୍ଷ୍ୟ କରି ପ୍ରତ୍ୟୁତ୍ତରରେ ପଚାରିଲେ କିଲୋ, ସେ ଠାକୁର ନୁହେଁ ତ ଏତେ ହରିବୋଲ କାହିଁକି ପଡ଼ୁଛି ? ଏତେ ହୁଳହୁଳି କାହିଁକି ପକାଉଛନ୍ତି ? ଆଉ ସେ କଳସ କାହିଁକି ଜଣେ ଧରି ଆଗେ ଆଗେ ଚାଲିଛି ?

 

ଏ ପ୍ରଶ୍ନର ଉତ୍ତରରେ ଶୁଣାଗଲା- ହଇଲୋ, କଳସ କାହିଁ ମ ? ସେ ପେଣ୍ଡୁଟା ଧରିଛି ନା, କଳସ କିଏ ଧରିଛି ମ ?

 

ଏହି ସମୟରେ ଦଳେ ଯୁବକ ଡାକ୍ତରଖାନା ଆଡ଼ୁ ଦୌଡ଼ି ଆସି ଖବର ଦେଲେ ବାଜିଆର ଗୋଡ଼ କଟା ହବ । ତା’ର ଡାଆଣ ଗୋଡ଼ର ହାଡ଼ ଗୁଣ୍ଡା ହେଇଯାଇଛି, ଆଉ ଯୋଡ଼ି ହବନି, ତା’ର ବାପ ଅଜ୍ଞାନ ହୋଇ ଡାକ୍ତରଖାନାରେ ପଡ଼ିଛି…..

 

ବାଜିଆର ଏପରି ଶୋଚନୀୟ ପରିଣତିର ଖବର ଶୁଣି ସମବେତ ଯୁବକଦଳ ଛତ୍ରଭଙ୍ଗ ଦେଲାପରି ଅଧିକାଂଶ ଡାକ୍ତରଖାନା ଆଡ଼କୁ ଦଉଡ଼ିଲେ । ସିଲ୍‍ଡ଼, ପେଟ୍ରୋମାକ୍‌ସ, ହିପ୍ ହିପ୍‌ ହୁର୍‌ରେ, ହରିବୋଲ, ହୁଳହୁଳି, ଆନନ୍ଦ, ଉତ୍ସାହ, ଉଦ୍ଦୀପନା, ଜୟୋଲ୍ଲାସ ସବୁ କୁଆଡ଼େ ଉଭେଇ ଗଲା ।

 

କେତେକ ଖେଳାଳି ଡାକ୍ତରଖାନାକୁ ନ ଯାଇ ଘରକୁ ଫେରିଲେ, ଉଦ୍ଦଣ୍ଡ କ୍ଲବ୍‍ର ଗୋଲ୍‍କିପର ଗୃହ ପ୍ରବେଶ କରି ନିଜର ଅପେକ୍ଷମାଣ, ଉଦ୍‌ବିଗ୍ନା, କାତରହୃଦୟା, ବୟସ୍କା ଜନନୀକୁ ଭେଟି ଉଲ୍ଲାସରେ କହି ପକେଇଲା–ବୋଉ, ଆମେ ତିନି ଗୋଲ୍‌ରେ ଜିତିଛୁ …..।

 

ବୋଉ ଉତ୍ତରରେ କହିଲା–ମଲୁ ନାହିଁ ତୁ ଜିତିଛୁ, ବୋପା ନାଁ ରଖିଛୁ । ଘର ଅନ୍ଧାର, ତେଲ ନାହିଁ, ଲୁଣ ନାହିଁ, ମୁଁ ଅନେଇ ଅନେଇ ଥକିଗଲିଣି...... !

 

ପୁଅ ପୁଣି କହିଲା- ବୋଉ, କ'ଣ ଅଛି, ଖାଇବାକୁ ଦେ, ଭୋକରେ ପେଟ ଜଳିଲାଣି ...।

 

ବୋଉ- କ’ଣ ଅଛି ଯେ ଖାଇବାକୁ ଦେବି, ମୋତେ ଖା; ମୋ ଦିନ ସରିଯାଉ…..

 

ଆଉଜଣେ ଖେଳାଳି ଗୃହପ୍ରବେଶ କରି ଉଚ୍ଚକଣ୍ଠରେ ଘର ନିନାଦିତ କରି ଜୟୋଲ୍ଲାସରେ କହି ଉଠିଲା -ବା’ମ ଆମେ ମାର୍ତ୍ତଣ୍ଡ କ୍ଲବକୁ ତିନି ଗୋଲରେ ହରେଇ ସିଲ୍‌ଡ୍ ପାଇଛୁ….. ।

 

ଏହାର ଉତ୍ତରରେ ବାପଆଡ଼ୁ ଶୁଣାଗଲା- ଶଶୁରପୁଅ, ମୋ ଗୋଡ଼ ଭଲ ଥିଲେ ଏକା ଗୋଇଠାରେ ତୋ ଅନ୍ତ ବୁଜୁଳା ବାହାର କରି ଦିଅନ୍ତି, ଶଶୁରପୁଅକୁ କହିଲି ମୋତେ ଟିକିଏ ଡାକ୍ତରଖାନାରୁ ଔଷଧ ଆଣି ଦେଇଯା, ଶଶୁରପୁଅ ଯାଇଥିଲା ଖେଳିବାକୁ….. ।

 

ଶେଷରେ ଉକ୍ତ ଖେଳାଳିଙ୍କ ବାପ ସିଲଡ଼କୁ ଗୋଟିଏ ପଦାର୍ଥ ସହିତରେ ତୁଳନା କରି ଭତ୍ସନା କଲା- ଯାହାକି ବୋଧ୍ୟ, କୌତୁହଳୋଦ୍ଦୀପକ, ହାସ୍ୟରସାତ୍ମକ, ସର୍ବ ସାଧାରଣ କିନ୍ତୁ ଅପ୍ରକାଶ୍ୟ ..... ।

 

ଆଉ ଗୋଟିଏ ଘରେ ଜଣେ ଖେଳାଳି ଆନନ୍ଦରେ ଗୃହପ୍ରବେଶ କରିବା ମାତ୍ରେ ଜଣେ ଅଧୁଆଡ଼ୀ ଲୋକ ଗୋଟିଏ ଠେଙ୍ଗା ହାତରେ ଧରି ଗୋଡ଼େଇଲା ବକି ବକି- କୁଆଡ଼େ ଯାଇଥିଲୁ ? ଏତେ ରାତି ହେଲାଣି, ଆଜି ତୁ ଅଛୁ କି ମୁଁ ଅଛି.... ।

 

ଇମିତି ଖେଳାଳି ରୂପକ ମୀୟାମୃଗ ପଳେଇଛି ଆଉ ତା’ ପଛରେ ଠେଙ୍ଗାରୂପକ କୋଦଣ୍ଡ ଧରି ଅଧୁଆଡ଼ୀ ରୂପକ ରଘୁପତି ଗୋଡ଼େଇଛନ୍ତି । ଏତିକିବେଳେ ବିପରୀତ ଆଡ଼ୁ, ଉଦ୍ଦଣ୍ଡ କ୍ଳବର ଏବଂ ଗାଁର ଯୁବକସଂଘ ସେକ୍ରେଟେରୀ ଦାମ ରାଉତରା ଘରକୁ ଫେରିବା ବାଟରେ ଖେଳାଳି ଜଣକୁ ଚିହ୍ନି ପକେଇ ଏବଂ ତା ପଛରେ ଉଦ୍ୟତ ଠେଙ୍ଗା କୁ ରୋକିଦେଇ କହିଲେ କ’ଣ ହେଇଛି ରୁହ .....।

 

ଖେଳାଳି ଜଣକ ଧଇଁ ସଇଁ ହେଇ ଜଣେଇଲା- ମୋର ବାପା ମୋତେ ମାରିବାକୁ ଗୋଡ଼େଇଛି….. ।

 

ଦାମ ରାଉତରା ଖେଳାଳି ର ବାପକୁ ଧମକସୂଚକ କଣ୍ଠରେ ପଚାରିଲା- କାହିଁକି ମାରିବାକୁ ଗୋଡ଼େଇଛ ?

 

ଖେଳାଳି ବାପ ରାଗରେ ଉତ୍ତର ଦେଲା~କିଏ ଦାମା, ତୁ ଏ ଗାଁ ଖଣ୍ଡକର ସର୍ବନାଶ କଲୁ..... ।

 

ଦାମ- କଣ ସର୍ବନାଶ କଲି ? ତୁମେ ମୁର୍ଖଲୋକ, ତା' ନ ହେଲେ ଇମିତି କଥା କୁହନ୍ତ ?

 

ଖେଳାଳିର ବାପ ଉତ୍ତର ଦେଲା- ଆଉ ଏ ଶଶୁରପୁଅ ତ କାମକୁ ଗଲା ନାହିଁ, କି ପେଣ୍ଡୁ ଖେଳ ଏ ଗାଁ’ରେ ପୁରେଇଲା ! ପିଲାଗୁରାଙ୍କର ପାଠ ପଢ଼ା ଗଲା; ପାଠ ନ ପଢ଼ିଲେ ହେଲେ କାମ ଧନ୍ଦା କରନ୍ତେ, ଦି'ପଇସା ଘରକୁ ଆଣନ୍ତେ, କିଛି ନାହିଁ । କି ନିଲଜ, ଯୁବକସଂଘ ଏ ଗାଁରେ ହେଲା । ଏ ଗାଁର ସର୍ବନାଶ ହେଲା । ଏ ଭେଣ୍ଡା ଟୋକାଗୁରାକ ଯୁଆଡ଼େ ଯିଏ ପାଠ ପଢ଼ୁଥିଲେ, କିମ୍ବା କୁଆଡ଼େ କିଏ ପାଠ ପଢ଼ୁଥିଲେ, ଏବେ ଯୋଉଁଠୁ ସେ କଲବ ଘର ଖଣ୍ଡିକ ପାଇଲେ; ସୁବିଧା ହେଇଗଲା, ସମସ୍ତେ ଏକାଠି ହେଇ ବସିବାକୁ ଗୋଟାଏ ଥାନ ମିଳିଗଲା, ବାର ମସୁଧା, ବାର ବଦମାସି, ବାର ଭଣ୍ଡାମି; ବୋହୁ ଝିଅ ତ ଆଉ ବାଟ ଚାଲି ପାରିଲେ ନାହିଁ...।

 

ଦାମ ପ୍ରତ୍ୟୁତ୍ତରରେ କହିଲା–କ'ଣ କହୁଛ ରଥେ ? ଏଗୁରା କ’ଣ ବକୁଛ ? ଆମ ଗାଁରେ ଯୁବକ ସଂଘ ହେଲା ଦିନଠୁଁ, ଗ୍ରାମ ସଫେଇ, ସାଂସ୍କୃତିକ ଅନୁଷ୍ଠାନ, ପାଠାଗାର, କ୍ରୀଡ଼ା ପ୍ରତିଯୋଗିତା, ପ୍ରଦର୍ଶନୀ, ସର୍ବଭାରତୀୟ ସ୍ମୃତି ଦିବସ ପାଳନ, ନାଟକ ମାଧ୍ୟମରେ ଅର୍ଥ ସଂଗ୍ରହ, ଆଉ ଓଡ଼ିଆ ଭାଷାର ଆଦର ବଢ଼େଇବା, ସର୍ବଭାରତୀୟ ପୁଣି ରାଜ୍ୟ ସ୍ତରରେ ଶୋକ ପ୍ରକାଶ କରିବା, ଆହୁରି କେତେ କ'ଣ ହଉଛି, ତୁମକୁ କ'ଣ ଜଣା ଅଛି ? ତୁମରି ପରି ଯେତେ ବୁଢ଼ା ଏ ଗାଁ’ରେ ଅଛନ୍ତି ସମସ୍ତେ ଏ ଗାଁ'ର ଅବନତିର ମୂଳ …. ।

 

ରଥେ ଦାମା ମୁହଁରେ ଇମିତି ବଡ଼ ବଡ଼ କଥାଗୁଡା ଶୁଣି କେତେକାଂଶରେ ଲଜ୍ଜିତ ହେଲେ, କାରଣ ତାଙ୍କ ପୁଅଠାରୁ ଅଳ୍ପ କେତେ ବର୍ଷର ବଡ଼ ହେବ ଦାମା, ସେ ପୁଣି ତାକୁ ‘ରଥେ' ବୋଲି ସମ୍ବୋଧନ କରି କଥା କହୁଛି ।

 

ରଥେ ରାଗରେ ଜଳିଉଠି କହିଲେ–ହଇରେ ଦାମା, ତୁ ପୁଣି ଏତେ କଥା ଶିଖିଲୁଣି କେବେଠୁ ? ନିଜେ ଯେମିତି ବାଳୁଙ୍ଗା ହେଇ ଚାରି ଦଉଡ଼ି କାଟି ବୁଲୁଛୁ, ସେମିତି ଆଉ ପାଞ୍ଚଟାକୁ ସାଙ୍ଗ କରୁଛୁ ତାଙ୍କ ଜୀବନ ନଷ୍ଟ କରୁଛୁ । ହେଇ, ବାଜିଆ ଯାଇ ଖେଳିବାକୁ ଯାଇ ଗୋଡ଼ ଭାଙ୍ଗି ଆସିଲା, ଆମେ ଶୁଣୁଛୁ–ତା’ ଗୋଡ଼ କୁଆଡ଼େ କଟା ହବ, ତା’ ବାପ ମା’ କୁ କିଏ ପୋଷିବ …. ।

 

ଦାମା ରଥଙ୍କ ଏ କଥାର ଉତ୍ତର ଦବାକୁ ଯାଇ କହିଲା -ବାଜିଆକୁ ଆମେ‌ ପୋଷିବୁ, ବାଜିଆ ଲାଗି ମୁଁ ଜୀବନ ଦବାକୁ ପ୍ରସ୍ତୁତ । ବାଜିଆ ଆମ ଗାଁ'ର, ଦେଶର, ଜାତିର ଗୌରବ । ସେ ଦିନେ ନା ଦିନେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିପାରେ…..

 

ରଥେ - ହଇରେ, ବାଜିଆ ପାଇଁ ଜୀବନ ଦବାକୁ ପ୍ରସ୍ତୁତ କହୁଛୁ, ଅଭିକା ଡାକ୍ତରଖାନାକୁ ତାକୁ ଟିକିଏ ଦେଖିବାକୁ ଯାଇଥିଲୁ ? କହ, ସତ କହ, ଛତରା ଚୋର.....

 

ରଥେ ଦାମାକୁ ଚୋର କହିବାର ଶୁଣି, ଦାମା ରଥଙ୍କ ଆଡ଼କୁ ଉହୁଙ୍କି ଯାଇ କହିଲା- କ’ଣ ଚୋରି କରିଥିଲି ? ତୁମ ବୋପା ଚଉଦପୁରୁଷ ମୋତେ ଚୋର ବୋଲି କହିଥିଲା ?....

 

ରଥେ ଆହୁରି ଉତ୍ତେଜିତ ହୋଇ ଜୋର୍‌ରେ ପାଟିକରି କହିଲେ- କ’ଣ ତୁ ଚୋର ନୁହଁ ? ହଇରେ କଟକରେ ଯେତେବେଳେ ଥେଲୁ, ଜାଲ୍ ପରିମିଟ୍‌ରେ ସିମେଣ୍ଟ ଚୋରିରେ ଜେଲ ଯାଇ ନ ଥିଲୁ ? ବଢ଼ି ବଢ଼ି କଥା କହୁଛୁ ?

 

ରଥେ ଆହୁରି କହିଲେ–ହଇରେ ଯୁବକ ସଂଘ ଯୋଗୁଁ ଗାଁ’ରେ ଏତେ ବଡ଼ ବଡ଼ କାମ ହଉଛି, କହୁଛୁ, ସେଦିନ ପୋଖରୀ ତୁଠରେ ବନା ଆଉ କାଶିଆ, ତମର ଯୁବକ ସଙ୍ଘର ଦି'ଟା ଟୋକା ଗୋଟାଏ ଝିଅ ସକାଶେ କି ବାଡ଼ିଆବାଡ଼ି ହେଲେ, ଆମେ ଆଉ କିଛି ଜାଣୁନୁ ? ରଥେ ଆହୁରି ଉଦ୍‌ଗାର କଲେ–ହଇରେ, ସର୍ବଭାରତୀୟ, ପୁଣି ରାଜ୍ୟସ୍ତରରେ କ’ଣ ଶୋକ ପ୍ରକାଶ କରୁଛୁ ? ବୋପା ମଲାବେଳେ ଶୋକପ୍ରକାଶ କରିଥିଲୁ, ? ବାପା ମୁହଁ ଚାହୁଁଛୁ ? ବୋପାକୁ ପୋଷିଛୁ ?–

 

ରଥଙ୍କ ଏତକ ବଚନିକା ଶୁଣି ଜୋକ ମୁହଁରେ ଲୁଣ ପରି ଦାମାକୁ ଜଣାଗଲା.... ।

 

Xxx

 

ସହରାଞ୍ଚଳ, ଟ୍ରେନ୍ ଆସି ଷ୍ଟେସନରେ ଠିଆ ହେଲେ ଶୁଣାଯାଏ- ବାବୁମାନେ ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଆପଣମାନଙ୍କର ଭଗବାନ ମଙ୍ଗଳ କରିବେ । ଆପଣମାନଙ୍କର ଶରୀର କୁଶଳ ରହିବ ... ।

 

ଯେଉଁ ଡବାରୁ ଯେ ଦୟାକରି ଯେ ଯା ଦେଲେ, ଖଞ୍ଜ ତାକୁ ନେଇ ମୁଣ୍ଡରେ ଛୁଆଇଁ ଆଉ ଗୋଟାଏ ଡବା ସାମନାରେ ଠିଆହୋଇ ସେହି କଥା କହି ପୁଣି ପଇସା ମାଗେ ।

 

ବସଷ୍ଟାଣ୍ଡ୍‍ରେ ବସ୍ ଆସି ଠିଆହେଲେ, ଆଶାବାଡ଼ି ଦି’ଖଣ୍ଡ କାଖରେ ଦେଇ ଛୋଟେଇ ଛୋଟେଇ ଯାଇ ଯାତ୍ରୀକୁ କହେ-ବାବୁମାନେ ଆପଣମାନଙ୍କର ଧର୍ମ ହବ । ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଗରିବର କେହି ନାହିଁ, ଭଗବାନ ଆପଣମାନଙ୍କର ମଙ୍ଗଳ କରିବେ..... ।

ଯେ ଯା ଦେଲା, ପଇସା ହାତରେ ମୁଠେଇ, ମୁଣ୍ଡରେ ଛୁଇଁ, ଛୋଟେଇ ଛୋଟେଇ ଅନ୍ୟ ବସ୍ କତିକି ଯାଇ ପୁଣି ପଇସା ମାଗେ, ଯା ମିଳେ, ସେଇଥିରେ ଚା, ବରା, ପକୁଡ଼ି, କେଉଁଦିନ ହୋଟେଲର ବାରନ୍ଦାରେ ବସି କିଛି ଭାତ ଖାଏ, ରାତି ହେଲେ ମୁସାଫିରଖାନା କିମ୍ବା କେଉଁ ଦୋକନ ବାରନ୍ଦାରେ ଶୋଇ ରାତି କଟାଇ ଦିଏ ।

 

ଦିନେ ଦିନବେଳା ବସ୍‍ଷ୍ଟାଣ୍ଡରେ ସେଇ ମିନତିଭରା କାତର କଣ୍ଠରେ ଶୁଣାଯାଉଛି- ବାବୁମାନେ ଖଞ୍ଜକୁ ଗୋଟିଏ ପଇସା ଦିଅନ୍ତୁ, ଆପଣମାନଙ୍କର ଧର୍ମ ହେବ, ମୋର କେହି ନାହିଁ, ମୋର ଗୋଟିଏ ଗୋଡ଼ ନାହିଁ, ମୁଁ ଅକ୍ଷମ, ଭଗବାନ ଆପଣମାନଙ୍କର ମଙ୍ଗଳ କରିବେ, ପିଲାମାନଙ୍କର ଶରୀର କୁଶଳ ରହିବ….. ।

 

ଏଇ ସମୟରେ ଶୁଣାଗଲା- ହିପ୍ ହିପ୍ ହୁର୍‌ରେ, ହିପ୍ ହିପ୍ ହୁର୍‌ରେ, ଥ୍ରୀ ଚିୟର୍ସ ଫର୍ ମାର୍ତ୍ତଣ୍ଡ କ୍ଲବ, ହିପ୍ ହିପ୍ ହୁରୁ୍‍ର, ଥ୍ରୀ ଚିୟର୍ସ ଫର୍‍ ମାର୍ତ୍ତଣ୍ଡ କ୍ଲବ, ହିପ ହିପ୍‍ ହୁର୍‍ରେ ।

 

ଗୋଟିଏ ଟ୍ରକ୍‌ରେ ଦଳେ ଖେଳାଳି ଠିଆ ହେଇଛନ୍ତି, ଦୁଇଜଣ ଖେଳାଳି ଗୋଟାଏ ବଡ଼ ସିଲ୍‌ଡ଼ ଧରିଛନ୍ତି, ଜଣେ ଗୋଟାଏ ପେଣ୍ଡୁକୁ କାଖେଇଲା ଭଳି ଧରିଛି, ଟ୍ରକ୍ ଟା ବସ୍‌ଷ୍ଟାଣ୍ଡ କତି ଦେଇ ରାସ୍ତା ଉପରେ ଗଲାବେଳେ ପୁଣି ମିଳିତ କଣ୍ଠର ଧ୍ଵନିରେ ବସ୍‌ଷ୍ଟାଣ୍ଡ କମ୍ପି ଉଠିଲା- ହିପ୍ ହିପ୍ ହୁର୍‌ରେ, ହିପ୍ ହିପ୍ ହୁର୍‌ରେ,

 

ଚିୟର୍ସ ଫର୍ ମାର୍ତ୍ତଣ୍ଡ କ୍ଲବ....।

 

ପୁଣି ସେଇ ଟ୍ରକ୍ ଉପରୁ ଶୁଣାଗଲା- ହେଇରେ ବାଜ ପରିଡ଼ା ।

 

-କାହିଁ ? କାହିଁ ?

 

-ହେଇ କ’ଣ ଆଶାବାଡି ଦି’ଖଣ୍ଡ କାଖରେ ଦେଇ ଗୋଟାଏ ଗୋଡ଼ରେ ଠିଆ ହେଇଛି ।

 

-ହେଇଟି ସେ ବସ୍ ପାଖରେ ଠିଆହେଇ ପଇସା ମାଗୁଛି... ।

 

-“ହଇରେ, ବାଜିଆ ଭିକ ମାଗିଲା ! ତାକୁ କେହି ତାଙ୍କ ଗାଁରେ ସାହାଯ୍ୟ କଲେ ନାହିଁ ?

 

- ତା’ ପରି ଖେଳାଳି ଜଣେ, ଆମ ଗାଁ ହେଇଥିଲେ ତାକୁ ବସେଇ ପୋଷନ୍ତୁ ।

 

-“ହଇରେ, ବାଜିଆ ଶେଷକୁ ଭିକ ମାଗିଲୁ ।

 

ବାଜିଆ ବୁଝି ପାରିଲା–ମାର୍ତ୍ତଣ୍ଡ କ୍ଲବର ଖେଳାଳିମାନେ କେଉଁଠି ଫୁଟବଲ ମ୍ୟାଚରେ ଜିତି ସିଲ୍‍ଡ଼ ନେଇ ହିପ୍ ହିପ୍ ହୁର୍‌ରେ କରି ଯାଉଛନ୍ତି । ବାଜିଆ କାନ୍ଦି ପକେଇଲା, ପୁଣି ଲଜ୍ଜିତ ହୋଇ ଭାବିଲା–ଗୋଟାଏ ବସ୍ ଉଢ଼ାଳରେ ଲୁଚି ଠିଆ ହବ, ସେ ତରବରରେ ଛୋଟେଇ ଛୋଟେଇ ଯାଉ ଯାଉ ତା’ ମୁଣ୍ଡ ଘୂରିଗଲା, ତାର ଆଶା ବାଡି ଦିଖଣ୍ଡ ଖସିଗଲା । ବାଜିଆ ସେହି ବସ୍ ଷ୍ଟାଣ୍ଡ ର ମାଟି ଉପରେ କଚାଡି ହେଇପଡ଼ିଲା ।

 

ଟ୍ରକ୍‍ଟା ବସ୍‍ଷ୍ଟାଣ୍ଡ ରାସ୍ତା ଉପରେ ଜନଗହଳି କଟେଇ ଆସ୍ତେ ଆସ୍ତେ ଚାଲି ସଙ୍ଗେ ସଙ୍ଗେ ହିପ୍ ହିପ୍ ହୁର୍‌ରେ, ହିପ୍ ହିପ୍ ହୁର୍‌ରେ, - ମିଳିତ କଣ୍ଠର ଧ୍ଵନି କ୍ରମଶଃ କ୍ଷୀଣରୁ କ୍ଷୀଣତର ହେଇ ଆଉ ଶୁଣାଗଲା ନାହିଁ ।

Image

 

ଶିକାର

ଭଗବତୀଚରଣ ପାଣିଗ୍ରାହୀ

 

ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ- ଶିକାରୀ ହିସାବରେ ଜଣା । ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର । ସେ ତୀର ମାରିଲା ବେଳେ ଚିତ୍ ହୋଇ ଶୋଇପଡ଼େ, ବାଁ’ ପାଦ ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ । ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ । ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାର୍‌ହା, ଭାଲୁ ମାରିଚି ଅଗଣନ; ଚିତାବାଘ ବି ମାରିଛି ଅନେକ । କିନ୍ତୁ ମହାବଳ ମାରିଚି ମୋଟେ ଦୁଇଟି । ମହାବଳ ଦୁଇଟି ମାରି ସେ ଡେପୁଟି କମିଶନରଙ୍କଠାରୁ ବେଶ୍ ପୁରସ୍କାର ପାଇଛି ମଧ୍ୟ ।

 

ସେଦିନ ଘେରରୁ ସେ ଏକ ଅଭୂତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର । ଗୋଟିଏ କାନ୍ଧରେ ତା’ର ଧନୁଟି ଝୁଲୁଛି, ହାତରେ ଦି’ ତିନିଟା ତୀର, ଆର କାନ୍ଧରେ ଟାଙ୍ଗିଟି ପଡ଼ିଛି । ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା–‘କିରେ ଆଜି କି ଶିକାର ଆଣିଚୁ ?”

 

ଘିନୁଆ ସଙ୍ଗେ ତା’ର ଭଲ ଜଣାଶୁଣା । ତା’ର ବକ୍‌ସିସ୍‍ର ଅଂଶୀଦାର ସେ କେତେଥର ହୋଇଛି । ଉତ୍ତରରେ ଘିନୁଆ ତା’ ମଇଳା ଦାନ୍ତ ଦୁଇ ଧାଡ଼ି କେବଳ ଦେଖାଇଲା । ସେ ହସିଲା କି ଖେଁକିଲା ଜାଣିବାର ଉପାୟ ନାହିଁ । ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ ଘିନୁଆଠାରେ ତାହା କେହି କେବେ ଦେଖିନାହିଁ । ବେଳେବେଳେ ସେ ଏପରି ଦାନ୍ତ ଦେଖାଏ । ତାହା ହସ ନୁହେଁ କି କାନ୍ଦ ନୁହେଁ–କେବଳ ଦାନ୍ତଦେଖା ।

 

ଅର୍ଦ୍ଦଳି ପଚାରିଲା, “କି ବେ, କି ଶିକାର ଆଣିଚୁ ?

 

ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ । ଦେଖାଇ କହିଲା ଯେ, ସେ ଆଜି ଏକ ମସ୍ତ ଜାନୁଆର ଶିକାର କରିଛି ।

 

ଅର୍ଦ୍ଦଳି ପଚାରିଲା ‘ବାଘ’ ?

 

ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା ।

 

‘‘ତେବେ କ’ଣ, ଚିତା.... ଭାଲୁ …ବାର୍‌ହା....?”

 

ଘିନୁଆ କେବଳ ମୁଣ୍ଡ ହଲାଇଗଲା ।

 

“ଆଉ ତେବେ କଅଣ ବେ ?”

 

ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ । ଘିନୁଆ ମୁଣ୍ଡିଆମାରି ପୁଣି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା । ସାହେକ ଶିକାରର ଚେହେରା ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାର କରି ସାହେବଙ୍କ ପାଦ ତଳେ ଥୋଇଲେ ଗୋଟିଏ ସଜକଟା ମଣିଷ ମୁଣ୍ଡ । ସାହେବ ଚମକି ପଡ଼ି ପାହୁଣ୍ଡେ ଦୁଇ ପାହୁଣ୍ଡ ପଛେଇ ଗଲେ । ଘିନୁଆ ହାତ ବଢ଼ାଇ ମାଗିଲା, “ସାହେବ, ବକ୍‌ସିସ୍ ।” କିଛିକ୍ଷଣ ପରେ ମନକୁ ସମ୍ଭାଳି ନେଇ ସାହେବ ଘିନୁଆକୁ ବକ୍‌ସିସ୍ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍‍ଦ୍ୱାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ । ଏହା ବ୍ୟତୀତ ଘିନୁଆକୁ ଜବତ୍ କରିବାର ଉପାୟ ନାହିଁ । ଦେହରେ ତା’ର ଗୋଟିଏ ଅସୁରର ବଳ । ହାତରେ ପୁଣି ତା’ର ଧନୁଶର ଓ ଟାଙ୍ଗିଆ ରହିଛି ।

 

ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଆକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ । ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କଅଣ ? ସୁବିଧା ପାଇଲେ ସେ କାହାରି କାହାରିକି ଏ ବିଷୟରେ ପଚାରେ । କିଏ କହେ ତା’ର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି କାହିଁକି ? ସେ ଏମିତି କି ଅପରାଧ କରିଛି କି ? କିଛି ବୁଝି ନପାରି ସେମାନଙ୍କ କଥାକୁ ସେ ବିଶ୍ୱାସ କରିପାରେ ନାହିଁ । ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ । ସେ ତାକୁ ହିଁ ସବୁ ହାଲ ପଚାରିଲା । ସେ କହିଲେ ଯେ, ପୂର୍ବରୁ ସେ ବାଘଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍‌ସିସ୍ ପାଉଥିଲା । ଏବେ ମାରିଛି ମଣିଷ । ଏଥିରେ କି ବକ୍‌ସିସ୍ ପାଇବ ତାହା ପାଞ୍ଚ, ଛ'ଜଣ ତ ଫେର ବୁଝି ବିଚାରି ଠିକ୍‍, କରିବେ ! ଏହି କଥାଟା ହିଁ ଘିନୁଆ ମନକୁ ମାନିଲା ।

 

ଯେଉଁ ଦିନ ତା’ର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେଦିନ ତାକୁ ବକ୍‌ସିସ୍ ମିଳିବ । ସେ ଉତ୍ସାହିତ ହୋଇ ଜଜ୍‍ଙ୍କ ଆଗରେ ସବୁ ବିବରଣୀ କହିବାକୁ ଲାଗିଲା । ସେ ଯେ ଗୋବିନ୍ଦ ସରଦାରକୁ ହାଣିଲେ, ସେଥିପାଇଁ ତାକୁ କମ୍ କଷ୍ଟ କରିବାକୁ ପଡ଼ିନାହିଁ । ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ; କିନ୍ତୁ କେହି ପାରି ନ ଥିଲେ । ଗୋବିନ୍ଦ ସରଦାର ଯେ ସବୁବେଳେ ମଟରରେ ଯିବା ଆସିବା କରେ ! ସେ ତା’ର ଧନ ସମ୍ପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟି କରି । ବଡ଼ ସଇତାନ ଲୋକ ଥିଲା ସେ । କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କର ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ - ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି । ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା । ଏତେବଡ଼ ବହପ ! ଘିନୁଆକୁ ଦେଖି ମଟରରେ ପଳାଉଥିଲା । ତା ହାବୁଡ଼ରୁ ଖସି ଚାଲିଯିବ ! ତା’ର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଥିଲା । ତା'ପରେ ଟାଙ୍ଗିରେ ତା’ର ମୁଣ୍ଡଟି କାଟି ଦେଇ ସିଧା ଦୌଡ଼ିଲା, ରାତି ରାତି ବଣ ଜଙ୍ଗଲ ଭିତର ଦେଇ । ତିରିଶ ମାଇଲ ରାସ୍ତା ଏକା ନିଶ୍ଵାସକେ ଦୌଡ଼ି ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା ।

 

ଗୋବିନ୍ଦ ସରଦାର ସାମାନ୍ୟ ଲୋକ ନୁହେଁ । ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ । ବାଘ-ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି । ବାଘ- ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତି କରେ ଢେର ବେଶୀ । ତାକୁ ମାରିବା ପାଇଁ ଘିନୁଆ କମ୍ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରି ନାହିଁ । କିଛି ବର୍ଷ ତଳେ ମେଳିଆ ଝପଟସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଞ୍ଚଶ ଟଙ୍କା ବକ୍‍ସିସ୍ ଦେଇଥିଲା । ଝପଟ ସିଂତ ଏକ ରକମର ଭଲ ଲୋକ ଥିଲା । ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ, ନା କାହାରି ଜମିବାଡ଼ି ଦଖଲ କରି ନାହିଁ । ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହୀଙ୍କୁ ମାରିଥିଲା । ଗୋବିନ୍ଦ ସରଦାର କିନ୍ତୁ ବଡ଼ ଭୟଙ୍କର ଲୋକ । ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍‍ସିସ୍ ମିଳିବା ଉଚିତ୍ ।

 

ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସିଉଠିଲେ । ଜଜ୍ ସାହେବ ହସି ହସି କହିଲେ, “ହଁ, ଉପଯୁକ୍ତ ବକ୍‌ସିସ୍ ଦିଆଯିବ ।’’ ସରକାରୀ ଓକିଲ କହିଲେ, “ତତେ ଏଠାକୁ ଖାସ ଅଣା ହୋଇଛି ବକ୍‍ସିସ୍ ଦିଆଯିବା ଲାଗି ।”

 

ଘିନୁଆ ଏହାକୁ ପରିହାସ ନ ମଣି ସତ ବୋଲି ମନେ କଲା । କାରଣ ହସ କୌତୁକ, ଥଟ୍ଟା ପରିହାସ ସେ ଜାଣେ ନାହିଁ । ତା’ର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି ! ଶେଷରେ ରାୟ ଦିଆଗଲା- ପ୍ରାଣଦଣ୍ଡ । ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ । ପୁଣି ଜେଲକୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ, ତାର ବକ୍‍ସିସ୍ ପାଇବାର ଦିନ ଆସୁଛି ।

 

ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲା ନାହିଁ ଯେ, ସେ ଜଣେ ଅପରଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି । ଝପଟ ସିଂକୁ ମାରିବା ଓ ଗୋବିନ୍ଦ ସରଦାରକୁ ମାରିବା ଯେ ଏକା କଥା ନୁହେଁ, ତାହା ସେ ବୁଝିବ କାହୁଁ ? ସେ ଜାଣିଲା ନାହିଁ ଯେ, ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ । ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ ନାହିଁ । ସେ ଯେ ବଣୁଆ ସାନ୍ତାଳ !

 

ସେ ମନେ ମନେ ଭାବେ, ଡୋରା ପାଞ୍ଚଶ ଟଙ୍କା ପାଇଛି ଝପଟ ସିଂକୁ ମାରି ସେଥିରୁ ବେଶୀ ନ ଦେଲେ କାହିଁକି ନେବ ? ସବୁ ଫେରାଇ ଦେଇ କହିବ, “କିଛି ନ ଦିଅ ପଛେ ସାହେବ, ଡୋରାଠାରୁ ବେଶୀ ପାଇବା ମୋର ହକ୍‍ ।” ଜେଲ୍‍ର ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ'ଣ ଭାବେ । କଥାବାର୍ତ୍ତା କରିବାକୁ ସେ କାହାରିକି ଦେଖେ ନାହିଁ । କଥାବାର୍ତ୍ତା କରିବାକୁ ବି’ ତାର ଆଗ୍ରହ ନ ଥାଏ । କେବଳ ବକ୍‍ସିସ୍ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ ।

 

ଶେଷରେ ତା’ର ଫାଶୀର ଦିନ ଆସିଲା । ତାକୁ ପଚରାଗଲା, ତା'ର ଶେଷରେ କ’ଣ ଦରକାର । ସେ କହିଲା, “ମୋର ବକ୍‍ସିସ୍” । “ଆଚ୍ଛା, ବକ୍‍ସିସ୍ ପାଇବୁ ଆ” କହି ତାକୁ ନେଇଗଲେ । ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା । ଘିନୁଆ ମନେ ମନେ ବିଚାରିଲା- ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା'ର ସୁନା ରୂପା ଢାଳି ଦିଆଯିବ । ସରକାର ଘରର କେତେ ଫନ୍ଦି ଫିକର, କାଇଦା କଟକଣା ଅଛି । ଖାଲି ସିମିତ କ’ଣ ବକ୍‍ସିସ୍ ଦିଆଯିବ ? ସେ ଘରକୁ ଫେରି ସବୁ ଦେଖାଇବ । କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ଵାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ । ଆଉ ତ ଗୋବିନ୍ଦ ସରଦାର ନାହିଁ ଯେ, ସବୁ ଲୁଟି କରି ନେବ ।

 

ହଠାତ୍ କ’ଣ ଗୋଟିଏ ଆସି ତା ବେକରେ ବାଜିଲା ।

Image

 

ଘାସିପଡ଼ାର ମାୟା

ଶ୍ରୀ କମଳାକାନ୍ତ ଦାସ

 

ସରକାରୀ କ୍ଵାର୍ଟର ଖଣ୍ଡିଏ- ଛୋଟ ଛୋଟ 'ଦି’ ବଖୁରି ଘର, ଉପରେ ଖପର ଛାଉଣି, ଚାରିଆଡ଼ ମେଲା ! ପାଚେରୀ ନାହିଁ । ଖଣ୍ଡିଏ ମାତ୍ର ଛୋଟ ରୋଷେଇ ଚାଳି, ଦୂରଛଡ଼ା ହୋଇ ଛୋଟ ପଇଖାନା ଖଣ୍ଡିଏ । ମସ୍ତବଡ଼ ପଡ଼ିଆ ଓ ଦଣ୍ଡା ମଝିରେ ନିତାନ୍ତ ଏକୁଟିଆ ଘର ଖଣ୍ଡିକ, ଗାଁଗଣ୍ଡା ଓ ବଜାରଠାରୁ ବହୁଦୂରରେ । ଘରର ଦକ୍ଷିଣକୁ ଅଦୂରରେ ଘାସିପଡ଼ା ଏବଂ ପଶ୍ଚିମକୁ ଦେଖାଯାଉଛି ଗଣ୍ଡାପଡ଼ା । ଘାସି ହେଲେ ମେହେନ୍ତର ଜାତିର ଦଳିତ ଅନୁନ୍ନତ ନିତାନ୍ତ ଦରିଦ୍ର ଲୋକ ଏବଂ ଗଣ୍ଡା ମଧ୍ୟ ସେହିଭଳି ପାଣ ଜାତିର ହରିଜନ ମାତ୍ର । ସମାଜରେ ଏମାନଙ୍କ ସ୍ଥାନ ଜାଣି ତ ଅତି ନୀଚ୍ଚରେ । ତା ଉପରେ ପୁଣି ପାହାଡ଼ିଆ ଗଡ଼ଜାତ ଅଞ୍ଚଳ; ଯେଉଁଠିକି ସାମାନ୍ୟ କେତୋଟି ଦିନ ଆଗ ପର୍ଯ୍ୟନ୍ତ ରାଜରାଜୁଡ଼ା ଓ ତାଙ୍କ ଆଭିଜାତ୍ୟ ରାଜତ୍ଵ କରୁଥିଲା । ଏ ଅଞ୍ଚଳରେ ଘାସି ଆଉ ଗଣ୍ଡା- ଏ ଦୁଇ ଜାତିର ଲୋକଙ୍କୁ ସାଧାରଣ ଲୋକେ ନିତାନ୍ତ ଘୃଣା କରୁଥଲେ । ତେଣୁ ସେମାନଙ୍କ ସ୍ଥାନ ସହରତଳି ନିତାନ୍ତ ସନ୍ତସନ୍ତିଆ ଓ କଦର୍ଯ୍ୟ ଅଞ୍ଚଳରେ । ତାରି ପାଖରେ ଏ କ୍ଵାର୍ଟର ଖଣ୍ଡିକ ଗଢ଼ାଯାଇଛି । ପାଚେରୀ ନାହିଁ କି ଆବୋର କିଛି ନାହିଁ । ଛୋଟ ଛୋଟ ଦି’ ବଖୁରି ଖପରଲ୍ଲି ଘର । ଚାରିଆଡ଼ ଯାକ ଧୂ ଧୂ ପଡ଼ିଆ । ଦିନ ଦି’ପହରେ ଚୋର ପଶି ମାରିପିଟି ଲୁଟି ନେଲେ ଡାକିଲେ କେହି ଶୁଣିବେ ନାହିଁ ।

 

ଏକୁଇ କହନ୍ତି କ୍ଵାର୍ଟର । “କ୍ଵାର୍ଟର’’ର ଗାଣିତିକ ଅର୍ଥ ଏକ- ଚତୁର୍ଥାଂଶ । ଏ କ୍ଵାର୍ଟର ଖଣ୍ଡିକୁ ସେ ହିସାବରେ ଏକ-ଅଷ୍ଟମାଂଶ ଏକ-ଷୋଡଶାଂଶ କହିଲେ ଚଳିବ । ସେଥିଲାଗି ଏ ଖଣ୍ଡିକ ପ୍ରାୟ ତାଲା ପଡ଼ି ରହିଥାଏ । ଏକୁଟିଆ ନିଛାଟିଆ ଖୋଲା ଘର ଦି’ଖଣ୍ଡି । ଛୁଆପିଲା ନେଇ ଏଠି କିଏ କେମିତି ରହିବ ! ଚୋରୀର ଭୟ ଖୁବ୍ ଅଛି ଯେ ! ସାମନାକୁ ପଡ଼ିଆ ପାରିହେଲେ ଗୋଟାଏ ବଡ଼ ବନ୍ଧ । ବନ୍ଧ ଅର୍ଥ ଜଳାଶୟ । ତାରି ହୁଡ଼ା ଉପରେ ଛୋଟ ଛୋଟ ସାଗୁଆନ ଓ ଅନ୍ୟାନ୍ୟ ବାଜେ ଗଛର ବଣ । ଦୂରକୁ ଦିଶେ ଜେଲଖାନାର ପାଚେରୀ ଓ ତା ସେପଟକୁ ଖଦାଳପଡ଼ା । ଖଦାଳ ଜାତି ମଧ୍ୟ ଗୋଟିଏ ଅସ୍ପୃଶ୍ୟ ଓ ନିମ୍ନ ଶ୍ରେଣୀର ଲୋକ ।

 

ଭୋର ହେଲା ବେଳକୁ ଗୋଟିଏ ଲେଖାଁ ବାଉଁଶ ଟୋକେଇ ଧରି ଅତି ଅପରିଷ୍କାର ଛିଣ୍ଡା ଲୁଗା ଖଣ୍ଡିଏମାନ ପିନ୍ଧି ଚିରା ବାଉଁଶ ଖଡ଼ିକାର ଖଣ୍ଡିଏ ଲେଖା ଝାଡ଼ୁ ଧରି ତିରିଶ ଜଣ ସରିକି ଝିଅ ପିଲା ଓ ସ୍ତ୍ରୀ ଲୋକ ଘାସିପଡ଼ାରୁ ବାହାରି ସହରର ବିଭିନ୍ନ ପଡ଼ାକୁ ଚାଲନ୍ତି - ପାଇଖାନା ଓ ରାସ୍ତା ସଫା କରିବା ଲାଗି । ପଛେ ପଛେ ଗୋଡ଼େଇ ଥାଆନ୍ତି ଲଙ୍ଗଳା କାଳିଆ ମୁରୁକୁଟିଆ ମଇଳା ପିଲା କେତୋଟି- ମାଆ ମାଆ ଡାକି ଡାକିକା, କାନ୍ଦି କାନ୍ଦିକା । ପୁରୁଷଯାକ ମଧ୍ୟ ସେହିଭଳି ବିଭିନ୍ନ ସହର ସଫେଇ କାମରେ ବାହାରି ପଡ଼ନ୍ତି । କେତେକ ବା ଟାଙ୍ଗିଆ ଖଣ୍ଡିଏ ଲେଖାଁ ଧରି ଜାଳେଣି କାଠ ପାଇଁ ବଣକୁ ଚାଲି ଯାଆନ୍ତି । ଘାସିପଡ଼ାର ଘୁଷୁରିଯାକ ଛୁଆପିଲାଙ୍କୁ ଘେନି ଏଣେ ତେଣେ ନସର ଫସର ହୋଇ ଧଆନ୍ତି ଖାଦ୍ୟ ଅନ୍ୱେଷଣରେ ।

 

ଗଣ୍ଡାପଡ଼ାରେ ଅନେକ ତନ୍ତ ବୁଣନ୍ତି । ସକାଳ ହେଲାକ୍ଷଣି ସେମାନଙ୍କ ସ୍ତ୍ରୀ ପିଲାଏ ଲାଗି ଯାଆନ୍ତି ସୂତାକାମ ଓ ତନ୍ତ ବୁଣାରେ । ଖଦାଳପଡ଼ାରୁ ଦଳ ଦଳ ହୋଇ ଝିଅ ବୋହୁ ଭେଣ୍ଡିଆ ଭୁଆସୁଣୀ ବାହାରି ଯାଆନ୍ତି ମୂଲପାତି ଲାଗିବା ନିମନ୍ତେ । ତୁଣ୍ଡରେ ଗୀତ; ମୁଣ୍ଡରେ ଫୁଲ । ଦିହରେ ରଙ୍ଗ‌ରଙ୍ଗିଆ ଛିଣ୍ଡା ମସିହା ଅଣଓସାରି ଧୋତି, ଶାଢ଼ୀ । ସମସ୍ତେ ଗରିବ । ସମସ୍ତଙ୍କ ଚାଳ ଭୂଇଁଉପରରୁ ଲେପଟେଇ ପଡ଼ିଛି । ଦିନଯାକର ରୋଜଗାର ଅଣଓସାରି ପଣନ୍ତ ପରି ଏଣୁ ଓଟାରିଲେ ତେଣିକି ନିଅଣ୍ଟ; ତେଣୁ ଓଟାରିଲେ ଏଣିକି ନିଅଣ୍ଟ । ସମାଜରେ ଏମାନେ ସମସ୍ତେ ହେଲେ ନିତାନ୍ତ ଅବହେଳିତ, ଦଳିତ, ପତିତ, ହରିଜନ । ଏମାନେ ହିଁ ସମାଜର ସେବକ । ମାତ୍ର ଏମାନଙ୍କ ପେଟପିଠି ଆଡ଼କୁ ଅନାଇବାକୁ ମାଆ ବାପ କେହି ନାହିଁ । ଏମାନଙ୍କ ଉପରେ ସମସ୍ତେ ହାକିମ । ସମସ୍ତଙ୍କର ଧାରଣା ଏମାନେ ଚୋରି ଡକେଇତ, ମଦ୍ୟପ ଓ ଅସତ୍-ଚରିତ୍ର । ସମସ୍ତେ ଏମାନଙ୍କୁ ଘୃଣା କରନ୍ତି । କିନ୍ତୁ କେହି ଭାବନ୍ତି ନାହିଁ ଯେ ଏମାନଙ୍କ ସ୍ତରରେ ଏତେ ଅଭାବ ଅନାଟନ ଭିତରେ ବି ଏମାନେ ଏତେ ଭଲ ମଣିଷ ପରି ଚଳୁଛନ୍ତି ।

 

ଲୋକଙ୍କର ଶତ ବାରଣ ସତ୍ତ୍ୱେ ମିନକେତନ ମହାପାତ୍ର ସାଙ୍ଗରେ ଯୁବତୀ ସ୍ତ୍ରୀ ଓ ଚାରୋଟି ସାନ ସାନ ପିଲାଙ୍କୁ ଧରି ଏ ଘରେ ରହିଲେ । କଟକଆଡ଼ୁ ବଦଳି ହୋଇ ଆସିଛନ୍ତି । ସଞ୍ଜବେଳକୁ ଛୋଟ ଦାଣ୍ଡ ବାରଣ୍ଡାରେ ଲଣ୍ଠନଟିଏ ? ମିଞ୍ଜି ମିଞ୍ଜି ହୋଇ ଜଳୁଛି ।

 

ବଜାର ଆଡ଼ୁ ଫେରୁଛନ୍ତି ଘାସିଆଣୀମାନେ । କାବା ହୋଇ ବାରଣ୍ଡାର ସାମନାରେ ଥିବା ଖୁଣ୍ଟା ଆମ୍ବଗଛ ମୂଳେ ଠିଆ ହୋଇଗଲେ । ସେମାନଙ୍କ ମଧ୍ୟରେ ଦ୍ଵୀମତୀ ହେଲା ପୁରୁଖା ଲୋକ । ଆଗଭରି ଆସି ପିଣ୍ଡା ତଳକୁ ଠିଆ ହୋଇ କହିଲା- “କିଏ ଗୋ, କୁନିର ମା’–କୋଉଁ ରାଇଜରୁ ଅଇଲ ? ଏକଲା ଏ ଘରେ କେନ୍ତା ରହିମ ଗୋ ?”

 

ନୁନିର ମା’ ଓରଫ୍ ମହାପାତ୍ରଙ୍କ ସ୍ତ୍ରୀ ବାରଣ୍ଡା ଉପରକୁ ଆସି କହିଲା- “ତୁମ ଘର କେଉଁଠି କି ? କି ଘର ତୁମର ?”

 

ଦ୍ଵୀମତି କହିଲା- ‘‘ଜୁହାର ମା’’ ! ଆମ ଘର ଡିହିପଟେ ଘାସିପଡ଼ାରେ । ଆମେ ଘାସୀ ଲୋକ, ତୁମରି ପଡ଼ିଶା ଗୋ !”

 

ନୁନିର ମା’ ଓରଫ୍ ରେବତୀ ହସି ହସି କହିଲା- “କାହିଁକି ତୁମେ ସବୁ ଅଛି ! ଆମେ ତ ତୁମର ପଡ଼ିଶା ହେଲୁ ଗୋ ? ଆମ ଭଲମନ୍ଦକୁ ତୁମେ, ତୁମ ଭଲମନ୍ଦକୁ ଆମେ । ଆମର ଏ ଛୁଆପିଲାଙ୍କୁ ତୁମେ ଜଗିବ ନାଇଁ କି ଗୋ ?”

 

କାଲାରମା- ଲଇଁ ଲଇଁ ବୁଢ଼ୀ । ଚିରା ଲୁଗାର ଧଡ଼ି ଦିଖଣ୍ଡ ପିଠିଉପରେ ପଡ଼ିଛି । ଦ୍ଵୀମତି ପାଖକୁ ଲାଗି ଆସି କହିଲା- “ଆହା ଗୋ ମା, କେନ୍ତା ଭଲକଥା କହିନ ଗୋ ! ଏନ୍ତା କଥା ତ କେହି କହନ୍ତି ନାଇଁ ଗୋ ମା, ଆମେ ତ ଘାସିଲୋକ । ଗଣ୍ଡା ଘାସିପଡ଼ାରେ ଏ ଘରେ କେହି ତ ରହନ୍ତି ନାହିଁ ଗୋ ! ତାଲା ପଡ଼ିଥାଏ । ତୁମେ କୋ ଗାଁ ଲୋକ ଗୋ ମା ? ସରକାରୀ ଲୋକ ବଦଳି ହୋଇ ଆଇଚ ?”

 

ରେବତୀ କହିଲେ- “ହଁ ଗୋ ମା, କଟକରୁ ବଦଳି ହୋଇ ଆସିଛୁ ।”

 

- “ବାବୁ କାହାନ୍ତି ?”

-“ବଜାର କରି ଯାଇଚନ୍ତି ।”

 

-“ନୁନି ବୁଆ କେତୋଟି ?”

 

-“ନୁନି ଆଉ ବୁଆ ? ମାନେ- ଝିଅ ପୁଅ ?”

 

-‘‘ହଁ ଗୋ, ହଁ ଆମ ସେନ୍ତା କହିଁ !”

 

- ‘‘ନୁନି ତିନିଟି ଆଉ ପୁଅ ଗୋଟିଏ ।”

 

ଦ୍ଵୀମତୀ କହିଲା- “ଆଇମୁଁ ଗୋ ମା' ଆମେ ଆଇମୁଁ । ତୁମେ ଆମକୁ ଘିନ୍ନା କରିବ ନାଇଁତ ? ଆଇମୁଁ, ବସିବୁ, କଥା ହମୁଁ, ତୁମେ ରାଗ କରିବ ନାଇଁ ତ ?”

 

-“ନାଇଗୋ ମା ଘିନ୍ନା କରିବି କିଆଁ ? ତୁମେ କଅଣ ମଣିଷ ନୁହଁ । ତୁମେ ଆସିବ । ବସିବା, ଦୁଃଖ ସୁଖ ହେବା । ତୁମ ପିଲାଏ ଆସିବେ । ମୋ ପିଲଙ୍କ ସାଙ୍ଗରେ ଖେଳିବେ, ବୁଲିବେ ।

 

ଆମ୍ବଗଛମୂଳୁ ଆଗେଇ ଆସି ପାର୍ବତୀ ବୋଲି ଆଉ ଗୋଟିଏ ଘାସିଆଣୀ କହିଲା- “ନାଇ ଗୋ ମା, ଆମ ସାଙ୍ଗରେ ମିଶିଲେ ଭୁମକୁ ଏଠା ବାବୁଲୋକେ ଘିନ୍ନା କରମେ ।”

 

- ଘିନ୍ନା କରିବେ ଆମକୁ ଏଠା ଲୋକେ ? କଲେ କରିବେ । ଆମେ ତୁମ ସାଙ୍ଗରେ ମିଶି ଚଳିବା ।”

 

- “ତୁମେ କି ଲୋକ ମା ?”

 

- “ଆମେ ବ୍ରାହ୍ମଣଲୋକ ଗୋ ?”

 

ଦ୍ଵୀମତି ପଛକୁ ଘୁଞ୍ଚିଗଲା ଦିପାଦ, କହିଲା- “ହଉ ଗୋ ମା' ତୁମେ ବ୍ରାହ୍ମଣ ଲୋକ ? ଦେବତା, ଦେବତା ।”

 

- “ନାଇ ଗୋ ମା’' ଆମେ ବି ମଣିଷ, ତୁମେ ବି ମଣିଷ ।

 

- “ଥାଆଗୋ ମା, କାଲିକି ଆଇମୁଁ । ରାତି ବେଶି ହେଲା । ଗରିବ ଲୋକ । ଆମ ପଡ଼ାକୁ ଯିବକି ମା କେବେ ?

 

- “ହଁ ଗୋ, ନିଶ୍ଚେ ଯିବି ।”

 

ସମସ୍ତେ ଚାଲିଗଲେ । ବାଟଯାକ କୁହାକୁହି ହୋଇ ଯାଉଥାଆନ୍ତି- “ଏମାନେ ଭଲ ଲୋକ ଆଇଛନ୍ତି ।”

 

ଗଣ୍ଡାପଡ଼ାରେ ତନ୍ତକୁ ଧରି ଶତକଡ଼ା ନବେ ପରିବାର କୁଟୁମ୍ବ ପୋଷନ୍ତି । ମାତ୍ର କଣ୍ଟ୍ରୋଲବଜାରରେ ସୂତା ମିଳିବା କଥାରେ ବାର ପେଞ୍ଚ ପାଞ୍ଚ ଚାଲିଛି, ଆତଙ୍କ ପଡ଼ି ଯାଇଛି- ‘‘କେମିତି ଚଳିବା ? ମୋଡ଼ାଏ ହେଲେ ସୂତା ତ ମିଳିଲା ନାହିଁ ।”

 

“ମିଳିବ । ଅଲବତ ମିଳିବ”–କହିଲେ ମୀନକେତନ ବାବୁ । ଗଣ୍ଡାପଡ଼ାରେ ଭକୁଡୁ ଖଣ୍ଡାର ନୁଆଣିଆ ଚାଳିତଳେ ବାଉଁଶର ଅଣଓସାରୀ ଖଟିଆ ଉପରେ ବସିପଡ଼ି ଆଶାବାଣୀ ଶୁଣାଇ କହିଲେ-“ଅଲବତ ସୂତା ମିଳିବ । ତୁମେ ସମସ୍ତେ ଏକାଠି ବସ । ଗୋଟିଏ ସମବାୟ ସମିତି ଗଢ଼ିଦିଅ ।”

 

“ଜୁହାର ଆଜ୍ଞା, ଜୁହାର ଜୁହାର’’–ଶହେ ଜଣ ପିଲା ବୁଢ଼ା, ସ୍ତ୍ରୀ ପୁରୁଷ ଭକୁଡୁ, ଦାଣ୍ଡରେ ରୁଣ୍ଡ ହୋଇଗଲେ-ଆମେ ସମସ୍ତେ ଏକ ଅଛୁଁ । କିନ୍ତୁ ଦଉଛି କିଏ ? ସାତ ଦିନ ହେଲା ସପ୍ଲାଇ- ସୁପରଭାଇଜରଙ୍କ ବସାକୁ ଧାଇଁ ଧାଇଁ ଫେରୁଛୁ । ଇନ୍‌ସପେକ୍ଟର ବାବୁ ପାଖ ମଡ଼ାଉ ନାହାନ୍ତି । ଆମ ଦୁଃଖ ଶୁଣୁଛି କିଏ ବାବୁ !”

 

ତା ପରେ ମୀନକେତନ ବାବୁଙ୍କ ଚେଷ୍ଟା ଓ ଗଣ୍ଡାପଡ଼ାର ସମସ୍ତଙ୍କ ସହଯୋଗରେ ସମିତିଟିଏ ଗଢ଼ା ହେଲା । ସୂତା ଆସିଲା ପ୍ରଚୁର ପରିମାଣରେ । ଭଲ ତନ୍ତ ଆସି ଗଣ୍ଡାପଡାରେ ଦିନରାତି ଠକ୍‍ ଠକ୍‍ ଶୁଭିଲା । ବଡ଼ବଜାରରେ ଘରଟିଏ ଭଡା ନିଆଯାଇ ସୁନ୍ଦର ଦୋକାନଟିଏ ଖୋଲାଗଲା । ଗଣ୍ଡାପଡ଼ାରେ ସମସ୍ତଙ୍କ ତୁଣ୍ଡରେ ଶୁଣାଗଲା- “ମହାପାତ୍ର ବାବୁ - ମଣିଷ ନୁହଁ ଗୋ ଦେବତା ।”

 

ନରତମାର ମା- ଠୁନକୀ ଗଣ୍ଡଉଣୀ ଶାଗ ପୁଳିଏ ଧରି ମହାପାତ୍ରଙ୍କ ଅଗଣା ଆଡ଼ ବାରଣ୍ଡାତଳେ ଠିଆ ହୋଇ କହିଲା -"ମାଗେ, ଶାଗ କେରିଏ ଆଣିଛି । ତୁମରି ଲାଗି, ନିଅ । ତୁମେ ମୋର ମାଆ ହେଲେ । ଏ ନୁନିମାନେ ମୋର ଭଉଣୀ ।”

 

ରେବତୀ ରୋଷେଇ ଚାଳି ଭିତରୁ ବାହାରି ଆସି ଦେଖିଲେ ଶାଗ କେରିକ ବରଣ୍ଡା ଉପରକୁ ଥୋଇଦେଇ ଠୁନକୀ ମୁଣ୍ଡିଆ ମାରୁଛି- “ଜୁହାର ଗୋ ମା ?”

 

ରେବତୀ କହିଲେ–“ପିଣ୍ଡା ଉପରକୁ ଉଠି ଆସୁନୁ ମା ! ତଳେ ଠିଆହୋଇଛୁ କିଆଁ ? ଏ ଶାଗ କାହିଁକି ଆଣିଲୁ ?”

 

-“ଆମେ ପରା ଗଣ୍ଡାଲେକେ ଗୋ ମା ! ତମ ପିଣ୍ଡା ଉପରକୁ କେମିତି ଯିମୁଁ ।

 

ରେବତୀ ଦେଖାଇ ଦେଲା ଦାଣ୍ଡ ଘର ଭିତରକୁ- ହେଇଟି ଦେଖ, ସେ ଝିଅଟି କିଏ ?

 

ଠୁନକୀ ଚିହିଁକି ଉଠିଲା- ‘‘ଓ ମାଆ ଗୋ ! ସେ ତ ଆମ ପଡ଼ା ଭକୁଡୁର ଝିଅ- “ସୁରବାଲୀ ଯେ ! କଅଣ କରୁଚି ? ପାଠ ପଢ଼ୁଚି ? ତମ ନୁନି ପାଖରେ ବସିଚି ଯେ !

 

ଅଳ୍ପ ହସି ରେବତୀ କହିଲେ- ବସିଚି ତ; ପଢ଼ୁଛି । ବାବୁ ତା ବାପାକୁ କହିଛନ୍ତି ତାକୁ ନେଇ ଆଜି ଇସ୍କୁଲକୁ ଯିବେ, ନା’ ଲେଖେଇ ଦେଇ ଆସିବେ ।

 

-“ହେଲେ । ତା ଛେଳି ଚରେଇବ କିଏ ?”

 

ଦୀର୍ଘ ନିଃଶ୍ୱାସ ଟାଣି ଠୁନକୀ ବରଣ୍ଡାର ଗୋଟିଏ କଡକୁ ବସିପଡ଼ିଲା । ଦାଣ୍ଡ ଆଡ଼ୁ ଡାକଦେଲା ବିଷ୍ଣୁପ୍ରିୟା–ଘସିପଡ଼ାର ଦ୍ଵୀମତିର ଝିଅ- “ମାଆଗୋ - କଣ କରୁଚ ?”

 

-“ଯାଉଚି ମା । ଆସୁନୁ ଏବାଟେ ଏ ପଟକୁ !”

 

ମାସ ଗୋଟିକ ଭିତରେ ଗଣ୍ଡା ଓ ଘାସିପଡ଼ାରେ ସମସ୍ତେ ଜାଣିପାରିଛନ୍ତି ଏ ଲୋକଟି ଆମର ହିତ ପାଇଁ ଆସିଛି, ଆମକୁ ଘୃଣା କରେ ନାହିଁ । ଭଲ ମଣିଷଟିଏ । ଦିନେ ଗଦାଧର ଘାସୀ ଓ ଲାଲମନି ଘାସୀ ସାବଳ କଟୁରୀ ଧରି ଆସି କହିଲେ, ‘‘ବାବୁ ଆଜ୍ଞା’’ ! ଅଗଣାରେ ଆମେ ବାଡ଼ ବୁଜି ଦଉଁଚୁଁ କି, କଣ୍ଟାଝଟା ତ ଏଇ ପାଖରେ ଅଛି । କେତେ ବା ବେଳ ଲାଗିବ !” ହସି ଉଠି ମୀନକେତନ ବାବୁ କହିଲେ- ‘‘ଇରେ ଗଦାଧର ! ତମେ ସମସ୍ତେ ତ ହେଲ ମୋର ବାଡ଼ । ମେଲା ଥାଉ ।”

 

-‘‘ନାଇ ଗୋ ବାବୁ, ସେ କଥା ବଲୁଚୁକି ? ଆମେ କହିନୁ କି ବାଡ଼ ବୁଜିଦେଲେ ଘୁସୁରା (ଘୁଷୁରି) ପଶିବେ ନାଇଁ !”

 

-“ହଉ, ତମ ଇଛା ।”

 

ଦାଣ୍ଡ ଅଗଣାରେ ଗୋଟିଏ ଛାମୁଡ଼ିଆ ହୋଇଛି । ତଳଟା ନିର୍ମଳ କରି ଲିପା ଲେସା ହୋଇ ପରିଷ୍କାର କରାଯାଇଛି । ସଞ୍ଜକୁ ଗଣ୍ଡା ଆଉ ଘାସୀପଡ଼ାର ପିଲା ବୁଢ଼ା, ମାଇପେ ମଣିପେ ଆସି ରୁଣ୍ଡ ହୁଅନ୍ତି । କେତେ ଆଡ଼ୁ କେତେ ଗପ ଚାଲେ । ମୀନକେତନ ଓ ତାଙ୍କ ସ୍ତ୍ରୀ ଆସି ତାହା ଭିତରେ ବସନ୍ତି । ପିଲାଗୁଡ଼ିକ ପାଖରେ ଖେଳୁ ଥାଆନ୍ତି । ଗଲା ଅଇଲା ଲୋକେ ବାଟରେ ଯାଉ ଯାଉ କୁହାକୁହି ହୁଅନ୍ତି- ଏ ବାବୁ କଟକରୁ ଆସିଛି । ଗୋଟାଏ ଘାସି ହବ ପରା, ନଇଲେ ଗଣ୍ଡାଟିଏ ।

 

ଦିନେ ଦିନେ କିନ୍ତୁ ତାଙ୍କ ସିଦ୍ଧାନ୍ତଟା ଅମୀମାଂସିତ ରହିଯାଏ- ଖଦାଲ- ପଡ଼ାର କେତେଗୁଡ଼ିଏ ଆସି ତାଙ୍କୁ ଘେରି ବସି ଥାଆନ୍ତି ।

 

ସକାଳ ନଅଟା ଦଶଟା ବେଳକୁ ଦାଣ୍ଡରେ ଡାକି ଡାକି ଯାଆନ୍ତି ଗଉଡ଼ୁଣୀ- ‘‘ମଇ ନବ ଗୋ, ମଇ !” ଅର୍ଥାତ୍ ଦହି ଅ°ଶ ଦୁଇ ଚାରିପଣ ଓ ପାଣି ଅଂଶ ବାର ଚଉଦପଣ । ବିକି ବିକି ଖାଉଛନ୍ତି । ରଇବାରୀ ବୁଢ଼ୀ ଦୁଆର ମୁହଁରେ ଠିଆ ହୋଇ ଡାକେ- “ଓଗୋ ମୁନିର ମା, ସିମ ନବ ଗୋ ।” ରଇବାରୀ ବୁଢ଼ୀର ସିମ ବିକ୍ରି ଭିତରେ ରେବତୀ ଓ ପିଲା କେତୋଟିଙ୍କ ପାଇଁ ଆନ୍ତରିକ ସ୍ନେହ ଲୁଚି ରହିଥାଏ । ଘଡ଼ିଏ ପହରେ ବସି କଥା କହେ । ‘ଉଲି’ ଦୋଟି ଆଣିଥାଏ, ସେମିତି ଦେଇଯାଏ । କେତେବେଳେ ଅବା ପଖାଳ ତୋରାଣି ମୁଦିଏ ଖାଇଦେଇ ଯାଏ ।

 

ରାତି ଅଧକୁ କଲା ଆସି ବାଡ଼ିପଟେ ଡାକିଲା- ‘‘ମାଆ ଗୋ ଦୁଆର ଖୋଲ । ବେଗି ଖୋଲ । ମୋ ବର ମଦ ପିଇ ମତେ ମାରିବାକୁ ଧାଇଁଚି ।”

 

ରେବତୀ ଉଠିପଡ଼ି ତାଟି ଫିଟାଇ ଦେଲା । କଲା ଆସି ଦାଣ୍ଡଘରେ ଚଟାଣ ଉପରେ କାନି ବିଛାଇ ଶୋଇ ପଡ଼ିଲା । ଛୁଆ ଦୋଟି ସେ ଘରେ ଶୋଇଥାଆନ୍ତି ମା ପାଖରେ । ଦାଣ୍ଡପଟେ ଡାକ ପକାଇଲା ବଇଷିମା ଘାସୀ । କଳା ମଚମଚ ଅର୍ଘାତିଆ ମରଦ, ହଳେ ନିଶ, ହାତେ ଓସାରର ଛାତି । ଚୋରି କରି ଦି ଦି ଥର ଛଅ ଛଅ ମାସ ଜେଲ ଖଟି ଆସିଛି । ମଦ ଖାଇଛି । ସ୍ତ୍ରୀ କଲାକୁ ମାଗୁଛି ତୋ ପାଖରେ ପଇସା ଅଛି ତ ଦେ, ଆଉ ମଦ ଖାଇବି । କଲା ଦଉନି । ସେଥିଲାଗି ତା ଉପରେ ରାଗ ତାକୁ ମାରି ଗୋଡ଼ାଉଛି । ହାତରେ ଗୋଟାଏ ଠେଙ୍ଗା ! କହୁଛି- ମାରିଦେବି ଜୀବନରୁ ! ଦାଣ୍ଡଦୁଆରେ ଡାକିଲା- “ମାଆ ଗୋ, ମୋ କନିଆକୁ ରଖିଚ । ବାହାର କରିଦିଅ । ମୁଁ ତାକୁ ମାରିମି ।”

 

ଘରେ ଆଜି ମୀନକେତନ ବାବୁ ନାହାନ୍ତି- କୁଆଡେ ଯାଇଛନ୍ତି । ରାତି ଅଧ । ଡାକିଲେ କାହା ପାଖରେ ଶବ୍ଦ ପହଞ୍ଚିବ ନାହିଁ । ବଇଷ୍ଣବା ମଦ ପିଇ ମାତାଲ ହୋଇ ଆସିଛି । ହିତାହିତ ଜ୍ଞାନ ନାହିଁ ତାର । ଚୋର ସେ, ଡକେଇତଟାଏ । ତେବେତି ରେବତୀଙ୍କର ଭୟ ନାହିଁ । କହିଲେ- ‘‘କିଏରେ ? ବଇଷିମା ।”

 

-ହଁ ଗୋ ମା ! ମୁଁ ।”

 

- “ଛି ଛି । ମଦଗୁଡ଼ାଏ ଖାଇଛୁ । କନିଆକୁ ମାରି ଗୋଡ଼େଇଛୁ । ସେ ତ ଆସି ମୋ ଶରଣ ପଶିଛି, କେମିତି ଛାଡ଼ିଦେବି ? ଯା ଯା କାଲି ସକାଳକୁ ସେ ଯିବ ଯେ । ବାପାଟା ପରା-ଆଉ ମଦ ଖାଆନା ।’’

 

ମଦନିଶା ଭିତରେ କି ଦୁର୍ଦ୍ଦାନ୍ତ ଲୋକଟାର ଜ୍ଞାନ ଅଛି । ପିଣ୍ଡା ଉପରକୁ ସେ ଉଠିଲା ନାହିଁ । କହିଲା-‘‘ଥାଉ ମା, ଶୋଇଥାଉ; ମୋର ଭୁଲ । ମଦଟିକେ ତ ପିଇ ଦେଇଚି ମା । ଯାଉଛି ମା, ଜୁହାର ଜୁହାର ! ମଦ ପିଇ ଭୁଲ କରିଚି । ଆଉ ଦିନେ ଖାଇମି ନାଇଁ ମା ! ଆଉ ଦିନେ ଖାଇବି ନାଇଁ !”

 

ବଇଷ୍ଣବା ମାସେ କାଳ ସେ ବାଟ ଦେଇ ଗଲା ନାହିଁ, ଲାଜ ମାଡ଼ିଲା । ଅନୁତାପ କଲା । ମଦଖିଆ କଥାଟା ବାବୁ ଜାଣିଲେ । ମାଆ ଜାଣିଲେ । ଛି ଛି । ଚୋର ବଇଷ୍ଣବାର ଦୁର୍ଦ୍ଦାନ୍ତପଣିଆ ବି ମୀନକେତନ ଓ ରେବତୀଙ୍କ ନିକଟରେ ମୁଣ୍ଡ ନୁଆଇଛି ।

 

ଦାସିଆ ଘାସିର ଝିଅ ତିଳୋତ୍ତମା ଜରରେ ପଡ଼ିଛି । କୁଇନାଇନ ବଟିକା ଧରି ରେବତୀ ଧାଇଁଯାଇଛନ୍ତି ତା ଚାଳିଆ ତଳକୁ । ପାଖରେ ବସିଛନ୍ତି । ଛିଣ୍ଡା କୋତରା, ଗନ୍ଧିଆ କନା କବଟାର ବିଛଣା ପାଖରେ ବସି ତିଳୋତ୍ତମାର ନୁଖୁରା ମୁଣ୍ଡରେ ହାତ ବୁଲାଇ କହୁଛନ୍ତି–ଭଲ ହୋଇଯିବୁ ଲୋ ମା ! ଭଲ ହୋଇଯିବୁ । ଦାସିଆ ସ୍ତ୍ରୀ ମୁଣ୍ଡିଆ ମାରି ରେବତୀ ଗୋଡ଼ରେ ହାତ ମାରି ତିଳୋତ୍ତମା ମୁଣ୍ଡରେ ଧୂଳି ଲଗାଇ ଦେଇ କହୁଚି- “ତମେ ଗୋଡ଼ ଧୂଳି ଦେଇଯାଅ ମା !”

 

ଘାସିପଡ଼ାରେ ନିଆଁ ଲାଗି ଯାଇଛି । କୁଡ଼ିଆ ଚାଳି କେତୋଟି ପୋଡ଼ି ଜଳି ଯାଉଛି । ମରଦଯାକ ଦୁଃଖଧନ୍ଦାକୁ ଯାଇ ଫେରି ନାହାନ୍ତି । ମାଇପି ଲୋକଯାକ କାଉଳିବାଉଳି ହୋଇ କାନ୍ଦି ଉଠିଛନ୍ତି । ବଜାର ଭିତରୁ ବହୁ ଲୋକ ଧାଇଁ ଆସି ଦୂରଛଡ଼ା ଠିଆ ହୋଇ ଉପଦେଶ ଦେଉଛନ୍ତି- ପାଣି ପକାଅ, କାନ୍ଦନା ! କୁଆଡ଼େ ଗଲେ ମରଦଯାକ ? ପାଖକୁ କିନ୍ତୁ କେହି ଯାଉନାହିଁ । ଘାସିପଡ଼ାଟା ଯେ ! ମୀନକେତନ ବାବୁ ଅଣ୍ଟାରେ ଲୁଗା ଭିଡ଼ି ନିଆଁକୁ ଡେଇଁ ପଡ଼ିଛନ୍ତି । ଘାସିଆଣୀଯାକ ସାହସରେ ପାଣି ମାଠିଆ ବଢ଼ାଇ ଦେଉଛନ୍ତି । ତାଙ୍କ ଦେଖା ଦେଖି ମୀନକେତନଙ୍କ ଆଦର୍ଶରେ ଆଉ ପାଞ୍ଚଦଶ ଜଣ ଲୋକ ଡେଇଁ ପଡ଼ିଛନ୍ତି । କଲାର ମା କାନ୍ଦିକାଟି ଭୂଇଁରେ ଗଡ଼ୁଛି-“ମୋ କଂସା ଖଣ୍ଡିକ । ମୋ ଥାଳି ପଟକ’’ । ଦୁଃଖୀ ଦରିଦ୍ରର ସର୍ବସ୍ଵ ସେ ଦିଖଣ୍ଡ ଟାଣି ଆଣି କହୁଛନ୍ତି ‘‘ହେଇ ନେ ତୋ ବାସନ । କାନ୍ଦନା । ପାଣି ଆଣିବାକୁ ଯା ।”

 

-“ଜୁହାର ଜୁହାର ଆଜ୍ଞା, ଯାଉଛି । ଯାଉଛି ।”

 

ମାଠିଆଟି ଧରି ବୁଢ଼ୀ ନୂଆ ବିକ୍ରମରେ ଧାଇଁ ଯାଉଛି ବନ୍ଧକୁ ପାଣିପାଇଁ ।

 

କେଉଁ ଯୁବରାଜ ସାଇବଙ୍କ ଜିପ୍‌ଗାଡ଼ି ଦୂରରେ ଠିଆ ହୋଇଛି । ତାରି ଚାରିପଟେ ବାବୁଭୟା ଲୋକେ ରୁଣ୍ଡ ହୋଇ କୁହାକୁହି ହେଉଛନ୍ତି–“ଏ ଲୋକଟା କିଏ ହେ ! ଏତ ଘାସିପଡ଼ାର କେହି ନୁହେଁ ।” କେହି କହୁଛି- ସେ ବୋଧହୁଏ ଘାସିଙ୍କ ଭିତରୁ କାହାର ବନ୍ଧୁବାନ୍ଧବ । କଲିକତା ବା ଟାଟାରେ ଥାଏ । ବେଶପଟାରୁ ଜଣାଯାଉଛି ।”

 

ସେଇ ମୀନକେତନ । ଘାସିପଡ଼ାର ବନ୍ଧୁ, । ଗଣ୍ଡାପଡ଼ାର ବାନ୍ଧବ । ଖଦାଲପଡ଼ାର ଭାଇ । ଦଳିତ ପତିତ, ଗରିବ ହରିଜନ ସମସ୍ତଙ୍କର ଅତି ଆପଣାର । ବାବୁପଡ଼ାରେ ଘୃଣିତ ଅପମାନିତ ଏବଂ ହରିଜନ ପଡ଼ାରେ ବାବୁ ଆଜ୍ଞା, ମାଆ ବାପ ।

 

ଅତି ବୁଢ଼ା ରାଜବଂଶୀୟ ଭାଇ ଲାଲୁ ସାହେବ କିନ୍ତୁ ମୀନକେତଙ୍କ ଖବର ରଖନ୍ତି । ବୁଲି ଗଲାବେଳେ ଏଇବାଟେ ଯାଆନ୍ତି । ଖୁଣ୍ଟା ଆମ୍ବଗଛ ମୂଳେ ଠିଆ ହୋଇ ଡାକନ୍ତି–“ବାବୁ ଆଜ୍ଞା, ଅଛନ୍ତି କି ଘରେ ?”

 

ମୀନକେତନ ବାବୁ ସସମ୍ଭ୍ରମେ ବାହାରକୁ ବାହାରି ଆସି ବେତର ମୋଡ଼ିଆ ଖଣ୍ଡିକ ବଢ଼ାଇ ଦେଇ କହନ୍ତି -"ନମସ୍କାର ଆଜ୍ଞା । ଆପଣ ବୃଦ୍ଧ ଲୋକ; ମୋ ନାଁ ଧରି ଡାକିଲେ ଖୁସୀ ହେବି ।”

 

କହି ଉଠନ୍ତି ଲାଲୁସାହେବ- “ଆପଣ କିନ୍ତୁ ବ୍ରାହ୍ମଣ ଯେ, ମୋର ନମସ୍ୟ ।”

 

ବୟସରେ ବୃଦ୍ଧଙ୍କୁ ସତୁରି ପୂରିଗଲାଣି । ଆଭିଜାତ୍ୟର ମୋହ ତୁଟି ଗଲାଣି । ଅହଙ୍କାର ନାହିଁ ହୃଦୟରେ । ସକଳ ଘଟେ ନାରାୟଣଙ୍କୁ ସେ ଦେଖିଲେଣି । ସାନଟିଏ ହେଉ, ବଡ଼ଟିଏ ହେଉ ସମସ୍ତଙ୍କୁ ସେ ସମଚକ୍ଷୁରେ ଦେଖିଲେଣି । ଦାଣ୍ଡରେ ଟହଲୁଥିଲେ ଘାସି ପିଲାଟିଏ ଯାଉଥିଲେ ବି ପଚାରି ଦିଅନ୍ତି–କିଏ ଯାଉଚ ହେ ବାପ ? କହି ଉଠିଲେ- "ଆପଣ ବ୍ରାହ୍ମଣ, ମୋର ନମସ୍ୟ ।”

 

ମୀନକେତନ କହିଲେ- ‘‘ଆଜ୍ଞା, ମୁଁ ତ ହରିଜନ ଲୋକ ଆଜ୍ଞା !”

 

ଲାଲୁସାହେବ ଦୁଇ ହାତ ଯୋଡ଼ି କହିଲେ- ‘‘ମୋର କିନ୍ତୁ ଆପଣଙ୍କ ତୁଲ୍ୟ ହରିଜନମାନଙ୍କୁ ନମସ୍କାର କରିବାକୁ ମୁଣ୍ଡ ନଇଁପଡ଼େ । ବସନ୍ତୁ, ଟିକେ ଦୁଃଖସୁଖ ହେବା ।”

 

ଆଉ ଖଣ୍ଡିଏ ମୋଡ଼ିଆ ଆଣିଲେ ମୀନକେତନ ବାବୁ । ଦି ଜଣ ବସିଲେ । ଘଡ଼ିଏ ଦୁଃଖସୁଖ ହେଲେ । ବିଦାୟ ବେଳେ ଦୁହେଁ ଦୁହିଁଙ୍କି ନମସ୍କାର ହେଲେ ।

 

ବ୍ରାହ୍ମଣପଡ଼ାର ଜନାର୍ଦ୍ଦନ ଗୁରୁ, ଦକ୍ଷିଣିଆ ବ୍ରାହ୍ମଣ- ଏଠି ଆସି ଘର କରି ରହିଛନ୍ତି । ପିଲାଦିନେ ନଦିଆ,

 

ନବଦ୍ଵୀପ ଓ ବୃନ୍ଦାବନରେ ବହୁଦିନ ରହିଥିଲେ । ବେକରେ ତୁଳସୀମାଳ ଓ ପଇତା । ସୁନ୍ଦର ଗୀତ ଗାଆନ୍ତି ଏବଂ ଖୋଳ ଧରି କୀର୍ତ୍ତନ କରନ୍ତି । ମୀନକେତନ ବାବୁଙ୍କ ବସାରେ ଦିନେ ଦିନେ ସଞ୍ଜବେଳେ ଖୋଳ ଖଣ୍ଡିକ ଧରି ପହଞ୍ଚିଯାଆନ୍ତି । ମୀନକେତନ ଧରନ୍ତି ଗିନି ହଳକ । ଚାଲେ କୀର୍ତ୍ତନ । ମଧୁର ସ୍ଵର ଏବଂ ଖୋଳ ଗିନିର ସୁମଧୁର ଶବ୍ଦ-ସମ୍ଭାର । ଘର ଚାରିପଟେ, ବରଣ୍ଡା ଉପରେ ଓ ତଳେ ଘେରିଯାଇ ଥାଆନ୍ତି ଘାସିପଡ଼ା ଗଣ୍ଡାପଡ଼ାର ପିଲା ବୁଢ଼ା, ଝିଅବୋହୁ । କୀର୍ତ୍ତନ ଭାଙ୍ଗୁ ଭାଙ୍ଗୁ, ରାତି ବାରଟା, ଗୋଟାଏ । ସମସ୍ତେ ଖିଆପିଆ ଭୁଲି ଠିଆ ହୋଇ ଥାଆନ୍ତି- ହରି ବୋଲ, ହରି ହରି ବୋଲ ।

 

ଘାସିପଡ଼ା ସଫା ହେଉଛି । ମୀନକେତନ ଆଗେ ଆଗେ ଝାଡ଼ୁ ଧରି ଚାଲିଛନ୍ତି, ପଛେ ପଛେ ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସମସ୍ତେ ।

 

ଘାସିପଡ଼ାରେ ଔଷଧ ବଣ୍ଟା ହେଉଛି ।

 

ଗଣ୍ଡାପଡ଼ାରେ ଆଜି କୀର୍ତ୍ତନ ହେଉଛି । କୀର୍ତ୍ତନ ସାଙ୍ଗେ ସାଙ୍ଗେ କୋଡ଼ି ଟୋକେଇ ଓ ଝାଡ଼ୁ ଧରି ପଡ଼ାଲୋକେ ସମସ୍ତେ ଗୀତ ଗାଇ ଗାଇ ରାସ୍ତା ଓଳଉଛନ୍ତି, ଖାଲଖମା ପୋତି ସଡ଼କ ତିଆରି କରୁଛନ୍ତି ।

 

ଖଦାଲପଡ଼ାରେ ସଭା ହେଉଛି । ରାତିରେ ଆଜି ଇସ୍କୁଲ ଖୋଲିଲା । ମାଷ୍ଟର ବସିଲେ । ପିଲା ବୁଢ଼ା ସମସ୍ତେ ପ୍ରତିଦିନ ଦି ଦି ଘଣ୍ଟା ଲେଖାଁ ପଢ଼ିବେ । ସିଲଟ, ପେନସିଲ ଓ ଲଣ୍ଠନ ସରକାରଙ୍କଠାରୁ ଅଣା ଯାଇଛି । ପଢ଼ା ଶେଷରେ ଯେତୋଟି ପିଲା ଲେଖିପଢ଼ି ଜାଣିଥିବେ ତାଙ୍କରି ହିସାବ ଅନୁସାରେ ଶିକ୍ଷକଙ୍କୁ ଛାତ୍ର ପିଛା ପାଞ୍ଚ ଶହ ଟଙ୍କା ଲେଖାଁ ପାରିଶ୍ରମିକ ମିଳିବ । ଏଠି ମାଗଣା ନାହିଁ କି କାହାର ଦୟା ଅନୁଗ୍ରହର କଥା ନାହିଁ । ତଥାପି ନିରକ୍ଷରଙ୍କୁ ସାକ୍ଷର କରାଯାଉଛି ।

 

ଆଜି ଚମାର (ମୋଚି) ପଡ଼ାରେ ସମସ୍ତେ ରୁଣ୍ଡ ହୋଛନ୍ତି । ତାରି ମଝିରେ ବସିଛନ୍ତି ମୀନକେତନ ବାବୁ ଓ

 

ଶିଳ୍ପ ବିଭାଗର ଜଣେ ଉଚ୍ଚ କର୍ମଚାରୀ । କହୁଛନ୍ତି–ତୁମେ ସମସ୍ତେ ଏକ ହୁଅ । ସରକାରଙ୍କ ତରଫରୁ ଯନ୍ତ୍ରପାତି ମିଳିବ । ଚମଡ଼ା କସ କରିବାର ଉନ୍ନତ ପ୍ରଣାଳୀ ତୁମମାନଙ୍କୁ ଶିଖାଇ ଦିଆଯିବ । ଭଲ ଓ ମଜବୁତ ଜୋତା ସିଇଁବା ଶିଖାଇ ଦିଆଯିବ । ପୁଣି ତୁମ ଜୋତାର ବିକ୍ରିର ସୁବନ୍ଦୋବସ୍ତ କରାଯିବ । ତୁମର ଆୟ ଛାଏଁ ଛାଏଁ ବଢ଼ିଯିବ । ତୁମର ଆର୍ଥିକ ଅବସ୍ଥା ନିଶ୍ଚୟ ଭଲ ହୋଇଯିବ ।

 

ହରିବୋଲ, ହୁଳହୁଳି । ମୂକ ଜଡ଼ ଦରିଦ୍ର ମୋଚିପଡ଼ାରେ ଆନନ୍ଦ ଓ ଆଶାର ସଞ୍ଚାର ହୋଇଛି । ବଡ଼ପଡ଼ାର ବାବୁମାନଙ୍କ ମନରେ ହିଂସା, ପରଶ୍ରୀକାତରତା ଲାଗିଛି–“ସତେ ହୋ, ଏସବୁ ଛୋଟ ଲୋକଗୁଡ଼ାକ ମୁଣ୍ଡ ଉପରକୁ ଚଢ଼ି ଯିବାକୁ କେତେ ଆଉ ଡେରି ।”

 

ଆଈ ବୁଢ଼ୀ ରୁହିଣୀ–ଅଶୀ ବରଷର ବୁଢ଼ୀ- ପାନ ବିକି ପେଟ ପୋଷେ । ସାନ ସାନ ପାନପତର ପାକଲା ପାକଲା ବାଛି ବାଛି ଆଣିଥାଏ ନାତୁଣୀ ବୋହୁ ପାଇଁ । ମୀନକେତନ ବାବୁ ତାକୁ ଡାକନ୍ତି, ମୋ ଆଈ ବୁଢ଼ୀ ଇଏ । ରେବତୀ ପାଖରେ ଘଡ଼ିଏ ପହଡ଼େ ବସେ, ଦୁଃଖସୁଖ ହୁଏ । ମୀତକେତନଙ୍କ ପିଲାଙ୍କ ପାଇଁ ଫୁଲ କେତୋଟି ଆଣିଥାଏ, ଫଳ କେତୋଟି ଆଣିଥାଏ, କେଡ଼େ ସ୍ନେହରେ ଦେଇଯାଏ । ତା ପ୍ରାଣରେ ବି ଏ ବିଦେଶୀ ପରିବାରଟି ପାଇଁ କେଡ଼େ ସ୍ନେହ, କେଡ଼େ ମମତା !

 

ଆଗେ ଆଗେ ଉଚ୍ଚ ଜାତିର ଲୋକେ ଘୃଣା କରୁଥିଲେ । ଘରକୁ ଡାକୁ ନ ଥିଲେ । ପାଖରେ ବସାଉ ନ ଥିଲେ । ଧିରେ ଧୀରେ ସେ ଭାବି ତୁଟିଗଲଣି । ଏଣିକି ଅମଲପଡ଼ାରୁ ଝିଅବୋହୁଏ ବୁଲି ଆସିଲେଣି । ଖମସରିଙ୍କ ପୁରୁତିଆଣୀ ଛୁଆ ଚାରିଟିଙ୍କି ଧରି ରଙ୍କର ମା’ ବୁଢ଼ୀକୁ ସାଙ୍ଗରେ ଘେନି ଆସଲେଣି ବୁଲିବାକୁ, ଦୁଃଖ ସୁଖ ହେବାକୁ । ବହୁ ଦିନର ସଂସ୍କାର ହରିଜନଙ୍କ ପ୍ରତି ଘୃଣାଭାବ ଧୀରେ ଧୀରେ ମନୁଷତ୍ଵ ପାଖରେ ହାର ମାନି ଆସୁଛି । ଧୀରେ ଧୀରେ ଆଉ କିଛି ଦିନ ପରେ ସବୁ କଥା ଲୋକେ ଭୁଲିଯିବେ । ସମୟ ବଦଳୁଛି, ଲୋକଙ୍କ ମନ ବି ବଦଳୁଛି । ବଦଳିଯିବ ସବୁ ପୂରଣା କଥା । ନୂଆ ସୂର୍ଯ୍ୟର ଆଲୁଅ ମାଡ଼ି ଆସୁଛି । ତା ଆଖିରେ ସମସ୍ତେ ସମାନ ହେଇଯିବେ । ମଣିଷ ହୋଇଯିବ ଏକ-ଏକା ରକ୍ତ ମାଂସ, ସୁଖ ଦୁଃଖ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟର ମଣିଷ । ଘୃଣା ଦ୍ୱେଷ ଭୁଲି ମଣିଷ ଦେବତ୍ଵ ପାଇବ । ମନୁଷ୍ୟ ମନ ଭିତରେ ହିଁ ଦେବତ୍ଵର ଅଙ୍କୁର ଅଛି । ବଢ଼ାଇ ଜାଣିଲେ ହିଁ ହେଲା । ବୁଦ୍ଧ, ଯୀଶୁ, କୃଷ୍ଣ, ମହମ୍ମଦ, ରାମ, ରହିମ, ଚୈତନ୍ୟ, ନାନକ, ଶଙ୍କରାଚାର୍ଯ୍ୟ, ରାମାନୁଜ, କବୀର- କିଏ କରିଛି ମଣିଷକୁ ଘୃଣା ! ମଣିଷର ଭିତରଟା ହେଲା ଦେବତାର ମନ୍ଦିର । ବାହାରଟାକୁ ସଫା ସୁତୁରା କରି ସଫା କରି ଦେବାକୁ କେତେବେଳ ଲାଗିବ ଯେ !

 

ଚାକିରୀ ତ ସମସ୍ତେ କରିଛନ୍ତି । କିନ୍ତୁ ମୀନକେତନଙ୍କ କର୍ମ ପରିସର ଚାକିରୀ ସ୍ତରର ବହୁ ଦୂର ଉପରେ । ବଦଳି ହେବାର ଆଦେଶ ଆସିଲ । ଚାର୍ଯ୍ୟ ଦିଅନିଆ ସରିଲା । ବିଛଣାପତ୍ର ଗୁଡ଼ିଆ ହେଲା । ଘାସିପଡ଼ା, ଗଣ୍ଡାପଡ଼ା, ବଡ଼ପଡ଼ା ଓ ବାବୁପଡ଼ା, ଚମାରପଡ଼ା ଓ ଖଦାପଡ଼ା ସବୁଆଡ଼େ ଖେଳିଯାଇଛି ଏ ଖବର । ସମସ୍ତଙ୍କ ମନ ଭିତରେ କେଇ ଦିନ ହେଲା ଭୀଷଣ ଦୁଃଖ, ସତେକି ବିଦାୟ ବେଦନାର ଘନକୁ ମେଘ ଖଣ୍ଡିଏ କାହିଁ ମାଡ଼ିଆସି ଛାଇ ଯାଉଛି- ଏ ଅଞ୍ଚଳଟି । ଯିଏ ଦେଖୁଛି, ସେ ମୁହଁ ଶୁଖାଇ ପଚାରି ଦେଉଛି–“ବାବୁ ଆଜ୍ଞା, ସତେ କଅଣ ଆପଣ ବଦଳି ହୋଇ ଯାଉଛନ୍ତି ? ସତେ କ’ଅଣ ଆପଣ ଆମକୁ ଛାଡ଼ିଯିବେ ?”

 

ଯିଏ ପଚାରୁଛି ପୂରା ପଚାରି ପାରୁନାହିଁ । କଥା ଶେଷ କରିବା ଆଗରୁ ଆଖି ଦି’ଟା ତାର ଲୁହରେ ଭରିଯାଉଛି । କଣ୍ଠ ଥରି ଉଠୁଛି । ଗୁରୁ ହୋଇ ଯାଉଛି । ଓଠ ଥରି ଉଠୁଛି । ସତେକି ଜଣେ ନିତାନ୍ତ ଆପଣାର ଆତ୍ମୀୟ ବନ୍ଧୁ, ଛାଡ଼ି ଚାଲି ଯାଉଛି । ପ୍ରାଣ କାନ୍ଦି ଉଠୁଛି । ମନ କହୁଛି ବାଟ ଓଗାଳି ଛିଡ଼ା ହେବାକୁ; ହାତ ଓଠ ଧରି ଅଟକାଇବାକୁ ।

 

ବିଦାୟ ନେବାବେଳ ଆସିଲା । ବୃଦ୍ଧ ଲାଲୁ ସାହେବ ବାଡ଼ିଖଣ୍ଡିକ ଧରି ଆସିଛନ୍ତି । ପୁରୁତିଆଣୀ କାକରା ପିଠା ପୁଳିଏ ଧରି ସାନ ସାନ ଛୁଆ କେଇଟିଙ୍କି ସଙ୍ଗରେ ଘେନି ଦାଣ୍ଡଘରକୁ ପଶିଲେ ଆଖିଲୁହ କାନିରେ ପୋଛି ପୋଛିକା । ଘାସିପଡା, ଗଣ୍ଡାପଡ଼ା ଓ ଖଦଲପଡ଼ାରୁ ଅଣ୍ଡାଠାରୁ ଭେଣ୍ଡାଯାକେ ଧାଇଁ ଧାଇଁ ଆସି କ୍ଵାର୍ଟର ଚାରିକଡ଼ଯାକ ଘେରି ଯାଇଛନ୍ତି । ସମସ୍ତେ କାନ୍ଦୁଛନ୍ତି । ଜିନିଷପତ୍ର ମଟର ଷ୍ଟେସନକୁ ଉଠିଗଲା । ମୀନକେତନ ଓ ତାଙ୍କର ସ୍ତ୍ରୀ ଏବଂ ପିଲା କେତୋଟି ଘରୁ ବାହାରି ବାହାର ଅଗଣାକୁ ଆସିଲେ । ସମସ୍ତେ କାନ୍ଦୁଛନ୍ତି । ବିଦାୟ ନେବାକୁ ପଦୁଟିଏ କଥା ବି କହିପାରୁ ନାହାନ୍ତି । ଲାଲୁଙ୍କ ହାତଟିକୁ ଧରିପକାଇ ମୀନକେତନ ବିଦାୟ ନେବାକୁ କଅଣ କହିବେ କହିବେ ହେଉଛନ୍ତି, କିନ୍ତୁ କିଛି କହିପାରୁ ନାହାନ୍ତି । ସ୍ଵରଯନ୍ତ୍ର ବିଦାୟ ବ୍ୟଥାରେ ଫୁଲି ଉଠିଛି । ରେବତୀଙ୍କ ହାତମୁଠାରେ ପୁରୁତିଆଣୀଙ୍କ ହାତମୁଠାର ଯାବ ପଡ଼ିଯାଇଛି । ରଙ୍କର ମା’ କୁଣ୍ଢାଇ ପକାଇଛି । ଘାସିଆଣୀ ଦ୍ଵୀମତି ଓ କଲା ଭୋ’କିନା ରଡ଼ି ଛାଡ଼ି କୁଣ୍ଢାଇ ପକାଇଲେ ତିନିଙ୍କି । ଚୋର ବଇଷିମା ଓ ଭକଡୁ ପାଦତଳେ ଲୋଟି ଯାଇ ମୀନକେତନଙ୍କ ଗୋଡ଼ ଦି’ଟାକୁ ଜାବୁଡ଼ି ଧରି କହିଲେ–“ଆମକୁ ମାରିଦେଇ ଯାଆ ନାହିଁ ବାବୁ ଆଜ୍ଞା ! ତୁମେ ଆସିଥିଲ, ଆମ ଆଖି ଫିଟିଥିଲା । ତୁମେ ଯାଉଛ, ଆମେ ଅନ୍ଧ ହୋଇଯିବୁ ।”

 

ଉଚ୍ଚବର୍ଣ୍ଣ ଓ ହରିଜନ ଏକ ହୋଇଛନ୍ତି, କେହି କାହାରିକି ବାରୁ ନାହାନ୍ତି । ପ୍ରେମର ବନ୍ୟା ବହୁଛି । ସମସ୍ତେ ଭାବୁଛନ୍ତି । ବଡ଼ଲୋକ ଗରିବ ସେଠି ଏକ ହୋଇଛନ୍ତି- ରାଜବଂଶୀୟ ଲାଲୁ ସାହେବ ଓ ଛାର ଭକୁଡୁ ଘାସୀ । ଛୁଆଁ ଅଛୁଆଁ ଭେଦ ଆଜି କାହିଁ ଏଠି !

ଆଖିଲୁହ ପୋଛି ମୀନକେତନ କହିଲେ–“ମୁଁ ତମକୁ ଛାଡ଼ି ଯିବିନାହିଁ । ମୁଁ ଏ ଘାସିପଡ଼ାର ମାୟା ଏଡ଼ିଦେଇ ସ୍ଵର୍ଗକୁ ସୁଦ୍ଧା ଯାଇ ପାରିବି ନାହିଁ । ଚାକିରୀ ପଛକେ ଗଲେ ଯାଉ । ଜିନିଷପତ୍ର ଫେରାଇ ଆଣ ।

 

ଅଦୂରରେ ଆଈବୁଢ଼ୀ ରୁହିଣୀ ଛିଡ଼ାହୋଇ କାନ୍ଦୁଥିଲା । ତା’ର ଓଠତଳେ ହସ ଫୁଟିଲା । ଆଖିରେ ଲୁହବିନ୍ଦୁ ଓ ଓଠରେ ହସ- ଆଗେଇ ଆସି ମୀନକେତନବାବୁଙ୍କ ଚିବୁକରେ ହାତ ମାରି ଦେଇ କହି ଉଠିଲା- “ମାଆକୁ କହିବୁ ହଡ଼ା ବଳଦକୁ ବିକିବ ନାହିଁ, ମୋ ବଇଷମପଣ ନୋହିଲା ।”

 

ଆଈବୁଢ଼ୀ ହସୁଛି, ହସୁଛି ଆଉ କାନ୍ଦୁଛି । ନାତି ବି କାନ୍ଦୁଛି ଓ ହସୁଛି ।

 

କାନ୍ଦମିଶା ହସ– ଦେଖିବାକୁ ଭାରୀ ସୁଦର । ଭାରି ମଧୁର ।

Image

 

Unknown

ମାଙ୍କଡ଼ ଦିଆଶି

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ଲତ୍ତାମିଆଁ–ମହମ୍ମଦ ଲିତିଫ୍ ମାଙ୍କଡ଼ ଦିଆଶି ଘନି ଗାଁ ଗାଁ ବୁଲେ । ମାଙ୍କଡ଼ ନଚେଇ ପେଟ ପୋଷେ । ମାସେ ପନ୍ଦର ଦିନେ ଥରେ ଘରକୁ ଫେରେ । ମିଆଁର ବିବି–ଜୟୁତୁନ୍‍, ଯେମିତି ଚାହିଁ ବସିଥାଏ ମିଆଁର ଫେରିବା ବାଟକୁ । ମିଆଁ ହଲି ଝୁଲି ଘରକୁ ଫେରେ । ଝୁଲିଟି ଝୁଲୁଥାଏ କାଖତଳେ- ବାରମିଶା ପଞ୍ଚୁବର୍ଣ୍ଣୀ ଚାଉଳରେ ଭରା । ଅଣ୍ଟିରେ ଭିଡ଼ିଥାଏ ଗାଞ୍ଜିଆଟାଏ–ତା’ରି ପାଖରେ ଏଇ ମାସେ ପନ୍ଦର ଦିନର ରୋଜଗାର ହିସାବ । ନିତି ନିତି ସେ ଯେତେ ଚାଉଳ ପାଏ ବାଟରେ ହାଟରେ ବିକିଦେଇ ତାକୁ କଞ୍ଚା ପଇସା କରେ । ନିତି ନିତିର ଚାଉଳ ବିକା ଆଉ ବକ୍‌ସିସ୍ ପଇସା ସିଧା ବାଟ ଦେଖେ ଗାଞ୍ଜିଆ ମୁହଁକୁ ପୁଣି ରେଜା ଖୁଚୁରା ପଇସା ଆଣି ସୁଉକୀ ଟଙ୍କାର ଆକାର ଧରେ ସେଇ ଗାଞ୍ଜିଆ ଭିତରେ । ଗଧୋଇବା ବେଳ ଛଡ଼ା ସେ ଗାଞ୍ଜିଆ ଅଣ୍ଟାରେ ଭିଡ଼ା ହୋଇଥାଏ ! ଆଠ- ପହର ବତିଶି ଘଡ଼ି । ଏମିତି ମାସେ ପନ୍ଦରଦିନର ରୋଜଗାର ଧରି ମିଆଁ ଘରକୁ ଫେରେ କେଡ଼େ ଆଗ୍ରହରେ ।

 

ଏଇ ମାସେ ପନ୍ଦର ଦିନେ ଥରୁଟେ । ଜୟତୁନ୍‍ ପକ୍ଷରେ ହୁଏତ ସେଇ ଢେର୍ । ମିଆଁତ ଫେରୁଛି ହଜି ଯାଉ ନାହିଁ କୁଆଡ଼େ । ସେଇ ଥରକ, ସେଇଦିନେକି ଖୁବ୍‍ ବେଶୀ ଦୁଇଦିନର ଦେଖା କେଜାଣି କେତେକାଳର ଛଡ଼ା ଛଡ଼ା ହେବାର ଦୁଃଖକୁ ହୁଏତ ପୋଛି ପକାଉଥିବ ପୁଣି ଆଉ କେତେ ଅସୁମାରି ଦିନର ବିରହ ବେଦନା ସହିବାପାଇଁ ପ୍ରସ୍ତୁତ କରିଦେଇ- ମାତ୍ର ଦିନୁଟେ କି ଖୁବ୍‍ ବେଶୀ ଦୁଇଦିନ ।

 

ଛିଡ଼ାକନା- ଖଣ୍ଡ ଖଣ୍ଡ ଟୁକୁରା ଟୁକୁରା ଦରଜୀ ଦେକାନର ନାଲ୍ ନୀଳ ଛିଟକନାରେ ତାଳିପକା ଥଳିଟିଏ ଗୋଟିଏ ପାଖରେ- ଆଉ ଏକ ପାଖରେ ପୁରୁଣା ଚିରା କନାରେ କନ୍ଥା ମୋଟର ଝୁଲି । ଝୁଲାରେ ଥାଏ ଚାଉଳ । ଆଉ ରଙ୍ଗ ବେରଙ୍ଗର ଚିତ୍ର ବିଚିତ୍ର ଥଳିଟିରେ ଥାଏ ମାଙ୍କଡ଼ ଦିଆଶିର ନାଟ ପୋଷାକ ।

 

* ଦିଆଶି ଗୋଟିଏ ବାଲେଶ୍ଵରୀ ଶବ୍ଦ । ଅର୍ଥ-ଯେ ଭବିଷ୍ୟତ କହେ । ସମ୍ଭବତଃ ‘ଦେବାଂଶୀ’ର ଅପଭ୍ରଂଶ ।

 

ସେଇ ଝୁଲା ଓ ମୁଣିକି ଦୁଇ ବାହାର ଦୁଇ ପାଖକୁ ଝୁଲେଇ ଝୁଲେଇ ଘରକୁ ଫେରେ ଲତ୍ତାମିଆଁ ବଡ଼ ଆକୁଳରେ, ଆନନ୍ଦରେ ପୁଣି ଉତ୍ସାହ ଆଗ୍ରହରେ । ମାଙ୍କଡ଼ଟା କେତେବାଟ ଯାଏ ଲତ୍ତାମିଆଁର ପଛେ ପଛେ ଝଞ୍ଜିରରେ ବନ୍ଧା ହୋଇଥିବା ଅବସ୍ଥାରେ ଗୋଡ଼େଇ ଗୋଡ଼େଇ ଘରପାଖ ହେଲାକ୍ଷଣି ତା’ପିଠି ଉପରକୁ ଡେଇଁପଡ଼େ । ଲତ୍ତାମିଆଁର କୂଜ ଆଉଟିକିଏ ପଡ଼ିଯାଏ । ଲୁହାର ଜଞ୍ଜିରଟା ଝମ୍ ଝମ୍ ବାଜିଉଠେ । ହୁଏତ ସେ ଶବ୍ଦ ଶୁଣି ଜୟତୁନ୍ ଆନନ୍ଦରେ ଚମକିପଡ଼ି ଚଟ୍‌କିନା ଚାହିଁ ଦେଉଥିବ- ମିଆଁ ଆସି ଦୁଆର ମୁହଁରେ ।

 

ମାଙ୍କଡ଼ଟା ଚିଁ ଚିଁ ହୋଇ ମିଆଁ ପିଠିରୁ ବିବି ଉପରକୁ କୁଦିପଡ଼େ । ‘ଡାକ୍‌ନିଖିଆ ବନ୍ଦର’ ବୋଲି ବିବି ଖିଙ୍କାରି ହୋଇ ତାକୁ ଛାଟିଦିଏ ଉପରୁ ପୋଷା ପୁଷିଟିଏ ପରି । ନିରୀହ ମାଙ୍କଡ଼ଟି ବିବି ଗୋଡ଼ରେ ଯାଇ ନେସିହୁଏ–ଯେମିତି ସୀତାଙ୍କ ପାଖରେ ହନୁମନ୍ତ ।

 

ମାଙ୍କଡ଼ଟାକୁ ଖୁଣ୍ଟରେ ଖଟେଇ ଦେଇ ମିଆଁ ଯାଇ ଚାଉଳ ପଇସା ଯାହା ଆଣିଥାଏ ସବୁଯାକ ଅଜାଡ଼ି ଦିଏ ଜୟତୁନ୍ ଆଗରେ । ଜୟତୁନ୍ ଲତ୍ତାମିଆଁକୁ ଏଡ଼େ ଏଡ଼େ ଆଖି ଦି'ଟାରେ ଚାହେଁ । ଲତ୍ତାର ପୌରୁଷକୁ ପସନ୍ଦ କରିବା ପାଇଁ ଜୟତୁନ୍‍ର ଆଖିଦୁଇଟା ଯେମିତି ଭାରି ଛୋଟ–ଅସମର୍ଥ ।

 

ମାଙ୍କଡ଼ଟି ସେ ଖୁଣ୍ଟମୂଳରେ ଥାଇ ମୁଣ୍ଡ କୁଣ୍ଡେଇ ହେଉଥାଏ । ମୁଣ୍ଡରେ ଉକୁଣୀ । ତା’ପୌରୁଷରେ ଆଘାତ ଲାଗେ କି’ କ’ଣ, ସେ ସେହି ଉକୁଣୀରୁ ଗୋଟାଏ ଦୁଇଟା ଖୁବ୍ ଜୋର୍‌ରେ ଟାଣି ଆଣି ପାଟିକୁ ପକେଇ ଦିଏ ? ସେଇ ତା'ର ପୌରୁଷ–ସେତିକିରେ ତା’ର ପୌରୁଷ । ତା'ଛଡ଼ା ହନୁ ଭିତରେ କେତେ କ'ଣ ଜମାକରି ଗାଲ ଦି’ଟାକୁ ଫୁଲେଇ ଥାଏ, ତାକୁଇ ଦେଖେଇ ଦେଇ ସେ ମନେ ମନେ ଆପଣା ପୌରୁଷକୁ ଆପେ ପ୍ରଶଂସା କରୁଥାଏ–ତା’ ପୌରୁଷକୁ ପସନ୍ଦ କରିବା ପାଇଁ–ବୁଝିବା ପାଇଁ କେହି ନଥାନ୍ତି । ତା' ପୌରୁଷରେ କାହାରି ଛୋଟ ଛୋଟ ଆଖି ଏଡ଼େ ଏଡ଼େ ବଡ଼ ହୋଇଯାଏ ନାହିଁ । ମାଙ୍କଡ -ନାଚର ପୌରୁଷରେ ଅନ୍ଧ, ଲତ୍ତାମିଆଁର ଆପଣା ଘରକା ଆଦ୍‌ମୀ ଜୟତୁନ୍‌ ବିବିର ଆଖି କାହିଁ ଯେ ଦେଖିବ–ବୁଝିବ ?

 

ଲତ୍ତାମିଆଁ ଗୋଡ଼ ହାତ ଧୋଇ ଉଜୁକରି ନମାଜ ପଢ଼ି ବସେ । ଜୟତୁନ୍ ଯାଏ ଶାଗ ଖରଡ଼ିବାକୁ । ମାଙ୍କଡ ଏପଟ ସେପଟ ଚିତ୍ ମାରି ଆନନ୍ଦ କରୁଥାଏ -ବାହାରେ ବୁଲି ବୁଲି ଘରେ ଆସି ପଶିବାର ଆନନ୍ଦ । ଗୋଟିଏ ବନ୍ଧନରୁ ଆଉ ଗୋଟିଏ କଠିନ ବନ୍ଧନ ଭିତରେ ପଶିବାକୁ ବି ଭଲଲାଗେ । ସେ ହୁଏତ କ୍ରମେ କ୍ରମେ ବନ୍ଧନକୁ ବନ୍ଧନ ବୋଲି ନ ଭାବିବା ପାଇଁ ମନଟାକୁ ବାଧ୍ୟକରି ବଧିଆ କରି ନେଉଥିଲା । ଆଉ ଜବରଦସ୍ତି ଗୋଟିଏ ଆନନ୍ଦ ଆଣି ଲଦିବାକୁ ଚେଷ୍ଟା କରୁଥିଲା । ଜୀବ ଅନିଚ୍ଛାରେ ମଧ୍ୟ ଆନନ୍ଦ କରିବାକୁ ଚେଷ୍ଟା କରେ ।

 

ମିଆଁ ବିବି ଦିହେଁଯାକ ଖାଇ ସାରନ୍ତି । ମାଙ୍କଡ କଥା ମନେ ନ ଥାଏ କାହାରି । ଖାଇ ପିଇ ସାରି ହାତ ଧୋଇଲା ବେଳକୁ ମିଆଁର ମନେ ପଡ଼ିଯାଏ ‘ବନ୍ଦର' ।

 

ବିବି ଚିଡ଼ି ଉଠେ । ପ୍ରକୃତରେ ସେ ଚିଡ଼େ ଆପଣା ଉପରେ–ମନେ ପଡ଼େ ନାହିଁ ବୋଲି ଦଶାଦିଆ, ନିଆଁଲଗା ମନ- କୁଛ୍ ୟାଦ ନାହିଁ ରେହତା । କିନ୍ତୁ ସେ ବିରକ୍ତିର ମାଡ଼ ସହେ- ବିଚରା ହନୁ । ଯେମିତି ତା’ର ମାଗିବାର ଶକ୍ତି ଅଛି, ସେ ମାଗୁନାହିଁ - କେବଳ ଜୟତୁନ୍‌ଙ୍କୁ ଲତ୍ତାମିଆଁ ଠାରୁ ଗାଳି ଦି'ପଦ ଶୁଣାଇବାକୁ । ହନୁର ଦୋଷ ଏତିକି ।

 

ହନୁ ପାଖରେ ବି ଅଇଁଠା କଣ୍ଟା ପଖାଳ ଦି’ମୁଠା ପଡ଼େ । ହନୁ ତାକୁ ହାଉଁ ହାଉଁ କରି କେତେବେଳେ ଦୁଇହାତରେ ଖାଉଁ ଖାଉଁ ରଣବଣ ହୋଇ ବିଛୁଡ଼ି ପଡ଼ୁଥାଏ । କେତେବେଳେ ବା ହାତ ଥକି ପଡ଼ିଲେ ମୁହଁ ଲଗେଇ ଗେଫାମାରି ଦେଉଥାଏ । ଖୁଟ୍ କିନା କେଉଁଠି ଟିକିଏ ଶବ୍ଦ ହେଲେ ଚଙ୍ଗ୍‍ ଚଙ୍ଗ୍‍ ହୋଇ ସେ ଏପଟ ସେପଟକୁ ଚାହେଁ । ତା'ପରେ ପୁଣି ନିର୍ଭୟ ହୋଇ ଖାଇବା ଆରମ୍ଭ କରେ । ଖଇବାଟା ତା’ର ଅନେକ ଡେରି ! ଯେମିତି କେମିତି, ଢଙ୍ଗରେ ସେ ଖାଇବ, ସେତକ ସ୍ଵାଧୀନତା ତା’ର ଏ ପର୍ଯ୍ୟନ୍ତ ବାକୀ ରହିଛି ବୋଲି ସେ ସେତକ ଯେତେକ୍ଷଣ ପରେ ସେତେକ୍ଷେଣ ଉପଭୋଗ କରୁଥାଏ ।

 

ବିବି ଜୟତୁନ୍‍ର ହିଂସା ହୁଏ । ଦିନେ ଦୁଇଦିନେ ଥରୁଟେ ପଚାରିଲେ ବି ଜୟତୁନ୍‍କୁ ଲାଗେ ଯେମିତି ଲତ୍ତାମିଆଁ ଦିନରେ ଦଶଥର ପଚାରିବ–ବନ୍ଦରର ଖାୟା ? ଆଉ ଶହେ ଥର ପଚାରିଲେ ବି ତାକୁ ଲାଗେ ଲତ୍ତାମିଆଁ ଶରଧା କରି ଥରୁଟେ ବି ପଚାରୁନାହିଁ - ‘ ଜୟତୁନ୍‍ ତେଁ ଖାଲୀ ?’

 

ହନୁର ବି ହିଂସା ହୁଏ ଜୟତୁନ୍ ଉପରେ । ରୋଜଗାର କରିବ ସେ- ହନୁ, ଆଉ ଅଏସ୍ କରିବ ଜୟତୁନ୍ ଘରେ ବସି । ଲତ୍ତାମିଆଁ' ଯାବତ ପୋଷକ, ଯାବତ ଗହଣା କିଣି ଆଣି ଜୟତୁନ୍‍କୁ ଦେବ । ହନୁପାଇଁ କିଛି ନାହିଁ । ଖାଲି ନାଟକ କଲାବେଳେ - ପଇସା ରୋଜଗାର ବଖତରେ ରଙ୍ଗ ରଙ୍ଗର ପୋଷାକ ଦବ- ଆପେ ପିନ୍ଧିବାକୁ । ତା'ପରେ ପୁଣି କାଢ଼ି- ପକେଇବାକୁ କହିବ । ଟିକିଏ କଉଁ ପୋଷାକ ଆଉ ଦଣ୍ଡେ ଅଧେ ଦେହରେ ରଖିବାକୁ, ମନ କଲେ ଲତ୍ତାମିଆଁ ଦି’ଛଡି ପକେଇବ । ଚେଁ ଚେଁ ହୋଇ ସେ ପେଷାକଟାକୁ କାଢ଼ି ନଦେଲା ଯାଏଁ ବାଟ ଦଶିବ ନାହିଁ । କିନ୍ତୁ ବିବିର କି ଭେଶ ଦେଖିବ । ଖାଲି ସବୁବେଳେ କସ୍ତା, ପିଚାପାଡ଼ି ଶାଢ଼ୀ । ହରଘଡ଼ି ହାତରେ କାଚଚୁଡ଼ି ଝୁମ୍ ଝୁମ୍ । ବେକରେ ହଂସୁଲି, ବାହୁରେ ବାଜୁ । ହନୁର କାହିଁ..... କ’ଣ ?.....କିଛି ନାଇଁ !

 

ପିଇବା ପାଇଁ ଗୋଟିଏ ଭଙ୍ଗା ଚେପା କେତେଦିନର ପୁରୁଣା କଣା ରସଗିନାରେ ପାଣି ମୁନ୍ଦିଏ ଦେଇଯାଆନ୍ତି । ଯେତେ ଶୋଷ ଲାଗିଥାଉ ପଛେ, ପିଇବା ଆଗରୁ ସେ ଥରେ ସେଇଥିରେ ଆପଣା ମୁହଁ ଦେଖେ । ପହିଲୁ ପହିଲୁ ସେ ହୁଏତ ଡରୁଥିଲା, ଠିକ୍ ଆପଣାକୁ ନୁହେଁ, ଆପଣା ପଶୁତ୍ୱକୁ । କିନ୍ତୁ ଏବେ ସେ ନକୁଟିକରି ଚାହେଁ । କାନରେ ତା’ର କେଇଟା ଫାସିଆ ଝୁଲୁଛି । ନାକରେ ବି । କୋଉଁଦିନରୁ ହେଲାଣି । ଏତକପାଇଁ ସେ ଜୟତୁନ୍‌ର ସମସରିସା ହୋଇପାରେ । କିନ୍ତୁ ଜୟତୁନ୍‌ର ଗହଣାଘେନା ଆଉ ତାର ଫାସିଆପିନ୍ଧା ଭିତରେ କି ଆକାଶପାତାଲ ତଫାତ୍.....ସେଇ ଛଡ଼ା ଛଡ଼ାର ଜ୍ଞାନଟା ପଶୁମନରେ ବି ଗୋଟାଏ ଅସମାପିକା ସନ୍ଦେହ ରଖିଦେଇଯାଏ ଯେମିତି ।

 

ହନୁର ଯେଉଁଦିନ କାନଫାସିଆ ଫୋଡ଼ାଗଲା, ସେ ଦିନର ଜବରଦସ୍ତି, ସେଦିନର ଯନ୍ତ୍ରଣା ତା’ର ଆଜିଯାଏ ବି ମନେ ଅଛି । ଗୋଟିଏ ଫାସିଆ ସେଥିରୁ କାନଟାକୁ ଟାଣି ଟାଣି, କାନଟାକୁ ଦି'ଫାଳ‌‌ କରି ଛିଡ଼ିପଡ଼ିଲାଣି କେଉଁଠି । ଆଉ କେଇଟା କାନର କଣାକୁ ଓସାର କରି ଆଁ କରି ଚାହିଁଚନ୍ତି । ଆଜି ଆଉ ସେଠି ପରାସ ନାହିଁ । ଆଜି ଆଉ ସେଠି ସିନ୍ଦୁର ମରାଯାଏ ନାହିଁ । ପରାସ ଅଛି ମନ ଭିତରେ । ଦାଗ ଲାଗିଛି ଯାଇ ବଡ଼ ଗହୀରରେ ।

 

କାହା ପାଇଁ ? କାହା ପାଇଁ ସେ ଏତେ କଷ୍ଟ ସହିଛି‌ ? କାହାକୁ ରୂପ ଦେଖାଇ ସେ ସୁଖୀ କରିବ ବୋଲି ସେ ଏଇ ଦେହକୁ...ଦେହର କଞ୍ଚା ମାଉଁସକୁ ହିନସ୍ତା କରି ଏତେ ହାନ୍ତି କରି ଫୋଡ଼ି ପକେଇଛି ? କାହା ମୁହଁରୁ ବାହାବା ପଦ ଶୁଣିବ ବୋଲି ସେ କାନର ନାକର ପରାସକୁ ଦେହରେ ଘେନି, ପନ୍ଦର ପନ୍ଦର ଦିନ କାଳ ଏପଟ ସେପଟ ଛଟପଟ ହୋଇଛି ? କାହାରି ମୁହଁରୁ ସେ ‘ଆହା’ ବୋଲି ଶୁଣିନାହିଁ ତ ପଦେ ! କାହାରି ପ୍ରଶଂସା ତା ମନର କଥାକୁ ଭୁଲାଇ ଦେଇପାରିନି ତ ଦିନେ !

 

ଆପଣା ଦୁଃଖରେ ଆପଣା କଷ୍ଟରେ ସେ ଆପେ ଯେମିତି ସାଧ୍ୟ ହୋଇ ଯାଉଥିଲା । ତା ଉପରେ ଆଉ କାହାରି ଶାସନ ଦରକାର କରୁନଥିଲା । ଯଉଁ ଲୋକ, ଯଉଁ ମଣିଷ, ଯଉଁ ମୁନିବ ଯଉଁ ଖାମିନ୍ଦ ତାକୁ, ବଳାତ୍କାରରେ ଫୋଡ଼ି ଏତେ ହିନସ୍ତା କରିଥିଲା, ହନୁ ଆପେ ଆପେ ତା’ରି ବଶ ହେବାକୁ ଭଲପାଇଲା । ତାକୁ ତା’ର ଦୟା ହେଲା କି କଣ ! ମନୁଷ୍ୟର ନିଷ୍ଠୁରତାକୁ ସେ ହୁଏତ ଭୟ କରିଥିବ; କିନ୍ତୁ ମନୁଷ୍ୟର ପଶୁତ୍ଵ ପ୍ରତି ତା’ର ସମ୍ଭବତଃ ଦୟା ହେଲା…ସହାନୁଭୂତି ଆସିଲା । ମନୁଷ୍ୟର ସେଇ ପଶୁତ୍ଵ ତାକୁ ମନୁଷ୍ୟର ନିକଟତର ମନେ କରିବାକୁ ସାହସ ଦେଲା । ମଣିଷ ବି ଏଇ ନପାରିଲା ପଶୁ ଉପରେ ଅତ୍ୟାଚାର କରିପାରେ ! ଆପଣା ସ୍ଵାର୍ଥପାଇଁ ! ମଣିଷ ଏଡ଼େ ଛୋଟ... ଏଡ଼େ ନୀଚ...ଏଡ଼େ ପଶୁ ! ସେ ମଣିଷ ସାଙ୍ଗରେ ଅପଣାକୁ ମାପି ବସିଲା । ଡିଆଁମାରି ସେ ମଣିଷ ଉଚ୍ଚକୁ ହାତ ବଢ଼ାଉଥିଲା । ପାରୁ ନ ପାରୁ, ତା’ର ଉନ୍ନତିର ଅଭିଳାଷ ପୂରୁ ନ ପୂରୁ, ନିଜେ ବଡ଼ ହେଉ ନ ହେଉ, ମଣିଷକୁ ଛୋଟ ହେବାର ଦେଖି ସେ ଗୋଟାଏ ନୀଚ ବିଜୟର ଆନନ୍ଦ ପାଉଥିଲା ନିଶ୍ଚୟ । ବହୁ ଅବହେଳା ସତ୍ତ୍ୱେ ସେ ଆପଣାକୁ ଘରର ଜଣେ ବୋଲି ଗଣିବାର ଦୁଃସାହସକୁ ପ୍ରଶୟ ଦେଇପାରିଲା । ଘରଭିତରେ ଥାଇ ଘରଣୀ ବିବି ଜୟତୁନ୍‍ର ଯେମିତି ଅଧିକାର ତା’ର ବି ସେମିତି ଅଧିକାର କାହଁକି ନ ରହିବ ବୋଲି ତା ମନ ଭିତରେ ହୁଏତ ଗୋଟାଏ ଅଭିଯୋଗ କୁହୁଳି ଉଠିଲା ।

 

ପହିଲୁ ପହିଲୁ ସେ ଯେବେ ଏ ଘରକୁ ଆସିଲା…. ତା ନାକ କାନ ଫୋଡ଼ା ସରିଛି... ସେ ମଣ ହୋଇ ଆସୁଥାଏ, ତା ଉପରେ ଆରମ୍ଭ ହେଲ ବେତମାଡ଼ ଛଡ଼ିର ପାହାର । ଲତ୍ତାମିଆଁ ବେତ ଖଣ୍ଡେ ଧରି ତାକୁ ନାଚି ଶିଖେଇଲା । ପହିଲୁ ପହିଲୁ ସେ ବୁଝିପାରିଲା ନାହିଁ ଲତ୍ତାର କଥା । ଲତ୍ତା ସେ ବନ୍ଧାହୋଇଥିବା ଜଞ୍ଚିରଟାକୁ ଧରି ଉଠେଇଲା ପକେଇଲା । ଜଞ୍ଚିର ସାଙ୍ଗରେ ସେ ବାଧ୍ୟ ହେଇ ଡେଇଁଲା ପଡ଼ିଲା । ରାଗରେ ଦାନ୍ତ କିଡ଼ମିଡ଼ କରି ସେ କାମୁଡ଼ିବାକୁ ଗୋଡ଼େଇ ଆସିଛି ଥରେ ଦି'ଥର । କିନ୍ତୁ ସେ ଅପରାଧର ପ୍ରାୟଶ୍ଚିତ୍ତ ତାକୁ ଏପରି ନିର୍ମମ ଭାବରେ କରିବାକୁ ପଡ଼ିଛି ଯେ ସେ ଆଉ ପୁଣି କେବେ କାମୁଡ଼ି ଗୋଡ଼େଇନାହିଁ ତା’ ଦିହକରେ ।

 

ଲତ୍ତାମିଆଁ ବେତ ଛଡ଼ିକି ଭୂଇଁରେ ବାଡ଼େଇ ତାଳ ଦେଇ ଗାଏ-

 

“ହନୁ ମେରା ନାଟ୍ କରିବୋ ନାଟ୍ କରିବୋ ...

 

ହାଟ୍‍କୁ ଯିବୋ .... ଦାହି ବିକିବୋ....”

 

ସେ ଶୁଣେ.... କାକୁସ୍ଥ ହେଇ ଶୁଣେ । ଗୀତର ସ୍ଵରରେ, ତାଳରେ..... ସେଇ ସହଜ ସ୍ଵର ତାଳରେ ସେ ଗୋଟାଏ ନୂଆ ଜୀବନର ସନ୍ଧାନ ପାଏ । ତାର ମନ ହୁଏ ପଦେ ଗାଇଦେବାକୁ । ପାରେ ନାହିଁ । କେବଳ ଦାନ୍ତ , ନିକୁଟିଦେଇ ଲତ୍ତାମିଆଁକୁ ଖତେଇ ହେଇ ରହିଯାଏ । ଆଉ ସେହି ସ୍ଵରକୁ ଏକାବେଳକେ ଅସମ୍ମାନ ନ କରି ତା’ର ତାଳରେ ନାଚିବାପାଇଁ, ଆପଣାକୁ ପ୍ରସ୍ତୁତ କରେ ।

 

ଲତ୍ତାମିଆଁ ଆଗେ ନିଜେ ନାଚି ଆରମ୍ଭ କରେ....ଦେଖେଇ ଦେବାପାଇଁ । ହନୁ ତା’ ଦେଖାଦେଖି ନାଚେ !

 

ଲତ୍ତାମିଆଁ ପୁଣି ସ୍ଵର ଧରେ- ‘ହନୁ ମେରା ହାଟ୍‍କୁ ଯିବୋ- ଦାହି ବିକିବୋ-’

ସେ ନିଜେ ଆଉ ଗୋଟିଏ ଛୋଟ ପସରା ମୁଣ୍ଡ ଉପରେ ଥୋଇ ନାଚେ । ହନୁ ଆଖି ମିଟିମିଟି କରି ତାକୁ ଚାହେଁ । ସେପଟରେ ଜୟତୁନ୍ ମୁହଁ ବୁଲେଇଦେଇ‌ ମୁରୁକିହସା ଦେଇ ଚାଲିଯାଏ–“ଛି, ଲଜ ନେହିଁ ବେହିଆକୋ- ବୁଢ଼ା ହୁଆ ବି।”

 

ହନୁ ଜୟତୁନ୍ ଆଡ଼କୁ ଚାହିଁଦିଏ । ପୁଣି ପାହାରେ ବସେ ପିଠି ଉପରେ । ଜୟତୁନ୍‍ ଉପରେ ତା’ର ରାଗ ହୁଏ- ଲତ୍ତାମିଆଁ ଉପରେ ନୁହେଁ । ସେ କାହିଁକି ମିଆଁ ଲତ୍ତାକୁ ଥଟ୍ଟା କରିବ ! ସେ ଚଙ୍ଗ ଚଙ୍ଗ ହୋଇ ପୁଣି ଲତ୍ତାମିଆଁକୁ ଚାହେଁ । ମିଆଁଲତ୍ତା ଯେମିତି ପସରା ମୁଣ୍ଡରେ ଦେଇ ନାଚୁଥାଏ ସେମିତି ନାଚିବାକୁ ଚେଷ୍ଟା କରେ । ସେଥିରେ ପୁଣି କେତେ ଡର ! ଏଣିକି ତେଣିକି ଚାହିଁ ଦେଉଥିବ । ଲତ୍ତାମିଆଁ ତା’ ଆଡ଼କୁ ପସରାଟିଏ ଫିଙ୍ଗିଦେଲେ ସେ ଠିକ୍ ତାରି ପରି ପସରା ମୁଣ୍ଡରେ ଦେଇ ନାଚ ଆରମ୍ଭ କରେ । କ୍ରମେ କ୍ରମେ ନାଚି ଶିଖିଯାଏ ।

 

ଲତ୍ତାମିଆଁ ପୁଣି ଧରେ–

 

“ଜମୁ ମେରା ନାଟ କରିବୋ-ନାଟ୍ କରିବୋ

ହାକିମ୍ ହେବୋ–ଡେପ୍‍ଟି ହେବୋ

ଟେବୁଲ୍ ଉପରେ ଖାନା ଖାଇବୋ

ନାଆଲ ମୁଣ୍ଡରେ କିଆପ ଦେବୋ

ସହେବ ହେବୋ ।”

 

ଲତ୍ତାମିଆଁ ଗୋଟି ଗୋଟି କରି ନିଜେ ଆଚରି ହନୁକୁ ବତେଇଦିଏ । ହନୁ ଅନୁକରଣ କରିବାକୁ ଚେଷ୍ଟାକରେ ! ନ ପାରିଲେ ପାହାର ବସେ ।

 

ଏମିତି କେତେ ମାସ ବିତିଗଲା । କେତେ ମାଡ଼, କେତେ ପାହାର, କେତେ ଧିକ୍‌କାର, ଝାଙ୍ଗସ ପରେ ସେ କେତେ କଥା ଶିଖିଲା….କେତେ ନାଟ ନାଚିଲା । ଏଥର ଲତ୍ତାମିଆଁ ଠିକ୍‍ କଲା ତାକୁ ନଚେଇ ନେବ ଗାଁ କୁ ଗାଆଁ ବୁଲି ମାଙ୍କଡ ନାଚ ଦେଖେଇବ ।

 

ଲତ୍ତାମିଆଁ ଯଉଦିନ ତାକୁ ପହିଲୁ ଖୁଣ୍ଟରୁ ଫିଟାଇ ବାହାରକୁ ବାହାର କଲା, ସେଦିନ ସେ ଆଗକରି ବିବି ଜୟତୁନ୍‍କୁ ଡାକି କହିଲା–“ବିବି, ପୈଲେ ତୁଜ୍‍କୁ ଦେକାଉଁ, ଆଁ !”

 

କବାଟ କିଳି ଦେଇ ଲତ୍ତାମିଆଁ ଜୟତୁନ୍‍, ଆଗରେ ଖେଳ ଆରମ୍ଭ କଲା–

 

“ହନୁ ମେରା ନାଟ୍ କରିବୋ- ହାଟ୍‍କୁ ଯିବୋ

 

ମାଦୁରା ହାଟ୍‌ରେ ଦହି ବିକିବୋ

ଗୋପ୍‌ ଗୁଆଲୁନୀ ବନ୍‌କେ ଯିବୋ

ଯମୁନା କିନାରେକାଳିଆ ଥିବୋ

ପକ୍‍ଡ଼ି ଓ ଲେବୋତର୍‌କି ଥିବୋ ।”

‘କୈସା” ? ଲତ୍ତାମିଆଁ ପଚାରିଦିଏ । ଜୟତୁନ୍ କହେ-“ଆଛା” ! ସେ ପୁଣି ଧରେ-

“ହନୁ ମେରା ନାଟ୍ କରିବୋ- ନାଟ୍ କରିବୋ

ସାହେବ୍ ହେବୋ- ଡେପୁଟି ହେବୋ

ହାକିମ୍ ହେବୋ ।-ହୁକୁମ୍ ଦେବୋ

ମାଲି ମାମଲତସମଝୁ ଥିବୋ

ନାଆଲ୍ ମୁଣ୍ଡରେକିଆପ୍ ଦେବୋ

ଟେବୁଲ୍ ଉପରେ ଖାନା ଖାଇବୋ”

“କୈସା ? ଆଚ୍ଛା ହେ ?” ମିଆଁ ପଚାରେ ।

ଜୟତୁନ୍ କହେ- “ବଢ଼ିଆ !”

 

ମିଆଁର ଦାଢ଼ି ଠିଆ ହୋଇଯାଏ । ସେ ପୁଣି ଛଡ଼ିଟାକୁ ଭୂଇଁରେ ବାଡ଼େଇ ଦେଇ ମାଙ୍କଡ଼କୁ ଆଉ ଏକ ନାଚପାଇଁ ହୁସିଆର କରିଦିଏ ।

 

‘‘ହନୁ ମେରା ନାଟ୍ କରିବୋ - ନାଟ୍ କରିବୋ

ଚଉକି ଦେବୋ-ଚୋର ଧରିବୋ

ବଲମ ଧରିଣପହାର ଦେବୋ

ଗାଁ ଗାଁ ବୁଲିଚୋର ଧରିବୋ

ସାଇ ପଡ଼ିଶାକେମନାଇଥିବୋ ।”

 

ଲତ୍ତାମିଆଁ ଜୟତୁନ୍ ଆଡ଼କୁ ପୁଣି ଅନାଇଦିଏ ! ଜୟତୁନ୍ - ହସି ଦିଏ । ଲତ୍ତାମିଆଁ ଆଉ ଥରେ ତାରିଫ୍ ଶୁଣିବାର ଲୋଭ ଏଡ଼ି ନ ପାରି କହେ- ‘କୈସା’ ?

 

ଜୟତୁନ୍ ବତିଶିଦାନ୍ତ ଦେଖେଇ କହେ- “ଠିକ୍ ତୁମରେ ମାଫିକ ।”

 

ଲତ୍ତାମିଆଁ ଛଡ଼ିଟାକୁ ଜୟତୁନ୍ ଉପରକୁ ଉଠାଏ । ଜୟତୁନ୍ ପଲାଇଯାଏ । ହନୁ ଜୟତୁନ୍କୁ ଚାହିଁ ଦେଖେ, ଜୟତୁନ୍‍କୁ ବେତ ଉଠେଇଲେ ବି ସେ ନାଚେ ନାହିଁ । ସେ ନାଚି ଜାଣେ ନାହିଁ । ସେ ଖାଲି ବାଛି ଜାଣେ ।

 

ଲତ୍ତାମିଆଁ ହନୁର ପିଠିରେ ହାତ ମାରିଦେଇ କହେ- ସାବାସ୍... ସାବାସ୍ ବଚ୍ଚା ! ଠିକ୍ ହୈ- ଅବ୍ ଚଲୋ ।

 

ହନୁ ବୁଲିପଡ଼େ । ଲାଙ୍ଗୁଡ଼ ଟେକିଦିଏ । ହୁଏତ ଦୁଃଖ କରେ- କଣ ଏତିକି ? ଏଇ କଣ ତା’ର ଏତେ ଦୁଃଖ, ଏତେ କଷ୍ଟ, ଏତେ ପରିଶ୍ରମର ପୁରସ୍କାର ? ଏଇ କ’ଣ ତା’ର ଏତେ କଉଶଳର ମୂଳ ? ଏଇ କ’ଣ ତା’ର ଜୀବନର ସାର୍ଥକତା ...ଚରମ ଲକ୍ଷ୍ୟ ?

 

ଲତ୍ତାମିଆଁର ଦାଢ଼ିରେ ଗୋଟାଏ ଗୋଟାଏ ଧଳାବାଳ ଚିକି ଚିକି କରୁଥାଏ । ଯୁବତୀ ଜୟତୁନ୍ ତାକୁ ହୁଏତ କ୍ଷଣକ ପାଇଁ ଭୁଲିଯାଉଥିବ । ଲତ୍ତାମିଆଁ ଘରୁ ବାହାରକୁ ଯାଉଥିବାବେଳେ ସେ ସେମିତି ମିଆଁକୁ ବଲବଲ କରି ଚାହିଁଛି । ମାଙ୍କଡକୁ ନଚେଇ ଶିଖେଇବା ଆଉ ନଚେଇବା ଭିତରେ ଯେମିତି ପୌରୁଷ, ବାହାଦୁରୀ, ସେ କ’ଣ ବାର୍ଦ୍ଧକ୍ୟର ସବୁ କ୍ଷତକୁ ଲୁଚେଇ ଦେଇପାରେ ? ପାରେ ବୋଲି ଭାବି ହୁଏତ ଲତ୍ତାମିଆଁ ଜୟତୁନ୍‍କୁ ଏକୁଟିଆ ଘରେ ଛାଡ଼ି ଚାଲିଯାଏ- ରୋଜଗାର କରି ଆଣିବ, ଖାଲି ଅପଣା ପେଟ ପାଇଁ ନୁହେଁ, ଏଇ ଜୟତୁନ୍‍ର ପେଟପାଇଁ ବି । ଆଉରି ତା’ ସଉକ୍‍ ବି ଅଛି ।

 

ଦିନେ ଦନେ ଲତ୍ତାମିଆଁ ଅନୁକୂଳ କରି ଗଲାବେଳେ ଯୋଡ଼ିଏ ଗୁଆ ଆଣି ମାଙ୍କଡ ଦିଆଶି ଆଗରେ ମୁଦା ବସାଏ- ଆଚ୍ଛା, ସଚ୍ ସଚ୍ କହିବୁ ହନୁ ଦିଆଶି, ଏବାର୍ ଜ୍ୟାଦା ହୋଗା କି କମ୍‌ତି ? ପୁଣି ପଚାରେ- “ବିବିକା ବାସ୍ତେ ଶାଢ଼ୀ ଲଏଗା କି କାଁଚ ? ସଚ୍ ବତା.... ବତା ଦୋ ବନ୍ଦରକା ବେଟା !”

 

ଜୟତୁନ୍ କି କାମରେ ଯାଉଥାଏ, ଫେରିପଡ଼ି ଚାହେଁ । ସେ ଯୋଉଁ ମୁଦାଟାକୁ, ‘ହଁ’ ବୋଲି ଭାବିଥାଏ ହନୁ, ସେଇ ମୁଦାଟି ଉଠାଏ...ଦୈବାତ୍ । ଜୟତୁନ୍‍ କହିପକାଏ- ‘ଶାଡୀ.... ଶାଡୀ ।’ ମିଆଁ ବିବି ଦୁହଁଙ୍କର ଛାତି କୁଣ୍ଢେମୋଟ ହୋଇଯାଏ ।

 

ଯଉଁଥର ଦୈବାତ ନାହିଁ ମୁଦାଟାଏ ଉଠାଏ ସେଥର ମିଆଁ କହେ- “ମୁଁ ଏଟାକୁ ହଁ ମୁଦା ପାଞ୍ଚିଥିଲି । ଦୁହିଁଙ୍କର ସାଲିସ୍ ହୋଇଯାଏ… ଏଇ ମାଙ୍କଡ଼ ଦିଆଶିର ମଧ୍ୟସ୍ଥତାରେ । ଦରବୁଢ଼ା ଲତ୍ତା ଓ ଯୁବତୀ ଜୟତୁନ୍‍ର ସାଲିସ୍ । ସେଇ ସାଲିସ୍‌ରେ ଯେମିତି ସେ ପରସ୍ପରକୁ ଚିହ୍ନନ୍ତି.... ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରନ୍ତି ।

 

 

ମିଆଁ ପୁଣି ପଚାରେ, “ଏ ବନ୍ଦର ତେ ଜଦି ସଚ୍ ସଚ୍ ରାମଚନ୍ଦର୍‌କା ଦୂତ ରହେଗା ତୋ ସାଫ୍ ବତାଏଗା-–ଏ ବିବି ସାହେବାକା ବଢ଼ତିଁ ହେଗା ?”

 

ହନୁ ଯେମିତି ଶିଖିଥାଏ ସେମିତି ମାଙ୍କଡ଼ଚିତ ମାରି ‘ହଁ' ଜଣାଏ ।

 

ମିଆଁ ବିବି ଦିହେଁ ହସନ୍ତି । ମିଆଁ ଫେର କହେ-“ଅଚ୍ଛା ହନୁ, ତୁ ସଚ୍ ବତାଇବୁ, ଏ ବିବି ସାହେବାର ବେଟା ପୈଦା ହେବୋ ? ବେଟା.... ବେଟା... ଲଡ୍‌କା ? ଲଡ୍‌କା ? ବତା !”

 

କହି ସେ ବେତଟାକୁ କଚାଡ଼ିଦିଏ । ହନୁ ଲେଉଟ ବାଜି ଖେଳି ପେଟ ଦେଖାଇ ପଡ଼ିଯାଏ । ମିଆଁ କହେ–“ଉସ୍‌କୋ ଆଚ୍ଛା କରକେ ଖାନେ ଦୋଗେ ତୋ ଲଡ୍‌କା ହୋଗା ।”

 

ଜୟତୁନ୍ ବିବି କେଡ଼େ ଭଙ୍ଗୀରେ ଛଇ ଦେଖାଇ ମୁହଁ ବୁଲାଇନିଏ... ଛଳଲାଜର ଭାବ ଫୁଟାଇ ଚାଲିଯାଏ । ମିଆଁ ଲତ୍ତାର ମନ ଆଉ ତା’ଘରେ ରହେ ନାହିଁ .. ଘରେ ଜାଗା ଧରେ ନାହିଁ । କ୍ଷଣକ ପାଇଁ ତା’ର ବୟସ ଆହୁରି ଦଶ ବର୍ଷ କମିଲା ପରି ସେ ଅନୁଭବ କରେ ।

 

ମନୁଷ୍ୟର ମନକଥା ବୁଝିବାର ଶକ୍ତି ନଥାଏ ବୋଲି କି କ’ଣ ଲତ୍ତାମିଆଁର ସେ ମନଭୁଲାଣିଆ ଭାବରେ ଟିକିଏ ବୋଲି ଆନନ୍ଦ ପାଏ ନାହିଁ । ଦୁଃଖ ବି କରେ ନାହିଁ । ଖାଲି ନୁଖୂରାଟା ତା’ରି ପଛେ ପଛେ ଗୋଡ଼ାଏ କାହା ଦୁଆରେ ଯାଇ ନାଟ ଦେଖାଇବା ପାଇଁ । ହୁଏତ ସେ ଅବା ମନେ ମନେ ଭାବୁଥିବ ସେ ଆପଣା ପଛେ ପଛେ ଆଗେ ଚାଲିଛି ।

 

ପହିଲୁ, ପହିଲୁ ହନୁ ଅଳ୍ପ ନାଚିଲା ପରେ ବଡ ଥକିପଡ଼େ । ସେଇ ଥକାରେ ସେ ପାଏ ଆନନ୍ଦ; ଆନନ୍ଦ ନୁହେଁ ସନ୍ତୋଷ । ତା’ ଖାଉନ୍ଦର କାମ ସେ ତୁଲେଇ ନେଇଚି ବୋଲି ତାର ଆନନ୍ଦ । ହୁଏତ ସେ ଭାବେ । କିନ୍ତୁ ଖାଉନ୍ଦ ଯେତେବେଳେ ଛଡ଼ି ବାଡ଼େଇ ଆହୁରି ନାଚିବାକୁ ହୁକୁମ୍‍ କରେ ସେତେବେଳେ ତା ସୁଖସ୍ଵପ୍ନ ଭାଙ୍ଗିଯାଏ । ହୁଏତ ସେ ଚେଷ୍ଟାକରେ ଭାବି ଆନନ୍ଦ ପାଇବାକୁ ଯେ, ସେ ଆହୁରି ପଇସା କମେଇବ.... ଆହୁରି ରୋଜଗାର କରିବ । କେତେ ଖୁସି....କେତେ ଆନନ୍ଦ ।

 

ସେ ଖାଲି ଲତ୍ତାମିଆଁର ମୁହଁକୁ ଅନେଇ ଥାଏ । ଲତ୍ତାମିଆଁର ମୁହଁରେ ଟିକିଏ ଭାବର ପରିବର୍ତ୍ତନ ଦେଖିଲେ ସେ ଡରି ମରି କୁଚ ଭଳି ହୋଇଯାଏ । ଲୋକେ ତା' ନାଚରୁ କେତେ ଆନନ୍ଦ ଲୁଟନ୍ତି ତା'ର ଖବର ସେ ପାଏ ନାହିଁ..... ତା ପାଖରେ ପହଞ୍ଚେ ନାହିଁ । ସେ କେବଳ ଲତ୍ତାମିଆଁର ଆଦେଶ ପାଇ ନାଚିଯାଏ । ସେଇ ଆଦେଶଟାଇ ତା’ର ପ୍ରଶଂସା, ବାହାଦୁରୀ, ସବୁ ।

 

ଲତ୍ତାମିଆଁ ଗାଏ - ସେ ନାଚେ । କେତେ ରକମ ରକମ ନାଚ ନାଚେ । ଗଉଡ଼ୁଣୀ ହୁଏ, ଦହି ବିକେ । ଚଉକିଆ ହେଇ ପହରା ଦିଏ । ସାହେବ ହେଇ ବିଚାର କରେ । ସାଧୁ ହୋଇ ମାଳା ଜପେ । ମୁସାଫିର୍ ହୋଇ ପରଦେଶ ଯାଏ । ଭୁଆସୁଣୀ ହୋଇ ଘରକୋଣରେ ଲୁଚେ । କେତେ ପ୍ରକାର କେତେ ଛଇ ।

 

ପ୍ରଥମେ ପ୍ରଥମେ ସେ ନାଚ ଭିତରୁ ହନୁ ଗୋଟିଏ ନୂଆ ରସ ପାଉଥିଲା । ମାଙ୍କଡ଼ ଜୀବନ ତା’ର ଗୋଟାଏ ଟେକ, ଉନ୍ନତି ବା ମୋକ୍ଷ ପାଇଲା ପରି ସେ ନିଜକୁ ଟିକିଏ ବଡ଼ ମନେ କରୁଥିଲା । ବାଟରେ ହାକିମ ଦିପଟି ଦେଖିଲେ ସେ ହୁଏତ ଭାବୁଥିବ ସେ କିଛି କମ୍ ନୁହେଁ । କିନ୍ତୁ ଧୀରେ ଧୀରେ ତା’ର ସେ ନାଚରେ ଅବସାଦ ଆସିଲା । ନାଚିବାର ଏକାସିଆ ଧାରାରେ ତା’ର ଗର୍ବ ତା’ର ସୁଖ କୁଆଡ଼େ ହଜି ଯାଉଥିଲା । ଆପଣାକୁ ରଙ୍ଗ ବେରଙ୍ଗ କରି ବାରମ୍ଵାର ସୁଆଙ୍ଗ କରିବାରେ ଯେମିତି ପଉରୁଷ ନାହିଁ; ଅଛି ବେହିଆମି । ଥିଲେ ଅବା ସେଇ ବେହିଆମି ଥିବ । ତଥାପି ସେଇ ଅଲାଜୁକପଣକୁ ବିକି ଭାଙ୍ଗିବା ତା’ର ବେଉସା । ସେ ବୁଝୁ ନ ବୁଝୁ ସେକଥା–କିନ୍ତୁ ନାଚିଯାଏ:-ନାଚିଯାଏ ଗୋଟିଏ ଯନ୍ତ୍ର ଭଳି ।

 

ଯେଉଁ ଦିନ ଘରକୁ ଫେରିଯାଇ ଖୁଣ୍ଟରେ ବନ୍ଧା ହୁଏ ସେଦିନ ସେ ଭାବେ ତା’ର ଗୋଲାମି ମନୁଷ୍ୟତ୍ଵ, ଦିନେ ଦୁଇଦିନ ପାଇଁ ଲୋପ ପାଇଲା । ମଣିଷ ଭଳି ହେବାକୁ ଯାଇ ସେ ଯେପରି ଭାବରେ ମଣିର ଅଯଥା ଅନୁକରଣ କରିଆସିଛି ତା’ର ପ୍ରାୟଶ୍ଚିତ୍ତ ସେ କରିବ, ସେଇ ଖୁଣ୍ଟ ପାଖରେ ନାମ ସଂକୀର୍ତ୍ତନ କଲା ପରି । ସେଇଥିରୁ ସେ ହୁଏତ ଆନନ୍ଦ ପାଏ, ଆଉ ଆନନ୍ଦ ଉପଭୋଗ କରେ ମିଆଁ ବିବି ଦୁହିଁଙ୍କର ଆନନ୍ଦ.... ଆହ୍ଲାଦ ‌ଦେଖି । ତା’ର ସହଜ ସହଜାତ ପଶୁ ପ୍ରବୃତ୍ତି ତାକୁ ପର ଆନନ୍ଦରେ ଉଲ୍ଲସିତ କରେଇଦିଏ....ନଚେଇଦିଏ । ପୁଣି ପରକ୍ଷଣରେ ସେ ହୁଏତ ମଣିଷର ଅନୁକରଣରେ ମଣିଷର ବୁଦ୍ଧି ମିଶା ସହାନୁଭୂତିକି ଘେନି ଏଣିକି ତେଣିକି ଚାହୁଁ ଥିବ, ତା’ର ହିଂସା ହେଉଥିବ……ପର ଆନନ୍ଦରେ କାତର ହେଇପଡ଼ୁଥିବ..... ମଣିଷ ପରି । ତା'ପରେ ହୁଏତ ତାର ଚେତା ଆସୁଥିବ । ସେ ଭାବୁଥିବ, ମଣିଷ ଦେହଟା କ'ଣ ଏଡ଼େ ପାପ ! ସେ ସିଦ୍ଧାନ୍ତ କରୁଥିବ, ବରଂ ଏଇ ପଶୁଜୀବନ ଭଲ ।

 

କେତେବେଳେ କେମିତି ମିଆଁ ବିବି ଦି’ଜଣ କଜିଆ କରନ୍ତି । ବିବି ଅଭିମାନ କରି ବସେ । ମିଆଁ ତାକୁ ସାକୁଲାଏ….. ଫୁସୁଲାଏ.... କେତେ କଅଁଳ କଥା କହି ମନ ଭୁଲାଇବାକୁ ଚେଷ୍ଟା କରେ । ସେ କଥାଗୁଡ଼ାକ ହନୁକୁ ଭଲ ଲାଗେ ନାହିଁ । ମଣିଷ ଏଡ଼େ ନରମ... ଏଡ଼େ କାହିଲା ! ଲତ୍ତାମିଆଁ ଉପରେ ସେ ରାଗିବାକୁ ଚାହେଁ କେଡ଼େ ଦୁର୍ବଳ ଏ ପୁରୁଷ ସତେ ! କିନ୍ତୁ ପ୍ରକୃତରେ ସେ ରାଗେ ଜୟତୁନ୍ ଉପରେ । ଲତ୍ତାମିଆଁର ସବୁ ସରାଗ, ସବୁ ଶରଧା, ସେଇ ଯେମିତି ଛଡ଼େଇ ନେଇଛି ଜବରଦସ୍ତି; ହନୁପାଇଁ ଟିକିଏ ବାଦ୍ ବାକୀ ବଳି ପଡ଼ୁ ନାହିଁ କିଛି ।

 

ସେତିକି ନୁହେଁ । ଲତ୍ତାମିଆଁର ଯାହାକିଛି ଭଲ, ଯାହାକିଛି ସୁନ୍ଦର, ସେ ସବୁକୁ ଏକା ଜୟତୁନ୍ ମାଡ଼ି ବସି ଭୋଗ କରୁଛି । ତଥାପି ତା’ର ମନସାଧ ମେଣ୍ଟୁ ନାହିଁ । ରାକ୍ଷସୀଟାଏ । ସେଥିପାଇଁ ଲତ୍ତାମିଆଁର ବାହାରଟା ଏଡ଼େ ଭୀଷଣ । ସେ ଘର ଭିତରେ ତା’ର ସବୁ କୋମଳତା, ସବୁ ସରସତାତକ ଜୟତୁନ୍‍ ଆଗରେ ଉଝେଇଦେଇ ବାହାରକୁ ନେଇଯାଏ ସବୁ କର୍କଶ ଓ ନିଷ୍ଠୁର ସ୍ଵଭାବ ସାଇପଡ଼ିଶାଙ୍କ ଆଗରେ ବାଢ଼ିବା ପାଇଁ । ତା’ର ଦାଢ଼ି ଗୁଡ଼ାକ ଘର ଭିତରେ କେଡ଼େ ସାଉଁଳିଆ, ନରମ, କଅଁଳ ଥାଏ । ବାହାରକୁ ବାହାରିଲେ ସେଗୁଡ଼ାକ ଯେମିତି ଅତି ରୁକ୍ଷ, କର୍କଶ ଭାବରେ ଛଡ଼ାଛଡ଼ା ହୋଇଯାଆନ୍ତି ।

 

ଏ ସବୁ ସେଇ ଜୟତୁନ୍ ବିବିର କାଣ୍ଡ । ସେଇ ଦାୟୀ ଏଥିପାଇଁ । ମାଙ୍କଡ଼ ତା ମନେ ମନେ ଠିକ୍ କରେ । ତା' ଉପରେ ଲତ୍ତାମିଆଁର ଯେଉଁ ନିଷ୍ଠୁର ବ୍ୟବହାର ସେଥିପାଇଁ ଲତ୍ତାମିଆଁ ଦୋଷୀ ନୁହେଁ । ଜୟତୁନ୍ ସେଇ ନିଷ୍ଠୁରତା ଛଡ଼ା ଆଉ କ'ଣ ରଖିଥାଏ ତା ଭିତରେ ଯେ, ସେ ଦିଅନ୍ତା ।

 

ହନୁ କେତେ ଜୟତୁନ୍‍ ଦେଖିଛି । ସମସ୍ତେ କିନ୍ତୁ ଏମିତି ହୁଅନ୍ତି । ବେଶି ଭାଗର ମାଇପେ ଘର କୋଣରୁ ଥାଇ ହନୁର ନାଟ ଦେଖନ୍ତି । ଯେମିତି ତାଙ୍କ ଘର ଭିତର ଭାରି ସୁନ୍ଦର । ସେ ସୁନ୍ଦରପଣକୁ ଅନାମତେ ପଦାରେ ପକେଇଦେବାଟା ଭାରି ଅସଭ୍ୟ.... ଅଲାଜକ କଥା । କାଳେ ଘର ଅସୁନ୍ଦର ହୋଇଯିବ । ତାଙ୍କ ପୁରୁଷମାନଙ୍କୁ ସେ ଯେମିତି ଛାଡ଼ି ଦେଇଛନ୍ତି ବାହାରକୁ ସୁନ୍ଦର କରିବାପାଇଁ । ବାହାର ଆଉ ଭିତରକୁ ସୁନ୍ଦର କରିବାରେ ମାଇପେ ମିଣିପେ ସମସ୍ତେ ଯେମିତି ମିଳିମିଶି ଲାଗିପଡ଼ିଛନ୍ତି । ହନୁ ଥରେ ଥରେ ସେଇ ପରସ୍ପରର ସାହଚର୍ଯ୍ୟର ଭାବକୁ ହୃଦୟରେ ଚେତେ । ଚେତି ଭାରି ଆନନ୍ଦରେ ନାଚିଉଠେ । କିନ୍ତୁ ଜୟତୁନ୍ ଘରକୁ ଆସିଲେ ତା’ର ସେ ନାଚିବାର ସ୍ପୃହା ଚାଲିଯାଏ କିମିତି କୁଆଡ଼େ । ଜୟତୁନ୍ ଅବଶ୍ୟ ଲତ୍ତାମିଆଁକୁ କହେ ନାହିଁ କେବେ ମାଙ୍କଡ଼ ନଚେଇବା ପାଇଁ ! କହିଲେ ବି ହନୁ କଦାପି ନାଚନ୍ତା ନାହିଁ । କାରଣ ଜୟତୁନ୍‍ଟା ଭାରି ଅସୁନ୍ଦର.... ତା' ଉପରଟା ନ ହଉ, ତା’ ଭିତରଟା ଅତି କଦର୍ଯ୍ୟ । ପଶୁର ସହଜାତ ବୃତ୍ତି ତାକୁ କହିଦିଏ । ଜୟତୁନ୍‍ ତାର ନିଜର ସେଇ ଅସୁନ୍ଦରପଣକୁ‌ ଘୋଡ଼େଇ ପକେଇବା ପାଇଁକି କଅଣ, ଲତ୍ତାମିଆଁର ସବୁ ସୁନ୍ଦରପଣକୁ ଦାବି କରି ବସେ । ହନୁ ହୁଏତ ଭାବୁଥିବ, ଦୁନିଆର ଏମିତିକା ଜୟତୁନ୍‍ ସବୁ ଖାଲି ଘରକୁ ଅସୁନ୍ଦର କରନ୍ତି ନାହିଁ, ସମାଜକୁ ବି ଅସୁନ୍ଦର କରନ୍ତି, ମଣିଷ ଜୀବନକୁ ଅସୁନ୍ଦର କରି ପକାନ୍ତି; ଆଉ ସଂସାରର ମଧ୍ୟ ଅମଙ୍ଗଳ କରନ୍ତି ।

 

ଗାଁ ଗହଳିରୁ କେତେ ଘରକୋଣର ଜୟତୁନ୍‍ସବୁ ଆସି ମାଙ୍କଡ ଦିଆଶି ଆଗରେ ମୁଦା ବସାନ୍ତି । ହନୁର ନାଟ ସରିଲେ ଲତ୍ତାମିଆଁ ବାବୁଭେୟାଙ୍କର, ନହେଲା ପାଢ଼ୀଘର କି ନାହକ ପଧାନ ଘର, ଯହା ଘର ଆଗରେ ନଚଉଥାଏ ତା’ର ଜୟ ହେଉ ବୋଲି କହେ । ହନୁମାଙ୍କଡ ଚିତ୍ ମାରି ଜୟ ଜୟ କାର କରେ । ଲତ୍ତାମିଆଁ ଲତେଇ ପତେଇ କହିଯାଏ- “ଜୟ ହେଉ, ମଙ୍ଗଳ ହେଉ, ବୋଲବାଲା ହେଉ, ଦୁସ୍‌ମନ୍ ନିପାତ ହେଉ ।” ଥରକୁ ଥର ହନୁ ଓଲଟବାଜି ଖେଳି ତାର ସମ୍ମତି ଜଣାଇଦିଏ । ତା’ପରେ ହନୁ ତୁଉନି ହୋଇ ମୁହଁ ଭାରୀ କରି ବସିଯାଏ, ସତେ ଯେମିତି କୋଉଁଠୁ ଆସିଲେ ଋଷ୍ୟଶଙ୍ଗ ମହାମୁନି ଆଗତ ଭବିଷ୍ୟତ ସବୁ ଜଣା.... ଏଇନାଗେ ତିନିକାଳର କଥା କହିଦେବେ ପଚାରୁ ନ ପଚାରୁଣୁ । ତା' ଆଗରେ ଯୋଡ଼ି ଯୋଡ଼ି ହୋଇ ଗୁଆ ବସିଥାଏ…. ଧାଡ଼ିକି ଧାଡ଼ି । କାହାର ମକଦ୍ଦମା ଜିତ୍ ହେବ କି ହାର୍ ହେବ, କିଏ ପରୀକ୍ଷାରେ ପାସ୍ କରିବ କି ଫେଲ୍ ହେବ, କାହାକୁ ସମ୍ପତ୍ତି ମଳିବ କି ନମିଳିବ, କାହାର ମନ ମାନିଲା ଜାଗାରେ ବାହାଘର ହବ କି ନ ହବ- ଇମିତି କେତେ ପ୍ରଶ୍ନ । ତା’ ସାଙ୍ଗକୁ ଲତ୍ତାମିଆଁ ର ପ୍ରଶ୍ନଭଳି କେତେ ମାଇପେ ଯେଝା ଗିରସ୍ତମାନଙ୍କୁ କହି ମୁଦା ବସାନ୍ତି- ଛୁଆ ହବ କି ନ ହବ, ପୁଅ ହବ କି ଝିଅ ହବ ।

 

କିନ୍ତୁ ଏଇ ମୁଦା ବସାଇବା ଭିତରେ ଥାଏ ଦୁଇଜଣଙ୍କର ଭାଗ । ଭଲ ଉତ୍ତରରେ ଭାଗୀ ହୁଅନ୍ତି ଦୁଇଜଣ । ମନ୍ଦ ଉତ୍ତରରେ ଦୁଃଖଟା ଯାଇ ପଡ଼େ ସେଇ ଦୁଇଜଣଙ୍କ କାନ୍ଧ ଉପରେ । କିନ୍ତୁ ଲତ୍ତାମିଆଁ ଯେ ମୁଦା ବସାଏ ସେଥିରେ ଯେମିତି ଜୟତୁନ୍‍ର ଭାଗ ନାହିଁ ।

 

ଲତ୍ତାମିଁଆ ଜାଣେ, ଜୟତୁନ୍ ବି ଜାଣେ, ମାଙ୍କଡ଼ ଦିଆଶି ଯାହା କହେ ସେ ସବୁ ସତ ନୁହେଁ । ସତ ହୋଇପାରେ ନା । ଲତ୍ତାମିଆଁ ଆଖି ଠାରରେ, କଥାର ଇଙ୍ଗିତରେ ଯଉଁ ଗୁଆକୁ ବା ଯଉଁ ମୁଦାକୁ ବତେଇଦିଏ, ମାଙ୍କଡ଼ ଆସି ସେଇ ମୁଦାକୁ ଯାଇଁ ଉଠାଏ । ଲତ୍ତାମିଆଁ ଭାରି ଚାଲାକ୍‍ ଲୋକ । ମୁଦା ବସେଇବାବାଲାର ଆଖିକୁ ଚାହିଁ ସେ ଠଉରେଇ ନିଏ କଉଁ ମୁଦା ହଁ.. କଉଁ ମୁଦାଟା ନା ସେ ମନାସିଲା । ସେଇ ଅନୁସାରେ ସେ ହନୁକୁ ଇସାରରେ ବତେଇଦିଏ । ମାଙ୍କଡ଼ ଦିଆଶି ଯାଇ ମୁଦା ଧରେ । କେଉଁଠି ହଁ ହୁଏ, କେଉଁଠି ନା । କାହାର ସତ ହୁଏ, କାହାର ମିଛ । ମନ୍ତ୍ର ହେଲା ଲୋକର ମନେ ନ ଥାଏ । ସତ ହେଲା ଲୋକ କାନିରେ ଗଣ୍ଠି ପକେଇ ମନେ ରଖିଥାନ୍ତି । ଲତ୍ତାମିଆଁ ପୁଣି ଦେଖା ହେଲେ କହନ୍ତି । ସେଇ ମାଙ୍କଡ ଦିଆଶିକି ପୁଣି ନିଜେ ସେଇ ଲତ୍ତାମିଆଁ ପଚାରେ–‘‘ ଜୟତୁନ୍ କା ଲଡ଼୍‌କା ହୋଗା ?”

 

ଏଥର କିନ୍ତୁ ସେ ଠାରେ ନାହିଁ । ଉଁ କିଁ ଚୁଁ କିଛି କହେ ନାହିଁ । ପ୍ରକାରରେ ଇସାରା ଦେଇ କଥା କହିଲେ ହନୁ ବା ମୁଦା ପାଖ ଧରେ ସେ ପ୍ରକାର କଥା ସେ କହେ ନାହିଁ । କିମ୍ବା ଯେମିତି ବାଗରେ ଯଉଁ ଯଉଁ ପଦ କହିଲେ ହନୁ ଡାହାଣ ପାଖ ମୁଦା ଧରନ୍ତା ତା’ବି କହେ ନାହିଁ । ଖାଲି ସିଧା ସଳଖ ମୁଦା ବସେଇଦିଏ । ହନୁ ତା’ ମନଇଛା ଯଉଁଟାକୁ ଧରେ । କେତେବେଳେ ହଁ - କେତେବେଳେ ନା । ଲତ୍ତାମିଆଁ ବାର ବାର ପଚାରେ- ସେଇ ‘ହଁ', ‘ନା', ଗୋଟାଏ ନିଷ୍ଠାକରି ସେ କେବେ କହେ ନାହିଁ । ମିଆଁ ଭାବେ- ମିଶ୍ରଫଳ ହବାମାନେ, ପିଲା ହେବ, କିନ୍ତୁ ଡେରିରେ ହେବ । କେତେ ଡେରିରେ ? ମିଆଁର ମୁହଁ ଶୁଖିଯାଏ । ଜୟତୁନ୍‍କୁ ଡାକି କହେ, ‘‘ଜୟତୁନ୍, ଫିର ଭି ଓଇ ବାତ୍ - ଦେର ହୈ।’’

ଜୟତୁନ୍‍ କିନ୍ତୁ ପରବାୟ ନ ଥିଲା ଭଳି ମୁହଁ କରି ହାତ ପିଟି ଚାଲିଯାଏ । ସେ ହୁଏତ ଭାବେ, ତା’ର ବେଳବୟସ କ’ଣ ଗଲାଣି କି ? ଏତେ ଜଲ୍‌ଦି ପଡ଼ିଚି କଅଣ ! ଛୁଆ ନ ହେଇ ଯିବ କୁଆଡ଼େ ? କିନ୍ତୁ ଲତ୍ତାମିଆଁ ଆଶା ଆଉ ଆଶଙ୍କା ଭିତରେ ଲଟପଟ ହେଉଥାଏ । କେତେବେଳେ ସେ କେତେପ୍ରକାର ସ୍ଵପ୍ନ ଦେଖେ । କେତେବେଳେ ପୁଅଟିଏ କୋଳରେ ଧରି ଖୁସିହେଇ ଯାଉଥାଏ । କେତେବେଳେ ବା ପୁଅ ମରିଗଲା ବୋଲି କାନ୍ଦିକାଟି ଅସ୍ଥିର । ସବୁ କିନ୍ତୁ ସ୍ଵପ୍ନ ।

 

ଲତ୍ତାମିଆଁର ଜୀବନ କ୍ରମେ କ୍ରମେ କେମିତି ସ୍ଵପ୍ନିଳ ହେଇ ଆସିଲା । ସେ ଅନେକଟା ଖାଲି ଘରର ବାହାରେ ନୁହେଁ, ଦୁନିଆରୁ ବାହାରେ ଥିଲା ପରି ଥାଏ । ମାଙ୍କଡ଼ ନଚାଟା ତା’ର ପେଟପାଟଣା । ନ କଲେ ନ ଚଳେ । ଆଉ ଘର ତା'ର ବାଧ୍ୟବାଧକତା.....ନ ଗଲେ ନ ରହେ ।

 

ଦାଢ଼ି ଗୁଡ଼ାକ ତା’ର ଗୋଟିଏ ଗୋଟିଏ ହୋଇ ବେଶି ପାଚିବାକୁ ଆରମ୍ଭ କଲାଣି । ଖରା କାକର ଖାଇ ତା ମୁଣ୍ଡଟା କିମିତି ଟାଙ୍ଗରା ଧରିଆସୁଛି । ଦାନ୍ତର ରଗ ଗୁଡ଼ାକ ଢିଲା ହୋଇ ପଡ଼ୁଛି । ତା’ର ମନ ହେଉଥାଏ, ଏଇ ଦୁଃଖ ବେଳରେ, ଯେତେବେଳେ ସେ ନିଜର ବୋଲି ଯାହାସବୁ ଘେନି ଗର୍ବ କରୁଥିଲା, ଗୋଟି ଗୋଟି କରି ତାକୁ ସବୁ ହଜେଇ ଦଉଛି, ସେତେବେଳେ….. ସେତେବେଳେ ସେ ଜୟତୁନ୍‌ର ଟିକିଏ ଭରସା ପାଆନ୍ତା.... ଖୁବ୍ ପାଖକୁ ପାଖକୁ ଲାଗିଆସି ଖାଲି ଦେହରେ ନୁହେଁ, ମନରେ ବି ଲଗାଲଗି ହୋଇ ଦୁହେଁ ଦୁହିଁଙ୍କୁ ବଡ଼ ନିବିଡ଼ ଭାବରେ ଅନୁଭବ କରନ୍ତେ ଦରଦ ଲାଗନ୍ତା ।

 

କିନ୍ତୁ ହାୟ ! ତା’ ହବାର ନୁହେଁ । ଜୟତୁନ୍ ଲତ୍ତାମିଆଁ ସାଙ୍ଗରେ ବୁଢ଼ୀ ହେଇପାରିନାହିଁ । ଦେହ ମନ କେଉଁଟା ହେଲେ ତା’ର ବୁଢ଼ୀ ନୁହେଁ । ଦିନକୁ ଦିନ ବଅସ ତା’ର ଯେମିତି କମି କମି ଆସୁଛି । ସେ ଏବେ ବି ଯୁବତୀ । ଅନ୍ତତଃ ତାର ଫେସନ ଫାସନ୍ ତାର ଛଇ ସବୁ ତାକୁ ଯୁବତୀ କରି ରଖିଛି । ଦଶବର୍ଷ ଗୋଟିଏ ଦରବୁଢ଼ା ସାଙ୍ଗରେ ଘର କଲା ପରେ ବି ସେ ଯେମିତି କି ସେମିତି ଯୁବତୀ ରହିଛି । ତା’ର ଯୁବତୀପଣ ଯେମିତି ସାର୍ଥକ ହେବାକୁ ଆଉରି ବାକି ଅଛି । ଲତ୍ତାମିଆଁର କଲିଜା ଭିତରେ ଯେଉଁଠି ତା’ର ଜୁଆନୀର ହାଡ଼ ଭାଙ୍ଗି ବୁଢ଼ା ପଣ ମଥା ଟେକି ଠିଆ ହେଉଥିଲା ସେଇଠୁ ଗୋଟାଏ ନିଶ୍ଵାସ ଉଠିଆସିଲା । ଅନେକ ଦିନ ପରେ ସେ ଆଜି ହନୁଟାକୁ ଶରଧା କରି ପାଖକୁ ଟାଣି ଆଣି ଛାତିରେ ଜାକି ଧରିଲା । ଯେମିତି ତା’ର ପୁରୁଣା ଦିନଗୁଡ଼ା.... ବିତିଗଲା ବଅସ ଗୁଡ଼ାକର ସାକ୍ଷୀ ଦେବାକୁ ଏଇ ଏକା ବାକି ରହିଛି ! ଲତ୍ତାମିଆଁର ଦାଢ଼ୀଗୁଡିକୁ ହନୁ ଆଉଁସିଲା ପରି ଲାଗିଲା କି କ’ଣ ସେ ଆରାମରେ ଛାତି ଉପରେ ପଡ଼ି କୁଁ କୁଁ ହେଉଥାଏ ।

 

ଥରେ ମାସକ ପରେ, କଉଁ ଦୂର ଦୂର ଗାଁରେ ମାଙ୍କଡ଼ ନଚେଇ ବୁଢ଼ାମିଆଁ ମାଙ୍କଡ଼ ଦିଆଶିକି ଧରି ଘରକୁ ଫେରିଲାବେଳକୁ ଦେଖିଲା, ଘରେ କବାଟ ବନ୍ଦ... ଜଞ୍ଜିର ଦିଆଯାଇଚି ବାହାରୁ । ଲତ୍ତାମିଆଁ ଭାବିଲା, ଜୟତୁନ୍‍ ପଡ଼ିଶାଘରକୁ ଯାଇଥିବ କାମରେ । କିନ୍ତୁ କେଜାଣି କାହିଁକି ତା’ ଛାତି ଭିତରେ ଗୋଟେ ଛାନିଆ ପଶିଗଲା । ସେ ବଡ଼ ପାଟିକରି ଡାକିଲା–“କାହାଁ ଗୟୀ ହୋ....ଶୁନ୍‌ତୀ ହୋ କି ନେଇଁ... ହାଁ ବିବି, କାହାଁ ଗେୟୀଲୋ !”

 

କେହି ଶୁଣିଲେ ନାହିଁ । ସାଇ ପଡିଶାରୁ ଲୋକେ ଦଉଡ଼ି ଆସିଲେ । ସମସ୍ତେ କହିଲେ- ଜୟତୁନ୍ ବିବିର ପନ୍ଦର କୋଡ଼ିଏ ଦିନ ହେବ ଦେଖାନାହିଁ । ଭାବିଲେ, ବାପଘରକୁ ଯାଇଥିବ ।

 

ବାପଘରୁ ଖବର ଆସିଲା–ଜୟତୁନ୍‍ ଯାଇନାହିଁ ।

 

ବୁଢ଼ା ଲତ୍ତାମିଆଁ ମୁଣ୍ଡରେ ହାତ ଦେଇ ବସିଗଲା । ଗାଁ ଲୋକେ ବୁଝେଇଲେ -ମାଇକିନାଟା ଖରାପ ଥିଲା । ଲକ୍ଷଣ ଭଲ ନ ଥିଲା... ଅମଙ୍ଗଳୀଟା... ଯାଇଚି ଭଲ ହେଇଚି, ଘରୁ କାଳ ଯାଇଚି । ଆଉ ଗୋଟେ ଦେଖି ନିକା ହେଇପଡ଼ ।

 

ଲତ୍ତାମିଆଁ ସବୁ ଶୁଣିଲା । ଗୋଟି ଗୋଟି କରି ସମସ୍ତଙ୍କ କଥାକୁ ଏପାଖ ସେପାଖ କରି ଓଲଟେଇ ପାଲଟେଇ ଦେଖିଲା । କଉଁ କଥା ତା ମନରେ ବସିଲା ନାହିଁ । ଦଶବର୍ଷ ସାଙ୍ଗରେ ଘର କଲା ପରେ ଜୟପୁନ୍ ଲତ୍ତାକୁ ଛାଡ଼ି ପଳେଇବ ? ଅସମ୍ଭବ ! ମିଛ-ମିଛ, ସମସ୍ତେ ମିଛ କହୁଛନ୍ତି । ସମସ୍ତେ ଯିମିତି ତା’ର ଶତ୍ରୁ । ସମସ୍ତେ ତାକୁ ମିଛ କହି ଜୟତୁନ୍‍ ଉପରେ ତା’ର ରାଗ ଚେଢେଇ ଦଉଛନ୍ତି । ଜୟତୁନ୍ ଯଦି ଫେରେ, ସେ ଯେମ୍‍ତି ଆଉ ତାକୁ ଘରକୁ ନ ନବ- ଏଇ ପାଞ୍ଚ ସମସ୍ତିଙ୍କର । ସମସ୍ତେ ମେଳି ବାନ୍ଧି ପରାମର୍ଶ କରି ଏ କଥା କହୁଛନ୍ତି ।

 

ଗୋଟି ଗୋଟି ହୋଇ ଗାଁ ଲୋକେ ବିଦାୟ ନେଲେ । ଜୟତୁନ୍ ପାଇଁ ସମସ୍ତଙ୍କର ଯେତେ ସହାନୁଭୂତି ସବୁ ଯେମିତି ଯେଝା ପଛେ ପଛେ ଗୋଡ଼େଇ ଗଲେ । କାହାରି କଥାରେ ଜୟତୁନ୍‍ର ଖାଲି ଜାଗାଟା ପୂରି ଉଠିଲା ନାହିଁ । ଜୟତୁନ୍ ନାହିଁ; ନ ଥିଲା ଘର ଖାଁ ଖାଁ ଗୋଡ଼େଇଲା ପଡ଼ି । ଲତ୍ତାମିଆଁ ଘର- ଭିତରକୁ ପଶିଯାଇ ଘରର କବାଟଟାକୁ ଧଡ୍‍କିନା କିଳିଦେଲା । ତା’ର ମନ ହେଲା, ଖୁବ୍ ଜୋର୍‌ରେ ସେ ଥରେ ଡାକିବ–‘ଜୟତୁନ୍’ !

 

ସେ ଡାକ ଶୁଣି ସେଇ ଘରଭିତରୁ ସତେ ଅବା ଜୟତୁନ୍ ବାହାରି ଆସିବ, ଯେଉଁଠି ପାରେ ସେଠି ସେ ଥାଉ ପଛେ । କିନ୍ତୁ ସେ ଡାକି ପାରିଲା ନାହିଁ । ସାହିପଡ଼ିଶା ସମସ୍ତେ ଯେମିତି ଆସି ତା ମୁହଁଟାକୁ ବନ୍ଦ କରି ଧରିଲେ । ସେ ଚିତ୍କାର କରିପାରିଲା ନାହିଁ । ଅଣନିଶ୍ୱାସୀ ହେଇପଡ଼ିଲା । ମାଙ୍କଡ଼ଟାକୁ ଖୁଣ୍ଟରେ ବାନ୍ଧିଦେଇ ସେ ଧଡ୍‌କିନା ପଡ଼ିଗଲା ତଳେ ।

କେତେବେଳକେ ସେ ବୁଝିପାରିଲା, ସେ କାନ୍ଦୁଛି । ଅଉ କାନ୍ଦିବାରେ ସେ କେବଳ ଜୟତୁନ୍‍ର ଅତ୍ୟାଚାର, ସ୍ତ୍ରୀ ଜାତିର ନିଷ୍ଠୁରତାକୁ ଶତମୁଖରେ ପ୍ରଶଂସା କରିଯାଉଚି ମାତ୍ର । ସେ ସ୍ମୃତିରେ ସ୍ତାବକର ରକ୍ତ ପାଣି ହେଇ ଲୁହ ପାଲଟିଯାଏ । କିନ୍ତୁ ସେ ଲୁହ ଆଉ ଦୟା ସହାନୁଭୂତିର ତାପ ପାଇ ବାମ୍ଫ ହେଇ କାହାରି ହୃଦୟକୁ ରୁନ୍ଧି ପକାଏ ନାହିଁ । ମଲା ଲୁହର ମୂଲ୍ୟ ହେବାପାଇଁ ଜୀଇଲା ଜୀବର କି ଗରଜ !

 

ଧୀରେ ଧୀରେ ସେ ଲୁହ ପୋଛିଲା । ପୋଛି ଚାହିଁଲା ସେ ନିଛାଟିଆ ଘରଟାକୁ । କେହି କୁଆଡ଼େ ନାହିଁ । ତା’ ପାଇଁ କେହି କାନ୍ଦୁନାହାନ୍ତି । କାହାର ମୁଣ୍ଡ ବଥାଉନାହିଁ । ଘରର ଅନ୍ଦିକନ୍ଦି ବୁଲି ସେ ଦେଖିଲା । ଯଉଁଠି ଜୟତୁନ୍ ବସେ.... ଯେଉଁଠି ଜୟତୁନ୍ ଶୁଏ…..ଯେଉଁଠି ଠିଆ ହୋଇ ଲତ୍ତାମିଆଁର ମାଙ୍କଡ଼ ନାଚ ଦେଖେ–ସବୁଠିକି ଗଲା । ଜୟତୁନ୍ କାଳେ କଉଁଠି ଲୁଚିଥିବ ଏଥିପାଇଁ ନୁହେଁ । କେହି କାଳେ ଜୟତୁନ୍ କଥା କହିପାରିବ ଏହି ଆଶାରେ । କଉଁଠୁ କିଛି ସନ୍ଧାନ ପାଇଲା ନାହିଁ । ଜୟତୁନ ଏଇ ଘରୁ ଚାଲିଗଲା, କେହି ଜାଣିଲେ ନାହିଁ ! କି ଆଶ୍ଚର୍ଯ୍ୟ ।

 

ଶେଷରେ ସେ ଯାଇ ଧଇଲା ହନୁମାନ ମାଙ୍କଡ ଦିଆଶିକି । ସେ ନଥିଲା, ସେ ଦେଖି ନାହିଁ । ସେ ଲତ୍ତାମିଆଁ ସାଙ୍ଗରେ ଥିଲା । ହୁଏତ ଲତ୍ତାମିଆଁର ଦୁଃଖ ତାକୁ ବାଧିଥିବ । ଏଡେ ବଡ଼ ଦୁନିଆଟା ଭିତରେ ଆଜି ଏଇ ମାଙ୍କଡ ଗୋଟିକ ଯେମିତି ତା'ର ସାଥୀ ତା’ର ସାହାଭରସା ।

 

ସେ ବନ୍ଦରକୁ ପାଖକୁ ଆଣିଲା । ଧୀରେ ଧୀରେ ତାକୁ ଆଉଁସି ଦେଇ କହିଲା–‘ବେଟା, ସଚ୍ କହିବୁ । ଏକ୍ ବାତ୍ ପୁଚ୍ଛିବି, ସଚ୍ କହିବୁ ?

 

ମାଙ୍କଡ଼ ମୁଣ୍ଡ ହଲେଇଲା । ଲତ୍ତାମିଆଁ ଭାବିଲା, ସେ ‘ହଁ' କରୁଛି । ଲତ୍ତାମିଆଁ ତା ଝଲିରୁ ଯୋଡ଼ିଏ ଗୁଆ ବାହାର କଲା । ବାଛି ବାଛି ଯୋଡ଼ିଏ ନିଖୁଣ ଗୁଆ ମାଙ୍କଡ ଦିଆଶି ଆଗରେ ଥୋଇଲା । ପୁଣି ହନୁର ପିଠି ଆଉଁସି ଦେଇ ସେ କହିଲା- “ବନ୍ଦର, ସଚ୍‍ ଯଦି, ରାମକାର୍ଯୀ ହୋଇଥିବୁ.....’’ ହଠାତ୍ ସେ ଅଟକିଗଲା । ଏତେଦିନକେ ତା’ର ମଜହବ୍‍, ତା’ର ଇମାନ୍, ତା’ର ଇସ୍‌ଲାମ୍, ତାକୁ ଦଣ୍ଡକପାଇଁ ଆଟକ କଲା । ଆଜିଯାଏଁ କିଜାଣି କେତେ ଥର ଶହେ ଥର ହଜାର ଥର, ଲକ୍ଷେ ଥର–

 

ସେ ଏଇ ମାଙ୍କଡ଼ଟାକୁ ହିନ୍ଦୁର ଦେବତା ରାମଚନ୍ଦର୍‌କା ଦୂତ ବୋଲି କହିଆସିଛି । ଦିନେ ବି ତାକୁ ଝଟ୍‌କା ଲାଗି ନାହିଁ । ସେ ସବୁ ଖାଲି ପଇସା ରୋଜଗାର୍‌ର ଫନ୍ଦି । ମୁହଁର କଥା । ଆଜି ଯେମିତି ସେ ପହିଲୁ ହୃଦୟ ଭିତରୁ ଓଟାରି କଥା କହୁଛି । ସେଥିପାଇଁ ବୋଧହୁଏ ଆଜି ତାକୁ ‘ରାମଚନ୍ଦର୍‌ କା ଦୂତ୍’ ବୋଲି ଡାକିବା ବେଳକୁ କେଉଁଠି ଅଟକିଯାଉଛି ।

 

କିନ୍ତୁ ହୃଦୟର ଆବେଗ ତା’ର ଧର୍ମର ବନ୍ଧକୁ ଭାଙ୍ଗି ବହିଗଲା । ସବୁ ଧର୍ମ, ସବୁ ଆଚାର, ସବୁ ବିଶ୍ୱାସ ମୂଳରେ ମଣିଷର ଏ ବେଦନା ଯେମିତି ଏକ .... ଅବ୍ୟୟ । ବ୍ୟଥାର ପୁଜାରି ସେ ଧର୍ମର ଶିକୁଳିକି ଗଡ଼ ଗଡ଼ କରି ଛଡ଼ାଇ ଫିଙ୍ଗିଦେଇ ଆହୁରି ଜୋର୍‌ରେ ଡାକିଲା- “ସଚ୍ ଯଦି ରାମ କାର୍ଯୀ ତୁ ହୋଇଥେବୁ, ସଚ୍ ସଚ୍ ବତାଇଦେବୁ, ଜୟତୁନ୍‍, ଫିର୍‌ବ କି ନାଇଁ !”

‘ନାହିଁ’ ବୋଲି ମାଙ୍କଡ଼ ଦିଆଶି ମୁଦା ଧରିଲା । ଚଟାକ୍‍କିନା ପାହାରେ ବସାଇ ଦେଇ ଲତ୍ତାମିଆଁ ରାଗରେ ଲାଲ୍ ହୋଇ କହିଲା- “ଝୁଟ୍ ...ଝୁଟ୍... ଭୁଲ୍ ହୁଆ.... ଫିରସେ ଦେଖ୍ ।”

 

ଡରେ ମାଙ୍କଡ଼ ଦିଆଶି ‘ହଁ’ ମୁଦା ଉଠାଇଲା ।

 

ଲତ୍ତାମିଆଁ ହନୁକୁ କୁଣ୍ଡାଇ ପକାଇ ତା’ର ନିର୍ଦ୍ଦୟତାର ଅନୁତାପ ଆଉ ପ୍ରାୟଶ୍ଚିତ୍ତ କରୁଥିଲା । ଦୁଇ ଆଖିରୁ କେବଳ ଦୁଇଧାର ଲୁହ ବହିଯାଉଥାଏ । କାହା ପାଇଁ କିଜାଣି ?

 

ଦିନ ଚାଲିଗଲା । ନୂଆ ଦିନର ସକାଳ ହେଲା । ଲତ୍ତାମିଆଁ ପୁଣି ବାହାରିଲା ପେଟପାଟଣା କରିବାକୁ । ସେମିତି ଆଗ ପରି... ଲତ୍ତାମିଆଁ ଯାଏ.... ବେଶୀ ଦୁରକୁ ନୁହେଁ, ପାଖ ଆଖ ଗାଁକୁ । ବେଶିଦିନ ରହେ ନାହିଁ–ଫେରିଆସେ । ଜୟତୁନ୍‍–ଶୂନ୍ୟ ଘରଟା ବୋଧହୁଏ ଭାରି ଏକୁଟିଆ ଅନୁଭବ କରି ଲତ୍ତାମିଆଁକୁ ବାରବାର ଡାକେ । ମିଆଁ ଯଉଁଦିନ ଘରକୁ ଫେରେ, ଥରେ ଚାରିଆଡ଼କୁ ଚାହେଁ, ଜୟତୁନ୍‍ ଆଉ ଫେରିଆସିଲା କି? ନିରାଶ ହୁଏ । ନିରାଶ ହେଇଯାଇ ବସେ ମାଙ୍କଡ଼ ଦିଆଶି ପାଖରେ । ଦୁଇଟି ଗୁଆ ରଖିଥାଏ- ନିଖୁଣ ଗୁଆ । ହନୁ ଆଗରେ ବସାଇଦେଇ ସବୁଦିନେ ସେମିତି ପଚାରେ- ‘ସଚ୍ ସଚ୍ ଜୟତୁନ ଫିରିବ ?’

 

କେତେବେଳେ ଉତ୍ତର ପାଏ- ‘ହଁ’, କେତେବେଳେ ‘ନା’ । ବାରବାର ପଚାରେ । ଭାବେ, ମିଶ୍ରଫଳ । ଫେରିବ, ଲେକିନ୍‍ ବହୁତ୍‍ ଦେରିରେ ଫିରିବ । ହୁଏତ ସେ ଫିରିବାକୁ ଚାହୁଁଛି, ବେସ୍ତ ହେଉଛି- ଲେକିନ, ଫିରି ପାରୁ ନାହିଁ ।

 

ସେ ମାଙ୍କଡ଼ ଦିଆଶିକୁ ପାଖକୁ ଟାଣିଆଣି କୋଡ଼ରେ ଧରେ । ଗେଲ କରେ । ତା’ର ପାଚିଲା ଲମ୍ଵା ଲମ୍ବା ଦାଢ଼ି ହନୁର ଦେହକୁ ମୁଲାୟମ୍ ଲାଗୁଥବ । ହନୁର ସାଁବାଳିଆ ବାଳ ଭିତରେ ଲତ୍ତାମିଆଁ ଆଙ୍ଗୁଳି ପୂରାଇ ଆହୁରି ସାଉଁଳେଇ ଦିଏ । ହନୁ ତୁନି ହୋଇ ଆରାମରେ ମିଆଁର ଛାତି ଉପରେ ପଡ଼ିଥାଏ । ମିଆଁ ପଚାରେ -“ହାଁରେ ବନ୍ଦର୍, ତେଁ ଅଗର ଲତ୍ତାମିଆଁ ହୋତା.. ଏତା ଏତା ବଡ଼ା ଦାଢ଼ି ହୋତା,… ପକ୍‌କି ପକ୍‌କି ଦାଢ଼ି... ତେରି ଏକ ବିବି ବି ହୋତି, ଉସ୍‌କା ନାମ ହୋତା, କ୍ୟା କହୋ- ନାମ୍ ହୋତା ‘ଜୟତୁନ୍‍’, ଠିକ୍‍ ହୈ ?”

 

ମାଙ୍କଡ଼ ଅନ୍ୟମନସ୍କ ହୁଏ । ଲତ୍ତାମିଆଁ ତା ଓଠ ଧରି କହେ- “ଶୁନୋ ଶୁନୋ, ତୁମ୍‍ରେ ଜୟତୁନ୍‍, ବିବି ବଡ଼ି ଆଚ୍ଛି..... ଭାରି ଭଲୋ, ନାଇଁରେ ? ତେଁ ଉସ୍‌କୋ ଭାରି ପିଆର୍ କରତା….. ହର୍‌ଘଡ଼ି ଆଁଖ୍‌କେ ସାମ୍‌ନେସେ ନହିଁ ଛୋଡ୍‌ତା.... ହାଁ ରେ ଶୁନୋ- ମଗର୍ ଫିର୍‌ଭି ଏକ୍ ଦିନ୍ ତିଝ୍‌କୋ ଛୋଡ଼୍‍କର ଉ କହାଁ ଭାଗତି- ଚିଡ଼ିଆ ଉଡ଼୍‍ ଯାତି- ବନ୍ଦର୍, ବନ୍ଦର୍, ତୁ ସଚ୍ ବତା, ତୁ କ୍ୟା କର୍‌ତା ?” ବୁଢ଼ା ଆଖିରୁ ଲୁହ ବହିଯାଏ । ମାଙ୍କଡ ଦିଆଶି ମୁହଁଟିକି ତଳେଇଦେଇ ଲତ୍ତାମିଆଁର ଓ ଦାଢ଼ି ଘେରା ବେକମୂଳରେ ଲୁଚାଇଦେବାକୁ ଚେଷ୍ଟା କରେ ।

Image

 

କେହି ନୁହେଁ

ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ

 

କଲିକତା ବଡ଼ବଜାରର ଗୋଟିଏ ଅଂଧାରିଆ ବାଇଲେନ୍ ଭିତରେ ସେଇ ଛୋଟ ଅଣଓସାରିଆ ଟିଣ ଘର ଖଣ୍ଡକରେ ସବୁଦିନ ପରି ସେଦିନ ବି ସଂଜମଜଲିସ୍‌ଟା ବେଶ୍ ଭଲ ହେଇ ଜମି ଉଠିଥିଲା । ଘର ବୋଇଲେ ଚାରିଟା ବଡ଼ ବଡ଼ ଇଟା କାଂଥ; ତାରି ଉପରେ ଲମ୍ବ ଲମ୍ବ ବାଉଁଶ ପକାଇ ଟିଣ କେଇଖଣ୍ଡ ଘୋଡ଼େଇ ଦିଆଯାଇଛି । ପଛପଟ କାନ୍ଥ ଉପରକୁ ପୁରୁଷେ ଉଚ୍ଚରେ ଗୋଟାଏ ବଡ଼ ଜଳା- ତାକୁଇ ସେମାନେ ଝର୍କା କହନ୍ତି । ସେଇ ଝର୍କାର ଭିତର ପଟେ ଖଣ୍ଡେ ଅଖା ବନ୍ଧା ହେଇ ବାଉଁଶ କାଠି ଖଣ୍ଡକରେ ଝୁଲୁଚି । ରାତିରେ ଦିନେ ଦିନେ ବେଶି ଶୀତ ପଡ଼ିଲେ ସେଇ ଅଖା ଖଣ୍ଡକ ପକାଇ ଦେଇ ଝର୍କା ମୁଦାଯାଏ । ଘର ଭିତରେ ଚାରିଆଡ଼େ ଚେମଣି ସାଲୁବାଲୁ ହଉଚଂନ୍ତି, କାନ୍ଥ, ବାଡ଼, ଚଟାଣ, ସବୁଆଡ଼େ ଖାଲି ଅଳନ୍ଧୁ ମେଞ୍ଚି ମେଞ୍ଚି, ଆଉ ପୋଷେ ବହଳରେ ଚେମଣିଚଟିଆ, ଗୁହ ବସିଗଲାଣି ।

 

ପଛିମ ପଟକୁ ଖଣ୍ଡେ ବାଉଁଶ ଟଙ୍ଗା ହୋଇ ଅଲୁଗୁଣୀ ତିଆରି ହେଇଚି । ତା’ଉପରେ ଖୁନ୍ଦା ହେଇଚି ରାଇଜଯାକର ମଳି ଗାମୁଛା, କୋତରା ନୂଗା, ଚିରା ତାଳିପକା ଗେଞ୍ଜି, କମିଜ, କୋଟ ଇତ୍ୟାଦି କେତେ ଖଣ୍ଡ । ଘରତଳେ ବାକ୍‌ସ, ପେଟେରା, କାଠ ସିଂଦୁକ ହେଇ ଦଶ ବାର ଖଣ୍ଡ ବାହାରିବ । ପାନ ଖାଇ ସାରି ଚୂନ ହାତ ବୋଳି ବୋଳି କଳା ସିଂଦୁକ ଗୁଡ଼ାକର ବାହାର ପଟ ବିଲ୍‍କୁଲ୍‍ ଧଳା ଦେଖାଗଲାଣି ।

 

ସେଇ ସନ୍ତସନ୍ତିଆ ଅନ୍ଧାରୀ ବଖୁରୀଟିରେ ରାତି ହେଲେ ପାଞ୍ଚୁଟା ମଣିଷ ଚିରା ମଂଦୁରା ଦି’ଖଣ୍ଡ ପକେଇ ମୁଣ୍ଡ ତଳେ ନୁଗା ମୁଚୁଳାଟାମାନ ଦେଇ ଶୋଇପଡ଼ନ୍ତି । ଦିନ ହେଲେ ଟିକିଏ କୁଆଡ଼େ ଯାଏ କାହା ସଜରେ କିଏ ବା ଆସି ବସା କତିରେ ଥିବା ଉରୁଧବା ନନା ହେଟେଲରୁ ଗଣ୍ଡାଏ ଖାଇଦେଇ ପୁଣି ଯାଇ କାମରେ ଜଇନି କରେ, ସେ କଥା ଅନ୍ୟ କାହାର ନଜରରେ ପଡ଼େ ନାଇଁ ।

 

ପାଞ୍ଚଜଣଯାକ କର୍ପୋରେଶନ୍‍ର କୁଲି । ରାସ୍ତା ମରାମତି କରନ୍ତି । କେଉଁଠି ରାସ୍ତା ଖରାପ ହେଲେ ଦୁଇ ପଟେ ଦୁଇଟା ବାଉଁଶ ଓଗାଳି ପୋତି ଲାଲ ଲଂଟନ ଜାଳି, ‘‘ରାସ୍ତା ବନ୍ଦ’’ ଟିଣ ଖଂଡକ ଝୁଲେଇଦେଇ ଯେଝା କାମରେ ଯେଝା ଲାଗି ଯାଆନ୍ତି । କିଏ ଆଲକାତରା ଢାଳେ, କିଏ କାଂକ, କେଦାଳ ନେଇ ପଥର ତାଡ଼େ, କିଏବା ଭାରୀ ଲୁହା ରୋଲର ଟାଣି କରକଚା ସମାନ କରୁକରୁ ଝାଳ ଗମ ଗମ ହୋଇ ଅନ୍ୟମାନଙ୍କ ସାଙ୍ଗରେ ପାଟି କରିଉଠେ-

 

ହେ ଲେ ସା…

 

ସଂଜବୁଡ଼କୁ ହପ୍ତା ପାଇ ଫେରିଆସିଲେ ସେଦିନ ବସାରେ ତ୍ରିନାଥ ମେଳା ବସେ । ପାଳି ଅନୁସାରେ ଜଣେ ଜଣ ସେ ଦିନକର ଗଂଜେଇ ଖର୍ଚ୍ଚ ତୁଲାନ୍ତି । ଖଜଂଣି ମାଡ଼ ହୁଏ, ଭଜନ ବୋଲାଯାଏ, ଗଂଜେଇ ଧୂଆଁର ଫାଙ୍କେ ଫାଙ୍କେ କେତେ ଦୁନିଆଛଡ଼ା ତାଜବ ଗପର ହାଲୁକା ଢେଉ ଘର ଭିତରର ଭାରୀ ପବନରେ ବଙ୍କେଇ ବଙ୍କେଇ ପଇଁତରା ମାରେ । ପାଞ୍ଚ ଜଣଯାକଙ୍କର ଦିନଭରି ଚାଲିଚଳଣ, ଖାଇବା- ପିଇବା, କାମଦାମ, କଥାବାର୍ତ୍ତା ସବୁ ପ୍ରାୟ ଏକାରକମର, କେଉଁଠି ଟିକିଏ ହେଲେ ତଫାତ୍‍ ନାଇଁ । ତଫାତ୍ କେବଳ ଯାହା ସେମାନଙ୍କର ରାତିର ସ୍ଵପ୍ନଟାରେ !!

 

ରାତିରେ ଗହୀର ନିଦରେ ଅଚେତ ହୋଇ କିଏ ହୁଏତ ସ୍ଵପ୍ନ ଦେଖେ, ଦୂର ଗାଆଁର ଶାଗୁଆ ତୋଟାମାଳ ଗହଳରେ ଖଣ୍ଡେ ଦରଫୁଟା ଚାଳଘର ଭିତରେ ଜାଡ଼ରେ ଥରୁ ଥରୁ ହେଇ କମ୍ପୁଚି ଗୋଟିଏ ଅଶୀ ବରଷର ବୁଢ଼ୀ; ଛାଆଣି ନ ହେଇ ଏ ସାଲ ବର୍ଷାରେ ଘରର ଗୋଟାଏ ପଟ କାନ୍ଥ ମାଟିରେ ପେଟେଇ ପଡ଼ିଲାଣି, ତା’ରି ଭିତରେ ବୁଢୀଟି ଚାହିଁ ରହିଚି ଡାକବାଲାର ଆସିବା ବାଟକୁ ଅପେକ୍ଷା କରି । ଗହୀଡ଼ିଆ ଆଖି ଦି'ଟା ତା’ର ପ୍ରତୀକ୍ଷାରେ କ୍ରମେ କ୍ରମେ‌ ବଡ଼ ହେଇଉଠୁଛି ।

 

କିଏ ବା ପୁଣି ସ୍ୱପ୍ନ ଦେଖେ, ମଉଳି ପଡ଼ିଥିବା ଗୋଟିଏ ସଜ ଫୁଟିଲା ମୁହଁ ନୁହରେ ଓଦା ସୁଡ଼ୁ ବୁଡ଼ୁ ହେଇ ଚିରା ନୂଗାର ଓଢ଼ଣା ତଳେ ଦିନକୁ ଦିନ ବେଶି ବେଶି ଝାଉଁଳି ପଡ଼ୁଛି, ସଂଜବୁଡ଼େ ମା’ ବୁନ୍ଦାବତୀ‌ଙ୍କଠାରେ ଓଳଗି ହୋଇ ସଂଜବତୀ ରଖିଦେଇ କେତେ କ’ଣ ଗୁଣୁଗୁଣୁ ହେଇ ସେ କାହା ପାଇଁ କ'ଣ ମନାସିଯାଉଚି । ସେ ଛାଇନିଦରେ ବିଳିବିଳେଇ ଉଠେ, “ହଁ ମୁଁ ଅଛି, ଅଛି । ମୁଁ ଯାଉଚି, ଯାଉଚି ।” ଆଉରି କିଏ ବା ସ୍ଵପ୍ନ ଦେଖେ, ଗୋଟେ ଥନ୍ତଲପେଟିଆ, ସିଙ୍ଘାଣିନାକିଆ, ଅମାନିଆ ପିଲା......ପେଟରେ ପିଳେହି, ଦିହରେ ଜର, ଗୋଡ଼ ତଳିପା ଦି'ଟା ଫୁଲିଗଲାଣି । ସେ ତାକୁ ଧରିବା ପାଇଁ ହାତ ବଢ଼ାଏ । ପଥର ପରି ଟାଣ ଇଟା କାନ୍ଥରେ ତା’ର ଖାଇବି ହାତ କହୁଣିଟା ଖୁବ୍ ଜୋରରେ ବାଡ଼େଇ ହୋଇଯାଏ । ସେ ଯନ୍ତ୍ରଣାରେ ନିଦରେ ଚିତ୍କାର କରିଉଠେ । ଉପରେ ଚେମିଣି ଚଢେଇଗୁଡ଼ାକ ଚେଁ ଚେଁ, ଶବ୍ଦ କରି ତାକୁ ଖତେଇ ହେଇ ମିଶନ୍ତି । ବସା ପାଖ ମୁଖର୍ଜି ସାହେବ ବାଡ଼ିରେ ଦୁଷ୍ଟ ଶୁଆଟା ବଡ଼ିଭୋରର ସୁରାକ୍ ପାଇ ନୁହା ପଞ୍ଜୁରୀ ଭିତରୁ ତାଙ୍କ ଘର ଓଡ଼ିଆ ଚାକର ରାମାକୁ ଡାକ ପକାଏ–
 

 

“ଓ ରାମା ଉଡ଼େ, ଉଡ଼େ ରାମା ? ତ୍ର ରୁ ରୁ ର୍‌ ରୁ ।

 

ସେଦିନ ସଂଜବୁଡ଼େ ମେଘୁଆ ହୋଇଥାଏ । ସହଳ ସହଳ ଯିଏ ଯୁଆଡ଼ୁ କାମରୁ ଫେରିଆସି ଘର ଭିତରେ ବସି ଦୁଃଖସୁଖ ହଉଥିଲେ । ଧୋକଡ଼ିଆ ବଗନର ମିତ୍ର ବାଡ଼ିରେ କାମ କରୁଥିବା ମାଗୁଣିଆ ଘରପାଖକୁ ଯାଇଥେଲା । ସେ ସମସ୍ତିଙ୍କ ଘର ଭାଷା......ଭଲମନ୍ଦ ଖବର, ନିର୍ମାଲ୍ୟ କଣିକା, ଗାଁ ଦେବତୀଙ୍କ ଧଣ୍ଡା, ଆଉରି ସବୁ କେତେ କ’ଣ ଧରି ଫେରିଚି । ସମସ୍ତେ ଏକଜୁଟ ହେଇ ମାଗ୍‍ଣିଆ କତିରୁ ଗାଁର ହାନିଲାଭ ବୁଝିଥିଲେ । ପିଣ୍ଡାରେ ଗୋଟିଏ ଜଳନ୍ତା ଚୂଲିରେ ଗୋଟାଏ ବଡ଼ ନୁହା ବାଲ୍‌ଟିରେ କେଇଖଣ୍ଡ ମଇଳା ନୁଗା ସୋଡ଼ା ଆଉ ସାବୁନ ପାଣିରେ ସିଜୁଥେଲା ସକାଳେ କଚା ହେବ ବୋଲି । କୋତରା ନୁଗାର ଆଇଁଷିଣିଆ ତେଲିଆ ଗନ୍ଧ ଘରଭିତରକୁ ପଶି ଆସୁଥେଲା ମେଘୁଆ ପବନ ସାଥିରେ ଦରଆଉଜା କବାଟଟାକୁ ଠେଲିଦେଇ ।

 

ଏବର୍ଷ ଖେତ କେମିତି ହେଇଚି, ଏସୁ ଗାଆଁ ମେଲଣକୁ କେମିତି ‘ଆରମ୍ଭ’ରେ ସଲଟଣ ବାହାରିଲା, ରାମଲୀଳା ଯାତ ସଇଲାଣି କି ନାଇଁ, ଅଣିଜେନା ବାପ ଶୁଧକୁ କେତେ ମୂର୍ତ୍ତି ବ୍ରାହ୍ମଣ ଗୋସେଇଁ ଚୂଡ଼ାଦହି ଖାଇ ଆସିଥେଲେ, ଗୋବରି ନଈ କିମିତି ‘ଦୂର୍ବଳ’ ହେଇ ବଢି ଘରଦୁଆର ଭସେଇ ନଉଚି ଇତ୍ୟାଦି ପ୍ରଶ୍ନର ଉତ୍ତର ଦେଇ ସାରିବା ପରେ ପରେ ମାଗୁଣିଆ ପଚାରିଲା- କୁଜିଂଆ ଭାଇ କାହିଁକି ? ତା ଭରିଯା ଗଉରୀଟା ଶୁଖି ଶୁଖି କଣ୍ଟା ହେଇଗଲାଣି । ମୋ ହାତରେ ଖବର ଦେଇଚି ଏସୁ ମାଣ ବସାକୁ ନିଚେ କିଛି ଟଙ୍କା ପଇସା ନେଇ ଘରକୁ ଯିବାକୁ ।

 

ମୁରୁକି ହସି ଅଗାଧୁ କହିଲା- ଦିନଯାକ ସିନା କୁଞ୍ଜିଆ ଭଇ ଆମ କତିରେ ଥାଏ, ରାତି ହେଲେ ତା’ ଓର କ’ଣ କିଏ ପାଉଚି ? କାଲି ଦେଖିଲି, ହପ୍ତା ଟଙ୍କାରୁ ଭଲ ରେଶମୀ କାଚ ମୁଠାଏ କିଣି ଗାମୁଛା ତଳେ ଲୁଚେଇ କୁଆଡ଼େ ସଂଜବୁଡ଼େ ଯାଉଥିଲା ।

 

ଅପର୍ତିଆ ଆଖି ଠାରି କହିଲା- ତମେ କଣ ଜାଣିନା କି ଅଗାଧୁ ଭାଇ, ସେ ପରା ଝାମାପୁକୁର ଗଳିରେ ଗୋଟାଏ ଓଡ଼ିଆଣୀ ଖାନିକି ପାଲରେ ପଡ଼ିଲାଣି । ରୋଜ ସେ ରାଣ୍ଡିଟା ପାଖକୁ ନ ଗଲେ ଆଜିକାଲି ଆଉ ତା’ର ଭାତ ହଜମ ହଉନାଇଁ ।

 

ଚାରିଆଡ଼େ ଗୋଟାଏ ଘରଫଟା ହୋ ହୋ ହସର ଧ୍ଵନି ଉଠିଲା ।

 

ଠିକ୍ ସେତିକିବେଳେ ଝାମାପୁକୁର ଭିତରୁ ଯେଉଁ ସନ୍ତସନ୍ତିଆ ଗଳିଟା ଯାଇ କର୍ଣୱାଲିସ୍ ଷ୍ଟ୍ରିଟ୍‌ର ଟ୍ରାମ୍‌ଷ୍ଟାଂଣ୍ଡ ପାଖେ ଠଣଠଣିଆ କାଳିଙ୍କଠାରେ ବାହାରିଚି, ତାରି ଭିତରେ ଗୋଟାଏ ଭଙ୍ଗା ଟିଣଘର ଭିତରେ କୁଞ୍ଜିଆ ତା ଛାତି ଉପରେ ରାଧାକୁ ଆଉଜାଇ ତା କାନ ପାଖରେ କହୁଥେଲା-

 

ଠାକୁରଙ୍କ ଦେହି ଦେଇ କହୁଚି, ତତେ ଦେଖିଲେ ମୋର ଖାଲି ଗଉରୀ କଥା ମନେ ପଡ଼େ । ତୋ ମୁହଁଟି ଦେଖିବାକୁ ଠିକ୍ ତାରି ମୁହଁ ପରି, ସେମିତି ଡଉଲଡାଉଲ, ସେମିତି ମାଉଁସିଆ । ତା ଓଠ ତଳୁଟା ଠିକ୍‍ ତୋରି ଓଠ ପରି ଏମିତି ନୂଆଣିଆ । ତୁ ହସିଲାବେଳେ ମୁଁ ଭାବେ ଗଉରୀ ହସୁଚି । ସେଥିପାଇଁ ତୋ କତିରେ ଥିବାବେଳେ ମୁଁ ତା’ର ଅଭାବ ଭୁଲିଯାଏ । ମୋର ମନେହୁଏ ତୁ ଯେମିତି ଗଉରୀର ଠିକ୍ ଅବିକଳ ନକଲ । ସେଇଥିନାଗି ତ ମୁଁ ସବୁ କାମଦାମ ଛାଡ଼ି ତୋ କତିକୁ ଦଉଡ଼ି ଆସେ ।

 

ସେ ଖେଁ ଖେଁ ହେଇ ଗୁଡ଼ାଏ ହସିଲା । ମଇଳା କିରାସିନି ଆଲୁଅରେ ରାଧାର ଉଚ୍ଚ ଛାତିଟା ପଡ଼ୁଥିଲା ଉଠୁଥିଲା । ସେ ବାଁରେଇ କଥାର ମୋଡ଼ ଫେରାଇବାକୁ କହିଲା–ଗଉରୀକୁ ତ ଏଡ଼େ ଦେଖିପାର ତେମେ, ସବୁ ହପ୍ତା ଟଙ୍କା ତ ଏଥର ମୋ ପିଛା ଖର୍ଚ୍ଚ କରିପକାଇଲ, ତା ପାଖକୁ ପଠାଇବ କ’ଣ ?

 

ଖଟତଳେ ଜମି ଥିବା ଗୁଡ଼ାଏ ଭଂଗା ମଦ ବୋତଲ ଆଡ଼କୁ ଅନାଇ କୁଞ୍ଜିଆ ବସି ରହିଲା । ତା ମୁହଁଟା ହଠାତ୍ ପାଉଁଶିଆ ପଡ଼ିଗଲା । ସେ ଉଦାସ କଣ୍ଠରେ କହିଲା- ହଁ, ସତେ ତ, ସବୁ ତ ତେତେ ଦେଇଗଲି, ଘରକୁ ଫେର୍ ପଠାଇବି କ’ଣ ? ତା କଣ୍ଠସ୍ଵରରୁ ଜଣା ପଡ଼ୁଥିଲା ସେ ଯେମିତି ଭାରି ହାଲିଆ ହେଇଯାଇଚି ।

 

ରାଧା ଟିକିଏ ଅଭିମାନ କରି କହିଲା-ମତେ ଟଙ୍କା ଦେଇ ତମର ଭାରି ଅବଶୋଷ ହଉଚି, ନା ? ଦରକାର ନାହିଁ ମୋର ତମ ଟଙ୍କାରେ । ଫେରାଇନିଅ । ମୁଁ ତମର କିଏ ଯେ-

 

କୁଞ୍ଜିଆ ବ୍ୟସ୍ତ ହୋଇ କହିଲା- ତୁ କ'ଣ ମୋ ଉପରେ ରାଗିଲୁ ରାଧା ? ମୁଁ କ’ଣ ଟଙ୍କା ତତେ ମାଗୁଚି ? ମୁହଁ ଛିଞ୍ଚାଡ଼ି ରାଧା କହିଲା, ମାଗିଲେ କ’ଣ ଗୋଟା ବେଶି ହେଇଥାନ୍ତା ? ତମ ମନ ଯେବେ ମାନୁନାଇଁ, ମୁଁ କ’ଣ ତମକୁ ଦିଅ ଦିଅ ବୋଲି ଜବରଦସ୍ତି କରୁଚି କି ?

 

କୁଞ୍ଜିଆ କଥାଟାକୁ ବାଆଁରେଇ ଦବା ନାଗି କହିଲା–ଛି ! ମୋ ଉପରେ ତୁ ପୁଣି ଗୋଟା ରାଗ ଲେଖୁଚୁ ରାଧା ? ହଁ, ତମ ମାଇପି ଜାତିଟା ଏମିତି ! ଗଉରୀଟା ବି ରାଗିଲା ବେଳେ ତୋରି ପରି ଠିକ୍ ଏମିତି ମୁହଁ ବୁଲେଇ ନେଇ ଫୋପାଡ଼ିଲା ପରି କଥାଗୁରା କହେ । ତୁ ରାରିକରି କଥା କହିଲେ ମୋ ଆଖିରେ ଗଉରୀର ଛଇଛଟାଗୁଡ଼ାକ କେଜାଣି କିଆଁ ନାଚିଯାଏ । ଥରେ ଗୋଟାଏ ଯାତରୁ ମତେ ରସଖଡ଼ୁ, ଦି’ପଟ ଆଣିଦବା ଲାଗି ସେ ବରାଦ ଦେଇଥେଲା । ମୁଁ ଚାଣ୍ଡାଳ କଲି କଣ ନା ଜୁଆ ଖେଳୁ ଖେଳୁ ସବୁତକ ପଇସା ଉଜାଡ଼ିଦେଇ ଶୁଖିଲା ହାତରେ ଘରକୁ ଫେରିଆସିଲି । ସେ ଦିନଯାକ ଦେଖ ତା’ର ରୁଷା; ଦି'ଦିନ ଯାଏ ଜମାରୁ ଭଲରେ କଥା କଇଲା ନାଇଁ । ଠିକ୍ ତୋରି ପରି ଇମିତି ମୁହଁ ବୁଲେଇ ବସିରହିଲା । ଯେତେ ରାଣନିୟମ ପକେଇଲେ ଜମାରୁ ଚଙ୍କିଲା ନାଇଁ । ନିହାତି ଦରକାର ପଡ଼ିଲେ କାନ୍ଥକୁ ବାଡ଼କୁ କହିଲା ପରି ଯାହା ଦି ଚାରି ପଦ କଥା ମୋତେ ଶୁଣାଇ । ଶୁଣାଇ ଦୂରରୁ କହି ଦେଇଥେଲା ସେତିକି । ତୋ ରାଗ ଦେଖି ମୋର ସେଇ କଥା ମନେ ପଡ଼ିଯାଉଚି ।

 

ବିରକ୍ତ ହେଇ ରାଧା କହିଲା ସବୁବେଳେ ଖାଲି ଗଉରୀ, ଗଉରୀ, ଗଉରୀ ! ଆଉ ଯେମିତି ଦୁନିଆରେ କିଛି କଥା ନାଇଁ ! ତାର କଥାଗୁଡ଼ାକ ମୋ ପାଖରେ ଏତେ ବକର ବକର ହୁଅ କିଆଁ ? ଦିହରେ ନିଆଁ ଚେଙ୍ଗିଲା ପରି ନାଗେ । ଯାଉନ ତେମେ ତମେ ଗଉରୀ ପାଖକୁ । କେଇଥର କହିଚି, ମୁଁ ଗଉରୀ ନୁହ, ମୁଁ ରାଧା, ମୁଁ ରାଧା, ମୁଁ ରାଧା ।

ତା’ପରେ ଟିକିଏ ଛାଡ଼ି କହିଲା~ହଉ, ତମେ ଯା ଏଥର । ଏଇନାଗେ ସେ ମଦୁଆ ପଠାଣ ବାଡ଼ିପଡ଼ା ଆସିବ ତ ମୋ ଚୁଟି ରହିବ‌ ନାହିଁ । ତମକୁ ମୋ ଘରେ ଦେଖି ମୋତେ ପରା ହାତ ଉଠାଇ ମାଇଲା ।

 

ରାଧା ମୁହଁ ବୁଲେଇ ଶୋଇ ରହିଲା ।

 

ରାଧା କତିରୁ ଗାଳି ଖାଇ ଅପରାଧୀଙ୍କ ଭଳିଆ କୁଞ୍ଜିଆ ସେଠୁ ବାହାରି ଆସିଲା । ବାହାରେ ଠଣଠଣିଆ କାଳି ମନ୍ଦିରରେ ସଞ୍ଜ ଘଣ୍ଟି ବାଜୁଥିଲା । କୁଞ୍ଜିଆର ମନେ ପଡ଼ିଲା, ଏଇନାଗେ ତା ଗାଆଁ ଠାକୁରାଣୀ ଚକଡ଼ାରେ ଆଳତୀ ହଉଥିବ, ଗଉରୀ ବିଚାରୀ ବୋଧହୁଏ ନୁଗା କାନିଟାକୁ ବେକରେ ଗୁଡ଼ାଇ ମା ବୃନ୍ଦାବତୀଙ୍କ ଚଉରା ମୂଳରେ ସଂଜବତୀ ଥୋଇଦେଇ ଓଳଗି ହଉଥିବ । ତା ଆଖି ଦି’ଟାରେ ଲୁହ ଉତୁରି ଆସିଲା ।

 

ଆଗତ ସାଲେ ଖେତ ମରିଯିବାରୁ କୁଞ୍ଜିଆ ଭୁଆସୁଣୀ ଭାରିଯାକୁ ଘରେ ଛାଡ଼ିଦେଇ କଲିକତା ଆସିଥେଲା । ତା’ର ଆଶା ଥିଲା ବର୍ଷ ଗୋଟାକରେ କିଛି ଟଙ୍କା ପଇସା ଜମେଇ ସେ ପୁଣି ଖେତ ଉଜୁଡ଼ାବେଳକୁ ଘଠିକି ଫେରିବ; କିନ୍ତୁ ଦୁଇବର୍ଷ ବିତିଗଲାଣି । କୁଞ୍ଜିଆ ଗାଆଁକୁ ଫେରି ପାରୁନାଇଁ । ଗତ ସାଲେ ଟଙ୍କା ପଇସା ଅଭାବ,ଏ ସାଲେ ଛୁଟି ମିଳିଲା ନାଇଁ । ଘର ବାହୁଡ଼ା ଚଢ଼େଇ ବାଟରେ ଅଟକି ଗଲାପରି ତା’ ମନୁଟା ଏଠି ଏକରକମ ଚୂନଚୂନା ହେଇଗଲାଣି । ଦିନସାରା ନୁହା ରୋଲର ଟାଣି, ରାସ୍ତାର ମାଙ୍କଡ଼ା ପଥର ସାଥିରେ ତା’ର ସାବଳିଆ ବାହା ଦି'ଟାକୁ ପଥୁରିଆ କରି ସେ ସଂଜବୁଡ଼େ ହାଲିଆ ହେଇ ବସାକୁ ଫେରି ଆସି ଗଉରୀ କଥା, ଆଉ ତା ଗାଁ କଥା ଭାବି ଭାବି ଶୋଇପଡ଼େ । ସେତିକି ହିଁ ଥିଲା ତା’ର ଝୋଲାମରା ଘୋଷରା ଜୀବନ ଭିତରେ ଏକମାତ୍ର ଆନନ୍ଦ ।

 

ଅନେକ ଦିନ ତଳେ, ଆଜିକି ଚାରିମାସ ହବ ନା କ’ଣ, ଝାମାପୁକୁର ଗଳିରେ ଖଣ୍ଡେ ରାସ୍ତା ମରାମତି ହଉଥେଲା । କୁଞ୍ଜିଆ ଝାଳ ସୁଡ଼ୁବୁଡୁ ଦିହରେ ରୋଲର ଟାଣୁ ଟାଣୁ ଦେଖିଲା, ରାସ୍ତା କଡ଼ରେ ଗୋଟିଏ ଭଙ୍ଗା ଟିଣଘର ପିଣ୍ଡାରେ ବସି ରାଧା ଖରାରେ ବାଳ ଶୁଖାଉଚି ଆଉ ଖଣ୍ଡେ ପିଂକା ଟାଣୁଚି । କୁଞ୍ଜିଆ ଟିକିଏ ଠିଆହେଇ ତା’ ଆଡ଼କୁ ଅନେଇଲା । ତା’ର ମନେହେଲା ଗଉରୀର ଗୋରା ମୁହଁଟିକୁ କିଏ ଯେମିତି କାଟି ଆଣି ରାଧା କାନ୍ଧରେ ନଗେଇ ଦେଇଛି । ସେ ଭାବିଲା, ଗଉରୀ କ’ଣ ଆଉ ସତରେ ଫେରିଆସିଚି କି ! ତାକୁ ଅନ୍ୟମନସ୍କ ଭାବରେ ପଛରେ ପଡ଼ି ରହିବାର ଦେଖି ସାଂଗ ଭାଇମାନେ ତାକୁ ପଛ ଆଡ଼ୁ ଠେଲିଦେଇ ପାଟିକରି ଉଠିଲେ~

 

ହେ ଲେ ସା

 

କୁଞ୍ଜିଆ ହୋସ୍ ପାଇ ଫେର୍ ରୋଲର୍ ଟାଣିବାକୁ ଲାଗିଲା । ରାସ୍ତାର କଂଚା କଂକ୍ରିଟ୍ ଗୁଡ଼ାକୁ ଚୂନା କରି ନୁହର ରୋଲର ଆଗେଇ ଯିବାକୁ ନାଗିଲା ।

 

Xxx

 

ସେଇଦିନ ସଞ୍ଜବୁଡ଼େ କୁଞ୍ଜିଆ ବସାକୁ ଫେରି ଧୁଆଧୋଇ ହେଇ, ସଫା ନୁଗାପଟା ପିନ୍ଧି, ପ୍ରାୟ ଦି’ବର୍ଷ ପରେ ଏଇ ପହିଲି ଥର ଫେରେଇ କାଟି ରାଧା ସଙ୍ଗେ ଯାଇ ଚିହ୍ନାପରିଚ ହେଇଆସିଲା । ସେ ରାଧାଠୁଁ ବୁଝିଲା, ଘର ତା'ର ଜଳେଶ୍ଵରରେ । ତାକୁ ଜଣେ କିଏ ଗିରସ୍ତ ପାଖରୁ ଭୁଲେଇ ଆଣି କଲିକତାରେ ଛାଡ଼ିଦେଇ ଯାଇଚି । ସେଇଦିନୁ କୁଞ୍ଜିଆ ରାଧା ଭିତରେ ତା’ର ହଜିଲା ଗଉରୀକୁ ଫେରିପାଇଚି ଦିନଯାକର ହାଡଭଂଗା ମିହନ୍ତ ପରେ ତା’ର ଯେତେବେଳେ ଗଉରୀ କଥା ମନେ ପଡ଼ି ମନଟା କାନ୍ଦି ଉଠେ, ଆଖି ପତା ଦି’ଟା ନୁହରେ ଛଳ ଛଳ ଦେଇ ଆସେ, ସେତିକିବେଳେ ସେ ରାଧା କତିକୁ ଦୌଡ଼ିଯାଏ । ତା’ ଦୁଆରେ ଧକ୍‌କା ମାରି ଡାକେ–ରାଧା, ରାଧା, ମୁଁ ଆଇଚି ।

 

କୁଞ୍ଜିଆର ନୁହା ରୋଲର ପରି ଭାରି ଜୀବନଟା ଅନବରତ ପଂକ, କାଦୁଅ, ଗୋଡ଼ି, ପଥର ମାଡ଼ି ର ଘୁଷୁରି ଘୁଷୁରି ଚାଲି ଶେଷରେ ଦୁଇବର୍ଷ ପରେ ଖୋଜି ପାଇଚି ଗୋଟେ ଦମ୍ ମାରିବାର ଥାନ–ଟିକିଏ ଛାଇ !! ହେଇପାରେ ସେଇଟା ଖାଲି ଛାଇ, ତୁଚ୍ଛା ମିଛ, ହେଲେ ତା’ର ସେଥିରେ ଯାଏ ଆସେ କ’ଣ ? ଥକାମରା ବାଟୋଇର ଭଙ୍ଗା ମନ ପରି ତା’ର ସବୁ କଥା ଏତେ ମାପିଚୁପି ବିଚାର କରିବାକୁ ବେଳ କାଇଁ ?

 

ବର୍ଷାଦିନ ରାତି । ସେଦିନ କୁଞ୍ଜିଆ ରାଧା ଦୁଆର ମୁହଁରେ ପହଂଚି ଦେଖିଲା, ଭିତରପଟୁ କବାଟ କିଳା ହେଇଚି । ସେ ଭାବିଲା ସରିଫ୍ ବୋଲି ଯେଉଁ ମୁସଲମାନ ଡ୍ରାଇଭରଟା ରାଧା କତିକୁ ଯା’ଆସ କରେ, ସେଇ ବୋଧହୁଏ ଭିତରେ ଅଛି ନା କ’ଣ ? ସେ ଫେରିଆସୁଥେଲା । କିନ୍ତୁ ଝର୍କା ବାଟେ ତାକୁ ଦେଖିପାରି ରାଧା ଭିତରକୁ ଯିବାନାଗି ଇସାରା କଲା । ନିଜେ ଆସି କବାଟ ଫିଟେଇ ଦେଇ ତା ହାତ ଧରି ଘର ଭିତରକୁ ନେଇଗଲା ।

 

ମିଞ୍ଜି ମିଞ୍ଜି ଧୂଆଁ ଳିଆ କିରାସିନି ଆଲୁଅରେ କୁଞ୍ଜିଆ ଦେଖିଲା, ରାଧା କାନ୍ଦୁଛି !

 

କୁଞ୍ଜିଆ, ରାଣ ନିୟମ ଦେଇ ବହୁତ ଫଟେଇ ଫଟେଇ ବୁଝିଲା ଯେ ସେଇ ମଟର ଡ୍ରାଇଭରଟା ରାଧାକୁ ମଦ ଖାଇବାକୁ ପଇସା ମାଗିଲା । ରାଧା ନ ଦବାରୁ ତାକୁ ଗୋଟା ଭଂଗା ମଦ ବୋତଲ ଖଟ ତଳୁ ଉଠେଇ ନେଇ ପିଟିଲା । ସେ ଦେଖି ପାରିଲା ରାଧାର ଖାଇବା ହାତଟା କାଚ ବାଜି ଖଣ୍ଡିଆ ହେଇଯାଇଚି । କୁଞ୍ଜିଆ ଘରର ଚାରିଆଡ଼କୁ କଟମଟ କରି ଅନେଇଲା । ଦେଖିଲା, କାନ୍ଥରେ ଗୋଟା ମଇଳା ଚିରା ଖଦି ପଞ୍ଜାବୀ ଝୁଲୁଚି । ସେ ପଞ୍ଜାବୀ ଦେହରେ କୋଉ କାଳର ପୁରୁଣା ରକ୍ତ ଦାଗ କଳା କଳା ହେଇ ଦେଖା ଯାଉଚି । ଠାଏ ଦି’ଠା ଅଣହୁସିଆରରେ ବିଡ଼ି ଖାଉ ଖାଉ ନିଆଁ ଧାସ ବାଜି ଚେକି ଚେକି ହେଇ କସରା ପଡ଼ିଯାଇଛି । କୁଞ୍ଜିଆ ଭାବିଲା, ସେ ଦୌଡିଯାଇ । ସେ କୁର୍ତ୍ତାଟାକୁ ଦାନ୍ତରେ ଚିରି ଭିଣ୍ ଭିଣ୍ କରିପକାଇବ । ସେ ପଞ୍ଜାବୀଟା ଯେ ସେ ଡ୍ରାଇଉରର ଏ କଥା ଠଉରେଇ ନବାକୁ ତାକୁ ବେଶି ବେଳ ଲାଗିଲା ନାହିଁ ।

 

ସେ ରାଗରେ ଦାନ୍ତ କାମୁଡ଼ି ପଚାରିଲା- କାହିଁକି ତୁ ସେ ମାତାଲ୍‌ଟାକୁ ଏଠିକି ଆସିବାକୁ ଦଉ ? ତୋ କ’ଣ ମାନ ଇଜ୍ଜତକୁ ନିଘା ନାଇଁ ?

 

କୁଞ୍ଜିଆଠୁ ଟିକେ ଦରଦମିଶା କଥା ଶୁଣି ରାଧା କଇଁ କଇଁ ହେଇ କାନ୍ଦି ଉଠିଲା । ତାକୁ ତାର ଭୁଲଗୁଡ଼ାକ ଦେଖାଇ ତା’ ଉପରେ ବିରକ୍ତ ହବାପାଇଁ- ତା ଦୁଃଖରେ ଟିକିଏ ଗରମ ସହାନୁଭୂତି ଦେଖେଇ ତାକୁ ସବୁ କଥାରେ ପିଲାଙ୍କ ପରି ଗାଳି ମନ୍ଦ ଦେଇ ଆକଟ କରିବା ନାଗି ସେ ଯେମିତି ବହୁଦିନ ପରେ ଆଜି ଦୁନିଆ ଭିତରେ ଜଣେ ନୋକା ପାଇଲା । ତା’ ପେଟ ଭିତରର ସଞ୍ଚିଲା ଦୁଃଖ ଗୁଡ଼ାକ ଆଖି କୋରଡ଼ ବାଟେ ଉତୁରି ଆସିଲା । ସେ କୁଞ୍ଜିଆ ଛାତିରେ ମୁହଁ ଲୁଚେଇ କଇଁ କଇଁ ହେଇ କହିଲା- ସବୁଦିନେ ସେ ମୋତେ ଖାଲି ପଇସା ମାଗେ । ମୁଁ ନ ଦେଲେ ରୋଜ ମତେ ହାତ ଉଠେଇ ମାରେ । ମୋର ଗହଣା ପତର ହେଇ ଯାହା ଦିଖଣ୍ଡ ଥିଲା, ସବୁ ମତେ ମାଡ଼ ଫୈଜତ ଦେଇ ସେ ମୋଠୁ କୋଉଦିନରୁ ଛଡ଼େଇ ନେଇ ମଦ ଖାଇ ସାରିଲାଣି । ଦିନେ ଦିନେ ମୋ ହାତରେ ପଇସାପତ୍ର ନଥିଲେ ମୁଁ ତାକୁ ନାଇଁ କରିଦିଏ । ସେ କ’ଣ ଛାଡ଼ିବା ଜନ୍ତୁ ? ସେ ମୋ ବାକ୍ସ ପଟରା ଭାଙ୍ଗି ଯାହା ଯୋଉଠି ଥାଏ, ସବୁ ଜବରଦସ୍ତି କରି ନେଇଯାଏ । ମନାକଲେ ମାଡ଼, ଗାଳି, ଗୋଇଠା । ମତେ ଇଆ ଭିତରେ ପଚାଶଥର ମାରିସାରିବଣି ।

 

ପଚାଶ ଥର ? ତୁ ମତେ ଆଜିଯାଏ ଏକଥା କହିନାହୁଁ କିଆଁ ? ମୁଁ ସେ ବଦମାସଟାର ଖୁନ୍ ନିକାଲି ଦିଅନ୍ତିଣି । ରାଗରେ କୁଞ୍ଜିଆ କହିଲା ।

 

ରାଧା କିଛି କହିଲା ନାଇଁ, ତଳକୁ ମୁହଁ ପୋତି ରହିଲା ।

 

ଏଭଳି ଗୋଟାଏ ଲୋକକୁ ରାଧା କାହିଁକି ଘରେ ପୂରାଏ କୁଞ୍ଜିଆ ଜମା କିଛି ବୁଝିପାରିଲା ନାଇଁ । ସେ ଜାଣିଥିଲା ବେଶ୍ୟାମାନେ ପଇସାପାଇଁ ବେଉସା କରନ୍ତି । କିନ୍ତୁ ରାଧା ପାଖରେ ଦୁସୁରା କଥା ଦେଖି ସେ ତାଜୁବ୍ ହେଇଗଲା, ଖାଲି ବଲବଲ କରି ମୁହଁକୁ ଅନେଇ ରହିଲା । ତା’ପରେ ଖଟ ତଳେ ପଡ଼ିଥିବା ପୋଡ଼ା ଖଣ୍ଡିଆ ବିଡ଼ିଗୁଡ଼ାକୁ ଗୋଡ଼ ବୁଢ଼ା ଆଙ୍ଗୁଠିରେ ଅନ୍ୟମନସ୍କ ହେଇ ଦଳିବାକୁ ନାଗିଲା ।

 

ଖୋଲା ଝରକାବାଟେ ରାସ୍ତାର ଗ୍ୟାସ୍ ଆଲୁଅ ଆସି ରାଧାର ମଇଳା ବିଛଣାକୁ ଉଜାଲା କରି ଦେଇ ଯାଉଥେଲା ।

 

ବାହାରେ ଝିପି ଝିପି ହୋଇ ବର୍ଷା ପଡ଼ିଲା । ଟିଣ ଘର ଉପରେ ସାନ ସାନ ବର୍ଷା ଟୋପାଗୁଡ଼ାକ ବେଶ୍ ଗୋଏ ନିଦ ନଗା ନଗା ଅଳସ ମିଶା ଆବାଜ ସୃଷ୍ଟି କରିବାକୁ ନାଗିଲେ । ସେଇ ଆଡ଼କୁ କେତେବେଳ ପର୍ଯ୍ୟନ୍ତ କାନ ପାତି କୁଞ୍ଜିଆ କହିଲା -ଏମିତି ବର୍ଷାଦିନେ ଗଉରୀ କ’ଣ କରେ ଜାଣୁ ? ସେ ରନ୍ଧାବଢ଼ା ସାରି ଆସି ମୋ ପାଖେ ବସେ । କହେ, ତମେ ଶୋଇପଡ଼, ମୁଁ ତମ ମୁଣ୍ଡ ଉପରେ ବସି ସାରା ରାତି ଚେଇଁ ରହିବି । ମୁଁ କହେ, ନା, ନା, ତୁ ଶୋଇପଡ଼, ତୋ ମୁଣ୍ଡ ଉପରେ ବସି ସାରା ସତ ଚେଇଁ ରହିବି । ଶେଷରେ କେହି ଶୋଇପାରୁନା, ଖାଲି ପାଣିଚିଆ ଅନ୍ଧାର ଆଡ଼କୁ ଚାହିଁ ଦିହିଁକି ଦିହେଁ ସେମିତି ଚୁପ୍‍ଚାପ୍ ବସିରହୁ ।

 

ରାଧା ଗମ୍ଭୀର ହୋଇଗଲା । ତଥାପି ବାହାରେ ଟିକିଏ ହସିବାର ଛଳନା କରି କହିଲା- ମୁଁ ତ ଆଉ ଗଉରୀ ନୁହେଁ !

 

କୁଞ୍ଜିଆ କହିଲା- ନୋହୁ ସତ, କିନ୍ତୁ ତତେ ଦେଖିଲେ ମୋର କାଇଁକି ମନେହୁଏ ଯେ ତୁ ରାଧା ନୋହୁ- ତୁ ଗଉରୀ । ତୋ ମୁହଁଟି, ଆଖି ଯୋଡ଼ିକ, ହସ ଚାହାଣି ସବୁ ଅବିକଳ ତାରି ପରି, ଏତେ ଟିକେ ବି ତଫାତ୍ ନାଇଁ, କେଉଁଠି । ତତେ ଦେଖିଲେ ମୁଁ ସତକୁ ସତ ଗଉରୀକୁ ଭୁଲିଯାଏ ।

 

ରାଧା ଅଭିମାନ କରି କହିଲା, ଓଃ, ସେଇଥିପାଇଁ ତମେ ବୋଧେ ମୋ କତିକି ଆସ -ନା ? ମୋ ଚେହେରାଟା ଦେଖିବାକୁ ଗଉରୀ ପରି ହେଇ ନ ଥିଲେ ତମେ ବୋଧେ ମୋ କତିକି ଆସୁ ନ ଥାନ୍ତ ଜମା- ନା ?

 

କୁଞ୍ଜିଆ ଏତେ ଗହୀର କଥା ଭିତରକୁ ପଶିପାରେ ନାଇଁ ! ସେ କ’ଣ ଉତ୍ତର ଦବ କିଛି ସମୟଯାଏ ଠିକ୍‍ କରିପାରିଲା ନାଇଁ । ଶେଷରେ କହିଲା -ନା ।

 

ଦୁଃଖରେ, ଈର୍ଷାରେ ରାଧାର ମୁହଁଟା ଫିକା ପଡ଼ିଗଲା । ସେ କିଛିକ୍ଷଣ ଚୁପ୍ ହୋଇ ରହି କହିଲା, କାଇଁକି, ମୋର କ’ଣ ତା’ହେଲେ ନିଜର କିଛି କାମ ଦାମ ନାଇଁ ? ମୁଁ କ’ଣ ଗୋଟାଏ ଅଲଗା ମଣିଷ ନୁହଁ ? ମୋର କ'ଣ ନିଜର ତା’ହେଲେ ଅଲଗା ବୋଲି କିଛି ଗୋଟାଏ ଜିନିଷ ନାଇଁ ?

 

କୁଞ୍ଜିଆ ବୁଝିପାରିଲା, ରାଧା କ’ଣ ଗୋଟା ବଡ଼ ଖାଣ୍ଟି କଥା କହୁଛି । କିନ୍ତୁ ତା କଥାରୁ ସେ କିଛି ଭଲକରି ବୁଝିପାରିଲା ନାହିଁ । ସେ କଥାଟାକୁ ବାଆଁରେଇ ଦବାନାଗି କହିଲା-ନା, ନା, ମୁଁ ସେମିତି କହୁଥେଲି ନା !

 

ରାଧା ଗମ୍ଭୀର ହେଇ କହିଲା- ମୁଁ ତମକୁ ପହିଲୁ ଦେଖିଲାଦିନୁ ତମ ମୁହଁରୁ ଖାଲି ଗଉରୀ ଛଡ଼ା ଅନ୍ୟ କିଛି କଥା ଶୁଣିନାହିଁ । ତମେ ମତେ ହଜାରଥର କହିଚ ଯେ ମୁଁ ଦେଖିବାକୁ କୁଆଡେ ଠିକ୍ ଗଉରୀ ପରି ଆଉ ସେଇଥିପାଇଁ, ତମେ ମୋ ପାଖକୁ ଆସ । ଏ କଥା କ’ଣ ସତ ?

 

କୁଞ୍ଜିଆ ବୋକାଙ୍କ ପରି ମୁଣ୍ଡ ଆଉଁସି ଆଉଁସି ଜବାବ ଦେଲା- ହଁ, ସତ ! ମୁଁ ତତେ ଗଉରୀ ପରି ଆପଣାର ନୋକ ବୋଲି ଭାବେ ।

 

ରାଧା କହିଲା- ମୁଁ ତମକୁ କହିଦଉଚି, ମୁଁ ଗଉରୀର ଛାଇ ନୁହଁ । ମୁଁ ରାଧା । ମୁଁ କାହାର ନକଲ ନୁହଁ । କାହାର ନକଲ ହବାକୁ ମୁଁ ଚାହେଁ ନାଇଁ ।

 

ରାଧା ଅଭିମାନରେ, ଅହଂକାରରେ ଫୁଲି ଉଠିଲା । ରାଧା ଯେ ବଂଚିଛି, ସେ ଯେ ଗୋଟା ସ୍ଵତନ୍ତ୍ର ମଣିଷ, ଏଇ କଥାଟାକୁ ବଡ଼ ଜୋରରେ ତା’ର ଆହତ ନାରୀତ୍ଵ ଆଜି ଘୋଷଣା କରିବାକୁ ଚାହୁଁଥିଲା ସତେ କି ଅବା ! ଯେଉଁ ଶସ୍ତା ଦିହଟାକୁ ସେ ମାଉଁସ ଓଜନ କଲାପରି ବଜାରରେ ବିକ୍ରି କରେ, ତାରି ଭିତରୁ କିଏ ଯେମିତି ସତେ ପାଟିକରି ଉଠୁଥିଲା–ରାଧା.....ରାଧା । ସେ କାହାର ନକଲ ନୁହ । ସେ ଗଉରୀ ବା ଅନ୍ୟ କାହାର ମୁଖା ପିନ୍ଧି ତାର ଦୟାରୁ କୁଞ୍ଜିଆଠୁ ସ୍ନେହ ସରାଗ ଭୁଲେଇ ନବାକୁ ଚାହେଁ- ନାହିଁ । ସେ ନିଜେ ଯାହା, ସେଇଥିପାଇଁ ଯେବେ କିଏ ତାକୁ ସୁଖ ନପାଇଲା, ତେବେ ସେମିତି ସୁଖ ପାଇବାରେ ତାର ଦରକାର କ'ଣ ? ଗରଜ ପଡ଼ିଚି ତା’ର ସେମିତି ଲୋକଙ୍କ ଠେଇଁ ଯାଇ ଯାଚିଗୁଞ୍ଜି ହେଇ ପଶିବାକୁ ? ସେ କାହିଁକି ଅନ୍ୟଠୁ ଧାର ଆଣିଥିବା ଦରବରେ ଜଣକୁ ଭୁଲେଇ ନେଇ ଥଇତି ମଇତି ହବ ? ଛି !! ଛି !!

 

କୁଞ୍ଜିଆ ରାଧା କଥାଗୁଡ଼ାକ ଜମାରୁ କିଛି ବୁଝିପାରିଲା ନାଇଁ ।

 

Xxx

 

କିଛିଦିନ ପରେ କୁଞ୍ଜିଆ ଯଇ ଦେଖିଲା, ରାଧା ଦୁଆରେ ଗୋଟାଏ ରିକ୍‍ସା ଥୁଆ ହେଇଚି, ଆଉ ରାଧା ଘର ଭିତରେ ତା’ର ଜିନିଷପତ୍ର ସଜାଡ଼ିବାରେ ନାଗିଚି । ଟ୍ରକ ବାକ୍ସ, ପେଟରା, ବିଛଣା ସବୁ ବନ୍ଧା ସରିଲାଣି ।

 

କୁଞ୍ଜିଆ ଅବାକ୍ ହେଇ ପଚାରିଲା- ଇଏ କଣ କରୁଛୁ ତୁ ?

 

ରାଧା ବିଛିଣା ଗୁଡ଼େଇ ସେଥିରେ ଦଉଡ଼ି ବାନ୍ଧୁ ବାନ୍ଧୁ ଜବାବ ଦେଲା–ମୁଁ ଶାମବଜାରକୁ ଉଠିଯାଉଚି ।

 

ସରିଫ୍ ସେଠି ଗୋଟିଏ ଘର ଭଡା ନେଇଚି , ଆମେ ଦୁହେଁ ସେଇଠି ଏକାଠି ରହିବୁ ।

 

କୁଞ୍ଜିଆ କହିଲା–ତୁ ସେଇ ମାତାଲଟା ସାଙ୍ଗରେ ଯାଇ ରହିବୁ ? ତତେ ପରା‌ ସେ ଏତେ ମାର୍ ପିଟ୍ କରେ, ତୋର ଗହଣା ପତ୍ର ପରା ସେ ଛଡ଼େଇ ନେଇ ବିକି ଭାଙ୍ଗି ମଦ ଖାଇ ଦେଇଚି ? ତୁ ସେଇ ବଦ୍‌ମାସ୍‌ଟା ସାଙ୍ଗରେ.....

 

ହଁ ସେଇ ବଦମାସ୍ ସାଂଗରେ ମୁଁ ରହିବି, ରାଧା କହିଲା । ସେ ମାତାଲ୍, ମତେ ମାରଧର କରେ ମୁଁ ମାନୁଚି । କିନ୍ତୁ କାହିଁକି ସିଏ ମତେ ଇମିଚି ମାରଧର କରିବାକୁ ସାହସ କରେ ? ମତେ ସେ ନିଜର ବୋଲି ଭାବୁ ନ ଥିଲେ ମୋ ଉପରେ ତାର କଣ ଏତେ ବଳ ପାଆନ୍ତା ? ପରଲୋକକୁ କିଏ କଅଣ କଥା ପଦେ ଟାଣିକରି କହିବାକୁ ସାହସ କରେ ? ମୁଁ ଖାନୀକି, ମୁଁ ଦାରିଆଣୀ ସତ, କିନ୍ତୁ ତା ପାଖରେ ମୁଁ ଗୋଟାଏ ଜିଅନ୍ତା ମଣିଷ । ଖନିକୀ ରାଧା ବଂଚିଚି ବୋଲି ସେ ଜାଣେ । ସେଇଥିପାଇଁ ମୋର ଭୁଲ ଦେଖିଲେ ସେ ମୋ ଉପରକୁ ହାତ ଉଠାଏ ।

 

ତା'ପରେ ସେ ଦର୍ପଣ ସାମନାରେ ନିଜର ଶାଢ଼ୀର ପିନ୍‌ଟାକୁ ଠିକ୍‍ କରୁ କରୁ କହିଲା, ତୁମ ପାଖରେ ମୁଁ ଗୋଟାଏ ଛାଇ, ଆଉ ଜଣକର ଭୂତ, ତାର ନକଲେ ମୁଁ ନିଜେ କେହି ନୁହଁ । ଏତେ ପର ବୋଲି ଭାବ ତମେ ମୋତେ ?

 

ତମେ ତ ରାଧାକୁ ଭଲପାଅ ନାଇଁ । ତମେ ତା ଭିତରେ ଗଉରୀକୁ ଭଲପାଅ । ନୁହଁ ? ହେଇପାରେ ଗଉରୀ ତମର ସତୀ ସାବିତ୍ରୀ, ଆଉ ହେଇପାରେ ରାଧା ବଜାରର ବେଶ୍ୟା । ହେଲେ. ମୁଁ ନିଜେ ଜଣେ କେହି, ଏ କଥା ତ ତମେ ବୁଝିଲ ନାଇଁ ଜମା ।

 

କୁଞ୍ଜିଆ କଣ ଜବାବ ଦବ ସେଇକଥା ଭବୁଥିଲା । ହଠାତ୍ ରାଧା କହିଲା- ବାହାରକୁ ଆସ, ମୁଁ ଘରେ ତାଲା ଦେଇ ଘରବାଲାକୁ ଚାବି ବୁଝେଇଦେବି ।

 

ରିକ୍‍ସାବାଲା ଜିନିଷପତ୍ର ନେଇ ରିକ୍‍ସା ଉପରେ ରଖିଲା । ରାଧା ରିକ୍‌ସା ଉପରେ ବସି କୁଞ୍ଜିଆ ଆଡ଼କୁ ଚାହିଁ ନୁଗା ପଣତରେ ନୁହ ପୋଛିଲା ।

 

Xxx

 

ତହିଁ ଆରଦିନ ଦି'ପହରେ ଘମାଘୋଟ କାମ ଚାଲିଛି; କୁଞ୍ଜିଆ ରୋଲର ଟାଣୁ ଟାଣୁ ସମସ୍ତଙ୍କ ସାଙ୍ଗରେ ପାଟିକରି ଡାକୁଚି-

 

ହେ ଲେ ସା

 

ଏତିକିବେଳେ କୁଞ୍ଜିଆ ଗାଁର ସଦାନନ୍ଦ ବେହେରା ଆସି ତା କାନ ପାଖରେ ଖବର ଦେଲା ଯେ, ସେ କଲିକତାରେ ଗୋଟାଏ ମାଇକିନିଆ ନେଇ ରହିଲାଣି ବୋଲି ଶୁଣି ଗଉରୀ ଦୂତିଅ ହେଇଗଲାଣି । ଗଲା ମଗୁଶିର ଅମେଇସିଆ ଦିନ ସେ କେଉଟସାହି ହରିଆ ମହାରଣା ପୁତୁରା ଚେମା ମହରଣା ସଙ୍ଗେ ନଡ଼ା ବିଡ଼ାକରେ ।

 

ବସିପଡ଼ିଲା ।

କୁଞ୍ଜିଆ ଦଣ୍ଡେ ଠିଆହେଇ କ'ଣ ଭାବିଲା ! ତାକୁ ଅନ୍ୟମନସ୍କ ଭାବରେ ପଛକୁ ପଡ଼ି ଯାଉଥିବାର ଦେଖି ସାଙ୍ଗଭାଇମନେ ତାକୁ କଷିକରି ପଛରୁ ଗୋଟାଏ ଧକା ମାଇଲେ ।

 

କୁଞ୍ଜିଆ ପୁଣି ଚେତା ପାଇ ଲୁହା ରୋଲର ଟାଣୁ ଟାଣୁ ପଡ଼ା କମ୍ପାଇ ପାଟି କରି ଉଠିଲା-

 

ହେ ଲେ ସା ।

Image

 

ପିମ୍ପୁଡ଼ି

ଗୋପୀନାଥ ମହାନ୍ତି

 

ଧୀରେ, ଧୀରେ, ଧୀରେ- ସବା ଉପରେ ପହଞ୍ଚିବାକୁ ଆଉ ବାର ହାତ ବାକି ଅଛି, ଗୋଟା'କ ପଛେ ଗୋଟାଏ ହୋଇ ଉପରକୁ ଉପରକୁ ଚାଲିଛି ପାଦ ଦି’ଟା, ଗୋଡ଼ର ପେଣ୍ଡା ଓ ଜଙ୍ଘ ଯେପରିକି ଫାଟି ପଡ଼ିଲାଣି, ଛାତି ଭିତରେ ଧୂଡ଼ମୁଶ୍ ଚାଲିଛି, ମୁଣ୍ଡର ଟୋପି ଫନ୍ଦରେ ଝାଳଗୁଡ଼ାକ ଝଲୁଛି ଓଳିରୁ ବର୍ଷପାଣି ପରି, ହାଫ୍ ପ୍ୟାଣ୍ଟ ହାଫ୍ କମିଜ ଓଦା ସର ସର, ତଥାପି ଟେକି ହେଲାପରି ଚାଲିଛି ଦେହଟା, ଲାଗୁଛି ସତେକି ପବନରେ ଆଉଜିଛି । ପର୍ବତର ମହୁଡ଼ ହୋଇଗଲା, ରମେଶ ଅଟକିଲା ।

 

ବଡ଼ ଗଛର ବଣ କାଇଁ ତଳେ ରହିଲାଣି, ଉପରୁ ଦଶୁଚି କଳାଘୁମର, ଯେପରିକି ପାତାଳକୁ ଓହ୍ଲେଇଯାଇଛି ଅଗନାଗ୍ନି ବନସ୍ତ । କିନ୍ତୁ ଉପରେ ଲଣ୍ଡା ଚଟାଣ, କରେ କରେ ଘାସ, ଚାରିପାଖେ ଆକାଶ ।

 

ପର୍ବତ ଚଢ଼ିବା ଖୁବ୍ କଷ୍ଟ ସେ ଆପଣା ପାଖେ ସ୍ୱୀକାର କଲା, ଦଳର ଅନ୍ୟମାନଙ୍କ ଆଗରେ ସେକଥା କହିବାକୁ ଲାଜ ମାଡ଼େ । ବୟସରେ ସେହି ତ ଟୋକା, ସେମାନେ ବୁଢ଼ା ବା ଦରବୁଢ଼ା; ତା ଛଡ଼ା ସେ କର୍ମଚାରୀ ଅଧିକାର ଲୋକ, ଯେତେ କଷ୍ଟ ପାଉ, ତଳି ଓଠରେ ଦାନ୍ତ ମାଡ଼ିଦେଇ କାଠପରି ରହିବା ତା'ର କର୍ତ୍ତବ୍ୟ । ଓଲଟି ସେମାନଙ୍କୁ କହେ, “କଣ ତୁମେ ଏତିକିରେ ଥକିଗଲ ? ସରୁଆ ନହକା ଭେଣ୍ଡିଆ ଲୋକ, ଜୋତାମଡ଼ା ପାଦରେ ଦାଢ଼ୁଆ ଗୋଜିଆ ପଥର ଉପରେ ଖଟ୍ ଖଟ୍ ଡେଇଁ ଆଗେ ଆଗେ ଚାଲିଯାଏ ।

 

ଇଞ୍ଜିନ ପରି ସଁ ସଁ ହୋଇ ଉପରକୁ ଉଠି ଆସୁଛି ଚପରାସି ବିନୁ, ଓଡ଼ିଆ ରମେଶ ଉପରେ ଠିଆହୋଇ ଅପେକ୍ଷା କଲା । ଚିନୁର ପ୍ରକାଣ୍ଡ ଠେକା ଧୀରେ ଧୀରେ ବଡ଼ ହୋଇ ହୋଇ ଉପରକୁ ଉଠୁଛି, ଯେପରି କି ଗୋଟାଏ ମାଟିଆ ବର୍ଣ୍ଣର ଅତିକାୟ ଛତୁ । ତା ତଳେ କଳା ମିଶ୍‌ମିଶ୍ ଗେଟମ୍ ଗାଟମ୍ ଲୋକଟି, ନାକରେ କାନରେ ସୁନା ନୋଳି, ଦେହରେ କୋଟ ପ୍ୟାଣ୍ଟ, ବନ୍ଧୁକ ବୋହିଛି ଓ ପିଠିରେ ଫ୍ଲାସ୍କ ଝଲେଇଛି । ବିନୁ ଉପରେ ଆସି ଠିଆ ହୋଇ

 

ହାଁ ହାଁ ହେଲା । ପାଟି କଲା, “ଏହି ତେରେବେରେ ଓ ଦୁଡ଼େ ।’ ରମେଶ ପଛଆଡ଼େ ତା’ର ସାଇନ୍‌ବୋର୍ଡ଼ ପରି ଠିଆହୋଇ ରହିଲା ଚପରାସି ।

 

ତଳୁ ସମସ୍ଵରରେ ଗୀତ ଶୁଭୁଛି, ଗୀତର ଗହଳି ଘୋଷା ଲହରେଇ ଉଠୁଛି, “ବାଇଲେ,- ବାଇଲେ–।”

 

ଆଗ ଜଣେ, ତା’ପରେ ଦି ଜଣ, ତା’ପରେ ଏକାଠି ଆଠଜଣ ଭାରୁଆଙ୍କ ଚେହେରା ଫୁଟି ବାହାରିଲା ଡେଙ୍ଗା ଘାସ ଉହାଡ଼ରୁ କୌପୀନ ପିନ୍ଧା କନ୍ଧ ଲୋକ, ଖାଲି ଦେହ । ଗୀତ ବନ୍ଦ ହେଲା । ବିନୁ ପାଟିକଲା, ‘‘ଖାଲି ଅଳସୁଆଗୁଡ଼ାକ, ଯେତେ ଗାଳିଦେଲେ ଖାଲି ପଛରେ ପଡ଼ିଥିବେ ।’’ ‘‘ବୁଢ଼ା ହୋଇଗଲୁ ବେ ଆଜ୍ଞା”, ଜଣେ କିଏ ଉତ୍ତର ଦେଲା । ଲାଗିଲା ତାଙ୍କର ହସ, ସେମାନେ ଖଣ୍ଡେ ଛାଡ଼ି ବସିପଡ଼ି ପିଙ୍କା ଲଗେଇଲେ ।

 

ବିନୁ ଫ୍ଲାସ୍କ ଖୋଲି ଚା' ଦେଲା । ଗୋଟିକିଆ ଅଁଳା ଗଛ ତଳେ ବସିପଡ଼ି ରମେଶ ଚା’ ପିଉ ପିଉ ପଚାରିଲା, “ଆଉ କେବେ ଏବାଟେ ଆସିଥିଲୁ, ବିନୁ ?”

 

“ଆଉ ଥରେ ଆସିଥିଲି ଦି’ବର୍ଷ ତଳେ, ତା ଆଗରୁ ତ ଅନେକ ଥର ।”

 

“ଆଉ କେହି ଅଧିକାରୀ ଏବାଟେ ଚାଲି ଚାଲି ଆସିଥିଲେ ?”

 

“କେତେ ଆସିଲେ ଆଜ୍ଞା', ଏ ତ ହାଟକୁ ଯିବାକୁ ପାଖବାଟ, ଯା ଆସ ହୁଏ ।”

 

ରମେଶର ଅତ୍ମାଭିମାନ ଦବିଗଲା । ପିଲାଦିନୁଁ ଏପର୍ଯ୍ୟନ୍ତେ ସବୁଠୁ ବେଶୀ ଆନନ୍ଦ ସେ ପାଇଆସିଛି ସମସ୍ତଙ୍କ ଆଗରେ ରହିବାରେ । ଆଉ, ସେହି ତ ଉପାୟ ସଂସ୍ଥାନ ପାଇଁ, ପ୍ରତିଷ୍ଠା ପାଇଁ । ଉତ୍ତର ବାଲେଶ୍ଵରର କାହିଁ ଏକ ଖଣ୍ଡ ମଫସଲରେ ଗୋଟିଏ ଦରିଦ୍ର ପରିବାରରେ ତା’ର ଜନ୍ମ । କେତେ ସାଙ୍ଗୀ ଅଟକିଗଲେ ଗାଁ ଚାଟଶାଳୀରେ, କେତେ ପୁଣି ରହିଗଲେ କଲେଜ ଏପାଖେ, ତା ଗାଁରୁ ସେ ଏକା କଲେଜ ଅତିକ୍ରମ କଲା, ତା ବି ସମ୍ଭବ ହେଲା ସ୍କଲରସିପ ବଳରେ । ପ୍ରତିବର୍ଷ ପ୍ରାଇଜ ବହି, ପରୀକ୍ଷାରେ ଫଳ, ସ୍କଲରସିପ, ମେଡାଲ, ଜୀବନର ବାଙ୍କେ ବାଙ୍କେ ଗଡ଼ଜିତା ସାଫଲ୍ୟ ଏତିକି, ରମେଶ ତା’ର ସ୍ମୃତିରେ ଗର୍ବିତ । ତା’ପରେ ଦିନେ ସେ ଚାକିରିରେ ଯୋଗ ଦେଲା । ଅଚିହ୍ନା ଲୋକେ ଚିହ୍ନି ହେବାକୁ ଆସି ଦଣ୍ଡବତ କଲେ, ଚପରାସି ସଲାମ ଦେଲା, ସଞ୍ଜ ବୁଡ଼େ ଇନ୍‌ସ୍ୟୁରେନ୍‌ସ ଏଜେଣ୍ଟ ଜଗିବାକୁ ଆସି ଚା ଖାଇବାକୁ ନିମନ୍ତ୍ରଣ କରିଦେଇ ଗଲେ, ବିଭାଘର ସମ୍ବନ୍ଧ ଆସିଲା, ସାଙ୍ଗ ପଢ଼ୁଆ ଉମେଶ ଆସି ସ୍ପଷ୍ଟ ପଚାରିଗଲା ‘‘ଭାଇ, ତୋ ବାହାଘର ବିଷୟରେ କାହା ସଙ୍ଗେ କଥାଭାଷା ହେବା କହିଲୁ ଟିକିଏ ।” ଦଣ୍ଡବତ, ଦଣ୍ଡବତ, ଚାରିଆଡ଼େ ଦଣ୍ଡବତ । ବ୍ୟକ୍ତିଗତ ଉଦ୍ୟମର ପରଖା ପରଖିରେ ପ୍ରଥମ ଜିତାଜିତି, ତା’ର ଆତ୍ମାଭିମାନ ପାଲଟିଲା ଆତ୍ମବିଶ୍ଵାସ । ରମେଶ ବୁଝିଲା, ସେ ଜଣେ କେହି ।

 

ତା’ର ପଟ୍ଟଭୂମିରେ ସେ ଅଗଣିତ ଲୋକେ, ଯେଉଁମାନେ କେହି ନୁହନ୍ତି ।

 

କିନ୍ତୁ ପଦେ ପଦେ ଖେଣ୍ଟା ଲାଗେ ଯେତେବେଳେ ସେ ଦେଖେ, ଯେତେ ଆଗକୁ ମାଡ଼ିଲେ ବି ତା ପୂର୍ବରୁ ଅନେକ ଆହୁରି ଆଗକୁ ଯାଇଛନ୍ତି, ଯେତେବେଳେ ଦେଖିଲେ ଆଗରେ ଅନେକେ, ଆଉ ତାଙ୍କୁ ଚାହିଁଲେ ସେ ଅତି ନଗଣ୍ୟ ।

 

ଅନ୍ତତଃ ପର୍ବତ ଚଢ଼ିଲା ବେଳେ ଏପରି ଲାଗୁଥିଲା; ଯେପରି ତା’ର ସଭ୍ୟ ଗୋଷ୍ଠୀରୁ ସେ ଏକା ଆସିଛି ପ୍ରଥମ ହୋଇ । ସତ ନ ହେଲେ ବି କଳ୍ପନା କରି ଆନନ୍ଦ ପାଉଥିଲା । ‘ଚା' ଦେଉ ଦେଉ ବିନୁ କହୁଛି- “ଏଇ ପର୍ବତ ଉପରେ ସେଥର ବଡ଼ ସାହେବ ଛାଉଣି ପକେଇଥିଲା, ରହିଗଲୁ ଏଠି ପାଞ୍ଚଦିନ । ସତେକି ସହର ବସିଥାଏ । ଆଉ କି ଶିକାର, କି ନାଟ ତାମସା, କେତେ କଥା ।”

 

ହଁ, ମଣିଷ ଆସିଛନ୍ତି, ମଣିଷ ଯାଇଛନ୍ତି, ଯଦିଚ ଦେଖିଲେ ଲାଗୁଛି ଏ ଅନ୍ଧାରି ବଣ ସବୁଦିନ ଏହିପରି ଅନ୍ଧାରୁଆ ।

 

‘‘ସେକାଳର ବଣ ଆଜ୍ଞା, କାହିଁ ଆଉ ସେ !” ବିନୁ କହିଲା, “ଭାରି ବଣ ଥିଲା, କିନ୍ତୁ ଯେ ଜନ୍ତୁ କହିଲେ ନସରେ । ସେ ବଣ ସରିଗଲା, କନ୍ଧମାନେ ହାଣିପକେଇଲେ । ଏଇଠି ଥିଲା କେତେ କନ୍ଧ ଗାଁ, ବଣ ସରିବାରୁ ବାଘ ଧରି ଧରି ଖାଇଲା, ସେମାନେ ଉଠିଗଲେ ।''

 

“ଏକାଳେ ବଣ ନାହିଁ, ଆଉ ଏଗୁଡ଼ା କ'ଣ ?”

 

“କଟା ହୋଇ ଫେର ବଢ଼ିଯାଇଚି, ଯେତେ ବଢ଼ିଲେ ସେ ବଣ ଆଉ କାହୁଁ ହେବ ?”

 

ମଣିଷ ଆସିଛି, ବଣ ଭିତରକୁ ଭେଦିଛି, ଫେର ହଟିଯାଇଛି, ଫେରି ଆସିଛି । ବଣ ପାହାଡ଼ରେ ବି ତା’ର ସୁଖଦୁଃଖର ଧାର ନିଭିନାହିଁ, ଛପି ରହିଛି , ଘଞ୍ଚ ଜଙ୍ଗଲ ତଳେ ତଳେ ଗୋଡ଼ି ସାଲୁ ସାଲୁ ସରୁ ଝରଣାର ଧାର ପରି।

 

ରମେଶର ଆତ୍ମଚେତନା ଉଦାସ ହୋଇ ଧିମେଇଁ ପଡ଼ିଲା ସେହି ଗଣ ଚେତନାରେ ।

 

ଭଙ୍ଗା ବିସ୍କୁଟର ଗୁଣ୍ଡ ଗୋଟେଇବାକୁ ସରୁ ହୋଇ ପିମ୍ପୁଡ଼ି ଧାରଟିଏ ଲାଗିଗଲଣି, ରମେଶ ଚମକିପଡ଼ି ନିଘା କଲା । ହସିଦେଇ ମନକୁ ମନ କହଲା, “ଖାଲି ମଣିଷ ନୁହନ୍ତି, ପିମ୍ପୁଡ଼ି ବି ।” ଚାରି ହଜାର ପୁଟ ପର୍ବତ ଉପରେ ମଣିଷର ଗୃହସ୍ଥଳିର ସାଥୀ ପିମ୍ପୁଡ଼ି ବି ରହିଛି । ସାମାନ୍ୟ ପିମ୍ପୁଡ଼ି ଯେପରିକି ତା’ର ଏ ପର୍ବତ ବୁଲାର ଅସଲ ଉଦ୍ଦେଶ୍ୟ ତାକୁ ସ୍ମରଣ କରେଇଦେଲା । ଠିଆ ହୋଇପଡ଼ି ସେ ପଚାରିଲା–‘‘ବିନୁ, ଚାଉଳ ଚୋରି ଧରିବା ତ ?’’

 

“ତା ଆଉ ଧରିବା ନାଇଁ ? ଯୋଉବାଟେ ଗଲେ ବି ଚାଉଳ ବାହାରିବ ଯାଇ କସ୍ଫାୱଲାସା ହାଟରେ । ଅଇଛା ୧୦ଟା ବାଜିଛି, ଏଇ ଢାଲୁଟା ଓହ୍ଲେଇ ପଡ଼ିଲେ ଆମେ ସେଠି ପହଞ୍ଚିବା ଦି'ଟା ଆଗରୁ । ତା'ପରେ ତ ଗୋଟିକି ଗୋଟି ଧରିପକେଇବା, ଯିବେ କୁଆଡ଼େ ?”

 

“ବେଶ୍, ଚାଲ ତେବେ, ଆଉ ଡେରି ନାହିଁ ।’’ ଏଠି ବି ବିଶ୍ରାମ ମିଳିବ ନାହିଁ ଜାଣି ବିନୁ ବିରକ୍ତ ହେଲା । କିନ୍ତୁ ଉପାୟ ନାହିଁ । ଯାହା ଜାଣିଥିଲା ପୁଞ୍ଜାଏ ପାଞ୍ଚଟା କନ୍ଧ ବୋଲି, ତାହାର ବାହାଦୂରି ଦେଖାଇ କନ୍ଧ ବୋଝିଆଙ୍କ ଉପରେ ଗର୍ଜନ କଲା ‘‘ହେଇ, ତେରେବେରେ ହାଲା ମୁଡ଼େ (ଯାଅ) ?”

 

କନ୍ଧଲୋକେ ଗର୍ ଗର୍ ହେଲେ । ଭଲ କଥା, ଟିକିଏ ବିଶ୍ରାମ ନାହିଁ, ଖାଲି ଦୌଡ଼ ଦୌଡ଼ । ମାଙ୍କଡ଼ ଖେଙ୍କିଲା ପରି ଆଦିମ କୁଲି କନ୍ଧ ଭାଷାରେ ବିନୁ ଓ ତା’ର ପୂର୍ବପୁରୁଷଙ୍କୁ ଗାଳି ବଖାଣିଲେ । ସେମାନେ ଜାଣନ୍ତି, ତାଙ୍କର ଭାଷା ଏ ବୁଝିବେ ନାହିଁ । ଏମାନେ ଖାଲି ହୁକୁମ ଦେବେ, ବୋଝ ବୁହ, ପାଣି ଆଣ, କାଠ ଆଣ । ଏତିକି ପ୍ରକାଶ କରିବାକୁ କେତେଟା କନ୍ଧ ଶବ୍ଦ କେହି କେହି ଜାଣନ୍ତି, ବିନୁ ବି ଜାଣେ, ସୁତରାଂ ତାକୁ ମନ ଖୋଲି ଗାଳିଦେଲେ କ୍ଷତି ନାହିଁ । ଆପଣା ଭିତରେ କୁହାକୋହି ହେଲେ–ଅଚ୍ଛା ବାୟା ଲାଗିଛି ୟାଙ୍କୁ ଯେ, ଏ ଦେଶର ଚାଉଳ ସେ ଦେଶର ଲୋକ କିଣି ନେଉଛନ୍ତି ବୋଲି ଏମାନେ ବଣ ଚକଟି ଚକଟି ମୂଷା ଧରିବାକୁ ଧାଇଁଛନ୍ତି । ଭୋକ ତ ସମସ୍ତିଙ୍କି କରିବ, ସେଥିରେ ଏ ଦେଶ କଣ ସେ ଦେଶ କ’ଣ ? ଯାହାର ଯାହା ଦରକାର ସେ ଯଦି ତାକୁ କିଣିବାକୁ ଆସିଲା, ସେଥିରେ ଅପରଧଟା କଣ ହେଲା ? ଭଲ, ଏ ଦେଶଟା ବି କାହାର ? ଚାଉଳ ବା କମୋଉଛି କିଏ ? ନା, ଏମାନଙ୍କ ନ୍ୟାୟଟା ଭିନେ । ସେ ନ୍ୟାୟରେ ମଦ ରାନ୍ଧିଲେ ଦୋଷ, ବଣ ହାଣିଲେ ଦୋଷ, ଚାଉଳ କିଣିଲେ ଦୋଷ, ବୋଝ ବୋହି ବୋହି ଦି’ଦିନ ବାଟ ଚାଲି ହାଲିଆ ହୋଇ ବସିପଡ଼ିଲେ ଦୋଷ । କଥା ଗପିବାକୁ ବେଳ ନାହିଁ, ଚପରାସି ଗାଳି ଦେଲାଣି, ବାବୁ ବି ମାଡ଼ି ଚାଲିଲାଣି ଆଗେ ଆଗେ । କନ୍ଧଲୋକ ଉଠି ପଡ଼ିଲେ । ଆପଣାର ସବୁ ଅଭିଯୋଗକୁ ଏକାଠି ଗୁନ୍ଥି ଗୀତ ଫାନ୍ଦିଦେଲେ । ତା ପଛରେ ତୁହାଇ ତୁହାଇ ସେହି ଏକା ଘୋଷା–

 

“ବା’ଇଲେ-ବା’ଇଲେ-”

 

ସାମ୍ନାରେ ମହାବଣ, ତାହାରି ତଳେ ତଳେ ପର୍ବତ ଢ଼ାଲୁରେ ଛପିଲା ସୁଡ଼ଙ୍ଗ ପରି ତଳକୁ ତଳକୁ ବାଟ । ପଛରୁ ସମସ୍ଵରରେ କନ୍ଧ ଗୀତ ରମେଶକୁ ଆନନ୍ଦ ଦେଉଥିଲା । କେତେ ସୁନ୍ଦର ଶୁଭୁଛି । କ’ଣ ତା’ର ଅର୍ଥ ହୋଇଥିବ, ନିଶ୍ଚୟ କୌଣସି ଏକ ଜାତୀୟ ଗାଥା ।

 

“ବିନୁ !” ରମେଶ ରଡ଼ିଲା ।

 

ମନେ ମନେ ତାକୁ ଗାଳି ଦେଇ ଦେଇ ପଥର ଉପରେ ଟଳି ଟଳି ହୋଇ ବିନୁ ତା ପାଖକୁ ଚମକି ଗଲା । ତାର ବୟସ ପଞ୍ଚାବନ, ମୁଣ୍ଡ ମଝିରେ ଚନ୍ଦା, ଛ'ଟି ଦାନ୍ତ ପଡ଼ିଗଲାଣି । ଏ ବୟସରେ ପାହାଡ଼ ଚଢ଼ା ତା ଦେହକୁ ସୁହେ ନାହିଁ, ଦେହ ଖୋଜେ ସୁସ୍ଥ ମଠ ମଠ ଚାଲି । କିନ୍ତୁ ଏ ଟୋକା ଅଧିକାରୀ ତରତର କରିଦିଏ, ଅମଡ଼ା ମଡ଼ାଏ, ଆପେ ବାୟା, ପରକୁ ବାୟା ଲଗାଏ । ବିନୁର ଖାଇବାକୁ ଅଭାବ ନାହିଁ, କିନ୍ତୁ ଚାକିରି ଚାଲିଗଲେ ତାର କ୍ଷମତା ଚାଲିଯିବ, କଳାହରଣ ହୋଇ ସେ ହେବ ସାମାନ୍ୟ ଏକ ଦେଶୀୟା, ଜୀବନଯାକ ବାଘ ପଛେ ପଛେ ବିଲୁଆପରି ସେ ଦେଶୀୟାଙ୍କ ଉପରେ ଚରିଛି, ପୁଣି ନିଜେ ଦେଶୀୟା ହୋଇ ପଡ଼ି ରହିବାକୁ ହେବ ଭାବିଲେ ଜୀବନ ଉପରେ ଧିକ୍‌କାର ଜନ୍ମେ । ସେହି ଭୟରେ ବିନୁ ପାହାଡ଼ ଚଢ଼େ ।

 

“ବିନୁ, ଏମାନେ ଭାରି ସୁନ୍ଦର ଗୀତ ଗାଉଛନ୍ତି ।”

 

“ଭାରି ସୁନ୍ଦର ଆଜ୍ଞା !”

 

“କଣ ୟାରମାନେ ?”

 

ବିଜ୍ଞଲୋକ ପରି ପଗଡ଼ି ହଲେଇ ଦି’କଳ ପାନ ଭିତରୁ ଅବୁଝା କନ୍ଧା ଗୀତର ଅର୍ଥ ଫାନ୍ଦିଦେଇ ବିନୁ କହିଲା, “ଏଇଟା ସେଇ ଚଇତ୍ ପରବର ଗୀତ, ଆଜ୍ଞା !”

“କଣ ୟାର ମାନେ ?”

 

ଖାଲି ଧାଂଡ଼ାଧାଂଡୀ କଥା, ସେଇ ପୁରୁଣା କଥା - ଯେମିତି କହନ୍ତି ନାଇଁ -ତତେ ଦେଖି ମୋର ବଡ଼ ଶରଧା, ଏ ଜାଇଫୁଲ । ତୁ କେବେ ମୋ ଘରକୁ ଆସିବୁ, ଏ ଜାଇଫୁଲ !” ବିନୁ ହସିଲା ।

 

ରମେଶ କହିଲା, ସବୁଦିନେ ୟାଙ୍କର ଏଇ ଗୀତ ?”

 

“ସବୁଦିନେ ଆଜ୍ଞା !”

 

“ବା’ଇଲେ ଅର୍ଥ କଣ ଜାଇଫୁଲ ?”

 

“ଠିକ୍ ଧରିଛନ୍ତି ଆଜ୍ଞା, ଆପଣ ଏମିତ ଶିଖି ବସିଲେ ଭାରି ଚଞ୍ଚଳ ୟାଙ୍କ ବୋଲି ଶିଖିଯିବେ ।”

 

ରମେଶ ଖୁସି ହେଲା, ପଚାରିଲା, ‘‘ଯେତେ ବୁଢ଼ା ହେଲେ ବି ଏଇ ଗୀତ ?”

 

“ଆମ ଦେଶରେ କେହି ବୁଢ଼ା ହୁଅନ୍ତି ନାହିଁ ।”

ରମେଶ ମନେ ମନେ ଲେଖି ରଖିଲା, “ବା’ଇଲେ ମାନେ ଜାଇଫୁଲ କନ୍ଧମାନେ ଖାଲି ଘେନାଘେନି ଗୀତ ଗାଆନ୍ତି ।

 

ରମେଶକୁ ଭୁତେଇ ଦେଇ ବିନୁ ଖୁବ୍ ଖୁସି ହେଲା ।

 

କନ୍ଧ ବୋଝିଆ ଗୀତରେ ଗୀତରେ ଚପରାସି ଓ ଅଧିକାରମାନଙ୍କୁ ଗାଳି ଦେଇ ଦେଇ ଚାଲିଲେ, ଗାଇ ଚାଲିଲେ ଆପଣାର ଦୁଃଖ ଦୁର୍ଦ୍ଦଶା । ବାଟରେ ଦେଖା ପଡ଼ିଲେ ପଞ୍ଝା, ପଞ୍ଝା ହାଟମୁହାଁ କନ୍ଧ ବାଟୋଇ । ଗୀତ ଶୁଣି ହସିଉଠିଲେ, ଗୀତରେ ଗୀତ ଯୋଡ଼ିଦେଲେ । ସମଦୁଃଖୀ ସେମାନେ, ଏକା ଉପହାସରେ ଭାଗୀ । ଗୀତ ଗାଇ ଗଇ ପାଟି ଘୋଳିହେଲେ ବୋଝଆ ତୁନିପଡ଼ନ୍ତି, ବିନୁ ଗର୍ଜନ ଛାଡ଼େ–“ହେଇ, ଗୀତ ଗା..., ଗୀତ ଗା... ।”

 

“ଆମ ଦେଶରେ କେହି ବୁଢ଼ା ହୁଅନ୍ତି ନାହିଁ ।” ଆପଣାର କଥା ବିନୁର ଆପଣା ଆଗେ ନୂଆ ରୂପ ଧରି ଠିଆ ହେଲା । ସେ ତାର ସାନ ଭରିଯା, ତୃତୀୟ ପକ୍ଷ । ଆଗର ଦୁଇ ଭରିଯା ଅଛନ୍ତି, ତଥାପି ବର୍ଷେ ହେଲା ସେ ଆସିଛି । ଅଧିକ କନ୍ୟା ସୁନା ଦେଇ ତାର ବାପ ମାଙ୍କୁ ମଙ୍ଗେଇ ଅନ୍ୟ ଜଣକ ଆଶା ମୁହଁରୁ ସେ ‘ଗୋରୀ’କୁ ଏକପ୍ରକାର ଛଡ଼େଇ ଆଣିଛି । ଏ ବଣ ଦେଶରେ ଛଡ଼େଇ ଆଣିପାରିବା ହିଁ ପାରିଲା ପଣ, ସେଥିରେ ମଣିଷ ଜନ୍ତୁକୁ ଟପିଯାଏ ।

 

କିନ୍ତୁ ବିନୁର ଏ ପାରିଲା ପଣ ଉହାଡ଼ରେ ଥିଲା ଜୀବନ ଗୋଟାକର କ୍ଷୋଭ । ତା’ର ତୋଟା ଅଛି, କ୍ଷେତ ଅଛି, ଘର ଅଛି, ଗାଈଗୋରୁ ଅଛନ୍ତି; କିନ୍ତୁ ସନ୍ତାନ ନାହିଁ । ବୟସ ଯହୁଁ ସରି ସରି ଆସୁଛି, ତହୁଁ ସେ ବେଶୀ ବେଶୀ ଅନୁଭବ କରୁଛି ତାର ପୁଅଟିଏ ଦରକାର । ବାଟେ ବାଟେ ଖାଲି ତାର ଗୋରୀ ମନେ ପଡ଼ୁଛି । ଦି ସଉତୁଣୀ ତାକୁ ଦେଖିପାରୁଥିବେ ତ ? ମନ ରାଜି ନ ହେଲେ ଏ ଦେଶର ସ୍ତ୍ରୀ ପଳେଇଯାଏ- ଗୋରୀ ମନ କଷ୍ଟ କରୁ ନ ଥିବ ତ ? ଆଉ ସେ ଭେଣ୍ଡିଆ ଚପରାସି, ଯାହା ନାଁ ବିଶି, ଲେଖାଯୋଖାରେ ଟାଣିଓଟାରି ନିନୁର ନାତି ସଂପର୍କ ହୁଏ, ଖାସ୍ ଆଈମାନଙ୍କ ସଙ୍ଗେ ଥଟ୍ଟା ଲାଗିବାକୁ ଆସି ଓଳି ଓଳି ବିତେଇଦିଏ, ସେ କଣ କରୁଥିବ ?

 

“ବିନୁ !”

 

“ଆଜ୍ଞା ।”

 

“ଆଚ୍ଛା’’, ଏ ଚାଉଳ ଆଗରୁ ଧରାପଡ଼ୁନାହିଁ କାହିଁକି ? ଲୁଚାଚୋରାରେ ମନ୍ଦ୍ରାଜ ଇଲାକାକୁ ଚାଲଣ ହେବାପାଇଁ କେଉଁଠି ତ ଗଦା ହୋଇଥିବ; ହାଟ ଲାଗୁ କି ନ ଲାଗୁ ସେଉଠୁ ବେପାରୀମାନେ ବୋହି ନେଉଥିବେ, କୋରାପୁଟରୁ ଆସିଲେଇଁ ଚାରିଦିନର ବାଟ, ଏତେ ଗାଁ ବୁଲିଲେଇଁ, ଏତେ ଜାଗା ଦେଖିଲେଇଁ, କାଇଁ ସେମିତି ତ ଆମ ଆଖିରେ ପଡ଼ିଲା ନାହିଁ । କଥା କଣ ?”

 

“ସେମିତି ଏକାଠି ବେଶୀ ବେଶୀ ଚାଉଳ ଗଲେ କ’ଣ ଲୋକଦେଖାଣିରେ ଚାଲିଯାଆନ୍ତା ?” ବିରକ୍ତ ଅବସ୍ଥାରେ କଥା କହିଦେଇ ବିନୁ ପସ୍ତେଇଲା । ସେ ନିଜେ ତ କ୍ଷେତର ଶହେ ମହଣ ଚାଉଳ ଚଢ଼ା ଦରରେ ପଦାକୁ ପଠେଇପାରିଛି । ସେ ବିଶ୍ୱାସ କରେ, ଯେଉଁଠି ସମାଜର ନୀତି ଯେ ଯେଝା ପାଦରେ ସେ ଠିଆହେବେ, ପ୍ରତ୍ୟେକେ ଆପଣା ଶିଙ୍ଗରେ ମାଟି ଖୋଳିବେ, ସେଠି ପରକୁ ଠେଲିବା, ପରର ଗୋଡ଼ ଓଟାରିଦେବା, ପର କାନ୍ଧରେ ଜବରଦସ୍ତି ଲାଉ ହେବା ବା ପରକୁ ଚିତା କଟିବା ଉଦ୍‌ଯୋଗୀ ଲୋକ ପକ୍ଷରେ ଆପେ ଆସେ, ନ ହେଲେ ନିଜେ ବଡ଼ଲୋକ ହେବା ଅସମ୍ଭବ । ଯେଉଁଠି ନିଜ ପାଇଁ ନିଜ ଛଡ଼ା କେହି ନାହିଁ, ସେଠି ସମସ୍ତିଙ୍କ ସମୂହ କଲ୍ୟାଣ କଲାଭଳି ନିୟମକୁ ଚଲାଖ ଲୋକ ନିଜ ସ୍ୱାର୍ଥ ପାଇଁ ଭାଙ୍ଗିବାହିଁ ସ୍ଵାଭାବିକ ଓ ଉଚିତ ବୋଲି ସେ ଭାବେ । ଧରା ପଡ଼ିବାକୁ ଡରେ । କଥା ବାଁରେଇଦେଇ କହିଲା, "ଏକାଠି ବେଶୀ ବେଶୀ ଚାଉଳ କୌଣସି ଜଣକ ହାତରେ ପଦାକୁ ଯାଉନାହିଁ ଆଜ୍ଞା, ସେମିତି ହୋଇଥିଲେ ଆମ ଆଖିରେ ପଡ଼ିଥାନ୍ତା, ଲୁଚନ୍ତା କୋଉଠି ? ହାଟକୁ ଗଲେ ଆପଣ ଦେଖିବେ କିଏ ପାଞ୍ଚ ସେର, କିଏ ଦଶ ସେର କରି ଚାଉଳ କିଣି ନେଇଯାଉଛନ୍ତି, ଏମିତି ଶହ ଶହ ତଳଦେଶର ଲୋକ । ଦି’କୋଶ ଛାଡ଼ି ମାନ୍ଦ୍ରାଜର ସୀମା, ସେଠି ସାହୁକାର ବସିଥିବେ, ଶଗଡ଼ ଥିବ, ପାଖେ ଚାଉଳ ପୂରେଇବାକୁ ବସ୍ତା, ପାଖେ ଟଙ୍କା ମୁଣି । ନହେଲେ ତାଙ୍କରି ଟଙ୍କାରେ ମୁଣ୍ଡବୋଝିଆ ଚାଉଳ କିଣି ଆଣିଥିବେ । ସେ ଚାଉଳ ଜମା ହେବ । ବସ୍ତାରେ ପଶିବ । ଚାଲିବ ଶଗଡ଼ ବିଶାଖାପାଟଣା, ପାର୍ବତୀପୁର, ବୋବିଲି, ମକୁଆ । ବେପାରୀ ଲୋକର କଥା ଅଲଗା, ଆଜ୍ଞା !”

 

‘‘ବେପାରୀ ହାତରେ ପଡ଼ିବା ପୂର୍ବରୁ ସେଇ ଚାଉଳ ଆମେ ଧରିଦେବା”, ଗମ୍ଭୀର ହୋଇ ରମେଶ କହିଲା । ତା’ର ଆଖିରେ ଝଟକୁଥିଲା ଶିକାରୀ ଆଖିର ଆଲୁଅ । ମନରେ ଗୋଟାଏ ରାଆ,- ଆମର ଚାଉଳ କାହିଁକି ସେମାନେ ବୋହିନେବେ ? ଏଇଟା ଯେପରିକି ତା’ର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ ।

 

ଆମର କହିଲାବେଳେ ତା’ର ବ୍ୟକ୍ତିତ୍ଵ ବୂଝେ ଖାଲି ଗୋଟାଏ କଥା,- ସେ ଓଡ଼ିଆ । ତା’ ପଛରେ ଓଡ଼ିଶାର ଇତିହାସ ଓ ସେ ଇତିହାସରେ ପଡ଼ିଶା ଦେଶ ଉପରେ ରାଜ୍ୟବିସ୍ତାର, ଯୁଦ୍ଧ ଜୟ , ସାମ୍ରାଜ୍ୟ ସ୍ଥାପନ । ଅତୀତର ଧୂଳିଗଦା ଓ ଭଙ୍ଗା ଇଟା କୁଢ଼ରୁ ବର୍ତ୍ତମାନର ଖ୍ୟାତିହୀନତାକୁ ସେ ଫେରିଆସେ, ମନର ଓରମାଣ ମେଣ୍ଟାଇବାକୁ ପଡ଼ୋଶୀ ଦେଶ ଉପରେ ଦୋଷ ଢାଳିଦିଏ ।

 

“ଖାଇ ଖାଇ ଖତରା କରିଦେଲେ ଦେଶ ଗୋଟାକୁ, ଆଉ ଫେର୍ କ’ଣ ?”

 

ବଣ ବାଟରେ ଶିକାର ମନେ ପଡ଼େ । ରମେଶର ମନରେ ଛାଇଯାଏ ଚାଉଳ ଶିକାରର ନିଶା ! “ଧରିପାରିଲେ” ଦାନ୍ତରେ ଦାନ୍ତ ଘଷି ସେ କହେ । ଧରିପାରିଲେ କ'ଣ କରିବ ସେ ଜାଣେ ନାହିଁ ।

 

ତରତର ହୋଇ ତଳକୁ ତଳକୁ । ମାଘର ପାଗ ଓ ବାଟର ତାତି ମିଶିଯାଇ ବସନ୍ତର ଅନୁଭୁତି ଆଣୁଛି; ଯୁଆଡ଼େ ଚାହିଁଲେ ପରିପୂର୍ଣ୍ଣ ଗଛପତ୍ରର ଶୋଭା । ଗଡ଼ାଣି ଶେଷରେ ବାଟ କରରେ ତଳମାଳର ଗାଁ’ଟିଏ ପଡ଼ିଲା । ଆମ୍ବ ତୋଟା, କ୍ଷେତ, ଖଳା, ଧାଡ଼ି ଧାଡ଼ି ଘର । ଯିବା ବାଟେ, ପିଲାଟିଏ ଠିଆ ହୋଇଥିଲା, ଅଚିହ୍ନା ଲୋକ ଦେଖି ଭେଁ କିନା କାନ୍ଦି ମା’କୁ ଡାକି ଡାକି ଦଉଡ଼ି ପଳେଇଲା । ସେହି ହେଲା ସଙ୍କେତ, ବାଡ଼ କରରେ ଖୁଣ୍ଟିରେ ବନ୍ଧା ହୋଇଥିବା ବାଛୁରୀମାନେ ପଘାରୁ ଉହୁଙ୍କି ହୋଇ ହମାରଡ଼ି ଦେଲେ । ସ୍ତ୍ରୀଲୋକମାନେ ଆଡ଼ଲୁଚା ହୋଇ ମିଟିମିଟି କରି ଅନେଇ, ରହିଲେ । ଗାଁ’ ଲୋକ ଗୋଟି ଗୋଟି ହୋଇ ପାଖକୁ ଆସିଲେ । ରମେଶକୁ ଲାଗିଲା, ଏ ଦୃଶ୍ୟ ତା’ର ଚିହ୍ନା ଚିହ୍ନା । ପାଦ ଆଗେ ଘୋଷାରି ହେଲା । ଝଙ୍କା ଗଛ ଛାଇରେ ଅଟକିରହି ସେ ପଛକୁ ଅନେଇଲା । ପ୍ରକାଣ୍ଡ ମନଗଢ଼ା ଭୂତପରି ପର୍ବତଟା ପଛରେ ଠିଆ ହୋଇଛି ? ଧକେଇ ଧକେଇ ବିନୁ ଆସୁଛି, ଦୌଡ଼ି ଦୌଡ଼ି ଆସୁଛନ୍ତି ବୋଝିଆ ।

 

“ଏଠି ଭଲ ପାଣି ମିଳିବ, ବିନୁ ?”

 

“ମିଳିବ” । ବିନୁ ତତ୍ପର ହେଲା । ବୋକଚା ଖୋଲି ଲୋଟା ଗିଲାସ ବାହାର କରି ଗାଁ କୁ ଗଲା । କନ୍ଧ ବୋଝିଆ ବସି ବସି ଝାଳ ମାରିଲେ । ରମେଶ ଅପେକ୍ଷା‌ କଲା ।

 

ଅଳ୍ପ ସମୟ ଭିତରେ କୁଆଡ଼ୁ ଆସି ପହଞ୍ଚିଗଲା ଗୋଟେ ଦୌଡ଼ିଆ ଖଟ । ଜଣେ ଗୋଟାଏ ଲୋଟାରେ କିଛି ଗରମ ଦୁଧ ଆଣି ଠିଆ ହେଲା । ଆଉ ଜଣେ ଆଣିଲା ଫେଣାଏ ପାଚିଲା କଦଳୀ । ତେଲେଙ୍ଗୁ, ଓଡ଼ିଆ, କୋଣ୍ଡାଦୋରା ମିଶି ଗାଁ’ର ସାତଜଣ ରଇତ ଆସି ଅନୁନୟ କଲେ, ‘‘ଖରା ବହୁତ ହେଲାଣି, ଦୟାକରି ଏଠି ଟିକିଏ ବିଶ୍ରାମ ନେଇ ଗଣ୍ଡିଏ ଖାଇକରି ନ ଗଲେ ଗାଁ' ଲୋକଙ୍କ ମନ କଷ୍ଟ ହେବ ।”

 

ବିଶ୍ରାମ !

 

ରମେଶ ହସିଲା । ବାଟେ ବାଟେ ସେହି ନିମନ୍ତ୍ରଣ । ସେତେକି ଚାରିଆଡ଼େ ବଣ ଜଙ୍ଗଲ ଘେରେଇ ହୋଇ ମଣିଷ ମଣିଷକୁ ହିଁ ଆଉଜିବାକୁ ଖୋଜେ । ଅଟକିଯାଅ, ରହିଯାଅ ଆଜି ରାତିଟା ରୁହ ଆମ ଗାଁରେ । ଚିହ୍ନା ଗଛର ଛାଇ, ଅଧଚିହ୍ନା ଚାଳ ଭିତରୁ ମଠୁଆ ମଠୁଆ ଚୁଲି ଧୂଆଁ, ସାଧରଣ କାମରେ ବ୍ୟସ୍ତ ପୁରୁଷ ସ୍ତ୍ରୀ । ସେ ବଣଠୁ ଭିନେ, ପର୍ବତରେ ଥାଇ ପର୍ବତଠୁ ଭିନେ ।

 

ତଥାପି, ଚାଲିବାକୁ ହିଁ ହେବ । ପଛ ଗାଁର ବାଟର ସ୍ନେହ ଲାଗି ରହିଥିବ ଖଣ୍ଡେ ଦୂର, ତା’ପରେ–ପବନରେ ଉଡ଼ିଯିବ ।

ବିନୁ ପାଣି ଘେନି ଆସିଲା । ପାଣି ପିଇସାରି ରମେଶ କହଲା, “ଯିବା ଚାଲ” ଏଥର ବୁଢ଼ୀଟିଏ ଅସି ବାଟ ଓଗାଳିଲା I ହସି ହସି କହିଲା, ‘‘ଏତେ ବେଳଟାରେ ଅଖିଆ ଯିବୁ ପୁଅ, ମା ପାଖରେ ଥିଲେ ଏମିତି ଛାଡ଼ିଦିଅନ୍ତା ? ଏ ଗାଁରେ କ’ଣ ମା ଭଉଣୀ ତୋର ନାହାନ୍ତି ?” ସମସ୍ତେ ହସିଲେ । ବୁଢ଼ୀଟି କନ୍ଧ, ତେଲେଙ୍ଗୁ, ମିଶାମିଶି କୋଣ୍ଡାଦୋରା ଜାତିର । ‘‘ଏ ଗାଁରେ କ’ଣ ମା ଭଉଣୀ ତୋର ନାହାନ୍ତି ?”

 

ରମେଶର ଆଖି ଉପରେ ଯେପରିକି ଛାଇ ଲଦି ହୋଇପଡ଼ିଲା । ନିଜକୁ ନିଜେ ବଡ଼ ପାଟିରେ କହି ପକାଇଲା- “ନା-ନା-ନା, ଯିବାକୁ ହେବ, ବହୁତ କାମ ।” ଆପଣକୁ ଓଟାରି ନେଇ ଚାଲିଲା ।

 

ସ୍ମୃତିରେ ରହିଗଲା ସେହି ବୁଢ଼ୀର ମା ମୁହଁ ପରି ମୁହଁର ଛାଇ । ମା’ର ଆଖି ପେଟକୁ, ଆଉ ତୁଣ୍ଡରେ ଆହା ପଦ । ତାର ଅନ୍ୟ ଜାତି ନାହିଁ, ଭାଷା ନାହିଁ, ସେ ମା । ଚାଉଳଧରା ପାସୋରିଗଲା । କିନ୍ତୁ ପୁଣି ମନେ ପଡ଼ିଗଲା ଯେତେବେଳେ ଖଣ୍ଡେ ଦୂରରେ ସେ ଦେଖିଲା, ହାଟୁଆ ଚାଲିଛନ୍ତି , ଭାର ଭାର ଚାଉଳ ।

 

“ବିନୁ, ହାଟ ଆଉ କେତେ ବାଟ ?”

 

“ହେଇ ଆଗରେ ଆଜ୍ଞା, ପହଞ୍ଚିଗଲେ ।”

 

“ହୁସିଆର୍, ହଲ୍ଲା କରିବ ନାହିଁ ।”

 

“ନାହିଁ ଆଜ୍ଞା, ଆରେ କନ୍ଧମାନେ, ଆଉ ଗୀତ ବୋଲ ନାହିଁ, ପାଟି କର ନାହିଁ, ତୁନି ତୁନି ଚାଲ ।” ବିନୁ ହସିଦେଇ ବୋଝିଆମାନଙ୍କ ପାଖକୁ ଚାଲିଗଲା । ବଣ ଭିତରେ ଶିକାର କରିଗଲା ପରି । ପଦାରେ ତୁନିତାନି, ମନ ଭିତରେ ଚହଳ । ରମେଶ ତରତର ହୋଇ ତାର କର୍ମପନ୍ଥା ବିଷୟରେ ଭାବିଗଲା । ଚାଉଳ ଚୋରା ଚାଲାଣ ଖାଲି ଅଟକେଇ ଦେଇ ସେ ନିଶ୍ଚିତ ହେବ ନାହିଁ । ପକ୍‌କା ବନ୍ଦୋବସ୍ତ କରିଦେଇଯିବ । ରିପୋର୍ଟ୍ ଲେଖିବ । ପ୍ରଶଂସା ପାଇବ । ଏହିପରି ପ୍ରଶଂସା ପାଇ ପାଇ ଶୀଘ୍ର ସେ ଉନ୍ନତି କରିବ । ପରୀକ୍ଷାରେ ସମ୍ମାନ ପାଇଲା ପରି ସେ ବି ଏକ ପୁରସ୍କାର ପାଇବାକୁ ହକଦାର । ସେ ନ ହେଲେ ଏତେ ବଣବୁଲା, ଖରାରେ, ଶୀତରେ । ସତେ କି କଙ୍ଗୋ ଆଫ୍ରିକାରେ ଲିଭିଂଷ୍ଟୋନ । ସେ ଯାଇଥିଲେ ଗୋଟାଏ ନଦୀର ଉତ୍ପତ୍ତି ସ୍ଥଳ ଆବିଷ୍କାର କରିବାକୁ, ସେ ଯାଉଛି ଚାଉଳ ରପ୍ତାନିର ଚୋରା ମୁହାଣ ଆବିଷ୍କାର କରିବାକୁ । ଭାରି ଆନନ୍ଦ ଲାଗିଲା । ଆପଣ ସୁଦକ୍ଷପଣରେ ଆପେ ଅଭିଭୂତ ହୋଇପଡ଼ିଲା ।

 

କିଛି ଆଗରେ ବାଟ କରରେ ଗଛତଳେ ଗୋଟିଏ ପରିବାର ରୋଷେଇ ସାରି ଖିଆପିଆ କରୁଛନ୍ତି । ଉତାଣି ପିଲାଟିଏ ମାଟିରେ ଚିତ୍ ହୋଇ ଶୋଇ ଗୋଡ଼ହାତ ଛାଟି ଛାଟି କାନ୍ଦୁଛି । ଫୁରଫୁର ମୁଣ୍ଡୀ, ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଯୁବତୀଟିଏ ତା’ର ଖାଇବା ପତ୍ର ଛାଡ଼ିଦେଇ ଅଇଁଠା ହାତରେ ଛାତି ଉପରୁ ଛିଣ୍ଡା ଲୁଗା କେରାକ ଓଟାରିଦେଇ କ୍ଷୀର ଦେବାକୁ ଧାଇଁଗଲା, ମା’ର ଚିର ଦରଶୁଖିଲା କନାପରି ଓହଳିଛି । ପିଲାଟିକୁ ଜାକିଧରି ବିଦେଶୀ ଆଗନ୍ତୁକକୁ ଅନେଇଁ ବସିଲା । ସତେକି ଦେହ ନାହିଁ, ଖାଲି ମୁଣ୍ଡର ଅଲରା ବାଳ ଆଉ ଉଦାସ ମଳିନ ଆଖି ଦୋ'ଟି । ସେ ଆଖିରେ ନାହିଁ ସମ୍ବାଦ ପାଇଁ ଆଗ୍ରହ, କାହାର ବଡ଼ତି ପ୍ରତି ଭ୍ରୁକ୍ଷେପ । ଦୁନିଆଁ ଆଡ଼କୁ ଖୋଲା ଥିଲେ ବି ଭିତରକୁ ତାର ଦୃଷ୍ଟି, କାହିଁ ତଳକୁ ତଳିତଳାନ୍ତ ଜୀବନିଶକ୍ତିର କାଣ୍ଟି ଉପରକୁ, ଯେଉଁଠି ଶେଷ କ୍ଷୁଧା ବି କାଟେ, ଶେଷ ସ୍ନେହ ବି ସନ୍ତାନକୁ ଘୋଡ଼େଇ ରଖେ । ଆଉ ତିନିଜଣ ଭାତ ଖାଉଛନ୍ତି ବୁଢ଼ା, ବୁଢ଼ୀ, ଭେଣ୍ଡା ପୁଅ । ଖାଲି ହାଡ଼, ଚମ, କୋରଡ଼ ଆଉ ବେତାଏ ଲେଖାଁ ବାଳ । ଆଉ ଚକ ଚକ ଆଖି । ଖାଇବା ଭାତ ଶିଆଳି ପତ୍ର ଉପରେ ଚକ ଚକ କରୁଛି । ଭାତ ଖିଆ, ଖିଆ ନୁହେଁ ତ, କୁକର ପରି ଗାବୁ ଗାବୁ କରି ଗେଫ ମାରିବା । ଗଛ ତଳେ ଫନ୍ଦଭଙ୍ଗା ଚେପା ଡେକ୍‌ଚି ହାଣ୍ଡି ଓ ଚୁଲି । ଏକାଥରକେ ସମୁଦାୟ ଦୃଶ୍ୟ ରମେଶକୁ ଯେପରି ଆକ୍ରମଣ କଲା ।

 

“ବିନୁ, କିଏସେ ଏମାନେ ?”

 

“ତଳ ଦେଶର ତେଲେଙ୍ଗୁ ଲୋକ, ଆଜ୍ଞା, ପେଟ ବିକଳରେ କେତେ ଏମିତି ଏ ଜଙ୍ଗଲରେ ପଲ ପଲ ହୋଇ ବୁଲୁଛନ୍ତି ।”

 

“ଘର କେଉଁଠି ?’’ ବିନୁ ପଚାରିଲା ।”

 

ତିନିଥର ପଚାରିଲା ପରେ ଖାଇବାପତ୍ରରୁ ମୁହଁ ନ ଟେକି ବିରକ୍ତ ହେଲାପରି ବୁଢ଼ା କହିଲା, “ସୀମାଚଳମ୍‍ ।”

 

ବିନୁ ରମେଶକୁ ବୁଝେଇଦେଲା, ଏ ଆସିଛି ତିରିଶ କୋଶ ଦୂରରୁ । ସୀମାଚଳମ ଆଗେ ତ ଆମ ଓଡ଼ିଶାରେ ଥିଲା ! ଓଡ଼ିଶା ଇତିହାସ ମନେ ପଡ଼ିଗଲା, ପର୍ବତ ପରି ଠିଆହେଲା, ମାଟିକୁଦ ପରି ସାନ ହୋଇଗଲା, ଗହୀର ହୋଇ ମିଶିଗଲା ସେହି ଭୋକିଲା ଯୁବତୀ ମା’ର ଆଖି ଦିଓଟିରେ । ପିଲାକୁ କ୍ଷୀର ଦେଉଛି, ଆଉଁସୁଛି । ଓଡ଼ିଶାରେ ଆଉ ନାହିଁ ସେ ଦେଶ, ପୃଥିବୀରେ ଅଛି; ସେ ଦେଶରେ ମଣିଷ ଅଛନ୍ତି, ତାଙ୍କର ଭାତ ନାଇଁ ।

 

“ବହୁତ ଏମିତି ବୁଲୁଛନ୍ତି ଆଜ୍ଞା , ବଣଜଙ୍ଗଲକୁ ଡରୁନାହାନ୍ତି, ବାଘଭାଲୁକୁ ଡରୁନାହାନ୍ତି, ସବୁଠୁ ବଡ଼ ଡର ତ 'ଆପଣା ପେଟକୁ, ଆଉ କାହାକୁ ?”

 

“ସତ କଥା, ସତ କଥା” କନ୍ଧ ବୋଝିଆ ପାଳି ଧରିଲେ । ସେମାନେ କତିକି ଲାଗି ଆସିଲେଣି । ବୁଢ଼ା କନ୍ଧ କହିଲା, ‘‘ଭୋକ ଲାଗିଲେ କି ଦୁଃଖ ପଡ଼ିଲେ ସମସ୍ତେ ସମାନ । ହେଇ ଦେଖ, ଆମୁକୁ କେଡ଼େ ଭୋକ ଲାଗିଲାଣି । କେଉଁଠି ଭାତିଆ ଦବ ଯେ ଚପରାସିବାବୁ ।”

 

ଚୁପ୍ ହୋଇ ରମେଶ ଆଗେ ଆଗେ ଚାଲିଲା । ହଠାତ ଲାଗିଲା, ଯେପରିକି ତା’ର ଉଦ୍ଦେଶ୍ୟ ଗୋଳମାଳ ହୋଇଯାଇଛି । ସେ ନ୍ୟାୟ କରିବାକୁ ଚାହେଁ । କିନ୍ତୁ ନ୍ୟାୟର ସଂଜ୍ଞା ଭୁଲିହୋଇଯାଇଛି ।

 

ସିଧା ବାଟରେ ଚଳନ୍ତି ନୀତି ଉପରେ ହିଁ ସେ ନିର୍ଭର କରୁଛି, ମୁଣ୍ଡପାତି ଘେନିଛି ଛପା ଆଇନକୁ, ଲେଖା ନିୟମକୁ, ତା ପଛଆଡ଼କୁ ଉଙ୍କି ମାରିବା ହିଁ ତା ପକ୍ଷରେ ଦୋଷାବହ ବୋଲି ହୃଦ୍‌ବୋଧ କରିଛି । ବର୍ତ୍ତମାନ ବି ସେହିପରି । କେବେ କେବେ ଦେଖିଛି, ଛପା ଆଇନ ଓ ଦାଣ୍ଡନ୍ୟାୟ ପଡ଼ିଛି ଅମେଳ; କିନ୍ତୁ ମନକୁ ଆଶ୍ଵାସ ଦେଇଛି, କର୍ତ୍ତବ୍ୟ ହିଁ କଠୋର, ସେ ଯନ୍ତ୍ରର ଘୂର୍ଣ୍ଣନ । ପେଟ ବିକଳରେ ଜଣେ ଚୋରି କରିଛି, ବର୍ଷକର ଶିଶୁକୁ ଛାତିରେ ଜାକି ଗର୍ଭିଣୀ ସ୍ତ୍ରୀ କଚିରି ଘର ପିଣ୍ଡାରେ ଗଡ଼ି ଗଡ଼ି କାନ୍ଦିଛି, ତା’ର ପୋଷଣାହାରୀ ଆଉ କେହି ନାହିଁ, କିନ୍ତୁ ଚୋର ଜେଲ ଯିବା କଥା, ଜେଲ ଯାଇଛି । ଜଣେ ପାଞ୍ଚ ଥର ଚୋରି କରି ଦଣ୍ଡ ଭୋଗିଲାଣି, ଷଷ୍ଠ ଥର କାହା ବାରିରୁ କଖାରୁଟିଏ ଚୋରି କରି ଧରା ପଡ଼ିଛି । ପୂର୍ବ ଦୁଷ୍କୃତ ପାଇଁ ଦଣ୍ଡ ବଢ଼ିଯିବା ନିୟମରେ ତାକୁ ହୋଇଛି ବର୍ଷେ ଜେଲ, ସେ ଯାଇଛି । କଠୋର ଏ କର୍ତ୍ତବ୍ୟର ଧାରା, ଯନ୍ତ୍ରର ଘୂର୍ଣ୍ଣନ । ଚାଉଳ ଧରିବାକୁ ହିଁ ହେବ ।

 

ହାଟର ଘୋ ଘା ଶୁଭିଲା । ଗୋରୁ ଛାଲର ଆଇଁସିଣିଆଁ ସଢ଼ାଳିଆ ଗନ୍ଧ ନାକରେ ବାଜିଲା । ହଠାତ୍ ବଣ ଭିତରୁ ତା ପଛକୁ ତା ପଛ ହୋଇ ମଣିଷ ବାହାରି ପଡ଼ୁଛନ୍ତି ବୋଝ, ଭାର, ଭାରରେ ବୁହାହୋଇ ଛୋଟ ପିଲା, ଗୋଡ଼ ବନ୍ଧା ହୋଇ ମୁଣ୍ଡ ତଳକୁ ହୋଇ ଗୋଛା ଗୋଛା କୁକୁଡ଼ା, ନାନାବିଧ ପଣ୍ୟଦ୍ରବ୍ୟ- ଆଉ ଚାଉଳ ଖୋଲାରେ ଦେଖା ଦେଇ ବଣରେ ଅଦୃଶ୍ୟ ହୋଇଯାଉଛନ୍ତି ହାଟମୁହାଁ । ଶିକାର ଅତି ପାଖରେ । ରମେଶର ଛାତି ଚାଉଁକଲା । ପଥରରୁ ପଥର ତଳକୁ ଡେଇଁ ଡେଇଁ ଗଲାବେଲେ କହିଲା, “ବିନୁ, ଏଥର !”

 

ହାଟ ଦିଶିଲା । କିଲିବିଲି ଜନ୍ଦା ପିମ୍ପୁଡ଼ି ପରି ମଣିଷ । ଗୁଡ଼ାଏ ରଙ୍ଗ, ଗୁଡ଼ାଏ ଗନ୍ଧ, ଗୁଡ଼ାଏ କୋଳାହଳ । ବହୁ ଛାଲ ବିକ୍ରି ହେଉଛି, ପବନରେ ସେହି ଗନ୍ଧ । ଧାଡ଼ି ଧାଡ଼ି ଗନ୍ଧ ଶୁଖୁଆ ପସରା । ମାଛି ବସିଛନ୍ତି, ମଣିଷ ବେଢ଼ିଛନ୍ତି । ପାଖ ବଣରୁ ଚୋରା ମଦର ଗନ୍ଧ ।

 

ଘାଉଡ଼ା କୁକୁର ପରି କୁଷ୍ଠରୋଗୀ, ୟଜ୍‌ରୋଗୀ, ଖାସୁଲା ଖାସୁଲା କନ୍ଧ ପିଠିରେ କୁଲା ପରି, ଡାଲା ପରି ଅରାଏ ଲେଖା କଞ୍ଚା ୟଜ୍ ଘା, କଳା କଳା ପୋତକ ପାଖକୁ ପାଖ ଲାଗି ବସିପଡ଼ିଛନ୍ତି । ଘଷାଘଷି ଠେଲାଠେଲି ହୋଇ ସୁସ୍ଥ ଲୋକ, ପୁରୁଷ, ସ୍ତ୍ରୀ ।

 

ରମେଶର ନିଘା ପଡ଼ିଗଲା ଗୋଟିଏ ଯୁବତୀ ଉପରେ; ଚମ୍ପାଫୁଲ ଗୋରା, ବଳିଲା ବଳିଲା ହାତଗୋଡ଼ ଗରି ଗରି, କନ୍ଧ ଦେଶର ସୁନ୍ଦରୀ । ଫାଳେ ଗାଲ ଗୋଟାଏ ୟଜ୍ ଘା, ଆର ଫାଳକ ଟହ ଟହ ନାଲି, ସେଠି ବି ରୋଗ । ତଥାପି ସେ ଫୁଲ ନାଇଛି, ସୁଆଁ ଚୋବାଇ ଚୋବାଇ ରାତିରେ ଯୌବନର ଲହଡ଼ି ଖେଳାଇ ଚାଲିଛି । ଆଉ କଣେଇଁ କଣେଇଁ ଚାହୁଁଛି, ଆଖି ହସୁଛି, କନ୍ଧ ଦେଶର କଉତୁକୀ ଝିଅ ଆଖିରେ ଡାକୁଛି, ଖେଳିବୁ ଆ ।

 

ରମେଶ ଆଖି ବୁଜିଦେଇ ହାଟ ମଝିରେ ଗଛକୁ ଆଉଜିଗଲା । କାନରେ ବାଜିଲା ହାଟର ଘୋ ଘା । ସ୍ମରଣରେ ସେହି ଘା-ଗାଲ ହସ-ଆଖି ଯୁବତୀ । ଆଉ ପାହାଡ଼ ଉପରେ ନାଟ କରୁଥିବା କନ୍ଧ ପିଲାଏ ।

 

ଆଉ ଅଗନା ଅଗ୍ନି ବନସ୍ତ ମଝିରେ ଗୋଟିକିଆ ମୁଣ୍ଡିଆ ଆଗରେ ମଣିଷର ଜାର, ରାଉ ରାଉ ପବନ, ବାଆ ବତାସିରେ ଚୁଲି ନିଆଁ ନିଭୁନାହିଁ ।

 

ଡାଳୁଅ ଧାନ ପରି ମଣିଷ, ପାଣି ଯେତେ ବଢ଼େ ଧାନଗଛ ସେତେ ଉଞ୍ଚ ହୁଏ । ଗାଲରେ ୟଜ୍ ଓ କୁଷ୍ଠ, ମୁହଁରେ ହସ ଓ ମୁଆଁ । ବହୁ କଷ୍ଟରେ ଫୁଟିଛି ଗୋଲାପ, ତା’ର ପାଖୁଡ଼ା ପୋକ ଦାଉରେ କେମ୍ପା । ଝଡ଼ୁ ପଛେ, ହସୁଛି ।

 

ବିନୁ ଫ୍ଲାସ୍କ ଖୋଲି ଚା ଢାଳିଲା, “ଆଜ୍ଞା....”! ରମେଶ ଆଖି ଖୋଲିଲା, ତା’ର ଚାରିପାଖେ ଭିଡ଼ ବଢ଼ୁଛି । କାନ ପାଖେ ବିନୁ କହଲା, “ଚାଉଳ ବହୁତ ବିକ୍ରି ହେଉଛି, ସବୁ ଧରାପଡ଼ିବ, ଏଠି ନୁହେଁ, ହାଟ ସେମୁଣ୍ଡରେ ଘାଟି ଜାଗା ଅଛି, ହାଟରୁ ବାହାରିଯିବାପାଇଁ ଗୋଟିଏ ଗଢ଼ୁଆ ଗୋହିରୀ, ସେଠି ଢିପ ଉପରେ ଚାଲି ଖଣ୍ଡେ ଅଛି ।” ହସିଦେଇ କହିଲା, “ମଞ୍ଚାରେ ବସି ଜୀଆଦ ମାରିଲାପରି ।”

 

ସେଇଠିକି ଅଡ଼େଇ ନେଇ ଚାଲିଲା । ଗୋଟିକିଆ ଚଉକିରେ ବସେଇଦେଇ କହିଲା, “ଯାଏଁ ମୁଁ ଏଥର, ସବୁ ଯୋଗାଡ଼ କରି ଆସେଁ ।”

 

ହାଟ ଶେଷରେ ଗହୀର ଗୋହୀରିବାଟ, ଦି’ପାଖେ ଢିପ, ଢିପ ଉପରେ ସ୍ଥାନେ ସ୍ଥାନେ ଗୋଟିକିଆ ଚାଳିଟିମାନ । ରମେଶ ବସିରହିଲା । ଆରପାଖ ଢିପ ଉଞ୍ଚକୁ ଚଢ଼ି ଗୋଟିଏ ମୁଣ୍ଡିଆ ହୋଇଛି । ତା ଉପରେ ଗୋଟିଏ କନ୍ଧ ବସ୍ତି । ଦୁଆରେ ଦଉଡ଼ିଆ ଖଟ ପଡ଼ିଛି । କୁକୁର ବସିଛନ୍ତି । ଗୁଡ଼ାଏ ପିଲା ଗୋଟାଏ ବଡ଼ ଢୋଲ ଉପରେ ମନଇଚ୍ଛା ଦୁଡ଼ୁମ୍ ଦୁଡ଼ୁମ୍ ପିଟୁଛନ୍ତି । ଗୋଟାଏ ଦୁଆର ମୁହଁରେ ଜଣେ ବୁଢ଼ା ବସି ବାନ୍ତି କରୁଛି, ବୁଢ଼ୀ ତା’ର ପିଠି ସାଉଁଳୁଛି । ନିଶ୍ଚୟ ମ୍ୟାଲେରିଆ ଜର । ଭଙ୍ଗା କାନ୍ଥକୁଢ଼ ଉପରେ ଗୋଟାଏ ଗାରଡ଼ ଠିଆହୋଇ କ’ଣ ଗଛ ଚୋବୋଉଚି । ରମେଶ ସେହି ବସ୍ତିର ଦୃଶ୍ୟ ଉପରେ ଆଖି ରଖି ସମୟ ଚାଲିଗଲା । ନାକପୁଡ଼ା ଭିତରୁ ହାଟର ଧୂଳି ରୁମାଲରେ ରଗଡ଼ି ଲାଗିଲା, ଝାଳ ପୋଛିଲା । ବେଳ ଗଲାଣି, ମାଘର ଖରା ଛାଇ ଲମ୍ବେଇଲାଣି, ଫିକା ପୃଷ୍ଠପଟ ଆଗରେ ଲମ୍ବିଛି ଗୋଟିଏ ସାଧରଣ ବସ୍ତିର ଚିତ୍ର, ସରଳା ଘରକରଣାରେ ।

 

ହଠାତ୍ ସେପଟୁ ଉଠିଲା କାନ୍ଦଣାର ରୋଳ । ସବୁ ଘରୁ ଲୋକ ବାହାରିପଡ଼ି ଗୋଟିଏ ଘରକୁ ଛୁଟିଗଲେ । ପିଲାଏ ବାଜା ବନ୍ଦ କରି ଦୌଡ଼ିଗଲେ । ଘର ମୁହଁରେ ଓ ଦୁଆରେ ଲୋକଙ୍କର ଭିଡ଼ । ଆପଣା ଗାଲ ଛାତି ଆଞ୍ଚୁଡ଼ି ଚୁମୁଟି ସମସ୍ତେ ଭେଁ ଭେଁ କାନ୍ଦିଲେ । କ୍ରମେ ସେ କାନ୍ଦଣା ଧରିଲା ଗୋଟାଏ ଛନ୍ଦର ବାଟ । ସମବେତ ମରଣ ବାହୁନା ଚାଲିଲା ।

 

“ଅଲୋ ! ଅଲୋ ! ହାତେୟୁଁ ! ହାତେୟୁଁ !

 

(ହାୟ ! ହାୟ ! ମରିଗଲା ! ମରିଗଲା !)

 

ବିନୁ ଆସି ପହଞ୍ଚିଗଲା । ‘‘ସବୁ ବନ୍ଦୋବସ୍ତ କରିଦେଇଛି, ଆଜ୍ଞା ! ହାଟରେ ପାଇକମାନେ ଥିଲେ । ସମସ୍ତିଙ୍କି ଆଡ଼େଇ ଘେନି ଅସିବେ !”

 

“ଏ କ'ଣ ହେଲା, ବିନୁ ?”

 

“କିଏ ଜଣେ ମରିଗଲା ଆଜ୍ଞା, ମାଳଜର, ଏଥିରେ ଆଉ ନୂଆ କ’ଣ ଅଛି ?”

 

ବିନୁ ତା ପଛଆଡ଼େ ଠିଆହୋଇ ରହିଲା ।

 

ରମେଶ ସେହି କାନ୍ଦଣାରେ ମନ ଦେଲା । ନିତି ନୂଆ, ନିତି ପୁରୁଣା । ଆଉ ଚକ ଘୂରୁଛି, ଜନ୍ମ, ମୃତ୍ୟୁ, , ପ୍ରଜନନ । ସବୁ ଦୃଶ୍ୟ ତରଳିଯାଇ ବଦଳିଗଲା । ଆଖି ଆଗରେ ଭାସି ଉଠିଲା ଉତ୍ତର ବାଲେଶ୍ଵରରେ ଆପଣାର ଗାଁ କାନ୍ତିପୁର । ତା'ର ଘର, ବାପ ମା, ପଡ଼ିଶାମାନେ, ଚିହ୍ନା ବୁଢ଼ା, ଚିହ୍ନା ପିଲାମାନେ, ଚିହ୍ନା ଝିଏ । ଗାଁ ମଶାଣିରୁ ଗାଁ ମଝିରେ ଚଣ୍ଡୀମଣ୍ଡପ । ଅଉ ମୃତ୍ୟୁ, ଜନ୍ମ, ପ୍ରଜନନ । ଆଉ ଏଠି ପରି ସେଠି ବି ସୁସ୍ଥିପ୍ରୟ, ଶାନ୍ତିପ୍ରିୟ ମଣିଷ । କଜିଆ ମୁଲେଇଯାଏ ନାହିଁ, କାହାରି ଅନିଷ୍ଟ ନ କଲେ ବି କଷଣ ଭୋଗେ ।

 

ଅଲୋ ! ଅଲୋ ! ହାତେୟୁଁ ! ହାତେୟୁଁ !

 

କେତେ ଯାଇଛନ୍ତି–କେତେ…. କେତେ ! ଅନ୍ଧାର ରାତିରେ କାଉଁରିଆ ନିଆଁ ଜାଳି ଗାଁ ଲୋକ ଡାକନ୍ତି-“ଅନ୍ଧାରେ ଆସ ଆଲୁଅରେ ଯାଅ, ଆଲୁଏ ଯାଅ ।”

 

ଆଉ ସାମ୍ନାରେ ଏଇ ମରଣର ସମତଳ, ସେଠି ଭାଷାର ଭେଦ ନାହିଁ । ଦେଶର ବଡ଼ ନାହିଁ, ସମସ୍ତେ ସମାନ ଓ ଚିରନ୍ତନ । ପଛଆଡ଼େ ଠିଆହୋଇ ବିନୁ ବି ଘରକଥା ଭାବୁଛି । ସେଠି ତା’ର ସାନ ଭାରିଯା । ବିଶି କଣ ଆସୁଥିବ ?.....ଠାଇ କରି ଆପଣା ଗାଲରେ ଏକ ଚାପୁଡ଼ା ମାରିଲା । ରମେଶ ଅନେଇଲା ? ବିନୁ ଗାଲ ସାଉଁଳୁଛି । କହିଲା, “ଏଠି ବହୁତ ବଡ଼ ବଡ଼ ମଶା, ଆଜ୍ଞା, କାମୁଡ଼ିଲେ ବିନ୍ଧେ ।”

 

ରମେଶ ଚମକିପଡ଼ିଲା । ଆପଣାକୁ ଦେଖିଲା, ବିଛଣାରେ ପଡ଼ି କମ୍ପୁଛି । କୁମ୍ଭାଟୁଆ ଆଖିପରି ଆଖି, ଭାଲୁପରି କଳା, ଆରମ୍ଭ ହେବ ଶହେ ତିନିରୁ, ଇଚ୍ଛାହେବ କାମୁଡ଼େ, ମାରି ଗୋଡ଼ାଏଁ, ଗାଳିଦିଏଁ–ବାନ୍ତି, ତାତି, ତାତି, ତା ପରେ ?

 

ଜନ୍ମ, ମୃତ୍ୟୁ, ପ୍ରଜନନ, ଜନ୍ମ, ମୃତ୍ୟୁ,….

 

ଆଇନ୍ ମନେ ପଡ଼େ ନାହିଁ । ଜନ୍ମ, ମୃତ୍ୟୁ,, ମଣିଷ......

 

ହଠାତ୍ ଯେପରି କି ନୂଆ ଆଖିରେ ସେ ଦେଖିଲା । ଲୋକ ଚାଲିଛନ୍ତି, ବହୁତ ଲୋକ । ଅନ୍ଧାରରେ ହଜି ଯାଉଛନ୍ତି । ଧାର ମରୁନାହିଁ । ଚାଲିଛନ୍ତି । ଚାଲିଛନ୍ତି । ହାଟ ଭାଙ୍ଗି ଆସୁଛି । ଲୋକ ଚାଲଛିନ୍ତି । ଯେପରିକି ସେ ଜଣ ଜଣ କରି ସମସ୍ତିଙ୍କି ଚିହ୍ନେ । ଘରେ ଅଭାବ, ପଦାରେ ପେଷଣ । ତଥାପି ଚାଲିଛନ୍ତି । ତୁଣ୍ଡରେ ସେହି ଅଖଳା ଭାଷା, ଜାତି ଭିନେ ନୁହେଁ ବୋଲି ଭିନେ ନୁହେଁ, ସେହି ମଣିଷ ସେମାନେ । ତା’ର ଗ୍ରାମଲୋକେ ଚିହ୍ନାଲୋକେ । ଧାର ଭିତରେ ଅଣ୍ଟା ସଳଖେଇ ପିମ୍ପୁଡ଼ି ଚାହୁଁଛି ପିମ୍ପୁଡ଼ିକୁ ମୁହାଁମୁହିଁ, ଶୁଖିଲା ଆଖିରେ ହସ ଉଛୁଳାଇ କହିଯାଉଛି, ତୁମେ ଆମେ ଏକା ଜାତିଭାଇ, ଗୋଡ଼ରେ ଚାଲୁଁ ହାତରେ କାମ କରୁଁ । ତୁମର ଆମର ଏକା ଦେଶରେ ଘର ଭାଇ, ଏଇ ମାଟି ଉପରେ ଆକାଶ ତଳେ, ତୁମର ଆମର ଏକ ଶତ୍ରୁ ଭାଇ- ଯେ ଆମ ମୁହଁରୁ ଆଧାର ଛଡ଼େଇନିଏ, ଗୋଡ଼ରେ ଦଳିଦିଏ, ଉପରେ କୁଢାଏ ତତଲା ପାଉଁଶ–

 

ପିମ୍ପୁଡ଼ିର ଧାର ଚାଲିଛି, ତାର ମନ ଗହୀରରେ ହସ ଆଉ ନିଆଁ ମିଶି ଅଖଣ୍ଡ ଦୀପ ଜଳୁଛି;-

 

ପଦାରେ ଗହଳି ଶୁଭିଲା । ପାଇକମାନେ ଆସୁଛନ୍ତି, ପଛେ ପଛେ ଟୋକେଇ ଓ ବସ୍ତା ଧରି ମାଳେ ଲୋକ । ରମେଶ ମୁହୂର୍ତ୍ତକେ କର୍ମଚାରୀ ପାଲଟିଗଲା, ଠିଆ ହୋଇପଡ଼ି ପାଇକମାନଙ୍କ ସଲାମ ନେଲା । ବିନୁ ଆଗକୁ ଚମକିଗଲା, କହିଲା, “ପଞ୍ଝାକୁ ପଞ୍ଝା ଧରି ଆଣୁଛନ୍ତି” । ପାଇକମାନେ କହିଲେ, ‘‘ଏଇ ଦେଖିବା ହେଉନ୍ତୁ, କେମିତି ଏ ହାଟରୁ ୟେ ଲୋକେ ଲୁଚେଇ ଚାଉଳ, ନେଇ ପଲାଉଥିଲେ ତଳ ଦେଶକୁ । ଉପରେ ଉପରେ ଲଙ୍କାମରିଚ ହଳଦୀ ଧୂଆଁପତ୍ର ବିଛା ହୋଇଛି, ତଳେ ଅଛି ଚାଉଳ । ଏ ଦେଶରୁ ନେଇ ସେ ଦେଶରେ ବେଭାର କରିବେ, ସେଠି ବି ଚଢ଼ା ଦରରେ ବିକିବେ, ଚାଉଳ ଗଣ୍ଡାକ ପାଇଁ ଲୋକଙ୍କର ରକ୍ତ ମାଉଁସ ଝୁଣିକରି ଖାଇବେ ।’’

 

ସାମ୍ନାରେ କଙ୍କାଳ ଥାଟ, ବିଦା କାଠ ପରି ଛାତି ହାଡ଼, ଦେହର ଚର୍ମ ଚେମେଣି ଦେହପରି ଓହଳିଛି, ଅଣ୍ଟା ପିଠି ଲାଗିଯାଇଛି; ଖାଲି ବେତାଏ ବେତାଏ ନୁଖୁରା ବାଳ, ଜୁଳୁଜୁଳୁ ଆଖି । ମଣିଷ ନୁହନ୍ତି, ମଣିଷର ପ୍ରେତାତ୍ମା, ଆପଣା ଭାଷାରେ ଅଳି କରୁଛନ୍ତି, ବେବାଳି ଛାଡ଼ୁଛନ୍ତି, ପେଟକୁ ପାଟିକୁ ଦେଖାଇ ଅଙ୍ଗୀଭଙ୍ଗୀ କରୁଛନ୍ତି, ଡାଙ୍ଗ ସର ସର ଲମ୍ବା ହାତ ହଲାଉଛନ୍ତି ।

 

ସେପାଖ ବସ୍ତିରେ ମଢ଼ଟା ପଦାକୁ ଆସିଲା ବୋଧହୁଏ, ଠେଲାପେଲା ହୋଇ ମଣିଷ, ଆଗକୁ ପଛକୁ ମୁଣ୍ଡ ଝାଙ୍କି ଝାଙ୍କି ସମସ୍ଵରରେ ସଙ୍ଗୀତ କଲା ପରି ବାହୁନା- “ଅଲୋ ଅଲୋ ହାତେୟୁଁ ହାତେୟୁଁ , ପାପୁ....”

 

ଆଉ ଢିପତଳେ ଗୋହିରୀରେ ବାଡ଼େଇ କଚାଡ଼ି ହୋଇ ଜୀଅନ୍ତା ପ୍ରେତ “ଏ ବାବୟା, ଏ ତଣ୍ଡ୍ରି- ”

 

ଆଉ ପାଇକଙ୍କ ଗର୍ଜନ, ବିନୁ ଓଡ଼ିଆର ରଡ଼ି ‘‘ଏଇ, ଏମିତି କ'ଣ ହଉଚ, ଖୋଲ ଖୋଲ, ଦେଖାଅ ଚାଉଳ,’’

 

ରମେଶ ଆଖି ବୁଜିଦେଲା । ତା’ର ମୁଣ୍ଡ ଭିତର ଦୋହଲିଯାଉଛି, ଦେହରେ ବାଟର କ୍ଲାନ୍ତି, ଆଉ ଭୋକ ! ଆଖି ବୁଜି ତ ଦେଖୁଛି ଗୋଳିଆଗୋଳି ଆଉଟା ଆଉଟି ମଣିଷ, ସେଠ ଗାଲରେ ୟଜ୍ ରୋଗ, ମୁହଁରେ ହସ , ଦେହରେ ଧୋକଡ଼ ଚମ, ଆଖି ଚିକ୍ ଚିକ୍ । ସେଠି ମରଣର କାନ୍ଦଣା, ଅଭାବର ଆର୍ତ୍ତଦାନ, ଗାଡ଼ୁଆ ଆଖିର ଗହ୍ଵର ତଳେ ନିଆଁ ଆଉ ତୋଫାନ । ଆଖି ଖୋଲି ଚାହିଁଲା, ଲାଗିଛି ଚିତ୍କାର ଏ ବାବୟା', ଏ ତଣ୍ଡ୍ରି-” ହେ ବାବୁ ହେ ବାପ, ଦେଖ ଆମ ଅବସ୍ଥା ।

 

ଥରେ ନିଘା ପଡ଼ିଲା, ଆଗରେ ଠିଆ ହୋଇଛି ବରଡ଼ା ପତ୍ର ତିଆରି ଡେଙ୍ଗା ମଣିଷ- ଦୁଇ ଲମ୍ବା ହାତ ମୁଣ୍ଡ ଉପରକୁ ଟେକି ଥର ଥର ହେଇ ନଇଁପଡ଼ିଲା, ସତେ ଅବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିବ ସେଇଠି, ଫମ୍ପା ଘାଗଡ଼ା ଗଳାରେ ରଡ଼ି ଦେଲା, “ଏ ବାବୟା, ଏ ତଣ୍ଡ୍ରି -”ଗଡ଼ ଗଡ଼ ହୋଇ ଅପଣା ବୋଲିରେ କରୁଣ ଅନୁନୟ ଗାଇଗଲା । ଭାଷା ନ ଜାଣିଲେ ବି ତା’ର ଭାବ ବୁଝିହୁଏ । ତଳେ ମୁଣ୍ଡ କୋଡ଼ି ତା'ର ପାଦଆଡ଼କୁ ହାତ ବଢ଼ାଇ ବେକ ଭାଙ୍ଗି ଦେଇ ଉପରକୁ ମୁହଁ ଟେକି ସଳଖେ ଚାହିଁଲା । ସେହି ଚାହାଣି ରୂପ ନେଲା କେଉଁ ଏକ ଚିହ୍ନା ମଣିଷର, ରମେଶ ଚିହ୍ନା, ସମସ୍ତିଙ୍କର ଚିହ୍ନା, ଭୋକ ଉପାସରେ ଛଟପଟ ହେଲେ ଆପଣା ଭିତରୁ ବାହାରି ଦର୍ପଣରୁ ଚାହିଁରହେ । ଲାଗିଲା, ଏହି ସମସ୍ତେ ଯେପରି ତା’ର ଚିହ୍ନାପରିଚ ଲୋକ, ତା’ର ଗ୍ରାମ ଲୋକ, ଦେହର ଚେହେରାକୁ ଆଉ ତା’ର ନିଘା ନାହିଁ, ଭାବର ଚେହେରା ତା’ର ଅତି ଚିହ୍ନା । ସାମ୍ନାର ଏ ଲୋକଟି ଯେପରି ତା’ର ହଜିଲା ସପନ ଦାଦି, ସେମିତି ଅଲରା ବାଳ, ସେମିତି ପାଗଳ ପରି ଠିଆ ରୁଢ଼, ହାଡ଼ର ଧଡ଼ିଏ ଧଡ଼ିଏ ଖାଲି ଗାଡ଼ମୟ । କେବଳ ସେ ଆହୁରି କ୍ଲାନ୍ତ, ଆହୁରି କ୍ଷୁଧିତ, ମୃତ୍ୟୁର ବିଭୀଷିକା ଆଗରେ ଭୟଭୀତ । ସେହି ନିଶୁଆ ବଙ୍କା ବୁଢ଼ା ଯେପରି କି କାନ୍ତିପୁରର ଅକାମୀ ଅରକ୍ଷ କହ୍ମାର ବୁଢ଼ା ।

 

ଏଇ ଚମହାଡ଼ମୟ ଟୋକା ପଲକ କାଲି ଥିଲେ ତାର ଗାଁର ଟୋକା, ସେମାନେ ତାରି ବାରିରେ ପଶି କସି ପିଜୁଳି ଚୋବାଉଥିଲେ; ଏଇ ଦଦରା ନାହା ପରି ସ୍ତ୍ରୀଲୋକମାନେ କାଲି ଥିଲେ ତା ଗାଁର ସ୍ତ୍ରୀ ଲୋକ, ପାହାନ୍ତିଆରୁ କିଲ୍‍କାଲିଆ ହୋଇ ବାଦବୁଦିଆ ଲଗାଇ ପତ୍ର ଗୋଟାଇବାକୁ ଧାଇଁଥିଲେ । ରମେଶ ଆଖି ଲୁଚେଇ ମୁହଁ ପୋତି ଠିଆହୋଇ ରହିଲା । ତୁଣ୍ଡର ଖାଲି ପଦେ କଥା-

 

“ଯାଅ ଯାଅ- ୟା ଚାଲି-”

କଣ କହୁଚି ଏ ବାବୁଟା ? ବିନାୟକ ଚପରାସି ତରତର ହୋଇ ଭବିଗଲା । ସତେ ଏମାନଙ୍କୁ ଚାଉଳ ଘେନି ଚାଲିଯିବାକୁ ଛାଡ଼ିଦେଉଛି । ଆତୁର ହୋଇ ପାଟି କଲା, “ଆଜ୍ଞା… ଆଜ୍ଞା....ଆଜ୍ଞା !”

 

ତାଠୁ ସେହି ଏକା ଉତ୍ତର- “ଛାଡ଼ିଦିଅ….ବେଳ ଯାଉଚି, ଯାଅ ଭାରି... ଯାଅ ଚାଲି-”

 

ସଂସାରକୁ ଚିହ୍ନେ ନାହିଁ, ନରମ ପୁଚ୍ ପୁଚ୍ ମନ, ଟୋକା ଲୋକ, ଗଜୁରା ଗଜୁରା ଅଧା ନିଶ, ତକତକିଆ ଟୋକା ଖଣ୍ଡେ, ଏଇଟା ନୁହେଁ ଅଧିକାରୀ, ପ୍ରକୃତ ‘ଅଧକାରୀ’ ବାଘପରି ମଣିଷ, ଛେଃ, ଏଇଟା ! ବିନାୟକ ଓଡ଼ିଆ ତା’ର ଅଭିଜ୍ଞତାର ଇତିହାସ ଆଉଣ୍ଡି ଲାଗିଲା, ସେ ବହୁତ ଦେଖିଛି । ତା’ର ଓଠ ବଙ୍କା ହୋଇ ରହିଲା, ନୁହେଁ ହସ, ନୁହେଁ ବିଦ୍ରୁପ ।

 

ରମେଶ ଠିଆ ହୋଇ ରହିଲା । ତା’ର ଚେତନା ଆଗରେ ଇତିହାସ ନଥିଲା, କପିଳେନ୍ଦ୍ର ନାହାନ୍ତି, ପୁରୁଷୋତ୍ତମ ନାହାନ୍ତି, କୋଣାରକ ନାହିଁ, ଦେଶ ଓ ଜାତିର ପିଞ୍ଜରାଗଢ଼ା ମଣିଷର ବଶିଷ୍ଟ ରୂପ ନାହିଁ, ଇତିହାସର ଅର୍ଥ ନାହିଁ ନାହିଁ, କିଛି ନାହିଁ , ଚାରିଆଡ଼େ ଖାଲି ପିମ୍ପୁଡ଼ି, ପିମ୍ପୁଡ଼ି ଭୋକିଲୋ ପିମ୍ପୁଡ଼ି ବଞ୍ଚିବା ପାଇଁ ଆଧାର ବୋହି ନେଉଛନ୍ତି, ଆଉ ପିମ୍ପୁଡ଼ି ଧାର ଏକାଠି ହୋଇ ମନ୍ଦା ବାନ୍ଧୁଛି ନୂଆ ଅଭିଯାନ ପାଇଁ,- ସେ ବଞ୍ଚିବାକୁ ଚାହେଁ ।

 

ଶୀତେଇ ଉଠିଲା । ଖରା ଗଲାଣି, ଚାରିଆଡ଼େ ବାଲି କୁହୁଡି; ମାଘର ଶୀତ ଅନୁଭବ କଲା ।

Image

 

ବଉଳି

ଶ୍ରୀ ରାଜକିଶୋର ରାୟ

 

ଗୋଠ- ବାହୁଡ଼ା ବେଳ ।

 

କଥା ଗୋହିରୀ ଡେଇଁ ଦଫାଦାରବାବୁ ଭଜନି ପଧାନ ଘର ପିଣ୍ଡା ଉପରକୁ ଉଠିଲେ । ଏବେ ସେ ଥାନାରୁ ଫେରୁଛନ୍ତି । ଦଶଦଶଟା ମକଦ୍ଦମାର ଫନ୍ଦି ଓ ମୀମାଂସା କାନ୍ଧରେ ବୁହାଇ ସେ ସବୁବେଳେ ଯାତାୟାତ କରନ୍ତି । ତେଣୁ ତାଙ୍କର ମେରୁଦଣ୍ଡ ଆଗକୁ ଝୁଙ୍କିପଡ଼ିଛି ।

 

ପାଉଁଶ ଗୁଣ୍ଡିରେ ଦଳା ହୋଇ ସରକାରୀ କୋର୍ଟର ବୋତାମଗୁଡ଼ାକ ଚିକ୍ ଚିକ୍ ଦେଖାଯାଉଛି । ହାତରେ ବିଡ଼ାଏ କାଗଜ । କାଗଜ ଉପରେ ମଲାଟ ବୋର୍ଡ଼ ଖଣ୍ଡିକ ଟିପଚିହ୍ନ କାଳିରେ କଳା ପଡ଼ିଛି । ଗୋଟାଏ ସୂତା ଅହେତୁକ ଭାବରେ କାଗଜ ଉପରେ ଲମ୍ବିଆସିଛି ।

 

ସରସୀ ତୁଳସୀ-ବେଦୀ ମୂଳରେ ଛୁଞ୍ଚିକନା ବୁଲେଇ ଆଣୁଥିଲା, ଦଫାଦାର- ବାବୁ ପିଣ୍ଡା ଉପରକୁ ଉଠୁଛନ୍ତି । ଓଢ଼ଣାଟି ଧୀରେ ଟାଣି ଆଣି ମଶିଣା ଖଣ୍ଡିଏ ପିଣ୍ଡା ଉପରେ ପାରିଦେଲା । ଦଫାଦାରବାବୁ ବସିପଡ଼ିଲେ ।

 

ସରସୀ ଦଫାଦାରବାବୁଙ୍କର ଧରମ-ଝିଅ । ଥାନାଫେରନ୍ତା ଦଫାଦାରବାବୁ ସରସୀକୁ ଏହିପରି ପ୍ରାୟ ସଂଖୋଳି ଯାଆନ୍ତି । ଏଣୁ ତେଣୁ ଦି କଥା ପଚାରନ୍ତି । ପଚାରିବା ଭିତରେ ନିଜ ସ୍ଵାର୍ଥର ପରିଚୟ ଥାଏ । ସେଇତକ କଥାବାର୍ତ୍ତାରେ ସରସୀର ବାରି ବାଇଗଣଠାରୁ ଆରମ୍ଭ କରି ଉଜଳ ଗାଈର କ୍ଷୀର ବା ପତନୀର ଲହୁଣୀ ପର୍ଯ୍ୟନ୍ତ - ସବୁଥିରେ ଦଫାଦାର ବାବୁଙ୍କର ଲାଳସା ରହିଥାଏ ।

 

ଭଜନି କୃଷି କରେ, ଗୋଧନ ବଢ଼ାଏ; ଆଉ ସରସୀ କୃଷି ଲକ୍ଷ୍ମୀଙ୍କୁ ଆଦର କରେ, ପୂଜା କରେ ପ୍ରତି ଗୁରୁବାରରେ । ଛୋଟ ଛୋଟ ପାଦ କେତୋଟି ମୁରୁଜରେ ଆଙ୍କି ଈଶାନ କୋଣରେ ତାହା ସେ ବନ୍ଦାପନା କରେ । ଗରିବର କୁଳ ଭିତରେ ଏକ ଆଡ଼େ ସ୍ଵାମୀ, ଆନ୍ୟ ଆଡ଼େ ଗୋମାତାର ସେବାରେ ସରସୀର ଅନ୍ତର ପୁଲକିତ ହୁଏ । ତାର ନେତ୍ରସଂପତ୍ତି- ଉଜଳା, ପତନୀ, ମଙ୍ଗୁଳୀ, ଆଉ ଜଗନ୍ନାଥ ଓ ବଳଭଦ୍ର ବୋଲି ଦୁଇ ମୂର୍ତ୍ତି ବଳଦ ।

 

ଉଜଳୀ ପହ୍ନାରେ ଆଙ୍ଗୁଠି ଖସାଇ ସରସୀ ଯେତେବେଳେ କୋଳ ଉପର ଭାଣ୍ଡକୁ ଭରି ଆଣେ, ସେତେବେଳେ ସୂର୍ଯ୍ୟ-ରଥ ଆକାଶର ନୀଳିମା ଚକ୍ରବାଳକୁ ଉଭାସିତ କରି ବାହାରି ଆସୁଥାଏ । ନିତି ଦିନର ଏହି ଲୀଳା ଘେନି ସରସୀର ପ୍ରାଣ ପରିପୁର୍ଣ୍ଣ ରହିଥାଏ ସତ; ମାତ୍ର ନାରୀହୃଦୟର ନିଭୃତ ସ୍ଥଳୀର ଯେ ବ୍ୟଥା ଟିକକ ସେ ଅତି ସଂଗୋପନରେ ଧରି ରଖିଥାଏ, ତାହାର ସମ୍ବାଦ କର୍ମପଟୁ ଭଜନି ରଖିପାରେନି, କି ଉଜଳା ପତନୀ କିଛି ବୁଝିପାରନ୍ତି ନାହିଁ ।

 

ଭାଣ୍ଡ ପୂରିଆସେ । ସ୍ଵଚ୍ଛ ଶୁଭ୍ର କ୍ଷୀର ଧାର ! ଉଜଳା ଝିଅ ବଉଳିର ଦୁଧଫେଣଲଗା ମୁହଁ ସରସୀର ପିଠି ହାତ ବାହୁ ଉପରେ ବୁଲିଆସେ । ବଉଳୀର ଏ ଆନନ୍ଦସ୍ପର୍ଶ ସରସୀ ସହିନିଏ । ସାମାନ୍ୟ ବାଛୁରୀର ସ୍ପର୍ଶ ଭିତରେ, ସରସୀ ଯାହା ଉପଭୋଗ କରେ, ତାହାଠାରୁ ବେଶୀ ସେ ଅନୁଭବ କରେ କାହାର ଅନୁକ୍ଷଣ ଅଭାବ ।

 

ଗାଁ ସମାଜ ଘରେ ସରସୀ ଶୁଣିଛି, ଯଶୋଦା ବନମାଳୀଙ୍କର ଗୋପଲୀଳା କାହାଣୀ । ଗାଁର ହରିଜନ ଯାତ୍ରାଦଳର ରଙ୍ଗସଭା ସୁଆଙ୍ଗରେ ସେ ଚିହ୍ନି ପାରିଛି, ବାଳଗୋପାଳ କୃଷ୍ଣଙ୍କ ପାଇଁ ଯଶୋମତୀର ସ୍ନେହବତ୍ସଳ ବନ । ଗୋଧନ ପଛରେ କାହ୍ନୁର ରଙ୍ଗ ଚାଲି ଦଣ୍ଡେ ନ ଦେଖିଲେ ଯଶୋଦାଙ୍କର ହୃଦଫଟା କାନ୍ଦ- କ୍ଷୀରଭାଣ୍ଡ ଭାଙ୍ଗି କୃଷ୍ଣର କାନ୍ଥ ଅଉଜା ସଶଙ୍କ ମୂର୍ତ୍ତି–ସବୁ ସରସୀ ଦେଖେ, ବୁଝେ । ଯେତିକି ଦେଖେ ଯେତିକି ବୁଝେ, ସେତିକି ଉଜଳା କ୍ଷୀରର ପୂର୍ଣ୍ଣଭାଣ୍ଡ ତାକୁ ଅପୂର୍ଣ୍ଣ ଜଣାଯାଏ । ଛୋଟ ଛୋଟ ଦୁଇଟି ପାଦରେ ଠୁକୁ ଠୁକୁ ଚାଲି ଘେନି, ଗାଲରେ ଗାଲେ ହସ ପୂରାଇ ଯେଉଁ ହୃଦ-ଧନଟି ଉଜଳାର କ୍ଷୀର ଭାଣ୍ଡକୁ ଆକ୍ରମଣ କରୁଥାନ୍ତା, ତାହାର ସ୍ଵପ୍ନ ହିଁ ସରସୀ କେବଳ ଦେଖି ଚାଲିଛି ।

 

‘-ଉଜନୀ କଅଣ ହଳକୁ ଯାଇଛି ?’ ଦଫାଦାର ବାବୁ ହସି ହସି ଆରମ୍ଭ କଲେ ।

 

‘- ହଁ, ସାଆନ୍ତେ, ଏଇନାକେ ଫେରୁଥିବେ ।’

 

ଦାଣ୍ଡଘର ବାଟେ ଆଢ଼ୁଆଳରୁ ସରସୀ ଅଧାଲୁଚା ଅଧାଦେଖା ଭାବରେ ଦଫାଦାରବାବୁଙ୍କୁ ଅଭ୍ୟର୍ଥନା କରିଅଛି । ଉଜଳାର ଛେନା, ଆଖୁ କ୍ଷେତରେ ନୂଆଗୁଡ଼ -ତା ସାଥୀକୁ ଦି’ଟା ହୁଡ଼ମ ।

 

ଦଫାଦାର ବାବୁ ଭୋଜନ ସାରି ସରକୁ ଶୁଣେଇ କହିଲେ- ‘ସର, କଟକ ସହରରେ ଗାଈ ଗୋରୁ ପ୍ରଦର୍ଶନୀ ହେଉଛି । ତୋ ଉଜଳା, ପତନୀଙ୍କୁ ଦେଖିଲେ ତ ଆଖି ଖୋସି ହୋଇଯାଏ । ତୁ ତାଙ୍କୁ ଏତେ ହେପାଜତରେ ରଖିଛୁ ଯେ, ମାଛି ଖସି ପଡ଼ିବ । ଉଜନିକୁ କହିବୁ- ଉଜଳା, ପତନୀ; ଆଉ ବଉଳାକୁ ଘେନି ସେ କଟକ ଯାଉ । ଗାଈ ପିଛାକେ ପଚାଶ ଟଙ୍କା ପୁରସ୍କାର ।”

 

ସରସୀ ବାଧା ଦେଇ କହିଲା- ‘ପଚାଶ ଟଙ୍କା କେତେ ମ ? କୋଡି କୋଡ଼ି ହୋଇ ସାଆନ୍ତେ କେତେ ହେବ କୁହ ।’

 

‘- ଦି’ କୋଡ଼ି ପୁଣି ଦଶ ଟଙ୍କା ।’

 

‘-ଏଁ, ଏତେ ଟଙ୍କା ମିଳିବ ?’

 

‘-ହଁ, ଥାନାବାବୁ ଗାଁରେ ଗାଁରେ ଏ କଥା ଲୋକଙ୍କୁ ବୁଝେଇବାକୁ ମତେ କହିଛନ୍ତି । ସେଠାରେ ଗାଈ ଗୋରୁ ମଣିଷଙ୍କ ପାଇଁ ଖାଇବା ପିଇବାର ସୁବିଧା ଅଛି । ବାଟରେ ଯଦି ଭଜନିକୁ ଦେଖିବି, ତାକୁ ବୁଝେଇ କହିଦେବି ।”

 

ସରସୀ କହିଲା- 'ସାଆନ୍ତେ, ଦି’ଦିନ ନିକିମା ହେଲେ ତ ପୁଣି ଏ ଯିବେ । କେତେବେଳେ ସିନା ଟଙ୍କା ମିଳିବ, ଆଗତ ପୁଣି ବାଟ ଖରଚ ଲୋଡ଼ା’ ?

 

ପଞ୍ଚୁଆ କାଳିଆକୁ ଘେନି କେତେବେଳୁ ଦଫାଦାରଙ୍କ କଥା ଶୁଣୁଛି, ଏ କଥା କେହି ଜାଣନ୍ତି ନାହିଁ । ଦେଶୀ କୁକୁର କାଳିଆ । 'ଧ’ ବୋଲି ଧରେଇଲେ କାଳିଆ ଗାଈ ବଳଦଙ୍କ ଗଳାକୁ ଝୁଣି ଦେବ । ପଞ୍ଚୁଆ ଓ କାଳିଆ ଭିତରେ ଏ ଅଭେଦ ପ୍ରୀତି ଗାଁ ଲୋକେ ଜାଣନ୍ତି । କାଳିଆ ପାଇଁ ପଞ୍ଚୁଆକୁ ଏଥିପାଇଁ ସମ୍ମାନ ବି କରନ୍ତି ।

 

‘-କିରେ ପଞ୍ଚୁ, କାଳିଆକୁ ଘେନି କଟକ ଯା, ଏ ଯେମିତି ନାଗଣ କୁକୁର କେଜାଣି ତତେ କିଛି ମିଳି ଯାଇପାରେ ।”

 

‘-ଏ ଦେଶୀଟା କଅଣ କାମ ତୁଲେଇ ପାରିବ ?’ କହି ପଞ୍ଚୁଆ କାଳିଆ ମୁଣ୍ଡରେ ହାତ ବୁଲେଇ ଆଣିଲା । ପ୍ରଭୁର ସ୍ନେହ କୁକୁର ବୁଝେ । ଲାଞ୍ଜ ପିଟି ଛାମୁ ଗୋଡ଼ରେ ମାଟି ଖୋଳି କାଳିଆ ଜଣେଇଦେଲା ଯେ ସେ ସବୁ କାମ ତୁଲେଇ ପାରିବ ।

 

ପୁରୀ ସହର ଜାଗଘରେ ତାଲିମ୍ ହୋଇଛି କଣ୍ଠ ପୂଝାରୀ । ତାର କୈଶୋର କାଳ ପୁରୀର ଗୋଟାଏ ବିଖ୍ୟାତ ଆଖଡ଼ା ଘରେ କଟି ଯାଇଛି । ସାଧନା ଓ ସ୍ମୃତି ଚିହ୍ନ ପାଇଁ ଏବେ ବି ସେ କପାଳ ଶିଖରୁ ନାସାଗ୍ର ପର୍ଯ୍ୟନ୍ତ ସିନ୍ଦୂରକଲି ମାରେ । କାନ୍ଧ ଉପର ଗାମୁଛାଟା ତାର ପ୍ରତି ପଦକ୍ଷେପରେ ଉଠେ, ଆଉ ପଡ଼େ । ଏଇଟା ଏଡ଼େ ଅଭ୍ୟାସରେ ଶେଷକୁ ଆସିଗଲା ଯେ, ପାଦତାଳ ଛାଡ଼ି କଥାତାଳରେ ବି ତାହା ଏବେ କଣ୍ଠ କାନ୍ଧ ଉପରେ ନାଚିବାକୁ ଆରମ୍ଭ କରିଛି ।

 

ଯେଉଁ ବୋଦାକୁ ଧୋବା ପାରେନି, କଣ୍ଠ ତାହା ବେକରେ ଛୁରୀ ଦିଏ । ଏ ଅସାଧାରଣ ସାଧନା ସେହି ପୁରୀ ରହଣି ଭିତରେ ସେ ଆୟତ୍ତ କରିଛି । ଏ ସବୁର କର୍ମକ୍ଷେତ୍ର ନିରୂପିତ ହୋଇ ରହିଛି । ତେଣୁ କାହାର ଦରକାର ହେଲେ ଜଣାଶୁଣା ଦୁଇଟଙ୍କା ପାଉଣାରେ କଣ୍ଠ ଜୀବ ବଧ କରିଦିଏ । ସେଠାରୁ ଫେରିଆସି ଶିବ ଦେବାଳୟ ଭିତରେ କଣ୍ଠ ସଂଧ୍ୟା ଆଳତି ବୁଲାଏ । ଏ ବ୍ୟବସାୟରେ ତାକୁ ଦିନେ କ୍ଷତି ସହିବାକୁ ପଡ଼େନି । କାରଣ ତାହାର ଉତ୍ସାହଦାତା ଓ ପୃଷ୍ଠପୋଷକ, ସବୁ କଥାରେ- ହେତୁକ ହେଉ ବା ଅହେତୁକ ହେଉ, ଯେଉଁମାନେ ଆଗଭର ସେହି ସ୍କୁଲ ଓ କଲେଜ ଛାତ୍ର ।

 

କଣ୍ଠ ପଞ୍ଚୁଆ ପଛରେ ଛିଡ଼ାହୋଇ କଅଣ କିରେ ବୋଲି ପଚାରିଲା । ଦଫଦାର ବାବୁ ତାକୁ ଦେଖି କହିଲେ, “ମାଲିକେ, ମେଣ୍ଢୀଟା ଥରେ ତାଳ ପକାଉ !”

‘-ମହାରାଜେ, ଏ ବା କି କଥା, ବସିବା ହେଉ’ କହି କଣ୍ଠ ବାହାସ୍ପୋଟ ମାରି ତାର ପ୍ରିୟ ମେଣ୍ଢୀଟିକୁ ଆହ୍ଵାନ କଲା । ଏ ଦୃଶ୍ୟ ଗାଁଲୋକଙ୍କର ପୁରୁଣା ହେଲେ ବି, ସବୁଥର ଏଥିରେ ନୂତନତା ପ୍ରକଟେ; ତାର କାରଣ କଣ୍ଠର କହିବା ଚାତୁରୀରେ ପୁରୀରେ ନୀଳଚକ୍ର ମଣ୍ଡଳର ଭାଷା ଫୁଟେ ବୋଲି ।

 

କଣ୍ଠ ମେଣ୍ଢୀଟାଏ ପାଳିଛି । ଦୀର୍ଘକାୟ ମେଣ୍ଢୀ । କେଶରୀ କେଶର ଭଳି ତାର ଗଳା ଦେଶର କେଶଗୁଚ୍ଛ ଅତି ସାନ୍ଦ୍ରା । ଶିଙ୍ଘ ବାଙ୍କିଯାଇ ଶିଖ୍‍ଲୋକର ଶ୍ମଶ୍ରୁ ବନ୍ଧନ ପରିପାଟୀ ଭଳି ମୁହଁ ଉପରେ ତାହା ଲାଖି ରହିଛି । କଣ୍ଠ ଏହି ଜୀବଟିକୁ ପାଳିବା ପାଇଁ ଯହା ଖର୍ଚ୍ଚ କରେ, ସେଥିରେ ସେ ଦୁଇ ପ୍ରାଣୀ କୁଟୁମ୍ୱ ସ୍ଵଚ୍ଛନ୍ଦରେ ପୋଷି ପାରନ୍ତା । କଂସେଇ ମାଧବ ମିଆଁ ଚାଳିଶ ଟଙ୍କା ହାଙ୍କିଥିଲା; ତଥାପି କଣ୍ଠ ଦେଇ ନାହିଁ ?

 

ଦୁଇଦିନ ପରେ ସିନ୍ଦୁରା ଫାଟିଲା ବେଳକୁ ସେହି ଗାଁଆର ନଈବନ୍ଧ ଉପରେ ଲୋକେ ଦେଖିଲେ, କଣ୍ଠ ଚାଲିଛି । ମେଣ୍ଢୀକୁ ସାଙ୍ଗରେ ଧରି, ତା ପଛକୁ ପଞ୍ଚୁଆ ଟାଣୁଛି କାଳିଆକୁ, ସବା ଶେଷରେ ଭଜନି ଚାଲୁଛି–ସାଙ୍ଗରେ ଉଜଳା ଓ ତାର ଝିଅ ବଉଳି ।

 

କଟକର ଗୋକୃଷି ପ୍ରଦର୍ଶନୀର ବିରାଟ ପଡ଼ିଆ । ସହରର ଛାତି ଉପରେ ପଲ୍ଲୀର ଗୋଧନ, ପଲ୍ଲୀର କୃଷିଦ୍ରବ୍ୟ, ପଲ୍ଲୀର ସରଳ ମଳିମୁଣ୍ଡିଆ କୃଷକର ଉପସ୍ଥାନ ।

 

ଗହଳି ଭିତରେ ପଞ୍ଚ, କଣ୍ଠ ଓ ଭଜନି ଯେଝାର ଜନ୍ତୁକୁ ଠିଆ କରାଇ ଭାଳୁଛନ୍ତି, ଏଠି କଅଣ ହେଉଛି ? ମଟରଚଲା ଶବ୍ଦରେ ଚମକି କଣ୍ଠର ମେଣ୍ଢୀ ଦି’ଥର ପଘା ଛିଣ୍ଡେଇ ପଳେଇଥିଲା । ଅଠର କୋଶ ବାଟ ଚାଲିଆସି ଉଜଳା ଆଉ ଛିଡ଼ା ହୋଇ ପାରୁନି । ତା’ର ଦୁଇ ଆଖିରୁ ଦୁଇ ଧାର ଲୁହ ବାହାରି ଆସିଛି । ଭଜନି କେତେ ବାଟ ବଉଳିକୁ କାନ୍ଧରେ ବୁହାଇ ଆଣିଲା, ଶେଷକୁ ଆଉ ପାରିଲା ନାହିଁ । ଚାରିମାସର ଛୁଆ ବାଛୁରୀ ଅକାତ ହୋଇ ପଡ଼ିଗଲଣି । ପିଲାଟି ଦିନୁ ଭଜନି ବଉଳିକୁ ମୁଗଚୁନି ଖୁଆଇବା ଶିଖାଇଛି; ଏଠି ନଡ଼ାକୁଟା ଛଡ଼ା ଆଉ କିଛି ମିଳୁନି । ଜଣେ ବାବୁଙ୍କୁ ସେ ଏ କଥା କହିଥଲା । ସେ ବାବୁ କହିଲେ, ଆଉ ଜଣେ ବାବୁଙ୍କୁ କହିବାକୁ । ସେ ବାବୁ ପୁଣି କହିଲେ ଅନ୍ୟ ଜଣେ ବାବୁକୁ କହିବାକୁ । ଏତେ ବାବୁକୁ କହିବାକୁ ଭଜନିର ଆଉ ସମୟ ନ ଥିଲା ।

 

ହଠାତ୍ ରୋଳ ଉଠିଲା ‘‘ମନ୍ତ୍ରୀ ମଟର'', ‘‘ସାହେବ ମଟର'', ‘‘ହାକିମ ମଟର’’ । ହଠାତ୍ ଗୋଳ ହୋଇଯିବାରୁ କାଳିଆର ମିଂଜାସ୍ ତାତିଗଲା । ନଇଲେ ଏତେବେଳଯାଏ କୁକୁଡ଼ା ବଖରା ଆଡ଼କୁ ଅପଲକ ଆଖିରେ ସେ ଚାହିଁ ରହିଥିଲା । ସେତିକିରେ ତା’ର ଯାହା ଶାନ୍ତି ଥିଲା ତାହା ନଷ୍ଟ ହୋଇଯିବାରୁ ସେ ଭୁକିବାକୁ ଆରମ୍ଭ କରିଦେଇଛି ।

 

ସେହି ପଡ଼ିଆରେ ସଭା ହେଲା । ପେଟ ଦି'ଦଉଡ଼ି ହୋଇ ଯାଉଥିଲେ ବି ପଞ୍ଚୁ, କଣ୍ଠ ଆଉ ଭଜନି ସଭା ଦେଖୁଥାନ୍ତି । ଦେଖିବା ମିଛ; ଶୁଣୁଥାନ୍ତି ଯାହା । ମନ୍ତ୍ରୀ ବୋଲି କଅଣ ପଦାର୍ଥ, ସେ ଦେଖିଲେ ନାହିଁ । ଡାକବାଜି ଯନ୍ତ୍ରରେ ସେ କୁହାଟ ଶୁଣିଲେ- 'ହଲାଣ୍ଡ ଡେନମାର୍କରେ ଗାଈଗୋରୁମାନଙ୍କୁ ଯେପରି ଖାଦ୍ୟ ଦିଆଯାଏ, ଯେପରି ଭଲ ଅବସ୍ଥାରେ ରଖାଯାଏ, ଆପଣମାନେ ସେହିଭଳି ଖାଦ୍ୟ ଓ ଅବସ୍ଥାରେ ନିଜ ନିଜର ଗୋଧନ ପ୍ରତିପାଳନ କରନ୍ତୁ । ଏ ବିଷୟରେ ଅନେକ ବହି ଲେଖାଯାଇଛି, ତାହା ପଢ଼ନ୍ତୁ । ଏଠାରେ ଗୁହାଳ କି ଆଦର୍ଶ ଭାବରେ ତିଆରି ହେବା ଉଚିତ୍, ସେ ବିଷୟରେ ଜଣେ ଡେନମାର୍କରୁ ଟ୍ରେନିଂ ପାଇ ଆସିଥିବା କୃଷି ବିଭାଗର ଅଫିସର ବକ୍ତୃତା ଦେବେ । କୁକୁଡ଼ା କିପରି ବ୍ୟବସାୟ ସୂତ୍ରରେ ପାଇବାକୁ ହେବ, ତାହା ବି ଜଣେ ବିଶେଷଜ୍ଞ ବୁଝାଇ ଦେବେ ।” ଶେଷରେ ଯତ୍ନରୁ ବାହାରିଲା–

 

“ଏହି ଆୟୋଜନଟିକୁ ସାଫଲ୍ୟମଣ୍ଡିତ କରିଥିବାରୁ ମାନ୍ୟବର ମନ୍ତ୍ରୀ ମହୋଦୟ କୃଷି ବିଭାଗକୁ ଧନ୍ୟବାଦ ଦେଉଛନ୍ତି ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକଶତ ଟଙ୍କା ଦାନ କରୁଛନ୍ତି ।”

 

ସଭା ଶେଷ । ଅଠର କୋଶବାଟରୁ ଆସିଥିବା ତିନିଟାଲୋକ ଏହି କଥା ଶୁଣିଲେ । ଆଉ ଟିକକ ପରେ ପୁଣି ଶୁଣାଗଲା -“ଏହିମାନେ ପୁରସ୍କାର ପାଇଛିନ୍ତି, ପ୍ରତ୍ୟେକ ପଚାଶଟଙ୍କା ।’’

 

ଭଲ ଦୁଧୀଆଳି ଗାଈ ପାଇଁ ମହନ୍ତ ମହାରାଜାଙ୍କର ପାଟ ଗାଈ ।

 

ଭଲ ବିଲାତି କୁକୁର ପାଇଁ ଡେପୁଟି ମାଜିଷ୍ଟ୍ରେଟ ଭଟ୍ଟାଚାର୍ଯ୍ୟଙ୍କର ଲିଲି କୁକୁର ।

 

ଭଲ ମେଣ୍ଢୀ ପାଇଁ ବିଖ୍ୟାତ ବ୍ୟବସାୟୀ କାରପଟ୍‌ଦାର ଆବୁ ହୋସେନଙ୍କର ମେରୀ ପ୍ୟାରୀ ମେଣ୍ଢୀ ।

 

ଭଲ ଛେଳି ପାଇଁ......

 

ପଞ୍ଚୁ ଅନେଇଲା ଭଜନି ଆଡ଼େ, ଭଜନି ଚାହିଁଲା ପଞ୍ଚୁ ଆଡ଼େ । କଣ୍ଠ ଚାହିଁଛି ଆଉଜଣକୁ । ସେ ଆଉ କେହି ନୁହେଁ, କଟକର କଂସେଇ ସମ୍ରାଟ୍ ସରିଫ୍ ମିଆଁ । ବ୍ୟବ୍ୟସାୟୀ ସେ । ଦେଖିଲା, ଏହି ପଡ଼ିଆରୁ ସେ କିଛି ମାଲ୍ ଯଦି ଯୋଗାଡ଼ କରିପାରେ, ତେବେ ଶସ୍ତା ଓ ସୁବିଧାରେ ସେ ପାଇଯିବ ।

 

ଅଣ୍ଟାରେ ତିନିଜଣଙ୍କର ପଇସା ନାହିଁ । ଅଠର କୋଶ ଫେରନ୍ତି ବାଟକୁ ଚାହିଁଦେଲେ ତିନିଜଣଙ୍କର ହାଲୁକ ଶୁଖିଯାଉଛି । ସରସୀ ବାରଅଣା ଅଢେଇ ପଇସା ଦେଇଥିଲା । ବାଟରେ କୁଣ୍ଡା, ଛଣ, କଞ୍ଚାଚୂଡା କିଣାରେ ସେତକ ସରିଯାଇଛି । କଣ୍ଠ ଟିକିଏ ଅଫିମ ଖାଏ; ବାକୀ ଯାହା ଥିଲା, ସେତିକି ଅଫିମରେ ସରିଛି ।

 

କାଳିଆ କୁକୁର ପଣ୍ୟ ନୁହେଁ । ତେଣୁ ପଞ୍ଚୁ, ସେ ବିଷୟରେ ନିଶ୍ଚିନ୍ତ । ଉଜଳା ବଉଳି ମାଆ ଝିଅ । ଗୋଟିକ କଥାରେ ଭଜନିର ସଂସାର । ଶେଷରେ ରହିଲା କଣ୍ଠର ମେଣ୍ଢୀ । ଏହାର ଉପରେ ଆଖି ପକେଇଛି ସରିଫ୍ ।

 

ଗାଁ ସାଥୀ ଦୁଇଜଣ ଓ ନିଜର କ୍ଷୂଧାର ଦାବଦାହ ସମ୍ଭାଳିବାକୁ ଯାଇ କଣ୍ଠ ମେଣ୍ଢୀକୁ ଛାଡ଼ିଦେଲା ପାଞ୍ଚ ଟଙ୍କାରେ ।

ଫେରନ୍ତା ବାଟ । ମୁହଁରେ କଥା ନାହିଁ । ବଉଳିର ଅବସ୍ଥା ବଳେଇଛି । ଭଜନି କାନ୍ଧେଇ କାନ୍ଧେଇ କାନ୍ଧ ତା ପାଚିଗଲାଣି । ବଉଳିର ପେଟ ଫୁଲିଯାଇଛି । ଗଁ ଗଁ କରୁଛି । ରକ୍ତ, ବାନ୍ତି ।

 

ଉଜଳାର ପଛ ଖୁରା ଖାଲି ଧରିଛି । ଗଲାବେଳୁ ଯେଉଁ ଦି'ଧାର ଲୁହ ସେ ବୁହାଇ ଚାଲିଥିଲା, ସେହି ଦୁଇଧାର ଲୁହ ବହି ଚାଲିଛି ।

 

କାଳିଆ ସୁବିଧା ପାଇଲେ ବଉଳିର ମୁମୂର୍ଷ ଦେହକୁ ଶୁଙ୍ଘି ଦେଉଛି । କାନ ପାଖରେ ମୁହଁ ଗୁଞ୍ଜି ସେ ଦଣ୍ଡେ ରହି ଯାଉଛି ।

 

କେତେବେଳକୁ ଭଜନି ବଉଳିକୁ କାନ୍ଧରୁ ଖସେଇ କହିଲା- “ପଞ୍ଚୁ, ସରିଗଲା’ !

 

କଣ୍ଠ ଆଉ ପଞ୍ଚୁ ଦେଖିଲେ–ହଁ ସରି ଯାଇଛି । ବଉଳିର ମୁହଁର ଯେଉଁ ଝଲକ ରକ୍ତ ବହି ଯାଇଛି, ତାହା ସହିତ ବଉଳିର ପ୍ରାଣ ଖସି ଯାଇଛି ।

 

ଅକାଶ ତାରକିତ ଥିଲା । ସେହି ଆଡ଼କୁ ଚାହିଁ ଭଜନି କହିଲା- ‘କଣ୍ଠ ମହାପ୍ରଭୁ, ସର କଅଣ ମତେ କହିବ ? ସେ ବଞ୍ଚିବଟି କି ? ମୁଣ୍ଡ ତ ପିଟିଦେବ ମୁଁ କଅଣ କରିବି ? ଭଗବାନ କୋଳରେ କୂଆଁ ଶୁଣେଇ ନାହନ୍ତି, ବଉଳି ତା’ର ଝିଅ ଥେଲା ।’

 

ସେଇଠି କଣ୍ଠ ଶେଷଥରକ ପାଇଁ କପାଳ ଶିଖରୁ ସିନ୍ଦୁର କଲି ପୋଛିଦେଇ କହିଲା-

 

“ଦେ ଭାଇ ବଉଳିଟାକୁ ସଡ଼କ ତଳକୁ ଗଡ଼େଇ ଦିଏ । ଆମେ ମଳିମୁଣ୍ଡିଆ ।”

 

କାଳିଆ ପଛେ ପଛେ ଗଲା । ବଉଳିର ଶବ ଯେଉଁଠି ପଡ଼ିଲା, ସେଇଠି ସେ ଦଣ୍ଡେ ଛିଡ଼ାହୋଇ ରହିଗଲା ।

Image

 

Unknown

ପରାହତ

ଶ୍ରୀ ପ୍ରାଣବନ୍ଧୁ କର

 

“ଏ ସାଇକେଲ୍‍ ବାବୁ, କେନ୍ ଆଡ଼େ ଯାଉଚୁ ?” ବ୍ରେକ୍‌ଟା ଆପେ ଆପେ କଷି ହୋଇଗଲା । ଫେରି ଚାହିଁଲା- ପାହାଡ଼ିଆ ଅଞ୍ଚଳର ଗୋଟିଏ ନିର୍ଜନ ଉପତ୍ୟକା ପଥ, ମତେ ପଛରୁ ଡାକିଦେଇ ନୀର୍ଲଜ ଭାବରେ ଯୁବତୀଟି ମୋ ଆଡ଼େ ଚାହିଁ ହସୁଛି । ଭାବିଲି -ପାଗଳୀଟାଏ ନାଁ କଅଣ ? ସନ୍ଦେହ ଦୂର ହେଲାନି । ବାଇକ୍‌ରୁ ଓହ୍ଲେଇ ପଡ଼ି ପଚାରିଲି–ମତେ ଡାକୁଛୁ ?

 

ହଁ କି ନାଁ ଉତ୍ତର ନ ଦେଇ ସେ ମୋ ଆଡ଼େ ସେହିପରି ହସି ଚାହିଁ ରହିଲା ।

 

ବଡ଼ ଅପମାନିତ ବୋଧ କଲି । ଚାହିଁଲି ଚାରିଆଡ଼କୁ । କେହି କୁଆଡ଼େ ନାହିଁ । ଶୀତ ଦିନର ମଧ୍ୟାହ୍ନ । ପହାଡ଼ ଆଉ ଜଙ୍ଗଲ–ଜଙ୍ଗଲ ଆଉ ପାହାଡ଼ । ନିଜ ପୋଷାକ ଆଡ଼େ ଚାହିଁଲି- ତାର ମତେ ଡାକିବାର କିମ୍ବା ଦେଖି ହସିବାର କୌଣସି କାରଣ ଖୋଜି ପାଇଲି ନାହିଁ ।

 

ମାଳୁଆ ଝିଅମାନେ ଫେର୍ ଏଡ଼େ ସାହସୀ ହେଲେ କେବେଠୁଁ ? ପାଣ୍ଟ କୋଟ୍ ପିନ୍ଧା ବାବୁ ଦେଖିଲେତ ଏମାନେ ଲୁଚିବେ ବଣ ବୁଦା ଭିତରେ- ପତ୍ର ଫାଙ୍କରୁ ଭୟାର୍ତ୍ତ ଆଖି ଦୁଇଟି ଦେଖେଇ । ସେମାନେ ଫେର୍–ତାକୁ ଡାକିଲି ପାଖକୁ - ରୂଢ଼ ଗଳାରେ ପଚାରିଲି କାହିଁକି ଡାକୁଥିଲୁ ମତେ ?

 

ଯୁବତୀଟି ଉତ୍ତର ଦେଲା- ଏମିତି ।

 

ମତେ ଯେ ସିଏ ଜମା ଭୟ କରୁନି, ସେଥିପାଇଁ ମତେ ବଡ଼ ଅପମାନିଆ ବୋଧ ହେଲା । ରାଗ ବି ମାଡ଼ିଲା ତା ଗୋଡ଼ରୁ ମୁଣ୍ଡ ଯାଏ ଚାହିଁଗଲି । ଅଙ୍ଗେ ଅଙ୍ଗେ ତା’ର ଯୌବନର ମୁଖରତା, ଅପାଙ୍ଗରେ ଭୟହୀନ ଚପଳତା, ଉନ୍ନତ ସ୍ତନରେ ନିର୍ଲଜ୍ଜ ଇଙ୍ଗିତ । ପିନ୍ଧିଚି ଖଣ୍ଡେ ବ୍ଲାଉଜ, ଖଣ୍ଡେ ଧଳା ଶାଢ଼ୀ, ପଚାରିଲି-

 

-ତୋର କେଉଁ ଗାଁ ?

 

-ମିଟିଙ୍ଗିଆ ।

 

-ତୁ ଖ୍ରୀଷ୍ଟାନ୍, ?

 

ସେ ମୁଣ୍ଡ ଟୁଙ୍ଗାରିଲା । ପୁଣି ପଚାରିଲା-

 

ପାଣ ଖ୍ରୀଷ୍ଟାନ୍‍ ?

 

- ହଁ ।

 

- କାହିଁକି ମତେ ଡାକିଲୁ ?

 

-କି, ଡାକିଲେ କିସ ହେଲା ? ଇଚ୍ଛା ହେଲେ ରହ, ନହେଲେ ଚାଲି ଯା ।

 

ଏ କଥା ପରେ ରହିବିକି ଚାଲିଯିବି ଠିକ୍‍ କରି ପାରିଲି ନାହିଁ । ଚାହିଁ ରହିଲି ତା’ ମୁହଁକୁ । ସ୍ମିତ ହସି, ଅପାଙ୍ଗ ଦୃଷ୍ଟି ହାଣି ଓ ଗ୍ରୀବା ଇଷତ୍ ସଂଚାଳିତ କରି ସେ କହିଲା- ଦେଖୁଚୁ କିସ ବାବୁ ? ସାଇକେଲକୁ ସେ ବୁଦାମୂଳେ ନୁଚେଇ ଦେଇ ଚାଲନା ବଣ ଭିତରକୁ ।

 

ନିର୍ଜନ ସେଇ ପାର୍ବତ୍ୟ ଉପତ୍ୟକା- ଘେରିଚି ଚାରିଆଡ଼େ ଶାଳ ଜଙ୍ଗଲର ସବୁଜ ଗଭୀରତା । ପ୍ରସ୍ତାବରେ କୌଣସି ଆଚ୍ଛାଦନ ନାହିଁ, ବକ୍ରୋକ୍ତି ନାହିଁ…. ତା’ର ଉନ୍ନତ ବକ୍ଷ ପରି ନିର୍ଲଜ୍ଜ ! କୌଣସି ନାରୀ ଏପରି ନିର୍ଲଜ୍ଜ ଭାବରେ ଯେ କୌଣସି ଅପରିଚିତ ପଥିକକୁ ତା’ର ଆକାଂକ୍ଷା ଜଣାଇପାରେ ।

 

ମୋର କଳ୍ପନାନୀତ ଥିଲା । ବିସ୍ମୟର ସୀମା ରହିଲା ନାହିଁ । ମୁଁ କଅଣ ବୋଲି ସେ ମତେ ଭାବିଚି ? ଭୟରେ ଚାରିଆଡ଼େ ଚାହିଁଲି । ଏତେ ଭୟ ବୋଧହୁଏ ଜଙ୍ଗଲରେ ବାଘ ହାବୁଡ଼େ ପଡ଼ିଲେ ହୋଇ ନଥାନ୍ତା ।

 

-କିସ ଭାବୁଚୁ ବାବୁ ?

 

ଚମକି ତା’ ମୁହଁକୁ ଚାହିଁଲି ।

 

-ଡର ଲାଗୁଚି ?

 

-ତୋ ନାଁ କଅଣ ?

 

-ସୁନ୍‌ତି ।

 

- ସୁନତି ?

 

-ହଁ-

 

ସୁନତି ହସିଲା । ହସଟି ଖୁବ୍ ସୁନ୍ଦର । ସୁନ୍‌ତିର ମୁହଁଟିରେ ବାସ୍ତବିକ ମାଦକତା ଅଛି । ଲମ୍ବ ଉରୁ । ବନ-ହରଣୀର ଟଣା ଟଣା ଆଖି ଦୁଇଟିରେ କେତେବେଳେ ଅଧୀର କାମନା, ଆଉ କେତେବେଳେ ଅଳସ ଉଦାସୀନତା । ମୋର ରୁଢ଼ ଗଳା କ୍ରମେ କ୍ରମେ ନରମି ନରମି ଆସୁଥିଲା । ପଚାରିଲି-

 

-କଅଣ ପାଠ ପଢ଼ିଚୁ ?

 

-ଅଷ୍ଟମ ଷ୍ଟାଣ୍ଡାର୍ଡ଼ ।

 

- ସତେ ? ବାଃ-ଏତେ ପାଠ ପଢ଼ି ଏଇଆ କରୁଚୁ ?

 

ସେ ନୀରବ ରହି କେବଳ ଚାହିଁଲା ମୋତେ । ସୁନ୍‌ତି ମାଳୁଆ ଝିଅ ହେଉ, ପାଣ ଖ୍ରୀଷ୍ଟାନ୍ ହେଉ, ମତେ ଭୟ ନ କରୁ, ଦୁଃଖ ନଥିଲା, ଯଦି ଏହି ଉପତ୍ୟକା ପଥର ନିର୍ଜନତା ଭିତରେ ମୁଁ ତାର ନାରୀ ଜୀବନର ପ୍ରଥମ ପୁରୁଷ ହୋଇଥାନ୍ତି । ସେ ଯଦି ଆଜି ତା ଜୀବନର ପ୍ରଥମ ପୁରୁଷ ପାଖରେ ନାରୀ ମନର ସମସ୍ତ ଆବେଗ ଉଚ୍ଛ୍ଵାସ, ଉତ୍ତେଜନା ନିବେଦନ କରିଥାନ୍ତା ! କିନ୍ତୁ ତା ନୁହେଁ–ବୁଝି ପାରିଲି, ସେ ମୋରି ଭଳି ଆଉରି ଅନେକ ପଥିକ ଆକର୍ଷଣ କରିଛି । ଜୟ କରିଛି ।

 

ନେପୋଲିୟନଙ୍କ ରାଜ୍ୟ ପରେ ରାଜ୍ୟ ଜୟଭଳି ସେ ପୁରୁଷ ପରେ ପୁରୁଷ ଜୟ କରି ଯାଇଛି । ପଚାରିଲି- -ଆଉ କେତେ ବାବୁ ସାଥିରେ ଏମିତି ମିଶିଚୁ ?

 

ଓଠରେ ନଗ୍ନ ତାତ୍ସଲ୍ୟ, ଆଖିରେ ବିଜୟର ଅହଙ୍କାର ଫୁଟାଇ କହିଲା-

 

-ଓଃ ଅନେକ ବାବୁ-

 

-ସତେ ?

 

-ଆଉ କଣ ମିଛ ? ସାଲ୍‌ଟ ବାବୁ, ରବିନ ବାବୁ, ମେସରଟ ଏମିତି କେତେ କିଏ ।

 

କଣ୍ଠସ୍ଵରରେ ତା’ର ବିଜୟିନୀର ଦୃପ୍ତ ଅହଙ୍କାର । ହତବାକ୍ ହୋଇ ଚାହିଁ ରହିଲି ନିର୍ଜନ ଉପତ୍ୟକାର ଏଇ ନେପୋଲିୟନ ଆଡ଼େ । ସେ ହୁଏତ ମିଛ କହୁନାହିଁ । ତୁଛ, ନଗଣ୍ୟ ଏଇ ମାଳ ଯୁବତୀ- କେବଳ ସାମାନ୍ୟ ଅର୍ଥ ପାଇଁ କଅଣ ଏମାନଙ୍କୁ ତା’ର ଏଇ ସୁନ୍ଦର ବଳିଷ୍ଠ ଦେହ ଦାନ କରିଛି ? କେବଳ ଖଣ୍ଡେ ବ୍ଲାଉଜ, ଖଣ୍ଡେ ଭଲ ଶାଢ଼ୀ, ମୁଣ୍ଡ ପାଇଁ ଟିକିଏ ବାସନା ତେଲ ଲୋଭରେ ସେ କ’ଣ ସେମାନଙ୍କୁ ବିକିଚି ତା’ର ଦେହ ? ଏଇ ସୁନ୍ଦର ଦେହ ?

 

ମୋର ପୌରୁଷକୁ ଦଳି ଚକଟି ଦେବାର ପ୍ରୟାସ ତା’ର ଅନନ୍ତ । ତା’ ଜୀବନରେ ଏପରି ବହୁ ପୁରୁଷର ସମାଗମରେ କୌଣସି ସୁଖକର ବେଦନା ଭାବ ହୁଏତ ନାହିଁ । ତା’ର ସ୍ମୃତି ରାଜ୍ୟରେ ଏମାନେ କେବଳ ଚଲାବାଟରେ ପଡ଼ିଥିବା ଖଣ୍ଡେ ଖଣ୍ଡେ ଟେକା ପଥର । ଆଖିରେ ପଡ଼େ, ମନରେ ରହେ ନାହିଁ । ସେଗୁଡ଼ାକୁ ଯେପରି କୌତୂହଳ ପରବଶ ହୋଇ ପାଦରେ ରାସ୍ତାକଡ଼କୁ ଫୋପାଡ଼ି ଦିଆଯାଇ ପାରେ, କିନ୍ତୁ ତା’ର ଆଘାତ-ପ୍ରସୂତ ବେଦନା ପ୍ରତି ଯେପରି କୌଣସି ଭ୍ରୂକ୍ଷେପ ନଥାଏ । କହିଲି, ଦେଖ୍ ସୁନ୍‌ତି ! ସବୁ କଥା କହିଦେବି ତୋ ପାଦ୍ରୀ ସାହେବଙ୍କୁ ।

 

ଓଠ ବଙ୍କେଇ କହିଲା ସୁନ୍‌ତି ବାବୁ–ଯା- କେତେ ପାଦ୍ରୀ ମୁଁ ଦେଖିଛି । ଏ କଥା ପରେ ମୋର ଆଉ କିଛି କହିବାର ନଥିଲା । ସାଇକେଲରେ ଉଠିବା ପୂର୍ବରୁ ହଠାତ୍ କଥଣ ମନେ ହେଲା, ମନି ବ୍ୟାଗ୍‍ଟା ବାହାର କଲି ।

 

ବଙ୍କେଇ ହସି ସୁନତି କହିଲା-

 

–କଅଣ ଟଙ୍କା ଦେବୁ କି ?

 

- ତୋର ଲୋଡ଼ା ନାହିଁ ?

 

ତୋଠୁ ଟଙ୍କା ନେବାକୁ ତତେ ଡାକି ନଥିଲି । ଭାରି ଟଙ୍କା ଦେଖେଇ ହଉଚୁ । ଯା ବାବୁ ଯା–ମାଳକୁ ନୂଆ ଆଇଚୁ ନା, ଡର ଛାଡ଼ିନି । ମୋର ପରାହତ ପୌରୁଷ ଘେନି ମୁଁ ସାଇକେଲରେ ଉଠିଲି । କେବଳ ପଛରୁ ମୋ କାନରେ ବାଜିଲା- ନାରୀ କଣ୍ଠର ଗୋଟିଏ ଖିଲି ଖିଲି ହସ, ପାହାଡ଼ୀ ଝରଣା ପରି ଉଦ୍ଦାମ, ଛଳ ଛଳ । ନିର୍ଜନ ଉପତ୍ୟକା ପ୍ରତିଧ୍ଵନିତ ହୋଇ ଉଠୁଥିଲା ସେ ହସରେ ।

 

ଭାବିଲି ଫେରିଯାଇ ତା’ଗାଲରେ ଠାଏ କରି ଗୋଟାଏ ଚଟକଣା ବସେଇ ଦେବି । ହୁଏତ କୌଣସି ଶିକ୍ଷିତ ବୁନିଆଦି ଘର ଝିଅର ଏପରି ଆଚରଣରେ ମୁଁ ଠିକ୍ ସେଇଆ କରି ଥାଆନ୍ତି ।

 

ଏହି ଘଟଣାର ଦୁଇଦିନ ପରେ ଅଫିସରେ ବସି କାମ କରୁଚି । ମୋର ଡାକ୍ତର ବନ୍ଧୁ ବାହାରୁ କହି କହି ଆସିଲେ–

 

କି ହୋ ଜୀବନ ବାବୁ, ଇଏ କଅଣ ଶୁଣୁଚି ତୁମ ନାଁରେ ?

 

ଭାବିଲି ପରିହାସ । କିନ୍ତୁ ଯାହା ଶୁଣିଲି, ସେଥିରେ ମୁଁ କେବଳ ବିସ୍ମିତ ହିଁ ହେଲି । କହଲି ମୁଁ ସୁନ୍‌ତି ସାଥିରେ ? ପାଟିକରି ହସିଲି । କିନ୍ତୁ ସେ ହସ ଅତି ଦୁର୍ବଳ ମନେହେଲା ।

 

ସୁନ୍‌ତି ମୋ ନାଁରେ କୁତ୍ସା ରଟନା କରିଛି । ଅମୂଳଚୂଳ ଘଟଣାଟି ବୁଝିବାପରେ ବନ୍ଧୁ, ମୋ କଥା ଅବଶ୍ୟ ବିଶ୍ୱାସ କଲେ, କିନ୍ତୁ ମୋର ଅଶାନ୍ତ ମନ ବୋଧ ମାନିଲା ନାହିଁ ।

 

ଚରିତ୍ର, ସାଧୁତା, ସମ୍ମାନ ମୋର ମୋର ଆଜି ବିପଦଗ୍ରସ୍ତ । ମାତ୍ର କିଛିତ କରିନାହିଁ ? ତଥାପି, ପଦାରେ ମୁହଁ ଦେଖାଇବାକୁ ଏପରି ଲାଜ ମାଡ଼ୁଛି କାହିଁକି ? ମନେହେଲା ସବୁରି ଆଖିରେ ମୋ ପାଇଁ ଭରି ରହିଛି ବିଦ୍ରୁପ, ଘୃଣା; ସମସ୍ତେ ଯେପରି ଭାବୁଛନ୍ତି ଲୋକଟା ବିରାଡ଼ି ବୈଷ୍ଣବ । ଇୟାପରେ ବହୁବାର ହାଟକୁ ଯାଇଛି । ସୁନ୍‌ତିକୁ ସେଠି ଦେଖିଚି । କିନ୍ତୁ ଇଚ୍ଛା ଥିଲେ ବି ସାହସ କରି ତା ଆଡ଼କୁ ଚାହିଁ ପାରିନାହିଁ । ଯେତେବେଳେ ବା ଅନ୍ୟର ଅଲକ୍ଷ୍ୟରେ ତାକୁ ଚାହଁଛି, ତା’ର ତୀବ୍ର ଅପାଙ୍ଗ ଆଗରେ ମୋର ଆଖି ନଇଁ ଯାଇଛି ।

 

କିଛି ଦିନ ପରେ ମୋର ବଦଳି ଆଦେଶ ଆସିଲା । ମାଳ ପ୍ରତି ମୋର ତିକ୍ତତା ଆସି ଯାଇଥିଲା । ପ୍ରଥମ ପ୍ରଥମ ସେଇ ପାହାଡ଼ ଜଙ୍ଗଲର ମୋହ, କନ୍ଧ ଜାତିଟାକୁ ଜାଣିବାର ଆଗ୍ରହ ମୋର ଆଉ ନଥିଲା ।

 

ବଦଳି ଆଦେଶ ପାଇ ଖୁବ୍ ଖୁସି ହେଲି । ସ୍ଥାନ ତ୍ୟାଗର ପୂର୍ବଦିନ ଦି’ପହରେ ଖାଇସାରି ବସିଛି, ବାହାର ବାରଣ୍ଡାରେ ଆରାମଚୌକିରେ ବସି ତନ୍ଦ୍ରାଚ୍ଛନ୍ନ ମନରେ କେତୋଟି ଦିନର ପରିଚିତ ମାଳକୁ ଛାଡି ଚାଳିଯିବାର ମୃଦୁ ବେଦନା ଅନୁଭବ କରୁ କରୁ ଦେଖିଲି ମୋ ଆଗରେ ଏକ ଅପ୍ରତ୍ୟାଶିତ ଭାବରେ ସୁନ୍‌ତି ଆସି ଠିଆ ହୋଇଛି ।

 

-ସୂନ୍‌ତି !

 

ଆଖି ଦୁଇଟି ଆଜି ତା’ର କରୁଣ; ଓଦ୍ଧତ୍ୟର ଚିହ୍ନ ସୁଦ୍ଧା ନାହିଁ । ଏ ଯେମିତି ଆଉ ଗୋଟିଏ ସୁନ୍‌ତି ।

 

ହଠାତ୍, ଯେପରି କେଉଁ କ୍ଷିପ୍ରା ଜଳାନାଦିନୀ ଗିରିନଦୀ ବାଧା ପାଇ ନିଶ୍ଚଳ ହୋଇଯାଇଛି ।

 

-କିରେ ତୁ ହଠାତ୍ ।

 

ସୁନତି କେବଳ ପକ୍ଷ୍ମ ଅଳସ ଭାବରେ ତୋଳି ମୋ ମୁହଁକୁ ଚାହିଁଲା । ଥରିଲା ଗଳାରେ କହିଲା–

 

–ବାବୁ, ତୁ - କାଲି ଚାଲି ଯାଉଚୁ ଏଠୁ ?

 

-ହଁ, କାହିଁକି ?

 

ସୁନ୍‌ତି ନିରୁତ୍ତର ରହଲା ମୁହଁ ପୋତି । କହିଲି - ତମ ମାଳଛାଡ଼ି ଯାଉଚି ସୁନ୍‌ତି- ତୋ କଥା ମୋର ଖୁବ୍ ମନେ ପଡ଼ିବ ।

 

ଆଖିରେ ଆଗ୍ରହ ଓ ପ୍ରଶ୍ନ ଭରି ସେ ମୋ ଆଡେ ଚାହିଁଲା । ପଚାରିଲି–ବିଶ୍ଵାସ ହେଉନି ?

 

-କିମିତି ହବ ବାବୁ ? ମୁଁ ତୋର କିଏ କି ? ଅନ୍ୟ ଆଡ଼େ ମୁହଁ ବୁଲାଇ ନେଲି ! ହଠାତ୍ ମୋ ପାଦରେ କାହାର ସ୍ପର୍ଶ ପାଇ ଦେଖିଲି, ସୁନ୍‌ତି ମୋ ପାଦରେ ମୁଣ୍ଡ ରଖିଚି ।

 

-ଆରେ ଉଠ୍‍ ଉଠ୍‍ କିଏ ଦେଖିବତ ଫେର - ବିବ୍ରତ ହୋଇ ଗୋଡ଼ ଆଡେଇ ନେଲି । କହିଲି–ମୁଁ ସବୁ ଜାଣିଚି .... ଛାଡ଼ ମୁଁ ମୋଟେ ରାଗିନି ତୋ’ ଉପରେ । ସୁନ୍‌ତି ଉଠି ଠିଆହେଲା ।

 

- ତୁ ଆଉ ତୋ ବାବୁମାନଙ୍କ ପାଖରେ ଏମିତି ମିଛ କଥା କହିବୁନି, ବୁଝିଲୁ ?

 

ସୁନ୍‌ତି ମୁଣ୍ଡ ଟୁଙ୍ଗାରିଲା । ହଠାତ୍ ମନେପଡ଼ିଗଲା ସୁନ୍‌ତି ପାଠ ପଢ଼ିଛି । ସେଦିନ ମୋ ଟଙ୍କା ଦେବାକୁ ବିଦ୍ରୁପ କରିଛି । ପଚାରିଲି ଆଚ୍ଛା, ସୁନ୍‌ତି, ତୋ ପାଖକୁ ଯେତେ ବାବୁ ଯାନ୍ତି ଟଙ୍କା କାହାଠୁ ନଉନି ?

 

- ନିଏ

 

-ତେବେ ମୋଠୁ କାହିଁକି ସେଦିନ ଟଙ୍କା ନେଲୁନି ? ସୁନ୍‌ତି ମୋ ମୁହଁକୁ ଚାହିଁଲା ।

 

ମନେହେଲା ମୋର ଏ ପ୍ରଶ୍ନରେ ସେ ଯେପରି ବ୍ୟଥା ପାଇଚି... ପଚାରିଲା..... ଆଚ୍ଛା ଟଙ୍କା ନବାର ଯଦି ଇଛା ନଥିଲା । ତେବେ କାହଁକି….?

 

ସୁନ୍‌ତିର ମନ ଜାଣିବାର ଆଗ୍ରହ ମୋର ପ୍ରବଳ ହୋଇ ଉଠିଥିଲା । ମନକଥା କହିବାକୁ କୌଣସି ମତେ ତାକୁ ରାଜି କରେଇଲି । ସେ ଯାହା କହିଲା, ସେଥରୁ ବୁଝିଲି-ସୁନ୍‌ତି ଏଇ ଧୋବ ଧାଉଳିଆ ବାବୁମାନଙ୍କର ମନକୁ ଭଲକରି ଚିହ୍ନିଚି ।

 

ସେ ଖୁବ୍ ଇଚ୍ଛା କରିଛି କୌଣସି ଶିକ୍ଷିତ ଅଭିଜାତ ବଂଶର ଯୁବକ ତାକୁ ବିବାହ ହେଉ, କେହି ତା କରି ନାହାନ୍ତି । କିନ୍ତୁ ସମସ୍ତେ ତା ଆଡ଼କୁ ଆକୃଷ୍ଟ ହୋଇଛନ୍ତି । ହତାଶ ହୋଇ ସେ ବି ସେମାନଙ୍କୁ ଟାଣିବା ଚେଷ୍ଟାରେ ହେଳା କରି ନାହିଁ ।

 

ତା’ର ରୂପ, ତା’ର ଯୌବନକୁ ଉପଭୋଗ କଲାବେଳେ ସେମାନଙ୍କର ଆଭିଜାତ୍ୟ ବିବ୍ରତ ହୋଇନାହିଁ, ଆତ୍ମସମ୍ମାନରେ ହାନି ଘଟି ନାହିଁ ଦେଖି ସେ ମୁଁ ତ ହୋଇଛି- ଯେତିକି ବସ୍ତିତ ହୋଇଛି ସେତିକି ସେତକ ତା’ର କୌତୁହଳ ବଢ଼ି ଚାଲିଛି- କି ଅଭୁତ ଏମାନେ । ତାଙ୍କ ସମାଜରେ ତାକୁ ସ୍ଥାନ ଦେବେନି, ଅଥଚ ସମାଜ-ଦୃଷ୍ଟିର ଅନ୍ତରାଳରେ ତା’ର ଲୋଭନୀୟ ଦେହ ଆଲିଙ୍ଗନ କରିବା ପାଇଁ ସେମାନଙ୍କର କି ବ୍ୟାକୁଳତା ! କି କାକୁତି ! ସୁନ୍‌ତିର ଏସବୁ ଦେଖି ଗୋଟାଏ ପୈଶାଚିକ ଆନନ୍ଦ ଅନୁଭବ କରିଚି । ଏମାନେ ତା’ ଆଡ଼ିକି ଆଗେଇ ଦେଲେ ତାଙ୍କର ମୁହଁ ଗୁଡ଼ିକର ମାଂସପେଶୀରେ ପବନ ସେ ଦେଖେ ଆଖି ଗୁଡ଼ିକ ଅସ୍ଵାଭାବିକ ରୂପେ ହିଂସ୍ର, ଅଥଚ କି ଦୁର୍ବଳ !

 

ସୁନ୍‌ତି ଏମାନଙ୍କର ଆଭିଜାତ୍ୟକୁ ହତ୍ୟାକରି ଆନନ୍ଦ ଅନୁଭବ କରିଚି ।

 

ସୁନ୍‌ତି ନୀରବ ହେଲା । ମୋ ଆଖି ଦୁଇଟିରୁ ବିସ୍ମୟ ଅପସରି ନଯିବା ଯାଏଁ ମୁଁ ତା’ଆଡ଼େ ଚାହିଁ ରହିଲି । ଶୁଣିଲି ‘‘ତତେ ବି ମୁଁ ସେଇଆ ଭାବିଥିଲି ବାବୁ ।” ଟିକିଏ ହସିଲି, କନ୍ତୁ, କି ଦୁର୍ବଳ ସେ ହସ ।

 

ଆଉ କିଛି ସମୟ ଛିଡ଼ା ହେଲା ପରେ ବ୍ୟଥାତୁର କଣ୍ଠରେ ସୁନ୍‌ତି କହିଲା–ହଉ ବାବୁ, ମୁଁ ଯାଉଚି, ମତେ ଭୁଲବୁନି- ମନେ ରଖିଥିବୁ ।

 

ଚମକି ଚାହିଁଲି ତା’ ମୁହଁକୁ । ଏ କଅଣ ? ସୁନ୍ଦର ଦୁଇଗଣ୍ଡ ଦେଇ ବହିଯାଉଛି ଦୁଇଟି ଲୁହଧାର । ତା’ର ପରାହତ ନାରୀତ୍ୱର ବେଦନାପ୍ଲୁତ ସଙ୍କେତ । ବିଚିତ୍ର ଏ ନାରୀ !

 

ସୁନ୍‌ତି ଧୀରେ ଧୀରେ ଚାଲିଗଲା–ପଛକୁ ଆଉ ଫେରି ଚାହିଁନି- ସେ ଫାଟକ ପାରିହେଲା - ଗଲାପରେ ମୁଁ ନିଜକୁ ପଚାରିଲି-

 

ପରାଜିତ କିଏ ? ସୁନ୍‌ତି ନା ମୁଁ ।

Image

 

ନୀଡ଼ାଶ୍ରୟୀ

ଶ୍ରୀ ବସନ୍ତ କୁମାର ଶତପଥୀ

 

“ଶୁଣୁଛ ?”

 

“ହଁ । କୁହ ।”

 

“ଏ କୋଠରୀକି ଆସି ଟିକେ ଦେଖିଯାଅ ।”

 

“ଦଣ୍ଡେ ରୁହ । ବୁଲ୍ ବୁଲ୍ ର ପାଟିରେ ଥର୍ମୋମିଟର ଦେଇଛି ।”

 

ଝୁନ୍ ଝୁନିର କେତେ ଜର ଅଛି ?

 

“ତା’ର ନାହିଁ । ବୁଲ୍ ବୁଲ୍ ବୋଧହୁଏ ନଥିବ । ଦିହତ ବେଶ୍ ଥଣ୍ଡା ଜଣାପଡ଼ୁଛି ।”

 

“ରାତି ତିନିଟାରେ ଔଷଧ ଦେଇଥିଲି ?”

 

“ମଲା ମାଲା ! ତୁମେ ପରା ମତେ ଡାକିବା କଥା । ଘଡିରେ ଏଲାରାମ ଦେଇଥିଲ ଯେ !”

 

“ଦେଇଥିଲି ସିନା । କିନ୍ତୁ ଶୋଇ ପଡ଼ିଲି ଯେ । ଦିନଯାକ ଧାଁଧପଡ଼ କରି ବଡ଼ ହାଲିଆ ହୋଇଥିଲି । ଡାକ୍ତରଖାନାକୁ ଅତି କମରେ ଦଶଥର ଯାଇ ନ ଥିବି ? ତିନି ତିନି ରାତି ଧରି ଉଜାଗର । ତୁମେ ଏଲାରାମ ଶୁଣି ଉଠିଲ ନା କ’ଣ ?”

 

“କାନ ପାଖରେ ଘଡ଼ି ଥୋଇ ତୁମେ ଶୁଣି ପାରିଲନି ! ମୁଁ କୋଠରୀରେ ଥାଇ କିମିତି ବା ଶୁଣନ୍ତି ? ପୁଣି ରାତି ତିନିଟାରେ ।”

 

“ବଡ଼ ମୁଷ୍କିଲ ହେଲା ତେବେ । ଡାକ୍ତର ବାରମ୍ଵାର ଡାକି କହିଥିଲେ ଠିକ୍ ସମୟେ ଜଗି ଯିମିତି ଔଷଧ ଦିଆଯାଏ । ନ ହେଲେ ଔଷଧର ଗୁଣ କୁଆଡ଼େ ରହିବ ନାହିଁ ।”

 

“ତେବେ ତୁମେ ଏତେ ନିଦକ ହୋଇ ଶୋଇଥିଲ କାହିଁକି ? ଛାଡ଼ ସେ କଥା । ଦିହିଙ୍କ ଜର ତ ଛାଡ଼ି ଗଲାଣି । ବୁଲ୍ ବୁଲ ର ବି ଜିଭ ତଳେ ସତାନବେ । ଡାକୁଛ କାହିଁକି ? କଣ ଏତେ ଜରୁରୀ କାମ ଥିଲା ? ଦଣ୍ଡେ ସବୁର ସହିବ ତ ? ହରଲିକ୍‌ସ କାପେ କାପେ ଦେଇ ଯାଉଛି ।”

 

“ସିମିତି କିଛି ଜରୁରୀ ନୁହେଁ । ଏ ଘରଚଟିଆ ବସାଟା ଭାଙ୍ଗି ଦଉଛିଁ । ଏ ବର୍ଷ ଫେର୍ ଆସିଲେଣି ବୋଧହୁଏ । ଘର ଚଟାଣ ଯାକ ଫୁଟିଫୁଟିକା ମଇଳାର ଝୋଟି; କେରା କେରା ଘାସକୁଟା । ଏଃ ! ଏଠି ରେଡ଼ିଓ ଉପରେ ବି ଗୁଡ଼ାଏ ପଡ଼ିଛି ।”

 

“ଖବରଦାର ! ଚଟିଆ ବସା ଛୁଇଁବ ନାହିଁ; ମୁଁ ଯାଏଁ ।”

 

“କି ଅପରାଧ କଥା ! ଗଲା ବର୍ଷର ମଲା ବସାଟା । ନଭେମ୍ବର ମାସରେ କ’ଣ ଚଟିଆ ତା’ ଭିତରେ ଶୋଇଥିବେ । ଗୁଡ଼ାଏ ଘାସକୁଟା ଝୁରା ଝୁରା ହେଇ ଝୁଲୁଛି । ଗଲା ବର୍ଷ ଦେଖିଲ ତ ଏହାଙ୍କ ଯୋଗୁଁ କେତେ ହଇରାଣ ହରକତ ହେଲୁ ? ଡିମ୍ବ ଭାଙ୍ଗିଲା, ଆଉ ଥରେ ଛୁଆ ତଳେ ପଡ଼ି ମଲେ ! କେତେ ରାଗରୁଷା ମନ ଫଟାଫଟି, କଳିତକରାଳ ! ଏ ବର୍ଷ ବେଳହୁଁ - ”

 

“ମୋ ରାଣ ଅଛି ! ଚଟିଆ ବସାରେ ମୋଟେ ହାତ ଦେବନି । ମୁଁ ଯାଏଁ ବୁଲ୍ ବୁଲ୍ , ବାପାଟି ମୋର ! ମାଆ ଟୁନି ଟିକିଏ ଭଲ ଲାଗୁଛି ନା ? ହରଲିକ୍‌ସ ମିଠା ଲାଗିଲା ନା ? ଦିଅ, ଏଥର ସୁନା ପିଲା ପରି ଅଣି ହୋଇ ଘୋଡ଼ି ଘାଡ଼ି ଦିହେଁଯାକ ଦଣ୍ଡେ ଶୋଇପଡ଼ । ଥଣ୍ଡା ଲାଗିଯିବଟି । ସୁନା ପିଲା , ବାଃ ବାଃ ! ଭାରି ଭଲ ପିଲା ଆମର । ଶୋଇ ପଡ଼ । ଉଠିଲେ ଫଳରସ ଖାଇବ । ହଁ , ବେଶ୍‍, ସିମିତି । ମୁଁ ଆସେ ସେ ଘରେ ବାପା ଡାକୁଛନ୍ତି ପରା ।”

 

“ଆସିଲ । ଶୋଇଗଲେ ପିଲାଦୁହେଁ ? ଚାହିଁ ସେ କଣକୁ, ଘର ମଝି ଚଟାଣକୁ, ରେଡ଼ିଓ ଓ ଟେବୁଲ ପାଖ କାନ୍ଥକୁ । ସତରେ ଏ ଗୁଡାକ ପୁଣି ଆସିବାକୁ ଆରମ୍ଭ କଲେଣି ଦେଖୁଛି । ବସା ଫେର ବାନ୍ଧିବେ । ଚେୟାରଟା ଆଣି ଦିଅତ ମୋ ଆଡ଼କୁ ଭାଙ୍ଗି ଦିଏ ବସାଟା । ଛାଞ୍ଚୁଣି ମୁଠାଟା ଆଣ ଖରକି ଦେବା ଘରଟା । ଲୋକେ ଆମକୁ ଜଙ୍ଗଲୀ କହିବେ ଯେ । ଏତେ ଅପରିଷ୍କାର ।”

 

“ସକାଳେ କ’ଣ ତୁମର ଆଉ କିଛି କାମଧନ୍ଦା ନାହିଁ ? ନିରୀହ ଚଢ଼େଇ ଗୁଡ଼ାକ ପଛରେ ଲାଗିଛ ? ଘରେ କୁକୁର, ବିରାଡ଼ି, ଚୁଚୁନ୍ଦ୍ରା, ମୂଷା, ଝିଟିପିଟି, ଅସରପା, ମଶାମାଛି, କେତେ କ’ଣ ନାହାନ୍ତି ! ଦାଣ୍ଡପଟରେ ପୁଣି ଧୂଳି କେତେ ନ ଉଡ଼ୁଛି । ସେ ସବୁ ଉତ୍‌ପାତ, ଅତ୍ୟାଚାର, ବିରକ୍ତି ରୋକି ପାରୁଛ ଭଲା ?”

 

“ଗଲା ବର୍ଷ ଚଢ଼େଇଟାକୁ ଏତେ ଚିଡ଼ୁଥିଲ । ଏ ବର୍ଷ କିଏ ମନ୍ତ୍ର ଦେଲା ନା କ’ଣ ? ବୌଦ୍ଧ ଜୈନ ଧର୍ମରୁ କେଉଁଟିର ଦୀକ୍ଷା ନେଲଣି ?”

 

“ନା, ନା, ସେ ଭୟ କାହିଁକି କରୁଛ ? ଗୀତା ଭାଗବତ କଥା କହୁନାହିଁ । କପୋତକୁ ଗୁରୁ କରି ଅବଧୂତ ହେବାର ଇଚ୍ଛା ବା ମୋର ନାହିଁ । ତେବେ ବେଳ-କାଳକୁ ଏଇ ଛୋଟ ଛୋଟ ଜୀବ ଗୁଡ଼ାକ ବି ଆମର କେତେ ଆପଣାର ହୁଅନ୍ତି ସେ କଥା । କେବେ ଭାବିଛ ?”

 

“ଏଇ ବାଇଚଟିଆ ଘରଚଟିଆଗୁଡ଼ାକ ? ପକ୍ଷୀଟିଟ୍ଟି ଭମାତ୍ରେଣ ସମୃଦ୍ରଃ ବ୍ୟାକୁଳୀକୃତ” ।

 

“ହଁ, ଛାର ଟେଣ୍ଟେଇ ଚଢ଼େଇଟାଏ ସମୁଦ୍ରକୁ ବି ବ୍ୟାକୁଳ କରିଦେଇଥିଲା ! କାହିଁକି ? ସମୁଦ୍ର କୁଆଡ଼େ ତା’ର ଡିମ୍ବ ଓ ବସାକୁ ଭସାଇ ନେଇଥିଲା ବୋଲି ତ ? ତୁମେ ହେଲ ଆଉ ଏକ କିସମର ଚଢ଼େଇ; ବାୟାର କି ଯାଏ; ବାଆ କଲେ ବସା ଦୋହଲୁଥାଏ । ଦିଦିଟା ଜରୁଆ ପିଲାଙ୍କୁ ମୋ ଜିମା ଦେଇ ଆରାମରେ ଶୋଇଗଲା । ରାତିଯାକ ମୋତେ ଆମ ପିଲାପିଲାଙ୍କ ସାଙ୍ଗ ଦେଲା କଏ, ଜଗିଲା କିଏ, ଦମ୍ଭ ଦେଲା କିଏ ?”

 

“କ’ଣ ସେଇ ଚଢ଼େଇଗୁଡ଼ାକ ଦେଲେ ? ମୁଁ ତ ସେ ଘରେ ଶୋଇଥିଲି । କାନ୍ଥ ଗୋଟାକର ତଫାତ୍ । ଏତେ ଡରଭୟ କାହାକୁ ?”

 

“ତୁମକୁ ଦମ୍ଭ କରିବା ନ କରିବା ସମାନ । ଗଲା ରାତିର କାଳରାତି ଜୀବନରେ କେବେ ମୁଁ କଟାଇ ନାହିଁ । ଉଆଁସ, ସୂର୍ଯ୍ୟପରାଗ, ଖଣ୍ଡିଆ ଲଞ୍ଜା ତାରା ସବୁ ଏକାଠି । ତା ଉପରକୁ ପୁଣି ପାଞ୍ଚଦିନ ହେଲା ପାଖ ଘରୁ ଗଳା ଦଉଡ଼ିଆ ମଡ଼ାଟାଏ ଉଠିଛି । ଦି’ଦିଟା ଛୁଆଙ୍କ ନାହିଁ ନ ଥିବା ଜର । ଦେହରେ ଖଇ ଫୁଟୁଛି । ହୋସ୍ କେତେବେଳେ ରହୁଛି କେତେବେଳେ ନାହିଁ । ଯେତେ ଦମ୍ଭବାଲି ତିରିଲା ହେଲେ ବି ତା'ର କଲିଜା ଫାଟି ନ ଯିବ ! ପୁରୁଷମାନେ କେବେ କ’ଣ ସ୍ତ୍ରୀମାନଙ୍କ ଦୁଃଖ ବୁଝନ୍ତି ? କେବଳ ତାଙ୍କୁ ଟେକାଟେକି କରି ଫୁସୁଲାଇ ନିଶ୍ଚିତ ହୋଇ ଅଣ୍ଡିରା ମହୁମାଛିଙ୍କ ପରି ଦିନ କାଟନ୍ତି ସିନା ।”

 

“ଜୟ ମା କାଳୀ । ସକାଳଟାରେ କାହିଁକି ଆରମ୍ଭ କଲଣି କଳି-ଭାଗବତ ? ଯଦି ନିଦ ମାଡ଼ିଲା ମୋତେ ଉଠାଇ ଦେଲ ନାହିଁ କାହିଁକି ? ପାଳି କରି ଚେଇଁଥିଲେ ଏତେ ବାଧି ନ ଥାନ୍ତା । । ମୋ ଉପରେ ଏତେ ଚିଡ଼ୁ ନ ଥାନ୍ତ।”

 

“ତୁମେ ଚେଇଁଥାନ୍ତ ! ତୁମେ ଯେ ଜଣେ କୁମ୍ଭକର୍ଣ୍ଣ । ଶୋଇଲ କେତେ ବେଳେ ? ଠିକ୍ ଏଗାରଟାରେ ତ ? ଏଗାର ବାଜି ଦୁଇ ମିନିଟ୍‌କୁ ତୁମର ନାକ ଡାକିଲା । କେଡ଼େ ଜୋର ଘୁଙ୍ଗୁଡ଼ି ମାର ତୁମେ ? ଘର ଉଠୁଛି ପଡ଼ୁଛି । ସେତେବେଳେ କାହାର ଏଡ଼େ ନିର୍ଦ୍ଦୟ ମନ ତୁମର ନିଦ ଭାଙ୍ଗିବାର ସାହସ କରନ୍ତା ଭଲା ?”

 

ବେଶ୍, ଯାହା ତ ହେବାର ହେଲା ! ପିଲାଙ୍କ ଉତ୍ତାପ କମିଲା କେତେବେଳେ ? ଜଳପଟି ଦେବାକୁ ପଡ଼ିଥବ ନିଶ୍ଚୟ । ସାଢ଼େ ଦଶଟାରେ କାଖତଳେ ଦିହିଁକ ଯାକର ଶହେତିନି ଥିଲା ଦେଖିଥିଲି ।”

 

“ମୋ ଉପରେ ବି କାଳ ନିଦ ମାଡ଼ି ଆସିଲା । ଲାଜମାଡ଼େ ଭାବିଲେ ସେ କଥା । ଘର ବୁଡ଼ିଲାବେଳେ ବି ମଣିଷକୁ ନିଦ ମାଡ଼େ କିମିତି ? ଏତେ ବେଳକୁ ଆମର କ’ଣ ଯେ ଅବସ୍ଥା ହୋଇଥାନ୍ତା ସେ କଥା କିଏ କହିପାରିବ ? ମୋତେ ସବୁ ସ୍ଵପ୍ନ ପରି ଲାଗୁଛି । ଆରାମ ଚେୟାରରେ ଆଉଜି ବସୁଁ ବସୁଁ କେତେବେଳେ ଯେ ଆଖି ବୁଜିଗଲା ମୁଁ ମୋଟେ ଜାଣି ପାରିଲିନି ।”

 

“ସର୍ବନାଶ ! ଔଷଧ ତେବେ ଦେଇନ ତ । କି ବିପଦ !”

 

“ଶୁଣ । ଏମିତି ଅଥୟ ହେଉଛ କାହିଁକି ? ନିଦଟା କିମିତି ଭାଙ୍ଗିଗଲା ଯିମିତି କାହା ଡାକରେ ମୋତେ ଜଣାଗଲା ବୁଲ୍ ବୁଲ୍ ଝୁନ୍ ଝୁନି ଯିମିତି ଚିଁ ଚିଁ ଗଳାରେ ମା’ ମା’ ବୋଲି ଦିହେଁ ଯାକ ଏକାବେଳେ ଡାକଦେଲେ । ଚମକି ଧଡ଼ପଡ଼ ହୋଇ ଉଠି ବସିଲି । ଦିହିଙ୍କ ଦିହରେ ହାତ ଦେଇ ଦେଖିଲି ନିଆଁ ପରି ତାତି । ଦୁହେଁ ଯାକ ଅଚେତ, ଡାକିଲେ ହାକିଲେ ହଲଇଲେ ବି ଉଁ ଚୁଁ ନାହିଁ । ଛନକା ପଶିଗଲା ରାତିରେ । ତୁମ କୋଠରୀକି ଗଲି । ଘଡ଼ିରେ ସାଢ଼େ ବାର । ଦି ଥର ତୁମକୁ ଡାକିଲି । ତୁମେ ଶୁଣିଲ ନାହିଁ । ବାଉଳା ହୋଇ ପିଲାଙ୍କ ପାଖକୁ ଫେରି ଆସିଲି । ଜଳପଟି ଦିହିଙ୍କ କପାଳରେ ଦେଉଥାଏ । ନିଜ ଆଖିରେ ବି ପାଣିହାତ ବୁଲାଇଲି ନଉଛୁଣାଗୁଡ଼ାକ କାଳେ ପୁଣି ଶୋଇଯିବେ । ବାବା ! ଏକେଲାକୁ ରାତିଟା କେଡ଼େ ଭୟଙ୍କର, କେଡ଼େ ଅସରନ୍ତି, ବିଶେଷ କରି ରୋଗୀ ଶେଯ ପାଖରେ । ଏକାଧ୍ୟାନରେ ଅଧଘଣ୍ଟାଏ ବସି ରହିଲି । ହାତଟା କଳ ପରି ପଟି ଉଠାଉଥାଏ, ଭିଜାଉଥାଏ, ପୁଣି ବସାଉଥାଏ । ଜର ଟିକିଏ କମିଲା ପରି ଲାଗିଲା; ନିଶ୍ୱାସ ମାଇଲି । ବଡ଼ ଆଲୁଅଟା ଲିଭାଇଦେଲି । ଜିରୋ ଲେମ୍ପଟା ଜଳୁଥାଏ । ସେ କେତେ ମିନିଟ୍ ଭୟ ଆଶଙ୍କାରେ ମୋ ଜୀବନ ନ ଥିଲା ।”

 

“ଏତେ ଡରିଗଲ କାହଁକି ? ଡାକ୍ତରଙ୍କ କଥା ବିଶ୍ୱାସ ହେଲାନି ? ତା ଛଡ଼ା ଘର ଭିତରେ ଆଲୁଅ ଥିଲା । ଝରକାବାଟ ସବୁ ବନ୍ଦ ପୁଣି ପାଖ ଘରେ ମୁଁ ...”

 

“ସକାଳ ହେଲା ବୋଲି ସିନା । ଏତେ କଥା କହି ପାରୁଛ । ତୁମେ ନିଜେ ମୋ ଅବସ୍ଥାରେ ଥିଲେ ହାଉଳି ଖାଇଥାନ୍ତ । ନିଶାଭୋର ରାତିର ଗର୍ଜନ ଶୁଣିଛି ? ରାତିର ବି ଗୋଟାଏ ଭାଷା ଅଛି । ନିଶା ଗରଜୁଛି ବୋଲି ଆଈବୁଢ଼ୀ ଯାହା କହିଥିଲା ତାହା ମୁଁ ନିଜେ ଶୁଣିଲି, କାଲି ରାତିରେ ଏତେ ବୟସରେ । ତା ଉପରେ ଛୁଆ ଦିହିଙ୍କ ନାକର ସଁ ସଁ ବାହାରେ ଝଙ୍କାରୀର ଏକସୁରା ଝିଁ ଝିଁ, ମଶାଙ୍କ ଗୁଣୁ ଗୁଣୁ ଏମିତି କି ଇଲେକ୍‌ଟ୍ରି ମିଟାରର ରେଁ ରେଁ । ଏତେ ଶବ୍ଦ ଭିତରେ ବି ମୁଁ ନିଜ ନିଃଶ୍ୱାସକୁ ବି ଶୁଣି ପାରୁଥାଏଁ । ପିଲାଙ୍କ ଛାତିର ଦୁକୁଦୁକି ମୋ ନିଜ ଛାତିରେ ଢପ୍ ଢପ୍, ତୁମର ଘୁଙ୍ଗୁଡ଼ି ଓ “ ଘଡ଼ିର ଟିକ୍ ଟିକ୍ କୌଣସି ଶବ୍ଦ ବାଦ୍ ପଡ଼ୁ, ନ ଥାଏ ମୋ କାନକୁ । ଥରେ ଥରେ ମୋତେ ଜଣା ଯାଇଥାଏ ଯିମିତି ବାହାରର ଘନୀଭୁତ ଅନ୍ଧାର ବି ଟିକିଏ ଆଶ୍ରା ଲୋଡ଼ି ଝରକା କବାଟରେ ଠକ୍‌ଠକ୍ କରି ବାଡ଼େଇ ମୋତେ ସଙ୍କେତ ଦେଉଥାଏ ବୋଟ ଫିଟାଇବାକୁ । ଭ୍ରମରେ ଥରେ କବାଟ ଫିଟାଇ ବାହାରକୁ ବି ଅନାଇଲି । ଏତେ କିଟିମିଟିଆ ଅନ୍ଧାର ଯେ‌ ଆଉ ଦଣ୍ଡେ ଚାହିଁଥିଲେ ହୁଏତ ଆଖି ଫୁଟି ଯାଇଥାନ୍ତା । ମନେ ପଡ଼ିଲେ ବର୍ତ୍ତମାନ ବି ଦେହ ଥରୁଛି ।”

 

“ତୁମର ବର୍ଣ୍ଣନା ଶୁଣି ମୋତେ ବି ଭୋର ସକାଳଟାରେ ଡର ମାଡ଼ିଲାଣି ଯେ ।”

 

“ତୁମେ ଅନୁମାନ ବା କଳ୍ପନା କରି ପାରିବନି ମୋ ମନର ଭାବ, ଭୟ । ବଡ଼ ଯନ୍ତ୍ରଣା ପାଇଲି । ସେତେବେଳେ ଯେବେ ପେଚାଟାଏ ବା ଭେରଣ୍ଡାଟାଏ ଡାକିଥାନ୍ତା‌ ବା ଚେମିଣିଆଁ ଟାଏ ଫଡ଼୍ ଫଡ଼୍ କରିଥାନ୍ତା ତେବେ ଏତେବେଳକୁ କୋକେଇ ସଜଡ଼ା ହେଉଥାନ୍ତା ମୋ ପାଇଁ !”

 

“କ’ଣ ଯେ ଗୁଡ଼ାଏ ତୁମେ କୁହ । ଜୀବନଟା କ’ଣ ଏଡ଼େ ସହଜରେ ଚାଲିଯାଏ ? ବଡ଼ ଆଲୁଅଟା ଜାଳି ଦେଲନି ?”

 

“ଜାଳିଲି, ତା’ ଛଡ଼ା ଅନ୍ୟ ଉପାୟ ନଥିଲା । କିନ୍ତୁ ୟେ ଫେର କ’ଣ ? ପୁଣି ସେଇ ଚେଁ ଚେଁ ଶବ୍ଦ । ଠିକ୍ ସେଇ ସ୍ୱର ଯାହାକୁ ମୁଁ ସ୍ୱପ୍ନରେ ବା ତନ୍ଦ୍ରାରେ ବୁଲ୍‍ ବୁଲ୍‍ ଝନୁଝୁନିର ‘ମାଆ’ ‘ମାଆ’ ଡାକ ଭାବି ଉଠି ବସିଲି ଦଣ୍ଡକ ଆଗେ ।”

 

“ଚୁଟିଆ ମୂଷାଟା; ନୁହେଁ ?”

 

“ମୁଁ ବି ପ୍ରଥମେ ସେଇଆ ଭାବିଥିଲି । ବହି ସେଲ୍‌ଫ ତଳେ, ଝରକା ସନ୍ଧ, ପୁରୁଣା ଯୋତାଥିବା ଘରକଣ ସବୁଆଡ଼କୁ ନଜର ଦେଲି, ଖୋଜିଲ । କିନ୍ତୁ କାହିଁ ? ଭାବିଲି ପିଲାଙ୍କ ଛାତିରେ କଫ ଜମିଛି ! ଜଣଜଣ କରି ଦିହିଙ୍କ ଛାତିରେ କାନଦେଇ ଶୁଣିଲି । ଗଳାର ସେଁ ସେଁ ଘଡ଼ଘଡ଼ କିଛି ନାହିଁ । ନିଃଶ୍ଵାସ ଜୋର ବହୁଥିଲେ ବ କାହିଁ ଅଟକି ଯାଉନିତ । ପୁଣି ଡର ମାଡ଼ିଲା ।”

 

“ମୋତେ ଡାକିଲ ନାହିଁ ତଥାପି ?”

 

‘‘ପାଖ ଡାକ ଶୁଣିଲ ନାହିଁ । ଏ ଘରୁ ସେ ଘରକୁ କ’ଣ ଡାକ ଶୁଭୁଥାନ୍ତା ?”

 

“ଚାଲିଗଲଣି ?”

 

“ସାହସ ଥିଲେ ତ ସେତେବେଳେ । ଗଳି ବରଣ୍ଡା ସବୁ ଅନ୍ଧାରୁଆ ! ପାଟି କରି ଡାକିବି ଭାବିଲି । ଗଳା ଫିଟିଲାନି ମୋଟେ । ଏତିକିବେଳେ ପୁଣି ସେଇ ଚିଁ ଚିଁ ଶବ୍ଦ ଶୁଭିଲା । ଦୈବକୁ ବଡ଼ ଆଲୁଅଟା ଜାଳିଥିଲି । ନ ହେଲେ ଏଥର ମୂର୍ଚ୍ଛା ହୋଇ ଯାଇଥାନ୍ତି । ଦୈବାତ୍‌ ଉପରକୁ ଚାହିଁଦେଲି । ଏଇ ଯେଉଁ ଇଲେକ୍ଟି ତାର ଚାଖଣ୍ଡେ ଝୁଲଛି ତାରି ଉପରେ...”

 

“ସେଇ ପୁରୁଣା ପଟା ଖଣ୍ଡକରୁ ଯେଉଁ ତାରଟା ଝୁଲିପଡ଼ିଛି ଚାରିକୋଣିଆ ପଟାଟା ପାଖରେ ?”

 

“ହଁ ହଁ, ସେଇଠି । ଦେଖିଲି, ମଳିଛିଆ ତୁଳା ପରି ଦିଟା । ଛୋଟ ଗୋଲଗୋଲ ଚିଜ କ’ଣ ଦିଶୁଛି । ଭାବିଲି ଶେଜ ସିଲେଇ ବେଲର ତୁଳା । ବଲ୍ ଦି’ଟା ଉଡ଼ି ଯାଇ ଲାଗିଛି । ପୁଣି ଭାବିଲି ବୁଲବୁଲ ଝୁନୁଝୁନି ପାଇଁ ଯେଉଁ ପଶମର ବେଡ୍ ମିଣ୍ଟନ ବଲ ଆଣିଥିଲି ଧୂଳିଧୂସରିଆ ପୁରୁଣା ଦିଟା ସେଠି ଲାଗିଯାଇଛି । କିନ୍ତୁ ଶବ୍ଦ ସେଥିରୁ କିପରି ଆସିବ ଭାବୁଛି ଦେଖିଲି ସେ ତାର ଖଣ୍ଡିକ ହଲ୍ ଚଲ ହେଲା ସାଙ୍ଗକୁ ସେ ଦିଟା ଗୋଲ ଚିଜ୍ ମଧ୍ୟ । ଚାହୁଁ ଚାହୁଁ କଳା କଳା ଗୋଲ ଗୋଲ ଦିଦିଟା ଆଖି ସାଙ୍ଗକୁ ବାହାରିଲା ନାଲିଗହମ ପରି ଟିକିଟିକି ଥଣ୍ଟ ଦିଟା।”

 

“ଜୟ ପ୍ରଭୋ ! ସେ ଦି’ଟାକୁ ବାଡ଼ିଖଣ୍ଡରେ ଶେଷ କରି ଦେଲନି ?”

 

“ଦେଖିଥିଲେ ତୁମେ ଏକଥା ତୁଣ୍ଡକୁ ଆଣନ୍ତ ନାହିଁ । ଦିଟା ଛୋଟ ଛୋଟ ଜୀବ, ପାଖକୁ ପାଖ ଲାଗି ବସିଛନ୍ତି ଯେମିତ କାଠି ଖଣ୍ଡି, କରେ ଦହିଙ୍କି ବସାଇ ମୃତ- ଶିଳ୍ପିଟିଏ କଣ୍ଢେଇ ପ୍ରଦର୍ଶନୀରେ ତାଙ୍କୁ ରଖିଦେଇଛି । ଆଲୁଅରେ ଜଳକା ହୋଇ ଦୁହେଁ ବୋକାଙ୍କ ପରି ବସିଛନ୍ତି । ହେଲେ ମୋତେ ଜଣାଗଲା ଶୂନ୍ୟରୁ ଛାତି ଭିତର ଦେଇ କିଏ ଯେମିତି ମୋତେ, ଆମ ପିଲାପିଲିଙ୍କୁ ଜଗିବାପାଇଁ, ଅଭୟ ଦେବା ପାଇଁ ସେ ଦିହିଙ୍କି ପଠାଇଛି । ସତକୁ ସତ ତାକୁ ଦେଖିବା ପରେ ନିଜକୁ ଆଉ ଏକୁଟିଆ, ନିଛାଟିଆ, ନିରାଶ୍ରୟ ବୋଲି ଭାବିଲି ନାହିଁ । ଏଥର ଆମେ ପାଞ୍ଚ ଜଣ ହେଲୁ ଯେ ।

 

“ସଞ୍ଜବେଳୁଁ ଚୋରଙ୍କ ପରି ସେଇଠି ଲୁଚିଛପି ବସିଥିଲେ । ଆଲୁଅ ପଡ଼ିବାରୁ ଗହଲ ନିଦ ଭାଙ୍ଗି ଗଲା ତାଙ୍କର ।”

 

“ହୋଇଥିବ । କିନ୍ତୁ ମୁଣ୍ଡ ଉପରେ ସେ ଦୋଳିରେ ଟିକି ଚଢ଼େଇ ଦିହିଙ୍କ ନିଦ ଭାଙ୍ଗିବାର ଦେଖି ଜାଣିଲି ମୋ ପିଲାଙ୍କ ଆଖିକି ଆଲୁଅ ବୋଧହୁଏ ପୀଡ଼ା ଦେଉଥିବ । ବୁଲ୍ ବୁଲ୍ ଝୁନ୍ ଝୁନି ଉଁ ଆଁ କରି କଡ଼ ମଧ୍ୟ ଲେଉଟାଇଲେ । ଏଥର ସାହସ ଆସିଲା । ତୁମ କୋଠରିକୁ ଯାଇ ଘଡ଼ି ଦେଖିଲଦେଖିଲି କାଳେ ତିନି ବାଜିଥିବ ବୋଲି, ଦେଖିଲ, ମାତ୍ର ଗୋଟାଏ ବାଜି ଦଶମିନିଟ୍ । ଏଇ ଦଶ ମିନିଟ ମୋତେ ଦଶ ଘଣ୍ଟା । ବଡ଼ ଆଲୁଅଟା ଲିଭାଇ ଦେଲି । ପିଲାଙ୍କ ଜର ବଢ଼ିଛି କି କମିଛି ଦେଖିଲି ନାହିଁ । କାରଣ ଦେଖିବାରେ କିଛି ଲାଭ ନ ଥିଲା ସେତେବେଳେ ।”

 

“ଏ ଦିଟା ଗଲା ବର୍ଷର । ଯେଉଁ ଦୁଇଟା ଆଗକୁ ଏତେ ହଇରାଣ ହରକତ କରିଥିଲେ । ଭାରି ଚାଲାକ୍ । ପୁରୁଣା ବସାଟାକୁ ଭୁଲନ୍ତି ନାହିଁ ସହଜରେ ।”

 

“ଗଲା ବର୍ଷର ଏଗୁଡା ନୁହନ୍ତି । ଏ ଦିଟା ଡିମ୍ବ ଫୁଟା ଛୁଆ । ଆମେ ଅଣ୍ଡା ଭାଙ୍ଗି ଦେଲୁ, ବସା ଭଙ୍ଗି ଘଉଡ଼ାଇ ଦେଲୁ ବୋଲି ସେମାନେ ଏ ବର୍ଷ ଅନ୍ୟ କେଉଁଠି ଆଉ ଥାକେ ଛୁଆ ଫୁଟେଇ ପୁଣି ପୁରୁଣା ଦେଶକୁ ଫେରି ଆସିଛନ୍ତି । ଚଢ଼େଇ ହେଲେ ବି ମାତୃଭୂମି ପ୍ରତି କ’ଣ କମ୍ ମାୟା ? ଏଇଠି ଛୁଆପିଲାଙ୍କୁ ଥଇଥାନ କରିବା ମତଲବ୍‍ରେ ଅଛନ୍ତି ବୋଧହୁଏ ।”

 

“ନଭେମ୍ବର ମାସରେ ଘରଚଟିଆ ଛୁଆ ! ଅସମୟରେ ?”

 

“ମଣିଷଠୁଁ ସେମାନେ ବି ଶିଖିଲେଣି । ଶୁଣ ନା ଆହୁରି ମଜାକଥା । ମୋ ହାତଟା । ସେମିତି କଳ ପରି ପଟି ଭିଜାଉଥାଏ, କପାଳରେ ଥୋଉଥାଏ । ଏମିତି ପ୍ରାୟ କୋଡ଼ିଏ ପଚିଶି ମିନିଟ ବସିଲି । ଏଥର କିନ୍ତୁ ଭୟ ସେମିତି ଲାଗୁ ନ ଥାଏ । କାରଣ ‘ଆମେ ପାଞ୍ଚ ଜଣ’ ବୋଲି ଭାବନାଟା ମୋତେ ଦମ୍ଭ ଦେଇଥାଏ । ଶବ୍ଦ କହିଲେ ତୁମ ଘଡ଼ିର ଟିକ୍ ଟିକ୍ ଶବ୍ଦ ମୋ ଛାତର ଧପ୍ ଧପ୍ ଶବ୍ଦର ତାଲ । ନିଜ ଛାତି ଶବ୍ଦର ସଙ୍ଗୀତ ଶୁଣୁଶୁଣୁ ପୁଣି ଘୁମ ଆସିଗଲା । ଶ୍ଵସ୍ତି ମଣିଷକୁ ନିଦ ଦିଏ ।”

 

“ସକାଳ ଯାଏଁ ସେଇ ଶ୍ଵସ୍ତି ରହିଲା ତେବେ ? ଔଷଧ ?”

 

“ରୁହନା ! କାହିଁକ ଔଷଧ ଔଷଧ ହେଉଛି ? ପୁରଷମାନଙ୍କର ମୋଟେ ଧୈର୍ଯ୍ୟ ନାହଁ ଦେଖୁଛି । ତା'ପରେ- ବାବା ! କି ଦୁଃସ୍ଵପ୍ନ ! ମୋତେ ବତ୍ତମାନ ବି ସତ ଲାଗୁଛି । ମୋତେ ଜଣାଗଲା ଯିମତି ବୁଢ଼ୀ ଡାହାଣୀଟାଏ ମୋ ଛୁଆ ଦିହିଙ୍କି ହାତମୁଠାରେ ଚୁପ୍ ଚାପ୍ କରି ଧରିନେଇ ଯାଇଛି ଡାଙ୍ଗର ପୋଡ଼ା କରି ଚକଟି ପଖାଳ ଖାଇବ । ବିଳିବିଳେଇଲା ପରି ହାଉଳି ଖାଇ ତୁମକୁ ଡାକିଲି, ‘ଦଉଡ଼ି ଆସ’ । କହିଲି ‘ଆମ ଛୁଆକୁ କିଏ ନେଇଗଲା, ମାରି ଦେଲା ।’ ମୋ କଥା ପାଟିରୁ ବାହାରିଛି କି ନାହିଁ ଚେଚେର୍ ଚେଚେର୍ ଶବ୍ଦରେ ଘର ଭରପୁର ହୋଇଗଲା, ମୋ କାନ ଅତଡ଼ା ପଡ଼ିଗଲା । ଦରତେଚା ଅବସ୍ଥାରେ ବି ମୁଁ ବେଶ୍ ବୁଝି ପାରିଲି ପୂର୍ବର ଚେଁ ଚେଁ ଶବ୍ଦରୁ ଏହା ଫରକ୍ । ଭାବିଲି ଏ ଫେର୍ କିଏ ଆସିଲା ? ରାତିଯାକ ଏମିତି ଅତିଥି ଅଭ୍ୟାଗତ ଆସୁଥିବେ, ମୁଁ ଉଠୁଥିବି, ଆଲୁଅ ଜାଳୁଥିବି । ବାଧ୍ୟ ହୋଇ ପୁଣି ବଡ଼ ଆଲୁଅଟା ଜାଳି ଦେଖିଲି ଅଲକାତରାଦିଆ କଡ଼ିବରଗା ଧଳା ଛାତ ମଝିରେ ବଡ଼ ଚଟିଆଟିଏ ।”

 

“ବିଲବାଡ଼ିର ଦଳଟାଯାକ ଚଟିଆ ଘରଭିତରକୁ ଆସିବା ମତଲବରେ ଥିଲେ ନା କ'ଣ ?”

 

“ତୁମେ କିଛି ବୁଝନି; ବୁଝିବାକୁ ଚେଷ୍ଟା ବି କରନି । ଦେଖୁନ ସେ ବି ମୋରି ପରି ରାତିଯାକ ଉଜାଗର ରହି ତା’ ଦୁଇ ଛୁଆକୁ ଜଗିଛି । ଏ ନୂଆ କାକରରେ, ଖୋଲାରେ ବୁଲାବୁଲି ତା’ ଦି’ଛୁଆଙ୍କୁ ବି ବୋଧହୁଏ ଜର । ନହେଲେ ପାଖକୁ ପାଖ ଯୋଡ଼ି ଲଗାଲଗି ହୋଇ ଛୁଆ ଦିହେଁ ବସନ୍ତେ କାହଁକି ? ଶୀତ ଲାଗୁଥିବ ସେମାନଙ୍କୁ । ମୁଁ ଭାବିଲି ସେ ବି ମୋରି ପରି ଦୁଃସ୍ଵପ୍ନ ଦେଖି ଚମକି ପଡ଼ି ଚିତ୍କାର କରି କହୁଛି । ଧାଇଁ ଆସ, ଡାହାଣୀ, ବୁଢୀ ଆମ ପିଲାକୁ ନେଇ ଯାଉଛି, ପୋଡ଼ିପାଡ଼ି ପଖାଳ ଖାଇବ ବୋଲି । ମୁଁ ବେଶ୍ ବୁଝିଲି ସେ ବି ମୋରି ପରି ଏକ ଦୁଃଖୀ ଅଭାଗିନୀ ମାଆ ଯିଏ ପିଲାପିଲିଙ୍କ ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି । ପୋଖରୀ ହୁଡ଼ାର ଝଙ୍କା ବରଗଛର ପେଚାର ଡାକ ସେ ଶୁଣି ପାରିଥିବ ନିଶ୍ଚୟ, ମୋର ଭୟ ହେଲା ମୁଁ ମୋ ପିଲାଙ୍କ ଜୀବନ ଡାହାଣୀ ବୁଢ଼ୀ ପାଖରୁ ଫେରାଇ ଆଣି ପାରିବି ତ ।”

 

“ଏତେ କଥା ହେଲା, ଏତେ ଅବସ୍ଥା ଭୋଗିଲ ତଥାପି ମୋତେ- ତମେ ସବୁ ଦେଖିଲ, ଶୁଣିଲ, ଜାଣିଲ; ମୋତେ ତା’ର କିଛି ଭାଗ ଦେଲନି, ସାଙ୍ଗ ବି କଲନି ?”

 

“କ’ଣ ଏତିକି ? କାଲି ରାତି ମୋର ବେଶ୍ ଜ୍ଞାନ ହେଲା ଆମେ ଯେତେବେଳେ ମୁର୍ଦ୍ଦାର ପରି ପଡ଼ିଥାଉଁ ସେତେବେଳେ ୟାଠାରୁ କେତେକେତେ ବେଶୀ ଶବ୍ଦ ଘଟଣା ଆମର ଅଦେଖା, ଅଶୁଣା, ଅଜଣା ରହିଯାଏ । କଷ୍ଟ କରି କୁଚ୍ଛ୍ରସାଧନ କରି ଯେ ନିଶା ଜଗିରହେ ସେ ସିନା ସବୁ ଦେଖେ ଜାଣେ । କାଠ ମୁଣ୍ଡାଟାଏ ହୋଇ ଶୋଇ ରହିଲେ ଅଜବ ଦୁନିଆଁ ଅନ୍ଧାର ଦୁନିଆ ପରି ଜଣାଯିବ ।

 

“ମୋତେ ଉପଲକ୍ଷ୍ୟ କରି ଆଉ କାହିଁକି ଏତେ ଗାଳିଗୁଲଜ କରୁଛ ? ଯାହା ତ ହବାର ହେଲା । ଔଷଧ ଦେଲୁ ନା ନାହିଁ ?”

 

“ତୁମେ କ’ଣ ଭାବିଛ ପାନେ ଔଷଧରେ ରୋଗ ଭଲ ହୋଇଯାଏ । ବିନା ଔଷଧରେ ମୋର ଦୁର୍ବଳତା କୁଆଡ଼େ ଉଭେଇଗଲା । ଏଥର ମୋର ଭାରି ସାହାସ ଆସିଲା । ଦୁଇଜଣ ମାଆ ଚାରି ଜଣ ପିଲାପିଲିଙ୍କି ଧରି ଏକାଠି ଏକାପରି ଜାଗର ଜାଳିଲୁଁ, ଏକା ମନ୍ଦିରରେ ଏକା ଉଦ୍ଦେଶ୍ୟ ରଖି । ମୋର ଆଉ ସନ୍ଦେହ ରହିଲା ନାହିଁ ତା ପିଲାଙ୍କ ଅସୁଖ ବିଷୟରେ । ନ ହେଲେ ତାଙ୍କ ମାଆ ଉଜାଗର ରହନ୍ତା କାହିଁକି; ଏତେ କାନ ପତଳା ହୁଅନ୍ତା କାହିଁକି ? କ୍ରମେ କଡ଼ିବରଗାର ସେଇ ଚଢେଇଟିକୁ ମୋ ନିଜ ମାଆ ପେଟର ଭଉଣୀ ପରି ଲଗିଲା । ଯିମିତି ଆମେ ଦି' ଭଉଣୀ ଯେଝା ପିଲାପିଲି ନେଇ ବାପ ଘରକୁ ଆସିଛୁ; ଏଠି କେତେଦିନ ସାଙ୍ଗ ସାଥି ହୋଇ ସୁଖଦୁଃଖରେ ଦିନ କଟାଇ ପୁଣି ସ୍ଵାମୀ ଘରକୁ ଫେରିଯିବୁ ।”

 

“ଏବଂ ଔଷଧ ତା ଜାଗାରେ ପଡ଼ି ରହିଥିବ ।”

 

“ଠିକ୍ କଥା । ଆରମ ପ୍ରକୃତରେ ହାରାମ । ନିରାପତ୍ତା ମଣିଷକୁ ଦାୟିତ୍ଵହୀନ କରେ । ପୁଣି ଆଲୁଅ ଲିଭାଇ ମୁଁ ଶୋଇଗଲି । ଭାବିଲି ଭଉଣୀ ଜଗି ଦବ ମୋ ପିଲାପିଲିଙ୍କୁ । ମୁଁ ଦଣ୍ଡେ ଶୋଇଯାଏ, ଆଖିପତା ପୋଡ଼ିଲାଣି ।”

 

“ବଢିଆ କଥା । ମାଉସୀ ଜଗିଦବ । ଔଷଧ ଖୁଆଇ ଦବ । ଜଳ ପଟି ଦବ, ଜର ଦେଖିବ, ତୁମକୁ ତିନିଟା ବେଳେ ଡାକିବ ।”

 

“ଆଶ୍ଚର୍ଯ୍ୟ କ’ଣ ? ବିଶ୍ୱାସ କଲେ ହେଲା । ତୁମେ କଣ ଭାବିଛ ଏଲରାମ ଘଡି ଛଡ଼ା ଆଉ କେହି ମଣିଷକୁ ଠିକ୍ ସମୟରେ ଚେତା କରାଏ ନାହିଁ । ଏ ଯନ୍ତ୍ର ତିଆରି ପୂର୍ବରୁ ଲୋକେ ତ ପୁଣି ଠିକ୍ ସମୟରେ ଉଠୁଥିଲେ, ଛୁଆପିଲାଙ୍କ ନାଡ଼ୀ ଦେଖୁଥିଲେ, ଅନୁପାନ ବାଟିଘୋରି ଔଷଧ ପିଆଉଥିଲେ ।”

 

“ଔଷଧ ସବା ଶେଷରେ ଦେଲ ନା ନାହିଁ ?”

 

“ତୁମର ଘଣ୍ଟାରେ ଏଲରାମ ବାଜିଲା କି ନାହିଁ ମୁଁ କହି ପାରିବି ନାହିଁ । କେତେ ସମୟ ଶୋଇଗଲି ତା ବି କହି ପାରିବି ନାହିଁ । ପୁଣି ଚେଚେର୍ ଚେଚେର୍ ଚେଚେର୍ ଚେଚେର୍ ଶବ୍ଦରେ ନିଦ ଭାଜିଗଲା । ଏ ଶବ୍ଦଟା ବଡ଼ ରୁକ୍ଷ, କର୍କଶ; ମିଠା ମୋଟେ ନୁହେଁ । ହୁକୁମ ଦେବା ଗଳା, ମାଲିକାନା ସ୍ଵର । ଏ ସ୍ଵର, ଶବ୍ଦ ଯେମିତି ବନ୍ଦ ହେବାର ନୁହେଁ । ତୁହାକୁ ତୁହା ଆସୁଥାଏ । ଏଇ ଶବ୍ଦ ସାଙ୍ଗକୁ କାନ ଅତଡ଼ା କରି ବାଜି ଉଠିଲା ଜେଲଖାନା ଘଣ୍ଟା, କଚେରୀ ଘଣ୍ଟା, ପାୱାର ହାଉସ ଘଣ୍ଟା, କରତକଳ ଘଣ୍ଟା, ଆହୁରି କେତେ କେତେ ଅଜ୍ଞାତ ସ୍ଥାନର ଘଣ୍ଟା । ଠଙ୍ଗ ଠଙ୍ଗ୍ ଠଙ୍ଗ୍ । ତିନିଟା । ଯିମିତି ଦୁନିଆର ସବୁ ଘଣ୍ଟା । ଏଇ ଆଦେଶ ଅପେକ୍ଷାରେ ରହିଥିଲେ । ତିନିଥର ବାୟୁତରଙ୍ଗରେ ଘଣ୍ଟା ଗୁଡ଼ାକରେ ଶେଷ ଶବ୍ଦ ମିଳାଇ ଯାଇଛି କି ନାହିଁ ଚେରେର୍, ଚେର୍‍ରେ, ଚିଁ ଚିଁ, ଚେଚେର୍ ଚେଚେର୍ ଚେଁ ଚେଁ ରାବରେ କୋଠରୀଟା ମୁଖରିତ ହୋଇଗଲା । ବୁଲବୁଲ, ଝୁନଝୁନି ବି ଚେତା ହୋଇ ମାଆ ମାଆ ଡାକି ଉଠିବସିଲେ । ମୋତେ ଜଣାଗଲା ଚଟିଆ ବଂଶ ଆମ କୋଠରୀକି ଘରଟାକୁ ଦଖଲ କରିଗଲେ ।”

 

“ମୁଁ ହେଲେ ଭାବିଥାନ୍ତି ଗୋଟିଏ ଭୌତିକ କାଣ୍ଡ ଘଟିଲା ବୋଲି; ଯିମିତି ଗଲାଦଉଡ଼ିଆଟା ଆଶ୍ରା କରିଗଲା ଆମ ଘରେ ।”

 

“ଯେ କେହି ଅଜାଣୁଆ ସେମିତ ଭାବନ୍ତା । ପୁଣି ଆଲୁଅ ଜାଳିଲି । ଉପରକୁ ଚାହିଁ ଦେଖେଁ ତ ଏଇ ପୁରୁଣା ବସା ଭିତରେ ଥାଇ ମୁଣ୍ଡ କାଢ଼ି ଅନାଉଛି ଘରର ମାଲିକ । ଚଢ଼େଇ ପିଲାଙ୍କ ବାପା । ବେକତଳେ କଳାଦାଗ । ଝାଡ଼ିଝୁଡ଼ି ହୋଇ ଏପାଖ ସେପାଖ ଗୋଡ଼ ଲମ୍ବାଇ ଅଳସ ଭାଙ୍ଗି ନେଉଛି । ଆଲୁଅଟା ଆଖିକି ଅଭ୍ୟାସ ହୋଇଗଲା ପରେ ଚାହିଁଲା କଡ଼ିବରଗାର ଉପର ମହଲାର ମେମ୍ ସାହେବକୁ ଓ ପରେ ପରେ ଦୋଳିରେ ଝୁଲନ୍ତା ଅବସ୍ଥାରେ ଥିବା ତା’ର ବୁଲବୁଲ ଓ ଝୁନଝୁନିକୁ । ‘ଗୁଡ଼ମର୍ଣିଂ’ ଶବ୍ଦରେ ଘରଟା ଆନନ୍ଦମୁଖର ହେଲା ।”

 

“ୟା ପରେ ପରେ ଘଡ଼ି ଦେଖି ଔଷଧ ଦେଲ ତ ?”

 

“ମଲା ଦୁନିଆ ଯାକର ଘଡ଼ିରେ ତିନି ବାଜିଲା । ତୁମର ଘଡ଼ିରେ କ'ଣ ବାର ବାଜିଥାନ୍ତା ? ଦୁହିଁକୁ ଡାକିବାକୁ ପଡ଼ିଲା ନାହିଁ । ଔଷଧ ଦେଇ ଦେଲି । ହାତ ଦେଇ ଦେଖେଁ ଦୁହିଁକ ଦେହରେ ଉତାପ ନାହିଁ । ଖାଇବାକୁ ମାଗିଲେ । ଉପରେ ଟିକି ଚଢ଼େଇ ଦି'ଟା ଅଲଗା ହୋଇଯାଇ ପରସ୍ପର ଟିକି ଥଣ୍ଡକୁ ଖୁମ୍ପିବାକୁ ଲଗିଲେ । ତାକୁ ବି ବୋଧହୁଏ ଭୋକ ଲାଗୁଥିଲା ଜର ଛାଡ଼ିଯିବା ପରେ । ଦଣ୍ଡେ ପରେ ପୁଣି ପାଖକୁ ପାଖ ଘୁଞ୍ଚିଯାଇ ଥଣ୍ଟ ଆଖି ମୁଣ୍ଡ ପର ଭିତରକୁ ଟାଣିନେଲେ l ଆଉ ଚଢ଼େଇ ପରି ଦିଶିଲେ ନାହଁ l ମୋତେ ମନେ ହେଲା ସେମାନେ ସବୁ ପରୀ ରାଜ୍ୟର ଜୀବ । ସକାଳେ ଉଠି ଦେଖେଁତ କେହି ନାହାନ୍ତି । ଯେଉଁ ଶୂନ୍ୟରୁ ଆସିଥିଲେ ସେଇ ଶୂନ୍ୟରେ ଉଭାଇ ଯାଇଛନ୍ତି ।”

 

“ସ୍ଵାଚ୍ଚଲାଇଟ୍ ବାଟରେ ଉଡ଼ିଯାଇଥିବେ । ମୋତେ ଟିକେ ଡାକିଲ ନାହିଁ, ମୁଁ ଦେଖିଥାନ୍ତି । ଆଛା ! ତୁମେ ସେ ନେକ୍‍ଟାଇ ବନ୍ଧା ଅଣ୍ଡିରା ଚଢ଼େଇଟାକୁ ପଚାରିଲ ନାହଁ କାହିଁକି ସେ ନିଜ ସ୍ତ୍ରୀ ପିଲାପିଲିଙ୍କି ବାହାରେ ରଖି ନିଜେ ଆରାମରେ ନିଦକ ହୋଇ ବସା ଭିତରେ ଶୋଇଥିଲା ?”

 

“ତା ହେଲେ ତ ମୋତେ ତୁମକୁ ଉଠାଇବାକୁ ପଡ଼ିଥାନ୍ତା । ତୁମେ ସବୁ କ'ଣ ଘର ଚଳାଅ ନା ଘରକଥା ବୁଝ ? ଆମେ ସବୁ ଦେଖୁ, ବୁଝୁ; ତୁମେ ସବୁ ଗୋଟାଏ ଗୋଟାଏ ଏ ଦମ୍ଭ ଖୁଣ୍ଟ ସିନା ।”

 

“ଆଉ ଯେତେବେଳେ ସେ ଆସିବ ମୋତେ ତାକୁ ଟିକିଏ ଦେଖାଇ ଦବ ତ !”

 

“ମଲା ଏଇଲାଗେ କହୁଥୁଲା ପରା ତା ବସାଟିକୁ ଭାଙ୍ଗିଦେବ ବୋଲି ?”

 

“ମୁଁ କ’ଣ ତାଙ୍କ ସ୍ଵରୁପ ଦେଖିଥିଲି ନା ଜାଣିଥିଲି ?”

 

“ତେବେ ଏ ବର୍ଷ ମଧ୍ୟ ସେମାନେ ଏ ଘରେ ରହିବେ ?

 

“ରୁହ ମୁଁ ଆଗ ଠିକ୍ କରେଁ, ଏ ଘର ତାଙ୍କର ନା ଆମର ।”

Image

 

ସ୍ଵପ୍ନସିଦ୍ଧ

ବାମାଚରଣ ମିଶ୍ର

 

ନଲ୍‍ଠଣଟି ମିଞ୍ଜି ମିଞ୍ଜି ହୋଇ ଟେବୁଲ ଉପରେ ଜଳୁଛି । ଚାରିଆଡ଼େ ନିସ୍ତବ୍ଧ କେବଳ ପଡ଼ିଶା ଘରର ଅଝଟ ପିଲାର ତୁହାଇ ତୁହାଇ କାନ୍ଦଣା ଭାସିଆସୁଛି । ମିମି ଓ ଟୁକୁନା ଶୋଇପଡ଼ିଲେଣି । ମାତ୍ର କିଛିକ୍ଷଣ ଆଗେ ସେମାନଙ୍କର କଳି, ପିଟାପିଟି ବନ୍ଦ ହୋଇଛି । ବୋଉ କାହା ଆଡ଼କୁ ମୁହଁ କରି ଶୋଇବ ଏଥିପାଇଁ ସେମାନଙ୍କ ଭିତରେ ପ୍ରବଳ କଳି ଚାଲି ଥିଲା । ପ୍ରୀତି ମଧ୍ୟ ନିଘୋଡ଼ ନିଦରେ ଶୋଇପଡ଼ିଚି । କିନ୍ତୁ ତା’ର ପଙ୍ଖା ବୁଲାଇବା ବନ୍ଦ ହୋଇନାହିଁ କି ଗୀତଟି ମଧ୍ୟ ବନ୍ଦ ହୋଇନାହିଁ । ସେ ନିଦ୍ରାଜଡ଼ିତ କଣ୍ଠରେ ଗାଇ ଚାଲିଚି, “ମିମି ମୋର ସୁନା ଝୁଅ....।” କେଉଁ ସପନ ରାଇଜରୁ ଗୋଟିଏ ଅପୁର୍ବ ସୁର ଯେମିତ ଭାସି ଆସୁଛି । ଆଉ ତା ସହିତ ମିଶିଚି ପଙ୍ଖାର ଅବିରାମ ଘୋଷା...କେଁ...କେଁ । ପ୍ରୀତିର ସେ ଗୀତରେ କି ମୋହିନୀ ଶକ୍ତି ଅଛି କେଜାଣି, ଶୁଣିବା ମାତ୍ରେ ମିମି ଟୁକୁନା ପରି ଦୁର୍ଦ୍ଦଣ୍ଡ ପ୍ରତାପୀମାନେ ମଧ୍ୟ ଶୋଇପଡ଼ିଲେ ।

 

ସୁଦାମବାବୁ ଧୀରେ ବିଛଣାରୁ ଉଠି ଶାନ୍ତିର ନିଃଶ୍ୱାସ ମାରି ଦାଣ୍ଡଘରକୁ ଗଲେ ଦେଖିବାକୁ । ଅତ୍ୟାଧୁନିକ ଲେଖକମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଅତି ଉଗ୍ର । ଯେତେ ଅଦ୍ଭୂତ ଶବ୍ଦ ସେ ସୃଷ୍ଟି କରୁଛନ୍ତି, ତାଙ୍କର ଭାଷା, ଭାବ ଓ ଉପମା ଯେତେ ଦୁର୍ବୋଧ ହେଉଛି ତାଙ୍କର ସ୍ଥାନ ସେତେ ଦୃଢ଼ ହେଉଛି । କିଛିଦିନ ହେବ ଗୋଟିଏ ଅତି ଜଟିଳ ଓ ବିଜ୍ଞାନସମ୍ମତ ପ୍ରେମମୂଳକ ଗଳ୍ପ ତାଙ୍କ ମନକୁ ଆସୁଛି । ଫଏଡ୍, ଆଡ଼ଲର୍ ଓ ୟୁଙ୍ଗ୍‍ଙ୍କ ମନ ସମୀକ୍ଷା, ଡାର୍‍ଉଇନ, ବର୍ଗସନ୍ ଓ ମାର୍କ୍‍ସଙ୍କ ବିବର୍ତ୍ତନବାଦ, ପଦାର୍ଥ ବିଜ୍ଞାନର ପରମାଣୁ ତତ୍ତ ଓ ଆଇନଷ୍ଟାଇନଙ୍କ ଆପେକ୍ଷିକବାଦ ସହିତ ଜ୍ୟାମିତିର, ତୃତୀୟ ଉପପାଦ୍ୟ ଓ ହିନ୍ଦୁ ଧର୍ମର ଜନ୍ମାନ୍ତରବାଦ ମିଶାଇ ସେ ଗୋଟିଏ ଅପୁର୍ବ ଓ ଅଦ୍ଭୁତ ଉପନ୍ୟାସ ଲେଖିବାର କଳ୍ପନା କରିଛନ୍ତି l କିନ୍ତୁ ଘରେ ଯେଉଁ ଗୋଳମାଳ, ଟୁକୁନା ଓ ମିମି ମଧ୍ୟରେ ଯେଉଁ ଖଣ୍ଡଯୁଦ୍ଧ ଚାଲିଛି ସେଥିରେ ଲେଖିବାତ ଦୁରର କଥା, ଭାବନା ମଧ୍ୟ ମିଳେଇ ଯାଉଚି l ନଲଠଣଟି ଧିରେ ଟେବୁଲ ଉପରେ ଥୋଇ ଟିକେ ତେଜିଦେଇ କାଗଜ ବାହାର କରି କଲମ ଧରିଛନ୍ତି କିନା, ମିମି ଧଡ଼ପଡ଼ କରି ଉଠି ବସି ଚିତ୍କାର କରି କାନ୍ଦି ଉଠି କହିଲା.. “ବୋଉ ଦେଏଖେ ଭାଇକୁ ।”

 

କଲମ କାଗଜ ଥୋଇଦେଇ ଥକ୍କା ହୋଇ ବସିପଡ଼ି ସୁଦାମ ବାବୁ କୁଳଦେବତାଙ୍କ ନାମ ଉଚ୍ଚୈସ୍ଵରରେ ଜପିବାକୁ ଲାଗିଲେ, ରଘୁନାଥ, ରଘୁନାଥ ହେ ! ମିମିର ଚିତ୍କାର କ୍ରମେ ତୀବ୍ର ହେବାକୁ ଲଗିଲା l କାଗଜଟା ଟିକି ଟିକି ଚିରିଦେଇ, କଲମ ମୁନଟାକୁ ଟେବୁଲ ଉପରେ ଗୋବା ମାରି ଦଛଡ଼ା କରିଦେଇ, ନଲ୍‍ଠଣଟାକୁ କଚାଡ଼ି ଚୂର୍ଣ୍ଣ ବିଚୂର୍ଣ୍ଣ କରି ଘରୁ ସନ୍ନ୍ୟାସୀ ହୋଇ ବାହାରିଯିବାର ଅଦମ୍ୟ ଉତ୍ତେଜନା ଜାତ ହେଲା । କିନ୍ତୁ ସେସବୁ କିଛି ନ କରି ହତାଶ ଭାବରେ କୁଳଦେବତାଙ୍କ ନାମ ଉଚାରଣ କରି ସେ ମୁଣ୍ଡରେ ହାତ ଦେଇ ବସିରହିଲେ ଓ ବାରମ୍ବାର ପ୍ରୀତି ଆଡ଼େ ତରାଟି ଚାହିଁବାକୁ ଲାଗିଲେ ।

 

ପ୍ରୀତି କିନ୍ତୁ ନିର୍ବିକାର ଭାବରେ ଶୋଇଚି ଓ ଗାଇ ଚାଲିଛି ....ମିମି ମୋର ସୁନା ଝିଅ....

 

ସୁଦାମ ବାବୁ ନିର୍ମମ ଶାନ୍ତ ଭାବରେ ପଚାରିଲେ, ହଇ ହୋ, ମିମି ଗଲା ସାଧୁଛି କି ?

 

ପ୍ରୀତି ଧଡ଼ପଡ଼ ହୋଇ ଉଠି ବସି ସୁଦାମ ବାବୁଙ୍କ ଆଡ଼େ ଚାହିଁ ଫିକ୍‍କିନା ହସିଦେଇ ମିମିର ମୁହଁ ଚାପି ଧରି କହିଲା, “ଚୁପ୍ ଚୁପ୍ ପୋଡ଼ାମୁହିଁ ।” କିନ୍ତୁ କାହାର ଶକ୍ତି ଅଛି ସେ ରୋଦନ ରୋଧ କରିବ ।

 

ଖଟ ଉପରେ ଦୁମ୍ ଦୁମ୍ ଶବ୍ଦ ହେବାକୁ ଲାଗିଲା । ଟୁକୁନା ମିମିର ଅଭିଯୋଗରେ ଉତ୍ତେଜିତ ହୋଇ ଉଠି ବାଲିଶ୍ ଉପରେ ବିଧା ମାରୁଛି । ଏଇଟା ତାହାର ପ୍ରାକ୍‍ଯୁଦ୍ଧ ଆସ୍ଫାଳନ । ସୁଦାମ ବୁଝିଲେ ଆଉ ଅଳ୍ପ ସମୟ ପରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ହୋଇଯିବ । ହେଲେ ମଧ୍ୟ ତାହା । ବାଲିଶ୍ ସବୁ ଏଣେତେଣେ ଉଡ଼ିବାକୁ ଲାଗିଲେ । ଟୁକୁନା ବାଲିଶ୍‍ମାନଙ୍କୁ ଇଣ୍ଟାରକନ୍ଟିନେଣ୍ଟାଲ ବାଲିଷ୍ଟିକ ମିଶାଇଲ୍ ରୂପେ ବ୍ୟବହାର କରେ ।

 

ଏ’ଙ୍କ ଜ୍ଵଳାରେ ମଣିଷ ଟିକିଏ ଶୋଇ ପାରିଲା ନାହିଁ, ମୁଁ ମରିଯାଆନ୍ତି କି ଭଗବାନ । ପ୍ରୀତି ଆକ୍ଷେପ କରି କହିଲା ଏବଂ ତା’ ପରେ ମିମି ଓ ଟୁକୁନା ପିଠିରେ ଦୁଇ ଚାରିଟା ବିକ୍ଷପ୍ତ ବିଧା ଥୋଇଦେଇ ଟୁକୁନାର କାନ ଧରି କହିଲା, “ହଇରେ ତୁ କାହିଁକି ମିମି ଆଡ଼େ ଗୋଡ଼ ଦେଲୁ ?”

 

“ସେ କାହିଁକି ମୋ ଆଡ଼େ ହାତ ରଖିଲା ?” ଟୁକୁନା ପାଲଟା ପ୍ରଶ୍ନ କଲା ତା’ର ସ୍ଵରରେ ।

 

ଛିଃ,ଛିଃ, ତୁମେ ଦୁଇଟା ଏତେ ହିଁସୁକୁରିଆ । ଏଇ ଟୁକୁନା ଭାରି ବାଦୁଆ, ସାନ ଭଉଣୀ ସାଙ୍ଗରେ ବରାବର ବାଦ ।

 

ଟକୁନାର ଚରିତ୍ର-ପଞ୍ଜିକାରେ ଏପରି କଟୂ ମନ୍ତବ୍ୟ ଅନେକ ଥର ଅନ୍ତର୍ଭୁକ୍ତ ହେଲାଣି । ଟୁକୁନା ମନ୍ତବ୍ୟ ପ୍ରତି ଭ୍ରୁକ୍ଷେପ ନାହିଁ । ଉପରନ୍ତୁ ସେ ଆହୁରି ରାଗିଯାଇ ମିମି ପିଠି ଉପରେ ଦୁମ୍ ଦାମ୍ ଦିଟା ଥୋଇଦେଲା । ମିମି ଆଉ କିଛି କରି ନ ପାରି ପ୍ରୀତିର ବାହୁକୁ କାମୁଡ଼ିଦେଲା ।

 

“ମରିଗଲି ଲୋ ବୋଉ”, ପ୍ରୀତି ବେଦନାରେ ଚିତ୍କାର କରି ଉଠିଲା ।

 

ମିମି ପେଟରେ ରହିବା ଦିନୁ ଟୁକୁନାର ବାଦ । ସେତେବେଳେ ସେ କଥା କହିବାକୁ ଶିଖି ନାହିଁ । ତା’ର ହିଂସା ପ୍ରକାଶ ପାଇଛି ସେତେବେଳେ ବଡ଼ ବେଦନାମୟ ଭାବରେ । ମିମିର ଗର୍ଭସ୍ଥିତ ସାଙ୍ଗେ ସାଙ୍ଗେ ଟୁକୁନା ରୋଗରେ ପଡ଼ିଲା । ସଦାବେଳେ ଚିଡ଼ିଚିଡ଼ି ଆଉ ଅଝଟପଣିଆ ତା’ର ଆରମ୍ଭ ହେଲା, ଆଉ ବୋଉ କୋଳରେ ରହିବାକୁ ସଦାବେଳେ ଜିଦ୍ ଧରି ବସିଲା । ମିମି ଜନ୍ମ ହେବା ପରେ ସୂତିକା ଗୃହର ଦୁଆର ମୁହଁରେ ଚୂପ୍ କରି ଛିଡ଼ାହୋଇ ମିମି ଆଡ଼େ ଗୋଟାଏ ଅପ୍ରସନ୍ନ ଦୃଷ୍ଟି ନିକ୍ଷେପ କରି ସେ ଗୋଟିଏ ଘରର କୋଣରେ ଚୁପ୍ କରି ବସିରହିଲା । ତା’ ପରେ ମମିକୁ ଯେତେବେଳେ ସେ ଦେଖିଛି ସ୍ତନ୍ୟପାନ କରିବାର ସେତେବେଳେ ତାକୁ ଠେଲି ବୋଉ କୋଳରୁ ତଳେ ପକାଇ ଦେବାକୁ ଚେଷ୍ଟା କରିଚି l ମିମିକୁ ଏକା ପାଇ ସେ ତାକୁ ଚିମୁଟି ଦେଇଛି । ବିଧା ମାରି ପଳାଇଯାଇଛି । ସୁଦାମବାବୁ ଟୁକୁନାର ଏପରି ବ୍ୟବହାର ଦେଖି ବ୍ୟଥିତ ହୋଇପଡ଼ିଛନ୍ତି ।

 

ପ୍ରୀତି କହଲା, ଏ ଦି'ଟା ତଳ ଉପର ଭାଇ ଭଉଣୀ- ସଦାବେଳେ କଜିଆ ଲାଗିବେ ଏମାନେ ।

 

ଦୁଇ ଜଣଙ୍କୁ ଅଲଗା ଅଲଗା ଶୁଆଇ ସେମାନଙ୍କ ମଝିରେ ରେ ଶୋଇ କାହାରି ଆଡ଼କୁ ମୁହଁ ନ କରି ଚିତ୍ କରି ଶୋଇ ପ୍ରୀତି ବାଘ ଗପ କହିବାକୁ ଲାଗିଲା ...ମିମି, ତୁ ଦେଖିଚୁନା ସେ ବାଘ ! ମା’ଲୋ, ଏଡ୍‍ଡ଼େ ବଡ଼ ବଡ଼ କାନ, ଏଡ୍‍ଡ଼େ ବଡ଼ ବଡ଼ ଦାନ୍ତ, ଏଡ୍‍ଡ଼େ ଡେ ବଡ଼ ବଡ଼ ଗୋଡ଼, ଏଡ୍‍ଡ଼େ ଡେ ବଡ଼ ବଡ଼ ହାତ….. ।

 

ବାଘର ହାତ ଥାଏ କି ? ବୋଉ ତୁ ମିଛ କହୃଛୁ, ଠାକୁର ତୋତେ ମାରିବେ । ଟୁକୁନା ଚେତାଇ ଦେଲା ବୋଉକୁ, ବୋଉର ନିଜ ଉପଦେଶ କଥା, ମିଛ କହିଲେ ଠାକୁର ମାରନ୍ତି ।

 

ନାଇଁ, ବାଘର ହାତ ନାହଁ, ଭୁଲରେ କହିଲି ।

 

କିନ୍ତୁ ମିମି ତା ସ୍ଵୀକାର କରିବାକୁ ନାରାଜ । ସେ କହିଲା, ବୋଉ ବାଘର ହାତ ଅଛି, ନା ବୋଉ ସେ ଭାତ ଖାଏ କେମିତି ?

 

ପ୍ରୀତି ଏହାର ଉତ୍ତର ନ ଦେଇ କହିଚାଲିଲା, ବାଘ ଆସି କହଲା, ହାଁଉଁ ମାଉଁ ଖାଉଁ, ମଣିଷ ଗନ୍ଧ ପାଉଁ, କିଏ କାନ୍ଦୁଚି ରେ ? ମୁଁ କହିଲି, ନାଇଁ ମିମି କାନ୍ଦୁ ନାହଁ, ଯା ଯା, ତୁ ଯା । ବାଘ କହଲା, ଆଚ୍ଛା ହଉ ମୁଁ ଯାଉଛି, ଫେଏରେ କାନ୍ଦିଲେ ନେଇଯିବି ।

 

ବାଘର କଥା କହିବା ଶକ୍ତିରେ ଟୁକୁନାର ଆପତ୍ତି ନାହିଁ । ମିମି ଓ ଟୁକୁନା ଦୁହେଁ ଆଖି ବଡ଼ ବଡ଼ କରି ଗପ ଶୁଣୁଛନ୍ତି ।

 

ଟୁକୁନା କହିଲା, ବୋଉ, ବାଘ ମିମିକୁ ନେଇଯାଉ, ସେ ମୋର ସିଲଟ ଖଡ଼ି ଖାଇ ଦେଉଛି ।

 

ଏ ଅଭିଯୋଗ ସତ୍ୟ ଅଟେ । ମିମି ସିଲଟଖଡ଼ିର ଲେଖନୀ ରୂପେ ବ୍ୟବହାରକୁ ଆଦୌ ପସନ୍ଦ କରିନାହିଁ । ସେ ଗବେଷଣା କରି ଦେଖିଛି ତାହା ଖାଦ୍ୟରୂପେ ଉତ୍କରୁଷ୍ଟତର । କିନ୍ତୁ ବୋଉକୁ ଜାପୁଟି ଧରି ସେ କହିଲା, କୁନାକୁ ନଉ ।

 

ତା’ ପରେ ପ୍ରୀତିର ଦୁଇ କଡ଼ରୁ ଆରମ୍ଭ ହେଲା ପ୍ରତ୍ୟକ୍ଷ ଯୁଦ୍ଧ ।

 

ତୋତେ ନଉ ।

 

ତୋତେ ନଉ ।

 

ପ୍ରୀତିର ଛାତିକୁ ଯୁଦ୍ଧକ୍ଷେତ୍ର କରି ଦୁହେଁ ତା ଉପରେ ଯୁଦ୍ଧ କରିବାକୁ ଲାଗିଲେ ।

 

ପ୍ରୀତି ଦୁଇଜଣଙ୍କୁ ଦୁଇଆଡକୁ ଠେଲିଦେଇ ଉଠିବସି କହିଲା ତୁମେ ଦୁହେଁ ଯଦି ଏମିତି ହବ ମୁଁ ଯାଉଚି ଘରୁ ବାହାରିଯିବି । ମୋତେ ବାଘ ନଉ । ବାଘ ନଉ ମୋତେ !

 

ମିମି କହିଲା, ମୁଁ ବାଘକୁ ଭାତ ଖାଇବାକୁ ଦେବି, ସେ ନବ ନାହିଁ ।

 

ଟୁକୁନା କହଲା, “ମୁଁ ବାଘକୁ ଗୁଳକରି ମାରିଦେବି ମୋ ବନ୍ଧୁ କରେ ।”

 

ପ୍ରୀତି ଖଟରୁ ଓହ୍ଳାଇ ଚାଲିଲା ଘରୁ ବାହାରକୁ । ମିମି ଟୁକୁନା ଦୁହେଁ ତାକୁ ଦୁଇପଟୁ ଜାପୁଟି ଧରିଲେ । ପ୍ରୀତି ସେମାନଙ୍କୁ ଠେଲିଦେଇ ବାହାରିଗଲା । ବାହାରି ଗଲା ଏକଦମ୍ ବାହାରକୁ ।

 

ଭାଇ ଭଉଣୀ ଦୁହେଁ ଥମ୍ କିନା ଛିଡ଼ା ହେଇ ରହିଲେ । ଆଖି ଛଳ ଛଳ କରି ଦୁହେଁ ଦୁହିଁଙ୍କୁ ଚାହିଁରହିଲେ ।

 

କିଛିକ୍ଷଣ ବିରାମ । ସୁଦାମବାକୁ ସୁବିଧା ପାଇ ପୁଣି ଲେଖିବାକୁ ଆରମ୍ଭ କଲେ । ତାଙ୍କର ଉପନ୍ୟାସରେ ସେତେବେଳେ ଅତି ଜଟିଳ ପରିସ୍ଥିତି ଉପୁଜିଛି । ବହୁଯୁଗ ପୂର୍ବରେ ଭା ଦେଶରେ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ହୋଇଥିଲା ସେଗୁଡ଼ିକ ବ୍ୟୋମରୁ ସଂଗ୍ରହ କରି ଭା ଦେଶ ସଞ୍ଚୟ କରି ରଖିଚି ଓ ତେଣୁ ସମସ୍ତ ପୃଥିବୀର ଯେ ଆଧ୍ୟାତ୍ମିକ ଗୁରୁ ହୋଇଛି । ବର୍ତମାନ ଭା ଦେଶ ଅନ୍ୟ ଦେଶକୁ ସେ ସ୍ପନ୍ଦନଗୁଡ଼ିକ ପଠାଉଚି l ଏଣେ କ’ଣ ହୋଇଚିନା କା ଦେଶ ପୃଥିବୀରେ ପ୍ରଧାନ ଗଣତନ୍ତ୍ର ଉପାସକ ହୋଇଛି, ପୃଥିବୀର ପ୍ରତ୍ୟେକ ମନୁଷ୍ୟର ଚିନ୍ତା ଓ ମତ ପ୍ରକାଶର ସମ୍ପୂର୍ଣ ସ୍ଵଧୀନତାକୁ ସେ ଯେପରି ସମ୍ମାନ ଦେଇଛି ଆଉ କୌଣସି ଦେଶ ସେପରି କରିପାରି ନାହିଁ । ଏକ ଲହମାରେ ପୃଥିବୀର ଜନସଂଖ୍ୟାର ୨୦ ଗୁଣ ଲୋକ ମାରି ଦେବାର ଶକ୍ତି ସଞ୍ଚୟ କରି ରଖି ପୃଥିବୀର ବିଭିନ୍ନ ଦେଶକୁ ସେ ଗଣତନ୍ତ୍ର ସ୍ପନ୍ଦନ ପଠାଉଛି । ତେଣେ ପୁଅ କଅଣ ହୋଇଚି ନା ସା ଦେଶ ହୋଇଚି ପୃଥିବୀର ଶ୍ରେଷ୍ଠ ଜନମଙ୍ଗଳକାରକ ଦେଶ । ଶୋଷିତମାନଙ୍କର ଏକମାତ୍ର ଉଧାରକ । ଅଦ୍ଧ ଲହମାରେ ପୃଥିବୀର ଜନସଂଖ୍ୟାର ୪୦ ଗୁଣ ଲୋକ ମାରିଦେବାର ଶକ୍ତି ଆହରଣ କରିବାରେ ଲାଗିପଡ଼ି ଚାରିଆଡ଼େ ସେ ଜନମଙ୍ଗଳ ସ୍ପନ୍ଦନ ପଠାଉଚି । ଏହି ଶକ୍ତିମାନ୍ ସ୍ପନ୍ଦନଗୁଡ଼ିକ ସ୍ଵ ସ୍ଵ ଗତିପଥରେ ଯାଉ ଯାଉ ବ୍ୟମୋରେ ଏକତ୍ର ମିଳିତ ହୋଇ ସେଠାରେ ସୃଷ୍ଟି ହୋଇଚି ଏକ ପ୍ରଚଣ୍ଡ ସ୍ପନ୍ଦନାବର୍ତ୍ତ । ଏପରି ସମୟରେ ନାୟିକା କାର୍ବୋଲିକା (1/2) ଚନ୍ଦ୍ରଲୋକରେ ଥିବା ତା'ର ପୂର୍ବଜନ୍ମର ପ୍ରେମିକ ପାଖକୁ ପଠଉଚି ? ଆଙ୍ଗସଟାମ ଇଉନିଟର ଇଲେକ୍ଟ୍ରୋମାଗ୍‍ନେଟୀ କୃତ ପ୍ରେମ । ଇୟାଡ଼େ ତାହାର ଦୁଇଜନ୍ମ ପୂର୍ବର ସ୍ୱାମୀ ଠିକ୍ ସେତିକିବେଳେ ୪ ଗ୍ରାମ୍ ଦ୍ରବୀଭୁତ ପ୍ରେମ ପଠାଉଥିଲେ.....

 

ଏତିକିବେଳେ ସୁଦାମବାବୁ ଚକିତେ ଶୁଣିଲେ ସେ କ୍ରନ୍ଦନ ଧ୍ଵନି...ବୋଉ ମୁଁ ବୋଉ । ମିମି ଓ ଟୁକୁନାର ଐକ୍ୟ କ୍ରନ୍ଦନ ।

 

କଲମ ଧୀରେ ଥୋଇଦେଇ ସୁଦାମବାବୁ ମନେ ମନେ କହିଲେ, “ଧେତ୍, ଏ ଘରେ କେହି କେବେ ଲେଖକ ହେଲେଣି ନା ହେବେ !! ସ୍ତ୍ରୀ ସିନା ଟିକିଏ ପ୍ରେରଣ ଦିଅନ୍ତା । ସେ କଥା ତ ଦୂରେ ଥାଉ, ଯେତେ ରକମର ବାଧା ସୃଷ୍ଟି କରୁଚି । ପ୍ରେମ କରି ବାହା ହେବାକୁ ଆଶା କରିଥିଲି ଯେ ସେ ତ ହେଲା ନାହିଁ । ବୟସ ଗଡ଼ାଇ ବାହା ହେଲି ଯେ ଜୁଟିଲା ଗୋଟିଏ ବେରସିକା, ସଦାବେଳେ ଘରକାମ ବା ପିଲାଛୁଆ ନେଇ ବ୍ୟସ୍ତ, ମୋତେ ପ୍ରେରଣା ଦେବାକୁ ବେଳ କାହିଁ ତାର ! ଶ୍ୟେଃ, ଏମିତିରେ କେହି କେବେ ଲେଖକ ହେଲେଣି ? ଆଉ ପିଲାଗୁଡ଼ାକ ହୋଇଚନ୍ତି ବି ଧେତ୍।”

 

ପିଲା ଯୋଡ଼ିକଙ୍କର କ୍ରନ୍ଦନ କ୍ରମେ ତୀବ୍ରତର ହେବାକୁ ଲାଗିଲା ।

 

କଲମ ରଖିଦେଇ ସୁଦାମବାବୁ ଡାକିଲେ ହଇ ହୋ ଶୁଣୁଚ !

 

ପ୍ରୀତି ଅନ୍ଧାର କଣରୁ ବାହାରି ପଡ଼ି ହସି କହିଲା, “ମୁଁ ଆଉ କଣ କରିବି କୁହ ?”

 

“ଯଦି ଜଣେ ଅଦ୍ଭୂତ ଲେଖକର ସ୍ତ୍ରୀ ଭାବରେ ମର୍ଯ୍ୟାଦା ପାଇବାକୁ ତୁମେ ଚାହଁ, ତେବେ ଦୟାକରି ଟିକିଏ ଚୁପ୍‍ କରାଅ ସେଗୁଡ଼ାଙ୍କୁ ।” ସୁଦାମବାବୁ ହାତଯୋଡ଼ି କହିଲେ ।

 

ପ୍ରୀତି ଖିଲିଖିଲି ହସି ମିମି ଓ ଟୁକୁନାକୁ କୋଡ଼କୁ ଆଉଯାଇ ଗାଇବାକୁ ଲାଗିଲା...

 

“ତୁମକୁ ଛାଡ଼ି ମୁଁ କେଉଁଠି ଯିବିରେ, ମୋ ମିମି କୁନା ...।

 

“ତୁମରିପାଇଁ ତ ମରିବି ନାହଁରେ, ମୋ ମିମି କୁନା....

 

“ମଲେ ଭୁତ ହୋଇ ତୁମଠି ଥିବି ରେ, ମୋ ମିମି କୁନା....

 

“ଦୟାକରି ତୁମର କାବ୍ୟ ସ୍ରୋତ ଟିକିଏ ବନ୍ଦ କରିବ କି ? ତାଙ୍କର ବିନୟରେ ଚରମ ବିରକ୍ତି ପରିସ୍ପୁଟ ହୋଇଉଠିଲା ।

 

“ଏ କବିତା ସୁଅ କିଏ ରୋଧବ"ରେ, ମୋ ମିମି କୁନା.... ପ୍ରୀତି ସେ ବିନୟ ପ୍ରତି, ଭୂକ୍ଷେପ ନ କରି ଗାଇ ଚାଲିଲା ।

 

ସୁଦାମବାବୁ ଅଧିକ ବିରକ୍ତି ହୋଇ କହିଲେ, “ଧେତ୍ ,ଏ ଘରେ ଆଉ ରହିବି ନାହିଁ ।” ଦୂମ୍ କରି ଚୌକି କଚାଡ଼ି ସୁଦାମବାବୁ ଉଠି ଛିଡ଼ାହେଲେ ବାହାରିଯିବାକୁ ।

 

“ମିମି କୁନା ଛାଡ଼ି କେଉଁଠି ଯିବ ହୋ ମୋ ଧନମଣି...”

 

“କଅଣ୍ କହିଲ କଅଣ୍ କହିଲ ?” ଯାଉ ଯାଉ ଥମକି ଛିଡ଼ା ହୋଇ ଉଦ୍‍ଗ୍ରୀଧ ଭାବରେ ସୁଦାମବାବୁ ପଚାରିଲେ । ‘ମୋ ଧନମଣି’ କଥାଟିକୁ ଦୋହରାଇ ମନେ ମନେ କହିବାକୁ ଲାଗିଲେ ।

 

“ଯେଣେ ଯିବ ଏଣେ ଆଣିବେ ଟାଣି ହୋ, ମୋ ଧନମଣି...”

 

(ଆଉ) ଧନମଣି ଏଠି ବନ୍ଧା ହୋଏଙ୍ଗା ହୋ, ମୋ ଧନମଣି...”

 

ଶେଷ ପଦରେ ସୁଦାମବାବୁ ହଠାତ୍ ଉତ୍‍କ୍ଷିପ୍ତ ହୋଇ କହିଲେ, “ବନ୍ଧା ହୋଏଙ୍ଗା ? ଦେଖେଙ୍ଗା, କେମିତି ବନ୍ଧା ହୋଏଙ୍ଗା ।” କହି ସେ ଚୌକି ଉପରେ ଦୁମକରି ବସିପଡ଼ିଲେ ଦୃଢ଼ଭାବରେ ।

 

ପ୍ରୀତି ଅପାଙ୍ଗ ଦୃଷ୍ଟିରେ ସୁଦାମବାବୁଙ୍କ ଆଡ଼େ ଚାହିଁ ମୁରୁକି ହସି ମିମି ଓ ଟୁକୁନାକୁ କୋଡ଼ରେ ଜାକି ଶୋଇ ପଡ଼ିଲା ।

 

ମିମି କହଲା, “ବୋଉ, ଚାଚୁ ଘର କଥା କହ ।”

 

ପ୍ରୀତି ପୁଣି ସୁର କରି ଗାଇବାକୁ ଲଗିଲା, “ଚାନ୍ଦମାମୁଁ ହୋ ଆଲୁଅ କର, ମିମି ଯିବ ହୋ ଶାଶୁଘର, ସାଙ୍ଗରେ ଯିବ କିଏ ? ଆଲୋ ମିମି ତୋ ସାଙ୍ଗରେ, ଶାଶୁଘର କିଏ ଯିବ ?

 

ମିମି ନିର୍ବିକାର ଭାବରେ କହିଲା, “ଟୁକୁନା ଭାଇ ।”

 

“ନାହିଁ ନାହିଁ, ମୁଁ ତା ସାଙ୍ଗରେ ଯିବି ନାହିଁ ।” ? ଟୁକୁନା ଘୋର ଆପତ୍ତି ଶୁଣାଇ ଉଠି ବସିଲା ।

 

“ବୋଉ ମ ବୋଉ, ହଁ ଯିବ ଭାଇ, ତୁ କହ ।” ମିମିର କରୁଣ ମିନତିରେ - ପ୍ରୀତି ତାକୁ ଚୁମ୍ବନ ଦେଇ କହଲା, ହଁ ନିଶ୍ଚେ ଯିବ । ସାଙ୍ଗରେ ଯିବ କିଏ ? ତା ପରେ ପୁଣି ଗାଇବାକୁ ଲାଗିଲା-

 

“ସାଙ୍ଗରେ ଯିବ ଟୁକୁନା ଭାଇ ଛତାବାଡ଼ି ଦେ .....”

 

ଗୋଟିଏ ଅପୂର୍ବ ଚଳଚ୍ଚିତ୍ର ମାନସ ପର୍ଦାରେ ପ୍ରତିଫଳିତ ହେଲା ସେ ଗୀତି ଦ୍ଵାରା । ବହୁଦିନର ଗୋଟିଏ କରୁଣା କାନ୍ଦଣା ତାଙ୍କର ମନେପଡ଼ିଲା...

 

…ଗାଁ ଝିଅ ପଦ୍ମା ବାହା ପରେ ବାପଘରୁ ବିଦାୟ ନେଉଚି । ପିଲାଟିବେଳୁ ସେ ବାପ ହଜାଇଛି, ଅଛି କେବଳ ଭାଇ ବକଟେ । ଆଜି ଚିରଦିନ ପାଇଁ ବାପଘରୁ ବିଦାୟ ନେବାବେଳେ ତା’ର ସମସ୍ତଙ୍କ କଥା ମନେପଡ଼ି କୋହ ଉଠୁଚି । ଶକୁନ୍ତଳା ଆଶ୍ରମରୁ ବିଦାୟ ନେବାବେଳେ ହରିଣ, ବୃକ୍ଷଲତାମାନଙ୍କଠାରୁ ମଧ୍ୟ ବିଦାୟ ନେଇଥିଲେ । ପଦ୍ମା ଜଣ ଜଣଙ୍କୁ ଧରି ବାହୁନି ବିଦାୟ ନେଇ ଯେତେବେଳେ ସାନଭାଇ ପାଖରେ ପହଞ୍ଚିଲା ସେତେବେଳେ ତା’ର କୋହ ଆଉ ସମ୍ଭାଳି ହେଲା ନାହିଁ । ଭାଇକୁ ଧରି ପଦ୍ମା ବାହୁନିଲା ...

 

ଉଷୁନା ଧାନ କି ଗଜା ହୋଇବ, ମୋ ସୁନାଭାଇ

 

ସତେ ଛତା ବାଡ଼ି ଡେରି ଥୋଇବ, ମୋ ସୁନା ଭାଇ ।

 

ଭଉଣୀ ଶାଶୁଘରେ । କେବେଠୁଁ ବାପଘର ଛାଡ଼ି ଆସିଚି କାହିଁ ଦୂରେ । ବିଲ ଭିତରେ ଚାଲି ଚାଲି ତିନି କୋଣ ଯିବାପରେ ପଡ଼େ ବୁଢ଼ା ନଈ । ତତଲା ବାଲିରେ ଡେଇଁ ଡେଇଁ ନଈ ପାରି ହେବା ପରେ ବାସୁଲେଇ ପାଟ । ସେ ପାଟ ଭିତରେ ରାସ୍ତାଟା ଲମ୍ବି ଯାଇଛି ଯେ କାହଁ କେଉଁଠି ଶେଷ ଦିଶୁନାହିଁ । ରାସ୍ତ। କଡ଼ରେ ଗୋଟିଏ ଘାସ ଗଛ ବି ନାହିଁ । ସୂର୍ଯ୍ୟଦେବତା ଯେତେବେଲେ ଠିକ୍ ମୁଣ୍ଡ ଉପରେ ସେତେବେଳେ ପୁଣି ପାରିହେବ ଖରସୁଆ ନଈ । ସାରାବର୍ଷଯାକ ସେଥିରେ ଡଙ୍ଗା ପଡ଼ିଥାଏ । କଲାମଚମଚ ପାଣି । ମଣିଷକିଆ ନଈ ଏଇଟା । ଖରସୁଆ ପାରିହୋଇ ପୁଣି ବିଲ । ବିଲ ପାର ହେଲେ ହରିପୁର, ଭଉଣୀର ଶାଶୁଘର ଗାଁ । ଭଉଣୀ ସେଇ ଯେ ବାହାହୋଇ ଆସିଚି ବାପଘର ଆଡ଼କୁ ପିଠିକରି, ଆଉ ମୁହଁ ବୁଲାଇ ନାହିଁ । କିଏ ନବ ? ଭାଇ ତ ବକଟେ । ଭାଇ କେବେ ବଡ଼ ହବ ସିନା ନବ । ....ଭାଇ ବଡ଼ ହୋଇହୋଇଚି, କଲିକତାରେ ଝୋଟ କଳରେ ଚାକିରି କରିଚି । ଛୁଟି ନେଇ ଗାଁକୁ ଫେରିଚି କେତେ ଦରବ ନେଇ । ଗାଁରେ ପହଞ୍ଚିବା ପରଦିନ ଛତା ବାଡ଼ି କାଖରେ ଜାକି ଭାଇ ଛୁଟିଛି ହରିପୁର, ଭଉଣୀକୁ ଆଣିବାକୁ । ଖରସୁଆ କୂଳରେ ଭାଇ ଯେତେବେଳେ ପହଞ୍ଚିଲା, ସୂର୍ଯ୍ୟ ସେତେବେଳେ ଠିକ୍ ମୁଣ୍ଡ ଉପରେ । ନଈ କୂଳରେ ଥକ୍କା ହୋଇ ବସିପଡ଼ି ଆଞ୍ଜୁଳା ଆଞ୍ଜୁଳା ପାଣି ପିଇ ମୁହିଁ ହାତ ଧୋଇ ଡାକ ଛାଡ଼ିଲା, “ଏ ସତୁରା ଭାଇ ଏ.....ଏ..... ହେ, ବେଇଗେ ଡଙ୍ଗା ଆଣ ।”

 

ନାଉରି ସେ ପାଖରୁ ଝିଙ୍କାରି କହଲା, “ରହଃ, ଆସିଲା ମୋର ଦେଖେ ନାଇକି ନାଟ ସାଇବ ।”

 

ନଈ ପାର ହୋଇ ଆମ୍ବତୋଟାରେ ବସିପଡ଼ି ଅଣ୍ଟାରୁ କଲିକତା ଗାମୁଛା ଖୋଲି ବିଞ୍ଚି ହୋଇ ଝାଳ ପୋଛି ଭାଇ ଖୋଲିଲା ଥଳିଆ ଦେଖିବାକୁ । ଆରିସା ପିଠା, କାକରା, ପିଚାପାଡ଼ି ଶାଢ଼ୀ, ଅଳତା, ସିନ୍ଦୁର, ବନାରସୀ କାଚ, ଦର୍ପଣ ଶଙ୍ଖା, ଅତର, ସାବୁନ୍ ଓ ହାଇଫେସନର ବ୍ଳାଉଜ ଗୋଟି ଗୋଟି କରି ବାହାର କରି ସପ୍ରଶଂସ ଦୃଷ୍ଟିରେ ଚାହିଁ ପୁଣି ସେଗୁଡ଼ିକୁ ଥଳିଆରେ ସଜାଡ଼ି ରଖିଲା । କୌଣସି ଜିନିଷ ସହିତ ଖାପ ଖୁଆଇ କୌଣସି ଜିନିଷ କିଣା ହୋଇନାହଁ, ଯାହା ଯେତେବେଳେ ପାଇଛି କିଣି ପକେଇଛି । ଆମ୍ବ ପେନ୍ଥାଏ ଥଳିଆରେ ରଖି ଭାଇ ପୁଣି ଚାଲିଲା ! ଏଥର ଆଉ ବେଶି ବାଟ ନାହିଁ । ବିଲ ଆରପଟେ ହେଇ ଯଉଁ ମନ୍ଦିର ଚୂଡ଼ା ଦିଶୁଚି, ତାରି ପାଖରେ ଭଉଣୀ ଘର । ବେଗେ ବେଗେ ଚାଲି ଉଦୁଉଦିଆ ଖରାବେଳେ ଭାଇ ଭଉଣୀର ଶାଶୁଘର ଦାଣ୍ଡ ପିଣ୍ଡାରେ ଛତାବାଡ଼ି ଡେରି ଥୋଇଦେଇ ଡାକିଲା- “ଅପା !” ଧୀରେ ବୋଟିଏ ଡାକ, କ୍ଷୁଦ୍ର ଗୋଟିଏ ଶବ୍ଦ । ଶାଶୁକୁ ପଙ୍ଖା କରୁ କରୁ ଥମକିନା ଭଉଣୀର ହାତ ରହିଗଲା, ଦମକିନା ଛାତି ହେଲା ! ଉତ୍କର୍ଣ୍ଣ ହୋଇ ଚାହିଁ ମନେ ମନେ ପଚାରିଲା, ଏ ମୋ ଭାଇ ଗଳା ନା ? ହଁ ଲୋ ମୋ ଭାଇ ତ’ ଶାଶୁର ଭୟ ଭୁଲିଯାଇ ନସରପସର ହୋଇ ଲୁଗା ସଜାଡ଼ୁ ସଜାଡ଼ୁ, ଦଉଡ଼ି ଆସି ଦାଣ୍ଡଦୁଆର ଖୋଲିଦେଇ ଚାହିଁ ରହିଲା ଭାଇ ଆଡ଼େ । ଦୁହିଁଙ୍କ ମୁହଁରେ କଥା ନାହିଁ, ଦୁଇ ଆଖିରୁ ପାଣି ଗଡିଯାଉଚି....

 

ଟୁକୁନା କିନ୍ତୁ ମସ୍ତକ ସବେଗେ ସଞ୍ଚାଳନ କରି କହିଲା, “ ନାଇଁ ନାଇଁ, ମୁଁ ମିମି ସାଙ୍ଗରେ ତ। ଶାଶୁଘର ଯିବି ନାହିଁ ।”

 

ମିମି ଧୀରେ ବୋଉର କାନେ କାନେ କହଲା, “ହଁ ବୋଉ, ଭାଇ ଯିବ ।”

 

ଟୁକୁନା ଦୁମ୍ କରି ମିମି ପିଠିରେ ଗୋଟିଏ ବିଧା ଧୋଇଦେଲା । ମମି ତୀବ୍ର ସ୍ଵରରେ କାନ୍ଦୁ କାନ୍ଦୁ କହଲା, “ହଁ, ଭାଇ ଯିବ ।”

 

ସୁଦାମବାବୁ ସବୁ ଶୁଣି ପାଖରେ ଛିଡ଼ା ହେଲେ । ଗୋଟିଏ ପରୀକ୍ଷା କରିବାକୁ ତାଙ୍କର ଅଦମ୍ୟ କୁତୁହଳ ଜାତହେଲା । ପିଲା ଦୁଇଟା ତ ବୋଉକୁ ବାଘ ନେଇଗଲା ବୋଲି କାନ୍ଦିଲୁ ଲହୁଲୁହାଣ ହେଲେ, ଆଚ୍ଛା, ମୋ ବେଳକୁ କ'ଣ କରୁଛନ୍ତି ଦେଖେ ।

 

ସେ ମିମି ଓ ଟୁକୁନାକୁ କତିକି ନେଇ କହିଲେ, “ଏଇ, ଜାଣିଚ ନା–ତୁମେ ଦୁହେଁ ଯଦି ଏମିତି ହବ, ତେବେ ମୁଁ ବାହାରି ଯାଉଛି, ମୋତେ ବାଘ ନଉ l...ଯିବି?”

 

ମିମି ଓ ଟୁକୁନା ନିରବ, ଦୃଷ୍ଟି ତାଙ୍କର ବୋଉଆଡ଼େ ।

 

“କଣ କହୁଚ ? ଯିବି ? ହେଇ ଗଲି, ଯିବି ?” ସୁଦାମବାବୁ ବ୍ୟାକୁଳ ଭାବରେ ପଚାରିବାକୁ ଲଗିଲେ । ପ୍ରୀତି ମୁରୁକି ମୁରୁକି ହସୁଥାଏ ।

 

“ଯିବି ?” ପୁଣି ସେହି କରୁଣ ପ୍ରଶ୍ନ ।

 

ମିମି ନିରବ ରହିଲା ।

 

ଟୁକୁନା ମୁଣ୍ଡ ଟୁଙ୍ଗାରି କହଲା, “ହଁ ।”

 

ଦୀର୍ଘ ନିଶ୍ଵାସ ପକାଇ ସୁଦାମବାବୁ କହିଲେ, ବାପମାନଙ୍କ ଜୀବନ ଭାରି କଷ୍ଟକର । ଦେହର ରକ୍ତ ପାଣି କରି ପିଲାଙ୍କୁ ପାଳିବେ, ବୁଢ଼ା ହେଲେ ଦୂର୍ ଦୂର୍ କରି ପିଲାଏ ଘଉଡ଼ାଇ ଦେବେ । ସବୁ ମାୟା, ସବୁ ମିଛ । ଆଖି ତାଙ୍କର ଛଳଛଳ ହୋଇଗଲା । ସେ ଉଠି ଯାଉଥିଲେ ।

 

ପ୍ରୀତି ତାଙ୍କ ଲୁଗା କାନି ଧରି ଅଟକାଇ କହିଲା, “ତୁମେ ପିଲାଙ୍କ କଥାରେ ଏମିତି ହଉଚ ନା ! ମାଇପଙ୍କ ଜୀବନ ଭଳି ଆଉ ହିଁନିମାନିଆ ଜୀବନ ଅଛି ? ତୁମେମାନେ ତ ସନ୍ନ୍ୟାସୀ । ଏ ସବୁ ପୂରୁଷର, ଅଥଚ କୌଣସିଥିରେ ପୁରୁଷର ଲୋଭ ନାହିଁ । ଆଉ ମାଇପି ? ଛି, ଘରର କେହି ନୁହେଁ ନା, ପିଢ଼ାରେ କୁଆ ବସାଇ ଦିଏନା, ଯେତେ ଛୋଟକଥା ଏ ମାଇପିଙ୍କର ।”

 

“ଛାଡ଼–ଛାଡ଼ ।”

 

ସୁଦାମବାବୁ ଉଠି ଚାଲିଗଲେ ପୁଣି ଦେଖିବାକୁ । ମନଟା ତାଙ୍କର ବେଦନାରେ ପରିପୂର୍ଣ୍ଣ । ସେ ଆକାଶକୁ ଚାହିଁ ବସି ରହିଲେ ।

 

ପ୍ରୀତି ନିଘୋଡ଼ ନିଦରେ ଶୋଇପଡିଲାଣି । ମିମି ଓ ଟୁକୁନା ଦୁଇପଟରୁ ଜାବୁଡ଼ି ଧରି ନିଦରେ ଶୋଇଛନ୍ତି । ମିମିର ପାତଳା ଓଠ ଦିଓଟି ମଝିରେ ମଝିରେ ଥରି ଉଠୁଚି । ଟୁକୁନାର ଓଠରେ ମଝିରେ ମଝିରେ ହସ ଖେଳିଯାଉଛି । ଚାରିଆଡ଼େ ପୁଣି ନିରବ ନିସ୍ତବଧ । ପଡ଼ିଶା ଘରର ପିଲାର ଦେହ ଭଲ ନାହିଁ, ତାର କାନ୍ଦଣା ଏ ପର୍ଯ୍ୟନ୍ତ ଥମି ନାହିଁ ।

 

ଢଂ… ଢଂ । ଜେଲଖାନାର ଘଣ୍ଟା ବାଜି ଉଠିଲା ।

 

ହଠାତ ଟୁକୁନା ଧଡ଼ପଡ଼ କରି ଉଠି ବସି ପାଟି କରି କହିଲା, “ ଦେ ଦେ ମୋ ବନ୍ଧୁକ ଦେ....”

 

ପ୍ରୀତି ମଧ୍ୟ ଧଡ଼ପଡ଼ କରି ପଚାରିଲା, “କିରେ ବନ୍ଧୁକ କଅଣ ହେବ ଏତେ ରାତିରେ ?”

 

“ବୋଉ, ବାଘ ମିମିକୁ ନବାକୁ ଆସିଚି, ମୁଁ ତାକୁ ମାରିବି,” କହି ଟୁକୁନା ତା ବନ୍ଧୁକ ଧରି ଦୌଡ଼ିଲା ଦାଣ୍ଡଆଡ଼େ ।

 

ପ୍ରୀତି ହସି ହସି ତାର ପଛରେ ଗୋଡ଼େଇ ତାକୁ ଧରି ଆଣି କହିଲା, “ଦେଖୁଚ ହୋ, ଦିନ ରାତି କଳିଗୋଳ ବାଦ ହିଂସା ଦୁହିଁଙ୍କ ଭିତରେ ! ସପନରେ ଦେଖି ବାଘ ମିମିକୁ ଧରିନେବାକୁ ଆସିବ ବୋଲି ଭାଇ ବାଘ ମାରିବାକୁ । ଦଉଡ଼ିଛନ୍ତି ।”

Image

 

ପେଡିଭରା ତମ୍ପ

ଶ୍ରୀ ଭୁବନେଶ୍ୱର ବେହେରା

 

ସୁସଜ୍ଜିତ କୋଠରି ଭିତରକୁ ସନ୍ତର୍ପିତ ପଦକ୍ଷେପରେ ପଶି ଆସୁ ଆସୁ ବିଚାରକମଣ୍ଡଳୀକୁ ଅଭିବାଦନ ଜଣାଇ ନୂତନ ପ୍ରାର୍ଥୀ କହଲା–“ଗୁଡ଼ ମଣିଙ୍ଗ୍ ସାର୍‍ସ ।”

 

ବ୍ୟକ୍ତିତ୍ଵ ନିରୀକ୍ଷା ବୋର୍ଡର ଚେୟାରମେନ୍ ଶ୍ରୀ ମେନନ୍ ମୁହଁରେ ହସ ଫୁଟାଇ ଉତ୍ତର ଦେଲେ -“ଗୁଡ଼ ମଣିଙ୍ଗ୍ 'ଆଉ ତାଙ୍କ ସାମନାରେ ଖାଲି ପଡ଼ିଥିବା ଚୌକ ଆଡ଼କୁ ହାତ ଦେଖାଇ କହିଲେ ଆସ ସେଇଠି ବସ ।

 

ଦେହକୁ ଅଣ୍ଟା ଉପରୁ ସାମାନ୍ୟ ଆଗକୁ ଝଙ୍କାଇ ଆଣି ପ୍ରାର୍ଥୀ ସମମ୍ଭ୍ରମେ କହଲା- ‘ଥେଙ୍କ୍ ୟୁ ସାର୍' ଏବଂ ଅତି ସନ୍ତର୍ପଣରେ ଚୌକିଟିରେ ବସିଗଲା । ଅର୍ଦ୍ଧମଣ୍ଡଲାକାରରେ ବସିଥିବା ବିଚାରକମଣ୍ଡଳୀଙ୍କ ଛଅଯୋଡ଼ା ଆଖି ତାକୁ ସତେ ଯେମିତି କୋରି ପକାଉଥିଲେ ।

 

ପ୍ରାର୍ଥୀର ଦରଖାସ୍ତ ଫର୍ମରେ ଆଖି ବୁଲାଉ ବୁଲାଉ ଚେୟାରମେନ୍ ସାଦର ସମ୍ଭାଷଣ କଲେ... ‘ତମର ନାମ ?” ପ୍ରାର୍ଥୀ ଉତ୍ତର ଦେଲଦେଲା । ‘ନାଗେନ୍ଦ୍ର ଶର୍ମା’ ।

 

: ଏନ୍. ଏ. ରୁ ‘ନ' ବି ତ ହୋଇ ପାରବ । ଟିପ୍ପଣୀଟି କାଟିଲେ ଚେୟାରମେନ୍ । ଆଉ ପ୍ରଶ୍ନକଲେ ନଗେନ୍ଦ୍ରର ଅର୍ଥ କ'ଣ କହିଲ ?'

 

: କିନ୍ତୁ ମୋ ନାଁ ନାଗେନ୍ଦ୍ର ସାର୍ ।

 

: ହଁ, ତମ ନାଁଆ ତ ନାଗେନ୍ଦ୍ର- ବେଶ ବଢ଼ିଆ ନାଁଆଟିଏ ବି, ଆଚ୍ଛା ନଗେନ୍ଦ୍ରର ଆକ୍ଷରିକ ଅର୍ଥ କ'ଣ ?

 

: ନାଗମାନଙ୍କର ଇନ୍ଦ୍ର ବା ରାଜା ।

 

: କିଏ ?

 

: ଅନନ୍ତ ବାସୁକୀ ।

 

: ବେଶ ଆଉ ନାଗେନ୍ଦ୍ର ? -ଜିଜ୍ଞାସା କଲେ ଚେୟାରମେନ୍ ।

 

: ଉଁ....ମୋ ନାଁ ନଗେନ୍ଦ୍ର ନୁହେଁ ସାର୍ । ନାଗେନ୍ଦ୍ର ।

 

: ହେଲେ ଯେ ନଗେନ୍ଦ୍ରର ଅର୍ଥ କ'ଣ ବୋଲି ଚେୟାରମେନ୍ ପଚାରୁଛନ୍ତି- ହିମାଳୟୋ ନାମ ନାଗାଧିରାଜଃ । ଶୁଣିଛ ? ଇଙ୍ଗିତ ଦେବାକୁ ଯାଇ ଚୌକିରୁ ଟିପ୍ପଣୀ କାଟିଲେ ପ୍ରଫେସର ସିଂହ । ପ୍ରାର୍ଥୀ କିନ୍ତୁ ତୁନି ହୋଇ ରହିଗଲା।

 

ଦରଖାସ୍ତ ଫର୍ମର ସାରାଂଶ ତଳେ ଆଖି ପକାଇ ଚେୟାରମେନ୍ ଗୁଣୁଗୁଣାଇଲେ । ‘ହବି–ଫଟୋଗ୍ରାଫି ।”

 

:ଓ ଫଟୋଗ୍ରାଫି । ଖୁବ୍ ଭଲ ।’ ମୁଣ୍ଡଟେକି ପଚାରିଲେ କି କ୍ୟାମେରା ବ୍ୟବହାର କର ?” ପ୍ରାର୍ଥୀ ଉତ୍ତର ଦେଲା-“ମୋର କୌଣସି କ୍ୟାମେରା ନାହିଁ ସାର୍ ?'

 

: ତେବେ ହବ ଫଟୋଗ୍ରାଫି ବୋଲି ଦେଇଛି ।

 

: ଆମ କଲେଜର ଫଟୋଗ୍ରାଫିକ୍ କ୍ଲବରେ ମୁଁ ଜଣେ ମେମ୍ବର ଥିଲି ସାର୍ ।

 

: ଆଚ୍ଛା ସେ କ୍ଲବରେ କି କି କ୍ୟାମେରା ଥିଲା ?

 

ଏଥର ଛେପ ଢୋକିଲା ଶର୍ମା । କିଛିକ୍ଷଣ ପରେ କହଲା, ‘ଆଇସୋ- ଆଇସୋଲି ।

 

: ଆଉ ।

 

ଶର୍ମା ନିରୁତ୍ତର ହୋଇଯାଇଥିବା ଦେଖି ଚେୟାରମେନ୍ ପୁଣି ପଚାରିଲେ–“ଆଇସୋଲି କ’ଣ ଭାରତରେ ତିଆରି ?”

 

: ନାଇଁ ସାର୍ ଜର୍ମାନ୍ ।

 

: କେଉଁ ଫିଲ୍ମ ବ୍ୟବହାର କରୁଥିଲ ? -ଏଥର ପଚାରିଲେ ଚେୟାର ମେନ୍ ।

 

‘ଜର୍ମାନ’ -ପୁଣି ଉତ୍ତର ଦେଲା ଶର୍ମା ।

 

ଫଟୋଗ୍ରାଫିକ୍ ଫିଲ୍ମ ଭାରତରେ ତଆରି ହୁଏ ନା ନାହିଁ ? ଆଉ ଯଦି ହୁଏ କେଉଁଠି ହୁଏ କହି ପାରିବ ? ଶର୍ମାର ମୁହଁ ଶେତା ପଡ଼ି ଯାଇଥିଲା । ତାକୁ ଉତ୍ସାହ ଦେବାକୁ ଯାଇ ଚେୟାରମେନ କହିଲେ-ଜାଣିନ ଯଦି କିଛି ଚିନ୍ତା କରନି । ତା'ପରେ ତାଙ୍କ ବାଁ ପାଖରେ ବସିଥିବା ପ୍ରଫେସର ସିଂହଙ୍କୁ ପ୍ରଶ୍ନ ପଚାରିବାକୁ ଇଙ୍ଗିତ ଦେଲେ । ପ୍ରଫେସର ସିଂହ ଆରମ୍ଭ କଲେ- “ଆଚ୍ଛା ମିଷ୍ଟର୍ ଶର୍ମା...ତମ ଘର ଉତ୍ତରପ୍ରଦେଶରେ ନା ? ମୋରାଦବାଦ । ଦିଲ୍ଲୀରୁ ମୋରାଦବାଦ କେତେ ଦୂର ?

 

: ୧୨୦ ମାଇଲ୍ ।

 

: ବାଟରେ ତ କେତେଗୁଡ଼ିଏ ସହର ପଡ଼େ । ଗୋଟିଏ ବଡ଼ ତୀର୍ଥ ସ୍ଥାନ ମଧ୍ୟ ପଡ଼େ । କେଉଁ କେଉଁ ନଦୀ ପଡ଼େ କହିଲ ?

 

: ଯମୁନା ।

 

: ଆଉ ?

 

: ଛୋଟ ଛୋଟ ନାଳ ସବୁ ମୁଁ ସେ ସବୁ ନାଁ ଜାଣିନି ।

 

: ଗୋଟିଏ ଖୁବ୍ ବଡ଼ ନଦୀ ପଡ଼େ ।

 

ଶର୍ମା ଚୁପ୍ ହୋଇଯାଇଥିବା ଦେଖି ଡଃ ଚୌଧୁରୀ ଚେତାଇ ଦେବାକୁ ଚେଷ୍ଟା କରି କହିଲେ- ବଡ଼ ପବିତ୍ର ନଦୀ ।”

 

ଶର୍ମା କହିଲା–“ରାମ ଗଙ୍ଗା ।”

 

: ରାମ ଗଙ୍ଗା ତ ଉପରକୁ ରହିଗଲା । ଫରିଦାବାଦ ପାଖରେ କେଉଁ ନଦୀ ଅଛି ତୁନି ହୋଇ ରହଗଲା ଶର୍ମା ।

 

ଗଙ୍ଗାନଦୀ ନ ଡେଇଁ ତୁମେ ମୋରାଦାବାଦ ଯାଇ ପାରିବ ? ଗଙ୍ଗା କୂଳରେ ହପୁର–ଗଡ଼ମୁକ୍ତେଶ୍ଵର- ରାମନବମୀବେଳେ ସେଠାରେ ଖୁବ୍ ବଡ଼ ଯାତ୍ରା ହୁଏ । ଜାଣିନ ?- ଅସହିଷ୍ଣୁ ହୋଇ କହିଗଲେ ଡଃ ଚୌଧୁରି ।

 

ଶର୍ମା କହିଲା….ମୁଁ ବଡ଼ ଦୁଃଖିତ ସାର୍ ।

 

ଏଥର ଡକ୍ଟର ଚୌଧୁରୀ ।

 

ସେ ପଚାରିଲେ–“ଶର୍ମା ଶବ୍ଦାର ପଟେଲେଙ୍କ ନାମ ଶୁଣିଛ ?”

 

ଶର୍ମା କହିଲା–“ହଁ !”

 

: ସେ କିଏ ?

 

ରାଜାମାନଙ୍କୁ ବୁଝାଇ ସୁଝାଇ ସେ ଭାରତରେ ଦେଶୀୟ ରାଜ୍ୟମାନଙ୍କୁ ମିଶାଇଥିଲେ-'ଉତ୍ତର ଦେଲା ଶର୍ମା ।

 

: ଆଚ୍ଛା-ପୋଲିସ୍ ଏକଶନ୍ କେଉଁଠି ହୋଇଥିଲା ?

 

: ପୋଲିସ୍ ଏକଶନ୍ ? ମୁଁ ଜାଣିନି ।

 

: ନିଜାମଙ୍କ ହାଇଦ୍ରାବାଦ ଭାରତରେ ମିଶିଲା କେମିତି ? ଶର୍ମା ନିରୁତ୍ତର ।

 

: ଆଚ୍ଛା ଜାମ୍ମୁ-କାଶ୍ମୀର ଭାରତରେ କେମିତି ମିଶିଲା କହିଲ ?

 

: ଶେଖ ଅବ୍ଦୁଲ୍ଲା ମିଶାଇ ଦେଲେ ।

 

: କାଶ୍ମୀରିକୁ ଭାରତରେ ମିଶାଇ ଦେବା ପାଇଁ ଶେଖ୍ ଅବଦୁଲ୍ଲାଙ୍କ କି କ୍ଷମତା ଥିଲା ଯେ ସେ ମିଶାଇ ଦେଲେ ?

 

: ପାକସ୍ଥାନୀମାନେ ଅନୁପ୍ରବେଶ କଲାରୁ ।

 

: ହେଲା- ସେମାନେ ଅନୁପ୍ରବେଶ କଲେ । ତେବେ ଶେଖ୍ ଅବଦୁଲ୍ଲା କାହିଁକ ମିଶାଇ ଦେବେ ?

 

ଶର୍ମା ପୁଣି ଚୁପ୍ ହୋଇଗଲା । ତା'ପରେ ପୁଣି କେତେ ପ୍ରଶ୍ନ–ମୌଲାନା ଆଜାଦ କିଏ ? ପଣ୍ଡିତ ମାଲବ୍ୟ ? ଭଗତ ସିଂ...

 

ଏଥର କୃଷ୍ଣମୁର୍ତ୍ତିଙ୍କ ପାଳି । ସେ ପଚାରିଲେ:- “ମିଷ୍ଟର ଶର୍ମା- କେମେରାର ଲେନସ ୨.୮ କହିଲେ କଣ ବୁଝାଏ କହିଲ ?'

 

: କାଚର ଗୋଲେଇ ।

 

: ତେବେ ୪.୬ ? ୪.୬ କଣ ୨.୮ରୁ ବେଶି ଶକ୍ତଶାଳୀ ?

 

କ୍ୟାମେରା ସମ୍ବନ୍ଧରେ ଆଉ କେତେ ପ୍ରଶ୍ନର ସଠିକ ଜବାବ ନ ଦେଇ ସେ ଅଧୈର୍ଯ୍ୟ ହୋଇ ଟିପ୍ପଣୀ ଦେଲେ । ଜାଣିନ ଯଦି ହବି ଫଟୋଗ୍ରାଫି ବୋଲି କାହିଁକି ଲେଖୁଥିଲ ?

 

ଶର୍ମା କହିଲା–‘ଆଇ ଏମ୍ ସରି ସାର୍ ।’

 

: ହେଉ- ଆଉ ଗୋଟିଏ କହିଲ ? ‘ପବନରେ କଣ ସବୁ ଅଛି ?’

 

: ନାଇଟ୍ରୋଜେନ୍, ଅକ୍ସିଜେନ୍ ।

 

: ଆଉ ?

 

: କାର୍ବୋନ୍ ଡାଇଓକ୍ସାଇଡ଼୍ ।

 

: ସେଇଟା ପରା ମଣିଷ ପାଇଁ ବିଷ ? କାହା ପାଇଁ ସେଇଟା ଭଲ ?

 

ଏମିତି ଏମିତି ଆହୁରି କେତେ ।

 

ତା'ପରେ ପ୍ରଫେସର ସେନ୍ ।

 

ସେନ୍ କହିଲେ-“ଆଚ୍ଛା ଶର୍ମା–ତମେ କଣ ଆମ ସମାଜର କିଛି ଗୋଳମାଳ ଦେଖିପାରୁଛ ? ମାନେ ବିଶୃଙ୍ଖଳା ଏଇ ଠକାମି, ଭଣ୍ଡାମି । ବୁଝିପାରୁଛ ନା ମୁଁ କଣ କହୁଛି ? ଉଛୃଙ୍ଖଳତା । ତମେ ହେଲା ଜଣେ ବୈଞାନିକ । ବୈଜ୍ଞାନିକମାନେ ସବୁ କଥା ତନଖି ଦେଖନ୍ତି । ତମେ କଣ ଭାବୁଛ ?

 

ଶର୍ମା କହଲା–'ସାର୍-ମୁଁ.....ଆଉ ଥରେ କୁହନ୍ତୁ ।

 

: ଏଇ ଗରିବୀ–ଧନୀ ଆହୁରି ବେଶି ଧନୀ ହେଉଛି- ଗରିବୀ ଆହୁରି ଗରିବ । କ୍ଷମତା ଲିପ୍‌ସା-ବୁଝୁଛ ତ ମୁଁ କଣ କହୁଛି ? ତମେ କଣ ଭାବୁଛ ?

 

: ସାର୍, ମୁଁ...

 

ପ୍ରଫେସର ସେନ୍ ମୁହଁରୁ କଥାଟିକୁ ଛିଣ୍ଡାଇ ଆଣି କହିଲେ- ‘ତମେ ହେଲ ଜଣେ ଯୁବକ । ଆମେ ହେଲା ସବୁ ବୁଢ଼ା । ତମମାନଙ୍କ ହାତରେ ଭାରତର ଭବିଷ୍ୟତ-ଏ ପୃଥିବୀର ଭବିଷ୍ୟତ । ବୁଝଛ ତ ମୁଁ କଣ କହୁଛି ? ତମେ ଜଣେ ବୈଜ୍ଞାନିକ–ମୁଁ ସେଥିପାଇଁ କହୁଛି । ତମେ କଣ କହୁଛ ?

 

ଦୁଇ ହାତର ପାପୁଲିକୁ ଶୂନ୍ୟରେ ବୃତ୍ତାକାରରେ ବୁଲାଇ ଆଣି ପୁଣି କହିଲେ-ତୁମେ କଣ ଭାବୁଛ ?

 

: ସାରୁ, ମୁଁ....

 

ଶର୍ମା ‘ମୁଁ’ କହିଲାବେଳକୁ ପ୍ରଫେସର ସେନ୍ ପୁଣି ଥରେ କହି ଉଠିଲେ–‘ହେଉ ହେଲା ଯୁବକ ବନ୍ଧୁ- ଏବେ କିଛି କହିବା ଦରକାର ନାହଁ । ତମେ ଏକଥା ଟିକିଏ ଭାବ । ସବୁ ଛାରଖାର ହୋଇଗଲାଣି । ସେ ସମାଜ ନାହିଁ । ଗାନ୍ଧୀ ଟେଗୋର ? ତମେ କଣ ଭାବୁଛ ? ତମ ସାଙ୍ଗରେ ଚିହ୍ନା ପରିଚୟ ହେବାରୁ ମୁଁ ଅତ୍ୟନ୍ତ ଖୁସି, ତା’ପରେ ସେ ହାତ ବଢ଼ାଇଦେଲେ ଡକ୍ଟର ସିରାଜଦ୍ଦିନଙ୍କ ଆଡ଼କୁ ।

 

ଏଥର ପଚରା ଗଲା-ସବୁଜ ବିପ୍ଲବ କଣ ?' ‘ଶ୍ଵେତ ବିପ୍ଳବ ?' ଚେୟାରମ୍ୟାନ ହସି ହସି ଯୋଡ଼ିଥିଲେ-“ନୀଳ ବିପ୍ଳବ ?”

 

ଶର୍ମା ତୁନି ହୋଇ ଯାଇଥିବା ଦେଖି କହିଲେ–“ସମୁଦ୍ରର ରଙ୍ଗ ? ସମୁଦ୍ରରେ କଣ ଥାଏ ? ମାଛ- ନା ? ନୀଳ ବିପ୍ଳବ ହେଉଛି ବେଶି ମାଛ ଉତ୍ପାଦନ । ଆଉ ଶ୍ଵେତ ବିପ୍ଳବ–ବେଶି ଦୁଧ ।

 

ଶର୍ମା କହିଲାପ- ଥ୍ୟାଙ୍କ୍ ୟୁ ସାର୍ ।

 

ଚେଆରମେନ୍ ଶେଷ ପ୍ରଶ୍ନ କଲେ- ‘କୁତବ୍ ମିନାର ବେଶି ଉଚ୍ଚ ନା ଇଣ୍ଡଆ ଗେଟ୍ ?'

 

ଶର୍ମା ଉତ୍ତର ଦେଲ- ‘କୁତବ୍ ମିନାର ।”

 

ଚେଆରମେନ୍ କହିଲେ- “ସାବସ୍–ଧନ୍ୟବାଦ ।’

 

ଥ୍ୟାଙ୍କୟୁ ସାର ।

 

ଶର୍ମା ଫେରି ଯାଉଥିଲା ! ସେହି ଛ’ ଯୋଡ଼ା ଆଖି ତା ସୁନ୍ଦର ସୁଟ୍‍ଟିକୁ ଚାଲି ଏବଂ କବାଟ ଖୋଲା ଢଙ୍ଗ ଟିକୁ ଅନାଇଥିଲେ । କବାଟ ବନ୍ଦ ହେବା ପରେ ଚେୟାରମେନ୍ କହିଲେ- “ଦେଖିଲେ ସୁଟ୍‍ଟିକୁ ? କେଉଁ କୋଚିଂ କ୍ଲାସବାଲା ବୋଧହୁଏ ସଜେଇଛି । ଗରମ ଦିନରେ ଏମିତ ସୁଟ୍ । ସୁଟ୍ ର କାଟଛାଟ ଦେଖିଲେ ନା ? ଆଉ ସରକାର ସାରଭିସ୍ କମିଶନଙ୍କୁ ଦୋଷ ଦେବେ ଯେ ସେ ଆମେ ଏ ବେଶ- ଭୂଷାକୁ ପ୍ରୋତ୍ସାହନ ଦେଉଛୁ । ଆଚ୍ଛା- କେତେ ମାର୍କ, ପ୍ରଫେସର ସିଂହ, ଡଃ ଚୌଧୁରି... ନିହାତି ଫମ୍ପା, ଗଭିରତା ଆଦୌ ନାହିଁ, କହିଲେ ଚଳେ ।

 

“ଚଟପଟ ନୁହେଁ- କଥାଟିକୁ ସହଜରେ ଧରି ପାରୁନି । ପତିକ୍ରିୟା ଅତି ମନ୍ଥର । ନ ଜାଣିଲା କଥାକୁ ସିଧା ସଳଖ “ମୁଁ ଜାଣିନ ବୋଲି କହୁନି”–ମନ୍ତବ୍ୟ ଦେଲେ ଆଉ ଜଣେ ।

 

ତନଖି ଦେଖିବା ଶକ୍ତିର ଅଭାବ । କୌଣସି କାମରେ ନେତୃତ୍ଵ ଦେଲା ଭଳି ଆଦୌ ନୁହେଁ .....

 

ତେବେ ଚେହେରା ଚାଲିଚଲଣି ବେଶ୍ ଭଲ । କହବା ଢଙ୍ଗ ମଧ୍ୟ ମନ୍ଦ ନୁହେଁ-ସାଧାରଣ ? ସାଧାରଣ.....

 

ଡାକରା ଘଣ୍ଟି ବାଜିବାର କିଛିକ୍ଷଣ ପରେ କବାଟ ପୁଣି ଖୋଲିଲା । ଏଥର, ପ୍ରବେଶ କଲା ଜଣେ ଝିଅ । ଗୋରା ପତଳା–ସବୁଜ ରଙ୍ଗର ଟେରିନ୍ ଶାଢ଼ୀ.... ମେଚିଂ ହାତ କଟା ବ୍ଲାଉସ୍–ବବ୍ ହେୟାର ଇଷତ ହଳଦିଆ ହେଣ୍ଡ ବେଗ୍... 'ଗୁଡ୍‌ ମଣିଙ୍ଗ୍ ସାର୍ ।”

 

“ଗୁଡ଼ ମଣିଙ୍ଗ୍ .....କମ୍ ଇନ୍ ....ଟେକ୍ ୟୋର ସିଟ୍, କୈାଣସି ଲେଡ଼ି ମେମ୍ବର ନାହାନ୍ତି ବୋଲି ତମେ କ’ଣ ଦୁଃଖିତ ? ହସି ହସି ପଚାରିଲେ ଚେୟାରମେନ୍ । ସାମାନ୍ୟ ହସି ଶାଢ଼ୀ ସଜାଡି, ସଜାଡ଼ି ସଜାଡି ଝିଅଟି ଜବାବ୍ ଦେଲା ‘ନୋ ସାର୍ ।’

 

ତମ ନା ?

 

କୁମାରୀ ସୁଦ୍ l

 

ବେଶ୍ - କେଉଁ ଚାକିରୀ ପସନ୍ଦ କରୁଛ ? ଓଃ ପୋଲିସ୍ ସର୍ଭିସ୍ । ଆଛା..... ହବି- ଗୀତ ନାଚ । ନାଚ ! ଆଛା !! ଆମ ଦେଶରେ କ'ଣ ସବୁ ଶସ୍ତ୍ରୀୟ ନୃତ୍ୟ ଅଛି କହିଲ ?

 

କେରଳର କଥାକଲି, ତାମିଲନାଡୁ ଏବଂ କର୍ ନାଟକ ର ଭାରତନାଟ୍ୟମ, ଆନ୍ଧ୍ରର କୁଚିପୁଡି, ଓଡ଼ିଶାର ଓଡିଶୀ, ଆସାମର ମଣିପୁରୀ, ଉତ୍ତରର କଥକ । ମୋତେ କଥକ ଖୁବ୍ ଭଲ ଲଗେ ଆଉ ମୁଁ କଥକ ହିଁ ନାଚେ- ବେଶ୍ ସହଜ ସରଳଭାବେ କହିଗଲା କୁମାରୀ ସୁଦ୍ ।

 

ତମେ ତ ଏବେ କଲେଜରେ ଲେକଚରର୍ ଅଛ- ପୋଲିସ୍ କୁ ଯିବାକୁ କାହିଁକି ଚାହୁଁଛ ?

 

ମୁଁ କେଉଁ କାନ୍ଥ ଘେରା ଘେରି ଭିତରେ ବାନ୍ଧି ହୋଇ ରହିବାକୁ ଚାହେଁନି ? ମୁଁ ଜଣେ କାମକରା ଝିଅ–ମୁଁ ଚାହେଁ ଗତି - ମୁକ୍ତ ଆକାଶ ତଳେ ଶୃଙ୍ଖଳିତ ଗତି । ବାହାରେ ପୁଅମାନେ ଯେଉଁ କାମ ସବୁ କରୁଛନ୍ତି ମୁଁ ବି ସେ ସବୁ କାମ କରିବାକୁ ଚାହେଁ ।

 

ଆଚ୍ଛା । ତମେ ତେବେ କଣ ଭାବୁଛ ସେ ପୁଅମାନେ ବି ରନ୍ଧାବଢ଼ା ଶିଖିବେ, ପୁଅ ଝିଅ ସମ୍ଭାଳିବେ - ଘର କରଣା....

 

ଚେୟାରମେନ୍ ଙ୍କ ମୁହଁରୁ କଥା ଛିଣ୍ଡାଇ ନେଲା କୁମାରୀ ସୁଦ୍ । କହଲା–ନିଶ୍ଚୟ- ପୁଅମାନଙ୍କୁ ରନ୍ଧା ବଢ଼ା ଶିଖିବାକୁ ହେବ । ମୁଁ ବି ଦିନେ ବାହା ହେବି- ମୁଁ ଚାହେଁ ନା ଯେ ପୋଲିସ୍ କାମରୁ ମୁଁ ଯେତେବେଲେ ଘରକୁ ଫେରିବି ମୋ ସ୍ୱାମି ଚୌକିରେ ବସି ରହି ତା’ ଗୋଡ଼ ଲମ୍ବାଇ ଦେଇ ଆଉ ମୁଁ ତା ଯୋତାରୁ ଫିତା ଖୋଲିଦେଇ ଯୋତା କାଢ଼ି ଦେବି, ମୋଜା କାଢ଼ି ଦେବି, ବାବୁ ଟାଏ ଗଣ୍ଠି ଖୋଲି ପାରବେନି ଯେ ଟାଏ ହୁଗୁଳା କରିଦେବି ଆଉ ରନ୍ଧାଘରକୁ ଦଉଡ଼ିବି ସ୍ଵାମୀ ସେବା କରିବା ପାଇଁl–ନୋ ନେ’ଭର୍ ।”

 

କ୍ଷଣିକ ପାଇଁ ମନେ ହେଲା ଚେୟାରମେନଙ୍କ ଆଖି ତେଜି ଉଠିଲା । ସେ କିନ୍ତୁ ଆଉ କିଛି ନ ପଚାରି ପ୍ରଫେସର ସିରାଜଉଦ୍ଦିନଙ୍କ ଆଡ଼କୁ ହାତ ବଢ଼ାଇ ଦେଲେ । ପ୍ରଫେସର ସିରାଜଉଦ୍ଦିନ ରାଜନୀତି ବିଜ୍ଞାନ ସମ୍ବନ୍ଧରେ କେତେ ପ୍ରଶ୍ନ କଲେ- ନାମିବିୟାରେ କଣ ସବୁ ଚାଲିଛି- ରୋଡେସିଆ ସଙ୍ଗର ସଂଘର୍ଷର କାରଣ- ସୋମାଲିଆ ସୋଭିଏତ, ରୁଷର ମିଳଟାରୀ ଘାଟିଥିଲା ଏବେ କାହଁକି ? ସୋମାଲିଆ ହାବାନିଠାରେ ନିରପେକ୍ଷ ଦେଶମାନଙ୍କ ସମ୍ମେଳନ ନ ବସି ଅନ୍ୟ କେଉଁଠିକି ଘୁଞ୍ଚାଇ ନେବା ପାଇଁ ଅନୁରୋଧ କରୁଛି- ମିଶର କାହିକିଁ, ଆରବ ଲିଗ୍‍ରୁ ଅଲଗା ହୋଇଗଲା- ସେଣ୍ଟୋ ଇସ୍ଲାମିକ ଅର୍ଦ୍ଧଚନ୍ଦ୍ର କଣ- ଭୁଟ୍ଟୋଙ୍କ ମୃତ୍ୟୁ ପରେ ଭାରତ ଉପରେ ପୁଣି କୌଣସି ବିପଦ ଦେଖା ଦେବାର ସମ୍ଭାବନା ଅଛି କି ଆଉ କେତେ ।

 

ବେଶ ଉତ୍ତର ଦେଇଗଲା କୁମାରି ସୁଦ୍ ।

 

ତା'ପରେ ଡକ୍ଟର ଚୌଧୁରୀ । ସେ ପଚାରିଲେ ସୁଷମ ଖାଦ୍ୟ କଥା ଆଉ କେଉଁ ଖାଦ୍ୟମାନଙ୍କରେ ଏ-ବି-ସି ଇତ୍ୟାଦି ଖାଦ୍ୟ ପ୍ରାଣ ସବୁ ରହିଛି- ଶାଗରେ କ’ଣ ଅଛି- ଭାରତରେ ତ ଅନେକ ମାଛ ମାଂସ ଖାଆନ୍ତି ନି, ସେମାନେ ପ୍ରୋଟିନ କେଉଁଠୁ ପାଆନ୍ତି ଇତ୍ୟାଦି ।

 

ଏଥର ପଡ଼ିଲା ପ୍ରଫେସର ସେନଙ୍କ୍ ପାଲି । ସେ କହିଲେ- 'ମିସ ସୁଦ୍, ତମେ ତ ଆମ ସମାଜର ଅବସ୍ଥା ଦେଖୁଛ । ବିଶୃଙ୍ଖଳା ,ଚୋରି, ଡକାୟତ,ମିଛ–ମିରଟ ବିଶ୍ଵ ବିଦ୍ୟାଳୟ କଥା- ତମେ କ'ଣ ଭାବୁଛ ?

 

ମିସ୍ ସୁଦ୍ : ଆପଣ କ’ଣ ପଚାରୁଛନ୍ତି ମୁଁ କିଛି ବୁଝିପାରୁନି ।

 

ପ୍ରଫେସର ସେନ୍ : ମୁଁ ପଚାରୁଛି ତୁମେ ଏ ସମାଜର ଅବସ୍ଥା ଦେଖି କ'ଣ ଭାବୁଛ ? ଏଇ ଦେଖ ଶିଖ୍‍ମାନଙ୍କ ଭିତରେ ଅକାଳି-ନିରଙ୍କରି ମୁସଲମାନଙ୍କ ଭିତରେ ସିନା- ସୁନି, କମ୍ୟୁନିଷ୍ଟମାନଙ୍କ ଭିତରେ ସି.ପି.ଆଇ, ସି.ପି.ଆଇ .(ଏମ୍. ଏଲ), କଂଗ୍ରେସ୍ ଭିତରେ- “ତମେ କ’ଣ ଭାବୁଛି ?

 

ସାର୍, ମୁଁ ......

 

ତରବର ହୁଅନି । ଭାବ । ତମେ ହେଲ ଭରତର ଭବିଷ୍ୟତ । ଭାରତ କ’ଣ ଥିଲା- ଟେଗୋର, ଗାନ୍ଧୀ:, ଜବାହରଲାଲ. .....ତମେ କ’ଣ ଭାବୁଛ ? ସାର୍ ଆପଣ କ'ଣ ଜାଣିବାକୁ ଚାହୁଁଛନ୍ତି ? କଅଣ କହିବାକୁ ଚାହୁଁଛନ୍ତି ଯେ ଆମେ ଆଗେ ଖୁବ ଭଲ ଥିଲୁ ଆଉ ଏବେ ଧ୍ଵଂସମୁଖକୁ ଚାଲିଛୁ ?

 

ପ୍ରଫେସର ସେନ ପୁଣି କ'ଣ କହୁଥିଲେ କିନ୍ତୁ ମିସ ସୂଦ୍ ବିଚାରକ- ମଣ୍ଡଳୀର ପ୍ରତ୍ୟେକ ସଭ୍ୟଙ୍କୁ ଗୋଟାକ ପରେ ଗୋଟାଏ ଅନାଇ ମୁହଁରେ ତାତ୍ସଲ୍ୟ- ଭରା ହସ ଖେଳାଇ ଆରମ୍ଭ କରି ଦେଇଥିଲା-'ଆମେ କେବେ ବଡ଼ ନ ଥିଲୁ–କେବେ ଭଲ ନ ଥିଲୁ । ସବୁ ଗୋଟାଏ ବିରାଟ ଧୋକାବାଜି । ଆମର ଜାତୀୟ ଚରିତ୍ର ସବୁଦିନ ଦୋମୁହାଁ । ଆମେ ଗୋଟିଏ କଥା କହୁ, ଆଉ ଗୋଟିଏ କଥା କରୁ । ଆମେ କାହାକୁ ଶୁଣିବାକୁ ଚାହୁଁନା–ଆମେ ସତ୍ୟର ସନ୍ଧାନ ନେବାକୁ ଚାହୁଁନା । ଆମେ ନିଜେ ଯାହା ସତ୍ ବୋଲି ଭାବୁ ଅଥବା ଧରି ନେଉ ତାକୁ ଅନ୍ୟ ଉପରେ ଲଦି ଦେଉ-କେବଳ ଜୋର ଜବରଦସ୍ତି । ଆମେ ଯାହା ଦେଖିବାକୁ ଚାହୁଁ କେବଳ ସେତିକି ଦେଖୁଁ–ଯାହା ଦେଖିବାକୁ ଚାହୁଁ ନା ସେ ଆଡ଼ିକି ଆଖି ବୁଝିଦେଉ । ଆମେ......

 

ପ୍ରଫେସର ସେନ୍ ଚୌକିର ହାତରେ କହୁଣି ଲଦି ଦେଇ ହାତ ପାପୁଲିରେ ମୁହଁ ଥାପି ଆଖି ବୁଝି ଚୁପ୍ ଚୁପ୍ ଶୁଣି ଯାଉଥିଲେ । ଧିର ସ୍ଵରରେ କହିଲେ, ଏଇ ନିଅ ରାମରାଜ୍ୟ ..”

 

ଝାମ୍ପି ପଡିଲା କୁମାରୀ ସୁଦ୍ । କହିଲା ‘ରାମରାଜ୍ୟ ସାର୍ ? ଆପଣ ସେଇଟାକୁ ଆଦର୍ଶ ବୋଲି ଗ୍ରହଣ କରୁଛନ୍ତି ? ରାମାୟଣ ବି ଆମର ଜାତୀୟ ଚରିତ୍ର ଚିନ୍ତାଇ ଦିଏ । ଶ୍ରୀରାମ ଓ ଭରତଙ୍କ ଭାତୃ ସ୍ନେହ ଆଦର୍ଶ ବୋଲି କହୁଁ କିନ୍ତୁ ସୂଗ୍ରୀବକୁ ବାଳୀ ବିରୁଦ୍ଧରେ, ବିଭୀଷଣକୁ ରାବଣ ବିରୁଦ୍ଧରେ - ଭାଇକୁ ଭାଇର ବିରୁଦ୍ଧରେ ଲଢ଼ାଇ ଦେବାକୁ ଭଲ ପାଉଁ, ସୂର୍ପଣଖାର ନାକ କାନ କାଟିବା କ’ଣ ଉଚିତ୍ ହେଲା ସାର୍ ? ରାମ ଯଦି ସତରେ ଜାଣିଥିଲେ ଯେ ସୀତା ପବିତ୍ର–ଲୋକେ କ’ଣ କହୁଛନ୍ତି ବୋଲି ତାଙ୍କୁ ବଣରେ ଛାଡ଼ି ଦେଇ ଆସିବା କ’ଣ ଉଚିତ ହେଲା ? ଏଇଟା କ’ଣ ସତ୍ୟର ଅନୁସନ୍ଧାନ ସାର୍ ? ମହାଭାରତରେ ବି କର୍ଣ୍ଣଙ୍କୁ କୁନ୍ତୀ...

 

ଉପନିଷଦ–ବେଦାନ୍ତ- ବୁଦ୍ଧ, ଅଶୋକ ଗୁଣ ଗୁଣୋଉ ଥିଲେ ପ୍ରଫେସର ସେନ୍ ।

ପାଣି ସୁଅକୁ ନୂଆ ବାଟ ଦେଖାଇ ଦେଲେ ସେ ଯେମିତି ସେ ଆଡ଼ିକି ମାଡ଼ି ଚାଲେ–ଗଛ ପତ୍ର ଲଟା ବଟା ଭସାଇ ନିଏ ମିସ୍ ସୁଦ୍ ଏଥର ଆକ୍ରମଣ କଲା ଜାତିଭେଦ ପ୍ରଥାକୁ, ଅସ୍ପୃଶ୍ୟତାକୁ, କଳିଙ୍ଗ ଯୁଦ୍ଧର ନୃଶଂସତାକୁ ଏବଂ ବିଭୀଷିକାକୁ..... କହିଲା- ‘କିଏ ଆଜି ନିଶ୍ଚିତ ଭାବେ କହିବ ଯେ ଯୁଦ୍ଧ ପରେ ଅଶୋକଙ୍କ ମନରେ ପ୍ରକୃତରେ ଜ୍ଞାନର ଉଦୟ ହୋଇଥିଲା ? ହୁଏ ତ ସେ ଯୁଧ୍ୟରେ ଭୟାବହତା ଦେଖି ସେ ନିଜ ଶକ୍ତି ଉପରେ, ଯୁଦ୍ଧ ଉପରେ ଆସ୍ଥା ହରାଇଥିଲେ- ଭାବି ପରାଜୟର ଭୟରେ ଏବଂ ଗୋଟିଏ ନୂଆନୀତି ନୂତନ ପନ୍ଥା ଗ୍ରହଣ କଲେ- ରୁଷ ଆମେରିକାର ନିରସ୍ତ୍ରୀକରଣ ଆଲୋଚନା ପରି । ନ ହେଲେ ବୁଦ୍ଧଙ୍କ ପରି ରାଜ୍ୟ ଭାର ଛାଡ଼ି ଦେଇ ସେ ଭିକ୍ଷୁ ହେଲେ ନାହିଁ କାହିଁକି ? ଯୁଧ୍ୟ ଭୁଇଁରେ ତାଙ୍କ ମନର ପରିବର୍ତ୍ତନ ହେଲା ବୋଲି କେମିତି କହିବା ସାର୍ ? ଅବଶ୍ୟ ବୁଦ୍ଧ ଥିଲେ ମହାନ୍–କିନ୍ତୁ ତାଙ୍କୁ ତ ଆମ ସମାଜ ଗୋଟା ପଣେ ହିମାଳୟର ସେ ପଟକୁ ଫିଙ୍ଗି ଦେଲା- ସମୁଦ୍ରରେ ଭସାଇ....

 

 

ସ୍ଵର୍ଣ୍ଣଯୁଗ- କାଳିଦାସ, ଭବଭୁତି- ଶଙ୍କର- ବିବେକାନନ୍ଦ ଚେତାଉଥିଲେ ପ୍ରଫେସର ସେନ୍ ।

 

‘ଜୟଚନ୍ଦ୍ର–ମହମ୍ମଦ ଘୋରୀ, ବାବର-ମୀର୍‍କାଶିମ୍’ ଜବାବ ଦେଲ ମିସ୍ ସୁଦ୍ ।

 

ଗାନ୍ଧୀ- ଜବହାର- ବିନୋବା- ଜେ. ପି.......

 

ନିଆଁରେ ସତେ ଯେମିତି କେହି ଘିଅ ଢାଳି ଦେଲା । ଢେଜି ଉଠିଲା କୁମାରୀ ସୁଦ୍ । କହିଲା ଏଇତ ଆମ ତଥାକଥିତ ସହାବସ୍ଥାନ ସାର୍ । ଗାନ୍ଧୀ ବିଶ୍ଵାସ କରୁଥିଲେ କୁଟୀରଶିଳ୍ପରେ, ଆଉ ଜବାହର ବିଶ୍ୱାସ କରୁଥିଲେ ଗୁରୁଶିଳ୍ପରେ । ଗାନ୍ଧୀ ବିଶ୍ୱାସ କରୁଥିଲେ ଆଶ୍ରମ ଶିକ୍ଷାରେ, ମୌଳିକ ଶିକ୍ଷାରେ–ଜବାହର ବିଶ୍ୱାସ କରୁଥିଲେ ଆଧୁନିକତାରେ, ବିଜ୍ଞାନରେ, ଏଟନ୍‍ରେ । ଗାନ୍ଧୀ ଜାଣିଥିଲେ ଜବାହର ପ୍ରଧାନମନ୍ତ୍ରୀ ହେଲେ ତାଙ୍କ କୁଟୀରଶିଳ୍ପ ଯିବ, ନିଶାନିବାରଣ ଯିବ, ଅହଂସା ନୀତି ଯିବ, ତଥାପି ସେ କାହିଁକି କହୁଥିଲେ ଯେ ଜବାହର ତାଙ୍କ ଉତ୍ତରାଧାକାରି ? ସେ କ’ଣ ଜାଣି ନ ଥିଲେ ଯେ ତାଙ୍କ ଜିନ୍ନା ପ୍ରୀତି ଦେଶକୁ ଭାଗ ଭାଗ କରିଦେବ । ଗୋବଧ ବନ୍ଦ କରିବା ପାଇଁ ବିନୋବାଙ୍କ ଆମରଣ ଅନଶନ ଏକ ଧରଣର ମାନସିକ ହିଂସା ନୁହେଁ ସାର୍ ? ଲୋକଙ୍କ ମନ ବଦଳାଇ ସେ ଭୁକ୍ରାନ୍ତି ଆଣିବାକୁ କହୁଥିଲା ପରି, ଡକାଏତମାନଙ୍କ ମନ ବଦଳାଇ ଭଲ ମଣିଷ କରିବାକୁ ଚାହୁଁଥିଲା ପରି ଲୋକଙ୍କ ମନ ବଦଳାଇ….

 

ତ୍ୟାଗ ସେବା ସମୂହକ୍ରାନ୍ତି - ଟୋଟାଲି ରିଭୋଲ୍ୟୁଶନ୍ ।

 

ଜଳିଗଲା ସୁଦ୍ । ମୁଣ୍ଡକୁ ଉପର ତଳ ହଲାଇ ପେଣ୍ଡୁଲମ୍ ପରି ଏପାଖ ସେପାଖ ଘୂରାଇ ଆଣି ବିଚୀରକମଣ୍ଡଳୀକୁ ଅନାଇ କହିଲା–‘ତ୍ୟାଗ । ଯାହାର ଥାଏ ସେ ସିନା ତ୍ୟାଗ କରେ- ଯାହାର ନାହିଁ ? ଆମର ତ ଖାଇବା ପାଇଁ ମୁଠେ ନାହିଁ । ଆମେ କ’ଣ ନିଜେ ନ ଖାଇ ଛୁଆକୁ ଖାଇବାକୁ ନ ଦେଇ ସ୍ଵାମି ପାଇଁ ତ୍ୟାଗକରୁଥିବୁ–ଶାଶୁ ଶ୍ଵଶୁରଙ୍କୁ ସେବା କରୁଥିବୁ ? କହୁଛନ୍ତି ମା ଦୁଧରେ ଛୁଆଙ୍କ ପାଇଁ ସୁଷମ ଖାଦ୍ୟ ଅଛି- ଏଣେ ମା’ର ଛାତିରେ ଦୁଧ ଥିଲେ ତ ? ସେ ଫ୍ରାନ୍ସର ରାଜ କହିଲା ପରି ‘ଲୋକଙ୍କୁ ଖାଇବାକୁ ରୁଟି ମିଳୁନି ତ ସେମାନେ କାହିଁକି ଖାଉନାହାନ୍ତି କାହଁକି’–ଥରି ଯାଉଥିଲା ସୁଦ୍ ।

 

: ଧୀରେ, ମିସ୍ ସୁଦ୍ ଧୀରେ l ‘ଉତ୍ତେଜିତ ହୁଅନି' - ମୃଦୁ ହସି ଚେତାଇ ଦେଲେ ଚେୟାର୍‍ମେନ ।

 

‘ଥେଙ୍କ ୟୁ ସାର୍’ -କହି ସୁଦ୍ ହସିବାକୁ ଚେଷ୍ଟା କଲା-କିନ୍ତୁ ସେ ହସରେ ହାସ୍ୟ ନ ଥିଲା- ବରଂ ଥିଲା ବ୍ୟଙ୍ଗ । ସେ କହି ଚାଲିଲା- ‘ଆମେ କୁଆଡ଼େ ବାପା ମା ଯାହା କହୁଛନ୍ତି, ଶିକ୍ଷକ ଯାହା କହୁଛନ୍ତି, ବୁଢ଼ା ବୁଢ଼ୀମାନେ ଯାହା କହୁଛନ୍ତି, ସାଧୁ ସନ୍ଥ ମାନେ ଯାହା କହୁଛନ୍ତି, ସେ ସବୁକୁ ବିନା ପ୍ରଶ୍ନରେ ଗ୍ରହଣ କରିନେବୁ- ସତ ନୁହେଁ ବୋଲି ଜାଣିଲେ ମଧ୍ୟ ପ୍ରଶ୍ନ କରି ପାରିବୁନି -ଭକ୍ତି । ଏଇଟା କ’ଣ ସତ୍ୟର ପଥ ସାର୍ ? ଏଇଟା କ'ଣ ବୈଜ୍ଞାନିକ ପନ୍ଥା ?

 

‘ଜ୍ଞାନ କଣ?’ ବିଚାରମଣ୍ଡଳୀକୁ ଓଲଟା ପଚାରୁଥିଲା ମିସ୍ ସୁଦ୍ । ଆଉ ନିଜେ ଉତ୍ତର ଦେଉଥଲା ‘ସତ୍ୟର ଅନୁସନ୍ଧାନ ହିଁ ଜ୍ଞାନ ଏବଂ ବିଜ୍ଞାନ । ସତ୍ୟ ଓ ମିଥ୍ୟାର ସହାବସ୍ଥାନ ହୋଇପାରେନା । ସତ୍ୟର ସମିଶ୍ରଣ ନାହିଁ । ସ୍ୱଛ, ଅନାବିଳ, ଅନ୍‍କମ୍ପ୍ରୋମାଇଜିଂ ଅନେଷ୍ଟି ଛଡ଼ା ସତ୍ୟର ଅନୁସନ୍ଧାନ ସମ୍ଭବ ନୁହେଁ । ଯଦି ଘଟଣା ବଳି ପ୍ରମାଣ କଲା ଯେ ଅନ୍ୟ ମାନଙ୍କଠାରୁ ଶୁଣି ମୁଁ ଯାହାକୁ ସତ୍ୟ ବୋଲି ଗ୍ରହଣ କରି ନେଇଥିଲି ତାହା ପ୍ରକୃତରେ ସତ୍ୟ ନୁହେଁ ମୋତେ ସେ ଭୁଲ ତଥ୍ୟକୁ ବିନା ଦ୍ଵିଧାରେ ଫିଙ୍ଗି ଦେବାକୁ ପଡ଼ିବ–ସେ ତଥ୍ୟ ଯେତେ ବଡ଼ ଗୁରୁଜନ ଋଷିମୁନିମାନଙ୍କ ପାଖରୁ ଆସିଥାଉ ନା କାହଁକି । ସତ୍ୟର ସେପରି ଅନୁସନ୍ଧାନ ପାଇଁ ସେକ୍ରେଟିସ୍ ଜୀବନ ଦେଇଥିଲେ–ଆମର ସେ ପରମ୍ପରା କାହିଁ ସାର୍ ?

 

ନିଜ ହାତ ଘଡ଼ିକୁ ଘନ ଘନ ଅନାଇ ଚେୟାରମେନ୍ ଚାହୁଁଥିଲେ ମିସ୍ ସୁଦ୍‍ଙ୍କୁ ମଝିରେ ଅଟକାଇବା ପାଇଁ ; କିନ୍ତୁ ଅନ୍ୟ ବିଚାରକମାନେ ଅତି ଆଗ୍ରହର ସହିତ ମିସ୍ ସୁଦ୍ ଏବଂ ପ୍ରଫେସର ସେନ୍‍ଙ୍କ ଆଲୋଚନା ଶୁଣୁଥିବା ଲକ୍ଷ୍ୟ କରି ଏବଂ ସେମାନେ ଆଉ କିଛି ପଚାରିବେ ନାହଁ ବୋଲି ଇଙ୍ଗିତ ଦେଇସାରିଥିଲେ ବୋଲି ସେ ମଧ୍ୟ ହସ୍ତକ୍ଷେପ ନ କରି ଏ ଆଲୋଚନା ଉପଭୋଗ କରୁଥିଲେ । ସମୁଦ୍ରର ଉତ୍ତୁଙ୍ଗ ଲହରୀ ସବୁ ଯେପରି ତୁହାକୁ ତୁହା ବେଳାଭୁମି ଆଡ଼କୁ ମାଡ଼ିଆସେ–ଗୋଟାଏ ଲହରି ବେଳାଭୂମି ର ପାଖକୁ ଆସିଲାକ୍ଷଣି ତା'ର ଅକମ୍ପିତ ଗଭିରତାରେ ମୁଣ୍ଡ, କଚାଡ଼ି ଧୀରେ ମିଳାଇଯାଏ–ପୁଣି ଆସେ ଅନ୍ୟ ଗୋଟାଏ ଲହରୀ । ପ୍ରଫେସର ସେନ୍ ଓ ମିସ୍ ସୁଦ୍‍ଙ୍କ ଆଲୋଚନା ସେପରି ଢଙ୍ଗ ନେଇ ସାରିଥିଲା-ଏକ ଦିଗରେ ମଧୁର ସ୍ଥିରତା ଏବଂ ଅନ୍ୟ ଦିଗରେ ଫେନିଳ କମ୍ପନ ।

 

‘ତମେ ତାହଲେ କ’ଣ ଭାବୁଛ-ସବୁ ଶେଷ-ସମାଜର ଆଉ ପରିତ୍ରାଣ ନାହିଁ । କ’ଣ ଭାବୁଛ ? ତମେ ହେଲ...’ କହୁଥିଲେ ପ୍ରଫେସର ସେନ୍ ।

 

ନାଇଁ ସାର୍ । ମୁଁ କହୁଛି ବରଂ ଓଲଟା । ଆମେ ସବୁଦିନ ଏମିତି ଥିଲୁ ... ତେଣୁ ଦୁଃଖ କରିବାର କିଛି ନାହିଁ । ଆମ ଆଦର୍ଶ ଅତି ମହାନ୍ ; କିନ୍ତୁ ତା’ର ପ୍ରୟୋଗ….. ।

 

ଏଥର ଚେୟାରମେନ୍ ଟିକିଏ ଜୋରରେ ହସିଉଠି କହିଲେ- “ମିସ୍ ସୁଦ୍, ତମେ ତ ସତ୍ୟର ଅନୁସନ୍ଧାନରେ । ତେବେ ମୁଁ ଗୋଟିଏ କଥା ଜାଣିବାକୁ ଚାହେଁ । ପୋଲିସ୍ କହିଲେ ସାଧାରଣତଃ ଲାଠି ମନେ ପଡ଼େ, ଆଉ ନାଚ କହିଲେ ମନେ ପଡ଼େ ନମନୀୟତା-ବୈଜୟନ୍ତୀ ମାଲା, ସଯୁକ୍ତା ପାଣିଗ୍ରାହୀ, ଉମା ଶର୍ମା, ଯାମିନୀ କୃଷ୍ଣମୂର୍ତ୍ତି- ତମେ ନିଜେ ତ କଥକ ନାଚ ଭଲ ପାଅ । ପୋଲିସ୍ ଚାକିରି କଲେ କ'ଣ ଲାଠି ଧରି କଥକ ନାଚି ପାରିବ ?’ ସମସ୍ତେ ହସି ଉଠିଲେ ।

 

ମିସ୍ ସୁଦ୍ ମଧ୍ୟ ଟିକିଏ ହସିଦେଇ କହିଲା- “ସାର୍–ପୋଲିସ୍ ଲାଠିଚାଳନା ହେଉ ବା କଥକ ନାଚ ସବୁଥିରେ ଶୃଙ୍ଖଳାର ଗୋଟିଏ ଅନ୍ତଃସ୍ରୋତ ରହିଛି । ଧାରା–ନିୟମ ଯାହକୁ ଆମେ ହାର୍‌ମୋନି କହୁଁ । ସେଇ ହାର୍‌ମୋନି ହଁ ସୃଷ୍ଟିର ଶାଶ୍ଵତି ରୀତି ଏବଂ ତାହା ହିଁ ଜୀବନ ସତ୍ୟ ।’

 

କିନ୍ତୁ ପୋଲିସ ଚାକିରୀରେ ବେନିୟମ କାମ କରିବାକୁ ପଡ଼ିପାରେ ।’

 

‘କାହିଁକି ସାର୍ । ନିୟମ ସବୁ କୋଡ଼ଫାଏଡ୍ । ମୁଁ ନିୟମ ଅନୁଯାୟୀ କାମ କରିବି !’

 

ତମେ ତ ଜାଣିଛ ଇଉରୋପରେ ଡାହାଣ କଡ଼େ ଗାଡ଼ି ଚଲାଇବା ନିୟମ ଭାରତରେ ବାଁ କଡ଼ରେ । ସରକାର ଯଦି କହନ୍ତା ଏଇଟା ନିୟମ ଆଉ ଲୋକାଲ୍ ପବ୍ଲିକ୍, ଲୋକାଲ୍ ଏମ୍ . ପି., ଏମ. ଏଲ୍. ଏ. କହନ୍ତି ତା ବିପରୀତ ହିଁ ନିୟମ ?

 

ମୁଁ ମୋର ବୃଦ୍ଧି ଏବଂ ବିବେକ ଖଟାଇ ଜାଣିପାରିବି କେଉଁଟା ପ୍ରକୃତ ନିୟମ ।

 

ଆଉ ଆଇ. ଜି. ଯଦି ଓଲଟା ଆଦେଶ ଦିଅନ୍ତି–ତମେ ଯାହାକୁ ନିୟମ ବୋଲି ଭାବୁଛ ତାର ଠିକ୍ ଓଲଟା ? ତାଙ୍କ ଆଦେଶ ମାନିବା ଶୃଙ୍ଖଳା ନା ତମ ବିବେକ ।

 

: ମୁଁ ବୁଝୁଛି ଆପଣ କ'ଣ କହୁଛନ୍ତି ସାର୍ । ସେମିତ ହେଲେ ମୁଁ ଇସ୍ତଫା ଦେଇଦେବି ।

 

ଚେୟାରମେନଙ୍କ ସ୍ମିତ ହାସ୍ୟ ମିଳିତ ଧନ୍ୟବାଦର ପ୍ରତ୍ୟୁତ୍ତରରେ ‘ଆପଣ ସମସ୍ତକୁ ଧନ୍ୟବାଦ' କହି ଚାଲିଗଲା କୁମାର ସୁଦ୍ ।

 

ପଛରୁ ଅନାଇଁ ଥିଲେ ଛଅଯୋଡ଼ା ଆଖି ।

 

କବାଟ ବନ୍ଦ ହେଲା ପରେ ଚେୟାରମେନ୍ ପଚାରିଲେ-‘ଏଥର କୁହନ୍ତୁ ।’

 

‘ତମ୍ପ, ଫଣାଟେକା ନାଗସାପ……’ କହିଲେ ଜଣେ ।

 

‘ଅଗିକଣା....ସ୍ପୁଲିଙ୍ଗ..’ ।

 

'ନିଆଁ ହୁଳା.....ଅଗ୍ନିପିଣ୍ଡୁଳା...' ହେଲେ ଆଉ କେହିଁ ।

 

ସ୍ଵାଧୀନଚେତା, ତୀକ୍ଷ୍ଣ ,ନିର୍ଭୀକ, ବିଚକ୍ଷଣ କିନ୍ତୁ ପୋଲିସ୍ ଚିକିରିକୁ " ସୂଚାଉଥିଲେ ଚେୟାରମେନ୍ ।

 

ଟିକିଏ ଉଦ୍ଧତ- ସବଜାନତା ମନୋଭାବ-ଶିକ୍ଷା ବିଭାଗ ପାଇଁ ଅତି ଉପଯୁକ୍ତ କିନ୍ତୁ ପୋଲିସ ପାଇଁ.... ସୂଚନାକୁ ଅନୁମୋଦନ କରୁଥଲେ ଆଉ ଜଣେ ।

 

‘କିନ୍ତୁ ଶିକ୍ଷା ବିଭାଗରେ ବି କ’ଣ ସ୍ଵାଧୀନ ଚିନ୍ତା, ଆମ ଦେଶରେ ଆଗେଇ ପାରୁଛି ? ଯା' ହାତରେ କ୍ଷମତା ତା ମୁଣ୍ଡରେ ସବୁ ଜ୍ଞାନ ଠୁଳ- ଆଉ କ୍ଷମତା ଗଲା କ୍ଷଣି ସେ ସାଙ୍ଗରେ ଜ୍ଞାନ ମଧ୍ୟ ଓହରି ଯାଏ । ଟିପ୍ପଣୀ କାଟୁଥିଲେ ଆଉ କେହି ।

 

ଚେୟାରମେନ୍ ପଚାରିଲେ- ‘ପ୍ରଫେସର ସେନ୍ ଆପଣ କ’ଣ ଭାବୁଛନ୍ତି ?’ ୭୩ ବର୍ଷ ବୟସ୍କ ପ୍ରଫେସର ସେନ୍, ଉତ୍ତର ଦେବା ପୂର୍ବରୁ ଅନ୍ୟମାନେ ସମସ୍ତେ ହସିଉଠି ପ୍ରଶ୍ନଟିକୁ ଦୋହରାଇ ଦେଲେ ‘ଆପଣ କ'ଣ ଭାବୁଛନ୍ତି?’

 

ପ୍ରଫେସର ସେନ୍ ମଧ୍ୟ ହସି- କହିଲେ, ମନ୍ଦ ନୁହେଁ । ସମୂହକ୍ରାନ୍ତି, ଟୋଟାଲ ରିଭଲ୍ୟୁସନ୍–ଡାକ ଶୁଣି ଯଦି କେହି ନ ଆସେ, ତେବେ ଏକଲା ଚାଲ ।”

 

ସାମୂହିକ ଭାବକୁ ରୂପ ଦେଇ ଚେୟାରମେନ୍ କହିଲେ-ଖଣ୍ଡିଏ ସ୍ଵର୍ଣ୍ଣପିଣ୍ଡ, ସେ ପିଣ୍ଡକୁ ନିଆଁରେ ତରଲାଇ ଅଥବା ହାତୁଡ଼ିରେ ବାଡ଼େଇ ଅଳଙ୍କାର କରି ଗଢ଼ି ତୋଳିବା ଯେଉଁମାନଙ୍କର କର୍ତ୍ତବ୍ୟ ସେମାନେ ତାକୁ ନେଇ ଯାହା, କରନ୍ତୁ । ଅନୁଭୁତିର ଦହନରେ ସେ ହୁଏତ ଦିନେ ଝଲସି ଉଠିବ ଅଥବା ଜଳିପୋଡ଼ିଯିବ ।’

 

ବିଚାରକମଣ୍ଡଳୀର ସମସ୍ତେ ମୁଣ୍ଡ, ଟୁଙ୍ଗାରୁଥିଲେ ।

 

ଅନ୍ୟ ପ୍ରାର୍ଥୀ ପାଇଁ ଘଣ୍ଟି ବାଜି ଉଠିଲା ।

Image

 

Unknown

ପ୍ରାନ୍ତ ଯଜକ

ଶୀ ବ୍ରହ୍ମାନନ୍ଦ ପଣ୍ଡା

 

(ଏକ)

 

ଦାର୍ଶନିକ ବେକନ୍ ମୀମାଂସା କରିଥଲେ, ପ୍ରେମ ଦୁର୍ବଳ ମନର ଗୋଟିଏ ବିକାର । ଏ ମୀମାଂସା ପ୍ରତି ଗୁରୁତ୍ଵ ନଦେଇ, ଦର୍ଶନ ଅଧ୍ୟାପକ ରଙ୍ଗାଧର ଯେବେ କୃଷ୍ଣବେଣୀଙ୍କ ସଙ୍ଗେ ପ୍ରେମରେ ପଡ଼ିଲେ ଏବଂ ସେତିକିରେ ସନ୍ତୁଷ୍ଟ ନ ହୋଇ ଦିନେ ଅତ୍ୟୁଗ୍ର କାମନାର ତାଡ଼ନାରେ ପ୍ରଣୟ-ପ୍ରତିମା ନିକଟରେ ପରିଣୟ ପ୍ରସ୍ତାବ କରି-ଆସି, ମୋ ପାଖରେ ଉଚ୍ଛ୍ଵସିତ ଭାବରେ ତାଙ୍କର ପୌରୁଷର ସାର୍ଥକତା ତତ୍ତ୍ଵ ଦିଗରୁ ପ୍ରତିପାଦନ କରିଥିଲେ ମୁହଁରେ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲି, ଯଦିଓ, ତାଙ୍କର ଏ ପ୍ରକାର ଆଚରଣର ପରିଣରେ ସ୍ଵୀକୃତଭାବେ ସ୍ଵତନ୍ତ୍ର, ଦୁଇଟି ଜୀବନକୁ ଦାମ୍ପତ୍ୟ ନାମରେ ନିତ୍ୟ-କଳହର ମାନସିକତାରେ ପର୍ଯ୍ୟବେସିତ କରିବ ବୋଲି ଅନୁଭବକରି ମନେ ମନେ ପ୍ରକୃତରେ ଦୁଃଖିତ ହେଇଥଲି । ରଙ୍ଗାଧର ମୋର ଜଣେ ଭଲ ବନ୍ଧୁ । ମୁଁ ସ୍ପଷ୍ଟ ଦେଖି ପାରୁଥଲି, ଗୋଟିଏ ଦୁଶ୍ଚେଦ୍ୟ ପଘାରେ ସଂଯୁକ୍ତ ଦୁଇଟି ଅରଣା ଜୀବ ବିଯୁକ୍ତ ହେବା ପାଇଁ କି ପ୍ରାଣାନ୍ତକ ଉଦ୍ୟମ କରୁଛନ୍ତି ! ସେ କି କ୍ରୁଦ୍ଧ ଗର୍ଜନ । ସେ ଆଜକୁ ପାଞ୍ଚବର୍ଷ ତଳର କଥା ।

 

ମଣିର ପ୍ରକୃତ ପରିଚୟ ତା’ର ନ।ମରେ ଯେପରି ନଥାଏ, ମଣିଷର କତ୍ତର୍ବ୍ୟ କର୍ମରେ ତା’ର ପ୍ରକୃତ ବିଶ୍ୱାସ ବି ସେପରି ପ୍ରତିଫଳିତ ହୋଇ ପାରେନା । ରଙ୍ଗାଧର ପଲାମାନଙ୍କୁ ଯେଉଁ ଦର୍ଶନ ପଢ଼ାନ୍ତୁ ନା କାହିଁକି, ବ୍ୟକ୍ତିଗତ ବିଶ୍ଵାସ ଦିଗରୁ ସେ ଜଣେ ପ୍ରୟୋଜନବାଦୀ ବା determinist । ସେ ମନେ କରନ୍ତି, ବତ୍ତର୍ମାନ ମୁହୂର୍ତ୍ତର ପ୍ରେରଣା ବିନ ଜୀବନରେ କୌଣସି ପଦକ୍ଷେପ ନେବା ସମ୍ଭବ ନୁହେଁ, ଆଉ ମଣିଷ-ତା’ର ମାଂସପେଶୀ, ସ୍ନାୟୁ, ପ୍ରକ୍ଷୋଭ-ପୀଠ ଓ ମସ୍ତିଷ୍କ ଓ କେବଳ ନୁହେଁ, ସେ ତା’ର ଅଭ୍ୟାସ, ମତାମତ ଓ ଭାବ ମଧ୍ୟ । ଏ ବିଚାର ଯେତେ ପରସ୍ପର ଖଣ୍ଡନଶୀଳ, ଅଯୌକ୍ତିକ ଓ ପ୍ରତିକୂଳ ହେଉ ପଛେ, ମଣିଷ ଏ ସମ୍ପର୍କରେ ବୁଦ୍ଧି ରହୁ ବା ନରହୁ, ଏହା ମଣିଷର କ୍ରିୟା ଓ ପ୍ରତିକ୍ରିୟା କୁ ଅନବରତ ପ୍ରତିଫଳିତ କରିଚାଲିଛି ।

 

କୃଷ୍ଣବେଣୀ ଲେଖିକା । ସାଧାରଣ ମଣିଷ ଅପେକ୍ଷା ଶିଳ୍ପୀର ଅହିତଭାବ ଟିକିଏ ବେଶୀ । ଏହା ସ୍ଵାଭାବିକ କେବଳ ନୁହେଁ, ତା’ର ଶିଳ୍ପ ନିମନ୍ତେ ନିତାନ୍ତ ଆବଶ୍ୟକ ମଧ୍ୟ । ବେଳେବେଳେ ଏ ଅହଂଭାବ ରଖିବାକୁ ପଡ଼ିଥାଏ କୃଷ୍ଣବେଣୀଙ୍କ ଅହଂଭାବ ତାଙ୍କର ରଚନାରେ, ସାମାଜିକ ଆଚରଣରେ; ଏତେ ଉଗ୍ରଭାବରେ ପ୍ରକାଶ ପାଇଥାଏ ଯେ, ମୁଁ ତାଙ୍କୁ ପ୍ରକାଶ୍ୟ ଭାବରେ ଅହଂସାର୍ବୋଭୌମ ବା solipsist ନାମରେ ଅଭିହିତ କରିଥାଏ । ଦେଖିଛି,ସେ କ୍ଷୁର୍ଣ୍ଣ ହୋଇ ନାହାନ୍ତି । ବରଂ ମୋର ମନେ ହେଉଚି ସେ ଯେପରି ଅପ୍ରକାଶ୍ୟ ଭାବରେ ଏଥିରେ ଆମୋଦ ଅନୁଭବ କରିଛନ୍ତି । ପରମାହଂବାଦୀ ବିଶ୍ୱାସ କରେ କେବଳ ନିଜକୁ ଓ ନିଜର ଅଭିଜ୍ଞତାକୁ । ବିଶ୍ୱକୁ ସେ ସୄଷ୍ଟି କରେ ନିଜର ଲୀଳା ମଞ୍ଚ ଭାବରେ ଏବଂ ସେ ବିଶ୍ୱରେ ଦେଖିବାକୁ ମିଳନ୍ତି , ତା’ର ଚିନ୍ତା, ତା'ର ଅନୁଭୁତି । ଏହା ପରେ, ସବୁକିଛି ମତ୍ତହୀନ । ଯାହାକିଛି ଜ୍ଞାତବ୍ୟ, ଅଭିଜ୍ଞତାର ପ୍ରତ୍ୟେକ ତଥ୍ୟ ତା'ର ମନର ଗୋଟିଏ ଭାବ ଏବଂ ତା’ର ମନ ବିହୁନରେ ସେ ଭାବର କୌଣସି ଅସ୍ତିତ୍ୱ ନାହିଁ । ନିଜ ବାହାରେ ଆଉ ସ୍ୱୀକାର୍ଯ୍ୟ ଅଥବା ସ୍ୱୟଂସିଦ୍ଧ ଅଛି ବୋଲି ଗ୍ରହଣ କରିବାର ସମ୍ଭାବନା ବା ଆବଶ୍ୟକତା ତା’ର ନଥାଏ । ତା'ର ପାଖରେ ସ୍ଵପ୍ନ ଓ ବାସ୍ତବର ପ୍ରଭେଦ ନାଇଁ । ତା'ର ପାଇଁ ଜୀବନ ଗୋଟାଏ ସ୍ୱପ୍ନ, ଯେଉଁଥିରେ ତାର ପ୍ରତ୍ୟକ୍ଷ ବସ୍ତୁସମୂହକୁ ନେଇ ସେ ଗୋଟିଏ ପୁର୍ବାପରସଂଲଗ୍ନ, ସଙ୍ଗତ ସ୍ୱପ୍ନ ରଚନାକରେ ଏବଂ ତା'ର ସ୍ଵପ୍ନାବେଶ ଯେତେବେଳେ ରହେନି ସେତେବେଳେ ବିଶ୍ୱ ତା’ର ସମସ୍ତ ସୌନ୍ଦର୍ଯ୍ୟ, ବ୍ୟଥା ଓ ଦୁଃଖ, ତା'ର ଅକଳନିୟ ପ୍ରକାରଭେଦ ଘେନି ଅସ୍ତିତ୍ୱ ହୀନ ହୋଇପଡ଼େ । ଏ ତତ୍ତ୍ୱ ଉପରେ କୁଷ୍ଣବେଣୀଙ୍କ ସମର୍ଥନ ଲାଭ କରିବା ମୋଦ୍ଵାରା କେବେ ସମ୍ଭବ ହୋଇନି । ଘଣ୍ଟ ଘଣ୍ଟା ଧରି ଆମେ ତର୍କ ଯୁଧ୍ୟରେ ବ୍ୟବହୃତ ହେତୁ, ଆଘାତ ଗୁରୁତର କରିବା ଉଦେଶ୍ୟରେ ବାକ୍ୟରେ ବିଶେଷଣ ଖୁବ୍ କୁଷଳତା ସହକାରେ ପ୍ରୟୋଗ କରିଛୁ, କିନ୍ତୁ କେହି କାହକୁ ପ୍ରଭାବିତ କରନ୍ତୁ, ଭୁଲ୍ ବୁଝନ୍ତୁ, କ୍ଲାନ୍ତ କରନ୍ତୁ ।

 

ଗୋଟିଏ ସମୟରେ ସଫଳତାର କ୍ରୂର ଦୃଷ୍ଟିରୁ ଯେପରି ରକ୍ଷାପାଇବା ଜଣେ ଭଲ ଲେଖକ ପକ୍ଷରେ ଯେପରି କଷ୍ଟକର, ଗୋଟିଏ ବୟସରେ ନାରୀର ମୋହୀନି ଦୃଷ୍ଟିରୁ ନିରାପଦ କରିବା ବି ସେତିକି କ୍ଲେଶକର; କିନ୍ତୁ କୃଷ୍ଣବେଣୀ ଆଉ ମୋ ଭିତରେ ଏ ସମସ୍ୟା କେବେ ଉପୁଜି ପାରି ନଥିଲା । ସମସ୍ତେ ଜାଣନ୍ତି ପ୍ରେମକର୍ମ ନିମନ୍ତେ ଦୁଇଜଣ ଆବଶ୍ୟକ ହୁଅନ୍ତି; କିନ୍ତୁ ଅନେକଙ୍କ ଭଳି ମୁଁ ବି ବିଶ୍ୱାସ କରିଥାଏ ଯେ ପୁରୁଷର ଯାହା ଖାଦ୍ୟ, ନାରୀ ପକ୍ଷରେ ତାହା ବିଷ । କାହାକୁ ବିଷାକ୍ତ କରିବାର ଅଭିପ୍ରାୟ ତ ମୋର ନାହିଁ, ଅଧିକନ୍ତୁ, ନାରୀର ଯାହା ଖାଦ୍ୟ ତାହା ପୁରୁଷ ପକ୍ଷରେ ବିଷ ନୁହେଁ ବୋଲି ଏ ପର୍ଯ୍ୟନ୍ତ କୌଣସି ତତ୍ତ୍ୱ ବି ପ୍ରକାଶ ଲାଭ କରିନି । ଅତଏବ, ନିଜେ ମଧୁମୟହୋଇ ନ ପାରିଲ ତ ବିଶେଷ କ୍ଷତି ନାହିଁ କିନ୍ତୁ ବିଷାକ୍ତ ହେବାରେ କୌଣସି ସ୍ୱାର୍ଥକତା ନାଇଁ । ନାରୀ ସଙ୍ଗେ ମୋର ସମସ୍ତ ସମ୍ପର୍କ ସ୍ପର୍ଶ-ରହିତ । ଆଲିଙ୍ଗନ ତ ଦୂରର କଥା, କରମର୍ଦ୍ଦନ କରିବା ପାଇଁ ବି ମୁଁ କୁଣ୍ଠାବୋଧ କରିଥାଏ । ନାରୀ କେବଳ ନୁହେଁ, ଯେ କେଉଁ ଲୋକର ଅନ୍ତରଙ୍କ ସାନ୍ନିଧ୍ୟରେ ମୁଁ ପ୍ରବଳ ଅଶ୍ଵସ୍ତି ଅନୁଭବ କରେ । କୃଷ୍ଣବେଣୀ ତ ସହଜେ ଅହଂସାର୍ବଭୌମା । ସେ ବା କାହିଁକ, କାହା ପାଖରେ ତାଙ୍କର ‘ବେକନୀୟ’ ବିକାର ପ୍ରକାଶ କରିବାକୁ ଯା’ନ୍ତେ ?

 

ସୁତରାଂ ରଙ୍ଗାଧର ଓ କୃଷ୍ଣବେଣୀଙ୍କ ବିବାହରେ ମୁଁ ବିସ୍ମିତ ଓ ରଙ୍ଗାଧର ନିମନ୍ତେ ଦୁଃଖିତ ହେବାର ଯଥେଷ୍ଟ କାରଣ ଥିଲା ।

 

(ଦୁଇ)

 

ଲୋକେ କିପରି ପ୍ରେମରେ ପଡ଼ନ୍ତି ସେଥିପାଇଁ କୌଣସି ତ୍ରୟରାଶିକ ନିୟମ ନାହିଁ । କିଛି ଘଟଣା, କିଛି ଅବଲମ୍ବନ, କିଛି ଗତି, କିଛି ଘନିଷ୍ଠତା-ତା’ ପରେ, ଅନେକେ ଅବଶ୍ୟ କହନ୍ତି, ସମସ୍ତ ପ୍ରବଣତାର ସମାପ୍ତି । ବ୍ୟକ୍ତି ବ୍ୟକ୍ତ ଭିତରେ ଏଥିରେ ପ୍ରଭେଦ ଦେଖାଯାଇଥାଏ । ରଙ୍ଗାଧର ଓ କୃଷ୍ଣବେଣୀ ଏଇ ଧାରାରେ କେଉଁଠି ଗୋଟିଏ ଘଟଣାରେ ହୁଏତ ସମ୍ମଳିତ ହୋଇଥିବେ । ଜାଣିବାପାଇଁ ମୁଁ କୌତୂହଳୀ ହୋଇନି, କାରଣ ପ୍ରେମ ପ୍ରସଙ୍ଗରେ କୌତୂହଳୀ ହେବାର ଅବିବେକୀ-ପଚିଶିଆ ବୟସ ମୋର ନାଇଁ, ଦ୍ଵିତୀୟତଃ ଏଥିର ତଥ୍ୟ ଅପେକ୍ଷା ଏହା ପଛର ସତ୍ୟ ଜାଣିବା ପାଇଁ ମୁଁ ବିଶେଷ ଆଗ୍ରହୀ ।

 

ମୁହୂର୍ତ୍ତର ପ୍ରେରଣାରେ, ଜୀବନର ଏ ରହସ୍ୟମୟ ପଦକ୍ଷେପ ରଙ୍ଗାଧର କାହିଁକି ନେଲେ ଏବଂ ଏଭଲି ଏକ ଅଭିଜ୍ଞତାରେ ନିଜକୁ ଜଡ଼ିତ କରି କି ସ୍ଵପ୍ନ ଦେଖିବେ ବୋଲି କୃଷ୍ଣବେଣୀ କାହିଁକି ଉତ୍କଣ୍ଠିତ ହେଲେ-ଏହା ଥିଲା ମୋ ପାଖରେ ଏ ଉପାଖ୍ୟାନର ବଡ଼ ପ୍ରଶ୍ନ ।

 

ଲୋକେ କାହିଁକି ପ୍ରେମରେ ପଡ଼ନ୍ତି ? ଏଥିପାଇଁ ମଧ୍ୟ କୌଣସି କ୍ରୟରାଶିକ ନିୟମ ନାହିଁ । କାରଣ ପ୍ରେମ ଗଣିତ ନୁହେଁ । ସୁତରାଂ ଏଥିରେ ନଦ୍ଦିର୍ଷ୍ଟ ଭାବରେ କୌଣସି ମୀମାଂସାରେ ପହଞ୍ଚି ହୁଏନି । ଯାହାର ମୀମାଂସା ମିଲେନି, ଜାଣିବା କଥା, ତା’ର ଚରିତ୍ର ବଡ଼ ଜଟିଳ ।

 

ଜୀବବିତ୍ କହନ୍ତି, ପ୍ରକୃତରେ ଜୀବନ ଧାରା ଅବ୍ୟାହତ ରଖିବା ନିମନ୍ତେ, ସ୍ତ୍ରୀ-ପୁରୁଷର ଆସଙ୍ଗଲିପ୍‍ସା ଜୀବ ଦେହର ପ୍ରୋଟାପ୍ଳାଜମ୍‍, ହରମୋନ୍‍ ଓ କ୍ରୋମୋସୋମର୍ କ୍ରିୟା । ସମାଜ ବିଜ୍ଞାନୀ କହନ୍ତି, ତା’ର ପ୍ରଜାତିର ଅଭ୍ୟୁଦୟ କାଳରୁ, ମଣିଷର ପ୍ରବୃତ୍ତି, ପ୍ରକ୍ଷୋଭ ଓ ଆବେଗର ତିଳେମାତ୍ର ପରିବର୍ତ୍ତନ ଘଟିନି । ସଭ୍ୟତା ଓ ସଂସ୍କୃତି ଜୀବନର କେନ୍ଦ୍ରରେ ଉପନୀତ ହୋଇ ପାରିନି । ପରିଧି ଉପରୁ ନିୟନ୍ତ୍ରଣ ପ୍ରୟୋଗ କରିବାକୁ ଯାଇ ମଣିଷର ଆଚରଣକୁ ଅସମ୍ଭବ ଭାବରେ ଜଟିଲ କରି ପକାଇଚି । ବୟସ ବୃଦ୍ଧି ସଙ୍ଗେ ମଣିଷର ସମାଜ- ଚେତନା ବୃଦ୍ଧି ପାଏ । ଫଳରେ, ଗୋଟିଏ ଅବସ୍ଥାର ଆପାତ-ସରଳ ଆସଙ୍ଗ ବାସନା ଗୋଟିଏ ଜଟିଳ ପତିକ୍ରିୟାରେ ପରିଣତ ହୁଏ । ଏହାର ନାମ ପ୍ରେମ ନିବେଦନ । ରଙ୍ଗାଧର ଓ କୃଷ୍ଣବେଣୀ ଗୁହାବାସୀ ହୋଇଥିଲେ ମୁଁ ସେମାନଙ୍କ ପଛରେ ଧାବିତ ହେବାର ଆବଶ୍ୟକତା ଉପୁଜି ନ ଥାନ୍ତା । ନଗରବାସୀ ଭାଦରେ ସେମାନେ ଗୋଟାଏ ସ୍ୱାଭାବିକ କୃତ୍ରିମତା ଭିତରେ ଗତି କରୁଥିବା ହେତୁରୁ ସେମାନଙ୍କ ପ୍ରେମର ସ୍ୱଭାବ ଏତେ ଦୂର୍ବୋଧ ହୋଇ ପଡ଼ିଥିଲା ।

 

ବିବାହ ପରେ ସାମାଜିକ ପ୍ରଥା ଅନୁସାରେ ବନ୍ଧୁ ବାନ୍ଧବକୁ ଲୋଡ଼ି ସେମାନେ ଭୋଜି ଦେଇ ନାହାନ୍ତି । ବିବାହର ବାତାବରଣ ଅପସାରିତ ହେବାର ବହୁ ଦିନ ପରେ, ସ୍ୱଳ୍ପ କେତେ ଜଣଙ୍କୁ କେବଳ, ଦିନକୁ ଜଣେ କରି ଲୋଡ଼ି ନେଇ ସେମାନେ ପ୍ରୀତିଭୋଜନରେ ଆପ୍ୟାୟିତ କରିଥିଲେ । ଦିନେ ମୋର ବି ପାଳି ପଡ଼ିଥିଲା ।

 

କଫି ପରେ ରଙ୍ଗାଧର ଉଠିଗଲେ କୌଣସି ଆଗନ୍ତୁକ ସଙ୍ଗେ ଆଳାପ କରିବା ନିମନ୍ତେ । ଭୋଜନ-ପ୍ରକୋଷ୍ଠରେ ରହିଲୁ ମୁଁ ଆଉ କୃଷ୍ଣବେଣୀ । କୃଷ୍ଣବେଣୀଙ୍କ ମୁହଁରେ ଗୋଟାଏ ପ୍ରକାର ଆରମଦାୟକ-ଆତ୍ମସମର୍ପଣର ପ୍ରକାଶ ମୁଁ ଲକ୍ଷ୍ୟ କରିଥିଲି । ତାଙ୍କର ମୁହଁର ଏ ଭାବ ମତେ ଇର୍ଷିତ କରିଥିଲା ଏବଂ ସଙ୍ଗେ ସଙ୍ଗେ, ତାଙ୍କ ଉପରେ କର୍ତ୍ତୃତ୍ୱ କରିବା ଲାଗି ମନ ଉଚ୍ଚାଟ ହେଉଥିଲା । ପଚାରିଲି–

 

‘ଏ ଅବସ୍ଥାନ୍ତର କିପରି ଲାଗୁଛି ?'

 

‘ଭଲ ଲାଗୁଛି ।”

 

‘ତୁମ୍ଭର ଆତ୍ମ-ବଲୁପ୍ତି ସମ୍ପୂର୍ଣ୍ଣ ହୋଇଚି, ଯାହା ଦେଖୁଚି ।”

 

କୃଷ୍ଣବେଣୀ ପାର୍ଶ୍ୱଫେରି ମତେ ସାମନା କରି ବସିଲେ । ତାଙ୍କର ମୁହଁର ସହଜ ମାଧୁର୍ଯ୍ୟ ଗମ୍ଭୀର ଐଶ୍ୱର୍ଯ୍ୟରେ ପରିଣତ ହୋଇଚି । ଧିର ଅଥଚ ଅଟଳ କଣ୍ଠରେ କହିଲେ–

 

‘ଆତ୍ମ-ବିଲୁପ୍ତି ନୁହେଁ; ନୂତନ ଅଭ୍ୟୁଦୟର ଅନୁଭୁତି ।'

 

ଅଙ୍କୁର ଉଦ୍‍ଗମ ବୀଜର ବିଲୁପ୍ତିରେ ; ସୋଽହମ୍‍ର ଉତ୍ପତ୍ତି ଅହଂର ବିଲୁପ୍ତିରେ ; କୃଷ୍ଣବେଣୀଙ୍କ ଅହଂପୁର୍ବିକା ପ୍ରକୃତରେ ଲୁପ୍ତ ହେଇଚି ନା ଅହଂକୁ କେନ୍ଦ୍ରକରି ଏହା ତାଙ୍କର ଆଉ ଏକ ଅଭିଜ୍ଞତା ? ସନ୍ଦେହମୋଚନ କରିବା ଉଦେଶ୍ୟରେ କହିଲି–

 

'ଯାହାହେଉ ଏ ଅଭିଜ୍ଞତା ଯେ ତୁମକୁ ସୁଖ ଦେଇଚି, ଏଥିରେ ମୁଁ ବଡ଼ ଆନନ୍ଦିତ । ଆଶା ବି କରୁଚି, ଏ ସୁଖ ତୁମକୁ ଶ୍ୱାସରୁଦ୍ଧ କରିବନି ।'

 

କୃଷ୍ଣବେଣୀଙ୍କ ଅଧରରେ ମନ୍ଦହାସ ପ୍ରକାଶ ପାଇଲା । ସେଥିରେ ନଥିଲା ସ୍ନେହର ସ୍ନିଗ୍ଧତା, ଥିଲା ସୌଜନ୍ୟ ଆବୃତ କିଞ୍ଚିତ ଅସହିଷ୍ଣୁତା । ମୋ ମୁହଁକୁ ସଳଖରେ ଚାହିଁ ସେ କହିଲେ–

 

‘ମୁଁ ତୁମର ଇଙ୍ଗିତ ବୁଝୁଛି , କିନ୍ତୁ ତୁମେ ନିଜର ଯେତେସବୁ ବିମୁର୍ତ୍ତ ଧାରଣାରେ ବନ୍ଦୀ ହୋଇ ରହିଥିବା ପର୍ଯ୍ୟନ୍ତ ମୋ ଅଭିଜ୍ଞତାର ତାତ୍ପର୍ଯ୍ୟ ବୁଝି ପାରିବନି । ମୋ ଭିତରେ ତୁମେ ଅହଙ୍କାରକୁ ହିଁ ସବୁଦିନେ ଦେଖିଚ । ମତେ ଦେଖି ପାରିନ ।’

 

‘ତୁମକୁ ଦେଖନ୍ତି କିମିତି ?’

 

‘ମୁଁ କ’ଣ ତେବେ ନ ଥଲି ? ଥିଲି । ତୁମେ ଯାହାକୁ ଦେଖିବାର କଷ୍ଟ କେବେ କରିନ, ସେ ହେଉଛି ମୋ ଭିତରର ନାରି । ପ୍ରେମ ଓ ମାତୃତ୍ଵ ତା’ର ଅନ୍ତର୍ନିହିତ ଗୁଣ । ମୋ ଉପରେ ତତ୍ତ୍ଵ ଆରୋପ କରି ତା’ର ଭାଷ୍ୟ ଲେଖିବାରେ ତୁମେ ମଜ୍ଜି ଯାଇଚ ; କିନ୍ତୁ ମୋର ମାନବିକ ଅନୁଭୁତିର ଭାଷା ସହଜଭାବରେ ଗ୍ରହଣ କରିବାର ବିଚାର ତମ ମନରେ କେବେ ଉଦିତ ହେଇନି ।”

 

ତୀକ୍ଷ୍ଣ ଦୃଷ୍ଟିରେ ମୋତେ ଚାହିଁ କୃଷ୍ଣବେଣୀ ସୂଚିତ କଲେ–

 

‘ଗୋଟାଏ କଥା କହବି, ଆହତ ହେବନି ?”

 

‘ନା ।”

 

‘ଯଦି କହେ, ତୁମେ ନିଜର ଅହଂକୁ ମୋ ଉପରେ ପ୍ରକ୍ଷେପିତ କରିବାକୁ ଚାହିଁଚ ।”

 

‘କହିପାର ।”

 

‘ଏବଂ ସେହି ଅହଂ ମୋ ଆଧାରରେ ପ୍ରତିଫଳିତ ହେଇ ପାରନି ବୋଲି ତୁମେ ମୋର ଅସ୍ତିତ୍ଵ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହଁ ।”

 

ପ୍ରତିବାଦ ଜଣାଇ କହିଲି-

 

‘ମତେ ତମେ ଭୁଲ୍ ବୁଝୁଚ । ମୁଁ ତୁମର ଅସ୍ତିତ୍ଵକୁ କେବେ ଅସ୍ଵୀକାର କରିନାହିଁ ।”

 

‘ମୋର ଅସ୍ତିତ୍ଵ ମୋର ପ୍ରେମରେ, ମୋର ମାତୃତ୍ୱରେ । ମୁଁ ଜାଣେ, ମୋର ଜୀବନ ଉଷର ନୁହେଁ, ନେତିବାଚକ ନୁହେଁ । ମୋର କହିବା ମାନିବ ?’

 

‘ଯଦି ଯୁକ୍ତିସଙ୍ଗତ ମନେହୁଏ ।’

 

‘ଯୁକ୍ତିସଙ୍ଗତ କି ନୁହେଁ, ତୁମେ ବିଚାର କରିବ । ମୁଁ କିନ୍ତୁ ଜାଣେ, ଯାହା କହିବି, ପ୍ରାଣସମ୍ମତ କଥା ।”

 

‘କହ ।’

 

‘ତୁମେ ଚଞ୍ଚଳ କେଉଁଠି ପ୍ରେମରେ ପଡ଼ ।'

 

ଉଚ୍ଚହାସ୍ୟ କରି ଉଠିଲା । ମୋର ହସ ମତେ ଅସ୍ଵାଭାବିକ ବୋଧ ହେଉଥିଲା । ନିର୍ବେଦ କୃଷ୍ଣବେଣୀକୁ ଲକ୍ଷ୍ୟ କରି କହିଲି-

‘ସେଥିରେ ଥରେ ପଡ଼ିଲେ ଜୀବନରେ ଆଉ କେବେ ଉଠି ହୁଏନି ବୋଲି ମୁଁ ତା’ର ସୀମା ମାଡ଼ିବାକୁ ଚାହିଁନି: ପ୍ରେମ ନ କରି କ’ଣ ବଞ୍ଚି ହୁଏନି ?

 

‘ହୁଏ ; କିନ୍ତୁ ବଞ୍ଚିବା ଭିତରେ । ଯେପରି ତୁମେ । ନିଜ ଅଜ୍ଞାତରେ ତୁମେ ନିଜକୁ ପୀଡ଼ିତ କରୁଚ । ସତ୍ୟକୁ ସ୍ଵୀକାର କରିବାର ସାହସ ତୁମର ଅଛି ।”

 

‘ସାହସ କେବଳ ନୁହେଁ, ଦୁଃସାହସ ମଧ୍ୟ ।”

 

‘ତେବେ ସ୍ୱୀକାର କର, ତୁମେ ମତେ ପ୍ରେମ କରୁଚ ।”

 

ସେଇ ମୁହୂର୍ତ୍ତରେ ରଙ୍ଗାଧର ପ୍ରବେଶ କରି ନ ଥିଲେ, କୃଷ୍ଣବେଣୀଙ୍କର ଏ ବିପଜ୍ଜନକ ସ୍ପଷ୍ଟୋକ୍ତିରେ ମୋର କିପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଥାନ୍ତା ଏବେ ଅନୁମାନ କରିବା କଠିନ ।

 

(ତିନି)

 

ମୁଁ ବଡ଼ ଚିନ୍ତାରେ ପଡ଼ିଥିଲି । କୃଷ୍ଣବେଣୀଙ୍କ ବିବାହକୁ ନାନା ତତ୍ତ୍ୱ ଦେଇ ଅନୁଶୀଳନ କରୁଥିଲି । ଭାବୁଥିଲି, ଏହା ହୁଏତ ଏକ ପ୍ରକାର ଆଶ୍ରୟ ଅକାଙ୍‍କ୍ଷାର ପରିଣତି । ଖେଳି ଖେଳି ଛୁଆ ଯେବେ କ୍ଳାନ୍ତ ହୁଏ, ଖେଳନା ପ୍ରତି ବିମୁଖ ହୋଇ ହୁଏତ କାନ୍ଦିବସେ କିମ୍ବା ମା' କୋଳକୁ ଦୌଡ଼ି ଯାଏ । ଜୀବନର ଯାତ୍ରାପଥରେ ମଣିଷ ଯେବେ ଅତିଷ୍ଠ ହୁଏ, କ୍ଲାନ୍ତ ହୁଏ, ଏକେ ଦର୍ଶନ- ଶାସ୍ତ୍ର ଘାଣ୍ଟି ବସେ କିମ୍ବା ପ୍ରିୟଦର୍ଶନ ସନ୍ଧାନରେ ରହେ । କୃଷ୍ଣବେଣୀ କ'ଣ ପ୍ରିୟଦର୍ଶୀ ବାଛିନେବାକୁ ପସନ୍ଦ କରିଚି ? ହୋଇପାରେ ବି, ପ୍ରକୃତି ଯେହେତୁ କେତେକ ନିର୍ଦ୍ଦିଷ୍ଟ ନିୟମରେ ପରିଚାଳିତ, ତା’ର ପରିସରଭୁକ୍ତ ସମସ୍ତ ଅନିୟମର ସ୍ୱାଭାବିକ ପ୍ରବଣତା ସରଳ ହେବାପାଇଁ । କୃଷ୍ଣବେଣୀ କ'ଣ ସରଳ ହେବାପାଇଁ ବ୍ୟାକୁଳ ହେଇଚି ?

 

ମାସ ମାସ ଧରି ଏ ପ୍ରଶ୍ନର ଯନ୍ତ୍ରଣାରେ କଲବଲ ହେଇଚି । ମୋର ନାନାବିଧ ଦୈନନ୍ଦିନ ବ୍ୟସ୍ତତା ଭିତରେ ବେଳେବେଳେ ବିଜୁଳି ଭଳି ମନରେ ଚମକି ଯାଇଥାଏ କୃଷ୍ଣବେଣୀଙ୍କ ସେଇ ଉକ୍ତି–

 

“ତମେ ମତେ ପ୍ରେମ କରୁଚ ।”

 

ଦିନେ ପୁଣି ଯାଇ ପହୁଞ୍ଚିଲି କୃଷ୍ଣବେଣୀ ନିକଟରେ । ମତେ ଦେଖି ସେ ଚମକି ଗଲେ ।

 

‘ତମ ଚେହେରାର ଏ କି ଅବସ୍ଥା !'

 

‘ମୁଁ ବଡ଼ କ୍ଲାନ୍ତ ହୋଇ ପଡ଼ିଚି ; କିଛି ଦିନ ବାହାରକୁ ଯିବାକୁ ଚାହୁଁଛି ; କିନ୍ତୁ ବଡ଼ ଅସହାୟ ମଣୁଚି ନିଜକୁ ।”

 

ମୁଁ ମୁଣ୍ଡପୋତି ବସିଥିଲି । କୃଷ୍ଣବେଣୀ ମୋ ଆଗରେ ଠିଆ ହେଇଥିଲେ । ତାଙ୍କର ସୁନ୍ଦର ପଦାଙ୍ଗୁଳିଗୁଡ଼ିକର ଅସ୍ଥିରତାରୁ ବୁଝୁଥିଲି ସେ ବଚଳିତ ହେଇ ପଡ଼ିଛନ୍ତି । କିଛି ସମୟ ପରେ ନିରବତା ଭଙ୍ଗକରି ସ୍ନେହଝରା କଣ୍ଠରେ କହିଲେ–

 

“ତମେ ମତେ ନେଇ ବହୁତ ଭାବୁଚ ।’ ମତେ ନୀରବ ଦେଖି, ସେ ଆଗେଇ ଆସି ମୋ ପାଖରେ ବସିଲେ ବଡ଼ ସମ୍ଭ୍ରମରେ । ରୁଦ୍ଧ କୋହରେ ତାଙ୍କର କ୍ଷୀଣ ତନୁ ଥରି ଉଠୁଥାଏ । ମୁହଁ ଭିସି ଯାଉଥାଏ ଲୁହରେ !

Image

 

(ଚାରି)

 

ଏତେକାଳ ଜୀବନର ଯାହା କେବେ ପାଇନି, ସେ ଆନନ୍ଦ ଏବେ ପାଉଚି କୃଷ୍ଣବେଣୀଙ୍କ ଛୁଆ ଦୁଇଟି ସଙ୍ଗେ ଖେଳିଲା ବେଳେ । ଏ ଛୁଆ ତିନିଟିର ଖେଳ ଦେଖିବା ପାଇଁ କୃଷ୍ଣବେଣୀ କିନ୍ତୁ ଆଉ ନାହାନ୍ତି ।

Image

 

ଶ୍ରୀକୃଷ୍ଣଙ୍କ ଶେଷହସ

ସୁରେନ୍ଦ୍ର ମହାନ୍ତି

 

ସେଦିନ ମହାଭାରତର ବିୟୋଗାନ୍ତିକ ନାଟକର ଶେଷଦୃଶ୍ୟ ଦେଖିଯିବାପାଇଁ ଯେପରି ଇନ୍ଦ୍ରପ୍ରସ୍ଥର ଗିରମାଳା ନେପଥ୍ୟରେ ଅସ୍ତାଚଲ ପଥରେ ସର୍ବଦ୍ରଷ୍ଟା ଦିବାକର ଅରୁଣ-ବାହିତ ରଥ ଦଣ୍ଡେ ଅଟକାଇ ଦେଇଥିଲେ ।

 

ମହାଭାରତ-ମହାସମର ପରେ ପରିତ୍ୟକ୍ତ କୁରୁକ୍ଷେତ୍ର, ଧ୍ଵଜ ଓ କଳସଶୋଭିତ ମୁକ୍ତା ଓ ମଣିଝରା-ବିମଣ୍ଡିତ, କୌରବ ପକ୍ଷର ଅସଂଖ୍ୟ ଭଗ୍ନରଥ, ପୁଣି ତୂଣ, ଧନୁ ଓ ନାରାଚ ଶୋଭିତ ଏକାଦଶ ଅକ୍ଷୋହିଣୀ ଯୋଦ୍ଧା ବର୍ଗଙ୍କର ଶବରାଶି, ଦ୍ଵାଦଶ ଯୋଜନା ବିସ୍ତାର କରି, ଶୋଣିତପଙ୍କ ମଧ୍ୟରେ ଇତସ୍ତତ ବିକ୍ଷିପ୍ତ ହୋଇ ପଡ଼ିଅଛି । ସେହି ମହାଶ୍ମଶାନର ଶବ ମଧ୍ୟରେ ରୋରୁଦ୍ୟମାନ, ଅସଂବୃତ ବାସନା, ଅବିନ୍ୟସ୍ତ କୁନ୍ତଳା, ଦୁର୍ଯ୍ୟୋଧନ ମହିଷୀ ଭାନୁମତୀ ଓ ଅନ୍ୟ କୌରବକୁଳ ନାରୀମାନେ ନିଜ ନିଜର ପ୍ରିୟ ସ୍ୱଜନବର୍ଗକୁ ଅନ୍ୱେଷଣ କରୁଅଛନ୍ତି । ସେମାନଙ୍କ ମର୍ମାନ୍ତିକ କ୍ରନ୍ଦନ, ଶ୍ଵାନ, ଶିବା ଓ ଶକୁନମାନଙ୍କର ନାରିକୀୟ ରଡ଼ିକୁ ସୁଦ୍ଧା ବେଳେ ବେଳେ ନିମଜ୍ଜିତ କରିଦେଉଅଛି ।

 

ଶତ ଶତ ଚିରକାଳ ଦୃପ୍ତ ଚପଲତା ମୃତ୍ୟୁର ଅଚଞ୍ଚଳ ଗାମ୍ଭୀର୍ଯ୍ୟ ମଧ୍ୟରେ ପ୍ରଶମିତ ହୋଇଅଛି, ଅଶ୍ଵମାନଙ୍କର ହେଷାରବ, ଓ ଦନ୍ତାବଳମାନଙ୍କର ବୃଂହିତ, ଯୋଦ୍ଧୃବର୍ଗଙ୍କର ପ୍ରମତ୍ତ ଆସ୍ଫାଳନ ମୃତ୍ୟୁର ଗତାଘାତରେ ସବୁ ନୀରବ ରହିଅଛି । କ୍ରନ୍ଦନ ଓ ଶିବାରଡ଼ି ମୁଖରିତ ସେହି ମହାଶ୍ମଶାନ ଉପରେ ଚକ୍ରାକାରରେ ଉଡ଼ି ବୁଲୁଥିବା ପର୍ଯ୍ୟୁଷିତ ମାଂସଲୋଭୀ ଅଗଣିତ ଶକୁନଙ୍କର ସଞ୍ଚାଲିତ ପକ୍ଷ, କରାଳ ଛାୟା ପରି ବିସ୍ତାରିତ ହୋଇଅଛି ।

 

ଇନ୍ଦ୍ର ପ୍ରସ୍ଥରେ ଧ୍ରୁତରାଷ୍ଟ୍ରଙ୍କ ପ୍ରାସାଦ ନୀରବ ଓ ନିର୍ଜନ । ବେଳେବେଳେ ସଞ୍ଜୟ ଓ ବିଦୁରଙ୍କର ଶାନ୍ତ, ଧୀର ପଦଶବ୍ଦ ଧ୍ରୁତରାଷ୍ଟ୍ରଙ୍କ ମର୍ମଭେଦୀ ଦୀର୍ଘଶ୍ଵାସ ଗାନ୍ଧାରୀଙ୍କର ଅସ୍ଫୁଟ କ୍ରନ୍ଦନର ଭାରାକ୍ରାନ୍ତ ନିରବତାକୁ ଆହୁରି ଘନୀଭୁତ କରିଦେଉଅଛି ।

 

ଧୃତରାଷ୍ଟ୍ର ଜନ୍ମାନ୍ଧ । ତେଣୁ କୁରୁକ୍ଷେତ୍ରର ମହାଶ୍ମଶାନରେ, ମହାନିଦ୍ରାର ଧୂଳିଶଯ୍ୟାରେ ମାନଗୋବିନ୍ଦ ଦୁର୍ଯ୍ୟୋଧନ ସମେତ ଶତପୁତ୍ର, ପୁଣି କର୍ଣ୍ଣ, ଶଲ୍ୟ ଦୋଣ୍ର ପ୍ରମୁଖ ସଖା ସୋଦରମାନଙ୍କୁ ଶେଷବାର ଦେଖି ଆସିବା ପାଇଁ ତାଙ୍କର ବ୍ୟାକୁଳତା, ଉତ୍କଣ୍ଠା, ଶୋକ ଦୀର୍ଘଶ୍ଵାସ କୌରବ ପ୍ରାସାଦର ଛାୟାଚ୍ଛନ୍ନ ଭିତ୍ତିପ୍ରସ୍ତର ଦେହରେ ବାଧା ପାଇ ବାରମ୍ବାର ନିରବ ହେଉ ଅଛି ।

 

ମାତ୍ର ଗାନ୍ଧାରୀ ନିଜର ଦୁଇଆଖିରୁ ଅନ୍ଧପଟ୍ଟିକାର ଆବରଣ ଫିଙ୍ଗି ଦେଇ ମହାନିଦ୍ରାରେ ଶାୟିତ ଶତପୁତ୍ରକୁ ପ୍ରଥମେ ଓ ଶେଷବାର ଥରେ ଦେଖିବାପାଇଁ ଉତ୍କଣ୍ଠିତ ହୋଇ ପଡ଼ିଅଛନ୍ତି । କିନ୍ତୁ ଅନ୍ଧ ଧୃତରାଷ୍ଟ୍ରଙ୍କ ପାଣିଗ୍ରହଣ ବେଳେ ‘ସତୀତ୍ୱର ଚରମ ନିଷ୍ଠାରେ ବ୍ରତଚାରିଣୀ ପରି ଗାନ୍ଧାରୀ ନଜର ଦୁଇଆଖିରେ ଅନ୍ଧପଟ୍ଟି- ତାର ଯେଉଁ ଆବରଣ ବାନ୍ଧିଥିଲେ ତାହାର ବନ୍ଧନ ଦୁଶ୍ଛେଦ୍ୟ ଓ ଗ୍ରନ୍ଥି ଦୁର୍ଭେଦ୍ୟ । ତା’ ନ ନେଲେ ସତୀ ଧର୍ମର ସବୁ ଅହଂକାର ଭୁଲି ଆଜି ସେହି ଅନ୍ଧପଟ୍ଟିକାକୁ ଏକ ତୁଚ୍ଛ ପ୍ରତିବନ୍ଧକ ରୁପେ, ପଥର ଧୁଳିରେ ଫିଙ୍ଗି ଦେବା ପାଇଁ ସେ ତିଳେହେଲେ କୁଣ୍ଠିତା ନୁହନ୍ତି ।

 

ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ଜୟ, ଦୂରନ୍ତ, ଦୂର୍ଗମ, ଦୂରମ, ଦୂର୍ଭର, ଦୂର୍ବାଲୋକ ପ୍ରମୁଖ ଶତପୁତ୍ରର ଜନନୀ, ମାତୃତ୍ୱ-ଗରବିଣୀ ସୋମବଂଶର ପୂଜନିୟା ଗାନ୍ଧାରୀ । କର୍ପୁର-ରେଣୁ-ସିଞ୍ଚିତ ତୁଳି-ତଳ୍ପରେ ସୁଦ୍ଧା ଯେଉଁମାନଙ୍କୁ ନିଦ୍ରାସ୍ପର୍ଶ କରୁନଥିଲା, ଆଜି ସେମାନେ କୁରୁକ୍ଷେତ୍ରରେ ଶୋଣିତ କର୍ଦ୍ଦମରେ ମହାନିଦ୍ରାରେ ଅଚେତନ ।

 

ସେମାନଙ୍କ ଶବ ରାଶି ଉପରେ ଶ୍ୱାନ, ଶିବା ଓ ଶକୁନମାନଙ୍କର ଅଶ୍ଲୀଳ ଚିତ୍କାର ଦ୍ୱିତୀୟ ଗୌରବ ସୃଷ୍ଟି କରିଅଛି ।

 

ଗୋଟିଏ ଶକୁନ ପଲର ବିକଟ ରଡ଼ିରେ ଗାନ୍ଧାରୀ ଆର୍ତ୍ତନାଦ କରି ଉଠିଲେ ।

 

ଆଶ୍ରୟ ପାଇଁ ଶୂନ୍ୟରେ ଶୁଷ୍କ ଚମବୃତ ଦୁଇ ଶିରାଳ ବାହୁ ତୋଳି ଅନ୍ଧ ପଟ୍ଟିକାବୃତା ଗାନ୍ଧାରୀ ଅସହାୟ କଣ୍ଠରେ ଚିତ୍କାର କଲେ..... “ବିଦୁର, ସଂଜୟ !”

 

ପରିତ୍ୟକ୍ତ କୌରବ-ପ୍ରାସାଦର ପୈଶାଚିକ ନିରବତା ମଧ୍ୟରେ ଗାନ୍ଧାରୀଙ୍କ ଆକୁଳ ଆହ୍ୱାନ ପ୍ରତିଧ୍ୱନି ଉଠାଇ ପୁଣି ନୀରବ ହୋଇଗଲା !

 

ନିସ୍ଫଳ ଅହଂକାର ଓ ଅଭିମାନରେ ଦୁଇ କଂପିତ ବାହୁ ସ୍ପୀତକରି, ଉର୍ଦ୍ଧ୍ଵକୁ ତୋଳି, ଅନ୍ଧ ଧୃତରାଷ୍ଟ୍ର ବିଦୁରଙ୍କ ସମ୍ମୁଖରେ ଆସ୍ଫାଳନ କରିଥିଲେ.... “ଭୁଲିଯାଅ ନାହଁ ବିଦୂର, ଆଜି ସୁଦ୍ଧା ଏହି ଦୁଇ ବାହୁରେ କୁରୁକୁଳହନ୍ତୀ ଭୀମ ସମେତ ପାଣ୍ଡବ ପଞ୍ଚଭ୍ରାତାଙ୍କୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେବାର ଶକ୍ତି ଅକ୍ଷୁର୍ଣ୍ଣ ରହିଅଛି l”

 

ଧୃତରାଷ୍ଟ୍ର କୌରବ-ସିଂହାସନ ଉପରେ ପ୍ରଚଣ୍ଡ ଜିଘାଂସାରେ ଶସ୍ତ୍ରାହତ ହୋଇ ପଶୁପରି ଗର୍ଜନ କରି ଉଠିଲେ । ତାଙ୍କର କୁଞ୍ଚିତ ଓ ରେଖାଙ୍କିତ ମୁଖମଣ୍ଡଳର ଶିଥିଳ ମାଂସପେଶୀମାନେ ଏକ କାଠିନ୍ୟର ନିଷ୍ଠୁର ହୋଇଗଲା । ସୁପ୍ତଆଗ୍ନେୟଗିରିର ଅନ୍ଧକାର ବିବର ପରି, ତାଙ୍କର ଦୃଷ୍ଟିହୀନ ଅନ୍ଧଚକ୍ଷୁରେ ଅଗ୍ନୁଦ୍ଗାର ଯେପରି ଉଲ୍ଲମ୍ଫନ କରି ଉଠିଲା ।

 

ବିଦୂର ଶାନ୍ତ କଣ୍ଠରେ କହିଲେ- “ମହାରାଜ, ଧ୍ରୁତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ସିଂହାସନର ସ୍ୱର୍ଣ୍ଣଦିପ୍ତୀରେ କାଳେ କଳେ ସେମାନେ ଅନ୍ଧ ହୋଇଛନ୍ତି । ଚକ୍ଷୁଷ୍ମତ୍ତା ଏକମାତ୍ର ଦୃଷ୍ଟି ନୁହେଁ ମହାରାଜ । ପାଣ୍ଡବ ପଞ୍ଚଭ୍ରାତାଙ୍କୁ ସମୂଳେ ବିନାଶ କରିବା ପାଇଁ ଜତୁଗୃହ ଦାହାର ଷଡ଼ଯନ୍ତ୍ର ବେଲେ, ଭୀମସେନଙ୍କୁ ବିସମୋଦକ ଖୁଆଇଲା ବେଳେ, ବ୍ୟାସ ସରୋବରରେ ଆତ୍ମଗୋପନ କରିଥିବା ଦ୍ରୌପଦୀଙ୍କ ପାଞ୍ଚ- ପୁତ୍ରକୁ ମୁଗୟାବିଳାସରେ ହତ୍ୟା କଲାବେଳେ, କୁରୁସଭା ତଳେ କୁଳବଧୂ ଦୌପଦୀକୁ ବିବସନା କଲାବେଳେ, ପୁଣି ସାମାନ୍ୟ ପାପାଞ୍ଚଖଣ୍ଡି ଗ୍ରାମ ପାଇଁ ଶ୍ରୀ କୃଷ୍ଣଙ୍କ ଦୌତ୍ୟର ଉତ୍ତରରେ, ‘ସୂଚ୍ୟଗ୍ର ପରିମିତ ଭୂମି ଦେବୁନାହିଁ ବୋଲି ଦୁର୍ଯ୍ୟୋଧନ ଆସ୍ଫାଳନ କଲାବେଳେ, ପୁରୋଦୃଷ୍ଟିରେ ଆପଣ ଯଦି ଏ ପରିଣତି କଳନା କରିଥାନ୍ତେ, ତାହା ହେଲେ ଅନୁଶୋଚନାରେ ଆଜି ଆପଣ ଏପରି ତିଳେ ତିଳେ ଦଗ୍‍ଧୀଭୁତ ହେଉ ନଥାନ୍ତେ । କିନ୍ତୁ କେବଳ ଆପଣ ନୁହଁନ୍ତି , ସବୁ ଧୃତରାଷ୍ଟ୍ର ଆପଣଙ୍କ ପରି ଜନ୍ମାନ୍ଧ !”

 

ଧୃତରାଷ୍ଟ୍ର କହିଲେ....“ମାତ୍ର , ଭୀଷ୍ମ, କର୍ଣ୍ଣ, ଦ୍ରୋଣ ପରି ମହାବୀରମାନେ ପାଣ୍ଡବମାନଙ୍କଦ୍ଵାରା ଏପରି ପରାଜିତ ହେବେ, ତାହା ତ ମୁଁ ଆଶଙ୍କା କରି ନଥିଲି ବିଦୂର ।”

 

ବିଦୁର କହିଲେ....”ସେଥିପାଇଁ ତ ମୁଁ କହେ ଧୃତରାଷ୍ଟ୍ରମାନେ ଚିରକାଳ ଅନ୍ଧ । ନର୍ଯାତିତ, ନିପୀଡ଼ିତ , ଆର୍ତ୍ତ ଆପାତ ଦୃଷ୍ଟିରେ ଯେତେ ଦୁର୍ବଳ ହେଲେ ସୁଦ୍ଧା, ଅକ୍ଷୌହିଣୀ ସେନାର ରଣ ପ୍ରସ୍ତୁତି ଓ ତ୍ରିପୁରବିଜୟୀ ଯୋଦ୍ଧାମାନଙ୍କର ଧନୁଷ୍ଟଙ୍କାର ତାହାକୁ ବିଡ଼ମ୍ବିତ କରିପାରିବ ନାହିଁ । କେତେ ଦର୍ପିତ ଇନ୍ଦ୍ରପ୍ରସ୍ତ, କେତେ ମଦମତ୍ତ ହସ୍ତିନୀ, କେତେ ଅହଂକାରୀ ବାରୁଣା, ମହାକାଳରେ ଏହିପରି ବାରମ୍ବାର ଭୂଲଣ୍ଠିତ ହେବ । ମହାରାଜ, ମହାଭାରତରେ ଐକ୍ୟ ଓ ଶାନ୍ତ କ୍ଷମତାର ଦାମ୍ଭିକତାରେ ରହିବ ନାହିଁ: ଲାଞ୍ଛିତ , ବଞ୍ଚିତ ତ ଅପମାନିତାକୁ ତା’ର ଯଥାର୍ଥ ଦାବିରେ ପ୍ରତିଷ୍ଠିତ କରିବାରେ, ରହିବ ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ ।”

 

ଇନ୍ଦ୍ରପ୍ରସ୍ଥର ଆକାଶରେ କାଳ ବୈଶାଖୀର ଘୂର୍ଣ୍ଣୀ ଧୃତରାଷ୍ଟ୍ରର କଣ୍ଠରେ ଯେପରି ଗର୍ଜନ କରି ଉଠିଲା ।

ବିଦୂରଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧରେ ଚିତ୍କାର କରି, ଧୃତରାଷ୍ଟ୍ର କହିଲେ “ତୁମେ ନା ବିଦୁର, କୌରବର ଅନ୍ନଭୋଜି ! କୌରବର ଔଦାର୍ଯ୍ୟରେ, କରୁଣାରେ, ଦାକ୍ଷିଣ୍ୟରେ, ତୁମେ ନା ଲାଳିତପାଳିତ ଓ ବର୍ଦ୍ଧିତ । ଆଜି ସେହି କୌରବମାନଙ୍କର ଚରମ ଦୁର୍ଦ୍ଦିନରେ ଏ କ'ଣ ତୁମର ପ୍ରତିଦିନ ? କୌରବର ଅନ୍ନର ପ୍ରତିଦାନରେ ତୁମ କଣ୍ଠରେ ସମବେଦନାର କ୍ଷୀଣ ବାଣୀ ସୁଦ୍ଧା ନାହିଁ ।”

 

ବିଦୁର ଅବିଚଳିତ କଣ୍ଠରେ ଦେଲେ.... “କିନ୍ତୁ ସତ୍ୟ ଯେତେ କଠୋର ହେଲେ ସୁଦ୍ଧା ଦିନେ ତାହାର ସମ୍ମୁଖୀନ ହେବା ପାଇଁ ପଡ଼ିବ ମହାରାଜ !”

 

ଧୃତରାଷ୍ଟ୍ର ଚିତ୍କାର କରି ଉଠିଲେ- “କିନ୍ତୁ ସାମାନ୍ୟ ରାଜ୍ୟ ପାଇଁ ପାଣ୍ଡବମାନଙ୍କଦ୍ଵାରା, ସଖା-ନାଶ, ସୋଦର-ନାଶ, କୁଳ-ନାଶ ଏହି କ’ଣ ତୁମର ସତ୍ୟ ବିଦୁର ? ମୁଁ ବା କିପରି ଭୁଲିବି କହ, ବିଦୂର ! ଆଜି ସୋମବଂଶର ଦ୍ୱୀପଶିଖା ଗୋଟିକ ପରେ ଗୋଟିଏ ନିର୍ବାପିତ ହୋଇଗଲା । ଅନ୍ଧ ଧୃତରାଷ୍ଟ୍ର ଅନ୍ଧ ତମିସ୍ରା ପରି, ଏହାପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ନିରନ୍ଧ୍ର, ସୂଚୀଭେଦ୍ୟ, ନିଷ୍ଠୁର ଅନ୍ଧକାର !”

 

ବିଦୁର ଶାନ୍ତକଣ୍ଠରେ ଉତ୍ତର ଦେଲେ.... “କର୍ମଫଳର ଅଲଙ୍ଘନୀୟ ପରିଣତି ରୂପେ ଏହାକୁ ଗ୍ରହଣ କରି ଶୋକ ସମ୍ବରଣ କରନ୍ତୁ ମହାରାଜ, ଶାନ୍ତିଲାଭ କରିବେ । ଆପଣ କୁରୁକୁଳର ଅଗସ୍ତି ରୂପେ କୌରବ-ସମୁଦ୍ର ନିଃଶେଷ କରିଅଛନ୍ତି, ପାଣ୍ଡବମାନେ ତ ଜୀର୍ଣ୍ଣ କୁପମାତ୍ର । ଆଉ କ୍ରୋଧାନଳରେ ପ୍ରଜ୍ଜ୍ୱଳିତ ହୋଇ ସେ କୂପକୁ ନିଃଶେଷ କରନ୍ତୁ ନାହିଁ ।”

 

ଏହି ସମୟରେ ଅନ୍ଧ ପଟିକାବୃତା, ଶୋକାକୁଳା ଗାନ୍ଧାରୀ, ଉନ୍ମାଦିନୀ ପରି ସେଠାକୁ ଧାଇଁଆସି କହିଲେ....“ମହାରାଜ, ଦିନେ ଆପଣଙ୍କ ପାଇଁ ମୁଁ ଆଖିରେ ସ୍ୱହସ୍ତରେ ବାନ୍ଧିଥିଲି ଏଇ ଅନ୍ଧପଟ୍ଟିକା । ସେହି ବନ୍ଧନର ଦୁଶ୍ଛେଦ୍ୟଗ୍ରନ୍ଥି ଆଜି ସ୍ୱହସ୍ତରେ ଛିନ୍ନ କରିଦିଅନ୍ତୁ ମହାରାଜ ! ଶତପୁତ୍ରର ଜନନୀ ମୁଁ, ଜୀବିତରେ ଯେଉଁମାନଙ୍କୁ ଦେଖି ନାହିଁ, ଆଜି ଅନ୍ତତଃ ଶେଷ ଶଯ୍ୟାରେ ସେମାନଙ୍କୁ ଥରେ ଦେଖି ନୟନର ଜ୍ଵାଳା ଶାନ୍ତ କରେ !”

 

ଅନ୍ଧ ପଟ୍ଟିକାର ଗ୍ରନ୍ଥି ଛିନ୍ନ କରିବାର ନିଷ୍ଫଳ ଉଦ୍ୟମରେ ଶିରାଳ ଅଙ୍ଗୁଳିର ଶତ ନଖାଘାତରେ, ନରକରୋଟି ପରି ଦିଶୁଥିବା ଗାନ୍ଧାରୀଙ୍କର ଶୃଷ୍କ ଚର୍ମବୃତ ମୁଖ ରକ୍ତାକ୍ତ ହୋଇପଡ଼ିଲା । ଲୋତକ ଓ ଶୋଣିତର ଧାର ଗାନ୍ଧାରୀଙ୍କ ମୁଖମଣ୍ଡଳକୁ, ଅତ୍ୟନ୍ତ ଭୟଙ୍କର କରିଦେଇଥିଲା ।

 

ଗାନ୍ଧାରୀ ଶୋକାପ୍ଲୁତ କଣ୍ଠରେ ପୁଣି ଚିତ୍କାର କରି ଉଠିଲେ..... “ମହାରାଜ, ଆପଣଙ୍କ ପାଇଁ, ଅନ୍ଧପଟ୍ଟିକାର ଆବରଣ ତଳେ ଚକ୍ଷୁ ଥାଇ ସୁଦ୍ଧା ମୁଁ ଚିରଜୀବନ ଅନ୍ଧ ରହି ଆସିଅଛି । ଆଜି ମୋ ପାଇଁ ସେ ଆବରଣ ଥରେ ଉନ୍ମୋଚନ କରନ୍ତୁ ମହାରାଜ ।

 

ଗାନ୍ଧାରୀଙ୍କର ଅନୁରୋଧରେ ଧୃତରାଷ୍ଟ୍ର ମୁଖମଣ୍ଡଳ ଏକ କୃଷ୍ଣ ମେଘ ଖଣ୍ଡରେ ଯେପରି ଆଚ୍ଛନ୍ନ ହୋଇପଡ଼ିଥିଲା । ଗାନ୍ଧାରୀ ଜାଣନ୍ତି ନାହଁ, ମାତ୍ର ଧୃତରାଷ୍ଟ୍ର ଜାଣନ୍ତି, ଅନ୍ଧପଟ୍ଟିକାବୃତା ଗାନ୍ଧାରୀଙ୍କର ଦୁଇ ଚକ୍ଷୁରେ ପୁଞ୍ଜିଭୁତ ହୋଇ ରହିଅଛି ବିଶ୍ୱର ଦାବାନଳ ! ସେ ଦୃଷ୍ଟି ଥରେ ଫିଟିଲେ ଧୃତରାଷ୍ଟ୍ର ସୁଦ୍ଧା ସେଥରେ ଭସ୍ମ ହୋଇଯିବେ ।

 

ଗାନ୍ଧାରୀକୁ ସାନ୍ତ୍ୱନା ଦେଇ ବିଦୁର କହିଲେ..... “ଶୋକ ସମ୍ବରଣ କରନ୍ତୁ ମହାଦେବି ! କିଏ କହେ ଆପଣ ପୁତ୍ରହୀନା ? ଅଗ୍ରପାଣ୍ଡବ ଯୁଧିଷ୍ଟିରଙ୍କର ଅଭୟ ଛାୟାତଳେ, ଦୁର୍ଦ୍ଧକ୍ଷ ଏବେ ସୁଦ୍ଧା ଜୀବିତ । ପୁଣି ପଞ୍ଚୁପାଣ୍ଡବ ତ ଆପଣଙ୍କୁ ଜନନୀ ତୁଲ୍ୟ ଭକ୍ତି କରନ୍ତି ।”

 

ଗାନ୍ଧାରୀ ଉନ୍ମାଦୀନିଙ୍କ ପରି ଚିତ୍କାର କରି ଉଠିଲେ “ମୁଁ ଜାଣେ ମହାରାଜ, ଆଉ ଏ ଅନ୍ଧ ପଟିକା ଉନ୍ମୋଚିତ ହେବ ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଗାନ୍ଧାରୀର ଜୀବନ କେବଳ ଅମାବାସ୍ୟାର ନିରନ୍ଧ୍ର , ନିଷ୍ଠୁର ଅଂଧକାର !”

 

ଗାନ୍ଧାରୀ ଯେପରି ବାତ୍ୟାବାହିତ ଗୋଟିଏ ଶୁଷ୍କପତ୍ର ପରି ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ଉଡ଼ିଆସିଥିଲେ, ସେହିପରି ସେଠାରୁ ପୁଣି ସ୍ଖଳିତ ପାଦରେ ଚାଲିଗଲେ ।

 

ରଥ ପ୍ରସ୍ତୁତ । ଯୁଧିଷ୍ଟିର ଏକାକୀ ରଥରେ ଉପବେଶନ କରିବା ପାଇଁ ଉଦ୍ୟତ ହୋଇଥିଲେ; ଏହି ସମୟରେ ଶ୍ରୀକୃଷ୍ଣ ଦୁର୍ଦ୍ଦକ୍ଷ ସହିତ ହଠାତ୍ ବିପରିତ ଦିଗରୁ ଆସି ତାଙ୍କୁ ପଚାରିଲେ, “ହସ୍ତିନାର ସଂହାସନରେ ଆସନ୍ନ ଅଭିଷେକର ଉତ୍ସବ ମଧ୍ୟରେ ଏକାକୀ କେଉଁଆଡ଼େ ବାହାରିଲେ ଧର୍ମରାଜ ?”

 

ଯୁଧିଷ୍ଟିର କହିଲେ “ମାତା ଗାନ୍ଧାରୀ ମୋତେ ସ୍ମରଣ କରିଅଛନ୍ତି । ତାଙ୍କର ଦର୍ଶନ ପାଇଁ ବାହାରିଅଛି ।”

ଶ୍ରୀକୃଷ୍ଣ କହିଲେ:- “ବହୁକାଳ ଗାନ୍ଧାରୀଙ୍କ ସହିତ ମୋହର ମଧ୍ୟ ସାକ୍ଷାତ ହୋଇନାହିଁ । ତାହାହେଲେ ଚାଲନ୍ତୁ ଅଗ୍ରପାଣ୍ଡବ, ମୁଁ ଆପଣଙ୍କ ରଥ ଚଲାଇନେବି ।”

 

ଯୁଧିଷ୍ଠିର ଏ ପ୍ରକାର ଆକସ୍ମିକତାରେ ବିସ୍ମିତ ହୋଇ ପଚାରିଲେ, “ଏ ପୁଣି କି ନୂତନ ମାୟା, ମାୟାଧର ?”

 

ଶ୍ରୀକୃଷ୍ଣ ସାରଥିର ସ୍ଥାନରେ ବସି, ସ୍ମିତ ହସି ଯୁଧିଷ୍ଟିରଙ୍କୁ କହିଲେ “ମହାଭାରତର ଜୟଯାତ୍ରା ପଥରେ ଯେ ପାଣ୍ଡବଙ୍କ ଜୟରଥ ବାହିଥିଲା, ତା’ର ଦିଗ୍‍ଦର୍ଶନରେ କ’ଣ ଆପଣଙ୍କ ସନ୍ଦେହ ହେଉଛି, କୌନ୍ତେୟ ?”

 

ଯୁଧିଷ୍ଠିର ନୀରବ ରହିଲେ ।

 

ଶ୍ରୀକୃଷ୍ଣ ଚିରଦିନ ଏହିପରି ପ୍ରହେଳିକାମୟ !

 

କୁରୁକ୍ଷେତ୍ରର ମହାଶ୍ମଶାନ ମଧ୍ୟରେ, ପ୍ରତି ଶବସ୍ତୁପ ବୁଲି ସଞ୍ଜୟଙ୍କ ସହିତ ଗୀନ୍ଧାରି ଶତପୁତ୍ରଙ୍କ ଶବସନ୍ଧାନ କରୁଥିଲେ । ଶିବା, ଶକୁନ ଓ ଶ୍ଵାନଦଳଙ୍କୁ ଠେଲି, ଗାନ୍ଧାରିଙ୍କ ହସ୍ତ ଧରି, ସଞ୍ଜୟ ତାହାଙ୍କୁ ଆସନ୍ନ ସଂଧ୍ୟାର ବିଷର୍ଣ୍ଣ ଗୋଧୂଳି ମଧ୍ୟରେ ପଥ କଢ଼ାଇ ନେଉଥିଲେ ।

 

ସଞ୍ଜୟ କହିଲେ- “ମହାଦେବୀ ! ଭୁତଳୀଶାୟୀ ହୋଇ ମହାନିଦ୍ରାରେ ଅଚେତନ ହୋଇ ପଡ଼ିଛନ୍ତି, ଏହି ଦେଖନ୍ତୁ ପିତାମହ ଭୀଷ୍ମ । ମୁଖମଣ୍ଡଲରେ ତାଙ୍କର ଅନନ୍ତ ପ୍ରଶାନ୍ତି ।”

 

ଗାନ୍ଧୀରୀ କହିଲେ….ଜାଣେ ସଞ୍ଜୟ, ସ୍ୱଇଚ୍ଛାରେ ସେ ପ୍ରାଣ ସମ୍ବରଣ କରିଅଛନ୍ତି । ତା ନ ହେଲେ ଭୀଷ୍ମଙ୍କ ସମ୍ମୁଖରେ ପାଣ୍ଡବମାନେ ତ ତୁଚ୍ଛାଦପି ତୁଚ୍ଛ ।”

 

ସଞ୍ଜୟ କହିଲେ “ଆଉ ରଥ ଚକ୍ରତଳେ ଏଠି ନିଷ୍ପେଷିତ ହୋଇ ପଡ଼ିଛନ୍ତି, ବାହ୍ଲୀକବିର ସୋମଦତ୍ତ, ମତ୍ତହସ୍ତୀର ଦନ୍ତାଘାତରେ ରକ୍ତାକ୍ତ ହୋଇ ପଡ଼ିଛନ୍ତି ଭୁରୀଶ୍ରବା । ମହାଦେବୀ ! ଅର୍ଜୁନର ଶରାଘାତରେ ଏଇ ଉତ୍ତାନଶାୟୀ ହୋଇ ପଡ଼ିଛନ୍ତି ମହାବୀର କଣ୍ଣ । ବୈଦୁର୍ଯ୍ୟ ଖଚିତ ତାଙ୍କ କିରୀଟରେ ଅସ୍ତସୂର୍ଯ୍ୟଙ୍କର ଶେଷ କିରଣ ରେଖା, ପୁତ୍ରର ମସ୍ତକରେ ପିତାର ଆର୍ଶୀବାଦ–ସ୍ନିଗ୍ଦ -ସ୍ପର୍ଶପରି ତଥାପି ଲାଗିରହିଛି । ସେହି ଦ୍ୟୁତିରେ କର୍ଣ୍ଣଙ୍କ ମୁଖମଣ୍ଡଳ ଶତଦଳର ସଦ୍ୟତାରେ ତଥାପି ଉଦ୍‍ଭାସିତ ।

 

ଗାନ୍ଧାରୀ ଶୋକାର୍ତ୍ତ କଣ୍ଠରେ କର୍ଣ୍ଣଙ୍କ ଶବକୁ ଆଲିଙ୍ଗନ କରି କହିଲେ.... “ଆସ ବାବୁ, ଜନନୀର ବାତ୍ସଲ୍ୟ-ବଞ୍ଚିତ କୌନ୍ତେୟ, ଅଗ୍ର ପାଣ୍ଡବ । ଦୁର୍ଯ୍ୟୋଧନର ମାନରକ୍ଷା ପାଇଁ ଅପରାଜେୟ ବୀର ତୁମେ, ଆଜି ରଣଭୂମିରେ ଶୋଣିତ-ପଙ୍କରେ ଲୋଟୁଅଛ; କିନ୍ତୁ ହେ ସର୍ବଦ୍ରଷ୍ଟା, ଦିବାକର, ସର୍ଶଶକ୍ତିମାନ, ସହସ୍ରଶୀର୍ଷା ହିରଣ୍ୟଗର୍ଭ, ଅଂଶୁମାଳୀ; ଯେଉଁମାନେ କ୍ଷତ୍ରିୟଧର୍ମର ପ୍ରତିକୂଳାଚରଣ କରି ଅନ୍ୟାୟ ଯୁଦ୍ଧରେ କର୍ଣ୍ଣକୁ ହତ୍ୟା କରିଅଛନ୍ତି ସେମାନଙ୍କ ପାଇଁ କ'ଣ କୌଣସି ଶାସ୍ତି ନାହିଁ ? ନାହିଁ ? ନାହିଁ ?”

 

ଆଉ କିଛିଦୂର ଅଗ୍ରସର ହେବାପରେ ସଂଜୟ କହିଲେ, -“ଦେବୀ ! ଭୀମର ଗଦାଘାତରେ ଏଇ ଧରାଶାୟୀ ହୋଇଛନ୍ତି ଭଗ୍ନଜାନୁ ଦୁଶାସନ ! ବିବସନା ଦ୍ରୌପଦୀର ଉଲଙ୍ଗ ଜାନୁ ପ୍ରତି ଅଶ୍ଳୀଳ କଟାକ୍ଷର ପ୍ରତିଶୋଧ ନେବାପାଇଁ, ଏହାହିଁ ଥିଲା ଭୀମର ପ୍ରତିଜ୍ଞା । ନୀଳମେଘରେ ବିଦ୍ୟୁତର ଚମକ ପରି, ତାଙ୍କର ପ୍ରଶସ୍ତ ବକ୍ଷରେ ମଣିମୁକ୍ତା ଖଚିତ ଗଳାହାର ତଥାପି ବିଲମ୍ବିତ ରହିଅଛି । ଚାଲନ୍ତୁ ଦେବୀ । ଜୀବନ ମୃତ୍ୟୁର ଏହା ତ ଚିରନ୍ତନ ଲୀଳା; ସମସ୍ତ କର୍ମଫଳର ଅଧୀନ !

 

ଗାନ୍ଧାରୀ ଉଚ୍ଛ୍ୱସିତ, କ୍ରନ୍ଦନର ରୁଦ୍ଧ ଆବେଗରେ କହିଲେ.... “ମୋର ଅନ୍ଧପଟ୍ଟିକା ଥରେ ଉନ୍ମୋଚିତ କରିଦିଅ ସଞୟ ! ଜୀବନରେ ଯାହାକୁ କେବେ ଦେଖି ନାହିଁ, ମୃତ୍ୟୁର ଧୂଳିଶଯ୍ୟାରେ ତାକୁ ଥରେ ଦେଖି ଚିରଖ୍ୟୁଦିତ ନୟନର କ'ଳା ପ୍ରଶମିତ କରେ ।”

 

ଗାନ୍ଧାରୀଙ୍କଠାରୁ ଅଳ୍ପଦୂରରେ ଶ୍ରୀକୃଷ୍ଣ ରଥର ଗତି, ସ୍ତିମିତ କରିଦେଲେ l ଯୁଧିଷ୍ଠିର ଉଦବିଗ୍ନ କଣ୍ଠରେ ପଚାରିଲେ.... “ରଥର ଗତି କାହିଁକି ? ସ୍ତିମିତ କଲେ ନାରାୟଣ ?”

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ • “ଯେଉଁମାନେ ଶୋକାର୍ତ୍ତ, ବେଦନାର୍ତ୍ତ, ଦୁଃଖୀ ସେମାନଙ୍କ ନିକଟକକୁ କ୍ଷମତା ଓ ଦର୍ପରେ ଅଭିମାନରେ ରଥରୁହ ହୋଇ ଯିବା ଶୋଭନୀୟ ନୁହେଁ, ସେଥିରେ ସେମାନଙ୍କର ଶୋକର ଗାୟୁର୍ଯ୍ୟ ଓ ମର୍ଯ୍ୟାଦା ଲାଞ୍ଛିତ ହୁଏ । ଗାନ୍ଧାରୀ ପୁଣି ସହଜେ ତ ତୁମର ମା.. ତୁଲ୍ୟ ।”

 

ଯୁଧିଷ୍ଠିର ଅପରାଧା ପରି ରଥରୁ ଅବତରଣ କରି କହିଲେ ଆପଣ ଯଥାର୍ଥ କହିଛନ୍ତି ନାରାୟଣ, ଶୋକାର୍ତ୍ତ ଗାନ୍ଧାରୀଙ୍କ ନିକଟକୁ ପାଦରେ ଯିବାହିଁ ମୋ ପକ୍ଷରେ ସମୀଚୀନ ।”

 

ଦୂର୍ଯ୍ୟୋଧନ ଶବ ନିକଟରେ ବିହୁଳତା ଗୀନ୍ଧାରୀଙ୍କ ନିକଟକୁ ଯୁଧିଷ୍ଠିର ଅଗ୍ରସର ହେଉଥିଲେ, ଶ୍ରୀକୃଷ୍ଣ ତାହାଙ୍କର ଗୋଟିଏ ବାହୁ ଟାଣିଧରି କହିଲେ…..

 

“ଗାନ୍ଧାରୀ ତୁମକୁ କାହିଁକି ସ୍ମରଣ କରିଅଛନ୍ତି ଜାଣିଛ ଯୁଧିଷ୍ଠିର ?”

 

ଯୁଧିଷ୍ଠିର କହିଲେ- ନା, ତା ଜାଣେ ନା ତ ।”

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ “କୁରୁ ମହାଶ୍ମଶାନର ଶବସ୍ତୁପ ମଧ୍ୟରେ ଗାନ୍ଧାରୀ ନଜ ପୁତ୍ରମାନଙ୍କୁ ଥରେ ଦେଖିବା ପାଇଁ, ତାଙ୍କର ଅନ୍ଧପଟ୍ଟିକା ଉନ୍ମୋଚନ କରିବା ଉଦେଶ୍ୟରେ ତୁମକୁ ସ୍ମରଣ କରିଅଛନ୍ତି ।”

 

ଯୁଧିଷ୍ଠିର କହିଲେ ..... ଏ ବା କି କଷ୍ଟ କାର୍ଯ୍ୟ ? ଏହି ମୁହୁର୍ତ୍ତରେ ମୁଁ ସେହି ଗ୍ରନ୍ଥି ଛିନ୍ନ କରିଦେବି ।

 

ଶ୍ରୀକୃଷ୍ଣ ସ୍ମିତ ହସି କହିଲେ- “କିନ୍ତୁ ଯୁଧିଷ୍ଠିର, ତୁମେ ବିସ୍ମିତ ହେଉଛ କିପରି, ଶତପୁତ୍ରର ଜନନୀ ଗାନ୍ଧାରୀ ଆଜି ତୁମରି ହେତୁ ପୁତ୍ରହୀନା । ଗାନ୍ଧାରୀଙ୍କ ଭାବନାରେ, ତୁଚ୍ଛ ସିଂହାସନ ପାଇଁ ତୁମର ସର୍ବଗ୍ରାସୀ ଲୋଭ ଓ ଇର୍ଷା, ଆଦି କୁରୁକୁଳକୁ ନିଷ୍ପ୍ରଦୀପ କରିଅଛି ।”

 

ଯୁଧିଷ୍ଠିର ଅସହାୟ କଣ୍ଠରେ କହିଲେ- “ସେ ବୃତ୍ତାନ୍ତ ଗାନ୍ଧାରୀ ନ ଜାଣନ୍ତୁ ପଛେ, ଆପଣ ତ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ ।”

 

ଶ୍ରୀକୃଷ୍ଣ କହିଲେ....“ଏବେ ତୁମେ ତୁମ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚନ କରିବା ପରେ ସେ ଯେତେବେଳେ ତୁମର ପ୍ରିୟପୁତ୍ର ଦୁଃଶାସନର ଭୁତଳଶାୟୀ ଶବ ଦେଖିବେ, ସେତେବେଳେ ଶାନ୍ତି ଓ ସାନ୍ତ୍ୱନା ପରିବର୍ତ୍ତେ, ତାଙ୍କ ପ୍ରାଣରେ ଶୋକବହ୍ନି ଶତଗୁଣରେ ପ୍ରଜ୍ଜ୍ୱଳିତ ହେବ ନାହିଁକି ?”

 

ଯୁଧିଷ୍ଠିର କିଂକର୍ତ୍ତବ୍ୟବିମୁଢ଼ ପରି କହିଲେ, “ତାହା ଯଥାର୍ଥ । କିନ୍ତୁ ଗାନ୍ଧାରୀ ଯେତେବେଳେ ଅନ୍ଧପଟ୍ଟିକାର ଆବରଣ ଉନ୍ମୋଚନ କରିବାପାଇଁ ମୋତେ ସ୍ମରଣ କରିଅଛନ୍ତି, ମୁଁ କଣ କରିବି କହନ୍ତୁ ନାରାୟଣ ? ମୁଁ ନିରୁପାୟ !”

 

ଶ୍ରୀକୃଷ୍ଣ କହିଲେ....“ଗାନ୍ଧାରୀଙ୍କ ଶତପୁତ୍ର ବିନଷ୍ଟ ହୋଇପାରିଥାନ୍ତି, ତଥାପି ଜୀବନ ଅଛି ଦୁର୍ଦ୍ଦକ୍ଷ । କୁରୁବଂଶୀ ଶେଷ ପ୍ରଦୀପକୁ ଦେଖି, ଗାନ୍ଧାରୀଙ୍କ ପ୍ରାଣ ଶାନ୍ତିଲାଭ କରିବ ।”

 

ଯୁଧୁଷ୍ଠିରଙ୍କ କଣ୍ଠସ୍ଵର ଶୁଣି ଉତ୍କଣ୍ଠିତା ଗାନ୍ଧାରୀ ପଚାରିଲେ...... “ସଞୟ ଏତ ଯୁଧିଷ୍ଠିରଙ୍କର କଣ୍ଠସ୍ଵର ପରି ମନେହେଉଛି l

 

ସଞ୍ଚୟ କହିଲେ.... “ଶ୍ରୀକ୍ରୁଷ୍ଣ ସହିତ ଅଗ୍ରପାଣ୍ଡବ ଯୁଧିଷ୍ଠିର ଆପଣଙ୍କ ପଦବନ୍ଦନା ପାଇଁ ଆସୁଛନ୍ତି ।

 

ଉଦ୍‍ବେଳିତା ଗାନ୍ଧାରୀ ଯୁଧିଷ୍ଠିରକୁ ଆଲିଙ୍ଗନ କରିବା ପାଇଁ ଶୂନ୍ୟରେ ଦୁଇ କମ୍ପିତ ଶିରାଳ ବାହୁ ମେଳି କହିଲେ, ‘ଆସ ଆସ ବାବୁ, ବିଗଳିତ କରୁଣାର ପ୍ରତିରୂପ ଅଗ୍ରପାଣ୍ଡବ ଯୁଧିଷ୍ଠିର....ଆଜି ତୁମେ ଅଗ୍ର କୌରବ ମଧ୍ୟ । ମୁଁ ପାପିନୀ, ମୋର କ୍ରୁର କର୍ମର ଫଳ ଭୋଗ କରିଅଛି । ଏବେ ମୋର ଦୁଶ୍ଛେଦ୍ୟ ଅନ୍ଧପଟ୍ଟିକାର ଗ୍ରନ୍ଥି ଥରେ ଉନ୍ମୋଚନ କରିଦିଅ ପୁତ୍ର; ଯେଉଁ ଶତପୁତ୍ରକୁ ଜନ୍ମଦେଇ ସୁଦ୍ଧା ସ୍ୱଚଖ୍ୟୁରେ କେବେ ଦେଖି ନାହିଁ, ଏବେ ସେମାନଙ୍କୁ ପ୍ରଥମ ଓ ଶେଷଥର ପାଇଁ ଦେଖି, ମୋର ଅତୃପ୍ତ ନୟନର ଜ୍ୱାଳା ପ୍ରଶମିତ କରେ ।”

 

ଗାନ୍ଧାରୀଙ୍କ ବ୍ୟାକୁଳ ନିବେଦନରେ, ଯୁଧିଷ୍ଠିର ଅନ୍ଧପଟ୍ଟିକାର ଗ୍ରନ୍ଥି, ଚ୍ଛେଦନ କରିବା ପାଇଁ ଅଗ୍ରସର ହେଉଥିଲେ । ଶ୍ରୀକୃଷ୍ଣ ହଠାତ୍ ତାହାଙ୍କର ଗୋଟିଏ ବାହୁ ଧରିପକାଇ ଅସ୍ପୁଟ କଣ୍ଠରେ ଦୁର୍ଦ୍ଧକ୍ଷକୁ କହିଲେ, “ଦୁର୍ଦ୍ଧକ୍ଷ, ଜନନୀ ଗାନ୍ଧାରୀଙ୍କ ଅନ୍ଧପଟ୍ଟିକା ଉନ୍ମୋଚିତ କର । ପୁତ୍ରହୀନା, ଶତପୁତ୍ରର ଜନନୀ ଗାନ୍ଧାରୀ, ତୁମକୁ ସଶରୀରେ ଜୀବିତ ଦେଖିଲେ, ପୁତ୍ରଶୋକ ବିସ୍ମିତା ହେବେ ।”

 

ଶ୍ରୀକୃଷ୍ଣଙ୍କ ଦୂଇ ରଂଗାଧାରରେ ରହସ୍ୟ ବିଜଡ଼ିତ ହସ ।

 

ଯୁଧିଷ୍ଠିର କହିଲେ..... “ତାହାହିଁ କର ଦୂର୍ଦ୍ଦକ୍ଷ” ।

 

ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ତାଙ୍କର ଚିର ଅନୁଗତ ଦୁର୍ଦ୍ଦକ୍ଷ ମୁହୂର୍ତ୍ତକ ମଧ୍ୟରେ ଗାନ୍ଧାରୀଙ୍କର ଅନ୍ଧପେଟ୍ଟିକାର ଗ୍ରନ୍ଥି ଛିନ୍ନ କରିଦେଲା ।

 

ଗ୍ରନ୍ଥି ଉନ୍ମୋଚିତ ହେବା ମାତ୍ରେ, ଅନ୍ଧପଟ୍ଟିକାର କୃଷ୍ଣ ଆବରଣ ତଳୁ ଅଗ୍ନ୍ୟୁଦ୍‍ଗାରର ସର୍ବନାଶୀ ଶିଖା ଯେପରି ଉଲଘଂନ କରି ଉଠିଲା । ସେହି କରାଳ ଦୃଷ୍ଟିର ପୁଞ୍ଜୀଭୁତ ତେଜରେ, ଦୁର୍ଦ୍ଧକ୍ଷ ଦୁଃଶାସନଙ୍କ ଭୁଲୁଣ୍ଠିତ ଶବ ଉପରେ ମୁହୂର୍ତ୍ତକ ମଧ୍ୟରେ ଭସ୍ମରାଶି ପରି ଝରିପଡ଼ିଲା ।

 

ଯୁଧିଷ୍ଠିର ଆର୍ତ୍ତନାଦ କରି ଉଠିଲେ-..ଏ ପୁଣି କି ଚକ୍ର ଚାଳନା କଲେ ଚକ୍ରି ? ଦୁର୍ଦ୍ଦକ୍ଷ ଯେ ମୋର ଚିର ଅନୁଗତ ।”

 

ଶ୍ରୀକୃଷ୍ଣ ଅନୁଚ୍ଚ କଣ୍ଠରେ କହିଲେ..... “ନୀରବ ରହ ନର୍ବୋଧ ! ଆଜି ଗାନ୍ଧାରୀର ନୟନାନଳରେ ଦଗ୍ଧ ହୋଇଥିଲେ, କାଲି ତୁମେ ହସ୍ତିନାର ସିଂହାସନରେ ଅଭିଷିକ୍ତ ହୋଇଥାନ୍ତ କିପରି ? ଏହା ରାଜନୀତି.......ରାଜନୀତିର

 

ଯଜ୍ଞକୁଣ୍ଡରେ ଏହପରି ବହୁ ବିଶ୍ଵସ୍ତ ଓ ବଶମ୍ବଦ ଦୁର୍ଦ୍ଦକ୍ଷର ଆହୁତି, ଏକ ଦୈନନ୍ଦିନ ଘଟଣା । ସେଥିରେ ତୁମପରି ଧୀମାନ ବିଚଳିତ ହେବା ଉଚିତ ନୁହେଁ, ଯୁଧିଷ୍ଠିର ।”

 

ସଞୟ ବଜ୍ରାହତ ପରି ଶୋକାପ୍ଲୁତ କଣ୍ଠରେ କହିଲେ...... “ଏ କ'ଣ କଲେ ମହାଦେବୀ ! କୁରୁକୁଳର ଏକମାତ୍ର କ୍ଷୀଣପ୍ରଦୀପ ଶିଖା ଦୁର୍ଦ୍ଧକ୍ଷକୁ ସୁଦ୍ଧା ସ୍ଵହସ୍ତରେ ନିର୍ବାପିତ କରିଦେଲେ !”

 

ଶ୍ରୀକୃଷ୍ଣ ସମବେଦନାର ଅଭିନୟ କରି କହିଲେ .. “ଜନନୀ, କିଏ କହେ ଆପଣ ପୁତ୍ରହୀନା ? କୌରବ କିଏ, ପାଣ୍ଡବମାନେ ବା କିଏ ? ସେମାନଙ୍କୁ ଏବେ ପୁତ୍ରରୂପେ ଗ୍ରହଣ କରନ୍ତୁ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଂଗାଧରରେ ରହସ୍ୟ ବିଜଡ଼ିତ ହସ ।

 

ଗାନ୍ଧାରୀ ପାଦତଳେ, ଦଗ୍ଧ ଆମ୍ରମୁକୁଳ ପରି ଝରିପଡ଼ିଥିବା, ଦୂର୍ବ୍ଦକ୍ଷର ଭସ୍ମଭାସି ଆଡ଼େ ଚାହିଁ, ଉନ୍ମାଦିନୀ ପରି ଅଟ୍ଟହାସ୍ୟ କରି କହିଲେ.....“ବୁଝିଛି ଚକ୍ରୀ, ବୁଝିଛି ତୁମର ଚକ୍ରାନ୍ତ; କିନ୍ତୁ ସୁଦର୍ଶନ ଚକ୍ରର ଚକ୍ରାନ୍ତ ଓ ଶକ୍ତିରେ କେବଳ କୌଣସି ସିଂହାସନ ରହିନାହଁ, କିମ୍ବା ରହିପାରିବ ନାହିଁ । ପ୍ରତାରିତ ଓ ନିପୀଡ଼ିତ ଆତ୍ମାର ଅଭିଶାପରେ ସବୁ ଦଗ୍ଧ ହୋଇଯିବ, ସବୁ ଦଗ୍ଧ ହୋଇଯିବ । ତୁମର ମଧ୍ୟ ସେଥିରୁ ନିସ୍ତାର ନାହିଁ ଶ୍ରୀକୃଷ୍ଣ ! ସ୍ୱଜନ ଦ୍ରୋହ ମଧ୍ୟରେ ସୋମବଂଶ ପରି, ବିରାଟ ଯଦୁବଂଶ ମଧ୍ୟ ଦିନେ ନିଷ୍ପ୍ରଦୀପ ହୋଇଯିବ । ତୁମର ପ୍ରିୟ ପୁତ୍ର ପ୍ରଦ୍ୟୁମ୍ନ ସୁଦ୍ଧା ସେଥିରୁ ରକ୍ଷା ପାଇବ ନାହିଁ ।”

 

ଉଚ୍ଛ୍ଵସିତ କ୍ରନ୍ଦନର ରୁଦ୍ଧ ଆବେଗରେ ଗାନ୍ଧାରୀ ଦୁର୍ଦ୍ଧକ୍ଷର ଭସ୍ମରାଶି ଉପରେ ଲୋଟିପଡ଼ିଲେ ।

 

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ଚିର ରହସ୍ୟ ବିଜଡିତ ସ୍ମିତ ହାସ୍ୟରେଖା, ଦ୍ଵିତୀୟାର କ୍ଷୀଣ ଶଶିରେଖା ପରି ବକ୍ଷୁବ୍‌ଧ ଅନ୍ଧାର ମଧ୍ୟରେ ଧୀରେ ଧୀରେ ମଳିନ ହୋଇ ଆସୁଥିଲା ।

 

ଅସ୍ତାଚଳରେ ଇନ୍ଦ୍ରପ୍ରସ୍ଥର ଗିରିମାଳା ନେପଥ୍ୟରେ, ସର୍ବଦ୍ରଷ୍ଟା ଦିବାକର ମଧ୍ୟ ଅସ୍ତମିତ ହେଉଥିଲେ ।

Image

 

ମହାନନ୍ଦ

ବସନ୍ତ କୁମାରୀ ପଟ୍ଟନାୟକ

 

ଏଇଟା ମୋର ଚିଠି ନୁହେଁ ବାପା । ମୁଁ ଜାଣେ ତମେ ଏ କାଗଜ ଖଣ୍ଡକ ଖୋଲି ପଢ଼ିଲାବେଳେ ମତେ ମନେ ପକାଇ ବହୁତ ଦୁଃଖ କରିବ । କିନ୍ତୁ ଏ କଥା ଆଜି ଲେଖିଲାବେଳେ ମତେ ବି ଯେ ଦୁଃଖ ଲାଗୁନାହିଁ, ତା' ନୁହେଁ । ବରଂ ମତେ ବହୁତ ବାଧୁଛି ଯେ ଏତକ ଲେଖି ତମ ମନରେ ମୁଁ ପୁଣି ଦୁଃଖ ଦେଲି । କିନ୍ତୁ କ'ଣ କରିବି ବାପା, ନ ଲେଖି ଯେ ମୁଁ ରହି ପାରୁନାହିଁ ! ପ୍ରତିଦିନ ରାତିରେ ଶୋଇବାକୁ, ଗଲାବେଳେ ମୋ ଭିତରୁ କିଏ ଯେମିତି ମତେ ଠେଲି ଠେଲି ଆଣି ଏଇ କାଗଜ କଲମ ପାଖରେ ଛାଡ଼ିଦିଏ, କହେ “ଲେଖିଦେ.....ଡେରି କର୍‍ନା....ଡେରି କଲେ ହୁଏତ ଆଉ ଲେଖି ପାରିବୁ ନାହିଁ ।”

 

ମୁଁ ଜାଣେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ । ଡକ୍ଟର ତମକୁ ଏ କଥା କହି ସାରିଥିବେ । ନ ହେଲେ ତମେ ଅନ୍ୟ କାହା ଠୁ ବି ଶୁଣିଥିବ । କିନ୍ତୁ ମତେ କେହି, କହିନାହିଁ- ମୋ ମନରେ ଦୁଃଖ ହବ ବୋଲି । ମୁଁ ମାଡ୍ରାସ୍ କଲେଜ୍ ହଷ୍ଟେଲରୁ ଆସିବା ଆଗରୁ ସେଠା ଡାକ୍ତର ମତେ ପରୀକ୍ଷା କରି ମୋ ରୋଗ ବିଷୟ ମୋର ଜଣେ ସାଙ୍ଗକୁ କହିଥିଲେ । ସେଇଦିନୁ ମୁଁ ଜାଣିଥିଲି । ଏ ବେମାରୀରୁ ଭଲ ହେବି ନାହିଁ, କାରଣ “ଲିକୋମିଆ” ରୁ ଆଜିଯାଏ କେହି ଭଲ ହୋଇନାହିଁ । ଏଇଟା ହେଲା ରକ୍ତର କ୍ୟାନସର୍ । କିନ୍ତୁ ତମକୁ ଏ କଥା ଆଗରୁ ଚିଠିରେ ମୁଁ ଲେଖି ନ ଥିଲି - ତମେ ଆଘାତ ପାଇବ ବୋଲି । ଚୁପ୍ ଚୁପ୍ ଚାଲି ଆସିଲି, କହିଲି ‘ଦେହ ଭଲ ନାହଁ’ । ତମେ ପରୀକ୍ଷା କରେଇଲ । ମତେ କିଛି ଜଣେଇଲ ନାହିଁ । ଜାଣି ଜାଣି ମୁଁ ବି କିଛି ପଚାରିଲି ନାହିଁ- ନ ଜାଣିଲା ପରି ରହିଲି । ଏ ରୋଗର ଯେ ଏଇ ଗୋଟିକ ମାତ୍ର ଔଷଧ, ତା’ ବି ମୁଁ ଜାଣିଥିଲି । ଆଉ ସେହି ବଟିକା ଖାଇଲାବେଳେ ନିଜକୁ ନିଜେ ପଚାରେ, “ମୋର ଆଉ କେତେ ଦିନ ?”

 

ତମେ ସବୁ ମୁହଁ ଶୁଖାଇ ରହିଲ । ବୋଉକୁ ଏ କଥା ଲୁଚେଇଲ- କାଳେ ସେ କାନ୍ଦିବ ବୋଲି । ଆହା ବିଚାରୀ । କେଡ଼େ ବିକଳରେ ନିତି ମୋ ପାଖରେ ବସି ଠାକୁରଙ୍କୁ ଡାକେ, ମାନସିକ କରେ- ମୁଁ କେମିତି ଶୀଘ୍ର ଭଲ ହୋଇ କଲେଜ ଫେରିଯିବି ।

 

ସେତେକ ଶୁଣିଲା ବେଳେ ମୋର ଇଚ୍ଛା ହୁଏ ତାକୁ କହନ୍ତି–“ସତରେ କ'ଣ ଭଗବାନ୍ ବୋଲି ଅଛି କିଲୋ ବୋଉ ? ସରଳ ମନକୁ ବାନ୍ଧି ପକେଇବାକୁ ସିନା ଏ ଧର୍ମ ସବୁ ତିଆରି ହୋଇଛି । ତୋ ଡାକ ଶୁଣିବ କିଏ ? ଡାକି ଡାକି ତୋ ମନକୁ ଖାଲି ମିଛ ସାନ୍ତ୍ୱନା ଦଉଛୁ ସିନା, ହେଲେ ପୁଅ ତୋର ଆଉ ଭଲ ହବ ନାହିଁ ।” କିନ୍ତୁ ସେତେକ କହିପାରେ ନାହିଁ - ବୋଉ ମନରେ ଆଘାତ ଦେବାକୁ ଇଚ୍ଛା ହୁଏ ନାହିଁ । ସେଥିପାଇଁ ମୁହିଁ ଖୋଲି କହେ–“ବୋଉଲୋ, ବ୍ୟସ୍ତ ହ’ ନାହିଁ…..ଯଦିଏଇ ବର୍ଷଟା ମୁଁ ପରୀକ୍ଷା ଦେଇ ନ ପାରେ, ଆର ବର୍ଷକୁ ଭଲ କରି ପଢ଼ି ପରୀକ୍ଷା ଦେଇ ଦେବି । ମତେ ଏତେ ଦୁର୍ବଳ ଲାଗୁଛି ଯେ ଏ ବର୍ଷ ପରୀକ୍ଷାଟା ଦେଇ ପାରିଲା ପରି ମନେ ହେଉ ନାହିଁ ।” ବଲ ବଲ କରି ମୋ ମୁହଁକୁ ସେ ଚାହିଁ ରହେ । ତା ସ୍ୱପ୍ନର ଫୁଲକୁ ଦଳି ଦେଲି ବୋଲି ମୋ ମନରେ ବି କଷ୍ଟ ହୁଏ ।

ବାପା, ଆଉ ଗୋଟିଏ ବର୍ଷରେ ମୁଁ ଇଞ୍ଜିନିୟର ହୋଇ ଥାଆନ୍ତି । ନୁହେଁ ? ତମେ ବି ବୋଉ ପରି ସ୍ଵପ୍ନ ଦେଖୁଥିଲ ଏଇ କିଛି ଦିନ ତଳେ- ଯେତେବେଳେ ତମେ ଜାଣି ନ ଥିଲ ମୋର ଏ ବେମାରୀ କଥା । କିନ୍ତୁ ମୁଁ ଇଞ୍ଜିନିୟର ହେବି ନାହିଁ କି ତମ ଆଶା ପୂରିବ ନାହିଁ–ସେ କଥା ତମେ ଏବେ ବୁଝି ସାରିବଣି ।

 

ଆଜି ମୋର ପିଲଦିନର ଗୋଟାଏ କଥା ମନେ ପଡ଼ୁଛି–ଯେତେବେଳେ ମୁଁ ଅତି ଛୋଟ ଥିଲି ମତେ ଚିତ୍ର ଆଙ୍କିବାକୁ ବହୁତ ଭଲ ଲଗୁଥିଲା । ଆକାଶରେ ମେଘ, ଗଛ, ନଈ, ଡଙ୍ଗା, ବଣ, ପାହାଡ଼, ଚଢ଼େଇବସାର ଚିତ୍ର । ଆଃ, କେତେ ଯେ ଖୁସି ଲାଗୁଥିଲା ହାତରେ ସେ ରଙ୍ଗଡବା ଆଉ ସାଦା କାଗଜ ଖଣ୍ଡେ ମିଳିଗଲେ ! ଥରେ ତମେ ମତେ ବାଡ଼େଇଲ, ମୋ ହାତରୁ ରଙ୍ଗ, ତୁଳୀ, କାଗକ- ସବୁ ଛଡ଼େଇ ନେଇଗଲ । କହିଲ-ପଢ଼ାପଢ଼ି ଛାଡ଼ି ଏଇ ନବରଙ୍ଗ ଲାଗିଛି ! ଡ୍ରଇଁ ମାଷ୍ଟର୍‌ଟାଏ ହବୁ କିରେ ? ମୋ କାଗଜ ଚିରି ଦେଲ, ଆଉ ରଙ୍ଗ ଡବା ଖତ ଗଦାକୁ ଛାଟି ଦେଲ । ସେ ଦିନ ମୁଁ ବହୁତ କାନ୍ଦିଥିଲି- ତମ ମାଡ଼ ପାଇଁ ନୁହେଁ ବାପା, ମୋର ସେ କାଗଜରେ ଗୋଟିଏ ସୁନ୍ଦର ଚିତ୍ର ଥିଲା–ତମେ ତାକୁ ଚିରିଦେଲ ବୋଲି । କଅଣ ପାଇଥିଲ ତମେ ସେଦିନ ମତେ ସେ ଶାସ୍ତି ଦେଇ ? ଗୋଟିଏ କଅଁଳ ମନର ସ୍ଵପ୍ନକୁ ତମେ ଭାଙ୍ଗିଦେଲ । ତମରି ମନର ଖିଆଲ ତଳେ ଗୋଟିଏ ଛୋଟ ପିଲାର କେତେ ଆଶା କବର ପାଇଗଲା ।

 

ପୁଣି ବଡ଼ ହେଇ କବିତା ଲେଖି ବସିଲି । ଯାହା ତୁଳୀରେ ଫୁଟାଇ ପାରି ନ ଥିଲି, ତାକୁ କବିତାରେ ରୂପ ଦେଲି । କାହୁଁ କାହୁଁ ଭାବନାସବୁ ମନରେ ଆସିଯାଏ, ଆଉ ଚାହୁଁ ଚାହୁଁ ରୂପ ପାଇ ଚେଇଁ ଉଠେ । ଆହା, କି ସୁନ୍ଦର ସେ ସବୁ ! ସେତକ ବି ତମ ଆଖିରେ ଗଲା ନାହିଁ । ତମେ ସମସ୍ତେ କହିଲ ମୁଁ ଛତରା ହେଇ ଯାଉଛି । ଏମିତି କଲେ ଆଉ ପଢ଼ାପଢ଼ି ହବ ନାଇଁ ମୋ ଦେଇ । ରାଗରେ ମୋ କବିତା ଖାତାକୁ ଚିରି ଚୁଲିରେ ଜାଳି ଦେଲ । ତେଣୁ ସେତକ ବି ବନ୍ଦ ହେଇଗଲା, କିନ୍ତୁ ସେଗୁଡ଼ା ଥିଲା ମୋ ରୁଦ୍ଧ ମନର ଇତିହାସ । ତୁଳୀରେ ଛୁଆଇଁ ନ ପାରି, କାଳି କଲମରେ ରୂପ ଦେଇଥିଲି । ତମେ ତ ଜାଣିନ ବାପା, ସେ କବିତାର ଡାକ କେମିତି ମତେ ରାତି ଅଧରେ ନିଦରୁ ଉଠାଇ ବସେଇ ଦିଏ । କି ଗହନ ତା’ର ମାୟା । କାହିଁକି ସେଗୁଡ଼ା ତୁହାଇ ତୁହାଇ ମୋ ମନକୁ ଏଡ଼େ ଆତୁର କରନ୍ତି ? ମୋ ନିର୍ଜନ ମନର ସାଥି ହୋଇ ସେମାନେ କେତେ କଥା କହି ଯାଆନ୍ତି । ମୁଁ ଶୋଇ ଶୋଇ କାନ୍ଦେ, କାରଣ ତମରି ଶାସନ ତଳେ ମୁଁ ଥିଲି ବନ୍ଦୀ...।

 

ସ୍କୁଲ ପରେ ଆସିଲି କଲେଜକୁ । ସେତେବେଳେ ତୂଳୀ ନାହିଁ କି କାଳୀ ନାହିଁ କିନ୍ତୁ ଆଙ୍ଗୁଠିରେ ଆସିଲା ବଳ - “ଗିଟାର୍‍’’ ଶିଖିଲି । ଆହା କେଡ଼େ ଭଲ ଲାଗେ ମତେ ଗିଟାର୍ ବଜେଇବାକୁ । ଅନେକ ସମୟରେ ଇଚ୍ଛା ହୁଏ ମୋର ଗୋଟାଏ ଗିଟାର୍ ଥାଆନ୍ତା କି ! ଲୁଚି ଲୁଚି ଗିଟାର ଶିଖିଥିଲି ମୋ ସାଙ୍ଗ ଘରୁ । ତମେ ଜାଣ ମୁଁ ଖେଳିବା ପାଇଁ ପଡ଼ିଆକୁ ଯାଉଛି, କିନ୍ତୁ ଯାଏ ଗିଟାର୍ ଶିଖିବାକୁ । କାହାର ଅଜଣା ସଙ୍ଗୀତ ମୋ ଆଙ୍ଗୁଠିରେ ରୂପ ପାଇଲା । ମନେ ଅଛି ଯେତେବେଳେ ମୁଁ ଗିଟାର୍ ବଜାଏ, ମୋ ଚାରିପଟର ସବୁକଥା ଭୁଲିଯାଏ - ଭୁଲିଯାଏ ମୁଁ କିଏ, କଅଣ, କୋଉଠି ଅଛି, କଅଣ କରୁଛି । ମୋ ଗିଟାର୍ ଆଉ ମୁଁ ଏକ ହୋଇଯାଉ । କି ମଧୁର ସେ ସ୍ମୃତି !

 

କିଏ ଆସି ମୋ ନାଆଁରେ ତମ ଆଗରେ ଏତକ କହିଦେଲା । ତମେ କେତେ ରାଗିଥିଲ । କହିଥିଲ ପୁଅ ତମର ନଷ୍ଟ ହୋଇଗଲା–ଛତରା, ବଜାରୀ ଆଉ ମାଇଚିଆ ହୋଇଗଲା । ବୋଉ କେତେ କାନ୍ଦିଥିଲା । ସେ ବି ତା’ର ସରଳିଆ ବୃଦ୍ଧିରେ ଭାବିନେଲା ମୁଁ ନଷ୍ଟ ହୋଇଗଲି ବୋଲି । କିନ୍ତୁ ବାପା, ତମେ କୁହ ତ ମୁଁ କ’ଣ ସତରେ ନଷ୍ଟ ହେଇଯାଇଥିଲି ? ତମେ ମୋର ହାତ ଚିପି ଚିତ୍ର ଆଙ୍କିବା ବନ୍ଦ କରିଦେଇଥିଲ, ତଣ୍ଟି ଚିପି କବିତା ଲେଖା ବନ୍ଦ କରିଦେଲ, ଆଉ ଶେଷକୁ ଛାତି ଚିପି ଗିଟାର୍‍ଟାକୁ ବି ମନା କରିଦେଲ । ପ୍ରତିଥର ମୁଁ ଯେ କେତେ ବଡ଼ ଆଘାତଟାଏ ପାଉଥିଲି, ସେ କଥା ତମେ କେଉଁଠୁ ବୁଝିବ ବାପା ? ମଣିଷ ଅନ୍ତରର ହସ ଖୁସି, ଦୁଃଖ କଷ୍ଟକୁ ମୁଁ ସେଇ ଗିଟାର୍ ଭିତର ଦେଇ ଶୁଣୁଥିଲି ତମେ ସିନା ଶୁଣିପାରୁ ନ ଥିଲ ! ମଣିଷ ସଂସାରୀ ହୋଇଗଲେ ବୋଧହୁଏ କିଛି ଶୁଣିପାରେ ନାହିଁ ।

 

ତା'ପରେ ମୋର ଇଂଜିନିୟରିଂ ପଢ଼ା, ଆଉ ବୋଉର ଦେହ ଛୁଇଁ ପ୍ରତିଜ୍ଞା- “ଚଗଲା ହେବି ନାହଁ, ସିନେମା ଦେଖିବି ନାହିଁ, ସିଗାରେଟ୍‍ ଖାଇବି ନାହିଁ କବିତା ଲେଖିବି ନାହିଁ, ଗୀତ ଗାଇବି ନାହିଁ ?” କିନ୍ତୁ ଏଇ କ'ଣ ହେଲା ବାପା ? କିଏ ତମ ପୁଅର ବନ୍ଧା ଜୀବନଟା ତମଠୁ ଛଡ଼େଇ ନେଲା ? ତମେ ତାକୁ ଧରି ପାରିବ ? ନା, ପାରିବ ନାହିଁ । ସେ ତମର ଧରା ଛୁଆଁଠୁ ଢେର୍ ବାହାରେ । ସେଇଟା ହେଲା ଭାଗ୍ୟ ।

 

ମୁଁ ଆଜି ପଚାରୁଛି ବାପା, ତମ ପୁଅ ଯଦି ଚିତ୍ର ଆଙ୍କିଥାଆନ୍ତା, କି କବିତା ଲେଖି ଥାଆନ୍ତା କି ଗିଟାର ଶିଖି ଥାଆନ୍ତା, ସେ କଣ ମରିବା ଆଗରୁ ମନରେ ଏତେ ଅବଶୋଷ ନେଇ ମରିଥାଆନ୍ତା ? ତମେ ଚାହିଁଥିଲ ମୁଁ ଇଂଜିନିୟର ହେବି, ଟଙ୍କା ରୋଜଗାର କରିବି, ବଡ଼ ହେବି କିନ୍ତୁ ମୋର ଅନ୍ତରଟାକୁ ଦେଖିବାକୁ ତମେ ଦିନେ ହେଲେ ଚେଷ୍ଟା କରି ନ ଥିଲ । ମୋତେ ଚିପିଚିପି ଗୋଟାଏ ମଡ଼ାକରି ଥୋଇ ଦେଇଥିଲ, ଆଉ ଆଜି ମରିଗଲେ ତମେ କାନ୍ଦିବ ତମ ପୁଅ ମରିଗଲା ବୋଲି; କିନ୍ତୁ ମୁଁ ତ ଅନେକ ଦିନୁ ମରି ଯାଇଛି ।

 

ଏବେ ଯେତେବେଳେ ଦୂର ଆକାଶର କଳା ମେଘରେ ଧଳା ବଗ ଉଡ଼ି ଯିବାର ଦେଖେ ମୋର ମନେପଡ଼େ ସେଇ ପିଲାଦିନ- ଦୁଃଖ ଲାଗେ ଯେ ଯାହା ଚାଲି ଯାଇଛି ସେ ଆଉ ଫେରିବ ନାହିଁ ।

 

ଆଚ୍ଛା ବାପା, ଯଦି ମୁଁ ଚିତ୍ରକର ହେଇଥାଆନ୍ତି କି କବି ବା କଳାକାର ହେଇଥାନ୍ତି, ମୁଁ କ’ଣ ଅମଣିଷ ହେଇ ଯାଇଥାନ୍ତି ? ମଣିଷ ହେବାକୁ ହେଲେ କ’ଣ ଟଙ୍କା ଆଉ ପ୍ରତିପତ୍ତି ଏତେ ଦରକାର ? ଜୀବନରେ ଆନନ୍ଦ ଟିକକ କ’ଣ କିଛି ନୁହେଁ ?

 

ସତ କହୁଛି ବାପା, ଆଜି ବି ଜୀବନର ଶେଷ ପାହାଚରେ ବସି ମୁଁ ଭାବୁଛି ଏଇ ପ୍ରକୃତି, ତା’ର ଛଳଛଳ ରୂପ, ଦୂରର ଦିଗ୍‍ବଳୟ, ନିସ୍ତବ୍ଧ ରାତିରେ ବଇଁଶୀର ଡାକ- ୟା’ ପାଖରେ ମୋ ପଢ଼ା କିଛି ନୁହେଁ ।

 

ତମେ ଶିଖେଇଛ ଭଗବାନ, ପାପ, ପୁଣ୍ୟ, ଧର୍ମ, ଅଧର୍ମ, ଏ ଜନ୍ମ ଓ ପରଜନ୍ମ । ମୁଁ କିନ୍ତୁ ଏ ସବୁର କିଛି ଅର୍ଥ ବୁଝେ ନାହିଁ । ମୁଁ ବୁଝେ ଯେଉଁଠି ମନ ତା’ର ସ୍ଵାଧୀନତା ପାଏ, ସେଇଠି ଆନନ୍ଦ ଥାଏ । ଆଉ ଯୋଉଠି ଆନନ୍ଦ ଥାଏ, ସେଇଠି ଭଗବାନ ଥାଆନ୍ତି । ମୋ ପାଇଁ ଆନନ୍ଦ, ଆଉ ଭଗବାନ ଅଲଗା ନୁହନ୍ତି ।

 

ଏବେ ତମେ କେତେଥର ମତେ ଧର୍ମ ବହି ଆଣି ପଢ଼ିବାକୁ ଦେଲଣି । ଗୀତା ପଢ଼ିବାକୁ କହୁଛ- ମନ ଭଲ ରହିବ ବୋଲି । କିନ୍ତୁ ମତେ ଭଲଲାଗେ ଚୁପ୍‍ଚାପ୍ ବସି ସେଇ ନୀଳ ଆକାଶକୁ ଚାହିଁ ରହିବାକୁ, ଦୂରର ସେଇ ଚଢ଼େଇ ମାନଙ୍କର ଡାକ ଶୁଣିବାକୁ; ଗୋଲାପର ନରମ ପାଖୁଡ଼ାକୁ ହାତରେ ଆଉଁସି ଦେବାକୁ । ତମ ପାଇଁ ଏ ସବୁର କିଛି ମାନେ ନାହିଁ, କିନ୍ତୁ ମୋ ପାଇଁ ଯେ ଏଇମାନେ ହେଲେ ସବୁ । ତମ ଗୀତା ମୁଁ ପଢ଼ି ନାହିଁ କି ପଢ଼ି ପାରିବି ନାହିଁ । କାରଣ ମୋ ଦିନ ଯେ ବହୁତ କମ୍ ! ଏଇତକ ଦିନ ଭିତରେ ମତେ ଯଦି ଖଣ୍ଡେ “ଓମାର ଖେୟାମ୍” ପଢ଼ିବାକୁ ଦିଅନ୍ତ.... କିନ୍ତୁ ମୁଁ ମାଗିବି ନାହିଁ । ତମ ମନରେ ପୁଣି ଦୁଃଖ ହବ ଯେ ! କାହିଁକି ଅଯଥାରେ ଏ ଶେଷ ସମୟରେ ତମ ମନରେ ଦୁଃଖ ଦେବି ? ଆହା, ଓମାର ଖେୟାମର୍ ମାଧୁରୀ ଗୀତାରେ କାହଁ ? ଗୀତା ମତେ ଜ୍ଞାନୀ କରିବ, ସାଧୁ କରିବ, ଯୋଗୀ କରିବ–କିନ୍ତୁ ଓମାର ଖେୟାମ୍ ମତେ ଆନନ୍ଦ ଦେବ । ମନର ନିର୍ମଳ ଆନନ୍ଦ ଟିକକ କ’ଣ ଜ୍ଞାନ, ଯୋଗ, ଭଗବାନ-ସମସ୍ତଙ୍କଠାରୁ ବଡ଼ ନୁହେଁ ? ଏଇ ଆନନ୍ଦରେ ମନଟା ଟୁଳୁଟୁଳୁ ଥିଲାବେଳେ କ'ଣ ସବୁ ଜ୍ଞାନ, ଯୋଗ, ଭଗବାନ ଆସି ଆପେ ଧରା ଦିଅନ୍ତି ନାହିଁ ?

 

ଜ୍ଞାନ ପାଇଁ ସମସ୍ତେ କାହିଁକି ଏତେ ପାଗଳ ମୁଁ ବୁଝେ ନାହିଁ । ଭଗବାନଙ୍କୁ ପାଇବାକୁ ସମସ୍ତଙ୍କର କେତେ ବ୍ୟାକୁଳତା ! ବୁଝେ ନାହିଁ । ଭଗବାନଙ୍କୁ ପାଇବାକୁ ସମସ୍ତଙ୍କର କେତେ ବ୍ୟାକୁଳତା ! ଅଥଚ ହାତ ତଳେ ଆନନ୍ଦ ପାଣିଫାଟି ଚାଲିଯାଏ । ତା’ରି ଉପରେ ପାଦ ଦେଇ ଭଗବାନଙ୍କୁ ଖୋଜା ହୁଏ । ମଣିଷ କେଡ଼େ ମୂର୍ଖ ମୁଁ ଭାବେ ।

 

ମତେ ଭଲ ମଣିଷଟିଏ କରି ଗଢ଼ିବାକୁ ତମେ ସ୍ଵପ୍ନ ଦେଖୁଥିଲ । ଭଲ ମଣିଷ ହେଇ ମୁଁ କଅଣ କରିବି ? ଧରିନିଅ ମୁଁ ଧନୀ, ମାନି, ଜ୍ଞାନୀ, ଗୁଣ ଓ ସାଧୁ ହୋଇଥାନ୍ତି, ଆଉ ତମେ ଖୁସି ହୋଇଥାନ୍ତ ଯେ, ତମ ପୁଅ ବଡ଼ ମଣିଷଟାଏ ହେଲା ଇଏ କ'ଣ ଅହମିକା ନୁହେଁ ? ତେଣୁ ଯଦି ମୁଁ ଏସବୁ ହେଇ ନ ପାରିଲି ଦୁଃଖ କରିବ ନାହିଁ, କାରଣ ଜୀବନଟା ଏକ ପ୍ରକାର ବାଜି ଖେଳ । ଗୋଟାଏ ବାଜିରେ ତମେ ହାରିଗଲ ବୋଲି ଜାଣିବ ।

 

ତମର ଅଫିସ ଫେରନ୍ତି ସେ ପାଉଁଶିଆ ମୁହଁଟିକୁ ଦେଖିଲେ ଇଚ୍ଛା ହୁଏ ଧାଇଁ ଯାଇ କହନ୍ତି “ମୁଁ ମରିବି ନାଇଁ ବାପା ...ମୁଁ ମରିବି ନାଇଁ । ତମେ ଦୁଃଖ କର ନାହିଁ–ଭାଙ୍ଗିପଡ଼ ନାହିଁ ।’’ ତମର ଏତେ ଆଶା ଗୋଟି ଗୋଟି କରି ମୋ’ରି ଭିତରେ ଏମିତି ଜାଳିପୋଡ଼ି ଦେଇ ମୁଁ ଚାଲିଯିବି ନାହିଁ ।” କିନ୍ତୁ ବାପା', ମୋ ହାତରେ ତ କିଛି ନାହଁ ! ଏତେ ପାଠ ପଢ଼ି ମଧ୍ୟ ମୁଁ ଅସହାୟ, ଅଥର୍ବ । ଖାଲି ଆଖି ବୁଜି ଏକ ମନରେ ଏତିକି ମନାସେ-ଭଗବାନ ତମର ଅପୂର୍ଣ୍ଣ କାମନା “ରମୁ" ଭିତରେ ଦେଇ ପୂର୍ଣ୍ଣ କରନ୍ତୁ-ମୋର ଅଭାବ ରମୁ ଭିତରେ ମେଣ୍ଟି ଯାଉ–ତମେ କେମିତି ସୁଖୀ ହୁଅ ।

 

ଖେଳ ପଡ଼ିଆରୁ ହସି ଯେତେବେଳେ ରମୁ ଫେରିଆସେ-ତା'ର ସେଇ ଝାଳ ନିଗିଡ଼ା କଅଁଳ ମୁହଁଟିକୁ ଦେଖିଦେଲେ ମନ ମୋର ପୂରି ଉଠେ । ମନେ ମନେ କହେ-ମୁଁ ସିନା ଖେଳରେ ଆନନ୍ଦ ପାଇଲି ନାଇଁରେ.... ତୁ ମୋ ପାଇଁ, ଖେଳି ନେ.....ହସି ହସି ଦିନ ଗୁଡ଼ା କଟେଇ ଦେ, ଏ ଜୀବନ ଦି'ଦିନିଆ । ଯାହା ଚାଲିଯାଏ ସେ ଆଉ ଫେରେ ନାହିଁ ।

 

ମୋ ପରି ତମେ ତାକୁ ବାନ୍ଧି ଦେବ ନାହଁ ବାପା । ପଢ଼ା ନାଆଁରେ ତା’ର ସେଇ ସୁକୁମାର ମନଟିକୁ ଭାଙ୍ଗିଦେବ ନାହିଁ । ଖେଳରେ ଯଦି ନିଜକୁ ହଜେଇ ଦେଇ ଆନନ୍ଦ ପାଉଛି, ସେ ଆନନ୍ଦ ଟିକକ ତାକୁ ଉପଭୋଗ କରିବାକୁ ଛାଡ଼ିଦେବ । କାରଣ ପଢ଼ାଟା ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ ।

 

ଆକାଶରେ ଜହ୍ନ ଉଇଁଲେ ମନେହୁଏ, ସେ ଯେମିତି ମତେ ହାତ ଠାରି ଡାକୁଛି । କିନ୍ତୁ ମୁଁ ତ ପରଜନ୍ମରେ ବିଶ୍ୱାସ କରେ ନାହିଁ । ମରିଗଲେ କ’ଣ ହେବି, ନ ହେବି, ତା ପାଇଁ କାହିଁକି ଏତେ ଚିନ୍ତା କରିବି ? ଯଦି ମୁଁ ଜ୍ଞାନୀ ହୋଇ ଜନ୍ମ ହୁଏ, ତେବେ ବି ମୁଁ ଏଇ ମଣିଷ, ଏଇ ମନ ନେଇ ନ ଥିବି, କି, ତମର ମୋର ସମ୍ପର୍କର ପୁନରାବୃତ୍ତି ସେଠି ହେବ ନାହିଁ । ତେବେ ତମେ ଜାଣିବ କେମିତ ଯେ ମତେ ଗୀତା ପଢ଼େଇ ଗଢ଼ି ଦେଲ ବୋଲି ? ଜାଣିଲେ ବି, ଏ ଦିନ ତ ସେଠି ନ ଥିବ, ତେବେ ଖୁସି ହେବ କିଏ ? ସବୁ ମିଛ ବାପା, ସବୁ ଖାଲି ସାନ୍ତ୍ୱନା । ବୋଧହୁଏ ଏଇ ସାନ୍ତ୍ୱନା ଟିକକ ନ ଥିଲେ ମଣିଷର ମୋହ ମମତା ବି ତୁଟି ଯାଆନ୍ତା । ସେଥିପାଇଁ ଶାସ୍ତ୍ରର ଏ ଖେଳ l
 

ବାରିର ହେନା ଗନ୍ଧ କେତେ ଭଲ ଲାଗୁଛି । ତା’ରି ଗନ୍ଧରେ ଯଦି ମତେ ଚିରଦିନ ପାଇଁ ଶୋଇବାକୁ ହୁଅନ୍ତା, ତେବେ ମତେ କେତେ ଖୁସି ଲାଗନ୍ତା । ଆମ ହଷ୍ଟେଲର ବଗିଚାରେ ନାଗେଶ୍ୱର, କୃଷ୍ଣଚୂଡା ଓ ବଉଳ ଗଛମୁଳେ ଅନେକ ସମୟରେ ବସି ରହିବାକୁ ଭଲ ଲଗେ । ଧୀର ପବନରେ ହଲି ଦୋହଲି ଫୁଲ, ପାଖୁଡ଼ା ଓ ପତ୍ର ସବୁ ମୋ ଉପରେ ଅଜାଡ଼ି ହୋଇ ପଡ଼ନ୍ତି । ହାତରେ ମୋର ବହି ନ ଥାଏ । ସେଇ କ’ଣ ମୋର ବହି ନୁହେଁ ? ମୁଁ କ’ଣ ସେମାନଙ୍କଠୁ କିଛି ଶିଖିନାହିଁ ଭାବିଛ ? ସେଇ ଝରାଫୁଲ ମତେ ଶିଖେଇଥିଲା ଜୀବନର ବଡ଼ ଦର୍ଶନ । ତା’ ରିଠୁ ମୁଁ ଶିଖିଥିଲି ଜୀବନରେ ହାରିଗଲେ କାନ୍ଦିବି ନାହିଁ- କିଛି ନ ପାଇ ଯଦି ଶୂନ୍ୟ ହାତରେ ମତେ ବିଦାୟ ନେବାକୁ ପଡ଼େ - ତେବେ ବି ମୁଁ ଦୁଃଖ କରିବି ନାହିଁ ।

 

ଯୋଉଦିନ ଶୁଣିଲି ମତେ “ଲିଉକୋମିଆ” ହେଇଛି, ଆଉ ମୁଁ ବଞ୍ଚିବି ନାହିଁ - ସେଦିନ ପୁଣି ଯାଇ ସେଇ ନାଗେଶ୍ଵର ଗଛମୂଳେ ବସିଲି । ସେ ଟିକିଏ ବି ଦୁଃଖ କଲା ନାହିଁ । ଆହୁରି ଅଧିକ ଗୁଡ଼ାଏ ଫୁଲ ପାଖୁଡ଼ା ମୋ ଉପରେ ଅଜାଡ଼ି ଦେଲା । କହିଲା–ମୋ’ରି ପରି ହସି ହସି ଝରିପଡ଼ିବାକୁ ଶିଖ ।” ତା’ରିଠୁ ମୁଁ ଶିଖିଲି ଜୀବନରେ ଆଖି ଲୁହର ମୂଲ୍ୟ ନାହଁ । ଏହି ଆଖି ଲୁହ ଦୁର୍ବଳର ସମ୍ବଳ । ହଷ୍ଟେଲର ସବୁ ପିଲାଙ୍କଠାରୁ ବିଦାୟ ନେଇସାରି ସେଇ ଗଛରେ ଯାଇ ଆଉଜି ପଡ଼ିଲି । ତା ପରେ ସେଠୁ ଚାଲି ଆସିଲି ।

 

ବାପା, ସେଇ ଗଛ ମତେ ଯେତେ ଭଲ ପାଇଛି, ତମେ ବି ପାଇନା । ତମ ଭଲ ପାଇବାରେ ମଣିଥିଲା ସ୍ଵାର୍ଥ । ତମ ଭଲ ପାଇବାଟା ନେଣ ଦେଣ ଉପରେ ତଉଲା । କିନ୍ତୁ ତା ଭଲ ପାଇବାଟା କେଡ଼େ ସ୍ୱଚ୍ଛ ! ସେଇଥିପାଇଁ ବୋଧହୁଏ ମତେ ଏତେ ଭଲ ଲାଗିଥିଲା ।

 

ମତେ ଦୁଃଖ ଲାଗେ ଯେ, ଆମେ ଦିହେଁ ଦୁହିଁଙ୍କୁ ଶେଷ ପର୍ଯ୍ୟନ୍ତ ବୁଝିପାରିଲୁ, ନାହିଁ । କିନ୍ତୁ ଏଥିପାଇଁ ମୁଁ ତମକୁ ଦୋଷ ଦେଉନାହିଁ । ବାପା....ତମ ସ୍ନେହ ମମତା ଯେ ମୋ ପାଇଁ, ଅବୋଧ୍ୟ ହୋଇ ରହିଗଲା-ସେତିକି ଯାହା ମୋର ଦୁଃଖ ।

 

ପ୍ରତିଦିନ ସକାଳେ ତମେ ଯେତେବେଳେ ଧୂପକାଠି ଜାଳି କବାଟ କିଳିଦିଅ, ମୁଁ ସେତିକିବେଳେ ପୂଜା ଘର ବାରିପଟେ ମାଳତୀ ଗଛର ଛାଇରେ ବସିଥାଏ । ତମେ ହୁଏତ ଭଗବାନଙ୍କ ପାଖରେ ମୋ ପାଇଁ ଜଣାଉଥିବ, କି ନିଜ ଭାବନାରେ ନିଜେ ଭୋଳ ହେଇ ଯାଉଥିବ । ମୁଁ କିନ୍ତୁ ଦେଖୁଥାଏ ଅକାଶରେ ମେଘର ବଉଦ ନ ହେଲେ ମାଳତୀ ଗଛରେ ପବନର ଲୁଚକାଳି ଖେଳ । ମୋ ମନର ଆନନ୍ଦ ତମକୁ ଛୁଇଁ ପାରେ ନାହିଁ, କି ତମ ମନର ଦୁଃଖ ମତେ ଛୁଇଁ ପାରେ ନାହଁ । ସେତେବେଳେ ତମେ ଯଦି ତମର ପୋଥି ଭଗବାନଙ୍କୁ ଛାଡ଼ି, ମୋ ସାଙ୍ଗରେ ମିଶି ଏଇ ବାରିରେ ବସିଥାନ୍ତି, ତେବେ ଦେଖିପାରିଥାନ୍ତି ତମ ଭଗବାନ ସେଠି ପୂଜା ଘରେ ନାହାନ୍ତି–ଅଛନ୍ତି ଏଇ ପ୍ରକୃତି କୋଳରେ । ମୁଁ ତମ କାଳ୍ପନିକ ଭଗବାନରେ ବିଶ୍ୱାସ କରେ ନାହିଁ । ମୋ ପାଇଁ ଏଇ ଆନନ୍ଦ ହିଁ ହେଉଛି ଭଗବାନ ।

 

ରାତି ଅନେକ ହେଲାଣି । ତମେ ସବୁ ଶୋଇଛ । ଦୂରରେ ଗୋଟାଏ ରାତିବୁଲା ଚଢ଼େଇର ସ୍ଵର ଶୁଭୁଛି । ବାହାରଟା ଏକବାର ଅନ୍ଧାର । ବୋଉ ବୋଧହୁଏ ମତେ ଏତେ ରାତିରେ ଚେଇଁ ଥିବାର ଦେଖିଲେ ଚୁପ୍ ଚୁପ୍ ଆସି ଛିଡ଼ା ହେବ । ମୁହଁ ଶୁଖେଇ ପଚାରିବ- ନିଦ ହଉନାହିଁ କିରେ ? ଦେହ ବେଶୀ ଖରାପ ଲାଗୁଛି ? ଅଥଚ ମୁଁ ଆସି ଜୀବନର କେତେ ଦୂରରେ ପହଞ୍ଚିଲିଣି !

 

ଗୋଟିଏ ଅଳି ମୋର ରଖିବ ବାପା ? ଯଦି ତମେ ମୋର ସ୍ମୃତି ରଖିବାକୁ ଚାହୁଁଥାଅ, ତେବେ ମୁଁ ମଲା ପରେ ମୋ’ରି ପାଇଁ ବାରିରେ ନାଗେଶ୍ଵର ଗଛଟିଏ ପୋତିବ । ଆଉ ମୁଁ କିଛି ଚାହୁଁ ନାହିଁ । ମୋ ପାଇଁ କେହି ଶ୍ରାଦ୍ଧ କରିବେ ନାହିଁ । ବରଂ ସେଇ ଟଙ୍କାତକ କେତୋଟି କଳାକାରଙ୍କୁ ବାଣ୍ଟି ଦେବ । ଯେଉଁ କଳାର ପୂଜା ବଞ୍ଚିଥିଲାବେଳେ ମୁଁ ଦିନେ କରିପାରି ନାହିଁ, ସେତକ ସେମାନେ କରିବେ.... ଆଉ ଯଦି ତମର ମୃତ୍ୟୁପର ତଥ୍ୟ ସତ୍ୟ ହେଇଥାଏ, ତେବେ ମୁଁ ତାଙ୍କରି ଭିତରେ ଆନନ୍ଦ ପାଇବି ।

 

ମୋ ଶବ ସତ୍କାର କରିବା ପୂର୍ବରୁ ମୋ ଶବର ଚାରିପଟେ ଗୀତର ଆସର ବସେଇବ । ଆଉ ମୋ ପାଇଁ ତମେ ସେଦିନ ଓମାର ଖେୟାମ୍ ପଢ଼ିବ । ଦୁଃଖ କରିବ ନାହିଁ, କାନ୍ଦିବ ନାହିଁ, କାରଣ ମୋ ମନରେ ଦୁଃଖ ନାହିଁ ।

 

ବୋଉକୁ କହିବ ସେ ତା’ର ଭଗବାନରେ ବିଶ୍ୱାସ କରି ଏତେ ମାନସିକ କରିଛି । ତାରି ପାଇଁ ମୁଁ ଆଜିଯାଏ ବଞ୍ଚି ରହିଲି, ଆଉ ସିନା ପରୀକ୍ଷା ଦେବାକୁ ଫେରି ପାରିଲି ନାହିଁ ! ତା’କୁ ଆଜିଯାଏ ମୋ ବେମାରୀ କଥା ନ କହି ବୃଥା ଆଶା ଦେଇ ଦେଇ ଠକି ଆସିଲି । ଅନେକ ସମୟରେ ଭାବେ ଦିନଟିଏ ହେଲେ ଚାକିରୀ କରି ଯଦି ମରିଥାନ୍ତି ହୁଏତ ତାକୁ ଟିକିଏ ଖୁସି କରିପାରିଥାନ୍ତି । କିନ୍ତୁ ମଣିଷ ଯାହା ଖୋଜେ, ତା ପାଏ ନାହିଁ–ତମେ ପାଇଲ ନାହିଁ କି କେହି ପାଇଲୁ ନାହିଁ । ଏଇ ଖୋଜିବାର, ପାଇବାର ଧାଁ ଦଉଡ଼ ଭିତରେ ଜୀବନଟା ସରିଯାଏ ସିନା ! ମଣିଷ ବୁଝେ ନାହିଁ । ତଥାପି ଅବୁଝା ରହିଯାଏ ।

 

ପଶ୍ଚିମ ଆକାଶକୁ ପିଠି କରି ଦେବଦାରୁ ଗଛଟା ଠିଆ ହେଇଛି । ବେଳକୁବେଳ ତା ଦେହରେ ଅନ୍ଧାର ବୋଳି ହେଇ ଆସୁଛି । କାଉମାନେ କେଳାହଳ କରି ତା ପାଖରେ ଆଶ୍ରୟ ଖୋଜୁଛନ୍ତି ।

Image

 

ସଂଗୀତାର ବାପା

ଶ୍ରୀ କିଶୋରୀଚରଣ ଦାସ

 

ସଂଗୀତାର ବାପାଙ୍କ ନାଁ ନବଘନ ଓରଫ୍ ନାଣ୍ଡୁ ବାବୁ । ତାଙ୍କ ବଡ଼ ଝିଅର ନାଁ ହାରାମଣି, ସେ ବାହା ହୋଇ ଯାଇଛି । ସାନ ଝିଅର ନାଁ ସୀତାମଣି ହୋଇ ରହିଥାନ୍ତା; ନିଜେ ନାଣ୍ଡୁ ବାବୁ ତାକୁ ବଦଳାଇଲେ । ଦିନେ ସେ ଘୋଷଣା କଲେ ଯେ ଝିଅ କନଭେଣ୍ଟ ସ୍କୁଲରେ ପଢ଼ିବ ଓ ତା’ର ଠିକ୍ ଗୋଟିଏ ଦିନ ପରେ ସେ ପରବର୍ତ୍ତୀ ଘୋଷଣା କଲେ ଯେ ସ୍କୁଲ୍‌ରେ ତାର ନାଁ ରଖାଯିବ ସଂଗୀତା ।

 

ଏ ହେଉଛି ପାଞ୍ଚ ବର୍ଷ ତଳର କଥା । ସେତେବେଳେ ସେ ହଜାରି ସାହିରେ ଗୋଟିଏ ଛୋଟ ଚାଳ ଘର ଭଡ଼ା ନେଇ ରହୁଥିଲେ ।

 

ପ୍ରଥମେ ସେ ଏକୁଟିଆ ଥିଲେ, ପିଲାପିଲିଙ୍କୁ ଆଣି ନ ଥିଲେ । ସାହି ମୁଣ୍ଡରେ ଯେ ଦଳୁଆ ଶାଗୁଆ ପୋଖରୀ ଅଛି, ସେ ସଞ୍ଜବେଳକୁ ତା’ କୂଳରେ ଯାଇ ବସୁଥିଲେ ଓ ଭାବୁଥଲେ,- ଏ ମ୍ଲେଛ ସହରରେ ରହି ଲାଭ କଅଣ ? ଆଉ କେତେଦିନ ରହିବି ? ତେବେ ଶୋଇବାକୁ ଯିବା ପୂର୍ବରୁ ସେ ଏହି ପ୍ରଶ୍ନ ଏହି ଦ୍ଵିଧାକୁ ନଷ୍ଟ କରି ଦେଇ ପାରୁଥିଲେ । ଭାବନାର କ୍ରମ ପ୍ରାୟ ଏହି ପ୍ରକାର ଥିଲା ।

 

ରାହାସ ଦାଦା କହୁଛନ୍ତି ‘ତୁ ଘରୁ ଟିକିଏ ବୁଲିଆ । ଏଠି ତୋ ଦେହ ଭଲ ରହୁନାହିଁ ।’ ନିଜର ପଛକେ ପେଟ ବେମାରୀ, ଓଳିଏ ଖାଇଲେ ଆର ଓଳିକ ଖାଇବେ ନାହିଁ । ଗପ କରୁ କରୁ ହାକୁଟି ମାରିବେ । ମୁହଁ ବିଚିକିଟିଆ କରି କହିବେ, “ବୁଝିଲୁ ନାଣ୍ଡୁ ଏ ବରଫଦିଆ ମାଛ ମୋ ଦେହରେ ଯାଉନାହିଁ-’ ଆଉ ଲେମ୍ବୁ, ସରବତପାଇଁ ଡାକ ଛାଡ଼ିବେ । ସରବତ୍‍କୁ ଢୋକେ ଢୋକେ ପିଇ ସେ ମୋ ବିଷୟ ଭୁଲଯିବେ, ଏଣୁ ତେଣୁ ବାଜେ କଥା ପକାଇବେ । ଆଜିକାଲିକା ପିଲାଙ୍କର ପଢ଼ାରେ ମନ ନାହିଁ, ଚାକର ଗୁଡ଼ାକ ଧପ୍‍ପାବାଜ ହେଲେଣି, ଦରଦାମ୍ ହୁ ହୁ ହୋଇ ବଢ଼ି ଯାଉଛି, ଇତ୍ୟାଦି । କିଏ, ମୋ କଥା କ'ଣ ବୁଝିଲ ? ସବୁଦିନେ ସେହି ଏକା ଉତ୍ତର, ଟିକିଏ ଥୟ ଧର୍ । ଏ ସରକାରୀ କାରବାର, କେତେ ଶେଣାରେ ପାଣି ଉଠିବ । ବ୍ୟସ୍ତ ହେଲେ ଚଳିବ ନାହିଁ ।” ଶେଷରେ କ'ଣ ନା ଘରୁ ଯାଇ ବୁଲିଆ । ଘରୁ ବୁଲି ଆସିଲେ ଅଧିକ କ'ଣ ହେବ ?

 

ନନ୍ଦବାବୁ ତାସ୍ ଖେଳିବାକୁ ଡାକନ୍ତି । ବୁଢ଼ାର ତାସ୍‌ରେ ଭାରି ସଉକ୍ । ଖାଇବାରେ ସଉକ ! ଘର ତୋଳିବାରେ ସଉକ୍‍ । କଥା-କଥାକେ ଶଳା କହିବାରେ ସଉକ୍ । ତାଙ୍କ ଘରକୁ ଅନେକ ହାକିମ-ହୁକୁମା ଯିବା ଆସିବା କରନ୍ତି । ଆଶା ଥିଲା ଯେ ସେ ଦିନେ କେବେ କାହାକୁ ଉଡ଼େଇଲା ପରି କହି ଦିଅନ୍ତି- ‘ଏ କିଏ ଜାଣିଛ ? ଏ ହେଉଛି ଆମ ଗାଁର ନାଣ୍ଡୁ । ଖାସା ପିଲା । ବିଚାରା ଚାକିରୀଖଣ୍ଡେ ପାଇଁ ବଡ଼ ହଇରାଣ ହେଲାଣି । ଥି....... ହାର୍ଟସ୍... ମୋ ଅଫିସ୍‌ରେ କାମ ଖାଲି ନାହିଁ, ନ ହେଲେ ତାକୁ କେବେଠୁ଼ଁ ରଖେଇ ସାରନ୍ତିଣି । ଶଳା ରାମା, ଦାମା, ଶାମା ଚାକିରୀରେ ପଶି ଯାଉଛନ୍ତି, ଆଉ ୟା ଭଳିଆ ପିଲା....।” କିନ୍ତୁ ସେ କାହାକୁ କିଛି କହିବାର ଶୁଣାଯାଇ ନାହିଁ । ପଚାରିଲା ବେଳକୁ କହନ୍ତି ମୁଁ କ’ଣ ଚେଷ୍ଟା କରୁ ନାହିଁ ଭାବୁଛୁ ? ଯାହାହେଉ ତୁ ଖାଲି ନ ବସି ଗୋଟାଏ କାମ କର ।’ ତା’ପରେ ସେ କାମର ବରାଦ ଦିଅନ୍ତି । ଯଥା- ତାଙ୍କର ଯେଉଁ ନୂଆଁ ଘର ତିଆରି ହେଉଛି ତା’ର ତଦାରଖ କରିବା, ତାଙ୍କ ଝିଅ ରେଣୁର ବାହାଘର ପାଇଁ ମଧ୍ୟସ୍ଥ ହେବା କିମ୍ବା ତାଙ୍କ ବଗିଚାପାଇଁ ଭଲ ଗୋଲାପ‌ ଚାରା ଯୋଗାଡ଼ କରିବା । ବେଳେବେଳେ ମନେହୁଏ ଯେ ମୋର ଚାକିରି ବାକିରୀ ଦରକାର ନାହିଁ । ୟାଙ୍କରି କାମ କରି ୟାଙ୍କରି ସାଙ୍ଗରେ ତାସ୍ ଖେଳି ଚା’ ଜଳଖିଆ ଖାଇ ସମୟ କଟେଇ ଦେଲେ ମୋ ଜୀବନ ଧନ୍ୟ ! ବର୍ତ୍ତମାନ ବୁଢ଼ାଙ୍କର ନୂଆ ସଉକ୍ ଉଠିଛି ଯେ ସେ ଗାଁରେ ଘର ତୋଳିବେ ଓ ରିଟାୟାର୍ କରି ସେଇଠି ରହିବେ । ଆଉ ମୁଁ କଅଣ ହେବି ? ତାଙ୍କର ମନ୍ତ୍ରୀ ?

 

ନାରୁ ଭାଇ,-ତାରାମଣିର ଦାଦିପୁଅ ଭାଇ, ବୟସରେ ଦି’ତିନି ବର୍ଷ ବଡ଼ ହେବ । ଓକିଲାତିରେ ବହୁତ ଟଙ୍କା କରିଛି । ସେ ମୋତେ ଦେଖିଲେ ଏମିତ ଶଙ୍କିଯାଏ କାହିଁକି ? ସତେ ଯେପରି ମୁଁ ତା’ଠାରୁ ପୁଳାଏ ଛଡ଼େଇ ନେବାକୁ ଆସିଛି କିମ୍ବା ସଭା ମଝିରେ ତାକୁ ନାରୁଭାଇ ବୋଲି ଡାକିଦେଲେ ତା’ର ମାନହାନି ହୋଇଯିବ ! ତା’ର ନୂଆ ଘର । ପାଲିସ ମୋଜେଇକ୍ ଚଟାଣ । କାନ୍ଥ କବାଟ ଝରକା ସବୁଠି ଖାଲି ଲମ୍ବା ଲମ୍ବା କାଚ ! ସେ ସବୁବେଳେ ଫିଟ୍‍ଫାଟ୍‍ ହୋଇଥାଏ, ବଡ଼ ପାଟିରେ ନ ହସି ତା’ର ଧାଡ଼ିବନ୍ଧା ଧଳା ଦାନ୍ତକୁ ଝଟକେଇ ଦିଏ । ତା’ଦେଇ କିଛି ହେବ ନାହିଁ । ସେ ସବୁବେଳେ କାମରେ ବ୍ୟସ୍ତ ଅଛି ବୋଲି ଦେଖେଇ ହୁଏ, ଆଉ କହେ ମୁଁ ତୋତେ ଅମୁକ ପାଖକୁ ନେଇଯିବି ସମୁକ ପାଖକୁ ନେଇଯିବି । ଦି’ଦିନ ତଳେ କହିଲା, ‘ମୋହରିର କାମ ବଡ଼ ନିଉଛଣା । ସେଥିରୁ କ’ଣ ମିଳିବ ? ତୁ ଗୋଟାଏ ବ୍ୟବସାୟରେ ଲଗିଯାଉନୁ ? ଯଦି କହିବୁ ମୁଁ ତୋତେ ମାଲଗୋଦାମର ରଘୁନାଥ ସିଂ ପାଖକୁ ନେଇଯିବି ।’ ଥାଉ, ଦରକାର ନାହିଁ ବାବୁ । ମୁଁ ନିଜେ ଯାଇପାରିବି ।

 

ଆଉ କେତେଜଣ ଅଛନ୍ତି, ପୁରୁରା, ଉଣଜା ସ୍ଥାନୀୟ । ସେମାନେ ମୋତେ ମାନ୍ୟ କରନ୍ତି । ନମସ୍କାର ହେବେ କି ନା ହେବେ ଠିକ୍ କରି ନ ପାରି ଶେଷକୁ ଚଟ୍ କରି ହାତ ଯୋଡ଼ି ଦିଅନ୍ତି, ଅଧା ବାଟରେ । କାହିଁକି ନା ମୁଁ ମଫସଲର ମୁରବି ? ଗରିବ ମୁରିବ ? ମୋ ଲୁଗା ପିନ୍ଧେ ? ଛାଡ଼ ସେମାନେ ପିଲାଲୋକ । କାଲି ସକାଳେ ପାଠ ପଢ଼ା ସାରି ଦି’ପଇସା କମାଉଛନ୍ତି, ନିଜ ରକ୍ଷଣ ଅସମ୍ଭବ ! ସେମାନେ କ’ଣ କରି ପାରିବେ ?

 

ନବଘନ ! 'ନାଣ୍ଡୁ, ନାଣ୍ଡୁ ବାବୁ । ଏ ସହରଯାକ ତୋର ବନ୍ଧୁବାନ୍ଧବ ଛାଇ ହେଇଛନ୍ତି; ସମସ୍ତେ ତୋର ଶୁଭକା°କ୍ଷୀ । ହେଲେ ସେମାନେ ଭିନ୍ନ ଜଗତର ପ୍ରାଣୀ, ତୋ ପରି ନୁହନ୍ତି । ସେମାନେ ଭାବୁଛନ୍ତି ଯେ ନାଣ୍ଡୁ, ସହରକୁ ଆସିଛି କେବଳ ଟଙ୍କା ରୋଜଗାର କରିବାପାଇଁ, ବୁଝୁନାହାନ୍ତି । ଯେ ତା’ର ଗୋଟିଏ ହୃଦୟ ଅଛି । ସେ ହୃଦୟ ଗଉଡ଼ ଭଣ୍ଡାର କିମ୍ବା ତନ୍ତୀ ଚପର ନୁହେଁ । କାରଣ ପିଲାର ହୃଦୟ । ଗାଆଁରେ ଜମିବାଡ଼ି ଯାହା ଅଛି ସେଥିରେ କୌଣସି ମତେ ଚଳିଯାଉଛି; କିନ୍ତୁ ସେ କ’ଣ ସବୁଦିନେ ଗୋରୁ ଲାଙ୍ଗୁଡ଼ରେ ବାଡ଼େଇ ହେଉଥାଆନ୍ତା, ପଚା ପତର ଓ ପାଚିଲା ଧାନର ବାସ୍ନାକୁ ସହୁ ଥାଆନ୍ତା, କାଦୁଅରେ ନଟପଟ ହୋଇ ଶେଉଳ ମାଛକୁ ଚିପୁଥାନ୍ତା, ଆଉ ରାତିରେ ଡିବିରି ଜଳେଇ ଜେମାଦେଇ କାନ୍ଦଣା ପଢ଼ୁଥାଆନ୍ତି ? ହୋଇଥାଇ ପାରେ ସେ ବେଶି ପାଠ ପଢ଼ି ନାହିଁ, ତାକୁ ବୟାଳିଶ ବର୍ଷ ହେଲାଣି । ହୋଇପାରେ ଯେ ତା’ର ଡାକ ନାଆଁ ନାଣ୍ଡୁ ! ସେ ଭୋବନି ମହନ୍ତର ପୁଅ, ଦେଖିବାକୁ ଲମ୍ବା ଚଉଡ଼ା ନୁହେଁ । ଭୋଟବେଳେ କଂଗ୍ରେସ କି ବେକଂଗ୍ରେସ ନେତା କେହି ତାକୁ ପଚାରନ୍ତି ନାହିଁ ; କିନ୍ତୁ ସେ ଚୌଧୁରୀ ବୈକୁଣ୍ଠ ମହାନ୍ତିର ନାତି, ବଡ଼ ଅଂଶର ପିଲା । ତା’ର ସ୍ତ୍ରୀ ତାରାମଣି ଗାଉଁଲି ଝିଅ ନୁହେଁ । ସେ ଟାଟା ନଗରରେ ମଣିଷ ହୋଇଛି, ହିନ୍ଦୀ ବଙ୍ଗଳା ଇଂରେଜି ସବୁ ଜାଣେ । ବଡ଼ ଝିଅ ହାରା ବାହା ହୋଇ ଗଲାଣି । ବାକୀ ଗୋଟିଏ ବୋଲି ସୁନନାକି ଝିଅ, ଚାରିବର୍ଷର କୋଡ଼ପୋଛା ପୁଅ ଛଅଟା ନୁହେଁ କି ନଅଟା ନୁହେଁ । – ନାଣ୍ଡୁ, କାହିଁକି ସହରରେ ରହିବ ନାହିଁ ? ସେ କାହିଁକି କିଛି ହେବ ନାହଁ ? ତା’ର ମଧ୍ୟ ହୃଦୟ ଅଛି ।

 

କୌଣସି ଗୋପନ ଶକ୍ତି ତାଙ୍କୁ ସଞ୍ଚାଳିତ କରେ, ପୋଖରୀ କୂଳରୁ ଉଠି ଆସି ସହରର ବଜାର ଭିତରେ, ସାହି ଭିତରେ, ଗଳି ଭିତରେ ବୁଲିବାକୁ କହେ । ଯେପରିକି ଚାଲି ରହିଲେ କିଛି ବନ୍ଦ ହୋଇଯିବ ନାହିଁ, ଗାଆଁକୁ ଫେରି ଯିବାର ଦୁର୍ଭାବନା ଉଭେଇ ଯିବ ।

 

ତେଣୁ ନାଣ୍ଡୁ ବାବୁ ଚାଲିବାକୁ ଲାଗନ୍ତି । ପ୍ରଥମେ କାମିଜ ପକେଟରୁ ଗୋଟିଏ ବିଡ଼ି ବାହାର କରି ଗହୀରିଆ ଫୁଙ୍କ ଦିଅନ୍ତି । ମନେହୁଏ ଯେ ସେ ଏହି ମ୍ଳେଛ ସହରକୁ ଦେଖି ନେବେ, ତା’ ସାଙ୍ଗରେ ବଳ କଷିବେ, ଏହି ଭାବରେ ଆଗେଇଛନ୍ତି ।

 

ସାହି, ଗଳି, ବଜାର । ବଜାର ଗଳି, ସାହି । କେଉଁ ପାନ ଦୋକାନ ରେଡ଼ିଓରୁ ଗୀତ ଶୁଭୁଛି, ସିନେମା ଗୀତ ! ସୀତାର ମିଠା ଗଳା । ସେ ଏମିତିକା ଗୀତ କ'ଣ ବୋଲି ପାରନ୍ତା ନାହିଁ ? କିନ୍ତୁ ଗାଁଆରେ କିଏ ପଚାରୁଛି ତାକୁ ? ପାନ ଦୋକାନୀ, ଚା ଦୋକାନୀ, ଭେଜନାଳୟ, ମନୋହରି ଦୋକାନୀ, ଲୁଗା‌ ଦୋକାନୀ, ଫଟୋ ଦୋକାନୀ - ସମସ୍ତେ ଇନ୍ଦ୍ରଙ୍କ ପରି ନିଜ ନିଜ ଆସ୍ଥାନରେ‌ ବସିଛନ୍ତି, ଆଉ କିଣାବିକା ଲାଗିଛି । କିଏ ଜଣେ କହୁଥିଲା ଯେ ହଜାରି ସାହିର ବୁଦ୍ଧିଆ ଇଟାବାଲା ଗୋଟାଏ ମଟର ସାଇକଲେ କିଣିଛି । ମଟର ସାଇକଲ୍ ଚଢ଼ିଲେ କ’ଣ ସେ ଦି’ଇଞ୍ଚ ଉପରକୁ ଉଠିଯିବ ? ଯେଉଁ ଇଟାବାଲାକୁ ସେଇ ଇଟାବାଲା । ଅସଲ ହେଉଛି ଖାନ୍‌ଦାନୀ, ବୁନିଆଦି । କଳା କୁଚୁକୁଚୁ ଚେହେରା, ନାଲିଆ ଆଖି, ବାବୁରିବାଳ, ମୁହଁରେ ଯେତେ ରକମର ଅସଭ୍ୟ କଥା- ସେ ପୁଣି ବାବୁ ହେବାକୁ ବସିଛି ! ....ଭୋକ….. ଏତିକିବେଳକୁ ଏତେ ଭୋକ କେଉଁଠୁ ଆସେ ? ନା, ଆଜି ଭୋକକୁ ଦବେଇ ଦେବାକୁ ହେବ । ଗାଆଁରେ ଥିଲେ କେତେବେଳଠୁ ଖାଇପିଇ ଶୋଇ ସାରନ୍ତିଣି । ହେଉ, ବୟାଳିଶ ବର୍ଷ ତ ଏମିତି କଟିଗଲା । ଆଜି ଗୋଟାଏ ଦିନ ନ ଖାଇଲେ କ'ଣ ଚଳିବ ନାହିଁ ? (ଏହି ସମୟରେ ମନକୁ ଆସେ ଯେ ହାରାବୋଉ ଦେଇଥିବା ଟଙ୍କା ସରି ଆସିଲାଣି, ହାରା ଘରକୁ ପୁଷ ପୁନେଇଁ ଭାର ପଠା ହେବ । ପୁଅ ପାଇଁ ଛବିବହି ଦରକାର, ଇତ୍ୟାଦି । କିନ୍ତୁ ନାଣ୍ଡୁ ବାବୁ ଭୋକ ସମେତ ସେସବୁ ଭାବନାକୁ ଦବେଇ ଦିଅନ୍ତି ।) ଅସଲ କଥା ହେଲା ଛାତିର ଦମ୍ଭ । ଚରିତ୍ର । ହୃଦୟ । ଗାନ୍ଧିଜୀ କେତେଦିନ ଉପାସ ରହି ନ ଥିଲେ ?

 

ଚା’ କପେ ପିଇଦେଲେ ଭୋକ ମରିଯିବ ଆହୁରି ଥୋଡ଼ାଏ ଚାଲିହେବ । ନାଣ୍ଡୁ ବାବୁ ନିକଟତମ ଚା’ ଦୋକାନକୁ ପଶିଯାଇ ଗରମ୍ ଗରମ୍ କପେ ଚା’ର ବରାଦ୍ ଦିଅନ୍ତି ଏବଂ ଚା’ ପିଇସାରି ପୁଣି ଚାଲନ୍ତି ।

 

ତା’ପରେ ବେଳେ ବେଳେ ଇଚ୍ଛା ହୁଏ ଯେ ଗୋଟିଏ ସିଗାରେଟ୍ ଟାଣିଲେ ମନ୍ଦ ହୁଅନ୍ତା ନାହିଁ । ନାଣ୍ଡୁ ବାବୁ ଶସ୍ତା ଦେଖି ଗୋଟାଏ କିଣନ୍ତି । ଧୂଆଁଗୁଡ଼ା ପାଣିଚିଆ ଲାଗେ, ଏବଂ ସେ ଥାକରେ ସଜା ହୋଇଥିବା ଟିଣ ସିଗାରେଟ୍ ଉପରେ ଆଖି ପକାନ୍ତି,- ଏସକୁ ବେଶି ଦାମ୍ ସିନା, କିନ୍ତୁ ଭଲ ଲାଗୁଥିବ । ନନ୍ଦବାବୁ ଟିଣ ପରେ ଟିଣ ଧ୍ଵଂସ କରିଦିଅନ୍ତି । ଏତେ ପଇସା କେଉଁଠୁ ଆସେ ?

 

ରାତି ବଢ଼ୁଛି । ଲୋକ କମି ଆସିଲେଣି । ଲମ୍ବିଲା ପିଚୁ ରାସ୍ତା ବହଳ ମଜବୁତ୍ ଫିତା ଭଳି ଦେଖା ଯାଉଛି, ଯେଉଁଥିରେ ସହରିଆଙ୍କର ସବୁ କାରବାର ଏକାଠି ବନ୍ଧା ହୋଇଛି । ସେହି ବନ୍ଧନ ଭିତରେ ବଡ଼ ବଡ଼ କୋଠାର ଦଳ ଝଳି ଦିଶୁଛନ୍ତି, ଆତ୍ମବଳରେ ବଳୀୟାନ୍ ମୁନିଙ୍କ ପରି । ଦେଖିବାକୁ ଭଲ ଲାଗୁନାହିଁ ? ଭଲ, କିନ୍ତୁ ମନେ ହେଉଛି ଯେ ତାଙ୍କୁ ଛୁଇଁବା ମନା । ଯେପରିକି ସେମାନେ ନିରୋଳାରେ ନିଜର ପବିତ୍ର ବଡ଼ପଣକୁ ଟିକିଏ ଅନୁଭବ କରିବାକୁ ଚାହାଁନ୍ତି; ତେଣୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ । ହେଇ ରାହାସ ଦାଦାଙ୍କ କୋଠା । ଫାଟକରେ ତାଲା ପଡ଼ୁ, ବା ନ ପଡ଼ୁ ତା’ ଚେହେରାରେ ବନ୍ଧୁଭାବ ନାହିଁ । ଆଗକୁ ଚାଲିଲେ ନାରୁଭାଇର କୋଠା । ରଫିକ୍ ବଜାରରେ ନନ୍ଦବାବୁ । କେତେ ଜଣାଶୁଣା କେତେ ଅଜଣାଙ୍କ ନିବାସ-କୁଟୀର-ସୌଧ ମୁଣ୍ଡ ଟେକିଛିନ୍ତି ଓ ମୋ ଆଡ଼କୁ ଚାହିଁଛନ୍ତି । ସର୍ବସାଧାରଙ୍କ ପ୍ରବେଶ ନିଷେଧ ।

 

ନାଣ୍ଡୁବାବୁଙ୍କୁ ଏକୁଟିଆ ଲାଗେ । ଏହିକ୍ଷଣି ଯେଉଁମାନେ ବାହାରେ ବୁଲୁଛନ୍ତି ସେମାନେ ସମସ୍ତେ ସର୍ବସାଧାରଣ–ରିକ୍‌ସାବାଲା, ଘର ଫେରନ୍ତା ମୁଲିଆ, ଟୋକା ବଜାରିଙ୍କ ଦଳ, କେଉଁ ନିର୍ଭୀକା ମଳିନା ଅଳ୍ପବୟସୀ (ଚାକରାଣୀ ? ବରା ପିଆଜିବାଲୀର ଝିଅ ? ଖରାପ ମାଇକିନିଆ ?), ଏକୁଟିଆ ବିଲେଇ ଓ ଭୁକିଲା କୁକୁର; କିନ୍ତୁ ମୁଁ ନୁହେଁ । ମୁଁ ନୁହେଁ ! ମୁଁ ଏମାନଙ୍କ ଭିତରୁ ଜଣେ ନୁହେଁ । ମୁଁ ଇଚ୍ଛାକଲେ ଯେ କୌଣସି କୋଠା ଭିତରକୁ ଯାଇ ପାରିବି ଓ କହିପାରିବି ଯେ ମୁଁ ହେଉଛି ରଙ୍ଗଣିପୁରର ନବଘନ ମାହାନ୍ତି । ନାଣ୍ଡୁ ବାବୁ । ମୁଁ ଏମିତି ଅବେଳାରେ ରାସ୍ତାରେ ବୁଲୁଛି କାହିଁକି ନା - ।

 

ଶେଷକୁ ଆଉ ଚାଲି ହୁଏ ନାହିଁ, ଚାଲିବାକୁ ଇଚ୍ଛା ହୁଏ ନାହିଁ । ନାଣ୍ଡୁ ବାବୁ ରିକ୍‌ସା ଚଢ଼ନ୍ତି ଓ ହଜାର ସାହିକୁ ଫେରି ଆସନ୍ତି ।

 

ଫେରିବା ବାଟରେ ସେ ନିଜ ଥକିଲା ମନକୁ ଆଶ୍ୱାସନା ଦିଅନ୍ତି, - ଆଉ ବେଶିଦିନ ନୁହେଁ, ଆଉ ବେଶିଦିନ ନୁହେଁ । କିଛି ହେଲେ ଜୁଟିବ । ଭଗବାନ୍ ଅଛନ୍ତି ଏବଂ ଭଗବାନଙ୍କୁ ଡାକିବା ପରେ ପରେ ସେ ପୁଣି କୈଫିୟତ୍ ଦେବାକୁ ପ୍ରସ୍ତୁତ ହୋଇ ଉଠନ୍ତି ଯେ, ଗାଆଁରେ ଆଉ ଚଳି ହୋଇ ନ ଥାଆନ୍ତା, ସହରକୁ ନ ଆସି ଚାରା ନ ଥିଲା । ଭଗବାନ୍ ଅଥବା ଯେ କେହି‌ ଜାଣିବା ଶୁଣିବା ଲୋକ ବୁଝିବେ ଯେ ଏ ଗୋଟାଏ ବଦ୍‌ଖିଆଲ୍ ନୁହେଁ । ନାଣ୍ଡୁ ସହରରେ ଜଣେ ହୋଇ ରହିବ । ଜରୁରୀ ଓ ଉଚିତ ।

 

ସେହି ସମୟରେ ମନେ ପଡ଼ିଯାଏ ହାରା ବାହାଘର ବେଳେ କେଉଁ ବରଯାତ୍ରୀର ବ୍ୟଙ୍ଗୋକ୍ତି- ‘‘ଏ ଜିନିଷଟି କଆଣ ? ଚା’ ପିଇବା ବେଲା ନା ସରବତ ପିଇବା କଂସା ? ନନ୍ଦବାବୁଙ୍କ ପରିବାରବର୍ଗର ଆଗମନ, ତାଙ୍କ ସାନପୁଅ ରାମୁର ଘୋର ଆଶ୍ଚର୍ଯ୍ୟ–ଏଠି କ’ଣ କେହି ଚଉକିରେ ବସନ୍ତି ନାହିଁ ?’’ ତା’ ମାଆର ଫୁସ୍‍ଫୁସ୍ ଉପଦେଶ । ...ଦର୍ପଣ ସାମ୍‌ନାରେ ହାରା ବୋଉର ଏକୁଟିଆ ଦୀର୍ଘ ନିଃଶ୍ୱାସ, କେବେ କେଉଁ ଅତୀତରେ ସେ ଥିଲା ଟାଟା ନଗରର ଯୁବତୀ, ଆଜି ସେ ରଙ୍ଗଣିପୁରର ବୁଢ଼ୀ ! ....ବୃଦ୍ଧ ଭଗି ବଡ଼ ବାପାଙ୍କର ପ୍ରଶଂସା-‘ବାପ, ବେଶି ପାଠ ପଢ଼ି ନାହିଁ ଭଲ ହୋଇଛି । ଯେ ଯୁଆଡ଼େ ପଳେଇଗଲେ, ତୁଇ ଏକା ଏଇ ଗାଆଁ ମାଟିକୁ ଚିହ୍ନିଲୁ ।’ ....ସୀତା ଓ ଜିଲ୍ଲା ମାଜିଷ୍ଟ୍ରେଟ୍‍ । ସୀତା ଓ ଅଞ୍ଚଳ ନେତା ବିଶ୍ଵମ୍ବର ଛୋଟରାୟ । ସୀତା ଓ ତା’ ଭିଣେଇ । ସମସ୍ତଙ୍କ ମୁହଁରେ ସେହି ଏକା କଥା-ଏତେ ଚାଲାଖ୍‍ ଝିଅ ! ଏତେ ସୁନ୍ଦର ! ନ ଜାଣିବା ଲୋକେ କେହି ବିଶ୍ୱାସ କରନ୍ତି ନାହିଁ ଯେ ତା’ ବାପା ହେଉଛନ୍ତି ନାଣ୍ଡୁବାବୁ ? ବସାରେ ପହଞ୍ଚି ପୁଣି ଭୋକ କରିବାରୁ କଦଳୀ ଗୋଟିଏ ଖାଇଦେଇ ନାଣ୍ଡୁବାବୁ ଚିଠି ଲେଖନ୍ତି । ପ୍ରଥମେ ‘ଆଦରଣୀୟା ସୀତା –।’ ତାପରେ ‘ପ୍ରାଣେଶ୍ଵରୀ…...।’ ଲେଖିଲାବେଳେ ସେ ଆତ୍ମତ୍ୟାଗର ଗାରିମା ଅନୁଭବ କରନ୍ତି । ରାତି ଅଧରେ ଭୋକିଲା ପେଟରେ ମୁଁ ଏହି ମାଆ ଝିଅଙ୍କ ପାଖକୁ ଚିଠି ଲେଖୁଛି ।

 

ତା'ପରେ କଚିରୀ ଛକରୁ କିଣିଥିବା ‘କଳାମୁଖୀ’ କିମ୍ବା ସେହି ଧରଣର ଗୋଟିଏ ଡିଟେକ୍‌ଟିଭ୍ ଉପନ୍ୟାସ ପଢ଼ୁ ପଢ଼ୁ ତାଙ୍କୁ ନିଦ ଲାଗି ଆସେ ଓ ସେ ଶୋଇ ପଡ଼ନ୍ତି ।

 

ଏହିପରି ଭାବରେ ଛଅମାସରୁ ଉର୍ଦ୍ଧ୍ଵ, ହୋଇଗଲା । ନାଣ୍ଡୁ ବାବୁ ଗାଆଁକୁ କିଛିଦିନ ଯାଇ ବୁଲି ଆସିଲେଣି । ହାରାବୋଉ ସ୍ପଷ୍ଟ ଭାବରେ ଜଣାଇ ଦେଲେଣି– ‘ହାତରୁ ଖାଇ ଘୋଡ଼ା ଅଗରେ ଦୌଡ଼ିବା ପାଇଁ ମୋ ପାଖରେ ଆଉ ପଇସା ନାହିଁ । ଯହା ହେଲେ କିଛି ଗୋଟାଏ ବ୍ୟବସ୍ଥା କର ।' ଦଶବର୍ଷର ସୀତା କେତେ ଆବେଗଭରା ପ୍ରଶ୍ନ ପଚାରି ସାରିଲାଣି । ଯଥା- ‘ନୀରା ଅପା କହୁଥିଲା ଯେ ସେଠିକା ସ୍କୁଲରେ ମାଷ୍ଟ୍ରାଣୀମାନେ ପାଠ ପଢ଼ାନ୍ତି । ଆଉ କହୁଥିଲା ଯେ ପ୍ରତି ସ୍କୁଲରେ ଅଲଗା ଅଲଗା‌ ରଙ୍ଗର ଫ୍ରକ୍ ପିନ୍ଧନ୍ତି । ଯେଉଁ ସ୍କୁଲରେ ନେଳିଆ ଫକ୍ ଥିବ ମୁଁ ସେଇଠି ପଢ଼ି ପାରିବି ନା ? ବାପା ଆମେ କେବେ ଯିବା ?' କିନ୍ତୁ ଅବସ୍ଥା ପୂର୍ବ ପରି ଅଛି । ଅଦୂରରେ କେଉଁ ଆଶାର ବର୍ତ୍ତିକା ଜଳିଲାପରି ଦିଶୁ ନାହିଁ ।

 

କିହିବାକୁ ଗଲେ ଅବସ୍ଥା ତଳେଇ ଯାଇଛି ।

 

ଅନ୍ତତଃ ନାଣ୍ଡୁବାବୁଙ୍କ ମନରେ ସେହି ଧାରଣା ଆସୁଛି । କେତେ ଦିନତଳେ ରାହାସ ଦାଦାଙ୍କର ଶରୀର ପୀଡ଼ା ଘୁଞ୍ଚାଇବାକୁ ଯାଇ ସେ ତାଙ୍କ ଗୋଡ଼ହାତ ଚିପି ଦେଲେ । ଦାଦା ପ୍ରୀତ ହେଲେ ! ଆଉ ଦିନେ ନନ୍ଦବାବୁ ଖାଇସାରି ଉଠିଗଲା ପରେ ସେ ସେହି ଥାଳୀରେ ବି ଖାଇଲେ । ପ୍ରଥମେ ନନ୍ଦବାବୁଙ୍କ ସ୍ତ୍ରୀ ଟିକିଏ ବିସ୍ମିତ ହେଲା ପରି ଲାଗିଲା, କିନ୍ତୁ ତା' ପରେ ସେ ସ୍ନେହରେ ଗଦ୍‌ଗଦ୍ ହୋଇ କେତେ ତରକାରୀପତ୍ର ଭଲମନ୍ଦ ବଳେଇ କରି ଖୋଇଲେ । ଦୁଇଥର ଯାକ ନାଣ୍ଡୁ,ବାବୁ ନିଜକୁ କହିଲେ ଯେ ସେ କିଛି ଛୋଟ କାମ କରି ନାହାନ୍ତି, ସେମାନେ ବୟୋଜ୍ୟେଷ୍ଠ, ନିଜ ଲୋକ । କିନ୍ତୁ ପରେ ତାଙ୍କର ମନେ ହେଲା ଯେ ଏହି ନିଜ ଲୋକମାନେ ତାଙ୍କର ଉଦାରତା ସ୍ୱୀକାର କରୁ ନାହାନ୍ତି । କାହିଁକି ? କାହିଁକି ? ଆଗରୁ କ'ଣ ଏମିତି ହେଉଥିଲା ? ମୁଁ କ’ଣ ସତରେ ସେମାନଙ୍କ ଅନୁଗ୍ରହରେ ପଡ଼ି ରହିଛି ? ଏହିସବୁ ପ୍ରଶ୍ନର ତାଡ଼ନାରେ ତାଙ୍କର ଧାରଣା ଆସୁଛି ଯେ ଅବସ୍ଥା ତଳେଇ ଗଲାଣି ।

 

ଆଜି କାଲି ସେ ସଞ୍ଜବେଳେ ବୁଲିଯାଉ ନାହାନ୍ତି । ଘରେ ବସି ଏଣୁ ତେଣୁ ଭାବୁଛନ୍ତି ଓ ଉପନ୍ୟାସ ପଢୁଛନ୍ତି । ଦିନେ- 'ପ୍ରେତପୁରୀ' ନାମକ ଗୋଟିଏ ଉପନ୍ୟାସ ପଢୁ ପଢୁ ତା'ର ଅନ୍ତରାଳରେ ସେ ସ୍ଵପ୍ନ ଦେଖିଲେ । ତିକ୍ତ-ମଧୁର ଭାବନାର ସ୍ଵପ୍ନ ! ଦେଖିଲେ ଯେ ସେ ଗୋଟିଏ ରହସ୍ୟଜାଲ ସୃଷ୍ଟି କରି ସେମାନଙ୍କୁ ନିଜ ଅଧିକାରରେ ଆଣି ପାରିଛନ୍ତି । ସେମାନେ ଶତ୍ରୁ ନା ମିତ୍ର, ବନ୍ଧୁବାନ୍ଧବ ବା ଅପର ଲୋକ ବୁଝି ହେଉ ନାହିଁ; କିନ୍ତୁ ସେମାନେ ସମସ୍ତେ ଅଛନ୍ତି - ଗୋଟିଏ ଗୃହଭିତରେ ଏବଂ ନାଣ୍ଡୁବାବୁ ତାଙ୍କୁ ବୁଝାଉଛନ୍ତି । ଆଶ୍ଚସନା ଦେଉଛନ୍ତି ଯେ, ତାଙ୍କର କିଛି ଅନିଷ୍ଟ ହେବ ନାହିଁ, କାରଣ ନୀଚ୍ଚ ନୁହେଁ, ତା’ର ହୃଦୟ ଅଛି- ବିଶାଳ ହୃଦୟ, ରାଜା ପରି ।

ଖୋଲା କବାଟରେ କିଏ ଖଟ୍ ଖଟ୍ କଲା । ନାଣ୍ଡୁବାବୁ ସଚେତ ହେଇ ଦେଖିଲେ ଯେ ପ୍ରତିବେଶୀ ଉଛୁବ ପାତ୍ର ହସ ହସ ବଦନରେ ମାଡି ମାଡ଼ି ଆସୁଛନ୍ତି । ସତେ ଯେପରି ସେ ତାଙ୍କ ପୁରୁଣା ସାଙ୍ଗ । ସାମାନ୍ୟ ସ୍କୁଲ ମାଷ୍ଟର, ଗୋଛାଏ ଅବାଗିଆ ଅପରଛନିଆ ପିଲା, ପଇସାପତ୍ରରେ ନିହାତି ଛୋଟଲୋକ,- ତା’ର ମୋ ପାଖରେ କ'ଣ କାମ ଅଛି ? ପୁଣି ଏତେ ହସ କାହିଁକି ?

 

“ନମସ୍କାର ନବଘନ ବାବୁ । କ’ଣ ଖବର ?”

 

“ଚାଲିଛି ।” ନାଣ୍ଡୁବାବୁ ଯଥାସମ୍ଭବ ତାଙ୍କର ବିରକ୍ତିକୁ ଦମନ କଲେ ଏବଂ କାମନା କଲେ ଯେ ଏ ଲୋକଟା ଶୀଘ୍ର ଚାଲିଯିବ ଓ ସେ ତାଙ୍କ 'ପ୍ରେତପୁରୀ'କୁ ଫେରି ଆସି ପାରିବେ ।

 

କିନ୍ତୁ ଅଧଘଣ୍ଟାଏ ନ ଯାଉଣୁ ଦେଖାଗଲା ଯେ ନାଣ୍ଡୁବାବୁ ମନଯୋଗ ଛାତ୍ରଙ୍କ ପରି ମାଷ୍ଟର୍ ଉଚ୍ଛବ ପାତ୍ରଙ୍କ କଥା ପିଇ ଯାଉଛନ୍ତି । ମୁହଁରେ ମୂଢ଼ତା, ଉନ୍ମେଷ ଓ ଜାଗରଣର ଚଳନ୍ତା ଛବି । କଥୋପକଥନର ଶ୍ରେଷ ପଦ କେତୋଟି ଏହିପରି ଥିଲା,

 

“ମୁଁ ବୁଝି ପାରୁ ନାହିଁ । ସିଧାସଳଖ ବ୍ୟବସାୟ ନ କରି ଏହି ଏଜେଣ୍ଟ ହେବାରେ କଅଣ ଲାଭ ଅଛି ?”

 

“ଆପଣଙ୍କୁ କେମିତି ବୁଝେଇବି ?’’ (ହାରି ଯିବାର ଭଙ୍ଗୀରେ ମସ୍ତକ ସଞ୍ଚାଳନ) “ମୁଁ ଆପଣଙ୍କୁ ଦଲାଲ ହେବାକୁ କହୁ ନାହିଁ; ଏଜେଣ୍ଟ । ସରକାରଙ୍କ ଏଜେଣ୍ଟ ।”

 

“ଓ–?”

 

“ନା, ତଥାପି ଆପଣ ଠିକ୍ ଧରି ପାରୁ ନାହାନ୍ତି । ସାଧାରଣ ବ୍ୟବସାୟ କଲେ ଆପଣ ପବନରେ ଉଡ଼ିଯିବେ, ତାପରେ ପୋଡ଼ିଯିବେ; କିନ୍ତୁ ଏମିତିକା ବ୍ୟବସାୟରେ ଆପଣ ଛାଇତଳେ ରହିବେ, ତଣ୍ଟି କଟା କମ୍ପିଟିସନ୍ ରୁ ରକ୍ଷା ପାଇବେ ।”

 

“ଆଛା ।”

 

“ଆପଣ କିଛି କରିବେ ନାହିଁ, ଆପଣ ନିମିତ୍ତ ମାତ୍ର ସରକାର ଲୋକଙ୍କ- ଠାରୁ କିଣିବେ, ସରକାର ଲୋକଙ୍କୁ ବିକିବେ, ମଝିରେ ଆପଣଙ୍କର କମିସନ୍ ! ସେଥିରେ ଦାତାର କିଛି ଭାଗ ରହିବ, ବାକି ସବୁ ଆପଣଙ୍କର ।”

 

ଉତ୍ତର ନାହିଁ । ଚାହାଣୀ ପ୍ରଶ୍ନକୁଳ ।

 

“ହୁଏତ ଆପଣ ଭାବୁବେ ଯେ କମିସନ୍ , କେଇଟା ଟଙ୍କା ମିଳିବ, ସେଥିରେ ଭାଗ ପଡ଼ିଲା ବେଳକୁ ଆଉ କ'ଣ ବା ରହିବ; କିନ୍ତୁ ନବଘନବାବୁ, ଆପଣ ଦେଖିବେ ସେ ଏ ହେଉଛି ଗୋଟାଏ ସୁନାଖଣି ମୋ କଥା ଲେଖି ରଖନ୍ତୁ । କମିସନ୍‍କୁ କିଏ ପଚାରେ ? ଆପଣଙ୍କ ହାତକୁ ଯେଉଁ କିଣା ବିକାର ମାଲ୍ ଆସିବ, ସେଥିରୁ କେତେ ପାଣି ପଣି ନଷ୍ଟ ହୋଇଯିବ, କେତେ ମୂଷା ଖଇଯିବେ, କେତେ ଚୋରି ହୋଇଯିବ, ଆଉ କେତେ ଆଶରୀର ଲୋକମାନଙ୍କୁ ଦିଆ ହୋଇଯିବ । ହିସାବ ଖାତାରେ କିଛି ତ୍ରୁଟି ରହିବ ନାହିଁ । ହେଲେ ସେହି ଗୁପ୍ତ ଧନର ମାଲିକ ହେବେ ଆପଣ । କେବଳ ଆପଣ ।

 

ନାଣ୍ଡୁବାବୁଙ୍କ ପାଟି ଈଷତ୍ ମେଲା ହୋଇଗଲା । ତାଙ୍କର ମନେ ହେଲା ଯେ ଏ ସେହି ‘ପ୍ରେତପୁରୀ' ଜନିତ କାମନାର କ୍ରମଶଃ, ଉଚ୍ଛବ ପାତ୍ର ହେଉଛନ୍ତି ସେଠିକାର ଜଣେ ଗୋଇନ୍ଦା କିମ୍ବା ସର୍ଦ୍ଦାର । ଯାହାହେଉ ସେ ବାସ୍ତବତାକୁ ପରଖି ନେଲା ପରି ଚମକାଇବା ସ୍ଵରରେ ପ୍ରଶ୍ନ କଲେ–

 

“କିନ୍ତୁ ମେତେ କାହିଁକି ଏ କାମ ଦିଆଯିବ ? ମୁଁ କିଏ ?”

 

ଏହାର ଉତ୍ତରରେ ମାଷ୍ଟର ଉଚ୍ଛବ ପାତ୍ର ହସି ଉଠିଲେ । କହିଲେ, “ଆପଣଙ୍କୁ ସେ ବିଷୟ ଭାବିବାକୁ ପଡ଼ିବ ନାହିଁ । ସବୁ ଯୋଗାଡ଼ ହୋଇଯାଇଛି । ଦାତା ନିଜକୁ ଜଣାଇବାକୁ ଚାହେଁ ନାହିଁ; କିନ୍ତୁ ତା’ର ଅସାଧ୍ୟ କିଛି ନାହିଁ । ଠିକ୍ ହୋଇଛି ଯେ, ପ୍ରଥମେ ଧାନଚାଉଳ, ତା'ପରେ ସିମେଣ୍ଟ , ତା’ପରେ~ । ଅବଶ୍ୟ ଆପଣ ଯଦି ରାଜି ହୁଅନ୍ତି ।

 

ନାଣ୍ଡୁ ବାବୁ ଡେରିରେ ହସିଲେ; କିନ୍ତୁ ତାଙ୍କ ହସର ସରଳତା ମଧୁରତା ଓ ବ୍ୟାପ୍ତି, ଉଚ୍ଛବ ପାତ୍ରଙ୍କ ମନକୁ ଛୁଇଁଲା । ସେ ବୁଝିଲେ ଯେ ଆଉ କିଛି କହିବାର ନାହିଁ ।

 

ଉଛବ ପାତ୍ର ଚାଲିଗଲା ପରେ ମଧ୍ୟ ନାଣ୍ଡୁ ବାବୁଙ୍କ ଓଠର ହସ ଲିଭିଲା ନାହିଁ । ଯେପରିକି ସେ ମୁଗ୍‍ଧ ହୋଇ ନିଜକୁ, ନିଜର ନୂଆ ରୂପକୁ ଦେଖୁଛନ୍ତି । ନାଣ୍ଡୁ, ଗୋଟାଏ ବଡ଼ କାମ, ଅସାଧାରଣ ବ୍ୟବସାୟ କରିବାକୁ ଯାଉଛି ।

 

ଅଜ୍ଞାତ ଦାତା କିଏ, ସେ ବିଷୟରେ ସେ ମୁଣ୍ଡ ଖେଳାଇଲେ ନାହିଁ । ହୁଏତ ନିଜେ ରାହାସଦାଦା, ନନ୍ଦବାବୁ, ନାରୁଭାଇ କିମ୍ବା କେଉଁ ହାକିମ, ଶେଠ, ମିନିଷ୍ଟର୍- କିଏ କହିବ ? କିନ୍ତୁ ତାଙ୍କର ବିଶ୍ୱାସ ଯେ ନାଣ୍ଡୁ ଅପାରଗ ନୁହେଁ । ମୂଳଧନ ଶହେ ନୁହେଁ, ଦୁଇଶହ ନୁହେଁ, ଆଠହଜାର ଟଙ୍କା–!

 

ସୀତାର ମୁହଁ ମନେ ପଡ଼ିଲା । ସେ ଆନନ୍ଦରେ ନେଳିଆ ଫ୍ରକ୍‍, ପିନ୍ଧି ନାଚୁଛି ।

 

ଏହାର କିଛି ଦିନ ପରେ ସେ ପିଲାପିଲିଙ୍କୁ ସହରକୁ ଅଣିଲେ । ସୀତାର କନ୍‍ଭେଣ୍ଟ ସ୍କୁଲରେ ନାଁ ଲେଖାଗଲା ଓ ତା’ ନାଁ ଦିଆହେଲା ସଙ୍ଗୀତା ।

 

(୨)

 

ଆଜି ସଙ୍ଗୀତାକୁ ପନ୍ଦର ପୂରି ଷୋହଳ । ସେ ନେଳିଆ ଫ୍ରକ ପିନ୍ଧୁ ନାହିଁ, ନାଇଲନ୍ ଶାଢ଼ୀ ପିନ୍ଧି କଲେଜକୁ ଯାଉଛି ।

 

ନାଣ୍ଡୁ ବାବୁ ଗୋଟିଏ କୋଠାଘର ତୋଳିଛନ୍ତି । ତା’ର କାମ ସରିନାହିଁ, ବିଭିନ୍ନ ଜାଗାରୁ କଞ୍ଚା ଚୂନ ସିମେଣ୍ଟର ବାସ୍ନା ଆସୁଛି । ନନ୍ଦ ବାବୁ କେତେଥର କହସାରିଲେଣି- 'ନାଣ୍ଡୁ, ତୁ ଏ ଘରପିଛା ଯେତେ ଟଙ୍କା ଖର୍ଚ୍ଚ କଲୁଣି, ଯେତେ ସମୟ ନଷ୍ଟ କଲୁଣି, ମୁଁ ହୋଇଥିଲେ ତିନିଟା ଘର ତୋଳି ସାରନ୍ତିଣି । ହାରା ବୋଉ ମଧ୍ୟ ବ୍ୟସ୍ତ ହୋଇଗଲେଣି । ସେ ଗର୍ବମିଶ୍ରିତ ଦୁଃଖରେ ସଙ୍ଗନୀମାନଙ୍କୁ କହନ୍ତି ‘କଅଣ ସବୁଦିନେ ଖୁଟୁରୁ ଖୁଟୁରୁ ଚାଲିଛି, ଭଗବାନ୍ ଜାଣନ୍ତି ଠାକୁରଘର ପ୍ଲାନରେ ନ ଥିଲା, ଠାକୁରଘର ହେଲା । ତା’ ପରେ କ’ଣ ନା ଦାଣ୍ଡ ବାରଣ୍ଡାକୁ ଚଉଡ଼ା କର, ଆହୁରି ଚଉଡ଼ା । ସେଇଠୁ ଠିକ୍ ହେଲା ଯେ ଦାଣ୍ଡରୁ ଗୋଟାଏ ପୋଟିକୋ ଦରକାର, ନାରୁଭାଇ ଘରେ ଯେମିତି ଅଛି, କାର୍ କିଣା ହେଲେ ସେଇଠି ଛିଡ଼ା ହେବ । ବର୍ତ୍ତମାନ ଝୁଙ୍କ ଉଠିଛି ଯେ ବାରିପଟକୁ ଧାଉଡ଼ିଏ ସାନଘର ତିଆରି ହେବ, ଚାରିକାନ୍ଥରେ ବହିଥାକ ଖଞ୍ଜା ହେବ, ଆଉ ପିଲାଏ ସେଠି ନିରୋଳାରେ ପାଠ ପଢ଼ିବେ । ଝିଅ ବାହାଘର ମୁଣ୍ଡ ଉପରେ, ପୁଅ ମଣିଷ ହୋଇନାହିଁ–ତାଙ୍କପାଇଁ କିଛି ରଖିଯିବ ନା ନାହିଁ ? ବଡ ଲୋକ ବଡ଼ ଲୋକ ବୋଲି ହୁରି ପଡ଼ିଛି, ଦେଖିଲା- ବେଳକୁ ଖଡ଼ା ନାସ୍ତି । ...ତା’ ଛଡ଼ା ତମର ବୟସ ହେଲା । ସବୁଦିନେ କ’ଣ ଖଟୁଥିବ ? ଦିନକୁ ଦି' ଘଣ୍ଟା ବିଶ୍ରାମ ନେଲେ ହୁଅନ୍ତା ନାହିଁ ?

 

ପ୍ରକୃତରେ ନାଣ୍ଡୁ ବାବୁ ବିଶ୍ରାମ ନେଇ ପାରୁ ନାହାନ୍ତି । କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଗତ ପାଞ୍ଚ ବର୍ଷ ହେଲା ସେ ମୁହୂର୍ତ୍ତେ ବିଶ୍ରାମ ନେଇ ନାହାନ୍ତି । କାରଣ ସେଦିନ ରାତିରେ ହଜାରିସାହୀର କୁଡ଼ିଆଘରେ ଯେଉଁ ସୁଅର ମୁହଁ ଖୋଲିଗଲା ତାକୁ ରୋଧିବାର ଶକ୍ତି ନ ଥିଲା । ନାଣ୍ଡୁକୁ କାମ କରିବାକୁ ହେବ । ଗୁଡ଼୍‌ସ୍ କ୍ଲର୍କ ସୋମାୟା ଯଦି କହିଛି ଯେ ରାତି ତିନିଟା ବେଳେ ତିନିନମ୍ବର ସେଡ଼୍ ପାଖରେ ତା’ ସାଙ୍ଗରେ ଦେଖା କରିବାକୁ ହେବ ତାହାହେଲେ ସେଠିକି ଯଥାସମୟରେ ଯିବାକୁ ପଡ଼ିବ । ଶିଳ୍ପପତି ଚିତ୍ତ ଷଡ଼ଙ୍ଗୀର ଗାଆଁ ଘରେ ଶହେ ବସ୍ତା ଚାଉଳ କୌଣସି ମତେ ପହୁଞ୍ଚାଇ ଦେବାକୁ ପଡ଼ିବ, ଚବିଶ ଘଣ୍ଟାରୁ ବେଶି ଡେରି ହେବ ନାହିଁ । ସେକ୍ରେଟେରୀଏଟର ବିଭିନ୍ନ ମହଲାରେ ବିଭିନ୍ନ ଲୋକଙ୍କ ସହିତ କାରବାର ଚାଲୁ ରଖିବାକୁ ହେବ ଏବଂ ନିୟମିତ ଭାବରେ ଉଚ୍ଛବ ପାତ୍ରର ଜରିଆରେ ଦାତାଙ୍କ ଉପଦେଶ ଶୁଣିବାକୁ ହେବ ।

 

କର୍ତ୍ତବ୍ୟପରାୟଣତା । ଯେତେବେଳେ ଦେଖିବ ସେହି ଗମ୍ଭୀର ଭାବ, ତତ୍‍‌ପର ଭଙ୍ଗୀ, ମାର୍କାମରା ବିନୟୀ ହସ ଏବଂ କପାଳରେ ଝାଳ । ଯେପରିକି ସେ ଏକାଧାରରେ ସୈନିକ ଓ ସେବକର ବ୍ରତ ଗ୍ରହଣ କରିଛନ୍ତି, ନିଜ କଥା ଭାବିବାକୁ ବେଳେ ନାହିଁ । ଉଚ୍ଛବ ପାତ୍ର ଦିନେ ଦୟାପରବଶ ହୋଇ କହିଲେ “ନବଘନବାବୁ, ଆପଣଙ୍କୁ ଏତେ ଧାଁ-ଧପଡ଼ କରିବାକୁ କିଏ କହୁଛି ? ଗରଜ କ’ଣ ଖାଲି ଆପଣଙ୍କର ? କିନ୍ତୁ ନାଣ୍ଡୁ ବାବୁ ସହନଶୀଳତାର ଭାବ ଦେଖାଇ କହିଲେ ‘ନାଁ, ନାଁ, ମୋତେ କିଛି କଷ୍ଟ ହେଉନାହିଁ । ଏଇ କନ୍‌ସାଇନ୍‌ମେଣ୍ଟଟା ଆସିଗଲେ ।-

 

ଉଚ୍ଛବ ପାତ୍ର ସେତେବେଳେ ବୁଝିଲେ ନାହିଁ । ପରେ ବୁଝିଲେ । ଥରେ କ୍ଲାସରେ ପାଠ ପଢ଼ାଉ ପଢ଼ାଉ ପଛବେଞ୍ଚର ଗୋଟିଏ ଉଦ୍‌ଗତ ମୁହଁକୁ ଦେଖି ତାଙ୍କର ନାଣ୍ଡୁ ବାବୁଙ୍କ କଥା ମନେ ପଡ଼ିଲା ଏବଂ ତାଙ୍କର ଧରଣା ହେଲା ଯେ ସାଧୁତା ଗୋଟାଏ ଗୁଣବାଚକ ଶବ୍ଦ, କ୍ରିୟାବାଚକ ନୁହେଁ । ନବଘନବାବୁଙ୍କର ସେହି ଚାରିକୋଣିଆ ଚଟକା ମୁହଁ, କପାଳ ଓ ଚିବୁକ ଉଭୟ ପଶ୍ଚାଦଗାମୀ, ଘଞ୍ଚ ଭ୍ରୃଲତା, ଗହୀରିଆ ଚାହାଣୀ, ଚଉଡ଼ା ଗୋଲେଇ ନାକ, ଅର୍ଦ୍ଧ ପ୍ରସ୍ଫୁଟିତ କମଳପରି ଛୋଟିଆ କିନ୍ତୁ ମୋଟା ପାଖୁଡ଼ାର ଓଠ,–ଏତିକିରୁ କ'ଣ ଜଣା ପଡ଼ୁନାହିଁ ଯେ ସେ ସାଧୁତାର ପ୍ରତିମୂର୍ତ୍ତି ? ଅର୍ଥାତ୍ ସେ କାମ କରନ୍ତି ନାହିଁ, ନିଜକୁ ନିଯୁକ୍ତ କରନ୍ତି । ସରଳ (ସୁନ୍ଦର) ମୌଳିକ (ମହାନ୍) ଉଦ୍ଦେଶ୍ୟ ଦ୍ଵାରା ପ୍ରେରିତ ଓ ଧାବିତ ହୁଅନ୍ତି ! ଯଥା ଚଷାପୁଅ । ଯଥା ଭକ୍ତ । ଯଥା ବାୟା ଚଢ଼େଇ । କିଏ କାହିଁକି ଭାବିବ ଯେ ସେ କଳାବଜାର କରନ୍ତି ?

 

ଏତେବେଳକେ ସେ ବୁଝିଲେ ଯେ ଦାତା କାହିଁକି ୟାଙ୍କୁ ହିଁ ବାଛିଲେ । ଆଉ କାହିଁକି ସୋମାୟା ଷଡ଼ଙ୍ଗୀ ଓ ଅନ୍ୟମାନେ ନିଜେ ଆଢ଼ୁଆଳରେ ରହି ୟାଙ୍କୁ ପଦାକୁ ଆସିବାକୁ କହନ୍ତି । କାରଣ ନବଘନବାବୁ ଧରା ପଡ଼ିବେ ନାହିଁ । କସ୍ମିନ୍- କାଳେ ଧରା ପଡ଼ିବେ ନାହିଁ ।

 

ଭାବୁ ଭାବୁ ଉଚ୍ଛବ ପାତ୍ର ଅଧିକତର ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କ ମନରେ ଈର୍ଷାର ଭାବ ଆସିଲା । ତେଣୁ ସେ ଚଟ୍‌କରି କଥାଟା ଛିଣ୍ଡେଇ ଦେଲେ,–ଧ୍ୟାତ୍, ମଫସଲିଆଟା !

 

ଯାହହେଉ ନାଣ୍ଡୁ ବାବୁ ଅନ୍ୟମାନଙ୍କ ପ୍ରଶଂସା ନିନ୍ଦାକୁ ଭ୍ରୂକ୍ଷେପ ନ କରି କାମ କରିଯାଇଛନ୍ତି ଏବଂ ତାଙ୍କୁ ଭଲ ଲାଗୁଛି ।

 

କାମ ହେଉଛି, ଟଙ୍କା ଆସୁଛି । କ୍ରମବର୍ଦ୍ଧିଷ୍ଣୁ ସମ୍ପଦର ସୁଖ । ଚାଳଘର ଛାଡ଼ି କୋଠାଘର–ଗୋଟିକ ପରେ ଆଉ ଗୋଟିଏ–ତା'ପରେ ନିଜର ନୂଆ କୋଠାଘର । ଅଗଣା ବଡ଼ ଦିଶୁଛି, ଝରକାରେ ବେଶି ପବନ ଆସୁଛି, କୁଣ୍ଡରେ ଫୁଲ ଫୁଟୁଛି, ପିଲାମାନେ କେକ୍ ବିସ୍କୁଟ ଖାଉଛନ୍ତି, ହାରାବୋଉ ନୂଆ ନୂଆ ରକମର ଶାଢ଼ୀ ପିନ୍ଧୁଛନ୍ତି । ସଙ୍ଗୀତା ଚହଟୁଛି । ଅନ୍ଧାରରୁ ଆଲୁଅକୁ ଆସିବାର ଏହି ସୌଭାଗ୍ୟକୁ ହେଜି ନାଣ୍ଡୁ ବାରୁ ବିଶ୍ୱପିତାଙ୍କ ପାଖରେ ନତମସ୍ତକ ହୁଅନ୍ତି ଏବଂ ବିଶ୍ୱପିତାଙ୍କ ଦୂତସ୍ଵରୂପ ଅଜଣା ଦାତା, ଉଚ୍ଛବ ପାତ୍ର, ରାହାସଦାଦା ଓଗେର ଶୁଭାକାଂକ୍ଷୀ ଓ ସହକାରୀ ସହକର୍ମୀମାନଙ୍କ ପ୍ରତି କୃତଜ୍ଞତା ଜଣାନ୍ତି ।

 

ବାହ୍ୟିକ ଦୃଷ୍ଟିରୁ ଦେଖିଲେ ତାଙ୍କର ବଦଳି ନାହିଁ । ସେ ପୂର୍ବପରି ଖଣ୍ଡେ ଡୋରିଆ କାମିଜ ଓ ଧୋତି ପିନ୍ଧି, ପାଦରେ ଚଟି ଗଳେଇ ଚାରିଆଡ଼େ ବୁଲୁଛନ୍ତି । ଅଧିକାଂଶ ସମୟ ବଡ଼ ଓ କେବେ କେମିତି ସିଗାରେଟ୍ ଟାଣୁଛନ୍ତି । ଫରୁସତ୍ ହେଲେ ଡିଟେକ୍‌ଟିଭ୍ ଉପନ୍ୟାସ ପଢ଼ୁଛନ୍ତି । କିନ୍ତୁ ସେ ନିଜେ ଅନୁଭବ କରୁଛନ୍ତି ଯେ ତାଙ୍କ ଆତ୍ମାର ଉନ୍ନତି ହୋଇଛି, ହୃଦୟଗୁଣ ବିକଶି ଉଠିଛି । ଏମିତି ହେବାର ଥିଲା । ବେଳେ ବେଳେ ଦୁଃଖ ହୁଏ ଯେ ଜୀବନର ପ୍ରାୟ ତିନ ଭାଗରୁ ଦୁଇଭାଗ ବୃଥା କଟିଗଲା ରଙ୍ଗଣିପୁରର ମାଟିଗୋବର ବାସ୍ନା ଶୁଙ୍ଘି, ତେଲ ଚିକିଟା ତକିଆ ମସିଣାରେ ଶୋଇ, ରତନୀମାଆର ଚାଳରେ ମାଡ଼ିଥିବା ପାଣିକଖାରୁକୁ ଦେଖି ଦେଖି, ସମୟ ଚାଲିଗଲା । ତେବେ ଅନୁଶୋଚନା ପରିହାର କରି ସେ ଭାବନ୍ତି ଯେ ବେଶି ଡେରି ନ ହେଉଣୁ ସେ ଠିକ୍ ବାଟକୁ ଚାଲିଆସି ପାରିଛନ୍ତି ।

 

ଏହି ପାଞ୍ଚବର୍ଷ ଭିତରେ ଯେ କେତେଥର କାହା ଉପରେ ରାଗିଛନ୍ତି ? କେବେ କ’ଣ ତାଙ୍କ ମନରେ ଆସିଛି ଯେ ଅମୁକର ଅନିଷ୍ଟ ହେଉ, ଅମୁକ ବଡ଼ଲୋକର ବଡ଼ଲୋକି ଧ୍ଵଂସ ପାଇଯାଉ, କେଉଁ ଦୁଃଖୀରଙ୍କି ଗରିବର ମଙ୍ଗଳ ନ ହେଉ ? ପୂର୍ବେ ସେ ଏହି ସହରରେ ତାଙ୍କର କେତେଜଣ ବନ୍ଧୁ ବାନ୍ଧବ ଛଡ଼ା ପ୍ରାୟ ଆଉ କାହାକୁ ଜାଣି ନ ଥିଲେ । ବ୍ୟବସାୟ ଆରମ୍ଭ ହେଲାଦିନୁ ଅନେକ ପ୍ରକାରର ଅନେକ ଲୋକ କଣ୍ଟ୍ରାକ୍ଟର, କିରାଣୀ, ଦଲାଲ୍, ଗୁମାସ୍ତା, ଚପରାଶି, ହାକିମ, କର୍ମୀ, ନେତାମାନଙ୍କ ସହିତ ତାଙ୍କର ପରିଚୟ ହୋଇଛି । କେବେ କ’ଣ ଭୁଲରେ ତାଙ୍କ ମନଟା ପିତା ହୋଇଯାଇଛି ଓ ସେ ଭାବିଛନ୍ତି ଯେ ଅମୁକ ଲୋକ ପୃଥିବୀରେ ଜନ୍ମ ନେଇ ନ ଥିଲେ ଭଲ ହୋଇଥାଆନ୍ତା ? ନା । ଯେ କୌଣସି ନିରପେକ୍ଷ ବିଚାରକ କହିବ ଯେ ନାଣ୍ଡୁ ବାବୁ ବଦଳିଛନ୍ତି ଏବଂ ସଂସାରର–ଅନ୍ତତଃ ଏହି ସହରର-, ସାଧାରଣ ସ୍ତରର ଉପରକୁ ଉଠିଯାଇଛନ୍ତି ।

 

ତାଙ୍କର ଏହି ଭଲମଣିଷପଣିଆ ଘରେ ବାହାରେ କେତେ ଭାବରେ ପ୍ରକଟିତ ହୁଏ । ଧର, ରାହାସଦାଦାଙ୍କ ଘରେ । ରାହାସଦାଦା ତାଙ୍କ ବଡ଼ପୁଅ ବିରଜା ଉପରେ ମହାବିରକ୍ତ- ସେ ପାଠପଢ଼ାରେ ମନ ଦେଲା ନାହିଁ, ବ୍ୟବସାୟରେ ମଧ୍ୟ ଲାଗି ରହୁ ନାହିଁ, ଏହି ସେଦିନ ତା ପାର୍ଟନର ସାଙ୍ଗରେ କଜିଆ କରି ରେଲଓ୍ୱେର ଗୋଟାଏ ବଡ଼ କଣ୍ଟ୍ରାକ୍‍ଟ ହରାଇଲା ଇତ୍ୟାଦି । ଏ କଥା ଶୁଣି ନାଣ୍ଡୁ ବାବୁ ଚୁପ୍ ରହି ପାରିଲେ ନାହିଁ, କହିଲେ- ‘ରେଲୱେର‌ ମିଷ୍ଟର କପୂରଙ୍କ ସାଙ୍ଗରେ ମୋର ଚିହ୍ନା ଅଛି, ତୁମେ ଯଦି କହିବ ମୁଁ ବିରଜାକୁ ସାଙ୍ଗରେ ନେଇଯିବି.....’ । ଏତିକିରେ ରାହାସଦାଦା କେଜାଣି କାହିଁକି ତାଙ୍କ ଆଡ଼କୁ କଟମଟ କରି ଅନାଇଲେ, ଯେପରିକି ସେ ମିଷ୍ଟର୍ କପୂରଙ୍କ ପରି ବଡ଼ ଅଫିସରଙ୍କ ସାଙ୍ଗରେ ନାଣ୍ଡୁବାବୁଙ୍କ ସମ୍ପର୍କକୁ ସହ୍ୟ କରି ପାରୁ ନାହାନ୍ତି । ତା'ପରେ ସେ ଛିଞ୍ଚାଡ଼ିଲା ପରି କହିଲେ–“ନାଇଁ, ତୋର ଭାବିବା ଦରକାର ନାହିଁ । ମୁଁ ବର୍ମନକୁ କ୍ଲବରେ ଦେଖାହେଲେ କହିବି; କିନ୍ତୁ ନାଣ୍ଡୁ ବାବୁ ସେଥିରେ ଅପମାନବୋଧ କଲେ ନାହିଁ । ବରଂ ତାଙ୍କର ରାହାସଦାଦାଙ୍କ‌ ପ୍ରତି ଦୟା ଆସିଲା । କ୍ଷଣକ ପରେ ସେ ଦାଦାଙ୍କ ପେଟମରା ପାଇଁ ଗୋଟିଏ ଦରକାରୀ ଦାମି ଔଷଧକୁ ‘କଳା’ରେ ଅଥଚ ସୁବିଧା ଦରରେ ଆଣି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ।

 

କିମ୍ବା ନନ୍ଦବାବୁଙ୍କ ବଗିଚାରେ । ନାନ୍ଦୁ ବାବୁ ସ୍ଵତଃପ୍ରବୃତ୍ତ ହୋଇ ଆନନ୍ଦରେ କୋଡ଼ି ହାଣିଲେ । ତଥାପି ଥଟ୍ଟା ଛଳରେ ନନ୍ଦବାବୁ ପଦେ କହିବାକୁ ଛାଡ଼ିଲେ ନାହିଁ,-“ଯେତେ କୋଡ଼ି ହାଣିଲେ, ଯେତେ ଖଟିଲେ କ’ଣ ହେବ ? କଣ୍ଟ୍ରୋଲ ମାଲର ଚର୍ବି କଅଣ ସହଜେ ଝଡ଼ିବ ?’ ଏଥରେ ନାଣ୍ଡୁ ବାବୁ ବିବ୍ରତ ନ ହୋଇ ଗୋଟିଏ ଅମାୟିକ ହସ ହସିଦେଲେ । ଭାବିଲେ- ନନ୍ଦବାକୁ ସବୁଦିନେ ସେମିତି, ଥଟ୍ଟାପରିହାସରେ ତାଙ୍କୁ କେହି ଜିଣି ପାରିବେ ନାହିଁ । ସେହିଦିନ ସେ ବିନା ଦ୍ଵିଧାରେ ଚତୁର୍ଥ କୋଠା ପାଇଁ ସିମେଣ୍ଟ ଅଣାଇ ଦେବାର ଭାର ଗ୍ରହଣ କଲେ ।

 

ଘରେ ହାରାବୋଉ ବେଳେ ବେଳେ କଥା ନ କହି ଛାଡ଼ନ୍ତି ନାହିଁ । ଏଇ ଖଣ୍ଡିଆ ବିଡ଼ି ଏଣେତେଣେ ପକାଇବା ଅଭ୍ୟାସ ନେଇ ସେ କେତେଥର ଗାଳି ଦେଇଛନ୍ତି, ତମକୁ କିଏ କହୁଥିଲା ସହରକୁ ଆସିବାକୁ ? ବାବୁ ହେବାକୁ ? ତମେ ଯେଉଁ ଘୁଷୁରି ସେଇ ଘୁଷୁରି ।’ କିମ୍ବା ଆଉ କେଉଁ କଥାରେ- ”ଏତେ ବଡ଼ଲୋକଙ୍କ ପଛେ ପଛେ ଚାଲିଲି ଟିକିଏ ସଭ୍ୟତା ଶିଖି ପାରିଲି ନାହିଁ ? ଏହିସବୁ କଥା ନାଣ୍ଡୁବାବୁଙ୍କୁ କାଟେ ନାହିଁ ? କାରଣ ସେ ଭାବିନିଅନ୍ତି ଯେ ସାଧରଣ ଲୋକ,- ହାରାବୋଉ ମଧ୍ୟ ସେହି ଦଳରେ-, “ବଡ଼ଲୋକି’ ‘ସଭ୍ୟତା’ ଇତ୍ୟାଦି ଶବ୍ଦର ଅର୍ଥ ବୁଝନ୍ତି ନାହିଁ । ସ୍ଵାଭାବିକ । ସେ ହସିଦେଇ ହାରାବୋଉଙ୍କ ହାତରେ ଶୋଭା ପାଉଥିବା ନୂଆ ଚୂଡ଼ି ଓ ପିନ୍ଧିଥିବା ଓଡ଼ିଶୀ ଶାଢ଼ୀର ନୂତନତମ ଡିଜାଇନ୍‍ ପ୍ରତି ଦୃଷ୍ଟି ଦିଅନ୍ତି । ଆପଣା କୃତିତ୍ଵର ସମ୍ମାନ ଅନୁଭବ କରନ୍ତି ।

 

ଏବଂ ସଙ୍ଗୀତା । ପିଲାଟା ପଢ଼ା ଚାପରେ ଶୁଖିଯାଉଛି । ହାରାବୋଉ ଯେତେବେଳେ କହନ୍ତି ଯେ ସେ ସହରକୁ ଆସି ଖାଇବା ପିଇବାରେ ବେଶି ଢଙ୍ଗ ବାହାର କରୁଛି (ବାଇଗଣ ଖାଇବ ନାହିଁ, ଭେଣ୍ଡି ଖାଇବ ନାହିଁ, ମାଛ ମାଂସ ନ ହେଲେ ରୁଚିବ ନାହିଁ..), ଓ ସେଇଥିଲାଗି ଶୁଖିଯାଉଛି, ସେତେବେଳେ ନାଣ୍ଡୁ ବାବୁ ଆମୋଦିତ ହୁଅନ୍ତି । ହାରାବୋଉ ବୁଝୁନାହାନ୍ତି ଯେ ସଙ୍ଗୀତାର ରୁଚି ବଦଳିଛି । ସେ ପଢ଼ାଚାପରେ ଶୁଖିଯାଉଛି, ଆଉ କିଛି ନୁହେଁ !

 

ସଂଗୀତାର ଗୀତ ଶିଖିବାପାଇଁ ମାଷ୍ଟର ରଖା ହେଇଥିଲା । ସେଥିରେ ସେ ବିଶେଷ କିଛି ଆଗେଇଲା ନାହିଁ; କିନ୍ତୁ ସେ ଯେତେବେଳେ ଗାଧୁଆ ଘରେ କିମ୍ବା ଅଙ୍କ କଷିଲାବେଳେ ଗୁଣୁଗୁଣୁ ହୋଇ ସିନେମାଗୀତ ବୋଲେ, ନାଣ୍ଡୁବାବୁଙ୍କ, ଛାତି କୁଣ୍ଢେ ମୋଟ ହୋଇଯାଏ । ତାଙ୍କର ମନେ ହୁଏ ଯେ ଏ ହେଉଛି ପୃଥିବୀରୁ ଆକାଶକୁ ଛାଡ଼ି ଦେଇଥିବା ଗୀତ, ଏଥିରେ ତାଳ ଲୟ କିଛି ଲୋଡ଼ା ନାହିଁ । ଏ ପ୍ରାଣର ରୁଣୁଝୁଣୁ । ମୋର କିଶୋରୀ ସୁନ୍ଦରୀ ଝିଅର ପ୍ରାଣ । ସେ ଭାବି ଶିହରି ଉଠନ୍ତି,- ରଙ୍ଗଣିପୁରରେ ପଡ଼ି ରହିଥିଲେ ୟା’ର ଦଶା କ’ଣ ହୋଇଥାଆନ୍ତା ।

 

ଦିନେ ସେ ଲକ୍ଷ୍ୟ କଲେ ଯେ ସଂଗିତା ବୋଧହୁଏ ତା’ ଓଠରେ ଟିକିଏ ନାଲି ଲଗେଇଛି । ଲିପ୍‌ଷ୍ଟିକ ? ନାରୁଭାଇର ଝିଅମାନେ ଯାହାକୁ ଲଗାନ୍ତି ? ନାଣ୍ଡୁବାବୁଙ୍କୁ ଯଥାକ୍ରମେ ଅଡ଼ୁଆ ଲାଗିଲା, ମଜା ଲାଗିଲା ଓ ଖୁସି ଲାଗିଲା । ଯେପରିକି ଏ ସଙ୍ଗାତୀର ଗୋଟିଏ ଅଭିନବ ଉଦ୍ୟମ, ନିଜକୁ ଓ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିବାର ଗୋଟିଏ ନୂଆ ଫିକର ।

 

ମୋଟ ଉପରେ ତାଙ୍କୁ ଯଦି ପଚରାଯାଏ ସେ କାଲି ଓ ଆଜି ଭିତରେ, ରଙ୍ଗଣିପୁର ଓ ଏ ସହର ଭିତରେ, ନ ଥିବା ଓ ଥିବା ଭିତରେ ଯେଉଁ ପ୍ରଭେଦକୁ ନେଇ ତାଙ୍କ ଭଲଗୁଣ ଗଢ଼ି ଉଠିଛି ସେ ଜିନିଷଟି କଣ ? ତାହାହେଲେ ସେ ହୁଏତ ପ୍ରଥମେ ଉତ୍ତର ଖୋଜି ପାଆନ୍ତି ନାହିଁ; କାରଣ ବଡ଼ଲୋକି ଅଖାଡ଼ୁଆ ଲାଗନ୍ତା, ସଭ୍ୟତା ଆ°ଶିକ ସତ୍ୟ ବୋଲି ମନେ ହୁଅନ୍ତା, ହୃଦୟ ମନ-ଆତ୍ମାର କଥା ବୁଝାଇ ହୁଅନ୍ତା ନାହିଁ; କିନ୍ତୁ ସେ ଶେଷକୁ ହାତ ବଢ଼ାଇ ଆଙ୍ଗୁଳି ଦେଖାଇ କହନ୍ତେ,–ହେଇ, ସଙ୍ଗୀତା !

 

ସଙ୍ଗୀତାକୁ ଛାଡ଼ି ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ପ୍ରିୟ । ହେଲେ ସେମାନେ ଏହି ନୂତନ ଜୀବନର ପ୍ରତୀକ ହୋଇପାରିବେ ନାହିଁ । ନିଜେ ନାଣ୍ଡୁବାବୁ ହୋଇପାରିବେ ନାହିଁ, ଯଦ୍ୟପି ସେ ଏହି ଜୀବନର କର୍ତ୍ତା ଓ ଅଧିକାରୀ । ପତାକା ପୋତି ପାରିବ କେବଳ ଜଣେ, ସଙ୍ଗୀତା- ତା’ର ସୌନ୍ଦର୍ଯ୍ୟ, ପ୍ରଥମ ଯୌବନ, ସ୍ଵପ୍ନ ଓ ଅଭିଳାଷ ।

ହାରାବେଉ ବା ଅନ୍ୟମାନେ ଯେ ଯାହା କହନ୍ତୁ ପଛେ କାମ କରିବାକୁ ହେବ । ବ୍ୟବସାୟ କାମ ଘରତୋଳା କାମ । ଯଥାଯୋଗ୍ୟ ଉପାର୍ଜନ ଓ ବ୍ୟୟର କାମ । ବୟସ ଅଛି, ଉତ୍ସାହ କମିଯାଇ ନାହିଁ ।

 

ନାଣ୍ଡୁବାବୁ ବିଡ଼ି ଟାଣନ୍ତି ଓ ଆପଣା ପନ୍ଥାରେ ଅଗ୍ରସର ହୁଅନ୍ତି ।

 

(୩)

 

ଶ୍ରାବଣ ମାସର ଗୋଟିଏ ଦିନ । ଥାଇ ଥାଇ ଅସରାଏ ବର୍ଷା ହେଉଛି ଓ ଦେହରୁ ଝାଳ ବୋହିବା ବନ୍ଦ ହେଉ ନାହିଁ । ନାଣ୍ଡୁବାବୁ ସୋମାୟାର ରେଲବାଇ କ୍ୱାଟରକୁ ଯାଇଥିଲେ, –ପ୍ରଥମ ଥର ପାଇଁ । ସେଠି ସେମାୟା ତାଙ୍କୁ ବିଅର୍ ପିଇବା ପାଇଁ ବାଧ୍ୟ କଲା; କିନ୍ତୁ ନାଣ୍ଡୁବାବୁ ଢୋକେ ଦି’ଢୋକ ପରେ ଆଉ ପିଇ ପାରିଲେ ନାହିଁ । କ୍ଷମା ମାଗିଲେ । ଏହି ପିତା ଦୁର୍ଗନ୍ଧ ପାଣିକୁ ଲୋକେ କାହିଁକି ପିଅନ୍ତି ? ସେ ସୋମାୟାକୁ କିଛି କହିଲେ ନାହିଁ, ହେଲେ ତାଙ୍କ ମନରେ ଦୃଢ଼ ଧାରଣା ହେଲା ଯେ ଏଗୁଡ଼ାକ ନ ପିଉଥିଲେ ସୋମୟାର ମୁହଁ ଏମିତି କାଳିଆ ଓ ସିଠା ଦିଶୁ ନ ଥାନ୍ତା । ଏବଂ ସେ ଗତ କେତେ ବର୍ଷର ଧନରେ ଗୋଟିଏ ସୁନ୍ଦର ଘର ତୋଳି ସାରନ୍ତାଣି ।

 

ସେଠୁ ଫେରି ତାଙ୍କର ଇଚ୍ଛା ଥିଲା ନାଗ୍‌ପାଲର ଘରକୁ ଯିବେ । ବାରିପଟ ଘରପାଇଁ ଅଧିକ ଲୁହା ଛଡ଼ର ବନ୍ଦୋବସ୍ତ କରାହେଲା ସେ କଥା ବୁଝିବେ; କିନ୍ତୁ କିଛି ବାଟ ନ ଯାଉଣୁ ହଠାତ୍ ବର୍ଷା ଆରମ୍ଭ ହୋଇଗଲା, ରିକ୍ସା ଡାକିବାକୁ ମଧ୍ୟ ବେଳ ନ ଥିଲା । ଏହି ସମୟରେ ରାସ୍ତା କଡ଼ରେ ଥିବା ଗୋଟିଏ ‘ହିନ୍ଦୁ ଭୋଜନାଳୟ’ର ଉଷୁମ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ବର୍ଷାରୁ ରକ୍ଷା ପାଇବା ପାଇଁ ତଥା ମୁହଁରୁ ବିଅର୍ ଗନ୍ଧ ଛଡ଼ାଇବା ପାଇଁ ନାଣ୍ଡୁବାବୁ ତା ଭିତରକୁ ପଶିଗଲେ ଓ କପେ ଚା ମାଗିଲେ ।

 

ବାହାର ପିଣ୍ଡାର ଗୋଟିଏ ଟେବୁଲ ପାଖରେ ବସିପଡ଼ି ମୁହଁରୁ ପାଣି ଝାଳ‌ ପୋଛୁ ନ ପୋଛୁଣୁ ପାର୍ଶ୍ଵବର୍ତ୍ତୀ ଜଣେ ଗରାଖ ଉଚ୍ଚସ୍ଵରରେ ସମ୍ଭାଷଣ କଲେ–‘କ’ଣ ତିନ୍ତିଗଲେ !' ନାଣ୍ଡୁବାବୁ ଆଶ୍ଚର୍ଯ୍ୟରେ ଅନାଇ ଦେଖିଲେ ଯେ ଜଣେ ପାତାଳ ଲମ୍ବାମୁହାଁ ଭଦ୍ରଲୋକ ଚା’ କପଟିକୁ ମୁଠେଇ ବଙ୍କେଇ କରି ହସୁଛନ୍ତି । ଯେପରିକ ଏହି ବର୍ଷାରେ ତିନ୍ତିବା ଗୋଟିଏ ଛୋଟ କଥା, ହାସ୍ୟସ୍ପଦ ହେଉ ବା ନ ହେଉ । ପୁଣି ସେ ଦେଖିଲେ ଯେ, ସେ ହସ ମଉଳିଗଲା; କିନ୍ତୁ ସେ ବକ୍ରତା ସହଜେ ଲିଭୁ ନାହିଁ ।

 

ନାଣ୍ଡୁବାବୁ ଅପ୍ରତିଭ ହୋଇ ହସିବା ପାଇଁ ହସିଲେ, କିନ୍ତୁ ସେ ଦେଖିଲେ ଯେ ଭଦ୍ରଲୋକ ଆମୋଦିତ ନ ହୋଇ ପୁଣି କହିବେ ବୋଲି ହେଉଛନ୍ତି । ଚେହେରାରେ କେତେ କ’ଣ ଜମାଟ ବାନ୍ଧି ରହିଛି, ବନ୍ଧୁ ଭାବ ଟିକିଏ ବୋଲି ନାହିଁ ।

 

“ଏ ବର୍ଷା ସହଜେ ଛାଡ଼ିବ ନାହିଁ । ମରୁଡ଼ି ହୋଇଥିଲା, ଏଥର ବଢ଼ି ହେବ । ଲୋକ ଆହୁରି ମରିବେ ।”

 

ୟାଙ୍କର କ’ଣ ହୋଇଛି ? ନାଣ୍ଡୁବାବୁ ତାଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ, “ମୁଁ ଶୁଣିଥିଲି ଯେ ଏ ବର୍ଷ ଫସଲ ମନ୍ଦ ହେବ ନାହିଁ । ବର୍ଷା ଭଲ, ହୋଇଛି । ଆଉ ବଢ଼ି ସେମିତି କିଛି ପ୍ରବଳ ହେଲା ପରି ଲାଗୁ ନାଇଁ ତ । ମୁଁ ଶୁଣିଥିଲି- ।”

 

ଚା’ କପ୍‍କୁ ଠେଲି ଦେଇ ଭଦ୍ରଲୋକ ନାଣ୍ଡୁବାବୁଙ୍କ ଆଡ଼କୁ ନିଠେଇ କରି ଚାହଁଲେ । ମନେହେଲା ଯେ ତାଙ୍କ ଚାହାଣି ନାଣ୍ଡୁବାବୁଙ୍କ ଚରିତ୍ରକୁ ଟିକିନିଖି କରି ମାପୁଛି ।

 

ତା'ପରେ ସେ ମାଡ଼ିବସିଲେ,-“ହେବ ନାହିଁ କହୁଛନ୍ତି ? ନିଶ୍ଚୟ ହେବ । ଆଜି ନ ହେଲେ କାଲି ହେବ । ଦେଶବାସୀଙ୍କ ସହିବାର ସୀମା ଚାଲିଗଲାଣି; କିନ୍ତୁ ବିଚାରା କିଛି କରିପାରୁ ନାହାନ୍ତି ଭାବୁଛନ୍ତି ଯେ ସେମାନେ ଦୁର୍ବଳ; ନିରୁପାୟ । ତେଣୁ ତାଙ୍କୁ ମତେଇବାକୁ ହେବ ଏବଂ ସେଥିପାଇଁ ଦରକାର ନାହିଁ ନ ଥିବା ଦୁର୍ଭିକ୍ଷ, ବଢ଼ି । ଯେଉଁଥିରେ ହଜାର ହଜାର ଲୋକେ ମରିବେ ଆଉ ବଞ୍ଚିଥିବା ଲୋକ ଇସାରାରେ ଧାଇଁ ଆସିବେ, ଆଙ୍ଗୁଳି ଦେଖେଇଲେ ବାହା ଗିଳିଦେବେ, ସବାଖିଆ କେଳା ପରି ସବୁ ଖାଇଯିବେ । ମାରିବେ ଆଉ ଖାଇବେ । ମାରିବେ ଆଉ....।”

 

ବକ୍ତା କହି ଚାଲିଛନ୍ତି । ତେଜରେ କହୁଛନ୍ତି; କିନ୍ତୁ ନାଣ୍ଡୁବାବୁ ଭାବିଲେ ଯେ ତାଙ୍କ ରାଗଠାରୁ ବ୍ୟଥା ଅଧିକ ।

 

ସେ କଷ୍ଟ ପାଉଛନ୍ତି । ନାଣ୍ଡୁବାବୁ ଥମି ଆସିଥିବା ବର୍ଷା ଓ ସରି ଆସିଥିବା ଚା’କୁ ଅନାଇଲେ; କିନ୍ତୁ ସେଠୁ ଉଠି ଆସି ପାରିଲେ ନାହିଁ ।

 

“ଦୋଷ ଆମର । ଆପଣଙ୍କର ଓ ମୋର । ଆମରି ପରି ଲୋକମାନଙ୍କର । ଆମେ ଚେଷ୍ଟା କରିଥିଲେ ଦେଶର ଏ ଅବସ୍ଥା ହୋଇ ନ ଥାଆନ୍ତା । ଆପଣ କ'ଣ ଦେଖି ନାହାନ୍ତି ? ନା ମୁଁ ଦେଖି ନାହିଁ ? ଯେ ସଜ ମୁହଁ ଓ ଧୋବ ପୋଷାକର ପଲସ୍ତରା ତଳେ କେତେ ମୁନାଫାଖୋର୍‍ କେତେ କଳାବଜାରି ଜିଭ ଲହ ଲହ କରୁଛନ୍ତି । ତଥାପି ଆମେ ତାଙ୍କ ସାଙ୍ଗରେ ବସିଛୁ, ହସିଛୁ, ହାତ ମିଳେଇଛୁ, ଝିଅ ବାହାଘରକୁ ନିମନ୍ତ୍ରଣ କରିଛୁ, ଆଉ ଦରକାର ବେଳେ ଦାନ୍ତନିକୁଟି ସାହଯ୍ୟ ମାଗିଛୁ । କାହିଁକି ? କାହିଁକି ଆମେ ତାଙ୍କୁ ବେଇଜତ୍ କରିପାରିଲୁ ନାହିଁ, ତାଙ୍କ ମୁହଁରେ କଳାବୋଳି ପାରିଲୁ ନାହିଁ ? କିଛି ନ ହେଲେ କାହିଁକି ତାଙ୍କୁ ଚିହ୍ନେଇ ଦେଇ ପାରିଲୁ ନାହିଁ ? କହନ୍ତୁ ଆପଣ । କହନ୍ତୁ ।”

 

ମୁଁ କଅଣ କହିବି ? କାହିଁକି କହିବି ? ଲୋକଟି ପାଗଳ । ଏଥର ନ ଉଠିଲେ ହେବ ନାହିଁ ।

 

ନାଣ୍ଡୁବାବୁଙ୍କ ବ୍ୟସ୍ତତା ଦେଖି ପାରିଲା ପରି ଭଦ୍ରଲୋକ କହିଲେ, "କ'ଣ ଯିବାକୁ ବାହାରିଲେଣି ? ବସନ୍ତୁ ନା, ଆଉ କପେ ଚା’ ଖାଇ ଯାଆନ୍ତୁ । ବର୍ଷା ଛାଡ଼ି ନାହିଁ ।" ତାଙ୍କ ଅନୁରୋଧ ଆଦେଶ ପରି ଲାଗିଲା ଏବଂ ନାଣ୍ଡୁବାବୁଙ୍କୁ ଦ୍ଵିତୀୟ କପ୍ ଚା’ ମଗାଇବାକୁ ପଡ଼ିଲା ।

 

“ସେମାନେ କ’ଣ ରାକ୍ଷସ ? ସେମାନେ କ’ଣ ବୁଝନ୍ତି ନାହିଁ ଯେ ତୁମ ସ୍ତ୍ରୀ ପିଲାଙ୍କୁ ସଜାଇବା ପାଇଁ, ତୁମ ବାଲ୍‌କୋନିର ଶୋଭାପାଇଁ.. ତୁମ ଭୋଜିଭାତ ପାଇଁ ତୁମେ କେତେ ଚାଷୀ ମୂଲିଆ କିରାଣୀ ମାଷ୍ଟର ଗରିବ ବାପୁଡ଼ାଙ୍କର ରକ୍ତ ଶୋଷି ନେଉଛ ? ସେ ରକ୍ତ କ'ଣ ମଣିଷ ରକ୍ତ ନୁହେଁ ? ସେ ରକ୍ତ କ’ଣ ସୁଆଦ ଲାଗେ ?....କିନ୍ତୁ କେତେ ଦିନ ଚାଲିବ ଏମିତି ? କେତେ ଦିନ ? ଚକ ଘୂରୁଛି ।”

 

ବକ୍ତା କ୍ଷଣକ ପାଇଁ ନିଜ ଭାବନାର ଅସହ୍ୟ ଉତ୍ତାପକୁ ସମ୍ଭାଳି ନେଲା ପରି ଆଖି ବୁଜି ଦେଲେ । ଏବଂ ସେହି ଅବସରରେ ନାଣ୍ଡୁ ବାବୁ ଚଟ୍‌କରି ମୁଁ ଯାଉଛି, ନମସ୍କାର କହି ପଳାଇ ଆସିଲେ । ଗଲାବେଳେ ତାଙ୍କ ମନରେ ଆସୁଥାଏ, -ସେ ଆଖି' ଖୋଲି ମୋତେ ପଛରୁ ଦେଖୁଛନ୍ତି । ଦେଖନ୍ତୁ । ସେ ମୋର କ'ଣ କରିବେ ? ସେ କିଏ କି ?

 

‘ଏ ରିକ୍ସା, ଜଲଦି ଚାଲ । କୀର୍ତ୍ତିନଗର । ପ୍ରେସ ପାଖ ଗଳିରେ ସେଇ ଦୁଇମହଲା ନୂଆ କୋଠାଟା । ବୁଝିଲୁ ? ନାଗ୍‍ପାଲ୍ ପାଖକୁ ଯିବା କଥା ଭୁଲି ହୋଇଗଲାଣି । ଘରେ ପହଞ୍ଚିଗଲେ ରକ୍ଷା ।

 

‘ଧ୍ୟାତ୍’ – ମୁଁ କ’ଣ ଡରୁଛି ନା କଅଣ ? ଏମିତିକା ଲେକଚର ମୁଁ କ’ଣ ଆଗରୁ ଶୁଣି ନାହିଁ .....? ତା ଛଡ଼ା ସେ ମୋ କଥା କହୁ ନ ଥିଲେ ମୁଁ ବଡ଼ଲୋକ ନୁହେଁ । ମୁଁ କ’ଣ ନାଗପାଲ୍ ପରି ହୋଇଛି ? ନା ମୁଁ ରଘୁନାଥ ସିଂ, ଶମ୍‍ସୁଦ୍ଦିନ, ପାନ୍ନାଲାଲ୍, ଶେଠ ତୁଳସୀ ଦାସ୍ -ସେମାନଙ୍କ ପରି ହୋଇଛି ? ଏପରିକି ମୁଁ ରାହାସଦାଦା, ନନ୍ଦବାବୁ, ନାରୁଭାଇଙ୍କ ପରି ନୁହେଁ । ମୁଁ ନାଣ୍ଡୁ । ଏଇ କାଲି ସକାଳେ ରଙ୍ଗଣିପୁରରୁ ଆସି ଏଠି ଦି ପଇସା ରୋଜଗାର କରୁଛି । ଘର ଖଣ୍ଡେ ତୋଳିଛି, ପିଲାଏ ଟିକିଏ ଭଲରେ ରହୁଛନ୍ତି । ଏଥିରେ କାହାର କ’ଣ କହିବାର ଅଛି ।

 

ଲହ ଲହ ଜିଭ….ରକ୍ତ ଶୋଷି ନିଅନ୍ତି...ଲୋକମାନେ ମରିବେ.. ମାରିବେ ଆଉ ଖାଇବେ, ମାରିବେ ଆଉ–। ଥିଏଟର୍‌ରେ ଏମିତି କହନ୍ତି । କିମ୍ବା ଜଣେ ଜଣେ ନିଆଁଗିଳା ଟୋକା ପଡ଼ିଆରେ ଏମିତି ବକ୍ତୃତା ଦିଅନ୍ତି; କିନ୍ତୁ ସେ ବକ୍ତୃତା ଦେଉ ନ ଥିଲେ ତାଙ୍କୁ କଷ୍ଟ ହେଉଥିଲା ।

 

ତେବେ ମୋର କାହିଁକି ମୁଣ୍ଡ ବଥଉଛି ? ସେ ପାଗଳ, ମୁଁ ପାଗଳ ନୁହେଁ । ମୁଁ ବ୍ୟବସାୟୀ, ମୁଁ ଗୃହସ୍ଥ, ମୁଁ ନାଣ୍ଡୁ ବାବୁ । ଓଃ, ଏ ରିକ୍‌ସାବାଲାଟା । ଆସ୍ତେ ଚଳାଉଛି । ଘରେ ପହଞ୍ଚିଗଲେ ବହୁତ କାମ ଅଛି ।

 

ଏହିପରି ଭବନା ସମୂହକୁ ଅତିକ୍ରମ କରି ନାଣ୍ଡୁବାବୁ ଘରେ ପହଞ୍ଚିଲେ ଓ ତାଙ୍କୁ ଶାନ୍ତ ଲାଗିଲା । ସେ ଚଟି ଖୋଲି ଦେଲେ, ବହୁତ ସମୟ ହେଲା ଭୁଲି ଯାଇଥିଲା ପରି ଆଗ୍ରହରେ ବିଡ଼ି‌ ଟାଣିଲେ, ଓଃ ‘ଆଃ !' ବୋଲି କହିଲେ । ତଳବାରଣ୍ଡାରେ ଥିବା କାନ୍ଥ ଦର୍ପଣରେ ମୁହଁ ଦେଖି ମୁଣ୍ଡ ବାଳରେ ହାତ ଚଳାଇ ଆଣିଲେ । ହାରବୋଉ ବୋଧହୁଏ ଉପରଘରେ ଶୋଇଛି । ପିଲାମାନେ ସ୍କୁଲ କଲେଜକୁ ଯାଇଛନ୍ତି । ପୁଝାରୀ ରୋଷେଇଘରେ କାମ କରୁଛି, ଚାକରଟୋକା ତଳ ଅଗଣାରେ ମାଟି ଖୋଳୁଛି (କାହିଁକି କେଜାଣି) ! ତାରରେ ଶାଢ଼ୀ ଶୁଖା ହୋଇଛି, ଅଥାନ ଥାନରେ ଧୂଳି ଜମିଛି, କଳା ପିମ୍ପୁଡ଼ି ପାଲିସ୍ ଚଟାଣ ଉପରେ ତରତର ହୋଇ ଚାଲିଛି ।

 

‘ଆଃ !' ଏହି ଶବ୍ଦଟିକୁ ସେ ବାରମ୍ବାର ମନଭିତରେ କହି ସାରିଲେଣି । ଯେପରିକି ସେ ନିଜର ଶାନ୍ତ ଓ ଆତ୍ମବିଶ୍ଵାସର ପ୍ରମାଣ ଦେଉଛନ୍ତି । ମୋର ଘର, - ଜମିଛି, ବସିଯାଇଛି । ତାକୁ କେହି ଟଳେଇ ପାରିବେ ନାହିଁ । କାଚ ବାସନ ନୁହେଁ, ମାଟିରୁ ଉଠିଥିବା ଗଛ । ଏ ସହରକୁ ଆସିବାର ପାଞ୍ଚବର୍ଷ ହୋଇଗଲାଣି, ଏମିତି ଦଶବର୍ଷ ହେବ, ପଚାଶ ବର୍ଷ ହେବ । ମୁଁ ନ ଥିବି, ମୋ ପିଲାମାନେ, ନାତିନାତୁଣୀ ଥିବେ । ସେତେବେଳେକୁ କ’ଣ କାହାର ମନେଥିବ ଯେ ଏ କୋଠା, ଏ ସମ୍ପତ୍ତି କେଉଁଠୁ ଆସିଲା ? ମୁଁ ନ ଥିବି । ଆଉ ଆଜିକାର ସେହି ଲୋକ ମରି ହଜି ଭୂତ ହୋଇ ସାରିବେଣି !

 

ତଥାପି କ’ଣ ସେ ପ୍ରମାଣ ଦେଇ ପାରିଲେ ନାହିଁ ? ନା ତାଙ୍କର ମନେହେଲା ଯେ ସେହି କଦାକାର ଲୋକଟି ପାଖରେ ଆସି ଛିଡ଼ା ହେଲାଣି ? ଯାହାହେଉ ସେ‌ ହଠାତ୍ ଦୃତଗତିରେ ଉପର ମହଲକୁ ଉଠିଲେ ଓ ନିଜ ଶୋଇବାଘର ଆଡ଼କୁ ମୁହାଁଇଲେ ।

 

ଶୋଇବା ଘରେ ସେ ଦେଖିଲେ ଯେ ହାରବୋଉ ଗୋଡ଼ ହାତ ଲମ୍ବେଇ ଶୋଇଛନ୍ତି, କଣ ଗୋଟାଏ ମାଗାଜିନ୍ ପଢ଼ୁଛନ୍ତି । କେଜାଣି କାହିଁକି ତାଙ୍କୁ ସେ ଦୃଶ୍ୟ ଭଲ ଲାଗିଲା ନାହିଁ । ଯେପରିକି ହାରବୋଉଙ୍କର ଶୋଇବା ଉଚିତ ନୁହେଁ, ତାଙ୍କ ଜଂଘ ଦୁଇଟା ଏତେ ମୋଟା ହେବା ଉଚିତ ନୁହେଁ, ତାଙ୍କ ମୁହଁ ବଳିଷ୍ଠ ଓ ପ୍ରସନ୍ନ, କିମ୍ବା ସେ

 

ଅଯଥାରେ ବହି ପଢ଼ୁଛନ୍ତି ?

 

ନାଣ୍ଡୁବାବୁ ସେ ଘରକୁ ଚାହିଁଲେ ନାହିଁ । ହାରବୋଉଙ୍କ ଦୃଷ୍ଟିକୁ ବଞ୍ଚାଇ ଅନ୍ୟ ଦିଗରେ ପାଦ ବଢ଼ାଇଲେ । କ୍ରମଶଃ ଅନ୍ୟମନସ୍କ ହୋଇ ଓ ଟାଣି ହେଲାପରି ସେ ପହଞ୍ଚିଲେ ଡାହାଣ ମୁଣ୍ଡରେ ଥିବା ଗୋଟିଏ ଛୋଟିଆ ଘରେ । ସଙ୍ଗୀତାର ଘର । ସେ ଏଇଠି ପଢ଼େ ଓ ଶୁଏ ।

 

ଟେବୁଲ୍‍ରେ ଅନେକ ବହି, ଅନେକ ଖାତା । ଅନ୍ତତଃ ନାଣ୍ଡୁବାବୁଙ୍କୁ ସେମିତି ଲାଗିଲା । କାନ୍ଥରେ ଫୁଲ ଛବି କ୍ୟାଲେଣ୍ଡର, କ୍ଲାସ୍‌ର ରୁଟିନ ଓ ଗୋଟିଏ କଣ୍ଟାରେ ଗୁଡ଼ା ହୋଇଥିବା ନାଲିଆ ତେଲିଆ ରିରନ୍ । ଥାକରେ ଆହୁରି କେତେ ବହି, କେତେ ଖାତା, ପାଉଡ଼ର ଡବା, ସ୍ନୋ ଡବା, ଛୋଟ ଦର୍ପଣ, ପାନିଆ, ଆଉ କେତେ କ'ଣ । ନାଣ୍ଡୁ ବାବୁ କେବଳ ଛିଡ଼ା ହୋଇ ଦେଖି ରହିଲେ ଓ ତାଙ୍କୁ ଭଲ ଲାଗିଲା ଏବଂ ତାଙ୍କ ମନରେ ଆସିଲ ଯେ ଏ ପାଠ, ପ୍ରସାଧନ ଓ ପ୍ରବଣତାର ବାସ୍ନା ଆଉ କାହାପାଇଁ ନୁହେଁ, - କେବଳ ତାଙ୍କରି ପାଇଁ !

 

ଦେଖୁ ଦେଖୁ ତାଙ୍କ ଆଖିରେ ପଡ଼ିଲା ଯେ ଗୋଟିଏ ମୋଟା ବନ୍ଧେଇ ଖାତା ଉପରେ ଲେବଲ୍ ମରା ହୋଇଛି ଓ ଲେଖା ହେଇଛି ‘କବିତା କୁସୁମ’ । କୌତୁହଳରେ ସେ ପୃଷ୍ଠା ଓଲଟାଇଲେ, ଲେଖିକା ସଙ୍ଗୀତା ମହାନ୍ତି । ତା’ପରେ ଗୋଟିକ ପରେ ଗୋଟାଏ ଦଶ ବାରଟି କବିତା- 'କିଏ ତୁମେ ?’ ‘ଦେବତାର ଅଭିଶାପ, ‘ଦୀପଶିଖା’, ‘ଅଭିମାନ', ଇତ୍ୟାଦି । ଜୀବନ ମରଣ, ପ୍ରେମ, ପ୍ରକୃତି, ଭଗବାନ ସବୁ ସେଥିରେ ଅଛି । ନାଣ୍ଡୁବାବୁ କେତେଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କଲେ, ଅର୍ଥ ପୁରାପୁରି ବୁଝି ପାରିଲେ ନାହିଁ । ତଥାପି ତାଙ୍କୁ ଆହୁରି ଦେଖିବାକୁ, ଆହୁରି ପଢ଼ିବାକୁ ଇଚ୍ଛା ହେଲା । ସତେ କି ସେଥିରେ ମନ୍ତ୍ରର ଶକ୍ତି ଓ ମାଧୁରୀ ଅଛି, ନ ବୁଝିଲେ କିଛି ଯାଏ ଆସେ ନାହିଁ । କ୍ରମଶଃ ଉଦ୍ଦୀପନାର ଶୀର୍ଷରେ ପହଞ୍ଚିଲା ପରି ସେ ଖାତାକୁ ବୁଜି ଦେଇ ହାତରେ ଧରିଲେ ଓ ନିଜକୁ କହିଲେ,-

 

ଝିଅ କବିତା ଲେଖୁଛି !

 

ଆନନ୍ଦ ଓ ଆଶ୍ଚର୍ଯ୍ୟର ଘୋଷଣା । ସଙ୍ଗୀତା କବିତା ଲେଖୁଛି । ଏଇ କ'ଣ‌ ଯଥେଷ୍ଟ ନୁହେଁ ? ଏଇ କଣ ପ୍ରଣାଣ ନୁହେଁ ଯେ ନାଣ୍ଡୁବାବୁ ଯାହା କରିଛି ଭୁଲ୍ କରି ନାହିଁ, ଦୋଷ କରି ନାହିଁ ? ନାଣ୍ଡୁବାବୁ କବିତାବଳୀକୁ ପୁଣି ପଢ଼ି ବସିଲେ । ଭଲ, ସୁନ୍ଦର ଓ ମହାନ୍‌ର ସଂଯୁକ୍ତ ଭାବ ତାଙ୍କ ମନକୁ ଛୁଇଁଲା ଓ ସେ ଅସ୍ଥିର ହେଲେ । ଏଥିପାଇଁ ଅସ୍ଥିର ହେଲେ ଯେ ବିଶ୍ୱବ୍ରହ୍ମାଣ୍ଡକୁ ଏହି ସମ୍ବାଦ ଦେବାକୁ ହେବ । ଶୁଣିଲା ପରେ ସେମାନେ ନିଶ୍ଚୟ ବୁଝିବେ, ଖୁସି ହେବେ ଓ ବାପଝିଅଙ୍କ କପାଳରେ ଜୟଟୀକା ଲଗାଇ ଦେବେ ।

 

ସେ ଅସ୍ଥିର ହେଲେ ଓ ବ୍ୟାକୁଳ ହେଲେ । କିନ୍ତୁ ତା’ପରେ ଧୀରେ ଧୀରେ ସେ ବିକଳ ହେଲେ ଓ ହତାଶ ହେଲେ । କହିଲେ ଭୁଲ୍ ହେବ ନାହିଁ ଯେ ତାଙ୍କ ଆଖି ଛଳଛଳ ହୋଇ ଆସିଲା । କାରଣ ତାଙ୍କୁ ଜଳଜଳ ହୋଇ ଦିଶିଗଲା ଯେ ପ୍ରକୃତରେ କେହି ବୁଝିବେ ନାହିଁ । ହାରବୋଉ ହୁଏତ ଟିକିଏ ହସିଦେବେ, କିନ୍ତୁ ତଳ ଓଠ ଲମ୍ବାଇ କରି ହସିବେ ଓ ଶୁଣି ଆରମ୍ଭ କରିବେ ଯେ କୋଠାତୋଳା ଠାରୁ ଗହଣା ଗଢ଼ା ଅତି ଆବଶ୍ୟକ । ସୋମାୟା, ନାଗ୍‌ପାଲ, ଉଛବ ପାତ୍ର ଇତ୍ୟାଦି‌ ଭଦ୍ରତାରେ ପ୍ରଶଂସା କରିବେ ଓ ତା’ ପରେ ସିମେଣ୍ଟ-ଚାଉଳ କିରାସିନିର ଉପଯୋଗୀ କଥା ଆଲୋଚନା କରିବେ । ରାହାସଦାଦା, ନନ୍ଦବାବୁ ଓଗେର ନୀରବରେ ଶୁଣିବେ, ତାଙ୍କ ଓଠର ଉଦାର କୁଞ୍ଚନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ନୂଆ ଡାହାଣୀ ଘୁଅ ଖାଇ ଶିଖୁଛି । ଯେପରିକି ସଙ୍ଗୀତାର କବିତା ଲେଖା ନାଣ୍ଡୁର ଗୋଟିଏ ନୂଆ ବ୍ୟବସାୟ ।

 

ଏବଂ ଚା' ଦୋକାନର ସେହି ଲମ୍ବାମୁହାଁ ଭଦ୍ରଲୋକ ଶୁଣି କରି ନ ଶୁଣିଲା ପରି ରହିବେ, ବୁଦ୍ଧଙ୍କ ପରି କଷ୍ଟ ପାଇବେ ଓ ସେହି ଅଶ୍ଳୀଳ ଭୟାନକ କଥା କହି ଚାଲିବେ–କଳାବଜାର…..ଲହ.... ଲହ.... ଜିଭ ରକ୍ତ….ମାରିବେ ଆଉ ଖାଇବେ, ମାରିବେ ଆଉ–

Image

 

Unknown

ଗୋଟିଏ ସଂଧ୍ୟାର ପ୍ରଳାପ

ମହାପାତ୍ର ନୀଳମଣି ସାହୁ

 

ରାଧୁଆ ! ସେ କିଏ କରେ ? ସେ କିଏ ଆସିଥିଲା କହିଲୁ । ଆଜି ସଂଜବେଳେ ? ଓହୋ ! ରାଧୁଆରେ ! ମୋର ଧିଅ କଣ ହେଇଯାଉଛି । ମୋତେ ଟିକିଏ ଧଅ । ହଇରେ ସେ କିଏ ? ସତରେ ସେ କିଏ ବା ?

 

ସତ କଉଚୁ ତୁ ? ଆଖି ଛୁଇଁଲୁ । ସତ କହୁଚୁ ତୁ ସେ ଭରତ ସେନାପତି ପୁଅ ଦୀନବନ୍ଧୁ ? ଆରେ ନାଇଁବା ତୁ ମିଛ କହୁଥିବୁ । ତୋର କଣ ଅଛି ? ତୁ ତ ବାଇଆଟେ–ଯାହା ଧରିଥବୁ ସେଇଆ । ତୁ ଛତରାଟା । ସବୁଦିନେ ମତେ ଏମିତି ମିଛକଥା କହି ଭୁଲାଇ ଦେଉ ।

 

ମିଛ କହଉ ନାଇଁ ? କହଉ ନାଇଁ ନାଇଁ କରଉ । ସେ ଦିନ ମିଛ କହି ନ ଥେଲୁ ? ପିତାମ୍ବର ପାଢ଼ୀ ତା’ ଝୁଅ ବାହାଘର ଖୀରିପିଠା ଖାଇବାକୁ ମତେ ଡାକିଥିଲା ହଇରେ ? ତୁ କାଇଁକି ମତେ ମିଛ କହି ସେଠିକି ପଠେଇ ଦେଲୁ ? ତୁ ଭାବିଲୁ- ମଲ୍ଲୀ ବୁଢ଼ୀର ଆଇଁଷ ତୁଉଣରେ ଭାରି ଆଶା ! ଯାଉ-ମାଛ ବେସର ମାଛ ମହୁର କାନିକା ଅମାଲି କରି ପୁଳାଏ ଗିଳି ଆସୁ । ହଇରେ ଡହରା ! ତୁ ମୋର କାଳଶତ୍ରୁ । ମିଛ କହି ମତେ ପଠାଇ ଦେଲୁ । ମୁଁ ସେଠିକି ଗଲି । ତା’ ଖଳା ବାରିରେ ମାଇପଙ୍କ ପଙ୍ଗତ ବଇଥେଲା । ସେନାପତି ସାଇଆ, ରାଉତ ସାଇଆ, ପାଢ଼ୀ ସାଇଆ ସବୁ ମାଇପେ ବଇଥେଲେ ପତର ପକେଇ । ମୁଁ ସେଠି ଯାଇ କାହୁଁ ଅଇଲା ଭଳିଆ ଠିଆହେଲି । ଚାରିଟା କଳ‌ଆଲୁଅ ସେଠି ଜଳୁଥାଏ । ପୀତାମ୍ବର ପାଢ଼ୀ ନିଜେ ସେଠି ଠିଆହେଇ ପରଶୁଣିଆଙ୍କୁ ବରାଦ କରୁଥାଏ । ମୋ ଉପରେ ଆଖି ପଡ଼ୁ ପଡ଼ୁ ମୁହଁ ବୁଲେଇଦେଲା । ଭାରି ହୀନିମାନ ଲାଗିଲାରେ ! କେହି ତ ମତେ ଡାକୁ ନ ଥାନ୍ତି- ଭାବିଲି- ପଳେଇ ଆସିବି । ଫେର୍ ଭାବିଲି–ନା ନା ପୀତାମ୍ବର ପାଢ଼ୀ ଚୁଲ୍ଲୀକି ଯାଉ । ଆଜି ପରା ଦିନରେ ମୁଁ ଯଦି ନିରାଶ ହେଇ ଏଠୁ ଉଠିଯିବି ତେବେ କାଳେ ମୋ ନିଃଶ୍ଵାସରେ ତା’ ଝିଅ ଜୋଇଁଙ୍କର କିଛି ଅମଙ୍ଗଳ ହେବ ? ସେଇଠୁ ବଳେ ବଳେ ଯାଇ ସବା ଶେଷ ମୁଣ୍ଡରେ ବସିଲି । ଯାହା ଦେଲେ ଖାଇଲି-ଆଇଲି । ହଇରେ ରାଧୁଆ-

 

ପୀତାମ୍ବର ପାଢ଼ୀ ମୋ ମୁହଁ ଚାହିଁଲା ନାହିଁ ସେଦିନ । କହିଲୁ ଭଲା, ମୁଁ ତାକୁ କଣ ନ ଦେଇଛି ଜୀବନଯାକ ?

 

କଣ ଦେଇଛି ? ହଇରେ ଛତରା- ତୁ ଫେର୍‍ ଏଡ଼େ ବେହେଲ ହଇରେ ! ତୋ ଗାଲ ଚିପିଦେଲେ ଦୁଧ ବାହାରି ପଡ଼ିବ । ପଚାରୁଚୁ କ’ଣ ଦେଇଛି ? ଯାହା ଦେଇଛି ଆଉ କ'ଣ ସେ ଜିନିଷରୁ ଏତେ ଟିକିଏ ମୋ ପାଖରେ ସାଇତି ରଖିଛି ଯେ ତତେ ଦେଖେଇ ଦେବି ? ସବୁ ଦେଇ ଦେଇଛିରେ ସବୁ ଦେଇ ଦେଇଛି । ଖାଲି କ’ଣ ପୀତାମ୍ବର ପାଢ଼ୀକି ? ସୁର ରାଉତ, ମହନା ବଣିଆ, ଜମ୍ବୁ ମିଶର, ସୁଦରଶନ ଚଉଧୁରୀ କିଏ ନୁହଁ ? କିଏ ନ ନେଇଛନ୍ତି ବା ? କାହାକୁ ନ ଦେଇଛିରେ ? ଏ ନିଆଁନଗା ଗାଁଟା ଯାକର ଅଣ୍ଡିରା ମୋର ଧାରୁଆ ବା ! ଆଉ ଅଛି ? ଦେଖୁନୁ, ଆଉ ଅଛି ? କିଛି ନାଇଁ ପରା । କିଛି ନ ଥେଲେ ନାଇଁ । ଥେଲେ ବା ଆଉ କଣ କରିଥାନ୍ତି ? ଥେଲେ କଣ ଆଜି ଯେ ଆଇଥିଲା ସେ ମୋଠୁଁ ନେଇଥାନ୍ତା ?

 

ସେଇ ବା ସେଇ । ଯେ ଆଜି ଆଇଥେଲା । କହୁଚୁ ତ ତୋ ତୁଣ୍ଡରେ ଭରତ ସେନାପତି ପୁଅ ଦୀନବନ୍ଧୁ ବୋଲି । ସେ କଣ କିଛି ନେଇଥାନ୍ତା ମୋ ଠଉଁ ? କିନ୍ତୁ ନେଇ ନଥାନ୍ତା । ସେ ନେବାର ହେଇଥିଲେ ତ କୋଉଦିନୁଁ ତା’ ପାଦପଦ୍ମରେ ମୋର ସର୍ବସ୍ଵ ଅଜାଡ଼ି ଦେଇଥାନ୍ତିରେ ! ଆଉ ଏତେ ଲୋକ କାହିଁକି ଶାଗୁଣା ଭଳିଆ ଥଣ୍ଟେ ଥଣ୍ଟେ ନେଇ ଆଜି ମତେ କଙ୍କାଳ ଭଳିଆ କରି ଏଠି ପକେଇ ଦେଇଥାନ୍ତେ ? ସେ କଣ ନେଲାବାଲା କି ? ସେ ଖାଲି ଦେଲାବାଲା ।

 

ହଅବା, ଭାରି ଦେଲାବାଲା ! ସେଇ ତ ଅସଲ ନେଲାବାଲାରେ ରାଧୁଆ । ସବୁ କଥାକୁ ନାଇଁ ନାଇଁ କରିବ~ଆଉ ଅସଲ ଜିନିଷଟି କୋଉ ଖଂଜରେ ନେଇ ତା’ ମୁଣିରେ ପୂରେଇ ଚାଲିଯିବ । ନେଇନି ? ନେଇନି ସେ ? ସେ ତ ମୋ ଅଜାଣତରେ ମୋ କଲିଜା ଟାଣି ନେଇଛିରେ-। ତୁ କହିଲୁ ରାଧୁଆ–ତୁ କହିଲୁ । କହ ବା କହ-ମୋ ସୁନାଟା ପରା– ତୁ ବାଳୁତଟିଏ ହେଲେ କ'ଣ ହେବ ତୋର ଭାରି ବୁଦ୍ଧିରେ ଧନ । ତୁ ତ ତା’ରି ଭଳିଆ ହବୁରେ ବଡ଼ ଦିନକୁ । ତା’ରି ଭଳିଆ ହବୁ ଅବିକଳ- ସେଇ ଭରତ ସେନାପତି ପୁଅ ଦୀନବନ୍ଧୁ ଭଳିଆ ବା ! ତୁ କହିଲୁ ଦେଖି ସେ ଯଦି ମୋ କଲିଜା ଟାଣି ନ ନେଇଥା’ନ୍ତା ତ ମୁଁ ଏମିତି ହୋଇଥାନ୍ତି ?

 

ରାଧୁଆରେ- ଫଡ଼ିଆରୁ ଫାଡ଼େ-ନଇଲେ ଛାତିରୁ ଫାଡ଼େ–ଗାଲରୁ ଫାଡ଼େ କି ଜଂଘରୁ ଫାଡ଼େ–ଖୁଂପିନବ ଯମନ୍ତ ଜଗତ ଜାଣିବ । ଆଉ କଲିଜା ? ତାକୁ ଯେ ନିଏ କୋଉ ଖଂଜରେ ନେଇଯାଏ କିଏ କେମିତି ଜାଣିବ ବା ? ନିଜେ ତ ଜାଣି ପାରିବ ନାଇଁ, ଆଉ !!

 

ସେଇ ଦୀନବନ୍ଧୁରେ ରାଧୁଆ । ଏଡ଼ିକିଟିଏ ହେଇ ଥାଏବା । ମୁଁ ଭୁଆସୁଣୀ ବୋହୁ ହୋଇ ଏ ଗାଁକୁ ଆଇଲା ବେଳକୁ ତାର ଗଜୁରୀ ହେଉଥାଏ ନିଶ–ପୁଚୁପୁଚୁ ଗାଲ ଅରୁଆ ଚିତଉ ପିଠା ଭଳିଆ-ପରାଚୀ ନଈର କଳା‌ ଘୁମର ପାଣି ଭଳିଆ ଆଖି ଦୁଇଟାରେ ତାର । ଯାହା ଆଖିରେ ତା ଆଖି ପଡ଼ିବ ସେ ସେଇଠି ଘାରିହୋଇ ବଶ୍ୟ ହୋଇଯିବ । ଯୋଉ ସୁନ୍ଦର ! ରାଧୁଆରେ ଯୋଉ ସୁନ୍ଦର ! ହେଲେ ସେ କାହାକୁ ଚାହିଁବ କି ? ଇସିକୁଲ ପଢ଼ା କରୁଥାଏ ସେଣେ କୁଆଡ଼େବା-ମୋ ମନେ ପଡ଼ୁନି-ଢିଙ୍ଗାରପୁର ନା କୋଉଠି-। ଛୁଟିରେ ଆସେଇ ଗାଁକୁ- । ଝୁଲି ଝୁଲି ଯାଉଥିବ ଗାଁ

 

ଦାଣ୍ଡରେ ଗଜା ଗୁଣ୍ଠୁଣୁ ହାତୀଟିଏ ଭଳି । ଖୋଜ ତଳେ ପିମ୍ପୁଡ଼ିଟିଏ ବି ମରିବ ନାଇଁ ! କିଏ ଭଲା ତା'କୁ ଚାହିଁ ନ ରହଇ ଘଡ଼ିଏ ସେତେବେଳେ ? ଗାଁ ଜାକର ଝିଅ ବୋହୁ କବାଟ ସନ୍ଧିରେ, ଝରକା ସନ୍ଧିରେ ତାକୁ ଚାହିଁ ରହିଥେବେ । ମୁଁ ଦେଖିଛି ବା ମତେ କଣ କହୁଛୁ ? ଆରେ ସବୁ ସତୀ ସାବିତିରୀଙ୍କି ମୁଁ ତୁମ ଗାଁରେ ଚିହ୍ନେଇବା ! ମୋରି ଉପରେ ସିନା ଖାନିକୀ, ଦୋଚାରୁଣୀ ଅପବାଦ ଲଦିଦେଲେ ଏଇ ତୁମ ଗାଁ ବାଲା ଯୋଗିନୀଖିଆଏ ! ରଇଜଳାଏ ଦେବ-ଲାଗି ଅହ୍ମୁଣିଆକୁ ଟକଳ ପଣରେ ଅଇଁଠା କରିଦେବେ । ଫେର୍‍ ସେଇ ଅନ୍ନପରା ପଦାର୍ଥକୁ କହିବେ ମାରା ହେଇଗଲା । ନିଜେ ଛୁଇଁଦେଇ କହିବେ ଅଛୁଆଁ । ନିଜର ପାପତକ ଜଣକ ଉପରେ ଅଜାଡ଼ି ଦେବେ । ଶେଷକୁ ଅପବାଦ ଦେବେ ପାପ–ପାପ ତଫାତ୍ ରୁହ ।

 

ମୋ ଘଇତା ତ ବାହାଘର ଦୁଇବର୍ଷ ନ ପୂରୁଣୁ ଦିନେ ହଇଜାରେ ମୋତେ ଛାଡ଼ି ଚାଲିଗଲା ସେପାରିକି -ମୋର ସେତେବେଳେ ଭରା ଯଉବନରେ ରାଧୁସୁନ୍ଦର ! ଧିଅରେ ମୋର ନିଆଁ ଜଳୁଥାଏ । ସେଇ ନିଆଁକୁ ଧରି ଏଠି ମାଟି କାମୁଡ଼ି ପଡ଼ି ରହିଲି । କାହା ସାଙ୍ଗରେ କୁଆଡ଼େ ପଲେଇ ଗଲି ନାଇଁ । “ଆରେ କାହା ସାଙ୍ଗରେ କୁଆଡ଼େ ଯାଇଥାନ୍ତି ? କାହିଁକି ଯାଇଥାନ୍ତି ? ମୋ ମନ ମରିଗଲାରେ ରାଧୁଆ । ବାପଘରେ ତ କେହି ନ ଥିଲେ । ଭାଇ ତ ରହିଲା ଯାଇଁ କଲିକତାରେ ଗୋ ଖାନିକୀକି ଧରି । ଆଉ ଘର ମାଡ଼ିଲା ନାହିଁ । ମୁଁ ମାଟି କାମୁଡ଼ି ଏଇ ଗାଁରେ ପଡ଼ି ରହିଥାଏ । କାଇଁକି କହିଲୁ ?

 

ତୁ ବିଶ୍ଵାସ କରିବୁ ନାହିଁ-କେହି ସତ କହିବେ ନାହିଁରେ-ସମସ୍ତେ କହିବେ ରାଣ୍ଡ ବେଧ ପକେଇବାକୁ ଏ ଗାଁରେ ପଡ଼ିରହିଥେଲା । କିଏ କାହା କଥା ଜାଣେରେ ? ଏଠି ତିରିଶି ବର୍ଷକାଳ ଏମିତି ରହିଥେଲି ଖାଲି ସେଇ ଦୀନବନ୍ଧୁକୁ ଦେଖିବାକୁ ପାଇବି ବୋଲି । ଯୋଉ ଛୁଟିରେ ସେ ଗାଁକୁ ଆସେଇ ମୋ ଆଖି ଡାହାଣୀ ଭଳିଆ ଛାଇ ଭଳିଆ ତା’ପଛେ ପଛେ ଛୁଟଇ । କେତେ ଲୋକଙ୍କୁ ଏ ଆଖି ଖୋଳେଇଛି ଇସ୍କୁଲ ବସେଇଛି । କେତେ ପୁଣ୍ୟକରି ସେ ଦୀନବନ୍ଧୁକୁ ପାଇଛି ! ଏ ଖଣ୍ଡ, ମଣ୍ଡଳରେ କିଏ ଭଲା ତା’ ରୂପ ଗୁଣକୁ ବାହୁନେ ନାଇଁ ? ଏବେ ପୁଣି କୋଉଠି ସେଠି କଟକ ମୁଲକରେ କେତେ ନାଁ କମେଇଲେଣି । ବଡ଼ ଡାକ୍ତର ହୋଇଛି ପରା ? ହଜାର ହଜାର ଟଙ୍କା କମଉଛି । କେତେ ଦୁଃଖୀ ରଙ୍କୀ ଅନାଥଛେଉଣ୍ଡ ଙ୍କ ପେଇଁ କୁଆଡ଼େ ଦାନା କନା ବେବସ୍ଥା କରିଛି । କେତେ ଅସାଧ ରୋଗୀଙ୍କି ଯମ ହାତରୁ ଛଡ଼େଇ ଅଣିଛି ! ସବୁ ଶୁଣେରେ ରାଧୁଆ ! ତା’ ପ୍ରଶଂସା ଶୁଣିବାକୁ । ଏଠି ଏ ଗାଁରେ ମୁଇଁ ଏ ପୋଡ଼ା କାନ ପରି ରହିଥାଏ । ହାଡିଆ ମା’ର କ’ଣ ରକ୍ତ ପ୍ରସାବ ହଉଥାଏ ଯେ କଟକ ଗଲା ଦୀନବନ୍ଧୁ ପାଖକୁ । ମାଗେଣା ତାକୁ ଘରେ ରଖି ଓଷଦ ଦେଲା-ପଥି ଦେଲା ! ଝାଡ଼ିଝୁଡ଼ି ଦେଲା ରୋଗ । ହାଡ଼ିଆ ମା’କୁ ଦେଖିନୁ ଡାଙ୍କୁଣୀଭଳିଆ ଦୁଶେଇ ! ସେଠୁ, ଆଇଲା ବେଳକୁ ଷୋଳବରଷୀ ଭଳିଆ ଦୁଉଥାଇ । ହାଡ଼ିଆ ମା ଯୋଉ ପରଶଂସା ତା’ର କରୁଥାଇରେ ରାଧୁଆ ? ମୁଁ ତ ଶୁଣିଲାବେଳେ ମୋ ଛାତି କୁରୁଳି ଉଠୁଥାଏ ! ମୋତେ ତ କଣବୋଲି କ’ଣ ପାଇଲା ଭଳିଆ ଲାଗୁଥାଏ ! ମୁଁ ପଚାରୁଥାଏ ହାଡ଼ିଆ ମା’ ! ଆଉ ଟିକିଏ କହିବା ଦୀନବନ୍ଧୁ କଣ କଲେ ?

 

ରାଧୁଆରେ ! ଏ ପୋଡ଼ା ଛାତିରେ ତାଲାଗି ଏତେ ମମତା କୋଉଠି ଲୁଚି ଥାଇରେ ? ଯେ ଏ ଗାଁରେ ? ତା’ କଥା ପକାଏ ମୁଁ କାନପାରି ମନଦେଇ ଶୁଣୁଥାଇ । କାଇଁ କି ଭଲା ଅଜିକୁ ତିରିଶି ବର୍ଷ ହେଲା ଖାଲି ତାଆରି କଥା ମୁଁ ଭାବି ମରୁଛି କହିଲୁରେ ମୋ ରାଧାସୁନ୍ଦର !

 

ହଇରେ ରାଧୁ ! ମୋର ରାଧାସୁନ୍ଦର । ସତ କହିଲୁ -ମୋ ଧିହ ଛୁଇଁ କହ । ସେଇ ଦୀନବନ୍ଧୁ ଆଜି ଆଇଥିଲେ ? ସେଇ ଆସି ଏ ଓଷଦ ଟଙ୍କା ଦେଇଗଲେ ?

 

କାଇଁକି ବା ? କାଇଁକି ସେ ଆଇଥିଲା ଓ ସୁଆଗ ଦେଖେଇବ ବୋଲି ? ଏ ଖାନିକୀ ପାପି ଘରକୁ ତା’ ଭଳିଆ ପୁଣ୍ୟବନ୍ତ ବଡ଼ଲୋକ ଫେର୍ ଆଇଲା କେମିତିରେ ? ତା' ଦେହରେ ପାପ ଲାଗିଗଲା ନାଇଁ ? ରାଧୁଆରେ ! ସେ କାଳେ ସେଇ ମୋ ଭୁଆଶୁଣୀ ବେଳେ -ଯେତେବେଳେ ରକତ ମାଉଁସ ପଶି ଏ ଧିଅ ମୋର ଘୁମ ଭଳିଆ ହୋଇଥାଏ- ସେକାଳେ ତାକୁ ଟିକିଏ ଦେଖିବ ବୋଲି-ତାଠଉଁ ପଦେକଥା ଶୁଣିବି ବୋଲି-ଆହା ! କି ଠାଣୀରେ ତା’ର-କି ମାଣି ! କୋଇଲି ଭଳିଆ ତା’ହସ ଶୁଭିଯାଉଛି ମୋ କାନକୁ କଥା କହୁ ଥିବ-ହସି ଦଉଥିବ । ହସିଲାବେଳେ ତା’ର ଅରୁଆ ଚିତ ଉ ଭଳିଆ ଗାଲ ଦି’ପାଖେ ଖାଲ ହେଇ ଯାଉଥିବ । ପାଟିରେ ତା’ର ଚନ୍ଦନ୍ଦ୍ରଉଦିଆ ଜଳି ଉଠୁଥିବ । ସେଇତକ ଦେଖିବି ବୋଲି- ସେଇତକ ଶୁଣିବ ବୋଲି କମ୍‌ଥର ପାଖକୁ ବାଆଁରେଇ ହେଇଯାଏ । ଆରେ ରାଧୁଆ–ସମସ୍ତଙ୍କୁ ଅନେଇବ, କଥା କହିବ, ମୋ ଉପରେ ଆଖି ପଡ଼ୁ ପଡ଼ୁ ଆଖି ଫେରେଇନବ । ମୁହଁ ବୁଲେଇନବ । ମୁଁ ପରା ଖାନିକୀଟାଏ- ଅଠରଘଇତୀଟାଏ- ସେ ପରା ପୁଣ୍ୟବନ୍ତ, ଜନ । ଏତେ ବଡ଼ ଗାଁଟାରେ–ଏଇ ପୃଥୀ ମଣ୍ଡଳରେ ସେଇ ଏକା ଜଣେ ଭଲ ମଣିଷରେ ରାଧୁଆ । ମୋ ପରା ଲୋକକୁ ଚାହିଁଲେ, ମୋ ପରା ଲୋକ ସଙ୍ଗେ କଥା କହିଲେ, ତା’ ଭଲଲୋକ ତେଜ ମଉଳିଯାଇ ନଥାନ୍ତା ? ଭଲ କରିଛି, କାଇଁକି ମତେ ସେ ଚାହିଁଥାନ୍ତାରେ ? ମୁଁ ସବାଖାଇ ସତ୍ୟାନାଶୀ ସେତେବେଳେ ଡାହାଣୀ ଥେଲିରେ ରାଧୁଆ-ମୋ ଆଖିରେ ତା’ ଆଖି ପଡ଼ିଥେଲେ ଆଉ ତାକୁ ମୁଁ ପ୍ରାଣରେ ରଖିଥାନ୍ତି ? ଶୋଷି ଯାଇ ନଥାନ୍ତି ? ଆହା ଆହା କେଡ଼େ ପୁଣ୍ୟବନ୍ତ ଦେବତା ଭଳିଆ ପିଲାଟାରେ ସେ । ବାଟ ଚାଲୁଥିଲେ ତା’ ପାଦତଳେ ପଦ୍ମ ଫୁଟି ଯାଉଥିବ । ସେ ଚାଲିଲାବେଳେ ଗାଁ ଦାଣ୍ଡରେ ସତେ କି କୁଆଡ଼ୁ ଥଣ୍ଡା ବାସନା ପବନ ବହି ଯାଉଥିବ ! ଜହ୍ନିଫୁଲ କାକୁଡ଼ିଫୁଲ ବାଡ଼କଡ଼ରେ ଫୁଟିଯାନ୍ତି ରେ ରାଧୁଆ । ପାଳଧୂଆ ଗଛରେ ନାଲି ନାଲି ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟିଯାନ୍ତି । ମତେ ତ ସେଇଆ ନାଗେଇ-ସେଇଆ, ଦିଶେଇ !

 

ନାଥ ଓତାଙ୍କ ଦାଣ୍ଡରେ ସେକାଳେ ଭାଗବତ ପୁରାଣ ପଢ଼ା ହଉଥାଇ ! ନାଥ ଓ ତାଙ୍କର ଯେଉଁ ସୁନ୍ଦର କଣ୍ଠ । ମଣିପେ ମାଇପେ ସମସ୍ତେ ଘେରି ବଇଥାନ୍ତି । ସାହାସ ଶୁଣୁଥାନ୍ତି । ମୁଁ ଅଲକ୍ଷଣୀ ସବୁରି ପଛରେ ଯାଇ ବସେଇ । ଆହା କି ସୁନ୍ଦର ପଦମାନ । ଗୋପପୁରରେ କହ୍ନେଇକି ଘେରି ଷୋଳଛଛ୍ର ଗୋପୀ ଲୀଳା କରୁଥାନ୍ତି । ଆହା କି ସୁନ୍ଦର ନବଘନ ରୂପରେ ରାଧୁଆ ! ! ଗୋପୀଏ ତାକୁ ଘେରି ରହିଥାନ୍ତି କଦମ୍ବମୂଳେ । ତା’ର ଉପରେ ଆଖି ପଡ଼ିଲେ ଆଉ ସେ ଆଖି ସଂସାରକୁ ଫେରଇ ନାଇଁ । କେମିତି ଫେରିବ କହିଲୁ ? ସେ ପରା ସ୍ୱୟଂ ଭଗବାନ । ‘‘ମଣିଷ ରୂପ ହୋଇ ଆଇଥେଲେ । ମୋ ଆଖିରୁ ଲୁହ ବହି ଯାଉଥାଇ । କିଏ କଣ ଭାବୁଥାଇ କେଜାଣି–ମୁଁ ଖାଲି ଭାବୁଥାଇ ଭରତ ସେନାପତି ପୁଅ ମୋ ଦୀନବନ୍ଧୁ କଥା । ଅବିକଳ କୃଷ୍ଣ ସଙ୍ଗେ ମିଳି ଯାଉଥାଇବା ତା’ରୂପ ଗୁଣ । ମୋ ମନ ବି ଅବିକଳ ସେଇ ଗୋପୀଙ୍କ ଭଳିଆ ହଉଥାଇ । କୃଷ୍ଣଙ୍କ ନାଁ ବି କୁଆଡ଼େ ଦୀନବନ୍ଧୁରେ ରାଧୁଆ !! ଦେଖିଲୁ କେମିତି ମିଳିଯାଉଛି ।

 

ହଇରେ ରାଧୁଆ । କହିଲୁ -ଏ ପୋଡ଼ପାଡ଼ ଗାଁ ଖନ୍ଦକରେ ଆଉ କିଏ ମଣିଷୁଟାଏ ଅଛି ନା ଥେଲା ? କେହି ତ କାହା ଶିରୀ ଦେଖି ପାରନ୍ତିନି । ଚଉଧୁରୀ‌ ସାଇଅ ତ ଭାଇ ଭାଇରେ ମାଲିମକଦ୍ଦମା-ବାଡ଼ିଆବାଡ଼ି ହେଇଗଲେ । ରାଉତ ସାଇଅ ତ କିଏ କୁଆଡ଼େ ମରିହଜି ଗଲେଣି-ନାଣ୍ଡୀ ବାଛୁରୀ କଣ୍ଟା ହେଇ ଦି’ଚାରିଖଣ୍ଡ ଆତଜାତ ହଉଛନ୍ତି । ରାଉତ ବୁଢ଼ା ଖାଲି ବଞ୍ଚିଚି ! ସେ ଆଖି ବୁଜିଲା ବାସି ଦିନ ସେ ଢିଅରେ ବିଲୁଆ ଡେଇଁବେ । ସେ ବୁଢ଼ା, ଭାରୀ ହଇରାଣରେ ତା’ଦିନକାଳ ଯିବରେ ରାଧୁଆ କହି ଦଉଛି । ସେଇ ବୁଢ଼ା କ’ଣ କମ୍ ହୁରୁମା ଥେଲା ? ଭୂତକେଳି‌ କରିବ, ଭୂତକେଳି । ଘରେ ତେଣେ ମାଇପକୁ ଶୁଆସ ବେମାରୀ । ଏ ବୁଢ଼ା କ’ଣ କରିବ ନା ରାତି ଅଧରେ ମୋ ଚାଳିଆ ଅଧାକାନ୍ଥି ଡେଇଁ ମୋ ଘରେ ପଶିବ । ମୁଁ ଡରିକରି ତା’ ଶରଣ ପଶି ଯାଏରେ । ଆରେ ତାକୁ ସନ୍ତୋଷ ନ ରଖିଥିଲେ ସେ ମତେ ଆଉ ଜୀବନରେ ରଖିଥାନ୍ତା ? ତାଡ଼ି ପିଇଥିବ-କୁକୁଡା ଖାଇଥିବ । ରାତିଯାକ ମୋ ଧିଅରୁ ରକତ ଶୋଷିବ । ଦେଇ ବୁଢ଼ା ଫେର ମୋ ଢିହ ନିଲାମ କରି ନେଲାରେ ରାଧୁଆ । ସେ ନେଲା ବାରିତଳ ବାଉଁଶ ବଣତକ । ଆଉ ସେ କୂଅ ସେପଟ ଢିହ ନେଲା ବିଶନ ଚୈଧୁରୀ ବା । ମଲାବେଳେ ଖୋଡ଼ଫୁଟି ମଲା~ତଣ୍ଟିରେ ମାହାର୍ଦ ପାଣିସୁଦ୍ଧା ଗଳିଲା ନାଇଁ । ଆଉ ଏ ରାଉତବୁଢ଼ା, ଦେଖିବୁ ରଇଥା, -ତିନି ତିନିଟା ଭେଣ୍ଡା ପୁଅ ମଲେ । ଝିଅଟା ଥେଲା ଯେ ରାଣ୍ଡହେଇ ଶାଶୁଘରେ ପାପଗର୍ଭ ହେଲା । ଏଇଠି ଆସି ଭଂଗେଇ କରି ବୋପା ପାଖେ ରହିଛି । ନାଇଁରେ ରାଧୁଆ ! ମୁଁ ତା’ ଝୁଅକୁ ଦୋଷ ଦଉ ନାହିଁ ! ମୋରି ଭଳିଆ ହତଭାଗୀଟାରେ । ଆସେଇ ଦିନେ ଦିନେ ବା ମୋ ପାଖକୁ । କହଇ–ମଲ୍ଲୀଖୁଡ଼ୀ ! ମୋ ଜୀବନ କେମିତି ଯିବ କହିଲ ? ମୁଁ କହିଲି-ସେ କଥା କିଆଁ ମତେ ପଚାରୁଚୁଲୋ- ମୋର ଜୀବନ ସରିଲା ବୋଲି ଜାଣ ।

 

ଗାଁ ଗୋଟାକରେ ସେଇ ଭରତ ସେନାପତି ବୁଢ଼ା ଭାରି ଧର୍ମବନ୍ତ ! ଭାରୀ କର୍ମବନ୍ତ । ଦେଖୁନ୍ତୁ ତା’ ଉମରରେ ସେ କ'ଣ ନ କରିଛି । ଦେଉଳ କଲା-ପୋଖରୀ ଖୋଳେଇଲା-ଇସ୍କୁଲ ବସେଇଲା । ପାଇଛି ବି ସେମିତି । ଦୁଇ ଝୁଅ-ଜୋଇଁ ତ ପାଇଛି ଗଣେଶ କାର୍ତ୍ତିକ, ନାତି ନାତୁଣୀ ମାଡ଼ି ଗଲେଣି । ଆଉ ଏଇ ଗୋଟିକ ପୁଅ ଦୀନବନ୍ଧୁ । ଏତିକି ତା’ କର୍ମବିପାକ-ମାଇପ ମରିଗଲା, ଏଇ ଦୀନବନ୍ଧୁ ଛଅ ବରଷର ହେଇଥାଏ । ମରୁବା ମାଇପ ! ଦୀନବନ୍ଧୁ ଭଳିଆ ପୁଅ ପାଇଛି । ସବୁ ଦୁଃଖ ସେଇଥିରେ ପାର ।

 

ଏ ଗାଁଟା ତ ମଣାଣୀପଦା ହେଲାଣି । ସବୁରି ମୁହଁ ଯେମିତି କଳାକାଠ ପଡ଼ିଗଲାଣି । କାହା ମୁହଁରେ ଆଉ ଶିରୀ ନାଇଁ । ସବୁରି ବେକରେ ଯେମିତି ଯମ ଦଉଡ଼ି ଲାଗିଛି । ଦିନ ଦି’ପ୍ରହରେ ତ ଏ ଗାଁରେ ବିଲୁଆ ବୋବଉଛନ୍ତି । ରାତି ଦିନ ପେଚା ବୋବାଉଛନ୍ତି । ଦେଉଳ ଉପରେ ଶାଗୁଣା ବସିଲେଣି ଦି' ଦି’ ଥର । କାଲି ରାତିଯାକ ଗୋଟେ ହୁଁ ହାଁ ଚଢ଼େଇ ବୋବାଉଥିଲା ରାଉତ ଘର ସେଇ ତେନ୍ତୁଳିଗଛ ଉପରେ ।

 

ଡରମାଡ଼ିବ ? ଡର କାହଁକ ମାଡ଼ିବବା ? ମତେ ଡର ମାଡ଼େଇ ନାଇଁ । ଆରେ ଡରବେଳେ ତ ଡର ମାଡ଼ୁ

 

ନ ଥିଲା । ରାତିଯାକ ଭୂତଙ୍କ ସଙ୍ଗେ କେଳି- କରୁଥେଲି ଏଇ କୁଡ଼ିଆ ଖଣ୍ଡକରେ । ଆଉ ଅଇନେ–ମରିବାକୁ ବସିଲେଣି-

 

ମରିବି ନାଇଁ କ’ଣ ଆଉ ଯୁଗାବ୍‌ଧି ବଞ୍ଚିଥିବି ? କାହିଁକି ଆଉ ବଞ୍ଚିବି ବା ? ଯୋଉଥିପାଇଁ ଆଜିଯାଏ ବଞ୍ଚିଥେଲି ସେ ମନସ୍କାମନା ତ ଆଜି ପୂରଣ ହେଇଗଲା ।

 

ହଇରେ ଦୀନବନ୍ଧୁ, ଆଜି ସତରେ ଆସିଥେଲେଟି । ଭରତ ସେନାପତି ପୁଅ ଦୀନବନ୍ଧୁ ? ନା ଆଉ କାହାକୁ ଦୀନବନ୍ଧୁ ବୋଲି କହୁଚୁ ବା !! କି ଔଷଧ ଦେଇ ଯାଇଛି ବା ? ମୋର ଔଷଧ କ’ଣ ହବ ? ଆଉ କଣ ଭୋଗିବି ବୋଲି ଭଲା ଓଷଦ ଖାଇବି ?

 

କାଇଁକି ସେ ଆଇଥେଲା ? କେମିତି ଆଇଥେଲା କେଜାଣି ମୋର ତ ଚେତା ବୁଡ଼ିଗଲା ତାକୁ ଦେଖିକରି । ଗାଁକୁ ଆଇଥେଲା ବୋଲି ତ ଶୁଣିଥିଲି ! ମୁଁ କ’ଣ ଜାଣିଛି ସେ ମୋ ଭଳିଆ ଖାନିକୀଟା ଘରକୁ ଏମିତି ମାଡ଼ି ଆସିବ ? ମଟରଟା ପଁ ପଁ କଲା ! ମୋର ତ ଆଉ ଖଟିଆରୁ ଉଠିବା ଶକତି ନ ଥାଏ । ମୁଁ ଭାବିଲି -କିଏ ଯାଉଥିବ-ବି. ଡି. ଓ. ବାବୁ କି ଉଗ୍ରସର ବାବୁ ! ଆରେ ରାଧୁଆ ! ସେ ତ ପଶି ଆସିଲା ଏ ଘରକୁ-ଘର ଏଇମିତି ଅନ୍ଧାର । ତହିଁକି ମୋ ଆଖିକି ତ ଏବେ ଭଲ ଦୁଶୁନେଇ । ଖାଲି ତା’ ଧିଅ ବାସନାରୁ ମତେ ଲାଗିଲା ତା’ରି ଭଳିଆ ।

 

ଆରେ ନାଇଁବା, ସେ ସେମିତି ଅତର ଫତର ଲଗାଏ ନାଇଁ । ସେ ତ ଦାଣ୍ଡରେ ବୁଲି ଯାଉଥିବ ଯେ ସେ ଦାଣ୍ଡଯାକ ମହକି ଉଠୁଥିବ । କେମିତି ଗୋଟେ ତା ଧିଅ ବସେଇବା ! ସେ ବାସନା ମୋ ନାକରେ ବାଜିଲେ ମୋର ତ ଧିଅ କ’ଣ ହେଇଯାଏ ! ମୋର ତ ଜ୍ଞାନ ହାରିଯାଏରେ-ହଇରେ ଏମିତି ପୁଣି ମଣିଷ ଦେହ ବାସେଇ ?

 

ଆରେ ସେ କ’ଣ ମଣିଷ ? ମଣିଷ ହେଇଥିଲେ ସେ ମତେ ଏମିତି ଆଜିଯାଏ ଅପ୍ରାପତ ହୋଇଥାନ୍ତା ? ସେ ଦେବତାରେ ରାଧୁସୁନ୍ଦର । ଶ୍ୟାପ ପାଇକରି ଏ ମଂଚକୁ ଆଇଛି । ଆଇଚି ଲୋକମାନଙ୍କର ଉପୁକାର କରିବ-~ ମୋ ଭଳିଆ ପାପୀତାପୀ, ଦୀନଦୁଃଖୀଙ୍କର ଦୁଃଖ ପାପ ଝାଡ଼ି ଝୁଡ଼ି ଦେବ- ତା’ପରେ ଲୀଳା ଖେଳା ସାରି ସୋର୍ଗପୁରକୁ ବାହୁଡ଼ି ଯିବ ।

 

ଦେବତା ନୁହେଁ ? ହଇରେ ତୋର ବିଶ୍ୱାସ ହଉ ନାଇଁ ? ଦେବତା ନୁହଁ ଆଉ କ’ଣ ? ହଇରେ ଆଉ କାହାକୁ ଦେଖିଲେ ତ ଏମିତ ପେଟ ପୂରି ଯାଏ ନାଇଁ ! କାହା ଚରଣରେ ସର୍ବସ୍ଵ ସଅଁପି ଦେଇ ଏମିତି ଲୋଟିଯିବାକୁ ମନ ଡାକେଇ ନାଇଁ ? କେହି ତ ଏମିତି ଆତ୍ମାକୁ ଥଣ୍ଡାକରି ଦିଏ ନାଇଁ । ତାକୁ ଦେଖିଲେ ସବୁ ଦେଖିଲା ଭଳିଆ ନାଗେଇ । ତାକୁ ପାଇଲେ ସବୁ ପାଇଗଲା ଭଳିଆ ନାଗେଇ ।

 

ଆରେ ରାଧୁ ! ତିରିଶି ବର୍ଷ ହେଲା । ଏ ଗାଁକୁ ବୋହୁ ହୋଇ ଆଇଲିଣି । କେତେ କଦର୍ଥନା ଭୋଗିଲିଣି ମୁଁ ଏଠି, ତୁ କାହିଁ ଜାଣିବୁ ? ହଇରେ; ଏ ପୃଥିରେ ସମସ୍ତେ ଅସୁର । ଖାଲି ହାଁ କରି ବଇଛନ୍ତି ସମସ୍ତଙ୍କୁ ଗିଳିଯିବେ, ଶୋଷିନେବେ ସମସ୍ତଙ୍କ-ଆଖିବାଟେ, ପାଟିବାଟେ ଆଉ ଆଉ ବାଟେ । ଏ ସବାଖିଆମାନେ ଚାଲି ଯାଉଥବେ ଯୋଉ ବାଟେ, ସେ ଘାସ ମରି ଯାଉଥିବ । ଏ ସତ୍ୟାନାଶିଆଙ୍କ ଛାଇ ଯାହା ଉପରେ ପଡ଼ିବ ସେ କେହି ଉଧେଇବେ ନାଇଁ । ଦେଖୁନୁ, ଏ ଗାଁରେ କେହି ଉଧେଇଲେ ନା ଉଧେଉଛନ୍ତି ! ୟା ଛାଇ ତା’ ଉପରେ ତା’ ଛାଇ ୟା ଉପରେ । କେହି କାହାକୁ ଏଠି ଆଶ୍ରା ନାହିଁରେ ରାଧୁଆ । ଏ ଗାଁ ଏମିତି ମଶାଣି ହବ । ମଶାଣି ହବ, ହବ, ହବ~ମୁଁ କହି ଦଉଛି । ଏଠି କାହା ହୃଦରେ ଦୟାପଦ ନାହିଁ-ମାୟା ନାହିଁ କାହାର କାହାରିକି । ଏ ତା ଚାଳରୁ ପୁଳାଏ ଟାଣି ନଉଛି ତ ସେ ୟା ଚାଳରୁ ଖଣ୍ଡେ ରୁଅ ଟାଣି ନଉଛି । ମରିବେ ନାଇଁ-ମରିବେ ତ । ଯିବେ କୁଆଡ଼େ !

 

ରାଧୁରେ, ଏଇ ଦୀନବନ୍ଧୁ ଯମନ୍ତ ଏଠି ଆସି ରହନ୍ତେ ! ସେ କୁଆଡ଼, ଏଠି ଆସି ରହିବରେ ? ଏ ରାକ୍ଷସପୁରୀକି ସେ କେମିତି ଆସିବ, ବିଷ୍ଣୁ କଳାରେ ତା’ର ଜନ୍ମରେ ରାଧୁଆ !!

 

ଶୁଣ୍ ବା ରାଧୁ ଶୁଣ୍‍ବା ! ଯେମିତି ସେ ମୋର ଘରଭିତରକୁ ପଶି ଆସିଲା । ମୋ ଘର ତ ମହକିଗଲା । ତା’ଧିହ ବାସନାରେ ଆଗ ମୋ ଚେତା ବୁଡ଼ିଗଲା‌ ଭଳିଆ ଲାଗିଲା ।

 

ନାଇଁବା ଚେତା କାଇଁକି ବୁଡ଼ିବ ? ମତେ ସେମିତି ବେଚେଷ୍ଟା ଲାଗିଲା । ହଇରେ ସେ କିଏ–ମୁଁ କିଏ ? ଜୀବନଯାକ ତାକୁ ଟିକିଏ ଦେଖିବି ବୋଲି, ତାକୁ ଟିକିଏ ଧରିବି ବୋଲି କେତେ ଆଶା ନ କରିଛି-କେତେ ବିକଳ ନ ହେଇଛି !! ଯେମିତି ପଶି ଆସିଲା ମୁଁ ଖଟିଆ ଉପରେ ନାଥ୍‌କିନା ପଡ଼ିଗଲି । ମୋ ଧିହ ଝିମିଝିମି ହେଇଗଲା । ତାକୁ ତ ଥରେ ଚାହଁଛି-ଭଲକରି ତ ଦୁଶୁନଥାଇ- ହେଲେ ଯଦି ମୋତେ ଆଗ ଭଳିଆ ଦୁଶୁଥାନ୍ତା, ଯଦି ସଞ୍ଜ ବୁଡ଼ ହୋଇ ନ ଥାନ୍ତା-ଆଉ ଯଦି ତା’ ଆଖିରେ ମୋ ଆଖି ପଡ଼ିଥାନ୍ତା, ଆଉ କ'ଣ ମୁଁ ବଂଚିଥାନ୍ତି ? ମୋ ଛାତି ଫାଟି ଯାଇ ନ ଥାନ୍ତା ?

 

ହଅବା, ମୋର ଟିକିଏ ଟିକିଏ ମନେ ପଡ଼ୁଛି । ସେ ମୋ ହାତ ଧଇଲା- ନାଡ଼ୀ ଚିପିଲା- ମତେ ଓଲଟ ପାଲଟ କଲା କଇଁଚ ଭଳିଆ ! କ’ଣ ଯନ୍ତ୍ରଟାଏ ମାଡ଼ି ଦଉଥାଇ ମୋ ପିଠିରେ ଫେର୍ ମୋ ଛାତିରେ । ଫେର୍ ମୋ କପାଳକୁ ଆଉଁସିଲା ଆହା-ମୁଁ ଅଜ୍ଞାନ ଦେରିକା ପଡ଼ିଥାଇ । ଜ୍ଞାନ ଥାଆଇ ଫେର୍ ବେଚେଷ୍ଟା ଲାଗୁଥାଇ । ଆଖିବୁଜି ସେମିତ ଆକତା ହୋଇ ପଡ଼ିଥାଇ ! ସତିକି ସପନ ଦେଖୁଥାଇ !

 

ରାଧୁଆରେ ! ତୁଇ ସତ୍ୟାନାଶିଆ ତାକୁ ଏଠିକି ଡାକି ଆଣିଥେଲୁ । ନାଇଁ ? କାଇଁକି ଡାକିଲୁ କହିଲୁ ? ତୁ ନ ଡାକିଥିଲେ ସେ କେମିତି ଜାଣିଥାନ୍ତା ଯେ ମଲ୍ଲୀବୁଢ଼ୀ ଏମିତି ମଲାଗଲା ହେଇ ବାଧିକିଛି ? ତୁଇ ଛତରା ମୋର କାଳଶତ୍ରୁ । ଡାକିନଉଁ ? ନିଶ୍ଚେ ଡାକିଛୁ ।

 

ରାଧୁଆରେ, ତା’ରି ହାତରେ ତା’ରି ଆଗରେ ଯଦି ମରି ଯାଇଥାନ୍ତି ତ ତରି ଯାଇଥାନ୍ତି । କିନ୍ତୁ ସେ କ’ଣ ମାରିବ କି ? ତା’ର ପରା ବିଷ୍ଣୁ ହାତ ! ଅମୃତ ହସ୍ତା ସେ । ହେଲେ ଆଉ ମୋର ବଞ୍ଚିକରି ଲାଭ କ’ଣରେ ରାଧୁସୁନ୍ଦର ? ମୋର ଆଜି ହେଇଗଲା-ସବୁ ହୋଇଗଲା । ମୋ ମନ ତ ଆଜି ନାଚି ଉଠୁଛିରେ ମୋ ଧନ ! ମୋତେ କେତେ ହାଲୁକା ଲାଗୁଛି ବା ! ପବନ ଭଳିଆ ଲାଗୁଛି । ଫୁଲଟିଏ ଭଳିଆ ଲାଗୁଛି ।

 

ମୋର ଆଉ କିଛି ଦୁଃଖ ନାହିଁ-ମୋର ଆଉ କିଛି ପାପ ନାହିଁ । ଏଥରକ ମୋତେ ବିଷ୍ଣୁ ଦୂତ ନିଅନ୍ତୁ କି

 

ଯମଦୂତ ନିଅନ୍ତୁ ।

 

ଏ ଗାଁରେ ତ ମୋତେ ଡାକନ୍ତି ମଲ୍ଲୀବେଧ ବୋଲି ‌। ସମସ୍ତେ କହନ୍ତି- ମଲ୍ଲୀବେଧ ମଲାବେଳକୁ କେତେ କଦର୍ଥନା ଭୋଗିବ ଦେଖିବ । ଆସଲୋ ସତୀ ସାବିତୀରିଏ ! ଆସଲେ ଅହିସୁଲଖଣୀଏ ! ଯା’ରେ ରାଧୁ ଯା-ଡାକି ଆଣିବୁ ଯା । ଯା’ବା ଡାକି ଆଣିକୁ ତୋ ଗାଁ ମାଇପିଙ୍କୁ- ମରଦଙ୍କୁ । ଦେଖିଯିବେ ଆସି ମଲ୍ଲୀବେଧ କି କଦର୍ଥନା ଭୋଗୁଛି । ମଲା ବେଳକୁ ।

 

ଆରେ ଆଉ ନାଇଁ-ଆଉ ମୋ ଭାଗ୍ୟରେ କିଛି କଦର୍ଥନା ନାଇଁ । ସେ ତ ଆଇଥିଲେ-ଏ ଆଖି ଦେଖିଲାଭଳି ଲାଗୁଛି-ଏ ନାକ ଶୁଙ୍ଘିଲା ଭଳି ଲାଗୁଛି-ଏ ଧିହ ଛୁଇଁଲା ଭଳି ଲାଗୁଛି । ଆଇଥେଲେ ସେ ଦୀନବନ୍ଧୁ, ଦୁଃଖୀସୋଦର ପତିତପାବନ । ଜୀବନଯାକ ଯାହାକୁ ମୁହୂର୍ତ୍ତେ ହେଲେ ପାଇନାଇଁ ବୋଲି ଏତେ ଲୋକଙ୍କ ପାଖେ ମୋର ସର୍ବସ୍ଵ ଉଜାଡ଼ି ଦେଲି । ସେ ତ ଆଇଥେଲେ- ମୋ ଘରକୁ- ଏଇ ମଲ୍ଲୀବେଧ ଘରକୁ- ଏଇ ଅନ୍ଧାରିଆ ସନ୍ତସନ୍ତିଆ ପାପ ପୁରକୁ–ଆଇଥେଲେ ସେ- ମୋତେ ଛୁଇଁଲେ, ଆଉଁସିଲେ, ଚିପିଲେ । ଆଉ କ’ଣ ? ଆଉ ମୋର କ’ଣ ପାପ ଅଛି ବା ? କି ପାପ ବା କିଏ କରିଛି ? ଆରେ ଯା ଯାରେ–

 

ଆରେ ଯାଉନୁ ! ! ପାପ ! ଦେଖିଲୁ କୋଉଠି ଆଉ ପାପ ମୋ ଧିଅରେ ଲାଗିଛି ! ଦେଖ୍‌ବା-ଦେଖ୍ ।

 

ରାଧୁଆରେ ! ଶୁଙ୍ଘିଲୁ ଶୁଙ୍ଘିଲୁ ମୋ ଧିହ ବାସୁନେଇ ? ଦୀନବନ୍ଧୁଙ୍କ ଧିହରୁ ଯୋଉ ବାସେନା ବାହାରେ ସେ ବାସନା ମୋ ଧିହରୁ ବାହାରୁ ନାଇଁ ?

 

ମୋତେପରା ସେମିତି ସେତିକିବେଳୁ ବାସୁଚି !! ମଲାଯାଏ ଏମିତି ବାସୁଥିବରେ ରାଧୁସୁନ୍ଦର !! ମୋ ମନସ୍କାମନା ପୁର୍ଣ୍ଣ ହୋଇଗଲା । ମୋ ଆତ୍ମାପୁରୁଷ ଆଜି ଶୀତଳ ହୋଇଗଲେ । ସେ ଆଇଥେଲେ-ଶେଷ କାଳକୁ ଆଇଥେଲେ-ତାଙ୍କର ମନେ ପଇଲା ଏତେ କାଳକେ !!!

 

ଆରେ ରାଧୁଆ ! ଏ ଗାଁକୁ ବୋହୁ ହୋଇ ଆଇଲା ଦିନୁଁ ତିରିଶି ବର୍ଷକାଳ ଖାଲି କ’ଣ ବେଧ ପକେଇଥିଲି ? ବର୍ଷକ ବାରମାସୀ ବଡ଼ିଭୋରରୁ ଉଠି ଦାଣ୍ଡକୁ ଏ ମୁଣ୍ଡୁ ସେ ମୁଣ୍ଡୁ ଓଳାଇ ନାହଁ ? ନିର୍ଜଳା ଏକାଦୁଶୀ କରିନାଇଁ ? କାର୍ତ୍ତିକ ମାସରେ ରାଈଦାମୋଦର ପୂଜି ନାଇଁ ଅଂଳାମୂଳେ ! ଜାଗର ଜାଳି ନାଇଁ ରାତିସାରା ଅନିଦ୍ରା ହୋଇ ? ଠାକୁର ଅଗଣା ଓଳାଏ ନାହିଁ ବର୍ଷକ ବାରମାସ ? ଦୁଃଖୀରଙ୍କିକି ଆହାପଦ କରେଇ ନାଇଁ ? ଫି ବରଷ ବଗଲ ବାବାଜୀଙ୍କ ପଛରେ ଗୋଡ଼େଇ ଗୋଡ଼େଇ କୋଡ଼ିଏ କୋଶ ବାଟ ପୁରସ୍ତମ ଯାଏ ନାଇଁ ଚାଲି ଚାଲି ରଥଯାତ୍ରାରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ? ? ମହାଦେବଙ୍କ ପାଚେରୀ କଡ଼ରେ ସଂଜବତୀ ଦେଇ ସବୁଦିନେ ଏ ଗାଁର ଶୁଭ ମନାସେ ନାଇଁ ? ରାଧୁଆରେ ! ସବୁଦିନେ ଏ ଘରେ କବାଟ କିଳି ହେଇ ସେଇ ଦୀନବନ୍ଧୁ ପେଇଁ କାନ୍ଦେଇ ନାଇଁ ? କିଏ ଜାଣିଛିରେ କିଏ ଜାଣିଛି ?

 

ଆରେ ସେଇଥିପାଇଁ ଅଇଥିଲା ବା । ମୋର ତପସ୍ୟା ସେମିତି ନ ଥେଲେ ସେ କୁଆଡ଼ୁ ଆଇଥାନ୍ତା ? ରାଧୁଆରେ ସେ ଆଇଥେଲେ ! ହେଇଟି ପରା ଘରଟା ଯାକ ମହକୁଛି ! ମୋ ଧିହ ଶୁଂଘୁନ-ବାସୁଛି ? ଯା’ ଚାଲିଯା-ଯା’ଚାଲିଯା ଆଉ ମୋର କ’ଣ ଦରକାର ଭଲା ?

 

କ’ଣ କହିଲୁ-ଫେର୍ ଆସିବେ ? ନାଇଁ ନାଇଁରେ ରାଧୁଆ ଆଉ ଦରକାର ନାଇଁ । ଯା ଯା ମୋ ସୁନାଟା ପରା ! ମୋ ଧନୁଟା ପରା ! ଯା’ତାଙ୍କୁ କହିଦେଇ ଆସିବୁ ଆଉ ଆସିବା ଦରକାର ନାହିଁ । ଆରେ ଭଗବାନଙ୍କୁ ଥରେ ଦେଖିବ ନା ଦଶଥର ଦେଖିବ ବା ? ମୋ'ଠାରୁ ବଳି ଭାଗ୍ୟ ପୁଣ୍ୟବତୀ ଆଉ‌ କିଏ ଅଛିବା ? ମୋ ଦୀନବନ୍ଧୁ ଭଳିଆ ବନ୍ଧୁ ଆଉ କୋଉଠି ଅଛି, କିଏ ଅଛି ବା ?

 

ରାଧୁଆ, ମୋ ରାଧୁସୁନ୍ଦରରେ ! ତୋର କୋଟି ପରମାୟୁ ହଉ । ଏଇ ଗାଁରେ ତୁ ଆଉ ଗୋଟିଏ ଦୀନବନ୍ଧୁ ! ହବୁରେ-ତେବେ ଯାଇଁ ଏ ଗାଁ ଫେର୍ ବଂଚିଉଠିବ । ହବୁରେ ତୁ ଟୋକା ହବୁ । ସେଇ ଦୀନବନ୍ଧୁ ଭଳିଆ ହବୁ ତୁ ଜଣେ । ତା ନ ହେଲେ ତୋର ମୋ ପ୍ରତି ଆଉ ମୋର ତୋ’ ପ୍ରତି ଏତେ ମାୟା ଲାଗନ୍ତା କେମିତି ?

 

ଗଲୁ ଗଲୁ ଧନ ? ଯା’ ତାଙ୍କୁ କହିଦେଇ ଆସିବୁ ଆଉ ଯେମିତି ସେ ମୋ ଘରକୁ କାଲି ନ ଆସନ୍ତି ! ମୁଁ ଆଉ ଓଷଦ ଫୋଷଦ ଖାଇବିନି । ମୁଁ ଆଉ‌ ବଂଚିବିନି-ଆଉ ମୋର ବଂଚିବା କ'ଣ ଦରକାରରେ ? ମୁଁ ପାଇଗଲି-ସବୁ ପାଇଗଲି......ରାଧୁଆରେ ! ସତରେ କହିଲୁ-ସେ ଯେ ସଂଜବୁଡ଼େ ମୋ ଘରକୁ ଆଇଥଲେ ସେ ଦୀନବନ୍ଧୁଟି ?........ ନାଇଁ ନାଇଁ ମୁଁ ତତେ ଅବିଶ୍ଵାସ କରୁନି–ସେ ସେଇ ଭରତ ସେନାପତି ର ପୁଅ ଦୀନବନ୍ଧୁ ତ ? ସତ କହୁଛୁ ? ମୋ ଧିହ ଛୁଇଁଲୁ-କେ.....ଜା.....ଣି....ରେ ରା.....ଧୁ.....ଆ-ଫେର୍ କାହିଁକି ବିଶ୍ଵାସ ଆସୁନାହିଁ !! ମୁଁ ଜାଣିଛି ତୁ ବି କହୁଛୁ ! ତଥାଚ କାହିଁକି ମୋର ବିଶ୍ଵାସ ହଉନାଇଁ ଆରେ ମୋ ଛାତି କାଇଁକି ଏମିତି ହେଇଯାଉଛି-ମୋ ଧିହ କ’ଣ ହେଇଯାଉଛି......ରାଧୁଆରେ ।

 

ମୋ ରାଧୁସୁନ୍ଦର ! !

 

ମୁଁ କ’ଣ କରିବିଟି ! ! !

Image

 

ଅଶୁଭ ପୁତ୍ରର କାହାଣୀ

ଅଚୁତାନନ୍ଦ ପତି

 

ସେଦିନ ସେ ଛୋଟ ପେଚା ଛୁଆଟି ପହଲି କରି ଆଖି ଖୋଲିଲା । ଗଛର ଅନ୍ଧାରିଆ ଖୋଲ ଭିତରେ ସେ ଆଖି ଫିଟାଇ ପ୍ରଥମେ ଦେଖିଲା ଅନ୍ଧାର, ଚାରିଆଡ଼େ ଖାଲି ନିଘଞ୍ଚ ଅନ୍ଧାର । ମାଆ ତାର ତା ଉପରେ ଡେଣା ଘୋଡ଼ାଇ ବସିଥିଲା । ତଳେ କୁଟା କାଠିର ଟାଆଁସିଆ ଶେଯ ଉପରେ କଅଁଳ ହାତଗୋଡ଼ ଦିଖଣ୍ଡ ତାର ଥୋଇଥାଇ କେତେ କଥା ସପନ ଦେଖି ଯାଉଥିଲା । ଗଛର ଉପର ଡାଳରେ କାଆ କାଆ ହୋଇ କଣଗୁଡ଼ାଏ ଖୁବ୍ ଜୋର୍‌ରେ ପାଟି କମ୍ପେଇଲେ । ତା ମାଆର ଡେଣା କାହିଁକି ଚହଲି ଉଠିଲା । ସେ ପକ୍ଷୀଗୁଡ଼ାକୁ ଟିକିଏ ଭଲକରି ଚହଲାଇ ଦେଇ ତାକୁ ପେଟଆଡ଼କୁ ଜାକି ଆଣିଲା । ତାକୁ ଟିକିଏ ଆରାମ ଲାଗିଲା । ସେ ଚୁଁ ଚୁଁ ହେଇ ହସି ପକାଇଲା । ମଆ ତା କୁନି ଥଣ୍ଟରେ ଥଣ୍ଟ ଘଷି ତାକୁ ତୁନି ହେଇ ରହିବାକୁ ଚୁପ ଚୁପ କହିଲା । ମାଆ ଇମିତି କାହିଁକି କହୁଛି, ସେ ବୁଝିପାରିଲିନି । ମାଆ ଯେତେବେଳେ କହୁଛି ଖାଲି ଚୁପ୍ ହେଇଗଲା । ମାଆର ନରମ ପର ଭିତରେ ଉଷୁମ ଟାଣି ଟାଣି ତା ଦେହରୁ ଚମଡ଼ାର ଭାଙ୍ଗସବୁ ଫିଟି ଫିଟି ଯାଉଥିଲା । ତାକୁ ଭାରି ହାଲୁକା ଲାଗୁଥିଲା । ସେ ଭାବୁଥିଲା, ସେ ଠିଆ ହୋଇପଡ଼ିବ । କାଠି କୁଟାର ବିଛଣା ଭିତରେ ସେ ତାର ଗୋଡ଼ ଟିକିଏ ସଳଖାଇ ଦେଲା । ମାଆ ବି ତା ଉପରୁ କାହଁକି ଟିକିଏ ଘୁଞ୍ଚି ବସିଲା । ତା ଟିକି ଟିକି ଗୋଡ଼ ଉପରେ ଥଣ୍ଟ ଢୁକେଇ ଢୁକେଇ ମାଆ ତାର ଗୋଡ଼କୁ ସିଧା କରିଦେଲା । ସେ ଉପରକୁ ଟିକିଏ ଚାହିଁଲା । ଅନ୍ଧାର କାହିଁକି କମ୍ ଜଣାଗଲା । ସେ ଆଖି ବୁଜି ପକାଇଲା । ଟିକିଏ ମାଆ ଆଡ଼କୁ ଚାହିଁ ପୁଣି ଉପରକୁ ଚାହିଁଲା । ମା ତାର ଯେମିତି ତା ମନର କଥା ବୁଝିପାରିଲା । ତା କୁନି ଚେପା ନାକରେ ନିଜର ନାକକୁ ଲଦି ହସି ହସି କହିଲା- ‘‘ଧନ ମୋର କେଡ଼େ ହୁସିଆର ହୋଇଗଲାଣି ହେଉ, ଟିକିଏ ଆଉ ଥୟ ଧର । ତୋ ଡେଣାରେ ଭଲକରି ପର ବାହାରିଯାଉ । ମୁଁ ତତେ ଉଡ଼ିବା ଶିଖାଇଦେବି । ଡେଣା ଭାଙ୍ଗିବାର ବାଗବରଗ ସବୁ ବତେଇଦେବି । ତୁ ସରଗରେ ବୁଲି ବୁଲି ନୂଆ ଜିନିଷ ଦେଖିବୁ । ତୁ ଏଠି ସିନା ଅନ୍ଧାରରେ ପଡ଼ିଛୁ । ଦୁନିଆକୁ ବାହାରିଗଲେ ସେଠି ଆଉ ସବୁବେଳେ ଅନ୍ଧାର ନଥିବ । ସରଗରେ ତୋଫା ତୋଫା ଗୋଲ ଜହ୍ନ ଆଲୁଅ ବୋହି ପଡ଼ୁଥିବ । କୁନି କୁନି ତାରାସବୁ ଆଖି ମିଟିମିଟି କରି ତତେ ଗେହ୍ଲା କରିବେ । ମୁଁ ତୋତେ ଭଲ ଭଲ ଦରବ ତୋ ସାଙ୍ଗରେ ଘୂରି ଘୂରି ଚିହ୍ନେଇଦେବି । ତୁ ଖାଲି ବଡ଼ ହୋଇଯା । ତୋ ଦେହରେ ଟିକିଏ ତାକତ ଆସୁ ।” ମାଆ ତାର ଖୋଲ କଡ଼ରୁ ଖଣ୍ଡେ ପାକଲା ପିଜୁଳି ଆଣି ତା ଥଣ୍ଟ ଭିତରେ ଗୁଞ୍ଜି ଦେଲା । ସେ ଆସ୍ତେ ଆସ୍ତେ ଥଣ୍ଟ ଚଳାଇ ଢୋକିନେଲା । ଆଃ କି ମିଠା ! ସେ ଭାବିନେଲା, ସେ ଦୁନିଆ ଦେଖିନେବ । ଦୁନିଆ‌ ଭାରି ମିଠା ।

 

ଗଛତଳେ କଣ ଗୁଡ଼ାଏ ଗୋଟାକ ପରେ ଗୋଟିଏ ହୁକେ ହୋ ହୋଇ ଦୌଡାଦୌଡ଼ି କଲେ । ମାଆ ପେଟତଳେ ଶୋଇ ଶୋଇ ତାକୁ ବି ଟିକିଏ ନିଦ ଆସି ଯାଇଥିଲା । ସେ ସପନ ଦେଖି ଯାଉଥିଲା । ଖାଲି ଦୁନିଆର ସପନ । ଚାରିଆଡ଼େ ଖାଲି ମିଠା ପିଜୁଳି, ଖଣ୍ଡ ଖଣ୍ଡ ହୋଇ ବିଛେଇ ହୋଇ ପଡ଼ିଛି । ସରଗରୁ ଗୋଲ‌ ଜହ୍ନ ତଳକୁ ଓହ୍ଲେଇ ଆସୁଛି । ବିଲକୁଲ ଅନ୍ଧାର ନାହିଁ । ହସରେ ତା ଥଣ୍ଟ ଖୋଲିଗଲା । ଗଛତଳୁ ପାଟି ଶୁଣି ସେ ଉଠିପଡ଼ିଲା । ଚାରିଆଡ଼େ ଖାଲି କିଟିମିଟି ଅନ୍ଧାର । ତା ମନଟା ଖଟା ହୋଇଗଲା । ସାଙ୍ଗେ ସାଙ୍ଗେ ଆଲୁଅର ସପନ ଦେଖି ଉଠିଛି । ମାଆ ତାର ଖୋଲା ମୁହଁରେ ବସି ଡେଣା ଖୋଲି ଝାଡ଼ି ହେଉଥିଲା । ସେ ଡାକ ଛାଡିଲା–“ମାଆ, ମୁଁ ଆଜି ଦୁନିଆ ଦେଖିବି । ଜହ୍ନ ସାଥିରେ ଖେଳିବାକୁ ମୁଁ ଆଜି ନିଶ୍ଚେ ବାହାରିଯିବି ।” ମାଆ ତାର ଭିତରକୁ ପଶିଆସି ତାକୁ ପେଟଆଡ଼କୁ ଟାଣିନେଲା । ସେ ମାଆର ପେଟତଳୁ ଖସରିଗଲା । ତାକୁ ଅନ୍ଧାର ମୋଟେ ଭଲ ଲାଗୁନଥିଲା । ମାଆ ହସି ହସି କହିଲା ଦୁନିଆକୁ ତୁ ଆସିଛୁ । ତୋ ଦୁନିଆକୁ ତତେ ଯିବାକୁ କିଏ ମନା କରୁଛି । ଦୁନିଆକୁ ବଡ଼ ହୋଇ, ଖୁବ୍ ବଳୁଆ ହୋଇ ନଗଲେ‌ ଦୁନିଆ ତତେ ଠକାଇଦେବ । ଟିକିଏ ଥୟ ଧର । ଆଉ କେତେଟା ଦିନ । ମୁଁ ବଳେ ବଳେ ତତେ ନେଇଯିବି । ତୁ ଏଇଠି ଶୋଇଥା । ମୁଁ ଯାଉଛି, ତୋ ଲାଗି ନୂଆ ନୂଆ ଜିନିଷ ଆଣିବି । ତୁ ଜମ୍ମା ପାଟି କରିବୁନି ।” ମାଆ ତାର ଥଣ୍ଟରେଟିକିଏ ୟାକୁ ଖୁମ୍ପି ଦେଇ ଗେହ୍ଲାକରି ବସାରୁ ବାହାରିପଡ଼ିଲା । ବସା ଦୁଆରେ ଟିକିଏ ଅଟକି ଯାଇ, ତାକୁ ପୁଣି ଚାହିଁଲା । ମାଆ ଚାଲିଗଲା । ସେ ଆଖି ବୁଜିଲା । ଆଖି ବୁଜି ବୁଜି ଦେଖିଲା ଦୁନିଆ ଉପରେ ଆଲୁଅ ବିଛେଇ ହୋଇ ପଡ଼ିଛି । ଆଲୁଅର ଦୁନିଆ ତାକୁ ପିଜୁଳି ଦେଖେଇ ଯିବାପାଇଁ ଇସାରା ଦେଉଛି । ତା ଆଖି ଲାଗି ଲାଗି ଆସୁଥିଲା । ସେ ଦେଖୁଥିଲା ଡେଣାରେ ତାର ତା ମାଆଠୁ ବି ବେଶୀ ପର ବାହାରି ପଡ଼ିଛି । ସେ ଜହ୍ନ ଦେହରେ ପକ୍ଷୀ ଘଷି ଘଷି ହସି ହସି ଉଡ଼ି ଉଡ଼ି ଯାଉଛି ।

 

ତା ଗୋଡ଼ ଏଣିକି ଶକ୍ତ ହେଇଗଲାଣି । ସେ ଠିଆହୋଇ ପାରୁଛି । ଡେଣାରେ ତାର ପରସବୁ ଆସ୍ତେ ଆସ୍ତେ ଅଙ୍କୁରି ଆସୁଛି । ଦୁନିଆ କଥା ଭାବି ଭାବି ମନ ତାର ବାଇଆ ହେଇ ପଡ଼ିଲାଣି । ତା ଦୁନିଆର ଖିଆଲରେ ଜହ୍ନ ଆଲୁଅ, ପାକଲା ପିଜୁଳି ଖାଲି ଖେଳିହେଇ ଯାଉଛି । ଏଣିକି ସେ ସବୁବେଳେ ଖାଲି ବିକଳ ହେଉଛି । ମାଆ ସାଙ୍ଗରେ ଲଗାଉଛି । ସେ ବଡ଼ ହେଲାଣି, ସେ ଦୁନିଆ ଦେଖିଯିବ ।

 

ମାଆ ସେଦିନ ତା ଅଝଟପଣିଆ ଦେଖି ପହିଲୁ କରି ତାକୁ ଖୋଲ ମୁହଁକୁ ଆଣିଲା । ସରଗର ଚାନ୍ଦକୁ ଥଣ୍ଟ ବଢ଼େଇ ଚିହ୍ନେଇଦେଲା । ଆଖି ତାର ଝଲସି ଉଠିଲା । ଆଃ କି ସୁନ୍ଦର ! ସେ କେତେ ଅନ୍ଧାରିଆ ଜାଗାରେ ପଡ଼ି ରହିଥିଲା । ମାଆ ଡେଣା ସାଙ୍ଗରେ ଡେଣା ମେଲାଇ ଟିକିଏ ଟିକିଏ ଖଣ୍ଡିଉଡ଼ା ଦେଲା । ସେ ଏ ଡାଳରୁ ସେ ଡାଳକୁ ଗଲା । ପକ୍ଷୀ ତାର ଘୋଳେଇ ହୋଇ ପଡ଼ିଲା । ଗଛର ସବା ଉପର ଡାଳକୁ ଗୋଟାଏ ଦମରେ ଉଠିଗଲା । ସେ ଜହ୍ନଆଡ଼େ ଚାହିଁକି ସେଠି ବସି ରହିଲା । ଡେଣାରୁ ତାର ପରାଶ ଆପେ ଆପେ କମି ଆସୁଥିଲା । ଜହ୍ନ ଦେହରୁ ଝିପିଝିପି ହେଇ ଆଲୁଅ ବିଞ୍ଚି ହେଇ ପଡ଼ୁଛି । ସେ ଭାବିଲା ଥଣ୍ଟ ମେଲା କରି ସେଥିରୁ ମେଞ୍ଚାଏ ପିଇଯିବ । ମାଆ ଆସି ଏତିକି ବେଳକୁ ତା ପାଖରେ ପହଞ୍ଚିଲା । ତାକୁ ବୁଝେଇ ସୁଝେଇ ଖୋଲ ଭିତରକୁ ନେଇଗଲା ।

 

ଥରେ ଦିନବେଳେ ମାଆ ତା’ର ଟିକିଏ ଘୁମେଇ ପଡ଼ିଥିଲା । ସେ ଆସ୍ତେ ଆସ୍ତେ ଖୋଲ ପାର ହେଇ ଚାଲି ଆସିଲା । ଇସ୍, ବାହାରେ କେତେ ଆଲୁଅ । ସେଦିନଠୁଁ ଆଜିର ଜହ୍ନଟା ଖୁବ୍ ବଡ଼ ହେଇ ଦାଉ ଦାଉ ହେଇ ଜଳୁଛି । ସେ ଚାହିଁଲା, ଆଖି ତା’ର ପୋଡ଼ି ଉଠିଲା । ବାପରେ ବାପ କେତେ ଆଲୁଅ । ଉପର ଡାଳରୁ ବଣିଛୁଆ ଦୁଇଟା ବାହାରି ଆସି ଏ ଡାଳରୁ ସେ ଡାଳକୁ କୁଦି କୁଦି ଯାଉଛନ୍ତି । ମାଆ ସାଙ୍ଗରେ ତାଳ ପକାଇ ଗୀତ ବୋଲୁଥାନ୍ତି । ୟା ମନ ଭାରି ଖରାପ ହେଇଗଲା । ତା ମାଆଟା ବଣି ମାଆ ଭଳି ସେତେ ଭଲ ନୁହେଁ । ତାକୁତ କାହିଁ ଇମିତିକା ବଡ଼ ଜହ୍ନ ତଳେ ଗୀତ ବୋଲେଇ ଶିଖେଇନି । ସେ ଗୀତ ବୋଲି ବୋଲି ବଣିଛୁଆ ପାଖକୁ ଗଲା ? ବଣିଛୁଆ ଦି’ଟା ଡରିଗଲେ । ସେମାନେ ପାଟିକରି ଉଠିଲେ । ତାଙ୍କ ମାଆ ଆସି ୟାକୁ ଖୁମ୍ପି‌ ପକାଇଲା । ପାଟି ଶୁଣି କୁଆଟେ କା’ କା’ ଡାକ ଛାଡ଼ି ଛୁଟି ଆସିଲା । ପେଚା ମାଆର ନିଦ ଭାଙ୍ଗିଗଲା । ସେ ବାହାରକୁ ଧାଇଁ ଆସି ଆପଣା ଖୋଲ ଭିତରକୁ ୟାକୁ ଟାଣି ନେଇଗଲା । ମାଆ ଉପରେ ପେଚାଛୁଆ ବେଜାଏ ରାଗିଗଲା । ତା’ ମାଆ ସବୁ ଭଣ୍ଡୁର କରିଦେଲା, ରାଗରେ ସେ ମାଆକୁ ଦି'ଚାରି କାମୁଡ଼ା ବି ଦେଲା । ଖୋଲ ପାର ହେଇ ପଳାଇବାକୁ ବସିଲା । ମାଆ ତାକୁ ବୋଧ-ଦେଇ ବୁଝାଉଁ ବୁଝାଉଁ କାନ୍ଦି କରି କହିଲା-“ତୁନି ହୋ’ରେ ପୁଅ, ପାଟି କିଳି ଦେ । ସେ ଜହ୍ନ ନୁହଁରେ ବାପ, ସେ ହେଉଛି ସୂର୍ଯ୍ୟ ? ଆମ ଦୁନିଆରେ ସୂର୍ଯ୍ୟ ନାହିଁ । ଆମେ ଅନ୍ଧାରର ଜୀବ ! ଜହ୍ନ ବି ସବୁଦିନେ ଆସିବନି । ଆମ ଭାଗରେ ଅନ୍ଧାର ପଡ଼ିଛି । ଆମେ ଅନ୍ଧାରରେ ରହିବା ନ ହେଲେ ଆମେ ମରିବାରେ ବାପ ।”

 

ସେ ମାଆର କଥାରେ ରାଗିଗଲା । କାହିଁକି ସେ ସୂର୍ଯ୍ୟର ଦୁନିଆକୁ ଯିବିନି ? କାହିଁକି ସେ ଆଲୋକର ରାଜ୍ୟରେ ନ ବୁଲିବି ? କିଏ ସେ ଇମିତି ତାଙ୍କୁ ହଇରାଣ କରିବାକୁ ନିୟମ କରିଛି ? ସେ ତମ ତମ ହେଇ ଆଗେଇ ଯାଉଥିଲା । ମାଆ ତାକୁ ପେଟତଳକୁ ଟାଣି ଆଣିଲା । ମା ପେଟରୁ କେତେଟା ପର ସେ ରାଗରେ ଥଣ୍ଟମାରି ଉପାଡ଼ି ପକାଇଲା । ମାଆ ଖାଲି କାନ୍ଦିଲା । ମାଆ କାନ୍ଦୁଛି, ସେ ଫେରି ଆସିଲା । ବସା ସେ ପାଖରେ କୁଆଗୁଡ଼ାକ ପାଟି କମ୍ପାଉଥାନ୍ତି । କାହିଁକି ସେ ପୋଡ଼ାମୁହିଁ ସୂର୍ଯ୍ୟକଥା କହି ପୁଅର ମୁଣ୍ଡକୁ ବିଗାଡ଼ି ଦେଲା ବୋଲି ପେଚାମା ହାଇପି ସାଇପି ହେଉଥିଲା । ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ । ଅମେ ଆଲୁଅ ଖୋଜିଲେ ମରିବା । ଆଲୁଅର ରାଜୁତିରେ ଆମକୁ ଶିକାର କରିବା ପାଇଁ ଆଲୁଅ ପୁଅମାନେ ଟାକିକି ବସିଛନ୍ତି ।” ମାଆ ତା’ର କହୁଁ କହୁଁ ଖାଲି କାନ୍ଦିଲା । ମାଆକୁ ବୋଧ ଦେଉଁ ଦେଉଁ ସେ କହିଲା-“ମାଆ ତୁ ଟିକିଏ ଥୟ ଧର । ମୁଁ ବଡ଼ ହୁଏ । ଆଲୁଅ ରାଜ୍ୟକୁ ମୁଁ ତତେ ଅଲବତ୍‌ ନେଇଯିବି । ମୁଁ ସବୁ ଶତ୍ରୁକୁ ମା ନିପାତ କରିଦେବି ।”

 

ସେଦିନ ମାଆ ପୁଅ ଦି’ଜଣ ଆମ୍ବ ଡାଳରେ ବସିଥାନ୍ତି । ଆକାଶରେ ଜହ୍ନ ନ ଥାଏ । ପେଚା ଛୁଆକୁ କିଛି ଭଲ ଲାଗୁ ନ ଥାଏ । ହଠାତ୍ ପାଖ ଘରର ଫାଙ୍କ ଦେଇ ଆଲୁଅ ଦିଶିଲା । ପେଚା ଛୁଆର ମନ ଉଲସି ଉଠିଲା । ସେ ପାଟି ଖୋଲି ଗୀତ ପଦେ ଗାଇଲା । ଘର ଭିତରୁ କଡ଼ା କଡ଼ା କଥାରେ କିଏ ଗାଳି ଦେଲା- “ଉଠୁଛୁ ନା ପୋଡ଼ାମୁହାଁ ସେଇଠୁ । ପିଠା ଖଡ଼ିକା ପଚେଇ ଦାଗି ଦେବି ଯେ ବୁଝିବୁ । ଦୂର୍ ଦୂର୍, ତତେ ଝାଡ଼ାବାନ୍ତି ଖାଉ ।” ପେଚା ମାଆ ଛୁଆ ମୁହଁରେ ଥଣ୍ଟ‌ ଲଗାଇ ଆଉ ପାଟି ନ କରିବାକୁ କହିଲା । ପେଚାଛୁଆ ରାଗିଗଲା । ବାଃ, ଆଲୁଅକୁ ଘର ଭିତରେ ଆପଣା ସମ୍ପତ୍ତି ଭଳି କାରବାର କରିବେ । ଆଲୁଅକୁ ଦେଖି ଆମେ ଟିକିଏ ଖୁସି ହେଲେ ଗାଳି ଶୁଣିବୁ ? ନା, ତା ହେବନି । ସେ ଝରକା ଭିତରେ ପଶି ଆଲୁଅକୁ ଛଡ଼ାଇ ଆଣିବାକୁ ବାହାରିଲା । ମାଆ କାନ୍ଦି ବୋବାଇ ତାକୁ ସେଦିନ ଫେରଇ ଆଣିଲା ।

 

ସଞ୍ଜପରେ ଘରୁ ବାହାରିବା ଆଗରୁ ସେ ତା’ର ଡେଣା ଦୁଇକୁ ଭଲକରି ଦେଖି ନେଲା । ତା’ର ସବୁ ପର ଉଠି ଯାଇଛି । ଗୋଡ଼କୁ ସିଧା କରି ଦୁଇଚାରି ଥର ନାଚିଗଲା । ବେଶ୍ ଶକ୍ତି ଅଛି । ଥଣ୍ଟକୁ ଗଛ ଖୋଲ ଦେହରେ ବାଡ଼େଇ ଦେଲା । ଖୁବ୍ ଟାଣ ହୋଇଗଲାଣି । ସେ ଉଡ଼ି ଚାଲିଗଲା । ରାତିର ଅନ୍ଧାର ଭିତରେ ଗୋଟାଏ ଖୋଲରେ ବସି ରହିଲା । ସେ ଆଉ ଘରକୁ ଫେରିବନି । ସେ ସୂର୍ଯ୍ୟର ଦେଶରେ ବୁଲିବ । ସେ ଆଲୁଅକୁ ଦଖଲ କରିବ । ସେ ଶତ୍ରୁର ମୁହାଁମୁହିଁ ହେଇ ମୁକାବିଲା କରିବ ।

 

ରାତି ପହିଆସିଲା । ଦିଗ୍‌ବଳୟର ତଳଆଡ଼ୁ, ନାଲଖରାର ପିଚକାରୀ ଉପରକୁ ଉଠିଲା । ସୂର୍ଯ୍ୟ ରାଜ୍ୟରେ ଆଲୋକର ଏହି ପ୍ରଥମ ପ୍ରବେଶକୁ ସେ କେବେ ଦେଖି ନ ଥିଲା । ସେ ଆଖି ଖୋଲି ଆଲୁଅର ଏ କଳସବୁଡ଼ା ଉତ୍ସବକୁ ନିଜକୁ ଭୁଲି ଦେଖିବାକୁ ଲାଗିଲା । ଶହ ଶହ ଚଢ଼େଇ ଗୀତ ସାଙ୍ଗରେ ଡେଣାର ଭାଙ୍ଗ ପକାଇ ଉଡ଼ିଗଲେ । ତାରି ଶହ ଶହ ଜାତିଭାଇ ଆଲୁଅରେ ବୁଲି ବୁଲି ଜୀବନର ସ୍ଵାଦୁ ଚାଖିବେ, ଆଉ ସେ ଡରିମରି ଅନ୍ଧାର ଭିତରେ ସଢ଼ି ସଢ଼ି ମରିବ ? ନାଁ, ତା ମନ ଦମ୍ଭରେ ପୂରିଉଠିଲା । ସୂର୍ଯ୍ୟ ଆସ୍ତେ ଆସ୍ତେ ଉପରକୁ ଉଠୁଥିଲେ । ଦିନର‌ ଆଲୁଅ ବେଶି ବେଶି ଜଳି ଉଠୁଥିଲା ! ଏତେ ବଡ଼, ଏତେ ସୁନ୍ଦର ଆଲୁଅର ପୃଥିବୀରେ ତା ପାଇଁ ଟିକିଏ ଜାଗା ନାହିଁ ? ନା, ସେ ଆଜି ମନପୁରି ମଉଜ କରିବ । ସେ ଆଜି କଣ ଦୁନିଆକୁ ଜଣାଇଦେବ, ସେ ମଧ୍ୟ ଆଲୋକର ପୁଅ ! ତା’ର ମଧ୍ୟ ଏ ରାଜ୍ୟରେ ଦାବି ଅଛି ।

 

ସେ ମନଇଚ୍ଛା ଚାରିଆଡ଼େ ବୁଲିବାକୁ ଲାଗିଲା । ଆଖି ମେଳାଇ ଦୁନିଆର ହରେକ ଦରବ ଟିକିନଖି କରି ଦେଖିଲା । ହଠାତ୍ ପଛଆଡ଼ୁ, କିଏ ତାକୁ ଆକ୍ରମଣ କଲା । ସେ ବୁଲି ପଡ଼ିଲା । ମାଆ ସେଦିନ ତାକୁ ତା’ର ଶତ୍ରୁ ବୋଲି ଚିହ୍ନେଇ ଦେଇଥିଲା । ଏଇମାନେ ତାଙ୍କ ଆଲୁଅକୁ ଛଡ଼ାଇ ନେଇଛନ୍ତି । ସେ ମଧ୍ୟ ଥଣ୍ଟକୁ ସଜାଡ଼ି ନେଇ କୁଆଟା ଉପରେ ଚଢ଼ାଉ ଆରମ୍ଭ କରିଦେଲା । କୁଆଟା ପ୍ରତିରୋଧ କରୁଁ କରୁଁ ତା ଜାତି ଭାଇଙ୍କୁ ଡାକ ଛାଡ଼ିଲା । ଦଳ କୁଆ କା’ କା’ର ରେରେକାର ଦେଇ ମାଡ଼ି ଆସିଲେ । ଏଡ଼େ ବଡ଼ ମଜଭୁତ୍ ଦଳ ଆଗରେ ସେ ରହି ପାରିବନି ବୋଲି ବୁଝିପାରିଲା । ଆଗରେ ଦିଶୁଥିବା କୋଠାଘର ଆଡ଼କୁ ଖୁବ୍ ଜୋରରେ ଡେଣା ହଲାଇ ଛୁଟିଗଲା । କାନ୍ଥର ଗୋଟିଏ ଛୋଟ ଗଳା ବାଟ ଦେଇ ସେ ଚାଲିଗଲା । ଘରର ଭିତର ପାଖ ପର୍ଯ୍ୟନ୍ତ ସେ ପଶିଗଲା । ବାହାରେ ଏବେ କୁଆଗୁଡ଼ାକ ଭେଳା ଭୋଳା ହେଉଥାନ୍ତି । ସେ ଟିକିଏ ନଶ୍ଚିନ୍ତରେ ସେଠି ବସିଲା । ଟିକିଏ ସୁବିଧା ମିଳୁ, ଶତ୍ରୁର ଦଳ ଭାଙ୍ଗିଯାଉ ସେ ବି ତା’ର ପ୍ରତିଶୋଧ ନେଇ ଜାଣେ । ସେ ଆଜି ଆଲୁଅ ରାଜ୍ୟରୁ ତା’ର ପାଉଣାକୁ ଆଦାୟ କରିବ । ସେ ଅନ୍ଧାରର ଅଭିଶାପ ନୁହେଁ । ସେ ଆଲୁଅର ସନ୍ତାନ । ସେ ଆଜି ଆଲୁଅକୁ ମନମାନ ନିଶ୍ଚୟ ଉପଭୋଗ କରିବ ।

 

କୋଠାଘର ଭିତରେ ପଲାଙ୍କର ମୋଟା ଗଦି ଉପରେ ଧନବୀର ଓ ଧୀରୁମଲ୍ଲ ଶୋଇଛନ୍ତି । ତୁହା ତୁହା ହେଇ ଜ୍ଵରର କମ୍ପ ତାଙ୍କ ଉପରକୁ ମାଡ଼ି ଆସୁଛି । ଧୀରୁମଲ୍ଲ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଜରର ବିନ୍ଧା ଛିଟିକା ଭିତରେ ପିଟି ଛାଟିହୋଇ ସେ ମଝିରେ ମଝିରେ ଚିତ୍କାର ଛାଡ଼ୁଛନ୍ତି । “ଦେଖ, ସୋରିଷ ତେଲରେ ଯେମିତି ଅଶୀଭାଗ ଅଗରା ମିଶେ । ହଁ, ମଦନା ବାରିକ ଉପରେ ଆଉ ଯେପରି ପାଞ୍ଚ ନମ୍ବର କେସ୍ ଦାୟର ହେବ । ଶଳାର ଭଉଣୀ ଚନ୍ଦ୍ରମା ଭାରି ସତୀ ଦେଖେଇ ହେଉଛି । ମୁଁ ଟିକିଏ ଶରଧାରେ ହାତ ପକେଇ ଦେଲି ବୋଲି ଶାଳୀ ମାଇକିନା ମୋତେ ମାରିବାକୁ ଉଠୁଥିଲା । ଶୁଭୁଛି, କୋଡ଼ିଏ ଜଣ ଯାଏ ଗୁଣ୍ଡା ପଠାଇ ପ୍ରିୟ ମିଶ୍ର ବିଲରୁ ପାକଲା ଧାନ କାଟି ଆଣ । ପଇସାକୁ ପରବାୟ ରଖନି । ପାଠ ଦି’ଅକ୍ଷର ପଢ଼ିଛି ବୋଲି ଶଳା ମୋତେ ନମସ୍କାର କରିବନି । ଏଠି ଆସି ଶୁଣ, ଶହେ ଭରି ପେଚା ଅଫିମ ଦେବ ବୋଲି ସେ କଲିକତିଆ ବଙ୍ଗାଳୀ କହି ଯାଇଛି। ତାକୁ ଟିକିଏ ଆଖି ରଖିଥିବ ।”

 

ଏଇମାନେ ଆଲେକ ରାଜ୍ୟର ନାମଯାଦା ଲୋକ । ଏଙ୍କ ପାଇଁ ସୂର୍ଯ୍ୟ ତାଙ୍କର ସବୁ ଦିନେ ଆଲୋକ ଦିଅନ୍ତି । ପେଚା ଛୁଆ ଆଖି ଖୋଲି ଭଲ କରି ଚାହିଁଲା । ହଠାତ୍ ଧୀରୁମଲ୍ଲଙ୍କ ବିଛଣା ପାଖରୁ ଜଣେ ଆଲୋକ ରଜ୍ୟର ସଚ୍ଚୋଟ ସଚ୍ଚାକର୍ମୀଙ୍କ ଆଖି ପେଚାଛୁଆ ଉପରେ ପଡ଼ିଲା ।

 

“ଅଶୁଭ, ଅଶୁଭ, ମହା ବିତ୍‌ପାତ ଯୋଗ । ଘରେ ଉଲୁକ ବସିଲା । ମାଲିକ‌ ବେମାର ପଡ଼ିଛନ୍ତି ।’’ କର୍ମୀ ବ୍ୟସ୍ତ ହୋଇପଡ଼ି ପାଟି କମ୍ପାଇଲେ । ଗୋଟାଏ ଲମ୍ବା ବାଉଁଶ ଆଣି ବିଚରା ପେଚାଛୁଆକୁ ଖେଞ୍ଚି ଖେଞ୍ଚି ତଡ଼ି ଦିଆଗଲା । ଦୁଇଟିଯାକ ଡେଣା‌ ତାର ଜଖମ ହୋଇଗଲା । ସେ କଷ୍ଟେ ମଷ୍ଟେ ଡେଣାଟେକି କୋଠା ଉପରେ ବସିଲା । ରାସ୍ତା ଉପରୁ କେତେ କୁଆ ଆସି ଚଢ଼ାଉ ଆରମ୍ଭ କରିଦେଲେ । କୁଆଙ୍କ ପାଟି ଶୁଣି ଜଣେ ଚାକର କୋଠା ଉପରକୁ ଯାଇ ବାଡ଼ିରେ ପେଚା ଛୁଆଟି ଉପରେ ପାହାର ଲଗେଇଲା । ଛୁଆ ତଳକୁ ଗଡ଼ି ପଡ଼ିଲା । ପେଚାଟା ବସିଛି ବୋଲି କୋଠା ଉପରେ ମେଞ୍ଚାଏ କୁଟା ଜାଳି ହଳଦୀ ପାଣିରେ ନିଭାଇ ଦିଆଗଲା । ଯାହାହେଉ ଅରିଷ୍ଟି କଟିଗଲା ।

 

କୁଆପଲ ଅଶକ୍ତ ପେଚାଛୁଆ ଉପରେ ଆକ୍ରମଣ ଚଳେଇଦେଲେ ? ପେଚା ଛୁଆଟିର ଡେଣା ମୂଳରୁ ଥୋଳା ଥୋଳା ରକ୍ତ ଥୋପି ପଡ଼ିଥିଲା । ସେ ଥରେ ଉପରକୁ ଚାହିଁଲା । ସୂର୍ଯ୍ୟ ଖୁବ୍ ଉପରେ ଯଥେଷ୍ଟ ଆଲୁଅ ଦେଉଛନ୍ତି । ଖୁବ୍ କଷ୍ଟରେ ଉଠିପଡ଼ି ସେ ତା ବସାଆଡ଼ରୁ ମୁହାଁଇଲା । ଖୋଲଯାଏ ଉଠି ପାରିଲାନି । ଗଛମୂଳେ ପଡ଼ିଗଲା । ମାଆ ତାର ପୁଅ ଆସିନି ବୋଲି କାଲୁବାଲୁ ହୋଇ ଚାହିଁ ବସିଥାଏ କଣ କରିବ ? ଦିନରେ ଛୁଆ କେଉଁଠି ଆଶ୍ରା ନେବ ? ମାଆର ମନଟା ଏଣୁ ତେଣୁ ଭାବି ଭାବି ଗୋଳେଇ ଘାଣ୍ଟି ହେଉଥାଏ । ପୁଅର ପାଟି ଶୁଣି ସେ ଗଛମୂଳକୁ ଧାଇଁ ଆସିଲା । ପୁଅକୁ ରକ୍ତ ସୁଡ଼ୁବୁଡ଼ୁ ଦେଖି ପାଟିରୁ ତାର କଥା ବାହାରିଲାନି । ପେଚା ଛୁଆଟି ଥରେ ଉପରକୁ ଚାହିଁଲା । ଗଛ ଉପରେ ବଣି ଛୁଆ ସବୁ ଡେଇଁ ଡେଇଁ‌ ଗୀତ ବୋଲୁଥିଲେ । ସୂର୍ଯ୍ୟ ଆକାଶ ଦିହରୁ ଆଲୁଅ ପୃଥବୀ ଉପରକୁ ଖସାଇ ପକାଉଥିଲେ ।

 

ପେଚାଛୁଆ ମାଆକୁ କତିକି ଡାକି ମାଆ ଗୋଡ଼ରେ ମୁଣ୍ଡ ଗଡ଼େଇ ଗଡ଼େଇ କହିଲା–"ମାଆ ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିବାକୁ ଯାଇ ବୀରପରି ମରିଛି ।” ପେଚା ଛୁଆଟି ସବୁଦିନ ପାଇଁ ଆଖି ବୁଜିଦେଲା ।

 

ସୂର୍ଯ୍ୟ ତାଙ୍କ ଦୁନିଆ ଉପରେ ବେଶି ବେଶି ଆଲୁଅ କୁଢ଼େଇ ଦେଉଥିଲେ ।

Image

 

ଉପକଥାର ନାୟକ

ଶ୍ରୀ ରାଜକିଶୋର ମହାନ୍ତି

 

ଗଡ଼ ଦୁର୍ଗାଦେଇପୁର କାଠପୋଲ ଟପି କେନାଲ କୂଳେ କୂଳେ ମୁଁ ପ୍ରାୟ ଦି କଲେମିରେ ବାଟ ଆଗେଇ ଆସିଲିଣି । ରମେଶଭାଇ କହୁଥିଲେ ସେ କାଠ ପୋଲଟା ଟପି ଚାରି ପାଞ୍ଚ କିଲୋମିଟର ବା ସିଧା ଆଗେଇ ଗଲେ କନକ ପୁର ଗାଁ’ ପଡ଼ିବ ।

 

କେନାଲ କୂଳେ କୂଳେ ବେଶ୍ କିଛି ତାଳ, ନଡ଼ିଆ ଆଉ ଖଜୁରୀ ଗଛମାନ । ଠାଏ ଠାଏ ଅରଖ, ଦୁଦୁରା ଆଉ ଭୂଇଁ ବରକୋଳି ବୁଦାସବୁ କାବା କାନ୍ତାରା‌ ହୋଇ ଆକାଶକୁ ଚାହିଁ ରହିଛନ୍ତି । ପହିଲି ପହିଲି ଆଷାଢ଼ । ଆକାଶଟା ମେଘରେ ଥମ ଥମ । ମନ ମୋର ବେଳୁ ବେଳ ଚଞ୍ଚଳ ହୋଇ ଉଠୁଛି । ଜୋର୍‌ରେ ପାଦ ପଡ଼ୁଛି ଆଗକୁ.....ଆଗକୁ । କେମିତି ଯାଇ ମାଧବ ଭାଇଙ୍କୁ ଟିକିଏ ଦେଖା କରିବି ଏଇଆ ଖାଲି ଭାବନା ।

 

ସେଇ ରମେଶ ଭାଇ କହୁଥିଲେ–

 

ଗତବର୍ଷ ଖରାଦିନର କଥା । କାକଟପୁର ମା' ମଙ୍ଗଳାଙ୍କ ଝାମୁଯାତ୍ରା ଦେଖି ସେ ଘରକୁ ଫେରୁଥିଲେ । ବେଳ ରତ ରତ । ଚାରି ଛକ ବଜାରଠି ହଠାତ୍ ତାଙ୍କର ଦେଖା ହୋଇଗଲା ମାଧବ ଭାଇଙ୍କ ସହିତ । ଦେଖୁ ଦେଖୁ ମାଧବ ଭାଇ ଆଦରରେ ତାଙ୍କୁ କୁଣ୍ଢେଇ ପକେଇଲେ । ଚା’ ଜଳଖିଆ ଚୋସ୍ତ କରି ପେଟେ ଖୁଆଇଲେ । ତରତରରେ ଘରକୁ ବାହାରିଲାରୁ କହିଲେ- କ’ଣ ହେଲା, ୟା ନାଁ କ’ଣ ଗୋଟାଏ କଥା ? ଦେଖା ହେଉ ହେଉ ପୁଣି ଚାଲିଯିବୁ ? ଆରେ ତୁମେ ସବୁ ଆଉ କାହିଁକି ପଚାରିବରେ । ସମସ୍ତେ ତ ଧୀରେ ଧୀରେ ଭୁଲିଗଲେଣି । ନାଁ ନାଁ ବାପ, ସେ କଥା ମୋଟେ ହୋଇ ପାରିବନି । ଆଜି ରାତିଟା ଯେମିତି ହେଲେ ମୋ କୁଡ଼ିଆରେ କଟେଇ ଦେଇ କାଲି ଜାଙ୍ଗୁଲୁ ଜାଙ୍ଗୁଲୁ ପହାନ୍ତିଆରୁ ବାହାରି ପଡ଼ିବୁ । ତୁ ଆଉ ମନା କରନା ପୁତ । ଆଉ କଛି ମୋତେ କୁହାଇ ଦେଲେନିରେ । ଶୂନ୍ୟ ଶୂନ୍ୟ କାଖେଇ କୁଣ୍ଡେଇ ଘରକୁ ଟାଣି ନେଲେ । କେତେ ଆଡ଼ର କେତେ ଗପ ପଡ଼ିଲା । ଗପୁ ଗପୁ ରାତି ପାହି ସକାଳ ହେଲା । ତଥାପି ଗପ ସରିଲା ନାହିଁ । ମୁଁ ସେଠୁ ବାହାରୁ ବାହାରୁ କଅଁଳ ଗାଧୁଆ ବେଳ ।

 

କେଡ଼େ ଆଗ୍ରହରେ ସେ ତୋ କଥା ପଚାରୁଥିଲେ । କହିଲେ–ଆରେ ରମୁ, ଆମ ପ୍ରକାଶ ବାବୁ ଏବେ କେଉଁଠି ? କଲିକତା ନା ଦିଲ୍ଲୀରେ ମ ? କେଉଁ ଦିନଠୁ ତାଙ୍କୁ ଟିକିଏ ଦେଖିନିରେ ପୁତ । କେମିତି ଖାଲି ତାଙ୍କ ସହିତ ଟିକିଏ ସାକ୍ଷାତ ହୁଅନ୍ତା । ଏବେ କେଡ଼େ ବଡ଼ ଲୋକ ସେ–କେତେ ନାମ ତାଙ୍କର । କେତେଆଡ଼େ କେତେ ଖାତିର । କାହିଁ କେଉଁ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତାମିଲି, ତେଲୁଗୁ ଖବର କାଗଜରେ, ପତ୍ରପତ୍ରିକାରେ ଲେଖାମାନ ତାଙ୍କର ବାହାରୁଛି । ଫଟୋ ଛପା ହେଉଛି । କେତେ ଆଡ଼େ କେତେ, ବକ୍ତୃତା ଦେଉଛନ୍ତି । ରେଡ଼ିଓରେ ସେ ସବୁ ବକ୍ତୃତା ପ୍ରଚାର ହେଉଛି । ତଥାପି ତାଙ୍କର ଯାହା ସେଇ ପିଲାଳିଆମି ଗଲାନାହିଁ । ସେଥର ବମ୍ବେରୁ ଯେଉଁ ବଢ଼ିଆ ଚିତ୍ରବାଲା ହପ୍ତିକିଆ ଖଣ୍ଡକ ବାହାରେ ନାହିଁ, ସେଥିରେ ପୁଣି ମୋ ଭଲ ଗୋଟାଏ ଲୋକର ଫଟୋ ଛାପି, ମୋ ଉପରେ କେତେ କ’ଣ ଲେଖିଦେଇଗଲେ ।

 

ଆମ ଏ ଗୋପାଳଜୀଉ ହାଇସ୍କୁଲର ବିଜୁସାରେ ମୋତେ ସେ ପତ୍ରିକାଟା ଦେଖେଇ ଥିଲେ । ଓଃ ମୋର ପୁଣି ସେ କି ଫଟୋ । ସେଥିରେ ପୁଣି କେତେ ରଙ୍ଗ, କେତେ ନକ୍‌ସା ମୋ ମୁହଁ ଲାଜରେ ଝାଉଁଳି ଗଲା । ମୋ ମୁଣ୍ଡ ତଳକୁ ନଇଁଗଲା । ହେ ଭଗବାନ୍, ମୋ ଭଳି ଗୋଟିଏ ନିଉଛୁଣା ଲୋକ ପାଇଁ ଏତେ‌ କଥା-ଏତେ ପୁଣି କାଣ୍ଡ କାରଖାନା । ଆଉଥରେ ପୁଣି ରେଡ଼ିଓରେ କହିଲେ- ମୁଁ କୁଆଡ଼େ ଜଣେ ଉଚ୍ଚ କୋଟୀର କଳାକାର । ଗାଁ ଗହଳିରେ ଲକ୍ଷ ଲକ୍ଷ ଜନତାଙ୍କୁ ଜୀବନସାରା ଭୋକ ଉପାସରେ, ବିମଳ ଆନନ୍ଦ ଓ ବିଶୁଦ୍ଧ କଳା ପରିବେଷଣ କରିଛି । କେଜାଣି କଣ ସେ ସବୁ କଥା । ମୁଁ କିଛି ବୁଝି ପାରିଲିନିରେ ପୁତ ।

 

ଆରେ କଳା ତ କଳା, ସେଥିରେ ପୁଣି ବିଶୁଦ୍ଧ ଆଉ ଅଶୁଦ୍ଧ କଣ; କେଜାଣିରେ ବାବା, ଏ ଯୁଗରୁ ତ କେତେ କଥା ଦେଖା ଦେଲାଣି । କେତେ ଭେଜାଲ ବହାରିଗଲାଣି । କଳା, ସାହିତ୍ୟ ଆଉ ବିଦ୍ୟାରେ ପୁଣି କଣ ସେ ଶୁଦ୍ଧ ଆଉ ଅଶୁଦ୍ଧ, ଅସଲ ଆଉ ଭେଜାଲ । ଖୁବ୍ ତାନେ ସେ ହସି ଉଠିଲେ ।

 

ମୁଁ ବି ଜୋରରେ ହସି ଉଠିଲି । ନିର୍ଜନ କେନାଲ କୂଳର ଛାଇଛାଇଆ ଖସଡ଼ା ବାଟରେ ମୋ ହସରେ ମୁଁ ନିଜେଇ ଚମକି ପଡ଼ିଲି । ଆହା, ମାଧବ ଭାଇ, କି ସରଳ ତମେ, ସତେ କେଡ଼େ ନିର୍ମଳ । ବିଜ୍ଞାପନର ଏ ବିରାଟ ଚାକଚକ୍ୟମୟ ଯୁଗରେ ପ୍ରଚାର ଓ ବକ୍ତୃତାର ତୁମୁଳ ହଟ୍ଟଗୋଳ ଭିତରେ ପଚା ଚିଙ୍ଗୁଡ଼ି ଯେଉଁଠି ଦୁର୍ମୂଲ୍ୟ ସେଠି ପୁଣି ତୁମର ଏ ନିର୍ବୋଧ୍ୟ ସାରଲ୍ୟ !! ଯୁଗ ପଛେ ଆକାଶକୁ ଉଠୁ ବା ପାତାଳକୁ ଖସୁ ମାଧବ ଭାଇ, ତମର କିନ୍ତୁ ଏ ସରଳ ବିଶ୍ୱାସ ଟିକକ ନିର୍ମଳ ମୂଲ୍ୟବୋଧତକ ବଜାୟ ରହୁ । ମଣିଷ ଉପରୁ ଏ ଦୁନିଆ ଉପରୁ ସେ ଆସ୍ଥା ନ ତୁଟୁ-ଭରସା ନ ଖସୁ ।

 

ମୁଁ ଆଗେଇ ଚାଲିଥିଲି । ହେ ଭଗବାନ, ମାଧବ ଭାଇ ଭଲ ଥିବେ କି । ସମସ୍ତ କୁଶଳ ହୋଇଥିବ କି ତାଙ୍କର । ରମେଣ ଭାଇଙ୍କଠୁ ତାଙ୍କ ଅବସ୍ଥା ଶୁଣି ମୁଁ ବଡ଼ ବ୍ୟସ୍ତ ଚଞ୍ଚଳ ହୋଇ ପଡ଼ିଛି । ନିଜକୁ ବଡ଼ ଅପରାଧୀ ମନେ କରିଛି ।

 

ପେଟ ପାଟଣାର ନିର୍ମମ ସଂଗ୍ରାମରେ, ନିଜକୁ ପ୍ରତିଷ୍ଠିତ କରିବାର ପ୍ରବଳ ଘୋଡ଼ାଦୌଡ଼ରେ ଏମ୍. ଏ. ପାଶ୍ ପରେ ମୁଁ ଏଣେ ତେଣେ ଘୂରି ଘୂରି ଦୀର୍ଘ କୋଡ଼ିଏ ବର୍ଷ ପରେ ଏବେ ମାତ୍ର ଗାଁ’କୁ ଫେରିଛି । ତା ପୁଣି ବୋଉର ମୃତ୍ୟୁ ସମ୍ବାଦ ପାଇ । ଆଃ, ହତଭାଗା ମୁଁ, ଶେଷ ବେଳାରେ ଜନ୍ମ କଲା ଜନନୀକୁ ବି ଟିକିଏ ଦେଖି ପାରିଲିନି । ତୁଣ୍ଡରେ ଟିକିଏ ନିର୍ମାଲ୍ୟ ପାଣି ବି ଦେଇପାରିଲିନି ।

 

ଏହା ଭିତରେ କୋଡ଼ିଏ ବର୍ଷ କଟି ଗଲାଣି । କଟି ଗଲାଣି କେତେ ସ୍ନେହ, ପ୍ରୀତି, ମାୟା, ମମତାର ବନ୍ଧନ । କିନ୍ତୁ ମାଧବ ଭାଇ, ଓଃ ସେ ଯେ କଣ, ……ତାଙ୍କୁ ଆଉ ଏ ଜୀବନରେ ଭୁଲି ପାରିବି ନାହିଁ । ଆଜି ମନେ ପଡ଼ୁଛି । ବହୁଦିନ ତଳର ଘଟଣା..... ।

 

ସେତେବେଳେ ମୋଟେ ମୁଁ ନବମ ଶ୍ରେଣୀର ଛାତ୍ର ? ସେଥର ଗ୍ରୀଷ୍ମ ଛୁଟିରେ ଆମ ଗାଁ ମେଳନ ପଡ଼ିଆରେ ଭାରି ଜାକଜମକରେ ଯାତ୍ରା ହେଉଥାଏ । ନରଣପୁର ଆଉ ଶରଣପୁର ଦୁଇ ଦଳଙ୍କ ଭିତରେ ଲଢ଼େଇ ଯାତ୍ରା । ବେଳ ବୁଡ଼ୁ, ନ ବୁଡ଼ୁଣୁ, ଲୋକେ ଥାଟପଟାଳି ଭାଙ୍ଗୁଥାନ୍ତି ଯାତ୍ରା ଦେଖିବା ପାଇଁ । ହୋ ହା, ଘୋ ଘାରେ କାନ ଅତଡ଼ା ପଡ଼ୁଥାଏ ।

 

ଆଗ ଉଠିଲେ ନରଣପୁର ଦଳ । ଗୋଟିପିଲା ନାଚ ନାଚି ଗଲେ । ରାଜା ଆସିଲେ, ମନ୍ତ୍ରୀ ଗଲେ । ରାଣୀ ବାହାରିଲେ, ସଖୀ, ସହଚରୀ ଥଟ୍ଟା ତମସା, ହସ ଖୁସି କରି ଫେରିଗଲେ । ତଥାପି ପାଟିଗୋଳ ଥମିଲାନି-ଘୋ ଘା କମିଲାନି । ସେଇଠୁ ଖଣ୍ଡିଆ ଜାମା ପଟା, ଚିରା ମଇଳା, ନାଲିଆ ପ୍ୟାଣ୍ଟ ଆଉ ହରରଙ୍ଗୀ ପଗଡ଼ି ପିନ୍ଧି କିଆବୁଦା ଆଉ ଗଛ ଉହାଡ଼ରୁ ବିଚିତ୍ର ସୁରରେ ଗାଇ ଗାଇ ହୁସ୍‌କିନା ବାହାରିପଡ଼ିଲେ ରଙ୍ଗିଆ ଦୁଆରୀ ।

 

-ଆମେ ଆସିଗଲୁ ହୋ, ଆସିଗଲୁ ଆମେ

ରଙ୍ଗିଆ ଦୁଆରୀ; ଖଣ୍ଡିଆ ଘୋଡ଼ାରେ ଚଢ଼ି,

ଆମେ ଆସିଗଲୁ ହୋ....

ଆମ ଆଗେ ଆଗେ, ରାଣୀ ଚାଲିଗଲେ,

କୋକି ଗଲା ଏଣେ ବାହାରି,

ଆମେ……

 

ଏତେ ଘୋ ଘା, ହଇହୁଲା, ପାଟିଗୋଳ କ୍ଷଣକେ ଚୁପ୍ ପଡ଼ିଗଲା । ମେଳନ ପଡ଼ିଆରେ ପତ୍ର ଖସା ନୀରବତା । ଝିଅ ବୋହୁ, ମାଇପେ ମରଦମାନେ ସମସ୍ତେ କୁହାକୁହି ହେଲେ - ହେଇ ଆସିଗଲା, ଆସିଗଲା ଲୋ ମା, ରଙ୍ଗିଆ ଦୁଆରୀ ।

 

ସେଇଠୁ ରଙ୍ଗିଆ ଦୁଆରୀ ସଭାଜନଙ୍କୁ ଅବଧାନ ହୋଇ ତାଙ୍କର ଘରକଥା ବୟାନ କରନ୍ତି । "ଆଚ୍ଛା ଭଲା କରକୁ ଯୋଡ଼ି ଜଣାଏ କି ଆଜ୍ଞା ମଣିମା ଆଜ୍ଞା ସାଆନ୍ତେ, ହେଇଟି ମଉସା ବା, ହୋ ଭାଇମାନେ, ଏ ଘର କଥା ଘୋର । କଣ ଆଉ ଆଜ୍ଞା ଆପଣ, ମା'ମାନେ କହିବା ଏ ସଭା ମଧ୍ୟରେ । ଆମ ଏ ଖାଲି ମା’ମାନେ ଆମ ଗୃହିଣୀମାନେ ମାନେ ଆମ ଇସ୍ତିରୀ.....ଅର୍ଥାତ୍..... । ସେଇଠୁ ତ ଲୋକମାନେ ହସି ହସି ଗଡ଼ିଯାନ୍ତି । ତାପରେ ଘନ ଘନ କରତାଳିରେ ଯାତ୍ରାସ୍ଥଳ କମ୍ପିଉଠେ । ଗଗନ ପବନ ଭରିଯାଏ । ମହାରାଜା ଆସି, ଖଣ୍ଡା ଦେଖାଇ ରଙ୍ଗିଆ ଦୁଆରୀକି ଘଉଡ଼େଇ ଦେଲେ । ସେଇଠୁ ସେ ଅତରଛା ହୋଇ, ଜାମାପଟା ଛିଣ୍ଡାଇ ଧାଇଁ ପଳାନ୍ତି । ଚାରିଆଡ଼ୁ ପାଟିତୁଣ୍ଡ ହୁଏ-ନାଇଁ ନାଇଁ ରଙ୍ଗିଆ ଦୂଆରୀ ଫେରି‌ଆସନ୍ତୁ । ଆମପରି ଦି’ ଚାରିଜଣ ମାଟ୍ରିକ୍ ପଢ଼ୁଥିବା ଟୋକା ଇନ୍‌କୋର ଛାଡ଼‌ି ଦିଅନ୍ତି ।

 

ସୁଆଙ୍ଗ ଚାଲିଥିବାବେଳେ, ସମାଜ (ନାଟକ ଅର୍ଥରେ) ପଡ଼ି ପଡ଼ି ଆସୁଥିଲାବେଳେ, ଧଡ଼ାସ୍‌କିନା ବେଶ

 

ବଦଳାଇ କେତେବେଳେ ଛୋଟା ଭଗିଆ; ଢଙ୍ଗରେ, କେତେବେଳେ କଣ ମାଧିଆ ଭଙ୍ଗୀରେ, ଖନା ସୁକୁଟା ବାଗରେ, ଅଥବା ବାଇ ବେମାରିଆ ହରିଆ ମଲିକ ଢାଞ୍ଚାରେ ବାହାରି ପଡ଼ି,

 

“ଆଚ୍ଛା ଭଲା କରକୁ ଯୋଡ଼ି ଜଣାଏ କି, ସଭାଜନେ,

ଦୋଷ ମୋ ନ ଧରିବ ମନେ କି, ସଭାଜନେ”

 

ଗଇ ଗାଇ ସଭିଙ୍କୁ ଚମକାଇ ଦିଅନ୍ତି । ସେ କାଳରେ ଜମିଦାରର ନାଲିଆଖି, ପିଆଦାର ଜୁଲମ, ମହାଜନର ତାଗିଦା, ଖାତକର ହନ୍ତସନ୍ତିଆ, ନିଉଛୁଣା ଜୀବନ, ନାଲି ପଗଡ଼ିଆକୁ କୋକୁଆ ଭୟ, ଶାଶୁ ନଣନ୍ଦଙ୍କ ଗଞ୍ଜଣା ଆଉ ବିଚାରୀ ନିରିମାଖି ବୋହୁ ପିଲାଟିର ବାର ଦହଗଞ୍ଜ ଜୀବନ ତାଙ୍କରି ଫାର୍ସ ମଧ୍ୟରେ, କମିଜ୍ ଭିତରେ ନିଖୁଣ, ଜୀବନ୍ତ ରୂପେ ଫୁଟି ଉଠେ ।

 

“କ୍ଷିତିକି ଭିତ୍ତି ହେଲା ପ୍ରବଳ,

“ବନା ମା, ହନା ଥରେ ହାମ ଆଡ଼କୁ,”

“ଭାଇ ହୋ ସରିଗଲା, ସରିଗଲା ଆମ ସୁଖ ସଂସାର,”

“ଚାଲେ ହଗୁରା ମା, ପଲେଇବା ଏ ଗାଁ ଛାଡ଼ି” ଅଥବା

 

“ଟିକେଟ କାଟିବା, ରେଳରେ ଚଢ଼ିବା, ଦେଖିବା ହାବେଡ଼ା ପୋଲରେ ମନ, କଲିକତାକୁ ଚାଲ” ପ୍ରଭୃତି ଶୁଣୁ ଶୁଣୁ ସମବେତ ଅସୁମାରି ଜନତା ହତ ଚକିତ ହୋଇଯାନ୍ତି-ମନ୍ତ୍ରମୁଗ୍ଧ ହୋଇ ପଡ଼ନ୍ତି ।

 

ପୁଣି ବେଳେବେଳେ ସେ ଗେରୁଆ ଧୋତି ଫିଙ୍ଗି ଫୁଙ୍ଗୁଳା ଦେହରେ ନାମାବଳୀ ଚଦର ଖଣ୍ଡେ ପକାଇ, ବେକରେ କନିଅର, ଟଗର, ମଲ୍ଲୀ ଆଉ ତରାଟର ଗଜରାମାଳ ଲମ୍ବାଇ, ନିୟତି ରୂପରେ ଦେଖା ଦିଅନ୍ତି । ସୀତାହରଣ ବେଳେ ରାବଣକୁ, ମହାଭାରତ ଯୁଦ୍ଧରେ ଦୁର୍ଯ୍ୟୋଧନକୁ, ରଙ୍ଗ ସଭାବେଳେ କଂସାସୁରକୁ ଚେତାବନୀ ଶୁଣେଇ ଶୁଣେଇ ସେ ଗାଇ ଉଠନ୍ତି-

 

ଏ ଦମ୍ଭ ରହିବ ନାହିଁଟି ବାୟା, କାଳ ସବୁନେବ ଛଡ଼ାଇ

 

କିମ୍ବା

 

ଝରିପୋକ ହଉଥା ଗେହ୍ଲେଇରେ, ବେଙ୍ଗ ବସିଛି ପାଟି ମେଲାଇ,

 

ଅଥବା

 

ଆଉ କାନ୍ଦନା ବାୟାଣୀ ଲୋ, ପାହାନ୍ତିଆ ତାରା ଏଣେ ଦେଖା ଦେଲାଣି ।

 

ସେଇ ଉଦାତ୍ତ, ନିର୍ଭୀକ ବଣ୍ଠରେ ଆଶା ଓ ବିଶ୍ଵାସର, ସତ୍ୟ ଓ ଧର୍ମର ପବିତ୍ର ବାଣୀ ଶୁଣେଇ ଶୁଣେଇ ସେ ସମସ୍ତଙ୍କୁ ଉଦ୍‍ବୁଦ୍ଧ କରିଛନ୍ତି ।

 

ଥରେ ଥରେ ତାଙ୍କରି କଣ୍ଠରୁ,

 

“ଦୀନବନ୍ଧୁ ଦଇତାରି, ଦୁଃଖ ନ ଗଲା ମୋହରି’’

 

“ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ”

 

“ଥକ୍‍କା ମନ ଚାଲ ଯିବା, ଚକା ନୟନ ଦେଖିବା ?”

 

ଅଥବା, “ମୃଗୁଣୀ ସ୍ତୁତି, କଳାକଳେବର କହ୍ନେଇ, କୋଇଲି ଲୋ, କେଶବ ଯେ ମଥୁରାକୁ ଗଲା" ପ୍ରଭୃତି ନାନା ଭଜନ, ଜଣାଣ, ଛାନ୍ଦ ଚଉପଦି ପ୍ରଭୃତି ଶୁଣିବାକୁ ମିଳେ । ହାସ୍ୟ ଓ ଅଶ୍ରୁର କାରୁଣ୍ୟ ଓ ମାଧୁର୍ଯ୍ୟର ସମାନ୍ତରାଳ ସ୍ରୋତରେ ଭାସି ଭାସି ଦେଖଣାହାରୀ ଜନତା ଯେତିକି ଦେଖେ-ସେତିକି ହସେ-ଯେତିକି ହସେ ସେତିକି କାନ୍ଦେ । ରଙ୍ଗିଆ ଦୁଆରୀ-ନରଣପୁର ହଟ ମାଷ୍ଟ୍ରଙ୍କ ଆଖେଡ଼ାର ପୋଖତ ହାସ୍ୟାଭିନେତା ଓ କଣ୍ଠଶିଳ୍ପୀ ଶ୍ରୀ ମାଧବ ଚରଣ ସ୍ଵାଇଁ ।

 

ରାତି ରାତି କେତେ ଅନିଦ୍ରା ହୋଇ, ଦିନ ଦିନ କେତେ ଭୋକଶୋଷ ଭୁଲି, କେତେ ଖାଲ, ଖମା, ନଈନାଳ, ବଣ ପାହାଡ଼, ବିଲମାଳ, କୁଦ ପଡ଼ିଆ ଡେଇଁ ଡେଇଁ, ଲୋକେ ଛୁଟିଛନ୍ତି ତାଙ୍କ ଯାତ୍ରା ଦେଖିବା ପାଇଁ-ରଙ୍ଗିଆ ଦୁଆରୀର ମନଭୁଲା ନିଛକ ହାସ୍ୟରସ ଉପଭୋଗ କରିବା ପାଇଁ । କାହିଁ କେଉଁ ବିଳାସୁଣି ଆଉ ନିଆଳି, ବାଙ୍କିହାଟି ଆଉ ପୋଖରୀ ଗାଁ, ବିନିସିପୁର ଆଉ ବିଶ୍ୱନାଥପୁର, ନୂଆହାଟ ଜୋହଳ, ଶାସନପଦା, ସୁନ୍ଦର ଗାଁ ଖାଲି ପାଦରେ ଦଉଡ଼ି ଦଉଡ଼ି ତାଙ୍କ ଯାତ୍ରା ଦେଖିଛି । ପେଟ୍ରୋମାକ୍‌ସର ହାଲୋକ ଆଲୁଅ ତଳେ, ମଶାଲର ନାଲିଚିଆ ମଇଳା ଆଲୁଅ ଭିତରେ, ଲଣ୍ଠନର ଦିକିଦିକି ଚିରିଗୁଣୀ ଆଲୁଅରେ ବ୍ୟଥା ଓ ବେଦନାକୁ, ଦୈନ୍ୟ ଓ ଯାତନାକୁ ଉପହାସ କରି ତାଙ୍କରି ସେଇ ସରଳ, ନିରଭିମାନ ମୁହଁଟି ଝଲସି ଉଠିଛି । ହସି ହସାଇଛି -ନାଚି, ନଚାଇଛି -କାନ୍ଦି, କନ୍ଦାଇଛି ।

 

ଦିନକର କଥା । ଖରାଦିନ । ସକାଳୁଆ ସ୍କୁଲସାରି ଉଦୁଉଦିଆ ଦି ପହରେ ମୁଁ ଘରକୁ ଫେରୁଥାଏ । ଚାରିଆଡ଼େ ଶୁନଶାନ୍ । କାଉ କୋଇଲିର ସୋର ଶବ୍ଦ ନାହିଁ । ଭୋକରେ ପେଟ ଜଳୁଥାଏ । ଧଇଁସଇଁ ହୋଇ ମୁଁ ଛୁଟିଥାଏ । ହଠାତ୍ ସଂଗୀତର ଏକ ମଧୁର ମୂର୍ଚ୍ଛନା କେଉଁଠୁ ଭାସି ଆସିଲା । ଟିକିଏ ଥମିଯାଇ ମୁଁ ଚାରିଆଡ଼କୁ ନିଘା କଲି । ଏଥର କାନରେ ବାଜି ବାଜି ଗଲା-

 

ହେ ଦୟାମୟ, ହେ କରୁଣାସିନ୍ଧୁ,

 

ଅଞ୍ଚଳି ମୋର ଭରି ଦେଇଛି ଅସରନ୍ତି ମଣିମାଣିକ୍ୟରେ, ଅନ୍ତର ମୋର ପୂର୍ଣ୍ଣ କରିଛି ଆଶିଷର ଶାନ୍ତ ବାରିଧାରାରେ । ମୋର ଆଉ କିଛି ଲେଡ଼ା ନାହିଁ, ପ୍ରଭୋ, ତମର ପାଦ ପଦ୍ମରେ କୋଟି କୋଟି ପ୍ରଣାମ କରୁଛି ।

ମୁଁ ସବୁ ଭୁଲିଗଲି । ଭୋକଶୋଷ ମୋର କୁଆଡ଼େ ଉଭେଇ ଗଲା । ନଇଁ ପଡ଼ି ଦେଖେ ତ ଅଳ୍ପ ଦୂରରେ ଏକ ଝଙ୍କାଳିଆ ବରଗଛ । ତା ଦେହକୁ ଆଉଜି ପଡ଼ି ମାଧବ ଗାଇ ଗାଇ ଚାଲଛନ୍ତି-ହେ ଦୟାମୟ କରୁଣା ସିନ୍ଧୁ ...

 

ଆଖି ତାଙ୍କର ଛଳଛଳ । ସାରା ଦେହରେ ଅପୁର୍ବ ଶିହରଣ । ସେଇ ଆୟତ ଆଖି ଦୁଇଟିର ସ୍ନିଗ୍‍ଧ ମେଦୁର ଚାହାଣୀ, ସାରା ଦେହର ଅପୂର୍ବ ଶିହରଣ ବରଗଛର ପତ୍ର ଗହଳିରେ ମର୍ମରିତ ହୋଇ ଉଠୁଛି । ମୁଁ ଆଉ କିଛି ଭାବି ପାରିଲିନି । ସେଇଠି, ତାଙ୍କର ପଛପଟେ ଚୁପ୍ ଚାପ୍ ବସି ପଡ଼ିଲି । କେତେବେଳକେ ଗାନ ବନ୍ଦ କଲାରୁ ମୁଁ ଚମକି ପଡ଼ି କହି ପକାଇଲି–ଆଜ୍ଞା ବନ୍ଦ ହେଲେ କାହିଁକି ? ଗାଆନ୍ତୁ ନା... । ସେ ବି ଚମକି ପଡ଼ି ପଛକୁ ଚାହିଁଲେ । ପଚାରିଲେ–ଆରେ ଏ ପିଲା, ତୁ କିଏ ? ଏ ଅବେଳାଟାରେ ଏଠି କାହିଁକି ? ଏତିକି ପଚାରିଦେଇ ମୋ ଆଡ଼େ କିପରି ଏକ ସ୍ନେହଶୀଳ ଆଖିରେ ସେ ଚାହିଁଲେ । ଆଃ, ସେ ଆଖିର‌ କୋମଳତା ସେ କଣ୍ଠର ମାଧୁର୍ଯ୍ୟକୁ ଜୀବନରେ ପୁଞ୍ଜି କରି ମୁଁ ପଥ ଚାଲିଛି ।

 

ମୋର ବ୍ୟାଗ୍ ଆଉ ବହିପତ୍ର ଦେଖି ସେ ପୁଣି ପଚାରିଲେ-ତୁ କେଉଁ କ୍ଲାସରେ ପଡ଼ଛୁରେ ବାବୁ ? ନା ଟି ତୋର କ’ଣ ? ମୁଁ ସବୁକଥା କହି ଦେଇଗଲି । ତା’ ପରେ ପଚାରିଲି ତମେ ଏଠି, ଆଉ ଅନ୍ୟ ଯାତ୍ରୀକାରୀମାନେ, ପିଲାମାନେ ସବୁ କାହାନ୍ତି ? ସେ ପାଖ ଆମ୍ବ ତୋଟା ଆଡ଼େ ହାତ ଦେଖାଇଦେଲେ । ଛିଣ୍ଡା, ମଇଳା ଗାମୁଛାଟିମାନ ପାରିଦେଇ କେ କୁଆଡ଼େ ଲମ୍ବି ଯାଇଛନ୍ତି । ମସ୍ତ ଗୋଟାଏ ଅହିଆ ଖୋଳା ହୋଇ ତା’ ଉପରେ ହଣ୍ଡା ବସିଛି । ଓଦା ଘସି ଆଉ କଂଚା କାଠର ଧୂଆଁ ତୋଟା ସାରା ଖେଳେଇ ହୋଇ ଯାଇଛି । ମୁଁ ପଚାରିଲି-କ’ଣ, ଏତେବେଳଯାଏ ତମମାନଙ୍କର ଖିଆପିଆ ସରିନାହିଁ ନା କ'ଣ ?

 

ସେ ଖାଲି ଟିକିଏ ହସି ଦେଲେ । ତା ପରେ କହିଲେ-କାଲି ସେଇ ସଞ୍ଜ ପହରୁ ଦି’ଟା ଶୁଖିଲା ହୁଡ଼ୁମ୍ବ ଆଉ ଆଞ୍ଚୁଳାଏ ଲେଖାଁ ପାଣି ପିଇ ଆମେ ସଭାରେ ଠିଆ ହୋଇଥିଲୁ । ସମାଜ ସରିଲା ପାହାନ୍ତିଆକୁ । ମାଷ୍ଟ୍ରେ ଆଜି ସକାକୁ ଯାଇ ଗାଁ ଗାଁ ବୁଲି ମାମଲତକାରମାନଙ୍କୁ କେତେ କୁହା ବୋଲା କରିବାରୁ ଗାଧୁଆବେଳକୁ ମକଦମଘର ଅଧ ଟୋକେଇଏ ସେମଟା ଖଇ ପଠେଇଥିଲେ । ସେଥିରୁ ମୁଠାଏ ମୁଠାଏ ଆମେ ଖାଇଛୁ ।

 

ମୋ ଆଖି ଲୁହରେ ଜକେଇ ଆସିଲା । ଦି’ଟା ଶୁଖିଲା ହୁଡ଼ୁମ୍ବୁ ଆଉ ସେମଟା ଖଇ ଯାହାର ଭାଗ୍ୟରେ ବି ଠିକ ବେଳାକାଳରେ ଜୁଟେନି ସେ ପୁଣି ଗୀତ ଗାଉଛି-

 

ହେ ଦୟାମୟ, ହେ କରୁଣା ସିନ୍ଧୁ ,

 

ଅଞ୍ଚଳି ମୋର ଭରି ଦେଇଛ ଅସରନ୍ତି

 

ମଣି ମାଣିକ୍ୟରେ ।

 

ହେ ଭଗବାନ, କଳାକାରର ଏ ବଦାନ୍ୟତା, ଏ ବିଶାଳତା ପାଖରେ ତମେ କ’ଣ ଲଜ୍ଜିତ ନା ଈର୍ଷାନ୍ୱିତ !! ଆଜିଯାଏ ବି ଭଗବାନଙ୍କୁ ଏଇ ପ୍ରଶ୍ନ ପଚାରି ମୁଁ ବାଟ ଚାଲୁଛି ।

 

ଏମିତି କେତେଦିନ ବିତିଯାଇଛି । ଶୁଖିଲା ପେଟରେ ଓଦା ଗାମୁଛା ପକାଇ, ଭୋକ ଉପାସରେ, ହାରମୋନିୟମ, ବିଗୁଲ ଆଉ ବଂଶୀ, କ୍ଲାରିଓନେଟ୍‍ର ବାକ୍ସମାନ, ଡୁବି ତାବଲା, ଖଣ୍ଡା, ତଲୁଆର, ପୋଷାକପତ୍ରର ଗଣ୍ଠିଲିତକ ମୁଣ୍ଡରେ ମୁଣ୍ଡାଇ, କାନ୍ଧରେ ନଦି, କେତେ ନଈନାଳ, ବିଲବଣ, ଖାଲଢିପ, ଡେଇଁ ଡେଇଁ ଏ ଗାଁରୁ ସେ ଗାଁ, ଏ ବଜାରରୁ ସେ ହାଟ ଯାତ୍ରା ଦଳମାନେ ଦଉଡ଼ିଛନ୍ତି । ବାର ଦ୍ୱାର ଶୁଣ୍ଢି ପିଣ୍ଡା ହୋଇଛନ୍ତି । ଛିଣ୍ଡା ହେଁସ, ଖଣ୍ଡିଆ କତରାରେ ଗ୍ରୀନ୍ ରୁମ୍ ସଜେଇ ଦେହ ମୁଣ୍ଡରେ ରଙ୍ଗ ବୋଳି ହୋଇଛନ୍ତି । ପାଉଡ଼ର ମାଖିଛନ୍ତି । ଶୁଖିଲା, ନିଛାଟିଆ ତୋଟାମାଳ, ପଦା ପଡ଼ିଆରେ ନାଚିକୁଦି, ଛାନ୍ଦ ଚଉପଦୀ ଭଜନ ଜଣାଣ ଗାଇ ଗାଇ ଶ୍ମଶାନର ନୀରବତାରେ ପ୍ରାଣର ସ୍ପନ୍ଦନ ଖେଳେଇ ଦେଇଛନ୍ତି ।

 

ପାର୍ଟିପାଇଁ, ଅଭିନୟ ପାଇଁ, ପଇସାପତ୍ର ପାଇଁ, ଦରଦାମ କଷାକଷି ନେଇ, କେବେ କେଉଁଠି ମାଧବ ସୋଇଁଏ ଓସ୍ତାଦଙ୍କ ପାଖରେ ବା ମାଷ୍ଟ୍ରଙ୍କ ନିକଟରେ ଓଜର, ଆପତ୍ତି କରି ନାହାନ୍ତି । ପ୍ରତିବାଦ ଜଣାଇ ନାହାନ୍ତି । ଯେତେବେଳେ ଯେଉଁ ଭୂମିକା ଦିଆଯାଇଛି, ଯେତେ ଛୋଟ, ଯେତେ ସାମାନ୍ୟ ହେଲେ ବି, ନିଜର ଅସାମାନ୍ୟ ପ୍ରତିଭା ଓ ଏକନିଷ୍ଠ ସାଧନାରେ ତାକୁ ସେ ମହୀୟାନ କରି ଦେଇଛନ୍ତି ।

 

ଅଭିନେତାର ଅହଂକାର, ମୁଖ୍ୟ ଭୂମିକାର ବଡ଼ିମା, କେବେ ତାଙ୍କୁ କଳୁଷିତ କରିନାହିଁ । ସେଇ ହସ, ସେଇ ସରଳତା, ସେଇ ସାଧନା, ଆଉ ଉଦାରତା ତାଙ୍କୁ ମହାନ କରିଛି-ବିରାଟ କରିଛି । ସେଇ ନିରହଂକାର, ନିରାଡ଼ମ୍ବର, ନୀରବ ସାଧକଙ୍କୁ ବହୁ କ୍ଷେତ୍ରରେ ବହୁବାର ମୁଁ ପ୍ରଣତି, ଜଣାଇଛି । ସେ ବି ମୋତେ ବହୁତ ଆଶୀର୍ବାଦ କରିଛନ୍ତି । ମୋ ଦେହ ମୁଣ୍ଡରେ ହାତ ବୁଲାଇଆଣି, ଛଳ ଛଳ ଆଖିରେ କହିଛନ୍ତି-ଜଗନ୍ନାଥେ ତୋତେ ବଡ଼ଲୋକ କରନ୍ତୁ ବାପ, ତୁ ମନଲଗେଇ ପାଠ ପଢ଼-ବଡ଼ ହ........ଆହୁରି ବଡ଼ । ଆମ ଏ ନାଟୁଆ, ବେହିଆ, ହେରେସାଙ୍କ ଦୁଃଖକଷ୍ଟ ବୁଝ ବାପ........

 

ଗଲାଣି–ସେକାଳ କୁଆଡ଼େ ଗଲାଣି । ଆଜର ପରିବର୍ତ୍ତିତ ପରିସ୍ଥିତିରେ ସବୁ ନାଟଦଳ କେ କୁଆଡ଼େ ଛିନ୍‍ଛତର ହୋଇ ଶିମିଳି ତୁଳା ପରି ଉଡ଼ି ଗଲେଣି । ସେ ଦିନର ତାଡ଼କା ଆଉ ମୁଁ, ବକାସୁର ଓ ମହିଷାସୁର, କଂସାସୁର କି ଭୀମସେନ, ସାବିତ୍ରୀ, ଦୌପଦୀ, କାଞ୍ଚନମାଳା, ସୁଶୀଳା, ମାଳତୀ ଆଜି କାହାର ଆଳୁ କିଆରିରେ ପାଣି ମଡ଼ାଉଛନ୍ତି । ପାନ ବରଜକୁ ମାଟି ବୋହୁଛନ୍ତି ଅଥବା କଟକ, ଭୁବନେଶ୍ଵର ରାଜରାସ୍ତାରେ ମୋଟ ବୋହି ବୋହି ଘାସକୁ ଛୋଟ, ପାଳକୁ ଲମ୍ଵ ହୋଇ ପଡ଼ି ରହିଛନ୍ତି । ଗଲାଣି-ସବୁ କଥା ଓଲଟ ପାଲଟ ହୋଇ ଗଲାଣି ।

 

ମାଧବ ଭାଇଙ୍କ ଜୀବନରେ ଏହା ମଧ୍ୟରେ କେତେ ଝଡ଼ଝଞ୍ଜା ବହି ଯାଇଛି । ନାଟତାମସା କରି, ହେରେସାଙ୍କ ଭଳି ଗୁଡ଼ାଏ ଏଣେତେଣେ ବୁଲି ଓଦା ଖାଉଛି ବୋଲି ଓଲଟି ଅଭିଯୋଗ ବାଢ଼ି ଭାଇମାନେ କେବେଠୁ ତାଙ୍କୁ ଭିନେ କରି ଦେଲେଣି । ସାନଭାଇ ଜମି କେଇ ଗୁଣ୍ଠ ଭାଗରେ କରୁଥିଲା ଯେ, ଏବେ ଦି ବରଷ ହେଲା ଭାଗଧାନ ଗଣ୍ଡାକ ବନ୍ଦ କରିଦେଇ, ଭାଗଚାଷୀର ସତ୍ତ୍ୱ ବଜାୟ ଲାଗି ତହସିଲ ଅଫିସରେ ଦରଖାସ୍ତ ଛାଡ଼ି ଦେଇଛି ।

 

ଏସବୁ କଥାକୁ ସୋଇଁଏ କେବେ ନଜର ଦେଇ ନାହାନ୍ତି । ପରବାଏ କରି ନାହାନ୍ତି । ସବୁବେଳେ ସେଇ ହସ- ମନଖୋଲା ରୋକ ଠୋକ କଥା । ଯୋଗକୁ ସେଇ ହସକୁରୀ, ଫୁଙ୍ଗୁଳି ଫାତିମାବିବି ବି ତାଙ୍କୁ ଜୁଟି ଯାଇଛି । ଦୁଃସହ ଜୀବନରେ; ଧୂ ଧୂ ମରୁବାଲିରେ ଫାତିମା ତାଙ୍କର ଚଲାପଥର ଏକମାତ୍ର ରକ୍ତ ଗୋଲାପ ।

 

ବହୁଦିନ ତଳର କଥା ସେ । ସେଥର ଅବଦୁଲପୁର ତୋଟାରେ ଆଖି- ତୃତୀୟାକୁ ଯାତ ହଉଥାଏ । “ଡେଲାଇଟ୍‍’’ର ହାଲ୍ଲୋଳ ଆଲୁଅରେ ତୋଟାମାଳ ଉଛୁଳି ପଡ଼ୁଥାଏ । ଯାତ୍ରାର ଶେଷ ପ୍ରହର । ଗୋଟାଏ ଆମ୍ୱ ଗଛକୁ ଆଉଜିପଡ଼ି ସୋଇଁଏ ଟିକିଏ ଦମ୍ ନେଲେ । ମଥାରୁ ଝାଳ ପୋଛିଲେ । ପକେଟରୁ ବିଡ଼ି ଖଣ୍ଡେ କାଢ଼ି ନିଆଁ ଧରାଇଲେ । ହଠାତ୍ ତାଙ୍କର ଆଖି ଯେମିତି ଓଟାରି ହୋଇଗଲା । ଗଛ ଗହଳିର ଗୋଟିଏ କଣକୁ, ନିରାପଦ ସ୍ଥାନରେ ସ୍ତ୍ରୀ ଲୋକମାନେ ବସିଥାନ୍ତି । ତା’ରି ଭିତରୁ, ସେଇ ସବୁ ରଙ୍ଗ ବେରଙ୍ଗର ଶାଢ଼ୀ ଆଉ ହାସ୍ୟଉଜ୍ଜଳ ମୁହଁଟିମାନ ଭିତରୁ ଦୁଇଟି ଆଖି, ସଜଳ କଜଳ ଆଖି, ଯେମିତି ତାଙ୍କ ଆଡ଼େ ଚାହିଁ ରହୁଛି । ସୋଇଁଏ ଟିକିଏ ହଡ଼ବଡ଼େଇ ଗଲେ । ପୁଣି ଥରେ ସେ ସାହସ ସଞ୍ଚୟ କରି ସେଇଆଡ଼େ ଚାହିଁଲେ । ହଁ ସେଇ ମୁଗ୍ଧବିଭୋର, ଦୁଇଟି ଆୟତ ଆଖିର ନୀରବ ଭାଷା ତାଙ୍କୁ ଯେମିତି ଅଭିନନ୍ଦନ ଜଣାଉଛି । ଆଞ୍ଜୁଳା ଆଞ୍ଜୁଳା ମଧୁମାଳତୀ ଆଉ ଗଙ୍ଗଶିଉଳି ସୋଇଁଙ୍କ ଛାତିରେ ମହକ ଛୁଟାଇ ହଠାତ୍ ହସି ଉଠିଲେ । ସୋଇଁଏ ଚାହିଁଲେ –ଖାଲି ଚାହିଁ ରହିଲେ ।

 

ତା'ପର ଦିନ କଅଁଳ ଗାଧୁଆବେଳେ । କୁଶଭଦ୍ରା ନଈକୁ ଗାଧୋଇବାକୁ ଯାଉ ଯାଉ ହଠାତ୍ ନଈ ତୁଠରେ ଦେଖିଲେ ପାଣି ମାଠିଆ କାଖେଇ ସେଆଡୁ କିଏ ଆସୁଛି । ସୋଇଁଏ ଥମିଗଲେ- ଅଟକିଗଲା ଝିଅଟି । ରଜନୀଗନ୍ଧାର ଆନତଗ୍ରୀବା ଆଉ ଟିକିଏ ତଳକୁ ନଇଁଗଲା । ରକ୍ତ କମଳ ଓଠ ଦୁଇଟି ସରମ ସଙ୍କୋଚରେ ଝାଉଁଳି ଯାଉ ଯାଉ ପୁଣି ବିଭୋର ହସରେ ଉଲସି ଉଠିଲା । ଏଇ ମିଶ୍ରପ୍ରତିକ୍ରିୟା, ବିପରୀତବାଦର ବିଚିତ୍ର ଯୋଗସୂତ୍ର ସ୍ଵାଇଁଙ୍କୁ ବିଚଳିତ କଲା-ଅଥୟ କଲା । ତାପରେ….ତାପରେ….. । ସୋଇଁଏ ବୁଝିଲେ ସେ ଗୋଟିଏ ମୁସଲମାନ ଝିଅ- ନାମଟି ତାର ଫାତିମା ।

 

ଫାତିମାର ସାଦି ହୋଇଗଲା ଆର ବସ୍ତିର ହମିଦ ସହିତ । ସାଦିର ମାତ୍ର ଚାରିଦିନ ପରେ ହମିଦ ଗଲା ଖଡ଼ଗପୁର ତା ମାମୁଁ ସଙ୍ଗରେ, ରେଳବାଇରେ କ’ଣ ଚାକିରି କରିବ ବୋଲି । ବାସ୍ ସେଇଦିନଠୁ ସେ ସେଇଆଡ଼େ । ଚାହୁଁ ଚାହୁଁ ପାଞ୍ଚ ବର୍ଷ ବିତି ଗଲାଣି । ସେ ଆଉ ଘରକୁ ଫେରୁନାହିଁ । ଏବେ ଖବର ମିଳିଲାଣି ଯେ ତେବେ କୁଆଡ଼େ କାହାକୁ ସେ ନିକା ହୋଇ ଭଲରେ ଘରଦ୍ଵାର କରି ରହିଲାଣି । ଆଉ ଏଣେ, କାହାପାଇଁ, କେଉଁ ବାଟକୁ ଚାହିଁ ଚାହିଁ ଫତିମା ନୀରବରେ ଲୁହ ଢାଳେ କେଜାଣି !!

 

ସେଦିନ ସଞ୍ଜରେ ମାଧବ ଭାଇ ହଠାତ୍ ଯାଇ ପଚାରିଲେ ଫାତିମା, ତୁ ମୋତେ ପୁଣି ଥରେ ସାଦି କରିବୁ ଫାତିମା । ନା, ନା, ଫାତିମା, ମୁଁ କାହାକଥା ଶୁଣିବାକୁ କାହା ମତାମତ ନେବାକୁ ଚାହେଁନା ।

 

ଜାତି, କୁଳ, ମାନ ମହତର ପ୍ରଶ୍ନ ତୁ ଉଠାନା ଫାତିମା । ଖାଲି କହ, ଥରୁଟିଏ ଖାଲି କହ, ତୁ ରାଜିତ ?

ବାସ୍ ଚୁପ୍ ଚାପ ଫାତିମା ତାଙ୍କ ପଛେ ପଛେ ସେଇଠୁ ଉଠି ଚାଲି ଆସିଲା । ସେଇ ମୁହୂର୍ତ୍ତର ଛାଇ ପରି ତାଙ୍କ ପଛେ ପଛେ ସେ ରହିଛି ।

 

ତାରିଲାଗି କେତେ କଥା; କେତେ ବ୍ୟଥା, କେତେ ଝଡ଼ ଝଞ୍ଜା କେତେ ହୋହଲ୍ଲା, ପାଟିଗୋଳ କଳିକଜିଆ । ହିନ୍ଦୁ ମୁସଲମାନ, ଜାତି ଅଜାତିର ନେଇ କେତେ ଦଳାଦଳି, ଘଣ୍ଟାଚକଟା । ସବୁ ଧକ୍‌କାକୁ, ସମସ୍ତ ଝଡ଼କୁ ସେ ବେପରୁଆ ଛାତି ପତେଇ ଉନ୍ନତ ଶିର ଦେଖାଇ ଏକା ଏକା ରୋକିଛନ୍ତି-ସବୁ କିଛି ସହିଛନ୍ତି । କେହି ଟିକିଏ ପଚାରି ନାହାନ୍ତି ଏତେବେଳେ । କେହି ଆହା କହିନାହାନ୍ତି । ରୁଣ୍ଡ ହୋଇ ସମସ୍ତେ ନିଜେ ଦେଖିଛନ୍ତି । ମେଳା ମେଳା ହୋଇ ଏଠି ସେଠି ଫୁସ୍ ଫାସ୍ ହୋଇଛନ୍ତି । କାନକୁହା କଥା ଶୁଣିଛନ୍ତି । ଗୁଜବ ଉଠାଇଛନ୍ତି । ନଖଘଷି ଦାନ୍ତ ନେଫେଡ଼େଇଛନ୍ତି । ପାଖକୁ ଟିକିଏ ଡାକିଲେ; କେଉଁ ଛଟକରେ, କେଉଁ ବାଟରେ ଖସିଯାଇ, କବାଟ କିଳି ଶୋଇପଡ଼ିଛନ୍ତି । କାନଡେରି ଉଡ଼ାକଥା‌ ଶୁଣିଛନ୍ତି ।

 

ଘରଦ୍ୱାର, ବାରିବଗିଚା, ଧନ ଦରବ ସବୁ ତେଜ୍ୟା କରିଦେଇ, ନଈକୂଳର ନିଛାଟିଆ ମଶାଣିପଦା ପାଖରେ ଗୋଟିଏ ଛୋଟ କୁଡ଼ିଆ କରି ପଡ଼ିରହିଛି । ସେ ନଈର ବାଲିଲୁଦ, ନେଳିଆ ପାଣି, ଗୋଳିଆ ବଢ଼ି ଆଉ ଗଛ ଲତା, ପତ୍ରଫୁଲ, କାଉ କୋଇଲି, କଜଳପାତି, ହଳଦୀବସନ୍ତଙ୍କ ନାଚ ଗୀତରେ ସବୁ ଭୁଲିଛନ୍ତି । ଆସନ୍ତା କାଲିର ରଙ୍ଗିନ ସ୍ଵପ୍ନ ଦେଖିଛନ୍ତି !

 

ଗଲାଣି-କେତେଦିନ ଗଡ଼ି ଗଲାଣି, ଏ ନଈରେ କେତେ ପାଣି ବହି ଗଲାଣି । ଏ କୁଦରୁ କେତେ ବାଲି ଉଡ଼ି ଗଲାଣି । ଏ ମନରୁ କେତେ ସ୍ଵପ୍ନ ହଜିଗଲାଣି । ସେଇ ମାଧବଭାଇ ଏବେ ରହି ଗଲେଣି । ଭଲକରି ଚାଲବୁଲ କରି ପାରୁନାହାନ୍ତି । ରମେଶ ଭାଇଙ୍କଠୁ ଏସବୁ କଥା ମୁଁ ଶୁଣିଛି ।

 

ଏବେ ଛ'ମାସ ହେଲା ବାଇ ବେମାରିରେ ସେ ପଡ଼ିଛନ୍ତି । ଆମ୍ବାବାଇ କେତେବେଳେ ପେଟକୁ, କେତେବେଳେ ଅଣ୍ଟାକୁ ବା ଛାତିକୁ ଖେଁଚୁଛି, ଅଣ୍ଟା ସଳଖି ପାରୁନାହାନ୍ତି । ଆହା ଜୀବନରେ କିଛି ତାଙ୍କୁ ଦେଇ ପାରିନି । କିଛି ହେଲେ ତାଙ୍କର କର ପାରିନି । ତାଙ୍କରିଠୁ କେତେ କ'ଣ ସବୁ ନେଇଛି । ତାଙ୍କରି ଆଶୀର୍ବାଦରୁ, ତାଙ୍କରି କଲ୍ୟାଣରୁ, ମୁଁ ଆଜି ସାହିତ୍ୟିକ ବୋଲାଇ ଚାରିଆଡ଼େ ଘୂରି ବୁଲିଛି, ଏଣେ ତେଣେ ବକ୍ତୃତା ଝାଡ଼ୁଛି । ପତ୍ରପତ୍ରିକାରେ ଲେଖା ଛାପୁଛି- ସମ୍ପାଦନା କରୁଛି, ଅଥଚ ଏଇଠି – ଏଇ ମୋ ଗାଁ ମାଟିରେ, ଯିଏ ମୋ ଆଖିରେ ପ୍ରଥମ ସ୍ଵପ୍ନ; କଳ୍ପନାରେ ଡେଣା ଲଗେଇ ଦେଇଛି, ଯିଏ ମୋତେ ପ୍ରଥମେ ଚଖେଇଛି କଳା ଓ ସାହିତ୍ୟର ଅମୃତ ସ୍ଵାଦ, ତାପାଇଁ କ’ଣ ବା କରି ପାରିଛି !! ଆମେ ସବୁ ‘ମେଡିଓକୋର’, ‘ଫାଙ୍କିବାଜ', 'ଇଜିଚ୍ୟାର’ ବୁଦ୍ଧିଜୀବୀ ଦଳ । ଜୀବନ- ଠାରୁ, ଦୁନିଆଠାରୁ ଦୂରରେ ରହି, ଘଟଣା ସଙ୍ଗେ ସଂଶ୍ଳିଷ୍ଟ ନ ହୋଇ, ନାନା ଘାତ ପ୍ରତିଘାତ ପ୍ରତି ନଜର ନ ଦେଇ, ମନର ଖିଆଲରେ ଏଣୁତେଣୁ ଗୁଡ଼ାଏ ଧାର କରା କଥାକୁ ପୁଞ୍ଜି କରି ମହା ମଉଜରେ ଧାଁ ଧପଡ଼ କରୁଛୁ ! ନିଜର ପ୍ରତିଷ୍ଠା ପାଇଁ, ନିଜର ଖ୍ୟାତିଲାଗି, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ନାଟକକୁ ବିନିଯୋଗ କରି ତୁମୁଳ ହଟ୍ଟଗୋଳ ଧୂଆଁ ବାଣରେ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ, ଅଧିକ ଭାରାକ୍ରାନ୍ତ କରୁଛୁ ।

 

ଆଜି ଯଦି ଏ ବଅସରେ, ଏ ଦୁର୍ଦ୍ଦିନରେ, ବହୁ ବିଳମ୍ବ ସତ୍ତ୍ୱେ ବି କିଛି ହେଲେ ତାର କରିପାରେ.....କରିପାରେ.....। ହାତର ବ୍ରିଫକେସ୍ ଖୋଲି ମୁଁ ଗୁଡ଼ାଏ କାଗଜପତ୍ର ଅଣ୍ଡାଳି ପକାଇଲି । ହଁ, ସବୁ ଠିକ୍ ଅଛି ।

 

ବାଟ ସରି ଆସୁଛି । ମାଈ ସଞ୍ଜର ପାତଳ ଅନ୍ଧାର ଗଛଲତାର ମଥାନରୁ, ନଈପଠା ଓ କେନାଲ ଛାତିରୁ ଧୀରେ ଧୀରେ ମାଡ଼ି ଆସୁଛି । ତାଳ, ନଡ଼ିଆ, ଆମ୍ବ, ପଣସ ଘେରା କନକପୁର ଗାଁ ଏଇ ମୋ ସାମନାରେ ।

 

କବାଟ ଠକ୍ ଠକ୍ କରି ମୁଁ ଡକା ଛାଡ଼ିଲି ମାଧବ ଭାଇ, ହୋ, ମାଧବ ଭାଇ, ଘରେ ଅଛ ମାଧବ ଭାଇ ? କବାଟ ଖୋଲି ଦେଲି । ଜଣକ ସଂଭ୍ରମରେ ଠିଆ ହେଲେ । ନମସ୍କାର କଣାଇ କହିଲି–ମୁଁ ......ମୁଁ ....ମୁଁ ହଉଛି ପ୍ରକାଶ ମହାନ୍ତି । ଆଇଛି ମାଧବ ଭାଇଙ୍କୁ ଟିକିଏ ଦେଖିବା ପାଇଁ । ବୃଦ୍ଧାଙ୍କ ମୁହଁରେ ହସ ଉକୁଟିଲା ।

 

ଘରଆଡ଼େ ମୁଁ ଆଗେଇ ଗଲି । ମାଈ ସଞ୍ଜର ସେଇ ମହଳ ଅନ୍ଧାରରେ ମାଧବ ଭାଇ ପିଣ୍ଡାରେ ବସି ଖଣ୍ଡେ ହେଁସ ବୁଣୁଥିଲେ, ମୋତେ ଦେଖି ଆନନ୍ଦରେ କୁରୁଳି ଉଠି କହିଲେ–ଆରେ ପ୍ରକାଶ, ତୁ ଆସିଛୁ ? ଆ ବାପ.......ଆ .....ଆ...... । ମୁଣ୍ଡିଆ ମାରି ତାଙ୍କୁ ମୁଁ ପଚାରିଲି-ଆଉ ଖବର ସବୁ କ’ଣ ମାଧବ ଭାଇ ? ସବୁ କୁଶଳ ତ ? ମାଧବ ଭାଇ ସେମିତି ହସି ହସି କହିଲେ-‌ ସବୁ ଦୁର୍ଯ୍ୟୋଗ ଓ ଦୁର୍ଦ୍ଦିପାକ, ଅମଙ୍ଗଳ ଓ ଅକଲ୍ୟାଣକୁ ଯିଏ କୁଶଳ ଆଉ ଆନନ୍ଦ ବୋଲି ଗ୍ରହଣ କରି ନେଇଛି ତା’ର ପୁଣି ଦୁଃଖ କ’ଣ ? କଷ୍ଟ କେଉଁଥିପାଇଁ ? ଏଇତ ଦେଖୁଛୁ ବାପ, ହେଁସ ଖଣ୍ଡେ ବୁଣୁଛି । ବଅସ ବେଳେ ହସହସରେ ବେଳଗଲା । ଆଉ ଏଇନେ ହେଁସକୁ ଧରିଛି । ହସି ଆଉ ହେଁସର ବେଉସା ଭିତରେ ହାନି ଲାଭର ପ୍ରଶ୍ନ କାଇଁରେ ବାପ ! ଆଉ ତୁ କେମିତି ଏଣେ ଏ ଅବେଳଟାରେ ଗଡ଼ି ପଡ଼ିଲୁ ମ ? ଫାତିମା ଭାବୀ ଦି ଗ୍ଲାସ ଚା ଆଉ କୋରା ନଡ଼ିଆ ପକା ଚୂଡ଼ାଭାଜା ଦି ଥାଳିଆ ଥୋଇ ଦେଇ ଗଲେ, ଚୂଡାଭଜା ଆଉ ଚା ପିଉ ପିଉ ମୁଁ କହିଲି-

 

ବହୁ ଅସମ୍ମାନ, ବହୁ ଅଣହେଳା ଅମେ ତମମାନଙ୍କୁ କରିଛୁ । ଆମକୁ ସବୁ ତମେ କ୍ଷମାକର ମାଧବ ଭାଇ । ଆଜି କିନ୍ତୁ ଯୁଗ ଓଲଟି ଯାଇଛି । ଶିଳ୍ପୀ, କଳାକାରର ତ୍ୟାଗ ଓ ପ୍ରତିଭାକୁ ଏ ଦେଶ, ଏ ସରକାର ଏକ ସ୍ଵୀକୃତି ଦେଇଛି । ସେମାନଙ୍କ ଭରଣ ପୋଷଣ ପାଇଁ ଆର୍ଥିକ ପେନ୍‌ସନର ମଧ୍ୟ ବ୍ୟବସ୍ଥା କରାଯାଇଛି । ୟା ଭିତରେ ଭୁବନେଶ୍ୱର ଯାଇ ସରକାରୀ ଉଚ୍ଚ କର୍ମକର୍ତ୍ତାମାନଙ୍କ ସହ କଥାବାର୍ତ୍ତା କରି ତମପାଇଁ ପେନ୍‌ସନର ବ୍ୟବସ୍ଥା କରି ସାରିଛି । ନାଁ, ନାଁ, ତମେ ଆଉ ମନାଫନା କରନା । ସେ ପିଲାଳିଆମି ଆଉ ଦେଖାଅନା । ଖାଲି ଏ ଫର୍ମ କେଇଖଣ୍ଡରେ ଦସ୍ତଖତ କରିଦିଅ । ତମର କେତେଖଣ୍ଡ, ଫଟୋ ମଧ୍ୟ ଏଥିରେ ରହିବ । ମୁଁ ସଙ୍ଗରେ କାମେରା ନେଇ ଆସିଛି । କାଲି ସକାଳେ ସେ ସବୁର ବ୍ୟବସ୍ଥା କରିଦେବି ।

 

ମାଧବ ଭାଇଙ୍କ ହାତରୁ ଚୂଡ଼ାଭଜା ଗଣ୍ଡାକ ଥାଳିଆ ଉପରେ ଖସି ପଡ଼ିଲା । ସେ ମୋ ଆଡ଼େ କିପରି ଏକ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଲେ । ଛାତିରେ ମୋର ଛନକା ପଶିଲା । ବହୁ ଦିନୁ ଯାହା ଆଶଙ୍କା କରୁଥିଲି, ଉପସ୍ଥିତ ପରସ୍ଥିତିରେ ତା'ର ମୁହାଁ ମୁହିଁ ହେବାକୁ ଯାଉଥିବାରୁ ଟିକିଏ କିପରି ଶଙ୍କିଗଲି । ମାଧବଭାଇ ଛେପ-ଢୋକି, ଗଳା ସଫାକରି କହିଲେ–ବୁଝିଲୁ ପ୍ରକାଶ, ପିଲାଳିଆମି ମୋର ନୁହଁରେ, ସବୁବେଳେ ତୋର ସ୍ଵଭାବ ଏମିତି । ତୁ ଅଛୁ, ସେଇ ମୋର ଯଥେଷ୍ଟ । ଏ ବିଶ୍ୱ -‌ ବ୍ରହ୍ମାଣ୍ଡ ଭିତରେ କେହି ଜଣେ ହେଲେ ମୋ ପାଇଁ ଅଛି, ମୋ ପାଇଁ ଭାବୁଛି, ସେଇ ମୋର ପରମ ଭାଗ୍ୟ -କୋଟିନିଧି ।

 

ତୁ ଜାଣୁ-ଜାଣୁ ତୁ ପ୍ରକାଶ, ଆରେ ହଟ ମାଷ୍ଟର ଏବେ ବି ବଞ୍ଚିଛିରେ । ନ ମରି ଯାହା ବୁଢ଼ାଟା ଖାଲି କଲବଲ ହଉଛି ଭୋକ ଉପାସରେ, ପଥିପାଞ୍ଚନ ଟିକିଏ ନ ପାଇ ବୁଢ଼ୀଟା ଛଟପଟ ହୋଇ ମଲା । ଦି’ଦିଟା ଝୁଅ ବାହା ହୋଇ ନପାରି, ପେ ବିକଳରେ ଦଉଡ଼ିଦେଇ ମଲେ । ଗୋଟିଏ ବୋଲି ଭେଣ୍ଡାପୁଅ, କି ବେମାର ଧରିଲା କେଜାଣି, ଉସୁମାନେ ଗଲାସନ ଟଳି ପଡ଼ିଲା । ଆହା ହା, ଆଉ କହନା ବାପ, ଶତ୍ରୁକୁ, ଘୋର ପାଷାଣ୍ଡକୁ ବି ଏ ଦଶା ନ ପଡ଼ୁରେ ।

 

ଆରେ ହଟ ମାଷ୍ଟ୍ରର କାହାକୁ ମଣିଷ ନ କରିଛି ? କେଉଁ ନାଟ ବାଲାଠି, କେଉଁ ଗାୟକ ବାୟକଠି, ଏ ଆଡ଼ ଦୀର୍ଘ ଦଶକୋଶରେ ତା ଛାଟ ନ ବାଜିଛି ? ଆହା, କି ଛାନ୍ଦ, କି ଚଉପଦୀ, କି ଚମ୍ପୁ, କି ଭଜନ, କୀର୍ତ୍ତନ ତା କଣ୍ଠରୁ ନ ବାହାରିଛି ? ଚଟ୍‍କିନା ବେଶ ବଦଳେଇ ସଙ୍ଗେ ସଙ୍ଗେ କଂସାସୁରରୁ ତାଡ଼କା, ପୂତନା ହୋଇଯିବ । ରାବେଣାସୁରରୁ ସୁଗ୍ରୀବ, ବିଭୀଷଣ ସାଜିଯିବ, କେତେବେଳେ ମହାରାଜା ତ, କେତେବେଳେ ପୋଇଲି, ପରିବାରୀ, ପୁଣି କେତେବେଳେ ବୁଢ଼ା ମନ୍ତ୍ରୀ ତ, ଚାହୁଁ ଚାହୁଁ ପୁଣି ଦୁଆଡ଼ୀ ମୁଦୁସୁଲି । ଓଃ କି ଅଲୌକିକ ଶକ୍ତି ତା’ର- କି ଯେ କାଣ୍ଡକାରଖାନା ତା’ର । ତାକୁ ଶୁଣି ଶୁଣି ଲୋକେ ଗାୟକ ହୋଇ ଯାଇଛନ୍ତିରେ, ଦେଖି ଦେଖି ଓସ୍ତାତ ବନି ଯାଇଛନ୍ତି, ତାକୁ କାନେଇ କାନେଇ ବାୟକ ପାଲଟି ଯାଇଛନ୍ତି ।

 

ସେଇ ବୁଢ଼ା, ସେଇ ହଟ ମାଷ୍ଟର, ତାକୁ ତମେ କଳାକାର, ଶିଳ୍ପୀ ବା ଅଭିନେତା, ନିର୍ଦ୍ଦେଶକ ଯାହାକିଛି କହନା କାହିଁକି, ସେ ଆଜି ପଙ୍କ କାଦୁଅ ପଚପଚ, ମଶାମାଛି ଭଣଭଣ, ଗୋବର ଖାତରେ ସଲବଲ ହୋଇ ଜୁଳୁଜୁଳୁ କରି ଚାହିଁଛି । ତା କଥା ଟିକିଏ ବୁଝରେ ବାପ–ତା ପାଇଁ ଟିକିଏ ପଥିପାଞ୍ଚନର ବେବସ୍ଥା କର । ମୋ କଥା କାହିଁକି ଆଗ ପଡ଼ିଛି ? ମୁଁ ତ ହେଲେ ହେଁସ ବୁଣି ଚଳି ପାରୁଛି । କିନ୍ତୁ ହଟ ମାଷ୍ଟ୍ରଙ୍କର ଯେ ଆଉ ହାତ ଗୋଡ଼ ଚଳୁନାହିଁ !!!

 

ମାଧବ ଭାଇ ଆଉ କିଛି କହି ପାରିଲେ ନି । କଣ୍ଠସ୍ଵର ତାଙ୍କର କଇଁ କଇଁ ହୋଇ ଉଠିଲା । ପେଜେରା ଆଖିରୁ ଲୁହଗଡ଼ି ପାଚିଲା ଦାଢ଼ି ଆଉ ପିଞ୍ଜରା ହାଡ଼ ତିନ୍ତେଇ ଦେଲା ।

 

ସେଇଆଡ଼େ, ସେଇ ଶାନ୍ତ ସୁନ୍ଦର, ତ୍ୟାଗ ମଧୁର ମୁହଁଆଡ଼େ ମୁଁ ଚାହିଁ ରହିଥିଲି । ସ୍ଥିର ନିଶ୍ଚଳ, ନିଷ୍କମ୍ପ ଏକ ସାରସ୍ଵତ ଦୀପ ଶିଖା ଯେପରି ଦାଉ ଦାଉ ହୋଇ ଜଳି ଉଠୁଛି । ସେ ଶିଖାର ଧାସ ବାଜି କେତେ ନିଷ୍ପ୍ରଭ ପ୍ରଦୀପ ଜଳି ଉଠୁଛି-ଆଲୋକିତ କରୁଛି । ମୋର କଣ୍ଠସ୍ଵର କମ୍ପି ଉଠିଲା–ମୁଁ ମାଧବ ଭାଇଙ୍କ ପାଦଧରି ମୁଣ୍ଡିଆ ମାରିଲି । କହିଲି - ମାଧବ ଭାଇ, ତୁମେ ଯଥାର୍ଥରେ ସରସ୍ଵତୀଙ୍କର ବରପୁତ୍ର !

Image

 

କଇଁଚ

ଶ୍ରୀ ବିଜୟକୃଷ୍ଣ ମହାନ୍ତି

 

ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି ।

 

ଅନ୍ଧକାର ଧରଣୀକୁ ସମ୍ପୂର୍ଣ୍ଣ ଆଚ୍ଛନ୍ନ କରିବା ପୂର୍ବରୁ ଆକାଶରେ ଜହ୍ନ ଉଠିଛି ।

 

ନିତ୍ୟ ଅଭ୍ୟାସାନୁଯାୟୀ ଆଡ଼୍‍ଭୋକେଟ୍ ମନୋଜ ଦାସ ନଈକୂଳକୁ ସାନ୍ଧ୍ୟ ଭ୍ରମଣରେ ଆସି ନଦୀବନ୍ଧ ଉପରେ ନୀରବରେ ବସିରହି ପଶ୍ଚିମ ଦିଗନ୍ତକୁ ଅପଲକ ଦୃଷ୍ଟିରେ ଚାହିଁ ରହିଥିଲେ ।

 

ଦୂର ପର୍ବତଶ୍ରେଣୀ ଅସ୍ପଷ୍ଟ ଦିଶୁଛନ୍ତି ।

 

ଆକାଶରେ ତାରକାମାନଙ୍କର ଆଖିମିଟ୍‍କା ।

 

ନଈକୂଳ ଜନଶୂନ୍ୟ ହୋଇ ଆସୁଛି କ୍ରମଶଃ ।

 

ଚାଞ୍ଚଲ୍ୟରେ ଭଟ୍ଟା ପଡ଼ୁଛି ।

 

ବ୍ୟସ୍ତତାର ବିସ୍ତୃତିରୁ ଆତ୍ମରକ୍ଷା କରିବାକୁ ଯେଉଁମାନେ ଏଠାକୁ ଛୁଟି ଆସିଥିଲେ ବିଜନତାର ଆସ୍ଵାଦନ ପାଇଁ ସେମାନେ ପୁନଶ୍ଚ ଫେରି ଯାଉଛନ୍ତି, ସେଇ ଅତି ପୁରାତନ ଓ ଅତି ଆପଣାର ବ୍ୟସ୍ତତା ଭିତରକୁ ।

 

ସେମାନେ ଜୀବନ ଲୋଡ଼ି ଆସିଥିଲେ ନିର୍ଜ୍ଜନତା ଭିତରେ ।

 

ପ୍ରାପ୍ତି ନେଇ କ’ଣ ସେମାନେ ଫେରି ଯାଉଛନ୍ତି ?

 

ଦୂର ପର୍ବତ ସୁନ୍ଦର ।

 

କର୍ମଶୂନ୍ୟ ଜୀବନର ସ୍ଥିତି ଯେ ଦୁର୍ବିସହ ।

 

ମାତ୍ର ଜୀବନର ଅର୍ଥ କ’ଣ ? ସଜ୍ଞା କ’ଣ ତା’ର ? ମନୋଜ ଦାସ ନିଜ ଜୀବନକୁ ବିଶ୍ଳେଷଣ କରୁଛନ୍ତି ।

 

ଏମିତ ସନ୍ଧ୍ୟାରେ ନିଜ ଜୀବନକୁ ସେ ବିଶ୍ଳେଷଣ କରନ୍ତି । ଏଇ ମୁହୂର୍ତ୍ତ ବେଶ୍ ନିର୍ଜ୍ଜନ । ଭାବିବାକୁ ସମୟ ମିଳେ। ନଚେତ୍ କର୍ମ ଜଞ୍ଜାଳମୟ ଜୀବନରେ ନିଜକୁ ନିଖାରି ଦେଖିବାର ସମୟ ଆଉ କାହିଁ ?

 

ମାତ୍ର ନିଜକୁ ଏମିତି ଦେଖିବାକୁ ତାଙ୍କୁ ଡର ଲାଗେ, ତଥାପି ଦେଖିବାର ଇଚ୍ଛା ସମ୍ବରଣ କରି ହୁଏନା । ସେ ଭୟରେ କିପରି ଏକ ତୃପ୍ତି ଅଛି ।

 

କର୍ମ ଯାଚି ହୋଇ ଆପେ ଆସିବାର ଯଥେଷ୍ଟ ଆଗରୁ ସେ ତାକୁ ନିମନ୍ତ୍ରଣ କରି ଆଣିଥା’ନ୍ତି ତା’ର ଆବରଣ ତଳେ ନିଜକୁ ଲୁଚାଇ ରଖିବାକୁ ।

 

ମାତ୍ର ଏମିତି କ’ଣ ଲୁଚାଇ ହୁଏ ? ମେଘ ପଛଆଡ଼େ ସୂର୍ଯ୍ୟ ଲୁଚେ; କିନ୍ତୁ ଲୁଚି ପାରେ କି ? ଧରାପକେଇ ଦିଏ ତା’ର ଆଲୁଅ ।

 

ସନ୍ଧ୍ୟାର ଅବସର ବ୍ୟତୀତ ଅନେକ ଗଭୀର ରାତ୍ରିର ନିର୍ଜ୍ଜନ ପ୍ରହରରେ ନିଜ ଜୀବନର କରୁଣ କାନ୍ଦଣା ସେ ଶୁଣନ୍ତି । ବାହୁନି ବାହୁନି କାନ୍ଦୁଛି ସେ ।

 

କର୍ମ ସୁରାର ତୀବ୍ର ନିଶାର ପ୍ରକୋପ ସତ୍ତ୍ୱେ କ୍ଲାନ୍ତ ମନ ଓ ଦେହ ଛାଟିପିଟି ହୋଇ ନନ୍ଦା ନିଗଡ଼ରୁ ଖସିଆସେ ।

 

ନିଶା ଗର୍ଜ୍ଜୁଛି ।

 

ପାଖରେ, ଅତି ପାଖରେ ପତିପ୍ରାଣା ପ୍ରେମମୟୀ ସୁନ୍ଦରୀ ପତ୍ନୀ ଶୋଇ ରହିଛନ୍ତି । ସେ ଶୋଇ ରହିଛନ୍ତି ଖୁବ୍ ନିକଟରେ, ହାତ କତିରେ, ଅଥଚ…

 

ଏକ ଦୀର୍ଘଶ୍ଵାସ ତାଙ୍କ ବୁକୁ ଫଟାଇ ବାହାରି ଆସେ । ନଈ ଆରପାରି ଗାଁ ଆଲୁଅ ଠାଏ ଠାଏ ଦିଶି ଲିଭି ଯାଉଛି ।

 

ତିମିରିତ ଜୀବନର ବର୍ତ୍ତମାନ ଉପରେ ଟିପରେ ଠିଆ ହୋଇ ଅତୀତକୁ ଉଙ୍କି ମାରିବାରେ ତୃପ୍ତି ମିଳେ ।

 

ସବୁ କାଲିପରି ଲାଗେ । ସମୟର ଦ୍ରାଘିମା ନିଶ୍ଚିହ୍ନ ହୋଇଯାଏ ।

 

ସେଇ ରାତି, ଜୀବନରେ ଥରେ ଆସେ ।

 

ନୂଆବୋଉଙ୍କର ହସରେ ଥଟ୍ଟା, କଥାରେ ପରିହାସ । କ’ଣ କେତେ କହୁଛନ୍ତି, ହାତଧରି ।

 

ସେ ସବୁ ଶୁଣି ବି ଶୁଣି ହେଉନି । ଘରର ଆଉଜା ଦରଜାର ଆରପାଖେ ସେ କିଏ ? ମନ ତାରି କଳ୍ପନାରେ ଭର୍ତ୍ତି ।

 

ନୂଆବୋଉଙ୍କ କଥାର ଯେମିତି ଇତି ନାହିଁ ।

 

ବ୍ୟାକୁଳତା ସୀମା ଲଙ୍ଘିଛି, ଉପଦେଶ ସେତିକି ଥାଉ । ଭିତରକୁ ଠେଲି ଦେଇ ବାହାରୁ ଦରଜା ଧଡ଼୍ କରି ବନ୍ଦ କରିଦେଲେ ।

 

ନୂଆବୋଉଙ୍କର କଳହାସ୍ୟ ଶୁଣାଯାଉଛି ।

 

ଦେହ ତାଙ୍କର ଗୋଟିପଣେ ଥରୁଚି ।

 

ମିଞ୍ଜି ମିଞ୍ଜି ଦୀପ ଆଲୁଅ ।

 

କିଏ ସେ ? ଅପାଦମସ୍ତକାବୃତା ଘର କଣରେ ସେ ବସିଛି କିଏ ?

 

କମ୍ପିତ ଚରଣରେ ଅଗ୍ରଗତି ।

 

କତିରେ ପହୁଞ୍ଚି ଦୃଷ୍ଟି ଅପଲକ । କୌତୁହଳ, ଉତ୍କଣ୍ଠା ।

 

କମ୍ପିତ କରେ ଅବଗୁଣ୍ଠନ ଖୋଲିବାର ପ୍ରଚେଷ୍ଟା ।

 

ସରମର ଭୀଷଣ ପ୍ରତିରୋଧ ।

 

ମାତ୍ର ତିଷ୍ଠି ପାରି ନ ଥିଲା ବିଚାରୀ ।

 

ଅବଗୁଣ୍ଠନ ମୁକୁଳିଗଲା ।

 

ତା'ପରେ ?

 

ମୂକଂ କରୋତି ବାଚାଳଂ ।

 

ଆଳାପ ସ୍ରୋତସ୍ଵତୀର କଳଗୀତି ।

 

ଏ ତ ଗୌରଚନ୍ଦ୍ରିକା ... ନାମ ସଂକୀର୍ତ୍ତନ ।

 

ସଂକୀର୍ତ୍ତନ ବେତାଳ ଧରୁଛି କ୍ରମଶଃ ।

 

ଆଖିରେ ଆଖିରେ ଏତେ କି ଆଲୁଅ ?

 

ରସ ଆସ୍ଵାଦନ...?

 

“ନା, ମୋ’ ରାଣ....?”

 

ଅନୁରୋଧ ରଖିବାର ସମସ୍ତ ନ ଥିଲା ସେ ।

 

କଞ୍ଚା ମାଂସର କି ଚମତ୍କାର ଗନ୍ଧ ।

 

ଆଘ୍ରାଣଂ ଅର୍ଦ୍ଧ ଭୋଜନମ୍ ।

 

ଉତ୍‍କେଶର ମୃଗ ପତିର ଗର୍ଜ୍ଜନ ଝାମ୍ପ ।

 

ସମସ୍ତ ପୃଥିବୀ ଆଖି ଆଗରୁ କ୍ରମଶଃ ଅପସରି ଯାଉଛି ।

 

କି ଅପୂର୍ବ ସେ ଅନୁଭୂତି, ଅନିର୍ବଚନୀୟ ।

 

ପ୍ରତିବାଦିନୀରୁ ତନୁରେ ଏ କି ଶୀକାର । ଓଠରେ ଏ କି ଶବ୍ଦର ମାଧୁରୀ ।

 

ପ୍ରତ୍ୟାଖ୍ୟାନର ବିସ୍ମୟକର ସହଯୋଗ ।

 

ଶୂନ୍ୟ କଣ୍ଠର ଚାରିପାଖେ ପେଲିବ ଏ ଭୁଜବଲ୍ଲରୀ କା’ର ?

 

ଜୀବନର ଆଦ୍ୟ ଅନୁଭୂତି । ଅନୁଭୂତି ସେ ।

 

ସ୍ଵର୍ଗବୋଲି ଭିନ୍ନ ଆଉ କିଛି ଅଛି କି ?

 

ସୁଷମା, ପ୍ରାଣସଙ୍ଗିନୀ ସୁଷମା ମୋର ।

 

ସତେ କି ସୁନ୍ଦର ସେ ।

 

ମଧୁ ରାତ୍ରିର ସେଇ ଆଦ୍ୟ ଚାଞ୍ଚଲ୍ୟର ଅୟମାରମ୍ଭ ପରେ ପ୍ରତି ରଜନୀରେ ତା’ରି ପୁନରାବୃତ୍ତି ଅବ୍ୟାହତ ।

 

ରାତି କେମିତି କୁଆଡ଼େ ପାହିଯାଏ, ଆଦୌ ଜଣାପଡ଼େ ନା । ଉତ୍କଣ୍ଠିତ ଚିତ୍ତରେ ପୁଣି ଅନାଗତ ରାତ୍ରିର ଅପେକ୍ଷା । ଦିନ ପୁଣି ଏତେ ଦୀର୍ଘ ।

 

ଚାପଲ୍ୟର ଚରମ । ଢିଥାପି ଶ୍ରାନ୍ତି ନାହିଁ; କ୍ଲାନ୍ତି ନାହିଁ । ଏତେଟିରେ ଅବସାଦ ବି ନାହିଁ ।

 

ପ୍ରେମ କୁହ, ସ୍ନେହ କୁହ ଏ ପରମ ସତ୍ୟର ସେ ସବୁ ନାମାନ୍ତର ମାତ୍ର । ଏଇ ଗୋଟିକର ସ୍ଥିତି ବିନା ସେମାନଙ୍କର ଅସ୍ତିତ୍ଵ କାହିଁ ?

 

ପଙ୍କ ନ ଥିଲେ କି ପଦ୍ମ ଫୁଟେ ?

 

ସେମାନେ ଢୋଲ ନୁହନ୍ତି, ଢୋଲର ଧ୍ଵନି ମାତ୍ର ।

 

କ୍ଷୟର ଅଦ୍ଭୁତ ଏ ଜୟଗାନ ।

 

“ଅତନୁରେ ତୁଁ ହୁଁ ମମ ଶ୍ୟାମ ସମାନ ।”

 

ସେଦିନ ନୂଆବୋଉଙ୍କର ହଠାତ୍ ପରିହାସର ଚମକ, “ବିଚାରି ଲତା ତାତିରେ ଏକଦମ୍ ଝାଉଁଳି ଗଲାଣି । ଟିକିଏ ରିହାତି ମିଳୁ ।”

 

ପ୍ରଥମରୁ ତ ସେ ପରିହାସ ଆଦୌ ଧରି ପାରି ନାହାନ୍ତି । ପରକ୍ଷଣରେ ଅର୍ଥ ମରମ ଛୁଇଁଲାବେଳକୁ ନୂଆବୋଉ ହସି ହସି ବେଦମ୍ ।

 

ଇସ୍ କେଡ଼େ ଚାଲାକ ଏ ନୂଆବୋଉ । ନିଶ୍ଚୟ ଫଟାଇ ଫଟାଇ ସବୁ ଆଦାୟ କରି ନେଇଛନ୍ତି ତା’ଠୁଁ ।

 

ସେ ନୂଆବୋଉଙ୍କ ମୁହଁକୁ ଅନାଇ ପାରିଲେନି । ବୁଲିପଡ଼ି କିପରି ପଳାଇ ଆସିବେ ତାଙ୍କୁ ତର ସହିଲାନି ।

 

ପଛରୁ ଢ଼ାଙ୍କ ହସ ଶୁଭୁଛି ।

 

ଭାରି ବେହିଆଣୀ ସତେ ଏ ନୂଆବୋଉ ।

 

ସେ ଦିନ ସେ କି ବଜ୍ରପାତ ।

 

“ଆଜି ସେ ଦରଜା ବନ୍ଦ” ନୂଆବୋଉ ସୁଷମା କକ୍ଷକୁ ଆଙ୍ଗୁଠି ଦେଖାଇ ଦେଲେ । ଓଠରେ ତାଙ୍କର କିପରି କୌତୁକିଆ ହସ ।

 

“ଏଁ ?” ଚମକି ପଡ଼ିଥିଲେ ସେ ।

 

“ଖାଲି ଆଜି ନୁହେଁ”, ନୂଆବୋଉ ହସୁଛନ୍ତି । ତା'ପରେ ତାଙ୍କ ସାମନାରେ ବୃଦ୍ଧାଙ୍ଗୁଷ୍ଠି ସାହାଯ୍ୟରେ ଅନାମିକାକୁ ଚାପି ଧରି ଅନ୍ୟ ତିନି ଆଙ୍ଗୁଠିର ହାସ୍ୟମୟ ପ୍ରସାର ।

 

ତିନିଦିନ ନୁହେଁ ତ, ତିନୋଟି ଯୁଗ ।

 

ତା'ପରେ ଅଜସ୍ର ଉଦ୍‍ବେଗ, ଆବେଗ ଏବଂ କୌତୂହଳ ନେଇ ଯେଉଁଦିନ ପୁନଶ୍ଚ ସେ ସୁଷମାଙ୍କୁ ଭେଟିଲେ…

 

ତାଙ୍କ ପ୍ରଶ୍ନରେ ଲାଜରା ହୋଇଯାଇଛି ବିଚାରୀ । “ଭାରି ବେହିଆ ହୋଇଗଲାଣି ତମେ । କ’ଣ ହୋଇଥିଲା କି ? କିଛି ତ ହୋଇନି ।”

 

“ତେବେ ଦେବୀ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲା କାହିଁକି ଶୁଣେ ?”

 

ସରମରେ ଏକଦମ୍ ଲାଲ ପଡ଼ିଯାଇଚି ସେ ।

 

ରାଗ, ଅଭିମାନ, “ମୋ ସଙ୍ଗେ ଆଉ କଥା କୁହନି । ଛି, ତମେ ସବୁ ଏଡ଼ିକି ଅଭଦ୍ର ନା ।”

 

ପୁରୁଷର ଚୂଡ଼ାନ୍ତ ଅଭଦ୍ରାମିର ଅନ୍ତରାଳରେ ନାରୀ ଜୀବନର ଚରମ ତୃପ୍ତି ଯେ ପ୍ରଚ୍ଛନ୍ନ ଥାଏ, ଏତେବଡ଼ ସତ୍ୟ ପ୍ରକାଶ କରିବାକୁ ଯାଇ ସେ ଚୂପ ହୋଇ ଯାଇଥିଲେ ।

 

ସବୁକଥା ସବୁବେଳେ କୁହା ଯାଇପାରେ ନା ।

 

ବାହୁର ବ୍ୟୂହରେ ଛାଟିପିଟି ହେଉଚି ଅଭିମାନିନୀ, “ନା, ମୋତେ ଛାଡ଼ିଦିଅ, ଛାଡ଼ିଦିଅ... ”

 

ସେ ହସୁଛନ୍ତି ।

 

ମୁକ୍ତି ଲୋଡ଼ିଲେ କି ମୁକ୍ତି ମିଳେ ?

 

ପଦ୍ମତୋଳା ସଙ୍ଗେ ସଙ୍ଗେ ବିନ୍‍ର ଦରଦୀ ମୂର୍ଚ୍ଛନା ।

 

ଅଭିମାନର ଦ୍ରୁତ ଆତ୍ମବିସ୍ମତି ।

 

ତନୁ ଉପରେ ତା’ର ଏ କି ଶୀତ୍କାର ।

 

ଅଦ୍ଭୁତ ବେପଥୁ ଅଙ୍ଗେ ଅଙ୍ଗେ ।

 

ତନ୍ଦ୍ରାଚ୍ଛନ୍ନ ନୟନରେ ଆତ୍ମସମର୍ପଣର ଇଙ୍ଗିତ ।

 

ଆଃ ।

 

ସ୍ଥିତି ହଜି ହଜି ଯାଉଛି ।

 

ସେ ଅଫେରା ରାତି ପୁଣି ଫେରି ଆସିଛି କି ?

 

ସେ ରତସିକ୍ତ ରାତ୍ରିର ନିରବଚ୍ଛିନ୍ନ ଉନ୍ମାଦନା ଏପରିଭାବେ ଆଉ କେବେ ଆତ୍ମପ୍ରକାଶ କରିଛି ତାଙ୍କର କାହିଁକି ମନେ ହୁଏନା ।

 

ସାର ରାତ୍ରିର କ୍ଳାନ୍ତ ଶ୍ରାନ୍ତ ତନୁକୁ ରଜନୀର ଶେଷ ପ୍ରହରରେ ଟିକିଏ ଅବ୍ୟାହତି ଦେବାର ଅନୁରୋଧ ସେ ସୁଷମାର ରକ୍ଷା କରି ପାରି ନ ଥିଲେ ।

 

ଏ ଅନୁରୋଧ ତାଙ୍କର ଜ୍ଜଳନ୍ତ କାମନାକୁ ଆହୁରି ଦୀପ୍ତ କରିଦେଲା ।

 

ସୁଷମାର ବିଶ୍ରାନ୍ତ ତନୁକୁ ସେ ନିଜର ଆଲିଙ୍ଗନ ଭିତରକୁ ବିପୁଳ ଆବେଗରେ ଟାଣି ନେଇଥିଲେ ।

 

ଲତାଟିଭଳି ସେ ଜଡ଼ି ଯାଇଥିଲା ସହକାରର ପ୍ରଶସ୍ତ ବୁକୁ ଉପରେ ।

 

କ୍ରୀଡ଼ନକର ଧର୍ମ କଣ ସତେ ନାରୀର ?

 

ଅର୍ଦ୍ଧପଥରେ ଚମକିପଡ଼ି ଛାଟିପିଟି ହୋଇ ଉଠି ପଡ଼ିଥଲେ ସେ ।

 

ସୁଷମା ଅଜ୍ଞାନ ।

 

କେଉଁ ଏକ ରାତ୍ରି ପକ୍ଷୀ ବିକଟ ଚିତ୍କାରର କରି ତାଙ୍କ ମୁଣ୍ଡ ଉପର ଦେଇ ଉଡ଼ିଗଲା ।

 

ଚମଡି ପଡ଼ିଲେ ମନୋଜ ଦାସ । ଦୃଷ୍ଟି ମୋଡ଼ିହୋଇ ଯାଇଛି ।

 

ପଶ୍ଚାତ୍‍ଦୃଷ୍ଟିରେ ସହରର ଅଲୋକ ଘଟା ।

 

ସେ ଆଲେକରେ ଜୀବନ ଅଛି ?

 

କ୍ଲାନ୍ତ ଦୃଷ୍ଟି ଫେର୍ ଫେରିଆସିଲା ସମ୍ମୁଖକୁ ।

 

ନଦୀର କଳଗାନ ଶ୍ରୁତିଗୋଚର ହେଉଚି ।

 

ମାସକର ନିରବଚ୍ଛିନ୍ନ ଅବସ୍ଥାନ ପରେ ମେଲାଣିର ସେ ମର୍ମନ୍ତୁଦ ଦିବସ ।

 

“ଲ” କଲେଜର ଛାତ୍ର, ଅଧ୍ୟୟନରେ ଖୁବ୍ କ୍ଷତି ଘଟିଛି ଏ ଦାର୍ଘ ଅନୁପସ୍ଥିତ ଯୋଗୁଁ ।

 

ମାତ୍ର ମନ ଚାହୁଁନି ଫେରିଯିବାକୁ ।

 

ସୁଷମା କାନ୍ଦୁଛି ।

 

ନିଜ ଆଖିରେ ବି ଲୁହ ।

 

ଗାଁକୁ ତ ସେ ଏମିତି କେତେଥର ଆସିଛନ୍ତି ଛୁଟିରେ । ମାତ୍ର ଛୁଟି ଶେଷ ହେବାର ଯଥେଷ୍ଟ ପୂର୍ବରୁ ସେ ପଳାଇ ଯାଇଛନ୍ତି ସହରକୁ ।

 

ଭଲ ଲାଗେନା ।

 

କି ଆକର୍ଷଣ ବା ଏଠି ଅଛି ?

 

ସହରରେ ଇନ୍ଦ୍ରଜାଲ ଗାଁରେ ତ ସ୍ଵପ୍ନ ।

 

ଦିନ କଟେନା ।

 

କେତେଥର ଛୁଟିରେ ପତ୍ନୀ ବାହାନାରେ ବି ସେ ଗାଁକୁ ଆସି ନାହାନ୍ତି ।

 

ମାତ୍ର ଆଜି ସେହି ଗାଁ ମାଟି ଛାଡ଼ି ସହରକୁ ଫେରିଯିବା ଲାଗି ମନ ଚାହୁଁନି । କାହିଁକି ?

 

ଏଠି ତ ମାଟି, ସବୁ ମାଟି ।

 

ଆଉ ସେଠି ? ହଷ୍ଟେଲର ଦ୍ଵିତଳ କକ୍ଷ, ବିଦ୍ୟୁତ୍ ଆଲୋକର ଉତ୍ସବ, ବନ୍ଧୁମାନଙ୍କର ସ୍ନିଗ୍‍ଧ ସାହଚର୍ଯ୍ୟ । ପିଚୁରାସ୍ତା, ପ୍ରେକ୍ଷାଳୟ । ଏ ସବୁ ସତ୍ତ୍ୱେ ଗାଁ ମାଟି ଆଜି କାହିଁକି ଭଲ ଲାଗୁଛି ଏତେ ?

 

ମାତ୍ର ସେ ଫେରିଲେ ।

 

ସବୁ ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ କିଛି ଭଲ ଲାଗୁନି ଏଠି । ଏତେ କୋଳାହଳ, ଏତେ ଉତ୍ସବ ସତ୍ତ୍ୱେ ସବୁ ଯେପରି ଶୁନ୍ୟ ।

 

ମେଲା ବହିରେ ସେ କାହା ମୁହଁ ?

 

ଆଖି ଲୁହରେ କିଏ ସେ ଡାକୁଚି ?

 

ମନେ ପଡ଼ୁଛି ଆଜି ଦିନ ଚାରିଟାର ବ୍ୟବଧାନ ମାତ୍ର; କିନ୍ତୁ ସେ ପାଗଳ ହୋଇଯିବେ ନା କ'ଣ ?

 

ମୁଣ୍ଡକୁ ଭୂତ ଉଠିଛୁ, ମଦନଭୂତ ।

 

ଅପରାହ୍ନରେ ସାଇକେଲ ଧର ଦୀର୍ଘ କୋଡ଼ିଏ ମାଇଲ ପଥ ଅତିକ୍ରମ କରି ରାତି ଆଠଟାରେ ବର୍ଷାରେ ଜୁଡ଼ୁ ବୁଡ଼ୁ ଓଦା ହୋଇ ଆସି ଗାଁରେ ହାଜର ।

 

ଅଧବାଟରେ ଅଦିନ ମେଘ ଅଜାଡ଼ିଲା ।

 

ନୂଆବୋଉ ଦରଜା ଖୋଲି ଦେଇ ଚମକି ପଡ଼ିଲେ, “ମନୁ, ତମେ ।”

 

ଆଖିରେ ଏଇନେ କିଛି ଦିଶୁନି-ବାପା, ମା', ଭାଇ, ଭଉଣୀ, ନୂଆବୋଉ । ସେ କାହଁ ? ଖାଲି ସେ ।

 

ନୂଆବୋଉଙ୍କ ଓଠରେ ରହସ୍ୟମୟ ହସ ।

 

ଭୋରରୁ ସେ ଫେରି ଯାଇଥଲେ ସହରକୁ ।

 

କ୍ଲାସ ଅଛି ।

 

ପଥଶ୍ରାନ୍ତି ଆସିବାବେଳେ ଏତେ ଟିକେ ବି ବାଧିନି । ମାତ୍ର ପ୍ରତ୍ୟାବର୍ତ୍ତନ ବେଳେ ପଥର ଦୈର୍ଘ୍ୟ ଭୟ ଦେଖାଉଛି ।

 

ସେ ଦିନର ସେ ଦୁଃସାହସିକତା ଏମିତ ଆଉ କେତେଥର ଯେ ଆତ୍ମପ୍ରକାଶ କରିଛି ତାର ଇୟତ୍ତା ନାହିଁ ।

 

ସ୍ଵାଭାବିକ ଯା’ ଘଟିଛି ।

 

ସେତେବେଳେ ଅନ୍ୟର ପରିହାସ, ଉପହାସ, ଭ୍ରୁକୁଟୀ ପ୍ରତି ଦୃଷ୍ଟି ଦେବାକୁ ସମୟ ମିଳୁନି ।

 

ପଶୁର ହୁଙ୍କାର ।

 

ଅବ୍ୟାହତିର ପ୍ରଶ୍ନ କାହିଁ ?

 

ଛ’ ମାସ ପରେ ।

 

ସେଦିନ ସହରରୁ ଗାଁରେ ଆସି ପହଞ୍ଚୁ ପହଞ୍ଚୁ ନୂଆବୋଉ ତାଙ୍କୁ ଅନ୍ତରାଳକୁ ଡାକିନେଇ ଚୁପ୍ ଚୁପ୍ କହିଲେ, ଖୁବ୍ ଗୋଟେ ବଢ଼ିଆ ଖବର ଦେବି, କ’ଣ ଦେବ କହ ତ ?

 

ନୂଆବୋଉ ଆଖିରେ ବି କଥା କହନ୍ତି ।

 

ସେ ବିସ୍ମୟରେ ଅବାକ୍ । କିଛି ବୁଝି ହେଉନି ।

 

ତାଙ୍କର ବୋକା ବୋକା ଭାବ ଲକ୍ଷ୍ୟ କରି ନୂଆବୋଉ ଆତ୍ମସମ୍ବରଣ କରି ପାରି ନ ଥିଲେ, “ସୁଷମା ମା’ ହେବାକୁ ଯାଉଛି, ବୁଝିଲ ?”

 

ସୁଷମା ମା’ ହେବ ? ସେ ବିଶ୍ୱାସ କରି ପାରୁ ନାହାନ୍ତି କାନକୁ । ଖୁସିରେ ଭୁଇଁରେ ପାଦ ଲାଗୁନି ।

 

ବିଜୁଳି ବେଗରେ ସୁଷମା ପାଖକୁ…।

 

“ସୁମି, ସୁମି, ଏ ସତ ? ସତ ଏ ?”

 

ଲାଜରେ ଏତେଟିକେ ହୋଇ ଯାଇଚି ବିଚାରୀ । କଥା କହି ପାରୁନି ।

 

ମୌନଂ ସମ୍ମତି ଲକ୍ଷଣଂ ।

 

ସେ ଏଣିକି ଗ୍ରାମକୁ ଆସିଲେ ଆଗ୍ରହର ସହ ଲକ୍ଷ୍ୟ କରନ୍ତି ସୁଷମାର ଶରୀରର ସ୍ଫୀତି ।

 

ତାଙ୍କର ସହରରୁ ପାଗଳପରି ଛୁଟି ଆସିବାର ଉଦ୍ଦାମତାରେ ଏବେ ଧୀରେ ଧୀରେ ଭଟ୍ଟା ପଡ଼ି ଆସୁଛି ।

 

ଆଗପରି ତାଙ୍କର ପ୍ରବଳ ଆଦର୍ଶ ଚରିତାର୍ଥ କରିବାର କ୍ଷମତା କ୍ରମେ କ୍ଷୀଣ ହୋଇ ଆସୁଛି ସୁଷମାର ।

 

ନିଷ୍କ୍ରିୟ ହୋଇ ପଡ଼ୁଛି କ୍ରମଶଃ ।

 

ଆଗପରି ଆଗ୍ରହର ପ୍ରତିକ୍ରିୟା ଆଉ ପ୍ରକାଶ ପାଉନି । ଏଣିକ ମାତ୍ର ଥରକର ମଧ୍ୟ ଅଭିରୁଚି ସେ ହରାଇ ବସିଲାଣି ।

 

ନୂଆବୋଉ କଥାରେ କଥାରେ ସତର୍କ କରି ଦେଲେଣି ଆଗପରି ଆଉ ହେଲେ ଚଳିବନି ମନି । ତୁମେ ତ ବୁଝିବା ପିଲା ।

 

ସୁଷମା ସବୁ କହି ଦେଉଚି ନା କ’ଣ ?

 

କାମନା ବ୍ୟାହତ ହେବା ଫଳରେ କ୍ରୋଧର ସ୍ଵତସ୍ଫୁର୍ତ୍ତ ପ୍ରକାଶ ।

 

ଏତେ ଶୀଘ୍ର ମା’ ହେବାର କି ସାର୍ଥକତା ବା ଅଛି ?

 

ଅନାଗତ ଶିଶୁ ଉପରେ ଅନ୍ୟାୟ କ୍ରୋଧର ସଞ୍ଚାର ।

 

ଏ ପ୍ରତିକ୍ରିୟା ସତରେ ହାସ୍ୟୋଦ୍ଦୀପକ । ତାଙ୍କର ଏ ଯନ୍ତ୍ରଣା ପୁଣି ଅନ୍ୟର ହାସ୍ୟ ଉଦ୍ରେକ କରେ ?

 

ସେଦନ ନିରୁତ୍ସାହ ମନ ନେଇ ଗାଁରେ ପହଞ୍ଚି କିନ୍ତୁ ଚମକି ପଡ଼ିଲେ ।

 

ସୁଷମା-ଘର ଖାଲି ।

 

ପଛକୁ ଫେରିପଡ଼ି ଦେଖିଲେ ନୂଆବୋଉ ହସୁଛନ୍ତି ।

 

“ସୁଷମା ?” କଣ୍ଠରେ ତାଙ୍କର ଅଦ୍ଭୁତ ବ୍ୟାକୁଳତା ।

 

“ବାପା ତା’ର ଆସିଥିଲେ, ନେଇଗଲେ ।”

 

ଦେହର ସମସ୍ତ ରକ୍ତ ଯେପରି ମଥାକୁ ଚମକିଗଲା ।

 

କେବଳ ସାକ୍ଷାତ ଅନ୍ତରାଳରେ ସେ ଅନେକଟା ସାନ୍ତ୍ଵନା ଆତ୍ମଗୋପନ କରିଥାଏ ଏ ଚରମ ସତ୍ୟ ବୁଝିପାରିବା ଭଳି ଶକ୍ତି କ’ଣ ଏ ଘରେ କାହାର ହେଲେ ନାହିଁ ।

 

ତେଣୁ ଏ ଅଦର୍ଶନ ସଂପୂର୍ଣ୍ଣ ଅସହ୍ୟ ।

 

ତାଙ୍କୁ ଅବ୍ୟକ୍ତ କ୍ରୋଧର ପ୍ରକାଶ ପ୍ରଚ୍ଛନ୍ନ ରହି ପାରିନି ନୂଆବୋଉଙ୍କ ଦୃଷ୍ଟିରେ; “ସେମାନେ ତ ନବାକୁ ବହୁତ କରି କହୁଥିଲେ, ମୁଁ ମଧ୍ୟ ଜାଣିଶୁଣି ପଠାଇ ଦେଇଛି ।” ତାଙ୍କ ଓଠରେ ଚାପା ହସ, “ସାତମାସ ପୂରି ଆଠମାସ ଚାଲିଲା । ତା’ର ଏଣିକି ସଂପୂର୍ଣ୍ଣ ବିଶ୍ରାମ ପ୍ରୟୋଜନ ।”

 

ଏ ଷଡ଼ଯନ୍ତ୍ର ପଛରେ କେବଳ ଗୋଟିଏ ହାତ ନୁହେଁ, ଅନ୍ୟ ହାତଟିର କୃତିତ୍ଵ ବି ପ୍ରଚ୍ଛନ୍ନ ରହିଚି । ବଡ଼-ଯାଆଙ୍କର ଗୁପ୍ତ ମନ୍ତ୍ରଣାର ଅଭିନ୍ନ ସାଥୀ ସେ ହୋଇପାରିଚି ତେବେ ।

 

ଆଚ୍ଛା ।

 

ନୂଆବୋଉଙ୍କର ଏତେ ସ୍ନେହ, ଆଦର ବିଷପରି ଲାଗୁଚି । ମା’ଠୁ ବଳି ଅଧିକ ସେ; କିନ୍ତୁ ସେ ତ ବୈରୀ ସାଜିଛନ୍ତି ।

 

ତା’ ପରଦିନ ସେ ଗାଁଆରୁ ଲୁଚି ପଳାଇଥିଲେ, ଯେ ଗଲେ ଆଉ ଗାଁ ମାଟି ମାଡ଼ିଲେ ନି ।

 

ବାପଘରୁ ସୁଷମା ଚିଠି ଲେଖିଚି । ନୂଆବୋଉଙ୍କର ଚିଠିରେ ସେ କି କରୁଣ କାକୁତି, ମାତ୍ର ତାଙ୍କର ପଥର ମନ ତରଳିନି ।

 

ତାଙ୍କୁ ବି ରାଗିଆସେ । ପ୍ରତିଶୋଧ ସେ ବି ନେଇ ପାରନ୍ତି ।

 

କ୍ରୋଧ ବା ଅଭିମାନର ଅନ୍ତରାଳରେ ହାର-ଜିତ୍-ପ୍ରତିଦ୍ଵନ୍ଦିତାର ଅହଙ୍କାର ଥାଇପାରେ; ମାତ୍ର ଶାନ୍ତି କାହିଁ ?

 

ସମସ୍ତଙ୍କଠାରୁ ଦୂରେଇ ରହି ସେ ଜଳୁଚନ୍ତି; ମାତ୍ର ସେ ଜ୍ଵଳନରୁ ଆତ୍ମରକ୍ଷା ଉପାୟ ? ଉପାୟ ?

 

ସେଦିନ ସକାଳ । ସୂର୍ଯ୍ୟୋଦୟ ନ ଦିଶି ପ୍ରଭାତ ହୋଇଚି । ରାତିରୁ ଆକାଶରେ ମେଘ ।

 

ପାଦ ଶବ୍ଦରେ ବହିରୁ ମୁହଁ ଟେକିଲେ । “କିଏ ?''

 

ଦରଜା ପାଖରେ ସେ ଠିଆ ହୋଇଚି ।

 

“କି ରେ ରାଜ, ତୁ?” ଚେୟାରକୁ ପଛକୁ ଠେଲିଦେଇ ସେ ନିକଟକୁ ତା’ର ଆଗେଇ ଗଲେ । ମଧୁର ସମ୍ପର୍କ ।

 

ଆଖି ଦି’ଟା ତା’ର ଛଳଛଳ ।

 

ନାକପୁଡ଼ା ଫୁଲୁଚି, ଓଠ ଥରୁଚି ।

 

ଅନାଗତ ଆଶଙ୍କାରେ ସେ ହଠାତ୍ କମ୍ପି ଉଠିଲେ ।

 

“ରାଜ, କଥା କ’ଣରେ ?” ତାର ଦି’ବାହୁ ଧରି ସଜୋରେ ହଲାଇ ଦେଲେ ।

 

“ଅପା ପୋଡ଼ି ଯାଇଚି” ଦି’କରତଳରେ ମୁହଁ ଲୁଚାଇ ହଠାତ୍ ତା’ର କାନ୍ଦ ।

 

ପାଦତଳେ ଧରଣୀ ଦ୍ଵିଧା ହୋଇଗଲା ବୋଧହୁଏ । ସେ ଖସି ଖସି ଯାଉଛନ୍ତି ପାତାଳର କେଉଁ ଅତଳ ଗହ୍ୱରକୁ । ଆଉ ଆଖି ଆଗରେ ସବୁ ଅନ୍ଧାର ହୋଇ ଯାଉଚି ।

 

“ରାଜ” ଦାରୁଣ ଚିତ୍କାର କରିଉଠିଲେ ସେ, ପରବର୍ତ୍ତୀ ପ୍ରତିକ୍ରିୟା ପ୍ରକୋଷ୍ଠ ଜନାକୀର୍ଣ୍ଣ ହୋଇ ଉଠିଲା ।

 

ଧକ୍‍କାର ପ୍ରଥମ ମୂହୁର୍ତ୍ତ ଅତିକ୍ରାନ୍ତ ହୋଇଯିବା ପରେ ଉଦ୍‍ବେଳିତ ପ୍ରଶ୍ନରେ ଧକେଇ ଧକେଇ ସଂକ୍ଷେପରେ ସବୁ କହିଛି ରାଜ । ଡିବିରିରୁ ନିଆଁ ଲାଗି ଏ ସର୍ବନାଶ । ମେଡ଼ିକାଲରେ ସମସ୍ତେ ଏଇନେ । ଏଇ ଭୋରରୁ ଆସି ଗାଁରୁ ପହଞ୍ଚିଲୁ ।

 

ଅତୀତର ଏତେ ରାଗ ଅଭିମାନ ପଲକ ମଧ୍ୟରେ ପଦ୍ମ ପତ୍ରରେ ନୀର ।

 

କ୍ଷିପପ୍ରାୟ ମେଡିକାଲରେ ପହଞ୍ଚି ଆଉ ଏକ ବିସ୍ମୟକର ସମ୍ବାଦ । ଚିକିତ୍ସା ବିଜ୍ଞାନର କୃତିତ୍ଵ ସବୁ । ଦ୍ରୁତ ଅସ୍ତ୍ରୋପଚାର ଫଳରେ ମା’ର ପାଦରୁ କଟିପର୍ଯ୍ୟନ୍ତ ଦଗଧିଭୂତ ହୋଇ ଯାଇଥିଲେ ମଧ୍ୟ ଗର୍ଭସ୍ଥ ପୁତ୍ର ସନ୍ତାନଟିକୁ ଉଦ୍ଧାର କରାଯାଇ ପାରିଛି ।

 

ତାଙ୍କର ଏ ବାପ ହେବା ଆନନ୍ଦକୁ ଧିକ୍ । ସୁଷମା ମୋର ବଞ୍ଚିବ ତ ? ସୁଷମା...ସୁଷମା….।

 

ତାଙ୍କର ଆକୁଳ କ୍ରନ୍ଦନରେ ବହୁ ସାନ୍ତ୍ଵନା ଅଜାଡ଼ି ହୋଇ ପଡ଼ିଥିଲା । ଧୈର୍ଯ୍ୟ ଧରିବା ଲାଗି ବହୁ ଉପଦେଶ, ବହୁ ବୁଝାଇବା ।

 

ବୁଝାଇଲେ କି ସବୁବେଳେ ସବୁ ବୁଝି ହୁଏ ?

 

ନୂଆବୋଉ ପୁଣି ଛୁଟି ଆସିଲେ ।

 

ତୁଣ୍ଡରେ ତାଙ୍କର କଥା ନାହିଁ । ବୋକା ପାଲଟି ଯାଇଛନ୍ତି ଯେପରି ।

 

ଅନ୍ୟମାନଙ୍କ ପରି ସେ ତାଙ୍କୁ ସାନ୍ତ୍ଵନା ଦେଇ ନ ଥିଲେ । କଇଁ କଇଁ ହୋଇ କାନ୍ଦିଥିଲେ କେବଳ ।

 

ଆସିଥିଲେ, ଶିଶୁ ସନ୍ତାନଟିକୁ ଧରି ଫେରିଗଲେ ।

 

ସେତେବେଳର ଅନ୍ୟମାନଙ୍କ କୁହାଧୈର୍ଯ୍ୟ ସେ କ୍ରମଶଃ ଧରିଥିଲେ । ଦିନେ ନୁହେଁ, ସପ୍ତାହେ ନୁହେଁ, ପୁରା ଛ'ମାସ ।

 

ସୁଷମା ଘରକୁ ଫେରିବା ବେଳକୁ ପୁଅ ଛ'ମାସର; ମାତ୍ର ସୁଷମାର ଆଖି ନିଷ୍ପ୍ରଭ । ଏତେ ଟିକେ ଉଚ୍ଛ୍ଵାସ ନାହିଁ । ଏ ମା’ର ଏ ସନ୍ତାନ ସତେ ?

 

କ’ଣ ହୋଇଯାଇଛି ତା’ର ?

 

ତାଙ୍କ ବୁକୁରେ ମଥାରଖି ସେ କି କାନ୍ଦ ସୁଷମାର ।

 

ପୁଣି କ’ଣ ହେଲା ? ତମେ ତ ସଂପୂର୍ଣ୍ଣ ଭଲ ହୋଇ ଯାଇଛ । ଆଉ ଭୟ କ’ଣ ? ଏଇ ଦେଖିଲ ମୁନ୍ନାକୁ । ହସୁଛି ।

 

ଘର ଭିତରେ ସେ ଓ ସୁଷମା । ପୁଅ ଶୋଇ ହସୁଚି ।

 

“କ’ଣ ହୋଇଚି ଖୋଲି କହନା, କହ ମୋ’ ମୋ ରାଣ ଅଛୁ ।”

 

ସୁଷମା କିଛି କହିପାରୁନି । ଖାଲି କଇଁ କଇଁ କାନ୍ଦ ।

 

ସୁଷମାରର କୋହ କମି କମି ଆସୁଚି; ମାତ୍ର ତାଙ୍କର ଧୈର୍ଯ୍ୟ ସୀମା ଲଙ୍ଘନ କରିଛି । ଏତେ କାନ୍ଦ କାହିଁକି ?

 

ସୁଷମା କିପରି ଦୋଷୀଭଳି ତାଙ୍କୁ ଅନାଇଚି । “ମୋ ରାଣ, ମୋ ସୁନାଟି ପରା, କହ କ’ଣ ହୋଇଚି ।”

 

“ମୁଁ ତୁମର ଆଉ ସ୍ତ୍ରୀ ନୁହେଁ ।” ସୁଷମା କଣ୍ଠରୁ ଭାଷା ଫୁଟି ବି ଫୁଟିନି ।

 

“ମାନେ ?”

 

ତାଙ୍କର ବିହ୍ଵଳିତ ପ୍ରଶ୍ନରେ ସୁଷମା ଘଡ଼ିଏ କାଳ ତାଙ୍କ ମୁହଁକୁ ବଲବଲ କରି ଅନାଇ ରହିଲା । ଲୁହ ସରିଚି, ମାତ୍ର ଏମିତି ତା’ର ଏ ଡବଡବ ଚାହାଁଣୀ କାହିଁକି ?

 

ସୁଷମା ଓଠ ଥରୁଚି । କ'ଣ ସେ କହିବ ? କିଛି କହିବ କହିବ ହୋଇ କହି ପାରୁନି । ଦମ୍ଭ ବାନ୍ଧୁଛି । ମନ ଟାଣ କରୁଚି । ତା’ ପରେ କଣ୍ଠର ତା’ର ହଠାତ୍ ବିସ୍ଫୋରଣ ।

 

ଆର୍ତ୍ତଚିତ୍କାର କରି ସେ ସଭୟେ ପଛକୁ ଘୁଞ୍ଚି ଆସିଲେ, “ସୁ-ଷ-ମା ।”

 

ସୁଷମା ସେମିତି ଅନାଇଚି । ଆଉ ତାଙ୍କ ଚାରିପାଖେ ସମସ୍ତ ପୃଥିବୀର ଚକା ଚକା ଭଉଁରୀ । ଆଲୁଅ କାହିଁ ? ଖାଲି ଅନ୍ଧାର, ଢେଉ ପରେ ଢେଉ ମାଡ଼ି ଆସୁଚି । ସେ ଥରୁଛନ୍ତି ଗୋଟିପଣ ।

 

“ମୁଁ ଜାଣିଥିଲି ତୁମେ ଆଘାତ ପାଇବ । ସବୁ ଜଳି ପୋଡ଼ି ପାଉଁଶ ହୋଇ ଯାଇଚି । ଆଉ ମା’ ହେବା ମୋ ଭାଗ୍ୟରେ ନାହିଁ । ମୋ ସୁଖରୁ ତୁମେ ଚିରଦିନ ବଞ୍ଚିତ ହେଲ ।”

 

କ’ଣ ସେ ଶୁଣୁଛନ୍ତି ? ସୁଷମା କ'ଣ କହିଯାଉଛି ? “ମେଡିକାଲରେ ପ୍ରଥମେ ଏକଥା ଜାଣିବା ଦିନ ଏଇନେ ଠିକ୍ ତମରି ପରି ମୋ’ ଅବସ୍ଥା ହୋଇଥିଲା । ମୋର ଆତ୍ମକୈନ୍ଦ୍ରିକ ମନ କ୍ରମଶଃ ତମକୁ ହିଁ ଭାବିଲା । ତମ ଅବସ୍ଥା ହବ କ’ଣ ? ତମେ କ'ଣ କରିବ ? ସବୁ ଶୁଣି ଧୈର୍ଯ୍ୟ ରହିବ ତ ? ମୋର ଅନୁରୋଧରେ ତମକୁ କିଛି ଜାଣିବାକୁ ଦିଆ ହୋଇ ନି । କହି ଦେଖୁଛି ତୁମର ଏ ଅବସ୍ଥା ।”

 

ସେ ସବୁ ଶୁଣିଲେ । ଅପଲକ ନୟନରେ ସୁଷମା ମୁହଁକୁ ଅନାଇ ରହିଲେ କେବଳ । ସୁଷମା ତାଙ୍କୁ ବିଡ଼ୁଛି ? ସୁଷମା ନିଜ ଦେହ କଥା କହୁଛି । ତାଙ୍କ ସୁଖଲାଗି ତା’ ଦେହର ପ୍ରୟୋଜନ ଶେଷ ହୋଇ ଯାଇଛି ।

 

ସୁଷମା ତାଙ୍କ ସ୍ତ୍ରୀ । ସେ କ’ଣ ତାଙ୍କ ଲାଗି କେବଳ ଦେହସର୍ବସ୍ଵ ? ସୁଷମା ତାଙ୍କୁ ପରୀକ୍ଷା କରୁଛି ।

 

“ତମେ ଆଉଥରେ ବିବାହ କର । ମୁଁ ରୋଗଶଯ୍ୟାରେ ଶୋଇ ଶୋଇ ଏଇ ଶିକ୍ଷାରେ ଉପନୀତ ହୋଇଚି ।”

 

“ମୁଁ ଆଉ ବିବାହ କରିବନି”-କଣ୍ଠରେ ତାଙ୍କର ଅସୀମ ଦୃଢ଼ତା “ତୁମେ ଅଛ, ମୁନ୍ନା ଅଛି...।”

 

“ମୁଁ ତ ଥାଇ ନ ଥିଲାପରି” ସୃଷମା ହସିଲା ।

 

ଦେହଟା ହିଁ କ'ଣ ସବୁକିଛି ସୁଷମା ? ମନ, ହୃଦୟ ? ସୁଷମା ଓଠରେ ଶୁଖିଲା ହସ, “ଦେହ ଓ ତା’ର ଭୋକକୁ ଯେ ଚିହ୍ନିଛି ତା’ ମୁହଁରେ ମନ, ହୃଦୟ ପ୍ରଭୃତି ଭାବାତୁର କଥା ସାଜେନା । ସତ କହିଲେ ଦେହର ସ୍ଵାଚ୍ଛଦ୍ୟରୁ ସେମାନଙ୍କର ସୃଷ୍ଟି । ତୁମେ ଥରେ ତୁମ ମନକୁ ପଚାରି ଦେଖ ତ ?”

 

“ତୁମେ ମତେ ଏତେ ଦୁର୍ବଳ ମନେ କରନାହିଁ ସୁଷମା । ମୁଁ ତମକୁ ଅସମ୍ମାନ କରୁନି । ସତ ଯାହା କହୁଛି । ପ୍ରକୃତିର ତାଡ଼ନା, ସେଥିରୁ ଅବ୍ୟାହତିର ପ୍ରଶ୍ନ କାହିଁ । ତୁମର ମୂହୁର୍ତ୍ତକର ଶପଥର ସ୍ଥିତି ବା କେତେକ୍ଷଣ ? ଆଉ ମୁଁ ତୁମକୁ ଜାଣେ । ତୁମେ ନିଜେ ନିଜକୁ ଚିହ୍ନ ନା ।”

 

ସୁଷମାର ତର୍କ ନିକଟରେ ସେ ପରାଜୟ ସ୍ୱୀକାର କରିବା ସତ୍ତ୍ୱେ ଆଉଥରେ ବିବାହ କିନ୍ତୁ କରି ନାହାନ୍ତି । ଏ ବିବାହ ନ କରିବା ଇଚ୍ଛାର ଅନ୍ତରାଳରେ ସୁଷମା ନିକଟରେ ବିଜୟ ପ୍ରାପ୍ତିର ଉଦ୍ଦେଶ୍ୟ ନଥିଲା । ଥିଲା ଅନ୍ୟ କିଛି । ସେ “ଅନ୍ୟ କିଛି’ର ପଶ୍ଚାତ୍‍ରେ ଅନେକ ହୃଦୟବତ୍ତା, ଅନେକ ଅନୁରକ୍ତି ଏବଂ ଲେକଲଜ୍ଜାର ପ୍ରଶ୍ନ ପ୍ରଚ୍ଛନ୍ନ ରହିଥିଲା । ବହୁ ବିଚାର ଓ ଗଭୀର ଚିନ୍ତ।ର ସ୍ଥିତି ଏଠାରେ । ସ୍ଵାମୀର ସୁଖନିମିତ୍ତ ସତେ ସୁଷମା ଚାହୁଁଛି ତାଙ୍କର ପୁନର୍ବିବାହ ? ନିଜର ସ୍ଥାନ ପାଖେ ସପତ୍ନୀର ପ୍ରତିଷ୍ଠା ପ୍ରସ୍ତାବକୁ ସତରେ ସୁଷମା ସ୍ଵାଗତ କରିବ–ଯେତେ ଅଥର୍ବ ହୋଇ ପଡ଼ିଥାଉନା କାହିଁକି । ତାଙ୍କ ନିଜଆଡ଼ୁ ଏ ଦିଗରେ ଉଦ୍‌ବେଗର କୌଣସି ସୂଚନା ନ ଥିବା ସତ୍ତ୍ୱେ ସ୍ଵତଃପ୍ରବୃତ୍ତ ଭାବେ ଏପରି ଏକ ପ୍ରଶ୍ନ ଉତ୍‍ଥାପନର ଅନ୍ତରାଳରେ ନାରୀ ମନସ୍ତତ୍ତ୍ଵର ଯେଉଁ ଆତଙ୍କ ପ୍ରଚ୍ଛନ୍ନ ରହିତ ତୀବ୍ର ସୂର୍ଯ୍ୟ ଲୋକଭଳି ତା’ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଇଚି । ଏତେ ଦୁଃଖରେ ବି ସେ ମନେ ମନେ ହସିଥିଲେ । ଏତଦ୍‍ବ୍ୟତୀତ ମୁନ୍ନା ତ ରହିଚି । ସେ ଘର ତ ଆଉ ଶୂନ୍ୟ ନାହିଁ । ତେବେ ତା’ ଲାଗି ନିରର୍ଥକ ବିମାତାର ଦୁଃଖ ସେ ସୃଷ୍ଟି କରିବାକୁ ଯିବେ କାହିଁକି ?

 

ଏବଂବିଧ ମୀମାଂସାରେ ଉପନୀତ ହେବା ସଙ୍ଗେ ସଙ୍ଗେ ଦୃଢ଼ ସଂକଳ୍ପ ନେଇଥିଲେ ସୁଷମାକୁ ସେ ଯେକୌଣସି ପ୍ରକାରେ ଗ୍ଳାନିମୁକ୍ତ କରି ତୋଳିବେ । ଏ ବିଜ୍ଞାନ ଯୁଗରେ ପୁଣି ଅସମ୍ଭବ କ’ଣ ? ଏଠାରେ ନ ହେଉ ଦେଶାନ୍ତରରେ ମଣିଷକୁ ପୁନର୍ଜନ୍ମ ଦେବାଭଳି ଯେଉଁସବୁ ବିସ୍ମୟକର ଅସ୍ତ୍ରୋପଚାର ହେଉଛି ତା’ ସମ୍ମୁଖରେ ଅସମ୍ଭବ ତ କିଛି ନାହିଁ ।

 

ସୁଷମାର ସେ ଦଗ୍‍ଧାଙ୍ଗ ଯେ କିପରି ବିକଳ ହୋଇ ପଡ଼ିଛି ତା’ ସନ୍ଦର୍ଶନର ମର୍ମନ୍ତୁଦ କୌତୁହଳ କୌଣସି ପ୍ରକାରେ ପ୍ରକାରେ ସଂବରଣ କରିପାରୁ ନଥିଲେ ସେ; ମାତ୍ର ସୁଷମା ତାଙ୍କର ଅନୁରୋଧ ରକ୍ଷା କରିବାକୁ ପରଂମୁଖ । ସବୁ ତ ସରି ଯାଇଚି । କ'ଣ ଆଉ ଦେଖିବ ? ମତେ ଯା’ ମରଣ ହେଲା ନି ।

 

ସୁଷମାର ବାରଣ ଫଳରେ ତାଙ୍କର ରକ୍ତ ଚଞ୍ଚଳ ହୋଇ ଉଠୁଚି କ୍ରମଶଃ । କୌଣସି ପ୍ରକାରେ ସମ୍ବରଣ କରି ପାରୁ ନାହାନ୍ତି ନିଜକୁ । ସୁଷମାର ପ୍ରବଳ ପ୍ରତିବାଦ, ବାଧା ଏବଂ ଅସ୍ପଷ୍ଟ ଚିତ୍କାର ସତ୍ତ୍ୱେ ନିଜର ସକଳ ଶକ୍ତି ପ୍ରୟୋଗରେ ନିର୍ଜନ ଅର୍ଦ୍ଧରାତ୍ରିରେ ବିଚାରୀ ଲଜ୍ଜାଶୀଳାକୁ ବିବତ୍ସ କରିଦେଇ ଦଗ୍‍ଧାଙ୍ଗର ହୃଦୟ ବିଦୀର୍ଣ୍ଣକାରୀ ବୈକଲ୍ୟର ଅକସ୍ମାତ ପ୍ରଦର୍ଶନରେ ସେ ବିସ୍ମୟବିମୂଢ଼ ହୋଇଗଲେ । ଇସ୍…। ଲଜ୍ଜା ଗ୍ଳାନି ଏବଂ ଦୁଃଖମୁହ୍ୟମାନା ସୁଷମା ଦୁଇ କରତଳରେ ମୁଖାବୃତ୍ତ କରି ପିଲାଙ୍କ ପରି କାନ୍ଦି ଉଠିଥିଲା ।

 

ନିଜ ଦୃଢ଼ ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ଦୀର୍ଘ କୋଡ଼ିଏ ବର୍ଷ ଧରି କି ପ୍ରାଣାନ୍ତକ ପ୍ରଚେଷ୍ଟା ତାଙ୍କର, ମାତ୍ର ସବୁ ପ୍ରଯତ୍ନ ତାଙ୍କର ବ୍ୟର୍ଥ ଯାଇଚି । ପ୍ଲାସଟିକ୍ ସର୍ଜରୀ ଯାହାକି ଏ କ୍ଷେତ୍ରରେ ଏକମାତ୍ର ଉପାୟ ଓ ଅବଲମ୍ବନ, ବିଦଗ୍‍ଧ ସ୍ଥାନର ଶୋଚନୀୟତା ନିକଟରେ ନିଜର ଲଜ୍ଜାକର ବ୍ୟର୍ଥତା ହିଁ ପ୍ରମାଣ କରିଛି ।

 

କୋଡ଼ିଏଟି ବର୍ଷ ନୁହେଁ, କୋଡ଼ିଏଟି ଯୁଗ ଅତିକ୍ରାନ୍ତ ହେଲାପରି ମନେ ହେଉଛି ତାଙ୍କର । ନିଜର ବିଦ୍‍ଗଧ ଯୌବନକୁ ପୁନଶ୍ଚ ଶ୍ରୀଯୁକ୍ତ କରି ତୋଳିବା ଉଦ୍ଦେଶ୍ୟରେ କେବଳ ନିରର୍ଥକ ପ୍ରଚେଷ୍ଟାର ଅବୃତ୍ତି ହିଁ ସାର ହୋଇଚି । ଅଭିଶପ୍ତ ଯୌବନ ଅଲକ୍ଷ୍ୟରେ ଶେଷ ହୋଇଯାଇଛି ।

 

ଏଇ ଦୀର୍ଘ ବର୍ଷମାନଙ୍କ ଭିତରେ କେତେ ବିସ୍ମୟକର ପରିବର୍ତ୍ତନ ନ ଆସିଛି ତାଙ୍କ ଜୀବନରେ । ନିଜର ପ୍ରଚେଷ୍ଟା, ଅଧ୍ୟବସାୟ ଏବଂ ସୌଭାଗ୍ୟବଳରେ ସେ କ୍ରମୋନ୍ନିତ ପଥରେ ଅଗ୍ରସର ହୋଇ ଆଜି ସୁନାମଧନ୍ୟ ଆଡ଼ଭୋକେଟ ଭାବରେ ବିପୁଳ ଅର୍ଥ ଓ ସମ୍ମାନ ଉଭୟର ଅଧିକାରୀ ହୋଇ ପାରିଛନ୍ତି । ଆଉ ମୁନ୍ନା- ସେ ଆଜି କୃତିତ୍ଵର ସହ ବି.ଏ. ପାସ୍ କରି ଆଇ.ଏ.ଏସ୍. ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଶ୍ରୀମାନ ସରୋଜ ଦାସ ସେ ଆଜି । ତା’ପରି ବୁଦ୍ଧିମାନ ଓ ମେଧାବୀ ଛାତ୍ର ପକ୍ଷେ ଏ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିବା କିଛି ବିସ୍ମୟକର ବ୍ୟାପାର ନୁହେଁ । କଟକରେ ପ୍ରାସାଦୋପମ ଏକ ଅଟ୍ଟାଳିକାର ସେ ଅଧିକାରୀ ଏଇନେ । ସବୁ ଦିଗରେ ତାଙ୍କ ଔଜଲ୍ୟ, ଉନ୍ନତ ବିସ୍ତୃତ ଶ୍ୟାମଳିମା । ସବୁ କିଛି ସୁଷମାମଣ୍ଡିତ, କେବଳ ଗୋଟିକୁ ଛାଡ଼ି–ସେ ମନ ।

 

ପତ୍ନୀ ଥାଇ ବି ସେ ବିପତ୍ନୀକ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅଖଣ୍ଡ ସ୍ନେହ, ପ୍ରୀତି ଏବଂ ଅନୁରାଗର ସ୍ଥିତି ସତ୍ତ୍ୱେ କି ମହାଶୂନ୍ୟତା ତାଙ୍କର ସମସ୍ତ ମନପ୍ରାଣକୁ ଏପରି ଆଚ୍ଛନ୍ନ କରି ରଖିଛି । ଏତେ ପ୍ରାପ୍ତି -ତଥାପି କି ଏ ଅନାଟନ ?

 

ଏଇ କୋଡ଼ିଏ ବର୍ଷଭିତରେ ସ୍ତ୍ରୀଙ୍କର ସେ ଚେତାବନୀ ପ୍ରତି ମୁହୂର୍ତ୍ତରେ ତାଙ୍କର ସବୁ ସ୍ଥୈର୍ଯ୍ୟ, ଚୈତନ୍ୟ ଏବଂ ପ୍ରଜ୍ଞାକୁ ଦୋହଲାଇ ଦେଇ ଯାଇଛି । ସବୁ ସଂଯମ ଓ ନିରୋଧ ସତ୍ତ୍ୱେ ସେ ଅଣାୟତ୍ତ ହୋଇ ପଡ଼ିଛନ୍ତି । ସୁଷମାର ସେଇ ଗୋଟିଏ କଥା–ଦେହର ଦାହ । ଦେହ ତାଙ୍କର ଜଳିଛି । ଜଳିଛି ହୁ ହୁ ହୋଇ, ଆଉ ସେଇ ଜ୍ଵଳନରୁ ମୁକ୍ତି ପାଇଁ କେତେ ବିକୃତ ଚିନ୍ତା, ଖସି ଯିବାପାଇଁ, ଭାସି ଯିବାପାଇଁ କେତେ ଜ୍ଵଳନ୍ତ କଳ୍ପନା । ନ ଯିବା ରାସ୍ତାରେ ପାଦ ଥୋଇବା ପାଇଁ କେତେ ଶଙ୍କିତ ପ୍ରଚେଷ୍ଟା । ତଥାପି ସେ ପାରି ଉଠି ନାହାନ୍ତି । ଆଗେଇ ଯିବାକୁ ଚେଷ୍ଟା କରି ଫେରି ଆସିଛନ୍ତି । ଅଜସ୍ର ଇଚ୍ଛାକୁ ବୃଥା ନୈତିକତା, ନିରର୍ଥକ ସାମାଜିକ ପ୍ରତିଷ୍ଠା ଏବଂ ଭୂତଗ୍ରସ୍ତ ସଂସ୍କାର ତାଡ଼ନାରେ ଫେରାଇ ଅଣିଛନ୍ତି, ଚରିତାର୍ଥ ହେବାକୁ ଦେଇ ନାହାନ୍ତି । ଆଉ ଏଇ ଜ୍ଵଳାରେ ଉନ୍ମତ୍ତ ସେ ସମୟେ ସମୟେ ନିରୁପାୟ ହୋଇ ସବୁ ବୁଝୁଥିବା ସତ୍ତ୍ୱେ ସୁଷମାକୁ କୋଳ ଭିତରକୁ ଟାଣିଆଣି ନିଜ ବାହୁବନ୍ଧନ ଭିତରେ ବାହ୍ୟ ଉପଚାରରେ ଅସ୍ତବ୍ୟସ୍ତ କରି ତୋଳି ଏକ ସମୟରେ ସ୍ତବ୍ଧ ହୋଇ ରହି ଯାଇଛନ୍ତି । ଏତେ ଉନ୍ମାଦନା ଓ ଉଛୃଙ୍ଖଳତାର ପରିଣତି ?

 

ବିଚାରୀ, ସହସ୍ର ସହାନୁଭୂତି ସତ୍ତ୍ୱେ ମରୁଭୂମିର ଏ ତୃଷ୍ଣାକୁ ହାତ ଟେକି ମୁନ୍ଦେ ପାଣି ଦେବାର ତା'ର ତ ଆଉ କ୍ଷମତା ନାହିଁ । ତା’ର ଆଖିଲୁହରେ ତାଙ୍କର ପ୍ରଦୀପ୍ତ ଅଗ୍ନି ହଠାତ୍ ନିର୍ବାପିତ ହୋଇଯାଏ । ସୁଷମାକୁ କୋଳରୁ ଦୂରେଇ ଦେଇ ଦୀର୍ଘଶ୍ଵାସ ଛାଡ଼ି ସେ ପାଖ ଫେରାନ୍ତି ।

 

ସୁଁ ସୁଁ କାନ୍ଦ ତା’ର ଶୁଣାଯାଉଛି ।

 

ରାତ୍ରି କ୍ରମଶଃ ଗଭୀର ହେଉଛି ।

 

ଏକ ଦୀର୍ଘଶ୍ଵାସ ତ୍ୟାଗକରି ମନୋଜ ଦାସ ଉଠି ଠିଆହେଲେ ।

 

ଟ୍ରେଜେରୀ ଘଣ୍ଟାରେ ଏଗାରଟା ବାଜିଲା ।

 

ଏତେ ବେଶି ରାତିଯାଏ ନଈକୂଳରେ ଏପରି ବସିରହିବା ତାଙ୍କର ଏକ ପ୍ରଥମ ।

 

ରବିବାର କାଲି ।

 

ରାସ୍ତା ଜନଶୂନ୍ୟ ।

 

ଅଗ୍ରସର ହେଉ ହେଉ ହଠାତ୍ ସ୍ତବ୍ଧ ହୋଇ ଠିଆ ହୋଇଗଲେ ସେ । ପଥପାର୍ଶ୍ଵସ୍ଥ ସେ ଝଙ୍କାଳିଆ ବରଗଛ ତଳେ ଦୃଷ୍ଟି ତାଙ୍କର ଅପଲକ ରହି ଯାଇଛି ।

 

ଆଜକୁ କେତେଦିନ ହେବ କେତୋଟି ନୂତନ ଯାଯାବର ପରିବାର ଆସି ଆଶ୍ରୟ ନେଇଛନ୍ତି ସେହି ଦ୍ରୁମର ବାହୁଛାୟା ତଳେ । ଅଦ୍ଭୁତ ସେମାନଙ୍କର ଭାଷା, ଅଦ୍ଭୁତ ସେମାନଙ୍କର ଆବରଣ, ଆଭରଣ ଏବଂ ଆଚାର ବ୍ୟବହାର । ବଡ଼ ଅଶ୍ଳୀଳ ଓ ଅପରିଚ୍ଛନ୍ନ ସେମାନେ । ଗଳାରେ ସେମାନଙ୍କର ଲମ୍ବା ଲମ୍ବା ନାଲି କାଇଁଚମାଳ । ସେମାନଙ୍କର ପିଲାଗୁଡ଼ିକ ଧୂଳିଧୂସରିତ ଅବସ୍ଥାରେ ଭୂଇଁରେ ଗଡ଼ୁଥାନ୍ତି, ଖେଳୁଥାନ୍ତି ।

 

ସେଇ ଗଛମୂଳେ ରୋଷେଇ, ସେଇଠି ଖିଆପିଆ । ହେଁସ ଉପରେ ଶୟନନ ବ୍ୟବସ୍ଥା । ଆବରଣ ଓ ଶଯ୍ୟା ସେମାନଙ୍କର ଜୀର୍ଣ୍ଣ ବସ୍ତ୍ର ଓ ଛିନ୍ନ କନା କେଇଖଣ୍ଡ ।

 

ସ୍ପଷ୍ଟ ଦିବାଲୋକରେ ଏଇ ନାରୀ ପୁରୁଷମାନଙ୍କର ନିର୍ଲଜ୍ଜ ମିଳାମିଶା ଅନେକ ସମୟରେ ଅତ୍ୟନ୍ତ ଦୃଷ୍ଟିକଟୁ ହୋଇପଡ଼େ । ପଥଚାରୀ ଦେଖନ୍ତି, ନାକ ଟେକନ୍ତି, ସମାଲୋଚନା କରନ୍ତି । ବେଶ୍, ସେତିକିରେ ହିଁ ସେ ସବୁର ପରିସମାପ୍ତି ଘଟେ । ଏଇ ଅସଭ୍ୟ ଓ ଅଶିକ୍ଷିତ ଯାଯାବରମାନଙ୍କର ଆପତ୍ତିଜନକ ଆଚରଣ ଅବ୍ୟାହତ ରହେ ।

 

ସେମାନେ ଏମିତ ଦଳ ଦଳ ହୋଇ ଆସନ୍ତି, କିଛିଦିନ ରୁହନ୍ତି । ସେମାନଙ୍କର କୋଳାହଳ ଚିତ୍କାରରେ ଦ୍ରୁମତଳ ଜୀବନ୍ତ ହୋଇଉଠେ । ଦିନେ ହୁଏତ ଦେଖାଯାଏ ସବୁ ଶୁନ୍ୟ । ସେମାନଙ୍କର ଉପେକ୍ଷିତ କେତେଖଣ୍ଡ ଭଗ୍ନ ହାଣ୍ଡିଆ, କୁଡ଼ିଆ ଗଛ, ଇଟା ତିଆରି ଚୂଲ୍ଲୀ ସେମିତି ପଡିଚି, ସେମାନେ କିନ୍ତୁ ନାହାନ୍ତି । କିଛିଦିନର ଶୂନ୍ୟତା ପରେ ପୁଣି ଅନ୍ୟ ଗୋଟିଏ ନୂତନ ଦଳର ଆଗମନରେ ବୃକ୍ଷତଳ ମୁଖରିତ ହୋଇଉଠେ ।

 

ସେ ବର୍ଷ ବର୍ଷ ଧରି ଏମିତି ଦୃଶ୍ୟ ପ୍ରାୟ ଦେଖି ଆସୁଛନ୍ତି । ତାଙ୍କ ପାଇଁ ଏସବୁ କିଛି ନୂଆ ନୁହେଁ । ସ୍ତ୍ରୀ ପୁରୁଷମାନଙ୍କର ଦୃଷ୍ଟକଟୁ ଆଚରଣ ସଂଦର୍ଶନ କରିବା ଆଉ ବିସ୍ମୟର ବସ୍ତୁ ହୋଇ ନଥିଲା; ଏମିତି ଦେଖିବା ଅଭ୍ୟାସରେ ପରିଣତ ହୋଇଯାଇଥିଲା ତାଙ୍କର । ମାତ୍ର ଦିବାଲୋକର ସେ ସୀମିତ ଓ ଅସ୍ପଷ୍ଟ ଆଚରଣ ଯେ ରାତ୍ରିର ଏଇ ମୁକ୍ତ ଆକାଶ ତଳେ ଏପରି ବାଧା ବନ୍ଧନ-ହୀନ ଭାବେ ଏତେ ବ୍ୟାପକ ଆକାରରେ ଆତ୍ମପ୍ରକାଶ କରିବ-ସେ ତାହା ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ପାରି ନଥିଲେ ।

ଯୁଗଳ ଗୋଟିଏ ନୁହେଁ, ଦୁଇଟି । ସେମାନଙ୍କ ମଧ୍ୟରେ ବ୍ୟବଧାନ ମଧ୍ୟ ସୀମିତ । ତଥାପି ଲଜ୍ଜା ନାହିଁ, ସଙ୍କୋଚ ନାହିଁ । ଚରମଭାବେ ଦେହକ୍ଷୁଧା ଚରିତାର୍ଥ କରିବାରେ ଉଭୟେ ଉଦ୍ଦାମ ଭାବେ ପ୍ରବୃତ୍ତ । ସଂପୂର୍ଣ୍ଣ ଉଲଗ୍ନ ସେମାନେ ।

 

ଜ୍ୟୋସ୍ନାଲୋକରେ ସ୍ପଷ୍ଟ ସବୁ ଦିଶୁଛି ।

 

ସେ ସ୍ତବ୍ଧ ହୋଇ ଯାଇଛନ୍ତି । ଆଖି ଅପଲକ । ଶିରାରେ ଶିରାରେ ଉତ୍ତପ୍ତ ଶୋଣିତର ଦୂରନ୍ତ ପ୍ରବାହ । ସମସ୍ତ ଶରୀରରେ ସୀମାହୀନ ଉତ୍ତେଜନାର ବିଚିତ୍ର କମ୍ପନ । ମସ୍ତିସ୍କରେ ଏକ ଅଦ୍ଭୁତପୂର୍ବ ଯନ୍ତ୍ରଣା । ଏ ଯନ୍ତ୍ରଣା ତ ଠିକ୍ ବେଦନାଦାୟକ ନୁହେଁ, ତଥାପି ଅସହ୍ୟ ।

 

କ’ଣ ସେ ଦେଖୁଛନ୍ତି ? ସେମାନେ କ’ଣ ତାଙ୍କୁ ଦେଖି ପାରୁ ନାହାଁନ୍ତି ? ଏତେ ପାଖରେ ତାଙ୍କୁ ଦେଖି ନ ପାରିବାର କୌଣସି ସଂଶୟ ରହି ନପାରେ । ତଥାପି ସେମାନେ ତ ନିବୃତ୍ତ ହେଉ ନାହାନ୍ତି । ପ୍ରତ୍ୟୁତେ ଅସ୍ଥିରତା ସେମାନଙ୍କର କ୍ରମଶଃ ବୃଦ୍ଧି ପାଉଛି ଯେପରି ।

 

ଏକ ଦିଗରୁ ଲଜ୍ଜାର ସୂଚନା ନାହିଁ ବୋଲି ମନେ ମନେ କ୍ଷୁବ୍ଧ ହୋଇ ନର୍ଲଜ୍ଜଭଳି ସ୍ଥାଣୁପ୍ରାୟ ଠିଆ ହୋଇ ରହି ଅପଲକ ଦୃଷ୍ଟିରେ ସେ ଏ ଦୃଶ୍ୟ ଅବଲୋକନ କରୁଛନ୍ତି କିପରି ? ଅସଭ୍ୟତାର ଏ ନିର୍ଲଜ୍ଜ ପ୍ରକାଶ ସଚେତନ ସେ ବେଶ୍ ତ ବରଦାସ୍ତ କରି ପାରୁଛନ୍ତି ।

 

ବରଦାସ୍ତ କରୁଛନ୍ତି କହିଲେ ଆତ୍ମପ୍ରବଞ୍ଚନା ହେବ, ସେ ଉପଭୋଗ କରୁଛନ୍ତି । ପ୍ରଥମ ହଠାତ୍ ଦର୍ଶନର ସେ ସଙ୍କୋଚ ଭାବ ଅଥବା ଇତସ୍ତତଃତ ଆଉ ନାହିଁ । ବର୍ତ୍ତମାନ ସେ ଦୃଶ୍ୟର ପ୍ରତିଟି ମୂହୁର୍ତ୍ତର ରସାସ୍ଵାଦନ କରୁଛନ୍ତି । ପ୍ରତେ ହେଲା ତାଙ୍କ ମନର ଅନେକ ପୁଞ୍ଜିଭୂତ ବେଦନା ଓ ଗ୍ଲାନି ଯେପରି ଧୀରେ ଧୀରେ ନିଶ୍ଚିହ୍ନ ହୋଇ ଯାଉଛି ।

ଦୁଇ କରତଳ ତାଙ୍କର ମୁଷ୍ଟିବଦ୍ଧ । ନିମ୍ନ ଓଷ୍ଠାଧରରେ ଦନ୍ତପଂକ୍ତିର ମୃଦୁ ପୀଡ଼ନ । ଅଙ୍ଗେ ଅଙ୍ଗେ ଏ କି ମଧୁର ଶିହରଣ ।

 

ସେଇ ଅବସ୍ଥାରେ କେତେ ସମୟ ଧରି ସେ ଏମିତ ଠିଆ ହୋଇ ରହିଥିଲେ କେଜାଣି ହଠାତ୍ ସଂବିତ ଫେରିପାଇ ଲକ୍ଷ୍ୟ କଲେ ପୂର୍ବ ଦୃଶ୍ୟ ଆଉ ନାହିଁ । ତାଙ୍କର ଚରମ ଆତ୍ମବିସ୍ମୃତିର ଅବସରରେ ଦୃଶ୍ୟରେ ଯବନିକା ପତନ ଘଟିଛି ।

 

କିଛି ଆଉ ଦିଶୁନି, ସେମାନେ ତ ଆଉ ନାହାନ୍ତି ।

 

ସମସ୍ତ ଅଙ୍ଗରେ ତାଙ୍କର ଅସମ୍ଭବ ଉତ୍ତାପ ।

 

ଆଉ ଅପେକ୍ଷାର ପ୍ରୟୋଜନ ନାହିଁ ।

 

ସେ ଏଥର ଦ୍ରୁତପଦରେ ଅଗ୍ରସର ହେଲେ ।

 

ଏକପ୍ରକାର ଲମ୍ଫଦାନ କଲାଭଳି ସୋପାନ ଶ୍ରେଣୀ ଅତିକ୍ରମ କରି ପିଣ୍ଡା ଉପରକୁ ଉଠିଗଲେ ସେ ।

 

ରୁଦ୍ଧ ଦରଜାରେ ଅସ୍ଥିର କରାଘାତ । ମୂହୁର୍ତ୍ତକର ଅପେକ୍ଷା ବି ଦୁର୍ବିସହ ବୋଧ ହେଉଛି ।

 

ଦ୍ଵାର ଉନ୍ମୁକ୍ତ ହେବା ସଙ୍ଗେ ସଙ୍ଗେ ଗୃହ ମଧ୍ୟକୁ କ୍ଷିପ୍ତ ପ୍ରାୟ ପ୍ରବେଶ ।

 

ସରୋଜ କକ୍ଷରୁ ଆଲୁଅ ଦିଶୁଚି । ସେ ଶୋଇନି । ବାମ ପାର୍ଶ୍ଵରେ ଦ୍ଵିତଳକୁ ସୋପାନ । ବୁଲିପଡ଼ି ସେ ଦ୍ରୁତ ଆରୋହଣ କରିବାକୁ ଲାଗିଲେ ।

 

ଦରଆଉଜା ଦରଜା ଦ୍ରୁତ ଉନ୍ମୁକ୍ତ କରି ପ୍ରକୋଷ୍ଠ ମଧ୍ୟରେ ସେ ଯାଇ ହାଜର ।

 

ପଲଙ୍କ ଉପରେ ସୁଷମା ଶୋଇ ରହିଚି । କକ୍ଷ ମଧ୍ୟରେ ନିଷ୍ପ୍ରଭ ନୀଳ ଆଲୋକର ତନ୍ଦ୍ରା । ଫ୍ୟାନଟା ମୁଣ୍ଡ ଉପରେ ଘୂରୁଛି ।

 

ଆଖି ଦି’ଟା ତାଙ୍କର ହଠାତ୍ ଜଳି ଉଠିଲା । ନାସିକାରୁ ଖରସ୍ରୋତ ପ୍ରବାହିତ ହେଉଛି । ଛାତି ଉଠୁଛି ପଡ଼ୁଛି ।

 

ସୁଷମା ଶୋଇଚି–ଶୋଇଚି ଚିତ୍ ହୋଇ ।

 

ମାତ୍ର ମୁହୂର୍ତ୍ତ କେତେକର ସ୍ତବ୍‍ଧତା ।

 

ହଠାତ୍ ସେ ଫେରିପଡ଼ି ଦରଜାଟା ଭିତରୁ ବନ୍ଦ କରିଦେଇ ଆଲୋକ ନିର୍ବାପିତ କରିଦେଲେ । ତା’ପରେ ପାଦ ଚିପି ଚିପି ଆଗେଇ ଗଲେ ପଲଙ୍କ ପାଖକୁ ।

 

ସୁଷମାର ନିଦ ଭାଙ୍ଗି ଯାଇଛି, ଆରେ, ଆରେ, ଏ କ’ଣ ? ଏ କ’ଣ କରୁଛ ? ଆରେ... ମରିଗଲି ଲୋ ବୋଉ….।

 

ସୁଷମାର ପ୍ରାଣାନ୍ତ ପ୍ରଚେଷ୍ଟା ଆତ୍ମରକ୍ଷାର ।

 

ମାତ୍ର ଦୁଇଟି ହିଂସ୍ର ବାହୁର ଲୌହ ବନ୍ଧନ ଭିତରେ ତା’ର ନିଶ୍ଵାସ କ୍ରମେ ବନ୍ଦ ହୋଇ ଆସୁଛି ।

 

ସୁଷମାର ଆର୍ତ୍ତଚିତ୍କାର କ୍ଷୀଣ ହୋଇ ଆସୁଛି କ୍ରମଶଃ ।

 

ହିଂସ୍ର ଶାର୍ଦ୍ଦୁଳର କବଳରେ ମୃଗୁଣୀ ସ୍ତୁତିର କି ମୂଲ୍ୟ ବା ଅଛି ?

 

ଓଠରେ ରକ୍ତର ସ୍ଵାଦ, ମାଂସର ତୃପ୍ତି ।

 

ପ୍ରଳୟ, ପ୍ରଳୟ, ପ୍ରଳୟର ତାଣ୍ଡବ ।

 

ପ୍ରଳୟ ଥମିଚି ।

 

ବିଦ୍ୟୁତ୍ ବେଗରେ ପାଲଙ୍କ ଉପରୁ ଡେଇଁପଡ଼ିଲେ ମନୋଜ ଦାସ ।

 

ଏଁ ?

 

ଚୈତନ୍ୟ ଦ୍ରୁତ ଫେରି ଆସୁଛି । ଲୁପ୍ତ ବିବେକ ଅନ୍ଧାର କୋଳରୁ ଡେଇଁ ଡେଇଁ ଉଠିଆସୁଚି ସକାଳର ସୂର୍ଯ୍ୟଭଳି।

 

ଆଲୋକ ପ୍ରଜ୍ଜ୍ଵଳିତ କରିଦେଇ ଆର୍ତ୍ତ ଚିତ୍କାର କରି ଉଠିଲେ ସେ, “ସୁ ଷ-ମା ।”

 

ଆତଙ୍କରେ ନୟନ ବିସ୍ଫୋରିତ ହୋଇ ଯାଇଛି ।

 

ସୁଷମାର ଅଚେତନ ଦେହ ଶଯ୍ୟା ଉପରେ ପଡ଼ି ରହିଛି । ଶଯ୍ୟା ରକ୍ତପ୍ଳୁତ। ନିଜକୁ ଅନାଇ ଦେଇ ଶିହରି ଉଠିଲେ ସେ । ପରିଧେୟ ବସ୍ତୁ ତାଙ୍କର ରକ୍ତସ୍ନାତ ।

 

ଫ୍ୟାନ୍‍ର ଛାଇ କାନ୍ଥରେ ଚକ୍ରି ମାରୁଛି । ମାତ୍ର ପଲକ ମଧ୍ୟରେ ଏ ମୁହ୍ୟମାନ ଓ ହତଭମ୍ଭ ଅବସ୍ଥାର ଅକସ୍ମାତ ବିସ୍ମୟକର ପଟ୍ଟ ପରିବର୍ତ୍ତନ ।

 

ଆତଙ୍କିତ ଦୃଷ୍ଟି ଆଉରି ବିସ୍ଫାରିତ ଓ ଭୀତତ୍ରସ୍ତ ହୋଇ ଘୂରି ଯାଇଛି ଦରଜା ଉପରକୁ ।

 

ରୁଦ୍ଧ ଦ୍ଵାର ଉପରେ ଘନ ଘନ କରାଘାତ, “ବାପା, ବାପା ଦରଜା ଖୋଲନ୍ତୁ । କ’ଣ ହେଲା ବୋଉର, କ’ଣ ହେଲ ? ବାପା........?”

Image

 

Unknown

ଚନ୍ଦର ଅଭିଶାପ

ଶ୍ରୀ ଅଖିଳ ମୋହନ ପଟ୍ଟନାୟକ

 

ଦଶ ବର୍ଷ ଅତିକ୍ରାନ୍ତ ହୋଇ ଯାଇଛି ।

 

ସରୋଜ ଆଉ ସୀମାଦ୍ରି ପରସ୍ପର ଅନ୍ତରଙ୍ଗ ବନ୍ଧୁ ଥିଲେ । ସେମାନେ ଥିଲେ ସିଟି କଲେଜର ଥାର୍ଡ଼ ଇୟରର ଛାତ୍ର । ସୀମାଦ୍ରି ଥିଲା ଆର୍ଟିଷ୍ଟ୍ । ସେ ଛବି ଆଙ୍କେ ନାହିଁ ବା ଶୋଇ ଶୋଇ ଜ୍ୟୋସ୍ନା ବସନ୍ତ ବା ଗୋଲାପ ଫୁଲ ମାର୍କା କବିତା ଲେଖେ ନାହିଁ । ସେ କହେ, ଜୀବନଟାକୁ ବଞ୍ଚିବା ହିଁ ସବୁଠାରୁ ବଡ଼ ଆର୍ଟ । ଆଉ ଯେ ଜୀବନଟାକୁ ପ୍ରତିଦିନ ନିତ୍ୟ ନୂତନ କରି ବଞ୍ଚି ପାରିଲା ତା'ଠାରୁ ବଡ଼ ଆର୍ଟିଷ୍ଟ୍‍ ଆଉ କେହି ନାହିଁ । ସେଥିପାଇଁ ସେ ଚେଷ୍ଟାରଟନ୍‍ଙ୍କ ଅପେକ୍ଷା ତାଙ୍କର ‘ଅଜବ-ଜୀବିକା’ର ଚରିତ୍ର ହବାକୁ ବେଶୀ ପସନ୍ଦ କରେ । ସେ ମମ୍‍ଙ୍କ ପରି ପୃଥିବୀ ପ୍ରସିଦ୍ଧ ହବାକୁ ଚାହେଁ ନାହିଁ । ତାଙ୍କର ସୃଷ୍ଟି ‘ଷ୍ଟିକଲାଣ୍ଡ୍’ ଚରିତ୍ର ପରି କେଉଁ ଅଜ୍ଞାତ ଗିରି ଗହ୍ଵରରେ ଦୂରାରୋଗ୍ୟ ବ୍ୟାଧିରେ ତିଳ ତିଳ ହୋଇ ମରିବାକୁ ଚାହେଁ । ସୀମାଦ୍ରି ଅନାବିଳ ଆର୍ଟିଷ୍ଟ ଏବଂ ରୋମାଣ୍ଟିସିଜିମ୍ ତା’ର ଏକ ସହଜାତ ପ୍ରବୃତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ସରୋଜ ପୂରାପୂରି ‘ସିନିକ୍’ । ଦୁନିଆଟାରେ ଯେ କିଛି ଗୋଟାଏ ହବ ବା’ ମଣିଷ ଜୀବନ ନେଇ ଯେ ପ୍ରକୃତରେ କିଛି ଗୋଟାଏ ଲାଭଜନକ ଜିନିଷ କରାଯାଇ ପାରିବ ଏ କଥା ସେ ଆଦୌ ବିଶ୍ୱାସ କରେ ନାହିଁ । ସେ ଯଥାର୍ଥରେ ସୀମାଦ୍ରିର କାଉଣ୍ଟର ପାର୍ଟ–ଆଉ ସେଥିପାଇଁ ବୋଧହୁଏ ସେମାନେ ପରସ୍ପରର ଏତେ ନିକଟକୁ ଆସି ପାରିଥିଲେ ।

 

ସହରର କୋଳାହଳ ସେମାନଙ୍କୁ ବିଶେଷ ଆକୃଷ୍ଟ କରିପାରେ ନାହିଁ । ପ୍ରତିଦିନ ସଂଧ୍ୟାରେ ଦୁଇ ବନ୍ଧୁ ବୁଲି ଯାଆନ୍ତି କେନାଲ୍ ଆଡ଼େ । ସହରର ଉପକଣ୍ଠରେ ଏଇ କେନାଲ୍‍ଟି କିଛି ବାଟ ଯାଇ ହଠାତ୍ ମୋଡ଼ ଭାଙ୍ଗି କୁଆଡ଼େ ଅଦୃଶ୍ୟ ହୋଇଯାଇଛି । ପ୍ରତିଦିନ ବୁଲି ଯାଉ ଯାଉ ସେମାନେ ସେଠି ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନ ଆବିଷ୍କାର କରିଛନ୍ତି । ସ୍ଥାନଟି ଅଳ୍ପ କେଇଟି ବଡ଼ ବଡ଼ ଗଛର ଆଢ଼ୁଆଳରେ ଅପେକ୍ଷାକୃତ ନିର୍ଜ୍ଜନ । ଠିକ୍ ପାଣି କୂଳରେ କିଛି ପରିମିତ ସ୍ଥାନରେ ବାଲି ଜମି ଯାଇଛି ଆଉ ତା’ରି ଉପରେ ଗୋଟାଏ ପଥର ଖୁଣ୍ଟି କାହିଁ କୋଉ କାଳରୁ ଠିଆ ହୋଇ ରହିଛି ପାଣି ପବନର ଅତ୍ୟାଚାର ସହ୍ୟ କରି କରି । ସେ’ଟା ବୋଧହୁଏ ପୁରାତନ ଜୀର୍ଣ୍ଣ ଚଉରା, ଆଉ ସେମାନେ ଯେଉଁଠାରେ ବସନ୍ତି ସେଟା ବୋଧ ହୁଏ ଗୋଟାଏ ପରିତ୍ୟକ୍ତ ଗାଧୁଆ ତୁଠ । କାଳକ୍ରମେ ଗୋଟିକର ବ୍ୟବହାର ଅଭାବରୁ ଅନ୍ୟଟି ପଙ୍ଗୁ ହୋଇ ପଡ଼ିଛି । ଚନ୍ଦ୍ରପକ୍ଷରେ ସ୍ଥାନ ବେଶ୍ ରୋମାଣ୍ଟିକ୍ ହୋଇ ଉଠେ । ସୀମାଦ୍ରି କୁହେ, “ଏଇ ଜାଗାକୁ ଆସିଲେ ମୋର ମନେ ହୁଏ ସେକସ୍‍ପିଅର୍‌ଙ୍କର ‘ମିଡ଼୍ ସମର ନାଇଟ୍‍ସ୍ ଡ୍ରିମ୍’ର ପରୀମାନେ ବୋଧହୁଏ ନିଶାର୍ଦ୍ଧରେ ଏଇଠି ଓହ୍ଲେଇ ଆସି ହାତ ଧରାଧରି ହୋଇ ନାଚନ୍ତି ଜହ୍ନ ଆଲୁଅରେ । ସରୋଜ ଶ୍ଳେଷ ମିଶାଇ କୁହେ, “ତୁ ତ ଜାଣୁ ସେକ୍‍ସପିଅର ବୋଲି କେହି ଜଣେ ଲୋକ ଥିଲେ କି ନାହିଁ ସେଇଟା ଆଜି ୟୁରୋପୀୟ ସାହିତ୍ୟିକମାନଙ୍କର ଏକ ଚରମ ଦ୍ଵନ୍ଦମୂଳକ ସମସ୍ୟା, ଶେଷରେ ପୁଣି ତାଙ୍କର ଲେଖାର ପରୀମାନଙ୍କର ଅସ୍ତିତ୍ଵ- ଆଉ ପୁଣି ଏଇ କେନାଲ କୂଳରେ !!

 

ସୀମାଦ୍ରିର ସେ ଠିକ୍ ଏଇ ଜାଗାରେ ଧୈର୍ଯ୍ୟଚ୍ୟୁତି ହେବ ସେ କଥା ସରୋଜ ବେଶ୍ ଜାଣେ । ସୀମାଦ୍ରି ଚିତ୍କାର କରି ଉଠେ, “କେତେଥର କହିଛି ତତେ, ଆମେ ଯାହା ଜାଣୁ ନା, ସେ’ ଟା ଯେ ପୃଥିବୀରେ ନାହିଁ ବା ଥାଇ ନ ପାରେ ଏକଥା ଭାବିବା ଠାରୁ ଚରମ ନିର୍ବୋଧତା ଆଉ କିଛି ନାହିଁ । ଇମାଜିନ୍–ପଞ୍ଚଦଶ ଶତାବ୍ଦୀରେ ଯଦି ତୋ’ପରି ଗୋଟାଏ ମୂର୍ଖ ଉଡ଼ାଜାହାଜର ଧାରଣାଟାକୁ ହସି ହସି ଉଡ଼େଇ ଦେଇ ଥାଆନ୍ତା ତାହାହେଲେ ସେ ହୁଏତ ଏତେଦିନ ବଞ୍ଚିପାରନ୍ତା ନାହିଁ- କିନ୍ତୁ ଯଦି ବଞ୍ଚନ୍ତା ତାହାହେଲେ ସେ ଅବା ଉପଲବଧି କରନ୍ତା ତା’ର ନିର୍ବୋଧତା ।”

 

ଆଉ କିଛି ଦରକାର ନାହିଁ । ଯେ କୌଣସି ଗୋଟାଏ ଟପିକ୍ ହାତକୁ ଆସିଗଲେ ସମୟଟା ଚମତ୍କାର କଟେ । ଯୁକ୍ତିର କ୍ଲାଇମାକ୍‍ସରେ ସୀମାଦ୍ରି ତା’ ହାତରେ ଚାବି ପେନ୍ଥାଟାକୁ ଫିଙ୍ଗିଦିଏ ଦୂରକୁ, ନ ହେଲେ ପୁରା ସିଗାରେଟ୍ ପ୍ୟାକେଟଟାକୁ ଦଳାଦଳି କରି ଫିଙ୍ଗିଦିଏ କେନାଲ୍ ପାଣିକୁ । ଯେମିତି ଏଇ ସିଗାରେଟ୍ ଆଉ ଚାବି ପ୍ରଭୃତି ପଦାର୍ଥମାନେ ତା’ ବିରୁଦ୍ଧରେ ଷଡଯନ୍ତ୍ର କରେ ସରୋଜର ଯୁକ୍ତିକୁ ସମର୍ଥନ କରୁଛନ୍ତି । ସମୟ ହୋଇଗଲେ କେହି ହେଲେ ଜଣେ ଅନିବାର୍ଯ୍ୟ ସନ୍ଧି ସର୍ତ୍ତ ବାଢ଼ି ବସେ । ଆଚ୍ଛା ହଉ, “Let us agree to differ”- ଦୁଇଜଣ କ୍ଳାନ୍ତ–ବିମର୍ଷ–ଗଳଦ୍‍ଧର୍ମ ବନ୍ଧୁ ସନ୍ଧିପତ୍ରରେ ଅବିଳମ୍ବେ ସ୍ଵାକ୍ଷର କରନ୍ତି ।

 

ପୁଜାଛୁଟି ପରେ କଲେଜ ଖୋଲିଥାଏ । ସରୋଜ ନାଇଟ୍ ଏକ୍‍ସପ୍ରେସରୁ ଓହ୍ଲେଇ ହଷ୍ଟେଲକୁ ଆସି ଦେଖେ ସୀମାଦ୍ରି ଆସିଗଲାଣି । ତା’ର ଜିନିଷପତ୍ର ସବୁ ଥୁଆ ହୋଇଛି ରୁମ୍‍ରେ-ଅଥଚ ସୀମାଦ୍ରି ନାହିଁ । କିନ୍ତୁ ସେକେଣ୍ଡ୍ ସୋ ସିନେମା ତ ସରିଯିବଣି ଅନେକ ବେଳୁ । ସୀମାଦ୍ରି ଗଲା କୁଆଡ଼େ ? ସରୋଜ ଅପରିହାର୍ଯ୍ୟ ସିଦ୍ଧାନ୍ତରେ ପହଞ୍ଚି କେନାଲ କଳକୁ ଚାଲେ । କେନାଲ କୂଳରେ ଆସି ସରୋଜ ଦେଖେ ତା’ର ଅନୁମାନ ନିର୍ଭୁଲ- ନିଶ୍ଚିତ ଭାବରେ ସେଠି ଶୋଇ ରହିଛି ସୀମାଦ୍ରି । ପ୍ରଥମଟା ଟିକିଏ ଅଶ୍ଵସ୍ତିକର ମନେହୁଏ ସରୋଜକୁ । ସ୍ଥାନଟାର ନିର୍ଜନ ପରିବେଶ ଯେ କେହି ଏକୁଟିଆ ଲୋକ ମନରେ ଭୟ ସଞ୍ଚାର କରିବା ସ୍ଵାଭବିକ । ଏତେ ରାତିରେ ଏଠି କ'ଣ କରୁଚି ସୀମାଦ୍ରି ଏକୁଟିଆ ? ବିସ୍ମୟର ସୀମା ରହେ ନାହିଁ ସରୋଜର, ପାଖକୁ ଯାଇ ଦେଖେ ସୀମାଦ୍ରି କିନ୍ତୁ ଭୟ ପାଇବା ଅବସ୍ଥାରେ ନାହିଁ ଆଦୌ । ନିଶ୍ଚିନ୍ତ ନିଦ୍ରା ଯାଇଛି ସେ । ଆଶ୍ଚର୍ଯ୍ୟ । ତା’ ପାଖକୁ ଯାଇ ପ୍ରଥମେ କେତେଥର ଡାକିଲା ତାକୁ ସରୋଜ । କିନ୍ତୁ ସୀମାଦ୍ରି ଶୁଣେନା । ଅଗତ୍ୟା ତା’ ଦେହରେ ହାତ ଦେଇ ଥରେ ଦୁଇଥର ଜୋରରେ ହଲେଇ ଦେଲା ସେ ।

 

କିନ୍ତୁ ତା'ପରେ ଯାହା ଘଟିଲା ସେଥିପାଇଁ ସରୋଜ ଆଦୌ ପ୍ରସ୍ତୁତ ନଥିଲା । ଗୋଟିଏ ଲମ୍ଫରେ ସୀମାଦ୍ରି ଉଠିପଡ଼ି ଡେଇଁପଡ଼େ କିଛି ଦୂରକୁ ଆଉ ସେଠି ଠିଆ ହୋଇ ରହି ସେ କିଛି ସମୟ ନିସ୍ପନ୍ଦ ଭାବରେ ଚାହିଁ ରହେ ସରୋଜକୁ । ଆଉ ଠିକ୍ ତା’ପରେ ପରେ ଚିତ୍କାର କରି ଉଠେ, “କିଏ ? କିଏ ତମେ ?” ସୀମାଦ୍ରିର କଣ୍ଠ ଭୟବିଜଡ଼ିତ । ଖୁବ୍ ଭୟ ପାଇ ଯାଇଛି ସେ । ଆଉ କେଉଁଦିନ ହେଇଥିଲେ ହୁଏତ ସରୋଜ ସୀମାଦ୍ରିର ଏଇ ଅବସ୍ଥାର ସୁଯୋଗ ନେଇ ଟିକିଏ କୌତୁକ କରିଥାଆନ୍ତା । କିନ୍ତୁ ସୀମାଦ୍ରିର ଏ ଅବସ୍ଥାରେ ସରୋଜ ନିଜେ ଅନେକଟା ଆତଙ୍କିତ ହୋଇପଡ଼ିଲା । ମୁହୂର୍ତ୍ତେ ବିଲମ୍ବ ନ କରି “ଆରେ ମୁଁ ସରୋଜ, ମୁଁ ସରୋଜ” କହି ସେ ଆଗେଇଗଲା ସୀମାଦ୍ରି ଆଡ଼କୁ । କିଛି ସମୟ ପାଇଁ ନିର୍ବାକ୍ ହୋଇ ଠିଆହୋଇ ରହିଲା ସୀମାଦ୍ରି । ତା' ଦେହରୁ ଗମ୍‍ ଗମ୍ ହୋଇ ଝାଳ ବୋହିଯାଉଛି । ସରୋଜ ଅପରାଧୀ ପରି କୁହେ, “ତୁ ଏତେ ଭୟ ପାଇଯିବୁ ବୋଲି ମୁଁ ମୋଟେ ଜାଣିନାହିଁ ସୀମାଦ୍ରି ।”

ସୀମାଦ୍ରି ଆଉଥରେ ଆପାଦମସ୍ତକ ଚାହିନିଏ ସରୋଜକୁ, ଆଉ ତା'ପରେ ନିଜର ହାତଘଡ଼ିକୁ ଦେଖି କୁହେ, “ମୁଁ କେତେବେଳେ ଯେ ଶୋଇପଡ଼ିଲି ମୁଁ ନିଜେ ହିଁ ଜାଣେନା । ଏତେ ରାତି ହେଲାଣି ଅଥଚ ମତେ ଆଗରୁ ଉଠେଇ ଦେଲୁ ନାହିଁ କାହିଁକି କହିଲୁ ?”

 

ତା’ପରେ ସରୋଜ କୁହେ ଯେ ସେ ମାତ୍ର କେଇ ମିନିଟ୍ ତଳେ ତା’କୁ ଖୋଜି ଖୋଜି ଆସି ଏଠି ପହଞ୍ଚେ । ସେ ବା କାହିଁକି ଆଶା କରନ୍ତା ଏତେ ରାତିରେ ସୀମାଦ୍ରି ଶୋଇ ରହିଛି ଏଠି ।

 

ସୀମାଦ୍ରି ଆହୁରି ବିସ୍ମିତ ହୁଏ । ସନ୍ଦିଗ୍ଧ କଣ୍ଠରେ ପଚାରେ “ତୁ ସତ କହୁଚୁ ସରୋଜ ତୁ ମୋ’ ସହିତ ଏଠିକି ଆସିନାହୁଁ ।”

 

ସରୋଜ ସାମାନ୍ୟ ଆମୋଦିତ ହୁଏ ଏଥର । ସେ କୁହେ, “ନାଇଟ୍ ମେଲ୍‍ରେ ରାତି ଦୁଇଟା ପର୍ଯ୍ୟନ୍ତ ଅନିଦ୍ରାରେ କଟେଇ ଏତେବେଳେ କେନାଲ୍ କୂଳକୁ ଅସିବାର ଉତ୍କଟ ରସିକତା ମୋର ନାହିଁ ।” ସୀମାଦ୍ରି ନୀରବରେ ଫେରିବାକୁ ପାଦ ବଢ଼ାଏ । ଚାଲୁ ଚାଲୁ ସେ କୁହେ, ମୁଁ ମଧ୍ୟ ଆସି ଆଜି ଜନତାରେ ପହଞ୍ଚିଲି ସନ୍ଧ୍ୟା ୬ଟା ବେଳେ । ବେଶ୍ କ୍ଲାନ୍ତ ହୋଇ ପଡ଼ିଥଲି ମୁଁ–ବିଶ୍ରାମ ନବା ପାଇଁ ବିଛଣାଟାକୁ ମେଲେଇ ଦେଇ ଖଟ ଉପରେ ପଡ଼ିଗଲି ।

 

ତା’ର ଅଳ୍ପ ସମୟ ପରେ - ମୋର ସ୍ପଷ୍ଟ ସ୍ମରଣ ଅଛି–ତୁ’ବି ଆସି ପହଞ୍ଚିଲୁ ତୋ’ର ସେଇ ଛିଣ୍ଡା ଚମଡ଼ା ସୁଟ୍‍କେଶ ଆଉ ହୋଲଡ଼୍‍ର ଖଣ୍ଡକ ନେଇ ଠିକ୍ ସେମିତି ବେପରଓ୍ୟା ଭାବରେ । କହିଲୁ “ଗୁଡ଼୍ ଇଭିନିଂ ସୀମାଦ୍ରି, ତୁ ଆସିଯାଇଛୁ ତାହାହେଲେ–ଦ୍ୟାଟସ୍‍ ଲାଇକ୍‍ ଏ ଗୁଡ୍ ବୟ ।” ମୁଁ କ’ଣ ଜବାବ୍ ଦେଇଛି ମୋର ମନେ ନାହିଁ–ତା’ ପରେ ତୁ ଖୁବ୍ ବ୍ୟସ୍ତ ହୋଇ ପଡ଼ିଲୁ ଆଉ କହିଲୁ–“କ’ଣ ହୋଇଛି ତୋ’ର ସୀମାଦ୍ରି - ଆଇ ହ୍ୟାଭ ନେଭର୍ ସିନ୍ ୟୁ ସୋ’ ଭେରି ମୁଡ଼ ଡି ।” ମୁଁ ବୋଧହୁଏ ତଥାପି କିଛି ଜବାବ୍ ଦେଇନାହିଁ । ତା’ପରେ ତୁ ତୋ’ର ପୋଷାକ ମଧ୍ୟ ଚେଞ୍ଜ୍ ନ କରି ମୋର ହାତ ଧରି ଗୋଟାଏ ଝାଙ୍କରେ ମୋତେ ଉଠେଇ ଦେଲୁ ଖଟ ଉପରୁ ଆଉ କହିଲୁ, ଚାଲ୍,ଚାଲ୍ - ଆମର କୁରୁକ୍ଷେତ୍ରକୁ ଚାଲ- ଅନେକଦିନ ଯାଇନେ ସେଠିକି- ସେଇଠି ସବୁ ସମାଧାନ ହୋଇଯିବ । - ଇସ୍ ! କି ବାଜେ ପିଲା-ହୋଇଯାଇଚୁ ତୁ ଏଇ କେତେଟା ଦିନର ଛୁଟି ଭିତରେ । ଛିଃ–ଛିଃ....।”

 

ତା'ପରେ ଆମେ ଦିହେଁ ବାହାରକୁ ଆସିଛେ ଆଉ ଆମର ପୂର୍ବପରିଚିତ ରାସ୍ତା ଦେଇ ଆମେ ଆସିବୁ ଏଇଠିକି ।

 

ମୋର ଠିକ୍ ମନେ ଅଛି ମୁଁ ଏଠି ବସି ବସି ତତେ ‘ରିତା’ କଥା କହୁଥିଲି ପ୍ରଥମଥର ପାଇଁ । ମୁଁ କେମିତି ରିତା ପ୍ରତି ଅତ୍ୟନ୍ତ ଅସହାୟ ଭାବରେ ଆକୃଷ୍ଟ ହୋଇପଡ଼ିଛି ଅଥଚ ମୁହଁ ଖୋଲି ରିତାକୁ ନିବେଦନ କରିବାର ସାହସ ମୋର ନାହିଁ ।

 

ତୋ’ ମୁହଁ ଏକାଥରକେ ଚାପାହସରେ ଫାଟି ପଡ଼ୁଥାଏ । ମୋର ପିଠି ବାଡ଼େଇ କହିଲୁ, “ସେକଥା କହ, ଏଇ ଛୁଟିଟାର ବିରହରେ ୟଂ ଲକିନ୍‍ଭାର ଏକାଥରକେ ଭାଙ୍ଗି ପଡ଼ିଛନ୍ତି ।” ତା'ପରେ ହଠାତ୍ ଗମ୍ଭୀର ହୋଇଯାଇ ତୁ କହିଲୁ-“ଆଜି କିନ୍ତୁ ମୁଁ ପ୍ରଥମ ଜାଣିଲି ସୀମାଦ୍ରି ତୋ’ର ଅନେକ କଥା ଅଛି ଯାହା ତୁ ମୋର ଜାଣିବା ପ୍ରୟୋଜନ ମନେ କରି ନାହୁଁ ।”

 

ତା’ ପରେ ମୁଁ ଆଉ କିଛି ମନେ କରି ପାରୁ ନାହିଁ । ମୁଁ ଜାଣେନା ମୁଁ କେତେବେଳେ ଶୋଇ ପଡ଼ିଛି । ମୁଁ ଧୀରେ ଧୀରେ ସବୁ ଭୁଲି ଯାଇଛି । ଆଉ ହଠାତ୍ ନିଜକୁ ଏଠି ଆବିଷ୍କାର କରି ମୁଁ ସତରେ ଭୟ ପାଇ ଯାଇଥିଲି ।

 

ସରୋଜ ଚୁପ୍‍ଚାପ୍‍ ସବୁ ଶୁଣିଯାଉଥାଏ । ଶେଷରେ କହିଲା, “ତୁ ତାହାହେଲେ କ'ଣ କହିବାକୁ ଚାହୁଁ ହଷ୍ଟେଲ୍‍ରୁ କେନାଲ୍‍ କୂଳପର୍ଯ୍ୟନ୍ତ ଏଇ ଅଧମାଇଲ୍‍ ରାସ୍ତା ତୁ’ ଚାଲି ଆସିଚୁ ତୋ’ର ଅଜ୍ଞାତରେ, ସଂପୂର୍ଣ୍ଣ ନିଦ୍ରିତ ଅବସ୍ଥାରେ ?

 

ସୀମାଦ୍ରି ଛୋଟ ‘ହୁଁ’ ଟିଏ କହି ନୀରବ ହୁଏ ।

 

ସରୋଜ କହେ, “କିନ୍ତୁ...”

 

ସୀମାଦ୍ରି କୁହେ–ଏଠି କିନ୍ତୁର ପ୍ରଶ୍ନ ନାହଁ ସରୋଜ–ଏଇଟା ଠିକ୍ ସେଇ ଜିନିଷ ଯାହାକୁ ମେଡ଼ିକାଲ୍ ସାଇନ୍‍ସରେ କୁହନ୍ତି “ସୋମ୍ନ ମ୍ବୁଲିଜିମ୍”।

 

ଗୋଟାଏ ଦୀର୍ଘ ନିଶ୍ଵାସ ନେଇ ସୀମାଦ୍ରି କହିଚାଲେ-

 

ତୋର ମନେଥିବ ମୁଁ ସେଥର ଯୋଉ ଷ୍ଟେୟାର କେସ୍‍ରୁ ଖସି ପଡ଼ିଥିଲି । ସେ ବି ସେଇ ନିଦ୍ରିତ ଅବସ୍ଥାରେ । ତୁ’ ନିଶ୍ଚୟ ଭାବୁଥିବୁ ମୁଁ ଆଜିଯାଏ କାହିଁକି ଏ କଥା କହି ନାହିଁ - ଜଣେ ସୋମ୍ନମ୍ବୁଲିଷ୍ଟ ସହିତ ଏକା ରୁମରେ ରହିବା ସମସ୍ତେ ସହ୍ୟ କରି ପାରନ୍ତି ନାହିଁ–ବୁଝିପାରୁଥିବୁ ନିଶ୍ଚୟ–କେମିତି ଗୋଟାଏ ଅନ୍‍କ୍ୟାନି ଫିଲିଂ ହୁଏ । କେବଳ ସେଇଥିପାଇଁ ମୁଁ କଥାଟା ଚାପି ଯାଇଥିଲି ଆଜିଯାଏ ।

 

ସରୋଜ କିଛି ଜବାବ୍ ଦେଲା ନାହିଁ । କିଛି ସମୟ ପରେ ସଂକ୍ଷେପରେ ପଚାରିଲା, “ରିତା କିଏ ସୀମାଦ୍ରି ?”

 

ସୀମାଦ୍ରି କହିଲା- ସେ ସେକେଣ୍ଡ୍ ଇୟର୍‍ ସାଇନ୍‍ସର ଛାତ୍ରୀ–ଲେଡ଼ିଜ୍ ହଷ୍ଟେଲରେ ଥାଏ । ବୋଟାନିକାଲ୍ ଗାର୍ଡ଼ନରେ ମୋର ତା ସହିତ ଅକସ୍ମାତ ଦେଖା ହୁଏ । ଆଳାପ ମଧ୍ୟ ହୁଏ ।

 

ସରୋଜ କୁହେ, “ହୁଁ”

 

ଦୁଇବନ୍ଧୁ ହଷ୍ଟେଲ୍‍ରେ ପହଞ୍ଚି ଯାଇଥିଲେ ।

 

ଦୁଇ

 

ସେଦିନ ଅତି ପରିଷ୍କାର ଜ୍ୟୋସ୍ନା ପଡ଼ିଥାଏ । କେନାଲ୍ କୂଳରେ ସେଇ ପରମିତ ସ୍ଥାନର ବାଲୁକା ଶେଯରେ ଶୋଇ ରହିଥାଆନ୍ତି ଦୁଇବନ୍ଧୁ ନୀରବରେ । ସେମାନଙ୍କର କହୁଣୀ ଉପରେ ଭାର ରଖି ସେମାନେ ଏକାଗ୍ରଚିତ୍ତରେ ଲକ୍ଷ୍ୟ କରି ରହିଥାଆନ୍ତି ସେଇ ପରିତ୍ୟକ୍ତ, ବିଗତ ପ୍ରତିଷ୍ଠା, ଜରାଜୀର୍ଣ୍ଣ ଚଉରାଟାକୁ । ଏଇ କିଛି ଦିନ ତଳର ଗୋଟାଏ ନୂତନ ଆବିଷ୍କାରକୁ ନେଇ ଏକ୍ସପେରିମେଣ୍ଟ୍ କରିବାରେ ସେମାନେ ଆତ୍ମବିସ୍ତୃତ ।

 

ସୀମାଦ୍ରି ଖୁବ୍ ଆସ୍ତେ ଆସ୍ତେ କହୁଥାଏ- ଦେଖ୍, ତା’ର ବାଁ ପଟର କାଖରେ ସେ ଗୋଟାଏ କଳସୀ ଧରିଛି... ପୁଣି ଅଣ୍ଟା ପାଖରେ ତା’ଦିହଟା ସାମାନ୍ୟ ବାଁ ପଟକୁ ଝୁଙ୍କି ଆସି ପୁଣି ଡାହାଣକୁ ଢଳି ଯାଇଛି । ମୁଣ୍ଡଟା ମଧ୍ୟ ଦେହର ଭାରସାମ୍ୟ ରକ୍ଷା କରିବାକୁ ଡାହାଣ ପଟକୁ ନଇଁ ଯାଇଛି ସାମାନ୍ୟ ।

 

ସରୋଜ କୁହେ- ହୁଁ; ତା’ର ଶାଢ଼ୀର ଭାଙ୍ଗଗୁଡ଼ିକ ମଧ୍ୟ ଦେଖୁଚୁ ତ’ !

 

ସୀମାଦ୍ରି ଯୋଗକରେ-ମୁଣ୍ଡରେ ନିଶ୍ଚୟ ଓଢ଼ଣା ନାହିଁ, ନ ହେଲେ ତା’ର ଏଡ଼େ ସୁନ୍ଦର କେଶବତୀ ଗଭାଟା ଲୁଚି ଯାଇଥାଆନ୍ତା ।

 

ଗୋଟାଏ ମୂହୁର୍ତ୍ତ ପାଇଁ ଦୁଇ ବନ୍ଧୁଙ୍କର ତନ୍ମୟ ଆଖି ଆଗରେ ଠିଆ ହୋଇ ରହେ ଗୋଟିଏ ସ୍ୱାସ୍ଥ୍ୟବତୀ ଗ୍ରାମବଧୂ ହାତରେ କଳସୀ ଧରି ।

 

ସରୋଜ କୁହେ ତା’ ନାଁ ‘ତମିସ୍ରା’ ।

 

ସୀମାଦ୍ରି ପ୍ରତିବାଦ କରେ... “ମୁଁ କିନ୍ତୁ ତା’ ନାଁ ଦିଅନ୍ତି ‘ଜ୍ୟୋସ୍ନାରେଣୁ’ ।

ତର୍କ ବେଶୀ ଦୂର ଚାଲେନା । ପ୍ରତ୍ୟେକର ନଳ ନାମକରଣରେ ପ୍ରତ୍ୟେକ ସନ୍ତୁଷ୍ଟ ରହନ୍ତି । ତା’ପରେ ହଠାତ୍ ମନର ଟେନସନ୍ ହୁଗୁଳା କରି ଦିଅନ୍ତି । ସେମାନେ, ଆଉ ତା ସାଙ୍ଗେ ସାଙ୍ଗେ କିଛି ଅନ୍ଧାର ଆଉ କିଛି ଜ୍ୟୋସ୍ନାର ରେଣୁ ନେଇ ଗଢ଼ି ଉଠିଥିବା ଗ୍ରାମ୍ୟବଧୂଟିର ଅପମୃତ୍ୟୁ ହୁଏ ।

 

ସୀମାଦ୍ରି ଆଉ ସରୋଜ ଉଭୟେ ଜାଣନ୍ତି ସେମାନେ ସେଇ ଜୀର୍ଣ୍ଣ ଚଉରାଟାକୁ ଚାହିଁ ଚାହିଁ ସେମାନଙ୍କର ମନ ଭିତରେ ଗୋଟାଏ ନିର୍ଦ୍ଦିଷ୍ଟ ମରୀଚିକା ସୃଷ୍ଟି କରୁଛନ୍ତି । ଚଉରାଠାରୁ ସେମାନଙ୍କର ଦୂରତ୍ଵ ୧୫ ଗଜରୁ କମ୍ ହେବ, ତଥାପି ଚଉରାଟାର ଏଇ ରହସ୍ୟମୟୀ ଅବସ୍ଥିତି ସେମାନଙ୍କର ଆଖି ପାଇଁ ସହସ୍ର ଇନ୍ଦ୍ରଜାଲ ତିଆରି କରି ଚାଲେ । ପାଖର କି ଗୋଟାଏ ନାଁ ନ ଜଣା ଗଛର ଗୋଟିଏ ବିଶୃଙ୍ଖଳ ଦୀର୍ଘ ଶାଖା ଲମ୍ବି ଆସି ଚଉରା ଉପରେ ଗୋଟାଏ ପ୍ରଶସ୍ତ ଆବରଣ ତିଆରି କରିଛି-ଆଉ ତା’ରି ଭିତର ଦେଇ ଝରି ଝରି ପଡ଼େ ଅସଂଖ୍ୟ ଜ୍ୟୋସ୍ନାରେଣୁ । ଅନେକ ଆଲୋକ ଆଉ ଅନ୍ଧାରରେ ରେଣୁ ଲୁଚକାଳି ଖେଳୁଛନ୍ତି ସେଇ ଚଉରା ଉପରେ । ସେମାନଙ୍କୁ କେବଳ ଆଖିର ଲେନ୍‍ସରେ ଧରି ନେଇ ସଜେଇବାକୁ ପଡ଼େ ଆପଣାର ମନ ଅନୁସାରେ ।

 

ଗ୍ରାମ୍ୟବଧୂର ଅପମୃତ୍ୟୁ ପରେ ହୁଏତ ସେଠି ଆସ୍ତେ ଆସ୍ତେ ତିଆରି ହୁଏ ଗୋଟାଏ ଡାକ-ପିଅନ । ହୁଏତ ଯେଉଁ ଅନ୍ଧକାର ରେଣୁପୁଞ୍ଜରେ ନବବଧୂଟିର କେଶବତୀ ଗଭା ତିଆରି କରାଯାଇଥିଲା ତା’କୁ ସାମାନ୍ୟ ସ୍ଥାନାନ୍ତରିତ କରି ପିଅନର ପୋଷ୍ଟବ୍ୟାଗ୍ ତିଆରି କରାଯାଏ । ତା’ର ଗହନ କଳା ବାଳ ଉପରେ ଚକ୍ ଚକ୍ କରୁଥିବା ରୂପା ଫୁଲଟିକୁ ନେଇ ଡାକ ପିଅନର ଟୋପିର ବୋତାମ କରାଯାଏ । ଶାଢ଼ୀର ଭାଙ୍ଗଗୁଡ଼ାକ ନେଇ ତିଆରି ହୁଏ ଖାକୀ ଟ୍ରାଉଜର ।

 

ଏଇ ରୂପାନ୍ତରଟା ଠିକ୍ ବ୍ୟାୟାମର ନିୟମ ଅନୁସାରେ ବା ଗଣିତର କ୍ରମ ଅନୁଯାୟୀ ହୁଏନା । ଏଟା ହୁଏ ଗୋଟାଏ ସମ୍ବେଦନଶୀଳ ମନର ସହଜ ଲଘୁ ସଞ୍ଚରଣରେ-ଯେମିତ ସନ୍ଧ୍ୟା ହେଲେ ଶତଦଳ ଧୀରେ ଧୀରେ ସଙ୍କୁଚିତ ହୁଏ- ଯେମିତି କୃଷ୍ଣନାରୀ ଯମୁନା ସହିତ ଗଙ୍ଗୋତ୍ରୀର ସ୍ଵଚ୍ଛଧାରା ଏକାକାର ହୋଇଯାଏ । ଯେମିତି କୌଣସି ନିୟମ ନ ଥାଇ କ୍ରମ ରକ୍ଷା ନ କରି ସ୍ଵପ୍ନରେ ତରଳି ମିଶିଯାଏ ଆଉ ଗୋଟାଏ ସ୍ଵପ୍ନ ।

 

ପ୍ରଥମ କିଛିଦିନ ଟିକିଏ ଅସୁବିଧାରେ ପଡ଼ିବାକୁ ହୁଏ ସେମାନଙ୍କୁ । କିନ୍ତୁ ଅଳ୍ପ କେଇଦିନର ଅଭ୍ୟାସରେ ଦୁଇ ବନ୍ଧୁ ଅଭ୍ୟସ୍ତ ହୋଇ ଗଲେଣି । ପ୍ରଥମେ ମନର ମାଂସପେଶୀଗୁଡ଼ାକୁ ହୁଗୁଳା କରିନବାକୁ ହୁଏ–ତା’ପରେ ମନପ୍ରାଣ ଦେଇ ଗୋଟାଏ ନିର୍ଦ୍ଦିଷ୍ଟ ବସ୍ତୁକୁ ଆଖି ଆଗରେ ଫିକ୍‍ସ କରିନେଇ ତା’ର ଚାରିପଟେ କିଛି କୁହୁଡ଼ି ଦେଇ ଶକ୍ତ କରିବାକୁ ହୁଏ । ଗୋଟାଏ ଅବୁଝା ପିଲାକୁ ଚକୋଲେଟ୍ ଦେଖେଇ ଆଦର କଲା ପରି ମନକୁ ଆସ୍ତେ ଆସ୍ତେ ତୋଷାମଦ କରି ବିଶ୍ଵାସ କରେଇ ନବାକୁ ପଡ଼େ ।

 

ପ୍ରତି ସନ୍ଧ୍ୟାରେ ସେମାନେ ଏମିତି ଅନେକ ଛାୟା ମୂର୍ତ୍ତି ଗଢ଼ନ୍ତି ଆଉ ଭାଙ୍ଗନ୍ତି । ପ୍ରଥମ ଆବିଷ୍କାରର ନିଶା ସେମାନଙ୍କର ଛାଡ଼ି ଆସିଲାଣି । ହାଲୁକା ଆନନ୍ଦ ଭିତରେ ସେମାନେ ଖୋଜି ବସିଲେଣି ଗୋଟାଏ କାର୍ଯ୍ୟକାରଣ ସମ୍ପର୍କ।

 

ସେଦିନ ହଠାତ୍ ସୀମାଦ୍ରି ଗମ୍ଭୀର ହୋଇ କହିଲା, “ଏଇଟାହିଁ ବୋଧହୁଏ ଯୋଗର ପ୍ରଥମ ସୋପାନ”- ଆମେ ଯେଉଁ ଜିନିଷକୁ ପନ୍ଦର ଗଜ ଦୂରରେ ଦେଖିପାରୁଚୁ ଆଉ ଟିକିଏ ସାଧନା ପରେ ବୋଧହୁଏ ଆମେ ଠିକ୍ ସେଇ ଜିନିଷ ଦେଖି ପାରିବା ମାତ୍ର ପାଞ୍ଚ ଗଜ ଦୂରରୁ । ଆମେ ଆଖି ପାଇଁ ଯେଉଁ କୁହୁକ ସୃଷ୍ଟି କରି ପାରୁଚୁ ତା’କୁ ହୁଏତ ସ୍ପର୍ଶ ଓ ଗନ୍ଧ ପାଇଁ ତିଆରି କରିପାରିବା ଆଉ କିଛିଦିନର ସାଧନା ପରେ ।

 

ଖାଲି ସେତିକି ନୁହେଁ, ସୀମାଦ୍ରି କହିଚାଲେ–ଆଜି ମୁଁ ବା ତୁ’ କେବଳ ପରସ୍ପରକୁ ପ୍ରବର୍ତ୍ତାଇ ପାରୁଚେ କିନ୍ତୁ ହୁଏତ ଆଉ କିଛିଦିନ ପରେ ଆମେ ଠିକ୍ ଏଇ ଇନ୍ଦ୍ରଜାଲ ଅନେକ ଲୋକଙ୍କ ପାଇଁ ତିଆରି କରି ପାରିବା । ସେଥିପାଇଁ ଖାଲି ଦରକାର ମନର କ୍ଷେତ୍ର ପ୍ରସ୍ତୁତ କରି ବିଶ୍ଵାସର ବୀଜ ରୋପଣ ।...

 

 

ସରୋଜ ବିଦ୍ରୂପର ହସରେ ଫ।ଟି ପଡ଼େ । “ହଁ, ତା ନୁହେଁ ଆଉ କ'ଣ-ଆଉ ଟିକିଏ ସାଧନା କଲେ ହୁଏତ ଏଠି ଗୋଟାଏ ବିରାଟ ସାଧାରଣ ସଭା ଡାକି ଆମେମାନେ ପ୍ରମାଣ କରି ପାରିବା ଯେ ସେମାନେ ଯାହା ଦେଖୁଛନ୍ତି ତା’ ଗୋଟାଏ ଭଙ୍ଗା ଚଉରା ନୁହେଁ–ସେ’ଟା ଗୋଟାଏ କୋଣାର୍କ ମନ୍ଦିରରୁ ସଦ୍ୟ ଆନୀତ ଜୀଅନ୍ତା ଲାସ୍ୟମୟୀ ରୂପସୀ- ବୁଝିଲୁ ସୀମାଦ୍ରି କାଙ୍କେ - କାଙ୍କେ...।”

 

ସୀମାଦ୍ରିର ବିରକ୍ତିର ସୀମା ରହେ ନାହିଁ । କ୍ୟାରମ ଖେଳର ନିଷ୍ଫଳ ରିବାଉଣ୍ଡ୍‍ ପରି ସେ ତୀର ବେଗରେ ଉଠିଯାଏ ଅତୀତର ଦାର୍ଶନିକମାନଙ୍କର ରାଜ୍ୟକୁ - ଆଉ ଏ ପ୍ରକାରର ବିଷୟ ନେଇ କିଏ କେତେବେଳେ କ'ଣ ମତାମତ ଦେଇଛନ୍ତି–ଆଉ ଠିକ୍ ତା’ପରେ ପରେ ସରୋଜକୁ ସେ’ ବିଷୟରେ ସଂପୂର୍ଣ୍ଣ ନିସ୍ପୃହ ଦେଖି - ଠିକ୍ ସେଇ ବେଗରେ ଖସି ଆସେ ଉପସ୍ଥିତ ଘଟଣାଚକ୍ର ଭିତରକୁ । ଚିତ୍କାର କରି ଉଠେ, “ସିନିକ୍- ସିନିକ୍-ହିଦେନ୍...ଏତେ ହାଲୁକା ମନ ନେଇ ତୋ’ପକ୍ଷରେ ପ୍ରାଚ୍ୟ ଦର୍ଶନ ସମ୍ପର୍କରେ ମୌଳିକ ଧାରଣା ମଧ୍ୟ କରିପାରିବା ସମ୍ଭବ ନୁହେଁ ।”

 

ଦୁଇ ବନ୍ଧୁ ହଷ୍ଟେଲ୍‍କୁ ଫେରି ଆସନ୍ତି । ସରୋଜ ବିଛଣାରେ ପଡ଼ି ରହି ଘୁଙ୍ଗୁଡ଼ିମାରେ ଆଉ ସୀମାଦ୍ରି ବିଛଣା ଉପରେ ଇତସ୍ତତଃ ହୁଏ । ତା’ର ମନ ଭିତରେ ଗୋଟିଏ ମାତ୍ର ବାସନା ଉଙ୍କିମାରେ । ତା’ର ଇଚ୍ଛା ହୁଏ ଯାଇ ଦେଖିବାକୁ ସେମାନେ ଆସିବା ପରେ ସେଇ ଚଉରାଟା କ’ଣ କରୁଥବ । ସେ ଚଉରାଟା ହୁଏତ ବସିପଡ଼ି ଦୀର୍ଘନିଶ୍ୱାସ ନେଇ ସେମାନଙ୍କୁ ଅଭିଶାପ ଦେଉଥିବ । ସେମାନଙ୍କ ପାଇଁ ତା'କୁ ବହୁରୂପୀ ସାଜିବାକୁ ପଡ଼ୁଛି ମୁହୂର୍ତ୍ତକୁ ମୁହୂର୍ତ୍ତ । କିମ୍ବା ହୁଏତ ସେ ବି ଶୋଇ ରହିଥିବ ସରୋଜ ପରି ଅଚେତ ନିଦରେ । ଅଦ୍ଭୁତ କୌତୁହଳ ହୁଏ ସୀମାଦ୍ରିର । ସେ ଯଦି ଯାଇ କୌଣସି ଗୋଟାଏ ଅସତର୍କ ମୁହୂର୍ତ୍ତରେ ଛୁଇଁ ଦେଇ ପାରନ୍ତା ସେଇ ଚଉରାଟାକୁ ତାହାହେଲେ ହଠାତ୍ ଗୋଟିଏ ଗୁଣଛିଣ୍ଡା ଧନୁପରି ହୁଏତ ସେ ଚଉରାଟା ଚମକି ପଡ଼ି ଠିଆ ହୋଇ ପଡ଼ନ୍ତା । ଉଠନ୍ତା ଚଉରାର ପୋଷାକ ପିନ୍ଧି ପୁଣି ଥରେ । ନହେଲେ ସେ ହୁଏତ ଆଇ ମା’ କାହାଣୀର ଖୋଳପା ପୋଡ଼ି ଯାଇଥିବା ରୂପସୀ ବେଙ୍ଗବତୀ କନ୍ୟା ପରି ବିକଳ ହେଇ କୁହନ୍ତା, “ଆହା’ କ'ଣ କଲ, ମତେ ଛୁଇଁ ଦେଲ ତମେ ? ମୁଁ ଆଉ ରହିପାରୁ ନାହିଁ ଏଠି ।” ତା’ପରେ ହୁଏତ ସେ ତା’ର ଦୁଇ ଶୁଭ୍ର ଓ ଡେଣା ମେଲି ଉଡ଼ିଯାଆନ୍ତା ଶାପମୁକ୍ତ କିନ୍ନରୀ ଭଳି ତା’ର ଆଲେକରେ ଆକାଶକୁ ଦୁଇ ଭାଗ କରି । ତା’ ଆରଦିନ ସନ୍ଧ୍ୟାରେ ସେ ସରୋଜକୁ ଆଣି ଏଇ ଅବିଶ୍ୱାସ୍ୟ ସତ୍ୟ ଉପଲବ୍‍ଧି କରାଇ ପାରନ୍ତା ହୁଏତ ।

 

ଏଟା କ'ଣ କେବଳ ଆଖିର ଭୁଲ୍ ? ଗଭୀର ସନ୍ଦେହ ସୃଷ୍ଟି ହୋଇଛି ସୀମାଦ୍ରିର ମନରେ । ପ୍ରାଚୀନ ଆର୍ଯ୍ୟମାନେ ଜଡ଼ ଭିତରେ ଯେଉଁ ଜୀବନ ଆବିଷ୍କାର କରିଥିଲେ ତା’ ହୁଏତ ସଂପୂର୍ଣ୍ଣ ମିଥ୍ୟା ନୁହଁ । ତା’ର ସମଗ୍ର ଶୈଶବକୁ ଆଚ୍ଛନ୍ନ କରି ରଖିଛି ଏଇ ଧରଣର ଅସଂଖ୍ୟ କିମ୍ବଦନ୍ତୀ ଆଉ କାହାଣୀ । ନିଜର ସ୍ଥୂଳ ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ଜଡ଼ ପିଣ୍ଡରେ ଜୀବନ ସଞ୍ଚାର କରିବାର ଅନେକ ରୋମାଞ୍ଚକର କାହାଣୀ ଶୁଣିଛି ସେ । ସେଗୁଡ଼ା କ’ଣ ସବୁ କେବଳ କଳ୍ପନା ?

 

ସୀମାଦ୍ରିର ଆଖିରେ ନିଦ ଆସେନା । ସଂଶୟର ଚିର- ଅମୀମାଂସିତ ଦୋଳିରେ ବସି ସେ ଝୁଲୁଚି ଆଉ ଝୁଲୁଚି । କ୍ଲାନ୍ତି ଆଉ ଅବସାଦରେ ସେ ଭାବି ପାରେନା ବେଶୀ, ତା’ର ଆଖିପତା ଲାଗି ଆସେ ଧୀରେ ଧୀରେ । ଏ ସତ୍ୟକୁ ବୋଧହୁଏ ତର୍କ ଦେଇ ଉପଲବ୍‍ଧି କରି ହୁଏନା - ଆଚମ୍ବିତ ଭାବରେ ହୁଏତ ଏ ସତ୍ୟ ଆସି ଧରାଦିଏ ଅକସ୍ମାତ୍… ସୀମାଦ୍ରି ଶୋଇପଡ଼େ ।

 

ତିନି

 

ସରୋଜ ଖୁବ୍ ବୁଦ୍ଧିମାନ୍ । ସେଥିପାଇଁ ତା’ର ବୁଦ୍ଧି ଓ ଚିନ୍ତାଶକ୍ତିର ପରିଧି ବାହାରେ ଯେ କୌଣସି ବିଷୟ ଥାଇପାରେ ତ’ ସେ ମାନିନବାକୁ ଆଦୌ ପ୍ରସ୍ତୁତ ନୁହେଁ । ବିନ୍ଦୁ ବିନ୍ଦୁ କରି ବିଶ୍ଵାସ ସଞ୍ଚୟ କରି ସୀମାଦ୍ରି ଯେତେବେଳେ ବିଶ୍ଵାସର ଗୋଟିଏ କ୍ଷୂଦ୍ରସ୍ତୂପ ତିଆରି କରେ ଆଉ ସେଇ ସମୟକୁ କୃପଣ ପରି ଉପଭୋଗ କରିବାକୁ ଚେଷ୍ଟାକରେ ସେତେବେଳେ ସରୋଜ ଠିକ୍ ତା’ର ଦୁର୍ବଳ ବିନ୍ଦୁଟିରେ ହିଁ ଆଘାତ କରେ ଆଉ ଆଖି ଆଗରେ ଦେଖେଇ ଦିଏ ଯେ ସୀମାଦ୍ରିର ସମଗ୍ର ସଞ୍ଚୟ ଗୋଟିଏ କ୍ଷୁଦ୍ର ମୌଳିକ ଭ୍ରମ ଉପରେ ପ୍ରତିଷ୍ଠିତ । କିନ୍ତୁ ଯେପର୍ଯ୍ୟନ୍ତ ସୀମାଦ୍ରି ଗୋଟାଏ କିଛି ହାତରେ ନ ପାଇଛି ସେପର୍ଯ୍ୟନ୍ତ ସେ କୌଣସି ମତେ ସରୋଜକୁ ବୁଝାଇ ଦେଇ ପାରୁ ନାହିଁ ଯେ ତା’ର ବୁଦ୍ଧିର ପରିଧି ଅତ୍ୟନ୍ତ କ୍ଷୁଦ୍ର- ଆଉ ସେଇ କ୍ଷୁଦ୍ର ପରିଧିକୁ ଆହୁରି ସୀମିତି କରି ଦେଇଚି ତା’ର ଅହଙ୍କାର- ଆଉ ଯୁକ୍ତିର କୁହୁଡ଼ି ।

 

ଆଜିକାଲି ସରୋଜକୁ ସାଙ୍ଗରେ ନ ନେଇ ସୀମାଦ୍ରି ଏକୁଟିଆ କେନାଲ୍ କୂଳକୁ ଯାଏ । ପ୍ରତିଦିନ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଶୋଇରହି ସେ ଅନେକ ମୂର୍ତ୍ତି ଗଢ଼େ ଆଉ ଭାଙ୍ଗେ । ସେଇଠି ବସି ବସି ମନକୁ ମନ ନିଜ ସହିତ କ'ଣ କଥାବାର୍ତ୍ତା କରେ । ସେ ସ୍ଥାନଟା ଯେପରି ସୀମାଦ୍ରିର ଲାବରେଟରୀ । ସେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଆବିଷ୍କାର କରିବା ପୂର୍ବରୁ ଆଉ କିଏ ଆସି ତା’ର ଏକ୍‍ସ୍‍ସୁପେରିମେଣ୍ଟ୍‍ରେ ବାଧା ଦଉ ତା’ସେ ଚାହେଁନା । ସେ ଆଉ ତା’ର ଅବ୍‍ଜେକ୍ଟ ଭିତରେ ଆଉ କାହାର ଅବସ୍ଥିତି ଓ ଏକାବେଳକେ ଅସହ୍ୟ । ତା’ର ମନଟା ବି ୟା’ ଭିତରେ ପୋଷା ମାନିଗଲାଣି । ମୂର୍ତ୍ତିଗୁଡ଼ାକୁ ରୂପ ଦେବାପାଇଁ ଖୁବ୍ ଅଳ୍ପ ସମୟ ଓ ପରିଶ୍ରମ ଲାଗୁଛି ତାକୁ । ପ୍ରାୟ ପ୍ରତିଦିନ ସୀମାଦ୍ରି ଯାଏ ସେଠିକି ଆଉ ଫେରିଆସେ ନୂଆ ବିସ୍ମୟ ଆଉ ବିଶ୍ୱାସ ନେଇ ।

 

‘ଇମେଜ୍’ଟାକୁ ମଧ୍ୟ ସେ ପୂରାପୂରି କବଳିତ କରି ସାରିଲାଣି । କେବେ କେବେ ହଷ୍ଟେଲ୍‌ରେ ତା’ର ଝରକା ପାଖରେ ବସି ଶୂନ୍ୟ ଅକାଶରେ ସେ ଭଙ୍ଗା ଚଉରାଟାକୁ ଆଙ୍କି ନିଏ ଆଉ ତା’ପରେ ପରେ ତାକୁ ବହୁ ବିଚିତ୍ର ରୂପରେ ରୂପାନ୍ତରିତ କରେ । ଶୂନ୍ୟରେ ଚଉରାଟାକୁ ବଢ଼ାଇବାକୁ ଚେଷ୍ଟା କରେ ଯେ, ଆକାଶର ମହାଶୂନ୍ୟରେ ଚଉରାଟା ଅବିଶ୍ଵାସ୍ୟ ଭାବରେ ଲମ୍ବାହୋଇ ଚାଲେ… ଅନେକ ଲମ୍ବା, କ୍ଷୁଦ୍ରାୟତନ ଚଉରାଟା ଆକାଶର ପ୍ରଚ୍ଛଦପଟ୍ଟରେ ଠିଆ ହୋଇ ରହେ ‘ପିସା’ର ‘ଲିନିଂଟାୱାର୍‍’ ପରି । ତା'ପରେ ହୁଏତ ସେଇ ଦୀର୍ଘ ସ୍ତମ୍ଭର ଚୂଡ଼ା ଯାଇ ଆଘାତ କରେ ଗୋଟାଏ ଉଜ୍ଜ୍ଵଳ ନକ୍ଷତ୍ରକୁ । ସୀମାଦ୍ରିର ମୁହଁରେ ସନ୍ତୋଷର ଦୀପ୍ତି ଫୁଟିଉଠେ । ପୋତାଶ୍ରୟର ‘ଲାଇଟହାଉସ୍’ ଠିକ୍ ଏମିତି ଦେଖାଯ।ଏ । କେନାଲ୍ କୂଳର ସେଇ ଜୀର୍ଣ୍ଣ ଚଉରା ଆସି ଅକାଶରେ ହେଇଛି ଗୋଟାଏ ବିରାଟ ବତୀସ୍ତମ୍ଭ, କିଏ କହେ ଚଉରାଟା ଜଡ଼-ନିର୍ବେଦ-ସ୍ଥାବର ? ସେଇ ଦୀର୍ଘ ‘ଲାଇଟ୍ ହାଉସ୍‌’କୁ ପୁଣି ଛୋଟ କରିବାକୁ ଚେଷ୍ଟା କରେ ସୀମାଦ୍ରି ମନର ଲେନ୍‍ସରେ । ଅତ୍ୟନ୍ତ ଦ୍ରୁତ ଗତିରେ ଛୋଟ ହବାକୁ ଆରମ୍ଭ କରେ ତା’ର ଅବଜେକ୍ଟ ଆଉ ଠିକ୍ ଚଉରାର ଉଚ୍ଚତାକୁ ଆସି ସ୍ଥିର ହୋଇଯାଏ । କିନ୍ତୁ ନାଁ–ଆହୁରି ଛୋଟ କରିବାକୁ ହେବ । ଟିକିଏ ପରିଶ୍ରମ କରିବାକୁ ପଡ଼େ ସୀମାଦ୍ରିକୁ । ତା’ର ମନେ ହୁଏ ସେ ଯେମିତ ଠିକ୍ କମାର ପରି ତା’ର ମନର ହାତୁଡ଼ିରେ ପିଟି ପିଟି ଛୋଟ କରୁଚି ଚଉରାଟାକୁ । ଛୋଟ–ଆହୁରି ଛୋଟ-ଅନେକ ଛୋଟ ହୋଇଯାଏ । ସେ ଯେମିତି ତା’ର ଆଖି ସାମ୍ନାରେ ଦେଖୁଛି ଆକାଶର ବିରାଟ ଚେସ୍ ବୋର୍ଡ଼ ଉପରେ ଠିଆ ହୋଇ ରହିଛି ଗୋଟିଏ ମାତ୍ର ନିଃସଙ୍ଗ-ନିରୋଳା ‘ପନ୍’ । ବାଃ ! ଖୁସି ହୋଇଯାଏ ସୀମାଦ୍ରି । କେତେ ଓଜନ ହବ ସେଇ ‘ପନ୍’ ଟାର ? ତା’ର ଡାହାଣ ହାତର ବୁଢ଼ା ଆଙ୍ଗୁଠି ଆଉ ବିଶି ଆଙ୍ଗୁଠିକୁ ବଡ଼େଇବାକୁ ଚେଷ୍ଟା କରେ ସେ ମହାଶୂନ୍ୟରେ । ସ୍ଵପ୍ନ ଦେଖୁନାହିଁ ତ ସୀମାଦ୍ରି ? ତା’ର ଆଙ୍ଗୁଠିର ପବଗୁଡ଼ାକ ବଢ଼ିବାକୁ ଆରମ୍ଭ କରିଛି । ତା’ପରେ ତା’ର ପାପୁଲି... ଆଉ ଧୀରେ ଧୀରେ ତା’ର ସମଗ୍ର ହାତଟା ଅନେକ ବାଟ ଲମ୍ବି ଗଲାଣି ଆକାଶ ଭିତରକୁ । ଆଉ ମାତ୍ର କେଇ ଇଞ୍ଚ ବାଟ । ଆନନ୍ଦରେ ସୀମାଦ୍ରିର ଆଙ୍ଗୁଠି ଦୁଇଟା ଥରି ଉଠୁଚି । ସତରେ କ’ଣ ସେ ତୋଳି ଆଣି ପାରିବ ସେଇ କ୍ଷୁଦ୍ରାୟତନ ‘ପନ୍’ ଟାକୁ । ଦୁଇ ଆଙ୍ଗୁଠିର ସ୍ୱଳ୍ପ ବ୍ୟବଧାନ ଭିତରେ ସେ ସ୍ପଷ୍ଟ ସ୍ପର୍ଶ କରିପାରୁଛି–ସେ ନିର୍ଭୁଲ୍‍ ଭାବରେ ଅନୁଭବ କରୁଛି କିଛି ଗୋଟାଏ ଜିନିଷ ଧରିଛି ସେ । ଏଥର ଆକୁଞ୍ଚନ । ତା’ର ମନେହେଉଛି ସେ ଯେପରି ଆକାଶରୁ କୋଟିନିଧି ତୋଳି ଆଣୁଛି । କିଂ ମିଡ଼ାସ୍ ବୋଧହୁଏ ଖଣ୍ଡେ ସୁନାର ଇଟାକୁ ୟା’ ଠାରୁ ଅଧିକ ସାବଧାନତାର ସହିତ ଆଣି ନଥାନ୍ତେ । ପୁଣିଥରେ ଛୋଟ ହୋଇ ଆସୁଚି ତା’ର ହାତ–ତା’ର ପାପୁଲି- ଆଉ ତା’ର ଆଙ୍ଗୁଠି ସବୁ । ତା’ର ଚିର-ଈପ୍‍ସିତ ବସ୍ତୁଟିକୁ ସୀମାଦ୍ରି ଆଣି ରଖିଛି ତା’ର ବାଁ ହାତର ପାପୁଲି ଉପରେ । ଆଖି ଅପରେସନ୍ କରୁଥିବା ସର୍ଜନ ବୋଧହୁଏ ଅଧିକ ସାବଧାନତାର ସହିତ, ଫର୍‍ସେପ୍‍ରେ ଧରିପାରିନଥାନ୍ତା ଆଖିର ଡେଳାକୁ । ତା'ର ପ୍ରସାରିତ ପାପୁଲି ଉପରେ ସେ ତା’ର ଓଜନ ପର୍ଯ୍ୟନ୍ତ ଅନୁଭବ କରି ପାରୁଛି । ନୂତନ ଆବିଷ୍କାରରେ ସୀମାଦ୍ରିର ଆଖି ଦୁଇଟା ଉଜ୍ଜ୍ଵଳ ହେଇ ଉଠିଛି । ସେ ଭାବୁଛି ଏଇ ମୂହୁର୍ତ୍ତରେ ଯଦି ଏଠି ଥାଆନ୍ତା ମୂର୍ଖ ସରୋଜ ତାହାହେଲେ ସେ ତାକୁ କହନ୍ତା, ଗୋ, ରନ୍-କେନାଲ୍ କୂଳକୁ ଯା’ ଦେଖି ଆସିବୁ ସେ ଚଉରାଟା ଆଉ ସେଠି ନାହିଁ । ତାକୁ ମୁଁ ଲୁଟିକରି ଆଣିଛି ମନର ଜୋର୍‌ରେ । ଆଉ ସେ ଯେତେବେଳେ କେନାଲ କୂଳରୁ ବିସ୍ମିତ ହୋଇ ଫେରି ଆସନ୍ତା, ସେତେବେଳେ ସେ ତା’ର ଆଗରେ ଆସ୍ତେ ଆସ୍ତେ ବାଁ ହାତର ବଦ୍ଧମୃଷ୍ଟି ଖୋଲି ଦେଖେଇ ଦିଅନ୍ତା ତା’ର ଏଇ କ୍ଷୁଦ୍ର ସଂସ୍କରଣଟିକୁ ।

 

ଖୁବ୍ ପାଟିକରି ହସି ହସି ଦଳେ ପିଲା ପଶି ଆସିଲେ ସୀମଦ୍ରିର ରୁମ୍ ଭିତରକୁ । ଚମକି ପଡ଼ିଲା ସୀମାଦ୍ରି । ତା’ର ବାଁ ହାତର ପାପୁଲି ତଥାପି ଖୋଲା ଅଛି–କିନ୍ତୁ ତା’ର ପ୍ରିୟ ପଦାର୍ଥଟି ଆଉ ତା' ଉପରେ ନାହିଁ । ଆଖି ପିଛୁଳାକରେ ଯେମିତି, ତା’ର ପାପୁଲି ଉପରେ ସେ’ଟା ମିଳେଇ ଗଲା ସମୁଦ୍ର କୂଳର ଉଜ୍ଜ୍ଵଳ ଜେଲି ଫିସ୍‍ ପରି । ମନେ ମନେ ଅସମ୍ଭବ ବିରକ୍ତ ହୋଇ ଉଠିଲା ସୀମାଦ୍ରି । ରୁକ୍ଷ ସ୍ଵରରେ କ'ଣ ସେ ସେମାନଙ୍କୁ କହିଲା ବୋଧହୁଏ-ନୀରବରେ ସେମାନେ ଫେରିଗଲେ । ରାତି ଦଶଟା ବାଜି ଗଲାଣି ।

 

ଶୋଇବାକୁ ଚେଷ୍ଟା କଲା ସୀମାଦ୍ରି ।

 

ଅନେକ ରାତି ହେଲାଣି ।

 

ଦେଖିଲେ ଜଣାଯାଏ ସୀମାଦ୍ରି ଶୋଇ ରହିଛି ନିଘୋଡ଼ ନିଦରେ । କିନ୍ତୁ ସୀମାଦ୍ରି ତା’ର ମୁଦ୍ରିତ ଆଖି ଆଗରେ ସ୍ପଷ୍ଟ ଦେଖି ପାରୁଛି କେନାଲ୍ କୂଳର ସେଇ ଚଉରାଟାକୁ । ସେ ଚଉରାଟା ଆଉ ସ୍ଥାଣୁ ନୁହେଁ–ସୀମାଦ୍ରିର ମନର ରଶ୍ମିନେଇ ଯେପରି ତା’ର ସ୍ନାୟୁ ସବୁ ବଞ୍ଚି ଉଠିଲେଣି । ରୁଗଣ ମାଂସପେଶୀ ସବୁ ଜୀବନ୍ତ ହୋଇ ଉଠିଲେଣି । ପବନ ବହୁଛି ବୋଧହୁଏ-ଆଉ ସେଇ ପବନରେ ସେଇ ପଥରର ଚଉରାଟା ଦୋଳି ଖେଳୁଛି ହାଲୁକା ମନରେ । ଥରେ ଥରେ ଗୋଟାଏ ଝାଙ୍କ ପବନରେ ଚଉରାଟା ଏକା ଥରକେ ନଇଁ ଯାଉଛି ତଳକୁ- ଯେମିତି ସେଇଟା ଗୋଟିଏ ଚଉଖୁଣ୍ଟିଆ ରବରର ସ୍ତମ୍ଭ । ତା’ର ମନେହେଲା ଯେମିତି ସେଇ ସ୍ତମ୍ଭଟା ଦୋହଲି ଦୋହଲି ନିମନ୍ତ୍ରଣ କରୁଛି ତା'କୁ ସେଠିକି ଯିବାପାଇଁ ।

 

ବିଛଣାରେ ହଠାତ୍ ଉଠି ବସିଲା ସୀମାଦ୍ରୀ ।

 

ତା’କୁ ଏଇ ମୁହୂର୍ତ୍ତରେ ହଁ ଯିବାକୁହବ ସେଠିକି । ରୁମ୍‍ର ଆଲୁଅ ଦବାକୁ ମନେ ନାହଁ ତା’ର । ସରୋଜ ଅଛି କି ନାହିଁ ସେଥିପାଇଁ ଭ୍ରୂକ୍ଷେପ ନାହିଁ । ହାତ ତା’ର ମନକୁ ମନ ଉଠିଗଲା, ଦରଜର ଖିଡ଼ିକି ଖୋଲିବାକୁ । ହଷ୍ଟେଲ୍‍ର ଲମ୍ବା ବାରଣ୍ଡାଟା ଏକାଥରକେ ନିର୍ଜ୍ଜନ । ଜଣେ ହେଲେ କେହି ପିଲା ନାହିଁ । ଗୋଟାଏ ମଳିନ ଆଲୋକର ଆସ୍ତରଣ ତଳେ ଚାଲିଚି ସେ ମନମୁଗ୍ଧ ପରି। ତା’ ପରେ ଷ୍ଟେଆର୍ କେସ୍, ନିର୍ଭୁଲ ଭାବରେ ପ୍ରତିଟି ପାହାଚରେ ଓହ୍ଲେଇ ଓହ୍ଲେଇ ଚାଲିଛି ସୀମାଦ୍ରି ଆଉ ତା ପରେ ପରେ ମେନ୍ ଗେଟ୍ ଦେଇ ଏକା ଥରକେ ବାହାର ରାସ୍ତାକୁ ।

 

ରାସ୍ତାଟା ମଧ୍ୟ ଅତ୍ୟନ୍ତ ନିର୍ଜ୍ଜନ । ଟ୍ରେନର ତୀବ୍ର ହୁଇସିଲ ଷ୍ଟେସନରୁ ଶୁଣାଯାଉଛି ମଝିରେ ମଝିରେ । ଧାଡ଼ି ଧାଡ଼ି ରାସ୍ତା ଲାଇଟ୍‍ଗୁଡ଼ାକ ସୀମାଦ୍ରିକୁ ଦେଖାଯାଉଛନ୍ତି ଆକାଶରୁ ତଳକୁ ଓହ୍ଲେଇ ଆସିଥିବା କେଇଟା ଆଶ୍ଚର୍ଯ୍ୟ ତାରକା ପରି । ଗୋଟିଏ ନିଶାଖୋର୍ ରିକ୍‍ସାବାଲା ତୀର ବେଗରେ ରିକ୍‍ସା ଚଲେଇ ନେଇଗଲା ସୀମାଦ୍ରିର ଦେହରେ ପାୟ ଘଷି ହୋଇ । କିନ୍ତୁ ସୀମାଦ୍ରି ତା’ର ଚାରିପାଖର ସମସ୍ତ ଘଟଣା ପ୍ରତି ସଂପୂର୍ଣ୍ଣ ନିର୍ଲିପ୍ତ ନିର୍ବିକାର । ତା’ର ଦୁଇଟି ଅର୍ଦ୍ଧ ନିମିଳିତ ଆଖି ଆଗରେ କେବଳ ଦୋଳି ଦୋଳି ଇଙ୍ଗିତ କରୁଛି ସେଇ ଚଉରାଟା । କସ୍ତୁରୀମୃଗ ପରି ସମ୍ପୂର୍ଣ୍ଣ ଆତ୍ମବିସ୍ମୃତି ହୋଇ ସୀମାଦ୍ରି ଟାଣି ହୋଇ ଯାଉଛି ଗୋଟିଏ ଅଦୃଶ୍ୟ, ଅପରିହାର୍ଯ୍ୟ ଶୃଙ୍ଖଳର ଆକର୍ଷଣରେ ନିୟନ୍ତ୍ରିତ ହୋଇ ।

 

ତରଲ ରୂପାପରି ଜହ୍ନ ଆଲୁଅ ବିଞ୍ଚି ହୋଇପଡ଼ିଛି । ସେଇ ଜହ୍ନର ଯାଦୁରେ କେନାଲ୍‍ର ପାଣି, ଚାଲି ଆଉ ଗଛ ସବୁ ଯେମିତି ରୂପ ପାଲଟି ଯାଇଛି । ସମସ୍ତ ପରିବେଶକୁ ଆଚ୍ଛନ୍ନ କରି ରଖିଛି ଏକ ଅବ୍ୟକ୍ତ ନିର୍ଜନତା । ଏଇ ଅତି-ନିର୍ଜ୍ଜନ ପରିବେଶରେ ମନେହୁଏ ଯେପରି ପୃଥିବୀର ପାର୍ଶ୍ଵପରିବର୍ତ୍ତନ ମନ୍ଥର ହୋଇଆସିଛି ତା’ର ଅକ୍ଷ ଚାରିପଟେ । ଖୁବ୍ ଆସ୍ତେ ଆସ୍ତେ ପାଦ ପକେଇ ଚାଲିଛି ସୀମାଦ୍ରି -ଟିକିଏ ଜୋର୍‌ରେ ଚାଲିଲେ ଯେମିତି ଏଇ ଚିର-ରହସ୍ୟମୟୀ ପରିବେଶର କୁହୁକ ନଷ୍ଟ ହୋଇଯିବ । କେତେ ରାତି ହେଲାଣି ଜାଣିବାର ଉପାୟ ନାହିଁ । ଉଜ୍ଜ୍ଵଳ ଚନ୍ଦ୍ର ଆଲୋକର ପ୍ରଚ୍ଛପଟରେ ଗଛର ସାନ୍ଧ୍ର–ଦୀର୍ଘ ଶାଖାଗୁଡ଼ିକ ଦେଖାଯାଉଛି ଆହୁରି କୃଷ୍ଣକାୟ । ଗଛର ନାଁ ସୀମାଦ୍ରି ଜାଣେନାଁ–ତେବେ ଗଛଗୁଡ଼ାକର ସ୍ଵାତନ୍ତ୍ର୍ୟ ଅଛି । ପ୍ରତ୍ୟେକଟି ଗଛକୁ ଦେଖିଲେ ମନେହୁଏ ଯେମିତି ସେମାନେ କୌଣସି ଆର୍ଟିଷ୍ଟ ହାତରେ ଅଙ୍କା ଅସମାପ୍ତ ପେଣ୍ଟିଂ ।

 

ପାଖରେ ଗାର୍ଲସ୍ ହଷ୍ଟେଲର ଦ୍ୱିତଳକୋଠା ଦେଖାଯାଉଛି । ତା'ରି ଭିତରେ ଅନେକ ତରୁଣୀ ନିଦ୍ରା ଯାଇଥିବେ । ଯେମିତି କେଉଁ ଦୈତ୍ୟର କୁହୁକ ମନ୍ତ୍ରରେ ଅଚେତ ହୋଇ ପଡ଼ିଛନ୍ତି ସେମାନେ । ସେଇମାନଙ୍କ ଭିତରେ ମଧ୍ୟ ଶୋଇ ରହିଛି ରିତା । ଆହା ! କେତେ ଅତ୍ୟାଚାରିତା ରିତାର ଯୌବନ ! ରିତା କ’ଣ ଚାହେଁନା ଏଇ ଜହ୍ନ ଆଲୁଅରେ ଲୋଟିବାକୁ ଏଇ ଶୀତଳ ବାଲି ଶେଯରେ । ସେ କ’ଣ ଅସହାୟ ଭାବରେ ଚାହୁଁ ନ ଥିବ ଖସିପଡ଼ିନ୍ତାକି ଏଇ କାନ୍ଥର ଇଟାଗୁଡ଼ାକ ଏଇ ମାତାଲ ଜହ୍ନ ଆଲୁଅରେ ବତୁରୀ ବତୁରୀ ।

 

ମୁହୂର୍ତ୍ତକରେ ସୀମାଦ୍ରିର ମନ କରୁଣା-ଆଦ୍ର ହୋଇଉଠିଲା । ରିତାକୁ କ'ଣ ଉଦ୍ଧାର କରିହବ ଏଇ ଯକ୍ଷପୁରୀ ଭିତରୁ ? ହୁଏତ ସମ୍ଭବ । ତା’କୁ ଆସିବାକୁ ପଡ଼ିବ ଦିନେ ରାଜପୁତ୍ର ପରି ପାଣିର ସନ୍ଧାନ କରି । ତା’ପରେ ହୁଏତ ଘୋଡ଼ାର ଜିନ୍ ଉପରେ ତା’ର ଉଷ୍ଣୀଷ ରଖିଦେଇ ତାକୁ ଉଠିବାକୁ ପଡ଼ିବ ଲୁହାର ପାଇପ୍ ଧରି ଦୋତାଲା ଉପରକୁ ।..... ତା’ପରେ ହୁଏତ....। ସୀମାଦ୍ରୀ ଦୃଷ୍ଟି ଫେରାଇଲା ସେଇ ଜୀର୍ଣ୍ଣ ଚଉରା ଆଡ଼କୁ, ଏଇ ଚଉରାଟାକୁ । ଯଦି ସେ କରିପାରନ୍ତା ଆଲ୍ଲାଉଦ୍ଦିନର ସେଇ ଆଶ୍ଚର୍ଯ୍ୟ ଦୀପ-ଦୈତ୍ୟ, ତାହାହେଲେ ହୁଏତ ତା’କୁ ସେ ଆଦେଶ କରିପାରନ୍ତା ରିତାକୁ ଉଦ୍ଧାରକରି ଆଣିବାକୁ । ଓଃ ! ଥରେ ମାତ୍ର ଥରକ ପାଇଁ ଯଦି ସେ ଚେତନା ସଞ୍ଚାର କରିପାରନ୍ତା ଏଇ ଜଡ଼-ପ୍ରସ୍ତରିତ ! ଜୀର୍ଣ୍ଣ ଚଉରାଟା ଦେହରେ !

 

ନିର୍ନିମେଷ ଦୃଷ୍ଟିରେ ସୀମାଦ୍ରି ଚାହିଁ ରହିଛି ସେଇ ଚଉରାଟାକୁ, ସେ ଆଜି କିଛି ଭାବିବାକୁ ଚାହେଁନା । ଆଜି କେବଳ ସେ ଅପେକ୍ଷା କରି ରହିବ ତା’ର ନିଜସ୍ୱ କ୍ରମପରିବର୍ତ୍ତନକୁ, ପ୍ରଥମେ ତା’ର ମନେହେଲା ଯେମିତି ସେଇ ଚଉରା ଉପରେ ଅନେକଗୁଡ଼ାଏ ଆଲୋକ ଆଉ ଅନ୍ଧାର ରେଣୁ ଭାସି ବୁଲୁଛନ୍ତି ଅନିଶ୍ଚିତ ଭାବରେ । ତା'ପରେ ଯେପରି ସେଇ ଭାସମାନ ରେଣୁଗୁଡ଼ିକ ଆସ୍ତେ ଆସ୍ତେ ସ୍ଥିର ହୋଇ ଆସୁଛନ୍ତି.....ସେମାନେ ରୂପ-ପରିଗ୍ରହ କରୁଛନ୍ତି ।

 

ଉତ୍ସୃଙ୍ଖଳ ଜ୍ୟୋସ୍ନା ଝରୁଛି ଆକାଶରୁ ।

 

ଏଇ ଭରା ଚନ୍ଦ୍ରାଲୋକରେ ମଣିଷମାନେ କୁଆଡ଼େ ପାଗଳ ହୋଇଯାଆନ୍ତି । ସୀମାଦ୍ରି ଆଉ ପାଗଳ ହୋଇ ଯାଉନାହିଁ ତ’ ? ତା’ର ଏଇ ଏକ୍‍ସପେରିମେଣ୍ଟ୍‍ଟା ଗୋଟାଏ ବିରାଟ ପାଗଳାମି ନୁହେଁ ତ' ? ଠିକ୍ କିଛି ବୁଝିପାରୁ ନାହିଁ ସେ । ପୁଣିଥରେ ଚଉରାଟା ଆଡ଼େ ଚାହିଁଲା ସୀମାଦ୍ରି । ମୁହୂର୍ତ୍ତକ ପାଇଁ ତା’ର ମନେହେଲା ଯେପରି ସେଇ ଚଉରାଟା ରୂପାନ୍ତରିତ ହୋଇଯାଇଚି ଗୋଟାଏ ମନୁଷ୍ୟର ପ୍ରତିକୃତିରେ ।

 

ଗୋଟାଏ ଖାକି ରଙ୍ଗର ଫୁଲପ୍ୟାଣ୍ଟ୍ ପିନ୍ଧିଛି ଲୋକଟା । ସବୁ ଅଣ୍ଟାଠାରୁ ଉପରକୁ ଉଠିଯାଇଛି କ୍ରମପ୍ରଶସ୍ତ ଛାତିର ଦୁଇ ସୀମା ଟ୍ରାପିଜିଅମ୍‍ର ବାହୁ ପରି । ବାଁ ଆଖି ଉପରେ ଫେଲଟ୍‍ ଟୋପିଟା ନଇଁ ଆସି ମୁହଁଟା ଠିକ୍ ଦେଖାଯାଉ ନାହିଁ । ସୀମାଦ୍ରୀ ଆସ୍ତେ ଆସ୍ତେ ଆଗେଇବାକୁ ଚେଷ୍ଟାକଲା ସେଇ ଲୋକଟା ଆଡ଼କୁ । ସେ ଯେମିତି ଯାଉଛି ଗୋଟାଏ ଅଶରୀରୀ ସହିତ ପରିଚୟ କରିବାକୁ । କିନ୍ତୁ ତଥାପି ସେଇ ଲେକଟା ଠିଆ ହୋଇ ରହେ ଅବିଚଳିତ ହୋଇ । ନିକଟକୁ... ଖୁବ୍ ନିକଟକୁ ଆସିଲାଣି ସୀମାଦ୍ରୀ- ସୀମାଦ୍ରୀର ନିଶ୍ୱାସ ବୋଧହୁଏ ବାଜୁଛି ସେଇ ଲୋକଟା ଉପରେ–କିନ୍ତୁ ସେ ଲୋକଟାର କୌଣସି ପରିବର୍ତ୍ତନ ହୁଏନା । ଆଖିରେ ଅବିଶ୍ୱାସ୍ୟ ବିଶ୍ୱାସ ନେଇ ସୀମାଦ୍ରୀ ଚାହିଁ ରହେ ସେ ଲୋକଟାକୁ । ଆଗରୁ କେଉଁଠି ଦେଖିଛି ଦେଖିଛି ବୋଲି ମନେହୁଏ ତା’ର ।....କିନ୍ତୁ ଭୁଲଯାଉଛି ସୀମାଦ୍ରି......ଭୁଲିଯାଉଛି ସେ । ଖୁବ ଆସ୍ତେ ଆସ୍ତେ ଚାପାକଣ୍ଠରେ ପଚାରେ ସୀମାଦ୍ରି -“ତମେ କିଏ ?... ନିଶ୍ୱାସର ମୃଦୁ ଶବ୍ଦ ପରି କଥାଗୁଡ଼ାକ ମିଲେଇଗଲା ପବନରେ । ଚମକ ଉଠିଲା ସୀମାଦ୍ରି ! ନିର୍ଜ୍ଜନ ପରିବେଶ ଭିତରେ ଏଇ ସାମାନ୍ୟ କେଇପଦ କଥା ଅତି ବେଖାପ ଶୁଣାଯାଏ କାନକୁ । କିଏ କଥା କହିଲା ? ସେ ନିଜେ ନା ତା’ ସାମ୍ନାରେ ଠିଆ ହୋଇଥିବା ଏଇ ଅଶରୀରୀ ଯୁବକ ? ଠିକ୍ କିଛି ବୁଝିପାରୁନାହିଁ ସେ । ସବୁ ଯେମିତି ଗୋଳମାଳିଆ ହୋଇଯାଉଛି ତା’ର ମୁଣ୍ଡ ଭିତରେ ।

 

ସୀମାଦ୍ରିର ମେରୁଦଣ୍ଡ ଦେଇ ହଠାତ୍ ଯେମିତି ଖେଳିଗଲା ଗୋଟିଏ ବିଦ୍ୟୁତ୍ ତରଙ୍ଗ । ତା’ର ମନେହେଲା, ସେ ଯେମିତି ନିଜକୁ ଦେଖିପାରୁଚି ଗୋଟାଏ ବିରାଟ ଦର୍ପଣ ଭିତରେ । ତା'ର ଏଇ ଅପରିଚିତ ତରୁଣ ହେଇ ଏତେ ସମୟ ଧରି ଠିଆ ହୋଇ ରହିଛି ସେ ନିଜେ ! ହୁଁ -ଠିକ୍ ତ ! ନିର୍ଭୁଲ ଭାବରେ ସୀମାଦ୍ରି ଠିଆହୋଇ ରହିଛି ତା’ରି ସାମ୍ନାରେ । କିନ୍ତୁ ଏ କଥା କ'ଣ ସମ୍ଭବ ? ଆଜିଯାଏ ତ କେବଳ ସୀମାଦ୍ରି ଏଇ କଥା ତପସ୍ୟା କରି ଆସିଛି । କେତେ ରାତ୍ରି ସେ କଳ୍ପନା ନ କରିଚି ନିଜକୁ ସେ ଉଜ୍ଜୀବିତ କରିବ ଏଇ ନିର୍ବାକ୍, ଜଡ଼ ପଥର ଦେହରେ । ଆଜି ହୁଏତ ଅକସ୍ମାତ ଆସିଚି ସେଇ ଚିର ଇପ୍‍ସିତ ମୁହୂର୍ତ୍ତ । ଯେପରି କ୍ଲାନ୍ତ ହୋଇପଡ଼ୁଚି ସୀମାଦ୍ରି । ସେ ଆଉ କିଛି ଭାବିପାରୁ ନାହିଁ । ଧୀରେ ଧୀରେ ତା’ର ଅଙ୍ଗ ପ୍ରତ୍ୟଙ୍ଗ ସବୁ ନିର୍ଜୀବ ହୋଇ ଆସୁଛି । ପକ୍ଷାଘାତ ବୋଧହୁଏ ଠିକ୍ ଏଇପରି ଆରମ୍ଭ ହୁଏ । ଅତି ଅସହାୟ ଭାବରେ ସେ ତିଳେ ତିଳେ ପ୍ରସ୍ତାରିତ ହୋଇଯାଉଛି....... ସେ ଚଳତ୍‍ଶକ୍ତି ରହିତ ।

 

ସୀମାଦ୍ରିର ପ୍ରସ୍ତର ସମାଧି ସମ୍ପୂର୍ଣ୍ଣ ହୋଇଯାଇଛି । ତା’ର ଆଖି ପତା ମଧ୍ୟ ଚଳେଇବା ଆଉ ସମ୍ଭବ ନୁହେଁ । ଏଥର କିନ୍ତୁ ଚାଲିବାକୁ ଆରମ୍ଭ କରିଛି ସେଇ ଅନ୍ୟ ଲୋକଟି, ସୀମାଦ୍ରିର ଦ୍ଵିତୀୟ ସଂସ୍କରଣ । ସେ’ ଯେମିତି କେବଳ ଅପେକ୍ଷା କରି ରହିଥିଲା ସୀମାଦ୍ରିର ଏଇ ରୂପାନ୍ତରକୁ । କିନ୍ତୁ ସୀମାଦ୍ରିର ମସ୍ତିଷ୍କ କାର୍ଯ୍ୟ କରୁଛି ଠିକ୍ । ସେ ଠିକ୍ ଜାଣିପାରୁଛି ସେ ଲୋକଟା ଯିବ ଗାର୍ଲସ ହଷ୍ଟେଲ ପାଖକୁ । ଏଟା ସୀମାଦ୍ରିର ନିଜସ୍ୱ ଭାବନା ନୁହଁ । ସେଇ ଲୋକଟାର ପ୍ରତିଟି ଚିନ୍ତାଧାରା ଯେପରି କେଉଁ ଅଜ୍ଞାତ ଶକ୍ତି ବଳରେ ପ୍ରତିବିମ୍ବିତ ହେଉଛି ସୀମାଦ୍ରିର ମନରେ । ସୀମାଦ୍ରି ଆଦୌ ଅନୁମାନ କରିବାକୁ ଚେଷ୍ଟା କରୁନାହିଁ କିନ୍ତୁ ତଥାପି ସେ ଜଣିପାରୁଛି ତା’ର ପ୍ରତିଟି ଚିନ୍ତାଧାର ।

 

ସ୍ପଷ୍ଟ ଦେଖିପାରୁଛି ସୀମାଦ୍ରି ଜହ୍ନ ଆଲୁଅରେ.....ସେଇ ଲୋକଟା ଗାର୍ଲସ ହଷ୍ଟେଲର ପାଇପ୍ ଧରି ଉଠୁଛି ଉପରକୁ । ଖୁବ୍ ପରିଶ୍ରମ କରିବାକୁ ପଡ଼ୁଚି ସେଇ ଲୋକଟାକୁ ନିଶ୍ଚୟ ସୀମାଦ୍ରିର ପ୍ରସ୍ତରିତ ଗୋଡ଼ର ମାଂସପେଶୀ ସବୁ ଫାଟି ପଡ଼ୁଛନ୍ତି ସେଇ ଲୋକଟାର ଉଠିବାର ଚେଷ୍ଟାରେ । ତା'ପରେ ସେଇ ଲୋକଟା ଚାଲୁଛି ଗୋଟାଏ ନାତିପ୍ରଶସ୍ତ ପାଚିରୀ ଉପରେ କୌଣସି ମତେ ନିଜର ଭାରସାମ୍ୟ ରକ୍ଷା କରି କରି–ଆଉ ଠିକ୍ ସେଇ ସ୍ପନ୍ଦନ ଅନୁଭବ କରିପାରୁଚି ସୀମାଦ୍ରି । ସେ ବି ଟଳୁଚି କେତେବେଳେ ବାଁକୁ ପୁଣି କେତେବେଳେ ଡାହାଣକୁ । ଏକ ଅପରିହାର୍ଯ୍ୟ ଦୋଳନରେ ଦୋଳାୟିତ ହେଉଛି ସୀମାଦ୍ରି...ତା’ପରେ ଲୋକଟା ଉଠୁଛି ସନ୍ତର୍ପଣରେ ଗୋଟାଏ ସଂକୀର୍ଣ୍ଣ ପାରାପିଟ୍ ଉପରକୁ, କାନ୍ଥରେ ପିଠି ଘଷି ଘଷି ଚାଲୁଛି ଲୋକଟା... ସେ ନିଶ୍ଚୟ ଯାଉଛି ରିତାର ରୁମ୍‍ର ଝରକା ପାଖକୁ । କିନ୍ତୁ ତା’କୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ ସେଇ ସଂକୀର୍ଣ୍ଣ ପଥ ଦେଇ.... ସୀମାଦ୍ରିର ପାଦତଳୁ ଯେମିତି ଗୁଡ଼ାଏ ମାଟି ଖସିଗଲା । ହଠାତ୍ , ତା’ ପାଦତଳେ ଖାଲି ରହିଚି ଗୋଟିଏ ଅପ୍ରଶସ୍ତ ମାଟିର ହିଡ଼ । ସୀମାଦ୍ରିର ଭାରସାମ୍ୟ ମଧ୍ୟ ଆନ୍ଦୋଳିତ ହବାକୁ ଆରମ୍ଭ କରିଛି । ଉଃ ! କି ଆଶ୍ଚର୍ଯ୍ୟ ଭାବରେ ସେଇ ଲେକଟାର ପ୍ରତିଟି ଗତିବିଧି ସୀମାଦ୍ରିକୁ ପ୍ରଭାବିତ କରି ଚାଲିଛି ।

 

ନାଁ-ସୀମାଦ୍ରି ପକ୍ଷରେ ଆଉ ଠିଆ ହୋଇ ରହିବା ସମ୍ଭବ ନୁହଁ ବୋଧହୁଏ । ସେ ପ୍ରାୟ ପଡ଼ିଯାଉ ଯାଉ ରହିଗଲା ଥରେ । କିନ୍ତୁ ଏଇ କେତୋଟି ମୁହୂର୍ତ୍ତ ଅତ୍ୟନ୍ତ ଅନିଶ୍ଚିତ-କିଛି କୁହାଯାଏ ନାଁ । ହଠାତ୍ ଶୂନ୍ୟକୁ ଝୁଙ୍କି ପଡ଼ିଲା ସୀମାଦ୍ରି -ଏଥର ଆଉ କିଛି ପ୍ରତିବନ୍ଧକ ନାହିଁ । ସାମ୍ନାର ଶୂନ୍ୟତା ଭିତରକୁ ଓଜାଡ଼ି ହୋଇ ପଡ଼ିଲା ସୀମାଦ୍ରି ଖଣ୍ଡେ ଶୁଖିଲା କାଠ ଗର ପରି । ଠିକ୍ ତା’ପରେ ହିଁ ସୀମାଦ୍ରିର ଚେତନା ଶକ୍ତି ଲୋପ ପାଇଯାଇଛି...

 

ଚାରି

 

ଗାର୍ଲସ ହଷ୍ଟେଲ୍ ପଡ଼ିଆରେ ଅନେକ ଲୋକଙ୍କର ଭିଡ଼ ଜମିଛି । ସୀମାଦ୍ରିର ଛାତ ଉପରୁ ପଡ଼ିଯାଇଛି ଅସତର୍କ ହୋଇ । ସରୋଜ ବି ଆସିଚି ସେଠିକି । ସୀମାଦ୍ରିର ମୁଣ୍ଡର ଖପୁରୀଟା ଛେଚି ହୋଇଯାଇ ମୁହଁଟା କିପରି ବିକୃତ ଦେଖାଯାଉଛି । ତା’ର ପିନ୍ଧିବା ଲୁଗାକୁ ଛାଡ଼ିଦେଲେ ତା’କୁ ସୀମାଦ୍ରି ବୋଲି ଚିହ୍ନଟ କରିବା ସମ୍ଭବ ନୁହେଁ ।

 

ପୁଲିସ୍‍ ଅନୁସନ୍ଧାନ କରୁଛି । ସରୋଜ ଏ ଦୁର୍ଘଟଣା ସମ୍ପର୍କରେ କୌଣସି ଆଲେକପାତ କରିପାରି ନାହିଁ । ସହରର ସମସ୍ତ ଜନତା ଅବଶ୍ୟମ୍ଭାବୀ ଉପସଂହାରରେ ଉପନୀତ ହୋଇ ରାୟ ଦେଇଛନ୍ତି ଯେ ସୀମାଦ୍ରି କୌଣସି ପ୍ରେମ-ଜନିତ ବ୍ୟାପରରେ ଜଡ଼ିତ ହୋଇପଡ଼ି ହୁଏତ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବା ଆତ୍ମହତ୍ୟା କରିଛି ।

 

ସରୋଜ କେବଳ ତା’ର ଦୁଇ ହାତକୁ ଛାତି ଉପରେ ଛକି ଦେଇ ଚିନ୍ତିତ ଭାବରେ ବୁଲୁଚି ଏପଟରୁ ସେ’ପଟ । କିଛି କୂଳକିନାରା ମିଳେନା ସରୋଜକୁ । ବୁଲି ବୁଲି କେନାଲ୍ କୂଳକୁ ଆସେ ସରୋଜ ଆଉ ସେଠି ଦେଖେ -

 

ସେଇ ଜୀର୍ଣ୍ଣ ଚଉରାଟି ମଧ୍ୟ ଭାଙ୍ଗି ପଡ଼ିଛି ମୂଳରୁ - ପଡ଼ିବାର ଧକ୍କାରେ କେଇଖଣ୍ଡ ଇଟା ଛିଟିକି ପଡ଼ିଚି ଦୂରକୁ ।

ସରୋଜ ବିସ୍ମିତ ହୋଇଛି–କାଲି ରାତିରେ ବର୍ଷା ବା ଝଡ଼ର ବିନ୍ଦୁ ମାତ୍ର ସୂଚନା ନଥିଲା....ତେବେ ଭାଙ୍ଗିଲା କିପରି ? ହୁଏତ ସୀମାଦ୍ରି ଶେଷ ପର୍ଯ୍ୟନ୍ତ ଏଇ ପଥର ଖୁଣ୍ଟଟାର ଆତ୍ମା ଭିତରକୁ ପ୍ରବେଶ କରିପାରିଥିଲା ।

 

ପାଞ୍ଚ

 

ଦଶବର୍ଷ ଅତିକ୍ରାନ୍ତ ହୋଇଯାଇଚି ।

 

ସରୋଜ ତା'ର ସ୍ତ୍ରୀକୁ ନେଇ ଗାଡ଼ିରେ ଯାଉଥିଲା ସେଇବାଟ ଦେଇ । କେନାଲ୍ କୂଳର ସେଇ ନିର୍ଦ୍ଦିଷ୍ଟ ସ୍ଥାନଟି ପାଖରେ ସରୋଜ ଗାଡ଼ି ଠିଆ କରେ । ଗାଡ଼ିରେ ତା’ର ସ୍ତ୍ରୀକୁ ଅପେକ୍ଷା କରିବାକୁ କହି ସରୋଜ ଓହ୍ଲେଇ ପଡ଼ି ଚାଲେ କେନାଲ ବନ୍ଧ ଉପରକୁ । ସେ ବୋଧହୁଏ ଦଶବର୍ଷ ପରେ ତା’ର ବନ୍ଧୁ ସୀମାଦ୍ରିକୁ ସ୍ମରଣ କରିବାକୁ ଚାହେଁ ସେଇ ପରିବେଶ ଭିତରେ ।

 

ଆଜି ବି ସେଇ ବାଲି ସବୁ ରୂପା ପାଲଟି ଯାଇଛନ୍ତି ଜହ୍ନର କାଉଁରୀ କାଠିରେ । ଆଜି ବି ସେଇ ଗଛ ସବୁ ସେମିତି ଠିଆହୋଇ ରହିଛନ୍ତି ପ୍ରତ୍ୟେକଟି ଗୋଟିଏ ଗୋଟିଏ ମୂର୍ତ୍ତିମନ୍ତ ରହସ୍ୟ ପରି ।

 

ଦୂରରୁ ଅସ୍ପଷ୍ଟ ଭାବରେ ଦେଖାଯାଉଛି କିଏ ଜଣେ ଭଦ୍ରଲେକ ମୁଣ୍ଡ ତଳକୁ କରି ବୁଲୁଛନ୍ତି ସେଠି । ଏଇ ଚିର-ନିର୍ଜ୍ଜନ କେନାଲ୍ କୂଳରେ ସେ ବୋଧହୁଏ ଜଣେ ସହରର କୋଳାହଳ-ଅତ୍ୟାଚାରିତ ଆଶ୍ରୟପ୍ରାର୍ଥୀ । ଦୂରରୁ ସରୋଜ ଆସିବାର ସାମାନ୍ୟ ସଙ୍କେତ ପାଇ ସେ ଭଦ୍ରଲୋକ ଯେପରି ହଠାତ୍‍ ନିଶ୍ଚଳ ହୋଇଗଲେ ମୁହୂର୍ତ୍ତକ ପାଇଁ ଆଉ ଭୟ ପାଇଲା ପରି ତତ୍‍କ୍ଷଣାତ୍ ବସି ପଡ଼ିଲେ ବାଲିରେ ।

 

ସରୋଜ ବାଲି ଉପରକୁ ଉଠିଲା । କେଇପାଦ ଆଗକୁ ଯାଇ ସେ ଦେଖେ ଭଦ୍ରଲୋକ ବସି ପଡ଼ିଥିବା ଜାଗାରେ ମନୁଷ୍ୟର କୌଣସି ଚିହ୍ନବର୍ଣ୍ଣ ପର୍ଯ୍ୟନ୍ତ ନାହିଁ । ସେଠି ସେହିପରି ନିର୍ବାକ୍ ହୋଇ ପଡ଼ିରହିଛି ସେଇ ଭଙ୍ଗା ଚଉରାଟା । କାଳର ଅତ୍ୟାଚାରରେ ତ ଉପରେ ଶିଉଳି ମାଡ଼ିଗଲାଣି....ଇଟାର ଫାଟରେ ଘାସ ଉଠିଗଲାଣି ପ୍ରଚୁର ।

 

ଅଭିଭୂତ ହୋଇ କେଇ ମୁହୂର୍ତ୍ତ ଠିଆହୋଇ ରହିଲା ସରୋଜ । ମନେ ମନେ ଉଚ୍ଚାରଣ କଲା ସେ....“ସେଇ ଦିନଠାରୁ ଏଇଠି ତୁ ଶୋଇ ରହିଚୁ ସୀମାଦ୍ରି.....କେତେ ରାତି ଆମେ ଏଇଠି ଶୋଇ ଶୋଇ କଳ୍ପନା ନ କରିଛେ ଆମର ବାହାଘର କଥା-ମୁଁ ବାହା ହୋଇଛି-ଆ-ଦେଖିବୁ ଆ’ ମୋର ସ୍ତ୍ରୀକୁ...କେମିତି ଦେଖେଇବି ତତେ...”

 

ସରୋଜର ଆଖିରେ ଲୁହ ଟଳମଳ କରୁଥିଲା ।

 

ସରୋଜ ଫେରି ଆସିଲା ଗାଡ଼ି ପାଖକୁ ।

 

ସରୋଜର ସ୍ତ୍ରୀ ପଚାରିଲା, ‘‘କିଏ ସେ ଭଦ୍ରଲୋକ ଜଣକ ଏତେ ରାତିରେ ବୁଲୁଥିଲେ ଏଠି...”

 

ସରୋଜ ରୁମାଲରେ ଆଖି ପୋଛି ନଉ ନଉ କହିଲା, ‘ଘରକୁ ଚାଲ, କହିବି’ ।

Image

 

ବନ୍ୟା ପରେ

ଶ୍ରୀ ଚନ୍ଦ୍ର ଶେଖର ରଥ

 

“ସେଇଠୁ କଣ ହେଲା କହୁନ !–ଏମିତି ଲାଜଉଚ କ’ଣ ମ’ ମଉସା ! ଅନ୍ଧାର ରାତିରେ ପବନ ବୋହିଲା । ପାଣି ମାଡ଼ିଆସିଲା । ତମେ ଦେଖୁ ବେଖୁ ତମ ଘର ଭିତରେ ଅଣ୍ଟେ ପାଣି, ସେଇଠୁ...?”

 

ବେଳବୁଡ଼ ଖରାରେ ଲୋକଟି ଅନେଇଥାଏ ଭୂଇଁକୁ । କାଦୁଆ କାଦୁଆ ମଳିଛିଆ ଦେହ । ସରୁ ମୁହଁଟିଏ । କଛି ଦାଢ଼ି । ହାତରେ ମୁହଁରେ ଆଞ୍ଚୁଡ଼ା ଦାଗ । ଶୁଖିଲା ଓଠ ବୁଜି ସେ ବସିଥାଏ । ସବୁ ନୀରବ ।

 

“ଚାଲ, ତପନବାବୁ ! ଏଇଠି ସମୟ ନଷ୍ଟକରି କିଛି ଲାଭ ନାହିଁ । ଏଇଟା ଜାଣିଶୁଣି ବେଲି କାଢ଼ୁଚି । ଆଜି ସକାଳୁ ଆମେ ତାକୁ ସେ ଉପୁଡ଼ି ପଡ଼ିଥିବା ଗଛ ଡାଳରୁ ରକ୍ଷାକଲୁ । ଆଣି ନାଆରେ ବସେଇଲୁ । ବହୁ ଚେଷ୍ଟାକଲୁ । ସେ କିଛି ଖାଇଲା ନାହିଁ । ଏଯାଏଁ ଆମ ପିଲାଏ ନୟାନ୍ତ ହୋଇ ସାରିଲେଣି । ୟା ପିଛା ଲାଗନ୍ତୁ ନାହିଁ–ଉଠନ୍ତୁ ! ସେ ଛତୁଆ ପୁଡ଼ିଆ ତା’ ପାଖେ ଥୋଇଦେଇ ଚାଲରେ ପିଲେ ଯିବା ! ଆଉ ଶହ ଶହ ଲୋକ ମିଳିବେ । ତପନବାବୁ ସେଇଠି ରେକର୍ଡ଼ କରିନେବେ । ଶଳା, ବୋଲି କାଢ଼ୁଚି । ଭୋକରେ ପେଟ ଜଳିଲେ ତା' ମନକୁ ଶୁଖିଲା ଛତୁଆ ପାଣି ମାଗିବନି !”

 

“ଆମେ କିନ୍ତୁ ସାର୍, ବଟର୍ ନ ହେଲେ ଖାଲି ସିଝା ଅଣ୍ଡା ସାଙ୍ଗରେ ଆଉ ରୁଟି ଖାଇପାରିବୁ ନାହିଁ ।”

 

“ତୁମେ ଆଗ ଚାଲୁନା ! ଏଇଠୁ କାହିଁକି ଏମିତି ଅତର୍ଚ୍ଛ ହଉଛ ? ଆଜି ଢେର୍ ଜିନିଷ ପାର୍ଶଲରେ ଆସି ପହଞ୍ଚିଛି । ଭଲ ଛେନା ଆଉ କେକ୍ ଆସିଛି । ଗୋଟାଏ ପେଟି ପୁରା ବଟର ଆସିଛି !”

 

ସ୍ଵେଚ୍ଛାସେବୀ କଳରୋଳ କରିଉଠିଲେ । ତପନ ଶୋଭନ ରାୟ ତାଙ୍କ ଯନ୍ତ୍ରପାତି ଟେକି ଉଠିଲେ । ସେଇ ଆଇଁଷିଆ ମାରୁଥିବା ଛୋଟ ପଡ଼ିଆଟି ଉପରେ ସେମିତି ଏକୁଟିଆ ସେ ବସିରହିଥାଏ । ଛତୁଆ ପୁଡ଼ିଆଟିଏ ସେମିତି ଥୁଆ ହୋଇଥାଏ । ସୂର୍ଯ୍ୟ ସେମିତି ବୁଡ଼ିଯାଉଥାଏ ।

 

ତମ୍ବୁ ଭିତରେ ଦାମୀ ଧୂପକାଠିର ଗନ୍ଧ । ବାହାରେ ସେମିତି ଉତ୍କଟ ପଚାପାଣି ଜମି ରହିଛି, ତା' ନ ହେଲେ ବଞ୍ଚିବା କଷ୍ଟ । ମଡ଼ା ଦେଖି ଦେଖି, କାନ୍ଦ ଶୁଣି ଶୁଣି, ମନ ମାନ୍ଦା ଧରିଯାଉଥାଏ । ସେଥିପାଇଁ ରେକର୍ଡ଼ରୁ କିଛି ହାଲୁକା ଗୀତ ବାଜୁଥାଏ ତମ୍ବୁରେ ।

 

ତପନବାବୁ କିନ୍ତୁ ପରଦା ଟେକି ପଶିବା ପୂର୍ବରୁ ଆଉ ଥରେ ପଛକୁ ଏବଂ ପଡ଼ିଆରେ ବସିଥିବା ସେ ଲୋକଟିକୁ ଅନେଇଲେ । ଅଭିଜ୍ଞ ନାମ୍‍ଜାଦା ମଣିଷ । ମଲ୍ ଚିହ୍ନିବାରେ ସେ କେବେ ଭୁଲ କରନ୍ତି ନାହିଁ। ତାଙ୍କୁ ଲାଗିଲା ଯେ ସେ ଲୋକଟା ପାଖରେ ଢେର୍ ଜିନିଷ ଅଛି । 'ଆଚ୍ଛା ଦେଖିବା’ ଢଙ୍ଗରେ ସେ ତମ୍ଭୁ ଭିତରକୁ ହାଇ ମାରି ପଶିଗଲେ ।

“ଆଚ୍ଛା, ତପନବାବୁ ! ଆମ ପିଲାଏ ଗୋଟିଏ ଅଲୋଚନା ପ୍ରସ୍ତୁତ କରିଛନ୍ତି । କିଛି ଗୀତ ବାଦ୍ୟ ବି ଶିଖିଛନ୍ତି । ସେ ସବୁ କେମିତି ଟିକଏ ରେକର୍ଡ଼ ହୁଅନ୍ତା ।”

 

‘‘ନିଶ୍ଚୟ, ନିଶ୍ଚୟ ! କାହିଁକି ନ ହେବ ?”

 

ଏଇଭଳି ଆସ୍ତେ ସନ୍ଧ୍ୟା ନଇଁ ଆସିଲା | ତା’ପରେ ଅନ୍ଧାର କାକର ଦୁର୍ଗନ୍ଧ ରାତି । ଖୁବ୍ ଦୂରରେ କିଛି କିଛି କାନ୍ଦ, ହସ, ପାଟିତୁଣ୍ଡ । ଆହୁରି ଦୂରରେ ବିଲୁଆ ଡାକ । ଚବର ଚବର ଚାଲି ମଣିଷଙ୍କର, ପଶୁଙ୍କର ।

 

ତପନ ରାୟ ପଦାକୁ ବାହାରିଲେ । ଦୁଇମୁଣ୍ଡରେ ହାତ ରଖି, କିଛି ସମୟ ଚାହିଁ ରହିଲେ । ଅନ୍ଧାର । ହୁ ହୁ ପବନ । ମଝିରେ ମଝିରେ ଗନ୍ଧ । ତମ୍ବୁ ଭିତରୁ ସେ ଟର୍ଚଲାଇଟ୍ ଧରି ବାହାରି ଆସୁଥିଲେ । ପୁଣି ନଇଁପଡ଼ି ରେକର୍ଡ଼ ଯନ୍ତ୍ରଟି ବାଁ ହାତରେ ଉଠେଇ ଚାଲିଲେ ।

 

ଅନ୍ଧାର ଲଉଡ଼ି ପରି ସରୁ ଆଲୁଅଟିଏ ଦରାଣ୍ଡିଲା ଏକଡ଼ ସେକଡ଼ । ତା’ ଦେହରେ କିଛି ବାଜିଲା ନାହିଁ । ତପନ ରାୟ ଆଗେଇଲେ । ଛୋଟ ପୁଡ଼ିଆଟି ଖାଲି । ଛତୁଆ ପୁଡ଼ିଆଟି ମଧ୍ୟ ନାହିଁ ।.... ଉପର ହୁଡ଼ାରେ ସେଇଟା ବୋଧହୁଏ ପିତା ନିମ୍ବଗଛଟାଏ ! ତା’ ମୂଳେ ସେଇଟା କ’ଣ ? ଖୁବ୍ ପାଖକୁ ଯାଇ ତପନ ରାୟ ଆଲୁଅ ଟିପିଲେ । ସେଇ ମଣିଷଟି ଛତୁଆ ପାଟିକୁ ପକାଉଥାଏ ।

 

ପଛ ମୁଣାରୁ କାଗଜ ପୁଡ଼ିଆଟିଏ କାଢ଼ି ସେ କହିଲେ, “ଦେଖି, ମଉସା, ଏ ମିଠା ଦି'ଟା ପାଟିକି ପକେଇଲ !”

 

ମିଠାଗୁଡ଼ାକ ଏତେ କଅଁଳ ବୋଲି ଜାଣିଥିଲେ ସେ ଏମିତି କାମୁଡ଼ି ନ ଥାନ୍ତା । ଫଳରେ କିଛି ସନ୍ଦେଶ ଗୁଣ୍ଡ ଲଖି ରହିଲା ଦାଢ଼ିରେ, ଆଉ କିଛି ଗୁଣ୍ଡ ଝଡ଼ି ପଡ଼ିଲା ଭୂଇଁ ଉପରକୁ ।

 

“ଆଉ ଖାଅ, ମଉସା ! ଆଉ ନିଅ !! ଏସବୁ ତୁମ ପାଇଁ ଆଣିଛି ପରା ! ତୁମେ ପରା କାଲିଠୁ କିଛି ଖାଇନ !–ଆଚ୍ଛା, ଅଣ୍ଡା ଖାଇଚ, ସିଝା ଅଣ୍ଡା ?–ଲହୁଣୀ, ରୁଟି, ଜାମ୍ ?? ଏଁ ?? ଆଣିଦେବି ?”

 

ସେ ମୁଣ୍ଡ ହଲାଇ ନାହିଁ କଲା ।

 

“ତା’ ହେଲେ ଭଲ ପାଣି ଆଣି ଦେଉଚି ପିଇବାକୁ !’’ ସେ ଚାହିଁଲା ଅନ୍ଧାର ଭିତରେ ଛାଇଟାକୁ !- ‘‘ତମେ କିଏ ବାବୁ ?” ତପନ ରାୟ ଚମକି ପଡ଼ିଲେ । ଗଛଟା କଥା କହିଲା କି ଆଉ ! “ମୁଁ ? ମୁଁ–ଏଇ ଆସିଛି, ଏଠି କ'ଣ ସବୁ ହେଲା ଦେଖି ଶୁଣି ଯିବାପାଇଁ । .... ଏମିତି ତ’ ସମସ୍ତେ ଜାଣିଲେଣି ଯେ ରାତିରେ ପାଣି ମାଡ଼ିଆସିଲା । ମଣିଷ, ଗାଈ ଗୋରୁ, ଗାଁଗଣ୍ଡା ଭାସିଗଲେ । ଯେଉଁମାନେ ବର୍ତ୍ତିଗଲେ ତାଙ୍କୁ ପଚାରିଲେ ସିନା କହିବେ କେମିତି କ’ଣ ହେଲା ! ମୁଁ ଏଇ ସାଙ୍ଗେ ସାଙ୍ଗେ ତୁମ ପାଇଁ ପାଣି ନେଇଆସୁଛି ।’’

 

ବାଁ ପାପୁଲି ଟେକି ସେ ବାରଣ କଲା । ଆଙ୍ଗୁଠିରେ ଦେଖେଇଲା ହଡ଼ା ତଳକୁ । କହିଲା, ‘‘ପିଇଚି’’ ।...ହୁଡ଼ା ତଳେ ଟର୍ଚ ଆଲୁଅରେ ଦିଶିଲା ବୁଦାମୂଳ ଅନ୍ଧାରରେ ଚବଚବିଆ ପାଣି । ଠିକ୍ ଅଛି, ତାଙ୍କର କ'ଣ କହିବାର ଅଛି ।

ତପନ ରାୟ ଚକାପକେଇ ବସିଗଲେ । ସଜାଡ଼ି ନେଲେ ରେକର୍ଡ଼ ଯନ୍ତ୍ର ।

 

"ଆଚ୍ଛା, ମଉସା ତମ’ ନା କ'ଣ ?”

 

“ମୋ ନାଁ ? ମୋ ନାଁ ସାଖୀ ସାସମଲ ।”

 

"ଘର... ଏଇ ?"

 

“ମାଣିକପୁର ।"

 

“କ’ଣ ହେଲ ସେଦିନ ? କେମିତି ବଢ଼ି ପାଣି ଆସିଲା ? ତମ ଘରେ ଆଉ ଆଉ ସବୁ କିଏ ଥିଲେ ? ସେମାନେ ଏବେ କାହାନ୍ତି ?...”

 

ସାଖୀର ମୁହଁଟି କୁଞ୍ଚି କୁଞ୍ଚି ହୋଇ ଚିପୁଡ଼ି ହୋଇଗଲା ପରି ଦିଶିଲା । ସବୁ ଚୁପ୍ । ତପନ ରାୟ ଆଲୁଅ ଲିଭେଇଦେଲେ । ଯନ୍ତ୍ରଟିକୁ ବନ୍ଦକରି ଅପେକ୍ଷା କଲେ । ନ ହେଲେ ଏତେଗୁଡ଼ାଏ ମେଲା; ସେଥିରେ ଭର୍ତ୍ତି ହୋଇଗଲେ ଭାରି ଆଡ଼ୁଆ ଲାଗିବ ଶୁଣିଲାବାଲାଙ୍କୁ ।

 

ଦୋହରାଇଲା ପରି କହିଲେ, “ଅନ୍ଧାର ରାତିରେ ପବନ ବହିଲା । ପାଣି ମାଡ଼ି ଆସିଲା ।”.... ଯନ୍ତ୍ର ଟିପିଲେ ତପନ ରାୟ ।

 

“ହଇ, ବାବୁ ପାଣି ମାଡ଼ି ଆସିଲା ।"...

 

“ଆଛା, ଆଚ୍ଛା...ସେଇଠୁ...କ'ଣ ହେଲା- ?”

 

“ମୋର ବାପ ପାଟି କଲା...। …ପୁଅ ରଡ଼ିଲା ।... ଆଉ ତା’ର ମା’ ତାକୁ ଧରି ଅନ୍ଧାରରେ ଡାକ ପକେଇଲା...ମତେ ମିଛ ପରି ଲାଗୁଥାଏ ।...ମୁଁ ଅନ୍ଧାରରେ ଠିଆହେଲି । ପାଣି ଅଣ୍ଟାଏ...। ମୋ ବାପ ମୋ ଡାହାଣ ହାତ ଧରି ଓହଳିଲା । ମାଇପ ଧରିଲା ଆର ହାତ । କାଳୁ ଚଢ଼ିଗଲା ବେକ-ମୁଣ୍ଡାକୁ । ‘ପଦାକୁ ବାହାରି ଯିବା, ସଖୀ ! ନଇଲେ ଚାଳ ମଡ଼େଇ ହେଇ ପଡ଼ିବ...କହିଲା ବାପ ।...ଏଇ ସନ ନୂଆ ରୁଅ ବଦଳି କରିଥିଲି । ନୂଆ ନଡ଼ା ଛପର କରିଥିଲି ।....ଭୁସ୍ କିନା ଛାତ ଟେକିନେଲା ପବନ । ଦାଣ୍ଡ ପାଖ କାନ୍ଥ ମଡ଼େଇ ହୋଇ ପଡ଼ିଲା । ...ଆମେ ଏକାଠି ପେଲି ହେଇ ବାହାରି ଆସିଲୁ ।... ଆସିଲୁ କ’ଣ, ସୁଅରେ ପଡ଼ିଗଲୁ ।.... ସୁଅ ନଥିଲେ....’

 

ଚୁପ୍ ରହିଗଲା ସାଖୀ ସାସମଲ । ଯନ୍ତ୍ରଟିକୁ ଆସ୍ତେ ବନ୍ଦକରିଦେଇ ତପନ ରାୟ ଅପେକ୍ଷା କଲେ ସେ ସୁଅରୁ ଉଠିବା ପର୍ଯ୍ୟନ୍ତ ।

 

ହଠାତ୍ ଚମକିଲାପରି ସେ କହିଲା, ମୁଁ ଆଉ କ’ଣ କରିବି-ବୁଡ଼େଇ ଦେଲା । ଭୂଇଁ- ଛାଡ଼ିଗଲା । ହାତଟା ଛଡ଼େଇ ଆଣିଲେ । ହାବୁକା ମାରି ଆଉ ଥରେ ଅଣ୍ଡାଳିଲି । ତାକୁ ପାଇଲି ନାହିଁ । ବାପକୁ ସୁଅ ଭିଡ଼ି ନେଇଥିଲା । ପାଣି ଆଉରି ବଢ଼ିଲା । ସମସ୍ତେ ବୁଡ଼ିଗଲୁ । ମୋ ସ୍ତ୍ରୀ ଓହଳି ଧରିଥାଏ । ଛଟପଟ ହେଲୁ ସମସ୍ତେ । ମୋ ହାତରୁ କେମିତି ଜାବ ଛାଡ଼ିଦେଲା । ମୁଁ ଉପରକୁ ଦୁଇହାତ ପିଟି ଉହୁଙ୍କି ଆସିଲି । ପହଁରିଲି ପ୍ରାଣମୂର୍ଚ୍ଛା । ପାଣି ତଳକୁ ମାଡ଼ି ଦେଉଥାଏ । ମୁଁ ଉହୁଙ୍କି ଉଠୁଥାଏ । ତଡ଼ି ନଉଥାଏ, ମୁଁ ଭିଡ଼ି ହଉଥାଏ । ଗୋଟେ ଗଛ ଦିହରେ ଯାଇ ହାବୁଡ଼ିଲି । ସେଇଟା ମୁନ୍ଦୁରା ଗୁଡ଼େଇ ହେଲାପରି ତଡ଼ି ହେଉଥାଏ । ତା'ର ଡାଳରୁ ଡାଳକୁ ମୁଁ ଓଟାରି ହେଉଥାଏ । ଗୋଟେ ଡାଳ ନେଇ ତଳେ ମାଡ଼ିଦେଲା । ବଡ଼ କଷ୍ଟରେ ଗଲି ଆସିଲି ପାଣି ଉପରକୁ । କେତେବେଳକେ…ସେ ଗଛ ଅଳ୍ପ ଥୟ ହେଲା । ମୁଁ ସେଇ ଗୋଟାଏ ଡାଳରେ ଦୋହଲୁଥାଏ । ସେଇଠି ମୋର ମନେପଡ଼ିଲା ଯେ ମୋ କାନ୍ଧ ଉପରେ ‘କାଳୁ’ ନାଇଁ । ସେ ପିଲାଟା ଛଟପଟ ଭିତରେ କେତେବେଳେ ଖସି ଯାଇଚି ! ସମସ୍ତେ ତା’ ଭିତରେ ଖସିଯାଇଛନ୍ତି । ସମସ୍ତେ ଭାସି ଯାଇଛନ୍ତି ।...”

 

ତପନ ରାୟ ରେକର୍ଡ଼ ବନ୍ଦ କଲେ । ଆଲୁଅ ଟିପିଲେ । ସାଖୀ ସାସମଲ ମୁଦାହୋଇ ବସିଥାଏ । ନିଜ ଗୋଡ଼ଯୋଡ଼ିକୁ କୁଣ୍ଢେଇ, ଆଣ୍ଠୁ ଉପରେ ଆଖିବୁଜି ବସିଥାଏ ସେ ଏକାକୀ ମଣିଷଟି ।

 

ତପନ ରାୟଙ୍କୁ କଥା କହିବାକୁ ଡରମାଡ଼ିଲା । ବନ୍ୟାରେ ଉପୁଡ଼ି ପଡ଼ିଥିବା ଗଛଟିକୁ କଥା କୁହାଯାଏ ନାହିଁ- କହି ହୁଏ ନାହିଁ ।

 

ସେ ଅପେକ୍ଷା କଲେ । ସେଇ ଅବସରରେ କିନ୍ତୁ ଭାବିଗଲେ ଅନେକ କଥା । ପତ୍ରିକାରେ ତା’ ଆରଦିନ ବଡ଼ ବଡ଼ ଅକ୍ଷରରେ ବାହାରିଯିବ, ‘ବନ୍ୟାରେ ସବୁ ହରେଇଥିବା ଏକାକୀ ମଣିଷ' -‘ବନ୍ୟାରୁ ବଞ୍ଚି ଆସିଥିବା ମଣିଷର ମର୍ମନ୍ତୁଦ କାହାଣୀ' ଇତ୍ୟାଦି । ଚହଳ ପଡ଼ିଯିବ ରାଜଧାନୀରେ, ସହରମାନଙ୍କରେ । ପତ୍ରିକାରେ ଫଟ ମଧ୍ୟ ବାହାରିଥିବ ଏଇ ଦରବୁଢ଼ା ମଣିଷର । ଏମିତି ଆଣ୍ଠୁ ମୁଣ୍ଡ ହେଇ ଆଖିବୁଜି ବସିଥିବା ଚିତ୍ର ତା'ପରେ ଆଲୋଚନା ସଭା ! ବନ୍ୟାପାଣ୍ଠି ! ସେଇଠି ତା’ ନିଜ ତୁଣ୍ଡରେ ତା’ର କାହାଣୀ ଶୁଣେଇ ଦିଆଯିବ ।

 

ଟେରିଫିକ୍ !! ଜମିଜିବ ଜିନିଷଟା !!

 

ତପନ ରାୟ ହଠାତ୍ ଅଭ୍ୟାସରେ କହି ପକାଇଲେ, “ଆଚ୍ଛା, ତାହେଲେ ଆପଣଙ୍କୁ ଅଶେଷ ଧନ୍ୟବାଦ !” 'ମୋ’ ତରଫରୁ, ଅନ୍ୟମାନଙ୍କ ତରଫରୁ’ ...ଇତ୍ୟାଦି ଧାରାବାହିକ କଥା ବାହାରି ଆସୁଥିଲା...ତାକୁ ଯଥା ସମୟରେ ରୋକିନେଲେ ତପନ ରାୟ । କହିଲେ, “ତା ହେଲେ ସାଖୀ ମଉସା ! ତମେ ମୋ ସାଙ୍ଗରେ ଆମ ତମ୍ବୁ ଭିତରକୁ ଆସ । ସକାଳୁ ତୁମପାଇଁ ବ୍ୟବସ୍ଥା କରିଦେବା ।'' -'ଗଛମୂଳେ ଆଉ କିଛି ଘଣ୍ଟାଏ ଯଦି ବସିରହିଯାଏ ତେବେ ବିଶେଷ କ୍ଷତି କ'ଣ ?' ଚିନ୍ତାକରୁଥିଲା ଭଳି ତାଙ୍କ ସ୍ଵର ।

 

କିନ୍ତୁ ବିନା ପ୍ରତିବାଦରେ ସାଖୀ ସାସମଲ ଆଦେଶ ପାଇଲା ଭଙ୍ଗୀରେ ଉଠି ଠିଆହେଲା । ତପନ ରାୟ ଇତସ୍ତତଃ କଲେ । ଯନ୍ତ୍ରଟି କାନ୍ଧରେ ଝୁଲାଇ ଟର୍ଚ ଟିପିଲେ - "ଯିବା ତା’ହେଲେ ମଉସା, ନା' କ’ଣ କହୁଛ ?" ସେ ଆଶା କରୁଥିଲେ ଯେ ସାଖୀ ସାସମଲ ଯିବାକୁ ମନାକରିଦେଉ । ସେ ତ ପୁଣି ପାଣି ପିଇବାକୁ ମନା କରିଦେଇଛି !

 

କିନ୍ତୁ ସାଖୀ ନୀରବରେ ଆଗକୁ ଗୋଡ଼ କାଢ଼ିଲା । ତପନ ରାୟ ଅଗତ୍ୟା ତା’ସାଙ୍ଗରେ ତମ୍ବୁ ଆଡ଼କୁ ଚାଲିଲେ । ବାଟରେ କଥାବାର୍ତ୍ତା ପ୍ରାୟ ନାହିଁ ।

 

ତାଙ୍କ ନିଜ ତମ୍ବୁରେ ଦୁଇ ଚାରିଖଣ୍ଡ ପାର୍ଶଲ ଅଖା ଉପରେ ସାଖୀ ମଉସାଙ୍କ ପାଇଁ ସୁବିଧା କରିଦେଇ ତପନ ରାୟ ନିଶ୍ଚିନ୍ତ ଆରାମ ଚୌକିରେ ବସି ଖଟ ଉପରେ ଗୋଡ଼ ଲମ୍ବେଇଦେଲେ । ଛୋଟ ଟେବୁଲ ଉପରେ ଭାରି ସୁନ୍ଦରିଆ ବୋତଲଟିଏ ଆଉ ପାତଳ ଝିଲ୍ ଝିଲ୍ ଗ୍ଲାସ୍‍ଟିଏ ଥୁଆହେଲା । ଟାଇପ୍ ଯନ୍ତ୍ରଟିଏ ବାହାରିଲା । ନିରୋଳାରେ ତପନ ରାୟ ବ୍ୟବସାୟରେ ମନଦେଲେ ।

 

ତା’ ଆରଦିନ ବହୁତ ଯୁକ୍ତିତର୍କ ପରେ ସ୍ଥିର ହେଲା ଯେ ସାଖୀ ସାସମଲଙ୍କୁ ଦିନ ଭିତରେ ଦୁଇଟି ଛତୁ ପୁଡ଼ିଆ ଛଡ଼ା ଆଉ କିଛି ଦିଆଯିବ ନାହିଁ । ଅନ୍ୟାନ୍ୟ ଅପରିଚିତ ଖାଦ୍ୟ ଖାଇଲେ ସେ ଅସୁସ୍ଥ ହେବାର ଆଶଙ୍କା କରାଗଲା । ସେହିପରି ଖୋଲା ପବନରେ ସବୁବେଳେ ମେଲା ଦେହରେ ରହି ଆସିଥିବାରୁ ତାକୁ ଅଯଥା ଲୁଗାପଟା ଘୋଡ଼ାଇବା ନିରାପଦ ନୁହେଁ ବୋଲି ବିଚାର କରାଗଲା । ତା’ର ହିତ ଦୃଷ୍ଟିରୁ ସମସ୍ତେ ତାକୁ ଚାରିଆଡ଼ୁ ବେଢ଼ିଗଲେ । କାରଣ ଆସ୍ତେ ଆସ୍ତେ ସାଖୀ ସାସମଲ, ଗହୀର ସମୁଦ୍ରରୁ ଧରା ହୋଇ ଆସିଥିବା ବିଚିତ୍ର ମାଛଟିଏ ପରି ବହୁ ଲୋକଙ୍କ କୌତୁହଳ ଜାଗ୍ରତ କଲା । ତପନ ରାୟଙ୍କର ଲେଖାପଢ଼ି ଶହ ଶହ ଲୋକ ସେମାନଙ୍କ ବୈଠକଖାନାମାନଙ୍କରେ ଅଶ୍ରୁମୋଚନ କଲେ । ଅଯାଚିତ ଭାବରେ ନୂଆ ଜାମା ,କମ୍ବଳ, କ୍ଷୀର, ରୁଟି, ନା ନା ଜତିର ମାଂସ ପାର୍ସଲ ଯୋଗେ ତପନ ରାୟଙ୍କ ମାର୍ଫତ ସାଖୀ ସାସମଲ ପାଖରେ ପହଞ୍ଚିବାକୁ ଲାଗିଲା ।

 

ସାତଦିନ ଭିତରେ ତପନ ରାୟଙ୍କ ଦପ୍ତରରୁ ଶହ ଶହ ଧନ୍ୟବାଦ ଚିଠି ପଠାଗଲା । ସାଖୀ -ସାହାଯ୍ୟ-ପାଣ୍ଠିର ସାଧାରଣ ସମ୍ପାଦକ ଶ୍ରୀ ତପନ ଶୋଭନ ରାୟ ରାଜଧାନୀରୁ ତାଙ୍କର ଦରବାରୀ ପେଷାକପତ୍ର ମଗେଇ ନେଇ ସାରିଥିଲେ ବିଶିଷ୍ଟ ବିଶିଷ୍ଟ ଲୋକଙ୍କୁ ସ୍ୱାଗତ ଜଣାଇବାକୁ । ତମ୍ବୁ ଭିତରେ ଏବଂ ବାହାରେ ଦିଶିଲା ଭଳି ଅନେକ ମଇଳା । ସାଖୀ ମୁଣ୍ଡରେ ତେଲ ନାହିଁ । ଘୋଡ଼େଇ ହେବାକୁ କନା ନାହିଁ । ଆଖି ତଳେ ଲୁହ ଶୁଖି ରହିଥାଏ । ତପନ ରାୟଙ୍କ ଆଖି ପତାରେ ବି ଲୁହ । ତାଙ୍କ ମୁହଁରେ ଚାରି ପାଞ୍ଚ ଦିନର ଦାଢ଼ି । ସମସ୍ତଙ୍କ ଆଖିରୁ ଲୁହ ଝରିଛି । ସମସ୍ତଙ୍କ ମୁହଁରେ କିଛି କିଛି ରୁଢ଼ । ମଝିରେ ଆଖି ଶୁଖି ଆସିଲେ କେମିତି ଗୋଟାଏ ଉତ୍କଟ ଧୂଆଁ ଉଠୁଛି - ସମସ୍ତଙ୍କ ଅଖି ପୁଣି ଜକେଇଯାଉଛି।

 

ଖବର ପହଞ୍ଚିଲା ଯେ ତିନିଟା ବଡ଼ ଗାଡ଼ି ରାଜରାସ୍ତାରୁ ତଳକୁ ମୋହିଁଲେ । ତପନ ରାୟ ତତ୍ପର ହୋଇଗଲେ । ରୁମାଲରେ ଆଖି ମନ୍ଥି ନେଲେ । ସାଖୀ ମଉସାକୁ ପରିଚିତ ଭଙ୍ଗୀରେ ବସେଇଦେଲେ । ତିନି ଚାରିଜଣ ବ୍ୟସ୍ତ ହୋଇ ଭିତର ତମ୍ବୁରୁ ଯାହା ଆଣିଲେ, ପୁଣି ତାକୁ ବୋହି ନେବାକୁ ଲାଗିଲେ । ପ୍ରଚୁର ଧୂଳି ଉଡ଼େଇ ତିନୋଟି ବଡ଼ ବଡ଼ ବିଦେଶୀ ଗାଡ଼ି ଆସି ଅଟକିଗଲା । ପ୍ରଥମରୁ ଓହ୍ଲେଇଲେ ତିନୋଟି ମୋଟି ମହିଳା । ସିଲିକ୍‍ ଶାଢ଼ୀ, ଚମଡ଼ା ମୁଣା-ପ୍ରସ୍ତ ପ୍ରସ୍ତ ଚର୍ବିର କଣ୍ଢେଇଗୁଡ଼ିଏ । ଦ୍ଵିତୀୟଟିରେ ଓହ୍ଲେଇଲେ ଗୋଛାଏ ସଫା ସଫା ମଣିଷ -ଟୋପିପିନ୍ଧା, ଚଷମା ପିନ୍ଧା, ସୁଟ୍ ପିନ୍ଧା କିମ୍ବା ଖଦଡ଼ ପିନ୍ଧା । ତୃତୀୟରୁ ବଡ଼ ବଡ଼ ଫଟ ଉଠେଇବାର ଯନ୍ତ୍ର ଧରି ଆଉ ଗୋଛାଏ ମଣିଷ -ସାନ ବଡ଼ ପାର୍ଶଲ କିଛି ତପନ ରାୟ ଥରେ ସେଆଡ଼େ ଚାହିଁଦେଇ ଏକା ଲୟରେ ଟାଇପ୍ କରି ଲଗିଥାନ୍ତି । ତାଙ୍କ ତମ୍ବୁ,ପାଖରେ ସମସ୍ତେ ଆସି ଠିଆ ହେବା ପରେ ମଧ୍ୟ ତାଙ୍କ ଧ୍ୟାନଭଙ୍ଗ ହେଉନଥାଏ ।

 

“ଓ୍ୱ, ଦେଖୋ, ୱହ, ଆଦମି ବୈଠା ହେ ।”

 

“ହାଁ, ହାଁ, ଓହି !!- ସଖିଆ ସସମଲିଆ !!”

 

ଚୁ’ ଚୁ’ ଶବ୍ଦ ଚାରିଆଡ଼ୁ ଶୁଣି ଆସ୍ତେ ତପନ ରାୟ ମୁହଁ ଟେକି ସେମାନଙ୍କୁ ଚାହିଁଲେ ଏବଂ ବିଶୁଦ୍ଧ ଇଂରାଜୀରେ ପଚାରିଲେ ସେମାନେ କ'ଣ ଚାହାଁନ୍ତି । ତା’ପରେ ଲୋକେ ଘେରିଗଲେ । ଫଟଉଠାଳି ସର୍ ସର୍ ଚଳନ୍ତି ଫଟ ଟାଣି ଚାଲିଲେ । ମୋଟୀ ମୋଟୀ ମାଇକିନିଆମାନେ ବାରମ୍ବାର ଆଖି ପୋଛିଲେ- ରୁମାଲ ଦେହରୁ ଲୁହ ମହକିଗଲା । ମୋଟା ମୋଟା ମଣିଷମାନେ ଥକାମାରି ପାର୍ଶଲ ରଖେଇଲେ । ତପନ ରାୟଙ୍କ ରୁଢ଼ିଆ କାନ୍ଦୁରା-ମୁହଁ । ସ୍ଵେଚ୍ଛାସେବୀମାନେ ଗମ୍ଭୀର ଭାବରେ ସବୁ ପାର୍ଶଲର ଦାୟିତ୍ୱ ନେଲେ ।

 

ସବୁଠାରୁ ମୋଟି ମାଇକିନିଆଟିର ହାତରେ କିଏ ଜଣେ ଗୋଟିଏ ଅତି ସୁନ୍ଦର ରୂପା ‘ଝରି’ ଧରେଇଦେଲା । ପ୍ରସ୍ତାବ ହେଲାଯେ ସାଖୀ ସାସମଲ ଅଞ୍ଜୁଳା କରି ବସିବ ଓ ତା' ଅଞ୍ଜୁଳାରେ ‘ଝର’ ଢଳ ହେବ ପାୟାସ ବା ରାବିଡ଼ି ବା ସେପରି କିଛି । ସେତିକିବେଳେ ଚଳନ୍ତି -ଫଟ ଉଠିବ ।

 

ତପନ ରାୟ ଖୁବ୍ ତତ୍ପର-ଖୁବ୍ ଆଗ୍ରହୀ । ସାସମଲ ପଛରେ କେବଳ ସେ ହିଁ ଠିଆହେବେ । ସାସମଲର ରକ୍ଷାକର୍ତ୍ତା । ମଲା ବାଘ ଉପରେ ପାଦ ମଡ଼େଇ ନଳୀ ହାତରେ ଅଳ୍ପ ହସୁଥବା ପ୍ରବୀଣ ଶିକାରୀ । “ଆଞ୍ଜୁଳା କର ମଉସା ! ଏ ଆସିଛନ୍ତି ବଡ଼ ସହରର କୋଟିପତିମାନେ । ତୁମ ଦୁଃଖ ସହି ନ ପାରି ଆସିଛନ୍ତି । ଶ୍ରୀମତୀ କୁର୍ତ୍ତାବାଲା -ଶହ ଶହ ଶିଳ୍ପ ଅନୁଷ୍ଠାନର ମାଲିକାଣୀ । ନାରୀ ନେତ୍ରୀ କୁମାରୀ ସୁଶୀଲା ବେନ୍–ବିଦେଶୀ ପାଣ୍ଠିରେ ଉଦ୍‍ବାସ୍ତୁ ମାଈକିନିଆଙ୍କ ପାଇଁ ଅସଂଖ୍ୟ ଆଶ୍ରମ ଚଳାନ୍ତି ! ଆଉ ସେ ହେଉଛନ୍ତି ମିସେସ୍ ଚକ୍ରବର୍ତ୍ତୀ–କିଏ ତାଙ୍କୁ ନ ଜାଣେ ! ସେ ବା’ କାହାକୁ ନ ଜାଣନ୍ତି !-ଆଚ୍ଛା, ରେଡ଼ି...”

 

ପଛରୁ ନଇଁପଡ଼ି ତପନ ରାୟ ମଉସାର ଆଞ୍ଜୁଳାକୁ ସଜାଡ଼ିଦେଲେ । ଶ୍ରୀମତୀ କୁର୍ତ୍ତାବାଲା କାମେରା ଆଡ଼କୁ ଚାହିଁ ଝରୀ ଟେକିଲେ । ହାତରେ ଥାକେ ସୁନା କଙ୍କଣ ପଛକୁ ଚମଡ଼ା ମୁଣା ଓହଳି ରହିଲା । ସର୍ ସର୍ ଫଟ ଉଠା ଚାଲିଲା ।

 

ସାଖୀ ଚାହିଁଲା ଝରି ମୁହଁକୁ । ଟୋପାଏ ହେଲେ ଝରୁ ନଥାଏ ତା’ ଶୂନ୍ୟ ଆଞ୍ଜୁଳାକୁ । ସେ ମୁହଁ ଟେକି ମହକୁଥିବା ମାଈକିନିଆକୁ ଚାହିଁଲା । ସମସ୍ତଙ୍କୁ ଥରେ ଚାହିଁଗଲା । ତା' ଆଞ୍ଜୁଳା ଫିଟିଗଲା ।

 

ସମସ୍ତେ ହଁ ହଁ କରି ଉଠିଲେ । ସାଖୀ ଉହୁଙ୍କି ହେଲା ଠିଆହେବାକୁ । ଫୋଟ ଉଠାଳି ଯନ୍ତ୍ର ବନ୍ଦକରି ପାଟିକଲା–“ଆବେ ସବ୍ ବିଗାଡ଼ି ଦିଅ ।’’ ତରବର ହୋଇ ଭୟରେ ଘୁଞ୍ଚି ଆସିଲେ ଶ୍ରୀମତୀ କୁର୍ତ୍ତାବାଲା । ସମସ୍ତେ ଘୁଞ୍ଚିଗଲେ ଭୟରେ । ତପନ ରାୟ ସାଖୀ ସାସମଲର କାନ୍ଧ ଉପରେ ମାଡ଼ି ବସିଲେ । କାଳେ କ'ଣ କହିଦେବ ବୋଲି ତା ମୁହଁରେ ହାତଟିଏ ଚାପି ଧରିଲେ । ସାଖି ନିଶ୍ୱାସ ପାଇଁ ଛଟପଟ ହେଲା ।

 

ବାହାରେ ପାଟିତୁଣ୍ଡ ହେଲା। ସ୍ଵେଚ୍ଛାସେବୀ ଦୁଇଜଣ ଭିତରକୁ ଦଉଡ଼ି ଆସିଲେ । ତପନ ରାୟ ଚାପା ଗଳାରେ କହିଲେ, ‘‘ସମ୍ଭାଳ ଏଇଟାକୁ । ଘୁଞ୍ଚିବ ନାହିଁ, କି ବୋଲିବ ନାହିଁ ।”–ସାଖୀକୁ ଡେଇଁ ଚକଟି ସେ ତମ୍ବୁ ବାହାରକୁ ଆସି ଗୋଟାଏ ପାଟିକଲେ “ତୁନିପଡ଼ନ୍ତୁ ।”

 

ସମସ୍ତେ ତାଙ୍କୁ ଚାହିଁଲେ । ସେ ଚିକ୍‍କଣ ହସ ଭିତରୁ କହିଲେ, ‘‘ଅସହ୍ୟ ଦୁଃଖର ଆଘାତରେ ସାଖୀ ସାସମଲର ଏମିତି ମଝିରେ ମଝିରେ ପାଗଳାମି ଦେଖା ଦେଉଛି । ଆପଣମାନେ ଆଦୌ ବ୍ୟସ୍ତ ହେବେ ନାହିଁ । ଆମେ ତା’ର ସବୁପ୍ରକାର ତତ୍ତ୍ୱାବଧାନ ନେଉଛୁ ।”

 

ମାଈକିନିଆ ମରଦମାନଙ୍କ ଗୋଠଟିକୁ ଆସ୍ତେ ଗାଡ଼ିଆଡ଼କୁ ଅଡ଼େଇ ନେଇଗଲେ ତପନ ଶୋଭନ ରାୟ । ସମସ୍ତଙ୍କର ପ୍ରଶ୍ନର ଉତ୍ତର ଦେଇ ଦେଇ, ସମସ୍ତଙ୍କୁ ଖୁସି କରି କରି, ହସରେ ମହୁ ବର୍ଷି ବର୍ଷି ବିଦାୟ ଦେଲେ । ଶ୍ରୀମତୀ କୁର୍ତ୍ତାବଲା ଚମଡ଼ା ମୁଣା ଫିଟାଇଲାବେଳେ ଥରେ ଫଟ ଉଠାଳିକୁ ଚାହିଁଦେଲେ । ସେ ବୁଝିଗଲା । କାନ୍ଧ ଉପରେ ଥୋଇଲା ଯନ୍ତ୍ର । ଶ୍ରୀମତୀ ହଜାରେଟଙ୍କିଆ ଦଶଟି ନୋଟ୍ ଗଣିଲେ । ସର୍‍ସର୍ ଫଟ ଉଠିଲା । ତପନ ରାୟଙ୍କୁ ବଢ଼ାଇଦେଲେ । ଫଟ ଉଠିଲା । ସମସ୍ତେ ତାଙ୍କ ପିଠି ଆଉଁସି କରମର୍ଦନ କରି କେତେ କେତେ ପ୍ରଶଂସା କଲେ । ଗାଡ଼ିଗୁଡ଼ିକ ମୁହଁ ବୁଲେଇ ଧୂଳି ରାସ୍ତାରେ ବାହୁଡ଼ିଗଲେ । ମୁଣାରେ କିଛି ସମୟ ହାତ ପୂରେଇ ଚାହିଁରହିଲେ ତପନ ରାୟ, ଧୂଳି ଭିତରେ ଲିଭିଯାଉଥିବା ବଦେଶୀ ଗାଡ଼ିଗୁଡ଼ିକୁ ।

 

ତମ୍ବୁ ସାମନାରେ ଖଣ୍ଡେ ଚୌକିରେ ବସିପଡ଼ି ସେ ଚାହିଁଲେ ସାଖୀ ସାସମଲକୁ । କହିଲେ, “ଶୁଣ୍ ସାଖୀଆ, ତୁ ଯଦି ଠିକଣାରେ ଏଣିକି କାମ ନ କର ତେବେ ଜାଣି ରଖିଥା, ମୁଁ କିଛି ଛାଡ଼ିବା ଲୋକ ନୁହେଁ ! ତୁ ଶଳା, ଏଠି ପାଣି ଘେରରେ ମରୁଥିଲୁ । ତତେ ଦୁଇଓଳି ଖାଇବାକୁ ଦେଲାରୁ ବାହାନା ବାହାରୁଚି ? ବୁଝି ଖବରଦାର । ରାତି ପାହିଲେ ଆମେ ସହରକୁ ଯିବା । ସେଇଠି ବହୁତ କଥା ହବ । ଯଦି ବୋଲ ନ ମାନିବୁ ତେବେ ସହରୀ ପଙ୍କ ଭିତରେ ପୋତି ମାଟି ମଡ଼େଇ ଦେବି !!”

 

ସାମ୍‍ନାରେ ଚାରିଜଣ ସ୍ଵେଚ୍ଛାସେବୀଙ୍କୁ ଦେଖି ଭୁରୁ କୁଞ୍ଚେଇ ପଚାରିଲେ, 'ଶେଖର ସାମନ୍ତ କାଇଁ ?' ପଛରୁ ଶୁଭିଲା, ‘ଏଇଠି ।’–ସେ ଚମକିଲା ପରି ବୁଲି ଚାହିଁଲେ, ‘ସାମ୍ନାକୁ ଆସ, ଆଉ ଶୁଣ !’-

ମୁଣାରୁ ଶହେଟଙ୍କିଆ ନୋଟ କାଢ଼ି କହିଲେ- ଆଜି ଯାହା ମିଳିଲା ତୁମେ ସବୁ ବାଣ୍ଟି ନେଇଯାଅ । ପାଞ୍ଚଟି ନୋଟ୍‍ ଥିଲା ତାଙ୍କ ହାତରେ । ସେ ଖଣ୍ଡିଏ ଖଣ୍ଡିଏ ସମସ୍ତଙ୍କୁ ବଢ଼େଇଦେଲେ ।

 

ଶେଖର ସାମନ୍ତ ହାତ ବଢେଇବାରେ ସାମାନ୍ୟ ଡେରିକଲା । ତପନ ରାୟ ତା’ ଆଖିକୁ ଚାହିଁଲେ କଟମଟ-"କ’ଣ ସାମନ୍ତ ! କଲେଜରେ ପାଠ ପଢ଼ୁଚ ପରା ! ଏମାନେ ସିନା ବାରବୁଲା । ତୁମର କ'ଣ ଲୋଭ ହବା ଉଚିତ୍ ? ତୁମ ସାଙ୍ଗ ସମସ୍ତେ ଫେରିଗଲେ, ତୁମେ ପରା ରହିଛ ସେବା କରିବାକୁ ! ଏତେ ଅସନ୍ତୋଷ କାହଁକି ? ହେଇ, ମୁଁ ତ ଗୋଟିଏ ପଇସା ନେଲି ନାହିଁ !” ସ୍ଵେଚ୍ଛାସେବୀ ଘୁଞ୍ଚିଗଲେ ।

 

ଗୀତ ବାଜିଲା । ଧୂପ ଲାଗିଲା । ଖିଆପିଆ ଚାଲିଲା । ତପନ ରାୟ ଦ୍ଵିତୀୟ ବୋତଲର ଠିପି ଖୋଲିଲେ । ହୋ ହୋ ହସ ଭିତରେ କହିଲେ, “ଯେତେ ସବୁ ଭାରି ଭାରି ପାର୍ଶଲ, ତୁମେ ଉଠେଇପାରୁନାହଁ; ସେ ଶାଲା ସାଖିଆକୁ ଲଗେଇଦିଅ ! ତା’ ନାଁରେ ସବୁ ପାର୍ଶଲ ଆସିଛି ପରା- ଛେନା, ବଟର, ଅଣ୍ଡା । ସେ ଶଳା ବୋହିବ ନାହିଁ ତ କ’ଣ ଆମେ ବୋହିବା ?" ଗୋଟାଏ ତୁହା ହସ ପରେ-“ଆଉ ଶୁଣ, ଏଗୁଡ଼ାକ ବିକ୍ରି କଲେ ସିନା ଏ ବଳଦ ପାଇଁ କୁଣ୍ଡା କିଣା ହବ–ନହେଲେ ଛତୁଆ ଖର୍ଚ୍ଚ କୋଉଠୁ ଆସିବ ?” ତୁହାକୁ ତୁହା ହସ ଉତୁରି ପଡ଼ୁଥାଏ । ଜଣେ ପ୍ଲେଟ୍ ଚାଟି ଦେଇ ଉଠିଲା ଆଉ ଯୋଡ଼ାଏ ମାଂସ ଟିଣ ଫିଟେଇବାକୁ ।

 

ବାହାରୁ ତମ୍ବୁ ଭିତରଟା ଦିଶୁ ନ ଥିଲା । ସେ ଭିତରକୁ ପଶୁ ପଶୁ କୁହାଟିଲା- ଧାଇଁ ଆସ, ଧାଇଁ ଆସ ।”

 

ସମସ୍ତେ ଖପ୍ ଖପ୍ ଡେଇଁ ଦୌଡ଼ିଆସିଲେ । ପଛରେ ତପନ ରାୟଙ୍କ ହାତରେ କଳା ଘୁମର ମେଘ ରଙ୍ଗର ପିସ୍ତଲଟିଏ ।

 

“ସାଖୀ ସାସସଲ କାହିଁ - କାହିଁ ସାଖୀ ?”

 

“ସେ ଖସି ପଳେଇଲା ।”

 

“ଅସମ୍ଭବ-ସେ ଏଇଠି ଥିବ :-ସେ ଟୋକା କାହିଁ ?”

 

ଶେଖର ସାମନ୍ତ ରାୟ ତମ୍ବୁ ପାଖରୁ ଆସି ସାମନା ଆଲୁଅରେ ଠିଆହେଲା । ତପନ ରାୟ ଝପଟିଗଲେ ତା’ ଉପରକୁ । -“ତୁଇ ତାକୁ ଫିଟେଇ ଦେଇଚୁ । ବତା, ସେ କାହିଁ ?”

 

ଶେଖର ବିନା କାରଣରେ ଖିଲ୍ ଖିଲ୍ ହସିଦେଲା ।

 

ତପନ ରାୟ ଫିକ୍‍କିନା ହସି ଦେଇ ବାଁ ହାତରେ ତା’ ପିଠି ଥାପୁଡ଼େଇ କହିଲେ, "ଆଚ୍ଛା ତା’ହେଲେ ତୁ ଥଟ୍ଟା କରୁଛୁ ? ମଜା ଦେଖିବାକୁ ତାକୁ କୋଉଠି ଲୁଚେଇ ଦେଇଛୁ ? ମୋ ସୁନାଭାଇଟାପରା–ତାକୁ ନେଇ ଏମିତି ଖେଳିଲେ ଆମେ ସମସ୍ତେ ବୁଡ଼ିଯିବା । ସାଖୀ ସାସମଲ ମୋ ଜୀବନ, ମୋର ସର୍ବସ୍ଵ, ମୋର ଧନ୍ଦା ?’

 

ଖୁବ୍ ପରିଷ୍କାର କଡ଼ା ସ୍ଵର ଶେଖରର–“ମୁଁ ଜାଣିନାହିଁ ।”

 

“ଏଁ ? କ’ଣ କହିଲୁ ?- ତାକୁ ଗୋଟିଏ ଧକ୍କାରେ ପେଲିଦେଇ ତପନ ରାୟ ଅନ୍ଧାର ଭିତରକୁ ଖେଦିଗଲେ । ହାତରେ ଟର୍ଚ୍ଚ ଧରି ଜଣେ ଦୌଡ଼ି ଆସିଲା । ଚାରିଆଡ଼େ ଲାଇଟ ମାରି ମାରି ଖେଦିଗଲେ ଶିକାରୀମାନେ । ଆଖପାଖରେ ଲୁଚିବାକୁ ଥାନ ନାହିଁ । ଗଲା କୁଆଡ଼େ ?

 

ତପନ ରାୟ ଚହଟି ଆସିଲେ ତମ୍ବୁ ଭିତରକୁ ।-“ବେ’ଟୋକା, କହୁଚୁ ନା ଦେଖିବୁ ! ଯଦି ମୋତେ ଚିହ୍ନି ନାହୁଁ, ସେଥିପାଇଁ ବେଶି ବେଳ ଲାଗିବ ନାହିଁ । ଗୋଟିଏ ଚୋଟରେ ଶୁଆଇ ଦେବି । ମୋ ପାଟିରୁ ଆହାର ଛଡ଼େଇ ନେଲେ ମୁଁ କାହାକୁ ଛାଡ଼େନାହିଁ । ତୁ ଭଲରେ ଭଲରେ ବଢ଼େଇ ଦେ, ତତେ ଏଇଲାଗେ ହଜାରେ ଟଙ୍କା ଇନାମ୍ ଦେବି !-ଏଇ, ନେ ।” ତପନ ରାୟ ଖଣ୍ଡେ ହଜାରେ ଟଙ୍କିଆ ନୋଟ୍ ବାଁ ହାତରେ ଟାଣିଆଣି ଟେକି ଧରିଲେ ।

 

“ମୁଁ ଆଦୌ ଜାଣିନାହିଁ ସେ କୁଆଡ଼େ ଗଲା । ମୁଁ କିନ୍ତୁ ଖୁସି ଯେ ମୋ ସାଖି ମଉସା ତୁମ ହାତରୁ ଖସିଗଲା । ମୁଁ କାଲି ସାରା ସହରରେ ତୁମ କଥା ଖୋଲିଦେବି ।”

 

ନୋଟ୍‍ଟିକୁ ଲୋଚାକୋଚା କରି ମୁଣାରେ ଭର୍ତ୍ତି କରିଦେଲେ ତପନ ରାୟ । ଦାନ୍ତସନ୍ଧାରୁ କହିଲେ, “ନିମକ୍ ହାରାମ ! ସେ ସୁବିଧା ତୁ କାହୁଁ ପାଇବୁ ? କାଲି ତୋ ଫଟ ତଳେ ଆତ୍ମବଳିର ଗଳ୍ପ ବାହାରିଯିବ ସବୁ ପତ୍ରିକାରେ-କେମିତି ପାଣି ଘେର ଭିତରକୁ ସମସ୍ତେ ମନାକଲାବେଳେ ତୁ ଡେଇଁଲୁ ଏବଂ ଫେରିଲୁ ନାହିଁ । ଏଇଠି ଗୁଳିକରି ତତେ ନଈ କାଦୁଅରେ ପୋତି ଦେବାକୁ ବେଳ ଲାଗିବ ନାହିଁ । ମାତ୍ର ମିନିଟିଏ ଦେଲି । କହ କୋଉଠି ଛାଡ଼ିଲୁ ସାଖୀ ସାସମଲକୁ ? ମୁଁ ବିଦେଶୀ ଦାତାମାନଙ୍କୁ କାଲି କେମିତି ମୁହଁ ଦେଖେଇବି ! ବତା ବେ ଚଞ୍ଚଳ ।” ଗର୍ଜିଲେ ତପନ ରାୟ ।

 

ଚମକିଗଲା ସେ ଖଣ୍ଡମଣ୍ଡଳ ଗୋଟାଏ ଆବାଜ୍‍ରେ । ଖେଜାଳିମାନେ ଦୌଡ଼ି ଆସି ଧକେଇଲେ । ଦୂରରେ ବିଲୁଆ ପଶିଗଲେ ପାଣିରେ....ଚବର ଚବର....ଆହୁରି ଦୂରରେ କଣ ସବୁ ଥମିଗଲା !

 

“ଏ ଟୋକାକୁ ନଈ କାଦୁଅରେ ପୋତିଦେଇ ଆସ !...”

 

ରାତି ସାରା ପାଣି କାଦୁଅରେ ନା ନା ଜାତି ଶବ୍ଦ । ତମ୍ବୁରେ ଟଙ୍କା ପଇସା ଗଣାଗଣି, ଖିଆପିଆ, ହସଖୁସି, ପାଟିତୁଣ୍ଡ । ସକାଳ ପାହିଲେ ତମ୍ବୁ ଟେକାହେବ । ପ୍ରଚାର ହେବ କେମିତି ଦୁଃଖରେ ଆତୁର ହୋଇ ସାଖୀ ସାସମଲ କାହାକୁ ଖୋଜି ଖୋଜି ନଈରେ ପଶିଗଲା ।...ତା ଦୁଃଖରେ ବିହ୍ଵଳ ହୋଇ କଲେଜର ପ୍ରତିଭାବାନ୍ ଛାତ୍ର ଶେଖର ସାମନ୍ତ କେମିତି ତାକୁ ବଞ୍ଚେଇବାକୁ ପାଣିରେ ଝାସଦେଲା ଏବଂ ଫେରିଲା ନାହିଁ ।...କେମିତି ତପନ ଶୋଭନ ରାୟ ଏବଂ ସହକର୍ମୀମାନେ ପ୍ରାଣମୂର୍ଚ୍ଛା ପ୍ରଯତ୍ନ କଲେ ଏବଂ କରୁଛନ୍ତି ଉଭୟଙ୍କ ଶବ ଉଦ୍ଧାର ପାଇଁ ।...

 

ସୂର୍ଯ୍ୟ ଉଇଁ ଆସୁଥାଏ । ଆଲୁଅର ପ୍ରଥମ ପ୍ରହର । ଗୋଟିଏ ଜିପ୍ ଗାଡ଼ିରୁ ଓହ୍ଲାଇଲେ ଜଣେ ପ୍ରତିଦ୍ଵନ୍ଦୀ ସାମ୍ବାଦିକ । ତପନ ରାୟଙ୍କ ଭୁରୁ କୁଞ୍ଚେଇଗଲା । ଓହ୍ଲେଇଲେ ଦୁଇଜଣ ପୋଲିସ ଅଫିସର । ଖପ୍‍ଖାପ୍ ଡେଇଁଲେ ଚାରୋଟି ବନ୍ଧୁକଧାରୀ ଏବଂ ଶେଷରେ ଜିଭ ଲହ ଲହ କରି ଗୋଟିଏ କାଳିଆ କସରା କୁକୁର । ତପନ ରାୟଙ୍କ ପଛପଟେ କନକନ ହେଲେ ତାଙ୍କ ରୂଢ଼ିଆ ସହକର୍ମୀ ଚାରୋଟି ।

 

“ତପନ ଶୋଭନ ରାୟ ଆପଣ ?”

 

“ଆଜ୍ଞା !”

 

“ଆମକୁ ଆମ ବନ୍ଧୁ ବାଟଭାଙ୍ଗି ଏଇଆଡ଼େ ବୁଲେଇ ନେଇ ଆସିଲେ । ସାଖୀ ସାସମଲକୁ ଟିକିଏ ଦେଖିଥାନ୍ତେ।”

 

“କଣ ଆଉ କହିବି ସାର୍ ! ଆମ ଭାଗ୍ୟ ଖରାପ । ଏତେ ପରିଶ୍ରମକରି ବୃଥା ହୋଇଗଲା । ଆମ ହାତଗୋଡ଼ରୁ ଦେଖନ୍ତୁ । କାଲି ରାତିଠୁ ସାଖୀ ପାଗଳ ଭଳି ଧାଇଁଲା । କହିଲା ମୋ ବାପ ପାଖକୁ ଯିବି, ମୋ ପୁଅ,....ମୋ ମାଇପ । ଆମେ ଯେତେ ଚେଷ୍ଟା କଲୁ ସେ ସମ୍ଭାଳି ଗଲାନାହିଁ । ପଶିଗଲା ସୁଅ ଭିତରେ ।...ସବୁଠୁ ଟ୍ରାଜେଡ଼ି ହେଲା ସାର୍‍ -ଆମର ସେ ଟୋକା ଶେଖର ସାମନ୍ତ.... ।”

 

ମୁହଁ ଘୋଡ଼େଇ ସାମାନ୍ୟ କାନ୍ଦିଲେ ତପନ ରାୟ ।

 

କ’ଣ ହେଲା ?”

 

“ସେ ବି ସାର୍ ପାଣିରେ ପଶିଗଲା, ଆଉ ଫେରିଲା ନାହିଁ । ଏ କାହାଣୀ ଅମର ହୋଇ ରହିବ ସବୁଦିନ ପାଇଁ, ମୁଁ ହଲପ୍ କରି କହୁଛି...”

 

ହଠାତ୍ ସମସ୍ତେ ଚାହିଁଲେ ତମ୍ବୁ କଡ଼ରେ ଠିଆହୋଇଥିବା କାଦୁଅ ମଳିଛିଆ ଏକ-ବସ୍ତ୍ରୀ ଲେକଟିକୁ ।

 

ସାମ୍ବାଦିକ କହିଲେ, “ଏଇ ତ ସାଖୀ ସାସମଲ !"

 

“ଏଁ !”...କହି ଡେଇଁଲେ ତପନ ରାୟ । ଭେଁ ଭେଁ ରଡ଼ିଲେ -“ମୋ ମଉସା, ତମେ କୋଉଠି ଥିଲ ? ତୁମକୁ ଖୋଜି ମୋ' ଭାଇ ମରିଗଲା ।” ସାଖୀ ସାସମଲ ସେମିତି ଠିଆ ହୋଇଥାଏ । ଚାହିଁଥାଏ ତମ୍ବୁ ସାମନାରେ ଘୋଡ଼େଇ ହୋଇ ପାରୁ ନ ଥିବା ଚବକାଏ ରକ୍ତକୁ ।

 

ସମସ୍ତେ ଚାହିଁଲେ ସେଇଆଡ଼େ । 'ସେଇଟା କ’ଣ ରକ୍ତ ?’ କହି ଅଫିସର ଆଗେଇଗଲେ ।

 

“ହେଁ, ହେଁ, ହେଁ, ସାର୍-କାଲି, ସାର୍ ଟାୟାର୍ଡ଼ ହୋଇ ଗୋଟେ କୁକୁଡ଼ା କାଟିଥିଲୁ ସାର୍, ସେଇଟା... ସେଇଟା !” ପୁଣି ନିଜ ପଛକୁ ଚାହିଁ “ଆବେ ଦେଖୁଛ କ'ଣ ? ମଉସାକୁ ନେଇ ତାଙ୍କ ବ୍ୟବସ୍ଥା କର, ସାହେବମାନଙ୍କ ପାଇଁ ଚା'ପାଣି ବ୍ୟବସ୍ଥା କର !”

 

“କିଛି ପ୍ରୟୋଜନ ନାହିଁ !” ସମସ୍ତେ କାଠି ପରି ଟାଣି ହୋଇଗଲେ ।

 

ସାମ୍ବାଦିକ ପଚାରିଲେ, “କ’ଣ ମଉସା, ତୁମ ନାଁ ସାଖୀ ସାସମଲ ?”

 

“ହଁ !”

 

“ପିତାଙ୍କ ନାଁ ?”

 

“ଅନାଦି ।”

 

“ଅନାଦି ସାସମଲ ! ଆଚ୍ଛା ତୁମେ କ’ଣ ଦେଖିଛ ?”

 

“ସବୁ ଦେଖିଛି !!”

 

ତପନ ରାୟ ଖପ୍‍କିନା ସାମ୍ବାଦିକଙ୍କ ହାତ ଧରି ଟାଣି ନେଇଗଲେ ।

 

“ତୁମେ ସମସ୍ତେ ଚୁପ୍ ରହିବାକୁ କେତେ ଦାମ୍ ପଡ଼ିବ ? ପଚାଶ ହଜାର ?...ଅଶୀ ହଜାର ?? ଲକ୍ଷେ ???...”

 

ଅଫିସରମାନେ କାନ ଡେରିଲେ । କୁକୁର କାନ ଡେରିଲା । ସାମ୍ବାଦିକ ମୁଣ୍ଡ ତଳକୁ କରି ଠିଆହେଲେ ।

 

ସାଖୀ ସାସମଲ ଚାହିଁରହିଲା କାଦୁଆ ନଈ ଉପରେ ଢଳଢଳ ଦୁର୍ବଳ ସୂର୍ଯ୍ୟକୁ ।

Image

 

ସୀମାବଦ୍ଧ

ଶ୍ରୀ ସାତକଡ଼ି ହୋତା

 

ଏ ସଂସାରଟା ଏହିପରି । ଜୀବନଟା ଏତେ ଲମ୍ବା ଯେ ଅନେକ ସମୟ କେବଳ ଉଦାସରେ କଟିଯାଏ । ଉତ୍ସାହ ନଥିଲେ ଦିନଗୁଡ଼ା ଉପରଓଳି ଅବସନ୍ନ ମଣିଷର ଛାଇ ପରି ଦୀର୍ଘତର ମନେ ହୁଅନ୍ତି । ଉତ୍ସାହ ହଁ ଜୀବନକୁ ଉପଭେଗ କରିବାର ଉତ୍ସ, ଉତ୍ସାହ ଥିଲେ ଲମ୍ବା ଜୀବନଟା ଅନେକ ଛୋଟ ହୋଇଯାଏ । ଦିନ ଓ ରାତି ମଧ୍ୟରେ ଥିବା ଫରକଟି ନଜରରେ ପଡ଼େ ନାହଁ, ସମୟ ପରି ନିଜର ପ୍ରବାହରେ ଭାସି ବୁଲେ ମଣିଷ; ଆଉ ଉତ୍ସାହ ନ ଥାଇ ଉଦାସ ଯଦି ଜୀବନକୁ ପ୍ରଭାବିତ କରେ । ଗୋଟିଏ ରାତିର ସମସ୍ତ ଜୀବନକୁ ଆହୁରି ଅପୂର୍ଣ୍ଣ ଏବଂ ହତୋତ୍ସାହ କରି ଦେଇଯାଏ ।

 

ନିଜ ଜୀବନର ଗତିକୁ ଲକ୍ଷ୍ୟ କରି ଅବାକ୍ ହୋଇଯାଏ ମୀରା । ସମୟର ସୁଅ ବା ସମୁଦ୍ରର ଢେଉ ପରି ନିଜ ପ୍ରବାହରେ ଭାସି ବୁଲୁଥିବା ଜୀବନର ଗତି କ୍ରମଶଃ ଶିଥିଳ ହୋଇଯାଇ ମରୁଭୂମିର ଦିଗହଜା ବାଲି ଭିତରେ ଝରଣାର ଧାର ହଜିଗଲା ପରି ହଜିଯାଏ କେଉଁଠାରେ । ସେ ଖୋଜିବାକୁ ଅନେକ ଚେଷ୍ଟା କରିଛି, ସମୟକୁ ଧରି ରଖିବା ପାଇଁ ହାତ ବଢ଼ାଇଛି; କିନ୍ତୁ ପାରି ନାହିଁ । ସୁଖ ଓ ସମ୍ଭୋଗର ସମୟ କେତେବେଳେ ଏକଟଣା ଜୀବନର ରଙ୍ଗହୀନ ଓ ରସହୀନ ପଥରୁ ତା ଅନୁମତିକୁ ଅପେକ୍ଷା ନ କରି ଅଗୋଚରରେ ଅନ୍ତର୍ହିତ ହୋଇଯାଇଛି ।

 

ମୀରା କାରଣ ଖୋଜିବାକୁ ଚେଷ୍ଟା କରେ । ଛିଣ୍ଡା ସୂତାକୁ ଯୋଡ଼ିବା ପରି ନିଜର ଅତୀତ ଏବଂ ବର୍ତ୍ତମାନକୁ ଯୋଗ କରିବା ପାଇଁ ପ୍ରୟାସ କରେ । କିଛି ହୁଏ ନାହିଁ, ବରଂ ପଳେଇ ଯାଉଥିବା ଅତୀତ ତାକୁ ଖତେଇ ହୋଇ କହେ, ତୋଠାରେ ରୂପ, ରସ ଓ ସୁବାସର ଯେଉଁ ପେଡ଼ି ଥିଲା ତାହା ଖାଲିକରି ମୁଁ ସମସ୍ତଙ୍କୁ ନେଇ ପଳେଇ ଆସିଛି, ତୋ ପାଖରେ ଆଉ ମୋର ପ୍ରୟୋଜନ ନାହି, ଏକଟଣା ବୈଚିତ୍ର୍ୟହୀନ ଜୀବନରେ ନୂତନତା ନ ପାଇ ମୁଁ ଚାଲି ଆସିଲି, ତୁ ଆଉ ମୋତେ ନ ଅନାଇବା ଭଲ, ମୋତେ ଭୁଲି ଯା...।

 

ଏତେ ଶୀଘ୍ର ନିଜକୁ କିପରି ଭୁଲିଯିବ ମୀରା । ହେତୁ ହେଲା ଦିନୁ ଯେଉଁ ଜୀବନର ବେଗ ତାକୁ ଆଗକୁ ଟାଣୁଥିବାର ଜାଣୁଥିଲା ସେ, ସେଥିରେ ଶିଥିଳତା ଆସିଯାଇଥିଲା । ଗତିରେ ବେଗ ନଥିଲେ ଆଗକୁ ଗଲେ ବି ଜାଣିପାରେ ନାହିଁ ମଣିଷ, ପଥ ଲମ୍ବ ହୁଏ, ଯାତ୍ରାକାଳ ହୁଏ ଦୀର୍ଘତର । ଲମ୍ବ ପଥର ସେହି ଦୀର୍ଘଯାତ୍ରା ମଣିଷକୁ ଆଣ୍ଠୁମାଡ଼ି ଦରାଣ୍ଡିବା ପାଇଁ ଦିଏ । ଦୌଡ଼ିବା ପାଇଁ ବଳ ରହେ ନାହିଁ, ସାହସ ହୁଏ ନାହିଁ । ମୀରା କ’ଣ ଏତେ ଶୀଘ୍ର ଦରାଣ୍ଡିବା ଅବସ୍ଥାକୁ ଆସିଗଲା, ଏତେ ଅଳ୍ପ ବୟସରେ ସେ କଅଣ ଏଡ଼େ ବଡ଼ ଜୀବନର ସୀମା ଓ ସରହଦ ନ ପାଇ ଅଧ ରାସ୍ତାରେ ପଥ ବଣା ହୋଇଗଲା ।

 

ଅନ୍ତତଃ ସେୟା ମନେ କରୁଥିଲା ସେ ହେମନ୍ତକୁ ପାଇବା ପରେ ତା ଜୀବନର ପୂର୍ଣ୍ଣତାରେ ସ୍ୱାମୀର ସ୍ଥାନକୁ ସେ ଯେ କେବଳ ସ୍ଵୀକାର କରିଥିଲା ତାହା ନୁହେଁ, ତାକୁ ବାଦ୍ ଦେଇ ସେ ଯେ ଅପୂର୍ଣ୍ଣ ଓ ଅପ୍ରାସଙ୍ଗିକ ଏଇ କଥା ଅନେକ ଦିନ ଯାଏ ଭାବି ଆସିଥିଲା ସେ । ଅନେକ ଦିନ ଏକା ସଙ୍ଗରେ ଶୋଇଲାବେଳେ ହେମନ୍ତର କାନ ପାଖରେ କହିଥିଲା ମୀରା, ତୁମେ ନଥିଲେ ମୁଁ ଅଫୁଟା ଫୁଲପରି ଝରି ପଡ଼ି ଥାଆନ୍ତି । ସେ ବେଦନାକୁ ଲୁଚାଇ ରଖିବା ପାଇଁ ମୋ ହୃଦୟରେ ଜାଗା ନାହିଁ; କିନ୍ତୁ ତୁମକୁ ପାଇ ମୋର କଣ ମନେ ହୁଏ ଜାଣ, ଏ ଜୀବନଟା କେବଳ ଢେଉ ଢେଉକା, ଅସରନ୍ତି, ଢେଉର ଅଗଣିତ ଆବେଗ ଏବଂ ଶବ୍ଦରେ ମୁଁ ଉଲସିତ ଏବଂ ମୁକୁଳିତ । ମୋର ମନେହୁଏ ମୁଁ ଅସରନ୍ତି...ତୁମର ଆଲିଙ୍କନ ଭିତରେ ମୁଁ ଶ୍ରାବଣର ପ୍ରଥମ ବନ୍ୟାର ପ୍ରବାହ ।

 

ହେମନ୍ତ ତା ଓଠ, ଆଖି ଓ କପାଳ ଉପରେ କେତେ ଚିହ୍ନ ରଖିଦେଇ କହୁଥିଲା, ତୁମେ ନଥିଲେ ମୁଁ କିଛି ନୁହେଁ । ସ୍ଥିତିହୀନ ଓ ଅବାସ୍ତବ, ତୁମରି କୋଳରେ ମୁଁ ଅନୁରାଗ, ତୁମରି ତୁଣ୍ଡର ଭାଷାରେ ମୁଁ ବିକଶିତ; ତୁମେ ମୋତେ ସଂପୂର୍ଣ୍ଣ କରିଛ, ସଂଜୀବୀତ କରି ଦେଇଛ ।

 

ସେଇ ଦିନ ଗୁଡ଼ାକୁ ସମୁଦ୍ର କୂଳର ଶାମୁକା ପରି କୁଢ଼ାଇବା କେତେ ଚେଷ୍ଟା ନ କରିଛି ମୀରା; କିନ୍ତୁ ପାରିନାହିଁ । ସମୁଦ୍ରର ଅସରନ୍ତି ବାଲି ଭିତରେ ସେଗୁଡ଼ା କେଉଁଠି କେତେବେଳେ ଯେ ହଜିଗଲେ ବା ପୋତି ହୋଇଗଲେ ସେ ଜାଣି ପାରିଲା ନାହିଁ । ସମୁଦ୍ରର ଢେଉ ସିମିତି ଆସୁଛି । କିନ୍ତୁ ସେ ସେମାନଙ୍କର ସଂଖ୍ୟା ଗଣି ସେମାନଙ୍କର ଉଚ୍ଛ୍ଵାସକୁ, ଜାଣି ପାରିବ ନାହିଁ । ମୀରା ଆଖିରେ ଅସରାଏ ଅଶ୍ରୁ ନେଇ ଚାହିଁଲା, ସବୁ ଝାପ୍‌ସା ଦେଖା ଯାଉଥିଲା, ଦିଗନ୍ତରେ ସବୁ ଆଲେକ ହଜି ଯାଇଥିଲା ।

 

ଯୌବନର ଉଲ୍ଲାସ ଓ ଉତ୍ତେଜନା ଏବଂ ଏହାର ଅମୋଘ ଆକର୍ଷଣ ତାକୁ ରାଗ ଓ ରଙ୍ଗରେ ସୁଷମିତ କରିଥିଲା । ସେ ଭାବୁଥିଲା, ଏଇ ଜୀବନ ପରି ଏହି ଯୌବନ ବି ଅଫୁରନ୍ତ ଓ ଅନନ୍ତ.....ଏହାର ଦୀପ୍ତିରେ ସମଗ୍ର ଜୀବନଭୂମି ଆଲୋକିତ । ହେମନ୍ତକୁ ପ୍ରଥମଥର ଯେତେବେଳେ ସେ ଆଲିଙ୍ଗନ କଲା ସେତେବେଳେ ତା'ର ପ୍ରତି ରକ୍ତକୋଷର ବିସ୍ଫୋରଣରେ ସେ ମନେ କଲା ଯେ ସେ ଏହି ବିଶାଳ ବିଶ୍ଵର ଏକମାତ୍ର ସାମ୍ରାଜ୍ଞୀ । ପ୍ରାଣକୋଷର ଅଶେଷ ଶିହରଣରେ ସେ ଅନୁଭବ କଲା ଯେ ଏ ପୃଥିବୀର ଆକର୍ଷଣ ତା’ର ପ୍ରତି ଲୋମକୂପ ମୂଳରେ ଖୁନ୍ଦି ହୋଇ ରହିଛି ।

 

ଉତ୍ତପ୍ତ ଅନୁର୍ବର ପୃଥିବୀ ଅନାଇ ରହେ ବର୍ଷାକୁ । ସେ ବି ଅନାଇ ରହିଥିଲା ହେମନ୍ତର ଆଗମନକୁ । ହେମନ୍ତକୁ ପାଇ ବର୍ଷାର ଶତ ଧାର ପରି ବହି ଯାଉଥିଲା ଏକ ପରିପୂର୍ଣ୍ଣ, ଶାନ୍ତ ଶୀତଳ ସଂସାର ଗଠନ କରି ତହିଁରେ କେବଳ ନିଜର ପଦଧ୍ଵନି ଶୁଣିବା ପାଇଁ ।

 

ଏସବୁ କେତେ ବର୍ଷ ତଳର ଘଟଣା । ସେଇଦିନୁ କେବଳ ନିଜର ପଦଧ୍ୱନି ଶୁଣି ଶୁଣି ସବୁ ଯେପରି ବେସୁରା ଲାଗୁଥିଲା ତାକୁ । ସକାଳୁ ସନ୍ଧ୍ୟା ଯାଏ ଏବଂ ପୁଣି ସନ୍ଧ୍ୟାରୁ ସକାଳ ଯାଏ ସେଇ ଗୋଟିଏ ସ୍ଵର, ଗୋଟିଏ ପ୍ରକାର ବ୍ୟବହାର ଓ ଚଳଣି ସବୁ କ୍ରମଶଃ ଅସ୍ଥିର କରିବାକୁ ଲାଗିଲା । ସକାକୁ ଉଠି ନିତ୍ୟକର୍ମ କରି, ଦୁଇଟି ପିଲାଙ୍କୁ ଗାଧୋଇ ଲୁଗା ପିନ୍ଧେଇ, ଖୁଆଇ ପିଆଇ ସ୍କୁଲକୁ ପଠେଇବା, ତା ପରେ ସ୍ଵାମୀଙ୍କର ଚର୍ଚ୍ଚା କରି ତାଙ୍କୁ ଅଫିସକୁ ପଠେଇ ଦେଇ ନିଜେ ଟିକେ ଆରାମ ଚୌକିରେ ବସି ପଡ଼ି ବିଶ୍ରାମ ନେବାବେଳେ ଗରମ ଚାହା କପେ ଖାଇ ସକାଳର ଖବରକାଗଜଟା ଉପରେ ଆଖି ବୁଲାଇ ନେଇ ତାପରେ ସ୍ନାନ ଘରକୁ ପଶିଯାଇ ପ୍ରସାଧନ ଶେଷ କରିବା ଏବଂ ଦୁଇପ୍ରହରର ଖାଇବା ଓ ଶୋଇବା ପରେ ପୁଣି ସ୍କୁଲ ଫେରନ୍ତା ପୁଅ ଝିଅ ଓ ଅଫିସ ଫେରନ୍ତା ସ୍ୱାମୀଙ୍କର ଚର୍ଚ୍ଚାକରି ସନ୍ଧ୍ୟାବେଳେ ଟେରାସ ଉପରେ ଘଣ୍ଟାଏ ବସିବା ବା କେବେ କେଉଁଦିନ କାହାରି ଘରୁ ବା ବଗିଚାରେ ଘେରାଏ ବୁଲି ଆସିବା ପରେ ପିଲାଙ୍କର ପଢ଼ା ପ୍ରତି ନଜର ଦେବା, ରାତ୍ରି ଭୋଜନର ବ୍ୟବସ୍ଥା କରିବା ଏବଂ ନଅଟା ବାଜିଲେ ପ୍ରଥମେ ପିଲମାନଙ୍କୁ ଏବଂ ପରେ ସେ ଓ ସ୍ୱାମୀ ଖାଇପିଇ ସାଢ଼େ ଦଶଟା ବେଳକୁ ଶୋଇ ପଡ଼ିବା ଗୋଟିଏ ସୁରର ଏକ ଟଣା ସ୍ଥିତି ବୋଲି ସେ ଭାବୁଥିଲା । ରାତ୍ରିକୁ ପ୍ରଥମେ ପ୍ରଥମେ ପରମ ଆଗ୍ରହର ସହିତ ସେ ଅପେକ୍ଷା କରୁଥିଲା, କିନ୍ତୁ ଏଇ ଦଶବର୍ଷ ଭିତରେ କ୍ରମଶଃ ସବୁଥିରେ ଉତ୍ତାପ ଓ ବୈଚିତ୍ର୍ୟହୀନତା ଅନୁଭବ କଲା ।

 

ପ୍ରଥମ ଚାରି ପାଞ୍ଚ ବର୍ଷର ରାତିଗୁଡ଼ା ଅନେକ ଛୋଟ ଥିଲେ । ରାତିର ଦୀର୍ଘତା ପାଇଁ ସେ ମନେ ମନେ ଅନେକ ମିନତି କରିଥିଲା, କିନ୍ତୁ ତା'ପରେ ରାତିଟା ଛୋଟ ବା ବଡ଼ ମନେ ନ ହୋଇ କେବଳ ଯେତିକି ସେତିକି ମନେ ହେଲା ଏବଂ ଏବେ ରାତ୍ରିଟା ବିରକ୍ତିକର ଭାବରେ ଲମ୍ବ ମନେ ହେଉଥିଲା । ଗୋଟିଏ ବିଛଣାରେ ହେମନ୍ତ ସହିତ ଯେଉଁଦିନ ପ୍ରଥମ ଶୋଇଥିଲା କେବଳ ଯେ ତାକୁ ସଂସାରର ସବୁ ଲାଜ ଧୂଆ ଲୁଗା ପରି ଜଡ଼ ସଡ଼ କରି ଦେଇଥିଲା ତାହା ନୁହେଁ, ସେ ଭାବିଲା ଯେ ସେଇ ଦିନୁ ସେ ସମସ୍ତଙ୍କ ପରି ନିଜେ ବି ଅଲାଜୁକି ହୋଇଗଲା । ତା’ପରେ ଲଜ୍ଜା ତାକୁ ଆକର୍ଷଣ କଲା, ଉପଭୋଗ କଲା ଏବଂ ସେ ମର୍ମରିତ ହୋଇ ଲଜ୍ଜାବତୀର ପ୍ରତୀକ୍ଷା ନେଇ ହେମନ୍ତକୁ ପ୍ରତିଦିନ ଅପେକ୍ଷା କଲା । କିନ୍ତୁ ଆଜି ସେ ପ୍ରତୀକ୍ଷା ଆଉ ନାହିଁ, ଅପେକ୍ଷା କରିବାର ସେ ଆବେଗ କେଉଁଠାରେ ବାସି ଫୁଲ ପରି ପଡ଼ି ରହିଲା । ଏବେ ଏକା ବିଛଣାରେ ଶୋଇ ଶୋଇ ସେ ହେମନ୍ତର ଘୁଙ୍ଗୁଡ଼ି ଶୁଣି ବିରକ୍ତ ହୁଏ । ତା’ ମୁହଁ ପାଖରେ ଆଉ ଗୋଟିଏ ମୁହଁର ନିଃଶ୍ଵାସ ବାଜିଲେ ସେହି ଗନ୍ଧରୁ ନିଜକୁ ରକ୍ଷା କରିବା ପାଇଁ ମୁଁହ ବୁଲାଏ, ତା ଦିହ ଉପରେ ପଡ଼ି ରହିଥିବା ଉତ୍ତପ୍ତ ହାତଟିକୁ ମହଣକିଆ ପଥର ପରି ମନେ କରି ଆଡ଼େଇ ଦିଏ । ବେଳେ ବେଳେ ନିଦରେ ଦିହ ଏକା ହୋଇ ଯାଇ ପୁଣି ବିଚ୍ଛିନ୍ନ ହୋଇଯାଏ । ସେ ସ୍ୱାମୀର ଶେଷ ଲଗ୍ନର ସଂଗୀତ ଶୁଣି ଅଲଗା ହୋଇଯାଇ କହେ, ବୁଢ଼ାଟିଏ ହେଲଣି, ସେଇ ଗୋଟାଏ କଥା ଗଲାନି......

 

ହେମନ୍ତ ବି ବୋଧେ ଧୀରେ ଧୀରେ ଏଇ ସ୍ଵରର ଅର୍ଥ ଅନୁଭବ କଲା, ତାକୁ ବି ବୋଧେ ଜୀବନର ସେଇ ଗୋଟିଏ ସ୍ୱରର ପଦିଏ ସଂଗୀତ ବିରକ୍ତିକର ମନେ ହେଲା । ସେଥିପାଇଁ ଗୋଟିଏ ବିଛଣାରେ ଲଗାଲଗି ହୋଇ ମଝିରେ ଶୋଉଥିବା ଦୁଇ ଜଣ ମଝିରେ ଶୋଇବାକୁ ଆରମ୍ଭ କରି ଦୁଇ କଡ଼କୁ ଚାଲି ଯାଉଥିଲେ ବା ଦୁଇ କଡ଼ରେ ଶୋଇବାକୁ ଯାଇ କେତେବେଳେ ପୁଣି ମଝିକୁ ଆସି ଯାଉଥିଲେ ।

 

ଦଶବର୍ଷ ପରେ ଆଜି ମନେ କଲା ମୀରା ପ୍ରଥମ ଯୌବନର ଆକର୍ଷଣଟା ଆଜି ଆଉ ନାହିଁ, ଜୀବନର ଯେଉଁ ଅନନ୍ତ ସଂଭାବନାକୁ ସମ୍ୱଳ କରି ସେ ଇନ୍ଦ୍ରଧନୁର ରଂଗରେ ନିଜ ଭବିଷ୍ୟତର ବର୍ଣ୍ଣାଢ଼୍ୟ ରୂପ ଦେଖୁଥିଲା ତାହା କ୍ରମଶଃ ମଳିନ ହୋଇ କେବେ କେଉଁଠାରେ ନିଶ୍ଚିହ୍ନ ହୋଇ ଯାଇଥିଲା ।

 

ଏପରି କାହିଁକି ହେଲା ବୋଲି ସେ ଆଉ କୌଣସି ପ୍ରଶ୍ନ ନିଜକୁ ପଚାରିଲା ନାହିଁ । ବରଂ ତା’ର ମନେ ହେଲା ଯେ ଏହିପରି ହବାଟା ହିଁ ସ୍ଵାଭାବିକ । ଗୋଟେ ଛବିକୁ ଦିନ ଦିନ ଧରି, ଦେଖିବାକୁ ଭଲ ଲାଗେ ନାହିଁ । ଗୋଟିଏ ସ୍ଵରରୁ ସର୍ବଦା ସଂଗୀତ ମନକୁ ପ୍ରଶମିତ କରେ ନାହିଁ, ଗୋଟିଏ ସ୍ଥାନର ଆକଶ ସବୁ ରାତିରେ ଏକା ପରି ଆଖି ଠାରି ଡାକେ ନାହିଁ, ନୂତନର ଆକର୍ଷଣ ଅପରିସୀମ । ଏହାର ଆହ୍ୱାନ ମଧ୍ୟ ଉତ୍ତେଜନାମୟ । କିନ୍ତୁ ଏହି ନୂତନକୁ ଅଭିନନ୍ଦନ ଜଣାଇ ଯେଉଁ ଜୀବନ ଆରମ୍ଭ କରିଥିଲା କେତେବର୍ଷ ପୂର୍ବେ, ତାହାର ନିବେଦନ ପୁରାତନ ପରି ମୁମୂର୍ଷୁ ହୋଇ ମୁହଁ ମାଡ଼ି ପଡ଼ିଥିଲା । ସେ ନିତ୍ୟ ନୂତନ ଜୀବନ ସଙ୍ଗୀତର ସ୍ଵର ଶୁଣିବାକୁ ଯାଇ ସ୍ତବ୍ଧ ହୋଇ ଛିଡ଼ା ହେଇଗଲା । ସେଠାରେ ସଙ୍ଗୀତର ମୂର୍ଚ୍ଛନା ବା ରାଗିଣୀର ଅନୁରାଗ ନ ଥିଲା, କେବଳ ଥିଲା ଅଶାନ୍ତ, ଅସ୍ଥିର ହୃଦୟର ଏକ ପଳାୟନପନ୍ଥୀ ଅଣନିଃଶ୍ୱାସୀ ପ୍ରଚେଷ୍ଟା ।

 

ହେମନ୍ତ ଏଯାଏ କ୍ଳବରୁ ଫେରିନାହିଁ । ସେ ଆଜି ଏକା ଯାଇଛି । ମୀରା ବି ପ୍ରାୟ ତା ସହିତ ପ୍ରତିଦିନ ଯାଏ କ୍ଳବ ବା ଆଉ କାହା ଘରକୁ ବା ଅନ୍ୟ କେଉଁଠାକୁ ବୁଲି ଆସିବା ପାଇଁ । ଆଜି କିନ୍ତୁ ସେ ଗଲା ନାହିଁ । ସେହି ଗୋଟିଏ ରାସ୍ତା ଉପରେ ଦିନ ପରେ ଦିନ, ବର୍ଷ ପରେ ବର୍ଷ ଚାଲିବାରେ ସେ ମୋଟେ ସୁଖ ପାଏ ନାହିଁ । ଯେଉଁମାନଙ୍କୁ କ୍ଳବ ବା ଅନ୍ୟ କାହାର ଡ୍ରଇଁ ରୁମରେ ଦେଖିଆସୁଥିଲା ସେମାନେ ସମସ୍ତେ ଏକାପରି ପରିଚିତ ଏବଂ ସେମାନଙ୍କ ସହିତ ସବୁଦିନ “କିପରି ଅଛ, ସମୟ ହେଲେ ନିଶ୍ଚୟ ଆସିବ" ପ୍ରଭୃତି ଗତାନୁଗତିକ ଆଳାପ ବ୍ୟତୀତ ଆଉ ନୂଆ କଥା କହିବାର ବା ଶୁଣିବାର ସଂଭାବନା ନଥିଲା। ସିନେମା ଦେଖିଲେ ମନ୍ଦ ହୁଅନ୍ତା ନାହଁ, କିନ୍ତୁ ସେଥିରେ ବି ସେ ଗତାନୁଗତିକତା, ତ୍ରିଭୁଜର ଦ୍ୱହ, ଦୁଇଟି ନାରୀ ଓ ଗୋଟିଏ ପୁରୁଷ ବା ଦୁଇଟି ପୁରୁଷ ଗୋଟିଏ ନାରୀକୁ ନେଇ ଆଦିମ କାଳର ସେଇ ଗୋଟେ କାହାଣୀକୁ ଭିନ୍ନ ଭିନ୍ନ ରୂପରେ ସଜାଇ କେବଳ ଆଖି ଆଗରେ ରଖି ଦିଆଯାଇଛି । ସେଥିରେ ନୂତନତ୍ଵ ନାହିଁ ବା ନୂତନ ପ୍ରାଣର ପ୍ରଚୋଦନା ନାହିଁ ।

 

ହେମନ୍ତ ଫେରି ଆସିଲେ ଦୂହେଁ ଯାଇ ଖାଇବା ଟେବୁଲରେ ବସିବେ । ପିଲମାନେ ଖାଇସାରି ଶୋଇଲେଣି । ସେ ଅପେକ୍ଷା କରୁଥିଲା ହେମନ୍ତକୁ । ଆଗେ ହେମନ୍ତ ଏକାକୀ କେଉଁଠାକୁ ଯାଉ ନ ଥିଲା, ଏବେ ଯାଏ । ସେଥିରେ ବାଧା ଦେବାର ବା ପ୍ରତିବାଦ କରିବାର କିଛି ନ ଥିଲା ବୋଲି ସେ କିଛି କହୁ ନ ଥିଲା ବରଂ ଏକା ଏକା ରହିବାକୁ ଭଲ ପାଉଥିଲା ମୀରା । ପାଖରେ ଥିଲେ ତା’ କାନ୍ଧ ଉପରେ ମୁହଁ ରଖି ବା ଆଙ୍ଗୁଳିଟାକୁ ଚୁମିଦେଇ ହେମନ୍ତ କହନ୍ତା, ବାଃ ବୟସ ବଢ଼ିଲେ ବି ତୁମେ ଏ ଯାଏଁ ବୟସକୁ ବଡ଼ ସୁନ୍ଦର ଭାବରେ ବନ୍ଦୀ କରି ରଖିଛ ଦେହ ଭିତରେ, ମୁଁ କିନ୍ତୁ ପାରୁନି, ଦେହ ଭିତରର ଗଣ୍ଠି ଓ ହାଡ଼ ପରି ମନଟା ବି ହୁଗୁଳା ହୋଇ ଯାଉଛି । ବାରମ୍ବାର ସେଇ ଗୋଟେ କଥା । ସ୍ୱାମୀ ମୁହଁରୁ ନିଜର ପ୍ରଶଂସା ଶୁଣି ଶୁଣି ଚିଡ଼ିଯାଏ ସେ । ସେଥିରେ ଉଲ୍ଲସିତ ହବାର କିଛି ନାହିଁ, ଆହ୍ଲାଦିନୀ ହୋଇ ଆହୁରି ଶୁଣିବା ପାଇଁ ଅପେକ୍ଷା କରିବାର କିଛି ନାହିଁ ।

 

ହେମନ୍ତ ହୁଏତ ଖାଇ ପିଇ ଫେରିବ । ଆଜିକାଲି ସେ ଆଉ ତା ସାଙ୍ଗରେ ବସି ଏକତ୍ର ରାତ୍ରି ଭୋଜନ କରିବାର ଉତ୍ସାହ ଦେଖାଯାଏ ନାହିଁ । ଘଷି ହୋଇ ପୋଖରୀ ତୁଠର ପଥର ଘଷରା ହୋଇଗଲା ପରି ସେମାନଙ୍କର ସମ୍ପର୍କ ମଧ୍ୟ କ୍ରମଶଃ ଏକ ଫର୍ମାଲିଟିରେ ରହିଗଲାଣି । ଏହି ଫର୍ମାଲିଟିକୁ କିନ୍ତୁ ବଡ଼ ଭୟ କରେ ମୀରା । ସଂସାରର ନିୟମ ମାନି ଇଚ୍ଛା ଥାଉ ବା ନ ଥାଉ କେତେଗୁଡ଼ିଏ କାମ କରିଯିବାକୁ ହେବ ଏହା ତା’ ରୁଚିରେ ବାଧେ । ଚା’ କପେ କେହି ହାତକୁ ବଢ଼ାଇଦେଲେ ବା କ୍ଲବରେ ବସିଥିଲାବେଳେ ପତ୍ରିକା ବା ଖବର କାଗଜଟିଏ କେହି ହାତକୁ ଦେଲେ ଧନ୍ୟବାଦ ନ ଦବା ଅଭଦ୍ରତା । ସ୍ୱାମୀ ନ ଆସିବା ଆଗରୁ ସେ ଖାଇସାରି ଫେରିବାର ସମ୍ଭାବନା ଥାଇ ସୁଦ୍ଧା, ଖାଇ ଦେଇ ଶୋଇ ଯିବାଟା ବି ଅଭଦ୍ରତା । ମଣିଷ ଏଇ ସୌଜନ୍ୟ ରକ୍ଷା କରୁ କରୁ ପରସ୍ପର ମଧ୍ୟରେ ଯେଉଁ ସୂକ୍ଷ୍ମ ସମ୍ପର୍କଟି ଅଛି ତାହା ଭୁଲିଯାଉଛି ଯେପରି ।

 

ବିଛଣା ଚଦରଟା ପରି ହେମନ୍ତ ବି ଏକାପରି ମନେ ହୁଏ । ସେ ଦୁହିଙ୍କର ବିଛଣାର ଗୋଟିଏ ବୈଶିଷ୍ଟ୍ୟ ଅଛି ବୋଲି ବହୁବର୍ଷ ଆଗେ ସେ ଅନେକ ଥର କହି ଥିବାର ମନେ ପଡ଼ିଲା । ସେ ଦୁହେଁ ବ୍ୟବହାର କରୁଥିବା ତକିଆ ଉପରେ ଶୁଭରାତ୍ରି ଜଣାଇ ଲେଖାଥିବା ଫଳକଟିକୁ ଆଗ ଅନେକବାର ଅନାଇ ରହି ତା'ପରେ ହେମନ୍ତର ଦୃଷ୍ଟି ଆକର୍ଷଣ କରି ତା ଆଡ଼କୁ ଢଳିଯିବାର ସ୍ମରଣ କରି ହେଲା, ଏବଂ ସଙ୍ଗେ ସଙ୍ଗେ ତା ଦେହରେ ରୋମଗୁଡ଼ାକ କଣ୍ଟା ଫୁଟାଇ ବାହାରି ଆସିଲେ ପ୍ରତିବାଦ ଜଣାଇବା ପାଇଁ । ଏଥରେ ବୈଚିତ୍ର୍ୟ କିଛି ଥିବାର ସେ ଦେଖି ପାରିଲା ନାହିଁ । ଗୋଟିଏ ପରିଧି ଓ ପରିବେଶ ଭିତରେ ରହି ସେଇ ଗୋଟିଏ ସାନିଧ୍ୟର ସ୍ଵାଦରେ ସେ କିଛି ଶିହରଣ ପାଇଲା ନାହିଁ ।

 

ହେମନ୍ତ ପାଖରୁ ଟିକେ ନିଷ୍ପତ୍ତି ପାଇ କାହିଁ ଯାଇ ବୁଲି ଆସିବା ପାଇଁ ଅନେକ ଦିନୁ ମନ ହଉଥିଲା । ସଂସାର, ସ୍ୱାମୀ, ପିଲା ଓ ପରିଜନମାନଙ୍କ ବାହାରେ ଥିବା ଅନାସ୍ଵାଦିତ ଆଉ ଗୋଟିଏ ବିଶାଳ ଜଗତର ଆବାହନ କଥା ମନେ ପଡ଼ୁଥିଲା । ସବୁବେଳେ ଯିମିତ ନିରାମିଷ ଖାଇ ହୁଏ ନାହିଁ, ଆମିଷ ଖାଇବାକୁ ବି ସବୁବେଳେ ଭଲ ଲାଗେ ନାହିଁ; ଦିହ ଓ ମନର ବି ବେଳେ ବେଳେ ପଞ୍ଜୁରୀ ଭିତରୁ ବାହାରି ଯାଇ ମୁକ୍ତିସ୍ଥାନ କରିବା ପାଇଁ ପ୍ରୟାସ ହୁଏ । ଶୁଆ ଗୋଟେ ଛଅମାସ ହେବ ପୋଷିଥିଲା ହେମନ୍ତ । ସେଇ ପକ୍ଷୀଟିକୁ ଚାହିଁ ନିଜକୁ ଚାହିଁଲା ମୀରା । ଦୁହିଙ୍କ ଭିତରେ କିଛି ତଫାତ୍ ଦେଖିଲା ନାହିଁ । ସେ ଶୁଆଟି ପିଞ୍ଜରା ଭିତରେ ଆବଦ୍ଧ ଏବଂ ସେ ସ୍ୱାମୀର ସଂସାର ଭିତରେ ବନ୍ଦୀ । ଶୁଆର ଗତିବିଧି ପରି ତା’ର ଚାଲି ଓ ଚଳଣ ମଧ୍ୟ ସୀମାବଦ୍ଧ–ଗୋଟିଏ ସୀମାବଦ୍ଧ ମାରୁଆଡ଼ି କମ୍ପାନୀ ପରି । ହେମନ୍ତ ସେ କମ୍ପାନୀର ସର୍ବସ୍ୱତ୍ୱାଧିକାରୀ ଓ ମ୍ୟାନେଜିଂ ଡିରେକ୍ଟର । ସେ କେବଳ ମୂଳଧନ ପରି ହେମନ୍ତର ସେଇ କମ୍ପାନୀକୁ ଆସିଥିଲା ସତ କିନ୍ତୁ ସୁଧ ମୂଳଧନଠାରୁ ବଢ଼ିଗଲେ ମୂଳଧନର ବୈଶିଷ୍ଟ୍ୟ ନଷ୍ଟ ହେଲା ପରି ତା’ ପାଖରୁ ଏତେ ନେଇ ଯାଇଛି ଯେ ହେମନ୍ତ ଦବାକୁ ଆଉ ବାକୀ ଅଛି କଅଣ ? ତା’ର ମୂଲ୍ୟ ଆଉ ହେମନ୍ତ ପାଖରେ ଅପରିହାର୍ଯ୍ୟ ନୁହେଁ, ତାକୁ ଛାଡ଼ି ସେ ରହିବାର କଷ୍ଟ ଅନୁଭବ କରିବ ନାହିଁ ।

 

ସମୟରେ ପଇସାର ବି ମୂଲ୍ୟ କମିଯାଏ । ପୁଣି ଘଷରା ହୋଇ କାଲି ଚଳନ୍ତି ମୁଦ୍ରା ଆଜି ବି ଅଚଳ ହୁଏ । ସେ ଅଚଳ ଟଙ୍କା ପରି ପଡ଼ି ରହିଛି । ହେଲେ ଆଖିରେ ଆଉ ତା’ର ଲାବଣ୍ୟ ଧରା ଦଉ ନାହିଁ, ତାକୁ ଦେଖିବା ପାଇଁ ବା ତା’ ସାଙ୍ଗରେ ଟିକେ ଗେଲ ହବା ପାଇଁ ଅଫିସ ଛାଡ଼ି ସେ ଆଉ ପାଞ୍ଚଟା ଆଗରୁ ଦଉଡ଼ି ଆସୁନାହିଁ । ହେମନ୍ତ ବି ତା’ର ସେ ପୂର୍ବର ଆକର୍ଷଣ ରକ୍ଷା କରି ପାରି ନାହିଁ, ଅନେକ ମୋଟା ହୋଇ ଗଲାଣି, କାନ ପାଖର ବାଳ କେତୋଟି ଧଳା ହବାର ଇସ୍ତାହାର ଦେଲେଣି ।

 

ସମୟଟା ଖସି ଯାଉଛି ହାତରୁ, ଧରି ରଖିବା ପାଇଁ ଯେତେ ଚେଷ୍ଟା, ସବୁ ବ୍ୟର୍ଥ ହୋଇ ଯାଉଛି । ଦର୍ପଣ ଆଗରେ ବସି ନିଜକୁ ଅନେଇଲା ମୀରା । ସନ୍ଧ୍ୟାବେଳେ ଜୁଡ଼ାରେ ପିନ୍ଧିଥିବା ଗଜରା ମାଳଟା ଏବେ ବି ଅକ୍ଷୂର୍ଣ୍ଣ ଅଛି, ଆଖିର କଜଳ ଧାର ଇତସ୍ତତଃ ହୋଇ ଯାଇ ନାହିଁ । ବକ୍ଷର ସ୍ଫୀତ ଲକ୍ଷ୍ୟ କରି ସେ ନିଜେ ନିଜକୁ କହିଲା, ଏତେ ସୋହାଗ କାହା ପାଇଁ । ଟିକିଏ ହସି ଦେଲା, ସଫା ଦାନ୍ତଗୁଡ଼ାକ ଦିଶିଗଲା ସବୁ, ଗାଲ ଉପରେ ଟିକେ ଚକା ଭଉଁରୀ ଖେଳିଗଲା, ଛାତି ଉପରର ଲୁଗା ଖସି ପଡିଲା । ସେ ଅନ୍ୟମନସ୍କ ହୋଇଗଲା ଓ ଅନେକ ବେଳଯାଏ ସେହିପରି ବସି ରହିଲା ।

 

ଟେଲିଫୋନ୍ ଟା ବାଜିଉଠିଲା । ରାତି ନଅରେ କିଏ ଖୋଜିଲା କେଜାଣି । ବିରକ୍ତ ହୋଇ ଉଠିଯାଇ ରିସିଭର ଉଠାଇ କହିଲା ମୀରା ଫାଇଭ୍ ଜିରୋ ଫାଇଭ୍ ଫାଇଭ୍ ଥ୍ରି....।

 

ଗୋଟିଏ ସେକେଣ୍ଡ ସ୍ଥିର ହୋଇଯାଇ ଚାରିଆଡ଼କୁ ଚାହିଁ କେହି ନଥିବାର ଦେଖି ନେଲା ମୀରା ।

 

ମୁଁ ସୁକାନ୍ତ କହୁଥିଲି ।

 

ହଁ, ହଁ, ଏତେଦିନେ ମନେ ପଡିଲା....।

 

ମନେ ପଡୁଥିଲା ଯେ...ହେଲେ....

 

ମନେ ପଡ଼ିଲେ ଲୋକେ ଇମିତି ହୁଅନ୍ତି...

 

କିମିତି ?

 

ଏଇ ତୁମେ ଯେମିତି ଆଜିକାଲି ତୁ ଚୁପଚାପ...

 

ମୁଁ ନା ତୁମେ ?

 

ତୁମ ପରି ମୋର ଯଦି ସ୍ୱାଧୀନତା ଥାଆନ୍ତା....

 

କିଏ କହିଲା ନାହିଁ । ତୁମର ଯଥେଷ୍ଟ ସ୍ୱାଧୀନତା ଅଛି...

 

ତୁମେ ଏକଥା କହି ଅସଲ କଥାଟାକୁ ଏଡ଼ିଦେବା ପାଇଁ ଚାହଁ ।

 

ନା, ନା, ମୁଁ କହିବି ବୋଲି ତ ଫୋନ୍ କଲି...

 

ଯଦି ମୁଁ ନ ଧରି ଆଉ କିଏ ଧରି ଥାଆନ୍ତା.....

 

ମୁଁ ଜାଣିଥିଲି ବୋଲି ନା....

 

ତୁମେ ଜାଣିଥିଲ ମୁଁ ଏକା ଅଛି ବୋଲି....

 

ନିଶ୍ଚୟ...,

 

ତୁମେ ଜ୍ୟୋତିଷ କେବେ ହେଲ

 

ଯୋଉ ଦିନଠୁ ବର୍ତ୍ତମାନ ଅନିଶ୍ଚିତ ହୋଇଗଲା...।

 

ବର୍ତ୍ତମାନକୁ ନିଶ୍ଚିତ କରିବାକୁ ଚାହୁଁଛ ?

 

କିଏ ନ ଚାହେଁ?

 

ଉପାୟ ଚିନ୍ତା କରିଚ ?

 

ମୁଁ ଏକା କଲେ କିଛି ହବନି...

 

ତମ ପାଇଁ ଆଉ କିଏ କହିବ ?

 

ସେଥିପାଇଁ ତ ଫୋନ୍ କଲି....

 

ବାଃ ରେ ! ମିଛ କଥା ...

 

ସତ କହିଲେ ମିଛ ବୋଲି କାହିଁକି ଭାବ ?

 

ମିଛଗୁଡ଼ା ସବୁ ସତ ହୋଇଗଲା ବୋଲି....

 

କଅଣ ମିଛ ସବୁ ସତ ହେଲା....

 

ଯୋଉ ସତ ସବୁ ମିଛ ହୋଇଗଲା....

 

ଦୁହେଁ ବେଶ୍ ହସିନେଲେ କିଛି ସମୟ । ତାପରେ ମୀରାର ମନେ ହେଲା ଯେ ସେ ଯେପରି ହଜି ଯାଇଥିବା ସୂତା ଖିଅକୁ ଖୋଜି ପାଇଛି । ଦେହରେ ଶିଥିଳତା ଆଉ ନ ଥିଲା, ବରଂ ସର୍ବାଙ୍ଗରେ ଟିକେ ଉଷ୍ମତା ସେ ଅନୁଭବ କରିବାକୁ ଲାଗିଲା । ମନଟା ଚହଲି ବୁଲିଲା, ଚଞ୍ଚଳ ହେଲା । ସେ ଟିକେ ନଇଁପଡ଼ି ଫୋନରେ ଧୀରେ ଧୀରେ କହିଲା....

 

ମନେ ପକାଅ ?

 

କାହାକୁ ?

 

ଯାହାକୁ ଫୋନ୍ କଲ ?

 

ନାଁ....

 

ରଖି ଦଉଛି.....

 

ନା, ନା, ଇମିତି ରାଗିଲେ ଚଳିବ......।

 

ଦରକାର ନାହିଁ ଯେତେବେଳେ......।

 

ଦରକାର ଅଛି ......।

 

କି ଦରକାର ?

 

କାଲି ସକାଳୁ ଯାଉଛି......।

 

କୋଉଠିକୁ ?

 

ଚିଲିକା ।

 

ସେଥିରେ ମୋର କଅଣ ଅଛି ?

 

ତୁମେ ବି ଯିବ....।

 

ମୋ ଯିବାଟା ତୁମେ କିମିତି ସ୍ଥିର କଲ ?

 

ସ୍ଥିର କରି ପଚାରୁଛି....ସେ ଦିନ କହିଥିଲ ଯେ ଘେରାଏ ବୁଲି ଆସିବା ପାଇଁ

 

ମନ ହଉଚି ବୋଲି ।

 

ତୁମ ସାଙ୍ଗରେ ଯିବି ବୋଲି କହି ନ ଥିଲି....

 

ମୁଁ ତୁ ସେୟା ବୁଝିଥିଲି ।

 

ଭୁଲ୍‍ ବୁଝିଥିଲ.....।

 

ସତ ?

 

ସତ ।

 

ତା’ ହେଲେ ରଖୁଛି...।

 

ଏତିକିରେ ରାଗିଗଲ ନା ?

 

କେମିତି ଜାଣିଲି ରାଗିଗଲି ?

 

ଏଇ ଯେ ଫୋନ୍‍ ରଖିଦବ କହିଲ ?

 

ତୁମେ କେବଳ ରାଗିବ, ମୁଁ ନୁହେଁ ।

 

ପୁଣି ଦୁହେଁ ଖିଲ୍‍ ଖିଲ୍‍ କରି ହସିଉଠିଲେ ଦୁଇ ପାଖରେ ।

 

ସମୁଦ୍ର ବାଲିରେ ଚାଲିଲାବେଳେ ବାଲି ପାଦତଳୁ ଚହଲି ଗଲେ ଭଲ ଲାଗେ । ବସୁ ବସୁ ଶୋଇପଡ଼ି ଟିକେ ଉନ୍ମନା ହୋଇଯିବା ପାଇଁ ଇଚ୍ଛା ହେଲା ମୀରାର । ପୁରୁଣା ଏକଟଣା ଭାବଟା କଟିଯାଇ ନୂତନ ଭାବ ଅଭାବ ସୃଷ୍ଟି କରି ନିମନ୍ତ୍ରଣ କରୁଥିଲା ତାକୁ । ସେ ହେବନ୍ତକୁ ଭୁଲିଗଲା, ମନରୁ ହଜିଗଲେ ଆଠ ଓ ପାଞ୍ଚ ବର୍ଷର ଦୁଇଟି ପୁଅ ଓ ଝିଅ । ସଂସାରଟା ଇମିତି ବେଳେ ବେଳେ ନିଦ ଭାଙ୍ଗିଥିବା ମଣିଷ ପରି ଭିଡ଼ିମୋଡ଼ି ହୋଇ ଆଳସ ଭାଙ୍ଗି ଅଏସ କରିବା ପାଇଁ ସାଙ୍ଗ ଖୋଜେ । ଗତାନୁଗତିକତାର ନିର୍ଯ୍ୟାତନା ମଧ୍ୟରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ଗୋପନରେ ମୁହଁ ମାଡ଼ି ପଡ଼ି ରହିଥିବା ମନଟି ବିପ୍ଲବ କରେ ।

 

ସୁକାନ୍ତ କହିଲା–

 

ଯିବ ?

 

ଏକା ଏକା ।

 

ହଁ, ହଁ ।

 

କେବଳ ତୁମେ....

 

ତୁମେ ବି....

 

ଆଉ କିଏ

 

କେହି ନୁହେଁ ...

 

କିମିତି ଯିବ ?

 

ମୁଁ ସିମିତି ଯିବି ।

 

ତୁମ କଥା ସ୍ୱତନ୍ତ୍ର...

 

ତୁମ କଥା ବି ସ୍ୱତନ୍ତ୍ର...

 

କିମିତି ?

 

କିଛି ଗୋଟେ ଭାବି ଠିକ୍ କର ।

 

ଚେଷ୍ଟା କରିବି...

 

ଚେଷ୍ଟା ନୁହଁ, ଜବାବ ଦେଲେ ଭୋର

 

ଗାଡ଼ିରେ ଟିକଟ କାଟି ଷ୍ଟେସନରେ ଅପେକ୍ଷା କରିବି ।

 

ଫେରିବା କେତେବେଳେ ?

 

ନ ଫେରିଲେ କ୍ଷତି କଅଣ ?

 

ନା, ନା.... । କାମ ଅଛି, ଶୀଘ୍ର ଫେରି ଆସିବାକୁ ହେବ ।

 

ଆଗ ଚାଲ, ତା'ପରେ ଦେଖିବା...

 

କେତେବେଳେ ପହଞ୍ଚିଲେ ହବ ?

 

ପାଞ୍ଚଟାରେ ଟ୍ରେନ...

 

ଚେଷ୍ଟା କରିବି....

 

ଯତ୍ନ ନକଲେ ରତ୍ନ ମିଳେନି ?

 

କି ରତ୍ନ ମିଳିବ?

 

ମୋତି...ମାଣିକ୍ୟ ...।

 

ହଉ ରହିଲି ...।

 

ଶୁଭ ରାତ୍ରି ...

 

ଶୁଭ ରାତ୍ରି ...।

 

ଟେଲିଫୋନ୍‍ଟା ରଖି ଦେଇ ସେଇପରି ତକିଆ ଉପରେ ପିଠି ରଖି ମୁଣ୍ଡଟାକୁ ପଲଙ୍କର ବାଡ଼ ଉପରେ ରଖି ଚତୁର୍ଦ୍ଦିଗରେ ତିକ୍ତତା ଭିତରେ ମଧୁରତାର ତରଙ୍ଗରେ ଅବଗାହନ କରୁଥିଲ ମୀରା । ସେ ଅନେକ ବର୍ଷ ପରେ ପୁଣି ଅତୀତର ମନଟାକୁ ଗୋଟେଇ ନେଇ ପାରିଲା । ପାଶୋରି ଯାଇଥିବା ଅନେକ ଗୁଡ଼ାଏ କଥା ତା’ ସର୍ବାଙ୍ଗକୁ ଶିହରାଇ ଦେଲେ । ସ୍ୱୟଂକ୍ରିୟ ଯତ୍ନ ପରି ଛାତି ତଳେ ଧୁକ୍ ଧୁକ୍ ହେଉଥିବା ଜୀବନ ସ୍ପନ୍ଦନରେ ଉତ୍ତାପ ଓ ଉଲ୍ଲାସ ଦେଖାଦେଲା । ହେମନ୍ତ ପାଖରେ ପ୍ରଥମ ମୁକୁଳିତ ହବାର ସ୍ଵୟଂ ମୁଗ୍ଧ ସର୍ବାଙ୍ଗରେ ପୁଣି ଅପ୍ରତ୍ୟାଶିତ ଭାବରେ ବୋଳି ହୋଇଗଲା ।

 

ମୀରା ଭାବିବାକୁ ଲାଗିଲା ଆଗାମୀ କାଲିର ଅଭିସାରର କଥା ।

 

ସୁକାନ୍ତଟା ବଡ଼ ଭଲ, ନୋହିଲେ ସେଦିନ କଥା ପ୍ରସଙ୍ଗରେ କଅଣ ଟିକେ କହି ଦେଇଥିଲା ବୋଲି ଏତେ ଅର୍ଥ ସେଇଥରୁ ସେ ବାହାର କରି ପାରିଲା । ଦରଦୀ ନ ହେଲେ ଅନ୍ୟର ମନ ବୁଝି ହୁଏ ନାହଁ, ଗ୍ରହଣ କରିବାର ଶକ୍ତି ନ ଥିଲେ ଦବାର ଶକ୍ତି ସଞ୍ଚୟ କରି ହୁଏ ନାହିଁ । ସୁକାନ୍ତକୁ ବେଶ୍ ଭଲ ଭାବରେ ମନେ ପକେଇଲା, ଲମ୍ବା ପତଳା, ଏଯାଏ ମେଦ ଜମି ନାହିଁ ଦେହରେ, ଟେନିସ୍ ଖେଳି ଚେହେରାଟିକୁ ବେଶ୍ ସୁନ୍ଦର କରି ସାଇତି ରଖିଛି, ବୟସର ଛାପ ପଡ଼ିନାହିଁ, କେବଳ ଛପି ରହିଛି । ଦାନ୍ତଗୁଡ଼ା ଧଳା, ମୁହଁ ଉପରେ ପୁରୁଷର ତେଜ, ଆଉ ନିଶ୍ୱାସରେ ଆମନ୍ତ୍ରଣରେ ସ୍ଵାଦ....

 

ହେମନ୍ତର ସମୟ ସରିଯାଏ ନିଜ କଥା ଭାବି ଭାବି । ଅଫିସରେ ତା'ର କ୍ୟାରିଅର ଫାଇଲ ଭିତରେ ବନ୍ଧା ପଡ଼ି ଯାଇଛି । ବଡ଼ ଅଫିସର ହବାକୁ ହେଲେ ବଡ଼ ବଡ଼ ଫାଇଲ ଗୁଡ଼ା ପଢ଼ିବାକୁ ହବ, ସେମାନଙ୍କ ମଧ୍ୟରେ ଲୁଚି ରହିଥିବା ସମସ୍ୟାଗୁଡ଼ାକୁ ସମାଧାନ କରିବାକୁ ହବ । ଅନ୍ୟମାନଙ୍କର ଚରିତ୍ର ପଢ଼ୁ ପଢ଼ୁ ନିଜର ଚରିତ୍ର ଆଉ ମନେ ପଡ଼େ ନାହିଁ । ଅନ୍ୟମାନଙ୍କର କଥା ଶୁଣି ଶୁଣି ପାଖର ଶବ୍ଦ ବାରି ହୁଏ ନାହିଁ । ହେମନ୍ତର ଇନ୍ଦ୍ରିୟମାନେ ଆଉ କଥା କୁହନ୍ତି ନାହିଁ, ସେ ଫାଇଲ ଭିତରେ ଅନ୍ୟମାନଙ୍କର କଥା ଶୁଣିବା ପାଇଁ ଅଟକି ଯାଇଛି ।

 

କ୍ୟାରିଅର ଜଗିବାକୁ ଯାଇ ତାକୁ ହୁଏତ ଜଗି ପାରି ନାହିଁ । କ୍ୟାରିଅର ସଂପର୍କରେ ଭାବି ଭାବି ତାକୁ କେଉଁଦିନୁ ଭୁଲି ଯାଇଛି । ଆଗୁ ଏତେ ସମୟ ପାଉଥିଲା ତା ସହିତ ଅଏସ କରିବା ପାଇଁ, ଆଜିକାଲି ଏତେ ଏନ୍‍ଗେଜମେଣ୍ଟ ଯେ ସେ ନିଜେ ଅଣନିଃଶ୍ୱାସୀ ହୋଇଯାଉଛି । ଫେରିଲାବେଳକୁ ଦେହରେ ତେଜ ବା ମନ ସତେଜ ନଥାଏ, ବାସି ଫୁଲର ବାସ୍ନା ପରି କ୍ଲାନ୍ତ ଓ ଆଲୁକାୟିତ ।

 

ହେମନ୍ତ ନିଶ୍ଚୟ କାଲି ଯାଇ ପାରିବ ନାହିଁ; ତଥାପି ତାକୁ କହି ଦବାକୁ ହବ । କାରଣ ଖୋଜି ଖୋଜି ଶେଷରେ ଠିକ୍ କରିନେଲା ମୀରା, ସାଙ୍ଗ କେତେଜଣ ଯିବେ ଯେ ସେମାନଙ୍କ ସାଙ୍ଗରେ ସେବି ଯିବ ଘେରାଏ ବୁଲି ଆସିବା ପାଇଁ । ଚିଲିକାତ ଅନେକ ଦିନୁ ଯାଇନାହିଁ, ସମୟ ବି ହଉ ନାହିଁ....ସ୍କୁଲ ନଥିଲେ ମିଠୁ ଆଉ ମିନୁକୁ ବି ନେଇ ଯାଇ ଥାଆନ୍ତା.... ପରୀକ୍ଷା ପାଖ... ସେମାନଙ୍କୁ ଏତେ ବାଟ ନେଇ କ୍ଲାନ୍ତ କରିବାର ଆବଶ୍ୟକତା ନାହିଁ.... ବଟୁ ସେମାନଙ୍କ କଥା ବୁଝିବ, ସନ୍ଧ୍ୟା ବେଳକୁ ସେ ତ ଫେରି ଆସିବ....ଦିନଟେ ଚଳିଯିବା ପାଇଁ ଅସୁବିଧା ହେବନାହିଁ ।

 

ହେମନ୍ତ ନିଶ୍ଚୟ ବୁଝିଯିବ । ସନ୍ଦେହ କରିବାର ଅବକାଶ ନାହିଁ । ସେ'ତ ଏକା ଏକା କେତେ ଆଡ଼େ ଯାଏ, ତାକୁ ତ ସନ୍ଦେହ କରେ ନାହିଁ ମୀରା ।

 

ପିଲମାନେ ନିଶ୍ଚିନ୍ତରେ ସଂଲଗ୍ନ କୋଠରୀରେ ଶୋଇ ଯାଇଥଲେ । ଉଠି ବସି ସବୁଜ ବତୀର ସ୍ୱଳ୍ପ ଆଲେକରେ ସେମାନଙ୍କୁ ଥରେ ଦେଖିନେଲା ମୀରା । ଝରକା ଦେଇ ବଗିଚାକୁ ଚାହିଁଲା । ମୁକ୍ତାକାଶ ତଳେ ମଣ୍ଡିତ ଘାସର ଗାଲିଚା ଉପରେ ଦିଗମ୍ବରା ପୃଥିବୀ ସମସ୍ତ ସମ୍ଭାର ନେଇ ଲୋଟି ପଡ଼ିଲା ପରି ସେ ବି ଇଚ୍ଛା କରୁଥିଲା ପରମ ମୁକ୍ତିର ସ୍ୱାଦ ଅନୁଭବ କରିବା ପାଇଁ । ବାରନ୍ଦାରେ ଝୁଲୁଥିବା ପଞ୍ଜୁରୀ ଭିତରେ ଶୁଆଟି ପକ୍ଷ ଝାଡ଼ି ବ୍ୟର୍ଥ ଚେଷ୍ଟା କରୁଥିଲା ବାହାରକୁ ଯିବା ପାଇଁ । ନୀଳ ଆକାଶରେ ବୁକୁ ଛୁଇଁ, ଉଡ଼ି ଆସିବା ପାଇଁ କାହାର ମନ ନ ହୁଏ । ବନ୍ଧନ ଜୀବନକୁ ସଙ୍କୁଚିତ କରେ, ମୁକ୍ତି ହିଁ ତାକୁ କରେ ପ୍ରସାରିତ । ସୀମାବଦ୍ଧ ସାଂସାରିକ ଜୀବନରେ ମୁକ୍ତିର ସ୍ୱାଦ କାହିଁ ? ମୀରା ଖୋଜି ବୁଲିଲା ପଳାଇବାର ପଥ ।

 

ଶୁଆଟି ପ୍ରତି ଦୟା ହେଲା ତା’ର । ସେ ତାକୁ ମୁକ୍ତ କରିବା ପାଇଁ ଯାଇ ଅଟକି ଗଲା; କାଳେ ହେମନ୍ତ ଯଦି କିଛି ଭାବେ । ଖୁବ୍ ନିଷ୍ଠୁର ଓ ହୃଦୟହୀନ ବୋଲି ମନେ କଲେ ମୀରା, ନୋହିଲେ ଶୁଆଟିକୁ ପିଞ୍ଜରା ଭିତରେ ବନ୍ଦ କରି ରଖି ଥାଆନ୍ତା କାହିଁକି ? ସେ ପକ୍ଷୀ ନୁହେଁ, ମଣିଷ; ଏହା ସତ୍ୱେ ହେମନ୍ତ ତା’ର ଗୋଡ଼ ହାତ ବାନ୍ଧି ପ୍ରତି ମୁହୂର୍ତ୍ତରେ ବାଧ୍ୟ କରି ସ୍ୱାମୀତ୍ୱର ଦାବୀ ତା ପାଖରୁ ହାସଲ କରୁଛି ଯେପରି । ଶୁଆଟି ଅହର୍ନିଶି ରାମ ନାମ ରଟିଲା ପରି ସେ ବି ଜପି ଚାଲିଛି ହେମନ୍ତ କଥା, ସେମାନଙ୍କର ପୁଅ ଝିଅ, ସମାଜ ଓ ସଂସାର କଥା । କେବଳ ଆଖିରେ ଘୋଡଣୀ ଲଗାଇଥିବା ଘୋଡ଼ା ପରି ଗୋଟିଏ ଦିଗକୁ ସେ ଚାହୁଁଛି, ଅନ୍ୟ ଦିଗରେ ସେ ପୃଥିବୀର ଅନେକ ମୁହଁ ଓ ପରିଚୟ, ଅଜସ୍ର ରାଗ ଓ ରଙ୍ଗ ଅପେକ୍ଷା କରୁଛି ତାହା ଜାଣିବା ପାଇଁ ସମୟ ବା ସୁବିଧା ହଉନାହିଁ ।

 

ରାତି ହେଲାଣି, ହେମନ୍ତ ହୁଏତ ଫେରୁଥିବ । ତାକୁ ବୁଝାଇ ଦେଇ ସେ ବଡ଼ି ଭୋର୍‍ରୁ, ରିକ୍ସା ଗୋଟେ ନେଇ ଷ୍ଟେସନକୁ ଚାଲିଯିବ । ଏତେ ସକାଳୁ ଡ୍ରାଇଭର ଆସି ପାରିବନି, ହେମନ୍ତକୁ ଗାଡ଼ି ଚଳାଇ ତାକୁ ଷ୍ଟେସନରେ ଛାଡ଼ି ଆସିବା ପାଇଁ ସେ କହିବ ନାହିଁ, ହେମନ୍ତ ହୁଏତ ସୌଜନ୍ୟତା ଦୃଷ୍ଟିରୁ ତାକୁ ନେଇ ଛାଡ଼ି ଆସିବା ପାଇଁ କହିପାରେ, କିନ୍ତୁ ସେ ମନା କରିବ । ସକାଳର ସୁଆଦିଆ ନିଦ ଛାଡ଼ି ସେ ଯିବାର ଆବଶ୍ୟକତା ନାହିଁ ।

 

ରେଲଗାଡ଼ିରେ ଦୁହେଁ ଯିବେ, ସେ ଓ ସୁକାନ୍ତ । ସୁକାନ୍ତ ହେମନ୍ତର ସହକର୍ମୀ କ୍ୟାରିଅର ନେଇ ବ୍ୟସ୍ତ ନରହି ଫୁର୍ତ୍ତି କରେ, ସବୁ ସମସ୍ୟାକୁ ଅସ୍ଵୀକାର କରି ଫୁଟବଲ ଖେଳର ଫରୱାର୍ଡ଼ ଖେଳାଳି ପରି ସମୟ ଓ ସୁବିଧାର ସଦୁପଯୋଗ କଲେ । ରେଳଗାଡ଼ିରେ ଗପ କରିବାକୁ ସମୟ ମିଳେ । ସୁକାନ୍ତ ଅନେକ କଥା କହେ, ହୁଏତ ତାକୁ ଅନେକ ଆଶା ଓ ଆଶ୍ୱାସନା ବି ଦବ ।

 

ରେଳଗାଡ଼ି କୋଇଲା, ପାଣି ଓ ନିଆଁ ହେଲେ ହେଲେ ଚାଲେ, ମଣିଷ କିନ୍ତୁ କେବଳ ଖାଇ, ଶୋଇ ଓ ସହବାସ କରି ଚଳିପାରେ ନାହିଁ । ଏହା ବାଦ୍ ସେ ଆହୁରି କିଛି ଖୋଜେ, ଜୀବନର ସୂକ୍ଷ୍ମ ଅନୁଭୂତିରେ ବଞ୍ଚିବା ପାଇଁ ସେ ଆହୁରି ଅନେକ ଜିନିଷ ଆବଶ୍ୟକ କରେ ।

 

ମୁକ୍ତି ହିଁ ଇନ୍ଦ୍ରିୟ ମାନଙ୍କର ପରମ ଲକ୍ଷ୍ୟ ।

 

ଏହି ସୀମାବଦ୍ଧ ସାଂସାରିକ ଜୀବନରୁ ସେ ମୁକ୍ତି ପାଇ ସେ ସୁନୀଳ ସାଗରର ସଙ୍ଗୀତ, ସମୁଜ୍ଜଳ ଆକାଶର ପ୍ରଶାନ୍ତି ଏବଂ ପ୍ରାଣ ଓ ପୁଲକର ବ୍ୟାପ୍ତି ଦେଖିବାକୁ ଚାହେଁ । ହେମନ୍ତ ତାକୁ ଅନେକ ଦେଇଛି, କିନ୍ତୁ ମୁକ୍ତି ବା ବ୍ୟାପ୍ତି ଦେଇନାହିଁ। ପ୍ରସାରିତ ହବା ପାଇଁ ଯାଇ ବାରମ୍ବାର କେବଳ ସଙ୍କୁଚିତ ହୋଇ ଯାଇଛି ।

 

ସେ ଭାବିଲା, ସେ ଯଦି ସୁକାନ୍ତ ସହିତ ସବୁଦିନ ପାଇଁ ଚାଲିଯାଇପାରନ୍ତା ସେହି ସ୍ୱପ୍ନଦେଖା ଭୂଇଁକୁ ତାହେଲେ ତାକୁ ସକାଳ ସନ୍ଧ୍ୟା ସଂସାରର ଏକ ହଂସ-ଗୀତ ଶୁଣିବାକୁ ହୁଅନ୍ତା ନାହିଁ । ସ୍ୱାମୀର ଚର୍ଚ୍ଚା ନକରି ସେ ସମୟ ପାଆନ୍ତା ନିଜ ତନୁକୁ ଅନାଇବା ପାଇଁ, ପିଲାମାନଙ୍କ ପାଇଁ ସର୍ବଦା ବ୍ୟସ୍ତ ନରହି ପକ୍ଷୀର କୂଜନ, ଫୁଲର ସୁରଭି ବା ତରଙ୍ଗର ଉଚ୍ଛ୍ଵାସକୁ ଅନୁଧ୍ୟାନ କରିବା ପାଇଁ ସମୟ ପାଆନ୍ତା ସେ । କେବଳ ପ୍ରତିଦିନ ଖାଇ ପିଇ ସଂସାର ଚଳାଇ, ରାତିରେ ଗୋଟେ ବିଛଣାରେ ସ୍ଵାମୀ ସହିତ ଶୋଇ ଓ ସହବାସ କରି କୌଣସି ବ୍ୟତିରେକ ବ୍ୟତୀତ ଜୀବନଟା କଟାଇ ଦେଇ ହୁଏ ସିନା ଉପଭୋଗ କରି ହୁଏ ନାହିଁ ।

 

ପୁଅ ଓ ଝିଅ ପାଇଁ ମନରେ ଟିକେ ଯେ ବେଦନା ନ ଜାଗିଲା ତାହା ନୁହେଁ । ସେମାନେ ହୁଏତ ସକାଳୁ ଉଠି ଦେଖିବେ ଯେ ମା ପାଖରେ ନାହିଁ, ସେମାନଙ୍କୁ ନ ନେଇ କେଉଁଆଡ଼େ ଏକା ଏକା ବୁଲିବା ପାଇଁ ଚାଲି ଯାଇଛି । ସେ ସେମାନଙ୍କୁ ବୁଲାଇ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ସେ ପ୍ରତିଶ୍ରୁତି ଭାଙ୍ଗି ଦେଲେ ସେମାନେ ବି ହୁଏତ ଦୁଃଖ ପାଇବେ । ବିକଳ୍ପ ବ୍ୟବସ୍ଥା କରିବାର ଉପାୟ ନାହିଁ । ସୂକାନ୍ତ ସହିତ ଗଲାବେଳେ ପିଲମାନଙ୍କୁ ନେଇ ହେବ ନାହିଁ ।

 

ହେମନ୍ତର ଗାଡ଼ି ଆସିବାର ଶବ୍ଦ ଶୁଣାଗଲା ।

 

ଧୀରେ ଧୀରେ ତଳକୁ ପାହାଚ ଦେଇ ଓହ୍ଲାଇ ଗଲା ମୀରା ।

 

ଉଠିବାର ରୋମାଞ୍ଚ ଓହ୍ଲାଇବାରେ ନଥାଏ ।

 

ତଥାପି ଯିବାକୁ ହବ, ହେମନ୍ତ ସହିତ ବସି କିଛି ଖାଇବାକୁ ହେବ । ସ୍ୱାଭାବିକତା ରକ୍ଷା କରିବା ପାଇଁ ଏଣୁ ତେଣୁ ଗୋଟେ ଦୁଇଟା କଥା କହିବାକୁ ହେବ ।

 

ହେମନ୍ତୁ କିନ୍ତୁ ଖାଇ କରି ଆସିଥିଲା । ଜଣେ ବନ୍ଧୁ ଯୋର କରି ଫେରିଲା ବେଳେ ରେସ୍ତୋଁରାରେ କିଛି ଖୁଆଇ ଦେଇଥିଲେ ।

 

ରକ୍ଷା ପାଇଗଲା ମୀରା । ତା ପେଟରେ ବି ଭୋକ ନଥିଲା, ପେଟଟା ଯେପରି ପୂରି ଯାଇଥଲା । ଛାତି ଭିତରଟା ଗୁରୁ ଗୁରୁ କରୁଥିଲା ।

 

ମୀରା ଉପରେ ହାତ ରଖି ଅଳ୍ପ ସମୟ ଭିତରେ ଶୋଇପଡ଼ିଲା ହେମନ୍ତ ।

 

ମୀରାର ଆଖିରେ ନିଦ ନ ଥିଲା। ସେ ଶୋଇ ପାରିଲା ନାହିଁ । ଚେକ୍‍ପୋଷ୍ଟର ଅର୍ଗଳ ରାସ୍ତା ଉପରେ ଆଗେଇ ଯାଇଥିବା ଯାନର ଗତିରୋଧ କଲାପରି ମୀରାର ଆଗେଇ ଯାଇଥିବା ମନକୁ ତା ଦିହ ଉପରେ ହାତ ରଖି ସେ ଯେପରି ରୋକି ଦଉଥିଲା । ସେଇ ହାତର ଓଜନ ଭାରି ଭାରି ଲାଗିଲା, ଟିକେ ପଛେଇ ଗଲା ସେ ।

 

ଶୋଇବା ଘରର ଅନ୍ଧାର ଭିତରେ ସେ ଜଳୁଥିଲା ମହମବତୀ ପରି । ସର୍ବାଙ୍ଗରେ ଦହନର ଏକ ଅଦ୍ଭୁତ ଭାବି ତାକୁ ଅଥୟ କରୁଥିଲା ।

 

ସ୍ଵପ୍ନ ଦେଖୁ ଦେଖୁ କେତେବେଳେ ଚାରିଟା ବାଜିଗଲା ଜାଣିପାରିଲା ନାହିଁ । ମୁହଁ ହାତ ଧୋଇ ନିଜକୁ ସଜାଇ ନେଲା ଭଲ କରି, ପରିଧାନ ଓ ପ୍ରସାଧନର ପରିପାଟୀ ଦ୍ୱାରା ବୟସକୁ ଆହୁରି ଦଶବର୍ଷ କମାଇ ଦେଇ କୁମାରୀ ଜୀବନର ଉଚ୍ଛୁଳା ହସ ପରି ନିଜକୁ ନିଜ ଆଗରେ ତୋଳି ଧରିଲା ।

 

ନା ସମୟ ହୋଇ ଯାଉଛି, ବେଶି ବେଶି ଡେରି କଲେ ଛାଡ଼ି ଚାଲିଯିବ । ସୁକାନ୍ତ ତାକୁ କେତେବେଳୁ ଅପେକ୍ଷା କରିଥିବ । ଅପେକ୍ଷା କରିବାରେ ଗୋଟାଏ ଆନନ୍ଦ ଓ ଉତ୍ତେଜନା ଅଛି । ସେ ବି ତା ସହିତ ମିଳିତ ହବାର ଶୁଭକ୍ଷଣକୁ ଅପେକ୍ଷା କରୁଥିଲା ।

ଭ୍ୟାନିଟି ବ୍ୟାଗ୍‍ଟା ହାତରେ ଧରି ବାହାରି ପଡ଼ିଲା ମୀରା ।

 

 

ହେମନ୍ତ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଥିଲା । ସେ ଶବ୍ଦ ବଡ଼ ବିଭକ୍ତିକର ମନେ ହେଲ ମୀରାର । ପୁଅ ଓ ଝିଅର ସରଳ ମୁହଁ ଦୁଇଟି ବାରମ୍ବାର ମନେ ପଡ଼ିଲା ଆସି । ସେ ଦୁହେଁ ତାକୁ ନ ଦେଖି ନିଶ୍ଚୟ ମନ କଷ୍ଟ କରିବେ । କଅଣ କରିବ ସେ । ଏ ଦୁଇ ପିଲାଙ୍କ କଥା ମନକୁ ଆସିଲେ ସେ ଅନେକ ଦୁର୍ବଳ ହୋଇଯାଏ, ସେମାନଙ୍କୁ ଭଲ ନ ଲାଗିଲା ଭଳି କୌଣସି କାମ କରିବାକୁ ପାଦ ବଢ଼ାଇପାରେ ନାହିଁ । ସେମାନଙ୍କ ଶୋଇବା ଘର ଆଡ଼କୁ ଚାହିଁଲା ।

 

ପିଲାମାନେ ଶୋଇଥିବା ଘରର ସବୁଜ ଆଲୁଅଟା ତା ଆଡ଼କୁ କଣେଇ କଣେଇ ଚାହୁଁଥିଲା ଯେପରି । ସୁଇଚ ଟିପି ଆଲୁଅ ଲିଭାଇ ଦେଲା ମୀରା । ସେମାନଙ୍କ ଆଡ଼କୁ ଚାହିଁବା ପାଇଁ ସାହସ ହେଲା ନାହିଁ । ତାପରେ ଧୀରେ ଧୀରେ ଓହ୍ଲାଇଗଲା ପାହାଚ ଦେଇ । ଅପ୍ରତ୍ୟାଶିତ ଭାବରେ ମିଠୁ ଓ ମିନୁକୁ ପାହାଚ ତଳେ ଛିଡ଼ା ହୋଇଥିବାର ଦେଖି ଅବାକ୍ ହୋଇଗଲା ମୀରା ।

 

ସେମାନେ ହାତ ବଢ଼ାଇଲେ ଯିମିତ ଚୌଛକି ଉପରେ ଛିଡ଼ାହୋଇ ଯାନ ବାହାନର ଗତିକୁ ନିୟନ୍ତ୍ରଣ କରିବା ପାଇଁ ହାତ ଲମ୍ବାଏ ଟ୍ରାଫିକ୍ ପୁଲିସ୍ ।

 

ନା, ଆଉ ଯାଇ ପାରିଲା ନାହିଁ, ସେ ସୀମାବଦ୍ଧ ହୋଇ ରହିଗଲା ।

 

ସେଇ ସୀମାବଦ୍ଧ ସଂସାରର ଶୃଙ୍ଖଳା ଓ ପ୍ରକୃତିର ନିୟମ ରକ୍ଷା କରି ଉଷାର ପ୍ରଥମ ଆଲୋକ ଚତୁର୍ଦ୍ଦିଗରେ ବିଛେଇ ହୋଇ ପଡ଼ିଲା ।

Image

 

ବୁଦା କିରିସାନୀ

ଶ୍ରୀ ଦୁର୍ଗାମାଧବ ମିଶ୍ର

 

ଭାବୁଥାଏ....

 

ବୁଦା କିରିସାନୀ ।

 

କାନରେ ଅଧାପୋଡ଼ା ଧୂଙ୍ଗିଆ, ମୁହଁରେ ଶିଆଳୀ ପତ୍ରର ଜଳନ୍ତା ଏଡ଼େ ବଡ଼ ପିଲାଟା–ଘନ ଅନ୍ଧାର ଭିତରେ ଶୋଷିଦେଲା ବେଳକୁ ରଙ୍ଗ ଟହ ଟହ ହୋଇ ଜଳି ଉଠୁଥାଏ ।

 

ଦୂରରେ ମୃଦଙ୍ଗ ବାଜୁଥାଏ.... ଆଉ ରହି ରହି ବାଜି ଉଠୁଥାଏ ଡୁଙ୍ଗ୍ ଡୁଙ୍ଗା....

 

ଚଇତ ପରବ...

 

ଓଃ, ଆଜି ଚଇତି ପରବ.... !!

 

ସେ ଦିନର ଚଇତ ପରବ ପରେ ଆଜିକି ବୋଧହୁଏ ଚଉଦଟି ଚଇତ ପରବ ଫୁଟୁକି ଫୁଟାଇଲା ପରି ଚାଲିଗଲାଣି ବୁଦା କିରିସାନୀର ଜୀବନରେ... ତା’ର ଲୋତରା ଚମ ତଳର ହାଡ଼ୁଆ ପିଞ୍ଜରାରେ କିଏ ଯିମିତି ସେଦିନର ସେହି ଚଇତ ପରବକୁ ନହୁଣୀରେ ଖୋଳି ଲେଖି ଦେଇ ଯାଇଛି । ସବୁ ଚଇତ ପରବକୁ ସେଇ ଖୋଳପା ଜକେଇ କେଇ ଟୋପା ରକତ ନିଗିଡ଼ିଆସେ ବୁଦା କିରିସାନୀର ।

 

ସେତେବେଲେ ଧାଙ୍ଗଡ଼ା ବୁଦା କିରିସାନୀ ହାତକୁ ଦି’ ହାତ ହୋଇ ନ ଥାଏ, ଛାତିରେ ତା’ର ହାତୀର ବଳ, ଏ ଜଙ୍ଗଲ ମୂଲକରେ ତାଆ ସାଥିରେ ବାହା ମିଳାଇବାକୁ ଶକ୍ତି କାହାର ? କେଉଁଠି ଥକା ମାରିବାକୁ ନ ଅଟକି ଏକା ନିଶ୍ୱାସକେ ଖଇରପୁଟରୁ ପିଣ୍ଡଜଙ୍ଗର ଗାଆଁକୁ ଆସେ ଆଉ ଯାଏ–ସତର ମାଇଲ ବାଟ-ସତେ ଅବା ବୁଦା ପାଇଁ ପୋଖରୀପାଣି ଯିବା ରାସ୍ତା ।

 

ହସିଲା ବୁଦା କିରିସାନୀ-ତା’ର ଦୂର୍ବଳ ଅସ୍ଥି ବହୁଳ ଲୋଳ ଚର୍ମ ଛାତି ଆଡ଼େ ଚାହିଁ ହସି ପକାଇଲ ସେ... ଏତେ ଦୁଃଖରେ ବି ।

 

ଓଃ କି ଜୋରରେ ମାଦଳ ବାଜୁଛି, ବାହାରେ ଆଉ ତଥା ସାଥିରେ ତାନ ମିଳାଉଛି ଡୁଙ୍ଗ୍ ଡୁଙ୍ଗା–ଯେଉଁ ଟିକକ ରକ୍ତ ବୁଦାର ଦେହରେ ଆଉ ବଳକା ରହିଛି, ସେତକ ବି ଆଜି ଚାରିଗୁଣା ହୋଇ ଫୁଲିଉଠୁଛି-ଧୋବଲା ଧୋବଲା ରୁମରେ ତା’ର ଲାଗିଛି ପୋଡ଼ୁ ଚଷିବାର ଉନ୍ମାଦନା–ସେ ଆଜି ଶିହରି ଉଠୁଛି । ତା’ ଘର ସାମନାର ନିଆଁ ଟିକକ ଉପରେ ପାଉଁଶ ପଡ଼ିଗଲାଣି ପାଉନ - ବଳ ପାଉନି ଟିକିଏ ଯାଇ ଉଖାରି ଦେବାକୁ । କିଏ ଅଛି ? କିଏ ଅଛି ଆଉ ତା’ ପାଖରେ ?

 

ସତେ ତ, ତା’ର ଆଉ କେହି ନାହିଁ ।

 

ଦୀର୍ଘନିଶ୍ୱାସ ମାଇଲ ବୁଦା କିରିସାନୀ ।

 

ନଃ ବଡ଼ ଅସହ୍ୟ, ବଡ଼ ହିନୀ ଅବସ୍ଥା ଏ ଜୀବନ ।

 

ଖୁଁ ଖୁଁ ଖୁଁ ।

 

ଏ ତ କଞ୍ଚା ନାଲିଆ ରକ୍ତ !

 

ଆଜି ଯଦି ଲଛମି ଟୋକୀ ଥାଆନ୍ତା !

 

ବେକ ଉପରେ କତା ଦଉଡି ପରି ମୋଟା ଶୁଖିଲା ଶିରା ଉପରେ କୁଆଡ଼ୁ କେଜାଣି ଆସି ଜମିଗଲା ଜଳକଣା । ଆଖିର କୋଣ ଜକେଇ ଆସିଲା । ପୁଣି ପୁଳାଏ ଧୁଙ୍ଗିଆ ଟାଣି ବସିଲା ମୁକ୍ତି ପାଇଁ–ଆଃ ସେ’ଟା ଯେ ଇଆଭିତରେ ନିଭିଗଲାଣି ।

 

ପିଣ୍ଡାଜଙ୍ଗଲରୁ ଖଇରପୁଟ ୧୭ ମାଇଲ ବାଟ -୧୪ ବର୍ଷ ତଳର କଥା । ଡଙ୍ଗର ଜମାନୁର କାଉଡ଼ି କାନ୍ଧେଇ ଯାଇଥିଲା ଖଇରପୁଟ ସିଏ । ଲେଉଟାଣି ବେଳକୁ ମାଛି ଅନ୍ଧାର ଲାଗି ଆସିଲାଣି -କାନରେ ଚକଚକିଆ ସୁଉକିଟି ଖେଷା ହେଇଛି ।....ଏତିକି ବାଟ ନେଇ ଆସିବାର ମଜୁରୀ । ଫେରିବ ଆଜି ବୁଦା କିରିସାନୀ । ଆଜି ଯେ ଚଇତ ପରବ....

 

କୁଳୁମୁଛୁଳି ହସି ହସି ଲେଟି ଯାଇଥିବା ପାହାଡ଼ ଉପରର ପିଣ୍ଡାଜଙ୍ଗରଲନ୍ଧା ଆଉ ସଲପରେ ପେଟ ଫାଟି ଯାଉଥିବ ଗାଆଁ ଧାଙ୍ଗଡ଼ୀଙ୍କର–ଖସି ଯାଉଥିବ ଚାରିହତିଆ ନାଲି କସ୍ତା ନୃତ୍ୟର ଛନ୍ଦେ ଛନ୍ଦେ ।

 

ଏଡ଼େ ବଡ଼ ଉତ୍ସବରେ ସେ ରହିଯିବ ଖଇରପୁଟରେ ଆଜି ?

 

ଅସମ୍ଭବ !!

 

ସେ ନାଇଁ ବୋଲି ସୋମା ବଜାଉଥିବା ଡୁଙ୍ଗ୍‍ ଡୁଙ୍ଗା -ଛି, ଛି, ସେମାଟାକୁ କ’ଣ କିଛି ବଜାଇ ଆସେ । ତାକୁ ସତର ବରଷ ଶିଖେଇବ ବୁଦା କିରିସାନୀ । ନା ଅଛି ତା’ର ଛାତିରେ ବଳ, ନା ଅଛି ଦିହରେ ଟିକିଏ ବୋଲି ତାକତ ? ଘଡ଼ିଏ ବଜାଉଣୁ ନ ବଜାଉଣ ପେଟୀ ମାଇକିନା ପରି ଧଇଁ ପେଲିବ ତା'ର.....

 

ଚାଲୁଥିବା ବୁଦା–ଗଛ ସାଥିରେ ଗଛ ଯୋଡ଼ି ହୋଇଯାଇ ସାମନାର ନିଘଞ୍ଚ ଅନ୍ଧାର ତିଆରି ହୋଇଯାଇଛି ଯିମିତି..... ଡଇଁ କଲାବେଳେ ତୃତୀୟ ଶ୍ରେଣୀର ପିଲା ଗୋଟାଏ ଜାଗାରେ ମେଞ୍ଚାଏ କାଳି, ଗୋଟିଏ ଜାଗାରେ ମେଞ୍ଚାଏ ନେଳୀ ନେସିଦେଲା ପରି ଜଙ୍ଗଲ ଆଉ ଅନ୍ଧାରର ମେଳାମେଳି । ସିଆଡ଼ିକି ଲକ୍ଷ୍ୟ ନାଇଁ ବୁଦା କିରିସାନୀର, ଆଜି ପିଣ୍ଡାଜଙ୍ଗରରେ ନ ପହଞ୍ଚିଲେ ସେ କ’ଣ ଆଉ ମଣିଷ ପିଲା ?

 

ସେ ଯିବ - ନିଶ୍ଚୟ ଯିବ ।

 

ଓଇ ମାଁ ଲୋ, ଓଇ ମାଁ ଲୋ, ବାରିଆ...ବାରିଆ...ବାରିଆ....

 

ଏଁ କିସ ହେଲାରେ ?

 

କ'ଣ ଗୋଟେ ଧଇଁ ସଇଁ ହୋଇ ଦଉଡ଼ି ଆସି ବୁଦା ଦିହରେ ଜକଟ ମକଟ ହୋଇ ଲାଗିଗଲା ।

 

ଅନ୍ଧାର ଘନେଇ ଆସିଲାଣି

 

ଆଉ ଭଲ କରି ଦିଶୁନି ବୁଦାକୁ ।

 

କିଏ, କିଏ ସେ ?

 

ମୁଉଁ ମୁଉଁ ବାରିଆ....ବାରିଆ ଉଃ...ଉଃ...

 

କିଏ ? କିଏ ରେ ତୁଇ ?

 

ସାମନାର ଝୋଲା ପାଖରୁ କ’ଣ ଗୋଟେ କଳା ମଚମଚ ହୋଇ ଧାଇଁ ଆସୁଛି ।

 

ହୁଉଁ ହୁଉଁ ହୁଉଁ...ହୁଉଁ ହୁଉଁ ହୁଉଁ...ହୁଉଁ ହୁଉଁ ହୁଉଁ...

 

କିରିକାଛିଆ ରଡ଼ି କରି ଇଆଡ଼େ ଏଣେ ଜାବୁଡ଼ି ଧରୁଛି ବୁଦାକୁ ଇଏ... ବୁଦାର ମାଂସପେଶୀ ଭିତରେ ଗରମ ଗରମ ରକତ କେଜାଣି କାହିଁକି ଫୁଟିଉଠୁଛି ଉତ୍ତେଜନାରେ.....ଓଃ କି ଅନ୍ଧାର !

 

ଖାଇବି ପଟ ଡେଣାରୁ ଝିଅଟି ଧନୁ କାଢ଼ି, ପିଠି ପଟରୁ କାଣ୍ଡଟେ ଘୋଷାରି ଆଣି ଯୋଖି ନେଲା ବୁଦା ଗୋଟେ ଆଖି ପିଞ୍ଛଡ଼ାରେ– ପାଇଁ କିନା କାଣ୍ଡଟା ସେ ଅନ୍ଧାରରେ ଛୁଟି ଚାଲିଗଲା କଳା ମଚମଚ ଜନ୍ତୁଟା ଆଡ଼କୁ । ଆଗକୁ ବଢ଼ି ପାରିଲାନି ସେ....

 

ନିଆଁ ପେଡ଼ିରୁ ଗୋଟେ କାଠି କାଢ଼ି ଶୁଖିଲା ପୋଲାଙ୍ଗ ଡାଙ୍ଗଟାରେ ନିଆଁ ଧରାଇ ଆଗକୁ ବଢ଼ିଲା ବୁଦା.... ମୁହଁରୁ ଗମଗମ ଝାଳ ଛୁଟୁଛି....

 

ଓ କାଣ୍ଡଟା ଠିକ୍ ଭେଟିଛି । କି ବଡ଼ ବଡ଼ ଦାନ୍ତ ଏ ଜୀବଟାର, ମୁହୂର୍ତ୍ତକରେ ଚାରିଟା ମଣିଷକୁ ଚୂରି ଦେବାର ଶକ୍ତି ତା’ର...ଠିକ୍ ତଣ୍ଟି ପାଖରେ ଭେଟିଥିବା କାଣ୍ଡଟାକୁ ଝିଙ୍କି ଆଣିଲା ବୁଦା–ପିଚିକାରୀ ପରି ଛୁଟିଲା ରକ୍ତ - ଉଷୁମ ଉଷୁମ ରକ୍ତ...

 

ବୁଦାର ହୋସ୍ ଫେରିଲା -

 

ପଛକୁ ଫେରି ଅନାଇଲା ସେ -

 

ପୁଲାଙ୍ଗ ଡାଙ୍ଗର ଆଲୁଅରେ...

 

ଏ କିଏ ?

 

-ଲଛମୀ–ଲଛମୀ ଟୋକୀ ।

 

ଚାଳିଶି ସୋରା ମାଳି ବେକରୁ ଛାତି ମଝିରେ ଲମ୍ବି ଯାଇଛି । ନାଲି, ନୀଳ, ହଳଦିଆ ସବୁ ରଙ୍ଗର ମାଳି । ଦୁଇ ପାଖେ ମୁକ୍ତ ଦୁଇଟି ସ୍ତନ...ବଳିଷ୍ଠ ଆଉ ହୃଷ୍ଟପୁଷ୍ଟ । ଅଣ୍ଟାରେ ହାତେ ଲମ୍ବ ଅଧହାତ ଓସାରର ନାଲିକସ୍ତା...ସଦ୍ୟ ଯୌବନ ଯିମିତି ପ୍ରତି ଲୋମକଣାରୁ ଝରିପଡ଼ୁଛି ଲଛମୀର ।

 

ଦୁଇ ହାତରେ ଉଠାଇ ଛିଡ଼ା କଲା ତାକୁ ବୁଦା... ପାଖରେ ପାଣି ଗରିଆଟା ପଡ଼ିଛି । ଚୋଳ ଚୋଳ କରି ପାଣି ଲଛମୀର ମୁହଁ ସାରା ଛାଟିଲା ସେ...ଆପଣା ଠେକା ଖୋଲି ପାଣିରେ ଭିଜାଇ ଆଖି ନାକରେ ବୁଲାଇ ଆଣିଲା...କାନରେ ଫୁଙ୍କି ଫୁଙ୍କି ପବନ ଦେଲା କେତେବେଳେ ଲଛମୀ ଆଖି ଖୋଲିଲା...

 

ଓ, ବାରିଆ...ବାରିଆ...

 

ପୁଣି ମୂର୍ଚ୍ଛାଗଲା ସେ ।

 

ପୁଣି ପାଣି ଛିଞ୍ଚିଲା ପରେ ଚେତା ଆସିଲା ତା’ର । ଉଠି ପଡ଼ି ଭୟରେ ଜକଟ ମକଟ କରି ଭିଡ଼ିଧରିଲା ବୁଦାକୁ ।

 

ବୁଦା ତାକୁ ଶୁନ୍ୟରେ ଟେକିନେଇ ଛାଡ଼ିଦେଲା ସେ ଜୀବ ପାଖରେ–ସେତେବେଳ ଯାଏଁ ବି ରକ୍ତ ଛୁଟିବା ବନ୍ଦ ହୋଇନି ତା’ର ।

 

-ବାରିଆ ମରିଯାଇଛି ।

 

ଲଛମୀର ଓଠରେ ନାଲି ରକ୍ତର ଢେଉ, ଆଖିରେ କୃଢଜ୍ଞତା, ଅଭିମାନ ଆଉ ଲଜ୍ଜା...

 

-ତୁଇ କେନ ଆଡ଼େ ଯାଇଥିଲୁରେ ଟୋକୀ ?

 

-ମୁଇଁ ପାନୀ ଆନି ଯାଇସ୍ ଝୋଲାକେ ।

 

ତୁଇ ଗୁଟେ ଲୋକ୍ କିସ୍ ପାଇଁ ଯାଇସ୍ ଝୋଲାକେ ?

 

କ’ଣ କହିବ ଲଛମୀ...ବିପଦ ତ ଯାଇଛି–ଖାଲି ହସିଲା ମଦ ଆଉ ମୃଦୁ ।

 

ଆପଣାର ବଳିଷ୍ଠ ବାହୁ ଉପରୁ ଝାଳ ପୋଛିସାରି ଲଛମୀ ଆଡ଼େ ଦଣ୍ଡେ ଅନେଇଲା ବୁଦା କିରିସାନୀ । ପଚାରିଲା- ମୁଇଁ ପିଣ୍ଡାଜଙ୍ଗର ଯାଇସ୍, ଯିବୁ କି ମୋର ସାଙ୍ଗେ ଟୁକୀ ?

 

ଲଛମୀର ସାରା ଦିହରେ ବିଜୁଳି ଖେଳିଗଲା–ମୁହଁର ନାଲି ଯେମିତି ଫାଟି ଯାଇ ବୋହି ପଡ଼ିବ ଆଉ ଟିକକରେ । ଲଛମୀ ଜାଣେ, ଏଇ ପ୍ରଶ୍ନ ତଳେ କ’ଣ ଛପି ରହିଛି । ଧାଙ୍ଗଡ଼ୀର ଜୀବନରେ ଥରେ ଏଇ ପ୍ରଶ୍ନ ଆସେ, ଆଉ ଧାଙ୍ଗଡ଼ା ଚାହେଁ ରୋକ୍‍ଠୋକ୍ ଜବାବ–ସେଇଠି ସେଇ ମୁହୂର୍ତ୍ତରେ । ଭାବି କରି କହିବି, ଦୁଇଦିନ ପରେ କହିବି, ବାପାକୁ ପଚାରି କହିବି -ଏସବୁ ଶୁଣେନି ଧାଙ୍ଗଡ଼ା–ତା’ କାମରେ ସେ ଚାଲିଯାଏ । କେତେ ଧାଙ୍ଗଡ଼ୀ ଧାଙ୍ଗଡ଼ାର ଜୀବନରେ ଆସି ଦେଖା ଦିଅନ୍ତି । ତା’ର ଭୁଲାମନ ଜଣଙ୍କୁ ସୁମରି ସୁମରି କଣ୍ଟା ହୁଏନି-ଧାଙ୍ଗଡ଼ୀ ଜାଣେ–ଭଲକରି ଜାଣେ ।

 

ଗୋଟିଏ ପୂର୍ଣ୍ଣ ମୁହୂର୍ତ୍ତ ସେ ଅନାଇଲା ବୁଦା କିରିସାନୀ ଆଡ଼େ । ବୁଦା କିରିସାନୀ - ତା'ର ପୂରିଲା ପୂରିଲା କଳା ଚିକିଚିକି ଗାଲ ବେକରେ ଦି ସୋ’ରା କଚକଡ଼ା କଣ୍ଠି, ହାତରେ ଆଉ ଡେଣାରେ ଆଲୁମିନିଅମ ବଳା, ମୁଣ୍ଡରେ ଠେକା ଉପରେ ଟିଣର ଗୋଲପାତିଆ, ଅଣ୍ଟାରେ ଡୁମୁରୀପୁଟ ହାଟରୁ କିଣା ଧଳା ପ୍ଲାଷ୍ଟିକର ଚକ୍‍ଚକ୍ ବେଲ୍‍ଟ ଉପରେ ନାଲି କୌପୁନି-ଖାଇବି କାନ୍ଧରେ କାଣ୍ଡ-ବାଉଁଶ-ପିଠି ପଟେ ଲୁହା-ମୁନା ଶର–ଆଖିରେ ଅକୁହା ତେଜ.....

 

ଏବେ ମଧ୍ୟ ବାରିଆ ଦିହରୁ ଉଷୁମ ରକ୍ତ ଛୁଟୁଛି ।

 

ଧାଇଁ ଆସିଲା ଲଛମୀ-ବୁଦାର ଦେହ ନିକଟରେ ଝାଉଁଳି ପଡ଼ିଲା ଯିମିତ ତା’ର ରୂପ ଯୌବନ...

 

ପୁଲାଙ୍ଗ ଡାଙ୍ଗ ଆହୁରି ଜୋରରେ ଜଳୁଥିଲା -

 

ବୁଦା କିରିସାନୀ ଦୁଇ ହାତରେ ତୋଳିନେଲା ଲଛମୀକୁ-

 

ଲଛମୀ ଟୋକୀ-ତା’ରି ଲଛମୀ–

 

ଏଁ-ଏ କ'ଣ, ବୁଦା ଯେ କାନ୍ଦୁଛି !

 

ତା’ର ଲୋତରା ଆଖିରୁ ଲୁହର ସୁଅ ଛୁଟୁଛି, ଆଉ ଭାସିଯାଉଛି ଯେତେକ ନେଞ୍ଜେରା ।

 

ଆହୁରି ଜୋରରେ ବାଜୁଛି ମହୁରୀ; ଢୋଲ ଆଉ ଡୁଙ୍ଗ୍‍ଡୁଙ୍ଗାରେ କନା ଅତଡ଼ା ପଡ଼ିଯାଉଛି ।

 

ଇମିତି ସେଦିନ ରାତି ପାହି ଆସୁଥିଲା-ଗାଆଁର ଧାଙ୍ଗଡୀ ସବୁ ନାଚି ନାଚି ହାଲିଆ ହୋଇଗଲେଣି-ଜହ୍ନ ପିଣ୍ଡା ଜଙ୍ଗଲ ପାହାଡ଼ ପଛପଟେ ଶେତାପଡ଼ି ଆସିଲାଣି... ସମସ୍ତଙ୍କ ମୁହଁରେ କ୍ଲାନ୍ତି-ସଲପର ନିଶା ସରି ଆସୁଛି ।

 

ମହୁରିଆ ରହି ରହି ମହୁରୀ ଫୁଙ୍କିଲା...ସମସ୍ତଙ୍କର ଆଖି ବୁଲିଗଲା ବୁଦା ଆଉ ଲଛମୀ ଆଡ଼େ । ଧାଙ୍ଗଡ଼ା ଧାଙ୍ଗଡ଼ୀ ଗିରିନଦୀରେ ପାଣି ହୁ ହୁ ମାଡ଼ି ଅସିଲା ପରି ଅଜଣା ଫୂର୍ତ୍ତିରେ ଘେରିଗଲେ ଦୁହିଁଙ୍କ ଚାରିପଟେ । ଆଉ କାହାର ବୁଝିବାକୁ ବାକୀ ନ ଥିଲା–ବୁଦା କିରିସାନୀ ଖଇରପଟରୁ ଧାଙ୍ଗଡ଼ୀ ଆଣିଛି ।

 

ବୁଦା କିରିସାନୀ ଧାଙ୍ଗଡ଼ୀ ଆଣିଛି । ଢୋଲକୁ ନିଆଁ ପାଖରେ ଉଷୁମୋଉଥିଲା ସେଲି -ଟାଇଁ ଟାଇଁ ବାଜିଉଠିଲା ଢୋଲ । ସୋମାସିସା ହାତରୁ ଡୁଙ୍ଗଡୁଙ୍ଗା ଛଡ଼େଇ ଆଣି ନିଜେ ବଜେଇ ବସିଲା ବୁଦା...ଲଛମୀ ହାତକୁ ମୟୁରପୁଚ୍ଛର ପଙ୍ଖାଟା ବି ବଢେଇଦେଲା । ପଙ୍ଖାକୁ ହଲେଇ ହଲେଇ ଲଚ୍ଛମୀ ଯାହା ନାଚିଲା ସେଦିନ ! କ୍ଷୀଣକଣ୍ଠରୁ ତା’ର ଫୁଟି ଉଠୁଥିଲା ଅସ୍ପଷ୍ଟ ରାଗିଣୀ–ତାଳେ ତାଳେ ଫୁଟିଆରା ହୋଇ ଉଠୁଥିଲା ଜୀବନର ଫୁରନ୍ତ ବାସନା, ଯୌବନର ଉତ୍‍କୂଳ ବନ୍ୟା -

 

ସଲପ ରସିଲା-ଆସିଲା ଲନ୍ଧା । କୁକୁଡ଼ା କଟାହେଲା । ଡମ ସାହିରୁ ଘୁଷୁରୀ ଆସିଲା–ମହୁଲି ଠାକୁରାଣୀଙ୍କ ଦିହଯାକ ଖାଲି ରଙ୍ଗ ଟହଟହ ଦିଶିଲା ରକତ-ସୁଅରେ । ଠାକୁରାଣୀ ହସିଲେ...

 

ବା...ବାବା...

 

ବୁଦା କିରିସାନୀ ଚାରିଆଡ଼କୁ ଅନେଇଲା...

 

ଓ, ଲଛମୀ ବୋଧହୁଏ ଡାକୁଛି...ଚାରି ବରଷର ଝିଅ ଲଛମୀ ।

 

ଅଶାବାଡ଼ିରେ ଭରାଦେଇ ପିଣ୍ଡାରୁ ଘୁସୁରି ଘୁସୁରି ଘରେ ପଶିଲା...ଟୋପେ ପାଣି ପେଇ ଶୁଆଇଦେଲା ଲଛମୀକୁ ।

 

ଅଣକେ ପେଜ ପିଇଦେଇ ବୁଦା ବାହାରି ଯାଇଛି ବେଣ୍ଟ କରିବାକୁ...

 

ଗଲା ସାଲର ଚଇତ ପରବ...

 

ତାଆ ସାଥିରେ ଗାଆଁର ଆଉ ସମସ୍ତେ ଯାଇଛନ୍ତି । କିଛି ହେଲେ ଜନ୍ତୁ ମାରିବାକୁ ପଡ଼ିବ। ତେବେ ଯାଇ ଚଇତ ପରବ ଉଜୁଆ ହେବ ।

 

ବୁଦା ଚାଲିଗଲା...

 

ଲଛମୀ ସାନ ଝିଅକୁ ପେଜ ପେଇ ଶୁଆଇ ଦେଲା । ବାହାରିଲା ପତର ଗୋଟେଇ ।

 

ପେଟରେ ସାତ ମାସର ଛୁଆ; ବାଲିଡ଼ଙ୍ଗର ପାହାଡ଼ର ତୀଖ ଉଠାଣୀ ଚଢ଼ିସାରିଲା ବେଳକୁ ଲଛମୀର ମନେ ହେଲା ସତେ ଯିମିତି ଶୋଷରେ ତା’ର ଛାତି ଫାଟିଯିବ ।

 

ଝୋଲା କତିରେ ପହଞ୍ଚି ଶେଷାଡ଼ି ଶେଷାଡ଼ି ପାଣି ପିଇଲା ଲଛମୀ...ଖଣ୍ଡେ ପତରରେ ନିଜକୁ ନିଜେ ବିଞ୍ଚି ପକାଇଲା ସେ । ଓଃ କି କଷ୍ଟ ! ସତେ ଯିମିତି ଲଛମୀର ସବୁ କୁଆଡ଼େ କିଏ ନେଇଯାଇଛି ।

 

ଇସ୍ !

 

ଜଙ୍ଗଲ ଭିତରେ ଇଏ କି ସଢ଼ା ଆମ୍ବିଳା ତୋରାଣି ପରି ଗନ୍ଧ...

 

ଲଛମୀ ମନରେ ପାପ ଛୁଇଁଲା; ଏପଟ ସେପଟ ଚାହିଁ ପେଟକୁ ଦିଇ ହାତରେ ଦରାଣ୍ଡି ଦେଇ ଆଗକୁ ଚାଲିଲା । ଲଛମୀ ଦିପାହୁଣ୍ଡ ଯାଇଛି କି ନାଇଁ...

 

ଓଇ ମାଁ ଲୋ...

 

ପାହାଡ଼ ସେ କରରୁ କୁଦା ମାରିଲା ମହାବଳ...ଆଖି ପିଞ୍ଛଡାକେ, ଲଛମୀକୁ କାଖରେ ଜାକି ଆରପଟ ପାହାଡ଼ ଉପରକୁ ଉହୁଁକି ଉଠିଲା ବାଘ ।

 

କିଳିକିଳା ରବରେ ଥରିଉଠିଲା ନିର୍ଜନ ବଣ ଭୂଇଁ ।

 

ଲଛମୀର ଜ୍ଞାନ ହଜିଗଲା ।

 

ଆହା, ବୁଦା ଯଦି ଥାଆନ୍ତା !!!

 

-ହେଇ, ହେ, ତଲେ ଡିଆଁ ମାରିସ୍‍ରେ ମାରିସ୍ ।

 

କାଇଁ, କେଉଁଠି ? ଗାଆଁ ଗୋଟାକର ଲୋକ ବେଣ୍ଟ କରି ଆସିଥିଲେ । ଦୁଇ ମାଇଲ ବାଟ ଖେଦି ଖେଦି ଗୋଡ଼େଇଛନ୍ତି ଏଇ ବାଘ ପଛରେ ।

 

ଏଇଠି ପାହାଡ଼ ସରି ଯାଇଛି । ମଝିରେ ଝୋଲା, ନିଶ୍ଚେ ବାଘ ଧରା ପଡ଼ିବ ।

 

-ଏ ବୁଦା, ତୋର ମାଈଜୀକୁ ବାଘ ନେଇ ଯାଇସ୍‍ରେ ।

 

-ଏଁ, ଏଁ.....

 

ଏ ପାଖେ ଦୁଇଶ ଫୁଟ ଉଞ୍ଚର ପାହାଡ଼;

 

ସେ ପଖେ ଦୁଇଶ ଫୁଟ ଉଞ୍ଚ ।

 

ମଝିରେ ଝୋଲ ।

 

ଏ ପାହାଡ଼ ଶିଖରୁ ସେ ପାହାଡ଼ ଶିଖ ପଚାଶ ଫୁଟ ହେବ ପରା ।

 

ବାଘ ସେ ପାହାଡ଼ ଶିଖରେ ବସିଛି । କାଖରେ ଲଛମୀ ।

 

ଯିବ କିମିତି ବୁଦା କିରିସାନୀ ?

 

ଏତକ ଟପି ଗଲାବେଳକୁ ତ ଲଛମୀ ସରି ଯାଇଥିବ ।

 

ମନ ସୁଖରେ ମହାବଳ ଲଛମୀକୁ ଏପଟ ସେପଟ କରି ଖେଳାଉଛି ।

 

ବୁଦାର ଛାତିରେ ଅକୁହା କୋହ ।

 

ଲଛମୀ, ଲଛମୀ...ଓ ଲଛମୀ..... ଥରିଲା ବନଭୂଇଁ, ଲଛମୀ ଆଖି ଖୋଲିଲା ବୋଧହୁଏ ।

 

ସେହି ଦୁଇଟା କଳା ମଚମଚ ଆଖି, ସେହି ଭୀରୁ, ଭୀତତ୍ରସ୍ତ ନୟନ ।

 

ବାଘର ଆଗ ଗୋଡ଼ ଲଛମୀର ବେକ ଉପରେ ପଡ଼ିଲା । ସେହି ମୁହୂର୍ତ୍ତରେ ବୁଦାର କାଣ୍ଡ ଭେଟିଲା ବାଘର ତଣ୍ଟି ପାଖରେ । ଅବ୍ୟର୍ଥ ସେ କାଣ୍ଡ । କଡ଼ କଡ଼ ଶବ୍ଦ କରି ବାଘଟା ଗଡ଼ି ପଡ଼ିଲା ପାହାଡ଼ ଶିଖରରୁ ଶଏ ଫୁଟ ତଳକୁ... ଆଉ ତା ସାଥିରେ ଲଛମୀ ! ଝୋଲାର ପଥରରେ ପିଟି ହୋଇଗଲା ବାଘର ମୁଣ୍ଡ ।

 

ଆଖି ପିଛୁଳାକେ ଗାଆଁଯାକର ଲୋକ ଦଉଡ଼ି ଆସିଲେ ପାହାଡ଼ ଉପରୁ । ବାଘ ମରିଯାଇଛି ।

 

ଝୋଲାରୁ ପତର-ଠୋଲାରେ ପାଣି ଆଣି ଲଛମୀର ମୁହଁରେ ମାରିଲା ବୁଦା...। ବାଘର ନଖରେ ତଣ୍ଟିର ସବୁ ଶିରା ଉଲୁରି ପଡ଼ିଛି ଲଛମୀର । ଛାତି ତଳର ଦୁକୁଦୁକି ଉଠୁଛି ପଡ଼ୁଛି ଅତି କ୍ଷୀଣ ଭାବରେ ।

 

ଶାଳୁଆ ପତ୍ରରେ ପବନ କଲା ସେଲି; ବୁଦା ଆଖିରେ ପାଣି ମାରିଲା, ସୋମାସିସା ସମସ୍ତଙ୍କୁ ଦୂରକୁ ହଟେଇଦେଲା ପବନ ଆସିବ ବୋଲି ।

 

ଲଛମୀ ଆଖି ଟେକି ଅନେଇଲା ବୁଦାକୁ...

 

ସେଇ ଦୁଇଟା ବଡ଼ କଳା କଳା ଆଖି, ସେଥିରେ ଥିଲା ସମର୍ପଣର ସଙ୍କେତ । ତୃପ୍ତିରେ ଆଖି ବୁଜିଦେଲା ସେ; ସେ ଆଖି ଆଉ ଖୋଲିଲା ନାଇଁ । ଛାତିର ଦୁକୁଦୁକୁ ବନ୍ଦ ହୋଇଗଲା ଚିରକାଳ ପାଇଁ–

 

ଖୁଁ ଖୁଁ ଖୁଁ !

Image

 

Unknown

ଭସା ମେଘ

ଶ୍ରୀମତୀ ନନ୍ଦିନୀ ଶତପଥୀ

 

ରାଧାର ନରମ ହାତ ପାପୁଲି ଧୀରେ ଧୀରେ ଟାଣ ହୋଇଯାଉଛି । ଠାଏ ଠାଏ ଚମଡ଼ା କଠିଣ ହୋଇ ବିଣ୍ଡି ବାନ୍ଧି ଗଲାଣି । ନଖ କଣରେ ମାଟି ହଳଦୀ ଆଉ ମସଲାର ମିଶ୍ରିତ ଦାଗ । ଆଖି ତଳ କଳା ପଡ଼ି ଆସୁଛି । ମୁହଁରେ ବି କେତେ ସବୁ ଦାଗ ପଡ଼ିଗଲାଣି । ଛୋଟ ଦର୍ପଣରେ ଅନ୍ଧାରିଆ ଘର ଭିତରେ ଭଲ କରି ଦେଖି ହେଉନାହିଁ । କେତେ ଥର ରାଧା ଭାବିଛି ଟ୍ରଙ୍କ ଭିତରେ ବହୁ ଦିନରୁ ସାଇତା ହୋଇଥିବା ଭଲ ସାବୁନ ଖଣ୍ଡେ କାଢ଼ି ଅନ୍ତତଃ ହାତ ମୁହଁ ଧୋଇ ପକାଇବ । ଯା’ ନଣନ୍ଦମାନଙ୍କ ସାଙ୍ଗରେ ସାବୁନ ଧରି ନଈକୁ ଯିବାକୁ ଲାଜ ମାଡ଼େ । ଏତେ ଲୋକଙ୍କ ମେଳରେ ଗାଧୋଇ ସାରି ଲୁଗା ପାଲଟିବା ତ କାଠିକର ପାଠ- ସେଥିରେ ପୁଣି ସାବୁନ ଲଗାଇ ଘସାମଜା ।

 

କୂଅ ମୂଳେ ପୁଣି ସବୁ ବେଳେ ଲୋକ । ମରଦ ମାଇପେ ଘନ ଘନ ଯିବା ଆସିବା କରୁଛନ୍ତି । ଏତେ ବଡ଼ ସାଇଟାରେ ତାଙ୍କର ଘର ଖଞ୍ଜା ପଛ ପଟେ ଗୋଟିଏ ବୋଲି ବାମ୍ଫି । କିଏ ଗୁଡ଼ାଖୁ ଘସି ଘସି ଛୋଟ କରିଆ ଖଣ୍ଡେ ପିନ୍ଧି ଢାଳ ଧରି ବସିଲାଣି ତ ଆଉ କେଉଁ ଘରୁ ଗରା ମାଠିଆ କାଖେଇ ଝିଅ ବୋହୁ ଠିଆ ହୋଇ ଗଲେଣି । ଖରାବେଳେ ବି ଟିକିଏ ଫାଙ୍କା ନାହିଁ । ସେଦିନ ସବୁ କାମ ସାରି ଅତି ସନ୍ତର୍ପଣରେ ସାବୁନ ଧରି କୂଅ ମୂଳକୁ ଆସିଥିଲା ରାଧା । ଘଡ଼ିଏ ଠିଆ ହୋଇ ଚାରିଆଡ଼କୁ ଅନିସା କଲା । ହଠାତ୍ ପଛପଟୁ କିଏ କହିଉଠିଲା: କାହାକୁ ଚାହିଁଛ କି ନୂଆବୋଉ ?

 

ଚମକି ପଡ଼ି ପଛକୁ ଚାହିଁଲା ରାଧା ଛୋଟ ଝରକା ଆରପଟୁ ଖିଲିଖିଲି ହୋଇ ହସି ଉଠିଲା ପଡ଼ିଶା ଘର ନଣନ୍ଦ ଲେଖା ହେବ ଶଇଳ । ମୁଣ୍ଡର ଓଢ଼ଣାକୁ ସଜାଡ଼ି ଦେଇ ଘରକୁ ପଳାଇଲା ରାଧା ।

 

ଗୋଟିଏ ଦୃଶ୍ୟ ଶେଷ ହୋଇଗଲା । ରାଧାର ବେଳେବେଳେ, ମନେ ହୁଏ ତାର ଜନ୍ମ ପରଠାରୁ କୌଣସି କ୍ୟାମେରାବାଲା ତା' ପଛେ ଚାଲି ସବୁଯାକ ଘଟଣା ସିନେମା ଭଳି ଫଟୋ ଉଠାଇ ନେଇଛି । ଆଉ ରାଧା ଏକୁଟିଆ ଥିଲାବେଳେ ତାକୁ ଦୃଶ୍ୟପରେ ଦୃଶ୍ୟ ସେ ଯେମିତି ଦେଖାଇ ଯାଏ । ପିଲାଦିନେ କେବେ କେବେ ଯେମିତି ସେ ସିନେମା ଦେଖି ଆସିଥିଲା ସାଙ୍ଗମାନଙ୍କ ସାଙ୍ଗରେ ଲୁଚି ଲୁଚି ।

 

ଆଜିର ଘଟଣା କଣ ସେଇ ଅଦୃଶ୍ୟ କ୍ୟାମେରାବାଲା ଉଠାଇ ଦେଇଥିବ, ତା’ ଯନ୍ତ୍ର ଭିତରେ ? କେତେବେଳେ ଯଦି ସେଇ ଦୃଶ୍ୟ ଆଉ ଥରେ ରାଧା ଦେଖିବ ତେବେ ବହୁତ କଷ୍ଟ ହେବ ତାକୁ । ଇଏ କ’ଣ ସତେ ଆଉ ତା’ ଜୀବନର ଶେଷ ଦୃଶ୍ୟ ହୋଇଯିବକି ? ତେବେ ଏଭଳି ଦୃଶ୍ୟଟାଏ ଆଉ ଥରେ ପାଇବା ବୋଧହୁଏ କ୍ୟାମେରାବାଲା ପାଇଁ ସମ୍ଭବ ହେବ ନାହିଁ । ଅମିତ ଆଜି ଆସିଥିଲା ତା ସ୍ତ୍ରୀକୁ ସାଙ୍ଗରେ ଧରି ରାଧାକୁ ଦେଖିବା ପାଇଁ । ଆଗରୁ ସୁପରିଣ୍ଟେଣ୍ଡେଣ୍ଟ ବାବୁ କହି ଦେଇ ନ ଥିଲେ ରାଧା ତ ସେମାନଙ୍କୁ ଚିହିଁ ପାରି ନ ଥାନ୍ତା । କେମିତ ବା ଚିହ୍ନନ୍ତା ? ବର୍ଷକର ପିଲାକୁ ସେ ଛାଡ଼ି ଦେଇ ଆସିଥିଲା–ଛାଡ଼ି ତ ନ ଥିଲା, ତା’ ଠାରୁ ଛଡ଼େଇ ନିଆ ହୋଇଥିଲା ।

 

ନିର୍ଦ୍ଧୁମ ଖରାବେଳେ ସବୁ କାମ ସାରି ଅତି କ୍ଲାନ୍ତ ହୋଇ ଟିକିଏ ଗଡ଼ି ପଡ଼ିବାକୁ ଆସିଥିଲା ଘର ଭିତରକୁ ରାଧା । ଖାଇ ପିଇ ପୁଅ ଅମିତ କେତେବେଳୁ ଶୋଇପଡ଼ିଛି । ରାଧା ବିଛଣାକୁ ଯାଉ ନ ଯାଉଣୁ ତା’ ନିଦ ଭାଙ୍ଗିଗଲା । ମା'ର କାନି ଧରି ତାକୁ ଟାଣି ଓଟାରି ଉଠାଇବାକୁ ଲାଗିଲା ଅମିତ । ରାଧା ତାକୁ କେତେ ବୁଝାଇଲା । ଗେଲ କଲା । ଗୀତ ବୋଲି ଆଉ ଥରେ ଶୁଆଇ ପକାଇବାକୁ ବହୁତ ଚେଷ୍ଟା କଲା । ଅମିତ କିନ୍ତୁ ନଛୋଡ଼ବନ୍ଧା । ଶେଷରେ ରାଗ ସମ୍ଭାଳି ନ ପାରି ଚଟକଣାଟାଏ ପକାଇ ଦେଲା ରାଧା ।

 

ଘରଦ୍ୱାର କମ୍ପାଇ ଚିତ୍କାର କରି କାନ୍ଦି ଉଠିଲା ଅମିତ । ଆର ଘରେ ଶାଶୁ କବାଟ ଦର ଆଉଜା କରି ଶୋଇଥିଲେ–ଧଡ଼ପଡ଼ ହୋଇ ଉଠି ଆସିଲେ । ସେତେବେଳକୁ ରାଧା ଖଟ ଉପରୁ ଉଠିପଡ଼ି ପୁଅକୁ ବୁଝାଇବାକୁ ଚେଷ୍ଟା କରୁଛି । ଏଣେ ଶାଶୁଙ୍କ ଭୟରେ ଠକ ଠକ ହୋଇ କମ୍ପୁଛି । ଦୁମ୍ କରି ଘର ଭିତରକୁ ପଶି ଆସି ପୁଅକୁ ତା'ଠାରୁ ଟାଣି ନେଇଗଲେ ଶାଶୁ ।

 

ଡାକ୍ତରଖାନା ଘଣ୍ଟା ବାଜି ଉଠିଲା । ଢଂ...ଢଂ...ଢଂ...ରାଧା ଗଣିଲା ସାତଟା । ସନ୍ଧ୍ୟା ସାତଟା ବାଜିଗଲା । ବାହାର ପଟେ ରାତିର ଖାଇବା ଧରି ଆସୁଥିବା ଟ୍ରଲିର ଶବ୍ଦ ଶୁଭୁଛି–ପରଶୁଣୀମାନଙ୍କ ପାଟିତୁଣ୍ଡ କି ! ନରମ ପାଣିଚିଆ ଅନ୍ଧାରକୁ ବେଶି ବେଳଯାଏଁ ଜାବୁଡ଼ି ଧରିବାକୁ ଆତୁର ହେଲା ରାଧା । ଆହୁରି ଟିକିଏ ସିନେମାର ଦୃଶ୍ୟଗୁଡ଼ିକ ଦେଖି ହେବ ନିଶ୍ଚିନ୍ତରେ । ବତୀ ଜାଳିଲେ ନାହିଁ- ଅକାଶକୁ ଚାହିଁଲା, ଏଠି ସେଠି ହୋଇ ଗୋଟି ଗୋଟିକିଆ ତାରାଟିମାନ ଆଲୁଅ ଟିକିଏ ତାକୁ ଦେବା ପାଇଁ ଠେଲି ପେଲି ହୋଇ ବାହାରି ଆସୁଛନ୍ତି ।

 

ଅମିତ ହେରିକା ଗାଡ଼ିରେ ବସି ସାରିଲେଣି । ଏଠିକା ଲୋକେ କହୁଥିଲେ ଷ୍ଟେସନ ବେଶୀ ଦୂର ନୁହେଁ । ଅବଶ୍ୟ ସେ ବି ଦିନେ ସେଇ ଷ୍ଟେସନ ବାଟେ ଆସିଥିଲା । ତେବେ ସେ ବହୁ ବର୍ଷ ତଳର କଥା । ମନେ ପକାଇବାକୁ ଚେଷ୍ଟା କଲେ ବି ଆଜି ଆଉ ଠିକ୍ ମନେ ପଡ଼ୁନାହିଁ । ସେଇ ଦିନଠାରୁ ଏଇ ଚାରିକାନ୍ଥ ଭିତରୁ ଆଉ ପଦାକୁ ବାହାରିନାହିଁ ରାଧା ।

 

ପୁଅକୁ ତା’ ହାତରୁ ଛଡ଼େଇ ନେଇ ସେଦିନ ଚିତ୍କାର କରି ଉଠିଲେ ଶାଶୁ-"ରାକ୍ଷସୀ, ପିଲାଟାକୁ ମୋର ମାରି ପକାଇବ । ଦିନ ସାରା ରାଣୀ ଭଳି ଖଟରେ ଗଡ଼ୁଛନ୍ତି–ପିଲାଟା ଟିକିଏ ଅଝଟ ହେଲା ବୋଲି ପିଟି ଦେଇ ଯାଉଛୁ । ଆଜି ତୁ ମୋ ଘରୁ ବାହାରି ଯା ।”

 

ତା'ପରେ ବିଧା, ଗୋଇଠା, ଚୁଟି ଝିଙ୍କା । ଜର ଭୋଗି ଭୋଗି ଦୁର୍ବଳ ହୋଇ ଯାଇଥିଲା ରାଧା । ସେଥିରେ ପୁଣି ଦିନଯାକର ଖଟଣି । ସହି ନପାରି ତଳେ ପଡ଼ିଗଲା । ସିନ୍ଧୁକ ଦାଢ଼ରେ ମୁଣ୍ଡ ବାଜି ଫାଟିଗଲା, ରକ୍ତ ଝରିଲା । ମା’ ମୁଣ୍ଡରେ ରକ୍ତ ଦେଖି ବୁଢ଼ୀମା ବେକକୁ ଜୋରରେ ଜାବୁଡ଼ି ଧରି ଆହୁରି ରାହା ଧରି କାନ୍ଦି ଉଠିଲା ଅମିତ୍‍ ।

 

ବହୁ କଷ୍ଟରେ ନିଜକୁ ସମ୍ଭାଳି ଠିଆହେବାକୁ ଚେଷ୍ଟା କଲା ରାଧା । ପୁଣି ଥରେ ଶାଶୁ ଦଉଡ଼ି ଆସିଲେ ହାତ ଉଞ୍ଚେଇ । ଏଥର ଆଉ ଧୈର୍ଯ୍ୟ ରହିଲା ନାହିଁ । ଦେହର ସବୁ ବଳ ଏକାଠି କରି ଶାଶୁଙ୍କ ଦୁଇ ହାତକୁ ରାଧା ଜାବୁଡ଼ି ଧରିଲା ।

 

“ଆଲୋ ମତେ ମାରି ପକାଇଲା ଲୋ । ଦଉଡ଼ି ଆସ କିଏ କୋଉଠି ଅଛି' । ଶାଶୁଙ୍କ ପାଟିରେ ସାଇର ସମସ୍ତଙ୍କ ଖରାବେଳର ପାତଳ ନିଦ କୁଆଡ଼େ ଉଭେଇଗଲ । ଖଞ୍ଜାଟାଯାକରେ ଲୋକ ଭର୍ତ୍ତି ହୋଇଗଲେ ଚାହୁଁ ଚାହୁଁ । ଲୋକଙ୍କୁ ଦେଖିଲା କ୍ଷଣି ସକେଇ ସକେଇ ବାହୁନି ଲାଗିଲେ ଶାଶୁ–‘ପାଠ ଦି ଅକ୍ଷର ପଢ଼ିଛି ବୋଲି ମୋତେ ମାରିବ ? ପିଲାଟା ଅଝଟ ହେଲା ବୋଲି ତାକୁ ପିଟି ପକାଉଥିଲା । ମୁଁ ବୁଝେଇବାକୁ ଆସିଲାରୁ ମୋ ହାତଟା ମୋଡ଼ିଦେଇ ମୋତେ ମାରିବାକୁ ଉହୁଁକି ଆସୁଛି ଲୋ । କି ଘରୁ ଝିଅ ଆଣିଲି -ତମେ ସବୁ ନ ଆସିଥିଲେ ମୁଁ ତ ଏତେ ବେଳକୁ ମରି ପଡ଼ିଥାନ୍ତି ଲୋ’ । ଆଉ କଣ ଏ ଘରେ ମୁଁ ପାଣି ଛୁଇଁବି ? ଇଏ ରହୁ, ନ ହେଲେ ମୁଁ ରହେ । ଆହୁର ଏମିତି କେତେ କେତେ ବାହୁନା ।

 

ରାଧା ହତମ୍ୱବ ହୋଇ ଠିଆ ହୋଇଛି । କପାଳର କ୍ଷତଟାରୁ ରକ୍ତ ଝରି ଲୁଗା ଓଦା ହେଉଛି । କାହାର କଣ ନଜର ପଡ଼ୁନାହିଁ ସେଇଠି ? କାହିଁ, କେହି ତ ପଚାରୁ ନାହାନ୍ତି ତା ମୁଣ୍ଡ ଫାଟିଲା କେମିତି ? ରାଗରେ ଅଭିମାନରେ ତା ଆଖିରୁ ବି ଲୁହ ଶୁଖି ଯାଇଥିଲା । ଖାଲି ଶୁଣିଯାଇଥିଲା କେତେ ପ୍ରକାରର ଗାଳି । ତା’ ବାପା ଭାଇଙ୍କଠାରୁ ଆରମ୍ଭ କରି ତ ଯାଆ ଯାଏଁ ସମସ୍ତଙ୍କ ଉପରେ ଅଶ୍ରାବ୍ୟ ଭାଷାରେ ବର୍ଷି ଯାଉଥିଲା । ବୋକାଙ୍କ ଭଳି ଖାଲି ଚାହିଁ ରହିଥାଏ ସେ ।

 

ରାଧାର କୋଠରୀ ଭିତରେ ହଠାତ୍ ଆଲୁଅ ଜଳି ଉଠିଲା । ସମସ୍ତେ ଥାଳି ଧରି ଖାଇବାକୁ ବସିଗଲେଣି । ଜଉବନ ଯେଉଁ ମୁସଲମାନ ଝିଅଟି ଏବେ ଅଳ୍ପଦିନ ହେଲା ଆସିଛି ଏଠାକୁ ଥାଳିରୁ ରୁଟି ଛିଣ୍ଡାଇ ଚାରିଆଡ଼କୁ ଫୋପାଡ଼ୁଛି । ଗଣ୍ଡେବି ପାଟିକୁ ନେଉନାହଁ । ବାବୁ ଆଉ ନର୍ସମାନଙ୍କୁ ବହୁତ ହଇରାଣ କଲାଣି ।

 

ପାଖରେ ଥୁଆ ହୋଇଥିବା ଥାଳିକୁ ଚାହିଁଲା । ରାଧା, ସବୁଦିନ ଭଳି ରୁଟି ଆଉ ମିଶାମିଶି ତରକାରୀଟିଏ, ଗିନାରେ ପାଣି ଭଳି ଡାଲି ଟିକିଏ । ଏତିକି ପରିବା ତାକୁ ଦେଇଥିଲେ କେଡେ ସୁଆଦ କରି ସେ ରାନ୍ଧି ଦେଇଥାନ୍ତା । ଏଠି ବା ମନ ଦେଇ ପାଗଳ ପାଗଳାଣୀଙ୍କ ପାଇଁ କିଏ ରନ୍ଧାବଢ଼ା କରିବ ? ଆଗ ଆଗ ରାଧା ବି ଖାଇପରୁ ନ ଥଲା, ଇଚ୍ଛା ହେଉ ନ ଥିଲା । କିନ୍ତୁ କେତେ ବର୍ଷ ବା ନଖାଇ ରହି ପାରିବ ?

 

ରାଧା ଆଖି ଆଗରେ ସିନେମାର ଦୃଶ୍ୟ ଗୋଟାକ ପରେ ଗୋଟାଏ ବଦଳି ଯାଉଛି । ଥାଳି ଉପରକୁ ହାତ ନେଇ ପୁଣି ଫେରାଇ ଆଣିଲା ସେ । ସ୍ୱାମୀ ସେଦିନ ସନ୍ଧ୍ୟାବେଳେ ଫେରି ଆସି ଶାଶୁଙ୍କ କଥା ଶୁଣିଗଲେ । ସତ ମିଛ ବୁଝିବାକୁ ଥରେ ଚେଷ୍ଟା ବି କଲେ ନାହିଁ । ପାଟିଟାଏ କରି ହାତ ପାଖରେ ଯେଉଁ ବଡ଼ କାଠ ଫାଳିଆ ଖଣ୍ଡକୁ ପାଇଲେ ତାକୁ ଧରି ରାଧା ଆଡ଼କୁ ଦଉଡ଼ି ଆସିଲେ । ଡରରେ ରାଧାର ଆଖି ବୁଜି ହୋଇଗଲା । ଦୁଇଘଣ୍ଟା ଧରି ଗୋଟିଏ ଜାଗାରେ ସେ ଠିଆ ହୋଇଥିଲା । ଗୋଡ଼ ହାତ ଥରୁଥିଲେ ବି ଲୋକ ଭିଡ଼ ଯୋଗୁ କୋଉଠି ଟିକିଏ ବସିଯାଇ ପାରିନାହିଁ ।

 

ମାଡ଼ରେ ରାଧାର ମୁଣ୍ଡ ଆଉଥରେ ଫାଟିଗଲା । ହାତ ଗୋଡ଼ ଖଣ୍ଡଆଖାବରା ହୋଇ ଫୁଲିଗଲା । ବୋଧହୁଏ କିଛି ସମୟ ପରେ ତାର ଅଉ ଚେତା ନ ଥିଲା । କାହାର ଟଣା ଓଟରାରେ ଯେତେବେଳେ ରାଧା ଆଖି ଖୋଲିଲା, ସେତେବେଳେ ତା’ର ବାକ୍‍ସ ବିଛଣା ଦାଣ୍ଡରେ ଥୁଆ ହୋଇଛି । ଶଗଡ଼ ଗାଡ଼ି ପାଖରେ ଠିଆ ହୋଇ ସ୍ଵାମୀ କହୁଛନ୍ତି ‘ଆଉ ବେଲି ନକାଢ଼ି ଜଲଦି ଗାଡ଼ିରେ ବସ । ତତେ ବିଦା କରିଦେଇ ଆସିଲେ ଏ ଘରେ ଲୋକେ ଶାନ୍ତିରେ ରହି ପାରିବେ ।'

 

ବାପାଙ୍କ ଘରକୁ ଆସି ପ୍ରଥମେ କେତେଦିନ ବହୁତ କନ୍ଦାକଟା କଲା ରାଧା । ଅମିତ୍ ପାଇଁ ପ୍ରାଣ ସବୁବେଳେ ଡହଳ ବିକଳ ହେଉଥିଲା । ମା ମୁହଁ ମୋଡ଼ନ୍ତି–ଭାଉଜ ଗୋଡ଼ କଚାଡ଼ି କଚାଡ଼ି ଚାଲି ଯାଉଁ ଯାଉଁ ଢଗ କହନ୍ତି - ଦୁହିତା ଦୁଇ କୂଳକୁ ହିତା, ଦୃହତା...। ଧୀରେ ଧୀରେ ସବୁ କଥା ଭୁଲିଯିବାକୁ ଚେଷ୍ଟା କରେ ରାଧା । ବେଳେବେଳେ ମନ ଭିତର ହୁ ହୁ ହୋଇ ଜଳି ଉଠେ । ସମ୍ଭାଳି ନପାରି କାନ୍ଦି ପକାଏ ସେ । ନ ହେଲେ ବେଶୀ ବେଳ ଖାଲି ଚୁପ୍ ଚାପ୍‍ ହୋଇ ବସିରହେ । ସମସ୍ତେ କହିବାକୁ ଲାଗିଲେ -ତା ମୁଣ୍ଡ ଖରାପ ହୋଇ ଯାଇଛି । ସେ ପାଗଳୀ ହୋଇ ଗଲାଣି, ତାକୁ ଚଞ୍ଚଳ ଚିକତ୍ସା କରିବା ଦରକାର ।

 

ବହୁତ ପ୍ରତିବାଦ କଲା ରାଧା । ଅନ୍ତର ତା’ର ହାହାକାର କରି ଉଠିଲା । ହା’ ଭଗବାନ, ଏ ଦୁନିଆଁରେ କ’ଣ କେହି ବୁଝିବାର ନାହିଁ ? ସେ କଣ ଏମିତି ଗୋଟିଏ ଜାଗାରୁ ଆଉ ଗୋଟିକୁ ଭାସି ଯାଉଥିବ ? ଯାଉ ଯାଉ କେତେବେଳେ ମିଳାଇ ଯିବ କେହି ଜାଣିବାକୁ ବି ଚାହିଁବେ ନାହିଁ ? ଭାଇ ତା’ର କ୍ଷୀଣ ପ୍ରତିବାଦ କରିଥିଲେ । 'ରାଞ୍ଚି ଗଲେ କିନ୍ତୁ ସତକୁ ସତ ପାଗଳଙ୍କ ଭିତରେ ରହି ସେ ପାଗଳ ହୋଇଯିବ । ବରଂ ତାକୁ କୁହା ବୋଲା କରି ଆଉ ଥରେ ଶାଶୁ ଘରକୁ ପଠାଇ ଦିଅ ।' ଭାଉଜ ମୁହଁ ଛିଞ୍ଚାଡ଼ି କହିଲେ, 'ହଃ ନେବାକୁତ ସେମାନେ ଚାହିଁ ବସିଛନ୍ତି ।'

 

ରାଧା ଏଥିରେ ଆଶ୍ଚର୍ଯ୍ୟ ହୋଇ ନ ଥିଲା । ପିଲା ଦିନସାରା ସେ ଦେଖିଛି ଘରର ଅଧିକାଂଶ କାମ ସେ କରେ । ଅଥଚ ଭଲ ଜିନିଷ ଆସିଲେ ମା ଆଗ ଭାଇ ଭଉଣୀ ମାନଙ୍କୁ ଖାଇବାକୁ ନେଇ ଦିଅନ୍ତି । ପୂଜା ପର୍ବାଣୀରେ ସବୁଠାରୁ ନୀରସ ଲୁଗା ତା ଭାଗରେ ପଡ଼େ । କେବେ ସେ ପ୍ରତିବାଦ କରିନାହିଁ । କାହାରି ଉପରେ ରାଗ କି ଅଭିମାନ ବି ରଖିନାହିଁ । ବରଂ ଟିକିଏ ଭଲ ଜିନିଷ ପାଇଲେ ଅନ୍ୟମାନଙ୍କୁ ବାଣ୍ଟି ଦେବାକୁ ତା’ ମନ ହୁଏ । ସବୁରି ସେବାକରେ–ଅଥଚ କେବେ ଯଦି ତା’ ଦେହ ଖରାପ ହୁଏ ଥରେ ପଚାରି ଯିବାକୁ ବି କାହାରି କେବେ ବେଳ ହୁଏ ନାହିଁ । ତଥାପି ବଞ୍ଚି ରହେ - ଆଉ ଆଶ୍ଚର୍ଯ୍ୟ ହୋଇ ଭାବେ କଣ ତା’ର ଦୋଷ ? କାଇଁକି ସମସ୍ତେ ଅନ୍ୟମାନଙ୍କ ଠାରୁ ତାକୁ ଅଲଗା କରି ଦେଖନ୍ତି । ଶେଷରେ ଭାଗ୍ୟକୁ ଆଦରି ନେଇ ଚୁପ ରହିଯାଏ ।

 

ଶେଷରେ ରାଧା କିନ୍ତୁ ଆସିଲା ପାଗଳଖାନାକୁ–ତାକୁ ଜବରଦସ୍ତି ଏଠାକୁ ଅଣାଗଲା । ପ୍ରଥମେ ପ୍ରଥମେ ଘରୁ କେହି କେବେ ଆସୁଥିଲେ-ଖବର ନେଉଥିଲେ । ଧୀରେ ଧୀରେ ସେ ବି ବନ୍ଦ ହୋଇଗଲା । ସ୍ୱାମୀଙ୍କ ପାଖକୁ, ଭାଇଙ୍କ ପାଖକୁ ଡାକ୍ତର ଚିଠି ଲେଖିଥଲେ - 'ରାଧା ସମ୍ପୂର୍ଣ୍ଣ ଭଲ ହୋଇଯାଇଛି । ତାକୁ ଆସି ନେଇଯାଇପାର ।’ ଅନେକ ବର୍ଷ ହୋଇଗଲାଣି - କୌଣସି ଉତ୍ତର ଆଉ ଆସିନାହିଁ ।

 

ଆଜି ଅମିତ ଆସିବା ଖବର ଶୁଣି ଆନନ୍ଦରେ ରାଧାର ହୃଦୟ ନାଚିଉଠିଲା । ଏତେ ଦିନ ପରେ ଜଗନ୍ନାଥେ ତା ଡାକ ଶୁଣିଲେ । ଯେତେ ହେଲେ ପୁଅତ। ବଡ଼ ହୋଇ ଲୋକଙ୍କ ପାଖରୁ ସବୁ ଶୁଣିଥିବ । ମା’ ଉପରେ ଅତ୍ୟାଚାର କଥା ଶୁଣି ତା’ ପ୍ରାଣ ନିଶ୍ଚୟ କାନ୍ଦିଥିବ । ଆଜି ସେ ଅମିତ୍ ସାଙ୍ଗରେ ଫେରଯିବ । ତା’ପାଖରେ ତା'ରି ଘରେ ରହିବ । ଶାଶୁ ଘରକୁ କି ବାପ ଘରକୁ ଆଉ ଯିବନାହିଁ ।

 

ଅମିତ ଆଶ୍ଚର୍ଯ୍ୟ ଆଉ ଭୟ ନିଶା ଆଖିରେ ମା’କୁ ଦେଖୁଥିଲା । ତା' ସ୍ତ୍ରୀ ଇରା ବି । ଅମିତର ମୁଣ୍ଡରୁ ଗୋଡ଼ଯାଏ ଥରେ ଆଦରରେ ଆଉଁସି ଗଲା ରାଧା । ବୋହୁକୁ ଗେଲ କଲା । ଟିକିଏ ଡରରେ କି ଘୃଣାରେ ଟିକିଏ ଘୁଞ୍ଚିଗଲା କି ଆଉ ଇରା । କିଛି ଆଉ ନ ଭାବି ବୋହୁକୁ ପାଖକୁ ଟାଣି ଟାଣି ବହୁତ ଆଗ୍ରହରେ ଅତି ଧୀର ସ୍ଵରରେ ତା'ର ଭଲମନ୍ଦ ପଚାରିଲା ରାଧା । ଅମିତ୍ ତା’କୁ ଆଦର ଯତ୍ନ କରୁଛି କି ନାହିଁ–ତା ସାଙ୍ଗରେ ଭଲ ବ୍ୟବହାର କରୁଛି ତ ? ଇରା ଟିକିଏ ଆଶ୍ଚର୍ଯ୍ୟ ହୋଇଗଲା ପ୍ରଥମେ । ଇଏ କିମିତି ପ୍ରଶ୍ନ ? ତା'ପରେ ଭାବି ନେଲା–ମୁଣ୍ଡ ତ ଖରାପ ଅଛି, ସେଥିପାଇଁ ବୋଧ ହୁଏ ନିଜ ଅବସ୍ଥା ସହିତ ଇରାକୁ ସେ ତୁଳନା କରି ପଚାରୁଛନ୍ତି । ମୁଣ୍ଡ ହଲାଇ ଏକ ତୃପ୍ତିର ହସି-ହସି ଦେଲା ସେ । ରାଧା ବୁଝିପାରିଲା-ଇରା ସୁଖୀ ହୋଇଛି । ମନେ ମନେ ହାତ ଯୋଡ଼ି ଠାକୁରଙ୍କୁ କହିଲା -'ତା ଜୀବନର ପୁନରାବୃତ୍ତି ଯେମିତ ଆଉ ଶତ୍ରୁର ଜୀବନରେ ବି ନ ହେଉ' ।

 

“ମୋ ମୁଣ୍ଡ ଆଉ କିଛି ଗୋଳମାଳ ନାହିଁ ବାପା । ଡାକ୍ତରବାବୁ ଘରକୁ କେତେ ଚିଠି ଲେଖିଲେଣି । ସେମାନେ କେହି ମତେ ନେବାକୁ ଆସୁ ନାହାନ୍ତି । ତୁ ଆଜି ଡାକ୍ତରଙ୍କୁ କହି ମତେ ଏଠୁ ନେଇ ଯା । ମୁଁ ତୋ ପାଖରେ ରହିବି–ତମର ସବୁ କାମ କରିବି । କିଛି ତମକୁ ମାଗିବି ନାହିଁ । ମୋର ଆଉ କ'ଣ ବା ଦରକାର ? ତୋରି ପାଇଁ କାନ୍ଦୁଥିଲି ବୋଲି ସେମାନେ କହିଲେ ପାଗଳୀ ହେଇଗଲି ବୋଲି । ଏବେ ତୁତ ମୋର ପାରିଗଲୁଣି । ଜଗନ୍ନାଥ ତୋର ବିଡ଼ତିରୁ ବଡ଼ତି କରିବେ, ମୋତେ ଏଠୁ ନେଇଯାଆ ମୋ ଧନ ।"

 

ଅମିତର ହାତ ଦୁଇଟା ଜାବୁଡ଼ି ଧରି ପିଲାଙ୍କ ପରି ଅଳି କରୁଥିଲା ରାଧା । କିଂକର୍ତ୍ତବ୍ୟବିମୁଢ଼ ହୋଇ ସ୍ତ୍ରୀ ଆଡ଼କୁ ଚାହିଁଲା ଅମିତ । ସେ ଶୁଣିଥିଲା ତା ମା ପାଗଳଙ୍କ ହାସପତାଲରେ ବହୁବର୍ଷ ହେଲା ଅଛି । ଛୁଟିଦିନରେ ସ୍ତ୍ରୀକୁ ରାଞ୍ଚି ବୁଲାଇ ଆଣିବା ପାଇଁ ଆସୁ ଆସୁ ମା’କୁ ଥରେ ଦେଖି ଦେଇ ଯିବ ବୋଲି ବିଚାରିଥିଲା । ସେଥିପାଇଁ କିଛି ଫଳମୂଳ ଧରି ମଧ୍ୟ ଅସିଥିଲା । କିନ୍ତୁ ସେ ତ ଭାବି ନ ଥିଲା ଏମିତି ଏକ ଅଚାନକ ସମସ୍ୟା ପହଁଞ୍ଚିଯିବ । ଏଣେ ପୁଣି ତାର ଗାଡ଼ିବେଳ ବି ହୋଇ ଯାଉଛି ।

 

ଅମିତର ହତାଶ ଭାବ ଦେଖି ଇରା ସମାଧାନର ଭାର ନିଜ ଉପରକୁ ଉଠାଇ ନେଲା । ଟିକିଏ କଣଙ୍କୁ ଡାକି ନେଇ ଅମିତକୁ ଅତି ନିମ୍ନ ସ୍ଵରରେ କହିଲା, ‘ତୁମକୁ ଏତେଦିନ ପରେ ଦେଖିଲେତେ । ପାଗଳାମିଟା ସେମିତି ହଠାତ୍‍ ବଢ଼ିଯାଏ ବେଶୀ ଭାବପ୍ରବଣ ହୋଇଗଲେ । ବୁଝାଇ ସୁଝାଇ କହିଦିଅ -ଆଉ ଥରେ ଆସି ନେଇଯିବା ।

 

ଆଜି ଗାଡ଼ି ପାଇଁ ଟିକଟ କଟା ହୋଇନାହିଁ ।’

 

ସବୁ ଶୁଣିପାରୁଥିଲା ରାଧା । ଘରୁ ବାହାରି ବହୁବର୍ଷ ତଳେ ଯେତେବେଳେ ସେ ଆସିଥିଲା, ସେତେବେଳେ ଯେଉଁ ଆଖି ଦୁଇଟା ସମ୍ପୂର୍ଣ୍ଣ ଶୁଖିଯାଇଥିଲା ସେ ଆଖି ଦୁଇଟା ହଠାତ୍‍ ଜକେଇ ଉଠିଲା । ସେଇ ଝାପ୍‌ସା ଆଖିରେ ରାଧା ଚାହିଁଥିଲା–ଅମିତ ଆଉ ଇରା ତାକୁ ପଛକରି ଚାଲିଯାଉଛନ୍ତି ଆଗକୁ ଆଗକୁ ।

 

ଆକାଶରେ ଯେଉଁ ଜହ୍ନଟା ଉଠିଛି ତା’କୁ କ୍ଷଣକ ପାଇଁ ଘୋଡ଼ାଇ ଦେଇ ଖଣ୍ଡେ କଳା ବଉଦ ଭାସି ଭାସି ଚାଲିଯାଉଛି । କେଉଁଠୁ ଆସି କେଉଠିକୁ ଯାଉଛି ସେ ? ସେ ନିଜେ କଣ ସେ କଥା ଜାଣିଛି ? ଆଉ କଣ କେହି ଜାଣିଛନ୍ତି ତା’ର ଗନ୍ତବ୍ୟ ସ୍ଥଳ ? ଖାଲି କଣ ସେ ଭାସି ଭାସି ଚାଲିଥିବ ଅଖୋଜା ଅଲୋଡ଼ା ହୋଇ ?

Image

 

ମୁଖା

ଡଃ କୃଷ୍ଣପ୍ରସାଦ ମିଶ୍ର

 

ଏକ

 

ଭୁବନେଶ୍ଵରର ଗଭର୍ଣ୍ଣର ହାଉସ୍ ପଛଆଡ଼କୁ, ତ୍ରିଛକି ଜାଗାରେ ଠିଆ ହୋଇଥିବା ମୂର୍ତ୍ତି ପାଖରେ, ଦୁଇଜଣ ଆମେରିକୀୟ ଲୋକ ଚାଲୁ ଚାଲୁ ଠିଆ ହୋଇ ପଡ଼ିଲେ । ଯୁବତୀଟିର ବୟସ କୋଡ଼ିଏ ବାଇଶି ହେବ । ଜିନ୍ ପ୍ୟାଣ୍ଟଟିଏ ଉପରେ ସେ ସିନ୍ଥେଟିକ ସାର୍ଟଟିଏ ପିନ୍ଧିଥିଲା, ଯାହା ସେ ନ ପିନ୍ଧିଥିଲେ ବି ଚଳିଥାନ୍ତା, କାରଣ ସାର୍ଟର କୌଣସି ବୋତାମ ଦିଆଯାଇ ନଥିଲା । କାଶୀ ବିଶ୍ୱନାଥ ଗଳିରୁ କିଣା ଯାଇଥିବା ଚାରିଟା ଖଣ୍ଡେ ରଙ୍ଗୀନ କାଚମାଳି ବେକରେ ପଡ଼ିଥିଲା, ମୁଣ୍ଡରେ ନାଲିଆ ଲମ୍ବା କେଶ ଗୁଡ଼ାକରେ ଭୁବନେଶ୍ୱର ରାସ୍ତାର ଧୂଳି, ପାଖରୁ ନ ଦେଖିଲେ ଧୂଳି ବାରି ହେଉ ନଥିଲା, ପାଦର ଜୋତା ଛିଣ୍ଡି ଆସିଥିଲା, ହାତ କଚଟିରେ ଚାରିପ୍ରସ୍ତ ହୋଇ ଡାଇମଣ୍ଡ ସେପ୍‍ର ଗୋଟାଏ ମାଳି । ମୂର୍ତ୍ତିଟିକୁ ସେମାନେ ପ୍ରାୟ ଅତିକ୍ରମ କରି ଚାଲି ଯାଉ ଯାଉ ଯୁବତୀଟିର ଦୃଷ୍ଟି ସେଇଠି ପଡ଼ି ଯାଇଥିଲା । ଯୁବକର ହାତକୁ ଜୋରରେ ଚିପି ଧରି, ତାକୁ ଅଟକାଇ ଦେଇ, ଯୁବତୀଟି ଚାହିଁ ରହିଲା ମୂର୍ତ୍ତିଟି ଆଡ଼େ ଆଶ୍ଚର୍ଯ୍ୟ ହୋଇ । ତାର ଓଠ ଯୋଡ଼ିକ ଖୋଲି ଯାଇଥିଲା ବିସ୍ମୟରେ । ରତରତିଆ ବେଳ, ଦେଖିଲେ ଅନ୍ୟମନସ୍କ ହୋଇ ଆମେରିକା କଥା ଭାବିବାକୁ ଆରମ୍ଭ କରି ଦେଉଥିବା ଯୁବକଟିର ଗତି ବନ୍ଦ ହୋଇଯିବାରୁ ସେ ପୁରା ଥମିଗଲା ଓ କ୍ଲାନ୍ତ ଶୁଖିଲା ମୁହଁଟିକୁ ରାସ୍ତା ଉପରୁ ଆଣି ମୂର୍ତ୍ତି ଆଡ଼କୁ ଚାହିଁଲା । ଯୁବକଟି ପାଞ୍ଚ ଫୁଟ ଆଠ ନଅଇଞ୍ଚ ଉଚ୍ଚ ହେବ, ଯୁବତୀଠୁ ଟିକିଏ ବେଶୀ । ନାଲିଆ ବାଳ ତା’ର ମାସ ମାସର ମଇଳା ଯୋଗୁ ଜଟା ଧରି ଆସିଲଣି । ଅଣ୍ଟା ଉପରକୁ ସେ ଆଉ କିଛି ପିନ୍ଧି ନଥିଲା । ବେକରେ ବାଘ ନଖର ଯାହା ଗୋଟିଏ ହାର, କିଏ ଜଣେ ଭାରତୀୟ ହିପ୍‍ପିଙ୍କଠୁ ଉପହାର । ଚାଲିଲେ ଟିକିଏ କୁଜା ଦିଶୁଥଲେ ବି, ଶରୀର ଗଢ଼ଣରେ ଯୁବକଟି ବେଶ୍ ମଜବୁତ୍‍ ଜଣା ପଡ଼ୁଥିଲା ।

 

ମୂର୍ତ୍ତିଟିରେ କିନ୍ତୁ ସେ କିଛି ବିଶେଷତା ଦେଖିଲାନି, ଯେପରି କ୍ଲାନ୍ତିର, ଶୋଷର ଅସ୍ତ ହେବାକୁ ଯାଉଥିଲେ ବି ଆଗରୁ ବିଞ୍ଚି ଦେଇଥିବା ଗୁଡ଼ାଏ ନିଆଁ ଝାସରୁ ସୂର୍ଯ୍ୟର ଏକ ଆବରଣ, ମୂର୍ତ୍ତି ଓ ତା ଆଖି ମଝିରେ ଆସି ଯାଇଥିଲା । ଯୁବକଟି ତା’ର ଓଠକୁ ଓସାରିଆ କରି ଦେଇ, ଯାହାକୁ ଏକ ପ୍ରକାର ହସ ବୋଲି ମଧ୍ୟ କୁହାଯାଇ ପାରିବ, ଯୁବତୀଟି ପଚାରିଲା -“କଣ ହେଲା ମାର୍ଲିନ୍ ? ଠିଆ ହୋଇ ପଡ଼ିଲା କାହିଁକି ?" ଯୁବତୀଟି କିନ୍ତୁ ମୂର୍ତ୍ତି ଆଡ଼କୁ ସେହିପରି ସମ୍ମୋହିତ ହୋଇ ଚାହିଁଥାଏ । ଯୁବକଟିକୁ ତନ୍ଦ୍ରାଚ୍ଛନ୍ନ ପରି ପଚାରିଲା - “ମୁଁ ଯାହା ଦେଖୁଛି ତୁମେ ତାହା ଦେଖି ପାରୁଛ ? ଏଥର ଯୁବକ ଜଟାଜୁଟା ମୁଣ୍ଡଟାକୁ ତା’ର ଏମ୍.ଜି.ଏମର ସିଂହ ପରି ଥରେ ଝାଡ଼ିଦେଇ ମୂର୍ତ୍ତିଟାକୁ ପୁଣି ଚାହିଁଲା । ବାନ୍ଧବୀ ମାର୍ଲିନ ତା’ର ମିଛ କହେନି କେବେ । ବଡ଼ ସିନ୍‍ସିୟର ଝିଅ । ତେଣୁ ସେ ପୁଣି ଦେଖିଲା । ଏଥର ତା’ର ଦୃଷ୍ଟିର ତୀକ୍ଷ୍ଣ ଧାର ପର୍ଦ୍ଦାଟିକୁ ଯେପରି ଚିରି ଦେଇଥିଲା -“ଆରେ ! ଏହାଠିତ ହିପ୍‍ପୀ ଠାଣି ଅଛି । ଇଏ କିଏ ?" ଯୁବତୀଟି ଯୁବକ ପାଟିରୁ କଥା ଛଡ଼ାଇ ନେଇ କହିଲା -"ହିପ୍‍ପୀ ଠାଣି ନୁହଁ, ରିୟଲ ହିପ୍‍ପୀମାନଙ୍କ ଗୁରୁ ! ମୁଁ ସେଇଥିପାଇଁ ଇଣ୍ଡିୟାକୁ ଭଲ ପାଏ । ଏଠି ପ୍ରକୃତ ନେତା ହେଉଛନ୍ତି ଏହି ହିପ୍‍ପୀମାନେ ! ବ୍ରିଟିଶ ଲୋକମାନଙ୍କ ପ୍ରଭାବରୁ ଯାହା ଏମାନେ ଗୁଡ଼ାଏ ଭୁଲ ଆଦର୍ଶ ଗ୍ରହଣ କରି ନେଇଛନ୍ତି ! ନହେଲେ ହିନ୍ଦୁ ସଂସ୍କୃତି ହେଉଛି ଖାଣ୍ଟି ହପ୍‍ପୀ ସଂସ୍କୃତି ।”- ‘‘ତୁମେ ଠିକ୍ କହୁଚ ମାର୍ଲିନ ! ତୁମେ ଠିକ୍ କହୁଛ ! କିନ୍ତୁ ଏଇ ଲୋକ କିଏ ?"–ଜନ୍ ପଚାରିଲା ।

 

ପାଖରେ ଥିବା ବ୍ୟାଙ୍କରୁ ବାହରି, ସେମାନଙ୍କ ତୁଳନାରେ ଉଚ୍ଚତାରେ ଛୋଟ ଦୁଇଜଣ ଲୋକ-ସ୍ୱାମୀ ସ୍ତ୍ରୀ ହେବେ ବୋଧେ - ରାସ୍ତା କଡ଼ରେ ରଖାଯାଇଥିବା କାରଟିଏ ପାଖକୁ ଚାଲିଗଲେ । ଦୁହେଁଯାକ ଭାରି ବ୍ୟସ୍ତ ହୋଇ କଣ କଥାବାର୍ତ୍ତା ହେଉ ଥାଆନ୍ତି । ସେମାନଙ୍କ ମୁହଁରେ ଚିନ୍ତା, ପରିଶ୍ରମ, ଉଦ୍‍ବେଗର ଚିହ୍ନ ସୁସ୍ପଷ୍ଟ । ଜନ୍ ଡଗଡଗ ହୋଇ ଯୁବକଟି ମଟର ଭିତରେ ପଶିବା ପୂର୍ବରୁ ତାକୁ ଅଟକାଇ ଦେଇ ପଚାରିଲା–"ହିପ୍‍ପୀ ପରି ଦିଶୁଥିବା ଏ ଲୋକ ଜଣକ କିଏ କହି ପାରିବ ? ଏ ଦେଶର କେହି ନେତା ?" କିନ୍ତୁ ଆମେରକୀୟ ଢଙ୍ଗରେ ତା’ ଉଚ୍ଚାରଣ, ଅଦ୍ଭୁତ ବେଶଭୂଷା, ସହସା ଆବିର୍ଭାବ–ସବୁ ମିଶି ତା କଥାକୁ ଯୁବକଟି ପାଇଁ ଅବୋଧ୍ୟ କରି ପକାଇଲା । ଯାହା ବା ଯୁବକ ଚେଷ୍ଟା କରି ଥାଆନ୍ତା, ସେ ସମୟରେ ମାର୍ଲିନ୍ ସେମାନଙ୍କ ପାଖକୁ ଚାଲି ଆସିବାରୁ ଯୁବକଟିର ଆଖି ମାର୍ଲିନ୍‍ର ସାର୍ଟର ଖୋଲା ବୋତାମ ଗୁଡ଼ାକ ଆଡକୁ ଚାଲିଗଲା । ପ୍ରଶ୍ନଟି ଯେ ତାକୁ ପଚରା ଯାଇଛି ଓ ଆମେରିକୀୟ ଯୁବକଟି ତାଠୁ କିଛି ଉତ୍ତର ଅପେକ୍ଷା କରିଛି , ଏକଥା ସେ ଭୁଲିଗଲା । ତା’ର ଦୃଷ୍ଟି ମାର୍ଲିନ୍ ସ୍ତନ ଉପରୁ ମୂର୍ତ୍ତି ଉପରକୁ ନେବା ପାଇଁ, ଜନ୍ ହାତ, ଗୋଡ଼, ଆଖି ସବୁ ହଲାହଲି କରିବାକୁ ଆରମ୍ଭ କରି ଦେଇଥାଏ । ଖଜୁରାହୋ, ଅଜନ୍ତା ଦେଶର ଲୋକଗୁଡ଼ାଙ୍କର ଆଖି ସ୍ତନରେ ଲଟକିଗଲେ ବାହାର କରିବା ପାଇଁ ବଡ଼ ପରିଶ୍ରମ ଦରକାର ପଡ଼େ ବୋଲି ଭାରତ ଆସିବାଠୁ ଜନ୍‍ର ଅନୁଭୂତି ହୋଇ ସାରିଥିଲା । ବଡ଼ ଅଦ୍ଭୁତ ଦେଶ ସତେ–ଏଠି ସଂଯମର ସବୁଠୁ ପ୍ରଚାର ଅଥଚ କାନ୍ଥରେ, ବାଡ଼ରେ, ପରିବାର ନିୟନ୍ତ୍ରଣ ପଇଁ ଆକୁତି ମିନତି; ଏ ଦେଶରେ ବ୍ରହ୍ମଚର୍ଯ୍ୟ ସବୁଠୁ ବଡ଼ ଆଦର୍ଶ, ଅଥଚ ଧ୍ଵଜଭଙ୍ଗ ନିହାତି ସାଧାରଣ ରେଗ ନିଶ୍ଚୟ, ନ ହେଲେ ଧ୍ଵଜଭଙ୍ଗ ନିରାକରଣ ପାଇଁ ଏତେ କବିରାଜୀ ବିଜ୍ଞାପନ କାହିଁକି ? ବୁଝି ହୁଏନା ଏ ଦେଶକୁ !

 

ଜନ୍ ର ହାତ ଠରାଠରି ଯୋଗୁଁ ଯୁବକଟିର ଆଖି ବାଧ୍ୟ ହୋଇ ମୂର୍ତ୍ତିଟି ଆଡ଼କୁ ଗଲା ଏବଂ ସେହି ଛକ ଜାଗାରେ ସେପରି ମୂର୍ତ୍ତିଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ହାଇଦ୍ରାବାଦରୁ ଆସି ସେ ଏ ବ୍ୟାଙ୍କରେ ଚାକିରୀ କରିବା ଦିନୁ ଏପରି ମୂର୍ତ୍ତିଟିଏକୁ କେବେ ସେ ଦେଖି ନ ଥିଲା । ମୂର୍ତ୍ତିଟି କୌଣସି ପ୍ରସିଦ୍ଧ ଆନ୍ଧ ନେତାଙ୍କର ହେଇ ନଥିବାରୁ ସେ ଆଉ କାହାର ହୋଇପାରେ ବୋଲି, ନିଜକୁ ନିଜେ ସେ ପ୍ରଶ୍ନ ପଚାରୁଥିବା ବେଳେ ତାର ଅମାନିଆ ଆଖି ଦୁଇଟା ପୁଣି ମାର୍ଲିନ ଆଡ଼କୁ ଚାଲିଗଲା । ଏହି ସମୟରେ ଜୁଡ଼ାରେ ଫୁଲ ଖୋସିଥିବା ତାର ପତ୍ନୀ ନିଶ୍ଚୟ, ତୀବ୍ର କଣ୍ଠରେ ତାକୁ କଣ ଭର୍ତ୍ସନା କରି କରି ମଟର ଭିତରକୁ ଟାଣି ନେଇଗଲା । ଦୁହେଁ କଳି କରୁଥିବା ବେଳେ ମଟରଟା ଷ୍ଟାର୍ଟ ଧରିଲା ଓ ଚାଲିବାକୁ ଆରମ୍ଭ କଲା ବି ।

 

ସେମାନଙ୍କ କଥାବାର୍ତ୍ତା ବୁଝି ନଥିଲେ ବି ସେମାନଙ୍କର କଳିର କାରଣ, ଜନ୍ ଠିକ୍ ଠଉରେଇଥିଲା । ସେମାନେ ଯିବା ପରେ ପରେ ସେ ମାର୍ଲିନ୍‍ ସାର୍ଟ ଆଡ଼କୁ ଚାହିଁ କହିଲା -“ତୁମର ଧଳା ହାତୀ ଦୁଇଟି ହଁ ସେମାନଙ୍କର କଳିର କାରଣ, ବୁଝିଛ ?’’ ପାଟିରେ ପୂରାଇବା ପାଇଁ ଦୋକତାରୁ ଟିକିଏ ବାହାର କରି ମାର୍ଲିନ୍‍, କହିଲା–‘‘ଏମାନଙ୍କ ମନ୍ଦିର ଗାତ୍ରରେ ଏତେ ସୁନ୍ଦର ମୂର୍ତ୍ତି, ଅଥଚ ଏମ।ନଙ୍କର ଏପରି ବ୍ୟବହାର ? ଏମାନେ ଭାରତୀୟ ନୁହନ୍ତି, ଆଉ କିଏ ସବୁ । ଥୁଃ !" ସେ ତଳେ ଛେପ ପକାଇଲା । ଦୋକତା ଖାଇବା ତା’ର ନୂଆ ଅଭ୍ୟାସ ।

 

ଦୁହେଁ ହାତ ଧରାଧରି ହୋଇ ମୂର୍ତ୍ତିଟି ପାଖକୁ ଫେରି ଯାଇଥିଲେ । ଜନ୍ ମାର୍ଲିନ୍‍ର କାନ୍ଧ ଉପରେ ହାତ ରଖି ଠିଆ ହୋଇଥାଏ । ନିଜ ଶରୀରର କୌଣସି ଅଂଶ ପ୍ରତି ବିଶେଷ କିଛି ମହତ୍ତ୍ୱ ଦେଉ ନଥିବା ପରି, ମାର୍ଲିନ୍‍ ଜନ୍ ତା କାନ୍ଧରେ ହାତ ରଖିବାଟାକୁ ଖାତିର ନ କରି, ମୂର୍ତ୍ତିଟି ଆଡ଼କୁ ଚାହିଁ ଠିଆ ହୋଇଥାଏ । ପଛପଟୁ ନାଲିଆ ସୂର୍ଯ୍ୟକିରଣ ଗୁଡ଼ାକ ଆସି ଅଦ୍ଭୁତ ମୁକୁଟଟାଏ ସୃଷ୍ଟି କରି ଦେଇ ଥାଆନ୍ତି ମୂର୍ତ୍ତିଟିର ଶିର ଚାରିପଟେ ।

 

“ଦେଖ ଜନି ! ଏ ମୂର୍ତ୍ତିଟିକୁ ଭଲ କରି ଚାହଁ । ଆମେ ଏହାକୁ ଆଗରୁ କେଉଁଠି ଦେଖିଛେ । ଦେଖିଛେ ନିଶ୍ଚୟ ଏହାର ଭାବ ଓ ଭଙ୍ଗୀ !''

 

"କିନ୍ତୁ ମୋର ତ ସେପରି ମନେ ପଡ଼ୁନି, ମାର୍ଲିନ୍ !"

 

"-ମନେ ପକାଅ, ମନେ ପଡ଼ିବ !"

ଜନ୍‍ର କିନ୍ତୁ ପ୍ରଥମେ ମନେ ପଡ଼ିଲା ମାର୍ଲିନ୍‍ ମିଛ କେବେ କୁହେନି । ବଡ଼ ସଚ୍ଚୋଟ ଝିଅ ସେ । ନିଶ୍ଚୟ ସେମାନେ ଏହି ଲୋକକୁ ଆଗରୁ କେଉଁଠି ଦେଖିଛନ୍ତି । ଜନ୍ ଆଲବମର ପୃଷ୍ଠା ଓଲଟାଇବା ପରି ମନଟାକୁ ଅଣ୍ଡାଳି ପକାଇଲା–ଗୁଡ଼ାଏ ସହରର ଚିତ୍ର, ଗୁଡ଼ାଏ ଦଢ଼ିଆ ମଣିଷର ଚିତ୍ର, ତା’ ଆଖି ଆଗରେ ନାଚିଗଲେ ସଙ୍ଗେ ସଙ୍ଗେ । କେଉଁଠି ? ନିଉୟର୍କ ? ଲସ୍ ଏଞ୍ଜେଲସ୍ ? ସାନ୍‍ଫ୍ରାନ୍‍ସିସ୍‍କୋ ? ମୁହଁଟା ଆପଣାର ପରି ତ ଲାଗୁଛି, ଚିହ୍ନା ଚିହ୍ନା ପରିତ ଲାଗୁଛି । ବ୍ୟସ୍ତ ହୋଇ ସେ ନିଜ ମୁଣ୍ଡକୁ ଠୁକୁ ଠୁକୁ କଲା । କିଛି ମନେ ନ ପଡ଼ିଲେ ସେ ସେହିପରି କରିଥାଏ । ଭାବିବାକୁ ସୁବିଧା ହେବ ବୋଲି । ତଥାପି ହେଲାନି ।

 

ବ୍ୟାଗରୁ ତାର ସ୍ପେଶାଲ ସିଗାରେଟ୍‍ ବାହାର କରି ସେ ରାସ୍ତାକଡ଼କୁ ଚାଲିଗଲା । ଦି ତିନିଟା ଦମ୍ ନେଇ ଭାବିଲେ ବୋଧେ ମନେ ପଡ଼ିପାରେ । ମାର୍ଲିନ୍ ମୂର୍ତ୍ତିଟି ପାଖରୁ ଚିତ୍କାର କରୁଥାଏ-ଆଶ୍ଚର୍ଯ୍ୟ ! ନୃତତ୍ତ୍ୱର ଛାତ୍ର ଜନ୍ ଉଇଲସନ୍ ଏହି ବ୍ୟକ୍ତିଙ୍କୁ କେଉଁଠି ଦେଖିଥିଲେ ତାହା ତାଙ୍କର ମନେ ପଡ଼ୁନି ? କଣ ହୋଇଗଲା ତାଙ୍କର ସେହି ସ୍ମରଣ ଶକ୍ତିକୁ ? ନାଟକର ଏଡ଼େ ଏଡ଼େ ଲମ୍ବା ଡାଏଲଗ୍ ଗୁଡ଼ାକୁ ସେ ମନେ ରଖି ପାରୁଥିଲେ କିପରି ?"

 

ଶାନ୍ତିରେ ବସିବାକୁ ଯାଉଥିବା ଜନ୍, ତାର ଶକ୍ତି ପ୍ରତି ଚ୍ୟାଲେଞ୍ଜ ଶୁଣି, ଚିତ୍କାର କରି ଉଠିଲେ - "ଗୋଲିମାର ତୁମର ଜନ ଉଇଲସନକୁ, ତା’ର ସ୍ମରଣ ଶକ୍ତିକୁ , ତା’ର ଲମ୍ବା ଡାଏଲଗ୍‍କୁ, ତାର ଲମ୍ବା ଆଉ ସବୁକୁ । ଗୋଲି ମାର । ଗୋଲି ମାର ।” ସେ ଉତ୍ୟକ୍ତ ହୋଇ ପଡ଼ିଥିଲା ମାର୍ଲିନ, କଥାରେ । ତାକୁ ଚିଡ଼ାଇବାକୁ ଇଚ୍ଛା କଲାବେଳେ ଏହିପରି ମାର୍ଲିନ ତାକୁ ତା’ର ଅତୀତ ସ୍ମରଣ କରାଇଦିଏ । ଭିଏଟ୍‍ନାମକୁ ନଯିବା ପାଇଁ ଇଚ୍ଛା କରି, ଡ୍ରାଫଟିଙ୍ଗ୍‍କୁ ଲୁଚିଛପି ବୁଲୁଥିବାର ଅତୀତ, ନିଉୟର୍କରେ ନୃତତ୍ତ୍ୱ ପଢ଼ୁଥିବାର ଅତୀତ, କାମ୍ପସ୍‍ରେ ଅଭିନୟ ପାଇଁ ନାମ କରି ଶେଷରେ ବେଷ୍ଟ୍‍ ଆକ୍ଟର ହୋଇ ଆଉ ଜଣେ ମେଡ଼ାଲ୍ ପାଇ ଯିବାର ଅତୀତ ! ମାର୍ଲିନ୍‍ର ମନେ ପଡ଼ୁନି ତା ନିଜ ଅତୀତ କଥା ? କରପୋରେସନ୍‍ ଇଲେକସନ୍ ବେଳେ ବିପକ୍ଷ ପଟର ଦଳେ ନିଗ୍ରୋ ଟୋକା ତାକୁ କିପରି ବଳାତ୍କାର କରିଥିଲେ । ମନେ ପଡ଼ୁନି କୁକ୍‍କୁରୀର ସେ କଥା ? କିନ୍ତୁ ମାର୍ଲିନ୍‍ ଭଲ ପିଲା । ଜନ୍‍ ସିଗାରେଟରୁ ଦୁଇଦମ୍ ପୁଣି ଟାଣିଲା ଓ ମାର୍ଲିନକୁ ପାଖକୁ ଡାକିଲା । ଡାକିଲାବେଳେ ତା ହାତର ଲମ୍ବା ଲମ୍ବା ଆଙ୍ଗୁଠି ଗୁଡ଼ାକ ହଲି ପାରା ଉଡ଼ିବା ପରି ହେଉଥିଲେ–ପିଲାଦିନେ ବ୍ୟାଲେସ୍କୁଲକୁ କିଛି ଦିନ ପାଇଁ ଯାଇଥିବାର ବୋଧେ ଶେଷତମ ଅବଶିଷ୍ଟାଂଶ ଯାହା ତାଠି ମୁଦ୍ରା ଦୋଷ ହୋଇ ରହି ଯାଇଥିଲା ।

 

ଯାହା କୁହ ଟୋକୀଟା ହୀରା ଖଣ୍ଡେ ! ରକ୍ତାକ୍ତ ହୋଇ ଯନ୍ତ୍ରଣାରେ ଗଁ ଗଁ ହେଉଥିଲାବେଳେ ବି ଜନ୍ ଯେତେବେଳେ ପୋଲିସକୁ ଡାକିବାକୁ କହିଲା, ସେ ମନା କଲା–‘‘ସେମାନେ ଜାଣିପାରୁ ନାହାନ୍ତି ସେମାନେ କଣ କରୁଛନ୍ତି ! ନିର୍ବୋଧ ସେମାନେ । ସେମାନଙ୍କୁ କ୍ଷମା କରି ଦିଅ ଜନ୍ !’’ ତାପରେ ଜନ୍ ତାକୁ ତା ହଷ୍ଟେଲ ରୁମ୍‍କୁ ନେଇ ଯାଇଥିଲା ତାର ସେବା ଶୁଶ୍ରୁଷା କରିବା ପାଇଁ ।

 

ମାର୍ଲିନ ଜନ୍ ପାଖକୁ ଆସି ବ୍ୟାଗ୍‍ଟିକୁ କାନ୍ଧରୁ ଓହ୍ଲାଇ ଦେଇ ବସିଲା । ଜନ୍ ତା’ର ମନ ଭିତରେ ଆଲବମ୍‍କୁ ଖୋଲି ପୁଣି ଚେଷ୍ଟା କଲା ଚିହ୍ନା ମୁହଁ ଗୁଡ଼ିକ ଭିତରେ ଏଇ ମୁହଁଟି ଖୋଜି ପାଇବାକୁ । ପ୍ରଥମେ ପ୍ରଥମେ ପୁରୁଣା ବାଇବେଲ୍‌ର ମୁହଁ କେତୁଟା ତା’ର ମନେ ପଡ଼ିଗଲା । ବାଇବେଲ୍ ବିଷୟ ନେଇ ଏମ୍.ଜି.ଏମ୍ ଏତେ ଫିଲ୍ମ କଲାଣି, ପୁଣି ସେମାନେ କ୍ୟାମ୍ପସ୍‍ରେ ଓଲଡ଼ ଟେଷ୍ଟାମେଣ୍ଟ୍‍ ବିଷୟ ନେଇ ଏତେ ଡ୍ରାମା କରି ସାରିଛନ୍ତି ଯେ ଆଲବମର ପ୍ରଥମ ପୃଷ୍ଠାରେ ସେହି ଚିତ୍ରଗୁଡ଼ିକ ରହିଯିବା ସ୍ୱାଭାବିକ -ନାଁ, ନାଁ ସେମାନଙ୍କଠି କିନ୍ତୁ କିଛି ଅହଙ୍କାର ଥିଲା, ସ୍ପର୍ଦ୍ଧା ଥିଲା, ଏ ମୂର୍ତ୍ତିଠି ତାହା ନାହିଁ । ସେଥିପାଇଁ ତ ସେମାନେ ବାଇବେଲରେ ସନ୍ଥ ହୋଇ ପାରିଲେ ସିନା, ହିପ୍‍ପୀମାନଙ୍କର କେବେ ଆଦର୍ଶ ନୁହେଁ । ଏ ପୃଷ୍ଠାରେ ଏହାଙ୍କର ମୁହଁ ଖୋଜିବା ଅନୁଚିତ–ଜନ୍ ଗୁଡ଼ାଏ ପୃଷ୍ଠା ଏକାବେଳକେ ବିରକ୍ତରେ ଓଲଟାଇ ଦେଲା ଯେପରି । ଦୂରରେ କେତେଜଣ ଠିଆ ହୋଇ ସେମାନଙ୍କ ଆଡ଼କୁ ଚାହିଁ ରହିଥିଲେ, ଭାରତର ଯୁଆଡ଼େ ଗଲେ ସେଇ ଏକା କଥା- ଭିକ ମାଗ ନହେଲେ ଦେଖଣାହାରୀ ! ଫିଲୋସଫି ଅଫ୍ ସାଇନ୍‍ସ ପଢ଼ାଉ ଥିବା ଦର୍ଶନ ଶିକ୍ଷକ ଗ୍ୟାଲପ୍‍ଙ୍କର ରୁମ୍‍ରେ ଟଙ୍ଗା ଯାଇଥିବା ଆଇନଷ୍ଟାଇନ୍‌ଙ୍କ ଫଟୋଟି ତା'ରି ମନେ ପଡ଼ିଗଲା ଏଥର । ଆଉ ଠିକ୍ ସେତିକିବେଳେ କବି ହୁଇଟ୍‍ମ୍ୟାନଙ୍କର ମୁହଁ ଓ ଦୁଷ୍ଟାମୀ ଚାହାଣୀବି । ଶୂନ୍ୟକୁ କିଛି ସମୟ ସ୍ଥିର ଦୃଷ୍ଟିରେ ଚାହିଁବା ପରେ ସେ ମୁଣ୍ଡ ଲାଡ଼ିଲା -ନାହିଁ, ନାହିଁ, ତା’ଠି ଚପଳାମୀ ଥିଲା, ଏଠି ତା’ ନାହିଁ । ଏଠି ଶାନ୍ତି ଅଛି, ସ୍ଥିରତା ଅଛି । ଜନ୍ ଏତିକି ମନ୍ତ୍ର ପଢ଼ିଦେବାରେ ହୁଇଟ୍‍ମ୍ୟାନଙ୍କ ଛବି ଉଭାନ ହୋଇଗଲା । ଆଇନ୍‍ଷ୍ଟାଇନଙ୍କ ଛବିଟା କିନ୍ତୁ ସେହିପରି ଲାଖି ରହିଥାଏ । କିନ୍ତୁ ନିହାତି ନିର୍ଦ୍ଦୟ ପରି ହାତଟା ଛିଞ୍ଚାଡ଼ି ଜନ୍ କହିଲା - “ନାଁ, ନାଁ, ତୁମେ ବି ନୁହଁ । ତୁମଠି ଜ୍ଞାନର ଗର୍ବ ଲୁକ୍କାୟିତ, ସବୁ ଜାଣି ଦେଇଥିବାର ଆଖି ମିଟିକା । ଏଠି ତ ଖାଲି ଅଛି କରୁଣା ଆଉ ବିଷାଦ, ବିଷାଦ ଆଉ କରୁଣା ! ଆଃ !" ଜନ୍ ପାଟି କଲା -ମୁଁ ଆଉ ଭାବି ପାରିବିନି !'' ସେ ଭାବନାରୁ ରକ୍ଷା ପାଇବା ପାଇଁ ଯେପରି ମାର୍ଲିନ୍‍କୁ ଟାଣି ନେଇ ଚୁମାଟିଏ ଦେଇ ଦେଲା । ତା' ପରେ ପରେ ଦୂରରେ ଠିଆ ହୋଇଥିବା ଭିଡ଼ ଭିତରେ ଚାପାହସ ଓ ଗୁଞ୍ଜରଣ । ଜନ୍ ଚୁମା ପରେ, ମାର୍ଲିନ୍‍ ସିଗାରେଟ୍‍ରୁ ଶେଷ ଦମଟାଏ ନେଇ ସେଇଟାକୁ ଫୋପାଡ଼ି ଦେଲା । ଆଖିରେ ତା’ର ଅସମ୍ଭବ ସ୍ୱପ୍ନ ଗୁଡ଼ାଏ ଖେଳୁଥାଏ ସେତେବେଳେ । ସେ ଜନ୍‍ର ହାତକୁ ଚାପି ଦେଇ ତା’ଆଖିରେ ଆଖି ମିଳାଇ ପଚାରିଲା- ‘‘କ୍ୟାଥଲିକ୍‍ ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଅଭିନେତା ! ଆଜି ତୁମେ ମନେ ପକାଇ ପାରିବନି, ମନେ ପକାଇବା ଛାଡ଼ । ଏ ମୂର୍ତ୍ତିର ଭାବଭଙ୍ଗୀତକ କେବଳ ଆଣି ପାରିବ ?” “ଖୁବ୍ ସହଜ ଡାର୍ଲିଙ୍ଗ !” -ଜନ୍ ଉଠି ଠିଆ ହେଲା । ତା’ର ବୋଝ ଯେପରି ଖୁବ୍‌ ହାଲୁକା ହୋଇଯାଇଥିଲା । ସେ ମୂର୍ତ୍ତିଟି ଆଡ଼କୁ ଏକାଗ୍ର ହୋଇ ଚାହିଁଲା । ଆଖିଦେଇ ମୂର୍ତ୍ତିଟାର ଭଙ୍ଗୀ ଓ ମୂର୍ତ୍ତିରେ ପ୍ରକାଶିତ ଭାବନାକୁ ସେ ଯେପରି ଶୋଷି ନେଉଥିଲା । ତା'ପରେ ମୂର୍ତ୍ତିଟା ପାଖକୁ ଯାଇ ଭଙ୍ଗୀକୁ ଅନୁକରଣ କରି ସେ ଠିଆ ହୋଇ ପଡ଼ିଲା । ସେହିପରି ମୁକ୍ତ ପାଦ, ବାମ ହସ୍ତ ଶରୀରକୁ ଲାଗି ଲମ୍ବି ଯାଇଛି, ଦକ୍ଷିଣ ହାତ ସେହିପରି ଲମ୍ବି କହୁଣୀଠୁ ବାଙ୍କି ଚିନ୍ମୟ ମୁଦ୍ରା ପ୍ରକାଶ କରିଛି ।

 

ଭିଡ଼ ଭିତରୁ କିଏ ଯେପରି କ'ଣ ବୁଝି ପାରି ତାଳି ଦୁଇଥର ମାରିଦେଲା, ଆଉ ଠିକ୍ ସେହି ସମୟରେ ମାର୍ଲିନ୍ ଚିର ଚିରେଇଲା–“ୟୁ ଇଡ଼ିଏଟ୍ ! ଭଙ୍ଗୀ ହେଲା, କିନ୍ତୁ ଭାବ କାହିଁ ? ମୂର୍ତ୍ତିର ପ୍ରତ୍ୟେକ ଇଞ୍ଚରେ ପ୍ରକାଶିତ ହେଉଥିବା ଭାବ -ସେ ଭାବ କାହିଁ ?” ମାର୍ଲିନ୍‍ ଚିତ୍କାରରେ ତାଳି ବନ୍ଦ ହୋଇଗଲା । ଜନ୍‍ର ନାଲି ମୁହଁଟାରେ ମାର୍ଲିନ୍‍ ପାଟି ଯୋଗୁ ଗୁଡ଼ାଏ ଧୂଳି ଉଡ଼ି ଲାଖି ଯାଇଥିଲା ଯେପରି । ସେ କ’ଣ ଯେପରି ଚେଷ୍ଟା କରି ପାରୁ ନ ଥାଏ । ଶେଷରେ ସେ ଆଉ ଅନୁକରଣ କରି ନ ପାରି ଭିଡ଼ ଆଡ଼କୁ ଜିଭ କାଢ଼ି ଖତେଇ ହେଲା ।

 

ଜନ୍ ପାଖକୁ ଫେରି ଆସିବା ପରେ ମାର୍ଲିନ୍‍ କହିଲା, “ତୁମ ସହିତ ମୁଁ ଯାଉନି ।” "କାହିଁକି ?”–ଜନ୍ ଆଶ୍ଚର୍ଯ୍ୟ ହୋଇଗଲା ।

 

"ମୁଁ ଯାଉନି । ବାସ୍ ସେତିକି ।”

ଜନ୍ ରାଗିଯାଇ ତା ବ୍ୟାଗ କାନ୍ଧ ଉପରକୁ ଉଠାଇ ଠିଆ ହୋଇପଡ଼ିଲା । ମାର୍ଲିନ ମଧ୍ୟ ରାଗରେ ନିଜ ବ୍ୟାଗ୍‍ଟା ଉପରେ ଆଉଜି ଆଖି ବୁଜି ଦେଲା ସେତେବେଳେ । ଆଉ ଠିକ୍ ସେତିକିବେଳେ ଗଭର୍ଣ୍ଣର ହାଉସ୍‌ର ଝଙ୍କାଳିଆ ଗଛ ଗୁଡ଼ାକରୁ ଅନ୍ଧାର ଓହ୍ଲାଇ ପଡ଼ି ଭିଡ଼କୁ ଭଙ୍ଗିବାରେ ଲାଗିଗଲା ।

 

“ଚାଲ ! ଚାଲ ! ଏ ପାଗଳଗୁଡ଼ାକୁ ଦେଖି କିଛି ଲାଭ ନାହିଁ । ବେଶି ପଇସା ହେବାରୁ ଏମିତି ସବୁ ପାଗଳାମି ଅମେରିକାରୁ ବାହାରୁଛନ୍ତି ।" -ଭିଡ଼ କହିଲା ଓ ସେହି ଅନୁସାରେ କାର୍ଯ୍ୟ ମଧ୍ୟ କଲା । ଭିଡ଼ ଭାଙ୍ଗିବା ପୂର୍ବରୁ ଭିଡ଼ ରହିବାକୁ ନିରୁଦ୍ଦେଶ୍ୟ କରି ଜନ୍ ସହରଟା ଆଡ଼କୁ ଆଗେଇ ଯାଇଥାଏ । ପାନ୍ଥ ନିବାସକୁ ତାକୁ ଯିବାକୁ ପଡ଼ିବ । ଆଜି ବହୁତ ଚାଲିଛନ୍ତି ସେମାନେ । ରାତିରେ ବିଶ୍ରାମ ନେଇ ସେମାନେ ସକାଳେ ପୁରୀ ଯିବା କଥା । ଆଚ୍ଛା ହିପ୍ପୀ ମୂର୍ତ୍ତି ହାବୁଡ଼ରେ ପଡ଼ିଲେ ସମାନେ ! ମାର୍ଲିନର ମନକଥା ବୁଝିହୁଏନା ବେଳେ ବେଳେ। ପାହାଡ଼ଟା ଉପରେ ମୂର୍ତ୍ତିଟାକୁ ବି ସେହିପରି ଗୁଡ଼ାଏ ପ୍ରଶଂସା କରିଥିଲା ସେ; କିନ୍ତୁ ଜନ୍ ଇର୍ଷା କରୁନି । ମାର୍ଲିନର ଯଦି ହୃଦୟ କହୁଛି ସେ ହିପ୍ପୀ ମୂର୍ତ୍ତିଟାକୁ ଭଲ ପାଇବାକୁ ସେ ତାକୁ ଭଲପାଉ, ତା ପାଖରେ ରାତିକ କଟାଉ । ସେ ହସି ଦେଇ ଗୁଣୁ ଗୁଣୁ ହେଲା–"କିଛି ଯାଏ ଆସେ ନାହିଁ । ମାର୍ଲିନ୍ ସହ ପୂରୀ ସମୁଦ୍ରକୂଳରେ ତ ଦେଖା ହେବ । ଆଡ୍‍ଡ଼ାକୁ ତ ସେ ଯେପରି ହେଲେ ଆସିବ ।”

 

ଧୀରେ ଧୀରେ ସେ ଯାଉ ଯାଉ ଗଭର୍ଣ୍ଣର ହାଉସ୍‌ ଗେଟ୍ ପାଖରେ ଲମ୍ବା ସିଧା ରାସ୍ତା ଦେଖି ଠିଆ ହୋଇ ପଡ଼ିଲା ଓ ବ୍ୟାଗ୍‍ଟାକୁ କାନ୍ଧରୁ ଓହ୍ଲାଇ ଦେଇ ମୂର୍ତ୍ତିର ଭଙ୍ଗୀକୁ ଅନୁକରଣ କରି ଠିଆ ହେବାକୁ ଚେଷ୍ଟା କଲା । ଡାହାଣ ହାତରେ ଚିନ୍ମୟ ମୁଦ୍ରାର ସଙ୍କେତ, ବାମ ହାତ ସିଧା ଝୁଲୁଛି, ମୁହଁ ସହର ଆଡ଼କୁ । କେତେ ସମୟ ସେ ସେପରି ଧ୍ୟାନସ୍ଥ ହୋଇ ଠିଆ ହୋଇ ରହିଲା କେଜାଣି; କିନ୍ତୁ ପୋଲିସଟିଏ ଆସି ତାଠୁ କିଛି ଦୂରରେ ଠିଆ ହୋଇ ରହିଲା ଠେଙ୍ଗାଟିକୁ ଠୁକୁ ଠୁକୁ କରି ତା’ର ଧ୍ୟାନ ଭାଙ୍ଗି ଦେଲା । ସେ ପୋଲିସ୍ ଆଡ଼କୁ ଚାହିଁବା ମାତ୍ରକେ ପୋଲିସ କହିଲା, "ଏଠି ଏପରି ଠିଆ ହୋଇ ପାରିବନି ଯୁଆଡ଼େ ଯିବା କଥା ଯାଅ ।"

 

ଜନ୍ ବ୍ୟାଗଟା ଗୋଟାଇ ବିରକ୍ତରେ କହିଲା- “କିନ୍ତୁ ସେ’ତ ସେଠ ଠିଆ ହୋଇଛି !"

 

"କିଏ ? କେଉଁଠି ? ପୋଲିସଟି ସେହିପରି ବାଡ଼ି ଠୁକୁ ଠୁକୁ କରି ପଚାରିଲା। କିଛି ନ କହି ଜନ୍ ଆଗେଇ ଚାଲିଲା ରାସ୍ତାରେ । ବାଁ ପଟେ ବର୍ଗାକାର ନେମ୍ ପ୍ଲେଟରେ କଣ ସବୁ ଲେଖା ହୋଇଥାଏ । ସବୁ ବର୍ଗାକାର ଏହି ଦେଶରେ ନେତାମାନଙ୍କଠୁ ଆରମ୍ଭ କରି ନେମ୍ ପ୍ଲେଟ ପର୍ଯ୍ୟନ୍ତ !

 

ଦୁଇ

 

ଜନ୍ ସେଦିନ ଆଉ ମାର୍ଲିନକୁ ଦେଖିଲାନି । କିନ୍ତୁ ସେହିଦିନ କଛି ବାଟ ଆସିବା ପରେ ଲୁହା ଘେର ଭିତରେ ପଗଡ଼ି ପିନ୍ଧିଥିବା ଆଉ ଗୋଟିଏ ମୂର୍ତ୍ତିକୁ ସେ ଦେଖିଲା । ବାଟରେ ସାଇକେଲ୍ ଧରି ରାସ୍ତାରେ ଯିବା ଆସିବା ଲୋକଙ୍କୁ ଚାହିଁ ରହିଥିବା, ଅତି ଦୁର୍ବଳକାୟ କେତେଜଣ ଟୋକାଙ୍କୁ, ସେ ମୂର୍ତ୍ତିଟି କାହାର ବୋଲି ସେ ପଚାରିଲା ମଧ୍ୟ । ସେମାନେ କିଛି କହି ନ ପାରି ମୂର୍ତ୍ତିଟି ଆଡ଼କୁ ଓ ତା'ପରେ ପରସ୍ପର ମୁହଁକୁ ଚାହିଁଲେ । ସେ କିଛି ସମୟ ତଳେ ଦେଖିଥିବା ମୂର୍ତ୍ତି କଥା ମଧ୍ୟ ସେମାନଙ୍କୁ ପଚାରିଲା । ସେମାନେ ଏଥର ତା’ କଥା ଆଦୌ ବୁଝି ପାରିଲେନି । ଶେଷରେ ସେ ବ୍ୟାଗଟି ତଳେ ଥୋଇଦେଇ ମୂର୍ତ୍ତିର ପୋଜ ନେଇ ଠିଆ ହୋଇଗଲା ସେମାନଙ୍କ ଆଗରେ । ସେମାନେ ପରସ୍ପରର ମୁହଁକୁ ଚାହିଁ କହିଲେ, “କୌଣସି ମନ୍ଦିରକୁ ଯାଇଥିଲେ କି ? ଏ’ତ ମନ୍ଦିରର କୌଣସି ଦେବତାର ପୋଜ୍ !" ଜନ୍ ମନା କଲା ଜୋରରେ ମୁଣ୍ଡ ହଲାଇ ।-"ନା, ନା, ଦେବତାର ନୁହେଁ । ତୁମେ ମୋ ମୁହଁକୁ ଚାହଁ । ମୋରି ପରି ଦାଢ଼ୀ ଥିଲା । ମୋର ପରି ବାଳ ।” ପିଲାମାନେ କିନ୍ତୁ ତେବେ ବି ତା' କଥା ବୁଝି ପାରିଲେନି । ଆଉ ଠିକ୍ ସେତିକିବେଳେ ଟାଉନ୍ ବସ୍‍ଟାଏ ଆସିଯିବାରୁ ସେମାନେ ସମସ୍ତେ ମିଳିତ ଭାବେ ଅନ୍ୟମନସ୍କ ହୋଇପଡ଼ିଲେ । ଇଂରାଜୀରେ ଉତ୍ତର ଦେବାକୁ ସେମାନଙ୍କୁ କଷ୍ଟ ହେଉଥିଲା । ଜନ୍ ବିରକ୍ତିରେ ସେ ସ୍ଥାନ ଛାଡ଼ି, ଲମ୍ବା ଲମ୍ବା ପାଦ ପକାଇ ପାନ୍ଥ ନିବାସ ଆଡ଼େ ଚାଲିଲା, କିନ୍ତୁ ମାର୍ଲିନ ନ ଥିବାରୁ ତାକୁ କିଛି ଭଲ ଲାଗୁ ନ ଥିଲା । ଆମେରିକା ଛାଡ଼ିବା ଦିନ ମାର୍ଲିନ ତାଠୁ କେବେ ଅଲଗା ହୋଇ ନଥିଲା । କୁଆଡ଼େ ଗଲା କେଜାଣି ! କି ସେ ମୂର୍ତ୍ତିଟା ପାଖରେ ରହିଗଲା !

 

ଜନ୍ ସକାଳ ବସରେ ପୁରୀ ନ ଯାଇ ସହର ଭିତରେ ଥରେ ଚକ୍‍ରଟାଏ ମାରି ଆସିଲା । କୁଆଡ଼େ ହେଲେ ମାର୍ଲିନର ଚିହ୍ନ ବର୍ଣ୍ଣ ନ ଥିଲା । ସହରରେ ବୁଲୁଥିବାବେଳେ ସେ ପଞ୍ଜାବିଟିଏ ବି କଣିନେଲା ମାର୍କେଟର ଖଦଡ଼ ଭଣ୍ଡାରରୁ । ମୂର୍ତ୍ତିଟା ପାଖକୁ ସେ ପୁଣି ଯାଇଥିଲା । ତାକୁ ଯେପରି ଲାଗିଥିଲା ମୂର୍ତ୍ତିଟିର ପୋଷାକପତ୍ର ପରି ସେ ପୋଷାକପତ୍ର ନ ପିଥିବାରୁ ହିଁ ସେ ମୂର୍ତ୍ତିର ଭାବନାକୁ ପ୍ରକାଶ କରିବାକୁ ଅକ୍ଷମ ହେଉଛି । ପଞ୍ଜାବିଟା ଗଳାଇ ପକାଇ ସେ ମୂର୍ତ୍ତିଟା ପାଖକୁ ପୁଣି ଗଲା । ଖରା ତେଜରେ ମୂର୍ତ୍ତିଟା ଆହୁରି ଉଜ୍ଜ୍ୱଳ ଦିଶୁଥିଲା, ଆଉ ଦିଶୁଥିଲା ଆହୁରି ବିଷାଦ ଓ ଗମ୍ଭୀର । ସେ ମୂର୍ତ୍ତି ପାଖରେ ଠିଆହୋଇ ବହୁ ସମୟ ତାକୁ ନିରୀକ୍ଷଣ କରିବା ପରେ ସ୍ଵାଭାବିକ ଭାବେ ରାସ୍ତାରେ ଲୋକ କମିବା ଆରମ୍ଭ ହୋଇଗଲା । ପଞ୍ଜାବି ପିନ୍ଧି ଗୋରା ଲୋକଟାଏ ମୂର୍ତ୍ତିକୁ ଅନୁକରଣ କରି ଏତେ ସମୟ ଧରି କାହିଁକି ଠିଆ ହୋଇ ରହିବ ଲୋକେ ବୁଝି ପାରୁ ନ ଥିଲେ । ପୂର୍ବଦିନର କାରଟି ମଧ୍ୟ ବ୍ୟାଙ୍କ ଆଗରେ ଠିଆ ହୋଇଥିଲା । କାର୍ ଭିତରେ କିନ୍ତୁ କେହି ନଥିଲେ । ଜନ୍‍ର ମନେ ହେଲା, ଏଥର ସେ ମୂର୍ତ୍ତିର ପୋଜ କିଛିଟା ଆଣି ପାରିଛି, କିନ୍ତୁ ମାର୍ଲିନ ଥିଲେ ସିନା କହନ୍ତା କେତେଟା ସଫଳ ହୋଇଛି ସେ । କୁଆଡ଼େ ଗଲା ମାର୍ଲିନ ?

 

ବାଲି ଉପରେ ଚିତ୍‍ଟା ହୋଇ ପଡ଼ିଯାଇ ମାର୍ଲିନ ଉପରକୁ ଚାହିଁଛି । କିଛି ଦୂରରେ ବାଲି ଉପରେ ଅନେକ ହିପ୍ପୀ ଯୁବକ ଯୁବତୀ ଯୋଡ଼ି ଯୋଡ଼ି ହୋଇ ଶୋଇ ଯାଇଛନ୍ତି । ଦିନ ଯୋଗୁଁ ନୁହେଁ, ଜହ୍ନ ଯୋଗୁଁ ଚାରିଆଡ଼ ଫର୍ଚ୍ଚା ଦିଶୁଥିଲେ ବି ଗୋଟାଏ ମହତ୍ତ୍ୱପୂର୍ଣ୍ଣ ଜୀବନର ନିଷ୍କ୍ରିୟ ଅବଶିଷ୍ଟାଂଶ ପରି ଜହ୍ନ ସମୟ କାଟୁଥିଲା । ମାର୍ଲିନ୍ କହିଚାଲିଥିଲା କୌଣସି ଗୀତର ଅଂଶଟିଏ ଆବୃତି କଲା ଭଳି-"ନିଉୟର୍କର ପ୍ରସିଦ୍ଧ ଛାତ୍ର ଅଭିନେତା, ଚେଷ୍ଟାକର । ବାରମ୍ବାର ଚେଷ୍ଟା କର । କିନ୍ତୁ ଏବେ ସୁଦ୍ଧା ମୂର୍ତ୍ତିର ପୋଜ୍‍ଟା ବି ତୁମେ ଆଣିପାରିଲ ନାହିଁ । ଛିଃ! ଛିଃ ! ଦେଖ ଏଥର ଯଦି ପାରିବ ।” ଜନ୍ ଠିଆ ହୋଇ ରେକର୍ଡ ପରି କଥା କହିଯାଉଥିବା ସେହି ମାର୍ବଲ ଯୁବତୀଟା ଆଡ଼କୁ ଚାହିଁଲା । ରାତି ସାରା ସେ ମାର୍ଲିନ ଚାରିପଟେ ବୁଲୁଛି–ଟିକିଏ ଟିକିଏ ଛୁଇଁଦେବା ପାଇଁ, ଟିକିଏ ଆଲିଙ୍ଗନ କରି ପକାଇବା ପାଇଁ, ଟିକିଏ ଆଉ କିଛି ପାଇଁ । ସେ କାକୁତି ମିନତି ହୋଇଛି, ନିଜର ବାଳକୁ ବି ଝିଙ୍କିଛି, ଦାଢ଼ୀକୁ ଓଟାରିଛି, ଶେଷରେ ପଶୁପରି ଚିତ୍କାର କରିଛି ଯାହା ସମୁଦ୍ରର ଘୋ ଘୋ ରେ ହଜି ଯାଇଛି, ପବନର ସୁ ସୁରେ ଉଡ଼ି ଯାଇଛି- ଆଉ କିଛି ଦୂର ଯାଇ କୌଣସି ହିପ୍ପୀ ଯୁବକ ବାନ୍ଧବୀ କାନ ପାଖରେ ମୁହଁ ଲଗାଇ ଗୀତ ଗାଇବାରେ, କି ଅଧରରେ ଅଧର ଲଗାଇ ଚୁମା ଦେବାର ଶବ୍ଦରେ ଆଖି ମଳି ବଞ୍ଚି ଉଠିଛି; କିନ୍ତୁ ସବୁ ସତ୍ତ୍ୱେ ମାର୍ଲିନ୍ ମାର୍ବଲ ମୂର୍ତ୍ତିଟିଏ ପରି ବାଲିରେ ନିଶ୍ଚିନ୍ତରେ ଶୋଇ ରହିଛି । ସ୍ୱିଡେନର ହିପ୍ପୀ ଝିଅଟିଏ ଜନ୍‍ର ବ୍ୟାକୁଳତା ଦେଖି ତାକୁ ପାଖକୁ ଡାକିଥିଲା ବି; କିନ୍ତୁ ସେ ତା’ ପାଖକୁ ଗଲାନି । ମାର୍ଲିନକୁଇ ସେ ଅନୁନୟ ବିଜୟ କରିଥିଲା ।

 

ପାହାନ୍ତିଆ ପହରକୁ ତାକୁ ଟିକିଏ ନିଦ ଲାଗିଯାଇଥିଲା; କିନ୍ତୁ ନିଦ ଭିତରେ ବି ସେ ଟାଣି ହୋଇ ଯାଇଥିଲା ମାର୍ଲିନ ଆଡ଼କୁ । ମାର୍ଲିନ୍ ଜୋରରେ ହାତ ଛିଞ୍ଚାଡ଼ି ଦେବାରୁ ତା’ର ନିଦ ଭାଙ୍ଗି ଗଲା । ପୁରୀରେ ସେ ପହଁଞ୍ଚିବାଠୁ ମାର୍ଲିନର ସେଇ ଜିଦି । ଜନକୁ ଥରେ ସେ ସିଂହଦ୍ୱାର ପାଖକୁ ନେଇ ଯାଇ ସେ ଲୋକର ଆଉ ଗୋଟିଏ ମୂର୍ତ୍ତିକୁ ବି ଦେଖାଇ ଦେଇଥିଲା ।

 

ଜନ୍ ଠିଆ ହୋଇ ଭୁବନେଶ୍ୱରର ତ୍ରିଛକ ଜାଗାର ଦଣ୍ଡାୟମାନ ମୂର୍ତ୍ତିଟାକୁଇ ଅନୁକରଣ କରୁଥାଏ । ଆଉ ସେହିପରି ଶୋଇରହି ମାର୍ଲିନ୍ ଉହୁଁ ଉହୁଁ କହୁଥାଏ । ବାଲିଠୁ ଦୂରରେ, ସମୁଦ୍ର କୂଳେ କୂଳେ ଯାଇଥିବା ରାସ୍ତା ଉପରେ କୁଷ୍ଠ ରୋଗୀଣିଟିଏ ସହିତ ଛୋଟା ଲୋକଟିଏ ବସି କ’ଣ କଥାବାର୍ତ୍ତା ହେଉଥାଏ, ଦୁହେଁ କଥା ବନ୍ଦକରି ମଝିରେ ମଝିରେ ସେହି ହିପ୍ପୀ ଲୋକଗୁଡ଼ାକୁ ଚାହୁଁଥାନ୍ତି । ଭିକାରୁଣୀଟିଏ ନିଜ ଆଖିରୁ ଲୁହ ପୋଛି ଦେଇ ଲୋକଟିର ଆଖିର ଧାରକୁ ବି ଖଣ୍ଡିଆ ଆଙ୍ଗୁଠିରେ ବନ୍ଦ କରିବାକୁ ଚେଷ୍ଟା କରୁଥାଏ, କିନ୍ତୁ ଛୋଟା ଲୋକଟି ବାତୁଳ ପରି ମୁଣ୍ଡ ଲାଡ଼ୁଥାଏ ଓ ରାସ୍ତାଟିକୁ ମଝିରେ ମଝିରେ ଚାପୁଡ଼ା ମାରୁଥାଏ । ମାର୍ବଲ ମୂର୍ତ୍ତି ଭିତରେ ପ୍ରାଣ ଖୋଜିବା ଚେଷ୍ଟାରେ ବ୍ୟସ୍ତ ରହି ମଧ୍ୟ ଜନ୍ ସେମାନଙ୍କର ସେ ଅଭିନୟ ଆଡ଼କୁ ଚାହିଁଛି; କିନ୍ତୁ କିଛି ବୁଝି ପାରିନି ।

 

ଡ୍ରାମାରେ ଦୃଶ୍ୟ ପରିବର୍ତ୍ତନ ହେବାପରି ଆକାଶ ସିନ୍ଦୂରା ଫାଟିଲା ଓ ସେହି ସମୟରେ ଡାହାଣୀ ଲାଗିବା ପରି କୁଷ୍ଠ ରୋଗିଣୀଟିଏ ହଠାତ୍ ରାସ୍ତା ଉପରୁ ବାଲିରେ ସମୁଦ୍ର ଆଡ଼କୁ ଦୌଡ଼ିବାକୁ ଲାଗିଲା । ସେ ଶୋଇଥିବା ହିପ୍ପୀଗୁଡ଼ାଙ୍କ ମଝିରେ ଦଉଡ଼ି ଯାଇଥିଲା । ସେ ଚାଲିଯିବାବେଳେ ନିଦ ଓ ନିଶାରେ ଭୋଳ ହିପ୍ପୀ କେତେଜଣ ଆଖି ମେଲାଇ ତା’ ଆଡ଼କୁ ଚାହିଁଲେ ଓ ପୁଣି ଆଖି ବୁଜିଦେଲେ । ଛୋଟା ଲୋକଟି ତା’ ବାଡ଼ିକୁ ବାଡ଼ିରେ ମାଡ଼ି ମାଡି ଚିତ୍କାର କରି ପଛରେ ଦଉଡ଼ୁଥାଏ- ‘‘ତାକୁ ଧର, ବାବୁମାନେ ତାକୁ ଧରି ପକାଅ । ସେ ଆତ୍ମହତ୍ୟା କରିବାକୁ ଯାଉଛି ।” ହିପ୍ପୀ ଲୋକଗୁଡ଼ିକଙ୍କର ଆଖି ପୁଣି ଖୋଲିଗଲା; କିନ୍ତୁ କେହି କିଛି କରିବାର ପୂର୍ବରୁ କୁଷ୍ଠରୋଗୀଣିଟି ପାଣିଭିତରେ ପଶି ଯାଇଥିଲା । ସବୁ କଥା ଠିକ୍ ରୂପେ ନ ବୁଝିଥିଲେ ବି ହିପ୍ପୀ ଯୁବକ ଯୁବତୀ ଗୁଡ଼ିକଙ୍କ ମଧ୍ୟରୁ ଅଧିକାଂଶ ସେହି ଦୃଶ୍ୟ ଦେଖୁଥିଲେ । ସୂର୍ଯ୍ୟ ସମୁଦ୍ର ବାଲିର ବ୍ୟାକ୍‍ଡ୍ରପ, ସମୁଦ୍ରର ଘୋ ଘୋ, ପବନର ସୁ ସୁ ସେମାନଙ୍କ ପାଇଁ ଯେପରି ଏକ ଓପନ ଏୟାର ଥିଏଟର ପ୍ରୋଗ୍ରାମ ସୃଷ୍ଟି କରି ଦେଇଥିଲା । ଛୋଟା ଯୁବକଟି ଜନ୍ ପାଖରେ ହୋଇଥିବ, ବାଲିରେ ତା'ର ବାଡ଼ିଟି ଖସିଗଲା, ସେ ଜନ୍ ଗୋଡ଼ ପାଖରେ ଗଡ଼ି ପଡ଼ିଲା । ଜନର ପାଦ ଯୋଡ଼ାକୁ କୁଣ୍ଢାଇ ପକାଇ ସେ କାନ୍ଦି କାନ୍ଦି କହିଲା–“ତାକୁ ବଞ୍ଚାଅ ବାବୁ, ସେ ମରିଯିବ । କେବଳ ରାଗିକି ଅଭିମାନରେ ସେ ସମୁଦ୍ର ଭିତରକୁ ଡେଇଁ ପଡ଼ିଛି । କାହିଁକି ତାକୁ ବଡ଼ରୋଗ ହେଲା, କିଛି ଦୋଷ ତ କରି ନଥିଲା; ଭୁଲ ବି କରି ନଥିଲା, ବୋଲି ତା’ର ଅଭିମାନ ବାବୁ ! ନ ହେଲେ ମୋର ପିଲାଗୁଡ଼ିକ ମା ଛେଉଣ୍ଡ ହୋଇଯିବେ । ବାବୁ ଅନାଥ ହୋଇଯିବେ । ସେ ଭିକାରୁଣୀ ନୁହେଁ ବାବୁ, ସେ ମୋର ସ୍ତ୍ରୀ ମୁଁ ତାକୁ ଗାଁ କୁ ନେଇ ଯିବାକୁ ଆସିଥିଲି । ବାବୁ ବାବୁ !”

 

ଜନ୍ ସେତେବେଳେ ସିଗାରେଟ୍‍ଟିଏ ଲଗାଇବା ପାଇଁ ପାଇଁ ଚେଷ୍ଟା କରି ପବନ ଯୋଗୁ ପାରୁ ନଥିଲା ! ଛୋଟା ଲୋକଟି ତାକୁ ଝାଙ୍କି ପକାଉଥାଏ । ଗୋଟିଏ କ୍ଷଣ ପାଇଁ ଜନ୍ କ'ଣ କରିବ କିଛି ଠିକ୍ କରି ନପାରି ସମୁଦ୍ର ଆଡ଼େ ଚାହିଁଲା । ଆଉ ପରକ୍ଷଣରେ ସେ ସମୁଦ୍ର ଆଡ଼କୁ ଦଉଡ଼ିବାକୁ ଲାଗିଲା । ସେହି ସମୟରେ ଶୋଇବା ଅବସ୍ଥାରୁ ମାର୍ଲିନି ଚିତ୍କାର କରି ଉଠିଲା–"ୱେଲ ଡନ୍ । ୱେଲ ଡନ୍ ଜନ୍ ! ବ୍ରାଭେ ' ତୁମେ ସେ ମୂର୍ତ୍ତିର ଠାଣି ଓ ଭଙ୍ଗୀ ଗୋଟା ସୁଦ୍ଧା ଆଣି ପାରିଛ । ବିଉଟିଫୁଲ୍ । ବିଉଟିଫୁଲ୍ !”

 

ପୂର୍ବ ଦିଗରେ ଆଟ୍‍ମିକ୍ ରିଆକ୍ଟରର ଗମ୍ବୁଜ ସେପ୍ ହୋଇ ସୂର୍ଯ୍ୟ ଉଠି ଆସୁଥିଲା ।

Image

 

ପିଠି

ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ

 

ଜନତା ବସରେ ଖୁନ୍ଦି ହୋଇଥିବା ଜନତାର ମୁଣ୍ଡ ଆଉ ମୁଣ୍ଡ ହୋଇ ନ ଥlଏ; ରାତି ଏଗାର ଅନେକବେଳୁ ବାଜିଯାଇଥାଏ । ରାତି ଦଶରେ ପହଞ୍ଚିବା ଗାଡ଼ି ଗନ୍ତବ୍ୟ ସ୍ଥଳରୁ ତଥାପି ଅନେକ ଦୂରରେ । ଇଞ୍ଜିନର ତାତିଲା ବନେଟ୍ ଉପରେ, ସ୍ଥାନାଭାବରୁ, ଦୁଇ ତିନୋଟି କିଏ ବସିଥାନ୍ତି । ବୋଧହୁଏ କଲେଜ ଛାତ୍ର । ବହୁ ଉତ୍ତେଜନାପୂର୍ଣ୍ଣ ଯୁକ୍ତି-ତର୍କ ପରେ ସେମାନେ ବି ନିଦରେ ନଇଁ ପଡ଼ିଥାନ୍ତି, ଜଳନ୍ତା ମହମବତୀଗୁଡ଼ିଏ ପେଟପଟୁଆ ତାତିଗଲା ପରି । ସେମାନଙ୍କ ହାତରୁ ସନ୍ଧ୍ୟାର ଖବର କାଗଜଗୁଡ଼ିକ ଝୁଲିପଡ଼ିଥାଏ - ଗାଁର ଅଷାଢ଼ୁଆ ଆଉ ଦଳୁଆ ପୋଖରୀର ଦଳ ଉପରେ ମେଳା ମେଳା ହେଇ ବୋ ବୋବାଉଥିବା କେତେଟା ଡାହୁକଙ୍କର ବେକ ତଳର ଧଳାଗୁଡ଼ିକପରି । ମଟର ଧକ୍କାରେ ଦଳିହୋଇ, ରକ୍ତର ପୋଖରୀତୁଠର ପଥର ପରି ପଡିଥିବା ମୃତ ଯୁବକର ଚିତ୍ରଟା, ଖବରକାଗଜ ପୃଷ୍ଟାକଣରୁ ସବୁଠାରୁ ବେଶି ପବନ ଧରି ଫଡ଼ ଫଡ଼ ହୋଇ ଉଡ଼ୁଥାଏ । ତା' ପାଖକୁ ବଡ଼ ବଡ଼ ହରଫର କୌଣସି ବିଜ୍ଞାପନ-ସମ୍ବାଦଟିଏ ହୁଏତ ଖୁବ୍ ଜୋର୍ ମୁଣ୍ଡ ଟୁଙ୍ଗାରୁ ଥାଏ । ଆଉ ଏ ସବୁର ଉପରେ ଝୁଲୁଥାଏ–ସେଇଠି, ଯେଉଁଠି ସଦ୍ୟ ନାଲି ରଙ୍ଗରେ ‘ଧୂମ୍ରପାନ ନିଷେଧ’ ଅକ୍ଷରଗୁଡ଼ା ଲେଖା ଯାଇଥାଏ, ଠିକ୍ ତା’ରି କଡ଼କୁ - ସେଇ ଡ୍ରାଇଭରର ଆରଧ୍ୟା ଦେବୀ, ନରମୁଣ୍ଡମାଳିନୀ ମା କାଳିକାର ଛବିଟା ଗୋଛାଏ ଅଗରବତୀ, ଯାତ୍ରାର ଆରମ୍ଭରୁ ଯାହା ଅଖଣ୍ଡ ଧୂଆଁର କୁଣ୍ଡଳ ଭିତରେ ଜଳିବାକୁ ଆରମ୍ଭ କରିଥିଲା ସେଠି, ସେଇ ‘ଧୂମ୍ରପାନ ନିଷେଧ’ ଅକ୍ଷରଗୁଡ଼ାକୁ ଆଚ୍ଛାଦନ କରି, ତାହା ଆଉ ଜଳୁ ନ ଥାଏ । ମୋଟ ଉପରେ ଜଲନ୍ତା, ତାଜା ଆଉ ସଳଖ ହୋଇ କୌଣସି ଜିନିଷ ସେତେବେଳେ ଆଉ ନ ଥାଏ । ସବୁ ଝୁଲନ୍ତ, ନଡନଡିକା ଆଉ ଘୁମନ୍ତ ବସ୍ତୁକୁ ନେଇ ଜାତୀୟ ବସ୍ ସର୍ଭିସର ‘ଜନତା’ ଗୋଟିଏ ପୁରୁଷ ବିକ୍ରୀଡ଼ିତ ରାସ୍ତା କଡ଼ର କଞ୍ଚୁକୀ ପରି ଅଶ୍ରାବ୍ୟ ତଥା ଆହତ ଆତ୍ମାର ଗାଳିମାନ ବର୍ଷି ଚାଲିଥାଏ ।

 

ଟଂ–’

 

ପଇସା–ଅଇଁଠା ହାତରେ କଣ୍ଡକ୍ଟର ପୁଣି ଥରେ ଝିଙ୍କି ଦଉଥାଏ ଘଣ୍ଟିର ଦଉଡ଼ିକୁ । ଜନତାଗାଡ଼ି ଘଣ୍ଟିର ଦାସ । ଗୋଟିଏ ଟଂରେ ସେ ଅଟକେ । ଦୁଇଟିରେ ଛାଡ଼େ । ଆଉ ତିନୋଟିରେ ଗର୍ଭିଣୀ ଗାଈ ପରି ବାଟ ଛାଡ଼େ–ପଛରୁ ହାଙ୍କୁଥିବା ଯେ କୌଣସି–ଇତର ଗାଡ଼ିକୁ । ଖୁବ୍ ସହଜ ଆଉ ସରଳ ୟାର ସମ୍ବିଧାନ । ଆଉ ଏଡ଼େ ସହଜ ସରଳ ସମ୍ବିଧାନ ଯେଉଁ ଘଣ୍ଟିଟିଦ୍ଵାର ପରିଚାଳିତ ହୁଏ, ତା’ର ଦଉଡ଼ିଟି ମଧ୍ୟ ଖୁବ୍ ଲମ୍ବ ଆଉ ନୂଆଣିଆ । ଏତେ ଲମ୍ବ ଆଉ ନୁଆଣିଥା ଯେ, ଜାତୀୟ କଡ଼ର ସେଇ ଯୋଉ ଟିଣ ଟାଇଲର ଘରଗୁଡ଼ିକ ଏବେ ନିଜର ସାବକ ୧୯୪୭ ପୂର୍ବବର୍ତ୍ତୀ ମାଟି ଢିଅଗୁଡ଼ିକ ଉପରେ ପହିଲି ଆଷାଢ଼ରେ ପାଳଛତୁମାନଙ୍କ ପରି ସଦ୍ୟ ମୁଣ୍ଡ ଟେକି ଉଠିଛନ୍ତି, ସେଇ ଘର-ଦୁଆର ମୁହଁରେ ବନ୍ଧା ହୋଇଥିବା, କଂସେଇଖାନାର ଚାଳରୁ ଲଟକି ମଢ଼ଗୁଡ଼ିକ ପରି, ତଳମୁହାଁ ପହ୍ନାଶୁଖିଲା ଗାଈଗୁଡ଼ିକ ମଧ୍ୟ ଏଇ ଲମ୍ବା ଦଉଡ଼ିର ଅଗକୁ ବେଳେ ବେଳେ ଖାଲି ଦୁଧଘଡ଼ି ଆଉ ବାହୁଙ୍ଗି ପକେଇ ଗାଡ଼ିରୁ ଓହ୍ଳାଉଥିବା ଖାମିଦଙ୍କ କଛାରେ ଆବିଷ୍କାର କରି ମୁହଁ ବଢ଼େଇ ଓଟାରି ଦିଅନ୍ତି । ଫଳରେ “ଦି ବେଲ ଆଫ୍ ଜଷ୍ଟିସ୍”ର ଲମ୍ବା ଦଉଡ଼ିକୁ ଜଣେ ଅତି ନ୍ୟାୟୀ ରାଜାଙ୍କର ରାଜ୍ୟର ଗୋଟିଏ ମାଲିକ–ବିତାଡ଼ିତ ଅର୍କମଣ୍ୟ ବୁଢ଼ା ଘୋଡ଼ା ଯେପରି ଖାଦ୍ୟ ମନେକରି ଓଟାରି ଖାଉ ଖାଉ ହଠାତ୍ ବହୁକାଳ ଧରି ଅବ୍ୟବହୃତ ସେହି ନ୍ୟାୟଘଣ୍ଟିକୁ ବଜେଇ ଦେଇ ରାଜ୍ୟସାରା ଲୋକଙ୍କୁ ଚମତ୍କୃତ କରିଦେଲା–ସେହିପରି ମଧ୍ୟେ ମଧ୍ୟେ ଜାତୀୟ ରାଜପଥରେ ନିତି ପ୍ରତି ଶହ ଶହ ସଂଖ୍ୟାରେ ଚାଲୁଥିବା ଏହି ଜନତା ଗାଡ଼ିଗୁଡ଼ିକର ଘଣ୍ଟି ଦଉଡ଼ିର ଅଗ ଥରେ ଥରେ କୌଣସି କୌଣସି ମଢ଼ିଆ ଗୋରୁଙ୍କ ହାବୁଡ଼ରେ ପଡ଼ିଯାଇ ଦୁର୍ଘଟଣାର ସମ୍ମୁଖୀନ ହୁଏ; କିନ୍ତୁ ଅଧରାତିର ଏହି ଅବେଳା “ଜନତା”ଟି ପାଇଁ ସେତକ ଭୟ ନ ଥିଲା । “ସରପ୍ରାଇଜ ଚେକିଂ” ପାର୍ଟିର ମଟରଗାଡ଼ି ଅନେକ ବେଳୁ ଏଇ ‘ଜନତା’ ଗାଡ଼ିକୁ ବାଟରେ ଭେଟି ମଧ୍ୟ ନ ଭେଟିଲା ପରି ଆପଣା ବାଟରେ ଚାଲି ଯାଇଥିବ। କଥା କଣ୍ଡକ୍ଟରକୁ ଅଛପା ନ ଥାଏ । ତେଣୁ ଘଣ୍ଟ ଦଉଡ଼ି ଟାଣିବାର ଏକମାତ୍ର ଅଧିକାରୀ ଥାଏ କଣ୍ଡକ୍ଟର । କେବଳ ଏହି ଅଧିକାରୀଟି ବ୍ୟତୀତ ଓ ତା’ର ସହଚର ତଥା ସହକାରୀ ଜନତା ଗାଡ଼ିର କ୍ଳିନର ବ୍ୟତୀତ ଆଉ ସମସ୍ତେ ପ୍ରାୟ ସୁପ୍ତ । ଏପରିକି ଡ୍ରାଇଭର ମଧ୍ୟ ! କାରଣ, ନିୟମାନୁଯାୟୀ ଜନତା ଗାଡ଼ିର ସେ ଡ୍ରାଇଭର, ସେ ଭାରତୀୟ ସମ୍ବିଧାନର ରାଷ୍ଟ୍ରପତି ପଦ ପରି ଏକ ନିରପେକ୍ଷ ଦର୍ଶକ ମାତ୍ର । ତା’ର ଆଖି ଦୁଇଟା ଖୋଲା ଥାଏ ଓ ତା’ର କାନରେ ସେ ଶୁଣୁଥାଏ ମଧ୍ୟ ଘଣ୍ଟିର ନିର୍ଦ୍ଦେଶ; କିନ୍ତୁ ସେ ବିଚରା ଶୋଇପଡ଼ିଥାଏ ।

 

ଟଂ- ଟଂ.......... ଟଂ- ଟଂ........... ।

 

ଏଥି ମଧ୍ୟରେ କଣ୍ଡକ୍ଟର-ହାତଘଣ୍ଟି ଲାଗ୍ ଲାଗ୍ ଦୁଇଥର ବାଜି ସାରିଥାଏ । ଡ୍ରାଇଭର ତଥାପି ଇଞ୍ଜିନର ଚାବି ମୋଡ଼େ ନାହିଁ । ଯେଉଁ କେତେଜଣ ଯାତ୍ରୀ ଏଇ ବାଟପାଖ ରହଣିରେ ଓହ୍ଲାଇବାର କଥା, ସେମାନେ ଓହ୍ଲାଇ ସାରିଥା’ନ୍ତି ଓ କଣ୍ଡକ୍ଟର ସହିତ ସେମାନଙ୍କର ଦେଣ ନେଣ ସରିଯାଇଥାଏ, କିନ୍ତୁ ତଥାପି ଡ୍ରାଇଭର ଗାଡ଼ିରେ ଷ୍ଟାର୍ଟ ଦେବା ପରିବର୍ତ୍ତେ ନିଦ ମଳମଳ ଆଖିରେ ବସର ଏକମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅନାଇଁ ବଡ଼ ଆଁ ଖୋଲି ହାଇଟାଏ ମାରେ । ବାହାରେ ଓହ୍ଳାଇବା ନିତିଦିନିଆ ବାଟପାଖ ଯାତ୍ରୀମାନଙ୍କର ପରିଚିତ ଖାଲି ଦୁଧଘଡ଼ି ଓ ପାରିବା - ବୋଝମାନଙ୍କ ଭିତରେ ଗଡ଼ୁଥିବା ଚଣ୍ଡ ଆଳୁ, ପିଆଜ, ବାଇଗଣମାନଙ୍କର କଥୋପକଥନ ପରି ଗୁଡ଼ାଏ ଗୁଡ଼ୁରୁ ଗାଡ଼ୁରୁ ଆଉ ଖାସୁର ଖୁସୁରୁ କଥୋପକଥନ ସବୁ ଶୁଣା ଯାଉଥାଏ । ସେସବୁ ଭିତରୁ କଣ୍ଡକ୍ଟର ସହକାରୀ ସେହି କ୍ଳିନରର ସ୍ଵରଟା ସ୍ପଷ୍ଟ ହୋଇପଡ଼େ-

 

“ନା, ନା, ସେ କଥା ହୋଇ ପାରିବ ନାହିଁ । ତମେ ଖବର କାଗଜ ପଢ଼ିନ କି ? ଆଜିଠୁ ପା’ତେଲ ଦାମ ବଢ଼ିଲା, ଭଡ଼ା ବି ବଢ଼ିଲା । ପୁରୁଣା ରେଟ ଆଉ ନାହିଁ । ସମସ୍ତେ ଆଉ ପାଞ୍ଚ ପାଞ୍ଚ ପଇସା ବାହାର କର ।”

 

ଉତ୍ତରରେ କିରଣଛଡ଼ା ମୃଦଙ୍ଗ ପରି ଖାସୁଖାସୁଆ ସ୍ଵରରେ ଜଣେ କିଏ କଅଣ କହେ, କିଛି ବୁଝି ହୁଏ ନାହିଁ, କିନ୍ତୁ ପୂର୍ବ ସ୍ଵରକୁ ଟପି କ୍ଲିନରର ସ୍ଵର ଏଥର ପରିଷ୍କାର ଶୁଭେ ।-

 

“ଆରେ ଯାଃ, ସରକାର କଅଣ ତେଲ ଦାମ ବଢ଼େଇଲା ? ଦାମ୍ ବଢ଼ଉଚ ତୁମେ । ଆଳୁତ ସବୁଦିନେ ମାଟିରେ ଫଳୁଚି । ତା’ ଦାମ୍ କେମିତି ଦିନକୁ ଦିନ ବଢ଼ୁଚି ! ଦୁଧ ତ ଗାଈ ପହ୍ନାରୁ ବାହାରୁଚି, ସେରେ ଦୁଧ ଠେକି ଭିତରେ ପଶିଲେ କେମିତି ଦି ସେର ହଉଚି ? ସବୁ କଥା ତ ତା’ ଖଞ୍ଜରେ ବଢ଼ୁଚି । ଏଥେରେ ସରକାର କେମିତି ବଢ଼େଇଦେଲା ତେଲେ ଦାମ ?”

 

ଲାଗ ଲାଗ ଦୁଇ ତିନିଟା ହାଇ ପେଲି ଡ୍ରାଇଭର ଏଥର ଟିକିଏ ଖଜବଜ ହୁଏ, ଆଉ ଦୁଇ ତିନିଥର ହର୍ଣ୍ଣଟାକୁ ଚିପିଦିଏ । ତା'ପରେ ଆପଣାଛାଏଁ ସବୁ କଥା ସରଳ ହୋଇଯାଏ । କ୍ଲିନରର ଗୋଟାଏ ଗୋଡ଼ ଫୁଟବୋଡ଼ ଉପରକୁ ଉଠିବା ମାତ୍ରେ ସେ ଗୋଟାଏ ଚିଲ ପରି ଦାନ୍ତସନ୍ଧିରୁ ରବାଦ କରେ–"ରର୍‍ରାଇଟ ।” ତା’ପରେ ଯାଇ ଗାଡ଼ି ଇଞ୍ଜିନର ଶବ୍ଦ ଶୁଣାଯାଏ ଓ ଗାଡ଼ି ଆଗକୁ ଗଡ଼େ । ଏହା ପରେ କ୍ଲିନର ଧଡ଼କରି କବାଟଟାକୁ ବନ୍ଦକରେ ଓ ପକେଟରେ ହାତ ଭର୍ତ୍ତିକରେ । ଘଣ୍ଟି ଦଉଡ଼ିକୁ ଛାଡ଼ି କଣ୍ଡକ୍ଟର ଏଥର ପଇସା ଗଣିବାରେ ପୂରା ମନୋନିବେଶ କରେ; କିନ୍ତୁ ପ୍ରକ୍ରିୟାଟି ସେତିକିରେ ଶେଷ ହୁଏ ନାହିଁ । ଥରେ ଗାଡ଼ି ଚାଲିବାକୁ ଆରମ୍ଭ କଲା ପରେ ଆଉ ଥରେ ବନ୍ଦ ହେବା ଭିତରେ କ୍ଲିନର ବିଚାରାକୁ ଅତି ସତର୍କତାର ସହିତ ଖାସ୍‍ ନିଜ ପାଇଁ ଅନ୍ତତଃ ଗୋଟାଏ ମୁହୂର୍ତ୍ତ ଆତ୍ମଗୋପନ କରିବାକୁ ପଡ଼େ । ଲମ୍ବା ଜନତା ବସର ଲାଞ୍ଜପଟକୁ, ଯେଉଁଠି କ୍ଳିନରର ପୂର୍ଣ୍ଣ ଦାୟିତ୍ଵରେ ଥିବା ବଲଟି ଆଉ ଛିଣ୍ଡାକନା ଓଗେର କେତେକେ ସରଞ୍ଜାମ ରଖିବା ପାଇଁ ଥାନଟିଏ ଥାଏ, ଅତି ନିଭୃତରେ ଚଢ଼େଇ ଅଣ୍ଡା ପାରିଲା ପରି, ଏପରି କି କଣ୍ଡକ୍ଟର ଆଉ ଡ୍ରାଇଭରଙ୍କର ଦୃଷ୍ଟିର ଅନ୍ତରାଳରେ କ୍ଲିନର ବିଚରା ସେଇ ରାତିର ଯାତ୍ରାର ଶେଷ ବସା ଫେରନ୍ତି ଦଫାରେ ପାରି ଦିଏ ଆଉ ଦୁଇଟା ଯାହା କିଛି ବାଟମାରଣା କଣ୍ଡକ୍ଟର ମୁହଁରୁ ବଞ୍ଚିକରି ପକେଟ ଭିତରକୁ ଆସିଯାଇଥାଏ; ସେଇ ଚଣ୍ଡର ଚଣ୍ଡ ପରି ଗୋଟିଏ ଶୁଖିଲା ବାଇଗଣ, ଅଥବା ବଡ଼ ନଇନୀତାଲୀ ଆଳୁଟାଏ ବା ସମୟ ବକତରେ ଟୁସି କଲରାର କେଇପୁଞ୍ଜା । ସେତକ ସଂଗୃହିତ ହୁଏ ଗୋଟିଏ ଜୀର୍ଣ୍ଣ, ଅପରିଷ୍କୃତ, ଖାକି ସରକାରୀ କ୍ଲିନର ପୋଷାକ ପ୍ୟାଣ୍ଟର ଗୋଡ଼ରୁ କଟା ହୋଇ ସିଲେଇ ହୋଇଥିବା ଥଳିଟିଏ ଭିତରେ । ଏ ଥଳୀର ଟେର ପାଇବା ସବାଖିଆ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ପକ୍ଷରେ ସହଜ ନ ହେଲେ ମଧ୍ୟ ବେଳେ ବେଳେ ପଛ ସିଟରେ ବସିଥବା ଜନତା ପ୍ୟାସେଞ୍ଜରଟିଏ, ପଥରସନ୍ଧିରେ ଲୁଚା ହୋଇଥିବା ଝିଟିପିଟିର ଅଣ୍ଡାକୁ ଗୋଟିଏ ଗୋଟିଏ ଅବିଗୁଣିଆ ପିଲା ନିରେଖି ନିରେଖି ଅନେଇ କାଠିରେ କେଞ୍ଚାକେଞ୍ଚି କଲାପରି ଆବିଷ୍କାର କରି ତାହାକୁ କୌତୂହଳବଶତଃ ଚିପାଚିପି କରେ, ଏପରି କି ଗୋଡ଼ରେ ଦଳାଦଳି କରି ପରିବାଗୁଡ଼ାକୁ କଇଁଥା କରି ନଷ୍ଟ କରି ପକାଏ; କିନ୍ତୁ କେହି କେବେ ଦୁଃସ୍ଥ କ୍ଳିନରଟିର ଗୁମରକୁ ପଦାରେ ପକାଇ ଦିଅନ୍ତି ନାହିଁ । ଥରେ ଥଳୀଟିକି ଚିପାଚିପି କରି ସାରିଲା ପରେ ସେମାନେ ସାଧାରଣତଃ ‘ଯାନେ ଦୋ’ ବୋଲି ମୁହଁ ବୁଲାଇ ଦିଅନ୍ତି, ଆଉ ନିଜର ଯାତ୍ରା ସରିବା

 

ପର୍ଯ୍ୟନ୍ତ ଚୁପ୍ ହୋଇ ବସି ଢୁଳାନ୍ତି । କ୍ଲିନର ବିଚରା କିଂକର୍ତ୍ତବ୍ୟବିମୂଢ଼ା ମା’ଟିଏ ପରି ଟିକିଏ ଦୂରରେ ଠିଆ ହୋଇ ଥରେ କଣ୍ଡକ୍ଟର ମୁହଁକୁ ଓ ଆଉଥରେ ଲୁଚିଲା ଥଳୀଟିର ଜେଗା ଆଡ଼କୁ ବାଁରେଇ ବାଁରେଇ ଅନଉଥାଏ । ଜନତା ଗାଡ଼ି ଢୁଳେଇ ଢୁଳେଇ ଗନ୍ତବ୍ୟ ସ୍ଥାନ ଆଡ଼କୁ ମୁହେଁଇ ଯାଏ ।

 

କିନ୍ତୁ ସେ ରାତିର ସେଇ ଜାତୀୟ ବସ୍ ସର୍ଭିସର ‘କଞ୍ଚୁକୀ’ ଜନତା ବସ ଆତ୍ମାଭିମାନର ଜଳି ଜଳି ହଠାତ ଜାତୀୟ ରାଜପଥର ଗୋଟିଏ ଅପରିଚିତ ସ୍ଥାନରେ ଆସି ଅଟକିଗଲା-ଯେଉଁଠି ନିତିଦିନିଆ ଯାତ୍ରୀ ତ ଦୂରର କଥା, ପୁରୁଣା ଡ୍ରାଇଭର ଓ କଣ୍ଡକ୍ଟରଙ୍କର ଅନେକ ବର୍ଷର ସ୍ମୃତିକାଳ ଭିତରେ କେହି କେବେ ରାସ୍ତାର ଏହି ଅଂଶରୁ ଗାଡ଼ିରେ ଉଠି ନ ଥିଲା ବା ଓହ୍ଲାଇ ନ ଥିଲା ।

 

ରାତି ବାର ବାଜିବାକୁ ଆଉ କେତେ ସେକେଣ୍ଡ ! କିଟିକିଟିଆ ଅନ୍ଧାରିଆ ସଡ଼କରେ ଗୋଟିଏ କଡ଼କୁ ‘ଜନତା’ କଡ଼େଇ ଆସିଲା ଓ କଣ୍ଡକ୍ଟରର ଅନିଚ୍ଛାକୃତ ଗୋଟିଏ ଘଣ୍ଟିର ପାହାଡ଼ରେ ଗାଡ଼ିର ଗତି ଧିମେଇ ଧିମେଇ ଶେଷକୁ ଠାଏ ଅଟକି ଠିଆ ହେଲା; କିନ୍ତୁ ସବୁଥର ବାଟପାଖ ରହଣିବେଳେ ଗାଡ଼ି ଇଞ୍ଜିନର ବ୍ରେକକୁ ଡ୍ରାଇଭର ଯେମିତି ଚିପିଦେଇ ଗାଡ଼ିକୁ କଡ଼େଇ ନିଏ ଓ କଣ୍ଡକ୍ଟର ଇସରାରେ, କ୍ଲିନର ନା ଧରି ଡାକ ମାରେ, “ହୋ ନରିପୁର ପେଣ୍ଡିବାଇଗଣ ମଉସା ! କିହୋ ଓହ୍ଲେଇବ ନାଇଁ କି ? ଜାଗ୍ରତ ! ଜାଗ୍ରତ ! ଆହେ, ନୂଆବୋହୁ କଲ, ଦିନେ ହେଲେ ଗରମାଗରମ ବୋହୁ ପରଷା ଚାଖିଲ ନାହଁ ? ଉଠବା ସବୁ ଥଣ୍ଡା ହୋଇଗଲା !'' ଇତ୍ୟାଦି ପ୍ରକାରେ ଡାକମାନ ଆଉ ଶୁଣାଗଲା ନାହିଁ । ବରଂ ଅଧୀର ହୋଇ ହାତ ପାଖ ହର୍ଣ୍ଣଟାକୁ ଜୋରରେ ଜୋରରେ ପେଁ ପେଁ କରି ଡ୍ରାଇଭର ଡାକ ମାରିଲା, “ହେ ଫକୀର ! ଆବେ ଜଲଦି କର ! ରାତି ଅଧ ହେଲା ! ଗାଡ଼ି ବୋଧେ ଆଉ ପହଞ୍ଚିବ ନାହିଁ ! ତତେ କିଏ କହିଲା-ଏଇଟା ପାଖ ପେସେଞ୍ଜରରୁ ଏତେ ପୁରେଇବା ପାଇଁ ! ଏଇଟା କୋଉ ଜେଗା ? କାହିଁ ଦଶବର୍ଷ ହୋଇଗଲା ଦିନେ ତ ଏଠି କେହି ଚଢେ ନାହିଁ କି ଓହ୍ଲାଏ ନାହିଁ । କାହାର ମନେ ପଡ଼ିଗଲା ଆଜି ?” ବୁଢ଼ାଟିଏ, ବୁଢ଼ାଟିଏ । ଆଗେ ଆଗେ ବୁଢ଼ା, ପଛେ ପଛେ ବୁଢ଼ୀ । ବୁଢ଼ୀ ଧରିଥାଏ ବୁଢ଼ାର ବାଡ଼ିଅଗକୁ । ବସ୍‍ଯାକ ଏଣେ ତେଣେ ଜମା ହୋଇଥାଏ ଗଣ୍ଠିଲି, ପୁଟୁଳି । ଗୋଟିଏ ଗଣ୍ଠିଲିରୁ ପାଦ ଉଠାଇଲାବେଳକୁ ଗଣ୍ଠିଲି ମାଲିକର ନିଦ ଚଂ କରି ଭାଙ୍ଗି ଯାଉଥାଏ । ଆଉ ସେ ଚିହିଙ୍କି ଉଠୁଥାଏ, "ହାଁ ହାଁ ସର୍ବନାଶ ! ଅନ୍ଧଟାଏ ନା କଅଣ ? ଗଲା ? ଏତେ କଷ୍ଟ କରି ପାଚିଲା କଦଳୀ ଫେଣାଟାଏ ଆଣିଥିଲି ଯେ ଏଇଠି ଶିରିଣି ହୋଇଗଲା ?

 

ଧୀରେ ଧୀରେ,ବସଟାଯାକର ବାଙ୍କିଲା ବେଳ ସକାଳର ପଦ୍ମକଢ଼ି ସଳଖ ଡେମ୍ଫରୁ ପାଖୁଡ଼ା ମେଲିଲା ପରି ଟେକି ହୋଇଗଲା–ଆଉ ଆଖିରେ ହାତ ବୁଲାଇ ପ୍ରତ୍ୟେକ ପ୍ରତ୍ୟେକର ଗଣ୍ଠିଲିଠାରୁ ଆରମ୍ଭ କରି ହାତଘଡ଼ି ପର୍ଯ୍ୟନ୍ତ ତଦାରଖ କରି ଲାଗିଲେ ।

 

“ହାଁ ଜେରା ହୁସିଆର, ହୁସିଆର, ଇସ୍ ଟୋକେଇମେ ଆଣ୍ଡା ହାୟ ବୁଢ଼ାବାବୁ ! ଜେରା ପୟର୍ ସହ୍ମାଲ୍ କେ !” “ଓଃ ! ଗାଡ଼ି ଆଉ କେତେବେଳେ ପହଞ୍ଚିବ ! ବାଟ କୋଡ଼ିଏ ମାଇଲକୁ ତିନିଘଣ୍ଟା ଲାଗି ଗଲାଣି ? ହୋ କଣ୍ଡକ୍ଟର ! ଗାଡ଼ି ଛାଡ଼ ଜଲଦି ! ମୁଁ ଆଉ ଅଫିସ୍ ଫାଇଲ ଦେଖିବି, କେତେବେଳେ ? ଆଉ ସକାଳୁ ଅଫିସ୍ କରିବି କେତେବେଳେ ?”

 

ଇଞ୍ଜିନ୍ ଇନେଟ୍ ଉପରେ ମୁଣ୍ଡକୁ ମୁଣ୍ଡ ଯୋଡ଼ି ପିରାମିଡ଼ ପରି ଶୋଇ ରହୁଥିବା ଯୁବଶକ୍ତିଟି ମଧ୍ୟ ଏଇ ବୁଢ଼ା ବୁଢ଼ୀ ବ୍ୟାପରରେ ସାମାନ୍ୟ ହଲଚଲ ହୋଇଗଲା । ଜଣେ କଲେଜ ପିଲା ହାଇଟାଏ ମାରି ଅନ୍ୟର ପକେଟ ଭିତରୁ ହାତ ପୂରେଇ କିଛି ସମୟ କ’ଣ ଦରାଣ୍ଡିଲା । ତା'ପରେ ସେ ମୁହଁ ଉପରକୁ ଟେକି ଠିକ୍ ତା’ରି ମୁଣ୍ଡ ଉପରେ ଝୁଲୁଥିବା ନରମୁଣ୍ଡମାଳିନୀ କାଳିକା ଫଟଟାର କଡ଼ରେ ବଡ଼ ନାଲି ହରଫରେ ଲେଖା ହୋଇଥିବା “ଧୂମ୍ରପାନ ନିଷେଧ” ପଟାଟାକୁ ଅନେଇଥିବା ଅବସ୍ଥାରେ ଓଠ ଭିତରକୁ ଖଣ୍ଡେ ସିଗାରେଟ ଠେସି ଦେଇ ଫରର କରି ଦିଆସିଲି କାଠିଟାଏ ଘଷିଲା-ନୂଆ ଦିଆସିଲି ମୁଠାଟାର ତାଜା ରଞ୍ଜକରେ । ଗଡ଼ିଟା ଭିତର ହଠାତ୍ ଉତ୍କଟ ଧୂଆଁରେ ପୂରି ଉଠିଲା । ସେ ଧୂଆଁରେ ବାକି ଯେତେ ଶୋଇ ରହିଥିଲେ ଆଖି ଫିଟାଇଲେ । ଏପରିକି କୋଳର ଛୁଆ ବି କାନ୍ଦିଉଠିଲା ।

 

ଠିକ୍ ଏତିକିବେଳେ ଗାଡ଼ିର କବାଟ ପାଖରେ ଗୋଟିଏ ଛୋଟକାଟର ଧସ୍ତାଧସ୍ତି ଆରମ୍ଭ ହୋଇଗଲା । ବୁଢ଼ାଟି ସେତେବେଳକୁ ତଳକୁ ଓହ୍ଲାଇ ପଡ଼ିଥାଏ । ବୁଢ଼ା ଓହ୍ଲେଇବା ପାଇଁ ଗୋଡ଼ ବଢ଼େଇ ପାହାଚକୁ ଠାବ କରୁଥାଏ । ଏହି ସମୟରେ ହଠାତ୍ ଗାଡ଼ିର କ୍ଲିନର୍ ବୁଢ଼ା ଉପରକୁ ଝାମ୍ପଟିଏ ମାରିଲା । ଏ ଅସମୟ ଆକ୍ରମଣ ପାଇଁ ଅନ୍ଧ ବୁଢ଼ା ଲୋକଟି ପ୍ରସ୍ତୁତ ନ ଥିଲା । ସେ ଟଳି ପଡ଼ିଲା । ଅବଶ୍ୟ ପୂରାପୂରି ତଳେ ପଡ଼ିଗଲା ନାହିଁ । ଅଣ୍ଡାବାଲା କଦଳୀବାଲା ଏପରିକି ପିନ୍‍ପିନ୍ ସୁଟ୍ ପିନ୍ଧା ଜଣେ ଦି’ଜଣ ଯୁବକ, ଯେଉଁମାନେ କି ଭିଡ଼ ଭିତରେ ଥାଇ ମଧ୍ୟ ନିଜ ଦେହକୁ ଏପରି ସଂକୋଚି ନେଇଥିଲେ ଯେ, ଅନ୍ୟ ଲୋକର ଉଡ଼ନ୍ତ। ଫେର ବି ତାଙ୍କ ପୋଷାକର ସତୀତ୍ଵକୁ ସ୍ପର୍ଶ କରି ପାରୁ ନ ଥିଲା, ସେମାନେ ବି ଆତ୍ମରକ୍ଷାର ଅଭ୍ୟାସବଶତଃ ବୁଢ଼ାକୁ ଟେକି ଧଇଲେ ।

 

କିନ୍ତୁ ତା’ରି ପରେ ପରେ ଆରମ୍ଭ ହେଇଗଲା ସମ୍ମିଳିତ ଆକ୍ରମଣ । ପ୍ରଥମେ କ୍ଳିନର୍ ଆରମ୍ଭ କଲା -"ଦେଖ ହେ ! ଏ ଲୋକଟା କୁଆଡ଼େ ଅନ୍ଧ ! ହେଇଟି ଦେଖନ୍ତୁ ଆଜ୍ଞା, ମୋ ଥାଳୀଟାକୁ କୋଉ ଖଞ୍ଜରେ ନେଇ ଛୁ କରୁଥିଲା । ଆଉ ଟିକେକେ ତ ଯାଇଥାନ୍ତା ! ବାଇଗଣ କିଲୋ ଦେଢ଼ଟଙ୍କା ହେଲାଣି ଆଜ୍ଞା ! ଦୋଟି ବାଇଗଣ କିଣି ପକେଇଥେଲି ଏ ଥଳୀରେ । ଚୋରଙ୍କର ନିଘା ପୁଣି ଏ ବାଇଗଣ ଦି’ଟାକୁ ହୋ ! ଓହୋ କି ଯୁଗ ହେଲା ଏ ! ହା ଧରମ !”

 

ଗାଡ଼ିରେ ଗାଡ଼ିଏ ପାସେଞ୍ଜର ଆଉ ଡ୍ରାଇଭର, କଣ୍ଡକ୍ଟର ହୋଇ ଷାଠିଏ ସତୁରୀ ଲୋକ ହଠାତ୍ ମହୁମାଛି ପରି ଭଁ ଭଁ କରି କରିଉଠିଲେ । କରି ନ ଥାନ୍ତେ; କିନ୍ତୁ କ୍ଳିନର ସେଇ ଶେଷ ‘ଧରମ’ ଡାକଟା ସେମାନଙ୍କୁ ଉତ୍ତିଷ୍ଠତ, ଜାଗ୍ରତ !...ଡାକ ଭଳି ଚମକେଇ ଦେଲା । ପୁଣି ଚୋର, ଅନ୍ଧ, ବାଇଗଣ, କ୍ଲିନର ପ୍ରଭୃତି ଶବ୍ଦମାନଙ୍କର ପୃଷ୍ଠଭୂମିରେ ସେଇ ଅବେଳାର ଡାକଟା-ଅଡ଼ୁଆ ବାଳରେ ପେଷା ହୋଇଥିବା ବୀର ପରି ଶୋଇଥିବା ନିର୍ଦ୍ଦୋଷ ଲୋକର ଗାଲ ପିଠିରେ ଅଚାନକ ଗୁଡ଼ାଏ ବିଧା ଚାପୁଡ଼ା ବର୍ଷିଗଲା । ଜଣେ କିଏ ଡରିଲା ସ୍ଵରରେ କହିଲା-“ମୋର ମନେ ହଉଚି ଏଇଟା ନିଶ୍ଚୟ ପାକିସ୍ଥାନୀ ଗୁପ୍ତଚର ! ନଚେତ୍ ଏ ଅପନ୍ତରାରେ, ଅନ୍ଧାରଟାରେ ଓହ୍ଲାଇ ଯିବ କୁଆଡ଼େ ଏ ଅନ୍ଧ ?"

 

ଇଞ୍ଜିନ୍‍ର ବନେଟ୍ ଉପରେ ବସିଥିବା ପିରାମିଡ଼୍ ଚହଲିଗଲା । ଦୀର୍ଘଦିନ ଧରି ଏକ ପିରାମିଡ଼୍ ଭିତରେ ଅଞ୍ଜନ ମଖା ହୋଇ ପଡ଼ିଥିବା ‘ମମି’ ଲାଗ୍ ଲାଗ୍ ତିନିଟା ହାଇ ମାରିଲା ।

 

ସେଗୁଡ଼ାକ ଥଏ ଭାରତ-ପାକିସ୍ଥାନର ଚାରିଦିନିଆ ଘମାଘୋଟ ଯୁଦ୍ଧ ପରବର୍ତ୍ତୀ ଦିନଗୁଡ଼ିକ । ଯୁଦ୍ଧ ସରି ଯାଇଥାଏ । ପୋଲ ଆଉ ଘାଟୀ ଜେଗାମାନଙ୍କରୁ ପୁଲିସ ପହରା ଧୀରେ ଧୀରେ ଅପସର୍ ଥାଏ, କିନ୍ତୁ ଖବରକାଗଜ ଓ ରେଡ଼ିଓରୁ ତେଲ ସରସର ମସାଲ ନିଆଁରୁ ଥପ ଥପ ହୋଇ ଗଳି ପଡ଼ୁଥିବା ନିଆଁ ଝୁଲପରି, ଜାତୀୟତାର ଝୁଲ ସବୁ ଖସୁଥାନ୍ତି ପ୍ରବଳ ପରିମାଣରେ ।

 

“ହିନ୍ଦୁଜାତିର ମା ବାପ ନାଇଁ । ଅନ୍ୟ କେହି ଜାତି ହୋଇଥିଲେ ଏଇଲେ ଦେଖିଥାନ୍ତି । ଏଇଲେ ପାକିସ୍ଥାନ ଭିତରକୁ ନୀରିହ ଅନ୍ଧ ଭାରତୀୟଟିଏ ପଶିଯାଉନା ଦେଖି, ତା ପିଠିର ଚୋପା ଛଡ଼େଇ ଦେଇ ନ ଥାନ୍ତେ !”

 

ପାସେଞ୍ଜରମାନଙ୍କ ଭିତରେ ଏଣେ ଏହିପରି ଖୁରି ଖୁଆଖୋଇ ଚାଲୁଥିବାବେଳେ ତେଣେ ବାହାରେ ଏକ ଅଭୂତପୂର୍ବ କାଣ୍ଡ ଘଟିଗଲା । ପଇସା-ଅଇଁଠା ହାତରେ ଠୋ କରି ଗୋଟାଏ ଚାପୁଡ଼ା କସି ଦେଇ କଣ୍ଡକ୍ଟର ପାଟିକରି ଉଠିଲା, ଆଜ୍ଞ କଦାପି ଅନ୍ଧ ନୁହେଁ । ଏ ଲୋକ ଅନ୍ଧାରରେ ବି ପଢ଼ି ପାରୁଛି ଆଜ୍ଞା ।

 

ତତକ୍ଷଣାତ୍ ଜାତୀୟ ଜନତା ବସ୍‍ରେ ଖୁନ୍ଦା ହୋଇଥିବା ଜନତାର ମୁଣ୍ଡ ଚତରେଇ ଯାଇ ଏକ ସହସ୍ର ଫଣାରେ ଉଭାରି ଉଠିଲା ଓ ବସ୍‍ର ଏକମାତ୍ର କବାଟ ବାଟେ ପିଚିକି ପଡ଼ୁପଡ଼ୁ ଅଜାଣତରେ ଆପଣା ଦେହକୁ ହିଁ ଆପେ ଗୁଡ଼ାଏ ଦଂଶି ପକେଇଲା । ସବୁରି ଆଗରେ ଥିଲେ କଲେଜପିଲାଏ । କଣ୍ଡକ୍ଟର ଚାପୁଡ଼ାର ‘ଠୋ’ ଶବ୍ଦଠାରେ ସେମାନେ ପ୍ରଥମେ ଛିଟିକି ପଡ଼ିଲେ~ତୂଳାଭିଣାର ଦଉଡ଼ି ଉପରେ ଲାଗି ଯାଇଥିବା ତୁଳାମେଞ୍ଚଟା ଭିଣାର ପ୍ରଥମ ଟି କ।ର୍‍ରେ ଛିଡ଼ିକି ପଡିଲା ପରି ।

 

ବୁଢ଼ା ଲୋକଟା ତଳେ ଗଳି ପଡ଼ିବା ପର୍ଯ୍ୟନ୍ତ ସ୍ପଷ୍ଟଭବେ ଉଚ୍ଚାରଣ କରି କହୁଥାଏ "ମୁଁ ଗୁପ୍ତଚର ନୁହେଁ ଆଜ୍ଞାମାନେ, ମୁଁ ଅନ୍ଧ ! ମୁଁ ସୁର ଦାସ ! ମୋ ଘର ଏଇଠି ବାବାମାନେ ! ମୁଁ ଭାରତୀୟ ! ଓଡ଼ିଆ ମୁଁ ବାବା ! ଜଗନ୍ନାଥ ଜଣାଣ ମତେ ଜଣା ବାବୁ !”

 

ଜଣେ କିଏ ତା’ର ଆଣ୍ଠୁ ନ ଲୁଚା ଧୋତିରେ ଖୋସଣି ଦରାଣ୍ଡି ଆଣୁ ଆଣୁ କହିଲା, “ହୁଃ ! ସୁରଦାସ ନା ? ଖୋସଣିରେ ସେଇ କାଗଜଟା କଅଣ ? ତୁ ତ ଅନ୍ଧ, କାଗଜ କଣ କରୁ ! ଗୁପ୍ତ ତଥ୍ୟ-ନାହିଁ ?”

 

“ଗୁପ୍ତ ତଥ୍ୟ ନୁହେଁ ଆଜ୍ଞା–ପ୍ରଶଂସାପତ୍ର–ଏଇ ସନ୍ଧ୍ୟାରେ ପାଇଚି ଆଜ୍ଞା ମନ୍ତ୍ରୀଙ୍କ ଠୁଁ ! ଚିରନ୍ତୁ ନାଇଁ ହଜୁର ।”

 

“ମନ୍ତ୍ରୀଙ୍କଠୁଁ ?” ବୁଢ଼ାର ଖୋସଣି ଫିଟୋଉଥିବା ଲୋକଟି ହଠାତ୍ ଠୋ, ଠୋ ହସି ଉଠିଲା ଓ ସେଇ ହସରେ ହସରେ କହିଲା -

 

“ଶୁଣନ୍ତୁ ଏ କୁଆଡ଼େ ପୁଣି ମନ୍ତ୍ରୀଙ୍କଠୁ ପ୍ରଶଂସାପତ୍ର ପାଇଚି ! ହଇଓ ! ତୁମେ ପରା ଏଇଲେ ଏ ଗରିବ କ୍ଳିନରଟାର ପାରିବାଥାଳୀଟାକୁ ଚୋରାଉ ଥିଲ ?

 

ମାଡ଼ ଖାଇ ତଳେ ପଡ଼ି ଯାଇଥିବା ବୁଢ଼ାଟିକୁ ଆଉଁଷି ଦଉ ଦଉ ବୁଢ଼ୀଟି ହଠାତ୍ ବାହୁନି ଉଠିଲା-

 

“ପର ଆପଣ ଜାଣେ ନାଇଁ ଗୋ ! ତାକୁ ଏତେସରି କରିଦେଲ...”

 

“ପର ଆପଣା ଜାଣେ ନାହିଁ ? ହୁଁ ! ଅନ୍ୟର ବାଇଗଣ ଆଳୁକୁ ତ ବେଶ୍ ଚିହ୍ନେ ! ମୁଁ ଟିକିଟି ଦେଲାବେଳେ କେମିତି କହିଲା -ଏଇଟା ମୋ ଟିକଟ ନୁହେଁ ବାବୁ ! ଏଥେରେ ଅମୁକ ନାଇଁ-ସମୁକ ନେଖା ହେଇଚି ! ମୋଠୁ, ଯୋଉ ପଇସା ନେଲ ସେଇ ପଇସାର ଟିକଟ ଦିଅ । ସେତେବେଳେ ତ ଆଖିକୁ ବେଶ୍ ଦିଶିଲା । ପର ଆପଣା ଜ୍ଞାନ ସେତେବେଳକୁ ଥିଲା କେଉଁଠି ?” କଣ୍ଡକ୍ଟର ବୀର ଦର୍ପରେ ଆପଣା ଜାଗାରେ ବସିପଡ଼ି ପୁଣି ଲାଗ୍ ଲାଗ୍ ଦୁଇଟା ଘଣ୍ଟି କସିଦେଲା । ଡ୍ରାଇଭର୍ ବାରମ୍ବାର ହର୍ଣ୍ଣ ଚିପିଲା ଓ ଲୋକେ ଗାଡ଼ିରେ ପଶୁ ନ ପଶୁଣୁ ଗାଡ଼ି ଗଡ଼େଇଦେଲା -କ୍ଲିନରର ‘ରାଇଟ' ଶବ୍ଦକୁ ଆଉ ଅପେକ୍ଷା ନ କରି ।

 

ଜାତୀୟ ବସ୍ ସର୍ଭିସ୍‌ର ଜନତାଗାଡ଼ିର ଘୁମନ୍ତ ଯାତ୍ରୀ-ଜନତାର ଆଖିରୁ ନିଦ ତଥାପି ମରି ନ ଥାଏ । ରାତି ଅଧରେ ଅଝଟ ଧରୁଥିବା ଛୁଆକୁ ଖୁନ୍ଦାଏ ପକେଇ ଥନଟାକୁ ତା ମୁହଁରେ ଗୁଞ୍ଜି ଦେଇ ମା’ ଶୋଇଗଲା ପରି ଯାତ୍ରୀ ପୁଣି ଶୋଇଗଲେ । ବାହାରୁ ଶିରିଶିରି ହୋଇ ଭାରି କୋହଲା ଅଦିନିଆଁ ଜାଡ଼ ପବନ ପଶିଆସିଲା । କ୍ଲିନର୍ ଗୋଟି ଗୋଟି କରି ସବୁ ଝରକାର ପରଦା ଖସେଇଦେଲା । ଅଠର ମାଇଲକୁ ଚାରି ଘଣ୍ଟାରେ ମଧ୍ୟ ଅତିକ୍ରମ ନ କରି ପାରିଥିବା ଜନତାଗାଡ଼ି, ପକ୍ଷୀରାଜ ପରି ଗତି ପଗଡ଼ିନେଲା ।

 

ହଠାତ୍ ଇଞ୍ଜିନ୍‍ର ଗର୍ଜନ ଟପି ଗୋଟାଏ ସରୁଆ ଅଥଚ ବର୍ଚ୍ଛାପରି ସ୍ଵର ଜନତାକୁ ପୁଣି ଅତର୍ଚ୍ଛ କଲା । ଏଥର ଅକ୍ଷ ଫନ୍ଧ ବା ବୁଢ଼ାବୁଢ଼ୀ ବ୍ୟାପାର ନୁହେଁ । ବନେଟ୍ ଉପରେ ନରମୁଣ୍ଡମାଳିନୀ ମା’ କାଳିକାର ମୂର୍ତ୍ତି ତଳେ “ଧୂମ୍ରପାନ ନିଷେଧ” ପଟାଟାକୁ ଖତେଇ ହେଇ ସିଗ୍ରେଟ୍‍ ଖାଉଥିବା ସେଇ ସରୁଆ ଡାହୁକିଆ କଲେଜ ପିଲାଟା ! ତା’ର ଅନ୍ୟ ଦୁଇଟି ସାଙ୍ଗ ସେତେବେଳକୁ ନୀରବରେ ଖବରକାଗଜ ପୃଷ୍ଠା ଭିତରେ ମୁହଁ ପୂରେଇ ଦେଲେଣି-“ଓଟପକ୍ଷୀ ଓ ଝଡ଼”ର ନ୍ୟାୟରେ ହୁଏତ ।

 

“ବନ୍ଦ କର ! ଗାଡ଼ି ବନ୍ଦ କର ! ମୁଁ କହୁଚି ବନ୍ଦ କର୍‍ ! ଏ ଯଦି ଠିକ୍ ଧର୍ମ ଡଙ୍ଗା ହୋଇଥାଏ, ତେବେ ବନ୍ଦ କର୍ ! ନଚେତ୍ ଓଲଟିଯିବ ଏହିକ୍ଷଣି ଏ ଗାଡ଼ି, ମୁଁ କହୁଛି !”

 

ଡ୍ରାଇଭର ତଥାପି ଗାଡ଼ିର ଗତି ବଢ଼ାଉଥାଏ । ସେ କେବଳ ବୁଲି କରି ଥରେ ଗର୍ଜୁଥିବା ସ୍ଵରର ମୁହଁକୁ ଅନେଇଦେଲା । ତା’ପରେ କ’ଣ ଭବିଲା କେଜାଣି, ସେ ଆକ୍‍ସିଲେଟର ଚିପି ଗାଡ଼ିର ଗତି ଦ୍ଵିଗୁଣ କରିଦେଲା ।

 

“ଶୁଣ ! ତୁମେ ମୋତେ ଚିହ୍ନିନାହଁ । ଦେଖ ଦେଖ, ମୁଁ କିଏ !” ତା' ପରେ ସତେ ଯେପର ଟିକିଏ ପୂର୍ବରୁ ଜନତାର ଘୃଣା ଓ କ୍ରୋଧର ଶିକାର ହୋଇଥିବା ଅନ୍ଧ ସୁରଦାସର ପ୍ରତିକ୍ରିୟା, ଭୂତ ହୋଇ ଝରକାର ପରଦାମାନଙ୍କୁ ରାମ୍ପୁଡ଼ି ଭିଣିଭିଣା କରି ବସ୍ ଭିତରକୁ ପଶି ଆସିଲା, ସେହିପର କଲେଜ ପିଲାଟା ହଠାତ୍ ତା’ ବାଁ ହାତର ଖବର କାଗଜଟାକୁ ଭଡ୍ ଭାଡ୍ କରି ମକଚି ଫୋପାଡ଼ି ଦେଇ ଡାହାଣ ହାତଟାକୁ ଉଞ୍ଚାକରି, ଛୁଟନ୍ତ ବସ୍‍ର ଇଞ୍ଜିନ୍‍ ବନେଟ୍ ଉପରକୁ କୁଦି ପଡ଼ିଲା-

 

“ଅନାଅଁ, ଅନାଅଁ, ହେଇ ଦେଖ । ଏଇ ମୋ ହାତକୁ ଦେଖ । ଏଇ ଟିକଟ୍ ! ଆଉ ସମସ୍ତଙ୍କୁ ଅନୁରୋଧ, ଭାଇମାନେ ଆପଣମାନେ ନିଜ ନିଜର ଟିକଟ ଯଦି କାଟିଛନ୍ତି, ତେବେ ପକେଟରୁ ବାହାର କରି ଏହିପରି ହାତରେ ଧରନ୍ତୁ, ଆଉ ଉପରକୁ ଟେକି ହଲାନ୍ତୁ- ଯେପରି ଅସେମ୍ବ୍ଲିରେ ସରକାରୀ ବିଲ୍ ଉପରେ ଭୋଟ ନିଆଗଲାବେଳେ ଟ୍ରେଜେରୀ ବେଞ୍ଚର ଲୋକେ ହାତ ଟେକନ୍ତି- କେବଳ ସେତିକି ନୁହେଁ, ଭାଇମାନେ, ତଥାପି ଯଦି ଆପଣମାନଙ୍କର ସଂଖ୍ୟାଗରିଷ୍ଠତା ନ ହୁଏ, ତଥାପି ଦୁଃଖିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ଏପରି କରନ୍ତୁ !”

 

ବାଇଗଣ ଚୋର ଅନ୍ଧ ବୁଢ଼ାଟିର ମୁହଁରେ ନିର୍ଘାତ ପାହାର ବଜେଇବାରେ ଅଗ୍ରଣୀ ହୋଇଥିବା ଏହି ତରୁଣଟି କଠୋର ପଶ୍ଚାତାପ ଓ ଆତ୍ମବିଦ୍ରୋହରେ ସେତେବେଳକୁ ତତଲା କଡ଼େଇ ଭିତରର ବାଇଗଣ କସିପରି ନିଶ୍ଚୟ ସନ୍ତୁଳି ହୋଇ ସାରିଥିଲା । ଆଖି ପିଛୁଳାକ ଭିତରେ ସେ ତଳକୁ ନଇଁପଡ଼ିଲା ଓ ଗୋଟାଏ ଗୁଣ-ଭଗ୍ନ ଧନୁପରି ପଚ୍‍କରି ସିଧା ହୋଇଯାଇ ପଛକୁ ବାଙ୍କିଗଲା । ଧନୁଷ୍ଟଙ୍କାରଗ୍ରସ୍ତ ମେରୁଦଣ୍ଡ ଉପରୁ ତା’ର ମୁହଁଟା ଗୋଟାଏ ମଧ୍ୟାହ୍ନର ସୂର୍ଯ୍ୟମୁଖା ଫୁଲପରି ଚକା ହୋଇ ଉପରକୁ ଫୁଟି ଉଠିଲା । ମୁହଁ ଉପରେ ତା’ର ନରମୁଣ୍ଡମାଳିନୀ ମା’ କାଳିକାର ମୂର୍ତ୍ତିଟି ଧୂମହୀନ ପରିଚ୍ଛନ୍ନତା ଭିତରୁ ନାଲି ଜିଭଟାକୁ କାଢ଼ି ମୁହୁର୍ତ୍ତେ ଯେପରି ନାଚି ଉଠିଲେ । ଆଉ, ସେହି ମୂହୁର୍ତ୍ତର ସଙ୍ଗମ ଭିତରେ ତରୁଣ ସୂର୍ଯ୍ୟମୁଖୀଟିର ପାଖୁଡ଼ାଗୁଡ଼ିକର ହଳଦିଆ ସତେ ଯେପରି ସୂର୍ଯ୍ୟର ହଳଦିଆ ସହିତ ମିଶି ଏକାକାର ହୋଇଗଲା ।

 

ପାଖରେ ବସିଥିବା ସାଙ୍ଗପିଲା ମୁହଁର ଜଳନ୍ତା ସିଗାରେଟର ନିଆଁରୁ ନାଲି ଝୁଲଗୁଡ଼ାକ ଟୋକାଟାର ଦୁଇ ଆଖିରୁ ସତେକି ଝର ଝର ହୋଇ ଝରିଗଲା । ଗୋଟିଏ ଦିହବୁଲା ଫୁରୁକୁଟିଆ ଗନ୍ଧ ନିବୁଜ ବସ୍ ଭିତରେ ଅଇଣ୍ଡେଇ ଗଲା । ବସ୍‌ର ପୂର୍ଣ୍ଣ ଦୁଇ ବେଞ୍ଚ ମହିଳାମାନେ ଶିକାର କରି ଉଠିଲେ । ସେ କିନ୍ତୁ ସେମିତ ବେକଭାଙ୍ଗି, ଉପରକୁ ମୁହଁ କରି ଠିଆ ହୋଇଥାଏ । ତା’ର ବକ୍ତବ୍ୟ ତଥାପି ଶେଷ ହୋଇ ନ ଥାଏ ।

 

“ବର୍ତ୍ତମାନ, ଏହିପରି ଦେଖନ୍ତୁ !” ମୁହଁକୁ ଆଉ ତଳକୁ ନ କରି ଆଖିର ଖୋପ ଦୁଇଟାକୁ ସାବଧାନତାର ସହିତ ଉପରକୁ ଟେକି ଧରି ବନେଟ ଉପରେ ପୂର୍ବପରି ନାଚୁଥାଏ ସେ -ସତେ ଯେମିତ କୁନି ପାଟିରେ ପାଟିଏ ଅମୃତ ନେଇ ଶିଶୁଟିଏ ତାକୁ ଏ କଳରୁ ସେ କଳ ଦେଇ ଆସ୍ଵାଦୁ ଥାଏ ।

 

“ଆପଣଙ୍କର ଟିକେଟ୍‍ଗୁଡ଼ିକରେ ଲେଖାଥିବା ଅକ୍ଷରଗୁଡ଼ିକୁ ଏହିପରି ପାଠ କରନ୍ତୁ, ଭାଇମାନେ ! ଆପଣଙ୍କୁ ଭଗବାନଙ୍କ ଦ୍ଵାହି, ଯେଉଁ ସତ୍ୟ ଆଖି ଥିଲା ମଣିଷ ମୁହଁକୁ ବାଇଗଣ ଆଉ ଆଳୁ ହୋଇ ଜଳ ଜଳ କରି ଅନାଏ, ସେହି ସତ୍ୟର ଦ୍ଵାହି- ସେହି ସତ୍ୟର ଦ୍ଵାହି; ଆପଣ ଦେଖନ୍ତୁ- ଅନ୍ତତଃ ଆଖି ବୁଜି ଆପଣଙ୍କର ଟିକଟ ଗୁଡ଼ିକର ପଛପଟେ ମୁନିଆ ପେନ୍‍ସିଲର ଚିହ୍ନକୁ ଆଙ୍ଗୁଠିରେ-ଅନ୍ଧ-ବିଦ୍ୟାଳୟର ଅକ୍ଷର ପରି ପଢ଼ନ୍ତୁ । ଆଉ ସତ କହନ୍ତୁ -କଅଣ ଲେଖା ହୋଇଛି ? ଆପଣମାନେ ଯେଉଁ ଲକ୍ଷ୍ୟ ସ୍ଥଳକୁ ମୁହଁ କରି ଏ ଧର୍ମ ଡଙ୍ଗାରେ ବସିଛନ୍ତି- ଏ ଟିକେଟ ତା’ର ବିପରୀତ ଦିଗର ଟିକେଟ କି ନା ସତ କରି କହନ୍ତୁ । ଆଉ ଯଦି ସେଇଆ ହୋଇଥାଏ–ଭାଇମାନେ ! ଆପଣମାନଙ୍କୁ ଧର୍ମର ଦ୍ଵାହି, ପିତୃପୁରୁଷଙ୍କର ଦ୍ଵାହି, କ୍ଷମା କରିବେ ପିତୃପୁରୁଷଙ୍କର ନାମ ମୁଁ ନେଉଛି-କାରଣ ଆପଣମାନେ ଦେଖି ପାରିଲେ ନାହିଁ, ଭାଇମାନେ, ବର୍ତ୍ତମାନ ମୁଁ ଦେଖୁଛି ଆଖିରେ ନିଆଁ ଗୁଞ୍ଜି ସାରିଲା ପରେ ଯାଇ ମୁଁ ଦେଖିପାରୁଛି ସେ ମୁହଁକୁ–କ୍ଷମା କରିବେ–ମୁହଁ ନୁହେଁ ବନ୍ଧୁଗଣ; ତାହା ହେଉଛି ସେଇ ପିଠି ପଟଟାର ଦୃଶ୍ୟ- ମହାଭୟଙ୍କର ପିଠିର ଦୃଶ୍ୟ-ଯେଉଁ ପିଠି ଦେଖାଇ ସେ ଏ ବସ୍‍ରୁ ଓହ୍ଲାଇଗଲେ । ଓଃ, ଆପଣମାନେ ଦେଖିପାରୁ ନାହାନ୍ତି । ମୁଁ କିନ୍ତୁ ଠିକ୍ ଦେଖି ପାରୁଛି, ସେଇ ଇତିହାସର ପିଠିକୁ ! ଭାଇମାନେ ! ମତେ ବିଶ୍ଵାସ କରନ୍ତୁ, ସେ ଅନ୍ଧ ଆଉ ଅନ୍ଧୁଣୀ-ମଣିଷ ନୁହନ୍ତି , ସେ ଦୁହେଁ ଇତିହାସ । ଏ ଦେଶର ଇତିହାସ । ମଣିଷ ଜାତିର ଇତିହାସ । ଯାହାକୁ ଗୋରାମାନେ ଠେଲି ଦେଇଥିଲେ ସେଦିନ ଶୀତରାତିରେ, ଆଉ ଯେ ପରେ ତା’ର ଭୟଙ୍କର ପିଠିଟାକୁ ଆମ ଆଡ଼କୁ କରି ଏକଲା ଚାଲିଗଲା–ସତ୍ୟ ପ୍ରତି ଆଗ୍ରହ ଦେଖାଇ । ଓଃ, ସେ ଫଟଟା ମୋ ପଢ଼ା ଘର କାନ୍ଥରେ କିଏ କାହିଁକି ଟାଙ୍ଗି ଥିଲାରେ ।”

 

ଭାରତ ପାକିସ୍ଥାନ ଯୁଦ୍ଧର ପରବର୍ତ୍ତୀ ସେହି ଉଗ୍ର ଜାତୀୟତା ଓ ଜନ୍ମଭୂମିର ଡାକରା ଜାତୀୟ ଜନତା ବସ୍‍ର ପ୍ରତ୍ୟେକ ଟିକେଟବାଲା ବା ବେଗ୍‍ର ଟିକେଟବାଲା ଯାତ୍ରୀର କାନକୁ, ଗୋଟିଏ ଫାଶୀଖୁଣ୍ଟ ଆଡ଼କୁ ନିଆ ଯାଉଥିବା ଗେହ୍ଲା ପୁଅ, ବାଟକଡ଼ରେ ଠିଆ ହୋଇ ବାହୁନୁଥିବା ଜନ୍ମକଲା ମା’ କାନରେ କଥାଟିଏ କହିବାକୁ ଅନୁମତି ମାଗି ରଟ୍ କରି କାମୁଡ଼ି ଖାଇ ଦେଲା ପରି, ଖାଇଦେଲା । ଚକ୍ଷୁହୀନ ଜନତା ବର୍ତ୍ତମାନ କର୍ଣ୍ଣହୀନ ଆଉ ମୂକ ପାଲଟି ଗଲା ।

 

ନିଜର ବକ୍ତବ୍ୟ ଶେଷ କରି ଇଞ୍ଜିନ୍‍ର ବନେଟ୍ ଉପରେ ନାଚୁଥିବା ରାତିର କାଳିସୀଟି ଥପ୍ କରି ତଳେ, ଡ୍ରାଇଭର ପାଖରେ ଖସିପଡ଼ିଲା ।

 

ଯୁଦ୍ଧକ୍ଷେତ୍ରର ଘୋଡ଼ା ପିଠିରୁ କ୍ଷେତ୍ରୀ ହଠାତ୍ ଢଳି ପଡ଼ିଲେ, ଘୋଡ଼ାଟା ଯେପରି ଇତସ୍ତତଃ ହୋଇଯାଏ ଓ ଅଜ୍ଞାତ ଆଶଙ୍କାରେ ହ୍ରେସାରବ କରି ଉପରକୁ ଗୋଡ଼ ଟେକି ଠିଆ ହୋଇପଡ଼େ, ଡ୍ରାଇଭରର ସମସ୍ତ କର୍ତ୍ତୃତ୍ଵସତ୍ତ୍ୱେ ଜାତୀୟ ଜନତା ବସ୍‍ଟା ପ୍ରଥମେ ତା’ର ପଛ ଚକ ଉପରେ ଠିଆ ହୋଇପଡ଼ିଲା ଓ କିଛି କ୍ଷଣପାଇଁ ଗୋଟିଏ ଅନ୍ଧ ମଣିଷ ଅଣ୍ଡାଳି ହେଲା ପରି ଜାତୀୟ ରାଜପଥକୁ ଅଣ୍ଡାଳି ପକାଇଲା ।

 

ପରଦିନ ସକାଳେ ଯାହା ଦେଖାଗଲା, ତାହା ଆହୁରି ଇଙ୍ଗିତମୟ । ଯେଉଁ ଦୁର୍ଘଟଣାରେ ଜାତୀୟ ପରିବହନ ସଂସ୍ଥାର ଅତିକାୟ ଲେଲାଣ୍ଡ ‘ଜନତା’ ବସ୍‍ଟି ଆକ୍ରାନ୍ତ ହୋଇ ପଡ଼ିଥିଲା, ତାହା ପ୍ରକୃତରେ ଏକାଧିକ ଦୁର୍ଘଟଣାର ଏକ ପ୍ରଳୟଙ୍କରୀ ଦୃଶ୍ୟ ଥିଲା । କାରଣ ସେ ରାତିରେ, ଘଟଣାକ୍ରମେ ଅନ୍ଧ ଆଉ ବଧିର ଯାତ୍ରୀମାନଙ୍କୁ ପିଠିରେ ଧରି ଜନତା ଗାଡ଼ିଟି ଯେଉଁ ଦିଗରେ ଗତି କରୁଥିଲା, ତା’ର ବିପରୀତ ଦିଗରୁ କିଛି ତୀର୍ଥଯାତ୍ରୀଙ୍କୁ ପିଠିରେ ଧରି ଗୋଟିଏ ଅତି ପୁରୁଣା ଓ ରାସ୍ତା ପରମିଟ୍ ନ ଥିବା ପ୍ରାଇଭେଟ ଭଡ଼ାଗାଡ଼ି ରାତିଆ ଟ୍ରିପ୍ କରୁଥିଲା । ବିଶେଷଜ୍ଞମାନଙ୍କ ମତରେ ଡ୍ରାଇଭରମାନଙ୍କର ସମସ୍ତ ସତର୍କତାସତ୍ତ୍ୱେ ହଳେ ଅଣ୍ଡିରାମାଈ ପଶୁ ପରି ଗାଡ଼ି ଦୁଇଟା ପରସ୍ପର ଆଡ଼କୁ ଆକୃଷ୍ଟ ହେଲେ । ଡ୍ରାଇଭରମାନେ ଯଥା ସମୟରେ ବ୍ରେକ୍ ଦେଇଥିଲେ; କିନ୍ତୁ ଗାଡ଼ି ଦୁଇଟି ମୁହୂର୍ତ୍ତକ ମଧ୍ୟରେ ପରସ୍ପର ଆଲିଙ୍ଗନ ଭିତରେ ଛନ୍ଦି ହୋଇଗଲେ ।

Image

 

ମରୀଚିକା

ଶ୍ରୀମତୀ ରାଜେଶ୍ୱରୀ ଦଳ ବେହେରା

 

ସୂର୍ଯ୍ୟ ଦେବତାଙ୍କ ଆଡ଼େ ଆଞ୍ଜୁଳାକୁ ଟେକି ଆଖି ବୁଜିଲା ଅନିମା । ଶୀତ ସକାଳର ଖରା ଯେମିତି ଦେହକୁ ଛୁଇଁ ବି ଛୁଇଁ ପାରୁନି । ଉପରେ ନିସ୍ତବ୍ଧ ଆକାଶ....ତଳେ ପୁଣ୍ୟତୋୟା ନଦୀର ହେମାଳିଆ ପାଣି... ଏ ଯେମିତି ଆଉ ଏକ ଦୁନିଆ ! ଏ ଦୁନିଆକୁ ପାପ କଳୁଷିତ କରିନି-ଏ ଦୁନିଆରେ ଆଶା ଆଉ ନିରାଶାର ଦ୍ୱନ୍ଦ ନାହିଁ । ଦେବଦାସର କାନ୍ଧ ଉପରେ ହାତ ରଖିଲା ସେ-

 

-ଚାଲ...

 

ଦେବଦାସ ଯେମିତି ସ୍ଥାଣୁ ପାଲଟି ଯାଇଚି । ଦୂର ଦିଗ୍‍ବଳୟ ଆଡ଼େ ଅପଲକ ନୟନରେ ଅନେଇ ରହିଚି ସେ । ଦୂରରେ–ବହୁ ଦୂରରେ ଆକାଶ ଦେହରେ ଯେମିତି କିଏ ନାଲିରଙ୍ଗ ବିଞ୍ଚି ଦେଇଚି.... ଅନୂଢ଼ା କନ୍ୟାର ନାଲି ପଣତ ଭଳି- ଏ ସ୍ଵପ୍ନଭରା ମାଟି ଯୋଉଠି ଆକାଶକୁ ଛୁଇଁଚି, ସେଠିକି ଆଖି ନ ପାଇଲେ ବି ହାତ ଯୋଡ଼ିଲା ଦେବଦାସ । ଆଖିରେ ତା’ରି ତୃପ୍ତିର ଆନନ୍ଦ....

 

-କଅଣ ଦେଖୁଚ ?

 

ଆଖି ଫେରେଇଲା ଦେବଦାସ–ଦେଖୁତ ନଗ୍ନ ପ୍ରକୃତିକୁ ଆଉ ଭାବୁଚି ଯାତ୍ରା ଆମର ବିଫଳ ହେଇନି ।

 

ହସିଲା ଅନିମା-ଉହୁଁ–ୟେ ତ ଆମର ଯାତ୍ରାର ଆରମ୍ଭ ମାତ୍ର । ଆମର ଏ ଯାତ୍ରା ଯାଇ ସେଇଦିନ ସଫଳ ହବ, ଯୋଉଦିନ ଦେବୀ କାମାକ୍ଷା ଆମର ମନସ୍କାମନା ପୂର୍ଣ୍ଣ କରିବେ । ଦୀର୍ଘଶ୍ୱାସ ଛାଡ଼ିଲା ସେ । ତିନିଦିନ, ତିନି ରାତି ଧରି ଚଳନ୍ତା ରେଲଗାଡ଼ିର ଡବା ଭିତରେ ବସି ବସି ସେ ନିଜ ମନକୁ ଖାଲି ଏଇ ପ୍ରଶ୍ନ ପଚାରିଚି -ଯାତ୍ରା କଅଣ ତା’ର ସତରେ ସଫଳ ହେବ ? ବିଚରା ଦେବଦାସ ଅନିମା ମନରେ ସେ ଦୁଃଖ ଦେଇନି କେବେ । ସେଇଥିପାଇଁ ଅନିମାର ଅଳିକୁ ସେ ଏଡ଼ି ପାରିନି । ବିବାହର ସାତବର୍ଷ ପରେ ବି ଯେତେବେଳେ ଅନିମା ମା’ ହୋଇ ପାରିଲାନି ସବୁ ଡାକ୍ତର ଜ୍ୟୋତିଷ ଯେତେବେଳେ ହାର ମାନିଗଲେ, ଅନିମା ଶେଷ ଭରସା ରଖିଥିଲା ଦେବୀ କାମାକ୍ଷାଙ୍କ ଉପରେ । ନିଷ୍ଫଳ ମାତୃତ୍ୱର ପରାଜୟ ଗ୍ଲାନି ତାକୁ ତିଳ ତିଳ କରି ଦଗ୍ଧ କରୁଥିଲା ଆଉ ତା'ରି ଯନ୍ତ୍ରଣାରେ ଛଟପଟ କରୁଥିଲା ବିଚରା ଦେବଦାସ । ମୁହଁ ଖୋଲି ନ କହିଲେ ବି ଅନିମା ଅନୁଭବ କରୁଥିଲା, କେତେ ଆଘାତ ପାଉଚି ଦେବଦାସ । ଆଉ ସେଇଥିପାଇଁ ସେ ଦେବଦାସକୁ ମିନତି କରିଥିଲା–ମତେ ତମେ ନେଇଯିବ ଦେବୀ କାମାକ୍ଷାଙ୍କ ପାଖକୁ ? ଭାରି ପ୍ରସିଦ୍ଧ ଠାକୁରଣୀ ସେ । ଆଜିଯାଏ କେହି ଖାଲି ହାତରେ ଫେରିନି ତାଙ୍କ ପାଖରୁ ।

 

-କିନ୍ତୁ ଅଗନା ଅଗନି ବସନ୍ତ ଭିତରକୁ କଅଣ ତମେ ଯାଇ ପାରିବ ? ସେ ରାସ୍ତା ଯେ ବଡ଼ ଦୁର୍ଗମ । ନା ତମେ ପାରିବନି ।

 

-ପାରିବି । ଅନିମା ଜିଦି କରିଥିଲା । ପୁଅଟିଏ ପାଇବା ପାଇଁ ମୁଁ ସବୁକିଛି କରି ପାରିବି । ବ୍ୟର୍ଥ ମାତୃତ୍ୱର ଅଭିମାନ ତାକୁ କ୍ଷୁବ୍ଧ କରିଥିଲା । ଆହତ ହରିଣୀ ଭଳି ଯନ୍ତ୍ରଣାରେ ଛଟପଟ କରୁଥିଲା ସେ ।

 

ଆଉ ଆଜି ସେଇ ମନ୍ଦିର ବାହାରେ ଠିଆ ହୋଇ ଅନିମାର ଛାତି ଭିତର କମ୍ପି ଉଠିଲା-ମୋ' ମନର ଅଭିଳାଷ କ'ଣ ତୁମେ ପୂର୍ଣ୍ଣ କରିବନି ମା’ ? ଦେବଦାସର ହାତ ଉପରେ ହାତ ରଖି ସେ ମନ୍ଦିର ପାହାଚ ଉପରେ ଉଠିଲା–

 

-କିଏ, ଅନି ?

 

ଚମକି ଉଠିଲା ଅନିମା । ବହୁତ ଦିନ ତଳର ଚିହ୍ନା ଗଳାରେ ଯେମିତି କିଏ ତାକୁ ଡାକିଲା। ଏ ଗଳା ତା'ର ଅତି ଆପଣାର । କିନ୍ତୁ ଚିହ୍ନିବି ଯେମିତି ସେ ଚିହ୍ନି ପାରିଲା ନାହିଁ । ପଛଆଡ଼େ ତା’ର ଅସ୍ଥି କଙ୍କାଳସାର ଯୋଉ ଭଦ୍ରମହିଳା ଜଣକ ଠିଆ ହୋଇଛନ୍ତି, ସେ ତା’ର ଅତି ଆପଣ ହେଲେ ବି ଅନିମା ନିଜ ଆଖିକୁ ବିଶ୍ୱାସ କରି ପାରିଲାନି ।

 

ସେ ବହୁତ ଦିନ ତଳର କଥା । ସେତେବେଳେ ଅନିମା ୮/୯ ବର୍ଷର ହେଇଥିଲା । ଗାଁ ନଈରେ ଗାଧୋଉ ଗାଧୋଉ ଗୋଡ଼ ଖସି ଯାଇଥିଲା ତା’ର । ଆଉ ପାଣିରେ ବୁଡ଼ି ଯାଉ ଯାଉ ବି ସେ ମରି ନ ଥିଲା । ତାକୁ ପାଣି ଭିତରୁ ବଞ୍ଚେଇ କରି ନେଇ ଆସିଥଲେ ଯିଏ, ସିଏ ତା’ର ଲେଖା ଯୋଖାରେ ମାଉସୀ–ମୀନା ମାଉସୀ ।

 

ଭଗବାନ୍ ଦୁନିଆର ସବୁତକ ସୌନ୍ଦର୍ଯ୍ୟ ଯେମିତି ଠୁଳ କରିଦେଲେ ମୀନା ମାଉସୀ ପାଖରେ । ପିଲାବେଳେ ଅନିମା ମୁଗ୍ଧ ହୋଇ ଅନେଇ ଦେଖେ–ଗୋରା ତକ ତକ ମୁହଁ ଉପରେ ଅଲଗା ବାଳକୁ ବିଛେଇ ଦେଇ ଯେତେବେଳେ ମିନା ମାଉସୀ ହସନ୍ତି, ଠିକ ଆକାଶର ପରି ଭଳି ଦିଶନ୍ତି । ମଥାରେ ସିନ୍ଦୁର ଟୋପା, ଆଖିରେ କଜଳ । ଅନିମାକୁ ଲାଗେ ଯେମିତି ବୁଢ଼ୀମା କାହାଣୀର ରାଜକୁମାରୀ ଅଭିଶାପ ପାଇ ଜନ୍ମ ହେଇଛନ୍ତି ମୀନା ମାଉସୀ ରୂପରେ । ଯେତେ ଦେଖିଲେ ବି ଅନିମାର ଆଖି ଭରେ ନାହିଁ ।

 

କୋଳି ଖାଇବୁ ଅନି ? ମୀନା ମାଉସୀର ଗଛ ଚଢ଼ିବା ଗୋଟାଏ ସଉକି ଥିଲା । ଅନିମାକୁ ସାଙ୍ଗରେ ଧରି ସେ କୋଳି ତୋଳିବାକୁ ଯାଆନ୍ତି ଆଉ ଆଖି ପିଛୁଳାକେ ଗଛ ଉପରେ ଚଢ଼ିଯାନ୍ତି। ତଳେ ଜଗି ରହେ ଅନିମା । ମୁଗ୍ଧ ଆଖିରେ ଅନେଇ ରହେ–

 

-ଏଇ ହୁଣ୍ଡି, କଅଣ ସେମିତି ଦେଖୁଚୁ ? କୋଳି ଗୋଟା । ମୀନା ମାଉସୀ ଗଛଡାଳ ହଲାନ୍ତି । ଅନିମାକୁ ଡର ଲାଗେ । ନାଁ, ମୀନା ମାଉସୀ ତମେ ଓହ୍ଲେଇ ଆସ । ତମେ କାଳେ ପଡ଼ିଯିବ । ହସି ହସି ଗଡ଼ିଯାଆନ୍ତି ମୀନା ମାଉସୀ–ଦୂର୍, ଗଛ ଚଢ଼ିବା ଆଉ ନଈ ପହଁରିବାରେ ଆଜିଯାକେ କେବେ ହାରିଲାଣି ତୋ’ର ମୀନା ମାଉସୀ?

 

ସାହିରେ ସମସ୍ତେ ଚିଡ଼ାନ୍ତି ଅଣ୍ଡିରିଚଣ୍ଡୀ...

 

ନୂଆ ନୂଆ ବାହା ହୋଇଥାନ୍ତି ମୀନା ମାଉସୀ । ବହୁତ ବଡ଼ ଅଫିସର ତାଙ୍କ ସ୍ୱାମୀ । ବଡ଼ ସହରରେ ରହନ୍ତି । ତଥାପି ବି ମୀନା ମାଉସି କେଡ଼େ ସରଳ । ଟିକିଏ ବି ଗର୍ବ ନାହିଁ ମନରେ । ବେଳେ ବେଳେ ଅନିମା ପଚାରେ, ଏଡ଼େ ବଡ଼ ସହରରେ ରହୁଚ ମୀନା ମାଉସୀ, ଗାଁ ତମକୁ ଭଲ ଲାଗୁଛି ? ମୀନା ମାଉସୀ ତାର ଗାଲ ଚିପି ଦିଅନ୍ତି- ଯେତେବଡ଼ ସହରରେ ରହିଲେ ବି ବାପଘର କାହାକୁ ଭଲ ଲାଗେ ନାହିଁ ? ସହରରେ କଅଣ ଏଇ ନଈ ଅଛି ନା ଏଇ କୋଳି ଗଛ ଅଛି ? ତୁ ଯେତେବେଳେ ବାହା ହେଇଯିବୁ ସେତେବେଳେ ବୁଝିବୁ ।

 

ତା’ପରେ ଆଉ ଗୋଟାଏ ଥର ଦେଖା ହୋଇଥିଲା ମୀନା ମାଉସୀ ସାଙ୍ଗେ । ଛୋଟ ପୁଅକୁ ସାଙ୍ଗରେ ଧରି ସେ ଗାଁକୁ ବୁଲି ଆସିଥିଲେ । ତା'ପରେ–କେଜାଣି କେତେ ବର୍ଷପରେ ପୁଣି ଆଜି ଦେଖା । କିନ୍ତୁ ୟେତ ସେ ମୀନା ମାଉସୀ ନୁହଁ ? ୟେ ଯେମିତି ମୀନା ମାଉସୀର ପ୍ରେତାତ୍ମା । ଆଗେଇ ଆସିଲା ଅନିମା -ମୀନା ମାଉସୀ...

 

ଗୋଟିଏ ମୁହୂର୍ତ୍ତ ଅଟକି ଗଲା ସେ । ଓଠରେ ସେଇ ହସ–ଗାଲରେ ସେଇ କଟା ଦାଗ । ତା'ପରେ ଦି’ହାତରେ କୁଣ୍ଢେଇ ପକେଇଲା ସେ ।

 

-ମିନା ମାଉସୀ...ୟେ ତମର କଣ ହେଲା ? କଣ ହେଇଚି ତମେ ଚେହେରା ?

 

ଆଖି ଫେରେଇଲେ ମୀନା ମାଉସୀ-ଅନିମାର ପ୍ରଶ୍ନକୁ ଏଡ଼େଇ ଦେଲେ- ୟେ କଣ ଜୋଇଁ ଅନି ? ବାହାଘରକୁ ତ ଯାଇ ପାରିଲି ନାହିଁ, ଭଗବାନ୍ ଏଇଠି ଦେଖା କରେଇ ଦେଲେ ।

 

ଦେବଦାସ ପ୍ରଣାମ କଲା ।

 

-ଚିରଞ୍ଜିବି ହୁଅ ବାବା ।

 

ହସିଲା ଅନିମା-ଏଇ ମୋ’ର ସେଇ ମୀନା ମାଉସୀ, ଯିଏ ମତେ ପାଣି ଭିତରୁ ବଞ୍ଚେଇ ଥିଲେ । କହୁ ନ ଥିଲି ତମକୁ ? ବାବା ଏବେ ବି ମନେ ପଡ଼ିଲେ ରୁମ ଟାଙ୍କୁରି ଉଠୁଚି ?

 

ହସିଲା ଦେବଦାସ । ଆପଣଙ୍କ ବିଷୟରେ ବହୁତ ଶୁଣିଚି ଅନିମାଠୁ । ଖୁସି ଲାଗିଲା ଆପଣଙ୍କୁ ଦେଖି । ଆପଣ ଦିହେଁ ଗପ କରନ୍ତୁ । ମୁଁ ଆସେ ।

 

ମନ୍ଦିର ପାହାଚ ଉପରେ ବସିଲା ଅନିମା । କେତେଦିନ ପରେ ପୁଣି ଦେଖା, ନିଜ ଆଖିକୁ ସେ ବିଶ୍ୱାସ କରି ପାରିଲା ନାହିଁ । ବୁଢ଼ୀମା କାହାଣୀର ଅଭିଶପ୍ତ ରାଜକୁମାରୀ ମୀନା ମାଉସୀର ପୁଣି ଆଜି କାହା ଅଭିଶାପରେ ଏମିତି ହେଇଚନ୍ତି ? କଅଣ ଦୁଃଖ ମୀନା ମାଉସୀର ? ମୀନା ମାଉସୀର କାନ୍ଧ ଉପରେ ହାତ ରଖିଲା ସେ - ତମେ ଏକା ଆସିଚ ? ମଉସା କାହାନ୍ତି ? ଆଉ ତମର ସେ ପୁଅ ? ବହୁତ ବଡ଼ ହୋଇଯିବଣି ତ ଏବେ ? କୋଉଠି ଅଛି ସେ ?

 

ଆଖିରୁ ଲୁହ ପୋଛିଲେ ମୀନା ମାଉସୀ–ଜେଲ୍ ରେ ।

 

ଚମକି ଉଠିଲା ଅନିମା-ଜେଲରେ ? ମେ କଅଣ ଥଟ୍ଟା ଖେଳୁଚ ମୋ ସଙ୍ଗେ ?

 

ହଁ ମା' ୧୯ ବର୍ଷର ପୁଅ ଆଜି ମୋ’ର ଜେଲ୍‌ରେ । ନାରୀଧର୍ଷଣ ଅପରାଧରେ ତା’ର ଶାସ୍ତି ହେଇଚି ଜେଲ୍‌ଦଣ୍ଡ ।

 

ଅନିମା ସ୍ତବ୍ଧ ହେଇଗଲା । ମୀନା ମାଉସୀର ଗୋଟିଏ ବୋଲି ଅଲିଅଳ ପୁଅ, ନାରୀଧର୍ଷଣ ଅପରାଧରେ ଶାସ୍ତି ପାଇଚି ? ନା, ୟେ ହେଇପାରେ ନାଁ- ୟେ ମିଛ-ଅସମ୍ଭବ ।

 

କାନି ପଣତରେ ଆଖି ପୋଛିଲେ ମୀନା ମାଉସୀ -ଖାଲି ନାରୀଧର୍ଷଣ ନୁହେଁ, ମୋ’ ପୁଅ ଆହୁରି ଅନେକ ଅପରାଧ କରିଚି ମଦ ପିଏ, ଗଞ୍ଜାଇ ଖାଏ-ଟଙ୍କା ଚୋରିକରି ବେଶ୍ୟା ଘରକୁ ଯାଏ । ତିନ ତିନି ଥର ମାଟ୍ରିକ ପରୀକ୍ଷା ଦେଇବି ସେ ପାଶ କରିପାରିନି । ଦୁନିଆର ଏମିତ କୌଣସି ନିଶା ନାହିଁ, ଯାହା ସେ ନ ଜାଣିଚି । ସେ ଚରିତ୍ରହୀନ, ଚୋର, ନିଶାଖୋର ।

 

-କିନ୍ତୁ କାହିଁକି ସେ ଏମିତି ହେଲା ? ତମେ ତାକୁ ରୋକି ପାରିଲନି ?

 

ସେ ପ୍ରଶ୍ନର ଜବାବ ମୀନା ମାଉସୀ ଦେଲେ ନାହିଁ । ଦୂର ଦିଗ୍‍ବଳୟ ଆଡ଼େ ଅନେଇ ରହି ଯେମିତି ସେ ସ୍ଵପ୍ନ ଦେଖୁଥିଲେ...୨୦/୨୧ ବର୍ଷ ତଳେ ଏଇ ମନ୍ଦିରକୁ ଆସି ମା’ ପାଖେ ହାତ ପାତିଥିଲି ଗୋଟିଏ ପୁଅ ପାଇଁ - ମୋ’ କୋଳ ଭରିଦେବା ପାଇଁ । ମୋ’ କୁଳ ଉଜ୍ଜ୍ୱଳ କରିବା ପାଇଁ ସେଦିନ ଦେବୀଙ୍କ ପାଖେ ଗୁହାରି କରିଥିଲି । ସେଦିନ ଦେବୀ ମୋ’ ଡାକ ଶୁଣିଥିଲେ–ମୋ’ ଶୂନ୍ୟ କୋଳ ଭରି ଦେଇଥିଲେ । ଆଉ ଆଜି ପୁଣି ଆସିଚି ଦେବୀଙ୍କ ପାଖେ ହାତ ପାତିବା ପାଇଁ- ପୁଣି ଗୁହାରି କରି କହିବା ପାଇଁ, ‘ମୋ’ ବର ଫେରାଇ ନିଅ ମା-ମହୀଦାସ ଭଳି ନିଜ ବରରେ ମୁଁ ନିଜେ ଜଳିପୋଡ଼ି ମରୁଚି । ମତେ ମୁକ୍ତି ଦିଅ, ଶାନ୍ତି ଦିଅ ।

 

ମଉସା ଆଜି ତୋ’ର ଶଯ୍ୟାଶାୟୀ । ଡାକ୍ତର କହିଛନ୍ତି, ବେଶି ଦିନ ଆଉ ବଞ୍ଚିବେ ନାହିଁ ସେ । ସେଥିପାଇଁ ମୁଁ ଆଜି ଆସିଚି ମଉସାଙ୍କ ପାଇଁ ଗୁହାରି କରିବାକୁ । ଏ ମନ୍ଦିରରୁ କେହି ଖାଲି ହାତରେ ଫେରିନି, କେହି କେବେ ନିରାଶ ହୋଇନି । କଇଁ କଇଁ ହୋଇ କାନ୍ଦି ଉଠିଲେ ସେ । ଆଜି ମୁଁ ବଡ଼ ନିଃସହାୟ ମା’-ଏତେ ବଡ଼ ଦୁନିଆରେ ଆଜି ମୁଁ ଏକା । ମଉସାଙ୍କର କିଛି ହୋଇଗଲେ ମୁଁ ଆଉ ବଞ୍ଚିବି ନାହିଁ । କଅଣ ବା ନେଇ ବଞ୍ଚିବି କହ ? ଯାହାକୁ ନିଜର ସବୁ କିଛି ସ୍ନେହ, ମମତା ଢାଳି ମଣିଷ କରିବାକୁ ଚେଷ୍ଟା କରିଥିଲି ସେ ତ ଅମଣିଷ ହେଲା । ପଇସାର ପ୍ରାଚୁର୍ଯ୍ୟ, ମମତାର ପ୍ରାଚୁର୍ଯ୍ୟ ଆଉ ଶାସନର ଅଭାବ ତାକୁ ଭୁଲ ବାଟକୁ ନେଇଗଲା । ସେ କାହାରି ଭୁଲ୍ ନୁହେଁ ମା', ଭୁଲ ମୋ ଭାଗ୍ୟର । ମଉସା ଆଉ ମୁଁ ହାରିଗଲୁ । ସବୁ ପାଇ ବି ଆମେ କିଛି ପାଇଲୁ ନାହିଁ । ଆଜି ମୁଁ ଭାବୁଛି, ଧୂମକେତୁ ଭଳି ଯଦି ସେ ଆମ ଜୀବନରେ ଦେଖା ଦେଇ ନଥାନ୍ତା, ହୁଏତେ ମଉସା ଆଜି ଶଯ୍ୟାଶାୟୀ ହେଇ ନ ଥାନ୍ତେ–ହୁଏତ ଆମ ଚଲାବାଟ ଅଲଗା ହେଇଥାନ୍ତା ।

 

ସ୍ତବ୍ଧ ଅନିମା ଅନେଇ ରହିଥିଲା-ଆଖି ଆଗରେ ତା’ର ମୀନା ମାଉସୀର ପ୍ରେତ ଯେମିତି ବାହୁନି ବାହୁନି କାନ୍ଦୁଚି । ୟେ ଯେମିତି ଆଉ ଏକ ରୂପ । ସେ ଦିନର ଯୋଉ ମୀନା ମାଉସୀ ତାକୁ ପାଣି ଭିତରୁ ଆଣିଥିଲା, ସେ ୟେ ନୁହେଁ । ସେ ମରି ଯାଇଚି ଏଇ ମନ୍ଦିର ଚଟାଣ ଭିତରେ ତା’ର ସମାଧି ହେଇଚି । ଅନିମାର ଆଖି ଲୁହ ଛଳଛଳ ହେଲା । ମୀନା ମାଉସୀ ବି ମହୀଦାସ ଭଳି ନିଜ ବରରେ ନିଜେ ଅଭିଶପ୍ତ । ଆଉ ସେ ନିଜେ ? ସେ ବି ଆଜି ଆସିନି ଦେବୀଙ୍କ ପାଖେ ଗୁହାରି କରିବାକୁ–ତା କୋଳ ଭରି ଦବାକୁ । ସେ ବି କଅଣ ଏମିତି ଜଳି ପୋଡ଼ି ମରିବ ? ଆଖି ବନ୍ଦ କଲା ସେ-ହେ ଭଗବାନ, ୟେ କି ପରୀକ୍ଷାରେ ପକେଇଲ ତମେ ମତେ ?

 

ଦେବଦାସ ଫେରି ଆସିଲା–ଚାଲ ଅନି, ପୂଜାବେଳ ହୋଇ ଯାଉଛି । ଉଠିଲା ଅନିମା । ମୀନା ମାଉସୀର ପାଦ ଉପରେ ହାତ ରଖିଲା ସେ–ଦେବୀ ତମକୁ ଶାନ୍ତି ଦିଅନ୍ତୁ ମୀନା ମାଉସୀ-ମଉସା ନିଶ୍ଚୟ ଭଲ ହେଇଯିବେ ।

 

ସେଇ ଆଶା ନେଇ ତ ମୁଁ ଆସିଚି ମା’ । ଭଲ ହେଲା, ତମ ଦିହିଙ୍କ ସାଙ୍ଗେ ଦେଖା ହେଇଗଲା । ମନର ଭରା ମୋ’ର ଟିକେ କମିଗଲା । ଭଗବାନ ତମକୁ ସୁଖୀ କରନ୍ତୁ ।

 

ମନ୍ଦିର ଉପରକୁ ଚଢ଼ିଲା ଅନିମା । ସାରା ଦେହ ତା’ର ଥରୁଚି । ମୀନା ମାଉସୀର ଯେମିତି ଆଖିର ଲୁହ ଯେମିର ତାକୁ ଅବଶ କରି ଦେଇଚ ! କ ଭିକ୍ଷା ମାଗିବ ସେ ଦେବୀଙ୍କୁ ? ମନାମାଉସି ଯେମିତି ପୁଅଟିଏ ମାଗିଲା ? ନା-କି ସୁଖ ପାଇଲା ମୀନାମାଉସୀ ? ମାତୃତ୍ଵ ଆଜି ତାକୁ କଅଣ ଦେଇଚି ପ୍ରତିଦାନରେ ? କେତେଦିନ ଆଉ ବଞ୍ଚିବ ସେ ? ଅନିମାର ଅନ୍ତରାତ୍ମା ଥରି ଉଠିଲା । କିନ୍ତୁ ସେ ସେ ଯେ ମା’ହବାକୁ ଚାହେଁ । ମାତୃତ୍ୱ ତା’ର ଏବେ ବି କାନ୍ଦୁଚି । ନା, ତାର ପୁଅଟିଏ ଦରକାର । ଦେବଦାସ ଆଡ଼େ ଚାହିଁଲା ସେ- କିନ୍ତୁ, ମୀନାମାଉସୀ ଭଳି ପୁଣି ତାକୁ ଆସିବାକୁ ହବନି ତ ଏ ମନ୍ଦିରକୁ ? ମହୀଦାସ ଭଳି ସେ ଜର୍ଜରିତ ହବନି ତ ? ଦେବଦାସର ପାଖକୁ ଲାଗି ଆସିଲା । ସେ ଦେବଦାସ ହଉଚି ତା’ର ସର୍ବସ୍ଵ, ତା’ର ଇହକାଳ, ପରକାଳ ସବୁ । ସେ ଚାହେଁ, ଦେବଦାସ ଦୀର୍ଘଜୀବୀ ହେଉ । ଦେବଦାସର ହାତ ଉପରେ ହାତ ରଖିଲା ସେ ।

 

ମନ୍ଦିର ଭିତରେ ପହଞ୍ଚି ନିର୍ବାକ୍‍ ହୋଇ ଚାହିଁ ରହିଲା ଅନିମା-ଇସ୍, କି ଭୟଙ୍କର ମୂର୍ତ୍ତି । ଛାତି ଭିତରେ ତା’ର ଶିହରି ଉଠିଲା, ଆଖି ବନ୍ଦ କଲା ସେ । ଦେବୀଙ୍କର ସେ ଚାହାଣି ଯେମିତି ଜାଳିପୋଡ଼ି ଭସ୍ମ କରିଦବ ତାକୁ... ୟେ ପୁଣି କି ପରୀକ୍ଷା ମା ?

 

ପୂଜାରୀ ଆଗେଇ ଆସିଲେ–ଦେବଦାସ ହାତରେ ଫୁଲ ଦେଇ କହିଲେ–ଦେବୀଙ୍କୁ ବର ମାଗ ବାବା–

 

ନିଜକୁ ପ୍ରସ୍ତୁତ କରିନେଲା ଦେବଦାସ–ମୋର ପୁଅଟିଏ ଦରକାର...ଗଳା ତା’ର କମ୍ପି ଉଠିଲା ।

ମା’ ତମର ମନସ୍କାମନା ପୁର୍ଣ୍ଣ କରନ୍ତୁ । ଫୁଲ ଦେବଦାସ ହାତରୁ ନେଇ ପୂଜାରୀ ଦେବୀଙ୍କ ଆଡ଼କୁ ଆଗେଇଗଲେ ।

 

ହତବାକ୍ ଅନିମା ଅନେଇ ଦେଖୁଥିଲା - ମୀନାମାଉସୀର ଆଖି ଲୁହରେ ଯେମିତି ମନ୍ଦିରର ଚଟାଣ ଭିଜି ଯାଉଚି । ମୀନା ମାଉସି କଇଁ କଇଁ ହୋଇ କାନ୍ଦୁଛି ମୋ’ର ବର ଫେରାଇ ନିଅ ମା'–ମୋ’ ସ୍ୱାମୀଙ୍କୁ ବଞ୍ଚେଇ ଦିଅ ।

 

ମନ୍ଦିର ଭିତରର ମିଞ୍ଜି ମିଞ୍ଜି ଆଲୁଅରେ ଦେବଦାସକୁ ଯେମିତ ବଡ଼ ନିଃସହାୟ ଲାଗୁଥିଲା । ଅନିମା ଆହୁରି ପାଖକୁ ଲାଗି ଆସିଲା ଦେବଦାସର, ଦେବଦାସର କାନ୍ଧ ଉପରେ ହାତ ରଖିଲା ସେ ।

 

ଆଗେଇ ଆସିଲେ ପୂଜାରୀ । ହାତରେ ଦେବୀଙ୍କର ଫୁଲ-ତମର କଣ ପ୍ରାର୍ଥନା ମା ? ଦେବଙ୍କୁ ମାଗ । ଅନିମାର ହାତରେ ଫୁଲ ଦେଲେ ସେ । ଥରିଲା ହାତରେ ଫୁଲ ଧରିଲା ଅନିମା । ମନ୍ଦିର ଭିତରେ ଯେମିର ଭୂମିକମ୍ପ ହଉଚି । ଦେବୀଙ୍କର ଆଖିରୁ ନିଆଁ ବାହାରୁଚି ଆଉ ସେଇ ନିଆଁରେ ଜଳିପୋଡ଼ି ହୋଇ ଛଟପଟ କରୁଚି ମୀନାମାଉସୀ । କି ବର ମାଗିବ ସେ ? ମୀନା ମାଉସୀ ଯେଉଁ ବର ମାଗିଥିଲା ? ନା-

 

- ମୋ ସ୍ୱାମୀଙ୍କର ମଙ୍ଗଳ ହେଉ । ମୋର ମଥାର ସିନ୍ଦୁର, ହାତ କାଚ ବଜ୍ର ହେଉ । ଅନିମା ଥଙ୍ଗେଇ ଥଙ୍ଗେଇ କହିଲା ।

 

-ଅନି, ଅନିମାକୁ ହଲେଇ ଦେଲା ଦେବଦାସ- ରହିଗଲ କାହିଁକି ତମେ ? କୁହ, ତମର ଆଉ କଅଣ ଦରକାର ।

 

ଦେବୀଙ୍କ ସିନ୍ଦୂର ବୋଳା ମୁହଁ ଆଡ଼େ ଅନେଇ ଦେଖୁଥିଲା ଅନିମା–ଦେବୀଙ୍କ ମଥାର ସିନ୍ଦୂର ଦାଉ ଦାଉ କରି ଜଳୁଚି । ଓଠରେ ଏକ ହସ । ଆଉ କଅଣ ମାଗିବ ସେ ? ସାରା ଦେହ ତା’ର ଅବଶ ହୋଇ ଆସୁଥିଲା । କିଛି କହିବାକୁ ଚେଷ୍ଟା କରିବି ଯେମିତି ମୁହଁ ତା’ର ଖୋଲୁ ନାହିଁ । ସେ ଭାବିଲା ଚିତ୍କାର କରିବ । କିନ୍ତୁ ପାରିଲାନି ।

 

ଦେବୀ ତମ ମନୋବାଞ୍ଛା ପୂରଣ କରିବେ ମା’ । ଅନିମାର ହାତରୁ ଫୁଲ ନେଇ ପୂଜାରୀ ଚାଲିଗଲେ । ହତବାକ୍ ଦେବଦାସ ଅନେଇ ଦେଖୁଥିଲା ଅନିମାର ଆଖିରେ ଲୁହର ଜୁଆର । କିଛି କହିବ ବୋଲି ଯେମିତି ଅଟକି ଯାଇଚି ସେ-ୟେ ଯେମିତି ଆଉ ଏକ ଅନିମା-କାନ୍ଧ ଉପରେ ତା’ର ହାତ ରଖିଲା ଦେବଦାସ-ଛି ଅନି, .........

 

ଭାଙ୍ଗି ପଡ଼ିଲା ଅନିମା । ଦେବଦାସର କାନ୍ଧ ଉପରେ ମୁଣ୍ଡ ରଖି ସେ କଇଁ କଇଁ କରି କାନ୍ଦି ଉଠିଲା-ୟେ ସେ କଅଣ କଲା ? କାହିଁକି ଏମିତ ହେଲା ? ସାତବର୍ଷର ଜମାଟବନ୍ଧା ଅଭିମାନ ଗୁମୁରି ଗୁମୁରି କରି କାନ୍ଦୁଛି.... ସାତବର୍ଷର ସାଇତା ସ୍ଵପ୍ନ ମିଳେଇ ଯାଉଛି...ସେ ହାରିଗଲା-ଦେବୀଙ୍କର କୁହୁକଭରା ଚାହାଣି ପାଖରେ ସେ ହଜିଗଲା... ଅଗନା ଅଗନି ବନସ୍ତ ଭିତରକୁ ଆସି ସେ ଯେମିତି ବାଟବଣା ହୋଇଗଲ....

 

-ମୁଁ ପାରିଲି ନି–ଦେବଦାସର ଛାତି ଭିତରେ ମୁହଁ ଗୁଞ୍ଜିଲା ଅନିମା- ଯେଉଁଥିପାଇଁ ଏତେ ବାଟ ଧାଇଁ ଆସିଥିଲି, ତାକୁ ମୁଁ ମାଗି ପାରଲିନି । ମୋର ମୁହଁ ଯେମିତି କିଏ ଚାପି ଧରିଲା- ମୋ’ର ଯେମିତି ଶ୍ଵାସରୁଦ୍ଧ ହେଇଗଲା....ଦେବୀ ଯେମିତି ମତେ ବାକ୍‍ରୁଦ୍ଧ କରିଦେଲେ.....ଝରଝର କରି ଆଖିରୁ ତା’ର ଲୁହ ବୋହି ଆସିଲା ।

 

ମୁଣ୍ଡରେ ତା’ର ହାତ ରଖିଲା ଦେବଦାସ-ଦେବୀ ହୁଏ ଏଇଆ ଚାହିଁଥିଲେ....ଏଇଥିରେ ହୁଏତ ଆମର ମଙ୍ଗଳ.... ଅନିମାର ଆଖିରୁ ଲୁହ ପୋଛିଦେଲା ସେ - ଚାଲ ।

 

ନିଃଶବ୍ଦରେ ବାହାରି ଆସିଥିଲେ ସେମାନେ । ପଛରେ ମା’ କାମାକ୍ଷାଙ୍କର ମନ୍ଦିର ଭିତରୁ ଘଣ୍ଟଧ୍ୱନି ଶୁଭୁଥିଲା -

 

x x x ଠିକ୍ ବର୍ଷକ ପରେ ମଲା ପୁଅଟିଏ ଜନ୍ମ ହୋଇଥିଲା ଅନିମାର ।

Image

 

Unknown

ବାଉଁଶରାଣୀ

ଶ୍ରୀ ଅବନୀ କୁମାର ବରାଳ

 

-“ଖେଳ ସରିଲା ଝିଅ ?”

 

-“ହଁ ବା....ପା”

 

-“ଆଉ କେତେ ଅଛି ?”

 

-“ବହୁତ ଅଛି ବାପା”-

 

ଡମ୍ ଡମ୍, ଡମ୍ ଡମ୍ ଡମ୍–ବାଜିଉଠେ ଢୋଲ । ତାଳ ପକାଇ, ମାଙ୍କଡ଼ ଭଳି ଖୋପା ମାରି ମାରି ଚିକଣ, ହଳଦିଆ, ସିଧା ବାଉଁଶ ଉପରକୁ ଉଠିଯାଏ ଲବଙ୍ଗ: ଆଗରେ ବନ୍ଧା ହୋଇଥିବା ଅଡ଼ି ବାଉଁଶ ଉପରେ ଦି’ଗୋଡ଼ ଝୁଲାଇ ଦେଇ ବସି, ଆକାଶ କନ୍ୟା ଭଳି ଗୀତ ଗାଏ, ବାଉଁଶରାଣୀ ଲବଙ୍ଗ । ଗୀତର ତାଳେ ତାଳେ, ଏଥର ଉଠେ ତା’ର ସାନ ଭଉଣୀ ସୀତା । ସେ ବି ଆଉ ଗୋଟାଏ ଫାଳରେ ବସିଯାଏ ।

 

ତା'ପରେ ସେଇ ବାଉଁଶ ଖଣ୍ଡକରେ ଝୁଲିବାକୁ ଆରମ୍ଭ କରନ୍ତି ଦି’ଭଉଣୀ ଯାକ । ଲବଙ୍ଗ ଝୁଲି ଝୁଲି ରହେ । ସନ ଭଉଣୀ ତା ଗୋଡ଼ ଉପରେ ଦି’କାନ୍ଧ ଉପରେ ସିଧା ହାତ ଛାଡ଼ି ଛିଡ଼ା ହୁଏ ।

 

ଆଖି ଖୋସି ହୋଇଯାଏ, ମୁଣ୍ଡ ଘୁରାଇ ଦିଏ, କାନରୁ ପୁରୋହିତ ବ୍ରାହ୍ମଣର ଫୁଲ ଖସିପଡ଼େ ଉପରକୁ ଚାହିଁ ଚାହିଁ । ଗାଁ ଦାଣ୍ଡ ତାଳିରେ ତାଳିରେ କମ୍ପି ଉଠେ ।

 

ସୀତା ସର୍‍କରି ଓହ୍ଲାଇ ଆସେ । ଏଥର ଅଡ଼ି ବାଉଁଶ ଫିଟାଇ ତଳକୁ ଫୋପାଡ଼ି ଦେଇ, ବାଉଁଶ ଅଗରେ ଥିବା, ଗୋଲ ହୋଇଥିବା ଚକିଟାକୁ ନାହି ମୁଣ୍ଡରେ ଲଗାଇ, ତଳକୁ ମୁହଁ, ଓଜନିଆ ଛାତି, ଗୋଡ଼ କରି ଉପରକୁ ପିଠି କରି ଚିତ୍ ହୋଇ ରହେ ହାତ ଗୋଡ଼ ଛାଡ଼ି । ତା'ପରେ ଘୂରେ । ବହୁ ଜୋର୍‍ରେ-ଦି' କରିଆ ବେଣୀ ତା’ର ଫିଟିଯାଇ ଦୁଇଟି ସରୁ କଳାକାଠି ଭଳି ଦେଖାଯାଏ । ହାତ ଗୋଡ଼ ସବୁ ଛାଡ଼ିଦେଇ ଲବଙ୍ଗ ଘୂରିବୁଲେ ।

 

ତଳେ ମଇଳା ଲୁଗା କାନିରେ ପଇସା, ଚାଉଳ ଆଉ ବଡ଼ ବଡ଼ ହାଣ୍ଡିରେ କଂସା କଂସା ହୋଇ ଭାତ ଦେଇ ଯାଆନ୍ତି ଲୋକେ -ଗାଁକୁ ଗାଁ, ସାହିକୁ ସାହି, ବସ୍ତିକୁ ବସ୍ତି ଘୂରି ବୁଲନ୍ତି ସେମାନେ । ସାଜ ସରଞ୍ଜାମ ଧରି–ସାଙ୍ଗରେ ଥାଏ ବାରମିଶା ଚାଉଳ-ଡାଲି, ତେଲ ଲୁଣ, ହାଣ୍ଡି ସବୁକିଛି । ଆଜି ଏଠିତ କାଲି ସେଠି, ବାଜି ଉଠେ ବାଉଁଶରାଣୀ ଖେଳର ଢୋଲ ବାଜା । ଲୋକ ଜମା ହୁଅନ୍ତି - ଆକାଶକୁ ବାଉଁଶ ଉଠେ- ଆଉ ଉଠେ, ବାଉଁଶ ରାଣୀ ଲବଙ୍ଗ-

 

ମଣିଆଁ କେଳାର ମଝିଆ ଝିଅ ଲବଙ୍ଗ । ସବା ସାନଝିଅ ସୀତା ଆଉ ବଡ଼ଝିଅ ଝାମ୍ପ । ଝଙ୍କା ଆମ୍ବତୋଟା, କି ବଡ଼ ବଡ଼ ଗଛ, କୋଉଠି କୋଉ ଛୋଟ ଛୋଟ ସ୍କୁଲର ହତାରେ, ପଲାମାରି ସେମାନେ ରହନ୍ତି । ସୀତା, ଲବଙ୍ଗ, ଝାମ୍ପ ଆଉ ଢ଼ୋଲ ବଜେଇଲାବାଲା ଗଜା ଟୋକା ଦୀନୁଆକୁ ଧରି ମଣିଆଁ ଖେଳ ଦେଖାଇ ରୋଜଗାର ପାଇଁ ବାହାରି ଯାଏ ସକାଳୁ । ବୁଢ଼ୀ ରାନ୍ଧିବସେ ।

 

କୁନ୍ଦିକାନ୍ଦି ହୋଇ ଖେଳ କସରତ କରି ମଜବୁତ୍ ଝିଅଟି ଲବଙ୍ଗ । ବୟସ ବାଇଶି କି ତେଇଶି ହବ । ଦେହର ବର୍ଣ୍ଣ ଶ୍ୟାମଳ । ବଳିଲା ବଳିଲା ବାହାଖମ୍ଭ ପରି ଚିକ୍କଣ ଜଙ୍ଘ । ଆଖିରେ ଦି’ସରି କଜ୍ଜଳ ବହଳ କରି ନାଇଥାଏ ସେ । କପାଳରେ କଳା ଟିକିଲି, ଓଜନିଆ ଉଚ୍ଚ ଛାତିରେ, ଭିଡି ଭାଡ଼ି ପିନ୍ଧିଥାଏ ଦିପରସ୍ତର ଛିଟ କନାର ବ୍ଲାଉଜ । ଖେଳ କସରତ ଦେଖାଇବା ପାଇଁ ସୁବିଧା ହେବ ବୋଲି ।

 

ଖିଲି ଖିଲି ହୋଇ ମନ ଖୋଲି ହସି ହସି ଲୋଟିଯାଏ ଟାପରା ଥଟ୍ଟା ଶୁଣିଲେ-ଦେହରେ ଘେରେଇ ହୋଇଥିବା ଶାଢ଼ୀଟାକୁ ହୁସ୍ କରି କାଢ଼ି ଫୋପାଡ଼ି ଦେଇ, ଦୁର୍ ଦୁର୍ କରି ଚିକ୍କଣ ସଳଖ ବାଉଁଶ ଉପରେ ଚଢ଼ିଯାଏ । ସର୍କସ ଝିଅଙ୍କ ଭଳି ଭିତରେ ଚିପା ଛିଟକନାର ପ୍ୟାଣ୍ଟ ପିନ୍ଧିଥାଏ -ଜଙ୍ଘ ଉପରେ ଚାପି ହୋଇ ରହିଥାଏ ସେଇଟା–ଶହ ଶହ ଲୋଲୁପ ଶିକାରୀ ଆଖି ଘୁରି ଆସେ ତା’ର ହୃଷ୍ଟପୁଷ୍ଠ, ଲୋଭନୀୟ ଦେହ ଉପରେ । ଶିକାର ଦେଖିଲେ ବାଘ ଜିଭରୁ ଲାଳ ବାହାର କରି ଚାଟିଲା ପରି, ଲୋଭୀ ଆଖି ଥପ୍ ଥପ୍ ହୋଇ ଉଠେ ଥରେ ଦି'ଥର ।

 

ଯୌନ ଆବେଦନ କରିବା ପାଇଁ, ଜଣ ଜଣଙ୍କ ମୁହଁକୁ ଚାହିଁ ଆଖି ମାରିଦିଏ ଲବଙ୍ଗ । ବାଉଁଶ ଉପରେ ଥାଇ ପାଇବାର ଆଶାରେ, ଫୁଲିଯାଏ କାହା କାହା ଛାତି -ହାତ ଛାଡ଼ିଦେଇ ଲବଙ୍ଗ ସେଇଠୁ ଗୀତ ଆରମ୍ଭ କରେ “ଜଳ ଆଣି ଯାଇ କାଲି–। ଖୁବ୍ ଚଢ଼ା ଗଳାରେ । ଦୀନୁଆକୁ ଚାହିଁ ମୁରୁକି ମୁରୁକି ହସିଦିଏ - ପୁଣି ଗାଏ । ସୀତା ଉଠେ ଏଥର । ତେର ପୁରି ଆସିବା ସଙ୍ଗେ ସଙ୍ଗେ ସୀତାର ଛାତିର ହାଡ଼ୁଆ ଜାଗା ଗୁଡ଼ିକ ବି ପୁରି ପୁରି ଆସୁଛି । ଲାଜରେ ଲାଜରେ ସେ ଲୁଗା ଖୋଲେ–ଭୋକିଲା ଆଖି ଗୁଡ଼ାକ ଭ୍ରମରେ ଥରେ ବୁଜି ହେଲେ ପୁଣି ଖୋଲିଯାଏ । ନାଁ ସେ ସିଲ୍‍କିର ପ୍ୟାଣ୍ଟଟିଏ ପିନ୍ଧିଛି, ବ୍ଲାଉଜଟା ବି ସେଇଥିରେ । କିଏ ଦେଇଛି ବୋଧହୁଏ ।

 

ସୀତା ଉପରକୁ ଉଠିଯାଏ - ଖେଳ ଚାଲେ।

 

ଝାମ୍ପ ତଳେ ଖେଳ ଦେଖାଏ ବହୁ କିସମର । ତିରିଶ ପଇଁତ୍ରିଶ ହେବ ତାକୁ । ଟାଆଁସା, ରୁକ୍ଷ ଚେହେରା-କଜ୍ଜଳ ବୋଳା ଆଖି । ଚିକ୍କଣ କଳା ତେଲ ସରସର ଜୁଡ଼ା, ଉଚ୍ଚ ଛାତି ସବୁ ଭିତରେ ବି ଝାମ୍ପ କେମିତି ଉଗ୍ର ଦିଶେ । ଲାବଣ୍ୟଶ୍ରୀ ହଜି ଯାଇଛି ତା’ ଦେହରୁ ଯେମିତି ।

 

ମଣିଆଁ ବୁଢ଼ା ଆତ୍ମ ତୃପ୍ତିରେ ଥରେ ଝିଅଙ୍କୁ, ଥରେ ଗାମୁଛା ଉପରେ ପଡ଼ିଥିବା ଅଣି, ଦୋଅଣି ପଇସାର ସମାହାରକୁ ଦେଖେ । ନିଶ ସାଉଁଳାଏ ମ୍ୟାଜିକ ଦେଖାଏ–ହାତରେ ଲୁହା ବଲ ଗଡ଼ାଏ ।

 

ଆଗରୁ ସେଇ ବାଜା ବଜାଉଥିଲା । ଦୀନୁଆଁ ଏଇ ଦି' କର୍ଷ କି ଅଢ଼େଇ ବର୍ଷ ହବ ଜୁଟିଛି ଆସି । ତିରସ୍ତ ସାଲରେ । କି ଗାଁ ସେଇଟା କେଜାଣି । ଖେଳ ଦେଖାଇବାକୁ ଯାଇଥିଲା ମଣିଆ, ତା’ ଦଳ ଧରି । ବାପ ଛେଉଣ୍ଡ, ମା’ ଛେଉଣ୍ଡ, ଅରକ୍ଷିତ ଏ ଦୀନୁଆ ଜୁଟିଲା ଆସି । କେତେ କେତେ ସହର ସେ ବୁଲିଛି । କୋଉଠି କୋଉଠି ସବୁ ସେ ଚାକିରୀ କରିଛି । ବେଣ୍ଡ ପାର୍ଟିରେ ଥିଲା । କାହାଳୀ, ବିଗୁଲ, ଡ୍ରମ, ଢୋଲ, ସବୁ ବଜାଇ ଜାଣେ । ଗାଁକୁ କାହିଁକି କେଜାଣି ସିଏ ବି ଆସିଥିଲା - ତା’ ଜାତିପତି ତାକୁ ବି ଜଣା ନାହିଁ-କିଏ ଡାକେ ଦିଳୁ , କିଏ କହେ ଦୀନୁଁ, କିଏ ଦିଲ୍‍ବର ଏମିତି ସବୁ । ତେଣୁ କାହା ଆଗରେ ପଠାଣ, କାହା ଆଗରେ ବାଉରୀ, କୋଉଠି କେଳା-ସବୁ ସେ ।

 

ଖେଳ ଦେଖୁଥିଲା ସେ । ଆକାଶରୁ ଲବଙ୍ଗ ଆଉ ମାନଙ୍କୁ ଚାହିଁଲା ଭଳି ତାକୁ ବି ସେ ଗାଁରେ ଥରେ ଚାହିଁ ହସି ହସି ଆଖି ମିଟିକା ମାରିଥିଲା । ଦୀନୁଆଁ ବି ହସିଥିଲା ତାକୁ ଚାହିଁ ।

 

ତା'ପରେ କାହିଁକି କେଜାଣି, ଥର ଥର କରି ଲବଙ୍ଗର ଚାହିଁବାକୁ ଇଚ୍ଛା ହେଲା ସେଇ ଲେକଟାକୁ । ଦୀନୁଆଁ ତ ଆଖି ଫେରାଇଲା ନାହିଁ ।

 

ଟିକେ ହସି ଘସିହେଲା ଭଳି ହୋଇ ଲବଙ୍ଗ ଲୋକଙ୍କୁ ପଇସା ମାଗେ । ମାଗି ମାଗି ଆସି କାହିଁକି କେଜାଣି ତା’ ଆଗରେ ଅଟକିଯାଇ ହାତ ଦେଖାଇଲେ ବି ମୁହଁ ତଳକୁ କରିଦେଲା । ଆଖିପତା ନୁଆଇଁ ଦେଲା । ଉପରୁ ଏତେ ଚାହୁଁଥିଲା ଅଥଚ ଆଗରେ ସେଇ ଲୋକଟାକୁ ଦେଖି ଆଦୌ ଚାହିଁ ପାରିଲା ନାହିଁ ଲବଙ୍ଗ । ପାଖରେ ଯାହା ପଇସା ଥିଲା ପକେଟରୁ ସବୁକାଢ଼ି ଦେଇଦେଲା ଦୀନୁଆ ଲବଙ୍ଗ ହାତରେ, ଟିକେ ହାତଟା ଚିପିଦେଇ । ହସିଦେଇ ଆଗେଇ ଗଲାବେଳେ ଲବଙ୍ଗ କହିଲା “ଉପାସ ରହିବୁକିରେ ବାବୁ ?” ଜବାବ ଦେଇ ଦୀନୁଆ ହସରେ କେବଳ ଜବାବ୍ ଦେଇଥିଲା -

 

କ’ଣ ହେଲା କେଜାଣି ଅକସ୍ମାତ ସଂଧ୍ୟାରେ ମଣିଆଁ ଦେଖିଲା ବେଶ୍ ଫିଟ୍‍ଫାଟ୍ ଗୋଟାଏ ଜୁଆନ୍ ଟୋକା ଆସି ତା’ ଆଗରେ ପହଂଚି କହୁଚି–"ସର୍ଦ୍ଦାର ମୋତେ ତୋ ସାଥିରେ ରଖିବୁ ? ଦଳରେ ମୁଁ ବି ତୋ ସାଥିରେ ଦେଶ ଦେଶ ବୁଲିବି, ବାଜା ବଜେଇବି...ସବୁ ରକମ ବାଜା ଜାଣେ ।''

 

ବାଜା ବଜାଇବା ପାଇଁ ଗୋଟାଏ ଅଲ୍ୟା ଲୋକ ରଖିବା କଥା କେବେ କଳ୍ପନା କରିଥିଲା, ବାଉଁଶ ରଜା ମଣିଆଁ । ଜବାବ ଦେଲା । ‘ପଇସା କାଇଁରେ’ “ଆରେ ପଇସା କଣ ସର୍ଦ୍ଦାର–ଖାଇବି ପିଇବି ହାତଖର୍ଚ୍ଚ ଦବୁ ତୋ ପୁଅ ଥିଲେ କ’ଣ କରନ୍ତା ନାହିଁ ଏଇଆ–’’

 

ମଣିଆଁ ଭାବିଲା ମନେ ମନେ....ତିନିଟା ଟୋକି, ଗୋଟିଏ ବୁଢ଼ୀ ଏମାନଙ୍କୁ ନେଇ ତା’ର ଏ ବୟସରେ କେତେଦିନ ଆଉ ଚଳେଇବ ସେ ? ଅନେକ ଅସୁବିଧା...ସାଙ୍ଗରେ ଜଣେ ଥିଲେ କେତେ ହିମ୍ମତ । ଆଉ ସେ ।

 

ସେଇଦିନୁ ଦିନୁଆଁ ଢୋଲ କାନ୍ଧରେ ପକେଇ ଲୁଙ୍ଗି ପିନ୍ଧି, ହାୱାଇ କାନ୍ଧରେ ଝୁଲାଇ ଗାଁକୁ ଗାଁ, ସହରକୁ ସହର ଘୂରି ବୁଲୁଚି । ନିତି ନିତି ସଂଧ୍ୟାରେ ଗଛମୂଳେ ଶୋଇରହି, ହାତ ତିଆରି ଗୋଟା ବାଉଁଶ ବଇଁଶୀ ବଜାଇ ବଜାଇ, ବୁଢ଼ୀ କେତେବେଳେ ରାନ୍ଧିସାରି ଡାକିବ ଅପେକ୍ଷା କରିଛି । ମଣିଆଁର ହୁକୁମ ଚାକର ଭଳି ପୁଅଭଳି ମାନି ଆସିଛି । ଦିନେ ଦନେ ରାତିରେ ବୁଢ଼ୀ କହେ, “ଏ ଗୁଡ଼ାଙ୍କୁ କାହାକୁ ଗଡ଼େଇ ଦେଇ ଦଳ ଭାଙ୍ଗିଦବା ରେ".....କିନ୍ତୁ ଚଳିବ କେମିତି ? ଏମିତି ଭାବି ଭାବି ଝାମ୍ପକୁ ତିରିଶ କି ପଇଁତ୍ରିଶ ହେଲାଣି.... ଲବଙ୍ଗ ଏଡ଼େଟାଏ ହେଲାଣି । ସୀତା ବଢ଼ି ବହାଣି । ନାଁ ସେ କାହାରିକୁ ବାହା କରିବ ନାହିଁ । ମଲାପରେ ଯିଏ ଯୁଆଡ଼େ ଯାଆନ୍ତୁ....ତା’ର କ'ଣ ଅଛି ସେଥିରେ ?

 

ବେଳେ ବେଳେ ମଣିଆଁ ଶୁଣିନି, ଲବଙ୍ଗ ଆଉ ଝାମ୍ପ କଥାବାର୍ତ୍ତା ହବାର- ‘କେତେ ଦିହ ଦେଖାଇ, ରୋଜଗାର କରି ବୁଢ଼ା ବୁଢ଼ୀକୁ ପୋଷିବା ଲୋ ?' -ଖେଳରୁ ଓହ୍ଲାଇ ଆସି ସେମିତି ଖାଲି ଚିପାପ୍ୟାଣ୍ଟ କି ଆଉ ବ୍ଲାଉଜ୍ ପିନ୍ଧି ପଇସା ମାଗିଲେ ବେଶି ପଇସା ହୁଏ । ନିଜେ ଝାମ୍ପ ସେମିତି ଗଲେ ବି ଲବଙ୍ଗ ନଯିବାକୁ ମନା କରୁଥିଲା ସେ । ‘ଲୁଗାଟା ଘେରେଇ ହୋଇପଡ଼ି ଯାଉ ?’ -

 

‘‘କି, ଦେଖିଲେ ଗିଳି ପକଉଛନ୍ତି କି ତମକୁ ସବୁ ?" କହି କହି ପେଲି ପଠେଇଛି ମାଣିଆ ତାକୁ ! ଏବେ ଆଉ ଲାଜ ସରମ ନାହିଁ । ଲବଙ୍ଗର, ଦିହ ଦେଖା ତ ବେଉସା -ଆଖି ମରାତ ପେଶା । ସେଇ ବାପାତ ଶିଖାଇଚି ଏତେକ । ସରମ କାହିଁକି ? ବେଳେ ବେଳେ ଉଆଡ଼ରେ କିଏ କିଏ ଗାଲରେ, ପିଠିରେ ହାତ ମାରିଦେଲେ କି ହାତ ଚିପିଦେଲେ ବି କିଛି କହେନାଁ ସିଏ । ଝାମ୍ପ ଅପା କହିଛି, ସମସ୍ତେ ତାକୁ ବି ଏମିତି କରୁଥିଲେ । ସୀତାକୁ ବି ଏମିତି କରିବେ । ବାପା ତାକୁ ଏସବୁ ମାନିନବାକୁ ଶିଖାଇଚି ।

 

-‘ଖେଳ ଦେଖିବାକୁ କେହି ଆସନ୍ତିନି’ ହୋ । ଆସନ୍ତି ଆମର ପୂରିଲା ପୂରିଲା ଛାତି, ଦିହ, ପିଚା ଦେଖିବାକୁ–ଝୁମ୍ପା କହିଚି ତାକୁ ।

 

ମଝିରେ ମଝିରେ ଝାମ୍ପ ଅପା କାନ୍ଦୁଥିଲା ରାତିରେ-କାହିଁକି କେଜାଣି ? ଏବେ ଆଉ କାନ୍ଦୁନାହିଁ । ଲବଙ୍ଗ ଦେଖିଚି । ସେଇ ଯୋଉ ଜଗୁଆ ବୋଲି ଟୋକା, ମାନପୁରରେ ଜୁଟିଥିଲା -ପିଛା ଧରିଥିଲା । ଖାଲି ଝୁମ୍ପା ଅପା ତା’ ସାଙ୍ଗରେ ମିଶିଲେ ବେଶ୍ ଥଟ୍ଟା ନକଲ କରେ-ହସେ । ଖୁସିରହେ ଦିନେ ଲବଙ୍ଗ ଦେଖିଛି, ସେଇ ମାନପୁରରେ ଥିଲାବେଳେ ଏକାକୀ, ସଂଧ୍ୟାବେଳେ ତୋଟା ସେକଡ଼େ, ଜଗୁଆ ଝାମ୍ପପାକୁ ଛାତିରେ ଚାପିଧରି ଚୁମା ଦଉଥିଲା ଆଖି ଗୁଲୁ ଗୁଲୁ କରି ଝୁମ୍ପା ତାକୁ ଚାହିଁ ରହିଥିଲା ଭାରି ଖୁସିରେ ୟାକୁ ଦେଖି ଛାଡ଼ି ଛୁଡ଼ି ଦେଲେ ଦିହେଁ ଦୁହିଁଙ୍କୁ ।

 

ତା'ପରେ କ'ଣ ହେଲା କେଜାଣି, ବାପା ଦିନେ ପିଟିଲା ଅପାକୁ । ଲବଙ୍ଗ କଥାଟା ବୁଝିଲେ ମଧ୍ୟ ବୁଝେନାହିଁ । ଜଗୁଆ ଆଉ ଆସିଲା ନାହିଁ ! ଦାଢ଼ୁଆ ଫାର୍ସା ଧରି ମଣିଆ ଜଗିଲା ତାକୁ ହାଣିଦେବ ବୋଲି, ଆଉ କାହିଁକି ଲୁଚି ଛପି ବି ଆସୁନାହିଁ ସେ । ଦୀନୁଆର ସେଇ ଅବସ୍ଥା ହବ ନାହିଁ ତ ! ମଣିଆ ତାକୁ କିନ୍ତୁ ଭାରୀ ସୁଖ ପାଏ ।
 

ଲବଙ୍ଗ ବୁଝିପାରେନା, ଝୁମ୍ପା ଅପା ଭୁଲ କଣ କଲା ? ତା’ ମନତ କହେ, ସେମିତି ଦୀନୁଆ ଠୁଁ ବୋକ ଖାଇବାକୁ । ତାକୁ ଛାତିରେ ଚାପିଧରି ଏକାକାର ହୋଇଯିବାକୁ । କୋଉଠି ଭୁଲ ?

 

କାହିଁକି, ସେ ତୁଚ୍ଛାଟାରେ ନଙ୍ଗଳା ଦିହ ଦେଖାଇ ପଇସା ଅର୍ଜିବ ? ଏଇ ବୁଢ଼ୀ ପାଇଁ ? ସିଏ ଚାଲିଗଲେ ତ ଅବିକା ସବୁ ମାନ୍ଦା ହୋଇଯିବ ଖେଳ, ପୁଣି ଚାରି ପାଞ୍ଚବର୍ଷ ଯାଏ ସୀତା ତା’ରି ଭଳି ହବାକୁ, ଅପାତ ପାରିବ ନାହିଁ । ଆଉ, ତା’ ଦିହ ଭାଙ୍ଗି ଯାଇଚି ବାଧିକିରେ-ତା’ ଛଡ଼ା ଲୋକେ ବି ସେ ଖେଳ ଦେଖାଇଲେ ପଛ ବୁଲି ଚାଲିଯାଉଛନ୍ତି ।

 

ସେଇଥିପାଇଁ ଝୁମ୍ପାଅପା, ଦିନେ କାନ୍ଦିବାର ବି ଦେଖିଛି ଲବଙ୍ଗ ।

 

ଦୁଇ ଚାରି ଜାଗାରେ ଖେଳ ଦେଖାଇ ଦେଖାଇ ଥକି ଯାଇଛନ୍ତି ସଭିଏଁ । ସଞ୍ଜ ଅନ୍ଧାର ଭେଦି ଆମ୍ବ ଗଛ ଫାଙ୍କରୁ ଉଠୁଚି ତାଳପତର ଜାଳର ଧୂଆଁ । ମିଞ୍ଜି ମିଞ୍ଜି ହୋଇ ଦିଶୁଚି, ଚୁଲିର ଆଲୁଅ । ମଣିଆଁ ଥକା ମାରି ଗଡ଼ିଯାଇଛି ।

 

ତୋଟା ସେ ମୁଣ୍ଡରେ ଗୋଟାଏ କନା ବୁଜୁଳାଦେଇ, ଗଛ ମୂଳଟିରେ ଗଡ଼ିପଡ଼ି ଦୀନୁଆଁ ବଇଁଶୀ ବଜାଉଥିଲା-ନିତି ନିତି ଛପି ଛପି, ପାଦ ଚାପି ଚାପି ଲବଙ୍ଗ ଆସେ ତା’ ପାଖକୁ, କୋଳରେ ତା’ର ମୁଣ୍ଡ ରଖି ଅସରନ୍ତି କଥା କହିଯାଏ । ଚୁମା ଚୁମାରେ ଛାଇଦିଏ ଦୀନୁଆଁ ତା’ର ମୁହଁକୁ । ନାଁ, ହେଲେ କେବେ- ହେଲେ ଧରାଦିଏନି ଲବଙ୍ଗ ।

 

ଦିନରେ ଖେଳ ଦେଖାଇଲା ବେଳେ, କାହିଁକି କେଜାଣି ତାକୁ ସେଦିନ, ଦେଖଣାହାରୀଙ୍କର ଟାପରା, ମସ୍କରା, ଥଟ୍ଟା -ନକଲ ଭଲ ଲାଗିନଥିଲା । ତା’ର ମନେ ପଡ଼ୁଥିଲା, ଜୀବନସାରା କ’ଣ ସେ ଏମିତି ଦେହ ଦେଖାଇ ଦେଖାଇ ବଞ୍ଚିଯିବ ? ତାର ଆଉ କ’ଣ କିଛି ନାହିଁ ? କେତେଦିନ ନିଆଁ ଭିତରେ ଖେଳି, ଖେଳି ନିଆଁଠାରୁ ଦୂରରେ ରହିବ ? ସିଝି ପୋଡ଼ି, କଇଁଆ ହୋଇଯିବା ସାର ହେବ ସିନା ? ସେଇ ନିଆଁ ତା’ଦେହ, ମୁଣ୍ଡ, ଜାଳୁଥିଲା ସେଦିନ । ଜଳିପୋଡ଼ି ନ ସିଝି ଯାଇ, ପାଉଁଶ ହୋଇଯିବାକୁ ଚାହୁଁଥିଲା ସେ ।

 

ଗତକାଲି ରାତିରେ ଝାମ୍ପ କହୁଥିଲା, ଲବଙ୍ଗ ଲୋ, ତୋ ଦୀନୁଆକୁ ନେଇ ପଳେଇଯା, କୁଆଡ଼େ, ଯୁଆଡ଼େ ଦି' ଆଖି ପାଇବ–ଖାଇବାକୁ ନ ମିଳିଲେ ବି ମୁହଁରେ ତୋ’ର ହସ ଫୁଟିବ–ଦି’ ବାହା, ଦି’ ପାଦ ଥିବା ଯାକେ, ସଳଖ ବାଉଁଶ ଖଣ୍ଡେ ତ ମିଳିବ ! ଦୀନୁଆ ବଜେଇବ ତୁ ବାଉଁଶରାଣୀ ନାଟ ଦେଖାଇବୁ ଯା’ ପଳେଇଯା–ନହେଲେ ମୋରି ଭଳି ହବୁ ! ପର କଟିଗଲେ, ବଅସ ଖସିଲେ, ଆଉ ରସିବ କିଏ ? ପଲେଇବୁ କୁଆଡ଼େ ? ଯୁଆଡ଼େ ଦି’ ଆଖି ପାଉଚି ପଳା !"

 

ଭାବି ଭାବି ରାତିସାରା ଆଖିକୁ ନିଦ ଆସିନି ଲବଙ୍ଗର, ଅଜଣା ଏକ ପୁଲକ, ରହି ରହି ଆସି ତାକୁ ଆତ୍ମହରା କରିଛି ଏକ ଅଚିହ୍ନା ଉନ୍ମାଦନା ତାକୁ ଅବଶ କିରିଛି । ନିଦ ଭାବନାର ସେ ମୋଲାଏମ ସୁନ୍ଦର ଦୁନିଆର ସ୍ଵପ୍ନରେ ବିଭୋର ହୋଇ, ନିଜେ ନିଜେ ରହି ରହି ହସି ଉଠିଛି ସେ । ଆମ୍ବତୋଟା, ଛାଇ ଛାଇକିଆ, ଛାଇ ଭଳି ଚେନା ଚେନା ଆକାଶ, ଚାଲୁଣୀ ଭଳି ଛୋଟ ଛୋଟ ତାରାଚୂନାର ମିଂଜି ମିଂଜି ଆଲୁଅ, ଏକାକୀ ଲବଙ୍ଗକୁ ବିଭୋର ଉନ୍ମୀଦ୍ର କରି ରଖିଛି ଏକ ଅତୀନ୍ଦ୍ରିୟ କଳ୍ପନାର ସୁନାପୁରୀକୁ ଟାଣିନେଇଛି ଯେଉଁଠି ଦୀନୁ ଆଉ ତା’ ବୁଢ଼ା କେହି ନାହାନ୍ତି । କାନ୍ଧରେ ଢୋଲ, ହାତରେ ବାଉଁଶ ଧରି ଆଗେ ଆଗେ ଚାଲୁଚି ଦୀନୁ ଆଉ ପଛେ ପଛେ, ସାଜ ସରଞ୍ଜାମ ଧରି ସେ ଖେଳ ଦେଖାଇ ଦେଖାଇ ଅବଶ, କ୍ଲାନ୍ତ ମନ ନେଇ କେଉଁ ସେ ଏମିତି କୋଉଠି ଛୋଟ ପଲା ମାରି ଚାଉଳ ଫୁଟାଇ ଦେଉଛି ।

 

ବାସ୍.....ତା’ପରେ.....ତା’ପରେ ନିଦ....ରାତି....ସୁନାପୁରୀ କେତେ କ'ଣ !

ଦୀନୁଆ ଛାତିରେ ମୁଣ୍ଡରଖି ଶୋଇ ଶୋଇ ଲବଙ୍ଗ ଭାବୁଥିଲା, ତାକୁ କହିବ କିମିତି ବୋଲି । କିମିତି ମା’ ଆଗରେ ଆତ୍ମନିବେଦନ କରି କହିବ ଚାଲ୍ ପଳେଇବା ଚାଲ୍ ବୋଲି ?

 

ଲବଙ୍ଗ ମୁଣ୍ଡରେ ହାତ ବୁଲାଇଦେଇ, ଦୀନୁଆ ନୀରବରେ ବଇଁଶୀରେ ଆଉ ଗୋଟାଏ ରାଗିଣୀ ବଜାଇ ଚାଲିଲା । ସ୍ଵଭାବତଃ ବଡ଼ ଗମ୍ଭୀର ସେ । ହୁଏତ ସେ ବି ଏମିତି ଗୋଟାଏ ଅନାଗତ ଶୁଭ ଦିନକୁ, ପ୍ରତ୍ୟେକ ମୁହୂର୍ତ୍ତ ଦେଇ, ଦଣ୍ଡେ ଦେଇ ପ୍ରତୀକ୍ଷା କରୁଥିଲା–ତା’ର ଲୋମକୂପରେ ଲବଙ୍ଗ ପାଇଁ ଅପେକ୍ଷା ସଞ୍ଚିତ ହୋଇ ରହିଥିଲା । ମାତ୍ର ଲବଙ୍ଗ ଚାହିଁଲେ ନୁହଁ !

 

‘ଏ’ କେମିତି ଆଜି ଖେଳ ହେଲାରେ ?’ ଲବଙ୍ଗ ସବୁଦିନ ଭଳି ପଚାରିଲା-

 

‘ଭଲ’-ଖାମଖିଆଲ ହୋଇ ଉତ୍ତର ଦେଲା ଦୀନୁଆ, ‘ତୋତେ ଭଲଲାଗେ ନାଁ ରେ ?’

 

‘ହଁ, ସବୁଦିନେ ଦେଖି ଦେଖି ଆଉ ଏବେ ବିଶେଷ ଭଲ ଲାଗୁନି–ତୁ' ବୋଲି ଦେଖୁଚି ବସି ବସି-

 

‘ଯାବେ, ହଜାର ଲୋକ ଦେଖିଛନ୍ତି ଭଲଲାଗୁଚି ଆଉ, ତତେ ଲାଗୁନାହିଁ ? -ଲବଙ୍ଗ ଏମିତି ହିଁ କହେ ତାକୁ ।

 

‘ବାପା କ'ଣ କହୁଥିଲ ?’ - ଦୀନୁଆ ପଚାରେ ‘କୋଉ କଥା?’–

 

‘ନାହିଁ, ଏମିତି, କ’ଣ ସବୁ କହୁଥିଲା’–

 

‘ସିଏ ହାଣ୍ଡିଆ ପିଇ ଘୂମାଉଚି ଗଛମୂଳେ'-

 

ପ୍ରତ୍ୟେକ ପଦ କଥାକହି ଲବଙ୍ଗ ଭାବୁଥିଲା, କେମିତି ପ୍ରସ୍ତାବ ଦେବ ନିଜର-

 

ସୀତା, ବାପା, ମା, ଝୁମ୍ପା ଅପାର ଲୁହଭିଜା ଆଖି ସବୁ ଛାଡ଼ି ଏ ଭିନ୍ନ ଦେଶୀ ଟୋକା ସଙ୍ଗେ ସେ ପଳାଇବ ?

 

ସେଇଠି, ଦୀନୁଆଁ ଛାତିରେ ମୁଣ୍ଡ ଦେଇ ମନରେ ତାର ଦ୍ୱନ୍ଦ, ଦ୍ଵିଧା ବଢ଼ି ଉଠିଲା କେମିତି-

 

ତୋଟା ସେପାରିରୁ ଚିରୁଗୁଣୀ ଆଲୁଅ ଦିଶୁନି କି କ’ଣ ମିଂଜି ମିଂଜି ହୋଇ । ଅଂଧାର ଘନେଇ ଆସିଲାଣି । ପହିଡ଼ିକିଆ ବିଲୁଆ ଡାକିଲେଣି । ଗାଁ ଦାଣ୍ଡରେ କିଏ ଜଣେ ଜଣେ ଭୁଟୁରୁ ଭାଟର ହୋଇ ଆଗେଇ ଯାଉଛନ୍ତି ସବୁ ।

 

କିମିତି ଅଚିହ୍ନା ଲାଗିଲା ତାକୁ ଏ ଦୀନୁଆଁ -କାହିଁକି ସେ ବା ଭାର ନବ ଲବଙ୍ଗର ? ଲକ୍ଷେ ଲୋକ ଯେମିତି, ଆଖିରେ ସରାଗ ମାରିବାକୁ ୟା’ର ବା ତା'ଠାରୁ ଅଲଗା କ'ଣ ଅଛି ?

 

ରାତି ଧୀରେ ଧୀରେ ବଢ଼ି ଚାଲିଛି । ଅନ୍ଧାର ଏଥର ଘନୀଭୂତ ହେଲାଣି ଆମ୍ବଗଛ ଗୁଡ଼ିକୁ ବଢ଼େଇ ବଢ଼େଇ ।

 

ଅକସ୍ମାତ୍ ଲବଙ୍ଗକୁ ଲାଗିଲା ଯେମିତି ଗୋଟାଏ ଭୂତ, ଗୋଟାଏ ଅଶରୀର ଛାତିରେ ମୁଣ୍ଡ ରଖି ଶୋଇଛି ସେ, ତା’ର ଛାତିରେ ନିଃଶ୍ଵାସ ନାହିଁ–ହୃଦୟରେ ସ୍ପନ୍ଦନ ନାହିଁ । ଗୋଟାଏ ଶବକୁ ଜାବୁଡ଼ି ଧରିଛି ସେ । ନା ସେ ବାଉଁଶରାଣୀ ସେ ଦିଗରେ–ଜଣକର ହୋଇ ପାରେନାଁ...

 

ଦୂରରୁ ଶୁଭିଲା, ମଣିଆଁ ଡାକୁଚି ‘ଲ...ବଙ୍ଗ...ଲୋ ? 'ଦୀନୁଆଁ....ରେ’...

 

ଦୀନୁଆ ଉଠୁ ଉଠୁ ଛାଟିପିଟି ହୋଇ, ସେଇ ଅନ୍ଧାରିର ତୋଟା ଭିତରେ ଧାଇଁ ଚାଲିଲା ଲବଙ୍ଗ ମଣିଆର ଡାକ ବାରି -ପଲା ଆଡ଼କୁ ବିସ୍ମୟରେ ସେଇ ଘନୀଭୂତ ଅନ୍ଧାରରେ ଆଖି ଫାଡ଼ି ଚାହିଁ ରହିଥିଲା ଦୀନୁଆ–

ଅନେକ କଥା ବାକି ଅଛି ତା’ର କହିବାକୁ ବାଉଁଶରାଣୀକୁ....ବହୁତ କଥା ଶୁଣିବାକୁ ବି ଅଛି।

 

ଅନ୍ଧାରିଆ ତୋଟାଟା ଭିତରୁ କେବଳ ଖସ୍ ଖସ୍ ଛଡ଼ା ଅଉ କିଛି ଶୁଭୁନାହିଁ । ଗୋଟାଏ ନିଷ୍ଫଳ ବେଦନାରେ, ସାରା ରାତିଟା ଗୁମୁରି ଉଠୁଚି ଯେମିତି ।

Image

 

ବିପ୍ଳବର ଅନ୍ୟ ନାମ

ଶ୍ରୀ ଦଶରଥ ସାମଲ

 

ସୁବର୍ଣ୍ଣପୁର ହରିଜନ ବସ୍ତିରୁ ସେଦିନ ହଠାତ୍ ଗୋଟିଏ ଶୋଭଯାତ୍ରା ବାହାରି ଗାଁ ଶେଷମୁଣ୍ଡ ପଡ଼ିଆ ଦିଗଦାଣ୍ଡିରେ ଅଟକିଗଲା । ସେଇ ଶୋଭାଯାତ୍ରାରେ ଯେଉଁସବୁ ସ୍ଲୋଗାନ୍‌ ଦିଆଯାଉଥିଲା, ତାହାର ଧ୍ଵନି କ୍ରମଶଃ ସାରା ଗାଁକୁ ସଂକ୍ରମିତ କଲା ।

 

ଦିଗଦାଣ୍ଡି ପଡ଼ିଆରେ ଏକ ନାଲି ରଙ୍ଗର ପତାକା ଜ୍ୟେଷ୍ଠ ମାସର ସକାଳ ପବନରେ ପ୍ରଥମଥର ଉଡ଼ୁଥିବାର ଦେଖି ଗାଁ ଲୋକେ ଆଚମ୍ବିତ ହୋଇଗଲେ ।

 

ଦିଗଦାଣ୍ଡି ପଡ଼ିଆଟି କେଉଁ ଅନାଦି କାଳରୁ ଅନାବାଦୀ ଭାବରେ କୁମ୍ଭକର୍ଣ୍ଣ ପରି ନିଦ୍ରା ଯାଇଛି । ଏଇ ପଡ଼ିଆଟିର କ୍ଷେତ୍ରଫଳ ଲୋକମୁଖରେ ଥିଲା ବାରବାଟୀ ବାରମାଣ ବାରଗୁଣ୍ଠ ଓ ବାରବିଶ୍ୱା । ଫଳରେ ସୁବର୍ଣ୍ଣପୁର ନୁହେଁ, ମଣ୍ଡାସାହି, ବଂଶୀପୁର ଓ ଈଶାନପଡ଼ା ପ୍ରଭୃତି ଗାଁମାନଙ୍କର ଗୋରୁମାନେ ଏଇ ପଡ଼ିଆରେ ଘାସ ଚରି ବଞ୍ଚିଥାନ୍ତି ।

 

ସୁବର୍ଣ୍ଣପୁର ଏକ ବନ୍ୟାପ୍ଲାବିତ ଅଞ୍ଚଳ । ବର୍ଷାଦିନେ ସେଇ ଗାଁ ପାଖକୁ ଲାଗି ଯେଉଁ ଛୋଟ ‘କାଣୀ’ ନଈଟି ବହିଯାଇଛି, ବନ୍ୟା ଆସିଲେ ତା’ର ଛାତି ଫୁଲି ଉଠେ ଓ ସୁବର୍ଣ୍ଣପୁର, ମଣ୍ଡାସାହି, ବଂଶୀପୁର ଓ ଈଶାନପଡ଼ା ପ୍ରଭୃତି ଗାଁକୁ ଲାଗି ଯେଉଁ ଶହ ଶହ ଏକର ଜମି ଦେଖାଯାଉଛି, ତାହା ସବୁ ହୋଇଯାଏ ଚିଲିକା ପରି ଛଇଳ । ତେଣୁ ଏହିସବୁ ଗାଁର ଲୋକେ ଗୋରୁମାନଙ୍କୁ ବର୍ଷାଦିନେ ଦିଗଦାଣ୍ଡରେ ଛାଡ଼ି ବଞ୍ଚାଇଥାନ୍ତି ।

 

ସେଦିନ ଜ୍ୟେଷ୍ଠ ସକାଳରେ ଗୋଟିଏ ନାଲି ରଙ୍ଗର ପତାକା ଫର ଫର ହୋଇ ଉଡ଼ିବା ପରେ, ସ୍ଲୋଗାନ୍‍ର ମୁଖଧ୍ୱନି କ୍ରମଶଃ ଶିଥିଳ ପଡ଼ିଗଲା । ଶୋଭାଯାତ୍ରାକାରୀମାନେ ତା’ ପରେ ଚୁପ୍‍ଚାପ୍ ବସି ପଡ଼ିଲେ ବୃତ୍ତାକାରରେ ତଳେ । କେହି ଜଣେ ବ୍ୟକ୍ତି ଜ୍ୱାଳାମୟୀ ଭାଷାରେ ଅନର୍ଗଳ ବକ୍ତୃତା ଦେଉଥିଲେ ବହୁ ସମୟ ଧରି ଏବଂ ମଝିରେ ମଝିରେ ସେହିସବୁ ସମବେତ ଶ୍ରୋତାମାନେ କରତାଳି ଦେଉଥିଲେ ଗଭୀର ଉତ୍ସାହରେ ।

 

ପଡ଼ିଆଟି ଥିଲା ସୁବର୍ଣ୍ଣପୁରଠାରୁ ଦୂଇ ଫର୍ଲଙ୍ଗ ଦୂରରେ । ସେତେବେଳେ ନାଲି ପତାକାଟିଏ ଉଡ଼ିବାର ଲୋକେ ଲକ୍ଷ୍ୟକଲେ ସେତେବେଳେ ସେମାନେ ଭାବିଲେ ସମ୍ଭବତଃ କେହି ଜଣେ ବାବାଜୀ ଆସି ଧର୍ମ ସମ୍ପର୍କରେ ବୁଝାଉଛନ୍ତ ଓ ହରିଜନ ବସ୍ତିର ଲୋକେ କୀର୍ତ୍ତନ କରିବାକୁ ଆସିଛନ୍ତି ।

ଗାଁ ଲୋକଙ୍କ ଭିତରୁ କେହି କେହି କୌତୁହଳୀ ହୋଇ ନାଲି ପତାକା ପୋତାଯାଇଥିବା ଦିଗଦାଣ୍ଡି ପଡ଼ିଆକୁ ଚାଲିଯାଇଥିଲେ ଓ ସେହି ଧର୍ମ-ଅବତାରଙ୍କ ଅଗ୍ନି ବର୍ଷା ଭାଷଣ ଶୁଣିଥିଲେ । ସେହି ଘଟଣା ପରଠାରୁ ସୁବର୍ଣ୍ଣପୁର ଗାଁରେ ଚାଲିଲା ଫୁସୁରୁ ଫାସର ଓ ଗାଁ ଗୋଟାକଯାକ ଗୁମ୍‍ସୁମ୍ ବାୟୁମଣ୍ଡଳରେ ଛାଇ ହୋଇଗଲା ।

 

ଏଇ ଘଟଣାର ଦୁଇଦିନ ପରେ ଜ୍ୟେଷ୍ଠର ପ୍ରଚଣ୍ଡ ଗୁଳୁଗୁଳି ଓ ଅସହ୍ୟ ଜାତିକୁ ଭାଙ୍ଗିଦେଇ ଖୁବ୍ ଜୋର୍‍ରେ ଦିନେ ରାତିରେ ବଡ଼ ଧରଣର ଅସରାଏ ବର୍ଷା ହୋଇଗଲା ।

 

ବର୍ଷା ହେବାର ଠିକ୍ ପରଦିନ ସକାଳେ ଦେଖାଗଲା ସେ ହରିଜନ ସାହିର ପ୍ରାୟ କୋଡ଼ିଏ ଜଣ ହଳିଆ କୋଡ଼ିଏ ହଳ ବଳଦ ଦୁଇ ଦିଗଦାଣ୍ଡି ପଡ଼ିଆକୁ ଚାଷ କରିବାରେ ଲାଗିଛନ୍ତି ।

 

ପଡ଼ିଆଟି କେଉଁ ଅନାଦିକାଳରୁ ରହିଥିଲା ଅନାବାଦୀ ହୋଇ । ତା’ରି ପିଠି ଉପରେ ଲଙ୍ଗଳର ଫାଳ ବାଜି ବିଦୀର୍ଣ୍ଣ ହୋଇଯାଉଛି ଭୂଇଁ । ମାତ୍ର ସାଧାରଣ କ୍ଷେତ ଜମିରେ ଲଙ୍ଗଳର ଫାଳ ଯେପରି ପଶିଯାଏ ତଳକୁ ଦିଗଦାଣ୍ଡି, ପଡ଼ିଆର ପିଠିରେ ଲଙ୍ଗଳ ଫାଳ ଅବଶ୍ୟ ସେପରି ଦବି ଯାଉ ନଥିଲା । ନୂଆକରି ଜମି ଆବାଦ କରୁଥିବା ଓ ନୂଆକରି ଜମିର ପ୍ରାକୃତିକ ମାଲିକ ହେବାକୁ ଯାଉଥିବା ଜନିତ ଏକ ଆତ୍ମପ୍ରତ୍ୟୟର ଅସୁମାରି ଉଲ୍ଲାସରେ ହରିଜନ ଚାଷୀମାନେ ଲଙ୍ଗଳର କଣ୍ଟି ଉପରେ ସେମାନଙ୍କର ମୁଠିମାନଙ୍କୁ ଆହୁରି ଜୋରଦାର କରୁଥିଲା ।

 

ସେଦିନ ଯେଉଁ ମହାନ୍‍ ପୁରୁଷଟି ଜ୍ୱାଳାମୟୀ ବକ୍ତୃତା ଦେଇ ଭୂମିହୀନ ଚାଷୀମାନଙ୍କୁ ଭୟଙ୍କର ଭାବରେ ଉତ୍ସାହିତ ଓ ଉତ୍ତେଜିତ କରିଥିଲେ, ସେହି ମହାତ୍ମାଜଣକ ବସିଛନ୍ତି ଦିଗଦାଣ୍ଡିର ଏକ ଉଚ୍ଚ ଆଡ଼ି ଉପରେ । ସେଦିନ ଯେଉଁ ସ୍ଥାନରେ ନାଲି ରଙ୍ଗର ପତାକାଟିଏ ଫର ଫର ହୋଇ ଉଡ଼ୁଥିଲା, ସେ ପତାକାଟିଏ ଆଜି ଆଡ଼ି କୁହାଯାଉଥିବା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛି ।

 

ସେଦିନ ସକାଳେ ଗାଁ ଲୋକ ଯେତେବେଳେ ଦେଖିଲେ ଯେ ଦିଗଦାଣ୍ଡି ପଡ଼ିଆରେ ଗୋଟିଏ ହଳ ବଳଦ ଏକା ସାଙ୍ଗରେ ହଳ ହେଉଛନ୍ତି ଏବଂ ହରିଜନ ସାହିର ଲୋକେ ସେଇସବୁ ହଳମାନଙ୍କୁ ବୁଲାଉଛନ୍ତି, ପ୍ରଥମଦିନ ନାଲି ରଙ୍ଗର ପତାକାଟିଏ ଉଡ଼ୁଥିବାର ଦେଖି ସନ୍ଧ୍ୟାବେଳେ ସାରା ଗାଁରେ ଯେଉଁ ଫୁସୁରୁ ଫାସର ଓ ଗୁମ୍‍ସୁମ୍ ଆବହାୱା ସୃଷ୍ଟି ହୋଇଥିଲା, ସେହି ବାତାବରଣ ଆଜି ଯେପରି ଅତ୍ୟନ୍ତ ପ୍ରଚଣ୍ଡ ହୋଇ ଉଠିଲା ।

 

ସେଦିନ ଗାଁ ଲୋକମାନଙ୍କ ମଧ୍ୟରେ ଅଚାନକ ଏକ ଅଲୋଡ଼ନ ସୃଷ୍ଟି ହେଲା । ଗାଁରେ କେତେକ ଆଗୁଆ ଯୁବକ ଏହାର ତୀବ୍ର ପ୍ରତିବାଦ କରିବାକୁ ଆରମ୍ଭ କଲେ ଏବଂ ହରିଜନ ଚାଷୀମାନଙ୍କୁ ବାଧ ଦେବାକୁ ସଜବାଜ ହୋଇ ବାହାରି ପଡ଼ିଲେ ।

 

ସୁବର୍ଣ୍ଣପୁରର ବୟସ୍କ ଲୋକ ଦୁର୍ଯ୍ୟୋଧନ ମଙ୍ଗରାଜ ଉତ୍ତେଜିତ ଯୁବକମାନଙ୍କୁ କ୍ରୋଧରୁ ନିବୃତ୍ତ ହେବା ଲାଗି ପରାମର୍ଶ ଦେଲେ । ସେଦିନ ସନ୍ଧ୍ୟାବେଳେ ତିନୋଟି ଗାଆଁର ସବୁ ଅଣ-ହରିଜନମାନଙ୍କର ସଭା ହେଲା । ଦୁର୍ଯ୍ୟୋଧନ ବୁଝାଇଲେ–ସେମାନେ ସବୁ ଗରିବ ଶ୍ରେଣୀର ଲୋକ । ତମମାନଙ୍କ ଘରେ ମୂଲ ମଜୁରୀ ଲାଗି ସେମାନେ ପେଟ ପୋଷନ୍ତି । ଜମିବାଡ଼ି ଟଙ୍କା ପଇସା ପାଇଁ କାହାର ଲୋଭ ନାହିଁ ? ଭଗବତୀପୁରର ସେଇ ଯେଉଁ ନେତା, ଚାଷୀ ମୂଲିଆ ଓ ଖଟିଖିଆଙ୍କ ଦୁଃଖପାଇଁ ଯାହାଙ୍କ ଅନ୍ତର ବରାବର କାନ୍ଦେ, ସେ ହେଉଛନ୍ତି ଏବୁସ ବିଭ୍ରାଟ ଓ ଗଣ୍ଡଗୋଳର ମୂଳକର୍ତ୍ତା । ଅଯଥାରେ ସେସବୁ ଗରିବ ଲୋକମାନଙ୍କୁ ହଇରାଣ କରି ଲାଭ କ'ଣ ?

 

ସଭା ସ୍ଥଳରେ ହଠାତ୍ ଏକ ଅଖଣ୍ଡ ନୀରବତା ରାଜତ୍ୱ କରି ବସିଲା । ଯେଉଁସବୁ ଉନ୍ମତ୍ତ ଯୁବକ ହରିଜନମାନଙ୍କୁ ଶାରୀରିକ ଆକ୍ରମଣ କରି ଏହି ଅନ୍ୟାୟର ପ୍ରତିରୋଧ କରିବାକୁ ଇଚ୍ଛା କରୁଥିଲେ ସେମାନେ ସବୁ ବସି ପଡ଼ିଲେ ଚୁପ୍‍ଚାପ୍ ।

 

ସେମାନେ ଭାବୁଥଲେ, ଦୁର୍ଯ୍ୟୋଧନ ମଙ୍ଗରାଜ ସତକଥା କହୁଛନ୍ତି । ହରିଜନ ବାପୁଡ଼ାଙ୍କର ହିମତ୍‍ ବା କେତେ ? ଯୁଗ ଯୁଗ ଧରି ସେମାନେ ପରଘରେ ମୂଲ ଲାଗି ପେଟ ପୋଷନ୍ତି । କିନ୍ତୁ ଏବେ ଦେଶ ସାରା କ'ଣ ଗୋଟିଏ ପଡ଼ିଯାଇଛି ହୁରି । ବଡ଼ ବଡ଼ ଚାଷୀମାନଙ୍କଠାରୁ ବଳକା ଜମି ବାହାରିଲେ, ସେସବୁ ଭୂମିହୀନମାନଙ୍କ ମଧରେ ବଣ୍ଟାଯିବ । ସେମାନେ ହେବେ ଅନ୍ୟମାନଙ୍କ ପରି ଜମିମାଲିକ । ଏଥିଲାଗି ସେମାନଙ୍କ ମଧ୍ୟରେ ଦେଖାଦେଇଛି ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା ।

 

କିନ୍ତୁ ସୁବର୍ଣ୍ଣପୁର ଏକ ବନ୍ୟା ବିଧ୍ୱସ୍ତ ଅଞ୍ଚଳ । ଆଖପାଖ ଦଶଖଣ୍ଡ ଗାଁ । ଲୋକମାନଙ୍କ ଭିତରେ ଯେଉଁମାନଙ୍କୁ ବଡ଼ ଚାଷୀ ବୋଲି କୁହାଯାଏ, ସେମାନଙ୍କର ଜମି ସର୍ବୋଚ୍ଚ ଦଶ ଏକର ମଧ୍ୟରେ । ତାହା ପୁଣି ବନ୍ୟାରେ ଧୋଇଯାଏ ଏବଂ ତଥାକଥିତ ବଡ଼ଚାଷୀ ଶ୍ରାବଣ ଓ ଭାଦ୍ରବ ମାସରେ ଚାଉଳ ମଧ୍ୟ କଣିଥାନ୍ତି ।

 

ଦୁର୍ଯ୍ୟୋଧନଙ୍କ କଥା ଶୁଣି ସାରିଲା ପରେ ଯୁବକମାନେ ପଚାରିଲେ–ତା’ହେଲେ ଆମେ କ'ଣ କରିବୁ, ଆମକୁ ବାଟ ବତାନ୍ତୁ ।

 

ସ୍ଵାଧୀନତା ସଂଗ୍ରାମୀ ଓ ଭୂଦାନ କର୍ମୀ ଦୁର୍ଯ୍ୟୋଧନ କହିଲେ - ଅପେକ୍ଷା କର ! ସେମାନେ ପରବୁଦ୍ଧିରେ କେତେ ବାଟ ଚାଲୁଛନ୍ତି ଅପେକ୍ଷା କରି ଦେଖ । ଭୂମିହୀନଙ୍କୁ ତ ଜମି ଦେବା ଖୁବ୍ ଭଲକଥା । କିନ୍ତୁ ଏଥିପାଇଁ ଯେଉଁ ନୀତି ଓ ଭିତ୍ତି ରହିଛି ତାକୁ ଯଦି ଜଳାଞ୍ଜଳି ଦେଇ ଅନାବାଦୀ ଭଳି ଏକ ସର୍ବସାଧାରଣ ଜାଗାକୁ ଜବର ଦଖଲ କରି ଚାଷ କରାଯାଏ, ତେବେ ତ ଶାନ୍ତିଭଙ୍ଗର ଆଶଙ୍କା ବରାବର ରହିଛି । ଯୁଗ ଯୁଗ ଧରି ଯେଉଁ ଗାଁର ଲୋକେ ଶାନ୍ତି ଓ ନିରାପଦରେ କାଳ କାଟୁଥିଲେ ସେମାନଙ୍କ ଭିତରେ ବିଭେଦ ଓ ସଂଘର୍ଷ ସୃଷ୍ଟି କରିବାପାଇଁ ଚାଷୀ ମୂଲିଆ ଦଳର ଅଶ୍ୱିନୀ ପୂଜାରୀ ଏବେ ଜୋର୍‌ରେ ଲାଗିଛନ୍ତି ।

 

ଦୁର୍ଯ୍ୟୋଧନ ଏହି କଥା କହିଲାବେଳେ ତାଙ୍କ ମନ ଭିତରେ ଆସ୍ତେ ଆସ୍ତେ ସଞ୍ଚରି ଉଠୁଥିଲା ଅଶ୍ୱିନୀଙ୍କ କଥା । ସ୍ଵାଧୀନତା ସଂଗ୍ରାମବେଳେ ଅଶ୍ୱିନୀ ଥିଲେ ତାଙ୍କ ପରି ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ । ତାଙ୍କ ସହିତ ଅଶ୍ୱିନୀ ମଧ୍ୟ ଜେଲ ଯାଇଥିଲେ । କିନ୍ତୁ ଜେଲ୍ ଭିତରେ ତାଙ୍କ ଦଳ ଛାଡ଼ି ସେ ହେଲେ ଚାଷୀ ମୂଲିଆ ଦଳର ସମର୍ଥକ । ଦେଶ ସ୍ଵାଧିନତା ହେବାର ପନ୍ଦର ଦିନ ପୂର୍ବରୁ ସେ ଜେଲ୍‍ରୁ ଖଲାସ ହେଲେ । ସେ ଆଉ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ ନ କରି ସମାଜର ଦଳିତ, ଦରିଦ୍ର ଓ ନିର୍ଯାତିତ ଜନସାଧାରଣଙ୍କ ସେବା ଲାଗି ଆଦରି ନେଲେ ଗଠନମୂଳକ ସର୍ବୋଦୟ କାମ । କିନ୍ତୁ ଅଶ୍ୱିନୀ ରହିଗଲେ ସେହି ଚାଷୀମୂଲିଆ ଦଳରେ ଏବଂ ଥରେ ବିଧାନସଭାକୁ ନିର୍ବାଚିତ ହେବାର ସୁଯୋଗ ମଧ୍ୟ ଲାଭ କରିଥିଲେ ।

 

ପରବର୍ତ୍ତୀ ପର୍ଯ୍ୟାୟରେ ଅଶ୍ୱିନୀକୁମାରଙ୍କ ରାଜନୈତିକ ଦଳ ସାରା ଭାରତରେ ଏକ ବିରୋଧୀ ବୈପ୍ଳବିକ ରାଜନୈତିକ ଦଳ ଭାବରେ ଗଢ଼ି ଉଠିଲା । ସମାଜର ଚାଷୀ, ମଜଦୂର ଓ ଖଟିଖିଆଙ୍କ ସ୍ୱାର୍ଥରକ୍ଷା ଲାଗି ଅଶ୍ୱିନୀଙ୍କ ଦଳ ଏକ ଟାଣୁଆ ଗଣ ସଂଗ୍ରାମ ଗଢ଼ି ତୋଳିଲା ।

 

ଧିରେ ଧୀରେ ଏଇ ବିପ୍ଳବ ଦଳ ମଧ୍ୟରେ ଦେଖାଦେଲା ଏକ ବିଭେଦର ଫାଙ୍କ । ସାରା ଦେଶର ଚାଷୀ ମୁଲିଆ ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଏହି ଦଳରେ ଯେଉଁମାନେ ଥିଲେ ଅଧିକ ସଂଗ୍ରାମୀ ଓ ବିପ୍ଲବୀ ସେମାନେ ମୂଳ ସଙ୍ଗଠନଠାରୁ ଅଲଗା ହୋଇ ଗଢ଼ି ବସିଲେ ଅନ୍ୟ ଏକ ଦଳ । ଖଟିଖିଆ ସଂଗ୍ରାମର ରଥଚକ୍ରକୁ ଆହୁରି ଗତିଶୀଳ କରିବା ପାଇଁ ଏଇ ବିପ୍ଲବୀମାନେ ଜେଲ୍, ପ୍ରାଣିପାତ ଓ ରକ୍ତକ୍ଷରିତ କରିବାକୁ ଅଗ୍ରାଧିକାର ଦେଲେ । ସେମାନେ ହେଲେ ସଂଗ୍ରାମୀ ଖଟିଖିଆ ଦଳର ପର୍ଯ୍ୟାୟଭୁକ୍ତ । କିନ୍ତୁ ଅପରଦଳଟି ରହିଗଲା ସେଇ ଚାଷୀ ମୂଲିଆ ଦଳ ହୋଇ । ଅପେକ୍ଷାକୃତ ସୁବିଧାବାଦୀ, ଜେଲ୍, ରକ୍ତପାତ, ଗଣସଂଗ୍ରାମଜନିତ ଶାରୀରିକ ଓ ମାନସିକ ଯନ୍ତ୍ରଣା କରିବାପାଇଁ ଯେଉଁମାନେ ଆନ୍ତରିକ ଭାବରେ ଭୟ କରୁଥିଲେ ଓ ସମାଜରେ ବୁର୍ଜୁଆପରି ଯେଉଁମାନେ ଜୀବନଯାପନ କରିବାକୁ ଅଧିକ ପସନ୍ଦ କରୁଥିଲେ ସେମାନେ ରହିଗଲେ ଏଇ ଦ୍ଵିତୀୟ ଦଳଟିରେ । ଅଶ୍ୱିନୀ କୁମାର ସୁତରାଂ ଆଦରିନେଲେ ଦ୍ଵିତୀୟ ଦଳଟିକୁ ଅପଣା ବ୍ୟକ୍ତିଗତ ଜୀବନାଦର୍ଶ ଅନୁଯାୟୀ ।

 

ଚାଷୀ ମୂଲିଆ ଦଳଟି କ୍ରମଶଃ ଗୋଡ଼ାଣିଆ ହୋଇଉଠିଲା କ୍ଷମତାସୀନ ଦଳର । ସେ ଭୁଲିଗଲା ଆପଣା ରାଜନୈତିକ ଦର୍ଶନର ମୂଳକଥା । ଶ୍ରେଣୀ ସଂଘର୍ଷ ବଦଳରେ ସେ ବାଛିନେଲା ଶ୍ରେଣୀ ସହଯୋଗର ପଥ, ଏକ ସଂଶୋଧନବାଦୀର ଭୂମିକା ।

 

ଚାଷୀ ମୂଲିଆ ଦଳର ବଡ଼ ନେତାଠାରୁ ଆରମ୍ଭ କରି ସାଧାରଣ କର୍ମୀ ପର୍ଯ୍ୟନ୍ତ କ୍ଷମତାସୀନ ଦଳର ସହଯୋଗରେ ସେମାନେ ଆରମ୍ଭ କଲେ ସୁଖୀ ଓ ବିଳାସପୂର୍ଣ୍ଣ ଜୀବନ । ସର୍ବହରାର ନେତାମାନେ ଦାମୀ ଦାମୀ କାର୍ ଚଢ଼ିଲେ ଏବଂ ସବୁ ସମୟରେ ବିମାନରେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ଅଗ୍ରାଧିକାର ଦେଲେ । ବଡ଼ ବଡ଼ ନେତାଙ୍କ ଝିଅ ଓ ପୁଅ ବାହାଘରର ଭୋଜିଭାତରେ ହଜାର ହଜାର ଟଙ୍କା ଅକାରଣରେ ଖର୍ଚ୍ଚ କରିବାକୁ ଲାଗିଲେ । ଅଶ୍ୱନୀଙ୍କ ପରି ଆଉ କେତେକ ତଥାକଥିତ ଗରିବ ଖଟିଖିଆର ସାଥି ନାନା ଅସଦ୍ ଉପାୟରେ ଭୂ-ସମ୍ପତ୍ତି, କୋଠାବାଡ଼ିର ଅଧିକାରୀ ହୋଇ ବସିଲେ । ଫଳରେ ଗ୍ରାମେ ଗ୍ରାମେ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ଓ ବିଭେଦ ସୃଷ୍ଟି କରି ଆପଣା ଆୟର ପଥ ବେଶ୍‍ ପରିଷ୍କାର କରିଦେଲେ ଅଶ୍ୱିନୀ କୁମାର ।

 

ଦୁର୍ଯ୍ୟୋଧନ ଭାବୁଥିଲେ ମନେ ମନେ । ଏସବୁ କଥା ଗାଁର ଲୋକମାନଙ୍କୁ କହିଦେବାକୁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ସେଦିନ ଭଳି ଏକ ଉତ୍ତେଜିତ ପରିସ୍ଥିତିରେ କହିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ ।

 

ସୁବର୍ଣ୍ଣପୁର ହରିଜନ ବସ୍ତିରେ ଯେଉଁଠି ମା' ମଙ୍ଗଳାଙ୍କର ଏକ ଚାଳି ଘର ତିଆରି ହୋଇଥିଲା, ସେଇ ଘରର ଅଧିବଖାରାଏରେ ବରଡ଼ା ତାଟି ଆଉଜିଆ ହୋଇ ଚାଷୀ ମୂଲିଆ ଦଳର ଅଫିସ ହୋଇଛି । ଗୋଟିଏ କଳା କାଠ ପଟାରେ, ବଡ଼ ବଡ଼ ହରଫ୍‍ରେ ଚାଷୀ ମୂଲିଆ ଦଳର ନାମ ଲେଖାଯାଇଛି । ଏବେ ପ୍ରତିଦିନ ସନ୍ଧ୍ୟାରେ ସେଇ ପାର୍ଟି ଅଫିସରେ ଗୋଟାଏ ଲଣ୍ଠନର ସୀମିତ ଆଲୁଅରେ ଗହଳି ଜମିଉଠେ ।

 

ସ୍ଥାନୀୟ ପାର୍ଟି ସେକ୍ରେଟେରୀ ହୋଇଛି ରଙ୍କ ଦାସ । ଗତ ଦୁଇବର୍ଷ ତଳେ, ରଙ୍କ ଗାଁରୁ ଚୋରୀ କରି ଛଅମାସ ସଶ୍ରମ କାରାଦଣ୍ଡ ଭୋଗ କରି ଏବେ ଗାଁକୁ ଫେରିଛି ।

 

ସୁବର୍ଣ୍ଣପୁରରେ ମୂଲ ଲାଗି ରଙ୍କ ଆଗରୁ ଚଳୁଥିଲା । ତା’ ବାବା ମଲାପରେ ସେ ହୋଇଗଲା ନିହାତି ଫେଚକାନିଆ ଓ ବଦ୍‍ମାସ । ହରିଜନ ବସ୍ତିରେ ସେଇ ପ୍ରଥମେ ଯୋତା ପିନ୍ଧିବା ଆରମ୍ଭ କଲା । ପ୍ୟାଣ୍ଟପିନ୍ଧା ପ୍ରଥା ସେଇ ଶିଖେଇଲା । ଶେଖ୍ ରସିଦ୍ ସାଇକେଲ୍ ଦୋକାନରୁ ଭଡ଼ାରେ ସାଇକେଲ୍ ଆଣି ଗାଁରୁ ସହର ପର୍ଯ୍ୟନ୍ତ ଯିବା ଆସିବା କରିବା ସଙ୍ଗେ ସଙ୍ଗେ ହରିଜନ ବସ୍ତିର ଅନ୍ୟ ଟୋକାମାନଙ୍କୁ ସାଙ୍ଗରେ ନେଇ ସିନେମା, ଥିଏଟରେ ଓ ସର୍କସ ଦେଖିଯାଏ । ଟଙ୍କା ପଇସା ନ ମିଳିଲେ କାହା କ୍ଷେତରୁ ଫସଲ, କାହା ବାରିରୁ ଆଳୁ, ବାଇଗଣ ଏବଂ ଏପରିକି କାହାର ଗୁହାଳୁ ଗାଈ ଗୋରୁ ରାତି ଅଧରେ ଚୋରୀ କରି ଦୂରଦୁରାନ୍ତ ହାଟରେ ବିକିଦିଏ । ଏଇ ସବୁ ଧନ୍ଦାରେ ଜଡ଼ିତ ରହି ଓ ବହୁ ଲୋକଙ୍କ ସହିତ ମିଶାମିଶି କରି ରଙ୍କ ଥିଲା ଭାରି କୁହାଳିଆ ଓ ମାମଲତକାର ।

 

ଅଶ୍ୱିନୀ କୁମାର ସପ୍ତାହରେ ଦୁଇ ତିନିଥର ଆସନ୍ତି ଏଇ ଅଫିସକୁ । ସେ ଆସି ପହଁଞ୍ଚିଲେ ସୁବର୍ଣ୍ଣପୁର ହରିଜନ ବସ୍ତିରେ ଖେଳିଯାଏ ଏକ ନୂତନ ପ୍ରେରଣା ଓ ଉତ୍ସାହ । ମାଲିକପଣିଆର ଗର୍ବ ଓ ଗୌରବବୋଧ ସମସ୍ତଙ୍କ ଚେତନାକୁ ଯେପରି ଆଚ୍ଛନ୍ନ କରିବସେ ।

 

ଆଷାଢ଼ ଯାଇ ଶ୍ରାବଣ ହେଲା । ଦିଗଦାଣ୍ଡି ପଡ଼ିଆରେ ଏବେ ଧାନଗଛ ସବୁ ଚହଟ ଚିକ୍କଣ ଦିଶୁଛନ୍ତି । ବର୍ଷା ଓ ନଦୀ ପାଣିରେ ଭରିଯାଇଛି କିଆରୀ ସବୁ । କାଳ କାଳ ଧରି ପଡ଼ିରହିଥିବା ପଡ଼ିଆ ଏଥର ପ୍ରଥମ ଥର ପାଇଁ ଆବାଦ ହୋଇଛି । ପ୍ରଚୁର ପାଣି ପାଇ ଧାନଗଛ ସବୁ ମୋଟେଇ ଯାଇଛନ୍ତି ଅସମ୍ଭବ ଭାବରେ ।

 

ହରିଜନ ସାହିରେ ଚାନ୍ଦ ଭେଦା ଆଦାୟ ହୋଇ ପାଣ୍ଠି ଜମା ରହୁଛି । ସେସବୁ ଅର୍ଥ ରହୁଛି ଅଶ୍ୱିନୀଙ୍କ ପାଖରେ ।

 

ଏଣେ ସୁବର୍ଣ୍ଣପୁର ସୁବର୍ଣ୍ଣ ସାହିରେ, ମଣ୍ଡା ସାହି ଓ ବଂଶୀପୁର ପ୍ରଭୃତି ମୌଜାରେ କ୍ରମଶଃ ଅସନ୍ତୋଷ କୁହୁଲିଛି । ଯଦି ଦୁର୍ଯ୍ୟୋଧନ ସେଇସବୁ ରୁଷ୍ଟ ଓ ଉତ୍ତେଜିତ ଲୋକମାନଙ୍କୁ ସବୁବେଳେ ପାଖରେ ବସାଇ ଉପଦେଶ ଦେଉ ନ ଥାନ୍ତେ ତେବେ ଗାଁର ପରିସ୍ଥିତି ଭିନ୍ନ ପ୍ରକାର ହୋଇଥାନ୍ତା ।

 

ଏବେ ନଦୀରେ ବନ୍ୟା ଆସିଛି । ଚାରିଆଡ଼େ ପାଣି ଏବଂ ପାଣି । ବିଲମାଳ ସବୁ ଛଇଳି ମଇଳି । ତିନିଖଣ୍ଡି ମୌଜାର ଗାଈ ଗୋରୁ ଚରିବେ କେଉଁଠି ? ବନ୍ୟା ଜଳରେ ଜମିବାଡ଼ି ସବୁ ବୁଡ଼ିଗଲେ ମଧ ଏଇ ଦିଗଦାଣ୍ଡ ପଡ଼ିଆକୁ ପାଣି ଯାଇପାରେ ନାହିଁ । କାରଣ ଏହା ଥିଲା ଖୁବ୍ ସୁଉଚ । ନଈ ବଢ଼ିରେ ବିଲମାଳ ସମୁଦ୍ର ପରି ଦେଖାଗଲେ ଗାଈ ଗୋରୁମାନେ ଏଇ ପଡ଼ିଆରେ ଚରିବୁଲି ଘରକୁ ଫେରନ୍ତି ।

 

ନଦୀରେ ବନ୍ୟା ଆସିଲା ପରେ ଏବେ ତିନି ଖଣ୍ଡ ମୌଜାରେ ଅସନ୍ତୋଷ କ୍ରମଶଃ ବଢ଼ୁଛି । ଗାଈ ଗୋରୁ ସବୁ ବନ୍ଧା ରହିଛନ୍ତି ଖୁଣ୍ଟରେ । ସେମାନେ ସବୁ ଚରିବେ ଅବା କେଉଁଠି ? ଘାସ ମିଳୁନାହିଁ । କୁଟା କିମ୍ବା ନଡ଼ା ଯାହା ଥିଲା ସେମାନେ ସବୁ ଗାଈ ଗୋରୁଙ୍କୁ ଦେଇ ସାରିଲେଣି । ଖୁଣ୍ଟରେ ବନ୍ଧା ହୋଇ ଗାଈ ଗୋରୁମାନେ ବୋବାଳି ଛାଡ଼ୁଛନ୍ତି ।

 

ଗତ ଦୁଇଦିନ ହେଲା ତିନି ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି । ସେମାନେ ଜବରଦସ୍ତି ଦିଗଦାଣ୍ଡି ପଡ଼ିଆରେ ଗାଈ ପୁରାଇ ଧାନଗଛ ସବୁ ନଷ୍ଟ କରିଦେବେ । ସେମାନେ ହରିଜନ ବସ୍ତି ଲୋକଙ୍କର ଅତ୍ୟାଚାର ଆଉ ବରଦାସ୍ତ କରିବେ ନାହିଁ ।

 

ଶହ ଶହ ବର୍ଷ ଧରି ଯେଉଁ ଅନାବାଦି ଜମି ରହିଥିଲା ଅଣଆବାଦ ହୋଇ ଗାଈ ଗୋରୁ ଚରିବା ଲାଗି ସେଇ ପଡ଼ିଆକୁ ଚାଷୀ ମୂଲିଆ ପାର୍ଟିର ଅଶ୍ୱିନୀକୁମାରଙ୍କ ପ୍ରରୋଚନାରେ ଏତେ ବଡ଼ କାଣ୍ଡ କରିବସିଲେ । ପରଘରୁ ଚୋରୀ କରି ଜେଲ୍ ଖଟି ଯେଉଁ ରଙ୍କ ଦାସ ଦାଗୀ ହୋଇଛି, ସେ ହୋଇଯାଇଛି ନେତା....କ’ଣ କହୁଛି ବଡ଼ ବଡ଼ । ଏକଥା ସେମାନେ ଆଉ ହଜମ କରିପାରିବେ ନାହିଁ । ସେମାନେ ଆଉ ଦୁର୍ଯ୍ୟୋଧନ ବାବୁଙ୍କ କଥା ଶୁଣିବେ ନାହିଁ । ଦୁର୍ଯ୍ୟୋଧନ ଗାଁରେ ନାହାନ୍ତି । ଗତ ଦୁଇଦିନ ହେବ ସେ ଗାଁରେ ପହଞ୍ଚିଲାବେଳକୁ ଧାନକ୍ଷେତ ସବୁ ଉଜୁଡ଼ାଇ ଦେବାପାଇଁ ହେବ ।

 

ତେଣେ ହରିଜନ ବସ୍ତିରେ ଅଶ୍ୱିନୀ କୁମାରଙ୍କ ନେତୃତ୍ୱରେ ଓ ପରାମର୍ଶରେ ଚାଲିଛି ମନ୍ତ୍ରଣା । ଯଦି ସୁବର୍ଣ୍ଣ ଲୋକେ ଗାଈ ଗୋରୁ ପୁରାଇ ଧାନ କ୍ଷେତ ଉଜୁଡ଼ାଇ ଦେବେ, ସେମାନେ ତାହାର ପ୍ରତିରୋଧ କରିବେ । ଏଇ ପ୍ରତିରୋଧ ପାଇଁ ତାଙ୍କ ପାର୍ଟି ଅଫିସ୍‌ରେ ସେମାନେ ସବୁ ରଖିଛନ୍ତି ବାଡ଼ି, ଠେଙ୍ଗା, ଖଣ୍ଡା, ତେଣ୍ଟା ଓ ବର୍ଚ୍ଛା । ଏଥିପାଇଁ କାଳେ ମାଲିମକଦ୍ଦମା ହେବ, ସେଥିପାଇଁ ସେମାନଙ୍କଠାରୁ ଅଶ୍ୱିନୀ କୁମାର ଆଦାୟ କରି ଚାଲିଛନ୍ତି ପ୍ରଚୁର ପଇସା ।

 

ଏଣେ ସୁବର୍ଣ୍ଣ ବସ୍ତିରେ ଟୋକାମାନେ ବାଡ଼ି ଲାଠି ଧରି ସଜବାଜ । କେତେକ ରେରେକାର ଧ୍ଵନୀ ଆରମ୍ଭ କଲେଣି । ସେମାନେ କ୍ଷେତ ଉଜୁଡ଼ାଇ ଦେବା ପାଇଁ ପ୍ରତିଜ୍ଞାବଦ୍ଧ । ଯଦି ସେମାନଙ୍କୁ କେହି ଆସି ବାଧାଦିଏ ତେବେ ହରିଜନ ସାହିର ଅସ୍ତିତ୍ୱ ସେମାନେ ଧ୍ଵଂସ କରିଦେବେ ।

 

ସେଦିନ ସକାଳ ଓଳି । ଦୁର୍ଯ୍ୟୋଧନ ଗାଁରେ ନାହାନ୍ତି । ନଈରେ ବନ୍ୟା ତଥାପି ଛାଡ଼ିନାହିଁ । ଗାଁ'ଯାକର ଲୋକେ ବାଡ଼ି ଲାଠି ଧରି ଗାଈ ଗୋରୁମାନଙ୍କୁ ଫିଟାଇଦେଇ ଛୁଟି ଚାଲିଛନ୍ତି ଦିଗଦାଣ୍ଡ ଆଡ଼େ ।

 

ଗାଈ ଗୋରୁ ସତେ ଯେପରି ଏକ ଶୋଭାଯାତ୍ରା କରି ଏକମୁହାଁ ହୋଇ ଛୁଟିଛନ୍ତି । ଲୋକମାନଙ୍କ କ୍ରୋଧଠାରୁ ଗାଈ ଗୋରୁମାନଙ୍କ କ୍ରୋଧ ଯେପରି ଆହୁରି ଶହେଗୁଣ ବଢ଼ି ଯାଇଛି । କାରଣ ଯେଉଁ ପଡ଼ିଆ ଥିଲା ସେମାନଙ୍କର ଏକମାତ୍ର ଚରାଭୂଇଁ, ସେଇ ପଡ଼ିଆକୁ ଗତ ତିନିମାସ ହେଲା, ସେମାନେ ଦେଖି ନାହାନ୍ତି । ତେଣୁ ସେଠାକୁ ଯିବା ପାଇଁ ଓ ତା’ ଭୂଇଁରେ ଗଜୁରି ଉଠିଥିବା ଧାନ ଓ ଘାସ ଖାଇବ ପାଇଁ ସେମାନେ ଯେପରି ବ୍ୟାକୁଳିତ ।

 

ଗାଈ ଗୋରୁ ଚାହୁଁ ଚାହୁଁ ପଶିଗଲେ ଧାନ କ୍ଷେତରେ । କଅଁଳ ଛନ ଛନ ବୁଦି ବୁଦିକିଆ ଗଛମାନଙ୍କୁ ସେମାନେ ବଡ଼ ବଡ଼ ଜିଭ ମେଲାଇ ଖାଇ ଯାଉଛନ୍ତି ଏକ ସର୍ବଗ୍ରାସୀ କ୍ଷୁଧାର ପ୍ରଭାବରେ ସତେ ଯେମିତି ।

 

ଦିଗଦାଣ୍ଡି ପଡ଼ିଆ ଚାରିପଟେ ବାଡ଼ି ଠେଙ୍ଗା ଧରି ଛାଇ ହେଇଗଲେଣି ସୁବର୍ଣ୍ଣପୁରର ସବର୍ଣ୍ଣ ଲୋକେ । ସେମାନଙ୍କ ସହିତ ଯୋଗ ଦେଇଛନ୍ତି ମଣ୍ଡାସାହି, ବଂଶୀପୁର ଓ ଇଶନପଡ଼ାର ଲୋକେ ।

 

ଗାଈ ଗୋରୁମାନେ ଧ୍ଵଂସ କରି ଚାଲିଛନ୍ତି କ୍ଷେତକୁ ।

 

ହରିଜନ ସାହିରେ ଏହି ଆକ୍ରମଣର ମୁକାବିଲା କରିବା ଲାଗି ପ୍ରବଳ ପ୍ରତିକ୍ରିୟା । କେହି କେହି ଯୋଦ୍ଧା ଖଣ୍ଡା, ତଲୱାର ଧରି ରକ୍ତ ଚାଉଳ ଚୋବାଉଛନ୍ତି । ଆଉ କେତେକ ସମ୍ମୁଖ ସମରରେ ସାମିଲ ହେବାପାଇଁ ଇଚ୍ଛା କରୁଥିଲେ ମଧ୍ୟ ସୁବର୍ଣ୍ଣମାନଙ୍କର ସଂଖ୍ୟା ଦେଖି ସେମାନେ ତ୍ରସ୍ତ ଶଙ୍କିତ ହେଉଛନ୍ତି।

 

ଅଶ୍ୱିନୀ କୁମାର ଏପର୍ଯ୍ୟନ୍ତ ଆସିନାହାନ୍ତି । ଚାଷୀ ମୂଲିଆ ପାର୍ଟିର ସ୍ଥାନୀୟ ସେକ୍ରେଟେରୀ ଖଣ୍ଡାଧରି ବନାଟି ବୁଲାଉଛି ଏବଂ ଘୋଷଣା କରୁଛି, 'ମୁଁ ଗୋଟି ଗୋଟି କରି ହାଣିଦେବି ।’ ମୂଲିଆର ସଂସାର । ଜନତାର ରାଜତ୍ୱ । ଅଶ୍ୱିନୀ କୁମାର କହିଛନ୍ତି ସର୍ବହରାର ଶାସନ ଚାଲିବ ଚାରିଆଡ଼େ ।

 

ଦୁର୍ଯ୍ୟୋଧନ ବାବୁ କଟକରୁ ଆସି ଘରେ ପହଞ୍ଚିଲା ମାତ୍ରେ ଏ ସମ୍ବାଦ ଶୁଣି ଦଉଡ଼ି ଦଉଡ଼ି ଚାଲି ଆସିଲେ ଦିଗଦାଣ୍ଡିକୁ; ସେ ଦିଗଦାଣ୍ଡିର ଉପର ମୁଣ୍ଡରେ ଅର୍ଥାତ୍ ଯେଉଁ ରାସ୍ତାଟି ହରିଜନ ଆସିରୁ ଦିଗଦାଣ୍ଡିରେ ମିଶିଛି, ସେଇ ରାସ୍ତାରେ ଆସି ପହଞ୍ଚି ଅବସ୍ଥା ଲକ୍ଷ୍ୟ କରୁଥିଲେ । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗାଁ ଲୋକେ ଏଭଳି କାଣ୍ଡ କରି ବସିଲେ । ହୁଏତ ଅବସ୍ଥା ଅଣାୟତ୍ତ ହୋଇଯିବ ଏଇ ଆଶଙ୍କାରେ ସେ ବ୍ୟସ୍ତ ବିବ୍ରତ ହୋଇ ଚାରିଆଡ଼କୁ ଲକ୍ଷ୍ୟ କଲେ ।

 

ବହୁ ବିଳମ୍ବରେ ଧାନକ୍ଷେତ ପୁରା ଉଜୁଡ଼ିଗଲା ପରେ ହରିଜନ ସାହିର ରଙ୍କ ଓ ଆଉ କେତେକ ଲୋକ ରକ୍ତମୁହାଁ ହୋଇ ଛୁଟି ଆସିଲେ ଦିଗଦାଣ୍ଡ ଆଡ଼କୁ । ମାତ୍ର ଚାରିଆଡ଼େ ଶତ୍ରୁପକ୍ଷ ସୈନ୍ୟର ଛାଉଣି । ଅସମ୍ଭବ ଜନ-ଅରଣ୍ୟ । ଗାଈ ଗୋରୁମାନଙ୍କର ଉଲ୍ଲସିତ କଳରବ ।

 

ଦୁର୍ଯ୍ୟୋଧନ ବାବୁ ରଙ୍କର ରକ୍ତମୁହାଁ ଅବସ୍ଥା ଦେଖି ପଚାରିଲେ -କିରେ ରଙ୍କ, ଏମାନେ ସବୁ ଧାନକ୍ଷେତ କାହିଁକି ଉଜୁଡ଼ାଇ ଦେଲେ ? ତମେମାନେ ସେମାନଙ୍କ ପାଖକୁ ଯାଇ ବୁଝା ବୁଝି କଲନି କିଆଁ ?

 

ରଙ୍କର ଏସବୁ ଶୁଣିବାକୁ ଧୈର୍ଯ୍ୟ ନଥିଲା, ତା’ ହାତରେ ଥିବା ଏକ ଠେଙ୍ଗାରେ ସେ ପିଟିଦେଲା ଦୁର୍ଯ୍ୟୋଧନ ବାବୁକୁ । ରାଗରେ ପିଟିଦେଲାବେଳେ ସେ କହୁଥିଲା–ତମେ ହେଉଛ ଏ ସମସ୍ତ ନାଟର ଗୋବର୍ଦ୍ଧନ ।

 

ଦୁର୍ଯ୍ୟୋଧନ ବାବୁଙ୍କ ହାତ ଉପରେ ପାହାରଟି ଖୁବ୍ ଜୋରରେ ବସିଲା । ସେ ଚିତ୍କାର କରି ଉଠିଲେ ଅସମ୍ଭବ ଯନ୍ତ୍ରଣାରେ ।

 

ଦିଗଦାଣ୍ଡିର ଚାରିପଟେ ଜମିଥିବା ଯୁଦ୍ଧଂଦେହୀ ଲୋକେ ହଠାତ୍ ଦଉଡ଼ି ଦଉଡ଼ି ଚାଲିଆସିଲେ ଦୁର୍ଯ୍ୟୋଧନ ବାବୁଙ୍କ ପାଖକୁ । ତାଙ୍କଭଳି ଶାନ୍ତିପ୍ରିୟ, ଅହିଂସା ପରାୟଣ ଓ ପରୋପକାରୀ ଲୋକ ଉପରେ ମାଡ଼ ହେବାର ଦେଖି ଦିଗଦାଣ୍ଡିରେ ଘେରି ରହିଥିବା ଶହ ଶହ ସଂଖ୍ୟାରେ ଲୋକେ ବାଡ଼ି ଝିଙ୍କାରି, ରଣହୁଙ୍କାର ଦେଇ ଚାଲି ଆସୁଥିଲେ ରଙ୍କ ପାଖକୁ । ଏହିସବୁ ଲୋକମାନଙ୍କର ସମ୍ମିଳିତ ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ସେମାନଙ୍କର ନ ଥିବାରୁ ରଙ୍କ ଓ ତା’ର ସାଥୀମାନେ ପ୍ରାଣ ବିକଳରେ ପଛଘୁଞ୍ଚା ଦେଇ ହରିଜନ ବସ୍ତି ଆଡ଼କୁ ଦଉଡ଼ି ଦଉଡ଼ି ପଳାଇ ଗଲେ ।

 

ସୁବର୍ଣ୍ଣପୁରର ଲୋକେ ଦୁର୍ଯ୍ୟୋଧନ ବାବୁଙ୍କ ହାତ ଆଉଁସି ବସିଲେ ଏବଂ ଗାଁଠାରୁ ଦୁଇମାଇଲ ଦୂରରେ ଥିବା ଡାକ୍ତରଖାନାକୁ ତାଙ୍କୁ ନେଇଗଲେ । ଦୁର୍ଯ୍ୟୋଧନ ଯିବା ପୂର୍ବରୁ କହିଲେ ତମେମାନେ ଆଉ ଅଧିକ ଉତ୍ତେଜିତ ହୁଅନାହିଁ । ଗାଈ ଗୋରୁ ଧରି ଗାଁକୁ ଫେରିଯାଅ । ମୁଁ ଫେରେ ଡାକ୍ତରଖାନାରୁ, ମୋର ମନେ ହେଉଛି ଏଇ ସମସ୍ତ କାଣ୍ଡ ପଛରେ ଅଶ୍ୱିନୀକୁମାର ରହିଛି ।

 

ସେଦିନ ଘଟଣାପରେ ଅଶ୍ୱିନୀ କୁମାରଙ୍କ ପ୍ରରୋଚନାରେ ହରିଜନଙ୍କ ପକ୍ଷରୁ ସୁବର୍ଣ୍ଣମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି । ଲୁଟତରାଜ, ଦଙ୍ଗା ହେଙ୍ଗାମ ଓ ଜନାକାରୀ ବ୍ୟାପାରକୁ କେନ୍ଦ୍ର କରି, ହରିଜନ ସାହିର ଜଣେ ମଧ୍ୟବୟସ୍କା ବିଧବା ସ୍ତ୍ରୀ ଲୋକଟିଏ ପକ୍ଷ ହୋଇ ସେ ଧର୍ଷିତା ହୋଇଛି ବୋଲି ଅଭିଯୋଗ କରିଛି ।
 

ଏଣେ ସୁବର୍ଣ୍ଣମାନଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇ ରଙ୍କ ଦାସ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମକଦ୍ଦମା କରାଯାଇଛି ।

 

ଦିଗଦାଣ୍ଡିର ଅନାବାଦୀ ପଡ଼ିଆ ଏବେ ଦେଖାଯାଉଛି ଶୂନ୍ୟ ଓ ଫାଙ୍କା ।

 

ମକଦ୍ଦମା ଚାଲିଛି । ସବର୍ଣ୍ଣମାନେ ଚାନ୍ଦା ଭେଦା ଉଠାଇ ମକଦ୍ଦମା ଲଢ଼ୁଛନ୍ତି ଓ ସେମାନଙ୍କ ପକ୍ଷରେ ରହିଛନ୍ତି ଅନେକ କୁହାଳିଆ, ମାତ୍‍ବର ମାମଲତ୍‍କାରମାନେ ।

 

ଗରିବ ହରିଜନମାନଙ୍କର ଜୀବନ ହୋଇ ଉଠିଲା ଅତ୍ୟନ୍ତ ଦୁର୍ବିସହ । ଯେଉଁମାନେ ପରଘରେ ମୂଲ ଲାଗି ଜୀବିକା ନିର୍ବାହ କରୁଥିଲେ ମୂଲ ଅଭାବରୁ ସେମାନଙ୍କ ପିଲାପିଲି ଭୋକ ଉପବାସରେ ରହିଲେ । ଘରେ ଥାଳୀ, କଂସା ଯାହା ଥିଲା, ସେମାନେ ସବୁ ବିକ୍ରୀ କରି ଦେଇ ମକଦ୍ଦମା ପାଇଁ ଚାନ୍ଦାଦେଲେ । ସେମାନେ ଆଉ କରିବେ କ’ଣ ?

 

ଏକ ପକ୍ଷରେ ଲଢ଼ିବା ପାଇଁ ଜିଦ୍, ଅନ୍ୟ ପକ୍ଷରେ ଅଭାବର କଳାଛାଇ । ସେମାନଙ୍କ ଗୁଜୁରାଣ ବେଶ୍ ସୁରୁଖୁରୁରେ ଚଳି ଯାଉଥିଲା । ତାଙ୍କ ବସ୍ତିକୁ ଯେଉଁଦିନ ଏଇ ଅଶ୍ୱିନୀ ପୂଜାରୀ ଆସିଲେ ସେହି ଦିନଠାରୁ ସେମାନଙ୍କ ଭିତରେ ଦେଖାଗଲା ଏକ ଭୟଙ୍କର ଲୋଭ । ସେମାନେ ଆଗ ପଛ କିଛି ନ ବିଚାରି ମାତିଗଲେ ଗୋଟାଏ ବଡ଼ ହୋ ରେ ।

 

କାଳ କାଳ ଧରି ସେମାନେ ଚଳି ଆସୁଥିଲେ ସବର୍ଣ୍ଣମାନଙ୍କ ସହିତ ସ୍ଵଚ୍ଛନ୍ଦରେ । ସେମାନଙ୍କ ଘରେ ମୂଲ ଲାଗି ଚଳିଯାଉଥିଲେ । ଏବେ ଅଶ୍ୱିନୀକୁମାର କେବଳ ଚାନ୍ଦାପାଇଁ ଆସୁଛନ୍ତି । ସେମାନେ ଚାନ୍ଦା ଦେଇ ଦେଇ ସର୍ବସ୍ୱ ହରାଇଲେଣି । ଆଉ ଉପାୟ କ’ଣ ? ତଥାପି ଅଶ୍ୱିନୀକୁମାର ସେମାନଙ୍କୁ ଶୋଷଣ କରି ଚାଲିଛନ୍ତି ।

 

ହରିଜନ ବସ୍ତିର ଶଙ୍କର ମଳିକ ଓ ଅନ୍ୟାନ୍ୟ ବୁଢ଼ା ମାନେ ଭାବୁଥିଲେ ସବର୍ଣ୍ଣମାନଙ୍କ ସହିତ କୌଣସି ମତେ ଏକ ଅପୋଷ ରାଜିନାମାରେ ପହଞ୍ଚିବା ପାଇଁ । ସେମାନେ ସମସ୍ତେ କ୍ଷମା ମାଗିବେ । ଦୁର୍ଯ୍ୟୋଧନ ବାବୁଙ୍କ ଭଳି ଲୋକଙ୍କୁ ଅଯଥାରେ ମାଡ଼ ମାରି ରଙ୍କ ବଡ଼ ଧରଣର ଭୁଲ୍ କରିଛି । ଚାଷୀ ମୂଲିଆ ପାର୍ଟି ଅଫିସରେ ହରିଜନ ବସ୍ତିର ସବୁ ଲୋକେ ବସିଥିବା ବେଳେ ଶଙ୍କର କହିଲା–ଚାଲ ଆଜି ଯିବା ସବର୍ଣ୍ଣସାହିକୁ । ସେମାନଙ୍କୁ ଆମର ଦୋଷ ହେଉଛି ବୋଲି କହିବା । ପିଲାଟିବେଳୁ ସେମାନଙ୍କ ମତିଗତି ମୁଁ ଜାଣିଛି । ମୋ ବାପ ଗୋସାପ ସେମାନଙ୍କ ମନକଥା ଜାଣିଥିଲେ । ଆମେ ପର କଥାରେ ମାତି ଆମର କାଳ କାଳର ସମ୍ପର୍କକୁ ଖରାପ କରିବା କାହିଁକି ?

 

ଶଙ୍କର ମାଳିକଙ୍କ କଥାରେ ପ୍ରାୟ ସମସ୍ତେ ରାଜି ହୋଇଗଲେ । ରଙ୍କ ମଧ୍ୟ ଆପତ୍ତି କଲା ନାହିଁ । ସେ ବୁଝୁଥିଲ ସେମାନେ ଦିନକୁ ଦିନ ଦୁର୍ବଳ ହୋଇ ଯାଉଛନ୍ତି ଏବଂ ସେମାନେ ଚଳାଚଳି କରିବାରେ ଭାରି ଅସୁବିଧା ହେଉଛି । ଅତୀତରେ ଯାହା ଭୁଲ୍ ହେଇଯାଇଛି, ସେ ଭୁଲ୍‍କୁ ଆଉ ବଢ଼ାଇବେ ନାହିଁ ।

 

ସେଦିନ ସନ୍ଧ୍ୟା ହେଲା, ଠାକୁରାଣୀଙ୍କ ଘରେ ସବୁ ଆସି ପହଞ୍ଚିଲେ । କାହିଁ କେଉଁଠି ଥିଲେ ଅଶ୍ୱିନୀକୁମାର କେଜାଣି, ଏ ସମ୍ବାଦ ପାଇ ସେଦିନ ସନ୍ଧ୍ୟାରେ ସେ ମଧ୍ୟ ଆସି ପହଞ୍ଚିଗଲେ ।

 

ଶଙ୍କର ଓ ଅନ୍ୟମାନେ ପଡ଼ିଗଲେ ବଡ଼ ଅସୁବିଧାରେ । ସେମାନେ ଭାବି ନଥିଲେ ଅଶ୍ୱିନୀକୁମାର ସେମାନଙ୍କ ପାଖରେ ପହଞ୍ଚିବେ ବୋଲି ।

 

ଅଶ୍ୱିନୀକୁମାର ମନେ ମନେ ଖୁବ୍ ବିରକ୍ତ ହେଉଥିଲେ ଏବଂ କୌଣସିମତେ ହରିଜନମାନଙ୍କୁ ପୁଣି ଉତ୍ତେଜିତ କରିବାଲାଗି ଚାହୁଁଥିଲେ । ଅଶ୍ୱିନୀକୁମାର ସେମାନଙ୍କ ପାଖରେ ବସିଯାଇ ସ୍ୱାଭାବିକ ଭାବରେ କହିବା ଆରମ୍ଭ କରିଦେଲେ- ସାରା ଭାରତର ଖଟିଖିଆ ମେହନତି ଜନତା ଆଜି ଏକଜୁଟ ହେଉଛନ୍ତି । ହକ୍ ମଜୁରୀ ପାଇଁ ସେମାନେ ଆଜି ସଙ୍ଘବଦ୍ଧ ହେଉଛନ୍ତି । ବଡ଼ ବଡ଼ ଜମି ମାଲିକମାନଙ୍କ ଜମି ଛଡ଼ାଇ ଆଣି ସେମାନେ ଜବରଦସ୍ତ ଚାଷ କରୁଛନ୍ତି । ଆମେ ଏ ଦିଗରେ ଅନେକ ଆଗେଇ ଯାଇଛୁ । ମକଦ୍ଦମା ଚାଲିଛି । ଆମକୁ ଦୁର୍ବଳ ଓ ଗରିବ ମନେକରି ସମାଜର ବଡ଼ ବଡ଼ ଥିଲାବାଲା ଲୋକେ ଭୟଭୀତ କରାଉଛନ୍ତି ।

 

ମୁଁ ଦୁଃଖିତ ହେଲି ତମେ ସବୁ ଭାଙ୍ଗିପଡ଼ୁଛ । ମୁଁ ଶୁଣିଲି ସେମାନଙ୍କ ପାଖକୁ ଯାଇ ତମେ ସବୁ କ୍ଷମା ମାଗିବ । ଏହା କିପରି କଥା ? ମଣିଷ ଲଢ଼ାଇ କରି ବଞ୍ଚିବାକୁ ଚାହେଁ । ତେଣୁ ଆମେ ଲଢ଼ିବା ଓ ବଞ୍ଚିବାକୁ ଶିଖିବା ।

 

ଏକଜୁଟ ହୋଇଥିବା ହରିଜନମାନଙ୍କ ଶାନ୍ତ ସମାହିତ ମନ ଭିତରେ ପୁଣି ହଇଚଇ ଆରମ୍ଭ ହେଲା । ସେମାନଙ୍କ କ୍ରମଃଶୀତଳ ଚେତନାରେ ପୁଣି ଏକ ଅଗ୍ନିବର୍ଷା ଝଡ଼ ଦେଖାଦେଲା । ସେମାନେ ସବୁ ଇତସ୍ତତଃ ହେଲେ ଏବଂ ସେମାନଙ୍କ ସିଦ୍ଧାନ୍ତ ଗୋଳମାଳିଆ ରୂପ ନେଲା ।

 

କିଛି ସମୟ ବିତିଲା । ସମସ୍ତେ ବସିଛନ୍ତି ନିରୁତ୍ତର, ନିର୍ବେଦ ପରି ।

 

ଅଶ୍ୱିନୀ ସେମାନଙ୍କର ଏଇ ନିରୀହ ଓ ମନସ୍ତାତ୍ତ୍ୱିକ ସଂକ୍ରମଣ ଜାଣି କହିଲେ -ତମେ ସବୁ କ'ଣ କରିବାକୁ ଚାହୁଁଛ ? ଆମ ଦଳର ବିପ୍ଳବକୁ ତମେ କ'ଣ ମାରି ଦେବାକୁ ଚାହଁ ? ତମେ କ’ଣ ଯୁଗ ଯୁଗ ଧରି ତମ ସାଆନ୍ତମାନଙ୍କ ଗୋଡ଼ ଧରି କ୍ଷମାଭିକ୍ଷା କରୁଥିବ ? ଯୁଗ ବଦଳିଛି, ତମେ ସବୁ ବଞ୍ଚିବାକୁ ଶିଖ, ତମର ନ୍ୟାଯ୍ୟ ଦାବୀ ହାସଲ ଲାଗି ତମେ ଦୃଢ଼ ହୁଅ ।

 

ଶଙ୍କର ଓ ଅନ୍ୟମାନେ ଭକୁଆ ପରି ଚାହିଁ ରହିଥିଲେ ଅଶ୍ୱିନୀ କୁମାରଙ୍କୁ । ଅଶ୍ୱିନୀ କୁମାରଙ୍କ ବକୃତାର ଭାଷା ବୁଝିବାକୁ ସେମାନେ ଅକ୍ଷମ ଥିଲେ ମଧ୍ୟ ତାଙ୍କର ବିଭେଦକାରୀ ଭୂମିକା ସମ୍ପର୍କରେ ସେମାନେ ସ୍ପଷ୍ଟ ଭାବରେ ବୁଝୁଥିଲେ ।

 

ଶଙ୍କର ଓ ଅନ୍ୟମାନେ ଗଭୀର ଦୁଃଖରେ ଭାଙ୍ଗି ପଡ଼ୁଥିଲେ । ଅଶ୍ୱିନୀକୁମାରଙ୍କ କଥାରେ ପ୍ରତିବାଦ ଜଣାଇବା ଲାଗି ସେମାନଙ୍କର ଯେପରି ସାମର୍ଥ୍ୟ ନଥିଲା ।

 

ସମସ୍ତେ ବସିଛନ୍ତି ଚୁପ୍ ଚାପ୍ । ଅଶ୍ୱିନୀ କହିଲେ ରଙ୍କ, ମୁଁ ଫେରିଯାଉଚି ଗାଁକୁ । ଆଉ ଦୁଇଦିନ ପରେ ତମର ମକଦ୍ଦମା ତାରିଖ । ଚାନ୍ଦା ଆଦାୟ କରି ମତେ ଦେଇ ଆସିବ ପରେ । ଆଉ ଦେଖ, ତମେମାନେ କୌଣସି ପରିସ୍ଥିତିରେ ଯେପରି ତମମାନଙ୍କ ସାଆନ୍ତ ବସ୍ତିରେ ଯାଇ ମୁଣ୍ଡ ନ ନୁଆଁଅ । ତମେ ଯଦି ସେମାନଙ୍କ ପାଖରେ ମୁଣ୍ଡ ନୋଇଁବ, ତେବେ ମୋର ଓ ଆମ ପାର୍ଟିର ଆଉ ସାହାଯ୍ୟ ସହଯୋଗ ପାଇବ ନାହିଁ ।

 

ଅଶ୍ୱନୀକୁମାର ସେହି ଅନ୍ଧାର ଭିତରେ କୁଆଡ଼େ ମିଳାଇଗଲେ, ହରିଜନ ବସ୍ତିର ଭୋକିଲା ମୂଲିଆମାନେ ରାତିର ନିଃଶବ୍ଦତା ମଧ୍ୟରେ ବସିଥିଲେ କିଂକର୍ତ୍ତବ୍ୟବିମୂଢ଼ ହୋଇ ।

 

।। ଦୁଇ ।।

 

ସୁବର୍ଣ୍ଣପୁରର ସୁବର୍ଣ୍ଣଲୋକ ଅପେକ୍ଷା କରିଛନ୍ତି ହରିଜନମାନଙ୍କୁ । ସେମାନେ ପ୍ରଥମେ ଆସି କ୍ଷମା ଭିକ୍ଷା କଲେ, ତା’ପରେ ସମାଧାନର ସୂତ୍ର ଆପେ ଆପେ ବାହାରିବ । ଏଇ ଧାରଣା ସବର୍ଣ୍ଣଲୋକମାନଙ୍କ ମଧ୍ୟରେ କ୍ରମଶଃ ଦୃଢ଼ୀଭୂତ ହେଉଥିଲା ।

 

ଏଣେ ବୟସ୍କ ହରିଜନମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଯେଉଁ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଉଥିଲା, ତାହା ଧୀରେ ଧୀରେ ଅଶ୍ୱନୀଙ୍କ ଚାପ ଓ ପ୍ରବର୍ତ୍ତନା ଫଳରେ କ୍ରମଶଃ ମଉଳିବାରେ ଲାଗିଲା । ଶଙ୍କର ଓ ଅନ୍ୟାନ୍ୟ ବୟସ୍କ ଲୋକେ କେବଳ ଅନୁତାପ ଓ ଅନୁଶୋଚନାରେ ରହିଗଲେ ଚୁପ୍ ଚାପ୍ ହୋଇ । ଅଶ୍ୱିନୀ ପୂଜାରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସେମାନଙ୍କ ମଧ୍ୟରେ ପ୍ରବଳ ପ୍ରତିବାଦର ସ୍ଵର ଗୁମୁରି ଉଠୁଥିଲେ ମଧ୍ୟ ସେମାନେ ସବୁ ପାଟି ଫିଟାଇବାକୁ ସାହସ କରିପାରୁ ନ ଥିଲେ ।

 

ଦୁର୍ଯ୍ୟୋଧନ ଏବେ ତିନିଦିନ ହେଲ ଫେରିଲାଣି ଗାଁକୁ । ତାଙ୍କ ହାତରେ ଏକ ଶକ୍ତି ପ୍ରହାର ଦେଇ ରଙ୍କ ଦାସ ଦୁର୍ଯ୍ୟୋଧନଙ୍କୁ ହଠାତ୍ ଅଚେତ୍ କରିଦେଇଥିଲା । ସେଥିପାଇଁ ଦୁର୍ଯ୍ୟୋଧନ ଡାକ୍ତରଖାନାରେ ପନ୍ଦରଦିନ କଟାଇ ଏବଂ ହାତ ଭଲ ହେଲାପରେ ଗତକାଲି ଫେରିଆସିଛନ୍ତି ଗାଁକୁ ।

 

ସର୍ବୋଦୟ କର୍ମୀ ଦୁର୍ଯ୍ୟୋଧନ ଗାଁକୁ ଫେରିଲା ପରେ ତାଙ୍କୁ ଭେଟିବାକୁ ଆସିଛନ୍ତି ଅନେକ ଲୋକ । କାରଣ ତାଙ୍କ ଭଳି ଅହିଂସା ଓ ନ୍ୟାୟବାନ୍ ଲୋକଙ୍କ ଉପରେ ଏପରି ଏକ ବର୍ବର ଆକ୍ରମଣର ପ୍ରତିଶୋଧ ନେବାଲାଗି ଅନେକଙ୍କ ମନରେ କ୍ରୋଧାଗ୍ନି ଜଳୁଥିଲା ଏବଂ ଆଉ କେତେକ ଆସିଲେ ତାଙ୍କୁ ସମବେଦନା ଜଣାଇବା ଲାଗି ।

 

ଦୁର୍ଯ୍ୟୋଧନ ତାଙ୍କ ପିଣ୍ଡାଉପରେ ସଉପଟିଏ ପକାଇ ବସିଥିଲେ । ଦଳଦଳ ହୋଇ ଲୋକ ଆସୁଛନ୍ତି ତାଙ୍କ ପାଖକୁ । ସମସ୍ତଙ୍କୁ ହସି ହସି ଶାନ୍ତ ହେବାଲାଗି କହୁଛନ୍ତି ଦୁର୍ଯ୍ୟୋଧନ । ଏବେ ସୁଦ୍ଧା ଉତ୍ତେଜିତ ଯୁବକମାନଙ୍କୁ ପାଖକୁ ଡାକି ଦୁର୍ଯ୍ୟୋଧନ କହୁଛନ୍ତି ରଙ୍କ ତା’ର ଭୁଲ୍ ବୁଝିବ ନିଶ୍ଚୟ ଦିନେ । ସେ ମତେ ରାଗରେ ପିଟିଦେଲା ବୋଲି ତମେ କ’ଣ ତାକୁ ପଟିବ ? ଯେ କ୍ଷମା ଦେଇ ଜାଣେ ସେଇ ଏକା ପୃଥୀକି ସମ୍ଭାଳିବ ।

 

ସୁବର୍ଣ୍ଣପୁରର ଯୁବକମାନଙ୍କ ମଧ୍ୟରେ କହୁଳି ରହିଥିବା କ୍ରୋଧ ଯେପରି ଦୁର୍ଯ୍ୟୋଧନଙ୍କ ଶାନ୍ତ ସମାହିତ କଣ୍ଠସ୍ୱରରେ କ୍ରମଶଃ ଶୀତଳ ପଡ଼ିଯାଇଥିଲା । ସେମାନେ ଭାବୁଥିଲେ ଦୁର୍ଯ୍ୟୋଧନବାବୁ ସାରା ଜୀବନ ବିତାଇଦେଲେ ଜନତାର ସେବାରେ । ତାଙ୍କରି ସାଙ୍ଗରେ ଯେଉଁମାନେ ରାଜନୀତି କରୁଥିଲେ, ସେମାନେ ଆଜି ସମସ୍ତେ ପ୍ରତିଷ୍ଠିତ । କେହି କେହି ମନ୍ତ୍ରୀ, ଏମ୍. ଏଲ୍. ଏ., ପଞ୍ଚ।ୟତ ସମିତି ଚେୟାରମ୍ୟାନ କିମ୍ବା ସମାଜର ଭିନ୍ନ ଭିନ୍ନ ସ୍ତରରେ ପ୍ରତିଷ୍ଠିତ ଓ ବିଭବଶାଳୀ ହୋଇଥିଲେ ମଧ୍ୟ ଦୁର୍ଯ୍ୟୋଧନ ରହିଗଲେ ସେହିପରି ନିଃସ୍ୱ, ନିସ୍ଵାର୍ଥପର ସମାଜସେବୀ ହୋଇ ।

 

୧୯୪୨ ଅଗଷ୍ଟ ଆନ୍ଦୋଳନରେ ଜେଲରୁ ମୁକ୍ତିଲାଭ କଲାପରେ ସେ । ଆଣ୍ଠୁ ନ ଡେଇଁଥିବା ଲୁଗା ଖଣ୍ଡିଏ ପିନ୍ଧି, ଛୋଟ ଚାଦରଟିଏ କାନ୍ଧରେ ପକାଇ ବହୁବର୍ଷ ରହିଯାଇଥିଲେ କୋରପୁଟର ମାଳ ଅଞ୍ଚଳରେ । ଗତ ଦୁଇବର୍ଷ ହେଲା ସେ ଫେରିଆସିଛନ୍ତି ଗାଁକୁ ।

 

ଦୁର୍ଯ୍ୟୋଧନ ବାବୁଙ୍କୁ ସମସ୍ତେ ସହାନୁଭୂତି ଜଣାଉଥିଲେ । ସେ ବସିଥିଲେ ପିଣ୍ଡା ଉପରେ ଯେପରି ସମସ୍ତ ଗାଁ ଲୋକଙ୍କ ମନକଥା ଏକାନ୍ତରେ ବୁଝିଲା ପରି ।

 

ଦୁର୍ଯ୍ୟୋଧନବାବୁ ଉତ୍ତେଜିତ ଲୋକମାନଙ୍କୁ ଶାନ୍ତହେବା ପାଇଁ କହୁଥିଲେ । ବିକ୍ଷୁବ୍ଧ ଲୋକେ ତାଙ୍କ ପାଖରେ ବସି ଏକାନ୍ତ ସମୟରେ କଥାବାର୍ତ୍ତା କଲା ପରେ ଅବଶ୍ୟ ଶାନ୍ତ ପଡ଼ିଆସୁଥିଲେ ।

 

ସେଦିନ ଛାଇ ଲେଉଟା ବେଳ । ଆକାଶରେ ପୁଳାଏ ପୁଳାଏ ଭସାମେଘ ବାଟ ହୁଡ଼ିଲା ପରି ଘୂରି ବୁଲୁଛି । ସୂର୍ଯ୍ୟ ତାତିର ପ୍ରକୋପ ମଉଳି ନଥିଲେ ସୁଦ୍ଧା ଭସା ମେଘର ଆଢ଼ୁଆଳରେ ସେ ଲୁଚି ଯାଇଛି ଆକାଶର କେଉଁ କୋଣରେ ।

 

ଦୂର୍ଯ୍ୟୋଧନ ବାବୁ ଧୀରେ ଧୀରେ ଚାଲିଲେ ଦିଗଦାଣ୍ଡି ଆଡ଼େ । ପ୍ରାୟ ଏକମାସ ହେଲା ଡାକ୍ତରଖାନାରେ ରହିଥିବାରୁ ସେ ଦେଖି ପାରି ନାହାନ୍ତି ତାଙ୍କର ପ୍ରିୟ ଦିଗଦାଣ୍ଡିକୁ ।

 

ଦିଗଦାଣ୍ଡିର ବିରାଟ ଆଡ଼ି ଉପରେ ଠିଆହେଇ ଆକାଶକୁ ଅନେଇଲେ ଦୁର୍ଯ୍ୟୋଧନ ମନେକରନ୍ତି ସେ ଯେପରି ଏକ ବିଶାଳ ପୃଥିବୀର ଏକମାତ୍ର ନରପତି । ଏଇ ସ୍ଵପ୍ନମୟ ଅନୁଭୂତି ଅତି ବାଳୁତ ଅବସ୍ଥାରେ ତାଙ୍କ ଚେତନାରେ ଜାଗ୍ରତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସେଇ ଆବେଗପୂର୍ଣ୍ଣ ଅନୁଭୂତି ସଜୀବ ରହିଛି ।

 

ଦୂର୍ଯ୍ୟୋଧନ ଦିଗଦାଣ୍ଡିର ସେଇ ବିଶାଳ ଆଡ଼ି ଉପରକୁ ଉଠିଯାଇ ଅକାଶକୁ ଚାହିଁଲେ । ଶୈଶବର ସେଇ ବିଳମ୍ବିତ ସୁନୀଳ ଆକାଶ, ଆଜି ଅବଶ୍ୟ ତାଙ୍କ ଭିତରେ ବିଶେଷ କୌତୂହଳ ସୃଷ୍ଟି କରୁନାହିଁ; ମାତ୍ର ଆଜିର ଏଇ ମେଘଢଙ୍କା ଆକାଶ ତଳେ ଦିଗଦାଣ୍ଡିର ସବୁଜ ପ୍ରାନ୍ତର ଓ ତାହାକୁ କେନ୍ଦ୍ର କରି ଗାଁ ଭିତରେ ସୃଷ୍ଟି ହୋଇଥିବା କୃତ୍ରିମ ବିଭେଦ ତାଙ୍କୁ ଯେପରି ଶୈଶବର ‘ନରପତି’ ଆସନରୁ ଓହ୍ଲାଇଆଣି ଏକ ଭୟତ୍ରସ୍ତ ପ୍ରଜା କରିଦେଲା ।

 

ଦୁର୍ଯ୍ୟୋଧନଙ୍କର ସେହି ଅଶୈଶବ ଭାବୁକତା କଟିଗଲା ହଠାତ୍ । ସେ ଆଡ଼ି ଉପରୁ ଓହ୍ଲାଇପଡ଼ି ଚାଲିଲେ ଦିଗଦାଣ୍ଡିର ଦକ୍ଷିଣ ଭାଗକୁ ଯେଉଁଠାରେ ହରିଜନମାନେ ଜମି ଆବାଦ କରି ଧାନ ଫସଲ କରିଥିଲେ ।

 

ଗୋଟିଏ ମାସ ତଳେ ଦିଗଦାଣ୍ଡିର ଯେଉଁ ଅଂଶ ନୂତନ ଶସ୍ୟର ଶ୍ୟାମଳିମାରେ ଦେଖାଯାଉଥିଲା ଚହଟ ଚିକ୍କଣ ଆଜି ସେଇ ଅଂଶ ଦେଖା ଯାଉଛି ଦିଗଦାଣ୍ଡିର ଅନ୍ୟ ଅଂଶ ପରି ଘାସମୟ । ସୁବର୍ଣ୍ଣପୁରର ସବର୍ଣ୍ଣ ଲୋକ ଯଦି ସେଦିନ ଗାଈଗୋରୁ ପୂରାଇ ଧାନ କ୍ଷେତକୁ ଉଜୁଡାଇ ଦେଇ ନ ଥାନ୍ତେ, ତେବେ ବର୍ତ୍ତମାନ ପ୍ରଚୁର ଶସ୍ୟ ଭାରରେ ନଇଁ ପଡ଼ୁଥାନ୍ତେ ଧାନଗଛ ମାନେ । ଗରିବ ହରିଜନମାନେ ହୁଏତ ଧାନକାଟି କିଛିଦିନ ଚଳି ଯାଇଥାନ୍ତେ ।

 

ଦୁର୍ଯ୍ୟୋଧନ ଉଜୁଡ଼ା କ୍ଷେତକୁ ଆସି ଚାରିଆଡ଼େ ଚାହିଁଲେ। ଆହା ! ବିଚରା ହରିଜନମାନେ କେତେ ସେମାନେ ପରିଶ୍ରମ କରି ନ ଥିଲେ ।

 

ଦୁର୍ଯ୍ୟୋଧନ ଭାବିଲେ, ହରିଜନମାନେ ଅନାବାଦୀ ଜମିକୁ ଚାଷ କରିବାରେ କ'ଣ ଅବା ବାଧା ଅଛି ? ସେମାନେ ଯଦି ଦିଗଦାଣ୍ଡିର କିଛି ଅଂଶ ଚାଷ କରିଥାନ୍ତେ, ତେବେ ସୁବର୍ଣ୍ଣପୁର, ମଣ୍ଡାସାହି ଲୋକମାନଙ୍କ ମଧ୍ୟରେ ହୁଏତ ଏତେ ପରିମାଣରେ ଅସନ୍ତୋଷ ସୃଷ୍ଟି ହୋଇନଥାନ୍ତା ।

 

ସୁବର୍ଣ୍ଣପୁରରେ ଏପର୍ଯ୍ୟନ୍ତ ଦିଗଦାଣ୍ଡିକୁ କେନ୍ଦ୍ରକରି ଯେତେସବୁ ଘଟଣା ଘଟିଯାଇଛି, ସେ ସବୁକୁ ମନେପକାଇ ଦୁର୍ଯ୍ୟୋଧନ ଦୁଃଖ ଓ ଅନୁତାପରେ ତିଳେ ତିଳେ ଜଳିବାକୁ ଲାଗିଲେ । ତାଙ୍କଭଳି ଲୋକ ଗାଁରେ ଥାଉ ଥାଉ ଏଡ଼େ ବଡ଼ ବିଭେଦ ଓ ଉତ୍ତେଜନା ସୃଷ୍ଟି ହୋଇଗଲା ? ବହୁ କଷ୍ଟରେ ଧାର ଉଧାର କରି ଯେଉଁ ହରିଜନମାନେ ଧାନ ରୋଇଥିଲେ ଓ ପ୍ରଥମ ଜମି ମାଲିକର ପ୍ରଭାତୀ ସ୍ୱପ୍ନରେ ମସ୍‍ଗୁଲ ରହିଥିଲେ, ଅବଶେଷରେ ସେମାନେ ପରାଜିତ ହେଲେ ? ଗତ ତିରିଶ ବର୍ଷ ଧରି ସମାଜର ଦଳିତ ଓ ଅବହେଳିତ ଲୋକଙ୍କୁ ସମାଜରେ ଥଇଥାନ କରିବା ପାଇଁ ସେ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଆରମ୍ଭ କରିଆସିଛନ୍ତି ତାହା ହିଁ ବ୍ୟର୍ଥତାରେ ପର୍ଯ୍ୟବେସିତ ହୋଇଗଲା ?

 

ଦୁର୍ଯ୍ୟୋଧନ ନିଜକୁ ଏକ ଅପରାଧୀ ମନେ କଲେ । ତାଙ୍କ ଉପରେ ଯେଉଁ ମତ ହେଲା, ସେଥିପାଇଁ ତାଙ୍କର ତିଳେମାତ୍ର ଶୋଚନ ନାହିଁ । ମାତ୍ର ମାଡ଼ ବଦଳରେ ଯଦି ଉଭୟ ସବର୍ଣ୍ଣ ଓ ହରିଜନମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇଥାନ୍ତା, ତା'ହେଲେ ହୁଏତ ସେ ସବୁଠାରୁ ସୁଖୀ ହୋଇଥାନ୍ତେ ।

 

ଦୁର୍ଯ୍ୟୋଧନ ସେହି ଶୂନ୍ୟ ଓ ରିକ୍ତ କ୍ଷେତରେ ବସିପଡ଼ିଲେ । ଆକାଶର ଭସାମେଘ କ୍ରମେ କ୍ରମେ ଜମାଟ ବାନ୍ଧିଲାଣି । ସାରା ଆକାଶ ଛାଇ ହୋଇଗଲାଣି ଘୋର ମେଘ ଅନ୍ଧାରରେ, ଆଉ ଅଳ୍ପ ସମୟ ପରେ ହୁଏତ ବର୍ଷା ବର୍ଷିବ ମୂଷଳ ଧାରାରେ ।

ଦୁର୍ଯ୍ୟୋଧନଙ୍କର ବର୍ଷା ପ୍ରତି ନଜର ନାହିଁ । ତାଙ୍କୁ ଏ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ହରିଜନମାନଙ୍କୁ ବିଭେଦକାମୀ ଚାଷୀ ମୂଲିଆ ଦଳର ନେତା ଅଶ୍ୱିନୀକୁମାରଙ୍କ ଶୋଷଣ କବଳରୁ ମୁକ୍ତି କରିବାକୁ ହେବ । ଦିଗଦାଣ୍ଡି ହେବ ହରିଜନମାନଙ୍କର କ୍ଷେତଜମି । ସେମାନେ ଚାଷ କରିବେ । ପ୍ରତ୍ୟେକ ହରିଜନ ଚାଷୀ ପାଇବେ ଅଧଏକର ଜମି ।

 

ମାତ୍ର ସୁବର୍ଣ୍ଣପୁର ଓ ମଣ୍ଡାସାହିର ତଥାକଥିତ ସାଆନ୍ତମାନଙ୍କ ହୃଦୟକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସେମାନଙ୍କ ସାଆନ୍ତିଆ ମାନୋଭାବ ମଧ୍ୟରେ ହରିଜନମାନଙ୍କ ପ୍ରତି ସ୍ନେହ ଓ ସହାନୁଭୂତି ଉଦ୍ରେକ କରିବାକୁ ପଡ଼ିବ ।

 

ସେମାନଙ୍କୁ ବୁଝାଇବାକୁ ପଡ଼ିବ ନଖିଳ ଭାରତର ନୂତନ ବାର୍ତ୍ତା, ନୂତନ ସନ୍ଦେଶ । ଜୀବନକୁ ନୂଆ କରି ଗଢ଼ିବା ପାଇଁ, ସମାଜର ନିଷ୍ପେସିତ ଓ ଅତ୍ୟାଚାରିତ ଜନସାଧାରଣଙ୍କୁ ସେମାନଙ୍କ ସହିତ ସମାନ ଭାବରେ ଚଳାଇବା ପାଇଁ ସେମାନଙ୍କ ଦୃଷ୍ଟିକୋଣ ବଦଳାଇବାକୁ ହେବ ।

 

ଦୁର୍ଯ୍ୟୋଧନ ଭାବୁଥିଲେ, ଓଃ ମୁଣ୍ଡ ଉପରେ ତାଙ୍କର କେତେ ବୋଝ ! ଏସବୁ ସମସ୍ୟାର ସମାଧାନ ନ ହେଲେ, ଗାଁ' ଲୋକଙ୍କ ମଧ୍ୟରେ ଶ୍ରଦ୍ଧା ଓ ଏକତା ପ୍ରତିଷ୍ଠିତ ନ ହେଲେ, ହରିଜନମାନଙ୍କୁ କିଛି କିଛି ଜମି ଚାଷ କରିବାକୁ ନ ଦେଲେ, ତାଙ୍କର କାମ ରହିଯିବ ଅପୂର୍ଣ୍ଣ । ଏହା ହିଁ ତାଙ୍କୁ କରିବାକୁ ପଡ଼ିବ । ସଂଘର୍ଷ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବରେ, ହୃଦୟ ପରିବର୍ତ୍ତନ କରି ଏକ ଶୋଷଣହୀନ ସମାଜ ପ୍ରତିଷ୍ଠା କରିବାକୁ ପଡ଼ିବ । ତେଣୁ ରକ୍ତାକ୍ତ ସଂଘର୍ଷର ପ୍ରୟୋଜନ ଅବା କ'ଣ ?

 

ବର୍ଷା ପଡ଼ିଲାଣି ଟୁପୁ ଟୁପୁ । ଦୁର୍ଯ୍ୟୋଧନ ଅନାଇଲେ ଗାଁ ଆଡ଼କୁ । ମୂଷଳ ଧରାରେ ବୃଷ୍ଟିପାତ ହେଉଛି ଏବଂ ଗାଁର ଗଛଲତା ଓ ଘରଦ୍ୱାର ଯେପରି ଦେଖାଯାଉଛି କୁହେଳିକାପୂର୍ଣ୍ଣ ।

 

ଦୁର୍ଯ୍ୟୋଧନ ସେଠାରୁ ଉଠିଲେ ଏବଂ ତାଙ୍କ ସାହି ଓ ହରଜନସାହିକୁ ପଡ଼ିଥିବା ଦୋଛକି ରାସ୍ତାରେ ପହଞ୍ଚିଲାବେଳକୁ ପ୍ରଚଣ୍ଡ ବେଗରେ ବର୍ଷା ଆରମ୍ଭ ହୋଇଗଲା । ଦୁର୍ଯ୍ୟୋଧନ ଆଉ ଗାଁ ରାସ୍ତାରେ ନ ଯାଇ ହରିଜନସାହିକୁ ପଡ଼ିଥିବା ରାସ୍ତାରେ ଦଉଡ଼ିବାକୁ ଲାଗିଲେ ।

 

ବର୍ଷାର ବିରତି ନାହିଁ । ଦୁର୍ଯ୍ୟୋଧନଙ୍କ ଦଉଡ଼ା ବନ୍ଦ ହୋଇନାହିଁ ।

 

ସେ ପହଞ୍ଚିଗଲେ ହରିଜନ ସାହି ଠାକୁରାଣୀ ଘର ନିକଟରେ ଯେଉଁଠାରେ ଚାଷୀ ମୂଲିଆ ପାର୍ଟି ଅଫିସ୍ ହୋଇଥିଲା ।

 

ଦୁର୍ଯ୍ୟୋଧନ ବର୍ଷାରେ ତିନ୍ତି ବୁଡ଼ି ଠାକୁରଣୀଘରେ ପହଞ୍ଚିଲା ବେଳକୁ ଦେଖିଲେ ସେଠାରେ ବସିଛନ୍ତି ଶଙ୍କର ଓ ଆଉ ଚାରି ପାଞ୍ଚଜଣ ହରିଜନଲୋକ । ତାଙ୍କୁ ବର୍ଷାରେ ଭିଜି ଭିଜି ପୁଣି ପାର୍ଟି ଅଫିସରେ ଆକସ୍ମିକ ଭାବରେ ଦେଖି ସେମାନେ ସବୁ ଚମକି ପଡ଼ିଲେ ।

 

ଦୁର୍ଯ୍ୟୋଧନଙ୍କ ପ୍ରତି ସମଗ୍ର ହରିଜନ ବସ୍ତିରେ ଥିଲା ଯଥେଷ୍ଟ ସମ୍ମାନ ଓ ସଂଭ୍ରମ । ତାଙ୍କୁ ଦେଖିଦେଲା ମାତ୍ରେ ସେମାନେ ସମସ୍ତେ ଚାଲିଆସିଲେ ତାଙ୍କ ପାଖକୁ ଏବଂ ଶଙ୍କର ପଚାରି ବସିଲା-ଆଜ୍ଞା, ବର୍ଷା ଛାଡ଼ି ଯାଇଥିଲେ ଆପଣ ଆସିଥାନ୍ତେ । ଅଯଥାରେ ବର୍ଷାରେ ଭିଜିଗଲେ ସିନା !

 

ଦୁର୍ଯ୍ୟୋଧନ ନିଜ ଚଦରଟା ଚିପୁଡ଼ି ପୋଛିପାଛି ହେଲେ ଏବଂ ହସି ହସି କହିଲେ–ଅବିକାତ ବର୍ଷାଋତୁ । ବର୍ଷା କେତେବେଳେ ବର୍ଷିବ ଏବଂ କେତେବେଳେ ପୁଣି ଛାଡ଼ିବ, କହି ହେବ ନାହିଁ । ତେଣୁ ବର୍ଷାଦିନେ ଏମିତି ଭିଜିଗଲେ କିଛି କ୍ଷତି ନାହିଁ । ଆଉ ତମେମାନେ ସବୁ ଭଲ ଅଛ ତ’ ?

 

ଶଙ୍କର ଦୁର୍ଯ୍ୟୋଧନଙ୍କ ପାଖକୁ ଲାଗି ଆସି କହିଲା -ଆପଣଙ୍କ ପାଇଁ ଆଜ୍ଞା, ଆମ ସମସ୍ତଙ୍କ ଭିତରେ ନାହିଁ ନ ଥିବା ଦୁଃଖ । ପରର କଇଲାଣ ପାଇଁ ଆପଣ କେତେ କଷ୍ଟ ସହିଛନ୍ତି । ଗରିବ ଲୋକଙ୍କ ପାଇଁ ଆପଣଙ୍କ ପ୍ରାଣ କେତେ ବିକଳ ହେଉଛି । ଅଥଚ ବିନା କାରଣରେ ଦୋଷୀ ରଙ୍କ ପିଟିଦେଲା ଆପଣଙ୍କୁ । କେତେ କଷ୍ଟ ଭୋଗିଲେ ଆଜ୍ଞା । ଆମର ଦୋଷ ହୋଇଛି । ଆମକୁ ମାଫ୍ କରନ୍ତୁ ।

 

ଦୁର୍ଯ୍ୟୋଧନ ହସି ହସି ଶଙ୍କର ପିଠିରେ ହାତ ଆଉଁସାଇ ଆଣିଲେ । ସେ କହିଲେ-ଦୁନିଆଁରେ ସବୁବେଳେ କ’ଣ ସମାନ ଶଙ୍କର ? କିଏ କ୍ରୋଧୀ, କିଏ ଶାନ୍ତ । କିଏ ପୁଣି ହିତାହିତ ଜ୍ଞାନ ଶୂନ୍ୟ, କିଏ ପୁଣି ବିବେକୀ । ରଙ୍କର କିଛି ଭୁଲ୍ ନାହିଁ । ସେ ଅନ୍ୟ କଥାରେ ମାତିଗଲା, ସେଥିପାଇଁ ତା'ଉପରେ ମୋର ତିଳେମାତ୍ର ରାଗ ନାହିଁ । ସେ ଯେଉଁଦିନ ତା’ର ଭୁଲ୍‍ ବୁଝିପାରିବ, ସେଦିନ ସବୁ ଠିକ୍ ହୋଇଯିବ ।

 

ବର୍ଷାର ବେଗ ଟିକିଏ ଥମିଛି । ଦୁର୍ଯ୍ୟୋଧନ ଠିଆ ହୋଇଛନ୍ତି । ଶଙ୍କର ଓ ଅନ୍ୟମାନେ ତାଳବରଡ଼ା ଚଟରେ ତାଙ୍କୁ ବସିବା ପାଇଁ ଯେତେ ଅନୁରୋଧ କଲେ; ସେ କିନ୍ତୁ ବସିଲେ ନାହିଁ । ଦୁର୍ଯ୍ୟୋଧନ କହିଲେ–ଲୁଗା ପଟା ସବୁ ତ ଓଦା, ଓଦା ଲୁଗା ପିନ୍ଧି କିପରି ବସିବି ରେ ଶଙ୍କର ?

 

ବର୍ଷା ଥମିଲାପରେ କାହିଁ କେଉଁଠି ଥିଲା ରଙ୍କ କେଜାଣି, ହଠାତ୍ ପାର୍ଟି ଅଫିସ ଭିତରକୁ ପଶିଯାଇ ଦୁର୍ଯ୍ୟୋଧନଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା- ମୋର ଆଜ୍ଞା ଭୁଲ୍ ହୋଇଛି । ମତେ କ୍ଷମା, କରନ୍ତୁ । ସେଦିନ ରାଗ ତମରେ ଆପଣଙ୍କୁ ପାହାରେ ପିଟି ଦେଇଥିଲି । ଆପଣ ମତେ କ୍ଷମା ନ ଦେଲେ, ମୁଁ ତଳୁ ଉଠିବି ନାହିଁ ।

 

ଦୁର୍ଯ୍ୟୋଧନ ରଙ୍କର ଏପରି ପରିବର୍ତ୍ତନ ଓ ଅନୁତାପରେ ବିସ୍ମିତ ହୋଇଗଲେ । ସେ ହଠାତ୍ ନଇଁ ପଡ଼ି ରଙ୍କକୁ ତଳୁ ଉଠାଇ ଆଣି କହିଲେ-ତୁ କିଛି ଅପରାଧ କରିନୁରେ ବାବା ! କ୍ଷମା ମାଗୁଛୁ କାହିଁକି ? ମୁଁ ତ ଛାର ମଣିଷଟିଏ । ମଣିଷକୁ କ'ଣ ମଣିଷ କ୍ଷମା ଦେଇପାରେ ? ତଥାପି ତୁ ଯଦି ତୋର ଭୁଲ୍ ବୁଝି ପାରିଛୁ, ତାହା ହିଁ ତ ଯଥେଷ୍ଟ । ଉଠୁ-ଉଠୁରେ ରଙ୍କ ।

 

ରଙ୍କ ଉଠିପଡ଼ିଲା ତଳୁ । ଦୁର୍ଯ୍ୟୋଧନ ତାକୁ ଦୁଇ ହାତରେ ନିଜ ପାଖକୁ ଟାଣି ଆଣି କହିଲେ-ଭଗବାନଙ୍କ ସଂସାରର ଆମେ ସଭିଏଁ ସମାନରେ ରଙ୍କ । ଧନୀ ଓ ଗରିବ ଏସବୁ ଯାହା ଲୋକ ଦେଖାଣିଆ ଏଇ ଲୋକ ଦେଖାଣିଆ । ଧନୀ ଓ ଦରିଦ୍ରର ତଫାତ୍‍କୁ ଭାଙ୍ଗିଦେବା ପାଇଁ ଆମେ ସମସ୍ତେ ଲଢ଼େଇ କରୁଛେଁ । କିନ୍ତୁ ଏଥିପାଇଁ ହାଣ କାଟ କରି କ’ଣ ଅବା ଲାଭ ? ଜୋର ଜବରଦସ୍ତିର କ'ଣ ଅଛି ଫାଇଦା ?

 

ରଙ୍କ ଓ ଅନ୍ୟମାନେ ଦୁର୍ଯ୍ୟୋଧନଙ୍କ ବଚନିକାକୁ ଶୁଣୁଥିଲେ ମନ୍ତ୍ରମୁଗ୍ଧ ହୋଇ ।

 

ଦୁର୍ଯ୍ୟୋଧନ କହିଲେ ମୁଁ ଜାଣେ, ତମେମାନେ ଅଶ୍ୱିନୀଙ୍କ କଥାରେ ମାତିଯାଇଛ । ଆଚ୍ଛା କହିପାରିବୁ ରଙ୍କ, ଆଜିକୁ କୋଡ଼ିଏ ବର୍ଷ ତଳେ ଅଶ୍ୱିନୀଙ୍କର ଯେପରି ଚଳାଚଳ ଥିଲା, ଆଜିକୁ କୋଡ଼ିଏ ବର୍ଷ ତଳେ ପୁରୁଣା ଚଳଣି ତାଙ୍କର ବଦଳି ନାହିଁକି ? ମୁଁ ଏକା ନୁହେଁ, ଏ ଅଞ୍ଚଳର ସକୁଲୋକ ଏକଥା ସ୍ଵୀକାର କରିବେ ନାହିଁ କି ? ଦୁଇତିନି ଏକର ଜମି ଆଜି ବଢ଼ି ଯାଇଛି କୋଡ଼ିଏ ଏକରକୁ । ମାଟି ଘର ପରିବର୍ତ୍ତେ ଏବେ ସେ ତିଆରି କରିଛନ୍ତି ଦୁଇମହଲା କୋଠାଟିଏ । ସାଇକେଲ ଛାଡ଼ି ଏବେ ସେ ମଟର ସାଇକେଲରେ ବୁଲୁଛନ୍ତି । ଏସବୁ ଆସିଲା କେଉଁଠୁ ? ତମେ ଯେଉଁ ଚାନ୍ଦା ଭେଦା ଆଦାୟ କରିଦିଅ, ସେସବୁର ସେ ହିସାବ ଦିଅନ୍ତି କି ?

 

ରଙ୍କ ଓ ଶଙ୍କର ଏକା ସାଙ୍ଗରେ କହି ଉଠିଲେ- ଅନେକ ଡେରିରେ ଆମେ ତାଙ୍କ କଥା ଜାଣିଲୁ, ଆଜ୍ଞା ! ମୁହଁରେ ଖଟିଖିଆ କଥା କହି ବାସ୍ତବରେ ସେ ସେମାନଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟକରନ୍ତୁ । ସଭା ସମିତିରେ ସରକାର ଓ ମନ୍ତ୍ରୀମାନଙ୍କୁ ଗାଳି ଫଜିତ୍ କରି ଅନେକ ସମୟରେ ମନ୍ତ୍ରୀମାନଙ୍କ ଅଫିସ୍ ଓ ଘରେ, ବେଳେବେଳେ ସେମାନଙ୍କ ଗାଡ଼ିରେ ଓ ସଭାସମିତିରେ ଯୋଗଦିଅନ୍ତି । ଅଯଥାରେ ଆମେ ଆମ ଗାଁ ଲୋକଙ୍କ ସହିତ କଳି କରି ଚିହ୍ନା ପଡ଼ିଲୁ । ଅକାରଣରେ ମାଲି ମୋକଦ୍ଦମାରେ ବହୁତ ପଇସା ଖର୍ଚ୍ଚ କଲୁ । ଆମେ ଶେଷକୁ ଆଜ୍ଞା ଭିକାରୀ ହୋଇଗଲୁ । ବର୍ତ୍ତମାନ କାହାରି ଘରେ ଖାଇବା ପାଇଁ ବାସନ ଖଣ୍ଡିଏ ମଧ୍ୟ ନାହିଁ, ଆମର ସବୁ ଭୁଲ୍ ଆମେ ଆଉ ଦିଗଦାଣ୍ଡିକୁ ଚାଷ କରିବୁ ନାହିଁ ।

 

ଦୁର୍ଯ୍ୟୋଧନ ହସିଲେ । ସେ ହସି ହସି କହିଲେ–ଏପରି କଥା ? ଜମିହୀନଙ୍କୁ ଜମି ଦେବା ପାଇଁ ଆମେ ତ ବହୁବର୍ଷ ହେଲା ଦାବୀ ଓ ଲଢ଼େଇ କରିଆସିଛୁ । କିନ୍ତୁ ଆମ କଥା ସେତେବେଳକାର ସରକାର ଶୁଣିଲେ ନାହିଁ । ମୁହଁରେ ଜମିହୀନ ଲୋକଙ୍କ ପାଇଁ ସେମାନଙ୍କର ଥିଲା ଗୁଡ଼ାଏ ମୂଲ୍ୟହୀନ ସହାନୁଭୂତି । ଖବରକାଗଜ ପୃଷ୍ଠାରେ ଏଥିପାଇଁ ବିପ୍ଲବ ହେବ ବୋଲି ସେମାନେ ରଡ଼ିଛାଡ଼ନ୍ତି । ମାତ୍ର ତମେ ସବୁ ଜାଣ, ସେ ସମସ୍ତେ ବଡ଼ ବଡ଼ ଜମି ମାଲିକ । ତେଣୁ ଭୂମିହୀନମାନଙ୍କୁ ଜମି ବାଣ୍ଟିବା କାର୍ଯ୍ୟ ସେମାନେ କରନ୍ତେ କିପରି ?

 

ତମକୁ ସବୁ ଜମି ମିଳିବରେ । ଦିଗହାଣ୍ଡି ପଡ଼ିଆରୁ ପ୍ରତ୍ୟେକ ଭୂମିହୀନ ଚାଷୀ ଯେପରି ଅଧ ଏକର ଜମି ପାଇବେ, ମୁଁ ସେଥିପାଇଁ ବ୍ୟବସ୍ଥା କରିବି । ତମେ ସବୁ ନିଶ୍ଚିନ୍ତ ରୁହ । ଏହା ନ କଲା ପର୍ଯ୍ୟନ୍ତ ସେ ସ୍ଵପ୍ନ ସଫଳ ହେବ ନାହିଁ । ଆଉ ବେଶୀ ଦିନ ନୁହେଁ । ଆଉ ଅଳ୍ପଦିନ ମଧ୍ୟରେ ସବୁ କିଛି ଠିକ୍ ଠାକ୍ ହୋଇଯିବ ।

 

ଦୁର୍ଯ୍ୟୋଧନ ଏତିକି କହିସାରି ଆକାଶକୁ ଅନେଇଲେ । ସନ୍ଧ୍ୟା ଆଗତ ପ୍ରାୟ । ମେଘ ସମ୍ପୂର୍ଣ୍ଣ ଛାଡ଼ି ଯାଇଛି । ଦୁର୍ଯ୍ୟୋଧନ ସେମାନଙ୍କ ଠାରୁ ବିଦାୟ ନେଇ ନିଜ ଘର ଆଡ଼କୁ ଆଗେଇଲେ ।

 

ଏ ଘଟଣାର ପନ୍ଦରଦିନ ପରେ ସୁବର୍ଣ୍ଣପୁରର ଦିଗଦାଣ୍ଡି ପଡ଼ିଆରେ ଅନୁଷ୍ଠିତ ହେଉଛି ଏକ ବିରାଟ ସାଧରଣ ସଭା । ଯେଉଁ ହରିଜନ ଓ ସବର୍ଣ୍ଣ ଲୋକମାନଙ୍କ ମଧ୍ୟରେ ଗତ ଛଅ ମାସ ଧରି ଚାଲିଥିଲା ସଂଘର୍ଷ ଓ କଳି ତକରାଳ, ଉଭୟ ଗୋଷ୍ଠୀର ମିଳିତ ସଭାରେ ସେହି ମାନ ମନାନ୍ତର ଓ ଶତ୍ରୁତାର ବାଲିବନ୍ଧ ଆଜି ଯେପରି ନିବିଡ଼ ଅତ୍ମୀୟତା ଓ ଏକାତ୍ମବୋଧର ଉଲ୍ଲସିତ ବନ୍ୟାରେ କୁଆଡ଼େ ମିଳାଇ ଯାଇଛି । ସେମାନେ ସମସ୍ତେ ଆଜି ସୁବର୍ଣ୍ଣପୁରର ଲୋକ । ସେମାନେ ସମସ୍ତେ ଆଜି ଭାଇ ଭାଇ । ପରସ୍ପରକୁ ସ୍ନେହ ଓ ଆଲିଙ୍ଗନ କରିବାରେ ଆଜିର ଏ ସଭାସ୍ଥଳ ଯେପରି ହୋଇଯାଇଛି ଅନେକ ବର୍ଷ ପରେ ଏକ ପୂଣ୍ୟପୀଠ । ଛୁଆଁ ଅଛୁଆଁର ସେଇ ପୁରୁଣା ପ୍ରଚୀରକୁ ଭାଙ୍ଗି ଦେଇ ସେମାନେ ହୋଇ ଉଠିଛନ୍ତି ଗୋଟିଏ ମାତାର ଔରସରୁ ଜନ୍ମିତ ଦୁଇଟି ସହୋଦର ।

 

ସଭା ମଣ୍ଡପରେ ବସିଛନ୍ତି ସର୍ବୋଦୟ ଦୁର୍ଯ୍ୟୋଧନ ମଙ୍ଗରାଜ । ଗତ ତିରିଶ ବର୍ଷଧରି ଆଣ୍ଠୁଲୁଚା ଖଦଡ଼ ଧୋତି ଯେପରି ପିନ୍ଧି ଆସୁଥଲେ ସବୁଦିନ, ଆଜି ମଧ୍ୟ ପିନ୍ଧଛନ୍ତି ସେଇମିତି, ସେଇଭଳି ମଧ୍ୟ ଘୋଡ଼ାଇ ହେଇଛନ୍ତି ଚଦରଟିଏ । ମାତ୍ର ତାଙ୍କ ଗୌର ପ୍ରଶସ୍ଥ ଲଲାଟରେ ଆଜି ଯେପରି ଝଟକି ଉଠୁଛି ସୂର୍ଯ୍ୟୋଦୟ ରକ୍ତିମ ଆଭା । ସମ୍ଭବତଃ ଅନେକ ବର୍ଷ ପରେ ଆଜି ତାଙ୍କର ସ୍ଵପ୍ନ ସାର୍ଥକ ହୋଇଛି ।

 

ଦିଗଦାଣ୍ଡି ପଡ଼ିଆରେ ଅସଂଖ୍ୟ ଜନସମାବେଶ । ଶରତ ଆକାଶରେ ଆଜି ମେଘ ନାହିଁ । ଆକାଶ ଦେଖାଯାଉଛି ଅତ୍ୟନ୍ତ ସୁନୀଳ । କାଣୀ ନଦୀର ତୀରେ ତୀରେ କାଶତଣ୍ଡୀ ଫୁଲର ବର୍ଣ୍ଣୋତ୍ସବ ଦେଖାଯାଉଛି ଦିଗଦାଣ୍ଡି ପଡ଼ିଆରୁ ।

 

ଦୁର୍ଯ୍ୟୋଧନ ସଭା ମଞ୍ଚରେ ଠିଆ ହେଲେ । ସଭା କକ୍ଷର କୋଳାହଳ ହଠାତ୍ ନିସ୍ତବ୍‍ଧ ହୋଇଗଲା । ସେ କହିଲେ–ମୋର ଅନେକ ଦିନର ସ୍ଵପ୍ନ ସାର୍ଥକ ହୋଇଛି । ଚାଷୀମୁଲିଆ ପାର୍ଟିର ବଭେଦକାମୀ ଭୂମିକା ଆଜି ବ୍ୟର୍ଥ ପ୍ରମାଣିତ ହୋଇଛି । ଶାନ୍ତିପୂର୍ଣ୍ଣ ଭାବରେ ଆଜି ସୁବର୍ଣ୍ଣପୁର ଲେକମାନଙ୍କ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇଯାଇଛି । ହରିଜନମାନେ ପ୍ରତ୍ୟେକ ଅଧ ଏକର ଲେଖାଏଁ ଜମି ପାଇବେ । ଏଇଠି ସେମାନେ ନିର୍ଭୀକ ଭାବରେ ଚାଷ କରିବେ । ଆସନ୍ତାକାଲି କେଉଁ ଜମି କିଏ ନେବ, ତାହା ନିର୍ଣ୍ଣିତ ହେବ । ସବର୍ଣ୍ଣ ଲୋକମାନେ ଆଉ ବିରୋଧ କରିବେ ନାହିଁ । ସେହିମାନଙ୍କ ହଳବଳଦ ସାହାଯ୍ୟରେ ହରିଜନ ଭାଇମାନେ ଚାଷ କରିବେ ।

 

ସଭା ସ୍ଥଳରେ ଖେଳିଗଲା ଏକ ଅପୂର୍ବ ଆନନ୍ଦର ତରଙ୍ଗ । କ୍ରମାଗତ କରତାଳି ଧୂଳିରେ ଫାଟିପଡ଼ିଲା ଦିଗଦାଣ୍ଡି ପଡ଼ିଆ ।

 

ଦୁର୍ଯ୍ୟୋଧନ ସେମାନଙ୍କୁ ଶାନ୍ତ ହେବାକୁ ହାତ ଠାରୁଥିଲେ; ମାତ୍ର ସେମାନଙ୍କ ମଧ୍ୟରେ କ୍ରମାଗତ କୋଳାହଳ ଓ ଉଲ୍ଲାସର କଳରବ ହୋଇ ଉଠୁଥିଲା ପ୍ରଚଣ୍ଡ ।

 

ଦୁର୍ଯ୍ୟୋଧନ ଶାନ୍ତ ହେବାପାଇଁ ସମସ୍ତ ଜନତାକୁ ହାତ ଠାରିଲେ । କିଛିକ୍ଷଣ ପରେ କ୍ରମେ କୋଳାହଳ ଶାନ୍ତ ପଡ଼ିଆସିଲା ।

 

ଦୁର୍ଯ୍ୟୋଧନ କହୁଥିଲେ ଗାନ୍ଧିଜୀଙ୍କ ଶାନ୍ତି ଓ ସହାବସ୍ଥାନର କଥା ରକ୍ତାକ୍ତ ବିପ୍ଳବ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଏକ ନିରବଚ୍ଛିନ୍ନ ନୀରବ ସଂଗ୍ରାମ ଦରକାର । ତା'ହେଲେ ଯାଇ ସମାଜର ରୂପ ବଦଳିଯିବ ।

 

ପୁଣି ସଭାକକ୍ଷରେ ସେଇ ବିଳମ୍ବିତ କରତାଳି ଧ୍ୱନି । ସେଇ କରତାଳି ଧ୍ୱନିର ଆଜି ଯେପରି ବିରତି ନାହିଁ । ସୁବର୍ଣ୍ଣପୁରରେ ଆଜି ଗୋଟାଏ ନୂଆ ଇତିହାସ ଯେପରି ଲେଖାଚାଲିଛି ।

Image

 

ଭୂତୁଣୀ : ଏକ ବିଦାୟ

ଶ୍ରୀ ମନୋଜ ଦାସ

 

ବିଶେଷତଃ ଜହ୍ନରାତିମାନଙ୍କରେ ନିର୍ଜନ, ଉଦାସ କୋଠିଟିର ଆକର୍ଷଣ ହେଉଥିଲା ଅପ୍ରତିରୋଧ୍ୟ । ନଈବନ୍ଧ ଉପରୁ ଆମ ନୀରବରେ ଦୀର୍ଘ ସମୟ ଧରି ତା’ଆଡ଼କୁ ଅନାଇ ରହୁଥିଲୁଁ । ଦମ୍‍କା ପବନରେ କେଠି ଚାରି ଦିଗର ଉଚ୍ଚ ପୀତାଭ ଘାସ ଓ ବୁଦା ସବୁ ଯେତେବେଳେ ଢେଉଭଳି ଭାଙ୍ଗି ହେଉଥଲେ, ସେତେବେଳେ ମନେ ହେଉଥିଲା ସେଇଟି ଯିମିତ ପରୀ କାହାଣୀର ଏକ ଯାଦୁନଅର- ଭାସି ଚାଲିଛି ମାୟାସମୁଦ୍ର ଉପରେ ।

 

ଯଦିଓ ଏକାନ୍ତ ଏକାକୀ ଓ ଉଦାସ-ପୁଣି ଥରେ କହି ରଖିବା ଉଚିତ୍- କୋଠିଟିର ଆକର୍ଷଣ ଥିଲା ଅପ୍ରତିରୋଧ୍ୟ ।

 

ରାତିରେ ଆମେ ସାଧାରଣତଃ ଚୁପ୍‍ଚାପ୍ ରହୁଥିଲୁ; କିନ୍ତୁ ସକାଳ ହେବା ମାତ୍ରେ କେହି ଜଣେ ଆଉ ଜଣକୁ କହିବ -ଆଉ ସନ୍ଧ୍ୟା ସୁଦ୍ଧା ଆମେ ସବୁ ବାଳକମାନେ ଜାଣି ଯାଇଥିବୁ -ଯେ ସେ ଝିଅଟିକୁ ମୁହୂର୍ତ୍ତକ ପାଇଁ ଦେଖି ଦେଇଥିଲା । ଶୂନଶାନ୍ ବାରନ୍ଦାର ରେଲିଂ ଉପରେ ଭରା ଦେଇ ଝିଅଟି ହୁଏତ ଜହ୍ନ ଆଡ଼କୁ ଅଥବା ଅଙ୍କାବଙ୍କା ନଈର ଗତିପଥକୁ ଅନାଇଥିଲା ଏକ ଲୟରେ । ଅଖିରୁ ଗଡ଼ି ଆସୁଥିଲା ଲୁହ -ଜହ୍ନ ଆଲୁଅରେ ବିନ୍ଦୁ ବିନ୍ଦୁ ସୁବର୍ଣ୍ଣ ଭଳି ।

 

ଏଇଟା କିଛି ନୂଆ କଥା ନ ଥିଲା । ତଥାପି ପ୍ରତ୍ୟେକ ଥର ଆମେ ଶିହରିତ ହେଉଥିଲୁଁ । ପରଦିନ ସନ୍ଧ୍ୟାରେ ପୁଣି ଆମେ ଯାଇ ନଈବନ୍ଧ ଉପରେ ଏକାଠି ହେଉଥିଲୁଁ ।

 

ଝିଅଟିକୁ ଟିକିଏ ଖୁସି କରିବା ପାଇଁ ଯାହା ଦରକାର, ସବୁ କରିବାକୁ ପ୍ରସ୍ତୁତ ଥିଲୁଁ ଆମେ ସଭିଏଁ, କିନ୍ତୁ କିଛି ସେ କରିବାର ନଥିଲା, ତା’ବି ଆମେ ବୁଝୁଥିଲୁଁ । ଆମର ଏତେ ପାଖରେ ଥାଇ ବି ସିଏ ଥିଲା ଏକ ସୁଦୂର ପୃଥିବୀର ବାସିନ୍ଦା । ଏକାକିନୀ ।

 

ତା’ଛଡ଼ା ତା’ ପ୍ରତି ଅତ୍ୟଧିକ ମମତାପରାୟଣ ହେବାର ଲୋଭ ସେ ସମ୍ବରଣ କରିଯିବା ଉଚିତ୍, ସେକଥା ବି ଅମେ ହୃଦୟଙ୍ଗମ ହେଉଥିଲୁଁ । ଏକଦା ତା’ ପ୍ରେମରେ ପଡ଼ିଥିବା ଆମ ବହୁ ପୂର୍ବବର୍ତ୍ତୀ ଯୁଗର ଜଣେ ଦୁଃସାହସୀ ତରୁଣର କରୁଣ କାହାଣୀ ଆମମାନଙ୍କୁ ବାରମ୍ବାର ଶୁଣିବାକୁ ପଡ଼ିଥିଲା । ନଈବନ୍ଧର ଯେଉଁ ଅଂଶଟି କୋଠିର ସବୁଠୁଁ ନିକଟବର୍ତ୍ତୀ ସେଇଠି ଛିଡ଼ା ହୋଇଥିଲା ଏକ ବିଶାଳ ବରଗଛ । ନିଜ ନିଃସଙ୍ଗତରେ ବିଶାଳତର । ତରୁଣଟି ସୁଯୋଗ ପାଇଲେ ହିଁ ଘରୁ ଖସିଯାଇ ଗଛଟି ଉପରେ ଚଢ଼ି ବସୁଥିଲା ଓ ଜୀର୍ଣ୍ଣ ବାତାୟନ ପଥରେ କୋଠିର ଉପର ମହଲା ଭିତରକୁ ଘଣ୍ଟା ଘଣ୍ଟା ଧରି ଅନାଇ ରହୁଥିଲା । ଉପର ମହଲାର କୋଠରୀ ଭିତରେ ତକ୍ତପୋଷଟି ଉପରେ ଏକ ଜିନ୍ନ ବିଷର୍ଣ୍ଣ ଝିଅଟି ବସି ରହିଥିବାର ସେ ଦେଖୁଥିଲା - ସନ୍ଦେହ ନାହିଁ, କିନ୍ତୁ ଝିଅଟି ତାକୁ ଦେଖୁଥିଲା କି ? ନିଶ୍ଚୟ କେବେ କେବେ । ନହେଲେ କାହିଁକି ବା ତରୁଣଟି ଥରେ ନୁହେଁ, ତିନିଥର ଗଛ ଉପରୁ ସଂଜ୍ଞାହତ ହୋଇ ଖସି ପଡ଼ିଥା’ନ୍ତା ? ତୁମେ ଭୂତ ପ୍ରେତ ଆଖିକୁ ଅନାଇ ରହିପାର-ଯେ ଯାଏ ତୁମର ହିମତ୍ ଥିବ । ଭୂତ ପ୍ରେତ ତୁମ ଆଖିକୁ ଅନାଇ ରହିଲେ କିନ୍ତୁ ତୁମର ଜ୍ଞାନ ନହରାଇ ଗତାନ୍ତର ନାହିଁ ।

 

ଅବଶେଷରେ ଏକ ନିଦାଘ ଦ୍ଵିପହରେ, ଶୁଭେଚ୍ଛୁ ବର୍ଗଙ୍କ ସମସ୍ତ ଚେତାବନୀ ଭୁଲିଯାଇ ତରୁଣଟି କୋଠି ଭିତରକୁ ପଶି ଯାଇଥିଲା । ଅର୍ଦ୍ଧଭଗ୍ନ ପାହାଚ ଟପି ସେ ପହଞ୍ଚିଥିଲା ଉପର ମହଲାରେ ଯାଇଥିଲା ଓ ଉଙ୍କି ମାରିଥିଲା କୋଠରୀ ଭିତରକୁ ।

 

ଝିଅଟି ଶୋଇଥିଲା । କୁହାଯାଏ, ସେ ସାରା ରାତି କାନ୍ଦି କାନ୍ଦି ଦିନବେଳେ ଶୋଇପଡ଼ୁଥିଲା । ନିଦ୍ରିତ ଅବସ୍ଥାରେ ବି ତାର କୋହ ପ୍ରଶମିତ ହେଉ ନ ଥିଲା ।

 

ଟିକିଏ ଅକଲ ଖଟାଇ ତରୁଣଟି କାମ କରିଥା'ନ୍ତା ହେଲେ ! ଦୁଇ ପୁରୁଷର ବ୍ୟବଧାନରେ ମଧ୍ୟ ଆମେ ବାଳକମାନେ ତା'ର ବିବେଚନହୀନ ପଦକ୍ଷେପର ବିଚାର କରି ତା'ପ୍ରତି ଦୟା କରିଥିଲୁଁ । ଏମିତି ପ୍ରେମରେ ପଡ଼ିବାଟା ହିଁ କେତେ ସାଙ୍ଘାତିକ । ପୁଣି ତରୁଣୀଟିଏ ସହିତ ପଡ଼ିବା କେତେ ମାରାତ୍ମକ ! ତରୁଣଟି ହାୟ, କିମିତି ସେକଥା ଭୁଲିଗଲା ।

 

ବଡ଼ ପ୍ରାୟେ ତରୁଣଟି ସେଦିନ ଦୌଡ଼ି ଯାଉଥିଲା ସୁସୁପ୍ତା ଭୂତୁଣୀ ନିକଟକୁ -ଆଉ ଝିଅଟି କିଛି ବୁଝିବା ପୂର୍ବରୁ ସେ ତାକୁ ଚୁମା ଦେଇ ସାରିଥିଲା ।

 

ଝିଅଟି ଚିତ୍କାର କରିଥିଲା । ପୂର୍ବରୁ କେତେଲୋକ କେତେଥର ତା'ର ହସ, କାନ୍ଦ ଅଥବା ମନକୁ ମନ ଗପିବାର ଶୁଣିଛନ୍ତି । କିନ୍ତୁ ସେଇ ଥରକ ଛାଡ଼ି ସେ କେବେ ଚିତ୍କାର କରିବାର କେହି ଶୁଣି ନ ଥିଲେ। କଥା ହେଲା, ଅନ୍ୟାନ୍ୟ ଭୂତ ପ୍ରେତଙ୍କ ଠାରୁ ତାର ଢଙ୍ଗ ଅନେକ ପୃଥକ୍ ଅଧିକ ସମୟ ପୂରାପୁରି ନୀରବତାରେ କଟାଇବାକୁ ସେ ସୁଖ ପାଉଥିଲା ।

 

ସେ ଦିନର ସେ ଚିତ୍କାର ହୁଏତ ତୁମେ ଆମେ ଶୁଣିପାରି ନ ଥା'ନ୍ତୁ । କିନ୍ତୁ ସେତିକିବେଳେ ନଈବନ୍ଧ ଉପର ଦେଇ ଯାଉଥିଲେ ଆମ ଅଞ୍ଚଳର ଜଣେ ଜନପ୍ରିୟ ବାରବୁଲା ବୈରାଗୀ, ଯିଏକି ସ୍ମଶାନରେ କାଳ କାଟୁଥାନ୍ତି ଓ ଦୁଇ ତିନି ଦିନ ଅନ୍ତରରେ ଭୋକ ହେଲେ ଥରେ ଗାଁ ଭିତରକୁ ଆହାର ଅନ୍ୱେଷଣରେ ପଶି ଆସୁଥାନ୍ତି । ବୈରାଗୀଟି ଧରଣର ଭାଷାବିଦ୍ ଥିଲେ । ଗୋ-ମହିଷାଦି ପଶୁ ଓ ମହିଷାଦି ବିଶେଷ ବିହଙ୍ଗ ଅଶରୀରୀମାନଙ୍କ ଭାଷା ସେ ବୁଝି ପାରୁଥିଲେ । ସେତିକି ନୁହେଁ, ଅନ୍ୟମାନଙ୍କ କାନକୁ ଯେଉଁସବୁ ଧ୍ୱନି ଶୁଣା ଯାଉ ନଥିଲା, ସେସବୁ ମଧ୍ୟ ସେ ଶୁଣି ପାରୁଥିଲେ । ଗାଁ ଲୋକେ ସନ୍ଧ୍ୟାବେଳେ ଯେତେବେଳେ ନିରୁଦ୍ଦିଷ୍ଟ ତରୁଣଟି କଥା ଅଲୋଚନା କରୁଥଲେ, ସେତିକିବେଳେ ସେ କୋଠି ଭିତରୁ ଅସ୍ୱାଭାବିକ ଚିତ୍କାର ଶୁଣିବା କଥା ପ୍ରକାଶ କଲେ ।

 

ପରଦିନ ସକାଳେ ଗାଁ'ର ବାର ଜଣ ସରିକି ସାହସୀ ମଣିଷ କୋଠି ଭିତରେ ପ୍ରବେଶ କଲେ । ସେମାନେ ନିଜ ନିଜ ମୁଣ୍ଡରେ ଗଙ୍ଗାଜଳ ସିଞ୍ଚିଥିଲେ ଓ ଅଣ୍ଟିରେ ଖଣ୍ଡିଏ ଖଣ୍ଡିଏ ଲୁହାଦ୍ରବ୍ୟ ଲୁଚାଇ ନେଇଥିଲେ । ଏହାଦ୍ଵାରା ଭୂତୁଣୀ ସେମାନଙ୍କର ଖୁବ୍ ନିକଟକୁ ଆସିବାର ସମ୍ଭାବନା ପ୍ରତିହତ ହୋଇଥିଲା । କିନ୍ତୁ ମୁଁ ଦୃଢ଼ ଭାବରେ କହିପାରେ, ହାତରେ ଲାଠି ବା ତଜ୍ଜାତୀୟ ଦୃଶ୍ୟମାନ ଅସ୍ତ୍ର ଧରିଯିବା କଥା ସେମାନଙ୍କ ଭିତରୁ କେହି କଳ୍ପନା ବି କରି ନ ଥିଲେ । ଝିଅ ଅପମାନବୋଧ କଲାଭଳି କୌଣସି କାମ କେହି କରିପାରନ୍ତେ ନାହିଁ ।

 

ସେମାନେ ଦେଖିଲେ–ଶହେ ବର୍ଷର ପୁରୁଣା ତୂଳା ଶେଜ ଉପରେ ତରୁଣଟି ପଡ଼ିରହିଛି-ପ୍ରାଣହୀନ ।

 

ସେ ଯେ ଝିଅକୁ ଚୁମା ଦେଇ ପକାଇଥିଲା, ବୈରାଗୀ ଶତ ଚିତ୍କାର ବ୍ୟତିରେକେ ତାହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳିଲା । ତରୁଣ ମୁହଁରେ ଝରି ଆସିଥିଲା ଗାଢ଼ ରକ୍ତ । ପ୍ରେତାତ୍ମାକୁ ଚୁମା ଦେବା ବାବଦରେ ଏତିକି ମୂଲ୍ୟ ନ ଦେଇ ସିଏ ବା ଯାଇଥା'ନ୍ତା କୁଆଡ଼େ !

 

ବିଗତ କାଳର ସେଇ ଦୁର୍ନିବାର ତରୁଣର ଅଭିସାର କାହାଣୀ ଭବିଷ୍ୟତ ପାଇଁ ଏକ ଭୟାଭୟ ଦୃଷ୍ଟାନ୍ତ ହେଇ ରହିଥିଲା ସତ, ଭୂତୁଣୀ ଝିଅ ପ୍ରତି ଆମ ଲୋକଙ୍କ ମମତାରେ କିନ୍ତୁ କିଛି ଆଞ୍ଚ ଆସି ନଥିଲା । କେଉଁ ଅବିବେକୀ ଯଦି ତା’ ପ୍ରେମରେ ପଡ଼ିବ, ତା’ର ବା ସେଥିରେ ଦାୟିତ୍ୱ କଣ ? ସିଏ ତ କାହାକୁ ଉତ୍ସାହ ଦେଇ ନଥିଲା । ସିଏ ତ ଆଉ ସେ ହତଭାଗ୍ୟ ତରୁଣକୁ ମାରି ନଥିଲା । ଆମ ଜଗତ ଓ ତା’ ଜଗତ ଭିତରେ ଥିବା ନିଦାରୁଣ ବ୍ୟବଧାନକୁ ସିଏ ବା କିମିତ ବାତିଲ୍ କରିପାରନ୍ତା । ଯେଉଁ ଶହେ ବର୍ଷ କାଳ ସିଏ ଗ୍ରାମ ଉପକଣ୍ଠରେ ରହିଥିଲା, ସେ ଭିତରେ ସିଏ କାହାକୁ ପ୍ରଲୋଭିତ କରିବା ବା କାହା ଉପରେ ସବାର୍ ହେବାର ଦୃଷ୍ଟାନ୍ତ ଥିଲା କି ? କଦାପି ନୁହେଁ ।

 

ହୁଏତ ଶହେ ବର୍ଷରୁ କିଛି ଅଧିକ ହେବ । ଫିରିଙ୍ଗୀମାନେ ବ୍ୟାପକ ଅଞ୍ଚଳରେ ନୀଳଚାଷ କରିବା ଯୁଗର କଥା । ବଙ୍ଗଦେଶ ଭିତରେ ହିଁ ନୀଳଚାଷ ସୀମାବଦ୍ଧ ଥିଲା । ତେବେ କେତେଜଣ ଅତ୍ୟୁତ୍ସାହୀ ଫିରିଙ୍ଗି ସୀମାନ୍ତବର୍ତ୍ତୀ ଆମ ରାଜ୍ୟର କିଛି ଜମି ଉପରେ ଚାଷବାସ ଆରମ୍ଭ କରିଥିଲେ । ଆମ ମାଟିରେ ସେମାନଙ୍କ ପରୀକ୍ଷା ସଫଳ ହେଲାନାହିଁ । କିଛିଦିନ ଉତ୍ତାରୁ ସେମାନେ ସ୍ଥାନ ଛାଡ଼ି ଚାଲିଗଲେ । ପଛରେ ଛାଡିଗଲେ ସୁନ୍ଦର କୋଠିଟି ।

 

ଜନଶୃତି- ଯାହା କହେ–ନୀଳଚାଷ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ତିନିଜଣ ଫିରିଙ୍ଗୀ ଯୁବକ ଝିଅଟିକୁ ସେ ନବନିର୍ମିତ, କୋଠିକୁ ନେଇ ଆସିଥିଲେ । ସେ ସଂଗୃହୀତା ହୋଇଥିଲା ସୁନ୍ଦରବନ ଅଞ୍ଚଳରୁ- ହୁଏତ ହରଣ ଅଥବା କ୍ରୟ ସୂତ୍ରରେ । ସାହେବ ପିତା ଓ ଆଦିବାସୀ ଜନନୀର ଅବୈଧ କନ୍ୟା । ଚେହେରା ଓ ଚରିତ୍ରରେ ନିଜ ମାତୃ ସମ୍ପ୍ରଦାୟର ଆରଣ୍ୟକ ବହ୍ନି ସହିତ ଦାୟିତ୍ୱହୀନ ପିତାର ସୁସମ ଗଠନର ବିରଳ ସାମଞ୍ଜସ୍ୟ ହାସଲ କରିଥିଲା ଝିଅଟି ।

 

ଏଭଳି ଅପୂର୍ବ ଅସ୍ୱାଭାବିକ ଝିଅଟିଏ ପକ୍ଷରେ ଗ୍ରାମର ମହିଳାମାନଙ୍କ ସହିତ ମିଶିବାର ସମ୍ଭାବନା ଥିଲା ସୁଦୂର ପରାହତ । ଆଉ ଶ୍ୱେତ ରକ୍ତ ସମ୍ବଳିତା ଝିଅଟିଏ ସହିତ ଗପ କରିବା ପାଇଁ ଆମ ମହିଳାମାନେ ଆଗଭର ହୋଇଯିବେ–ସେ ପ୍ରଶ୍ନ ମୂଳରୁ ଉଠୁ ନ ଥିଲା ।

 

ପ୍ରଥମରୁ ହିଁ ଝିଅଟି ତା’ର ମାଲିକମାନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲା । ସେଥିପାଇଁ ପାଉଥିଲା ପ୍ରଚୁର ଦଣ୍ଡ । କେତେଥର ପଳାଇଯିବା ଉଦ୍ୟମ ପଣ୍ଡ ହେବା ଉତ୍ତାରୁ ସେ ପେଷା ମାନିଯିବାର ଅଭିନୟ କଲା ଓ ସେଇଭଳି ଭାବରେ ବର୍ଷଟିଏ ବିତିଗଲା ।

 

ତା 'ପରେ, ଦିନେ ତିନି ଫିରିଙ୍ଗୀ ଯୁବକ ବଙ୍ଗଦେଶ ଭିତରେ ଥିବା ସେମାନଙ୍କ ମୁଖ୍ୟକେନ୍ଦ୍ର ଅଭିମୂଖେ ନୌକା ଯୋଗେ ଯାତ୍ରାରମ୍ଭ କଲେ । ସେତେବେଳେ ଗାଁରେ ପ୍ରବଳ ବସନ୍ତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶ ପରିହାର କରି ଯୁବକମାନେ ନିଜେ ନିଜେ କାତ ଧରି ବସିଲେ । ଅବଶ୍ୟ କାତ ବ୍ୟବହାର କରିବାର ବିଶେଷ ପ୍ରୟୋଜନ ନ ଥିଲା । ସ୍ରୋତ ଅନୁକୂଳ ଥିବାବେଳେ ସହରରେ ପହଞ୍ଚିବାକୁ ଦିନଟିଏ ମାତ୍ର ଲାଗୁଥିଲା ।

 

ନୌକା ସହରରେ ଠିକ୍ ପହଞ୍ଚିଲା–ହୁଏତ ସାମାନ୍ୟ ବିଳମ୍ବରେ ପରଦିନ ପ୍ରଭାତରେ । ପଞ୍ଝାଏ ଉତ୍ତେଜିତ କାଉ ନୌକାଟି ଉପରେ ଚକର୍‍ ଦେଉଥିଲେ । ନୌକା ଭିତରେ, କିଛି ଅର୍ଦ୍ଧଭୁକ୍ତ ଆହାର କଡ଼ରେ ପଡ଼ିଥିଲା ତିନୋଟି ଶୀତଳ କଠିନ ଶବ ।

 

ଝିଅଟି ସେମାନଙ୍କ ପାଇଁ ଆହାର ପ୍ରସ୍ତୁତ କରି ଦେଇଥିଲା-ରାସ୍ତାରେ ଖାଇବା ପାଇଁ । କହିବା ବାହୁଲ୍ୟ, ତାହା ସେ କରିଥିଲା ସୁନିର୍ବାଚିତ ବିଷ ସଂଯୋଗରେ ।

 

ମୁକ୍ତି ଦିଗରେ ଏଇ ହତାଶ ପଦକ୍ଷେପ ନେବା ପଛରେ ଝିଅଟିର ଜଣେ ପ୍ରେରଣାଦାତା ଥିଲା । ସିଏ ସେଇ କୋଠିର ରକ୍ଷକ, କୋମ୍ପାନୀ ସହ ବହୁବର୍ଷ ରହିଥିବା ଚତୁର ପୌଢ଼ଟିଏ । ଫିରିଙ୍ଗୀ ଯୁବକମାନେ ସେମାନଙ୍କ ବିତ୍ତ କେଉଁଠି ରଖିଥିଲେ, ସେକଥା ଝିଅକୁ ମାଲୁମ୍ ଥିଲା । ଉଭୟେ ସେ ବିତ୍ତତକ ଧରି ପଳାଇଯିବେ~ଏଇଆ ଥିଲା ଚୁକ୍ତି । କିନ୍ତୁ ବିତ୍ତତକର ସନ୍ଧାନ ଜାଣି ସାରିବା ମାତ୍ରେ ଝିଅଟିକୁ ଛୁରୀମାରି ବଜାତ୍ ଭାଗି ଯାଇଥିଲା ।

 

ତୃତୀୟ ଦିନ ସେଠାରେ ପହଞ୍ଚିଲେ ଦଳେ ଫିରିଙ୍ଗୀ । ସେମାନେ ଭୟଙ୍କର କ୍ରୂଦ୍ଧ ଦେଖା ଯାଉଥିଲେ । ଗ୍ରାମର ପୁରୁଷମାନଙ୍କୁ ବାୟୋନେଟ୍ ଆଗରେ ଅଡ଼ିଇ ଝିଅଟିର ସତ୍କାର କରାଇଲେ ଓ ପଳାତକ ଘାତକକୁ ଠାବ କରିବା ଆଶାରେ ପ୍ରତ୍ୟେକ ଘର ତଲ୍ଲାସ କଲେ । ଘରମାନଙ୍କର ଶୁଚିତା ଫେରାଇ ଆଣିବାକୁ ପଡ଼ୋଶୀ ଗ୍ରାମମାନଙ୍କରୁ ପ୍ରଚୁର ରଙ୍ଗ ଜଳ ସଂଗ୍ରହ କରିବାକୁ ପଡ଼ିଥିଲା ।

 

ତେବେ ଶତାବ୍ଦୀ ତଳର ଏସବୁ ଘଟଣା ସ୍ମୃତି ମାତ୍ର ହୋଇ ରହିଥିଲା । ସେ ସ୍ମୃତିରେ କୌଣସି ପ୍ରବାହ ନ ଥିଲା । ଲୋକେ କେବଳ ଇତିହାସ ହିସାବରେ ଏ ଘଟଣା ମନେ ପକାଉଥିଲେ । ଫିରଙ୍ଗୀ ଯୁବକତ୍ରୟଙ୍କର ଅଥବା ଝିଅଟିର ସେଇ ନିର୍ମମ ଘାତକଟିର ଭାଗ୍ୟ ସମ୍ପର୍କରେ ସେମାନଙ୍କର କୌଣସି ଆଗ୍ରହ ନ ଥିଲା । ସେମାନଙ୍କ ମର୍ମରେ ସ୍ଥାନ ପାଇଥିଲା କେବଳ ଝିଅଟି, ଅର୍ଥାତ୍ ଝିଅଟିର ପ୍ରେତାତ୍ମା । ଆମେ କେବେ ଭାବୁ ନ ଥିଲୁଁ ଯେ ସେ ଆମ ଭିତରେ ଜଣେ ନୁହେଁ, ଯଦିଓ ଆମେ ସଚେତନ ଥିଲୁଁ, ଯେ ସେ ଆମ ଭଳି ଜଣେ ନୁହେଁ । ଏକେ ଭୂତୁଣୀ, ପୁଣି ତା’ ଭିତରେ ଥିଲା ସାତ ସାଗର ସେପାରିର ରକ୍ତ । ଜଣେ ଭୂତ ବନିଯିବା ପରେ ରକ୍ତ ତା'ର ତାତ୍ପର୍ଯ୍ୟ ହରାଉଥିବା କଥା ସତ୍ୟ ହୋଇପାରେ, ତଥାପି ଝିଅଟିର ରକ୍ତଗତ ବିଶେଷତ୍ଵ ଯେ ତା' ପ୍ରତି ଆମର ସମ୍ଭ୍ରମବୋଧକୁ ବଢ଼ାଇ ଦେଇଥିଲା, ଏଥିରେ ସନ୍ଦେହେ ନାହିଁ ।

 

ଗ୍ରାମରେ ଇମିତି କୌଣସି ଭୋଜି ହେଉ ନ ଥିଲା-ଜନ୍ମ, ବିବାହ ବା ମୃତ୍ୟୁ ଯେଉଁ ଘଟିତ ହେଉ ନା କାହିଁକି - ଯେଉଁ ଉପଲକ୍ଷେ ଝିଅଟି ତା’ର ଅଂଶ ପାଉ ନ ଥିଲା । ତା’କୁ ପରଶିବାର ଅନୁମାନଟି ସାଧାରଣତଃ ହେଉଥିଲା ରାତିରେ । ମାଟି ସରାରେ ଖାଦ୍ୟ ଦ୍ରବ୍ୟମାନ ଏବଂ ପ୍ରଦୀପଟିଏ ଧରି କେତେଜଣ ଯୁବକ କୋଠି ହତା ଭିତରକୁ ଯାଉଥିଲେ । ଅବଶ୍ୟ ନେତୃତ୍ଵ ନେଉଥିଲେ ଜଣେ ମାନ୍ୟଗଣ୍ୟ ବୟସ୍କ ବ୍ୟକ୍ତି । ଅଧିକାଂଶ ଥର ସେ ବ୍ୟକ୍ତି ଥିଲେ ଆମ ବିଦ୍ୟାଳୟର ହେଡ଼୍ ପଣ୍ଡିତ ମହୋଦୟ । ଆମେ ଅପ୍ରାପ୍ତ ବୟସ୍କ ବାଳକଗଣ ଦୂରରୁ ଦୃଶ୍ୟଟି ଦେଖିବାର ଅନୁମତି ପାଉଥିଲୁଁ ମାତ୍ର । କୋଠି ଓ ବରଗଛର ମଧ୍ୟବର୍ତ୍ତୀ ସ୍ଥାନରେ ପାତ୍ର ଓ ପ୍ରଦୀପ୍ତ ଥୁଆ ହେବା ଉତ୍ତାରୁ ହେଡ୍‍ପଣ୍ଡିତ କହୁଥିଲେ “ହତଭାଗିନୀ ଝିଅ ! ଅମୁକଙ୍କ ଘରେ ଅମୁକ କାରଣରୁ ଆଜି ଯେଉଁ ଭୋଜି ହେଉଛି, ସେଥିରୁ ତୋ ଅଂଶଟି ଏଇଠାରେ ରଖିଲୁ । ଏହାକୁ ଖାଇ ତୋର ସନ୍ତୋଷ ହେଉ । ଆଉ ତୋ’ କ୍ଷମତା ଅନୁସାରେ ତୁ ଗାଁକୁ ରିଷ୍ଟ ଅନିଷ୍ଟରୁ ରକ୍ଷା କରୁଥିବୁ, ଆମେ ତୋ’ଠୁଁ ଏତକ ଆଶା କରୁଁ । ଆମେ ତୋତେ କେବେ ହଇରାଣ କରିବା ପାଇଁ କିମ୍ବା କୋଠିରୁ ତଡ଼ିବା ପାଇଁ କଛି କରି ନାହୁଁ , କରିଛୁଁ ? ନା । କାହିଁକି ? କାରଣ, ଆମେ ତୋତେ ଆମର ଝିଅଟାଏ ବୋଲି ମନେ କରୁ । ଭଗବାନ ତୋତେ ଶାନ୍ତି ଦିଅନ୍ତୁ ।”

 

ତା’ପରେ ସେମାନେ ଫେରି ଆସୁଥିଲେ । ପଛକୁ ଫେରି ଚାହିଁବା ନିଷିଦ୍ଧ ଥିଲା।

 

ଅନ୍ୟମାନେ ବି ତା’ପରେ ସେ ଦିଗକୁ ଚାହିଁବା କଥା ନୁହେଁ । ତେବେ ନଈବନ୍ଧ ଉପରେ ଆମର ପ୍ରିୟ ସ୍ଥାନରୁ ବଡ଼ମାନଙ୍କୁ ଲୁଚି ଆମେ ଚାହୁଁଥିଲୁଁ । ପ୍ରଦୀପର ଦୋହଲିତ ଆଲୁଅରେ, ଚହଳୁଥିବା ଛାଇମାନଙ୍କ ଗହଣରେ, ଆମର ମନେ ହେଉଥିଲା, ଆମେ ଯିମିତ କିଛି ରହସ୍ୟମୟ ଆକାର ଦେଖିପାରୁଛୁଁ । ଆମେ ରୋମାଞ୍ଚିତ ହେଉଥିଲୁଁ ।

 

ହଠାତ୍ ପ୍ରଦୀପଟି ଲିଭି ଯାଉଥିଲା । ଏମିତ ହେବ ବୋଲି ମୁଁ ଜାଣିଥିଲି । ଆମେ ପୁରା ବ୍ୟାପାରଟା ଦେଖିବୁ, ଏକଥା ଝିଅ ଚାହେଁ ନାହିଁ” ଆମ ଭିତରୁ କେହି ଜଣେ କହୁଥିଲା । ଆମେ ନଈବନ୍ଧରୁ ଓହ୍ଲାଇ ଆସୁଥିଲୁଁ ।

 

"କିନ୍ତୁ ଝିଅ ହେଡ୍‍ପଣ୍ଡିତଙ୍କ କଥା ଖୁବ୍ ମାନିଯାଏ, ନୁହେଁ ? କିମିତି କଥା କହିବା ଦରକାର, ତାହା ପଣ୍ଡିତେ ଜାଣନ୍ତି ।” ଫେରିବା ବାଟରେ ପଣ୍ଡିତଙ୍କ ଜଣେ ପ୍ରିୟ ଛାତ୍ର ଏକଥା କହୁଥିଲା । “ପଣ୍ଡିତଙ୍କ କଥା କିଏ ନ ମାନେ ଯେ ?” ପ୍ରିୟ ଛାତ୍ରର ପ୍ରତିଦ୍ଵନ୍ଦୀ ଉତ୍ତର ଦେଉଥିଲା ।

 

କାହିଁକି କେଜାଣି, ମୋତେ କିନ୍ତୁ ଲାଗୁଥାଏ, ହେଡ୍ ପଣ୍ଡିତ ରିଷ୍ଟ ଅନିଷ୍ଟରୁ ରକ୍ଷା କରିବାକୁ ଝିଅକୁ ମୁହଁରେ କହିବାବେଳେ ମନ ଭିତରେ ଏଇଆ ବୁଝାଉଥା'ନ୍ତି ଯେ ଝିଅ ନିଜେ ଯେପରି ଗାଁର କୌଣସି ରିଷ୍ଟ ଅନିଷ୍ଟର ହେତୁ ନ ହୁଏ । ତାଙ୍କ କଥା ଭିତରେ ଯିମିତି ଗୋଟାଏ ପ୍ରଚ୍ଛନ୍ନ ଧମକ ରହିଥିଲା । ନ ହେଲେ ଆମେ ତାକୁ କେବେ ହଇରାଣ କରିବାକୁ ବା ତଡ଼ିବାକୁ ଚେଷ୍ଟା କରିନାହୁଁ ବୋଲି ସେ ଏମିତି ରୋକ୍ ଠୋକ୍ ଭାବରେ କାହିଁକି କୁହନ୍ତେ ?

 

ମୁଁ ବଡ଼ ସଙ୍କୋଚ ଅନୁଭବ କରୁଥିଲି । ଝିଅ କେଡ଼େ ଭଲ । ତାକୁ ଉଦ୍ଦେଶ୍ୟ କରି ଏମିତି ଚାତୁରୀପୂର୍ଣ୍ଣ କଥା କହିବା କଦାପି ଯଥେଷ୍ଟ ଭଦ୍ରତାର ପରିଚୟ ନ ଥିଲା ।

 

ଗ୍ରୀଷ୍ମକାଳରେ ଦିନଦିନ ଧରି ବନ ଦ୍ଵିପ୍ରହର ବେଳେ ସାଇଁ ସାଇଁ ଗରମ ପବନ ବହେ । କେବଳ ପବନର ଶବ୍ଦକୁ ଛାଡ଼ି ଆଉ ସବୁ ସେତେବେଳେ ଚୁପ୍‍ଚାପ୍ । କୋଠିର କାଠ ଦରଜା ଓ ଝରକାମାନ ବହୁକାଳରୁ ଭାଙ୍ଗି ଚୁରି ଯାଇଥିଲା ବା ଅପହୃତ ହୋଇଥିଲା । ଅତଏବ କୋଠିର ଅନ୍ଧିସନ୍ଧି ଭିତରେ ଅବାରିତ ଉଲ୍ଲାସରେ ପଶି ପବନ ନାନା ପ୍ରକାର ତୀବ୍ର ଧ୍ୱନିମାନ ସୃଷ୍ଟି କରୁଥିଲା ।

 

ଜାଣେନା, କାହିଁକି ଏଇଭଳି ଧ୍ୱନିମାନ ମୋତେ ବିମୋହିତ କରୁଥିଲା । ସେଇ ଦୀର୍ଘ ଦ୍ୱିପ୍ରହରରେ କିଛି ସମୟ ପାଇଁ ମୁଁ ଶୋଇ ପଡ଼ିବା ଉଚିତ ବୋଲି ବାପାଙ୍କର ନିର୍ଦ୍ଦେଶ ଥିଲା । କିନ୍ତୁ ମୁଁ ମୋ ଖଟ ଉପରେ ଚୁପ୍‍ଚାପ୍ ବସି ରହି ସେଇ ସବୁ ଧ୍ୱନି ପ୍ରତି ଉତ୍‍କର୍ଣ୍ଣ ରହୁଥିଲି ।

 

କୋଠି ଭିତରକୁ ଥରେ ପଶିଯିବା ପାଇଁ ମଧ୍ୟେ ମଧ୍ୟେ ପ୍ରବଳ ବାସନା ହେଉଥିଲା । ଆଉକିଛି ପାଇଁ ନୁହେଁ, କେବଳ ନିଃସଙ୍ଗ ଝିଅଟିକୁ ଥରେ ନୀରବ ସାନ୍ନିଧ୍ୟ ଦେବା ପାଇଁ । କିନ୍ତୁ ପ୍ରଶ୍ନ ଉଠୁଥିଲା, ସିଏ ମୋର ଉଦ୍ଦେଶ୍ୟ ବୁଝି ପାରିବ କି ? ଅତଏବ ମୁଁ ଆଉ ସେ ଦିଗରେ ଅଗ୍ରସର ହେଉ ନ ଥିଲି ।

 

ଯେଉଁ ଦିନ ସାହସର ସହିତ ନିଜକୁ କହିଲି ସେ ଏଇ ଅକର୍ଷଣଟା ପ୍ରେମରେ ପଡ଼ିବା ସମତୁଲ, ସେଦିନ ବେଶ୍ ଟିକିଏ ଗର୍ବିତ ଓ ସପ୍ରତିଭ ଅନୁଭବ କରିଥିଲି । ଗାଁର ଅନ୍ୟ ପିଲାଏବି ମୋ ଭଳି ଅନୁଭବ କରୁଥିବା ଅସମ୍ଭବ ନୁହେଁ । ଭୂତୁଣୀ ଝିଅ ଯେ ବୟସରେ ଆମଠାରୁ ଅନ୍ତତଃ ଶହେବର୍ଷ ବଡ଼, ଏକଥା କାହାରି ମନେ ରହୁ ନଥିଲା । ଥରେ ଭୂତ ବନିଗଲେ ତେଣିକି ଆଉ ବୟସ ବଢ଼େ ନାହଁ ବୋଲି ଆମକୁ କେହି ଜ୍ଞାନୀ ବ୍ୟକ୍ତି କହିଥିଲେ ।

 

ଆମେ ଯେତେବେଳେ ମଧ୍ୟ ବିଦ୍ୟାଳୟ ଶେଷ ପରୀକ୍ଷା ସକାଶେ ପ୍ରସ୍ତୁତ ହେଉଥିଲୁଁ, ସେତିକିବେଳେ ଆସିଲା ଏଇ ଶୋଚନୀୟ ସମ୍ବାଦ, ପି.ଡବଲ୍ୟୁ.ଡି କର୍ତ୍ତୃପକ୍ଷ କୋଠିଟିକୁ ଭାଙ୍ଗି ପକାଇ ସେ ଜମିକୁ ଅନ୍ୟ କୌଣସି କାମରେ ଲଗାଇବାକୁ ସିଦ୍ଧାନ୍ତ କରିଛନ୍ତି । ସନ୍ଧ୍ୟାବେଳେ ବୟସ୍କମାନେ ଏକତ୍ର ହୋଇ ସେ ପ୍ରସଙ୍ଗ ଆଲୋଚନା କଲାବେଳେ ଆମେ ଯେ ପାଠପଢ଼ା ଭୁଲି ଲୁଚି ରହି ତାହା ଶୁଣିବୁଁ, ଏହା ଥିଲା ସ୍ୱାଭାବିକ । ଆଲୋଚନା ଏହି ପ୍ରକାରେ ଅଗ୍ରଗତି କରୁଥିଲା - “ଆମେ ସରକାରଙ୍କ ପାଖରେ ଦରଖାସ୍ତ କଲେ ସରକାର କୋଠିଟିକୁ ଅବ୍ୟାହତି ଦେବେ ନାହିଁ ?”

 

‘‘ନା, ଏଠିକା ଜମିଦାର ଦୁଆଳିଆ ହେବାପରେ କୋଠି ସରକାରଙ୍କ ସମ୍ପତ୍ତି ହୋଇଛି । ଭୂତପ୍ରେତଙ୍କ ସୁବିଧା ଅସୁବଧା ପ୍ରତି ଦୃଷ୍ଟି ଦେବା ସରକାରୀ ବିଧାନରେ ନାହିଁ’’, ଉତ୍ତର ଦେଲେ ଗ୍ରାମର ମୁଖ୍ୟ । ତାଙ୍କ ବିବୃତ୍ତିକୁ ଅନୁସରଣ କଲା ଦୀର୍ଘ ନୀରବତା, କାଶ ବା ହାଇ ମାରିବା ଶବ୍ଦ ।

 

ଝିଟିପିଟିଟିଏ ଟିକ୍ ଟିକ୍‍ କଲା । ସଙ୍ଗେ ସଙ୍ଗେ ଏକାଧିକ ବ୍ୟକ୍ତି କହିଲେ, “ସତ୍,ସତ୍ !"

 

“କିନ୍ତୁ ଝିଅ କୁଆଡ଼େ ଯିବ ? ଏତେଦିନ ଧରି ସେ କୋଠିରେ ରହି ଆସିଚି । କେବେ ଆମରି କିଛି ଅନିଷ୍ଟ କରି ନାହିଁ । ବରଂ ଗ୍ରାମକୁ ଜଗିରହି ସେ ଅନେକ ହିତ କରିଛି ବୋଲି କୁହାଯାଇପାରେ ।”

 

ଝିଟିପିଟି ପୁଣି ଥରେ ଟିକ୍ ଟିକ୍ କଲା । ଏଥର ବହୁ ବେଶି ଲୋକ “ସତ୍ ସତ୍" ବୋଲି ଟିପ୍‍ପଣୀ ଦେଲେ ।

ଆଲୋଚନା ଦୀର୍ଘ ସମୟ ଯାଏ ଚାଲିଲା । ଝିଅ ପାଇଁ କିଛି ନା କିଛି ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ସଭିଏଁ ମତ ଦେଲେ । କିନ୍ତୁ ତା ଉଦ୍ଦେଶ୍ୟରେ ସମର୍ପଣ କରିଦେଲା ଭଳି ଉଦ୍‍ବୃତ୍ତ ଘର କାହାରି ନ ଥିଲା । ଆଉ ଯେତେ ସ୍ନେହର ପାତ୍ରୀ ହେଲେ ବି ଭୂତ ହେଲା ଭୂତ । ନିଜ ପରିବାର ସହିତ ତାକୁ ରଖିବା କାହାରି ପକ୍ଷରେ ସମ୍ଭବ ନଥିଲା । କିନ୍ତୁ କୌଣସି ବ୍ୟବସ୍ଥା କରା ନ ଗଲେ ସ୍ଵଭାବତଃ ସେ ଆସି କାହାରି ଘରେ ହିଁ ଆଶ୍ରୟ ନେବ ।

 

ଗ୍ରାମବାସୀମାନେ ସେମାନଙ୍କ ସିଦ୍ଧାନ୍ତରେ ପହଞ୍ଚିବା ବେଳକୁ ବୋଧହୁଏ ମଧରାତ୍ର ହୋଇଯାଇଥିଲା । ସେତେବେଳକୁ ଆମ ମା’ ଓ କକାମାନେ ଆମମାନଙ୍କୁ ଖୋଜି ବାହାର କରି ଘରକୁ ତଡ଼ିନେଇ ଯାଇଥିଲେ ।

 

ଗ୍ରାମବାସୀମାନଙ୍କ ଅନୁରୋଧକ୍ରମେ କୋଠିଭଙ୍ଗା କାମ କିଛଦିନ ଗଡ଼ାଇ ଦେଲେ ଦୂରାନ୍ତରର କଣ୍ଟ୍ରାକ୍ଟର । ଗ୍ରାମବାସୀମାନେ ଏକ ଶୁଭଦିନର ଅପେକ୍ଷା କରିଥିଲେ ।

 

ଶୁଭଦିନ ଆସିଲା । ସେଦିନ ସାତକ୍ରୋଶ ଦୂରରୁ ‘ବଡ଼ ଗୁଣିଆ’ ନାମରେ ବିଦିତ ଜଣେ ମନ୍ତ୍ରବିଦ୍‍ଙ୍କୁ ଅଣାଯାଇଥିଲା । ଦୀର୍ଘକୃତି ତଥା ପୃଥିଳାକାର ଗୁଣିଆ ମହୋଦୟଙ୍କ କପାଳରେ ଶୋଭୁଥିଲା ବୃହତ୍ ଲାଲ୍ ଟିକା । ସେ କୌଣସି କଠିନ ବସ୍ତୁଖଣ୍ଡମାନ ଖଚିତ ହାରଟିଏ ନାଇଥିଲେ । ଆମେ ଶୁଣିବାକୁ ପାଇଥିଲୁ ଯେ ଗୋଟିଏ ଦୁର୍ବିନୀତା ଡାହାଣୀର ମେରୁଦଣ୍ଡରେ ସେ ହାରଟି ପ୍ରସ୍ତୁତ ହୋଇଥିଲା । ଗୁଣିଆ ଥିଲେ ପେଚକ ଭଳି ଗମ୍ଭୀର ।

 

ସେଦିନ ସବୁକିଛି ଲାଗୁଥିଲା ବଡ଼ ବିଷର୍ଣ୍ଣ । ଦିନଟି ବି ଥିଲା ବଡ଼ ମଳିନ, ମେଘାବୃତ ଓ ମଧ୍ୟେ ମଧ୍ୟେ ମନ୍ଦ ବର୍ଷା ସିଞ୍ଚିତ ।

 

ଗ୍ରାମର ସମସ୍ତ ପରିବାରରୁ କିଛି ନା କିଛି ଆସିଥିଲା–ଚାଉଳ, ନଡ଼ିଆ, କଦଳୀ, ମିଠେଇ ବା ପିଠା-ଝିଅଟି ପାଇଁ ଭେଟି । ସେଦିନ କୋଠି ପଡ଼ିଆ ଥିଲା ସଭିଙ୍କ ପାଇଁ ଅବାରିତ । ଆବାଳବୃଦ୍ଧବନିତା ତେଣୁ କୋଠି ସାମ୍‍ନାରେ ଠୁଳ ହୋଇଥିଲେ । ଅନେକଙ୍କ ପାଇଁ, ବିଶେଷତଃ ସ୍ତ୍ରୀ ଓ ଶିଶୁ ସମ୍ପ୍ରଦାୟ ପାଇଁ, କାହିଁକି ଥିଲା ସେ ପରିସର ଭିତରେ ପ୍ରଥମ ପ୍ରବେଶର ସୁଯୋଗ ।

 

ବାରନ୍ଦା ଉପରେ ଭେଟି ସବୁକୁ ଅର୍ଦ୍ଧବୃତ୍ତାକାରରେ ସଜାଇ ରଖାଯାଇଥାଏ । ବୃତ୍ତାର୍ଦ୍ଧ ଆଡ଼କୁ ମୁହଁକରି, ଗୁଣିଆ ମହୋଦୟ ଗୋଟାଏ ପୁଟୁଳା ମୁକୁଳାଇଲେ । ବାହାରିଲା ଗୋଟିଏ ମଣିଷ ମୁଣ୍ଡର ସମ୍ପୂର୍ଣ୍ଣ ଖପୁରି । ତା’ଛଡ଼ା,

 

ସେ ହାତରେ ଧରିଥିଲେ ଖଣ୍ଡିଏ ଦଣ୍ଡାକାର ଅସ୍ଥି । ମନ୍ତ୍ର ବୋଲୁ ବୋଲୁ ଅସ୍ତି ଦଣ୍ଡଟିରେ ଶୂନ୍ୟରେ କିଛି ରହସ୍ୟମୟ ସଂଖ୍ୟା ବା ପ୍ରତୀକ ଆଙ୍କିସାରି ସେ ହଠାତ୍ ଭୟାବହ କଣ୍ଠରେ ପ୍ରଶ୍ନ କଲେ, “କାହିଁ ସେ ଭୂତୁଣୀ ? ମୁଁ ତିନିଥର ହୁକୁମ ଦେଲିଣି । ଅଥଚ ଏବେ ବି ମୋ ସାମ୍ନାକୁ ଆସୁନାହିଁ । ଏଡ଼େ ବହପ ?”

 

ଗ୍ରାମ-ମୁଖ୍ୟ ବିଚଳିତ କଣ୍ଠରେ କହିଲେ, “ଦେଖନ୍ତୁ ଗୁଣିଆବାବା, ସେ ଉପରମହଲାରେ ନିଦରେ ଶୋଇଯାଇଥିବ । ବିଚାରୀ ରାତିରେ ଶୋଇପାରେ ନାହିଁ ।"

 

“ତା’ ହେଲେ ମୁଁ ବରଂ ଉପରକୁ ଯାଇ ତା’ କାନଧରି ଟାଣିନେଇ ଆସିବି । ତେଣିକି ସେ ବୁଝିବ ଯେ 'ବଡ଼ ଗୁଣିଆ’କୁ କେହି ରାସ୍ତାରୁ ତୋଳିନେଇ ଆସିନାହିଁ । ଏ ଗୁଣିଆକୁ ଅମାନ୍ୟ କରିବ, ଏମିତି ଭୂତ, ପ୍ରେତ, ଡାହାଣୀ, ଚିରିଗୁଣୀ, ଯକ୍ଷ, ବ୍ରହ୍ମରାକ୍ଷସ ଏ ମୂଲକରେ ନାହିଁ ।”

 

ଗୁଣିଆ ମହୋଦୟ ଅତ୍ୟନ୍ତ ଉତ୍ତେଜିତ ଭାବରେ ଏତିକି କହି କୋଠି ଭିତରେ ଅଦୃଶ୍ୟ ହୋଇଗଲେ ।

 

ଆମେ ଅସହାୟ ଦୃଷ୍ଟିରେ ପରସ୍ପରକୁ ଆଡ଼କୁ ଅନାଇଲୁ । ମୋତେ କାନ୍ଦ ଲାଗିଲା । ଝିଅ ପ୍ରତି ଯେ ଏମିତି ରୁକ୍ଷ ବ୍ୟବହାର କରାହେବା କଥା ନୁହେଁ, ଏହା କିମିତି କେହି ଯଥେଷ୍ଟ ଆଗରୁ ଗୁଣିଆଙ୍କୁ କହି ନ ଦେଲେ ?

 

ଉପର ମହଲାରେ ଗୁଣିଆଙ୍କ ଓଜନିଆ ପାଦଶବ୍ଦ ଆମେ ଶୁଣି ପାରିଲୁଁ । ତା'ପରେ ଶୁଭିଲା କୌଣସି ଦୁର୍ବୋଧ୍ୟ ଭାଷାରେ ତାଙ୍କର ଗର୍ଜନ । ସେ ଗର୍ଜନ ଓ ତା’ର ପ୍ରତିଧ୍ୱନିରେ ସେଇ ଶୀତଳ ସକାଳେ ମଧ୍ୟ ଆମ ଦେହରୁ ଝାଳ ବହିଗଲା ।

 

ତା'ପରେ ସେ ଓହ୍ଲାଇ ଆସି ଆମ ଆଗରେ ଛିଡ଼ା ହେଲେ ଏବଂ ନିର୍ମମ କଣ୍ଠରେ ଆଦେଶ ଦେଲେ, “ହେଇଟି, ଭୂତୁଣୀ, ଯେତେ ଇଚ୍ଛା, ମନ ପୂରାଇ ଏସବୁ ଖାଇନେ । ତା'ପରେ ଟିକିଏ ବି ଦୋ ଦୋ ପାଞ୍ଚ ନ ହୋଇ ସିଧାସଳଖ ମୁଁ ଯୁଆଡ଼େ କହୁଛି ସିଆଡ଼େ ଚାଲ ।”

 

ଆମେ ପ୍ରାୟ ରୁଦ୍ଧଶ୍ୱାସ ହୋଇ ଠିଆ ହୋଇଥିଲୁଁ । ଆମ ଉପରେ ଥରେ ତାଚ୍ଛଲ୍ୟପୂର୍ଣ୍ଣ ଦୃଷ୍ଟି ଫେରାଇ ନେଇ ଗୁଣିଆ ଛାଡ଼ିଲେ ପୁଣି ଏକ କର୍ଣ୍ଣପଟ ବିଦାରକ ଚିତ୍କାର । ‘‘କ'ଣ ହେଲା, ଖାଇବୁ ନାହିଁ ? ଜାଣିଥା, ସେଥିରେ ମୋ’ର ହୃଦୟ ତରଳିବ ନାହିଁ । ଖା ବା ନ ଖା; ଏ କୋଠି, ଏ ଗାଁ ତୋତେ ସଙ୍ଗେ ସଙ୍ଗେ ଛାଡ଼ି ଯିବାକୁ ପଡ଼ିବ ।

 

ଗ୍ରାମମୁଖ୍ୟ ଏଥର ରୀତିମତ କାତରକଣ୍ଠରେ କହିଲେ, "ଗୁଣିଆ ବାବା, ଆପଣ ଟିକିଏ ଅପେକ୍ଷା କଲେ ଭଲ ହେବ । ଝିଅ କେବେ ଆମ କଥା ଭାଙ୍ଗି ନାହିଁ । ସେ ନିଶ୍ଚୟ ଖାଇବ । ଆପଣ ତାକୁ କୁହନ୍ତୁ ଯେ, ସେ ଏଇ ସାମାନ୍ୟ ପଦାର୍ଥତକ ଖାଇବାପାଇଁ ଆମେ ସମସ୍ତେ ଅନୁରୋଧ କରୁଛୁଁ । ଆମ ସ୍ତ୍ରୀ ଲୋକମାନେ ବହୁ ଶ୍ରଦ୍ଧା ସ୍ନେହଭରେ ଏସବୁ ଉପହାର ଆଣିଛନ୍ତି ।”

 

କିନ୍ତୁ ଗୁଣିଆ ଏ ଅନୁରୋଧ ପ୍ରତି କର୍ଣ୍ଣପାତ କଲେ ନାହିଁ । “ଭୂତୁଣୀ ବର୍ତ୍ତମାନ ଚାଲିଯିବାକୁ ବାହାରିଛି । ତାକୁ ବାଟ ଦିଅ ।’’ ସେ ପାଟିକଲେ ।

 

ଜନତା ତତ୍‍କ୍ଷଣାତ୍‍ ଦ୍ଵିଧାବିଭକ୍ତ ହୋଇଗଲା ।

 

ଝିଅ କିଛି ଖାଇଲା ନାହିଁ । ଅଥଚ ଚାଲିଯିବାକୁ କହିବା ମାତ୍ରେ ସେ ଚାଲିଯାଉଛି । ଆମେ ବୁଝିଲୁ କେଡ଼େ ଅଭିମାନ ସିଏ କରିଥିବ । ଆମେ ନିଜ ନିଜକୁ ବଡ଼ ଛୋଟ ମନେକଲୁ ।

 

‘‘ଚାଲ୍ ବେଟି ଚାଲ୍ । ଠିକ୍ ଅଛି । ମୁଁ ତୋ ପଛରେ ଚାଲୁଛି ।” ଗୁଣିଆ ଆମ ଭିତର ଦେଇ ଆଗକୁ ଆଗକୁ ଚାଲିଲେ–ଅଦୃଶ୍ୟ ବିଦାୟୀ ଆତ୍ମାକୁ ଅସ୍ଥିଦଣ୍ଡ ନିର୍ଦ୍ଦେଶରେ ବାଟ ଦେଖାଇ ଦେଖାଇ । ଥରେ ପଛକୁ ଚାହିଁ ବାମ ହାତରେ ସେ ତାଙ୍କ କ୍ଷୀଣକାୟ ସହକାରୀକୁ କ’ଣ ଇଙ୍ଗିତ ଦେଲେ । ସହକାରୀ ପଛକୁ ରହିଗଲା, ନରମୁଣ୍ଡ ତଥା ସମସ୍ତ ଖାଦ୍ୟଦ୍ରବ୍ୟ ଗୋଟାଇ ନେବାପାଇଁ ।

 

ସମସ୍ତେ ଗୁଣିଆକୁ ଅନୁସରଣ କରି ଚାଲିଲୁ । ଗାଁ ରହିଗଲା ପଛରେ । ବୁଦୁବୁଦୁକିଆ ପ୍ରାନ୍ତର ଭିତର ଦେଇ ମେଘୁଆ ପାଗରେ ମଧ୍ୟେ ମଧ୍ୟେ ଧୂଳିକଣା ଭଳି ବାରିପାତ ସହି ଆମେ ମାଇଲିଏ ଅତିକ୍ରମ କରିଗଲୁ ।

 

‘‘ଥାମ୍ ।” ଗୁଣିଆ ଗୋଟାଏ ଲମ୍ବା ତାଳଗଛ ତଳେ ପହଞ୍ଚି ହୁକୁମ ଦେଲେ । ତା'ପରେ ସେ ପୁର୍ବଭଳି ଦୁର୍ବୋଧ୍ୟ ମନ୍ତ୍ରମାନ ପାଠକରି ଅସ୍ଥି ଦଣ୍ଡଟି ଗଛ ଦେହରେ ବାଡ଼େଇବା ସଙ୍ଗେ ସଙ୍ଗେ ଗଛଟିକୁ କେତେଥର ପ୍ରଦକ୍ଷିଣ କଲେ ।

 

‘‘ଆଜିଠାରୁ ଏଇଗଛ ହେଲା ତୋ ଘର, ବୁଝିଲୁ ?” ଗୁଣିଆ ଗଛର ଅଗ୍ରଦେଶକୁ ଅନାଇ କହିଲେ ।

 

ତା'ପରେ ସେ ସଗର୍ବରେ ଆମ ଆଡ଼କୁ ଚାହିଁ ଏତେବେଳେ ଗୋଟାଏ ବୀଭତ୍ସ ଧରଣର ହସ ହସିଲେ ଏବଂ କହିଲେ, “ଭୂତୁଣୀ କେବେ ଆଉ ଏ ଗଛ ଛାଡ଼ି ପାରିବ ନାହିଁ । ମୁଁ ତାକୁ ଗଛ ସହିତ କିଳି ଦେଇଛି ।’’

 

ଏଥର ଜନତା ଗ୍ରାମାଭିମୁଖୀ ହେଲା । ଅମେ ପିଲାଏଁ ସ୍ତ୍ରୀ ଲୋକମାନଙ୍କ ସହ ଚାଲିଲୁ । ବଡ଼ ମଣିଷମାନେ ଆମ ଆଗେ ଆଗେ ଗୁଣିଆଙ୍କୁ ବେଷ୍ଟନ କରି କ୍ଷିପ୍ରତର ଗତିରେ ଚାଲିଲେ ।

 

ନୀରବରେ ବାଟ ଚାଲୁଥିଲୁଁ, ହଠାତ୍ କିଏ ଜଣେ ତାଙ୍କ କୋହ ସମ୍ଭାଳି ପାରିଲେ ନାହିଁ । ମୁହୂର୍ତ୍ତକ ପରେ ଦେଖାଗଲା, ସମସ୍ତେ କାନ୍ଦୁଛନ୍ତି ଯେତେଦୂର ନୀରବରେ ସମ୍ଭବ ।

 

ଅମେ ଗାଁ ସୀମାରେ ପହଞ୍ଚିବା ବେଳକୁ କୋଠି ଭଙ୍ଗା କାମ ଆରମ୍ଭ ହୋଇଗଲଣି । ତିନ୍ତିଥିବା ଅବସ୍ଥାରେ ଭାଙ୍ଗିବା ସହଜ ହୁଏ ବୋଲି କଣ୍ଟ୍ରାକ୍ଟର ଆମ ଗ୍ରାମ-ମୁଖ୍ୟଙ୍କୁ କହୁଥିଲେ ।

 

ତିନି ଚାରିଦିନ କ୍ରମାଗତ ବର୍ଷା ପରେ ଅକାଶ ପରିଷ୍କାର ହୋଇଗଲା । ଜହ୍ନ ଦେଖାଗଲା ଅସ୍ୱାଭାବିକ ପରିଚ୍ଛନ୍ନ । ଅନ୍ୟ ଜହ୍ନରାତିମାନଙ୍କ ଭଳି ସେଦିନ ରାତିରେ ବି ଆମେ ଗାଁ ସାମନାରେ ହା-ଡ଼ୁ-ଡ଼ୁ, ଖେଳିବା ପାଇଁ ଠୁଳ ହେଲୁଁ ।

 

ଅଳ୍ପ ସମୟ ଭିତରେ ଆମେ ହୃଦୟଙ୍ଗମ କଲୁ ଯେ କାହିଁକି କେଜାଣି ଖେଳ ଜମୁନାହିଁ । ଜଣେ କିଏ କହିଲା, “ଏଠି ମାଟି ବଡ଼ ସନ୍ତସନ୍ତିଆ । ଟିକିଏ ଦୂରକୁ ଗଲେ ହୁଅନ୍ତା ନାହିଁ-ଯେଉଁଠି ପଡ଼ିଆ ଉଚ୍ଚ ଓ ଶୁଖିଲା ?"

 

ପ୍ରସ୍ତାବ ମାତ୍ରକେ ଆମେ ଦୌଡ଼ିବାକୁ ଲଗିଲୁ । ଅଚିରେ ଆମେ ପହଞ୍ଚିଲୁ ଆମ ଭୂତୁଣୀ ଝିଅ ବନ୍ଦୀଥିବା ତାଳଗଛ ତଳେ । କେଇ ମିନିଟ ଭିତରେ ଖେଳ ବେଶ୍ ଜମିଗଲା । ଅନେକ ରାତିଯାଏ ଆମେ ଖେଳିଥିଲୁ । ଆମ ଗାର୍ଜନମାନେ ଧରି ନେଇଥଲେ ଯେ ସେଇଟା ଆମ ପରୀକ୍ଷା ପରବର୍ତ୍ତୀ ଉଦ୍ଦୀପନା । କିନ୍ତୁ ମୁଁ ଜାଣିଥିଲି, ଆମେ ପ୍ରକୃତରେ ବନ୍ଦିନୀ ଝିଅଟିକୁ ଟିକିଏ ସାନ୍ନିଧ୍ୟ ଦେଇ ଆଶ୍ୱସ୍ତି ଅନୁଭବ କରୁଥିଲୁଁ ।

 

ଗ୍ରୀଷ୍ମାବକାଶ ଶେଷ ହେବା ପର୍ଯ୍ୟନ୍ତ ଆମେ ପ୍ରାୟ ପ୍ରତ୍ୟହ ସନ୍ଧ୍ୟାରେ ସେଠାକୁ ଖେଳିବାକୁ ଯାଉଥିଲୁ ।

 

ଛୁଟି ଶେଷ ହେଲା । ଉଚ୍ଚ-ବିଦ୍ୟାଳୟରେ ଭର୍ତ୍ତି ହୋଇ ମୁଁ ଯାଇ ସହରରେ ରହିଲି । ସହର ଜୀବନ ପୂର୍ବରୁ ଅଙ୍ଗେ ନିଭେଇ ନ ଥିଲି । ଅତଏବ ବହୁ କିସମର ବିସ୍ମୟ ଓ ପୁଲକ ଭିତରେ ନମଜ୍ଜିତ ହୋଇଗଲି । ଭୂତୁଣୀ ଝିଅକୁ ପାସୋରି ଦେଲି ।

 

ତିନିମାସ ପରେ ଆସିଲା ପୂଜାଛୁଟି । ଦୀର୍ଘପଥ ବସ୍‍ରେ ଆସି, ପୁଣି କେତେ କୋଶ ପାଦରେ ଚାଲି ଆମ ଗାଁରେ ପହଞ୍ଚିବାକୁ ହୁଏ । ଉଦ୍ଦାମ ଉଲ୍ଲାସରେ ପଥର ଶେଷ ପର୍ଯ୍ୟାୟ ଅତିକ୍ରମ କରୁଥିଲି । ହଠାତ୍, ପ୍ରାନ୍ତର ନିକଟରେ ପହଞ୍ଚି ଆଖିରେ ପଡ଼ିଲା ସେଇ ତାଳଗଛ । ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇ ରହିଲି କେତେ ସମୟ । ବଜ୍ରପାତରେ ଗଛଟି ମରି ଯାଇଥିଲା । ଅଗ୍ରଦେଶ ସମ୍ପୂର୍ଣ୍ଣ ଭସ୍ମୀଭୁତ ହୋଇଥିଲା । ଶୁଖିଲା, ହାଲୁକା ଦେହ କ୍ରମେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ଆସୁଥିଲା ।

 

ଆଖି ପୋଛି ପୁଣି ଚାଲିବାକୁ ଆରମ୍ଭ କଲି ।

 

ଗାଁରେ ପନ୍ଦର ଦିନ ରହଣି ଭିତରେ ଆମେ କିଶୋରମାନେ ସେଥର ଭୂତୁଣୀ ବିଷୟରେ ମୋଟେ ଆଲୋଚନା କରିନାହୁଁ । ଆଉ ସେତେବେଳେ ବର୍ଷାକାଳ ହୋଇଥିବାରୁ ହା-ଡ଼ୁ-ଡ଼ୁ, ଖେଳିବାକୁ ପ୍ରାନ୍ତର ଭିତରକୁ ଯିବା ପ୍ରଶ୍ନ ଉଠୁ ନଥିଲା ।

 

କ୍ରମେ ମୁଁ ହା-ଡ଼ୁ-ଡ଼ୁ ଖେଳିବା ବୟସରୁ ଉତ୍ତୀର୍ଣ୍ଣ ହୋଇଗଲି ଏବଂ ଗାଁକୁ ଯିବା ମଧ୍ୟ ଧୀରେ ଧୀରେ କମି ଆସିଲା ।

 

ଆଉ ଆମ ପରେ ଯେଉଁ ପିଲାମାନେ ବଢ଼ୁଥିଲେ, ସେମାନେ ଆମଠୁଁ ଥିଲେ ବହୁ ବିଷୟରେ ପୃଥକ୍ । ଆମ ପିଲାବେଳର ଶିହରଣ ସମ୍ପର୍କରେ ସେମାନେ ଥିଲେ ବିଲକୁଲ, ଅଜ୍ଞ ।

Image

 

କବନ୍ଧ

ଶ୍ରୀ ରବି ପଟ୍ଟନାୟକ

 

ଆଶ୍ଚର୍ଯ୍ୟ କଥା । ବିଂଶ ଶତାବ୍ଦୀରେ ପୁଣି ଭୂତ ପ୍ରେତର ଭୟ । ପ୍ରଥମେ ଆମେ କେହି ବିଶ୍ୱାସ କଲୁନି କଥାଟା ଶୁଣି । ତା'ଛଡ଼ା ଆମର ଏହି ଇସ୍ପାତ ସହରଟି ଆଧୁନିକତାର ଓ ବିଜ୍ଞାନର ଚୂଡ଼ାନ୍ତ ପୀଠ । ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ଦ୍ଵାର ପ୍ରସ୍ତୁତ ନୂତନ ବୈଜ୍ଞାନିକ ପ୍ରଣାଳୀରେ ଏଇଠି ଲୁହା ନିଷ୍କାସିତ ହେଉଛି । ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତାରେ ଏହା ଇଉରୋପର ଯେ କୌଣସି ସହର ସାଙ୍ଗରେ ତୁଳନୀୟ । ବିଜୁଳିବତୀର ଆଲୋକରେ ଏଠାରେ ରାତ୍ରି ନାହିଁ । ଏଠାରେ ପ୍ରାୟ ଅଧିକାଂଶ ବ୍ୟକ୍ତି ଶିକ୍ଷିତ, ସଭ୍ୟ । ଯେଉଁମାନେ ଅବା ପାଠ ପଢ଼ି ନାହାନ୍ତି, କୁଲି ଓ ଶ୍ରମିକଶ୍ରେଣୀୟ ଲୋକମାନେ-ସେମାନେ ମଧ୍ୟ ତାଙ୍କର କୁସଂସ୍କାର ଛାଡ଼ି ଦେଇଛନ୍ତି । ଆଉ ସେମିତି ପୂଜା ଅର୍ଚ୍ଚନା ବି ନାହିଁ । ସମସ୍ତେ ଶିଖିଲେଣି ଭଗବାନଙ୍କ ଅପେକ୍ଷା ମଣିଷ ହିଁ ବଡ଼ । ତା’ର ମସ୍ତିଷ୍କ ଦ୍ଵାରା ସବୁକିଛି ସମ୍ଭବ । ତେଣୁ ଆମର ଏହି ସହରଟି ବିଜ୍ଞାନର ଜୟଯାତ୍ରା ପଥର ଏକ ବିଜୟୀ ସେନାପତି । ବାସ୍ତବବାଦର ଏକ ଜୀବନ୍ତ ପ୍ରତୀକ । ଗୋଟିଏ କଥାରେ ମୂର୍ତ୍ତିମାନ ବାସ୍ତବବାଦ । ସେଇଠି spiritualism, mysticismର ପ୍ରଶ୍ନ କାହିଁ ?

 

ସେଥିପାଇଁ ଯେତେବେଳେ ପୁରାତନ ସହରରୁ ରଘୁ ଆସି ସମ୍ବାଦ ଦେଲା ଆମେ ଆଶ୍ଚର୍ଯ୍ୟ ହେଲୁ । ଆମ ସହରଟା ଦୁଇଭାଗରେ ବିଭକ୍ତ । ନୂତନ ଓ ପୁରାତନ । ପୁରାତନ ଓ ନୂତନ ଭାଗକୁ ବିଭକ୍ତ କରିଛି ଗୋଟାଏ ଛୋଟ ପାହାଡ଼ । ପୁରୁଣା ସହର କେଜାଣି କୋଉ କାଳରୁ ରହିଆସିଛି । ଯୋଜନାହୀନ-ଆବର୍ଜନାପୂର୍ଣ୍ଣ–ବସ୍ତି । ସାରି ସାରି ଘର ଏପଟ ସେପଟ ହୋଇ ମୁଣ୍ଡ ଟେକିଛି । ରାସ୍ତାରେ ଗୋଟାଏ ମଟର ରହିଗଲେ ଅନ୍ୟ ଲୋକର ପିଣ୍ଡାକୁ ନ ଉଠିଯିବାର ଉପାୟ ନାହିଁ । ରାସ୍ତା ଦୁଇକଡ଼ରେ ଚା’ଦୋକାନର ଯେତକ ଅଇଁଠାପତର, ଆଉ ପରିବା ଦୋକାନୀର ପଚା ବାଇଗଣ, ବିଲାତିବାଇଗଣ, କଦଳୀଚୋପାର ସ୍ତୂପ । ଠେସାଠେସି ଘର । ଯେମିତି ଗୋଟାଏ ଏକାନ୍ନବର୍ତ୍ତୀ ପରିବାର ବାହାରୁ ବିପଦର ଆଶଙ୍କା କରି ଏକ ସାଙ୍ଗରେ ପରସ୍ପରକୁ କୁଣ୍ଢେଇ ଧରି ବସିଛନ୍ତି । ଏଇ କୁଢ଼ କୁଢ଼ ଆବର୍ଜନା ଭିତରୁ ତଥାପି ଗୋଟାଏ ପ୍ରାଣର ଝଙ୍କାର ବାଜେ ଗୋଟିଏ ସୁରରେ । ଗୋଟିଏ ସ୍ପନ୍ଦନରେ ଉତ୍‍ଫୁଲ୍ଲ ହୋଇ ଉଠନ୍ତି ସେମାନେ । ହଜାରେ ଲୋକ, ହଜାରେ ବର୍ଣ୍ଣ, ହଜାରେ ସ୍ୱାଭାବ ଭିତରୁ ବି ଏଇ ଏକତ୍ୱର ସୁରର ବ୍ୟଞ୍ଜନା ଏକ ଅପ୍ରତିହତ ପ୍ରେମର ଅବିରାମ ଧାରା ପରି ବହିଆସିଛି ଯୁଗ ଯୁଗ ଧରି । ଗୋଟାଏ ଆଦିମ ଅରଣ୍ୟ ପରି ବହୁ ବୃକ୍ଷଲତାର ସମାହାରରେ ବି ସେଇ ଚିରନ୍ତନୀ ସବୁଜର ଚେତନା ସମସ୍ତଙ୍କୁ ଏକାଠି କରି ବାନ୍ଧିରଖିଛି । ଜଣକର ବେଦନା, ଅପରର ପ୍ରାଣରେ ସୃଷ୍ଟି କରେ ସମବେଦନା । ଏକକର ହସ ଖୁସି ଆନନ୍ଦ ଉତ୍ସବର ଢେଉ ଗୋଷ୍ଠୀଗତ ପ୍ରାଣରେ ସୃଷ୍ଟି କରେ, ସମକେନ୍ଦ୍ରିକ ବୃହତ୍ତର ଆନନ୍ଦର ଢେଉର ବୃତ୍ତ ଯା’ର ବ୍ୟାପ୍ତି ସମସ୍ତ ଗୋଷ୍ଠୀଗତ ଚେତନାର ବେଳାଭୂମିରେ ସୀମାବଦ୍ଧ ରହି ପୁଣି ଆହୁରି ସୃଷ୍ଟି କରେ ଏକ ନୂତନ ଆନନ୍ଦର ଢେଉ । ଏଇ ଢେଉର ସମ୍ମିଶ୍ରଣରେ ଜାତ ହୁଏ ଗତି-ସ୍ରୋତ-ଏକ ଜୀବନର ସ୍ରୋତ । ବହମାନ ନିରବଚ୍ଛିନ୍ନ, ଏକମୁଖୀ, ଆନନ୍ଦମୟୀ ଜୀବନଧାରା ।

 

କିନ୍ତୁ ଆମେ ନୂତନ ସହର ଯୋଉଠି ଆମେ ଥାଉଁ ସେଇଠି ୟାର ପୂରାପୂରି ବିପରୀତ । ସାରି ସାରି ଏକ ସରଳରେଖାରେ, ଜ୍ୟାମିତିକ ସୂକ୍ଷ୍ମତା ନେଇ, ଧାଡ଼ି ଧାଡ଼ି ଘର । ସୂତାଏ ବି ଏପଟ ସେପଟ ନାହିଁ । ଦୁଇ ସାରି ଘରଭିତରେ ତିରିଶ ଫୁଟ ଚଉଡ଼ାର ପିଚୁ ଢଳା ମସୃଣ ରାଜପଥ । ପରିସ୍କୃତ । ଧୂଳି ନାହିଁ, ମଳି ନାହିଁ । ପରିଚ୍ଛନ୍ନ । ଏକ ସଦ୍ୟ ଖୋଳପାଛଡ଼ା କଳା ସାପର ଦେହ ପରି । ବିଜୁଳି ଆଲୁଅରେ ଚକମକ୍ କରିଉଠେ । ଘର ଆଗରେ ସାମାନ୍ୟ ପରିମିତ ଜାଗାରେ ବଗିଚା- ନାନା ଜାତି ଫୁଲର । ବିଦେଶୀ, ମହାର୍ଘ, ସୁନ୍ଦର, ଗନ୍ଧଭରା, ଗନ୍ଧହୀନ । ସେଇଠି ବି ସେଇ ଜ୍ୟାମିତିର ସରଳ ଅଙ୍କନ । ମାପଚୁପ ହୋଇ ଲଗା ହୋଇଛି ଯୋଉଠି ଗଛ ତା’ର ସ୍ଵାଭାବିକ ବର୍ଦ୍ଧନଶୀଳତାରେ ପ୍ରକୃତିର ନିୟମ ମାନି ବଢ଼ି ଯାଇଛି । ତାକୁ କାଟି କୁଟି ପୁଣି ସାଇଜ କରି ରଖାଯାଇଛି । ସୌନ୍ଦର୍ଯ୍ୟ ଏଇଠି ଏକ ସରଳରେଖା, ଅସଜଡ଼ା, ସ୍ୱାଭାବିକ ନୁହେଁ ପ୍ରକୃତିର ନିୟମରେ ନୁହେଁ । ସବୁ ସଜଡ଼ା, ଅସ୍ଵାଭାବିକ, ମନୁଷ୍ୟର ମନତୃପ୍ତି ଦେଲାଭଳି କୃତ୍ରିମ ସୌନ୍ଦର୍ଯ୍ୟ । ଆଉ ସେମିତି ବି ଏଠିକାର ଲୋକ । ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ବିଚ୍ଛିନ୍ନ । ନିଷ୍ଠୁର ଭାବରେ ଏକାକୀ । ଜଣକର ବେଦନା କେବଳ ଜଣକ ଭିତରେ ହିଁ ବନ୍ଦୀ ହୋଇ ରହେ, ତା’ର ବ୍ୟଞ୍ଜନା ତା’ର ରାଗିଣୀ ଅନ୍ୟ ପ୍ରାଣକୁ ସ୍ପର୍ଶ ବି କରେ ନା । ଏଠାରେ ଗୋଷ୍ଠୀ ନାହିଁ, ଏକତ୍ଵ ନାହିଁ । କେବଳ ସହସ୍ର ଭିନ୍ନମୁଖୀ ଧାରାର ବିଭକ୍ତ ଗତିପଥ । ଇସ୍ପାତନଗରୀରେ କାମ କରିବାକୁ ହେଲେ ଦରକାର ଇସ୍ପାତ ଦେହ, ଇସ୍ପାତ-ମନ । ତେଣୁ ଏଇ ନୂତନ ନଗରୀରେ ପୂରାତନକୁ ଦୂରେଇ ଦେଇ ଘୃଣ୍ୟ କରି ରଖିଛି । ବାଚ୍ଛନ୍ଦ କରିଛି । ପୂରାତନ ପୂରାତନ ହିଁ ରହୁ । ତା’ରି ଭିତରେ ପଚିସଢ଼ି ଧ୍ଵଂସ ହେଉ । ତା’ପରେ ନୂତନ ଆସି ଗଢ଼ିବ ତା ଉପରେ ତା’ର ନୂତନତ୍ୱର ବିଜୟ-ସ୍ତମ୍ଭ ।

 

କିନ୍ତୁ ପ୍ରକୃତ ପୁରାତନୀ ମରେନା । ସେ ସନାତନୀ ପ୍ରାଣ ଶକ୍ତିରେ ଉଜ୍ଜୀବିତ ହୋଇ ବଞ୍ଚିରହେ । ଯୁଗ-ଯୁଗଧରି । ଉତ୍‍ଥାନ ପତନ ଭିତରେ ତା’ର ଧାରା କେବେ ମନ୍ଦାକିନୀ ପରି ଆକାଶରେ ଫୁଟେ ଆଉ କେତେବେଳେ ବା ଫଲ୍‍ଗୁ ପରି ଆତ୍ମଗୋପନ କରେ ।

 

ଏମିତ ଏକ ନୂତନ ନଗରୀରେ ପ୍ରାୟ ପାଞ୍ଚବର୍ଷ କାଳ ରହିଲା ପରେ ମୋର କେବେ ବିଶ୍ୱାସ ହେଉ ନ ଥିଲା ଯେ ଏଠିକା ମଣିଷ ଫେର୍ ଏମିତ ପୁରାତନ ଅନ୍ଧବିଶ୍ଵାସ ନେଇ ମୁଣ୍ଡ ଖେଳେଇବ । ସେଥିପାଇଁ ସେଦିନ ଯେତେବେଳେ ରଘୁ କହିଲା ମୁଁ ଜମା ବିଶ୍ୱାସ କଲିନି । ବିଂଶ ଶତାବ୍ଦୀରେ ପୁଣି ବିଜ୍ଞାନର ହୃଦୟ ଭିତରେ କବନ୍ଧର ଆବିର୍ଭାବ । ଅସମ୍ଭବ, କିନ୍ତୁ ଯେତେବେଳେ ଆମ ସେକ୍ସନରେ ଫୋରମ୍ୟାନ୍ ପାଣ୍ଡେ ଏ କଥା ନିଶ୍ଚିତ ଭାବେ କହିଲେ ସେତେବେଳେ ଆଉ ଠିକ୍ କଥାଟାକୁ ଉଡ଼େଇ ଦେଇ ହେଲାନି । ସେ କହିଲେ ଗୋଟାଏ କବନ୍ଧର ଆବିର୍ଭାବ ହୋଇଛି ପୁରୁଣା ସହରରେ । ଲୋକେ ତାକୁ ଦେଖିଲେଣି ଥରେ ଦି'ଥର । ତା’ର ମୁଣ୍ଡ ନାହିଁ । ଲମ୍ବା ଲମ୍ବା ହାତ ଦି’ ଟା । ଆଉ ଗୋଟାଏ ବିରାଟ ପାଟି । ଠିକ୍ ଛାତି ଉପରେ । ପାଟିର ଠିକ୍ ଉପରେ ଦୁଇକଡ଼କୁ ଦୁଇ ବ୍ଲାଷ୍ଟ ଫର୍ନେସ ପରି ବିରାଟ ବିରାଟ ଆଖି । ଆଉ ଉଚ୍ଚ ଉଚ୍ଚ ତାଳଗଛ ପରି ଗୋଡ଼ ଦୁଇଟା । ଅତି ବଳବାନ୍ । ଦୁର୍ଦ୍ଦମନୀୟ, ପ୍ରଚଣ୍ଡ । ପାଣ୍ଡେଙ୍କର ଅନ୍ତରଙ୍ଗ ବନ୍ଧୁ ସୁଲେମାନ ଅଲିକୁ ସେ କାଲି ସନ୍ଧ୍ୟାବେଳେ ଖାଇ ଦେଇଛି । ଆଜି ସକାଳେ ତାଙ୍କର ପୁଅ ଆସି ଖବର ଦେଲା । ନା, ଅବିଶ୍ଵାସ କରିବାର କିଛି କାରଣ ନାହଁ; କିନ୍ତୁ ତଥାପି କାହିଁକି ସ୍ଵୀକାର କରି ହେଉନି କଥାଟା । କବନ୍ଧର ଭୟରେ ତେଣୁ ସୁଲେମାନ ଅଲିଙ୍କ ପରିବାର ଆସି ପାଣ୍ଡେଙ୍କ ଘରେ ଆଶ୍ରୟ ନେଇଛନ୍ତି । କବନ୍ଧ ଭୟ କରି ପାରେ, ଏ ଆଡ଼କୁ ଆସିବାକୁ; କାରଣ ପୁରୁଣା ସହରର ଆବର୍ଜନା ଭିତରେ ସେ ସିନା ଲୁଚି ରହିପାରେ । ଏଇଠି ବିଦ୍ୟୁତ୍ ଆଲୋକିତ ନଗରୀ ଭିତରେ ଲୁଚିବ କେଉଁଠି ?

 

ସେଦିନ ସନ୍ଧ୍ୟା ବେଳକୁ କିନ୍ତୁ କଥାଟା ଆଉ ଆବିଷ୍କାର କରି ହେଲାନି । ପୁରୁଣା ସହରରେ କବନ୍ଧର ଉତ୍‍ପାତ ବଢ଼ି ଚାଲିଛି । କିଛିଦିନ ଧରି ରାତିରେ ସେ କେବଳ ବାହାରୁଥିଲା । ଲୁଚି ଲୁଚି ଛପି ଛପି ହପା କରୁଥିଲା । କେବଳ ବୟସ୍କ ଲୋକମାନଙ୍କୁ । ନାରୀ ଓ ଶିଶୁମାନଙ୍କୁ ଖାଇବାର ଖବର ନ ଥିଲା; କିନ୍ତୁ ସନ୍ଧ୍ୟାବେଳକୁ ଶୁଣିଲୁ ସେ ଦିନବେଳେ ବି ବାହାରିଲାଣି । ଦ୍ଵିପ୍ରହର ବେଳେ ନଜାକତ୍ ଅଲିର ଘର ଭିତରେ ପଶି ସେ ତାକୁ ତା’ର ସ୍ତ୍ରୀ ଓ ତିନୋଟି ପିଲାଙ୍କୁ ଖାଇ ଦେଇଛି । ଏଇ ଘଟଣା ପରେ ଦଳ ଦଳ ଲୋକ ପୁରୁଣା ସହର ଭିତରୁ ମାଡ଼ି ଆସିଲେଣି ନୂଆ ସହରକୁ । ସାରା ସହର ନୂଆ କି ପୁରୁଣା ଚାରିଆଡ଼େ ଗୋଟାଏ ଆତଙ୍କର ଛାୟା ଖେଳିଗଲା । କାହାରି ମୁହଁରେ ଆଉ କିଛି କଥା ନାହିଁ । କେବଳ କବନ୍ଧର କଥା । ତା’ର ନୃଶଂସତାର କାହାଣୀ । ଅଫିସ, ବସ୍, ଚା’ ଦୋକାନ, ସ୍କୁଲ ସବୁଆଡ଼େ ସେଇ କବନ୍ଧର ଚର୍ଚ୍ଚା । ଆମ ନୂତନ ନଗରୀରେ ବି ସେଇ ଆଶଙ୍କାର ଛାୟା ପଡ଼ି ଆସିଲାଣି । ସମସ୍ତେ ଭୀତତ୍ରସ୍ତ, ଆଶଙ୍କାକୁଳିତ । କେଜାଣି କେତେବେଳେ ଯଦି ମାଡ଼ିଆସେ । ସମସ୍ତେ ତ କାମିକା ଲୋକ । କିଏ ଅଫିସ ଭିତରେ, କିଏ ବା କାରଖାନା ଭିତରେ । ଘରେ ଖାଲି ଶିଶୁ ଓ ନାରୀ । ଦୁର୍ବଳ ଓ ଅସହାୟ । ଯଦି ସେତିକିବେଳେ ଚାଲି ଆସେ, ଆଉ କିଛି ଉପାୟ ରହିବ ନାହିଁ । ନାନାପ୍ରକାର ଦୁଶ୍ଚିନ୍ତା ଭିତରେ ଅଫିସର କାମ ଆଉ କରି ହେଲାନି । ଆମେ ସବୁ ଦଳ ଦଳ ହୋଇ ଜାତିଧର୍ମ ନିର୍ବିଶେଷରେ ତା’ରି ବିଷୟରେ ଆଲୋଚନା କରିବାକୁ ଲାଗିଲୁ । ଯିଏ କେହି ନୂତନ ଖବର ଆଣିଲା ତା'ରି ଟେବୁଲ ପାଖରେ ଆମେ ସମସ୍ତେ ଗଦା ହୋଇ, କବନ୍ଧର ନୂତନ କାର୍ଯ୍ୟ-କଳାପ ଶୁଣିବାକୁ ଉତ୍‍କର୍ଣ୍ଣ ହୋଇ ରହିଲୁ । ସେ ଦିନଟା କଟିଲା କେବଳ ଉତ୍କଣ୍ଠା ମଝିରେ । କେମିତି ସହଳ କାମ ସାରି ଘରକୁ ଫେରିବା କଥା । ଯଦି କବନ୍ଧ ଆସେ ତ ଏକା ସାଙ୍ଗରେ ମୃତ୍ୟ ବରଣ କରିବା, ସ୍ତ୍ରୀ ପୁତ୍ର ସହିତ । ଆଉ ସେମାନଙ୍କୁ ଏକାକୀ ଅବସ୍ଥାରେ ରଖି ଲାଭ କଣ ? ଘରକୁ ଫେରି ମଧ୍ୟ ନଶ୍ଚିନ୍ତ ହୋଇ ହେଲାନି । ସାରା ରାତି ନୂତନ ନଗରୀର ପ୍ରତ୍ୟେକ ଲୋକ ଅର୍ଦ୍ଧ ଜାଗରଣ ଅର୍ଦ୍ଧ ନିଦ୍ରା ଭିତରେ କାଟିଛନ୍ତି । କେଜାଣି କେତେବେଳେ ଯଦି ଚାଲି ଆସେ । ସମସ୍ତେ ଉତ୍କଣ୍ଠିତ, ଆଶଙ୍କାକୁଳିତ, ଭୟତ୍ରସ୍ତ । ସନ୍ଧ୍ୟା ବେଳୁ ସମସ୍ତେ କବାଟ ପକେଇ ଦେଲେଣି । ସିନେମା ହଲ, ଯେଉଁଠି ଟିକେଟ ମିଳେନା, ସେଇଟା ବି ପ୍ରାୟ ଫାଙ୍କା । ସାରା ଘାଟରେ ଆଉ ଗୋଟିଏ ବି ଲୋକ ଦେଖା ଯାଉନି । ଆମେ ବି ସେଇ ଭୟର ଛାୟାରେ ଭୀତ ହୋଇ ପଡ଼ିଥିଲୁ । ଆମ ମେସ୍‍ରେ ଆମେ ଆଉ ଚାରିଜଣ ଲୋକ । ଭୂପତି, ସୋମନାଥ, ବ୍ରଜ ଓ ମୁଁ । ସୋମନାଥ ନୂତନ ବିବାହତ । ବ୍ରଜ ସଦ୍ୟ କଲେଜ ଫେରନ୍ତା । ପ୍ରେମ କରୁଛି କାହାକୁ ଗୋଟାଏ । ପ୍ରତି ଦିନେ ଛଡ଼ା ଦିନେ ଲଫାଫାରେ ନେଳି କାଗଜ ଭର୍ତ୍ତି କରି ପଠାଏ । ଭୂପତି ଓ ମୁଁ ଅବିବାହିତ । ଆମର ଏଇ ଚାରିଜଣଙ୍କୁ ନେଇ ମେସ୍ । ଘର ଭୂପତି ନାଁରେ । ସେ ଆମ ସମସ୍ତଙ୍କଠାରୁ ପୁରୁଣା, ଆମେ କେହି ଘର ପାଇନୁ ବୋଲି ସରୁ ତା’ରି ବସାରେ ଉଠିଛୁ । ବେଶ୍ ମଜ୍ଜାରେ କଟିଯାଏ; କିନ୍ତୁ ଗତ ଛଅ ମାସ ହେଲା ଚାକରଟା ଛୁଟି ନେଇ ଗାଁକୁ ଯାଇଥିବାରୁ ଟିକିଏ ଅସୁବିଧା ହେଉଛି । ହୋଟେଲରେ ଖାଇବାକୁ ବାଧ୍ୟ । ଯଦିବା ପାଳିକରି ଦିନେ ଦି’ ଦିନ ରାନ୍ଧିବାକୁ ଚେଷ୍ଟା କରିଥିଲୁ ସେଇଟା ସୁବିଧା ମନେହେଲା ନାହିଁ । ବ୍ରଜର ରାତି ଦୁଇଟାରୁ ସକାଳ ଆଠଟା ଡିଉଟି । ସେ ଡିଉଟିରୁ ଫେରି ଲମ୍ବତମ୍ବ ହୋଇ ବିଛଣାରେ ପଡ଼ିଯାଏ । ସୋମନାଥ ସକାଳ ଆଠରୁ ଦିନ ଦୁଇଟା । ମୋର ବି ସେମିତି ବ୍ରଜ ସାଙ୍ଗରେ ଡିଉଟି । କେବଳ ବାକି ରହିଲା ଭୂପତି । ସେ ଅଫିସର ହେଡ୍ ଆସିଷ୍ଟାଣ୍ଟ । ତେଣୁ ସେ କେବଳ ଦଶଟାରୁ ଚାରିଟା ଡିଉଟି କରେ; କିନ୍ତୁ ତା’ ଉପରେ ସବୁ ଭାର ପକାଇବା ଉଚିତ ମନେ ହେଲାନି। ସେ ବା ପାରନ୍ତା କୋଉଠୁ ? ତା’ଛଡ଼ା ସେ ଆମ ସମସ୍ତଙ୍କଠୁ ବୟସରେ ସିନିଅର । ଆମେ ସମସ୍ତେ ତାକୁ ଭାଇ ବୋଲି ଡାକୁ ।

 

ସେଇଦିନ ରାତିରେ ଆମେ ହୋଟେଲକୁ ଖାଇଯାଇଁ ଦେଖୁ ତ ହୋଟେଲେରେ ଲୋକ କେହି ନାହିଁ। ହୋଟେଲେ ମାଲିକ ସୂର୍ଯ୍ୟ ରାଓ କହିଲା, “ଆଜି ସନ୍ଧ୍ୟା ଛ'ଟାରୁ । ସବୁକାମ ଶେଷ । କେବଳ ଆପଣମାନଙ୍କୁ ଅପେକ୍ଷା ଥିଲା । ନହେଲେ ମୁଁ କେତେବେଳୁ ହୋଟେଲ ବନ୍ଦ କରି ସାରନ୍ତିଣି । ଯଦି ଆଉ ଟିକିଏ ଡେରି କରିଥା'ନ୍ତେ ତେବେ ମୁଁ ବନ୍ଦ କରି ଦେଇଥାନ୍ତି । ଆଚ୍ଛା ଏ କବନ୍ଧ ଆସିଲା ? ସତରେ, ଆପଣମାନେ କ’ଣ ଭାବୁଛନ୍ତି ?"

 

ବ୍ରଜ କହିଲା, “ଅବିଶ୍ୱାସ ତ କରି ହେଉନି । ଗତ ଦୁଇଦିନ ହେଲା ଯୋଉ ଘଟଣା ଘଟିଲାଣି ଆଉ ତ ଏହାକୁ ମିଛ ବୋଲି କହି ହେବନି; କିନ୍ତୁ ସେ ଯେ ଏହି ନୂତନ ସହରକୁ ଆସିବ ମୋର କାହିଁକି ମନେ ହେଉନି ।''

 

ଭୂପତି କହିଲା, “କାହିଁକି ମନେ ହେଉନି । ସେ ଯେତେବେଳେ ପୁରୁଣା ଟାଉନରେ ଏତେ ଗଣ୍ଡଗୋଳ କରି ସାରିଲାଣି ଏଠାକୁ ନ ଆସିବ କାହିଁକି । ବର୍ତ୍ତମାନ ସେଇଠି ସେ ଯଥେଷ୍ଟ ଖାଦ୍ୟ ପାଉଛି, ସେଥିପାଇଁ ଏଠାକୁ ଆସୁନି । ଯେତେବେଳେ ସେଠିକା କାମ ସରିଯିବ, ଦେଖିବ ନିଶ୍ଚେ ଏଠାକୁ ମାଡ଼ି ଆସିବ । ତାକୁ ପ୍ରତିରୋଧ କରିବା ଦୁଷ୍କର ।”

 

ସୋମନାଥ ଟିକିଏ ରାଗିଯାଇ କହିଲା, “ଆମ ଏ ପୁଲିସମାନେ କ'ଣ କରୁଛନ୍ତି ?” “ଯେତକ ମେଲେରିଆଗ୍ରସ୍ତ ଡରକୁଳା ଗୁଡ଼ାକ ତ ରହିଛନ୍ତି ପୋଲିସବାହିନୀରେ । ଟିକିଏ ଫୁ କରିଦେଲେ ଝଡ଼ି ପଡ଼ିବେ । ରାଇଫଲ ଚଳେଇବା ତ ଦୂରର କଥା । ବୋଧହୁଏ ଭଲକରି ରାଇଫଲ ଦେଖି ନାହାନ୍ତି ସେଗୁଡ଼ାକ । ଆଉ ସେମାନେ କ’ଣ କରିବେ ?” ଯୋଗ କଲି ମୁଁ ।

 

‘‘କିନ୍ତୁ ସେମାନେ ତ କିଛି ହେଲେ ଚେକ୍ କରି ପାରନ୍ତେ । ଗୋଟାଏ କବନ୍ଧକୁ ଏତେ ଗୁଡ଼ା ପୁଲିସ କ'ଣ କିଛି କରିପାରିବେ ନାହିଁ ନାଁ, ଆମ ପୋଲିସ ଯେମିତି, ଆମ ସରକାର ସେମିତି ।’’

 

ଭୂପତି ଆଉ ଥରେ ଶାନ୍ତ ଗଳାରେ କହିଲା, ‘‘ପୋଲିସ ଓ ସରକାରକୁ ଗାଲ ଦେଇ ଲାଭ ନାହିଁ । କାରଣ ପୋଲିସମାନେ କାହା ସାଙ୍ଗରେ ଲଢ଼େଇ କରିବେ ? କାହାକୁ ମାରିବେ ? କବନ୍ଧର କ’ଣ ଦେହ ଅଛି ଯେ ତା’ ଦେହରେ ଗୁଳି ବାଜିଲେ ସେ ମରିବ । ତା’ର ଦେହ ବୋଲି ବାହାରକୁ ଦେଖାଗଲେ ବି ପ୍ରକୃତରେ ସେଇଟା ଫାଙ୍କା । ପୁରୁଣା ସହରରେ କ’ଣ କେତେଜଣ ଚେଷ୍ଟା କରି ନ ଥିଲେ; କିନ୍ତୁ ଦେଖିଲେ ଯୋଉ ଭାବରେ ମାରିଲେ ବି ତା ଦେହରେ କିଛି ବାଜୁନି କି ଲାଗୁନି ।’’

 

ସୂର୍ଯ୍ୟ ରାଓ ତା’ର ଚିକ୍କଣ କଳା କୁଞ୍ଚକୁଞ୍ଚିଆ ବାଳରେ ଚିନ୍ତିତ ହୋଇ ହାତ ବୁଲେଇଲା । ‘‘ଭଗବାନ ନ କରନ୍ତୁ ସେ ଇଆଡ଼କୁ ଆସୁ ।”

 

ଆମେ ସମସ୍ତେ ଚୁପ୍ ଚାପ୍ ହୋଇ ନୀରବରେ ଖାଇବାକୁ ଲାଗିଲୁ । ସମସ୍ତେ ଉପରକୁ ଶାନ୍ତ ଓ ଧୀର ବୋଲି ମନେ ହେଉଥାନ୍ତି, କିନ୍ତୁ ଟିକିଏ ପର୍ଯ୍ୟବେକ୍ଷଣ କଲେ ଜଣା ପଡ଼ନ୍ତା ଆମେ କେମିତି ଭିତରେ ଭିତରେ କେତେ ଅଶାନ୍ତ ଓ ଅସ୍ଥିର । ଅଜାଣତରେ ବି ଆମେ ଶୀଘ୍ର ଶୀଘ୍ର ଖାଇ ଚାଲିଥାଉ । ଅଜାଣତରେ ହାତରୁ ଭାତ ଗୁଣ୍ଡା ଖସି ପଡ଼ୁଥାଏ, ଅଜାଣତରେ ଛାତି ଭିତରୁ ଦୀର୍ଘ ନିଶ୍ୱାସ ବାହାରୁଥାଏ । କୌଣସିମତେ ଖାଇ ସାରି ଯେତେବେଳେ ହୋଟେଲରୁ ପଦାକୁ ବାହାରିଲୁ ସେତେବେଳକୁ ମାତ୍ର ସାଢେ ଆଠଟା । ଅଥଚ ମନେ ହେଉଥାଏ ସମସ୍ତ ସହରରେ ଯେମିତି ରାତି ଗୋଟାଏ କି ଦୁଇଟା । ଚାରିଆଡ଼ ନିସ୍ତବ୍ଧ, ନିର୍ଜନ, ସାରା ସହରକୁ ଘେରି ରହିଛି ଗୋଟାଏ ଥମ-ଥମ ଭାବ । ଆଶଙ୍କା ଓ ଭୟର ଗୋଟାଏ ଘନ କୁହୁଡ଼ି । ସେ ଭିତରେ ବି କେମିତି ଚୁପ୍‍ଚାପ୍ ହୋଇଗଲୁ । ଭୟର କୁହୁଡ଼ି ଯେମିତି ଆମର ରକ୍ତର ପ୍ରତି ଅନୁକଣାରେ ପ୍ରବେଶ କରି ବରଫ କରି ଦେଉଛି ସମସ୍ତ ରକ୍ତ ସ୍ରୋତକୁ । ସର୍ବଦା ଗପି ଚାଲିଥିବା ବ୍ରଜ ଓ ମୁଁ ଦୁଇଜଣଯାକ ବି ଅଦ୍ଭୁତ ଭାବରେ ନୀରବ ଓ ଶାନ୍ତ । ନିର୍ଜନ ରାଜପଥ ଉପରେ ଆମେ ଚାଲିଛୁ ଚାରୋଟି ପ୍ରାଣୀ; କିନ୍ତୁ ସେଇ ନିଃଶବ୍ଦତା ଭିତରେ ସମ୍ପୂର୍ଣ୍ଣ ଭାବେ ମିଳେଇ ଯାଉଁ, କେଉଁ ଅଶରୀର ଜୀବ ପରି । ମଝିରେ ମଝିରେ କେବଳ ଆମ ଚାରିଜଣଙ୍କର ଭାରୀନିଃଶ୍ୱାସ ପଦଶବ୍ଦ ରାତ୍ରିର ନିର୍ଜନତାକୁ ଭଙ୍ଗ କରିବାର ବୃଥା ପ୍ରୟାସ କରୁଛି । ଅଜାଣତରେ ରାସ୍ତା ପାଖରେ ଥିବା ଗଛ ତଳକୁ, ବଗିଚା ମଧ୍ୟରେ ଜମିଥିବା ପାତାଳ ଅନ୍ଧକାର ତଳକୁ ଆଖି ବୁଲି ଆସୁଛି । ସେଇ ଛୋଟ ପୋଲଟା ପାଖରେ ହଠାତ୍ ଚାରିଜଣଯାକ କେମିତି ଏକାଭାବରେ ସ୍ଥିର ହୋଇ ରହିଗଲୁ । ଯେମିତି ଗୋଟାଏ କଣ୍ଢେଇ-ନାଚର ଚାରୋଟି କଣ୍ଢେଇ ପରି ଏକା ସାଙ୍ଗରେ । ହଠାତ୍ ଗୋଟିଏ ଝିଙ୍କାରେ ସ୍ତବ୍ଧ ହୋଇଗଲୁ । କ’ଣ ଗୋଟାଏ ଖସ୍ ଖସ୍ ହେଲା ସେଇ ପୋଲତଳେ, ନିଶ୍ୱାସ ରୁଦ୍ଧ କରି ଆମେ ଅତି ନୀରବରେ ପଥର ପରି ଛିଡ଼ା ହୋଇ ରହିଲୁ । କେବଳ ନିର୍ନିମେଷ ନୟନରେ ଚାହିଁ ରହିଲୁ ପୋଲ ଭିତରର ସେଇ ପୁଞ୍ଜିଭୁତ ପୁଳାଏ ଅନ୍ଧାକାର ଆଡ଼କୁ । ପ୍ରାୟ କଛି ସମୟ ପରେ ସେଠାରୁ ଖସ୍ ଖସ୍ ହୋଇ ବାହାରି ଆସିଲା କୁକୁରଟିଏ, ଆଶ୍ଵସ୍ତିର ଦୀର୍ଘଶ୍ୱାସ ପୁଣି ଏକାବେଳକେ ଆମ ଚାରିଜଣଙ୍କଠୁ ବାହାରି ଆସିଲା । ବ୍ରଜ ହୋ ହୋ ହୋଇ ହସିଲା ବି । ମୁଁ ତା ସାଙ୍ଗରେ ଯୋଗ ଦେଲି; କିନ୍ତୁ ଏ ହସର ଆବିର୍ଭାବ ଯେମିତି ଆକସ୍ମିତ ତା'ର ବିଲୟ ବି ସେମିତି ଆକସ୍ମିକ । ଭୂପତି ଓ ସୋମନାଥ ଗମ୍ଭୀର ଭାବରେ ଆଗେଇ ଚାଲିଲେ କିଛି ନ କହି । ସେଇ ନିଃଶବ୍ଦତାର ପ୍ରାଚୀର ଭିତରେ ପିଟି ହୋଇ ଆମର ହସଟା ଆମକୁ ବିଦ୍ରୂପ କରିଗଲା ଠୋ ଠୋ ହୋଇ । ଆମେ ଆଉ କିଛି ନ କହି ଆଗେଇ ଗଲୁ ମେସ୍ ଭିତରକୁ ।

 

ସେ ପାଖ କ୍ଵାଟର, ଇଞ୍ଜିନିୟର ରମେଶ ମହାନ୍ତି । ଦୁଇଟା ସନ୍ତାନ । କବାଟ ଝରକା ସବୁ ବନ୍ଦ । ସାମ୍ନା ପଟରେ ଜଳୁଥିବା ଆଲୁଅଟା ମଧ ଆଜି ବନ୍ଦ । କେବଳ ରାସ୍ତାରେ ନୀଳ ନୀଅନ ଲାଇଟ୍‍ର ଆଲୁଅରେ ବିକ୍ଷିପ୍ତ ପ୍ରଭା ଆସି ପଡ଼ୁଛି ତା’ର ଦେହ ଉପରେ । ଫିସ୍ ଫିସ୍ କଥା ଶୁଭୁଛି । “କ'ଣ ହେବ, କହନା ? ମୋତେ ଭାରି ଡର ମାଡ଼ିଲାଣି । ମୁଁ ଆଉ ଏକା ରହିପାରିବିନି; ତୁମେ କାଲି କାରଖାନା ଯାଅନା । ପିଲା ଦୁଇଟାକୁ ଧରି ମୁଁ ଏକୁଟିଆ ରହିବି କେମିତି ?” “ତୁମେ ବ୍ୟସ୍ତ ହୁଅନା, କମ୍ପାନୀ ବ୍ୟବସ୍ଥା କରୁଛି ।” “ଛେନା କରୁଛି, ଯେ ଯାହା କହୁ ପଛେ ମୁଁ ଜମା ଏକୁଟିଆ ରହିବିନି । ରହିବିନି । ରହିବିନି । ସଫା କଥା କହି ଦେଉଛି ।” “ତୁମେ ପଣ୍ଡାବାବୁଙ୍କ ଘରକୁ ଚାଲିଯିବ । କେଇଟା ଘଣ୍ଟା ତ ।” “ମୁଁ କ'ଣ ମୋ ପାଇଁ କହୁଛି । ନା, ତୁମେ ଯିବନି । ମୋ ରାଣ, କାଲି ଯାଅନି । ମୋ ମନ କିମିତି ଲାଗୁଛି । ମୋ ରାଣ ମାନିବନି ?”

 

“ଥରେ ଥରକ ପାଇଁ ମୋ କଥା ମାନ । କେଜାଣି କେତେବେଳେ କଣ ହେବ ? ହେ, ଭଗବନ ।” "ଅଚ୍ଛା, ଅଚ୍ଛା, ଏଇନା ତ ଶୋଇପଡ଼, କାଲି ସକାଳେ ସବୁ ବ୍ୟବସ୍ଥା କରାଯିବ ।” “ମୋ ଆଖିକୁ କ’ଣ ନିଦ ଆସୁଛି ? ଆଜି ମୁଁ ଜମା ଶୋଇ ପାରିବିନି । ପଣ୍ଡାବାବୁଙ୍କ ସ୍ତ୍ରୀଙ୍କ ଠାରୁ ନଜାକତ୍ ଅଲି କଥା ଶୁଣିଲା ବେଳଠୁ ମୋ ଦେହଟା ଖାଲି କମ୍ପୁଛି ।”

 

ପଣ୍ଡାବାବୁଙ୍କ କ୍ଵାଟର । ମେକାନିକାଲ ଫୋରମେନ୍ ।

 

“ଆରେ ରାତି ଅଧରେ କ’ଣ କରୁଛ ? ଆଉ କ'ଣ ଦିନବେଳେ ଲୋକଙ୍କୁ ଡକେଇ ସମସ୍ତଙ୍କୁ ଦେଖେଇ କରନ୍ତି ନା କ'ଣ ? ଅଚ୍ଛା ମୂର୍ଖାମି କଥା କହୁଛ ତ ? ଆଣ ଆଣ ଶିଳୁପତାଟା ଆଣ ।” ପଣ୍ଡାବାବୁ ଝରକା ଦୁଇଟା ସାବଧାନରେ ବନ୍ଦ କରି ଦେଇ ପଛପଟେ ବଡ଼ ବଡ଼ ପଟା ସବୁ ମାପି ମାପି ସାଇଜ କରି କାଟିଲେ । ତା'ପରେ ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ଝରକା ଦୁଇ ଚଉକାଠ ଉପରେ ରଖି କଣ୍ଟା ପିଟିବାକୁ ଲାଗିଲେ । “ଏମିତିରେ କ'ଣ କେହି ଆସି ପାରିବେନି ? ଆରେ, ଅସିଲେ ତ ଯେମିତି ହେଲେ ଆସିପାରେ । ତେବେ ଆଗରୁ ସାବଧାନ ହେବା ଭଲ ଆଉ ତୁମେ ଶୋଇବ ତ ଶୁଅ । ମୋ କାମରେ ଆଉ ବାଧା ଦିଅନା । ଆହୁରି ତିନିଟା ଝର୍କା, ଚାରିଟା ଦୁଆର ବାକି ଅଛି । ଦେଖ କେବଳ ଏଇ ଦାଣ୍ଡ ଦୁଆର ଛଡ଼ା ଅନ୍ୟ କୌଣସି ଦୁଆର ଯେମିତି ଖୋଲା ନ ହୁଏ ।"

 

ପ୍ଲେଟମିଲ୍ ଫୋରମେନ୍ ସୁରଜିତ୍ ବେନାର୍ଜି । ନବ ବିବାହିତ ।

 

“ଆଜି ଶୁଣିଛ ନା ଘଟଣା ?”

 

“କ’ଣ କବନ୍ଧର ଘଟଣା ତ ? ତା’ ଆଉ ଶୁଣିନି । ଆଜି ତ ମିସେସ୍ ପଣ୍ଡା, ମିସେସ୍ ମହାନ୍ତି, ମିସେସ୍ ଘୋଷ, ମିସେସ୍ ରାମମୂର୍ତ୍ତି, ଆମ ଏ ସାହିର ସମସ୍ତେ ମିଶି ସେଇକଥା ଦ୍ଵିପ୍ରହର ସାରା ହୋଇଛୁ । ମୋତେ ଯାହା ଡର ମାଡ଼ିଲା ମୁଁ କ’ଣ କହିବି ? ଥରେ ଏଇ କବନ୍ଧର ଘଟଣା ଶୁଣିଥିଲି କଲିକତାରେ । ସେତେବେଳେ ମୋର ପିଲାଦିନ । ସତ ଆଠବର୍ଷ ବୟସ, କିନ୍ତୁ କି ନୃଶଂସ, କି ବିଭତ୍ସ, ସେ କାହାଣୀ । ଆଜି ବି ମନେ ପଡ଼ିଲେ ମୋ ଦେହ ସାରା ଶୀତେଇ ଉଠେ । ସାରା ଦ୍ଵିପ୍ରହରଟା ଆଜି କ’ଣ ମୁଁ ଘରେ ରହିଛି । ଖାଲି ମିସେସ୍ ମହାନ୍ତି ଘରେ ବସି ରହିଛି ପରା । ଏକୁଟିଆ କେତେବେଳେ କ'ଣ ଯେ ହେବ ? ହେ, ମା’ କାଳୀ, ତୁମେଇ ଭରସା “ଆଶ୍ଚର୍ଯ୍ୟ, ଆଜି ପୁରୁଣା ସହରରେ ବିଭତ୍ସ କାଣ୍ଡ ଘଟି ଯାଇଛି । ସମସ୍ତ ଘଟଣା ଜଣାପଡ଼ିନି । ତେବେ ଅନ୍ତତଃ ୩୦/୪୦ ତ ହେବଇ । ନାରୀ, ଶିଶୁ କେହି ବାଦ୍ ପଡ଼ି ନାହାନ୍ତି । ଆଖି ବୁଜି ସେ ଖାଇ ଚାଲିଛି । କ ପ୍ରଚଣ୍ଡ ଯେ ତା'ର କ୍ଷୁଧା ।''

 

“କାଲି ଆଠଟାରେ ଡିଉଟି ଯିବ ?"

 

“ନ ଯାଇ ଉପାୟ ଅଛି ?”

 

“ନା, ନା, ଯିବନି ।''

 

“କିନ୍ତୁ-”

 

“ନା ନା ନା, ମୁଁ କୌଣସି କଥା ଶୁଣିବିନି । ତୁମକୁ କାଲି ଛାଡ଼ିବିନି । ଜମା ନୁହେଁ, ମୋଟେ ନୁହେଁ । ମୋ ଦେହ ଛୁଇଁ ଶପଥ କର । କାଲି ତୁମେ ଯିବନି ।”

 

“ଆଚ୍ଛା-।''

 

“ନା, ଆଚ୍ଛା ନୁହେଁ, ମୋ ଦେହ ଛୁଇଁ, ମା କାଳୀଙ୍କର ଶପଥ ନେଇ କୁହ, କୁହନା ?"

 

“ଅଚ୍ଛା, ବାବା, କାଲି ଯିବିନି । ଯିବିନି। ହେଲା ।” ସୁରଜିତ୍ ଖୁବ୍ ଜୋରରେ କୁଣ୍ଢେଇ ଧରିଲା ସୁଜାତାକୁ ।

 

ଆଶଙ୍କାର ରାତ୍ରି ଘନୀଭୂତ ହୋଇଛି । ଏକ ପ୍ରବଳ ଅସ୍ଥିରତା ନୂତନ ନଗରୀର ସ୍ନାୟୁରେ ସ୍ନାୟୁରେ । ବାହାରର ଶାନ୍ତ ଭାବ ଏକ ଘୋଡ଼ଣୀ ମାତ୍ର । ତା’ ଭିତରେ କୁହୁଳି କୁହୁଳି ଏକତ୍ର ହୋଇ ସଞ୍ଚାରିତ ହେଉଛି ପ୍ରବଳ ଶକ୍ତିଶାଳୀ ବାଷ୍ପ । ଯେ କୌଣସି ମୁହୂର୍ତ୍ତରେ ବିସ୍ଫୁରିତ ହୋଇ ଉଠିବ; କିନ୍ତୁ ସେଇ ଆଶଙ୍କାର ରାତ୍ରି ସମସ୍ତ କାମନା ବାସନାକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରି ଦେଇ ନାହିଁ । ଗଣେଶ ପଣ୍ଡା ଭାବୁଛି ତା’ର ପ୍ରମୋସନର କଥା । ରାତିକ୍ରିୟା ଭିତରେ ନିଜକୁ ନିଃଶେଷ କରୁଛି ନୂତନ ନଗରୀର ତୃତୀୟାଂଶ ଜନତା । ସେଇ ବାଷ୍ପ ଏକଭାବେ ବିସ୍ଫୁରିତ ହେଉଛି କଳଙ୍କରେ ରାତିକ୍ରିୟାରେ, ଈର୍ଷାରେ, ଦ୍ଵେଷରେ, ଲୋଭରେ । ସମସ୍ତେ ତାକୁ ଶେଷ କରିବାକୁ ଚାହାନ୍ତି । ସେଇ ଅବଦମିତାବଚେତନାକୁ ନିଶ୍ଚିହ୍ନ କରିବାକୁ ଚାହାଁନ୍ତି ବିଭିନ୍ନ ପରିପ୍ରେକ୍ଷୀରେ ।

 

ପରଦିନ ସକାଳ ।

 

ଭୂପତି ପଚାରିଲେ, “କିରେ ବ୍ରଜ ଯାଇନୁ ? ସୁର, ତୁ ବି ?”

 

“ଯିବାକୁ ଇଚ୍ଛା ହେଲାନି । ଦେହ କେମିତି ଲାଗୁଛି ।”

 

“ଆଉ ସୋମନାଥ ? ତମେ ?”

 

“ନା, ମୁଁ ବି ଯିବିନି।''

 

“ତେବେ ମୁଁ ଆଉ କାହିଁକି ଯିବି ?”

 

ଗଣେଶ ପଣ୍ଡା ଦାଣ୍ଡଦୁଆର ଅଳ୍ପ ମେଲାକରି ବାହାରକୁ ଚାହିଁଲେ । ତା’ପରେ ସୁରେଶ ମହାନ୍ତିଙ୍କୁ ତାଙ୍କ ଗେଟ୍ ପାଖରେ ଦେଖି ବାହାରକୁ ଆସିଲେ ।

 

“ଆରେ ମହାନ୍ତିବାବୁ ଗୁଡ଼୍ ମର୍ଣ୍ଣିଂ ।”

 

“ଗୁଡ଼୍ ମର୍ଣ୍ଣିଂ, ଗୁଡ଼୍ ମର୍ଣ୍ଣିଂ, ଗୋଟାଏ କାମରେ ଆସିଥିଲି ।”

 

“କ'ଣ ?”

 

“ମୁଁ ଆଜି ଆଉ ଯିବିନି, ଏଇ ଦରଖାସ୍ତଟା–”

 

“ଆରେ ମୁଁ ବି ଭାବିଥିଲି ସେଇକଥା । ମୁଁ ବି ତ ଯାଉନି ।”

 

“ତେବେ ?”

 

“ଦେଖିବା, ବେନାର୍ଜି ବୋଧହୁଏ ଯିବ ?”

 

“କ’ଣ ବେନାର୍ଜିବାବୁ, ସାତଟା ବାଜିଲାଣି ବାହାରି ନାହାନ୍ତି ? ଆଜି କ'ଣ -”

 

“ନା, ମୁଁ ଆଜି ଯାଉନି ।”

 

“ଆରେ କ’ଣ ହେଲା ? ସେ ପଟେ ହୋ ହୋ କାହିଁକି ଶୁଣା ଯାଉଛି ?”

 

“ଦେଖନ୍ତୁ ତ ?”

 

ଗୋଟାଏ ଲୋକ ଧଇଁସଇଁ ଧାଇଁଛି । “କ'ଣ କଥା କଣ ?”

 

“ସେକ୍ଟର ଚାରିରେ କାଲି ରାତିରେ କବନ୍ଧ ଆସି କେମିକାଲ ଇଞ୍ଜିନିୟର ମୁଜାଫର ହୋସେନକୁ ହତ୍ୟା କରିଛି ।”

 

“ସତେ ?”

 

“ଏଇ ପରା, କମ୍ପାନୀ ଗାଡ଼ି ଆସି ତାଙ୍କ ସ୍ତ୍ରୀ ଓ ପିଲାପିଲିଙ୍କୁ ନେଇ ଗଲେଣି ।”

 

ସ୍ତବ୍‍ଧ ହୋଇ ଛିଡ଼ା ହୋଇ ରହିଲେ ତିନିଜଣ । ରକ୍ଷା ନାହିଁ । ରକ୍ଷା ନାହିଁ । କବନ୍ଧ ପ୍ରବେଶ କରିଛି ନୂତନ ନଗରୀ ଭିତରେ । ସବୁ ନିଶ୍ଚିନ୍ତତା ଏଥର କଟି ଯାଇଛି । ଯାହା କିଛି ସନ୍ଦେହ ଥିଲା କନ୍ଧର ଶକ୍ତି ବିଷୟରେ ଆଜି ସମସ୍ତ ଉନ୍ମୁକ୍ତ ହୋଇ ଯାଇଛି । ନା କବନ୍ଧକୁ ରୋକିବା ବାସ୍ତବିକ୍ ଦୁଷ୍କର । ଅପ୍ରତିହତ ତାର ଗତି । ଦୁର୍ଦ୍ଦମନୀୟ, ପ୍ରଚଣ୍ଡ ।

 

ଦୁଃଖ ଆଉ ଭୟରେ ଆଖିରେ ପାଣି ଜମି ଆସିଲା ସୁରେଶ ମହାନ୍ତିଙ୍କର । ମୁଜାଫର । ଏକା ସାଙ୍ଗରେ ଛାତ୍ର ଥିଲେ ବନାରସ୍ ବିଶ୍ୱବିଦ୍ୟାଳୟରେ । ପାଖକୁ ପାଖ ରୁମ୍ । ତାଙ୍କର ମେକାନିକାଲ ଓ ମୁଜାଫରର କେମିକେଲ । ଏତେ ସୁନ୍ଦର, ଏତେ ମେଧାବୀ, ଏତେ ଦୟାଳୁ । ଲକ୍ଷ୍ନୌରୁ ପ୍ରାୟ ପ୍ରତି ରବିବାର ଦିନ ତା’ର ଜଳଖିଆ ଆସେ । କେବେ ସେ ଏକା ଖାଏନି । ସାଙ୍ଗ ସାଥୀଙ୍କୁ ସବୁ ଖୁଆଏ । କି ସୁନ୍ଦର ଗଜଲ୍ ଗାଉଥିଲା ସେ । ଗାଲିବ୍‍, ଫିରାକ୍, ଶକୀଲ୍ ସମସ୍ତଙ୍କର । କି ଅପୂର୍ବ କଣ୍ଠ ତା’ର ଥିଲା । ଆଉ ନିଜେ ବି ଥିଲା ଗୋଟାଏ କବି । ସାୟର । ପ୍ରତିଦିନ ସକାଳେ କ୍ଲାସକୁ ଗଲାବେଳେ ରାସ୍ତାରେ ସେ ଗୋଟିଏ ନୂଆ ଶେର୍ ଶୁଣାଉଥିଲା । ଆଃ , କାଲି ତା ସାଙ୍ଗରେ ଦେଖା ହୋଇଛି । ଦୁଇଜଣଯାକ ଫେରିଛନ୍ତି ତା’ରି ଗାଡ଼ିରେ । ଅଥଚ ଆଜି ସେ ନାହିଁ । ତାକୁ କେହି ରକ୍ଷା କରି ପାରିଲେ ନାହିଁ । ବିଂଶ ଶତାବ୍ଦୀର ସୁସଭ୍ୟ ମଣିଷ ଆଜି କେବଳ ଗୋଟିଏ କବନ୍ଧର ଜ୍ୱାଳାରେ ବ୍ୟତିବ୍ୟସ୍ତ । ସେ ନିଜକୁ ତା'ଠାରୁ ରକ୍ଷା କରିପାରୁ ନାହିଁ । କି ହେବ ଏଇ ସଭ୍ୟତା ସଂସ୍କୃତିର ଅହଙ୍କାର ନେଇ । କ'ଣ ହେବ ତା’ର ବିଜ୍ଞାନ, କଳା-ସ୍ଥାପତ୍ୟ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ? ସବୁ ଭ୍ରାନ୍ତି, ସବୁ ମିଛ, ସବୁ କେବଳ ଆତ୍ମ-ପ୍ରବଞ୍ଚନା, କେବଳ ନିଛକ ଅତ୍ମ-ପ୍ରତାରଣା । ଆଖିରୁ ଲୁହ ପୋଛି ଫେରି ଆସିଲେ ଘରମୁହାଁ ହେଇ ଦ୍ରୁତ ପଦରେ ।

 

ଖବରଟା ବିଜୁଳି ବେଗରେ ସେକ୍ଟରରୁ ସେକ୍ଟର, ଘରୁ ପ୍ରତିଘର ହୋଇ ଚାରିଆଡ଼େ ଖେଳିଗଲା ନୂତନ ସହରରେ । ହଠାତ ଧଡ଼ଧାଡ୍ ହୋଇ କବାଟ ପଡ଼ିବାକୁ ଆରମ୍ଭ କଲା । ଦିନ ଆଠଟା ବେଳେ ଗଭୀର ନିଶୁତି ଜମି ଆସିଲା । ନୂଆ ସହରର ବୁକୁରେ । ଖବର ପରେ ଖବର । ଟ୍ରେନ, ବସ୍‍ ,ଟେକ୍‍ସି, ରିକ୍‍ସା ସବୁ ବନ୍ଦ । ଦୋକାନ ବନ୍ଦ; ବଜାର ବନ୍ଦ । ଅଫିସ୍ ବନ୍ଦ, ସ୍କୁଲ ବନ୍ଦ । ଆଉ କିଛି ନାହିଁ । କବନ୍ଧ ଆସୁଛି । ନାଚ ନାଚି, ଦୁର୍ଦ୍ଦମନୀୟ ବେଗରେ ତା'ର ମୃତ୍ୟୁତାଣ୍ଡବର ମହୋଲ୍ଲାସରେ । ଆଉ ରକ୍ଷା ନାହିଁ ।

 

ପୁରୁଣା ସହର ଶ୍ମଶାନରେ ପରିଣତ ହୋଇଛି । ଚାରିଆଡ଼େ ଶବର ଗଦା କୁଢ଼ କୁଢ଼ ହୋଇ ଜମିଛି ଘରେ, ବାହାରେ, ରାଜପଥରେ, ନାର୍ଦ୍ଦମାରେ । ବୁଢ଼ା- ବୁଢ଼ୀ, ପୌଢ଼-ପୌଢ଼ା, ଯୁବକ-ଯୁବତୀ, ଶିଶୁ କିଛି ଆଉ ବାଦ୍ ନାହିଁ । ସମସ୍ତେ ସେଇ ନୃଶଂସ କବନ୍ଧର ଶିକାର ହୋଇଛନ୍ତି । କେଉଁଠି ଅବା କିଏ ତା’ର କବଳରୁ ବର୍ତ୍ତିଯାଇ ଲୁଚି ବସିଛି । ଆଖି ଆଗରେ ଦେଖିଛି ତା’ର ଭାଇ,ବନ୍ଧୁ, କୁଟୁମ୍ବ, ସ୍ତ୍ରୀ, ସନ୍ତାନ ସବୁ ଗୋଟି ଗୋଟି ହୋଇ କବନ୍ଧର କେମିତି ଶିକାର ହୋଇଛନ୍ତି, କିନ୍ତୁ ସେ ନୀରବରେ ବସି ରହିଛି । ବେଦନାର ଗୁରୁଭାରରେ ହୃଦୟ ଫାଟି ପଡ଼ୁଥିଲେ ସୁଦ୍ଧା ସେ କାନ୍ଦି ପାରୁନି । ଜଡ଼ଭରତ ପରି ବସି ରହିଛି କେବଳ ଭୟରେ ସ୍ତବ୍ଧ ହୋଇ । କେଉଁଠି ଅବା ଯୁବତୀ ନାରୀ ତା’ର ନାରୀତ୍ଵର ସର୍ବସ୍ଵ ହରାଇ ନିଃଶେଷ ହୋଇ ପଡ଼ି ରହିଛି ମୁମୂର୍ଷ ପରି । ତା ମୂହଁରେ ଟୋପାଏ ପାଣି ଦେବାକୁ କେହି ନାହିଁ । କେଉଁଠି ଅବା କବନ୍ଧର ଖେଆଲରୁ ମୁକ୍ତିଲାଭ କରି କେହି ଏକ ପିତୃମାତୃ-ହରା ଶିଶୁ ଆକୁଳ କ୍ରନ୍ଦନରେ ଭସାଇ ଦେଉଛି । ମା’ ମା’ ଡାକି ଖୋଜି ବୁଲୁଛି ତା’ର ଆଶ୍ରୟସ୍ଥଳ ମା'କୁ । ଚାରିଆଡ଼େ ଏକ ବିଷାଦର ହା-ହା କାର । ଲକ୍ଷ୍ୟ ପ୍ରାଣର ଆକୁଳ କ୍ରନ୍ଦନ, ବିଷାଦର ଦୀର୍ଘ ଶ୍ୱାସ, ଭୟର ସ୍ପେଦବିନ୍ଦୁ, ଆଉ ହତାଶାର ଲବଣାକ୍ତ ଢେଉ ଆଉ ସର୍ବୋପରି ଶହ ଶହ ପ୍ରାଣୀର ଉଷୁମ ରକ୍ତଧାରା ଗଗନପବନକୁ ବେଦନାର୍ତ୍ତ କରି ତୋଳୁଛି ସିନା, କିନ୍ତୁ କବନ୍ଧର ଅସୀମ ବାଲିଚର ଭିତରେ ସବୁ ନିଶ୍ଚିହ୍ନ ହୋଇ ଯାଉଛି । ଏଇ ବିଷାଦିତ ପଟ୍ଟଭୂମିରେ ଶୁଭୁଛି ତା’ର ଆନନ୍ଦର ବିକଟ ଅଟ୍ଟହାସ୍ୟ । ମହୋଲ୍ଲାସ ଓ ବିଜୟର ଉଦିତ୍ତ କୁହାଟ । ‘ବଂ ବଂ ଶିବଶମ୍ଭୁ’ 'ଜୟ ମା କାଳୀ', ‘ଆଲ୍ଲା ହୋ ଆକବର’ । ବହୁଦିନ ପରେ ପୁଣି କବନ୍ଧ ଫେରି ପାଇଛି ନିଜକୁ । ତା’ର ଅସୀମ ଶକ୍ତିକୁ । ଆଜି ତା’ର ମୁକ୍ତିର ଦିବସ । ତେଣୁ ସେ ରଚିଛି ଆଜି ପ୍ରଳୟ ତାଣ୍ଡବ ଧ୍ଵଂସ କରି ଦେବ ସେ ଆଜି ମଣିଷ- ସମାଜକୁ । ପଞ୍ଚବଟୀ ସମାଜର ସମସ୍ତ ଋଷିମାନଙ୍କୁ । କେହି ତାକୁ ରକ୍ଷା କରି ପାରିବେ ନାହିଁ । ତା’ର କ୍ଷୁଧାର ଉପଶମ ନ ହେଲା ପର୍ଯ୍ୟନ୍ତ କୌଣସି ଶକ୍ତି ତା’ର ପ୍ରତିରୋଧ କରି ପାରିବ ନାହିଁ । ନାଚ, ନାଚ, ହତ୍ୟା, ଧ୍ଵଂସ । ଗରମ ଲହୁର ମଦିରାର ଅସ୍ୱାଦରେ ସେ ଆଜି ଆହୁରି ମାତାଲ, ଆହୁରି ଉଚ୍ଛୃଙ୍ଖଳ । ଅନେକ ଆନନ୍ଦ ମଣିଷର ଲହୁ ପିଇବାରେ । ଅନେକ ଆନନ୍ଦ ତାକୁ ମାଡ଼ି ମକଚି, ଦଳି ଧ୍ଵଂସ କରିବାରେ । ଶିଶୁର ନରମ ବେକରେ ଆସ୍ତେ କରି ବୁଲେଇ ଦିଅ ତୀକ୍ଷ୍‍ଣ ଛୁରିକା । ପୁରୁଷର ବଳିଷ୍ଠ ବୁକୁରେ ଆଘାତ କରି ଧ୍ଵଂସ କର ତାକୁ ସେଇ ଛୁରିକା ନେଇ । ଆଉ ନାରୀର ନରମ ଛାତିର ଉଦ୍ଧତ ସ୍ତନକୁ କାଟିଦିଅ ଛେନା ପରି । ‘ବଂ ବଂ ଶିବଶମ୍ଭୁ’ ! ସେଇ ସୁନ୍ଦର ନାରୀକୁ ଉପଭୋଗ କର । ତାକୁ ଛିନ୍ନ ଭିନ୍ନ କରି ଶାଗୁଣା ପରି ଖାଇଯାଅ । 'ଆଲ୍ଲା ହୋ ଆକବର’। ଶଙ୍ଖ-ଧବଳ ଗ୍ରୀବାତଳେ ମୋଟା ନଳଟାକୁ କାଟି କାଟି ଦୁଇଭାଗ କର । 'ଜୟ ମା କାଳୀ, “ବୀର ହନୁମାନ କୀ ଜେ’ ।

 

ପ୍ରଳୟ ନର୍ତ୍ତନରେ ଅବିଶାନ୍ତ ଭାବରେ ନାଚି ଚାଲିଛି କବନ୍ଧ ।

 

ସେକ୍ଟର ତିରିଶରେ କବନ୍ଧ ଆସି ତା’ର ପ୍ରଥମ ପଦଚିହ୍ନ ରଖି ଦେଇଗଲାଣି । ଆଉ ରକ୍ଷା ନାହଁ । ଆଜି ତା’ର ବିଜୟ ଅଭିଯାନ ଆରମ୍ଭ କରିବ ସେ । ନା, ଆଉ ସହର ଛାଡ଼ିଯିବାର ଉପାୟ ନାହିଁ । ଏ ଅଭିଶପ୍ତ ସହରର ସମସ୍ତ ମୁକ୍ତି ପଥ ବନ୍ଧ । ଆଉ ଉପାୟ ନାହିଁ । ଏଇ ମୃତ୍ୟୁ ଉପତ୍ୟକା ଭିତରେ ସମସ୍ତଙ୍କର ସମାଧି ହୋଇଯିବ ବହଳ ଭୟର ଘନ ଅଙ୍ଗାରକାମ୍ଲ ବାଷ୍ପରେ ଶ୍ଵାସରୁଦ୍ଧ ହୋଇ ।

 

ସୋମନଥ କାନ୍ଦୁଛି । ଆଉ ତା’ର ବାସର ରାତିର କାବ୍ୟନାୟିକାର ସ୍ପର୍ଶ ସେ ପାଇବନି ତା’ର ଲଜ୍ଜା-ରଙ୍ଗା ନରମ ଓଠର ସ୍ଫୁରିତ ଶିହରଣକୁ ନିଜର ଓଠର ପିଆଲାରେ ଭରିଦେଇ ତା’ରି ମତୁଆଲା ରାସରେ ଆତ୍ମବିସ୍ମୃତ ହୋଇ ପାରିବନି । ବାହାଘରର ମାତ୍ର କେତେଟା ମାସ କେତେ ସ୍ଵପ୍ନ, କେତେ କଳ୍ପନା । ସବୁ ଆଜି ଜାଣି ଶୁଣି ଆଖି ଆଗରେ ଧୀରେ ଧୀରେ ତାସର ଘର ଭାଙ୍ଗି ପଡ଼ୁଛି । ଆଃ ବିନୀତା । ବିନୀତା ମରିବା ଆଗରୁ ଥରେ ଯଦି ତା’ର ଦେଖା ପାଆନ୍ତା । କେବଳ ଯଦି ଥରକ ପାଇଁ ପଆନ୍ତା ସେଇ ମଧୁକ୍ଷରା ଓଷ୍ଠର ସ୍ପର୍ଶ । କେବଳ ଥରକ ପାଇଁ ଶୁଣନ୍ତା ତା’ର ମଧୁଭାଷା, ଥରକ ପାଇଁ ଅନୁଭବ କରନ୍ତା ତା’ର ମଧୁଝରା ମଧୁହାସ, ଆଉ ସ୍ଵପ୍ନଭରା ଆଖିରେ ବିହ୍ଵଳ ଚାହାଣି; କିନ୍ତୁ ନା, ସେ ଆଉ ଆସି ପାରିବ ନି । ସେ ମଧ୍ୟ ଯାଇପାରିବନି । ସବୁ ବାଟ ବନ୍ଦ । ତେବେ କ’ଣ ସେ ଏମିତି ବିନା ଚେଷ୍ଟାରେ ଅସହାୟ ଦୁର୍ବଳ ଭାବରେ ନିଜକୁ ନିଃଶେଷ କରିଦେବ ? ନା, ନା, ତାହାହେଲେ ମୃତ୍ୟୁପରେ ସେତେବେଳେ ବିନୀତା ପଚାରିବ ତୁମେ କ'ଣ ଆସିବାକୁ ଚେଷ୍ଟା କରିଥିଲ । ସେ କ’ଣ ଉତ୍ତର ଦେବ ? ଏଇଠି ଖାଲି ବସି ବସି ଭାବିଲେ ଲାଭ କ'ଣ ? ତା’ର କିଛି କରିବା ଉଚିତ । ସେ ଯେମିତ ହେଉ ଏଇ ଶାପଗ୍ରସ୍ତ ନଗରୀରୁ ମୁକ୍ତି ନେଇ ପଲାଇବା ଉଚିତ; କିନ୍ତୁ କେମିତି ? କୋଉ ଉପାୟରେ ? ସହରର ଆଗ ଷ୍ଟେସନ ପର୍ଯ୍ୟନ୍ତ ଟ୍ରେନ ଆସୁଛି । ସେ ଯଦି ସେତିକି ବାଟ ଚାଲିଯାଇ ପାରନ୍ତା ତେବେ ଆଉ ଅସୁବିଧା କିଛି ରହନ୍ତା ନାହିଁ । କେତେ ବାଟ ହେବ ସେଇ ଜାଗା ? କେବେ ତ ସେ ଆଗରୁ ସେ ବିଷୟରେ ପଚାରି ଦେଖିନି । ଓଃ, ନିଜପ୍ରତି ଘୃଣାରେ ନିଜେ ବିଷାକ୍ତ ହୋଇ ଉଠିଲା ସୋମନାଥ । ମନେ ମନେ ପୁଣି ହିସାବ କରିବାକୁ ଲାଗିଲା । ହୋଇପାରେ ବାର ମାଇଲ । ସନ୍ଧ୍ୟାବେଳେ ବାହାରି ଗଲେ ସେ ସକାଳେ ଯାଇ ସେଠାରେ ପହଞ୍ଚି ସାରିଥିବ । ଅତଏବ ଯାହା ହେଉନା କାହିଁକି ସେ ନିଶ୍ଚୟ ଯିବ ।
 

 

ବ୍ରଜ କାନ୍ଦୁଛି । କାନ୍ଦୁ କାନ୍ଦୁ ତା’ର ଜୀବନର ଶେଷ ଇଚ୍ଛା ଲିପିବଦ୍ଧ କରୁଛି । ପୂରା ପ୍ୟାଡ଼ଟା ଶେଷ କରି ସାରିଲାଣି ସାରା ରାତିଟା ବସି କସି କଟେଇ ଦେଇଛି ସେ । କ’ଣ ଲେଖୁଛି କେଜାଣି ?

 

ଭୂପତି ଛଟପଟ ହେଉଛନ୍ତି ଖଟ ଉପରେ । ଘରେ ବୃଦ୍ଧା ପିତାମାତା । ଦୁଇଟି ଭଉଣୀ । ଭଉଣୀର ବିଭାଘର ହୋଇ ପାରିନି ବୋଲି ଏପର୍ଯ୍ୟନ୍ତ ସେ ବିବାହ କରି ପାରି ନାହାନ୍ତି । ଏକମାତ୍ର ପରିବାରର ଅନ୍ନଦାତା ସେ । ଆଜି ଯଦି ତାଙ୍କର ମୃତ୍ୟୁ ହୋଇଯାଏ କ'ଣ ହେବ ସେମାନଙ୍କର ? ତାଙ୍କର ଭବିଷ୍ୟତ ଜୀବନର ଦୁର୍ଦ୍ଦଶାର କଥା ସ୍ମରଣ କରୁ କରୁ ସେ ଆଖିର ଲୁହରେ ତକିଆ ଭିଜେଇ ସାରିଲେଣି ସାରାରାତିଟା ଧରି ।

 

ମୋର ଅବଶ୍ୟ ପ୍ରେମିକା ନିହାନ୍ତି କି ପରିବାରର ଚିନ୍ତା ବି ମୋର ନାହିଁ; କିନ୍ତୁ ତଥାପି କାହିଁକି ଏଇ ଅଯଥା ଭାବରେ ମୃତ୍ୟୁବରଣ କରିବା ଲଗି ଦେହମନ ବିଦ୍ରୋହ କରି ଉଠୁଛି । ମନେ ପଡ଼ୁଛି ଅତୀତ ଜୀବନରେ ଘଟିଥିବା ଯେତେ ସୁଖର କାହାଣୀ । ଆଶ୍ଚର୍ଯ୍ୟ । ଯୋଉଗୁଡ଼ା ମୁଁ ଭୁଲି ଯାଇଥିଲି ବୋଲି ଭାବୁଥିଲି ସବୁଗୁଡ଼ା ପୁଣି ଟିକିନିଖି ହୋଇ ଫୁଟି ଉଠିଛି ଆଖି ଆଗରେ । ମୋରି ଆଖିରେ ମଧ୍ୟ ଲୁହ । ଉପାୟହୀନତାର, ଦୁର୍ବଳତାର ।

 

ଆଶଙ୍କା, ଉଦ୍‍ବେଗ, ଉତ୍କଣ୍ଠା ନେଇ ଆହୁରି ଗୋଟିଏ ରାତ୍ରି କାଟିଲା ଇସ୍ପାତ ନଗରୀ ।

 

ସକାଳୁ ଆସି ପହଞ୍ଚିଲେ ଇଞ୍ଜିନିୟର ସୁରେଶବାବୁ । “ଏମିତ କରି ଦୁର୍ବଳ ଭାବରେ, ଅସହାୟ ଭାବରେ ତ ତା’ର ଅତ୍ୟାଚାରକୁ ସହ୍ୟ କରିଗଲେ ଚଳିବ ନାହିଁ । ଆମ୍ଭେମାନେ ମଣିଷ । ତା’ର ଅନ୍ତତଃ ପ୍ରତିବାଦ ଦରକାର, ପ୍ରତିରୋଧ ଦରକାର । ନ ହେଲେ ବାହାର ଲୋକ କ'ଣ କହିବେ ? ଆମେ ଶିକ୍ଷିତ, ସଭ୍ୟ, ମାର୍ଜିତ । ଆମର ଦୃଷ୍ଟିକୋଣ ଏମିତି ହେବା ଉଚିତ ନୁହେଁ । ଯଦି ପ୍ରତିରୋଧ କରୁ କରୁ ମୃତ୍ୟୁ ହୁଏ ସେଇଠା ବରଂ ଶେୟ; କିନ୍ତୁ ଏମିତି ଚୁପ୍‌ଚାପ୍ ନିଷ୍କ୍ରିୟ ଭାବରେ ବସିରହି ନିଜକୁ ତା’ପାଖରେ ବଳି ଦେବାରେ କ'ଣ ବ୍ୟର୍ଥ ହୁଏ ? ଚାଲନ୍ତୁ ଆମ୍ଭେମାନେ ବସି ଗୋଟାଏ କମିଟି କରିବା ସେଇଠି ବସି ଉପାୟ ନିର୍ଦ୍ଧାରଣ କରିବା ।” ହଠାତ୍ ଗୋଟାଏ ଆଶାର କ୍ଷୀଣସୂତ୍ର ଉଦିତ ହେବା ଦେଖି ଆମେ ସମସ୍ତେ ସେଇଟାକୁ ନେଇ ବଞ୍ଚିବାପାଇଁ ଉଠିବସି ଲାଗିପଡ଼ିଲୁ । ସତେ ତ, ଏମିତି ଦୁର୍ବଳ ଭାବରେ ବସି ଅଶ୍ରୁମୋଚନ କରିବାରେ ଲାଭ କ’ଣ ? ଏଇ ଆଇଡିଆଟା ସମସ୍ତଙ୍କ ମନକୁ ଏମିତି ପାଇଲା ଯେ ଆମେ ଯାଇ ସୁରେଶବାବୁଙ୍କ ଘରେ ପହିଞ୍ଚିବା ଆଗରୁ ଦେଖିଲୁ ଆମ ଏ ପାଖର ପ୍ରାୟ ସବୁ ଲୋକ ସେଇଠି ପହଞ୍ଚି ଯାଇ ସାରିଲେଣି । ସାଙ୍ଗେ ସାଙ୍ଗେ ସେଇଠୁ ଆମ ଭିତରୁ ମନୋନୀତ ହୋଇ କମିଟି ହେଲା । ସେକ୍ଟର କମିଟି, ତା’ପରେ ଲାଇନ୍ କମିଟି । ସମସ୍ତେ ସେଥିରେ ସଭ୍ୟ । ସାଙ୍ଗେ ସାଙ୍ଗେ ବିଚାର ଅଲୋଚନା ବି ଚାଲିଲା । ସେ ଭିତରେ ଗରମାଗରମ ଯୁକ୍ତିତର୍କ ବି ଆରମ୍ଭ ହେଲା । ମଝିରେ ମଝିରେ ଏମିତି ହେଲା ଯେ ଆମେ କେଉଁଥିପାଇଁ ଏଠାକୁ ଆସିଛୁ , ସେଇଟାକୁ ବି ସମସ୍ତେ ଭୁଲିଗଲୁ । ଯାହାହେଉ ପ୍ରାୟ ତିନି ଚାରିଘଣ୍ଟାର ଅକ୍ଲାନ୍ତ ପରିଶ୍ରମରେ ଓ ଅଜସ୍ର ବାକ୍ୟ ବ୍ୟୟରେ ପ୍ରସ୍ତାବ ଗ୍ରହଣ କରାଗଲା । ଦିନବେଳେ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଯଦି କେଉଁଠି କେତେବେଳେ କବନ୍ଧର ଛାୟା ଦେଖାଗଲା ତେବେ ଯିମିତି ଗୋଟାଏ ମିନିଟ୍‍ରେ ଯେ ଯାହାର ଆୟୁଧ ନେଇ ବାହାରକୁ ବାହାରି ଆସିବେ । ରାତି କଥା ଅଲଗା । ସନ୍ଧ୍ୟା ଛ’ଟାରୁ ସକାଳଟା ଛ’ଟା ପର୍ଯ୍ୟନ୍ତ ସବୁ ରାସ୍ତାରେ ପହରା ଦେବାକୁ ପଡ଼ିବ । ପ୍ରତି ଦଳରେ ଅନ୍ୟୂନ ଦଶଜଣ ଲୋକ ରହିବେ । ଆଉ ପ୍ରତି ଦୁଇଘଣ୍ଟାରେ ଥରେ ଲେଖାଏଁ ଡିଉଟି ପରିବର୍ତ୍ତିତ ହେବ । ତାହାହେଲେ କେହି ପୂରାପୂରି କ୍ଲାନ୍ତ ହୋଇ ପଡ଼ିବେ ନାହିଁ । ଦରକାର ପଡ଼ିଲେ ଯୁଦ୍ଧ କରିବାକୁ ସେମାନେ ମଧ୍ୟ ଯୋଗ୍ୟ ରହିବା ଉଚିତ୍ ।

 

ଅନ୍ତତଃ ଦ୍ଵିପ୍ରହରଟା ଏଇ କଥାର ଆଲୋଚନାରେ କଟିଗଲା । କ୍ଷଣକ ପାଇଁ ସମସ୍ତେ ଯେମିତି ଯୁକ୍ତିର ସ୍ୱାଦ ପାଇ ବଞ୍ଚିଲେ । ତେଣୁ ଦ୍ୱିଗୁଣ ଉତ୍ସାହ ଓ ଉଦ୍ଦୀପନା ନେଇ ଆମେ ପୁଣି ସନ୍ଧ୍ୟାବେଳେ ବାହାରି ପଡ଼ିଲୁ । ସୋମନାଥ ଯେ ପରେ କୁଆଡ଼େ ଖସିଗଲା ଆମେ କେହି ଲକ୍ଷ୍ୟ କରିନୁ । କାରଣ ସେତେବେଳେ ଆମ ମନରେ ଆସିଥାଏ ନୂତନ ଉତ୍ସାହର ଜୁଆର । ଆଉ ଭୟର ଚିନ୍ତାର ପ୍ରାବଲ୍ୟ ଏତେ ନ ଥାଏ । ପ୍ରଥମ ଦଳରେ ଆମେ ଚାରିଜଣ ଓ ଅନ୍ୟ ଛ’ଜଣ ରହିଲୁ, କିନ୍ତୁ ଆମର ଡିଉଟି ପଡ଼ିଲା ରାତି ବାରଟାରୁ ରାତି ଦୁଇଟା । କାରଣ ଆମର ତ ଆଉ ପରିବାର ନାହିଁ । ତେଣୁ ଆମକୁ ସେଇ ସମୟର ଡିଉଟିଟା ଦିଆଯାଇଛି ବିଚାର କରି । କିଛି ଅବଶୋଷ ନାହିଁ। କାରଖାନାରେ ତ ପୁଣି ରାତି ଡିଉଟି ହେଉଛି । ଏଣୁ ଆମର ଡିଉଟି ସମ୍ବନ୍ଧରେ ସୁରେଶବାବୁଙ୍କ ଠାରୁ ଠିକ୍‍ ଖବର ନେଇ ଫେରିଆସି ଦେଖୁ ତ ସୋମନାଥ ନାହିଁ । ସେ ତ କୁଆଡ଼ିକୁ ବାହାରିଯିବା ପିଲା ନୁହେଁ । ତା’ପୁଣି ବର୍ତ୍ତମାନ ସମୟରେ । ଆମ ମନରେ ପାପ ଛୁଇଁଲା । ରାତି ଆଠଟା ବାଜିଲାଣି । କୁଆଡ଼େ ଗଲା ସେ । ହଠାତ୍ ଭୂପତିର ମନେପଡ଼ିଲା ଯେ ସକାଳେ ସହରର ଆଗ ଷ୍ଟେସନଟାର ଦୂରତା ପଚାରୁଥିଲା ବୋଲି; କିନ୍ତୁ ସେ କଥାଟାର ଗୁରୁତ୍ଵ ସେତେବେଳେ ଦେଇ ନ ଥିଲା । ତେବେ ସେ କ'ଣ ସେ ଆଡ଼କୁ ଚାଲି ଯାଇଚି । ତଥାପି କାଳେ ଏଇ ପାଖରେ ଥିବ ଏମିତି ଭାବି ସାରା ସେକ୍ଟର ଚିହ୍ନାଜଣା ଲୋକଙ୍କ ଘରେ ପଚାରି ଆସିଲୁ; କିନ୍ତୁ ସୋମନାଥର ଦେଖା ନାହିଁ । ନିଶ୍ଚୟ ସେ ସେଇ ଆଡ଼କୁ ଚାଲିଯାଇଛି । ହଠାତ୍ କରି ଗୋଟାଏ ଭାବନା ଖେଳିଗଲା ଆମ ସମସ୍ତଙ୍କ ମନରେ । ଭୂପତି ଚାହିଁଲା ମୋ ମୁହଁକୁ । ମୁଁ ଚାହିଁଲି ବ୍ରଜ ମୁହଁକୁ । ଭୂପତି ମୁହଁ ତଳକୁ କଲେ । ଆମେ ସମସ୍ତେ । ରାସ୍ତାଟା ପୁରୁଣା ସହର ପାଖଦେଇ । ଅନେକ ସମୟଧରି ଆମେ ଚୁପ୍ ଚାପ୍ ବସି ରହିଲୁ । କୋଠରୀର ନିଃଶବ୍ଦତା ଯେମିତି କ୍ଷଣକୁ କ୍ଷଣ ଆହୁରି ବେଶୀ ବେଶୀ ଭାରୀ ହୋଇ ଉଠୁଥାଏ । ବ୍ରଜ ଆଉ ସହ୍ୟ କରି ପାରିଲାନି । ସୋମନାଥର ବିଛଣାକୁ କୁଣ୍ଢେଇ ଧରି ଭେଁ କରି କାନ୍ଦି ଉଠିଲା । ଭୂପତି ଆଉ ମୁଁ ସମ୍ଭାଳି ପାରିଲୁ ନାହିଁ ।

 

ରାତି ସାଢେ ଦଶଟା । ନା, ଆଉ ଭାବିବାର ସମୟ ନାହିଁ । ଡିଉଟି କରିବାକୁ ପଡ଼ିବ। ଦିନବେଳେ କୌଣସିମତେ ମେସ୍‌ର ରୋଷେଇ ଘର ଝଡ଼ାଝଡ଼ି କରି ଫୁଟାଫୁଟି କରି ଦି'ଟା ଭାତ ସମସ୍ତେ ଖାଇଥିଲୁ । ତା'ପରେ ସେକ୍ଟର ଶେଷରେ ଦୋକାନୀକୁ କୁହାବୋଲା କରି ତା'ରି ଦୋକାନରୁ ଦି’ଦିନ ତଳର ଶୁଖିଲା ପାଉଁରୁଟି, କିଛି ଅଣ୍ଡା, ଚା' ଓ ଚିନି ଆଣି ରଖିଥିଲୁ । ଅନ୍ତତଃ ତିନି ଚାରିଦିନ ପାଇଁ । ତା'ପରେ ଯେ କ'ଣ ହେବ କେଜାଣି । କାରଣ ସେ ଦୋକାନୀ ପାଖରେ ଆଉ କିଛି ଜିନିଷ ନଥିଲା । ଥଟ୍ଟାରେ ଥଟ୍ଟାରେ ଅଭିରାମବାବୁ କହିଲେ, “ଯାହା ଜଣାପଡ଼ୁଛି, କବନ୍ଧ ଆସୁ କି ନ ଆସୁ, ଆମ ଭିତରୁ ଅଧେ ଭୟରେ ତ ଅଧେ ଭୋକରେ ମରିଯିବା ।” ଖାଇବାକୁ ଇଚ୍ଛା ଆଉ ନ ଥାଏ । ସକାଳର ସମସ୍ତ ଉନ୍ମାଦନା, ସମସ୍ତ ଉତ୍ସାହ, ଉଦ୍ଦୀପନା ଥଣ୍ଡା ପଡ଼ିଯାଇଥାଏ । ତଥାପି କୌଣସିମତେ ଖଣ୍ଡେ ଦୁଇଖଣ୍ଡ ଖାଇ, ଚା’ କପେ କପେ ପିଇ ସମସ୍ତେ ବାହାରି ପଡ଼ିଲୁ ଡିଉଟିପାଇଁ । କୌଣସିମତେ ବଞ୍ଚିବାକୁ ପଡ଼ିବ । ନିଜକୁ ରକ୍ଷା କରିବାକୁ ପଡ଼ିବ । ଖାଇପିଇସାରି ବାହର କବାଟରେ ତାଲା ଝୁଲେଇ ସାଙ୍ଗରେ ତିନିଟା ବଡ଼ ବଡ଼ ଠେଙ୍ଗା ନେଇ ଆମେ ଗେଟ୍ ଖୋଲି ବାହାରକୁ ଆସିଛୁ କି ନାହିଁ ଗଳି ମୁଣ୍ଡରେ ଶୁଣାଗଲା ଗୋଟାଏ କୋଳାହଳ । ଗୁଡ଼ାଏ ଲୋକଙ୍କର ପାଟି ଓ ଚିତ୍କାର । ସାଙ୍ଗେ ସାଙ୍ଗେ ଠେଙ୍ଗା ନେଇ ଧାଇଁଲୁ ସେଇଆଡ଼କୁ । ହଠାତ୍ ଭିଡ଼ ଠେଲି ଭିତରକୁ ଯାଇ ଦେଖୁ ତ ଗୋଟାଏ ପାଗଳା ଲୋକଙ୍କୁ ଘେରି ସମସ୍ତେ ପାଟିତୁଣ୍ଡ ଆରମ୍ଭ କରିଛନ୍ତି । ପାଗଳଟି କେତେବେଳେ ହସୁଛି, କେତେବେଳେ କାନ୍ଦୁଛି । କେତେବେଳେ ମାରି ଗୋଡ଼ଉଛି । ମୁଣ୍ଡର ବାଳ ଇତସ୍ତତଃ । ବାଁପାଖ ମୁଁଣ୍ଡଟା ଫାଟି ସେଇଠି ରକ୍ତ ବୋହି ଶୁଖିଯାଇଛି । ପାଖକୁ ଯାଇଁ ଦେଖୁଁ ପାଗଳଟି ଆଉ କେହି ନୁହେଁ, ଆମରି ସୋମନାଥ । ଖବର ନେବାରୁ ଜଣାଗଲା ସେକ୍ଟର ଲାଇନ କମିଟି ତାକୁ ଲୁଚି ଲୁଚି ଯାଉଥିବାର ଦେଖି କବନ୍ଧ ଭାବି ଯାଇ ଠେଙ୍ଗାଏ ପକାଇଲେ । ତା’ପରେ କାହା ମନରେ ସୁବୁଦ୍ଧି ହେଲା କେଜାଣି ତା’ ପକେଟ୍ ଦରାଣ୍ଡିବାରୁ ପାଇଲେ କମ୍ପାନୀର ଆଇଡେଣ୍ଟିଟି କାର୍ଡ଼ । ସେଇଠୁ ତାକୁ ଆଣି ଆମ କମିଟି ପାଖରେ ବର୍ତ୍ତମାନ ଛାଡ଼ି ଦେଇଛନ୍ତି । ସୋମନାଥକୁ ଆଉ ଚିହ୍ନି ହେଉନି । କ’ଣ ହୋଇଛି ତା’ର ରୂପ ଏଇ ଦୁଇଘଣ୍ଟା ଭିତରେ । ନାଁ, ତା’ର ବଞ୍ଚିରହି ଲାଭ ନାହିଁ । ଏମିତି ପାଗଳା ହୋଇ ବଞ୍ଚିବାରେ ଲାଭ କ’ଣ ? ନା, ଆଉ ସମୟ ନାହିଁ । ତିନିଜଣ ମିଶି ତାକୁ ଧରାଧରି କରି ନେଇ ଆସିଲୁ ମେସ୍‍କୁ । ପାଖରେ ଯାହା ଥିଲା ବେଣ୍ଡେଜ ତୁଳା ଥିଲା ସେଇଆ ଦେଇ ତାକୁ ବେଣ୍ଡଜ୍‍ କରିଦେଲୁ । ଡାକ୍ତର ଏଇନେ ଆସିବ କେଉଁଠୁ ? ଚାମୁଚରେ ଗରମ ଚା’ ଟିକେ ଟିକେ କରି ତାକୁ ପିଆଇ ଦେଲୁ । ଯଦି ସେ ଭଲ ହୁଏ ତା’ର ଭାଗ୍ୟ । ଆଉ ଯଦି ନ ହୁଏ ଆମର ଅସହାୟତା । ବ୍ରଜକୁ ତା’ପାଖରେ ଛାଡ଼ି ଆମେ ଦି'ଜଣ ବାହାରି ଆସିଲୁ ।

 

ଛୁଆଗୁଡ଼ାକ କେତେବେଳୁ ଶୋଇ ପଡ଼ିଲେଣି; କିନ୍ତୁ ସେମାନଙ୍କୁ ବି ହେଇଛି କ’ଣ କେଜାଣି ସମସ୍ତେ ଆଉ ପୂର୍ବପରି ଶୋଇ ପାରୁ ନାହାନ୍ତି ? ଚମକି ଚମକି ଉଠି ପଡ଼ୁଛନ୍ତି । ଏଇ ଚାରିଘଣ୍ଟା ଭିତରେ ଝିଅଟା ପାଞ୍ଚଥର ଉଠିଲାଣି । ରାତି ବାରଟା ବାଜିବାକୁ ଦଶମିନଟ୍ ଅଛି । ମହାନ୍ତି ଗୃହଣୀଙ୍କ ଆଖିରେ ନିଦ ନାହିଁ । ଇଏ ସେଇ ଦଶଟା ବେଳୁ ଯାଇଛନ୍ତି । ବାରଟା ବେଳକୁ ଫେରିବା କଥା । ଅଜଣା ଆଶଙ୍କାରେ ମନଟା ଭାରି ହୋଇ ଉଠୁଛି । ପ୍ରତୀକ୍ଷାର ଉଦ୍‌ବେଗରେ ସେ ଅସ୍ଥିର ହୋଇ ଉଠିଛନ୍ତି । ବାରମ୍ବାର ଘଡ଼ିଟା ଆଡ଼କୁ ଆଖି ଫେରି ଯାଉଛି ଓଃ, ଆହୁରି ଦଶମିନିଟ୍ । ଟିକିଏ ଶୀଘ୍ର ଆସନ୍ତେ ନାହିଁ । କି ହେବ ଆଉ ଡିଉଟି ଦେଇ । କବାଟ ଫାଙ୍କରେ ଚାହିଁଲେ । ନା, ଆସିବାର କାହାରି ଦେଖା ଦର୍ଶନ ନାହିଁ । ଚାରିଆଡ଼େ ନିସ୍ତବ୍ଧ । ପୁଣି କବାଟ ବନ୍ଦକରି ସେ ଭିତରକୁ ଆସି ବସିଲେ । କ’ଣ ବସି ହେଉଛି ?

 

ନା, ଆଉ ବସି ହେବନି । କବାଟ ଝରକା ବନ୍ଦ ହୋଇ ଘର ଭିତରଟା ଅଣନିଃଶ୍ୱାସୀ ଲାଗୁଛି । ପଣ୍ଡା -ଗୃହିଣୀ ପଙ୍ଖାଟା ଆହୁରି ଜୋରରେ ବୁଲେଇ ଦେଲେ । ଚାରିଟା ପିଲା ନିଶ୍ଚିନ୍ତରେ ସେ ପାଖ ଖଟ ଉପରେ ଶୋଇଛନ୍ତି । ବଡ଼ଟା ଅନେକ ସମୟ ଚେଇଁଥିଲା । ଏଇନା ଶୋଇଛି । ଲଇଟ୍‍ଟା ଜଳେଇ ଚାରିଟା ପିଲା ଆଡ଼କୁ ଥରେ ସ୍ନେହ ଭାବରେ ଆଖି ବୁଲେଇ ନେଉ ନେଉ ଆଖି ତାଙ୍କର ଅଶ୍ରୁ-ସଜଳ ହୋଇ ଉଠିଲା । ମା’ ଷଠୀ କୋଟି ଆୟୁଷ ଦେଇଥାନ୍ତୁ । ମା’ କଟକଚଣ୍ଡୀ ରକ୍ଷା କରନ୍ତୁ । କେତେ ଡେରି କରୁଛନ୍ତି ଇଏ କେଜାଣି ? ଆଶଙ୍କା, ଉଦ୍‍ବେଗରେ ବିରକ୍ତ ହୋଇ ଉଠିଲେଣି । କ’ଣ ସେ ଡିଉଟି କରୁଛନ୍ତି କେଜାଣି ? ଘରେ ଇଆଡ଼େ ବିଲେଇ ପିଲାଟାକୁ ମାରିବା ପାଇଁ ଜୁ ନାହିଁ; ସେ ପୁଣି ଯାଇଛନ୍ତି କବନ୍ଧ ସଙ୍ଗରେ ଲଢ଼େଇ କରିବାକୁ ? ଗୋଠ ମାତିଲେ ଖଣ୍ଡିଆ ମାତେ । ଆହା କେତେ ଭେଳା ଲୋକଟା । ମା’ଗୋ କଟକଚଣ୍ଡୀ ତେତେ କଳାଶାଢ଼ୀ ଦେବି ମା’ । ତତେ ଶହେ ଆଠ ଫୁଲ ଚଢ଼େଇବି । ରୂପାଚନ୍ଦ୍ରିକା ଦେବି । ମା’ଗୋ ତାଙ୍କୁ ସହାୟ ହୋଇ ଥା’ । ବେକରେ କାନି ଗୁଡ଼େଇ ଦଣ୍ଡବତ ହେଲେ ପଣ୍ଡା-ଗୃହିଣୀ ।

 

ମା’ ଗୋ । ମା’ ଦକ୍ଷିଣେଶ୍ୱରୀ କାଳୀ । ମା’ ଦୂର୍ଗା ।

 

ଏଥର ଯଦି ଭଲରେ ଭଲରେ କଲିକତା ଫେରିଯାଏ ବୋଦା ବଳି ଦେବି ମା’। ତୁ ତାଙ୍କୁ ସହାୟ ହୋଇ ଥା ମା’ । କିମିତି ଭଲରେ ଏ ଦୁର୍ଯ୍ୟୋଗ କଟିଯାଏ । ଆଃ, ରାତି ବାରଟା ହେଲାଣି । କି ବୁଦ୍ଧି ଏଇ ମଣିଷଟାର କେଜାଣି ଘରେ ଏକୁଟିଆ ଯୁବତୀ ସ୍ତ୍ରୀକୁ ରଖିଦେଇ ବାହାରେ ଲଢ଼େଇ କରିବାକୁ ଯାଇଛନ୍ତି । ଯଦି ଏଇନା କିଏ ପଶିଆସେ ମୁଁ କ’ଣ କରିବି ? ରାତି ବାରଟା ବାଜିବାକୁ ବସିଲାଣି, ୟାଙ୍କର ଆଉ ଡିଉଟି ସରୁନି । ସେଇ ସାଢ଼େ ନ'ଟା ବେଳୁ ବାହାରି ଗଲେଣି । ସମସ୍ତେ କ’ଣ ତାଙ୍କ ପରି ଏତେ ଆଗରୁ ଯାଉଛନ୍ତି । ଏଇଟା କ'ଣ କାରଖାନା ଡିଉଟି ହୋଇଛି ଯେ ଖାତାରେ ନାଲି ଦାଗ ପଡ଼ିଯାଉଛି । ଆଶ୍ଚର୍ଯ୍ୟ ୟାଙ୍କର କଥା ସବୁ । ସାରା ଜୀବନ ତ ପଢ଼ାପଢ଼ିରେ କଟି ଯାଉଛି । ଜୀବନରେ କେବେ ଲାଠି ଦେଖି ନାହାନ୍ତି । ଏ ପୁଣି କରିବେ ଲଢ଼େଇ ? ତାଠୁ ବରଂ ଏଇଠି ବସିଥିଲେ ଭଲ ହୋଇଥାନ୍ତା । ଆରେ କିଏ, କିଏ । ନା' କେହି ନୁହେଁ । ବିଲେଇଟା ଏ କାନ୍ଥରୁ ସେ କାନ୍ଥକୁ ଡେଇଁ ପଡ଼ିଲା । ମା’ ଗୋ । ନା, ଆଉ ପାରିବିନି । କାଲିଠୁଁ ମନା କରିଦେବି ତାଙ୍କର ଆଉ ଯିବା ଦରକାର ନାହିଁ ।

 

ଫତୀମା ବେଗମ୍ କହିଲା ସେକ୍ ମହତାବ୍‍କୁ । ତୁମେ ଆଜି ଆଉ କାହାରି ସାଙ୍ଗରେ ଯାଅନା । କମ୍ପାନୀକୁ ଫୋନ୍ କର । ଆମେ ପଳେଇବା କାରଖାନା ଭିତରକୁ । ଏଇଠି ରହିବାପାଇଁ ମୋ ମନ ଜମା ଭଲ ଲାଗୁନି । ସତରେ, କାହିଁକି କେଜାଣି ଭୀଷଣ ଅଶ୍ୱସ୍ତି ଲାଗୁଛି ।

 

“ତୁମେ ଖାଲି ମିଛଟାରେ ଚିନ୍ତା କରୁଛ ? ଏଇଠିକୁ କବନ୍ଧ ଆସି ପାରିବ ନାହିଁ । ତା’ଛଡ଼ା ଏଇ ତ ଏଇଠି ଅଶୋକ ଚାଟାର୍ଜି, ଭୁପିନ୍ଦର ସିଂ, ବେଣୁ ଲେଙ୍କା ପ୍ରଭୃତି ସମସ୍ତେ ଅଛନ୍ତି । ସେମାନେ ତ ପଳେଇ ଯାଉ ନାହାନ୍ତି ?’’

 

“ସେମାନେ ତ ଆଉ ଆମପରି ନୁହନ୍ତି ?"

 

‘‘କାହିଁକି ?’’

 

“ସେମାନେ ତ ଆଉ ଆମ ଧର୍ମର ନୁହଁନ୍ତି ?’’

 

"ହେଲା ତ କ’ଣ ହେଲା ? କବନ୍ଧ ଆସିଲେ କ’ଣ ଭାବିଛ ସେ ଖାଲି ଧର୍ମ ବାଛି ବାଛି ଖାଇବ । ତା’ର କିଛି ବାଛ ବିଚାର ନାହିଁ । ବୁଝିଲ । ସେ ନିର୍ବିଚାରରେ ସମସ୍ତଙ୍କୁ ଖାଇବ । ଏଣୁ ମରିବା ଯଦି ସମସ୍ତେ ଏକା ସାଙ୍ଗରେ ମରିବା । ମୁଁ ଯଦି ବର୍ତ୍ତମାନ ପଳେଇ ଯାଏ, ସେମାନେ ସବୁ କ’ଣ ଭାବିବେ ? ମହତାବ୍ ଆମକୁ ବିଶ୍ୱାସ କରି ପାରିଲା ନାହିଁ । ପରେ ତାଙ୍କୁ ମୁହଁ ଦେଖେଇ ପାରିବି ?”

 

“କିନ୍ତୁ -?"

 

“କିନ୍ତୁ ଫିନ୍ତୁ କିଛି ନୁହେଁ । ଫତିମା, ସବୁ ଠିକ୍ ହୋଇଯିବ ।’’

 

“ତମେ ଯାହା ଭଲ ଭାବୁଛ କର ।”

 

“ଆଚ୍ଛା ତୁମକୁ ଯଦି ଭୟ ଲାଗୁଛି, ତୁମକୁ ତୁମର ଫୁଫୁ ଘରେ ଛାଡ଼ି ଦେଇ ଆସିବି ? କିନ୍ତୁ ଯିବା କେମିତ ? ନା, ଆଉ କିଛି ଭାବନି । ଯାହା ହବାର ହବ । ସବୁ ଆମରି ଭାଗ୍ୟ ।”

 

ମହତାବ୍ ବାହାରିଲା ଲାଇନ୍ କମିଟିରେ ଯୋଗ ଦେବାକୁ, ଅଶୋକ, ଭୂପିନ୍ଦର, ବେଣୁ ପାଣ୍ଡେ, ରାମମୂର୍ତ୍ତି ସବୁ ଏକାଠି ହୋଇ ବସିଛନ୍ତି । ମହତାବ୍ ଯାଇ ପହଞ୍ଚିଲା । ଲେଙ୍କା କହିଲା, “ଏଇତ ମହତାବ୍ ଆସିଗଲା ।” “କାହିଁକି କ’ଣ ହେଲା?” “ନା, ତମରି ବିଷୟରେ କଥା ପଡ଼ିଥିଲା ।” “କି କଥା ?” “ଦେଖ୍ ମହତାବ୍, ତୋତେ ଗୋଟାଏ କଥା କହିବି ଭୁଲ ବୁଝିବୁନି । ଦେଖ୍' ତୁ ଏଠୁ ଚାଲି ଯା, କାଲି ସକାଳୁ ।” “କାହିଁକି ?” “ଆଗ ଶୁଣ ସାର ।” “ଆମେ ମୁଲିନାଥନ୍ ବାବୁଙ୍କୁ କହି ଦେଇଛୁ । ସେ କାଲି ସକାଳେ ଫୋନ କରି କମ୍ପାନୀରୁ ଗାଡ଼ି ମଗାଇ ନେବେ । ତୁ ଓ ତୋର ସ୍ତ୍ରୀ ସେଇ ଗାଡ଼ିରେ ଇଞ୍ଜିନିଅରିଂ କଲେଜ ଭିତରକୁ ଚାଲିଯିବ । ଏଇ କେଇଟା ଦିନ ସେଇଠି ରହିଯା । ପରେ ବରଂ ଫେରି ଆସିବୁ ।” “କିନ୍ତୁ କାହିଁକି ? ତୁମେ କ'ଣ ମୋତେ ବିଶ୍ଵାସ କରନା ?” “ନା, ମହତାବ୍, ଆମେ ନିଜକୁ ବିଶ୍ୱାସ କରୁନା ।” ଅଶୋକ କହିଲା । ତା’ର ହାତ ଦୁଇଟା ଧରି ପକେଇଲା ଭୂପିନ୍ଦର । “ମହାତାବ୍‍, ହମେ ମାଫ୍ କରୋ ।” “କିନ୍ତୁ କ’ଣ ହେଲା ତୁମମାନଙ୍କର ? ମୋ ପାଇଁ କାହିଁକି ଏତେ ଚିନ୍ତା ?” “ତୁ ସବୁ ଜାଣିଶୁଣି ଅବୁଝା ହୋ ନା ମହତାବ୍ । କବନ୍ଧ ଆସୁଛି ।” “କିନ୍ତୁ ତୁମେମାନେ ?” “ଆମମାନଙ୍କ କଥା ଅଲଗା ।” “ତେବେ ମୁଁ ବି ଅଲଗା । ଲେଙ୍କା, ଭୂପିନ୍ଦର, ଅଶୋକ ଶୁଣ- ମୁଁ ବୁଜଦିଲ୍ ନୁହେଁ । ମୁଁ ଡରରେ ପଲେଇବିନି । ଆଉ ପଲେଇବି ବା କୋଉଠିକି ? ତୁମମାନଙ୍କର ଯୋଉ ବନ୍ଧୁତ୍ୱ ମୁଁ ଏତେ ବର୍ଷଧରି ପାଇ ଆସିଛି, ଯଦି ମୁଁ ବର୍ତ୍ତମାନ ଏଇଠୁ ପ୍ରାଣଭୟରେ ପଳେଇ ଯାଏ ତେବେ ତା’ର ବି କି କୈଫିୟତ୍ ମୁଁ ଆଲ୍ଲା ପାଖରେ ଦେବି ? ଯଦି ମୁଁ ମରେ ତେବେ ମୁଁ ତୁମରିମାନଙ୍କ ଭିତରେ ମରିବି । ଯଦି ମୋର ତକ୍‍ଦିର୍‍ରେ ଏଇଟା ଲେଖା ଅଛି, ଯଦି ଆଲ୍ଲାଙ୍କର ଏଇ ବରାଦ୍, ତେବେ ମୋର ସେଇଆ ହେବ; କିନ୍ତୁ ଭାଇ ଦୋସ୍ତିକୁ ମୁଁ କଳଙ୍କିତ କରିପାରିବି ନାହିଁ, ମୋତେ ମାଫ୍ କର ।

 

ସମସ୍ତେ ଚୁପ୍ ହୋଇଗଲେ । ନା, ୟା ଉପରେ ଆଉ କିଛି କଥା କହି ହେବନି । ରାତି ପ୍ରାୟ ଗୋଟାଏ ହେବ, ହଠାତ୍ ସେକ୍ଟରରୁ ଶୁଭିଲା ଗଣ୍ଡଗୋଳ ଓ ଚିତ୍କାର । ସେଇଟା ଆମ ପାଖ ସେକ୍ଟର । ଆମେ ବୁଲୁଛୁ ଆଠଜଣ । ସାଙ୍ଗେ ସାଙ୍ଗେ ଆମେ ବି ଚିତ୍କାର କରି ଉଠିଲୁ ଏକା ସାଙ୍ଗରେ । ମୁହୂର୍ତ୍ତକ ମଧ୍ୟରେ ସାଇରେନ୍ ପରି ସେଇ ଶବ୍ଦର ଝଙ୍କାର ଖେଳିଗଲା ଆମ ଲାଇନ୍ ଚାରିପଟେ । ଧଡ଼୍ ଧାଡ଼୍ କବାଟ ମେଲା ହୋଇଗଲା । ଯେମିତି ହଠାତ୍ କିଏ ଗୋଟାଏ ରୁଦ୍ଧ ଡ୍ୟାମ୍‍ର ସୁଇସ୍ ଗେଟ୍ ଏକା ସାଙ୍ଗରେ ଖୋଲି ଦେଇଛି । କାହା ହାତରେ ଛୁରା, କାହା ହାତରେ ବନ୍ଧୁକ, କାହା ହାତରେ ଲାଠି । ପଟ୍ଟନାୟକ, ମହାନ୍ତି, ପଣ୍ଡା, ବାନାର୍ଜି, ଘୋଷ, ସିଂ, ରାମମୂର୍ତ୍ତି, ଆପ୍ପାରାଓ, ମୁରଲୀନାଥନ୍ ସମସ୍ତେ । କ'ଣ ହେଲା ? କାହିଁ ? କାହିଁ ? କବନ୍ଧ କାହିଁ ? ନା, ଆଜି ବହୁଦିନର ଉତ୍କଣ୍ଠାର ଶେଷ । ହୁଏତ କବନ୍ଧର ମୃତ୍ୟୁ, ନ ହେଲେ ନିଜର ମୃତ୍ୟୁ । ଏଇ ଉଦ୍‍ବେଗ ଆଉ ଆଶଙ୍କା ଅସହ୍ୟ । ପାଗଳ ହୋଇ ଛୁଟିଛନ୍ତି ସମସ୍ତେ । କାହିଁ, କେଉଁଠି ? ଆମେ ସମସ୍ତେ ଛୁଟିଲୁ ସେଇଆଡ଼କୁ । ଯାଇ ଦେଖୁ ତ ସମସ୍ତେ ଚାଲିଛନ୍ତି ଗୋଟାଏ ଘରଆଡ଼କୁ । ସେଇ ଘର ଚାରିପାଖରେ ଶୁଭୁଛି ଚିତ୍କାର ।

 

କିଏ ଜଣେ ଚିତ୍କାର କରି କହୁଛି-ଏଇଠି ଅଛି ସେ କବନ୍ଧ । ସେ କବନ୍ଧର ବଂଶଧର । ଯେଉଁ କବନ୍ଧ ଆମରି ଭାଇମାନଙ୍କୁ ଖାଇଛି । ଆମରି ମା, ଆମରି ଭଉଣୀ, ଆମର ଶିଶୁମାନଙ୍କୁ ହତ୍ୟା କରିଛି ନିର୍ବିବାଦରେ । ଯେ ଆମର ଭଉଣୀମାନଙ୍କୁ ଧର୍ଷଣ କରିଛି, ମାତାର ସ୍ତନ କାଟି ନେଇଛି । ଏଇଠି ଅଛି ସେ କବନ୍ଧ । “ଭାଙ୍ଗ କବାଟ, ଭାଙ୍ଗ ଦ୍ଵାର।”

 

ହଠାତ୍ ହଜାର କଣ୍ଠରୁ ଶୁଭିଲା ଚିତ୍କାର ‘ଭାଙ୍ଗ ଦ୍ଵାର' । ମୁଁ ଚମକି ପଡ଼ିଲି, ଏଇ ତ କବନ୍ଧର ପାଟି, ଏଇଆ ତ କବନ୍ଧର ଯୁଦ୍ଧ ଦେହିଂ ଡାକ । ତେବେ କ’ଣ ? ତେବେ, କ’ଣ ?.... ହଠାତ୍ ଦେଖିଲି ମୁଁ କବନ୍ଧକୁ । ତା’ର ଗୋଟିଏ ହାତ ନୁହେଁ, ସହସ୍ର ହାତ । ତା’ର ଶକ୍ତି ଗୋଟାଏ ଦେହରେ ନାହିଁ, ସହସ୍ର ଦେହରେ । ତା’ର କ୍ଷୁଧା ଗୋଟାଏ ପେଟରେ ନାହିଁ, ଅନନ୍ତ ପେଟରେ । ସେହି ସେ ସହସ୍ର ଚକ୍ଷୁ, ସହସ୍ର ହସ୍ତବଶିଷ୍ଟ ମହାଭୟଙ୍କର, ମହାଶକ୍ତିଶାଳୀ, ଛିନ୍ନମସ୍ତା କବନ୍ଧ ନାଚି ନାଚି ଉଠୁଛି । ସେଇଁ ବିକଟାଳ ଚିତ୍କାର ଭିତରେ ଲୁଚିଗଲା ଗୋଟିଏ କ୍ଷୀଣକାୟ ମଣିଷର ଆତୁର ଚିତ୍କାର । ବ୍ୟାକୁଳ କ୍ରନ୍ଦନ । ଆଃ , ଇଏ କ'ଣ ? ସେଇ ସଦା ସ୍ନେହଶୀଳ, ଅପରିସୀମ ଦୟା-କରୁଣାର ଅଫୁରନ୍ତ ସାଗର, ଲେଙ୍କା ବାବୁ ? କ’ଣ ହୋଇଛି ତାଙ୍କର ? ତାଙ୍କର ମୁଣ୍ଡଟା କିଏ କାଟି ନେଇଛି ? ଆଉ ସେ ଏମିତ ପାଗଳ ହୋଇ ଉଠୁଛନ୍ତି କାହଁକି ? ମୁଁ କ'ଣ ଠିକ୍ ଦେଖୁଛି ? ମୁଁ କ’ଣ ଠିକ୍ ବୁଝି ପାରୁଛି । ମହାନ୍ତି, ପଣ୍ଡ।, ବାନାର୍ଜି, ଘୋଷ, ଲେଙ୍କା, ରାମମୂର୍ତ୍ତି, ସିଂ, ପାଣ୍ଡେ କାହାନ୍ତି ? ସମସ୍ତଙ୍କର ମୁଣ୍ଡ କାହିଁ ? ନା, ମୁଣ୍ଡ ମୋର ଘୂରୁଛି ? ମୁଁ ପାଗଳ ହୋଇଯିବି ? ଝାଇଁ ଝାଇଁ ଘୂରୁଛି ମୁଣ୍ଡ । ଅବଶ ହୋଇ ଉଠୁଛି ଦେହ ହାତ । ଏଇ ତେବେ ସେଇ ଅଶରୀର କବନ୍ଧର ପ୍ରତିରୂପ ?

 

କିନ୍ତୁ ପଡ଼ୁ ପଡ଼ୁ ଶୁଣିଲି ଦୁଇଟି କାତର ଧ୍ଵନି । “ଭୂପିନ୍ଦର ।” “ଦୋସ୍ତ ।” “ଅଶୋକ ଦାଦା ।” ମୁଁ ଯେ ତୁମର ଭଉଣୀ ।”

 

କିନ୍ତୁ ତା’ପରେ କବନ୍ଧର ବିକଟ ମହୋଲ୍ଲାସରେ ସବୁ କିଛି ନିଶ୍ଚିହ୍ନ ହୋଇଗଲା ।

 

ମୁଁ ବି ଢଳି ପଡ଼ିଲି ସଜ୍ଞାହୀନ ଭାବରେ ।

Image

 

Unknown

ଇନ୍ଦ୍ରଧନୁର ରଙ୍ଗ

ଶ୍ରୀମତୀ ବୀଣାପାଣି ମହାନ୍ତି

 

‘‘ତୁ ପଛଆଡ଼ୁ, ମୁଁ ସାଇଡ଼୍‍ରୁ ଏକା ସାଙ୍ଗରେ ପୁସ୍ କରିଦେଲେ-ବୁଝିଲୁ....ଏଁ....!"

 

ସଞ୍ଜୟ ସିଗାରେଟ୍ ଲାଇଟର୍‍ଟା ବନ୍ଦ କରିବାକୁ ସମୟ ବି ପାଇଲେ ନାହିଁ, ଯଦିଓ ପରିଷ୍କାର ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ସୂଚନା ସେ ଜାଣିପାରିଲେ । ଆଖି ପିଛୁଳାକେ ଲାଇନ୍‍ରୁ ଖସି ଯାଉ ଯାଉ ସେ ଅଟକି ଗଲେ । କିନ୍ତୁ ନିମିଷକେ ପଛରେ ଥିବା ଲୋକ ଆଗକୁ ଚାଲି ଆସିଥିଲେ ।

 

ସଞ୍ଜୟ ସେମାନଙ୍କୁ ଅବାକ୍ ହୋଇ ଚାହିଁଥିଲେ । ଦୁଇଟି ଅପ୍ରାପ୍ତବୟସ୍କ ବାଳକ । ପନ୍ଦର କି ଷୋଳ ବର୍ଷ ହେବ ସେମାନଙ୍କର ବୟସ । ଅଥଚ ସଞ୍ଜୟକୁ ଲାଇନ୍‍ରୁ ଖସାଇ ଦେଇ ବେଶ୍ ନିର୍ବିଘ୍ନରେ କିଛି ନ ଜାଣିଲା ପରି ଛିଡ଼ା ହୋଇଛନ୍ତି ।

 

ସଞ୍ଜୟ ରାଗି ଆସୁ ଆସୁ ହଠାତ୍ ନିଜକୁ ସମ୍ଭାଳି ନେଲେ । ଟ୍ରେନ୍ ଆସିବାର ଶେଷ ସଂକେତସ୍ଵରୂପ ଥାର୍ଡ଼ ବେଲ୍ ବାଜି ଉଠିଲା । ସେ ବ୍ୟସ୍ତ ହୋଇ ଟିକେଟ୍ କ୍ଲର୍କ ଆଡ଼କୁ ଟଙ୍କାଟା ବଢ଼ାଇ ଦେଲେ ।

 

ଦୂରରେ ଛିଟିକି ପଡ଼ିଥିବା ସିଗାରେଟରୁ ଧୂଆଁ ଉଠୁଛି ।

 

ସେକେଣ୍ଡ କ୍ଲାସ କମ୍ପାର୍ଟମେଣ୍ଟ । ତିଳ ପକାଇବାକୁ ଜାଗା ନାହିଁ । ଆଜି ଆଉ ଗାଡ଼ିରେ ଢୋଳେଇ ଢୋଳେଇ ଆରାମ କରିବାର କି ସୁସୁରୀ ମାରି ରାତି ଅଧରେ ଆକାଶକୁ ଚାହିଁବାର କୌଣସି ଉପାୟ ନାହିଁ । କୌଣସିମତେ ଚାଖଣ୍ଡେ ଜାଗାରେ ନିଜର ସ୍ଥିତି ରଖି ପାରିଲେ ହେଲା । କାହାର ଗୋଟାଏ ବିରାଟ ଟ୍ରଙ୍କ ରହିଛି-ତା’ଉପରେ ବସି ପଡ଼ିଲେ ସଞ୍ଜୟ !

 

ଧସ୍ତାଧସ୍ତି । ପାଟିତୁଣ୍ଡ । କୋଳାହଳ । ଜାଗା ନାହିଁ । ସ୍ଥାନ ଅଭାବ ଯେତେ ଦିଅ–ସେତେ ଅଭାବ...ଆହୁରି ଲୋଡ଼ା....ଲୁଣ ଚାଉଳଠାରୁ ଆରମ୍ଭକରି ଚନ୍ଦ୍ରମଣ୍ଡଳରେ ସ୍ଥାନ ପର୍ଯ୍ୟନ୍ତ ! ସେଇ ଚିରନ୍ତନ ଆଦିମ ସ୍ଵର...ଦିଅ, ଆଉ ଦିଅ ! ରେଳଡବା ଅଣ୍ଟୁନି, ବସ୍ ଅଣ୍ଟୁନି, ଏରୋପ୍ଲେନ୍ ଅଣ୍ଟୁନି–ଘରଦ୍ଵାର ଜମିବାଡ଼ି ସବୁ ଅଭାବ । ଦେଶରେ ଲୋକ ଧରିବାକୁ ଜାଗା ନାହିଁ । ଚାରିଆଡ଼େ ଖାଁ, ଖାଁ, ଅଭାବ ଅନାଟନର ଦାରୁଣ ଚିତ୍ର । ଉତ୍ପାଦନ ଯେତେହେଲେ ବି ଅଣ୍ଟୁ ନାହିଁ, ଯୋଗାଣ ଯେତେ ହେଲେ ବି ଚାହିଦା ତାକୁ ବଳି ପଡ଼ୁଛି ! କେଉଁ ସରକାର, କେଉଁ ପାର୍ଟି ଏଇ ଚିରନ୍ତନ ସମସ୍ୟାର ସମାଧାନ କରିବ ?

 

ସଞ୍ଜୟଙ୍କ ଚିନ୍ତାଧାରା ପଛଆଡ଼ୁ ଏକ ଆଘାତ ପାଇ ହଠାତ୍‍ ବନ୍ଦ ହୋଇଗଲା ! କିଏ ଯେଯରି ସମସ୍ତ ଶକ୍ତି ଖର୍ଚ୍ଚ କରି ତାଙ୍କୁ ଘୁଞ୍ଚାଇବାରେ ଲଗିଛି ଟ୍ରଙ୍କ ଉପରୁ ।

 

ଆଶ୍ଚର୍ଯ୍ୟ ହେଲେ ସଞ୍ଜୟ । ସେଇ କିଶୋର ବାଳକ ଦିଓଟି ତାଙ୍କୁ ଲାଇନ୍‍ରୁ ଠେଲି ଦେଇ ଆଗତୁରା ଟିକେଟ୍ କାଟିଥିଲେ ବି ଆଗତୁରା ସିଟ୍ ପାଇ ନାହାଁନ୍ତି । ବିରକ୍ତ ହେଲେ ବି ମନେ ମନେ ସେ କଛି କହି ପାରିଲେନି । କମ୍ପାର୍ଟମେଣ୍ଟରେ ତିଳ ପକାଇବାକୁ ଜାଗା ନାହିଁ । କିଏ ବସିଛି, କିଏ ଶୋଇଛି, କିଏ ଛିଡ଼ା ହୋଇଛି-ସେଥିରେ ବିଭିନ୍ନ ତର୍କ, ବିତର୍କ । ଅସମୟରେ ଅଜାଗାରେ ୟାଡ଼ୁ ସାଡ଼ୁ ଗୁଡ଼ାଏ ଗପିବା ଲୋକଙ୍କର ଯେପରି ଏକ ବଦଭ୍ୟାସ ! ଯାବତ୍ ଅର୍ଥନୀତି, ରାଜନୀତି ଆଉ ଧର୍ମଚର୍ଚ୍ଚା ଏଇଠି !

 

ବାଁ ପାଖ ବେଞ୍ଚରେ ଧାଡ଼ି ହୋଇ ଛ’ସାତ ଜଣ ସ୍ତ୍ରୀ ଲୋକ ବସିଛନ୍ତି । ଅଣନିଃଶ୍ୱାସୀ ସେମାନେ । ହରେକ୍ ରକମ୍ ବେଶ । ଯାବତୀୟ ଅଳଙ୍କାରରେ ବେଶଭୁଷା ହୋଇ ଜଣେ ପୌଢ଼ା ଭଦ୍ରମହିଳା ଅତିରିକ୍ତ ମାତ୍ରାରେ ପାଟି ତୁଣ୍ଡ କରି ଚାଲିଥାନ୍ତି । ପାଟିରୁ ପାନ ଛେପ ନିଗିଡ଼ି ଛାତି ଲୁଗା ଉପରେ ପଡ଼ୁଥାଏ । ପାଖରେ ତାଙ୍କର ତନୁପାତଳୀ ଝିଅଟିଏ । ମୁହଁରେ ତା’ର ଭୟାନକ ବିରକ୍ତି । ବାରମ୍ବାର ଘଡ଼ି ଦେଖି ସେ ଚାଲିଥାନ୍ତି । ହାତରେ ଖୋଲାଥିବା ମ୍ୟାଗାଜିନ୍‍ରୁ ଗୋଟାଏ ଅକ୍ଷର ପଢ଼ି ବୁଝିପାରିବା ସମ୍ଭବ ନୁହେଁ....।

 

ହଠାତ୍ ଗୋଟାଏ ଝାଙ୍କୁଣୀରେ ସଞ୍ଜୟଙ୍କ ମୁହଁଟା ଆଣ୍ଠୁରେ ବାଡ଼େଇ ହୋଇଗଲା । ପିଲା ଦିଓଟିଙ୍କି ଏଥର ସେ ବୁଲି ପଡ଼ି କହିଲେ–

 

“ଆରେ ବାବୁ ! ଟିକେ ମଣିଷକୁ ମଣିଷ ବୋଲି ଜ୍ଞାନ କର-ଟିକେଟ୍ ତ କିଣାଇ ଦେଲନି–ଗଦିରେ ବସିନି, ଆଉ ଏଇ ଟିଣପଟାଖଣ୍ଡକ ଉପରେ ତମର ଏତେ ହିଂସା ?’’

 

“ଆପଣଙ୍କର ଏ ଟ୍ରଙ୍କ ?’’ ସେମାନଙ୍କ ମଧ୍ୟରୁ ଜଣେ ପ୍ରଶ୍ନ କଲା । ମୁହଁରେ ବିଦ୍ରୁପର ଇଂଗିତ । ଆଉ ଆଖିରେ ଅବଜ୍ଞା । ସତେ ବା ସଞ୍ଜୟଙ୍କର ସେ ଟ୍ରଙ୍କ ହୋଇଥିଲେ- ନିହାତି ଓଲଡ଼ ଫେସନ୍‍ଡ଼ ଉଲ୍‍ଫ ସେ ।

 

“ବ୍ୟକ୍ତିଗତ ସଂପତ୍ତି ହୋଇଥିଲେ ଅଲଗା କଥା; କିନ୍ତୁ ଅନ୍ୟର ସମ୍ପତ୍ତି ଉପରେ ସମସ୍ତଙ୍କର ସମାନ ଅଧିକାର । ଏ କଥା ବୋଧହୁଏ ଆପଣଙ୍କୁ ଆଜ୍ଞା ବୁଝାଇବାକୁ ହେବ ନାହିଁ ।”

 

ସଂଜୟ ତାଜୁବ୍ ହୋଇ ଅନେଇଥଲେ । ଏ ସେଇ ଗଣତନ୍ତ୍ର ପ୍ରଜାତନ୍ତ୍ର ଦେଶର ପିଲା, ଯେଉଁମାନଙ୍କ ନୀତିବାଦ ଉପରେ ପହିଲି ଶ୍ରେଣୀରୁ ଶିକ୍ଷା ଦେବାପାଇଁ ଏ ଦେଶର ବୁଦ୍ଧିଜୀବୀମାନେ ଯୋଜନା କରିଛନ୍ତି ! ଅଜବ୍ ଯୁକ୍ତି !

 

ବିସ୍ମୟ ଭାବ କାଟିଲା ବେଳକୁ ସଂଜୟ ଆବିଷ୍କାର କଲେ–ସେ ଟ୍ରଙ୍କଟିର ଏକ ତୃତୀୟାଂଶ ଜାଗାରୁ ମଧ୍ୟ ଅତି କମ୍ ଜାଗାରେ ବସିଛନ୍ତି । ଆଉ ସେ ବାଳକ ଦିଓଟି ‘‘ବୋଲ ରାଧା ବୋଲ ସଙ୍ଗମ ହୋଗା କି ନେହିଁ’’ ଗୀତର ରେଆଜ୍ କରୁଛନ୍ତି ଆସ୍ତେ ଆସ୍ତେ ।

 

ଡାହାଣ ପାଖ ବେଞ୍ଚର ଦୁଇ ପାଖରେ ବସିଛନ୍ତ ସ୍ୱାମୀ ସ୍ତ୍ରୀ ଦି’ଜଣ । ମଝିରେ ତାଙ୍କର ଦିଓଟି ଝିଅ ଶୋଇଛନ୍ତି । ଚାରିଆଡ଼େ ଡବା ସାରା ପାଟି ତୁଣ୍ଡ ଲାଗିଥିଲେ ବି ସେମାନେ ଯେପରି ସେଥିରୁ ବାହାର । ଭଦ୍ରମହିଳା କାଠ ପରି ବସିଛନ୍ତି, ଆଉ ଭଦ୍ରଲୋକ ? ସେ ବି ଚୁପ୍ । ତାଙ୍କ ସହିତ ଆଳାପ କରଯାଇ ପାରନ୍ତା; କିନ୍ତୁ ସେ ନର୍ଲିପ୍ତ । କେମିତି ଯେମିତି ଖାପ୍ ଛଡ଼ା । ସଂଜୟ ସିଗାରେଟ୍ ଧରି ସମୁଖସ୍ଥ ନୀଳ ପ୍ରାନ୍ତରକୁ ଅନାଇଥିଲେ । ରାତ୍ରିର ଆକାଶ ଯେପରି ଭାରାକ୍ରାନ୍ତ !

 

ସେ ତନୁପାତଳୀ ଝିଅଟି ଆଡ଼କୁ ଅନାଇଲେ, ଆଖିରେ ତା’ର ଆଖିଏ ନିଦ । ସେ ଢୋଳେଇ ପଡ଼ି ସେ ପାଖର ଭଦ୍ରମହିଳାଙ୍କ ଉପରେ ନ ପଡ଼ୁଣୁ, ଗୁଡ଼ାଏ କାଚ ଏକ ସାଙ୍ଗରେ ଝୁମ୍ ଝୁମ୍ କରି ଭଦ୍ରମହିଳା ପାଟିକରି ଉଠିଲେ–

 

“ମ, ମ, ନିଶ୍ୱାସ ନେବାକୁ ଯୁ’ ନାହିଁ । ତୁମକୁ ନିଦ ଆସୁଛି କେମିତି ବା ?”

 

ଝିଅଟି ଫିକ୍ କରି ହସି ଦେଲା । ଲାଜେଇ ଯାଇଛି । ଡବାସାରା ଲୋକ ବଲ ବଲ କରି ତା’ଆଡ଼କୁ ଚାହିଁଛନ୍ତି ଯେ, “ତମର ଘର କେଉଁଠି ? ବର ସାଥିରେ ଯାଉଛ ନାଁ ଏକଲା ବା ? କେତୋଟି ପିଲା ? କେଉଁଠି ଓହ୍ଲେଇବ ?”

 

ଝିଅଟି ଉତ୍ତର ନ ଦେଇ ମୁଣ୍ଡ ହଲେଇ ନାସ୍ତି ଜଣେଇଲା । ସତେ ଯେମିତି ତୁଣ୍ଡ ଖୋଲିବାକୁ ତା’ର ବଳ ପାଉ ନାହିଁ । ପୌଢ଼ା ସ୍ତ୍ରୀଲୋକଟି ମସ୍ତ ଏକ ଝାଙ୍କୁଣୀ ଦେଇ ତାଙ୍କ ସାମ୍ନରେ ବସିଥିବା ଆଉ ଜଣେ ସମବୟସୀଙ୍କୁ ଚିମୁଟାଏ ଦେଇ କହିଲେ–‘‘ଆଲୋ ଅପା ! ଅନା ବା-ଆଲୋ ଏଣିକି ଅନା !” ତା’ପାଖରେ ନଇଁ ପଡ଼ି ଅପାର କାନରେ ଯେମିତି କିଛି ଅଶ୍ଳୀଳ ଇଂଗିତ କରି ସେଇ ତନୁପାତଳୀ ଝିଅଟି ବିରୁଦ୍ଧରେ କହିଲେ । ଅପାଙ୍କ ଆଖିରେ ଆଖିଏ ବିସ୍ମୟ । ତାଙ୍କ ନୁଖୁରା ଚମତଳେ ବୟସ କେତେଦିନୁ ଜମାଟ ବାନ୍ଧିଲାଣି । ତଥାପି ନାରୀସୁଲଭ ଅଯଥା କୌତୁହଳ, ଅଯଥା ଆପଣାର ମୁଣ୍ଡ ଅନ୍ୟ କଥାରେ ପୂରାଇବା ଅଭ୍ୟାସ ଛାଡ଼ୁଛନ୍ତି କେଉଁଠି ? ସେ ଏଥର ତୁଣ୍ଡ ଖୋଲିଲେ ସଜାଡ଼ି ହୋଇ ବସୁ ବସୁ ।

 

"ମ ଅ...ରଙ୍ଗ ତୁ ପଚାରୁନୁ ? ହଅ ରହବା ମୁଁ ପଚାରୁଛି.. କ’ଣ ପଢ଼ିଛନ୍ତି ନେଖିଛନ୍ତି ଦି’ଅକ୍ଷର ବୋଲି ମୁଣ୍ଡ କାଟି ପକେଇବେ ନାଁ କ’ଣ ? ଆଲୋ ଝିଅ ? ବାହ। ହୋଇନୁ କାହିଁକି ବା ?”

 

ପ୍ରଶ୍ନର ଶେଷ ଆଡ଼କୁ କଣ୍ଠରେ ବିସ୍ମୟ ଅପେକ୍ଷା ବିରକ୍ତିର ମାତ୍ରାଟା ଥିଲା ବେଶୀ । ସତେ ଅବା ସେ ଝିଅଟିର ମୁରବୀ ! ତନୁପାତଳୀ ଝିଅଟି ମୁଣ୍ଡ ନୁଆଁଇଲା । ଅନୁଚ୍ଚ ସ୍ଵରରେ ବୋଧେ କଛି କହି ଆସୁ ଆସୁ–ଯାହାର ଯଥାର୍ଥ ସବଳ ଯୁକ୍ତି କିଛି ନାଇଁ -ସେଇଥିରୁ କିଛି କହି ଆସୁ ଆସୁ ହଠାତ୍ ଏକ ଭୟାନକ ଛିଙ୍କ ଶବ୍ଦରେ ଚମକି ପଡ଼ି ରହିଗଲା । ସଞ୍ଜୟର ଅଜାଣତରେ ଖୁବ୍ ଜୋରରେ ଏକ ଛିଙ୍କ ଯେପରି ସମସ୍ତଙ୍କ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ଟାଣିଦେଲା । ନିଜ ଉପରେ ନିଜେ ବିରକ୍ତ ହୋଇ ସଞ୍ଜୟ ସିଗାରେଟ୍ ଧରିଲେ ।

 

ରଙ୍ଗବତୀ କହିଲେ–

 

“କଥାରେ ଛିଙ୍କ ପଡ଼ିଲାଣି ଲୋ ଅପା ! ହ ଅ ବା, ମାଷ୍ଟିରିଆଣୀ ନ ହେଲେ ନର୍ସ ହୋଇଥିବ । ଆମ ବେଙ୍ଗରାଣୀ ମ ଅପା, ନେତ ଗୋସେଇଁଙ୍କ ଝିଅ, କଲିକତାରେ ତା’ ବର ତ ଖଲାସି କାମ କରେ, କହୁଥିଲା ଅପା ଏବକାଳେ କୁଆଡ଼େ ସରକାର ପିଲା ପିଚିକା ବନ୍ଦ କରିବାପାଇଁ ଟଙ୍କା ଦେଉଛନ୍ତି । ହଇଲୋ ଅପା ! କରମରେ ଯା’ ଥିବ...ତେଇଁକି ସରକାର କ’ଣ କରିବ ବା ! ଛିଃ, ଛିଃ, ଛିଃ... କି ଯୁଗ ନ ହେଲା...? "

 

ତା’ ପାଟିରୁ କଥା ଛଡ଼େଇ ଅପା କହିଲେ ବକ୍ତୃତା ଦେଲା ଭଳି ଢ଼ଙ୍ଗରେ-

 

“ତୁ ଆଉ ପାଟି କରନା ଲୋ ରଙ୍ଗ । ପୋଡ଼ିଯାଉ ସେ ସରକାର, ନିଆଁ ନାଗୁ ତା’ ମୁହଁରେ । ସରକାର ତ ଆଉ ପିଲାବକଟେ ଦେଇ ପାରିବନି କୋଡ଼ରେ -ଖାଲି କୋଡ଼ରୁ ଖସେଇନବାକୁ ଯେତେ ଫିକର !!

 

ତା’ପରେ ଦି’ଓଠ ପୁଡ଼ାକୁ ଏପରି ବିଚିତ୍ର ଭଙ୍ଗୀରେ ସେ ମୋଡ଼ିଦେଇ ଗୋଡ଼ଦିଟା ଟେକି ବସି ପଡ଼ିଲେ ଯେ ସେଥିରେ ଅନ୍ୟ ଲୋକଙ୍କ ପକ୍ଷରେ ଚୁପ୍ ହୋଇ ବସିବା ଅସମ୍ଭବ । କିନ୍ତୁ ବିରକ୍ତ ହୋଇ ଉଠିଲେ ପିଲା ଦି’ଜଣ । ତାଙ୍କ ମଧ୍ୟରୁ ଜଣେ ଧମକ ଦେଲା ସ୍ୱରରେ ପାଟି କରି ଉଠିଲା-

 

"ଏ ବୁଢ଼ୀ ପାଟି ବନ୍ଦ କର ଯାବତ୍ ବାଜେ କଥା ! ନିଜେ ଶୋଇବୁନି କି ଅନ୍ୟ କାହାକୁ ଶୁଆଇ ଦେବୁ ନି !”

 

“ମଲା ମୋର, ବୁଢ଼ୀ କାହିଁକି ହେବି ବା ? ତୋର ମା ଖାଲି ଟୋକି ! ଆଉ ଥରେ କହ ତ, ଦେଖିବୁ ଟୋକା... ?"

 

"କ’ଣ କହିଲୁ ? ଚୁପ୍ ହେବୁ ନାଁ ନାହିଁ ? ଯାବତ୍ ମଫସଲୀ...!”

 

ପିଲାଟି ରାଗରେ ଥରି ଉଠି ଅଣ୍ଟାରେ ହାତ ଦେଇ ଛିଡ଼ା ହୋଇ ପଡ଼ିଲା । ଡବାସାରା ଲୋକେ ସମସ୍ତେ ତାକୁ ଚାହିଁଥାନ୍ତି ।

 

ଅପା ଚୁପ୍ ହୋଇଗଲେ । ନିଆଁରେ ସତେ ବା କିଏ ପାଣି ଢାଳି ଦେଇଛି ।

 

ଚାରିଆଡ଼େ ନିସ୍ତବ୍ଧ । ଆଖି ବୁଜି ହୋଇ ପଡ଼ିଲେ ବି ଆରାମ କରିବାର ଉପାୟ ନାହିଁ ।

 

ଟିକିଏ ଯାଇଛି କ ନାହିଁ ପୁଣି ରଙ୍ଗବତୀ ପାଟିକରି ଉଠିଲେ-

 

‘ଦେଖିବଟି, ଦେଖିବଟି ଏ ଟୋକାର କେଡ଼େ ସାହସ ବା ? ଏ ଟୋକା । ସେ ବସ୍ତା ଉପରୁ ଗୋଡ଼ କାଢ଼ିବୁ ନା ନାହିଁ ? ଆଲୋ ଅପା ଗଲା ବା, ଗଲା ବା ସେ ଆମ୍ବଗୁଡ଼ାକ, କେତେ ଶରଧା ତାଙ୍କର ଅମ୍ବଠେଁଇ–ବାରିଆମ୍ବ ଖାଇବେ ବୋଲି ସେ କସି ନ ଧରୁଣୁ ଦଶଥର ଖବର ପଠେଇଲେଣି । ଦଳି ମକଚି ତ ଘାଣ୍ଟି ହୋଇ ଯିବଣି ।"

 

ମୁହଁ ମୋଡ଼ି ଦେଇ ଅପା ଉତ୍ତର ଦେଲେ-

 

"ତୁ ଛୋପରୀ ନାଁ ଆଉ କିଏ ମ ! ଏଇ ଆମ୍ବକୁ ନବଘନ ଅନେଇ ବଇଛି... ତତେ ଖାଲି ଦେଖିବ ବୋଲି ତାକୁ ଯେମିତି ନିଦ ନାହିଁ । ମଣିଷକୁ ତୁ ବାସ ଦେଉନୁ, ଏ ଯେଉଁ ଅଝାଡ଼ ଗରମ, ମଣିଷ ପରା ପାଣି ହୋଇ ଯାଉଛି ଲୋ । ଆଉ ଥିବଟି ସିଏ । ସେ ଯେଉଁ ପୁଲିସି ଗୋଡ଼ର ଜୋତା ମଉଜା, ପଥରତ ଚୂନା ହୋଇଯିବ । ଆମ୍ବପରି ପଦାର୍ଥ ଆଉ ଥିବଟି ? କିଏ କହିଲା ଲୋ ମା । ବଡ଼ ସାନ ବୋଲି ତ ଖାତର ନାହିଁ ? ଏବକାଳ ଯୁଗ ତ ସେମିତି....।”

 

ଅପାଙ୍କର କିଳିକିଳା କଣ୍ଠରେ ହୋ ହୋ କରି ହସି ଉଠିଲେ ବାଳକ ଦିଓଟି । ସଞ୍ଜୟ ବିରକ୍ତ ହୋଇ ବାହାରକୁ ଅନେଇଲେ । ଏମାନଙ୍କ ଜ୍ୱାଳାରେ ମଣିଷ ଟିକେ ବସି ପାରିବ ନାହିଁ । ଅଥତ ବାହାରେ ଶାନ୍ତ ସବୁଜ ପ୍ରାନ୍ତ ବଡ଼ ଆକର୍ଷଣୀୟ ମନେ ହେଉଥିଲା ! କାନରେ ବାଜୁଛି ଅସ୍ପଷ୍ଟ କଣ୍ଠସ୍ୱର । ହରେକ ରକମ ।

 

ପାତଳୀ ଝିଅଟି ଏଥର ରଙ୍ଗବତୀଙ୍କୁ ଖୁବ୍ ଧୀର ଗଳାରେ ପ୍ରଶ୍ନ କଲା–

 

“ଆମ୍ବ ନେଇ କେଉଁଠିକି ଯାଉଛନ୍ତି ?"

 

“ଖୋର୍ଦ୍ଧା ଯାଉଛି ଲୋ, ଭଉଣୀ । ବାବୁ ସେଠି ବେବସା କରନ୍ତି । ଦୋକାନ ଅଛି, କାରଖାନା ଅଛି । କାମ ତ ଚବିଶ ଘଣ୍ଟା । ଘରକୁ ଦି ବରଷ ହେଲା ଆସି ନାହାଁନ୍ତି । ବେଳ ନାହିଁ, ଖାଇବା ପିଇବାର ଠିକଣା ନାହିଁ । ହେଲେ ବାରି ଆମ୍ବରେ ତାଙ୍କର ବଡ଼ ଶରଧା...।”

 

ଆଉ କଣ ରଙ୍ଗବତୀ କହୁଥିଲେ । ସଞ୍ଜୟଙ୍କ କାନ ଅନ୍ୟ ଆଡ଼େ ଡେରି ହୋଇଗଲା । ପଛରୁ ସେଇ ବାଳକ ଦି ଜଣଙ୍କ ଭିତରୁ ଜଣେ କିଏ କମେଣ୍ଟ କଲା -

 

“ଏ ତ ରକେଟ୍ ଯୁଗର ବିଶୁ ମହାରଣା ସେ । ବରକୋଳି ନ ହୋଇ ଆମ୍ବରେ ଶରଧା ! ଆଉ ଇଏତ ସାକ୍ଷାତ ମଡ଼ର୍ଣ୍ଣ ମିସେସ ମହାରାଣୀ–ଶଳା ଧରମାଟାର ଯା ଫେମିଲି ପ୍ଲାନିଂ ଯୋଗୁଁ ସ୍ଵର୍ଗପ୍ରାପ୍ତି ହୋଇ ଯାଇଛି ।"

 

ଚିଡ଼ି ଆସୁ ଆସୁ ସଞ୍ଜୟ ହସିଲେ । ଆଉ ସେଇ ତନୁପାତଳୀ ଝିଅଟି ମଧ୍ୟ ।

 

କିନ୍ତୁ ରଙ୍ଗବତୀ ଅଟକିବା ଲୋକ ନୁହଁନ୍ତି । ସେ ବକର ବକର କରି ଚାଲିଥାନ୍ତି । ସ୍ତ୍ରୀ ଲୋକଙ୍କର ଏକ ବଦଭ୍ୟାସ ଅଛି, ଦେଖିଲେ ପରସ୍ପରକୁ କଦାପି ଇଚ୍ଛା କରି କଥାବାର୍ତ୍ତା କରିବେ ନାହିଁ । ଆଉ ଯଦି ଥରେ ପାଟି ଖୋଲନ୍ତି ନା, ତା'ହେଲେ ସେ ବନ୍ଦହବା କଥା ନୁହେଁ । ଧେତ୍ ଅନିଚ୍ଛାସତ୍ୱେ ତାଙ୍କ କାନ ଡେରି ହୋଇ ଯାଉଥାଏ ସେମାନଙ୍କର କଥାବାର୍ତ୍ତା ଆଡ଼କୁ ।

 

ରଙ୍ଗବତୀ କହି ଚାଲିଥାନ୍ତି-

 

“କାମି ନୋକ ତ ଭଉଣୀ ! ବାହାବାସିଦିନୁ ଗଲେ ଯେ ବରଷକେ ଅଇଲେ । ଦଶ ବରଷରେ ଦଶଥର ବି ଆସିବାକୁ ସମୟ ହେଲା ନାହିଁ । କପାଳ ! ଜମିବାଡ଼ି, ଘର-ଦୁଆର, କାହିଁରେ କ'ଣ । କେଉଁଥିରେ ମୋର ଅଭାବ ନାଇଁ ଗହଣା-ଗାଣ୍ଠି ଭଲ ମନ୍ଦ କେଉଁଥିରେ.....।’’

 

ରଙ୍ଗବତୀ ଥମିଲେ । ଆଉ ଯା ସେ କହିବେ ସେ କଥା ନ କହିଲେ ଚଳେ । ସେଇ ଅବ୍ୟକ୍ତକୁ ଝିଅଟିର ବୁଝିବାର ଅସୁବିଧା ହେବ ନାହିଁ । ସେ ଯେପରି କିଛି ରୋମନ୍ଥନ କରୁଥିଲେ; କିନ୍ତୁ ନୀରବତା ବେଶୀ ସମୟ ରହିଲା ନାହିଁ । ମନକୁ ମନ ପ୍ରଚୁର ଲାଜ ଓ ଆନନ୍ଦରେ ଲୋଟିପଡ଼ି ତନୁପାତଳୀ ଝିଅଟିର ହାତକୁ ଚାପିଧରି ସେ କହିଲେ–

 

“ତୁତ ଭଉଣୀ ବାହା ହୋଇନୁ, ତତେ କ'ଣ କହିବି । ହେଲେ ବାବୁ ଆମର ଭାରି ସଉକିଆ । ଭାରି ସୁଖପାଏ–ଯେଉଁ ଘଡ଼ିକ ଘରକୁ ଆସେ, ଜାତି ଜାତି ଶାଢ଼ୀ ତେଲ ସାବିନିରେ ଦେହକୁ ସଜେଇ ସଜେଇ ମୋ ମନ ଚିଟା ଧରିଯାଏ । ବୁଢ଼ା ହେଲାଣି ମିଣିଷଟା... କହନା... କହନା... !”

 

ତାଙ୍କ କଣ୍ଠରେ ଏପରି ଏକ ରୋମାଞ୍ଚ ଥିଲା ଯେ ସଂଜୟ ଚେଷ୍ଟା କରି ମଧ୍ୟ ତାଙ୍କ ଆଡ଼କୁ ନ ଚାହିଁ ରହି ପାରିଲେ ନାହିଁ । ଭଦ୍ରମହିଳାଙ୍କୁ ବୟସ ବିଶେଷ ହେବ ନାହିଁ; କିନ୍ତୁ ବୟସ ଅନୁପାତରେ ସେ ଅଧିକ ପୌଢ଼ା ଦେଖା ଯାଉଥିଲେ । ଏହା ସତ ଯେ ସେ ଅନେକ ଗହଣା ଓ ନାଲି ଶାଢ଼ୀରେ ପରିବେଷ୍ଟିତ ହୋଇ ଏକ ଭଞ୍ଜୀୟ ନାୟିକା ପରି ଦିଶୁଥିଲେ । କେଉଁ ଦୂର ଅତୀତର ସ୍ମୃତି ରୋମନ୍ଥନ କରି ଲଜ୍ଜାରେ ତାଙ୍କ ଗାଲ ଲାଲ୍‍ ଦିଶୁଥିଲା ।

 

ତନୁପାତଳୀ ଝିଅଟି ଆଡ଼କୁ ଚାହିଁ ତାର ପ୍ରତିକ୍ରିୟା ଦେଖିବେ କି ନାହିଁ ସଞ୍ଜୟ ଠିକ୍‍ କରି ପାରିଲେ ନାହିଁ । କେଜାଣି ଅବା ଅବିବାହିତା ଝିଅଟିର ଉଦାସ ମୁହଁଟି ସ୍ୱାମୀସୋହାଗିନି ସ୍ତ୍ରୀଟିର ଗୌରବରେ କିଛି ନୂତନ ସନ୍ଧାନ ପାଇଥିବ । ଆଶ୍ଚର୍ଯ୍ୟ ! ଝିଅଟି ରଙ୍ଗବତୀଙ୍କୁ କଠୋର ଦୃଷ୍ଟିରେ ଚାହିଁଛି । ଆଧୁନିକା ନାଁ ? ସ୍ଵାମୀ ସମ୍ବନ୍ଧରେ ଏସବୁ ମଧୁର ସ୍ମୃତି ଯେତେ ଆଲୋଡ଼ନ କଲେ ବି ମୁହଁ ଖୋଲି କିଛି କହିବେ ନାହିଁ; କିନ୍ତୁ ସେ ତ ପାସୋରିବା କଥା ନୁହେଁ । ବୟସ ତା’ର ସୀମାରେଖା ଜାଣେ ନାହିଁ ।

 

ସଞ୍ଜୟ ଅସ୍ଵସ୍ତି ଅନୁଭବ କରୁଥିଲେ । ପଛଆଡ଼େ ବସିଥିବା ଚାଇନିଜ୍‍ ଡ୍ରାଗନ ଦିଓଟି ତାଙ୍କର ଦୁଇ କାନ୍ଧରେ ମୁଣ୍ଡ ରଖି ଶୋଇ ଗଲେଣି । ବାସ୍ ସେ ବନ୍ଦୀ ! କିନ୍ତୁ କି ଦାୟରେ ? କାନ୍ଧରୁ ମୁଣ୍ଡ ଖସାଇ ନେବାକୁ ଚେଷ୍ଟା କଲେ ସେ । ନିଷ୍ପାପ ମୁଦ୍ରିତ ଆଖି । ଦୟା ଆସୁଛି ମନରେ ହଠାତ୍ ଗୋଟିଏ ଝାଙ୍କୁଣୀରେ ଦୁଇଜଣ ଦୁଇ ଦିଗରେ ଛିଟିକି ପଡ଼ିଲେ ! ବ୍ୟସ୍ତ ହୋଇ ସଞ୍ଜୟ ସେମାନଙ୍କୁ ଉଠାଇଲେ । ବିବେକଦାୟରେ ମଣିଷ ଯେ କି ହଇରାଣ ନ ହେଉଛି ।

 

ରଙ୍ଗବତୀଙ୍କ ଅପା କେତେବେଳୁ ଢୋଳେଇଲେଣି । ବର୍ଷିୟସୀ ମହିଳା । କେତେ ବା ଆଉ କଷ୍ଟ ସହି ପାରିବେ; କିନ୍ତୁ ରଙ୍ଗବତୀ ଆଉ ତନୁପାତଳୀ ଝିଅ ଦିଓଟି ସେମିତି ଗପି ଚାଲିଥାନ୍ତି । ଝିଅଟି ପଚାରିଲା–

 

“ଆପଣ ଡାକ୍ତର ଦେଖାଉ ନାହାଁନ୍ତି ? ଆଜିକାଲି ଡାକ୍ତରୀ ଚିକିତ୍ସାର ଅସାଧ୍ୟ କିଛି ନାହିଁ ।’’

 

“ନାଇଁ ଲୋ ଭଉଣୀ ! ସେକଥା କହନା । ଔଷଧ ମଷୁଧିରେ ପରା ଦିହଟା ପିତା ହୋଇଗଲାଣି । ଶେଷରେ ବମ୍ବେଇ ଯାଇ ବାବୁ ଦେଖେଇଲେ, ବଡ଼ ଡାକ୍ତର ମନା କଲା । ମୁଁ ତାଙ୍କୁ କହିଲି ଆଉଠାଏ ବାହାହବାକୁ । ନାହିଁ କଲେ । ମୁଁ ଥାଉ ଥାଉ କାହାକୁ ସେ ଚାହିଁ ପାରିବେନି କହିଲେ । ଏତେ ବଡ଼ ବୁନିଆଦି ବଉଁଶରେ ଦୀପ ଜାଳିବ କିଏ କେଜାଣି ! ଅପାଙ୍କଠାରୁ ପୁଅଟିଏ କରିବି ବୋଲି ଭାବୁଛି । ଫେର୍ ବାବୁଙ୍କ ମନ ପାଇଲେ ତ... ?’’

 

ରଙ୍ଗବତୀ ଅଟକି ଗଲେ । ତଣ୍ଟି ଯେପରି କିଏ ବାନ୍ଧି ଧରୁଛି । ଆଖିକୋଣରେ ଉବୁଜି ଉଠିଛି ହୁଏତ ଟୋପାଏ ଲୁହ–ସମଗ୍ର ଜୀବନର ନିଷ୍ଫଳ ସଂକେତ !

 

କିପରି ଯେମିତି ଉଦାସ ଲାଗିଲା ମନଟା । ରଙ୍ଗବତୀଙ୍କ ପ୍ରତି ବିରକ୍ତ ଭାବ କଟିଯାଇ ମନରେ ଆସିଲା ସହାନୁଭୂତି । ତାଙ୍କ ପ୍ରତି ମାୟା ଆସୁଛି ମନରେ । ପାତଳୀ ଝିଅଟି ହୁଏତ ଗଭୀର ଦୁଃଖରେ ବିହ୍ୱଳ ହୋଇଥିବ ।

 

ଆକାଶରେ ଧଳା ମେଘମାନ ଲହଡ଼ଉଛନ୍ତି । ଘଡ଼ିରେ ପ୍ରାୟ ଚାରିଟା ପାଖାପାଖି । ଆଉ ଘଣ୍ଟାଏ ରାସ୍ତା ପରେ ବ୍ୟକ୍ତିଗତ ଜୀବନର ଜଞ୍ଜାଳ ଦେଖାଦେବ । ସେଥିରେ ସବୁ ସମଷ୍ଟିଗତ ଚିନ୍ତାର ବିଲୁପ୍ତ ଘଟିବ । ତଥାପି ପରସ୍ପର ଅଜଣା ଅଶୁଣା ହେଲେ ବି ମନର ସଂବେଦନଶୀଳତାକୁ ରୋକିବା ଅସମ୍ଭବ ।

 

ରାତ୍ରି ଏବେ ବି ଅଛି । ଆକାଶ ଏବେ ବି ଅନର୍ମିଳ ଆଉ ମନ ଏବେ ବି ଭାରାକ୍ରାନ୍ତ ।

 

ନିସ୍ତବ୍ଧତା କାଟି ବିରକ୍ତିଭରା କଣ୍ଠରେ ରଙ୍ଗବତୀ କହିଲେ -“କେତେ ରାତିଟା ସାରା ଭୁଟୁର ଭୁଟୁର ହଉଛୁ ଲୋ ରଙ୍ଗ ! ଘନିଆ ଯଦି ତତେ ଦି’ଆଖିରେ ଥରେ ଦେଖିଥାନ୍ତା ଅନେଇ ତୁ ତ ଜଗତ ମାନନ୍ତୁ ନାହିଁ । କେଡ଼େ ଫୁଲେଇ ହଉଛୁ ବା । କହିବି ଯଦି ଅବି ବାଟ ପାଇବୁ ନାହଁ ଲୋ ! ପୁଅ ମୁଁ ତତେ ଗୁଞ୍ଜୁନାହିଁ । ସକାଳୁ ଆଣ୍ଠୁକୁଡ଼ି ମୁହଁ ଚାହିଁଲେ ପୁଅର ଆୟୁଷ ମୋର କ୍ଷୀଣ ହୋଇଯିବ । ଖାଲି ସପ୍ତପୁରୁଷର ସମ୍ପତ୍ତି-କଉଡ଼ି ଦାରିଆଣୀ ପୁଅ ଭୋଗ କଲେ ମୁଁ ଅହିନରକକୁ ଯିବି ବୋଲି ତତେ ପୁଅ ଦେବା କଥା । ସେଥିରେ ଫେର୍‍ ଉଦରନୋକ ଆଗରେ କହୁଛୁ କ’ଣ ନାଁ ବାବୁଙ୍କ ମନ ପାଇଲେ....। ଯୋଉ ବାବୁ ! ମୁଁ ମରି ଯାଉଥାଏଟି ! ବାହାବାସିଦିନୁ ବାବୁଆଣୀଙ୍କର ମୁହଁ ପଛେ ଦେଖି ନ ଥାଉ । ଦାରୀ ସଭାରେ ଯାର ବେଳ କଟୁଛି, ଗୋଟାଏ ନୁହେଁ, ଦି’ଦିଟା । ବାପ ଅଜାଙ୍କ ମୁହଁରେ କାଳି ନଗେଇଲା । ସେଟାକୁ ମରଣ ହେଲା ନାହିଁ ଯା.....!!”

 

ରଙ୍ଗବତୀ ଯେପରି ବୋକା ହୋଇ ଯାଇଥିଲେ ଅପାଙ୍କର ଏଇ ଅପ୍ରତ୍ୟାଶିତ ଆକ୍ରମଣରେ । ଆସ୍ତେ ଆସ୍ତେ ଆଶ୍ଚର୍ଯ୍ୟଭାବ କଟି ଯାଇ ସେ ଫୁଲି ଫୁଲି କାନ୍ଦି ଉଠିଲେ । ଆଉ ଲୁହ ଲାଳ ମିଶା କଣ୍ଠରେ କହିଲେ–

 

“ଅପା ! ତମେ ଗୁରୁଜନ ମୋର । ଯାହା କହିବ ତାହା ମାନିବି । ହେଲେ ରାତି ଅଧଟାରେ ତାଙ୍କୁ ଏମିତି ସମ୍ପା କଟା କଲେ ମୋ ଦେହ ସହିବ ନାହିଁ ...। ଯେତେ ହେଲେ ହାତ ଧରି ବାହା ହୋଇଛି !!”

 

“କଣ କହିଲୁ ? କହିବି ନାହିଁ ? କାହିଁକି ? ପୁଞ୍ଜା ପୁଞ୍ଜା ମାଇପ କରି ଟଙ୍କା ପଇସା ଉଡ଼େଇ ଦେଲା । ବାରଟା ଛୁଆ ମୋର....ମୁଁ କହିବି ନାହିଁ ଛାଡ଼ିଦେବି ? ବେଶ୍ କଲି, ଭଲ କଲି, ଶହେ ନୁହଁ ଦି ଶହ ଥର କହିବି ! ତୁ ମୋର କ’ଣ କରିବୁ ? ଯେଉଁ ଭାରିଯା ଗେରସ୍ତକୁ ଅବାଟରୁ ବାଟକୁ ଆଣିପାରିବ ନାହିଁ ସେ କି ଭାରିଯା ଲୋ ! ଦୁନିଆରେ ସବୁ ମରଦଙ୍କୁ ଅପର ତିରିଲା ସୁଖ ନାଗେ, ତା ବୋଲି କ'ଣ ନିଜ ବିଭା ହେଲା ସ୍ତ୍ରୀର ମୁହଁ ଚାହିଁବି ନାହିଁ ? ତୋରି ଦେଢ଼ଶୁର, ବାରଟା ଛୁଆର ବାପ ହେଲାଣି, ରୋଜ ତ ଇଆଡ଼େ ସିଆଡ଼େ ଯାଏ, ହେଲେ ଯେତେ ରାତି ହେଉ ଘରକୁ ଫେରିବ, ପିଲା ଛୁଆଙ୍କ ଖବର ବୁଝିବ, ହାନିନାଭ ବୁଝିବ । ପଇସା ଗୋଟିଏ ନେଇ ବାହାରେ ଦେଲେ ମୁଁ ତା ଛପର ରଖିବି ? ହାଁ, ମୁଁ କହି ଦେଇଛି । ଅୟସ କର, ମଜଲିସ କର । ପୁରୁଷ ନୋକ କେତେ ଘରଟାରେ ପଡ଼ି ରହିବ ? ମତେ ସେ ଗୁଡ଼ା ସୁଖ ନାଗେ ନାହିଁ, ହେଲେ ପଇସାରେ ହାତ ଦେବନି...।’’

 

ଏତିକି କହି ରଙ୍ଗବତୀଙ୍କ ଅପା ପାନ ଖଣ୍ଡିଏ କାନିରୁ କାଢ଼ି ପାଟିରେ ପୁରେଇଲେ । ଆଉ କାନିରେ ଗଣ୍ଠିକି ଆଣ୍ଟ କରି ପକେଇ ଗୋଟାଏ ଲମ୍ବା ନିଶ୍ୱାସ ମାରିଲେ !

 

ରଙ୍ଗବତୀ ମୁହଁରେ ଲୁଗା ଚାପି ଧରି କାନ୍ଦୁଥିଲେ । ଅପାଙ୍କର ଗାଳିରେ କି ଲଜ୍ଜା ଅପମାନରେ ତା ବୁଝିବା ଅସମ୍ଭବ !

 

ପୁଣି ଅପା ବିରକ୍ତ ହେଲା ପରି ପାଟି କରି ଉଠିଲେ–"କାହିଁକି ରାତିଅଧରେ ଲୁହ ଢାଳୁଛୁ କିଲୋ ! ମୋ ଛୁଆଙ୍କ ଉପରେ ଲୁହ ପଡ଼ିବ ! କହିଲାବେଳେ ତ କଥା ମାନିଲୁ ନାହିଁ । କେତେ ଥର କହିଥିବି ‘ଯାଆ ଲୋ ରଙ୍ଗ ! ନିଜ କ୍ଷମତା ଉପରେ ଜାଗାଟା ମାଡ଼ି ବସ । ହକ ବାହା ହୋଇଛୁ, ଡରୁଛୁ କିଆଁ ? ଶୁଣିଲୁ ନାହିଁ, ଓଲଟି ମତେ କହିଲୁ କ’ଣ ନା, ପୋଡ଼ିଗଲା ତିଅଣରେ ଆଉ ସୁଆଦ କ’ଣ ଥାଏ ? ଯେଉଁ ନୋକ ବାହା ବାସିଦିନୁ ଘର ମାଡ଼ିନାହିଁ, ସେଠି କେମିତି ଯାଇଁ ରହିବି ? ଧନରୁ ମତେ କଅଣ ମିଳିବ ? ଏମିତି ଏମିତି କେତେ ବଡ଼ନୋକିଆ କଥା କହୁଥିଲୁ- ଏବକୁ ଦମ୍ଭ ପାଣି ଫାଟିଲା ତ ? ସେଇ ଚଉଧୁରୀ ଘର ବୋହୁ ବୁଦ୍ଧିରେ ତୁ ସର୍ବନାଶ ହେଲୁ ? ତାକୁ ତା ବର ଆଜି ନ ଛାଡ଼ୁଣୁ, କାଲିକି ସେ ଅନ୍ୟଠେଇଁ ଚାଲିଗଲା । ତୁ କୁଆଡ଼େ ଯିବୁଲୋ ପୋଡ଼ାମୁହିଁ ? ବଡ଼ ଘର ବଡ଼ କଥା । ବାହା ହେଲେ ତାଙ୍କର ଯେତିକି ସୁଖ, ନ ହେଲେ ସେତିକି ! ମୋ କଥାକୁ ତ ସବୁବେଳେ ତୁ ଖରାପ ପାଇଲୁ ମୁଁ ତୋର ଭଲକୁ ଚାହିଁଥାଏ ।

 

ମୋ ଛୁଆ କିଏ ଆଉ ତୋ ଛୁଆ କିଏ ? ଛୁଆକୁ ନେ’ । ଅଧା ସମ୍ପତ୍ତି ଘନର ଯେତିକି ଛୁଆ ନାଁରେ ନେଖି ଦେ । ତାକୁ ମଣିଷ କର, ଆଣ୍ଠୁକୁଡ଼ୀ ଦୋଷ କଟୁ । ନ ହେଲେ କହି ଦେଉଛି ରଙ୍ଗ, ଠିଆ, ଠିଆ ତୁ ନର୍କକୁ ଯିବୁ । ଆଉ ସେଇ ନବଘନ ପୋକ ପଡ଼ି, ରକତ ବାନ୍ତି କରି ମରିବ । ମୋ କଥା ମିଛ ହେବନି.... !

 

ଅପାଙ୍କର କଣ୍ଠରୁ ଯେପରି ଅଭିଶାପର ବଜ୍ରବାଣ ନିର୍ଗତ ହେଉଥିଲା । ଶୁଷ୍କ କୋଟରଗତ ଚକ୍ଷୁରୁ ଯେପରି ଅଗ୍ନି ଝରୁଥିଲା । ଆଉ ରଙ୍ଗବତୀ ସେମିତି ଲୁଗା ଚାପି ଏକ ଅଭିଶପ୍ତା ନାରୀ ପରି ଅଶ୍ରୁ ଢାଳୁଥିଲେ !

 

ସଞ୍ଜୟ ସ୍ଥାଣୁ ହୋଇ ଯାଇଥିଲେ । ଯେପରି ଏକ ନାଟକର ଶେଷ ଫଳାଫଳ ଅତି ଶୀଘ୍ର ଅଚାନକ ଭାବରେ ତାଙ୍କ ସାମ୍ନାରେ ଘଟିଗଲା । ସେ ସଂବିତ ହରାଇ ବସିଥିଲେ । କ’ଣ କାହାକୁ କହିବେ ? ଏଇ ଟିକକ ଆଗରୁ ଯେଉଁ ରଙ୍ଗବତୀଙ୍କ ଜୀବନ ଏତେ କଲ୍ଲୋଳମୟ ମନେ ହେଉଥିଲା, ସେଥିରେ ଏତେ ବନ୍ଧୁରତା ରହିଛି ବୋଲି ସେ କେମିତି ଜାଣିବେ ? ଏକ ବିରହ ବିଧୁରା ବଧୂପରି ଯିଏ ସ୍ୱମୀର ସ୍ମୃତି ଏତେ ରୋମାନ୍ଥନ କରୁଥିଲା, ସେ ପୁଣି ତା’ର ସ୍ୱାମୀକୁ ମୋଟେ ଦେଖିବାର ହିଁ ସୁଯୋଗ ପାଇନି ? ଅଥଚ ଏତେଗୁଡ଼ିଏ କଥା ଯେ କହୁଥିଲା ? ଆଶ୍ଚର୍ଯ୍ୟ !

 

ସଞ୍ଚୟ ସିଗାରେଟ ଧରି ଅନ୍ୟମନସ୍କ ହୋଇ ପଡ଼ିଲେ । କମ୍ପାର୍ଟମେଣ୍ଟ ସାରା ସମସ୍ତେ ନିସ୍ତବ୍‍ଧ ଯେଉଁ କେତୋଟି ଚାହିଁଛନ୍ତି ସେମାନେ ଆଜି ନିଶ୍ଚିତ ଅନିଦ୍ରା ରହିବେ । କଳ୍ପଲୋକର କାଳବନକୁ ସତେବା ଏକ ମତ୍ତହସ୍ତୀ ହଠାତ୍ ଛିନ୍ନ ବିଚ୍ଛିନ୍ନ କରି ଯାଇଛି ।

 

ସଞ୍ଜୟ ଚାହିଁଲେ ତନୁପାତଳୀ ଝିଅଟି ଆଡ଼କୁ । ସେ ଯେପରି ଅପ୍ରସ୍ତୁତ ହୋଇପଡ଼ିଲେ । ଝିଅଟି ତାଙ୍କ ମୁହଁକୁ ଚାହିଁ ମୃଦୁ ମୃଦୁ ହସୁଛି । ଲାଜ ସରମ ସବୁ ଯେପରି ପାସୋରି ଯାଇ ହସୁଛି କିପରି ଏକ ପରିହାସ ଭଙ୍ଗୀରେ । ଆଖି ସହିତ ଆଖି ମିଳିଗଲେ ବି ସେ ଆଖି ଫେରାଇ ନେଉନାହିଁ ।

 

ଆଶ୍ଚର୍ଯ୍ୟ ! ସଞ୍ଜୟ ଅସ୍ୱସ୍ତି ଅନୁଭବ କଲେ । ମୁହଁରେ କିଛି ଲାଗିନି ତ ? ରାତି ଅନିଦ୍ରା ଯୋଗୁ ଆଖିକୋଣରେ ମଇଳା ଲଗିଥିବା ଆଶଙ୍କାରେ ସେ ଆଖିଟା ରଗଡ଼ି ପୋଛି ଦେଲେ ଆଉ ତା ସହିତ ମୁହଁ ମଧ୍ୟ । ତଥାପି ଝିଅଟି ଅନେଇ ହସୁଛି ମନକୁ ମନ । ସେ ହସର ଯେମିତି ଶେଷ ନାହିଁ । ବିରକ୍ତ ଲାଗୁଛି । ସ୍ତ୍ରୀଲୋକଙ୍କର କିଛି ବୁଦ୍ଧି ନାହିଁ ନା କ’ଣ ? ହସିଲାବେଳେ କାନ୍ଦିବେ–ଆଉ କାନ୍ଦିଲାବେଳେ ହସିବେ । ରଙ୍ଗବତୀଙ୍କର ବିଫଳ ଜୀବନର କରୁଣ ଉପସଂହାର ପରେ ବି ସେ ଯେ କିପରି ହସି ପାରୁଛି ?

 

ଧେତ୍ ! ମଣିଷ କି ବିପଦରେ ପଡ଼ିଲା ? ଝିଅଟି ଯେ କାହିଁକି ମନକୁ ମନ ଏତେ ହସୁଛି, ଭଗବାନ ହିଁ ଜାଣନ୍ତି; କିନ୍ତୁ ତାଙ୍କୁ ଅନେଇ ହସିବାର କାରଣ କ'ଣ ? ଯେ ଯୁଆଡ଼େ ଶୋଇଲେ ବି ଏ ଗୁଡ଼ାଙ୍କୁ ନିଦ ବି ହଉନି । ସାରା ରାତି କଲର ବଲର ହେଉଛନ୍ତି । ଜଣେ କାନ୍ଦୁଛି ଅନ୍ୟ ଜଣେ ହସୁଛି । ଅଥଚ ସବୁ ଗଣ୍ଡଗୋଳର ମୂଳ ନାଟକର ନାୟିକା ଶ୍ରୀମତୀ ଅପା ଆରାମରେ ଶୋଇ ଗଲେଣି ।

 

ରଙ୍ଗବତୀ ଆଖି ପୋଛି ଅନେଇଲେ । ପୂର୍ବ ଦିଗରେ ସିନ୍ଦୁରା ଫାଟି ଆସୁଛି । ସେଇ ଆକାଶକୁ ନମସ୍କାର କରି ରଙ୍ଗବତୀ ପ୍ରାର୍ଥନା କଲେ ବଡ଼ ପାଟିରେ–

 

‘‘ମା ମଙ୍ଗଳା ! ମା ଚଣ୍ଡୀ ! ହେ ଶିବ ! ଲୋକନାଥ ! ତାଙ୍କୁ ତମେ ଘୋଡ଼େଇ ରଖ ବିପଦ-ଆପଦରୁ । କଳା ଶାଢ଼ୀ ଆଉ ଲକ୍ଷେ ବେଲପତ୍ରୀ ଚଢ଼େଇବି । ବିପଦ ଖଣ୍ଡନ କର ମା ! ହେ ଚକାଡୋଳା, ହେ ପତିତପାବନ..."।

 

ସଞ୍ଜୟ ଆଉ ଶୁଣୁ ନ ଥିଲେ । ତାଙ୍କର ମନେ ପଡ଼ୁଥିଲା ପ୍ରିୟ ବନ୍ଧୁ ନିର୍ମଳର କଥା-

 

ସ୍ତ୍ରୀ ଲୋକମାନଙ୍କ ଦେହ ଓ ମନରେ ଯେଉଁ ଝଡ଼ ଆସେ ତା’ର ପ୍ରାବଲ୍ୟ ହୁଏ ପ୍ରଚୁର; କିନ୍ତୁ ସ୍ଥିତି ଭାରୀ କ୍ଷୀଣ । ତା’ର ଯଦି ସ୍ଥାୟିତ୍ଵ ଥାନ୍ତା ତେବେ ସେଥିରେ ସୃଷ୍ଟି ହୁଅନ୍ତା ଅନେକ ଧ୍ଵଂସ ବି ହୁଅନ୍ତା ବହୁତ କିଛି, ମାତ୍ର ସେ ଯେପରି ଏକ ପ୍ରଚଣ୍ଡ "ଲୁ"-ଖାଲି ଅସ୍ଥିର କରି ବହିଯାଏ ନିମିଷକ ପାଇଁ । ତା'ପରେ ସେଇ ଶ୍ରାବଣର ଅଶ୍ରୁ, ଯେ କି ସେମାନଙ୍କର ଶେଷ ଅସ୍ତ୍ର, ସେ ସବୁକୁ ପୁନଶ୍ଚ ଶାନ୍ତ କରିଦିଏ । ସେମାନେ ବାସ୍ତବିକ ଆଶ୍ଚର୍ଯ୍ୟ ! ଅଥଚ ସେମାନଙ୍କର ସେଇ ଆଶ୍ଚର୍ଯ୍ୟ ଗୁଣଟି ନ ଥିଲେ ପୁରୁଷର ଜୀବନ ଏକ ମରୁଭୂମି ହୋଇଥାନ୍ତା । ହୋଇଥାନ୍ତା ଶ୍ୟାମଳ ସବୁଜ ଧରଣୀ ନୀରସ,ଶୁଷ୍କ, ରଙ୍ଗହୀନ ଆଉ ବୈଚିତ୍ର୍ୟ ଶୂନ୍ୟ....... !!”

 

ଝମ୍ ଝମ୍ କରି ଗୋଡ଼ କଚାଡି ଟ୍ରେନ୍ ଷ୍ଟେସନରେ ଛିଡ଼ା ହୋଇ ପଡ଼ିଲା !!!

Image

 

ଅନ୍ତଃସ୍ୱର

ଶ୍ରୀ ନିମାଇଁ ପଟ୍ଟନାୟକ

 

ରୋଷନାରୀ ମହିଳା କଲେଜ ହଷ୍ଟେଲର ଛାତ୍ରୀମାନେ ଭୟ ଓ ଆଶଙ୍କାରେ ସମୟ ବିତାଉଥଲେ- କିଏ ଜାଣେ କେତେବେଳେ କ’ଣ ଘଟିଯିବ ? ଅନିଶ୍ଚିତତା, ଅସ୍ଥିରତା ସେମାନଙ୍କ ମୁହଁକୁ ଫିକା କରି ଦେଇଥିଲା ।

 

ଘୁଁ କରି ଗୋଟାଏ ଅଗ୍ନି-ଚକ୍ଷୁ ‘ନାଟ୍' ବିମାନ ଛଞ୍ଚାଣ ପରି ଝାମ୍ପମାରି ଚାଲିଗଲା । ଛାତ୍ରୀ ନିବାସର ନୀରବ ପରିବେଶକୁ ବିଦୀର୍ଣ୍ଣ କରିଗଲା । ଲୁହା ଟୋପି ଓ ବାୟୋନେଟ୍‍ଧାରୀ କେତେକ ସୈନ୍ୟ ଦରଜା ଭାଙ୍ଗି ପଶି ଆସିଲେ ଭିତରକୁ । ଆତଙ୍କିତ ଛାତ୍ରୀମାନେ କିଏ କେଉଁଆଡ଼େ ପଶିଗଲେ ।

 

ଆଲେୟା ବେଗମ୍ ଛାତ ଉପରକୁ ପଳାଇଯାଇ ଭୟରେ ଥରୁଥାଏ । ଛାତ ଉପରେ ଏପାଖ ସେପାଖ ହେଉଥାଏ । କ'ଣ କରିବ, କୁଆଡ଼େ ଯିବ ଜାଣିପାରୁ ନ ଥାଏ । କିଏ ଜାଣେ କେତେବେଳେ ବିପଦ । ସୈନିକର ପୋଷକରେ ଚାଲିଆସିବ ଉପରକୁ । ତଳେ ସୈନ୍ୟମାନେ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର କରୁଥାନ୍ତୁ । ତଳ ମହଲାରୁ ଶୁଣାଯାଉଥାଏ କିଶୋରୀ କଣ୍ଠରେ ଆକୁଳ ଚିତ୍କାର ।

 

ରକ୍ଷଣଶୀଳ ପରିବାରର କନ୍ୟା ଆଲେୟା । ଦୂର ମଫସଲରୁ ଆସି କଲେଜ ଜୀବନରେ ପ୍ରବେଶ କରିଛି । ଜୀବନକୁ ଚିହ୍ନି ନାହିଁ । ଜୀବନର ବୈଚିତ୍ର୍ୟ ଜାଣିନାହିଁ । ଜୀବନର ବିଭତ୍ସତା ଦେଖିନାହିଁ । କେବଳ ଶୁଣିଛି ଜୀବନ ଦୁଃଖପୂର୍ଣ୍ଣ । ନିଜକୁ ବେଳେ ବେଳେ ପ୍ରଶ୍ନ କରଛି–ମଣିଷ ତା’ହେଲେ ଜନ୍ମ ହେଉଛି କାହିଁକି ? କେଉଁ ସୁଖ ପାଇଁ ? ମାତ୍ର ଉତ୍ତର ଖୋଜି ପାଇ ନାହିଁ । ଦିନରେ ତିନିଥର ଉଜୁ କରି ନମାଜ ପଢ଼ୁଛି । ଅସଦାଚରଣକୁ ଘୃଣା କରି ଶିଖିଛି । ପାପକୁ ପାପ, ପୁଣ୍ୟକୁ ପୁଣ୍ୟ ବୋଲି ମାନୁଛି ।

 

ଆଲେୟା ବେଗମ୍ ନିଜ ବୃତ୍ତର ପରିଧିରେ ଘୁରି ଲାଗିଛି । ଛାତି ଦମ୍ ଦମ୍ ହେଉଛି । ଦୁଲୁକୁଛି ! ଦୁଲୁକୁଛି ଛାତି ଓ ମୁହଁର ମାଂସ । ଲାଗୁଛି ଯେମିତ ହୃତ୍‌ପିଣ୍ଡ ଛିଡ଼ି ଖସିପଡ଼ିବ ।

 

କୁମାରୀ ଆଲେୟା ଭୟର ଭଉଁରୀରେ ଉବେଇ ଟୁବେଇ ହେଉଛି । ଭୟ ସତେ ଯେପରି ନାଗଟାଏ ଆସୁଛି ଏଇନେ ଗୁଡ଼େଇ ହୋଇଯିବ ଦେହରେ । ତଳୁ ଉପର ଯାଏଁ । ଉପରୁ ତଳଯାଏ । ଗୁଡ଼େଇ ହେଉଥିବ । ସଲ ସଲ ହେଉଥିବ । କ୍ରମେ କଠିନ ହୋଇଯିବ ତା’ର ଦେହ ବନ୍ଧ । ତା’ପରେ ଭିଡ଼ି ଧରିବ । ଭିଡ଼ି ଧରିବ ଆଉ ଛାଡ଼ିବନି । ଛାଡ଼ିବ ନାହିଁ ପୂରା ନିସ୍ତେଜ ହେଲା ଯାଏଁ ।

 

ତା’ପରେ ଦେହର ଶିରାମାନ ନେଳୀ ହୋଇଯିବ ଏବଂ ସେ ଗିଳିବାକୁ ଆରମ୍ଭ କରିବ । ପ୍ରଥମେ ମସ୍ତକ, ଆଖି, ନାକ, କାନ, ଗଣ୍ଡ । ତା'ପରେ ଦେହ : ସ୍ତନ, ଉଦର, କଟି, ବାହୁ ସହିତେ । ତା’ପରେ ନିତମ୍ୱ, ଜଘନ, ଜାନୁ ଏବଂ କ୍ରମେ କ୍ରମେ ତଳକୁ ତଳକୁ । ଗିଳିଦେବ । ଭିଡ଼ି ମୋଡ଼ି ହେବ । ଭାଙ୍ଗି ଦେହର ହାଡ଼ମାନ । ତା'ପରେ ଡେଇଁ ପଡ଼ିବ ରାଜ ରାସ୍ତାକୁ ଓ ଖୁସିରେ ଶିଶିରୀମାରି ଚାଲିଯିବ ।

 

ଆଲେୟାର ଦେହ ଭୟରେ କମ୍ପି ଗଲା । ସେ ବିଚଳିତ ହେଲା-କିଛି ବୁଦ୍ଧି ଦିଶୁନାହିଁ । କ'ଣ କରିବ ? ବିପଦ ମାଡ଼ି ଆସୁଛି ।

 

ଆଲେୟା ଦେଖିଲା,–ସିଡ଼ି ଦ୍ୱାରରେ ଠିଆ ହୋଇଛି ଶତ୍ରୁ ପକ୍ଷର ସୈନିକ । ହସୁଛି । ଶୁଷ୍କ ହସ । ନିଷ୍ପ୍ରାଣ ହସ । ସେ ହସ ଭଲ ଲାଗୁନାହିଁ । ସହି ହେଉନାହିଁ ।

 

ସୈନକଟି କ'ଣ କହିଲା ।

 

ଆଲେୟା କିଛି ଶୁଣିପାରୁ ନ ଥାଏ । ଭୟ ତା’ ରକ୍ତରେ ଜମାଟ ବାନ୍ଧୁଥାଏ । ରକ୍ତ ହେଉଥାଏ ବରଫ ଓ ସେ ବରଫ ପୁଣି ତରଳି ଯାଉଥାଏ ।

 

ଚାହୁଁ ଚାହୁଁ ସାମନାରେ ଠିଆ ହେଲା ସୈନିକ ।

ଆଲେୟାର ଆଖି ଆଗରେ ଦୃଶ୍ୟମାନ ତଳ ଉପର ହେଲାପରି ଜଣାଗଲା ।

 

ସୈନିକଟା ଆଲେୟା ପାଖକୁ ଲାଗି ଆସିଲା । ବଲିଷ୍ଠ ଆବେଗ ଓ କୋମଳ କାତରତା ଯେପରି ପରସ୍ପରର ଆଗରେ ଠିଆହେଲେ ।

 

ଆବେଗର ପୁଷ୍ଟ ଅଙ୍ଗ ।

 

କୋମଳତାର ସଙ୍କୁଚିତ ଶରୀର ।

 

ଆବେଗର ଧମନୀରେ ରକ୍ତର ଗତି ପ୍ରଖର ହେଉଛି । କାତରତାର ଶିରାରେ ରକ୍ତ ପାଣି ଫାଟୁଛି ।

 

ଆବେଗ ଚାହୁଁଛି କାତରତାକୁ ନିଜ ଦେହରେ ଲୀନ କରିଦେବ ।

 

ଆବେଗର ସ୍ଵର :

 

: ମାରିବିନି, ମାରିବିନି, ମାରିବିନି, ମାରିବିନି, ମାରିବିନି

 

କାତରତାର ସ୍ଵର-

 

: ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ

 

: କିଛି କରିବିନି, କିଛି କରିବିନି, କିଛି କରିବିନି, କିଛି କରିବିନି

 

: ନା ନା ନା ନା ନା ନା ନା ନା ନା

 

: ରହ ରହ ରହ ରହ ରରରର ରରରର ।

 

: ଆରେ ଆରେ ଆରେ ଆରେ ଆରେ ଆରେ

 

: ରରରରରରରର (ପ୍ରଶ୍ୱାସ) ରରରରର

 

ପ୍ରଥମ ରକ୍ଷା କବଚ ଫାଟିଲା। ଆଲେୟା କ'ଣ କରିବ କିଛି ଜାଣି ପାରିଲା ନାହିଁ।

 

ସୈନିକଟି ଯେମିତି ସାପପରି ଗୁଡ଼ାଇ ହୋଇଯାଉଛି ଦେହରେ । କ୍ରମେ ଶକ୍ତ ହେଉଛି ତା’ର ଦେହ ବନ୍ଧ ।

 

ଆଲେୟା ନିଜକୁ ସଂବୃତ୍ତ କଲା । ନିଜ ଶାମୁକା ଭିତରକୁ ସଙ୍କୁଚିତ ହୋଇଗଲା ଗେଣ୍ଡାପରି ।

 

ଫାଟିଗଲା ଦ୍ଵିତୀୟ ରକ୍ଷା କବଚ । ଦୁଇ ଶକ୍ତ ହାତ ଆଲେୟାର ଛାତି ଉପରେ ଛକପରି ଥିବା ତା’ ହାତକୁ ଜୋର କରି କାଢ଼ି ନେଲା ।

 

ଆଲେୟାର ଦେହ ପୁଣି ସଙ୍କୁଚିତ ହେଲା । ପୁଣି ସଙ୍କୁଚିତ ହେଲା । ଜାଣିଲ ପାପ ତାକୁ ମାଡ଼ି ବସୁଛି । ପାପର ତନୁ ସଙ୍କଟରୁ ରକ୍ଷା ପାଇବାର ଉପାୟ ନାହିଁ । କ’ଣ କରିବ ବୁଦ୍ଧି ଦିଶୁ ନାହିଁ ।

 

ସେ ସୈନିକକୁ କହିଲା-

 

ତମେ ଅନ୍ତତଃ ମାନ ଯେ ଆମ ଦେଶ ଉପରେ ତୁମର ଆକ୍ରମଣ ଅନ୍ୟାୟ । ଆମର ଦାବୀ ଯୁକ୍ତିଯୁକ୍ତ ।

 

ସୈନିକ ଉତ୍ତର ଦେଲା,-

 

ମାନୁଛି ତୁମ ଦେଶର ଦାବୀ ଯଥାର୍ଥ । ଆମେ ଅନ୍ୟାୟରେ ଆକ୍ରମଣ କରିଛୁ ।

 

ତଥାପି ଆଲେୟା ସନ୍ତୁଷ୍ଟ ହେଲା ନାହିଁ । ପାପ ହିଁ ପାପ । ପାପ ପାପ ହୋଇ ରହୁଛି । ରୂପ ବଦଳାଉ ନାହିଁ। ଆଲେୟା କାରଣ ଖୋଜୁଛି–ପାପକୁ ପାପ ନ ଗଣିବାର କାରଣ । ତା’ ବ୍ୟତୀତ ଆଉ ଉପାୟ କ’ଣ ?

 

ଆଲେୟା ପଚାରିଲା–

 

ତମେ ମତେ ଭଲ ପାଅ ?

 

ଅବାନ୍ତର ପ୍ରଶ୍ନ ? ସେତେବେଳେ ଏ ପ୍ରଶ୍ନ କେମିତି ବେଖାପ ଶୁଣାଗଲା ।

 

ସୈନିକ କହିଲା,-

 

ତୁମ ରୂପ ମତେ ପାଗଳ କରିଛି । ସତରେ ମୁଁ ତୁମକୁ ଭଲ ପାଇବସିଛି ।

 

ତୃତୀୟ ରକ୍ଷା କବଚ ଫାଟିଗଲା।

 

ସୈନିକଟା ଦାନ୍ତରେ ଟିକ୍ ଟିକ୍ କରି ଚିରି ପକାଇଲା କଳାର ଆବରଣମାନ ।

 

ସୈନକର ଦେହ କୁହୁଳିଲା । ଦେହ କୁହୁଳିବାର ଗନ୍ଧ ରାସ୍ତା କଡ଼ରେ କେଉଁଠି ପିଚୁ ତରଳା ହେଉଥିଲା ପରି, କେଉଁଠି ସାଇକେଲ୍ ଟାୟାରରେ ନିଆଁ ଲଗାଯାଇ ଥିଲା ପରି ।

 

ଦେହ ଟକମକ ହୋଇ ଫୁଟୁଥାଏ-ଟକ ମକ ତତଲା ପାଣିରେ ଯେମିତି ସିପ ଫିଟୁଥାଏ । ଦେହର ଶାମୁକା ଚୂନ ହେଉଥାଏ । ନିଜର ଚୂନ ଖାଇ ଯାଉଥାଏ ନିଜକୁ ।

 

ଆଲେୟା ଅନୁଭବ କଲା ଯେମିତି ଗୋଟାଏ ଶକ୍ତ ସମୁଦ୍ର କଙ୍କଡ଼ା ତା’ର ଛାତିକୁ ଚାପି ବିଦୀର୍ଣ୍ଣ କରି ପକାଉଛି ।

 

ଗୋଟାଏ ଓଜନଦାର ଆନ୍ଦୋଳିତ ନିତମ୍ବର ଚାପାରେ ଆଲେୟାର ମାର୍ବଲ-ଶୁଭ୍ର କୋମଳ ଜଘନ କ୍ରମେ ଶୀତଳ ହୋଇ ଆସୁଥିଲା, ଯେପରି ଏକ ଅରଣ୍ୟ ଅଜଗରର କବଳରେ ଧଳା ଠେକୁଆଟିଏ ଛାଟିପିଟି ହୋଇ ହୋଇ କ୍ରମେ ନିସ୍ତେଜ ଓ ଶୀତଳ ହୋଇଯାଉଛି ।

 

ଆଲେୟା ଚାହୁଁ ଚାହୁଁ ଅଚେତ ହୋଇଗଲା ।

 

।। ୨ ।।

 

ସେ ସ୍ଵପ୍ନ ଦେଖିଲା ।

 

ଅଜବ ସ୍ଵପ୍ନ :

 

ଶିମିଳୀ ଗଛ ତଳେ ସେ ଶୋଇଛି । ଗଛ ଉପରେ ଫୁଲ-ଶାଗୁଣାର ପିଲାମାନେ କାନ୍ଦୁଛନ୍ତି । କ୍ଷୁଧାରେ ଆତୁର ହେଉଛନ୍ତି । ଫୁଲ-ଶାଗୁଣା ପିଲାମାନଙ୍କୁ ବୋଧ ଦେଉଛି ଏଇ ଦେଖ କେମିତି ନାଗଟାଏ ଏଇ ଆଡ଼କୁ ମାଡ଼ି ଆସୁଛି । ଚିନ୍ତା କରନାହିଁ । ଗଛମୂଳେ ସେ ପ୍ରଥମେ ରାଜକୁମାରୀକୁ ଦେଖିବ । ନାଗଟା ପଶିଯିବ ରାଜକୁମାରୀର ଗର୍ଭ ଭିତରକୁ । ରାଜକୁମାରୀ ଚିତ୍କାର କରିବ । ଚିତ୍କାର ଶୁଣି ଧାଇଁ ଆସିବ ରାଜକୁମାରଟିଏ । ରାଜକୁମାରଟି ପଚାରିବ, କ'ଣ ହେଲା ? ରାଜକୁମାରୀ କିଛି କହିପାରୁ ନ ଥିବ । ସେତେବେଳେ ସେ ରାଜକୁମାରୀ ସ୍ପର୍ଶ ପାଇବ । ପୂର୍ବରୁ ତାକୁ ଅଭିଶାପ ଅଛି -କୁମାରୀ କନ୍ୟା ସ୍ପର୍ଶ କଲେ ତା’ଉପରେ ଅକାଳ ଚଡ଼କ ପଡ଼ିବ ଓ ସେ ପ୍ରାଣ ଛାଡ଼ିବ । ଆଉ କାନ୍ଦ ନାହିଁ ମୋ ଧନ । ଅପେକ୍ଷା କର । ଏଇନେ ମନ ଇଚ୍ଛା ପେଟ ପୁରାଇ ଖାଇବ । ଏ କଥା ଶୁଣି ଯେ ଯାହାକୁ କହିବ ସେ ପଥର ହୋଇଯିବ ।

 

ଆଲେୟା ସ୍ଵପ୍ନରେ ଅନୁଭବ କଲା ନାଗ ପଶିଯାଉଛି ତା’ ଗର୍ଭ କୋଠରୀକୁ । ଫୁତକାର କରୁଛି । ପ୍ରତି ଫୁତକାରରେ ବିଷ ବର୍ଷୁଛି । ଉତ୍ତପ୍ତ ବିଷ ।

 

ଆଲେୟା ଭୟରେ ଚିତ୍କାର କଲା ତା’ର ନିଦ ଭାଙ୍ଗି ଗଲା ।

 

।। ୩ ।।

 

ଆଲେୟା ଚାରିଆଡ଼କୁ ଚାହିଁଲା । ନିଜକୁ ସଜାଡ଼ି ଠିଆ ହେଲା ।

 

ଦେଖିଲା, ଅକାଳ ଚଡ଼କ ପଡ଼ିଛି । ଛାତ ଉପରେ ସୈନିକର ନିର୍ବେଦ ଶରୀର ପଡ଼ିଛି । ତଳୁ ମୁକ୍ତିବାହିନୀଙ୍କ ଗୁଳିରେ ଟଳି ପଡ଼ିଛି ସୈନିକଟା ।

 

ଉପରେ ଆକାଶ ଓ ଶୂନ୍ୟତା ।

 

ଶୂନ୍ୟ ଆକାଶ ବିଦ୍ରୁପ କରୁଛି-

 

ଆଲେୟାର ଦେହ କଳଙ୍କିତ ।

 

ଆଲେୟାର ଦେହ ପାପଗ୍ରସ୍ତ ।

 

ଆଲେୟାର ଆତ୍ମା କଳୁଷିତ ।

 

ଦେହ ଓ ଆତ୍ମା ବାହାରେ ତା’ର କି ପରିଚୟ ଅଛି ?

 

ଆଲେୟା ଜାଣିଲା ତା’ର ନୈତିକ ମେରୁଦଣ୍ଡ ଭାଙ୍ଗି ଯାଇଛି । କେମିତ କାହାକୁ ସେ ମୁହଁ ଦେଖାଇବ ? କାହାକୁ କେମିତି ସେ କଣ କହିବ ? ନିଜେ ନିଜକୁ କ'ଣ ବା କୈଫିଏତ୍ ଦେବ ? କ’ଣ କରିବ ?

 

କିଛି ସ୍ଥିର କରି ନ ପାର ସେ ସୈନିକର ରିଭଲଭରଟି ହଠାତ୍ ଦେଖି ଉଠାଇ ନେଲା । କାନ ମୂଳେ ଲଗାଇ ଟ୍ରିଗର୍ ଉପରେ ଆଙ୍ଗୁଠି ରଖିଲା।

 

ପାପ ଆଉ ମନକୁ ଡରାଇ ପାରିବ ନାହିଁ । ହୃଦୟକୁ ପୀଡ଼ା ଦେଇ ପାରିବ ନାହିଁ । ଆଶ୍ଚର୍ଯ୍ୟ, ଆଙ୍ଗଠି ଟ୍ରିଗର୍ ଚାପୁନାହିଁ ।

 

ସେ ଭାବିଲା ଏକ ଠାରୁ ଶହେଯାଏଁ ଗଣିଯିବ ଏବଂ ଠିକ୍ ଶହେ କହିଲା ବେଳକୁ ଟ୍ରିଗର୍ ଚାପିଦେବ ।

 

ଆଲେୟା ଗଣିବାକୁ ଆରମ୍ଭ କଲା-

 

ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନ ଦଶ.... ଏବଂ ଗଣୁ ଗଣୁ ମଝିରେ ମଝିରେ ବାରମ୍ବାର ସଂଖ୍ୟା ଭୁଲିଗଲା ।

 

ହେଲାନି । ଆଉ ଥରେ ଗଣିବାକୁ ହେବ ।

 

ଏଇ ଥର, ଏଇଥର ନିଶ୍ଚୟ।

 

ଆଲେୟା ପୁଣିଥରେ ଗଣି ବସିଲା । ଗଣୁ ଗଣୁ କେତେବେଳେ ଶହେ ଗଣି ସରିଲାଣି । ଟ୍ରିଗର୍ ଚିପିବାକୁ ମନେ ନାହିଁ ।

 

ନା’ ନା ଏଇ ଥର କୋଡ଼ିଏ ଯାଏଁ

 

ନା’ ନା’ ତିରିଶ, ତିରିଶ ଯାଏଁ ଗଣିବି

 

ଏବଂ ଠିକ୍ ତିରିଶ ବେଳେ

 

ଆଲେୟା ଗଣୁଛି, ହଠାତ୍ କବାଟ ଠକ୍ ଠକ୍ ହେଲା ।

 

କବାଟ ଖୋଲିଲା ଏବଂ ଆସିଲେ ଛାତ୍ରୀମାନେ ।

 

ଅସ୍ତବ୍ୟସ୍ତ ରୂପ । ବେଶଭୁଷା ବିପର୍ଯ୍ୟସ୍ତ । ସେମାନଙ୍କର ଧର୍ଷିତା ଦେହ । ବିବର୍ଣ୍ଣ । ଅବଶ ।

 

ଚନ୍ଦନ ବନର ଗଛମାନଙ୍କରେ ଗୁଡ଼ାଇ ହୋଇ ସାପମାନେ ଗର୍ଜୁ ଥିଲେ । ଛାଡ଼ି ଯାଇଛନ୍ତି । ବିଷ ଦାଉରେ ଗଛର ସତେଜ ସବୁକ ପତ୍ରମାନ କୁହୁଳି ଯାଇଛି ଯେମିତି ।

 

ସେମାନେ ଆଲେୟାକୁ ଦେଖିଲେ ଓ ପଚାରିଲେ,-

 

: କଣ ହେଇଛି ?

 

: କଣ ହେଲା ?

 

: କଣ କଲ ?

 

: କ'ଣ କିଲୋ ?

 

: ସମସ୍ତଙ୍କର ତ ସେଇ ଏକା ଦଶା । କହୁନୁ ?

 

ଆଲେୟା ଗୋଟିଏ ଉତ୍ତର ଦେଲା-କିଛି ନାଇଁ ।

 

ସେମାନେ ଦେଖିଲେ ସୈନିକର ମୃତ ଦେହ ପଡ଼ିଛି । ସମସ୍ତେ ଗୋଇଠାଏ ଗୋଇଠାଏ ମାରିଲେ ଏବଂ କହିଲେ–

 

: ମୁକ୍ତିବାହିନୀ ନ ଆସିଥିଲେ

 

: ସୈନ୍ୟଗୁଡ଼ାକ ଯେମିତି ହଷ୍ଟେଲରେ ପଶିଥିଲେ

 

: ଶେଷରେ ହତ୍ୟା କରିଥାନ୍ତେ

 

: ଆଲେୟା ବଞ୍ଚିଗଲା

 

: ବଞ୍ଚିଗଲା ?

 

ଆଲେୟା ସହିତେ ସେମାନେ ତଳକୁ ଆସିଲେ । ତା’ କୋଠରୀରେ ବସିଲେ । ସମସ୍ତେ ସମସ୍ତଙ୍କ ଦେହ ମୁହଁକୁ ଚାହିଁଲେ । କେହି କାହାକୁ କିଛି କହିଲେ ନାହିଁ।

 

ସେତେବେଳକୁ ପରୀକ୍ଷା ସରି ଆସିଥାଏ ଓ ଛାତ୍ରୀ ନିବାସରେ ସେଇ କେତେ ଜଣ ଛାତ୍ରୀ ଥାଆନ୍ତି । ଅଲେୟା ସେମାନଙ୍କୁ କାନ୍ଥର କାଲେଣ୍ଡରଟିଏ ଦେଖାଇଲା । କହିଲା, ସେମାନେ ଏଇ ମସଜିଦର ଗମ୍ବୁଜମାନ ବୋମା ମାଡ଼ରେ ଭାଙ୍ଗି ଦେଇଛନ୍ତି ।

 

ସହର ଛାତିରେ ଯେତେ ଭଲ ଭଲ ମସଜିଦ୍ ଅଛି, ସେମାନେ ସବୁରି ଗମ୍ବୁଜମାନ ଭାଙ୍ଗି ଦେଇଛନ୍ତି।

 

: ସବୁରି ଗମ୍ବୁଜ ଭାଙ୍ଗି ଦେଇଛନ୍ତି ?

 

: ସବୁରି ଗମ୍ବୁଜ ଭାଙ୍ଗି ଦେଇଛନ୍ତି ।

 

ସମସ୍ତେ ହସିଲେ । କାହାରି ଓଠ ବିଶେଷ ଖୋଲିଲା ନାହିଁ ।

 

ଆଲେୟାର ମନେ ପଡିଲା,

 

ରିଭଲ୍‍ଭର୍‍ଟା ଛାତ ଉପରେ ପଡ଼ିଛି । ଥାଉ ପାଖରେ । କେତେବେଳେ କ'ଣ ଦରକାର ହେବ ।

 

ସେ ସିଡ଼ିରେ ଉପରକୁ ଉଠିଗଲା । ପାହାଚ ପରେ ପାହାଚ । ଗୋଟିକ ପରେ ଗୋଟିଏ । ନାନା ପ୍ରଶ୍ନ ତା’ ମନକୁ ଭାରାକ୍ରାନ୍ତ କରୁଥିଲା ।

 

ପ୍ରଥମ ପାହାଚ (ସେମାନଙ୍କୁ ତ ଏଥିପାଇଁ ଲାଜ ଲାଗୁନି ?)

 

ଦ୍ଵିତୀୟ ପାହାଚ (କାହାରିକୁ କେମିତି ଖରାପ ଲାଗୁନାହିଁ?)

 

ତୃତୀୟ ପାହାଚ (ସମସ୍ତେ ତ ସମସ୍ତଙ୍କ ଘଟଣା ଜାଣିଛନ୍ତି :)

 

ଚତୁର୍ଥ ପାହାଚ (କାହାରି ମନରେ ପାପ ଭୟ ନାହିଁ ?)

 

ଆଲେୟା ସିଡ଼ିର ମୋଡ଼ ବୁଲିଲା ।

 

ପଞ୍ଚମ ପାହାଚ (ପାପ କ’ଣ ?)

 

ଷଷ୍ଠ ପାହାଚ (ପୁଣ୍ୟ କ’ଣ ?)

 

ସପ୍ତମ ପାହାଚ (ପାପର ଧାରଣା ଦେଲା କିଏ ? କାହିଁକି.?)

 

ଆଲେୟା ଛାତ ଉପରେ ପହଞ୍ଚିଲା।

 

ଏପାଖ ସେପାଖ ହେଲା । ଚାରି ଆଡ଼କୁ ଚାହିଁଲା ।

 

ତଳେ ରାସ୍ତାରେ ଗାଡ଼ି ମଟର ଧାଇଁଛି । ଜୀବନ ଧାଇଁଛି ।

 

ବଞ୍ଚିବାର ଚେଷ୍ଟା ସବୁଠାରେ । ସମସ୍ତଙ୍କର ।

 

ଉପରେ ଆକାଶ । ମିଛ ଆକାଶ ଏବଂ ଶୂନ୍ୟତା ।

 

ଆଲେୟା ମନରେ ସେଇ ପ୍ରଶ୍ନ ଆନ୍ଦୋଳିତ ହେଉଥଲା,

 

ମଣିଷ ମନରେ ପାପପୁଣ୍ୟର ଧାରଣା ଦେଲା କିଏ ? କାହିଁକି ? ମୁଁ କାହାର ଧାରଣାର ଚାକର ହୋଇ ରହିବି କାହିଁକି ?

 

ପାପ ମିଛ ।

 

ପୁଣ୍ୟ ମିଛ ।

 

ସତ କେବଳ ଏଠି ବଞ୍ଚିବା ।

 

କ୍ରମେ କ୍ରମେ ଉଚ୍ଚ ସ୍ଵରରେ ଶବ୍ଦ ଗୁଡ଼ାକ ଉଚ୍ଚାରିତ ହୋଇଗଲା । ଆଲେୟା ନିଜର ସ୍ୱର ଶୁଣି ସଚେତନ ହୋଇଗଲା । ଛାତ ଉପରେ ପଡ଼ିଥିବା ରିଭଲଭରକୁ ଚାହିଁଲା । ଚାହିଁଲା ସୈନିକକୁ । ତା'ର ବଳିଷ୍ଠ ଦେହ ମୁହଁକୁ । ମୁହଁର ପୌରୁଷକୁ । ଲୋକଟାର ବୟସ କେତେ ହେବ ?

 

ଆଲେୟା ମନରେ ମୁହୂର୍ତ୍ତକ ପାଇଁ ଏ ପ୍ରଶ୍ନ ଜାଗି ଉଠିଲା ।

 

ଲୋକଟାର ଆଖିକୁ ସେ ଲକ୍ଷ୍ୟ କଲା । କିଛି ସମୟ ପୂର୍ବରୁ ଯେଉଁ ଆଖିରେ କାମନାର ଆଗ୍ନେୟଗିରି ଅଗ୍ନି ଉଦ୍‍ଗୀରଣ କରୁଥିଲା, ତାହା ବର୍ତ୍ତମାନ ଏକ କାତର ଆଖି ପରି ସ୍ଥିର ଓ ଶୀତଳ । ସ୍ଥିର ଆଖିରେ ସୈନିକଟା ସତେ ଯେମିତି ଆଲେୟାକୁ ଚାହିଁଛି ।

 

ଆଲେୟା ଚାରିଆଡ଼କୁ ଚାହିଁଲା । ଚାହିଁଲା ସୈନିକର ମୁହଁକୁ ।

 

ସେ ସୈନିକ ଆଡ଼କୁ ଝୁଙ୍କି ପଡ଼ିଲା ଓ ତା’ କପାଳରେ ଚୁମା ଦେଇ ସିଡ଼ିରେ ତଳକୁ ପାହାଚେ ପାହାଚେ ଓହ୍ଲାଇଗଲା ।

 

ସମାନ୍ତର ସରଳରେଖା

ଶ୍ରୀ ବିଭୂତି ପଟ୍ଟନାୟକ

 

ନିଜର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଏକଥା କୌଣସି ଦିନ ବିଶ୍ୱାସ କରିନାହାନ୍ତି ନାରଣ ବାବୁ । ଆଜି ମଧ୍ୟ ସେ ନିଜର ଏଇ ମତରେ ଅଟଳ, ଅଚଳ । କିନ୍ତୁ ତାଙ୍କରି ରକ୍ତରୁ ଜନ୍ମ ହୋଇ ସୁଦ୍ଧା ସନାତନ ତାଙ୍କ ଆଦର୍ଶରୁ ବିନ୍ଦୁଏ ହେଲେ ଧାର ଧାରେ ନାହିଁ । ପିତା-ପୁତ୍ର ଦୁହେଁ ଦୁଇଟି ସମାନ୍ତର ସରଳରେଖା ଭଳି–ରୁଚି, ଆଦର୍ଶ ଜୀବନଯାପନ ପ୍ରଣାଳୀ -କେଉଁଠି ହେଲେ ସୁଦ୍ଧା ସେମାନେ ଏକତ୍ର ମିଳିତ ହୁଅନ୍ତି ନାହିଁ ।

 

ଅଥଚ ଏଇ ସନାତନ ପ୍ରତି ଏକ ଅପତ୍ୟ-ସ୍ନେହ ଦିନେ ତାଙ୍କର ଦେଶ–ପ୍ରୀତିର ସ୍ଥିରପାତ୍ରକୁ ଚହଲାଇ ଦେଇଥିଲା ।

 

ସେ ୧୯୪୨ ମସିହାର କଥା । ମହାତ୍ମା ଗାନ୍ଧୀ ଆଉ ସ୍ୱାଧୀନତୀ ସଂଗ୍ରାମର ଅନ୍ୟ କର୍ଣ୍ଣଧାରମାନେ ଗିରଫ ହୋଇ ଯାଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଗଣ-ଚେତନାକୁ ଜାଗ୍ରତ କରି ରଖିବାର ମନ୍ତ୍ର ନେଇ ସେ ଆତ୍ମଗୋପନ କରିଥିଲେ ।

 

ଛଦ୍ମବେଶରେ ଘୁରି ବୁଲୁଥିଲେ ଓଡ଼ିଶାର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ । ତାଙ୍କୁ ଧରାଇ ଦେଲେ ଏକହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ବ୍ରିଟିଶ ସରକାର ।

 

ଘରେ ଏକାକିନୀ ଥିଲେ ପତ୍ନୀ ସୌଦାମିନି ଆଉ ଦୁଇବର୍ଷର ଏଇ ଶିଶୁପୁତ୍ର ସନାତନ । ପୋଲିସ୍‌ ତାଙ୍କର ସନ୍ଧାନରେ ଆସି ବାରମ୍ବାର ସୌଦାମିନି ଉପରେ ଜୁଲମ କରୁଥିଲା । ମାତ୍ର ଦୁଇମାସରେ ଥରେ ଅର୍ଦ୍ଧରାତିରେ ଘଣ୍ଟାଏ ଅଧଘଣ୍ଟାଏ ପାଇଁ ଆସି ସେ ସ୍ତ୍ରୀ ଓ ପୁତ୍ରଙ୍କୁ ଦେଖି ଯାଉଥିଲେ । ସୌଦାମିନି ଯେପରି ତାଙ୍କର ଅନୁପସ୍ଥିତିରେ ଭଙ୍ଗି ନ ପଡ଼ନ୍ତି ସେଥିପାଇଁ ତାଙ୍କୁ ସେ ସାହସ ଓ ସାନ୍ତ୍ୱନା ଦେଇଯାଉଥିଲେ ।

 

ସେଦିନ ମଧ୍ୟ ସେଇଥିପାଇଁ ଅର୍ଦ୍ଧରାତିରେ ଘରକୁ ଯାଇଥିଲେ ନାରଣ ଦାସ, ମାତ୍ର ଅଧଘଣ୍ଟାଏ ପାଇଁ । କିନ୍ତୁ ଘରେ ଯାଇ ଦେଖିଲେ ଜ୍ଵରରେ ଥର ଥର ହୋଇ କମ୍ପୁଛି ସନାତନ । ସୌଦାମିନି ଲୁହ ଛଳ ଛଳ ଆଖିରେ କହିଲେ, ଜରୁଆ ଛୁଆଟାକୁ ଛାଡ଼ି ଦେଇ ତମେ ଚାଲିଯିବ ? ରାତି ପାହିଲେ ଅବା ଡାକ୍ତର କବିରାଜଙ୍କୁ ଦେଖାଇବି–ଏ ରାତିରେ କଅଣ କରିବି ? ମତେ ଭାରି ଭୟ ଲାଗୁଛି...।

 

ଆକାଶରେ ମେଘ ଘୋଟିଘାଟି ହୋଇ ରହିଥିଲା । ପ୍ରସ୍ତରୀଭୁତ ଅନ୍ଧକାର ସମଗ୍ର ପରିବେଶକୁ ଶଙ୍କିତ, ଭୟାର୍ତ୍ତ କରି ଦେଇଥିଲା । କେଉଁ ଏକ ରାସ୍ତା ବୁଲା ପାଗଳା କୁକୁରର ଚିତ୍କାର ଭାସି ଆସୁଥିଲା ଗମ୍ଭୀର ନିର୍ଜନତାକୁ ଛିନ୍ନଭିନ୍ନ କରିଦେଇ । ଏଇଭଳି ଏକ ପରିସ୍ଥିତିରେ ଏକାକିନୀ, ସୌଦାମିନିଙ୍କ ପାଖରେ ରୁଗ୍‍ଣ ସନାତନକୁ ଛାଡ଼ି ଦେଇ-ଦେଶ-ପ୍ରେମ ବହ୍ନିକୁ ପ୍ରଜ୍ଜ୍ଵଳିତ କରି ରଖିବା ପାଇଁ ନିଜ ଭିତରେ ଶକ୍ତିର ଅଭାବ ସେ ଅନୁଭବ କରିଥିଲେ । ସନାତନ ତା’ର ଛୋଟ ଛୋଟ ହାତରେ ଆଙ୍କୁଡ଼ି ଧରିଥିଲା । ତା’ ଦେହର ଜ୍ଵରର ଉତ୍ତାପ ସହିତ ସେଇ ଦୁର୍ବଳ ମୁହୂର୍ତ୍ତରେ ନିଜର ପୁତ୍ର ସ୍ନେହର ଉଷ୍ମତା ମିଶାଇ ଦେଇଥିଲେ ନାରଣ ଦାସ । ତାଙ୍କର ଯେ ଅଧଘଣ୍ଟାଏ ପରେ ଅନ୍ୟତ୍ର ଚାଲିଯିବାର କଥା, ସେ ନିର୍ଦ୍ଦେଶ ସେ ଭୁଲି ଯାଇଥିଲେ ।

 

ସନାତନକୁ କୋଳରେ ଧରି ସାରାରାତି ସେ ବସି ରହିଥିଲେ । ସକାଳୁ ପୋଲିସର ହୁଇସିଲ ଶୁଣି ତାଙ୍କର ଯିବା କଥା ମନେ ପଡ଼ିଲା । କିନ୍ତୁ ଆଉ ସମୟ ନ ଥିଲା । ଘରର ଚାରିପଟୁ ସେମାନେ ସଦଳବଳେ ଘେରାଉ କରି ଯାଉଥିଲେ । ସେଇଥର ତାଙ୍କୁ ଧରାପଡ଼ି ଚାରିବର୍ଷକାଳ ଜେଲ୍‌ଖାନାର ଅନ୍ଧକାରରେ ସଢ଼ିବାକୁ ପଡ଼ିଥିଲା ।

 

ମହାତ୍ମା ଗାନ୍ଧୀଙ୍କ ଡାକରାରେ ଚାକିରୀ ଛାଡ଼ି ସେ ସ୍ଵାଧୀନତା ସଂଗ୍ରାମରେ ଲମ୍ପ ଦେଇଥିଲେ । କିନ୍ତୁ ତାଙ୍କ ଜୀବନକାଳ ମଧ୍ୟରେ ସ୍ଵାଧୀନତା ଆସିବ କିମ୍ବା ସେ ଜେଲ ମୁକ୍ତ ହୋଇ ପୁଣି ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀକୁ ନେଇ ଘର ସଂସାର କରିବେ, ଏକଥା କୌଣସି ଦିନ ସେ ସ୍ୱପ୍ନ ଦେଖି ନ ଥିଲେ । କିନ୍ତୁ ତାଙ୍କ ମନ ଭିତରେ ଗୋଟିଏ ଦୃଢ଼ ବିଶ୍ୱାସ ଥିଲା ଯଦି ସେ ପହଲି ମହାରଣା ଭଳି ଜେଲଖାନା ଭିତରେ ରୋଗରେ ପଡ଼ି ଚିକିତ୍ସା ଅଭାବରୁ ହେଉ ଅଥବା ଗୋକୁଳି ଭୋଳ ପରି ଜେଲ କତ୍ତୃପକ୍ଷଙ୍କ ଦୁର୍ବ୍ୟବହାରର ପ୍ରତିବାଦରେ ଆମରଣ ଅନଶନ କରି ହେଉ ଶହୀଦ ହୁଅନ୍ତି, 'ତାହା ହେଲେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସନାତନ ଲଢ଼େଇ କରିଯିବ...ତାଙ୍କ ନିଜ ଜୀବନାଦର୍ଶ ତାଙ୍କ ରକ୍ତର ଗଢ଼ା ସନ୍ତାନକୁ ବାଟ କଢ଼ାଇ ନେବ....।

 

କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା ।

 

ଦେଶ ସ୍ଵାଧୀନ ହେଲା । ସେ ସନାତନକୁ ସ୍ୱାଧୀନଚେତା, ସଚ୍ଚୋଟ ମଣିଷ କରି ଗଢ଼ିବା ପାଇଁ ପତ୍ନୀ-ବିୟୋଗ ପରେ ବହୁ କଷ୍ଟରେ ଓକିଲାତି ପଢ଼ାଇଲେ । କିନ୍ତୁ ସେ ଅଲଗା ବାଟରେ ଚାଲିଗଲା । ଯେ କୌଣସି ଉପାୟରେ ଟଙ୍କା ରୋଜଗାର କଲେ ନିଜର ଉନ୍ନତି ଏବଂ ନିଜର ଉନ୍ନତି ହେଲେ ଦେଶର ଉନ୍ନତି - ଏଇ ଭୁଲ୍ ଧାରଣାକୁ ମନରେ ଧାରଣ କରି ସେ ହୋଇଗଲା ସ୍ଵାଧୀନତା- ଉତ୍ତର ଭାରତବର୍ଷର ନକଲି ବିପ୍ଳବୀ । ଶ୍ରମିକ ନେତା । ନିଜର ଶ୍ରମରେ ନୁହେଁ ଶ୍ରମିକମାନଙ୍କ କାନ୍ଧରେ ଚଢ଼ି ସେ ବଡ଼ ଦେଖାଯିବାକୁ ଚେଷ୍ଟା କଲା ।

 

ମଦ ଦୋକାନ ଆଗରେ ପିକେଟିଂ କରି ଦୁଇ ଦୁଇ ଥର ଜେଲ ଯାଇଥିଲେ ନାରଣ ଦାସ । ତାଙ୍କ ପୁଅ ତାଙ୍କରି ଆଗରେ ଅନ୍ୟମାନଙ୍କ ସହିତ ମିଶି ମଦ୍ୟପାନ କଲା । ଇଂରେଜୀ ଶିକ୍ଷା ବଦଳରେ ସ୍ଵଦେଶୀ ମୌଳକ ଶିକ୍ଷାର ସେ ସ୍ଵପ୍ନ ଦେଖିଥିଲେ । କିନ୍ତୁ ତାଙ୍କ ଦୁଇ ନାତିନାତୁଣୀ ଇଂଲିଶ ମିଡ଼ିୟମ ସ୍କୁଲରେ ପାଠ ପଢ଼ିଲେ । ସନାତନର ସ୍ତ୍ରୀ ମଧୁମିତା ଖଦଡ଼ ଲୁଗା ଦେଖିଲେ ନାକ ଟେକିଲା । ସ୍ଵାମୀର ଉପାର୍ଜନ ଟଙ୍କା ନିଅଣ୍ଟ ହେଲା ବୋଲି ସେ ମଧ୍ୟ ଦନେ ଶିକ୍ଷୟିତ୍ରୀ ଚାକିରୀ ଖୋଜି ବୁଲିଲା ।

 

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଏଇଭଳି ସେ କିଛି ଭାରତବର୍ଷରେ ଘଟିପାରେ, ସେକଥା ଅନୁମାନ କରୁଥିଲେ ନାରଣ ଦାସ, କିନ୍ତୁ ଚାହୁଁ ଚାହୁଁ ତାଙ୍କରି ଆଖି ଆଗରେ ଭୋଗ ହିଁ ଜୀବନର ଏକମାତ୍ର ଲକ୍ଷ୍ୟ ହେବ, ତ୍ୟାଗ କଥାଟା କେବଳ ଅନ୍ୟମାନଙ୍କୁ ଉପଦେଶ ଦେଲାବେଳେ କୁହାଯିବ, ଏକଥା ସେଦିନ ମଧ୍ୟ ତାଙ୍କୁ ଭାବିବାକୁ କଷ୍ଟ ହୋଇଥିଲା । ସେଥିପାଇଁ ବହୁ ସ୍ଵାଧିନତା ସଂଗ୍ରାମୀ ସ୍ଵାଧୀନତା ପରେ ରାଷ୍ଟ୍ର କ୍ଷମତା ହସ୍ତଗତ କରିବା ପାଇଁ ନିର୍ବାଚନ ଲଢ଼ିଥିଲେ ସୁଦ୍ଧା ସେ ସେଥିରୁ ନିଜକୁ ଅଲଗା ରଖିଥିଲେ । ବଗିଚାରେ ଗଛ ଲଗାଇବା, ସୂତା କାଟିବା, ବହି, ଖବରକାଗଜ ପଢ଼ିବାରେ ସେ ନିଜକୁ ଆତ୍ମମଗ୍ନ କରି ରଖିଥଲେ ।

 

ଦିନେ ହଠାତ୍ ସନାତନ ଆସି କହିଲା-ବାବା ! ଆମ ଶ୍ରମିକ ସଂଘର ଜଣେ ୟୁନିୟନ ନେତା ଚାରିଦିନ ହେଲା ଆମରଣ ଅନଶନ କରିଛି । ଅନଶନ ଯୋଗୁଁ ତାର ସ୍ଵାସ୍ଥ୍ୟ ଭାଙ୍ଗି ପଡ଼ିଲାଣି । ଅଥଚ ସରକାର ୟୁନିୟନର କୌଣସି ଦାବି ମାନୁ ନାହାନ୍ତି । ଗୋଟିଏ ହେଲେ ଦାବୀ ପୂରଣ ନ କରି ଅନଶନ ଭାଙ୍ଗିଲେ ଶ୍ରମିକମାନଙ୍କ ଆସ୍ଥା ଆମ ୟୁନିୟନର ଉପରୁ ତୁଟିଯିବ । ସେମାନେ ଅନ୍ୟ ଶ୍ରମିକ ସଂଘକୁ ଚାଲିଯିବେ । ଆପଣ ଟିକିଏ ମନ୍ତ୍ରୀଙ୍କୁ କୁହନ୍ତୁ । ଅନ୍ତତଃ ସରକାର ଆମର ଚାଳିଶି ଦଫା ଦାବୀରୁ ଗୋଟିଏ ହେଲେ ଦାବି ମାନି ନିଅନ୍ତୁ....ଅନଶନକାରୀ ନେତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ....

 

ଫଳରସ ଖାଇ ଅନଶନ ଭଙ୍ଗ କରିବାର ଲକ୍ଷ୍ୟ ସ୍ଥିର କରି ଯେଉଁମାନେ ଆମରଣ ଅନଶନ ଆରମ୍ଭ କରନ୍ତି ସେମାନଙ୍କ ପ୍ରତି ନାରଣ ଦାସଙ୍କ ଅକୁଣ୍ଠ ଘୃଣା । ସନାତନର କଥା ଶୁଣି ତାଙ୍କ ମୁହଁରେ ସେଇ ଘୃଣାର ବ୍ୟଞ୍ଜନା ଫୁଟି ଉଠିଲା ।

 

ସେ ପଚାରିଲେ ମୁଁ କିଏ ? ମନ୍ତ୍ରୀ ମୋ କଥା ରଖିବେ କାହିଁକି ?

 

ସନାତନ ତାଙ୍କୁ ମନେ ପକାଇ ଦେଇଥିଲା–ମନ୍ତ୍ରୀ ତାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ । ଏକ ସମୟରେ ଏକା ଜେଲ୍‌ରେ ଥିଲେ । ଦେଶ ପାଇଁ ସେ ତିନି ଥର ସାତ ବର୍ଷ ଜେଲ୍ ଭୋଗ କରିଛନ୍ତି । ତାଙ୍କ କଥା ସେ ନିଶ୍ଚୟ ରଖିବେ ।

 

ପୁଅର କଥା ଶୁଣି କ୍ରୋଧରେ ଜଳି ଉଠିଥିଲେ ‘ନାରଣ ଦାସ । ଚିତ୍କାର କଲାଭଳି ବଡ଼ ପାଟିରେ କହିଥିଲେ-ନିଜ ଲାଭ ପାଇଁ ଜେଲ୍‌ ଯାଇଥିଲି ? ଦେଶରେ ସେବା କଲେ ସେଥିପାଇଁ ମୂଲ ନିଆଯାଏ ? ଏଇ ଯେ ଗୋକୁଳି ଭୋଳ ଆମରଣ ଅନଶନ କରି ଜେଲରେ ଶହୀଦ୍ ହେଲା, ତାର ଜୀବନର ମୂଲ୍ୟ ଦେଲା କିଏ ? କ୍ଷୁଦ୍ର ସ୍ୱାର୍ଥ ପାଇଁ, ଆଉ ଅନଶନ ଭଙ୍ଗ କରିବାର ଦିନ ସ୍ଥିର କରି ଯେଉଁମାନେ ଆମରଣ ଅନଶନ ଧର୍ମଘଟ କରନ୍ତି, ସେମାନଙ୍କୁ ସତ୍ୟାଗ୍ରହୀ କୁହାଯାଏ ? କହି-ଚୁପ୍ ରହିଲୁ କାହିଁକି ?

 

ସନାତନକୁ ବାହାରୁ ଚୁପ୍‍ଚାପ୍‍ ମନେ ହେଉଥିଲେ ବି ଭିତରେ ସେ ଗୋଟିସୁଦ୍ଧା କ୍ରୋଧରେ ଥରୁଥିଲା । ତା'ର ମନେ ହେଉଥିଲା ସେ ଯେପରି ତାର ବାପ ନୁହନ୍ତି, ଶତ୍ରୁ । ତାଙ୍କର ପ୍ରତିଦ୍ଵନ୍ଦୀ ଶ୍ରମିକସଂଘର ଦଲାଲ୍ ! ତାର ନେତୃତ୍ୱର ଅପାରଗତାକୁ ପ୍ରମାଣିତ କରିବା ପାଇଁ ମନ୍ତ୍ରୀଙ୍କୁ ସେ କହିବା ପାଇଁ ନାରାଜ ।

 

ସନାତନ ଚାଲିଯାଉଥିଲା।

 

କିନ୍ତୁ ତାର ପାଦ ଶବ୍ଦରୁ ନାରଣ ଦାସ ଅମୁମାନ କରି ପାରୁଥିଲେ ପୁଅ ସହିତ ତାଙ୍କର ଶେଷ ଯୋଗସୂତ୍ରଟି ଯେପରି ବିଚ୍ଛିନ୍ନ ହୋଇଗଲା ।

 

ଆଜିକାଲି ନିଜ ପୁଅ, ବୋହୁ, ସାଙ୍ଗସାଥୀ କାହାରିକୁ ବୁଝି ପାରନ୍ତି ନାହିଁ ନାରଣ ଦାସ । ସମସ୍ତେ ଯେମିତି ସୁଖ ନାମକ ଶୁକ ପକ୍ଷୀଟିକୁ ନିଜ ପଞ୍ଜୁରୀରେ ଭର୍ତ୍ତି କରିବା ପାଇଁ ଧଇଁସଇଁ ହୋଇ ଧାଇଛନ୍ତି । କେଉଁଟା ନ୍ୟାୟ, କେଉଁଟା ଅନ୍ୟାୟ ସେକଥା ବୁଝିବା ପାଇଁ ସେମାନଙ୍କର ସମୟ ନାହିଁ, ସେଇ ସ୍ୱାର୍ଥପର ମଣିଷଙ୍କ ମେଳରେ ନିଜକୁ ବଡ଼ ଏକୁଟିଆ ମନେ କରନ୍ତି । ଅତି ଆପଣାର ଲୋକ ବି ତାଙ୍କୁ ଅଚିହ୍ନା ଅଚିହ୍ନା ମନେ ହୁଅନ୍ତି । ତାଙ୍କର ଧାରଣା ହୁଏ ସେ ପହଲି ମହାରଣା, ଗୋକୁଳି ଭୋଳ ଭଳି ଜେଲ୍‍ରେ ଶହୀଦ୍ ହୋଇଯାଇଥିଲେ ବଞ୍ଚିଯାଇ ଥାଆନ୍ତେ । ମହାତ୍ମା ଗାନ୍ଧୀ ବି ଆତତାୟୀ ହାତରେ ମରି ବଞ୍ଚିଗଲେ । ସେ ବଞ୍ଚି ରହିଲେ କେବଳ ମରଣ ଯନ୍ତ୍ରଣା ଭୋଗ କରିବା ପାଇଁ !

 

ଜେଲ ଭିତରେ ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବାକୁ ଗଲାବେଳେ ଇନକିଲାବ-ଜିନ୍ଦାବାଦ୍ ଏଇ ଧ୍ୱନିଦେବା ଥିଲା ଗୋକୁଳି ଭୋଳର ଦୈନନ୍ଦିନ ଅଭ୍ୟାସ । ଜେଲ କର୍ତ୍ତୃପକ୍ଷ ଏଥିରେ ରାଗିଯାଇ ତା ରେସନ ପରିମାଣ ଅଧା କରି ଦେଇଥିଲେ । ସେଇ ଅନ୍ୟାୟର ପ୍ରତିବାଦରେ ଆମରଣ ଅନଶନ କରିଥିଲା ଗୋକୁଳି । ଏକୋଇଶି ଦିନ ପରେ ଉପବାସରେ ‘ଇନକିଲାବ-ଜିନ୍ଦାବାଦ୍’ ଧ୍ଵନି ଦେଇ ସେ ଆଖିବୁଜା ଶହୀଦ ହୋଇ ଯାଇଥିଲା। ତା ଆରଦିନଠାରୁ ଜେଲରେ ଥିବା ଚାରିଶତ ଏକାବନ ଜଣ ସତ୍ୟାଗ୍ରହଙ୍କ କଣ୍ଠରେ ଇନକିଲାବ-ଜିନ୍ଦାବାଦ୍ ଧ୍ଵନି ଝଂକୃତ ହେଲା । କାରାଗାରର ପ୍ରାଚୀର ଭେଦ କରି ସେ ଧ୍ଵନି ବାହାର ପୃଥିବୀ ଲୋକଙ୍କ କାନରେ ପହଞ୍ଚିଥିଲା କି ନାହିଁ ତାଙ୍କୁ ଜଣା ନାହିଁ । କିନ୍ତୁ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଛାତି ଦବି ଯାଇଥିଲା । ଗୋକୁଳ ଭୋଳର ରାସ୍ତା ଧରି ଯଦି ସବୁ ରାଜବନ୍ଦୀ ଅନଶନ କରନ୍ତି, ଶହୀଦ ହୁଅନ୍ତି, ତାର ପରିଣାମ ଯେ ବିସ୍ମୟ ହେବ, ସେକଥା ଗୋରା ସୁପରିଣ୍ଟେଣ୍ଡେଣ୍ଟ ସାହେବ ବୁଝିଥିଲେ । କାରାରୁଦ୍ଧ ସତ୍ୟାଗ୍ରହୀମାନକୁ ସେଥିପାଇଁ ଗୋକୁଳି ଭୋଳର ମୃତ୍ୟୁ ପରେ ସ୍ଲୋଗାନ ଦେବାର ସ୍ଵାଧୀନତା ମିଳିଗଲା । କିନ୍ତୁ ସେକଥା କଅଣ ଜାଣିଲା ଗୋକୁଳି ଭୋଳ ?

 

ଜେଲ୍ ଭିତରେ ଗୋକୁଳିର ଆତ୍ମତ୍ୟାଗ ଯୋଗୁଁ ସ୍ଲୋଗାନ ଦେବାର ଦାବୀ ହାସଲ କଲା ଦିନ ନାରଣ ଦାସ ନିଜେ ଶୋଇ ଶୋଇ ମୃତ୍ୟୁର ସ୍ଵପ୍ନ ଦେଖିଥିଲେ । ଦେଶ ପାଇଁ ଶହୀଦ ହେବା ଚିନ୍ତାକଲେ ମନ ଯେ ଏକ ପବିତ୍ର ପରିତୃପ୍ତି ଓ ସ୍ନିଗ୍ଧ ଆନନ୍ଦରେ ଭରିଯାଏ, ସେକଥା ସେ ପ୍ରଥମେ ସେଦିନ ଅନୁଭବ କରିଥିଲେ। କିନ୍ତୁ ଆଜିକାଲି ଲୋକେ ଅକାରଣରେ କଳିକଜିଆ କରି ଛୁରୀ ମରାମରି ହୋଇ ମରନ୍ତି, ରାସ୍ତାଘାଟରେ ଦୁର୍ଘଟଣାରେ ମରନ୍ତୁ; କିନ୍ତୁ ଦେଶ ପାଇଁ, ଜାତି ପାଇଁ ମହତ୍ କାର୍ଯ୍ୟ କରି ମରିବା କଥା ଭାବିଲେ ସେମାନଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଏ ।

 

କଥାଟା ଭାବିଲେ ନିଜ ଛାତି ଭିତରେ ଯନ୍ତ୍ରଣା ଅନୁଭବ କରନ୍ତି ନାରଣ ଦାସ । ଛଅଷଠି ବର୍ଷର ଜୀବନଟା ତାଙ୍କୁ ଦୁର୍ବିହ ମନେହୁଏ ।

 

ମଧୁମିତା ଦିନେ ଆସି କହିଲା–ବାବା ! ମୋର କୋରାପୁଟ ବଦଳି ହୋଇଯାଇଛି । ଆପଣ ଟିକିଏ ମନ୍ତ୍ରୀକୁ କହିଲେ ଏ ବଦଳି ଆଦେଶ ବାତିଲ ହୋଇଯାଆନ୍ତା !

 

ନାରଣ ଦାସ ବିସ୍ମୟରେ ଉତ୍ତର ଦେଲେ ଶିକ୍ଷୟିତ୍ରୀ ଚାକିରୀ କଲେ ବଦଳି ହୁଏ । ଏ ବଦଳି ଆଦେଶ ବାତିଲ କରିବାକୁ ମୁଁ ମନ୍ତ୍ରୀଙ୍କୁ କହିବି କାହିଁକି ? ଆଉ କୋରାପୁଟ ବେଶ୍ ଭଲ ଜାଗା ମାଆ !

 

ମଧୁମିତା ବିରକ୍ତ ହୋଇ କହିଲା -ଯେଉଁମାନେ ସ୍ୱାଧୀନତା ପାଇଁ ଜେଲ ଯାଇଥଲେ ସ୍ୱାଧୀନତା ପରେ ସେମାନେ କେତେ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି । ଆପଣ ନିଜେ କିଛି କରିବେ ନାହିଁ; ଆମକୁ ମଧ୍ୟ ଭଲରେ ରହିବାକୁ ଦେବେ ନାହିଁ ?

 

ବୋହୁର କଥା ଶୁଣି ଖୁବ୍ ରାଗିଗଲେ ନାରଣ ଦାସ । ସେ ଉତ୍ତେଜିତ ଭାବରେ ଉତ୍ତର ଦେଲେ-ସ୍ଵାଧୀନତା ପାଇଁ ଜେଲ ଯାଇଥିଲି ବୋଲି ସ୍ଵାଧୀନତା ପରେ ମୁଁ ଅନ୍ୟାୟ ଭାବରେ ସେଥିରୁ ଲାଭ ଉଠାଇବି ? ଛି ଛି ଯାହାଙ୍କ ନେତୃତ୍ଵରେ ସ୍ଵାଧୀନତା ଆସିଲା, ସେହି ମହାତ୍ମା ଗାନ୍ଧୀ ସ୍ୱାଧୀନତା ପରେ ନିଜର ଲାଭ ପାଇଁ କୌଣସି ପଦ ପଦବୀ ଚାହିଁଥଲେ ? କହ ଚୁପ୍ ରହିଲୁ କାହିଁକି ?

 

ମଧୁମିତା ଚୁପ୍ ରହିଲା ନାହିଁ ।

 

ସେ ମଧ୍ୟ ତାଙ୍କୁ ଶୁଣାଇ ଶୁଣାଇ କହିଲା–ପିଲାଛୁଆଙ୍କୁ ଛାଡ଼ି ମୁଁ କୋରାପୁଟ ଯାଇ ପାରିବି ନାହିଁ । ମୁଁ ଚାକିରି ଛାଡ଼ି ଦେଲେ କ୍ଷୀରବାଲାକୁ ପ୍ରତି ମାସରେ ଟଙ୍କା ଦିଆଯିବ କିପରି ?

 

ନାରଣ ଦାସ ମାଛ-ମାଂସ ଖାଆନ୍ତି ନାହିଁ । ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ଡାକ୍ତର ତାଙ୍କୁ ଉପଦେଶ ଦେଇଥିଲେ । ସେଥିପାଇଁ ଗୋଟିଏ ଦୂଧବାଲା ଅଧ କିଲୋ ଲେଖାଏଁ କ୍ଷୀର ଦେଇ ଯାଉଥିଲା । ବୋହୂ ଶେଷରେ ସେଇ କଥା ଖୁଞ୍ଚା ଦେଲା ।

 

ତା ଆରଦିନଠାରୁ ନାରଣ ଦାସ କ୍ଷୀରପିଆ ଛାଡ଼ି ଦେଲେ । ଦୁଧବାଲା କ୍ଷୀର ଦେବା ବନ୍ଦ କରି ଦେଲା । ପୁଅ-ବୋହୁ ସେ ବିଷୟରେ ତାଙ୍କୁ ଆଉ ବଳେଇ ନାହାନ୍ତି ।

 

ପୁଅ ସହିତ ସମ୍ପର୍କର ସୂତ୍ର ଆଗରୁ ଛିଡ଼ିଯାଇଥିଲା । ବୋହୁ ସହିତ ସେଦିନ ଘଟଣା ପରେ ମମତାର ବନ୍ଧନ ମଧ୍ୟ ଶିଥିଳ ହୋଇଗଲା ।

 

ନାରଣ ଦାସ ନିଜ ପାରିବାରିକ ଜୀବନରେ ବଡ଼ ନିଃସଙ୍ଗ, ଅଦରକାରୀ, ଅବ୍ୟବହୃତ ଜିନିଷ ଭଳି ଉପେକ୍ଷିତ ହୋଇ ପଡ଼ି ରହିଲେ । ସତେ ଯେପରି ନିଜ ଗୃହରେ ସେ ଜଣେ ପ୍ରବାସୀ !

 

ଦେହ ଖରାପ ହେଲେ ସେ ଘରେ କାହାକୁ କହନ୍ତି ନାହିଁ । ସେ ବୁଝି ଯାଇଛନ୍ତି, ଏ ଯୁଗର ଅର୍ଥ ହେଉଛି ସବୁକଛି । ଯାହାର ଅର୍ଥ ରୋଜଗାର କରିବାର କ୍ଷମତା ନାହିଁ ତା ଜୀବନର କୌଣସି ମୂଲ୍ୟ ନାହିଁ । ଅର୍ଥହୀନ ହେଲେ ସାଧୁ,ସଚ୍ଚୋଟ ଲୋକଙ୍କୁ ସମାଜରେ ଯେପରି କେହି ପଚାରନ୍ତି ନାହିଁ, ଟଙ୍କା ରୋଜଗାର କରିପାରୁ ନ ଥିଲେ ପରିବାରରେ ମଧ୍ୟ କେହି ମୁହଁକୁ ଚାହାଁନ୍ତି ନାହିଁ ।

 

ପୁଅ ବୋହୁ, ନାତି ନାତୁଣୀ କାହାରିକୁ ସେ ଏଥିପାଇଁ ଦୋଷ ଦେଇ ପାରନ୍ତି ନାହିଁ । ସେମାନେ ନିଜ ଆଖିରେ ଦେଖିଛନ୍ତି ସ୍ଵାଧୀନତା ସଂଗ୍ରାମରେ ଯେଉଁମାନେ ଗୋଟିଏ ପଇସାର ତ୍ୟାଗ କରିଥିଲେ, ସ୍ୱାଧିନତା ପରେ ସେଇ ତ୍ୟାଗକୁ ମୂଳପୁଞ୍ଜି କରି ଲକ୍ଷ ଲକ୍ଷ ଟଙ୍କା ସେମାନେ ଲୁଟି ନେଉଛନ୍ତି । ସେ ଦୃଷ୍ଟିରୁ, ସେ ଅକ୍ଷମ, ଅପଦାର୍ଥ । ଅତୀତର ତ୍ୟାଗକୁ ପୁଞ୍ଜି କରି ସମ୍ଭୋଗର ସାମଗ୍ରୀ ସେ କ୍ରୟ କରି ଜାଣନ୍ତି ନାଇଁ ।

 

ସେ ନିଜ ମନକୁ ନିଜେ ପ୍ରଶ୍ନ କରନ୍ତି, ସ୍ଵାଧିନତା ପରେ ସୁଖରେ ରହିବେ ବୋଲି କଅଣ ସେ ଦାରୋଗା ଚାକିରୀ ଛାଡ଼ି ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ଵାଧୀନତା ଲଢ଼େଇରେ ଯୋଗ ଦେଇଥିଲେ...ଦୁଃଖ କଷ୍ଟ ସହିଥିଲେ ? ମହାତ୍ମା ଗାନ୍ଧୀଙ୍କ ବହୁସ୍ଵପର ଭାରତବର୍ଷରେ ଏ କଅଣ ହେଲା ଓ କୁଆଡ଼େ ଗଲା ତ୍ୟାଗର ମହତ୍ତ୍ଵ, ଦେଶପ୍ରୀତିର ଆଦର୍ଶ ?

 

ନାରଣ ଦାସଙ୍କ ଆଖି ଲୁହରେ ଅନ୍ଧ ହୋଇଆସେ । ବଞ୍ଚି ରହିବାର ଲୋଭ ମନରୁ କ୍ରମଶଃ ଝାପ୍‍ସା ହୋଇଯାଏ । ପହଲି ମହାରଣା, ଗୋକୁଳି ଭୋଳ, ମହାତ୍ମା ଗାନ୍ଧୀଙ୍କ ଭଳି ଶହ ଶହ ଶହୀଦଙ୍କ ମୁହଁ ତାଙ୍କ ଆଖିରେ ନାଚିଯାଏ । ମନେ ମନେ ସେମାନଙ୍କୁ ସେ ଈର୍ଷା କରନ୍ତି । ସ୍ୱାଗତୋକ୍ତି କଲାଭଳି କହନ୍ତି–ଆପଣମାନେ ଭାଗ୍ୟବାନ୍ । ଇଣ୍ଡିଆର ଏ ଅଧଃପତନ ଦେଖିବା ଆଗରୁ ଆପଣମାନେ ଚାଲିଯାଇଛନ୍ତି । ଦେଶବାସୀଙ୍କୁ ଆପଣମାନେ କେବଳ ଶ୍ରଦ୍ଧା କରିଗଲେ, ମୋ ଭଳି ସେମାନଙ୍କ ପାଇଁ ଦୁଃଖ କରିବାର ଦୁର୍ଭାଗ୍ୟ ଆପଣମାନଙ୍କର ହୋଇ ନାହିଁ !

 

ମଧୁମିତା କୋରାପୁଟରେ ଶଶୁରଙ୍କ ଅସୁସ୍ଥତାର ସମ୍ବାଦ ଖବରକାଗଜରୁ ପଢ଼ିଲା । ସମ୍ବାଦପତ୍ରର ଭିତର ପୃଷ୍ଠାରେ ନାରଣ ଦାସଙ୍କ ଅସୁସ୍ଥତାର ସମ୍ବାଦ ଛୋଟ ଛୋଟ ଅକ୍ଷରରେ ଛପା ହୋଇଥିଲା ।

 

ସମ୍ବାଦଟା ପଢ଼ି ଚମକି ଉଠିଲା ମଧୁମିତା ।

 

ସେଇଦିନ ସ୍କୁଲରୁ ଛୁଟି ନେଇ ଶଶୁରଙ୍କ ପାଇଁ ଫଳମୂଳ, ଔଷଧ ଧରି ସେ କଟକ ପଳାଇ ଆସିଲା ।

 

ସ୍ତ୍ରୀକୁ ଦେଖି ସନାତନ ବିସ୍ମିତ ହେଲା ।

 

ପ୍ରଶ୍ନ କଲା -ଛୁଟି ତ ନଥିଲା । ହଠାତ୍ ଚାଲି ଆସିଲ କାହିଁକି ?

 

ମଧୁମିତା ସଂକ୍ଷେପରେ ଉତ୍ତର ଦେଲା–ଖବରକାଗଜରେ ବାପାଙ୍କ ଅସୁସ୍ଥତା ସମ୍ବାଦ ପଢ଼ିଲି । ମୋର ବୁଝିବାକୁ ବାକି ରହିଲା ନାହିଁ ଯେ ଅବସ୍ଥା ସାଂଘାତିକ । ତା ନ ହେଲେ ଖବରକାଗଜରେ ସମ୍ବାଦ ଛପା ହୁଅନ୍ତା ନାହିଁ । ବାପା କେମିତି ଅଛନ୍ତି ?

 

ସନାତନ ନିର୍ଲପ୍ତ ଭାବରେ ଉତ୍ତର ଦେଲା-ବାପାଙ୍କ ଅସୁସ୍ଥତା ଆକସ୍ମିକ ନୁହେଁ । ସେ ଅନେକ ଦିନ ହେଲା ଶଯ୍ୟାଶାୟୀ । ବୟସ ହୋଇଯାଇଛି । ଘାଣ୍ଟି ହେବା ଅପେକ୍ଷା ଚାଲିଯିବା ଭଲ । ଏଥିପାଇଁ ତମେ ଅକାରଣରେ ଛୁଟି ନେଇ ଚାଲି ଆସିଲ ?

 

ମଧୁମିତାର ମୁହଁ ରକ୍ତହୀନ ଦେଖାଗଲେ । ସେ କ୍ଷୀଣ କଣ୍ଠରେ ଆର୍ତ୍ତନାଦ କରି ଉଠିଲା-ତମେ ଏ କଅଣ କହୁଛ ? ଯାହାହେଲେ ବି ସେ ତମର ବାପା । ସ୍ଵାଧୀନତା ସଂଗ୍ରାମର ଯୋଦ୍ଧା । ଦେଶର ଗୌରବ । କେନ୍ଦ୍ର ସରକାର ସ୍ୱାଧିନତା ସଂଗ୍ରାମରେ ସେ ସାତ ବର୍ଷ ଜେଲ୍‌ ଯାଇଥିବା ହେତୁ ତାଙ୍କ ପାଇଁ ମାସିକ ପାଞ୍ଚଶହ ଟଙ୍କା ଭତ୍ତା ମଞ୍ଜୁର କରିଛନ୍ତି...ଏଇ ଦେଖ ଏ ସମ୍ପର୍କରେ ଆସିଥିବା ଚିଠି ।

 

ମାସିକ ପାଞ୍ଚଶହ ଟଙ୍କା ଭତ୍ତା !

 

ମଧୁମିତା ଭଳି ସନାତନ ମଧ୍ୟ ଏଥର ଚମକି ଉଠିଲା । ଅନେକ ଦିନ ତଳେ ସେ ବାପାଙ୍କ ଇଚ୍ଛା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ପାଖକୁ ଯୋରକରି ଗୋଟାଏ ଆବେଦନ ପତ୍ରରେ ତାଙ୍କ ଦସ୍ତଖତ କରି ପଠାଇ ଦେଇଥଲା । କିନ୍ତୁ ତାଙ୍କର ସେ ଆବେଦନ ବିନା ଧରାଧରିରେ ମଞ୍ଜୁର ହେବ ସେକଥା କୌଣସି ଦିନ ସେ ବିଶ୍ୱାସ କରି ନ ଥିଲା ।

 

ମଧୁମିତା କାଗଜଟା ବାହାର କଲା । ମାତ୍ର ଚାରିଦିନ ତଳେ ତା ମାର୍ଫତରେ ଚିଠିଟା ଆସିଛି । କେନ୍ଦ୍ର ସରକାର ଆନନ୍ଦର ସହିତ ସ୍ଵାଧୀନତା ସଂଗ୍ରାମୀ ନାରଣ ଦାସଙ୍କୁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ମାସିକ ପାଞ୍ଚଶହ ଟଙ୍କା ଭତ୍ତା ମଞ୍ଜୁର କରିଛନ୍ତି ।

 

କାଗଜ ଉପରେ ସନାତନ ଓ ମଧୁମିତାଙ୍କ ଚାରୋଟି ଆଖି ଆନନ୍ଦ ଓ ଉଦ୍‍ବେଗରେ ସ୍ଥିର ହୋଇ ରହି ଯାଇଥିଲା । ସତେ ଯେପରି ଜୀବନରେ ଏଇ ପ୍ରଥମ ଥର ଏ କାଗଜଟା ଦେଖି ସେ ଜାଣୁଛନ୍ତି ନାରଣ ଦାସ ପ୍ରକୃତରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ! ଦେଶ ପାଇଁ ସାତବର୍ଷ ଜେଲଦଣ୍ଡ ଭୋଗ କରିଥିଲେ !

 

ମଧୁମିତା କହିଲା ଛି ଛି, ତମେ ଆଉ ଡେରି କର ନାହିଁ । ଶୀଘ୍ର ଡାକ୍ତର ଡାକ । ବାବାଙ୍କୁ ଯେପରି ଭାବରେ ହେଉ ବଞ୍ଚାଇ ରଖିବାକୁ ପଡ଼ିବ । ସେ ଦେଶର ଗୌରବ, ଜାତିର ଆଦର୍ଶ । ଯାଅ - ।

 

ସନାତନ ବିଳମ୍ବ ନ କରି ଡାକ୍ତର ଡାକିବାକୁ ଝଡ଼ଭଳି ବେଗରେ ବାହାରିଗଲା ।

 

ନାରଣ ଦାସ ମୃତ୍ୟୁର ଶରଶଯ୍ୟାରେ ନୟନ ମୁଦ୍ରିତ କରି ପଡ଼ି ରହିଥିଲେ । ଯନ୍ତ୍ରଣାରେ ତାଙ୍କର ସାରା ଦେହ କଣ୍ଟକିତ ବୋଧ ହେଉଥିଲା । ସେ ନିଃଶ୍ୱାସ ନେବାକୁ କଷ୍ଟବୋଧ କରୁଥିଲେ । ହଠାତ୍ ତାଙ୍କ ପାଦରେ କାହା ହାତର ସ୍ପର୍ଶ ଅନୁଭବ କରି ସେ ପ୍ରଶ୍ନ କଲେ, -କିଏ ? ଗୋକୁଳି ?

 

ନା-ବାବା ! ମୁଁ ମିତା । ଆପଣଙ୍କ ଦେହ କଥା ଶୁଣି କୋରାପୁଟରୁ ଚାଲି ଆସିଛି ।

 

ବୋହୁର କଣ୍ଠସ୍ୱର ଭଳି ଶୁଭୁଛି, କିନ୍ତୁ ବୋହୁ ଆସି ତାଙ୍କର ପାଦସେବା କରୁଛି, ସେକଥା ସେ ବିଶ୍ୱାସ କରି ପାରୁ ନ ଥିଲେ ।

 

ଜେଲ୍‍ରେ ଥିଲାବେଳେ ଜଣଙ୍କର ଦେହ ଖରାପ ହେଲେ ଆଉ ଜଣେ ରାଜବନ୍ଦୀ ତାର ସେବା କରୁଥିଲା । ତାଙ୍କ ଦେହ ସାମାନ୍ୟ କିଛି ଅସୁସ୍ଥ ହେଲେ ଗୋକୁଳି ଭୋଳ ସେବା କରେ । ଘଷାମୋଡ଼ା କରେ । ତେଲ ମାଲିସ କରିଦିଏ । ଏବେ ଅସୁସ୍ଥ ହୋଇ ପଡ଼ିବା ପରେ ଗୋଡ଼ ଘୋଳି ହେଲେ ସେଇ ଗୋକୁଳି ଭୋଳ କଥା ତାଙ୍କର ମନେ ପଡ଼ିଯାଏ । ତାର ମୃତ୍ୟୁକାଳୀନ ମୁହଁର ଦୃଶ୍ୟ ଆଖିରେ ନାଚିଯାଏ । ସେଥିପାଇଁ ପାଦରେ କାହା ହାତରେ ସ୍ପର୍ଶ ଅନୁଭବ କରିବା ମାତ୍ରେ ଗୋକୁଳି ନାମଟା ତାଙ୍କ ପାଟିରୁ ହଠାତ୍ ବାହାରି ଆସିଥିଲା ।

 

ମଧୁମିତା କହିଲା–ବାବା ! ମୁଁ ଆସିଛି । ଆପଣ ଭଲ ହୋଇଯିବେ । ତାଙ୍କୁ ଡାକ୍ତର ଡାକିବାକୁ ପଠାଇଛି । ଆପଣ ଭଲ ନ ହେବା ପର୍ଯ୍ୟନ୍ତ ମୁଁ କୋରାପୁଟ ଯିବି ନାଇଁ ।

 

ନାରଣ ଦାସ ବୁଝିଲେ, ସ୍ଵପ୍ନ ନୁହେଁ; ସତରେ ଆସିଛି ତାଙ୍କ ବୋହୁ ମଧୁମିତା । ସେ ତାକୁ ମୁଣ୍ଡ ପାଖକୁ ଆସିବା ପାଇଁ କହିଲେ । ମଧୁମିତା ଲୁହ ଛଳ ଛଳ ଆଖିରେ ଶଶୁରଙ୍କ ମୁହଁକୁ ଚାହିଁ କହିଲା–ବାବା ! ଆପଣ ଭୟ କରନ୍ତୁ ନାଇଁ । ସେ ଡାକ୍ତର ଡାକିବାକୁ ଯାଇଛନ୍ତି ! ଆପଣ ଦିନ ଦୁଇଟାରେ ସୁସ୍ଥ ହୋଇ ଯିବେ ।

 

ନାରଣ ଦାସ ସ୍ଥିତପ୍ରଜ୍ଞ ଭଳି ଅବିଚଳିତ କଣ୍ଠରେ ଉତ୍ତର ଦେଲେ-ନା', ମାଆ ! ମରଣଙ୍କୁ ନେଇ ଭୟ ନାହିଁ । ଦେଶ ସ୍ଵାଧୀନ ହେଲା ପରେ ମୋର ଆବଶ୍ୟକତା ଶେଷ ହୋଇ ଯାଇଛି ।

 

ମଧୁମିତା ଆଉ ସମ୍ଭାଳି ପାରିଲା ନାହଁ । କହିଦେଲା–ନା, ବାବା ! ଦେଶପାଇଁ ଆପଣଙ୍କୁ ଆହୁରି ଅନେକ ବର୍ଷ ବଞ୍ଚି ରହିବାକୁ ହେବ । ସ୍ୱଧୀନତା ସଂଗ୍ରାମୀ ଭାବରେ କେନ୍ଦ୍ର ସରକାର ଆପଣଙ୍କୁ ମାସିକ ପାଞ୍ଚଶହ ଟଙ୍କା ଭତ୍ତା ଦେବେ ବୋଲି ଚିଠି ଦେଇଛନ୍ତି ...ମୁଁ ଆପଣଙ୍କ ସେବା କରିବି -

ବୋହୁର କଥାଶୁଣି ନାରଣ ଦାସ ହଠାତ୍ ନିଜ ଛାତି ଭିତରେ ଏକ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । କିନ୍ତୁ ଭାଙ୍କ ଓଠରେ ଏକ ଉଜ୍ୱଳ ହସର ଢେଉ ଉଦ୍‍ବେଳିତ ହୋଇ ଉଠିଲା ।

 

ସେ କ୍ଷୀଣ କଣ୍ଠରେ କହିଲେ-ମାଆ ! ସରକାରୀ ମାସିକ ଭତ୍ତା ଭଳି ତୋର ସ୍ନେହ ମତେ ଖୁବ୍ ଡେରିରେ ମିଳିଲା । ମୁଁ ତାକୁ ଭୋଗ କରି ପାରଲି ନାହିଁ–

 

ମଧୁମିତା ଲକ୍ଷ୍ୟ କଲା ଶଶୁରଙ୍କ ମୁହଁର ରଙ୍ଗ ହଠାତ୍ ବଦଳି ଗଲା । ଆଖି ବୁଜି ହୋଇଆସିଲା । ମୁହଁଟି ମନେ ହେଲା ଜଣେ ଶହୀଦର ମୁହଁ ଭଳି ଯେଉଁ ଶହୀଦମାନଙ୍କ ମୁହଁର ଛବି ମଧୁମିତା କେବଳ ଛବିରେ ଦେଖିଛି ।

Image

 

ଇନଭେଣ୍ଟ୍ରି

ଶ୍ରୀ ରମେଶ ଧଳ

 

କୋର୍ଟ ହୁଦା ପକାଇ କମଳଲୋଚନ ଆଗେଇଲା । କବାଟ ପାଖରେ ଠିଆ ହୋଇ ଠକ୍‍କକ୍‍ କଲା । ଜନୈକ ବୃଦ୍ଧ କବାଟ ଖୋଲି ପ୍ରଶ୍ନ କଲେ, କାହାକୁ ଖୋଜୁଛନ୍ତି ?

 

“ଏ ଘର ବିନୋଦ ବଳିୟାର ସିଂଙ୍କର ?

 

“ହଁ ।”

 

“ମୁଁ ହେଉଛି କୋର୍ଟ ପିଅନ । ସବ୍‍ଜଜଙ୍କ କୋର୍ଟରୁ ଆସିଛି । କମିଶନର ଠିଆ ହୋଇଛନ୍ତି । ବଳିୟାର ସିଂହଙ୍କ ନାମରେ ନରେନ୍ଦ୍ର ବଳିୟାର ସିଂହ ମକଦ୍ଦମା କରିଛନ୍ତି । ଏ ଘର ଇନ୍‍ଭେଣ୍ଟ୍ରି ହେବ । ବଳିୟାର ସିଂହ ଅସୁସ୍ଥ । ଦୀର୍ଘଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଆଜି ଏଇ ଡାକ୍ତରଖାନାରୁ ଆସି ପହଞ୍ଚିଛନ୍ତି; ତାଙ୍କୁ ଡାକନ୍ତୁ ।

 

“ସେ ଉଠି କରି ଆସିବା ସମ୍ଭବ ନୁହେଁ ।”

 

“ତେବେ ଚାଲନ୍ତୁ । ସେ କେଉଁଠାରେ ଅଛନ୍ତି ମୋତେ ସେଠାକୁ ନେଇ ଚାଲନ୍ତୁ ।”

ପିଅନ ଧୀରେ ଧୀରେ ଭଦ୍ରଲୋକଙ୍କ ପଛେ ପଛେ ଚାଲିଲେ ।

 

ବଳିୟାର ସିଂ ବାରଣ୍ଡାରେ ଶୋଇଛନ୍ତି । ତାଙ୍କୁ କେଇଜଣ ଘେରି ଠିଆ ହୋଇଛନ୍ତି । ଜଣେ ସ୍ତ୍ରୀଲୋକ ପଙ୍ଖା କରୁଛନ୍ତି । ଅନ୍ୟ ଜଣେ ତାଙ୍କ ମୁହଁ ପୋଛି ଦେଉଛନ୍ତି ।

 

ବଳିୟାର ସିଂହ ମୁହଁ ବୁଲାଇଲେ । ଆସ୍ତେ ଧୀର ସ୍ଵରରେ ପଚାରିଲେ କ'ଣ ବାପା, ତୁମେ କିଏ ? କଣ କହୁଛ ?

 

ମୁଁ ସବ୍‍ଜଜ୍‍ଙ୍କ ପିଅନ । ଆପଣଙ୍କ ଘର ଇନ୍‍ଭେଣ୍ଟ୍ରି ହେବ । କମିଶନର ଆସିଛନ୍ତି, ବାବୁ ଠିଆ ହୋଇଛନ୍ତି । ମୁଁ ନୋଟିସ ଦେଉଛି । ଆପଣ ଦସ୍ତଖସ୍ତ କରନ୍ତୁ । ଆପଣଙ୍କ ନାମରେ ନରେନ୍ଦ୍ର ବଳିୟାର ସିଂହ ମକଦ୍ଦମା କରିଛନ୍ତି । ଏହା କହି କମଳ ନୋଟିସ୍ ପଢ଼ି ଶୁଣାଇ ଦେଲେ । ପରିବେଶରେ ସାମାନ୍ୟ ଉତ୍ତେଜନା ଓ ଆତଙ୍କ ।
 

 

ନୋଟିସ

 

କୋର୍ଟ ଅଫ୍ ସବ୍‍ଜଜ୍‍, କଟକ

 

ଓ. ଏସ. ନଂ ୧୪/୭୪

 

ନରେନ୍ଦ୍ର ବଳିୟାର ସିଂହ–ମୁଦେଇ

 

ବନାମ

 

ବିନୋଦ ବଳିୟାର ସିଂହ- ମୁଦାଲା

 

ଉପରୋକ୍ତ ମକଦ୍ଦମାରେ କୋର୍ଟ, ଆମ୍ଭେ ଶ୍ରୀ ଏନ୍. ସି. ମହାଖୁଡ଼ ଆଡ଼ଭୋକେଟଙ୍କୁ କମିଶନର ରୂପେ ନିଯୁକ୍ତ କରି ଅଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶମତେ ମୁଁ ଆପଣଙ୍କ ଘରେ ଇନ୍‍ଭେଣ୍ଟ୍ରି କରିବି । ଏହି ଇନ୍‍ଭେଣ୍ଟ୍ରି କାର୍ଯ୍ୟ ଦିନ ୯ ଘଣ୍ଟାରୁ ଚାଲିବ । ଉଭୟ ପକ୍ଷ ଉପସ୍ଥିତି ରହି ଆମର କାର୍ଯ୍ୟରେ ସହଯୋଗ କରବା ନିମନ୍ତେ ମୁଁ ଏହି ନୋଟିସ ଦେଉଅଛି ।

 

କମିଶନର

ତା ୧/୧/୭୪

 

ବିନୋଦ ବଳିୟାର ସିଂହ ଦୀର୍ଘ ନିଶ୍ୱାସ ତ୍ୟାଗ କରି ବହୁ କଷ୍ଟରେ ନୋଟିସରେ ଦସ୍ତଖସ୍ତ କଲେ । ଦୀର୍ଘ ଅସୁସ୍ଥତା ହେତୁ ସେ ଅତି ଶୀର୍ଣ୍ଣ ହୋଇ ଯାଇଥିଲେ । ଜୋର୍‍ରେ କଥା ମଧ୍ୟ କହି ପାରୁ ନ ଥିଲେ । ତାଙ୍କ ଆଖିରୁ ଦୁଇଧାର ଲୁହ ବୋହି ଆସିଲା । ସେ ଆଉ ଥରେ ନିଶ୍ୱାସ ଛାଡ଼ିଲେ । ରୁଦ୍ଧ କଣ୍ଠରେ କହିଲେ ‘‘ନରି ମକଦ୍ଦମା କରିଛି ? ହଉ ତା’ ଇଚ୍ଛା । ପୁଅତ ମକଦ୍ଦମା କରିଛି । ଆଉ କହିବି କାହାକୁ ?” ସେବାରତା ବୃଦ୍ଧା ସହଧର୍ମିଣୀ ଆପଣାର ଗୃହ ମଧ୍ୟରେ ଏ କାଣ୍ଡ ଦେଖି ହତବାକ୍ ହୋଇ ପଡ଼ିଥାନ୍ତି ।

 

“କମିଶନର ଇନ୍‍ଭେଣ୍ଟ୍ରି କରିବାକୁ ଯିବା ପୂର୍ବରୁ କହିଲେ-ବଳିୟାର ସିଂହ-ବାବୁ ଆସନ୍ତୁ । ଇନ୍‍ଭେଣ୍ଟ୍ରି ଆରମ୍ଭ କରିବା । ଅପଣଙ୍କ ଉପସ୍ଥିତି ଏକାନ୍ତ ଲୋଡ଼ା ।”

 

“ଆଜ୍ଞା, ମୁଁ ମଲିଣି ବୋଲି ଧରି ନିଅନ୍ତୁ । ଗତ ଛ'ମାସ ହେବ ମୁଁ ଡାକ୍ତରଖାନାରେ ମୃତ୍ୟୁକୁ ଅପେକ୍ଷା କରି ରହିଛି । ଦୀର୍ଘଦିନର ରୋଗ ଚିକିତ୍ସା ପରେ ଆଶା ଥିଲା ଅନେକ ସୁସ୍ଥ ହୋଇଯିବି । ମାତ୍ର ଡାକ୍ତରମାନେ ଆଶା ଛାଡ଼ିଲେ। ଏବେ ତ ଖାଇ ପାରୁ ନାହିଁ । ଖାଲି ପାଣିରେ ଆଉ କେତେ ଦିନ ବଞ୍ଚିବି ? ଭାବିଲି ଡାକ୍ତରଖାନାରେ ମରିବି କାହିଁକି, ନିଜ ଘରେ ମରିବା ବରଂ ଭଲ । ସେଥିପାଇଁ ଆସିଲି ଘରକୁ । ଏଇତ ମୋ ଶାନ୍ତି ଦେଖୁଛନ୍ତି । ଏଥିରେ ମୁଁ ଆପଣଙ୍କ ସାଙ୍ଗରେ ଯିବି କୁଆଡ଼େ ? ବିନା ସାହାଯ୍ୟରେ ଏକାକୀ ଠିଆ ହେବା ମୋ ପକ୍ଷର କଷ୍ଟ । ତାକୁଇ ସଙ୍ଗରେ ନିଅନ୍ତୁ (ପୁଅ ନରେନ୍ଦ୍ର ଉଦ୍ଦେଶ୍ୟରେ ହାତ ଦେଖାଇ) ସିଏ ସବୁ ସବୁ ଦେଖିଛି । ଏ ଧନ ସମ୍ପତ୍ତି ତା’ର । ମୋର କିଛି ନୁହେଁ । ମୋର ଲୋଡ଼ା କେଇଖଣ୍ଡ କାଠ–।”

 

ଉପସ୍ଥିତ ଭଦ୍ରବ୍ୟକ୍ତିଗଣ ଏ ଦୃଶ୍ୟ ଦେଖି ବିବ୍ରତ ତଥା ବୃଦ୍ଧଙ୍କ ପ୍ରତି ଅନେକଟା ସମ୍ବେଦନଶୀଳ ହୋଇ ଉଠୁଥିଲେ। ତାଙ୍କର ବକ୍ତବ୍ୟ ଶୁଣି କମିଶନର କହିଲେ, ଆପଣ ଶୋଇ ରୁହନ୍ତୁ; ମାତ୍ର ଆପଣଙ୍କ ପକ୍ଷରୁ ଯିଏ ରହିଲେ ଚଳିବ, ତାକୁ ପଠାନ୍ତୁ । ପାଖରେ ଭଣଜା ବସି ତାଙ୍କର ପାଦ ଚିପୁଥିଲେ । ତାକୁ ବଳିୟାର ସିଂହ କହିଲେ “ଯା ତୁ ଯାଆ ବାବୁ ଡାକୁଛନ୍ତି । ହରି, ହରି, ରକ୍ଷା କର ।”

 

ମୁଁ ଚାଲି ଆସୁଥିଲି । ମାତ୍ର କମିଶନର କହିଲେ ଆପଣ ଚାଲିଗଲେ କିପରି ହେବ ? ଭଦ୍ରଲୋକ, ସାକ୍ଷୀ ଆଉ ଆପଣମାନେ ସହଯୋଗ ନ କଲେ ଏ କାମ ହେବ କିପରି ? ବାପ ପୁଅ କଳିରେ ନ ପଶି ଚୁପ୍ ଚାପ୍ ଚାଲିଆସିବ ବୋଲି ଭାବୁଥିଲି । ମାତ୍ର ଅଟକିଗଲି । ଅମିନ୍, ଜାମିନ୍, ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି । ପୁଣି ଭାବିଲି ଦେଖାଯାଉ । ଦେଖେ କମିଶନର କ'ଣ କରୁଛନ୍ତି ।

 

କମିଶନର ପଚାରିଲେ 'ଏ କ'ଣ ଗୁହାଳ ଘର ?

 

‘ଆଜ୍ଞା ହଁ ।’

 

କମିଶନର ଲେଖିଲେ -ଗୁହାଳ ଘର

 

ବଳଦ ୧ହଳ -ଟ ୧୦୦୦ ଙ୍କା

 

ପଣ୍ଡା ୧ହଳ -ଟ ୧୧୦୦ ଙ୍କା

 

ଦାମୁଡ଼ି ଗୋଟାଏ- ଟ ୫୨୫ ଙ୍କା

 

ଶଗଡ଼ ଦଣ୍ଡା ଗୋଟାଏ -ଟ ୫୦ ଙ୍କା

 

ନାଲ ନ ଥାଇ ଶଗଡ଼ ଚକ-ଟ ୪୦ ଙ୍କା

 

ବୋତି ୧ ଗାଡ଼ି- ଟ ୧୫ ଙ୍କା ଇତ୍ୟାଦି...ଇତ୍ୟାଦି

 

ଗୁହାଳ ଘରୁ ସେମାନେ ଆସିଲେ ଚଳନ୍ତି ଘର ଦେଖିବା ପାଇଁ ।

 

(୧) ଠାକୁର ଘର -ପିତଳ ଥାଳି ଟ ୧୫ ଙ୍କା

 

ପିତଳ ଘଣ୍ଟି ଟ ୩ ଙ୍କା

 

ପିତଳ ଦୀପ ଟ ୪ ଙ୍କା

 

(୧) ରୋଷେଇ ଘର-୨ଟା କଂସାର ବେଲା ଟ୨୪ ଙ୍କା

 

୧ଟା କଂସାର ଗରା ଟ୨୫ ଙ୍କା

 

ଛୋଟ ପିତଳ ହଣ୍ଡା ଟ୫୫ ଙ୍କା

 

ପୁରୁଣା ବାଲ୍‍ଟି ୧ଟା ଟ୧୦ଙ୍କା

 

(୩) କୋଠିଘର-ଧାନ ୧ ବସ୍ତା ଟ୬୦ଙ୍କା ଡୋଲିରେ କୁଇଣ୍ଟାଲ ଧାନ ୨ କୁଇଣ୍ଟାଲ । କୋଠି ଘର ବାରଣ୍ଡାରେ ୪ ଫୁଟିଆ ଲୁହାଛଡ଼ ୨୦ ଖଣ୍ଡ । ମୂଲ୍ୟ ଟ୧୨୫ଙ୍କା । (୪) ଠାକୁର ଘରକୁ ଲାଗି ଶୋଇବା ଘରେ -ବମ୍ବେ ପାର୍ଟନ ଖଟ ଗୋଟାଏ ଟ ୨୫ଙ୍କା, ଡ୍ରେସିଂ ଟେବୁଲ ଟ ୧୮୦ ଙ୍କା, ପୁରୁଣା ଲଣ୍ଠନ ୩ଟା ଟ ୧୫ଙ୍କା । ସେ ଘର ଛାଡ଼ିବା ପୂର୍ବରୁ କମିଶନର କହିଲେ, ଖଟ ତଳେ କ’ଣ ଅଛି ଦେଖ । ତାପରେ ଦେଖାଗଲା । ୧୨ଟି ବଳଦବନ୍ଧା ପଘା ବାହାରିଲା, କମିଶନର ଲେଖିଲେ ୧୨ଟି ପଘାର ଦାମ୍ ଟ ୧୫ଙ୍କା । ଅନ୍ୟାନ୍ୟ ଛୋଟ ଛୋଟ ଜିନିଷ ଦେଖି କହିଲେ ସେ ସବୁ ଛାଡ଼ ।

 

କମିଶନରଙ୍କ ନିର୍ଦ୍ଦେଶ ପାଇ ଦାଣ୍ଡ ପାଖ କୋଠିଘର ଖୋଲାଗଲା । ଦେଖାଗଲା ସେ ଘରେ କିଛି ନାହିଁ । ନରେନ୍ଦ୍ର କଲେ ‘ଆଉ ଆଜ୍ଞ କିଛି ନାହିଁ । ସବୁ ବିକ୍ରୀ ସରିଛି ।’

 

କେହି ଜଣେ କହିଲେ ଆପଣ ବାପ ଫୁଅଙ୍କ ଝଗଡ଼ା । ଆପଣତ ସହଜେ ଘରୁ ଚାଲିଗଲେ । ବୁଢ଼ା ଡାକ୍ତରଖାନାରେ, ଘର ବୁଝନ୍ତା କିଏ ? ପରପାଇଁ କିଏ ଘର କରି ଦେଲାଣି, କେବେ କୋଉଠି ଦେଖିଛନ୍ତି ? ବରଂ ଆପଣା ପାଇଁ ଲୋକେ ପର ଘର ଭାଙ୍ଗିଛନ୍ତି । ଯେଉଁଠାରେ ଯିଏ ଯାହା ସାମାନ୍ୟ କରିଛି ତାହା କେବଳ ଅପଣା ଆପଣା ସ୍ୱାର୍ଥ ପାଇଁ । ସ୍ୱାର୍ଥକୁ କେନ୍ଦ୍ର କରି ଏ ପୃଥିବୀ ଘୂରୁଛି । ତୁମ ଦାଦା ଯେ ଏପରି ଭାଇ ଭାଇ ହେଉଛନ୍ତି, ତା’ପଛରେ କ’ଣ କିଛି ନାହିଁ ?

 

କେହି ଜଣେ କହିଲେ ଭୀଷଣ ଧୂର୍ତ୍ତ । ମାଛ ତେଲରେ ବେଶ୍ ମାଛ ଭାଜି ପାରନ୍ତି । ବାପ ପୁଅକୁ ଲଗାଇ ଦେଇ ଏବେ ମଜା ଦେଖୁଛନ୍ତି । ଦିନେ ବାପା ବୁଝିବେ । ଅବଶ୍ୟ ସେତେବେଳକୁ ନେଡ଼ି ଗୁଡ଼ କହୁଣିକି ବୋହି ଯାଇଥିବ । କାହିଁ ଯେଉଁ ଗୁଡ଼ସବୁ ଅମଳ ହୋଇଥିଲା ସେସବୁ ଗଲା କୁଆଡ଼େ ?

 

“ସେସବୁ ଚାଲାଣ ସରିଛି । ଆଉ କ'ଣ ରଖିଛନ୍ତି । ଯାହା ପାଇଲେ ନେଲେ ।”

 

କମିଶନର ଘଡ଼ିକୁ ଚାହିଁ କହିଲେ-“ଆସ ଘ ୧୨/୧୫ ମିନଟ୍ ହେଲା । ଆଉ କେଇଟା ବଖରା ରହିଲା ?”

 

“ଆଉ ମୋଟେ ଦୁଇଟା ଘର ।" ଉପର ମହଲାରେ ଗୋଟାଏ ଶୋଇବା ଘର । ଯେଉଁଠାରେ ବୁଢ଼ା ଶୋଇଛନ୍ତି ପାଖଘରେ କିଛି ନାହିଁ । ଗୋଟାଏ ଖାଲି ବେଞ୍ଚ ପଡ଼ିଛି । ଗାଁରେ ଦୋଳ ବେଳରୁ ଯେଉଁ ଯାତ୍ରାହୁଏ ସେଥିରେ ବ୍ୟବହୃତ ଦୁଇଟି ପୁରୁଣା ସିନ୍ ପଡ଼ିଛି । 'ସେ ଆମର ନୁହେଁ’ -ଉତ୍ତର କଲା ନରେନ୍ଦ୍ର । ପଛରୁ କେହି ଜଣେ କହିଲେ-“ସେ ବେଡ଼ ରୁମଟା ଅସଲ । ଅଇରନ୍ ଚେଷ୍ଟ ସେହି ଘରେ ଅଛି । ଯଦି କିଛି ମିଳିବ ସେହି ଘରୁ ମିଳିବ।”

 

ମୁଁ ମୁହଁ ପୋଛିଲି । ମୋତେ ଭୀଷଣ ବ୍ୟସ୍ତ ଲାଗିଲା; ମଣିଷର ସମ୍ପର୍କ କଥା ଭାବି । ବାପ ପୁଅ, ଭାଇ ଭାଇ ଓ ଭାଇ ଭଉଣୀ ସମ୍ପର୍କ କଥା ନେଇ । ଯେଉଁ ବାପ ପୁଅ ପାଇଁ, ଭାଇ ଭାଇ ପାଇଁ, ଭାଇ ଭଉଣୀ ପାଇଁ ପ୍ରାଣଦେଇ ଦେଉଛି ? ସେ ପୁଣି ଆପଣାର ସ୍ଵାର୍ଥ ପାଇଁ ସବୁ ମାୟା ମମତା କ୍ଷଣକେ ତୁଚ୍ଛ କରି ନିର୍ମମ ହୋଇ ଉଠୁଛି । ସତରେ ରକ୍ତରେ ବାଡ଼ ପଡ଼ିଗଲେ ସବୁ ଏପାଖ ସେପାଖ ହୋଇଯାଏ । ସେହି ବାଡ଼ ଉପରେ ସଇତାନ ଚଢ଼ି ତା’ର ଖେଳ ଆରମ୍ଭ କରିଦିଏ । ମଣିଷ ତା’ର ଶିକାର ହୁଏ । ସେ ଆପଣାର ଭଲମନ୍ଦ ବୁଝି ପାରେ ନାହିଁ । ଏଠାରେ ବି ସେଇୟା ହୋଇଛି ।

 

ମୁଁ ଏ ଝଞ୍ଜା ଭିତରକୁ କେତେବାର ଆସିଛି । ଅଭିଜାତ୍ୟଥିବା ପରିବାର ଏ । ଉତ୍ସବ ଅନୁଷ୍ଠାନମାନଙ୍କରେ ନିମନ୍ତ୍ରଣ ପାଇଁ ଆସିଛି । ଯେଉଁ କେତେଗୋଟି ଉତ୍ସବ କଥା ସ୍ମରଣ ହେଉଛି, ସେ ଭିତରେ ଗୋଟିଏ ହେଲା ନରେନ୍ଦ୍ରର ଏକାଇଶା ଏବଂ ଆଉ ଗୋଟିଏ ହେଲା ତା’ର ବିଭାଘର । ଗୋଟିଏ ବୋଲି ପୁଅ ନରେନ୍ଦ୍ର । ଏ ଉତ୍ସବ ଦିନମାନଙ୍କରେ ବୃଦ୍ଧ ବଳିୟାର ସିଂହଙ୍କର ଆନନ୍ଦ କହିଲେ ନ ସରେ । ମୋର ମନେଅଛି ବିଭାଘର ବେଳକୁ ଅନେକ ଭଦ୍ରଲୋକ ଜମିଥାଆନ୍ତି । ମୋତେ ଦୂରରୁ ଦେଖି ଆସି ପାଛୋଟି ନେଇଥିଲେ । ପଚାରିଥିଲେ, ଆପଣ ଏପର୍ଯ୍ୟନ୍ତ କୁଆଡ଼େ ଯାଇଥଲେ ? ନରି କ’ଣ ଆପଣଙ୍କର ପୁଅ ନୁହେଁ ? ଆପଣମାନେ ସମସ୍ତେ ସହଯୋଗ ନ କଲେ ମୁଁ କ’ଣ ଏକା ଏ ବିଭାଘର ଉଠାଇ ପାରିବି ? ଏକୋଇଶା କଥା ଛାଡ଼ନ୍ତୁ । ସେଦିନପରି ଉତ୍ସାହ ଉନ୍ମାଦନା ମୁଁ କମ୍ ଦେଖିଛି । ଆଉ ଆଜି ? ଇଏ ସଇତାନର ଖେଳ ନୁହେଁ ତ ଆଉ କ'ଣ ? ମାତ୍ର ମୁଁ ନିରୁପାୟ । ଏ ଦୀର୍ଘ ନାଟକର ସାକ୍ଷୀରୂପେ କେଇଟି ଦସ୍ତଖତ ଦେବା ବ୍ୟତୀତ ମୁଁ ବା ଆଉ ଅଧିକ କ'ଣ କରିପାରନ୍ତି ?

 

ଉପର ମହଲାରେ ପହଞ୍ଚି ଦେଖନ୍ତିତ ଶୋଇବାଘର ପଲଙ୍କ ଉପରେ ବୃଦ୍ଧ ବଳିୟାର ସିଂ ଶୋଇଯାଇଛନ୍ତି । ପାଟିତୁଣ୍ଡ ଶୁଣି ସେ ଆଖି ଖୋଲିଲେ । ମନେ ହେଉଥିଲା, ସେ ଚାହାଣୀରେ ତାଙ୍କର ଲାଖି ରହିଥିଲା କ୍ଳାନ୍ତି, ବେଦନା, ଘୃଣା ଆଉ ପୁଞ୍ଜୀଭୂତ ଅଭିଯୋଗ ।

 

କମିଶନର କହିଲେ-‘‘ବିନୋଦ ବାବୁଙ୍କୁ ଅନ୍ୟତ୍ର ନିଅନ୍ତୁ । ଏଠାରେ ଗୋଳମାଳରେ ସିଏ ଶୋଇବେ କିପରି ?”

 

“ତାଙ୍କୁ ଆଉ ଅନ୍ୟତ୍ର ନେବା ସମ୍ଭବ ନୁହେଁ” ବହୁ କଷ୍ଟରେ ତାଙ୍କୁ ଉପରକୁ ଅଣାଯାଇଛି ।”

 

‘ନା ଆଜ୍ଞା' ଆପଣ କାମ କରନ୍ତୁ । ମୁଁ ଚୁପ୍‍ଚାପ୍ ଶୋଇଛି । ବୁଢ଼ାଟାକୁ ଆଉ ହଇରାଣ କରନ୍ତୁ ନାହିଁ । ଭାରି ହଇରାଣ ହୋଇ ମତେ ତଳୁ ଏଠିକୁ ଆଣିଛନ୍ତି ।

 

'ଆଚ୍ଛା’ ଆପଣ ଶୁଅନ୍ତୁ, କହିଲେ କମିଶନର ।

 

ଆଲମିରା ଦେଖାଗଲା । ସେଥିରେ ଥିଲା ଏଣୁ ତେଣୁ କେତେକ ବହି, କାଗଜପତ୍ର ଆଉ–

 

ରୂପା ପାନବଟା୧ଟା ଟ ୨୨

 

ପିତଳ ପିକଦାନୀ ୧ଟା ଟ ୧୮

 

ପିତଳ ପାନ ଥାଳିଆ ୧ଟା ଟ ୮

 

ନରଦ ଟ ୮୦

 

ତା’ପରେ ସିନ୍ଦୁକ ଭିତରୁ ବାହାରିଲା -

 

ଗୋଟିଏ ବଡ଼ ପିତଳ ଥାଳି ଟ ୬୫

 

ଲୁହାର ଜାଲିଚଟୁ ତିନିଟା ଟ ୭

 

ସମସ୍ତେ ଚାହିଁଥାନ୍ତି ଉଦ୍‍ବେଗର ସହିତ ଆଇରନ୍ ଚେଷ୍ଟ ଫିଟାଯିବ । କମିଶନର କହିଲେ, ‘ଚାବିଟା ଦେଇଦିଅନ୍ତୁ । ଦାମିକା ଚେଷ୍ଟଟା, ଭାଙ୍ଗିବା କାହିଁକି ? ଆପଣଙ୍କ ଜିନିଷ ଅଯଥା ନଷ୍ଟ ହେବ ।’

 

ଚାବି ରଖି ମୁଁ କ'ଣ ଆଉ ଠକୁଛି ? ଅପଣ ଭାଙ୍ଗନ୍ତୁ । ଯାହା ଇଚ୍ଛା କରନ୍ତୁ । ଯାହାର ସେ ଚେଷ୍ଟ ସିଏ ଭଙ୍ଗାଉଛି । ମୁଁ କ'ଣ କରିବି ? ମୋର ଆଉ କେତେଦିନ ? ମୁଁ କ’ଣ ସାଙ୍ଗରେ ନେଇ ଯିବି ?

 

କମିଶନର ପଚାରିଲେ-ମିସ୍ତ୍ରୀ ଆସିଲେ ?

 

କନେଷ୍ଟବଳ ଅଛନ୍ତି ?

 

‘ହଜୁର୍ ।’

 

ନିର୍ଦ୍ଦେଶ ପାଇ, ମିସ୍ତ୍ରୀ ନିହଣ ଦେଇ, ତାଲା ଯେଉଁଠି ପକାଯାଏ ସେଠାରୁ ଫିଟାଇବାକୁ ଆଘାତ କଲା ।

 

ପ୍ରଥମ ପାହାରର ଶବ୍ଦ ଶୁଣି ବୃଦ୍ଧ ଆଖି ବୁଜିଲେ । ଆଖିର ଦୁଇ କୋଣରୁ ଦୁଇଧାର ଲୁହ ଗଡ଼ିଆସିଲା । ଏ ଲୁହ ଅନେକ ଯନ୍ତ୍ରଣାର ବହିଃପ୍ରକାଶ । ସେ ତାହା ଲୁଚାଇବା ପାଇଁ ଉଦ୍ୟମ କରି ସଫଳ ହୋଇ ପାରୁ ନ ଥିଲେ । ସେ ଏକାନ୍ତ ଅସହାୟ -ସବୁ ଥାଇ ମଧ୍ୟ ନିଃସ୍ୱ ବୋଧ କରୁଥିଲେ । ଦ୍ଵିତୀୟବାର ନିହଣ ଉପରେ ଆଘାତ ବସିଲା । ବୃଦ୍ଧ କହିଲେ-'ହରି, ହରି, ଏତେ କଷ୍ଟ କାହିଁକି ଦେଉଛ ?'

 

ଯେଉଁ କେତେଜଣ ଉପସ୍ଥିତ ଥିଲେ ସମସ୍ତେ ଚାହିଁ ରହିଥାନ୍ତି ବୃଦ୍ଧଙ୍କ ଉଦ୍ଦେଶ୍ୟରେ । ତାଙ୍କର ପ୍ରତିକ୍ରିୟା କ’ଣ ହେଉଛି ତାହା ଲକ୍ଷ୍ୟ କରୁଥାନ୍ତି । ମାନସିକ ଅବସ୍ଥା ନେଇ ବିଭିନ୍ନ ପ୍ରକାରର ଅନୁମାନ କରୁଛନ୍ତି ।

 

ଥର ଥର ହୋଇ ସାତଥର ଆଘାତ ଦେବା ପରେ ଆଇରନ୍ ଟ୍ରେଜେରୀଟା ଫିଟିଲା । ବୃଦ୍ଧ ସତେ ଯେପରି ମନେ ମନେ ପୁତ୍ର ଉଦ୍ଦେଶ୍ୟରେ ଅଭିଶାପ ଓ ଅଭିଯୋଗ ଆରୋପ କରି ଚାଲିଥିଲେ । ଦୀର୍ଘ ନିଶ୍ୱାସ ତ୍ୟାଗ କରି ସେ କହିଲେ -'ପୁଅ ପାଇଁ ନ କରଛି କ’ଣ ? ଚାରି ତୀର୍ଥ ଯାଇଛି । କପିଳାସିଙ୍କଠାରେ ଲକ୍ଷେ ବେଲପତ୍ର ଚଢ଼ାଇଥିଲି । ମା’ ତା’ର ଲିଙ୍ଗରାଜଙ୍କ ପାଖରେ ଶହେ ଏକ ନଡ଼ିଆ ଭାଙ୍ଗିଥିଲା । ତା’ର ପୁରସ୍କାର ସେଇ ପୁଅ ଆମକୁ ଦେଉଛି ।’ ବୃଦ୍ଧ ଲଲାଟ କୁଞ୍ଚିତ କଲେ; ମୁଖ ମଣ୍ଡଳରେ ଘୃଣାର ଏକ ପ୍ରଲେପ ।

 

ଦେଖାଯାଉ, ଆଉ କି ଶାସ୍ତି ମୋତେ ଶେଷ ଅବସ୍ଥାରେ ପୁଅ ଦେବ ।

 

ଶାସ୍ତି ଦେଉଛି କିଏ ? ତୁମେ ଧନ ସମ୍ପତ୍ତି ଟାଉଟରଙ୍କୁ ସମର୍ପି ଦେଉଛ । ମୁଁ ମନାକଲି, ତୁମେ ଶୁଣିଲ ନାହିଁ । ମୁଁ ଆଉ କ'ଣ କରିଥା’ନ୍ତି ? ତୁମେ କୁହ, ଶାସ୍ତି କିଏ କାହାକୁ ଦେଉଛି ?'

 

‘-ଥାଉ, ଥାଉ, ଢେର ହୋଇଛି-’

 

ବ୍ୟଙ୍ଗ କରି ବୃଦ୍ଧ କହିଲେ । ସେଇ କଥା କଟାକଟି ମଧ୍ୟରେ ମୁଁ ଲକ୍ଷ୍ୟ କରୁଥାଏ କମିଶନରଙ୍କୁ । ସେ ବିଶେଷ ଭାବେ ପରସ୍ଥିତିକୁ ଅନୁଭବ କରୁଥିଲେ ମଧ୍ୟ ଚୁପ୍‍ଚାପ୍ କେବଳ କାମ କରି ଯାଉଥିଲେ । ସତେ ଯେପରି ଆଇନ୍‍ର ଲାଇନ ବାହାରକୁ ସେ ଯାଇ ପାରିବେ ନାହିଁ । ଆଶ୍ଚର୍ଯ୍ୟ ହେଲି, ମଣିଷ ସତରେ ଆପଣାକୁ ଶାସନ କରିବା ଲାଗି ଯେଉଁ ନୀତି-ନିୟମ ରଚନା କରେ, ସେଇ ନୀତି-ନିୟମର ଗଡ଼ ମଧ୍ୟରେ ସେ କିପରି ଅସହାୟ ହୋଇ ଉଠେ । ଆପଣାର ସ୍ଵାଧୀନତା ହରାଏ ।

 

ଯେଉଁ ଭଦ୍ରଲୋକଙ୍କୁ ଟଙ୍କା ଗଣିବାକୁ ଦେଇଥିଲେ ସେ କହିଲେ - ଠିକ୍ ଅଛି। ଏ ଅଛି ମୋଟ ଟ ୨୮୦। କମିଶନର ଲେଖିଲେ ଟ ୨୮୦। ତାପରେ ଟ୍ରେଜେରୀରୁ ବାହାରିଲା ଦୁଇପଟ ସୁନାଚୁଡ଼ି ମୂଲ୍ୟ ଟ ୩୦୦ । ବୃଦ୍ଧା କହିଲେ ସେ ଦୁଇଟା ତାଙ୍କର । ସେ ନେବାକୁ ଚାହାନ୍ତି । କମିଶନର କହିଲେ–‘ମା’ ଏ ଚୁଡ଼ି ମୁଁ ନେଉନାହିଁ । ଆପଣଙ୍କର ସମସ୍ତ ଜିନିଷ ଆପଣ ରଖିବେ । ଉଲ୍ଲେଖଯୋଗ୍ୟ ଆଉ କୌଣସି ଜିନିଷ ବାହାରିଲା ନାହିଁ । ନରେନ୍ଦ୍ର କହିଲା - ସବୁ ତ ଚାଲାଣ ହୋଇ ଯାଇଛି । ଆଉ କ'ଣ ମିଳନ୍ତା ?”

 

ବୃଦ୍ଧ ବଳିୟାର ସିଂ କହିଲେ -ତୁ କଷ୍ଟ କର ଏ ମକଦ୍ଦମା କାହିଁକି କରୁଥିଲୁ ? କାଠ କେଇ ଖଣ୍ଡ ଆଣି, ନିଆଁ ଜାଳି ଏ ବୁଢ଼ାଟାକୁ ନିଆଁ ଲଗାଇ ଦେଲୁ ନାହିଁ ? ତୁ ମନେରଖ, ଟ୍ରେଜେରୀ ଖୋଲିବା ପାଇଁ ଯେତିକି ଥର ସେ ହାତୁଡ଼ି ପିଟିଲା ସେତିକ ଥର ଛାତିରେ ଆଘାତ ଲାଗିଲା । ମନେ ହେଉଛି ଛାତିର ପ୍ରତିଖଣ୍ଡ ହାଡ଼ରେ ସତେ ଯେପରି କେହି ଅନେକ ଲୁହାର କଣ୍ଟା ପିଟି ଦେଇଛି । ତାକୁ ଟାଣି କାଢ଼ି ହେବ ନାହିଁ । ତୁ ବୁଝି ପାରିବୁ ନାହିଁ, ଏଇ ଛାତି ଉପରେ ପକାଇ ତତେ କେଉଁ ତୀର୍ଥକୁ ନ ନେଇଛି ।’

 

‘ତୁମେ ଯାହା କୁହ, ମୁଁ ପୈତୃକ ସମ୍ପତ୍ତି ବରବାଦ ହେବାକୁ ଦେବି ନାହିଁ । ତୁମେ ଗୁଡ଼ାଏ ଟାଉଟରଙ୍କୁ ଧରି ସବୁ ସାରିଲ ।

 

କମିଶନର ସବୁ ଲେଖି ସାରି ଆମୁଳଚୂଳ ପଢ଼ିଗଲେ ଓ ବଳିୟାର ସିଂଙ୍କୁ କହିଲେ, ‘ଆପଣଙ୍କ ମାର୍ଫତରେ ଏ ସବୁ ଜିନିଷ ରହିଲା ।’ ପ୍ରଥମେ ପ୍ରଥମେ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ବଳିୟାର ସିଂ କର ଲୋଉଟାଇ କାଗଜ ଉପରେ ଦସ୍ତଖସ୍ତ କଲେ । ଉଭୟ ପକ୍ଷ ଦସ୍ତଖତ କରି ସାରିବା ପରେ ଆମେ ଭଦ୍ରଲୋକ ହିସାବରେ ସାକ୍ଷୀ ପଡ଼ିଲୁ । କମିଶନର ବୃଦ୍ଧଙ୍କ ଉଦ୍ଦେଶ୍ୟରେ କହିଲେ-ମୁଁ ଯାଉଛି । ଆପଣ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ । ଆପଣ ହଇରାଣ ହେଲେ; ମାତ୍ର ମୁଁ ନିରୁପାୟ । ଆପଣଙ୍କର ଅସୁବିଧା ହେଲା । କୋର୍ଟର ନିର୍ଦ୍ଦେଶ ଅବମାନନା କରିବା ମୋ ଶକ୍ତିର ବାହାରେ । ନମସ୍କାର ।’

 

-‘ନା ଆଜ୍ଞା, ଆପଣଙ୍କର ଆଉ ଦୋଷ କ’ଣ ?’

 

ମୁଁ ବୃଦ୍ଧଙ୍କ ଶୋଇବା ଘରୁ ଚାଲି ଆସିବା ପୂର୍ବରୁ ଶେଷ ଥର ଲାଗି ତାଙ୍କୁ ଲକ୍ଷ୍ୟ କଲି । ସତେ ଯେପରି ସେ ଆପଣାକୁ ଅନେକ ପ୍ରସ୍ତୁତ କରି ନେଇଛନ୍ତି, ସମସ୍ତ ଦୁଃଖର ସମ୍ମୁଖୀନ ହେବା ନିମନ୍ତେ । ଜୀବନ ଯୁଦ୍ଧରେ ସେ ପରାଜୟ ମାନି ନେବେ ନାହିଁ । ଜୀଦନ ପ୍ରଦୀପ ନିର୍ବାପିତ ହୋଇ ଆସୁଥିବା ବେଳେ ବୃଦ୍ଧ ବଳିୟାର ସିଂଙ୍କ ମନୋବଳ ମତେ ବିସ୍ମିତ କରୁଥିଲା ।

Image

 

Unknown

ମାଷ୍ଟର ମିଆଁ

ଶ୍ରୀ ହରିହର ଦାସ

 

।। ଏକ ।।

 

ମାଷ୍ଟର ମିଆଁ ଟେଲରିଂ ସପ୍

 

ମିଆଁ ସାହାବ ନାଁରେ ମାଷ୍ଟର ମିଆଁ ପ୍ରଖ୍ୟାତ । ବେଶ୍ ଖାତିର ତା’ ପ୍ରତି । ତା’ଭଳି କଟିଙ୍ଗ୍ କଲାବାଲା ଆଉ ସାରା ସହର ଖୋଜିଲେ ମିଳିବେ ନାହିଁ ? ଯେତେ ବଡ଼ ବଡ଼ ବାବୁ, ମେମ୍ ସାହାବ ସବୁ ସେଇଠି ଦିଅନ୍ତି ସିଲାଇ କରିବାପାଇଁ ।

 

ବେଶ୍ ଚାରି ପଇସା ରୋଜଗାର ମଧ୍ୟ ହୁଏ । ସହରରେ ଅନ୍ୟ ଯେତେ ଦରଜୀ ସବୁ ଈର୍ଷା କରନ୍ତି । ମାଷ୍ଟର ମିଆଁ ଖାଲି ହସେ । ହସି ହସି କହେ, “ଆରେ ଖୋଦା ଯିସକୋ ରଖତା ଉସ୍‍କା କୋଇ କୁଛ ନାହିଁ ବିଗାଡ୍‌ ସକତା ।”

 

ପ୍ରକୃତରେ କେହି କେବେ ସାହସ କରି ମାଷ୍ଟର ମିଆଁ ଆଗରେ କଥା କହିପାରେ ନାହିଁ ।

 

ମିଆଁ ସାହାବ ଖୋଦା ନାଁ ଶୁଣିଲେ ଭାବବିହ୍ଵଳ ହୋଇପଡ଼େ । ଆଖିରୁ ତାର ଲୁହ ଗଡ଼ି ଆସେ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କାମ ବନ୍ଦ କରି ସେ ଘଣ୍ଟାଏ କାଳ ନମାଜ ପଢ଼େ ।

 

ଆଜିକାଲି ମାଷ୍ଟର ମିଆଁର ଏ ପରିବର୍ତ୍ତନ ଦେଖି କେତେଲୋକ ହସି ଉଠନ୍ତି । ଅନ୍ୟ କେତେ ଦାର୍ଶନିକ ପରି ତାକୁ ଚାହିଁ ରହନ୍ତି । ବୋଧହୁଏ ନିଜକୁ ନିଜେ ବିଶ୍ୱାସ କରିପାରୁ ନ ଥାନ୍ତି । ସତରେ କଣ ମଣିଷର ଏତେ ପରିବର୍ତ୍ତନ ହୁଏ । ଏଇ ସେହି ମାଷ୍ଟର ମିଆଁ ଯା’ର ନାଁ ଶୁଣିଲେ ଛୁଆମାନେ ଡରରେ କାନ୍ଦ ବନ୍ଦ କରି ଶୋଇ ଯାଉଥିଲେ । ଦିନ ଥିଲା, ଯେତେବେଳେ ମାଷ୍ଟର ମିଆଁର ଭୟରେ ସନ୍ଧ୍ୟା ପରେ ବେରଖ୍ ଗଳିରେ ସ୍ତ୍ରୀଲୋକମାନେ ଯିବାଆସିବା କରୁ ନ ଥିଲେ ।

 

ତା’ର ଆଖିରେ ଥିଲା ନିଆଁ କୁଣ୍ଡ । ମଦଖାଇ ମାତାଲ ହୋଇ ସେ ଯେତେବେଳେ ସାହିରେ ବୁଲୁଥିଲା, ସେତେବେଳେ ଲୋକମାନେ ଡରରେ ସେଇପାଖ ଦେଇ ଯାଉ ନ ଥିଲେ ।

 

ବେରଖ୍ ଗଳି ।

 

ଛୋଟିଆ ତୋଖଡ଼ ଗଳିଟିଏ । ଲୋକେ କହନ୍ତି, ସହର ପ୍ରଥମେ ଏହି ଗଳିରୁ ଆରମ୍ଭ ହୋଇଥିଲା । କେଉଁ ଯୁଗରୁ କେବେ ଯେ କେଉଁ ମହାପୁରୁଷ ଏହି ଗଳିର ପ୍ରଥମ ଘର ତିଆରି କରିଥିଲେ ତାର ଇତିହାସ ଆଜି ନାହିଁ ।

 

କେତେ ରାଜା, ମହାରାଜା, ଧନୀ, ଜମିଦାର ଏ ସାହିରେ ଜନ୍ମଗ୍ରହଣ କରି ଚାଲିଗଲେଣି । ଲୋକେ ହୁଏତ ମନେରଖିଛନ୍ତି ବା ଭୁଲିଗଲେଣି । ଆଜିର ମାଷ୍ଟର ମିଆଁ ସେଦିନ ଥିଲା ଭୁଲୁମିଆଁ । ‘ଭୁଲୁମିଆଁ ଜୁଆନ ହେଲାଦିନୁ ଏହି ଗଳିର ରାଜା ସିଏ ।

 

ଭୁଲୁମିଆଁ ।

 

ତା’ର ମୁଦ୍‍ଗରିଆ ବାହୁ ଦୁଇଟା ନଚାଇ ସେ ଯେତେବେଳେ ନିଶରେ ହାତମାରି ଠିଆ ହେଉଥିଲା, ସେତେବେଳେ ଗଳିର ବଡ଼ ବଡ଼ କୁସ୍ତିବାଲାମାନଙ୍କର ମଧ୍ୟ ସାହସ ହେଉ ନ ଥିଲା ତା’ ସାଙ୍ଗରେ ଯୋଡ଼ ଦେବା ପାଇଁ ।

 

ଫୁଲ୍‍କା ଉପରେ ଠିଆହୋଇ ଭୁଲୁମିଆଁ ପାଦଆଡ଼ୁ ଟେକିଆଣି ଲୁଙ୍ଗିକୁ ଯେତେବେଳେ ଅଣ୍ଟାରେ ଖୋସି ଜଣ ଜଣ କରି ସମସ୍ତଙ୍କୁ ଡାକେ, ତା’ ସଙ୍ଗେ ହାତ ମିଳାଇବା ପାଇଁ ସେତିକିବେଳେ ସମସ୍ତେ ଧୀରେ ଧୀରେ କାମର ବାହାନା ଦେଖାଇ ଖସି ପଳାନ୍ତି ।

 

ଦୁଇ ଚାରିଟା ଗଳାମଜା ଶବ୍ଦଦେଇ ଭୁଲୁମିଆଁ ମୁଗ୍‍ଦର ବୁଲାଏ । ପଥରକୁ ବାହାସ୍ପଟ ମାରେ । ନିଜର ନିର୍ଘାତିଆ ଦେହଟାକୁ ମାଟି ଦେହରେ ଖୁବ୍ ଜୋରରେ କଚାଡ଼ି ଦିଏ । ସ୍ପ୍ରିଙ୍ଗ ହେଲା ପରି ବଳିଷ୍ଠ ମାଂସପେଶୀରେ ଗଢ଼ା ତା’ର ଦେହଟା କୁଦାମାରି ଡେଇଁ ପଡ଼େ ।

 

ଅଜସ୍ର ତାଳିରେ ସେ ଜାଗା ଫାଟିପଡ଼େ । ଭୁଲୁମିଆଁର ନିଶ, ଆଖି, ଦେହ ଓ ମନ ସବୁର ଗୋଟାଏ ବିଶେଷତ୍ୱ ଅଛି ।

 

ଖୁବ୍ ମୋଟା ନିଶା । ନାକ ତଳୁ କ୍ରମେ କ୍ରମେ ଚିବୁକ ପାଖ ଦେଇ ମାଡ଼ି ଯାଇଛି । ଆଖି ତା’ର ସର୍ବଦା ଲାଲ ବର୍ଣ୍ଣରେ ଫାଟି ପଡ଼ୁଥାଏ । ଭୁଲୁମିଆଁର ଆଖିକୁ ଚାହିଁବା ପାଇଁ ଦରକାର ଯଥେଷ୍ଟ ସାହସ । ତା’ର ମନର ପ୍ରତ୍ୟେକ ଅବସ୍ଥା ସେଇ ଦୁଇଟା ଆଖିରୁ ସହଜରେ ଜାଣି ହୋଇଯାଏ । ଦେହରେ ଶତସିଂହର ବଳ । ଶକ୍ତ ଓ ବଳିଷ୍ଠ ମାଂସପେଶୀ ସ୍ପଷ୍ଟ ବାରି ହୋଇପଡ଼େ । ପ୍ରତିଦିନ ସକାଳୁ ପାଏ ସୋରିଷ ତେଲ ସେ ଦେହରେ ମାଖି ହୁଏ । ଖାସ୍ କରି ଠିକ୍ ସେତିକିବେଳେ ଭୁଲୁମିଆଁର ଦେହ ଦର୍ଶନୀୟ ହୋଇପଡ଼େ । ତେଲଚିକିଟା ଦେହରେ ସୂର୍ଯ୍ୟକିରଣ ଚିକ୍‍ଚିକ୍ ମାରୁଥାଏ ।

 

ଶକ୍ତ ଓ ବଳିଷ୍ଠ ଦେହ ଭିତରେ ଭୁଲୁମିଆଁର ମନ ଅତିଶୟ କୋମଳ ।

 

ଭୁଲୁମିଆଁ ପେଟେ ସରାବ୍ ପିଇଦେଇ ପ୍ରଳାପ କରେ । କିନ୍ତୁ କେବେ ସେ ମଦ ପିଇ କାହା ପ୍ରତି ଖରାପ ବ୍ୟବହାର କରିନାହିଁ । ସରାବ୍ ପିଇ ବେରଖ୍ ଗଳିରେ ଭୁଲୁମିଆଁ ଢଳି ଢଳି କହେ, ଏ ସାରା ଦୁନିଆମେ ତିନ୍‍ଠୋ ବଢ଼ିଆ ଚିଜ୍ ଅଛି, ‘‘ମାସୁମବଚା, ସରାବ, ଔର ଫୁଲ । ବଚା ଖୋଦାକା ପୟଗମ୍ଭର । ସରାବ୍ ଜାହାଁକା ଅମୃତ । ଆଉର ଫୁଲ- ଦୀଲକା ସର୍‍ଗମ୍ ଅଛି ।”

 

ସମସ୍ତେ କହନ୍ତି ଭୁଲୁମିଆଁ ଧର୍ମରେ ବିଶ୍ୱାସ କରେନା ।

 

ସତରେ ଭୁଲୁମିଆଁ ସେଦିନ ଧର୍ମ ବୋଲି କିଛି ମାନିବାକୁ ପ୍ରସ୍ତୁତ ନ ଥିଲା । ତା’ର ଧାରଣା ସବୁ ମଣିଷର ଗୋଟାଏ ଜାତି -ଗୋଟାଏ ଧର୍ମ । ସେଇଟା ହେଲା ମାନବିକ ଧର୍ମ । ମଣିଷକୁ ମଣିଷ ବୋଲି ଭାବିବା ସବୁଠାରୁ ବଡ଼ ଧର୍ମ ।

 

ତାକୁ ସମସ୍ତେ କହିଲେ ପାଗଳ ।

 

।। ଦୁଇ ।।

 

ସେ ଦିନର ବେରଖ୍ ଗଳି ଆଉ ଆଜିର ବେରଖ୍ ଗଳି ଭିତରେ ଆକାଶ ପାତାଳ ପ୍ରଭେଦ । ସେ ଦିନର ଭୁଲୁମିଆଁ ଆଉ ଆଜିର ମାଷ୍ଟର ମିଆଁ ଭିତରେ ଏତେ ପ୍ରଭେଦ ଯେ ତା’ର ପଛ ଦିନଗୁଡ଼ାକ ଯିଏ ଦେଖିଛି ତା’ ପକ୍ଷରେ ହୁଏତ ଆଜିର ଏ ସବୁକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼ିବ ।

 

ବେରଖ୍ ଗଳିରେ ଆଜିକାଲି ଭଦ୍ରଲୋକମାନେ ରହିବାପାଇଁ ନାକ ଟେକୁନାହାନ୍ତି । ଏହି ଗଳି ଆଉ ବଦନାମ୍ ଗଳି ହୋଇ ରହିନାହିଁ । ଭୁଲୁମିଆଁ ଆଜି ମାଷ୍ଟର ମିଆଁରେ ପରିଣତ ହୋଇସାରିଛି । ବେରଖ୍ ଗଳିର ସେ ଆଉ ନବାବ ନୁହେଁ । ତା'ର ହୁକୁମ ଆଉ ଚଳୁନି ।

 

ଫୁଲକା ଉପରକୁ ଡେଇଁ ନିଶ ମୋଡ଼ିବାର ଉମର୍‍, ଆଜି ଖସିଛି ।

 

ସେଇଥିପାଇଁ ଆଜି ସବୁ କଥାରେ ମାଷ୍ଟର ମିଆଁ ଖାଲି ହସୁଛି । ଦରଜୀ ନନ୍ଦଲାଲ୍ ଏଇ କାଲିର ବଚା । ଟାହି ଟାପରା କରୁଛି । ହାତରେ କଇଁଚି ଧରି ଆସୁ ନ ଥିଲା । ପତଲୁନ୍ ଖାଜା ପକାଇବାଠାରୁ ଆରମ୍ଭ କରି ସୁଟ୍ କଟିଙ୍ଗ ସବୁ ଶିଖିଲା ଏଇଠୁ । ଆଜି ଖୋଲିଛି ତା’ର ସାମନାରେ ଦୋକାନ ।

 

ପାଖରେ ପଇସା ହେଲେ ଆଖି ଉପରକୁ ହୁଏ । ନନ୍ଦଲାଲ୍‍ର ଇର୍ଷା ଏବଂ ଟାହି ଟାପରା କଥା ମାଷ୍ଟର ମିଆଁ ଶୁଣେ । ଖାଲି ହସିଦିଏ । ପାକଲା ନିଶରେ ଥରେ ହାତ ବୁଲେଇ ଆଣେ ଅଭ୍ୟାସବଶତଃ । ଗତ ଦିନର କଥା ସବୁ ଗୋଟି ଗୋଟି ହୋଇ ମନେପଡ଼େ ।

 

କେଡ଼େ ପରଶ୍ରୀକାତର ଏଇ ନନ୍ଦଲାଲ୍ । ଦୁନିଆଟା ସାରା ଖାଲି ବେଇମାନ୍ । ତା’ଠାରୁ ବୁଦ୍ଧି ଶିଖି ଆଜି ତା’ରି ଚେର କାଟିବାପାଇଁ ବସିଛି ।

 

ମାଷ୍ଟର ମିଆଁ ଅନୁଭବ କରୁଥିଲା କିଏ ଯେମିତି ତା’ମନ ଭିତରେ ବିଦ୍ରୋହ କରି ଉଠୁଛି । ଏଇ ମଣିଷ ଜାତିକୁ ତାହାହେଲେ ସେ ଦେଇଥିଲା ଏତେ ଉଚ୍ଚ ସମ୍ମାନ ! ଘୃଣାରେ ମାଷ୍ଟର ମିଆଁର ମୁହଁ ଶେତା ପଡ଼ି ଆସୁଥିଲା ।

 

ଆଜି ଦେହରେ ଆଉ ସେ ପୂର୍ବର ତାକତ୍ ନାହିଁ । ସିଂହର ପରାକ୍ରମ ନାହିଁ । ନ ହେଲେ ଆଜି ସେ ମୁଣ୍ଡପୋତି ନନ୍ଦଲାଲ୍‍ର ଅପମାନକୁ ସହିଯାଇଥାନ୍ତା ? ମାଷ୍ଟର ମିଆଁ ଖାଲି ଉପରକୁ ହାତ ଉଠାଇ କ’ଣ ଅସ୍ପଷ୍ଟଭବେ ଉଚ୍ଚାରଣ କରିବାକୁ ଲାଗିଲା । ବୋଧହୁଏ ଖୋଦାଙ୍କ ଉଦ୍ଦେଶ୍ୟରେ କିଛି କହିଲା ।

 

ବୁଖାରୀ ଦାନ୍ତ ରଗୁଡ଼ୁଥିଲା । ଗୋଟିଏ କାମିଜରେ ସେ ଖାଜା ପକାଉଥିଲା । ମାଷ୍ଟର ମିଆଁର ମନକଥା ସେ ଲକ୍ଷ୍ୟ କରିଛି ।

 

“ଓସ୍ତାତ୍ ବଡ଼ ବେଇମାନ ଏଇ ନନ୍ଦଲାଲ୍‍ । ଆମର ଗରାଖମାନଙ୍କୁ ଏଣୁ ତେଣୁ କହି ବିଗ୍‍ଡ଼େଇ ଦେଉଛି । ବେଇମାନ୍, ନିମକ୍ ହାରାମ କହାଁକା । ଗରାଖ୍‍ ଭଗେଇ ଦେଉଛି ।”

 

ବୁଖାରୀର କଥାଗୁଡ଼ାକ ମନ ଦେଇ ଶୁଣୁଥିଲା ମାଷ୍ଟର ମିଆଁ । କିଛି ନ କହି ସେ ଚୁପ୍ ରହିଲା । ବୁଖାରୀ କଥାରେ ବିଶ୍ୱାସକରିବା କିମ୍ବା ସନ୍ତୋଷଲାଭ କରିବାର କିଛି ନ ଥିଲା । ସବୁ ମଣିଷ ସେମିତି । ଧୋକାବାଜ୍ , ବେଇମାନ୍, ନିମକ୍ ହାରାମ୍ ଏଇ ମଣିଷ ଜାତି ।

 

ଆଜି ନନ୍ଦଲାଲ୍ ଧୋକା ଦେଇଛି, ବେଇମାନୀ କରିଛି । କାଲି ବୁଖାରୀ ଯେ ବେଇମାନୀ ନ କରିବ ତା’ର କଣ ଠିକଣା ଅଛି ? ଯୋଉ ନନ୍ଦଲାଲ୍‍ ତାରି ପାଖରେ ରହ ବୁଦ୍ଧି ଶିଖିଲା, ମଣିଷ ହେଲା, ଯଦି ସେ ଠକିପାରେ ତାହାହେଲେ କେଉଁ ମୁହଁ ନେଇ ସେ ବୁଖାରୀକୁ ବିଶ୍ୱାସ କରିବ ?

 

ଧର୍ମ, ଈଶ୍ୱରକୁ ଛାଡ଼ି ସେ ବିଶ୍ୱାସ କରିଥିଲା ମଣିଷକୁ । ସେ ଭଲ ପାଇଥିଲା ମଣିଷ ଧର୍ମକୁ । ସେ ନିଜେ ଥିଲା ସରାବୀ । ଦେହରେ ଥିଲା ଅସୁମାରୀ ତାକତ୍ । ସେ ଅନେକ ସମୟରେ ମଦପିଇ ମାତାଲ୍‍ ହେଉଥିଲା । କିନ୍ତୁ କେବେ ସେ ମଣିଷର ଅପମାନ କରିନି । କାହାର କିଛି କ୍ଷତି କରିନି । ଏଇ ହାତରେ ସେ ଗଢ଼ିଦେଇଛି କେତେ ଯେ ଜୀବନ ତା’ର କୌଣସି ହିସାବ ନାହିଁ । ତା'ରି ପାଖରୁ ଅକଲ ଶିଖି ଅନ୍ୟମାନେ କମେଇଲେ ନାଁ, ପଇସା–କୋଠାବାଡ଼ି କଲେ । ଆୟସ ଓ ଆରମରେ ଦିନ କାଟିଲେ । ସେମାନଙ୍କୁ ଦେଖି -ସେମାନଙ୍କର ସୁଖର ସଂସାର ଦେଖି ସେ ନିଜେ ଖୁସି ହେଇଥିଲା ସେମାନେ ମଣିଷ ପରି ମଣିଷ ହେଲେ ବୋଲି ।

 

ପଇସାର ମୂଲ୍ୟ ସେ ବୁଝି ନ ଥିଲା । ଚାହିଁଥିଲେ ସେ ଅଜସ୍ର ଧନ ଦଉଲତର ମାଲିକ ହୋଇ ପାରିଥାନ୍ତା । କିନ୍ତୁ ପଇସାର ମମତା ତା’ ଭିତରର ମଣିଷତ୍ୱକୁ କିଣିପାରି ନ ଥିଲା । ପରର ଦୁଃଖରେ ସେ ବିଚଳିତ ହୋଇ ଅକାତରଭାବେ ନିଜର ସବୁକିଛି ଦାନ କରି ନିଜେ ହୋଇଥିଲା ଫକୀର ।

 

।। ତିନି ।।

 

ମାଷ୍ଟର ମିଆଁ ଆଜି ହୋଇଛି ଖୋଦାବନ୍ଦ୍ ।

 

ଖାଲି ଯେ ମାଷ୍ଟର ମିଆଁର ପରିବର୍ତ୍ତନ ହେଉଛି, ତାହା ନୁହେଁ । ସବୁକିଛି ଏ ଦୁନିଆରେ ଯାହା ଥିଲା ବଦଳି ଯାଇଛି । ସେ ଯୁଗର ସବୁ ବଦଳିଛି । ଯେତେ ଆଗକୁ ସେ ଦେଖିଲା ତା’ ଆଖିରେ ଦିଶିଲା ଖାଲି ପରିବର୍ତ୍ତନର ଏ ଦୁନିଆ ଏମିତି ବଦଳି କୋଉ ଜାଗାରେ ଯାଇ ସେ ପହଞ୍ଚିବ ତା’ର କଣ କିଛି ଖବରେ ମିଳିବ !

 

ଆଶ୍ଚର୍ଯ୍ୟ ହେଲା ମାଷ୍ଟର ମିଆଁ ।

ସତରେ ସେ ଦିନର ଦିଲଦାର ମଣିଷ ଆଉ ନାହିଁ । ମଣିଷ ପ୍ରକୃତି ଥିଲା ସରଳ, ସୁନ୍ଦର । ଦୁସରା ଆଦମିର ଦୁଃଖରେ ତା'ର କଲିଜା ଫାଟିପଡ଼ୁଥିଲା । ତାକତ୍‍ଭରା ବଦନ । ସବୁବେଳେ ମୁହଁରେ ଲାଗି ରହିଥିଲା ଦିଲ୍ ଖୁସ୍ ଲାୟକ୍ ହସ ।

 

ଆଉ ଆଜିର ମଣିଷ ! ଏଡ଼େ ଛୋଟଲୋକ ! ପରଶ୍ରୀକାତର ନନ୍ଦଲାଲ୍‍ ଆଜି ସେଇ ସମାଜର ପ୍ରତିନିଧିତ୍ଵ କରୁଛି । ସବୁ ମଣିଷ ବେଇମାନ୍, ଧୋକାବାଜ୍ । ଦୁସରା ଇନସାନ୍‍ର ଦୁଃଖରେ ତାକୁ ହେମତ ଦେବ କଣ, ତାର ଗୋଡ଼ପକଡ଼ି ଟାଣିଦେଉଛି ପଛରୁ । ଦୁନିଆରେ ମଣିଷ ମଣିଷର ଦୁଷମନ୍ । ଭାଇର ଭଲ ଭାଇ ସହି ପାରେନା ।

 

ମଣିଷ ହୋଇ ଉଠିଛି ମଣିଷର ସବୁଠାରୁ ବଡ଼ ଶତ୍ରୁ ।

 

।। ଚାରି ।।

 

ବେରଖ୍ ଗଳିରେ ସେଦିନ ଆରମ୍ଭ ହୋଇଥିଲା ତୁମୁଳ କାଣ୍ଡ । ମାଷ୍ଟର ମିଆଁ ସିଲେଇ ଦୋକାନ ସାମନାରେ ଜମିଛି ପ୍ରବଳ ଭିଡ଼ । ଲୋକେ ଭୀଷଣ ପାଟିତୁଣ୍ଡ କରୁଛନ୍ତି । ବୁଖାରୀ ଉପରେ ଭୀଷଣ ମାଡ଼ ଚଢ଼ିଛି । ତା’ର ଦେହ, ମୁଣ୍ଡ ଖଣ୍ଡିଆ ଖାବରା ହୋଇ ଝରଝର ହୋଇ ନିଗିଡ଼ି ପଡ଼ିଛି ରକ୍ତଧାର ।

 

ନନ୍ଦଲାଲ ଦୋକାନ ଭିତରେ ଠିଆହୋଇ ହସୁଥିଲା । ଲୋକଗୁଡ଼ାକୁ ଉସ୍‍କାଉ ଥିଲା । “ଆରେ ଶଳାକୁ ଗରମାଗରମ ଆଉ ଚାରିପାହାର ଦିଅ । ଥଣ୍ଡା ବନେଇ ଛାଡ଼ିଦିଅ । ଆଉ ଯେମିତି କେବେ ବଦମାସି କରିବା ପାଇଁ ହିମତ୍ ନ କରେ । କିରେ ଶାଲା, ଅସଲ ଆଦ୍‍ମୀତ ଖସି ପଳାଇଲା ।”

 

ମାଷ୍ଟର ମିଆଁର ଖଇଫୁଟା ଜର । ଦୁଇ ଦିନ ହେଲା ଆରମ୍ଭ ହୋଇଛି ଏ ନିଆଁଲଗା ଜର । କି ଗୋଟାଏ ଜର ହେଇଛି କେଜାଣି । କେତେବେଳେ ହେଲେ ଦେହରୁ ତାତି କମୁନାହିଁ । ଖାଲି ସେ ବିଛଣା ଉପରେ ପଡ଼ି ରହିଛି । ଦୋକାନ ଭାର ସବୁ ଦେଇ ଦେଇଛି ବୁଖାରୀ ହାତରେ ।

 

ମାଷ୍ଟର ମିଆଁ ଏମିତି ଶୋଇ ରହିବା ଲୋକ ନୁହେଁ । ଏଇ ଜରରେ ମଧ୍ୟ ସେ ଦୁଇ ଚାରିଥର ଉଠିଲାଣି ଦୋକାନକୁ ଯିବା ପାଇଁ ।

 

ଡାକ୍ତର କିନ୍ତୁ ମନା କରିଛି, ବିଛଣା ଛାଡ଼ିବାକୁ ଶକ୍ତ ମନା । ଏଟା କୁଆଡ଼େ ଟାଏଫଏଡ୍ ଜ୍ଵର ।

 

ରକ୍ତରେ ସାଲୁବାଲୁ ହୋଇ ସନ୍ଧ୍ୟାରେ ବୁଖାରୀ ପହଞ୍ଚିଲା । ମାଷ୍ଟର ମିଆଁ ବୁଖାରୀକୁ ଦେଖି କିଛି ଭାବିପାରିଲା ନାହିଁ ଘଟଣାଟି କ’ଣ ! ତା’ର ମନେ ହେଲା ଭୀଷଣ ବେଗରେ ସତେ ଯେମିତି ତା ଦେହର ଉତ୍ତାପ ବଢ଼ିବାରେ ଲାଗିଛି । ରକ୍ତଚାପ ବଢ଼ୁଛି । ରକ୍ତର ବେଗ ବଢ଼ିଛି । ଆଖି ଆଗରେ ଏ ପ୍ରକାର ଦୃଶ୍ୟ ଦେଖିବା ପାଇଁ ମାଷ୍ଟର ମିଆଁ ମୋଟେ ପ୍ରସ୍ତୁତ ନ ଥିଲା । ସେ ସତେ ଅବା ଏଇ ମୁହୂର୍ତ୍ତରେ ପାଗଳ ହୋଇଯିବ ।

 

ଚିତ୍କାର କରି ଉଠିଲା ମାଷ୍ଟର ମିଆଁ ।

 

ବୁଖାରୀ......

 

ବୁଖାରୀକୁ ସେତିକିବେଳେ ଦେଖିଲେ ଖୁନ୍ ଗରମ ହୋଇଯିବ । ସେ ଗୋଟି ଗୋଟି କରି ସବୁକଥା କହିଲା- “ଦୋକନ ଲୁଟ୍‍ ହୋଇଛି । ନନ୍ଦଲାଲର ଆଦ୍‍ମୀ ଗୋଲମାଲ୍ ସୁର୍ କରି ଦେଲେ । ଗାଳିଦେଇ ଦୋକାନ ଲୁଟି ନେବାକୁ ବସିଲେ । ମୁଁ ସେମାନଙ୍କୁ ରୋକିଲି । ଜଣେ ମଣିଷ ଆଉ କେତେ ସମୟ ରୋକିପାରନ୍ତି ? ସେଇମାନେ ନିସ୍ତୁକ ମାଡ଼ ଦେଇ ଲୁଟି ନେଲେ ସବୁ ।

 

ମାଷ୍ଟର ମିଆଁର ଆଖିରେ ଅଜସ୍ର ଲୁହ । ତା’ର ହୃଦୟ ଭିତରଟା ସେ ଯେମିତି ଦରାଣ୍ଡି ହୋଇ ଖୋଜୁଥିଲା ସେ ଗଢ଼ିଥିବା ମଣିଷର ଚିତ୍ରଟାକୁ ବାହାର କରିବାପାଇଁ । ସେଇ ଶାନ୍ତ, ସୁନ୍ଦର, ପରୋପକାରୀ ମଣିଷରେ ଚିତ୍ର । ସେ କିନ୍ତୁ ତାହା ପାଇପାରୁ ନ ଥିଲା । ତା’ ଆଖି ଲୁହର ସମୁଦ୍ର ଭିତରେ କେତେବେଳୁ ମଣିଷର ସେଇ ସୁନ୍ଦର ଛବିଟା ମିଳେଇ ଯାଇଥିଲା ।

 

ଆଖି ଆଗରେ ଦିଶୁଥିଲା ସେଇ ବେଇମାନ୍, ବର୍ବର, ସଇତାନ ନନ୍ଦଲାଲର ଛବି ।

 

ସେଇ ନନ୍ଦଲାଲ୍, ଯାହାକୁ ସେ ମାଙ୍କଡ଼ରୁ ମଣିଷ କରିଥିଲା, ନିଜର ଛୋଟଭାଇଟି ପରି ତା’ ହାତ ଧରି ଅକଲ ଶିଖେଇ ଦେଇଥିଲା, ଆଜି ସିଏ ହେଇଛି ଦୁଷମନ୍ ।

 

ହୃଦୟ ଭିତରେ ମାଷ୍ଟର ମିଆଁ ଈଶ୍ୱରଙ୍କୁ ଡାକିଲା । ବେଇମାନ, ଧୋକାବାଜ୍ ମଣିଷ ଜାତିର କସୁର୍‍ ଏବଂ ବେଇମାନୀ ପଇଁ ନିଜେ ମାଫି ମାଗିଲା ।

 

ଆଖିରୁ ଲୁହ ପୋଛିଲା ବୁଢ଼ା ମାଷ୍ଟର ମିଆଁ । ବୁଖାରୀ ସେଦିନ ଗର୍ଜି ଉଠିଥିଲା ମାଷ୍ଟର ମିଆଁ ପାଖରେ ।

 

ଇନ୍ତକାମ୍ -ପ୍ରତିଶୋଧ...

 

ସେ ନେବ ଏଇ ଅପମାନର ପ୍ରତିଶୋଧ । ଜାଳି, ପୋଡ଼ି ଛାରଖାର କରିଦେବ ସେ ବେଇମାନ୍ ନନ୍ଦଲାଲର ଦୋକାନ, ଘର ସବୁକିଛି । ଯୁଗ ଯୁଗ ଧରି ନନ୍ଦଲାଲ ଆଖିରୁ ଲୁହ ଗଡ଼େଇବ ।

 

ସେ ଚାହେଁ ବଦଲା !

 

ବୁଖାରୀର ଆଖିରେ ବନ୍ୟ ପଶୁର ହିଂସ୍ରତା । ମୁହଁରେ ତାର ଥିଲା ଏକ ଭୟାନକ, ପୈଶାଚିକ ହସ । ଯୁଦ୍ଧଭୂମିର ଅଶ୍ୱ ପରି ସେ ଥିଲା ବିଚଳିତ, ବ୍ୟତିବ୍ୟସ୍ତ । ନନ୍ଦଲାଲ ପ୍ରତି ତା’ର ଘୃଣା ଥିଲା ଶାଣିତ ତରବାରି ପରି ତୀକ୍ଷଣ ।

 

ମାଷ୍ଟର ମିଆଁ ବୁଖାରୀକୁ ପାଖକୁ ଡାକିଲା । ତା’ର କମ୍ପିତ ହାତରେ ବୁଖାରୀର ମୁହଁରୁ ରକ୍ତଧାର ପୋଛି ଦେଲା।

 

ଆଖିରେ ତାର ରକ୍ତ ସବୁ ଜମାଟ ବାନ୍ଧିଥିଲା । ଥରିଲା କଣ୍ଠରେ କହିଲା ମାଷ୍ଟର ମିଆଁ–‘‘ବୁଖାରୀ କସମ୍ ଖାଇ କହ ନନ୍ଦଲାଲର କଛି ନୁକସାନ୍ କରିବ ନାହିଁ । ମୋର କେବଳ ଏଇ ଟିକେଏ ଅର୍ଜ । ବଦଲା...ଇଁତକାମ ମଣିଷକୁ ସେଇ ପାପର ଜାହାନୁମ୍‍ରେ ଠେଲିଦିଏ । ସେଥିରେ କାହାର କିଛି ଫାଇଦା ନାହିଁ । ଦଙ୍ଗାହାଙ୍ଗାମର ଶେଷ ନାହିଁ । ସେସବୁ ଇନସାନକୁ ସଇତାନ କରିଦେବ । କୁହ ବୁଖାରୀ, ଏମିତି ଚୁପ୍ ରହିଲେ ସେ ! ସବାଲ ଜବାବ ଦିଅ।”

 

ବୁଖାରୀ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା ।

 

ଯେଉଁ ମାଷ୍ଟ୍ରର ମିଆଁର ନା ଶୁଣିଲେ ଲୋକ ଭୟରେ ତାର ପାଖ ମାଡ଼ୁ ନ ଥିଲେ, ଏ କଣ ସେହି ମାଷ୍ଟର ମିଆଁ ! ବୁଖାରୀ ସତରେ ଆଦୌ ବିଶ୍ୱାସ କରି ପାରୁ ନ ଥିଲା । ଦେହରେ ଶତସିଂହାର ବଳ ଥିବା ସେହି ପ୍ରବଳ ପରାକ୍ରମଶାଳୀ ମାଷ୍ଟର ମିଆଁ ତେବେ କେହି ହେବ । ବୁଖାରୀ ନିଜକୁ ନିଜେ ଅବିଶ୍ୱାସ କରୁଥିଲା।

 

ବୁଖାରୀ..... ବୁଖାରୀ......

 

ଲଣ୍ଠନର କ୍ଷୀଣ ଆଲୋକରେ ମାଷ୍ଟର ନିଆଁ ଦେଖିଲା ବୁଖାରୀ ଚାଲିଗଲେଣି ।

 

ବୁଖାରୀ ତେବେ ତା'ର ଅନୁରୋଧ ବେଖାତିର କରିଛି । ସେ ଦେଖିପାରିନି ଏହି ପ୍ରବଳ ପରାକ୍ରମଶାଳୀ ମାଷ୍ଟର ମିଆଁର ସୁକୋମଳ ହୃଦୟକୁ ।

 

ମାଷ୍ଟ୍ରର ମିଆଁ କାନ୍ଦୁଥିଲା । ମାଷ୍ଟର ମିଆଁ କାନ୍ଦୁଥିଲା ପ୍ରଥମ ଥର ପାଇଁ।

 

ଚାରିଆଡ଼ ତାକୁ ଖାଲି ଝାପ୍‍ସା ଦେଖାଗଲା । ସତେ ଯେମିତ ବହଳ କୁହୁଡ଼ି ମାଡ଼ିଯାଇଛି ସେ ଘରଟାସାରା । ସେ ଉଠିବାକୁ ଚେଷ୍ଟା କରି ଉଠି ପାରୁନାହିଁ ।

 

ହାତ ବଢ଼ାଇ ଦରାଣ୍ଡି ଆଣିଲା ତକିଆତଳୁ ତା’ର ସେ ଏକମାତ୍ର ସାହାରା । କେଉଁ ଯୁଗର ହାତଲେଖା ଖଣ୍ଡେ ପୁରୁଣା କୋଚଟ କୋରାନ୍ ବହି । ସେ ବହିରେ ଖୋଜାବଦ୍ ଖୋଜୁଛି ତାର ଖୋଦାକୁ - ତା’ର ଜାନ୍-ଏ-ଜିଗର ଇନସାନ୍ ଆତ୍ମାକୁ । ଯାହା କିଛି ଏ ଦୁନିଆରେ ସତ୍ୟ, ଶିବ, ସୁନ୍ଦର; ସବୁ ସେଇ ପୁରୁଣା, ମଇଳା କେତେଖଣ୍ଡ ଦରଛିଣ୍ଡା କାଗଜର ପୋଥିରୁ ସେ ଦରାଣ୍ଡୁଛି ତା’ ଜୀବନସାରା ।

 

ଆଖିରେ ଓ ଛାତିରେ ଲଗାଇ ବହିଟାକୁ ଜାବୁଡ଼ି ଧରିଥିଲା ମାଷ୍ଟର ମିଆଁ । ବୁଡ଼ି ମଲା ଲୋକ କୁଟାଖଣ୍ଡିକୁ ସାହାରା କଲା ପରି ସେ ବହି ଭିତରୁ ଖୋଜୁଥିଲା ତା’ର ଜୀବନର ସତ୍ୟ । ତା’ ହୃଦୟର ସମସ୍ତ ବେଦନା ନେଇ ସେ ସବାଲ୍ କରୁଥିଲା ଈଶ୍ବରଙ୍କୁ । ଖୁଦାଙ୍କୁ ।

 

ଏଇ ଦୁନିଆର କଣ ଆଉ ଅଦଲବଦଲ ନାହିଁ ! ଆଲ୍ଲା ?

 

କଇଁ କଇଁ ହୋଇ କାନ୍ଦି ପକାଇଲା ମାଷ୍ଟର ମିଆଁ । କ୍ଲାନ୍ତ ଆଖିପତା ତାର ନଇଁ ପଡୁଥିଲା । କମ୍ ଜୋର ହାତରୁ ତା’ର ଖସିପଡ଼ିଥିଲା କୋରନ୍ ବହିଟା । ଭୋକିଲା ପେଟରେ ତକଲିଫ୍ । ପାଖରେ ଟୋପାଏ ପାଣି ଦେବା ପାଇଁ ମଧ୍ୟ କେହି ନ ଥିଲା । ଦୁଇ ଦିନ ଭିଭିରେ ଏ ଜରଟା ତା’ ଦେହରୁ ସେ ହାତୀଭଳି ତାକତକୁ ଚରିଯାଇଛି । ଶୁଖିଲା ଓଠରେ ଜିଭ ବୁଲାଇ ମାଷ୍ଟର ମିଆଁ ଘୁମେଇ ପଡ଼ୁଥିଲା ।

 

।। ପାଞ୍ଚ ।।

 

କଳା ପିଚୁ ପରି ନିର୍ଜନ ଅନ୍ଧାର ରାତି ।

 

ଏକ ବଜ୍ରଗମ୍ଭୀର ଶବ୍ଦରେ ହଠାତ୍ ନିଦ ଭାଙ୍ଗିଲା ମାଷ୍ଟର ମିଆଁର । ପରେ ପରେ ଭାସି ଆସିଲା ଏକ ପୈଶାଚିକ ହସର ସୁଅ ।

 

ହାଃ ହାଃ ହାଃ..... ।

 

କୌନ ହୈ....କୌନ ହୈ ?

 

ମାଷ୍ଟର ମିଆଁର କ୍ଷୀଣକଣ୍ଠରେ ଅଜସ୍ର ଉତ୍ତେଜନା । ଧୀରେ, ଧୀରେ ତେଜିଦେଲା ସେ ଲଣ୍ଠନର କ୍ଷୀଣ ଆଲୁଅଟିକୁ । ଏ କଣ ! ଆଶ୍ଚର୍ଯ୍ୟରେ ନିଜକୁ ବିଶ୍ୱାସ କରିପାରୁ ନ ଥିଲା ମାଷ୍ଟର ମିଆଁ । ତା'ର ହୋସ୍-ହୱାସ ଯେମିତ ଉଡ଼ିଯିବ ।

 

ବୁଖାରୀ ହାତରେ ଗୋଟିଏ ସୁକୋମଳ ଶିଶୁ । ଆଖିରୁ ନିଦର ସ୍ପର୍ଶ ଆହୁରି ଲିଭି ନ ଥାଏ । ଶିଶୁଟିର ମୁହଁରେ ଭୟାର୍ତ୍ତ ବେଦନାର ରେଖ ସୁସ୍ପଷ୍ଟ । ସେ ଏତେଦୂର ବ୍ୟାକୁଳ ହୋଇ ପଡ଼ିଥାଏ ଯେ କାନ୍ଦିବା ପାଇଁ ସୁଦ୍ଧା ତା’ର ସାହସ ହେଉ ନ ଥାଏ ।

 

ଶିଶୁଟିର ବୟସ ହେବ ଦୁଇ ବା ତିନି ବର୍ଷ । ସତେ ଅବା କେଉଁ ଉଦ୍ୟାନର ସଜଫୁଟା ଫୁଲଝିଏ ।

 

ବୁଖାରୀ ହାତରେ ରାତ୍ରିର ଅନ୍ଧକାରକୁ ଉପହାସ କରି ହସିଉଠୁଛି ଶାଣିତ ଛୁରିକା । ବୁଖାରୀର ଆଖିରେ ଧ୍ଵଂସର ବହ୍ନି । ତା’ ମୁହଁରେ ସଇତାନୀ ମନର ପ୍ରବୃତ୍ତିକୁ ସ୍ପଷ୍ଟ ପଢ଼ିପାରୁଥିଲା ମାଷ୍ଟର ମିଆଁ ।

 

“ଏ ବଚ୍ଚା କିସକା ହୈ ବୁଖାରୀ" -ମାଷ୍ଟର ମିଆଁର ଗମ୍ଭୀର ପ୍ରଶ୍ନ ।

 

ପହଚାନ୍ ପାରୁନା ଓସ୍ତାତ୍ ! ଏ ସେଇ ନିମକ ହାରାମ ବେଇମାନ ନନ୍ଦଲାଲର ବେଟା । ଆଜି ତା’ର ମୁଁ ନେବି ପ୍ରକୃତ ଇନ୍ତକାମ-ବଦଲା । ଚୋର ମାଫିକ୍ ଖସି ମୋ ଆଗରୁ ପଳାଇବାର କୋସିସ୍ କରିଥିଲା ସେ । ପାଇଛି ତା’ର ଜବାବ । ଜାଳି ପୋଡ଼ି ଆଜି ଖତମ୍ କରିଦେଇଛି ତା’ର ଦୋକନ ମକାନ ସବୁ କିଛି।

 

-ତୁମେ ଶେଷରେ ଏଇ ସଇତାନୀ କାମରେ ମଜିଗଲ ବୁଖାରୀ ! ହଁ, ସେଇ ବେଇମାନ ମଣିଷ ତୁମେ-ସଇତାନ ନ ହୋଇ ଆଉ କଣ ହେବ ?

 

ବୁଖାରୀ ଆଜି ପିଇଛି ପେଟେ ସରାବ୍ । ସେ କେମିତି କଣ ସବୁ କରିଛି ସେ ନିଜେ ମଧ୍ୟ ଜାଣେନା । ମାଷ୍ଟରମିଆଁର ଧର୍ମକଥା ବୁଝିବାର ବା ଶୁଣିବାର ଇଚ୍ଛା ତା’ର ନାହିଁ । ବୁଖାରୀ ଖାଲି ହସୁଥିଲା ଏକ ପୈଶାଚିକହସ ।

 

ନନ୍ଦଲାଲ ଜାନ୍‍ସେ ମାରିଦେଇ ତୁମ ଭିତରେ ଥିବା ସଇତାନ ଖୁସ୍‍ ହେଇନି ବୁଖାରୀ ? ତମର ମତଲବ୍ ମୁଁ ବୁଝିପାରୁନି !

 

ମାଷ୍ଟର ମିଆଁର ଦେହରେ ଫେରିଆସିଛି ସତେ ଅବା ତା’ର ଅତୀତର ସମସ୍ତ ତାକତ୍। ତା’ ଆଖି ଆଗରେ ଗୋଟିଏ ମାସୁମ୍ ବଚ୍ଚାର କତଲ୍ ସେ ଦେଖିପାରିବ ନାହିଁ-ସେ ହେବାକୁ ଦେବ ନାହିଁ ଏ ନୃଶଂସ କାଣ୍ଡ।

 

ଗର୍ଜିଉଠିଲା ବୁଖାରୀ, "ଶାଲା ନନ୍ଦଲାଲ୍‍କା ବେଟା, ଜାୟେଗା କହାଁ ବଚକେ ? ଆଜ ଇସ୍‍କୁ ଟୁକୁଡ଼ା ଟୁକୁଡ଼ା କରକେ ରଖୁଁ ଗା।”

 

ବୁଖାରୀର ଆଖି ଦୁଇଟା ଫୁଲିଉଠିଲା । ସତେ ଯେମିତି ଗୋଟାଏ ହିଂସ୍ର ଜାନୱାର ପରି ସେ ଆଜି ଶୋଷିଯିବ ନନ୍ଦଲାଲ୍ ପୁଅର ରକ୍ତ ।

 

ଖୁନ୍ !

 

ଏକ ଆହତ ସିଂହ ପରି ଗର୍ଜିଉଠିଲା ମାଷ୍ଟର ମିଆଁ ।

 

-ତୁ ସଇତାନ ବୁଖାରୀ, ତୁ ସଇତାନ । କିନ୍ତୁ ଏ ବୁଢ଼ା ମାଷ୍ଟର ମିଆଁର କମଜୋର ହାତରେ ମଧ୍ୟ ତାକତ୍ ରହିଛି । ନନ୍ଦଲାଲ୍ ପୁଅର ଜାନ୍ ଖତମ୍ କରିବା ପୂର୍ବରୁ ମତେ ଖୁନ୍ ବୁଖାରୀ- ଏଇ ବୁଢ଼ା ମାଷ୍ଟର ମିଆଁକୁ ଖୁନ୍ କର ।

 

ମାଷ୍ଟର ମିଆଁ କୁଦିପଡ଼ିଲା ବୁଖାରୀ ଉପରକୁ । ତା’ ଦେହରେ ଏତେ ତାକତ୍ ଯେ କୁଆଡ଼ୁ ଆସିଲା ସେ ଜାଣି ପାରିଲା ନାହିଁ । ଝାମ୍ପି ନେଲା ସେ ଶିଶୁଟିକୁ ବୁଖାରୀ ହାତରୁ । ପୁତ୍ର-ସନ୍ତାନହୀନ ମାଷ୍ଟର ମିଆଁର ହୃଦୟ ମମତାରେ ଭରିଗଲା । ତା’ ଗାଲରେ ଚୁମ୍ବନ ଦେଇ ତାକୁ ଛାତିରେ ଜାବୁଡ଼ି ଧରିଲା ବୁଢ଼ା ମାଷ୍ଟର ମିଆଁ ।

 

-ଓସ୍ତାତ୍ ! ଚାଲିଯାଅ ଓସ୍ତାତ୍ । ତୁମର ଖୋଦା ଆସିଲେ ମଧ୍ୟ ତାକୁ ଆଜି ବଞ୍ଚାଇପାରିବେ ନାହିଁ । ବୁଖାରୀ ଆଜି ବୁଖାରୀ ନୁହେଁ, ସେ ସଇତାନ–ସେ ଇନସାନ୍ ନୁହେଁ, ହୈୱାନ୍ । ଖୁନର ବଦଲା ଖୁନ୍ । ଖୁନ୍ କେବଳ ମୋର ଆତ୍ମାକୁ ଖୁସ୍ କରିବ । ମୋର ଦାଢ଼ୁଆ ଛୁରି ଚାହେଁ ଖୁନ୍ ଖାଲି ଖୁନ୍ । ବେଇମାନ୍ ନନ୍ଦଲାଲର ଖାନଦାନକୁ ଖତମ୍ ନ କଲେ ମୋର ଅବଶୋଷ ରହିଯିବ ।

 

ବୁଖାରୀ ! ଏ ନନ୍ଦଲାଲର ବଚ୍ଚା ନୁହେଁ–ଏ ଖୋଦାଙ୍କର ପୟଗମ୍ଭର । ଏ ମାସୁମ୍ ବଚ୍ଚା ଇନସାନୀ ଆତ୍ମାର ଆୱାଜ୍ । ତାକୁ କତଲ୍ କରିବାର ତାକତ୍ ତୁମର ନାହିଁ-ତୁମ ଖୋଦାର ଭି ନାହିଁ ।

 

ବୁଖାରୀ ହାତରେ ଲହରେଇ ଉଠିଲା ଇସ୍ପାତର ତୀକ୍ଷଣ ଛୁରା । ଏଇକ୍ଷଣି ଶିଶୁଟିକୁ ଟୁକୁଡ଼ା ଟୁକୁଡ଼ା କରିଦେବ । ଶିଶୁଟି ଆଗରେ ସିନା ଦେଖାଇ ଦେଇଛି ମାଷ୍ଟର ମିଆଁ । ଭୂଇଁତଳେ ଲୋଟିପଡ଼ିଲେ ମାଷ୍ଟର ମିଆଁର ରକ୍ତ ସାଲୁବାଲୁ ଦେହ। ଲଣ୍ଠନର କ୍ଷୀଣ ଆଲୋକରେ ଚିକମିକ୍ କରୁଛି ମାଷ୍ଟର ମିଆଁର ଛାତିରେ ଭୁଷି ହୋଇଥିବା ଇସ୍ପାତ ଛୁରା ।

 

ମାଷ୍ଟର ମିଆଁ ହାତରୁ ଛିଟିକି ପଡ଼ିଥିବା ଭୟଭୀତ ଶିଶୁଟିର ବିକଳ ଚିତ୍କାର ନିସ୍ତବ୍ଧ ରାତ୍ରିକୁ ସକରୁଣ କରି ତୋଳିଛି ।

 

ମାଷ୍ଟର ମିଆଁର ଆଖିରେ ଥିଲା ଏକ ଉଦ୍ଦାମ ହସର ସ୍ପର୍ଶ । ତାର ଉଜ୍ଜ୍ୱଳ ଆଖିର ଜ୍ୟୋତିରେ ସେ ଯେମିତି ଉପହାସ କରୁଥିଲା–ପାରିଲୁନି ବୁଖାରୀ...ତୁ ପାରିଲୁନି, ନନ୍ଦଲାଲକୁ ତୁ ଜିଣି ପାରିଲୁନି ।

Image

 

ଅମୂର୍ତ୍ତ

ଶ୍ରୀମତୀ ବନଜ ଦେବୀ

 

ବର୍ଷା ସହିତ ବୈଧବ୍ୟର କିବା ସାଦୃଶ୍ୟ ଥିଲା କେଜାଣି । ଆକାଶ ମେଘାଚ୍ଛନ୍ନ ହୋଇ ପୃଥିବୀ ପୃଷ୍ଠରେ, ବର୍ଷାର ଆସର ଆସନ୍ନ ହୋଇ ଉଠିଲେ, ସତ୍ୟରଞ୍ଜନଙ୍କ ସାରା ଚେତନାରେ ବୈଧବ୍ୟ ସତେ କି ମାଡ଼ି ମାଡ଼ି ଆସେ ।

 

ସେତେବେଳେ ସମୟ ଯାହା ହୋଇଥାଉ ନା କାହିଁକି, ଏବଂ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତରେ ନେଇ ସେ ବ୍ୟସ୍ତ ଥାଆନ୍ତୁ, ହୁଏତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ଏକ ଜରୁରୀ ବୈଠକରେ ସରଗରମ ଆଲୋଚନା ଚାଲିଛି । ହୁଏତ ସେ ଷ୍ଟେନୋଗ୍ରାଫରକୁ ଏକ ଜରୁରୀ ଫାଇଲର ନୋଟ ଡାକି ଚାଲିଛନ୍ତି ସେଇ ଚିରାଚରିତ ନିଜ ଭଙ୍ଗୀରେ । ଦେହରେ ଦାମୀ ସୁଟ କଳା ମଚ ମଚ ଗହବା କେଶ ଚିକ୍‍ଣ ଭାବେ କୁଣ୍ଡା ହୋଇ ରହିଛି ପଛକୁ । ମୁହଁର ଗାମ୍ଭୀର୍ଯ୍ୟକୁ ଆହୁରି ସ୍ପଷ୍ଟ କରି ଦଉଚି ମୋଟା ଫ୍ରେମ୍‍ର ଚଷମା ବାମ ହାତର ଆଙ୍ଗୁଠି ଫାଙ୍କରେ ଜଳି ଜଳି ଶେଷ ହୋଇ ଆସୁଚି ସିଗାରେଟ୍ । ହୁଏତ ସେ ଜରୁରୀ ଫାଇଲଗୁଡ଼ାକରେ ଦସ୍ତଖତ କରିବା ଆରମ୍ଭ କରି ଦେଇଛନ୍ତି । ଇତ୍ୟବସରରେ କିପରି ସେ ଜାଣି ଯାଇଚନ୍ତି, ଏଥି ଭିତରେ ସେହି ଅନ ଥିନୀ ବର୍ଷା ଆସି ଯାଉଛି । ଏଇ ବେତାରବାର୍ତ୍ତା ତାଙ୍କର ଅନ୍ତଃକରଣରେ ପହଞ୍ଚିବା ମାତ୍ରେ ହିଁ ନିମିଷକରେ କ୍ଷୁଦ୍ର ପଥର ଖଣ୍ଡର ଆଘାତରେ ନିସ୍ତରଙ୍ଗ ସରସୀ ତରଙ୍ଗାୟିତ ହେଲା ପରି, ତାଙ୍କର ନିଭୃତ ସତ୍ତାରେ ତରଙ୍ଗର କମ୍ପନ ଖେଳେ । କିନ୍ତୁ ତାଙ୍କ ଚରିତ୍ରର ସେହି ବିଶିଷ୍ଟ ଦିଗଟି ଦେଇ ତରଙ୍ଗାୟିତ ସତ୍ତାକୁ ସେ ନିଜ ଅନ୍ତଃକରଣ ଭିତରେ ହିଁ ପଥର ବନ୍ଧ ଦେଇ ରଖିନେଇ ପାରନ୍ତି । ନିଜର କମ୍ପିତ ଅନ୍ତଃକରଣକୁ ବର୍ଷୁକୀ ମେଘର ଆକୁଳତା ପ୍ରତି ଉନ୍ମୁଖ କରି ଛାଡ଼ି ଦେଇ, ସତ୍ୟରଞ୍ଜନ ଦୃଢ଼ଭାବେ ନିଜର କାର୍ଯ୍ୟରେ ମନ ନିବେଶ କରନ୍ତି । ହୁଏତ ଥରେ ଅଧେ ଚଷମାକୁ ପୋଛି ନିଅନ୍ତି, ଟାଇର ଗଣ୍ଠିକୁ ଟାଣି ଦିଅନ୍ତୁ, ଅଥବା ଜୋର ଜୋର ଦି ଚାରିଥର ସିଗାରେଟ୍ ଟାଣି ନିଅନ୍ତୁ, ତା ପରେ ଗୋଟା ଗୋଟା ଫାଇଲ ଦସ୍ତଖତ କରି ଯିବାରେ, ଷ୍ଟେନୋଗ୍ରାଫରକୁ ନୋଟ ଡାକି ଗଲାବେଲେ, ଜରୁରୀ ମିଟିଂରେ ନିଜର ଭାଷଣ ଦେଲାବେଳେ, ତାଙ୍କର କୌଣସି ଭାବାନ୍ତର କଦାଚିତ ଘଟେ ନାହିଁ ।

 

ଅବଶେଷରେ ଯେତେବେଳେ ସେହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯାଏ.ଓ ନିଜର ଖାସ୍ କାମେରାରେ ନିଜକୁ ସେ ଏକାକୀ ଖୋଜି ପାଆନ୍ତି, ବାହାରେ ଉଠାଇଥିବା ମେଘ ବର୍ଷା ହୋଇ ଝରି ଯାଏଥାଏ ଝୁପୁ ଝୁପୁ ହୋଇ । ଆକାଶ ତଥାପି ଥାଏ ଧୂସର ଓ ମେଘାଚ୍ଛନ୍ନ । ଅବସନ୍ନ ଓ କ୍ଲାନ୍ତଭାବେ, ଝରକାର ରେଲିଂରୁ ମୁଠାଇ ଧରି, ସେହି ବର୍ଷାମୁଖର ପ୍ରକୃତିକୁ ଚାହିଁ ରହିଲା ବେଳେ, ତାଙ୍କର ବୁଦ୍ଧିଦୀପ୍ତ ମସ୍ତିଷ୍କଟା ହଠାତ୍ କିପରି ଶୂନ୍ୟ ହୋଇଯାଏ । ସେଇ ଦାମ୍ଭିକ, ବଳିଷ୍ଠ, ଦୀର୍ଘ ଚେହେରାର ମଣିଷଟା ହଠାତ୍ ମହମ ପରି ତରଳିବାକୁ ଆରମ୍ଭ କରେ । ଧୂସର ଏକ ଆଚ୍ଛନତାରେ ଭରପୂର ଆକାଶ ଓ ପୃଥିବୀ । ଝରଝର ଝରି ଯାଉଛି ବର୍ଷା ମୁକ୍ତ ଛନ୍ଦରେ । ଗଛସବୁ ସତେ କି ଲୋଟି ଯାଉଚି ପବନର । ବର୍ଷାର କେତେ ସୌନ୍ଦର୍ଯ୍ୟ ନାହିଁ ! କେତେ କବି ଶିଳ୍ପୀ ବର୍ଷାର ଏଇ ରୂପକୁ ଚିତ୍ର କରି ଯାଇନାହାନ୍ତି । ସାମ୍ନାରେ କନିଅର ଗଛର ସେହି ଫୁଲଗୁଡ଼ିକ ଯେ ବର୍ଷାର ଏ ରୂପକୁ ଚିତ୍ର କରି ଯାଇନାହାନ୍ତି । ସାମନାରେ କନିଅର ଗଛର ସେଇ ଫୁଲଗୁଡ଼ିକ ସେ ବର୍ଷାରେ ଭିଜି ଯାଉଛି, ନିଃସଙ୍ଗ ଚଢ଼େଇଟି ଜାକି ଜୁକି ହୋଇ ଭିଜୁଛି କୃଷ୍ଣଚୂଡ଼ା ଗଛର ଶାଖାରେ । ଏସବୁ କିଛି ଦୃଶ୍ୟ ତ ତାଙ୍କ ମନକୁ ଆବୋରି ବସୁ ନାହିଁ ? ସେ କେବଳ ଦେଖୁଛନ୍ତି, ଦେଖି ପାରୁଚନ୍ତି କେରି କେରି କେଶକୁ ଖୋଲି ଦେଇ ଏ ପ୍ରକୃତି ଏକ ସଦ୍ୟ ବିଧବା ନାରୀ ଭଳି ଭୂଇଁ ସାଉଁଟି କାନ୍ଦୁଛି । ସତ୍ୟରଞ୍ଜନଙ୍କର ସେଇ ମୁହୂର୍ତ୍ତରେ ହଠାତ୍ ମନେ ହୁଏ, ଏହି ରୋରୁଦ୍ୟମାନା ବିପୁଳା ପ୍ରକୃତିକୁ l ଆଲିଙ୍ଗନରେ ବାନ୍ଧି ରଖି ଏକ ନିବିଡ଼ ଚୁମ୍ବନରେ ସେ ଶାନ୍ତ କରି ଦିଅନ୍ତେ କି !! ଏହି କଥା ଭାବିଲା ବେଳେ ଏକ ଅପୂର୍ବ ରୋମାଞ୍ଚରେ ସେ ଶିହରି ଉଠନ୍ତି ଓ ଏକ ଅଦମ୍ୟ ତୃଷ୍ଣା ଏକ ନିଷିଦ୍ଧ ଆବେଗରେ, ପ୍ରମତ୍ତ ହୋଇ ଉଠେ । ସେଇ ତୃଷ୍ଣାର ଦାହ ତାଙ୍କ ଶୋଣିତେ ଶୋଣିତେ ଖେଳିଯାଏ । ଦୀର୍ଘ ଶ୍ଵାସଟାଏ ତାଙ୍କ ପିଞ୍ଜରା ଥରାଇ ଉଠିଆସେ । ନାଃ... କୌଣସି ବିଧବା ନାରୀକୁ ଚୁମ୍ବନ କରିବାର ଭାଗ୍ୟ ତାଙ୍କର ନାହିଁ । ସେଇ ଯେ ନବମ ଶ୍ରେଣୀ ପଢ଼ିଲା ପର୍ଯ୍ୟନ୍ତ, ସେ ସ୍ଥାନକାଳ ପାତ୍ର ଭୁଲି, ବିଧବା ମା’ର ବେକରେ ଓହଳି ପଡ଼ି ତାର ମୁଖ ଚୁମ୍ବନ କରୁଥିଲେ । ସେ ଅଭ୍ୟାସ ଅନେକ ଦିନୁ ଯାଇଛି । ଅଥଚ ଏବେ ବି ଓଟ ଦି’ଟା ଜଳୁଚି ତୃଷ୍ଣାରେ ଦାହରେ ।

 

ବର୍ଷା ସହିତ ତାଙ୍କର ସମ୍ପର୍କ ଏମିତି ଓ ବର୍ଷା ମନେ ପକାଇ ଦିଏ ଅନେକ ଅନେକ କଥା । ନିଜ ଭିତରେ ନିମଗ୍ନ ହୋଇ, ସେ ବର୍ଷା ଭିତରେ ନିଜକୁ ହଜେଇ ହଜେଇ ନିଃଶବ୍ଦ ଆଳାପରେ । ଏ କଥା ସତ୍ୟ ସତ୍ୟରଞ୍ଜନ କବି, ଶିଳ୍ପୀ, ଭାବୁକ, ଏ ସବୁ କିଛି ବି ନୁହେଁ । ସାହିତ୍ୟ କିମ୍ବା କଳା ପ୍ରତି ତାଙ୍କର ସମ୍ମାନ ଥାଇପାରେ, ଅନୁରାଗ ତିଳେ ମଧ୍ୟ ନାହିଁ । ସେ ଅର୍ଥନୀତିରେ କୃତୀ ଛାତ୍ର । ଜଣେ ପ୍ରବୀଣ ଅର୍ଥନୀତିଜ୍ଞ ଭାବେ ସେ ମାନ୍ୟଗଣ୍ୟ । ସରକାରଙ୍କର ଅର୍ଥବିଭାଗର ଉଚ୍ଚ ପଦବୀରେ ସେ ଅଧିଷ୍ଠିତ । ତାଙ୍କର ସମୟ ଯାଏ ସରକାରଙ୍କର ଯୋଜନା ଅଟକଳ କରିବାରେ । ତାଙ୍କର ସନ୍ଦର୍ଭ ପତ୍ରପତ୍ରିକାରେ ପ୍ରକାଶ ପାଏ । ସମୟ ତାଙ୍କର ରୁଟିନବନ୍ଧା । ସେ କର୍ମଠ, ସୁଦକ୍ଷ, ସଚ୍ଚୋଟ ଅଫିସର। ଜାଗତିକ ଜୀବନର ପ୍ରତ୍ୟେକ ସ୍ତରରେ, ଜୀବନର ପାତ୍ର ତାଙ୍କର ଭରପୁର । ତେବେ ବି ବର୍ଷା ଦେଖିଲେ ସେ କେମିତି ଅନ୍ୟମନସ୍କ ହୋଇ ପଡ଼ନ୍ତି । ସେଇ ସେ ତରୁଣ ବୟସରେ, ଏକଦା ଅପରାହ୍ନରେ, ବର୍ଷ କୀ ମେଘ ତାଙ୍କ ମନରେ ବିଧବା ନାରୀରେ ଭ୍ରମ ସୃଷ୍ଟି କରିଥିଲା । ସେଇ ଭ୍ରମ ଟିକକ ରହିଗଲା ପରବର୍ତ୍ତୀ ଜୀବନରେ, ତାଙ୍କର ସବୁଠୁ କୋମଳତମ ସ୍ଥାନର ରସ କ୍ଷରଣରେ ଜଡ଼ବଡ଼ ହୋଇ । ବୟସ ବଢ଼ିବା ସହିତ ସେ ଅନୁଭବ କରୁଥିଲେ ମନ ଭିତରେ କେମିତି ଏକ ବଣଝରଣାର କଳ କଳ ଛଳ ଛଳ ଧ୍ୱନି । ବେଳେ ବେଳେ ସେହି ଧ୍ଵନି ମଧ୍ୟରୁ ନିଃଶବ୍ଦ ଏକ କାନ୍ଦଣାର କୋହ ଉଠେ । ସୀତାରର ବିଳମ୍ବିତ ରାଗରେ ଆଳାପ ପରି ତାହା ବାଜେ ପ୍ରଚ୍ଛନ୍ନ ଭାବେ । ଅନେକ ସମୟରେ ଏଇ ଅହେତୁକୀ କାନ୍ଦଣା ଟିକକୁ ନେଇ ହତବାକ୍ ସତ୍ୟରଞ୍ଜନ ଦୁଃଖ ଓ ବିସନ୍ନ ଭରା ଦୃଷ୍ଟିରେ ଚାହିଁ ରହନ୍ତି ।

 

କିନ୍ତୁ ସତ୍ୟରଞ୍ଜନଙ୍କ ଜୀବନ ଯେ କାନ୍ଦିବା ପାଇଁ ନୁହଁ ଏକଥା ତାଙ୍କୁ ଜାଣିଥିବା ଯେ କେହି ହଲପ୍ କରି କହି ପାରିବ । ଭୂମିଷ୍ଠ ହେଲାବେଳେ ଯେ ମଣିଷ ଜୀବନର ପ୍ରଥମ କାନ୍ଦ ସେ କାନ୍ଦିଥିଲେ, ମାତ୍ର ସେତିକି । ଦ୍ଵିତୀୟବାର କାନ୍ଦିବାର କେହି ତାଙ୍କୁ ଦେଖିନାହିଁ । ପିତାଙ୍କ ମୃତ୍ୟୁର ମାତ୍ର ମାସକ ପରେ ଜନ୍ମଗ୍ରହଣ କରିଥିଲେ ସତ୍ୟରଞ୍ଜନ । ବିଧବା ମା’ର ଛାତିରେ ମଣିଷ ହୋଇଥିଲେ । ସେଥିପାଇଁ ଆବାଲ୍ୟରୁ ମା, ଅଜା, ମାମୁଁଙ୍କର ଅତ୍ୟଧିକ ଗେହ୍ଲା ହୋଇଥିଲେ ସେ । ମା'ଙ୍କର ହୃତପିଣ୍ଡ ଥିଲେ ସେ । ଧନ, ସମ୍ପତ୍ତିର ଅଭାବ ନ ଥିଲା । ଅଭାବ ଥିଲା ବାପାଙ୍କର । ସେ ଅଭାବ ଦୂର କରିଥିଲେ ମା’ ଦୁଇଗୁଣ ଶ୍ରଦ୍ଧାକରି । ଶିକ୍ଷା ସମାପ୍ତ କରୁ କରୁ ହିଁ ମା ବାଛି ଆଣିଥିଲେ ମନଲାଖି ଜୀବନ-ସଙ୍ଗିନୀ । ମା'ଙ୍କର ନିର୍ବାଚନ ନିର୍ଭୁଲ ଥିଲା । କାଦମ୍ବିନୀ ଥିଲା ସୁନ୍ଦର, ଗୁଣବତୀ, ପ୍ରେୟସୀ ଓ ବିଚକ୍ଷଣୀ । ସାର ଯୌବନ ବିତିଗଲା ପ୍ରମତ୍ତ ପ୍ରଣୟ ଲୀଳାରେ । କାଦମ୍ବିନୀ ଥିଲା ଲକ୍ଷ୍ମୀରୂପିଣୀ । ଆସୁ ଆସୁ ସୌଭାଗ୍ୟ ମାଡ଼ିଆସିଲା । ପଦୋନ୍ନିତ ପରେ ପଦୋନ୍ନିତ ହେଲା । ଜୀବନ ନାଆର ଦୁଇମଙ୍ଗରେ ଦୁଇଟି ବିଚକ୍ଷଣା ନାରୀ, ସତ୍ୟରଞ୍ଜନଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ରସର ଶୀର୍ଷ ସ୍ଥାନକୁ ନେଇ ଯାଇଥିଲେ । ଏତେ ସୁଖ ପ୍ରାଚୁର୍ଯ୍ୟ ମଧ୍ୟରେ, ମା ଓ ପତ୍ନୀଙ୍କର ଅତ୍ୟଧିକ ସ୍ନେହ ନଜର ମଧ୍ୟରେ ସତ୍ୟରଞ୍ଜନ ବେଳେବେଳେ ଅତିଷ୍ଟ ହୋଇପଡ଼ନ୍ତି । ସେଇ ପର୍ଯ୍ୟନ୍ତ କୋଳାହଳ ମଧ୍ୟରେ ଏକ ତୀର ମୁନର, ସୁକ୍ଷ୍ମ ନର୍ଜନତା ତାଙ୍କ ହୃତପିଣ୍ଡକୁ ଅକାରଣେ ଦଂଶନ କରେ । ମନ ଖୋଲି, ଟିକେ କାନ୍ଦିବା ପାଇଁ ବ୍ୟାକୁଳ ହୁଅନ୍ତି ସତ୍ୟରଞ୍ଜନ । ଇଚ୍ଛାହୁଏ, ନିରାପତ୍ତାର, ସୁଖର, ପ୍ରେମର, ଏହି ସୁବର୍ଣ୍ଣ ଦୁର୍ଗ ଅତିକ୍ରମ କରେ ଖୁବ୍ ଦୂରକୁ ସେ ଛୁଟିଯାନ୍ତେ ମାଟି ଓ ଆକାଶର ମିଳନରେଖା ମଧ୍ୟକୁ । ସେଇଠି ଠିଆ ହୋଇପଡ଼ି ସତର୍କତାର ସହ, ନିର୍ଜନତାର ମୁନିଆ ତୀରଟିକୁ ହୃତପିଣ୍ଡରୁ କାଢ଼ି, ତନ୍ନ ତନ୍ନ କରି ସେ ସେଥିରୁ ଝରୁଥିବା ଅହେତୁକ କାଳକୁ ବିଶ୍ଳେଷଣ କରନ୍ତେ । ଉପଭୋଗ ବି !

 

କିନ୍ତୁ ସବୁ ସମୟଗୁଡ଼ା ତାଙ୍କ ପାଇଁ ଅତ୍ୟନ୍ତ କୃପଣ । ଅନାସକ୍ତ ଭାବେ, ମୁହୂର୍ତ୍ତର ଟୁକୁରାଟିଏ ବି ତାଙ୍କୁ ସେଇ ନୀଳ ନିଷିଦ୍ଧ ପ୍ରଗଣାକୁ ଠେଲି ଦେଇ ପାରେନାହିଁ । ମୁଠା ମୁଠା ବୁଣିଯିବା ପୂର୍ବରୁ ସେ ପୁଣି ହୋଇଯାଆନ୍ତି ଅର୍ଥନୀତିର କୋର୍ଟ ପ୍ୟାଣ୍ଟ ପରିହିତ ମଣିଷଟିଏ । ଜୀବନ ବଞ୍ଚନ୍ତି ସେ, ଅନୁଭବନ୍ତି ନାହିଁ ।

 

ହାତରେ ଗୁରୁଟଟା ଧରି ସେମିତି ଚାହିଁ ରହିଥିଲେ ସତ୍ୟରଞ୍ଜନ, ହତବାକ୍ ଶୂନ୍ୟ ଦୃଷ୍ଟିରେ ।

 

ମଥା ଉପରେ ଭାଙ୍ଗି ପଡ଼ୁଚି ସତେକି ମେଘ ମେଦୂର ଥମ ଥମ, ଆକାଶ । ଅକାଶ ଓ ପୃଥିବୀକୁ ଢାଙ୍କି ରଖିଛି ଏକ ବିକଳ ଧୂସରତା । ରାଜଧାନୀର ସେଇ କଳା ସର୍ପିଳ ରାସ୍ତା, ଦୂଇପାଖରେ ଲାଲ୍ ଲାଲ୍ କୃଷ୍ଣଚୂଡ଼ା ଗଛ ସତେ କି କାନ୍ଦ କାନ୍ଦ ଦିଶୁଛି । ଅଦୂରରେ କେଉଁଠି ବର୍ଷା ହେଉଛି କି କ'ଣ ଥଣ୍ଡାପବନ ବହୁଛି ଧୀରେ ଧୀରେ ଜ୍ୟେଷ୍ଠର ଅପରାହ୍ନରେ । ଏଇ ବର୍ଷା କଣ ଭରା ପବନ ଟିକକ କେତେ ଭଲ ଲାଗୁନାହିଁ !

 

ସତ୍ୟରଞ୍ଜନ ସମୟର ଅର୍ଗଳ ଖୋଲି ଲାଗିଥିଲେ । ସେ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିବାକୁ ତାଙ୍କର ମନ ହଉଥିଲା । ଆକାଶରେ ମେଘ ଢାଙ୍କିଛି । ପବନରେ କାହାର କାନ୍ଦଣା ଭାସି ଆସୁଛି । କେରି କେରି କେଶ ଖୋଲି ଦେଇ ଏଇତ ସେ ଲୋଟିପଡ଼ିବ । କିପରି, କିପରି ସେ ତାକୁ ଜାବୁଡ଼ି ଧରି ପାରିବେ ।

 

ଡ୍ରାଇଭର ଚତୁର୍ଥ ଥର ପାଇଁ ଆସି ମନେପକାଇ ଦେଲା ବର୍ଷା ଆସୁଛି । ଘରକୁ ଫେରିଯିବାକୁ ହେବ ।

 

ଥରେ ଡ୍ରାଇଭରକୁ ଚାହିଁ ଆକାଶକୁ ଚାହିଁଲେ ସତ୍ୟରଞ୍ଜନ । ବର୍ଷା ଆସୁଛି । ଆସୁ ନାଁ...। ସେଥିପାଇଁ ସେଇ ସୁନାଇଟାର ଦୁର୍ଗ ମଧ୍ୟକୁ ଫେରିଯିବାର କିଛି ବି ଆବଶ୍ୟକତା ନାହିଁ।

 

ଏକଥା କହି ପାରିଲେ ନାହିଁ ସତ୍ୟରଞ୍ଜନ । ବରଂ କହିଲେ ତମେ ଗାଡ଼ି ନେଇଯାଅ । ମୁଁ ଚାଲି ଚାଲି ପଛରେ ଯାଉଛି ।

 

ଡ୍ରାଇଭର ଥରେ ସତ୍ୟରଞ୍ଜନଙ୍କୁ ଚାହିଁ ଦେଇ ଗାଡ଼ିନେଇ ଫେରିଗଲା ।

 

ମନଫୁର୍ତ୍ତିରେ ସତ୍ୟରଞ୍ଜନ ରାସ୍ତାକୁ ଓହ୍ଲାଇ ଆସିଲେ, ଏମିତ ସେ କ୍ଵଚିତ ଚାଲି ଯିବାର ସୁଯୋଗ ପାଆନ୍ତି । ଘରୁ ଗୋଡ଼ କାଢ଼ିଲା ମାତ୍ରେ ଗାଡ଼ି ଧରି ଡ୍ରାଇଭର ଅପେକ୍ଷା କରିଥାଏ । ଓଃ ! ବିରକ୍ତିକର । ଆଜି ଚାଲି ଚାଲି ସେ ଫେରିବେ ନା, ଘରକୁ ନୁହେଁ । ବର୍ଷାର ଏଇ ଇଲାକା ମଧ୍ୟକୁ । ବର୍ଷା ଯେଉଁଠି ଅତି ନିବିଡ଼ ଘନିଷ୍ଠ ହୋଇ ଉଠିଛି ସେଇଠି ସେ ନିଜର ସେଇ ସଞ୍ଚିତା ନିର୍ଜନତା ଟିକକ ଅର୍ପଣ କରିଦେବେ ।

 

ସତ୍ୟରଞ୍ଜନ ରାସ୍ତା ଉପରକୁ ଆସି ପୁଣି ଏକ ସିଗାରେଟ ଲଗାଇଲେ । ତା'ପରେ ଚାଲିବାକୁ ଆରମ୍ଭ କଲେ । ଏଇ କଳା କଳା ସର୍ପିଳରାସ୍ତା ମିଶି ହଜି ଯାଇଛି ସାମ୍ନାର ଏଇ ଧୂସର ଆକାଶ ମଝିରେ । ତା’ରି ଉପରେ ପହଁରି ପହଁରି ବର୍ଷା ଆସିବ । କି ଦୁର୍ବାର ଆକର୍ଷଣ ସତେ ଏଇ ବର୍ଷାର; ଅଥଚ କାନ୍ଦ ଛଡ଼ା ଆଉ ଯେ କିଛି ବି ଦିଏ ନାହିଁ । ସେଇ କାନ୍ଦ ମଧ୍ୟରେ ନିଜକୁ ଅନୁଭବିବାକୁ ଭାରି ଇଚ୍ଛା ହୁଏ । ନିଜକୁ ଭଲ ସେ କେବେ ଅନୁଭବିଚନ୍ତି ? କେବେ...? ଆତ୍ମ ନିର୍ବାସନରେ, ସେଇ ସେ ତରୁଣ ଜଣକ କେନ୍ଦେରା ଧରି ଯୋଗୀ ହୋଇ ହଜିଗଲା, ପୃଥିବୀର ଜନ-ଅରଣ୍ୟ ମଧ୍ୟରେ । ଏମିତି ବର୍ଷା ଆସିଲେ, ବିପୁଳା ପୃଥିବୀ ବିଧବା ନାରୀର ରୂପ ନେଲେ ସେ ଯୋଗୀ କ’ଣ ହୁଏ...?

 

ସତ୍ୟରଞ୍ଜନ ହଠାତ୍ ଥକ୍କା ହୋଇ ଠିଆ ହୋଇଗଲେ । ଆଶ୍ଚର୍ଯ୍ୟ, କେଉଁ ଯୋଗୀର କଥା ସେ ଭାବୁଚନ୍ତି ? ହଠାତ୍ ଏକଥା ତାଙ୍କ ମନକୁ ଆସିଲା ବି କାହିଁକି ? ଜୀବନରେ କ୍ଵଚିତ ଯୋଗୀ ଭିକାରୀ ସେ ଦେଖିଛନ୍ତି । ସେ ବଡ଼ କୋଠାରେ ରହନ୍ତି । କାରରେ ଯିବା ଆସିବା କରନ୍ତି । ଯୋଗୀ ସେ କ୍ଵଚିତ ଦେଖିଚନ୍ତି । ଅଥଚ ଆଜି ଆଜି ରାଜଧାନୀର ଏଇ ଲମ୍ବା ରାସ୍ତାରେ କେହି କେହି ବି ନାହାନ୍ତି । ସବୁ ନିର୍ଜନ ନିସ୍ତବ୍ଧ । ଦୁଇ ପାଖରେ ଧାଡ଼ି ଧାଡ଼ି କୋଠା...ସାମ୍ନାରେ ଖଣ୍ଡଗିରି । ଅଥଚ ସାମ୍ନାରେ ଡଗ ଡଗ ହୋଇ ଚାଲିଚି ଯୋଗୀଟିଏ, ଖଣ୍ଡଗିରି ଆଡ଼େ । ଖଣ୍ଡଗିରି ଚୁଡ଼ାରେ ମେଘସବୁ ଜମାଟ ବାନ୍ଧି ଯାଇଛି । ଖଣ୍ଡଗିରିର ସେଇ ମେଘଛୁଆଁ ଚୂଡ଼ାରେ କି ବର୍ଷା ସବୁଠୁ ବେଶି ନିବିଡ଼, ଏକାନ୍ତ । ଇସ୍ , ଆଜିଯାଏ ଏଇ ଗୁଳ୍ମଲତା ଭରା ଖଣ୍ଡଗିରିକୁ ବି ସେ ଦେଖି ପାରି ନ ଥିଲେ । ଏଇ ବାଟେ କେତେଥର ସେ ଯିବା ଆସିବା କରିଚନ୍ତି । ଆଜି ସାମ୍ନାରେ ସେଇ ଖଣ୍ଡଗିରି, ସତ୍ୟରଞ୍ଜନ ନିଠେଇ ଚାହିଁଲେ । ଧୂସର ମେଘର ପଣତ ଢାଙ୍କି ଦେଇଛି ଖଣ୍ଡଗିରିକୁ । ତାଙ୍କର ପଲକ ପଡ଼ିଲା ନାହିଁ । ସାମ୍ନାରେ ସବୁ ଶାନ୍ତ, ନିର୍ଜନ, ଧୂସର, ଅଥଚ ସୁନ୍ଦର । ଖଣ୍ଡଗିରିର ଚୂଡ଼ାରେ କାହା ମଥାର ଧଳା ଓଢ଼ଣା ଉଡ଼ି ଉଡ଼ି ଯାଇଚି ? କି ଆଶ୍ଚର୍ଯ୍ୟ, ସତେ କି ଅପରୁପା ବିଧବା ନାରୀଟିଏ ଥମ ଥମ ଆଖିରେ ଚାହିଁ ରହିଛି । ଡଗ ଡଗ ଚାଲୁଥିବା ଯୋଗୀଟି ଆହୁରି ବେଗରେ ମାଡ଼ିଯାଉଛି ତା’ ଆଡ଼କୁ । ସତ୍ୟରଞ୍ଜନଙ୍କ ସାରା ଦେହରେ ରୋମାଞ୍ଚ ଖେଳିଗଲା । ଆଃ, ସେ ଠିକ୍ ଦେଖିପାରିଲେ ନାହିଁ, ସେହି ଲଗ୍ନଟା, କିଏ କାହା ଆଲିଙ୍ଗନରେ ହଜିଗଲା ?

 

ଅନେକ ସମୟ ସ୍ଥିର ହୋଇ ରହିଗଲେ ସତ୍ୟରଞ୍ଜନ ସ୍ଥାଣୁ ପରି । ହଠାତ୍ କେତେବେଳେକେ ସେଇ ଜମାଟବନ୍ଧା ନୀରବତାରେ ବିସ୍ଫୋରଣ ଘଟିଲା । ସେ ଯେମିତି ଛିଟିକି ପଡ଼ି ଠିଆ ହୋଇଗଲେ ନିଜର ସେହି ଦୁଇପାଦ ଭୂମି ଉପରେ । କି ଆଶ୍ଚର୍ଯ୍ୟ । ଖଣ୍ଡଗିରି ନୁହେଁ, ସେ ଚାଲି ଚାଲି ଠିକ୍ ନିଜର ଘରକୁ ହିଁ ଆସିଚନ୍ତି, ଓ ବଗିଚାର ଶେଷ ପ୍ରାନ୍ତରେ, ଯେଉଁଠି ଅନେକ ଅନାବାଦୀ ଜମି ଓ ପଡ଼ିଆ ଆରମ୍ଭ ହୋଇଛି । ସେହ ଟାଙ୍ଗର ଭୂମିକୁ ହାଁ କରି ଚାହିଁ ରହିଚନ୍ତି । ପାଖରେ ତାଙ୍କର ସହଧର୍ମିଣୀ ପାଖରେ ତାଙ୍କର ଠିଆ ହୋଇଛି ହସ ହସ ମୁଖରେ ।

 

"ଏଠି ଏମିତି ସେତିକିବେଳୁ ଠିଆ ହୋଇଚ ଯେ, ହୋଇଚ, ବର୍ଷା ପଡ଼ିଲାଣି ! ସର୍ଦ୍ଦି ହେବ ନାହିଁ ? ଘରକୁ ଆସ ।"

 

କାଦମ୍ବିନୀ ବାହୁ ଧରି ଟାଣି ଟାଣି ନେଲା । ସତ୍ୟରଞ୍ଜର ସେହି ଆକର୍ଷଣରେ ସଂପୂର୍ଣ୍ଣ ପ୍ରକୃତିସ୍ଥ ହେଲେ । ଏକ ମଧୁର ସ୍ୱପ୍ନ ଯେମିତି ହଠାତ ଭାଙ୍ଗିଗଲା । ଅଥଚ ସେହି ସ୍ଵପ୍ନର ଭଗ୍ନାବଶେଷ ସବୁ ମନରେ ଜମା ହୋଇ ରହିଛି । ସେ ଜଳ ଜଳ କରି ଚାହୁଁଥିଲେ କାଦମ୍ବିନୀକୁ । ସେଇ ସୁନାଇଟାର ଦୂର୍ଗ ଭିତରକୁ ଟାଣି ଟାଣି ନଉଛି ଏଇ ମାୟାବୀ ନାରୀ । ଏମିତି ସେ ଜୀବନଯାକ ଟାଣି ହୋଇ ଯାଇଚନ୍ତି, ଅନାସକ୍ତ ଗଙ୍ଗଶିଉଳି ଗଛମୂଳରୁ ସେହି ହେନାର ଅରଣ୍ୟ ମଧ୍ୟକୁ ।

 

କାଦମ୍ବିନିର ବା’ ଦୋଷ କ’ଣ ? ଜୀବନ କହିଲେ ସେ ବୁଝେ ନାଚି ନାଚି ହସି ହସି ଫାଟିପଡ଼ିବା । ରଙ୍ଗବୋଳି ରଙ୍ଗୀନ ହେବା । ଐଶ୍ଵର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନକୁ ତିଳ ତିଳ ଉପଭୋଗ କରିଯିବା ତା’ର ଏକ ଅଦମ୍ୟ ନିଶା । ଏ ନିଶା ଦୂରନ୍ତ ହୋଇଚି, ଘନିଷ୍ଠ ହେଇଚି ସିନା ଭାଙ୍ଗି ନାହିଁ, ଛାଡ଼ିନାହିଁ, କାହିଁକି ନା ନିଶା ଭାଙ୍ଗିଗଲା ଭଳି ଅସମୟ ତା’ର ନେବାର ଦକ୍ଷତା ଆସିନାହିଁ । ଦୃଷ୍ଟି ଭରି ହାତ ଭରି, ପ୍ରାଣଭରି, ସେ ପୃଥିବୀରୁ ରସ ଶୋଷି ନେଇଛି, ତା’ର ନେବାର ଦକ୍ଷତା ବଳରେ । ସେଥିପାଇଁ ସେ ଗରବିଣୀ । ସେ କେଉଁଠି ଅଟକି ନାଇଁ, ସେ ହାରି ନାହିଁ ।

 

କାଦମ୍ବିନୀ ଟାଣି ଟାଣି ନେଲା ସେଇ ଅନ୍ତଃପୁରକୁ । ଯେଉଁଠି ନିଜର କୁଶଳୀ ହାତର ସ୍ପର୍ଶରେ କୋଠରୀଟି ଚକ୍ ଚକ୍ ଓ ପରିପାଟୀ ମଣ୍ଡିତ । ସବୁଦିନ ପରି ସେ ବେକରୁ ଟାଇ ଖୋଲିଦେଲା । କୋଟ୍ କାଢ଼ି ନେଲା । ଝରକାପାଖ ଇଜି ଚେଆରରେ କ୍ଲାନ୍ତ ଦେହକୁ ଢାଳି ଦେଇ, ଅଳସ ଭାଙ୍ଗିଲେ ସତ୍ୟରଞ୍ଜନ । ତା’ପରେ କାଦମ୍ବିନୀ ଝୁଙ୍କି ପଡ଼ିଲା ତାଙ୍କ ମୁହଁ ଉପରକୁ । ଅଲରାବାଳ କେତେ କେରାକପାଳରୁ ଉଠାଇ ଦଉ ଦଉ କହିଲା ଗାଡ଼ି ଫେରାଇ ଦେଇ ଏମିତି ଚାଲି ଚାଲି ଆସିଲ ଯେ...କ'ଣ ହେଲା କି ?

 

ମୁହଁ ଉପରେ ଝୁଲି ପଡ଼ିଛି କାଦମ୍ବିନୀର ମୁହଁ । ପାନପତ୍ର ପରି ସୁନ୍ଦର କମନୀୟ ମୁହଁ ଓଃ ଏ ମୁହଁଟା ଏତେ ବେଶୀ ଗୋରା କାହିଁକି ? ସେ ଗୋରା ମୁହଁରେ ପୁଣି ଏତେ ବଡ଼ ସିନ୍ଦୁରଟୋପା । କାଦମ୍ବିନୀର ନିଶ୍ୱାସ ମୁହଁରେ ବାଜୁଛି । ସେଇ ସିନ୍ଦୂର ଟୋପାଟା ସତେକି ଏକ ଅସହ୍ୟ ଭୃକୁଟି ପରି ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଛି । ସତ୍ୟରଞ୍ଜନଙ୍କ ସାରା ଦେହ ଶିତକାରୀ ଉଠିଲା । କେଜାଣି କାହିଁକି କାଦମ୍ବିନୀର ଏହି ସିନ୍ଦୂର ଟୋପାକୁ ଆଦୌ ସହ୍ୟ କରି ପାରନ୍ତି ନାହିଁ ସତ୍ୟରଞ୍ଜନ । ବେଳେବେଳେ ସେହି ମୁହଁଟାର ଘନିଷ୍ଠ ହୋଇଗଲା ବେଳେ, ଭୟରେ ଘୃଣାରେ ନିଶ୍ୱାସ ବନ୍ଦ କରି ସେ ଆଖି ବୁଜିଦିଅନ୍ତି । ସେହି ସିନ୍ଦୁର ଟୋପାଟା ଜ୍ଵଳନ୍ତ ସୂର୍ଯ୍ୟ ପରି ତାଙ୍କ ସାମ୍ନାରେ ଝୁଲୁଚି-ସେ କାକୁସ୍ଥ ଭାବେ, ଆଖି ବୁଜି ମୁହଁ ବୁଲାଇ ନେଲେ ।

 

କାଦମ୍ବିନୀ ଆଶ୍ଚର୍ଯ୍ୟ ଭାବେ ଥରେ ସ୍ୱାମୀଙ୍କୁ ଚାହିଁଲା । ତା’ ପରେ ଉଠି ଯାଇ ଫ୍ୟାନଟା ଖୋଲିଦେଲା ।

 

ଦୀର୍ଘ ଶ୍ୱାସ ଟାଣି ପୁଣି ଆଖି ଖୋଲିଲେ ସତ୍ୟରଞ୍ଜନ । କାଦମ୍ବିନୀ ଏତେ ମୋଟା ହୋଇ ଯାଉଛି କାହିଁକି ? ଦେହଟା ତା’ର କେତେ ଗୋରା ଓ ନରମ । ସେଇ ଦେହକୁ ସଜାଇ ରଖିବାରେ ତା’ର ପ୍ରଗାଢ଼ ଯତ୍ନ । ମେଞ୍ଚା ମେଞ୍ଚା ଗହଣା ପିନ୍ଧିବାରେ ତା'ର ଅଶେଷ ସୁଖ ଦୀର୍ଘ ଶ୍ୱାସ ଟାଣି ପୁଣି ଆଖି ଖୋଲିଲେ ସତ୍ୟରଞ୍ଜନ । କାଦମ୍ବିନୀ ଏତେ ମୋଟା ହୋଇ ଯାଉଛି କାହିଁକି ? ଦେହଟା ତା’ର କେତେ ଗୋରା ଓ ନରମ । ସେଇ ଦେହକୁ ସଜାଇ ରଖିବାରେ ତା’ର ପ୍ରଗାଢ଼ ଯତ୍ନ । ମେଞ୍ଚା ମେଞ୍ଚା ଗହଣା ପିନ୍ଧିବାରେ ଅଶେଷ ସୁଖ । ଖୁବ୍ ରଙ୍ଗର ଶାଢ଼ୀ ଗହଣା ତା’ର ପସନ୍ଦ । ଦିନକୁ ଘଡ଼ି ଘଡ଼ି ଶାଢ଼ୀ ଗହଣା ବଦଳାଇ ମଞ୍ଚ ଅଭିନେତ୍ରୀ ପରି ନିଜକୁ ଟିପଟପ୍ ରଖିବା ବିଳାସ ତା’ର । ସତ୍ୟରଞ୍ଜନ ଜାଣନ୍ତି, କାଦମ୍ବିନୀର ସୁନ୍ଦର ଓ ସେହି ସୌନ୍ଦର୍ଯ୍ୟକୁ ଅତୁଟ ରଖିବାରେ ପ୍ରୟାସ ଅପରିସୀମ । କିନ୍ତୁ ଏସବୁ ଭିତରେ ସତ୍ୟରଞ୍ଜନ ବରାବର ଅତିଷ୍ଠ ହୋଇପଡ଼ନ୍ତି । କାଦମ୍ବିନୀର ଗାଢ଼ ସିନ୍ଦୁର ଟୋପା ପରି, ଗାଡ଼ ରଙ୍ଗର ଶାଢ଼ୀ ବି ତାଙ୍କର ଅସହ୍ୟ ହୋଇ ଉଠେ; କିନ୍ତୁ ସେ କିଛି କହି ପାରନ୍ତି ନାହିଁ । ବେଳେ ବେଳେ ଅସହାୟ ଭାବେ ଖାଲି ଭାବନ୍ତି, କାଦମ୍ବିନୀ ଯଦି ବୋଉ ପରି ସଦା ଥାନ ଲୁଗାଟିଏ ପିନ୍ଧି ତାଙ୍କ ସାମ୍ନାରେ ଠିଆ ହୁଅନ୍ତା ? ଓଃ, କି ସୁନ୍ଦର ସେ ନି ଦିଶନ୍ତା ? ଅନେକ ସମୟରେ ଏହି ଅସହାୟ ଇଚ୍ଛାଟିକୁ ସେ ମନ ମଧ୍ୟରେ ଲାଳନ କରନ୍ତି । ଲାଳନ କରିବାରେ ସୁଖ ପାଆନ୍ତି ।

 

ସତ୍ୟରଞ୍ଜନଙ୍କ କପାଳ ଉପରେ ହାତ ବୁଲାଇ ଆଣୁ ଆଣୁ କାଦମ୍ବିନୀ କହିଲା କ'ଣ ହେଇଚି ଆଜି ? ଏମିତି ମନ ମାରି ବସିଛ ? ?

 

ସତ୍ୟରଞ୍ଜନ ଆଖି ଖୋଲିଲେ....। ମଥା ଉପରେ ନଇଁ ପଡ଼ିଛି କାଦମ୍ବିନୀର ସେଇ ସିନ୍ଦୂର ଟୋପା । ସେଇ ମେଞ୍ଚା ମେଞ୍ଚା ଗହଣା । ଗାଢ଼ ରଙ୍ଗ ଶାଢ଼ୀ । ସେ ହଠାତ୍ କହିଲେ... ବୋଉ... ? କାଦମ୍ବିନୀର ମନର ସରାଗ ଝାଉଁଳି ଗଲା ;କିନ୍ତୁ ସେଇ ଝାଉଁଳି ଯିବାର ଧୂସରତା ଟିକକ ସେ ମୁହଁ ଉପରକୁ ଆଣିଲା ନାହିଁ । ପ୍ରତିଦିନ ହିଁ ଗାଡ଼ି ଶବ୍ଦ ଶୁଣୁ ଶୁଣୁ ଶାଶୁ ପୁଅକୁ ପାଛୋଟି ନେବାକୁ ଧାଇଁ ଆସନ୍ତି । ସତ୍ୟରଞ୍ଜନଙ୍କ ଅଫିସ୍ ଫେରନ୍ତା ଶୁଖିଲା ମୁହଁ ଉପରେ ଝୁଲି ପଡ଼ିଥିବା କେରାଏ କେଶ, ଯାହାକୁ ସାଉଁଟି ନେବାକୁ କାଦମ୍ବିନୀର ହାତ ଉଠି ଯାଉଥାଏ, ତା’ ପୂର୍ବରୁ ସେତେକ ଶାଶୁ କରି ଦିଅନ୍ତି । ଶାଶୁଙ୍କର ମନତୃପ୍ତ ହୋଇଯାଏ ପୁଅକୁ ସାନିଧ୍ୟ ହେଲା ପରେ ହିଁ ଅଫିସ୍ ଫେରନ୍ତା ସତ୍ୟରଞ୍ଜନ କାଦମ୍ବିନୀର ଅନ୍ତଃପୁରକୁ ଆସିଥାନ୍ତି । ଆଜି ଗୋଟାଏ ଦିନ ଶାଶୁ ସତ୍ୟରଞ୍ଜନ ଆସିବା ବେଳକୁ ଉପସ୍ଥିତ ନାହାନ୍ତି ବୋଲି, ସତ୍ୟରଞ୍ଜନ ଏତେ ଖୋଜନ୍ତି ତାଙ୍କୁ ... ? କାଦମ୍ବିନୀ ମୁହଁ ମୋଡ଼ିଲା । ହୁଁ ଏତେ ଦିଅନ୍ତି ମା ? ମୋଠୁଁ ବେଶି... ? ଅକୃତଜ୍ଞ । ଏକ ରକମ୍ ମୁଁ ଯେ ତମକୁ ମଣିଷ କରି ରଖିଚି, ନଚେତ୍ ତମେ ତ ଏକ ଯନ୍ତ୍ର । ଏକ... ।

 

କାଦମ୍ବିନୀର ମୁହଁରେ ଗର୍ବର ହସ ଫୁଟାଇଲା । ସେଇ ଗରବିଣୀ ଦୃଷ୍ଟିରେ, ସ୍ୱାମୀଙ୍କୁ ଚାହିଁଲା ବେଳେ, ପୁଣି କହିଲେ ସେ ବୋଉ କାହିଁ ?

 

ବୋଉ ମୁଢ଼ି ଭାଜୁଚନ୍ତି ତମେ ବର୍ଷା ପାଗରେ ମୁଢ଼ି ଭଲ ପାଅନା... ? ବୋଉଙ୍କୁ ଡାକିବି ?

 

ନାଃ...ଥାଉ... ।

 

ସତ୍ୟରଞ୍ଜନ ନିଜ ଭତରେ ବୁଡ଼ି ଯିବାକୁ ଚେଷ୍ଟା କଲେ । ତା’ ପରେ ହଠାତ୍ କାଦମ୍ବିନୀର ବାହୁକୁ ଭିଡ଼ି ଧରି ପଚାରିଲେ ଆଚ୍ଛା କାନ୍ଦି, ତମେ ମତେ ପାଇଛ ?

 

କ’ଣ ହେଲା...? କାଦମ୍ବିନୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

ତମେ...ତମେ...ମୋତେ ପାଇଛ... ?

 

'ଓଃ, କାଦମ୍ବିନୀ ହସି ହସି ଲୋଟି ପଡ଼ିଲା । ତା’ର ସେହି ବେପରୁଆ ହସ କାଚ ବାସନ ପରି ଝଣ ଝଣ ହୋଇ ସତେକି ଘରସାରା ବୁଣିଗଲା । ସେମିତ ହସି ହସି ବେଦମ ହେଲା ପରେ ସେ କହିଲା...। ୟେ ଗୋଟେ ପ୍ରଶ୍ନ ନା ! ସେ ସତ୍ୟରଞ୍ଜନଙ୍କ ନାକଟାକୁ ମୋଡ଼ି ଦେଇ ଗେହ୍ଲଇ ହୋଇ କହିଲା ତମକୁ ମୁଁ ପାଇନି, ମୋଠୁ ବେଶି ପାଇଚନ୍ତି ତମ ମା ?? ହୁଁ ମୁଁ ବୋକୀ ନୁହେଁ, ବାଲୁରୀ ବି ନୁହେଁ–ମୁଁ ଯେ ତମକୁ ଏକାବେଳକେ ଶାଢ଼ୀ ପଣତରେ ଗଣ୍ଠି ପକାଇ ରଖିଛି, ଏ କଥା ତ ଦୁନିଆ ସାରା ଡିବି ଡିବି ବାଜୁଛି ।

 

ନିର୍ଲୋଭ ଦୃଷ୍ଟିରେ, ସତ୍ୟରଞ୍ଜନ କାଦମ୍ବିନୀକୁ ଚାହିଁ ରହିଥିଲେ । ନିର୍ବୋଧ ନାରୀ ! କେତେ ଟିକକରେ ସନ୍ତୁଷ୍ଟ ହୋଇ ରହି ଯାଉଛି । ସେତିକି ପାରୁନାହାନ୍ତି ବୋଲି ସିନା ତାଙ୍କର ଏତେ ଅଶାନ୍ତି ।

 

ସତ୍ୟରଞ୍ଜନଙ୍କର ଗଭୀର ଦୃଷ୍ଟି, କାଦମ୍ବିନୀର ମୁହଁ ଭେଦ କରି କେତେଦୂରେ ହଜିଥିଲା କେଜାଣି; କାଦମ୍ବିନୀ କିନ୍ତୁ ଭାବୁଥିଲା, ସ୍ୱାମୀଙ୍କର ଦୃଷ୍ଟି ତା’ର ମୁଖର ସୌନ୍ଦର୍ଯ୍ୟ ଉପରେ ହିଁ ନ୍ୟସ୍ତ ।

 

ରାତ୍ରି ବଢ଼ି ଚାଲିଥିଲା । ଯଥାରୀତି ସ୍ତ୍ରୀ ଓ ପିଲାଙ୍କ ଗହଣରେ ସତ୍ୟରଞ୍ଜନ ରାତ୍ରି ଭୋଜନ ଶେଷ କରିଥିଲେ । ଖାଇବାବେଳେ ବେଶ୍ ଘରୋଇ ଆଳାପ କିଛି ସମୟ ଧରି ହୋଇଥିଲା । ସତ୍ୟରଞ୍ଜନ ଯେ ସାରାଦିନ ଅନ୍ୟମନସ୍କ ଥିଲେ, ଏହି ଅନ୍ୟମନସ୍କତା ଟିକକ ଧୀରେ ଧୀରେ ଏକ ଅବୁଝା ଆକୁଳତାରେ ପରିଣତ ହୋଇଥିଲା । ତାଙ୍କର ମନେ ହୋଇଥିଲା, ରାତିର ନିର୍ଜନ ମୁହୂର୍ତ୍ତରେ, ଥରେ ସେହି ଶାଢ଼ୀ ଗହଣାର ପ୍ରାଚୁର୍ଯ୍ୟ ଭିତରୁ ମୁକ୍ତ ହୋଇ ଆସି ଯଦି କାଦମ୍ବିନୀ ତାଙ୍କୁ ସମ୍ପୂର୍ଣ୍ଣ ପୃଥକ ଭାଷାରେ ଏକ ପ୍ରଶ୍ନ କରନ୍ତା... ତେବେ... ତେବେ... । କିନ୍ତୁ ସେ ଦେଖିଲେ, ଖାଇବା ପରେ ସବୁଦିନ ପରି କାଦମ୍ବିନୀ ଶାଢ଼ୀ ପାଲଟି ଡ୍ରେସିଂ ଟେବୁଲ ସାମ୍ନାରେ, ପ୍ରସାଧନ ପାଇଁ ବସି ରହିଲା । କେଶ ଖୋଲି ପାନିଆ ଚଳେଇଲା ଓ ମୁହଁରେ ନାନା ରଙ୍ଗର ପ୍ରଲେପ ଦେଲା । ସିଗାରେଟ୍ ଟା ଜୋରରେ ଫିଙ୍ଗି ଦେଇ , ସତ୍ୟରଞ୍ଜନ ସେ ଘର ଛାଡ଼ି ପିଣ୍ଡାକୁ ଚାଲିଆସିଲେ । ନିର୍ଜନ, ଅନ୍ଧାର ବାରଣ୍ଡା । ସାମ୍ନାରେ ସେଇ ଟାଙ୍ଗରା ଭୁଇଁ । ସବୁଠି ଅନ୍ଧାର ନେସି ହୋଇ ରହିଛି । ଏତେ ଅନ୍ଧାରରେ ଦେଖାଯାଉନାହିଁରେ ଖଣ୍ଡଗିରି । ଯେଉଁ ଖଣ୍ଡଗିରିକୁ ଚାହିଁ ତାଙ୍କ ସାରା ଚେତନାର ଏକ ଖାଁ ଖାଁ ଭାବ ମାଡ଼ି ଆସିଥିଲା । ସେହି ଖଣ୍ଡଗିରରେ କି ବିଚିତ୍ର ଦୃଶ୍ୟ ସେ ନ ଦେଖିଲେ... ? ସେ ଠିକ୍ ଜାଣନ୍ତି ନାହିଁ କେବେ କିଏ ଯୋଗୀ ହୋଇ ଯାଇଥିଲା । କିନ୍ତୁ ସେ ଠିକ୍ ଦେଖିଚନ୍ତି ଯୋଗୀଟା ବିଧବା ନାରୀର ଆଲିଙ୍ଗନରେ ହଜିଗଲା । ସେହି ମଧୁରତମ ଦୃଶ୍ୟଟି ମନର ଲେନ୍ସରେ ରହି ଯାଇଛି । ଏଇ ଅନ୍ଧାରରେ ଠିଆ ହୋଇ ସେ କ’ଣ ଖୋଜୁଚନ୍ତି ? କାହାକୁ ? ସେହି ବିଧବା ନାରୀ ନାଁ ସେ ଯୋଗୀକୁ ?

 

ସତ୍ୟରଞ୍ଜନ କେରା କେରା କେଶ ଟାଣି ଲାଗିଲା । ଅସ୍ଥିର ଭାବେ ବାରଣ୍ଡାରେ ପଦଚାରଣା କଲେ ଏ ପାଖରୁ ସେପାଖ; ପୁଣି ସେ ପାଖରୁ ଏପାଖ । କଛି ଭଲ ଲାଗୁନାହିଁ । ଅଥଚ କଣ ଭଲ ଲାଗିବ, ତା ସେ ଜାଣନ୍ତି ନାହିଁ । ନିଶ୍ଚିତ ଭାବେ ବ୍ୟାକୁଲତାରେ ସେ ଛଟ ପଟ ହେଉଚନ୍ତି । ଅଥଚ ସେ ଜାଣନ୍ତି ନାହିଁ, ତାଙ୍କର ଲକ୍ଷ୍ୟ ଓ ସାମ୍ମୁଖ୍ୟ କଣ ?

 

ହଠାତ୍ ସତ୍ୟରଞ୍ଜନଙ୍କ ଆଖିରେ ପଡ଼ିଲା, ବୋଉର କୋଠରୀ ଘର ମେଲା ଅଛି । ବାରଣ୍ଡାର ଶେଷରେ ବୋଉର କୋଠରୀ ଘର ମେଲା ଅଛି । ଆଲୁଅ ଜଳୁଛି । ସତ୍ୟରଞ୍ଜନ ହଠାତ୍ ମାଆଙ୍କ ରୁମ୍ ଆଡ଼େ ଆଗେଇଲେ । ଦେଖିଲେ ଘରର ମଝି ଚଟାଣରେ ବୋଉ ଗୋଡ଼ ଲମ୍ବେଇ ବସିଛି । ପାନ ଡାଲା ମେଲି ପାନ ଭାଙ୍ଗୁଛି । ପିଠିରୁ ଲୁଗା ଖସି ପଡ଼ିଛି। ବୋଉର ଫାଳେ ପିଠି ଖୋଲା । ବୋଉ ତାଙ୍କଠୁ ମାତ୍ର ସତର ବର୍ଷ ବଡ଼ । ବୋଉର ବାଳ ଏବେ ବି ପାଚି ନାହିଁ । ବୋଉର ନଙ୍ଗଳା ବେକରେ ଦୁଇସରିଆ ତୁଳସୀ ମାଳି କେତେ ଭଲ ଦିଶୁଛି । ବୋଉ ତାଙ୍କର କେତେ ସୁନ୍ଦର, କେତେ ଭଲ । ବୋଉର ଏ ରୁମ୍‍ଟା ବି । ସାଦା ଖଟଟିଏରେ ସପଟିଏ ପଡ଼ିଛି । ଏ ପାଖରେ ବୋଉର ପୁରାଣ, ପୋଥି । ବୋଉର ସେ ସବୁ ହିଁ ଭଲ ।

 

ସତ୍ୟରଞ୍ଜନ ବୋଉ ପାଖରେ ଚକ୍‍କା ପକାଇ ବସି ପଡ଼ିଲେ । ବୋଉ ତାଙ୍କୁ ଦେଖି ହସି କହିଲେ ...ପାନ ଖାଇବୁ କି ବାବୁ ? ଏଇନେ, ସାଦା ପାନଟି ପିପରମେଣ୍ଟ ଦେଇଛି ।

 

ବୋଉ ହାତରୁ ପାନ ନେଇ ମନଖୁସିରେ ଚୋବେଇ ଲାଗିଲେ ସତ୍ୟରଞ୍ଜନ । ପାନଟା ବି ଖୁବ୍ ଭଲ ଲାଗୁଚି । ସେ ପାନ ଚୋବୋଉ ଚୋବୋଉ ଘର ସାରା ଦୃଷ୍ଟି ଖେଳେଇଲେ । ଏ ରୁମ୍‍ଟା କେତେ ଭଲ । କାନ୍ଥ ସବୁ ଧଳା । ସବୁ ସ୍ୱଚ୍ଛ, ନିର୍ମଳ । ଏଠି କାଦମ୍ବିନୀର କୌଣସି ରକମର ଗାଢ଼ ରଙ୍ଗ ନାହିଁ, କ୍ରିମ୍ ସେଣ୍ଟ ନାହିଁ । ଅଥଚ ଏଠି ସବୁ ଅଛି । ଯାହା ଆପଣାର, ଏକାନ୍ତ ଆପଣାର ।

 

କାଦମ୍ବିନୀର ଶୟନକକ୍ଷର ପର୍ଦ୍ଦା କୁଞ୍ଚିତ ହେଲା । ଗହବା କେଶକୁ ପିଠି ସାରା ଖୋଲି ଦେଇ ସ୍ୱାମୀଙ୍କ ସନ୍ଧାନ ନେବାକୁ ଆସି କାଦମ୍ବିନୀ ଦେଖି ପାରିଲା, ସତ୍ୟରଞ୍ଜନ ବୋଉଙ୍କ ପାଖରେ ବସି ପାନ ଖାଉଛନ୍ତି ଓ ଆଳାପ କରୁଛନ୍ତି । କାଦମ୍ବିନୀ ଏଥର ସ୍ଲିପର ଘୋଷାରି ଘୋଷାରି ବାରଣ୍ଡାର ଲାଇଟ୍ ଜଳେଇ ଦେବା ବାହାନାରେ, ବାରଣ୍ଡାରେ ପରସ୍ତେ ବୁଲିଗଲା । ସ୍ଲିପରର ଶବ୍ଦ ଅପେକ୍ଷା ବେଶି ଶବ୍ଦ ଥିଲା ତା’ ଗୋଡ଼ର ପାଉଁଜି ଓ ହାତର କଙ୍କଣ । ମା ଓ ପୁଅ ଉଭୟେ ତାଙ୍କୁ ଦେଖି ଚାହିଁବା କ୍ଷଣି ହିଁ, ସେ ଉଦ୍ଧତ ଭଙ୍ଗୀରେ ବୁଲି ପଡ଼ି ଚାଲିଗଲା । ସତେ ବା କହି ଦେଇ ଗଲା “ମୁଁ ପରୁଆ କରେନା ।” କାଇଁକି ନାଁ, ମୁଁ ତୁମକୁ ତାଙ୍କଠୁଁ ବେଶି ବେଶି ନିଗାଡ଼ି ନେଇପାରେ ।

 

କାଦମ୍ବିନୀ ଚାଲିଗଲା ପରେ, ସତ୍ୟରଞ୍ଜନଙ୍କ ବୋଉ ପାନଡାଲା ଗୋଟେଇ ରଖିଲେ । କହିଲେ–ରାତିତ କେତେ ହେଲାଣି...ତୁ ଏଥର ଶୋଇବୁ ଯା’...

 

ଛୋଟ ପିଲା ପରି ବୋଉର ବାହୁକୁ ଜଡ଼ାଇ ଧରି କହିଲେ ସତ୍ୟରଞ୍ଜନ, ବୋଉ, ମୁଁ ଏଇଠି ତୋରି ପାଖେ ଶୋଇବି । ମୁଁ ଯେ କେତେ ଦିନୁ ତୋ’ ପାଖେ ଶୋଇନାହିଁ । ବୋଉଙ୍କ ପାଖେ ସତେବା’ ହାପପ୍ୟାଣ୍ଟ ପିନ୍ଧା ପିଲାଟିଏ ଠିଆ ହୋଇଥିଲା ।

 

ସତ୍ୟରଞ୍ଜନଙ୍କ କପାଳ ଆଉଁସି ଦେଇ ବୋଉ କହିଲେ ଏଠି ତୁ ଶୋଇବୁ କେମିତି ବାବୁ ? ଏଠି ଯେ ଗଦି ନାହିଁ, ଭଲ ବିଛଣା ନାହିଁ । ଦେଖୁନୁ ତୋ’ ଗେହ୍ଲା ପୁଅ କେମିତି ଗପ ଶୁଣିବ ବୋଲି ଜିଦ୍ ଧରି ଏଠି ଶୋଇଚି । ଯା, ବାପ ଯା, ରାତି ବଢ଼ିଲାଣି । ବୋହୁଟା ଡରିବ ଯେ ।

 

ସତେ ବା’ କାଦମ୍ବିନୀ ନୂଆ ବାହା ହୋଇ ଆସିଚି ସତର ବର୍ଷର ଝିଅଟିଏ । ତେଣୁ ଏକା ରହିବାକୁ ଡରିବ । ସେମିତି କହି କହି ବୋଉ ସତ୍ୟରଞ୍ଜନକୁ ଆଣି ତାଙ୍କ ଶୋଇଲା ଘର ଦୁଆରେ ଛାଡ଼ି ଦେଲେ । ତାଙ୍କର ଛାତି ଗର୍ବରେ ଫୁଲି ଉଠୁଥିଲା ପୁଅଟା ତାଙ୍କୁ କେତେ ଭଲପାଏ । କେତେ ବେଶି । ପୁଅକୁ ବାହାକରି ବି ସେ ପୁଅକୁ ହରାଇ ନାହାନ୍ତି । ତାଙ୍କ ପୁଅ ତାଙ୍କର-କିନ୍ତୁ ସେ ସ୍ଵାର୍ଥପର ନୁହନ୍ତି । ପୁଅ ତା’ ରୁମ୍‍କୁ ଯାଉ । ବୋହୁ ଜାଣୁ, ସେ ଡରିବ ବୋଲି ମୁଁ ତାକୁ ଆଣି ଛାଡ଼ିଦେଇ ଯାଉଛି । ସତ୍ୟରଞ୍ଜନଙ୍କ ବୋଉ ଚାଲିଗଲେ ଓ ନିଜ କୋଠରୀର ଦୁଆର କିଳି ଦେଲେ ।

 

ସେଇ ଅନ୍ଧାରଭରା ବାରଣ୍ଡାରେ ମୂକ ପରି ଠିଆ ହୋଇ ରହିଲେ ସତ୍ୟରଞ୍ଜନ । ତାଙ୍କ ମୁହଁ ଉପରେ ବନ୍ଦ ହୋଇଗଲା ବୋଉ ଘରର ଦୁଆର । ଓଃ, ଏ ସଂସାରରେ ସମସ୍ତେ କ’ଣ ଏତେ ନିଷ୍ଠୁର ? ସମସ୍ତେ ତାଙ୍କୁ ଏମିତି ନିଷ୍ପେସିତ କରିଯିବେ, ନିଜ ନିଜ ଖିଆଲ୍ ଓ ରଙ୍ଗରେ ସେ ନିଦାରୁଣ, ନିର୍ମମ ଭାବରେ ବନ୍ଦୀ । ଖେଳ କଣ୍ଢେଇ । ହଠାତ୍ ତାଙ୍କ ମନ ଭିତରେ ଏକ ଅସହାୟ ବାଳକ କାନ୍ଦି ଉଠିଲା । ଇଚ୍ଛାହେଲା, ସେ ଧାଇଁ ଧାଇଁ କୁଆଡ଼େ ଚାଲିଯିବେ, କେହି ଠାବ କରି ନ ପାରିଲା ଭଳି ଅପହଞ୍ଚ ଜାଗା ଟିକକରେ ଠିଆ ହୋଇଯିବେ ଓ ତାର ସବୁ ଶକ୍ତି ଖଟାଇ ସେହି ସଞ୍ଚିତ, ସବୁଠୁ ଆନ୍ତରିକ ସଂଳାପଟି ଉଚ୍ଚାରଣ କରିବ ଯେ “ହେଇ ମୁଁ ଚାଲି ଆସିଛି, ତମେ କେଉଁଠି ? ଥରେ ମାତ୍ର ଦେଖାଦିଅ ଓ କୋଳକୁ ଟାଣିନିଅ । ମୁଁ ଯେ ଆଉ ନିଜକୁ ବହନ କରି ପାରୁନାହିଁ ।”

 

ଅନ୍ତରର ଏହି ଅନୁଚ୍ଚାରିତ ସଂଳାପଟି ତାଙ୍କ ଦେହ ମନରେ କଠିନ କାରୁଣ୍ୟର ଏକ ଛାୟାପାତ କଲା ମାତ୍ର । ଟଳି ଟଳି ସେ ଘରକୁ ଆସିଲେ, ବଳିକୁ ଗଲାପରି, ଓ ଖଟ ପାଖରେ ଥକ୍କା ହୋଇ ଠିଆ ହୋଇ ରହିଲେ ।

 

ଘର ସାରା ହଲୁକା ସୁଗନ୍ଧ ସ୍ପ୍ରେ କରିଚି କାଦମ୍ବିନୀ । ହାଲୁକା ସବୁଜ ରଙ୍ଗର ଆଲୋକଟା ଜଳି ରହିଛି, ଜାଗ୍ରତ ଏକ ସ୍ଵପ୍ନର ସୌଦାଗର ପରି । ଖଟ ଉପରେ ଚିତ୍ ହୋଇ ଶୋଇଛି କାଦମ୍ବିନୀ । ବେପରୁଆ, ଉଦ୍ଧତ ଓ ଗର୍ବିଣୀ ଭଙ୍ଗୀରେ । ପବନରେ ଉଡ଼ିଛି ଶାଢ଼ୀର ଅଞ୍ଚଳ, ମଥାର କେଶ । ଗରବିଣୀ ରାଜକନ୍ୟା ଶୋଇଛି । ମଥାରେ ଦାଉ ଦାଉ ଜଳୁଛି ସେହି ସିନ୍ଦୂର ଟୋପା । ଦେହରେ ସୁନାଗହଣାର ଔଜଲ୍ୟ । ସତ୍ୟରଞ୍ଜନଙ୍କ ଦୃଷ୍ଟି ଝଲସି ଗଲା ! ହଠାତ୍ ତାଙ୍କର ମନେହେଲା, ଏଇ ନାରୀଟିକୁ ସେ ପନ୍ଦର ବର୍ଷ ଧରି ଧର୍ଷଣ କରି ଆସିଛନ୍ତି । ଦିନେ ବି ପ୍ରେମ କରି ନାହାନ୍ତି । ନାଃ–ଦିନେ ବି ନୁହଁ ।

 

ପ୍ରଚଣ୍ଡ ଏଇ ଘୃଣାରେ ହାତ ମୁଠା ମୁଠା କରି ଦୂରକୁ ଘୁଞ୍ଚିଗଲେ ସତ୍ୟରଞ୍ଜନ । ଆପାଦ-ମସ୍ତକ ତାଙ୍କର ଘୃଣାରେ ଥରି ଉଠିଲା । ପ୍ରବଳ ବିତୃଷ୍ଣା ମଧ୍ୟରେ ସତେକି ସେ ଅଣନିଃଶ୍ୱାସୀ ହୋଇଯିବେ । ଜଳି ଜଳି ଯିବେ । ଓଃ ! ସେ ମୁକ୍ତି ଚାହାନ୍ତି । ମୁକ୍ତି ! ମୁକ୍ତି ! ଯେଉଁ ମୁକ୍ତି ଆଜି ଯାଏ, ଯେଉଁ କୋହ ତାଙ୍କୁ ଅନବରତ ପୀଡ଼ନ କରି ଚାଲିଥିଲା । ତାହା ଏହି ମୁକ୍ତି ପାଇଁ ।

 

ସେ ମୁକ୍ତି ଚାହାନ୍ତି । ମାତ୍ର କାହାଠାରୁ ? କାଦମ୍ବିନୀ ଠାରୁ...ପିଲାଙ୍କଠାରୁ...ନା ମାଆଙ୍କଠାରୁ...

 

ନାଁ...? ନାଁ...? ଯୁଇଠାରୁ ?

 

ଯୂଇ ?? ହଠାତ୍ ତାଙ୍କ ମନ ଭିତରେ ‘ଯୂଇ-ଯୂଇଫୁଲ’ ବୋଲି ଶହେଟା ଶବ୍ଦ ଉଚ୍ଚାରିତ ହୋଇ ଉଠିଲା ଏକସାଙ୍ଗରେ ?

 

ହଠାତ୍ ଆଜି କାହିଁକି ତାଙ୍କର ଯୂଇ କଥା ମନେପଡ଼ିଲା ? ଯୂଇ କଣ ତାଙ୍କର ପ୍ରେମିକା ? କୌଣସି ଦିନ ସେ କି ତାକୁ ପ୍ରେମ କରିଥିଲେ । ଏକ ଅଦ୍ଭୁତ ଖିଆଲ୍ ମନତଳେ ଅନ୍ତଃସଲିଳା । ଫଲ୍‍ଗୁପରି ଛୁଟି ଚାଲିଥିଲା, ହୃଦୟରେ କେତେ ନିଭୃତରେ । ଏସବୁ ଅସ୍ଥିରତା କି ତାର ବିସ୍ଫୋରଣ.. ??

 

ଯୂଇ, ଯାଇଫୁଲ । ତାଙ୍କ ଗାଁର କେଉଁ ଗରିବଘର ଝିଅଟି । ତା ଘର ସେ ଦିନେ ଦେଖି ନାହାନ୍ତି । ତାର ମା’କୁ ଚିହ୍ନି ନାହାନ୍ତି । ଗାଁର କାହାକୁ ବା ଚିହ୍ନନ୍ତି ସେ ? ସେ ଗାଁକୁ ଯାନ୍ତି ଖାସ୍ ବୋଉ ପାଇଁ । ଭାରି ଗେହ୍ଲା ଓ କୋଳପଶା ଥିଲେ ସେ । ମାଆ ପାଖେ ଚୂଲିମୁଣ୍ଡେ ବସି, ମାଛଭଜା ଖାଇବା, କି ପିଠା ଖାଇବା ହିଁ ତାଙ୍କର ଅଭ୍ୟାସ ଥିଲା । ସେଥର ଦଦେଇ ଝିଅ ଭଉଣୀ ରାନୁ ତାଙ୍କୁ ଜୋର କରି ତାଙ୍କୁ ଘରକୁ ଡାକି ନେଇଗଲା । ସେଦିନ ଥିଲା କୁମାର ପୂର୍ଣ୍ଣିମା । ଦଦେଇଙ୍କର ମସ୍ତବଡ଼ ଅଗଣା । ଅଗଣାର ଏକ ପାଖରେ ବଡ଼ ତୁଳସୀ ଚଉରା । ଜହ୍ନ ଉଇଁ ଆସୁଥାଏ । କେତେ ଝିଅ ଜମା ହୋଇଥାନ୍ତି । ଚାନ୍ଦ ପୂଜା କରୁଥାନ୍ତି । ହଠାତ୍ ଧଳାଶାଢ଼ୀ ପିନ୍ଧି ନହନହକା ପାତଲ ଝିଅଟିଏ ଆସି ସତ୍ୟରଞ୍ଜନଙ୍କୁ ପ୍ରଣାମ କଲା । ଚିହ୍ନି ନ ପାରି ସେ କାବାହୋଇ ରହିବାରୁ ରାନୁ କହିଲା...ଚିହ୍ନି ପାରୁନାଁ ସତୁ ନନୀ, ସେ ପରା ଆମ ଯୂଇ ।

 

ଯୂଇ...?

 

“ପିଲାଦିନେ ବୋହୁବୋହୁକା ଖେଳରେ ସିଏ ସବୁଦିନେ ତମର କନିଆ ହେଉ ନଥିଲା ?”

 

ସତ୍ୟରଞ୍ଜନଙ୍କର ସବୁ ମନେପଡ଼ିଲା । ସେ ହସି କହିଲେ...‘‘ଓଃ...ଯୂଇ ତୁ !’’

 

ଲାଜରେ ମୁହଁ ତଳକୁ କଲା ଯୂଇ ! ମୁହଁ ଉଠାଇ ପୁଣି ସେ ସତ୍ୟରଞ୍ଜନଙ୍କୁ ଚାହିଁଲା । ସତ୍ୟରଞ୍ଜନ ତାକୁ ହିଁ ଚାହିଁଛନ୍ତି ହସିଲା ଆଖିରେ । ଭୁରୁ ଉଠାଇ ଯୂଇ କହିଲା, ଖାଲି ସେତିକି କ’ଣ ରାନୁଅପା, ସେଇ ମିଛିମିଛିକା ବାଲିଭାତ, ତିଅଣ ଅଫିସ ବେଳକୁ ହୋଇପାରେ ନାହିଁ ବୋଲି ଏ ପିଠିରେ ଏତିକି ବିଧା ଗୋଇଠା ସେ ଅଜାଡ଼ି ଦିଅନ୍ତି ? କି ରାଗ ଲୋ ମା...

 

ରାନୁ ଖିଲ୍ ଖିଲ୍ ହସି ଉଠିଲା । କହିସାରି ଯୂଇ ଶାଢ଼ୀର ଅଞ୍ଚଳକୁ କାମୁଡ଼ିବାରେ ଲାଗିଲା । ସତ୍ୟରଞ୍ଜନ ଯୂଇକୁ ଚାହିଁଥିଲେ । ତାଙ୍କ ଆଖିରେ ଲାଖିରହିଲା, ଲାଜକୁରା, ହସିଲା ହସିଲା କଥାକୁହା ଆଖି ଦୁଇଟି ।

 

ଚାନ୍ଦ ପୂଜା ଚାଲିଥିଲା । ଅଗଣାସାରା ଝିଅମାନେ ପୁଚି ଖେଳି ଲାଗିଥିଲେ । ସତ୍ୟରଞ୍ଜନ ଭାବୁଥିଲେ, ଦୃଷ୍ଟିର ତୃପ୍ତି ଟିକକ କେତେ ବେଶି ରସାପ୍ଲୁତ କରିପାରେ ହୃଦୟକୁ । ଏଇ ଅବୁଝା ଭାବଟି ସେ ବୁଝିପାରୁ ନ ଥିଲେ । ଆଜିଯାଏଁ ସେ କେବଳ ଜାଣିଥିଲେ ସହପାଠୀ ସହ ପ୍ରତିଯୋଗିତା କରି ଅଧିକ ନମ୍ବର ରଖିବା ଓ ଭଲ ଛାତ୍ର ହେବା, ଏହ ଛଡ଼ା ଦୁନିଆରେ ଆଉ କିଛି ଅଛି ସେ ଜାଣି ନ ଥିଲେ । ଆଜି କଣ ପାଇଁ ତାଙ୍କ ହୃଦୟପାତ୍ର ଏପରି ଭରି ଗଲା ।

 

ଚାହୁଁ ଚାହୁଁ ଚାନ୍ଦ ପୂଜା ସରିଗଲା । କବାଟ କଣରେ ଚାନ୍ଦ ଭୋଗ ଖାଇବା ପାଇଁ କିଲ୍ କିଲ୍ ହୋଇ ଝିଅମାନେ ଚାଲିଗଲେ ଯେ ଯୁଆଡ଼େ ।

 

ସତ୍ୟରଞ୍ଜନ ବାରିପଟେ ବୁଲି ଘରକୁ ଫେରିଲେ ।

 

ହଠାତ୍ କେହି ଜଣେ ହାତ ମେଲାଇ ବାଟ ଓଗାଳି ଠିଆହେଲା ।

 

ସତ୍ୟରଞ୍ଜନ ଠିକ୍ ଚିହ୍ନି ପାରିଲେ-ସେଇ ବାଉଁଶବଣର ଛପି ଛପି ଜହ୍ନ ଆଲୁଅ ତଳେ, ଧୋବ ଫର ଫର ଶାଢ଼ୀ ପିନ୍ଧି ଠିଆ ହୋଇଚି ଯୂଇ ।

 

ନିଅ, ଆଁ କଉ, ତମକୁ ଭୋଗଟିକିଏ ଖୁଆଇ ଦିଏ । ଯୂଇ ହଠାତ୍ କହିଲା ।

 

ଚାନ୍ଦ ଭୋଗ କାହାକୁ ଦିଅନ୍ତି ନାହିଁ ପରା...

 

ବରକୁ ବି ନୁହେଁ ?

 

ବର...?

 

‘‘ତମେ ପରା ମୋ...’’ କହି ଖିଲ୍ ଖିଲ୍ ହସି ମେଞ୍ଚାଏ ଚାନ୍ଦଚକଟା ତାଙ୍କ ପାଟିରେ ମାଡ଼ି ଦେଇ ଯୂଇ ଛାଡ଼ିଗଲା ଏକରକମ ଦୌଡ଼ି ଦୌଡ଼ି ।

 

ହଠାତ୍ ଥକ୍କା ହୋଇ ଠିଆ ହୋଇଗଲେ ସତ୍ୟରଞ୍ଜନ । କାନରେ ପ୍ରତିଧ୍ୱନିତ ହେଲା ସେଇ ମିଠା ମିଠା କଥାତକ । ଆଜିଯାଏଁ ଏପରି ମିଠା କଥା ସେ ଜମ୍ମା ଶୁଣି ନ ଥିଲେ ପରା । ଜହ୍ନ ଆଲୁଅର ସେଇ ମଲ୍ଲୀ ବଣ ଭିତରେ ହଠାତ୍ ସେ ବାଟ ଭୁଲିଲେ । କିନ୍ତୁ ନିଜକୁ ପାଇଲେ । ଠିକ୍ ପାଇଲାପରି ଆଉ ପାଇଲେ ଅନିର୍ବାଚନୀୟ ଏକ ସ୍ଵାଦୁ ।

 

ତା' ପରେ ପରେ କେତେ ଥର ଛୁଟିରେ ସେ ଆସିଚନ୍ତି । ରାନୁ ଘରଙ୍କୁ ନାନା ଆଳରେ ଯାଇଚନ୍ତି । ଯୂଇର ଭେଟ ପାଇ ନାହାନ୍ତି । ଯୂଇର ଘରକୁ ଯାଇ, ମନର ସର୍ବଶ୍ରେଷ୍ଠ କଥାଟି ଜଣେଇ ଆସିବାକୁ ସାହସ ପାଇ ନାହାନ୍ତି ।

 

ପରବର୍ଷ ଦଶହରାକୁ ଆସି ପାରିଲେ ନାହିଁ ସତ୍ୟରଞ୍ଜନ । ଅସିଲେ ରଜ ଛୁଟିରେ । ବେଳ ଦେଖି ବାଉଁଶ ବଣରେ ଯାହାକୁ ଖୋଜିଲେ, ତାକୁ ପାଇଲେ ନଈ ବନ୍ଧରେ । ପହିଲି ଆଷାଢ଼ର ମେଘ ଢାଙ୍କି ଥିଲା ଆକାଶରେ । ସବୁ ନଈ ବନ୍ଧରେ ଏକାକୀ ବସିଥିଲା ସେ । ମୁହଁଟି ସକାଳର ନୀଳକଇଁ ଝାଉଁଳି ପଡ଼ିଥିଲା ।

 

ସତ୍ୟରଞ୍ଜନ ଖୁସିରେ ଫାଟି ପଡ଼ି କହିଥିଲେ ଯୂଇ ତୁ ! ତତେ କେତେ ଖୋଜିଛି । କହି କହି ସତ୍ୟରଞ୍ଜନ ତା’ର ହାତ ମୁଠାଇ ଧରିଲେ ।

 

ସତ୍ୟରଞ୍ଜନଙ୍କୁ ଏତେ ପାଖରେ ଦେଖି ଯୂଇ ଅପ୍ରତିଭ ହେଲା । ତା’ର ଆଖି ଦିଓଟି ଲୁହରେ ଛଳଛଳ ହୋଇ ଉଠିଲା ।

 

ଯୂଇ...ରୁ କାନ୍ଦୁଚୁ...? ଯୂଇର ମଥାଟିକୁ ଛାତିଉପରେ ଜାକି ଧରିଲେ ସତ୍ୟରଞ୍ଜନ । ହଠାତ୍ ମୁଣ୍ଡ ଉଠାଇ ନିଜକୁ ଘୁଞ୍ଚାଇ ନେଲା ଯୂଇ । ବାଷ୍ପରୁଦ୍ଧ କଣ୍ଠରେ କହିଲା...ଛାଡ଼ିଦିଅ ସତୁଜା...ମୁଁ ଯେ ଅଲକ୍ଷଣୀ ବିଧବା...

 

ବିଧବା ...? ସତ୍ୟରଞ୍ଜନ ଚିତ୍କାର କରି ଉଠିଲେ...ଗୋଡ଼ଠୁ ମୁଣ୍ଡଯାକେ ତା’ର ଚାହିଁଗଲେ । ନାଁ- ନାଁ କହି ସାର ଅନ୍ତର ତାଙ୍କର ଫାଟି ପଡ଼ୁଥିଲା ।

 

ଯୂଇ ଚାଲି ଯାଉଥିଲା, ହଠାତ୍‍ ତାକୁ ଧରି ପକାଇଲେ ସତ୍ୟରଞ୍ଜନ । ପ୍ରତିଶ୍ରୁତିର ଅଙ୍ଗୀକାରଟି ଯୂଇର ଓଠ ପ୍ରାନ୍ତରେ ଲେଖି ଯିବାର ପ୍ରୟାସ କରୁ କରୁ ସେ କହିଲେ, ମୁଁ ତତେ ବାହା ହେବି ଯୂଇ । ନିଶ୍ଚେ ବାହା ହେବି ।

 

ସେହି କାର୍ଯ୍ୟଟି ଅସମ୍ପନ୍ନ ରହିଗଲା । ଉଦ୍ୟତ ଓଷ୍ଠାଧର ରହିଲେ ସ୍ଥିର ତରଙ୍ଗଟିଏ ହୋଇ । ତାଙ୍କୁ ପେଲିଦେଇ ଯୁଇ କହିଲା... ‘‘ଛି, ମୁଁ ଛାର ବିଧବାଟିଏ ।’’ କହୁ କହୁ ସେ ଧାଇଁ ପଳାଇଲା ।

 

ସତ୍ୟରଞ୍ଜନ ଶୁଣିଲେ, ଖାଲି ଖାଇ ପିଇ ବଞ୍ଚି ଯିବାର ଲୋଭରେ, ଯୂଇର ମା' ଯୂଇକୁ ଟେକି ଦେଇଥିଲେ ଏକ ଶ୍ୱାସ ରୋଗୀ ବୁଢ଼ାକୁ । ଛ'ଟି ମାସ ନ ପୂରୁଣୁ ବୁଢ଼ାଟି ମରିଗଲା । ତା’ର ପୁଅ-ବୋହୁର ସଂସାରରେ କୌଣସି ପ୍ରକାରେ ନିଜକୁ ମିଶାଇ ନ ପାରି ଯୂଇ ଫେରି ଆସିଲା ପୁଣି ମାଆ ପାଖକୁ । ଘରକୁ ଫେରି ମାଆକୁ ଚାହିଁ ସେ ତୀବ୍ର କଣ୍ଠରେ କହିଲା- ବୋଉ, ମୁଁ ଯୂଇକୁ ବାହା ହେବି । ଏହା ମୋର ନିଶ୍ଚିତ କଥା ।

 

ମାଆ ଥରେ ତାଙ୍କ କୋଳପଶା ପୁଅକୁ ଚାହିଁଲେ । ତା'ପରେ ଚାଲି ଗଲେ ସେଠୁ ସଟ୍‍କରି ।

 

ପର ପର ଦୁଇଦିନ । ମାଆଙ୍କର ସମ୍ନାସାମ୍ନି ହେଲେ ବି କୌଣସି କଥାବାର୍ତ୍ତା ହୋଇ ନ ଥିଲା ମା’ ପୁଅଙ୍କର । ବୋଉ ଖୁବ୍ ଗମ୍ଭୀର ଥିଲା, ସତେ କି ସ୍ଥାଣୁ ଓ ଜଡ଼ ହୋଇଗଲା ।

 

ଏମିତି ଚାଲିଗଲା ଚାରିଦିନ । ସେହିଦିନ ସଞ୍ଜବେଳେ ସତ୍ୟରଞ୍ଜନ ନିଜେ ମା’ଙ୍କ ସହ ସନ୍ଧି କଲେ । କହିଲେ ବୋଉ, ମୋର ଭୁଲ ହୋଇଛି । ମୁଁ କଥା ଫେରାଇ ନଉଛି ।

 

ତା’ପରେ ଜରୁରୀ କାମ ଅଛି ବୋଲି ସେହି ରାତିରେ ଗାଁ ଛାଡ଼ିଥିଲେ ।

 

ପନ୍ଦରବର୍ଷ ବିତି ଯାଇଛି ! ପନ୍ଦର ବର୍ଷ ।

 

ସତ୍ୟରଞ୍ଜନ ଏହି ପନ୍ଦର ବର୍ଷ ମଧ୍ୟରେ, କେତୋଟି ମିନିଟ୍ ବଞ୍ଚିଛନ୍ତି ? ପୁଅ, ଝିଅ, ଧନ, ସମ୍ପଦରେ ଭରପୁର ତାଙ୍କର ସଂସାର । ଅଥଚ ମନେ ହେଇଛି, ଏ ସବୁ ତୁଚ୍ଛ : ମିଛ । କାଦମ୍ବିନୀ ତାଙ୍କର ସ୍ତ୍ରୀ ନୁହେଁ, କି ସେ ତାର ସ୍ୱାମୀ ନୁହନ୍ତି । ସେମାନଙ୍କର ବନ୍ଧନ ଲୁହାଶିକୁଳିରେ ହୋଇପାରେ, କିନ୍ତୁ ମଲ୍ଲୀଫୁଲର ଡୋର ମାଳରେ ନୁହେଁ । ନିଜ ନିଜର କ୍ଷଣିକ ପ୍ରୟୋଜନ ଅନୁସାରେ ଦୁହେଁ ପରସ୍ପରକୁ ବ୍ୟବହାର କରି ଆସିଛନ୍ତି । ଏଥିରେ ଅତ୍ମାର ବୁଭୁକ୍ଷା ନାହିଁ କି ଆକୁଳତା ନାହିଁ । ତାଙ୍କ ଭିତରର ସେଇ ପ୍ରେମର ମଣିଷଟି ଅଭୁକ୍ତ ତୃଷାର୍ତ୍ତ ହୋଇ ଠିଆହୋଇ ରହିଛି ଏହି ସଂସାର ବୃତ୍ତର ବାହାରେ, ନିର୍ବାସନରେ । ତାର ସବୁ ସ୍ଵପ୍ନ କଣ ଅପହଞ୍ଚ, ମରଣୋତ୍ତର ??

 

ହଠାତ୍ କାଦମ୍ବିନୀ ଚିରଚିରେଇ ଉଠିଲା । ତାର ସେହି ମୃଦୁ ଚିତ୍କାରରେ ସତ୍ୟରଞ୍ଜନଙ୍କ ନିବିଷ୍ଟ ଭାବ ହଠାତ୍ ଭାଙ୍ଗିଗଲା । ସେ ଚମକି ପଡ଼ି ଦେଖିଲେ ଶାୟିତା କାଦମ୍ବିନୀଙ୍କୁ ସେ ନିବିଡ଼ ଆକର୍ଷଣରେ ଭିଡ଼ି ଧରିଛନ୍ତି, ଆଉ କାଦମ୍ବିନୀ ତାଙ୍କଠୁ ମୁକୁଳିବାକୁ ଚେଷ୍ଟା କରି, ପାଟି କରୁଛି -ଏଡ଼େ ସାହସ ! ଶୋଇଲା ବେଳେ ମୋ ମଥାର ସିନ୍ଦୁର ପୋଛିନେବୁ ? ମୋ ଲୁଗା ବଦଳାଇ ମତେ ଥାନଲୁଗା ପିନ୍ଧାଇବ । ଏତେ ସାହସ ? ଏତେ ଆସ୍ପର୍ଦ୍ଧା ? ମୁଁ କ'ଣ ତମ ମାଆ ପରି ହେଇଚି କି ??

 

କହୁ କହୁ କାଦମ୍ବିନୀ ସତ୍ୟରଞ୍ଜନଙ୍କ ଉପରେ ଝାମ୍ପି ପଡ଼ିଲା । କିନ୍ତୁ ସତ୍ୟରଞ୍ଜନ, କାମନାରେ ପ୍ରମତ୍ତ ନୁହେଁ ଆବେଗରେ ଜର ଜର ହୋଇ, ତଥାପି କାଦମ୍ବିନୀର ବିଧବା ପ୍ରାୟ ଦେହକୁ କୁଣ୍ଢେଇ ଧରି, ହୁଏତ ସେଠୁ ମଲ୍ଲୀ ବା ଗଙ୍ଗଶିଉଳିର ଗନ୍ଧ ଖୋଜି ଲାଗିଥିଲେ ।

Image

 

ସମୁଦ୍ର

ଶ୍ରୀ ଗଣେଶ୍ୱର ମିଶ୍ର

 

।।ଏକ।।

 

ମୁଁ କେବେ ପ୍ରଥମ ଥର ପାଇଁ ସମୁଦ୍ର ଦେଖିଥିଲି, ମୋର ମନେ ନାହିଁ । ତଥାପି ଅନେକ ଥର ମୁଁ ଚେଷ୍ଟା କରିଚି–ସମୁଦ୍ର ମୋତେ ପ୍ରଥମେ କେମିତି ଦିଶିଥିଲା–ମନେ ପକାଇବାକୁ । ବହୁ ଅନୁଭୂତି ବହୁ ଆଲୋକ ଅନ୍ଧାରର ଅଙ୍କାବଙ୍କା ରାସ୍ତାରେ ଏତେ ବାଟ ଆସିବାପରେ, ଯେତେବେଳେ ଫେରିଚାହେଁ, ମୋତେ ସେଇ ଗୋଟିଏ ଦୃଶ୍ୟହିଁ ଦିଶେ - ସମୁଦ୍ର । ଶାନ୍ତ ପ୍ରଶସ୍ତ ଅଥଳ ଜଳରାଶି - ବୃତ୍ତାକାର ଜଳରାଶି–ଯେମିତି ବିସ୍ତୃତ ସ୍ଥଳଭାଗକୁ ଦୁଇ ବାହୁ ପ୍ରସାର କରି ଆଲିଙ୍ଗନ କରିଛି । ଉପରେ ଆକାଶ–ବିସ୍ତୃତ ଓ ନୀଳ–କେଉଁଠୁ ତା’ର ଆରମ୍ଭ, କେଉଁଠି ଶେଷ ଓ ସେଇ ପଟ୍ଟଭୂମିରେ ମୁଁ ଦେଖିପାରେ ମୋ ନିଜକୁ–ଛୋଟ ଶିଶୁଟିଏ ମୁଁ -ଆଶ୍ଚର୍ଯ୍ୟ ଆଖିରେ ଅନାଇଚି ସମୁଦ୍ରକୁ–କି ବିରାଟ, କି ରହସ୍ୟମୟ । କେତେ ବର୍ଣ୍ଣ, କେତେ ସଙ୍ଗୀତ ଓ ତା’ ପାଖରେ ଠିଆ ହୋଇଥିବା ଶିଶୁଟି, କେଡ଼େ କ୍ଷୁଦ୍ର, ସମୁଦ୍ର କୂଳର କଙ୍କଡ଼ାଟି ପରି । ମୁଁ ଠିକ୍ ଦେଖିପାରେ ସେ ଶିଶୁ ଭିତରେ ମୋ ସଂକୀର୍ଣ୍ଣତାକୁ ଓ ସମୁଦ୍ର ଭିତରେ, ସମୟର ଅନନ୍ତ ରହସ୍ୟକୁ ।

 

ସେଇ ଦୃଶ୍ୟଟି ମୋ ଅତୀତର ସବୁଠାରୁ ପୁରାତନ, ପ୍ରିୟତମ ସ୍ମୃତି ।

 

।। ଦୁଇ ।।

 

ସମୁଦ୍ର କୂଳକୁ ମୋତେ ପ୍ରଥମେ କିଏ ନେଇଥିଲା, ମୋର ମନେ ନାହିଁ । ତେବେ, ମୋର ବୁଢ଼ୀମା ହିଁ ମୋତେ ପ୍ରଥମେ ସେଠାକୁ ନେଇଥିବ । କାରଣ ସେଇତ ମୋତେ ପ୍ରଥମେ ପରିଚୟ କରାଇ ଦେଇଥିଲା ବାହାରର ପୃଥିବୀ ସଙ୍ଗେ । ଖୁବ୍ ପୁରୁଣା କଳଙ୍କି ଧରା ସମୟର ପ୍ରତୀକ ମୋର ବୁଢ଼ୀମା । ତା’ ମୁହଁ ଆଜି ସଫା ମନେ ପଡ଼େ ନାହିଁ । ତାକୁ ମନେ ପକାଇଲେ ସେଇ ସବୁ ପୁରୁଣା କାହାଣୀ–ଜଡ଼ିବୁଟି, ଗୁଣିଗାରୁଡ଼ି, ରାଜାପୁଅ ରାଜାଝିଅ, କୁହୁକ ଦେଶ, କାଉଁରିକାଠି -କେଜାଣି କାହଁକି ଆପେ ଆପେ ମନେ ପଡ଼େ । ସେଇ ସବୁ କାହାଣୀ ତ ମୁଁ ତା’ଠାରୁ ପ୍ରଥମେ ଶୁଣିଥିଲି, ସବୁ ପିଲାମାନେ ବି ସେମାନଙ୍କ ବୁଢ଼ୀମାଠାରୁ ଏମିତ କାହାଣୀ- ସବୁ ଶୁଣିଥାନ୍ତି । ମୋ ଉପରେ ମୋ ବୁଢ଼ୀମା ମୋ ପିଲାଦିନେ ମୋ ସମ୍ମୁଖରେ କଳ୍ପନାର ଗୋଟିଏ ସୁନ୍ଦର ଦୁନିଆ ମେଲାଇ ଧରିଥିଲା । ତେଣୁ ବୁଢ଼ୀମାକୁ ମନେ ପକାଇଲେ ସେଇ ସ୍ଵପ୍ନ ଓ କଳ୍ପନାର ଦୁନିଆଟି ତା ସଙ୍ଗେ ଟାଣିହୋଇ ଆସେ ।

 

କିନ୍ତୁ ଖାଲି ସ୍ଵପ୍ନ ଓ କଳ୍ପନାର ଦୁନିଆ ସଙ୍ଗେ ନୁହେଁ, ବାସ୍ତବ ଦୁନିଆ ସଙ୍ଗେ ମଧ୍ୟ ମୋର ପ୍ରଥମ ପରିଚୟ କରାଇଥିଲା ଦେଇ ବୁଢ଼ୀମା । ଆମ ସାହିର ଅନ୍ଧାରୁଆ ଗଳିହିଁ ଯେ ସାର ପୃଥିବୀ ନୁହେଁ–ତା ବାହାରେ ବି ପୃଥିବୀ ଲମ୍ବିଛି–ଆଗକୁ, ଆହୁରି ଆଗକୁ–ହୁଏତ ସମୁଦ୍ର ଯାଏଁ - ଏକଥା ମୁଁ ତା’ରି ଯୋଗେ ବୁଝିଲି । ଆମ ସାହିଠାରୁ ଅଳ୍ପ ଦୂରରେ ସେଇ ପ୍ରକାଣ୍ଡ ପୋଖରୀ, ଚାରିପାଖେ ଧାଡ଼ି ଧାଡ଼ ଦୋକାନ, ଲୋକ ଗହଳି–କିମ୍ବା ମାଟି ତଳକୁ ପାହାଚ ପାହାଚ ଓହ୍ଲାଇଗଲେ ଯେଉଁ ଛୋଟ ଦେଉଳଟି ଓ ତା’ ଭିତରେ ଅଣ୍ଟା ନଇଁ ଯାଇଥିବା ବୁଢ଼ା ପୁଜାରୀ; ଏମାନଙ୍କ ସଙ୍ଗେ ଓ ଏଇମାନଙ୍କ ଭିତର ଦେଇ -ବାହାରର ଦୁନିଆ ସଙ୍ଗେ ମୋର ପ୍ରଥମ ପରିଚୟ । ନେପଥ୍ୟରେ, ମୋର ବୁଢ଼ୀମା ।

 

।। ତିନି ।।

 

ସମୁଦ୍ର ସହିତ ସେଇ ମୋର ପ୍ରଥମ ଦେଖା କି ନା -ମୁଁ ଜାଣେ ନା । କିନ୍ତୁ ସେ ଦିନଟି ମୋର ବେଶ୍ ମନେ ଅଛି ଓ ସେଦିନ ମୋ ମନରେ ଯେଉଁ ବିସ୍ମୟ ଜାଗି ଉଠିଥିଲା, ଆଜି ବି ସେ ଭାବ କଟି ନାହିଁ । ସେଦିନ ସମୁଦ୍ର କୂଳେ କ’ଣ ଗୋଟାଏ ମେଳା ହେଉଥାଏ । ଖୁବ୍ ସକାଳୁ ବୁଢ଼ୀମା ହାତ ଧରି ଆମ ସାହି ଓ ଆଉ କେତୋଟି ସାହି ପାର ହୋଇ ମୁଁ ହଠାତ୍ ବାହାରି ପଡ଼ିଲି ଏକ ବିଚିତ୍ର ପୃଥିବୀକୁ- ଏକ ଅତି ପ୍ରଶସ୍ତ ଉଜ୍ଵଳ ଆଲୋକମୟ ରାଜ୍ୟକୁ–ସାହିମାନଙ୍କର ନୁଆଁଣିଆ ଚାଳଘର, ଲୋମ ଉପୁଡ଼ା କୁକୁର ଓ ରାସ୍ତା କଡ଼ର ନର୍ଦ୍ଦମାସକୁ ହଠାତ୍ ଯେମିତି ବୁଢ଼ୀମାବର୍ଣ୍ଣିତ କେଉଁ ଯାଦୁକର ବୁଢ଼ାର କରାମତିରେ କୁଆଡ଼େ ଉଭେଇ ଗଲେ–ହଠାତ୍ ମୋ ଆଗରେ ଉଚ୍ଚ ଉଚ୍ଚ କୋଠାଘର (କିଏ ରହନ୍ତି ତା’ ଭିତରେ ?), କାହିଁ କୁଆଡ଼େ ଲମ୍ବି ଯାଇଥିବା ଝାଉଁ ଜଙ୍ଗଲ (କିଏ ଲଗାଇଛି ଏ ସବୁ ?) ଓ ଶହ ଶହ ହଜାର ହଜାର ଚଳମାନ ମଣିଷ–(କେଉଁଠି ଥିଲେ ଏମାନେ, କୁଆଡ଼େ ଚାଲିଛନ୍ତି ?) । ବିସ୍ମୟରେ ମୁଁ ହୁଏତ ଅଟକି ଯାଇଥାନ୍ତି କିମ୍ବା ପାଟିକରି କାନ୍ଦି କହିଥାନ୍ତି–ବୁଢ଼ୀମା ଆ, ଘରକୁ ଯିବା । କିନ୍ତୁ ବୁଢ଼ୀମା ମୋ ହାତ ଧରି ମୋତେ ଟାଣିନେଲା ଆହୁରି ଆଗକୁ । ଓଃ କେତେ ରାସ୍ତା ଓ କେତେ ଲୋକ ଗହଳି । ମଝିରେ ମଝିରେ ଜଣେ ଜଣେ ବେଲୁନବିକାଳୀ କିମ୍ବା ମୁଆଁ ବାଲା ।

 

ହଠାତ୍ ଏ ପୁଣି କ'ଣ ! ଏ କି ଶବ୍ଦ ? ଶୀତ ରାତିରେ ବୁଢ଼ୀମା କୋଳରେ ଜାକିଜୁକ ହୋଇ ଶୋଇ ଏମିତ ଶବ୍ଦ ଶୁଣି ଅନେକ ଥର ମୁଁ ବୁଢ଼ୀମାଆକୁ ଡରରେ କୁଣ୍ଢାଇ ଧରିଚି । ବୁଢ଼ୀମା କହିଚି–ଶୋଇପଡ଼, ସମୁଦ୍ର ଗର୍ଜ୍ଜୁଚି । କିନ୍ତୁ ଏତେ ନିକଟରେ ଏତେ ଜୋର୍‌ରେ ଏ ଶବ୍ଦ ଆଗରୁ କେବେ ଶୁଣି ନଥିଲି । ବୁଢ଼ୀମା ମୋ ହାତଟାକୁ ଜୋର୍‌ରେ ହଲାଇ ଦେଇ କହିଲା–ଦେଖ୍, ସମୁଦ୍ର !

 

ସେ ଏକ ବିଚିତ୍ର ଅନୁଭୂତି । ଅକସ୍ମାତ୍ ଏତେ ବିରାଟ ଏତେ ସୁନ୍ଦର ଏତେ ନୂତନ ଗୋଟାଏ ବସ୍ତୁକୁ ଏତେ ନିକଟରେ ଦେଖି କ'ଣ ପ୍ରତିକ୍ରିୟା ପ୍ରକାଶ କରିବାକୁ ହେବ, ମୁଁ ଜାଣିପାରିଲି ନାହିଁ । ଏଡ଼େ ବିରାଟ ବସ୍ତୁକୁ ହଠାତ୍ ସଙ୍କୁଚିତ କରି ପାରିବାର ଶକ୍ତି-ଯେଉଁ ଶକ୍ତି ବଳରେ ଆମେ ଏହି ସୀମାହୀନ ସୃଷ୍ଟିକୁ ବୁଝିଥାଉ ବା ବୁଝିବାର ଛଳନା କରିଥାଉ–ମୋର ସେତେବେଳେ ନଥିଲା (ବର୍ତ୍ତମାନ ବି ନାହିଁ ।)-ସମୁଦ୍ରଟା କି ବସ୍ତୁ ? ଅସରନ୍ତି ଜଳ, ବେଳାଭୂମି ଠାରୁ ଦିଗନ୍ତ ଯାଏଁ ? ନା ଖାଲି ଗୋଟାଏ ସୁନୀଳ ଗଭୀର ଜୀବନ୍ତ ବିସ୍ତୃତି ? ସମୁଦ୍ର ଯଦି କେବଳ ଅସଂଖ୍ୟ ଜଳକଣାର ସମଷ୍ଟି, ତେବେ ଏ ସଙ୍ଗୀତର ଅର୍ଥ ବା କ’ଣ ? ତା’ର ତରଙ୍ଗସବୁ କେଉଁ ଉଦ୍ଦେଶ୍ୟରେ ପୁଣି କାହା ନିର୍ଦ୍ଦେଶରେ ପ୍ରବଳ ପରାକ୍ରମୀ ସମ୍ରାଟ ପରି କୂଳକୁ ଧାଇଁଛନ୍ତି ଓ ପୁଣି ନିଃସହାୟ ନାରୀ ପରି, ଧବଳ ବାଲୁକା ଶଯ୍ୟା ଉପରେ ଲୋଟି ଯାଉଛନ୍ତି ? କେବେଠାରୁ ଏ ପ୍ରକ୍ରିୟାର ଆରମ୍ଭ ହୋଇଚି ଓ କେବେ ଶେଷ ହେବ ? ପ୍ରତ୍ୟେକ ବସ୍ତୁର ଜନ୍ମ ଓ ବିଲୟ ପରି ସମୁଦ୍ରର ବି ଜନ୍ମ ଓ ବିଲୟ ଥିବ ନିଶ୍ଚୟ ।

 

ଏ ସବୁ ଦାର୍ଶନିକ ତତ୍ତ୍ୱ ସେତେବେଳେ ମୋ ମନକୁ ଆକ୍ରାନ୍ତ କରି ନଥିବ ସତ, କିନ୍ତୁ ଅବାକ୍ ବିସ୍ମୟରେ ମୁଁ ଖାଲି ସମୁଦ୍ରକୁ ଅନାଇଲି । ଯେ ପର୍ଯ୍ୟନ୍ତ ଆଖି ପାଉଚି, ଖାଲି ସମୁଦ୍ର ଓ ତା’ପରେ–ଯାହା ଆଖି ଦେଖିପାରୁ ନାହିଁ - ତା’ବି ସମୁଦ୍ର । ଏମିତି ସମୁଦ୍ର କୂଳେ କୂଳେ ଯଦି ଜଣେ ଚାଲେ (ସାଙ୍ଗରେ ବୁଢ଼ୀମା ଥିଲେ ଆଉ ଡର କ’ଣ ?), କେଉଁଠି ପହଞ୍ଚିବ ଶେଷରେ ? ପୃଥିବୀ ଯେଉଁଠି ସରିଚି ଓ ଆକାଶ ପୃଥିବୀ ଯେଉଁଠି ମିଶିଚି, ସେଇଠି ନିଶ୍ଚୟ ।

 

ଆମ ସାହିର ସେଇ ଅନ୍ଧ ପିଲାଟି–ଯାହା ମୁହଁ ଉପରେ ଖଇପରି ବସନ୍ତ ଚିହ୍ନ -କହୁଥିଲା,ପୃଥିବୀ ସରିଲେ ଆଉ ଦୁଇଟି ରାଇଜ ପଡ଼େ–ସ୍ୱର୍ଗ ଓ ନରକ । ସ୍ଵର୍ଗରେ ଦେବତାମାନେ ରହନ୍ତି–ସେଠି କ’ଣ ନାହିଁ ? ଧୂଳିମାଟି ସବୁ ସୁନା, ଘର ସବୁ ହୀରା ନୀଳାରେ ତିଆରି । ଭଲ ମଣିଷମାନେ ମଲାପରେ ସ୍ଵର୍ଗକୁ ଯାଆନ୍ତି । ଆଉ ଯେଉଁମାନେ ପାପୀ, ସେମାନେ ମଲାପରେ ଯାଆନ୍ତି ନରକକୁ । ନରକରେ ଯମଦୂତମାନେ ଗରମ ଟକ ଟକ ତେଲ ହାଣ୍ଡିରେ ପାପୀମାନଙ୍କୁ ପକାନ୍ତି । କଟୁରୀରେ ସେମାନଙ୍କୁ ଖଣ୍ଡ ଖଣ୍ଡ କରି କାଟନ୍ତି ।

 

ସମୁଦ୍ର କୂଳେ ଜମା ହୋଇଥିବା ଲେକମାନଙ୍କୁ ଅନାଇଲି । ଏକା ସାଙ୍ଗରେ ଏତେ ଲୋକ ଆଗରୁ ଦେଖି ନଥିଲି ନିଶ୍ଚୟ । କେତେଜଣ ସମୁଦ୍ର ପାଣିରେ ଗାଧୋଉଥିଲେ, ଅନେକ ସମୁଦ୍ର କୂଳରେ ବୁଲୁଥିଲେ । କାହିଁ, କେହିତ ଚିହ୍ନା ନଥିଲେ ସେମାନଙ୍କ ଭିତରେ । ମୁଁ ବୁଢ଼ୀମା ହାତକୁ ଜୋର୍‌ରେ ଚାପି ଧରିଲି । ଆମ ସାହିର ଯେଉଁମାନେ ବଡ଼ ଲୋକ, କୋଠାଘରେ ରହନ୍ତି, ଘରେ ପୂଝାରୀ ରଖିଛନ୍ତି ଓ କଥା କହିଲାବେଳେ ମଝିରେ ମଝିରେ ଦୁଇ ଓଠ ଭିତରେ ସିଗାରେଟ୍ ଚାପି ଧୂଆଁ ଛାଡ଼ନ୍ତି, କିମ୍ବା ଆମ ସାହିର ଯେ ସବୁଠାରୁ ବେଶୀ ବଳୁଆ ମୋଟା ଲୋକ, ସାଇ ଯାତ ବେଳେ ନାଗା ବନ୍ଧାଏ ଓ ତାଡ଼େ ଚଢ଼େଇନେଦା ଏକାଥରେ କେମିତି ଖାଇଦେଲା, ସେଇକଥା ଏଠି ସେଠି ବର୍ଣ୍ଣନା କରେ- ସେମାନଙ୍କଠାରୁ ଆହୁରି ବଡ଼ଲୋକ ଆହୁରି ବଳୁଆ ଲୋକ ଅଛନ୍ତି, ଏକଥା ବି ମୁଁ ସେଇଦିନ ପ୍ରଥମେ ବୁଝିଲି । କେହି ଖୁବ୍ ଗୋରା ଓ ଡେଙ୍ଗା ଲୋକ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ଗୋଟିଏ କାର୍‌ରୁ ଓହ୍ଲାଇ ସମୁଦ୍ର କୂଳକୁ ଧୀରେ ଧୀରେ ଚାଲି ଆସୁଥିଲେ । ଏତେ ସୁନ୍ଦର ଲୋକ ମୁଁ ଆଗରୁ କେବେ ଦେଖି ନଥିଲି । ହେଇ, ସେ ହସୁଛନ୍ତି-ତାଙ୍କ ଦାନ୍ତ କି ଧଳା–ସେ ସିଗାରେଟ୍ ଖାଉ ନାହାନ୍ତି, ଗୋଟାଏ ଛୋଟ ନଳି ପାଟିରେ ପୁରାଇ ଧୂଆଁ ଛାଡ଼ୁଛନ୍ତି ଓ ତାଙ୍କ ପଛରେ କି ପ୍ରକାଣ୍ଡ କୁକୁର -କୁକୁର ବି ଏତେ ବଡ଼ ଅଛନ୍ତି ? ମୁଁ ବୁଢ଼ୀମାକୁ ପଚାରିଲି, ବୁଢ଼ୀମା, ଏଇଟା କି କୁକୁର ? ବୁଢ଼ୀମା କାହିଁକି କେଜାଣି, ମୋ ପାଟି ଉପରେ ତା ପାପୁଲିଟା ମାଡ଼ି ଦେଇ କହିଲା, ଚୁପ୍ ଚୁପ୍ । ତା'ଆଡ଼େ ଚାହାଁନା । ବାଘୁଆ କୁକୁର ରାଗିଗଲେ ଏକାବେଳେ ତଣ୍ଟିକି ଧରେ ।

 

ମୁଁ କୁକୁର ଆଡ଼େ ନଚାହିଁ ସମୁଦ୍ରକୁ ଚାହିଁଲି । ସମୁଦ୍ରର ପାହାଡ଼ ପରି ଢେଉମାନଙ୍କ ଭିତରେ ଛୋଟ ଛୋଟ ହୁଲି ଡଙ୍ଗା ସବୁ ଅବଲୀଳା କ୍ରମେ ଭାସି ଯାଉଥଲେ ଓ ଡଙ୍ଗା ଭିତରର କଳା କଳା ମଣିଷମାନେ କାତ ମାରିବାବେଳେ ନାଚିଲା ପରି ଦିଶୁଥିଲେ । ଆଉ କେତେକ ନୋଳିଆ ସମୁଦ୍ର କୂଳେ ଧାଡ଼ି ହୋଇ ଠିଆହୋଇ ସମୁଦ୍ର ଭିତରୁ ଗୋଟାଏ ପ୍ରକାଣ୍ଡ ଦଉଡ଼ି ଟାଣିବାରେ ଲାଗିଥିଲେ ।

 

‘ହେଇନେ’–ବୁଢ଼ୀମା ଡାକରେ ଚମକି ପଡ଼ି ଦେଖେତ ବୁଢ଼ୀମା ହାତରେ ଦୁଇଟା ବେଣ୍ଟମୁଆଁ ଧରି ମୋ ଆଡ଼କୁ ବଢ଼ାଇ ଦେଉଚି ଓ ବୁଢ଼ୀମା ପାଖରେ, ମୁଣ୍ଡରେ ଏକ ପ୍ରକାଣ୍ଡ ପସରା ମୁଣ୍ଡାଇ, ଆମ ସାହିର ମଦନା ଗୁଡ଼ିଆ । ଏତେବେଳକେ ଜଣେ ଚିହ୍ନାଲୋକ ଦେଖି ମନରେ ସାହସ ଆସିଲା । ମୁଆଁ ଦୁଇଟା ଦୁଇ ହାତରେ ଧରି ମଦନା ଗୁଡ଼ିଆର ପସରାକୁ ଅନାଇଲି । ପସରାରେ ମଦନା ବହୁ କିସମର ଖାଇବା ଜିନିଷ ରଖିଥିଲା । ଚାହୁଁ ଚାହୁଁ ଆଉ କେତେଜଣ ଲୋକ ମଦନା ପାଖକୁ ଲାଗି ଆସିଲେ ଓ ମଦନା ଆମଠାରୁ ମୁହଁ ବୁଲାଇ ସେମାନଙ୍କୁ ତା ଜିନିଷ ବିକିବାରେ ଲାଗିଲା ।

 

ମୁଆଁ ଖାଇଲାବେଳେ ମୁଁ ଥରେ ସମୁଦ୍ରକୁ ଓ ଥରେ ଲୋକ ଗହଳିକୁ ଅନାଉଥାଏ । ସମୁଦ୍ର ମୁଁ ପ୍ରଥମ ଥର ପାଇଁ ଦେଖୁଚି, ଲୋକ ଗହଳିରେ ମଧ୍ୟ କେହି ମୋର ଚିହ୍ନା ନାହିଁ । ଚିହ୍ନା ଲୋକ କେବଳ ମଦନା ଗୁଡ଼ିଆ । ସେ ତାର ବ୍ୟବସାରେ ବ୍ୟସ୍ତ । ଗରାଖମାନଙ୍କୁ ଜିନିଷ ଦେଇ ପଇସା ଗଣି ରଖିଲାବେଳେ କେଜାଣି କାହିଁକି ସେ ଅତି ଅସହାୟ ଓ ଦରିଦ୍ର ଦିଶୁଥାଏ । ଅଥଚ ମଦନ ଗୁଡ଼ିଆ ଆମ ସାହିର ଜଣେ ଦାନୀ ଲୋକ, ତାକୁ କେହି କେହି 'ମହାଜନ’ ଡାକନ୍ତି । ସକାଳୁ ତାର ନୁଆଁଣିଆ ଚାଳ ଘରର ସିମେଣ୍ଟ ପିଣ୍ଡା ଉପରେ ଚଢ଼ାମାଲି ପକାଇ ବସି ସେ ଦାନ୍ତ ଘଷୁଥାଏ ଓ ପିଣ୍ଡା ତଳକୁ ‘ଅ’ ‘ଅ’ କରି ଛେପ ପକାଉଥାଏ । ତାର ଗୋରା ମାଂସଳ ଦେହ ତାକୁ ଭଲ ମାନେ ଓ ସକାଳେ ପିଣ୍ଡା ଉପରେ ବସି ଦାନ୍ତ ଘଷିଲାବେଳେ ସତରେ ସେ ମହାଜନ ପରି ଦିଶେ । ସେତେବେଳେ ଦୁଇ ଚାରି ଜଣ ଲୋକ ସାଇ ଦାଣ୍ଡରେ ଠିଆ ହୋଇ କିମ୍ବା ନିକଟରେ କାହା ପିଣ୍ଡାରେ ବସିପଡ଼ି ମଦନା ଗୁଡ଼ିଆର ଅନର୍ଗଳ ଭାଷଣ ଶୁଣନ୍ତି । କ'ଣ ସେ ଗପେ, ମୁଁ ଠିକ୍ ଜାଣେ ନାହଁ । କିନ୍ତୁ ଗୋଟିଏ ଛୋଟ କଥାକୁ ଲମ୍ବାଇ ଓ ସେଥିରେ ନିଜ ମନରୁ କିଛି ମିଶାଇ ତାକୁ ସେ ଏକ ଅତି ଆଶ୍ଚର୍ଯ୍ୟଜନକ ଘଟଣାରେ ପରିଣତ କରିପାରେ । ଚନ୍ଦ୍ରଭାଗା ବୁଡ଼ବେଳେ ସେ କେମିତି ମୁଣ୍ଡରେ ଠେକା ଭିଡ଼ି ହାତରେ ଠେଙ୍ଗା ଧରି, ଏକୁଟିଆ ଚାଲି ଚାଲି ପୁରୀ ସମୁଦ୍ର କୂଳରୁ ‘କଣାରଖ' ଦେଉଳଯାଏଁ ଯାଏ, ସେ ଲୋମହର୍ଷଣକାରୀ ବର୍ଣ୍ଣନା ତାଠାରୁ ମୁଁ ଏକାଧିକ ବାର ଶୁଣିଛି । ସାହି ଲୋକଙ୍କ ଆଗରେ ଚନ୍ଦ୍ରଭଗା ଅଭିଯାନର କାହାଣୀ ସେ ବର୍ଣ୍ଣନା କଲାବେଳେ, ମୁଁ ଓ ମୋର କେତେଜଣ ସାଙ୍ଗ ଦୂରରେ ଠିଆହୋଇ ତାହା ଶୁଣୁ ।

 

ଆଜି କିନ୍ତୁ ଏଇ ବିସ୍ତୃତ ସମୁଦ୍ର କୂଳ ଓ ଅସରନ୍ତି ଲୋକ ଗହଳି ଭିତରେ, ଆମ ସାହିର 'ମହାଜନ’, ଚନ୍ଦ୍ରଭାଗା ଅଭିଯାନର ନାୟକ ମଦନା ଗୁଡ଼ିଆ କେମିତି କରୁଣ ଓ ଅସହାୟ ଦିଶୁଥିଲା । ସେ ତାର ପସରାରୁ ଜିନିଷ ଦେଇ ଗରାଖମାନଙ୍କ ଠାରୁ ପଇସା ରଖିଲା ବେଳେ ମୋତେ ଲଗୁଥିଲା, ସେ ଯେମିତ ତା’ ଗରାଖମାନଙ୍କ ଠାରୁ ଅନେକ ଛୋଟ । ଆମ ସାହି ଭିତରେ ଯେ ତାର ଗୋରା ମାଂସଳ ଦେହକୁ ହଲାଇ ହଲାଇ ଗଲାବେଳେ ମୁରବୀ ପରି ଦିଶେ, ବାହାରେ ଯେମିତି ସେ ସବୁର ଦୟାର ପତ୍ର । କେହି ତା ଭାଷଣ ଶୁଣି ପ୍ରଶଂସା କରୁ ନାହାନ୍ତି । ତା ଠାରୁ ଜିନିଷ ନେଇ ଗୋଟିଏ ଦୁଇଟି ପଇସା ପକାଇ ଦେଇ ବେପରୱା, ଭାବରେ ଚାଲି ଯାଉଛନ୍ତି ।

 

ବୁଢ଼ୀମା ହାତ ଧରି ସମୁଦ୍ର କୂଳରୁ ଘରକୁ ଫେରିଲା ବେଳେ ମୁଁ ବୁଲି ବୁଲି ମଦନା ଗୁଡ଼ିଆକୁ ଅନେକ ଥର ଅନାଇଲି; କିନ୍ତୁ ଅସରନ୍ତି ଲୋକ ଗହଳି ଭିତରେ ସେ ଓ ତାର ପସରା ସେତେବେଳକୁ କୁଆଡ଼େ ହଜି ଯାଇଥିଲେ ।

Image

 

ନିଶା

ଶ୍ରୀ ପୂର୍ଣ୍ଣାନନ୍ଦ ଦାନୀ

 

ୟୁକାଲିପଟାସ୍ ଗଛ । ଡେଙ୍ଗା ଡେଙ୍ଗା । ଧାଡ଼ିଏ । ରାସ୍ତା କଡ଼ରେ-କଲେଜ କଂପାଉଣ୍ଡ ରାସ୍ତା ।... ଏବଂ ତା ସାଙ୍ଗକୁ ଦେବଦାରୁ ଗଛ । ମୋଡ଼ି ମୋଡ଼ି ହୋଇ ପତ୍ର । ଆଉ ଧାଡ଼ିଏ ସେଇ ରାସ୍ତାର ଅନ୍ୟ କଡ଼ରେ ।

 

ଏବେ ନିଶା କାଳ । କଲେଜ ପଡ଼ିଆ ଉପରେ । ୟୁକାଲିପଟସ୍ ଓ ଦେବଦାରୁ ଗଛ ଉପରେ ରାତି ସବାର ହୋଇଛି । କଲେଜ ବାରଣ୍ଡାରେ, ଗାର୍ଡ଼ନର ଲନ୍‍ମାନଙ୍କ ଉପରେ ରାତି ହାକିମଗିରି ଚଲେଇଛି । ସହର ଉପରେ ହଣ୍ଟର ଚଳେଇଛି ରାତି । ଚୁପଚାପ୍ ସହର । ସେ କାନ୍ଦିପାରୁ ନାଇଁ ବା ଚୁପ୍ ରହିପାରୁ ନାଇଁ । ଯେ ଆଲୁଅ ଗୁଡ଼ାକ ଦାନ୍ତ ନିକାଳି ନଜର ଦୈନ୍ୟ କଥା କହୁଛନ୍ତି, ସେମାନଙ୍କୁ ରାତି ଆହୁରି ଚାବୁକ ମାଡ଼ରେ ଅକ୍ତିଆର କରୁଛି । କଲେଜ ଶୋଇପଡ଼ିଛି, ଡରରେ ଛାନିଆ ହୋଇକି ! ଶୋଇଛି ନା ଚେଇଁ ଛି, ଜାଣି ହେଉନାଇଁ ।

 

ଏବଂ ଏଭଳି ଏକ ରାତି । ରାତି ପ୍ରାୟ କେତେ ହେବ ? କେଜାଣି ? ସେ କଥା ରାତି ହିଁ କଥା । ୟୁକାଲିପଟସ୍‍ ଓ ଦେବଦାରୁ ଗଛରେ ରାତିର ବୋଝ ହିଁ କହିବ । 'ଜୀବନାନନ୍ଦ’ ସେ ରାତିରେ ଛିଡ଼ା ହୋଇ, ଚାହୁଁଛି ପଡ଼ିଆକୁ, ୟୁକାଲିପଟସ୍ ଓ ଦେବଦାରୁ ଗଛକୁ । କଲେଜ କରିଡୋରରୁ ତା’ ମନ ବେଦୀରେ କୀର୍ତ୍ତନ । ସେ କୀର୍ତ୍ତନ ଯାହାର ବି ହେଉ ଆହ୍ୱାନ ବେଶ୍ ଚାଞ୍ଚଲ୍ୟକର–ଝନ୍ ଝନ୍....ବୋଲି ନିତେଇ ଗୌର...ବୋଲ...

 

ଜୀବନାନନ୍ଦ ଏଥରକ ଚାହୁଁଛି ହଷ୍ଟେଲକୁ । ଉଭୟ ହଷ୍ଟେଲରେ ରାତି ପଶିବାକୁ ଚେଷ୍ଟା କରିଛି ଏବଂ ଅର୍ଦ୍ଧାଧିକ ବିଜୟଲାଭ କରି ସାରିଛି । ଅନେକ କୋଠରୀରେ ଆଲୁଅର ଦାନ୍ତ ନିକୁଟିବା ଶବ୍ଦ । ଜୀବନ ଲକ୍ଷ୍ୟ କରୁଛି ।

 

“ରାତି ! ତମେ ମାୟାବିନୀ । ତମେ ଲଘୁ । ତମେ ଗୁରୁ । ତମେ ସ୍ଵର । ତମେ ସମ୍ଭାର । ତମେ ଯୌବନ । ତମେ କାମା-କାମାୟିନୀ । ରାତି, ତମେ ପୁଣି ତିକ୍ତା । ତମେ କୁରୁପା । ବିଗତଯୌବନା । ବସ୍ତୁତଃ ତମେ ଏକ ରସାୟନ ମିଶ୍ରଣ...’ -ଜୀବନାନନ୍ଦର ମନରେ ନିଶାକାଳ ଆରମ୍ଭ କରିଛି ନର୍ତ୍ତନ । କଥକ । ପଲ୍ଲବ। ବେପଥୁ...

 

ନୃତ୍ୟର ଅଥୟ ତାଳରେ ଜୀବନର ଇଚ୍ଛା ଏକ ଅଦ୍ଭୁତ ରୂପ ଧାରଣ କଲା । ତା'ପରେ ଜୀବନ ନିଜ ଦେହକୁ ଚାହିଁଲା । ସେ ଦେହରେ ଊନତ୍ରିଶଟି ବିନ୍ଦୁର ସବୁଜ ଓ ଲାଲ ଦାଗ । ସେ କଲେଜ ଛାଡ଼ି ସାରିଛି । ଜୀବିକାର ବ୍ୟାକୁଳତା ତା’ କଲେଜ ଠାରୁ (ହୁଏତ ଜଲିଠାରୁ) ଛଡ଼େଇ ନେବାର ଚେଷ୍ଟା କରିଛୁ ଖୁବ୍ । କିନ୍ତୁ ପାରିଛି କି ? କଲେଜ କାନ୍ଥର ପ୍ରତି ବାଲିକଣା ବି କଥା କହି ପାରନ୍ତି ତା’ ବିଷୟରେ, ଏବଂ ଆଉ ବି କାହାର । ଇତିହାସର । କାହାଣୀର ।

 

ଜୀବନର ଇଚ୍ଛା ଅସମ୍ଭବ ଭାବରେ ନୃତ୍ୟ ଆରମ୍ଭ କରିଛି । ତା’ର ଇଚ୍ଛା ହେଉଛି କଲେଜ କରିଡୋରରେ ଗଡ଼ିବାକୁ । ପଡ଼ିଆରେ ଗଡ଼ିବାକୁ । କଲେଜ ରାସ୍ତାରେ ଗଡ଼ିବାକୁ । ୟୁକାଲିପଟସ୍ ଗଛରେ ଚଢ଼ିବାକୁ । କଲେଜ ବିଲିଡ଼ିଙ୍ଗ୍‍ ଉପରେ ଦୌଡ଼ିବାକୁ । କିନ୍ତୁ ଦେହ ? ଦେହ ଓ ମନ ପରିପୂରକ କି ? ମନ ମଦ ପିଏ । ଦେହ ବି । ନିଶା ତେବେ କାହାର ବେଶୀ ? ଦେହକୁ ମନ ହୁଏତ ଥାପଡ଼ ମାରିପାରେ ।

 

ତାହାହଁ ହେଲା ଯେ ଥାପଡ଼ ମାରିଲା ଦେହକୁ ମନ । କରିଡୋରରୁ ପଡ଼ିଆ ଉପରକୁ ଉପରକୁ କୁଦା ମାରିବାକୁ ଇଚ୍ଛା ହେଲା ଜୀବନର । ୟୁକାଲିପଟସ୍ ଗଛର ଡେଙ୍ଗା ଶାଖାରୁ ପତ୍ରମାନେ ହଜାର ହଜାର ସଂଖ୍ୟାରେ ହଜାର ବାର ମନାକଲେ । ଦେବଦାରୁ ଗଛର ପତ୍ରମାନେ ଏଥିରେ ଯୋଗ ଦେଲେ–ନା...ନା... । ଜୀବନ ତେଣୁ ସିଧାସଳଖ ପାହାଚ ପରେ ପାହାଚ ଫଡ୍ ଫଡ୍ ଓହ୍ଲାଇ ଆସି ପଚାରିଲା–"କାହିଁକି ?”

 

ସେମାନେ ଯେମିତିକି କହିଲେ-“ତମେ ଯେହେତୁ ଜୀବନବାବୁ...."

 

ଜୀବନାନନ୍ଦବାବୁ। ସେ ବାବୁ । ରାସ୍ତା ଉପରେ ଛିଡ଼ା ହୋଇଛି । ତାକୁ ସଲାମୀ ଜଣାଉଛନ୍ତି ଗଛମାନେ । ପତ୍ରମାନେ । ତାରାମାନେ ଆକାଶର ଫୁଲ କି ? ସେ ଜୀବନବାବୁ । ଫୁଲ ତେବେ ଝରିବ କି ?

 

“ସେ ଜୀବନବାବୁ-ତା’ ମନରେ ଆନନ୍ଦର କମ୍ପନ । ଆନନ୍ଦର ଡେଣ୍ଡୁରା ଶବ୍ଦ । ସେ ବାବୁ । ବୁର୍ଜୟାର ସ୍ୱର । ସେ ବାବୁ.... ସେ ତେଣୁ ଇଚ୍ଛାର ପୂରଣ ଲାଗି ଆଗଭର ହୋଇଛି କି ? ଆରମ୍ଭ କରିଛି ପଡ଼ିଆରେ ଗଡ଼ିବାର । ପଡ଼ିଆରେ ଘାସ । ଘାସ ସାମାନ୍ୟ ଶୁଖି ଯାଇଛି । ଜୀବନବାବୁଙ୍କ ଭଳି ଘାସର ଶୁଖିବାଟା ହୁଏତ ହୋଇପାରେ । “ଆଚ୍ଛା, ଏହା କି ଋତୁ ?”–ଜୀବନ ମନେ ପକେଇଲା-“ବସନ୍ତ ଋତୁ।”

 

ବସନ୍ତ ଋତୁ ପୁଣି ଆସିଛି । ଆଉଥରେ ଆସିଛି । ସବୁଥର ଭଳି ଆସିଛି । ଜୀବନ ଉପରେ ଖେଆଲ ତୋଳି ତୋଳି ଆସିଛି । ଆରେ, ହଁ, ତା’ ସହିତ ‘ଜଲି’ ଅସିଛି କି ନାହିଁ । ପଚାର ପଚାର ତାକୁ । ଜଲି ଆସିଛି କି ନାହିଁ ଯେହେତୁ ୟେ ବସନ୍ତ ଋତୁ ପୁନଶ୍ଚ କଲେଜ ପଡ଼ିଆରେ । ଅଧିକନ୍ତୁ ରାତିରେ । ନର୍ତ୍ତକୀ ରାତି । କିଏ ?...ଓ...ତୁମେ !

 

‘ଜଲି’ ! ଆସ ତମେ ଆସିବ ବୋଲି ମୋର ପୂର୍ଣ୍ଣ ବିଶ୍ଵାସ ଥିଲା । ମୁଁ ବି ବସୁଛି । ତମେ ବି ବସ ଏ ପଡ଼ିଆରେ । କେହି ନାହାନ୍ତି ଏଇଠି । ଭୟ ବା ଲାଜ କରିବାର କଣ ଅଛି ? ବୋଉ, ବାପା, ଅପା, ଭାଇ, ପୁଝାରୀ, ବେହେର ସମସ୍ତଙ୍କୁ ତମେ ଠକିଦେଇ ଆସି ଯାଇଛ ନା ! ୟା’ କହି ଆସିଛ ଯେ ତମେ ଶିବାନୀ ଘରକୁ ପଢ଼ିବାକୁ ଯାଉଛ । ମଧ୍ୟାହ୍ନରେ ୟା ମୋତେ ଜଣେଇଥିଲ ଏବଂ ତମେ ତମ କଥା ରଖିଛ ଭୟ ନାହିଁ ଜଲି, ତମ ଘରେ ମୁଁ ନେଇ ତମକୁ ଛାଡ଼ି ଆସିବି । ଜଲି, ସତେ, ଭାରି ମଜାର କଥା ଗୋଟେ ମନେ ପଡ଼େ । ଶୁଣି, ତମେ ପୁଣି ଥରେ ହସିପାର ।

 

ଯେ ସେଦିନ ପ୍ରଥମ ସୋ’ରେ ତମ ବାପା, ତମ ବୋଉ ଓ ଅପା ଗଲେ ସିନେମା । କଣ ଗୋଟେ ଭଲ ଖେଳ ଚାଲିଥିଲା ହୁଏତ ? ହଲ ଭିତରେ ମୁଁ ଦେଖିପାରିଥିଲି । ଖୋଜୁଥିଲି ତମକୁ । ନା, ତମେ ନଥିଲ । ହଲ ଭିତରେ ଖୁବ୍ ଗରମ ହେଲା । ଉତ୍ତାପ ଜମିଲା ଦେହରେ । ହଲରୁ ବାହାରି ଆସି, ହୋଟେଲରୁ ବହୁ ପାଣି ପିଇଲି । ଗରମ ମରିଲା ନାଇଁ । ଲମ୍ବା ଲମ୍ବା ପାଦ ପକେଇ ସିଧା ତମ କୋଠରୀ ଝର୍କାରେ ମୁଣ୍ଡ ଟୁଙ୍ଗାରିଲି ।

 

ତମେ ଗାଉଥିଲ ଗୀତ । ଗୁଣୁଗୁଣୁ । ଯୌବନର ଫୁଲମାନେ ସେ ଗୀତରେ ଫୁଲି ଉଠୁଥିଲେ । ତମେ ଘୂରି ବୁଲୁଥିଲ କୋଠରୀ ଭିତରେ । ଚେୟାର ଉପରେ ବସି କି ଏକ ଇଚ୍ଛାରେ, ଗୋଟିଏ ବିଧା ଟେବଲ୍‍ ଉପରେ ମାରି ଛିଡ଼ା ହେଲ ପୁଣି ।

 

ଡାକିଲି–'ଜଲି !’ ଧୀରେ । ତମ ଗୁଣୁଗୁଣୁ ଗୀତ ଭଳି । ଚମକି ଉଠିଲ । ଦର ଆଉଜା କବାଟକୁ ଆଉଜେଇ ଆଣି ଝକା ନିକଟକୁ ଆସି କହିଲ–“ତମେ ! ତମେ ଚାଲିଯାଅ..."

 

“ମୁଁ ଯେ ଚାଲି ଆସିଛି ହଲରୁ"

 

“ହଁ, ସେଇଠିକି... ”

 

“କିନ୍ତୁ....”

 

କିନ୍ତୁଟାଇ ଏକ ବିରାଟ କିନ୍ତୁ । ଆଚ୍ଛା, ଏବେ ଏ ପ୍ରସଙ୍ଗଟା ଏଇଠି ଥାଉ ତ !...

 

ଜଲି ! ତମେ ବର୍ତ୍ତମାନ ଯାହାହେଉ, ଆଜିଭଳି ରାତିରେ ଏଠିକି ଆସି ଯାଇଛ । ମୁଁ ଯଦି ଆଜି ତମକୁ କହିବି–‘‘ଜଲି ତମେ ଚାଲିଯାଅ...”

 

ଆହା, ସତେ ଚାଲିଗଲ । ମୋ ମନରୁ ଚାଲିଗଲ ବର୍ତ୍ତମାନ ପାଇଁକି ?

 

ସତରେ....

 

ଯେହେତୁ କଲେଜ ପଡ଼ିଆରେ ପଦଶବ୍ଦ । ହତ୍ୟାକାରୀର ? ନା, ଗୋଟାଏ ନିରୀହ, ଜୀବନ ସଂଗ୍ରାମୀ ଷଣ୍ଢ ପଡ଼ିଆ ଉପରେ ବୁଲେଇ ହେଉଛି ।

 

ରାତି ସହ ସେ ବି ଲଢ଼େଇ କରୁଛି । ଆହା, ବିରହୀ ପକ୍ଷ ସମ ତମେ ବି ବିରହୀ ଶିବଭକ୍ତ । କାହାର ଖୋଜରେ ? କେଉଁ ରାଜରାଣୀର ?

 

ଷଣ୍ଡ ଟିକିଏ ବି ନା ଚାହିଁ, ସେପଟେ ଏକ ନିର୍ବୋଧଭଳି ଛିଡ଼ା ହୋଇଛି ।

 

ଜୀବନ ତାକୁ ଚାହିଁଲା । ତା’ ସହିତ ବନ୍ଧୁତ୍ୱ କରିବାର ଇଚ୍ଛା ପୁଣି ଅଦ୍ଭୁତ ହେଲା । “କମ୍ ମାଇ ଡିଅର ଫ୍ରେଣ୍ଡ, ହେ କମ୍ରେଡ଼ ଆସ । ତମେ ଏକା । ପାଦ ମିଳେଇ ଚାଲିବା ।”

 

କିନ୍ତୁ ନିର୍ବୋଧ ଭଳି ଛିଡ଼ା ହୋଇଥିବା ଷଣ୍ଢ କଣ ବୁଝିବ ଜୀବନର ଚିନ୍ତାରୁ ? ଜୀବନ ଏକ ଅନୁଚ୍ଚାରିତ ସ୍ୱର । ସେ ସ୍ୱର ଚିହ୍ନରା ହେଲେ ସିନା ତା’ ପାଇଁ ! ତଥାପି ସେମାନେ ବନ୍ଧୁ । ଆଜି ରାତିକ ପାଇଁ ହେଲେ ବନ୍ଧୁ ।

 

ୟୁକାଲିପଟାସ୍ ଗଛ ଓ ଦେବଦାରୁ ଗଛର ପତ୍ର ଶିରିଶିରି କଲେ । ମୁଣ୍ଡ ହଲେଇଲେ । ପବନରେ ଦୋଳି ଖେଳିଲେ । ଜୀବନକୁ ପୁଣି ଡାକିଲେ । ଆସିବା ପାଇଁ । ଷଣ୍ଢକୁ ଅନେଇ ଜୀବନ କହିଲା- ‘‘ସଖା, ତମେ ଟିକେ ଅପେକ୍ଷା କର । ସେମାନେ ଡାକୁଛନ୍ତି । ସଖୀମାନେ ଡାକୁଛନ୍ତି । ମୁଁ ଆସେ ଟିକେ...”

 

“ଆରେ ତମେ ଯେ ଜଲି !...କି ମଜା, କି ମଜା । ତମେ ଏ ଦେବଦାରୁ ଗଛ ତଳେ । ତମେ ଚାଲି ଯାଇଥିଲ ପରା ! ପୁଣି ଆସିଗଲ । କି ଲୁଚକାଳି ଖେଳ ଏ ?”

 

ଜୀବନର ମନରେ ଇଚ୍ଛାର ଉନ୍ମତ୍ତତା । ନୃତ୍ୟ । ମନର ନୃତ୍ୟ । କୁହୁକ ।

 

ଜଲି ଛିଡ଼ା ହୋଇଛି ସେମିତି ।

 

“ଆଚ୍ଛା ଜଲି, ଏଇଠି ଏ ଦେବଦାରୁ ଗଛ ତଳେ ଛିଡ଼ା ହୋଇଥିବ ନା କଲେଜ ବାରଣ୍ଡାରୁ ଘେରାଏ ଚକ୍କର ମାରି ଆସିବା ଆମେ । ଭାରି ମଜା ହେବ । ବେଶ୍ ମଜା ହେବ । ତମେ ମୋଟେ ଶୁଣୁନାହଁ । ଆଚ୍ଛା, ବର୍ତ୍ତମାନ ଯଦି କ୍ଲାସ ଥାନ୍ତା । ଯଦି ବର୍ତ୍ତମାନ ବ୍ୟାଡ଼ମିଣ୍ଟନ ଖେଳ ଚାଲିଥାନ୍ତା ହଲରେ । ସତ କହ, ଆସନ୍ତ ନାଇଁ ? ମୋ ରାଣ, ଆସନ୍ତ କି ନାଇଁ ? କହିଲ, ମନେ ପଡ଼ୁଛି କି ନାଇଁ,ଏଥର ଡିସେମ୍ବରରେ ହୋଇଥିବା ଇଣ୍ଟର କଲେଜ ବ୍ୟାଡ଼ମିଣ୍ଟନ ସିଙ୍ଗଲ ମ୍ୟାଚ କଥା ।

 

ତମେ ଅନ୍ତତଃ ମୋତେ ପଚାଶ ଥର କହିଥିବ ଆସିବ । ନିଶ୍ଚୟ ଆସିବ । ଜରୁର ଆସିବ । ଦେଖିବାକୁ । ଚିଆର ଅପ୍ କରିବାକୁ । ତାଳି ମାରିବାକୁ । କହ ?

 

ମୁଁ ଯାଇଥିଲି । ବ୍ୟାଡ଼ମିଣ୍ଟନ ସିଙ୍ଗଲରେ ତମେ ଜିଣିଲ । ବିଜୟିନୀ ହେଲ । ମୋର କ୍ଳେପିଙ୍ଗ, ଚିଅର ଅପ୍, କଙ୍ଗ୍ରାଚ୍ୟୁଲେସନରେ ତମେ ନିଶ୍ଚୟ କିଛିଟା ପ୍ରେରଣା ପାଇଥିବ । ମାତ୍ର ତମେ ହାରିଗଲ ହଁ, ହାରିଗଲ ଡବଲସ୍ ମ୍ୟାଚରେ । ହୁଏତ ମୁଁ ସେ ଡବଲସ୍ ମ୍ୟାଚରେ ତମର ପାର୍ଟନର ହୋଇଥିଲେ, କିଛିଟା ହୋଇଥାନ୍ତା ବୋଲି ମୁଁ ତୁମକୁ ବିଶ୍ୱାସ ଜନ୍ମାଇ ପାରନ୍ତି । ଯିଏ ପାର୍ଟନର ହୋଇଥିଲା, ସେ କେବେ ଖେଳିଥିଲା ନା ନାଇଁ ?...

 

ଆହା, ତମେ ରାଗିଗଲ କି ? ଏମିତି ରାଗିଲେ ହୁଏ । ଚାଲି ଯାଉଛ ଯେ... ହଁ, ଯେ ଚାଲିଯାଏ, ତାକୁ ରୋକିବା ଠିକ୍ ହେବନାହିଁ । ତମେ ଯାଅ..."

 

ଜଲି ନ ଥିଲା ସତରେ । ଜୀବନର ପୁଣି ଦୌଡ଼ିବାକୁ ଇଚ୍ଛା ହେଲା ପଡ଼ିଆ ଉପରେ । ରାସ୍ତା ଉପରେ । ହଷ୍ଟେଲରେ ତଥାପି ରାତି ତାର ରତି-ନୃତ୍ୟ କରୁଛି । ସବୁଆଡ଼େ ନୃତ୍ୟ କରୁଛି । “କମ୍ରେଡ୍..."–ଜୀବନ ଡାକିଲା । କେହି ନ ଥିଲେ । ଷଣ୍ଢଟା କୁଆଡ଼େ ଗଲାଣି, ସେ କଥା ସେ ହିଁ ଜାଣେ । ତେବେ ? ତେବେ କଣ କରିବ ଜୀବନ ବର୍ତ୍ତମାନ ? ରାତି ସହିତ ଅରାତି ହେବ ନା ରତି କରିବ ? ନିଶାକାଳ ରାତି । ଫୁଙ୍ଗୁଳା ରାତି । ରତି ପ୍ରୀତିର ରାତି । ରାତିକୁ ବାରମ୍ବାର ଚୁମ୍ବନ ଦିଆଯାଇପାରେ । ଅନ୍ଧକାରକୁ ନିହାତି ଅତ୍ମୀୟ କରାଯାଇ ପାରେ । ଅନ୍ଧାରକୁ ଜାବୋଡ଼ି ରଖିବାରେ ଖୁବ୍ ଉତ୍ତେଜନା ।

 

ଜୀବନ ତେଣୁ ଜାବୋଡ଼ିବାକୁ ଚେଷ୍ଟା କଲା ଅନ୍ଧାରକୁ, ରାତିକୁ । କୁଣ୍ଢେଇବାକୁ ଚେଷ୍ଟାକଲା । କିନ୍ତୁ ଅନ୍ଧାରର ଏ କି ପ୍ରୀତି ? ଏ କି ଲୁଚକାଳି ? ଧରା ଦେଉନାହିଁ । ଧରିବାକୁ ଧାଇଁଲା ଜୀବନ । ପଡ଼ିଆରେ ଧାଇଁଲା ଇତସ୍ତତଃ । ରାସ୍ତାରେ ବି । ନାହିଁ ଅନ୍ଧାର ? ଅନ୍ଧାର ଅଥଚ ସବୁଠି । କୁହୁକ ରଚି ପାରେ ଅନ୍ଧାର ।

 

ଜୀବନ ଖୁବ୍ ଥକ୍କା ହେଲା । ତାକୁ ଭାରି ଶୋଷ ମାଡ଼ିଲା । ଆଃ....ଅସରନ୍ତି ଶୋଷ । ଜିଭ ଅଠା ଅଠା । ଓଠ ଅଠା ଅଠା । ତଣ୍ଟି ଶୁଖି ଯାଉଛି । ପାଣି-ପାଣି ଦର୍କାର-ପାଣି...

 

ଦୌଡ଼ିଲା କୂଅକୁ । କୂଅ ଯେ ଶୂନ୍ୟ । ନା, ନା, ପୂର୍ଣ୍ଣ । (ବାଲ୍‍ତି କାହିଁ ?)ଓଃ....ତଣ୍ଟି ଶୁଖି ଯାଉଛି । ଶୋଷ । ଅସରନ୍ତି । ଟେପ୍‍ଟା ଗଲା କୁଆଡ଼େ ? ଦୌଡ଼ିଲା । ଟେପ୍ ନିକଟକୁ । ନଳ ମୁହଁରେ ମୁହଁ ଦେଲା । ଓଃ - ପାଣି କାହିଁ ? ପାଣି ?? ତା’ପାଖରେ ଏକ କୁଣ୍ଡ । ପାଣି ଭରା । ବେକ ଲମ୍ବେଇ ପିଇଲା ପଶୁଙ୍କ ଭଳି । ପେଟେ । ଶୋଷ ହୁଏତ ତଥାପି ମରିବାକୁ ବାକିଅଛି । ଶୋଷ କେବେ ଶେଷ ହୁଏ ? ତା'ପରେ ଏକ ନିଶ୍ୱାସ ମାରି କୁଣ୍ଡକୁ ଚାହିଁଲା । କୁଣ୍ଡ ଜୀବନାନନ୍ଦର ଜୀବନ ରଖିଛି । କୁଣ୍ଡରେ ଲେଖାଅଛି- "ପଶୁଙ୍କ ପାଇଁ ପିଇବା ପାଣି ।"

 

ଜୀବନ ହସିଲା । କିଏ ସେ ବଦାନ୍ୟ ବ୍ୟକ୍ତି ଏ କୁଣ୍ଡ ତିଆରି କରେଇଛନ୍ତି ? ସେ ନିଶ୍ଚୟ ବୁଦ୍ଧିମାନ୍-"ପଶୁଙ୍କ ପାଇଁ ପିଇବା ପାଣି ।’’ ପଶୁ ପଢ଼ିବ । ତା’ପରେ ପିଇବ । ସେ ପିଇଛି । (ନିଶା ନୁହଁ ।) ପାଣି । କୁଣ୍ଡରୁ । ତା’ହେଲେ ସେ କଣ ପଶୁ ? ସେ ପଶୁ କି ? ଜୀବନର ମନରେ ଅହରହ ବ୍ୟସ୍ତତା । ସେ କି ପଶୁ ? ସେ କି ମାନବ ? ସେ କି ଦାନବ ? ସେ କି ଦେବତା ? ସେ ପଶୁ ବୋଲି ସିନା କୁଣ୍ଡରୁ ପାଣି ପିଇଲା ।

 

ଆରେ, ସେ କଲେଜ ବାଉଣ୍ଡରୀ ଡେଇଁ, କଲେଜ ଛକ ପାରିହୋଇ, ଖୋଲା ରାସ୍ତାକୁ ଚାଲି ଆସିଛି । ଅନ୍ଧାର ଏଇଠି ସମ୍ପୂର୍ଣ୍ଣ ବିଜୟ ତୁରୀ ଫୁଙ୍କି ପାରିନାଇଁ । ବତୀଖୁଣ୍ଟମାନେ ଦାନ୍ତ ନିକୁଟୁଛନ୍ତି ତଥାପି...ଓ ଦୂରରେ କାହାର ଛାଇ । ଢଳି ଢଳି ଆଗେଇଛି । ନିଶ୍ଚୟ ସେହି କମ୍ରେଡ଼ର । ଷଣ୍ଢର । ସେ ପଶୁ । ପାଣି ପିଇବା ପାଇଁ ଆସୁଛି । ଏ ପରିପ୍ରେକ୍ଷୀରେ ଜୀବନର ଗୋଟେକଥା ମନେ ପଡ଼ିଲା । ସେ ହସିଲା । ଜଲି ବି ହସିଥିଲା ଖୁବ୍ । ତାକୁ ପୁଣି ଥରେ କହିଲେ ବି ସେ ହସିବ । ବାଧ୍ୟ ହୋଇ ହସିବ ଯେ ଏକଦା ଜୀବନାନନ୍ଦ ପ୍ରଭୃତି କେତେ ଜଣ ବନ୍ଧୁ ଇଚ୍ଛାକଲେ କୋଣାର୍କରୁ ପୁରୀ ଯିବାପାଇଁ । ବଙ୍ଗୋପସାଗରର କୂଳେ କୂଳେ । ମଜା ହେବ । ଭାରି ମଜା । ସମୁଦ୍ରର ନୀଳଲହରୀମାନେ ସେମାନଙ୍କୁ ଖତେଇ ହେଲେ ବି ହଟେଇ ପାରିବେ ନାହିଁ, ସେମାନେ ଚାଲିଛନ୍ତି...ଆଃ...ତୃଷା । ତୃଷା ଯେ ଚିରନ୍ତନ । ଶେଷ କାହିଁ ? ତୃଷାର । ସାଗର ତିରେ ତୃଷା । ପାଣି । ହେ ଇନ୍ଦ୍ର, ବରୁଣ । ପାଣି...ପାଣି ଦିଅ... ପୁରୀ ପହଞ୍ଚିବା ବେଳକୁ ଅଧାପ୍ରାଣ । ପେଟେ ପାଣି ପିଇଥିବେ ସେମାନେ ଟେପ୍‍ରୁ । ଜୀବନମାନ ରହିଲା । ନୀଳ ଲହରୀମାନେ ତଥାପି ଖତେଇ ହେଉଥିଲେ । ଜଲି ବି ଖତେଇ ହୋଇଥିଲା । ତୃଷାର ଶେଷ କାହିଁ ? କହିଲେ, ଜଲି ପୁଣି ହସିବ । ଜଲି କିନ୍ତୁ କାହିଁ ? ଏବେ ଜୀବନକୁ ଷଣ୍ଢଟି ପାରି ହୋଇ ସାରିଛି । ବର୍ତ୍ତମାନ ରାସ୍ତାଶୂନ୍ୟ । ଦୋକାନ ବଜାର ଶୂନ୍ୟ । ଶୂନ୍ୟ । ସବୁ ଶୂନ୍ୟ । ପୂର୍ଣ୍ଣ ଏକା ଜୀବନ । ଜଲି ତେବେ କାହିଁ ? ଦୋକାନ ବଜାରରେ ଲୁଚିଛି କି ? ଜୀବନ ଖୋଜିବ । ଖୋଜିବ ତ ସତ; କିନ୍ତୁ ବର୍ତ୍ତମାନ ଖଣ୍ଡେ ସିଗ୍ରେଟ ହେଲେ, ନିତାନ୍ତ ଭଲ ହୁଅନ୍ତା । ଦୋକାନ ବନ୍ଦ । ସବୁ ବନ୍ଦ । ସବୁ ଶୂନ୍ୟ । ସିଗ୍ରେଟ ନହେଲେ, ନହେଉ ଜଲି ହେଲେ, ଆସୁ ।

 

ସତକୁ ସତ ବୁଢ଼ୀ ଅସୁରଣୀ ଗପରୁ କୁହୁକ ଭଳି ଜଲି ଆସିଲା ।

 

ସେ କଣ ମନ କଥା ବୁଝି ପାରେ ? ହଁ, ମନ ବୁଝେ ମନ କଥା ।

 

ଜଲି ଆସିଛି । କଣ କହ ଆଦର କରିବ, ଅଭ୍ୟର୍ଥନା କରିବ ତାକୁ ଜୀବନାନନ୍ଦ ? ହଠାତ୍ ଏ ରାସ୍ତାଟାରେ କେଉଁଠି ବସିବାକୁ ତାକୁ କହିବ ? ନା, ସେମାନେ ଚାଲି ଚାଲି ଗପ ଆରମ୍ଭ କରିବେ । ଦେଖ, ଜଲି କେମିତି ଟିପ୍ ଟପ୍ ହୋଇ ଆସିଛି । ବାହୁ ତା’ର କେତେ ଗୋଲ । ସେ ବାହୁରେ କେବେ ବଳୟ ସୃଷ୍ଟି କରି ଛନ୍ଦିବାକୁ ଇଚ୍ଛା କରିଛି କି ସେ ! ତା’ ଡ୍ରେସ କାହିଁକି ଏତେ ଟାଇଟ ? ସେଇଟା ତାର ରୁଚିବୋଧ । ସେ ଭଳି ଡ୍ରେସ ଭଲ ପାଉଥିବ । କେଶ ବିନ୍ୟାସ ପ୍ରତି ତା'ର ଦୃଷ୍ଟି ଖୁବ୍ । ସବୁବେଳେ ସଜାଡ଼ୁଥାଏ । ଏବେ ବି କ୍ରମଶଃ ଜଲି ପହଞ୍ଚି ଯାଇଛି ପାଖକୁ ।

 

‘ଜଲି..... '-ଡାକିଲା ଜୀବନ । ଶୂନ୍ୟ । ଶୂନ୍ୟତାର ଶବ୍ଦମାନେ । ଦୋକାନ ବଜାରରେ । ରାସ୍ତା ଉପରେ । ଶୂନ୍ୟତା ଭିତରେ ଜୀବନ ଏକ ମହାଶୂନ୍ୟ । ଶୂନ୍ୟ ଓ ଶୂନ୍ୟ ଯୋଗରେ ପୂର୍ଣ୍ଣତା କି ? ଜୀବନ ବର୍ତ୍ତମାନ ଆଗେଇଛି ରାସ୍ତା ଉପରେ । ପୁଣି ଦୂରରେ କାହାର ଏକ ଛାଇ ? କାହାର ? କିଏ ସେ ? ସେ ଛାଇ କ୍ରମଶଃ ନିକଟତର ହେଲା । ସେପାଖରୁ କୁକୁର-ଗୁଡ଼ାକ ଶୂନ୍ୟତାରେ ଶବ୍ଦ ଯୋଗକରି ରଡ଼ି ଛାଡ଼ିଲେ -ଭୋ... ଭୋ...(ତମେ କିଏ ?) ଜୀବନ କିଛିଟା ଡରି ଯାଇଛି । ତେଣୁ ପାଖ ଛୋଟିଆ ଗଳିକୁ ହଠତ୍ ପଶିଗଲା । ସେ ଅନ୍ଧାରରେ ଅତ୍ମୀୟତା ବଢ଼େଇଲା । ରାସ୍ତାକୁ ଚାହିଁଲା । ସେ ଛାଇଠାରୁ ଶୁଭୁଛି–ହ୍ୟାତ୍...ହ୍ୟାତ୍... କୁକୁରଗୁଡ଼ା ତଥାପି ରଡ଼ି ଛାଡ଼ିଛନ୍ତି ତା ପଛେ ପଛେ । ସେ ଛାଇ ଗଳି ପାରି ହେଲା ।

 

ରାତି ଡିଉଟିରେ ଥିବା ଜଣେ ପୋଲିସ କନେଷ୍ଟବଳ ସେ । ଓଃ...ରକ୍ଷା ହୋଇଯାଇଛି । ଜୀବନକୁ ନ ହେଲେ ବର୍ତ୍ତମାନ ଗୁଡ଼ାଏ ଏଣୁ ତେଣୁ ବାଜେକଥା ପଚାରିଥାନ୍ତା ପୋଲିସ । ଡରେଇଥାନ୍ତା । କିଛି ଗୁଞ୍ଜିଥିଲେ ହୁଏତ ଶାନ୍ତ ହୋଇଥାନ୍ତା । ଠିକ୍ ହୋଇଛି, ସେ ପାରି ହୋଇ ଯାଇଛି ।

 

ତେଣୁ ବର୍ତ୍ତମାନ ପାଇଁ ଏକମାତ୍ର ନିରାପଦ ସ୍ଥାନ କଲେଜ ପଡ଼ିଆ । ବହୁ ହର୍ଷ ବିଷାଦର ସଖା । କାହାଣୀର ଇତିହାସ । ସେ ରାସ୍ତା ଠିକ୍ ପାରି ହେବ ଭାବୁଛି- ଏକ ଟ୍ରକର ଶବ୍ଦ ଶୁଭିଲା । ପୁଣି ଅପେକ୍ଷା କଲା ଜୀବନ । ଟ୍ରକ ଆଗେଇଛି । ବହୁ ବ୍ୟଭିଚାରର ଟ୍ରକ୍ । ମାଲ ବୋଝେଇ ହୋଇଛି ଟ୍ରକ୍‍ରେ। ରାତାରାତି କେତେ ଅରଣ୍ୟ ନଗର ପାରିକରେ । କଳାକୁ କଳା କରେ । ଧଳାକୁ ବି କଳା କରେ । ଏହା ରାତିର କରାମତି -ଟ୍ରକର ମନ୍ତ୍ର ।

 

କ୍ରମଶଃ କଲେଜ ବାଉଣ୍ଡେରୀକୁ ପଶିଲା ଜୀବନାନନ୍ଦ (ଆଃ....ଶାନ୍ତି । ବର୍ତ୍ତମାନ । ପିଣ୍ଡରେ ପ୍ରାଣ ।) କଲେଜ ପଡ଼ିଆ । ରାସ୍ତା, ୟୁକାଲିପଟାସ ଗଛ, ଦେବଦାରୁ ଗଛ । ରାତିର ଡରେଇବା ସ୍ୱର । ହଷ୍ଟେଲରେ ତଥାପି ନିଦ । ଜୀବନ କେବେ ହଷ୍ଟେଲରେ ରହି ନାହିଁ । ଜାଣି ଜାଣି ରହି ନାଇଁ । ଘର ଭଡ଼ା ନିଏ । ଏକଲା ରହେ । ଏକାନ୍ତ ଗୀତିରେ ତା’ର ଅନେକ ପସନ୍ଦ । ଜଲି କିନ୍ତୁ ଭଲ ପାଏ ହଇଚଇକୁ । ଏ ବର୍ଷ ଦଶହରାକୁ ସେ ରୂପକାନ୍ତିରେ ମଣ୍ଡି ହୋଇଥିଲା; ସଜେଇ ହୋଇଥିଲା । ମେଢ଼ରେ ଭିଡ଼ମାନଙ୍କରେ ବାଜାର ଶବ୍ଦମାନଙ୍କରେ କାରର ହର୍ଣ୍ଣ ଭିତରେ ଜଲି ଜଳଉଥିଲା ତା’ ଯୌବନକୁ । ସେ ଫୁଲର ପଛରେ କେତେ ଭ୍ରମର । ପ୍ରଜାପତିର ବିଚିତ୍ର ବର୍ଣ୍ଣ । ତା’ ସହିତ ସାଥୀ ହେଉଥିଲା ଲିଲି । ଦୁହେଁ ହସିପାରୁଥିଲେ ଖୁବ୍ । -ଜୀବନ ବର୍ତ୍ତମାନ କଲେଜର ବାରଣ୍ଡାରେ ବସୁଛି ଓ ପୁଣି ଘାଣ୍ଟି ହେଉଛି ସେ–ସେ କିନ୍ତୁ ଏକାନ୍ତ ଗୀତ ଗାଇ, ଇଚ୍ଛା କରିଥିଲା କେବଳ ସେ ଫୁଲର ସୌରଭ ।

 

ହଁ, ଜଲି ତାକୁ ଦେଖେ । ଖୁବ୍ ଦେଖେ । ତାକୁ । କ'ଣ ଭାବେ -ହସେ । କି ହସ ସେ ? ଜୀବନର ଭିତରଟା କିମିତି କ’ଣ ହୋଇଯାଏ ? ସେ ହସ ବିରୋଧରେ ଭାସି ଉଠେ ବିରୋଧାଭାସ ।

 

ମନେପଡ଼େ ସେଇ କଥା । ଜଲିକୁ ସେ ସିଧା କହି ଦେଇ ପାରିଥାନ୍ତା । ନା, ଜଲିର ବା ଏଥିରେ ଦୋଷ କ’ଣ ? ଦୋଷ ସେ ଭିଡ଼ର । ସେ ଭିଡ଼ରେ ଯେଉଁ ତରୁଣମାନଙ୍କ ବୃଥା ରକ୍ତର ଉତ୍ତେଜନା, ସେ ଉତ୍ତେଜନା ବିରୁଦ୍ଧରେ ଦର୍କାର ହଜାର ହଜାର ଚୋଟ...ଏବକାର କଥା

 

ଯେ, ରାସ୍ତା କଡ଼ରେ ବସିଥାଏ ବୁଢ଼ୀଟିଏ । କେତେ ଦଶରା, କେତେ ଶୀତ, ବର୍ଷା, ଖରା ନ ଦେଖିଛି ସେ । କେତେ ଭିଡ଼ ନ ଦେଖିଛି ସେ । ତା' ଯୌବନ ସେ କ’ଣ ଉପଭୋଗ କରି ନାଇଁ ? ସେ କ’ଣ ପ୍ରେମ କରି ନାଇଁ ? ସେ କ'ଣ ସଂସାର କରି ନାଇଁ ? ସବୁ କରିଛି । ସବୁ । କିନ୍ତୁ ଏମିତି । ତଥାପି ପତେଇଛି ହାତ- ଦିଅ, ଯାହା ଦେବ, ଦିଅ ଏ ହାତରେ । ଅମୃତ ଦିଅ । ନେବ । ବିଷ ଦେବ । ଦିଅ । ସେ ସବୁ ନେବ । ସବୁ ଅମୃତ ମଣିବ ।

 

ସେ ହାତ ପତେଇଛି । ବୟସର ପୋଲରେ ବସି । ବୟସର ଠେଙ୍ଗା ମାଡ଼ ସେ ସହୁଛି । ସହି ସହି କହୁଚି- ଦିଅ । ଦିଅ । ଏ ହାତରେ ଅନ୍ତତଃ କିଛି ଦିଅ....

 

କିଏ ଶୁଣୁଛି କଥା ତାର ? ସ୍ୱର ତାର ? ଭିଡ଼ ଭିତରେ ସାଇକେଲର ଟୁଂ ଟାଂ, କାରର୍ ପେଁ ... ଚନାଚୂରବାଲାର ଡାକ ଭିତରେ ସ୍ୱର ତାର ମିଳେଇ ଯାଉଛି । କିଏ ଦେଖୁଛି ତାକୁ ? ସେ ଝରା ପତ୍ରର ମର୍ମର । ଅର୍ଦ୍ଦଳି ତା’ର ଶୁଣା ଯାଏନା-ଦେହିଂ.....ଦେହିଂ.... ତା’ ଚାରିପଟେ ଘୁରି ବୁଲେ....

 

ଅଥଚ ସେ ଭିଡ଼ର ଶୋଭାଯାତ୍ରାରେ ଦଳକୁ ଦଳ ଯୁବକ ଯୁବତୀ । ବୁଟ୍‍ର ଆହ୍ୱାନ । ହାଇହିଲର ଆୱାଜ । ଶାୟା, ଶାଢ଼ୀ, ବ୍ଲାଉଜ, ଭେନିଟିର ଆଡ଼ମ୍ବର । ଛାତି ଟେକି ହୁଏ । ଅଖି କୁରଙ୍ଗୀ ସାଜେ । ବେଣୀ କ ସାପ ହୁଏ ? ତରୁଣୀ ଦଳର କିଚିରି ମିଚିରି ଧ୍ୱନି ଶୁଭେ । ସେମାନେ ମାଗନ୍ତି ନାଇଁ । ଦିଅ ବୋଲି କହନ୍ତି ନାଇଁ । ତରୁଣ ଦଳ, ଦଳକୁ ଦଳ ଗୋଡ଼େଇ ଥାଆନ୍ତି । “ଆମ ଦେବୁ, ନିଅ, ନିଅ, ତମେ...'' ବୋଲି ଯଚେଇ ହୋଇ, ଗୋଡ଼େଇ ଗୋଡ଼େଇ ଥକ୍କା ହେଲେ ବି ଧାଇଁଥାନ୍ତି । (ତା’ ଭିତରେ ଜଲି ବି)

 

ଦୋଷ ସବୁ ବୟସର-ଶୂନ୍ୟ ଓ ପୂର୍ଣ୍ଣ : ପୂର୍ଣ୍ଣ ଓ ଶୂନ୍ୟ ।

 

ଦେହିଂ....ଦଦାତି...ଧ୍ୱନି ବୟସର ।

 

ଏ ବୟସ କେତେ ଦିନ ? କେତେ ଦିନର ବା ।....

 

...ଜୀବନ ହାର ମାନିଲା । ହାଇ ନିଦର ଅନ୍ୟ ପ୍ରତିଧ୍ଵନି । ନିଦ କ୍ରମଶଃ ମାଡ଼ି ପଡ଼ୁଛି । ନା, ସେ ଶୋଇବ ନାଇଁ । ଶୋଇଲେ ପ୍ରଗତି ହୁଏନା । ନ ଶୋଇଲେ ବି ଆନନ୍ଦ ମିଳେନା । ଏ ରାତିର ତିୟାରି, କେବଳ ଶୋଇବା ପାଇଁ । ଅଥଚ ଏ ରାତିରେ, ରତିକ୍ରୀଡ଼ା ଚାଲେ । ପୈଶାଚିକ ଲୀଳା ଚାଲେ । କେତେ କାହାଣୀ ଆସେ ଓ ଯାଏ । କେତେ ସ୍ଵପ୍ନ ଆସେ ଓ ଯାଏ । ଯେମିତି କି ଦିନ ଆସେ ଓ ଯାଏ । ରତି କି ଜିନିଷ । ରତିରୁ ରତିଏ ବି ଯଦି ବର୍ତ୍ତମାନ ଜୀବନ ପାଆନ୍ତା, ହୁଏତ ତୃପ୍ତ ହୁଅନ୍ତା ବର୍ତ୍ତମାନ । କିନ୍ତୁ ରତିର ଇତି କାହିଁ ?

 

ରତି, ଆରମ୍ଭ ଓ ଶେଷ ।

 

ରତି ବା କି ଜିନିଷ ।

 

ରତିକୁ ଦେଖିବାକୁ ଇଚ୍ଛାହେଲା ଜୀବନର ।

 

ଓଃ...ତା’ଦେହରେ କାହିଁକି ଏତେ ଉତ୍ତାପ ?

 

ତା’ ମସ୍ତିଷ୍କରେ କାହିଁକି ଏତେ ବ୍ୟସ୍ତତା ?

 

ତା’ ହାତରେ ଯେମିତି କି କାହାକୁ ଦଳିଦେବାର ଇଚ୍ଛା । ତା’ ଦେହରେ ଚୁମ୍ବକର ଏକ ଶକ୍ତି । ଟାଣି ଆଣିବାର ପ୍ରବଳ ଆଗ୍ରହ । ରକ୍ତ ପ୍ରବାହ କ୍ରମଶଃ କ୍ଷିପ୍ର ହେଉଛି । ଜୀବନ ଠିଆ ହେଲା । କ’ଣ କହିବ ସେ ? ରତିକୁ କିମିତି ପାଇବ ସେ ? ସେ କେଇଘଣ୍ଟା ତଳେ ଠିକ୍ ଅନୁଭବ କରି ପାରିଥିଲା, ତୃଷା ଚିରନ୍ତନ । ଶୋଷର ଶେଷ କାହିଁ ? ହଁ, ଠିକ୍ ସେଇୟା । ଠିକ୍ ସେଇୟା...

 

ଓଃ...ମୋତେ ଦେହ ଦିଅ । ମୋତେ ସ୍ପର୍ଶ ଦିଅ । ମୋତେ ଉତ୍ତାପ ଦିଅ । ମୋତେ ରତି ଦିଅ । ରତି ଦିଅ ।

 

ଅନ୍ଧାରରେ ଆଉ କିଛି ଦେଖା ଯାଉନାହିଁ । କେବଳ ଅନ୍ଧାର । ସେ ବର୍ତ୍ତମାନ ପଡ଼ିଆରେ କେବଳ ଗଡ଼ୁଛି । ଛାଟିପିଟି ହେଉଛି କିଛିକ୍ଷଣ ପାଇଁ । ଉତ୍ତେଜନା । (ଓଃ... ଜଲି କି ତମେ ଆସନ୍ତ ନାଇଁ ।)ସେ ଅଧିକ ମୋଡ଼ିମାଡ଼ି ହେଉଛି ।.... ଏବଂ କ୍ରମଶଃ ଉତ୍ତେଜନା ଶାନ୍ତ ହେଉଛି । ଶୋଇ ପଡ଼ୁଛି । ଧୀରେ ଧୀରେ...

 

(ରତି ତାହାଲେ କ'ଣ ଏୟା ?)

 

ଜୀବନ ବର୍ତ୍ତମାନ କି ଏକ ପ୍ରଚଣ୍ଡ ଶବ୍ଦ ଶୁଣିପାରୁଛି । ହ୍ୟୁସିଲ ଶବ୍ଦ । ସତର୍କ ଧ୍ୱନି । ସେ ଶିଶିର ମାରି ଜାଣେ । ଇସାରା କରିବାକୁ ହେଲେ, ଶିଶିର ମାରିବାକୁ ହୁଏ ବୋଲି ସେ ଜାଣିଛି । କିନ୍ତୁ ଏ ଯେ ପ୍ରଚଣ୍ଡ ଧ୍ୱନି । ସାଇରନ ଗର୍ଜନ ନୁହେଁ, ଏକବାର ହ୍ୟୁସିଲ୍ । (କାହାର ?)

 

ହଁ ଟ୍ରେନର । ରାତି ଅଧରେ ଟ୍ରେନ୍ ଏ ଲାଇନରେ ତ ପ୍ରାୟ ଯାଏ ନାହିଁ । କ୍ରମଶଃ ଘର୍ଘର ଶବ୍ଦ ଓ ଧ୍ୱନି ଖୁବ୍ ନିକଟତର ହେଉଛି । ଯେମିତିକି ମାଡ଼ିଯିବ । ଜୀବନକୁ ମାଡ଼ିଯିବ । ଏ ସହରକୁ ମାଡ଼ିଯିବ ଅନ୍ଧାରକୁ ବିଦୀର୍ଣ୍ଣ କରିବ । ରାତିକୁ ଚିରିଫାଡ଼ି ତା’ ଭିତରୁ ଆଲୁଅ ବାହାର କରିବ ।

 

ଗୁଡ଼ସ୍ ଟ୍ରେନ୍ । କଦବା କେବେ ଆସେ । ନା, ଅନେକ ସମୟରେ ଆସେ । ମାଲ ପରିବହନ ତା’ର କର୍ତ୍ତବ୍ୟ । କର୍ତ୍ତବ୍ୟରେ ହେଳା କଲେ, ରକ୍ଷା ନାଇଁ । ତା'ର ତେଣୁ ବିଶ୍ରାମ କାହିଁ ? କର୍ତ୍ତବ୍ୟ କର । କେବଳ କର । ସେ ମେସିନ୍ ହେଲେ ବି କର୍ତ୍ତବ୍ୟ ଜାଣେ । ତା’ ହ୍ୟୁସିଲ ତାକୁ ସତର୍କ କରେ । ଓଃ...ପ୍ରଚଣ୍ଡ ଶବ୍ଦ...

 

ଯେମିତିକି ପୃଥ୍ଵୀ ଫାଟି ପଡ଼ିବ । ତା’ ଭିତରୁ ଯେତେକ ଅନ୍ତବୁଜୁଳା ବାହାରି ଆସିବ । ପୃଥ୍ଵୀ ପେଟରୁ ହୁଏତ ଏକ ନୂତନ ସନ୍ତାନ ଆସିବ । ସେ ସନ୍ତାନ କ’ଣ ସୈତାନ ହୋଇ ପାରେ ?? କିଏ ଜାଣେ ???

 

ଶବ୍ଦ କ୍ରମଶଃ ତୀବ୍ର ହେଉଛି ଓ ଧୀରେ ଧୀରେ ଲମ୍ବି ଯାଉଛି ଟ୍ରେନ୍ । ଲାଇନରେ ଡେଇଁ ଡେଇଁ । ନାଚି ନାଚି । ହରିଣୀଟି ପରି । କି ସମ୍ବାଦ ନେଇ ଯାଉଛି ସେ ? କି ଆନନ୍ଦ ନେଇ ଯାଉଛି ସେ ? କି ହଳାହଳ ନେଇ ଯାଉଛି ସେ ? କିଏ ଜାଣେ ?

 

ଏବଂ କ୍ରମଶଃ ସେ ଶବ୍ଦ ଅପସରି ଯାଉଛି । ଚୁପ ଚାପ ଦୋଷୀ ଭଳି ସେ ଚାଲି ଯାଉଛି । ଯିବା ତା’ର କର୍ମ । ସେ ଯିବ ।

 

କିନ୍ତୁ ଜୀବନାନନ୍ଦ ବର୍ତ୍ତମାନ ପାଇଁ ଏଇଠି ରହିଥିବ । ଯେହେତୁ ରତିରେ ରତିରେ ସେ ପ୍ରୀତ । ଦେବଦାରୁ ଗଛର ପତ୍ରମାନେ ଏବେ ଭିଡ଼ିମୋଡ଼ି ହେଉଛନ୍ତି । ଛଟପଟ ହେଉଛନ୍ତି । କାହାର ପ୍ରତୀକ୍ଷାରେ ? ଜୀବନାନନ୍ଦ ପାଇଁ । ଜୀବନ ତ ଅଛି । ଜୀବନ ସବୁଠି ଅଛି ଜୀବନର କ୍ରିୟା ଅଛି । ପ୍ରତିକ୍ରିୟା ଅଛି । ତେବେ ଗଛର ପତ୍ରମାନେ ଛଟପଟ ହେବେ କାହିଁକି ? ସେମାନଙ୍କୁ ବୁଝେଇବାର ଚେଷ୍ଟା କରାଯାଉ -

 

ହେ ପତ୍ରମାନେ, ଦେଖ, ଅକାଶରେ କିମିତି ଦୀପାବଳି ! ତାରାମାନଙ୍କର କେତେ ଫୁଲଝରି !..... କେତେ ରୋଶଣୀ......

 

(ଯେମିତି, ଏଥର ଦୀପାବଳୀରେ ଜଲି ସବୁଜ ଶାଢ଼ୀ ପିନ୍ଧି ଫୁଲଝରି ଖେଳୁଥିଲା । ନାଚୁ ଥିଲା । ଡେଇଁଥିଲା ଖାଲି ଛୋଟ ଶିଶୁ ଭଳି ।)

 

ଆହା ପତ୍ରମାନେ, ତମକୁ ଶିଶୁ ଭଳି ମନେଇ ହେବ ନାଇଁ । ରାଜାରାଣୀ ଗପ କହିଲେ, ତମେ ମାନିବ ନାଇଁ । ଚକୋଲେଟ୍ ଦେଲେ, ମାନିବ ନାଇଁ ।

 

ଆହା, କି ମମତା ଲଗେଇଲ ସତେ ? ତମେ କି ସବୁଦିନ ଏଭଳି ଏଇଠି ଠିଆ ହେଇଥିବ ? କହିବ ନାଇଁ କଥା ! ତୋଳିବ ନାଇଁ ଛନ୍ଦ ! ତମେ କ’ଣ ସବୁଦିନ ସବୁଜ ଥିବ ? ତମ ଦେହରେ ବସନ୍ତ ଖାଲି ଆସୁଥିବ ।

 

ଆହା, ତମେ ଚାଲିଗଲେ, କିଏ ମନେ ରଖିବ ତମକୁ ? କଲେଜ ବିଲଡିଙ୍ଗ୍‍ ? ଛାତ୍ରଛାତ୍ରୀ ? ସେମାନେ ବି ମରଣଶୀଳ । ନା, ନା, ପୃଥିବୀ....ପୃଥିବୀ.....

 

ପୃଥିବୀ ତେବେ ବୁଢ଼ୀ ହେବ ନାଇଁ ? ବୟସ ତା’ର ଖସିବ ନାଇଁ ? ବୟସ ଯେମିତିକି ଦିନେ ବଢ଼େ । ପଶ୍ଚିମକୁ ସୂର୍ଯ୍ୟ ଢଳେ । ଛାଇ ଲମ୍ବା ହୁଏ କ୍ରମଶଃ । ମଣିଷର ଛାଇ ଲମ୍ବା ହୁଏ ସିନା, ସେ କିନ୍ତୁ ଛୋଟ ହୁଏ କ୍ରମଶଃ ସମୟକୁ ନେଇ । ମୃତ୍ୟୁକୁ ନିକଟତର ଆହୁରି ।

 

ତେବେ ଜୀବନ ସରି ଆସୁଛି । କା’ର ଅସ୍ପଷ୍ଟ ପଦଧ୍ୱନି ନିକଟତର ହେଉଛି । ଜୀବନ କ’ଣ ସରିଯିବ ? କିଏ ତାକୁ ସାରିବ ? ସେ ସରିଗଲେ କ'ଣ ହେବ ?

 

ନା, ନା, ସେ ରହିବାକୁ ଚାହେଁ । ରହିବାକୁ ଚାହେଁ ଜୀବନାନନ୍ଦ ।

 

କିନ୍ତୁ କାହିଁକି ?

 

ତା’ ନିଜ ପାଇଁ । ଅନ୍ୟ ପାଇଁ ସମସ୍ତଙ୍କ ପାଇଁ । (ଜଲି ପାଇଁ ।)

 

(ଜଲି ପାଇଁ ?) କାହିଁକି ?

 

ଜଲି: ରକ୍ତର ହୋରିଖେଳ । ଅଶ୍ରୁର ଶ୍ରାବଣୀ । ବ୍ୟଥାର ଝରଣା ।

 

ଅଥଚ ଜଲି ଭଲ ଖେଳି ଜାଣେ, ଜିତି ଜାଣେ । କେବଲ, ବାହାବା' ନେଇ ଜାଣେ । ୟୁନିଭର୍ସିଟି ସ୍ପୋର୍ଟ ଡେ’ ଦିନ–ସେ ଦିନ ଜଲିର ସୌରଭ ମାତି ଉଠିଥିଲା । ଗୋଲପୀ ଶାଢ଼ୀ, ବ୍ଲାଉଜ ପିନ୍ଧି ଯେମିତି କି ଏକ ଗୋଲପ ପରୀ ସାଜିଥିଲା । ବହୁ ଜୀବନକୁ ଆକ୍ରାନ୍ତ କରିଥିଲା । ସେ ସୌରଭରେ ଥିଲା ବିଷାକ୍ତ ହାୱା । ସେ ବିଷକନ୍ୟା ଭାଇରସର ଅଜସ୍ର ବିନ୍ଦୁ । ସେ ଧ୍ଵଂସ କରିପାରେ ଜୀବନକୁ... ଧ୍ଵଂସ କରିପାରେ ବହୁ ଜୀବନକୁ । ପୁନଶ୍ଚ ଅନ୍ଧାର...

 

ହେ ଅନ୍ଧାର ! ମୋତେ ଲୁଚେଇ ରଖ । ଲୁଚେଇ ରଖ ତୁମର ନିରାପଦ ଗୁମ୍ଫା ଭିତରେ । ମୁଁ ଅନ୍ଧାରରେ ଜୁଡୁବୁଡୁ ହୋଇ ପୋଷା ବିଲେଇଟିଏ ଭଳି ଶୋଇ ପଡ଼ିବି । ଚୁପ୍ ଚାପ୍ ଶୋଇ ପଡ଼ିବି ।

 

ଆଃ...ତାହା ହେଲେ ନିଦ କାହିଁ ? ନିଦ । ନିଦ ନ ହେଲେ, ମଣିଷ ତିକ୍ତ ହୋଇଯାଏ । ପାଗଳ ହୋଇଯାଏ । ମଣିଷ ତେଣୁ ନିଦ ପିଲ୍‍ସ ଖାଏ । ନିଦର ଛଳନା କରେ । କାୟିକ ପରଶ୍ରମ କରେ । ମାନସିକ ପରିଶ୍ରମ କରେ । ନିଦର ଛଳନା କରେ । ନହେଲେ ଖାଏ ନିଶା । ନିଶା ଖାଇଲେ, ନିଦ ଖୁବ୍ ହୁଏ । ଜୀବନାନନ୍ଦ ତା’ହେଲେ ନିଶା ଖାଇବ । ସେ କ’ଣ ନିଶା ଖାଇ ନାଇଁ ?

 

ନା, ଜୀବନାନନ୍ଦ ଶୋଇବ ନାଇଁ । ସେ ନିଦକୁ ଧକ୍କା ମାରି ନିକାଲି ଦେବ । ଶୋଇଲେ, କର୍ତ୍ତବ୍ୟରେ ହେଳା ହେବ ।...ଏବଂ ସେ ଦେଖି ପାରୁଛି ଯେ ହଷ୍ଟେଲରେ କାହାର ଏକ ଝର୍କା ଖୋଲା ହେଉଛି । ଖୋଲା ଝର୍କା ଦେଇ ମେଞ୍ଚାଏ ଆଲୁଅ ପଡ଼ିଆକୁ ଖୁବ୍ ତୀବ୍ର ଭାବରେ ଲମ୍ଫ ପ୍ରଦାନ କରୁଛି । ଯେମିତିକି ଶରତାକାଶରେ ଖଣ୍ଡେ ଧଳା ମେଘ ବା ଛଉର ଦାଗ ଦେହରେ । ସେ ଝର୍କା ଦେଇ ଜଣେ କେହି ବିଦ୍ୟାର୍ଥୀ କଲେଜ ପଡ଼ିଆକୁ ଚାହୁଁଛି ଏବଂ ସିଗ୍ରେଟ୍‍ର ଧୂଆଁ ଗୁଳି ଛାଡ଼ୁଛି । ପରସ୍ତ ପରସ୍ତ ଗୁଳି । ସେ ପଢ଼ିବାର ଆରମ୍ଭ କରିବ । କରୁ । କିଏ କହିପାରେ, ସେ ପ୍ରେମ ପତ୍ର ନ ଲେଖିବ ବୋଲି ? କିଏ କହିପାରେ, ସେ କବିତା ନ ଲେଖିବ ବୋଲି...

 

ଆରେ ସେ ଜୀବନକୁ ଚାହୁଁଛି କି ?

 

ଜୀବନ ବର୍ତ୍ତମାନ ଅନ୍ଧାର ଭିତରେ ଗୋଟେ ଅନ୍ଧାର । ତାକୁ କିଏ ଚିହ୍ନିବ ? କିନ୍ତୁ ଗାର୍ଲସ ହଷ୍ଟେଲର ଛାତ ଉପରେ ଯେଉଁ ଶାଢ଼ୀ, ଶାୟା, ବ୍ଲାଉଜ, ବ୍ରେସୟାର୍, ସାଲୱାର୍ ଦ୍ଵିପ୍ରହର ଖରାରେ ଖରା ପାଉଥାଏ, ଜୀବନାନନ୍ଦ ଠିକ୍ ଚିହ୍ନେ, ସେସବୁ- କିଏ କାହାର ? ସେ ସବୁ ବିଭିନ୍ନ ଦେଶର ପତାକା ଭଳି ଉଡ଼ୁଥାଏ ଧାଡ଼ି ଧାଡ଼ି ପବନରେ ଫର୍ ଫର୍ । ଅନ୍ତତଃ ଜଣକର (ସେ ହୁଏତ ବୋଧ କରେ) ଠିକ୍ ଚିହ୍ନେ । ଜୀବନ ଚିହ୍ନେ ନିଜ ଦେଶର ପତାକାକୁ ।

 

କିନ୍ତୁ ତାକୁ ବର୍ତ୍ତମାନ କେହି ଚିହ୍ନି ପାରିବେ ନାଇଁ । ଚିହ୍ନିଲେ ବି ବଶ୍ୱାସ କରି ପାରିବେ ନାଇଁ ଯେ ସେ ଜୀବନାନନ୍ଦ !

 

ଏବଂ ଜୀବନର ବର୍ତ୍ତମାନ ଖୁବ୍ ଇଚ୍ଛା ହେଲା, କାହା ସହିତ କଥା ହେବାକୁ । ରାତିରେ ଆଳାପ, ସଂଳାପ (ବିଳାପ) କରିବାକୁ । ୟୁକାଲିପଟାସ୍ ଓ ଦେବଦାରୁ ରଛର ପତ୍ରମାନେ ବର୍ତ୍ତମାନ ନିସ୍ତେଜ ହୋଇ ପଡ଼ିଛନ୍ତି । ସେମାନଙ୍କ ସହ ସେ କଥା ହେବ ନାଇଁ । ଜଲି ତେଣୁ ଯଦି ଥାଆନ୍ତା...

 

ଏଠି କାହିଁକି ଯେ ବର୍ତ୍ତମାନ ଭଲ ଲାଗୁ ନାଇଁ । କଲେଜ ବାଉଣ୍ଡେରୀ ବାହାର ହୋଇ ଛକକୁ ଯିବାର ବିଚାର କରୁଛି ସେ । ଦୋକାନ ବଜାରମାନଙ୍କରେ ଜଲିକୁ ଖୋଜିବ । ନ ହେଲେ ସିଗ୍ରେଟ ଖୋଜିବ । ନ ହେଲେ ଖୋକିବ କଫି ।

 

ନ ହେଲେ-

 

ନାଇଁ କାହାକୁ ଖୋଜିବା ଦରକାର ନାଇଁ । ଖୋଜିଲେ, ମିଳେ ନାଇଁ । ନ ଖୋଜିଲେ, ହଠାତ୍ ମିଳିଯାଏ । ଜଲିକୁ ସେ ଖୋଜୁଛି; ଅଥଚ ପାଉ ନାଇଁ । ଜଲି ଲୁଚୁକାଳି ଖେଳ ଆରମ୍ଭ କରି ଦେଇଛି । ତା’ପର ଛକରେ ବି ଭଲ ଲାଗୁ ନାଇଁ ।

 

କିଛି ଭଲ ଲାଗୁ ନାଇଁ । ଧ୍ୟାତ୍....ଜୀବନ ମୁହଁ ବୁଲେଇବାକୁ ବସିଛି, ଶୁଣିବାକୁ ପାଇଲା କାଶିବାର ଶବ୍ଦ । କାହାର ? ଅନେଇଲା। ହୋଟେଲ ଆଗରେ ଯେଉଁ ଦଦରା ବେଞ୍ଚ ପଡ଼ିଛି, ତା’ ଉପରେ କେହି ଛିଣ୍ଡା ଲୁଗା ଘୋଡ଼ି ହୋଇ ପଡ଼ିଛି । ଦୂର ବତୀଖୁଣ୍ଟର ଆଲୁଅଛିଟା ପଡ଼ିଛି ମାତ୍ର ।

 

ଜୀବନର ଇଚ୍ଛା ହେଲା, ତାକୁ ଦେଖିବାକୁ । ନିକଟକୁ ଗଲା । ଛିଡ଼ା ହେଲା । ସେ ଶୋଇ ପଡ଼ିଛି । ମୁହଁ ଦିଶୁଛି । ବୃଦ୍ଧ । ଶ୍ମଶ୍ରୁର ଜାଲ ଢାଙ୍କି ହୋଇଛି । ଧଳା ଧଳା । ଶୋଇଛି । ଶୋଇ ଥାଉ । ଜୀବନ ଚିହ୍ନିବାକୁ ଚେଷ୍ଟା କଲା । ଚିହ୍ନି ପାରିଛି । ସେ ବୁଢ଼ା ମାଗେ ନାଇଁ । ଦେଲେ ନିଏ । ହାତ ପତାଏ ନା । ସେଇ ହୋଟେଲରୁ ଚା’ ପିଇବ, ତା ମାଟି ଗ୍ଲାସରେ । ପଇସା ଅଥଚ ଜରୁର ଦେବ । ବୁଢ଼ା କାହାଣୀ କହିବ ତା’ ସମୟର- ତା’ ସମୟରେ...

 

ଆଚ୍ଛା, ବୁଢ଼ାକୁ ଉଠେଇ, ତା’ ସମୟର କାହାଣୀ ଶୁଣିଲେ କିମିତି ହୁଅନ୍ତା ? ଜୀବନ ବିଚାର କଲା । ମନ୍ଦ ନୁହେଁ ! କିନ୍ତୁ ଆହା; ବୁଢ଼ାଟାକୁ ନିଦ ହୋଇ ଯାଇଛି । ଶୋଇଥାଉ । ତା’ ସମୟର ତାରୁଣ୍ୟ କଥା, ଶକ୍ତିର କଥା...ଥାଉ । ପରେ ଶୁଣିବ ।

 

ତା’ ହେଲେ ବର୍ତ୍ତମାନ କ’ଣ କରିବ ଜୀବନ ? ସମୟ ଯେ ସରି ଯାଉଛି । ବୟସ ଯେ ସରି ଯାଉଛି । ରାତି ଯେ କ୍ରମଶଃ ସରି ସରି ଆସୁଛି । ଓଃ... ଆଉ କିଛି ଭଲ ଲାଗୁନାଇଁ ।

 

ତେବେ ? ହଁ, ତେବେ ଫର୍ଲଙ୍ଗେ ଦୂରରେ ଥିବା ଛକକୁ ଯିବ କି ଜୀବନାନନ୍ଦ ? ଜାନକୀର୍ଣ୍ଣ ଛକ । କେତେ ଗହଳି । କେତେ ଶବ୍ଦ । କେତେ ଚିତ୍କାର । ସବୁ ଶୂନ୍ୟ ବର୍ତ୍ତମାନ । ଶୂନଶାନ୍‍ ସେ ଛକରେ । ଛକ ମଝିରେ ସେଇ ଷ୍ଟାଣ୍ଡରେ ଟ୍ରାଫିକ ପୋଲିସ ଭଳି ସେ ହୁଇସିଲ ଫୁଙ୍କିବ କି ? ହାତ ଟେକିବ । ନିର୍ଦ୍ଦେଶ ଦେବ କାର୍‌କୁ ରହ । ଆଉ ଏକ କାର୍‌କୁ କହିବ, ଯାଅ । ଶୃଙ୍ଖଳା ରଖିବ । ନ ହେଲେ ଛକ ଯେ ବିଶୃଙ୍ଖଳିତ ହୋଇଯାଏ । ଦୁର୍ଘଟଣାର ସମ୍ଭାବନା ପ୍ରତି ମୁହୂର୍ତ୍ତରେ । ଛକକୁ ବ୍ୟବହାର କରୁଥବା ପ୍ରତି ମଣିଷ, ଜୀବଜନ୍ତୁ, କାର୍, ଟ୍ରକ, ସାଇକଲ, ରିକ୍ସାକୁ ସେ ରକ୍ଷା କରିବ । ପଥ ବଢ଼େଇବ । ନିରାପତ୍ତା ରଖିବ । ସେଇ ଛକ । ଚାରି ଦିଗକୁ ଚାରି ରାସ୍ତା ? କେଉଁ ଦିଗକୁ ଗଲେ, ସେ ପାଇ ପାରିବ ତା’ର ଚରମ ସ୍ଥଳ ? କେଉଁ ରାସ୍ତାରେ ? ଆରେ ସେ ନିଜେ ତ ଠିକ୍ କରି ପାରୁନାଇଁ ନିଜ କଥା ! ଦିଗ କଥା ! ରାସ୍ତା କଥା ! ତେବେ ସେ କିମିତି ଛକ ଉପରେ ଠିଆ ହୋଇ ଟ୍ରାଫିକ ଛକକୁ ସମ୍ଭାଳିବ ? ହୁଇସିଲ୍ ଦେବ ? ସତର୍କ କରେଇବ ?

 

ନା, ସେଠିକି ଯିବା ଏବେ ଠିକ୍ ହେବ ନାଇଁ । ସେଇଠି ଏବେ ଶୂନ୍‍ଶାନ ସବୁ ଶୂନ୍ୟ । (ଶୂନ୍ୟ ଯେ ସବୁ ଶୂନ୍ୟ । ମହାଜାଗତିକ ଶୂନ୍ୟରେ କେବଳ ମହାଶୂନ୍ୟ ।) ଜୀବନ ତେଣୁ କେତେବେଳେ ଯେ କଲେଜ ପଡ଼ିଆକୁ ପଶି ଯାଇଛି, ସେ ନିଜେଇ ଜାଣିପାରୁ ନାଇଁ । ତା’ପରେ ତାକୁ କିଛି ଭଲ ଲାଗୁ ନାଇଁ । ପଡ଼ିଆ ଭଲ ଲାଗୁ ନାଇଁ । ୟୁକାଲିପଟାସ ଗଛ । ଦେବଦାରୁ ଗଛ । ରାସ୍ତା । ରାତି । କିଛି ଭଲ ଲାଗୁ ନାଇଁ ।

 

ସେ ଅକାଶକୁ ଚାହୁଁଛି । ଆକାଶରେ ଅଗଣିତ ତାରା । ଆହା, ଚନ୍ଦ୍ର ଆଜି ଆସିଥିଲା କି ନାଇଁ ଆକାଶର ସମୁଦ୍ରରେ ବୋଇତ ଭଳି ? ଆସିଥିଲା ଖଣ୍ଡିଆଖାବରା ହୋଇ । ବୁଡ଼ି ଯାଇଛି ବହୁ ପୂର୍ବରୁ । ଜୁଆରରେ ହୁଏତ । ତାରାମାନେ ତେଣୁ ଜୁଳୁ ଜୁଳୁ ହେଉଛନ୍ତି । କାନ୍ଦି କାନ୍ଦି ଆଖି ଫୁଲି ଯାଇଛି ସେମାନଙ୍କର । ପାଣି ତଥାପି ସରି ନାହିଁ । ଜୀବନ ସେମାନଙ୍କୁ ଚାହିଁଛି ।

 

ତା’ର ଇଚ୍ଛା ହେଉଛି, ସେମାନଙ୍କ ନିକଟକୁ ଯିବା ପାଇଁ । କଲେଜ ବିଲ୍‍ଡିଙ୍ଗ ଉପରକୁ ଚଢ଼ିଗଲା ସେ । କାରଣ ତାରାମାନେ ଆଉ କଛି ବାଟ ନିକଟ ହୋଇପାରନ୍ତି । ଓ...ଜୀବନାନନ୍ଦକୁ କିଛି ଆଉ ଭଲ ଲାଗୁ ନାଇଁ । ତାକୁ କେମିତି ଲାଗୁଛି । କିଛି ଗୋଟେ ଅଜବ ଅନୁଭବ କରିପାରୁଛି ସେ । ତା’ର ବସ୍ତୁତଃ ଇଚ୍ଛା ହେଉଛି, ବିଲ୍‍ଡିଙ୍ଗ ଉପରେ ଦୌଡ଼ିବାକୁ କେବଳ ଦୌଡ଼ିବାକୁ ।

 

ଏବଂ ହଠାତ୍ ତା’ ଆଖି ପଡ଼ୁଛି ‘ସପ୍ତର୍ଷି ମଣ୍ଡଳ’ ତାରାମାନଙ୍କ ଉପରେ । ସେ ଖୁବ୍ ନିବିଷ୍ଟ ଭାବରେ ଲକ୍ଷ୍ୟ କରୁଛି ‘ବଶିଷ୍ଠ’ ତାରାକୁ । ତା’ର ଠିକ୍ ତଳେ ‘ଅରୁନ୍ଧତୀ’ । ‘ବଶିଷ୍ଠ ଓ ଅରୁନ୍ଧତୀ' । ଯୁଗ୍ମ । ‘ଜୀବନ ଓ-' କିଏ ପୂରଣ କରିବ ଏ ଶୂନ୍ୟ ସ୍ଥାନ ?

 

(‘ଜଲି’ ?)

 

ହସ ମାଡ଼େ । ସେ ପାରିବ ନାଇଁ । ପାରିବ ନାହଁ । ଜୀବନ କିଏ, ସେ ଜାଣି ନାହିଁ । ଜୀବନ କ’ଣ, ସେ ଜାଣି ନାହିଁ । ଜୀବନ କାହିଁକି, ସେ ଜାଣି ନାହିଁ ।

 

ସେ ତ ଏବେ ଜଣେ କାହାର ତୃଷା ମେଣ୍ଟାଉଥିବ । ସେହେତୁ ଜଲି ଏକ ଫାଙ୍କା ବା ଶୂନ୍ୟତା ବା ନିଷ୍ଫଳ କାମନା ।

 

ଜୀବନ ତେଣୁ ବ୍ୟସ୍ତ ହେଉଛି ଶୂନ୍ୟତାର ପୂରଣପାଇଁ । ...ଏବଂ ଦେଖୁଛି ଯେ ପୂର୍ବ ଦିଗ୍‍ବଳୟ କିଛିଟା ଫର୍ଚ୍ଚା ଦେଖାଗଲାଣି । ପରେ ପରେ ସିନ୍ଦୂରା କ୍ରମଶଃ ଫାଟିବାକୁ ଆରମ୍ଭ କରିବ । ରକ୍ତ ଝରିବ । ରକ୍ତ...

 

ତେବେ ଜୀବନ କ’ଣ କରିବ ଏବେ ?

 

ସେ ଦୌଡ଼ିବାରେ ଲାଗିଛି କଲେଜ ବିଲ୍‍ଡିଙ୍ଗ ଉପରେ । ଖୁବ୍ ବ୍ୟସ୍ତତା । ଘଣ୍ଟା ଚକଟା ମନରେ...କିଛି ଠିକ୍ କରିପାରି ନାହିଁ ଏ ପର୍ଯ୍ୟନ୍ତ । ନା, ତାକୁ କିଛି ଭଲ ଲାଗୁ ନାହିଁ । କିଛି ହେଲେ...ତାକୁ ସବୁ ଭୁଲି ଯିବାକୁ ହେବ । ଅଭିନୟ ଭୁଲିଯିବାକୁ ହେବ । ଏବେ ତାକୁ ନିଶା ଦରକାର । ଆହୁରି ନିଶା । କଡ଼ା ନିଶା ।

 

ସେ ଖାଇବ । ପିଇବ । ଶୋଷିବ । ନିଶା ।

 

ଜୀବନ କ’ଣ ନିଶା ଖାଇ ନାଇଁ ?

 

(ଖାଇଛି । )

 

ତା'ପର କ୍ରମଶଃ ଏକ ଆଲୋକବିନ୍ଦୁ । ତା’ ଆଖିରେ ହଠାତ୍‍ ଧରା ଦେଇଛି । 'ଧ୍ରୁବତାରା’ । ସେ ହିଁ ଧ୍ରୁବ । ‘ଜୀବନାନନ୍ଦ’ ହିଁ ଧ୍ରୁବ । (ଜୀବନାନନ୍ଦ ଧ୍ରୁବ ନୁହେଁ । ସେ ମିଥ୍ୟା ।)

 

ସେ ମିଥ୍ୟା । ତା' ହେଲେ ଅକାରଣରେ ସେ ନିଶା ଖାଇ ଅଭିନୟ କରୁଛି । ଧ୍ରୁବ ହିଁ ଏକମାତ୍ର ଲକ୍ଷ୍ୟ ।

 

(ଜଲି ଏକ ଜୁଆଖେଳ । ଘୋଡ଼ା ଦୌଡ଼ । ମିଛ । ମିଛ...)

 

ଧ୍ରୁବକୁ ହିଁ ପାଇବାକୁ ହେବ । ଜୀବନକୁ ତେଣୁ ଆବିଷ୍କାର କରିବାକୁ ହେବ ।...ଏବଂ ଜୀବନାନନ୍ଦ ଦେଖୁଛି ପୂର୍ବାଶାରେ ରକ୍ତ....କେବଳ ରକ୍ତ...

 

ନା, ନା...ଯାହା ଧ୍ରୁବ, ତାହାହିଁ ଧ୍ରୁବ । ତାକୁ ହିଁ ପାଇବାକୁ ହେବ । ଧ୍ରୁବ ଦିଗକୁ ଆଗେଇ ଯାଉଛି ଜୀବନାନନ୍ଦ କ୍ରମଶଃ...

 

ସେ ନିଶା ଖାଇଛି । ଅଭିନୟ କରିଛି । ରକ୍ତ ଖେଳିଛି । ମିଛ ଦେଖିଛି । ନିଶାରେ ଭୁଲି ଯାଇଛି ସବୁ କିଛି । ଭୁଲି ଯାଇଛି ପୃଥ୍ୱୀକୁ । ନିଜକୁ । ଆତ୍ମାକୁ । ଜୀବନକୁ । ସତ୍ୟକୁ...

 

ନିଶା ତାକୁ ଘାରିଛି । ମାୟା ଘାରିଛି । କୁହୁକ ଘାରିଛି ।

 

ଜୀବନ ଧ୍ରୁବକୁ ହିଁ ପାଇବ । ନିଶାକୁ ଭୁଲିବ । ରକ୍ତ ଝରିଲେ, ଝରୁ । ଦେହ ସରିଲେ, ସରୁ । ପୃଥ୍ଵୀ ପ୍ରଳୟ ହେଲେ, ହେଉ ।...ସେ ଧ୍ରୁବକୁ ହିଁ କେବଳ ପାଇବ...

 

କ୍ରମଶଃ ଧ୍ରୁବତାରା ଦିଗକୁ ଆଗେଇ ଯାଉଛି ଜୀବନାନନ୍ଦ ।

 

ନା, ନା, ସେ ଭୁଲ୍ କରିଛି । ନିଶା ଖାଇଛି । ଭୁଲି ଯାଇଛି ନିଜକୁ । ଆତ୍ମାକୁ । ଜୀବନକୁ । ସତ୍ୟକୁ । ବିହ୍ଵଳ ହୋଇଛି । ପାଗଳ ପ୍ରାୟ ହୋଇଛି ।

 

ଜୀବନ କଣ ନିଶା ଖାଇ ନାଇଁ ? ସେ କ'ଣ ନିଶା ପିଇ ନାଇଁ ।

 

(ହଁ, ସେ ଖାଇଛି । ପିଇଛି । ନିଶା।)

 

କ୍ରମଶଃ ରକ୍ତ ପୂର୍ବାଶାରେ ।

 

ଜୀବନ ଆଗେଇଛି । ଦୌଡ଼ୁଛି...

 

ରାତିର ରତି ଶେଷ । ନିଶାକାଳ ଶେଷ । ଅନ୍ଧାରର ବି । ପୁନଶ୍ଚ ପକ୍ଷୀର କାକଳି । ଶୁଭ୍ର ଶଙ୍ଖଧ୍ଵନି ମନ୍ଦିରରୁ...

 

ଅଥଚ ଏକ ହଇଚଇ । ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ । କିଏ ୟେ ? ବିଲ୍‍ଡିଙ୍ଗ୍‍ରୁ ପଡ଼ି ଯାଇଛି ! ଓଃ... କେତେ ରକ୍ତ...

 

ପଡ଼ିଆରେ ପଡ଼ି ରହିଥିବା ଯୁବକର ନାକରେ ଜଣେ କେହି ହାତ ଦେଲା । ନିଶ୍ୱାସ ଚାଲିଛି । ଚେତନା ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ ।

 

"ଚେତନାର ଅଭ୍ୟୁଦୟ ପାଇଁ ଚେଷ୍ଟା କର; ଚଞ୍ଚଳ କର..."

 

ଆଉ ଜଣେ କେହି କହୁଛି–"ଏ ଯେ ଜୀବନାନନ୍ଦ... ଜୀବନ..."

Image

 

Unknown

ଭୂତର ଛାଇ

ଶ୍ରୀ ନାରାୟଣ ପୃଷେଠ୍‍

 

।। ଏକ ।।

 

ନିରନ୍ଧ୍ର, ନିଃଶବ୍ଦ ଆଉ ନୀରବତା ଭିତରେ ମାଧବବାବୁ ବସି ଚିନ୍ତା କରିବାକୁ ଏବେ ଭଲ ପାଆନ୍ତି । ଏବେ ଶୂନ୍‍ଶାନ୍ କୋଠରୀ, ପାର୍କର ଚୁପ୍‍ଚାପ୍‍ ସ୍ଥାନ ଇତ୍ୟାଦି ଖୁବ୍ ଭଲ ଲାଗେ । ମାତ୍ର ଏସବୁ ଯେ ମାଧବ ବାବୁଙ୍କର ପିଲାଦିନର ଅଭ୍ୟାସ ତା ନୁହେଁ । ଜୀବନର ବହୁକ୍ଷଣ ସେ ଖାଲି କୋଳାହଳ ଭିତରେ କଟେଇ ଆସିଲେ । ଭାବୁଥିଲେ ବାକି ସମୟ ବି ସେମିତି ଭାବେ କଟିଯିବ, ମାତ୍ର ହେଲାନାହିଁ ।

 

ଯେତେ କୋଳାହଳପ୍ରିୟ ହେଲେ ବି ମାଧବବାକୁ ଏବେ ନିଜେ ନିଜେ ଚୁପ୍ ରହୁଛନ୍ତି ।

 

ମାତ୍ର ହେଲାନାହିଁ ।

 

ଚୌକିଟାକୁ ଆହୁରି କୋଣକୁ ଟାଣିଦେଲେ ମାଧବବାବୁ । କୋଠରୀର ଏଇ କୋଣିଆ ଅଞ୍ଚଳରେ ଅନ୍ଧାରରେ ବସି ଦେଖିଲେ ଅତୀତ ଖୁବ୍ ଭଲ ଭାବରେ ଦେଖାଯାଏ । ଦିନେ ଦିନେ ମାଧବବାବୁଙ୍କ ମନ ପ୍ରକ୍ଷୋଭ- ପକ୍ଷାଘାତ ହେଲେ କୋଠରୀର ଏଇ କୋଣରେ କାହିଁକି ଗୁମ୍‍ମାରି ବସନ୍ତି ତାହା ବର୍ତ୍ତମାନ ସୁଦ୍ଧା କେହି ଜାଣିନାହାନ୍ତି, କିନ୍ତୁ ମାଧବବାବୁ ଏଇଠି ବାସନ୍ତି, ଠିକ୍ ଏଇ ଜାଗାରେ ।

 

ମାଧବବାବୁ ଅନୁମାନ କଲେ ଝିଏ ଅରୁଣା ଅଫିସରୁ ଫେରିଲା ବୋଧହୁଏ । ଅରୁଣାର ଗୋଟେ ଅଭ୍ୟାସ ଅଫିସରୁ ଫେରିବା ସଙ୍ଗେ ସଙ୍ଗେ ବାବାଙ୍କ ସଙ୍ଗେ କଥାବାର୍ତ୍ତା ହୁଏ । ମାତ୍ର ଏବେ ସେ ଅନ୍ୟମନସ୍କ ହୋଇପଡ଼େ । ଘରେ ପହଞ୍ଚିବା ପରେ ନିଜ ରୁମକୁ ଚାଲିଯାଇ ଶୋଇପଡ଼େ ବା ପୁଣି ବୁଲି ବାହାରେ । ଆଗେ, ଅଫିସରୁ ଫେରିଲାପରେ ବାବାଙ୍କ ସହ ବିଭିନ୍ନ ଆଲେଚନା କରୁଥିଲା । କିଛିଟା ଅନୁଯୋଗ କରୁଥିଲା । ବେଶୀ ପ୍ରଗ୍‍ଳଭ କଣ୍ଠରେ କିଛି ନ କହିଲେ ସେ, ସେତେଟା ଅପ୍ରଗଳଭ ନଥିଲା । ତାର ସେଇ କଥା, ଚପଳ ଭଙ୍ଗୀକୁ ହଠାତ୍ ଆଘାତ କରି ତା’ର ମନରେ ଦୁଃଖ ଦେବାକୁ ମାଧବବାବୁ କେବେ କିଛି ଚାହିଁ ନାହାନ୍ତି । ଅରୁଣା ଯେବେ ପ୍ରଶ୍ନ କରେ, ବାବା ତମେ ଖାଲି ଏଇ କୋଠରୀର କୋଣରେ ବସି କାନ୍ଥକୁ କ'ଣ ସବୁ ଚାହଁ ? ମାଧବବାବୁ କିଛି କହିବେ ବୋଲି କଛି କହି ପାରନ୍ତି ନାହିଁ । କଥାର ସ୍ଥିରପାଣି ଜାଣି ଜାଣି ଚହଲାଇ ଦେଇ କହନ୍ତି-

 

ଆଜି ତୋର ଅଫିସର କଥା କ'ଣ ? ଏତେ ଶୀଘ୍ର ଚାଲି ଆସିଲୁ ।

 

ଅରୁଣା ହଠାତ୍ କିଛି କୁହେ ନାହିଁ । ସମୟର ଭାସମାନ ତରଙ୍ଗରେ ହସି ହସି କୁହେ, ନାଇଁ ଅଫିସରେ କାମ କରିବା ପାଇଁ ମୋଟେ ମନ ନାହିଁ । ଆଚ୍ଛା ବାବା, ଅଫିସରୁ ଖୁବ୍ କ୍ଲାନ୍ତ ହୋଇ ଫେରିଲା ପରେ ମନ କ'ଣ ହୁଏନି, କିଏ ଜଣେ ଖୁବ୍ ଆନ୍ତରିକତାର ସହ ନିଜର ସବୁ କ୍ଲାନ୍ତି ଶୋଷି ଦେଉ ବୋଲି ? ସେଥିପାଇଁ ତ ବାବା ମୁଁ ଅଫିସରୁ ତୁମ ପାଖକୁ ଶୀଘ୍ର ଚାଲି ଆସେ ।

 

ସ୍ତବ୍ଧ ହୁଅନ୍ତି ମାଧବବାବୁ । ଅଫିସରୁ ଘରକୁ ଫେରିଲା ପରେ ମନ ଚାହେଁ ଆଉ ଜଣକର ସାନ୍ନିଧ୍ୟ । ଅରୁଣା ଯାହାସବୁ କହିଗଲା ସବୁ ବୁଝି ବି ସେ କିଛି କହିପାରିଲେ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ହେଲେ । କଥାର ମୋଡ଼ ଘୂରାଇବା ପାଇଁ ନିଜେ ହିଁ ଚେଷ୍ଟା କରିଥିଲେ, ମାତ୍ର ସେଇ ମୋଡ଼ର ଘୁର୍ଣ୍ଣନ ଭିତରେ ସେ ନିଜେ ପଡ଼ି ଛଟପଟ ହେବେ ତାହା ତାଙ୍କର କଳ୍ପନାତୀତ ଥିଲା ।

 

କଥାରେ ଅରୁଣା ପାଖରୁ ହାରିଗଲେ ବି ଆନନ୍ଦ ଥାଏ । ଆଦରରେ ତା’ ମୁଣ୍ଡ ଉପରେ ସେ ହାତ ରଖନ୍ତି ।

 

ଆଉ ବା କେବେ କେମିତି ଆରାମ ଚେୟାର ଉପରେ ସେ ଢୁଳାଉ ଢୁଳାଉ ଅରୁଣା କଫି ତିଆରି କରେ । ତାଙ୍କ ହାତକୁ କଫି ବଢ଼ଉ ବଢ଼ଉ ସେ ପ୍ରଶ୍ନ କରେ : ବାବା ତମେ ପଢ଼ିଲା ବିଜ୍ଞାନର କର୍କଶ ବେଳକୁ ମନୋବିଜ୍ଞାନ ବୋଲି ବିଷୟଟା ଥିଲା ?

 

ନାଇଁ ତ ମା, ମୁଁ ଜାଣିନି । କିନ୍ତୁ ଜାଣିଛି ମନକୁ ବିଶ୍ଳେଷଣ ଆପେକ୍ଷା ଅନୁଭବରେ ହିଁ ଆନନ୍ଦ ଥାଏ ।

 

ସବୁ କଥା ଅନୁଭବ କରି ହୁଏନା ବାବା । ଫ୍ରାୟେଡ଼ଙ୍କ କଥାନୁସାରେ ମନର ସାତତାଳ ପାଣି ଭିତରେ ଏକ ଅବରୁଦ୍ଧ ଫରୁଆ ଥାଏ । ଥରେ ଥରେ ଆମେ କ'ଣ ଚାହୁଁ ତାହା ଜାଣି ନଥିଲେ ବି ମନ ସେଇ କଥାକୁ ସେଇ ଫରୁଆ ଭିତରେ ସାଇତି ରଖିଥାଏ । ତେଣୁ ପ୍ରତ୍ୟେକ କଥାର ବିଶ୍ଳେଷଣର ଆବଶ୍ୟକତା ରହିଛି ।

 

ଯୁକ୍ତିରେ ମାଧବବାବୁ ଆଗେଇ ପାରନ୍ତି ନାହିଁ । ଅଗତ୍ୟା ଚୁପ୍ ହେବାକୁ ପଡ଼େ ।

 

କିନ୍ତୁ ଏତେ ଯୁକ୍ତି ଭିତରେ ହାରିଯାଇ ଚୁପ୍ ହେବାଟା ତାଙ୍କୁ ତୃପ୍ତିକର ଲାଗେ । ଖୁବ୍ ଆମୋଦମୟ । ସେଇ ଆମୋଦମୟ ଅନୁଭୂତିକୁ ଅନୁଭବ କରୁ କରୁ ଅରୁଣାର ଏବକାର ବ୍ୟବହାର ତାଙ୍କୁ ସ୍ତବ୍ଧ କରିଦିଏ ।

 

ନିଜର ଚୌକିରୁ ଉଠି ଅରୁଣାର କୋଠରୀକୁ ଯିବାପାଇଁ ତାଙ୍କର ଇଚ୍ଛା ହେଲା । ମନ ହେଉଥିଲା, ଅନେକ କିଛି ପଚାରନ୍ତେ । ପିତୃତ୍ୱର ଦାବୀ ନେଇ ମମତାଭାର କଣ୍ଠରେ ଅନୁଯୋଗ କରନ୍ତେ -ମା’ଲୋ କ’ଣ ହୋଇଛି ତୋର ? ମୋତେ କହ ତୁ ମୋ ପାଖରୁ ଦୂରେଇ ରହୁଛୁ କାହିଁକି ? ତୋ ମନ ଯଦି କିଏ ଭାଙ୍ଗି ଦେଇଛି, ଉଠ୍‍ ମା, ମୁଁ ତାକୁ ପୁଣି ସଜାଡ଼ି ଦେବି । ତୋର ଯଦି ଚାକିରୀ କରିବାକୁ ଇଚ୍ଛା ନାହିଁ ମା, ତୁ ଛାଡ଼ିଦେ ମୋ’ରି ପେନ୍‍ସନରେ ଆମେ ଦୁଃଖ କଷ୍ଟରେ ଚଳିଯିବା । ତା’ ପରେ....

 

ଚୌକିରୁ ଉଠି ଛିଡ଼ା ହେଲେ ବି ତା’ ପରେ ଆଉ କ'ଣ କହିବେ ମାଧବବାବୁ ତାହା ଭାବି ପାରନ୍ତି ନାହିଁ । ତା'ପରେ କ'ଣ କରିବେ ? ଅରୁଣାର ବାହାଘର କଥା ? କପୋଳରେ ଆରକ୍ତିମ କୁଙ୍କୁମର ଟିପା ମାରି ଓଢ଼ଣା ଲମ୍ବାଇ ଗୋଟି ଗୋଟି ପାଦରେ ଅରୁଣା ଅନ୍ୟ ଘରକୁ ଚାଲିଯିବ । ଏଇ କଥା ତ ?

 

ନିଜକୁ ପୁଣି ନିହାତି ନିଃସଙ୍ଗ ଭାବି ମାଧବବାବୁ ଛେପ ଢୋକିଲେ । ସେଇ ଚୌକିଟାରେ ବସିଲେ । ଆଃ, ଏଇ କୋଣର ଦୁଇଟି ଯୋଗ ଖାଉଥିବା କାନ୍ଥ କିଭଳି ଦିଶୁଛି । ଆଃ....।

 

ମନରୁ ଉନ୍ମୀଳିତ ଏକ ଉଦୀର୍ଣ୍ଣ ଜ୍ୱାଳାରେ ତାଙ୍କ କଣ୍ଠ ଚାପି ହୋଇଗଲା ।

 

।। ଦୁଇ ।।

 

ଅନୁଲୋ,

 

ଚିଠି ଲେଖିବି ବୋଲି ଭାବୁଥିଲି । କଣ କରିବି କହତ ? ଚିଠି ଲେଖିବାକୁ ବାଧ୍ୟ ହେଉଛି । ତୁ କାଳେ ରାଗିବୁ ସେଇ ଡରରେ ଚିଠି ଲେଖୁ ନ ଥିଲି । ଆମେ ପୁରୁଷ ଭଳି ନିଜ ଗୋଡ଼ରେ ଛିଡ଼ା ହୋଇ ସଂସାର ଭିତରେ ବଞ୍ଚି ରହିବା ପାଇଁ ଅକୁଣ୍ଠିତ ଭାବେ କେବେ ଯେଉଁ ପ୍ରତିଜ୍ଞା କରିଥିଲେ ଆଜି ବି ସେଇ କଥା ମୋର ମନେ ଅଛି । କଥାଗୁଡ଼ିକ ମୋର ମନେ ରହିବା ପରଠାରୁ ଦେଖି ଆସୁଛି ବାବାଙ୍କୁ ଏକାକୀ ଭାବେ । ମୋର ଆଖି ପତା ଉପରେ ହଠାତ୍ ଯଦି କେବେ କେମିତି ଲୁହ ଜକେଇ ଆସିଲେ, ତାଙ୍କ ମନ ଭିତରେ ରକ୍ତ ସବୁ ବୁଦ୍ ବୁଦ୍ ହୋଇଯାଏ ଯେମିତି । ମୋତେ କେବେ କିଛି କହନ୍ତି ନାହିଁ–ମାତ୍ର ଏବେ ଦେଖୁଚି ତାଙ୍କର ସେଇ ପୁରୁଣା ଚୌକିଟାକୁ ଟାଣି ନେଇ ତାଙ୍କ କୋଠରୀର ସେଇ କୋଣିଆ ଅଞ୍ଚଳରେ ଗୁମ୍ ମାରି ବସି ରହନ୍ତି ।

 

ତାଙ୍କୁ ମୁଁ ଅନେକଥର ପଚାରିଚି, ଏଇ କୋଣିଆ ଅଞ୍ଚଳରେ ସେ ବସନ୍ତି କାହିଁକି ?

 

ସେ କ’ଣ କହନ୍ତି ଜାଣୁ ? କିଛି କହନ୍ତି ନାହିଁ । ମୋତେ ଦେଖି ହସି ଦିଅନ୍ତି । ମୁଁ ଭାବେ, ତାଙ୍କର କ’ଣ ହୋଇଛି ? ତାଙ୍କର କିଛି ହୋଇ ନ ଥିଲେ ବି ମୋର କିଛି ହୋଇଛି । କ’ଣ ହୋଇଛି ମୁଁ ଜାଣିନି । ତଥାପି ବାବାଙ୍କ ପାଖରୁ ଦୂରେଇ ରହୁଛି । ଜାଣି ଜାଣି ନୁହେଁ, ମୋର ଅଜାଣତରେ । ଅଫିସରୁ ଫେରିଲା ପରେ ଖୁବ୍ କ୍ଲାନ୍ତ ଲାଗେ, ନିଜ ଦେହରେ ନୁହେଁ ମନରେ ।

 

ସେଦିନ ଅଫିସରେ ମୋତେ ଆହୁରି କ୍ଲାନ୍ତ ଲାଗୁଥିଲା । ଭାବୁଥିଲି ବାପାଙ୍କ ପାଖକୁ ଫେରିଯିବି । ଫେର ପାରିଲି ନାହିଁ । ଆମ ଅଫିସର ମିଃ ରାଉତ ମୋତେ କହିଲେ ତାଙ୍କୁ କ୍ଲବ ଘରଯାଏ ସାଙ୍ଗ ଦେଇ ପାରିବି କି ? ମୋର ଓଠରୁ କିଛି ବାହାରିବା ଆଗରୁ ସେ କହିଲେ : ଆସନ୍ତୁ ମିସ୍ ଦାସ । ଏତେ କ'ଣ ଭାବୁଛନ୍ତି । ଓଃ...କ୍ଲବ କଥା ଭାବୁଛନ୍ତି । ଏଇଟା ଏକ ସୋସିଆଲ ଗେଦରିଙ୍ଗ । ସୋଫିଷ୍ଟିକେଟେଡ଼ ସମାଜଠାରୁ ଦୂରେଇ ଯିବେ ଆପଣ ?

 

ମୁଁ କିଛି କହିଲି ନାହିଁ । ତାଙ୍କ କାର୍‌ରେ ଉଠି ପଡ଼ିଲି ।

 

ସେ ପୁଣି କହିଲେ : ମିସ୍ ଦାସ....ଅଫିସରେ ଆମେ ନିୟମ, କାନୁନ ଫର୍ମାଲିଟି ଜଗୁଁ । ବାହାରେ ତ ଆମେ ବନ୍ଧୁ ।

 

ମିସେସ୍ ରାଉତଙ୍କୁ ସାଙ୍ଗରେ ଆଣିଲେ ନି ? ପରିଚୟଟା ଅନ୍ତତଃ ହୋଇ ଥାଆନ୍ତା । ମୁଁ କହିଲି ।

 

ମୋର ଏ କଥା ଶୁଣିଲା ବେଳକୁ ମୁଁ ଲକ୍ଷ୍ୟ କଲି ତାଙ୍କ ମୁହଁ ଏକ ମଲା କାଠଚମ୍ପାର ରଙ୍ଗ ଭଳି କେମିତି ଶେତା ପଡ଼ିଗଲା ।

କ୍ଲବ ଘରେ ମିଃ ରାଉତ ଗ୍ଲାସ ପରେ ଗ୍ଲାସ ମଦ ନିଃଶେଷ କଲେ । ଦୁଃଖ ମୋର ହୋଇନାହିଁ, ମନରେ ଆନନ୍ଦ ଜାଗି ନାହିଁ । ମୁଁ ଆଶଙ୍କା କରୁଥିଲି ମୋତେ ମିଃ ରାଉତ କିଛି କହିବେ । ନା, ସୁନା ପିଲାଟି ଭଳି ସେ ଚୁପ ରହିଲେ ।

 

କାର୍‌ରେ ଫେରିବାବେଳେ ମୋତେ କହିଲେ : ଆପଣ ମୋତେ ଖରାପ, ବଦଚରିତ୍ର ବୋଲି ଭାବୁଥିବେ, ନୁହେଁ ?

 

: ନା, ସେଇଆ ଭାବିବାର ଦରକାରରେ ଆସିନାହିଁ । ମୁଁ କହିଲି ।

 

: “ମିସ୍ ଦାସ ।” ସେ କଥା ଆରମ୍ଭ କଲେ, “ଏଇ କ୍ଲବରେ ଯେତେ ଲୋକ ଆଜି ଦେଖିଲେ, ସଭିଏଁ ଭଲ । ସେମାନଙ୍କ ଦୃଷ୍ଟିରେ । ଯେତେବା ମହିଳା ଥିଲେ ସେମାନଙ୍କ ମଧ୍ୟରେ କ୍ଵଚିତ ବିବାହିତା । ମୁଁ ଯଦି ମିସେସ୍ ରାଉତଙ୍କୁ ସଂଗରେ ଆଣନ୍ତି ସେମାନେ ତାଚ୍ଛଲ୍ୟ କରିବେ ।" ମୁଁ କିଛି କହିବାକୁ ଚାହୁଁଥିଲି ତା ହେଲେ....।

 

ହଁ : ମିସେସ ରାଉତ ମୋର ସ୍ତ୍ରୀ । ବାହାରେ ନୁହେଁ । ବାହାର ଦୁନିଆର ଦର୍ପଣରେ ନିଜର ପ୍ରତିଛବି, ନିଜର ଜୀବନକୁ ଦେଖିବାକୁ ହେଲେ ସ୍ତ୍ରୀ ନୁହେଁ... ଆଉ ଏକ ଉପସାଥୀ ଦରକାର ଏଇଟା ହଁ ସ୍ପିରିଟ୍ ଅଫ୍ ଟାଇମ୍ • ଅଲଟ୍ରା ମଡର୍ଣ୍ଣ ସିଭିଲାଇଜେସନ୍...।

 

ମିଃ ରାଉତ ମୋତେ ସିଧାସଳଖ କଛି ନ କହି ଭବିଷ୍ୟତ ପାଇଁ ଆଦିପର୍ବର ଏକ ଇଂଗିତ ଦେଲେ । ସତ କହୁଛି ଲୋ ଅନୁ, ସେତେବେଳୁ ମୁଁ ଆହୁରି କ୍ଲାନ୍ତ ହୋଇ ପଡ଼ିଲି । ମନ ମୋର ଆହୁରି ଆବଶ ହୋଇ ପଡ଼ିଲା । ମୁଁ ଯଦି ବିବାହ କରି ଥାଆନ୍ତି ମୋର ଯଦି ସ୍ଵାମୀ ଥାନ୍ତେ, ମୁଁ କ୍ଳବକୁ ଘୃଣା କରି ନ ଥାଆନ୍ତି । ହାୟ, ମୋର ବୋଲି କେହି ନାହିଁ । ନିଃସଙ୍ଗୀ । ମୁଁ କାହାରି ସାଥୀ ନୁହେଁ । ଉପସାଥୀ ହେବାପାଇଁ ଅନ୍ୟ ଜଣକର ଅସଂଖ୍ୟ ଅବନୀତ ଇଂଗିତ ।

 

କାହାରି ସାଥୀ ହେବା ପାଇଁ ଭାବିଲେ ଖୁବ୍ କାନ୍ଦ ଲାଗେ । କାନ୍ଦ ଲାଗେ, ନିଜ ପାଇଁ ନୁହେଁ । ଅବସର ନେଇ ଘରେ ଏକାକୀ ଥିବା ବାବାଙ୍କ ପାଇଁ ମୁଁ ଚାଲିଗଲେ ଝଡ଼ରେ ପରସ୍ତ ପରସ୍ତ ହୋଇ ଉଡ଼ି ଯାଉଥିବା ପକ୍ଷୀର ଘର ଭଳି ସେ ଛଟପଟ ହେବେ ।

 

।। ତିନି ।।

 

ଅରୁଣାର ନିଜ ଲଖିତ ଲିପିର ତଳକୁ ଆଉ କ’ଣ ଲେଖା ହୋଇଥିଲା । ମାଧବବାବୁ ତାକୁ ପଢ଼ି ପାରିଲେ ନାହିଁ । ବାର୍ଦ୍ଧକ୍ୟର ଅବିକ୍ଷିପ୍ତ ଦେହର ରକ୍ତନଳୀଗୁଡ଼ିକ ଅତି ଜୋରରେ ଚଞ୍ଚଳ ହୋଇ ଉଠିଲା ।

 

ଦ୍ଵାର ସେ ପାଖରେ ଅରୁଣାର ଘରକୁ ଫେରିବାର ପାଦ ଶବ୍ଦ ପ୍ରଖର ହୋଇ ଆସୁଛି । ମାଧବବାବୁ ଚିଠିଟି ବନ୍ଦ କଲେ । ଆଖି ତଳର କୁଞ୍ଚିତ ଈଷତ୍ କୃଷ୍ଣଚର୍ମ ଉପରେ ଅଜାଡ଼ି ହୋଇ ପଡ଼ୁଥିବା ଲୁହ କେଇ ବୁନ୍ଦାକୁ ରୁମାଲରେ ଶୁଖାଇ ଦେଲେ ।

 

ଅରୁଣା ଆଜି ଅଫିସରୁ ଫେରିବା ପରେ ତା କୋଠରୀକୁ ସିଧାସଳଖ ଯାଇ ପାରିଲାନି । ମାଧବବାବୁ ଦେଖିଲେ ଅରୁଣା ତାଙ୍କ ଆଗରେ ଛିଡ଼ା ହୋଇଛି । ତା’ର କପୋଳରେ ଘର୍ମାକ୍ତ ସ୍ଵେଦର କଣିକା–କେଶର ଅଳକ ଆଲୁଳାୟିତ ଭାବେ ଉଡ଼ୁଛି । ଅରୁଣା କିଛି କହିବା ଆଗରୁ ପଚାରିଲେ :

 

“ଆଜି ଏତେ ବ୍ୟସ୍ତ ଜଣାପଡ଼ୁଛୁ ଯେ ? କିଛି କହିବୁ ?’

 

ହଁ କି ନାହିଁ କିଛିର ଉତ୍ତର ଅରୁଣା ଦେଇ ପାରିଲାନାହିଁ ।

ତୁ ଏବେ ଅଫିସରୁ ଫେରିବା ପରେ ଭାରୀ କ୍ଲାନ୍ତ ଜଣା ପଡ଼ୁଛୁ । କିଛି ଦିନ ଛୁଟି ନେଇ ଯା ।

 

କିଛି ସାହସ ସଞ୍ଚୟ କଲା ଅରୁଣା । ‘ମୁଁ ଚାକିରୀ ଛାଡ଼ିଦେବି ବୋଲି ଭାବୁଛି ।’

 

ଅରୁଣା ଯେତେଟା ଭାବୁଥିଲା ବାବା ତା’ର ଆଶ୍ଚର୍ଯ୍ୟ ହେବେ, ମାଧବବାବୁ ସେତେଟା ଆଶ୍ଚର୍ଯ୍ୟ ହେବାର ଚିହ୍ନ ସେ ଦେଖି ପାରିଲା ନାହିଁ ।

 

ମୋର ଚାକିରୀ ଛାଡ଼ି ଦେବାରେ ତମେ ଚୁପ ରହିଲ ବାବା ! ମୁଁ ଭାବୁଥିଲି ତମେ ମନା କରିବ । ସେଇ ଯୋରରେ ମୁଁ ପୁଣି କାମ କରିବି -

 

ନା, ତୋର ସିଦ୍ଧାନ୍ତ ଠିକ୍ ଅଛି । ଅରୁଣା ତୁ ଚାକିରୀ ଛାଡ଼ି ଦେ ।

 

କିନ୍ତୁ ବାବା-

 

ହଁ ତୁ ଭାବୁଛୁ ଆମେ ଚଳିବା କେମିତି ? ବର୍ତ୍ତମାନଯାଏ ବଞ୍ଚିବାପାଇଁ ଯେଉଁ ଷ୍ଟାଣ୍ଡାର୍ଡ ରଖି ଆସିଛେ ତାହା କ'ଣ ହେବ ?

 

ନାଇଁ ବାବା, ମୁଁ ସେଇଆ ଭାବୁନାହିଁ... ଆଉ କଛି କହିବା ଅବ୍ୟକ୍ତ ରାଗରେ ତ୍ରସ୍ତ ହେଲା ଅରୁଣା ।

 

ଆଉ ଏକ କଥା ଭାବୁଥିବୁ ନାଇଁ ମା ? ଚାକିରୀ ଛାଡ଼ିବା ପଛରେ ଏକ ଅର୍ଥ ଥିବ । ତୋତେ ହାତରୁ ଦିହାତ କରିବା ଦାୟିତ୍ଵ ମୁଁ ମୁଣ୍ଡେଇ ପାରିବି କି ନାହିଁ । ତୁ ଅନ୍ୟ ହାତକୁ ଚାଲିଗଲା ପରେ ମୁଁ ନିହାତି ଏକାକୀ ହୋଇଯିବି ? ମୋର ଦୁଃଖରେ ତୁ ଆହୁରି ମ୍ରିୟମାଣ ହୋଇଯିବୁ । ନୁହେଁ ?

 

ନିଜର ମନ ଭିତରେ କିଛି ସମୟଧରି ସଞ୍ଚୟ କରୁଥିବା ସାହସ ହଠାତ୍ ଅତ୍ୟଧିକ ପବନ ଭରାଯାଇଥିବା ଏକ ବେଲୁନ ଭଳି ଫାଟିଗଲା । ଯେଉଁ କଥାଟା ଉପରେ ଦୃଢ଼ ଓ ଅଟଳ ରହି ସେ ନିଜ ବିଶ୍ୱାସର ଏକ ସୁଦୃଢ଼ ଅଟ୍ଟାଳିକା ତୋଳିଥିଲା, ଅନୁଭବ କଲା ତାହା ଏକ ତାସର ଘର ଭଳି ଭୁଷୁଡ଼ି ପଡ଼ିଛି ।

 

ଚୌକୀ ଛାଡ଼ି ଛିଡ଼ାହେଲେ ମାଧବବାବୁ ।

 

ଉତ୍ତର ଜୀବନରେ ମୋ ଭଳି ପିତା ଏକାକୀ ଅନୁଭବ କରିବା ସ୍ୱାଭାବିକ । ଜୀବନ ସାରା କୋଳାହଳ ଭିତରେ ମୁଁ ସଂଘର୍ଷ କରି ଆସିଛି । ଏବେ ବି ସଂଘର୍ଷମୁକ୍ତ ନୁହେଁ । କିନ୍ତୁ ଏବର ସଂଘର୍ଷ ନୀରବତା ସଙ୍ଗେ । ତୁ କାହା ଘରକୁ ବଧୁ ହୋଇଗଲା ପରେ ନୀରବତା ସଙ୍ଗରେ କେମିତି ବଞ୍ଚିବି ତାହାହିଁ ଅନୁଭବ କରୁଥିଲି ।

 

ବାବା ତମେ ହଠାତ୍ ମୋତେ ଦୂରେଇ ଦେବାକୁ ଯାଇ ଏତେ ବ୍ୟଥାର କଥା କାହିଁକି କହୁଛ ? ମୁଁ ତମକୁ ଛାଡ଼ି କୁଆଡ଼େ ଯିବି ? ମୋର କିଛି ଦରକାର ନାହିଁ । ତମପାଇଁ ବ୍ୟଥା ଓ ଜ୍ଵଳନର ସବୁ ବିଷ ମୁଁ ଦେହରେ, ମନରେ, କଣ୍ଠରେ ଅବଲେପିତ କରିଛି ଅମୃତ ଭାବେ...।

 

ସହସା ଏକ ଆକଣ୍ଠ ଆବେଗରେ ଅରୁଣା କହିଗଲା ।

 

ମୋ ଭଳି କୌଣସି ପିତା ତା’ର ଏଇଭଳି ପରିସ୍ଥିତିରେ ନିଜର ଝିଅକୁ ପାଖଛଡ଼ା କରିବା ପାଇଁ ରାଜି ହେବ ନାହିଁ । ବର୍ତ୍ତମାନ ଟାଇମର ସ୍ପିରିଟକୁ ନିଜ ଦେହରେ ମିଶାଇ ଦେବା ପାଇଁ ଆମେ ଯେତେ ଚେଷ୍ଟା କଲେ ବି ଏଇ, ସ୍ପିରିଟ୍‍ଟାକୁ ମନରେ ମିଶାଇ ହେବ ନାହିଁ । ତମେ ସବୁ ଚାକିରୀ କଲେ ବି...ତମର ଆଉ ଏକ ରୂପ ଅଛି । ତମେ ବଧୁ ହେବ । ପରିବର୍ତ୍ତନଶୀଳ ସମାଜରେ ବହୁ ଚେଷ୍ଟାରେ ତମ ବଧୂତ୍ୱର କାମନା ହୁଏତ ଲୁଚି ରହିପାରେ..ମାତ୍ର ତାର ଗନ୍ଧ ମରିବନି ।

 

ଅରୁଣା ମାଧବବାବୁଙ୍କର ମୁହଁକୁ ଚାହିଁଲା । ତା’ର ନିଜ ଆଖିର ପ୍ରତ୍ୟେକ ପତାର ରନ୍ଧ୍ର ଗୁଡ଼ିକ ଲୁହରେ ଭିଜି ଗଲାଣି । ଓଠର ଦୁଇଟି ବଧୂଲି ପାଖୁଡ଼ା ଖୁବ୍ ଯୋର୍ କମ୍ପନରେ ଥରି ଉଠିଲା । ପୁଣି ଥରେ ସେ ସାହସ ସଞ୍ଚୟ କଲା କିଛି କହିବା ପାଇଁ । ନାଁ, କଣ୍ଠ ଭିତରେ ଧକ୍କା ଖାଇ ତାହା ଭିତରକୁ ପୃଣି ଚାଲି ଆସିଲା । ଆଃ ସବୁକଥା ଯଦି ବାବାଙ୍କ ଆଗରେ କହି ହୁଅନ୍ତା !!!

 

ଚଷମା ପୋଛିଲେ ମାଧବବାବୁ । ଚୌକିଟାକୁ ଆହୁରି ପାଖକୁ ଟାଣି ଆଣିଲେ । କହିଲେ -ଯେଉଁ ଝିଅମାନେ ଚାକିରୀ କରନ୍ତି, ସେମାନଙ୍କ ମନରେ ଉଦ୍ଦାମ ପିପାସା ଥାଏ ଜୀବନରେ କାହାର ସାଥୀ ହେବା ପାଇଁ । ପରିସ୍ଥିତିରେ ପଡ଼ି ଅବାଧ୍ୟ ଭାବେ ପରିସ୍ଥିତିକୁ ଏଡ଼ାଇ ନ ପାରି ଉପସାଥୀର ଜ୍ଵଳନରେ ଜଳି ଯାଆନ୍ତି ।

 

ବାବା ! ତା ମନର ସବୁ ଅଚଞ୍ଚଳତାକୁ ବିଦୀର୍ଣ୍ଣ କରି ଅସଂଖ୍ୟ କ୍ରନ୍ଦନ- ଭୂମିକମ୍ପର ଲାଭକୁ ରୋକି ପାରିଲା ନାହିଁ ଅରୁଣା ।

 

ହଁ ମା’ କାନ୍ଦନା-ଝିଅର ଜ୍ୱାଳାକୁ ଦେଖିସୁଦ୍ଧା ନିଜର ବୃଦ୍ଧ ବୟସର ଭରଣ ପୋଷଣ ପାଇଁ କେହି ବାପ ଏଇ ଦୁଃସାହସ କରିବା ଠିକ୍ ହେବ ନାହିଁ ।

 

ତାଙ୍କ ଚକ୍ଷୁରୁ ଧାଇଁ ଆସୁଥିବା ଜଳକଣାଗୁଡ଼ିକ ଉପରେ ପୁଣି ଥରେ ରୁମାଲ ଥାପିଲେ ମାଧବବାବୁ । ତୁ ମୋତେ ଅନେକ ଥର ପଚାରିଚୁ, ମୁଁ ଏଇ କୋଣରେ ଗୁମ୍‍ମାରି କାହିଁକି ବସେ ବୋଲି । ମୁଁ ଚାହୁଁଥିଲି କହିବିନି ବୋଲି । ଶୁଣିବ ??

 

ଗଭୀର ଭାବାବେଗ ଓ ଅଧୈର୍ଯ୍ୟ ଉଦ୍‌ବେଗରେ ପାଖରେ ଏକ ଚୌକି ଟାଣିଲା ଅରୁଣା ।

 

।। ଚାରି ।।

 

ଜାଣିଲୁ ଲୋ ଅନୁ । ଏ ସଙ୍ଗରେ ଥିବା ଚିଠିଟା ଯଦି ତୋ ପାଖକୁ ମୁଁ ଦିନେ ପଠାଇ ପାରିଥାନ୍ତି, ଏତେ ଯନ୍ତ୍ରଣା ମୋତେ ହୋଇ ନ ଥାନ୍ତା । କେଜାଣି କେମିତି ମୁଁ ଭୁଲରେ ଘରେ ଚିଠିଟି ଛାଡ଼ିଗଲି । କଳ୍ପନାରେ ସୁଦ୍ଧା ଭାବି ନଥିଲି ଯେ ମୋର ସମସ୍ତ ଗୋପନୀୟତା ଧରାପଡ଼ି ବାବାଙ୍କ ନିସ୍ତରଙ୍ଗ ମନକୁ ଏତେ ଚଞ୍ଚଳ ବିଚ୍ଛିନ୍ନ କରିଦେବ ବୋଲି । ମିଃ ରାଉତଙ୍କ ଅନୁରୋଧ କାଟି ନ ପାରି ଆଉ ଦୁଇଥର କ୍ଲବ ଯାଇଛି । ଖରାପ ବ୍ୟବହାର ନ ଦେଖାଇଲେ ବି ମୋତେ ସଙ୍ଗରେ ନେବାପାଇଁ ତାଙ୍କ ପ୍ରେସ୍‍ଟିଜ ଯେ କିଭଳି ବଢ଼ୁଥିଲା ତାହା ମୁଁ ଜାଣିନି । ମୋର ଅନିଚ୍ଛା ସତ୍ତ୍ୱେ ଅଫିସର ଭାରାକ୍ଲାନ୍ତ ମନକୁ ହାଲୁକା କରିବା ପାଇଁ ମୁଁ ତାଙ୍କ ସଙ୍ଗେ ଯିବାପାଇଁ ମନା କରି ପାରିଲି ନାହିଁ । ଛାଡ୍...ଅପସୃତ କଥା ଲେଖିବି କାହିଁକି ?

 

କାଲି ବାବା ମୋତେ ତାଙ୍କର ବୈଠକଖାନା ପାଖକୁ ଡାକିଲେ । ହସିବୁ ନାହିଁ । ଏକ କୋଠରୀର ଗୋଟିଏ କୋଣ ପାଖରେ ସେ ବସନ୍ତି । ବାରମ୍ବାର ତାଙ୍କୁ ମୁଁ ପଚାରି ଥିଲେ ବି କେବେ କିଛି ସେ କହି ନଥିଲେ । ଆପେ ଆପେ ତାଙ୍କ ମନକୁ ସେ କହିଲେ । ଇସ କେତେ ସେଣ୍ଟିମେଣ୍ଟାଲ ସେ କଥାଗୁଡ଼ାକ ! ଭଲ ବାବା ଯଦି ମୋତେ ନ କହୁଥାନ୍ତେ ??? ବାବା ଅତି ଆବେଗର ସହ ଯାହା ସବୁ କହିଲେ, ମୁଁ ଭାବୁଛି ଆମଭଳି ଚାକିରୀ କରୁଥିବା ଝିଅମାନଙ୍କ ମନକୁ, ସେମାନଙ୍କ ପରିବେଶକୁ ଅତି ଛିନ୍ନ ଛିନ୍ନ କରି ମୋର ଆଗରେ କହିଗଲେ । ଏଇ କୋଣିଆ ଅଞ୍ଚଳରେ ତାଙ୍କର ଏକୁଟିଆ ବସିବାର କାହାଣୀ କହିଲା ବେଳକୁ ମୁଁ ଏକ ଅଜଣା ଅସ୍ଫୁଟ ଭୟରେ ଆପେ ଆପେ ଥରି ଉଠିଥିଲି । କହିଲେ, ଏମିତି ଏକ କୋଳାହଳପୂର୍ଣ୍ଣ କ୍ଳବ ଜୀବନର ମଳୟ ଭିତରେ ବୁଡ଼ି ରହିବା ପରେ ସେଦିନ ହସି ହସି ସେ ଘରକୁ ଫେରିଥିଲେ । ବାବା ସେଦିନ କିରାନୀରୁ ସିଲେକ୍ସନ ଗ୍ରେଡ଼ ପାଇଁ ହେଡ଼କ୍ଳର୍କ ହୋଇଥିଲେ । ମା’ବି ତାଙ୍କ ଅଫିସର ଜଣେ ମହିଳା କର୍ମଚାରୀ । ମୁଁ ସେତେବେଳେ ନିହାତି ଛୋଟ । କ୍ଲବରୁ ସଦ୍ୟ ଫେରନ୍ତା ବାବାଙ୍କ ଓଠରୁ ଏକ ଉତ୍କଟ ମଦର ଦୂରନ୍ତ ଗନ୍ଧର ଆଭାସରେ ମା’ ଆଶ୍ଚର୍ଯ୍ୟାନ୍ୱିତା ହୋଇଥିଲେ । ବାବାଙ୍କ ପାଖରେ ଅଭିଯୋଗ କରିଥିଲେ-ସିଲେକ୍ସନ ଗ୍ରେଡ଼ ପାଇଲା ପରେ ଏଇ ଅଭ୍ୟାସ ଆରମ୍ଭ କରିଦେଲ ?

 

ବାବା ହଠାତ୍ କଛି ନ କହି ମନକୁ ମନ ଏକ ଆରଣ୍ୟ ହସ ହସିଥିଲେ । ମା’ ପୁଣି ସେଇ ପ୍ରଶ୍ନଟି ପଚାରିଲେ, ବାବା କେମିତି ଅସ୍ଵାଭାବିକ ଭାବେ ଗମ୍ଭୀର ହୋଇ ପଡ଼ୁଥିଲେ । କିଛି ସମୟ ପରେ କହିଲେ–“ଜାଣିଛ, ଅଫିସର ସବୁ ଦୁର୍ଦ୍ଦାନ୍ତ କ୍ଲାନ୍ତି ଭୁଲିବା ପାଇଁ ଅଫିସରମାନେ କ୍ଳବ ଯା’ନ୍ତି ! କେଉଁ ଦୂରରୁ ଆସିଥିବା ବୋତଲର ଠିପି ଖୋଲି ଗ୍ଲାସ ଗ୍ଲାସ ଦ୍ରାକ୍ଷାରସ ପାଟିରେ ଢାଳନ୍ତି । ସ୍ଵପ୍ନର ତରଙ୍ଗରେ ଅନେକ ରଙ୍ଗ ମାଖନ୍ତି । ଏଇ ଯୁଗର କଠୋର ଅପରାହ୍ନର ଝଡ଼...ମୁଣ୍ଡ ନୁଆଁଇ ନ ବସିଲେ–ଅନେକ ଦୂରକୁ ମନକୁ ଫିଙ୍ଗି ଦେବ ।”

 

ମା’ ଚିହିଁକି ଉଠିଲେ -“ନିଜ କଥା ଭାବୁଛ । ତମର ସ୍ଵଳ୍ପ ବେତନରେ ତମେ ଏ ଝଡ଼ ସାଙ୍ଗରେ ତାଳ ଦେଇ ପାରିବ ନାହିଁ । ଏଇ ଅରୁଣା କଥା ଭାବୁଛ ତ ?"

 

ବାବା କିଛି ନ କହି ମୁହୂର୍ତ୍ତେ ଗୁମ୍ ମାରି ବସିଲେ । କହିଲେ-ମୁଁ ଯାଇ ନ ଥାଆନ୍ତି । ଓଭରସିଅର ବୈଦ୍ୟନାଥ ବାବୁ ମୋତେ ଡାକିଲେ ।

 

ବୈଦ୍ୟନାଥବାବୁଙ୍କ ନାଁ ଶୁଣି ମା କିଛି କହିଲେ ନାହିଁ । ସଙ୍କୁଚିତ ଆଖିରେ ମୁହଁ ତଳକୁ କଲେ । ବାବାଙ୍କ କଣ୍ଠରେ ସେଇ କଥା : ବୈଦ୍ୟନାଥବାବୁଙ୍କ କଥା ଶୁଣି ଚୁପ୍ ହୋଇଗଲ ଯେ ?

 

ସେତେବେଳେ ବୈଦ୍ୟନାଥବାବୁ ମାଙ୍କ ଅନିଚ୍ଛା ସତ୍ତ୍ୱେ, ନାନା ବାରଣ ସତ୍ତ୍ୱେ, ତାଙ୍କ ସହିତ ଗପ କରିବାକୁ ଭଲ ପାଆନ୍ତି । ବିଭିନ୍ନ ଉତ୍ସବରେ ଆମ ଘରକୁ, ସେ ନାନା ଉପହାର ପଠାଇ ଦେଉଥିଲେ । ମା ତାହା କେବେ ଗ୍ରହଣ ନ କଲେ ବି ଏପରି ଏକ ସନ୍ଦେହର ପରିସ୍ଥିତିରୁ ମା'ଙ୍କୁ ବାବା ଅବିଶ୍ୱାସ କଲେ । ମୃଗବିନ୍ଦିନୀ ଭାବେ ମା ନିଜକୁ ହଠାତ୍ ନିର୍ଦ୍ଦୋଷୀ କରି ପାରିଲେ ନାହିଁ । ସେଦିନ ବାବାଙ୍କ କଥାର ଉତ୍ତର ଦେଲେ -“ମୋତେ ସନ୍ଦେହ କରୁଛ ?" - ନାଁ, ସନ୍ଦେହ ନୁହେଁ । ସମ୍ପୂର୍ଣ୍ଣ ଧାରଣା କରିବା ପାଇଁ ବୈଦ୍ୟନାଥବାବୁ ପୁରା ପ୍ରମାଣ ଦେଇଛନ୍ତି ।”

 

ମା’ ଆଉ କିଛି କହିଲେ ନାହିଁ । ଘରର ଯେଉଁ କୋଣରେ ସେ ଛିଡ଼ା ହୋଇଥିଲେ ସେଇଠି ହଠାତ୍ ବସି ପଡ଼ିଲେ । କହିଲେ-ତମ ଘରକୁ ବୋହୁ ହୋଇ ଆସିବା ପରେ ପ୍ରଥମେ ତମେ ସନ୍ଦେହ କରିଛ । ଚାକିରୀ ଜୀବନରେ ସନ୍ଦେହ ହିଁ ଅବିଶ୍ୱାସର ଅଗ୍ରଦୂତ । କୌଣସି ଦୁର୍ନାମର ଗନ୍ଧ ଯେଭଳି ମୋ ଉପରେ ନ ପଡ଼େ ସେଥିପାଇଁ ବାରମ୍ବାର ମୁଁ ଚେଷ୍ଟା କରିଛି । ଚାକିରୀ କଲା ପରଠୁ ମୁଁ ବୋହୁର ଅଳଙ୍କାର ଦେହରେ ନାଇଁ–ତମ ପ୍ରଦତ୍ତ ସେଇ ବାକ୍ସରେ ରଖିଛି । ମତେ କଥା ଦିଅ, ଅରୁଣା ବଡ଼ ହେଲେ ତାକୁ ଚାକିରୀ ପାଇଁ ଅନୁମତି ଦେବ ନାହିଁ । ତାକୁ ବଧୂବେଶ ପାଇଁ ଏଇ ଅଳଙ୍କାରଗୁଡ଼ିକୁ ପିନ୍ଧାଇ ଦେବ ।

 

ଏ ଭଳି ମା’ କଣ ଗପୁଛନ୍ତି ବୋଲି ବାବା ଯେତେବେଳେ ମା’ଙ୍କ ପାଖକୁ ଯାଆନ୍ତି, ବାବା କହିଲେ, ମା’ଙ୍କ ହାର୍ଟ ଫେଲୁଅର ହୋଇଥିଲା । ଅନୁରେ, ଆଜି ମୋ ପାଖରେ କେହିଥିଲେ, ମୁଁ ମନଇଚ୍ଛା କାନ୍ଦିଥାଆନ୍ତି । କାହା ପାଖରେ କାନ୍ଦିବି ? କାନ୍ଦି ହେଉ ନାହିଁ । ମୋର କାନ୍ଦ ଦେଖିଲେ ବାବା କ’ଣ ହୋଇଯିବେ । ତୋ ପାଖକୁ ଏଇତକ ଲେଖିଲା ବେଳକୁ କାନ୍ଦିବି, ବୋଲି କାନ୍ଦିପାରୁ ନାହିଁ । ନିଃସହାୟ ଅବସ୍ଥା ଦେଖ୍ ତ ! ହଁ ସେଇଦିନର ଏ ଘଟଣାପରେ, ବାବା ଯେତେବେଳେ ଜାଣିଲେ ମା ନିର୍ଦ୍ଦୋଷୀ ବୋଲି, ବୈଦ୍ୟନାଥ ବାବୁ ବଦଳି ଯାଇଥିଲେ । ଏକ ଅନୁତପ୍ତ ହୃଦୟରେ ସେ ଏଇ କୋଠରୀରେ ହିଁ ବସି ରହନ୍ତି । ଏଇ ଘରର କୋଣିଆ ଅଞ୍ଚଳକୁ ଦେଖିଲେ, ତାଙ୍କର ସବୁକଥା ମନେ ପଡ଼େ । ମନେହୁଏ, ଦୁଇଟି କାନ୍ଥର ମିଳନରେ ହିଁ କୋଣଟିର ଗଠନ । ଏଇ କୋଣରେ ମା ମରିଥିଲେ । ଦୁଇ କାନ୍ଥର ମିଳନ ନ ହେଲେ ଘରର ଆକୃତି ସମ୍ଭବ ହୁଏ ନାହିଁ, ଘରସଂସାର କ୍ଷେତ୍ରରେ ମଧ୍ୟ ଦୁଇଟି ଜୀବନର ମିଳନ ନ ହେଲେ ଘରକରଣା ହୁଏ ନାହିଁ-ଏଇ ଥିଲା ବାବାଙ୍କ ମନର ଧାରଣା । ମୋର ପ୍ରଥମ ଚିଠିଟି ବାବା ପଢ଼ିସାରିଲା ପରେ ଆହୁରି ବ୍ୟସ୍ତ ହୋଇ ପଡ଼ିଲେ ।

 

ଦେଖ୍ ତ ଅନୁ ! ସମୟର ସ୍ରୋତ ପୁଣି କେମିତି ଏକ ଦୁର୍ଘଟଣା ସୃଷ୍ଟି କରେ । ଏଇ ଦୁର୍ଘଟଣା ବାବାଙ୍କୁ ଖୁବ୍ ଆଘାତ ଦେଇଥିଲା । ବାବା କହିଲେ–'ଜାଣିଛୁ, ମିଃ ରାଉଡ ସେଇ ବୈଦ୍ୟନାଥବାବୁଙ୍କ ପୁଅ । ଆଃ.....ଅନୁ, ଏତକ ଲେଖିଲାବେଳକୁ ମୁଁ କେମିତି ଶିହରି ଉଠୁଛି । ବାବାଙ୍କ ଇଚ୍ଛା, ମୁଁ ଚାକିରୀ ଛାଡ଼ିଦିଏ । ବଧୂ ହେବା ଆଗରୁ ମା’ଙ୍କ ସବୁ ଗହଣା ଦେହରେ ଲଗାଇ ଘର ଭିତରେ ରୁହେ ।

 

ଏତକ କହିଲାବେଳକୁ ବାବା ନିଜେ ଅସହାୟ ଶିଶୁ ଭଳି କାନ୍ଦି ଉଠିଥିଲେ । ମୁଁ ତାଙ୍କୁ ସାନ୍ତ୍ୱନା ଦେଇଛି । ଚାକିରୀ ଛାଡ଼ିଦେବି । ବଧୂ ହେବାପାଇଁ ପ୍ରାଗ୍ ପ୍ରସ୍ତୁତି ଲାଗି ମୁଁ ଏଇ ଗହଣାଗୁଡ଼ିକରେ ନିଜେହିଁ ସଜାଇ ହେବି ।

କାହାର ବଧୂ ହେବି ମୁଁ ଜାଣେନା; ତଥାପି ସଜାଇ ହେବି......

 

।। ପାଞ୍ଚ ।।

 

ଦର୍ପଣରେ ନିଜର ରୂପ ଦେଖି ଅରୁଣା ଲାଜେଇଗଲା । ଦେହରେ ଏକ ଜରୀଲଗା ଶାଢ଼ୀ । ରଙ୍ଗ ନୀଳ । କପାଳରେ ରକ୍ତ ରଙ୍ଗର ଏଇ ଟିପା । ଲମ୍ବିତ ଆଖିର ଉପର ଧାରରେ ନୀଳ ରଙ୍ଗର ସରୁ ଧାଡ଼ିଟିଏ । ହାତରେ, ବେକରେ, କାନରେ ସୁନାର କେତେକ ଗହଣା । ନିଜ ଛବି ଦେଖି ଥରେ ହସିଲ ଅରୁଣା । ଧେତ୍...ଆଗର ଛବଟି ତାକୁ ଚାହିଁଛି ।

 

ଆଖିରେ ଅସଂଖ୍ୟ ମନ୍ଦାରର ଭାରାରେ ପତା ନଇଁଗଲା ।

 

ଅରୁଣା ଅନୁମାନ କଲା ବୋଧହୁଏ ବାବା ତାକୁ ଡାକିଲେ । ତାଙ୍କ କଫି ଖାଇବା ବେଳ ହୋଇଗଲା । ଧେତ୍ ଏଇ ବେଶରେ ବାବାଙ୍କ ଆଗକୁ ଯିବ କେମିତି ? ଲାଜରେ ମୁହଁ ନଇଁଯିବ ନାହିଁ ।

 

ତଥାପି, ସାହସର ସହ ଧୀର ପାଦରେ ମାଧବ ବାବୁଙ୍କ କୋଠରୀକୁ ଆଗେଇଲା । ଆଗତ ଲଜ୍ଜାର ବନ୍ଧନରୁ ମୁକୁଳିବା ପାଇଁ ଛାତି ଭିତରେ ଅନେକ ସ୍ପନ୍ଦନ । ପାଦରେ ରୁଣୁଝୁଣୁ ଶବ୍ଦର ଗୁଞ୍ଜରଣ ତୋଳି ତୋଳି ସେ ଆଗେଇଲା । ମାଧବ ବାବୁ ସେଇ କୋଣିଆ ସ୍ଥାନକୁ ମୁହଁ କରି ଚୁପ୍ ହୋଇ ବସିଛନ୍ତି ।

 

ବାବା...

 

ମାଧବ ବାବୁ ନିରୁତ୍ତର ।

 

ବାବା କଫି ନେବ ପରା । ଲଜ୍ଜାରେ ହସିଲା ଅରୁଣା–ଦେଖ ବାବା, ମୁଁ ସବୁ ଗହଣା ପିନ୍ଧିଛି । ଏଇତକ ଦେଖିବାକୁ ତମର ଇଚ୍ଛା । ଅଭିମାନ କରୁଛ ବାବା, ଦେଖନା ତମ ଝିଅ ଅରୁଣା କେମିତି ଦିଶୁଛି ।

 

ତଥାପି ମାଧବ ବାବୁ ନିରୁତ୍ତର ।

 

ମାଧବ ବାବୁଙ୍କୁ ହଲାଇ ଦେବାକୁ ଯାଇ ତାଙ୍କ କାନ୍ଧରେ ତା'ର ହାତର ସ୍ପର୍ଶ ଦେଉ ଦେଉ କଫି କପ୍‍ଟି ପଡ଼ି ଭାଙ୍ଗି ଗଲା । ଅରୁଣା କିଛି କହିପାରିଲା ନାହିଁ । ଚିତ୍କାର କରି କାନ୍ଦିବା ପାଇଁ ଛାଟିପିଟି ହେଲା । କାନ୍ଦି ହେଉ ନାହିଁ ।

 

ମାଧବ ବାବୁ ସେଇ ଚୌକିରେ...ସେଇ କୋଣରେ.... ସେମିତି ବସିଛନ୍ତି ନିଶ୍ଚଳ, ନିସ୍ପନ୍ଦ, ନୀରବଭାବେ ।

 

ଆଖି ତାଙ୍କର ଖାଲି ଗାଢ଼ ନୀଳ ହୋଇଆସୁଛି ।

Image

 

ସାଧାରଣ ସଭା

ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ସେଦିନ ସହରମୁହାଁ ଯାନବାହନ ସବୁ ବଡ଼ ପଡ଼ିଆ ନିକଟରେ ପ୍ରସବୁଥାନ୍ତି ଭିଡ଼ । ଜାତି ଜାତିକା ମଣିଷ । ଅଳ୍ପ କେତୋଟି ଯେମିତି ସଦ୍ୟ ଓହ୍ଲାଇ ଆସିଥାନ୍ତି ସୁଟିଂ କନାର ବିଜ୍ଞାପନ ପୃଷ୍ଠାରୁ । ସ୍କୁଲ, କଲେଜ, କାର୍ଯ୍ୟାଳୟ,ସବୁ ଶୂନ୍ୟ । ଟ୍ରେନ, ବସ୍, ଟେକ୍ସି ସବୁ ପୂର୍ଣ୍ଣ । ରିକ୍ସା ଭଡ଼ା ଦ୍ଵିଗୁଣିତ ହୋଇ ଯାଇଥାଏ । ବସ୍‍ଷ୍ଟେଣ୍ଡର ଟିକଟ କାଟି କାଟି ଆହା ବିଚରା କଣ୍ଡକ୍ଟରର ହାତ ବଥେଇ ଯାଇଥିବ । ପଇସା ଗଣି ଗଣି ଥକି ଯାଇଥିବ କ୍ୟାସିଅର । ରେଳ ବାଡ଼ାରୁ ଖସି ପଡ଼ିଥିବେ ସତର ଜଣ ।

 

ସମସ୍ତେ ବାରମ୍ବାର ଶୁଣି ଶୁଣି ମୁଖସ୍ଥ କରି ପକାଇଥିବା ବହୁ ପ୍ରଚାରିତ କେଇପଦ କଥା କହିବା ଲାଗି ଅଣା ହୋଇଥିଲେ ଯୁବ ନେତା ଓ ଆହୁରି ଶୁଣିବା ପାଇଁ ବୁହୀ ହୋଇଥିଲେ ଜନତା ।

 

କ୍ଷେତରେ ଲଙ୍ଗଳ ଛାଡ଼ି ଦେଇ ପାଖ ଗାଁର ଚାଷୀ ମୂଲିଆମାନେ, ସ୍ପେଟର ବୁଣା ଅଧାରେ ଛାଡ଼ି ଦେଇ, ବଡ଼ି ପକା ଅଧାରେ ଛାଡ଼ି ଦେଇ ମାଉସୀ ଭାଉଜ ଓ ନାନୀ ମାନେ, ସ୍କୁଲ ଡେସ୍କରେ ବସ୍ତାନୀ ଓ ଅଫିସ୍ ଟେବୁଲରେ ଫାଇଲ ଛାଡ଼ି ଦେଇ ଯଥାକ୍ରମେ ଛାତ୍ର ଓ କର୍ମଚାରୀମାନେ ଦେଖିବାକୁ ଆସିଥିଲେ କେତେ ଲୋକ ଆସିଛନ୍ତି ।

 

ବହୁତ ଲୋକ ଆସିଥିଲେ ।

 

ନିଜ ନିଜର ଆଠ ଘଣ୍ଟାର କାମ ପଛରେ ପକାଇ ଆଠ ମନିଟ କଥା ଶୁଣିବା ପାଇଁ ଅସଂଖ୍ୟ ନରନାରୀ ରୁଣ୍ଡ ହୋଇଥିଲେ ।

 

ଭିଡ଼ର ଲେକସଂଖ୍ୟା କଳନା କରିବାର କୌଣସି ପୁତ୍ର ମୁଁ ଜାଣେନା ମୁଁ । ପ୍ରକୃତରେ ଯାହାକୁ ଯେତେ ଦିଶିଲେ, ସେତିକି ଲୋକ ହିଁ ଆସିଥିଲେ । ଗତକାଲି ସନ୍ଧ୍ୟା ସୁଧା ଯେଉଁ ଖଣ୍ଡିଆ ଖାବରା ପଡ଼ିଆଟିର ଏକ ପାର୍ଶ୍ଵରେ ଗୋଟିଏ ଏକାକିନୀ କୃଷ୍ଣଚୂଡ଼ା ଗଛ ଥିଲା, ତାର ଅନୁଦାର ଛାୟା ତଳେ, ମଞ୍ଚଠାରୁ ଅନେକ ଦୂରରେ, ଚୂନବୋଳା ବ୍ୟାରିକେଡ଼ ନିକଟରେ ମୁଁ ଠିଆ ହୋଇଥିଲି । ମୋ ପାଖରେ ଥିଲେ ଆହୁରି ଅନେକ ଲୋକ : ଚିନାବାଦାମ ବାଲା, ଛତାଧାରୀ ବୁଢ଼ାଟିଏ, ଖବରକାଗଜକନା ସାର୍ଟ ପିନ୍ଧା ଯୁବକ, ମୁଣ୍ଡରେ ତେଲ ପିଚ ପିଚ କରି ମାଖିଥିବା ମଫଟିଏ....,

 

ମୁଁ ଭିଡ଼ ଭିତରକୁ ନ ପଶି ସେଇ ଅସଂଶ୍ଳିଷ୍ଟ ଦୂରତ୍ୱରୁ ଦେଖୁଥାଏ ଏକ ମହାନାଟକ ।

 

ମଞ୍ଚ ଉପରେ ମୁଖ୍ୟ ପାତ୍ରବର୍ଗ ।

 

ତଳେ ପଡ଼ିଆରେ ଗୌଣ କୁଶୀଲବ ।

 

ସବୁଆଡୁ ଲମ୍ବା ଲମ୍ବା ପୁଙ୍ଗାରୁ ଶୁଭୁଥାଏ ରେକର୍ଡ଼ ଗୀତ :

ଥକାମନ ଚାଲ ଯିବା, ଚକା ନୟନ ଦେଖିବା ..

 

ସେଇଟା ଶେଷ ହେଲା ପରେ, ଦେଖ୍ ତେରେ ସଂସାରକା ହାଲତ୍ କ୍ୟା ହୋ ଗୟା ଭଗବାନ୍, କିତନା ବଦଲ୍ ଗୟା ଇନସାନ୍...

 

ଗତ ସମୟର ପତ୍ରିକା ସମ୍ପାଦକ, ଶିକ୍ଷକ, ଓକିଲ ଓ ମେକାନିକ କେଇ ଜଣ ମଞ୍ଚ ଉପରେ । ପଡ଼ିଆରେ ମିଶାମିଶି ପେଷା । ମୋତି ଆଇସ୍‍କ୍ରିମ୍‍ ବାଲା, ରଘୁ ପାମ୍ପଡ଼ ବାଲା, କାହ୍ନୁ ଚଣାବାଲା, ବୀର ବାଦାମବାଲା ।

 

“ଭାଇମାନେ ! ଆମର ପ୍ରିୟ ଯୁବନେତା; କୋଟିଜନ ହୃଦୟର ମଧ୍ୟମଣି ଆଉ ଅଳ୍ପ ସମୟ ମଧ୍ୟରେ ଆସି ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହେବେ । ସେ ଆସି ସଭା ମଞ୍ଚରେ ପହଞ୍ଚିବା ମାତ୍ରେ ବିପୁଳ କରତାଳି ଦ୍ଵାରା ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ମୁଁ ଅପଣମାନଙ୍କୁ ଅନୁରୋଧ କରୁଛି ।” ଆଦେଶ ଦେବା ସ୍ୱରରେ କହିଲା କିଏ ଜଣେ ।

 

ପୁଣି ଗୀତ :

 

“ଉଠିଲୁ ଏଡ଼େ ବେଗୀ କାହିଁକିରେ

 

ଦଧି ମନ୍ଥାଇ ଦେବୁ ନାହିଁକି ରେ....."

 

“ଭାଇ ଭଉଣୀମାନେ । ଆପଣମାନେ ଯାହାଙ୍କ ପ୍ରତୀକ୍ଷାରେ ଏଠି ରୁଣ୍ଡ ହୋଇଛନ୍ତି, ଆମର ଏଇ ମହାନ ଦେଶର ସେଇ ପ୍ରିୟ ଯୁବନେତା ଗେଷ୍ଟ ହାଉସରୁ ବାହାରି ସାରିଲେଣି । ଅଳ୍ପ ସମୟ ପରେ ସେ ଆସି ଏଠି ପହଞ୍ଚିଯିବେ । ସେ ଆସି ମଞ୍ଚ ଉପରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ ମୁଁ କହିବି ‘‘ଆମର ଯୁବନେତାକୀ’ ଅପଣମାନେ କହିବେ “ଜିନ୍ଦାବାଦ”

 

“ଅଳ୍ପ ସମୟ ପରେ

 

ପ୍ରିୟ ଯୁବନେତା

 

ଆପଣମାନେ କରତାଳି

 

ସମ୍ବର୍ଦ୍ଧନା ସ୍ୱାଗତ

 

କହିବେ ଜିନ୍ଦାବାଦ”

 

ମଞ୍ଚର ପଛ ପାଖରେ ନୂଆ ତିଆରି ହୋଇଥିବା ମୋରମ ରାସ୍ତା ଉପରେ ଧୂଳି ଉଡ଼ାଇ ଅଟକି ଗଲା ଏକ ଲମ୍ବା କାର । ନିଜେ ଯୁବନେତା ଓ ତାଙ୍କର ସହଚରମାନେ ସେଠୁ ଓହ୍ଲାଇ ତରତର ହୋଇ ନ ଉପରକୁ ଚଢ଼ି ଆସିଲେ ।

 

ମଖମଲ କନା ଆଚ୍ଛାଦିତ ଗଦିଲଗା ସିଂହାସନ ପରି ଦିଶୁଥିବା ଚଉକି ଆଡ଼କୁ ଚଢ଼ିଗଲେ ଯୁବନେତା । ସେ ମୁହଁ ଉପରେ ପିନ୍ଧିଥାନ୍ତି ଓଭର ସାଇଜ୍ ହସଟିଏ ।

 

ପଡ଼ିଆରେ, ଧରନ୍ତୁ, କୋଡ଼ିଏ ହଜାର ଲେକ । ଚାଳିଶ ହଜାର ପାପୁଲି । ମାତ୍ର ଶହେଟି ପାପୁଲି, ପରସ୍ପର ସହ ପିଟିହେଲେ । ନିଜର ବେତନ ପାଇଗଲେ । ଆଉ କାହାର ବା ଫୁର୍ସତ ଅଛି ଯେ ତୁଚ୍ଛାଟାରେ ତାଳି ମାରୁଥିବ ?

 

ମଞ୍ଚ ଉପରୁ ଶୁଭିଲା “ଆମର ଯୁବ ନେତା କୀ”

 

ପଡ଼ିଆରେ ଜନତା ନୀରବ ।

 

ମଞ୍ଚ ଉପରୁ ପୁଣି ଶୁଭିଲା ଏକ ଚିତ୍କାର : ‘‘ଆମର ପ୍ରିୟ ନେତା କୀ’’

 

ସାମ୍ନାଆଡ଼ୁ ସତେଇଶ ଜଣ ଯୁବକ ସଲଜ୍ଜ ଉଚ୍ଚାରଣ କଲେ :

 

“ଜିନ୍ଦାବାଦ”

 

ମଞ୍ଚ ଉପରୁ ପୁଣି ଥରେ : ‘‘ଆମର ପ୍ରିୟ ନେତା କୀ”

 

ପଛଆଡ଼ୁ ତେର ଜଣ ଯୁବକ ଅତ ମୁର୍ମୂଷ ଭାବରେ ଔପଚାରିକତା ସଂପାଦନ କଲାଭଳି କୁନ୍ଥୁ କୁନ୍ଥୁ ହୋଇ କହିଲେ : “ଜି ନ୍ଦା ବା ଦ”

 

ମୋ ପାଖରେ ଠିଆ ହୋଇଥିଲେ ଦୁଇ ଜଣ ସ୍କୁଲ ଛାତ୍ର । ବାଦାମ ଖାଉଥାଏ ଜଣେ । ସେ ଆର ଜଣକୁ ଚିମୁଟି ଦେଇ କହିଲା :

 

“ଦେଖିଲୁରେ କେହି ଜିନ୍ଦାବାଦ କଲେ ନାହିଁ ।”

 

ଆର ଜଣକ କହିଲା : ‘‘ଚାଲ ଫେରିବା”

 

ତାପରେ ଆରମ୍ଭ ହେଲା ଭାଷଣ ।

 

ଜଣେ କହିଲେ : ଆମର ପ୍ରିୟ ଯୁବ ନେତାଙ୍କର ବୈପ୍ଳବିକ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆପଣମାନେ ପ୍ରତିଜ୍ଞାବଦ୍ଧ ହୁଅନ୍ତୁ । ସେ ହେଉଛନ୍ତି ଆମର ମେଘାଚ୍ଛନ୍ନ ଆକାଶର ଧ୍ରୁବତାରା । ସେ ହେଉଛନ୍ତି ପ୍ରତ୍ୟେକ ଯୁବ ପ୍ରାଣର ସ୍ପନ୍ଦନ । ଆମେ ଆମର ଶେଷ ରକ୍ତବିନ୍ଦୁ ଦାନ କରି ଚାଲନ୍ତୁ, ଏକ ନବୀନ ଚେତନାର ଚାରା ରୋପଣ କରିବା ।

 

ଆଉ ଜଣେ କହିଲେ :ଦେଶର ସମସ୍ତ ସମସ୍ୟା ହଟାଇବା ପାଇଁ ସମର୍ଥ ଆମର ପ୍ରିୟ ଯୁବ ନେତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଏଠି ରୁଣ୍ଡ ହୋଇଥିବା ଭାଇ ଓ ଭଉଣୀମାନେ ! ଆପଣମାନେ ଜାଣନ୍ତି ଆମର ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ଵାଧୀନତା ଲାଭ କଲା । ମୁଁ ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକ ସହିତ ଆମ ରାଜ୍ୟକୁ ତୁଳନା କରି ଦେଖେ ସେତେବେଳେ ହତାଶ ହୁଏ । ତେଣୁ ଆମର ପ୍ରିୟ ଯୁବ ନେତାଙ୍କର କାର୍ଯ୍ୟକ୍ରମକୁ ପୁର୍ଣ୍ଣ ପ୍ରାଣରେ ସଫଳ କରିବାପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ନିବେଦନ କରୁଛି । ଆଜି ଆକାଶରେ ଯେଉଁ ଯେଉଁ ସୂର୍ଯ୍ୟ ଉଠିଛି, ତାକୁ ସମସ୍ତେ ସ୍ଵାଗତ କରିବା ।

 

ପୁଣି ଜଣେ କହିଲେ : ମୁଁ ଆପଣମାନଙ୍କର ବେଶୀ ସମୟ ନେବିନାହିଁ । ଅତି ସଂକ୍ଷେପରେ ମୋର କଥା ଶେଷ କରି ବିଦାୟ ନେବି । ଆପଣମାନେ ଯାହାଙ୍କୁ ଦେଖିବା ପାଇଁ ଓ ଶୁଣିବା ପାଇଁ ଏଠି ରୁଣ୍ଡ ହୋଇଛନ୍ତି ସେ ବାସ୍ତବିକ ଆମର ସମସ୍ୟାନ୍ଧକାର ହଟାଇବା ଲାଗି ଏକ ନବୀନ ଉଦ୍ଦୀପନାର ପ୍ରଦୀପ ସଦୃଶ୍ୟ । ଆପଣମାନେ ତାଙ୍କଠାରୁ କେଇପଦ କଥା ଶୁଣିବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି । ତେଣୁ......

 

ଏତିକି କହି ସେ ଜଣକ ଯାଇ ତାଙ୍କର ପ୍ରିୟ ଯୁବନେତାଙ୍କର ବାଁ ପାଖରେ ପଡ଼ିଥିବା ଓ ମଝି ଆସନ ତୁଳନାରେ ଟିକିଏ ଅଳ୍ପ ସୁସଜ୍ଜିତ ଆସନରେ ବସିପଡ଼ିଲେ । ଯୁବନେତାଙ୍କ କାନ ପାଖରେ କଣ କହିଲେ । ଯୁବନେତା ସମର୍ଥନସୂଚକ ମୁଣ୍ଡ ହଲାଇଲେ । ଟିକିଏ ପରେ ଆସନ ଛାଡ଼ି ଉଠିଲେ ଓ ମାଇକ ସାମ୍ନାରେ ଆସି ଯୋଡ଼ହସ୍ତ ହୋଇ ଠିଆହେଲେ । ତାଙ୍କର ଏହି ଭଙ୍ଗୀଟି ବେଶ ପରିଚିତ । ସେଇ ଭଙ୍ଗୀରେ ତାଙ୍କର ଅନେକ ଫଟୋ ପ୍ରକାଶ ପାଇଛି । ତଥାପି କେମେରାମେନ ଦୂର ଚାରିଜଣ ମଞ୍ଚ ଉପରେ ରୀତିମତ ଧା ଦଉଡ଼ ଆରମ୍ଭ କରି ଦେଲେ । ଜଣେ କେହି ଆସି ମାଇକର ଉଚ୍ଚତା ବଢ଼ାଇ ଦେଇଗଲା ।

 

ମଣିଷମୟ କୋଠା ଛାତ, ଗଛ ଡାଳ, ଟେଲିଫୋନ ଖୁମ୍ବ ଓ ପଡ଼ିଆ । ଲୋକ -ଦେଖାଳୀ ନେତା ଓ ନେତା ଦେଖାଳୀ ଲୋକ ଯେ କି କି ଅଦ୍‍ଦ୍ଭୁତ ସ୍ଥାନରେ ଠିଆ ହୋଇ ବସି, ଶୋଇ ନ ପାରନ୍ତି କହିବା ମୁସ୍କିଲ । ଅସଂଖ୍ୟ ମୁଣ୍ଡ । କେଉଁଟି ବବୁରି ଓ କେଉଁଠି ହିପିପୀ, କେଉଁଟି ଚନ୍ଦା ଓ ପରଚୁଲା, କେଉଁଟି ସତ ଓ ଓ କେଉଁଟି ମିଛ କିଛି ବୁଝି ହେଉ ନ ଥାଏ ।

 

ଲୋକ ସ୍ଥିର ହେଲେ ।

 

ଲୋକ ଉତ୍କଣ୍ଠା ହେଲେ ।

 

କେତେ ଲୋକ ଡି ଡି ହୋଇ ସାମୟିକ ଭାବରେ ନିଜ ନିଜର ଉଚ୍ଚତା ବଢ଼ାଇବାରେ ଲାଗିଗଲେ ।

 

ଯୁବନେତା ଯୋଡ଼ହସ୍ତ ଭାଙ୍ଗିଲେ । ହସିଲେ ।

 

ତା ପରେ ଶୁଭିଲା

 

ମାଇକରୁ :ଅନେକ ଦିନ ହେଲା ମୁଁ ଏଠାକୁ ଆସିବାର ଥିଲେହେଁ ଆସି ପାରୁ ନ ଥିଲି । ନାନା କାରଣରୁ । ଏବେ ଏଠାକୁ ଆସିପାରି ଥିବାରୁ ମୁଁ ଖୁସି । ଆମର ଅନେକ ସମସ୍ୟା ଅଛି, ତନ୍ମଧ୍ୟରୁ...ଅତ୍ୟନ୍ତ ଜରୁରୀ...ଗରୀବମାନେ ମଧ୍ୟ....ଖୁବ୍ ଖରାପ କଥା.... ସେମାନେ ମିଛ କହୁଛନ୍ତି....

 

ଲୋକଙ୍କଠାରୁ : ବୋର୍ । ସେଇ ସେଇ କଥା । ଜାଣିଛୁ ଜାଣିଛୁ । ଉଚ୍ଛନ୍ନ ହୋଇଯିବ । ଆହା ହା । ଜିସ୍‍କା ବାପ୍ ଚଢ଼େ ଘୋଡ଼ା, ଉସ୍‍କା ବେଟା ଥୋଡ଼ା ଥୋଡ଼ା । ଦେଖ, ପିଉଛି ଅଙ୍ଗୁର ରସ, ଗାଉଛି ତୋରାଣି ପିଆର ଦୁଃଖ । ଫୁର୍‍କିନା ଉଡ଼ିଯିବ ।

 

ଯୁବନେତାଙ୍କ ଭାଷଣ ଯନ୍ତ୍ରରୁ ଚାଲିଥାଏ । ମୋ ପାଖରେ ଠିଆ ହୋଇଥିବା ଲୋକଙ୍କର କଥାବାର୍ତ୍ତା ସଂଳାପ ଓ ସ୍ୱଗତୋକ୍ତିମାନ କାନର ପରଦାର ଅଭ୍ୟନ୍ତର ଆସ୍ତେ କରି ଛୁଇଁ ଯାଉଥାନ୍ତି । ଯୁବନେତା ଯାହା କହୁଥିଲେ ସେ ସବୁ ଟେପ୍ ହେଉଥିଲା ନା ଟେପ୍‍ର କଥା ଅନୁସାରେ ସେ କେବଳ ଓଠ ହଲାଉଥିଲେ ବୁଝି ହେଲା ନାହିଁ । ଟେପ୍ ରେକର୍ଡ଼ର ଯନ୍ତ୍ରରୁ ସୁଇଚ୍ ଫ୍ଲେ’ରେ ଥିଲା ନା 'ରେକର୍ଡ଼’ରେ ଥିଲା କିଏ ଦେଖିଛି ?

 

ମୁଁ ମଞ୍ଚଠାରୁ ଦୂରରେ ଥିଲି । ଏତେ ଦୂରରେ ଯେ ମଞ୍ଚ ପର୍ଯ୍ୟନ୍ତ ଢେଲା ବା ପଥର ଖଣ୍ଡେ ସୁଦ୍ଧା ଫିଙ୍ଗି ପାରି ନ ଥାନ୍ତି । ଆବଶ୍ୟକତାରୁ ବୋଧହୁଏ ଅଧିକ ସନ୍ଦେହ କରୁଥିଲି ।

 

ଭିଡ଼ ଖାଲି କୁନ୍ଥଉଥାଏ । କୁନ୍ଥେଇ କୁନ୍ଥେଇ ଲୋକମାନେ ସଭା-ଚ୍ୟୁତ ହୋଇପଡ଼ୁଥାନ୍ତି । ଏଇ କୁନ୍ଥାଣ ଶୁଣିବାକୁ ମୋର କୌତୂହଳ ଜାଗ୍ରତ ହେଲା ।

 

ଅନେକ ଲୋକ ଚାଲି ଯାଉଥିଲେ । ଆହୁରି ଅନେକ ଲୋକ ଯିବା ଯିବା ହୋଇ ଅଟକି ରହିଥାନ୍ତି । ଭାଷଣ ଶୁଭୁଥାଏ । ମୁଁ ଆଗକୁ ଆଗକୁ ବଢ଼ିଲି । ପଛ ଆଡ଼ର ପତଳା ଭିଡ଼ ପଛରେ ରହିଗଲା । ମୋ ସାମ୍ନାର ଖୁନ୍ଦାଖୁନ୍ଦି ଭିଡ଼ ଆଡ଼କୁ ମୁଁ ବଢ଼ିଲି ।

 

ଆଉ ବଢ଼ି ପାରିଲି ନାହିଁ ।

 

ସଭା ଆଡ଼କୁ ପିଠି ଫେରି ଆସୁଥାଏ ଏକ ଚିହ୍ନା ମୁହଁ ।

 

ପଚାରିଲା : ଆଜ୍ଞା ଆପଣ ଏଠି ?

 

କହିଲି : ଆସିଥିଲି ଟିକେ ।

 

ଆହୁରି ଦୁଇ ପାଦ ଆଗକୁ ବଢ଼ିଲି । ମୋର ଡାହାଣ କଡ଼ରେ ଦୁଇ ଜଣ କଥାବାର୍ତ୍ତା କରୁଥାନ୍ତି :

 

-ଚାଲନ୍ତୁ ଆଜ୍ଞା !

 

-ଯିବା ଯେ ଭାଷଣଟା ସରୁ

 

-କଣ ଯେ ମିଳିବ ଏଥିରୁ ?

 

-ବୁଝୁନା, ତମକୁ ମିଳିବ ନାହିଁ, ମୋତେ ମିଳିବ । ଯେମିତି ହେଲେ ଫାଷ୍ଟ ପେଜ ପାଇଁ ଚାରି କଲମ

 

-ଜାଗାର ନାମ ଓ ତାରିଖ ବଦଳାଇ ଦେଇ ଗତ କାଲିର ସବୁ କଥା ପୁଣି ଥରେ ଦେଇ ଦେଲେ ବି ଚଳିବ । ସେଇ ପୁରୁଣା କଥା ତ ।

 

-ତା ତ ସତ । ଆଉ ଟିକେ ପରେ ଫେରିବା । ଆମର ଫଟୋଗ୍ରାଫର ବାବୁ ଯାଇଛନ୍ତି ଫଟୋ ଉଠାଇବା ପାଇଁ । ସାଙ୍ଗରେ ନେଇଯାଇଛନ୍ତି ମୋ ସାଇକଲର ଚାବି ।

 

-ମୁଁ ତା ହେଲେ ଯାଏ

 

ସେ ଚାଲିଗଲେ । ବର୍ତ୍ତିଗଲେ । ସଭା ନ ହୋଇ ଅନ୍ୟ କିଛି ହୋଇଥିଲେ ଯେମିତ ଅତର୍ଚ୍ଛା ଧାଇଁ ପଳାନ୍ତେ ସମସ୍ତେ ।

 

ମୁଁ ପଛକୁ ଘୁଞ୍ଚିଲି । ସେଇ ଦୂରତାରୁ ମଞ୍ଚ ଦିଶୁଥାଏ ଏକ ସୁସଜ୍ଜିତ ମେଢ଼ପରି, ବିମାନ ପରି । ମଞ୍ଚ ଉପରେ ତିନି ଜଣ ରକ୍ଷୀ ଧରଣର ମଣିଷ ଠିଆ ହୋଇଥାନ୍ତି ଅଚଳ ମେରୁପରି ।

 

ଯୁବ ନେତାଙ୍କର ମୁଖମଣ୍ଡଳ କାଠୁଆ ଦିଶିଲା ।

 

ମୋର ଆଗରେ ବାଁ କଡ଼ରେ ଓ ଡାହାଣ କଡ଼ରେ ଏକ ବଜାର ବସିଥାଏ । ଆଇସକ୍ରିମ୍, ଠେଲାଗାଡ଼ି, ଚଣାବାଲା, ବାଦାମବାଲା, ବେଲୁନବାଲା ।

 

ବିରକ୍ତ ବାପା ଜଣେ କହୁଥାନ୍ତି : ଏଇଟା ବାବା ମେଳା ମଉଛବ ନୁହେଁ । ଚାଲ ଘରେ ଯାଇ ବଢ଼ିଆ ଚକେଲଟ ଦେବି ।

 

ତାଙ୍କ ସାଇକଲର କ୍ୟାରିଅରର ଗୋଡ଼ ଛନ୍ଦି ବସିଥିବା ପିଲାଟି ଭେଁ କରି କାନ୍ଦଣା ଧରଣର ସାଇରନ୍ ବଜାଇ ଦେଇ କହିଲା : ନାଇଁ

 

ଆଇସକ୍ରିମ୍ । ନାଇଁ ନାଇଁ ଆଇସ୍‍କ୍ରିମ୍ ।

 

ବାପା କହି ପକାଇଲେ : ଓଃ ମୁଁ କାହିଁକି ଯେ ଏ କୁଳାଙ୍ଗାରକୁ

 

ସାଙ୍ଗରେ ଘିନି ଅଇଲି...

 

ମୋର କହି ପକାଇବାକୁ ଇଛା ହେଲା ।

 

ଜିଭ ସଲ୍ ସଲ୍ ହେଲା ।

 

ତୁମେ କାହାକୁ କହୁଛ ଜନନେତା ?

 

ଇତିହାସର ଆଲମାରୀ ଭିତରେ ତୁମର “ବାଣୀ" ସାଇତା ହେବ-କେହି ଜାଣିପାରିବେ ନାହିଁ । ଏ ମାଟିର ପ୍ରତେକ ଗୃହସ୍ଥ ସାଇତି ରଖେ ପାଞ୍ଜି । ତୁମର ବାଣୀ ମୁଦ୍ରିତ ପୁସ୍ତିକାକୁ ତୁମର ଲୋକମାନେ କେଜି ଦରରେ ବିକ୍ରୀ କରିଦେବେ । ଇତିହାସର ଆଲବମ୍ ପୃଷ୍ଠାରେ ତୁମର ମୁଖମୁଦ୍ରା ସୁରକ୍ଷିତ ରହିବ । ଘୂରୁଛି ସ୍ଫୁଲ । ଟେଲିପ୍ରିଣ୍ଟର ପହଞ୍ଚାଇ ଦେବ, ବାଟିଂ ଦେବ ସବୁ ଖବର । ସେ ଦିଗକୁ ଧ୍ୟାନ ଦେବାର ପ୍ରୟୋଜନ ନାହିଁ । ଯନ୍ତ୍ରମାନେ ନିର୍ଭୁଲ ଭାବରେ ନିଜ ନିଜ କାମ କରିଯିବେ ।

 

କିନ୍ତୁ ତୁମେ ଏସବୁ କାହାକୁ କହୁଛ ଯୁବନେତା ?

 

ମୋତେ ଅତିକ୍ରମ କରି ଗଲେ ଦୁଇଜଣ ମହିଳା ।

 

ବୁଣି ଦେଇଗଲେ ଚାରୋଟି ବାକ୍ୟ;

 

କେଉଁଠୁ କିଣିଲ ?

 

-ସେ ଆଣିଥିଲେ ଦିଲ୍ଲୀରୁ

 

-ଫୁଲଗୁଡ଼ା ଟିକେ ବଡ଼ ବଡ଼ ହୋଇଗଲା, ନୁହେଁ ?

 

-କହିଲେ ଆଜିକାଲି ଏମିତି ଚାଲୁଛି

 

ମୋ ଠାରୁ ଆଠ ହାତ ଛାଡ଼ି ଠିଆ ହୋଇଥିଲେ ଦଳେ ଯୁବକ । ସଭାସ୍ଥଳର ମିଳିତ ଗୁଞ୍ଜରଣରୁ ସେମାନେ ଦାନ କରୁଥାନ୍ତି ଅନେକ ବାକ୍ୟ ଓ ଶବ୍ଦ : ହି ଡଜନଟ୍‍ ନୋ ଦି ଏ ବି ସି ଅଫ୍ ଇକନମିକ୍‍ସ। ଏତେ ସହଜ ନୁହେଁ । ଦେଆର୍ ଆର୍ ଅଦର୍ ଥିଂନ୍ସଟୁ । ଏମିତି କିଛି ହେବ ନାହିଁ । ୟେ ତ ଗାନ୍ଧୀକୁ ଭୁଲି ଯାଇଛି । ଇରରେଲେଭେଣ୍ଟ । ବକର୍ ବକର୍ । ଷ୍ଟପ୍ ।

 

ମୁଁ ଫେରିଗଲି ମୋର ମୂଳ ସ୍ଥାନକୁ ।

 

ସେଇ କୃଷ୍ଣଚୂଡ଼ା ଗଛ ତଳକୁ ।

 

ସମସ୍ତେ ଫେରୁଥିଲେ । ପାଖ ରାସ୍ତାରେ ଜାମ୍ । ଲୋକ, ସାଇକେଲ, ରିକ୍ସା, ସ୍କୁଟର ଏ ସବୁ ପରସ୍ପରକୁ କାଟି ଆଗକୁ ବଢ଼ିବାକୁ ଚେଷ୍ଟିତ । ନିଶ୍ଚଳ ଟ୍ରକ୍ ଧାଡ଼ିଟିଏ । ମଣିଷମାନେ ଠିଆ ହୋଇଥାନ୍ତି ଟ୍ରକ୍ ଡାଲାରେ ।

 

ଧୂଳି ଉଡ଼ୁଥାଏ ।

 

ଯେଉ ଚୁମ୍ବକ ଖଣ୍ଡିକ ଏତେ ଲୋକଙ୍କୁ ଭିଡ଼ି ଆଣିଥିଲା, ସେଇଟି ଆଉ ଦେଖାଯାଉ ନ ଥାଏ । ମଣ୍ଡପ ଶୂନ୍ୟ ।

 

ସବୁ ଶେଷ ହୋଇଗଲା । ସଭା ଖତମ ହୋଇଗଲା ।

 

ସମୟ ହଜମ୍ ହୋଇଗଲା ।

 

ବିରାଟ ସାଧାରଣ ସଭାଟିକୁ ସାଫଲ୍ୟମଣ୍ଡିତ କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଥିବା ଓ ଅଣା ଯାଇଥିବା ହଜାର ହଜାର ନରନାରୀ ଓ ଅଗଣିତ ଭାଇ ଭଉଣୀମାନେ ନିଜ ନିଜ ଘରକୁ ଫେରିଯିବା ଆଗରୁ ଯୁବନେତା ଶୀତତାପ ନିୟନ୍ତ୍ରିତ ଲମ୍ବା କାରରେ ବସି ଫେରି ଯାଇଥିଲେ ଏରୋଡ୍ରମ ପଡ଼ିଆ ଆଡ଼କୁ ।

 

ନା କୌଣସି ପ୍ରକାର ଶାନ୍ତିଭଙ୍ଗ ହୋଇ ନ ଥିଲା । ଗଣ୍ଡଗୋଳ ଭିଆଇବାର ଉଦ୍ୟମ ସୁଦ୍ଧା ହୋଇ ନ ଥିଲା । ପାଟି ତୁଣ୍ଡ କିଛି ନାହିଁ ।

 

ଭିଡ଼ ମଧ୍ୟରୁ କାହାରି ହାହାକାର, ଆର୍ତ୍ତ ଚିତ୍କାର, ବିକଳ ବାହୁନା ବା ସେ ଧରଣର କୌଣସି ଅପ୍ରୀତିକର ଧ୍ୱନି ମଧ୍ୟ ଶୁଣାଯାଇ ନ ଥିଲା ।

 

ସମବେତ ଜନତା ଉପରେ କ୍ଳୀବ ନିରବତାର ଏକ ଅଦୃଶ୍ୟ ଚାଦର ଢାଙ୍କି ଦେଇ ଯୁବନେତା ଫେରିଗଲେ । ସେ ଆସିଥିଲେ ଜନତା ଆଗରେ ଦଣ୍ଡେ ଠିଆ ହେବା ପାଇଁ ଓ ମଞ୍ଚ ଉପରୁ ଜନସମୁଦ୍ରର ଢେଉ ଗଣିବାକୁ । ସେ ଆସିଥିଲେ ହଜାର ହଜାର ଲୋକଙ୍କୁ କହିବା ପାଇଁ ଓ ତିନି ବା ପାଞ୍ଚ ତୁଣ୍ଡର କଥା ଶୁଣିବା ପାଇଁ ।

 

ସେ ଚାଲିଗଲା ପରେ :

 

“ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ । ଧରମ୍ କରମ୍ ଚିତ୍ରରେ

 

ଗାଇଛନ୍ତି ମୁକେଶ....

 

“ଇକ୍ ଦିନ୍ ମିଟ୍ ଯାଏଗା ମାଟିକେ ମୋଲ୍

 

ଜଗମେ ରହ ଯାଏଙ୍ଗ ପ୍ୟାରେ ତେର ବୋଲ"

 

କେହି ଜଣେ ଟ୍ରାଞ୍ଜିଷ୍ଟରଟିଏ କାନ୍ଧରେ ଝୁଲାଇ ମୋତେ ଅତିକ୍ରମ କରିଗଲା ।

 

କିଏ ଜଣେ ନିଜ ତରଫରୁ ଯୋଗ କଲା :

 

“କାରମେ ବୈଠକେ ଖୋଲ ବୋତଲ ଖୋଲ"

 

ଭିଡ଼ ଫେରୁଥିଲା ।

 

ଧୂଳି ଉଡ଼ୁଥିଲା ।

 

କିଏ କହିଲା ? କ’ଣ କହିଲା ? କାହିଁକି କହିଲା ?

 

କିଏ ବା ଶୁଣିଲା ?

 

ନା ମୋ କଥା ତୁମେ ନା ତୁମ କଥା ମୁଁ ? ତୁମକଥା ଶୁଣିଲେ କଣ ମୋତେ ଦୁଇ କିଲୋ ଚିନି ଓ ଅଧ କୁଇଣ୍ଟାଲ କୋଇଲା କିମ୍ବା ନୂଆ ଚାକିରୀଟିଏ ମିଳିଯିବ ? ନା ଠିକ୍ ସମୟରେ ଛୁଟି ମଞ୍ଜୁର ହୋଇଯିବ ?

 

କିମ୍ବା ତାଙ୍କ କଥା ଶୁଣିଲେ କଣ ଜୋଇଁ ପାଇଁ ସ୍କୁଟର ଓ ପୁତୁରା ପାଇଁ ଚାକିରୀ ଓ ଭଣଜା ପାଇଁ ଲାଇସେନ୍‍ସ ଓ ସଢ଼ୁ ପାଇଁ ପରମିଟ୍ ଓ ସମୁଦି ପାଇଁ ଠିକାଦାରୀ ଓ ମା ପାଇଁ ଔଷଧ ଓ ପତ୍ନୀ ପାଇଁ ଶାଢ଼ୀ ଓ ପୁଅ ପାଇଁ ବହି ଓ କେତେ ଗଣିବି ?

 

ଏମିତ କିଛି ମିଳି ଯାଏ ନାହିଁ ।

 

ଭିଡ଼ ଖାଲି କୁନ୍ଥଉ ଥାଏ ।

 

ମନେ ହେଲା, ଭିଡ଼ର ପ୍ରତ୍ୟେକ ମଣିଷ ତା ପାଖର ମଣିଷକୁ କଛି ନା କିଛି କହୁଥିଲା ଓ ତାଠାରୁ କିଛି ନା କିଛି ଶୁଣୁଥିଲା । ଯୁବ ନେତା କହୁଥିଲେ କେବଳ ଟେପ୍ ରେକର୍ଡ଼ର ମାଉଥ୍‍ ପିସକୁ । ଚାହୁଁଥିଲେ କ୍ୟାମେରାକୁ ।

 

ସମସ୍ତେ ଫେରୁଥିଲେ । ମୁଁ ସେଇଠି ଠିଆ ହୋଇ ଏକ ମହା ନାଟକର ପାତ୍ର ପାତ୍ରୀମାନଙ୍କର ପ୍ରସ୍ଥାନ ଦୃଶ୍ୟ ଦେଖୁଥାଏ । ପିଲାଙ୍କ ହାତରେ ବେଲୁନ୍ ନ ହେଲେ ଆଇସ୍‍କ୍ରିମ । ସ୍ତ୍ରୀ ଲୋକଙ୍କ କାଖରେ ଶୋଇ ପଡ଼ିଥିବା ଛୁଆ । ଝିଅ କାନ୍ଧରେ ହାତ ଦେଇ ଜଣେ ଅନ୍ଧ ମଧ୍ୟ ।

 

ସମସ୍ତଙ୍କ ମୁହଁରେ ବିରକ୍ତି ଓ କ୍ଲାନ୍ତିର ଏକ ପ୍ରକାଣ୍ଡ ଛାୟା ପଡ଼ିଥାଏ । ତଥାପି କେତେକ ଦେଶର ଏ ପ୍ରକାର ଅସମୟରେ ସୁଦ୍ଧା ସମୟ କାଢ଼ି ସଭାଟିଏ....ଯୁବ ନେତାଙ୍କର ଅଦ୍ଭୂତପୂର୍ବ ସଭାଟିଏ ଦେଖି ପାରିଥିବାରୁ ଓ ନିଜର ସ୍ତ୍ରୀ-ପିଲା ଝିଲାଙ୍କୁ ଦେଖାଇ ପାରିଥିବାରୁ ଗର୍ବବୋଧ କରୁଥାନ୍ତି ।

 

ମୁଁ ଠିଆ ହୋଇଥାଏ । ଗୋଟିଏ ନିଶ୍ଚଳ ସାକ୍ଷୀଖୁଣ୍ଟ ପରି । ନିଶ୍ଚଳ ଓ ନୀରବ ।

 

ମୋର ନାକ ପାଖରେ :

 

ନୂଆ ପୁରୁଣା ଚିରା ମଇଳା ସବୁ ପ୍ରକାର ଲୁଗାର ବାସ୍ନା, ବାସ୍ନା ତେଲର ମହକ, ଫୁଲର କହର, ଅତରର ସୁରଭି ଓ ଝାଳର ଗନ୍ଧ ଛାଡ଼ି ଭିଡ଼ ମୋତେ ଅତିକ୍ରମ କରି ଯାଉଥାଏ ।

 

ମୁଁ ସ୍ଥିର, ଅଟଳ

 

ଘଟନାର କେନ୍ଦ୍ର ପରି ।

 

ମୋର କାନ ପାଖରେ :

 

“ବାପ୍ ରେ କେତେ ଭିଡ଼ । ଏତେ ଲୋକ କେବେ ଦେଖି ନଥିଲି ।

 

ସିନେମା ଯାଇଥଲେ ପୋଷେଇ ଥାନ୍ତା । ମୋର ଭାଇ, ପଟେ ଚପଲ ହଜିଗଲା । ଦେଖିବୁ କାଲି କାଗଜରେ କଣ ବାହାରିବ । ଖାଲି ଫଟୋ ଉଠିବା ସାର ହେଲା । ଏ ବଦମାସ ଯୋଗୁଁ କିଛି ଶୁଣି ହେଲାନାହିଁ । କହୁ ନଥିଲି ଆଗରୁ । ୟାକୁ କାହିଁକି ଯେ ଏତେ ଟେକା ଯାଉଛି ?”

 

ମୋର ଆଖି ଆଗରେ :

 

ଜାତି ଜାତିକା ମୁହଁ, ଲୁଗା ଓ ମଣିଷ । ନାନା ପ୍ରକାର ଯାନ ବାହନ । କେତେ ଫୁଲ, କେତେ ରଙ୍ଗ, ରୂପ ଓ ଆକାର । ପଡ଼ିଆରେ ବିଚରଣ କରୁଥାନ୍ତି । ଧୋବ ଧାଉଳିଆ ଚାରି ପାଞ୍ଚଜଣ ଓ ପଚିଶ ତିରିଶ ଜଣ ମୂଲିଆ । ଚାନ୍ଦୁଆ ଫିଟା ଯାଉଥାଏ । ମାଇକ୍ ଫିଟା ଯାଉଥାଏ । ଖମ୍ବ ଓପଡ଼ା ଯାଉଥାଏ ।

 

ଚାହୁଁ ଚାହୁଁ ପଡ଼ିଆଟି ସବୁଦିନଭଳି ଶୂନ୍ୟ ହୋଇଗଲା । ଚାହୁଁ ଚାହୁଁ ସନ୍ଧ୍ୟା ଓ ତାପରେ ରାତି ମାଡ଼ି ଆସିଲା । ଆଉ କେହି ଚଳ ପ୍ରଚଳ ହେଉ ନାହାନ୍ତି, ସବୁ ଶାନ୍ତ । ଆକାଶରେ ଚନ୍ଦ୍ର । ତାର କିରଣରେ ଝଲମଲ କରୁଥାଏ ପଡ଼ିଆ । ପାଦ ତଳେ ଏକ ଖଣ୍ଡିଆ ଖାବୁରା ବହୁ ନେତା-ଜନତାକ୍ରାନ୍ତ ପଡ଼ିଆ । ମୁଁ ଆଗକୁ ବଢ଼ିଲି । ମୁଣ୍ଡ ଉପରେ ବିପୁଳ ଆକାଶ । ହଜିଗଲା ପରି ଲାଗିଲା ।

 

ଏ ଆକାଶ ! ଏ ପୃଥିବୀ ! ଏ ନିର୍ଜନତା ।

 

ମୋର ଇଚ୍ଛା ହେଲା ମଞ୍ଚ ଉପରେ ଠିଆ ହୋଇ ଟିକେ ଦେଖନ୍ତି ସେ ଉପରୁ ପଡ଼ିଆଟିକୁ ।

 

ଗଛ ପାଖରୁ ପାହାଚ ଚଢ଼ିଯାଇ ମଞ୍ଚ ଉପରେ ପହଞ୍ଚିବାପରେ ମୋର ମନେ ହେଲା, ଅନ୍ତତଃ ଜଣେ ଶ୍ରୋତା ମିଳିଲେ ମୁଁ କହି ପକାନ୍ତି ମୋର ଅମାପ କଷ୍ଟର କାହାଣୀ ।

 

ଠିକ୍ ମଞ୍ଚର ପଛରେ ପୋତା ହୋଇଥାଏ ଦୁଇଟି ଖୁଣ୍ଟ । ବିଦ୍ୟୁତ ଶକ୍ତି ବାହୀ ତାର ଓ ଧ୍ଵନିବାହୀ ଟେଲିଫୋନ ତାର ଲମ୍ବି ଆସିଥାଏ ସେଇ ଦୁଇଟି ଖମ୍ବ ପର୍ଯ୍ୟନ୍ତ ।

 

ହଠାତ୍ ମତେ ମୁତ ମାଡ଼ିଲା । ମୁଁ ପେଣ୍ଟର ଆଗ ବୋତାମ ଖୋଲି ମଞ୍ଚର ପଛ କାନ୍ଥ ଆଡ଼କୁ ମୁହଁ କରି ମୁତି ଦେଲି ଚର ଚର । ଉଶ୍ୱାସ ଲାଗିଲା ।

 

ଇଚ୍ଛା ହେଲା, ଫେରିବା ଆଗରୁ ଆଜି ଦିନର ଶେଷ ସିଗାରେଟ ଖଣ୍ଡିକ ଖାଇ ଦେବାକୁ । ଅଳ୍ପ ଶୀତୁଆ ପବନ ବୋହୁଥାଏ । ମୁଁ ପକେଟରୁ ସିଗାରେଟ ଓ ଦିଆସିଲି କାଢ଼ିଲି । ପବନ ଦାଉରୁ ନିଆଁକୁ ରକ୍ଷା କରିବା ନିମନ୍ତେ ତଳ ଆଡ଼କୁ ଟିକେ ନଇଁ ପଡ଼ି ଦିଆସିଲି ଜାଳି ସିଗାରେଟ ପହଟାଇଲି । ଡିଆସିଲି କାଠିର ସେଇ ସାମାନ୍ୟ ଆଲୁଅରେ ଦଶିଲା ଏକ ସ୍ପଷ୍ଟ ଦୃଶ୍ୟ । ମଞ୍ଚର ସିମେଣ୍ଟ ଚଟାଣ ଉପରେ ମୋ ଆଗରୁ କେହି ଜଣେ ଆସି ମଳତ୍ୟାଗ କରିଦେଇ ଯାଇଥିଲା ।

 

ସେଦିନ ରାତିରେ ଘରକୁ ଫେରି ଖିଆପିଆ ସାରି ଶୋଇଲା ବେଳକୁ ଡେରୀ । ତା ପରଦିନ ସକାଳୁ ମନେ ପଡ଼ିଲା ଯେ ଗତ ରାତିରେ ମୁଁ ଏକ ଛାଇ ନିଦିଆ ସ୍ଵପ୍ନ ଦେଖିଥିଲି ।

 

ଢୋଲାକାର ଏକ ପ୍ରକାଣ୍ଡ ମାଉଥ୍ ପିସ ଆଗରେ ଯୁବ ନେତାଙ୍କର ମହାନ୍ ଦୁଇଟି ନାଲି ଗୁଲୁ ଗୁଲୁ ଓଠ ହଲୁଥାନ୍ତି ।

 

କିଛି ଶୁଭୁ ନଥାଏ । ଧ୍ଵନି କାହିଁ ? ଧ୍ଵନି ?

 

ସାଉଣ୍ଡ ସାଉଣ୍ଡ ।

 

କେଉଁଠି ଯେମିତି ଭିତରେ ଭିତରେ ଦୁଇଗୋଟି ଶକ୍ତିବାହୀ ତାର ପରସ୍ପର ସହ ଯୋଡ଼ି ହୋଇଗଲେ । ଅଳ୍ପ ସମୟର ଯାନ୍ତ୍ରିକ ଗୁଞ୍ଜରଣ ପରେ ଶୁଭିଲା ଉଠ ଉଠ ।

 

ମାତ୍ର ଉଠିବା ଥିଲା ସାଧ୍ୟାତୀତ । କାରଣ ମାଂସବସର୍ଦ୍ଦି ଦ୍ଵାରା ନିର୍ମିତ ଯୁବନେତାଙ୍କର କୋମଳ କନ୍ଦୁକୋପମ ଶରୀରଟି ଗଡ଼ି ଯାଉଥାଏ ବିଷ୍ଠା ଲେପିତ ପଡ଼ିଆର ଏ ମୁଣ୍ଡରୁ ସେ ମୁଣ୍ଡକୁ ।

Image

 

ଦ୍ଵିତୀୟ ଶ୍ମଶାନ

ଶ୍ରୀ ରାମଚନ୍ଦ୍ର ବେହେରା

 

ଖଟର ଗୋଟିଏ ପାଖରେ ମୁଁ, ଅନ୍ୟପାଖରେ ପ୍ରୀତି । ଦୁହିଁଙ୍କ ମଝିରେ ଚାରିବର୍ଷର ଝିଅ । ଅନେକବେଳୁ ସେ ଶୋଇପଡ଼ିଲାଣି । ମୋ ବେକରେ ହାତଗୁଡ଼ାଇ ସେ ରାଜା, ରାଣୀ, ରାଜକୁମାର, ରାଜକୁମାରୀଙ୍କ କଥା ଶୁଣୁଥିଲା । କୌଣସି ରାତିରେ ମୋ କାହାଣୀ ଶେଷ ହୋଇପାରେ ନାହିଁ । ରାଜାଙ୍କର ସୁନାନାକି ଝିଅ ଖୁବ୍ ବେଶୀ ହେଲେ ନିର୍ଜନ ପୋଖରୀ ତୁଠରେ ଗୋଡ଼ ଘସି ବାସୀ ଅଳତାର ଗାର ଲିଭାଉଥିବ । ଛନଛନ ଆଖିରେ ଚାହୁଁଥିବ ଚାରିଆଡ଼େ । ମନ ଭିତରେ କାରଣ ନ ଥିବା ରୁଦ୍ଧ ଆବେଗ ଏକ ବିଚିତ୍ର ଶିହରଣ ଓ ଯନ୍ତ୍ରଣା ସୃଷ୍ଟି କରୁଥିବ । ଆଉ ବେଶୀ ଆଗେଇବାକୁ ହୁଏନାହିଁ । ମୋ ବେକ ଉପରେ ଝିଅର ହାତ ଶିଥିଳ ହୋଇଯାଏ । ମୋ ଛାତି ଭିତରକୁ ଘୁଞ୍ଚିଆସି ସେ ଶୋଇପଡ଼େ ନଶ୍ଚିନ୍ତରେ ।

 

ଜିରୋୱାଟ ବଲ୍‍ବର କୁହୁଡ଼ିଆ ଆଲୁଅ ଭିତରେ ଅଧା ରହିଯାଏ କଳ୍ପନାର କାହାଣୀ । ଏଭଳି କାହାଣୀ, ଏଭଳି ଏକ ଶ୍ରୋତା ପାଖରେ କହିବାରେ ସତର୍କତା ଅବଲମ୍ବନର ଆବଶ୍ୟକତା କ'ଣ ? ଏ କାହାଣୀ ଲମ୍ବିଯାଇ ପାରେ ଯେ କୌଣସି ଦିଗରେ, ମୋ ଭାବନା ଭଳି । ଯେଉଁ କାହାଣୀ ଯୁକ୍ତି ଓ ବାସ୍ତବତା ଉପରେ ପ୍ରତିଷ୍ଠିତ ନୁହେଁ, ତାହା କେଡ଼େ ସୁନ୍ଦର ଆଉ କୋମଳ ! ମାତ୍ର ଝିଅ ଶୋଇପଡ଼ିବା ପରେ ମୁଁ ଓ ପ୍ରୀତି ପରସ୍ପରକୁ ଯେଉଁ କାହାଣୀ ଶୁଣାଉ, ତାହା ବେଳେ ବେଳେ ଭାରି ଭୀଷଣ ଓ ଅଟ୍ଟହାସ୍ୟମୟ ଜଣାପଡ଼େ । ଏ କାହାଣୀ ଜୀବନର ମାୟା, କଳ୍ପନା ପ୍ରବଣତାକୁ ଗ୍ରାସ କରିଦିଏ । ଆମେ ଦୁହେଁ ଦେଖୁ ଖାଲି ଜୀବନର ସତ୍ୟତା, ସଂସାରର ନିଚ୍ଛକ ରୂପ । ଝିଅ ଯଦି କେବେ କୌତୁହଳ ବଶତଃ ଶୋଇ ରହିଥିବାର ଛଳନା କରି ଆମ ଦୁହିଁଙ୍କ କାହାଣୀ ଶୁଣନ୍ତା, କ’ଣ ବୁଝନ୍ତା ସେ ? ବେଳେ ବେଳେ ଏମିତି ପ୍ରଶ୍ନ ନିଜକୁ ପଚାରେ । ସେ ଶୁଣିଥିବା କାହାଣୀ ଓ ଆମ କାହାଣୀ ଭିତରେ ଯେଉଁ ତାରତମ୍ୟ, ତାହା ସେ କ’ଣ ଅତିକ୍ରମ କରି ପାରନ୍ତା ?

 

ପ୍ରୀତିର ସ୍ଵର ସେତେବେଳକୁ ତନ୍ଦ୍ରା ବିଜଡ଼ିତ ହୋଇ ଯାଉଥିଲା । ମୁଁ ଦୀର୍ଘଶ୍ୱାସ ତ୍ୟାଗ କରି ତା ମୁହଁରୁ ଦୃଷ୍ଟି ଫେରାଇ କୋଠରୀର ଛାତ ଆଡ଼କୁ ଚାହିଁଲି । ହାଇମାରି ଆଖିବନ୍ଦ କଲାବେଳକୁ ଆମ ବାରିପଟ କବାଟରେ କରାଘାତ ଶୁଣିଲି ।

 

ସେ କରାଘାତ ଅକ୍ଟୋବର ମାସର ନିସ୍ତବ୍ଧ, ଅନ୍ଧକାର ରାତିର ମେରୁଦଣ୍ଡକୁ ଦୋହଲାଇ ଦେଲା ଭୟଙ୍କର ଭାବରେ । ସମସ୍ତ ବ୍ୟାକୁଳତା ଓ ଅସ୍ଥିରତାର ସହିତ ଗୋଟିଏ ବାଷ୍ପାକୁଳ ଆର୍ତ୍ତନାଦ ଶୁଭିଲା-‘ଭାଇ ! ଭାଇ ଟିକିଏ ଉଠ । ମୋର ସବୁ ସରିଗଲା ।’

 

ମୋର ମନେହେଲା, ବାରିପଟ କବାଟ ହୁଏତ ଭାଙ୍ଗିଯିବ କରାଘାତର ମାଡ଼ରେ । ଲୋକଟିର କଣ୍ଠ ଫାଟିଯିବ ବ୍ୟାକୁଳତା ଓ ଅସହାୟତାର ତୀବ୍ରତାରେ । ପ୍ରୀତି ଓ ମୁଁ ଏକାସଙ୍ଗେ ଓହ୍ଲାଇ ପଡ଼ିଲୁ ଖଟରୁ । ଝିଅ ଗଳାଫଟାଇ କାନ୍ଦି- ଉଠିଲା, ସତେ ଯେପରି ସେ ବୁଝିପାରିଥିଲା କେଉଁଠି କିଛି ଗୋଟାଏ ଅଘଟଣ ଘଟିଯାଇଛି ।

 

ବ୍ୟସ୍ତତାର ସହିତ ମୁଁ ବାରିପଟକୁ ଆସି କବାଟ ଖୋଲି, ଟର୍ଚ୍ଚ ଟିପିଲି । କୁମର ଦାଦାର ଯନ୍ତ୍ରଣା ଜର୍ଜରିତ ଆର୍ତ୍ତଚିତ୍କାର ଆମ ଗାଁର ଶିରା-ପ୍ରଶିରାରେ ଚାଞ୍ଚଲ୍ୟ ଓ ଆଶଙ୍କାର ତଡ଼ିତ୍ ଛୁଟାଇଦେଲା ।

 

-‘କଥା କ’ଣ ? ଏମିତି...’

 

ମୋ କଥାକୁ ଶେଷ ହେବାକୁ ନ ଦେଇ ସେ ଘୋଷଣା କଲା–‘ମୋ ମଞ୍ଜୁକୁ ସାପ କାମୁଡ଼ି ଦେଇଛି ।’

 

ଅଳ୍ପ କେଇଟା ମୁହୂର୍ତ୍ତ ପାଇଁ ସବୁ ସ୍ତବ୍ଧ ଓ ସ୍ଥାଣୁ ହୋଇଗଲା । ବ୍ୟାପକ ଆକାଶର ତାରା, ମୋ ପାଦ ତଳର ମାଟି, ମୁଁ ନିଜେ ଓ କୁମର ଦାଦାର ଅସ୍ତିତ୍ଵ ମିଳେଇଗଲା ଏକ ବିଚିତ୍ର ଶୂନ୍ୟତା ଭିତରେ । ମୋର ଅନୁଭବ କରିବାର ଶକ୍ତି ଓ ବିଚାରବୋଧ ସମ୍ପୂର୍ଣ୍ଣଭାବେ ପୋଛି ହୋଇଗଲା ଏଇ ଦାରୁଣ ଘଟଣାଟିର ଭୟାବହତାରେ । କଥାଟାକୁ ପୁଣିଥରେ ଭାବିବା ବେଳକୁ ଚାରି - ପାଞ୍ଚୋଟି ନାରୀ କଣ୍ଠର ସମ୍ମିଳିତ କାନ୍ଦଣା ସାରା ଗାଁଟିକୁ ଅଶ୍ରୁଳ କରି ଦେଉଥିବାର ଶୁଣିଲି ।

 

ବାପାଙ୍କୁ ନିଦରୁ ଉଠେଇବା ଦରକାର ହେଲା ନାହିଁ । ସେ ବଳେ ଉଠି ଆସିଥିଲେ ଏବଂ କୁମରଦାଦାର କଥା ଶୁଣି ପାରିଥିଲେ । ତାଙ୍କୁ ଦେଖିବା କ୍ଷଣି କୁମରଦାଦା ଅସହାୟତାରେ ଭାଙ୍ଗି ପଡ଼ିଲା- ‘ଭାଇ, ମୋର ସବୁ ସରିଗଲା ।’

 

ଆଉ କଛି କଥା ନାହିଁ । ପାଗଳଙ୍କ ଭଳି ସେଠାରୁ ସେ ଚାଲିଗଲା । ଆମ ଘରକୁ ଲାଗି ଯଦୁଭାଇର ଘର । ତାଙ୍କ ଦରଜା ଉପରେ ସେଇଭଳି କରାଘାତ କରି ସେ ଘୋଷଣା କଲା ସେଇକଥା । ସେଠାରୁ ସେ ଗଲା ଆଉ ଏକ ଘରକୁ । ପୁଣି ତା’ ପାଖ ଘର ।

 

କୁମରଦାଦାର କଥା ଆଉ ଭଲକରି ବୁଝିହେଉ ନ ଥାଏ । ତା’ର ସମଗ୍ର ସତ୍ତା ରୂପାନ୍ତରିତ ହୋଇ ଯାଉଥିଲା ଏକ ଅବ୍ୟକ୍ତ କୋହରେ । ସଂସାରର ସମସ୍ତ ଆଶଙ୍କା ଓ ଆଶାହୀନତା ସତେ ଯେପରି ଠୁଳ ହୋଇ ଏକ ମଣିଷର ଆକାର ଗ୍ରହଣ କରିଥିଲା । ଗୋଟିଏ ଜୀଅନ୍ତା ଆର୍ତ୍ତନାଦ ହୋଇ ସେ ଖାଲି ଧାଉଁଥିଲା ଏ ଘର ଦରଜାରୁ ଅନ୍ୟ ଏକ ଦରଜା ପାଖକୁ । ସେ ହୁଏତ ଭାବୁଥିଲା, ଗାଁର ସବୁ ମଣିଷ ଉଠିଆସନ୍ତୁ ଯେଝା ବିଛଣାରୁ । ସଭିଏଁ ଠିଆହୁଅନ୍ତୁ ସଦ୍ୟ ସାପ କାମୁଡ଼ିଥିବା ମଞ୍ଜୁ ଚାରିପାଖରେ । ସେମାନଙ୍କର ବ୍ୟୁହ ଭିତରକୁ ଯେପରିକ ମରଣର ଥଣ୍ଡାହାତ ପଶି ପାରିବ ନାହିଁ । ଯଦି ମଞ୍ଜୁର ପ୍ରାଣବାୟୁ ପବନର ନିଃଶ୍ୱାସରେ ମିଶିଯିବାକୁ ତତ୍ପର ହୋଇଉଠେ, ତେବେ ସେମାନେ ସେ ପ୍ରାଣବାୟୁକୁ ଏଇ କଥା କହନ୍ତୁ–ଏଡ଼େ ଚଞ୍ଚଳ ଥକିଗଲୁ ? ଜମା ଅଠରଟା ବର୍ଷରେ ତୋର ଗୋରା, ନହକା ଦେହକୁ ଆଡ଼େଇ ଦେଇ ତୁ କେଉଁଆଡ଼େ ଯାଉଛୁ ଲୋ, ମଞ୍ଜୁ ? ସଞ୍ଜବେଳେ କିଏ ଆଉ ତୁମ ପିଣ୍ଡାରେ ମିଞ୍ଜି ମିଞ୍ଜି ଆଲୁଅ ପାଖରେ ବସି ଭାଗବତ ପଢ଼ିବ ? ରାତି ନ ପାହୁଣୁ କିଏ କୂଅରୁ ପାଣି କାଢ଼ିବ ? ରାତି ନ ପାହୁଣୁ କିଏ କୂଅରୁ ପାଣି କାଢ଼ିବ ? କିଏ ତୁମ ଅଗଣା ଓଳାଇବ, ଗାଈକୁ କୁଣ୍ଡା-ତୋରାଣୀ ଦେବ ? ତୋର ତ ଯିବା ବେଳ ହୋଇନାହିଁ !

 

ବାପା ଓ ମୁଁ ଅଣନିଃଶ୍ୱାସୀ ହୋଇ ଧାଇଁଲୁ କୁମର ଦାଦା ଘର ଆଡ଼େ । ସେତେବେଳକୁ ଗାଁ’ର କେତେ ଲୋକ ସେଠାରେ ଜମା ହୋଇ ସାରିଲେଣି । ମୋର ସମ୍ପର୍କରେ ବଡ଼ ବାପା ହେବେ-ଗୁରୁଚରଣ । ସେ ସାପ ମନ୍ତ୍ର ଜାଣନ୍ତି । ପହଞ୍ଚି ଶୁଣିଲି ସେ କେତେବେଳୁ ମଞ୍ଜକୁ ଝଡ଼ା ଫୁଙ୍କା କରୁଛନ୍ତି ।

 

ସତକୁ ସତ ମଞ୍ଜୁ ଚାରିପାଖରେ ଗୋଟାଏ ଶକ୍ତ ବ୍ୟୁହ ସୃଷ୍ଟି ହୋଇଥିଲା । ଚଟାଣ ଉପରେ ଧିକି ଧିକି ହୋଇ ଜଳୁଛି ଲଣ୍ଠନର ଶିଖା, କଳାକାଚ ଘୋଡ଼େଇ ହୋଇ । ଝାଳରେ ଜୁଡ଼ୁବୁଡ଼ୁ ହୋଇ ଯାଇଥିବା ମଞ୍ଜୁ ସାମନାରେ ବସି ଗୁଣିଆ ହୁଏତ ଚେଷ୍ଟା କରୁଛନ୍ତି, ଯେପରିକ ସାପର ବିଷ ମଞ୍ଜୁର ଶିରା-ପ୍ରଶିରାର ରକ୍ତକୁ ବିଷାକ୍ତ କରି ନ ଦିଏ । ମଞ୍ଜୁ ବଲବଲ କରି ଚାହିଁଛି, ତା ଚାରିପାଖର ଘେରି ରହିଥିବା ମଣିଷମାନଙ୍କର ବିଗଳିତ, କାତର ମୁହଁଗୁଡ଼ିକୁ ।

 

ବାପାଙ୍କ କଥାମାନି, ସଭିଏଁ ବାହାରି ଆସିଲେ ସେ ଘରୁ । ଘର ଭିତରକୁ ନିର୍ମଳ, ସ୍ୱଚ୍ଛ ପବନ ଯିବା ଖୁବ୍ ଦରକାର । ମଞ୍ଜୁ ଆମ୍ଭମାନଙ୍କର ଶଙ୍କାଗ୍ରସ୍ତ ମୁହଁ ଦେଖିବା ଆଦୌ ଉଚିତ ନୁହେଁ । ଔଷଧ ପ୍ରୟୋଗ ପାଇଁ ବ୍ୟବହାର କରାଯାଉଥିବା ଇଞ୍ଜେକ୍‍ସନ ସିରିଞ୍ଜ୍‍ର ଛୁଞ୍ଚିକୁ ଦେଖି ଯେଉଁ ମଣିଷ ଡରି ଯାଇପାରେ, ତା’ ଦେହ ଭିତରେ ସାପର ବିଷ କ୍ରମେ ସଞ୍ଚରିତ ହୋଇଯାଉଛି ବୋଲି ଇଙ୍ଗିତ ଦେଲେ, ତା’ର ଅବସ୍ଥା ହେବ କ’ଣ ? ତୁମେ କେବେ ଦେଖିଛକି ମୃତ୍ୟୁର ଚେହେରା ? ତୁମେ ହୁଏତ କହିଦେଇ ପାର, ମୃତ୍ୟୁ ଏକ ରହସ୍ୟମୟ, ଅନ୍ଧକାର ଇଲାକା ଯା’ ଭିତରେ ଆମେ ସମ୍ପୂର୍ଣ୍ଣଭାବେ ହଜିଯାଆନ୍ତୁ ଏକ ବିଚିତ୍ର ବିସ୍ମୃତିରେ । ଅଥଚ କେଡ଼େ ଦାରୁଣ ଏ ଶବ୍ଦ ! ଲହ ଲହ କରୁଥିବା ସାପର ଜିଭ, କୋକେଇରେ ବନ୍ଧାଯାଉଥିବା ମଣିଷର ଶରୀର ଆମକୁ ଚେତାଇଦିଏ ସେହି ଇଲକାର ସର୍ବଗ୍ରାସୀ କ୍ଷମତା ସମ୍ପର୍କରେ । ମଞ୍ଜୁକୁ ଏମିତି ନିର୍ମମ ଭାବରେ ଏଇ କଥା ପ୍ରତି ଆମେ ସଚେତନ କରିଦେବା ଠିକ୍ ନୁହେଁ । ଆଶାର କଥା ଏହି ଯେ, ସବୁ ମଣିଷଙ୍କୁ ବିଷ ଘୋଷାରି ନେଇପାରେ ନାହିଁ ମୃତ୍ୟୁର ସାମ୍ରାଜ୍ୟ ଭିତରକୁ । ମଞ୍ଜୁ ସମ୍ପର୍କରେ ଆମେ ଏତେଟା ହତୋତ୍ସାହ ହେବାର କୌଣସି ଯଥାର୍ଥତା ନାହିଁ ।

 

ସାତ ମାଇଲ ଦୂରରେ ଥିବା ଡାକ୍ତରଖାନାରୁ ଡାକ୍ତରଙ୍କୁ ଡାକିବାପାଇଁ ଲୋକ ପଠାଗଲା । ଅନ୍ୟ ଦିଗକୁ ପଠାଗଲା ଆହୁରି ଦୁଇଜଣ ଲୋକଙ୍କୁ । ସେମାନେ ଜଣେ ଖ୍ୟାତନାମା ଗୁଣିଆଁକୁ ଡାକିଆଣିବେ । ସାର ଗାଁଟା ଅସ୍ଥିର ଓ ଚଞ୍ଚଳ ହୋଇପଡ଼ିଲା । ଗୁଣିଆଁର ମନ୍ତ୍ର ହେଉ ବା ବୈଜ୍ଞାନିକର ଔଷଧ ହେଉ-ଯେଉଁ ବସ୍ତୁ ଉପରେ ଆମ୍ଭମାନଙ୍କର ବିଶ୍ୱାସ ଓ ଆସ୍ଥା ଥିଲା, ସେ ସବୁ ପ୍ରୟୋଗ କରିବା ପାଇଁ ମନରେ ଆଦୌ ଦ୍ଵିଧା କିମ୍ବା ଆଳସ୍ୟ ନଥିଲା । ଆମେ ଯୁଦ୍ଧ ଘୋଷଣା କଲୁ । ଗୋଟିଏ ପାଖରେ ଯମ; ଅନ୍ୟ ପାଖରେ ଆମେ, ମଞ୍ଜୁ ପ୍ରତି ଆମର ମମତା, ଗୁଣିଆର ମନ୍ତ୍ର ।

 

ତଥାପି ଆମ୍ଭମାନଙ୍କର ହାତମୁଠା ବେଳେ ବେଳେ ଝାଳେଇ ଯାଉଥିଲା । ଅନୁଭବ କରୁଥିଲୁ, ସତେ ଯେପରି ଅନ୍ୟଦିଗକୁ କ୍ରମେ ଖସିଯାଉଛି, ଆମେ ପ୍ରାଣପଣେ ଧରି ରଖିବାକୁ ଚେଷ୍ଟା କରୁଥିବା ଗୋଟାଏ ଅମୂଲ୍ୟ ଦରବ । କାନ୍ଦଣା କମୁନାହିଁ । ମଞ୍ଜୁର ମା’ ଓ ଜେଜେମା’ ହେରିକା କାନ୍ଦୁଥାନ୍ତି । ସେମାନଙ୍କର ବୁକୁଫଟା କାନ୍ଦଣାରେ ଥିଲା ରାଶି ରାଶି ପ୍ରତିବାଦ ଓ ନିବେଦନ; ପୁଣି ଥିଲା ବିଶ୍ଵାସ ଓ ଆଶଙ୍କା ।

 

ଅକ୍ଟୋବର ମାସର ଶନିବାର ରାତି । ରାତିର ଅନ୍ଧକାର ସତ୍ତ୍ୱେ ମୁହୂର୍ତ୍ତଗୁଡ଼ାକ ବାଟବଣା ନହୋଇ ଆଗେଇ ଯାଉଛନ୍ତି । ସମୟ ସେତେବେଳକୁ ବାରଟା ପାଖାପାଖି ।

 

କୁମରଦାଦାର ଘର ସାମନା ରାସ୍ତାରେ ଅପରାଧୀ ସାପଟିକୁ ଅକ୍ଷତ ଅବସ୍ଥାରେ ରଖାଯାଇଥିଲା । ସେଇଟାକୁ ବନ୍ଦୀ କରାଯାଇଥିଲା ଗୋଟାଏ ବଡ଼ ବାଉଁଶ ତିଆର ବୋଝ ତଳେ । ସାପ ଯଦି ଦଂଶନ କରିବା ପରେ କେଉଁଆଡ଼େ ଖସି ଚାଲିଯାଏ, ତେବେ ମଣିଷ ଦେହରୁ ବିଷ ଓହ୍ଲାଏ ନାହିଁ ବୋଲି ଆମେ ଶୁଣିଛୁ । ମୁଁ ବୋଝଆଡ଼ୁ ଦୃଷ୍ଟି ଫେରାଇ କୁମରଦାଦାର ଚାଳଘର, ଭୟଙ୍କର ଆକାଶ ଆଡ଼େ ଚାହିଁଲି ।

 

ଡିସେମ୍ବର ମାସରେ ମଞ୍ଜୁ ଶାଶୁଘରକୁ ଯିବାର ଠିକ୍ ହୋଇଛି । ଦାଦା ଗରୀବ ମଣିଷ । ମଞ୍ଜୁ ବାରମ୍ବାର ଘରର ପିଣ୍ଡା ଲିପେ । ତା ସତ୍ତ୍ୱେ ବର୍ଷାଦିନରେ ଚାଳରୁ ପାଣିଗଳି ଗୋବର ଲିପା ପିଣ୍ଡା ଉପରେ ଅସଂଖ୍ୟ ଗାତ ସୃଷ୍ଟି ହୋଇଯାଏ । କାନ୍ଥ ଉପରବାଟେ ବର୍ଷାପାଣି ଗଡ଼ିଆସେ ଦାରିଦ୍ର୍ୟର ଲୁହଭଳି । ଏ ଲୁହ ଠାଏ ଠାଏ ସ୍ଥାୟୀ ଚିହ୍ନ ଛାଡ଼ି ଦେଇଯାଏ କାନ୍ଥର ଗାଲ ଉପରେ । ରୋଷଇଘରୁ ଦିନେ ଦିନେ ଧୂଆଁ ଉଠେନାହିଁ । ଥଣ୍ଡା ଚୁଲି ଶୋଇଯାଏ । ଏକ ଅଭ୍ୟାସଗତ ବିଶ୍ରାମ । କେଡ଼େ ବେଗି ବୁଢ଼ା ହୋଇଗଲା କୁମରଦାଦା–ବୟସର ମାଡ଼ ଯୋଗୁଁ ନୁହେଁ, ଅଭାବ ଜନିତ ଶୂନ୍ୟତା ଯୋଗୁ । ଗୋଟାଏ ଶୀର୍ଣ୍ଣ, ହଳଦିଆ ଦେହଧରି ଅଳସ ଗତିରେ ଯିବା ଆସିବା କରୁଥିବା ସ୍ତ୍ରୀ ଜଣକ ହେଉଛି ମଞ୍ଜୁର ମା’ ଖୁଡ଼ୀ । ଗୋଟାଏ ପ୍ରେତାତ୍ମାର ବାସ୍ତବ ଦେହ ।

 

ଅଭାବ ଅନାଟନର ଝିଅ ହେଉଛି ମଞ୍ଜୁ । ଅଠର ବର୍ଷର ଝିଅ । ଗୋରା, ନହକା; ଅଥଚ ଉଜ୍ଜ୍ୱଳ ଦେହ । ଗାଁ ମାଇନର ସ୍କୁଲରୁ ଶିକ୍ଷା ସମାପ୍ତ କରିଛି । ଡିସେମ୍ବର ମାସରେ ତା’ର ଯିବାର ଅଛି ଆଉ ଏକ ଅଭାବ ଅନଟନର କୋଳ ଭିତରକୁ । ଆମେ ଭଲଭାବେ ଜାଣିଛୁ ଯେ, ସେ ଯାଉଥିବା ଅନ୍ୟ ଘରେ ଦାରିଦ୍ର୍ୟ ଝୁଲିରହେ, ଘରର ଚାଳ ଉପରୁ, ସେଠାକାର ମଣିଷଙ୍କର ପେଟରୁ, ଫଟା ଲୁଗାର ଧଡ଼ିରୁ । ତେବେ, ଦାରିଦ୍ର୍ୟର ରୂପ, ଘର ଓ ମଣିଷର ପ୍ରକାର ଭେଦରେ ଅଲଗା ନୁହେଁ । ଏଥିପାଇଁ ମଞ୍ଜୁକୁ ମାନସିକ ପ୍ରସ୍ତୁତି ସଂଗ୍ରହ କରିବାକୁ ହୁଏତ ପଡ଼ିନାହିଁ ।

 

କେତେ ଦିନୁ କୁମରଦାଦା ଜିନିଷ ସଂଗ୍ରହ କରିଛି ମଞ୍ଜୁକୁ ବାଟେଇବା ପାଇଁ । ଖଟ, ପିତଳହାଣ୍ଡି, ଚଟୁ ଇତ୍ୟାଦି । ଏପରିକି କାନ ପାଇଁ ସୁନାରେ ତିଆରି ଇଅରରିଙ୍ଗ । ପିଣ୍ଡାରେ ଚଉଡ଼ା ଖଟ ଉପରେ ଦାଦା ଶୁଏ । ଘର ଭିତରେ ଅନ୍ୟମାନେ । ରାତିରେ ମଞ୍ଜୁ ଅନୁଭବ କଲା, ତା’ ବେକ ଉପରେ କିଛି ଗୋଟାଏ କାମୁଡ଼ି ଦେବାର ଯନ୍ତ୍ରଣା । ଡାହାଣ ହାତରେ ନିର୍ଦ୍ଦିଷ୍ଟ ସ୍ଥାନଟିକୁ ଅନୁଭବ କଲାବେଳେ, ଗୋଟାଏ ମସୃଣ, ଲମ୍ବା ଜିନିଷଟିକୁ ସେ ଧରି ପକାଇଲା । ତା’ର ନିଦ ଭାଙ୍ଗିଗଲା । ବ୍ୟସ୍ତତା ଓ ଭୟରେ ସେ ପାଟି କଲାବେଳକୁ ଡାହାଣ ହାତର କହୁଣି ଉପରେ ସେ ଅନୁଭବ କଲା ଆହୁରି ଏକ ଦଂଶନ ।

 

ଘରର ସଭିଏଁ ଉଠି ପଡ଼ିଲେ । ଲଣ୍ଠନ ଜଳାଗଲା । ଖୋଜା ଚାଲିଲା ସେହି ନୃଶଂସ ଅପରାଧୀକୁ । କୋଠରୀର ଗୋଟିଏ କଣରେ ମୁହଁମାଡ଼ି ରହିଥିଲା ପିତଳ ହାଣ୍ଡିଟି । ଏଇ ହାଣ୍ଡିକୁ ନେଇ ମଞ୍ଜୁ ଯିବାର କଥା ତା ଶାଶୁଘରକୁ । ଦେଖ, ଯୋଗ ଏମିତି ଯେ, ସେଇ ହାଣ୍ଡି ପଛଆଡ଼େ, ଜାକିଜୁକି ହୋଇ ତିନିଫୁଟ ଲମ୍ବର ଚିତିସାପଟି ଚୋରଟିଏ ଭଳି ଲୁଚି ରହିଛି । ଏତେବଡ଼ କାମ କରିସାରିବା ପରେ ତା’ର ବିଶ୍ରାମ ଲୋଡ଼ା ।

 

ମଞ୍ଜୁର ଜେଜେମା’, ମା’ ଓ ସାନ ଦୁଇ ଭଉଣୀ ଶୋଇଥିଲେ ତା’ ପାଖରେ । ନିଷ୍ଠୁର ସାପଟା ଆଉ କାହାରିକୁ ଦଂଶନ ନକରି ଗୋଟାଏ ସୁନ୍ଦର ନିରିମାଖି ବଢ଼ିଲା ଝିଅର ବେକକୁ କାହିଁକି ପସନ୍ଦ କଲା ? ବିଷ ପ୍ରୟୋଗ ପାଇଁ ସାପ କଣ ଯେ କୌଣସି ମଣିଷର ଦେହକୁ ବାଛି ନିଏ ନାହିଁ ? ସାପର କଣ ଏକ ନିର୍ଦ୍ଦିଷ୍ଟ ରୁଚି ଅଛି ?

 

ଝଡ଼ା-ଫୁଙ୍କା ଚାଲିଛି । ଆମେ ଡାକ୍ତର ଓ ଅନ୍ୟଗୁଣିଆଙ୍କୁ ଅପେକ୍ଷା କରିଛୁ । ଅସ୍ଥିରତା ଓ ଆଶଙ୍କାରେ ଆମେ ସମସ୍ତେ ସମ୍ପୂର୍ଣ୍ଣରୂପେ ଅବସନ୍ନ ହୋଇ ପଡ଼ିଲୁଣି । ମୁଁ ଅନୁଭବ କରୁଥିଲି ଗୋଟାଏ ତୀବ୍ର ଯନ୍ତ୍ରଣା-ମୋର ଶରୀର ଉପରେ, ହୃଦୟରେ, ଆତ୍ମାରେ । ମୋର ସମସ୍ତ ଚେଷ୍ଟା ଓ ବିଜ୍ଞତାରବାଡ଼ ଛିନଛତ୍ର ହୋଇଗଲା । ଦୁଇ ପାପୁଲିରେ ମୁହଁଘୋଡ଼ାଇ ମୁଁ କାନ୍ଦି ପକାଇଲି ।

 

କେହିଜଣେ ମୋର ହାତକୁ ଧରି ପକାଇଲା । ଦେଖିଲି, ସାମନାରେ ଠିଆ ହୋଇଛି ଖୁଡ଼ୀ । କରୁଣ ସ୍ଵରରେ କହିଲା- ‘ବାପରେ, ମଞ୍ଜୁଟା କ’ଣ ଚାଲିଯିବ ? ତୁ ତ କେତେ ପାଠପଢ଼ିଛୁ । ତୁ କ'ଣ ତାକୁ ବଞ୍ଚାଇପାରିବୁ ନାହିଁ ?’ ମୋ ଉତ୍ତରକୁ ଅପେକ୍ଷା ନକରି ସେ ଏକରକମ ଚିତ୍କାର କଲା–‘ଗାଁର ସବୁ ମଣିଷ ଏଇଠି ଅଛ । କେତେ କାମ କରୁଛ । ତୁମକୁ ସବୁ ଛାଡ଼ିଦେଇ ମଞ୍ଜୁ, କ’ଣ ଚାଲିଯିବ ? ତୁମେ କଣ ତାକୁ ଧରି ରଖି ପାରିବ ନାହିଁ ?’

 

ଖୁଡ଼ୀ ସ୍ୱରରେ ଏହାଠାରୁ ଆହୁରି କେତେକଥା ଲୁଚି ରହିଥିଲା । ପୃଥିବୀର ମଙ୍ଗ ତଳକୁ ଖସି ଯାଉଥିବା ସୂର୍ଯ୍ୟକୁ କିଏ ଭଲା ଉଠେଇ ଆଣି ରଖିଦେଇ ପାରିବ ଆକାଶର ଛାତିରେ ? କିଏ, କହ, ଶୀତ ଋତୁକୁ ବରଖାସ୍ତ କରି ବସନ୍ତର କାନି ଟାଣି ଆଣି ପାରିବ ନିର୍ଦ୍ଦିଷ୍ଟ ସମୟ ଆଗରୁ ? ମୋର ଆଉ ବୁଝିବାରେ ବାକି ରହିଲା ନାହିଁ ଯେ, ମଞ୍ଜୁ ଓଟାରି ହୋଇଯାଉଛି ଯମର ଅନ୍ଧାର ହାତ ଭିତରକୁ । ଏବେ ନିବେଦନର ସ୍ଵର ଅର୍ଥହୀନ । ନିର୍ମମତା ପାଇଁ ଆକୁଳିତ ପ୍ରତିବାଦ ବ୍ୟତୀତ ଆମର ଆଉ ଅଧିକ ବା କ’ଣ କରିବାର ଅଛି ?

 

ଡାକ୍ତର ଓ ଗୁଣିଆଁ ପହଞ୍ଚିଗଲେ । ଆମ ଭିତରେ କେତେ ଆଶାର ପାଖୁଡ଼ା ସୃଷ୍ଟି ହୋଇଗଲା । ସେ ଦୁଇଜଣଙ୍କ ପଛରେ ଆମେ ବି ଗଲୁ ମଞ୍ଜୁ ପାଖକୁ । ସେତେବେଳକୁ ମଞ୍ଜୁ ଆଉ କଥା କହିପାରୁ ନଥାଏ । ତା’ର ବେକ ସଳଖଭାବରେ ଧରି ରଖି ପାରୁ ନଥାଏ ତା’ର ମୁଣ୍ଡକୁ । ତା’ ଆଖିପତା ଉପରକୁ ଓହ୍ଲାଇ ଆସୁଥିଲା ଶେଷହୀନ ନିଦର ମାୟା । ତା’ ପାଟିରୁ ଝରି ଆସୁଥିଲା ଲାଳ ମିଶ୍ରତ ଏକ ଅଦ୍ଭୂତପୂର୍ବ ଫେଣ । ଗୁରୁଚରଣ ବଡ଼ବାପା ଅନ୍ୟମନସ୍କ ହୋଇ ପଡ଼ୁଥିଲେ । ମନ୍ତ୍ର ପଢ଼ିବାରେ ତାଙ୍କଠି ଆଉ ଏକାଗ୍ରତା କିମ୍ବା ଉଦ୍‍ବେଗ ନଥିଲା; ତାହା ପଢ଼ିବାରେ ସେ କୌଣସି ଜରୁରୀ କାରଣର ପ୍ରେରଣା ପାଉ ନଥିଲେ ।

 

ଡାକ୍ତର ନିସ୍ପନ୍ଦ ହୋଇ ଆସୁଥିବା ଶରୀରଟିକୁ ଦେଖିନେଲେ । ସେ ତାଙ୍କର ଔଷଧ ବ୍ୟାଗଟି ଖୋଲିବାକୁ ଉଦ୍ୟତ ହେଲେ, ଚାହିଁଲେ ମଞ୍ଜୁ ଆଡ଼େ । ପୁଣି କ’ଣ ଭାବିଲେ କେଜାଣି ବ୍ୟାଗଟିକୁ ବନ୍ଦକରି ଉଠି ଆସିଲେ ସେଠାରୁ । ସାଇକେଲ ହ୍ୟାଣ୍ଡଲ୍‍ରେ ବ୍ୟାଗ୍‍ଟି ଝୁଲେଇବା ବେଳେ ବାପାଙ୍କୁ କହିଲେ–‘ମୁଁ ନ ଆସିଲେ ଆପଣ କାଳେ ଖରାପ ଭାବିବେ ବୋଲି ଚାଲିଆସିଲି । ମୋର ଆଉ କିଛି କରିବାର ନାହିଁ । ପ୍ରକୃତରେ, କାହାରି କିଛି କରିବାର ନାହିଁ ।’

 

ସେ ଦୀର୍ଘଶ୍ଵାସ ତ୍ୟାଗକରି ଆଉ କିଛି କହିବାପାଇଁ ଉଦ୍ୟତ ହେଲାବେଳେ, ସଦ୍ୟ ଆସିଥିବା ଗୁଣିଆ ଜଣକ କହିଲେ- ‘କୋକେଇ ପ୍ରସ୍ତତ କରିନିଅନ୍ତୁ ।’

 

ଗୁଣିଆଁଙ୍କର ଏଇ ପ୍ରସ୍ତାବ ଭାରି ନିର୍ଦ୍ଦୟ ଜଣାପଡ଼ିଲା ଆମ୍ଭମାନଙ୍କୁ । ଦାଦା ଏକଥା ଶୁଣିପାରିଲା କି କ’ଣ । ସେ ଦୃଢ଼ତାର ସହିତ ଘୋଷଣାକଲା–‘ମଞ୍ଜୁ ଯଦି ଚାଲିଯାଏ, ତେବେ ମୁଁ ବି ଚାଲିଯିବି । ତୁମେ ଭାବୁଛ ଯେ, ତା’ କୋକେଇକୁ ବି ମୁଁ କାନ୍ଧରେ ବୋହିବି ? ସେକଥା ହୋଇପାରିବ ନାହିଁ । ଆମେ ଦୁଇ ଜଣଯାକ ଯିବୁ ମଶାଣିକୁ । ଏକା ସଙ୍ଗରେ ।’

 

ଦାଦାର ପ୍ରଶସ୍ତ ଅଗଣା ଆଡ଼େ ଚାହିଁ, ମୁଁ ବସିପଡ଼ିଲି ପିଣ୍ଡା ଉପରେ । ଚାରିବର୍ଷ ତଳର ଗୋଟାଏ ଅପରାହ୍ନ ଜୀବନ୍ତ ହୋଇ ଠିଆ ହେଲା ମୋ ଆଗରେ । ଶନିବାରର ଅପରାହ୍ନ । ସେତେବେଳକୁ ଆମ୍ଭମାନଙ୍କର ଛାଇଗୁଡ଼ାକ ଲମ୍ବା ହୋଇଯାଉଥିଲା । ଛ'ଶହ ମଣିଷଙ୍କୁ ନେଇ ଗଢ଼ି ଉଠିଥିବା ଆମର ଛୋଟ, ପୁରୁଣା ଗାଁ ଉପରକୁ ଓହ୍ଲାଇ ଆସୁଥିଲା ମଳିନ ସନ୍ଧ୍ୟା । ସେ ସନ୍ଧ୍ୟାର ସମସ୍ତ ସ୍ନାୟୁ ଉପରେ ବୀକ୍ଷୁବ୍‍ଧ ଶୋକର ଲୁହ ଅଜସ୍ର ଲହଡ଼ି ହୋଇ ପହଁରି ଯାଉଥିଲା । ଦାଦା ଗାମୁଛାରେ ମୁହଁ ପୋଛି ହୋଇ କାନ୍ଧ ଉପରକୁ ଉଠାଇ ନେଇଥିଲା କୋକେଇର ଓଜନକୁ ।

 

ସେ’ଦିନ ବି ସେ ଦୃଢ଼ତାର ସହିତ ଘୋଷଣା କରୁଥିଲା ଯେ, ଗୋଲକର ଶବ ମଶାଣିରେ ଭସ୍ମିଭୂତ ହେବା ଆଗରୁ, ସେ ନିଜକୁ ଭସ୍ମୀଭୂତ କରିଦେଇଥିବ । ସେ ପାରିଲା ନାହିଁ । ଗୋଲକର ଶବ ଗଲା ମଶାଣିକୁ–ଭଙ୍ଗାହାଣ୍ଡି, ଅର୍ଦ୍ଧଦଗ୍ଧ କାଠ, ଛିଣ୍ଡା ମଶିଣା ଓ ଶୁଖିଲା ହାଡ଼ ପରିପୂର୍ଣ୍ଣ ନଈକୂଳର ଅପନ୍ତରାକୁ । ଗୋଲକର ନିସ୍ପନ୍ଦ ଦେହକୁ ସେ ନିଜେ ଥୋଇଦେଲା ଖଞ୍ଜା ଯାଇଥିବା ଶୁଖିଲା କାଠର କୋଳ ଭିତରେ । ସେ ନିଜେ ମୁଖାଗ୍ନି ଦେଇଥିଲା ।

 

ଅଠର ବର୍ଷରେ ବଡ଼ପୁଅ ଗୋଲକ ଚାଲିଯାଇଥିଲା । ଶନିବାରଦିନ । କ’ଣ ବା ତା’ର ହୋଇଥିଲା ? ସକାଳେ ଆସି କହିଥିଲା ଯେ, ତାକୁ ଭାରି କମ୍ପ ଲାଗୁଛି । ଜ୍ୱର । ଭୀଷଣ ତାତି । ଔଷଧ ପଥିର ବ୍ୟବସ୍ଥା କରୁ କରୁ ଦିନ ବାରଟା ସରିକି ସେ ଆଖିବୁଜି ଦେଇଥିଲା ।

 

ତିନି ଭଉଣୀ ଉପରେ ସେ ଥିଲା ଏକମାତ୍ର ଭାଇ । ଅଠର ବର୍ଷର ଯୁଆନ୍ ପିଲାଟେ । ତାକୁ ଫୁଙ୍କି ଉଡ଼ାଇ ଦେଲା ସାମାନ୍ୟ ଜ୍ୱର । ଏ ପୃଥିବୀରେ କ’ଣ କାହାରିକୁ ଜ୍ୱର ହେଉନାହିଁ ?

 

ଦାଦାର ସଂସାର ସେଇସବୁ ବିବର୍ଣ୍ଣ ହୋଇଯାଇଥିଲା । ଗୋଲକ ସାଙ୍ଗରେ ମରିବାକୁ ଚାହୁଁଥିବା ଦାଦା ବହୁଦିନ ଯାଏ ନିଜକୁ ସଂଯତ କରି ପାରି ନଥିଲା । କାହିଁକି ସେ ଖଟିବ ? କାହାପାଇଁ ? ଝିଅମାନେ ଶାଶୁଘରକୁ ଚାଲିଗଲା ପରେ, ତା’ର କେଉଁ ସଂଜ୍ଞା ଅବଶିଷ୍ଟ ରହିବ ? ପାହନ୍ତା ପ୍ରହରର ପୋଡ଼ାଜହ୍ନ ? ବିଧବା ହୋଇ ଯାଇଥିବା ନାରୀର ଶଙ୍ଖା ?

 

ଗୋଲକ ଚାଲିଗଲା । ଗାଁ ଦାଣ୍ଡରେ ଉଚ୍ଛ୍ଵସିତ ସ୍ୱରରେ ହସ ଶୁଭିଲା ନାହିଁ । ଗୋଲକ କେଡ଼େ ମଜା କଥା କହି ହସାଇ ପାରୁଥିଲା ! ରଜବେଳେ ଗାଁ ମୁଣ୍ଡ ପଡ଼ିଆରେ ଡ୍ରାମା ହୁଏ । ଅଥଚ କେଡ଼େ ନିଃସ୍ୱ, ପ୍ରାଣହୀନ ଜଣାପଡ଼େ ସେ ଡ୍ରାମା ! ଗୋଲକ କାହିଁ ? ଥରେ ହେଲେ ମଶାଣିରୁ ଉଠିଆସି ଏହାକୁ ଜୀବନ୍ତ କରିଦିଅନ୍ତା କି ! ବାହାଘର ଭୋଜିରେ ଭାତ-ଡାଲି ପରଷିବାକୁ କିଏ ଆଉ ଅଣ୍ଟାଭିଡ଼ି ବାହାରି ଆସିବ ? ଗୋଲକ ତ ନାହିଁ !

 

ମୁଁ ଆଦୌ ଚିନ୍ତା କରିପାରୁ ନଥିଲି, ମଞ୍ଜୁ ଯଦି ସତକୁ ସତ ଚାଲିଯାଏ, ତେବେ ତାଙ୍କ ଘରେ ଅନ୍ୟମାନେ ବଞ୍ଚିବେ କିପରି ? ଆମେ କେଉଁ ସାନ୍ତ୍ୱନା ଦେବୁ ? ମୋର ବିବ୍ରତ ଚିନ୍ତାକୁ କଲବଲ କର ଶୁଭିଲା ଉଚ୍ଚସ୍ୱରରେ ଯନ୍ତ୍ରଣା ଜର୍ଜରିତ କାନ୍ଦଣା ।

 

ମଞ୍ଜୁ ମରିଗଲା ।

 

ସବୁ ଯେପରି ଫଟୋଗ୍ରାଫିକ୍ ଚିତ୍ରର ସ୍ଥିର, ଅଚଞ୍ଚଳ ଆଭାସ ! ଗଛର ପତ୍ର ହଲୁ ନାହିଁ, ଆମେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଙ୍ଗୁ ହୋଇ ଯାଇଛୁ, ସମଗ୍ର ବ୍ରହ୍ମାଣ୍ଡ ଖାଲି ଗୋଟାଏ ଗତିହୀନ, କମ୍ପନହୀନ ବିଶାଳ ଧୋକାବାଜ । ଆମେ ଯେ ଯୁଆଡ଼େ ବସି ରହିଥିଲୁ । ଆମ ଭିତରେ, ବାହାରେ କିଛି ଘଟୁ ନଥିଲା । ଏପରିକି ସେଇ କେତୋଟି ମୁହୂର୍ତ୍ତପାଇଁ ଆମ ଗାଁକୁ ଜାବୁଡ଼ି ଧରି ରଖିଥିବା ବିହ୍ଵଳିତ କାନ୍ଦଣାକୁ ଆମେ କେହି ଶୁଣିପାରୁ ନ ଥିଲୁ ।

 

ଫରଚା ହୋଇ ଆସିଲାଣି । ଶନିବାରର ରାତି ଖଣ୍ଡ ଖଣ୍ଡ ହୋଇ ଫାଟି ଯାଉଛି । ଖୁଣ୍ଟକୁ ଆଉଜି ବସିଥିବା ଗୁରୁଚରଣ ବଡ଼ବାପା ଉଠିଆସିଲେ । ଗୋଟାଏ ଅପମାନବୋଧରେ ସେ ଭାରି ସଙ୍କୁଚିତ ଦେଖା ଯାଉଥାନ୍ତି । ଗୁଣିଆ ଭାବରେ ମାତ୍ର ଦଶଦିନରେ ତାଙ୍କର ଏଇ ତୃତୀୟ ପରାଜୟ । ଏହା ପୂର୍ବରୁ ଅନ୍ୟ ଗାଁର ଦୁଇଜଣଙ୍କୁ ସେ ସାପବିଷ ବିରୁଦ୍ଧରେ ଲଢ଼େଇକରି ବଞ୍ଚାଇ ପାରି ନଥିଲେ । ସେ ଚାରିଆଡ଼ୁ ଆହତ ଦୃଷ୍ଟି ବୁଲାଇ ଆଣିଲେ । ମନକୁ ମନ କହିଲେ -କ’ଣ ହୋଇଛି ଏ ପୃଥିବୀକୁ ? ଏଠାରେ କ’ଣ ମନ୍ତ୍ର ଆଉ କାମ କରିବ ନାହିଁ ? ସାପକାମୁଡ଼ା ଯୋଗୁଁ ଶୋଇ ପଡ଼ୁଥିବା ମଣିଷର ନିଦ କ’ଣ ଭାଙ୍ଗିବ ନାହିଁ, ମନ୍ତ୍ରର ସ୍ପର୍ଶରେ ?

 

ମୁଁ ବି ଚାହିଁଲି ଚାରିଆଡ଼କୁ । ସବୁ ତ ଠିକ୍ ଥିଲା ପରି ଲାଗୁଛି । ମଣିଷ ଜନ୍ମ ହେଉଛି, ସ୍ତନ ଚିପୁଡ଼ି କ୍ଷୀର ପିଉଛୁ । ସୂର୍ଯ୍ୟ ଆଗଭଳି ଚଳପ୍ରଚଳ କରୁଛି । ବର୍ଷା ହେଉଛି । କ’ଣ ତେବେ ହଜିଯାଉଛି ଏଠାରୁ ? ଏବେ ଏଣିକି ଯଦି ସାପର ବିଷ ସତ୍ୟ ହୁଏ, ଝଡ଼ା-ଫୁଙ୍କା ଯଦି ଖାଲି ପ୍ରତାରଣା ହୁଏ, ତେବେ କେମିତି ଆମେ ନିରାପଦ ଅନୁଭବ କରିବା ? କେହି ଜଣେ ହେଲେ କହିଦିଅ, କ'ଣ ଅଭାବ ରହୁଛି, ଏଠାରେ !

 

ଦାଦା ଚାରିବର୍ଷ ପରେ ପୁଣି କାନ୍ଦୁଛି । ତଥାପି କେଡ଼େ ନୂଆ ଜଣାପଡୁଛି, ଏ କାନ୍ଦଣା ! ମଣିଷର ମୁହଁ ସିନା ପୁରୁଣା ଦେଖାଯାଏ; ହେଲେ, ତା’ର ଲୁହର ଭାଷା ସବୁବେଳେ ସ୍ୱତନ୍ତ୍ର ! ଏ ପୃଥିବୀରେ କେଉଁଠି ଭଲ ଗୋଟିଏ ପ୍ରକାରର ଯନ୍ତ୍ରଣା ରହିଛି !

 

ବାପା ତା’ର ଡାହାଣ ବାହାକୁ ଧରିଥାନ୍ତି । ସେ ଅଳି କରୁଥାଏ-‘କେଉଁଠି ମୁଁ ମୋର ଛୁଆମାନଙ୍କୁ ଲୁଚେଇବି ? କାଲିଭଳି ସେମାନଙ୍କୁ ଅଠରବର୍ଷ ହୋଇଯିବ । ମାସରେ ତ ଚାରିଟା ଶନିବାର । କ'ଣ କରିବି ମୁଁ ?’

 

ଦାଦା ଯଦି ତା’ଛୁଆମାନଙ୍କୁ ଲୁଚେଇବା ପାଇଁ ନିରାପଦ ସ୍ଥାନ ଖଣ୍ଡିଏ ପାଆନ୍ତା, କେଡ଼େ ଭିଡ଼ ହୁଅନ୍ତା ସେଠାରେ ! କାହାଠାରୁ ସେ ଲୁଚେଇବ ସେମାନଙ୍କୁ ? ଏମିତି କେଉଁ କନିଷ ଅଛି, ଯାହା ଉପରେ ସମୟର ସୁଅ ଘସି ହୋଇପାରେ ନାହିଁ ? ଦଦରା ଚାଳଘରେ ରହୁଥିବା, ସାତସିଆଁ ଲୁଗା ପିନ୍ଧୁଥିବା ଦାଦା ଖୋଜୁଛି ଏମିତି ଏକ ସ୍ଥାନ, ଯାହା ଉପରେ ଅଷ୍ଟାଦଶ ବର୍ଷ ଓ ଶନିବାରର ଛାଇ ପଡ଼ିବ ନାହିଁ ! କିଏ ବା ସିଧା ସଳଖ ଡେଇଁଯିବ ସତରବର୍ଷରୁ ଉଣେଇଶ ବର୍ଷକୁ, ଶୁକ୍ରବାରରୁ ରବିବାରକୁ ? ମୋତେ ଜଣାଯାଉଥିଲା, ଦାଦା ପାଇଁ ବର୍ତ୍ତମାନ କେବଳ ଗୋଟିଏ ବାରର ଅସ୍ତିତ୍ୱ ଅଛି–ଶନିବାର ! ଅନ୍ୟସବୁ ବାର ଡାହାମିଛି । ସମସ୍ତଙ୍କ ପାଇଁ ଊଣେଇଶ ବର୍ଷ, ଅପହଞ୍ଚ ସମୟର ଆକାଶ । ସେଠାକୁ ଗୋଲକର ହାତ ପାଏ ନାହିଁ, ମଞ୍ଜୁର ହାତ ପାଏ ନାହିଁ ।

 

ମାୟାଧର ଦାଦାଙ୍କର ମା’ । ସମ୍ପର୍କରେ ମୋର ଜେଜେମା ହେବ । ବୁଢ଼ୀ ହେଲାଣି । ସେ ଗୋଟିଏ ଅଭିନବ ପ୍ରସ୍ତାବ ଦେଲା- ‘କୁମର ଗୋଟାଏ କାମ କରୁ । ଦି’ଟା ଯାକ ଝିଅଙ୍କୁ ସେ କାହା ପାଖରେ ବିକିଦେଉ । ପାଷାଣ ଯମ ଜାଣୁ ଯେ, କୁମରର ଆଉ କେହି ଛୁଆ ନାହାନ୍ତି । ବୁଢ଼ା ବାପଟା କେତେ ଆଉ ସହିବ ?

 

ଏମିତି କଲେ ସାନ ଝିଅ ଦୁଇଟା ରକ୍ଷାପାଇ ପାରିବେ କି ନା, ମୁଁ ଭାବିପାରୁ ନ ଥିଲି । ମୁଁ କେବଳ ଏତିକି ଭାବୁଥିଲି ଯେ ବେଳେବେଳେ ଜନ୍ମିତ ଛୁଆମାନେ ବାପା, ମାଙ୍କୁ ହତଭାଗା କରିଦିଅନ୍ତି । ଏଇତ, ଆମ ଆଖି ଆଗରେ ଦାଦା ଓ ଖୁଡ଼ୀ ସର୍ବହରା, ନିଃସ୍ୱ ଦେଖାଯାଉଛନ୍ତି । ଏମାନେ ଛୁଆ ଦି'ଟାଙ୍କୁ ଜନ୍ମ ଦେଇଥିଲେ ସେମାନଙ୍କର ମରଣ ଦେଖିବାକୁ, ନିଜ କୋଳରୁ ଉଠାଇ କୋକେଇର କୋଳରେ ଖଞ୍ଜି ଦେବାକୁ । ଗୋଲକ ଓ ମଞ୍ଜୁ ଖାଲି ସେଇଥିପାଇଁ ଜନ୍ମ ହୋଇଥିଲେ ସିନା !

 

ମୁଁ ଉଠିଲି ଘରକୁ ଫେରିବା ପାଇଁ । ସେତେବେଳେ ସୁଦ୍ଧା ସୂର୍ଯ୍ୟ ଉଠି ନ ଥାଏ । ଗାଁର ଯେଉଁ ଲୋକମାନେ ସାରା ରାତି ଜଗି ବସିଥିଲେ, ଅଧିକାଂଶ ଫେରି ଗଲେଣି । କାହାର ବା ମନ ହେବ ସେଠାରେ ବେଶି ସମୟ କଟାଇବାକୁ ?

 

ବାରଣ୍ଡାର ଦୁଇ ଖମ୍ବରେ ଡେରିହୋଇ ମା’ ଓ ପ୍ରୀତି ବସିଥିଲେ । ନିର୍ବାକ୍ ହୋଇ । ମୋତେ କେହି କିଛି ପଚାରିଲେ ନାହିଁ । ମୁଁ ଶୋଇବା ଘରକୁ ଗଲି । ଖଟ ଉପରେ ଝିଅ ଶୋଇଥିଲା । ତା’ର ନିଃଶ୍ଵାସର ଶବ୍ଦ ଭାରି ଆଶ୍ୱାସନାମୟ ଜଣାଗଲା ମୋତେ । ତାକୁ ଦେଖିଲି ସମସ୍ତ ଆବେଗ ଓ ଏକାଗ୍ରତାର ସହିତ, ସତେ ଯେପରି ଏଇ ପ୍ରଥମକରି ଦେଖୁଛି ତାକୁ ।

 

ମା’ ପାଖରୁ ଶୁଣିଛି, ପିଲାଦିନେ କାହାଣୀ ଶୁଣିବାକୁ ମୁଁ ଖୁବ୍ ଜିଦ୍ କରୁଥିଲି । ସଞ୍ଜବେଳେ ଦାଦା ପାଖରେ ମୋତେ ଛାଡ଼ି ଦିଆଯାଏ । ସେ ଆରମ୍ଭ କରେ ରାଜା-ରାଣୀ କଥା । କାହାଣୀ ସରେ ନାହିଁ । ମୁଁ ଶୋଇପଡ଼େ । ସକାଳେ ମୁଁ ଦେଖେ, ଦାଦାର ଦଉଡ଼ିଆ ଖଟ ଉପରେ ମୁଁ ନାହିଁ । ଆମ ଘରର ପଲଙ୍କ ଉପରେ ମୁଁ ଶୋଇଛି । ଦାଦାର କାହାଣୀ ଅଟକି ଯାଇଥାଏ ରାଜକୁମାରୀ ପାଖରେ । ସେ ଆପେକ୍ଷକରି ରହିଛି ରାଜକୁମାରକୁ । ଘୋଡ଼ାରେ ଚଢ଼ି ସେ ଆସିବ ପୋଖରୀ ତୁଠକୁ । ରାଜକୁମାରୀ ଛନଛନ ଆଖିରେ ତା’ଆଡ଼େ ଚାହିଁ ଦେହ, ମୁଣ୍ଡରୁ ଖସିଯାଇଥିବା ଓଦା ଲୁଗାରେ ଆବୃତ କରିବାକୁ ଚେଷ୍ଟା କରୁଥିବ, ଥରିଲା ହାତରେ । ତା’ପରେ ଆଉ କ’ଣ ? ମୁଁ ଶୋଇପଡ଼େ । ଦାଦାର କଳ୍ପନାର କାହାଣୀ ରହିଯାଏ ସେଇଠି । ହେଲେ ମଞ୍ଜୁ ତ କଳ୍ପନା ପ୍ରସୂତ ନୁହେଁ–ବାସ୍ତବ; ମୋପରି, ତୁମପରି । ମଞ୍ଜୁ ଆଉ କାହିଁକି ପୋଖରୀ ତୁଠକୁ ଯିବ ? କାହାପାଇଁ ଅପେକ୍ଷା କରିବ ସେ ? ଏ ପୃଥିବୀରେ କଳ୍ପନାର କାହାଣୀ ଓ ବାସ୍ତବତାର କାହାଣୀ ଗୋଟିଏ ବିନ୍ଦୁରେ ମିଳିତ ହୋଇ ପରସ୍ପର ଭିତରେ ହଜିଯାଆନ୍ତି ବୋଲି ମୋର ଆଗରୁ ଧାରଣା ନ ଥିଲା ।

 

ମଞ୍ଜୁ ଆଉ ନାହିଁ । ଭୋକ କମିଯାଉଛି ବୋଲି ଚା' ଖାଇବାକୁ ସେ ମୋତେ ବାରଣ କରିବ ନାହିଁ, ମୋର ଓଦା ଲୁଗା ଶୁଖେଇ ଦେବ ନାହଁ, ଝିଅ ଆଖିରେ କଜଳ ଲଗାଇ ଦେବ ନାହିଁ । ମୁଁ ଦୀର୍ଘଶ୍ଵାସ ତ୍ୟାଗ କଲି ।

 

ଗାଁ ଚୌକିଦାର କେତେବେଳୁ ଥାନାରୁ ଫେରିଲାଣି । ସେଠାରେ ସେ ଖବର ଦେଇଛି । ପୋଲିସ୍ ଆସି କଥାଟାର ସତ୍ୟାସତ୍ୟ ଅନୁଧ୍ୟାନ କଲେ ଯାଇ ମଡ଼ା ଉଠିବ । ରାସ୍ତା ଉପରେ, ବାଉଁଶ ତିଆର ବୋଝତଳେ ହତ୍ୟାକାରୀ ଚିତି ସାପଟି ବନ୍ଦୀ ହୋଇ ପଡ଼ି ରହିଛି । ଘର ଭିତରେ ବନ୍ଧନହୀନହୋଇ ପଡ଼ିଛି ମଞ୍ଜୁର ମୁର୍ଦ୍ଦାର । ଡେରିହୋଇ ଯାଉଛି । ସାର ଗାଁ ଅଣନିଶ୍ୱାସୀ ହୋଇ ରୁନ୍ଧି ହୋଇ ପଡ଼ିଲାଣି ।

 

କାହିଁ ? ଅପରାହ୍ନ ତିନିଟା ବାଜିଲା । ଏଯାଏଁ ପୋଲିସ୍‍ର ଦେଖାନାହିଁ । ଆମେ ସଭିଏଁ ବିକଳ ହୋଇ ପଡ଼ିଲୁ । ଦୁଇଥର ଲୋକ ପଠାଯାଇଛି ଥାନାକୁ । ହଁ, ଯିବା, ଯିବା ହୋଇ ପୋଲିସ୍‍ ଆସୁନାହିଁ । ମଡ଼ା ବାସୀହେଲେ ତାଙ୍କର ବା ଯାଏ କ’ଣ ? କେଡ଼େ ଅନାସକ୍ତ ସେମାନେ !

 

ଚାରିଟା ବେଳକୁ ବିରକ୍ତିର ମୁହଁ ନେଇ ସେମାନେ ଆସିଲେ । ମାତ୍ର ପାଞ୍ଚ ମିନିଟ୍‍ର କାମ ।

 

ପୋଲିସ୍ ଫେରିଗଲା ପରେ, କୋକେଇ ପ୍ରସ୍ତୁତ କରାହେଲା । ବହୁବେଳୁ କାନ୍ଦଣାର ସ୍ଵର ଥମିଯାଇଥିଲା; କିନ୍ତୁ ମଞ୍ଜୁର ଦେହକୁ ଘରୁ କାଢ଼ିଆଣି କୋକେଇରେ ବାନ୍ଧିବା ବେଳକୁ ସେ ସ୍ୱର ଆହୁରି କରୁଣ, ଆହୁରି ବିଷାଦଗ୍ରସ୍ତ ହୋଇ ଯାଇଥିଲା ।

 

ଦାଦା ଠିଆ ହୋଇଥିଲା ପାଖରେ; ଅନ୍ୟ ମାଲଭାଇଙ୍କ ସହିତ । ନା, ସେ ମରିନାହିଁ । ସେ ମରିନଥିଲା ଗୋଲକର ମୃତ୍ୟୁପରେ ।

 

ସେ ବସିପଡ଼ିଲା ତଳେ । କୋକେଇଟିକୁ କାନ୍ଧଉପରକୁ ଉଠାଇବାକୁ ହେବ । ଯନ୍ତ୍ରଣାରେ ମୋର ଆଖି ଆପଣାଛାଏଁ ବନ୍ଦ ହୋଇଗଲା । ମଞ୍ଜୁପାଇଁ ଆହୁରି ଦୁଇଧାର ଲୁହ ଝରି ଆସିଲା ମୋର ଗାଲ ଉପରେ ।

 

ମଞ୍ଜୁର ମୁର୍ଦ୍ଦାର ଆଉ ଭୂଇଁ ଉପରେ ନାହିଁ । ବର୍ତ୍ତମାନ ତାହା ଦାଦାର କାନ୍ଧରେ, ଅନ୍ୟ ମାଲଭାଇଙ୍କ କାନ୍ଧରେ । ଜଣେ ବାପ ପାଇଁ ନିଜ ଛୁଆର ମୁର୍ଦ୍ଦାରଠାରୁ ବଳି ଆଉ କିଛି ଓଜନିଆ ଜିନିଷ ପୃଥିବୀରେ ଅଛି କି ? ତଥାପି ଦାଦାର କମ୍ପିତ କାନ୍ଧ ଉପରୁ କୋକେଇଟା ଖସି ପଡ଼ୁନାହିଁ । ନଈକୂଳରେ ଶୁଖିଲା କାଠ ସଜାଡ଼ି ସେ ନିଜର ଦ୍ଵିତୀୟ ସନ୍ତାନକୁ ମୁଖାଗ୍ନି ଦେଇ ଫେରିବ ।

 

ବୁଧବାର ଆସିଲା । ଗାଁର ଝିଅମାନେ ଚାଉଳଭଜା ଓଷା କରୁଥିବାର ଦିନ । ସନ୍ଧ୍ୟାରେ ଆମ ଗାଁର ଅଣୁ ପରମାଣୁ ଭିତରେ ଗୋଟାଏ କୋହମିଶା ସ୍ୱର ଜଣକୁ ଖୋଜି ବୁଲିଲା–‘ମଞ୍ଜୁ, ଲୋ ବାୟାଣୀ ! କିଲୋ କେଉଁଠି ଶୋଇପଡ଼ିଲୁ କି ? ଉଠ୍‍ । ଚାଉଳଭଜା ଓଷାକୁ ସଭିଏଁ ଗଲେଣି । ଉଠ, ମା । ଉଠ୍‍ ।’

 

ସେ ସ୍ୱରର କ’ଣ ଥିଲା କେଜାଣି, ସମଗ୍ର ଗାଁ କାଙ୍ଗାଳ ସାର୍ବହରା ଜଣା ପଡ଼ିଲା । ପାହାଡ଼ର ଶିଳା-ପ୍ରଶିଳା, ଶିଖ ଉପରେ ଥିବା ମନ୍ଦିରର ପତାକା, ମୁଣ୍ଡ ଉପରର ଆକାଶ-ସମସ୍ତେ ଅପରାଧୀ ଭଳି ନୀରବ ଓ ନତମସ୍ତକ ହୋଇଗଲେ । ଚାଲୁଥିବା ମଣିଷର ଗୋଡ଼, ଖାଉଥିବା ମଣିଷର ହାତ, ଭୁକୁଥିବା କୁକୁର ଓ ପାକୁଳି କରୁଥିବା ଗାଈର ପାଟି ମୋହଗ୍ରସ୍ତ ହେଲାଭଳି ଅଟକି ଗଲା ।

 

ଏବେ ମଧ୍ୟ ଏ ଡାକ ମଝିରେ ମଝିରେ ଶୁଣାଯାଏ । ଏ ଡାକ କେଉଁଦିନ ସରିଛି ନା ସରିବ ?

Image

 

ଚନ୍ଦ୍ରସେଣାର ଦୁଃଖ

ଶ୍ରୀ ପଦ୍ମଜ ପାଳ

 

ଆଃ... ମୁଁ ଚନ୍ଦ୍ରସେଣା । ଚନ୍ଦ୍ରସେଣା । ଚନ୍ଦ୍ର...ସେଣା । ରାଧା ମୋର ସ୍ତ୍ରୀ । ଆଉ ମୁଁ କୁଆଡ଼େ ତାର ସ୍ୱାମୀ । ତା’ର ଦେହର, ମନର ସବୁର ଅଧିକାରୀ ।

 

ହୁଁ -

 

ରୁପସୀ ସେ ! ପଦ୍ମିନୀ ନାୟିକା ରାଧାର ଚାଲିରେ ଅଛି ଛନ୍ଦ । ଆଖିର ଚାହାଣୀରେ ଅଛି ଅନ୍ୟକୁ ବିମୋହିତ କରିବାର ମାୟା । ହସରେ ମୁକ୍ତା ଝରେ । ଅଧରରେ କୃଷ୍ଣଚୂଡ଼ାର ଛଟା । ଗଣ୍ଡରେ ରକ୍ତଜବାର ପ୍ରଥମ ଉନ୍ମୋଚନର ଅହଙ୍କାର । କଥା ତା’ର ପଶୁପକ୍ଷୀଙ୍କୁ ତନ୍ମୟ କରେ । ଦୁରନ୍ତ ଏକ ତାତ୍ସଲ୍ୟର ମଧୁର ଝଙ୍କାର ଭାବି ଯାହା ପୁଣି ସଙ୍ଗୀତମୟ । ସିଂହକଟୀ ଲାବଣ୍ୟମୟୀ ଷୋଡ଼ଶୀ ରାଧାର ଅଙ୍ଗରେ ଚିରବସନ୍ତର ଲାବଣ୍ୟ ।

 

ଏସବୁ, ଏସବୁ କିନ୍ତୁ ମୋ ପାଇଁ ନୁହେଁ । ଚନ୍ଦ୍ରସେଣା ପାଇଁ ନୁହେଁ । ନୁହେଁ ତା’ର ସ୍ୱାମୀ ପାଇଁ । ଚନ୍ଦ୍ରସେଣା ଦୀର୍ଘଶ୍ଵାସ ପକାଏ । ଗ୍ଲାନିର ସେଇ ଆହତ ଦୃଷ୍ଟି ଲମ୍ବି ଯାଏ ଶୂନ୍ୟର ପରଦା ଭେଦି । ପୁଣି କେତେବେଳେ ଚନ୍ଦ୍ରସେଣା ଅତିଷ୍ଟ ହୋଇ ଅନ୍ତର୍ଦାହରେ ସ୍ୱର୍ଗତୋକ୍ତି କରେ- ଆଃ...

 

ରାଧା !

 

ରାଧା–କଳଙ୍କିନୀ । ରାଧା–ପରପୁଂଷରତା । ଚନ୍ଦ୍ରସେଣାର ପତ୍ନୀ ହୋଇ ଅନ୍ୟ ପ୍ରେମରେ ଆସକ୍ତା–କୁଳଟା ସେ ।

 

–ଚନ୍ଦ୍ରସେଣା ବଂଶର କଳଙ୍କ ।

 

–ପୂର୍ବ ପରପୁରୁଷଙ୍କର ଜୀବନ ବ୍ୟାପୀ ନର୍କ ଯନ୍ତ୍ରଣା ଭୋଗର ହେତୁ ।

 

–ବନ୍ଧୁ, ଅନୁଗାମୀଙ୍କ ପାଖରେ ତାର ହୀନମନ୍ୟତାର, ଲଜ୍ଜାର କାରଣ ।

 

ବିକ୍ଷୁବ୍ଧ ଚନ୍ଦ୍ରସେଣା ଚମକି ପଡ଼େ । ମୁହଁର ରେଖା ଶକ୍ତ ହୋଇ ଉଠେ ।

 

ନା-ନା-ନା-ନା, ସେ ୟାର ସମାଧାନ କରିବ । ରୂପଗର୍ବିଣୀ କଳଙ୍କିନୀ ରାଧାର ଆତୁର କାମ ଲିପ୍‍ସାକୁ ଚିରିଦିନ ପାଇଁ ଶେଷ କରିବ । ତା’ର ସେଇ ଦୀର୍ଘ ନିଘଞ୍ଚ ଘନକୃଷ୍ଣ କେଶ ଧରି ପଚାରିବ, ଏ ଦେହର କ୍ଷୁଧାର କ’ଣ ଶେଷ ନାହିଁ ?

 

ସାମାନ୍ୟ ଏହାର ଅତୃପ୍ତିରେ ମଣିଷ କ'ଣ ସବୁଦିନେ ପଶୁ ? ତା’ର ଗର୍ବ, ଗୌରବ ସମ୍ମାନ ସବୁ କ’ଣ ସେଠି ଅର୍ଥହୀନ ? ଅବାନ୍ତର ?

 

ସେଦିନ ନୀଳକାନ୍ତ କହୁଥିଲା-ହଁ, ଚନ୍ଦ୍ର–ମୁଁ, ମୁଁ ନିଜେ ଦେଖିଛି । ନିଜକୁ ନିଜେ ଅବିଶ୍ୱାସ କରିବି କେମିତି ?

 

ଯମୁନା କୂଳର ପତଳା ଅରଣ୍ୟ ଭିତରେ ମୁଁ ଥାଏ ଗୋଟାଏ ବିରାଟ ଗଛର ପଛପଟେ । ରାଧା ଆଉ କୃଷ୍ଣ, ନିର୍ଜନ ସେ କଦମ୍ବ ମୂଳରେ । ଗଛକୁ ଭରା ଦେଇ ଛିଡ଼ା ହୋଇଛି କୃଷ୍ଣ । ହାତ ପାହାନ୍ତାରେ । କାମାସକ୍ତ କୃଷ୍ଣର ଜଳିଲା ଆଖିର ବଳୟ ଭିତରେ କେମିତି ଏକ ନିରାପଦ ଭାବେ ଆତ୍ମବିସ୍ମୃତ ଥିଲା ରାଧା ।

 

ଚାରିଆଡ଼େ ବସନ୍ତର ରଙ୍ଗବେରଙ୍ଗୀ ସୁରଭିତ ଫୁଲର ବାସ୍ନା । ସାମନାରେ ଯମୁନା-ପ୍ରେମ ସଙ୍ଗୀତ ଗାଇ ଯେପରି ଛନ୍ଦହରା ହୋଇ ଉଠୁଛି । ନିବିଡ଼ କା’ର ସ୍ପର୍ଶ ପାଇଁ ।

 

ପାଖରେ ରାଧା -ନାରୀ ।

 

ସାମ୍ନାରେ କୃଷ୍ଣ- ଜଣେ ପୁରୁଷ । ଫଗୁଣର ଅରଣ୍ୟରେ ଯୌବନର କୁସୁମିତ ସମ୍ଭାର ନେଇ ପରସ୍ପର ମୁଖାମୁଖୀ । ଧୀରେ କୃଷ୍ଣ ହାତରେ ତା’ର ତୋଳି ଧରିଲା ସୁକୁମାରୀ ରାଧାର ଆରକ୍ତ ମୁଖ ।

 

ଭୀତା କପୋତୀ ଭଳି ଆଉଜି ପଡ଼ିଲା ରାଧା କୃଷ୍ଣର ପ୍ରଶସ୍ତ ନୀଳ ବୁକୁ ଉପରେ । ହାତ ଦୁଇଟା ତାର ବେଢ଼ିଗଲା କଣ୍ଠରେ । ଏକ ଅଭିନବ ମିଳନର ଦୃଶ୍ୟ ସେ । ମନେ ହେଉଥିଲା ରାଧା କୃଷ୍ଣ ସେମାନେ ଯେପରି ଦୁଇଜଣ ନୁହଁନ୍ତି । ଜଣେ ସେମାନେ; ଜଣକୁ ଛାଡ଼ି ଅନ୍ୟ ଜଣେ ଯେତିକି ଅପୂର୍ଣ୍ଣ ପୁଣି ସେତିକି ବିକଳାଙ୍ଗ ।

 

ମୁହୂର୍ତ୍ତକ ପରେ କୃଷ୍ଣ ନିଜର ଦୁଷ୍ଟ ଅଧରକୁ ଅଧୀର ଭାବେ ଲଗାଇଦେଲା ରାଧାର ଗଣ୍ଡ ଉପରେ ।

 

ଚୁପ୍ । ଚୁପ୍ । ଯନ୍ତ୍ରଣାରେ ଛଟପଟ ହୋଇ ସେଦିନ ଚିତ୍କାର କରି ଉଠିଲା ଚନ୍ଦ୍ରସେଣା । ଉତ୍ତେଜନାରେ ଜଳୁଥାଏ ଚନ୍ଦ୍ରସେଣାର ସେଇ ହିଂସ୍ର ଆଖି ଦୁଇଟା ଦେଇ ସେଦିନ ନୀଳକାନ୍ତ ଆଗକୁ ପାଦ ବଢ଼ାଉ ବଢ଼ାଉ କହୁଥିଲା–ହେଲେ ଏସବୁ କ’ଣ ମିଛ ?

 

ପାଗଳଙ୍କ ଭଳି ଚନ୍ଦ୍ରସେଣା ଚିତ୍କାର କଲା -ମିଛ । ମିଛ । ମିଛ । ସବୁ ମିଛ ।

 

ଅଥଚ ଚନ୍ଦ୍ରସେଣାକୁ ନିଦ ନାହିଁ ।

 

ଅସହାୟ ବର୍ତ୍ତମାନ ଭିତରେ ଅନାଗତ ଭବିଷ୍ୟତ, ଯା’ପାଇଁ କଳ୍ପନା ବି ଆହୁରି ଯନ୍ତ୍ରଣାପଦ । ଆହୁରି ଭୟାବହ, ତାକୁ ନିଦ ବା ଆସିବ କୁଆଡ଼ୁ ?

 

ବିଛଣାରେ ଚନ୍ଦ୍ରସେଣା କଡ଼ ନେଉଟାଏ । ଛଟପଟ ହୁଏ । ମୁହଁ ଟେକି କଡ଼କୁ ଚାହେଁ । ପାଖରେ ଶୋଇଛି ରାଧା । ତ୍ରୟୋଦଶୀର ଶୀତଳ ଜ୍ୟୋସ୍ନା ମୁଠା ମୁଠା ମଲ୍ଲୀ ଫୁଲ ଭଳି ବିଞ୍ଚିହୋଇ ପଡ଼ିଛି ଖୋଲା ଝରକା ଦେଇ ତା ଉପରେ । ନିଃସଙ୍କୋଚ ନିର୍ଲିପ୍ତ ଭାବେ ଶୋଇଛି ସେ । ଚନ୍ଦ୍ରସେଣା ଦେଖେ ।

 

ମାୟାବିନୀ ରାଧାର ରୂପ ଲାବଣ୍ୟ ଏଇ ଜ୍ୟୋସ୍ନାର ଅନ୍ତରଙ୍ଗ ସ୍ପର୍ଶରେ ଆହୁରି ଶ୍ରୀମନ୍ତ ହୋଇ ଉଠୁଛି । ସତେ ରାଧା...., ରାଧା କେତେ ସୁନ୍ଦରୀ !

 

ଚନ୍ଦ୍ରସେଣା ଦୀର୍ଘଶ୍ଵାସ ମାରେ । ଭାବେ, ଯେଉଁମାନେ କୁହନ୍ତି କୃଷ୍ଣର ବଂଶୀ ଶୁଣି ରାଧା ଅଭିସାରିଣୀ ସାଜେ ସବୁଗୁଡ଼ାକ ଯେପରି ମିଛ । ରାଧାର ସୌନ୍ଦର୍ଯ୍ୟ ଦେଖି ନପାରି ଈର୍ଷାର ଅଭିବ୍ୟକ୍ତି ।

ନା । ରାଧା, ନିଷ୍ପାପ । ସେ ଏସବୁ କରି ପାରେନା । ଯଦି ପାପାସକ୍ତ ଏତେ ରାଧା ନିଃସଙ୍କୋଚତା, ଏତେ ଶାନ୍ତି, ଏତେ ସ୍ଥିରତା ଆସନ୍ତା କୁଆଡ଼ୁ ?

 

ଚନ୍ଦ୍ରସେଣା ନିଜ ଚିନ୍ତାର ଥଳକୂଳ ପାଏନା । ଏଇ ସୁପ୍ତିରେ ରାଧା ଜଣାଯାଏ ଆହୁରି ପବିତ୍ର । କାଳିମା ବିହୀନ ।

 

ରାଧା କଡ଼ ନେଉଟାଇଲା । ଛାତି ଉପରୁ ଖସିଗଲା ତାର ପାଟଟା । ପୂର୍ଣ୍ଣ ଦୁଇଟି ବୃତ୍ତାକାର ସ୍ତନର ଅହଙ୍କାର ଏକ ବୈଦ୍ୟୁତିକ ଚାଞ୍ଚଲ୍ୟ ଭରିଦେଲା ଚନ୍ଦ୍ରସେଣାର ସମଗ୍ର ଦେହରେ । ଆଖିରେ ତାର ଭରିଗଲା କ୍ଷୁଧିତ କାମନାର ଲୋଲୁପ ହିଂସ୍ରତା ।

 

ନିଜକୁ ପୁଣି ସଞ୍ଜତ କରିନିଏ ଚନ୍ଦ୍ରସେଣା । ଏ କାମନାରେ ଆତୁରତା ଥାଇପାରେ । ହେଲେ ପ୍ରତିଶ୍ରୁତି ନାହିଁ । ନିଶ୍ଚୁପ ଭାବରେ ବିଛଣାରେ ପଡ଼ି ପଡ଼ି ସେ ଭାବେ । ହୁଏତ ରାଧାର ବକ୍ଷରେ ବେଢ଼ାଇ ଦେଲେ ପାଟଟା, ସେ ଉଠିଯାଇ ପାରେ । ପଚାରି ପାରେ ହୁଏତ ତାର ଏ ଯାବତ୍ ଅନିଦ୍ରାର କାରଣ । ନା, ବରଂ ଭଲ ଚୁପ୍‍ ହୋଇ ରହି ଯିବା । ରାଧା ଯେପରି ସାମାନ୍ୟ ସୁରାକ୍ ନ ପାଏ ଚନ୍ଦ୍ରସେଣା ଏ ପର୍ଯ୍ୟନ୍ତ ଶୋଇନାହିଁ ବୋଲି ।

 

ହଠାତ୍ ରାତ୍ରିର ସେଇ ନିସ୍ତବ୍ଧତାକୁ ଭଙ୍ଗ କରି ଜ୍ୟୋସ୍ନାର ଜୁଆର ଭିତରେ ଫୁଲି ଫୁଲି ଘର ଭିତରକୁ ପଶି ଆସିଲା ଦୂରନ୍ତକାର ଏକ ଅସ୍ପଷ୍ଟ ବଂଶୀର ସ୍ୱନ ।

 

ହଁ, ଚନ୍ଦ୍ରସେଣା କାନ ପାତିଲା -ବଂଶୀ ସ୍ୱନ ତ ।

 

ଏଇ କ’ଣ ତେବେ ସେଇ ବିରହ ବଂଶୀର ସ୍ଵର ? ରାଧାର ଅନୁପସ୍ଥିତି ପାଇଁ କଣ କୃଷ୍ଣର ଏତେ ବ୍ୟାକୁଳତା । ଚନ୍ଦ୍ରସେଣାର ପାଖରୁ ଛଡ଼ାଇ ନେବାକୁ ରାଧାକୁ । କୃଷ୍ଣର କ’ଣ ଏପରି ଏକ ଇଙ୍ଗିତ ଇଏ !

 

ଦୂରରୁ, ଅନେକ ଦୂରରୁ, ହୁଏତ ଯମୁନାତୀରସ୍ଥ ସେଇ କଦମ୍ବ ମୂଳରୁ ହେବ । କେଉଁ ପ୍ରିୟାର ଅନୁପସ୍ଥିତିରେ ଆକୁଳ ହୋଇ ପ୍ରିୟତମ ତାର ଅନ୍ତର୍ଦାହକୁ ଛପାଇ ନ ପାରି ବଂଶୀ ବଜାଏ । ଆଉ ସେଇ ସ୍ୱର ରାତ୍ରିର ନିସ୍ତବ୍ଧ ପ୍ରହରରେ ବ୍ୟାପିଯାଏ ଅଣୁରୁ ପରମାଣୁକୁ । ଚନ୍ଦ୍ରସେଣାର ରକ୍ତ ତାତି ଉଠେ । ଆଖିରେ ଘୃଣାର ରଙ୍ଗ ଲାଗେ । ସନ୍ଦେହ ଅବିଶ୍ୱାସରେ ଛଟପଟ ହୃଏ ।

 

ହଁ ଠିକ୍ ଏଇ ସମୟ ରାଧାକୁ ପରୀକ୍ଷା କରିବାର । ନଗ୍ରବାସୀଙ୍କ ନିନ୍ଦା ଅଭିଯୋଗ ସବୁର ସତ୍ୟାସତ୍ୟ ଜାଣିବାର ।

 

ବିଛଣାରେ ପଡ଼ି ଚନ୍ଦ୍ରସେଣା ଶୋଇବାର ଛଳନା କରେ ।

 

ବିଛଣାରେ ପଡ଼ି ରାଧା କଡ଼ ନେଉଟାଏ ।

 

ଚନ୍ଦ୍ରସେଣା ଛାତିରୁ ରକ୍ତର ଉଲ୍‍କା ଖସେ ।

 

ବିଛଣାରେ ରାଧା ଏକ ଅଦୃଶ୍ୟ ଆକର୍ଷଣର ସୁସୃପ୍ତି ଭିତରେ ଛଟପଟ ହୁଏ । ଦୂରରୁ ବ୍ୟାକୁଳତାର ସୀମା ଛୁଇଁ ବଂଶୀର ଲହରି ଛୁଟେ । ଛୁଟେ କରୁଣତମ ରାଗିଣୀରେ ।

 

ହଠାତ୍ ରାଧା ଉଠି ବଛଣାରେ ବସି ପଡ଼େ । କେଉଁ ତାନ୍ତ୍ରିକର ମହାମନ୍ତ୍ରର ଶକ୍ତି ଯେପରି ଶକ୍ତିହୀନ କରି ତାକୁ ଉଠେଇ ପକାଉଛି ।

 

ପାଖରେ ଚନ୍ଦ୍ରସେଣା ସତର୍କ ହୋଇ ଉଠୁଛି । ହାତରେ ଆଖି ଘସି ରାଧା ନିଦ ଭାଙ୍ଗୁଛି । ସଜାଡ଼ି ନେଇଛି ଦେହରୁ ଖସି ଯାଇଥିବା ବାସ । ଅସଂଯତ କେଶ ଉପରେ ହାତ ଚଲାଇ ସ୍ଥିର କରୁଛି ନିଜକୁ ।

 

ହଁ, ଶୁଭୁଛି । ଶୁଭୁଛି ତ ସେଇ ବଂଶୀ ।

 

ଆକୁଳରେ ଯେପରି କହୁଛି -ଆଉ କେତେଦିନ ? କେତେଦିନ ରାଧା ? ପ୍ରତୀକ୍ଷାରେ ଯନ୍ତ୍ରଣା ଅଛି । ହାତ ପାହାନ୍ତାରେ ସେଇ ପ୍ରତୀକ୍ଷିତ ବସ୍ତୁର ଅପ୍ରାପ୍ତିର ଜ୍ୱାଳା ପୁଣି ଅଧିକ ମର୍ମନ୍ତୁଦ । ଆସ....ଆସ....ରାଧା...

 

ରାଧର ହୃଦୟତନ୍ତ୍ରୀ ବିଦାରିତ ହୁଏ । ଅଜଣା ଭାବରେ ସେ ହଠାତ୍ ଉଠି ଛିଡ଼ା ହୁଏ ।

 

ଚନ୍ଦ୍ରସେଣା ତଥାପି ଶୋଇଛି। ରାଧା ପାଦ ଚିପି ଚିପି ଦ୍ୱାର ଖୋଲୁଛି । ଉନମୋହନର ଏକ ଅସ୍ଥିର ଆବେଗ ସେ । ପ୍ରୟିତମକୁ ଭେଟିବାର ଏଇ ଅନ୍ଧ ଆବେଗ ସବୁବେଳେ କରେ ପରିବେଶ ପ୍ରତି ନିର୍ଲିପ୍ତ । ରାଧା ଚଞ୍ଚଳ ପାଦରେ ଧାଇଁ ଯାଉଛି । ଶୁଭୁଛୁ ନିସ୍ତବ୍ଧତା ଭିତରେ ପାଦ ଶବ୍ଦ ତାର ।

 

ଚନ୍ଦ୍ରସେଣା ଏକ ଆହତ ସିଂହ ଭଳି ନିଶବ୍ଦରେ ଗର୍ଜନ କରି ଉଠିଲା । ସେ ସ୍ଥିର କରି ପାରେନା କ’ଣ ତାର କର୍ତ୍ତବ୍ୟ । ସେ କ'ଣ ଚିତ୍କାର କରି ଡାକ ପକାଇବ ରାଧାକୁ ? ନା’ ପଛେ ପଛେ ଯାଇ ଦେଖିବ ସେଇ ଦୃଶ୍ୟ । ଯାହା ସେ ଅନେକଥର ଶୁଣିଛି ।

 

ଯମୁନାର କୂଳକୁ ଲାଗି ସେଇ କଦମ୍ବ ଗଛଟା । ପ୍ରଥମ ଆଷାଢ଼ରେ ଯାହାର ପ୍ରତିଟି ଶାଖାରେ ଫୁଲ ଫୁଟେ । ଆଉ ଯେଉଁ ଡାଳରେ ଅନେକ ସମୟରେ କୃଷ୍ଣ ବସି ଏକାକୀ ବଂଶୀ ବଜାଏ । ସେଇ ବଂଶୀର ସ୍ୱର ଚହଳ ପକାଏ ଗୋପପୁରର ଅନ୍ତଃପୁରେ ।

 

କୃଷ୍ଣ ଛିଡ଼ା ହୋଇଛି ସେ ଗଛକୁ ଆଉଜି । ହାତରେ ବଂଶୀ ଅଧର ସ୍ପର୍ଶ କରିଛି । ଚନ୍ଦ୍ରସେଣାକୁ ଜଣାଯାଏ, ରାଧା ଧାଇଁଯାଇ କୃଷ୍ଣର ପାଦତଳେ ଲୋଟି ପଡ଼ୁଛି । କୃଷ୍ଣ ପୁଣି ଉଠାଇ ନେଉଛି ରାଧାକୁ । ସଲ୍ଲଜ ପଦ୍ମଫୁଲ ଭଳି ତା’ର ନଇଁ ଯାଇଥିବା ମୁହଁଟିକୁ ଟେକି ଦେଖୁଛି ତନ୍ମୟ ହୋଇ । ହାତ ବୁଲାଇ ନେଉଛି ପୁଣି ତାର କେଶ ଉପରେ । ପ୍ରେମ ଆନନ୍ଦ ଆତ୍ମ ସମର୍ପଣର ମିଳିତ ଭାବରେ ଅଶ୍ୱସ୍ତ ରାଧାର ଆଖି ନଇଁ ଆସୁଛି ପୁଲକରେ ଭାରାକ୍ରାନ୍ତ ହୋଇ । ତା'ପରେ ଦୀର୍ଘ ପ୍ରତୀକ୍ଷା ଜନିତ ବ୍ୟାକୁଳତାର ସ୍ମାରକୀ ରୂପେ କୃଷ୍ଣ ଅଧର ସ୍ପର୍ଶ କରୁଛି ବାରମ୍ବାର -ଗଣ୍ଡ ଦେଶରେ । ରକ୍ତାଭ ଅଧରରେ ।

 

ଇସ୍ !

 

ଚନ୍ଦ୍ରସେଣା ଘୃଣାରେ ଅଖି ବୁଜି ପକେଇଲା ।

 

ରାଧା–ମାଇଁ !

 

କୃଷ୍ଣ-ପୁଣି ତା’ର ଭଣଜା । ଭଣଜା ।

 

ଉତ୍ତେଜିତ ଭାବେ ଚନ୍ଦ୍ରସେଣା ବିଛଣା ଉପରେ ବସି ପଡ଼ିଲା । ଅସ୍ପଷ୍ଟ ଅନ୍ଧକାର ଭିତରେ କ’ଣ ଯେମିତି ଆଖି ବୁଲେଇ ଖୋଜିଲା । ହେଲେ, କ'ଣ ଖୋଜୁଛି ସେ !

 

ତଥାପି ରାଧା ଆସିନି । ଆସିନି ଏ ଯାବତ୍ ରାତ୍ରିର ଅଭିସାର ପରେ ।

 

ବାହାରେ ରାତ୍ରିର କେତେଟା ଉଜାଗର ବିହଙ୍ଗୀ ଚିତ୍କାର କରି ଉଠିଲେ । ହୁଏତ କେଉଁ ବ୍ୟର୍ଥତାକୁ ଛପେଇ ଦେବାକୁ -ଆତ୍ମଧୋକାର ଶବ୍ଦ ସେ । ସ୍ଵର ସେ । ଚନ୍ଦ୍ରସେଣା ଭାବେ–ହୁଏତ ରାଧାକୁ ଚୁମ୍ବନରେ କ୍ଳାନ୍ତ କରି ଉତ୍ତେଜିତ- ନିର୍ଭୟରେ କୃଷ୍ଣ ଖୋଲୁଥିବ ତାର ଅଙ୍ଗ ବାସ । ବକ୍ଷ ବନ୍ଧନ । ରାଧା ଧୀରେ ଧୀରେ ଲାଗି ଯାଉଥିବ କୃଷ୍ଣର ଦେହକୁ ।

 

ଚନ୍ଦ୍ରସେଣା ଉଠି ଆସି ହଠାତ୍ ପାଣି ପିଇ ଯାଏ । ଆଃ ! ଏଇ ଜଳର ଶୀତଳତା କେତେ ଅଧିକ । କେତେ ଅଧିକ ନିରାପଦ ତା’ର ଅନ୍ତରଙ୍ଗ ସ୍ପର୍ଶ । ଅଥଚ ରାଧାର ସ୍ପର୍ଶ କେତେ ଭୟଙ୍କର । ଅଗ୍ନିମୟ !

 

ଚନ୍ଦ୍ରସେଣା କାନରେ ହଠାତ୍ ପ୍ରତିଧ୍ଵନିତ ହେଲା ବାହାରେ କାହାର ପାଦ ଶବ୍ଦ ।

 

କିଏ ? ରାଧା ! ରାଧା ନୁହେଁତ ! ଆସୁ ନାହିଁ ତ ସେ; ରାତ୍ରିର ଅଭିସାର ପରେ ।

 

ଘର ଭିତରକୁ ପଶି ଆସି ଉନ୍ମୁକ୍ତ ଝରକା ଦେଇ ଚନ୍ଦ୍ରସେଣା ଦେଖେ–ରାଧା ଫେରୁଛି କ୍ଲାନ୍ତିରେ ଅବଶ, ତାର ପାଦ ଦୁଇଟା ଅସଂଯତ ଭାବେ ପଡ଼ୁଛି । ମୁହଁସାରା ବିକ୍ଷିପ୍ତ ଭାବେ ପଡ଼ିଛି କେଶରାଶି ।

 

ଚନ୍ଦ୍ରସେଣା କଛି ସ୍ଥିର କରିପାରେନା । ହଠାତ୍ ବିଛଣାରେ ପଡ଼ି ପୁଣି ଶୋଇବାର ଛଳନା କଲା ।

 

ଧୀରେ କବାଟ ଖୋଲି ରାଧା ପଶିଲା ଘର ଭିତରକୁ ।

 

ଚନ୍ଦ୍ରସେଣା ଶୋଇଛି । ଶୋଇଥାଉ । ଚାରିଆଡ଼କୁ ଚାହିଁ ରାଧା ଶୋଇ ପଡ଼ିଲା ବିଛଣା ଉପରେ ।

 

ଚନ୍ଦ୍ରସେଣାର ସ୍ନାୟୁରେ ବିସ୍ଫୋରଣ ହେଲା । ରାଧା ପାଖରେ ଶୋଇଛି । ଦେହକୁ ଲାଗିଛି ଦେହ । ତାକୁ ଲଗେ-ଦେହକୁ ତାର ଲାଗିଛି ଗଳିତ କୃଷ୍ଣ ବ୍ୟାଧିଗ୍ରସ୍ତ ଗୋଟାଏ ଅବାଞ୍ଚିତ ନାରୀ । ସଂକ୍ରମିତ କରୁଛି ସେଇ ଭୟାନକ ରୋଗ ତା’ର ରକ୍ତ ଭିତରକୁ । ସେଇ ଦାହରେ ଜଳୁଛି ତାର ଅଙ୍ଗ ପ୍ରତ୍ୟଙ୍ଗ ।

 

ନା । ଆଉ ବିଳମ୍ବର ପ୍ରୟୋଜନ ନାହିଁ । ଟିକକ ପରେ ହୁଏତ ପାହିଯିବ ରାତ୍ରୀ । ସୂର୍ଯ୍ୟସ୍ନାନ ପରେ ରାଧା ପୁଣି ନିଜକୁ ନିଷ୍ପାପ ପବିତ୍ର ମନେକରି ଘୂରି ବୁଲିବ ଗୋପପୁରେ ।

 

ଏଣିକି ଚନ୍ଦ୍ରସେଣା ଉଠିବ । ଚିପି ଧରିବ ରାଧାର ତଣ୍ଟିକୁ । ଯନ୍ତ୍ରଣାରେ ଛଟପଟ ହେଉଥିବା ରାଧାର ମୃତ୍ୟୁ କୁ ସେ ଉପଭୋଗ କରିବ ।

 

ହଂସ ଭଳି ତା’ର ସେଇ ଧବଳ କୋମଳ ଗ୍ରୀବା ଉପରେ ଚନ୍ଦ୍ରସେଣାର ଲୌହଶକ୍ତ ଆଙ୍ଗଠି ସବୁ ଖେଳ ଖେଳିବେ । ଜମିଯିବ ରକ୍ତ । ରାଧା ଛଟପଟ ହେବ ଅଥଚ ସେ ଚିତ୍କାର କରିପାରିବ ନାହିଁ ।

 

ଚନ୍ଦ୍ରସେଣା ଆଖିରେ ହିଂସ୍ରତା ଜମାଟ ବାନ୍ଧେ । ହଁ, ଅନ୍ତତଃ ସେଇ ହେଉ ଗୋଟାଏ କୁତ୍ସିତା ନାରୀର ପ୍ରାପ୍ୟ ।

 

-ରାଧା ଯଦି ଅକସ୍ମାତ୍ ଚିତ୍କାର କରି ଉଠେ !

 

କରୁ । କରୁ ଚିତ୍କାର, ଚନ୍ଦ୍ରସେଣା ଭାବେ, ସମସ୍ତେ ଜାଣନ୍ତୁ କୁଳଟା ରାଧାର ଅଭିସାର କଥା । ରୁଗ୍‌ଣ ତା’ର କାମନାଗ୍ରସ୍ତ ମନର ଛଦ୍ମବେଶ । କିନ୍ତୁ....

 

କିନ୍ତୁ, ହଠାତ୍ ଚନ୍ଦ୍ରସେଣାର ରାଗରେ ତରଳିଥିବା ରକ୍ତ ବରଫ ପାଲଟିଗଲା । ନିର୍ଜନ ରାତ୍ରିର ଶେଷ ପ୍ରହରରେ ଈର୍ଷା, ରାଗ ଅହଂକାରର ଜ୍ଵଳନ୍ତ ଶିଖା ଉପରେ ସେ ଅନୁଭବ କଲା–ସେ ଗୋଟାଏ ନପୁଂସକ !

 

ଚନ୍ଦ୍ରସେଣା–ନପୁଂସକ ।

 

ଅସ୍ଥିର ଏକ ତରଳ ଆବେଗରେ ଚନ୍ଦ୍ରସେଣା ବିଳିବିଳେଇ ଉଠି ନିଜର ବାହୁ କାମୁଡ଼ି ପକେଇଲା । ନପୁଂସକର ପତ୍ନୀ ହୋଇ ରାଧା କ'ଣ ଭୁଲ କରିଛି ?

 

ଜୀବନବ୍ୟାପୀ ସାଧନା କଲେ ରାଧାକୁ ଯେଉଁ ଦାହିକ ପ୍ରୀତି ସେ ଦେଇ ପାରିବ ନାହିଁ, ଯେଉଁ ଦେହର ବୟୋସୋଚିତ ଅବଦମିତ କ୍ଷୁଧାକୁ ମେଣ୍ଟାଇ ପାରିବ ନାହିଁ; ରାଧା ଯଦି ତା ଅନ୍ୟ କେଉଁଠୁ ପାଏ–ସେଥିରେ ତା’ର ପ୍ରତିବାଦ କରିବାର କଣ ଅଛି ?

 

କ’ଣ ଉତ୍ତର ଦେବ ଚନ୍ଦ୍ରସେଣା ଏ ପ୍ରଶ୍ନର ?

 

ହଁ, ରାଧା ତ କେବେ ଅନ୍ୟ କୌଣସି କର୍ତ୍ତବ୍ୟରେ ତା’ର ହେଳା କରିନି । ଅବମାନନା କରିନି ଚନ୍ଦ୍ରସେଣାକୁ । ଅସ୍ୱୀକାର କରିନି ତା’ର ଅନ୍ୟ ସମସ୍ତ ସଂପର୍କକୁ ! ଅସହାୟ ଚନ୍ଦ୍ରସେଣାର ଇଚ୍ଛା ହେଉଥିଲା -ରାତ୍ରିର ସେଇ ନିର୍ଜନ ପ୍ରହରରେ ଚିତ୍କାର କରି ଖାଲି କାନ୍ଦିବାକୁ । କାନ୍ଦିବାକୁ ।

 

ବହାରେ ମଳିନ ପଡ଼ି ଆସିଲାଣି ଚନ୍ଦ୍ରକିରଣ । ଚନ୍ଦ୍ରସେଣା କିନ୍ତୁ ସମାଧାନ କରିପାରୁନି -

 

ରାଧାକୁ ସେ ତାର ପାପ ଲାଗି ହତ୍ୟା କରିବ ନା ନିଜର ଦାହିକ ତ୍ରୁଟି ଲାଗି ଆତ୍ମହତ୍ୟା କରିବ ।

 

ଦୂର ଯମୁନା କୂଳର ଗୋଠରୁ ଶୁଭୁଛି ଗୋରୁଙ୍କର ଘାଗୁଡ଼ି ଶବ୍ଦ । ଶେଷ ରାତ୍ରିର ସଙ୍ଗୀତ ଗାଇ ଯାଉଛନ୍ତି କେତେଟା ଜଣା ଅଜଣା ପକ୍ଷୀ । ଆକାଶରେ ଶୁକ୍ରତାରା ଝଲସି ଉଠିଲାଣି । ଶୀତୁଆ ପବନର ନୀରବ ସ୍ପର୍ଶ ଦୂର କରି ଦେଇଛି ରାଧାର ପୂର୍ବ କ୍ଲାନ୍ତି । ହଠାତ୍ ଉଠି ବସି ପଡ଼ିଲା ସେ । ଆଉ ଟିକିଏ ବିଳମ୍ବ କଲେ ଯମୁନା ଘାଟରେ ଘେରିଯିବେ ଅସଂଖ୍ୟ ଗୋପବାସୀ ସ୍ନାନ ପାଇଁ । ରାଧା ସେଠି ନିର୍ଲଜ ଭାବେ ସ୍ନାନ ବା କରିବ କିପରି ?

 

ମୁହଁ ବୁଲେଇ ରାଧା ଚାହିଁଲା । ବଛିଣାରେ ନିର୍ଜନ ଏକ ଅଜଗର ଭଳି ପଡ଼ିଛି ଚନ୍ଦ୍ରସେଣା । ଦେହରେ ତା’ର ହାତ ମାରି ସେ ଡାକିଲା–ଆରେ, ଉଠନା । ସମୟ ହେଲାଣି-ମୁଁ ଗାଧୋଇ ଯିବି ଯେ !

 

ଆହତ ଏକ ସାପ ଭଳି ଚନ୍ଦ୍ରସେଣା ହଠାତ୍ ଉଠି ପଡ଼ିଲା । ଦୂରକୁ ଘୁଞ୍ଚିଗଲା ରାଧା । ଚନ୍ଦ୍ରସେଣାର ହିଂସ୍ର ହାତ ଦୁଇଟା ଲମ୍ବି ଆସୁଛି ରାଧା ପାଖକୁ ।

 

ଆରେ, ଛାଡ଼ନା-ଅନ୍ୟ ଘରେ ଲୋକମାନେ ଉଠିଲେଣି ଯେ । ରାତି ପାହିଗଲାଣି । ସମସ୍ତ ବଳ ପ୍ରୟୋଗ କରି ଚନ୍ଦ୍ରସେଣାର ହାତରୁ ଖସି ଯାଇ ରାଧା ବାହାରିଗଲା ଯମୁନା କୂଳକୁ ।

 

ଚନ୍ଦ୍ରସେଣା ଦୀର୍ଘଶ୍ୱାସ ମାରିଲା । ନା, ସେ ଆଉ ପାରିବ ନାହିଁ । ଏ ଯନ୍ତ୍ରଣା । ଏ ଦୀର୍ଘ ଜୀବନର ଜ୍ୱାଳା ! ଏ ଗ୍ଲାନି ନେଇ ସେ ବଞ୍ଚି ପାରିବ ନାହିଁ । କରି ପାରିବ ନାହଁ ସେ ଆଉ ଛଳନା । ତା’ର ଆତ୍ମହତ୍ୟା କରିବା ଦରକାର । ସେଇ ଏକମାତ୍ର ପନ୍ଥା, ଏକ ମାତ୍ର ବାଟ-ସବୁର ସମାଧାନ କରିବାକୁ।

 

ଚନ୍ଦ୍ରସେଣା ଏକ ଅନ୍ଧ ଜ୍ଵଳନ୍ତ ଆବେଗରେ ଅସ୍ଥିର ହୋଇ ଉଠି–ନା, ନା–ସେ ଯମୁନାରେ ଝାସ ଦେଇ ଆତ୍ମହତ୍ୟା କରିବ ।

 

ଶାନ୍ତ ଯମୁନାର ତରଙ୍ଗହୀନ ନୀଳ ଜଳର ନୀରବ ପ୍ରବାହକୁ ଥରେ ଚନ୍ଦ୍ରସେଣା ଚାହିଁଲା କୂଳରେ କେଉଁ ଯୁଗରୁ ଛିଡ଼ା ହୋଇଥିବା ବୃକ୍ଷରାଜିକୁ । ପିଲାଦିନେ ସେ କେତେ ତାଙ୍କର ଡାଳରେ ଚଢ଼ି ଖେଳିଛି । କେତେଥର ଏଇ ଯମୁନାର ଜଳରେ ମନ ଇଚ୍ଛା ବନ୍ଧୁ ମାନଙ୍କ ସହ ପହଁରି ପହଁରି କ୍ଲାନ୍ତ ହୋଇଛି ।

 

ଅଥଚ ଆଜି ସେ ତା’ର ବୁକୁରେ ଝାସ ଦେଇ ଆତ୍ମହତ୍ୟା କରିବ–ସମସ୍ତ ଗ୍ଲାନିରୁ ବଞ୍ଚିବାପାଇଁ । ଦୂରରେ ରହଯିବ ରାଧା । ରହି ଯିବ ଗୋପପୁର । ରହିଯିବ ପ୍ରିୟ ପ୍ରିୟ ଏଇ ନିଘଞ୍ଚ ଅରଣ୍ୟ । ଆଉ ତାର ଜୀବନହୀନ ବରଫ ଭଳି ଦେହଟା ଭାସିଯିବ, ଗୋଟାଏ ଶୁଖିଲା ପତ୍ର ଭଳି ଏଇ ସ୍ରୋତ ଭିତରେ ।

ଚନ୍ଦ୍ରସେଣା ନିଜ ଭିତରେ ସାହସ ସଂଗ୍ରହ କରିନେଲା । ନା ଆଉ ଡେରି କରି ଲାଭ ନାହିଁ ।

 

କେହି ତ କୁଆଡ଼େ ତାକୁ ଦେଖୁ ନାହାନ୍ତି ! ଆଖି ବୁଲେଇ ସେ ଚାରିଆଡ଼କୁ ଚାହିଁଲା । ପୁଣି ଦୁଇଟା ବେଦନାଗ୍ରସ୍ତ କରୁଣ ଆଖିକୁ ଆଣି ସ୍ଥିର କଲା ଯମୁନାର ସ୍ରୋତ ଉପରେ ।

 

ପାଣି ଭିତରେ ଏ କି ଦୃଶ୍ୟ । ଚନ୍ଦ୍ରସେଣା ଆତ୍ମବିସ୍ମୃତ ଭାବେ ଚାହିଁ ରହିଲା ।

 

“ଫୁଲ ଫଳରେ ଭରିଥିବା ଗୋଟାଏ ସୁନ୍ଦର ଅରଣ୍ୟର ସେ କଛି ଅଂଶ । ବସନ୍ତର ମଧୁର ସ୍ପର୍ଶରେ ଶିହରିତ ସେଇ ଅଂଶରେ ଏକ ଅଭିନବ ନନ୍ଦନକାନନର ରୁପଶ୍ରୀ । ଛୋଟିଆ ଖଣ୍ଡେ ଶିଳା ପରେ ବସିଛି ଗୋଟିଏ ଅପରୂପା ନାରୀ । ସୁନାରଙ୍ଗର ଦେହର ଔଜଲ୍ୟ ମୁଗ୍ଧ କରୁଛି ପରିବେଶକୁ । ଆକର୍ଣ୍ଣ ବିସ୍ତୃତ ଆଖି । ଘନକୃଷ୍ଣ କେଶ । ରକ୍ତ ପଦ୍ମ ଭଳି ଅଧର । ଆରକ୍ତ ଗଣ୍ଡଦେଶ । ଉନ୍ନତ ବକ୍ଷ । କୋମଳ କରପଲ୍ଲବ । ସିଂହ କଟି । ଧୀର ଅଥଚ ଶାନ୍ତ ଭାବେ ବସିଛି ସେ ଦିଗ୍‍ବଳୟକୁ ଚାହିଁ, ଯେପରି କାହାର ଅପେକ୍ଷାରେ । ତା’ର ସ୍ମୃତିରେ ଯେପରି ସେ ବିସ୍ମୃତ ।

 

ଏବଂ ସାମାନ୍ୟ ଦୂରକୁ ଗୋଟାଏ ବାନର । କାମନାର ରୁଗ୍‍ଣ ପ୍ରକାଶରେ ଆଖି ଦୁଇଟା ଜଳୁଛି–ଧ୍ୟାନମଗ୍ନ ଭାବେ ସେଇ ନାରୀ ଉପରେ ପଡ଼ି ।

 

ଚନ୍ଦ୍ରସେଣା ଚମକି ପଡ଼ିଲା । କିଏ ସେ ବାନର ? ପଛରୁ ନୀଳ ମେଘ ବର୍ଣ୍ଣ ଜିଣି ସୌମ୍ୟ କାନ୍ତି ପୁରୁଷ । ମୁହଁରେ ଲାଗି ରହିଛି ଏକ ଆତ୍ମତୃପ୍ତିର ଉନ୍‍ମୋହନକାରୀ ହସ । ପଛରୁ ତା’ର ଧୀରେ ଧୀରେ ଆସି ଛିଡ଼ା ହେଲା–ସେଇ ବାନର ନିକଟରେ । ମୁହୂର୍ତ୍ତକରେ ପରେ ସବୁ ଜାଣିଲା ଭଳି । ହଠାତ୍ ସାନ୍ତ୍ୱନାର ମୁଦ୍ରାରେ ଭରିଥିବା ହାତଟାକୁ ଟେକି ନେଇ ପକାଇ ଦେଲା-ସେଇ ବାନରଟା ଉପରେ ।

 

ଚମକି ପଡ଼ିଲା ସେ ।

 

ହନୁମାନ ! ତୁମେ କ୍ଳାନ୍ତ ଜଣା ଯାଉଛ ହନୁମାନ । ସେଇ ସୌମ୍ୟ ଦର୍ଶନ ପୁରୁଷଟି ମଧୁର କଣ୍ଠରେ ପ୍ରଶ୍ନକଲା ।

 

କରପତ୍ର ଯୋଡ଼ି ଲଜ୍ଜିତ ହୋଇ ଉଠି ବାନରଟି କହିଲା -ପ୍ରଭୁ ।

 

-କୁହ, ହନୁ । କ’ଣ ତୁମର କାମନା ?

 

ପ୍ରଭୁ ! ତୁମ ପାଇଁ ଏଇ ଦେହର ପ୍ରତିଟି ଲୋମରେ ମୁଁ ବାହି ନେଇଛି ଖଣ୍ଡ ଖଣ୍ଡ କରି ଅନେକ ପାହାଡ଼ ।

 

-ତା’ ତ ମୁଁ ଅସ୍ଵୀକାର କେବେ କରିନି ହନୁ ।

 

ପ୍ରଭୁ, ତୁମରି ପାଇଁ ମୋର ଏଇ ଲାଞ୍ଜ ଅଗ୍ନି ସଂଯୋଗ କରି ଦହନର ଜ୍ୱାଳାକୁ ଭୁଲି ଯାଇ ସମଗ୍ର ଲଙ୍କାରେ ଅଗ୍ନି-ଉତ୍ପାତ କରିଛି । ପୁଣି ଦଉଡ଼ିରେ ବନ୍ଧା ହୋଇ ମରଣାନ୍ତକ ଯନ୍ତ୍ରଣା ଅନୁଭବ କରିଛି ।

 

-କିନ୍ତୁ, ତୁମେ କ'ଣ କହିବାକୁ ଚାହୁଁଛ ହନୁ ?

 

-ପ୍ରଭୁ, ଅସୁର ମାନଙ୍କର ତୀକ୍ଷ୍‍ଣ ଅସ୍ତ୍ରର ଆଘାତ ଏ ଦେହ ଏ ଯାବତ୍ ବହନ କରିଛି । ତୁମ ପାଇଁ; ପ୍ରଭୁ ମୁଁ ସବୁ କରିଛି । ପ୍ରାଣ ଦେଇ କରିଛି । ଆଜି ଏଇ ଦାସ ଅକିଞ୍ଚନ ଗୋଟାଏ ପ୍ରାର୍ଥନା କରୁଛି- ତୁମେ ତା’ ପୂରଣ କରିବ -ମୁଁ ଆଉ କିଛି ଚାହେଁନା ! କେବଳ -କେବଳ

 

-କୁହ ହନୁ ।

 

ହନୁ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଲା ଆଗରେ ବସିଥିବା ସେ ନାରୀଟିକୁ ।

 

ମୁହୂର୍ତ୍ତକ ପାଇଁ ଗମ୍ଭୀର ହୋଇ ଉଠିଲେ ସେ ପୁରୁଷ ଜଣକ । ତା’ପରେ ସେଇ ପୂର୍ବର ସ୍ମିତହାସ୍ୟ ଦେଖାଗଲା ମୁହଁରେ । ଧୀର ଅଥଚ କୋମଳ କଣ୍ଠରେ କହିଲେ- ମୋର ଆପତ୍ତି ନାହିଁ ହନୁ । କିନ୍ତୁ ସେ ଜଗତ୍‍ଧାତ୍ରୀ ମା’ । ତୁମେ ତା’ର ସନ୍ତାନ । ତୁମେ ତାକୁ କେବେ ଉପଭୋଗ କିର ପାରିବନି ହନୁ ।

 

-ମୋତେ ନିରାଶ କରନ୍ତୁ ନାହିଁ ପ୍ରଭୁ । ମୋତେ କ୍ଷମା କରନ୍ତୁ ।

 

ହଁ, ହନୁ ତୁମେ ତାକୁ ପତ୍ନୀ ଭାବେ ପାଇବ । ତୁମେ ହେବ ନପୁଂସକ । ନପୁଂସକ ଚନ୍ଦ୍ରସେଣା ।

 

ଚନ୍ଦ୍ରସେଣାର ସମଗ୍ର ଦେହରେ ଏକ ବୈଦ୍ୟୁତିକ କମ୍ପନ ଖେଳିଗଲା ।

 

ଚନ୍ଦ୍ରସେଣା ନପୁଂସକ ।

 

ନପୁଂସକ ଚନ୍ଦ୍ରସେଣା । ରାଧା-ଜଗତ୍‍ଧାତ୍ରୀ-ମା’ ।

 

ଚନ୍ଦ୍ରସେଣା ଆଖିରୁ ଲୁହ ଝରି ପଡ଼ିଲା । ବ୍ୟାକୁଳ ଭାବେ ସେ ଚିତ୍କାର କରି ଉଠିଲା–ପ୍ରଭୁ । ପ୍ରଭୁ, ଯେଉଁମାନେ ସୁନ୍ଦରୀ ନାରୀକୁ ଦେଖି କାମାସକ୍ତ ପାଲଟି ଯାଆନ୍ତି, ମୁହୂର୍ତ୍ତକରେ ଯେଉଁମାନଙ୍କର ସମସ୍ତ ଚେତନା ବିସ୍ମୃତ ହୋଇ କେବଳ ଦାହିକ କ୍ଷୁଧା ଜାତ ହୁଏ ଗୋଟାଏ ନାରୀକୁ ଦେଖି । ତୁମେ ସେମାନଙ୍କୁ, ନପୁଂସକ କରି ଦିଅ । ସବୁଦିନ ପାଇଁ କରିଦିଅ ।

 

ଚନ୍ଦ୍ରସେଣା, ନପୁଂସକ । ସେଇ ପାପର ପ୍ରାୟଶ୍ଚିତ କରିବ ଆଜି । ଆବେଗରେ ଅସ୍ଥିର, ଦୁଃଖରେ ବ୍ୟାକୁଳ ଚନ୍ଦ୍ରସେଣା ଲମ୍ପ ଦେବାକୁ ଯମୁନାର ସ୍ଥିର ଜଳ ଭିତରକୁ ନିଜର ବାହୁ ଦୁଇଟାକୁ ଟେକିଲା, ହଠାତ୍ ଅନୁଭବ କଲା, କିଏ ଯେପରି ତାକୁ ଧରି ପକାଇ ହସୁଛି । କିଏ ? ଚନ୍ଦ୍ରସେଣା ମୁହଁ ବୁଲାଇ ଚାହେଁ ।

 

ମୁହଁରେ ସେଇ ଉନ୍‍ମୋହନକାରୀ ହସ ନେଇ, କୃଷ୍ଣ ମଧୁର କଣ୍ଠରେ କହିଲେ–ମାମୁଁ, ଏ ଅବେଳରେ–ଅକୂଳରେ, ଯମୁନାରେ ଗାଧୋଇଲେ ଚଳନ୍ତା ନାଇଁ ? ଆସ ସାଙ୍ଗ ହୋଇ କୂଳରେ ଗାଧୋଇବା ।

 

ଚନ୍ଦ୍ରସେଣା କଛି ଯେପରି ବୁଝିପାରୁ ନ ଥିଲା । କିଛି ଯେପରି ଶୁଣିପାରୁ ନ ଥିଲା । ଆଖି ଆଗରେ ଖାଲି ଦିଶୁଥିଲା–

 

ଅଦ୍ଭୁତ ଏକ ରହସ୍ୟମୟ ହସ । ଯାହା ଦେଖି ସେ ଆତ୍ମ ବିସ୍ମୃତ ହୋଇ ଉଠୁଥିଲା ।

Image

 

Unknown

ପଦବୀ

ଶ୍ରୀ ପ୍ରସନ୍ନ କୁମାର ପାଟଶାଣୀ

 

ନୂଆ ଚାକିରୀ । ମୁଣ୍ଡରେ ନାଲି ପଗଡ଼ି । ଦେହରେ ଖାକି ପୋଷାକ । ଡ୍ରେସ୍ ଲଗାଇଲା ପରେ ପ୍ରଥମ ସୂର୍ଯ୍ୟ ଦେଖାରେ ଡେଣା ଝାଡ଼ୁଥିବା ନାଲି କୁକୁଡ଼ାର ଆବେଗ ଠାରୁ ମନର ଗତି କୌଣସି ଗୁଣରେ ନ୍ୟୁନ ନୁହେଁ । ହେଲେ କୁକୁଡ଼ାର ଚୂଳ ତାର ଜନ୍ମରୁ । ତାର ମଥାର ମୁକୁଟ ପରମ୍ପରାଗତ ।

 

ପ୍ରଥମ ଦେଖାରେ ମୋ ପଡ଼ୋଶୀର ଗର୍ବ, ସେ ଏକ ଚାକିରୀ ପାଇଛି । ଏଥର ଇଲିଶି ମାଛ ଖାଇବ । ଇଲିଶିର ଚୂଳ ହେଲେ ଥାଆନ୍ତା କି ? ନା, ଇଲିଶିର ଚିକି ଚିକି କାତି ତଳେ ଯେଉଁ ମାଂସ ! କିନ୍ତୁ କଣ୍ଟା କାଢ଼ି ଖାଇଲେ ହେଲା !!...

ସେ ବି ମୋ ଭଳି ଜାର୍ ଭିତରେ ମାଛ ପୋଷିଲେ, କଉ ମାଛ । ଇଲିଶି ନ ମିଳିଲେ କଉରେ ବି କାମ ଚଳେଇ ନେବେ । ତାଙ୍କର ମୋ ଭଳି କୁକୁଡ଼ା ପୋଷିବାକୁ ଭାରି ଇଚ୍ଛା । ଗଞ୍ଜାଟିଏ ରଖିବେ ଯାର ନାଲି ମୁକୁଟ ଥିବ । କିନ୍ତୁ ପ୍ରତ୍ୟହ ସକାଳୁ କୁକୁଡ଼ା ନ ରାବୁଣୁ ବଡ଼ ବାବୁଙ୍କର ଘରେ ହାଜର ନ ହେଲେ ରକ୍ଷା ନାହିଁ । ସକାଳୁଆ ଡିଉଟି ।

 

ଆଜି ସେ ବିଳମ୍ବରେ ଉଠିଛନ୍ତି ।

 

ମନରେ କ୍ଳାନ୍ତି ମୁହଁରେ ଅବସାଦର ଛାପ । ଅବସନ୍ନ ଶରୀରକୁ ଦେଖିଲେ ମନେ ହୁଏ, ଗୋଟାଏ ଦିନରେ ସେ ଖୁବ୍ ଭାଙ୍ଗି ପଡ଼ିଛନ୍ତି । ତମର କ'ଣ ହେଇଛି ? ଆଜି ଶୁଖିଲା ଦେଖା ଯାଉଛ ଯେ !!...ବେଳ ଆସି ଏତେ ହେଲାଣି ଡିଉଟିକୁ ଯାଇନ ?

 

କୁକୁଡ଼ାଟା ମୋର କଣ୍ଠ ଫଟାଇ ଡେଣାଝାଡ଼ି ଖୁବ୍ ଜୋର୍‍ରେ ରାବିଲା । ତା’ର ନାଲି ମାଂସର ମୁକୁଟ ପ୍ରତି ଈର୍ଷାନ୍ୱିତ ହୋଇ ସେ ଯେପରି ପ୍ରଳାପ କରୁଥିଲେ । ଏଇ ନାଲି କୁକୁଡ଼ାର ଚୂଳ ହିଁ ମୋର କନାର ରଙ୍ଗିନୀ ଝାଲରକୁ କାଢ଼ି ନେଲା । ଏଇ ନାଲିଡେଣାର ଚଞ୍ଚଳତା ମୋର ଜୀବନର ଚାଞ୍ଚଲ୍ୟକୁ ହରଣ କରିନେଲା । ହାୟ ! କୁକୁଡ଼ାର ଚୂଳ ତାର ଜନ୍ମରୁ । କଣ୍ଠଫଟା ସକାଳର କୁହାଟ ତାର ଅଭ୍ୟାସଗତ । ପ୍ରକୃତି ପ୍ରଦତ୍ତ । ପଦ-ପଦବୀ, କ୍ଷମତା, ସ୍ୱୀକୃତି ଗୋଟାଏ ମୁହୂର୍ତ୍ତର । ଗୋଟାଏ ଖୋସାମତିର । ଗୋଟାଏ ସ୍ଵାର୍ଥର ।

 

ଆରେ ଆପଣ ଏମିତି କ'ଣ କହୁଛନ୍ତି ?... କ'ଣ ହେଇଛି ଆପଣଙ୍କର ?.....

 

ହଠାତ୍‌ ତାଙ୍କର ସ୍ତ୍ରୀ ଆସି କହିଲେ :–ବଡ଼ ବାବୁଙ୍କର କୁକୁଡ଼ାକୁ କିଏ ଚୋରିକରି ଖାଇଲା । ଦୋଷ ହେଲା କାହାର, ନା-ୟାଙ୍କର । କୁକୁଡ଼ାଖିଆ ମଣିଷକୁ ନ ଜଗି ଏ ଯେମିତି ମଲା କୁକୁଡ଼ାର ପରକୁ ଜଗୁଥିଲେ ।

Image

 

ଗୋଟିଏ ରଜାଙ୍କ ଗପ

ଶ୍ରୀମତୀ ଯଶୋଧାରା ମିଶ୍ର

 

ଚା’ ଶେଷକରି ବିକ୍ରମବାବୁ କହିଲେ, “ଏଥର ଖବର କାଗଜଟା ରଖନ୍ତୁ । ଜମାନ୍ତୁ କିଛି ଗପ, ନହେଲେ ସଞ୍ଜ ବେଳଟା ଜମା କଟେନି ।”

 

ଶିବପ୍ରସାଦ ପେପର ଥୋଇ ଥଣ୍ଡା ପଡ଼ି ଆସୁଥିବା ଚା ଶୀଘ୍ର ଶେଷ କଲେ । ମଝିରୁ କହିଲେ "ତିନିଦିନ ପୂରୁଣା ଖବର କାଗଜକୁ ବି ଏଠି ଡିଟେକ୍‍ଟିଭ୍‍ ବହି ପରି ପଢ଼ିବାକୁ ପଡ଼େ । କଣ ଆଉ କରିବାକୁ ଅଛି କହୁ ନାହାନ୍ତି, ଏ ଜଙ୍ଗଲଟାରେ ?

 

ପୁରୁଣାକାଳିଆ ଡାକବଙ୍ଗଳାଟିଏ, ବାରଣ୍ଡାରେ ଦୁହେଁ ବସିଥିଲେ । ବିକ୍ରମବାବୁ ନୂଆ ତହସିଲଦାର ହେଇ ଆସିଚନ୍ତି ଏବଂ ଶିବପ୍ରସାଦ ଗତ ତିନିବର୍ଷ ହେଲା ଏଇଠି ଅଛନ୍ତି ଜଙ୍ଗଲ ବିଭାଗ ଏ. ସି ଏଫ୍. ଭାବରେ । ଆଗରେ ଅସଜଡ଼ା ବଗିଚା ଓ ତା ଆଗକୁ ସରୁ ପକ୍କା ରାସ୍ତାଟିଏ, କିଛି ବର୍ଷ ଆଗରୁ ରାସ୍ତାଟି ମନ୍ତ୍ରୀ ଆସିବେ ବୋଲି ଅହରହ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ତିଆରି ହୋଇଥିଲା । ଡାକବଙ୍ଗଳା ବି ସେତିକିବେଳେ ମରାମତି ହୋଇଥିଲା ଓ ନୂଆ ପର୍ଦ୍ଦା ଇତ୍ୟାଦି ଲାଗିଥିଲା ।

 

ଲଛମନ୍‍ପୁର ଅତି ନିଭୃତ ମଫସଲୀ ସହରଟିଏ । ପୂର୍ବେ ଛତିଶଗଡ଼ର ଛୋଟିଆ ଆଦିବାସୀ ଅଧ୍ୟୁଷିତ ରାଜ୍ୟଟିଏ ଥିଲା । ଏବେ ତହସିଲ ଅଫିସ ହୋଇଛି । ବାସ୍ତବରେ ମଫସଲ ହିଁ କୁହାଯିବ, ମଝି ମଝିରେ ସହରର ହାଉଆ ଦମକାଏ ବାଜି ଫେରିଯାଏ ଯାହା । ସହର ମଝି ରାସ୍ତାରେ ଆଦିବାସୀ ଝିଅ ଲମ୍ବା ବେଣୀରେ ନାଲି, ନେଳି ରିବନ୍ ମାରି ଛୋଟିଆ ଅଣ୍ଟା ଦେଖା ବ୍ଲାଉଜ ଉପରେ ରଙ୍ଗ ରଙ୍ଗ ଶାଢ଼ୀ ପିନ୍ଧି ଦଳ ଦଳ ଗୀତ ଗାଇ ଯାଆନ୍ତି । ଲମ୍ବ ଡେମ୍ଫ ରଙ୍ଗଣୀ ଫୁଲ ଗୁନ୍ଥା ହେଲାପରି ବାହୁ ବାହୁରେ ଅଣ୍ଟା ବାନ୍ଧି ଛନ୍ଦାଛନ୍ଦି । ଫେରନ୍ତି ଲୋକେ ପକ୍କା ରାସ୍ତା ଉପରେ ବି କ୍ଷେତହିଡ଼ ଅଭ୍ୟାସ ନଭୁଲି ଧାଡ଼ିବାନ୍ଧି ଚାଲନ୍ତି ।

 

ବିକ୍ରମବାବୁଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟସ୍‍ ମରାମତି ଚାଲିଥିବାରୁ ସେ ଡାକବଙ୍ଗଳାରେ ରହିଚନ୍ତି ମାସେ ହୋଇଗଲାଣି । ଏ ଭିତରେ ସେ ଲଛମନପୁରରେ ସାମାଜିକ ଜୀବନ ସହିତ ପରିଚିତ ହୋଇଗଲେଣି । ଦେଖିଲେଣି ତାଙ୍କ ପରି ପରିବାର ଆଣି ଏକୁଟିଆ ରହୁଥିବା ଚାକିରୀଆ କେଇଜଣ କେମିତି ଠିକ୍ ତାଙ୍କରି ପରି ଧରାଧରି କୁହାବୋଲା ସତ୍ତ୍ୱେ ଏଠାକୁ ପୋଷ୍ଟିଂ କ୍ୟାନସଲ କରାଇ ନପାରି ଅଗତ୍ୟା ଆସିଛନ୍ତି ଓ ଚିହ୍ନା ପରିଚୟଙ୍କ ମାଧ୍ୟମରେ ବଦଳିପାଇଁ ଚେଷ୍ଟା କରୁ କରୁ ଆପାତତଃ ଭାଗ୍ୟକୁ ଆଦରି ରହିଛନ୍ତି । ସନ୍ଧ୍ୟାବେଳେ କେତେଜଣ କୋଠରୀକିଆ କ୍ଲବ ଘରଟିରେ ବସି ତାସ, ଖେଳନ୍ତି । ରାତି ନଅଟା, ଦଶଟା ଯାକେ ଘରଟି ହସ ଖୁସିରେ କମ୍ପୁଥାଏ । ମଝି ମଝିରେ ଯାହା ସମସ୍ତେ ହଠାତ୍ ଗମ୍ଭୀର ହେଇ ହାତର ତାସ୍‍ ମୁଠାରେ ଧ୍ୟାନ ଦେଲାବେଳେ ପାଖ ଟେବୁଲରୁ ପେଟ୍ରୋମାକସ୍, ଲାଇଟ୍‍ଟିର ସଁ ସଁ ଓ ଦୂରରୁ ବିଲୁଆ ବୋବାଳି ଶୁଭେ । ସବୁ ସରକାରୀ ଘରେ ବିଜୁଳିବତୀ ଓ ପଙ୍ଖା ଲାଗିଛି । ତେବେ ଗୋଟିଏ ଡିଜେଲ ଜେନେରେଟରରୁ ବିଜୁଳି ସପ୍ଲାଇ କେବଳ ସନ୍ଧ୍ୟାରେ ତିନିଘଣ୍ଟା ପାଇଁ ଆସେ । ରାସ୍ତାର ବତୀ ଖୁଣ୍ଟମାନ ଜଳି ଉଠେ ମିଞ୍ଜି ମିଞ୍ଜି ଲଣ୍ଠନ ପରି । ଡାକବଙ୍ଗଳା ତଥା କ୍ଲବର ଶହେ ପାୱାର୍ ବଲ୍‌ବ ଜଳେ ପନ୍ଦର ପରି, ପଙ୍ଖା ଘୂରେ ସତେକି ଦମକାଏ ପବନରେ ଆପେ ଆପେ ଥରେ ଦି ଥର ଘୂରି ଆସିଲା ।

 

ନିକଟତମ ବଡ଼ ସହର ଛତିଶ ମାଇଲ ଦୂର, କଚା ରାସ୍ତା, ବାଟରେ ଦୁଇଟା ଅଗଭୀର ନାଳ ପଡ଼େ । ସେଥିରେ ପୋଲ ନାହିଁ, ଗେଟି ମୋରମ୍‍ ବିଛା ଯାଇ ଶୀତ ଆରମ୍ଭ ବେଳକୁ ରାସ୍ତା ଆରମ୍ଭ ହୁଏ ତହିଁରେ । ଗ୍ରୀଷ୍ମ ଶେଷରେ ପ୍ରଥମ ଅସରା ବର୍ଷା ସବୁ ଧୋଇନିଏ । ତାପରେ ସହରକୁ ଯାତାୟତ ବନ୍ଦ ହୋଇଯାଏ ପ୍ରାୟ ।

 

ଶିବପ୍ରସାଦ ବଖାଣୁଥିଲେ ତାଙ୍କର ଗତବର୍ଷର ଗୋଟିଏ ଶିକାର ଅନୁଭୂତି । ଏଠି କିଛି ଦିନ ରହିଗଲା ପରେ ପ୍ରାୟ ସବୁ ମଧ୍ୟବିତ୍ତ ଚାକିରିଆ ବନ୍ଧୁକଟିଏ କିଣନ୍ତି ଓ ଶିକାରରେ ମନ ବଳାନ୍ତି । ବିକ୍ରମବାବୁଙ୍କ ପରି ନୂଆ ହୋଇ ଆସିଥିବା ଅଳ୍ପ ବୟସ୍କ ଲୋକ ପ୍ରଥମେ ଶିକାର ଅଭିଜ୍ଞତା ଶୁଣି ଉତ୍ସାହ ପାଆନ୍ତି ନୂଆ ସଉକ୍‍ଟିଏ ଶିକାର କରିବାକୁ । ଶିବପ୍ରସାଦ ପ୍ରତିଥର ଅଲଗା ସ୍ୱାଦର ଶିକାର କାହାଣୀ ଶୁଣନ୍ତି । ଏଥରର କାହାଣୀ ଥାଏ, ଥରେ ରାତିବେଳେ ଲୋଡ଼େଡ଼ ବନ୍ଧୁକ ନେଇ ସେ ଗୋଟିଏ ତୀଖ ଘାଟି ରାସ୍ତାରେ ଯାଉଥାନ୍ତି ଜିପ୍‍ରେ । ହଠାତ୍ ଖଣ୍ଡେ ଆଗରେ ସ୍ପଷ୍ଟ ଜିପ୍ ଆଲୁଅରେ ପାହାଡ଼ ଗଡ଼ାଣି ପାଖରୁ ବାଘଟିଏ ରାସ୍ତା ଉପରକୁ ଆସି ଧୀର ପାହୁଲରେ ରାସ୍ତା ଅତିକ୍ରମ କରି ପାହାଡ଼ ପାଖ ଜଙ୍ଗଲ ଆଡ଼କୁ ଚାଲିଲା । ଶିବପ୍ରସାଦ ଲୋଭ ସମ୍ଭାଳି ପାରିଲେ ନାହିଁ । ଡ୍ରାଇଭରକୁ ଗାଡ଼ି ରୋକିବାକୁ କହି ବାଘଟି ଠିକ୍ ଜଙ୍ଗଲ ଭିତରକୁ ପଶିବା ଆଗରୁ ଫାୟାର୍ କଲେ । ତାଙ୍କ ଲକ୍ଷ୍ୟ ବ୍ୟର୍ଥ ଯାଏ ନାହିଁ, ତେବେ ପଛ ପାଖକୁ ଗୁଳି ଯାଇଥିଲା, ବାଘଟି ସମ୍ଭବତଃ ଘାଇଲା ହୋଇ ଗର୍ଜନ କରି ଦୌଡ଼ି ଅଦୃଶ୍ୟ ହୋଇଗଲା ଜଙ୍ଗଲ ଭିତରେ । କିଛି ବାଟ ଯିବାପରେ ଗୋଟିଏ ଅତି ବଙ୍କା ବୁଲାଣି ସ୍ଥଳକୁ ହଠାତ୍ ସେ ଲକ୍ଷ୍ୟ କଲେ ଉପରପାଖ ପାହାଡ଼ର ପଥରଟିଏ କଡ଼ରୁ ଝକ୍‌ ଝକ୍ ଆଖି ଯୋଡ଼ିଏ ଚାହିଁଛି । ବାଁ ପାଖେ କିଛି ଦିଶୁ ନଥିବା ଅନୁମାନ କରି ହେଉ ନିଥିବା ଗହୀର ଅନ୍ଧାର । ସେତେବେଳକୁ ଭାଗ୍ୟକୁ ସେ ନିଜେ ହିଲ୍ ପାଖେ ବସିଥାନ୍ତି, ତତ୍‍କ୍ଷଣାତ୍ ସ୍ପୀଡ଼ ଦେଇ ନେଇ ଯାଉଁ ଯାଉଁ ବାଘ ଡେଇଁଲା ଜିପ୍ ଉପରକୁ, ଠିକ୍ ଜିପ୍ ପାରି ହେଇଚି ଆଉ ବାଘ ପଡ଼ିଲା ରାସ୍ତା ଉପରେ । ଦେହରୁ ଝାଳ ଶୁଖିନି, ଆଉ ପାଞ୍ଚ ମିନିଟ ଯାଇଥିବ କି ନାହିଁ ଆଗ ମୋଡ଼ରେ ପାହାଡ଼ ଉପରୁ ପୁଣି ସେଇ ଜଳ ଜଳ ଆଖି ।

 

ଶିବପ୍ରସାଦ ସେଦିନ ନିଜର ବିଭିନ୍ନ ଡ୍ରାଇଭିଂ କାରସାଦି ବଳରୁ ଯେମିତି ବାଘ ସହିତ ଚାରିଥର ମୁକାବିଲା କରି ବଞ୍ଚି ଆସିଥିଲେ, ଶୁଣି ସାରିଲା ବେଳକୁ ବିକ୍ରମବାବୁଙ୍କର ହାତ ଗୋଡ଼ ସବୁ ଲୁହା ଝଳେଇ ଗଣ୍ଠିମାନଙ୍କରେ ହେଇଥିଲା ପରି ଲାଗୁଥାଏ । ନିଃଶ୍ୱାସ ଖରତର ବହୁଥାଏ । ଗପ ସରିଲା ପରେ ଭିଡ଼ି ମୋଡ଼ି ହୋଇ ହାତ ଗୋଡ଼ ଲମ୍ବାଇ ସେ ଆରାମରେ ବସିଲେ ଓ ଆଉ ଦି’ କପ୍ ଚା' ପାଇଁ ବରାଦ କରି କହିଲେ, “ଆପଣତ ଖାଲି ଶିକାର ଗପ କହୁଛନ୍ତି, କେବେ ସିନା ଭଲ ବଛା ଶିକାରୀ ଦଳକୁ ନେଇ ଶିକାର ଟ୍ରପଟିଏର ବ୍ୟବସ୍ଥା କରନ୍ତେ । ଆଉ ମୋ ବନ୍ଧୁକ କଥା କ’ଣ ହେଲା, ବୁଝିବେ ବୋଲି କହିଥିଲେ ?”

 

ଶିବପ୍ରସାଦ ଟିକିଏ ଭାବିଲା ପରି କହିଲେ, “ଭାବିଥିଲି ରାଜା ସା’ବଠୁ ଆପଣଙ୍କପାଇଁ ବନ୍ଧୁକଟିଏ ଯୋଗାଡ଼ କରିଦେବି । ତେବେ ସେ ବଡ଼ ଅଖାଡ଼ୁଆ ଲୋକ । ଆପଣ ନିଜେ ଯାଆନ୍ତୁ ସେ ଖୁସି ହେବ । ଆଗରୁ ବି ସେ ଅନେକଙ୍କୁ ବନ୍ଧୁକ ବିକିଛି ।”

 

ପରଦିନ ବିକ୍ରମବାବୁ ସକାଳୁ ଚପରାଶୀଟିଏ ହାତରେ ଖବରପଠାଇ ଦେଲେ । ଉପରଓଳି ଅଫିସରୁ ଫେରି ସିଧା ଚାଲିଲେ ରାଜା ଉଆସ ଆଡ଼କୁ । ସହର ମଝାମଝି ଉଚ୍ଚ ମାଟିକାନ୍ଥ ପାଚେରୀ ଲମ୍ବିଚି -ଉଆସ ପାଚେରୀ । ପାଚେରୀ ଉପରଯାକ ସବୁ ଖପର ଛାଉଣୀ- ଠାଏ ଠାଏ କାନ୍ଥ ଧସିଯାଇଛି । ଅଧାଅଧି ଉଆସ ଭୁଷୁଡ଼ି ମାଟି ଗଦା ହେଇ ରହିଚି, କେବଳ ମଝି ଉଚ୍ଚଦରପକ୍କା ଅଂଶଟି ଠିଆ ହୋଇଛି ଆସ୍ଫାଳନ କଲାପରି। ଉଆସି ଆଗକୁ ବଡ଼ ଫାଟକ । ଦାଣ୍ଡରେ କେହି କୁଆଡ଼େ ନାହିଁ ଧୂଳି, ଗୋବର, ଶୁଖିଲା ପତ୍ର ।

 

ଖଣ୍ଡଦୂରରୁ କ'ଣ କରିବେ ଭାବୁଛନ୍ତି, ଦର ଆଉଜା ଫାଟକ ଠେଲି ଠେକାଭିଡ଼ା ନାଲିଜାମା ପିନ୍ଧା ଦରବୁଢ଼ା ଲୋକଟିଏ ବିଡ଼ି ଟାଣି ଟାଣି ଆସିଲା, ନିର୍ଲିପ୍ତରେ ଦୁଆର ବନ୍ଧ ଉପରେ ବସିପଡ଼ି ଧୂଆଁ ଫୁଙ୍କିଲା । ପାଖରେ ପହଞ୍ଚି

 

ବିକ୍ରମବାବୁ ପଚାରିଲେ, “ରାଜାସାହେବ ଅଛନ୍ତି ?”

 

ଲୋକଟି ବସିରହି ବିଡ଼ିଧୁଆଁ ଭିତରୁ ଉତ୍ତର ଦେଲା-“ଶିକାରରେ ଯାଇଛନ୍ତି।”

 

“ଏକୁଟିଆ”?

 

“ରାଣୀସାହେବା ବି ଯାଇଛନ୍ତି ସାଙ୍ଗରେ ।”

 

ବିକ୍ରମଦାବୁଙ୍କ ଚଢ଼ି ଯାଇଥିବା ରାଗ କହିଲା ଏ ବେଖାତିରିଆ ବୁଢ଼ାଟାକୁ ଧମକାଇବେ -ଶଳା ଚିହ୍ନିନୁ କିବେ ମୋତେ ? କିନ୍ତୁ ତାଙ୍କ ପ୍ରଶ୍ନ ବୁଝିଲା ପରି ପରଳିଆ ଆଖି କୁଞ୍ଚାଇ ସାଦାସିଧା ସ୍ୱରରେ ଲୋକଟି କହିଲା “ନୂଆ ଆସିଚନ୍ତି କି ଆଜ୍ଞା ? ଆପଣଙ୍କୁ ତ ଦେଖିନି ଆଗରୁ ?”

 

ଉତ୍ତର ନଦେଇ ଏଣେତେଣେ ଚାହିଁ ଫେରି ଯିବା କଥା ଚିନ୍ତା କରୁକରୁ ବିକ୍ରମବାବୁ ଓଲଟି ପଚାରିଲେ, “ଏ ଦିନ ବେଳଟାରେ କୁଆଡ଼େ ଯାଇଚନ୍ତି ଶିକାରରେ ? କେବେ ଫେରିବେ ?”

 

“ଫେରି ଆସିବେ ।” କହି ଲୋକଟି କ’ଣ ମନେ ପଡ଼ିଗଲା ପରି ଉଠି ବତୀ ଲିଭାଇବା ଛଳରେ ଆସିଲା । ତାପରେ ବିକ୍ରମବାବୁ ତା’ର ହଠାତ୍ କୁହାଟ ଓ ଦଉଡ଼ରୁ ଦେଖିଲେ ଦୂରରୁ ଗାଈ ଗୋଠ ଫେରୁଛନ୍ତି -ରଜାଘର ଗାଈ ବୋଧହୁଏ । ଯାଉ ଯାଉ ଲୋକଟି ଫେରିପଡ଼ି ପାଟିକଲା, “ଏଇ ଆଜ୍ଞା ରାଜା ସା’ବ୍ ଆସିଗଲେ ।”

 

କୌଣସି ଯାନବାହନ ଉଦ୍ଦେଶ୍ୟରେ ଦୂରକୁ ଦୃଷ୍ଟି ଦେଲା ବେଳେ ସେ ଦେଖିଲେ–ଗୋଧୂଳି ପଟଳ ଭିତରୁ ଉଇଁ ଆସିଲା ସାଇକେଲ୍‍ଟିଏ । ଦୃଶ୍ୟ ପାଖେଇ ଆସିଲାରୁ ସେ ଲମ୍ବା, ପତଳା ଆରୋହୀକୁ ଦେଖିଲେ–କାନ୍ଧରେ ବନ୍ଧୁକ, ହାଣ୍ଡଲ୍‍ରେ ଝୁଲୁଚି ମଲା ହଂସଟିଏ । ପଛ କ୍ୟାରିଅର୍‌ରୁ ଜଣେ ନାରୀଙ୍କ ଶାଢ଼ୀ ଦିଶୁଛି ।

 

ଉଆସ ପାଖେ ବ୍ରେକ୍ ଲଗିଲାରୁ ପଛପାଖୁ ତରୁଣୀ ଜଣକ ଡେଇଁ ପଡ଼ି ଓହ୍ଲାଇଲେ । ଆରୋହୀ ରୁମାଲ୍‍ରେ ମୁହଁ ପୋଛି ପାଟିକଲେ, “ଆବେ ଶାଲେ ରାମୁ । ସାଇକିଲ୍ ଲେ ଲୋ ଶାଲେ ।”

 

କେଉଁଆଡ଼ୁ ନାଲିପିନ୍ଧା ପଗଡ଼ି ଭିଡ଼ା ଟେକାଟିଏ -ନିଃସନ୍ଦେହରେ ରାମୁ–‘ଜୀ ହଜୁର କହି ଧାଇଁ ଆସିଲା ଓ ସାଇକେଲ୍‍ର ଦାୟିତ୍ଵ ନେଲା । ବିକ୍ରମବାବୁଙ୍କ ବିସ୍ମୟ କଟିଲା ପରେ ଆଗେଇ ଆସି ପଚାରିଲେ “ଆପଣ ବୋଧହୁଏ ଏଠାକାର ରାଜା ସାହେବ ?"

 

ଆଧୁନିକ ଫ୍ୟାଶନ୍‍ରେ ଜିନ୍‍ଶାର୍ଟ ପିନ୍ଧା ତିରିଶ ଆଖ ପାଖର ଲମ୍ବା, ଦାଢ଼ୁଆ ଯୁବକ ରାଜାସାହେବ ଆଖିରୁ କଲା ଚଷମା କାଢ଼ି ବିଶୁଦ୍ଧ ଇଂରାଜୀରେ ପଚାରିଲେ, “ଆପଣ କିଏ ଜାଣିପାରେକି ?”

 

ପରିଚୟ ଜାଣିଲା ପରେ ଆଉ ଟିକିଏ ବିଲାତୀ ଢଙ୍ଗର ଇଂରାଜୀରେ ରାଜାସାହେବ୍‍ ବ୍ୟକ୍ତ କଲେ ସେ ବିକ୍ରମବାବୁଙ୍କ ସହିତ ପରିଚିତ ହେଇ ଖୁବ୍ ଆନନ୍ଦିତ ହେଇଚନ୍ତି, ଆଉ ଭିତରକୁ ପାଛୋଟି ନେଲେ ।

 

ଏତେବେଳକୁ ରାଣୀ ସାହେବା ଅନ୍ତଃପୁରରେ ଅଦୃଶ୍ୟ ହେଇ ସାରିଥିଲେ । ଦାମୀ ସିନ୍ଥେଟିକ୍ ଶାଢ଼ୀ ସତ୍ତ୍ୱେ ରାଣୀ ଯେ ସ୍ଥାନୀୟ ଜଣେ ଆଦିବାସୀ ତରୁଣୀ, ସେକଥା ତାଙ୍କ ଚଉଡ଼ା ଚିକ୍କଣ ଚେହେରାଠୁ ଓଠତଳ ଓ ନାକ କଡ଼ର ଠୋପାଏ ଲେଖାଏଁ ନେଳୀ ଚିତାକୁଟୀ ଚିହ୍ନ ସ୍ପଷ୍ଟ ଚିହ୍ନେଇ ଦେଉଥିଲା ।

 

ଭିତର ଉଚ୍ଚ ଖପର ଛାତ ଉଆସର ଅଧା ଘର ପକ୍କା, ଅଧା କଚା । ଆକାଶରେ ବିଜୁଳି ଗାରପରି କାନ୍ଥ ମାନଙ୍କରେ ଚଉଡ଼ା ଫାଟମାନ, ଚୂନ ପଲସ୍ତରା ଖସି ଯାଇଛି ଅନେକଠି । ଏଠି ସେଠି ଜଣେ ଅଧେ ନାଲି ଜାମାପିନ୍ଧା ମୁଲିଆ ଶ୍ରେଣୀର ଲୋକ ଆତଯାତ ହେଉଛନ୍ତି । ବିରାଟ ଅଗଣାର ଚାରିପାଖେ ପ୍ରଶସ୍ତ ବାରଣ୍ଡା ଓ ଘର ପଛ ପାଖ କାନ୍ଥରେ ବଡ଼ ଗୋଟିଏ କବାଟ ଭିତର ଅଗଣାକୁ । ଝାଇଁ ଝାଇଁଆ ନାରୀ କଣ୍ଠଟିଏ ଶୁଭିଲା ଓ ସେଇ ଦ୍ଵାର ବନ୍ଧରେ ଆଉ ଜଣେ ଆଦିବାସୀ ନାରୀ ମୂର୍ତ୍ତି ଉଭା ହେଇ, ଏ ସୁଟ୍‍ପିନ୍ଧା ଆଗନ୍ତୁକକୁ ଦେଖି ମୁହୂର୍ତ୍ତେ ଚାହିଁଲେ ଓ ଲେଉଟି ପଡ଼ି ଅଦୃଶ୍ୟ ହେଇଗଲେ । ବିକ୍ରମବାବୁ ଭାବିଲେ ପଛ ଅଗଣାରେ କ’ଣ ? ଚାଳଘର ସାହାଯ୍ୟରେ ଆଦିବାସୀ ନାରୀ ସମ୍ବଳିତ ହାରେମ?

 

ଉଚ୍ଚ ବାରଣ୍ଡାର କାନ୍ଥଯାକ ଧାଡ଼ି ଧାଡ଼ି ହରିଣ ଓ ମଇଁଷି ମୁଣ୍ଡ ବେକ ଲମ୍ବେଇଚନ୍ତି । ଯତ୍ନ ଅଭାବର ଧୂଳିବୋଳା, ଚମଡ଼ାମାନ ଚେମେଡ଼ା ଫଟା ଫଟା । ବୈଠକ ଖୋଲାଗଲା । ପୁରୁଣା ବିଳାସୀ ସୋଫା ସେଟ୍‍ର ତେଲିଆ ଗଦିମାନ ଦବି ଗାତ ହେଇଯାଇଛି । ବଡ଼ ବଡ଼ ଫ୍ରେସ କରା ଫଟୋ, ଗୋଟିଏ ଅଧେ ତୈଳଚିତ୍ର । ଆହୁରି ହରିଣ, ସମ୍ବର, ଚିତା, ମହାବଳ ମୁଣ୍ଡ । ବଡ଼ ବଡ଼ କୋଟିକାମ କବାଟ ।

 

କିଛି ସମୟପରେ ନିତାନ୍ତ ଆଡ଼ମ୍ବର ବିହୀନ ଭାବରେ ଚା’ ଆସିଲା । ରାଜା ସାହେବ ଗମ୍ଭୀର ଠାଣୀରେ ବସି ଚା’ ସିପ୍ କଲେ । ଗୋରା ଚେହେରା ଖରାରେ ତମ୍ବାଟିଆ ପଡ଼ିଛି । ଆଧୁନିକ ଫେଶନ୍‍ର ଲମ୍ବାବାଳ, ବେଶ ପୋଷାକ ଅବିନ୍ୟସ୍ତ, ମଦ୍ୟପାନର ଅଭ୍ୟାସରୁ କହରା ଆଖି ଯୋଡ଼ିକ ନାଲିରଙ୍ଗର ସୁରମା ଲଗାଇଥିଲା ପରି । ରାଜା ସାହେବଙ୍କଆଡ଼ୁ ଗପସପ ଆରମ୍ଭର କୌଣସି ଆଭାସ ନପାଇ ବିକ୍ରମବାବୁ ନିଜଆଡ଼ୁ କଥା ଜମାଇବାକୁ ଚେଷ୍ଟା କଲେ- ‘‘ଚମତ୍କାର ହେଇଛି ଏ ଶିକାରର ଟ୍ରଫିମାନ । ଏସବୁ ଶିକାର ଆପଣ କରିଛନ୍ତି ।’’

 

ରାଜାଙ୍କ ମୁହଁରେ ଅଚାନକ ହସଫୁଟିଲା । ଆତ୍ମପ୍ରସାଦର ଉଜ୍ଜ୍ୱଳ ହସଟିରେ ସେ ମୁହଁରେ ଟିକିଏ ଆଗରୁ ଖାପିଥିବା କାଠୁ ଆପଣ ଚଟ୍‍କିନି ଉଭେଇ ଗଲା । କହିଲେ-ନାଁ, ଏସବୁ ମୋ ବାପାଙ୍କର ପ୍ରାୟ, କେତେଟା ଜେଜେ ବାପାଙ୍କର ବି ଅଛି । ମୋ ବାପା ଖୁବ୍ ନାମୀ ଶିକାରୀ ଥିଲେ, କେବଳ ବାଘ ଶହେ ତିରିଶିଟା ମାରିଛନ୍ତି ।

 

“ଆପଣଙ୍କରବି ତ ଶିକାରରେ ଆଗ୍ରହ ଅଛି ? ଆଜି ଯାଇଥିଲେ ବୋଧହୁଏ ଶିକାରରେ ।

 

କହି ଦେଇସାରି ବିକ୍ରମବାବୁ ନିଜର ଭୁଲ୍ ବୁଝିଲେ–ରାଜାଙ୍କ ହସ ମିଳେଇଗଲା । ଚା' କପ୍‍କୁ ଅନାଇ ଭ୍ରୁକୁଞ୍ଚାଇ କହିଲେ “ମୁଁ ଶିକାର କରେ କିଛି କିଛି । ତେବେ ସେ କିଛି ନୁହେଁ । ଖାଲି ସମୟ ଗଡ଼େଇବା କଥା–ଯଷ୍ଟ୍ ଟୁ କିଲ୍ ଟାଇମ୍ । ଆଜିକାଲି ଶିକାର ବି ମନା ହେଇଯାଇଛି ଶୁଣିଥିବେ ?''

 

ବିକ୍ରମବାବୁ ରାଜାଙ୍କ ମନକୁ ପାଇଲା ଭଳି ନୂଆ ବିଷୟ ଭାବିଲେ । ସିଧା କିଣାବିକା କଥା ଆରମ୍ଭ କରିବା ଭଳି ଜାଗା ଏଇଟା ନୁହେଁ ।–“ଆପଣଙ୍କ ବାପାଙ୍କ ବିଷୟରେ ମୁଁ ଅନେକ ଶୁଣିଚି । ଆପଣଙ୍କର ଷ୍ଟେଟବେଳ କଥାତ ମନେ ଥିବ’’–ଇତ୍ୟାଦି ।

 

ରାଜା ଆଖି ଉଠେଇ ବିକ୍ରମବାବୁଙ୍କୁ ଚାହିଁଲେ ତଉଲ କଲାପରି ଓ ତାଙ୍କ ଭ୍ରୂ ମଝିରୁ ଗାର ଉଭେଇ ମୁହଁରେ ପୁଣି ହସ ଓ ଖୋଲା ଆତ୍ମବିଶ୍ଵାସ ଫୁଟିଲା । ସେ ତା’ପରେ ନିଜେ ଉଠି ବିଭିନ୍ନ ଫଟୋରୁ ତାଙ୍କ ବଂଶର ଲୋକଙ୍କୁ ଚିହ୍ନେଇଦେଲେ, ବିଭିନ୍ନ ହରିଣ, ବାଘମୁଣ୍ଡଙ୍କର ସଂକ୍ଷିପ୍ତ ଇତିହାସ ଶୁଣାଇଲେ । ଫେରି ପୁଣି ଚଉକିରେ ବସି ପ୍ରଶସ୍ତ ଝରକା ଦେଇ ବାହାରକୁ ଅନେଇଲେ -ଉଆସ ଛାତର କଷର ପୁରୁଣା ଖପରରେ ତେରଚ୍ଛା ନାଲି ଖରାରେ ବସିଥିବା ପାରା କେତୋଟିଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ସେ କହିଲେ “ପିଲାଦନ ତାଙ୍କର କଟିଥିଲା ରାୟପୁର ରାଜକୁମାର କଲେଜରେ, ସେଇଠୁ ସେ ସିନିଅର୍–କେମ୍ବ୍ରିଜ୍‍ ପାସ କରିଛନ୍ତି । ବହୁତ ମିସ୍ କରନ୍ତି ସେ ତାଙ୍କର, ସ୍କୁଲ ଦିନମାନ । ତାଙ୍କ ପ୍ରିନ୍ସପାଲ୍ ଥିଲେ ଜଣେ "ଡ୍ୟାମ୍ ସ୍ମାର୍ଟ ଚ୍ୟାପ୍,’ ଅଉ ତାଙ୍କ ଟ୍ୟୁଟର୍ ତ ‘ଏ ରିଅଲ୍ ଜିନିଅସ୍, ନିଜେ ତାକୁ ବିଭିନ୍ନ ପାନୀୟର ମିଶ୍ରଣର ଅନୁପାତ ଶିଖାଇ ଦେଇଥିଲେ, ଶିକାରର ଟିକି ନିଖି ଟେକ୍‍ନିକ୍‍ ସବୁବି । ବହୁତ ଦିନୁ ସେ ଆଉ ତାଙ୍କ ପୁରୁଣା ସ୍କୁଲ ଆଡ଼େ ଯାଇପାରି ନାହାନ୍ତି -ବିଦେଶୀ କାର୍ ଯୋଡ଼ିକ ତ ଡ଼ିସ୍‍ପୋଜ୍ କରି ଦିଆଗଲା ବାପା ଥାଉ ଥାଉ, ଯିବ ଏବେ କୋଉଥିରେ ମଣିଷ ।”

 

ବାହାରେ ଛାତର କଷରା ଖପର ଉପରେ ଆଉ ପାରାମାନେ ନଥିଲେ, ନାଲି ଖରା ବି କେବେଠୁ ଉଭେଇ ଛାଇ ଅନ୍ଧାର ଓହ୍ଲେଇ ଆସୁଚି । ବିକ୍ରମବାବୁ ଏଥର ପୁଣି ଶିକାର ଟପିକ୍ ପକାଇଲେ । କିନ୍ତୁ ରାଜା ପଲକମାତ୍ରେକେ ପୁଣି ତାଙ୍କ ବଂଶ-ଗାରିମାକୁ ଫେରି ଗଲେ- “ତାଙ୍କ ଶ୍ୱଶୁର ସାରଙ୍ଗଧର ସାଏ ଛତିଶଗଡ଼ର ସବୁଠାରୁ ପ୍ରତାପୀ ରାଜା ଥିଲେ, ବିଖ୍ୟାତ ଶିକାରୀ-ନାଁ ନିଶ୍ଚୟ ଶୁଣିଥିବେ ଆପଣ....।”

 

ରାଜାଙ୍କ ଶ୍ୱଶୁର କଥାରୁ ବିକ୍ରମବାବୁଙ୍କର ମନେ ପଡ଼ିଗଲା ସାଇକେଲ୍‍ରୁ ଓହ୍ଲାଇଥିବା ରାଣୀଙ୍କ ଚେହେରା । ସେହିକ୍ଷଣି ତାଙ୍କର ବି ମନେ ପଡ଼ିଗଲା କାହାଠାରୁ ସେ ଶୁଣିଥିଲେ, କୁମାର ରାଜାସାହେବଙ୍କର ବିବାହ ଅଳ୍ପ ବୟସରେ ସମ୍ପନ୍ନ ହୋଇ ଯାଇଥିଲା । ସାରଙ୍ଗଗଡ଼ର ରାଜକନ୍ୟାଙ୍କ ସହିତ, ସେତେବେଳକୁ ବୁଢ଼ାରାଜା ଯକ୍ଷ୍ମାରେ ଆକ୍ରାନ୍ତ ହେଇ ସାରିଥାନ୍ତି । ବିବାହର ଛ’ ମାସ ପରେ ବୁଢ଼ା ରାଜା ମରି ସାରିଥାନ୍ତି । ବୋହୂରାଣୀ ବାପ ଘରକୁ ଚାଲିଗଲେ କୌଣସି କାରଣରୁ, ଆଉ ଫେରି ନାହାନ୍ତି । ରାଜାସାହେବଙ୍କୁ ବି ଶ୍ୱଶୁର ଘରଆଡ଼େ ଯିବାର କେହି ଦେଖି ନାହାନ୍ତି ।

ଏଥର ରାଜା ସାହେବ ନିଃଶ୍ୱାସ ମାରିବା ପାଇଁ ଗପ ବନ୍ଦ କଲାକ୍ଷଣି ବିକ୍ରମବାବୁ ଦୋ ଦୋ ପାଞ୍ଚ ହେଇ କହିଲେ, “ମୋର ବି ଶିକାରରେ ସଉକ୍ ଅଛି, ତେବେ ବନ୍ଧୁକ ନାହିଁ । ମୁଁ ଶୁଣିଥିଲି ଆପଣଙ୍କ ପାଖେ ଗୁଡ଼ାଏ ବନ୍ଧୁକ, ଡିସ୍‍ପୋଜ୍ ଅଫ୍ କରିଦେବାର ଇଚ୍ଛା ବୋଲି ବି ଶୁଣିଛି । ମୋ ଲାଗି ଯଦି ଗୋଟାଏ ସ୍ପେଆର୍ କରି ପାରନ୍ତେ...."

 

ସନ୍ଧ୍ୟାର ମହଳଣ ଆଲୋକ ଓ ରାଜାଙ୍କ ଗମ୍ଭୀର ରହିବାର ଚେଷ୍ଟା ସତ୍ତ୍ୱେ ତାଙ୍କ ଆଖିରେ ହଠାତ୍ ଆଗ୍ରହ ଜଳିଉଠିବା ବିକ୍ରମବାବୁ ସ୍ପଷ୍ଟ ଦେଖିଲେ । ଟିକିଏ ରହି ଗଳା ଝିଙ୍କାରି ରାଜା କହିଲେ, “ନିଶ୍ଚୟ, ଆପଣ ନେବାକୁ ଚାହିଁଲେ ନ ଦେବି କେମିତି ? ମୋ ପାଇଁ ଏଇଟା ଅତି ଖୁସିର କଥା ।”

 

ତାପରେ ସେ ନିଜେ ଉଠି ଭିତରକୁ ଗଲେ ଓ ଖୋଳ ଭିତରେ ଥିବା ବନ୍ଧୁକଟିଏ ଆଣିଲେ । ବିକ୍ରମବାବୁ ହାତକୁ ନେଇ ବନ୍ଧକଟି ଖୋଳରୁ କାଢ଼ି ଦେଇ ବିସ୍ମୟ ଓ ନିରାଶାରେ ହତବାକ୍ ହେଲେ । ନିତାନ୍ତ ପୁରୁଣା ରଙ୍ଗଛଡ଼ା ବନ୍ଧୁକଟିଏ, କଳଙ୍କି ଧରି ଆସୁଛି । ତାକୁ ବୁଲେଇ ବାଲେଇ ଦେଖୁ ଦେଖୁ କହିଲେ “ଆଉ କିଛି ନାହିଁ ଆପଣଙ୍କ ପାଖେ ? ଏଇଟା...ଟିକିଏ ପୁରୁଣାତ, କ୍ୟାଟ୍ରିଜ ମିଳିବାରେ ଅସୁବିଧା ହେବ ।”

 

ରାଜା ଆଦୌ ଅପ୍ରସ୍ତୁତ ନ ହେଇ କହିଲେ “ଆଉ ନାହିଁ । ବୁଝିଲେ, ଲୋକ ପଛରେ ପଡ଼ି ପଡ଼ି ସବୁ ନେଇଗଲେ । ଷ୍ଟେଟ ଗଲା ପରେ ତ ମୋ ବାପାଙ୍କୁ ବାଣ୍ଟି ଦେବାକୁ ପଡ଼ିଲା ଗୁଡ଼ାଏ । ଆଜିକାଲି ବେଶୀ ହତିଆର ପାଇଁ ଲାଇସେନ୍‍ସ ମିଳିବାରେ ବି ଅସୁବିଧା ଆପଣ ଜାଣିଥିବେ, ତେଣୁ ମୁଁ ବି ବେଶୀ ରଖିନାହିଁ ।

 

ବିକ୍ରମବାବୁ ଦୀର୍ଘଶ୍ଵାସ ଛାଡ଼ି ବନ୍ଧୁକଟି ଟେବୁଲରେ ରଖିଦେବାକୁ ଯାଉଥିଲେ, ତାହା ଟେବୁଲ ନ ଛୁଉଁଣୁ ରାଜା ନିଜ ହାତକୁ ନେଇ ଅତି ଆଗ୍ରହରେ ତନ୍ନତନ୍ନ କରି ଦେଖାଇଲେ । କହିଲେ–‘ଏ ଅଳ୍ପ ପାୱାରର ଲାଇଟ୍ ଯୋଗୁଁ ଏମିତି ଦିଶୁଛି, ବାସ୍ତବରେ ଏମିତି ମଡ଼େଲ୍‌ର ଜିନିଷ ଆପଣ ଆଉ କୋଉଠି ପାଇବେନି । କ୍ୟାଟ୍ରିଜ୍‍ ଆପଣ ପାଇଯିବେ କଲିକତାରେ, ମୁଁ ଏଡ୍ରେସ ଦେବି ଆପଣଙ୍କୁ ।”

 

ରାଜାଙ୍କ ଆଗ୍ରହରେ ସାହସ ପାଇ ବିକ୍ରମବାବୁ କହିଲେ-“କଛି ଯଦି ମନେ ନ କରିବେ, ଆଜି ଯେଉଁ ବନ୍ଧୁକଟି ଆପଣ ନିଜେ ନେଇଥିଲେ..."

 

ହଠାତ୍ ରାଜାଙ୍କ ପ୍ରଗଳ୍‍ଭତାରେ ଭଟ୍ଟା ପଡ଼ିଲା, ଗମ୍ଭୀର ଭୁରୁକୁଞ୍ଚା ଭାବଟି ମୁହଁରେ ଖାପିଗଲା । ସୋଫା ପଛକୁ ଆଉଜି ଧୀର ସ୍ଵରରେ କହିଲେ-“ସେ ବନ୍ଧୁକଟି ବହୁଦିନୁ ମୋର ବ୍ୟକ୍ତିଗତ । ତାକୁ ଦେବାର ପ୍ରଶ୍ନ ଉଠୁନାହିଁ” ।

 

ବିକ୍ରମବାବୁ ବୁଝିଲେ ଅଜାଣତରେ ସେ ପୁଣି ଆଘାତ ଦେଇଛନ୍ତି କେଉଁଠି ରାଜାଙ୍କର ଆତ୍ମସମ୍ମାନର ସୀମାରେଖା ଠଉର କରିବା ମୁସ୍କିଲ । କହିଲେ “କ୍ଷମା କରିବେ, ଜାଣିନଥିଲି ।”

 

ହାତରେ ପୁରୁଣା ବନ୍ଧୁକଟି ଘୂରେଇ ଦେଖୁ ଦେଖୁ ତାଙ୍କୁ ନୂଆ ଚିନ୍ତାଟିଏ ଜୁଟିଲା–ଏମିତି ପୁରୁଣାକାଳର ଜିନିଷ କମ ଲୋକଙ୍କ ପାଖେ ଥିବ । ସେ ଜାଣନ୍ତି ବିଳାସୀ ଲୋକ ବେଶୀ ଦାମ୍ ଦେଇ ପୁରୁଣା ଜିନିଷ କିଣିରଖନ୍ତି ସଉକ୍‍ରେ । ଅଳ୍ପ ଦାମ୍‍ରେ ମିଳିଗଲେ, ହୁଏତ ପରେ ସେମିତି ଲୋକ ଦେଖି ପାରି କରି ଦେଇ ହେବ । କହିଲେ ସମ୍ଭ୍ରମର ସହିତ ଠିକ୍ ଅଛି, ଏଇଟା ନେଉଛି ତେବେ । ଦାମ୍‍ଟା ବିଷୟରେ... କଥାବାର୍ତ୍ତାଟା ବର୍ତ୍ତମାନ ହେଇଗଲେ...।

 

ଗୌର ଚନ୍ଦ୍ରିକା ନକରି ରାଜା ପଚାରିଲେ କେତେ ଦେବେ ଭାବୁଛନ୍ତି ? ବିକ୍ରମବାବୁ ବି ଏ ବେପାରୀ ସ୍ୱର ଶୁଣି ସିଧାସଳଖ ଉତ୍ତର ଦେଲେ ଦେଖନ୍ତୁ, ପୁରୁଣା ଜିନିଷଟିଏ, ବେଶୀ ଆପଣ କୋଉଠିବି ପାଇବେନି । ଫାଇଭରୁ ଅଧିକ ମୁଁ ଅଫର୍ କରପାରୁନି । ପାଞ୍ଚ–। ଏଇଟ୍ । ଏଇଟ୍ ହେଇଯାଉ ।

 

ବିକ୍ରମବାବୁ ଟିକିଏ ଭାବିଲେ । ଆଠଶହଟଙ୍କା ବିଶେଷ କିଛି ନୁହେଁ, ରଜା ପିଲାଟା । ସାଙ୍ଗରେ ଦର କଷାକଷି କରିବାକୁ ରୁଚିକୁ ବାଧୁଛି । କହିଲେ ଠିକ୍ ଅଛି, ମୁଁ ତାହାହେଲେ ବନ୍ଧୁକଟା ନେଇପାରେ ବର୍ତ୍ତମାନ ? ସୁବିଧା ହେଲେ ୟାରକ୍ୟାଟ୍ରିଜ କେତେଟା ଦେବେ, ଟିକିଏ ପରୀକ୍ଷା କରିନେବି ବନ୍ଧୁକଟା । କାଲି ପଠେଇଦେବି ଆଠଶହ ଟଙ୍କା ।

 

ରାଜା ବିକ୍ରମବାବୁଙ୍କ ସଙ୍ଗେ ଉଠିବାକୁ ଯାଇ ଅଧା ଠିଆ ରହିଯାଇ ପଚାରିଲେ-ଆଜ୍ଞା ? ତା ପରେ ପୁଣି ବସିପଡ଼ି ଛେପଢ଼ୋକି କହିଲେ–ଅଠଶହ ? କଣ କହୁଛନ୍ତି । ମୁଁ କହିଲି ଏଇଟ୍ ଗ୍ରାଣ୍ଡ–ଆଠ ହଜାର ।

 

ଟିକିଏ ଥକ୍କା ହେଇ ଚାହିଁ ବିକ୍ରମବାବୁ ମୁହୂର୍ତ୍ତକରେ ହୁଡ଼ି ପକାଇଲେ- ମାନେ ଆଠ ହଜାର କହୁଛନ୍ତି ଏଇ ପୁରୁଣା ଅବସିଲଟ୍ ୱପନଟା ପାଇଁ ? ତାପରେ ଜାଣିଶୁଣି ଆଉ ଟିକିଏ ଜୋରରେ ହସିଲେ–ତାହାହେଲେ ଥାଉ ଆଜ୍ଞା ବନ୍ଧୁକଟା । ଶିକାର କରିବା ଇଚ୍ଛାରେ ବନ୍ଧୁକଟାଏ କିଣିବି ଭାବିଥିଲି, ତେବେ ଏଇ ସିପାହୀ ବିଦ୍ରୋହ ବେଳର ବନ୍ଧୁକରେ କି ଶିକାର ବା କରିବି ? ପୁରୁଣା ଜିନିଷଟାଏ ବୋଲି ଖାଲି ରଖିବାକୁ ସଉକ୍ ହେଉଥିଲା । ଆଠହଜାର ଦେଇ ଆଜ୍ଞା କାହିଁକି କିଣିବି, ଥାଉ ।

 

ରାଜାସାହେବ ମୁହଁରେ ଲୁହାର ସାଞ୍ଜୁ ପିନ୍ଧିଛନ୍ତି ସତେକି । ଠିଆ ହୋଇପଡ଼ି ଶାନ୍ତ ଗଳାରେ କହିଲେ ବେଶ୍ ଭଲ କଥା । ମୋର ବି ପ୍ରକୃତରେ ଜିନିଷଟା କାହାରିକୁ ଦେବାର ଇଚ୍ଛା ନଥିଲା । ଆପଣ ମାଗିଲେ ବୋଲି...

 

ପରଦିନ ଅଫିସରୁ ଫେରି ବିକ୍ରମବାବୁ ଲୁଗା ବଦଳୁଛନ୍ତି । ଚପରାଶି ଜଣାଇଲା-ରାଜାସା'ବ ଆସିଛନ୍ତି ଦେଖା କରିବାକୁ । ଚପରାଶି ମୁହଁ ରେ ସ୍ଥାନୀୟ ଅନ୍ୟଲୋକଙ୍କ ପରି ରାଜାଙ୍କ ପାଇଁ ଅଧା ସମ୍ଭ୍ରମ ଓ କାଣିଚାଏ ଥଟ୍ଟାମିଶା ହସ ।

 

ବିକ୍ରମବାବୁଙ୍କୁ ଦେଖି ରାଜା କହିଲେ-ଏଇ ବାଟ ଦେଇ ଯାଉ ଯାଉ ଚାଲି ଆସିଲି, ଭାବିଲି ଦେଖାକରି ଆସେ ।

ବିକ୍ରମବାବୁ କହିଲେ ବଡ଼ ଖୁସି ହେଲି ଆଜ୍ଞା, ବସନ୍ତୁ ବସନ୍ତୁ । ଆଉ ଭାବିଲେ–ଏ ରାଜାଟି ଯେ ନିତାନ୍ତ ସାମାଜିକ ମଣିଷଟିଏ ନୁହେଁ, ନିଜ ଆଗ୍ରହରେ କାହା ଘରକୁ ଯାଇ ବନ୍ଧୁ କଲା ପରି, ଏକଥା ଏଇଠି କିଏ ନଜାଣେ ? ଡ୍ରାମାରେ ରଜା ପାଟ୍ କଲାପରି ବିଚରା କାଳ୍ପନିକ ରଜା ଖୋଳଟିଏ ପିନ୍ଧି ଚାଲବୁଲ କରୁଥାଏ । ତା ବିଶ୍ୱାସରେ ସେଇ ରଜାଖୋଳ ତା ହକ ନିଜ ଜୀବନ କାଳରେ ଦେଇ ନଥାଉ ପଛକେ, ରଜାର ବ୍ୟଙ୍ଗଚିତ୍ରଟିଏ ପରି । ମୁହଁରେ ଆତ୍ମସମ୍ମାନ, ଅହମିକାର ଘୋଡ଼ଣୀଟିଏ-ପିଲାଂଙ୍କ ଶସ୍ତା ଢିଲା ମୁଖାପରି ଟିକିଏ ଅସାବଧାନତାରେ ସେଇଟା ଥରକୁ ଥର ଖସି ପଡ଼ୁଥାଏ ବେକଯାଏ" ପୁଣି ହଠାତ୍ ମନେ ପଡ଼ିଗଲେ ତାକୁ ଟେକିଟାକି ମୁହଁ ଉପରେ ସଳଖାଏ ।

 

ଚା ଓ ଏଣୁତେଣୁ ପାଗ ତଥା ରେଡ଼ିଓ ଖବର ଚର୍ଚ୍ଚା ପରେ ରାଜା କହିଲେ–ଏ ବାହାରଟାରେ ଥଣ୍ଡାଳିଆ ଲାଗୁଛି । ଚାଲନ୍ତୁ, ଡାକବଙ୍ଗଳାରେ ଡ୍ରଇଂରୁମ୍‍ରେ ବସିବା ।

 

ଅଳ୍ପ ଦୂରରେ ଟୁପ୍ ଟାପ୍ ହେଉଥିବା ଚପରାସୀ ଦି ଜଣ ରାଜାଙ୍କର ଏ ହଠାତ୍ ସ୍ଥାନ ପରିବର୍ତ୍ତନର ପ୍ରଧାନ କାରଣ ବୋଲି ବିକ୍ରମବାବୁ ଅନୁମାନ କଲେ ।

 

ଭିତରେ ବସୁ ବସୁ ରାଜା ଶୁଦ୍ଧ ଇଂରାଜୀରେ କହିଲେ- ଜାଣନ୍ତି କାଲି ଆପଣଙ୍କୁ ନିରାଶ କରିବାର ଇଚ୍ଛା ମୋର ନଥିଲା । ଆଶା, ଆପଣ ମୋତେ ଭୁଲ ବୁଝି ନାହାନ୍ତି ।

 

ବିକ୍ରମବାବୁ କହିଲେ-ନା, ନା, ଆଦୌ ନୁହେଁ । ଏଥିରେ ମୋର ମନେକରିବାର କ’ଣ ଅଛି ? ହଠାତ୍ ସେ ଏ ବିନୟୀ ଖାମ୍‌ଖିଆଲୀ ଅସହାୟ ରାଜାଟି ପ୍ରତି ନରମ ହୋଇ ପଡ଼ିଲେ, କହିଲେ - ଆଜ୍ଞା, ଖୋଲା ଖୋଲି କହିଲେ ଆପଣ ସିନା ରାଜା ରାଜୁଡ଼ା ଲୋକ, ଆମ ପାଇଁ ଆଠ ହଜାର ଟଙ୍କା ବହୁତ ବେଶୀ । ଆମେ ହେଲୁ ଚାକିରୀଆ ଲୋକ । ଆଠ ହଜାରରେ ବନ୍ଧକଟାଏ କଣିବା ସହଜ କଥା ?

 

ରାଜା ଆଗକୁ ଝୁଙ୍କି ପଡ଼ି ବ୍ୟଗ୍ର ଗଳାରେ କହିଲେ, “କାହିଁକି ? ଆପଣ ତ ଜିନିଷଟା ଦେଖି ପସନ୍ଦ କରିଥିଲେ, ଆଗ୍ରହରେ ନେବାକୁ ଚାହିଁଥିଲେ । ଆପଣଙ୍କ କଥା ରହୁ, ଆପଣ ରଖନ୍ତୁ । ମୋର କ'ଣ ବା ହେବ ସେଇଟା ? ପଡ଼ି ରହିଛି, କଳଙ୍କି ଲାଗିଯିବ ।

 

ବିକ୍ରମବାକୁ କ’ଣ ଉତ୍ତର ଦେବେ ବୁଝି ନପାରି ଚୁପ୍ ରହିଲେ । ରାଜା ସାହେବ ପୁଣି କହିଲେ ଆତ୍ମୀୟ ସ୍ୱରରେ ଆପଣ ସରକାରୀ ଅଫିସର ଭାବେ ଏଇଠିକି ଆସିଛନ୍ତି, ମୁଁ ଆପଣଙ୍କ ପାଇଁ କଣ କରି ପାରୁଛି ? ମୋ ବାପ ଅଜାଙ୍କ ଅମଳରେ ଆପଣ ଷ୍ଟେଟର ଅତିଥି ହେଇ ରହୁ ଥାଆନ୍ତେ ।

 

ବିକ୍ରମବାବୁ ହଠାତ୍ ଏଇ ଲୋକଟିର ବାପା ବା ଅଜା ପ୍ରତାପୀ ରାଜାଟିଏ ନିଜ ପରି ସରକାରୀ ଚାକିରୀଆଟିଏ ସହିତ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଅନୁମାନ କଲେ ।

 

ରାଜାସାହେବ ଏଥର ଉଠୁ ଉଠୁ କହିଲେ ମୁଁ ଆଜି ଆପଣଙ୍କ ପାଖକୁ ପଠାଇ ଦେଉଛି ବନ୍ଧୁକଟା । କାଲି ଆପଣ ଗଲା ପରେ ମୁଁ କମ୍‍ ଲଜ୍ଜିତ ହୋଇନାହିଁ । ଆପଣ ଜିନିଷଟାଏ ନେବାକୁ ଚାହିଁଥିଲେ, ଅଥଚ ମୁଁ ଦେଇପାରିଲି ନାହିଁ ।

 

ବିକ୍ରମବାବୁଙ୍କର ମନ ଗୋଟାଏ ବ୍ୟଥିତ ସମବେଦନାରେ ଭରିଗଲା । କିନ୍ତୁ ରାଜା ସାହେବଙ୍କ ସାଙ୍ଗେ ଉଠି ବାଟେଇ ଦେବାକୁ ଯାଉ ଯାଉ ସଫା ମୁହଁ ବାରି ହେଉ ନଥିବା ସେ ଅନ୍ଧାରରେ କୁଆଡ଼ୁ କେଜାଣି ଅଜବ ଇଚ୍ଛାଟିଏ ସୁଲୁ ସୁଲୁ ପବନ ପରି ବହି ଆସି ତାଂକ ସମବେଦନାକୁ ଓଲଟ ପାଲଟ କରିଦେଲା, ଖାଲି କୁତୁହଳଟିକୁ ନିଦରୁ ଉଠାଇ କୁତୁକୁତୁ କଲା । ପିଲାଦିନେ ସେ ରଜାପୁଅ ବିଷୟରେ କେତେ ଗପ ପଢ଼ିଛନ୍ତି, ଶୁଣିଛନ୍ତି । ଗରୀବ ବ୍ରାହ୍ମଣଟିଏ ସାହସ କୁଳାଇ ରଜା ଉଆସକୁ ଯାଏ । ନିଜକୁ ସେ ସେତେବେଳେ ସେଇ ଗରିବ ବ୍ରାହ୍ମଣଟି ଦେହରେ ହିଁ ମିଶେଇ ଅନୁଭବ କରିପାରନ୍ତି । ଏବେ ଏ ନିରୋଳା ସନ୍ଧ୍ୟାରେ ପିଲାଦିନ ମୁହୂର୍ତ୍ତକ ପାଇଁ ଫେରି ଆସନ୍ତାକି–ରଜା ପିଲାଟିଏ ଆପେ ଆସି ତାଙ୍କ ଆଗରେ ଗୋଡ଼ ଭାଙ୍ଗି ଦାନ୍ତ ନେଫଡ଼ି ଠିଆ ହୋଇଚି ।

 

ବିକ୍ରମବାବୁ ମାପିଚୁପି ଧୀରେ ଧୀରେ କହିଲେ, ଦେଖନ୍ତୁ ମୁଁ ବି ଭାବିଛି । କାଲି ହଠାତ୍ ଗୋଟାଏ ଆଗ୍ରହରେ ସିନା ମୁଁ କହିଦେଲି । ବାସ୍ତବରେ ଦରମା ଗଣ୍ଡାକରେ ମୋ ପରିବାର ସାରାକୁ ପୋଷିବାକୁ ହୁଏ ମୋତେ । ଆଠଶହ ଟଙ୍କା ବି ବହୁତ ବେଶୀ ମୋ ପାଇଁ । ପାଞ୍ଚଶହରେ ହେଇ ଯାଆନ୍ତା ଯଦି ।

 

ଅନ୍ଧାରରେ ରାଜାଙ୍କ ମୁହଁ ଦିଶୁଥିଲା । ସେଇମିତି ନିମ୍ନ ଗମ୍ଭୀର ଗଳାରେ କହିଲେ–ଆପଣ ଯେତିକି ଖୁସି ହୁଅନ୍ତୁ, ସେଥିରେ କିଛି ମନେ କରିବାର ନାହିଁ । ମୁଁ ଦୁଃଖିତ ଯେ ଆପଣଙ୍କୁ ଜିନିଷଟା ଉପହାର ରୁପେ ଦେଇପାରୁନାହିଁ । ଗୁଡ଼ନାଇଟ୍ ।

 

ରାଜା ଗଲାପରେ ନାଲି ଜାମା ପଗଡ଼ି ଲୋକଟିଏ ବିକ୍ରମବାବୁକୁ ପରିଚିତ ବନ୍ଧୁକଟି ଆଣି ଦେଇଗଲା, କହିଲା–ସଫା କରି ଅଏଲିଂ କରି ଦେଇଛି । କ୍ୟାଟ୍ରିକ୍ କିଛି ବି ପଠାଇଛନ୍ତି ରାଜାସା’ବ ।

 

ବିକ୍ରମବାବୁ ବାରଣ୍ଡାରେ ତୁନିହୋଇ ବସିବାର ଅଧଘଣ୍ଟା ଯାଇଥିବ କି ନାହିଁ ବାରଣ୍ଡା ତଳୁ ହରିଶ୍ ଗୁପ୍ତାଙ୍କର କେ–କେଇଁଆ ସ୍ୱର ଶୁଭିଲା–ଆଜ୍ଞା ନମସ୍କାର, ଆଜି କେମିତି କ୍ଲବ ଆଡ଼େ ଯାଇ ନାହାନ୍ତି ?

 

ଅନ୍ୟଦିନ ପରି ଏଇ ସ୍ଥାନୀୟ ବ୍ୟବସାୟ ତଥା ନେତାଟିକୁ ବିକ୍ରମବାବୁ ଶୀତଳ ସମ୍ବର୍ଦ୍ଧନା କଲେ । ପାଖ ଚଉକିରେ ବସି ସେ ଯାଏଁ ଟେବୁଲ ଉପରେ ରହିଥିବା ବନ୍ଧୁକଟି ଉଠାଇ ହରିଶ ଗୁପ୍ତା କହିଲେ–ଏଇ ବନ୍ଧୁକଟି କିଣିଲେ ଆଜ୍ଞା ରାଜା ସା’ବ ଠୁ ?

 

ବିକ୍ରମବାବୁ ସମ୍ମତିରେ ମୁଣ୍ଡ ଲାଡ଼ିଲେ । ଉଦ୍‍ଗ୍ରୀବ ଆତ୍ମୀୟ ଗଳାରେ ହରିଶ ଗୁପ୍ତା କହିଲେ ଏଇ ଆସୁଆସୁ ରାଜା ସା’ବ ସାଙ୍ଗେ ଦେଖାହେଲା । ଆପଣ ସତରେ । ଏମିତି ଠିକିଗଲେ ଆଜ୍ଞା ?

 

ବିକ୍ରମବାବୁ ଏ ଅନଧିକାର ଚର୍ଚ୍ଚାରୁ ଆଗନ୍ତୁକଙ୍କୁ ନିବୃତ୍ତ କରିବାକୁ କହିଲେ–ମୁଁ ଏଇକ୍ଷଣି କ୍ଲବ ଆଡ଼େ ଯିବାକୁ ବାହାରୁଥିଲି । ଚାଲନ୍ତୁ ଯିବା ।

 

ବିକ୍ରମବାବୁ ଜାଣନ୍ତି ଏ ଭଦ୍ରଲୋକଙ୍କର ରଜାଉଆସକୁ ତଥା ରଜାର ଶିକାର ଟ୍ରିପମାନଙ୍କୁ ପ୍ରାୟ ଯାତାୟାତ ରହିଥାଏ । ଯିବା କଥାଟା ଶୁଣି ନଥିବା ପରି ହରିଶ ଗୁପ୍ତା ପୁଣି କହିଲେ–ଆପଣଙ୍କଠୁଁ ଆଠହଜାର ଟଙ୍କା ମାରିନେଲା ଆଜ୍ଞା ଶଳା ରଜାଟା ଏଇ ଦଦରା ବନ୍ଧୁକଟା ପାଇଁ ।

 

ବିକ୍ରମବାବୁ ଏଥର ଆଲୋଚନାଟି ଆଗେଇବାକୁ ବାଧ୍ୟ ହେଲେ–ଆଠହଜାର ? କିଏ କହିଲା ଆପଣଙ୍କୁ ?

 

କାହିଁକି, ନିଜେ କହିଲା ସେ ରଜାର ବେଟା । ମୋଠି ତା’ର ଟଙ୍କା କିଛି ବାକୀ ଅଛି ତ...

 

ବିକ୍ରମବାବୁ କହିଲେ- ଆଶ୍ଚର୍ଯ୍ୟ, ପାଞ୍ଚଶହ ବୋଲି କଥା ପଟିଲା ଏଇଠି ଅଧଘଣ୍ଟା ତଳେ । ଲୋକଟାର ମୁଣ୍ଡଫୁଣ୍ଡ ଖରାପ ନା କ'ଣ ।

 

ହରିଶ ଗୁପ୍ତା ଶେଷ ବାକ୍ୟଟି ଉପରେ ମନ୍ତବ୍ୟ ନଦେଇ ଦାମ୍ ବିଷୟରେ ପୁରା ସମ୍ମତ ହେଲେ । ଟେବୁଲରେ ମୁଠାରଖି କହିଲେ ଠିକ୍ ଆଜ୍ଞା, ସେଇ ପାଞ୍ଚ ଶହରୁ ପଇସାଟିଏ ବେଶୀ ଦେବେନାହିଁ । ଆଉ ଆପଣ ସିନା ସଉକ୍‍ରେ ନେଉଛନ୍ତି, ଏ ବନ୍ଧୁକଟାର ମୂଲ୍ୟ ବା କ’ଣ । ଆଗରୁ ତା’ର ଭଲ ବନ୍ଧୁକ ସବୁ କେତେ ଶସ୍ତାରେ ନେଇଯାଇଚନ୍ତି ଲୋକ । ସେ ସେମିତି ଦରଦାମ୍ ଦଶ ହଜାରରୁ ଆରମ୍ଭ କଲେ ବୁଝିଲେ, ଦେଶୀ ଠର୍‍ରା ପିଇ ପିଇ ଯେତେବେଳେ ତା’ର ବିଲାତୀ ଟୋପେ ପିଇବାକୁ ମନହୁଏ, ତା ଉପାସରୁ କିଛି ଗୋଟାଏ ବିକି ପକାଏ-କିଣିବାକୁ ଲୋକଟିଏ ମିଳିଲେ ହେଲା । ଆଉଥରେ ବିଲାତୀ ପିଇବା ଝୁଙ୍କ୍‍ ତା’ର ଚଢ଼ିଛି ମାନେ ଆପଣ ଯେତିକି କହିବେ ସେତିକିରେ ସେ ଦେବ, ଆପଣ ନ ଟଳିଲେ ହେଲା ।

 

ଚାରି ଛଅ ଦିନ ପରେ ବିକ୍ରମବାବୁ ବୁଲାବୁଲି କରି ସଞ୍ଜବୁଡ଼କୁ ଫେରୁଚନ୍ତି, ରେଷ୍ଟ ହାଉସ୍ ବାରଣ୍ଡାରେ ରାଜାସାହେବଙ୍କ ପତଳା ହାଡ଼ୁଆ ଚେହେରା ବାରିଲେ, କିଏ ଅଧିକ ଯତ୍ନରେ ପରିଚ୍ଛନ୍ନ ବେଶ ପୋଷାକ ପିନ୍ଧିଛନ୍ତି । ନମସ୍କାର ପରେ ରାଜା ତାଙ୍କ ଅଦ୍ଭୁତ ଭାବେ ଭାବ ବିହୀନ ଅଥଚ କାର୍ଟୁନ ପରି ଅକାରଣ ଆମୋଦଜନକ ମୁହଁରେ ସିଠୁଆ ହସଟିଏ ଫୁଟାଇ କହିଲେ–ଗୋଟିଏ ଜରୁରୀ କଥା ଥିଲା ।

 

ବିକ୍ରମବାବୁଙ୍କୁ କ୍ରମଶଃ ଏ ଅଖାଡ଼ୁଆ ଲୋକଟିର ଗୁମ୍ ସୁମ୍ ଉପସ୍ଥିତ ଆଉ ଭଲ ଲାଗୁ ନଥିଲା । ହାତ ଘଣ୍ଟାକୁ ଅନେଇ ବ୍ୟସ୍ତ ଥିଲା ପରି କହିଲେ–କହନ୍ତୁ ।

 

ରାଜା ଟିକିଏ ବେଳଭାବି ଠିକ୍ ଭାଷା ମନେ ମନେ ଅଣ୍ଡାଳିଲା ପରି ବ୍ୟକ୍ତ କଲେ–ବନ୍ଧୁକ ମୁଁ ଆପଣଙ୍କୁ ଉପହାର ଦେଇ ପାରିଲି ନାହିଁ, ଏଇଟା ମୋ ପାଇଁ ଲଜ୍ଜାର କଥା । ତେବେ ଆପଣ, ମୋ ଭିତରେ ଖୁସିରେ କେତେ ଦିଆ ନିଆ ହେଲା, ସେ କଥା ଯଦି ଆମ ଭିତରେ ରହିପାରନ୍ତା...

 

ବିକ୍ରମବାବୁ ବୁଝି ନପାରିଲା ପରି ରଜାଙ୍କ ମୁହଁକୁ ଚାହିଁଲେ, ଓଦାଳିଆ ହସଟିଏ ତାଙ୍କ ଓଠ ଠିଁ କେବଳ ଭରିଥିଲା । ମୁହଁରେ ଆଉ କୋଉଠି ହସର ଛିଟିକାଏ ବି ନଥାଏ, ଖାଲି ହସର ଭାରୀପଣରେ ଯେମିତି ଓଠ ଦୁଇ ଜଣ ତଳକୁ ନଇଁ ପଡ଼ୁଥାଏ । କହିଲେ–ଆପଣ ନିଶ୍ଚୟ ଅସ୍ୱୀକାର କରି ପାରିବେ ନାହିଁ ମୋ ବନ୍ଧୁକଟାର ଦାମ୍ ପାଞ୍ଚ ଶହ ନୁହେଁ, ତାର ଅସଲ ଦାମ ଆଠ ହଜାର । ଆପଣ କିଣିଲେ ବୋଲି କହିବେ ଯଦି ସମସ୍ତଙ୍କୁ କହନ୍ତୁ, କିନ୍ତୁ ବନ୍ଧୁକଟାର ଦାମ୍ ଆଜ୍ଞା ଆଠ ହଜାର ।

 

ରାଜାଙ୍କ ଗଳାରେ ଏତେ ନମ୍ର ନିବେଦନ ଥିଲା ଯେ ତାକୁ ଆଘାତ ଦେବା କଥା ବିକ୍ରମବାବୁ ଭାବିପାରିଲେ ନାହିଁ ।

 

ଗେଟ ପାଖେ ବିଦାୟ ନେଲା ବେଳକୁ ରାଜାସାହେବଙ୍କ ସଙ୍ଗେ ହାତ ମିଳାଇ ପୁରୁଣା ବନ୍ଧୁ ପରି ବିକ୍ରମବାବୁ କହିଲେ–ଖାମ୍‍ଖିଆଲୀ ହେଇ ମୁଁ ସତରେ କେତେବେଳେ କ'ଣ କହି ପକାଏ । ତେବେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ବନ୍ଧୁକଟି ଉପହାର ପାଇଛି ବୋଲି କହିବି ।

Image

 

ବାହାରେ ଠିଆ ହେଇଥିବା ଲୋକମାନେ

ଶ୍ରୀ ଜଗଦୀଶ ମହାନ୍ତି

 

ତାକୁ କେଉଁଠିକୁ ନେଇଯିବା ପାଇଁ କେହି ଯେମିତି କହିଯାଉଛି ଓ ସବୁଥର ସେ କାହାକୁ ଯେମିତି କହୁଚି; ମୋତେ ଡରମାଡ଼େ । ମୋର ଭୀଷଣ ଭୟ । ଏଇ ଯେ ସେ ଭଙ୍ଗା ତକ୍ତପୋଷ ଉପରେ, ମସିଆ ରେଜେଇ, କନ୍ଥା ଓ ଚାଦର, କମ୍ବଳ ଉପରେ, ଗୋଟେ ଧଳା ତସର ଚାଦର ଘୋଡ଼େଇ ହେଇ ବହି ଉପରେ ଝୁଙ୍କି ପଡ଼ିଥିଲା, ଯେତେବେଳେ ପାଖରେ ସାନ ଭଉଣୀ ପରିମିତା ଶୋଇ ପଡ଼ିଥିଲ ଓ ଆର ଘରେ ବଡ଼ ଭଉଣୀ ସଞ୍ଚୟିତା ରୋଷେଇ କରୁଥିଲା–ସେତେବେଳେ ଢୁଲଉ ଢୁଳଉ ବି ସ୍ଵପ୍ନ ଦେଖିଥିଲା ମୃଣ୍ମୟକୁ । ତା’ଠୁ ଦି ବର୍ଷର ଛୋଟ, ମୃଣ୍ମୟ-ତା’ର ମାମୁଁ ତାକୁ ହାତ ଧରି ନେଇଯାଉଛି କେଉଁ ଏକ ଧଳା କୁହୁଡ଼ିଘେରା ପର୍ବତର ସବୁଜ ସ୍ତର ଉପରକୁ । ଏଭଳି ସ୍ଵପ୍ନ ତ ତା’ର ଜନ୍ମ ଚିହ୍ନ-ଆଜନ୍ମ ସହଚର । ଏତେ ସ୍ଵପ୍ନ ପାଇଁ ରାତି କାହିଁ ? ତଥାପି ସ୍ୱପ୍ନ ଦେଖେ ଠିକ୍ ପ୍ରତିଥରର ସ୍ଵପ୍ନରେ ମୃଣ୍ମୟ ତାକୁ ନେଇଯାଏ କେଉଁ ଦୂର ନିର୍ଜନ ନିକାଞ୍ଚନ ଜାଗାକୁ । ଆଉ ସ୍ଵପ୍ନର ତ ନାଇଁ କୌଣସି ଟ୍ରେନ୍ ଟିକେଟ୍ ଯେ ସେ ମନେରଖିବ -ତାକୁ ପୁଣି ଫେରିବାକୁ ପଡ଼ିବ ଧୂଳି ଓ ଧୂଆଁ ନଗରୀକୁ ବୋଲି । ଦୃଶ୍ୟ ଭଙ୍ଗା ଗଢ଼ାର ଖେଳରେ ସ୍ଵପ୍ନ ଭୁଲିଯାଏ ନିଜକୁ । ଅଥଚ ତଥାପି ନବନୀତା ସ୍ଵପ୍ନ ଭିତରେ ବିଳିବିଳେଇ ଉଠେ; ମୋର ଭୀଷଣ ଭୟ । ମୋତେ ଡର ମାଡ଼େ ।

 

ବିଳିବିଳେଇ ଉଠେ ଓ ନିଦ ଭାଙ୍ଗି ଯାଏ । ନିଜକୁ ଶୁଏଇଦେଇ ଭଙ୍ଗା ଚାଳ ତଳେ, ଏଇ ଭଙ୍ଗା ତକ୍ତପୋଷ ଉପରେ, ମସିଆ ବିଛଣାରେ ସେ ବାହାରକୁ ଯାଏ । ଚାନ୍ଦିନୀ ରାତି ହେଇଥିଲେ-ପୁଣି ଏଇଭଳି ଡିସେମ୍ବରର ଶୀତୁଆ ଜହ୍ନର ଛାଇରେ ତାଳ ଖଜୁରୀର ଛାଇଛାଇକା ଆଲୁଅ ଯଦି ପଡ଼ିଥାଏ, ସେ ଅସହାୟ ହୋଇପଡ଼େ । ସାଇକ୍ଲୋନ୍ ଭଳି ଧାଇଁଆସେ କୁଆଡ଼ୁ ଗୋଟେ ପବନ ଯେ-ଭାଙ୍ଗି ପଡ଼େ ତା'ର ସବୁ ସ୍ଥିତିଶୀଳତା, ବର୍ତ୍ତମାନର ସବୁ ସ୍ୱପ୍ନ, ସବୁ ସୁଖ । ସବୁ ଥର ଅତୃପ୍ତି ଆଡ଼କୁ ଅଇଁଠା ଗ୍ଲାସ୍ ବଢ଼େଇ ଦିଏ, ତଥାପି ଏତେ ପ୍ରାପ୍ତିର ଜଙ୍ଗଲରେ ଜନ୍ମ କିଏ ଅପାର୍ଥିବ ଦୀର୍ଘଶ୍ଵାସଭରା ରାତିଟିଏ ।

 

କ’ଣ କରିବି ଆଉ ? ମଣିଷ ତ ଶବ୍ଦ ଦେଇ ସୃଷ୍ଟି କରେ ସ୍ଵପ୍ନ ପାଇଁ ରାତିଟିଏ, ଆଉ କେହି ବାସ୍ତବତାର କୁରାଢ଼ି ଦେଇ କାଟିଦିଏ ଭୌତିକ ଅନ୍ଧାର; କୁହେ : ତିଆରିବି ଲେକାଳୟ, ପ୍ରେମିକ ସହର, ମଣିଷର ଘର ।

 

ନବନୀତା ଜାଣେ ଏ ସବୁ । ତା’ର ଅଛି ଅନେକ ଅପାଉଣା ପ୍ରତିଶ୍ରୁତି । ବଢ଼ିଯାଉଛି ବାର ମାସ । ସେ ମନକୁମନ କୁହେ : ମୋର ଭୀଷଣ ଭୟ । ମାମୁଁ, ଏଇଟା କ'ଣ ପାପ ? ମୁଁ ବୋଧେ ଖୁବ୍ ଖରାପ ହେଇଗଲିଣି ।

 

ଜାଣେ; ଏ ସବୁ କହିଲେ ମୃଣ୍ମୟ ମନ ଦୁଃଖ କରିବ । ମୁହଁଟାକୁ ହାଣ୍ଡି ଭଳି କରି ରଖିବ । ମୃଣ୍ମୟର ଏମିତି ମୁହଁ ଦେଖିଲେ ତାକୁ ଭୀଷଣ ଖରାପ ଲାଗେ । ଗୋଟେ ଅଦ୍ଭୁତ ମମତ୍ଵ ଭାଙ୍ଗିପଡ଼େ ଅବୁଝା ପିଲାଟା ଉପରେ । କିନ୍ତୁ କେମିତି ବୁଝେଇବ, କେମିତି ବୁଝେଇବ ମୃଣ୍ମୟକୁ ଯେ ତାର ଶିରା ପ୍ରଶିରାରେ ଅଛି କେତେ ଘୃଣା, କେତେ ବ୍ୟଥା, ବିକ୍ଷୋଭ ଓ କେତେ ପ୍ରତାରଣା । ତଥାପି କହି ପାରିନି କେବେ ଏ ରୋଗିଣା ହୃଦୟ ତଳେ ଅଛି କେତେ ଲୋଭ ।

 

ମୃଣ୍ମୟ ବେଳେବେଳେ ଯୁକ୍ତି କରିବାକୁ ଯାଇ କୁହେ : ପାପ ପୁଣ୍ୟ ସବୁ ମଣିଷ ଦ୍ଵାରା ତିଆରି, ମଣିଷ ଉପରେ ଲଦା ଯାଇଥିବା ମୂଲ୍ୟବୋଧ ।

ନବନୀତା କୁହେ: ମାନୁଚି, ମୂଲ୍ୟବୋଧ, ଆରୋପିତ ମୂଲ୍ୟବୋଧ -କିନ୍ତୁ ମଣିଷ ତ ସଂସ୍କାରର ଦାସ । କେମିତି ସଂସ୍କାରକୁ ଭୁଲିବି ମାମୁଁ ? ଆମ ସମାଜରେ ତ ଏସବୁ ଚଳେନି ।

 

କିନ୍ତୁ ଯୁକ୍ତି କେତେଦୂର ପର୍ଯ୍ୟନ୍ତ କୁହ ? ଇଚ୍ଛାର ପାହାଡ଼ର ଛାତିରୁ, କାମନାର ଝରଣା ଓହ୍ଲାଏ, ଶୋଷର ନିଆଁରେ ଢାଳିଦିଏ ଅଲୌକିକ ସେବାର ମମତ୍ଵ । ଏଇ ଧାରୁଆ ପାଣି ସୁଅ ଛାତିରେ ନେଇ କର୍କଶ ଯୁକ୍ତିର ବ୍ୟାରିକେଡ଼ ପଥର ଦିନେ ବାଲି ହୋଇ ଚାଲିଯାଏ ନଦୀ ଖୋଜି ଖୋଜି । ଏତେ ହଁ ହଁ ନାଇଁ ନାଇଁର ଦ୍ୱନ୍ଦ୍ୱ ଭିତରେ ବି ଭଙ୍ଗାଚାଳ ତଳେ ନିଦଭରା ନବନୀତା ଏକୁଟିଆ ଚେଇଁ ରହିଥାଏ । ନିଜକୁ ପ୍ରଶ୍ନ କରେ : ଏଇଟା କ’ଣ ପ୍ରେମ ? ପ୍ରେମ କ’ଣ ଯେ ?

 

ଆଜିକୁ ଚାରି ପାଞ୍ଚ ବର୍ଷ ତଳେ, ହାଇସ୍କୁଲରେ ପଢ଼ୁଥିବା ସମୟରେ ହିଁ ଟ୍ୟୁସନ ମାଷ୍ଟରକୁ ଭଲ ପାଇ ବସିଥିଲା ଯେ ନବନୀତା, ସେଇଟା କ’ଣ ପ୍ରେମ ଥିଲା ? ଆଜି ତ ସେଇ ଟ୍ୟୁସନ ମାଷ୍ଟର ହେମନ୍ତ ସାରଙ୍କ ପ୍ରତି ଅଛି ଖାଲି ଘୃଣା ଓ ଅତୀତର ସେଇ ପ୍ରେମଟା ମନେହୁଏ ଏବେ ଖାଲି ପିଲାଳିଆମି । କେମିତି ଗୋଟେ ଗ୍ଲାମରର ମୋହ, ଯେମିତି ରାତିର ଟ୍ରେନର ବଖରାରୁ ପ୍ରତିଟି ନିକୃଷ୍ଟ ସହର ବି ଆଲୁଅର ଗ୍ଲାମରରେ, ଝଲମଲ କରି ମହନୀୟ ହେଇଉଠେ-ଯେମିତି ଥିଲା ତା’ର ହେମନ୍ତ ମାଷ୍ଟର ସହ ପ୍ରେମ । ଅଥଚ ଏଇ ଯେ ମୃଣ୍ମୟ ତା’ଠୁ ଦିବର୍ଷର ସାନ । ତାକୁ ପ୍ରଲୋଭିତ କରି ଡାକି ନେଉଛି ସବୁଜ ସ୍ତନର ଉପତ୍ୟକାକୁ-ଏଇଟା ବି କ'ଣ ମୋହ ନୁହଁ, ପ୍ରେମ ? ହୁଏତ ଏଇଟା ବି; ସବୁ ପ୍ରେମ ହିଁ ମୋହ । ତଥାପି ମନଟା ମାନିବାକୁ ଚାହେଁ ନି । ନାଇଁ ନାଇଁ କରି କେଉଁଠି ଯେମିତି ପ୍ରେମଟା ଅଛି । ଛାତି ତଳରେ ଭାସି ଆସେ ପ୍ରତିଧ୍ୱନି: ଅଛି ଅଛି ପ୍ରେମ ଅଛି ଓ ମୃଣ୍ମୟ ତାକୁ ଦେଇଯାଏ ପ୍ରେମର ଗୋଲାପ ଫୁଲ । ଗୋଲାପରେ ଥାଏ ଝାଳର ଉତ୍କଟ ଗନ୍ଧ । ନବନୀତ । ବିଳିବିଳେଇ ଉଠେ : ଏଇଟା ପାପ । ମୋର ଭୀଷଣ ଭୟ । ପ୍ରେମ ବୋଲି କିଛି ନାଇଁ ଦୁନିଆରେ ।

 

ଆଉ ଦେଖ, ଠିକ୍ ସେଇ ସମୟରେ ପ୍ରତିଧ୍ଵନି ଉଠେ ଛାତି ତଳେ : ଅଛି ଅଛି, ପ୍ରେମ କେଉଁଠି ଲୁଚି ବସିଚି । କିନ୍ତୁ କେଉଁଠି ଯେ ? ଗୋଟେ ଆବେଗରେ ବଢ଼େଇନିଏ ସେ ହାତ ମୃଣ୍ମୟ ଆଡ଼କୁ । ମୃଣ୍ମୟ ଯେମିତି ତା’ର ଆଶା ଆକାଂକ୍ଷାର ଟ୍ରେନ୍ ଟିକେଟ୍ । ଓଃ, ସେ ଭୁଲିଯାଇଛି ହେମନ୍ତ ମାଷ୍ଟରଙ୍କୁ । ତାଙ୍କୁ ନେଇଯାଅ ଫଗୁଣ ମାସର ଦେଶକୁ -ନିର୍ଜନ ଫଗୁଣ ମାସ ଯେଉଁଠି ବର୍ଷସାରା ଭୁଲିବାକୁ ଦିଏ ତା’ର ଅପାଉଣା ପ୍ରତିଶ୍ରୁତି ଓ ବିତିଯାଇଥବା ଦୀର୍ଘ ବାର ମାସକୁ ।

 

କିନ୍ତୁ କେମିତି ଭୁଲିବି କୁହ ? କେମିତି ଲିଭେଇଦେବ ମନର ସିଲେଟ ଦେହରୁ ଅତୀତର ସବୁ ଗାର, ସ୍ମୃତିର ସମସ୍ତ ଅକ୍ଷର ? କେମିତି ଭୁଲିବ ତା’ର ସେଇ ସିନେମାର ପ୍ରଚାର ଗାଇ ଗାଇ ଯାଉଥିବା ରିକ୍ସା ପଛରେ କାଗଜ ଗୋଟେଇ ଯାଉଥିବା ଶୈଶବକୁ ? କେମିତି ଭୁଲିବ ସେ ବେଲୁନ୍ ଉପରେ ହାତ ଘଷି ଘଷି ଶବ୍ଦ ତୋଳୁଥିବା ଶୈଶବର ସ୍ମୃତି ? ଏତେ ସ୍ମୃତି–ମା, ଅପା, ଭାଇ ସହ ତା’ର ଏଇ କୋଡିଏଟା ବର୍ଷ କେମିତି ଭୁଲିବ । ତାକୁ ତ ନିଜ ଅଜାଣତରେ ଫେରି ଯିବାକୁ ପଡ଼ିବ ବର୍ତ୍ତମାନର ଦ୍ରାଘିମାର ଲକ୍ଷ୍ମଣଗାର ପଛରେ ପକେଇ, ସ୍ମୃତିର ନୌକାରେ ଆହୁରି ପଛକୁ ବାରମ୍ବାର । ଅଥଚ ମୃଣ୍ମୟ ତାର ହାତ ଧରି ନେଇଯିବ ଏମିତି ଗୋଟେ ଜାଗାକୁ–ଯେଉଁଠୁ ଦୂରେଇଯିବେ ଆଶୈଶବ ସାଥୀମାନେ-ମ’ ଅପା, ଭାଇ ।

 

ଭୟରେ ଶିହରିଉଠି ନବନୀତା କହିପକେଇବନି କି ସେ ତା’ର ଭୀଷଣ ଭୟ ହୁଏ ବୋଲି ? କହିପକେଇଲା ଓ ଫେରିଆସିଲା ମଇଳା ଦାଗ ଭଳି ଗରିବୀର ପୋଷ୍ଟର ଏଇ ଭଙ୍ଗା କାନ୍ଥ ଓ ଭଙ୍ଗା ଚାଳର ପରିବେଶ ଭିତରକୁ, ଯେଉଁଠି ଭଙ୍ଗା ତକ୍ତପୋଷ ଉପରେ ଧଳା ଚାଦର ଘୋଡ଼େଇ ହେଇ ସେ ଝୁଙ୍କି ପଡ଼ିଛି ବହି ଉପରେ, ଆଗରେ ଡିବିରି–ନିଆଁଠୁ ଧୂଆଁ ବେଶୀ ଯା’ର ଓ ପାଖରେ ଶୋଇଛି ପରିମିତା, ଇଂରାଜୀ ବହିର ପୃଷ୍ଠା ପିଠିତଳେ ଚାପି ହେଇ ରହିଚି ।

 

ନବନୀତା ଉଠି ବସି ଆଖି ମଳିଲା । ଚାରି ପାଞ୍ଚ ବର୍ଷ ହେଲା ଗୋଟେ ଶିକାରୀ ଯେ ବାଲ୍ମିକୀର ନଜର ଫାଙ୍କି ଦେଇ ଚାଲିଆସିଥିଲା, ଏବେ ଝୁଲୁଚି ଭଙ୍ଗା କାନ୍ଥରେ, ଶରାହତ ପକ୍ଷୀଟିଏ ଯନ୍ତ୍ରଣାରେ ଛଟପଟ ହେଉ ହେଉ ଫ୍ରିଜ୍ ହେଇଯାଇଛି, ପାଦ ତଳରେ ତା’ର ସମୟର ଶବ । ତା’ ତଳକୁ ଭଙ୍ଗା ଟେବୁଲରେ ଗଦା ହେଇ ରହିଛି ବହିପତ୍ର । ଉପରେ ଗୋଟେ ଅଲଗୁଣି, ଚାଳରୁ ଟାଙ୍ଗା ହେଇଚି । ସେଠି କିଛି ଶାଢ଼ୀ-ଗରିବୀର ପୋଷ୍ଟର ତଳୁ ଯେମିତି ଉଙ୍କିମାରେ ନକ୍‍ସାକରା ଦାମୀ ପ୍ରାଚୀରର କାନ୍ଥ -କେବଳ ମାତ୍ର ଏଇ ଶାଢ଼ୀ ଛଡ଼ା ଆଉ ଯାହା କିଛି ଚକ୍ ଚକ୍ ଏ ଘରେ ସେମାନେ ତିନି ଜଣ -ପରିମିତା -ଶୋଇଚି, ନବନୀତା-ବସିଛି ଓ ସଞ୍ଚୟିତା ରୋଷେଇ ଘରେ । ଟୁଣଟାଣ ଶବ୍ଦ ଆସୁଚି ଯେ ଶୁଣିପାରୁନ ?

 

ନବନୀତା ହାଇ ମାରିଲା ଓ ପଛକୁ ଅନେଇଲାବେଳକୁ କବାଟ ଠେଲି ପଶୁଚି ଯିଏ-ସିଏ ହିଁ ମୃଣ୍ମୟ ତା’ଠୁ ଦି ବର୍ଷର ଛୋଟ । ତା’ର ମାମୁଁ । ପ୍ରତି ରାତିରେ ସ୍ୱପ୍ନରେ ଆସି ନେଇଯାଏ ସବୁଜ ସ୍ତନର ଉପତ୍ୟକାକୁ-ଯେଉଁଠି ପଡ଼ି ରହିଛି ଅସରନ୍ତି ସୁଅର ମଣିମୁକ୍ତା ସବୁ -ଅଥଚ, ଏତେ ସୁଅ ଦେଖିଲେ ଭୟରେ ଶିହରି ଉଠେ ସେ । ମଣିଷର ଲୋଭରେ, କ୍ଷୋଭରେ ଛିନ୍ନ ଭିନ୍ନ ବିମର୍ଷ ଶିଶିରର ଲୁହ ଭଳି ସୁଅ ।

 

ତଥାପି ମୃଣ୍ମୟକୁ ଦେଖିଲେ ତା’ର ଛାତି ଭିତରେ ହ୍ୱିସିଲ ବଜେଇ ଧାଇଁଯାଏ ପ୍ରେମର ରେଳଗାଡ଼ି । ସେ ହସେ ଓ ମନକୁ ମନ କୁହେ : ଏତେ ସ୍ଵପ୍ନ ଯେ ଦେଉଛ ମାମୁଁ, ଏତେ ସ୍ୱପ୍ନ ପାଇଁ ରାତି କାହିଁ ?

 

ଏଥର ବି ମୃଣ୍ମୟକୁ ଦେଖି ହସିଲା ନବନୀତା, ଭୋର୍‍ର ଫୁଲଭଳି ତାଜା ହସ । ମୃଣ୍ମୟ ଠିଆ ହେଲା ଓ ତା’ର ଓଠରେ ବି ସୁଅରେ ଝଲମଲ ହାଃ ହାଃ ନୀରବ ପ୍ରତିଧ୍ଵନି । ମୃଣ୍ମୟ ଆଗେଇ ଆସିଲା ନବନୀତା ଆଡ଼କୁ । ସବୁବେଳେ ସେ ପୃଥିବୀରେ ଗୋଟେ ସୁଅ ଖୋଜି ବୁଲୁଚି । ନବନୀତା ତା’ର ବତୀଘର ।

 

ସଞ୍ଚୟିତାର ଛାତି ଭିତରେ କାନ୍ଥ ଧସି ପଡ଼ିବାର ଶବ୍ଦ । ପାଚିଲା ଧାନର କ୍ଷେତ୍ରରେ ନିର୍ଲିପ୍ତ ହାୱା ଭଳି ଚାଲୁଚାଲୁ ହଠାତ୍ ଫସଲ ତୋଳା ସରିଥିବା ଖାଁ ଖାଁ ଜମିର ଦୀର୍ଘଶ୍ୱାସ ବ୍ୟାକୁଳ କରି ପକାଏ ଯେମିତି ସେମିତି ବ୍ୟର୍ଥତାର ଘଷରା ଆଖିନେଇ ଅନେଇଲା ସଞ୍ଚୟିତା ଚୁଲି ଉପରର କରେଇକୁ ଓ ଅଯଥାରେ କରଚୂଲି ଧରି ଖଡ଼ ଖଡ଼ କଲା । ଗୋଟେ ସଂକ୍ଷିପ୍ତ ଆଲୁଅର ଉତ୍ସ ଡିବିରିଟିଏ ଜଳୁଛି । ଜଳୁନିତ, ଅନ୍ଧାରକୁ ଆହୁରି ବେଶୀ ଅନ୍ଧାରୁଆକରି ତୋଳୁଛି । ସଞ୍ଚୟିତାର ଆଗରେ ଅନ୍ଧାର, ପଛରେ ଅନ୍ଧାର । ଲକ୍ଷ ଲକ୍ଷ ଯୋଜନ ମାଇଲ ଲମ୍ବ । ଅନ୍ଧାର ଭିତରେ ତା’ର ଚବିଶି ବର୍ଷର ବୟସଟା ଆସ୍ତେ ଆସ୍ତେ ହଜି ଯାଉଛି । ଅନୁଭବ କରିପାରେ ତା’ ଭିତରୁ ବେଲଚାରେ କିଏ ମାଟି ଖୋଳି ନେଉଛି । ସବୁବେଳେ ଗୋଟେ ଅସ୍ଥିରତା । ମନଟା ଗୁରେଇ ତୁରେଇ ହେବ । ପାନିଆର ଦାନ୍ତ ସନ୍ଧିରେ ଜମୁଥିବା ମଇଳା ଭଳି–ସବୁ ଶୂନ୍ୟତା ବ୍ୟର୍ଥତାର ଦୁଃଖ ଜମା ହେଉଥବ ତା’ ଦେହରେ ।

 

ଅଯଥାରେ, କରେଇରେ ହଲଦୀପାଣି ଭିତରେ ଶିଝୁଥିବା ଆଳୁକୁ କରଚୂଲିର ବର୍ଚ୍ଛାରେ ଦି’ଖଣ୍ଡ କରୁ କରୁ ସେ ପ୍ରଶ୍ନ କରିବ ନିଜକୁ : ଜୀବନଟା ଯଦି ଅର୍ଥହୀନ- ବଞ୍ଚିରହି ଲାଭ କ’ଣ ଯେ ?

 

ଏମିତି ଗୋଟେ ପ୍ରଶ୍ନର ଉତ୍ତର କେବେ ମିଳେନା ଓ ବେଳେବେଳେ ସେ ଠିକ୍ କରି ନିଏ, ହେଇଗଲା ଏଥର । ୟା ପରେ ବଞ୍ଚିରହି କିଛି ଲାଭ ନାହିଁ । ସବୁ ସମ୍ଭାବନାକୁ ପୁରୁଣା ଟିକେଟ ଭଳି ଫିଙ୍ଗଦେଇ ଗଳାରେ ଦଉଡ଼ି ଲଗେଇ ଝୁଲିପଡ଼ିବା ଭଲ ।

 

ଜୀବନଟା ଏତେ ଅର୍ଥହୀନ,ତଥାପି ମଣିଷ ବଞ୍ଚିରୁହେ–ଧୂସର ହୃଦୟ ନେଇ–ଚୈତ୍ରର ଆଖି ଭଳି ଉଜୂଡ଼ା ବିଲ ପ୍ରତିଥର ଚାହିଁ ବସିଥାଏ ଯେମିତି ନୂତନ ଫସଲ । ଘୋଡ଼ା ଟାପୁର ଶବ୍ଦ ଭଳି ସ୍ମୃତି ଗୁଡ଼ାକ ରକ୍ତରେ ପ୍ରତିଧ୍ଵନି ତୋଳେ । ଶୂନ୍ୟତାର ମଗ୍ନ ଅନୁଭୂତି, ସ୍ମୃତିଭରା ଦୂର ଚନ୍ଦନ ବନର ଗନ୍ଧ ଆଣେ । ବର୍ଷା ଭିଜା ବଉଳ ସନ୍ଧ୍ୟାର ଗନ୍ଧରେ ସମୁଦ୍ରର ଢେଉସବୁ ମଣିଷର ହୃଦୟର ରକ୍ତେ ରକ୍ତେ ଆସନ୍ତା ଉଜ୍ୱଳ ଭୋର ଭଳି ତୀବ୍ର ଆଶାରେ ମଣିଷକୁ ବଞ୍ଚେଇ ରଖନ୍ତି । ସଞ୍ଚୟିତା ପ୍ରତିଥର ଗଳାରେ ହାତ ଦେଇ ବି–ପର ମୁହୂର୍ତ୍ତରେ ଦର୍ପଣ ଆଗରେ ଠିଆ ହୁଏ ନିଜର ମୁହଁର ମଇଳାକୁ ଝାଡ଼ିଦେଇ । ଜୀବନଟା ଏମିତି ବିଚିତ୍ର ।

 

ବିଚିତ୍ର ହିଁ ତ । ସଞ୍ଚୟିତାକୁ ଦେଖ । ସେ ବଞ୍ଚିରହି କ'ଣ କରିବ ? ଚବିଶି ବର୍ଷ ହେଲାଣି । ବି.ଏ. ପାଶ୍ କରିଥିଲା ଚାରି ବର୍ଷ ତଳେ । ଏବେ ପାଠ ବନ୍ଦ । ଚାକିରୀ ଖୋଜୁଛି, ମିଳୁନି । ଦି’ବର୍ଷ ହେବ ଗାଁରେ ବସିଥିଲା । ଏବେ ଟାଇପ୍‍ ଶିଖିବାକୁ ସହରକୁ ଆସି, ଏଠି ରୋଷେଇ କରୁଛି । ସକାଳ ଓଳି ଅବଶ୍ୟ ଯାଏ, ରେମିଙ୍ଗଟନ ମେସିନର ନିର୍ଜୀବ ଅକ୍ଷରଗୁଡ଼ାକ ଉପରେ ଆଙ୍ଗୁଳି ବୁଲେଇ ଆଣେ । ଖୁବ୍ ନିର୍ଲିପ୍ତ ଭାବରେ ଇନ୍‍ଷ୍ଟିଚ୍ୟୁଟକୁ ଯାଏ ଓ ଫେରେ । ସେ ଜାଣି ପାରିଛି–ତା’ର ନାଁ ଚାକିରୀ ହେବ, ନାଁ ବାହାଘର । ତଥାପି ବଞ୍ଚି ରହିଛି ତ ।

 

ସଞ୍ଚୟିତା ଆଉଜି ବସିଲା କାଠ ଖୁଣ୍ଟକୁ । ତା’ଭିତରେ କେଉଁଠି ପାଣିରେ ପଥର ପଡ଼ିବା ଭଳି କିଛି ଗୋଟେ ଅନୁଭବ କରିପରିଲା । ଉପରେ ଚାଳର ଛିଣ୍ଡା କାନିରୁ ଭଙ୍ଗା ସୁପାରି ଭଳି ଚାଳ, ମଇଳା ମଇଳା ଦେଖାଯାଉଚି । ହଠାତ୍ କାହଁକି କେଜାଣି ତାକୁ ଖୁବ୍ ଏକା ଏକା ଲାଗିଲା । ଏତେବଡ଼ ଦୁନିଆଁରେ ତା’ର ଯେମିତି କେହି ନାଇଁ । ବାପା, ମା, ଭାଇ ଭଉଣୀ–ସମସ୍ତଙ୍କ ଭିତରେ ବି ସେ ପୁରା ଏକା ! ତା’ର ନିଜର କେହି ନାଇଁ ।

 

ସଞ୍ଚୟିତାର ରକ୍ତକଣାରେ ଖାଁ ଖାଁ ନିସ୍ତବ୍ଧତାର ପ୍ରତିଧ୍ଵନି । ଧୂଆଁ ଭଳି ବିସ୍ମୃତିର ବର୍ଷାରେ ସବୁ ଚିହ୍ନା ମୁହଁଗୁଡ଼ା ପାଣିହୋଇ ଯାଉଚନ୍ତି । ତା’ର ଅସ୍ତିତ୍ଵ ବାସି ପୋଷ୍ଠର ଭଳି, କିଏ ଛିଣ୍ଡେଇ ଆଣି ଫିଙ୍ଗି ଦେଇ ଯାଇଚି ।

 

ମନେ ପଡ଼ିଲା ଓ ସେ ଅସହାୟ ହେଇଗଲା । ଏମିତି ବେଳେବେଳେ ତାକୁ ଖୁବ୍ ଏକା ଏକା ମନେହୁଏ ଓ ଗୋଟେ ଅସ୍ଥିରତା ତା’ର ଛାତି ଭିତରେ ଉତୁରି ପଡ଼େ । ତା’ର ସବୁ ଯନ୍ତ୍ରଣା ଯେମିତି ହେଇଯାଇଚି ଜାଜ୍ ସଙ୍ଗୀତ । ଗୋଟେ ବିଷର୍ଣ୍ଣ ଛନ୍ଦରେ ତାକୁ ଉତ୍ତେଜିତ କରିବ । ଠିକ୍ ଏମିତି ସମୟରେ ଭାବିବାକୁ ଆରମ୍ଭ କରିବ ଏଆଡ଼ୁ ସେଆଡୁ । ବିଚ୍ଛିନ୍ନ ହେଲେ ତା’ର କଲେଜ ଜୀବନର ସାଙ୍ଗମାନଙ୍କ କଥା । ସେମାନଙ୍କ କଥା ମନେପଡ଼ିଲେ, ସେମାନଙ୍କୁ ଦେଖିଲେ ସଞ୍ଚୟିତାର ହିଂସା ହୁଏ । ସେମାନଙ୍କର ସବୁ ସୁଖ ପୌଷମାସର ଖରାରେ ଦିଆଯାଇଥିବା ରେଜେଇ ଓ ଚାଦର ଭଳି । ମନେ ପଡ଼ିଲେ, ପୁଣି ଓଲଟି ପଛକୁ ଅନେଇ ତା’ର ନିଜ ଜୀବନକୁ ଦେଖିବ ସଞ୍ଚୟିତା । ସୋରିଷ ଫୁଳଭଳି ଅତୀତର ଗନ୍ଧ । ସେ ବ୍ୟସ୍ତ ହେବ, ବ୍ୟାକୁଳ ହେବ । ସେ ଭୁଲିଯିବ ଚୂଲି ଉପରର କରଇରେ ଥିବା ତରକାରୀ କଥା । ଅନ୍ୟମନସ୍କ ଭାବରେ ସୁଖ, ଦୁଃଖ ଛିଣ୍ଡେଇ ନେଉନେଉ ଅତୀତର ପିଠିରୁ-ହଠାତ୍ ବର୍ତ୍ତମାନକୁ ଫେରି ଆସି ଦୀର୍ଘଶ୍ଵାସଟେ ଛାଡ଼ିବ । ବଞ୍ଚି ରହିବା ବଡ଼ କଷ୍ଟ ହେ ।

 

ଦିନେ ଭାବିଥିଲା, ଷୋଳ ସତର ବର୍ଷ ବୟସରେ, ଜୀବଟେ । ହୀରାଲଗା ମୁଦି ଭଳି ଚମତ୍କାର ଅଭିଜ୍ଞତାଟେ । ଆଜି, ଚବିଶ ବର୍ଷ ବୟସରେ ସେ କ୍ଳାନ୍ତ । ଜାଣେ, ଜୀବନର କୌଣସି ମାନେ ନାଇଁ । ଗୋଟେ ବିବର୍ଣ୍ଣ ପରଖସା ପ୍ରଜାପତି ଭଳି ଅସୁନ୍ଦର ।

 

ସଞ୍ଚୟିତା ଉଠି ଠିଆହେଲା । ଆର ଘରେ କିଏ କଥା ହେଉଛି କି ? କିଏ ସେ ? ବାପା ଆସିଗଲେ କି ? ବାପାଙ୍କ କଥା ମନେ ପଡ଼ିଲେ ଓ ସେ ଘୃଣାରେ ରାଗରେ ନାକ ଫୁଲେଇ ଦେଲା । କେହି ଜାଣନ୍ତି ନାହିଁ ଈଶ୍ୱର ଓ ସଞ୍ଚୟିତା ଛଡ଼ା ଯେ, ତାର ବାପା ଏଇ ପଚାଶ ବର୍ଷ ବୟସରେ ବି ଅଶ୍ଳୀଳ ଚଟି ବହିସବୁ ଲୁଚେଇ ଲୁଚେଇ ପଢ଼ନ୍ତି ଓ ଗୁଞ୍ଜି ରଖିଥା’ନ୍ତି ନିଭୃତ ଚାଳ ସନ୍ଧିରେ । ସଞ୍ଚୟିତାର ସେହି ଦିନଠୁ ସବୁ ବିଶ୍ୱାସ ସମସ୍ତଙ୍କ ଉପରୁ ହଜିଯାଇଛି । ସେଦିନ ବାପାଙ୍କୁ ଦେଖିଥିଲା ନଗ୍ନ ନାରୀମୂର୍ତ୍ତିର ଚିତ୍ର ସାମ୍ନାରେ ଲୋଭିଲା ଆଖିରେ ।

 

ସେ ଜଣେ, ଏମିତି ଲୋକରେ ବାପା ହେବାର ଯୋଗ୍ୟତା ହିଁ ନାଇଁ । ସେ କେବେ ସଞ୍ଚୟିତାର ବାହାଘର କଥା ଭାବିବେନି । ଗାଁରେ ଚାଷ କରୁଥିବା ବଡ଼ପୁଅର ଚାକିରୀ କଥା ଭାବିବେନି କି ଦିପଇସା ବେଶୀ ରୋଜଗାର କରି ସୁଖରେ ଚଳିବା କଥା ଚିନ୍ତା କରିବେ ନି । ନିଜର ମନମର୍ଜିରେ ସେ ଘୂରିବୁଲିବେ ଓ ଘରକୁ ଆସି ଖାଇବାକୁ ନ ପାଇଲେ ହାଣ୍ଡି ଭାଙ୍ଗିବେ । ଏମିତି ବାପକୁ ଶ୍ରଦ୍ଧା ଭକ୍ତି କରିହୁଏ ?

 

ସେ ଏରୁଣ୍ଡି ବନ୍ଧ ପାଖରେ ଯାଇ ଉହୁଙ୍କି ଦେଖିଲା । ନା, ବାପା ଆସି ନାହାନ୍ତି । ଆସିଥିଲେ ସାଇକେଲଟା ବାହାରେ ଥାନ୍ତା । ତେବେ କ'ଣ ମୃଣ୍ମୟ ? ମୃଣ୍ମୟ ତା’ର ମାମୁଁ, ଅଥଚ ଛ'ବର୍ଷରେ ଛୋଟ । ସେ ସଞ୍ଚୟିତାକୁ ଡାକେ ମାଉସୀ । ଅତି ଛୋଟ ପିଲାଟା ।

 

ସଞ୍ଚୟିତା ପୁଣି ଫେରିଆସିଲା ଚୂଲିଶାଳକୁ । ମୃଣ୍ମୟ ହିଁ ହେଇଥିବ ବୋଧେ । ମୃଣ୍ମୟ ତ ଆସେ ଖାଲି ନବନୀତା ପାଖକୁ । ଗଲାବେଳେ ଦେଖା କରିଯାଏ ଖାଲି ସଞ୍ଚୟିତାକୁ । ଆଚ୍ଛା, ମୃଣ୍ମୟ ଓ ସଞ୍ଚୟିତାର କୌଣସି ସମ୍ପର୍କ ଅଛି କି ? ସେମିତି ସେମିତି ?

 

ସଞ୍ଚୟିତା ବସି ପଡ଼ିଲା ପାଖରେ ଓ ମନକୁ ମନ କହିଲା ମୋର ଆଉ କାହାରି ଉପରେ ବିଶ୍ୱାସ ନାଇଁ । କାହାରି ଉପରେ ନାହିଁ ।

 

କିଛିକ୍ଷଣ ପରେ ଦୀର୍ଘଶ୍ଵାସ ପକେଇ ପୁଣି କହିଲା ମୋର ମନଟା କି ଛୋଟ । ମୃଣ୍ମୟ ପରା ମାମୁଁ । ରକ୍ତର ସମ୍ପର୍କ । ଛି ଛି ।

 

ମୃଣ୍ମୟ ପାଖରେ ନବନୀତା ଗୋଟେ ଅନୁଭୂତି । ଏମିତି ଏକ ଏକ ଅନୁଭୁତି, ପ୍ରେମ ଶବ୍ଦରେ ଯାହାକୁ ଠିକ୍ ବୁଝେଇ ହୁଏନା, ଭଲପାଇବା କହିଲେ ଯାହାର ଦାମ କମିଯାଏ । ଅସଲରେ ନବନୀତାକୁ ନେଇ ତା’ର ଅନୁଭୂତି ଏତେ ମିଠା ଯେ-ଠିକ୍ ଯେମିତି ମାଧୁର୍ଯ୍ୟ ଥାଏ ଫୁଲର ଭିତରେ, ତାରାର ଲୁହରେ, ମୁକ୍ତାରେ । ମୃଣ୍ମୟର ଗହୀରିଆ ଆଖିରେ ଖୋଜୁଛି ନେବନୀତା ସବୁ ସମୟରେ । ତା’ର ମୁହଁ ଆଲୁଅ ହେଲେ ମୃଣ୍ମୟର ସକାଳ ସକାଳ ହୁଏ। ନବନୀତାର ଦୁଃଖରେ ତା’ର ରାତି ।

 

ଏଇ ଯେ ନବନୀତା ଧଳା ଚାଦର ଘୋଡ଼ିହୋଇ ବସିଚି ଏଇ ଭଙ୍ଗାଘରେ, ଡିବିରି ଅସ୍ପଷ୍ଟ ଆଲୁଅରେ ବି ତିଆରି କରିଛି ସ୍ଵର୍ଗଟେ, ଚାଳରୁ ଛିଣ୍ଡା ପଣତ କାନିରୁ ଦେଖାଯାଉନା କାହିଁକି ବିଧବା ଜନ୍ମ-ମୃଣ୍ମୟର ମନେ ହେଲା ପୃଥିବୀର ସବୁ ସୁଖ ଏଠି ଅଛି, ଏଠି-ଏଇଠି ।

 

ସେ ଭୁଲିଗଲା ଯେ ପାଖରେ ପରିମିତା ଶୋଇଛି, ସେ କୌଣସି ମୁହୂର୍ତ୍ତରେ ଆଖି ମେଲି ଦେଇପାରେ । ଭୁଲିଗଲା ଯେ କବାଟଟା ଦରଆଉଜା ଅଛି ଓ ଆରଘରେ କରଚୂଲି ଧରି ଠୁଁ ଠୁଁ କରୁଥିବା ସଞ୍ଚୟିତା ଯେ କୌଣସି ମୁହୂର୍ତ୍ତରେ ପଶି ଆସିପାରେ, ନ ହେଲେ ଭାଇ ଅର୍ଥାତ୍‍ ନବନୀତାର ବାପା ବି ପହଞ୍ଚି ଯାଇ ପାରନ୍ତି । ଠିକ୍ ଏଇ ମୁହୂର୍ତ୍ତରେ ନବନୀତାକୁ ଚୁମାଦେବାର ଲୋଭ ସମ୍ଭାଳି ପାରିଲାନି ଓ ବସନ୍ତର ପ୍ରଥମ ପ୍ରଥମ ବର୍ଷା ବିନ୍ଦୁ ଭଳି ସୁଅରେ ଟଳମଳ ହେଇ ଝୁଙ୍କି ପଡ଼ିଲା ବେଳେ ଚମକି ଉଠିଲା କି ନବନୀତା ? ଘୁଞ୍ଚିଗଲା ଓ କହିଲା ମାମୁଁ ଆଜି ମନଟା ଭଲନାଇଁ ମାମୁଁ । ସବୁବେଳେ ମନେ ହେଉଚି-ଏଇଟା ପାପ । ମୁଁ କ'ଣ କରିବି ମାମୁଁ ?

 

ଏମିତ କଥା ସବୁ ନବନୀତା ପ୍ରାୟ କୁହେ ଓ ପ୍ରତିଥର ମୃଣ୍ମୟର ଏସବୁ ଶୁଣିଲେ ମନ ଖରାପ ହୋଇଯାଏ । ଏଥର ବି ମନ ଖରାପ ହୋଇଗଲା ମେଘୁଆ ଆକାଶ ଭଳି । ନବନୀତାର କଥାଗୁଡ଼ାକରେ ଛାତି ତଳେ ବିଷର୍ଣ୍ଣ ଅନ୍ଧାର । ତା’ ଜୀବନର ସବୁ ବ୍ୟର୍ଥତାର ଲତାଗୁଡ଼ାକ କ୍ରମଶଃ ବର ଓହଳ ଭଳି ଶକ୍ତ ଓ ମଜବୁତ ।

 

ନବନୀତା ବୋଧେ ଅନୁମାନ କରିପାରିଲା । କବାଟ ଆଡ଼କୁ ଅନେଇଲା ଡରିଲା ଆଖିରେ, ତାପରେ ଖୁବ୍ ସଂକ୍ଷିପ୍ତ ସମୟ ପାଇଁ ମୃଣ୍ମୟର କୋଳରେ ମୁଣ୍ଡ ଥୋଇ କହିଲା: ମୁଁ ତୁମକୁ ବହୁତ ଦୁଃଖ ଦେଉଛି । ନୁହଁ ? ମାମୁଁ ?

 

ମୃଣ୍ମୟର ସବୁ ଛିଣ୍ଡା ଜାଗାରେ ଯେମିତି ସିଲେଇ କରିଦେଲା ନବନୀତାର କଥା ପଦକ । ଖୁବ୍ ଆଦରରେ ତା’ ମୁଣ୍ଡରେ ହାତ ବୁଲେଇ ଆଣି ଅନୁଭବ କରିପାରିଲା ବେଳେ ଲବଙ୍ଗ ଦ୍ଵୀପର ବାସ୍ନା, ନବନୀତା ଉଠେଇନେଲା ମୁଣ୍ଡ ଓ କହିଲା: ତମେ କିଆଁ ମୋ ରକ୍ତର ସମ୍ପର୍କ ହେଲ ମାମୁଁ ? କିଆଁ ଆଉ କେହି ହେଲ ନି ?

 

ମୃଣ୍ମୟର ସବୁ ରାଗ ସମାଜ ଓ ଈଶ୍ଵର ପ୍ରତି । ଏଇ ମୁହୂର୍ତ୍ତରେ ପାଇଲେ ଈଶ୍ଵରଙ୍କୁ ମଇଳା କାଗଜ ଭଳି ଛିଣ୍ଡାଇ ଟୁକୁରା ଟୁକୁରା କରିଦେବ ଯେମିତି । କହିଲା, ମୁଁ ତୋର ମା’ର ବଡ଼ବାପା ପୁଅ ଭାଇ ତ, ଦେଖ ଦକ୍ଷିଣରେ ମାମୁଁ ଭାଣିଜୀର ବିଭାଘର ହୁଏ ।

 

ନବନୀତାର ସେଇ ହିଁ ନାଇଁର ଦ୍ୱନ୍ଦ୍ୱ । ମୁଁଣୟ ସବୁବେଳେ ତା’ ଆଡ଼କୁ ଏମିତି ହାତ ବଢ଼େଇ ଦେଉଥିବ ସବୁଜ ସ୍ତନରୁ ଉପତ୍ୟକାକୁ ନେଇଯିବା ପାଇଁ ଓ ଆଗ୍ରହରେ ହାତ ବଢ଼ଉ ବଢ଼ଉ ନବନୀତା କୁଣ୍ଠରେ କହିବ, ମୋର ଖୁବ୍ ଭୟ ହୁଏ ମାମୁଁ ।

 

ଏଥର ବି ସେମିତି । କହିଲା: କିନ୍ତୁ ସେ ସମାଜରେ ଚଳୁଥିଲେ ଚଳୁଥିବ । ଆମ ସମାଜରେ ତ ଚଳେନି ।

 

ମୃଣ୍ମୟର ଚାରିଆଡ଼େ ଗୋଟେ ଆକ୍ରୋଶ ପାଦରେ ଘୁଙ୍ଗୁର ବାନ୍ଧି ଘୂରି ବୁଲୁଚି । ସେ ଶବ୍ଦରେ ଭାଙ୍ଗି ପଡ଼ୁଛି ନିର୍ଜନତା । ଭାଙ୍ଗି ପଡ଼ୁଛି ଦିନରାତି । ହାତଠାରି ଡାକି ଦେଉଛି କେଉଁ ଏକ ବିଦ୍ରୋହୀ ସନ୍ୟାସୀ । କହିଲା: ମୁଁ ସମାଜ ଫମାଜ ମାନେନା, ନବନୀତା ତମକୁ ଚାହେଁ । ତମକୁ କହିନି ନୀତୁ, ଆମ ସମ୍ପର୍କ କଥା ଜଣେଇ ମୁଁ ବୋଉ ପାଖକୁ ଚିଠି ଦେଇ ସାରିଛି -ସପ୍ତାହକ ଆଗରୁ ।

 

ମୃଣ୍ମୟ ବସିଥିଲା ତକ୍ତପୋଷ ଉପରେ ଗୋଟେ ପାଦତୋଳି, ପାଖରେ ଶୋଇଥିଲା ପରିମିତା, ତା’ର ପିଠି ତଳରେ ଇଂରାଜୀ ବହି ଚାପି ହେଇଯାଇଛି । ମୃଣ୍ମୟର ପାଦ ତଳିପାର ମଇଳାକୁ ଭ୍ରୁକ୍ଷେପ ନ କରି ନବନୀତା ନିଜର ଓଠକୁ ରଖିଦେଲା ସେଠି–ଚାପି ଧରିଲା ଓ ଛାଡ଼ିଲାନି ପାଦକୁ । ସେମିତି ଭାବରେ କହିଲା ମୁଁ କେତେ ମେଣ୍ଟାଲି ସଫର କରୁଛି ମାମୁଁ । ସଞ୍ଚିପା ଏବେଠୁ ସସପେକ୍‍ଟ କରୁଛି । ଆଈ ଜାଣି ସାରିଲେଣି । ସେ ଯଦି ବାପା ବୋଉଙ୍କୁ କହିଦିଅନ୍ତି ? କହି ଦେବେ ତ ନିଶ୍ଚେ । ଭବିଷ୍ୟତ କଥାଭାବିଲେ ମୁଁ ଥରିଉଠୁଛି । କ’ଣ ହେବ ଆମର ଭବିଷ୍ୟତ ? ମାମୁଁ କ'ଣ ଅଛି ଭାଗ୍ୟରେ ? ଦୁନିଆଟାସାରା ମୋତେ ନିନ୍ଦିବେ । କହିବେ ମୁଁ ଖରାପ ହେଇଯାଇଛି । ଖୁବ୍ ବାଜେ ଝିଅ ମୁଁ ।

 

କେଉଁଠି ହେଲେବି ତ ବାଜୁନି ସିତାର କିମ୍ବା ଏସ୍‍ରାଜ । ଅଥଚ ଦୁଃଖର ରାଗିଣୀଟେ ବାରମ୍ବାର କାହିଁକି ମନେ ପକେଇ ଦେଉଛି -ଝଡ଼ ଭଳି ବାଜିଉଠି, ହେମନ୍ତର ପତ୍ରଝରା ଋତୁଟେ କଥା ? ମୃଣ୍ମୟ କହିଲା ନୀତୁ, ମୁଁ ତମକୁ ବହୃତ ଦୁଃଖ ଦିଏ, ନୁହଁ ?

 

ନବନୀତା ମୁହଁ ଉଠେଇ ଅନେଇଲା ମୃଣ୍ମୟ ଆଡ଼କୁ । ଅଭିମାନଭରା ମୃଣ୍ମୟର ଆଖିରେ ଆଖିରେ ଅଜସ୍ର ଅନୁରାଗର ରଙ୍ଗ ଯେ ନିଜକୁ ସମ୍ଭାଳି ପାରେନି ନବନୀତା କେବେ । ପାରିଲାନି ଏଥର ବି ଓ ଆଗେଇ ଆସି- ମୃଣ୍ମୟର ଓଠ ଭିତରେ ବୁଡ଼ିଯିବା ପୂର୍ବରୁ କହିଲା: ଯାହାତ ହେଇଯାଇଛି-ଯାଇଛି । ଏବେ କହିବାର କ'ଣ ଅଛି ଆଉ ? ମାମୁଁ, ତମେ ମୋତେ ବିଟ୍ରେ କରିବନି ତ ?

 

ମୃଣ୍ମୟ ପୁଣି ଥରେ ହଜିଗଲା ପୂର୍ବର ସାମ୍ରାଜ୍ୟରେ । ଶୀତ ଶେଷର ସେଇ କଅଁଳ ପଡ଼ିଆ ଶିଶିରର ପ୍ରସାଧନରେ ନବନୀତାର ସମଗ୍ର ଅସ୍ତିତ୍ୱ ହେଇଯାଇଛି ଯେମିତି । ସେଇ ସକାଳର ସ୍ୱପ୍ନ ଭିତରେ ସେ ଓଦାମାଟିର ଗୀତ ଶୁଣିବାକୁ ଚାହେଁ । ମୃଣ୍ମୟ ଜିଭ ଭର୍ତ୍ତି କରିଦେଲା ନବନୀତାର ମୁହଁ ଭିତରକୁ ଓ ତାର ଜିଭ ଛୁଇଁ ଟାଣିନେଲା ସମସ୍ତ ଅମୃତ-ଯେମିତି ଏହି ମୁହୂର୍ତ୍ତରେ ହଁ ତା’ର ଅମରତ୍ୱ ଲୋଡ଼ା ହିଁ ଲୋଡ଼ା । ନବନୀତା ସେଇ ମୁହୂର୍ତ୍ତରେ ପ୍ରଚଣ୍ଡ ଉତ୍ତେଜନାରେ ଥର ଥର ହେଇ ନୌକାରେ ଦେଲା ପ୍ରଥମ ପାଦ - ଯେଉଁ ନୌକା ତାକୁ ନେଇଯିବ ସବୁଜ ସ୍ତନର ଉପତ୍ୟକାକୁ ଓ ମୃଣ୍ମୟର ମୁହଁ ସାମ୍ନାରେ ମହମବତୀ ଭଳି ତରଳି ଯାଉ ଯାଉ ଅନୁଭବ କଲା ଶୀତଦିନିଆ ଦ୍ଵିପ୍ରହରର ଖରାର ମସିଣା ଭଳି ଏକ ସୁଖର ରାଜତ୍ୱ ଭିତରେ । ଅନୁଭବ କରୁ କରୁ ଶୁଣିପାରିଲା, ତା’ ଓଠରୁ ଓଠ ଅଲଗା କରି ମୃଣ୍ମୟ କହିଛି: ତମର ପ୍ରତୀକ୍ଷା କରୁକରୁ ମୋର ଦି'ଟା ଆଖି ପଥର ହୋଇଗଲାଣି ନୀତା ।

 

ଅଥଚ ଆଉ କିଛି କହିବା ପୂର୍ବରୁ ବାପା ଆସୁଚନ୍ତି କହି ଘୁଞ୍ଚିଗଲା ନବନୀତା ଓ କିଛି ବି ଶବ୍ଦ ଶୁଣି ନ ପାରି କିଂକର୍ତ୍ତବ୍ୟବିମୂଢ଼ ଭଳି ବସି ରହିଲା ମୃଣ୍ମୟ । ଅଳ୍ପ ସମୟ ପରେ କବାଟ ଠେଲି ପଶିଲେ ଯିଏ, ଉତ୍ତର ପଞ୍ଚାଶର ପ୍ରବୀଣ -ସିଏ ହିଁ ନବନୀତାର ବାପା, ମୃଣ୍ମୟର ଭିଣେଇ । ନବନୀତାର କାନ ଏତେ ପତଳା ଶବ୍ଦକୁ କେମିତି ଧରପାରେ ଯେ ? ମୃଣ୍ମୟ ପାରେନା, ଭାବି ଆଶ୍ଚର୍ଯ୍ୟ ହୁଏ ।

 

ନବନୀତା କେମିତି ସହଜ ଭାବରେ ପଚାରିଲା: ତମେ କହୁଚ ଫାରାଡ଼େଜ୍ ଲ ଅଫ୍ ଇଲେକ୍ଟ୍ରିସିଟିଟା ପରୀକ୍ଷାରେ ଆସିବ ?

ମୃଣ୍ମୟ ନିର୍ଲିପ୍ତ ଭାବରେ କହିଲା : ସିଓର୍ । ତମର ବୋଟ୍ ତିଆରି ହେଇଚି ?

 

ସେ ପ୍ରବୀଣଟି, ଅବିନାଶ ଯା’ଙ୍କର ନାଁ, ନିଜର ବି ଦେଲେନି ମୃଣ୍ମୟ ଓ ନବନୀତା ଆଡ଼କୁ । କାନ୍ଥରେ ସାଇକେଲ ଆଉଜେଇ ଦେଇ ସେ ଟେବୁଲ ପାଖକୁ ଆଗେଇଗଲେ ଓ ଟେବୁଲର ସବୁ ବହିତକ ଗୋଟେ ଧକ୍କାରେ ଖସେଇ ପକେଇ, ବାହାରିଗଲେ ଏତେ ଶାନ୍ତ ପରିବେଶକୁ ଉତ୍ତେଜନାରେ ଥରଥରେଇ ଦେଇ । ଗଲାବେଳେ କିବାଟଟିକୁ ଖୁବ୍ ଜୋର୍‌ରେ ବନ୍ଦ କରି ନ ଥିଲେ ବି ।

 

ନବନୀତାର ମୁହଁ ମେଘୁଆ ଆକାଶ । ଶ୍ରାବଣର କଲା ମେଘ ତା’ର ଲୁହ ଟଳମଳ ଆଖିରେ । କହିଲା: ବାପା ବି ସସପେକ୍‍ଟ କରୁଛନ୍ତି । ମୋର କ'ଣ ହେବ ମାମୁଁ ? ମୁଁ ବିଷ ଖାଇଦେବି ।

 

ମୃଣ୍ମୟ ଚାପି ଧରିଲା ନବନୀତାର ହାତକୁ । ତା’ର ଅଛି ଅନେକ ପ୍ରତିଶ୍ରୁତି । ସେ ହାତରେ ରଖିଛି ଦୀର୍ଘ ବାର ମାସ । ସେ ନବନୀତାକୁ ନେଇଯିବ ସବୁଜସ୍ତନର ଉପତ୍ୟକାକୁ, ପାଦରେ ମାଡ଼ି ଦଳି ଚକଟି ସମାଜକୁ ସିଗାରେଟ ଟୁକୁରା ଭଳି ।

 

ଆର ଘରୁ ସଞ୍ଚୟିତା ପଚାରିଲା କିଏ ସେ ? ନିତୁରେ, କିଏ ପଡ଼ିଗଲା ନା କ’ଣ ତ ?

 

ଓଲଟ କାଚଟିରେ ପୋଛିଦେଲା ଆଖି ନବନୀତା । ଜୀବନଟା ଏମିତି ବିଚିତ୍ର । ବିଚିତ୍ର ହିଁ ତ ସବୁ ଅଭିଜ୍ଞତା ।

 

ଏଇ ଯେ ସେ ବାହାରି ଆସିଲେ ଘରୁ ଓ ଏମିତି ନିର୍ଲିପ୍ତ ଖାମଖେୟାଲି ଭାବରେ ଚାଲୁଛନ୍ତି ରାସ୍ତାରେ ଯେ ଯେମିତି କୌଣସି ନା କୌଣସି ବସ୍ ଚାଲୁନି । ରିକ୍ସାର ଟିଂଟାଂ ଶବ୍ଦ ନାଇଁ, ପିଲାମାନଙ୍କର ହୋହଲ୍ଲା ଖେଳ ନାଇଁ । ସବୁ ରେଡ଼ିଓ ବନ୍ଦ ହୋଇଯାଇଛି । ସେ ଏଇଭଳି ନୀରବତା ଭିତରେ ଚାଲି ଚାଲି ଯାଉଛନ୍ତି ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ, ପୁଣି ଦକ୍ଷିଣ ମେରୁରୁ ଉତ୍ତର ମେରୁକୁ, ବିଷୁବ ରେଖାର ଠିକଣା ଖୋଜି ଖୋଜି ।

 

ନିଆଁର ଝଲକ ଭଳି ଉଜ୍ଜଳ ପକ୍ଷୀର ପର ଭଳି କଅଁଳ ଫୁଲର ପାଖୁଡ଼ା ଭଳି ସ୍ନିଗ୍ଧ । ଚାଲୁ ଚାଲୁ କେଉଁ ଏକ ପରିଚ୍ଛନ୍ନ ସକାଳର ଶ୍ମଶାନ ଘାଟରେ । ଏବେ ଆଖିର ପାୱାର କମ୍ । ଚଷମା ତଳରୁ ବି ଜଗତଟା ଲୁଚି ଲୁଚି ଯାଏ । ସେ ଚଷମା ଖୋଲି ରୁମାଲରେ ପୋଛି ନିଅନ୍ତି । ଏତେ ସୁନ୍ଦର ସୁନ୍ଦର ଶବ୍ଦ ସବୁ କେଉଁଠି ହଜିଗଲା ତ । ପୁଣି ଚଷମା ପିନ୍ଧି ଚାରିଆଡ଼କୁ ଦେଖନ୍ତି । ଚାରିଆଡ଼େ ଜହ୍ନ ରାତି । ସଫେଦ ବିଧବା କୁହୁଡ଼ି । ଝାପ୍‍ସା ଝାପ୍‍ସା, ତାରାର ଲିଆ ବିଞ୍ଚି ବିଞ୍ଚି ଖଞ୍ଜଣି ବଜେଇ ପୃଥିବୀ ଯାଉଛି ଚାଲି ରାମନାମ ସତ୍ୟ ହୈ ଗୀତ ଗାଇ ଗାଇ । ସେ ଏମିତି ଚାଲୁ ଚାଲୁ ଥକା ହେଇ ଠିଆହେଇପଡ଼ନ୍ତି ମଝି ରାସ୍ତାରେ, ବେଳେବେଳେ । ତାଙ୍କର ନଦୀରେ ଆଉ ସ୍ରୋତ ନାଇଁ, ନାରୀରେ ନାଇଁ ନିଶା । କ୍ଲାନ୍ତ ରେଟିନାରେ ଝାପ୍‍ସା ଝାପ୍‍ସା, ଉଦୟାସ୍ତ ଏକା ।

 

ସେ ଗୋଟେ ଶ୍ୱାସ ଛାଡ଼ନ୍ତି ଓ ପୁଣି ଚାଲିବାକୁ ଆରମ୍ଭ କରନ୍ତି । ତାଙ୍କର କଥାମାନେ ନିରବତା । ଭିଡ଼ ଭିତରେ ପୂର୍ବରୁ ଘୂରିବୁଲନ୍ତି ଏଆଡ଼େ ସେଆଡ଼େ । କେତେ ଦୃଶ୍ୟ ଆସେ, ଯାଏ, ସେ ଲକ୍ଷ୍ୟ ହିଁ କରନ୍ତି ନାଇଁ । ଛାତି ଭିତରେ ସେତେବେଳେ ଗଭୀର ପ୍ରତିଧ୍ଵନି ଭିତରେ ଧାଇଁ ବୁଲୁଥାଏ ତାଙ୍କ ନୀରବତା, ଭାଷାବିହୀନ ସଂଳାପରେ ଲୁହଭରା ବେଦନା ଶବ୍ଦହୀନ ବକ୍ତବ୍ୟରେ ଜଳିପୋଡ଼ି ମରୁଥାଏ ଛାତି ତଳର ତୈଳ ଚିତ୍ର । ସେ ତୈଳଚିତ୍ରଟି ତାଙ୍କର ନିଜର । ଏମିତ ଚାଲୁଚାଲୁ ସେ ନିଜ ଅଜାଣତରେ ଘଡ଼ି ଦୋକାନରେ ପଶିଯା’ନ୍ତି, ଯେ ଅନେକଗୁଡ଼େ ସମୟ ହଠାତ୍ ଚୁପ୍ ହେଇ ଠିଆହେଇ ଯାଇଚନ୍ତି ।

 

ପୁଣି ଥରେ ଆସନ୍ତି ବାରମ୍ବାର ରାସ୍ତା ଉପରକୁ ଓ ଘୂରିବୁଲନ୍ତି ସେ ଅବିନାଶ-ସଞ୍ଚୟିତା ପ୍ରଭୃତିଙ୍କର ବାପା, ଯେମିତି ଘୂରି ବୁଲୁଛନ୍ତି ଏଇ ଡିସେମ୍ବରର ଶୀତୁଆ ସଞ୍ଜର ଜହ୍ନରେ ଭିଜିଭିଜି । ତାଙ୍କ ଛାତି ଭିତରେ ଗୋଟେ ବୈରାଗୀ ସନ୍ନ୍ୟାସୀ ସବୁବେଳେ ହାତ ଠାରି ଡାକୁଚି ଓ ସେ ଅଥୟ ହୋଇପଡ଼ୁଛନ୍ତି । ଘରେ ତାଙ୍କର ସ୍ତ୍ରୀ- ବେକାର ବଡ଼ପୁଅ ସେ ଜାଣନ୍ତି, ଦୁଃଖରେ ସମୟ ବିତୁଛି ସେମାନଙ୍କର । ବଡ଼ ଝିଅଟିର ବାହାଘର ସମୟ ବତିଯାଉଛି । ମଝିଆଟା ନିଜ ମାମୁଁ ସାଙ୍ଗରେ ଲଟର ପଟର ହେଉଚି । ସେ ସବୁ ଜାଣନ୍ତି । କିନ୍ତୁ ଦେଖି ସୁଦ୍ଧା ନ ଦେଖିଲା ଭଳି ନିସ୍ପୃହ ଭାବରେ ରହିଯା'ନ୍ତି–ତାଙ୍କୁ କିଛି ଭଲ ଲାଗେନା । ନା, ମାର ସ୍ତ୍ରୀର ସେବା, ନା - ଏଠିକାର ଦୁଇ ସୁନ୍ଦରୀ ଝିଅଙ୍କର ଅଳି, ନା ଚାକିରୀ ନା ଜୀବନ । ତାଙ୍କୁ କିଛି ଭଲ ଲାଗେନା । ସେ ନିର୍ବିକାର ଭାବରେ ଘୂରି ବୁଲନ୍ତି ନୀରବତା ଭିତରେ । ବୁଲୁ ବୁଲୁ ଅନେକ ଭିତରକୁ ଚାଲିଯା’ନ୍ତି–ଗଛ ବୃଚ୍ଛ ଡେଇଁ, ସହର ବଜାର ଡେଇଁ, ମଣିଷ ଓ ଭିଡ଼ ଡେଇଁ । ଗୋଟେ ବନ୍ଦ ଦୋକାନର ବାରଣ୍ଡାରେ ପଡ଼ିଥିବା ବେଞ୍ଚ ଉପରେ ଶୋଇ ଶୋଇ ସେ ଚାଲିଯା’ନ୍ତି ନୀରବତାର ରାଜ୍ୟକୁ । ସେଠି ନୀରବତା କି ମଉନ । କୌଣସି ଶବ୍ଦ ନାଇଁ, ଭାଷା ନାଇଁ, ବକ୍ତବ୍ୟ ନାଇଁ, ସଂଳାପ ନାଇଁ, ବ୍ୟକ୍ତିଗତ ଦୁଃଖ ନାଇଁ, ସୁଖ ନାଇଁ । ସେ ଚୁପଚାପ ଭାସିବୁଲନ୍ତି ନୀରବତା ଭିତରେ ।

 

ଜୀବନରୁ ସେ ଆଉ କିଛି ଚାହାନ୍ତି ନାଇଁ । ଯେମିତି ଜୀବନରୁ ଅଲଗା ହୋଇଯାଇଚନ୍ତି । ତାଙ୍କର ଆଉ ନାଇଁ କୌଣସି ଅନୁଭୂତି ବୋଧ । ସେ ସୁଖ ଦୁଃଖ, ଆଶା ଆକାଂକ୍ଷା, ପ୍ରାପ୍ତି ଓ ବ୍ୟର୍ଥତାର ଶିଉଳି ଫୁଲ ଗୋଟେଇ ବୁଲିବେ ପ୍ରତିଟି ସକାଳରେ । ସେ ଘୂରିବୁଲନ୍ତି ଏମିତି ଏମିତି । ସେ ଶୋଇରହନ୍ତି, ଏମିତି ଏମିତି । ସେ ଶୋଇ ଶୋଇ ନୀରବତା ଆଡ଼କୁ ଭାସିଯାନ୍ତି ଭାସିଯାନ୍ତି ଏମିତି ଏମିତି । ବେଳେ ବେଳେ ଫିସ୍ ଫିସ୍ କରି କହନ୍ତି ଆଇ ଆମ୍ ଏନ୍ ଅବସର୍ଡ ମେନ୍ ଦି ଷ୍ଟେଞ୍ଜର ।

 

ସାଢେ ଛତିଶି ବର୍ଷର ଚନ୍ଦ୍ରନାଥ ବସ୍‍ରୁ ଓହ୍ଲେଇପଡ଼ି ଯୁବକ ହୋଇଗଲେ । ବସ୍‍ଷ୍ଟାଣ୍ଡଟା ପ୍ରାୟ ଫାଙ୍କା । ଚାରିଆଡ଼େ ଜହ୍ନରାତି କୁହୁଡ଼ିର ଧଳାଶାଢ଼ୀ ପିନ୍ଧି ଥିରି ଥିରି କଥା କହୁଚି । ସେ ଷ୍ଟାଣ୍ଡ ବାହାରକୁ ଆସିଲେ ଓ ରିକ୍ସା ଖୋଜିଲେ । ତାଙ୍କ ଆଖ ପାଖରେ ଟିଂ ଟାଂ ଶବ୍ଦ ଫିଙ୍ଗି କେତେଗୁଡ଼େ ରିକ୍ସା ଚାଲିଗଲେ ଯେ ବନର ଗୀତ ଗାଇ ଗାଇ । ଏଇ ସୁନ୍ଦର ରାତିରେ ସେ ଶୁଣିପାରିଲେ ସ୍ମୃତିର ପଛରେ ଥିବା କୋଡ଼ିଏ ଏକୋଇଶି ବର୍ଷର ଯୁବକଟିର ଜୀବନରେ ଉଡ଼ି ବୁଲୁଥିବା ଶଙ୍ଖ ଚିଲଟି ଡାକି ଉଠିବାର ଶବ୍ଦ । ସ୍ଥିର ଶପଥର ଶକ୍ତି ଛାତିରେ ନେଇ, କବିତା ଭରି କିଛି ଉଚ୍ଚାରଣ ସେ ଧରି ରଖିଥଲେ-ଏଇ ସହରରେ ଆଜିକୁ ଷୋଳ ସତର ବର୍ଷ ତଳେ, ଭୁଲି ଯାଇଥିଲେ ତ ।

 

ସେ ରିକ୍ସାରେ ବସିଲେ ଓ ମୃଣ୍ମୟର ମେସ୍‍ର ଠିକଣା କହିଲେ । ଏକ ସଫେଦ ଚାନ୍ଦିନୀର ଛାତି ଚିରି ଚିରି ରିକ୍ସାବାଲା ଆଗେଇଗଲା ପ୍ୟାଡେଲ ମାରି ମାରି ହୃଦତଳେ ଅନୁଭବ କଲେ ଥଣ୍ଡା । ସେ ଶିହରିଉଠିଲେ ଓ ତାଙ୍କର ମନେପଡ଼ିଗଲା ଏମିତି କେତେ ସନ୍ଧ୍ୟା ସେ ହୋଟେଲରୁ ଖାଇସାରି ତାଙ୍କର ମେସ୍‍କୁ ଫେରୁଥିଲେ ଥଣ୍ଡାରେ ଥରି ଥରି, ଷୋଳ ସତର ବର୍ଷ ତଳେ । ସେ ଖୁବ୍ ଜୋର୍‌ରେ ନିଶ୍ୱାସ ନେଲେ । ଛାତିରେ ଭରିଗଲା ପବନ । ପବନରେ ସ୍ମୃତିର ଗନ୍ଧ । ସ୍ମୃତିରେ ଯୌବନର ଗନ୍ଧ । ଏଇ ସହରରେ ସେ ହଜେଇ ଦେଇଛନ୍ତି କୋଡ଼ିଏ ଏକୋଇଶି ବର୍ଷର ଚନ୍ଦ୍ରନାଥକୁ । କେଉଁଠି ହଜିଗଲା ତ । ଏବେ ଚନ୍ଦ୍ରନାଥ କେମିତି ଅଲଗା ଅଲଗା ଅପର ସେ କଲେଜ ଗୋଇଂ ପିଲା ସାଙ୍ଗରେ ତ ୟାଙ୍କର ସମ୍ପର୍କ ହିଁ ନାଇଁ ।

 

ଆଜିର ଚନ୍ଦ୍ରନାଥଙ୍କର କ'ଣ ଆଉ ସୁଖ ନାଇଁ ? ସୁଖରେ ନାଇଁ, କେମିତି ଏକଥା କହିବେ ଯେ ? ଦୁଇପାଖରେ ଚିହ୍ନା ଓ ଅଜଣା ମଣିଷ ମଝିରେ ଧୀର ପାଦରେ ଚାଲିଯିବା, କୌଣସି ଆଡ଼କୁ ନ ଅନେଇ ମୁହଁ ନ ଉଠେଇ, ବ୍ୟଗ୍ର ହାତଠରାକୁ ଭୁଲି ରହି, ଅଇନାରେ ଧୂଳି, ବାଳ ଅସଜଡ଼ା, ଅଚଞ୍ଛା ଜାତି ଏସବୁ ଏ ବୟସରେ ଠିକ୍ ସୁହାଏ ନାହିଁ । ପ୍ରିୟ ପୋଷାକ ଭିତରେ ଅତିଥି ଦେହ ଏବେ ମୁହଁ ପୋତ ବି ରହିଥାଏ । କେମିତି କହିବେ ସେ ସୁଖରେ ନାହାଁନ୍ତି ? ତଥାପି, ଏଇ ସହରରେ ଓହ୍ଲେଇ ହଠାତ୍ ମନେହେଲା ତାଙ୍କର ଲୋମକୂପରେ ଭାସିଯାଉଛି, ଅସଂଖ୍ୟ ଟ୍ରେନ୍ ଶବ୍ଦ ଚାଲି ଯାଉ ଯାଉ ସେ ବି ହୋଇଯାଇ ସ୍ମୃତି ଭଳି ଠିଆ ହୋଇଚନ୍ତି ଏକା ଏକା, ଗଛ, ବୃଛ, ବଣ, ବୁଦା ଭଳି । ପାନିଆର ଦାନ୍ତ ସନ୍ଧିରେ ବସି ଯାଉଥିବା ମଇଳା ଭଳି କ୍ରମଶଃ ଅଭାବ ବୋଧର ଦୁଃଖ କମ ହେଉଛି ଦେହ ଭିତରେ । ଛାତି ଭିତରେ କେଉଁଠି କାନ୍ଦଣା ଝରିପଡ଼ୁଛି । ସେ ଯେମିତି ହଜେଇ ଦେଇଛନ୍ତି କେଉଁ ଏକ ଘନିଷ୍ଠ ସକାଳ ଓ ତା’ପରର ସବୁ ସମ୍ଭାବନା । ଗୋଟେ ସୁନେଲି ଶେଯରେ ତାଙ୍କର ହୃଦୟଟା ଖାଁ ଖାଁ ହୋଇଉଠିଲା । ମନେହେଲା ଜୀବନଟା ଏମିତି ବ୍ୟର୍ଥ ହୋଇଗଲା । ପରାଜିତ ଲଟେରୀ ଟିକେଟ୍ ଭଳି ଯେ ।

 

ରିକ୍ସାରୁ ଦେଖିପାରିଲେ ଚନ୍ଦ୍ରନାଥ, ଗୋଟେ ଘରର ଦୁଆର ପାଖରେ କବାଟକୁ ଜାବୁଡ଼ି ଧରି ଠିଆହୋଇଚି ଝିଅଟିଏ । ତା’ ସାମ୍ନାରେ ରାସ୍ତା ଉପରେ ପିଲାଟିଏ ସାଇକେଲକୁ ଆଉଜି ଠିଆ ହୋଇଚି । ଏଇ ଦୃଶ୍ୟଟି ଦେଖୁ ଦେଖୁ ଅପସରିଗଲା ଓ ସେ ପୁଣି ଅତୀତ ଭିତରକୁ ଚାଲିଗଲେ । ଆଜିକୁ ଷୋଳ ସତର ବର୍ଷ ତଳେ ଏମିତି ଅନେକ ସନ୍ଧ୍ୟା ସେ କଟାଇଥିଲେ ଗପ କରି କରି ଗୋଟେ ଅଠର ବର୍ଷ ଝିଅ ସାଙ୍ଗରେ । ଦିନେ କଲେଜର କରିଡ଼ରରେ ଚାଲୁଚାଲୁ ଚନ୍ଦ୍ରନାଥ ଅଟକି ଠିଆହେଇ ଯାଇଥିଲେ ଓ ତାକୁ ଦେଖିକି ବି ଝିଅଟା ମୁରୁକି ହସିଥିଲା । ଚନ୍ଦ୍ରନାଥଙ୍କର ସେତେବେଳେ ମନେ ହେଇଥିଲା, ସେ ପବିତ୍ରତାର ସୁଗନ୍ଧ ଭିତରେ, ମନେ ହେଇଥିଲା: ସେଇ ସମୟଟା ତାଙ୍କର ସୁସମୟ ।

 

ଚନ୍ଦ୍ରନାଥ ଆଉଜି ବସିଲେ ରିକ୍ସାରେ । ଜୀବନଟା ଏମିତି ହିଁ । ଏ ସୁଗନ୍ଧ ଫୁଗଣର କୌଣସି ମାନେ ହିଁ ହୁଏନା । ମାୟା ମାୟା । କାହିଁ କଲେଜ କରିଡ଼ରରେ ମୁରୁକି ହସିଥିବା ଝିଅଟି ତ ଦିନେ କହିଥିଲା ତମ ବିନା ମୁଁ ବଞ୍ଚି ପାରିବି ନି, ଚନ୍ଦ୍ର । ଦେଖିବ ତମକୁ ନ ପାଇଲେ ଅତ୍ମହତ୍ୟା କରିପକେଇବି ।

 

ଅଥଚ କି ସୁଖରେ ସେମାନେ ବିତେଇଦେଲେ ପ୍ରତ୍ୟେକ ପ୍ରତ୍ୟକକୁ ନପାଇ ବି । ଜୀବନଟା ଏମିତି । ଏସବୁ ସୁଗନ୍ଧ ଫୁଗନ୍ଧ ମାୟାଫାୟା ମନେହୁଏ ସୁନାର ହରିଣ । ଶୋଷ ଛାତିରେ ନେଇ ନଦୀ ପାରିହୁଅ । ଅଥଚ ଶୋଷ ମେଣ୍ଟାଇ ପାରେନା । ହୁଏତ ବେଳେବେଳେ କ୍ଲାନ୍ତ ସନ୍ଧ୍ୟାରେ, ଏମିତ ଚାଳିଶ ରାତିରେ ସେଇ ଝିଅଟିର କଥା ମନେପଡ଼େ -କିଛିକ୍ଷଣ ସ୍ମୃତିର ଦୁଆର ଖୋଲି ସେ ଅସହାୟ ହୋଇପଡ଼ନ୍ତି । ଛାତିରେ ପଡ଼ିଆସାରା ଖେଳିବୁଲେ ଗୋଧୂଳି ସମୟର ପବନ । କିନ୍ତୁ ତା’ପରେ ହିଁ ସମ୍ଭାଳି ନିଅନ୍ତୁ ନିଜକୁ । କିଏ ଆଉ ଖୋସାରୁ ଖସିପଡ଼ିଥିବା ଭୁଲ ଫୁଲ୍‍ର ସ୍ମୃତି ଭଲପାଏ ? ଜୀବନଟା ଏମିତି ହିଁ । ପ୍ରେମ ଫ୍ରେମର କିଛି ମାନେ ହୁଏନା । ଜୀବନରେ ବଞ୍ଚି ରହିବାରେ ଅସଲ ଯା’ ଲୋଡ଼ା -ସେ ସବୁ ଟଙ୍କା, ପଇସା, ସମ୍ମାନ ଓ ପ୍ରତିପତ୍ତି । ଚନ୍ଦ୍ରନାଥ ଆଜିର ଏଇ ବୟସରେ ପହଞ୍ଚି ଏଇ ନିଗୂଢ଼ ବାସ୍ତବ ସତ୍ୟଟିକୁ ଜାଣିପାରିଛନ୍ତି । ୟା'ଛଡ଼ା ଆଉସବୁ ମାୟା । ବାନ୍ଧି ରଖନ୍ତି ମିଛ ଶବ୍ଦ ସଜେଇ ସଜେଇ ।

 

ଚନ୍ଦ୍ରନାଥ ପହଞ୍ଚି ଗଲେ ମୃଣ୍ମୟର ମେସ୍‍ରେ । ଗୋଟେ ପିଲା, କୂଅ ପାଖରେ ବସି ଗୁଡ଼ାଖୁ ଘଷୁଥିଲା, ଲୁଙ୍ଗି ପିନ୍ଧି, ଚାଦର ଘୋଡ଼ିହେଇ । ସେ ପଚାରି ବୁଝିନେଲେ ମୃଣ୍ମୟର ରୁମ୍ ନମ୍ବର ତା’ ପାଖରୁ । ମୃଣ୍ମୟର କୋଠରୀରେ ତିନୋଟି ଛୋଟିଆ ତକ୍ତପୋଷ ଥିଲା । ତକ୍ତପୋଷ ପାଖରେ ଛୋଟ ଟେବୁଲ ଓ ଚେୟାର । ଦି’ଜଣ ପଢ଼ୁଥିଲେ ଦି'ଟା ଟେବୁଲ ପାଖରେ । ଖାଲିଥିବା ଚେୟାରଟି ହିଁ ମୃଣ୍ମୟର ଓ ମୃଣ୍ମୟ ନ ଥିଲା । ଚନ୍ଦ୍ରନାଥ ଜଣକ ପାଖରୁ ଜାଣିନେଲେ–ମୃଣ୍ମୟ ଭିଣେଇଙ୍କ ଘରକୁ ଯାଇଛି ।

 

ସମୁଦ୍ର କୂଳରେ ଠିଆହେଲେ ଯେମିତି ଢେଉ ଆସି ଛୁଇଁ ଦେଇଯାଏ- ସେମିତି ଛୁଇଁ ଛୁଇଁ ଗଲା ସ୍ମୃତି । କେତେ ଦିନରୁ ସେ ଭୁଲିଥିଲେ ଏମିତି ଜୀବନକୁ ତ । ଷୋଳ ବର୍ଷ ତଳେ ତାଙ୍କର ନ ଥିଲା ଜମି କିଣିବାର ମୋହ, ଘର ତୋଳିବାର ସ୍ଵପ୍ନ, ଝିଅ ବାହା କରିବା ପାଇଁ ଟଙ୍କା ସଞ୍ଚିବାର ଚିନ୍ତା । ବହୁତ ଦିନରୁ ସେ ଭୁଲି ଯାଇଚନ୍ତି ଗହମ ଖରାର ଯୌବନକୁ, ସେତେବେଳେ ଗୋଟେ ଛୋଟ ଖଟ, ଟେବୁଲ, ଚେୟାର, ଦି’ତିନିଟା ପ୍ୟାଣ୍ଟସାର୍ଟ, ଗୋଟେ ରୁଟିନ୍ ଓ ଧୂପକାଠି କିଛି ସାଙ୍ଗରେ କଲେଜର ଗୋଟେ ପଢ଼ାଝିଅର ମୁରୁକି ହସ, ଡରିଲା ଡରିଲା ଆଖିରେ ତରତର କରି କହି ପକେଇଥିବ କେତୋଟି କଥା କିମ୍ବା ଚିଠିକୁ ଭରସା କରି ସେ ବଞ୍ଚିଥିଲେ । ସେତେବେଳେ ମୁହଁରେ ସୁଖୀ ସୁଖୀ ପ୍ରେମିକର ଦାଗ ଧରି ସେ ସିଗାରେଟ ଟାଣି ପ୍ରେମିକାର ଘରୁ ଫେରୁଥିଲେ- ସେଇ ଜୀବନକୁ କେମିତି ପାଶୋରି ଦେଇଥିଲେ ଦେଖ ।

 

ଚନ୍ଦ୍ରନାଥ ଭାବିଲେ ଓ ଟେବୁଲ ଡ୍ରୟର ଖେଲିଲା ବେଳକୁ ସିଗାରେଟ୍ ପ୍ୟାକେଟ୍‍ଟିଏ ? ପ୍ୟାକେଟରେ ଗୋଟେ ସିଗାରେଟ୍‍ ଥିଲା ଓ ଡ୍ରୟର ଭିତରେ ଅଶ୍ଳୀଳ ବହିଟିଏ । ମୃଣ୍ମୟ ସିଗାରେଟ ପିଏ ? ଏସବୁ ପଢ଼େ ? ପ୍ରଥମଥର ପାଇଁ ଧକ୍କା ଖାଇଥିଲେ ସେ । କିନ୍ତୁ ସମ୍ଭାଳି ନେଲେ । ସେ ବି ତ ଦିନେ ଏଇ ବୟସରେ ସିଗାରେଟ ଧରିଥିଲେ, ସେ ବି ତ ଦିନେ ଏଇ ବୟସରେ ଏମିତି ଚଟି ବହି କଣି ଉତ୍ତେଜନାରେ ଥରି ଉଠି ଭସେଇଦେଇଥିଲେ ନିଜର ବୋଇତ ଲବଙ୍ଗ ଦ୍ୱୀପକୁ । ଆଜି ମୃଣ୍ମୟକୁ ଦେଖି ସେଇ ବୋଇତର ସବାରି ଭାବରେ, ଚମକୁଛନ୍ତି କିଆଁ ଯେ–? କାହିଁ, ଚନ୍ଦ୍ରନାଥ ତ ବାଟ ଭୁଲି ଅବାଟୋଇ ହେଇଯାଇ ନାହାନ୍ତି । ଏମିତି ତ ହୁଏ । ବୟସର ଦୋଷ । ଦୋଷ କି ?

 

ଚନ୍ଦ୍ରନାଥ ଉଠି ଠିଆହେଲେ ।

 

ରାସ୍ତାରେ ଚନ୍ଦ୍ରନାଥ ଭେଟିଲେ ମୃଣ୍ମୟକୁ । ମୃଣ୍ମୟ ଦେଖିଲା ଓ ଆଶ୍ଚର୍ଯ୍ୟ ହେଲା ଓ ନଇଁପଡ଼ି ପ୍ରଣାମ କଲା ଓ ପଚାରିଲା : ତମେ କେତେବେଳେ ଆସିଲ ? ତମେ ତ ଖାଇ ନ ଥିବ । ଆମ ମେସ୍‍ରେ ମିଲ୍ ପଡ଼ିସାରିଛି । ଆସ ହୋଟେଲରେ ଖାଇନେବା ।

 

ହୋଟେଲକୁ ଯିବା ରାସ୍ତାରେ ସେଇ ଅକାଂକ୍ଷିତ ପ୍ରଶ୍ନଟି ପଚାରି ପକେଇଲେ ଚନ୍ଦ୍ରନାଥ । କହିଲେ ମୁଁ ମା’ଙ୍କ ପାଖରୁ ଅସୁଚି । ତୁ ମା’ଙ୍କୁ କ’ଣ ଲେଖିଚୁ ?

 

ଜହ୍ନ ଲୁଚିଯାଇଚି ମେଘ ଭିତରେ । କୁହୁଡ଼ିଆ ଅନ୍ଧାରରେ ସେ ଦେଖି ପାରିଲେନି ମୃଣ୍ମୟର ମୁହଁ । ତା’ର ମୁହଁର ଇମ୍‍ପ୍ରେଶନଟା କେମିତି ଏବେ ଯେ ? ମୃଣ୍ମୟ ଓଲଟି ପଚାରିଲା : କ’ଣ ଲେଖିଚି ?

 

: ତୁ ନବନୀତାକୁ ବାହା ହେବାକୁ ଚାହୁଁ ?

 

ଏଥର ଲାଇଟ୍ ପୋଷ୍ଟ ପାଖକୁ ସେମାନେ ଆସିଯାଇଥିଲେ । ଚନ୍ଦ୍ରନାଥ ଅନେଇଲେ ମୃଣ୍ମୟ ଆଡ଼କୁ । ତା’ର ମୁହଁରେ ଅଦ୍ଭୁତ ହସଟେ ଲାଗିରହିଚି । ହସ ? ନା–ମଣିଷର ପ୍ରକୃତ ଅନୁଭୂତିର ଇମ୍‍ପ୍ରେଶନ ହିଁ ମୁହଁରେ ପଡ଼େନା ? ମୃଣ୍ମୟ କହିଲା : ଲେଖିଚି ।

 

ଚନ୍ଦ୍ରନାଥ ଚୁପ୍ ହେଇଗଲେ । ଶବ୍ଦହୀନ ଆକ୍ରୋଶ ଲହଡ଼ି ଖେଳୁଛି ତାଙ୍କ ଦେହରେ । ଗମ୍ଭୀର ହେଇ କହିଲେ : ନବନୀତା ତୋର ଭାଣିଜୀ ।

 

ମୃଣ୍ମୟ ସେମିତି ହିଁ ଉତ୍ତର ଦେଲା : ହେଲା ବା ।

 

: ରକ୍ତର ସମ୍ପର୍କ ।

 

ମୃଣ୍ମୟ ସେମିତି ଉତ୍ତର ଦେଲା : ହେଲା ବା ।

 

: ଏଇଟା ପାପ ।

 

ସେ ସେମିତି ହିଁ ଉତ୍ତରଦେଲା : ହେଲା ବା ।

 

ଏଇ ପାପବୋଧ ତୋତେ ବ୍ୟସ୍ତ କରିବନି ଭବିଷ୍ୟତରେ ? ନୀତାକୁ ବ୍ୟସ୍ତ କରିବନି ? ଭବିଷ୍ୟତରେ ତମେ ଦିହେଁ ହିଁ ଭାବିବନି କି ଯେ ତମେ ଭୁଲ କରିଛ ବୋଲି ? ସେତେବେଳେ କ'ଣ କରିବ ?

 

ମୃଣ୍ମୟ ସଂକ୍ଷିପ୍ତ ଭାବରେ କହିଲା : ସେତେବେଳେ ଯା’ ଭଲ ଭାବିବି କରିବି ।

 

ଚନ୍ଦ୍ରନାଥ ଚୁପ । ମନ ଭିତରେ ଅରଣ୍ୟର ନିର୍ଜନତା । ସବୁ ପ୍ରଶ୍ନ, ସବୁ ଯୁକ୍ତି ଭାସିଗଲା ଯେମିତି ମୃଣ୍ମୟର ପିଲାଳିଆ ଉତ୍ତରର ଲୁଣିଆ ଢେଉରେ । କିଛିକ୍ଷଣ ଚୁପ ରହି ପଚାରିଲେ : ସମାଜ ? ସମାଜ ମାନିବ କେବେ ?

 

ମୃଣ୍ମୟର ପାଖରୁ ଯେଉଁ ଉତ୍ତରଟି ପାଇବେ ବୋଲି ସେ ଜାଣିଥିଲେ, ପାଇଲେ । ମୃଣ୍ମୟ କହିଲା : ସମାଜ ଫମାଜ ମୁଁ ମାନେ ନା ।

 

ଏଥର ଶିମିଳି ତୁଳାର ରାଗ ଫାଟିପଡ଼ି ବିଞ୍ଚି ହୋଇଗଲା : ତୁ ନ ମାନିଲେ ସମାଜ ମାନିବ ?

 

ମୃଣ୍ମୟ ଏଥର ମୁହଁ ଉଠାଇ କହିଲା, ଦୃଢ଼ାଶକ୍ତ ହେଇ : ସମାଜ ମୋର କ'ଣ କରିବ ?

 

ଭବିଷ୍ୟତରେ ତୋର ପୁଅଝିଅଙ୍କର କେଉଁଠି ବାହାଦେବୁ ଭାବି ଦେଖିଛୁ ? ସେମାନେ ଶେଷରେ ତୋତେ ହିଁ ନିନ୍ଦିବେ ।

 

ମୃଣ୍ମୟର ମୁହଁରେ ସେମିତି ହସଟିଏ ଲାଖି ରହିଛି । ହସ କି ? କେଜାଣି । କହିଲା : ନିନ୍ଦିଲେ ବା । ନିନ୍ଦନ୍ତୁ ।

 

ରକ୍ତର ସମ୍ପର୍କରେ ବାହାଘର ହେଲେ ପୁଅଝିଅମାନେ ରୋଗିଣା ହେବେ ।

 

: ହେଲେ ହେବେ ।

 

ଏଥର କ୍ଲାନ୍ତ ହୋଇ ଶେଷ ଅସ୍ତ୍ର ଛାଡ଼ିଲେ ଚନ୍ଦ୍ରନାଥ । କହିଲେ : ତୁ ତେବେ ଜାଣିଶୁଣି ଆତ୍ମଘାତୀ ହେବାକୁ ବସିଛୁ ।

 

ମୃଣ୍ମୟ ଉତ୍ତରଦେଲେ : ହେଲେ ହେଲି ବା ।

 

ଚନ୍ଦ୍ରନାଥ ଗମ୍ଭୀର ଭାବରେ କହିଲେ ? ପସ୍ତେଇବୁ ଜୀବନରେ ।

 

ଜହ୍ନ ପୁଣି ମେଘ ପଛରେ । ଅନ୍ଧାରୁଆ କୁହୁଡ଼ି ଉପରେ ବୁଡ଼ିରହି ମୃଣ୍ମୟ କହିଲା କିଏ ପସ୍ତେଇନି ଜୀବନରେ ? କିଏ ? କୁହ ତ ? ଜୀବନଟା ତ ଅର୍ଥହୀନ ଅର୍ଥହୀନ ବୋଲି ସମସ୍ତେ ଏତେ କହୁଚନ୍ତି । ଜୀବନରୁ କେହି କିଛି ପାଆନ୍ତି ନାହିଁ । ଯିଏ ଯା’ ପାଏ ସେ ସବୁ ତା’ପାଖରେ ମୂଲ୍ୟହୀନ । ବଞ୍ଚିରହି କେନ୍ଦ୍ର ମନୁମେଣ୍ଟ ହୋଇଯାଏ ନା କେବେ । ତମେ କୁହ, ତମ ଜୀବନରେ ତମେ ସବୁ ପାଇଛ ? ଜୀବନଟା ତମ ପାଖରେ ଅର୍ଥହୀନ ନୁହଁ ? ତେବେ କିଆଁ ଏତେ ହିସାବ ନିକାଶ ? ତେବେ କିଆଁ ଏତେ ଭବିଷ୍ୟତର ଚିନ୍ତା ?

 

ଚନ୍ଦ୍ରନାଥର ମନେହେଲା, ପାଖରେ ଚାଲୁଥିବା ମୃଣ୍ମୟର ଶବ୍ଦ ଯେମିତି ଭାସି ଆସୁଛି ବହୁତ ଦୂରରୁ । ମୃଣ୍ମୟ ଯେମିତି ବହୁତ ଦୂରେଇ ଯାଉଛି ତାଙ୍କ ପାଖରୁ । ବହୁତ ବହୁତ ବହୁତ ଦୂରକୁ । ସେ ହାତ ବଢ଼େଇଲେ । ମୃଣ୍ମୟ କାହିଁ ? କେଉଁଠି ସେ ?

 

ରାତି ଅଧରେ ନିଦ ଭାଙ୍ଗି ଗଲା ଚନ୍ଦ୍ରନାଥଙ୍କର । ତିନିଫୁଟ ବାଇ ପାଞ୍ଚ ଫୁଟର ଛୋଟିଆ ତକ୍ତପୋଷରେ ମୃଣ୍ମୟ ସାଙ୍ଗରେ ଆଡଜଷ୍ଟ କରି ଶୋଇଥିଲେ ସେ । ନୂଆଜାଗାରେ ଭଲ ନିଦ ହେଲାନି । ପାରାର ନରମ ପର ଭଳି ସୁଖ କିଛିକୁ ଘେରିବସିଛି ଆଜିର ବୟସ । ଏତେ ସଂକୀର୍ଣ୍ଣ ଜାଗାରେ ଶୋଇ ପାରୁନାହାନ୍ତି ।

 

ସେ ବାହାରକୁ ଆସିଲେ । ଆକାଶର ନୀଳ ଟେବୁଲରେ ଜହ୍ନ ଗୋଟେ ପେପର ୱେଟ ପଥର । ଶୀତୁଆ ରାତି ଫିସ୍ ଫିସ୍‍ କରି କାନ୍ଦି ଉଠୁଛି । ଚନ୍ଦ୍ରନାଥ ଅନୁଭବ କଲେ ତାଙ୍କ ଛାତି ଭିତରେ କେଉଁଠି କାନ୍ଦଣା ଝରିପଡ଼ୁଛି । କି କାନ୍ଦଣା ଯେ ? ଅସହାୟତା ?

 

ହୋଟେଲରୁ ଖାଇ ଫେରିଲାବେଳେ ମୃଣ୍ମୟ ପଚାରିଥିଲା - ନୀତାମାନଙ୍କର ଘରକୁ ଯିବେ କି ନାହିଁ ବୋଲି । ସେ ଟାଳି ଦେଇଥିଲେ ସକାଳେ ଯିବେ କହି । ସଞ୍ଜୁ ଓ ନୀତା କେତେ ବଡ଼ ହୋଇଯାଇଥିବେ ଯେ ? ଷୋଳ ସତର ବର୍ଷ ତଳେ ସେ ଦେଖିଥିଲେ ସେମାନଙ୍କୁ ଛୋଟିଆ ଛୋଟିଆ ପିଲା ଭାବରେ । ନୀତା ତ ଚଢ଼ିଟିଏ ପିନ୍ଧି ଲଙ୍ଗଳା ହିଁ ଘୁରି ବୁଲୁଥିଲା । କେତେ ବଡ଼ ହୋଇଗଲାଣି କେଜାଣି ।

 

ସେଇ ଜହ୍ନ ରାତିରେ ମୃଣ୍ମୟର ମେସ୍ ସାମ୍ନା କୂଅମୂଳରେ ଠିଆ ହୋଇ ସେ ଦୂରେଇଗଲେ ଅତୀତ ଆଡ଼କୁ ଶୁଣୁ ଶୁଣୁ ଗୋଟେ ନିଃସଙ୍ଗ ଟ୍ରେନର ଛାତିଥରା ହ୍ୱିସିଲ । ଛିଣ୍ଡା ଛିଣ୍ଡା ସ୍ମୃତିର ଟୁକୁରାସବୁ ଘରଚଟିଆ ଭଳି ମନର ଘର ଭିତରକୁ ଆସି ପୁଣି ଫୁର କରି ଉଡ଼ିଗଲେ । ପୁଣି ଆସିଲେ ପୁଣି ଗଲେ । ତାଙ୍କର ମନେ ପଡ଼ିଲା କଲେଜ କରିଡ଼ରର ସେଇ ଝିଅଟି କଥା । କେତେ ଅପାଉଣା ପ୍ରତିଶ୍ରୁତି ରହିଗଲାତ ତା'ଛାତି ଭିତରେ । ଏସବୁ ଏମିତି ରହିଥିବ ସବୁଦିନ ପାଇଁ ଅପାଉଣା ହୋଇ ? ବେଳେ ବେଳେ ଚାନ୍ଦିନୀ ରାତିରେ ବାହାରି ଆସି ମନ ତଳରୁ ଗୋଧୂଳି ପବନରେ ତାଙ୍କୁ ଅସହାୟ କରି ଦେଇଯିବ ।

 

ସେ ଫେରିଆସିଲେ ଘର ଭିତରକୁ ଝାଡ଼ିଦେଇ ସବୁ ଇମୋଶନ୍ । ପ୍ରେମ ଫ୍ରେମ ସବୁ ମାୟା । ବ୍ୟଥାର କୌଣସି ନିଜସ୍ୱ ବ୍ୟଥା ଅଛି କି ? କଲେଜ କରିଡ଼ରର ପ୍ରତିଶ୍ରୁତିମୟୀ ସେ ଝିଅଟିକୁ ପାଇ ସେ ଆଉ କ'ଣ ବେଶୀ ସୁଖରେ ରୁହନ୍ତେ ଯେ ? ସେ ପ୍ରକୃତିସ୍ଥ ହେଲେ ଓ ସ୍ମୃତିକୁ ଝାଡ଼ି ଫିଙ୍ଗି ଦେଲେ । ସ୍ମୃତି ତ ସୀସା ଭଳି, ଖାଲି ଛାତି ଭରି କରି ଯନ୍ତ୍ରଣାରେ ଅସ୍ଥିର କରିବ ।

 

କିନ୍ତୁ ହଠାତ୍ ମୃଣ୍ମୟକୁ ଦେଖି ଥମକିଗଲେ । ତା’ର ନିଦୁଆ ମୁହଁରେ ସେଇ ଅଦ୍ଭୁତ ହସଟିକକ ଲାଖି ରହିଛି, ଯେଉଁଟା ଦେଖିଥିଲେ ସେ ସନ୍ଧ୍ୟାବେଳେ, ଲାଇଟପୋଷ୍ଟ ତଳେ । ଏଇ ମୃଣ୍ମୟ ତ ସେଦିନ ବି ଛୋଟ ପିଲାଟିଏ ଥିଲା- ଅତି କଅଁଳ ପିଲା । ସମୟ କେତେ ଶୀଘ୍ର ଗଡ଼ି ଯାଉଛି- ଏକ୍ସପ୍ରେସ ଟ୍ରେନ ଭଳି ତରତର ହୋଇ ।

 

ସେ ବସିପଡ଼ିଲେ ମୃଣ୍ମୟ ପାଖରେ । ତା’ର ମୁଣ୍ଡ ଆଉଁସିଦେଲେ । ତାଙ୍କ ଛାତି ଭିତରର ବନ୍ଧ ଭାଙ୍ଗିଗଲା । ଅଦ୍ଭୁତ ମମତ୍ୱର ଝରଣା ଝରୁଛି ମନରୁ । ସେ ଅସହାୟ । ଭୀଷଣ ଅସହାୟ । ମୃଣ୍ମୟ ଯେମିତି ଆତ୍ମହତ୍ୟା କରିବାକୁ ଧାଇଁଯାଉଛି ତାଙ୍କ ଅଖି ଆଗରେ ଅଥତ ସେ ପଥର ହୋଇଯାଇଛନ୍ତି । ଧାଇଁଯାଇ, ହାତ ବଢ଼େଇ ତାକୁ ଅଟକେଇ ରଖି ପାରୁନାହାନ୍ତି ।

 

ସେ ମୃଣ୍ମୟର କାନପାଖକୁ ନଇଁପଡ଼ି କହିଲେ : ଜୀବନଟା ବାଉଁଶ ଗଛ ଭଳି ଫମ୍ପା ହୋଇପାରେ, କିନ୍ତୁ ହାଲୁକା ନୁହଁ । ତୁ ବି ଦିନେ ବୁଝିବୁରେ, ପ୍ରେମ ଫ୍ରେମ ବୋଲି କିଛିନାହିଁ । ଅଥଚ -

 

ଅଥଚ ? ତା'ପରେ କଣ କୁହାଯାଇପାରେ ? ସେ ଭାବି ପାରିଲେ ନାହିଁ । ଏଇ 'ଅଥଚ’ ପଛରେ ହଁ ଯେମିତି ବଞ୍ଚି ରହିବାର ସବୁ ସତ୍ୟ ଲୁଚି ରହିଛି । ସେ ସତ୍ୟକୁ କିଏ ଜାଣେ ? କିଏ ଜାଣିଛି ? କିଏ ?

 

ଆମ ଗଳ୍ପକୁ ଏଇଠି ବନ୍ଦ ରଖାଯାଇପାରେ, ପାଠକଗଣ ଜୀବନଟା ତ ବଡ଼ ବହୁତ ବଡ଼ । ଗୋଟେ ଗାଳ୍ପିକ କେତେ ଆଉ ଧାଇଁପାରିବ ଜୀବନ ପଛେ ପଛେ ? କେଉଁଠି ନା କେଉଁଠି ତ ଅଟକିବାକୁ ପଡ଼ିବ । କାଲି ସକାଳ ହେଲେ ହୁଏତ ଚନ୍ଦ୍ରନାଥ ଯିବେ ନୀତାମାନଙ୍କ ଘରକୁ । ନୀତା ହୁଏତ ଆସି ପ୍ରଣାମ କରିବ । ସଞ୍ଚୟିତା ହୁଏତ ଟାଇପ ଶିଖି ଫେରୁଥିବ । କହିବ : ମାମୁଁ , ଦି'ପହରରେ ଭାତ ଖାଇକି ଯିବ । ଚନ୍ଦ୍ରନାଥ ହୁଏତ ମନା କରିବେ । ନବନୀତା ହୁଏତ କହିବ : ମାମୁଁ ଆମକୁ ଭୁଲିଗଲେଣି । ମାମୁଁ ବଡ଼ ଲୋକ ।

 

ହୁଏତ -।

 

ଏମିତ ଜୀବନ ବିତିବ, ସମୟ ବିତିବ । କିନ୍ତୁ ଏ ତ ଜୀବ । ଜୀବନ ତ ଧରାବନ୍ଧା ଫର୍ମୁଲା ଗପ ନୁହଁ ଯେ କୌଣସି ନିଶ୍ଚିତ ପରିଣତ ଆଡ଼କୁ ଆଗେଇ ଯାଇ କ୍ଲାଇମେକ୍ସରେ ପହଞ୍ଚି ଅଟକି ଯିବ ? ଜୀବନର କୌଣସି କ୍ରାଇମେକ୍ସ ନାହିଁ । ତେଣୁ ଏଇଠି ହିଁ ଆମେ ଅଟକିଗଲେ, ବନ୍ଧୁଗଣ ଆପଣଙ୍କର କିଛି ଆପତ୍ତି ଅଛି କି ?

 

ଆମେ ଜାଣୁ, ସଞ୍ଚୟିତା ଅବନାଶଙ୍କର, ଅବିନାଶ ନବନୀତାର, ନବନୀତା ମୃଣ୍ମୟର, ମୃଣ୍ମୟ ଚନ୍ଦ୍ରନାଥଙ୍କର ଘରର ବାହାରେ ଠିଆହୋଇ ରହିଛନ୍ତି । ସମସ୍ତେ ପରସ୍ପରର ଘରର ଦୁଆର ବାହାରେ ଅଟକି ଯାଇଛନ୍ତି । ଅନ୍ୟର ଘର ଭିତରକୁ ପଶିବାକୁ ପ୍ରତ୍ୟେକ ନାରାଜ । ସମସ୍ତେ ନିଜ ନିଜ ଜାଗାରେ ଠିକ୍ ବୋଲି ଭାବୁଛନ୍ତି । ସେମାନେ ସମସ୍ତେ ଏମିତ ଠିଆ ହୋଇ ରହିଥିବେ ନିଜ ନିଜ ଜାଗାରେ, ପରସ୍ପରର ଘର ବାହାରେ, ଯୁର ଯୁଗ ଧରି । କିନ୍ତୁ ଦୁଃଖ କରିବାର କିଛି ନାହିଁ, ଭାଇମାନେ, ଜୀବନଟା ହିଁ ଏମିତି । ଏମିତି ବିଚିତ୍ର । ଏମିତି ବିଚିତ୍ର ଜୀବନ ଗଡ଼ିଆସିଛି ଯୁଗ ଯୁଗ ଧରି । ଜୀବନର ସବୁ ସ୍ଥିତିଶୀଳତା ଅନାକ୍ରମଣୀୟ । ପ୍ରଶ୍ନାତୀତ । ପରସ୍ପରର ଘରର ଏରୁଣ୍ଡି ବନ୍ଧ ବାହାରେ ଠିଆହୋଇ ଯୁଗ ଯୁଗ ଧରି ମଣିଷ ବଞ୍ଚିଆସିଛି । ବଞ୍ଚି ରହିବ । ବି । ବ୍ର । ଭୋ ।

Image

 

କାନ୍ଦୁରୀ

ଶ୍ରୀ ଦାଶ ବେନ୍‍ହୁର

 

ବୋଧହୁଏ ସେ ଜନ୍ମହେବା ପରଠାରୁ ବୋଉର ବ୍ୟକ୍ତିଗତ କୋହଳା ଜୀବନଟିରେ ବାରମ୍ବାର ଗଣ୍ଠି ପଡ଼ି ଆସିଲା । ନିଜସ୍ୱ ସମସ୍ତ ସମୟ ବୋଉର ଅନ୍ୟଗତ ହେଲା । ନିର୍ଦ୍ଦିଷ୍ଟ ହୋଇଗଲା । ଖୋଲା ଫୁଲାଫାଙ୍କିଆ ମାଆ ମନଟି ତା’ର ଏକ ବିଶେଷଭାବେ ଉଦ୍ଦିଷ୍ଟ ବାଧ୍ୟ ଅଭ୍ୟାସରେ ବାନ୍ଧି ହୋଇଗଲା । ମାଆ ହେଲା ପରେ ପ୍ରତ୍ୟେକ ନାରୀର ଅଧିକାଂଶ ସମୟ ସନ୍ତାନଗତ ହୁଏ । ତଥାପି ତା’ଭିତରେ ବି ଟିକେ କୋହଳାଭାବ ଥାଏ, ଟିକେ ସ୍ୱାଧୀନତା ଥାଏ । କିନ୍ତୁ କାନ୍ଦୁରୀର ଜନ୍ମ, ବୋଉର ସେଇ ସ୍ଵାଧୀନତା ଟିକକ ମଧ୍ୟ ଛଡ଼େଇନେଲା ।

 

ଅଭ୍ୟାସର ତତ୍ପରତା ନେଇ ବୋଉ ମୋର ରାତି ପାଞ୍ଚଟାରୁ ଉଠିପଡ଼େ ! କି ବର୍ଷା, କି ଶୀତ; ସବୁ ସମୟରେ ତା'ର ସେଇ ରାତି ପାଞ୍ଚଟା । ତତ୍ପର ଦେହଟିରୁ ନିଦ ଝାଡ଼ିଦେଇ , ସେଇ ଅସହଜ ତନ୍ଦ୍ରିଳ ସମୟଟିରେ ସେ ଶେଯରୁ ଉଠିଯାଏ । ମୋତେ ଚିଡ଼ିମାଡ଼େ ତା’ର ଏଇ ଜବରଦସ୍ତ ଅଭ୍ୟାସଟି ପାଇଁ । ଶୋଇବାର ସେଇ ସକାଳୁଆ ରାଜକୀୟ ମୁହୂର୍ତ୍ତଟିକୁ ନଷ୍ଟକରିଦେବାରେ ସେ ଯେ କି ଆନନ୍ଦ ପାଏ, ମୁଁ ବୁଝିପାରେନା ! କିନ୍ତୁ ବ୍ରତକଲା ଭଳି ବୋଉ ସେଇ ନିଦଗୁନ୍ଥା ସମୟଟାରେ ହିଁ ଉଠେ । ଏଇ ଉଠିବାର ଅଭ୍ୟାସ ବୋଧେ କାନ୍ଦୁରୀ ବୋଉକୁ ଶିଖେଇଥିଲା । ବାଧ୍ୟ କରିଥିଲା । ତେଣୁ ଅପତ୍ୟତାର ବାଧ୍ୟତାରେ ବୋଉ ଉଠିପଡ଼ୁଥିଲା ବୋଲି ମୁଁ ନିଜକୁ ନିଜେ ସଫେଇ ଦଉଥିଲି । କିନ୍ତୁ ସେଇ ବାଧ୍ୟତାଟିକୁ ବୋଉ ନିଜେ ସୃଷ୍ଟି କରିଥିଲା ଖାସ୍ କାନ୍ଦୁରୀ ପାଇଁ । ଏଇମିତି ପ୍ରତିଦିନର ପ୍ରଥମ ଜୀବନ, ବୋଉ କାନ୍ଦୁରୀ ପାଇଁ କିଛି ନିଦର ନୈବେଦ୍ୟରେ ଆରମ୍ଭ କରୁଥିଲା ।

 

ଶେଯରୁ ଉଠିପଡ଼ି ବୋଉ ଘରସାରା ବାଣ୍ଟି ହୋଇପଡ଼େ । ଅଗଣାରେ ଗୋବରପାଣି ପକା, ଗୋରୁଙ୍କ ପାଇଁ ଆହାର ଉଷୁଆଁ, ବାସନ ମଜା, ଦିଅଁ ଘର ଲିପା ଆଦି ସବୁକାମରେ ସେ ଯେମିତି ଗୋଟିକପରେ ଗୋଟିଏ ପାହାଚ ଓହ୍ଲେଇ ଯାଏ । ତାର ନିଜର ଦାନ୍ତ ଘଷିବା, ଝାଡ଼ାଯିବା ଓ ଗାଧୋଇବାରେ ଯେ କିଛି ସମୟ ଖର୍ଚ୍ଚ ହୁଏ, ସେକଥା ମୁଁ ଅନୁମାନ କରିପାରେନା ଅନ୍ୟ ସମସ୍ତଙ୍କର ସେଇ କାମଗୁଡ଼ିକ ପାଇଁ ଖର୍ଚ୍ଚ ହେଉଥିବା ନିଜପଣିଆଁଟା ତା’ପାଖରେ କେମିତି ନଥାଏ କେଜାଣି ? ବୋଉର ଏଇ ପାହଚ ପରେ ପାହାଚ ତରତର କାମରେ ମଧ୍ୟ ତା’ର କାନଟି କାନ୍ଦୁରୀ ପାଖରେ ଲାଖି ରହିଥାଏ । କାଳେ କାନ୍ଦୁରୀ ଉଠିପଡ଼ିବ ? କାମ ପରେ କାମକୁ ବାଣ୍ଟି ହୋଇଯିବାର ଘରଣୀପଣିଆଁ ବୋଉର କାନ୍ଦୁରୀ ପ୍ରତି ଦୃଢ଼ ସଚେତନତାର ଅଧସ୍ତନ ହୋଇଯାଇଥିଲା ଯେମିତି । କାନ୍ଦୁରୀ କାଳେ ଶେଯରୁ ଉଠି ପଡ଼ିବ, ତେଣୁ ବୋଉ, ଅନେକ ଆଗରୁ ଶେଯରୁ ଉଠିପଡ଼ି କାନ୍ଦୁରୀର ସେବାପାଇଁ ନିଜକୁ ପ୍ରସ୍ତୁତ କରି ଦେଇଥାଏ ।

 

ମୁଁ ସବୁ ଦିନ ଶେଯରୁ ଉଠିଲା ବେଳକୁ, ଶୋଇବା ପୂର୍ବରୁ ଯେଉଁ ସତେଜ ତତ୍ପର ବୋଉଟିକୁ ଦେଖିଥାଏ, ସେଇ ବୋଉଟିକୁ ପୁଣି ଦେଖେ । ଦିନ ଦିନ ଧରି, ଯୁଗ ଯୁଗ ଧରି ସେଇ ଅପରିବର୍ତ୍ତନୀୟାକୁ ।

 

ଘରର ଏବଂ ନିଜର ଧାରାବାହିକ -କାମଗୁଡ଼ିକ ସରିଯିବାରେ, ବୋଉ କାନ୍ଦୁରୀକୁ ଉଠେଇ ଦିଏ । ଦିନେ ଦିନେ ସେ ଗାଧୋଇ ସାରି ଆସୁ ଆସୁ, କାନ୍ଦୁରୀ ଶେଯ ଉପରେ ଶୋଇ ରଡ଼ି କରିବା ଆରମ୍ଭ କରି ଦେଇଥାଏ । ସାମାନ୍ୟ କଥାରେ ରଡ଼ି କରିବାପାଇଁ ଚୁକ୍ତି କରି, ବୋଧେ ସେ ଜନ୍ମ ହୋଇଥିଲା । ଛୋଟ ପିଲମାନଙ୍କର ସରଳ ନିଷ୍ପାପ ହସଟିଏ, କାନ୍ଦୁରୀ ଓଠରେ ମୁହୂର୍ତ୍ତକ ପାଇଁ ଝୁଲିଯିବାର ମଧ୍ୟ ମୁଁ କେବେ ଦେଖିନି । ସବୁବେଳେ ତା'ର ସେଇ କାନ୍ଦ । ଡହ ଡହ ବିକଳ କାନ୍ଦ । କାନ୍ଦର ଭୀଷଣ ନଈବଢ଼ିଟିଏ ବିସ୍ତାରି ଦେଇ, ସେ ତା’ର ଅନୁଯୋଗ, ଆବଶ୍ୟକତା ଓ ସ୍ଥିତିକୁ ସବୁବେଳେ ସାବ୍ୟସ୍ତ କରୁଥିଲା । ସେଥିପାଇଁ ଜେଜେବାପା, ତାର ନାଁ ଦେଇଥଲେ କାନ୍ଦୁରୀ ! ତା’ର ବୟସ ବଢ଼ିବା ପରେ ମଧ୍ୟ ଭଲ ନାଁଟିଏ ଦେବା ପାଇଁ କେହି କେବେ ଭାବି ନାହାନ୍ତି । ପ୍ରକୃତରେ ଆବଶ୍ୟକତା ମଧ୍ୟ ପଡ଼ି ନ ଥିଲା । ଭଉଣୀ ବା ଛୋଟ ଭାଇକୁ କାଖରେ ଧରି କିମ୍ବା ଦେହରେ ଜଡ଼ାଇ ଭାଇପଣିଆର ବୋକଟିଏ ତା’ ଗାଲରେ ଅଜାଡ଼ି ଦେବାର ବଲବତୀ ଇଚ୍ଛାଟିକୁ, ମୋତେ କାନ୍ଦୁରୀର ସେଇ ଅସରା ଅସରା କାନ୍ଦର ହାବୁକା ଯୋଗୁଁ ଦୂରେଇ ରଖିବାକୁ ପଡ଼ିଥିଲା । ତାକୁ କାଖରେ ଧରିବାର ସାହସ ମୋର ସେଥିପାଇଁ ସବୁବେଳେ ପରାହତ । କାନ୍ଦୁରୀ ଖାଲି କାନ୍ଦେନି ତ; ସତେ ଯେମିତି କାନ୍ଦର ଛିନଛତର ଖଣ୍ଡିଆଖାବରା ରକ୍ତଛିଟା ପାଖଆଖରେ ବିଞ୍ଚାଡ଼ି ଦିଏ । କାନ୍ଦଥିଲା, କାନ୍ଦୁରୀର ଜନ୍ମଗତ ଅସମ୍ଭବ ରୋଗଟିଏ । ରାମାୟଣର ନାଭିଦୈତ୍ୟ, ତା ମା’ ପେଟରେ ଥାଇ ଖାଇବାକୁ ମାଗିଲାପରି, କାନ୍ଦୁରୀ ବୋଧେ ବୋଉର ପେଟ ଭିତରୁ ରଡ଼ି କରିବା ଆରମ୍ଭ କରି ଦେଇଥିଲା ।

 

ଘରେ କାନ୍ଦୁରୀର ଏଇ ଉତୁଆଣି କାନ୍ଦ କେହି ସହିପାରନ୍ତିନି ! ସମସ୍ତେ ଚିଡ଼ିଚିଡ଼ି ହୁଅନ୍ତି । ହେଲେ ବୋଉ ସହେ । ଗରୁଡ଼ ତା’ର ତିକ୍ଷ୍‍ଣ ଥଣ୍ଟରେ ଜୀମୁତବାହନକୁ ଖୁମ୍ପି ଗଲାପରି, କାନ୍ଦୁରୀର କାନ୍ଦ, ନିଶ୍ଚି ଭାବବରେ ବୋଉକୁ ଖିନଭିନ୍ କରି ପକାଉଥିବ । କିନ୍ତୁ ବୋଉ ନିଶ୍ଚଳ । ସବୁବେଳେ ତା’ର ସେଇ ଅନାଗ୍ରସ୍ତ ମାତୁଲୀ ମୁହଁ । ସେଇ ଆଦୁରା ସ୍ୱୀକୃତି । ସବୁବେଳେ ସେଇ ପୁରୁଣା ତାଳର ଚାଲି । କିଛି ବିକାର ନାହିଁ । ଆଞ୍ଚୁଡ଼ାର ଉଃ ଶବ୍ଦଟିଏ ବି ନାହିଁ । କାନ୍ଦୁରୀ କାନ୍ଦର ଡହ ଡହ ଝାମୁ ଚାଲିରେ ବୋଉ ତା’ର ସେଇ ଅପ୍ରତିହତ କାମରେ ସବୁବେଳେ ତତ୍ପର ଥାଏ । କାନ୍ଦୁରୀର କାନ୍ଦ; କାନ୍ଦୁରୀର ବିକଳ ସ୍ଥିତି ଯେମିତି, କିଛି ଘଟଉନି । ସବୁ ଯେମିତି ଶୁଭଙ୍କର ।

 

କାନ୍ଦୁରୀକୁ ଦୁଇ ବରଷ ହେଲାବେଳକୁ, ଜଣାପଡ଼ିଯାଇଥିଲା ଯେ, ସେ କଥା କହି ପାରିବ ନି କି, ତା’କୁ କିଛି ଶୁଭୁନି । ପୁଣି କିଛିଦିନ ପରେ ଜଣାପଡ଼ିଲା, ସେ ଚାଲିବାକୁ ବି ଅକ୍ଷମ । ଅଣ୍ଟାଠାରୁ ଉପରକୁ, ଠିକ୍ ଶାରୀରିକ ବୃଦ୍ଧି ହେଉଥିବା ବେଳେ, ତା’ର ଗୋଡ଼ ଯୋଡ଼ିକ ସେମିତି ଦୁଇଟା ସଜନା ଛୁଇଁଭଳି ଲମ୍ବି ରହିଥିଲା । ସେଥିରେ ମୋଟେ ମାଂସ ଲାଗୁ ନ ଥିଲା । ସବୁବେଳେ ସେ ମୁଣ୍ଡଟାକୁ ଏପଟ ସେପଟ କରି ଗଡ଼ାଏ । ମୁଣ୍ଡ ଗଡ଼ାଇବ ଓ ଅସମ୍ଭବ ତାଳରେ କାନ୍ଦିବା ଥିଲା, ତା’ର ଦୁଇଟି କାମ । ବାପା ତାକୁ ଦେଖିଲେ, ତାଙ୍କର ମୁହଁ ଶୁଖିଯାଏ । ତାଙ୍କର ବାପପଣିଆର କଲିଜା ଚାରିପଟେ ଅସହାୟତା ଗୁଡ଼େଇ ହୋଇଯାଏ । କାନ୍ଦୁରୀକୁ ଧରିବା ପାଇଁ ସେ କେବେ ହାତ ବଢ଼ାନ୍ତି ନାହିଁ । ତା’ ଜନ୍ମ ପରଠାରୁ ବାପା ବୋଧେ ତାଙ୍କ ଅଜାଣତରେ ହାରିଯାଇଥିବା ଭଳି, ନିଜ ଭିତରେ ନିଜେ ସଙ୍କୁଚିତ ହୋଇ ଯାଇଥିଲେ । କାନ୍ଦୁରୀ ଭଳି ଜନ୍ମ ଅଭାଗିନୀ ଝିଅର ବାପ ହେବାରେ ଦୁର୍ଭାଗ୍ୟରେ, ବାପାଙ୍କ ଜୀବନର ସଫଳତା ନିଶ୍ଚିତ ଭାବରେ ଚୁଙ୍ଗି ହୋଇଯାଇଥିଲା । ସେ ଥୁଣ୍ଟା ହୋଇଯାଇଥିଲେ, ଏଇ କାନ୍ଦୁରୀର ଝଡ଼ ବତାସରେ ।

 

ଆମ ଘରେ କାନ୍ଦୁରୀକୁ କେହି ଧରନ୍ତି ନି । ତା କଥା କେହି ବୁଝନ୍ତି ନି । କେବଳ ବୋଉ ବୁଝେ । ତା’କୁ ଚାରି ବରଷ ହେଲାବେଳକୁ, ବୋଉର ବରାଦରେ କାନ୍ଦୁରୀ ପାଇଁ ବାପା ଗୋଟିଏ ଝୁଲୁରୀ ଚଉକି ତିଆରି କରେଇ ଆଣିଥିଲେ । ଝାଡ଼ା ଯିବା, ଗାଧୋଇବା ଓ ଶୋଇବା ସମୟତକ ଛଡ଼ା, କାନ୍ଦୁରୀ ଅଣ୍ଟାରେ ଗୋଟିଏ କନାର ପଟି ବାନ୍ଧି ତା’କୁ ସେଇ ଝୁଲୁରୀ ଚଉକିଟିରେ ବାନ୍ଧି ଦିଆଯାଇଥାଏ । ସବୁବେଳେ ସେ ସେଇ ଚଉକିଟିରେ ବସି ଏପଟ ସେପଟ ଝୁଲୁଥାଏ । ତା'କୁ ଅସୁବିଧା ଲାଗିଲେ କିମ୍ବା ତାର କିଛି ଦରକାର ହେଲେ; ଯଥା: ଝାଡ଼ାଯିବା, ପରିସ୍ରା କରିବା, ଖାଇବା, ଶୋଇବା ଦରକାର ପଡ଼ିଲେ, କାନ୍ଦୁରୀ କାନ୍ଦର ଅସମ୍ଭବ ଧମକରେ ତା’ର ଆପତ୍ତି ଜଣାଏ । ଯଦି କେହି ନ ଶୁଣନ୍ତି, ତେବେ କାନ୍ଦୁରୀ ତାର ହାତ ଦୁଇଟାକୁ କାମୁଡ଼ିକରି, ଲହୁ ଲୁହାଣ କରିଦିଏ । ସମୟ ସମୟରେ ମୁଣ୍ଡ ବାଳ ବି ଛିଣ୍ଡାଇ ପକାଏ । ସେଥିପାଇଁ ଅଧିକାଂଶ ସମୟରେ ବୋଉ, ତାର ପାଖେ ପାଖେ ଥାଏ ।

 

କାନ୍ଦୁରୀର ଆତ୍ମଘାତୀ ସ୍ଥିତିଟାକୁ ସମ୍ଭାଳିବା ପାଇଁ ବୋଉ ଯେ କି କଷ୍ଟ ପାଉଥିଲା, ଦେଖିଲେ ମୋ ମନ ଦୁଃଖରେ ଚିପୁଡ଼ି ହୋଇଯାଏ । ମୁଁ ଭାବୁଥିଲି, ବୋଉର ସୁଖଟା କ’ଣ ? ଏତେ କଷ୍ଟରେ ବି, ସେ କାନ୍ଦୁରୀ କାନ୍ଦୁରୀ ହେଉଚି । କାନ୍ଦୁରୀ ଉପରେ ବୋଉ କେବେ ରାଗେନି, ତା ବିରୁଦ୍ଧରେ ଆପତ୍ତି କରେନା; ଓଲଟି ନିଜେ କାନ୍ଦେ । ନିଜର ମାତୃତ୍ୱକୁ ନିନ୍ଦା କରେ, ନିଜର ପେଟକୁ ଗାଳିଦିଏ । ବୋଉର ଏ ଅବସ୍ଥା ଦେଖି ମୋତେ ଭୀଷଣ କଷ୍ଟ ଲାଗେ । କାନ୍ଦୁରୀ ଉପରେ ମୋର ତିକ୍ତତା ବଢ଼ିଯାଏ । ଏ ଚଣ୍ଡାଳୁଣୀଟା ମରି ଯାଆନ୍ତା କି ? ନିଜେ ତ କାନ୍ଦି କାନ୍ଦି ପ୍ରତି ମୁହୂର୍ତ୍ତରେ ମରୁଛି; ଅନ୍ୟକୁ ମଧ୍ୟ, ମଲା ସମାନ କଷ୍ଟ ଦେଉଚି । ମତେ ଲାଗେ ବୋଉ ତାର ସମସ୍ତ ସ୍ନାୟୁ, ସମସ୍ତ ମାତୃତ୍ୱକୁ ନିଗାଡ଼ି ଦେଇ ଗୋଟିଏ ଶବକୁ ଜଗି ବସିଚି । କାନ୍ଦୁରୀର ଏଇ ଜୀଅନ୍ତା ଶବଟିକୁ ।

 

କାନ୍ଦୁରୀ ପ୍ରତି ଅତ୍ୟଧିକ ନିଘା ଯୋଗୁଁ , ବୋଉ ଆମମାନଙ୍କ ପାଖରୁ ଦୂରେଇ ଯାଉଥିଲା । ସବୁବେଳେ କାନ୍ଦୁରୀର ସେଇ ଜୀଅନ୍ତା ଶବଟା ବୋଉର ସରଳ ସମଗ୍ରତାକୁ ଆମଠାରୁ ଛଡ଼େଇ ନେଇ, ନିଜେ ପୋଷ ପୋଷ ଆଗମନ କରି ଚାଲିଥିଲା । ଆମମାନଙ୍କର ବୋଉ ସମ୍ପର୍କିତ ସବୁଯାକ ବାତ୍ସଲ୍ୟ ସୁସ୍ଥତାକୁ ତା'ର କାନ୍ଦର ଲହ ଲହ ଜିଭରେ ଚାଟି ଯାଉଥିଲା । ଏଇଥିପାଇଁ ବେଳେବେଳେ ପ୍ରତିବାଦର ବିଷ, ମୋ ଭିତରେ ଫଣା ଟେକୁଥିଲା । କିନ୍ତୁ ପ୍ରତି ଥର ବୋଉ ପାଖେଇ ଆସି, ଗାଲରେ କିମ୍ବା ମୁଣ୍ଡରେ ହାତ ମାରିଦେଲେ ସେ ଫଣା ମଉଳିଯାଏ । ତା’ କାନିର ପେଡ଼ି ଭିତରେ ମୁଣ୍ଡରେ ଗୁଞ୍ଜି ସେଇ ଅଭିମାନିଆ ମୁହୂର୍ତ୍ତକ ଶୋଇଯିବା ପାଇଁ ମନ କନ କନ ହୋଇପଡ଼େ ।

 

କାନ୍ଦୁରୀ ଜନ୍ମହେବା ପରଠାରୁ, ନିଶ୍ଚିତ ଭାବରେ ବୋଉ ଆମ ଭାଇଭଉଣୀ ମାନଙ୍କଠାରୁ ଟିକିଏ ଦୁରେଇଗଲା । ଆମେ ସମସ୍ତେ ଅସ୍ଥିରେ, ପଞ୍ଜରାରେ, ମାଂସରେ, ରକ୍ତରେ ଏ କଥାଟି ସତ ବୋଲି ଅନୁଭବ କରୁଥିଲୁ । ଘରର ନିହାତି ଦରକାର କାମଗୁଡ଼ିକ କରି ସାରିବା ପରେ, ସାଧାରଣଭାବେ ଆମମାନଙ୍କ ପାଇଁ ତା’ର ଯେଉଁ ସମୟତକ ଖର୍ଚ୍ଚ କରିବାର କଥା, ସେ ସମୟତକ କାନ୍ଦୁରୀ ପାଇଁ ବୋଉ ପୁରା ଖର୍ଚ୍ଚ କରିଦେଉଥିଲା । ବୋଉର ଏ ପକ୍ଷପାତୀ ତଉଲ ପାଇଁ ମୁଁ ଅନେକ ଅଭିମାନ କରିଛି, ରୁଷିଛି । ଆହତ ହେବାବେଳେ, ମୁଁ ଅନ୍ଧାରୁଆ କୌଣସି ଏକ ବଖରା ଭିତରେ ପଶିଯାଇ ଆଖିରେ ଲୁହ ଖେଳାଇ, ମନେ ମନେ ବୋଉକୁ ଅନେକ ଗାଳି କରିଚି । କହିଛି : "ଖାଲି ଏକୁଟିଆ ଇଏ ବୋଉ ହେଇଚି । ଆଉ କେହି ଯେମିତି ବୋଉ ହେଇ ନାହାନ୍ତି ! ଟୁକୁନା ବୋଉ, ଟୁକୁନା ରୁଷିଲେ କେମିତି ଗୋଡ଼ରେ ବସେଇ ଖୁଆଇ ଦିଏ । ଇଆର କିନ୍ତୁ ସରୁବେଳେ କାନ୍ଦୁରୀ । ଆମକୁ ଟିକିଏ ପଚାରୁନି ।” ହେଲେ ମନରେ ଯେତେ ରାଗିଲେ ବି, ମୁଁ ବୋଉ ମୁହଁରେ କିଛି କହିପାରେ ନି । ରାଗିବାର କିଛି ସମୟ ଗତ ହୋଇଗଲେ ମତେ ଲାଗେ ଯେମିତି ମୋର ସବୁ ଭୁଲ୍ । ବୋଉର କିଛି ଦୋଷ ନାହିଁ । ସେ କେବେ ବସି ରହିନିତ ? ସବୁବେଳେ କିଛି ନା କିଛି କାମରେ ଲାଗିଚି । ଦାଣ୍ଡପଟରୁ ବାଡ଼ିପଟକୁ ଦଉଡ଼ୁଚି । ବୋଉର ଏ ଖଟଣୀ, ମୋ ମନ ଭିତରେ କେମିତ ଏକ ବୁଝି ପାରିବାର ବୁଦ୍ଧି ସୃଷ୍ଟି କରିଦିଏ । ଖରାଦିନେ ଦ୍ଵିପହରରେ ସମସ୍ତେ ଶୁଅନ୍ତି । ହେଲେ ବୋଉ ଶୁଏନା । ଶୋଇବାକୁ ସମୟ ପାଏନା । ଏଇମିତି ଅନେକ କଥା । ମୋ ବୟସର ପ୍ରତିଟି ଆଗୁଆ ପାଦର ତାଳସହ ବୋଉର କାନ୍ଦୁରୀ ପ୍ରତି ମମତା ମୋ ନିକଟରେ ଅଧିକରୁ ଅଧିକ ମହତ୍ ହୋଇ ଉଠୁଥିଲା ।

 

କିନ୍ତୁ ଭଉଣୀ ହେଲେବି, ତା’ ପ୍ରତି ମୋର ମମତା ଜାଗେନି । ମୁଁ ତା’ପାଇଁ ଦୁଃଖ କରିପାରେ ନି । କାହିଁକି ବା କରନ୍ତି ? ଅନ୍ୟ ସାଙ୍ଗ ସାଥୀମାନଙ୍କ ଘରେ ସେମାନଙ୍କର ବୋଉମାନଙ୍କୁ ଖୁସିଗପ ହେବାର, ବୁଲିବାର, ସିନେମା ଥିଏଟର ଯିବାର ଦେଖିଲାବେଳେ ଘରକୁ ଫେରି ମୁଁ ଦେଖେ କୌଣସି କାମର ଓଜନଟିଏ ପିଠିରେ ପକେଇ ବୋଉ ମୋର ନିଶ୍ଚଳ ମୁହଁରେ ସେମିତି ପାଦ ଓଟାରୁଛି । ବିଶେଷକରି ଅଧିକାଂଶ ସମୟରେ ସେ ସେଇ କାନ୍ଦୁରୀ କାମରେ ଲାଗିଛି । ତା’ ଘୁଅ, ମୂତ ଲୁଗାପଟା ସଫା କରିବା, ଖୁଆଇବା, ପିଆଇବା, ଶୁଆଇବା ଇତ୍ୟାଦି ଇତ୍ୟାଦି । ସେଥିପାଇଁ ବୟସ ମତେ ବୁଦ୍ଧିଆ କରିବା ସଙ୍ଗେ ସଙ୍ଗେ ବେଶୀ ବେଣୀ ଦୁଃଖୀ ମଧ୍ୟ କରି ଦେଉଥିଲା ।

 

ବର୍ଷକରେ ଥରେ ଅଧେ ବାପଘରକୁ ଯିବାପାଇଁ ପ୍ରତ୍ୟେକ ବିବାହିତା ସ୍ତ୍ରୀ ଚାହେଁ । ଶ୍ୱଶୁର ଘର ଆପଣାର ଘର ହେଲେ ବି ବାପଘରକୁ ଛାଡ଼ି ହୁଏନା । ରକ୍ତର ପ୍ରଥମ ସମ୍ପର୍କଟିକୁ ଛିଣ୍ଡାଇ ହୁଏନା । ତେଣୁ ବୋଉ ମଧ୍ୟ ମାମୁଁ ଘରକୁ ପ୍ରତିବର୍ଷ ପ୍ରାୟ ମାସେ ଲେଖାଏଁ ଯାଉଥିଲା । କିନ୍ତୁ କାନ୍ଦୁରୀର ଜନ୍ମ ପରଠାରୁ ସେ ଆଉ ମାମୁଁ ଘରକୁ ଯାଇ ପାରିଲା ନି । ମାମୁଁ ଘର ସମ୍ପର୍କର ନଚିକେତାଟିକୁ ବୋଉ କାନ୍ଦୁରୀର ଜୀବନଯଜ୍ଞରେ ଉତ୍ସର୍ଗ କରିଦେଇଥିଲା । ମାମୁଁ ଘରକୁ ଯିବାପାଇଁ ଯେତେବେଳେ ଡାକରା ଆସେ ସେ କହେ “କାନ୍ଦୁରୀକୁ ଛାଡ଼ି କେମିତି ଯିବି ? ତାକୁବି ତ ସାଙ୍ଗରେ ନେଇ ହବନି ।” ଏଇ କାନ୍ଦୁରୀ ଯୋଗୁଁ, ବୋଉ ଆଉ କେବେ ମାମୁଁ ଘରକୁ ଯାଇପାରିଲାନି । ତା’କୁ ଗାଈକାଠ ପରି ଗଳାରେ ପକାଇ ସେ ପଡ଼ି ରହିଲା ।

 

ବାପା ବୋଉଙ୍କର ସଂସାରୀ ସମ୍ପର୍କରେ ମଧ୍ୟ କାନ୍ଦୁରୀ ଯୋଗୁଁ ଅନେକ ଝଡ଼ ସୃଷ୍ଟି ହୋଇଥିଲା । ଏହି ଝଡ଼ରେ କିନ୍ତୁ ବୋଉ କେବେ ହାରିଯାଇନି । ସବୁବେଳେ ବା ଘୃଣାପରି, ସବଳ ଆନ୍ତରିକତାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ଖଟାଇ ସେ ପ୍ରତିରୋଧ କରିଛି । ପେଙ୍ଗୁଇନ, ବରଫର ବିସ୍ତୀର୍ଣ୍ଣ ପଡ଼ିଆ ଉପରେ ନିଜର ପାଦର ଉପରି ଭାଗରେ ଅଣ୍ଡାଟିକୁ ଥାପି, ଉଷୁମ ଦେଇ, ନିଜେ ସକଳ ଥଣ୍ଡା ସହିଲାଭଳି, ବୋଉ ସବୁ ଦୁଃଖକୁ ନିଜ ଭିତରକୁ ଟାଣି ନେଉଥିଲା ।

 

କାନ୍ଦୁରୀର ଖାଦ୍ୟ ଥିଲା କେବଳ କ୍ଷୀର । ସେ ନିଜ ହାତରେ କିଛି ଖାଇ ପାରେନା । ପୁଣି, ତା’ର ପିଲାଦିନର ଅଭ୍ୟାସଯୋଗୁଁ ତା’କୁ କ୍ଷୀର ଛଡ଼ା ଅନ୍ୟ କିଛି ଖାଇବାକୁ ଦେଲେ ତା’ର ପେଟ ଫାମ୍ପେ, ବାର ବିକୃତି ବାହାରେ । ତେଣୁ ସବୁବେଳେ ତା’ର ଖାଦ୍ୟ ଥିଲା କେବଳ କ୍ଷୀର । ଆଠ ବରଷର ହେବା ବେଳକୁ ସେ ଦିନକରେ ଚାରି ଲିଟର କ୍ଷୀର ପିଇ ଦେଉଥିଲା । ଘରେ ଆମର ଗାଈ ଥାଆନ୍ତି । ତେଣୁ କିଛି ଅସୁବିଧା ହୁଏ ନାହିଁ । କିନ୍ତୁ ହଠାତ୍ ସେଇ ବର୍ଷ ସବୁ ଗାଈଯାକ ପଡ଼ିଆ ହୋଇଗଲେ । ଘରେ ଆଉ କ୍ଷୀର ଦୁହାଁ ହେଲାନାହିଁ । ସେଥିପାଇଁ କ୍ଷୀର କିଣି କାନ୍ଦୁରୀକୁ ଦେବାକୁ ହେଲା । ପ୍ରତିଦନ ଚାରି ପାଞ୍ଚ ଲିଟର କ୍ଷୀର କଣିବା ଆମର ଦୁର୍ବଳ ମଧ୍ୟବିତ୍ତ ପରିବାର ପକ୍ଷରେ କଷ୍ଟକର ହୋଇପଡ଼ିଲା । ଏଇ କଷ୍ଟଟା ବାପାଙ୍କ ମୁହଁରେ ଦିନେ ଭାଷା ନେଲା । ସେ ବୋଉକୁ କହିଲେ, “କାନ୍ଦୁରୀକୁ ଏଥର ଚାଉଳ ପାୟସ କରି ଖୁଆଅ । ଭାତ ଫାତରେ ତାକୁ ଆସ୍ତେ ଆସ୍ତେ ଅଭ୍ୟସ୍ତ କର । ଆଉ କେତେଦିନ ତା’କୁ ଏମିତି ଖାଲି କ୍ଷୀରରେ ଚଳାଇବା । ପୁଣି ଆଜିକାଲି ତ କ୍ଷୀର କେତେ ମହଙ୍ଗା ଦେଖୁଛ । ସବୁବେଳେ କ୍ଷୀର କଣି କ’ଣ ଖୁଆଇ ହବ ?” ବାପାଙ୍କର ଏଇ କଥାରେ ବୋଉ ସେଦନ ଖୁବ୍ ଆହତ ହୋଇଥିଲା । କଥା କହୁ କହୁ ସେ କଇଁ କଇଁ ହୋଇ ଅନେକ କାନ୍ଦିଥିଲା । କହିଥିଲା, “ତମର କେତେଆଡ଼େ କେତେ ଟଙ୍କା ଖର୍ଚ୍ଚ ହେଉଛି । ଜନ୍ମରୁ ତ ସେ ହତଭାଗୀ । ଭଲ ଥିଲେ ତା’ପାଇଁ ଜାମାପଟା, ସ୍କୁଲ ଯିବା, ଡେଇଁବା ଖେଲିବାରେ କେତେ ଖର୍ଚ୍ଚ ହେଉ ନ ଥାନ୍ତା ? ସବୁବେଳେ ଖାଲି ପଡ଼ିରହିଛି ବୋଲି ତା’ ଖାଇବାଟା ତମକୁ ଦିଶୁଛି । ମୁଁ ଅଲକ୍ଷଣୀ ତ ଏମିତି ତାକୁ ହିନୀମାନ କରି ଜନ୍ମ ଦେଇଛି, ତାର ଦୋଷ କଣ ? ତାକୁ ଜନ୍ମ କରିବା ପୂର୍ବରୁ ମୁଁ ମରି ନ ଗଲି ଯାହା । ତମ ଗୋଡ଼ ଧରୁଚି, ଏମିତିଆ କଥା କେବେ ଆଉ କହିବ ନି; ଯାହା ଖର୍ଚ୍ଚ ହେଉଚି ପଛେ ହେଉ ।” କେଡ଼େ ନିରାପତ୍ତାପୂର୍ଣ୍ଣ ଏ ବୋଉର ସମ୍ପର୍କ ! କେଡ଼େ ଆଶ୍ୱାସନାମୟ ୟାର ପରିଧି !

 

ମୁଁ ପାଖରେ ଠିଆ ହୋଇଥିଲି । ବୋଉର ଏ କଥା ସହ କାନ୍ଦ ମତେ ଖୁବ୍ ବିକଳ କରି ପକେଇଥିଲା । ମୁଁ ଅନୁଭବ କରିଥିଲି, ମୋ ଦେହସାରା ରକ୍ତ ବଦଳରେ ଯେମିତି ଲୁହ ଭରିଯାଉଛି । ବୋଉର ସେଇ ପେଟ ଲୁହରେ ମୁଁ ଭର୍ତ୍ତି ହୋଇ ଯାଇଥିଲି । ଧନ୍ୟ ମୋର ବୋଉ । ଧନ୍ୟ ତା’ର ମାଆ ପଣିଆ । ଭଗବାନ କରନ୍ତୁ, ଜନ୍ମେ ଜନ୍ମେ ମତେ ଏଇ ବୋଉ ମିଳୁ । ବିଶେଷକରି, କାନ୍ଦୁରୀପରି ପ୍ରତ୍ୟେକ ଅଭାଗିନୀ ଝିଅଙ୍କୁ ଏମିତିଆ ବୋଉ ମିଳୁଥାଆନ୍ତୁ । ମୋର ମନେ ପଡ଼ୁଥିଲା, କୋଉଠି ଗୋଟେ ପଢ଼ିଥିଲି, “ଭଗବାନ ସବୁ ଜାଗାରେ ସବୁବେଳେ ଉପସ୍ଥିତ ରହି ପାରିବେ ନି ବୋଲି ଏଇ ବୋଉ ଜାତିଟାକୁ ସୃଷ୍ଟି କରିଛନ୍ତି ।”

 

ବୋଉର ସେଇ କଥା ଶୁଣିବା ପରେ, ବାପା ଆଉ ପଦେ କଥା କହି ନାହାନ୍ତି । କାନ୍ଦୁରୀର କ୍ଷୀର ପିଇବା ମଧ୍ୟ କେବେ ବନ୍ଦ ହୋଇନାହିଁ ।

 

କାନ୍ଦୁରୀର ବୟସ ବଢ଼ିଲା, କିନ୍ତୁ ତା’ର ଆଉ କିଛି ଶାରୀରିକ ଉନ୍ନତି ହେଲା ନି । ବୟସ ତା’ ପାଖରେ ହାରି ଯାଇଥିଲା କି, ସେ ବୟସ ପାଖରେ ହାରିଯାଇ ଥିଲା କେଜାଣି ? ହେଲେ ଜୀବନକୁ ଓ ଜୀବନର ସ୍ଥିତିକୁ ହୀନପ୍ରଭା କରି, ସେ ସେଇ ଝୁଲୁରୀ ଚଉକିଟିରେ କେବଳ ଝୁଲି ରହିଲା । ଚଉଦ ପନ୍ଦର ବର୍ଷ ହେଲେ ମଧ୍ୟ କାନ୍ଦୁରୀ, ଶୁଣ୍ଠା ପୋକବିନ୍ଧା ଫଳଟିଏ ପରି ସେଇ ଝୁଲୁରୀ ଚଉକିଟିରେ ଲାଖି ରହିଥିଲା । ଖାଲି ଯାହା ଖଣ୍ଡିଆ ଖାବରା ରକ୍ତାକ୍ତ ସ୍ଥିତିଟିଏ । ସେଇ ସ୍ଥିତି ଆମ ପରିବାରର ଠିକ୍ ମଞ୍ଜି ଯାଗାରେ ଆସ୍ଥାନ ମାଡ଼ି ବସିଥିଲା । ଆମ ପରିବାରର ସ୍ୱତଃ କୋଳାହଳ ଓ ସୁଖଶାନ୍ତି ଭିତରେ କାନ୍ଦୁରୀ ଗଞ୍ଜଣାର ନିରବଚ୍ଛିନ୍ନ ହାଣୁଆ ଘଣ୍ଟାଟିଏ ପିଟି ଚାଲିଥିଲା ବୋଧେ ।

 

ଠିକ୍ ପନ୍ଦରବର୍ଷ ବେଳକୁ, କାନ୍ଦୁରୀ ଦେହର ହାଡ଼ସବୁ ମିଳେଇ ଯିବାକୁ ଲାଗିଲା । ହାଡ଼ ଭିତର ସବୁ ଫପ୍‍ସା ହୋଇଗଲା । ତା’ର ଦେହଗତ ଶେଷ ହାଡ଼ୁଆ ସ୍ଥିତିଟିକୁ ମଧ୍ୟ ଭଗବାନ ଅସ୍ୱୀକାର କରିବାକୁ ଆରମ୍ଭ କରିଦେଲେ । ଦିନ ପରେ ଦିନ ସେ ସଙ୍କୁଚିତ ହୋଇ ଆସିଲା ଗୋଟିଏ ମାଉଁସ ମେଞ୍ଚାକୁ । ସେଇ ବୟସରେ, ଯୌବନର ଜୁଆର ବଦଳରେ ମୃତ୍ୟୁର ବିଭୀଷିକା ତା’ ଦେହରେ ଦୋହଲିବାକୁ ଲାଗିଲା । କାନ୍ଦୁରୀର ଏ ଅବସ୍ଥା ଘରେ ସମସ୍ତଙ୍କର ମନରେ ଏକ ହତାଶିଆ ବିକଳତା ବୁଣି ଦେଇଥିଲା । ସେ ଦିନକୁ ଦିନ ଘୃଣ୍ୟ ହୋଇଯାଇଥିଲା । ତା’ ମରଣ ପାଇଁ ଅସ୍ପଷ୍ଟ ମାଗୁଣୀଟିଏ ଯେମିତି ସମସ୍ତଙ୍କ ଅନ୍ତରରେ, ଏକ ଅଜାଣତ ଅନିବାର୍ଯ୍ୟ ହୋଇଯାଇଥିଲା । ପ୍ରତି ମୁହୂର୍ତ୍ତରେ ବୋଧେ ସମସ୍ତେ ବୋଧେ ସମସ୍ତେ କାନ୍ଦୁରୀ ମୃତ୍ୟୁର ସତ୍ୟଟିକୁ ବାଟ ଚାହିଁ ବସିଥିଲେ ।

 

କିନ୍ତୁ ବୋଉ ଏ ସବୁର ବାହାରେ ଥିଲା । ସବୁବେଳେ ବୋଉ ଯେମିତି ଏକ ଅଲୌକିକ ପରିବର୍ତ୍ତନକୁ ଅପେକ୍ଷା କରିଥିଲା । ସେ ଭାବୁଥିଲା କାନ୍ଦୁରୀ ବୋଧେ ଏକ ସାମୟିକ ରୋଗରେ ସଢ଼ୁଛି ଦିଅଁ ଘରେ ସବୁଦିନ ସେ ମୁଣ୍ଡପିଟି ମାଗୁଣୀ କରେ, ହେ ଭଗବାନ ମୋ କାନ୍ଦୁରୀଟିକି ଭଲ କରିଦିଅ । ପ୍ରତିଦିନ ଔଷଧ ପାନେ କାନ୍ଦୁରୀ ପାଟିରେ ପୂରେଇ ଦେଲାବେଳେ ବୋଉ ମନକୁ ମନ କହେ, ଖାଇଦେ ମୋ ସୁନା ପରା, ଭଲ ହୋଇଯିବୁ । ଅନ୍ୟ ସମସ୍ତେ କାନ୍ଦୁରୀର ମୃତ୍ୟୁକୁ ପ୍ରଚ୍ଛନ୍ନ ଭାବେ ଅପେକ୍ଷା କରିଥିବାବେଳେ ବୋଉ କାନ୍ଦୁରୀର ଭଲ ହୋଇଯିବାର ସମ୍ଭାବନାକୁ ଦୃଢ଼ ବିଶ୍ୱାସର ସହ ଅପେକ୍ଷା କରିଥିଲା । ତା’ର ଏଇ ଗୋଟିକ ବୋଲି ଝିଅକୁ ମାଆ ହିସାବରେ ଶଙ୍ଖ ହୁଳହୁଳି ଭିତରେ ବିଦା କରିବାର ସମ୍ଭାବନାଟିକୁ ବୋଉ ଅପେକ୍ଷା କରିଥିଲା ମଧ୍ୟ । ମାଆ ଭାବରେ ସେଇ ବିଦାୟଟିକୁ ସେ ଅପେକ୍ଷା କରିଥିଲା, ଅନ୍ୟ କେଉଁ ଆଶଙ୍କିତ ବିଦାୟ ନୁହେଁ ।

 

ଶୀରୀରିକ ସଙ୍କୋଚନ ସତ୍ତ୍ୱେ କୀନ୍ଦୁରୀର କାନ୍ଦ ସଙ୍କୁଚିତ ହୋଇ ନ ଥିଲା । ବିରଞ୍ଚି ଆହୁରି ଅଧିକ ଅନ୍ତରଭେଦୀ ହୋଇ ଯାଇଥିଲା । ଅଧିକ ଅସହ୍ୟ ହୋଇ ଉଠିଥିଲା । ଶେଷକୁ ଦିନେ ଦିନେ ବୋଉ ନିଜକୁ ନିଜେ ବିରକ୍ତ ହୋଇ ପକାଉଥିଲା; “ତୁ ମତେ ନ ଖାଇ ଛାଡ଼ିବୁନି । ଏମିତି କାନ୍ଦି କାନ୍ଦି, ମୋ ହାଡ଼ରୁ ମାଉଁସ ମଧ୍ୟ ତୁ ଖସେଇ ଦବୁ । ତୋ ସହ ମୁଁ ମରିଗଲେ ତ୍ରାହି ପାଇ ଯାଆନ୍ତି । ଭଗବାନ ମୋ ଡାକ କାହିଁକି ଶୁଣୁ ନାହାଁନ୍ତି କେଜାଣି ?” ମୁଁ ବୁଝୁଥିଲି, ବୋଉର ଏ ବିରକ୍ତି, କେବଳ ତା ଦେହର, ମନର ନୁହଁ । ମଣିଷ ହିସାବରେ ଏକ ସାମୟିକ ବିରକ୍ତି, କିନ୍ତୁ ମାତୃତ୍ୱର ବିରକ୍ତି ନୁହଁ । କାରଣ ସେଇ ବୋଉ ବି ସମୟ ସମୟରେ କାନ୍ଦୁରୀର ମୁଣ୍ଡ କୁଣ୍ଡେଇ ଦେଇ, ଆଖିରେ କଜ୍ଜଳ ଦେଇସାରି କହି ପକାଉଥିଲା, “ମୋ କାନ୍ଦୁରୀର ଗଢ଼ଣ ଖୁବ୍ ସୁନ୍ଦର ।”

 

ସେଇ ବର୍ଷ ମୁଁ ଗାଁ ପାଖ ସରକାରୀ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥାଏ । ସକାଳ ସାଢ଼େ ନଅଟାରେ ଘରୁ ଯାଇ ସନ୍ଧ୍ୟା ସାଢ଼େ ପାଞ୍ଚଟାକୁ ଘରକୁ ଫେରେ । ଦିନେ ଏଇମିତି ଫେରୁଚି, ଏଇ ସମୟରେ ବୋଉର ଛାତିଫଟା କାନ୍ଦଣା ଶୁଣିବାକୁ ପାଇଲି । ବେକ ଛିଡ଼ିଯାଇ ରକ୍ତ ପିଚ୍ ପିଚ୍ ଛିଟିକି ଆସିବାପରି, ବୋଉର ସମଗ୍ର ସତ୍ତାରୁ ସେ ବିକଳ କାନ୍ଦଣା ଛିଟିକି ଆସୁଥିଲା । ମୁଁ ହତଭମ୍ଭ ହୋଇଗଲି । ପ୍ରଥମେ କିଛି ବୁଝିପାରିଲି ନି । ବହୁଦିନୁ ଅପେକ୍ଷା କରାଯାଇଥିବା ଏକ ନିଶ୍ଚିତ ମୃତ୍ୟୁର ସତ୍ୟତା ପ୍ରତିପାଦନରେ ଯେ ବୋଉ ଏତେ ବିକଳ ହୋଇ କାନ୍ଦିପାରେ, ସେ ଧାରଣ ମୁଁ କରିପାରି ନ ଥିଲି । କାନ୍ଦୁରୀ ମରି ସାରିଥିଲା । ତା କାନ୍ଦର କୋଳାହଳ ବନ୍ଦ ହୋଇ ସାରିଥିଲା ।

ବୋଉ କାନ୍ଦୁରୀର ସେଇ ମାଂସର ମେଞ୍ଚା କୁଢ଼ ଉପରେ ନିଜକୁ ସମ୍ପୂର୍ଣ୍ଣ ଅଜାଡ଼ି ଦେଇ, କାନ୍ଦର ରୋଳ ଛୁଟାଇଥିଲା, “ମୋ ଧନରେ, ନୟନର ପସରା, ଏତେ କଷ୍ଟ କରି ତତେ ଜଗି ବସିଥିଲି, ଶେଷରେ ମତେ ଏକଲା କରିଚାଲି ଗଲୁରେ ଧନ । ମୁଁ ଅଭାଗିନୀ ତୋତେ ବଞ୍ଚେଇ ରଖି ପାରିଲି ନି । ତୁ ଚାଲିଯିବା ଆଗରୁ ମୋ ମାଆ ପଣିଆକୁ ଯାହା ଆଗେ ମରଣ ହେଲାନିରେ ମୋ ସୁନା ।”

 

ଏତେ ଦିନର କଷ୍ଟର ଅବସାନ ପରେ ମଧ୍ୟ ବୋଉ କାନ୍ଦୁଚି । କାନ୍ଦୁରୀର କାନ୍ଦମୟ ବିକଳ ସ୍ଥିତିଟାକୁ ବଞ୍ଚେଇ ରଖିପାରିଲା ନି ବୋଲି ନିଜକୁ ଧିକ୍କାର କରୁଚି । ଯେମିତି କାନ୍ଦୁରୀ ମରିବ ବୋଲି ସେ ଆଗରୁ ମୋଟେ ଜାଣି ନ ଥିଲା, କି ଭାବି ନ ଥିଲା । ସୁସ୍ଥ ସବଳ ଭେଣ୍ଡାପୁଅଟିଏ ମରିଯାଇଥିବା ପରି ବୋଉ କାନ୍ଦୁଚି ।

 

ଆଖିରେ ଲୁହ ସହ ମୋ ଛାତିରେ ଏକ ଅଭିଭୂତଭାବ ବିସ୍ତାରି ଯାଉଥିଲା । ମାତୃତ୍ୱର ସରଳ ସତ୍ୟ ଓ ନିଃଶ୍ୱାର୍ଥ ସ୍ନେହ, ବୋଉର ଏଇ ଡହଳ ବିକଳ କାନ୍ଦସହ, ମୋ ଭିତରେ ଅଧିକରୁ ଅଧିକ ମଜ୍ଜାଗତ ହେଉଥିଲା ।

Image